ଯେତେବେଳେ କେତେକ ବଙ୍ଗଭାଷୀଙ୍କ ଚକ୍ରାନ୍ତରେ ଓଡ଼ିଆ ଭାଷା ଖୁବ୍ ଦୁର୍ଦ୍ଦିନରେ ଗତି କରୁଥିଲା ସେତେବେଳେ ଯେଉଁ ମହାରଥୀମାନେ ଲେଖନୀଅସ୍ତ୍ର ବଳରେ ଶତ୍ରୁଙ୍କୁ ପରାହତ କରି ମାତୃଭାଷାର ସୁରକ୍ଷା କରିଥିଲେ ଏବଂ ଓଡ଼ିଆ ଜାତିକୁ ଉଦ୍ବୁଦ୍ଧ କରିଥିଲେ , ସେ ରଣାଙ୍ଗନରେ ସେନାପତି ସେନାପତି ଭାଵେ ଅଗ୍ରଗଣ୍ୟ ହେଲେ ବି ସୈନିକଙ୍କ ମଧ୍ୟରେ ସ୍ୱର୍ଗୀୟ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ନାମକୁ ଉପେକ୍ଷା କରାଯାଇ ନ ପାରେ।
ତାଙ୍କ ଉଦ୍ଵୋଧନ କବିତା ଯେପରି ଭାଵଗର୍ଭକ ସେହିପରି କାନ୍ତକୋମଳପଦାବଳୀ ଯୁକ୍ତ ତଥା ଓଡ଼ିଆ ମାଟିପାଣିପବନମିଶା ପରମ୍ପରାର ସୁଗନ୍ଧ ବହନକାରୀ । ମୋ ପିଲାଦିନର ଅତି ଅନ୍ତରଙ୍ଗ ସାଥୀ ଏଇ କବିତା ଯାହାକୁ ମୁଁ ପ୍ରତି ମୁହୂର୍ତ୍ତରେ ଗୁଣୁଗୁଣୁ ହୋଇ ବୋଲୁଥିଲି ।
#ଉଦ୍ଵୋଧନ
ତୁଙ୍ଗ-ଶିଖରୀଚୂଳ କୁଞ୍ଜକାନନ-ମାଳ
ପୁଣ୍ୟ ଜଳଧି-ଜଳ ଖେଳି ଉଠେ ସଘନେ,
ପ୍ରାଚୀଗଗନ-ଶିରେ ଭାସି କନକ-ନୀରେ
ଆସ ତପନ ଉଇଁ ଏ ଉତ୍କଳ ଭୁଵନେ ।ଘୋଷା ।
ଆଜି କି ସରଗଛବି ରାଜେ ରୁଚିର
କି ନବଜୀଵନେ ଭରା କୋଟି ଅନ୍ତର
କିବା ଏ ସମ୍ପଦ ଶିରୀ ହୃଦେ ହୃଦେ ଆସେ ପୂରି
କି ପୁଲକ-ଧାରା ଖେଳି ଆସେ କୋଟି ବଦନେ ।୧।
ଆହା ଏ ଉତ୍କଳ କିବା ସରଗଭୂମି
ବିଲ ବନ ଶୈଳ ସିନ୍ଧୁ ସୁଷମା ଘେନି !
ଜନମି ଏ ଦେଶେ ଆଜି ଏ ଜନନୀ କୋଳେ ରାଜି
ଧନ୍ୟ କୋଟି ନର ନାରୀ ମର ନର ଜୀବନେ ।୨। ଲଳିତ ଅଙ୍ଗ ବୀର ପ୍ରତାପ ଯା'ର
ପୁଣ୍ୟ ତେଜେ ଧରାମୁଖ କଲେ ଉଜ୍ଜ୍ୱଳ ,
ଶାସିଲେ ଅତୁଲ୍ୟବଳେ ପାଳିଲେ ସେନେହଭରେ
ଏ ସବୁ , ଓଡ଼ିଆ ଦିନେ ଦେଖିଛ ସେ ନୟନେ ।୩।
ବିପୁଳ ଓଡ଼ିଆ ସେନା ବାହୁ ବିଜୟେ
ହିମାଚଳଚୂଡ଼ୁଁ ଦିନେ କୁମାରିକା ଯାଏ
ହୃଦୟ ଶୋଣିତ ଢାଳି ଦେଇ ନିଜ ଶିରବଳି
କୀର୍ତ୍ତିଧ୍ୱଜା ଉଡ଼ାଇଲେ କି ପୁଲକ ପରାଣେ ।୪।
ବାରବାଟୀ ଦୁର୍ଗେ ବୀର ଓଡ଼ିଆ ସୁତ ,
ଶତ ଶତ୍ରୁସେନା ନାଶି କିବା ମହତ ?
ଭାଙ୍ଗିଛି ସେ ବାରବାଟୀ ସେ ଶିରୀ ଯାଇଛି ତୁଟି
(ତେବେ)ରହିଛି ସେ ଯଶ ମିଶି ଜଳେସ୍ଥଳେ ପବନେ।୫।
କୋଣାର୍କ-ଜୀର୍ଣ୍ଣ-ସଉଧେ ଉତ୍କଳ-କୀର୍ତ୍ତି,
ଦିଶେ ଦିଶେ ଆଜି କିବା ବିକଶେ ଫୁଟି ,
ନୀଳାଚଳେ ଜଗନ୍ନାଥ ଯୁଗେ ଯୁଗେ ବିରାଜିତ
ଉତ୍କଳ ମହିମା-ଘୋଷ ଏ ଭାରତ ଭୁଵନେ ।୬।
ବିମଳ-ଚିଲିକା-ବକ୍ଷେ ଖେଳୁ ସେ ବୀଚି ,
ଉଠୁ ମହୋଦଧି-ବାରି ଅମୃତ ସିଞ୍ଚି ,
ମହେନ୍ଦ୍ର ଶ୍ୟାମଳ ଚୂଳେ ପୂତ ଚିତ୍ରୋତ୍ପଳା ନୀରେ
ଢଳୁ ସେ ସମ୍ପଦ ଶିରୀ ଗ୍ରାମ ବିଲ କାନନେ ।୭।
ତୋ ଭଳି ଜନନୀ ଥାଉଁ, ଜନମଭୂମି ,
କି ଦୁଃଖ ଏ ଓଡ଼ିଆର ପରାଣେ ପୁଣି ?
ମୋହନ ମୂରତି ସେହି ଦିଅ ଗୋ ମା ଆଜି ଫେଇ
କୋଟିଏ ସନ୍ତାନ ତୋର ପ୍ରଣମୁଁ ଏ ଚରଣେ ।୮।
ଜୟ ଉତ୍କଳ ଜନନୀ ।
Saturday, March 11, 2023
ଉଦ୍ବୋଧନୀ
“ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିଵସ”
“ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିଵସ” ଉପଲକ୍ଷେ ସମସ୍ତ ଓଡ଼ିଆଙ୍କୁ ଓଡ଼ିଆପ୍ରେମୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା 🙏
ଓଡ଼ିଆ ଭାଷା କେଵଳ ଏକ ଭାଷା ନୁହେଁ ଵରଂ ଗୋଟିଏ ସଂଘର୍ଷର ନାମ । ଓଡ଼ିଆ ଭାଷା ତାହାର ଜନ୍ମ ସମୟରୁ ଏଯାଵତ୍ ସଂଘର୍ଷରତ । ଓଡ଼ିଆ ଭାଷା ଲୁପ୍ତ କରି ଦେଵାକୁ ଦେଶୀୟ ଵିଦେଶୀ ସମସ୍ତେ ପ୍ରଯତ୍ନ କରିଛନ୍ତି ଏଵଂ ଆଜି ମଧ୍ୟ କରୁଅଛନ୍ତି ।
#କଳାତ୍ମକଷଡ଼ଯନ୍ତ୍ର:
ଓଡ଼ିଆ ଦୂରଦର୍ଶନ କେନ୍ଦ୍ର, ପତ୍ରିକା ଓ ସମ୍ବାଦପତ୍ରର ଅଣଓଡ଼ିଆ ସତ୍ତାଧିକାରୀମାନେ ଜାଣିଶୁଣି ଓଡ଼ିଆ ଭାଷାକୁ ଆରବୀ ପାର୍ସୀ ତୁର୍କ ଇଂରାଜୀ ଶବ୍ଦମୟ ଦୂଷିତ କରିଦେଵାର ଷଡ଼ଯନ୍ତ୍ର ଚଳାଇଛନ୍ତି । ସେଥିପାଇଁ ଜାଣିଶୁଣି ଲୋକଙ୍କୁ ହିଙ୍ଗୋଡ଼ିଆ ଭାଷାରେ ସମାଚାର,ଧାରାଵାହିକ ଆଦି ପରିଵେଷଣ କରାଯାଉଛି ।
ଓଡ଼ିଆ ଚଳଚ୍ଚିତ୍ର ଓ ସଂଗୀତ ଜଗତ ଅନେକାଂଶରେ ହିନ୍ଦିଆ,ବଙ୍ଗାଳୀ ଓ ବଙ୍ଗାଳୀ ବଂଶୋଦ୍ଭଵମାନଙ୍କ ହାତକୁ ଚାଲିଗଲାଣି । ଅଣଓଡ଼ିଆ ପ୍ରଯୋଜକ, ନିର୍ଦ୍ଦେଶକ, ଗୀତିକାର ଓ ଅଭିନେତା ଜାଣିଶୁଣି ଚଳଚ୍ଚିତ୍ର ମଧ୍ଯରେ କଳୁଷିତ ଓଡ଼ିଆ ଭାଷାର ପରିଵେଷଣ କରି ଓଡ଼ିଆ ଭାଷାକୁ ଦୂଷିତ କରୁଅଛନ୍ତି । ସେହିପରି କିଛି ଅଣଓଡ଼ିଆ ସଂଗଠନ ଓଡ଼ିଆ ଵିରୋଧୀ ଲୋକଙ୍କୁ ତଥା ଓଡ଼ିଆ ଭାଷା କଳୁଷିତ କରିଥିଵା ସାହିତ୍ୟିକଙ୍କୁ ସମ୍ମାନିତ କରି ଓଡ଼ିଆ ଭାଷା ଦୂଷିତ ରୂପ ଅଗ୍ନିକୁଣ୍ଡରେ ଘୃତ ଅର୍ପଣ ସମ କାର୍ଯ୍ୟ କରୁଛନ୍ତି ।
#ଲିପି_ସମ୍ବନ୍ଧୀୟ_ଷଡ଼ଯନ୍ତ୍ର:
ଓଡ଼ିଆ ଭାଷାର ଲିପିରୁ କେତେକ ଲିପୀମ ଓ ଵର୍ଣ୍ଣ ଉଠାଇ ଦେଵାର ଷଡ଼ଯନ୍ତ୍ର ଵିଗତ ଶତାଧିକ ଵର୍ଷ ଧରି ଚାଲୁଛି ।ଈ,ଊ,ୠ,ଷ,ସ,ୱ,ଵ ଇତ୍ୟାଦି ଵର୍ଣ୍ଣ ମାରି ଦେଵା ତଥା ଯୁକ୍ତାକ୍ଷର ଉଠାଇ ଦେଇ 'ଂ' ଵ୍ୟଵହାର କରିଵାକୁ କିଛି ଲୋକ ପ୍ରଵର୍ତ୍ତାଉଛନ୍ତି । ପ୍ରକୃତରେ ଏମାନେ ଷଡ଼ଯନ୍ତ୍ରକାରୀ ଓ ଷଡ଼ଯନ୍ତ୍ରକାରୀଙ୍କ ଦ୍ଵାରା ମତିଭ୍ରମିତ ହୋଇଥିଵା ଲୋକ ଅଟନ୍ତି । ଅନ୍ୟ ଏକ ଦିଗରେ ଓଡ଼ିଶାର ସୀମାନ୍ତ ଅଞ୍ଚଳର ଲୋକଙ୍କୁ ଓଡ଼ିଆ ଲିପି ଛାଡ଼ି ବଙ୍ଗଳା, ତେଲୁଗୁ ଓ ଦେଵନାଗରୀ ଲିପିରେ ଲେଖିଵାକୁ ପ୍ରଵର୍ତ୍ତାଯାଉଛି । ଏତଦ୍ଵାରା ଓଡ଼ିଆ ଭାଷା ଵିଲୁପ୍ତି ସହଜ ହୋଇଯିଵ ବୋଲି ଆମ ବିହାରୀ,ବଙ୍ଗାଳୀ, ମାରୁଆଡ଼ି,ପଞ୍ଜାବୀ ଓ ତେଲେଙ୍ଗା ପଡ଼ୋଶୀଙ୍କର ବିଲୁଆ ଵିଚାର !
#ଶୈଳୀ_ସମ୍ବନ୍ଧୀୟ_ଷଡ଼ଯନ୍ତ୍ର:
ଅଧୁନା ବଙ୍ଗାଳୀ, ତେଲେଙ୍ଗା ଓ ଵିଶେଷକରି ହିନ୍ଦିଆମାନେ ସୀମାନ୍ତ ଅଞ୍ଚଳରେ ପ୍ରଚଳିତ ଓଡ଼ିଆ ଶୈଳୀଗୁଡି଼କୁ ନିଜ ଭାଷାର ଶୈଳୀ ବୋଲି ଦାବି କରୁଥିଵା ଦେଖାଯାଉଛି । ହିନ୍ଦୀଭାଷୀ ଏ ଦିଗରେ ଆଂଶିକ ସଫଳ ବି ହେଲେଣି ଓ କୁଡ଼ମଲୀ,ସାଦ୍ରୀ ତଥା ଲରିଆ ଭାଷାକୁ ନିଜ ହିନ୍ଦୀ ଭାଷାର ଉପଭାଷା ବୋଲି ପ୍ରମାଣ କରିଵାକୁ ବହୁଵର୍ଷରୁ ଚେଷ୍ଟା ଚଳାଇଛନ୍ତି । ଏ ଦିଗରେ ଏବେ ହିନ୍ଦୀଭାଷୀଙ୍କ ଲୋଲୁପଦୃଷ୍ଟି ଷଡ଼ସୀ,ଭତ୍ରୀ,ହଲବୀ, ସମ୍ବଲପୁରୀ ଓ ଦେଶିଆ ଆଦି କଥିତ ଓଡ଼ିଆ ଶୈଳୀ ଉପରେ ରହିଛି ଏଵଂ ଏହିସବୁ ଭାଷାଶୈଳୀଗୁଡ଼ିକୁ ହାତେଇଵାକୁ ସ୍ଥାନୀୟ ଲୋକଙ୍କ ମନରେ ଓଡ଼ିଆ ଭାଷା ଵିରୋଧୀ ଵିଚାର ପୁରେଇ ସେମାନଙ୍କୁ ଓଡ଼ିଆ ଵିଦ୍ଵେଷୀ କରାଯାଉଛି ।
#ଭାଷା_ଵିଭାଜନ_ଷଡ଼ଯନ୍ତ୍ର
ଓଡ଼ିଆ ଭାଷାର ସମସ୍ତ ଶୈଳୀଗୁଡି଼କୁ ଓଡ଼ିଆ ଭାଷାଠାରୁ ଭିନ୍ନ ବୋଲି ହିନ୍ଦୀ, ବଙ୍ଗଳା ଓ ତେଲେଙ୍ଗା ଏଵଂ ସେମାନଙ୍କ ବଂଶୋଦ୍ଭଵମାନଙ୍କ ଦ୍ଵାରା ଦୀର୍ଘ ଦିନ ଧରି ପ୍ରଚାର ପ୍ରସାର ଯୋଗୁଁ ଵର୍ତ୍ତମାନ ଓଡ଼ିଶାର ସୀମାଞ୍ଚଳର ଲୋକେ ନିଜ ଭାଷାକୁ ଓଡ଼ିଆ ତଥା ନିଜକୁ ଓଡ଼ିଆ ଜାତିର ଦାୟାଦ ବୋଲି ପରିଚୟ ଦେଵାକୁ ପଶ୍ଚାତପଦ ହେଉଛନ୍ତି ଘୃଣା କରୁଛନ୍ତି । ଆମ ପଡ଼ୋଶୀ ଵିଶେଷତଃ ହାଣ୍ଡିଆମାନଙ୍କ ଵିଚାରରେ ଓଡ଼ିଆ ଭାଷାର ଗୋଟିଏ ଗୋଟିଏ ଶୈଳୀକୁ ଭିନ୍ନ କହି ପ୍ରଚାର ପ୍ରସାର କଲେ ଏ ଭାଷାର ପ୍ରଚଳନ ଭୂକ୍ଷେତ୍ର ସୀମା ଧିରେ ଧିରେ ଛୋଟ ହୋଇ ହୋଇ ଯିଵ ଫଳତଃ ଓଡ଼ିଶାରେ ଓଡ଼ିଆ ଭାଷା ଲୁପ୍ତ ହୋଇଗଲେ ହିନ୍ଦୀ ଭାଷାର ପ୍ରଚଳନ ସହଜ ହୋଇଯିଵ । ପରେ କଥିତ ଓଡ଼ିଆ ଶୈଳୀଗୁଡି଼କୁ ହିନ୍ଦୀର ଉପଭାଷା କହିଲେ ବି କେହି ଵିରୋଧ କରିଵାକୁ ନଥିବେ ।
#ଵୈଷୟିକ_ଷଡ଼ଯନ୍ତ୍ର
ଵିଗତ ଅନେକ ଵର୍ଷ ଧରି ଜାଣିଶୁଣି ଓଡ଼ିଆ ଭାଷାକୁ ଅନ୍ତର୍ଜାଲର ଅନେକ ଜାଲସ୍ଥଳରେ ସ୍ଥାନ ଦିଆଯାଉନାହିଁ । ଅଧିକାଂଶ ଜାଲସ୍ଥଳରେ ଅଣଓଡ଼ିଆ ଵିଶେଷ କରି ବଙ୍ଗାଳୀ ଓ ହିନ୍ଦିଆ କାର୍ଯ୍ୟ କରୁଥିଵାରୁ ଏଵଂ ସେମାନେ ଓଡ଼ିଆ ଭାଷାକୁ ଘୃଣା କରୁଥିଵାରୁ ଏସବୁ ଜାଲସ୍ଥଳରେ ଓଡ଼ିଆ ଭାଷାକୁ ସ୍ଥାନ ଦେଵାକୁ କୁଣ୍ଠିତ ହୋଇଥାନ୍ତି । ପୁଣି ଯଦିଵା ଓଡ଼ିଆ ଭାଷାରେ କୌଣସି ଅଣଓଡ଼ିଆ ସଂସ୍ଥା,ସଂଗଠନ କିଛି ଲେଖା ପ୍ରକାଶିତ କରୁଛନ୍ତି ତାହା ଭୁଲ୍ ବନାନ ଯୁକ୍ତ ହୋଇଥାଉଛି । ଫଳତଃ ଏଭଳି କାର୍ଯ୍ୟ ଦ୍ଵାରା ଓଡ଼ିଆ ଭାଷାଭାଷୀଙ୍କୁ ତାଙ୍କ ଭାଷାରେ ବନାନ ତ୍ରୁଟି କରିଵାକୁ ପରୋକ୍ଷରେ ପ୍ରଵର୍ତ୍ତାଯାଉଛି ।
କେତେକ ସମ୍ବାଦପତ୍ର, ଦୂରଦର୍ଶନ ସଂସ୍ଥାରେ ବନାନ ତ୍ରୁଟି ପ୍ରତି ଆଦୌ ଧ୍ୟାନ ଦିଆଯାଉନାହିଁ ଏପରିକି ଷଡ଼ଯନ୍ତ୍ର କରି ଓଡ଼ିଆ ଅକ୍ଷର,କାର ଓ ଫଳା ଆଦି ଭିନ୍ନ ଭିନ୍ନ ରୂପରେ ପ୍ରଚଳିତ କରାଇଵାକୁ ଚେଷ୍ଟା କରାଯାଉଛି । ଏତଦ୍ଵାରା ଓଡ଼ିଆ ଲୋକେ ଦ୍ଵନ୍ଦ୍ଵରେ ପଡ଼ି ଓଡ଼ିଆ ଲିପି ଛାଡ଼ି ଦେବେ ବୋଲି ଷଡ଼ଯନ୍ତ୍ରକାରୀମାନେ ଵିଚାର କରିଅଛନ୍ତି ।
#ଜାତିକୁଦରିଦ୍ରକରଭାଷାଆପେମରିଯିଵ
ଏହା ହେଉଛି ଓଡ଼ିଶା, ଓଡ଼ିଆ ଜାତି ତଥା ଓଡ଼ିଆ ଭାଷା ପ୍ରତି କରାଯାଉଥିଵା ସବୁଠାରୁ ବଡ଼ ଷଡ଼ଯନ୍ତ୍ର । ଏ ଷଡ଼ଯନ୍ତ୍ର ଫଳରେ ଦୀର୍ଘ ୪୦୦ ଵର୍ଷ ଧରି ଭାରତରେ ଓଡ଼ିଆ ଜାତି ଶୋଷିତ, ନିଷ୍ପେସିତ ହୋଇ ଆସିଛି । ଅଣଓଡ଼ିଆଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ଶୋଷଣ ଯୋଗୁଁ ଓଡ଼ିଆ ଜାତି ଆଜି ଦରିଦ୍ର ହୋଇଛି ଫଳତଃ ଏ ଜାତିର ଲୋକେ ସ୍ଵାଭିମାନହୀନ ହୋଇଗଲେଣି ଏଵଂ ସେମାନଙ୍କର ଶାସ୍ତ୍ରୀୟ ଓଡ଼ିଆ ଭାଷା ଵିଲୁପ୍ତି ପଥରେ ଅଗ୍ରସର ହେଲାଣି ।
#ଓଡ଼ିଶାରେଆନଭାଷାରପ୍ରଚାରପ୍ରସାରଷଡ଼ଯନ୍ତ୍ର
ବହୁତ ଦିନରୁ ଓଡ଼ିଶାରେ ଏହାର ୩୦୦୦ରୁ ୫୦୦୦ ଵର୍ଷ ପୁରାତନ ରାଷ୍ଟ୍ରଭାଷା ଓଡ଼ିଆ ଭାଷାକୁ ମହତ୍ତ୍ଵ ନଦିଆଯାଇ ଵୈଦେଶିକ ହିନ୍ଦୀ ଓ ଇଂରାଜୀ ଭାଷାର ଅଧିକ ପ୍ରଚାର ପ୍ରସାର କରାଯାଉଛି । ଏହାର ଫଳସ୍ଵରୂପ ଆଜି ନଗରାଞ୍ଚଳର ଯୁଵପିଢୀ଼ ଓଡ଼ିଆ ଭାଷାରେ କଥା ନହୋଇ ଇଂରାଜୀ ଚୋଵାଉଛନ୍ତି ଓ ହିନ୍ଦୀ ବାନ୍ତି କରୁଛନ୍ତି । ଓଡ଼ିଆଙ୍କ ଦେଶରେ ଓଡ଼ିଆ ଭାଷାକୁ ସ୍ଥାନ ନମିଳୁଥିଲାବେଳେ ପୁରୀ ବଡ଼ଦାଣ୍ଡରେ ହିନ୍ଦୀ ବଙ୍ଗାଳୀଙ୍କ ଭାଷାରେ ନାମଫଳକ ଲାଗିଥିଵାର ଅନେକ ଉଦାହରଣ ରହିଛି । ବାଟଘାଟରେ ଅଯଥା ଦେଵନାଗରୀ ଲିପିରେ ଓଡ଼ିଶାର ସ୍ଥାନଗୁଡି଼କର ନାମ ଲେଖା ରହୁଛି ଫଳତଃ ପରୋକ୍ଷରେ ଓଡ଼ିଆ ଲୋକେ ଓଡ଼ିଆ ଲିପି ଛାଡ଼ି ଦେଵନାଗରୀରେ ଲେଖନ୍ତୁ ବୋଲି ଦିଲ୍ଲୀ ପକ୍ଷରୁ ଷଡ଼ଯନ୍ତ୍ର ହେଉଛି ।
#ଓଡ଼ିଶାମାଟିଚୋରିକରଭାଷାବିମରିଯିଵ
ଭାରତରେ ରହିଵା ଯୋଗୁଁ ଓଡ଼ିଶାର ଅଧା ଭୂଭାଗ ଶ୍ରୀକାକୁଲମ,ଵସ୍ତର,ମହାସମୁନ୍ଦ୍,ଯଶପୁର, ଷଡ଼ୈକଳା,ସିଂହଭୂମି,ଧଳଭୂମି ,ଖରସୁଆଁ ଓ ମେଦିନୀପୁର ଆଦି ଅଞ୍ଚଳ ଏବେ ଅଣଓଡ଼ିଆଙ୍କ ଅଧୀନସ୍ଥ ହୋଇସାରିଛି ଏଵଂ ସେସବୁ ଅଞ୍ଚଳର ଓଡ଼ିଆ ଏବେ ନିଜକୁ ପ୍ରାୟତଃ ଅଣଓଡ଼ିଆ ଅଭିହିତ କରୁଛନ୍ତି ତଥା ଓଡ଼ିଆ ଭାଷା ଛାଡ଼ି ସାରିଛନ୍ତି । ଏହି ଯୋଜନାରେ ସଫଳ ହେଵା ଦେଖି ଆମ ପଡ଼ୋଶୀମାନେ ବଞ୍ଚିଯାଇଥିଵା ଓଡ଼ିଶାର ସୀମାନ୍ତ ଅଞ୍ଚଳ ଯଥା ମୟୂରଭଞ୍ଜ, ସମ୍ବଲପୁର, କେନ୍ଦୁଝର, ଗଞ୍ଜାମ,ଗଜପତି, ରାୟଗଡ଼ା, କୋରାପୁଟ ଆଦି ଜିଲ୍ଲାରୁ ଭୂଭାଗ ନେଇଯିଵାକୁ ପୁରାପୁରି ଷଡ଼ଯନ୍ତ୍ର ଚଳାଇଛନ୍ତି । ଏପଟେ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଯଥା କୋରାପୁଟ, ଘୁମୁସର, ସମ୍ବଲପୁର ତଥା ମୟୂରଭଞ୍ଜ ଆଦି ଅଞ୍ଚଳର ଓଡ଼ିଶାରୁ ଵିଭାଜନ ଦ୍ଵାରା ଏସବୁ ଅଞ୍ଚଳରୁ ଓଡ଼ିଆ ଭାଷା ଓ ଏହାର ଶୈଳୀ ଵିଲୁପ୍ତ କରି ନିଜର ବଙ୍ଗାଳୀ,ତେଲୁଗୁ ଓ ହିନ୍ଦୀ ଭାଷାକୁ ପ୍ରଚଳିତ କରାଇଵା ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଚେଷ୍ଟା ଚଳାଇଛନ୍ତି ।
ସବୁଠାରୁ ବଡ଼ ଦୁଃଖର ଵିଷୟ ହେଉଛି ଆମରି କିଛି ଓଡ଼ିଆ ଭାଇମାନେ ହିଁ ଆମ ପଡ଼ୋଶୀ ଷଡ଼ଯନ୍ତ୍ରକାରୀମାନଙ୍କର ଅନ୍ଧପ୍ରେମରେ ବାଇ ହୋଇ ସେମାନଙ୍କର ହାତବାରିସୀ ସାଜିଛନ୍ତି ।
ତେବେ ଏହିସବୁ ଷଡ଼ଯନ୍ତ୍ରରୁ ରକ୍ଷା ପାଇଵାର ଏକମାତ୍ର ପନ୍ଥା ସ୍ଵତନ୍ତ୍ର #କଳିଙ୍ଗଦେଶ ଗଠନ । ମନେ ରଖନ୍ତୁ ଆମେ କଳିଙ୍ଗୀମାନେ ଯେବେ ଯେବେ ସ୍ଵାଧୀନ ଥିଲେ ଆମ ଦେଶ ସମୃଦ୍ଧ ଥିଲା । ଆଉ ଆମ ଦେଶ ଯେବେ ଯେବେ ଉତ୍ତରଭାରତୀୟଙ୍କ ଦ୍ଵାରା ଶାସିତ ହୋଇଛି ,ଲୁଣ୍ଠନର ଶିକାର ହୋଇଛି ।
“ଏବେ ବି ସମୟ ଅଛି...
Friday, March 10, 2023
● ଅଜୋକ୍ ଓ ଇନ୍ଦ ●
ଆଫ୍ରିକାର ଦକ୍ଷିଣ ସୁଡାନ ଦେଶରେ(ପୂର୍ଵ ଇକ୍ବାଟୋରିଆ ରାଜ୍ୟ ) ଓଟୁହୋ (Otuho) ବୋଲି ଏକ ଜନଜାତି ଵାସ କରନ୍ତି ଏଵଂ ଏମାନେ "ନିଲୋଟିକ୍ ଭାଷାଗୋଷ୍ଠୀ"ର ଓଟୁହୋ ଭାଷା ବୋଲିଥାନ୍ତି । ଏମାନଙ୍କ ପୁରାଣଗାଥାକୁ ଲୁଟୋକୁ ପୁରାଣଗାଥା କୁହାଯାଏ ।
ଅଜୋକ(ଅନ୍ୟନାମ : ଅଦ୍ୟୋକ୍ , ନାଇଜୋକ୍) ଏମାନଙ୍କର ମୁଖ୍ୟ ଦେଵତା । ଓଟୁହୋ ଲୋକେ ଵିଶ୍ଵାସ କରନ୍ତି ଯେ ସର୍ଵଶକ୍ତିମାନ 'ଅଜୋକ୍' ନିଜର ପ୍ରତିରୂପ ଭାବେ ମନୁଷ୍ୟମାନଙ୍କୁ ସୃଷ୍ଟି କରିଥିଲେ ।
ଲୋଟୁକୋ ପୌରାଣିକ କଥା ଅନୁଯାୟୀ 'ଆଜୋକ୍' ମାନବ ଜାତି ପାଇଁ ଏକ ପରୋପକାରୀ ଦେଵତା ଭାବରେ ଜଣାଶୁଣା କିନ୍ତୁ ସେପର୍ଯ୍ୟନ୍ତ ଯେପର୍ଯ୍ୟନ୍ତ ମନୁଷ୍ୟମାନେ ପ୍ରାର୍ଥନା ଏଵଂ ଵଳିଦାନ ମାଧ୍ୟମରେ ତାଙ୍କର ପୂଜା କରୁଥାନ୍ତି। ନିଜର ପୂଜା ବନ୍ଦ ହେଲେ 'ଅଜୋକ୍' ଅସହିଷ୍ଣୁ ହୋଇଯାଆନ୍ତି ଏଵଂ ନାନା ଵିଘ୍ନ ସୃଷ୍ଟି କରନ୍ତି ବୋଲି 'Otuho' ଜନଜାତିର ଲୋକେ ଵିଶ୍ଵାସ କରୁଥିଲେ ।
ଆମ ଭାରତୀୟ ପୁରାଣଗାଥାଗୁଡ଼ିକରେ ମଧ୍ୟ 'ଦେଵରାଜ ଇନ୍ଦ୍ର' ଯଜ୍ଞ ନହେଲେ ରୁଷ୍ଟ ହେଵା ଏଵଂ ଓଡ଼ିଶାର ଜନଜାତୀୟ ଲୋକଙ୍କ ମଧ୍ୟରେ 'ଦର୍ଣ୍ଣି ପେନୁ'ଙ୍କୁ ଵଳି ନଦେଲେ ସେ ରାଗି ମରୁଡ଼ି କରିଵା ଆଦି ଲୋକଵିଶ୍ଵାସ ପ୍ରଚଳିତ ଥିଲା ।
ମୃତ୍ୟୁ କିପରି ଜୀବଜନ୍ତୁଙ୍କ ପାଇଁ ଏକ ସ୍ଥାୟୀ ଅଵସ୍ଥା ପାଲଟିଗଲା ତାହା ଲୋଟୁକୋ ପୁରାଣଗାଥାର ଏକ କାହାଣୀରେ ଉଲ୍ଲେଖ କରାଯାଇଛି ।
କୁହାଯାଏ ଯେ ସୃଷ୍ଟିର ପ୍ରଥମ ସ୍ତ୍ରୀ ଓ ପୁରୁଷଠାରୁ ଜନ୍ମିତ ପ୍ରଥମ ଶିଶୁର କୌଣସି କାରଣରୁ ମୃତ୍ୟୁ ଘଟିଥିଲା ଏଵଂ ଜଗତର ପ୍ରଥମ ସ୍ତ୍ରୀ ଜଣକ ନିଜ ଶିଶୁଟିକୁ ପୁର୍ନଜୀଵିତ କରିଵା ପାଇଁ ଅଜୋକ୍ଙ୍କ ସାହାଯ୍ୟ ଲୋଡ଼ିଥିଲା । ଆଜୋକ ସେ ଶିଶୁକୁ ବଞ୍ଚାଇ ଦେଲେ,କିନ୍ତୁ ସେ ସ୍ତ୍ରୀଲୋକର ସ୍ୱାମୀ ଅର୍ଥାତ୍ ଜଗତର ପ୍ରଥମ ପୁରୁଷକୁ ମହିଳା ଜଣକ ଏ ଵିଷୟରେ କିଛି ନପଚାରି ଅଜୋକ୍ଙ୍କୁ ସାହାଯ୍ୟ ମାଗିଥିଲେ ।
ଯେତେବେଳେ ପୁରୁଷଜଣକ ଏକଥା ଜାଣିଲା ସେ ଏଥିରେ ଭୀଷଣ ରାଗିଗଲା । ଜଗତର ପ୍ରଥମ ପୁରୁଷଟି ବୋଧହୁଏ ଵିଚାର କରିଥିଵ ମୁଁ ବି ଅମର,ମୋର ମୃତ୍ୟୁ ହେଵାର ନାହିଁ ! ମୁଁ କ'ଣ ମଲା ପିଲାଟାକୁ ଜିଆଁଇ ଦେଇ ପାରିନଥାନ୍ତି ଯେ ଏ ଅଭାଗିନୀ ପରପୁରୁଷ ପାଖକୁ ସାହାଯ୍ୟ ମାଗିଵାକୁ ଗଲା !!!
କ୍ରୋଧ ମଣିଷକୁ ଅନ୍ଧ କରିଦିଏ । ଥରେ ମନୁଷ୍ୟ କ୍ରୋଧର ଵଶଵର୍ତ୍ତୀ ହେଲେ ତାକୁ ନୀତି ଅନୀତି କିଛି ଦିଶେ ନାହିଁ । ତେଣୁ ଲୋକଟି କ୍ରୋଧାନ୍ଧ ହୋଇ ନିଜ ପତ୍ନୀଠାରୁ ପ୍ରତିଶୋଧ ନେଵାକୁ ପର୍ନଜୀଵିତ ଶିଶୁଟିକୁ ହତ୍ୟା କରିଦେଲା(ପୁରାଣର ଅନ୍ୟ ଏକ ସଂସ୍କରଣରେ ପୁରୁଷଜଣକ ନିଜ ପତ୍ନୀକୁ ମଧ୍ୟ ସେ ହତ୍ୟା କରିଥିଲା ବୋଲି କଥିତ ହୋଇଥାଏ)।
ଅଜୋକ୍ଙ୍କ ସମ୍ମୁଖରେ ଏସବୁ ଅଭାଵନୀୟ ଘଟଣା ଘଟିତ ହୋଇଗଲା ଏଵଂ ସେ ଅଵାକ୍ ହୋଇ ଏ ଘଟଣା ଦେଖୁଥାଆନ୍ତି । ଆଜୋକ୍ ପ୍ରଥମେ ମନୁଷ୍ୟମାନଙ୍କୁ ଅମର କରିଵା ପାଇଁ ଯୋଜନା କରିଥିଲେ, କିନ୍ତୁ ଯାହା ଘଟିଗଲା ତାହା ଦେଖିଵା ପରେ ସେ ପୃଥିଵୀକୁ ସଦାସର୍ଵଦା ପାଇଁ ତ୍ୟାଗକରିଵା ସହ ଘୋଷଣା କଲେ ଯେ ଆଜିଠାରୁ ମନୁଷ୍ୟାଦି ସବୁ ଜୀଵଙ୍କର ଜନ୍ମ ହୋଇଥିଲେ ମୃତ୍ୟୁ ମଧ୍ୟ ନିଶ୍ଚୟ ହେଵ । ବୋଧହୁଏ ପିତା ହାତରେ ସନ୍ତାନର ହତ୍ୟା ଦେଖି ଅଜୋକ୍ ବୁଝିଯାଇଥିଲେ ଯେ ଏ ଦୁଇଗୋଡ଼ିଆ ମନୁଷ୍ୟମାନଙ୍କୁ ଅମରତ୍ଵ ଦେଵା ଉଚିତ୍ ନୁହେଁ । ତେଣୁ ସେ ସେହିଦିନଠାରୁ ପୃଥିଵୀରୁ ଦୂରେଇଯାଇ ଆକାଶରେ ଅଵସ୍ଥାନ କଲେ । ଅଜୋକଙ୍କୁ ଓଟୋହୁ ଲୋକେ ଵର୍ଷାର ଅଧିଷ୍ଠାତା ଦେଵତା ରୂପେ କଳ୍ପନା କରିଛନ୍ତି । ଆମ ଭାରତଵର୍ଷର ଦେଵରାଜ ଇନ୍ଦ୍ରଙ୍କୁ ସେହିପରି ଵର୍ଷାର ଅଧିଷ୍ଠାତା ଦେଵତା ରୂପେ କଳ୍ପନା କରାଯାଇଛି ।
ତେବେ ଆଫ୍ରିକୀୟ ଲୋକମାନଙ୍କ ପୁରାଣଗାଥା ଅପେକ୍ଷା ଭାରତୀୟ ଲୋକଙ୍କର ପୁରାଣଗାଥା ଅଧିକ ସମୃଦ୍ଧ। ତେଣୁ ଵିଭିନ୍ନ ଗାଥାରେ ଇନ୍ଦ୍ରଙ୍କୁ
ଆକାଶ,ଵିଜୁଳି,ଜଳଵାୟୁ,ତୋଫାନ, ନଦୀର ଜଳପ୍ରଵାହ,ଵର୍ଷା ଓ ଯୁଦ୍ଧ ଆଦିର ଅଧିଷ୍ଠାତା ଦେଵ ଭାଵେ ଚିତ୍ରଣ କରାଯାଇଛି । ଭାରୋପୀୟ ଦେଵତା ସମୂହଙ୍କ ମଧ୍ୟରେ ଜୁପିଟର,ପେରୁନ୍,ପେରୁକୂନସ୍,ଜାଲମୋକ୍ସିସ୍,ତାରାନିସ୍,ଜିୟସ୍ ଓ ଥୋର୍ଙ୍କ ଶକ୍ତି , ସାମର୍ଥ୍ୟ ଓ ଗାଥା ସହିତ ଇନ୍ଦ୍ରଙ୍କର ଶକ୍ତିସାମର୍ଥ୍ୟ ଓ କଥାର କେତେକ ସମାନତା ଦେଖିଵାକୁ ମିଳିଥାଏ ।
“ଇନ୍ଦତୋତି । ଇଦି ପରମୈଶ୍ଵର୍ଯ୍ଯେ ତସ୍ମାତ୍ ରନ୍- ପ୍ରତ୍ଯୟଃ”
ଯେ ସ୍ଵର୍ଗରେ ଆଧିପତ୍ୟ ଵିସ୍ତାର କରିଛନ୍ତି ଓ ପରମ ଐଶ୍ଵର୍ଯ୍ୟଶାଳୀ ସେ ଇନ୍ଦ୍ର ଅଟନ୍ତି । ସେ ଅଦିତି କଶ୍ୟପଙ୍କର ପୁତ୍ର,ଶଚୀଦେଵୀଙ୍କ ପତି,ଜୟନ୍ତ,ଋଷଭ ଓ ମୀଢ୍ଵାଂଶ୍ଚଙ୍କର ପିତା ଅଟନ୍ତି । ଇନ୍ଦ୍ରଙ୍କ ଅସ୍ତ୍ର ଵଜ୍ର,ଵାହନ ଐରାଵତ,ପୁରୀ ଅମରଵାତୀ ଓ ଵନର ନାମ ନନ୍ଦନ ଵା ନନ୍ଦନକାନନ ଅଟେ ।
ଇନ୍ଦ୍ରଙ୍କର ପଚାଶରୁ ଅଧିକ ନାମ ଅଛି । ମରୁତ୍ଵାନ୍ ,ମଘଵା ,ଵିଡୋଜା,ପାକଶାସନ,ଵୃଦ୍ଧଶ୍ରଵା,ସୁନାସୀର,ପୁରୁହୂତ,ପୁରନ୍ଦର,ଜିଷ୍ଣୁ ,ଲେଖର୍ଷମ,ଶକ୍ର,ଶତମନ୍ଯୁ,ଦିଵସ୍ପତି,ସୁତ୍ରାମା,ଗୋତ୍ରଭିତ୍,ଵଜ୍ରୀ,ଵାସଵ,ଵୃତ୍ରହା,ଵୃଷା,ଵାସ୍ତୋସ୍ପତି,ସୁରପତି,ବଳାରାତି,ଶଚୀପତି,ଜମ୍ଭଭେଦୀ, ହରିହୟ,ସ୍ଵାରାଟ୍, ନମୁଚିସୂଦନ,ସଂକ୍ରନ୍ଦନ,ଦୁଶ୍ଚ୍ଯଵନ, ତୁରାଷାଟ୍,ମେଘଵାହନ,ଆଖଣ୍ଡଳ,ସହସ୍ରାକ୍ଷ,ଋଭୁକ୍ଷା,ମହେନ୍ଦ୍ର,କୌଶିକ,ପୂତକ୍ରତୁ, ଵିଶ୍ଵମ୍ଭର,ପୁରଦଂଶା,ଶତଧୃତି,ପୃତନାଷାଡ୍,ଅହିଦ୍ଵିଷ,ଵଜ୍ରପାଣି,ଦେଵରାଜ,ପର୍ଵ୍ଵତାରି,ପର୍ଯ୍ଯଣ୍ଯ,ଦେଵତାଧିପ,ନାକନାଥ,ପୂର୍ବ୍ବଦିକ୍ପତି,ପୁଲୋମାରି,ଅର୍ହ,ପ୍ରାଚୀନଵର୍ହି ଓ ତପସ୍ତକ୍ଷ ଆଦି ଇନ୍ଦ୍ରଙ୍କର ଅନେକ ନାମ ଭାରତୀୟ ପୁରାଣଶାସ୍ତ୍ରରେ ପଢି଼ଵାକୁ ମିଳିଥାଏ ।
ଗୋଟିଏ ପଟେ ପୃଥିଵୀର ଅନ୍ୟାନ୍ୟ ସଭ୍ୟତାର ପୁରାଣଗାଥାରେ କଥିତ ଦେଵତାମାନଙ୍କର ରାଜାଙ୍କର ଗୋଟିଏ ଦୁଇଗୋଟି ନାମ ଥିଲାବେଳେ ଇନ୍ଦ୍ରଙ୍କର ପଚାଶରୁ ଅଧିକ ନାମ କ'ଣ ସୂଚାଇ ଥାଏ ?
ଭାରତୀୟ ସଭ୍ୟତା ଅତି ପୁରାତନ , ଭାରତୀୟମାନଙ୍କ ପୁରାଣଗାଥା ଅନ୍ୟ ଦେଶର ଗାଥା-କଥା ଅପେକ୍ଷା ସମୃଦ୍ଧ, ସଂସ୍କୃତ ପୁରାଣ ସାହିତ୍ୟାଦି କ୍ଷେତ୍ରରେ ଭାରତ ଅନ୍ୟ ଦେଶଠାରୁ ସର୍ଵାଗ୍ରେ ସର୍ଵଶ୍ରେଷ୍ଠ ଥିଲା । ପୁଣି ୟୁରୋପ ତଥା ଆଫ୍ରିକାରେ ରହୁଥିଵା ଲୋକଙ୍କ ମୂଳ ଧର୍ମ ସେଠାକୁ ଯାଇ ପ୍ରଚଳିତ ଖିରସ୍ତାନୀ ଓ ମୁସଲିମ ଧର୍ମ ଯୋଗୁଁ ଉଧେଇ ପାରିନଥିଲାବେଳେ ୨୦୦୦ ଵର୍ଷରୁ ଅଧିକ ସମୟକାଳ ଧରି ଵୈଦେଶିକ ଆକ୍ରମଣ ସହି ମଧୂ ଭାରତରେ ପୌରାଣିକ କଥା ଗାଥା ଉପାଖ୍ୟାନର ଉତ୍ତରୋତ୍ତର ଉନ୍ନତି ସାଧିତ ହୋଇଥିଲା । ପ୍ରକୃତରେ ଆମ ଦେଶର “ସମସ୍ତ ଭାଷା, ସଂସ୍କୃତି, ସାହିତ୍ୟ, ଖାଦ୍ୟ,ଵସ୍ତ୍ର,ଜୀଵନଶୈଳୀ,ଚଳଣି, ପରମ୍ପରା, ନୃତ୍ୟ ଓ ସଂଗୀତ” ଆଦି ଏତେ ସମୃଦ୍ଧ ଵୈଜ୍ଞାନିକ ଓ ଶ୍ରେଷ୍ଠ ଯେ ଵିଦେଶୀମାନେ ଶହ ଶହ ଵର୍ଷ ଧରି ଭାରତୀୟଙ୍କୁ ପରାଧୀନ କରି ରଖିଥିଲେ ବି ସେମାନଙ୍କର ସମ୍ପୂର୍ଣ୍ଣ ଧର୍ମାନ୍ତରୀକରଣ କରିପାରିନଥିଲେ।
@ଶିଶିର ସାହୁ ମନୋଜ
Subscribe to:
Posts (Atom)
ଚାମଚ଼ା
#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...
-
✍ ଶିଶିର ସାହୁ ମନୋଜ ଆଜିକାଲି Search ଅର୍ଥଯୁକ୍ତ ଓଡ଼ିଆ ଭାଷାରେ ଅନେକ ଵୈଦେଶିକ ଶବ୍ଦ ଆସି ଚଳୁଅଛି । ଆମ ଭାଷାରେ ଖୋଜିବା ଭଳି ଵୈଦେଶ...
-
କବି ମାର୍କଣ୍ଡ ଦାସ ଓ ତଦୀୟ ରଚନାସମଷ୍ଟି --------------------------------------------------- ….. © ଅମୃତେଶ ଖଟୁଆ (୧୮.୦୪.୨୦୨୧) ...
-
ଚତୁର୍ଥ ନରସିଂହ ଦେବଙ୍କ ରାଜସଭାରେ ଯେତେବେଳେ ବାହ୍ୟ ଆକ୍ରମଣର ଆଶଙ୍କା ଦେଖାଦେଇଥିଲା, ସେତେବେଳେ ଶ୍ରୀକରଣ ବିଶ୍ୱନାଥ ମହାସେନାପତି ନିଜ ବିଚକ୍ଷଣ ରଣନୀତି...