Monday, October 25, 2021

● “ସ୍ମୃତି ଅନୁଭୂତି” ●

 "ସ୍ମୃତି ଅନୁଭୂତି"...
           ✍  ନୀହାର ରଞ୍ଜନ ଆଚାର୍ଯ୍ୟ 

୨୦୦୬ ମସିହା ଡିସେମ୍ବର ମାସ ସନ୍ଧ୍ୟା ୫ଟା, ରାଉରକେଲାରେ ଚାକିରୀ କରୁଥିବା ସମୟର କଥା। ମୁଁ ମୋ' ଅଫିସରେ ବସି Accounts Paper Ready କରୁଥାଏ Area Office Bhubaneswar କୁ ପଠାଇବା ପାଇଁ। ମୋ'  Manager, Operation in Charge ଏବଂ ଅନ୍ୟ ଜଣେ Fields Staff ମୋର ସାମ୍ନାସାମ୍ନି ଅନ୍ୟ ଏକ Room ରେ ବସି କଥା ହେଇଥାନ୍ତି। ମୁଁ ମଧ୍ୟ ସେମାନଙ୍କ କଥାରେ ସାମିଲ୍ ହୋଇ କଥା ହେଉଥାଏ ତତ୍ ସଙ୍ଗେ ସଙ୍ଗେ ମୋର Accounts Paper Ready କରି ଚାଲିଥାଏ। କେହି ଜଣେ ଆମ Office ଭିତରକୁ ପ୍ରବେଶ କଲେ ସାମ୍ନାସାମ୍ନି ମୋତେ ପ୍ରଥମେ ଦେଖିବ। ପରେ ମୋ' Manager ଙ୍କୁ ଦେଖିବ। ଅନ୍ୟ ଦୁଇ ଜଣ ଟିକେ ଭିତରକୁ ବସିଥାନ୍ତି। ଏହି ସମୟରେ ହଠାତ୍ ଧୂସର ବର୍ଣ୍ଣ ତାଙ୍କ ଦେହର ରଙ୍ଗ, ଗୋଟିଏ ହାତରେ ନୋଟାଟିଏ , ଅନ୍ୟ ହାତରେ ଚିମୁଟାଟିଏ, କାନ୍ଧରେ କମ୍ବଳକୁ ଲମ୍ବ କରି ଭାଙ୍ଗି ପକାଇଥାନ୍ତି , ଧୂଳି ଧୂସରରିତ ଧଳା ବତ୍ସ ପରିଧାନ କରି ଜଣେ ନାଗା ସାଧୁ ଆମ Office ଭିତରକୁ ପ୍ରବେଶ କରି ହିନ୍ଦୀ ଭାଷାରେ କହିଲେ -
ସାଧୁ :- ମେରେକୋ କସ୍ କେ ଭୁକ୍ ଲଗ୍ ରାହା ହୈ, ତୁ ମେରେକୋ ୧୦ ରୂପେୟା ଦୋ, ହମ୍ ଖାନା ଖାଏଙ୍ଗେ। 
ଜଣେ ସାଧୁ, ପୁଣି ଭିକ୍ଷା ମାଗୁଛି, ପୁଣି ଭିକ୍ଷାର ପରିମାଣ Demand କରି ମାଗୁଛି, ଏହି କଥା ମୋତେ ମୋ' ମନରେ କ୍ରୋଧ ସୃଷ୍ଟି କଲା। ମୁଁ ଭାବୁଥାଏ, ମୋ' ପାଖରେ ୧୦ଟଙ୍କା କାହିଁକି ଅଧିକ ଟଙ୍କା ଥାଏ। ତେବେ ସେ ମୋତେ Demand କାହିଁକି କଲା? ଖାଲି ଭୋକ ଲାଗୁଛି କହିଥିଲେ ମୁଁ ତ ପୁରା ଗୋଟିଏ Meal ର ଟଙ୍କା ଦେଇ ପାରିଥାନ୍ତି ଅଥଚ଼ ଆଜିକାଲି ଭିକାରୀମାନେ କେତେ ଭିକ୍ଷା ନେବେ Demand କରି ମାଗିଲେଣି? ମୋ' ମନରେ Ego ସୃଷ୍ଟି ହେଲା। 
ସାଧୁ :- କ୍ଯା ସୋଚ଼୍ ରହେ ହୋ? ମେରେକୋ କସ୍ କେ ଭୁକ୍ ଲଗ୍ ରାହା ହୈ, ୧୦ ରୂପେୟା ଦୋ। 
ପୁଣି ଥରେ କହି ପିନ୍ଧିଥିବା ତାଙ୍କ କୌପିନିକୁ ଟେକି ଦେଇ କହିଲେ " ଦେଖ୍ ମେଁ କୌନ୍ ହୁଁ? ତୁମ୍ ଉସ୍କୋ ପ୍ରଣାମ୍ କରୋ। ତେରା ଭଲାଇ ହୋଗା। "
ସେତେବେଳକୁ ମୋର ରାଗ ଆହୁରି ଦୁଇ ଗୁଣ ବଢିଗଲା। ପ୍ଯାକେଟରୁ ମାତ୍ର ଗୋଟିଏ ଟଙ୍କା କାଢି କହିଲି " ଆପ୍ ହମେ ମାଙ୍ଗେ, ଔର୍ ହମ୍ ଆପ୍ କୋ ଖୁସି ମନ୍ ମେଁ ଯିତ୍ନା ଦେ ରାହା ହୁଁ, ଆପ୍ ଉତ୍ନା ଖୁସି ମନ୍ ମେଁ ଲେକେ ଯାଇଏ। "
ସାଧୁ :- ଆରେ ମେରେକୋ କସ୍ କେ ଭୁକ୍ ଲଗ୍ ରାହା ହୈ। ତୁ ସିରଫ୍ ଏକ୍ ରୂପେୟା ଦେତେ ହୋ! ୧୦ ରୂପେୟା ଦୋ। 
ମୁଁ ଏଥର ରାଗି ଯାଇ କହିଲି " ମେଁ ଖୁସି ସେ ଦେ ରାହା ହୁଁ, ଆପ୍କୋ  ଅଗର୍ ଲେନା ହୈ ତୋ ଲିଜିଏ, ୱର୍ ନା ଏ ଏକ୍ ରୂପେୟା ଭି ନୈହିଁ ଦେଙ୍ଗେ। "
ସାଧୁ :- ଠିକ୍ ହୈ, ତୋ ଦୋ। ଈଶ୍ବର ତେରା ଭଲା କରେ। 
ଏହା ପରେ ପୁଣି ଥରେ ତାଙ୍କ କୌପିନିକୁ ଟେକି ଛୁଇଁକି ପ୍ରଣାମ୍ କରିବାକୁ ନିର୍ଦ୍ଦେଶ କଲେ। ମୁଁ ଟିକେ ରାଗ ମିଶା ଘୃଣା ଭାବରେ ଦୂରରୁ ହାତ ଯୋଡ଼ି ପ୍ରଣାମ କଲି। ସେ ମୋ ସାମ୍ନାରେ ପଛକୁ ବୁଲିଲେ ଫେରି ଯିବାକୁ। ମୋର Manager ଏବଂ ଅନ୍ୟ ଦୁଇ ଜଣ, ଯିଏକି ଭିତରକୁ ବସିଥିଲେ ସେମାନେ ମଧ୍ୟ ଏହି ସବୁ ଦୃଶ୍ୟ ଦେଖୁଥାନ୍ତି। Fields Staff ଟି ମୋର ନିକଟରେ ଆସି ଠିଆ ହୋଇ ଗଲାଣି। ମୋ Manager ଭାବିଲେ ପୁଣି ତାଙ୍କୁ କାଳେ ସେହି ସାଧୁ ମାଗିବେ, ତେଣୁ ଆଗୁଆ ତାଙ୍କୁ ଭାଗୋ, ଭାଗୋ କହିଲେ। 
ସାଧୁ :- ତେରେକୋ କୌନ୍ ମାଙ୍ଗ୍ନେ ଯା' ରାହା ହୈ। ଜିସ୍କେ ପାସ୍ ଆୟାଥା, ସିରଫ୍ ଉସ୍ ସେ ଲେନା ଥା'। ଲେକିନ୍ ଓ ଖୁସି ମନ୍ ମେଁ ଯିତ୍ନା ଦିଆ ମେଁ ଉସ୍କୋ ଖୁସି ମନ୍ ମେଁ ଲେକେ ଯା' ରାହା ହୁଁ। ଏହା କହି Office ରୁ ବାହାରିଲେ। ସେ Office ର ଦୁଆର ମୁହଁରେ ହେବା କ୍ଷଣି Current ଚାଲିଗଲା। ଯେହେତୁ ମୁଁ Accountant ତୁରନ୍ତ Cash Drawer Lock କରି ସାମ୍ନକୁ ଅନାଇଲା ବେଳକୁ ସେ ସାଧୁ ଆଉ ସେଠାରେ ନାହାନ୍ତି। କିନ୍ତୁ ମୁଁ ମୋର ଗୋଡ଼ ତଳେ କିଛି ଗୋଟେ ମାଡ଼ିଲା ପରି ମୋତେ ଲାଗିଲା। ସଙ୍ଗେ ସଙ୍ଗେ ଗୋଡ଼ ତଳୁ ଉଠାଇ ଆଣିଲି। ଚାରି ଭାଙ୍ଗ ହୋଇଥିବା ୫୦୦ଟଙ୍କା ପୁଣି ସେଥିରେ ସିନ୍ଦୂର ଲାଗିଛି। ବୁଟ୍ ପିନ୍ଧିଛି। ଗୋଡ଼ ତଳେ କୌଣସି କଠିନ ବସ୍ତୁ ମାଡ଼ିଲେ ଜଣା ପଡ଼ିବ। କିନ୍ତୁ ଖଣ୍ଡେ କାଗଜ କିମ୍ବା କାଗଜର ନୋଟକୁ ମାଡ଼ିଲେ ଜଣା ପଡ଼ିବା, ଆଶ୍ଚର୍ଯ୍ୟର ବିଷୟ ନିଶ୍ଚୟ। ତଥାପି ମୋତେ ଜଣା ପଡ଼ିଲା ଏବଂ ମୁଁ ସେହି ନୋଟକୁ ଭଲ ଭାବରେ ଦେଖିଲି। ମୋ' ପାଖରେ ଠିଆ ହୋଇଥିବା Fields Staff କହିଲା "ପାଇଲୁ ନା" ? ମୁଁ କହିଲି " ଆରେ Cash Drawer ରୁ ପଡ଼ି ଯାଇଥିବ "। ଏହା କହି ପୁଣି Cash Drawer ରେ ପକାଇ ଦେଇ ତଳକୁ ଗଲି। କାରଣ ମୋର Office 1st Floor ରେ ବୋଲି ମୁଁ ତଳକୁ ଯାଇ ସବୁ ଦିନ ଚା' ପିଏ। ଅଧିକ କାମଥିଲେ ଚା' ବାଲା ଆସି ଅଫିସରେ ଚା' ଦେଇ ଯାଏ। ସେଦିନ ଯାଇ ସେହି ଚା' ଦୋକାନରୁ ଚା' ପିଇବା ସମୟରେ ସେହି ଚା' ଦୋକାନୀକୁ  ପତାରିଲି "ଏହି ରାସ୍ତା ଦେଇ ଏବେ ଜଣେ ସାଧୁ ଗଲେ କି "?
ଚା' ଦୋକାନୀ  :- ନାହିଁ ଆଜ୍ଞା, ଉପରକୁ କୌଣସି ସାଧୁ ତ ଯାଇ ନ ଥିଲେ। 
ମୋ' ମନରେ ଆହୁରି ଆଶ୍ଚର୍ଯ୍ୟ ପ୍ରକଟ ହେଲା। ମୁଁ Last Closing Balance ପାଇଁ ଅପେକ୍ଷା କଲି।  Office ବନ୍ଦ ହେବା ସମୟ ଆସିଗଲା। Closing କଲା ବେଳକୁ ସେହି ଦିନ Cash Closing Balance Rs. 500/- Excess Show କଲା। ତଥାପି ଭୟ ଲାଗିଲା। କାରଣ ମୋ' ଜୀବନ କାଳ ଭିତରେ କେବେ Office Cash ରୁ ଟଙ୍କାଟିଏ ବି ଉଠାଇ ନାହିଁ। ମୁଁ ଗୋଟିଏ Suspense Fund କରିଥିଲି, ଯେବେ Cash ଅଧିକ ଦେଖାଏ, ସେହି Cash ସବୁ ରଖି Company ର ଯେଉଁ Party Bad Debt Party ହୋଇଯାଏ, ତାଙ୍କ Bills ଆଦାୟ ହୋଇ ପାରେ ନାହିଁ। ମୁଁ ମୋର ସେହି Suspense Fund ରୁ Cash Adjust କରେ। ସେହି Suspense Fund ରେ ଏହି ୫୦୦ଟଙ୍କାକୁ ପକାଇ ଦେଇ ମୋ Room କୁ ପଳାଇ ଆସିଲି। ଘରର Gate ଖୋଲୁଛି, ମୋତେ ଗୋଟିଏ ଆବାଜ୍ ଆସିଲା "ଚୋରି ତୋ ନୈହିଁ କରୋଗେ,କୌଇ ଅଗର୍ ଦେ ରାହା ହୈ ଉସ୍କୋ ଲାନେମେଁ ଇତ୍ନା ଡର୍ ଲଗ୍ ରାହା ହୈ "?
ଚମକି ପଡ଼ି ଚାରି ଆଡ଼କୁ ଚାହିଁଲି। କେଉଁଠି କେହି ନଥିଲେ....

Sunday, October 24, 2021

ସମର୍ପଣ (topic - 110 ପାଳଭୂତ ) quote #quot

ପାଳଭୂତ - 110 

ବିଲେ ହସୁଥିବା ସୁନାର ଫସଲ
     ଯାହା ପାଇଁ ସୁରକ୍ଷିତ
ପାଳରେ ତିଆରି ଅଟେ ତା' ଶରୀର
       ସିଏ ଆମ ପାଳଭୂତ 
ଖରା ବର୍ଷା ଶୀତ ନ ମାନି କି' ସିଏ
      ରହିଥାଏ କ୍ଷେତେ ପଡ଼ି
ତା'ର ଆଭୂଷଣ ଦେଖି ପଶୁପକ୍ଷୀ
      ଆସନ୍ତିନି ପାଖେ ମାଡ଼ି 
ଚାଷୀ ଭାଇର ସେ ମିତଟିଏ ସାଜି
      ଫସଲକୁ ଜଗିଥାଏ
ଚିତ୍ରିତ ହାଣ୍ଡିକୁ ଚିରା ଫଟା ଜାମା
     ତା' ଶରୀରେ ଶୋଭାପାଏ
               - ରାମଚନ୍ଦ୍ର ପ୍ରଧାନ 

  ସୁନାକ୍ଷେତେ ଶ୍ରେୟ ତୁମ ଅନୁମେୟ
          ନିର୍ଜୀବନି ନିର୍ଜନରେ
କୃଷକର ପ୍ରାଣ ପାଛୋଟା ଫଗୁଣ
        ଢାଳ ଅଣ୍ଟି ଆଞ୍ଜୁଳାରେ
ଦୁନିଆଁରେ ଦାନା ତୁମ୍ଭଲାଗି ସିନା
      ଆପଣାପଣେ ଅକ୍ଷତ
ହୁଏନା ବର୍ଣ୍ଣନ ତୁମ ଗୁଣ ଗାନ
      ପ୍ରଣତୀ ହେ ପାଳଭୂତ
              - ଦାଶରଥି ସାହୁ 

ନିର୍ଜନ ନିଶିରେ  ଅବା ଦ୍ବିପ୍ରହରେ
       ଚିତ୍ର-ବିଚିତ୍ର ଶରୀରେ 
ସୈନିକ ସମାନ ସମୁଚିତ କର୍ମେ 
       ସଦା ବିରାଜ କ୍ଷେତରେ 
ଧନ୍ୟ ତୁମ୍ଭ ଧର୍ମ ଅପାସୋରା କର୍ମ 
      ଚାଷୀର ପରାଣ ମିତ 
ନାହିଁ ଜୀବ ସତ୍ତା ଭରା ଆତ୍ମିୟତା 
         ନାମ ତୁମ୍ଭ ପାଳଭୂତ 
              - ସନ୍ତୋଷ ପଟ୍ଟନାୟକ

ଶୋଭା ପାଏ ସେହୁ କୃଷକ କ୍ଷେତରେ
      ସୃଷ୍ଟିକରେ ମନେ ଭ୍ରମ
ପଶୁ ପକ୍ଷୀ ସବୁ ଘଉଡାଇ ଦେବା 
     ନିତିଦିନିଆ ତା କାମ 
ପୁରୁଣା ପୋଷାକ ମାଟିର ମାଠିଆ
    ଶରୀର ପାଳରେ ଗଢା 
ଟଙ୍ଗା ହୋଇଥାଏ କ୍ଷେତରେ ସର୍ବଦା 
    ହୁଏ ନାହିଁ କେବେ ବୁଢ଼ା
                 - ଟୁକୁନା ସାହୁ

କୃଷି କ୍ଷେତ୍ର ପରେ  ସୁରକ୍ଷା କବଚ
     କୃଷକ ମନର ମିତି 
ନିର୍ଜୀବ ହେଲେବି ନିହାତି ଘନିଷ୍ଠ
    ନାମ ତାର ପାଳଭୂତ 
ପାରମ୍ପରିକ ଏ  ପ୍ରଚଳିତ କଥା
     ଏବେବି ହୋଇନି ଲୁପ୍ତ 
ଜନ ମାନସରେ ଏବେବି ଆଦୃତ
       ଚାଷୀ ପ୍ରିୟ ପାଳଭୂତ
            - ପ୍ରବୀର ମଲ୍ଲିକ୍

ପାଳରେ ତିଆରି ଶରୀର ତାହାର
     ହାଣ୍ତିରେ ଗଢା ତା' ମୁଖ
ଖରା ବର୍ଷା ଶୀତ ଜଗିଥାଏ କ୍ଷେତ
       ବୁଝି ସେ ଚାଷୀର ଦୁଃଖ
ସାହାଯ୍ଯ କରେ ସେ ଚାଷୀକୁ ଏମିତି
       ସତେକି ଚାଷୀର ସୂତ
ନୀର୍ଜୀବ ହେଲେବି କର୍ମ ତା ମହାନ 
        ନାମ ତାର ପାଳଭୂତ
                     - ରବିନ୍ଦ୍ର ସାହୁ

ନିଶି ପ୍ରହରିର ଅମା ଅନ୍ଧକାରେ
       ଅଟଇ ମୁଁ ପାଳଭୂତ 
ଉଜ୍ବଳ ପକ୍ଷର ଜହ୍ନ ଆଲୁଅରେ
    ଦେଖି ହସୁଥାଏ କ୍ଷେତ 
ନିଶବ୍ଦ ନିଶିର ଜଗୁଆଳି ମୁହିଁ
     ନିଶାଚାରି ଭୟଭିତ 
ଦିନ ରାତି କ୍ଷେତ ମଧ୍ଯରେ ଠିଆ ମୁଁ
    ଚାଲେ ଏହା କ୍ରମାଗତ 
                 ‐ ରାଧା କୃଷ୍ଣ ବାୟକ

ସମର୍ପଣ (topic - 109 ପରମ୍ପରା ) quote #quot

109 - ପରମ୍ପରା 

ପୂର୍ବାପର କ୍ରମେ  ଅବିଚ୍ଛିନ୍ନ ଧାରା 
          ଧର୍ମ ଦର୍ଶନ ବିଶ୍ବାସ 
ପୂଜା ଓ ପରବ ଜାତୀୟତା ବୋଧ 
       ଲୋକନାଟ୍ୟ କଳା ଯଶ 
ସମାଜେ ଏସବୁ  ଅବିଚ୍ଛେଦ୍ୟ ଅଙ୍ଗ 
           ସ୍ମୃତିସ୍ନିଗ୍ଧା ସୁଖ ଧାରା 
ସଂସ୍କୃତି ସଂସ୍କାରେ ପରିପୂର୍ଣ୍ଣ ଆମ 
           ଉତ୍କଳୀୟ ପରମ୍ପରା 
              - ସନ୍ତୋଷ ପଟ୍ଟନାୟକ

ଚପଲ ପିନ୍ଧିକି ବୋହୂ ରାନ୍ଧୁଅଛି
     ଗୁରୁବାରେ ମାଛ ତିଅଣ 
ଠାକୁର ଘରରେ କୁକୁର ଶୋଇଛି 
    ହେଲେ ନାହିଁ ତାକୁ ବାରଣ 
ମଦର ଭଣ୍ଡାର ସାଜିଅଛି ଘର 
    କ୍ଷୀର ଲାଗେ ଖାଲି ଜହର
ପ୍ରଥା ପରମ୍ପରା ଚୂଲିକି ଗଲାଣି
     ପାଶ୍ଚ୍ୟାତକୁ ମାରି ଜୁହାର 
               - ଟୁକୁନା ସାହୁ

ପରମ୍ପରା ଆମ ବିଂଶରେ ବିରାମ
     କର୍ପୁର ନାହିଁ କି କନା
ପାଶ୍ଚାତ୍ଯ ସଭ୍ୟତା ଟେକି ଅଛି ମଥା
       ଅନ୍ଧ ଦେଖଇ ଆଇନା
ସବୁ ଅସଜଡା ଆଗତେ ଅମଡା
     ସର୍ବେ ସେ ପଥେ ପଥିକ
ଭାବି ଏହି କଥା ଘୁରି ଯାଏ ମଥା
     ଝରେ ନୟନୁ ଲୋତକ
               - ଦାଶରଥି ସାହୁ

ଆଧୁନିକତାର  ଵଶବର୍ତ୍ତୀ ହୋଇ
      ମାନବ ଯେ ପଥହରା  
ନୀତି ଆଦର୍ଶକୁ ଜଳାଞ୍ଜଳୀ ଦେଇ
    ଭୁଲିଛି ତା ପରମ୍ପରା  
ଆପଣା ସଭ୍ୟତା ଅଣ ଦେଖା ଆଜି
    ପାଶ୍ଚାତ୍ୟ ନିଶାରେ ଵଶ
ପରମ୍ପରା ଶବ୍ଦ  ପ୍ରହେଳିକା ସମ
     ପରମ୍ପରା ଇତିହାସ 
          - ପ୍ରବୀର ମଲ୍ଲିକ୍

ନାଁ ଅଛି ଆଦର  ନାଁ ଅଛି ତତ୍ପର
       ନାଁ ଅଛି ଅତୀତ ଧାରା
ପାଶ୍ଚାତ୍ୟ ରଙ୍ଗରେ ଫିକା ପଡ଼ିଲାଣି
        ଆମ ପ୍ରଥା ପରମ୍ପରା 
ଅପସଂସ୍କୃତିର ମୋହ ବନ୍ଧନରେ
      ସୁପ୍ତ ଆଜି ଭାଇଚାରା
ଉତ୍କଳୀୟ କଳା ସଂସ୍କୃତି ପସରା
       ଲାଗେ ଖାଲି ଗାରାମାରା 
                - ରାମ ଚନ୍ଦ୍ର ପ୍ରଧାନ

ଆଧୁନିକ ମାୟା ବିସ୍ତାରି ତା' କାୟା
       ସଭିଙ୍କୁ ଗଲାଣି ଗ୍ରାସି
ପରମ୍ପରା ସବୁ ପୋଡି ଖାଇଲାଣି
     ପାଶ୍ଚାତ୍ଯ ସଭ୍ଯତା ଆସି
ଭୁଲିଲେଣି ଲୋକେ ପୁରୁଣା ସଂସ୍କୃତି
       ଆଦରି ବିଦେଶ ଢାଞ୍ଚା
ଗାଁଉଳି ନାଆଁରେ ଡାକିଲେ ରାଗନ୍ତି
      ବିଦେଶୀ ଫେରନ୍ତା ବାଞ୍ଛା
ମା' ବାପା ଡାକଟି   ନୀରବି ଗଲାଣି
      ଇଂରାଜୀ ଭାଷାଟା ବଢି
ଆଗ ପରମ୍ପରା   ପତନ ଘଟୁଛି
      ଅପସଂସ୍କୃତିରେ ପଡି
                    - ରବିନ୍ଦ୍ର ସାହୁ

ବାରମାସେ ତେର  ପରବ ଯେଉଁଠି
       ସେଇ ମୋ ଉତ୍କଳ ଭୂଇଁ
କଳା ଓ ସଂସ୍କୃତି   ନୀତି ପରମ୍ପରା
      ରହିଛି ତା ଦେହେ ଛାଇ
ଭାଲେରି ସେ ପାଖେ ଲୁଚିଗଲେ ରବି
      ସଞ୍ଜ ଯେବେ ଆସେ ନଇଁ
ଓଡ଼ିଆଣୀ ମାନେ   ସଞ୍ଜ ବାଢ଼ିଥାନ୍ତି 
          ପରିବାର ସୁଖ ପାଇଁ
ସକାଳ ଧୂପରେ  ସଞ୍ଜ ଆଳତୀରେ
        ପରିପୂର୍ଣ୍ଣ ଏଇ କ୍ଷେତ୍ର
ଉତ୍କଳ ନାମରେ  ଜଗତେ ବିଖ୍ୟାତ 
      କାଳିଆ ତ' ଛାୟାଛତ୍ର
                   -  ଜଗବନ୍ଧୁ ସାହୁ

ପରମ୍ପରା ଆଉ ନାହିଁ ଆଗପରି
     ନାହିଁ ପୂଜା ବିଧି ବ୍ରତ 
ପାଶ୍ଚାତ୍ୟ ସଭ୍ଯତା ଆପଣେଇ ନେଇ
       ମନେ ଅଶାନ୍ତି, ବିବ୍ରତ 
ମନା ନାହିଁ ତୁମ ପାଶ୍ଚାତ୍ଯର ପ୍ରେମ 
        ପରମ୍ପରା ମନେରଖ 
ଏ ଦେଶର ଯଶ ଦେଖୁ ହେ ଜଗତ
        ରଖ ତାର ମାନ ଟେକ     
                ‐ ରାଧା କୃଷ୍ଣ  ବାୟକ

Saturday, October 23, 2021

● ସଙ୍ଗୀତ ସୁରଭି ●

       ~:: ସଙ୍ଗୀତ ସୁରଭି ::~
              ✍  ନୀହାର ରଞ୍ଜନ ଆଚାର୍ଯ୍ୟ 

ରୂପସୀ-ଲଳନା ସଙ୍ଗୀତ ମୂର୍ଚ୍ଛନା 
ସା-ରେ-ଗା-ମା-ପା ର ସୁରେ, 
ନିନାଦିତ କରେ ପ୍ରତିଟି ହୃଦୟ 
ଆନନ୍ଦ ଉଲ୍ଲାସ ଭରେ ।। 

ସୁର ତାଳ ତବ ନଭ ଶୋଭା ତାଳେ 
ପ୍ରାଣେ ଭରେ ଅନୁରାଗ, 
ହଂସ ହସଂରାଳୀ ଭାବ ସୁରେ ମତ୍ତ 
ଝରୁଛି ସତେ ବିଭବ ।।

କୀଟ ତରୁ ଲତା ସ୍ଥାବର ଜଙ୍ଗମ 
ପଶୁ ପକ୍ଷୀ ମନ ହୃଦେ, 
ଯକ୍ଷ ରକ୍ଷ ଅବା ଗନ୍ଧର୍ବ କିନ୍ନର 
ବିମୋହିତ ଛାନ୍ଦ ଛନ୍ଦେ ।।

ବ୍ଯଥା ଭୁଲିଯାଏ ବ୍ୟଥିତ ହୃଦୟ 
ଆତ୍ମଜ୍ଞାନ ବଳି ଦେଇ,
ଚାତକ ପରାୟେ ଚାହିଁ ରହିଥାଏ
ସଙ୍ଗୀତ ଝଙ୍କାର ପାଇଁ ।।

ବରଷାର ମନ ହୁଏ ଛନ୍ନ ଛନ୍ନ 
ବର୍ଷିବାକୁ ସୁର ତାଳେ, 
ସାତ ସୁରେ ବନ୍ଧା ଜୀବନର ଗାଥା 
ଚେତାଇ ଦେବାକୁ ହେଳେ ll

ସଙ୍ଗୀତ ସୁରଭି ବିଚ୍ଛୁରିତ ହେଲେ 
ଆତ୍ମାକୁ କରେ ବିଭୋର,
ଦ୍ୱାପରେ ପ୍ରମାଣ ହୋଇଛି ମର୍ତ୍ତ୍ୟରେ
ମୋହନ ବଂଶୀର ସ୍ଵର ।।

Sunday, October 17, 2021

● ଶ୍ରୀକ୍ଷେତ୍ରର ବିଭିନ୍ନ ନାମ ●

ଶ୍ରୀଜଗନ୍ନାଥ କ୍ଷେତ୍ରର ଅନେକ ନାମ ରହିଛି । ଏତେ ନାମ ଓଡ଼ିଶାର ଅନ୍ୟ କୌଣସି ଦେଵସ୍ଥଳୀର ଥିଵା ଜଣାଯାଏ ନାହିଁ ।  

●ଶ୍ରୀଜଗନ୍ନାଥ ଧାମ
●(ଶ୍ରୀ)ଜଗନ୍ନାଥ ପୁରୀ
●ମର୍ତ୍ତ୍ୟ ଵୈକୁଣ୍ଠ,
●ଭୂସ୍ଵର୍ଗ
●ଶ୍ରୀକ୍ଷେତ୍ର
●ଶ୍ରୀନୀଳାଚଳ
ନୀଳାଦ୍ରି ଵିହାର
●ନୀଳଶୈଳ
●ଶ୍ରୀଧାମ
●ଶଙ୍ଖ ନାଭିମଣ୍ଡଳ
●ଶଙ୍ଖକ୍ଷେତ୍ର
●କମ୍ଭୁକଟକ
●ପୁରୁଷୋତ୍ତମ ପୁରୀ
●ପୁରସ୍ତମ
●ପୁରୀ

ପୁରାଣରେ ଶ୍ରୀଜଗନ୍ନାଥପୁରୀର ଅଵସ୍ଥିତି ସମ୍ପର୍କରେ କୁହାଯାଇଛି―

“ଋଷିକୁଲ୍ୟା ସମାସାଦ୍ଯ ଯାଵତ୍ ଵୈତରଣୀ ନଦୀ,
ତାଵତ କ୍ଷେତ୍ରସ୍ଯ ମହାତ୍ମ୍ଯ ଵର୍ତ୍ତତେ ମୁନିପୁଙ୍ଗଵ ।
ସମୁଦ୍ରୋସ୍ଯାତ୍ତରେ ତୀରେ ମହାନଦ୍ଯାସ୍ତୁ ଦକ୍ଷିଣେ
ତରମ୍ଯାରଭ ତତ୍'କ୍ଷେତ୍ର ରାଜମାନଂ ସୁପାଵନମ୍ ।।”

ନୀଳାଦ୍ରି ମହୋଦୟ ଗ୍ରନ୍ଥର ଏହି ଶ୍ଲୋକର ଵର୍ଣ୍ଣନା ଅନୁସାରେ- ତୀର୍ଥରାଜ ମହୋଦଧି(କଳିଙ୍ଗ ସାଗର)ର ଉତ୍ତରପାର୍ଶ୍ଵ,ସୁକାନ୍ତିତନୁଜା ମହାନଦୀର ଦକ୍ଷିଣ ପାର୍ଶ୍ଵ,ସିନ୍ଧୁଗାମିନୀ ଵୈତରଣୀ ଓ ଋଷିପୁତ୍ରୀ ଋଷିକୁଲ୍ୟା ନଦୀଦ୍ଵୟର ମଧ୍ଯାଞ୍ଚଳରେ ପୁରସ୍ତମ ପୁରୀ ରହିଛି । 

ପ୍ରାଚୀନ  କାଳର  ସ୍କନ୍ଦ  ପୁରାଣ,  ବାମଦେଵ  ସଂହିତା  ଓ  ସୁତ  ପୁରାଣରେ  ଵର୍ଣ୍ଣିତ  ପୁରୁଷୋତ୍ତମ  କ୍ଷେତ୍ର  ପୁରୀକୁ ଶଙ୍ଖକ୍ଷେତ୍ର  ଭାଵରେ  ବର୍ଣ୍ଣନା  କରାଯାଇଛି । 

ଵାମଦେଵ ସଂହିତାରେ ଶ୍ରୀଜଗନ୍ନାଥ ଧାମକୁ ଶଙ୍ଖକ୍ଷେତ୍ର ଭାଵେ ଅଭିହତ କରାଯାଇଛି 

“ଗଦାକ୍ଷେତ୍ରଂ ଚ ବିରଜାମେକାମ୍ରଂ ସଜ୍ଞାକମ୍,
କୋଣାର୍କଂ ପଦ୍ମକ୍ଷେତ୍ରଂ ଚ ଶଙ୍ଖକ୍ଷେତ୍ରଂ ନୀଳାଚଳମ୍ ।’’

ଶ୍ରୀଜଗନ୍ନାଥ ଧାମକୁ ଶଙ୍ଖକ୍ଷେତ୍ର କୁହାଯିଵାର କାରଣ ଏ କ୍ଷେତ୍ରରେ ଥିଵା ଶହେରୁ ଅଧିକ ତୀର୍ଥସ୍ଥଳୀକୁ ଯୋଡା଼ଗଲେ ତାହାର ଆକାର ଶଙ୍ଖ ଭଳି ହୋଇଥାଏ । ନିମ୍ନରେ ଶ୍ରୀଜଗନ୍ନାଥ କ୍ଷେତ୍ରରେ ଥିଵା ସେହି ମୁଖ୍ୟ ମୁଖ୍ୟ ତୀର୍ଥସ୍ଥଳୀ ଓ ନଦ୍ଯାଦି ଗୁଡି଼କର ସୂଚୀ ପ୍ରଦାନ କରାଗଲା...

୧.ଶ୍ରୀମନ୍ଦିର
( ବଳଭଦ୍ର,  ଜଗନ୍ନାଥ,  ସୁଭଦ୍ରା  ଓ  ସୁଦର୍ଶନ)
୨.  ଶ୍ରୀକ୍ଷେତ୍ରେଶ୍ୱରୀ  ଵିମଳା 
୩.  ଶ୍ରୀମହାଲକ୍ଷ୍ମୀ 
୪.  ଉତ୍ତର  ଦୁର୍ଗ 
୫.  ବାଟମଙ୍ଗଳା 
୬.  ଗରୁଡ଼ସ୍ତମ୍ଭ 
୭.  ଭୋଗମଣ୍ଡପ 
୮.  କଳ୍ପଵୃକ୍ଷ 
୯.  ରୋହିଣୀକୁଣ୍ଡ 
୧୦.  ବାଟଗଣେଶ 
୧୧.  ଉତ୍ସ  ଗଣପତି 
୧୨.  ଶ୍ରୀସରସ୍ୱତୀ  ଦେଵୀ
୧୩.  ନବଗ୍ରହ 
୧୪.  କୋଣାର୍କ  ସୂର୍ଯ୍ୟଦେଵ
୧୫.  ପାଦପଦ୍ମ 
୧୬.  ଯଜ୍ଞଵଟ 
୧୭.  ଅଗ୍ନେଶ୍ୱର 
୧୮.  ଇନ୍ଦ୍ରାଣିଦେଵୀ
୧୯.  କ୍ଷେତ୍ରପାଳ
୨୦.  ସ୍ନାନ  ଭୈରଵୀ
୨୧.  ମୁକ୍ତେଶ୍ୱରୀ 
୨୨.  ଛତ୍ରକାଳୀ 
୨୩.  ବାଟ  ମାର୍କେଣ୍ଡେୟ
୨୪.  କାତ୍ୟାୟନୀ 
୨୫.  ଗୋପେଶ୍ୱର 
୨୬.  ଵେଦ  କାଳୀ
୨୭.  ପାତାଳେଶ୍ୱର 
୨୮.  ଭୁଵନେଶ୍ୱରୀ 
୨୯.  ଵୈକୁଣ୍ଠେଶ୍ୱର 
୩୦.  ଯାଜ୍ଞ୍ୟଶ୍ଵେରୀ 
୩୧.  ଈଶାନେଶ୍ୱର
୩୨.  ଶୀତଳା  ଦେଵୀ
୩୩.  ପାକଶାଳା
୩୪.  ଦକ୍ଷିଣେଶ୍ୱର
୩୫.  କୁଣ୍ଡଳେଶ୍ୱର
୩୬.  ରାମ  ଚୈତନ୍ୟ  ମନ୍ଦିର
୩୭.  ବରଭୈ  ହନୁମାନ
୩୮.  ନିର୍ମାଲ୍ୟ  ହନୁମାନ
୩୯.  ଅଳକା  ଵାଟିକା
୪୦.  ଚକ୍ର  ନାରାୟଣ
୪୧.  ରାମେଶ୍ୱର
୪୨.  ଚତୁର୍ଧାମ
୪୩.  କାନପଟା  ହନୁମାନ
୪୪.  ନିଳାଦ୍ରୀ  ଵିହାରୀ
୪୫.  ଵଭୈଶ୍ୱର
୪୬.  ଶିଆଳି  ଲଟା
୪୭.  କୋଇଲି  ବୈକୁଣ୍ଠ
୪୮.  ତପସ୍ୱୀ  ହନୁମାନ
୪୯.  ସୁଵର୍ଣ୍ଣ  କୂପ
୫୦.  ଆନନ୍ଦ  ବଜାର
୫୧.  ଦେବସ୍ନାନ  ମଣ୍ଡପ
୫୨.  ମେଘନାଦ  ପାଚେରୀ
୫୩.  ସିଂହଦ୍ୱାର  (ପୂର୍ଵଦ୍ୱାର)
୫୪.  ଅରୁଣ  ସ୍ତମ୍ଭ
୫୫.  ବଡ଼ଛାଟ  ମଠ
୫୬.  ଛାଉଣି  ମଠ
୫୭.  ପଜନତା
୫୮.  ପ୍ରହରୀ  ହନୁମାନ
୫୯.  ଦକ୍ଷିଣ  ଦ୍ୱାର
୬୦.  ଦୁର୍ଗାମାଧଵ
୬୧.  ମଙ୍ଗଳେଶ୍ୱରୀ
୬୨.  ପଶ୍ଚିମ  ଦ୍ୱାର
୬୩.  ଉତ୍ତର  ଦ୍ୱାର
୬୪.  ଶ୍ରୀଲୋକନାଥ
୬୫.  ରାମେଶ୍ୱର
୬୬.  କାନ୍ଦୁ  ନୃସିଂହ
୬୭.  କାନ୍ଦୁ  ଆଶ୍ରମ
୬୮.  ନିକୁମ୍ଭିଲାଵଟ
୬୯.  ହରଚଣ୍ଡୀ
୭୦. ଚାମୁଣ୍ଡେଶ୍ୱରୀ
୭୧. ଵନଦୁର୍ଗା
୭୨. ବାସେଳୀ
୭୩. କପାଳମୋଚନ
୭୪. ମଣିକର୍ଣ୍ଣିକା ତୀର୍ଥ
୭୫. ଘାଟମଙ୍ଗଳା
୭୬. ଭଗଵତୀ
୭୭. ମାର୍କେଣ୍ଡେଶ୍ୱର
୭୮. ମାର୍କେଣ୍ଡେୟ ତୀର୍ଥ
୭୯. ସପ୍ତମାତୃକା
୮୦. ଅଳମ୍ବା ଦେଵୀ
୮୧. ଅଠରନାଥ
୮୨. ମକରଧ୍ୱଜ ହନୁମାନ
୮୩. ଭାର୍ଗଵୀ ନଦୀ
୮୪. ମୁକ୍ତାଶ୍ୱର
୮୫. ବାଟମଙ୍ଗଳା
୮୬. କପାଟେଶ୍ୱର
୮୭. ଭିଲ୍ଵେଶ୍ୱର
୮୮. ସିଦ୍ଧ ହନୁମାନ
୮୯. ଇନ୍ଦ୍ରଦ୍ୟୁମ୍ନ ତୀର୍ଥ
୯୦. ନୀଳକଣ୍ଠେଶ୍ୱର
୯୧. ଆଦି ନୃସିଂହ
୯୨. ଗୁଣ୍ଡିଚା ମଣ୍ଡପ
୯୩. ଅର୍ଦ୍ଧ ସୁଶାନି (ମାଉସୀମା)
୯୪. ମାର୍ଚ୍ଚିକା ଦେଵୀ
୯୫. ଚର୍ଚ୍ଚିକା ଦେଵୀ
୯୬. ଷୋଡ଼ଶ ପୁତ୍ରୀ
୯୭. ନାରାୟଣୀ
୯୮. ଅଙ୍ଗିରାଶ୍ରମ
୯୯. ଅଙ୍ଗିରାଵଟ
୧୦୦. ଦକ୍ଷିଣକାଳୀ
୧୦୧. ଉଗ୍ରେଶ ଆଶ୍ରମ
୧୦୨. ଶ୍ଵେତଗଙ୍ଗା
୧୦୩. ମୁକ୍ତିଶୀଳା
୧୦୪. ଆଦିଶଙ୍କର ପୀଠ
୧୦୫. ସ୍ୱର୍ଗଦ୍ୱାର
୧୦୬. ଵରାହୀ ଦେଵୀ
୧୦୭. ଶ୍ୟାମାକାଳୀ
୧୦୮. ଵଟ ହନୁମାନ
୧୦୯. ଚକ୍ରତୀର୍ଥ
୧୧୦. ଚକ୍ର ନାରାୟଣୀ
୧୧୧. ମହୋଦଧୀ ତୀର୍ଥ
୧୧୨. ଜଗନ୍ନାଥ ବଲ୍ଲଭ
୧୧୩. କାଶୀ ବିଶ୍ୱନାଥ
୧୧୪. ଵିଶ୍ଵେଶ୍ୱରୀ
୧୧୫. ନରେନ୍ଦ୍ର ସରୋଵର

Saturday, October 9, 2021

ସମର୍ପଣ (topic - 108 ଜଙ୍ଗଲ ) quote #quot

ଜଙ୍ଗଲ  - 108 

ପ୍ରକୃତି ରାଣୀର ପଣତ କାନିର
       ଏ ଶୋଭାବର୍ଦ୍ଧକ ସାଜ
ଯତ୍ନେ ଜଡିବୁଟି ବକ୍ଷରେ ସାଉଁଟି
      ଜଗତେ ଜଙ୍ଗଲ ରାଜ
ଜନମଞ୍ଚେ ଜିତା ଆହା ଆଶ୍ରଦାତା
      ପଶୁ ପକ୍ଷୀ ପ୍ରାନ୍ତରରେ
ନବୀକରଣର ସଂକଳ୍ପ ଆମର
      ଯୁବପୀଢି ଜାଗିବାରେ
               - ଦାଶରଥି ସାହୁ 

ସବୁଜିମା ଭରା ପଣତ କାନିରେ
     ମନ ଯା' ଆକାଶ ଛୁଆଁ
ପ୍ରକୃତି କୋଳରେ ସେ' ପ୍ରକୃତି କନ୍ୟା
      ଜଙ୍ଗଲ ତାହାରି ନାଆଁ 
କେତେ ଯେ ସାଇତା ତା' ହୃଦେ ଯତନେ
      ମୂଲ୍ୟବାନ ଗୁପ୍ତଧନ
ଅଗଣିତ ଜୀବ ରହନ୍ତି ତା' ଘରେ
      ଆରାମରେ କାଟି ଦିନ 
              - ରାମ ଚନ୍ଦ୍ର ପ୍ରଧାନ 

ସୁସ୍ଥ ପରିବେଶ ସୁସ୍ଥ ଜୀବନର
         ଜଙ୍ଗଲ ଏକ ସମ୍ପଦ 
ତାହାରି ସୁରକ୍ଷା କର୍ତ୍ତବ୍ୟ ବଳରେ
      ହଟିବ ପ୍ରକୃତି ତାଣ୍ଡବ 
ଜଙ୍ଗଲ କ୍ଷୟରେ ମାନବର କ୍ଷୟ 
       ଏହାହିଁ ବିଧି ବିଧାନ 
 ଜଙ୍ଗଲ ସୃଷ୍ଟିରେ ପ୍ରକୃତି ହସିବ 
        ପରିପୂର୍ଣ୍ଣେ ଅମ୍ଳଜାନ 
            - ସନ୍ତୋଷ ପଟ୍ଟନାୟକ

ହଳାହଳ ସଦା କରୁଥାଏ ପାନ 
      ବାଣ୍ଟଇ ଅମୃତ ଧାରା
ସଭିଙ୍କୁ ଆଶ୍ରୟ ଦିଅଇ ଖୁସିରେ 
      ଟାଳି ଦିଏ ଝାଞ୍ଜି ଖରା 
ଅମ୍ଳଜାନ ସୃଷ୍ଟି ଟାଣି ଆଣେ ବୃଷ୍ଟି 
     ମାନବ କଲ୍ୟାଣ ଚାହିଁ 
ପ୍ରଭୁଙ୍କ ସୃଷ୍ଟିର ଅମୂଲ୍ୟ ସମ୍ପଦ 
      ଜଙ୍ଗଲ ନାମ ବୋଲାଇ 
                  - ଟୁକୁନା ସାହୁ

ପ୍ରକୃତି ରାଣୀର ସୈନ୍ଦର୍ଯ୍ଯ ଅଟୁ ତୁ
          ପର୍ବତ ନାମକୁ ବହି
ଯେବେ ଠାରୁ ସୃଷ୍ଟି ଏ ଜୀବ ଜଗତ
     ଅଛୁ ତୁ ସେବେଠୁ ରହି
ସବୁଜ ବର୍ଣ୍ଣରେ ସଜାଇ ନିଜକୁ
        ଅଛୁ ଖରା ବର୍ଷା ଖାଇ
ନାନା ପଶୁ-ପକ୍ଷୀକୁ ଦେଉତୁ ଆଶ୍ରୟ
        ଜଙ୍ଗଲ ନାମକୁ ବହି
                  ‐ ଜଗବନ୍ଧୁ ସାହୁ

ଜରାଶୀର୍ଣ୍ଣ ଏବେ ଜଙ୍ଗଲ ଶରୀର
         ଆମରି ମାନଙ୍କ ଯୋଗୁଁ
 ତାକୁ ନ ଆଦରି ତାକୁ ନ ସଂରକ୍ଷି
        ଆମେ ହିଁ କଷଣ ଭୋଗୁ
ଗଢିବାକୁ ହେବ ତାକୁ ଆଗଭଳି
         ସୁସ୍ଥ ପରିବେଶ ଲାଗି
 ଆସ ଗ୍ରାମବାସୀ ଆସ ଦେଶବାସୀ
         ଅଣଦେଖା ନିଦୁ ଜାଗି
ଲକ୍ଷ୍ୟ ଦିଅ ଏବେ ବୃକ୍ଷ ରୋପିବାରେ
         ପୁନଶ୍ଚ ପୃଥିବୀ ପାଇଁ
ଆଉ ଡେରିକଲେ ଜୀବଜଗତର
          ଅସ୍ତିତ୍ବ ରହିବ ନାହିଁ
                   - ରବିନ୍ଦ୍ର ସାହୁ

ନିଘଞ୍ଚ ଜଙ୍ଗଲ ପରବତ ବନ
       ସୃଷ୍ଟିର ଏ ଅନୁଦାନ
ମାନବ ସହିତ ନିବିଡ଼ ସମ୍ପର୍କ
     ଯା ପାଇଁ ତିଷ୍ଠେ ଜୀବନ
ସେହି ଶୋଭାରାଜି ଲୁପ୍ତ ପ୍ରାୟ ଆଜି
       ବଢୁଛି ଜଙ୍ଗଲ କ୍ଷୟ 
ପୁନଉଦ୍ଧାର ର ଆବଶ୍ୟକ ଆଜି
       ନ ହେଲେ ବିପର୍ଯ୍ୟୟ 
          -   ପ୍ରବୀର ମଲ୍ଲିକ୍

Thursday, October 7, 2021

🟤 ଓଡ଼ିଆ ଭାଷାର ମାଣ ଶବ୍ଦ ; ଏକ ଆଲୋଚନା 🟤

🟤 ଓଡ଼ିଆ ଭାଷାର ମାଣ ଶବ୍ଦ ; ଏକ ଆଲୋଚନା 🟤
                   ଉପସ୍ଥାପନା - ଶିଶିର ସାହୁ ମନୋଜ
 
      ଓଡ଼ିଶାରେ ଲୋକେ ଵିଶ୍ଵାସ କରନ୍ତି ଯେ #ମାଣ ଶବ୍ଦଟି ସିଂହଭୂମି ଅଞ୍ଚଳର ଶବ୍ଦ ମାଣକି (କୋହ୍ଲ ସମ୍ପ୍ରଦାୟର ଗ୍ରାମମୁଖ୍ୟ ବା ମୁଣ୍ଡା ସର୍ଦ୍ଦାରଙ୍କୁ ମାଣକି କହନ୍ତି) ରୁ ସୃଷ୍ଟି ହୋଇଅଛି । ଅର୍ଥାତ୍ ମାଣକି ଶବ୍ଦ କାଳକ୍ରମେ ମାଣ ହୋଇଅଛି । କୋହ୍ଲ ସମ୍ପ୍ରଦାୟ ମାନଙ୍କ ମଧ୍ୟରେ ପ୍ରଚଳିତ ଥିବା ଏହି ମାପ ପଦ୍ଧତି ସେମାନଙ୍କୁ ନିୟନ୍ତ୍ରିତ କରୁଥିଵା ରାଜା ମାଣଭଞ୍ଜ ତୋଷଳରେ ଲାଗୁ କରିଥିଲେ ବୋଲି ସେମାନଙ୍କ ମତ । ସେହି ରାଜାଙ୍କ ନାମ ମାନଭଞ୍ଜ ବି ହୋଇଥାଇପାରେ ଯାହାକୁ ମାଣଭଞ୍ଜ କୁହାଯାଉଛି । 

ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ମାଣ ଶବ୍ଦଟି ମା ଧାତୁରୁ ନିଷ୍ପନ୍ନ ତତ୍ସମ 'ମାନ' ଶବ୍ଦର ଓଡ଼ିଆ ରୂପ ଅଟଇ ।

ଆମ ଭାଷାରେ ମାଣ ଶବ୍ଦର ଵ୍ୟଵହାର ଵ୍ଯାପକ ।
 ପଚିଶ ଗୁଣ୍ଠ ପରିମିତ ଭୂମିକୁ ମାଣ କୁହାଯାଏ । ଏହି ମାପ ପଦ୍ଧତି ଅନୁସାରେ ୧ ବାଟି = ୨ ମାଣ, ୧ ମାଣ = ୨୫ ଗୁଣ୍ଠ, ୧ ଗୁଣ୍ଠ = ୧୬ ବିଶ୍ଵା ଅଟଇ । ଦୀର୍ଘ ୨ ପଦିକା ଓ ପ୍ରତି ୨ ପଦିକା ହେଲେ ଏକମାଣ ଭୂମି ହୁଏ, କିନ୍ତୁ ପଦିକାର ଲମ୍ବର ତାରତମ୍ଯ ଅନୁସାରେ ମାଣର ପରିମାଣର ତାରତମ୍ଯ ହୁଏ । ଉଦାହରଣ ସ୍ୱରୂପ 
 ୨୪ ଦସ୍ତିଆ ମାଣ = ଏକ ଏକର = ପ୍ରାୟ ୨୩ ବିଘା; ବିଶି ଦସ୍ତିଆ, ଚଉଦ ଦସ୍ତିଆ ଓ ବାର ଦସ୍ତିଆ ଇତ୍ୟାଦି ମାଣ ଅଛି । ବାର ଦସ୍ତି ପଦିକାର ଏକ ମାଣର‌ ପରମାଣ ହେଉଛି ୧/୪ ଏକର । ଚବିଶ ଦସ୍ତି ପଦିକାର ଲମ୍ବ = ୬ ହାତ ୧ କାଣି ଵା ୬ ହାତ ୨୨ ଆଙ୍ଗୁଳ । ମାଣର ସାଙ୍କେତିକ ଚିହ୍ନ 'ମା' ଭାବରେ ଚିହ୍ନିତ ହୋଇଥାଏ — ଯଥା—ଏକମାଣ ଜମି = ମା.୧ ।
 
ଦ୍ଵିତୀୟରେ ଏକ ଗଉଣୀର ୧୨ଭାଗର ଏକ ଭାଗ ଶସ୍ଯର ପରିମାଣ ଵିଶେଷକୁ ମଧ୍ୟ ଆମ ଭାଷାରେ ମାଣ କୁହାଯାଏ । ଶସ୍ୟ ମାପ ପଦ୍ଧତି ଅନୁସାରେ 
ଏକ ଭରଣ = କୋଡ଼ିଏ ଗଉଣୀ
ଏକ ଗଉଣୀ = ବାର ମାଣ । ଗଉଣୀର ତାରତମ୍ଯ ଅନୁସାରେ ମାଣର ତାରତମ୍ଯ ହୋଇଥାଏ । କଟକୀ ଚାରି ସେରିଆ ଗଉଣୀର ମାଣ ହେଉଛି ୧/୩ ସେର । ଛଅ ସେରିଆ ଗଉଣୀର ମାଣ ୧/୨ ସେର । ତିନି ସେରିଆ ଗଉଣୀର ମାଣ = ୧/୪ ସେର ଇତ୍ୟାଦି  ।

ଯେଉଁ ମାପପାତ୍ରରେ ମାଣେ ପରିମିତ ଶସ୍ଯାଦି ମପାଯାଏ ତାକୁ ମଧ୍ୟ ଆମ ଭାଷାରେ ମାଣ କୁହାଯାଏ ।

ଓଡ଼ିଆ ଭାଗଵତରେ ଭକ୍ତକଵି ଜଗନ୍ନାଥ ଦାସ ଏହି ଅର୍ଥରେ ମାଣ ଶବ୍ଦର ଵ୍ୟଵହାର କରି ଲେଖିଛନ୍ତି 

“ଗୋପୀ ବୋଲନ୍ତି କୃଷ୍ଣ ଶୁଣ । 
ଘର ଭିତରୁ ମାଣ ଆଣ ॥”

ସେହିପରି କେଉଟମାନଙ୍କର ଚୁଡ଼ାକୁଟା ଢିଙ୍କିମୁଣ୍ଡାରେ ଥିଵା ଗର୍ତ୍ତ ଵା ଭରାଣ୍ଡିକୁ ବି ଓଡ଼ିଆ ଭାଷାରେ ମାଣ କୁହାଯାଏ ।

ଏକ ଜାତୀୟ ସାରୁକୁ ଆମ ଭାଷାରେ ମାଣ ଓ ମାଣସାରୁ କୁହାଯାଏ ତେବେ ଏହି ମାଣ ଶବ୍ଦଟି ତତ୍ସମ ମାନକ ସହିତ ସମୋଦ୍ଧୃତ ଅଟଇ । ଓଡ଼ିଶାର ଗଡ଼ଜାତରେ ଅଧସେର ଶସ୍ୟ ପରିମାଣକୁ ଏକ ମାଣ କୁହାଯାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି । ଏତଦ୍‌ଵ୍ୟତୀତ ୧ ବିଶା କିଂଵା ୧୨ ଵା ୧୫ ତୋଳା ଓଜନ ପରିମାପକୁ ମଧ୍ୟ ମାଣ ଵା ମାଣେ କୁହାଯାଇଥାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି ।

ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ କହେ ଓଡ଼ିଆ ମାଣ ଶବ୍ଦଟି ତତ୍ସମ ମାନ ଶବ୍ଦ ସହିତ ସମୋଦ୍ଧୃତ ମାତ୍ର ଏହା ଯୁକ୍ତିଯୁକ୍ତ କି ? ତତ୍ସମ ମାନ ଶବ୍ଦକୁ ନଜାଣିଲା ଯାଏଁ ଆମେ ଏହାର ଉତ୍ତର ପାଇପାରିଵା ନାହିଁ । 

ସଂସ୍କୃତରେ ଵ୍ୟଵହାର ହେଉଥିଵା ତତ୍ସମ ମାନ ଶବ୍ଦକୁ ମା ଧାତୁରୁ ମାପ କରିଵା ଅର୍ଥରେ ନିଷ୍ପନ୍ନ କରାଯାଇଛି ।
ମାନ ଶବ୍ଦଟି ତୁଳିଵା ଵା ଓଜନ କରିଵା,ମାପିଵା, ମାପ ଅର୍ଥରେ ଵ୍ୟଵହାର ହୋଇଥାଏ ।  ଚାନ୍ଦ୍ରମାନ, ସୌରମାନ ଓ ନାକ୍ଷତ୍ରମାନ ଇଦି ଶବ୍ଦରେ ମାନ ଶବ୍ଦର ଅର୍ଥ ଯାହା ଚନ୍ଦ୍ର ସମ୍ବନ୍ଧୀୟ ,ସୂର୍ଯ୍ୟ ସମ୍ବନ୍ଧୀୟ ଓ ନକ୍ଷତ୍ର ସମ୍ବନ୍ଧୀୟ ମାପଦ୍ବାରା ସ୍ଥିର କରାଯାଏ। 

ପୁନଶ୍ଚ ପରମାଣ ସାଧନ ଵା ଯେଉଁ ପାତ୍ର, ଯନ୍ତ୍ର ଵା ଆଦର୍ଶ ଦ୍ବାରା ଓଜନ ଵା ପରିମାଣ କିଂଵା ଦୈର୍ଘ ଆଦି ସ୍ଥିର କରାଯାଏ ତାକୁ ମଧ୍ୟ ମାନ କୁହାଯାଏ । ଆମ୍ଭ ଦେଶରେ ପୂର୍ଵେ ଭିନ୍ନ ଭିନ୍ନ ଵସ୍ତୁର ପରିମାଣ ଭିନ୍ନ ଭିନ୍ନ ପ୍ରକାରେ ଓ ଭିନ୍ନ ଭିନ୍ନ ଯନ୍ତ୍ରଦ୍ବାରା ସ୍ଥିର କରାଯାଉଥିଲା ।  ଯଥା—ଭୂମିକୁ—ପଦିକା, ଶିକୁଳି, ଫିତା ଓ ହାତ ଦ୍ବାରା ମପାଯାଉଥିଲା । ଲୁଗା ଆଦିକୁ —ହାତ ଓ ଗଳ କାଠିଦ୍ବାରା ମପାଯାଉଥିଲା । ତରଳ ପଦାର୍ଥକୁ—ପାତ୍ରଦ୍ବାରା ଓ ସେର ତରାଜୁ ଓଜନଦ୍ବାରା ତଥା ଘନ ପଦାର୍ଥକୁ ପାତ୍ରଦ୍ବାରା ଓ ଓଜନଦ୍ବାରା ଏଵଂ ଶସ୍ଯାଦିକୁ ପାତ୍ରଦ୍ବାରା ଓ ସେର ତରାଜୁରେ ଓଜନ ଦ୍ବାରା ମାପ କରାଯାଉଥିଲା । ଏଥିରୁ କେତେକ ଆଜି ବି ରହିଛି । 

ସେହିପରି ମାନ ଶବ୍ଦଟି ଆଦର୍ଶ ଵା Standard କୁ ମଧ୍ୟ ବୁଝାଏ ଯାହାକୁ ମାନାଙ୍କ ବି କହିଥାନ୍ତି । ସଙ୍ଗୀତରେ ତାଳର ଵିଭାଗ ସ୍ଥାନ ଵା ତାଳର ଵିରାମକୁ ମାନ କୁହାଯାଏ । ଏହା ସମ, ଵିଷମ, ଅତୀତ ଓ ଆନାଘାତ ଭେଦରେ ଚାରି ପ୍ରକାରର ହୋଇଥାଏ ।

 ପରିମାଣ(Quantity), ସମ୍ମାନ,ପୂଜା,ମର୍ଯ୍ୟାଦା,ଇଜ୍ଜତ୍,ସୁନାମ,ପଦମର୍ଯ୍ୟାଦା,କ୍ରୋଧ,ଗର୍ଵ, ଅହଙ୍କାର, ଅଭିମାନ,ଵିଦ୍ଯାଳୟରେ ନିର୍ଦ୍ଦିଷ୍ଟ ପାଠ୍ୟକ୍ରମ ଅନୁସାରେ ରଚିତ ଭିନ୍ନ ଭିନ୍ନ ଶ୍ରେଣୀ ଵିଭାଗ,ଆତ୍ମପ୍ରତ୍ୟୟ,ସାମ୍ଯ,ସମାନତା,ପ୍ରମାଣ,ପ୍ରମାଣିକତା,ମତ,ଆକାର,ସାମର୍ଥ୍ଯ,ଶକ୍ତି,ଗ୍ରହ ଓ ମନ୍ତ୍ର 
  ଆଦି ଅନେକ ଅର୍ଥରେ ଭାରତୀୟ ଭାଷାଗୁଡି଼କରେ ତତ୍ସମ ମାନ ଶବ୍ଦର ଵ୍ୟଵହାର ଦୃଶ୍ୟ ହୋଇଥାଏ ।
 
ପ୍ରଣୟୀର ଅପରାଧ ଦର୍ଶନରେ ପ୍ରଣୟିନୀର ଗମ୍ଭୀର କୋପ ,ଅସନ୍ତୋଷ ଵା ରୁଷାକୁ ମଧ୍ୟ ମାନ କହିଥାନ୍ତି । 
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ରୁଷା ଅର୍ଥରେ ଵ୍ୟଵହାର ହେଉଥିଵା ମାନ ସମ୍ବନ୍ଧରେ କୁହାଯାଇଛି ଯେ ଆପଣାର ପ୍ରେମିକ, ପ୍ରେମିକା, ସ୍ତ୍ରୀ, ସ୍ବାମୀ ଆଦି ପ୍ରିୟ ଵ୍ୟକ୍ତିଙ୍କର  କୌଣସି ଅପରାଧ ଦର୍ଶନରେ ମନରେ ଯେଉଁ ଵିକାର ଜନ୍ମେ ତାକୁ ସାହିତ୍ଯରେ 'ମାନ' ବୋଲାଯାଏ। ଅଧିକତଃ ସ୍ତ୍ରୀମାନେ ପୁରୁଷଙ୍କଠାରେ ମାନ କରନ୍ତି। ନିଜର ପ୍ରେମିକଙ୍କୁ ଵା ସ୍ବାମୀଙ୍କୁ ଅନ୍ୟ ସ୍ତ୍ରୀଠାରେ ଆସକ୍ତ ଥିଵାର ଦେଖିଲେ ଵା ପ୍ରମାଣ ପାଇଲେ କିଂଵା ସନ୍ଦେହ କଲେ, ଆପଣାର ଅଭିଳାଷିତ ଵା ଇଚ୍ଛିତ ଵସ୍ତୁ ନ ପାଇଲେ, ଆପଣା ଇଚ୍ଛା ଅନୁସାରେ କୌଣସି କାର୍ଯ୍ୟ କରା ନ ହେଲେ ଵା ଆପଣା ପ୍ରତି ଅନାଦର ଦେଖିଲେ ସ୍ତ୍ରୀମାନେ ମାନ କରନ୍ତି ଵା  ରୁଷନ୍ତି । ସ୍ତ୍ରୀଲୋକମାନଙ୍କର ମାନ ଅଧିକାଂଶ ସମୟରେ, ମୌନ, ମୁଖଭଙ୍ଗୀ ଓ କ୍ବଚିତ୍ ଵ୍ୟଙ୍ଗ ଓ ତିରସ୍କାରଦ୍ବାରା ସୂଚିତ ହୁଏ। ଏହି ମାନ ତିନି ପ୍ରକାରର ଯଥା—ଲଘୁ, ମଧ୍ଯମ ଓ ଗୁରୁ। ଲଘୁମାନ କଳ୍ପିତ କୌରୁକାଦିଦ୍ବାରା ସହଜରେ, ମଧ୍ଯମ ମାନ ଶପଥାଦିଦ୍ବାରା କଷ୍ଟରେ ଗୁରୁମାନ ଚରଣଧାରଣ ଓ କ୍ଷମାପ୍ରାର୍ଥନାଦିଦ୍ବାରା ଆଦି କଷ୍ଟରେ ନିଵାରିତ ହୁଏ ବୋଲି ଶବ୍ଦଗୁରୁ ଶ୍ରୀ ଗୋପାଳଚନ୍ଦ୍ର ପ୍ରହରାଜ ମହାଶୟ ଉଲ୍ଲେଖ କରିଛନ୍ତି ।

ଅସ୍ତୁ,ମାନ ଶବ୍ଦର ପରିମାପ ଓ ମାପଵସ୍ତୁ ଆଦି ଅର୍ଥ ସ୍ପଷ୍ଟ କରେ ଯେ ଏହି ତତ୍ସମ ମାନ ଶବ୍ଦ ସହିତ ଓଡ଼ିଆ ମାଣ ଶବ୍ଦର ନିଶ୍ଚୟ ସମ୍ପର୍କ ରହିଛି ।

ଲୁହ

ଅଟକୁନି ଲୁହ  ବୋହି ଚାଲୁଛି ଅନବରତ ଆଖିବି ନିଜର କରି ରଖି ପାରୁନି  ଏ ଲୁହକୁ,,,, ବାସ୍ ଝରି ଯାଉଛି ଟୋପା ଟୋପା ହୋଇ! ମନର ବ୍ୟଥା  ହୃଦୟର କୋହ  ସତରେ ଭା...