Monday, February 28, 2022

● #ଶ୍ରୀଲକ୍ଷ୍ମୀଙ୍କ_ଜୀଵନୀ,“#ମାନଵଜାତିର_କାହାଣୀ” ● ✍(ଶିଶିର ସାହୁ ମନୋଜ)

#ଶ୍ରୀଲକ୍ଷ୍ମୀଙ୍କ_ଜୀଵନୀ,“#ମାନଵଜାତିର_କାହାଣୀ”
                       ✍ (ଶିଶିର ସାହୁ ମନୋଜ)

କିଛି ଲୋକ କୁହନ୍ତି  “ମାତା ଲକ୍ଷ୍ମୀ ମେଘନାଦର ଝିଅ।” କିନ୍ତୁ ବହୁତ ଲୋକ ଏହାର ଭେଦ ନଜାଣି ମନ୍ତଵ୍ୟ ରଖନ୍ତି ଯେ ଏହା ଅଶାସ୍ତ୍ରୀୟ କଥା ଏଵଂ ଆଦୌ ଯୁକ୍ତିଯୁକ୍ତ ନୁହେଁ ।  ସାଧାରଣତଃ ଏ ଦେଶର ଲୋକେ ମେଘନାଦର ଦୁଇଗୋଟି ଅର୍ଥକୁ ଭଲ ଭାବରେ ଜାଣନ୍ତି — ରାଵଣ ପୁତ୍ର ମେଘନାଦ ଓ ମେଘର ନାଦ । 

ଏହି ନାମଵାଚକ ଵିଶେଷ୍ୟ ମେଘନାଦ ଶବ୍ଦଟି ବହୁଵ୍ରୀହି ସମାସ ଅନୁସାରେ ମେଘ ଓ ନାଦ ଶବ୍ଦ ଯୁକ୍ତ କରାଯାଇ ସୃଷ୍ଟି ହୋଇଅଛି । ଇନ୍ଦ୍ରଙ୍କୁ ଯୁଦ୍ଧରେ ପରାସ୍ତ କରିଥିଵାରୁ ରାବଣର ଏହି ପରାକ୍ରମୀ ପୁତ୍ରକୁ  ଇନ୍ଦ୍ରଜିତ୍ ମଧ୍ୟ କୁହାଯାଏ । ଇନ୍ଦ୍ରଜିତ ଜନ୍ମ ସମୟରେ ମେଘ ପରି ନାଦ କରି ଥିଵାରୁ ଏହାଙ୍କର ଏହି ନାମକରଣ ହୋଇଥିଲା। ଏହାଙ୍କ ସ୍ତ୍ରୀ ପ୍ରମୀଳା । ଏ ପ୍ରଥମରେ ନାଗ ପାଶରେ ଲକ୍ଷ୍ମଣଙ୍କୁ ବନ୍ଧନ କରିଥିଲେ ଓ ଏହାଙ୍କୁ ପରେ ଲକ୍ଷ୍ମଣ ଵଧ କରିଥିଲେ । ମେଘର ନାଦ ଵା ଧ୍ଵନି ଵା ଵର୍ଷା ସମୟରେ ମେଘର ଘଡ଼ଘଡି଼ ଶବ୍ଦକୁ ମେଘର ନାଦ କୁହାଯାଏ । କିନ୍ତୁ ମେଘନାଦ ଶବ୍ଦର ଆହୁରି ଅନେକ ଅର୍ଥରେ ଵ୍ଯଵହାର ରହିଛି... !

ପଳାଶ ଗଛ ଵା Butea frondosaକୁ ମଧ୍ୟ ମେଘନାଦ କୁହନ୍ତି । Amaranthus Polygamus ଵା ଲେଉଟିଆ ଶାଗ ଗଛକୁ ମେଘନାଦ କୁହାଯାଏ । ଵର୍ଷା ଵା ମେଘ ଉଠାଇଵା ବେଳେ ଧ୍ବନି କରେ ବୋଲି  ମଯୁର ଵା ମୟୂରକୁ ମଧ୍ୟ ମେଘନାଦ କୁହନ୍ତି । 

କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜ ତାଙ୍କ ଵୈଦେହୀଶ ଵିଳାସରେ ଇନ୍ଦ୍ରଜିତ୍ ତଥା ମୟୂର ଅର୍ଥରେ ମେଘନାଦ ଶବ୍ଦର ପ୍ରୟୋଗ କରି ଲେଖିଛନ୍ତି 

“ଵୃଷସଦୃଶ ସୁରଭିଆଳି ଗୋଷ୍ଠ 
କୋଷ୍ଠିରେ କଲା ସେ କେଳି
ପ୍ରଜପତିଙ୍କ ସମାନେ ଝଳି 
ଅନେକ ସୁତ ଯେ।

ଵର୍ଣ୍ଣିଵା କିସ ଜ୍ୟେଷ୍ଠକୁମାର ଜାତ 
ରଡ଼ିକି ଶୁଣି କୁମାର ଛାଡି଼ ସେ ମେଘନାଦ
 ଉପର ପଡି଼ ଅଚେତ ଯେ।
ବଳେ ମେଘନାଦରୁ ତାହାର ସ୍ୱନ ଯେ।
ବହେ ସେ ମେଘନାଦ ନାମ ପ୍ରଧାନ ଯେ।
ଵନ-ଵେଷ୍ଟିତ ସ୍ଥାନରେ ରହି 
ସିଂହ ଶାର୍ଦ୍ଧୂଳ ଵଳିଷ୍ଠେ ହୋଇ,
ଵଇରି-ମୃଗ ପିଶିତ ଧ୍ୟାୟି
 ଆଉ ନନ୍ଦନ ଯେ ॥”
ସେହିପରି ବିରାଡ଼ି ଵା ବିଲେଇକୁ ମଧ୍ୟ ମେଘନାଦ କୁହାଯାଏ କାରଣ ମେଘ ହେଲେ ଦେଖାଯାଏ ଅନେକ ସମୟରେ ବିରାଡି଼ମାନେ ଶୁଖିଲା ସ୍ଥାନରେ ପହଞ୍ଚିଵାକୁ ଵ୍ୟାକୁଳ ହୋଇ ମ୍ୟାଁଉ ମ୍ୟାଁଉ ଶବ୍ଦ ରାଵ ଵା ନାଦ କରିଥାନ୍ତି । ବିଲେଇମାନଙ୍କୁ ଓଦା ହେଵା ପସନ୍ଦ ନୁହେଁ ବୋଲି ସେମାନେ ଏଭଳି କରନ୍ତି ।

ଜ୍ଵର ହେଲେ ଆଗେ ଭାରତୀୟ ଵୈଦ୍ୟମାନେ ଏକ ଜାତୀୟ ରସୌଷଧ ଦେଉଥିଲେ ତାକୁ ମେଘନାଦ କୁହାଯାଉଥିଲା । ଏକ ତୋଳା ରୂପା,କଂସା ଓ ତମ୍ବାକୁ  ତତିରାଜର ଚେର ସହିତ ମିଶାଇ କାଢା଼ କରାଯାଏ ଏଵଂ ଏହାକୁ ଛଅଥର ଗଜପୁଟ ପାକ ପରେ ଏହା ପ୍ରସ୍ତୁତ ହେଉଥିଲା । ଏହାର ମାତ୍ରା ଏକ ପାନରେ ଦୁଇରତ୍ତି ହେଉଥିଲା । 

କଳ୍ପଦ୍ରୁମ ସଂସ୍କୃତ ଅଭିଧାନ ଓ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଵରୁଣଙ୍କର ଏକ ନାମ ମେଘନାଦ ଅଟେ । କଳ୍ପଦ୍ରୁମ ଅଭିଧାନରେ କୁହାଯାଇଛି "ମେଘସ୍ଯ ନାଦ ଇଵ ନାଦ ଯସ୍ଯ" ସେ ମେଘନାଦ । ଷଷ୍ଠୀ ତତ୍' ପୁରୁଷ ସମାସ ଆଧାରରେ ଏ ଶବ୍ଦଟି ସୃଷ୍ଟି ହୋଇଅଛି । ମେଘନାଦ ନାମଧାରୀ ଵରୁଣ ଦ୍ଵାଦଶ ଆଦିତ୍ୟଙ୍କ ମଧ୍ୟରେ ଜଣେ ।  
ସେହି ଦ୍ଵାଦଶ ଆଦିତ୍ୟ ହେଲେ ଧାତା, ଅର୍ଯ୍ୟମା,ମିତ୍ର, ଵରୁଣ,ଇନ୍ଦ୍ର,ଵିଵସ୍ବାନ, ପୂଷ,ପର୍ଜନ୍ଯ,ଅଂଶୁମାନ, ଭଵ, ତ୍ଵଷ୍ଟା ଓ ଵିଷ୍ଣୁ । 

ଵରୁଣ ସାକ୍ଷାତ ସାଗର ଅଟନ୍ତି ଏଵଂ ତାଙ୍କ ନାମର ନିରୁକ୍ତି ଏହି କଥା ସ୍ପଷ୍ଟ କରିଥାଏ ।  ଵରୁଣ ଶବ୍ଦକୁ ଵୃ ଧାତୁରୁ ନିଷ୍ପନ୍ନ କରାଯାଇଛି । ଵୃ ଧାତୁର ଏକ ଅର୍ଥ ବେଢ଼ିଵା ଏଥିରେ ଉନ ପ୍ରତ୍ୟୟ ଯୁକ୍ତ ହୋଇ ଣତ୍ଵ ଵିଧି ଅନୁସାରେ ର ପରେ ନ ଥିଲେ ଣ ହେଵା ନିୟମ ଯୋଗୁଁ ଯୋଗୁଁ ନ ସ୍ଥାନରେ ଣ ହୋଇ ଵରୁଣ ଶବ୍ଦ ନିଷ୍ପନ୍ନ ହୋଇଛି । ଅର୍ଥାତ୍  ପୃଥିଵୀକୁ ସାଗରଦ୍ବାରା ଯେ ଵେଷ୍ଟନ କରିଅଛନ୍ତି  ସେ ସମୁଦ୍ରପତି ଜଳାଧିପତି ଵରୁଣ ଅଟନ୍ତି । ଵେଦ ଵିଷୟରେ ଗଵେଷଣା କରିଥିଵା ଗଵେଷକ କୁହନ୍ତି ଵୈଦିକଯୁଗରେ ଵରୁଣ ପ୍ରଧାନ ଦେଵତାରୂପେ କଳ୍ପିତ ହୋଇଥିଲେ। ତତ୍ପରେ ତାଙ୍କର ପ୍ରାଧାନ୍ଯ କମିଯାଇ ଇନ୍ଦ୍ରଙ୍କ ପ୍ରାଧାନ୍ଯ ବଢ଼ିଲା। ଵରୁଣ ଅଦିତିଙ୍କ ଆଠ ପୁତ୍ର ମଧ୍ୟରେ ଜଣେ ବୋଲି କଥିତ । ଵେଦରେ ଏ ଜଳର ଅଧିପତି ଦସ୍ଯୁମାନଙ୍କ ନାଶକ ଓ ଦେବତାମାନଙ୍କ ରକ୍ଷକ ବୋଲି କଳ୍ପିତ। ଏହାଙ୍କର ଅସ୍ତ୍ର ପାଶ ଅଟଇ । ପୁରାଣମାନଙ୍କରେ ଏ ପଶ୍ଚିମ ଦିଗର ଦିକ୍ପାଳ ଥିଵାର ଉଲ୍ଲେଖ ଅଛି। କାବ୍ଯାଦିରେ ବରୁଣଙ୍କୁ ଵରୁଣରସର ଅଧିଷ୍ଠାତା ରୂପେ କଳ୍ପିତ କରାଯାଇଛି । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଵରୁଣ ଶତଭିକ୍ଷା ନକ୍ଷତ୍ରର ଅଧିଷ୍ଠାତା ଦେଵ ଅଟନ୍ତି । ବରୁଣଙ୍କ ଅନ୍ୟ ଅନେକ ସଂସ୍କୃତ ନାମ ଯଥା— ପ୍ରଚେତା, ପାଶୀ ,ଯାଦସାଂପତି, ଅପ୍ପତି,ଯାଦଃପତି, ଜମ୍ବୁକ, ମେଘନାଦ, ପରଞ୍ଜୟ, ଲୋମ କୁଣ୍ଡଳୀ ଓ ଅପାମ୍ପତ ଇତ୍ୟାଦି ରହିଛି । 

ପୂର୍ଵେ କେଵଳ ଭାରତ ନୁହେଁ ପୃଥିଵୀର ଵିଭିନ୍ନ ସଂସ୍କୃତିରେ ଜଳଦେଵ,ସାଗର ଦେଵଙ୍କର ଆରାଧନା ହେଉଥିଲା । ଲିଥୁଆନିଆ ପୌରାଣିକ କଥାର angpūtys ଦେଵ ସାଗର ତଥା ଵିଜୁଳିର ଦେଵତା ହୋଇଥିଵା ବେଳେ Salvic ସଂସ୍କୃତିର Morskoi ସମୁଦ୍ରର ରାଜା ତଥା ଭଗଵାନ ବୋଲି ଵିଶ୍ଵାସ ପ୍ରଚଳିତ ଥିଲା । Irishମାନେ ସମୁଦ୍ରଦେଵଙ୍କୁ Lir ତଥା  Welsh ଲୋକେ Llŷr ଭାବେ ପୂଜା କରୁଥିଲେ Lusitanian ଲୋକେ Duberdicusଙ୍କୁ ସାଗର ତଥା ନଦୀଗୁଡି଼କର ଅଧିପତି ଭାବେ ମାନୁଥିଲେ । Norsh— Germany ସଂସ୍କୃତିରେ Njordଙ୍କୁ ସମୁଦ୍ରଦେଵ ଭାବରେ ଆରାଧନା କରାଯାଉଥିଲା । Greekମାନେ  Poseidon ଏଵଂ ରୋମାନମାନେ
Neptuneଙ୍କୁ ସମୁଦ୍ରର ମୁଖ୍ୟ ଦେଵତା ଭାବେ ଗ୍ରହଣ କରି ତାଙ୍କର ପୂଜା କରୁଥିଲେ । ସେହିପରି ପ୍ରାଚୀନ Hittiteମାନଙ୍କର ସମୁଦ୍ର ଦେଵ ଥିଲେ 
 Aruna ଓ ତାଙ୍କ ପିତା Kamrusepa ।‌
ପୃଥିଵୀରେ ମୁସଲମାନ,ଖ୍ରୀଷ୍ଟିଆନ ଓ ଇହୁଦୀମାନଙ୍କର ଏକେଶ୍ଵରଵାଦ ଧର୍ମମତ ପ୍ରଚାର ପ୍ରସାରର  ପୂର୍ଵରୁ ପ୍ରାୟ ସର୍ଵତ୍ର ମାନଵମାନେ ବହୁ ଈଶ୍ଵରଵାଦ ଆଧାରରେ ନାନା ଦେଵାଦେଵୀଙ୍କର ଆରାଧନା କରୁଥିଲେ । ପ୍ରକୃତି ପୂଜା ଏହି ବହୁଈଶ୍ଵରଵାଦର ମୂଳ ହେତୁ ଥିଲା ।‌ ଆଜି ପୃଥିଵୀରେ ଅନ୍ୟତ୍ର ବହୁଈଶ୍ଵରଵାଦ ଲୋପ ପାଇଥିଵାବେଳେ କେଵଳ ଭାରତରେ ଏହା ସମ୍ପୂର୍ଣ୍ଣ ଭାବେ ବଞ୍ଚିରହିଛି । 

ଅସ୍ତୁ ମେଘନାଦ ପ୍ରସଙ୍ଗରୁ ସ୍ପଷ୍ଟ ହୁଏ ଯେ ମାତା ଲକ୍ଷ୍ମୀ ମେଘନାଦ ଵା ଵରୁଣ ଅର୍ଥାତ୍ ସମୁଦ୍ରଦେଵଙ୍କ କନ୍ୟା । ଭାରତୀୟ ପୌରାଣିକ ମତ ଅନୁସାରେ ଶ୍ରୀଲକ୍ଷ୍ମୀଙ୍କର ଜନ୍ମ ସମୁଦ୍ର ମନ୍ଥନରୁ ହୋଇଥିଲା । ଵାସ୍ତୁଵାଦ ଦୃଷ୍ଟିରୁ ମଧ୍ୟ ଲକ୍ଷ୍ମୀ ଅର୍ଥାତ୍ ଧନର ଏକ ବଡ଼ ପରିମାଣ ମାନଵମାନଙ୍କୁ ସମୁଦ୍ରରୁ ହିଁ ପ୍ରାପ୍ତ ହୋଇଥାଏ । ପୂର୍ଵକାଳରେ ଅର୍ଥର ପ୍ରତୀକ ଭାବରେ ଏ ଦେଶରେ ପ୍ରଚଳିତ କଉଡ଼ି ,ସମୁଦ୍ରରୁ ପ୍ରାପ୍ତ ହେଉଥିଲା । ଲୋକେ ସମୁଦ୍ରରୁ ମୋତି ଓ ଅନ୍ୟ ମୂଲ୍ୟଵାନ ଵସ୍ତୁ ପ୍ରାପ୍ତ କରୁଥିଲେ । ସମୁଦ୍ରରୁ ମତ୍ସ୍ୟ ତଥା ଅନ୍ୟାନ୍ୟ ସାମୁଦ୍ରିକ ଜୀଵ ମଧ୍ୟ ମିଳନ୍ତି ଯହିଁର ଵିକ୍ରୀଦ୍ଵାରା ଧନ ପ୍ରାପ୍ତ ହେଇଥାଏ । ମାନଵମାନେ ସମୁଦ୍ର ଓ ନଦୀକୂଳରେ ଵସଵାସ କରିଵାପରେ ଜଳଦେଵତା ଓ ସମୁଦ୍ରଦେଵତାଙ୍କ ଆରାଧନା କରିଵା ଆରମ୍ଭ କଲେ ।  ସମୁଦ୍ର,ନଦୀ ଆଦି ମନୁଷ୍ୟମାନଙ୍କର ଖାଦ୍ୟାଭାଵ ପୂର୍ତ୍ତି କରୁଥିଵାରୁ ତଥା ଵିପଦରୁ ରକ୍ଷା ପାଇଵା ହେତୁରୁ ମାନଵମାନେ ଜଳଦେଵତାଙ୍କର ଆରାଧନା କଲେ । ନଦୀମାନଙ୍କୁ ଦେଵୀ ଭାବେ ସମ୍ମାନିତ ହେଲେ ଏଵଂ ଜଳ ଦେଵତାଙ୍କୁ ପ୍ରଧାନ ଦେବତାମାନଙ୍କ‌ ମଧ୍ୟରେ ଗଣନା କରାଗଲା। ପ୍ରକୃତରେ ସମୁଦ୍ରରେ ସ୍ଥଳଭାଗ ଅପେକ୍ଷା ଅନେକଗୁଣ ଅଧିକ ସମ୍ପଦ ଵିଦ୍ୟମାନ । ଏଣୁ ଵାସ୍ତୁଵାଦ ଦୃଷ୍ଟିରୁ ମଧ୍ୟ ଵରୁଣ ଦେଵ ଵା ସମୁଦ୍ରଙ୍କୁ ଶ୍ରୀଲକ୍ଷ୍ମୀ ଵା ଧନସମ୍ପଦର ପିତା ବୋଲି କୁହାଯିଵା ଅଯୁକ୍ତିଯୁକ୍ତ ନୁହେଁ । 

ପୁନଶ୍ଚ ଶ୍ରୀଲକ୍ଷ୍ମୀଙ୍କର ଶାଶୁଘର ଭାବେ କଥିତ ଶ୍ରୀମନ୍ଦିରର ପାଚେରୀକୁ ମଧ୍ୟ ମେଘନାଦ ପାଚେରୀ କୁହାଯାଏ । ପୌରାଣିକ ମତ ଅନୁସାରେ ଏହା ଵରୁଣ ଦେଵ ନିର୍ମାଣ କରାଇଥିଲେ । ତେବେ ପ୍ରାଚୀନ ରହସ୍ୟ ମଞ୍ଜରୀ କାଵ୍ୟରେ ମେଘନାଦ ଶବ୍ଦ ଅତି ଉଚ୍ଚ ପ୍ରଚୀର ଅର୍ଥରେ ପ୍ରୟୋଗ ହୋଇଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ମତ । 

“କ୍ରୌଞ୍ଚ ଗଵାକ୍ଷ ମେଘନାଦ ଭାଜିଲା।”

 ଏଭଳି ଅତି ଉଚ୍ଚ ପ୍ରାଚୀର ମେଘର ନାଦକୁ ଵା ମେଘନାଦ ଅର୍ଥାତ୍ ସମୁଦ୍ରର ଘୋ ଘୋ ଶବ୍ଦକୁ ସୁଦ୍ଧା ଅଟକାଇ ଘର, ମନ୍ଦିର ଵା ପ୍ରାସାଦ ମଧ୍ୟକୁ ଆସିଵାକୁ ଦିଏ ନାହିଁ ବୋଲି ଏଭଳି ନାମକରଣ ହୋଇଥିଵା ସମ୍ଭଵ । ଏ ଦୃଷ୍ଟିରୁ ଶ୍ରୀଜଗନ୍ନାଥ ମନ୍ଦିରର ମେଘନାଦ ପାଚେରୀର ନାମ ପଡି଼ଥାଇପାରେ । 
ତେବେ ଉଲ୍ଲେଖଯୋଗ୍ୟ ଯେ ଦେଵୀ ଲକ୍ଷ୍ମୀ ପ୍ରଥମେ ଭୃଗୁଋଷିଙ୍କର କନ୍ୟା ହୋଇ ଜାତ ହୋଇଥିଵାରୁ ଏହାଙ୍କର ଅନ୍ୟନାମ ଭାର୍ଗଵୀ ମଧ୍ୟ ଅଟଇ । ଭୃଗୁ ଦୁଇଥର ଜନ୍ମଲଭିଛନ୍ତି । ଭୃଗୁ ପ୍ରଥମଥର ବ୍ରହ୍ମାଙ୍କ ଚର୍ମରୁ ଓ ଦ୍ଵିତୀୟଥର ଦକ୍ଷଯଜ୍ଞକାଳରେ ନିହତ ହେଵାରୁ ପରେ ଵରୁଣ ଦେଵଙ୍କ ଯଜ୍ଞକୁଣ୍ଡର ଅଗ୍ନିରୁ ଵୈଵସ୍ଵତ ମନ୍ଵନ୍ତରରେ ଜାତ ହୋଇଥିଲେ । ଭୃଗୁ ଦ୍ଵିତୀୟ ଥର ଵରୁଣ ଦେଵଙ୍କ ଯଜ୍ଞକୁଣ୍ଡରୁ ଜନ୍ମ ଲଭିଵାରୁ ତାଙ୍କୁ ଵାରୁଣୀ ଭୃଗୁ କୁହାଗଲା । 

ଗରୁଡ଼ ପୁରାଣ,ଲିଙ୍ଗପୁରାଣ ଓ ପଦ୍ମପୁରାଣ ଅନୁସାରେ ଦେଵୀ ଲକ୍ଷ୍ମୀ “ବ୍ରହ୍ମାପୁତ୍ର ଭୃଗୁ ଋଷି” ତଥା ତାଙ୍କ ପତ୍ନୀ ଖ୍ୟାତିଙ୍କଠାରୁ 
ଜାତ ହୋଇଥିଲେ । ପୁରାଣ କଥାନୁସାରେ କର୍ଦ୍ଦମମୁନୀଙ୍କ କନ୍ୟା ଖ୍ୟାତିଙ୍କୁ ଭୃଗୁ ଋଷି ଵିଵାହ କରିଥିଲେ ଏଵଂ ଏହାଙ୍କର ଧାତା,ଵିଧାତା ଦୁଇ ପୁତ୍ର ଓ କନ୍ୟା ଶ୍ରୀଃ ଵା ଶ୍ରୀଲକ୍ଷ୍ମୀ ଜାତ ହୋଇଥିଲେ ।‌ ଅନ୍ୟ କେତେକ ପୁରାଣରେ ଭୃଗୁଙ୍କ ଅନ୍ୟ ଏକପୁତ୍ରର ନାମ କଵି ଉଲ୍ଲେଖ ରହିଛି ।‌

  ଅଗ୍ନିପୁରାଣର ଵରସର୍ଗ ଅଧ୍ୟାୟରେ ଭୃଗୁଙ୍କ ଵିଷୟରେ କଥିତ ଅଛି ...
“ଭୃଗୋଃ ଖ୍ଯାତ୍ଯାଂ ସମୁତ୍ପନ୍ନା ଶ୍ରୀଃ ପୂର୍ବ୍ବମୁଦଧେଃ ପୁନଃ । 
ତଥା ଧାତା ଵିଧାତା ଚ ତସ୍ଯାଂ ଜାତୌ ଭୃଗୋଃ ସୁତୌ ॥
ଆୟତିର୍ନିୟତିଶ୍ଚୈଵ ମେରୁକନ୍ଯେ ମହାପ୍ରଭୋଃ ।
ଘାତୁର୍ଵିଧାତୁସ୍ତେ ଭାର୍ଯ୍ଯେ ଯଯୋର୍ଜାତୌ ସୁତାଵୁଭୌ ॥
ପ୍ରାଣଶ୍ଚୈଵ ମୃକଣ୍ଡୁଶ୍ଚ ମାର୍କଣ୍ଡେୟୋ ମୃକଣ୍ଡୁତଃ ।
ତତୋ ଵେଦଶିରା ଜଜ୍ଞେ ପ୍ରାଣସ୍ଯ ଦ୍ଯୁତିମାନ୍ ମୁତଃ ॥
ତତୋ ଵଂଶୋ ମୁନିଶ୍ରେଷ୍ଠା ଵିସ୍ତରଂ ଭାର୍ଗଵୋ ଗତଃ ।”

ଦ୍ଵିତୀୟ ଥର ଭୃଗୁ ଵରୁଣଦେଵଙ୍କ ଯଜ୍ଞକୁଣ୍ଡରୁ ଵାରୁଣୀ ଭୃଗୁ ଭାବରେ ଜାତ ହେଲେ ଏଵଂ ଭୂତ,ଚ୍ୟଵନ,ଵଜ୍ରଶୀର୍ଷ,ସୁଚୀ,ଶୁକ୍ର ଓ ସଵନ ଓ ଵିଭୁ ଆଦି ସପ୍ତପୁତ୍ରର ପିତା ହୋଇଥିଲେ । 

ଏଣୁ ଶ୍ରୀଲକ୍ଷ୍ମୀ ପ୍ରଥମେ ବ୍ରହ୍ମାପୁତ୍ର ଭୃଗୁଋଷି(ଵାରୁଣୀ ଭୃଗୁ ନୁହେଁ)ଙ୍କ କନ୍ୟା ରୂପରେ ଜାତ ହୋଇ ପରେ ମହାଵିଷ୍ଣୁଙ୍କ ଆଜ୍ଞାରେ ପୁନର୍ଵାର ସମୁଦ୍ରମନ୍ଥନରୁ ଜାତ ହୋଇଥିଵା ଭାରତୀୟ ପୁରାଣ ଗ୍ରନ୍ଥାଦିରେ ଉଲ୍ଲେଖ ଅଛି ।‌

କିନ୍ତୁ ଭୃଗୁ କହିଲେ କେଵଳ ଜଣେ ଋଷିଙ୍କର ନାଆଁ ନୁହେଁ । ଅତ୍ଯୁଚ୍ଚ ସ୍ଥାନ,ପର୍ଵତର ତାଳୁଦେଶ, ପର୍ଵତର ଗଡ଼ାଣିଆ ସ୍ଥାନ,ପ୍ରପାତ,ପର୍ଵତର ତାଳୁଦେଶରେ ଥିଵା ସମତଳ ଭୂମିକୁ ମଧ୍ୟ ଭୃଗୁ କୁହାଯାଏ । ଭୃଗୁଙ୍କ ନାମୋଲ୍ଲେଖ  ଋକଵେଦରେ ଥିଵାରୁ ଭୃଗୁ ଶବ୍ଦର ପ୍ରାଚୀନତା ଵିଷୟରେ ସନ୍ଦେହ ରୁହେ ନାହିଁ ‌ ।  

 ତେବେ ଭୃଗୁଶବ୍ଦର ଅନ୍ୟାନ୍ୟ ଅର୍ଥ ଯଥା ପର୍ଵତ , ଜଳପ୍ରପାତ ଓ ପାର୍ଵତ୍ୟ ସମତଳ ଭୂମି ଇତ୍ୟାଦିକୁ ଵିଚାର କରି ଦେଖିଲେ ମନରେ ପ୍ରଶ୍ନ ଆସେ ଯେ ପ୍ରାଚୀନ କାଳରେ ଏସବୁରୁ ମନୁଷ୍ୟମାନଙ୍କୁ ଲକ୍ଷ୍ମୀ ପ୍ରାପ୍ତ ହେଉଥିଲେ ବୋଲି କ'ଣ ଭୃଗୁଋଷିଙ୍କୁ ଏହାର ଅଧିଷ୍ଠାତା ଵିଚାର କରି ତାଙ୍କର କନ୍ୟାରୂପେ ଶ୍ରୀଲକ୍ଷ୍ମୀଙ୍କୁ କଳ୍ପନା କରାଯାଇଥିଲା  ? 
ବହୁତ ସମ୍ଭଵ ପ୍ରାରମ୍ଭିକ ଭାରତରେ ଲୋକମାନେ ପର୍ଵତଵାସୀ ଥିଲେ ତେଣୁ ତାଙ୍କ ପାଇଁ ଲକ୍ଷ୍ମୀ ଵା ଧନସମ୍ପଦ ଥିଲା ପର୍ଵତର ତାଳୁଦେଶରେ ଅଵସ୍ଥିତ ତାଙ୍କର ଅତ୍ୟୁଚ୍ଚ ଵାସଭୂମି । ସେତେବେଳେ ପର୍ଵତର ଉଚ୍ଚ ସ୍ଥାନରେ ଅଵସ୍ଥିତ ଗୁମ୍ଫା ହିଁ ଥିଲା ମାନଵ ଜୀଵନର ଅମୂଲ୍ୟ ସମ୍ପଦ । ପାର୍ଵତ୍ୟ ଗୁମ୍ଫା ଵିନା ହିଂସ୍ରଜନ୍ତୁପୂର୍ଣ୍ଣ ତତ୍କାଳୀନ ପୃଥିଵୀରେ ମାନଵ ଜୀଵନ ଵିପନ୍ନ ହୋଇଯାଉଥିଲା । ସେ ଯୁଗରେ
 ପାହାଡ଼ ତଳକୁ ଓହ୍ଲେଇ ଵିପଦ ଵରଣ କରିଵାକୁ ପ୍ରାଚୀନ ମାନଵ ସେତେ ଶ୍ରେୟସ୍କର ମଣୁନଥିଲେ । ତେଣୁ ସେତେବେଳେ ଜଳପ୍ରପାତ ଥିଲା ଜଳ ସଂଗ୍ରହର ମୂଲ୍ୟଵାନ ଉତ୍ସ । ଧୀରେ ଧୀରେ ଏହି ପର୍ଵତଵାସୀ ପ୍ରାଚୀନ ଭାରତୀୟମାନେ ଚାଷ କରିଵାରେ ଵ୍ରତୀ ହେଲେ ଏଵଂ ପର୍ଵତର ତାଳୁଦେଶରେ ସ୍ଥିତ ସମତଳଭୂମି ହେଲା ତାଙ୍କର ପ୍ରାଥମିକ କୃଷିଭୂମି । କ୍ରମଶଃ ଚାଷଵାସ ଵୃଦ୍ଧି ପାଇଲା ଏଵଂ ପର୍ଵତ ପାଦଦେଶରେ ଜନଵସତି ଗଢି଼ଉଠିଲା । ମନୁଷ୍ୟମାନେ ପରେ ପରେ ଜଳମୟ ସ୍ଥାନର ସନ୍ଧାନରେ ନଦୀ ଓ ସମୁଦ୍ରକୂଳରେ ଵସତି ସ୍ଥାପନ କରିଥିଲେ ।
  ତାହେଲେ  ସମୁଦ୍ର ମନ୍ଥନ କାହାଣୀ ଆଉ ପ୍ରାଚୀନ ମାନଵଜାତିଦ୍ଵାରା ସମୁଦ୍ର ମଧ୍ୟରେ ଶତାଧିକ ଯାତ୍ରାର କାହାଣୀ ନୁହେଁ ତ ? 
ସମୁଦ୍ର ଯାତ୍ରା ଉଭୟ ସକାରାତ୍ମକ ଓ ନକାରାତ୍ମକ ପକ୍ଷର ମାନଵମାନେ କରିଥିବେ । ସକାରାତ୍ମକ ମାନଵ ଦେଵତା ତଥା ନକାରାତ୍ମକ ମାନଵମାନେ ଦାନଵ ଭାବେ ଗଣା ହେଲେ ।  ସମୁଦ୍ରଯାତ୍ରାରୁ ପ୍ରଥମେ ଵିଷରୂପକ ସମସ୍ୟାମାନ ପ୍ରାପ୍ତ ହୋଇଥିଵ ଯହିଁର ଶିଵ ରୂପି ଜ୍ଞାନୀମାନେ ନିଜ ଜ୍ଞାନ ରୂପକ ଶକ୍ତିଦ୍ଵାରା ସମାଧାନ କରିଥିବେ । ଶେଷରେ ଅନେକ ଧନରତ୍ନ ଲାଭ କରି ମାନଵମାନେ(ଵିଶେଷତଃ ଭାରତୀୟମାନେ) ଵିଭିନ୍ନ ଦେଶରୁ ଜ୍ଞାନ ,ଭୂମି, ସମ୍ମାନ ଓ ଵିଜ୍ଞାନ ରୂପ ଅମୃତ ଲାଭ କରିଥିଲେ । 

©ଶିଶିର ସାହୁ ମନୋଜ

■ ଅନ୍ତାକ୍ଷରୀ ■ -16

■ ଅନ୍ତାକ୍ଷରୀ ■ -- ୧୬ 

ବିନା ସଂଘର୍ଷରୁ ନିଷ୍କୃତ ଶବ୍ଦରୁ
      ଯୋଡା ତୁମେ ପଞ୍ଚାକ୍ଷର
ଭକତି ଭାବରେ ଦୀପ ଜାଳି ପ୍ରଭୁ
      ପାଳୁଛି ମହା ଜାଗର
ଜାଗରରେ ଜାଗେ ମନ ଭକ୍ତି ମାର୍ଗେ
       କାୟ ମନ ବାକ୍ଯେ ଜପେ
ପତିତ ଜନଙ୍କ ଉଦ୍ଧାର ନିମନ୍ତେ
     ବର ଦିଅ କୋପେ ତପେ
               - ଦାଶରଥି ସାହୁ 

ତପେ ବର ଦିଅ ଜପେ ବର ଦିଅ 
         ଏକଥା ଜାଣେ ଜଗତ 
ହଳାହଳ ପାନ  ଜଗତ କଲ୍ୟାଣ
       ତେଣୁ ତୁମେ ମହାଦେବ
      ମୋତେ କି ଆଶିଷ ହେବ 
ମୋ'ହୃଦ ଆତ୍ମାରୁ ସ୍ବାର୍ଥ ଜଳିଯାଇ 
           ମନ ଭଜୁଥିବ ଶିବ .....
             - ସନ୍ତୋଷ ପଟ୍ଟନାୟକ

ଶିବ ଶିବ ବୋଲି ତୁଣ୍ତେ ଭଜୁଥିବି
      ହୄଦୟେ କରିଣ ଭକ୍ତି
କଣ୍ଟାକିତ ପଥ  ଲଙ୍ଘି ଯିବା ପାଇଁ
      ଦିଅ ପ୍ରଭୁ ମୋତେ ଶକ୍ତି
ଭକ୍ତିର ଶକ୍ତିରେ  ପାଳିବି ଜାଗର
       ଦେଖିବି ମୁଁ ମହାଦୀପ
ତୁମ ମହାଦୀପ ଦର୍ଶନ ମାତ୍ରକେ
       କ୍ଷୟ ହେଉ ସବୁ ପାପ
                ‐ଜଗବନ୍ଧୁ ସାହୁ

ପାପ ପଙ୍କେ ଏବେ ପୋତି ଆସିଲାଣି
        ସତ୍ ନାମ ସରୋବର
ଧର୍ମର ପାଣିଟା ଗୋଳିଆ ହେଲାଣି
        ପଡ଼ି  ଅଧର୍ମର  ସର
 ସଫା କରିବାକୁ ସତ୍ଯ ସରୋବର
      କୃପା ଢାଳ ଆହେ ହର 
ଅଧର୍ମ ଗୋଳିଆ  ପାଣିକୁ ନିଗାଡି
       ଭକ୍ତ ବୋହୁ ଧର୍ମ ଭାର ....
                  - ରବିନ୍ଦ୍ର ସାହୁ

ଭାର ବଢିଯାଏ ପାପ ମାଠିଆରେ 
      ଧରା ହୁଏ ଥର ହର 
ନୀଳକଣ୍ଠ ତୁମେ ଅବତରୀ ଆସ 
     ପାପୀଙ୍କୁ କର ସଂହାର 
ରୁଦ୍ର ଅବତାରେ ଆସ ପ୍ରଭୁଥରେ 
      କରନାହିଁ ଜମା ହେଳା 
ଦେଖାଇ ଦିଅ ହେ ପାପିଷ୍ଠ ଜନଙ୍କୁ 
        କିପରି ବୁଡ଼ଇ ଭେଳା ....
                 - ଟୁକୁନା ସାହୁ

ଭେଳା ଭେଳା ଭାଷେ ମଣିଷର ଶବ
      ବହୁଛି ରକ୍ତର ନଈ
ମାନବ ନେଇଛି  ଦାନବର ରୂପ
      ମାନବିକ ଜ୍ଞାନ ନାହିଁ 
ପରମାଣୁ ଅସ୍ତ୍ର  ଆୟୁଧ ଆଜିର
      ଫୁଲାଇ କହୁଛି ହିଆ
ମଣିଷ ରକ୍ତରେ ରଣଭୂମି ରଙ୍ଗେ 
     ଶେଷ ହେବଏ ଦୁନିଆ .....
              -  ପ୍ରବୀର ମଲ୍ଲିକ୍ 

ଦୂନିଆଁ ହଜିବ ଭୂଗୋଳ ପୋଥିରୁ
      ଜନେ ହେବେ ହାହାକାର 
ବିଶ୍ବଯୁଦ୍ଧ ସ୍ଥିତି ନ' ଉପୁଜୁ ପ୍ରଭୁ
      ଜଗତ ଉଦ୍ଧାର କର 
ସୃଷ୍ଟିର ବିନାଶ ରୋକିଦିଅ ପ୍ରଭୂ
      ନହେଉ ନର ସଂହାର 
ମହା ଜାଗରରେ ମହାଦୀପ ଜାଳି
       ମାନସିକ ଏହି ମୋର ..... 
               - ରାଧାକୃଷ୍ଣ ବାୟକ

ଏହି ମୋର ଅଳି  ତୁମ୍ଭ ଶ୍ରୀଚରଣେ
      ଆହେ ପ୍ରଭୁ ଆଶୁତୋଷ
ଘେନ ମହାଦୀପ  ଏ ମହା ଜାଗରେ
        ଢାଳି ତବ ଶୁଭାଶିଷ  
ଶିବମୟ ହେଉ ଏ ପୁଣ୍ୟ ଜଗତ
        ନରହୁ କାହାରି କ୍ଳେଶ
ରୁଦ୍ର ଅବତାରେ ପାପୀକୁ ସଂହାରି
          ଉଡ଼ାଅ ତୁମରି ଯଶ ....
               - ରାମ ଚନ୍ଦ୍ର ପ୍ରଧାନ

Thursday, February 24, 2022

ସମର୍ପଣ (topic - 119 ବିହଙ୍ଗ ବିପ୍ଳବ ) quote #quot

ମଣିଷ ହେଲାଣି ଚିନ୍ତାର କାରଣ 
ଧରାରୁ ଲିଭୁଚି କେତେ ଜାତି ପ୍ରାଣ 
ଦିନୁ-ଦିନ କ୍ଷୟ ଦେଖି ପକ୍ଷୀକୂଳ 
ପକ୍ଷୀରାଜ ନିଶ୍ଚେ ଥିବେ ମ୍ରିୟମାଣ 
କରିବେକି ଆଉ ବିହଙ୍ଗେ ବିପ୍ଳବ 
ଘେନି ଦଳ-ବଳ ଝିଙ୍ଗାସର ରବ 
ଚିନ୍ତାମଣି ଚିନ୍ତ ଯଦି ଏ ସମ୍ଭବ 
ନଥିବ ଧରାରେ ମଣିଷର ଦମ୍ଭ
           - ସନ୍ତୋଷ ପଟ୍ଟନାୟକ

ସଂଘର୍ଷ ରତ   ବିହଙ୍ଗ କୁଳ 
     ଜୀବନ ଦୁର୍ବିସହ 
ମାନବ କର୍ମ    କଷଣ ଦିଏ 
      ତଥାପି ନିରୁପାୟ । 
ଆସିବ ଦିନ     ହଜିବ ଚିହ୍ନ 
     ସନ୍ଦେହ ତିଳେ ନାହିଁ 
ବିହଙ୍ଗ ପାଇଁ     କିଞ୍ଚିତ ଚିନ୍ତା 
      କର ମାନବ ଭାଇ । 
ନହେଲେ ଦିନେ    ଉଠିବ ମଥା 
     ବିପ୍ଳବୀ ହେବେ ପକ୍ଷୀ 
ମାନବ ସତ୍ତା    ହଜାଇ ଦେବେ 
      ପାରିବନି କେ ରଖି  ।
                  - ଟୁକୁନା ସାହୁ

ବିପଥଗାମୀ ଏ  ମଣିଷ ସମାଜ
     ଟେକ୍ନୋଲଜି ଆଢୁଆଳେ
ବିପଦ ଘେରରେ ବିହଙ୍ଗ ପ୍ରଜାତି 
       ମଣିଷର ସ୍ବାର୍ଥ ଜ୍ବାଳେ 
ସବୁରି ଜୀବନ  ଅମୂଲ୍ୟ ସମ୍ପନ୍ଦ 
      ଏଇ ଧରଣୀର କୋଳେ
  ଯଦିଓ ବିହଙ୍ଗ  ଆଣନ୍ତି ବିପ୍ଳବ
       ଭୋଗିବା କଷ୍ଟ ସକଳେ 
                - ଜଗବନ୍ଧୁ ସାହୁ

ଭବ୍ୟେ ଆତଯାତ ସକଳ ଜଗତ
      ପଶୁ ପଷୀ କୀଟ ତରୁ
ତୋ ମନ ମସ୍ତିଷ୍କ  ଜଣାରେ ଉତ୍କୃଷ୍ଟ
    ବଡ ନୁହଁ ସ୍ରଷ୍ଟା ଠାରୁ
ବାହାନ ବୋଲାଇ ବଧନ୍ତିନି ବିହି
        ଧରାରେ ଧିକ ଦରବ
ନୁହଁଇ କଳ୍ପନା ବାସ୍ତବ ବଇନା
       ଦିନେ ବିହଙ୍ଗ ବିପ୍ଲବ
              - ଦାଶରଥି ସାହୁ

ପ୍ରକୃତି କୋଳରେ ବିହଙ୍ଗ ବିପ୍ଳବ
ପରିବର୍ତ୍ତନର ସ୍ବର
କିନ୍ତୁ ମନେରଖ  ହେଲେ ସେ' ବିପ୍ଳବ
ଧରା ହେବ ଛାରଖାର 
ତେଣୁ ସାବଧାନ ହୋଇଯାଅ ସର୍ବେ
ଆପଣା ସ୍ୱାର୍ଥକୁ ତେଜି
ନ ହୋଇ ନିଷ୍ଠୁର ହୁଅ ଯତ୍ନବାନ
ବିହଙ୍ଗ ପ୍ରେମରେ ହଜି 
          - ରାମ ଚନ୍ଦ୍ର ପ୍ରଧାନ

ଶହେରୁ ଶତକଡ଼ା ନବେ ଅଧର୍ମୀ
      ନିଷ୍ଠୁର ମଣିଷ ଜାତି 
ପରିବେଶ ସନ୍ତୁଳନ ବିଗାଡ଼ିଲେ
     ବନାନୀ ଗଲାଣି ତାତି 
ଦୁରସଞ୍ଚାର ସେ ଅଦୃଶ୍ଯ ଦାନବ
      ବୁଲୁଅଛି ଘିରି ଘିରି 
ବିଲୁପ୍ତ ହେଲେଣି ନାନା ଜାତି ପକ୍ଷୀ
     ସଂସାରୁ ଗଲେଣି ତରି 
ମଣିଷ ରଚିଛି ଚକ୍ରବିହ୍ବ ଦେଖ
      ଆପଣା ସୁଖ ଆଦରି 
ବିହଙ୍ଗ ବିପ୍ଳବ ହବକି ସଫଳ !
     ଅକାରଣେ ଯିବେ ମରି ....
                ‐ ରାଧା କୃଷ୍ଣ ବାୟକ

ମାନବ ପାଇଁକା ବିହଙ୍ଗଙ୍କ ଲୋପ
       ଏକଥା ଭଲରେ ଜାଣ
  ସୁଖ ସଉଖିନେ ଜୀଇଁବ ବୋଲିକା
         ନେଉଥାଏ ତାଙ୍କ ପ୍ରାଣ
ଆଧୁନିକ ଚିଜ     ବ୍ୟବହାର କରି
         ବାଢାଏ ସେ ପ୍ରଦୂଷଣ
 ଗଛ କାଟି ପୁଣି ବାସ ହରେ ତାଙ୍କ
         ଦାଉ ସାଜେ ପ୍ରତିକ୍ଷଣ
ଆସିବ ସେ ଦିନ ଦେଖିବ ଏ ଜନ
       ବିହଙ୍ଗେ ହୋଇବେ ମେଳି
 ମାନବ ବିରୁଦ୍ଧେ ସଂଗ୍ରାମ ରଚିବେ
        ସମଗ୍ର ବିଶ୍ବକୁ ଜାଳି ....
                    - ରବିନ୍ଦ୍ର ସାହୁ

ଶୁଷ୍କ ମଟାଳର ଥୁଣ୍ଟା ଗଛ ଡାଳେ 
    ତେଜିବ ବିହଙ୍ଗ ମେଳି 
କିଚିରି ମିଚିରି ଆତ୍ମା ଚିତ୍କାରରେ 
     ବିହଙ୍ଗ ଯେ ବାହୁବଳୀ 
ସ୍ୱାର୍ଥପର ଏଇ ମଣିଷ ଦେଖିବ
     ଦିନେ ବିହଙ୍ଗ ବିପ୍ଳବ 
ବିପର୍ଯ୍ୟସ୍ତ ପଥେ ବିହଙ୍ଗଙ୍କ ବଂଶ
     ଚେତନା ହୁଅ ମାନବ
             - ପ୍ରବୀର ମଲ୍ଲିକ୍

Sunday, February 20, 2022

■ ଶବ୍ଦର ଇତିହାସ ■

-:ଶବ୍ଦର ଇତିହାସ:- 

ଭାଷାତତ୍ତ୍ୱ ଆଲୋଚନା କରିବା ସମୟରେ ଆମ୍ଭମାନଙ୍କୁ କେବଳ ଶବ୍ଦର ବିକୃତି ପ୍ରତି ଲକ୍ଷ୍ୟ ନ ରଖି ଶବ୍ଦର ଇତିହାସ ପ୍ରତି ଲକ୍ଷ୍ୟ ରଖିବାକୁ ହେବ । ପ୍ରତ୍ୟେକ ଶବ୍ଦର ଗୋଟିଏ ଉତ୍ପତ୍ତିସ୍ଥାନ ଅଛି, ପ୍ରତ୍ୟେକ ଶବ୍ଦ ଉତ୍ପନ୍ନ ହୋଇ ବିକୃତ ବା ଅବିକୃତଭାବରେ କୌଣସି ଭାଷାରେ ପ୍ରଚଳିତ ହୋଇଅଛି ଓ ଏହି ବିକୃତିର ସ୍ତର ମଧ୍ୟ ଅଛି । କେବଳ ସଂସ୍କୃତ 'ଆମ୍ର' ଶବ୍ଦରୁ ଓଡ଼ିଆ 'ଆମ୍ବ' ଶବ୍ଦ ଉତ୍ପନ୍ନ ହୋଇଅଛି ଏହା କହିବା ଯଥେଷ୍ଟ ନୁହେ, କାରଣ ବାସ୍ତବରେ ଓଡ଼ିଆ 'ଆମ୍ବ' ଶବ୍ଦ ସଂସ୍କୃତ ଆମ୍ର ଶବ୍ଦର ବିକୃତି ନୁହେ । ଏହା ପାଲି 'ଅମ୍ବ' ଶବ୍ଦର ବିକୃତ ବ୍ୟବହାର ଅର୍ଥାତ୍ ସଂସ୍କୃତ 'ଆମ୍ର' ଶବ୍ଦ ପାଲିରେ 'ଅମ୍ବ' ଶବ୍ଦରେ ପରିଣତ ହୋଇଥିଲା ଓ ଏହି 'ଅମ୍ବ' ଶବ୍ଦ ପୁନର୍ବାର ବିକୃତ ହୋଇ ଓଡ଼ିଆରେ 'ଆମ୍ବ' ଶବ୍ଦରେ ପରିଣତ ହୋଇଅଛି । ସଂସ୍କୃତ ଆମ୍ର ଯଦି ବାସ୍ତବରେ ମୂଳତଃ ଆର୍ଯ୍ୟଭାଷାର ଅନ୍ତର୍ଗତ ହୋଇଥାନ୍ତା, ତେବେ ତାହାର ନିଦର୍ଶନ ଆମ୍ଭେମାନେ ଅନ୍ୟ ଆର୍ଯ୍ୟଭାଷାରେ ପାଇଥାନ୍ତୁ । କିନ୍ତୁ ଅନ୍ୟାନ୍ୟ ଆର୍ଯ୍ୟଭାଷାରେ ଏହି ଶବ୍ଦର ଅନୁରୂପ ଶବ୍ଦ ଅନୁରୂପ ଅର୍ଥରେ ବ୍ୟବହୃତ ହେଉ ନ ଥିବାରୁ ଏହାର ମୂଳ ରୂପ ବାସ୍ତବରେ ଅଜ୍ଞାତ ବୋଲି ଅନୁମାନ କରାଯାଏ ଓ ଏହା ସଂସ୍କୃତରେ ପ୍ରଥମ ପ୍ରଚଳିତ କିମ୍ବା ଅନ୍ୟ ଭାଷାରୁ ସଂସ୍କୃତରେ ଗୃହୀତ ବୋଲି ମନେ କରିବାକୁ ହେବ । ବାସ୍ତବରେ ସଂସ୍କୃତ ଭାଷାରେ ବ୍ୟବହୃତ ହେବା ପୂର୍ବରୁ ଏହି ଶବ୍ଦର କୌଣସି ଇତିହାସ ଆମ୍ଭେମାନେ ଜାଣୁ ନାହିଁ, କିନ୍ତୁ ସଂସ୍କୃତରେ ବ୍ୟବହାରର ପରବର୍ତ୍ତୀ ଯୁଗରେ ଏହା ପାଲିରେ 'ଅମ୍ବ'ରେ ବିକୃତ ହୋଇଅଛି ଓ ଏହି ବିକୃତ ରୂପ ହିନ୍ଦିରେ 'ଆଁବ', ବଙ୍ଗଳାରେ 'ଆମ୍', ମରଠୀରେ 'ଆମ୍ବ' ଓ ଓଡ଼ିଆରେ 'ଆମ୍ବ' ଶବ୍ଦରେ ପରିଣତ ହୋଇଅଛି । ପୁନରାୟ ବିଚାର କରିବାକୁ ହେବ ଯେ ଓଡ଼ିଆ 'ଆମ୍ବ' ଶବ୍ଦ ବାସ୍ତବରେ ପାଲିରୁ ଜାତ ହୋଇଅଛି କିମ୍ବା ପ୍ରାକୃତରୁ ଉତ୍ପନ୍ନ ଅନ୍ୟ ପ୍ରାଦେଶିକ (ଯଥା ବଙ୍ଗଳା, ହିନ୍ଦୀ ପ୍ରଭୃତି) ଭାଷାର ପ୍ରଭାବରୁ ବିକୃତ ହୋଇଅଛି । ଏ ବିଷୟର ସୂକ୍ଷ୍ମ ଆଲୋଚନା ଅତି କଠିନ ବ୍ୟାପାର, ମାତ୍ର ଭାଷାତତ୍ତ୍ୱରେ ଏଭଳି ଆଲୋଚନା ଏକାନ୍ତ ପ୍ରୟୋଜନ । ମନେ ରଖିବାକୁ ହେବ ଯେ, ପ୍ରାଚୀନ ଓଡ଼ିଆରେ ମଧ୍ୟ 'ଆମ୍ବ' ଶବ୍ଦ ବ୍ୟବହୃତ ଓ ଅନ୍ୟ କୌଣସି ପ୍ରାଦେଶିକ ଭାଷାର ଶବ୍ଦ ସହିତ ତାହାର ରୂପଗତ ସାଦୃଶ୍ୟ ସମ୍ପୂର୍ଣ୍ଣ ନୁହେଁ । ଏଣୁ ଏହି ଶବ୍ଦ ପ୍ରାକୃତରୁ ଓଡ଼ିଆକୁ ପ୍ରତ୍ୟକ୍ଷ ଆସିଥିବା ସମ୍ଭବ ଓ ହିନ୍ଦୀରେ 'ଆଁବ' ଓ ପ୍ରାଚୀନ ବଙ୍ଗଳାରେ 'ଆଁବ' (ଚର୍ଯ୍ୟାପଦ ନାମକ ପ୍ରାଚୀନ ଗ୍ରନ୍ଥରେ 'ତମା' ସ୍ଥାନରେ 'ତାଁବୋଳ'ର ବ୍ୟବହାର ତୁଳନୀୟ) ପ୍ରଭୃତି ରୂପ ବ୍ୟବହୃତ ହେଉଥିବାରୁ ବୋଧହୁଏ, ପ୍ରାକୃତ ବା ପାଲି ଶବ୍ଦ ପ୍ରଥମେ 'ଆଁବ'ରେ ପରିଣତ ହୋଇ ପରେ ଆନୁନାସିକଟି ପରବର୍ତ୍ତୀ ବର୍ଣ୍ଣ ସହିତ ଯୁକ୍ତ ହୋଇ ଓଡ଼ିଆରେ 'ଆମ୍ବ' ଶବ୍ଦର ଉତ୍ପତ୍ତି ଘଟାଇ ଅଛି । ଏ ବିଷୟରେ ସୂକ୍ଷ୍ମ ଗବେଷଣାର ଅଭାବରୁ ଅନେକ କ୍ଷେତ୍ରରେ ଆମ୍ଭମାନଙ୍କ ଅନୁମାନର ଆଶ୍ରୟ ନେବାକୁ ହୁଏ । ମାତ୍ର ସଂସ୍କୃତଜ୍ଞ ପଣ୍ତିତମାନଙ୍କର ଶବ୍ଦର ଇତିହାସ ବିଷୟରେ ଔଦାସୀନ୍ୟ ଓ ଅଜ୍ଞତା ଏବଂ ସଂସ୍କୃତରେ ପ୍ରତ୍ୟେକ ଶବ୍ଦର ଧାତୁ ପ୍ରତ୍ୟୟ ନିର୍ଣ୍ଣୟଦ୍ୱାରା ରୂପର ବ୍ୟାଖ୍ୟା ପଦ୍ଧତି ଏପରି ଗବେଷଣାର ପରିପନ୍ଥୀ ଓ ଭାଷାତତ୍ତ୍ୱ ବିଷୟରେ ସାଧାରଣ ଅଜ୍ଞତା ଏହାର ଫଳ ।

ଶବ୍ଦର ଇତିହାସ ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ଉଚ୍ଚାରଣର ସୁବିଧା ନିମନ୍ତେ 'ମ' ଓ 'ର' ମଧ୍ୟରେ 'ବ' ଧ୍ୱବନିର ଆଗମ କରାଯାଇ ଥିଲେହେଁ ମୂଳତଃ ଯେଉଁ ସବୁ ଶବ୍ଦରେ ମ ଓ ବ ଯୁକ୍ତ ହୋଇ ବ୍ୟବହୃତ ହୋଇଥିଲା, ସେଥିରେ ଅନେକ ସ୍ଥାନରେ 'ବ' ଲୁପ୍ତ ହୋଇଅଛି । ସଂସ୍କୃତରେ 'ଜମ୍ବୂକ' ସ୍ଥାନରେ ଓଡ଼ିଆରେ 'ଜାମୁ', 'ନିମ୍ବକ' ସ୍ଥାନରେ 'ନିମ' ପ୍ରଭୃତି ଶବ୍ଦ ଉଦ୍ଭୂତ ହୋଇଅଛି । ହିନ୍ଦୀ, ବଙ୍ଗଳା ପ୍ରଭୃତି ସବୁ ପ୍ରାଦେଶିକ ଭାଷାରେ 'ବ' ଲୁପ୍ତ ହୋଇଥିବାରୁ ଏ ସମସ୍ତ ପଦ ଭିନ୍ନ ଭିନ୍ନ ଭାବରେ ଏକ ମୂଳ ପ୍ରାକୃତ ଶବ୍ଦରୁ ଉତ୍ପନ୍ନ ବୋଲି ମନେ କରାଯାଇପାରେ । ସାଧାରଣତଃ ଲୋକେ ମନେ କରନ୍ତି ଯେ, ଓଡ଼ିଆ 'ଲେମ୍ବୁ' ଶବ୍ଦ ଇଂରାଜୀ lemon ଶବ୍ଦରୁ ଉତ୍ପନ୍ନ ଅର୍ଥାତ୍ ଆମ୍ବ, ତମ୍ବା ପ୍ରଭୃତି ଶବ୍ଦରେ ଯେପରି 'ମ' ସହିତ 'ବ' ସମ୍ପୃକ୍ତ, ସେହି କାରଣରୁ lemon ଲେମ୍ବୁରେ ରୂପାନ୍ତରିତ ହୋଇଅଛି । ମାତ୍ର ଶବ୍ଦଟିର ଇତିହାସ ତାହା ନୁହେଁ । 'ଲେମ୍ବୁ' ଶବ୍ଦର ବାସ୍ତବିକ ମୂଳ ଶବ୍ଦ ସଂସ୍କୃତ 'ନିମ୍ବୁକ', ଏହି ନିମ୍ବୁକ ଶବ୍ଦରୁ ଆରବ ଦେଶୀୟ 'ଲାଇମୁନ' ଶବ୍ଦ ଉତ୍ପନ୍ନ ହୋଇ ତୁର୍କି ଭାଷାରେ 'ଲିମୁନ' ରୂପରେ ପ୍ରଚଳିତ ହୋଇଥିଲା । ଆରବ ଭାଷାରୁ ପାରସିକ 'ଲିମୁନ' ବା 'ଲିମୁନା' ଶବ୍ଦ ପ୍ରଚଳିତ ହୋଇ ତହିଁରୁ ଏକ ଦିଗରେ ଫ୍ରେଞ୍ଚ୍ limon, ପୁରାତନ ଇଂରାଜୀ limon ଓ ଆଧୁନିକ ଇଂରାଜୀ lemon ଉଦ୍ଭୂତ ହୋଇଅଛି; ଅନ୍ୟ ଦିଗରେ ହିନ୍ଦୁସ୍ଥାନୀରେ 'ଲେମୁଁ' ଶବ୍ଦ ପ୍ରଚଳିତ ହୋଇଅଛି । ଏହି 'ଲେମୁଁ' ଶବ୍ଦରୁ ବଙ୍ଗଳା 'ନେବୁ', ଓଡିଆ 'ଲେମ୍ବୁ' ପ୍ରଭୃତି ଶବ୍ଦ ଉତ୍ପନ୍ନ ହୋଇଅଛି; ଅର୍ଥାତ୍ ସଂସ୍କୃତ 'ନିମ୍ବୁକ' ଶବ୍ଦଟି ପ୍ରାକୃତ ଭାଷାର ମଧ୍ୟ ଦେଇ ଓଡ଼ିଆକୁ ଆସି ନାହିଁ । ବାସ୍ତବରେ ସଂସ୍କୃତରୁ ଆରବ ଭାଷା, ତହିଁରୁ ପାରସିକ ଓ ପାରସିକରୁ ହିନ୍ଦୀ ଭାଷାର ମଧ୍ୟ ଦେଇ ଓଡ଼ିଆରେ ପ୍ରଚଳିତ ହୋଇଅଛି । ଏଠାରେ ଆଉ ଗୋଟିଏ ବିଷୟ ପ୍ରତି ମଧ୍ୟ ଲକ୍ଷ୍ୟ ରଖିବାକୁ ହେବ । ଓଡ଼ିଆରେ 'ଲେମ୍ବୁ' ଓ 'ନେମ୍ବୁ' ଉଭୟ ରୂପ ପ୍ରଚଳିତ ଓ ଏହି ପ୍ରଚଳନ 'ଳ' ଓ 'ନ' ମଧ୍ୟରେ ଧ୍ୱନିର ସାଧାରଣ ବିଶୃଙ୍ଖଳାର ଫଳ ମାତ୍ର ଏହା ସମ୍ଭବ ଯେ, 'ଲେମ୍ବୁ' ଶବ୍ଦଟି ବ୍ୟବହୃତ ହେବାର ପରବର୍ତ୍ତୀକାଳରେ ସଂସ୍କୃତ 'ନିମ୍ବୁକ' ଶବ୍ଦରୁ ପ୍ରତ୍ୟକ୍ଷ ଭାବରେ 'ନେମ୍ବୁ' ଶବ୍ଦ ମଧ୍ୟ ଉଦ୍ଭୂତ ହୋଇ ପାରିଥିବ ଏବଂ ଉଭୟ ଶବ୍ଦ ଓଡ଼ିଆରେ ପ୍ରଚଳିତ ହୋଇଥିବ । ପ୍ରାଚୀନ ଓଡ଼ିଆ ଗ୍ରନ୍ଥରେ ଏହି ଶବ୍ଦର ରୂପ କଅଣ, ସେ ବିଷୟରେ ସ୍ଥିରନିଶ୍ଚିତ ଧାରଣା ନ କଲେ ଆମ୍ଭେମାନେ ଏ ଶବ୍ଦଟିର ଇତିହାସ ବ୍ୟାଖ୍ୟା କରିବାକୁ ଅକ୍ଷମ । କିନ୍ତୁ ତାଚ୍ଛିଲ୍ୟ ଅର୍ଥରେ 'ଲେମ୍ବୁ' ପରିବର୍ତ୍ତରେ 'ନେମ୍ବୁ' ର ବ୍ୟବହାର ଅଧିକ ଥିବାରୁ 'ନେମ୍ବୁ' ଶବ୍ଦ ଯେ ପରବର୍ତ୍ତୀ, ଏହା ଅନୁମାନ କରାଯାଇ ପାରେ; ମାତ୍ର ଲ ଓ ନ ମଧ୍ୟରେ ବିଶୃଙ୍ଖଳ ବ୍ୟବ ହାର ଅନ୍ୟ ଅନେକ ଶବ୍ଦରେ ଦେଖାଯା ଉ ଥିବାରୁ ଏପରି ଅନୁମାନ ମଧ୍ୟ ଅନିଶ୍ଚିତ । ପୁଣି ଏହି ସଂସ୍କୃତ 'ନିମ୍ବୁକ' ଶବ୍ଦ ମଧ୍ୟ ବାସ୍ତବରେ ମୂଳ ଶବ୍ଦ ନୁହେଁ । କାରଣ ଏହି ଶବ୍ଦଟି ପୁରାତନ ସଂସ୍କୃତ 'ନିସ‌୍‌ବୂ' ଶବ୍ଦରୁ ଉତ୍ପନ୍ନ ବୋଲି ଅନେକଙ୍କର ମତ । ଏହି 'ନିସ୍‌ବୂ' ଶବ୍ଦର ମୂଳରେ 'ନିଷ୍' ଶବ୍ଦ ଥିବା ମଧ୍ୟ ସମ୍ଭବ ଓ 'ଯେଉଁଥିରୁ ରସ କ୍ଷରିତ ହୁଏ' ଏହାହିଁ ଏହି ଶବ୍ଦର ମୂଳ ଅର୍ଥ ବୋଲି ଅନୁମାନ କରାଯାଏ ।

ଓଡ଼ିଆରେ କୌଣସି ଶବ୍ଦକୁ କେବଳ ତତ୍‌ସମ ବୋଲି ନିର୍ଦ୍ଦେଶିତ କରିବାରେ ମଧ୍ୟ ଯଥେଷ୍ଟ ବିପଦ ଅଛି, କାରଣ ସଂସ୍କୃତ ଶବ୍ଦଟି ବିକୃତ ହୋଇଥାଇ ପାରେ । ଓଡ଼ିଆ 'ଶୂଦ୍ର' ଶବ୍ଦ ଏଥିର ପ୍ରକୃଷ୍ଟ ଉଦାହରଣ । ଏହି ଶବ୍ଦଟି ବୈଦିକ ଭାଷାରେ ପ୍ରଚଳିତ ଓ ରୁକ୍ ବେଦରେ ବ୍ୟବହୃତ ହୋଇଥିବାରୁ ଏହାର ପ୍ରାଚୀନତ୍ୱ ବିଷୟରେ ମଧ୍ୟ ସନ୍ଦେହ ନାହିଁ । ମାତ୍ର ଶବ୍ଦର ଇତିହାସଟି ବିସ୍ମୃତ ହୋଇଥିବାରୁ ପ୍ରାଚୀନ ଯୁଗରେ ପଣ୍ତିତମାନଙ୍କୁ ଏହାର ଅର୍ଥ ନିର୍ଣ୍ଣୟ କରିବା ନିମନ୍ତେ ନାନା କଷ୍ଟକଳ୍ପନାର ଆଶ୍ରୟ ଗ୍ରହଣ କରିବାକୁ ହୋଇଅଛି । ବାଦରାୟଣ ବ୍ରହ୍ମସୂତ୍ରରେ ଏହି ଶବ୍ଦଟିକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିବାରୁ ଶଙ୍କରାଚାର୍ଯ୍ୟ ଏହି ଶବ୍ଦର ତିନିଗୋଟି ବ୍ୟାଖ୍ୟା ଦେଇଅଛନ୍ତି, ଯଥା- ଯେ ଶୋକ ପ୍ରତି ଦ୍ରୁତ ଧାବିତ ହୁଏ ବା ଶୋକ ଯାହା ପ୍ରତି ଦ୍ରୁତ ଧାବିତ ହୁଏ ଅଥବା ଶୋକରେ ଯେ ଦ୍ରୁତଧାବିତ ହୁଏ; ମାତ୍ର ଏହିପ୍ରକାର ତିନିଗୋଟି ବ୍ୟାଖ୍ୟା ଦେବାର ଅର୍ଥ ଯେ ଶବ୍ଦଟିର ଉତ୍ପତ୍ତି ଅଜ୍ଞାତ ତାହା କହିବା ବାହୁଲ୍ୟ । ଉଣାଦିସୂତ୍ରରେ ମଧ୍ୟ 'ଶୁର' ଧାତୁ ସହିତ 'ର' ପ୍ରତ୍ୟୟ ଯୋଗ କରାଯାଇ ଏହି ଶବ୍ଦଟିର ଉତ୍ପତ୍ତି ବ୍ୟାଖ୍ୟାତ ହୋଇଅଛି, ମାତ୍ର ଏହା ମଧ୍ୟ କଳ୍ପିତ; କାରଣ ବାସ୍ତବରେ 'ଶୋକ' ସହିତ ଏ ଶବ୍ଦଟିର କୌଣସି ମୌଳିକ ସମ୍ବନ୍ଧ ନାହିଁ । ପ୍ରକୃତରେ ଏହା ବୈଦିକ ଯୁଗରେ ପ୍ରଚଳିତ 'କ୍ଷୁଦ୍ର' ଶବ୍ଦର ଅପଭ୍ରଂଶ ଓ ପାଲିଗ୍ରନ୍ଥରେ 'କ୍ଷୁଦ୍ରାଚାର' ଅର୍ଥାତ୍ ନୀଚ ଆଚାର ଯୁକ୍ତ ବୋଲି କେତେକ ଲୋକଙ୍କୁ ଶୂଦ୍ର ବୋଲାଯାଏ ବୋଲି ଲିଖିତ ଅଛି । ମହାବ୍ୟୁତ୍ପତ୍ତି ଗ୍ରନ୍ଥରେ ମଧ୍ୟ ଶୂଦ୍ର ଓ କ୍ଷୁଦ୍ରକୁ ଏକତ୍ର ଏକ ଅର୍ଥରେ ବ୍ୟବହାର କରାଯାଇଅଛି । ଏଣୁ ସ୍ୱତଃ ସନ୍ଦେହ ହୋଇ ପାରେ ଯେ, କ୍ଷୂଦ୍ର ଶବ୍ଦର କାଳକ୍ରମେ ଅପଭ୍ରଂଶ ହୋଇ 'ଶୂଦ୍ର' ଶବ୍ଦ ନିଷ୍ପନ୍ନ ହୋଇଥିଲା ଓ ଉଭୟ ଶବ୍ଦ ବୈଦିକ ଯୁଗରେ ପ୍ରଚଳିତ ହୋଇଥିଲା । 'ବିକଟ' ଶବ୍ଦ ଏହିପରି ବୈଦିକ ଯୁଗର ଅପଭ୍ରଂଶର ଆଉ ଗୋଟିଏ ଉଦାହରଣ । କାରଣ 'ବିକୃତ' ଓ 'ବିକଟ' ଏକ ଶବ୍ଦ ଏବଂ ଉଭୟ ଶବ୍ଦ ବୈଦିକ ଭାଷାରେ ବ୍ୟବହୃତ ।

ଶବ୍ଦର ଇତିହାସ ବାସ୍ତବରେ ଅତି ବିଚିତ୍ର । ଓଡ଼ିଆରେ 'ହିଂସା' ଶବ୍ଦ ପ୍ରଚଳିତ ଅଛି । ଏହି ଶବ୍ଦଟି ଯେ ସଂସ୍କୃତ 'ହିଂସ୍' ଧାତୁରୁ ଉତ୍ପନ୍ନ, ସେଥିରେ କୌଣସି ସନ୍ଦେହ ନାହିଁ । ମାତ୍ର ଏହି 'ହିଂସ୍' ଶବ୍ଦ ମୂଳତଃ ପ୍ରାଚୀନ ଆର୍ଯ୍ୟ 'ଘସ' ଶବ୍ଦ ସହିତ ସମ୍ପୃକ୍ତ ଓ ଏହି 'ଘସ୍'ର ମୂଳ ଅର୍ଥ 'ଆଘାତ କରିବା'; ଏହି 'ଘସ୍' ଶବ୍ଦରୁ ଲାଟିନ୍ ଭାଷାର ମଧ୍ୟ ଦେଇ ଇଂରାଜୀ hostel ପ୍ରଭୃତି ଶବ୍ଦ ଓ ଗଥିକ ଭାଷାର ମଧ୍ୟ ଦେଇ yard (ଯାହାଦ୍ୱାରା ଆଘାତ କରାଯାଏ) ପ୍ରଭୃତି ଶବ୍ଦ ଇଂରାଜୀରେ ପ୍ରଚଳିତ ହୋଇଅଛି । 'ଘସ୍' ଶବ୍ଦର ଆଘାତ କରିବା ଅର୍ଥ ସମ୍ପ୍ରସାରିତ ହୋଇ 'ଖାଇବା' ଅର୍ଥରେ ପ୍ରଯୁକ୍ତ ହେଉଥିବାରୁ ଏକ ଦିଗରେ ଏଥିରୁ ସଂସ୍କୃତ 'ଘସ୍' ଧାତୁ (ଖାଇବା ଅର୍ଥରେ ଯଥା 'ଜଘାସ') ଓ ସେଥିରୁ ହଂସ ପ୍ରଭୃତି ଶବ୍ଦ ଏବଂ ଅନ୍ୟ ଦିଗରେ ଲାଟିନର ମଧ୍ୟ ଦେଇ hostel, hotel, hospital, hospitality ଶବ୍ଦ ଉତ୍ପନ୍ନ; ପୁଣି ଏହି 'ମୂଳ 'ଘସ୍' ଧାତୁରୁ ପରବର୍ତ୍ତୀକାଳରେ ସଂସ୍କୃତ 'ହସ୍' ଧାତୁ ନିଷ୍ପନ୍ନ କରାଯାଇ ସେଥିରୁ ହାସ୍ୟ ପ୍ରଭୃତି ଶବ୍ଦ ମଧ୍ୟ ଉତ୍ପନ୍ନ ହୋଇଥିବା ସମ୍ଭବ, କିନ୍ତୁ ହସ୍ତ ଶବ୍ଦ ଯେ ଏହି 'ଘସ୍' ଧାତୁରୁ ଉତ୍ପନ୍ନ 'ହସ୍' ଶବ୍ଦ ସହିତ ସମ୍ପୃକ୍ତ, ଏଥିରେ ସନ୍ଦେହର ଅବକାଶ ନାହିଁ ଅର୍ଥାତ୍ ହସ୍ତର ମୂଳ ଅର୍ଥ ଯାହାଦ୍ୱାରା ଆଘାତ କରାଯାଏ । ଏହି 'ହସ୍ତ' ଶବ୍ଦ ସହିତ ଇଂରାଜୀ 'yard' ଶବ୍ଦର ସମୀକରଣ କରାଯାଇ ପାରେ ।

ଶବ୍ଦର ଇତିହାସ ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ବାସ୍ତବରେ ଅନେକ ସ୍ଥାନରେ ଆମ୍ଭମାନଙ୍କୁ ଅନୁମାନ ଉପରେ ନିର୍ଭର କରିବାକୁ ହୁଏ, କାରଣ ଶବ୍ଦମାନଙ୍କର ବିକୃତି ଅତି ଧୀରେ ଧୀରେ ସାଧିତ ହୋଇଥାଏ । ଏହି ବିକୃତିର ପ୍ରତ୍ୟେକ ସ୍ତରର ପ୍ରାମାଣିକ ପରିଚୟ ନ ମିଳିଲେ ଭାଷାତତ୍ତ୍ୱ ଅନୁସାରେ ଶବ୍ଦଟିର ସମ୍ପୂର୍ଣ୍ଣ ଭାଷ୍ୟ ମିଳି ନ ପାରେ । ଇଂରାଜିରେ ପ୍ରତ୍ୟେକ ଶବ୍ଦର ଇତିହାସ ଯଥାଯଥଭାବରେ ଆଲୋଚିତ ହୋଇ ପ୍ରମାଣ ସହିତ ଲିଖିତ ହୋଇଅଛି । ମାତ୍ର ଓଡ଼ିଆ ପ୍ରଭୃତି ଅନେକ ଭାଷାରେ ଏପରି ପ୍ରାମାଣିକ ଗ୍ରନ୍ଥର ଏକାନ୍ତ ଅଭାବ ପରିଲକ୍ଷିତ ହୁଏ । ଯେଉଁମାନେ ଓଡ଼ିଆ ଭାଷାର ଆଲୋଚନା କରନ୍ତି, ସେମାନେ ପ୍ରାୟ ସମସ୍ତେ ତତ୍‌ସମ, ତଦ୍‌ଭବ ଓ ଦେଶଜ ଏହି ତିନି ଶ୍ରେଣୀରେ ଶବ୍ଦମାନଙ୍କୁ ଶ୍ରେଣୀବଦ୍ଧ କରିଦେଇ ଭାଷାବିଚାର କାର୍ଯ୍ୟ ସାଙ୍ଗ କରି ଦେଇଥାନ୍ତି । ଏପରି କି ଅନେକ କ୍ଷେତ୍ରରେ ଶବ୍ଦର ପୂର୍ଣ୍ଣ ଇତିହାସ ଆବିଷ୍କୃତ ହୋଇଥିବା ସ୍ଥଳେ ତାହା ପ୍ରତି ମଧ୍ୟ ସମସ୍ତେ ଅବହିତ ହୁଅନ୍ତି ନାହିଁ । ଓଡ଼ିଆ 'ତମାଖୁ' ଶବ୍ଦ ସଂସ୍କୃତରେ 'ତାମ୍ରକୂଟ'ରୁ ଉତ୍ପନ୍ନ ବୋଲି ଅନେକଙ୍କର ମତ, ମାତ୍ର ବାସ୍ତବିକ ଏହି ଶବ୍ଦଟି ସଂସ୍କୃତରେ ପରବର୍ତ୍ତୀକାଳରେ ଅନ୍ୟ ଭାଷାରୁ ଅନୁକୃତ । ସ୍ପେନ ଦେଶୀୟ ଲୋକମାନେ ଯେତେବେଳେ ଆମେରିକା ମହାଦେଶରେ ରାଜତ୍ୱ କରୁଥିଲେ, ସେ ସମୟରେ ୟୁକାତନ ପ୍ରଦେଶର ଟାବାକୋ ନାମକ ସ୍ଥାନ କିମ୍ବା ତତ୍‌ସଂଲଗ୍ନ 'ଟେବାଗୋ' ନାମକ ଦ୍ୱୀପରେ ଉତ୍ପନ୍ନ ପତ୍ରବହୁଳ କ୍ଷୁଦ୍ରବୃକ୍ଷ (ଚାରାଗଛ)କୁ ଲକ୍ଷ୍ୟ କରି ଏହାର ନାମ tabaco ଦେଇଥିଲେ । ସ୍ପେନୀୟ ଭାଷାରୁ ଏହା କ୍ରମଶଃ ଫରାସୀ ଓ ଇଟାଲୀୟ ଭାଷାରେ ପ୍ରବର୍ତ୍ତିତ ହୋଇଥିଲା । ପରେ ଉର୍ଦ୍ଦୁ ଭାଷାରେ 'ତାମ୍ବାକୁ' ରୂପରେ ପରିଣତ ହୋଇଥିଲା ଓ ଉର୍ଦ୍ଦୁଭାଷାରୁ ଏହା କ୍ରମଶଃ ହିନ୍ଦୀ, ଓଡ଼ିଆ ଓ ବଙ୍ଗଳା ଭାଷାମାନଙ୍କରେ ପ୍ରଚଳିତ ହୋଇଅଛି । ସମ୍ଭବତଃ ଉର୍ଦ୍ଦୁ 'ତମ୍ବାକୁ' ଶବ୍ଦ ହିନ୍ଦୀ ତମାଖୁରେ ପରିବର୍ତ୍ତିତ ହୋଇଥିଲା ଓ ଏହି ହିନ୍ଦୀ ଶବ୍ଦରୁ ଏକ ଦିଗରେ ବଙ୍ଗଳା 'ତାମାକ୍' ଓ ଅନ୍ୟ ଦିଗରେ ଓଡ଼ିଆ 'ତମାଖୁ' ଶବ୍ଦ ଉଦ୍ଭୁତ ହୋଇଥାଇ ପାରେ । ସଂସ୍କୃତ 'ତାମ୍ରକୂଟ' ସହିତ ଓଡ଼ିଆ ଶବ୍ଦର କିଛିମାତ୍ର ସମ୍ପର୍କ ନାହିଁ । ଏହିପରି 'ଯୋଲାପ' ଶବ୍ଦ ପଛରେ ମଧ୍ୟ ଗୋଟିଏ ଇତିହାସ ନିହିତ ଅଛି । ଓଡ଼ିଆ 'ଜୋଲାପ' ଶବ୍ଦ ହିନ୍ଦୀ 'ଜଲ୍ଲାବ' ଶବ୍ଦରୁ ଉତ୍ପନ୍ନ । ସାଧାରଣତଃ ଏହା ପାରସିକ 'ଗୁଲ୍' ଓ 'ଆବ୍' (ପାଣି) ଏହି ଦୁଇ ଶବ୍ଦର ସମ୍ମିଶ୍ରଣରେ ଜାତ ବୋଲି ଅନୁମାନ କରାଯାଇପାରେ । 'ଗୁଲ' ଶବ୍ଦର ଅର୍ଥ 'rose' (ଗୋଲାପ) । ଭାରତରେ ମୋଗଲଯୁଗରେ ଫୁଲରୁ ଅତର ବା ବାସପାଣି ପ୍ରସ୍ତୁତ ହେଉଥିବାରୁ ଭ୍ରମରେ ଫୁଲଟିର ନାମ 'ଗୋଲାପ'ରେ ପର୍ଯ୍ୟବସିତ ହୋଇଅଛି । ମାତ୍ର ସେ ଯାହାହେଉ, ଗୋଲାପ ପାଣି ବିରେଚକ ରୂପରେ ବ୍ୟବହୃତ ହେଉ ନ ଥିଲା । ଅଥଚ ହିନ୍ଦୀ 'ଜଲ୍ଲାବ' ଶବ୍ଦର ଅର୍ଥ ମୂଳତଃ ବିରେଚକ; ଏଣୁ ଶବ୍ଦଟିର ବିଶଦ ଆଲୋଚନା ପ୍ରୟୋଜନ ହେଲା । ପରେ ଦେଖାଗଲା ଯେ, ମେକ୍‌ସିକୋ ଦେଶର 'ଜଲାପ' ନାମକ ସ୍ଥାନରେ ଏକପ୍ରକାର ଗଛର ମୂଳ ବିରେଚକରୂପରେ ବ୍ୟବହୃତ ହେଉଥିଲା । ଏହି ସ୍ଥାନ ସହିତ ସମ୍ପୃକ୍ତ ଥିବାରୁ ସେହି ଗଛର ନାମ ମଧ୍ୟ 'ଜଲାପ' ଦିଆଯାଇଥିଲା । ଏହି ଗଛଟି ବିରେଚକ ବୋଲି ସାଧାରଣତଃ ପର୍ତ୍ତୁଗୀଜ୍ ଭାଷାରେ 'ଜଲାପ' ଶବ୍ଦ ବିରେଚକ ଅର୍ଥରେ ପ୍ରଯୁକ୍ତ ହେଲା । ପର୍ତ୍ତୁଗୀଜ୍ ମାନେ ଭାରତରେ ସ୍ୱୀୟ ପ୍ରଭାବ ବିସ୍ତାର କରିବା ପରେ ଏହି ଶବ୍ଦ 'ବିରେଚକ' ଅର୍ଥରେ ହିନ୍ଦୀରେ ପ୍ରଯୁକ୍ତ ହୋଇ ଅନ୍ୟାନ୍ୟ ପ୍ରାଦେଶିକ ଭାଷାମାନଙ୍କରେ ପ୍ରଚଳିତ ହୋଇଅଛି । ବାସ୍ତବରେ ଗୋଲାପଫୁଲ ସହିତ 'ଯୋଲାପ'ର ସମ୍ପର୍କ ଅତି ଅଳ୍ପ । ମାତ୍ର ହାକିମୀ ଔଷଧମାନଙ୍କରେ ଗୋଲାପଫୁଲର ପାଖୁଡ଼ା ମୃଦୁ ବିରେଚକରୂପରେ ବ୍ୟବହୃତ ହେଉଥିବାରୁ ଶବ୍ଦମାନଙ୍କର ଅର୍ଥଗତ ଓ ରୂପଗତ ବିଶୃଙ୍ଖଳା ସହଜରେ ସାଧିତ ହୋଇଅଛି ଓ ଆମ୍ଭେମାନେ ଏହାର ପ୍ରକୃତ ସ୍ୱରୂପ ବର୍ତ୍ତମାନ ବିସ୍ମୃତ ହୋଇଅଛୁଁ ।

ଶବ୍ଦର ଇତିହାସର ଏହିପରି ପୁଙ୍ଖୀନୁପୁଙ୍ଖ ଆଲୋଚନା କଲେ ଆମ୍ଭେମାନେ ନାନା ନୂତନ ତଥ୍ୟ ଜାଣି ପାରୁଁ । ଭାଷାର ସମ୍ପୂର୍ଣ୍ଣ ଶିକ୍ଷା ନିମନ୍ତେ ଏପ୍ରକାର ଆଲୋଚନା ମଧ୍ୟ ଅତ୍ୟନ୍ତ ପ୍ରୟୋଜନ । ଏହି ପ୍ରକାର ଆଲୋଚନାରୁ ଆମ୍ଭେମାନେ ବୁଝିପାରୁଁ ଯେ 'ଇଟା' ଶବ୍ଦ ବାସ୍ତବରେ ସଂସ୍କୃତ 'ଇଷ୍ଟକ' ଶବ୍ଦରୁ ପ୍ରାକୃତ ମଧ୍ୟ ଦେଇ ସାକ୍ଷାତଭାବରେ ଓଡ଼ିଆରେ ବ୍ୟବହୃତ ହୋଇ ନାହିଁ । କାରଣ ଏହାର ପାଲିରୂପ 'ଇଟ୍ଟକ' । ଏହି ଶବ୍ଦରୁ ହିନ୍ଦୀ 'ଇଟା' ଶବ୍ଦ ଜାତ ହୋଇ ଓଡ଼ିଆରେ ଅବିକୃତଭାବରେ ବ୍ୟବହୃତ ହୋଇଅଛି । ଏହିପରି 'ଛବି' ଶବ୍ଦ କେବଳ ସଂସ୍କୃତ 'ଛବି' ସହିତ ସମ୍ପୃକ୍ତ ନୁହେ । କାରଣ ଆରବ ଭାଷାର 'ତସବୀର' ଶବ୍ଦ 'ତଛବିର'ରେ ପରିଣତ ହୋଇ ଉର୍ଦ୍ଦୁରେ 'ଛବି' ଆକାର ଧାରଣ କରିଅଛି ଓ ଏହି ଛବି ଶବ୍ଦ ସଂସ୍କୃତ ଛବି ସହିତ ରୂପଗତ ସମତା ହେତୁରୁ ଅର୍ଥ ବିପର୍ଯ୍ୟୟ ଘଟାଇଅଛି । 'ଛବିଳ ଉତ୍କଳେ ତୋ ଛବି ଅତୁଳ' ଏହି ପଦ୍ୟାଂଶଟିରେ ଉଭୟ 'ଛବି' ଶବ୍ଦର ଅର୍ଥଗତ ବିଭିନ୍ନତା ସୁସ୍ପଷ୍ଟ ରକ୍ଷିତ ହୋଇଅଛି । ଓଡ଼ିଆ ଭାଷାରେ ଅନେକ ଶବ୍ଦ ସଂସ୍କୃତରୁ ନିଆ ଯାଇଅଛି ସତ୍ୟ, ମାତ୍ର ସେମାନଙ୍କ ବିକୃତି ପଛରେ ନାନା ଜାତିର ସମ୍ପର୍କ ଓ ନାନା ଭାଷାର ସଂସ୍ପର୍ଶ ଏପରି ଭାବରେ ରହିଅଛି ଯେ ସେମାନଙ୍କର ଆଲୋଚନା କଠିନ । 'ଟେରି' ଶବ୍ଦର ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ଏହା ହିନ୍ଦୀ 'ତେଡ଼ି'ରୁ ଉତ୍ପନ୍ନ । ଏହି 'ତେଡ଼ି' ଶବ୍ଦ ସଂସ୍କୃତ, 'ତିର୍ଯ୍ୟକ୍' ଶବ୍ଦରୁ ଜାତ ଅର୍ଥାତ୍ ଏହାର ମୂଳ ଅର୍ଥ ଯାହା ମୁଣ୍ତରେ ବଙ୍କାଭାବରେ ଅଙ୍କିତ ହୋଇଥାଏ । ଏହି 'ତିର୍ଯ୍ୟକ୍' ଶବ୍ଦରୁ 'ତେଢ଼ା', 'ଟେରା' ପ୍ରଭୃତି ଶବ୍ଦ ଉତ୍ପନ୍ନ ହୋଇଅଛି । ଏକ ଦିଗରେ ପାଲି 'ତିରଚ୍ଛା'ରୁ 'ତେରଚ୍ଛା' ଶବ୍ଦ ଜାତ ହୋଇଅଛି, ଅନ୍ୟ ଦିଗରେ ହିନ୍ଦୀ ଭାଷାର ଅନୁକରଣରେ 'ଟେର୍' ଶବ୍ଦ ମଧ୍ୟ ବ୍ୟବହୃତ ହେଉଅଛି, ଅର୍ଥାତ୍ 'ଟେର' ପାଇବାର ପ୍ରକୃତ ଅର୍ଥ ସିଧା ସଳଖ ଭାବରେ କୌଣସି ବସ୍ତୁର ଜ୍ଞାନଲାଭ ନ କରି ବକ୍ର ବା ଅସମ୍ପୂର୍ଣ୍ଣ ବା ଅସମୀଚୀନ ଭାବରେ କୌଣସି ବିଷୟ ଜାଣିବା । କେତେକ କ୍ଷେତ୍ରରେ ଦୁଇଗୋଟି ଭିନ୍ନ ଭାଷାରେ ପ୍ରଚଳିତ ଶବ୍ଦମାନଙ୍କର ପୁଣି ରୂପଗତ ସମତା ନ ଥିଲେ ମଧ୍ୟ ସେମାନଙ୍କର ଇତିହାସ ଆଲୋଚନା କରି ସେମାନଙ୍କର ସମୀକରଣ କରିବା ସମ୍ଭବପର ହୁଏ । ଓଡ଼ିଆ 'ଅଶ୍ରୁ' ସହିତ ଇଂରାଜୀ tear ଶବ୍ଦର କୌଣସି ସମତା ନାହିଁ, ମାତ୍ର ବାସ୍ତବରେ ଅଶ୍ରୁ ଶବ୍ଦଟିର ମୂଳ ଆର୍ଯ୍ୟ ଭାଷାରେ 'ଦଶ୍ରୁ' ରୂପ ଥିଲା ଓ ଏହା 'ଦଂଶ' ଶବ୍ଦ ସହିତ ସମ୍ପୃକ୍ତ । ଦ ସ୍ଥାନରେ ତ (ଟ) ହେବା ଭାଷାତତ୍ତ୍ୱର ସାଧାରଣ ନିୟମ ଓ ଆର୍ଯ୍ୟ 'ଦଶ୍ରୁ' ଶବ୍ଦରୁ ଏକ ଦିଗରେ ସଂସ୍କୃତ ଅଶ୍ରୁ, ଅନ୍ୟ ଦିଗରେ ଲାଟିନ lachrymo ଇଂରାଜୀ tear ପ୍ରଭୃତି ସ୍ୱାଭାବିକ ଭାବରେ ଜାତ ହୋଇଅଛି । ଏହିପରି ଭାବରେ ହଂସ ସହିତ goose ଶବ୍ଦର ରୂପଗତ ସମତା ନ ଥିଲେହେଁ ଉଭୟ ଶବ୍ଦ ମୂଳତଃ ଏକ; କାରଣ 'ହସଂ'ର ପ୍ରାଚୀନ ଆର୍ଯ୍ୟ ଭାଷାରେ ରୂପ 'ଘଂସ' ଓ 'ଘ' ସ୍ଥାନରେ 'ଗ' ହେବା ସ୍ୱାଭାବିକ । ଅବଶ୍ୟ ସମୀକରଣ ସମୟରେ ଏହି ସବୁ ଶବ୍ଦର ପ୍ରତ୍ୟେକ ଅଂଶର ପରିବର୍ତ୍ତନର କାରଣ ଓ ବ୍ୟାଖ୍ୟା ଦେବା ପ୍ରୟୋଜନ । କେବଳ ଅଂଶ ବିଶେଷର ବ୍ୟାଖ୍ୟା ଦେଲେ ଯଥେଷ୍ଟ ହୁଏ ନାହିଁ । ଶବ୍ଦର ଇତିହାସକୁ ଏହିପରି ଭାବରେ ଅନୁଶୀଳନ ନ କରି କେବଳ ସେମାନଙ୍କୁ ଦେଶଜ ବୋଲି ନିର୍ଦ୍ଦେଶିତ କରିବା କିମ୍ବା ସଂସ୍କୃତ ଧାତୁ ପ୍ରତ୍ୟୟ ମାତ୍ର ପ୍ରଦର୍ଶନ କରିବାଦ୍ୱାରା ଭାଷାରେ ସମ୍ପୂର୍ଣ୍ଣ ଜ୍ଞାନଲାଭ କରିବା ଅସମ୍ଭବ ।

©ସରଳ ଭାଷାତତ୍ତ୍ଵ (ଗିରିଜା ଶଙ୍କର ରାୟ)

■ ହନୁମାନଙ୍କ ରାମାୟଣ ■

ହନୁମାନଙ୍କ ରାମାୟଣ 
==============
ମହର୍ଷି ବାଲ୍ମୀକି ଲେଖିସାରି 'ରାମାୟଣ' 
ଦେବର୍ଷି ନାରଦଙ୍କୁ ପଢ଼ାଇଲେ ସେ ପୁଣ 
ପଢିସାରି ନାରଦ ତ ରଖିଲେ ମନ୍ତବ୍ୟ:
"ଭଲ, କିନ୍ତୁ ବେଶୀ ଭଲ 'ମାରୁତି'ଙ୍କ କାବ୍ୟ" ll

ନାରଦଙ୍କ ବାକ୍ୟ ଶୁଣି ବାଲ୍ମୀକି ଚକିତ 
ହନୁମାନ ଲେଖିଛନ୍ତି ରାମାୟଣ, ସତ? 
ସ୍ଥିର କଲେ: ମାରୁତିଙ୍କୁ ଭେଟିବେ ସତ୍ୱର 
ଜାଣିବେ ତାଙ୍କର ଲେଖା କେତେ ମନୋହର ll

କଦଳୀ ବଣରେ ହନୁମାନ ଧ୍ୟାନରତ 
ମହର୍ଷି ବାଲ୍ମୀକି ସେଠି ପହଞ୍ଚିଗଲେ ତ 
ଧ୍ୟାନ ବଳେ ଜାଣିପାରି ଋଷି ଆଗମନ 
ଖୋଲିଲେ ନୟନ ରାମଭକ୍ତ ହନୁମାନ ll

ଅଧୈର୍ଯ୍ୟ ବାଲ୍ମୀକି କଲେ ତାଙ୍କୁ ଅନୁରୋଧ 
ତମ ରାମାୟଣ ପଢି ମନ ହେବ ବୋଧ 
ଦିଆଗଲା ତାଙ୍କୁ ସାତଟି କଦଳୀ ପତ୍ର 
ହନୁମାନ ରଚିତ ରାମାୟଣ ଏକତ୍ର ll

ଆମୂଳଚୂଳ ପଢି ବାଲ୍ମୀକି ହେଲେ ପ୍ରୀତ 
ଭାଷା ଶୈଳୀ ବର୍ଣ୍ଣନାରେ ହେଲେ ଅଭିଭୂତ 
ଆମାନିଆ ଲୋତକ ତାଙ୍କ ପଡିଲା ଝରି 
ଏହା ଦେଖି ହନୁମାନ ଗଲେ କ୍ଷଣେ ଡରି ll

ହେ ମୁନିଶ୍ରେଷ୍ଠ, ଲେଖା କଣ ଏତେ ନିକୃଷ୍ଟ 
ଆପଣଙ୍କ କ୍ରନ୍ଦନରେ ମନ ହୁଏ କଷ୍ଟ 
ଦୟାକରି ଭୁଲ ତ୍ରୁଟି ଦିଅନ୍ତୁ ବୁଝାଇ 
ସଂଶୋଧନ କରିବି ମୁଁ, ମୋ ପ୍ରଭୁଙ୍କ ପାଇଁ ll

ଲୁହ ଭିଜା ନୟନରେ କହନ୍ତି ବାଲ୍ମୀକି 
ସାତଟି କଦଳୀ ପତ୍ରେ ମନ ଯାଏ ଲାଖି 
ଏତେ ବଡ଼ କାବ୍ୟ ଲେଖି, ମୋଟା ମୋର ପୋଥି 
ସାତପତ୍ରୀ ରାମାୟଣ ବହୁମୂଲ୍ୟ ନଥି ll

ଏବେ ଶୁଣ ମୋ ଅଶ୍ରୁର ପ୍ରକୃତ କାରଣ 
ତମ ଲେଖା ପଢି, ବାଲ୍ମୀକି ତ ଅକାରଣ 
କେହି ପଢ଼ିବେନି ଆଉ ମୋର ରାମାୟଣ 
ଅଲୋଡ଼ା ହୋଇ ମୁଁ ନିଶ୍ଚେ ବରିବି ମରଣ ll

ସବୁ ଶୁଣି ହନୁମାନ ହେଲେ ବିଚଳିତ 
ନିମିଷକେ ସବୁ ଲେଖା ଚିରିଦେଲେ ସେ ତ 
କହିଲେ: କରନାହିଁ ଚିନ୍ତା ହେ ମୁନିବର 
ବାଲ୍ମୀକି ରାମାୟଣର ନାହିଁ ପଟାନ୍ତର ll

ମାରୁତିଙ୍କ କର୍ମ ଦେଖି ବାଲ୍ମୀକି ତ ସ୍ତବ୍ଧ 
କାହିଁକି ଏମିତି କଲ, କପି ସ୍ୱୟଂସିଦ୍ଧ 
ମାରୁତି କହନ୍ତି: ବିଶ୍ୱ ପ୍ରସିଦ୍ଧ ବାଲ୍ମୀକି 
ତାଙ୍କ ଗ୍ରନ୍ଥ ପଢିବାକୁ ବସିଛନ୍ତି ଟାକି ll

ମୋ ସାତ ପୃଷ୍ଠା ଥିଲା ଖାଲି ପ୍ରଭୁଙ୍କ ପାଇଁ 
ସେଇ ମୋର ହୃଦୟର ଏକମାତ୍ର ସାଇଁ 
ଶୟନେ ସ୍ବପନେ ଜାଗରଣେ ତାଙ୍କ ଛବି 
ଅଙ୍କା ମୋର ହୃଦେ: ଭକ୍ତ ମୁଁ, ନୁହେଁ ତ କଵି! ll

ଲଜ୍ଜିତ ବାଲ୍ମୀକି କଲେ ଆତ୍ମ ନୀରିକ୍ଷଣ 
'ପ୍ରଶସ୍ତି-ପ୍ରଶଂସା' ତାଙ୍କ ଲେଖାର କାରଣ 
ହୋଇପାରେ 'ରାମଗାଥା' ତାଙ୍କ ରାମାୟଣ 
ତଥାପି ପ୍ରଚ୍ଛନ୍ନ 'ବାଲ୍ମୀକିଙ୍କ ଅଭିମାନ' ll

ମାରୁତିଙ୍କ ହୃଦୟରେ ଶୁଦ୍ଧ ପ୍ରେମ ଭକ୍ତି 
ସେବା ତ୍ୟାଗ ସମର୍ପଣର ଅପୂର୍ବ ଶକ୍ତି 
ରାମାୟଣ ଗ୍ରନ୍ଥ ଠୁଁ ବି ବଡ଼ ରାମ ନାମ 
ଦିନରାତି ଜପୁଥିଲେ ଦିଶେ ସ୍ୱର୍ଗଧାମ ll

ଏହା ଅଲିଖିତ ପ୍ରେମ ଭକ୍ତିର କାହାଣୀ 
'ହନୁମାନ-ରାମାୟଣ' କିଏ ଅଛି ଜାଣି? 
ବହୁଳ ଆଦୃତ ବାଲ୍ମୀକିଙ୍କ ରାମାୟଣ 
ରାମ ଜପି ହନୁମାନ ମୁଗ୍ଧ ପ୍ରତି କ୍ଷଣ ll
=========================
✍ ପ୍ରମୋଦ କୁମାର ମହାନ୍ତି 

Saturday, February 19, 2022

■ ଓଡ଼ିଆ ଲିପି ସଂହାର ଓ ଅକ୍ଷର ଵିଲୋପନ ■ (ଡାକ୍ତର ଦେଵାଶିଷ ଜ୍ୟୈଷ୍ଠୀ ଓ ଶିଶିର ସାହୁ ମନୋଜ)

●●●●●●●●●●●●●●●●
ଓଡ଼ିଆ ଲିପି ସଂହାର ଓ ଅକ୍ଷର ଵିଲୋପନ(ଡାକ୍ତର ଦେଵାଶିଷ ଜ୍ୟୈଷ୍ଠୀ ଓ ଶିଶିର ସାହୁ ମନୋଜ) 
●●●●●●●●●●●●●●●●

ଜନ୍ମରୁ କହି ଶୁଣି ପଢ଼ି ଲେଖି ମଧ୍ଯ କିଛି ଭୁଷ୍ ପଣ୍ଡିତଙ୍କୁ ତାଙ୍କ ମାତୃଭାଷା ବୋଧଗମ୍ୟ ହେଲା ନାହିଁ ବୋଲି ସେମାନେ ଇଂରାଜୀ, ହିନ୍ଦୀ, ବଙ୍ଗଳାକୁ ‘ହନୁକରଣ’ କରି ଶାସ୍ତ୍ରୀୟ ଭାଷା ଓଡ଼ିଆର ସରଳୀକରଣ ନାମରେ ଆମର  ସାହିତ୍ୟରେ ଥିବା ଅକ୍ଷରକୁ ବଳି ଦେବାକୁ ଷଡ଼ଯନ୍ତ୍ର କଲେ । ଵର୍ଣ୍ଣହତ୍ୟାକାରୀମାନେ 
ଏହି ଷଡ଼ଯନ୍ତ୍ରକୁ ଲିପି ସଂସ୍କାର ନାଆଁ ଦେଲେ । 
ପରାଧିନ ଭାରତରେ ଛପୁଥିଵା ଆଶା ପତ୍ରିକାର ଏକ ଆହ୍ଵାନରୁ ଲିପିସଂହାର ଷଡ଼ଯନ୍ତ୍ରର ଅୟମାରମ୍ଭ ହୁଏ । ଏ ଵିଷୟରେ ରାମଶଙ୍କର ରାୟ ତାଙ୍କ ଲିପି ସଂସ୍କାର ପ୍ରବନ୍ଧରେ ଏମନ୍ତ ଲେଖିଛନ୍ତି ...

❝ଆଜିକାଲି ଚତୁର୍ଦ୍ଦିଗରେ ସଂସ୍କାରର ହୁରି ପଡ଼ି ଯାଇଥିଵା ସମୟରେ ଗଞ୍ଜାମର ନଵୀନା ‘ ଆଶା’ ମଧ୍ୟ ଗୋଟିଏ ସଂସ୍କାର ଘେନି ଉପସ୍ଥିତ। 
× × × × × × × × × × × × × × × × × ×
 ‘ଆଶା’ର ଲିପିସଂସ୍କାର ‘ ସ୍ଵାଧୀନତା' ଉପରେ ସ୍ଥାପିତ ହୋଇଅଛି । ‘ପଞ୍ଚମ’ ଇତ୍ୟାଦିକି ‘ ପଂଚମ’ ଇତ୍ୟାଦି ଛାପା କରିଵାରେ ମୁଁ ସ୍ଵଭାଵତଃ ମନେ କରିଥିଲି ଯେ ‘ଆଶା’ର ନୂତନ ପ୍ରେସରେ ବୋଧହୁଏ ଯୁକ୍ତାକ୍ଷର ନ ଥିଵାରୁ ଏପରି ଘଟିଅଛି; ମାତ୍ର ବାଲେଶ୍ଵରର ସମ୍ବାଦଵାହିକା ଟିପି ଦେଵାରୁ କଥାଟା ବାହାରିପଡ଼ିଲା- ଖାଲି ‘ ଆଶା’ର କଥା ନୁହେଁ, ତାଙ୍କ ପୃଷ୍ଠପୋଷକ ମଧ୍ଯ ବାହାରି ପଡ଼ିଲେ।❞

ସେହି “ଲିପିସଂସ୍କାର”ପ୍ରବନ୍ଧରେ ନାନା ଆଲୋଚନା କରିଵା ପରେ ପୁଣିଥରେ ରାମଶଙ୍କର ରାୟ ଲିପି ସଂସ୍କାର ଵିଷୟରେ ଯାହା ଲେଖିଛନ୍ତି ତାହା ଏଠାରେ ଉଦ୍ଧାର କରାଗଲା ..

❝ଆଶା’ର ସମ୍ପାଦକ ଓ ଲେଖକମାନେ ଦେଶ ଲୋକଙ୍କୁ ତାଙ୍କ ଲିପିସଂସ୍କାରର ଅନୁଵର୍ତ୍ତୀ ହୋଇ ଲେଖିଵାକୁ ପ୍ରାର୍ଥନା କରିଅଛନ୍ତି। କେହି ମାନିବେ, ଏହା ମୋତେ ଲାଗୁନାହିଁ। ମୁଁ ତାହା ପଢ଼ିଲା ମାତ୍ରକେ ଲାଙ୍ଗୁଳହୀନ ଶୃଗାଳର କଥା ମନରେ ପଡ଼ିଗଲା । 
× × × × × ×× × × × × ×× × × × × ×
ଆଶା'ର ପ୍ରତ୍ୟାଶ ଆକାଶକୁସୁମରେ ପରିଣତ ହେଵାରେ ସନ୍ଦେହ ନାହିଁ। ଏହା ଲିପି ସଂସ୍କାର ଵା ଭାଷା ସଂସ୍କାର ନୁହେଁ- ଏହାକୁ ଲିପି ଵିଭ୍ରାଟ୍ ଵା ଭାଷା ଵିଭ୍ରାଟ୍ ବୋଲାଯିଵ।❞ 

ଵର୍ଣ୍ଣହତ୍ୟାକାରୀମାନେ ❝ଛପା ସମସ୍ୟା ତଥା ଲିପି ସରଳୀକରଣ❞ର ଯେତେ ଦ୍ଵାହି ଦେଲେ ମଧ୍ୟ ସେମାନେ ଯେ ହିନ୍ଦୀ, ବଙ୍ଗାଳୀ ତଥା ହିନ୍ଦୀଦ୍ଵାରା ପ୍ରଭାଵିତ ହୋଇ ସେହି ସବୁ ଭାଷାର ହନୁକରଣରେ ଓଡ଼ିଆ ଲିପିରୁ ଅକ୍ଷର ,ଦ୍ଵିତକରଣ ତଥା ଯୁକ୍ତାକ୍ଷର ପରମ୍ପରା ଇତ୍ୟାଦି ଉଠାଇଦେଵାକୁ ଚେଷ୍ଟା କରୁଥିଲେ ତାହା ଜଣାପଡି଼ଯାଇଥିଲା । 

ଓଡ଼ିଶାରେ ଆଧୁନିକ ଯୁଗର କଵି ଲେଖକମାନେ ସାଧାରଣତଃ ହିନ୍ଦୀ,ଇଂରାଜୀ ଓ ବଙ୍ଗାଳୀ ଭାଷାଦ୍ଵାରା ପ୍ରଭାଵିତ ହୋଇଥିଲେ । ଓଡ଼ିଆ ଭାଷାରେ ଥିଵା ମୌଳିକତାକୁ ସେମାନେ ଏହି ତିନୋଟି ଭାଷାରେ ନପାଇ ସେସବୁ ମୌଳିକଗୁଣ ଓଡ଼ିଆ ଭାଷାର ଦୁର୍ଗୁଣ ମନେ କରି କଳେ ବଳେ କୌଶଳେ ଲିପିସଂହାରକୁ ଲିପି ସଂସ୍କାର ନାମ ଦେଇ ଚକ୍ରାନ୍ତ କଲେ  ।‌

ଇଂରାଜୀ ଦ୍ଵାରା ପ୍ରଭାଵିତ ଓଡ଼ିଆମାନେ ଯୁକ୍ତିକଲେ ❝ଆମ ଅକ୍ଷର ସଂଖ୍ୟା ପଚାଶ ଟପୁଛି ତାକୁ ଇଂରାଜୀ ଭଳି ଛବିଶ କରିଦେଵାକୁ ହେଵ❞ ...

କିନ୍ତୁ ଇଂରାଜୀରେ ମଧ୍ୟ ଛୋଟ ଓ ବଡ଼ ଅକ୍ଷର (small/capital, lower/upper case) ମିଶାଇଲେ ୨୬×୨= ୫୨ ହୁଏ ! ଗଣିତ ଓ ଵିଜ୍ଞାନ ଶାସ୍ତ୍ରାଦି ଲେଖିବାକୁ ଇଂରାଜୀ ଅକ୍ଷର ନିଅଣ୍ଟ ପଡ଼େ ବୋଲି ଗ୍ରୀକ ଅକ୍ଷର ଯଥା→ ଆଲ୍ଫା (alpha-α),ବିଟା (Beta~β),
ଗାମା(Gamma-Γ,γ) 
ଇତ୍ୟାଦି ଆହୁରି ଅନେକ ବର୍ଣ୍ଣ 
ଆଵଶ୍ୟକ ପଡ଼େ । ଅର୍ଥାତ୍ ଇଂରାଜୀ ଅକ୍ଷର ବଢ଼େଇ ଲିପିକୁ ଵୈଜ୍ଞାନିକୀକରଣ କରିବା ବେଳେ ଆମ ଭୁଷପଣ୍ଡିତେ ସେଥିକୁ ନିଘା ନଦେଇ ଓଡ଼ିଆ ଅକ୍ଷର ମାରିବାରେ ଵ୍ୟସ୍ତ ହୋଇଗଲେ । 

ପୁଣି ଦଳେ ବାହାରିପଡି଼ଲେ କହିଲେ ❝ଇଂରାଜୀରେ ତ ଗୋଟିଏ S , ଆମର କାହିଁକି ତିନୋଟି ? ଚାଲ ତିନୋଟି ସ/ଶ/ଷ କୁ ମିଶାଇ ଗୋଟିଏ କରିଦେଵା❞

କିନ୍ତୁ ଇଂରାଜୀରେ ମଧ୍ୟ s, sh, ss, sc, c, ti ଇତ୍ୟାଦି ଅନ୍ୟୁନ ଛଅଟି ପ୍ରକାରେ ଶ,ଷ,ସ ଲେଖାଯାଏ । ଇଂରାଜୀରେ ତ କେବେ ସବୁ ମିଶାଇ କେଵଳ ଗୋଟିଏ ‘S’ କରିବାକୁ ଚାହିଁନାହାନ୍ତି  । ଆମେ କାହିଁକି ଶ,ଷ,ସ କୁ କେଵଳ ସ କରିଦେଇ ଆମ ଭାଷାକୁ ଓ ତାହାର ଲିପିକୁ ଅଵୈଜ୍ଞାନିକ କରିଦେଵାକୁ ତତ୍ପର ? 

ଇଂରାଜୀରେ ❝a, e, i, o, u❞ କୁ ଦେଖି ସେମାନେ ପୁଣି ମତ ଦେଲେ ❝ଵିଶ୍ଵଭାଷା ଇଂରାଜୀକୁ ଦେଖ ହୋ ସେଥିରେ ମାତ୍ର ପାଞ୍ଚଟି ସ୍ଵର ତେଣୁ ସେ ଭାଷା ସରଳ ଏବେ ଆମକୁ ମଧ୍ୟ ସ୍ୱରଵର୍ଣ୍ଣରେ ଥିବା ହ୍ରସ୍ୱ ଓ ଦୀର୍ଘ (ଇ,ଈ ଉ,ଊ) ଉଚ୍ଚାରଣକୁ ମିଶାଇ ଦେଵାକୁ ହେଵ ।ଅ❞

ଇଂରାଜୀରେ ସ୍ଵରତତ୍ତ୍ୱକୁ ଗଵେଷଣା କରି a, e, i, o, u ସହ ee, oo, ae, au, ou, oe, oa ଇତ୍ୟାଦି ଅନେକ ଦୀର୍ଘ ସ୍ୱର ଓ ସଂଯୁକ୍ତ ସ୍ୱର ଵ୍ୟଵହାର କରନ୍ତି କିନ୍ତୁ ଆମ ଭୁଷପଣ୍ଡିତେ ସ୍ୱରଵର୍ଣ୍ଣ ମାରିବାରେ ଵ୍ୟସ୍ତ !

ତେବେ ଓଡ଼ିଆ ଲୋକେ ଇଂରାଜୀ ଅପେକ୍ଷା ହିନ୍ଦୀ ଅନୁକରଣରେ ସବା ଆଗରେ ! ଇଂରାଜୀ ଶାସନ ଯୁଗରେ ଆମ ଓଡ଼ିଶାର କେତେଟା କଵି ଲେଖକ ବିହାର ଇତ୍ୟାଦି ହିନ୍ଦୀଭାଷୀ ଅଞ୍ଚଳ ବୁଲି ଆସି ଓଡ଼ିଶାରେ ଜ୍ଞାନ ଦେଵାକୁ ଲାଗିଲେ ଓଡ଼ିଆ ଭାଷାରୁ ଯୁକ୍ତାକ୍ଷର ହଟାଇ ଦିଅ ,ଵର୍ଣ୍ଣଦ୍ଵିତକରଣ ହଟାଇ ଦିଅ କାରଣ ହିନ୍ଦୀରେ ନାହିଁ । ସେହିପରି ଓଡ଼ିଆରେ ‛ଜ’ ଓ ‛ଯ’କୁ ମିଶାଇ ଗୋଟିଏ କରିଦେଵାକୁ ସେତେବେଳେ ଅନେକେ ଚେଷ୍ଟା କରିଥିଲେ । ହିନ୍ଦୀରେ ଗୋଟିଏ ଜ ରହିଛି ବୋଲି ଏହି ଵିଜାତୀୟ ଭୁଷପଣ୍ଡିତେ ଭାବନ୍ତି କିନ୍ତୁ ପ୍ରକୃତରେ ହିନ୍ଦୀରେ ମଧ୍ୟ ଜ ତଳେ ବିନ୍ଦୁ ଵା ନୁଖ୍ତା ଦେଇ ଏହାର ସମସ୍ୱନିମକୁ ପ୍ରକାଶ କରାଯାଏ ଯଥା :-
ग़ज़ल, फ़र्ज़, फ़िज़ा ଇତ୍ୟାଦି l ଇଂରାଜୀରେ ମଧ୍ୟ G, J, S, Z, Scz ଇତ୍ୟାଦିର ସମସ୍ୱନିମ ଭାଵରେ ଵ୍ୟଵହାର ରହିଛି l  ଓଡ଼ିଆରେ ଵର୍ଗ୍ୟ ‛ଜ’ ଓ ଅଵର୍ଗ୍ୟ ‛ଯ’ ଦୁଇଟି ସହ ‘ୟ’ ମଧ୍ୟ ଵ୍ୟଵହାର ହୁଏ ଯାହା ଏହାକୁ ହିନ୍ଦୀ, ସଂସ୍କୃତ ଓ ଅନ୍ୟ ଭାରତୀୟ ଭାଷା ସମୂହଠାରୁ ଭିନ୍ନ ପରିଚୟ ପ୍ରଦାନ କରେ କିନ୍ତୁ ଆମ ଭୁଷପଣ୍ଡିତେ ଏ ମୌଳିକ ଓଡ଼ିଆ ଵୈଶିଷ୍ଟ୍ୟକୁ ମାରିବା ଷଡ଼ଯନ୍ତ୍ରରେ ନିମଗ୍ନ l 

ବଙ୍ଗାଳୀ ଅନୁକରଣରେ ମଧ୍ୟ ଓଡ଼ିଆ ଭାଷା ଓ ଲିପିକୁ ଅଵୈଜ୍ଞାନିକ କରିଦେଵାକୁ ଚକ୍ରାନ୍ତ ହୋଇଥିଲା । ❝‘ବ’ ଓ ‘ଵ’ କୁ ମିଶାଇ ଓଡ଼ିଆରେ ମଧ୍ୟ ଏକ କରିଦେଵା❞ ଥିଲା ଆମ ପୂର୍ଵ ଦୁଇ ଵା ତିନି ପିଢ଼ିଙ୍କର ଦ୍ୱାରା ବଙ୍ଗାଳୀ ଲିପିର ହନୁକରଣ ।ଏ ଚକ୍ରାନ୍ତର ପ୍ରଭାଵ ଯୋଗୁଁ  ଆଜି ଅଧିକାଂଶ ଓଡ଼ିଆ   ‛ଵ’ କୁ ଅନାଵଶ୍ୟକ ମନେ କରନ୍ତି ।
ବଙ୍ଗଳାରେ ଉଭୟ ‘ବ’ ଓ ‘ଵ’ ପାଇଁ ଗୋଟିଏ ଅକ୍ଷର ‘ব’ ରହିଛି l ବଙ୍ଗଳା ର ହନୁକରଣ ଯୋଗୁଁ  ଓଡ଼ିଆଙ୍କର ଇଂରାଜୀ ଓ ସଂସ୍କୃତ ଉଚ୍ଚାରଣ ଵିକୃତ ଓ ହାସ୍ୟାସ୍ପଦ ହୋଇପଡ଼ିଲା ଯଥା: ଟେଲିଵିଜନ କୁ ପଢ଼ିଲେ ଟେଲିଭିଜନ ତଥା ‘ଵୋଡ଼ା’ ଫୋନ୍ କୁ କହିଲେ ‘ଭୋଡ଼ା’ ଫୋନ୍, ‘ଭଲ’ (bhala) କୁ ଲେଖିଲେ ‘ଵଲ’ (vala) l

ଲିପିସଂହାରକମାନେ ଓଡ଼ିଆ ଭାଷା ଓ ଲିପିକୁ ଅଵୈଜ୍ଞାନିକ ଓ ଶକ୍ତିହୀନ କରିଦେଵା ପ୍ରୟାସରେ ଆଜି ବି ଚେଷ୍ଟିତ । କୌଣସି ଭାଷାକୁ ମାରିବାକୁ ହେଲେ ପ୍ରଥମେ କିଛି ଅକ୍ଷରକୁ ମାରିଦିଆଯାଏ ଼ ଲିପି ପଙ୍ଗୁ ହୋଇଗଲେ ଶବ୍ଦର ବୈଜ୍ଞାନିକତା ନଷ୍ଟ ହେବ ଆଉ ତାପରେ ଭାଷା ଆପେ ଆପେ ମରିଯିବ l ଏକଥା ଲିପିସଂହାରକମାନେ ହୃଦବୋଧ କରିନାହାନ୍ତି । ଦୁର୍ଭାଗ୍ୟର ଵିଷୟ ଓଡ଼ିଶାରେ ଆଜି ନିଜକ ଓଡ଼ିଆ ରକ୍ଷକ କହୁଥିଵା ବୁଦ୍ଧିଜୀଵୀମାନେ ହିଁ ନିଜର ଅଦୂରଦର୍ଷିତା ଯୋଗୁଁ ଲିପିସଂହାର ରୂପ ଲିପି ସଂସ୍କାରକୁ ସମର୍ଥନ କରି ଭକ୍ଷକ ସାଜିଛନ୍ତି l ଯେଉଁମାନେ ଭାଷା ପାଇଁ ବାଟ ଦେଖାଇବା କଥା, ସେମାନେ ନିଜେ ବାଟ ହୁଡ଼ି ଅବାଟରେ ଚାଲିଛନ୍ତି । ସମସ୍ୱନିମ ମଧ୍ୟରେ ଥିବା ପାର୍ଥକ୍ୟ ଦର୍ଶାଇଵା ଲୋକ ହିଁ ଅନ୍ଧ ହୋଇଛନ୍ତି , ମାତୃଭାଷାକୁ ଟାଣି ଅନ୍ଧାରକୁ ନେଉଛନ୍ତି  l ଓଡ଼ିଶାର ବୁଦ୍ଧିଜୀଵିମାନେ ବୁଝିଵା କଥା ଯେ ପ୍ରତ୍ୟେକ ଭାଷାରେ କିଛି ଭଲ, କିଛି ଦୁର୍ଵଳତା ଥାଏ ଯାହା ସେହି ଭାଷାର ପରିଚାୟକ ଓ ଵୈଶିଷ୍ଟ୍ୟ l ଆମେ ଅନ୍ୟର ଭଲକୁ ଗ୍ରହଣ ନ କରି ଯଦି ଏମିତି କେଵଳ ଦୁର୍ବଳତାକୁ ଅନୁକରଣ କରିଚାଲିଵା ତେବେ ଆମ ଭାଷା ନିଜର ମୌଳିକତା ହରାଇଵା ସହ ଏକ ହାସ୍ୟାସ୍ପଦ ଭାଷାରେ ପରିଣତ ହେବ l 

🟢🟢🟢🟢🟢🟢🟢🟢
ତଥ୍ୟ ସଂଗ୍ରହ — ଶିଶିର ସାହୁ ମନୋଜ  ଓ ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ 
ସମ୍ପାଦନା — ଶିଶିର ସାହୁ ମନୋଜ
🟢🟢🟢🟢🟢🟢🟢🟢

Friday, February 18, 2022

ଗଳ୍ପ ; # ଅକୁହା କଥା #

ଗଳ୍ପ ;  # ଅକୁହା କଥା #
"""""""""""""""""""""""""""""""""""""""
              ✍ ସୁବ୍ରତ କୁମାର ପ୍ରଧାନ


     ଜୀବନର ଷୋହଳଟି ବସନ୍ତ ଅତିକ୍ରମ କରିସାରିଛି ହେଲେ ଯେଉଁ ଚିନ୍ତା କେବେ ବି ତାର ମନକୁ ସ୍ପର୍ଶ କରିନଥିଲା ,ଆଜି ସେହି ଚିନ୍ତାରେ ମନ ତାର ନିରନ୍ତର ଅସ୍ଥିର ।ବାମନ ହୋଇ ଚାନ୍ଦ କୁ ହାତ ବଢାଇବାର ସ୍ଵପ୍ନ ଦେଖିଛି ।ଏହିପରି ଅନେକ ମିଠା ମିଠା ଭାଷା ପ୍ରୟୋଗ କରି ଗୋଟିଏ ପ୍ରେମ ଚିଠି ଲେଖିଛି ପରଦେଶୀ ବେପାରୀ ଜଣେ ଯୁବକ । ନାଁ ତାର ବୀରେନ୍ । ଦେଖିବାକୁ ଖୁବ ସୁନ୍ଦର ଓ ସ୍ଵାସ୍ଥ୍ୟବାନ୍ ।ବାହାରର ଦ୍ରବ୍ୟ ଆଣି ଗାଁ ଗାଁ ରେ ବିକ୍ରି କରିବା ତାର ନିତିଦିନିଆ ବେଉସା ।ଏହିପରି ପ୍ରତିଦିନ ସକାଳୁ ଉଠି ଗାଧୋଇ ପାଧୋଇ କଣ ଦିଟା ଖାଇଦେଇ ବାହାରି ପଡିଛି ବେପାରକୁ ।ସାଇକେଲ ଟି ଖତରା ହେଲେ ମଧ୍ୟ ତା ଜିନିଷ ଗୁଡିକ ସଜାଇ ଦେଇଥିବାରୁ ସାଇକେଲଟି ଚିକ୍କଣ ଓ ଉଜ୍ଜଳ ଜଣାପଡୁଛି ।ଦଶ ଖଣ୍ଡ ଗାଁ ବୁଲି ସାରି ଆସି ପହଞ୍ଚିଛି କାଶୀପୁରରେ । ଶେଷ ବସନ୍ତର ନିର୍ଦ୍ଧୁମ ଖରାରେ ବୁଲି ବୁଲି ଦେହ ତାର ସିଝି କଳାକାଠ ପଡିଯାଇଛି ।ଦେହ ତାର ଝାଳରେ ସରସର ।ସେ ବିକ୍ରି କରିବା ପାଇଁ ଆଣିଛି ବିଭିନ୍ନ ପ୍ରକାରର ଚୁଡି,ଟିକିଲି , ସିନ୍ଦୂର ,ଅଳତା ,ଓ ବିଭିନ୍ନ ନାରୀପକୋରଣ ଜିନିଷ ।ତା ଡାକରେ ଧାଇଁ ଆସିଛନ୍ତି ଗ୍ରାମ୍ୟ କୁମାରୀ ମାନେ । ନିତିଦିନ ର ବେପାର ଭିତରେ ଗୀତା ନାମକ ଯୁବତୀ ସହିତ ତାର କଥୋପକଥନ ହୋଇଛି । ଚୋରା ଚାହାଣି ଭିତରେ ଆଖିକୁ ଆଖି ମିଶି ଯାଇଛି । ପ୍ରେମ ର ସପ୍ତରଙ୍ଗ ରେ ରଙ୍ଗାୟିତ ହୋଇଛନ୍ତି ଉଭୟେ । ଗୀତାର ପ୍ରେମରେ ବାନ୍ଧି ହୋଇ ପଡିଛି ବୀରେନ୍ ।ବୀରେନ ଏହିପରି ମାସକୁ ପ୍ରାୟ ଆଠ ଦଶ ଥର କାଶୀପୁର ଗାଁ କୁ ନଆସିଲେ ତାକୁ ଭଲ ଲାଗେନି ।ଶୟନେ ସପନେ ଖାଲି ଗୀତାର ମୁହଁ ତା ମନ ପରଦାରେ ଭାସି ଆସେ ।ଗୀତାକୁ ଦେଖିବା ବାହାନା ରେ ସେ ପାଞ୍ଚ ଛ ଥର କାଶୀପୁର ଆସି ଫେରିଛି । ଗୀତାର ଚନ୍ଦ୍ର ଉଦିଆ ମୁହଁ ଟି ଦେଖିବା ପାଇଁ ତାକୁ ସ୍ଵପ୍ନ ହୋଇପଡିଛି ।ସେ ବେଳେ ବେଳେ ବିଭିନ୍ନ ବାହାନା କରି ଗୀତାର ଘର ମୁହଁ ରେ ଆସି ଡାକ ଦେଲେ ମଧ୍ୟ କେହି ଆସନ୍ତିନି ତା ପାଖକୁ ।

             ବେପାରର କଷାଘାତରେ  ଶରୀର ହୋଇ ପଡିଛି ଅବଶ ଓ ଜରାଜୀର୍ଣ୍ଣ ।ରୋଗ ବ୍ୟାଧି ରେ ପିଡିତ ହୋଇଛି ବୀରେନ । ଦୀର୍ଘ ଦୁଇ ମାସ ହେବ ବେପାର ବନ୍ଦ ।ଗୀତା ମଧ୍ୟ ମନେମନେ  ବୀରେନ୍ କୁ ଖୋଜୁଛି । ଡାକ୍ତର ଙ୍କ ପରାମର୍ଶ କ୍ରମେ କିଛି ଔଷଧ ଖାଇବା ପରେ ରୋଗରୁ ମୁକ୍ତ ହୋଇ ବେପାରକୁ ବାହାରିଛି ବୀରେନ୍ ।ବେପାର ପ୍ରତି ନିଘା ନାହିଁ ,ବେଶୀ ମନେ ପଡିଛି ତା ହୃଦୟର ସ୍ପନ୍ଦନ ଗୀତା କଥା ।ଅବଶ ଶରୀରରେ ବାହି ନେଇଛି ତାର ଦି ଚକ୍ର ଯାନକୁ କାଶୀପୁର ଅଭିମୁଖେ ।
ବେପାର ସମୟରେ ଗୀତାର ଅନ୍ୟ ସାଥି ମାନଙ୍କ ଠାରୁ ବୁଝିଛି ,ଗୀତା କଥା ।ଯାହା ଶୁଣିଛି ତା ହୃଦୟର ଅନ୍ତସ୍ଵର ସ୍ତବ୍ଧ ହୋଇଯାଇଛି ‌। ଦୀର୍ଘ ଦେଢମାସ ହେବ ଗୀତା ବିବାହ କରିଛି ।ବାପ ଘରକୁ ପ୍ରଥମ ଥର ମଧ୍ୟ ଆସିନାହିଁ ।କେତେ ଆଶା ନେଇ ବୀରେନ ବାହାରି ଆସିଥିଲା ,ଗୀତା କୁ ଦେଖିବା ପାଇଁ କିନ୍ତୁ ସବୁ ଆଶା ପାଣି ଫୋଟକା ପରି ମିଳେଇଗଲା ।

         ତଥାପି ଧୈର୍ଯ୍ୟ ନହରାଇ ନିଜର ଅକୁହା କଥା କୁ ଭଙ୍ଗା ହୃଦୟରେ ଧରି ସାହାସ ସଞ୍ଚୟ କରିଛି ଗୀତାର ଶାଶୁଘରକୁ ଯିବା ପାଇଁ ।ସେହି କ୍ଷଣିକ ସମୟ ମଧ୍ୟରେ ଗୀତାର ପ୍ରତିଛବି ବୀରେନ ଆଗରେ ନାଚି ଉଠିଲା । ଦୀର୍ଘ ଦଶ କିଲୋମିଟର ଅତିକ୍ରମ କରି ପହଞ୍ଚିଲା ଗୀତାର ଶାଶୁ ଘର ଗାଆଁରେ ।ପଚାରି ପଚାରି ଗୀତାର ଶାଶୁ ଘର ଆଗରେ ପହଞ୍ଚିଲା ବୀରେନ ।ଗୀତାକୁ ଡାକି ଦେବା ପାଇଁ ଘରର ଲୋକଙ୍କୁ କହିବାରୁ , ନୂଆଁ ବୋହୂ ଡାକରେ ଗୀତା ଧିରେ ଧିରେ ବାହାର କୁ ଆସିଲା ।ଗୀତାକୁ ବଧୂବେଶରେ ପଦ୍ମ ଫୁଲିଆ ମୁହଁ କୁ ଦେଖି ବୀରେନ ର ଅତୀତ ସବୁ ମନେ ପଡ଼ିଲା ‌ଦୁଇ ନୟନରୁ ନିର୍ଗତ ହେଲା ଅଶ୍ରୁ ଧାର ।ବୀରେନ ଶେଷରେ ଏତିକି କହିଲା ଗୋଟିଏ ଭଙ୍ଗା ହୃଦୟର ନିଭୃତ କୋଠରୀକୁ ଜାଳିପୋଡି ପାଉଁଶ କରିଦେବ ବୋଲି  , ମୁଁ ଜାଣି ନଥିଲି ।ଏତେ ଦିନର ସମ୍ପର୍କ ଭିତରେ ମୋର ଗୋଟିଏ ଅକୁହା କଥା ବାକି ରହିଯାଇଛି ।କିଛି ଖରାପ ଭାବିବ ବୋଲି କହିନଥିଲି । ମୁଁ ତୁମକୁ ଭଲପାଏ ।।

       ଗୋପୀବଲ୍ଲଭପୁର, 
         ଅନୁଗୋଳ, ୭୫୯୧୩୦
            ମୋ -୯୮୬୧୯୭୦୪୧୮

■ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ କୃତୀ ■

କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ତାଙ୍କ 
ଲାଵଣ୍ୟଵତୀ କାଵ୍ୟରେ ଭାରତ ଵର୍ଷର ଵିଭିନ୍ନ ଦେଶର ଵର୍ଣ୍ଣନା କରିଛନ୍ତି। ଲାଵଣ୍ୟଵତୀରେ
ପ୍ରଥମ ଭାଗ ଅଷ୍ଟମ ଛାନ୍ଦରେ କେମିତି
ସିଂହଳଦେଶର ରାଜା ନିଜ ଵିଵାହଯୋଗ୍ୟା କନ୍ୟା ଲାବଣ୍ୟଵତୀର ଚିତ୍ରପଟଟିଏ ପ୍ରସ୍ତୁତ କରାଇ ଜ୍ଞାନାନନ୍ଦ ନାମକ ସନ୍ୟାସୀ ହସ୍ତରେ ଦେଶରୁ ଦେଶ ବୁଲାଇ ପ୍ରଦର୍ଶିତ କରାଇଲେ ତାହା ଏହିପରି ଵର୍ଣ୍ଣନା କରାଯାଇଛି...

“କୁନ୍ତଳ କୁନ୍ତଳଵର୍ଣ୍ଣେ ସାରିଲେ ଦିନ ।
ମତ୍ସ୍ୟଜନ ମତ୍ସ୍ୟପୁରି ନିମିଷ ହୀନ ॥
ନିଷେଧେ ନିଷେଧି ଆନ ଲୋକନ କଲେ ।
ମାଳଵରେ ମାଳା କରି ତାହା ଜପିଲେ ॥
ମଘରେ ମଘଵାପଦ ପାଇଲା ପରି  ।
ଵିଦେହ ଵିଦେହଶରେ ହୋଇଲେ ଘାରି ॥
କନାଉଜ କନ୍ୟା ଉଜ ଶୁଭିଲା ବାଣୀ ।
ମରୁ ଦେଶ ମରୁ ରମ୍ଭା ଏମନ୍ତେ ଭଣି ॥
ଅଙ୍ଗରେ ଅଙ୍ଗନା ଅଙ୍ଗ ପ୍ରଶଂସା କଲେ ।
ଏହି ରମ୍ଭା ବୋଲି କଳି କଳିଙ୍ଗେ ହେଲେ ॥
ଧାତା ହଟ ଏହି ମରହଟ୍ଟ ଵିଚାର ।
ସଉରାଷ୍ଟ୍ରେ ଭାଷି ସଉଦାମିନୀ ସ୍ଥିର ॥
ଚୋଳେ ନିଚୋଳ ଘୋଡାଇ ରଖିଵା ଚିନ୍ତା ।
ଦ୍ରାଵିଡ଼େ ନିଵିଡ଼େ ଆଲିଙ୍ଗନେ ମମତା ॥
ଗୁଜୁରାତି ରାତିଦିନେ ଦେଖିଵା ଇଛା ।
ଵିଦର୍ଭରେ ଦରହାସୀ ଦର୍ଶନ ଵାଞ୍ଚା ॥
ଉତ୍କଳେ ଉତ୍କଳ ହୋଇ ଵିରହ ଭାରୀ ।
ଗଉରିଏ ଗଉରଵ ଗଉଡ଼େ କରି ॥
ନେପାଳେ କପାଳେ ଥିଲେ ପାଇଵା ଭାବି ।
ମାଗଧେ ମାଗଧମୁଖେ ଵର୍ଣ୍ଣାଇ ଛବି ॥
କୁଞ୍ଜ ଗଳେ ଗଳେ ବାନ୍ଧି ବୁଲିକା ସ୍ନେହୀ ।
ବଙ୍ଗାଳୀ ଗାଳି ଉପମାବଳୀକି ଦେଇ ॥
ଲୋମଶ ଲୋମହର୍ଷିତ ଦେଖି ତ୍ଵରିତ ।
କଳେଵରେ କଳେଵରେ ଆନନ୍ଦ ଜାତ ॥
କେରଳେ କେରଳମାୟା ହୋଇବ ।
ଯମନ ମନରୁ ଭିନ୍ନ ନୋହେ ଏ ଭାବ ॥
ସିନ୍ଧୁ ରେ ଭାଷିଲେ ସିନ୍ଧୁରେ ଯେ ଝାସିବ ।
ସିନ୍ଧୁରଗମନା ପ୍ରତି ଅଙ୍ଗେ  ମିଶିବ  ॥”

ପ୍ରୋକ୍ତ ପଦଗୁଡି଼କରେ ଅଖଣ୍ଡଭାରତର କେଉଁ କେଉଁ ରାଜ୍ୟର ନାମ ରହିଛି...

•କୁନ୍ତଳ = ଭାରତରେ ଦୁଇଟି କୁନ୍ତଳ ଦେଶ ଥିଲା । ଗୋଟିଏ କୁନ୍ତଳ ଦେଶ ଉତ୍ତରରେ କାଶୀ ଓ ଚୁନାର୍ ନିକଟରେ ଥିଲାବେଳେ ଅନ୍ୟଟି କୃଷ୍ଣାନଦୀ କୂଳରେ ଦକ୍ଷିଣ ଭାରତରେ ଅଵସ୍ଥିତ ଥିଲା । କର୍ଣ୍ଣାଟକର ପୂର୍ଵନାମ କୁନ୍ତଳ ବୋଲି ଅନେକେ ଵିଶ୍ଵାସ କରନ୍ତି ।‌

•ମତ୍ସ୍ୟପୁରୀ ଵା ମତ୍ସ୍ୟଦେଶ = କେହି କେହି ଓଡ଼ିଶାରେ ମତ୍ସ୍ୟଦେଶ ଥିଵା ଅନୁମାନ କରନ୍ତି ତେବେ ମତ୍ସ୍ୟଦେଶ ରାଜସ୍ଥାନର ଅଲଵର ଅଞ୍ଚଳରେ ଥିଵା ଅନେକ ଗଵେଷକ ମତ ଦିଅନ୍ତି ।

•ନିଷେଧ = ଗ୍ଵାଲିୟର ନିକଟସ୍ଥ ନଳଵର ଅଞ୍ଚଳକୁ ପୂର୍ଵେ ନିଷେଧ ଦେଶ କୁହାଯାଉଥିଲା ବୋଲି ଗଵେଷକମାନେ କୁହନ୍ତି

•ମାଳଵ = ମଧ୍ୟପ୍ରଦେଶର ମାଳଵାଞ୍ଚଳକୁ ଆଗେ ମାଳଵ ଦେଶ କୁହାଯାଉଥିଲା । 

•ମଘ = ପୌରାଣିକ ଭୂଗୋଳ ଅନୁସାରେ ମ୍ଳେଚ୍ଛାଧିଷ୍ଠିତ ଦ୍ବୀପଵିଶେଷ ଓ ତଦ୍ଦେଶବାସୀ ଵ୍ୟକ୍ତିଗଣକୁ ମଘ କୁହାଯାଉଥିଲା । ବ୍ରହ୍ମଦେଶ ଵା ବର୍ମାର ଆରାକାନ ପ୍ରଦେଶ ଓ ଦଦ୍ଦେଶବାସୀ ଵ୍ୟକ୍ତିଗଣଙ୍କୁ ମଧ୍ୟ ମଘ କୁହାଯାଉଥିଲା । କଵି ଏଠାରେ ବ୍ରହ୍ମଦେଶକୁ ମଘ ଭାବରେ ଉଲ୍ଲେଖ କରିଛନ୍ତି । 
•ଵିଦେହ = ଆଧୁନିକ ବିହାର ପ୍ରଦେଶ ତଥା ନେପାଳର କେତେକ ଅଂଶକୁ ନେଇ ଆଗେ ଵିଦେହ ଦେଶ ଗଢ଼ା ହୋଇଥିଲା । ଏହାର ରାଜଧାନୀ ମିଥିଳା ଓ ଭାଷା ମୈଥିଳୀ ଥିଵା ଜଣାଯାଏ ‌। 

•କୌନ୍ନଜ = ଉତ୍ତର ପ୍ରଦେଶର ଆଧୁନିକ କୌନ୍ନଜ ଜିଲ୍ଲା ଏଵଂ ଏହାର ପ୍ରାଚୀନ ନାମ ଥିଲା କାନ୍ୟକୁବ୍ଜ । 

•ମରୁଦେଶ = ରାଜପୁତନା ଅନ୍ତର୍ଗତ ମରୁମୟ ମାରବାର୍ ପ୍ରଦେଶକୁ ଆଗେ ମରୁଦେଶ କୁହାଯାଉଥିଲା 

•ଅଙ୍ଗ = ଵର୍ତ୍ତମାନ ବିହାରର ଭାଗଲପୁର ଓ ମୁଙ୍ଗେର୍ ଜିଲ୍ଲା ସମଵର୍ତ୍ତୀ ଅଞ୍ଚଳରେ ଆଗେ ଅଙ୍ଗ ଦେଶ ଅଵସ୍ଥିତ ଥିଲା

•କଳିଙ୍ଗ = ଆଧୁନିକ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟର ଓଡ଼ିଆ ଵିଚ୍ଛିନ୍ନାଞ୍ଚଳ ଗଞ୍ଜାମ,ଗଜପତି,ପୁରୀ, ରାୟଗଡ଼ା, କନ୍ଧମାଳ,ଅଵିଭକ୍ତ କୋରାପୁଟ, କନ୍ଧମାଳ ଆଦି ଅଞ୍ଚଳକୁ ନେଇ ପ୍ରାଚୀନ କଳିଙ୍ଗ ଦେଶ ଗଠିତ ହୋଇଥିଲା । କଳିଙ୍ଗ ଦେଶର ସୀମା ପୌରାଣିକ ଯୁଗରେ ଆଗଙ୍ଗା ଗୋଦାଵରୀ ଥିଵା ଵର୍ଣିତ ହୋଇଛି । ଉତ୍କଳ ଓ ଉଡ୍ରଦେଶ ଏହାର ଅଂଶ ହୋଇ ଵିଶାଳ କଳିଙ୍ଗ ସାମ୍ରାଜ୍ୟ ମଧ୍ୟ ଗଠିତ ହୋଇଛି । 

•ମରହଟ୍ଟ =ଆଧୁନିକ ମହାରାଷ୍ଟ୍ର
•ସୌରାଷ୍ଟ୍ର = ଆଧୁନିକ ସୌରାଷ୍ଟ୍ର ଅଞ୍ଚଳ ଏଵଂ ଏହା ଵର୍ତ୍ତମାନ ଗୁଜରାଟର ଦକ୍ଷିଣ ଭାଗ ।  ସୁରଟ ନଗର ଏହି ଅଞ୍ଚଳର ମୁଖ୍ୟ ନଗରୀ ଅଟେ ।‌

•ଚୋଳ = ଆଧୁନିକ ତାମିଲନାଡୁର ଦକ୍ଷିଣ ଭାଗରେ ପ୍ରଥମେ ସ୍ଥାପିତ ରାଜ୍ୟ 

•ଦ୍ରାଵିଡ଼ = ତାମିଲନାଡୁର କେତେକ ଅଞ୍ଚଳ

•ଗୁଜରାଟ = ଆଧୁନିକ ଗୁଜରାଟ ଓ ରାଜସ୍ଥାନର କେତେକ ଅଞ୍ଚଳକୁ ନେଇ ଗୁଜ୍ଜରମାନଙ୍କ ପ୍ରଦେଶ ଗଠିତ ହୋଇଥିଲା । ଆଧୁନିକ ଗୁଜରାଟ ରାଜ୍ୟର ନାମ ଏହି ପ୍ରାଚୀନ ପ୍ରଦେଶ ନାମରେ ନାମିତ କରାଯାଇଛି ।

•ଵିଦର୍ଭ = ଆଧୁନିକ ମହାରାଷ୍ଟ୍ରର ପୂର୍ଵଭାଗକୁ ଆଗେ ଵିଦର୍ଭ ଦେଶ କୁହାଯାଉଥିଲା । ଏହା ମହାରାଷ୍ଟ୍ରର ଏକ ଉପକ୍ଷେତ୍ର ଏଵଂ ଏଥିରେ ୧୨ଟି ଜିଲ୍ଲା ରହିଛି ‌ । 

•ଉତ୍କଳ = ପଶ୍ଚିମ ଓଡ଼ିଆ ଵିଚ୍ଛିନ୍ନାଞ୍ଚଳ(ଆଧୁନିକ ଛତିଶଗଡ଼), ଆଧୁନିକ ଓଡ଼ିଶାର ପଶ୍ଚିମ, ମଧ୍ୟ ଓ ଉତ୍ତରାଞ୍ଚଳର କେତେକ ଅଂଶକୁ ପ୍ରଥମେ ଉତ୍କଳ ଦେଶ ଭାବେ ନାମିତ କରାଯାଇଥିଲା । ଉତ୍ତର ଭାରତରୁ ଆସି ଓଡ଼ିଶାର ପଶ୍ଚିମ ଵିଚ୍ଛିନ୍ନାଞ୍ଚଳ(ଆଧୁନିକ ଛତିଶଗଡ଼)ରେ ଶାସନ କରୁଥିଵା ନନ୍ଦବଂଶୀରାଜାମାନେ ସେଠାରେ ସତୁରୀ ଵର୍ଷ ଶାସନ କଲାପରେ ପଶ୍ଚିମ ଓଡ଼ିଶା ତଥା ମଧ୍ୟ ଓଡ଼ିଶାର କେତେକ ଅଞ୍ଚଳ ଜୟକରି ନିଜ ରାଜ୍ୟର ନାମ ଉତ୍କଳ ତଥା ନିଜକୁ ସୋମବଂଶୀ ଘୋଷଣା କରିଥିଲେ । ସୋମବଂଶୀ ରାଜାମାନେ ପରେ ନିଜ ଉତ୍କଳ ଦେଶର ରାଜଧାନୀ ଯାଜପୁରକୁ କରିଥିଲେ ଏଵଂ ଏହି ବଂଶର ଯଯାତି କେଶରୀ ଵିଖ୍ୟାତ ହୋଇଥିଲେ ।‌
କଳିଙ୍ଗ ଦେଶ ପରି ଉତ୍କଳ ଦେଶର ସୀମା ସମୟେ ସମୟେ ଛୋଟ ବଡ଼ ହେଉଥିଲା । 

•ଗୌଡ଼ଦେଶ = ଆଧୁନିକ ପଶ୍ଚିମବଙ୍ଗ ଓ ବଙ୍ଗଦେଶର ମଝାମଝି ଉତ୍ତର ଭାଗରେ ଏ ଦେଶ ଅଵସ୍ଥିତ ଥିଲା । 

•ନେପାଳ = ଆଧୁନିକ ନେପାଳ ଦେଶର ଅଧିକାଂଶ ଅଞ୍ଚଳ

•ମଗଧ = ଆଧୁନିକ ବିହାରର ପ୍ରାଚୀନ ନାମ ଥିଲା ମଗଧ । କଳିଙ୍ଗ ଦେଶ ପରି ମଗଧର ଆକାର ଵା ଆୟତନ ସମୟ ସମୟରେ ଛୋଟ ବଡ଼ ହେଉଥିଲା । 

•ବଙ୍ଗ = ଆଧୁନିକ ବଙ୍ଗଳାଦେଶକୁ ଆଗେ ବଙ୍ଗ କୁହାଯାଉଥିଲା ଏଵଂ ଏହାର ପଶ୍ଚିମକୁ ଆଧୁନିକ ପଶ୍ଚିମବଙ୍ଗର ସମୁଦ୍ରକୂଳସ୍ଥ ଭୂଭାଗକୁ ରାଢ଼ ଦେଶ କୁହାଯାଉଥିଲା । 

•କେରଳ = ଆଧୁନିକ କେରଳ ରାଜ୍ୟର କେତେକ ଅଂଶକୁ ନେଇ କେରଳ ରାଜ୍ୟର ଗଠନ କରାଯାଇଥିଲା । 
•ଯମନ ଵା ଯବନ ଦେଶ = ଆଫଗାନିସ୍ତାନ ଓ ପାକିସ୍ତାନର କେତେକ ଅଞ୍ଚଳକୁ ଆଗେ ଯବନ ଦେଶ କୁହାଯାଉଥିଲା । ଏଠାରେ ଵିଭିନ୍ନ ସମୟରେ ଭାରତ ଆକ୍ରମଣ କରୁଥିଵା ଵୈଦେଶିକ ଜାତିମାନେ ଵାସ କରୁଥିଲେ । 

•ସିନ୍ଧୁ ଦେଶ = ବଲୁଚିସ୍ଥାନର ପୂର୍ଵରେ ଗୁଜରାଟର ଉତ୍ତରରେ ଵର୍ତ୍ତମାନର ସିନ୍ଧୁପ୍ରଦେଶ ଆଗେ ସିନ୍ଧୁଦେଶ ଭାବରେ ଜଣାଯାଉଥିଲା । ବଲୁଚିସ୍ଥାନ ପରି ପାକିସ୍ତାନରୁ ସିନ୍ଧୁଦେଶକୁ ଏକ ସ୍ଵତନ୍ତ୍ର ଦେଶ ଭାବେ ଭିନ୍ନ କରିଵାକୁ ପାକିସ୍ତାନରେ ସମୟ ସମୟରେ ଆନ୍ଦୋଳନ ହେଉଅଛି । 

                   -:ଶବ୍ଦାର୍ଥ:-
    

*ମଘଵାପଦ = ଇନ୍ଦ୍ରପଦ(ମଘଵା= ଇନ୍ଦ୍ର)
*କୁନ୍ତଳବର୍ଣ୍ଣ =କେଶର ରଙ୍ଗ ପରି କଳା
*ନିଷେଧେ = ନୈଷେଧ ଦେଶରେ 
*ନିଷେଧି = ମନା କରି 
*ବିଦେହଶର =କନ୍ଦର୍ପ ଵାଣ
*ଉଜ = ଶ୍ରେଷ୍ଠ 
*ଅଙ୍ଗନା ଅଙ୍ଗ = (ଲାବଣ୍ୟଵତୀର) ଶରୀର
*ହଟ = କୌତୁକ 
*ନିଚୋଳେ = କାଞ୍ଚଲାରେ 
*ମମତା = (ଏଠାରେ)ଇଛା 
*ଦରହାସୀ = ମୃଦୁହାସୀ 
*ଉତ୍କଳ = ଉତ୍କଣ୍ଠିତ 
*ଗଉରୀ = ଗୌରଵର୍ଣ୍ଣର ସ୍ତ୍ରୀ 
*ମାଗଧମୁଖେ = ଭାଟମାନଙ୍କର ମୁଖରେ
*କେରଳମାୟା = କେଳାର କୁହୁକ 
*ଯମନ = ଯବନ

#ଓଡ଼ିଶାର_ପ୍ରଥମ_ସ୍ଵାଧୀନତା_ସଂଗ୍ରାମୀ #ଵିପ୍ଳଵୀକୃଷ୍ଣଭଞ୍ଜ

#ଓଡ଼ିଶାର_ପ୍ରଥମ_ସ୍ଵାଧୀନତା_ସଂଗ୍ରାମୀ #ଵିପ୍ଳଵୀକୃଷ୍ଣଭଞ୍ଜ

ଯେତେବେଳେ ସର୍ଵଭାରତୀୟ ସ୍ଥରରେ ସ୍ଵତନ୍ତ୍ରତା ସଂଗ୍ରାମ କଣ୍ ବୋଲି ସାଧାରଣ ଲୋକ ଜାଣିନଥିଲେ ସେତେବେଳେ ସେ ଓଡ଼ିଶାରେ ପ୍ରଥମ ସ୍ଵାଧୀନତା ସଂଗ୍ରାମର ଶଂଖନାଦ କରିଥିଲେ । ଯିଏ ଏହି ଶଙ୍ଖନାଦର ଆଦ୍ଯ ଉଦ୍ଘୋଷକ ସେହି ମହାପୁରୁଷଙ୍କ ଜନ୍ମ ଅଵିଭକ୍ତ ଗଞ୍ଜାମର ଘୁମୁସର ରାଜବଂଶରେ ୧୭୧୯ ମସିହାରେ ହୋଇଥିଲା । 

ତାଙ୍କୁ ସମସ୍ତେ ଵିପ୍ଳଵୀ କୃଷ୍ଣଭଞ୍ଜ ନାମରେ ଜାଣନ୍ତି । ସେ ଥିଲେ ଜଣେ ସ୍ଵାଧୀନ ଚେତା ଵୀରପୁରୁଷ । ସେତେଵେଳେ ମରାଠାମାନଙ୍କ ଅଧିନରେ ଓଡ଼ିଶାର ଅନେକ ଅଞ୍ଚଳ ସମେତ ଘୁମୁସର ମଧ୍ୟ ରହିଥିଲା । ମରାଠାମାନେ ୧୭୫୩ମସିହାରେ ଘୁମୁସର ଅଞ୍ଚଳକୁ ସେଠାକାର ରାଜା ଓ ପ୍ରଜାଙ୍କ ଅନୁମତି ନ ନେଇ ଫରାସୀମାନଙ୍କୁ ଵିକ୍ରି କରିଦେଇଥିଲେ ।

 ଫରାସୀମାନେ ଘୁମୁସର ରାଜ୍ୟର ସର୍ଵେସର୍ଵା ହୋଇଗଲେ ଫଳରେ କୃଷ୍ଣଭଞ୍ଜ ସମେତ ଅନେକ ସ୍ଵାଧୀନଚେତା ଲୋକେ ସେମାନଙ୍କ ଵିପକ୍ଷରେ ସେହି ଵର୍ଷ ଯୁଦ୍ଧ ଘୋଷଣା କରିଥିଲେ ।

 ଇତିହାସରେ ଏହି ଯୁଦ୍ଧ ପ୍ରଥମ ଘୁମୁସର ଯୁଦ୍ଧ ନାମରେ ଉଲ୍ଲେଖ ହେଵା ଯୋଗ୍ଯ କାରଣ ଓଡ଼ିଶାରେ ଏହା ପୂର୍ଵରୁ କେଉଁଠି ବି ଵୈଦେଶିକ ଶାସକଙ୍କ ଵିପକ୍ଷରେ ଏଭଳି ଯୁଦ୍ଧ ହୋଇନଥିଲା । 

ଏ ଯୁଦ୍ଧରେ ଫରାସୀମାନଙ୍କର ଅନେକ କ୍ଷତି ହେଲା ଫଳରେ ବାଧ୍ଯ ହୋଇ ସେମାନେ ଵିପ୍ଳଵୀମାନଙ୍କର ସନ୍ଧି କଲେ ।  ସନ୍ଧି ଅନୁସାରେ ଵିପ୍ଳଵୀ କୃଷ୍ଣଭଞ୍ଜଙ୍କୁ ଘୁମୁସର ରାଜ୍ୟର ରାଜଭାର ପୁନଃ ପ୍ରଦାନକରାଯାଇଥିଲା କିନ୍ତୁ ପ୍ରକୃତରେ ଶାସନର ସବୁ କ୍ଷମତା ଫରାସୀମାନଙ୍କ ହାତରେ ହିଁ ରହିଥିଲା ।

 ତେଵେ ଵିପ୍ଳଵୀ କୃଷ୍ଣଭଞ୍ଜ ଫରାସୀମାନଙ୍କୁ ଏ ଦେଶରୁ ଵିତାଡି଼ତ କରିଵାର ତାଙ୍କ ଭଵିଷ୍ଯତ ଯୋଜନା କାର୍ଯ୍ୟକାରୀ କରିଵା ପାଇଁ ଜାଣିଶୁଣି ଏଭଳି ସନ୍ଧି କରିଥିଲେ । 

ଚାରିଵର୍ଷ ପରେ ୧୭୫୭ ମସିହାରେ ଫରାସୀ ଜେନେରାଲ୍ ଡି. ବସ୍ ଗଞ୍ଜାମର ଵିଭିନ୍ନ ଜମିଦାର ଓ ରାଜାମାନଙ୍କଠାରୁ ସେମାନଙ୍କ ବକାୟା ପାଉଣା ଦେଵାକୁ ବାଧ୍ୟ କଲେ ଏଣେ ସାଧାରଣ ଜନତାଙ୍କ ଉପରେ ମଧ୍ୟ ସେମାନଙ୍କ ଅତ୍ଯାଚାର ଦିନୁଁ ଦିନ ବଢିବାରେ ଲାଗିଥିଲା । 

ସେଇ ଵର୍ଷ ନଭେମ୍ବର ମାସରେ ଅନେକ ଜମିଦାର ,ଓଡ଼,ବେଣାଏତ ଓ କାଳାଞ୍ଜୀ ଯୋଦ୍ଧା ତଥା ସ୍ଥାନୀୟ ଵିପ୍ଳଵୀମାନେ କୃଷ୍ଣଭଞ୍ଜଙ୍କ ନେତୃତ୍ୱରେ  ଫରାସୀଵାହିନୀଙ୍କ ଵିପକ୍ଷରେ ଭୀଷଣ ଯୁଦ୍ଧ କରିଥିଲେ । 

ଫରାସୀଵାହିନୀକୁ କୌଣସି ପ୍ରକାରେ ଘୁମୁସରର ଘନ ଜଙ୍ଗଲ ମଧ୍ୟକୁ ଆଣି ସେମାନଙ୍କୁ ଗରିଲା ଯୁଦ୍ଧ ବଳରେ ପ୍ରତିହତ କରିଵାର ଯୋଜନା ହୋଇଥାଏ । ପ୍ରଥମେ ପ୍ରଥମେ ଏଥିଯୋଗୁଁ ଫରାସୀଵାହିନୀକୁ ଅନେକ କ୍ଷତି ସହିଵାକୁ ହେଲା । ଫରାସୀମାନେ ଵିପ୍ଳଵୀ କୃଷ୍ଣଭଞ୍ଜଙ୍କ ଜଣେ ଚାକରକୁ ଧନଲୋଭ ଦେଇ ତାହାଠାରୁ ଵିପ୍ଳଵୀମାନଙ୍କ ଜଙ୍ଗଲଦୁର୍ଗ ଵିଷୟରେ ସବୁ ଜାଣିଲେ । 

ଯୁଗେ ଯୁଗେ ଵିଶ୍ଵାସଘାତକଙ୍କ ଯୋଗୁଁ ବଡ଼ ବଡ଼ ଯୁଦ୍ଧରେ ଵିଜୟୀ ପକ୍ଷ ପରାଜିତ ହୋଇଛି । ଵିପ୍ଳଵୀ କୃଷ୍ଣଭଞ୍ଜ ମଧ୍ୟ ନିଜ ଵିଶ୍ଵାସଘାତକ ଭୃତ୍ଯ ଯୋଗୁଁ ବନ୍ଦୀ ହେଲେ ଓ   
୧୭୭୩ ମସିହାରେ ତାଙ୍କର ଦେହାଵସାନ ହୋଇଥିଲା । 
ରାଜା କୃଷ୍ଣଭଞ୍ଜଙ୍କର ସୁପୁତ୍ର ଵିକ୍ରମ ଭଞ୍ଜ ଏହାର କେତେକ ଵର୍ଷପରେ ଇଂରେଜମାନଙ୍କ ଵିପକ୍ଷରେ ଆନ୍ଦୋଳନ କରି ଦୁଇଵର୍ଷକାଳ ସେମାନଙ୍କୁ ହନ୍ତସନ୍ତ କରିପକାଇଥିଲେ । ସେ ଥରେ ଏକାକି ପଡୋ଼ଶୀ ମରହଟ୍ଟା ଅଞ୍ଚଳରେ ଆତର୍କିତ ଆକ୍ରମଣ କରି କୋଡି଼ଏ ଜଣ ଇଂରେଜ ସୈନିକ ସମେତ ଅନେକ ସିପାହୀଙ୍କୁ ମାରିଦେଇଥିଲେ । 

ଅଵଶ୍ୟ ଓଡ଼ିଶାର ଘୁମୁସର ଭଳି ତାମିଲନାଡୁରେ ମଧ୍ୟ ୧୭୫୭ ମସିହାରେ  ଵିପ୍ଳଵୀ Maveeran Alagumuthu Kone ୧୭୫୭ରେ ଇଂରେଜମାନଙ୍କ ଵିପକ୍ଷରେ ଯୁଦ୍ଧ କରି ନିହତ ହୋଇଥିଲେ । 

ତେଵେ ଦୁଃଖ ଓ ପରିତାପର ଵିଷୟ ଆଜି ତାମିଲ୍ ଯୋଦ୍ଧା Maveeran Alagumuthu Koneଙ୍କ ନାଆଁଟି ଅଳ୍ପବହୁତେ ଜଣାଶୁଣା ଥିଵାଵେଳେ ଓଡ଼ିଶାର ପ୍ରଥମ ସ୍ଵାଧୀନତା ସଂଗ୍ରାମୀ ରାଜାକୃଷ୍ଣଚନ୍ଦ୍ର ଭଞ୍ଜଙ୍କ ନାମ ଭାରତ କ’ଣ ଓଡ଼ିଶାରେ ସୁଦ୍ଧା ଅନେକ ଲୋକଙ୍କୁ ଜଣାନଥିଵ । ଓଡ଼ିଶାର ଏହି ଵୀର ସଂଗ୍ରାମୀଙ୍କ ଵିଷୟରେ କେମିତି ଅଧିକରୁ ଅଧିକ ଲୋକ ଜାଣିଵେ ସେଥିପାଇଁ ସର୍ଵଭାରତୀୟ ସ୍ଥରରେ ପ୍ରଚେଷ୍ଟା କରିଵା ପ୍ରତ୍ୟେକ ଓଡ଼ିଆଙ୍କ କର୍ତ୍ତଵ୍ଯ ।

Friday, February 11, 2022

■ ଜରା ନିବାସରେ ଜୀବନ ■

        { ଯୁବ କବି ;  ✍ ଦାଶରଥି ସାହୁ ,କଳମ୍ବ/ଗଞ୍ଜାମ }

ଏକବିଂଶେ ହଡା ବୃଦ୍ଧାଶ୍ରମ ବେଢା
       ଅଣଦେଖାଙ୍କ ଆସର
ପୃଥିପରେ ପାପ ନା ଏ ପୂଣ୍ଯ ଛାପ
       ଆଶ୍ଚର୍ଯ୍ୟ କି ଅବାନ୍ତର
ବେଦରେ ବିଧାତ ବର୍ଣ୍ଣିଛକି ବ୍ୟଥା
     ପୌରାଣିକେ ପୃଷ୍ଠଭୂମି
ବୃଦ୍ଧାଶ୍ରମ ଶବ୍ଦ ବାତ୍ସଲ୍ୟ ବିଛେଦ 
     ଆନ୍ତରିକତା ଅକାମି
ଏ କି ଶ୍ରମ ମୂଲ୍ୟ ବିକଳ ବାହୁଲ୍ୟ
         ପରିଣତ ବୟସରେ
ଅମୃତର ଧାରା ଲୁହ ଲହୁ ଭରା
        ମାନବ ମାୟା ନଗରେ
ଆହା ଦଶମାସି ଉଦର ଆଉଁଷି
     କତରା କୋଳେଇ କାନ୍ଦେ
 ବାପା ବାଞ୍ଛା ବଟ ଏଡେଇ ଆକଟ
          ନିୟତିକୁ ନିତି ନିନ୍ଦେ
ନିନ୍ଦେ ସିନା ବାପ  ଆଦର ଅମାପ
       ଅଭିଶାପ କି ଅଜାଡେ
ବାହୁନେ ମମତା ନିସ୍ୱେ ନିରବତା
         ମଙ୍ଗଳ ମନ୍ତ୍ରର ମୋଡେ
ମୋଡେ ମନମୁଖୀ ମତଲବ ମାଖି
         ସମ୍ପର୍କେ ଦିଏନା ଧ୍ୟାନ
ଭୁଲିଯାଏ ଆହା ନିଜ ବାପା ମାଆ
      ଯନ୍ତ୍ରଣା ଯୋଚି  ଜୀବନ
  ଜୀବନର ସଞ୍ଜ ଯଦି ଦହଗଞ୍ଜ
      ଅପରାହ୍ଣ ଆପଣାଅ
ବାତ୍ସଲ୍ୟ ବନ୍ଧନ ବାର୍ଦ୍ଧକ୍ୟେ ବିଜନ
      ପ୍ରାଣ ପ୍ରଦୀପ ଲିଭାଅ
 ଲିଭାଅ ଇଶ୍ୱର  ଶାଶ୍ୱତ ସ୍ୱାକ୍ଷର
      ମାଟିଠୁ ମହାନ ମାଆ
ବାପା କାଳେ ସ୍ୱର୍ଗ ମିଛେ ମହରଗ
       ଏକବିଂଶେ ଯୋଡ଼ ନୂଆ
ନୂଆ କରି ରଚ ହେ ହୃଦୟି ସ୍ୱଚ୍ଛ
      ସଂସାରର ସମ୍ବିଧାନ
ବାକ୍ଯ ବୃଦ୍ଧାଶ୍ରମ ବିଶ୍ୱରୁ ବିରାମ
        ଶେଷ ଅଳି ଭଗବାନ ..... 🙏
             

ସୂର୍ଯ୍ୟ ମନ୍ଦିର କୋଣାର୍କ : ଏକ ସୂର୍ଯ୍ୟ ଘଡ଼ି ( ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ )

ସୂର୍ଯ୍ୟ ମନ୍ଦିର କୋଣାର୍କ  : ଏକ ସୂର୍ଯ୍ୟ ଘଡ଼ି
      ( ଉପସ୍ଥାପନା; ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ )

କୋଣାର୍କର ଗାଣିତିକ ନିର୍ମାଣ ଶୈଳୀ ଏହାକୁ କରିଦେଇଛି ଵର୍ଷ, ମାସ, ଦିନ ଓ ମୂହୁର୍ତ୍ତ ପର୍ଯ୍ୟନ୍ତ ସମୟ ନିର୍ଣ୍ଣାୟକ ଘଡ଼ି ! ତାହା ବି ପୃଥିଵୀର ସର୍ଵଵୃହତ୍  ପ୍ରାଚୀନ ଘଡ଼ି ଅଟେ । 

ଆମେ ତନ୍ମଧ୍ୟରୁ ହୃତ ପାଷାଣ ସୂର୍ଯ୍ୟ ପ୍ରତିମା କଥା ଚିନ୍ତା କରୁ କରୁ ଭୁଲିଯାଉ ମହାଜାଗତିକ ସୂର୍ଯ୍ୟ ଚନ୍ଦ୍ର ଯିଏ ଆଜି ବି ଵିଛୁରିତ ରଶ୍ମୀରେ ଏହି ଛାୟାଯନ୍ତ୍ରରେ ଦିଵାନିଶି ସମ୍ୟଞ୍ଚ ସମୟ ନିର୍ଦ୍ଧାରଣ କରୁଥାନ୍ତି ।

  କୋଣାର୍କରେ ଅଛି ୨୪ଟି ଚକ୍ର ଏଵଂ ୨୪ ଘଣ୍ଟିଆ ସମୟ ଚକ୍ର ହେତୁକ ଗଢାଯାଇଛି ।
 ପ୍ରତି ଚକ୍ରରେ ଅଛି ଆଠଗୋଟି ଅରକ ତଥା ଏହି ଆଠଟି ଅରକ ଆଠଗୋଟି ପ୍ରହରକୁ ସୂଚାଇଥାଏ  l
ଦିଵାରାତ୍ରର ଏହି ଆଠଗୋଟି ପ୍ରହରକୁ ଅଷ୍ଟପ୍ରହର କୁହାଯାଏ ।‌ଆଗେ ଭାରତରେ ଦିନର ଚାରି ପ୍ରହର ଓ ରାତିର ଚାରି ପ୍ରହର ଏପରି ଆଠ ପ୍ରହରକୁ ନେଇ ଦିନରାତି ଗଣନା କରାଯାଉଥିଲା ।‌

ଏକଦିଵାରାତ୍ରୀର ମୋଟ ୨୪ ଘଣ୍ଟାକୁ ତିନିଘଣ୍ଟା ଲେଖାଏଁ ଏକ ଏକ ପ୍ରହର ଵା ଯାମରେ ବଣ୍ଟନ କରାଯାଉଥିଲା । ଅର୍ଥାତ୍ ପ୍ରତ୍ୟେକ ପ୍ରହର ତିନିଘଣ୍ଟା ସମୟର ହେଉଥିଲା । 

ବଡି଼ଭୋର,ସକାଳ,ଦ୍ଵିପହର,ଅପରାହ୍ନ, ସନ୍ଧ୍ୟା,ରାତ୍ରୀ,ଅର୍ଦ୍ଧରାତ୍ରୀ ଓ ପାହାନ୍ତା ଏହିପରି ଆଠଭାଗରେ ଦିଵାରାତ୍ରୀକୁ ଆଠଗୋଟି ପ୍ରହରରେ ଵିଭକ୍ତ କରାଯାଇଥିଲା । 

ଓଡ଼ିଆ ଭାଗଵତର ତୃତୀୟ ସ୍କନ୍ଧ ଏକାଦଶ ଅଧ୍ୟାୟରେ କାଳର ପରିମାଣ ଏମନ୍ତ  ଵର୍ଣ୍ଣିତ ହୋଇଅଛି...

“ଶୁଣ ଵିଦୁର ଏକଚିତ୍ତେ ।
ସେ କାଳରୂପ ସଂଖ୍ୟା ଯେତେ ॥
ନିମିଷ ଆଦି ରୂପ ତାର । 
ଯେମନ୍ତେ ପୂରଇ ଵତ୍ସର ॥
ନିମିଷ ଚକ୍ଷୁ ପକ୍ଷ୍ମ ଭ୍ରମ । 
ଅଣୁ ତହିଁରୁ ଅଟେ ସାନ ॥
ହେ କୁରୁଵୀର ଶୁଣ ତୁହି । 
କହିବି ପରମାଣୁ ମୁହିଁ ॥
ଯାହା ଵିଭାଗ ନ ଲଭଇ । 
ସଂଯୋଗେ ଭାବ ଯାର ନାହିଁ ॥
ଯାହା ସର୍ଵଦା ଵର୍ତ୍ତମାନ । 
ତାହାର ପରମାଣୁ ନାମ ॥
ଅଣୁର ଅର୍ଦ୍ଧ ପରମାଣୁ । 
ତ୍ରିଭାଗେ ହୋଏ ତ୍ରସରେଣୁ ॥
ତୃତୀୟ ତ୍ରସରେଣୁ ଯେହି । 
ତାହାକୁ ତ୍ରୁଟି ବୋଲି କହି ॥
ଶଏ ତ୍ରୁଟିରେ ବେଧ ହୋଏ ।
 ତ୍ରିବେଧେ ଲଵ ନାମ ବହେ ॥
ତ୍ରିଲବ କାଳ ଅଟେ ଯେହି । 
ନିମିଷ ବୋଲି ତାକୁ କହି ॥
ତିନି ନିମିଷେ ଏକ କ୍ଷଣ । 
ପଞ୍ଚ କ୍ଷଣରେ କାଷ୍ଠା ପୁଣ ॥
କାଷ୍ଠା ପନ୍ଦର ଯେବେ ହୋଇ ।
 ତାହାକୁ ଲଘୁ ବୋଲି କହି ॥
ଏ ପଞ୍ଚଦଶ ଲଘୁ ଘେନ । 
ନାଡ଼ି ବୋଲିଣ ତାକୁ ଜାଣ ॥
ବେନି ନାଡ଼ିରେ ଯେ ମୁହୂର୍ତ୍ତ । 
ପ୍ରହର ଷଟ ଅଵା ସପ୍ତ ॥
ତାହାକୁ ଯାମ ବୋଲି କହି । 
ଅଷ୍ଟମେ ଅହୋରାତ୍ର ହୋଇ ॥
ତାମ୍ର ଦ୍ୱାଦଶପଳ ଅର୍ଦ୍ଧେ ।
 ପ୍ରସ୍ଥ ପ୍ରମାଣ ପାତ୍ର ମଧ୍ୟେ ॥
ଚାରି ଅଙ୍ଗୁଳି ଦୀର୍ଘ କରି । 
ଚତୁରମସେ ଚୂତୀ ଗଢ଼ି ॥
ସ୍ୱର୍ଣ୍ଣସୂଚୀରେ ଛିଦ୍ର କରି । 
କରିବ ଆୟାମ ଵିସ୍ତାରି ॥
ଜଳେ ବୁଡ଼ନ୍ତେ ଦଣ୍ତେ ହୁଏ । 
ଏମନ୍ତେ କାଳର ନିର୍ଣ୍ଣୟେ ॥
ଅଷ୍ଟପ୍ରହରେ ଦିଵା-ରାତ୍ରି । 
କାଳଜ୍ଞେ ଏମନ୍ତ ଗଣନ୍ତି ॥
ପନ୍ଦର ଅହୋରାତ୍ରେ ପକ୍ଷ ।
 ସେ ଶୁକ୍ଳ କୃଷ୍ଣ ଯେ ପ୍ରତ୍ୟକ୍ଷ ॥
ଏ ବେନିପକ୍ଷେ ହୁଏ ମାସ । 
ପିତୃଙ୍କ ରାତ୍ରି ଯେ ଦିଵସ ॥
ଦ୍ୱିମାସେ ଋତୁ ଏକ ହୋଇ ।
 ଵସନ୍ତ ଆଦି ଷଟ ସେହି ॥
ଏକ ଅୟନେ ଋତୁ ତିନି । 
ଉତ୍ତର ଦକ୍ଷିଣ ଯେ ବେନି ॥
ବେନି ଅୟନେ ସମ୍ବତ୍ସର ।
ଏମନ୍ତେ ଗଣନା କାଳର ॥
ଦେଵଙ୍କୁ ଅହୋରାତ୍ର ହୁଏ । 
ମନୁଷ୍ୟ-ଵରାଷ ବୋଲାଏ ॥
ଏମନ୍ତେ ଶତେକ ଵରଷ । 
ମନୁଷ୍ୟ ପରମାୟୁ ଶେଷ ॥”

ଅର୍ଥାତ୍ ଭାଗଵତ ଅନୁସାରେ...
୨ ପରମାଣୁ = ୧ଅଣୁ 
୩ ଅଣୁ  = ୧ ତ୍ରସରେଣୁ 
୩ ତ୍ରସରେଣୁ = ୧ ତ୍ରୁଟି
୧୦୦ ତ୍ରୁଟି = ୧ ବେଧ 
୩ ବେଧ  = ୧ ଲବ
୩ ଲବ  = ୧ ନିମେଷ 
୩ ନିମେଷ = ୧ କ୍ଷଣ
୫କ୍ଷଣ = ୧ କାଷ୍ଠା 
୧୫  କାଷ୍ଠା = ୧ ଲଘୁ 
୧୫ ଲଘୁ = ୧ ନାଡ଼ି ବା ଦଣ୍ଡ
୨ ଦଣ୍ଡ = ୧ ମୁହୂର୍ତ୍ତ 
6 କିମ୍ବା 7ଦଣ୍ଡ =  ୧ ପ୍ରହର ଵା ଯାମ 
୪ ପ୍ରହର = ୧ ଦିବା
୮ ପ୍ରହର ଵା ଯାମ =  ୧ ଅହୋରାତ୍ର ୧୫ ଅହୋରାତ୍ର = ୧ ପକ୍ଷ
 ୨ ପକ୍ଷ = ୧ ମନୁଷ୍ଯ ମାସ 
 ୨ ମାସ =  ୧ ଋତୁ 
 ୩ ଋତୁ = ୧ ଅୟନ
 ୨ ଅୟନ = ୧ ମନୁଷ୍ଯ ବର୍ଷ
 ୧୨ ମାସ ଓ ଷଡ଼ଋତୁକୁ ନେଇ ଏକ ଵର୍ଷ । 

କୋଣାର୍କର ଏହି ଵୃହତ୍ ଘଡ଼ି ଵ୍ୟଵହାର କରି ପ୍ରୋକ୍ତ ଭାରତୀୟ ସମୟ ଗଣନା ପଦ୍ଧତି ଅନୁସାରେ 
ଦିନରେ ସୂର୍ଯ୍ୟକିରଣ ଓ ରାତିରେ ଚନ୍ଦ୍ରଜ୍ୟୋତ୍ସ୍ନା ସାହାଯ୍ୟରେ  ଏହି ଛାୟାଯନ୍ତ୍ରରୁ ସମୟକୁ ମିନିଟ ପର୍ଯ୍ୟନ୍ତ ନିର୍ଦ୍ଧାରଣ କରାଯାଉଥିଲା ।

କୋଣାର୍କ ମନ୍ଦିରର ୨୪ଟି ଚକ୍ରଯୁକ୍ତ ପିରାମିଡ଼ ଭଳି ଜଗମୋହନର ଦୈର୍ଘ୍ୟ-ପ୍ରସ୍ଥ ୩୬ × ୩୬ ମିଟର ଅଟେ  । 

ଏହା ଭାରତର ସୁରଟ୍ ସ୍ଥିତ ବୃହତ୍ତମ ପରିଗଣିତ ୨୪ ମିଟର୍ ଵ୍ୟାସର ଘଣ୍ଟା ଠାରୁ ବି ବଡ଼ ଅଟଇ  ।

 ଜଗମୋହନ ସହ କୋଣାର୍କର ଗର୍ଭଗୃହ, ନଟମନ୍ଦିର, ଭୋଗମନ୍ଦିର ଆଦିକୁ ମିଶାଇଲେ, ଏହା ପୃଥିଵୀର ଵୃହତ୍ତମ ପରିଗଣିତ ସାଉଦି ଆରବୀୟ-ଘଣ୍ଟାକୁ ମଧ୍ୟ ଆକାରରେ ଟପିଯିଵ । 

କୋଣାର୍କ ମନ୍ଦିରର ନିର୍ମାଣ ବହୁତ ସମ୍ଭଵ ସମୟଗଣନ ପାଇଁ ହୋଇଥିଵା ହୃଦବୋଧ ହୋଇଥାଏ । 

ନିଶ୍ଚୟ କଳିଙ୍ଗୀମାନେ ସୂର୍ଯ୍ୟ ସକଳ ଶକ୍ତିର ଆଧାର ବୋଲି ଜାଣିଥିଲେ ତେଣୁ ସେମାନେ ଏହି ଛାୟାଘଡି଼ ରୂପ କୋଣାର୍କ ମନ୍ଦିରର ଆରାଧ୍ଯ ଦେଵ ଭାବରେ ସୂର୍ଯ୍ୟଦେଵଙ୍କୁ 
ସ୍ଥାପିତ କରିଥିଲେ । 

ନିର୍ଭୁଲ ଭାସ୍କର୍ଯ୍ୟ ଥାଇ ମଧ୍ୟ କୋଣାର୍କ ଆଜି “ଅପୂଜା ଦେଉଳ" । ନିର୍ଭୁଲ ସମୟ ଦର୍ଶାଇ ମଧ୍ୟ କୋଣାର୍କକୁ “ପୃଥିଵୀର ସର୍ଵଵୃହତ୍ ପ୍ରାଚୀନ ଘଡ଼ି”ର ମାନ୍ୟତା କାହିଁକି ମିଳିନାହିଁ ?

ବୁଝିଯା ଧନ ବୁଝିଯା

#ହେ' ଓଡ଼ିଆ ଭାତ୍ରୁଗଣ ନିଜ ଜାତିଭାଇଙ୍କୁ ଚିହ୍ନ  ସେମାନଙ୍କ ଅବଦାନ ପ୍ରତି ସମ୍ମାନ ପ୍ରଦର୍ଶନ କର ଜୟକାର କର ପାଇକ ପୁଅ ଜୟୀରାଜଗୁରୁଙ୍କର  , ଜୟଗାନ କର ଭଞ୍ଜମାଟିର ଯୋଗ୍ୟ ନରେଶ ସର୍ବ ପ୍ରଥମ ବିପ୍ଳବୀ ମହାରାଜ #କୃଷ୍ଣ_ଭଞ୍ଜଙ୍କର  । 
            ବନ୍ଦେ ଉତ୍କଳ ଜନନୀ  🙏🙏🙏🇮🇳
#ବୁଝିଯା_ଧନ_ବୁଝିଯା   🙏🇮🇳🙏
^^^^^^^^^^^^^^^^^^^^
  ଦେଶରୁ ଗଲେ ଗୋରା ବିଦେଶୀ
 କେତେ ଯେ'ବୀର ହେଲେ ଶହୀଦ୍ 
         ଚକାରା ,ବାଜି,ବିର୍ସା 
ଜୀବନ ଦେଲେ             ଦେଶର ପାଇଁ 
       ଉଡ଼ିଲା ଗୋରା ହଂସା ....୦

  ଇତିହାସ ଆଜି ସେକାଳ କଥା 
  ଦେଶ ଗାଉଚି ସ୍ବାଧୀନ ଗାଥା
      ଉଦ୍ଘୋଷ ତାଳେ ତାଳେ 
ପାଇକ ପୁଅ                  ପାଇନି ଖିଅ
           ରହିଛି  ଆଢୁଆଳେ ....୧
           
  ଗାନ୍ଧୀ ପଟେଲ ଉଚ୍ଚ ସ୍ଳୋଗାନ 
  ସୁପ୍ତ ଆଜି ଏଠି ପାଇକ ପ୍ରାଣ 
         କାହାର ଏଇ ଫନ୍ଦି ! 
ଓଡ଼ିଆ ମାନ             ଆଜି ମଳିନ
         ଅବହେଳିତ ସନ୍ଧି .... ୨

  ଜାଗ ଓଡ଼ିଆ ପାଇକ ପୁଅ
 ଦେଖାଅ ତୁମ ମାଟିର ମୋହ 
         ଝଅଟ ଉଠି ଯାଅ
ଜୟୀ ରାଜଗୁରୁ           ଲକ୍ଷ୍ମଣ ନାୟକ
            ସୁବାଷ ଜୟ କୁହ ....୩

  ବାଜି ଓ ଚକରା ,ବିର୍ସା ମୁଣ୍ଡା
  ଅଛିନ୍ତି କେତେ ପାଇକ ଭେଣ୍ଡା
         ଚିହ୍ନୁନାହୁଁ  ତୁ' କିଆଁ  !
ଅଜ୍ଞ ବିବେକ                ଦେଶ ଶାସକ
     ଚେତେଇ ଦେଇତୁ' ଯା ....୪

  ସ୍ବାଧୀନ ଏବେ ଭେଳିକି ଜାଣ 
    ବ୍ୟଥିତ ଏଠି କୃଷକ ପ୍ରାଣ 
            ଓଡ଼ିଆ ଏଠି ନଣ୍ଡା 
ଶୋଣିତ ଢାଳି             ଦିଅରେ ଜାଳି
          ଶାସକ ନୀତି ଫଣ୍ଡା ....୫

    ବିପ୍ଳବକାରୀ ସେ' କୃଷ୍ଣ ଭଞ୍ଜ 
     ଅକାଳେ ଅସ୍ତ  ଜୀବନ ସଞ୍ଜ 
            ଘୁମୁସୁର ରାଇଜ      
ଶ୍ରୀକର ଭଞ୍ଜ              ବିକ୍ରମ ଭଞ୍ଜ 
         ପ୍ରତାପେ ଥିଲେ ସୂର୍ଯ୍ୟ ...୬

    ହରାଇ ଦେଲା ହୀନ ଚକ୍ରାନ୍ତ 
     ନିଜର ଲୋକ ମତ୍ତି ବିଚ୍ଯୁତ 
            ହୁଅନି ପୁଣି ଭ୍ରମ
ନିଜ ଶକତି                 ଗୁଣି ଝଟତି 
           ରଖିଯା' ଜାତି ମାନ ...୭

   ସ୍ବାଧୀନ ଆଜି ପାଳେ ପରଜା 
    ଉଡ଼ାଇ ଶାନ୍ତି ମଇତ୍ରି ଧ୍ବଜା 
          ମନ କରୁନି ହେଜା 
ଓଡ଼ିଆ ପୁଅ                ଶ୍ରେୟର ଖିଅ
        ବୁଝିଯା ଧନ ବୁଝିଯା ...୮

        ^^^^^^^^¤^^^^^^
 ✍ ସନ୍ତୋଷ ପଟ୍ଟନାୟକ  । 
ବେଗୁନିଆପଡା ବ୍ଳକ୍ ତିରିଡ଼ା  ,ଗଞ୍ଜାମ  ।
--------------------
ଶବ୍ଦାର୍ଥ :- 
ଫଣ୍ଡା : ମୁମୁର୍ଷୁ ଅବସ୍ଥା । ଝଟତି : ହଠାତ୍ । ଉଦ୍ଘୋଷ : ସ୍ଳୋଗାନ । ହଂସା : ସହାସ  ।

🪔 ସ୍ମୃତି ଦର୍ପଣ 🪔

ଏବେ ଆଖି ଖୋଲିବାର ସମୟ ! 

ଆମ ମାଟିର ୧୨ ବର୍ଷର ବାଳୁତ #ବାଜି_ରାଉତ #ଦେଶର_ସର୍ବକନିଷ୍ଠ_ଶହୀଦ ! 

ଦେଶର ଶାସନମୁଖ୍ୟଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟବ୍ୟକ୍ତି ତାଙ୍କ ବୀରତ୍ୱର ଗାଥା ଗାଇଛନ୍ତି, ତାଙ୍କ ବଳିଦାନକୁ ସୁମରଣା କରି ମଥାନତ ହୋଇଛନ୍ତି ! 🙏🏻🙏🏻

କିନ୍ତୁ ଆମେ . . ! !

 ଆଶ୍ଚର୍ଯ୍ୟ ଜନକ ଭାବେ ଗତ କିଛି ହେବ କିଛି ଓଡ଼ିଆ  ନିଜ ଲେଖାରେ ଖୁଦିରାମଙ୍କ ଜନ୍ମଜୟନ୍ତୀରେ ତାଙ୍କୁ ଦେଶର ସର୍ବକନିଷ୍ଠ ଶହୀଦ ଭାବେ ଅଭିହିତ କରି ପୋଷ୍ଟ କରୁଛନ୍ତି  । 😢😢

ପୂଜ୍ୟ ଖୁଦିରାମ ବୋଷଙ୍କୁ ସମ୍ମାନ ଦେବାକୁ ଯାଇ ବାଜି ରାଉତଙ୍କ ପ୍ରତି ସେଇ ଉଚ୍ଚଶିକ୍ଷିତ ଭଦ୍ରବ୍ୟକ୍ତିମାନେ ପ୍ରଚଣ୍ଡ ଅପମାନ ଦେଇଥିଲେ (ଅଜାଣତରେ ହେଉ ପଛେ), ତାହା ମୋ ପରି ଓଡ଼ିଆଙ୍କୁ ଆଘାତ ଦେବା ସ୍ବାଭାବିକ ! 😡😡

ଆମେ ଓଡ଼ିଆଏ ପ୍ରାୟତଃ ଏମିତି ! 

କଥାକଥାକେ ବାହାରର ମହାପୁରୁଷ ଅବା ଅନ୍ୟ ରାଜ୍ୟର ଗର୍ବଗାରିମାର କଥା ଗାଇଚାଲୁ ! ଆମ ଜନମମାଟିର କଥା କହିଲା ବେଳକୁ ଆମ ପାଟି ଘୋଳେଇ ହୁଏ ! ପଦିଏ ଲେଖିବାକୁ ହାତଟି ପକ୍ଷାଘାତଗ୍ରସ୍ତ ବୋଲି ଅନୁଭବ ହୁଏ ! 

ଆମ ପାଇଁ ଟେଗୋର୍ ବଡ଼ ! ଗଙ୍ଗାଧର ଆମକୁ ଅପରିଚ୍ଛନିଆ ଲାଗନ୍ତି ! 
ଆମକୁ ରାଣାପ୍ରତାପ, ଶିବାଜୀ ବଡ଼ ବୀର ବୋଲି ଦିଶନ୍ତି ! ଅଥଚ #ଖାରବେଳ, #କପିଳେନ୍ଦ୍ର_ଦେବ, #ପୁରୁଷୋତ୍ତମ_ଦେବ ଙ୍କ କାହାଣୀ ଆମର ପଡ଼ି ପଡ଼ି ଖତ ହୁଏ  ! 

ଆମକୁ କୋଉ ତେଲୁଗୁ କବି ପୋଥାନା ବଡ଼ ଲାଗନ୍ତି, ଅଥଚ ଆମ ଜଗନ୍ନାଥ ଦାସେ ! ଭାଗବତ ! ହେଃ ! କ'ଣ ହବ ସେଗୁଡ଼ା ? 

ଧନ୍ୟ ଆମେ ଓଡ଼ିଆଏ ! 

ସାଇବାବାର ମଠରେ ଆମେ ଜଗନ୍ନାଥଙ୍କୁ ପାର୍ଶ୍ଵଦେବତା କରି ବସାଇପାରୁ ! (ଆମ ମହାପ୍ରଭୁ ନିଜ କଥା ନିଜେ ବୁଝିବେ, ଆମେ ଏବେ ଆସିବା ମୂଳପ୍ରସଙ୍ଗକୁ ।)

ଶହୀଦ ଖୁଦିରାମ ବୋଷ ! ବୟସ ୧୯, ପୂର୍ଣ୍ଣତଃ ଯୁବକ, ଚେତନାରେ ଯୁବକ ! ବୈପ୍ଳବିକ ନେତୃତ୍ୱରେ ଅଭିପ୍ରେରିତ ! 

ଶହୀଦ ବାଜି ରାଉତ ! ବୟସ ମାତ୍ର ୧୨, ବୟସରେ ବାଳକ, ଚେତନାରେ କିନ୍ତୁ ଯୁବକ ! ନିଜର ନେତା ନିଜେ ! ସ୍ଵକୀୟ ପ୍ରେରଣାରେ ଅଭିପ୍ରେରିତ ! 

ତେବେ ଅଗ୍ରପୂଜ୍ୟ କିଏ ? ? ? ହେଜିବାର ଅଛି . . 

ଆମେ ଭୁଲିଯିବାନି ଯେ, ୧୨ ବର୍ଷରୁ ୧୯ ବର୍ଷ ବୟସର ବ୍ୟବଧାନରେ ଓଡ଼ିଶା ମାଟିରେ ଥିଲେ ଶତାଧିକ ସଂଗ୍ରାମୀ ! 
ସେମାନଙ୍କ ମଧ୍ୟରେ ଶହୀଦ ଥିଲେ ! 
ବାଳିକା କିଶୋରୀ ମଧ୍ୟ ଥିଲେ ! 

ଏବେ ଟିକିଏ ଆଖି ଖୋଲିବାର ସମୟ ! ବଙ୍ଗାଳୀଙ୍କୁ ପ୍ରେମ କରିବାର ନୁହେଁ ! ମାରୁଆଡ଼ି, ତେଲେଙ୍ଗାଙ୍କୁ ମୁଣ୍ଡରେ ବସାଇବାର ନୁହେଁ ! 

ଏବେ ମୁଣ୍ଡିଆଟେ ମାରିବା ନିଜ ମାଟିକୁ ! ମାଟି ମା'କୁ ! ଭଲଭାବେ ଚିହ୍ନିବା ଆମ ମାଟିର ଗାରିମାକୁ ! 

୧୨ ବର୍ଷରୁ ୧୯ ବର୍ଷ ବୟସ ସୀମା ଭିତରର ସଂଗ୍ରାମୀମାନଙ୍କ ବିଷୟରେ ଆଲେଖ୍ୟମାନ ଏବେ ପ୍ରସ୍ତୁତି ପଥରେ ! 

ବନ୍ଦେ ଉତ୍କଳ ଜନନୀ 🙏🏼🙏🏼
ବନ୍ଦେ ଭାରତମାତା 🙏🏼 🙏🏼

Image: Dhenkanal Khati FB Page

ଧ୍ଵନ୍ୟନୁକରଣ ଓ ଧ୍ବନ୍ୟନୁକାରୀ ଶବ୍ଦ:

ଧ୍ଵନ୍ୟନୁକରଣ ଓ ଧ୍ବନ୍ୟନୁକାରୀ ଶବ୍ଦ:

ଧ୍ବନ୍ୟନୁକରଣ କ'ଣ ?
          ଉପସ୍ଥାପନାରେ ; ✍ ଶିଶିର ସାହୁ ମନୋଜ 

କୌଣସି ପ୍ରାକୃତିକ ଧ୍ବନିର ଅନୁକରଣରେ ସୃଷ୍ଟି ହୋଇଥିଵା ଶବ୍ଦକୁ ଧ୍ବନ୍ୟନୁକାରୀ ଶବ୍ଦ କୁହାଯାଏ । ଆଧୁନିକ ଯୁଗରେ ଯନ୍ତ୍ରାଦିର ଧ୍ଵନିରୁ ମଧ୍ୟ କେତେକ ଧ୍ଵନ୍ୟନୁକରଣ ଶବ୍ଦ ସୃଷ୍ଟି ହୋଇଛି (ଯଥା tik tik,beep,boom ଇତ୍ୟାଦି)।

 ଭାଷାଵିଜ୍ଞାନରେ ଏହି ପ୍ରକ୍ରିୟାକୁ  Onomatopoeia  ଏଵଂ ଧ୍ଵନ୍ୟନୁକରଣ ଶବ୍ଦଗୁଡି଼କୁ onomatopoeic ଵା onomatopoetic ଶବ୍ଦ କୁହାଯାଏ । 
ଭାଷାଵିଦମାନେ କୁହନ୍ତି ପ୍ରଥମେ ମନୁଷ୍ୟମାନେ ହସ୍ତମୁଖାଦି ଭାଵଭଙ୍ଗୀର ଠାରଦ୍ଵାରା ଭାଵଵିନିମୟ କରୁଥିଲେ । କ୍ରମେ ଏହାର ସ୍ଥାନ କେତେକ ନିର୍ଦ୍ଦିଷ୍ଟ ଶବ୍ଦ ନେଇଥିଲା ‌ । ସେହିସବୁ ପ୍ରାରମ୍ଭିକ ଶବ୍ଦ ମଧ୍ୟରେ ଅନେକ ଶବ୍ଦ ଧ୍ଵନ୍ୟନୁକାରୀ ଶବ୍ଦ ଥିଲା । ମାନଵସଭ୍ୟତାର ଦୃତ 
ସମ୍ପ୍ରସାରଣ ତଥା ଅଭିଵୃଦ୍ଧି ସହିତ ଵିଭିନ୍ନ ଅଞ୍ଚଳର ଭାଷା ଵିକଶିତ ହେଵାରୁ  ତହିଁର ଶବ୍ଦଗଠନ ମଧ୍ୟ ଜଟିଳରୁ ଜଟିଳତର ହେଵାକୁ ଲାଗିଲା । ମାତ୍ର ପୃଥିଵୀର ଅନେକ ଭାଷାରେ ଧ୍ଵନ୍ୟନୁକରଣରୁ ସବୁ ସମୟରେ ନୂଆ ନୂଆ ଶବ୍ଦ ସୃଷ୍ଟି ହେଵା ବନ୍ଦ ହୋଇନଥିଲା । ଫଳରେ ଆଜି ମଧ୍ୟ ପ୍ରାୟ ପ୍ରତ୍ୟେକ ଭାଷାରେ ଧ୍ଵନ୍ୟନୁକାରୀ ଶବ୍ଦ ଦୃଶ୍ୟ ହୋଇଥାଏ । 

 ଵିଭିନ୍ନ ଭାଷାରେ ଧ୍ଵନ୍ୟନୁକରଣ...
 
ଧ୍ବନି ଅନୁସାରେ ଶବ୍ଦର ଗଠନ ଅତି ପ୍ରାଚୀନ । ସଂସ୍କୃତ ଭାଷା ଗୋଟିଏ ପ୍ରାଚୀନ ଶାସ୍ତ୍ରୀୟ ଭାଷା ତେବେ ଏହି ଭାଷାର ମୂଳ ଧାତୁଗୁଡି଼କର ସୃଷ୍ଟି ଧ୍ଵନ୍ୟନୁକରଣରୁ ହୋଇଥିଵା ଅନେକ ଗଵେଷକ ମତ ଦେଇଛନ୍ତି । ଉଦାହରଣ ସ୍ୱରୂପ ପତ୍ରର ପତ୍ ପତ୍ ଶବ୍ଦରୁ ପତ୍ ଧାତୁ(ପଡି଼ଵା) ଓ ଜଳର କଳ କଳ ଧ୍ଵନିରୁ କଳ୍ ଧାତୁ(ଧ୍ଵନିକରିଵା,ଗମନ କରିଵା) ସୃଷ୍ଟି ହୋଇଛି । ସଂସ୍କୃତର ଅନେକ ମୂଳ ଧାତୁ ଧ୍ବନ୍ୟନୁକରଣ ଆଧାରରେ ସୃଷ୍ଟି କରାଯାଇ ସେହି ସବୁ ଧାତୁ ଶବ୍ଦରୁ ପୁଣି ସହସ୍ର ସହସ୍ର ଶବ୍ଦ ସୃଷ୍ଟି ହୋଇଛି । 

ଧ୍ବନ୍ୟନୁକରଣ ଏକ ସ୍ଵାଭାଵିକ ପ୍ରାକୃତିକ ପ୍ରକ୍ରିୟା ଏଵଂ  ଧ୍ଵନ୍ୟନୁକରଣରୁ ପୃଥିଵୀର ପ୍ରାୟ ସମସ୍ତ ଭାଷାରେ ଧ୍ଵନ୍ୟନୁକାରୀ ଶବ୍ଦ ମିଳିଥାଏ । ତେବେ ସଂସ୍କୃତ ଭାଷାରେ ମୂଳ ଧ୍ଵନ୍ୟନୁକରଣ ଶବ୍ଦକୁ √root ଵା ଧାତୁ ରୂପେ ଗ୍ରହଣ କରାଯାଇଛି । 

ଇଂରାଜୀରେ କୁକୁଡ଼ାକୁ cock କୁହାଯାଏ । ଏହି cock ଶବ୍ଦଟି ପ୍ରାକ୍ ଜର୍ମାନିକ୍ kukkaz ଶବ୍ଦ ସହିତ ସମୋଦ୍ଧୃତ କିନ୍ତୁ kukkaz ଶବ୍ଦଟି କୁଆଡୁ଼ ଆସିଲା ?

କୁକୁଡ଼ାର କକ୍ କକ୍ ଶବ୍ଦ  ପ୍ରାକ୍ ଜର୍ମାନିକ୍ ଭାଷାରେ ଏହି ପକ୍ଷୀର ଏକ ନାମ keukô ରୂପେ ଗ୍ରହଣୀୟ ହୋଇଥିଲା ଏଵଂ ଆଜି ଏହା ଅନେକାଂଶରେ ପରିଵର୍ତ୍ତିତ ହୋଇ ଇଂରାଜୀରେ cock ହୋଇଅଛି ।

ଓଡ଼ିଆ ଭାଷାର କୁକୁଡ଼ା ଶବ୍ଦଟି ସଂସ୍କୃତର କୁକ୍କୁଟ ସହିତ ସମୋଦ୍ଧୃତ ବୋଲି ଅନେକେ ମାନନ୍ତି । କଳ୍ପଦ୍ରୁମ ଅଭିଧାନ ଅନୁସାରେ “କୁକ୍ + ସମ୍ପଦାଦିତ୍ଵାତ୍ କ୍ଵିପ୍ । କୁକା ଆଦାନେନ କୁଟତୀତି । କୁଟ + କଃ ।” ଆଧାରରେ କୁକ୍କୁଟ ଶବ୍ଦର ସୃଷ୍ଟି । ଅର୍ଥାତ୍ କୁକ୍କୁଟ ଶବ୍ଦର ମୂଳ ମଧ୍ୟ କୁକୁଡ଼ା ଶବ୍ଦର ଧ୍ଵନ୍ୟନୁକରଣ କୁକ୍ ଶବ୍ଦ ଅଟେ ‌ । କାକ ଓ କାଉ ମଧ୍ୟ କୁଆର କା କା ଧ୍ଵନ୍ୟନୁକରଣର ସୃଷ୍ଟି ହୋଇଛି । 

ଏହିପରି ବିଲେଇର ମିଆଁଉ ମିଆଁଉ ଶବ୍ଦକୁ ନେଇ ଵିଭିନ୍ନ ଭାଷାରେ ସୃଷ୍ଟି ହୋଇଥିଵା କେତେକ ଧ୍ବନ୍ୟନୁକରଣ ଶବ୍ଦ ସମ୍ବନ୍ଧରେ ଆଲୋଚନା କରାଯାଉ ।  ଅହମିଆରେ ବିଲେଇକୁ  বিৰালী (birali) ଓ মেকুৰী (mekuri) କୁହାଯାଏ । মেকুৰী (mekuri) ଶବ୍ଦଟି ବିଲେଇର ମିଆଁଉ ମିଆଁଉ ଶବ୍ଦର ଧ୍ଵନ୍ୟନୁକରଣରୁ ସୃଷ୍ଟି ହୋଇଛି ବୋଲି ଅନୁମାନ କରାଯାଏ । ସେହିପରି ବଙ୍ଗଳା
ରେ মেকুর (mekura) ତଥା ଉତ୍ତର ଓଡ଼ିଆ ଶୈଳୀରେ ଏହି ଧ୍ଵନ୍ୟନୁକରଣ ଆଧାରରେ ବିଲେଇର ନାମ ମେଇଁ ରଖାଯାଇଥିଲା ‌ । ଚୀନ ଦେଶୀୟ ଭାଷାଗୁଡି଼କରେ ସାଧାରଣତଃ ଧ୍ଵନ୍ୟନୁକରଣ ଶବ୍ଦ ଅଧିକ ଦୃଶ୍ୟ ହୋଇଥାଏ । ଫଳତଃ ସେଠାକାର  Dungan ଭାଷାରେ ବିଲେଇକୁ мо (mo), мор (mor), мимо (mimo) ଓ мимор (mimor) କୁହାଯାଏ ।  ଚୀନ ଦେଶୀୟ Hakka ଭାଷାରେ ବିରାଡ଼ିକୁ  貓仔, 猫仔 (meu-é) ଓ
Mandarin ଭାଷାରେ 貓 /猫  (māo), 貓兒/ 猫儿  (māor) କୁହାଯାଏ ।‌ ଇଜିପ୍ଟର ପ୍ରାଚୀନ ଚିତ୍ରଲିପିରେ ମଧ୍ୟ ଧ୍ବନ୍ୟନୁକରଣର ପ୍ରଭାବ ସ୍ପଷ୍ଟ ଭାବରେ ପଡି଼ଥିଲା ଫଳତଃ ସେଠାରେ ବିଲେଇକୁ mi w E13(mjw) କୁହାଯାଉଥିଲା। ଓଡ଼ିଶାର ଜନଜାତୀୟ ଭାଷା ସଉରାର “ରେମେଙ୍” ଓ କୁଈଭାଷାର ”ମେଅ” ମଧ୍ୟ ଧ୍ବନ୍ୟନୁକରଣ ଶବ୍ଦ। ଏଵଂ ବିରାଡି଼ର ଏହି ମିଆଁଉ ମିଆଁଉ ଶବ୍ଦର ଅନୁକରଣରେ ବିଲେଇ ଅର୍ଥରେ ପ୍ରୟୋଗ ହୋଇଥାଏ । ସେହିପରି କନ୍ଧମାଳର କଥିତ ଓଡ଼ିଆ ଭାଷାରେ ମିଅଁ ଶବ୍ଦ ବିରାଡ଼ି ଅର୍ଥରେ ଚଳୁଥିଵା କଥିତ ଓଡ଼ିଆ ଶବ୍ଦକୋଷରେ କୁହାଯାଇଛି ।  ପୁନଶ୍ଚ ଛେଳି  ମେଁ ମେଁ ଶବ୍ଦ କରିଥାଏ । ଏହାର ଧ୍ବନ୍ୟନୁକରଣରୁ ସାନ୍ତାଳରେ  ᱢᱮᱨᱳᱢ (merom), ସଉରାରେ କିମମେଡ଼୍ ଓ କୁମେ,ଖରିଆ ତଥା ମୁଣ୍ଡାଭାଷାରେ ମେରମ୍ ଶବ୍ଦ ଛେଳିର ପ୍ରତିଶବ୍ଦ ଭାବେ ଚଳୁଅଛି ।‌ ମୁଣ୍ଡା ଭାଷାରୁ ମେରିମ୍  ରୂପେ ଏହି ଶବ୍ଦଟି ଓଡ଼ିଆ ଭାଷାର ଗଦ୍ୟ ସାହିତ୍ୟରେ ପ୍ରଚଳିତ ଥିଵା କଥିତ ଓଡ଼ିଆ ଶବ୍ଦକୋଷରେ ଉଲ୍ଲେଖ କରାଯାଇଛି । 
ଓଡ଼ିଶାରେ ଛେଳି ଛୁଆକୁ ମିଇଁଛୁଆ ମଧ୍ୟ କୁହାଯାଏ ।‌

 ଇଂରାଜୀରେ କେତେକ  ଶବ୍ଦ ଧ୍ବନ୍ୟନୁକରଣରୁ ସୃଷ୍ଟି ହୋଇଛି ବୋଲି ଭାଷାଵିଦ ମତ ଦିଅନ୍ତି । ଇଂରାଜୀର ଧ୍ବନ୍ୟନୁକାରୀ ଶବ୍ଦଗୁଡି଼କ ମଧ୍ୟରେ Achoo, Atishoo,Chomp,Cough
,Hiccup,Hum,beep,boom,Clatter,clink,Knock, murmuring, Tweeter,Curlew,Dickcissel,
Dik-dik,Hoopoe,Kea,Killdeer,Pobblebonk,Poorwill,Weero,Willet,Bark,Meow,roar,Woof ଓ moo ଆଦି ଉଲ୍ଲେଖଯୋଗ୍ୟ । 

ସେହିପରି ସଂସ୍କୃତରେ ଉଲୁଧ୍ବନି(ହୁଳହୁଳି),ଗରଲ୍ଲି(ଗଳା ଭିତରର ଘଡ଼ ଘଡ଼ ଶବ୍ଦ),ଘର୍ଘର(ଚକର ଘର୍ଷଣ ଶବ୍ଦରୁ),ଘୁଙ୍ଗୁର,ଘୁକ(ପେଚା),ଝଙ୍କାର,ଝଞ୍ଜନା(ବିଜୁଳି),ମେକ(ଛେଳି;ମେଁ ଧ୍ଵନ୍ୟନୁକରଣରୁ),ଲଲଲ୍ଲ(ଅସ୍ପଷ୍ଟ ଵା ଦରୋଟି ଉଚ୍ଚାରଣ) ଓ ମର୍ମର(ଧୀର ପବନ ଯୋଗୁଁ ଗଛ ପତ୍ର ଆଦିର ଧ୍ଵନି; ଇଂରାଜୀରେ Murmuring) ଆଦି ସହସ୍ରାଧିକ ଶବ୍ଦ ମୂଳତଃ ଧ୍ଵନ୍ୟନୁକରଣ ଶବ୍ଦରୁ ସୃଷ୍ଟି ହୋଇଛି ଏଵଂ ପରେ ଏ ସବୁ ଶବ୍ଦକୁ ଧାତୁ ପ୍ରତ୍ୟୟ ଦ୍ଵାରା ନିଷ୍ପନ୍ନ କରାଯାଇଛି । 

ଓଡ଼ିଆ ଭାଷାରେ ଧ୍ବନ୍ୟନୁକାରୀ ଶବ୍ଦ:

ତେବେ ପ୍ରାକୃତିକ ଵା କୃତ୍ରିମ ଧ୍ବନିର ଅନୁକରଣରୁ ଅନୁସାରେ ସୃଷ୍ଟି ହୋଇଥିଵା ଏହିପରି ଧ୍ବନ୍ଯନୁକରଣ ଵା ଧ୍ବନ୍ଯନୁକାରୀ ଶବ୍ଦ ଆମ ଓଡ଼ିଆ ଭାଷାରେ ଅଛି କି ? 

ହଁ ଅଛି !  ନିଶ୍ଚୟ ଅଛି ଏଵଂ ଇଂରାଜୀ ଭାଷାଠାରୁ ଶତଗୁଣ ଅଧିକ ଧ୍ବନ୍ୟନୁକାରୀ ଶବ୍ଦ ଓଡ଼ିଆ ଭାଷାରେ ଚଳୁଅଛି । 

ନିମ୍ନରେ ସେହିପରି କେତୋଟି ଜଣାଅଜଣା ଓଡ଼ିଆ ଧ୍ଵନ୍ୟନୁକାରୀ ଶବ୍ଦର ସୂଚୀ ପ୍ରଦାନ କରାଗଲା । 

🟠ଅଇ;ଐ = ବାନ୍ତି
ଵାନ୍ତି କରିଵା ସମୟରେ ସ୍ଵତଃ ସୃଷ୍ଟି ହୋଇଥାଏ ଅଇ ଵା ଐ ଶବ୍ଦ ତେଣୁ ତାହା ଵାନ୍ତିର ପ୍ରତିଶବ୍ଦ ହୋଇ ଚଳୁଛି

🟠ଉଦୁଉଦୁମା = ବିଧା ମାରିଵାରୁ ସୃଷ୍ଟ ଶବ୍ଦ
ବିଧା ମାରିଵା ବେଳେ ଜାତ ଦୁମ୍ ଦୁମ୍ ଶବ୍ଦର ଧ୍ବନ୍ଯନୁକରଣରୁ ସୃଷ୍ଟି ହୋଇଛି ଉଦୁଉଦୁମା ଶବ୍ଦ ।
ଆମ ଭାଷାର ଲୋକଗୀତରେ ଏ ଶବ୍ଦ ସୀମିତ ଭାବେ ପ୍ରଚଳିତ ।

“ଉଦୁମୁ ଦୁମା, ତାଳ ଗୋଟମା, 
ନୂଆ ପାହୁରାଣୀ ପିତଳସମା, 
ହରଚଣ୍ଡିଙ୍କର ଭାଇ ମଲା, 
ରକତ ପିଣ୍ଡୋଳେ ଭାସିଗଲା॥
ଆମ୍ବଟିଏ ଖାଉଁ ଖାଉଁ
କୋଇଲିଟିଏ କଷା,
 କି ମାଡ଼ ମାଇଲୁ ଭାଇ
  ଚାରିକୁଣିଆ ବସା ॥”
  
🟠କଇଁକଇଁ
କାନ୍ଦିଵା ବେଳର ଧ୍ଵନ୍ୟନୁକରଣରୁ ଏ ଶବ୍ଦର ସୃଷ୍ଟି

🟠କଚ୍ କଚ୍,କଚ୍ କାଚ୍,କଚର୍ କଚର୍ 
କାଟିଵା ସମୟର ଧ୍ଵନ୍ୟନୁକରଣରୁ ଏସବୁ ଶବ୍ଦ ସୃଷ୍ଟି ହୋଇଅଛି

🟠କଟାତ୍ = ହଟାତ୍
କେହି କେହି କଟାତ୍ ଶବ୍ଦକୁ ହଟାତ୍ ଶବ୍ଦର ଏକ ରୂପ ମନେ କରନ୍ତି । ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହାକୁ ଏକ ଧ୍ଵନ୍ୟନୁକାରୀ ଶବ୍ଦ ଅଭିହିତ କରାଯାଇଛି । ଭାଷାକୋଷ ଅନୁସାରେ କୌଣସି ଗୋଟିଏ ପଦାର୍ଥ ହଠାତ୍ ପଡ଼ି ଯିଵାର ଅନୁକରଣ ଶବ୍ଦରୁ କଟାତ୍ ଶବ୍ଦ ସୃଷ୍ଟି ହୋଇଅଛି

🟠କାଚକାଚୁଆ
କର୍ଦ୍ଦମାକ୍ତ,ଚୋବାଇବାକୁ କଠିନ ଵା ଖାସ୍ଖାସୁଆ, ପିଚ୍ଛିଳ ଵା ଖସଡ଼ା ସନ୍ତସନ୍ତିଆ ସ୍ଥାନକୁ କାଚକାଚୁଆ କୁହାଯାଏ । ଏହା କଚ୍ କଚ୍ ଶବ୍ଦର ଧ୍ଵନ୍ୟନୁକରଣରୁ ସୃଷ୍ଟି ହୋଇଛି । 

🟠କେଇଁଵା
ସକେଇ ହୋଇ କାନ୍ଦିଵାକୁ କେଇଁଵା କୁହାଯାଏ । ଏହା କଇଁ କଇଁ କାନ୍ଦିଵା ଧ୍ଵନ୍ୟନୁକରଣରୁ ସୃଷ୍ଟ ।  

🟠ଖେଙ୍କା
ଓଡ଼ିଶାର କେତେକ ଅଞ୍ଚଳରେ  ହନୁମାଙ୍କଡ଼ଙ୍କୁ ଖେଙ୍କା କୁହାଯାଏ । ହନୁମାଙ୍କଡ଼ମାନଙ୍କର ଖେଁ ଖେଁ ଧ୍ଵନ୍ୟନୁକରଣରେ ଖେଙ୍କା ଶବ୍ଦ ସୃଷ୍ଟି ହୋଇଥିଵା  ସ୍ପଷ୍ଟ ।

🟠ଖାଙ୍କିଵା
ମାଙ୍କଡ଼ ପରି ଖେଙ୍କିବା ଵା ଖିଙ୍କିଵା ଆଦିର ଧ୍ଵନ୍ୟନୁକରଣରୁ ଏ ଶବ୍ଦ ସୃଷ୍ଟ । ଦାନ୍ତ ଦେଖାଇ ଖତାଇହେଵାକୁ ଖାଙ୍କିଵା କୁହାଯାଏ । 

🟠ଖିଖି 
କୋକିଶିଆଳିକୁ ଓଡ଼ିଶାର କିଛି ଅଞ୍ଚଳରେ ଖିଖି କୁହାଯାଏ । କୋକିଶିଆଳିଙ୍କ ଖିଖି ଧ୍ଵନ୍ୟନୁକରଣରୁ ଖିଖି ଶବ୍ଦ ଆସିଅଛି ।

🟠ଘୁମୁରା 
ଘୁମୁରା ଆନଦ୍ଧ ଵାଦ୍ଯ ଵିଶେଷ । ଘୁମୁଘୁମୁ ଶବ୍ଦରଧ୍ଵନ୍ୟନୁକରଣରୁ ଏ ଶବ୍ଦର ସୃଷ୍ଟି । 

🟠ଚଡ଼କ/ଚଡ଼ଚଡ଼ି
 ଚଡ଼ ଚଡ଼ ଶବ୍ଦର ଧ୍ଵନ୍ୟନୁକରଣରୁ ଚଡ଼କ ଓ ଚଡ଼ଚଡି଼ ଶବ୍ଦ ସୃଷ୍ଟି ହୋଇଛି । 

🟠ଠାକରା— ଏକ ଜାତୀୟ ଆମ୍ବ ଖଟାକୁ ଠାକରା ଵା ଠାକେରା କୁହାଯାଏ । ଏହା ଚାଟି ଖାଇଲାବେଳେ ଠକ୍ ଠକ୍ ଶବ୍ଦ ସୃଷ୍ଟି ହୁଏ । ଏହି ଧ୍ଵନିର ଅନୁକରଣରେ ଠାକରା ଶବ୍ଦ ସୃଷ୍ଟି ହୋଇଅଛି । 

🟠ଧକଧକୀ/ଦୁକ୍ଦୁକୀ
ହୃଦୟ ଵା ହୃତପିଣ୍ଡ ଧକଧକ ହୋଇଥାଏ ବୋଲି ଏହାର ଅନୁକରଣରେ ଓଡ଼ିଆ ଭାଷାରେ ତାହାର ଦୁଇଗୋଟି ଧ୍ଵନ୍ୟନୁକରୀ ଶବ୍ଦ ସୃଷ୍ଟି ହୋଇ ପ୍ରଚଳିତ । 

🟠ପେଏଁକାଳ/ପେହେଁକାଳ /ପେଙ୍କାଳୀ
ହାତୀର ରଡ଼ି ଵା ଶବ୍ଦକୁ ପେଙ୍କାଳ କୁହାଯାଏ ଏଵଂ ସେହି ସଦୃଶ ଶବ୍ଦଯୁକ୍ତ ଵାଦ୍ୟକୁ ପେଙ୍କାଳୀ କହିଥାନ୍ତି ।

🟠ବୁକ୍କ/ବୁକ/ବୋକ
ଚୁମ୍ବନ ବେଳେ ଉତ୍ପନ୍ନ ଧ୍ବନିର କାଳ୍ପନିକ ଅନୁକରଣ ଜନିତ ଶଦ୍ଦ ହେଉଛି ବୁକ୍କ ଵା ବୋକ । ଏହା ଏକ ଧ୍ବନ୍ଯନୁକରୀ ଶବ୍ଦ ଏଵଂ ଓଡ଼ିଆ ଭାଷାରେ ଚୁମ୍ବନ ଅର୍ଥରେ ପ୍ରୟୋଗ ହୋଇଥାଏ “ଆଉଁସିଲା କୁକୁର ମୁହଁରେ ବୁକ।” ତେବେ  ବକ୍ଷଃ ଵା ବୁକ୍କମ ସହିତ ବୁକ୍କ ଵା ବୁକ ଶବ୍ଦଟିଏ ବି ଆମ ଭାଷାରେ ଅଛି ଏଵଂ ଏହା ଛାତି,ହୃଦୟ,ଵକ୍ଷସ୍ଥଳ ଓ  ସାହସ ଅର୍ଥରେ ଵ୍ୟଵହାର ହୋଇଥାଏ । ଳ

🟠ଭଡ଼କା 
  ଭଡ଼କା ଅନ୍ୟତମ ଓଡ଼ିଆ  ଧ୍ବନ୍ଯନୁକାରୀ ଶବ୍ଦ ।ବୁଦ୍ବୁଦ୍(Bubble) ଓ  ଶିଙ୍ଘାଣିର ମେଞ୍ଚାକୁ ଭଡ଼କା କୁହାଯାଏ ‌ ।

🟠ମୁଡୁ଼କି 
ମୁଡ଼କି ଏକ ଜାତୀୟ ଖାଦ୍ୟ ଦ୍ରଵ୍ୟ ‌।ମଡ଼ ମଡ଼ କରି ଖିଆଯାଇଥାଏ ବୋଲି ତହିଁର ଧ୍ଵନ୍ୟନୁକରଣରୁ ମୁଡ଼କି ଶବ୍ଦ ସୃଷ୍ଟି ହୋଇଛି । 

🟠ମେଇଁ
ଉତ୍ତର ଓଡ଼ିଶାରେ ବିଲେଇକୁ ମେଇଁ ତଥା ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ମିଅଁ କୁହାଯାଏ । 
ବିଲେଇର ମିଆଁଉ ମିଆଁଉ ଶବ୍ଦର ଧ୍ଵନ୍ୟନୁକରଣରୁ ମେଇଁ ଶବ୍ଦଟି ସୃଷ୍ଟି ହୋଇଛି ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି । 

🟠ରଚ୍କା
ଝିଙ୍କିଵା ଵା ଟାଣିଵାକୁ ଉତ୍ତର ଓଡ଼ିଶାରେ ରଚ୍କା କୁହାଯାଏ । ଏହା ମଧ୍ୟ ଧ୍ବନ୍ୟନୁକରଣ ଶବ୍ଦ । ଟାଣିଵାବେଳେ ରଚ୍ ରଚ୍ ଶବ୍ଦ ହୋଇଥାଏ । ସେହିପରି ପଡି଼ଲାବେଳେ ରଝୌ ଶବ୍ଦ ହୁଏ ଫଳତଃ ଭୀଷଣ ଵର୍ଷାକୁ ରଝୌ ରଝୌ ଵର୍ଷା କୁହାଯାଏ । 

🟠ଶକେଇବା 
 ନିଶ୍ବାସରୋଧ ପୂର୍ବକ କ୍ରନ୍ଦନର ଧାରାକୁ ମଝିରେ ମଝିରେ ବନ୍ଦ କରି କାନ୍ଦିଵାକୁ ଶକେଇଵା କୁହାଯାଏ । ଏଭଳି କାନ୍ଦିଵା ସମୟରେ ସୃଷ୍ଟି ହେଉଥିଵା ଶବ୍ଦର ଧ୍ଵନ୍ୟନୁକରଣରୁ ଏହି ଓଡ଼ିଆ କ୍ରିୟାଟି ସୃଷ୍ଟି ହୋଇଛି । 

🟠ସୁଉସିଵା
କୌଣସି ଵ୍ୟକ୍ତିକୁ ମାରିଵା ପାଇଁ ଅତି ଜୋର୍ରେ ଦଉଡ଼ି ଆସିଵାକୁ ଆମ ଭାଷାରେ ସୁଆସିଵା କୁହାଯାଏ । ସାଧାରଣତଃ ବେଗରେ ଗତି କଲାବେଳେ ସୁ ସୁ ଶବ୍ଦ ହୋଇଥାଏ । ଏହି ସୁ ସୁ ଶବ୍ଦର ଅନୁକରଣରେ ସୁଉସିଵା ଶବ୍ଦ ସୃଷ୍ଟି କରାଯାଇଛି । 

🟠ସୁଡ଼କିବା/ସୋଡ଼କିବା
ସୁଡ଼ ସୁଡ଼ ଶବ୍ଦ କରି ଜଳୀୟ ଵା ଜଳମିଶ୍ରିତ ଵସ୍ତୁ ଖାଇଵାରୁ ଏହାର ଧ୍ଵନ୍ୟନୁକରଣରୁ ସୁଡ଼କିଵା ଵା ସୋଡ଼କିଵା କ୍ରିୟା ସୃଷ୍ଟ 

🟠ଏଉଡି଼/ହାଉଡ଼ି/ଵାଉଡି଼
ହାକୁଟି ସମୟରେ ହେଉଥିଵା ଶବ୍ଦର ଅନୁକରଣରେ ଏଉ,ହାଉ,ଵାଉ ଆଦି ଶବ୍ଦ ସୃଷ୍ଟି ହୁଏ ତହିଁର ଧ୍ଵନ୍ୟନୁକରଣରୁ ଏଉଡି଼,ହାଉଡ଼ି,ଵାଉଡି଼ ଓ ହାକୁଟି ଆଦି ଶବ୍ଦ ସୃଷ୍ଟି କରାଯାଇଛି । 

🟠ହାଁପଣ
ଓଡ଼ିଶାର କେତେକ ଅଞ୍ଚଳରେ କୁଲାକୁ ହାଁପଣ କୁହାଯାଏ । ଏହା ମଧ୍ୟ ଏକ ଧ୍ବନ୍ଯନୁକରଣ ଶବ୍ଦ ।  କୁଲାକୁ ଚଳାଇଲେ ଵା ଭୂମିରେ ଆଘାତ କଲେ ହପ ହପ ଶବ୍ଦ ହୁଏ ବୋଲି ଏହି ନାମକରଣ । 

🟠ହାପୁଡ଼ିଵା/ହାମ୍ପୁଡି଼ଵା/ସମ୍ପୁଡି଼ଵା
ପାଣିଆ ଖାଦ୍ଯକୁ ସଶବ୍ଦ ଶୋଷଣ କରି ଖାଇଵା ସମୟରେ ହମ୍ପ ହମ୍ପ ଓ ବେଳେ ବେଳେ ସମ୍ପ୍ ସମ୍ପ୍ ଶବ୍ଦ  ହୋଇଥାଏ ‌ତାହାର ଅନୁକରଣରେ ହାପୁଡ଼ିଵା,ହାମ୍ପୁଡି଼ଵା ଓ ସମ୍ପୁଡି଼ଵା ଆଦି ଶବ୍ଦ ସୃଷ୍ଟି ହୋଇଛି । 

🟠ହୁଳହୁଳି
ଆମ ଦେଶରେ ଆନନ୍ଦ ଉତ୍ସଵରେ ପୁରୁଷମାନେ 'ହରିବୋଲ' ଓ ସ୍ତ୍ରୀମାନେ ହୁଳହୁଳୀ ଦିଅନ୍ତି । ହୁଳହୁଳି ସ୍ତ୍ରୀମାନଙ୍କର ମୁଖଵାଦ୍ୟ ଵା ଉଲୁଧ୍ଵନି ଅଟେ ‌ । ହୁଳ ହୁଳୁ ଵା ଉଳୁ ଉଳୁ ଶବ୍ଦର ଅନୁକରଣରେ ହୁଳହୁଳି ଶବ୍ଦଟି ସୃଷ୍ଟି କରାଯାଇଛି ‌ ।

ଓଡ଼ିଆ ଭାଷାରେ ଏହିପରି ସହସ୍ରାଧିକ ଧ୍ଵନ୍ୟନୁକରଣ ଜନିତ ଶବ୍ଦ ପ୍ରଚଳିତ ଏଵଂ ମାତ୍ରାଧିକ ତତ୍ସମ ତଥା ଵୈଦେଶିକ ପ୍ରୟୋଗ ଯୋଗୁଁ କେତେକ ଧ୍ଵନ୍ୟନୁକାରୀ ଶବ୍ଦ କ୍ରମଶଃ ଲୁପ୍ତପ୍ରାୟ ହୋଇଯାଉଥିଵାବେଳେ ଆଉ କେତେକ ଧ୍ବନ୍ୟନୁକରଣ ଶବ୍ଦ ନିତ୍ୟ ଵ୍ୟଵହାର୍ଯ୍ୟ ଶବ୍ଦ ଭାବେ କଥିତ ଓ ଲିଖିତ ଓଡ଼ିଆ ଭାଷାରେ ପ୍ରଚଳିତ । ଧ୍ଵନ୍ୟନୁକରଣ ଶବ୍ଦ ପ୍ରତ୍ୟେକ ଭାଷାର ମୌଳିକ ଶବ୍ଦ । ଯେଉଁ ଭାଷାରେ ଯେତେ ଧ୍ବନ୍ୟନୁକାରୀ ଶବ୍ଦ ଥାଏ ସେ ଭାଷାର ଶବ୍ଦ ଭଣ୍ଡାର ସେତିକି ମୌଳିକ ଓ ସମୃଦ୍ଧ ବୋଲି ଜଣାଯାଏ ‌ । ଓଡ଼ିଆ ଭାଷାରେ ଝାଇଁ ଝାଇଁ,ଧଡ଼ପଡ଼,ଚୁଟ୍‌ଚୁଟି(ଭରତା), ଚଡ଼ଚଡି଼ ଓ ଘଡ଼ଘଡ଼ି ଆଦି ସହସ୍ରାଧିକ ଧ୍ଵନ୍ୟନୁକାରୀ ଶବ୍ଦ ଏବେ ମଧ୍ୟ ପ୍ରଚଳିତ । ଏହି ସବୁ ଶବ୍ଦ କୌଣସି ନା କୌଣସି ପ୍ରାକୃତିକ ଵା କୃତ୍ରିମ ଧ୍ବନିର ଅନୁକରଣରୁ ସୃଷ୍ଟି ହୋଇଛି ।  ଆମ ଭାଷାର ଏହିପରି ମୌଳିକ ଧ୍ଵନ୍ୟନୁକାରୀ ଶବ୍ଦକୁ ଛାଡ଼ି ଆମେ ଵୈଦେଶିକ ଶବ୍ଦ ପ୍ରୟୋଗ ଦ୍ଵାରା ଆମ ଭାଷାର କ୍ଷତି ହିଁ ହୋଇଥାଏ । 

ଓଡ଼ିଶାର ସବୁ ଅଞ୍ଚଳରେ ଏହିପରି ଆହୁରି ଅନେକ ଧ୍ଵନ୍ୟନୁକାରୀ ଶବ୍ଦ ନିଶ୍ଚୟ ଚଳୁଥିଵ ‌।  ଆପଣଙ୍କ ଅଞ୍ଚଳରେ ଏମିତି କୌଣସି ଧ୍ବନ୍ୟନୁକାରୀ ଶବ୍ଦ ଚଳୁଥିଲେ ଜଣାଇଵାକୁ ଅନୁରୋଧ ।

Sunday, February 6, 2022

■ ମା' ସରସ୍ବତୀ ■

ମାଆ ସରସ୍ଵତୀ
          ✍ଉପେନ୍ଦ୍ର କୁମାର ବସ୍ତିଆ
     """"""""""""""""""""""
ସରସ୍ଵତୀ ସରସ୍ଵତୀ ସତ୍ୟ ସନାତନି 
ସାରଳା ସର୍ବ ମଙ୍ଗଳା ଜ୍ଞାନୀ ପ୍ରଦାୟନି
ମହେଶ୍ଵରୀ ମହାମାୟୀ ମହିଷା ମର୍ଦିନୀ 
ଭବାନୀ ଭବନାମୟୀ ଭାରତ ମୋହିନୀ । 

ଦୁର୍ଗତି ନାଶିନୀ ଦୁର୍ଗା ଗୋରଣ ଚଣ୍ଡିକା 
ରୁଦ୍ରାଣୀ ରୁଦ୍ର ମୂରତି ମୋହିନୀ କାଳୀକା 
ମୁଢ଼ାନୀ ଗୋ କାତ୍ୟାୟନୀ ଭୈରବୀ ତୁ ଭିମା 
ମହାମାୟୀ ମହାଲକ୍ଷ୍ମୀ ଗଙ୍ଗା କାଳୀ ଶ୍ୟାମା ।

ନମସ୍ତେ ଶାରଦା ମାଗୋ ନମୋ ଜଗନ୍ମାତା 
ନମସ୍ତେ ନମସ୍ତେ ମାଗୋ ତତ୍ତ୍ଵ ଜ୍ଞାନ ଦାତା 
ନମସ୍ତେ ମାଆ ବୀଣାପାଣି ଶ୍ୱେତ ପଦ୍ମାସନି 
ଶ୍ଵେତ ବସ୍ତ୍ରା ଶ୍ୱେତ ପୁଷ୍ପେ ଶୋଭୁ ଗୋ ଜନନୀ ।

ଚନ୍ଦ୍ର ଜୋତ୍ସା କିଣା ପୁଷ୍ପେ ଟଗର ତରାଟ 
ପ୍ରଶନ୍ନା ବଦନା ମୁଣ୍ଡେ ସୁବର୍ଣ୍ଣ କୀରଟ 
ଝଙ୍କଡେ ରହିଛୁ ମାଗୋ ତୋ ନାମ ସାରଳା 
ଯାଜପୁରେ ବିରଜାଗୋ ମୃତ୍ୟୁ ଦୂର୍ପ ଦଳା 

କାକଟ ପୁରେ ମଙ୍ଗଳା ବାଙ୍କି ଚର୍ଚିକାଇ 
ସମ୍ବଲପୁରେ ରହିଛୁ ମାଗୋ ସମଲାଇ ।
ଝାରଖଣ୍ଡେ ମାଆ ତାରିଣୀ ପତିତପାବନୀ 
କ୍ଷେତ୍ର ରାଜେ ବିମଳା ଗୋ ମଣ୍ଡୁଛୁ ଅବନୀ ।

ଲକ୍ଷ୍ମୀ ରୂପେ ପଡ଼ି ଦେଉ ଶିଖାଉ ଘରଣୀ 
ଦୁର୍ଗା କାଳୀ ରୂପେ ନାଶ କରୁ ଦୁଷ୍ଟ ପୁଣି 
ପ୍ରୁଥୀ ରୂପେ ଖାଦ୍ୟ କରୁ ନିଜେ ଉତପନ 
ସର୍ବ ସହିଣୀ ରୂପେ ଜ୍ଞାନୀ କରେ ମାନ୍ୟ ।

ତୋର କୃପା ଆହରଣେ କବି କାଳିଦାସ 
କଲେ ବାକ୍ୟ ଭାରତରୁ ଥୋଇ ଷଢ଼ରସ 
ଜନନୀ ତୁ ଜନ୍ମଭୂମି ତୋ ଉପମା ତୁହି 
ମାତା ହୋଇ ତୋର କୋଳେ ଖେଳାଉ ଗେହ୍ଲାଇ ।

ରାଉରକେଲା (୯୬୯୨୩୪୧୩୮୮)

Tuesday, February 1, 2022

ସମର୍ପଣ (topic - 118 ଆକାଶଦୀପ ) quote #quot

ଆକାଶଦୀପ - 118 

ନିତି ସନ୍ଧ୍ଯା ବେଳେ ଠେକି ମଧ୍ଯେ ଦୀପ
         ଦିଅନ୍ତି ଯତନେ ରଖି
ହରିବୋଲ  ହରିବୋଲ ଡାକ ଦେଇ
        ଦିଅନ୍ତି ଉପରେ ଟେକି
ଦପ ଦପ ହୋଇ     ଜଳେ ରାତି ସାରା
      ଠେକି ମଧ୍ଯେ ସେଇ ଦୀପ
ସଂସାର ହାଟରେ     କାର୍ତ୍ତିକ ମାସରେ
         ନଆଁ ତା ଆକାଶ ଦୀପ
                   -  ଜଗବନ୍ଧୁ ସାହୁ

କାର୍ତ୍ତିକର କଥା ଉଚ୍ଚେ ଉଲ୍ଲେଖିତା
      ମାସଙ୍କ ମଧ୍ୟରେ ସାର
ପୂଣ୍ୟମୟ ପିଠି କାର୍ତ୍ତିକର ଭେଟି
      ବିହିଙ୍କ ଭିନ୍ନ ବିଚାର
ନିହାତି ନିଆରା ଦୀପ ଦାନ ଧାରା
       ଆକାଶ ଦୀପର ବିଧି
ପିତୃଲୋକ ତୋଷ ଏହା ହିଁ ବିଶେଷ
      କଇଲ୍ୟାଣେ ସର୍ବସିଦ୍ଧି
            -  ଦାଶରଥି ସାହୁ

ବୃନ୍ଦାବତୀ ମୂଳେ ଲମ୍ବା ବାଉଁଶରେ
        ଜଳୁଛି ଆକାଶ ଦୀପ
ଲକ୍ଷ୍ମୀ ନାରାୟଣ ଆବାହନ ପାଇଁ
      ଦୀପ କରେ ଆଲୋକିତ
କାର୍ତ୍ତିକ ମାହାତ୍ମ୍ୟ ମହା ପୁଣ୍ୟ ବ୍ରତ
      ଜଗତ ମଙ୍ଗଳ ଚିନ୍ତି 
ଓଡ଼ିଆ ଜାତିର ଗାଥା ଗୌରବ ଏ
     ପୌରାଣିକ ରୀତି ନୀତି
              -  ପ୍ରବୀର ମଲ୍ଲିକ

ପୁଣ୍ୟ କାର୍ତ୍ତିକରେ ଚଉତରା ମୂଳେ
    ଜଳଇ ଆକାଶ ଦୀପ
ଠେକି ମଧ୍ୟେ ଥାଇ ବଖାଣୁଥାଏ ସେ
     ଧର୍ମୀୟ ପ୍ରଥାର ଗପ l
ଶରଧା ଭକତି ସମର୍ପଣ ଭାବ
     ରଖି ବିଭୁ ପାଦ ତଳେ
ସ୍ୱାତ୍ତିକ ଛୁଁଙ୍କରେ ଶ୍ରଦ୍ଧାଳୁ ଜାଳନ୍ତି
    ଦୀପ ନେଇ ସ୍ୱୟଂକାଳେ l
           - ରାମ ଚନ୍ଦ୍ର ପ୍ରଧାନ

ହବିଷାଳୀ ମେଳେ କାର୍ତ୍ତିକ ଚହଳ 
          ଧର୍ମ ଅରଜନ ପାଇଁ 
 ଆକାଶ ଦୀପଟି ଜଳେ ଦପ ଦପ 
         ଲକ୍ଷ୍ମୀ-ନାରାୟଣ  ଧ୍ୟାଇ 
  ପୂର୍ବ-ପୁରୁଷଙ୍କ  ମାର୍ଗ ପ୍ରଦର୍ଶନେ
       ଇସ୍ପିତ ଆଶାକୁ ଥୋଇ 
ବିଶ୍ବାସମନା ଏ  ଉତ୍କଳୀ ପ୍ରୟାସ  
          ନିଜସ୍ୱ ସଂସ୍କୃତି ଏଇ 
             - ସନ୍ତୋଷ ପଟ୍ଟନାୟକ

କାର୍ତ୍ତିକ ମାସର ସନ୍ଧ୍ୟା ଆଗମନେ 
     ତୁଳସୀ ଚଉରା ମୂଳେ 
ପିତୃ ପୁରୁଷଙ୍କୁ    ସୁମରି ଓଡ଼ିଆ 
      ଆକାଶ ଦୀପଟି ଜାଳେ 
ପିତଳ ହେଉକି  ମାଟିରେ ନିର୍ମିତ 
      ହାଣ୍ଡି ମଧ୍ୟେ ଦୀପ ରଖି 
ବାଉଁଶ ଦଣ୍ଡରେ ବାନା ଖଣ୍ଡେ ବାନ୍ଧି 
       ଆକାଶେ ଦିଅନ୍ତି ଟେକି
                 - ଟୁକୁନା ସାହୁ

କାହିଁ କେଉଁକାଳୁ ପ୍ରଚଳିତ ପ୍ରଥା
     ସୁନ୍ଦର ଏ'ପରମ୍ପରା 
କାର୍ତ୍ତିକ ସଞ୍ଜରେ ବାନା ବାଉଁଶରେ
     ଦୀପଟି ଲାଗେ ନିଆରା 
ଉର୍ଦ୍ଧ୍ବରେ ଲାଗିଲେ ଜୀବ ଉର୍ଦ୍ଧ୍ବମୁଖୀ
      ଆକାଶ ଦୀପକୁ ଚାହିଁ 
ପିତୃଲୋକ ଶାନ୍ତି ପ୍ରାପ୍ତ ହୋଇଥାନ୍ତି
       ଅମୃତ ଲୋକକୁ ଯାଇ 
              ‐ ରାଧା କୃଷ୍ଣ ବାୟକ

କାର୍ତ୍ତିକ ମାସର କଅଁଳ ଶୀତରେ
     ସଞ୍ଜଟା ଆସିଲେ ମାଡି
ଗାଆଁ ଗହଳିର ଚଉତରା ମୂଳେ
     ଲାଗଇ ପିଲାଙ୍କ ଧାଡି
ହରିବୋଲ ଡାକେ କମ୍ପଇ ଗଗନ
       ଆକାଶ ଦୀପକୁ ଜାଳି
ଶଙ୍ଖ ନାଦେ ପୁଣି ପୁରି ଉଠେ ଗାଆଁ
       ପିତୃ ପୁରୁଷଙ୍କୁ ଭାଳି
                 -  ରବିନ୍ଦ୍ର ସାହୁ

ଲୁହ

ଅଟକୁନି ଲୁହ  ବୋହି ଚାଲୁଛି ଅନବରତ ଆଖିବି ନିଜର କରି ରଖି ପାରୁନି  ଏ ଲୁହକୁ,,,, ବାସ୍ ଝରି ଯାଉଛି ଟୋପା ଟୋପା ହୋଇ! ମନର ବ୍ୟଥା  ହୃଦୟର କୋହ  ସତରେ ଭା...