Tuesday, February 23, 2021

ସମର୍ପଣ (topic - 97 ବଦନାମ୍ ) quote #quot

ବଦନାମ  - 97

ଅପବାଦ, ଗାଳି ,ନିନ୍ଦିତ ,ଭର୍ତ୍ସନା
     କୁତ୍ସା ,ଦୁର୍ଗୁଣ ,ଦୁର୍ନାମ ,
ଜନ ମାନସରେ ସରଳ ଭାଷାରେ
     ବଦନାମ ତାର ନାମ 
 ଏହି ଯଥାର୍ଥରେ ଦର୍ଶନ ଶାସ୍ତ୍ରରେ 
      ନିନ୍ଦା ରଚା ମହାପାପ 
ଏହି ମହାଉକ୍ତି ମାନବ ସୁଚିନ୍ତି 
      ହୁଅ ହେ ପରିଚାଳିତ 
              - ପ୍ରବୀର ମଲ୍ଲିକ୍ 

ପରନିନ୍ଦା ଗାଳି ଷଡଯନ୍ତ୍ର ଭାଳି 
           ହୁଅନାହିଁ ବଦନାମ୍ 
  ସୁନାମ ହଜିବ  ଦୁର୍ଗୁଣ ଅର୍ଜିବ 
          ଯିବ ଆତ୍ମ ସନମାନ 
କର୍ତ୍ତବ୍ୟର ଧାରେ ଚାଲୁଥାଅ ଧିରେ 
           କରୁଥାଅ ଆତ୍ମଚିନ୍ତନ 
ବଦନାମ୍ କେବେ ଆସିଲେବି ଥରେ 
        ସାହାହେବେ ନନ୍ଦନନ୍ଦନ
                - ସନ୍ତୋଷ ପଟ୍ଟନାୟକ

ମନରେ ଦୃଗୁଣ କରନି ଧାରଣ
     ନିଶ୍ଚେ ହେବ ବଦନାମ 
ଅବଗୁଣ ସିନା କଲେ ପରିହାର
     ମିଳିବ ଆତ୍ମ ସମ୍ମାନ 
ଆପଣାର ଭାବି ସର୍ବ ସାଧାରଣ
     ତୋଷି ନିଅ ଜନମନ 
ଦୃଜନ ହେଲେବି କରନାହିଁ ଘୃଣା
      ମିଳିବ ଈଶ୍ବର ସ୍ଥାନ 
             - ରାଧା କୃଷ୍ଣ ବାୟକ

ବଦନାମ ଗଳିରେ ଚାଲନି ବାଟ
      ସ୍ୱାର୍ଥକୁ ସାରଥି କରି
ପରଚର୍ଚ୍ଚା କରି ହୁଅନି ନିନ୍ଦିତ
      ଦୁର୍ଗୁଣ ମନରେ ଧରି
ଅପବାଦ ଠାରୁ ରୁହ ସଦା ଦୂରେ
      ଆତ୍ମ ସମ୍ମାନକୁ ଜଗି
ମଧୁର ଭାଷାରେ ତୋଷି ଜନମନ
    ଦୁଃଖେ ହୁଅ ସହାଭାଗୀ
ଅଶ୍ଳୀଳ ଭାଷାକୁ କର ପରିହାର
    ପାଟିରେ ଲଗାମ ଦେଇ
ନିନ୍ଦୁକ ମୁହଁକୁ ବନ୍ଦ କରିଦିଅ
     ଭଲ ମଣିଷଟେ ହୋଇ 
            - ରାମ ଚନ୍ଦ୍ର ପ୍ରଧାନ

ପାପ ନ କରିବି ପତିତା ସାଜିଲି
     ଦୁନିଆଁ ଧରମ ଦାଣ୍ତେ
କଳଙ୍କ କଳସୀ କାଖେ ଲଦି ଦେଲେ
       ବଦନାମ୍ ଗରା ମୁଣ୍ଡେ
ନାମ ନାହିଁ ମୋର କାହାଣୀ ବି କ୍ରୁର
      ସମାଲୋଚନାର ପାତ୍ରୀ
ପୁରୁଷ ପୁଙ୍ଗବ ନାହିଁ ତାଙ୍କୁ ଲାଜ
      ଧନ୍ଯ ସହୁଛି ଧରିତ୍ରୀ
             - ଦାଶରଥି ସାହୁ

ବ‐ବଦଳି ଗଲା ସେ ବଡଲୋକି ପୁଅ
         ବରଟେ ସାଜିବ କହି
ଦ‐ଦରଦୀ ମନକୁ ଦରଜ ଦେଇସେ
          ଦୂରେଗଲା କେଣେ ରହି
 ନା‐ନାଚାର ହେଲି ମୁଁ ନାରୀତ୍ବ ହରେଇ
         ନିନ୍ଦାକୁ ଆପଣି ଏବେ
ମ‐ ମରି ଜଳୁଥିବା ମହମବତୀ ମୁଁ
         ବଦନାମ ହେଲି ଯେବେ
                    - ରବିନ୍ଦ୍ର ସାହୁ

ଜୀବନ ନଉକା ଅସ୍ଥିର ଜଳରେ 
     ସ୍ଵାଭିମାନ ନେଇ ବଞ୍ଚେ 
ନିନ୍ଦା ବଦନାମ୍  ପରମ ବଇରୀ
    ପଥେ ସଦା ଶତ୍ରୁ ବିଞ୍ଚେ 
ନହୋଇ ଅସ୍ଥିର ଚିତ୍ତ କରି ସ୍ଥିର 
     ହରି ନାମେ ଦେଇ ମତ୍ତି
ମୁକତି ପାଇବା ଏ ଭବ ସାଗରୁ
     ବିଭୁ ମନ ହେଲେ ଶାନ୍ତି 
                  - ଟୁକୁନା ସାହୁ

କଳଙ୍କର ଟିକା   ମୁଣ୍ଡରେ ମୁଣ୍ଡାଇ 
  ବଦନାମ ହେଲି ତୋଅରି ପାଇଁ 
ଛଳନା ଛୁରୀରେ ମୋ ଛାତି ଚିରିଲୁ
  ଆଉକା' ସିନ୍ଦୂର ପିନ୍ଧିବା ପାଇଁ
ଅଭିଶାପ ତୋତେ ଦେବି ନାହିଁ ପ୍ରିୟା
  ଦେଉ ନାହିଁ କେବେ ତୋତେ ମୁଁ' ଗାଳି 
ଆଉକା ହୃଦୟ   ଭାଙ୍ଗିବୁନି କେବେ
     ଏତିକି ମାତର କରୁଛି ଅଳି
                 - ଜଗବନ୍ଧୁ ସାହୁ

Sunday, February 7, 2021

ସମର୍ପଣ (topic - 96 ଲଜ୍ଜା ) quote #quot

ଲଜ୍ଜା  - 96 

ଲାଜେଇ ଯାଅନା ଅନନ୍ଯା ଅଙ୍ଗନା
      ଆଭୂଷଣ ତୁମ ଜାଣେ
ଢାଳି ଦିଅ ପ୍ରୀତି ଗୋ ପ୍ରିୟା ବାସନ୍ତି
        ଅଭିମାନ ଅକାରଣେ
ସଖି ସାକ୍ଷୀ ଶିଖ ଆକାଶ ମନଷ୍କ
        ସପ୍ତମ ଋତୁର ସାଜ
  ମୂଖ ମଖମଲ ଲାଗେ ଭାରି ଭଲ
         ଲାସ୍ୟମୟୀ ତୁମ ଲାଜ
                   ‐ ଦାଶରଥି ସାହୁ

ଲଜ୍ଜା ନୁହେଁ ଖାଲି ନାରୀର ଭୂଷଣ 
ଲଜ୍ଜା ଅଟେ ସମାଜ ଆଭୂଷଣ
ଯେଉଁ କର୍ମ ନୁହେଁ ଅନୁମୋଦନ 
ସମାଜେ ତାହାହିଁ ଲଜ୍ଜା ସୁମନ 
ସଂକୋଚ,କୁଣ୍ଠା , ନତ ମସ୍ତକ 
ସବୁରି ମୂଳ ଲଜ୍ଜା ବୃକ୍ଷରାଜ
ମାନବ ଲଜ୍ଜାର ପୃଷ୍ଠ ପୋଷକ
କୋମଳ ହୃଦୟ ବୃତ୍ତିବିଶେଷ 
        - ସନ୍ତୋଷ ପଟ୍ଟନାୟକ

ଥରେ ଲୋକ ଲଜ୍ଜା ହେଲେ ଏ ମଣିଷ 
           ହଜେ ତାର ସ୍ବାଭିମାନ 
ଆଉ ଫେରେ ନାହିଁ ବାଣ୍ଟି ଦେଲେ ମଧ୍ଯ 
          କୁବେର ସମାନ ଧନ
ମଣିଷ ଜୀବନେ    ସବୁ ଠାରୁ ଦାମି
         ଅଟେ ପରା ସ୍ବାଭିମାନ 
ତେଣୁ ଯେ ସମସ୍ତେ ଲୋକ ଲଜ୍ଜା ଠାରୁ
         ରୁହ ହୋଇ ସାବଧାନ
                   - ଜଗବନ୍ଧୁ ସାହୁ

ଲଜ୍ଜା ଅଟେ ଭାଇ  ଶ୍ରେଷ୍ଠ ଆଭୂଷଣ
       ଏକଥାଟି ଟିକେ ହେଜ
ଅପନିନ୍ଦା ଠାରୁ  ଦୂରେଇ ରହି କି'
      ହୃଦେ ବୁଣ ପ୍ରେମ ବୀଜ
ସଂକୋଚ ହେଉ କି ଅବା କୁଣ୍ଠାବୋଧ
      ରଖନାହିଁ କେବେ ମନେ
ନୀତି ଆଦର୍ଶର ମହନୀୟ ରଙ୍ଗେ
        ଖୁସି ଭରିଦିଅ ପ୍ରାଣେ
ବିବେକ ବିଚାରେ ସଂସ୍କାରୀ ହୋଇ କି
        କର ଲଜ୍ଜା ନିବାରଣ
ସ୍ୱାଭିମାନୀ ପରି ସଦା ବାଟ ଚାଲ
       ଆସୁରେ ପଛେ ମରଣ 
                 - ରାମ ଚନ୍ଦ୍ର ପ୍ରଧାନ

କୁଣ୍ଠା ,କ୍ରିଡା,ତ୍ରପା ,ସଙ୍କୋଚ ଅଟଇ
         ଲଜ୍ଜା ପରିସର ଭୁକ୍ତ
ଏ ମହତ ଗୁଣ ରହିବାଟା ଜାଣ 
         ମଣିଷର ଆବଶ୍ୟକ 
ଲଜ୍ଜା ପାଇଁ ଜନ  ବସ୍ତ୍ର ପରିଧାନ
        ଲଜ୍ଜାର ବାକ୍ ସଂଯମ
ଏ ମହତ ଗୁଣ ଯାହା ହୃଦେ ନାହିଁ
        ସେ ଜଣ ପଶୁ ସମାନ 
                    - ପ୍ରବୀର ମଲ୍ଲିକ୍

ଆଭୂଷଣ ଏହା ସାରା ସଂସାରର 
    କେବଳ ନାରୀର ନୁହଁ 
ବଞ୍ଚାଇ ରଖିବା ସଭିଙ୍କ କର୍ତ୍ତବ୍ୟ 
     ଅବହେଳା ଆଣେ ଭୟ 
ଲଜ୍ୟାକୁ ହରଣ କରି ଦୁଃଶାସନ 
    ଆକାଳେ ଧ୍ଵଂସ ହୋଇଲା 
ତ୍ରିପୁର ବିଜୟୀ ରାବଣ ଅସୁର
    ଅଚିରେ ପ୍ରାଣ ତେଜିଲା 
             - ଟୁକୁନା ସାହୁ

ଜୀବନେ ଏମିତି କରନି ଭୁଉଲ
     ପାଞ୍ଚେଲୋକେ ହେବ ହୀନ
ଲଜ୍ଜାରେ ସର୍ବଦା  ମୁଣ୍ଡକୁ ନୁଆଁଇ
      ପଶ୍ଚାତାପେ ଯିବ ଦିନ
 ଏମିତି ଏଭଳି କର୍ମ କରିଯାଅ
       ଗର୍ବରେ ଫୁଲିବ ଛାତି
ମଲା ପରେ ସର୍ବେ ମନେ ରଖିଥିବେ
        ସ୍ବର୍ଗେ ବି ମିଳିବ ଶାନ୍ତି
                    - ରବିନ୍ଦ୍ର ସାହୁ

ବେଲଜ୍ଯା ତୁମେରେ ମୁହେଁ ଲଜ୍ଯା ନାହିଁ 
        ହରାଅ ଆତ୍ମ ସମ୍ମାନ 
ମାତୃଭୂମୀ ପାଇଁ ନାହିଁଟି ଦରଜ
      ଖୋଲୁଛ ମଦ ଦୋକାନ 
ଗାଆଁକୁ ଲୁଟୁଛ ମାଆକୁ ପିଟୁଛ
      ଧିକ ଧିକ ତୁମ ଜୀବନ 
ପିଇବା ଲୋକବି କିଛି କମ ନୁହଁ
      ସୁଧୁରି ଯାଅରେ ଧନ 
             - ରାଧା କୃଷ୍ଣ ବାୟକ

Tuesday, February 2, 2021

☘ ମୁଁ ' ଓଡ଼ିଆ ☘

#ମୁଁ_ଜଣେ_ଓଡ଼ିଆ 
(କ) ''ମୁଁ ଜଣେ ଓଡ଼ିଆ" ; ପୃଥିବୀର ଯେ କୌଣସି ସ୍ଥାନରେ ଠିଆହୋଇ ଏହା କହିବାରେ ଖୁବ୍ ଆନନ୍ଦ ଅଛି। ପୃଥିବୀର କୋଡ଼ିଏଟି ସମୃଦ୍ଧ ସଭ୍ୟ ସୃଜନ ଭାଷା ଭିତରୁ ମୋ ଭାଷା ଗୋଟିଏ। ପୃଥିବୀର ଯେ କୌଣସି ଗୌରବମୟ ସଂସ୍କୃତି ମଧ୍ୟରୁ ମୋ ସ°ସ୍କୃତି କେବଳ ଗୋଟିଏ ନୁହେଁ ! ମୋର ସ୍ଥାନ ସ୍ଵତନ୍ତ୍ର। ସ୍ଵତନ୍ତ୍ର କଳାର ସୃଜନ (ଉତ୍କଳ) ହେତୁ ପଥର ନିହାଣରେ କିମ୍ବଦନ୍ତି ଗଢ଼ିଛି। ବିଶ୍ଵ ନୃତ୍ୟମାନସରେ ମୋ ନୃତ୍ୟ ଏକ ଉତ୍ତରଣ ଭୂମିରୁ ଭୂମାଆଡ଼େ ; ଆଉ ସବୁ ନୃତ୍ୟକୁ ଏହା କହେ : ନୃତ୍ୟର ଛନ୍ଦରେ କରିହେବ ପ୍ରାଣର ଈଶ୍ୱରୀକରଣ। ସମୁଦ୍ରର ଅସୀମତାକୁ ଦେଖି ବିଶ୍ଵ ଯେବେ ଭୟରେ ଚାହିଁ ରହୁଥିଲା,ମୁଁ ଅଗସ୍ତି ମୁନି ଭଳି ପିଇ ନେଇଥିଲି ସାତ ସମୁଦ୍ର। ଦ୍ବୀପ ପରେ ଦ୍ଵୀପ ଡେଇଁ ଦେଶ ବିଦେଶରେ ମୋ ଦୁଃସାହସର ଧ୍ବଜା ଉଡାଇଥିଲି। ଆଉ ବିଶ୍ଵ ଆଧ୍ୟାତ୍ମ ବଡ଼ଦାଣ୍ଡରେ ମୁଁ ଗଢ଼ିଛି ଅଧାଗଢ଼ା ତିନିଠାକୁର। ମୁଁ ମଣିଷ ; କିଭଳି ଗଢ଼ିପାରିବି ପୂର୍ଣ୍ଣ ଈଶ୍ଵର ? ମୋର ଏଇ ସରଳତାରେ ଗଢ଼ା ମୋ ସରଳ ଠାକୁର ମଧ୍ୟରେ  ସବୁଧର୍ମ, ସବୁମତ,ସବୁପଥ ନିଜ ଅସ୍ତିତ୍ଵ ହରାଇଛି। ଆଉ ସେଇ ସରଳ ଠାକୁର କେବଳ ମୋ ମନ୍ଦିରର ଦିଅଁ ନୁହେଁ ; ମୋ ଜାତିର ଆତ୍ମା,ମୋ ଘରର ମୁରବୀ। ତେଣୁ ମୁଁ ଏ ଭୂମିର ଦାୟାଦ ବୋଲି ଆନନ୍ଦ ଲାଗୁଛି ।

(ଖ) "ମୁଁ ଜଣେ ଓଡ଼ିଆ" ; ପୃଥିବୀର ଯେକୌଣସି ସ୍ଥାନରେ ଠିଆହୋଇ ଏହା କହିବାରେ ଖୁବ୍ ଆନନ୍ଦ ଅଛି। ମୋ ପବିତ୍ର ମାଟିକୁ ଛୁଇଁ କେବଳ ଚଣ୍ଡାଶୋକ 'ଧର୍ମାଶୋକ' ହୋଇ ନ ଥିଲା ; ନିତିନିତି ନୀରିହ ରକ୍ତରେ ସ୍ନାନ କରୁଥିବା ପିଶାଚ କରୁଣାର ମହାଦୂତ ହୋଇ ନ ଥିଲା ; ଏ ପବିତ୍ର ମାଟି ଇତିହାସର ସରହଦ ଡେଇଁ ପୁରାଣପୃଷ୍ଠାରେ ଆଙ୍କିଛି କେତେ ପବିତ୍ର ପାଦ ଚିହ୍ନ। ଏଇ ମାଟିକୁ ଦ୍ଵାରକାରୁ ଶାପଗ୍ରସ୍ତ 'ଶାମ୍ବ' ଋଷି ଆଦେଶ ଘେନି ଆସିଥିଲେ ଶାପ ମୁକ୍ତି ପାଇଁ। ଅର୍କଭୂମି କୋଣାର୍କର କର୍ଦ୍ଦମକୁ ଦେହରେ ବୋଳି କାଶ୍ୟପଙ୍କ ଆରାଧନାକରି ହୋଇଥିଲେ ଶାପମୁକ୍ତ। ଆଉ ପଣ୍ଡୁପାଞ୍ଚ ଭାଇ ମହାଭାରତ ଯୁଦ୍ଧ ଅନ୍ତେ ଭାତୃହତ୍ୟା, ପିତୃହତ୍ୟା,ଗୁରୁହତ୍ୟା,ବ୍ରହ୍ମହତ୍ୟା ମହାପାପର ମହାଶୋକରୁ ମୁକ୍ତି ପାଇବା ପାଇଁ ଲୋମଶ ମୁନିଙ୍କ ପରାମର୍ଶରେ ଆସିଥିଲେ ଏ ମାଟିକୁ ; ମହାମାୟାଙ୍କ ନାଭି ପିଠ ମା ବିରଜାଙ୍କ ପାଖକୁ। ଏଠି ମାଙ୍କ ଆରାଧନା କରି ମହାଶୋକରୁ,ପାପ ବୋଝରୁ ମୁକ୍ତି ହୋଇଥିଲେ। ମହାଭାରତ ଯୁଗ ଡେଇଁ ଏ ମାଟିର ମହାନତା ରାମାୟଣର ରାମଙ୍କୁ ମଧ୍ୟ କରିଛି ରମଣୀୟ।ଋଷି ପୁତ୍ର, ଉଚ୍ଚ ବ୍ରାହ୍ମଣ ବଂଶଜ,ପରମ ଶିବଭକ୍ତ ରାବଣଙ୍କୁ ହତ୍ୟା କରିଥିବା ଧନୁକୁ ରଘୁବୀର ଲିଙ୍ଗରାଜରେ ମହାଦେବଙ୍କୁ ଅର୍ପଣ କରି ଶରଣ ପଶିଥିଲେ। ସେଇଥି ପାଇଁ ଏକମାତ୍ର ଶୈବ ପୀଠ ଲିଙ୍ଗରାଜ ଚୂଡ଼ାରେ ଧନୁ ବିରାଜିତ।ତେଣୁ ମୁଁ ଏ ଭୂମିର ଦାୟାଦ ବୋଲି ଆନନ୍ଦ ଲାଗୁଛି ।

(ଗ) ''ମୁଁ ଜଣେ ଓଡ଼ିଆ" ; ପୃଥିବୀର ଯେକୌଣସି ସ୍ଥାନରେ ଠିଆହୋଇ ଏହା କହିବାରେ ଖୁବ୍ ଆନନ୍ଦ ଅଛି। ଏଇ ମାଟିର ସ୍ଵବର୍ଣ୍ଣପୁର କବି ଭୀମଭୋଇଙ୍କର କବିତା ସ୍ଵର୍ଣ୍ଣିଭ ଅକ୍ଷରରେ ବିଶ୍ଵ ଜାତିସଂଘର ଲଲାଟରେ ଖୋଦିତ ହୋଇଛି :" ମୋ ଜୀବନ ପଛେ ନର୍କେ ... ;  "ଆଉ ଏ ମାଟିର କବି ତା ନିଜ ମାଟିର ମହକରେ ଈଶ୍ଵରୀ ମା(ଶାରଦା) ଆଗେ ବସି ଲେଖିଛି ମହାଭାରତ। ଏ ମାଟିର କବି(ଜଗନ୍ନାଥ ଦାସ) ମାନବୀ ମା ପାଇଁ ଲେଖିଛି ସ୍ୱର୍ଗରୁ ଶବ୍ଦ ଆଣି 'ଭାଗବତ' ; ଆଉ ଏଠି କବି (ଜୟଦେବ) ଯେବେ କବିତାର ପଂକ୍ତିପୁରଣ ପାଇଁ ଶବ୍ଦ ପାଆନ୍ତି ନାହିଁ,ଈଶ୍ଵର ନିଜେ କବି ହୋଇ ପଂକ୍ତି(ଦେହି କର ପଲ୍ଲବ.....) ଲେଖିଦେଇଯାଆନ୍ତି। ଆଉ ଆମ ସମୟର ସମ୍ବଲପୁରର ଗଙ୍ଗାଧରଙ୍କ 'ତପସ୍ଵିନୀ' ତପନ ଭଳି ବିଶ୍ଵ ଆଧୁନିକ ସାହିତ୍ୟ ଆକାଶରେ ଉଦିତ ହୋଇଛି। ବିଶ୍ଵ ଆଧୁନିକ ସାହିତ୍ୟ ଆକାଶରେ ମୁଁ ଆଙ୍କିଛି ଆହୁରି ଅନେକ ଉଜ୍ଜ୍ଵଳ ନକ୍ଷତ୍ର :  ଫକୀର,ରାଧାନାଥ,ଗୋପବନ୍ଧୁ, ବିଦ୍ୟୁତ୍,କୁନ୍ତଳା,ମନୋଜ,ମାୟାଧର, ଗୋପିନାଥ,ସୁରେନ୍ଦ୍ର ... ଆହୁରି ଅନେକ ଅନେକ ନକ୍ଷତ୍ର।
(ଘ) ଆଉ ହେ ବିଶ୍ଵ ! ଶୁଣ,ମୁଁ ସେଇ ମାଟିର ; ଯେଉଁ ମାଟିର ପୁଅ ବାଉଁଶ ନଳୀରେ (ସାମନ୍ତ ଚନ୍ଦ୍ରଶେଖର) ମାପିପାରେ ହିମାଳୟର ଉଚ୍ଚତା ଆଉ ଚନ୍ଦ୍ରର ଦୂରତା। ତେଣୁ ମୁଁ ଏ ଭୂମିର ଦାୟାଦ ବୋଲି ଆନନ୍ଦ ଲାଗୁଛି।

(ଙ) "ମୁଁ ଜଣେ ଓଡ଼ିଆ" ; ପୃଥିବୀର ଯେକୌଣସି ସ୍ଥାନରେ ଠିଆହୋଇ ଏହା କହିବାରେ ଖୁବ୍ ଆନନ୍ଦ ଅଛି। ମୋ ମାଟିର ବୀରଗାଥା କେବଳ ବିସ୍ମୟ ନୁହେଁ ; ଏହା ସ୍ଵର୍ଗୀୟ ଆଉ ସ୍ଵଭିମାନର ଜୟଯାତ୍ରା। ମୁଁ ଯୁଦ୍ଧ ବାହାରିଲେ,ମୋ ସହ ମୋ ଠାକୁର ବାହାରେ କଳା ଆଉ ଧଳା ଘୋଡ଼ାଚଢ଼ି। ସ୍ଵାଭିମାନ ପାଇଁ ମୁଁ ଦେଇପାରେ ପାଞ୍ଚଲକ୍ଷ ମୁଣ୍ଡ (କାଞ୍ଚି ଅଭିଯାନ)। ବାରବାଟୀ ମୋ ବୀରତ୍ଵର ବିନ୍ଦୁଏ ମାତ୍ର ; ଏଇମିତି ଅନେକ ବିନ୍ଦୁରେ ମୁଁ ବୀରତ୍ଵର ସିନ୍ଧୁ। ଖାରବେଳ,କପିଳେନ୍ଦ୍ର ; ଏମିତି କେତେ ବିନ୍ଦୁରେ ମୁଁ ସିନ୍ଧୁ।ସମଗ୍ର ଭାରତବର୍ଷ ଯେବେ ଇଂରେଜ ଦ୍ବାରା ଶାସିତ ହେଲା, ଇଂରେଜ ବିରୁଦ୍ଧରେ "ସିପାହୀ ବିଦ୍ରୋହ" ପୂର୍ବରୁ ମୁଁ  ତେଜିଥିଲି "ପାଇକ ବିଦ୍ରୋହ"। ସମଗ୍ର ଭାରତ ଇଂରେଜର ଜୟଗାନ କଲାବେଳେ ; ମୁଁ (ସୁରେନ୍ଦ୍ର) ସମଲେଇ ମା'ର ମଥାରେ ସିନ୍ଦୁର ମାଖି ସ୍ଵୀକାର କରି ନ ଥିଲି ଇଂରେଜର ଦାସତ୍ଵ। ମୋ (ଶିଶୁ ବାଜି ରାଉତ) ବୀରତ୍ଵ ଆଉ ସରଳତା ବିଶ୍ଵରେ ବିଦିତ। ମୁଁ ଓଡ଼ିଆ ; ବିଜୁ ହୋଇ ଇଣ୍ଡୋନେସିଆ ସ୍ଵାଧିନ ସଂଗ୍ରାମୀ ନାୟକକୁ ମୃତ୍ୟୁଦଣ୍ଡରୁ ରକ୍ଷା କରିବାକୁ ଆକାଶର ଚିଲ ହୋଇ ଝାମ୍ପିଆଣିଥିଲି ଭାରତ। ମୁଁ ହିଁ ଦୁଃସାହସର ସୀମାଭାଙ୍ଗି ଜାହାଜ ଭର୍ତ୍ତି ସୈନ୍ଯ ନେଇ "କାଶ୍ମୀର ଭାରତର ଅଙ୍ଗ" କରିଥିଲି। ତେଣୁ ତ ମୁଁ ଏ ଭୂମିର ଦାୟାଦ ବୋଲି ଆନନ୍ଦ ଲାଗୁଛି।

(ଚ) "ମୁଁ ଜଣେ ଓଡ଼ିଆ" ;ପୃଥିବୀର ଯେକୌଣସି ସ୍ଥାନରେ ଠିଆହୋଇ ଏହା କହିବାରେ ଖୁବ୍ ଆନନ୍ଦ ଅଛି। ମୁଁ ହିଁ ପୃଥିବୀର ପ୍ରଥମ ନାରୀ ସ୍ଵାଧିନତାର ଉଦ୍-ଘୋଷକ।* ନାରୀ ସ୍ଵାଧିନତାର ଶକ୍ତ ସମର୍ଥନକରି ବଳରାମ ହୋଇ ଲେଖିଛି 'ଲକ୍ଷ୍ମୀ ପୁରାଣ'। କନ୍ୟାଟିଏର ସ୍ଵାଭିମାନ ପାଇଁ ଲକ୍ଷ ଲକ୍ଷ ମୁଣ୍ଡ ଦେଇଛି। ବିଜିତ ରାଜକନ୍ୟା ପଦ୍ମାବତୀ ବିଷୟରେ ରାଜା ଯେବେ କହନ୍ତି ମନ୍ତ୍ରୀଙ୍କୁ : 'ଏ କନ୍ୟାକୁ ଏକ ଚଣ୍ଡାଳ ସହ ବିବାହ ଦେବାକୁ', ମନ୍ତ୍ରୀ ମନ୍ଦମନ୍ଦ ହସେ କନ୍ୟାକୁ ନିଜ ଝିଅ ଭଳି ଘରେ ରଖି ଅପେକ୍ଷା କରନ୍ତି ; ଆଉ ରାଜା ଯେବେ ଠାକୁର ରଥରେ ଝାଡୁଧରି ଚଣ୍ଡାଳହୁଏ,ମନ୍ତ୍ରୀ କହନ୍ତି,"ହେ ଚଣ୍ଡାଳ !  ରାଜା ଆଦେଶ ଏ କନ୍ୟାର ପାଣି ଗ୍ରହଣକର"।ନାରୀପ୍ରତି ଏ ସ୍ଵର୍ଗୀୟ ସମ୍ମାନ କେବଳ ଏ ମାଟି, ଏ ଜାତି  ଦେଇପାରେ। ନାରୀର ଅନ୍ତଃ-ସାମର୍ଥ୍ଯର ପରିଚୟ ଦେବାକୁ ଯାଇ ବିଶ୍ଵ ମାନବକୁ ଏ ଜାତି କହିଛି : "ମୋ ବଡ଼ଠାକୁର ଭୋଗ କେବଳ ପ୍ରସାଦ ; ଆଉ ସେଇ ପ୍ରସାଦରେ ନାରୀ ରୂପିଣୀ,ମାତୃରୂପିଣୀ "ମା ବିମଳା"ର କୃପା ପ୍ରାପ୍ତ ହେଲେ ; ହୁଏ ମହାପ୍ରସାଦ। ଏତିକି ନୁହେଁ ! ମୁଁ ସଦା ମାତୃମୟୀ ପ୍ରକୃତିର ଚିର ପୂଜାରୀ। ତେଣୁ ତ ମୌସୁମୀ ଆଗମନେ ପ୍ରକୃତି ଯେବେ ରଜବତୀ ହୁଏ ; ମୁଁ ଉଲ୍ଲାସରେ ପାଳେ 'ରଜ' ପର୍ବ। ଫସଲ ପାଚିଗଲେ କୃତଜ୍ଞତାରେ "ମା ସମଲେଇ"କୁ ଅର୍ପଣକରି ପାଳେ 'ନୂଆଖାଇ'। ଆଉ ଆମେ ଓଡ଼ିଆ ପ୍ରକୃତି ମା ପାଖେ ଏତେ କୃତଜ୍ଞ ଯେ, ଆଧୁନିକ ଗବେଷଣା କହୁଛି ମଣିଷ ପ୍ରଥମେ କୋରାପୁଟରେ ହିଁ ଚାଷ ଶିଖିଥିଲା ; ଧାନକୁ ଖାଦ୍ୟରୂପେ ଆବିଷ୍କାର କରିଥିଲା। ପରବର୍ତ୍ତୀ ସମୟରେ ଏଇ ଚାଷ ହିଁ ସଭ୍ୟତାର ଜନନୀ ହୋଇଥିଲା। ହଁ  କେବଳ ନାରୀ ସ୍ଵାଧିନତାର ମୁଁ ବାର୍ତ୍ତାବହ ନୁହେଁ ; ଘୃଣ୍ୟ ଜାତିପ୍ରଥା,କୁସଂସ୍କାର ବିରୁଦ୍ଧରେ ପଞ୍ଚସଖା ହୋଇ ନିଜକୁ ଶୁଦ୍ର,କ୍ଷୁଦ୍ର ଘୋଷଣା କରି ବିଶ୍ଵ ସମାଜ ସଂସ୍କାରରେ ସବୁଜିମା ଆଙ୍କେ।  ତେଣୁତ ମୁଁ ଏ ଭୂମିର ଦାୟାଦ ବୋଲି ଆନନ୍ଦ ଲାଗୁଛି।

(ଛ) "ମୁଁ ଜଣେ ଓଡ଼ିଆ" ; ପୃଥିବୀର ଯେ କୌଣସି ସ୍ଥାନରେ ଠିଆହୋଇ ଏହା କହିବାରେ ଖୁବ୍ ଆନନ୍ଦ ଅଛି। ମୁଁ ଓଡ଼ିଆ ;  ଏଇ ମର୍ତ୍ତ୍ୟରେ ମୁକ୍ତ କଣ୍ଠରେ କହିଛି : ନରର ନେତା ନର ନ ହେଉ ; ନରର ନେତା ନାରାୟଣ ହେଉ। ଏହା କେବଳ କହିନି ; ମୁଁ ସଦା ମାନିଛି ; ମୋ ଜାତିର ନେତା ନିଜେ ନାରାୟଣ।
"ଉତ୍କଳରେ ନାହିଁ ନେତା ପ୍ରୟୋଜନ,
 ଉତ୍କଳର ନେତା ସ୍ବୟଂ ନାରାୟଣ।"
 ଆଉ ଯେବେ ସମୟର କୃର-ଚକ୍ରରେ ମୁଁ ହୋଇଛି ପରାଧିନ,ଶୋଷିତ,ନିର୍ଯ୍ୟାତିତ ; ମୁଁ କିନ୍ତୁ ମୋ ନେତାକୁ ନଇଁବାକୁ ଦେଇନି। ମୋ ନେତା ନାରାୟଣକୁ ନେଇ ଶତୃ ବନ୍ଧନରୁ ମୁକ୍ତ ରଖିବାକୁ ତାକୁ ନେଇଯାଇଛି : ଚିଲିକା, ସୁବର୍ଣ୍ଣପୁର, ସମ୍ବଲପୁର, ମୟୂରଭଞ୍ଜ ...;  ଆଉ ଯେବେ ସମୟ ମୋ ଆଗେ ଅନ୍ଧାର ହୋଇ ଠିଆ ହୋଇ ମୋ ନେତାକୁ ମୋଠାରୁ ଛଡ଼ାଇ ନେଇଛି,ମୁଁ 'ସରଦେଈ' ହୋଇ ଶଂଖନାଦ କରିଛି ,'ବିସର ମହାନ୍ତି' ହୋଇ ଅନ୍ଧାର ପଞ୍ଝାରୁ ଅଗ୍ନିର ଜିଭରୁ ଝାମ୍ପି ଆଣିଛି 'ବ୍ରହ୍ମ' ; ପୁଣି ନାରାୟଣକୁ ନେତାକରି ଗଢ଼ିଛି ମୋ ଜୀବନଯାତ୍ରା। ସେଇଥି ପାଇଁ ତ ଏ ମାଟିର ମଧୁବାବୁଙ୍କୁ ଯେବେ ମୋତିଲାଲ ନେହେରୁ,ଦେଶବନ୍ଧୁ ଚିତରଞ୍ଜନ କଂଗ୍ରେସର ଅଧ୍ଯକ୍ଷ ହେବାକୁ ପ୍ରାର୍ଥନା କଲେ ; ମଧୁବାବୁ ମଧୁର ଶଦ୍ଦରେ ନ ହେବାକୁ ମନା କରିଦେଲେ ; କହିଲେ : ମୁଁ ପଦପଦବୀରେ ବନ୍ଧାନୁହେଁ, ସେଇଭଳି ପ୍ରାଚୁର୍ଯ୍ୟ ପାଖରେ ଦାସ ନୁହେଁ। ଅନେକ କହନ୍ତି ମୁଁ କାଳେ ଦରିଦ୍ର ; ଏହା ଶୁଣି ହସଲାଗେ। ସୂର୍ଯ୍ୟ ଚନ୍ଦ୍ର ନିତି ଦେଖନ୍ତି, ମୁଁ "ଶାଗ ପଖାଳ" ଖାଏ ; କିନ୍ତୁ ମୋ ଠାକୁରକୁ "ଷାଠିଏ ପଉଟି" ଖୁଆଏ।
କେବେ ବି,କେହି ବି ଥରେ ପ୍ରଭୁ ଜଗନ୍ନାଥଙ୍କ  ଓଡ଼ିଆ ଘରେ ଅତିଥି ହୋଇ ଦେଖନ୍ତୁ ... ତା ପାଣସାହିରେ ଯାଇ,ତା ବଣ୍ଡା ପାହାଡ଼ରେ ଯାଇ,ଆଦିବାସୀ ଘରେ ଯାଇ ; ଚଷା,ମୂଲିଆ,ବ୍ରାହ୍ମଣ,କରଣ ଘରେ ଯାଇ ; ଥରେ ଅତିଥି ହୋଇ ଦେଖନ୍ତୁ : ଜୀବନ ତମାମ୍ ଆଉ କହି ପାରିବେ ନାହିଁ, "ଓଡ଼ିଆ ଦରିଦ୍ର" ବୋଲି।* 
(ଜ) ସାଇବେରିଆରୁ ଚିଲିକାକୁ ଅତିଥି ହୋଇ ଆସୁଥିବା 'ସାରସ'କୁ ପଚାରନ୍ତୁ,ମେରୁରୁ ମାଇଲ୍ ମାଇଲ୍ ଲଙ୍ଘି ଏ ମାଟିକୁ ଆସୁଥିବା "ରେଡ଼ ଅଲିଫ୍" କୁ ପଚାରନ୍ତୁ ; "ଓଡ଼ିଆ/ ଓଡ଼ିଶା ଦରିଦ୍ର କି" ? ପ୍ରକୃତିର ରୁଦ୍ରନୃତ୍ୟରେ ( ବନ୍ଯା/ବାତ୍ଯା) ଭୌତିକ ସ୍ଵଚ୍ଛଳ ହୋଇ ନ ପାରେ ; କିନ୍ତୁ ଦାରିଦ୍ର୍ଯ ମୋ ଶବ୍ଦକୋଷରେ ନାହିଁ। ସେଇଥି ପାଇଁ ତ ଆଠ କୋଟିରେ ଯେବେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ହୋଇଥିଲା ; ଆଠଶହ କୋଟିରୁ ଉର୍ଦ୍ଧ୍ଵ ଇଣ୍ଡୋନେସିଆ ଦେଇଥିବା 'ଚେକ୍'କୁ ଚିରିଦେଇ ବିଶ୍ଵ ମଣିଷକୁ "ବିଜୁ ପଟ୍ଟନାୟକ" କହିଥିଲେ,"ଓଡ଼ିଆ ପୁଅ ଦେଇ ଶିଖେ, ନେଇ ଶିଖେନି"।ତେଣୁତ ମୁଁ ଏ ଭୂମିର ଦାୟାଦ ବୋଲି ଆନନ୍ଦ ଲାଗୁଛି।

(ଝ) "ମୁଁ ଜଣେ ଓଡ଼ିଆ" ;ପୃଥିବୀର ଯେକୌଣସି ସ୍ଥାନରେ ଠିଆହୋଇ ଏହା କହିବାରେ ଖୁବ୍ ଆନନ୍ଦ ଅଛି। ବିଶ୍ଵ ଜାଣନ୍ତୁ ! ଆପଣମାନେ ଯେବେ ଓଡ଼ିଶାକୁ ଛୁଅଁନ୍ତି,ଅବିଶ୍ଵସନୀୟ ଭାରତର ଆତ୍ମାକୁ ଛୁଅଁନ୍ତି (It's my Odisha ; The soul of incredible India) ହଁ ! ଏହା କେବଳ ଶବ୍ଦମାତ୍ର ନୁହଁ ; ଏହା ଶବ୍ଦ ଦ୍ଵାରା ସୃଷ୍ଟ ସବୁଠୁ ସରଳ ସତ୍ୟ ଅଟେ। ଏ ଭୂମି "ଭବ୍ୟ ଭାରତର ଆତ୍ମା" ବୋଲି ତ "ଦିବ୍ୟ ଗୁରୁ ଅବତାରୀ ଶ୍ରୀ-ରାମକୃଷ୍ଣ" ତାଙ୍କ ପ୍ରିୟ ଶିଷ୍ୟ 'ବିବେକାନନ୍ଦ'ଙ୍କୁ ଓଡିଶାକୁ(ଜଗନ୍ନାଥ ଧାମକୁ) ନ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ତ ବିବେକାନନ୍ଦ ପଦବ୍ରଜରେ ସମଗ୍ର ଭାରତବର୍ଷ ବୁଲିଥିଲେ,ପରିବ୍ରାଜକ ଓ ପ୍ରତିନିଧି ହୋଇ ସମଗ୍ର ବିଶ୍ଵ ବୁଲି ଥିଲେ ; କିନ୍ତୁ ଓଡ଼ିଶା ଆସି ନ ଥିଲେ ; ବଙ୍ଗାଳୀ ହୋଇ ଶ୍ରୀକ୍ଷେତ୍ର ଆସି ନ ଥିଲେ । ଗୁରୁ କହିଥିଲେ,"ମୁଁ ଯାଇନି ; ତୁ ବି ଯିବୁନାହିଁ ; ଗଲେ ସେଇଠି ଅଟକି ଯିବୁ। ଯେଉଁ କାମ ପାଇଁ ଆସିଛୁ ତାହା ଆଉ କରିପାରିବୁନି।" ଏ "ଆତ୍ମାର ଭୂମି" ବୋଲି ତ ଏଠି ଏତେ ଆକର୍ଷଣ ; ଏଠି ଅବତାରୀ ବି ଅଟକି ଯାଏ। ଏହି ଆତ୍ମାର  ଆଲୋକକୁ ଦେଖିଥିଲେ ବୋଲି ତ ମୁନି କପିଳ ଲେଖିଥିଲେ : 
   #ଉତ୍କଳସ୍ୟ ସମଦେଶ , ଦେଶନାସ୍ତି ମହୀତଳେ।"ଉପନିଷଦ,ଗୀତା ଆତ୍ମାର ପଥକୁ ସଦା ମଧ୍ୟମ ପଥ, ସମନ୍ବୟ,ସଂଗତିର ପଥ କହିଛି। ଦେଖନ୍ତୁ, "ଓଡ଼ିଆ ଭାଷା" ଦକ୍ଷିଣ ଭାରତ ଭାଷା ଭଳି କ୍ଷୀପ୍ର ନୁହେଁ,ଉତ୍ତର ଭାରତ ଭାଷା ଭଳି  ଧୀର ମଧ୍ୟ ନୁହେଁ ; ଏହା ମଧ୍ୟମ।ଏହାର ବର୍ଣ୍ଣ ଅକ୍ଷର ସବୁ ; ଗବେଷଣା କହେ ; ଦକ୍ଷିଣ ଭାରତ ଓ ଉତ୍ତର ଭାରତ ଭାଷାର ଅଦ୍ଭୁତ ସମନ୍ବୟ। ଏହାର ଖାଦ୍ୟ,ପୋଷାକ,ପରିପାଟୀ ନିଜର ସ୍ୱତନ୍ତ୍ରତା ସତ୍ତ୍ଵେ ଉତ୍ତର ଦକ୍ଷିଣର ଏକ ଅଦ୍ଭୁତ ସମନ୍ୱୟ। ଏହାର ଆରାଧ୍ଯ "ମା ବିମଳା" ଦକ୍ଷିଣର କେଉଁ ଦେବୀ ମନେ ହେବାବେଳେ,ଏହାର "ମା କମଳା"  ଉତ୍ତର ଭାରତର ଈଶ୍ଵରୀ ଲାଗନ୍ତି। ପୁଣି ସର୍ବବିଦିତ ଏ ଜାତି 'ହର'ର ଉପାସକ, 'ହରି'ର ବି ଉପାସକ ; 'ତନ୍ତ୍ର'ର ଉପାସକ, 'ମନ୍ତ୍ର'ର ବି ଉପାସକ ; 'ଶକ୍ତି'ର ଉପାସକ, ସୂର୍ଯ୍ୟ'ର ବି ଉପାସକ, ...ଏ ସବୁ ସମ୍ଭବ କେବଳ କେବଳ ଆତ୍ମାର ଭୂମିରେ। ଆତ୍ମାର ଭୂମିରେ ହିଁ ଠିଆହୋଇ କେବଳ ଲେଖି ହୁଏ :
''ବିଶ୍ଵ ଦେଖ,ମଧୁମୟରେ ଭୂବନ,ବିଶ୍ଵ ଦେଖ ମଧୁମୟ"।
(ଞ) ମଧୁମୟୀ ମା 'ଶ୍ରୀମା'ଙ୍କୁ କେହି ପ୍ରଶ୍ନ କରିଥିଲେ, ''ଅତିମାନସ ମହାଶକ୍ତିକୁ ଧାରଣ କରିବାକୁ କେଉଁ ଜାତିର ନାମ ପ୍ରଥମ ?" ମା କେଇ ମୁହୁର୍ତ୍ତ ନୀରବ ରହି ଅସୀମ ଆକାଶକୁ ଚାହିଁ କହିଲେ, "ଓଡ଼ିଶା"। ତେଣୁ ତ, ହେ ବିଶ୍ଵ ! ମୁଁ ଏ "ସର୍ବଧର୍ମ ସମନ୍ବୟ ଭାରତ" ମାଟିର ଧାର୍ମିକ "ଆତ୍ମା ଓଡିଶା ବା ଜଗନ୍ନାଥ ଧାମ"ର  ଦାୟାଦ୍ ବୋଲି ଆନନ୍ଦ ଅନୁଭବ କରୁଛି।

Monday, February 1, 2021

■ ବିପ୍ଳବୀ କବି ରବି ସିଂ ■

#ପୂଜନୀୟେଷୁ   
                             ✍  .....© ଅମୃତେଶ ଖଟୁଆ

     "ନାମ 'ରବି ସିଂ' ଭୀରୁ-ଭାରତର ସାମାନ୍ୟ ଜଣେ କବି
     ଯୌବନ ଭରି ଆଙ୍କି ଆସିଲି ମୁଁ ଜନମୁକ୍ତିର ଛବି ।
               କ୍ୟାନଭାସ୍ ପରେ ଛାତିର ରକତ
               ବୋଳି ବୋଳି କାଟି ତୂଳିକାର ପଥ
     ଉଷାର ଯାମିନୀ କୋଳରୁ ଛଡାଇ ଆଣିଛି ପ୍ରଭାତ ରବି
     ମନ୍ଦ୍ର ନିନାଦେ ଛନ୍ଦେ ତୋଳିଛି ସକାଳର ଭୈରବୀ ।"  

                                      ଆଧୁନିକତା ନାମ ନେଇ ଯେଉଁ ପ୍ରଗତିଶୀଳ ପ୍ରତ୍ୟୟ ପୋଷଣ କରିବା କଥା, ତାହା ଆଜି ଏକ ଅଭିନୟ ସ୍ଵରୂପ ପ୍ରଚଳିତ । ଅଭିଜ୍ଞତା ନାହିଁ, ଏପରିକି ଅନଭିଜ୍ଞ ଅଥବା ଅନାଗ୍ରହ ଚେତନାକୁ ଜାତୀୟ-ସ୍ଵାତନ୍ତ୍ର୍ୟ ପ୍ରତି ଅଗ୍ରଗାମୀ କରେଇବାର ଚେଷ୍ଟା ମଧ୍ୟ ନାହିଁ । ପୁନଶ୍ଚ, ଅନେକେ ଯେଉଁ ମାନେ ଏହିପରି 'ସଂଘର୍ଷ ଚେତନା'ରେ ନିଜର ସେହି ଆନ୍ତରିକତା ଦେଖାନ୍ତି, କିନ୍ତୁ ପରବର୍ତ୍ତୀ ସମୟରେ ଜଣାଯାଏ ଏହି ସଂକଟ, ସଂଘର୍ଷ ଓ ବେଦନା ପ୍ରତି ଅଙ୍ଗୀକୃତ କ୍ଷୋଭ ସାମୟିକ ମାତ୍ର - ବ୍ୟକ୍ତିସ୍ତରରେ ଜାତ ଏକ ସ୍ଵାଭାବିକ ବିକ୍ଷୋଭର କ୍ଷଣିକ ଅବସ୍ଥା , ଯାହା ଫଳରେ ବାଞ୍ଛିତ ସଂକଟ ଚେତନା ଓ ଏଥିରୁ ସୃଷ୍ଟ ସମୁଚିତ ପ୍ରଗତିଶୀଳ ଭାବାନ୍ତର ଦୀର୍ଘକାଳ ଅର୍ଥବାହୀ ହୁଏନାହିଁ ।

                            ହେଲେ ଉତ୍ତର ପଚାଶ ଦଶନ୍ଧି ଜଣେ ଏହି ପରି ବାଞ୍ଛିତ 'ସଂଘର୍ଷ-ଚେତନା' ଅବହିତ ନରପୁଙ୍ଗବଙ୍କର ହିଁ ଅପେକ୍ଷା ରହିଥିଲା, ଯିଏ କି ସମସ୍ୟାକୀର୍ଣ୍ଣ ମନୁଷ୍ୟ ସମାଜରେ, ମୂଲ୍ୟବୋଧ-ରହିତ ଗଳିତ ମାନବିକତାକୁ ଦେଇଛନ୍ତି ଅକ୍ଷରେ ଅକ୍ଷରେ ବିଦ୍ରୋହର ବୈପ୍ଳବିକ ବାଣୀ । ସ୍ଥାନେ ସ୍ଥାନେ କବିତାରେ ନିଜସ୍ଵ ଅଭିଜ୍ଞତା ବଳରେ ଅର୍ଜନ କରିଥିବା ଜୀବନର କ୍ଷତବିକ୍ଷତ ମନର ଉଦ୍-ବେଳନ ଓ ବ୍ୟଥିତ ଚିନ୍ତା ମାଧ୍ୟମରେ ସେ ଅଭିମତ ଦେଇଅଛନ୍ତି । ଡ. ମାୟାଧର ମାନସିଂହଙ୍କ ମନ୍ତବ୍ୟରେ ସେ ଥିଲେ "ବିଶ୍ଵଯୁଦ୍ଧ ପରେ ଇଂଲଣ୍ଡର ସାହିତ୍ୟକ୍ଷେତ୍ରରେ ଦେଖା ଦେଇଥିବା ତଥାକଥିତ କ୍ରୁଦ୍ଧ ତରୁଣ" ପରି ବା "Angry Young man" ! ବିପ୍ଳବୀର ଅମ୍ଳାନ ଅକ୍ଷର ରବୀନ୍ଦ୍ରନାଥ ସିଂ ବା ବିପ୍ଳବୀ କବି ରବି ସିଂ !

                             ଜଗତସିଂହପୁର ଜିଲ୍ଲାର ନବାପାଟଣା ନିକଟ ସିଂହାରପୁର ଗ୍ରାମ । ହଂସୁଆ ନଦୀ ତଟବର୍ତ୍ତୀ ଏ ଗ୍ରାମରେ ୧୯୩୪ ମସିହା ବସନ୍ତ ପଞ୍ଚମୀ ତିଥିରେ ଜନ୍ମ ନେଇଛନ୍ତି ରବୀନ୍ଦ୍ରନାଥ ସିଂ ।  ପିତା ଥିଲେ ବିଶିଷ୍ଟ ସାମ୍ୟବାଦୀ ଚିନ୍ତାନାୟକ ଏବଂ ସ୍ଵାଧୀନଚେତା ସଂଗ୍ରାମୀ ରାମଚନ୍ଦ୍ର ସିଂ। ମା' ସ୍ଵାଧୀନତା ସଂଗ୍ରାମୀ ଶାରଦା ଦେବୀ । ଏହି ବିପ୍ଳବୀର ସ୍ଵର ପଛରେ ଥିବା ତାଙ୍କ କରୁଣ ଶୈଶବ ଓ ତାରୁଣ୍ୟର ତିକ୍ତାନୁଭୂତି ବଖାଣିଲେ ସ୍ପଷ୍ଟ ହୁଏ ଯେ କବିଙ୍କ ମଧ୍ୟରେ ଥିବା ରୌଦ୍ରତା ଯେ କେତେ ମାତ୍ରାରେ ନିର୍ମମ ଭାବରେ ଧ୍ଵାନ୍ତ ଗତି ଦେଇ ଚାଲିଥିଲା , ତାହା ତାଙ୍କ ମଦନ-ମନୋହର କାବ୍ୟପୁରୁଷକୁ ବିଦ୍ରୋହୀରେ ପରିଣତ କରାଏ ।

                          
                           ପିଲାଦିନେ ପିତା ରାମଚନ୍ଦ୍ର ସିଂ ଙ୍କ ଅନୁଚିନ୍ତନ ଦ୍ଵାରା ସେ ଅନେକ ଅନୁପ୍ରାଣିତ ହୋଇଥିଲେ । କହିବାକୁ ଗଲେ ସେ ତାଙ୍କ ଜୀବନରେ ଘଟିଥିବା ମାତ୍ରାତିରିକ୍ତ ତିକ୍ତାନୁଭୂତି ମଧ୍ୟରେ ପିତାଙ୍କ ସ୍ଵାଧୀନତାକାମୀ ମନୋଭାବ ସହ ମାନବତାକୁ ନିଜ ଧର୍ମ ରୂପେ ସତତ ପାଳନ କରୁଥିଲେ । ହରିଜନମାନଙ୍କ ସପକ୍ଷରେ ଯାଇ ପିତା ଏକଘରକିଆ ହୋଇଛନ୍ତି ସତ, ହେଲେ ପିତାଙ୍କର ସାମ୍ୟବାଦୀ ଚିନ୍ତାଧାରା, ଦୈନନ୍ଦିନ ଅରଟରେ ସୂତା କାଟିବା ଆଉ ଆଣ୍ଠୁ ଲୁଚୁନଥିବା ଖଦଡ ଲୁଗାକୁ ପହରଣ କରିବାର ରୀତି ରବି ସିଂଙ୍କୁ ଅନେକତ୍ର ପ୍ରଗତିଶୀଳତାର ଶିକ୍ଷା ସେଇ ତାଙ୍କ ଘରୁ ହିଁ ଦେଇଆସିଛି। ହେଲେ ମନମୋହନ ମିଶ୍ର, ଭଗବତୀ ଚରଣ ପାଣିଗ୍ରାହୀଙ୍କ ଭଳି ଆଦର୍ଶରେ ସେ ପାଇଥିଲେ ନିଜର ଲକ୍ଷ୍ୟପନ୍ଥା। 
                           
                           

                        ସ୍ବାଧୀନତା ଆସିଲା , ଇଂରେଜ ଉପନିବେଶରୁ ମୁକ୍ତ ସତ, ହେଲେ କୋଟି କୋଟି ନିରନ୍ନ ମଣିଷ ପାଇଲା କଣ ? ଯେତେବେଳେ କପର୍ଦ୍ଦକଶୂନ୍ଯ ଏଇ ବିପ୍ଳବୀ ତରୁଣ କବି, ସେତେବେଳେ ତାଙ୍କ ପକ୍ଷରୁ ଅନେକ ଆବେଦନପତ୍ର ସରକାରଙ୍କ ସମୀପରେ ଆଗତ କରାଯାଏ , ହେଲେ ସରକାରଙ୍କ ଆର୍ଥିକ ଅନୁଦାନ ପାଇଁ ସିଧାସଳଖ ପ୍ରତ୍ୟାଖ୍ୟାନ ତାଙ୍କୁ ଉତ୍ତ୍ୟକ୍ତ କରି ସାରିଥିଲା । ହେଲେ ସିଏ ନିଜେ ନିଜକୁ ସତତ ପ୍ରଶ୍ନ ସ୍ଵରୂପ ବଖାଣିଥିଲେ, "କିହୋ, ସାହିତ୍ଯିକ ପ୍ରତିଭା ଓ କବିତ୍ଵ ସହିତ ସ୍କୁଲ-କଲେଜ ଶିକ୍ଷାର ସମ୍ପର୍କ କଣ?" ତରୁଣ ରବି ସିଂ ସେତେବେଳେ ପିତାଙ୍କ କଂଗ୍ରେସର ପ୍ରତିନିଧିତ୍ଵ ସମୟରେ ଲୁଚି ଲୁଚି ପାଠ ଶିଖି କବିତା, ଛୋଟ ଛୋଟ ଗଳ୍ପ ଲେଖିବା ଆରମ୍ଭ କଲେ ।

                           ତଥାକଥିତ ଐଶ୍ଵରିକ ସତ୍ତାର ନିଷ୍ଠୁରତା , ସେହି ମମତ୍ଵକୁ ଶୂନ୍ୟ କରେଇବାର ନିଷ୍ଠୁରତା ତାଙ୍କୁ କରିଥିଲା ବିପ୍ଳବୀ କବି ଆଉ ସେ ଲେଖିଥିଲେ 'ଚରମପତ୍ର' କବିତା  ଯାହାର ଦୃପ୍ତ ମର୍ମଣ ଆଜି ବି କର୍ଣ୍ଣପୁଟରେ ଭୀଷଣୋଷ୍ଣ କଣ୍ଠତଟର ଉଦାତ୍ତ ଉଦ୍ଘୋଷଣାକୁ ସ୍ତମ୍ଭିତ କରୁଅଛି । ୧୯୪୮ ମସିହାରେ ସେ କଟକର କଂଗ୍ରେସ-ସୋସିଆଲିଷ୍ଟ୍ ର ସଦର କାର୍ଯ୍ୟାଳୟ ଅଫିସ୍ ବୟ ରୂପେ ନିଯୁକ୍ତ ରହିଥିଲେ । ହେଲେ ସେହି ସଦର କାର୍ଯ୍ୟାଳୟ ରୁ ସେ ଫେରି ଆସିଛନ୍ତି ୧୯୫୨ ମସିହାରେ, ଯେତେବେଳେ ସେ ଦେଶର ଅନେକ ତୁଙ୍ଗ ନେତୃତ୍ଵଙ୍କ ନୀତିଗତ ବିଚ୍ୟୁତିରୁ ଅସନ୍ତୁଷ୍ଟ ରହି ଆସିଥିଲେ । 

                            ଏକ ଘଟଣାକ୍ରମରେ ୧୯୫୩ ମସିହାରେ ସେ ସିପିଆଇରେ ଯୋଗଦାନ ପରେ ୧୯୫୫ ମସିହାରେ ପର୍ତ୍ତୁଗୀଜ୍ ଶାସିତ ଗୋଆ ମୁକ୍ତି ଆନ୍ଦୋଳନରେ କେ. ହନୁମତ୍ ରାଓଙ୍କ ସହ ଯୋଗ ଦିଅନ୍ତି ରବି ସିଂ। ଆହତ ଅବସ୍ଥାରେ ଯେତେବେଳେ ସେ କଟକ ଫେରିଥିଲେ , ନିଜ ଆପ୍ରାଣପ୍ରିୟ ଅଧ୍ୟାପକ ରତ୍ନାକର ପତି ମହୋଦୟଙ୍କୁ ସାକ୍ଷାତ୍ କ୍ରମେ ତାଙ୍କ ମନ୍ତବ୍ୟ ପାଇଲେ, "ତୁ ବଡ଼ ଦୁଃସାହସୀ । ଭଗବାନଙ୍କ ଆଶୀର୍ବାଦ ନଥିଲେ ତୋର ଏ ବିକାଶ ସମ୍ଭବ ହୋଇନଥାନ୍ତା ।" ଆଉ ତାଙ୍କ ଲେଖନୀରୁ ଝରିପଡେ ସେହି ପରି ଆଲୋଡନକାରୀ କୃତି - "ପଥପ୍ରାନ୍ତର କବିତା", "ଗୋଆଯାତ୍ରୀ" , "ପରାସ୍ତ ସୈନିକ" ଏବଂ "ବଲ୍ଗା ଶିଥିଳ" ।

                            
                          ହେଲେ ୧୯୫୨-୧୯୬୦ ମସିହା ଭିତରେ ରବି ସିଂଙ୍କ ଦୁର୍ଦ୍ଦମନୀୟ ଯାତ୍ରା ଆରମ୍ଭ ହୁଏ ! ୧୯୬୫ ମସିହା ୨୨ ଡିସେମ୍ବର ଦିନ "ଷଣ୍ଢ,  ହେ ତୁମେ ଦଣ୍ଡବତ ମୋ ଘେନ !" ନାମରେ ଏକ ଚର୍ଚ୍ଚିତ କବିତା ଲେଖିଲେ ରବି ସିଂ ! ସେହି 'ଷଣ୍ଢ' ହେଉଛି କବିଙ୍କ ଦୃଷ୍ଟିରେ 'ଆଦିମ ସାମ୍ୟ ବାଦୀ ।' ଏହି 'ଷଣ୍ଢ' ପୁଣି ମାନ୍ଯ କରେନାହିଁ କୌଣସି ସରକାରୀ ଅଧିନିୟମ ଅଥବା ଆଇନ , ହାଜତ୍ ଆଉ ବଳପୂର୍ବକ ଉପସ୍ଥିତି। ଏହା ମାଧ୍ୟମରେ ସେ କମ୍ୟୁନିଷ୍ଟ ମତବାଦ ଆଢୁଆଳରେ ରହିଥିବା ଭଣ୍ଡ ସାମ୍ୟବାଦ ଓ ସଂଖ୍ୟାଗରିଷ୍ଠତା ପାଇଁ ଅତିରିକ୍ତ ଆଶାୟୀ ନେତାମାନଙ୍କର ଚରିତ୍ର ଉନ୍ମୋଚିତ କରନ୍ତି , ଯାହାକୁ ତଦାନୀନ୍ତନ ରାଜନୀତିଜ୍ଞ ତଥା ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଭୂୟସୀ ପ୍ରଶଂସା କରିଥିଲେ ।

                            
                                  ମହାମାନବର କବି କିନ୍ତୁ ଏହି ଧରାପୃଷ୍ଠରେ ଧରାବନ୍ଧା ପରିସ୍ଥିତିର ଅପ୍ରତ୍ୟାଶିତ ଅନୁଭୂତିରେ ହୁଅନ୍ତି ନିୟମିତ ବିଜଡିତ । ବିଦ୍ୟାଳୟ ଯାଉଥିଲେ ହେଲେ ମାତ୍ର ଦୁଇ ଘଣ୍ଟା ହିଁ ସେ ଅତିବାହିତ କରୁଥିଲେ। ତଦାନୀନ୍ତନ ସମୟରେ ତାଙ୍କ ପିତା ଜେଲ୍ ରୁ ମୁକ୍ତ ହେବା ବେଳକୁ ତାଙ୍କୁ ଗାଁରେ ଛାଡିଦେଇ ମା' ଙ୍କ ନିକଟରେ ରଖି କେଉଁ ଆଡକୁ ଯିବାକୁ ପ୍ରସ୍ତୁତ ନଥାନ୍ତି । କାରଣ କବିଙ୍କ କାଳ ଖଣ୍ଡ ଅବଶ୍ୟ ସେ ସମୟରେ ଦାରିଦ୍ର୍ୟ ଓ ଅଭାବର ମରୁ ସମାନ ବେଳାରେ ଅତିବାହିତ ହୁଏ । ନବାପାଟଣା ସେତେବେଳେ ଏକ ଅନଗ୍ରସର ଗ୍ରାମ ରୂପେ କୁଖ୍ୟାତ । ଏଣୁ ଏହିପରି ଏକ ଅନ୍ଧାରିତ ଅଭିସନ୍ଧିରୁ ମୁକୁଳିବା ପାଇଁ ରବି ସିଂଙ୍କ ପାଠପଢାରେ ଯବନିକା ପଡିଯାଏ । ପିତାଙ୍କ ସହ କଟକ ଆସିଛନ୍ତି ଆଉ କଟକରେ ପିତାଙ୍କ ସହ ଅନେକ ବୁଦ୍ଧିଜୀବୀ ଓ ବଡ଼ବଡ଼ ଲୋକଙ୍କ ସହ ଭେଟୁଥିଲେ ।

                             ପିତାଙ୍କ ଦେହାବସାନ ପରେ ରବି ସିଂ ଏଣେ ତେଣେ ଭ୍ରମଣ କରି କରି ବିବିଧ ସ୍ଥାନରେ ଆଶ୍ରୟ ପାଇ ରହିଥିଲେ । ଏକଦା କଟକ-ଭୁବନେଶ୍ୱର ମଧ୍ୟବର୍ତ୍ତୀ ରାଜପଥ ନିକଟସ୍ଥ ଗୋପାଳପୁର ଠାରେ ଅବସ୍ଥାନ କାଳରେ ସେ ପ୍ରକାଶ କରେଇଥିଲେ ତାଙ୍କର ବହୁଚର୍ଚ୍ଚିତ କବିତା ସଂକଳନ "ପଥପ୍ରାନ୍ତର କବିତା" (୧୯୫୯) । ଅସ୍ତିତ୍ଵର ଅନ୍ଵେଷାରେ ମାନବିକତାର ଯେଉଁ ସନ୍ଧାନରେ କବି ସବୁବେଳେ ଅନୁସନ୍ଧିତ୍ସୁର ଭୂମିକାରେ ଅବତୀର୍ଣ୍ଣ ହୋଇ ଆସୁଥିଲେ, ସେଥିରେ କେତେବେଳେ ଓଡିଶାର , କେବେ ଭାରତବର୍ଷର ତ କେବେ ପରିବ୍ୟାପ୍ତ ବିଶ୍ଵର । ଏମାନଙ୍କ ମଧ୍ୟସ୍ଥ ହର୍ଷ ବିଷାଦ, ସ୍ବପ୍ନ-ସ୍ବପ୍ନଭଙ୍ଗ, ପ୍ରତ୍ଯୟ ଓ ସମ୍ଭାବନା କବିତାର ଆଧାର ଧରନ୍ତି । ସାରସ୍ଵତ ଚିନ୍ତନରେ ମାର୍କସ୍, ଲେନିନ୍, ମାଓ, ନଜରୁଲ୍, ଭଗବତୀ ଚରଣ, ଗୋଦାବରୀଶ ପ୍ରଭୃତି ତାଙ୍କର ଆଦର୍ଶ ସ୍ଥାନୀୟ। 

                          ଦୁର୍ଦ୍ଦିନର ରାସ୍ତାରେ ଚାଲୁ ଚାଲୁ ତାଙ୍କ କାବ୍ୟ ମାନସରେ ଯେଉଁ ସାମାଜିକ ବିରୋଧାଭାସ ବେଗଗାମୀ ଝଡ଼ର ସୃଷ୍ଟି କରେ, ତାହା ସେ ନିଜ ଅଙ୍ଗେ ନିଭା ବ୍ୟକ୍ତିଗତ ଅଭିଜ୍ଞତାରୁ ପ୍ରଚଳିତ ସାମାଜିକ ବିଧି ବ୍ୟବସ୍ଥା ବିରୁଦ୍ଧରେ ତାଙ୍କ ଅନ୍ତରରେ ତୀବ୍ର ଘୂର୍ଣ୍ଣିଝଡ଼ ସଦୃଶ ପ୍ରତୀକିତ କରାନ୍ତି । ପୁଣି ତାଙ୍କ କାବ୍ୟସ୍ଵର ବହନ କରେ ସର୍ବାଦୌ ଏକ ବେସାଲିସ୍ ବିଦ୍ରୋହର ଆଗ୍ନେୟ ତାପ ଯେଉଁ ସ୍ଵର ପରବର୍ତ୍ତୀ କାବ୍ୟଚେତନାରେ ଏକ ସ୍ପଷ୍ଟ ଓ ନିରୂପିତ ବାମପନ୍ଥୀ କାବ୍ୟ-ସରଣୀରେ ପ୍ରବେଶ କରେ , ତାଙ୍କର 'ବିକ୍ଷୋଭ', 'ମୃତ ଏପିକ୍ ପାଇଁ କବିତାଟିଏ', 'ହେ ମୋର ଶାୟକ', 'ହେ ମହା ଜୀବନ !' ଭଳି କବିତା ସ୍ଵତଃ ପ୍ରତୀୟମାନ ହୋଇଛି।  ସେହିପରି ଏକ କବିତା 'ଆମେ ଦୁହେଁ' ରେ ସେ ଲେଖନ୍ତି -
                          

                 "କଣ୍ଠେ ଆମ ବିଜୟର ହ୍ରେଷା
                  ସୃଷ୍ଟି ଆଉ ସମାଜ ନିୟମ
                  ଆମେ ଦୁହେଁ କରିଛୁ ବାସନ୍ଦ
                  ନିଜ ବଳେ ଆମେ ବଳୀୟାନ୍
                  ଆମେ ଦୁଇ କୋଷମୁକ୍ତ-ଶାଣିତ କୃପାଣ ।"

                      ପୂର୍ବୋକ୍ତ ଅନୁଚ୍ଛେଦରେ ମାୟାଧର ମାନସିଂହଙ୍କ ମନ୍ତବ୍ୟ ଅବଶ୍ୟ ଥିଲା ରବି ସିଂ ଙ୍କ ବ୍ଯକ୍ତିଗତ ଦୁଃଖପୀଡିତ କାଳ ଓ ଅଭିଜ୍ଞତା ଅର୍ଜିତ ଅତିରିକ୍ତ ପ୍ରତିକ୍ରିୟା ପ୍ରତି । ହେଲେ ରବି ସିଂ ପ୍ରକୃତରେ ମାନବଜାତିରେ କ୍ରମଶଃ ହଜିଯାଉଥିବା ଚେତନାକୁ ଫେରାଇବା ପାଇଁ ଯେଉଁ ଉଦାତ୍ତ ଅଭିମତ ଦେଇ ଆସିଛନ୍ତି , ସେଥିରେ ତାଙ୍କର ପ୍ରତିକ୍ରିୟାଶୀଳ କାବ୍ୟିକତା ଅପେକ୍ଷା ସତ୍ୟ-ଶିବ-ସୁନ୍ଦରର ପ୍ରତିଷ୍ଠା, ପଶୁତା ପ୍ରବୃତ୍ତି ଦମନ କରି ଶାନ୍ତିର ଉଦୟଲଗ୍ନ ଏବଂ ମାଟିର ମଣିଷ ପ୍ରତି ନିଜର ପ୍ରତୀକିତ କଲ୍ୟାଣବୋଧକୁ ସେ ଆହ୍ବାନ କରି ଆସିଛନ୍ତି । ସେଥିପାଇଁ ଯଥାର୍ଥତଃ ସୁରେନ୍ଦ୍ର ମହାନ୍ତି ତାଙ୍କ କବିତାକୁ କହନ୍ତି,"ଅନୁଭୂତି ଲବ୍ଧ କଠୋର ଅଭିଜ୍ଞତାର ତୀବ୍ର ଅଭିଜ୍ଞାନ।" 

                         ଦୁର୍ବାର ଝଡ଼ ପରି ସେ ପ୍ରାକ୍-ଷାଠିଏ ଦଶନ୍ଧି ବେଳକୁ ଓ ତଦୁତ୍ତାରୁ ତାଙ୍କ କବିତାରେ ପ୍ରାଥମିକ ଭାବ ବାମପନ୍ଥୀ  ସାରସ୍ଵତ ପ୍ରତିଭାର ଧାରା ଥିଲା ଓ ତା ପ୍ରଚ୍ଛଦପଟ୍ଟ କେତେ ଯେ ଐତିହାସିକ , ତାହା ପାଠକଙ୍କୁ ଅଭିଭୂତ କରେ। ରବି ସିଂଙ୍କ କବିତାରେ ଏଇ ସମାଜର ଚିର ବୈଷମ୍ୟପୀଡିତ ବ୍ୟାଧିର ଦୃଶ୍ୟ ସର୍ବତ୍ର ପ୍ରତିଫଳିତ । ତଦାନୀନ୍ତନ ଗାନ୍ଧୀବାଦ ଆଦର୍ଶ ଅପେକ୍ଷା ଏକ ସଂଘର୍ଷ-ସମ୍ଭୂତ ସମାଜରେ ନ୍ୟସ୍ତସ୍ଵାର୍ଥ ବିରୁଦ୍ଧରେ ଯେଉଁ ଚୋଟ ସେ ବସାଇଥିଲେ , ତାହା ଅନେକ ବିଶିଷ୍ଟ ରାଜନୀତିଜ୍ଞ ତଥା ତଥାକଥିତ ବୁଦ୍ଧିଜୀବୀ ମହଲରେ ଆଲୋଡନ ସୃଷ୍ଟି କରେ।  ସେଥିପାଇଁ ସେ ଅସମତା ଓ ଅବିଚାରରେ ପ୍ରତ୍ୟାଖ୍ୟାତ ଶ୍ରେଣୀକୁ ଆଶାଜନକ ଉଦ୍ଦୀପନା ପ୍ରଦାନ କରି ଲେଖିଛନ୍ତି - "ଦୁଃଖ ସାଗରେ ଝଡ଼ ସମ ମୁଁ ତ ଉଠିବି ଫୁଲି/ ଜାଳି ଦେବା ପାଇଁ କୋଟି-କୁଡିଆର ନିଭିଲା ଚୁଲି ।"

                            ୧୯୫୮ ମସିହା ବେଳକୁ 'ପରାସ୍ତ ସୈନିକ' ଓ 'ଚଳନ୍ତିକା' ଗଳ୍ପ ସଂକଳନ ମଧ୍ୟ ପ୍ରକାଶ କରାଇବା ସହ ପ୍ରକାଶ କରାଇଛନ୍ତି ତାଙ୍କର କାଳଜୟୀ କବିତା ସଂକଳନ 'ଚରମପତ୍ର' । 'ଲାସ୍ୟ' ଏବଂ 'ତାଣ୍ଡବ' ନାମିତ ଦୁଇଟି ବିଭାଗରେ ସଂକଳିତ ଏ କାବ୍ୟ ଧାରା ୧୯୬୧ ମସିହାରେ ପ୍ରକାଶିତ ହୋଇ ସମଗ୍ର ଓଡିଆ କାବ୍ୟ ଜଗତରେ ଚାଞ୍ଚଲ୍ୟ ଖେଳାଇଦିଏ । ବିଦ୍ରୋହୀ କାବ୍ୟସତ୍ତା ସମକାଳୀନ ଉଗ୍ର ଆଧୁନିକତା ପ୍ରତି ନିଜର ବିକ୍ଷୋଭ ପ୍ରଦର୍ଶନ କରି ପ୍ରତିଷ୍ଠିତ ସମାଜ ବ୍ୟବସ୍ଥା ଉପରେ ଲାଗିଥିବା କୁତ୍ସିତ ଅଭିମତକୁ କଠୋର ଭାବେ ନିକ୍ଷେପ କରିଛନ୍ତି।  ଶୀର୍ଷକ କବିତା ମାଧ୍ୟମରେ ସେ ଏକଠାବେ ଲେଖିଲେ - "ଜୀବନ ଉପରେ ମରଣଟା କଲା କିଆଁ ପରବାନା ଜାରି ? / ଶାନ୍ତିର ନୀଡେ ଉଠିଲା କାହିଁକି ଯୁଦ୍ଧର ତରବାରି / ଜାନୁଆର୍ ଆଜି ଦଖଲ କରିଲା କିଆଁ ମଣିଷର ଥାନ/ ସୃଷ୍ଟି ଭିତରେ ଧ୍ଵନିତ କିମ୍ପା ଧ୍ଵଂସର ମହାଗାନ ! କହ ହେ ସ୍ରଷ୍ଟା କହ / ଜୀବନର ଭାର ଆଜି କିଆଁ ଦୁର୍ବହ ।"

                          ସମକାଳୀନ ବାସ୍ତବତା ପରିପ୍ରେକ୍ଷୀରେ ସେ ରଚନା କରିଛନ୍ତି ଆହୁରି ଅନେକ କବିତା।  'ଭୃକୁଟି' (୧୯୬୩),  'ଲାଲ୍ ପାଗୋଡାର ପ୍ରେତ ଓ ଅନ୍ୟାନ୍ୟ କବିତା' (୧୯୬୩), 'ବିଦୀର୍ଣ୍ଣ' (୧୯୬୪), 'ଅପ୍ରୀତିକର କବିତା' (୧୯୬୬), 'ଜ୍ଵାଳାର ମାଳା' (୧୯୬୭), 'କ୍ଷତ' (୧୯୬୮), 'ବିଷବାଣୀ' (୧୯୬୯), 'ଦୁର୍ଗମ ଗିରି' (୧୯୭୧), 'କ୍ରାନ୍ତି କାମୋଦୀ', 'ସର୍ବହରା', 'ଝଡ଼', 'ବନ୍ୟା', 'ଜଳ ଗୋ ଅନଳ', 'ଅଗ୍ନିବେଦ' ତାଙ୍କ ପ୍ରସିଦ୍ଧ କାବ୍ୟକୃତିର ସାର୍ଥକ ପରିଚୟ । ମାଟି ଓ ମଣିଷର ଦୁଃଖ-ଦୁର୍ବିପାକର ସବୁଠାରୁ ନିଚ୍ଛକ ରୂପାୟନ, ନିର୍ଯ୍ୟାତିତ ସ୍ଵରର ଦାବି ଓ ଅଧିକାର ପାଇଁ ଫମ୍ପା ଦୋହଲାଇବା ଅପେକ୍ଷା କବି ଆତ୍ମାର ସହୃଦୟତା ଏବଂ ସମକାଳରେ ସାହିତ୍ୟ ସୃଷ୍ଟିରେ ସ୍ଵତଃସ୍ଫୁର୍ତ୍ତ ଅଭିମତ, ନିର୍ଭୀକତା ଏବଂ ସ୍ପଷ୍ଟବାଦୀ ଭାବେ ସମ୍ଵେଦନାକୁ ପ୍ରକାଶ କରିଛନ୍ତି।  

                              ୧୯୬୦ ପରବର୍ତ୍ତୀ ଓଡିଶା ଓ ସମଗ୍ର ଭାରତବର୍ଷର ସାମାଜିକ ,ରାଜନୈତିକ ତଥା ସାଂସ୍କୃତିକ ପ୍ରେକ୍ଷାପଟରେ କବିଙ୍କ ସାଧନା ବେଦୀ ରହିଛି । ସେଥିପାଇଁ ସେ କହିଛନ୍ତି - "ପ୍ରତିହିଂସାର ନାମ ମୋର 'କ୍ଷମା', ସୃଷ୍ଟିର ଅନାସୃଷ୍ଟି / ନିର୍ଜନଗୁହା , ଶ୍ମଶାନ, କବର ସାଧନାବେଦି ମୋ କୃଷ୍ଟି ।" (ଶନି) କବିଙ୍କ ଶାଣିତ ଅଭିବ୍ୟକ୍ତି ଓ ଯଥୋପଯୋଗୀ ସତ୍ୟର ଅନାବରଣ ପରିପ୍ରେକ୍ଷୀରେ ବିଶିଷ୍ଟ ଗଣିତଜ୍ଞ ତଥା କବିଙ୍କ ବନ୍ଧୁ ତ୍ରିବିକ୍ରମ ପତି ତାଙ୍କୁ ଜନତାର ମାୟୋଭାସ୍କି ଏବଂ "Self schooled genius of Utkala" ବୋଲି ଅଭିହିତ କରିଛନ୍ତି।  ୧୯୬୫ ମସିହାରେ ନିଜ କାବ୍ୟ ସଂକଳନ 'ଚରମପତ୍ର' ପାଇଁ କବି ରବି ସିଂ ପାଇଛନ୍ତି ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାର । 
                              

                        ହେଲେ ଶେଷ ଜୀବନ ତାଙ୍କ କଟିଛି ଅତୀବ ନିଃସଙ୍ଗତା ଓ ଅଭାବ ମଧ୍ୟରେ।  ଶେଷରେ ତାଙ୍କ ଜୀବଦ୍ଦଶାରେ ସେ ଲେଖିଛନ୍ତି 'ନିଃସଙ୍ଗ ପଦାତିକ', ଯାହାକି ତାଙ୍କ ସଂଘର୍ଷମୟ ଜୀବନର ଏକ ଅନବତରିତ ନିଶାଣ ରୂପେ ଆଜି ବି ଉଡୁଅଛି। ସେହି ଅନବତରିତ ନିଶାଣଧାରୀ ବିପ୍ଳବୀ କବି ୨୦୧୯ ମସିହା ଡିସେମ୍ବର ମାସରେ ଗୁରୁତର ଭାବେ ଅସୁସ୍ଥ ଅବସ୍ଥାରେ ଥିଲା ବେଳେ କଟକଠାରେ ୨୦୨୦ ମସିହା ଫେବୃଆରୀ ୨ ତାରିଖରେ ଉତ୍କଳୀୟ ମାନଙ୍କୁ ସଜଳାଶ୍ରୁ କରି ପ୍ରତ୍ୟୁଷରେ ଇହଲୀଳା ସମ୍ଵରଣ କରିଛନ୍ତି।  ହେଲେ ଏହି ବିପ୍ଳବୀ କବିଙ୍କ ଲେଖନୀ ଦେଇଛି ଶ୍ରମ କାତର ମଣିଷର ବେଦନାର ସର୍ବଶ୍ରେଷ୍ଠ ପ୍ରତିରୂପ ଏବଂ ଆଜି ମେହନତୀ ମଣିଷର କଳକୂଜନରେ ତାଙ୍କର କାବ୍ୟ ଆଜି ତାଙ୍କୁ ଜଣାଏ ବିମର୍ଶ ସ୍ଵର-ସଲାମୀ !

                 ଆଜି (୦୨ ଫେବୃଆରୀ) ବିପ୍ଳବୀ କବିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କ ଅମରାଦର୍ଶର ପାଥେୟ କାମନା କରୁଅଛି । 

.....© ଅମୃତେଶ ଖଟୁଆ

ଲୁହ

ଅଟକୁନି ଲୁହ  ବୋହି ଚାଲୁଛି ଅନବରତ ଆଖିବି ନିଜର କରି ରଖି ପାରୁନି  ଏ ଲୁହକୁ,,,, ବାସ୍ ଝରି ଯାଉଛି ଟୋପା ଟୋପା ହୋଇ! ମନର ବ୍ୟଥା  ହୃଦୟର କୋହ  ସତରେ ଭା...