Showing posts with label ଶବ୍ଦ ଭେଦ. Show all posts
Showing posts with label ଶବ୍ଦ ଭେଦ. Show all posts

Tuesday, March 23, 2021

■ ତୁ, ତୁମେ, ଆପଣ ■

■■■■■■■■■■■■■■■■■■
ଆମ ଭାଷାରେ ତୁ ତୁମେ ଆପଣ ଭଳି ତିନୋଟି ସମ୍ବୋଧନଵାଚକ ଶବ୍ଦ ଵ୍ଯଵହାର କେତେ ଯଥାର୍ଥ ?
■■■■■■■■■■■■■■■■■■                           
                           ©ଡାକ୍ତର ଦେଵାଶିଷ ଜ୍ଯୈଷ୍ଠୀ
                       ସମ୍ପାଦନା―ଶିଶିର ସାହୁ ମନୋଜ

କିଛି ଲୋକ ଆପଣା ମନରେ ଏମନ୍ତ ଵିଚାର କରନ୍ତି ଯେ ଓଡ଼ିଆ ଭାଷାରେ ଅଯଥା ଅନେକ ଜିନିଷ ରହିଛି । ସେସବୁ କାଢି଼ଦେଲେ ଵରଂ ଏ ଭାଷା ଅନ୍ୟ ପାଇଁ ଶିଖିଵା ଅଧିକ ସହଜ ହୋଇପାରନ୍ତା । ଏଠାରେ ଵିଚାରଯୋଗ୍ଯ ଵିଷୟ ଏହା ଯେ ପ୍ରକୃତରେ ପ୍ରତ୍ଯେକ ଭାଷାରେ କିଛି ନା କିଛି ସହଜିଆ କଥା ଥିଵାଵେଳେ କେତେକ କ୍ଷେତ୍ରରେ ସଂଶୟଯୁକ୍ତ ପକ୍ଷ ମଧ୍ୟ ରହିଥାଏ । 

ଲୋକେ କୁହନ୍ତି ଇଂରାଜୀରେ ମାତ୍ର ୨୬ଟା ଅକ୍ଷର ପୁଣି ଆମଭଳି ଗାଡି଼ଏ ଶବ୍ଦ ନାହିଁ ଅଳ୍ପ ଅଛି ତେଣୁ ସାରା ଵିଶ୍ଵର ଭାଷା ହୋଇପାରିଛି । ତେଵେ ଯଦି ସେମାନେ ସୁଖୁମେଇକି ଦେଖନ୍ତେ ତେଵେ ଜାଣନ୍ତେ ଯେ ଇଂରାଜୀରେ ମଧ୍ୟ ସଂଶୟପକ୍ଷର ଆଦୌ ଅଭାଵ ନାହିଁ । 

ଯଥା―
୨)ଅକ୍ଷର ୨୬ କିନ୍ତୁ ବଡ଼ ଓ ସାନ ଭେଦ ରହିଛି ପୁଣି ପ୍ରତ୍ଯେକ ଵାକ୍ଯର ପ୍ରଥମ ଅକ୍ଷରକୁ ବଡ଼ଅକ୍ଷର ଭାଵେ ଲେଖିଵାକୁ ହୁଏ ! 

ଯଥା―He is not working properly. ଏଠାରେ he ନଲେଖି He ଲେଖିଵାକୁ ହୁଏ ! ଭାରତୀୟ ଭାଷାଗୁଡି଼କରେ ଏଭଳି ଅନାଵଶ୍ଯକ ଗୁଣ ନାହିଁ । 

୨)ଇଂରାଜୀ ଭାଷାର know, knowledge ଭଳି ଶବ୍ଦର k ଥାଇ ବି ଉଚ୍ଚାରଣ କରାଯାଏ ନାହିଁ ।  କେତେକ ଶବ୍ଦରେ C,P,F ଇତ୍ୟାଦି ଥାଇ ମଧ୍ୟ ଉଚ୍ଚାରଣ କରାଯାଉନଥିଵା ଦେଖାଯାଏ । ଆମ ଭାଷାରେ ଏଭଳି ହୁଏନାହିଁ , ଯାହାଲେଖାଯାଏ ତାହା ପଢା଼ଯାଏ । 

କିଛି ଲୋକ କୁହନ୍ତି ଓଡ଼ିଆ ଭାଷାରେ ଅଯଥା ତୁ,ତୁମେ, ଆପଣ ଭଳି ତିନୋଟି ଶବ୍ଦ ରହିଛି କିନ୍ତୁ
ଇଂରାଜି ଭାଷାରେ ଗୋଟିଏ ଶବ୍ଦ  'You' ଦ୍ଵାରା ସମସ୍ତଙ୍କୁ ସେମାନେ ସମ୍ବୋଧନ କରିଥାନ୍ତି । ଆମେ ବର୍ଗୀକରଣ କରି ନିଜକୁ ବୁଦ୍ଧିମାନର ପରିଚୟ ଦେଲୁ ବୋଲି ଭାବିନେଲେ, ଏହା ଦ୍ବାରା ସାମାଜିକ ଉଚ୍ଚ ନିଚ୍ଚର ଭେଦଭାବ ତିଆରି କରିନେଲେ , ଭୁଲରେ  ଆମେ ଯଦି କାହାକୁ 'ଆପଣ' ଯାଗାରେ ତମେ, 'ତମେ' ଯାଗାରେ 'ତୁ' କହିଦେଲେ ତାଙ୍କୁ ଅସମ୍ମାନ ସୁଚକ ହୋଇଗଲା, ତେଣୁ ଭାଷାକୁ ଯେତେ ସରଳ କରାଯିଵ ଭଲ ...

ତେଵେ କେଵଳ ଓଡ଼ିଆ ଭାଷା ନୁହେଁ ଭାରତର ଅଧିକାଂଶ ଭାଷାରେ ଵ୍ଯକ୍ତି ଭେଦରେ
ତୁ, ତମେ, ଆପଣ ସମ୍ବୋଧନାର୍ଥ ଵ୍ଯଵହାର ହୋଇଥାଏ । ହିନ୍ଦୀ ବଙ୍ଗାଳୀ ମରାଠୀ ଗୁଜରାଟୀ ସବୁଭାଷାରେ ତୁ ,ତୁମେ,ଆପଣର ଵ୍ଯଵହାର ରହିଛି ।

ଓଡ଼ିଶାର ଅନେକ ଜନଜାତୀୟ ଭାଷାରେ ମଧ୍ୟ ତୁ ତୁମେ ଆପଣ ଭେଦରେ ସମ୍ବୋଧନ ରହିଛି । ଉଦାହରଣ ସ୍ଵରୂପ ହୋଭାଷାରେ ‛ତୁ’ = ଆମ , ତୁମେ = ଆପେ ଓ ଆପଣ = ଆବେନ୍ । 

ପୁଣି ଇଂରାଜୀରେ ସମ୍ମାନସୂଚକ ପ୍ରୟୋଗ ନାହିଁ ବୋଲି କିଏ କହିଲା ? କେତେକ ପ୍ରୟୋଗକୁ ଵିଚାର କରାଯାଉ : 

୧) ଓଡ଼ିଆରେ ଯେପରି "ତୁ ଆସେ", "ତୁମେ ଆସ", "ଆପଣ ଆସନ୍ତୁ ରହିଛି" ସେହିପରି ଇଂରାଜୀରେ ମଧ୍ୟ "You come", "Will you please come", "If you feel like coming please" ଇତ୍ୟାଦି ରହିଛି ।

୨) ଓଡ଼ିଆରେ ଯେପରି "ଵସ" ଓ "ଵସନ୍ତୁ" ରହିଛି ସେହିପରି ଇଂରାଜୀରେ "sit" ଓ "please be seated" ପରି ପ୍ରୟୋଗ ହୁଏ । 

୩) ଓଡ଼ିଆରେ ଯେପରି "ମୁଁ ତୋତେ ପ୍ରଶ୍ନ ପଚାରିଵି କି", "ମୁଁ ଆପଣଙ୍କୁ ପ୍ରଶ୍ନ ପଚାରିଵି କି" ରହିଛି ଇଂରାଜୀରେ ସେହିପରି "Can I ask you" ଓ "May I have the honour to ask you"   

୪) "ଆପଣଙ୍କୁ ଜଣାଉଛି ଯେ" କୁ ଇଂରାଜୀରେ "with due respect I beg to state that"
ପାର୍ଥକ୍ୟ କେଵଳ ଏତିକି , ଓଡ଼ିଆରେ କେଵଳ ଆପଣ କହିଦେଲେ ସମ୍ମାନସୂଚକ ହୋଇଗଲା ତେଣୁ ପୂରା ଵାକ୍ୟକୁ ବୁଲେଇ ବଙ୍କେଇ ଵିଶେଷ ଉପମା ଦେଵାକୁ ପଡ଼େନାହିଁ, ଅଥଚ ଇଂରାଜୀରେ ଆପଣ ପାଇଁ ଵିଶେଷ ଶବ୍ଦ ନ ଥିଵାରୁ ଆମକୁ କେତେ ଵିଶେଷ ଵୈୟାକରଣିକ ଆଶ୍ରୟରେ କଥା କହିଵାକୁ ହୁଏ ଯେମିତିକି "ଆପଣ ଚାହିଁଲେ ମୁଁ କରିପାରିଵି" କୁ ଇଂରାଜୀରେ "Can do it should you so desire". ...

ଇଂରାଜୀ ଭାଷାରେ କାହାକୁ ସମ୍ବୋଧନ ପାଇଁ କେଵଳ ଗୋଟିଏ ଛୋଟିଆ ଶବ୍ଦ ରହିଛି you କିନ୍ତୁ ଆମର ତିନୋଟି ଶବ୍ଦ ରହିଛି ତୁ/ତୁହି,ତୁମେ ଓ ଆପଣ । ଇଂରାଜୀ ଭାଷାରେ ସମ୍ବୋଧନାର୍ଥ ଆମଭଳି ତିନୋଟି ଶବ୍ଦ ନଥିଵା ହେତୁ ସେମାନଙ୍କୁ ବଡ଼ ଲୋକଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ହେତୁ ବହୁତ ଲମ୍ବା ଲମ୍ବା ଖଣ୍ଡଵାକ୍ଯ ପ୍ରୟୋଗ କରିଵାକୁ ପଡି଼ଥାଏ  ।  ଅଵଶ୍ୟ ତାଙ୍କ ଲୋକାଚାର ଆମ ଭଳି ସମୃଦ୍ଧ ନଥିଵା ଯୋଗୁଁ ସେମାନେ ପ୍ରାୟତଃ youରେ କାମ ଚଳେଇ ନିଅନ୍ତି । 

ଆମ୍ଭଦେଶର ସଂସ୍କୃତି ଅଧିକ ଉନ୍ନତ ହୋଇଥିଵା ହେତୁ ଏଠାରେ ତିନୋଟି ସମ୍ବୋଧନଵାଚକ ଶବ୍ଦ ଵ୍ଯକ୍ତି ଭେଦରେ ପ୍ରଚଳିତ ହୋଇପାରିଛି । ଦେଶଭେଦରେ ସଂସ୍କୃତି ଭିନ୍ନ ଭିନ୍ନ । ଆମ ସଂସ୍କୃତିର ଏଇ ଉପାଦାନ ତେଣୁ ସର୍ଵଥା ଯଥାର୍ଥ ଅଟେ ଅନାଵଶ୍ଯକ କି ଆଲୋଡା଼ ନୁହେଁ । 

©ଡାକ୍ତର ଦେଵାଶିଷ ଜ୍ଯୈଷ୍ଠୀ
ସମ୍ପାଦନା―ଶିଶିର ସାହୁ ମନୋଜ

Tuesday, March 16, 2021

● ଘଇତା / ଘଏତା ● (ଶବ୍ଦ ବାଖ୍ୟା )



ଘଇତା /ଘଏତା        
                     ଉପସ୍ଥାପନା : ✍ ଶିଶିର ସାହୁ ମନୋଜ 

               ଶବ୍ଦଟି ଓଡ଼ିଆ ଭାଷାରେ ବହୁ ପ୍ରାଚୀନ କାଳରୁ ଚଳିଆସୁଛି କିନ୍ତୁ ଅଧୁନା ଅନେକ ଓଡ଼ିଆ ଲୋକେ ଏ ଶବ୍ଦକୁ ଅଶ୍ଳୀଳ ଵିଚାର କରୁଅଛନ୍ତି ଓ ଏହି ଶବ୍ଦ ପରିଵର୍ତ୍ତେ ପତି ଓ ସ୍ଵାମୀ ଆଦି ତତ୍ସମ ଶବ୍ଦର ଆଜି ଵିଶେଷ ଭାବେ ପ୍ରୟୋଗ ହୋଇଥାଏ । 

କାହିଁକି ଘଇତା ଶବ୍ଦକୁ ଅଶ୍ଳୀଳ ଵିଵେଚିତ କରାଯାଏ ? 

 ।  ଏହି ଘଇତା ଶବ୍ଦଟି  ଭର୍ତ୍ତା,ସ୍ବାମୀ,ମାଲିକ ଓ ଉପପତି ଵା ଜାରପୁରୁଷ ଅର୍ଥରେ ଵ୍ୟଵହୃତ ହେଇଥାଏ ‌ । ଘଇତା ଶବ୍ଦର ଶେଷ ଅର୍ଥ ଉପପତି ଵା ଜାରପୁରୁଷ ଆଧାରରେ ଘଇତା ଶବ୍ଦକୁ ଅଶ୍ଳୀଳ ଵିଚାର କରାଯାଏ । 

କିନ୍ତୁ କ'ଣ ଘଇତା ଵା ଘଏତା ଶବ୍ଦର ତତ୍ସମ ସମଦ୍ଧୃତ ରୂପ  ଗ୍ରହୀତାର ମଧ୍ୟ କୌଣସି ଅଶ୍ଳୀଳ ଅର୍ଥ ଥିଲା ?

ଗ୍ରହୀତା ଶବ୍ଦଟି ଗ୍ରହଣକାରୀ,ଗ୍ରହଣକର୍ତ୍ତା,ଋଣଗ୍ରହଣକାରୀ ବ୍ୟକ୍ତି ଵା ଖାତକ,ଗ୍ରାହକ,ଖରିଦଦାର ଓ ସ୍ବାମୀ ଵା ପତି ଅର୍ଥରେ ଵ୍ୟଵହୃତ ହେଉଥିଲା । ଯେ ସ୍ତ୍ରୀ ର ପାଣି ଗ୍ରହଣ କରେ ସେ ଗ୍ରହୀତା ଏହି ଭାଵକୁ ଆଧାର କରି ଘଇତା ଶବ୍ଦର ସୃଷ୍ଟି । ଏଠାରେ ଗ୍ରହୀତା ଶବ୍ଦର ଗ୍ରାହକ ଅର୍ଥଟି ଘଇତା ଶବ୍ଦର କାହିଁକି ଜାରପୁରୁଷ ଅର୍ଥ ହୋଇଥିଲା ତାହା ସ୍ପଷ୍ଟ କରିଥାଏ । ପ୍ରାଚୀନ କାଳରେ ଵୈଶ୍ଯାଵୃତ୍ତି ଆଜିଭଳି ଅପରାଧ ନଥିଲା । ସେତେବେଳେ ଏହା ସମାଜର ଏକ ଅଭିନ୍ନ ଅଙ୍ଗ ଥିଲା । କାଳିଦାସଙ୍କ ମେଘଦୂତ ମହାକାଵ୍ୟରେ ଏହାର ପ୍ରମାଣ ମିଳିଥାଏ । “ଵେଶ୍ୟାର ଗ୍ରାହକ” ଅର୍ଥରେ ଗ୍ରହୀତା ଶବ୍ଦର ଵ୍ୟଵହାର ଥିଵାରୁ ସେଇ ଅର୍ଥ ମଧ୍ୟ ଘଇତା ଶବ୍ଦର ଉପପତି ଅର୍ଥ ମଧ୍ୟରେ ପ୍ରକଟିତ ହୋଇଅଛି । 

ତାହେଲେ ଗ୍ରହୀତା ଶବ୍ଦଟି କ'ଣ ସତରେ ସ୍ଵାମୀ ଵା ପତି ଅର୍ଥକୁ ଶତପ୍ରତିଶତ ପ୍ରକାଶ କରିଥାଏ । ଏ ଶବ୍ଦର ସୂକ୍ଷ୍ମ ନିରୁକ୍ତି ଅଧ୍ୟୟନରୁ ହୁଏତ ଏହାର ଉତ୍ତର ମିଳିପାରେ । 

ଗ୍ରହୀତା ଶବ୍ଦକୁ ଗ୍ରହ୍ ଧାତୁରୁ ନିଷ୍ପନ୍ନ କରାଯାଇଛି । ଏହି ଗ୍ରହ୍ ଧାତୁରୁ ନିମ୍ନୋକ୍ତ ଅର୍ଥରେ ଵିଭିନ୍ନ ଶବ୍ଦ ନିଷ୍ପନ୍ନ ହୋଇଥାଏ । 

୧)ଗ୍ରହଣ କରିବା
ପତିଟିଏ ପତ୍ନୀର ପାଣିଗ୍ରହଣ କରେ । 
୨)ନେବା
କନ୍ୟାକୁ ପତିଟିଏ ତାହାର ପିତାର ଗୃହରୁ ନେଇ ଆପଣା ଗୃହର ଲକ୍ଷ୍ମୀ କରିଥାଏ । 

 ୩)ଧରିବା ଓ  ବଳପୂର୍ବକ ଧରିଵା
 ପତି ଆପଣା ପତ୍ନୀର ହାତକୁ ଧରି ସଂସାରପଥରେ ଅଗ୍ରସର ହୋଇଥାଏ । ଏହି ଅର୍ଥରେ ଗ୍ରହ ଶବ୍ଦ ମଧ୍ୟ ସୃଷ୍ଟି ହୋଇଅଛି । ପୃଥିଵୀ ଆମକୁ ତା ମଧ୍ୟରେ ମାଧ୍ୟାକର୍ଷଣ ଵଳ ଦ୍ଵାରା ଧରି ରଖିଛି ।

୪)ଆକର୍ଷଣ କରିଵା
ପତିକୁ ତା ପତ୍ନୀକୁ ଵିଭିନ୍ନ ଉପଖୟରେ ଆକର୍ଷିତ କରିଵାକୁ ହୋଇଥାଏ । ଆକର୍ଷଣ ଵିନା ଦାମ୍ପତ୍ୟ ଜୀଵନ ସୁଖମୟ ହୋଇନପାରେ । ଅନ୍ୟଥା ନାରୀ ଆଉ କାହା ଦ୍ଵାରା ଆକର୍ଷିତ ହୋଇ ଚାଲିଯାଇପାରେ ।

୬)ସନ୍ତୁଷ୍ଟ କରିଵା

ପତିର କର୍ତ୍ତଵ୍ୟ ସେ ପତ୍ନୀକୁ ସନ୍ତୁଷ୍ଟ କରି ରଖିଵ ନୋହିଲେ ପତ୍ନୀ ଜାରପୁରୁଷ ସନ୍ଧାନ କରିଵାକୁ ବାଧ୍ୟ ହୁଏ ।

୭)ଗିରଫଦାର କରିବା,ବାନ୍ଧିଵା
ପତିର ଆପଣା ପତ୍ନୀକୁ ପ୍ରେମବନ୍ଧନରେ ବାନ୍ଧି ରଖିଵାକୁ ଚେଷ୍ଟା କରିଵା ଉଚିତ୍ ନଚେତ୍ ପତିପତ୍ନୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ‌।

 ୮)ବୁଝିଵା
 ଆପଣା ପତ୍ନୀର ଚରିତ୍ରକୁ ବୁଝି କାର୍ଯ୍ୟ କରୁଥିଵା ପ୍ରତ୍ୟେକ ପତି ସୁଖମୟ ଦାମ୍ପତ୍ୟ ଜୀଵନ ଉପଭୋଗ କରିପାରେ ।

୯)ଆପଣା ପକ୍ଷକୁ ରାଜି କରାଇଵା ଵା ମନାଇଵା
ପତିକୁ ରୁଷି ଯାଇଥିଵା ପତ୍ନୀକୁ ମନେଇଵାକୁ ହୋଇଥାଏ । 

୧୦)କୌଣସି ଵିଷୟକୁ ଆଯତ୍ତ କରିଵା
ପତ୍ନୀକୁ ପ୍ରେମ ବଳରେ ଆୟତ୍ତ କରିଵାକୁ ହୋଇଥାଏ ।

୧୨)ପ୍ରାର୍ଥନା ମଞ୍ଜୁର କରିଵା
ପତ୍ନୀ ଯାହା କହିଵ ସେଥିରେ ପତିକୁ ହଁ କରିଵାକୁ ପଡ଼େ। କଥାରେ ଅଛି ହଁ କୁ ହାଇକୋର୍ଟ ନାହିଁ । ହଁ ବୋଲି କହି ପତ୍ନୀର ସବୁକଥାରେ ରାଜି ହୋଇଗଲେ ଦାମ୍ପତ୍ୟ ଜୀଵନ ସୁଖମୟ ହୋଇଥାଏ ‌

୧୩)ଗର୍ଭଧାରଣ କରିଵା
ପତିଟିଏ ପତ୍ନୀର ଗର୍ଭଧାରଣ କରିଵାରେ ସାହାଯ୍ୟ କରିଥାଏ ।

୧୪)କିଣିଵା
ଗ୍ରହ୍ ଧାତୁର ଏହି ଅର୍ଥ ଜାରପୁରୁଷ ଅର୍ଥକୁ ସ୍ପଷ୍ଟ କରେ । ପତ୍ନୀକୁ ଶାଢ଼ୀ ଠାରୁ ଗହଣା ଯାଏଁ ସବୁ କିଣି ଦେଵା ପତିର କର୍ତ୍ତଵ୍ୟ ଅଟେ ‌।

୧୫) ଵସ୍ତ୍ରାଳଙ୍କାର ପିନ୍ଧିଵା
ପତ୍ନୀକୁ ନୂଆ ନୂଆ ଵସ୍ତ୍ର ଓ ଅଳଙ୍କାର ଯୋଗାଇଵା ପତିର ପରମ କର୍ତ୍ତଵ୍ୟ । ନାରୀମାନେ ଏସବୁ ପିନ୍ଧିଵାକୁ ବଡ଼ ସୁଖ ପାଆନ୍ତି । ପତ୍ନୀର  

୧୬)ରୋଗ, ଭୂତ, ପିଶାରାଦି କୌଣସି ଵ୍ୟକ୍ତିକୁ ଆକ୍ରମଣ କରିଵା

ପତିକୁ ଏକ ରୋଗ ଭଳି — ଭୂତ ପିଶାଚ ଭଳି ପତ୍ନୀର ଦେହ ମନକୁ ଅଧିକାର କରିଵାକୁ ହୋଇଥାଏ । 

ଗ୍ରହ୍ ଧାତୁର ଏ ସମସ୍ତ ଅର୍ଥଗୁଡ଼ିକ ତେଣୁ ପ୍ରମାଣିତ କରନ୍ତି ଯେ ଗ୍ରହୀତା ଶବ୍ଦଟି ପତି ଅର୍ଥକୁ କେମିତି ଅନେକାଂଶରେ ସାର୍ଥକ ଵିଵେଚିତ କରିଥାଏ ‌। ପାଶ୍ଚାତ୍ୟ ଭାଷାଵିତମାନେ ଗ୍ରହ୍ ଧାତୁକୁ ପ୍ରାକ୍ ଭାରୋପୀୟ ଶବ୍ଦ *gʰrebʰ ସହିତ ସମଦ୍ଧୃତ ବୋଲି ଵ୍ୟାଖ୍ୟା କରିଅଛନ୍ତି । ଏ ଦୃଷ୍ଟିରୁ ଧରିଵା,ଛଡେ଼ଇଵା, ଅକ୍ତିଆର କରିଵା ଅର୍ଥରେ ଵ୍ୟଵହୃତ Grab,grip ଶବ୍ଦ “ଗ୍ରହ୍ ଧାତୁ” ସହିତ ସମଦ୍ଧୃତ । ଆଇରିଶ୍ ଭାଷାର greim ଶବ୍ଦର ଅର୍ଥ ଧରିଵା,କାମୁଡି଼ଵା ଓ ସିଲେଇ କରିଵା । ଏ ଶବ୍ଦକୁ ମଧ୍ୟ ଗ୍ରହ୍ ଧାତୁ ସହିତ ସମଦ୍ଧୃତ ଵିଚାର କରାଯାଏ । ସେହିପରି ସଂସ୍କୃତରେ ଗ୍ରହ୍ ଧାତୁରୁ ଅନେକ ଶବ୍ଦ ନିଷ୍ପନ୍ନ କରାଯାଇଛି । ଯଥା — ଗ୍ରହ,ଗ୍ରାଵ,ଗ୍ରାହ,ଗ୍ରାହ୍ୟ,ଗ୍ରାହକ,ନିଗ୍ରହ,ଗ୍ରହଣ ଇତ୍ୟାଦି ଇତ୍ୟାଦି

ଓଡ଼ିଆ ଭାଷାରେ ଆଗେ ଘଇତା ଶବ୍ଦ ସ୍ଥଳ ଵିଶେଷରେ ଅଶ୍ଳୀଳ ଵିଵେଚିତ ହେଉଥିଲେ ହେଁ ଗ୍ରାମ୍ୟଜୀଵନରେ ଏହାକୁ ସେତେଟା ଅଶ୍ଳୀଳ ଵିଚାର ଅରାଯାଉନଥିଲା ଫଳରେ ଆମ ଭାଷାର  ଲୋକଵାଣୀ ଢ଼ଗଢ଼ମାଳିରେ ଘଇତା ଶବ୍ଦଟି ବହୁ ପରିମାଣରେ ଵ୍ୟଵହୃତ ହୋଇଛି । ନିମ୍ନରେ ଘଇତା ଶବ୍ଦଯୁକ୍ତ କେତୋଟି ଓଡ଼ିଆ ଢଗର ଉଦାହରଣ ଦିଆଗଲା ।

ଵାଭନ ଘରର ପଏତା,
ବଡ ଘର ଦେଖି ଦେଲୁ ଗୋ ବୁଆ
ଚଁଟିଆ ଏଡେ ଘଁଏତା ।।

ବାଙ୍ଗିଣ ପରିଵା, 
ଦି ସଉତୁଣୀ କଥା ହେଉଛନ୍ତି ଘଇତାକୁ ମାରିଵା ।।

ଘଇତା ମାରଇ ରାଗେ
କାନମଲ୍ଲିକଢି଼ ପକାଇ ଦେଉଛି 
ଦିଅର ଶଶୁର ଆଗେ ।।

ମନସଦ ଖାଇ ମରଇ ନାହିଁ
ଘଇତା ମାଡ଼କୁ ଡରଇ ନାହିଁ ।।

ଚିନହାଁ ବାହ୍ମନର୍ କାଏଁ ଦରକାର୍ ପଏତା ?
ଛିଦରି ମାହେଜିର୍ ଦରକାର୍ ଏକା, 
ବୋଲ୍ ମାନୁଥିଲା ଘଏତା !!

କା'କୁ କୋଉ ଚିନ୍ତା 
ମାଧିଆ ମାଆକୁ ଘଇତା ଚିନ୍ତା ।।

କାହାର କି ଚିନ୍ତା
 ବାଇଣ୍ଟି ପୋଇଲିର 
ଘଇତା ଚିନ୍ତା ।।

ସୁରୁ ସୁରୁ ଭାଜିଶାଗ
 ତହିଁ ପଡିଗଲା ପିଆଜ,
ନିଜର୍ ଘଏତା ଲାଡଙ୍ଗ ଫସ୍
 ପରହର୍ ଘାଏତା ସୁଆଦ ।।

ଚାଉଳ ପଛେ ଅଧୁଆ ହେଉ 
ପେଜ ହେଉ ବହଳିଆ
ଘ ଇତା ପଛେ ସନ୍ତିଆ ହେଉ
 ଲୂଗା ହେଉ ତଉଁରିଆ ।।

ଦୁଇ ମାଇପର ଘଇତା
ତବତ ଖାଇବୁ କି ପଖାଳ ଖାଇବୁ 
ବେଳ ଥାଉଁ ଥାଉଁ କହି ଥା ।।

ଦୁଇ ମାହେଝିର୍ ଘଏତା,
ତତଲା ଖାଏବୁ କି କାକର୍ ଖାଏବୁ, 
ବେଲ୍ ଥାଉନ୍ ଥାଉନ୍ କହିଥା ।।

ଆଣିମାଣିଠାଣି ଜାଣିଛୁ
ଵିଭା ଘଇତାର ନାଆଁ କହିପାରୁନୁ ।।

ଚାଲାକି ଜାଣିଲେ ମା ଘର ଝିଅ
ଘଇତାକୁ କଇବ ଓଳନାଳ ହୁଅ ।।

ନିସ୍ତୁକ ନାତି ଘଇତା
ପେଲାଗୁଞ୍ଜାରେ ଦିନ ନେଉ ଥା ।।

ନିସତକୁ ଖଣ୍ଡିଆ ଘଇତା 
ପେଲାପେଲି କରି ଦିନ ନଉଥା। 

ନାତି ଘଏତା, ଯଥାକତା କରି ଦିନ ଯାଇତା ।

ଵୈଶାଖ ମାସର କେନ୍ଦୁ
ଆଷାଢ଼ ମାସରେ ଘଇତା ମଲେ ଶ୍ରାଵଣ ମାସରେ କାନ୍ଦୁ ।।

କଦଳୀ କାଟିଲି ତିନି କେରା କଲି
ମଝି ଗଡ଼ କଲି ରାଇତା
ସମସ୍ତଙ୍କୁ ଦେଲି ଟିକିଏ ଟିକିଏ
ରୁଷି ବସିଛି ମୋ ଘଇତା ।।

ଦୁଇ ପତର୍ ଵାଗିର୍ ନଏଲ୍'ତା
କାହାର୍ ପତରେଁ କେତେ ବାଢମି
ମୁହୁଁ ଫୁଲେଇଛେ ମୋର୍ ଘଏତା ।।

ତୁ ଗୁହାରି କରିବୁ ଯା’କୁ
ମୁଁ ଘଇତା କରିଛି ତାକୁ ।‌।

ତୁ ଫେରାଦ ହଉଛୁ ଯାହାକୁ 
ସେ ଘଇତା କରିଛି ତାହାକୁ ।।

ତୁଇ ମନ୍ ଧରୁଛୁ ଯାହାକେ ,
ମୁଇଁ ଘଏତା କରିଛେଁ ତାହାକେ ।

ଗାଁ କନିଆଁ ସିଘାଂଣୀ ନାକୀ ,
ନୂଆଁ ଘଏତା ବାବୁ ର୍ କାକୀ ।।

ମୋ ଘଇତା ମୋତେ ମାଇଲା
ପୁଲିସୁ ଲୁକ କେଣେ ଆଇଲା ।।

ଆଏ ଦେଖି ବଏ କର୍
ଘଏତା ଦେଖି ଘର୍ କର୍ ।।

ପାରିବୁ ଲୋ ମା ପାରିବୁ
ପର ଘଇତାକୁ ଶିକାରେ ରଖି
ନିଜ ଘଇତାକୁ ସାରିବୁ ।।

କହିବି ତା ଆଗେ ଶୁଣିବେ କେ?
 ଘଇତା ଅବୁଝା ମାରିବ ଯେ ।।

ଯେବେ ପାଇଥାଏ ଘଇତା ବୁକୁ
 ସଜ ହୋଇଥାଏ ବାପ ଘରକୁ ।।

 ଅଖାଈ ନାନୀ ସରୁକାଟେଣୀ 
 ବସି ଥାଇ ଚୁଲି ମୁଣ୍ଡେ 
 ଘଇତା ପାଖରେ ଶକେଇ ହୁଏ 
 ମୁଁ କିଛି ଦେଇ ନାହିଁ ତୁଣ୍ଡେ ।।

ପୋ ବହ ଭଲ୍ ,ବୁଢା ବେଲେ ଯଦି ପୁଷେ ।
ଘଏତା ଭଲ୍ , ବୁଢୀ ବେଲେ ଯଦି ରସେ।।

ଭଙ୍ଗାଧୁନ୍ ମାଇଲେ କାଣ୍ଡ୍
 ଘଇତା ମଲେ ମାଇପୋ ରାଣ୍ଡ୍ ।।

ଦାରୀ କାହାର ମାଇପ? 
ନା ଗଣ୍ଠିଆ କାହାର ଘଇତା?

ଚିଲାଆଖିଆ ବଇଦାମା
 ଗୋଡ଼େଇ ଗୋଡ଼େଇ ଘଇତା ଖା ।।

ଭଙ୍ଗା ଦରପଣ ପଇସାଟେ
 ଦୁଃଖର ସୁଖର ଘଇତାଟେ ।।

ଘଇତା ଅଯୋଗ୍ଯ ପଣେ
 ମାଇପ ଶୁଏ ସନ୍ତରା ବଣେ ।।
 
ବଅସ ଦିନେ ନଅଶ ଘଇତା
 ବୁଢୀଦିନେ ହରମନ୍ଦିରା ଚିତା ।।

ହଏଗୋ ମୋର୍ ସତୀଟା
ଦେଉଲ ଭିତରେ ନିଅମ କରୁଛୁ
 ଘଏଁତା କରିଛୁ ଅଶିଟା ।।

ସୀତା କଏଁତା,
ରାଏଜ ଯାକର୍ ତାର୍ ଘଏତା ।

ଘଇତା ପଛକେ ମରୁ
 ସଉତୁଣୀ ରାଣ୍ଡ ହେଉ ।।

ଘଏଁତା ପଛେ ମରୁ
ସଁତେନ୍ ରାଁଡି ହଉ

ତ ଘର ଦୁଆର ତା ଘର  କାନ୍ଥି 
ତା ଘଇତା ତାକୁ ମାଇଲା
 ତୁ କରୁଛୁ ବାନ୍ତି ।।

ଶାଳୁଆ  ଗଜା
ଘଇତା ଉପରେ ମାଇପ ରଜା  ।।

ଶାଶୁ ବୋଇଲା  ନଥା '
ନଣନ୍ଦ ବୋଇଲା ନଥା '
ଘର ଘଇତା ନ ଥା'
ବୋଇଲେ ସରିଗଲା ମୋର କଥା  ।।

ଢପର  ଢ଼ାଇଁ..
ଘଇତା ଘେନିଲି ଖଡ଼ୁପଟକ ପାଇଁ   l

କଖାରୁ କାଟିଲି ଚାରି ଚଉତ
ଅଧେ କଲି ଭଜା ରାଇତା
ମନ ଜାଣି ପଦେ କଥା ନ କହିଲେ
କେଉଁ ଗୁଣକାର ଘଇତା।

ରାଣ୍ଡ ସେଇ ଘ‌ଇତା କରନ୍ତି ବ‌ଅ୦ଶ ଵୁଡାଇ ମାରନ୍ତି।

ଛୋପରl ଛଇ, 
ଘଇତା କୁ ବୋଲୁଛି ନାତୁଣୀ ଜୋଇଁ  ।।

ବାଇଗଣ ପୋକ ପୋକ ନୁହେଁ
ଘ‌ଇତା କୋପ  କୋପ ନୁହେଁ ।।

କଥା ନ ଆସଇ ପାଇକ ଆଗେ
ଘଇତା ଦେଖାନ୍ତି ମାଇପ ଆଗେ।।

Thursday, March 11, 2021

● ଶିବ ●

                           ✍ ଶିଶିର ସାହୁ ମନୋଜ 
ସୃଷ୍ଟି ନଥିଲାବେଳେ ଶିଵ ଥିଲେ ସୃଷ୍ଟି ନାଶ ଗଲା ପରେ ମଧ୍ୟ ଶିଵ ରହିଵେ । ଶିଵ ସୃଷ୍ଟିର ଵିନାଶ କରି ନୂତନ ସୃଷ୍ଟି ପାଇଁ ପଥ ପରିଷ୍କାର କରନ୍ତି । ଵିନାଶକର୍ତ୍ତାଙ୍କୁ ଈଶ୍ଵର ଭାବେ ପୂଜା କରିଵାର ପରମ୍ପରା କେଵଳ ଭାରତଵର୍ଷରେ ହିଁ ଲୋକପ୍ରିୟ ହୋଇପାରିଛି । ଶିଵ ନାମର,ଶିଵ ଶବ୍ଦର ମହିମା ଏହି ଶବ୍ଦ ମଧ୍ୟରେ ହିଁ ଲୁକ୍କାୟିତ ରହିଛି । 

ଶବ୍ଦକୋଣାର୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଶିଵ ଶବ୍ଦର ଦୁଇଗୋଟି ନିରୁକ୍ତି ଉଲ୍ଲେଖ କରାଯାଇଛି

୧)ଶୀ ଧାତୁ=(ଅଣିମାଦି ଗୁଣ) ଶୋଇଵା,ଵିଶ୍ରାମ କରିଵା+ଅଧିକରଣ ଅ; 

୨) ଶୋ ଧାତୁ [ଅଶୁଭ] ନାଶକରିବା+କର୍ତ୍ତୃ କ ଯେ ଅନିଷ୍ଟ ନାଶ କରନ୍ତି] 

ଭଗଵାନ ଶିଵଙ୍କର ସହସ୍ର ନାମ ମହାଭାରତର ଅନୁଶାସନ ପର୍ଵରେ ପ୍ରଦାନ କରାଯାଇଛି । ଶିଵଙ୍କର  ଅନ୍ୟ ନାମମାନ ହେଲା-

ଶମ୍ବୁ, ଈଶ, ପଶୁପତି, ଶୂଳୀ, ବାସୁଦେବ, ମହେଶ୍ବର, ଈଶ୍ବର, ଶର୍ବ୍ବ, ଈଶାନ, ମୃତ୍ଯୁଞ୍ଜୟ, ଶଙ୍କର, ଚନ୍ଦ୍ରଶେଖର, ଭୂତେଶ,ହର,ହରରୂପ, ଖଣ୍ଡପରଶୁ, ଗିରିଶ, ଗିରୀଶ, ଜୟନ୍ତ, ମୃଡ଼, କୃତ୍ତିଵାସ, ପିନାକୀ, ଵିଶ୍ବେଶ, ପ୍ରଥମାଧିପ, ଉଗ୍ର, କପର୍ଦ୍ଦୀ, ଶ୍ରୀକଣ୍ଢ, ଧରଣୀଶ୍ଵର, କପାଳ, ଭୃତ୍, ଵାମଦେଵ, ସିଦ୍ଧଦେବ, ମହାଦେଵ, ଵିରୁପାକ୍ଷ, ତ୍ରିଲୋଚନ, ଵ୍ୟୋମଦେଵ, କୃଶାନୁରେତାଃ, ସର୍ଵଜ୍ଞ, ଧୂର୍ଜଟି, ଜଟାଧର, ନୀଳଲୋହିତ, ସ୍ମରହର ,ଭର୍ଗ, କଙ୍କାଳମାଳୀ, ତ୍ର୍ଯମ୍ବକ. ତ୍ରିପୁରାନ୍ତକ, ଗଙ୍ଗାଧର, ଭୀଷଣ, ଅନ୍ଧକିରପୁ, କ୍ରତୁଧ୍ବଂସୀ, ବୃକ୍ଷଧ୍ବଜ, ଵ୍ୟୋମକେଶ, ଭୀରୁ, ଭଵ, ଭୀମ, ସ୍ଥାଣୁ, ରୁଦ୍ର, ଉମାପତି, ହୀର, ହିଣ୍ଡୀ, ଭରୁ, ବୃକ୍ଷପର୍ବା, ରେରିହାଣ, ଭଗାଳୀ, ଵରାକ, କଣ୍ଠେକାଳ, ପାଂଶୁଚନ୍ଦନ, ଦିଗମ୍ବର, ଅଟ୍ଟହାସ, ଵୀର, ଭଦ୍ର, ପଞ୍ଚାନନ, କାଳଞ୍ଜର, ପୁରଦ୍ବିଟ, ବୃଷାକପି, ମହାକାଳ, ଖଣ୍ଡ, ପର୍ଶୁ, ନନ୍ଦବର୍ଦ୍ଧନ, ଖରୁ, ଭୂରି, କଟୂପ୍ରୂ, ଭୈରଵ, ଭୁତନାଥ, ତୀବ୍ର, ଧ୍ରୂଵ, ଶିଵିଵିଷ୍ଟି, ଗୁଡ଼ାକେଶ, ଦେଵଦେଵ, ଶୂଳଧର, ମହାନଟ, ସନ୍ଧ୍ୟାନାଟୀ, ସୁପ୍ରାସାଦ, ବୃଷଭଧ୍ବଜ. ଚନ୍ଦ୍ରାପୀଡ଼, ଶିପିଵିଷ୍ଟି, ଵରେଶ୍ବର, ଵିଶ୍ବେଶ୍ବର, ଵିଶ୍ବନାଥ, କାଶୀନାଥ, କୁଳେଶ୍ବର, ଅସ୍ଥିମାଳୀ, ଵିଶାଳାକ୍ଷ, ପ୍ରିୟତମ, ଵିଷମାକ୍ଷା, ଊର୍ଦ୍ଧ୍ବରେତାଃ, ଯମାନ୍ତକ, ନନ୍ଦୀଶ୍ବର, ଅଷ୍ଟମୂର୍ତ୍ତି, ଅଧୀଶ, ଖୋଚର, ଭୃଙ୍ଗୀଶ, ଅର୍ଦ୍ଧନାରୀଶ, ରସନାୟକ, ପିନାକପାଣି, ଫଣୀଧର, ମହାକାଳ, କୌଳାଶନିକେତନ ହିମାଦ୍ରିତନଯାପତି।

ତେଵେ ଭଗଵାନ ଶିଵଙ୍କୁ ହିଁ କେଵଳ ଶିଵ କୁହାଯାଏ ନାହିଁ ଵରଂ ଏ ଶବ୍ଦର ଆହୁରି ଚାଳିଶ ଗୋଟି ଅର୍ଥ ରହିଛି । ନିମ୍ନରେ ଉକ୍ତ ଅର୍ଥମାନ ଉଲ୍ଲେଖ କରାଗଲା

🔵ପରମେଶ୍ବର; ଭଗବାନ୍
🔵ଦେଵ
🔵ଶିଵଲିଙ୍ଗ(ଶିଵଙ୍କର ସାକ୍ଷାତ ସ୍ଵରୂପ)
🔵ଵେଦ(ଵେଦ ଅଜ୍ଞାନତା ନାଶ କରେ)
🔵ହିନ୍ଦୁ ଜ୍ଯୋତିଷୋକ୍ତ ବିଷ୍ଣୁମ୍ଭାଦି ଅନ୍ତର୍ଗତ ଯୋଗ ଵିଶେଷ
🔵ମୋକ୍ଷ; ମୁକ୍ତି(ମୁକ୍ତି ମିଳିଲେ ମୋହ ମାୟାର ନାଶ ହୁଏ)
🔵ପାରଦ
🔵ସୈନ୍ଧଵ ଲଵଣ(ପାକସ୍ଥଳୀର ପୀଡ଼ା ନାଶ କରେ)
🔵ଜଳ(ଜଳ ଅପଵିତ୍ରତା ନାଶ କରେ)
🔵ଶୁଭ୍ର; ମଙ୍ଗଳ
🔵ସୁଖ
🔵ଶଙ୍କୁ; ଖୁଣ୍ଟା
🔵ଗୁଗ୍ଗୁଳ 
🔵କଳା ଧାତୁରା (ଦୁଦୁରା ଶିଵଙ୍କର ପଞ୍ଚ ପ୍ରିୟ ପୁଷ୍ପ ମଧ୍ୟରେ ଶ୍ରେଷ୍ଠ)
🔵 ଶୁଭଗ୍ରହ
🔵 କାଳ
🔵ଵସୁ ଦେଵତା
🔵ମୃଗ ଵିଶେଷ
🔵ଏକ ପ୍ରକାର ଗୌଡ଼ୀ ମଦିରା
🔵ପ୍ଳକ୍ଷ ଦ୍ବୀପ ଵା ଜମ୍ବୁ ଦ୍ବୀପର ଏକ ଵର୍ଷର ଅର୍ଥାତ୍ ଉପମହାଦେଶର ନାମ
🔵ନୃତ୍ଯ ଵିଶେଷ
🔵ଛନ୍ଦୋ ଵିଶେଷ 
🔵ପଶୁ ବନ୍ଧନ କାଷ୍ଠ ଵା ସ୍ତମ୍ଭ (ପ୍ରକୃତିବାଦ)
🔵ଲିଙ୍ଗ; ମେଢ଼୍ର
🔵ସୋହାଗା (Borax)
🔵ଅଅଁଳା 
🔵କଦମ୍ବ
🔵ଫିଟିକିରି 
🔵ସିନ୍ଦୁର 
🔵ମରିଚ
🔵ତିଳଫୁଲ 
🔵ଚନ୍ଦନ
🔵ଲୁହା
🔵ବାଲି 
🔵ନୀଳକଣ୍ଠ ପକ୍ଷୀ
🔵କାକ
🔵ବଉଳ ଗଛ 
🔵କୁନ୍ଦଫୁଲ 
🔵ଅଦ୍ବୈତ ବ୍ରହ୍ମ
🔵ବିଲୁଆ; ଶୃଗାଳ
⚫ଶୁଭଦ
🔵 ବିରାଡ଼ି
⚫ମଙ୍ଗଳମୟ
⚫ରମ୍ଯ; ରମଣୀୟ; ସୁନ୍ଦର
⚫ସୁଖପ୍ରଦ

ପାଶ୍ଚାତ୍ୟ ଭାଷାଵିତମାନଙ୍କ ଅନୁସାରେ ଶୀ ଧାତୁ ଓ ଶିଵ ଶବ୍ଦ ,ପ୍ରାକ୍ ଭାରୋପୀୟ ଶବ୍ଦରୂପ   *ḱey ଓ *ḱew ସହିତ ସମଦ୍ଧୃତ । ଵିଭିନ୍ନ ଭାରୋପୀୟ ଭାଷାରେ ଶିଵ ଶବ୍ଦ ସହିତ ସମଦ୍ଧୃତ ଶବ୍ଦ ଚଳୁଅଛି । ଯଥା—

🌸ସେଲଟିକ୍ ଭାଷାରେ  *kēdoti ଶବ୍ଦର ଅର୍ଥ ପଡି଼ଵା ଯାହା ଶୀ ଧାତୁର ଶୟନକରିଵା ଅର୍ଥର ନିକଟତର । ପୁନଶ୍ଚ ସେଲଟିକ୍ ଭାଷାର
*koimos ଶବ୍ଦ ମଧ୍ୟ ଶୀ ଧାତୁ ଶବ୍ଦ ସହିତ ସମଦ୍ଧୃତ ଯାହାର ଅର୍ଥ ପ୍ରିୟ ଓ ଭଲ । ଶିଵ ଶବ୍ଦର ଏକ ଅର୍ଥ ପ୍ରିୟତମ ସହିତ ଏହି ଅର୍ଥର ସାମଞ୍ଜସ୍ୟ ପରିଲକ୍ଷିତ ହୋଇଥାଏ ।

🌸 ପ୍ରାକ୍ ଭାରୋ ଇରାନୀୟ ଭାଷାର ćáyuš ଶବ୍ଦଟି ଶିଵ ଶବ୍ଦ ସହିତ ସମଦ୍ଧୃତ ଏହାର ଅର୍ଥ ଅନାଥ । ସଂସ୍କୃତର ଶୟୁ ଶବ୍ଦ ମଧ୍ୟ ଏହା ସହିତ ସମଦ୍ଧୃତ ଓ ଏକାର୍ଥବୋଧକ ଏଵଂ ଶୟୁ ଶବ୍ଦକୁ ଶିଵ ଶବ୍ଦ ଭଳି ଶୀ ଧାତୁରୁ ନିଷ୍ପନ୍ନ କରାଯାଇଛି । 

🌸ଲାଟଭିଆନ୍ ଭାଷାରେ siẽva ବୋଲି ଏକ ଶବ୍ଦ ରହିଛି ଯାହାର ଦୁଇଗୋଟି ଅର୍ଥ ପତ୍ନୀ ଓ ନାରୀ । ଏହି siẽva ଶବ୍ଦଟି ଶୀ ଧାତୁ ସହିତ ସମଦ୍ଧୃତ । ଶିଵ ଶବ୍ଦର ଏକ ଅର୍ଥ ପ୍ରିୟତମ ପୁଣି ସଂସ୍କୃତରେ ଶେଵ ଶବ୍ଦ ମଧ୍ୟ ଶୀ ଧାତୁରୁ ନିଷ୍ପନ୍ନ ହୋଇଅଛି ଏଵଂ ଏହାର ଅର୍ଥ ପ୍ରିୟ ଵା ପ୍ରିୟା । ପତ୍ନୀଙ୍କୁ ପ୍ରିୟା ଵା dear ଡାକିଵାର ଚଳଣି ଵିଶ୍ଵରେ ଚଳୁଅଛି ।

🌸 ପ୍ରାକ୍ ଜର୍ମାନ୍ ଭାଷାରେ hīwōnō ଶବ୍ଦ ଦମ୍ପତି ଅର୍ଥରେ ଚଳୁଥିଲାବେଳେ *hīwą ଶବ୍ଦ ଵିଵାହ ଅର୍ଥରେ ଵ୍ୟଵହୃତ ହେଉଥିଲା।  ଏ ଉଭୟ ଶବ୍ଦ ଶୀ ଧାତୁ ଓ ଶିଵ ଶବ୍ଦ ସହିତ ସମଦ୍ଧୃତ । ଵିଵାହ ଏକ ମଙ୍ଗଳକାର୍ଯ୍ୟ ଏଵଂ ଶିଵ ଶବ୍ଦର ଶୁଭ,ମଙ୍ଗଳମୟ ଓ ସିନ୍ଦୂର ଇତ୍ୟାଦି ଶବ୍ଦାର୍ଥ ସହିତ ଏହାର ସାମଞ୍ଜସ୍ୟ ବାରି ହୋଇ ପଡ଼େ ।

🌸ଲାଟିନ୍ ର cīvis ଶବ୍ଦର ଅର୍ଥ ନାଗରିକ ଏହି ଶବ୍ଦ ସହ civil, civics ଇତ୍ୟାଦି ଶବ୍ଦର ସମ୍ପର୍କ ରହିଛି । ଏ ଶବ୍ଦ ମଧ୍ୟ ଶିଵ ଓ ଶୀ ଧାତୁ ସହିତ ସମଦ୍ଧୃତ ବୋଲି ପାଶ୍ଚାତ୍ୟ ଭାଷାଵିତମାନଙ୍କ ମତ। 

🌸Breton ଭାଷାରେ kuñv ବୋଲି ଏକ ଶବ୍ଦ ଅଛି ଯାହାର ଅର୍ଥ sweet ଵା ସୁନ୍ଦର,ଭଲ । ଏହି ଅର୍ଥଟି ମଧ୍ୟ ଶିଵ ଶବ୍ଦର ପ୍ରିୟତମ ଅର୍ଥ ସହିତ ସାମଞ୍ଜସ୍ୟ ରଖେ । Cornish ଭାଷାର kuv ଓ cueff ତଥା 
Welsh ଭାଷାର cu ଇତ୍ୟାଦି ଶବ୍ଦର ଅର୍ଥ ମଧ୍ୟ sweet ଅଟେ ଏଵଂ ଏ ସମସ୍ତ ଶବ୍ଦଗୁଡ଼ିକ ଶୀ ଧାତୁ ଓ ଶିଵ ଶବ୍ଦ ସହିତ ସମଦ୍ଧୃତ ।

🌸 ପ୍ରାଚୀନ ଗ୍ରୀକ୍ ଭାଷାରେ κοιμάω • (koimáō) ଶବ୍ଦର ଅର୍ଥ ଶୋଇଵା ସମୟ ଓ ଶୋଇଵା ସେହିପରି ଆମ ଭାଷାରେ ଵ୍ୟଵହୃତ ଶୟନ କରିଵା ଶବ୍ଦ ମଧ୍ୟ ଶୀ ଧାତୁରୁ ନିଷ୍ପନ୍ନ ହୋଇଅଛି ।  ସେହି ଶୀ ଧାତୁରୁ ଏକ ଅକ୍ଷର ଵିଶିଷ୍ଟ "ଶ" ଶବ୍ଦ ନିଷ୍ପନ୍ନ ହୋଇଅଛି । ଉଭୟ ଶିଵ ଓ ଵିଷ୍ଣୁଙ୍କର ଏକ ନାମ ଶ ଅଟେ । ଅଜଗର ସାପର ଏକ ନାମ ଶୀଵା, ଏ ଜୀଵ ଶୋଇରହେ ପଡି଼ରହେ ବୋଲି ଏଭଳି ନାମକରଣ । 

ଏହିପରି ଭାବେ ଶିଵ ଶବ୍ଦ ଓ ଶୀ ଧାତୁ ସହିତ ସମଦ୍ଧୃତ ଶତ ଶତ ଶବ୍ଦ ଵିଭିନ୍ନ ଭାରୋପୀୟ ଭାଷାରେ ଚଳୁଅଛି । ଯାହାଙ୍କ ପାଇଁ ଜୀଵ ସୁଖ ଶାନ୍ତିରେ ଶୟନ କରେ ଓ ତା ଜୀଵନ ମଙ୍ଗଳମୟ ହୋଇଥାଏ ସେ ପରମେଶ୍ବର ହେଉଛନ୍ତି ଭଗଵାନ ଶିଵ। ଏଥିଯୋଗୁଁ ଶିଵତାଣ୍ଡଵ ସ୍ତୋତ୍ରମ୍ ରେ କୁହାଯାଇଛି “ତନୋତୁ ନଃ ଶିଵଃ ଶିଵମ୍” ଅର୍ଥାତ୍ ଶିଵ ଆମ ମଙ୍ଗଳକୁ ବଢା଼ନ୍ତୁ । ପୁଣି ଯାହାଙ୍କ ମଧ୍ୟରେ ଅଣିମାଦି ଅଷ୍ଟଗୁଣ ଶୟନ କରନ୍ତି ଵା ଅଵସ୍ଥିତ ସେ ହେଉଛନ୍ତି ଶିଵ । ଆତ୍ମାକୁ  ପୁରୁଷ କୁହାଯାଏ ଯିଏ ଜୀଵ ମଧ୍ୟରେ ଶୟନ କରିଥାଏ । ଏହି ପୁରୁଷ ଶବ୍ଦକୁ ମଧ୍ୟ ଶୀ ଧାତୁରୁ ନିଷ୍ପନ୍ନ କରାଯାଇଛି । 

ଶିଵ ଶବ୍ଦର ଆଉ କେତେକ ନିରୁକ୍ତି ନିର୍ଣ୍ଣୟ ହୋଇଅଛି । ନିମ୍ନରେ ସେ ଵିଷୟରେ ଆଲୋଚନା କରାଗଲା ।

🍁ଶୋ ଧାତୁ — ଶୋ ଧାତୁର ଅର୍ଥ କ୍ଷୀଣ କରିଵା । କେତେକ ପ୍ରାଚୀନ ଭାରତୀୟ  ଏଥିରେ ଵନ୍ ପ୍ରତ୍ୟୟ ଯୁକ୍ତ କରି ଶିଵ ଶବ୍ଦ ନିଷ୍ପନ୍ନ କରିଛନ୍ତି । ଯିଏ ଅଶୁଭକୁ କ୍ଷୀଣ କରନ୍ତି ସେହି ମଙ୍ଗଳମୟ ଈଶ୍ଵର ହେଉଛନ୍ତି ଭଗଵାନ ଶିଵ ।

🍁 ଶ୍ = ନିତ୍ୟ ସୁଖ ଓ ଆନନ୍ଦ ,ଇ = ପୁରୁଷ ଓ ଵ = ଶକ୍ତି ଵା ଅମୃତ । ନିତ୍ୟ ସୁଖ,ଆନନ୍ଦ, ପୁରୁଷ ଓ ଶକ୍ତିର ମୂଳସ୍ରୋତ ଓ ଏକୀଭୂତ ରୂପ ହେଉଛନ୍ତି ଭଗଵାନ ଶିଵ ।

🍁ଶି ଶବ୍ଦର ଅର୍ଥ ପାପନାଶକାରୀ ଓ ଵ ଶବ୍ଦର ଅର୍ଥ ମୁକ୍ତିଦାତା । ଯିଏ ମନୁଷ୍ୟଙ୍କର ପାପନାଶ କରି ମୁକ୍ତି ପ୍ରଦାନ କରନ୍ତି ସେ ଈଶ୍ଵର ହେଉଛନ୍ତି ଭଗଵାନ ଶିଵ ।

🍁ଶି ଶବ୍ଦର ଏକ ଅର୍ଥ ମଙ୍ଗଳ ଓ ଵ ଶବ୍ଦର ଅର୍ଥ ଦାତା ଯିଏ ମଙ୍ଗଳ ପ୍ରଦାୟକ ସିଏ ହେଉଛନ୍ତି ଭଗଵାନ ଶିଵ 

ଶିଵ ଶବ୍ଦର ଏହିଭଳି ଆହୁରି ଅନେକ ନିରୁକ୍ତି ଵ୍ୟାଖ୍ୟା ରହିଛି ଏଵଂ ଏ ଶବ୍ଦ ମଧ୍ୟରେ ଭଗଵାନ ଶିଵଙ୍କର ଯେଉଁ ମହିମା ଵର୍ଣ୍ଣନା କରାଯାଇଛି ତାହା ଆହୁରି ଗହନ ଅଟଇ । ଵସ୍ତୁତଃ ଶିଵ ମାତ୍ର ଏକ ଶବ୍ଦ ନୁହେଁ ଜଗତର ସମ୍ପୂର୍ଣ୍ଣ ଇତିହାସ ,ଵିଜ୍ଞାନ ସୃଷ୍ଟି ଓ ଅନ୍ତ ଏହି ଶବ୍ଦ ମଧ୍ୟରେ ସମାହିତ । କୁହାଯାଏ ନିରୁକ୍ତି ଵ୍ୟାଖ୍ୟାର ଆଦ୍ୟ ଉଦ୍ଭାଵକ ସଦାଶିଵ ପୁଣି ସମ୍ପୂର୍ଣ୍ଣ ଜ୍ଞାନ ତାଙ୍କଦ୍ଵାରା ସଂସାରକୁ ପ୍ରାପ୍ତ ହୋଇଅଛି । 

“ଜୟ ସଦାଶିଵ ଜୟ ଦେଵ ଦେଵ 
ଜୟ ଵିଶ୍ଵେଶ୍ଵର ପରମେଶ୍ଵର
ଏ ଅକିଞ୍ଚନର ତ୍ରୁଟି ଥିଲେ ପ୍ରଭୁ ତୁମ୍ଭେ କ୍ଷମା କର”

Saturday, March 6, 2021

● ଓଡ଼ିଆ ଭାଷାରେ ପୁଅ ଶବ୍ଦ ଏକ ଆଲୋଚନା ●

ପୁତ୍ର ଶବ୍ଦ ସହ ଓଡ଼ିଆ ପୁଅ ଓ ପୋ ଶବ୍ଦ ସମଦ୍ଧୃତ । 
ସାଧାରଣତଃ ଓଡ଼ିଶାର ପଶ୍ଚିମାଞ୍ଚଳରେ ପୋ ଶବ୍ଦଟି ପୁଅ ଅର୍ଥରେ ଵ୍ଯଵହୃତ ହୋଇଥାଏ କିନ୍ତୁ ଆଜିକାଲି ବେଟା ଶବ୍ଦ ସ୍ଥାନୀୟ ଲୋକ ବହୁତ ଵ୍ଯଵହାର କଲେଣି । ପୋ ଶବ୍ଦକୁ ନେଇ ଅନେକ ସମ୍ଵଲପୁରୀ ପ୍ରଵଚନ ରହିଛି 
ଉଦାହରଣ ସ୍ଵରୂପ―
“ବାପ ଦେହରି ପୋ ପୁଝାରି
ଗଣ୍ଡି ମୁଣ୍ଡି ସବୁ ତୁମରି”
ଏହାର ଅନ୍ୟ ଅର୍ଥଟି ବଂଶଧର ଅଟେ ।

ପ୍ରାଚୀନ କାଳରେ ଏହି ଶବ୍ଦଟି ଓଡ଼ିଶାର ପୂର୍ଵାଞ୍ଚଳରେ 
ପୋଅ ହୋଇ ଚଳୁଥିଵାର ଏଠାକାର ପୁରାତନ ସାହିତ୍ୟରୁ ଜଣାଯାଏ । 

ଉଦାହରଣ ସ୍ଵରୂପ ଗୁରୁଭକ୍ତିଗୀତାରେ କଵି ଲେଖିଛନ୍ତି―
“କଳଙ୍କୀ ବିହାର କର ତୁମ୍ଭେ ବାରପୋଅ”

ଏଠାରେ ବାରପୋଅ ଶବ୍ଦରେ ଥିଵା ପୋଅ ଶବ୍ଦର ଅର୍ଥ ପୁଅ ଅଟଇ । ସେଇଭଳି ଆଉ କେତେକ ଅଞ୍ଚଳରେ ପୋଇ ଶବ୍ଦଟି ମଧ୍ୟ ପୁତ୍ର ଅର୍ଥରେ ଵ୍ଯଵହୃତ ହେଉଥିଵାର ପୁରୁଣା ସାହିତ୍ଯରେ ଵ୍ଯଵହାରରୁ ଜଣାଯାଏ ...
ଯେମିତିକି–
“କାଳେ ଅରଣ୍ଯକୁ କରେ ପଳାୟନ 
ଅଵା ରୋଷେ ପୋଇ ଆରମ୍ଭଇ ଋଣ।
( ଅଜୟଚନ୍ଦ୍ର ଶେଷବନ୍ଦୀ)

କେଉଁଠି କେଉଁଠି ପୋଇ ଶବ୍ଦ ଝିଅ ଵା କନ୍ୟା ଅର୍ଥରେ ମଧ୍ୟ ପ୍ରୟୋଗ ହେଉଥିଲା । ସମ୍ଭଵତଃ ଏହାର ସର୍ଵୋତ୍ତମ ପ୍ରମାଣ ଭାଵେ “ତଅପୋଇ” ନାମକୁ  ଉଲ୍ଲେଖ କରାଯାଇପାରେ । ତଅପୋଇ ଶବ୍ଦରେ ତଅ ଶବ୍ଦଟି ସପ୍ତ ଶବ୍ଦର ଓଡ଼ିଆ ସମଦ୍ଧୃତ ରୂପ ହୋଇଥିଵା ସମ୍ଭଵ ସେଇଭଳି ପୋଇର ଅର୍ଥ କନ୍ୟା ଅଟେ । ସାତ ପୁଅ ପରେ ଜନ୍ମିଥିଵାରୁ ଏହି କନ୍ଯାଟିର ନାମ ତଅପୋଇ ରଖା ଯାଇଥାଇପାରେ ।

ସେହିପରି ପ୍ରାଚୀନ ଓଡ଼ିଆ ସାହିତ୍ୟ, ଢଗଢମାଳି ଓ ଲୋକଵଚନାଦିରେ ପୁତ୍ର ଶବ୍ଦ ସହିତ ସମଦ୍ଧୃତ ପୁତା ଶବ୍ଦର ପୁଅ ଅର୍ଥରେ ବହୁଳ ଵ୍ଯଵହାର ହୋଇଥିଵା ଦୃଷ୍ଟିଗୋଚର ହୋଇଥାଏ । 
ଉଦାହରଣ ସ୍ଵରୂପ―
 
●ପୁତ୍ର ଵଚନ ଶୁଣି ପିତା, 
ବୋଇଲେ ଶୁଣ ଆରେ ପୁତା।
  (ନିର୍ଗୁଣାନାହାତ୍ମ୍ଯ)

●ହସି ପଶେ ଉଇଁ ନ ଦିଶେ
             ଦକ୍ଷିଣ ମେଘ ଉତ୍ତରେ ଆସେ 
ସଜ ଗୋଵରରେ ଅଂଶାଇ ବସେ 
           ତେବେରେ ପୁତା ନିଶ୍ଚେଁ ଵରଷେ
(ଡାକଵଚନ)

●ପୂର୍ଵେ ଅଦ୍ରାଵଳୀ ପଶ୍ଚିମେ ରୋଇ 
  ନାଥ ବୋଲେ ପୁତାରେ ନିଶ୍ଚେ ଯିଵ ଧୋଇ। (ଡାକଵଚନ)

●ବାଡ଼ି ଠୁକୁ ଠୁକୁ କାନ ନୁଡୁକା
 ବାଟେ ଦ୍ବିଜଵର ଦେଖିଵ ଏକା । 
ପାଆକେ କୁମ୍ଭାର କୋଶକେ ତେଲି 
          ଡାକ ବୋଲେ ପୁତା ନ ଯିବୁ ପେଲି ।
(ଡାକଵଚନ)

●ଦିନକୁ ମଳାମଳା ରାତିକି ନିର୍ମଳା
         ଡାକ ବୋଲେ ପୁତାରେ ରାଜ୍ଯ ଛାଡ଼ି ପଳା ।

●ତନ୍ତୀ ପୁତା ! ଖାଏ ମାଲ ଚୋରାଏ ସୂତା
(ଢଗ)

●ଶୁଣ ଶୁଣ ପୁତା ଲୋଇରେ 
                   ପିମ୍ପୁଡ଼ି ହାଦେ ବାଟ କଢ଼ାଇ,
ଅଦୃଷ୍ଟ ଅଶ୍ରୁତ ପୁତା ନ ପାଇ ଥାନ୍ତିଂ ହୋଇଂ ।
ଯେବେ ସେ ତ୍ରିଗୁଣେ ଯତନ ହୋଇବାକ ଦେହି
ନାସିକା ଦ୍ୱାରେ ଯେବେ ଛଞ୍ଚତ ପାରିବାଇଂ ।
ବେତ ବସେ ବନ୍ଦୀ ହୋଇବ ହାଥୀ ବାଡ଼ି
ବିଝଂଗିରି ଚରଇ ପୁତା ଶୂନ୍ୟଗିରି ସ୍ଥିତି
ଯାହାକଇ ଚିହ୍ନିଲେ ପିଣ୍ତ ହୋଇବ ମୁକ୍ଷ ମୁକତି ।
(ଚର୍ଯ୍ୟାଗୀତି)

● “ଲାଲ ଟହଟହ ପାତଲଘଟାଁ,
                               ଧାନ ମିରଚା ନୁନେ, 
ଚିଟକି ଚିଟକି ଖାଏମା ପୁତା, 
                          ବାସି ପଖାଳର ସାଙ୍ଗେ ।
(ଢ଼ଗ)
ଓଡ଼ିଶାର ଆଉ କେତେକ ଅଞ୍ଚଳରେ ପୁଅ ଵା ପୁତ୍ର ଶବ୍ଦର ଭିନ୍ନ ଭିନ୍ନ ରୂପ ଚଳୁଅଛି । ମୟୂରଭଞ୍ଜରେ ପୁଅମାନଙ୍କୁ “ପଅ” ତଥା ସମ୍ଵଲପୁର ଓ ସୁଵର୍ଣ୍ଣପୁରର କେତେକ ଅଞ୍ଚଳରେ “ପୁଓ” କୁହାଯାଏ ବୋଲି କଥିତ ଓଡ଼ିଆ ଶବ୍ଦକୋଷର ଉଲ୍ଲେଖରୁ ଜଣାଯାଏ । ସେଇଭଳି ବୌଦ୍ଧ ଜିଲ୍ଲାରେ “ପୁଝି” ଶବ୍ଦର ଅର୍ଥ ପୁଅ ଝିଅ ବୋଲି ଏହି ଶବ୍ଦକୋଷରେ ଉଲ୍ଲେଖ ରହିଛି ।

ଢେଙ୍କାନାଳରେ ବଡ଼ଭାଇ ନାନୀମାନେ ମଧ୍ୟ ସେମାନଙ୍କ  ଅନୁଜ ଭାଇମାନଙ୍କୁ ପୁଅ ଡାକୁଥିଵାର ଦେଖାଯାଏ କିନ୍ତୁ  ଗଞ୍ଜାମ ଅଞ୍ଚଳରେ ଏଭଳି ଡକାଯିଵାକୁ ଅଶ୍ଲୀଳ ମାନାଯାଏ । ଅର୍ଥାତ୍ ଏ ଅଞ୍ଚଳରେ ମାତାପିତାଙ୍କ ଭିନ୍ନ ଆଉ କେ ପୁଅ ଡାକିଵାଟା ଲୋକେ ସହଜରେ ଗ୍ରହଣ କରିପାରନ୍ତି ନାହିଁ ତେଣୁ ସେପଟେ ଛୋଟ ଛୋଟ ପିଲାଙ୍କୁ ସ୍ନେହରେ ଦାମୁଡି଼ ଡାକନ୍ତି । ଓଡ଼ିଶାରେ ପ୍ରାୟତଃ ପୁଅମାନଙ୍କୁ ବାପାମାଆ ସ୍ନେହରେ ବାପ,ଧନ,ଵା ଓ ବାବୁ ଇତ୍ୟାଦି ସମ୍ବୋଧନ କଲାଵେଳେ ଝିଅମାନଙ୍କୁ ମାଆ ଡାକୁଥିଵାର ମଧ୍ୟ ଦୃଶ୍ଯ ହୋଇଥାଏ ।

● ଜ ଆଦ୍ଯ କେତେକ ଓଡ଼ିଆ ଶବ୍ଦ ●

                       ✍  ଶିଶିର ସାହୁ ମନୋଜ 

 (A)ଜବ୍ରା-ଅପରିଷ୍କାର,ଜୁବୁରା,ଜୁଗୁରା(ମ.),

(B)ଜମାନ-ପୋଲିସ(ନବ.),

 (C)ଜରାସୁର-ମ୍ଯାଲେରିଆ ଜ୍ବର(ସାହିତ୍ଯ),

 (D)ଜଲାଦି-ଭିକାରୀ(ରା) ,

 (E)ଜଳକଳ-ନଳକୂପ(ବା) ,

 (F)ଜଳମଳ-ଫେମ୍ପଲ,ଫେଣ(ଦେ.) ,

 (G)ଜାଗୁଲି-କ୍ଷୁଦ୍ର ମାଟିପାତ୍ର(ଗ)

 , (H)ଜାଜାଣି-ଥାଳି (କନ୍ଧ) ,

 (I)ଜାନ୍ଦୁସି-କଜଳପାତି(କନ୍ଧ) ,

 (J)ଜାପିତା-ତାଲିକା,ସୂଚୀ(ଗ) 

,(K)ଜାବା-ଭାତ(କନ୍ଧ),

(L)ଜିଆଦ-ମୃଗ(ନବ.ଗ.) 

(M)ଜୁଖ-ଓଜନ(ଦେ.) 

(N)ଜୋଖ୍-ସାପକାତି (ଝା.) ,(

O)ଜୋର/ଜୁର-ନାଳ,ଛୋଟ ନଈ(ଢେ,ଅ,ନ)

 *------ସୌଜନ୍ଯ-କଥିତ ଓଡ଼ିଆ ଶବ୍ଦକୋଷ------*

Thursday, March 4, 2021

🔵ଖୋଜିଵା ତଲାସିଵା ଓ Searchର ଓଡ଼ିଆ ଦେଶଜ ପ୍ରତିଶବ୍ଦ🔵


                         ✍ ଶିଶିର ସାହୁ ମନୋଜ 
ଆଜିକାଲି Search ଅର୍ଥଯୁକ୍ତ ଓଡ଼ିଆ ଭାଷାରେ ଅନେକ ଵୈଦେଶିକ ଶବ୍ଦ ଆସି ଚଳୁଅଛି । 
ଆମ ଭାଷାରେ ଖୋଜିବା ଭଳି ଵୈଦେଶିକ ଶବ୍ଦ ବହୁଳ ଭାବରେ ଵ୍ୟଵହାର ହେଲାଣି 
ସେଇଭଳି ହୁଳିଆ,ତଲିସିବା,ସର୍ଚ୍ଚ କରିବା,ତଦାରଖ କରିବା ଆଦି ଵୈଦେଶିକ ଶବ୍ଦ ଊଣା ଅଧିକେ ଵ୍ୟଵହାର ହେଉଅଛି...
ତେବେ ସତରେ କଣ୍ ଓଡ଼ିଆ ଭାଷାରେ Search ଅର୍ଥ ପ୍ରକାଶ ପାଇଁ ଉପଯୁକ୍ତ ଶବ୍ଦ ନାହିଁ ? 
ଏହି ଅର୍ଥ ଵହନ ହେତୁ ଉପଯୁକ୍ତ ଶବ୍ଦ ନାହିଁ ବୋଲି ଵୈଦେଶିକ ଶବ୍ଦ ଵ୍ୟଵହାର ହେଉଛି ?
ଉତ୍ତର ହେଲା―
ହଁ ଅଛି !!!  ...
କିନ୍ତୁ ଓଡ଼ିଆ ଲୋକେ ଵ୍ୟଵହାର ଛାଡି଼ଦେଇଛନ୍ତି ଅଥଵା ସାହିତ୍ୟ ମଧ୍ୟରେ ସୀମିତ ରଖିଛନ୍ତି ।
ତେବେ
ନିମ୍ନଲିଖିତ ଶବ୍ଦଗୁଡ଼ିକ ଆପଣ ଚାହିଁଲେ 
‛ଖୋଜିବା’,‘ତଲିସିବା’,‛ସର୍ଚ୍ଚ କରିବା’,‛ତଦାରଖ’
‛ହୁଳିଆ’ ଆଦି ଵୈଦେଶିକ ଶବ୍ଦ ବଦଳରେ ଵ୍ୟଵହାର କରି ସାହିତ୍ୟ ସର୍ଜନା କରିପାରିବେ ଅଥଵା ଆପଣା କଥୋପକଥନକୁ ଆହୁରି ଶୁଦ୍ଧ କରିପାରିବେ.....
●୧―ଉଣ୍ଡିବା
ଏହାର ସମଧୃତ ଅନୁସନ୍ଧାନ ତଥା ତାମିଳ ର ଉଣ୍ଡୁ(ତା-ଲୁଚିବା)ହୋଇପାରେ ବୋଲି ଅନୁମାନ କରାଯାଉଛି ।
ଉଣ୍ଡିବା ଶବ୍ଦର ମୁଖ୍ୟତଃ ―ଅଣ୍ଡାଳିବା ଵା ଦରାଣ୍ଡିବା,ଅନୁଧ୍ୟାନ କରିବା,ଠଉର୍ କରିବା; ଆଖିବୁଲାଇବା,ଛକାଛକରେ ଖୋଜିବା, ସୁବିଧା ସୁୟୋଗ ଖୋଜୁଥିବା,ଦୋଷ ତର୍କଣା କରିବା ବା ସନ୍ଧାନ କରିବା,ନୂଆ ବସ୍ତୁକୁ ପ୍ରଥମେ ଅନୁକୂଳ କରି ପିନ୍ଧିବା ତଥା ଦେଶକାଳପାତ୍ର ପ୍ରତି ଦୃଷ୍ଟି ରଖିବା ଆଦି ଅର୍ଥରେ ଵ୍ୟଵହାର କରାଯାଉଥିବାର ଉଲ୍ଲେଖ ଭାଷାକୋଷରେ ରହିଛି । 
ଉଣ୍ଡିବା ଶବ୍ଦ ସହ ସମଧୃତ ଆଉ କିଛି ଶବ୍ଦ 
ଯଥା:-
【■】ଉଣ୍ଡାଉଣ୍ଡି କରିବା
→ ଅଭିପ୍ରେତ ପଦାର୍ଥକୁ ଗୋପନରେ ଠଉର କରିବା; ଆଖି ବୁଲାଇବା; ଠିକଣା କରିବା—1. →ଉତ୍ତମରୂପେ ଖୋଜିବା; ଅନୁସନ୍ଧାନ କରିବା
【■】ଓର ଉଣ୍ଡିବା
→ଛିଦ୍ର ଖୋଜିବା; ସୁବିଧା ଅନୁସନ୍ଧାନ କରିବା
【■】କଦର ଉଣ୍ଡିବା
→ଖଞ୍ଜ ବା ସୁବିଧା ଖୋଜିବା
●୨―ହେଜିବା
ଏ ଶବ୍ଦର ଆଠଗୋଟି ଅର୍ଥ ମଧ୍ୟରେ ଗୋଟାଏ ହେଉଛି ଉଣ୍ଡିବା ଵା ଖୋଜିବା
ଏହି ଅର୍ଥରେ ଭଞ୍ଜ ଲେଖିଲେ 
“ଵିଷ୍ଣୁ ଅରି ପ୍ରଜ୍ଜ୍ବଳେ ଅର୍ଦ୍ଧଚନ୍ଦ୍ରର ଛଳେ
ଗୁପ୍ତ ‛ହେଜି’ ପ୍ରଯୋଗ କଲେ ସେ”—
     [ଵୈଦେହୀଶଵିଳାସ।]
●୩―ଶଙ୍ଖୁଳିବା
ଏ ଶବ୍ଦର ଗୋଟାଏ ଅର୍ଥ ହେଉଛି 
ଖୋଜିବା ଵା  ଲୋଡ଼ିବା
ଜଗନ୍ନାଥ ଦାସଙ୍କ ଯୁଗରେ ଖୋଜିବା ଶବ୍ଦ ନଥିଲା ବୋଲି 
ସେ ଭାଗଵତ ରୁ ପଦେ ଏମନ୍ତ ଲେଖିଲେ
“ତେଣୁ ସେ ସ୍ବାମୀକି ଶଙ୍ଖୁଳେ, 
ତା ଯୋଗ୍ଯଵର ନାହିଁମିଳେ। ”
●୪―ଲୋଡ଼ିବା
ଆଵଶ୍ୟକ ଅର୍ଥରେ ଲୋଡା଼ ଓ ଲୋଡି଼ବା ଶବ୍ଦର ଵ୍ୟଵହାର ବହୁଳ ଭାବେ ଚଳୁଥିବା ବେଳେ 
କୌଣସି ପଦାର୍ଥ ଖୋଜିବା ଅର୍ଥରେ ଏହାର ଵ୍ୟଵହାର ମଧ୍ଯ ରହିଛି ।
କଵିସୂର୍ଯ୍ୟ ସଙ୍ଗୀତର ଏକ ଉଦାହରଣ―
‛କିଶୋରି ! ଲୋଡ଼ିଲେ ଆଉ କେ ଦେବ ।’
●୫―ସନ୍ଧାନ,ସନ୍ଧିବା,ଅନୁସନ୍ଧାନ ଆଦି ଶବ୍ଦ 
ଖୋଜିବା ଅର୍ଥରେ ଵ୍ୟଵହାର କରାଯାଇପାରେ ।
ସନ୍ଧାନ ଓ ଅନୁସନ୍ଧାନ ଭଳି ସନ୍ଧିବା ଶବ୍ଦଟି ଓଡ଼ିଆ ଭାଷାରେ ମଧ୍ଯ ଚଳୁଅଛି । ସନ୍ଧିବା ଶବ୍ଦର ଵିଶେଷ ଵ୍ୟଵହାର ଶର ସନ୍ଧାନ କରିବା ଅର୍ଥରେ ମଧ୍ଯ ହୋଇଛି 
ଉଦାହରଣ ସ୍ୱରୂପ―
‛ବୀର ସାନୁଜକୁ ଶକ୍ତି ସନ୍ଧି।’
[ଭଞ୍ଜ. ବୈଦେହୀଶବିଳାସ। ]
【■】ସନ୍ଧାନ ଶବ୍ଦ ଆଉ ଟିକିଏ ରୂପବଦଳେଇ 
ସାନ୍ଧିବା ହେଲା ଯାହାର ଗୋଟାଏ ଅର୍ଥ ‛ଛିଦ୍ରରେ କୌଣସି ବସ୍ତୁକୁ ପୁରାଇ ଖୋଜିବା’ ହୋଇଅଛି । 
【■】ସେଇଭଳି ଅନୁସନ୍ଧାନ ରୁ ଅନୁସନ୍ଧେୟ ହେଲା ଯହିଁର ଅର୍ଥ ‛ଯାହା ଅନୁସନ୍ଧାନର  ଯୋଗ୍ୟ’
【■】ତତ୍ତ୍ବାନୁସନ୍ଧାନ ଶବ୍ଦ ମଧ୍ଯ କୌଣସି ଵିଷୟରେ ତଥ୍ଯ ଖୋଜିବା ଅର୍ଥରେ ଵ୍ୟଵହାର କରାଯାଇପାରିବ
●୬―ଵିଚୟ,ଵିଚୟନ,ଵିଚିକି
ଆଦି ଶବ୍ଦର ଦୁଇଟି ମୁଖ୍ୟ ମଧ୍ୟରେ ଗୋଟାଏ ହେଉଛି  ଅନ୍ନେଷଣ କରିବା(ଆନ ଟି― ସଂଗ୍ରହକରଣ)
●୭―ସମ୍ପାଦିବାର ଅନେକ ଅର୍ଥ ମଧ୍ୟରେ ଗୋଟାଏ ଅର୍ଥ ଖୋଜିବା
ଏଵଂ ଏହି ଅର୍ଥ ଆଧାରରେ ଭଞ୍ଜ ଧାଡି଼ଏ ରଚିଯାଇଛନ୍ତି
“ବନ୍ଧୁ ଜୀବ ଯେ, ଅଳ୍ପକେ ଭଜେ, ମଳିନ ନ ସମ୍ପାଦ”
●୮―ହନ୍ଦାଳିବା ଓ ହନ୍ଦାରିବା
ଶବ୍ଦ ଦ୍ଵୟର ଏକ ଅର୍ଥ କୌଣସି ବସ୍ତୁ ନିମିତ୍ତ, କୌଣସି ସ୍ଥାନକୁ ତନ୍ନ ତନ୍ନ କରି ଖୋଜିବା ଵା ଅଣ୍ଡାଳିବା ଏଵଂ ଏ ଶବ୍ଦଗୁଡି଼କ ଆନ୍ଦୋଳନ ଶବ୍ଦ ସହ ସମଧୃତ ଅଟେ ...
●୯―ପରିସର୍ପ
ଏ ଶବ୍ଦଟି ଵୈଦେଶିକ ତଲାସୀ ଅର୍ଥରେ ଵ୍ୟଵହାର କରାଯାଇପାରିବ । ପ୍ରକୃତରେ ପୋଲିସ ଦୋଷୀ ଵିରୋଧରେ ଯେଉଁ ମୁଖ୍ୟ ମୁଖ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ ତନ୍ମଧ୍ୟରୁ ପାଞ୍ଚଟି ଅର୍ଥ ଏ ଶବ୍ଦ ବହନ କରିଥାଏ 
ଯଥା:-
→କୌଣସି ବସ୍ତୁ ବା ବ୍ଯକ୍ତିକୁ ଖୋଜିବାକୁ ଯିବା
(ପୋଲିସ ଦୋଷୀ କୁ ଖୋଜିବୁଲେ)
→ପଶ୍ଚାଦ୍ଧାଵନ ହେବା 
(ପୋଲିସ ପଳାଇଯାଉଥିବା ଦୋଷୀ ପଛରେ ଗୋଡାଏ)
→ବେଢ଼ିବା; ପରିବେଷ୍ଟନ
(ପୋଲିସ ଦୋଷୀ ଲୁଚିଥିବା ସ୍ଥାନକୁ ଘେରାଉ କରିଥାଏ)
→କୌଣସି ବ୍ଯକ୍ତିର ଠିକଣା ଜଣା ନ ଥିବା ସ୍ଥଳରେ ସେ ଯେଉଁ ବାଟରେ ଯାଇଅଛି ତହିଁରେ ପରିଲକ୍ଷିତ ଚିହ୍ନ, ଖୋଜ ଆଦି ଦ୍ବାରା ଉକ୍ତ ଵ୍ୟକ୍ତିକୁ ଖୋଜିବା
(ପୋଲିସ ପ୍ରମାଣ ଧରି ଦୋଷୀ ପଛରେ ପଡି଼ଥାଏ)
→ଭୂମିରେ ଘୁଷୁରି ଘୁଷୁରି ଯିବା
(ପୋଲିସ ଦୋଷୀକୁ ଧରିବାକୁ ଯେତେ କଷ୍ଟ ହେଉ ପଛେ ଲାଗିଥାଏ)
●୧୦―ଉଦ୍ଦେଶ କରିବା
ପୂର୍ଣ୍ଣଚନ୍ଦ୍ର ଭାଷାକୋଷର 981 ତମ ପୃଷ୍ଠାରେ ଏ ଶବ୍ଦ ତଳେ ତୃତୀୟ ଅର୍ଥ ଭାବେ ଖୋଜିବା ଲେଖାଅଛି ।
(ଏହାର ଆନ ଅର୍ଥ ଯଥା―ଲକ୍ଷ୍ଯ ରଖିବା,ଅପେକ୍ଷା କରିବା,ଖବରନେବା, ସଙ୍କେତଦ୍ବାରା ସୂଚନା କରିବା ଇତ୍ୟାଦି)
●୧୧―ଏଷଣା,ଅନ୍ବେଷଣ,ଅନ୍ବେଷିବା ଆଦି ସମଧୃତ ଶବ୍ଦ ଗୁଡି଼କ ମଧ୍ଯ ଖୋଜିବା ଅର୍ଥରେ ଵ୍ୟଵହୃତ ହୋଇଥାଏ । ସାଧାରଣତଃ ଖୋଜିବା ଅର୍ଥର ମୌଳିକ ଦେଶୀୟ ଶବ୍ଦର ଅଭାଵ ଯୋଗୁଁ ଅଧିକାଂଶ ଓଡ଼ିଆ ଏ ଶବ୍ଦ ଗୁଡି଼କର ବହୁଳ ଵ୍ୟଵହାର କରିଥାନ୍ତି ।
●୧୨―ପରିଷ୍ଟି
ଏ ଶବ୍ଦଟି “ସବୁଆଡ଼େ ଖୋଜିବା” ଅର୍ଥରେ ଵ୍ୟଵହାର କରାଯାଇଥାଏ ।
●୧୩―ଡଗର କରିବା
ଅଖଣ୍ଡ କଳିଙ୍ଗର ଵିଚ୍ଛିନ୍ନାଞ୍ଚଳ ସିଂହଭୂମି ଓ ଷଡୈକଳା ଖରସୁଆଁରେ ଖୋଜିବା ଵା ତଲିସିବା ଅର୍ଥରେ ଵ୍ୟଵହୃତ ଗୋଟାଏ ନିଆରା ଶବ୍ଦ 
ଡଗର କରିବା
●୧୪―ଧୁନ୍ଦଳା,ଧୁନ୍ଦୁଲା,ଧୁନ୍ଧୁଳା,ଢୁଣ୍ଡବା,ଧୁଣ୍ଡା ଧୁଣ୍ଡି ଆଦି ଶବ୍ଦ ଗୁଡି଼କ ମଧ୍ଯ ଓଡ଼ିଆ ଭାଷାର କେତେକ ଶୈଳୀରେ ଖୋଜିବା ଅର୍ଥରେ ଚଳୁଅଛି । ଓଡ଼ିଆ ଭାଷାର ଏହି ଶବ୍ଦ ଗୁଡି଼କ 
ସଂସ୍କୃତ ଭାଷାର ‛ଢୁଂଢନ’ ତଥା ହିନ୍ଦୀଭାଷାର ‛ढुंडना’ ସହିତ ସମଧୃତ ।
ଏ ସମସ୍ତ ଶବ୍ଦର ଭାରତୀୟ ନିରୁକ୍ତି ଶାସ୍ତ୍ରାନୁସାରେ  ଵୈଜ୍ଞାନିକ କ୍ଷୁଦ୍ରରୂପ 
‛ଢୁଣ୍ଡ ଧାତୁ’ ବୋଲି ନିର୍ଣ୍ଣୟ ହୋଇଛି ।
●୧୫―ସିଂଗାରି/ସିଂଘାରୀ ହେବା―
ଏ ଶବ୍ଦ ଦ୍ଵୟର ଗୋଟାଏ ଅର୍ଥ―ରାଗାନ୍ବିତ ହୋଇ କୌଣସି ଅସତ୍କାର୍ଯ୍ୟ କରିବା ଉଦ୍ଦେଶ୍ଯରେ ବାଟ ଖୋଜିବା ଅଟେ
●୧୬―ରଞ୍ଜାଳି ହେବା
ବ୍ଯସ୍ତ ହୋଇ ଖୋଜିବା ଅର୍ଥରେ ‛ରଞ୍ଜାଳି ହେବା’ ଶବ୍ଦ ଵ୍ୟଵହାର କରାଯାଇପାରିବ ।
●୧୭―ଲମରା ବୁଲା
ଇଂରେଜ ଯୁଗରେ ଗଡ଼ଜାତର ଜଙ୍ଗଲରେ 
ଶିକାରୀ ବନ୍ଧୁକ ଧରି ଦୁଇ ଜଣ ଲୋକଙ୍କ ସଙ୍ଗେ ଚନ୍ଦ୍ରପକ୍ଷ ରାତିରେ ଲୁଚି ଲୁଚି ବାଘ ପ୍ରଭୃତି ଶିକାର ଖୋଜିବା କୁ ଲମରା ବୁଲା କୁହାଯାଏ ।
●୧୮―କୌଣସି ପଦାର୍ଥ ଆଖିରେ ଦିଶୁନଥିଲେ ତାହାକୁ ଆନୁମାନିକ ଖୋଜିବା 
ଦରଣ୍ଡା ଵା ଦରାଣ୍ଡିବା କୁହାଯାଏ । 
ସଂସ୍କୃତର ଢୁଣ୍ଡନ୍, ହିନ୍ଦୀର ଢୁଣ୍ଡନା ତଥା ଓଡ଼ିଆ ଭାଷାର ଢୁଣ୍ଡବା ଶବ୍ଦ ସହିତ ଏହା ସମଧୃତ ଅଟେ ।
●୧୯―ରନ୍ଥାଳି ହେବା
ଵା 
ରନ୍ଥି ହେବା
ଏହାର ଅର୍ଥ ମଧ୍ଯ ଖୋଜି ହେବା; କୌଣସି ବସ୍ତୁ କେଉଁଠାରେ ଅଛି ତହିଁର ସ୍ଥିରତା ନ ପାଇ ଦରାଣ୍ଡି ହେବା(ଭାଷାକୋଷ)
●୨୦―ତତ୍ତ୍ବନେବା 
ଏ କ୍ରିୟା ଶବ୍ଦ କୁ ତଲାସୀ,ତନଖିବା ଆଦି ବଦଳରେ ଵ୍ୟଵହାର କରାଯାଇପାରେ ଯେହେତୁ ଏହାର ତିନୋଟି ମଧ୍ୟରେ ଦୁଇଟି ଅର୍ଥ ପ୍ରୋକ୍ତ ଵୈଦେଶିକ  ଶବ୍ଦ ଦ୍ଵୟ ସହ ମିଶିଯାଏ
ଏହା ଵ୍ୟତିତ ଓଡ଼ିଆ ଭାଷାର ଵିଭିନ୍ନ ଶୈଳୀରେ
ଖୋଜିବା ଅର୍ଥ ପ୍ରକାଶ ହେତୁ ଆହୁରି ଅନେକ
କ୍ରିୟା ଶବ୍ଦ ଚଳୁଥାଇପାରେ । ଏଠାରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଖୋଜିବା ଅର୍ଥରେ ଯୋଡା଼ ହୋଇଥିବା କେତେକ ଶବ୍ଦ ଉଲ୍ଲେଖ କରାଯାଇଛି ।

(ଦୁଇ ଵର୍ଷ ତଳେ ଓଡ଼ିଆ ଶାସ୍ତ୍ରୀୟ ଭାଷା ଗୋଷ୍ଠୀରେ ପୋଷ୍ଟ ହୋଇଥିଲା)

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...