ଆକାଶଦୀପ - 118
ନିତି ସନ୍ଧ୍ଯା ବେଳେ ଠେକି ମଧ୍ଯେ ଦୀପ
ଦିଅନ୍ତି ଯତନେ ରଖି
ହରିବୋଲ ହରିବୋଲ ଡାକ ଦେଇ
ଦିଅନ୍ତି ଉପରେ ଟେକି
ଦପ ଦପ ହୋଇ ଜଳେ ରାତି ସାରା
ଠେକି ମଧ୍ଯେ ସେଇ ଦୀପ
ସଂସାର ହାଟରେ କାର୍ତ୍ତିକ ମାସରେ
ନଆଁ ତା ଆକାଶ ଦୀପ
- ଜଗବନ୍ଧୁ ସାହୁ
କାର୍ତ୍ତିକର କଥା ଉଚ୍ଚେ ଉଲ୍ଲେଖିତା
ମାସଙ୍କ ମଧ୍ୟରେ ସାର
ପୂଣ୍ୟମୟ ପିଠି କାର୍ତ୍ତିକର ଭେଟି
ବିହିଙ୍କ ଭିନ୍ନ ବିଚାର
ନିହାତି ନିଆରା ଦୀପ ଦାନ ଧାରା
ଆକାଶ ଦୀପର ବିଧି
ପିତୃଲୋକ ତୋଷ ଏହା ହିଁ ବିଶେଷ
କଇଲ୍ୟାଣେ ସର୍ବସିଦ୍ଧି
- ଦାଶରଥି ସାହୁ
ବୃନ୍ଦାବତୀ ମୂଳେ ଲମ୍ବା ବାଉଁଶରେ
ଜଳୁଛି ଆକାଶ ଦୀପ
ଲକ୍ଷ୍ମୀ ନାରାୟଣ ଆବାହନ ପାଇଁ
ଦୀପ କରେ ଆଲୋକିତ
କାର୍ତ୍ତିକ ମାହାତ୍ମ୍ୟ ମହା ପୁଣ୍ୟ ବ୍ରତ
ଜଗତ ମଙ୍ଗଳ ଚିନ୍ତି
ଓଡ଼ିଆ ଜାତିର ଗାଥା ଗୌରବ ଏ
ପୌରାଣିକ ରୀତି ନୀତି
- ପ୍ରବୀର ମଲ୍ଲିକ
ପୁଣ୍ୟ କାର୍ତ୍ତିକରେ ଚଉତରା ମୂଳେ
ଜଳଇ ଆକାଶ ଦୀପ
ଠେକି ମଧ୍ୟେ ଥାଇ ବଖାଣୁଥାଏ ସେ
ଧର୍ମୀୟ ପ୍ରଥାର ଗପ l
ଶରଧା ଭକତି ସମର୍ପଣ ଭାବ
ରଖି ବିଭୁ ପାଦ ତଳେ
ସ୍ୱାତ୍ତିକ ଛୁଁଙ୍କରେ ଶ୍ରଦ୍ଧାଳୁ ଜାଳନ୍ତି
ଦୀପ ନେଇ ସ୍ୱୟଂକାଳେ l
- ରାମ ଚନ୍ଦ୍ର ପ୍ରଧାନ
ହବିଷାଳୀ ମେଳେ କାର୍ତ୍ତିକ ଚହଳ
ଧର୍ମ ଅରଜନ ପାଇଁ
ଆକାଶ ଦୀପଟି ଜଳେ ଦପ ଦପ
ଲକ୍ଷ୍ମୀ-ନାରାୟଣ ଧ୍ୟାଇ
ପୂର୍ବ-ପୁରୁଷଙ୍କ ମାର୍ଗ ପ୍ରଦର୍ଶନେ
ଇସ୍ପିତ ଆଶାକୁ ଥୋଇ
ବିଶ୍ବାସମନା ଏ ଉତ୍କଳୀ ପ୍ରୟାସ
ନିଜସ୍ୱ ସଂସ୍କୃତି ଏଇ
- ସନ୍ତୋଷ ପଟ୍ଟନାୟକ
କାର୍ତ୍ତିକ ମାସର ସନ୍ଧ୍ୟା ଆଗମନେ
ତୁଳସୀ ଚଉରା ମୂଳେ
ପିତୃ ପୁରୁଷଙ୍କୁ ସୁମରି ଓଡ଼ିଆ
ଆକାଶ ଦୀପଟି ଜାଳେ
ପିତଳ ହେଉକି ମାଟିରେ ନିର୍ମିତ
ହାଣ୍ଡି ମଧ୍ୟେ ଦୀପ ରଖି
ବାଉଁଶ ଦଣ୍ଡରେ ବାନା ଖଣ୍ଡେ ବାନ୍ଧି
ଆକାଶେ ଦିଅନ୍ତି ଟେକି
- ଟୁକୁନା ସାହୁ
କାହିଁ କେଉଁକାଳୁ ପ୍ରଚଳିତ ପ୍ରଥା
ସୁନ୍ଦର ଏ'ପରମ୍ପରା
କାର୍ତ୍ତିକ ସଞ୍ଜରେ ବାନା ବାଉଁଶରେ
ଦୀପଟି ଲାଗେ ନିଆରା
ଉର୍ଦ୍ଧ୍ବରେ ଲାଗିଲେ ଜୀବ ଉର୍ଦ୍ଧ୍ବମୁଖୀ
ଆକାଶ ଦୀପକୁ ଚାହିଁ
ପିତୃଲୋକ ଶାନ୍ତି ପ୍ରାପ୍ତ ହୋଇଥାନ୍ତି
ଅମୃତ ଲୋକକୁ ଯାଇ
‐ ରାଧା କୃଷ୍ଣ ବାୟକ
କାର୍ତ୍ତିକ ମାସର କଅଁଳ ଶୀତରେ
ସଞ୍ଜଟା ଆସିଲେ ମାଡି
ଗାଆଁ ଗହଳିର ଚଉତରା ମୂଳେ
ଲାଗଇ ପିଲାଙ୍କ ଧାଡି
ହରିବୋଲ ଡାକେ କମ୍ପଇ ଗଗନ
ଆକାଶ ଦୀପକୁ ଜାଳି
ଶଙ୍ଖ ନାଦେ ପୁଣି ପୁରି ଉଠେ ଗାଆଁ
ପିତୃ ପୁରୁଷଙ୍କୁ ଭାଳି
- ରବିନ୍ଦ୍ର ସାହୁ
No comments:
Post a Comment