ବଦନାମ - 97
ଅପବାଦ, ଗାଳି ,ନିନ୍ଦିତ ,ଭର୍ତ୍ସନା
କୁତ୍ସା ,ଦୁର୍ଗୁଣ ,ଦୁର୍ନାମ ,
ଜନ ମାନସରେ ସରଳ ଭାଷାରେ
ବଦନାମ ତାର ନାମ
ଏହି ଯଥାର୍ଥରେ ଦର୍ଶନ ଶାସ୍ତ୍ରରେ
ନିନ୍ଦା ରଚା ମହାପାପ
ଏହି ମହାଉକ୍ତି ମାନବ ସୁଚିନ୍ତି
ହୁଅ ହେ ପରିଚାଳିତ
- ପ୍ରବୀର ମଲ୍ଲିକ୍
ପରନିନ୍ଦା ଗାଳି ଷଡଯନ୍ତ୍ର ଭାଳି
ହୁଅନାହିଁ ବଦନାମ୍
ସୁନାମ ହଜିବ ଦୁର୍ଗୁଣ ଅର୍ଜିବ
ଯିବ ଆତ୍ମ ସନମାନ
କର୍ତ୍ତବ୍ୟର ଧାରେ ଚାଲୁଥାଅ ଧିରେ
କରୁଥାଅ ଆତ୍ମଚିନ୍ତନ
ବଦନାମ୍ କେବେ ଆସିଲେବି ଥରେ
ସାହାହେବେ ନନ୍ଦନନ୍ଦନ
- ସନ୍ତୋଷ ପଟ୍ଟନାୟକ
ମନରେ ଦୃଗୁଣ କରନି ଧାରଣ
ନିଶ୍ଚେ ହେବ ବଦନାମ
ଅବଗୁଣ ସିନା କଲେ ପରିହାର
ମିଳିବ ଆତ୍ମ ସମ୍ମାନ
ଆପଣାର ଭାବି ସର୍ବ ସାଧାରଣ
ତୋଷି ନିଅ ଜନମନ
ଦୃଜନ ହେଲେବି କରନାହିଁ ଘୃଣା
ମିଳିବ ଈଶ୍ବର ସ୍ଥାନ
- ରାଧା କୃଷ୍ଣ ବାୟକ
ବଦନାମ ଗଳିରେ ଚାଲନି ବାଟ
ସ୍ୱାର୍ଥକୁ ସାରଥି କରି
ପରଚର୍ଚ୍ଚା କରି ହୁଅନି ନିନ୍ଦିତ
ଦୁର୍ଗୁଣ ମନରେ ଧରି
ଅପବାଦ ଠାରୁ ରୁହ ସଦା ଦୂରେ
ଆତ୍ମ ସମ୍ମାନକୁ ଜଗି
ମଧୁର ଭାଷାରେ ତୋଷି ଜନମନ
ଦୁଃଖେ ହୁଅ ସହାଭାଗୀ
ଅଶ୍ଳୀଳ ଭାଷାକୁ କର ପରିହାର
ପାଟିରେ ଲଗାମ ଦେଇ
ନିନ୍ଦୁକ ମୁହଁକୁ ବନ୍ଦ କରିଦିଅ
ଭଲ ମଣିଷଟେ ହୋଇ
- ରାମ ଚନ୍ଦ୍ର ପ୍ରଧାନ
ପାପ ନ କରିବି ପତିତା ସାଜିଲି
ଦୁନିଆଁ ଧରମ ଦାଣ୍ତେ
କଳଙ୍କ କଳସୀ କାଖେ ଲଦି ଦେଲେ
ବଦନାମ୍ ଗରା ମୁଣ୍ଡେ
ନାମ ନାହିଁ ମୋର କାହାଣୀ ବି କ୍ରୁର
ସମାଲୋଚନାର ପାତ୍ରୀ
ପୁରୁଷ ପୁଙ୍ଗବ ନାହିଁ ତାଙ୍କୁ ଲାଜ
ଧନ୍ଯ ସହୁଛି ଧରିତ୍ରୀ
- ଦାଶରଥି ସାହୁ
ବ‐ବଦଳି ଗଲା ସେ ବଡଲୋକି ପୁଅ
ବରଟେ ସାଜିବ କହି
ଦ‐ଦରଦୀ ମନକୁ ଦରଜ ଦେଇସେ
ଦୂରେଗଲା କେଣେ ରହି
ନା‐ନାଚାର ହେଲି ମୁଁ ନାରୀତ୍ବ ହରେଇ
ନିନ୍ଦାକୁ ଆପଣି ଏବେ
ମ‐ ମରି ଜଳୁଥିବା ମହମବତୀ ମୁଁ
ବଦନାମ ହେଲି ଯେବେ
- ରବିନ୍ଦ୍ର ସାହୁ
ଜୀବନ ନଉକା ଅସ୍ଥିର ଜଳରେ
ସ୍ଵାଭିମାନ ନେଇ ବଞ୍ଚେ
ନିନ୍ଦା ବଦନାମ୍ ପରମ ବଇରୀ
ପଥେ ସଦା ଶତ୍ରୁ ବିଞ୍ଚେ
ନହୋଇ ଅସ୍ଥିର ଚିତ୍ତ କରି ସ୍ଥିର
ହରି ନାମେ ଦେଇ ମତ୍ତି
ମୁକତି ପାଇବା ଏ ଭବ ସାଗରୁ
ବିଭୁ ମନ ହେଲେ ଶାନ୍ତି
- ଟୁକୁନା ସାହୁ
କଳଙ୍କର ଟିକା ମୁଣ୍ଡରେ ମୁଣ୍ଡାଇ
ବଦନାମ ହେଲି ତୋଅରି ପାଇଁ
ଛଳନା ଛୁରୀରେ ମୋ ଛାତି ଚିରିଲୁ
ଆଉକା' ସିନ୍ଦୂର ପିନ୍ଧିବା ପାଇଁ
ଅଭିଶାପ ତୋତେ ଦେବି ନାହିଁ ପ୍ରିୟା
ଦେଉ ନାହିଁ କେବେ ତୋତେ ମୁଁ' ଗାଳି
ଆଉକା ହୃଦୟ ଭାଙ୍ଗିବୁନି କେବେ
ଏତିକି ମାତର କରୁଛି ଅଳି
- ଜଗବନ୍ଧୁ ସାହୁ
No comments:
Post a Comment