Showing posts with label ଗବେଷଣାତ୍ମକ ବାଖ୍ୟା. Show all posts
Showing posts with label ଗବେଷଣାତ୍ମକ ବାଖ୍ୟା. Show all posts

Monday, July 27, 2020

🛳 ବୋଇତ 🛳

  ● ଉପସ୍ଥାପନା :- ଡ଼ାଃ ଦେବାଶିଷ ଜେଠୀ ●
ପ୍ରାଚୀନ କାଳରୁ ଓଡ଼ିଆରେ ପ୍ରଚଳିତ ହିଁ ନୁହେଁ ଵରଂ ଅତି ପ୍ରଚଳିତ ହୋଇ ଆସିଛି ବୋଇତ ଶବ୍ଦ । ଭାରତର ଅନ୍ୟ କୌଣସି ପ୍ରାଦେଶିକ ଭାଷାରେ ଏହି ଶବ୍ଦ ନାହିଁ ।  । 

୧) ହିନ୍ଦୀରେ - ନୈହର, ନୟା , କସ୍ତୀ, କିସ୍ତୀ ଶବ୍ଦ ରହିଛି
୨) ବଙ୍ଗଳାରେ ତୋରୀ, ଡୋଙ୍ଗା, ନୌକା, ନାଓ, ତରୋନି, ଖେଆ (ପଶ୍ଚିମ ବଙ୍ଗ) ଓ ଖ୍ୟେଓଆ (ବାଂଲାଦେଶ୍)  ଶବ୍ଦ ଅଛି
୩) ସଂସ୍କୃତରେ  ନୌକା, ନୌ, ତରୀ, ତରଣି, ଉତ୍ପ୍ଳଵା, ପ୍ଳଵାକା, କଣ୍ଠାଳ, ଅଡୁଵ, ତଳ୍ପ, ତରଣ୍ଡ, ନାଵ,ପରିପ୍ଳଵ, ପର୍ଣ୍ଣାଳ, ଜଳଯାନ, ଵାରିରଥ ... ଇତ୍ୟାଦି ଇତ୍ୟାଦି ଏବଂ କ୍ୱଚିତ କାବ୍ୟରେ ବହିତ୍ର, ବୋହିତ୍ଥ ଵ୍ଯଵହୃତ ଏଵଂ ସଂସ୍କୃତକୁ ଏ ଶବ୍ଦ ଓଡ଼ିଆ କଵି ଜୟଦେଵଙ୍କ ଦ୍ଵାରା ଯାଇ ଚଳୁଅଛି ।  

ଅଵଶ୍ଯ ସିଂହଳୀରେ බෝට්‍ටුව (bōṭṭuva) ଶବ୍ଦ ରହିଛି ଏଵଂ ଏ ଶବ୍ଦଟି ଓଡ଼ିଆ ମୂଳର କି ୟୁରୋପୀୟ ମୂଳରୁ ଆସିଅଛି ତାହା ଗଵେଷଣାର ଵିଷୟ  । ପୁଣି ପ୍ରାକୃତର 𑀩𑁂𑀟𑀕 (beḍaga) ସଂସ୍କୃତର ବେଡ଼କ ଓ ବେଡ଼ ଇତ୍ଯାଦି ଶବ୍ଦ ସହିତ ଓଡ଼ିଆ ବୋଇତ ଶବ୍ଦ ସହ ଵାହ୍ଯ ସାଦୃଶ୍ୟ ଦେଖାଯାଏ କିନ୍ତୁ  ଏହାର ମୂଳ ଭିନ୍ନ ଅଟେ । 

ପ୍ରକାରାନ୍ତରେ, ୟୁରୋପୀୟ ଭାଷା ସମୂହରେ ଏହି ଶବ୍ଦର ପାଖାପାଖି ଶବ୍ଦ ଅନେକ ରହିଛି । 
ଯଥା—
🔷ଇଂରାଜୀ—(ଆଧୁନିକ—boat),(ମଧ୍ୟ ଯୁଗୀୟ—bot, boot, boet, boyt),(ପ୍ରାଚୀନ—bāt)
🔷ପ୍ରାକ୍ ଜର୍ମାନ— *baitaz, *baitą 
🔷ଇସପ୍ରାନ୍ତୋ— boato
🔷ଫିଜିଆନ—boto
🔷 ସ୍କଟିସ୍—boat, bote 
🔷ଡଚ୍—boot 
🔷ଡାନିସ୍— båd 
🔷ଫାରୁଇଜ୍—bátur 
🔷ଫ୍ରେଞ୍ଚ—bateau
🔷ହାଇତିଆନ୍ କ୍ରିଓଲ୍— bato
🔷 ଆଇସଲ୍ୟାଣ୍ଡିକ—bátur 
🔷ଇଡୋ ଭାଷା(Ido)—batelo
🔷ଆଇରିସ୍—bád 
🔷ଇଟାଲିଆନ୍—battello
🔷ଓସିଆନ(Occitan)— batèl 
🔷ପର୍ତ୍ତୁଗୀଜ—bote
🔷ରୁଷୀଭାଷା—бот(bot)

⛵⛵⛵⛵ଓଡ଼ିଆ ସାହିତ୍ୟରେ ବୋଇତ ଶବ୍ଦ⛵⛵⛵⛵

✓କାଳିନ୍ଦିଜଳ କଲ୍ଲୋଳ ଲହରି ଶୋଭିତ । 
ମଧ୍ୟରେ ଅଧର ଶୋଭ ପୋହଳା ବୋଇତ ॥
 ସୁସଞ୍ଛ ତ୍ରିମୁଣ୍ଡି ପାବଛରେ ହୋଏ ରୋଳ ।
 ପ୍ରସାଦ ସୌରଭେ ଭ୍ରମନ୍ତି କି ଭ୍ତଙ୍ଗମେଳ ॥
(ଜଗମୋହନ ରାମାୟଣ, ବଳରାମ ଦାସ)

✓ବାୟୁ ଦେଖି ସାଧୁମାନେ । 
ହରଷ ହେଲେ ନିଜ ମନେ ।।
 ସମୁଦ୍ରେ ବୋଇତ ମେଲିଲେ । 
ସପତ ବୋହୁକୁ ଡ଼ାକିଲେ ।।
(ଖୁଦୁରୁକୁଣୀ ଓଷା ଗୀତ, ଗୋପୀନାଥ ଦାସ)

✓ସୁନ୍ଦରୀର ତରୀ ସମ ବିଭୁଷିତ,
 ଗଜଦନ୍ତେ ଗଢ଼ା ଅପର ବୋଇତ,
 ସମସଂଖ୍ୟା ଯୁବା ବର୍ମୋଜ୍ଜ୍ୱଳ ଅଙ୍ଗ, 
ତରୀଦନ୍ତେ ରଙ୍ଗେ କାଟନ୍ତି ତରଙ୍ଗ ।
(ଚିଲିକା,କଵିଵର ରାଧାନାଥ ରାୟ)

✓ସେ କାହିଁ ତରିବ ସଂସାର ।
 ବୁଡ଼ଇ ତମ-ମହାଘୋର ।।୧୪୦।।
ବୋଇତ ଆଶ୍ରେ ବିନା ପ୍ରାଣୀ ।
 ବାଣିଜ୍ୟେ ସମୁଦ୍ର ନ ଜିଣି ।।୧୪୧।।
(ଦ୍ଵାଦଶ ସ୍କନ୍ଧ,ଭାଗଵତ, ଅତିବଡ଼ ଜଗନ୍ନାଥ ଦାସ)

✓ଚନ୍ଦ୍ରାଲୋକେ ଯହିଁ ନିଶୀଥେ ଜଳଦେବୀ ସଙ୍ଗୀତ,
ଶୁଣନ୍ତି ଚକିତେ ନାବିକେ ଦୂରେ ବାହୁଁ ବୋଇତ । 
(ଚନ୍ଦ୍ରଭାଗା,କଵିଵର ରାଧାନାଥ ରାୟ)

✓ଉତ୍କଳେ ଅସଙ୍ଗେ-ପ୍ରବାହେ ତ୍ୱରିତ, 
ବାହୁଛନ୍ତି ଯେହୁ ସ୍ୱରାଜ୍ୟ-ବୋଇତ; 
ସେ ଦଳରେ ମୁହିଁ ଅକିଞ୍ଚନ ଜଣେ, 
ମୋଡୁଥିଲି ନାବ-ମଙ୍ଗ ପ୍ରାଣପଣେ ।
(ବନ୍ଦୀର ଆତ୍ମକଥା, ଉତ୍କଳମଣି ଗୋପବନ୍ଧୁ ଦାସ)

✓ଗଙ୍ଗ-ଶିଉଳୀ ଟଗରେ,
 ଧବଳିତ ଉପବନ ଜନମନ ହରେ ।
 ଖଣ୍ଡ ଖଣ୍ଡ ଧଳାମେଘ ସୁନୀଳ ଅମ୍ବରେ, 
ଭାସଇ ବୋଇତ ଯଥାନୀଳ ସମୁଦ୍ରରେ । 
(ଶରତ୍, ମଧୁସୂଦନ ରାଓ)

✓"ବୋଇତ ଲାଗିଲା ଆସି ସିଂହଳ ଦ୍ଵୀପରେ
ସାଧଵ ଯୁଵତୀମାନେ ଅତି ପ୍ରମୋଦରେ
ଗଲେ ବୋଇତ ବନ୍ଦାଇ,
ଅର୍ଘ୍ୟଥାଳୀ କରେ ସର୍ଵେ ହୁଳହୁଳି ଦେଇ ।।"
(ଲାଵଣ୍ୟଵତୀ,କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜ)

କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ,ଉତ୍କଳୀୟ କଵି ଜୟଦେଵଙ୍କ ପଦାଙ୍କ ଅନୁସରଣରେ ତାଙ୍କ ଵୈଦେହୀଶ ଵିଳାସର  ଵିଭିନ୍ନ ସ୍ଥାନରେ ବହିତ୍ର ଶବ୍ଦକୁ ଵ୍ଯଵହାର କରିଅଛନ୍ତି ...

✓ଵାର୍ଭଟ କି ଗଜଯୂଥ ଭେଳା ହୟ । 
ବହିତ୍ର କି ରଥ ଭେକ ପତ୍ତିଚୟ । ୧୩ । 

✓ବଳେ ବସାଇ ସ୍ୟନ୍ଦନେ
 କେ ଗଲା କି ଘେନି ଵାରି-ରାଶି ମଧ୍ୟେ ମୋର ।  
ଵାରି-ରାଶି ମଧ୍ୟେ ମୋର
 ବହିତ୍ର କଟାଇ ଧନ ହରିନେଲା ଜୂର । ୩୨ ।

✓ଵିହି ଶାପ ତୋର ମୃତ୍ୟୁ ଏ ଶୈଳେ ଆସିଲେ 
 ବହି ଶଵ ତାହା ଜାଣି ଆଣି ଏ ନିକଟେ । 
ବହିତ୍ର ଯେମନ୍ତ ସ୍ଥିତ ସମୁଦ୍ରେ ପ୍ରକଟେ ।୩୪। 
⛵ବୋଇତ ସମ୍ବନ୍ଧୀୟ କେତେକ ଐତିହାସିକ ତଥ୍ୟ⛵
🔴ସଂସ୍କୃତ "ଯୁକ୍ତିକଳ୍ପତରୁ" ଓ ଓଡ଼ିଆ ମାଦଳା ପାଞ୍ଜିରେ ବୋଇତ ତିଆରିର ପ୍ରଣାଳୀ ଓ ନିୟମ ଉଲ୍ଲେଖ । ଏଥିରେ ରାଜା ଭୋଜ ସ୍ଥାନୀୟ କାଠରୁ ବୋଇତ ତିଆରି କରୁଥିଲେ ବୋଲି ଉଲ୍ଲେଖ ରହିଛି । ରାଜାଭୋଜ ଓ ଇନ୍ଦ୍ରଦ୍ୟୁମ୍ନ  ଇତ୍ୟାଦି ରାଜଶକ୍ତିର ପ୍ରତୀକ ରୂପେ ଉଲ୍ଲେଖ କରାଯାଇଛି ବୋଲି କେତେକ ଗଵେଷକ ମତ ଦିଅନ୍ତି । 

🔵ଚିଲିକାରୁ ମିଳିଥିଵା ଵିଭିନ୍ନ କାଠକାମ ଯନ୍ତ୍ର ଓ ଅନ୍ୟାନ୍ୟ ଵସ୍ତୁରୁ ପ୍ରମାଣ ମିଳେ ଯେ ନିକଟରେ ଥିଵା ଗୋଳାବାଇଠାରେ ଏକ ବୋଇତ ତିଆରି କାରଖାନା ଥିଲା । 

🔴ବଣଗଡ଼ ଓ ଚନ୍ଦ୍ରକେତୁଗଡ଼ରୁ ମିଳିଥିଵା ଖ୍ରୀ.ପୂ. ୪୦୦-୧୦୦ ଭିତରର ପୋଡ଼ାମାଟି ମୋହରରୁ ଜଣାପଡ଼େ ଯେ ବୋଇତରେ ମକା ଆଦି ଶସ୍ୟ ବୋଝେଇ ହୋଇ ସମୁଦ୍ରରେ ଯାଉଥିଲା । 

🔵ବୋଇତାଳୁ ଓ ବୋଇତିକଖାରୁ ଶବ୍ଦରୁ ଅନୁମାନ କରାଯାଏ ଯେ ଏ ଜାତୀୟ କଖାରୁକୁ ଓଡ଼ିଶାର ବୋଇତାଳମାନେ ବୋଇତରେ ନେଇ ଯାଉଥିଲେ । 

🔴ଓଡ଼ିଆ ଭାଷାରେ ମୁର୍ମୂଷୁ ହେଲୈ ହେଁ ହଜାର ହଜାର ବୋଇତିଆ ଶବ୍ଦ ରହିଛି ପୁଣି ସାରା ଭାରତରେ ନିଆରା ଆମ ଜାତିର ସ୍ଵତନ୍ତ୍ର ଦିଗ ନିର୍ଣ୍ଣୟ ପଦ୍ଧତି ମଧ୍ୟ ରହିଥିଲା । 

🔵ଓଡ଼ିଶାରେ ପ୍ରଥମ ବୋଇତର ଚିତ୍ର ଏକ ମୂର୍ତ୍ତିରେ ଖୋଦିତ ଦୁଇଟି ଜାହାଜ । ଏହା ଭୁବନେଶ୍ୱରର ବ୍ରହ୍ମେଶ୍ୱର ମନ୍ଦିରରୁ ମିଳିଵା ପରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ ହୋଇରହିଛି । ପ୍ରଥମ ବୋଇତଟିର ଆଗ ଭାଗରେ ଛିଡ଼ାହୋଇଥିଵା ହାତୀ ଥିଲା ବେଳେ ମଝିରେ ଦୁଇଜଣ ଲୋକ ବସିଛନ୍ତି ଓ ତାଙ୍କ ଭିତରୁ ଜଣେ ନାବିକ ମଙ୍ଗ ଧରି ବୋଇତଟିକୁ ଚଳାଉଛନ୍ତି ।

🔴ଭୁବନେଶ୍ୱରର ଏକ ଦେଉଳର ଉପରିଭାଗ ଓଲଟା ବୋଇତସମ ହୋଇଥିଵାରୁ ଏହାର ନାମ ବୋଇତାଳ ଦେଉଳ । 

🔵ଲିଙ୍ଗରାଜ ମନ୍ଦିରରେ ଥିଵା ୧୧ଶ ଖୀଷ୍ଟାବ୍ଦର ଏକ ମୂର୍ତ୍ତିରେ ନାରୀଜଣେ ବୋଇତଟି ଚଳାଉଥିଵା ଖୋଦିତ । 

🔴କୋଣାର୍କରେ ୧୩ଶ ଶତାବ୍ଦୀର ଏକ ମୂର୍ତ୍ତିରେ ବୋଇତଟିଏ ଚାରିଜଣ ନାବିକଙ୍କ ଦେଇ ଚାଳିତ ହେଵା ଦେଖିଵାକୁ ମିଳେ । ଏହି ବୋଇତରେ ମଝିଭାଗରେ ଏକ ଛୋଟ କୋଠରୀ ଭିତରେ ଧନୁଶର ଧରି ବସିଥିଵାର ଦେଖିବାକୁ ମିଳେ । 

🔵କୋଣାର୍କ ମନ୍ଦିରରେ ଥିବା ଏକ ବୋଇତରେ କଳିଙ୍ଗ ସହ ଆଫ୍ରିକାର ଵାଣିଜ୍ୟିକ କାରବାର ବାବଦରେ ଜଣାଉଥିଵା ଜିରାଫଟିଏ ଖୋଦିତ ହୋଇଅଛି । 

🔴ଦଶମରୁ ତ୍ରୟୋଦଶ ଶତାବ୍ଦୀ ସମୟର କଵି ସାରଳା ଦାସ ତାଙ୍କ ମହାଭାରତ ଗ୍ରନ୍ଥରେ କୁନ୍ତୀ ଓ ପାଣ୍ଡୁଙ୍କ ଵିଵାହ ପ୍ରସଙ୍ଗ ଉଲ୍ଲେଖ ସମୟରେ "ଆ କା ମା ଭୈ" ଶବ୍ଦର ଵ୍ଯଵହାର କରି ଲେଖିଛନ୍ତି ...

"କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ବୁଧଵାର ଯେ ପୂର୍ଣ୍ଣିମା
ଆ କା ମା ଭୈ ସ୍ନାହାନ ଦିନ ଗଙ୍ଗାକୁ ଗଲୈ କୁନ୍ତ ଭୋଜ ସ୍ଵାମୀ ।।
ସେହି ଗଙ୍ଗା ସ୍ନାହନକୁ ଭୀଷ୍ମ ଯେ ଅଇଲେ
କୁନ୍ତ ଭୋଜରଜା ସଙ୍ଗେ ମଇତ୍ର ହୋଇଲେ ।।"

ଆପଣଙ୍କ ପାଖରେ ବୋଇତ ସମ୍ବନ୍ଧରେ ଏଇଭଳି କୌଣସି ତଥ୍ୟ ଥିଲେ ଏଠାରେ ତାହା ପ୍ରଦାନ କରିଵାକୁ ଵିଶେଷ ଅନୁରୋଧ ରହିଲା ।

ଚାମଚ଼ା

#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...