★ 'ସାଧବ ଝିଅ' ଏବଂ
କବି ମାୟାଧର ମାନସିଂହ ★
-----------------------------------------
(ଧାରାବାହିକ ଭାଗ - ୭)
ସାଧବପୁଅ ଏହି କାବ୍ଯର ନାୟକ, ତା' ମନରେ ଅସରନ୍ତି ଆଶା ଓ ଅଭିଳାଷ। ନିର୍ମଳ ପ୍ରେମର ଏହି ଉଦାର ହୃଦୟକୁ କେବେ ସେ ଚରଣ ବନ୍ଦନରେ ଉତ୍ସର୍ଗ କରି ନିଜ ଯୌବନର କ୍ଲାନ୍ତ-ଅବସନ୍ନ ଦେହକୁ ନିବିଡତାର ପରଶ ଦେବ ? ଗୋଟିଏ ନିଷ୍ଠାବାନ ସ୍ନେହର ପ୍ରତିନିଧି।
ମାନସିଂହ ଏଠାରେ ଦେହାତୀତ ପ୍ରେମକୁ ଦେଇଛନ୍ତି ସ୍ଥାନ - 'ପ୍ରେମ ନୁହେଁ ଦେହ ଦେହୁ ଭୋଗ ଅନ୍ଵେଷଣ / ପ୍ରେମ ଏକ ଆତ୍ମା ପ୍ରତି ଅନ୍ୟର ବନ୍ଧନ। ' (କମଳାୟନ)। ସାଧବ ଝିଅ ସମ୍ପର୍କରେ ଜାଣିବା ପରେ ତା'ର ବିରହ ବଢିଛି ଅବଶ୍ୟ, ହେଲେ ବିଳମ୍ଵ ଆଉ ସହ୍ୟ ହେଇନି। ଆଉ କହିଛି ଯଦି ସାଧବଝିଅକୁ ତା ରଚିତ ମାଳା ପସନ୍ଦ ଆସେ, ତେବେ କହିଦେବ ଏ ମାଳୀ ହେଉଛି କଳିଙ୍ଗର!
ସାଧବ ପୁଅର ଏହି ବ୍ୟସ୍ତଚଞ୍ଚଳ ଜୀବନରେ ଏକମାତ୍ର ସସ୍ନେହ ଦୃଷ୍ଟି ପାଇଥିଲା ସାଧବଝିଅକୁ। ତାକୁ ଖୋଜି ଖୋଜି ସେ ଆସିଛି କେତେ ଜନପଦ, କେତେ ହାଟ ଓ କେତେ ନଗର ଅତିକ୍ରମ କରି। ସାଧବ ପୁଅର ଗୋଟିଏ ନିରଳସ ପ୍ରେମିକ ରୂପେ ଯେଉଁ ପରାକାଷ୍ଠା ଓ ନିଷ୍କାମ ଭାବନାର କୀର୍ତ୍ତି ତାଙ୍କୁ ଏହି କାବ୍ୟରେ ଏକ ଉତ୍କୃଷ୍ଟ ସ୍ଥାନ ଦିଆମାଇଅଛି।
ଏଥର ସାଧବଝିଅ କହୁଛି ମାଳୁଣୀକି -
★★★★★★★★★★★
"ନୂଆ ହାତ କା'ର ଲାଗିଥିଲା ପରି
ଲାଗଇ
ମାଳୁଣୀ ତୁ କହ, ଗଲାଣି ମୋ ସବୁ
ରାଗ ହିଁ।
ଏତେ ଡେରି କଲୁ, ମତେ ମନେ ଥିଲି
ରାଗି ଯା,
ଦେଇଥାନ୍ତି ତତେ ଦୁଆର ବାସନ୍ଦ
ତାଗିଦା।
ଫୁଲହାର ଦେଖି, ଗଲି ସବୁ ରାଗ
ଭୁଲି ମୁଁ,
ମୋ ରାଣ ଲୋ ତତେ, ଠିକେ ସବୁ କଥା
ବୋଲିବୁ।
ମୋ ମରମ କଥା, ତୋତେ ସିନା ଜଣା
ମାଳୁଣୀ
ନିଜ ରକତର, ମା' ବି ସେ କଥା ଜାଣିନି।
ସମୁଦ୍ରର ଘାଟୁ ଫେରି ମୁଁ ସେଦିନ
ସଞ୍ଜରେ
କାନ୍ଦିବାର ଦେଖି, ସେଇ ସେ ଦୁଆର
ବନ୍ଧରେ,
ଠିଆ ହୋଇ ମତେ କୋଳ କରି ଆଖି
ପୋଛିଲୁ,
ଏତେ ଦିନେ ଆଜି, ଆଖେ ଲୁହ କିମ୍ପା
ପୁଛିଲୁ ।
ବହୁ ପ୍ରବୋଧନା, ସାଧନାରେ ତତେ
ପ୍ରାଣର
ନୂତନ ପ୍ରମାଦ ବଖାଣିଲି, ମଣି
ଦୋସର।
ସେ ଦିନୁ ତ ଜାଣୁ ତିନୋଟି ବରଷ
ଗଲାଣି
ନୟନର କେତେ ନୀର ବାନ୍ଧିହୋଇ
ମଲାଣି।
ସାଜିବାକୁ ଫୁଲେ, ଏ ଛାର ଶରୀର
ଡାକେ କି
ତୁ ଜାଣୁ ଲୋ ଖାଲି, ତାଙ୍କ କଥା, ପାଇ
ଏକାକୀ
କହି ତତେ ହୁଏ ସୁଖୀ ଦଣ୍ଡେ, କ୍ଷଣେ
ଦିନରେ,
ସେହି ତ ଏକଇ ସୁଖ ମୋର ଏ
ଜୀବନରେ।
କେତେ ଥର ତତେ ପଚାରିଛି ଅତି
ଆଗ୍ରହେ
ବାଟଘାଟେ କେବେ ହେଲେ ଦେଖା ତାଙ୍କ
ବିଗ୍ରହେ,
ତୁରିତେ କହିବୁ, ଦୂରୁ ହେଲେ ଦେଖା-
ଇବୁ ଲୋ,
ସାହୁକାର ହୋଇ ଜୀବନେ ଜୀବନେ
ଥିବୁ ଲୋ।
ମୁରୁକି ହସୁଛି, ଚଞ୍ଚଳେ ଚାହିଁଛୁ
ଆଜି ଯେ,
ନୂଆ ମାଳା ପୁଣି ଆଣିଛୁ ଯତନେ
ସାଜି ଯେ।
ଆଶାର କଥା କି ଶୁଣାଇବୁ କି ଲୋ
ଶ୍ରବଣେ,
କହ, ନିଜେ କେତେ ବାନ୍ଧିବି ଧଇର୍ଯ୍ୟ-
ବନ୍ଧନେ ?"
"ଆସିଛନ୍ତି ସତେ ?" ମାଲୁଣି ଚତୁରୀ
ଭାଷଇ,
"ତୁମେ ଜାଣ, ତମ ଲୋକ ନ ଆସେ କି,
ଆସଇ,
ମୁଁ କିସ ଜାଣେ ମା' ? ପେଟ ଦାଉ ଆମ
ମାଲିକ,
ଖଟି ଖଟି ସଞ୍ଜେ, ପାଇବି ଚାଉଳ
ଗଣ୍ଡିକ।
ବଣିକ ସାଧବ, ଶେଠ ସୌଦାଗର
ବିଷୟେ,
ପଶିବୁ ଗରବେ ଆମେ କହ କେଉଁ
ଆଶୟେ ?
ସେଦିନ ଉଛୁର ହେଲା ବୋଲି ମାଆ
ସେଥର,
ମନେ ଅଛି କେହ୍ନେ ଝିଙ୍ଗାସିଲେ? ତୁମେ
ସେକର-
ମେଲାରେ କଉଡି ଖେଳୁଥିଲ ସାଙ୍ଗ-
ସଙ୍ଗତେ
ସେତେବେଳେ ମୁହିଁ ନ ଥିଲି ତୁମର ଜଗତେ
ଏବେ କାମ ଲାଗି " - ଥନଥନ ଲୁହ
ବୁହାଇ;
ସାଧବର ସୁଧା-ହୃଦୟା ବାଳିକା
କହଇ,
"ମାଳୁଣୀ, ତୁ ସବୁ ଦୋଷ ମୋର ଦିଏ
ପାଶୋରି
ହାତ ତୋ' ଧରୁଛି, କରିନାହିଁ କିଛି
ବିଚାରି।
ନିଏ ଏ ସୁନାର ହାର" - "ଛିଇ-ଛି,
ନି କଥା ?
ଥଟ୍ଟା କରୁଥିଲି ସିନା ମୁଁ ' ଦେବାକୁ
ବାରତା ?
କିସ ନ ନେଇଛି, ତୁମଠୁଁ ପୁଣି ଯେ
ମାଗିବି ?
ପେଟ ପୂରେ ଯାକୁ ଦେଖିଲେ, ତାକୁ ବି
ରାଗିବି ?
ଶୁଣ ଧନମଣି, ଯାଏ ମୁଁ ହେଲାଣି
ଅନ୍ଧାର,
ସଞ୍ଜେ ବଗିଚାରେ କାଲି ଦେଖିବୁ ସେ
କୁମାର।"
( କ୍ରମଶଃ ..... )💐
No comments:
Post a Comment