Showing posts with label ଶ୍ରଦ୍ଧାଞ୍ଜଳୀ. Show all posts
Showing posts with label ଶ୍ରଦ୍ଧାଞ୍ଜଳୀ. Show all posts

Tuesday, January 11, 2022

● କଳାକାର କଳାହାଣ୍ଡି ●

କଳାକାର କଳାହାଣ୍ଡି
{ମିହିର ଦାସଙ୍କ ବିୟୋଗରେ ଶୋକାପ୍ଲୁତ ଶ୍ରଦ୍ଧାଞ୍ଜଳୀ କବିତାରେ}
             ✍କବି ଶ୍ରୀ ଦେବଦତ୍ତ ପ୍ରଧାନ।
                     ରଘୁରାଜପୁର ,ପୁରୀ ,ଓଡିଶା।

ମିହିର ମହୀର ମାହାର ଆଉ ନାହାଁନ୍ତି ଦେଖ
ମୁକୁଟ ମଣ୍ଡିତ ମୋହର ଲିଭେ ଶେଷ ମୟୂଖ  ॥
ମୋହନ ମହଣ ମହାର୍ଘ୍ୟ ମହାନ କଳାକାର
ମୋହିଲେ ମହତ କହ,ତ ସିନେ କଳା ଶିଖର ॥
ମଣ୍ଡିଲେ ପଣ୍ଡିତ ପିଣ୍ଡକୁ ତୁଣ୍ଡ ବାଇଦ ଢାଙ୍କି
ମନ୍ମଥ ନେପଥ୍ୟ ପଥକୁ ରଥ ପଡିଛି ଝାଙ୍କି ॥
ମୁଠାଏ ପାଉଁଶ ଉଠଇ ସତ୍ୟ ଏହି ବଚନ
ମୁଠିକ ତଣ୍ଡୁଳ ମଣ୍ଡଳ ବିଛି କଳା ରଚନ ॥
ମହିର ନିହାରେ ବିହରେ ବିହାୟସ ମାର୍ଗରେ
ମଣ୍ଡିଣ ଦାଣ୍ଡକୁ ଭଣ୍ଡିଲେ ପଉଋଷ ଆଗରେ  ॥
ମଣିଷ ହାରଇ ମରଣେ ଏତ ବିଚିତ୍ର କଥା
ମୁଥା ମୂଳେମଥା ଥୋଇଣ,ରଚେ ନାନାଦି ପନ୍ଥ ॥
ମହକ ନିର୍ମଳ-ମୁକୁର ମହତ ପଣ ଯାର
ମାଖିଅଭିନୟ ବିନୟେ ଢାଳି ନୟନସାର ॥
ମନ୍ଥିଲେ ଗୁନ୍ଥିଣ କିରତୀ କାନ୍ଥ ଲେପନ କରି
ମଖିଚୋଷ ଗୁଣ ତେଜିଣ ରଞ୍ଜି ଖଞ୍ଜି୍ଲେ ଘୋରି ॥
ମଞ୍ଚଖଳା କଳା କୋଳେଇ,ଗୋଳି ବୋଳି ବିଷୟ
ମୁଞ୍ଚି ନ,ପାରଇ ଜନତା,ଦେଖି ସେ,ଅଭିନୟ ॥
ମଞ୍ଜାରୀ ଝାମ୍ପିବ ଦିନେଟି ତୁମେ  ଯାଇଛ କହି
ମିଛମାୟା ମିଛ ସଂସାର ତୁଛା ଖେଳୁଛି ମୁହିଁ ॥
ମରଣ ଚରଣ ଛୁଇଁଛି ଚାରଣ ସ୍ମୃତି ବାଣ
ମୃତ୍ୟୁଞ୍ଜୟୀ ମହାମହିମ କଳା କଳ୍ପ ରୂପେଣ ॥
ମହୀରେ କେ ନାହାଁନ୍ତି ବୀର ତାକୁ ପାରିବ ଭଣ୍ଡି
ମଧୁପଥଯାତ୍ରୀ ଶତେକ କଳିଙ୍ଗ କଳାହାଣ୍ଡି  ॥

🪔 ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ 🪔

ଜୀବନେ ଜୀବନ୍ତ ତବ ଅଭିନୟ 
         ରଙ୍ଗମଞ୍ଚ ଭବ ସ୍ଥଳେ
ହେଜୁଥିବେ ନିତି ଏ ସଂସାର ଜନ
           ସ୍ମୃତି ହୃଦ ଅନ୍ତରାଳେ .....

Friday, August 21, 2020

⭕ କବି ସଚ୍ଚିରାଉତରାୟ ⭕

ମନେପଡ଼ନ୍ତି : ‘ଜନତାର କବି' ସଚ୍ଚି ରାଉତରାୟ
    ~~~~~~~~~୦~~~~~~~~~
                           ✍ ସୁଶୀଲ୍ କୁମାର ଭୋଇ
      
ବିଶ୍ବ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଓଡ଼ିଆ ଲେଖକଙ୍କ ମଧ୍ୟରେ ସଚ୍ଚି ରାଉତରାୟ ଅନ୍ୟତମ। ପ୍ରାୟ ସାଢ଼େ ସାତ ଦଶନ୍ଧି ଧରି ସେ ସାହିତ୍ୟ ସାଧନାରେ ବ୍ୟାପୃତ ଥିଲେ। ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ବ ଯୁଦ୍ଧ ବିରୋଧରେ ଲେଖନୀ ଚାଳନା କରିଥିଲେ। ସେ ଓଡ଼ିଆ ସାହିତ୍ୟରେ ଅତ୍ୟାଧୁନିକତାର ପ୍ରବର୍ତ୍ତକ। ତାଙ୍କୁ ‘ଜନତାର କବି’ କହାଯାଏ। ଓଡ଼ିଆ ଏବଂ ଇ˚ରେଜୀରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଯାଇଛନ୍ତି। କବିତା, ଗଳ୍ପ, ଉପନ୍ୟାସ, ସମାଲୋଚନା, ପ୍ରବନ୍ଧ ଆଦି ଏଥି ଅନ୍ତର୍ଭୁକ୍ତ। ୧୯୮୬ରେ ‘ଜ୍ଞାନପୀଠ ପୁରସ୍କାର’ ପାଇଥିବା ସଚ୍ଚି ରାଉତରାୟଙ୍କୁ ୧୯୮୮ରେ କଟକ ଶ୍ରୀରାମଚନ୍ଦ୍ର ଭବନରେ ଓଡ଼ିଶାବାସୀଙ୍କ ପକ୍ଷରୁ ‘ମହାକବି’ ଉପାଧି ପ୍ରଦାନ କରାଯାଇଥିଲା। କେହି କେହି ମଧ୍ୟ ତାଙ୍କୁ କହୁଥିଲେ ‘ମାଟିର ଦ୍ରୋଣ’ ଏବଂ ‘ସମୟର ସଭାକବି’। ‘ମଶାଣିର ଫୁଲ’, ‘ଚିତ୍ରଗ୍ରୀବ’, ‘ସାଗର ତଳର ଢେଉ’, ‘ହାଟର କାହାଣୀ’, ‘ରାଜା ପୁଅ’, ‘ଭାନୁମତୀର ଦେଶ’, ‘ପଲ୍ଲୀଶ୍ରୀ’, ‘ବାଜି ରାଉତ’, ‘ପାଣ୍ଡୁଲିପି’ ଆଦି ତାଙ୍କର ‌ଶ୍ରେଷ୍ଠ କୃତି ତାଲିକା ଅନ୍ତର୍ଭୁକ୍ତ କିଛି ପୁସ୍ତକ।

            ତାଙ୍କର ଅନେକ କବିତାରୁ ସାମ୍ୟବାଦର ଝଲକ ମିଳେ। ଏହି ପ୍ରସଙ୍ଗରେ ‘ଭାତ’ କବିତାର ଗୋଟିଏ ପଦ- ‘ବଡ଼ ଭୋକ ବାବୁ ! ବଡ଼ ଭୋକ 
ଆଜି ଖାଇବାକୁ ଦିଅ ଭାତ; 
ହକ ପାଉଣା ଗଣ୍ତାକ ପାଇଁ 
କେତେ ବି ପାତିବୁ ହାତ ? 
ଯେଉଁ ଧାନ ଆମେ ବୁଣିଲୁ କାଟିଲୁ
 ସେହି ଧାନ ଦିଅ ଆଣି; 
ପୀଡ଼ିତ ଆତ୍ମା ଗର୍ଜି ଉଠଇ 
ଶୁଣ ତା’ ବିପୁଳ ବାଣୀ।’ 
ଏକଦା ଔପନ୍ୟାସିକ ଗୋପୀନାଥ ମହାନ୍ତି, ତାଙ୍କ କବିତାଗୁଡ଼ିକୁ ‘ଘଡ଼ଘଡ଼ି’ ଭାବେ ଆଖ୍ୟାୟିତ କରିଥିଲେ। ରୋମାଣ୍ଟିକ୍‌ କବି ବିନୋଦ ଚନ୍ଦ୍ର ନାୟକ କହିଥିଲେ-
 ‘କବିତା ବା ସାହିତ୍ୟର ଉଦ୍ଦେଶ୍ୟ ହେଲା, ଜୀବନକୁ ସୌନ୍ଦର୍ଯ୍ୟମୟ କରିବା; ଯାହାକୁ ରାଉତରାୟ ଗ୍ରହଣ କରିନାହାନ୍ତି। ସାହିତ୍ୟକୁ ଜୀବନର ପ୍ରତିବିମ୍ବ ନ କହି ଜୀବନ ସଙ୍ଗଠକ ବୋଲି ବିବେଚନା କରିଛନ୍ତି।’ ତେବେ, ଏହା ମଧ୍ୟ ଅନେକ ସ୍ବୀକାର କରନ୍ତି ଯେ, ସଚ୍ଚି ରାଉତରାୟଙ୍କ ସାହିତ୍ୟର ଆକଳନ କୌଣସି ଆଲୋଚକଙ୍କ ପକ୍ଷେ ଏତେ ସହଜସାଧ୍ୟ କାର୍ଯ୍ୟ ନୁହେଁ। ସେ ସବୁ ଦୃଷ୍ଟିରୁ ଓଡ଼ିଆ ଆଧୁନିକତାବାଦର ଅଗ୍ରଗାମୀ ପ୍ରଭାବଶାଳୀ ବ୍ୟକ୍ତି। ପରମ୍ପରା ସହ ଆଧୁନିକତାର ଏବଂ ଆଧୁନିକତା ସହ ଆଧୁନିକତାବାଦର ମହା-ସମନ୍ବୟ ଆଣିଥିବା ସାହିତ୍ୟିକ ସେ। ଆଲୋଚକ ଶୈଳଜ ରବିଙ୍କ ଭାଷାରେ- ‘ଦେଶ କାଳର ହିଡ଼ବାଡ଼ ଡେଇଁ କାଳିଦାସର ବର୍ଣ୍ଣନା ଆଉ ଅଷ୍ଟ୍ରେଲିଆର ମେଲ୍‌ବୋର୍ନ‌୍‌ ଭିତରେ ଏକାୟନ କରିପାରେ, ଉଭୟଙ୍କୁ ମିଶାଇ ନିଜ ପାଇଁ ନିବିଡ଼ ନୀଡ଼ଟିଏ ଗଢ଼ିଦେଇପାରେ, କେବଳ ସଚ୍ଚି ରାଉତରାୟଙ୍କ ପରି ଏକ ଦୁର୍ଦ୍ଧର୍ଷ ଗତିଶୀଳ କବି ବ୍ୟକ୍ତିତ୍ବ।’ 

          ପନ୍ଦର ବର୍ଷ ବୟସରେ ସଚ୍ଚି ରାଉତରାୟଙ୍କ କବି ଜୀବନ ଆରମ୍ଭ ହୋଇଥିଲା। ୧୯୨୮ରେ ‘ପଞ୍ଚାମୃତ’ ପତ୍ରିକାରେ ପ୍ରକାଶିତ ହୋଇଥିଲା, ତାଙ୍କର ପ୍ରଥମ କବିତା। ଛାତ୍ର ଜୀବନରେ ବ୍ରିଟିସ୍‌ ସରକାର ବିରୋଧରେ ଲଢ଼ି ଖୋର୍ଦ୍ଧା ଉଚ୍ଚ ବିଦ୍ୟାଳୟରୁ ବହିଷ୍କୃତ ହୋଇଥିଲେ। ଫଳରେ ତାଙ୍କୁ ସୁଦୂର କଲକାତାରେ ପଢ଼ିବାକୁ ପଡ଼ିଥିଲା। ରାଜନୈତିକ ଚରମପନ୍ଥୀ ଥିବାରୁ ତାଙ୍କୁ ରେଭେନ୍‌ସା ମହାବିଦ୍ୟାଳୟରେ ସ୍ନାତକୋତ୍ତର ଶିକ୍ଷାରୁ ବଞ୍ଚିତ କରିଥିଲେ ତତ୍‌କାଳୀନ ଅଧ୍ୟକ୍ଷ ପ୍ରଫେସର୍‌ ଡ. ପ୍ରାଣକୃଷ୍ଣ ପରିଜା। ଏକ ସମୟରେ ତାଙ୍କର କିଛି କବିତା ନିଷିଦ୍ଧ କରାଯାଇଥିଲା। ପ୍ରେସ୍‌ ଆଇନ ଅନୁଯାୟୀ ସେ ଦଣ୍ତିତ ହୋଇଥିଲେ। ସ୍ବାଧୀନତା ଆନ୍ଦୋଳନ, ଛାତ୍ର ଓ କୃଷକ ଆନ୍ଦୋଳନ ଆଦିରେ ଭାଗ ନେଇ ଦୁଇ ଥର ଜେଲ୍‌ ଯାଇଥିଲେ। ନିଜର ସୁଦୀର୍ଘ କର୍ମମୟ ଜୀବନରେ ଦେଶ-ବିଦେଶରେ, ଅନ୍ତର୍ଜାତୀୟ ପରିସରରେ, ଓଡ଼ିଶାର ମହାନ୍‌ ଐତିହ୍ୟ ଓ କଳା-କୀର୍ତ୍ତିର ଯଥାଯଥ ଉପସ୍ଥାପନା ଏବଂ ବ୍ୟାଖ୍ୟା କରିଥିଲେ। ଓଡ଼ିଆ ସାହିତ୍ୟରେ ଚାଲିଥିବା ଦୁର୍ନୀତିକୁ ନେଇ ସେ ଆଜୀବନ ବ୍ୟଥିତ ଥିଲେ। ଆତ୍ମଚରିତ ‘ଉତ୍ତର କକ୍ଷ’ରେ ଲେଖିଛନ୍ତି -
 ‘ସାହିତ୍ୟକୁ ଏକ ଉପଲକ୍ଷ କରି ପ୍ରଚୁର ଫାଇଦା ଉଠାଇବା, ବିଭିନ୍ନ ବୋର୍ଡ‌୍‌ ଓ କମିଟିମାନଙ୍କର ସଦସ୍ୟ ବନି ନିଜେ ନିଜ ବହିର କ୍ରେତା, ବିକ୍ରେତା ଓ ମୂଲ୍ୟାୟକ ସାଜିବା ଆଜିକାଲି ସାହିତ୍ୟ ଜଗତରେ ଏକ ସାଧାରଣ ଦୃଶ୍ୟ। ଏହାର ପରିସର ଦିନକୁ ଦିନ ବିପୁଳ ଆୟତନ ଲାଭକରୁଛି।..ଏ ପ୍ରକ୍ରିୟା ରାଧାନାଥଙ୍କ ସମୟରୁ ଆରମ୍ଭ ହେଲାଣି ବୋଲି ଶୁଣିଥିଲି। ସେ ନିଜ ସାହିତ୍ୟକୁ ଚଳାଇବାକୁ ସରକାରୀ କଳ ଓ ଜନମତକୁ ପ୍ରଭାବିତ କରୁଥିଲେ। ଯେଉଁମାନେ ତାଙ୍କ ଲେଖାର ବିରୋଧ କଲେ, ସେ(ରାଧାନାଥ) ସେମାନଙ୍କ ଉପରେ, ପରୋକ୍ଷରେ ହେଉ ପଛକେ, ଦାଉ ସାଧିବାକୁ ଛାଡ଼ୁ ନ ଥିଲେ। ସେତେ ବେଳର ସ୍କୁଲ୍‌ ଛାତ୍ର ନିରୀହ ଗୋପବନ୍ଧୁ ମଧ୍ୟ ତହିଁର ଶିକାର ହୋଇଥିଲେ।’ 

                ସଚ୍ଚି ରାଉତରାୟଙ୍କ ପାଇଁ ଜୀବନ ଥିଲା, ଏକ ଅପେକ୍ଷା। ସେ କହିଛନ୍ତି- ‘ଯାହା ବଞ୍ଚାଯାଏ, ତାହା ହିଁ ଜୀବନ; ଯାହା ଅଭିନୀତ ହୁଏ, ତାହା ନୁହେଁ।’ ତାଙ୍କ ଦୃଷ୍ଟିରେ ମଣିଷ ପ୍ରଥମେ ମଣିଷ- ସେ ପଶୁ ନୁହେଁ କି ଦେବତା ନୁହେଁ। ମଣିଷର ମଣିଷପଣିଆକୁ ଯିଏ ଦେଖେନାହିଁ, ସେ କିଛି ହିଁ ଦେଖେନାହିଁ। ସ୍କୁଲ୍‌ ସାର୍ଟିଫିକେଟ୍‌ ଅନୁଯାୟୀ ୧୯୧୬ ମେ ୧୩ରେ, ଖୋର୍ଦ୍ଧା ଗୁରୁଜଙ୍ଗର ପ୍ରସିଦ୍ଧ ‘କଟା ରାଉତରାୟ ବଂଶ’ (ଜନଶ୍ରୁତି କହେ, ତାଙ୍କ ବଂଶର ଜଣେ କନ୍ୟାଙ୍କୁ ଗଜପତି ମହାରାଜା ବିବାହ କରିଥିଲେ। ବିବାହ ପରେ ନଅରକୁ ଆସିବା ପାଇଁ ଶ୍ବଶୁରଙ୍କୁ ନିମନ୍ତ୍ରଣ ମିଳିଥିଲା। ଏହାକୁ ମର୍ଯ୍ୟାଦାହାନିକର ଭାବି, ସେ ନିଜ ମୁଣ୍ତକୁ ଖଣ୍ତାରେ କାଟିଦେଇଥିଲେ। କାଟିବା ପୂର୍ବରୁ କଟାମୁଣ୍ତକୁ ପାଟକନାରେ ଘୋଡ଼ାଇ, ରୁପା ଥାଳିରେ ନଅରକୁ ପଠାଇବା ପାଇଁ ନିର୍ଦେଶ ଦେଇଯାଇଥିଲେ।) ରେ ସେ ଜନ୍ମ ହୋଇଥିଲେ। କଟକ ସହରରେ ସ୍ଥାୟୀ ଭାବେ ବାସକରୁଥିଲେ।
 ‘ଦିଗନ୍ତ’ ପତ୍ରିକାର ସଂପାଦନା କରୁଥିଲେ। ୨୧ ଅଗଷ୍ଟ୍‌ ୨୦୦୪ରେ ତାଙ୍କର ପରଲୋକ ହୋଇଥିଲା।
  ଏହି ମହାନ୍ ବ୍ୟକ୍ତିତ୍ୟ ତଥା କବି ,ସାହିତ୍ୟିକଙ୍କୁ ସମର୍ପଣ ପରିବାର କୋଟି ନମନ ସହ ଶ୍ରଦ୍ଧାସୁମନ ଜ୍ଞାପନ କରୁଚି 🙏

     ତଥ୍ୟ ଓ ସଂଗ୍ରାହକ : 
     ସାମାଜିକ କର୍ମୀ  : ସୁଶୀଲ୍ କୁମାର ଭୋଇ  । 
                ଫୋନ୍ :  6371 777 876 

Monday, August 3, 2020

⭕ ସ୍ବଭାବ କବି ଗଙ୍ଗାଧର ⭕ ଉପସ୍ଥାପନା : ରାଧାକୃଷ୍ଣ ବାୟକ

ନିଜ "ମାତୃଭୂମି" କବିତାରେ ଲେଖାଥିବା କବିତା —–
“ ମାତୃଭୁମି ମାତୃଭାଷାରେ ମମତା 
        ଯାହୃଦେ ଜନମି ନାହିଁ ।
ତାକୁ ଯେବେ ଜ୍ଞାନ ଗୁଣରେ ଗଣିବା 
         ଅଜ୍ଞାନି ରହିବେ କାହିଁ ।” 
ଏହି ପଦକ କବିତା ଯିଏ ଲେଖିଥିଲେ ସେହି ଅମ୍ଲାନ ପ୍ରତିଭା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଆଜି ଜନ୍ମ ଦିବସ। ଓଡ଼ିଆ ସାହିତ୍ୟରେ ତାଙ୍କର ଅବଦାନ ଅତୁଳନୀୟ । ସେ ତାଙ୍କ କାବ୍ୟ କବିତା ପାଇଁ ସାରା ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଆସିଥିବାବେଳେ ଏବେ ମଧ୍ୟ ସମସ୍ତଙ୍କ ହୃଦୟରେ ବନ୍ଦନୀୟ ହୋଇ ରହିଛନ୍ତି । ଚଳିତ ବର୍ଷ ତାଙ୍କର ୧୫୮ ତମ ଜନ୍ମ ଦିବସ ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି। ତା.୦୯.୦୮.୧୮୬୨ ମସିହା ଶ୍ରାବଣ ପୂର୍ଣ୍ଣିମା ଦିନ ଗଙ୍ଗାଧର ମେହେରଙ୍କ ଜନ୍ମ । ଅବିଭକ୍ତ ସମ୍ବଲପୁର ଜିଲ୍ଲା ବରପାଲି ଗ୍ରାମର ଏକ ଗରିବ ତନ୍ତି ପରିବାରରେ ଜନ୍ମଗ୍ରହଣ କରିଥିବା ଗଙ୍ଗାଧର ଯେ କେବେ କବି ହୋଇ ପୂଜା ପାଇବେ ତାହା କେହିବି ଭାବି ନଥିଲେ । କାରଣ ଗଙ୍ଗାଧର ଙ୍କ ପିତା ଚୈତନ୍ୟ ମେହେର ଓ ମାଆ ସେବତୀ ଦେବୀ ଗରିବ ଥିବାରୁ ଗଙ୍ଗାଧର ଉଚ୍ଚ ଶିକ୍ଷା ଗ୍ରହଣ କରିପାରି ନଥିଲେ । ତଥାପି ସ୍ୱଳ୍ପ ଶିକ୍ଷା ଲାଭ କରିଥିବା ଗଙ୍ଗାଧର ନିଜସ୍ୱ ଅଧ୍ୟବସାୟ ବଳରେ ଓଡିଆ ଓ ସଂସ୍କୃତ ଭାଷାରେ ହାସଲ କରିପାରିଥିଲେ ବିଚକ୍ଷଣ ପ୍ରତିଭା ।

          ଆଧୁନିକ ଶ୍ରେଣୀରେ ସେ ନିଜ ଲେଖନୀ ମୁନରୁ ଇନ୍ଦୁମତି କାବ୍ୟ ରଚନା କରି ଓଡ଼ିଆ ସାହିତ୍ୟରେ ନିଜକୁ ପ୍ରତିଷ୍ଠା କରିବା ପରେ ଅଯୋଧ୍ୟା ଦୃଶ୍ୟ, ତପସ୍ୱିନୀ, ପ୍ରଣୟ ବଲ୍ଲରୀ ଭଲି କାବ୍ୟ ରଚନା କରି ସମସ୍ତଙ୍କର ହୃଦୟସ୍ୱର୍ଶୀ ହୋଇପାରିଥିଲେ । ଏଥି ମଧ୍ୟରୁ “ତପସ୍ୱିନୀ” କାବ୍ୟ ପାଇଁ ସର୍ବାଧିକ ଲୋକପ୍ରିୟ ହୋଇପାରି ଥିବାବେଳେ “ଅର୍ଘ୍ୟଥାଳି” ହେଉଛି ତାଙ୍କର ସର୍ବାଧିକ ଲୋକପ୍ରିୟ କବିତା ସଂଗ୍ରହ । କବିଙ୍କ ଲେଖାରେ ପ୍ରକୃତିର ବାହ୍ୟରୂପ କୁ ଯେମିତି କଳାତ୍ମକ ଭାବରେ ବର୍ଣ୍ଣନା କରାଯାଇଛି ଅନ୍ତରୂପ କୁ ମଧ୍ୟ ଅଧିକ ବର୍ଣ୍ଣନା କରିଛନ୍ତି । ସେଥିପାଇଁ ତ ସେ ସ୍ୱଭାବ କବିର ମାନ୍ୟତା ପଇଥିବା ବେଳେ ଆଜି ମଧ୍ୟ ସେ କବିତା ମଧ୍ୟରେ ସମସ୍ତଙ୍କ ହୃଦୟରେ ବନ୍ଦନୀୟ ହୋଇ ରହିଛନ୍ତି । ତେବେ କବିଙ୍କ ଲେଖନୀରେ କେବଳ ଆଦର୍ଶ ଯେ ଉଚ୍ଚସ୍ଥାନ ପାଇଛି ତା ନୁହେଁ, ଏହା ବ୍ଯତୀତ ମାନବିକତା ର ମଧ୍ୟ ଜୟଗାନ କରିଛନ୍ତି କବି ଗଙ୍ଗାଧର ମେହେର। ତେବେ ସ୍ୱଭାବ କବିଙ୍କ କବିତା ଯେତିକି ସୁନ୍ଦ, ତାଙ୍କ ଜୀବନ ଶୈଳି ବି ଥିଲା ବେଶ ଉଚ୍ଚକୋଟିର । ତାଙ୍କର ଚାଲିଚଳଣି, କଥାବାର୍ତ୍ତା, ଆଚାର ବ୍ୟବହାର ଥିଲା ସମସ୍ତଙ୍କ ପାଇଁ ଆଦରଣୀୟ ଏବଂ ଗ୍ରହଣୀୟ । ସେଥିପାଇଁ ସେ କେବଳ ଓଡ଼ିଶାରେ ନୁହେଁ ସାରା ବିଶ୍ୱରେ ବନ୍ଦନୀୟ ।

               ସ୍ୱଭାବ କବି ଗଙ୍ଗାଧର ଙ୍କ ଜୀବନ କଟିଥିଲା ବହୁତ ଅଭାବ ଅନାଟନ ମଧ୍ୟରେ । ଏହା ସ ମଧ୍ୟ ସାମାଜିକ ଜୀବନରେ ସେ ଥିଲେ ବେଶ ଅଗ୍ରଣୀ । ନିଜର ଜୀବନ କାଳରେ ସେ ଅମିନ ଭାବେ କାର୍ଯ୍ୟ କରି ଅବିଭକ୍ତ ସମ୍ବଲପୁର ଜିଲ୍ଲାର ସମ୍ବଲପୁର, ପଦ୍ମପୁର, ବିଜେପୁର ରେ ବହୁଦିନ ବସବାସ କରିଥିଲେ । ଏହା ସତ୍ତ୍ବେ ମଧ୍ୟ ସେ ପରିବାରର ସମସ୍ତଙ୍କୁ ବାନ୍ଧି ରଖିଥିଲେ ସ୍ନେହ ପ୍ରେମ ପରିବେଶରେ । ଯାହା ଏବେ ବି ତାଙ୍କ ପରିବାରରେ ପରିଲକ୍ଷିତ ହୋଇ ରହିଥିବା ବେଳେ କବିପୁତ୍ର ଭଗବାନ ମେହେରଙ୍କ ଠାରୁ ଆରମ୍ଭ କରି ମଣିନ୍ଦ୍ର ମେହେର ଓ ତପସ୍ୱିନୀ ମେହେର ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟ ପ୍ରତି ରହିଛି ସମସ୍ତଙ୍କର କିଛି ନା କିଛି ଅବଦାନ । ବତ୍ତର୍ତ୍ତମାନ ଗଙ୍ଗାଧର ନାହାନ୍ତି ସତ କିନ୍ତୁ ଏବେ ମଧ୍ୟ କବିଙ୍କ ବ୍ୟବହୃତ ଲୁଗାବୁଣା ମଙ୍ଗା, କଠଉ, ଧୋତି, କୁର୍ତ୍ତା, କୋର୍ଟ, ଲେଖନି ଦୁଆତ ଏବଂ ବିଭିନ୍ନ କବିଙ୍କ ଚିଠିପତ୍ର ସହ କବିଙ୍କ ଲିଖିତ କବିତା ଗୁଡିକ ସଂଗ୍ରହିତ କରି ରଖିଛନ୍ତି ପରିବାର ବର୍ଗ ବରପାଲି ସ୍ଥିତ ଗଙ୍ଗାଧର ସ୍ମୃତି ଭବନ ଠାରେ । 

              ୧୯୬୯ ମସିହାରୁ କବିଙ୍କ ଜନ୍ମସ୍ଥାନ ବରପାଲି ସ୍ଥିତ ବାସଭବନକୁ ଓଡ଼ିଶା ସରକାର ନିଜ ଅଧିନରେ ନେଇ ଏକ ସଂଗ୍ରହାଳୟ ରେ ପରିଣତ କରିଥିବାବେଳେ ତାର ରକ୍ଷଣା ବେକ୍ଷଣ ଦାୟିତ୍ୱ ମଧ୍ୟ ତୁଳାଉଛନ୍ତି । ସେଠାକୁ ପ୍ରତିଦିନ ବହୁ ସାହିତ୍ୟିକ, ପର୍ଯ୍ୟଟକ ଓ ଗବେଷକ ମାନେ ଆସି ସ୍ୱଭାବ କବିଙ୍କ ଜୀବନଧାରଣା ଉପରେ ଜାଣିପାରୁ ଥିବା ବେଳେ ସ୍ୱଭାବ କବିଙ୍କ କବିତା ପାଠ କରିବାର ସୌଭାଗ୍ୟ ଲାଭ କରୁଛନ୍ତି । ସେହିପରି ବରପାଲି – ବଲାଙ୍ଗିର ରାସ୍ତାରେ ରହିଛି କବିଙ୍କ ସମାଧି ପୀଠ ଏବଂ ରାସ୍ତାକଡରେ ଦଣ୍ଡାୟମାନ ହୋଇ ରହିଛି ସ୍ୱଭାବ କବିଙ୍କ ବିରାଟ ବ୍ରୋଞ୍ଜ ପ୍ରତିମୂର୍ତ୍ତି। ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣୀମା କବିଙ୍କ ଜନ୍ମ ଜୟନ୍ତୀ ଅବସରରେ ଏହି ପୀଠ ଗୁଡିକ ଉତ୍ସବ ମୁଖରିତ ହୋଇ ଉଠିଥାଏ । ତେବେ ଚଳିତ ବର୍ଷ ମଧ୍ୟ ଗଙ୍ଗାଧର ଙ୍କ ୧୫୮ତମ ଜନ୍ମଦିବସ ପାଇଁ ବରଗଡ ଜିଲ୍ଲା ବରପାଲି ଉତ୍ସବ ମୁଖରିତ ହୋଇ ଉଠିଥିବାବେଳେ ଏହାକୁ ନେଇ ପରିବାର ଲୋକଙ୍କ ସହ କବି ସାହିତ୍ୟିକ ଓ ବରପାଲି ବାସୀ ବେଶ ଉତ୍ସାହିତ ଅଛନ୍ତି । ସେଥିପାଇଁ ତ ବହୁ ସାହିତ୍ୟିକ, ଗବେଷକ ଓ କବିଙ୍କ ସୁଅ ଛୁଟିଛି ବରପାଲି ସ୍ଥିତ କବି ଭବନକୁ ।

         ତେବେ ଏମିତି ଜଣେ ବିଚକ୍ଷଣ ପ୍ରତିଭାବାନ୍ କବିଙ୍କୁ ଜନ୍ମଦେଇ ବରପାଲି ତଥା ଉତ୍କଳ ମାଟି ଗର୍ବିତ ଥିବାବେଳେ ସ୍ୱଭାବ କବିଙ୍କ ୧୫୮ ତମ ଜନ୍ମଦିନରେ ତାଙ୍କୁ ଶତ ଶତ ପ୍ରଣାମ ଜଣାଉଛି ସମର୍ପଣ ପରିବାର  🙏🙏🙏
 
           ଉପସ୍ଥାପନା : ରାଧାକୃଷ୍ଣ ବାୟକ 

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...