Saturday, May 21, 2022

● ସାଗର ●

ସାଗର ହେ ସାଗର 
    ତୁମେ ଭାରି ସୁନ୍ଦର 
ପଚାରିବି ପ୍ରଶ୍ନ ଏକ 
    ଦେବକି ତା ଉତ୍ତର ? 
ପରବତ ଠାରୁ ବେଶୀ 
    କାହିଁ ଏତେ ଗଭୀର 
କି କାରଣେ ଲୁଣି ତୋର 
    ଜଳ ନୀଳ ରଙ୍ଗର ?
ସାଗର ହେ ସାଗର ।୧।

ଜନ୍ମ ଜନ୍ମାନ୍ତରୁ କେଉଁ 
     ଭାବ ଅଛି ତୁମର 
 କାହାପାଇଁ କାହିଁକି ବି , 
    ଉଠେ ତୋର ଜୁଆର 
କି କାରଣେ ଚିତ୍ତ ତୋର 
     ଥାଏ ସଦା ଅସ୍ତିର 
ଭିତରେ ଥାଉ ଶାନ୍ତ
     ଅଶାନ୍ତ ତୋ ବାହାର 
ସାଗର ହେ ସାଗର ।୨। 

ନଦୀ ସବୁ ଖରତର 
     ଛାଡି ଘର ତାଙ୍କର 
ତୋ ସହିତ ମିଶିବାକୁ 
     ମନ ହୁଏ ଅସ୍ତିର 
କୂଳକୁ ତୁ ଲଂଘୁ ନାହୁଁ  
     କେବେ କେଉଁ ଦିନର 
କିଏ ତୋତେ ରାଣ ଦେଲା 
      କହିବୁକି ସତର 
ସାଗର ହେ ସାଗର ।୩।

ସବୁ ଦେଶ ଭାବୁ ତୋର 
     ତୁହି ପୁଣି ତାଙ୍କର 
କାହାକୁ କରିନୁ କେବେ 
     ପର ଅବା ନିଜର 
ତୋର ଦରଶନ ପରେ 
     ଜଣାଯାଏ ମାତର 
ସାରା ପୃଥିବୀଟା ଲାଗେ 
     ଏକ ପରିବାରର 
ସାଗର ହେ ସାଗର ।୪।

କେଉଁ ଚିଜ ରଖିଅଛୁ 
     ତୋ ଗରଭ ଭିତର 
ସେ ସବୁକୁ ଦେଖିବାକୁ 
     ଭାରି ଇଚ୍ଛା ମୋହର 
ଗରବ ତୁ ସହୁ ନାହୁଁ 
     କେବେହେଲେ କାହାର 
ଗରବ ତା ଭାଙ୍ଗିଦେଉ 
     ଦେଖୁ ଯେବେ ଯାହାର 
ସାଗର ହେ ସାଗର ।୫।

ବସୁମତୀ ମାଆ ହେଲେ 
     କି ଲାଗିବୁ ଆମର 
ତୋ କୁଳ କାହିଁକି ସଦା 
     ଗଢା ଖାଲି ବାଲିର 
ଦେଖି ଶୁଣି ଲାଗେ ମୋତେ ହିଁ
      ମହାନ୍ ତୁ ସବୁର 
ସେଥିପାଇଁ ତୋ କୂଳରେ 
      ଅଛି କଳା ଠାକୁର 
ସାଗର ହେ ସାଗର ।୬।

   ✍ ଉପେନ୍ଦ୍ର କୁମାର ବସ୍ତିଆ ,ରାଉଲକେଲା 

Wednesday, May 18, 2022

॰॥ ସର୍ଵଂ ଵିଷ୍ଣୁମୟଂ ଜଗତ୍ ॥॰

॰॥ ସର୍ଵଂ ଵିଷ୍ଣୁମୟଂ ଜଗତ୍ ॥॰

ସଂସାରୀ ଲୋକଙ୍କୁ ସାଧୁସନ୍ଥମାନେ ପାଗଳ ବୋଧ ହୁଅନ୍ତି ‌ । ବହୁଵର୍ଷ ତଳେ ଉତ୍କଳ ଦେଶରେ ଜଣେ ସାଧୁ ରହୁଥିଲେ ! ସଂସାରକୁ ମାୟା ବୁଝି ତହିଁରେ ପରିଵ୍ୟାପ୍ତ ମୋହ ମାୟା ରାଗ ଦ୍ୱେଷକୁ ଜାଣି ସେ ପ୍ରାୟତଃ ମୌନ ରୁହନ୍ତି । ଏପରିକି ଯେତେବେଳେ କେହି ତାଙ୍କ ପୋଷାକ ଦେଖନ୍ତି ଏଵଂ ଵ୍ୟଙ୍ଗ୍ୟ କରନ୍ତି  କିମ୍ବା ତାଙ୍କୁ ପାଗଳ ବୋଲି ଭାବି ପଥର ମାରନ୍ତି ସେ ତିଳେ ମାତ୍ର ଵିଚଳିତ ନହୋଇ ତାହା ଦୈଵ ପରୀକ୍ଷା ମନେ କରି ନୀରଵ ରୁହନ୍ତି  । 

ଦିନକର କଥା ।  ସେହି ସାଧୁଜଣକ ଏକ ଗାଁଆ ଦେଇ ଯାଉଥାନ୍ତି ଦେଖିଲେ  ଏକ ଶ୍ଵାନ ତାଙ୍କର ପଶ୍ଚାତଗମନ କରୁଅଛି । 
ଆଗରେ ଗୋଟିଏ ବରଗଛ ଥିଲା ଯେ ସେଠାରେ କିଛି କ୍ଷଣ ଛିଡ଼ା ହେଲେ ଠିକ୍ ସେହି ସମୟରେ ପଛେ ପଛେ ଆସୁଥିଵା କୁକୁରଟି ତାଙ୍କ ପାଖରେ ପହଞ୍ଚି ଲାଙ୍ଗୁଡ଼ ହଲାଇଵାକୁ ଲାଗିଲା । 

ନିଜ ସମ୍ମୁଖରେ ଶ୍ଵାନଟିକୁ ଦେଖି ସେ ମହାତ୍ମାଙ୍କ ମନରେ କି ଭାଵ ଉତ୍ପନ୍ନ ହେଲା କେଜାଣି ସେ ପଛେ ପଛେ ଚାଲି ଆସିଥିଵା ସେହି ଶ୍ଵାନ ଉପରେ ସଵାର ହୋଇ ଭିକ୍ଷାନ୍ନରୁ ପ୍ରାପ୍ତ ଅନ୍ନ ଭକ୍ଷଣ କରିଵାକୁ ଲାଗିଲେ । 

ନିଘିନିଘିଆ ଉପରବେଳାଟାରେ
କିଛି ଲୋକ ସୂର୍ଯ୍ୟତାପରୁ ରକ୍ଷା ପାଇବା ପାଇଁ ସେଠାରେ ଵିଶ୍ରାମ ନେଉଥାନ୍ତି |
ଏହି ଦୃଶ୍ୟ ଦେଖି ସେହି ଲୋକମାନେ ପେଟ ଫଟେଇ ହସିଲେ,ହସି ହସି ଗଡି଼ଗଲେ । 

ସଂସାର ଵୈରାଗୀ ସାଧୁ ତ କାଳେ କାଳେ ରାଗ ଦ୍ଵେଷ ଚିନ୍ତାଶୂନ୍ୟ ହୋଇଥାନ୍ତି, ଏକଚାଲା ମନଭାବୁକା ସଦା ପ୍ରଫୁଲ୍ଲ ହୋଇଥାନ୍ତି ତେଣୁ ବରଗଛ ମୂଳେ ବସି ତାଙ୍କୁ ଦେଖି ହସୁଥିଵା ଲୋକଙ୍କୁ ଦେଖି ସେ ବି ହସିଦେଲେ...

ସେଠି ବସିଥିଵା ସବୁ ଲୋକ ଆଶ୍ଚର୍ଯ୍ୟ !!!

ଶେଷରେ ସାଧୁ କହିଲେ...

“ଵିଷ୍ଣ୍ଯୁପରି ସ୍ଥିତୋ ଵିଷ୍ଣୁଃ
ଵିଷ୍ଣୁ ଖାଦତି ଵିଷ୍ଣଵେ ।
କଥଂ ହସସିରେ ଵିଷ୍ଣୋ 
ସର୍ଵଂ ଵିଷ୍ଣୁମୟଂ ଜଗତ୍ ॥”

ସାଧାରଣ ଅର୍ଥ- ଵିଷ୍ଣୁଙ୍କ ଉପରେ ଵିଷ୍ଣୁ ଵସିଛନ୍ତି ( କୁକୁରରୂପୀ ଵିଷ୍ଣୁଉପରେ ଏ ମଣିଷରୂପୀ ଵିଷ୍ଣୁ ମୁଁ ଵସିଛି )। ଵିଷ୍ଣୁ ଵିଷ୍ଣୁକୁ ଖାଉଛି । ( ମଣିଷରୂପୀ ଵିଷ୍ଣୁ ମୁଁ ଖାଦ୍ୟରୂପୀ ଵିଷ୍ଣୁଙ୍କୁ ଖାଉଛି ) । ହେ ଵିଷ୍ଣୁ କାହିଁକି ହସୁଛ ? (ହେ ଵୃକ୍ଷମୂଳରେ‌ ଵସିଥିଵା ମଣିଷରୂପୀ ଵିଷ୍ଣୁ ! କାହିଁକି ହସୁଛ ? ) ତୁମେମାନେ କଅଣ୍ ଜାଣିନ ଯେ ଏ ସଂସାର (ଜଗତ୍) କେଵଳ ଵିଷ୍ଣୁମୟ ଅର୍ଥାତ୍ ସଵୁଥିରେ ଵିଷ୍ଣୁଙ୍କ ସତ୍ତା (ଆତ୍ମା) ଵିଦ୍ୟମାନ ।
       ଏହାର ସମର୍ଥିତ #ଗୀତାଶ୍ଳୋକ - ଵିଦ୍ୟା-ଵିନୟସମ୍ପନ୍ନେ ଵ୍ରାହ୍ମଣେ ଗଵି ହସ୍ତିନି , ଶୁନି ଚୈଵ ଶ୍ୱପାକେ ଚ ପଣ୍ଡିତାଃ ସମଦର୍ଶିନଃ । ଅର୍ଥାତ୍ ଜଣେ ପ୍ରକୃତଜ୍ଞାନୀ ଵା ଵ୍ରହ୍ମଜ୍ଞାନୀ ଆଵ୍ରାହ୍ମଣ ଚଣ୍ଡାଳ , ସର୍ଵପୂଜ୍ୟ  ଗୋମାତାଠାରୁ କୁକୁର ପର୍ଯ୍ୟନ୍ତ, ଵିଶାଳକାୟ ହାତୀଠାରୁ କ୍ଷୁଦ୍ରାତିକ୍ଷୁଦ୍ର ପୋତକ ପର୍ଯ୍ୟନ୍ତ ସମସ୍ତଙ୍କୁ ସମଦୃଷ୍ଟିରେ ଦେଖେ ଅର୍ଥାତ୍ ସମସ୍ତଙ୍କଠାରେ ଵ୍ରହ୍ମସତ୍ତା ଥିଵାରୁ ସମସ୍ତଙ୍କୁ ଵ୍ରହ୍ମମୟ/ଵିଷ୍ଣୁମୟ ଦେଖେ ।  ଯାହା କି ସେ ସାଧୁ କହିଛନ୍ତି ।

Monday, May 16, 2022

~: ଆହ୍ବାନ :~

~:  ଆହ୍ବାନ : ~

ଉତ୍କଳ-ଭାରତୀ-ଦେବୀ-ବିଶ୍ବରୂପା 
କଷଣ ବାସରେ ଆଜି ବି ନିମଗ୍ନା 
ସୁପ୍ତ ପୁତ୍ର ଗଣେ  ନୁହଁନ୍ତି  ଚିନ୍ତିତ 
ଦେଖି ଏଇ ଦୃଶ୍ୟ ଘୁରି ଯାଏ ମାଥ ।

କାଳର କରାଳେ ମୋଗଲ ମରାଠା 
ଲୁଟିଲେ ମାତିଲେ ହୋଇ ନିଲଠା 
ଫରାସୀ ଇଂରେଜ ହୋଇ ଏକାଠି 
ଧନ ଦଉଲତ ନେଲେ ଝପଟି  । 

ଆଣିଲା ଇଂରେଜ ସୂର୍ଯ୍ୟାସ୍ତ ଆଇନି
ଜମିଦାରୀ  ଅଣଓଡ଼ିଆ ବାହିନୀ 
ଦେଶରେ କଉଡ଼ି କଲେ ଅଚଳ 
ଦିନକେ ଓଡ଼ିଆ ହେଲା କାଙ୍ଗାଳ  ।

ଉତ୍କଳ ମୁକୁଟ ବାରବାଟୀ ଦୁର୍ଗ 
ତା ମଧ୍ୟେ ଶୋଭା ନବତଳପ୍ରାସାଦ 
ଭାଙ୍ଗି ଇଂରେଜ କଲେ ବାଟ ଘାଟ 
ଓଡ଼ିଆ ହୃଦୟେ  ବସିଲା ଛାଟ  ।

ଶତ ଶତ ବାର ଶ୍ରୀକ୍ଷେତ୍ର ଆକ୍ରମ 
ସହାୟତା କଲେ କିଛି ନରାଧମ 
ବକ୍ସି ବାଜି ବିର୍ସା ହୋଇଲେ ନିଧନ 
ସେଇକାଳୁ ସୁପ୍ତ  ଉଡ଼୍ର ସ୍ବାଭିମାନ । 

ଛାଡ଼ି ରଣନୀତି ଆପଣା ସାଧନ 
ଜାତୀୟ କର୍ମରୁ ହଟିଲା ମନ
ଖଡ୍ଗହସ୍ତେ ଶୋଭା ଝାଞ୍ଜ କୀର୍ତ୍ତନ 
ହଜିଗଲା ହୃଦୁ ମାନ-ସନମାନ  ।

ହଜାଇ ସଂସ୍କୃତି ସଂସ୍କାର ମାନ 
ମଠ-ମନ୍ଦିରେ ରଙ୍ଗଶାଳା ସ୍ଥାପନ 
ଦେଖି କୀର୍ତ୍ତି ପିତା ହୋଇ ବିମନ 
ନାନା ପରକାରେ ଖଞ୍ଜନ୍ତି କଷଣ ।

କାଞ୍ଚି ପରାଜିତେ ଜଗନ୍ନାଥ ହାତ 
ଭୁଲି ଗଲ କିବା ହେଇ ହତ ଚିତ୍ତ 
ଜାତୀୟତା ଘେନି ପୁରୁଷୋତ୍ତମ 
ହସ୍ତେ ଝାଡୁ କରି ଜଗତ ମହାନ ।

ଐର ଖାରବେଳ କୀର୍ତ୍ତି ପାରିଜାତ 
କେ ସରି ହୋଇବ ଅଛି କା ସାମର୍ଥ୍ୟ 
ସେଇ ଜାତି ଆଜି ହୋଇଛି ସୁପ୍ତ 
ଉତ୍କଳ ଭାଗ୍ୟରେ ସତେ ଦୁର୍ଭାଗ୍ୟ । 

ଉଠ ଭାତୃଗଣ ଖୋଲି ଚକ୍ଷୁ ମୁଦ 
ସଙ୍କଟେ ଭାଷା ଜନନୀକୁ ଦେଖ 
ବାତ୍ୟା ମନ୍ତ୍ର ଘେନି ପ୍ରକୃତି ମାତା
ଥରକୁ ଥର କରେ ଅଭିମନ୍ତ୍ରିତା ।

ଉଠି ଦେଖ ତବ ଅପବ୍ଯବସ୍ଥା 
ଆଶାୟୀ ଜନନୀ କରିଛି ଆସ୍ଥା 
ଜାତୀୟତା ଭାବେ ବିଚାର ଘେନ
ପ୍ରକୃତି ମାତାଙ୍କ ଏ ଯୁଦ୍ଧ ଆହ୍ବାନ ।
    ~~~~~୦~~~~
  ✍ ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ

-:ଶବ୍ଦାର୍ଥ:- 
🟤ନିମଗ୍ନା—(ନି+ମସଜ୍ ଧାତୁ = ବୁଡି଼ବା+କର୍ତ୍ତୃ. ତ+ଆ)
(କ) ବୁଡ଼ିଯାଇ ଥିବା
(ଖ)ଅନ୍ତଃପ୍ରବିଷ୍ଟା
(ଗ) ଏକାଗ୍ରଭାବରେ ନିବିଷ୍ଟ; ତନ୍ମୟ

 🟤ମାଥ—(ମଥ୍ ଧାତୁ = ମନ୍ଥନ କରିବା; ବଧ କରିବା+ଭାବ. ଅ)
 
(କ)ମନ୍ଥନ; ବିଲୋଡ଼ନ
(ଖ)ବଧ
(ଗ)ବ୍ଯଥା
(ଘ)ପଥ; ମାର୍ଗ

କିନ୍ତୁ ଏଠାରେ ଓଡ଼ିଆ ମସ୍ତକ; ମୁଣ୍ଡ; ମଥା ଅର୍ଥଜ ମାଥ ଶବ୍ଦ ଦେଶଜ ଓଡ଼ିଆ ଭାବେ ବ୍ୟବହାର ହୋଇଛି ‌ 

🟤ଛାଟ
(କ)ଚାବୁକ
(ଖ)ଛୋଟ ସରୁ ଯଷ୍ଟି
(ଗ)ଚାବୁକ ବା ଛାଟଦ୍ବାରା ପ୍ରହାର
 
🟤ଆକ୍ରମ —(ଆ+କ୍ରମ ଧାତୁ+ଭାବ. ଅ)
(କ)ନିକଟକୁ ଆସିବା
(ଖ)ଚଢ଼ାଉ କରିବା; ଅନ୍ୟ ବ୍ୟକ୍ତି ଉପରେ ବଳପୁର୍ବକ ପଡ଼ିବା ବା ଅଧିକାର କରିବା— 
(ଗ) ଅଧିକାର କରିବା
(ଘ)ନେବା; ବଳପୂର୍ବକ ନେବା
(ଙ)ବଳିବା
(ଚ)ଅତିରିକ୍ତ ବୋଝେଇ କରିବା
(ଛ)ବଳ
(ଜ)ବିକ୍ରମ
(ଝ)ଅତିକ୍ରମଣ
(ଞ)ପରାସ୍ତ କରିବା
(ଟ)ନିନ୍ଦା; ଆକ୍ରୋଶ
(ଠ)ରୋଗ ଘୋଟିବା

🟤ରଙ୍ଗଶାଳା
(କ)ନାଟ୍ୟଶାଳା
(ଖ)ନାଚଖାନା

🟤ମୁଦ
(କ)ଆନନ୍ଦ
(ଖ)ଚିଠି ଚାବି ବା ବାକ୍ସ ବନ୍ଦ କରି ତହିଁ ଉପରେ ଦିଆଯିବା ମୋହର ଛାପ
(ଖ)ମୋହର ମରା ଯାଇ ବନ୍ଦ ହୋଇ ଥିବା ଚିଠି
 (ଉ—ମୁଦ ଲଭି ମୁଦକୁ ରୋନିଲା କାନ୍ତି କରେ—ଭଞ୍ଜ)
 
(ଘ)ମୁଦ୍ରିତ କରିବା
(ଉ— ଦମୟନ୍ତୀ ନୟନ କଲା ମୁଦ—କୃଷ୍ଣସିଂହ ମହାଭାରତ. ବନପର୍ବ)

ଏଠାରେ ମୁଦ ଶବ୍ଦ ମୁଦ୍ରିତ କରିବା ବା ବନ୍ଦ ହେବା ଅର୍ଥରେ ବ୍ୟବହାର କରାଯାଇଛି ।

Friday, May 13, 2022

କଳିଙ୍ଗୋଡ଼୍ରୋତ୍କଳ ଏକ ଓ ଅଭିନ୍ନ

🟠କଟକର ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନ୍ୟ ନୃତ୍ୟ ସହିତ ସମ୍ବଲପୁରୀ ନୃତ୍ୟ ପରିଵେଷଣ ହୁଏ । 

🟠କଟକର ଶୈଳବାଳା ମହାଵିଦ୍ୟାଳୟରେ ସମ୍ବଲପୁରୀ ଵସ୍ତ୍ର ପରିଧାନ କରିଵା ଵାଧ୍ୟତାମୂଳକ ଅଟେ ।

🟠ଶ୍ରୀମନ୍ଦିରର ମାହାରୀ ନୃତ୍ୟ ଓ ପୁରୀ ରଘୁରାଜପୁରର ଗୋଟିପୁଅ ନୃତ୍ୟର ମିଶ୍ରଣରେ ସୃଷ୍ଟ ଓଡ଼ିଶୀ ନୃତ୍ୟର ଡ୍ରେସ୍ କୋଡ୍ ଭାଵେ ସମ୍ବଲପୁରୀ ଵସ୍ତ୍ର ରଖାଯାଇଛି । ସମ୍ବଲପୁରୀ ଵସ୍ତ୍ର ପରିଧାନ ପୂର୍ଵକ ଓଡ଼ିଶୀ ନୃତ୍ୟ ପରିଵେଷଣ ହୋଇଥାଏ ।

🟠ସମ୍ବଲପୁରୀ ଵସ୍ତ୍ରରେ ଯେଉଁ ଚିତ୍ର ଅଙ୍କିତ ହୁଏ ତାହା ଅଵିକଳ ପୁରୀ ପଟ୍ଟଚିତ୍ର ପରି ହୋଇଥାଏ । 

🟠ସମ୍ବଲପୁରୀ ଵସ୍ତ୍ରକୁ ଓଡ଼ିଶାର ସାଧଵମାନେ ବୋଇତରେ ଦୂର ଦୂରାନ୍ତକୁ ନେଇ ଯାଇ ଲୋକପ୍ରିୟ କରାଇଥିଲେ । ଫଳତଃ ଆଜି ଇଣ୍ଡୋନେସିଆର ଜାଭାରେ ରହୁଥିଵା ହିନ୍ଦୁମାନଙ୍କର ପାରମ୍ପରିକ ଶାଢ଼ୀ ସହିତ ସମ୍ବଲପୁରୀ ଶାଢ଼ୀର ବହୁଧା ସାମଞ୍ଜସ୍ୟ ଦୃଶ୍ୟ ହୋଇଥାଏ । 

🟠ସେହିପରି ପ୍ରତ୍ନତାତ୍ତ୍ବିକ ଦୃଷ୍ଟିରୁ ଓଡ଼ିଆ ଲିପି ପ୍ରଥମେ ପଶ୍ଚିମ ଓଡ଼ିଶାରେ ପ୍ରଚଳିତ ହୋଇଥିଲା । 

🟠ଖ୍ରୀପୂ ୪ର୍ଥ ଶତାବ୍ଦୀଠୁ ପୁରୁଣା କଳାହାଣ୍ଡିର ଗୁଡ଼ହାଣ୍ଡି ଗୁମ୍ଫାରେ ଓଡ଼ିଆ ଲିପି ରହିଛି

🟠ଖ୍ରୀଷ୍ଟାବ୍ଦ ୧୦୦୦ (ପ୍ରାୟ) ତ ସମ୍ବଲପୁର ଚର୍ଯ୍ୟାଗୀତି ବୌଦ୍ଧଦୋହାରେ ଓଡ଼ିଆ ଲିପି ରହିଛି

🟠ଖ୍ରୀଷ୍ଟାବ୍ଦ ୧୩୧୩ ବରଗଡ଼ ନୃସିଂହନାଥ ମନ୍ଦିରର ଓଡ଼ିଆ ଲିପି ଅଛି

🟠ନୂଆପଡ଼ାର ଯୋଗୀମଠ ଆଉ ମାଣିକେଶ୍ଵରୀ ମନ୍ଦିରର ପ୍ରତ୍ନଲେଖରେ ଓଡ଼ିଆ ଲିପି ଵ୍ୟଵହାର ହୋଇଛି

🟠ପଶ୍ଚିମ ଓଡ଼ିଶାର ଚୌହାନ (୧୮୦୦) ରାଜବଂଶଙ୍କ ରାଜାଦେଶ ତଥା ଭୀମଭୋଇ (୧୮୫୦ - ୧୮୯୫)ଙ୍କ ଦର୍ଶନ ଶାସ୍ତ୍ରରେ ଓଡ଼ିଆ ଲିପି ରହିଛି ।

🟠ଜାତି ଦୃଷ୍ଟିରୁ ଦେଖିଲେ ଓଡ଼ିଶାଵାସୀ ଉଡ୍ରମାନେ ଏକ ଜାତୀୟ ଅଟନ୍ତି । ଉଡ୍ରମାନଙ୍କର ପ୍ରାଚୀନ ଵାସସ୍ଥାନ ଅଵିଭକ୍ତ ସମ୍ବଲପୁର ଓ ଅଵିଭକ୍ତ କୋରାପୁଟର କେତେକ ଅଂଶରେ ଥିଲା ।

🟠ପ୍ରାଚୀନ ଉଡ୍ର ରାଜ୍ୟ ବୈତରଣୀ ଅଵଵାହିକାର କେଉଁଝର ଜିଲ୍ଲା , ବ୍ରାହ୍ମଣୀ ଅଵଵାହିକାରେ ଅନୁଗୁଳ ଜିଲ୍ଲା ଏଵଂ ମହାନଦୀ ଅଵଵାହିକାରେ ବଉଦ , ସୋନପୁର ଓ ସମ୍ବଲପୁର ପ୍ରଭୃତି ଅଞ୍ଚଳକୁ ନେଇ ଗଠିତ ହୋଇଥିଲା  । ଏ ସମସ୍ତ ଅଞ୍ଚଳ ଜନଜାତୀୟ ବହୁଳ ଥିଲା । ଵସ୍ତୁତଃ ଏହା ହିଁ ଥିଲା ସେହି ସମୟର ଓଡ୍ର ରାଜ୍ୟର ପରିସୀମା ।

ଭଞ୍ଜ ରାଜବଂଶର ଶାସକମାନେ ତନ୍ତ୍ର ସାଧନାର ପୃଷ୍ଠପୋଷକ ଥିଲେ ଏବଂ ସେମାନେ ଜଗନ୍ନାଥଙ୍କୁ ଈଷ୍ଟ ଦେବତା ରୂପେ ସମ୍ମାନ ଦେଲେ । ଏହା ଫଳରେ ଜଗନ୍ନାଥ ଓଡ୍ରର ରାଷ୍ଟ୍ର ଦେଵତାର ମାନ୍ୟତା ପାଇଲେ ଏଵଂ ତାଙ୍କର ପ୍ରସିଦ୍ଧି ଦୂର ଦୂରାନ୍ତରେ ଵ୍ୟାପିଗଲା । ତନ୍ତ୍ରଶାସ୍ତ୍ରରେ ତାଙ୍କୁ ଓଡ୍ରେଶ ନାମରେ ଅଭିହିତ କରାଗଲା ଏବଂ ଯେଉଁ ଅଞ୍ଚଳରେ ତାଙ୍କର ପୂଜା ପ୍ରଚଳିତ ଥିଲା, ତାହା ଓଡ୍ରପୀଠ ନାମରେ ପ୍ରସିଦ୍ଧି ଲାଭ କଲା । ଭାରତର ଚାରୋଟି ଶ୍ରେଷ୍ଠ ତନ୍ତ୍ର ପୀଠ ମଧ୍ୟରେ ଓଡ୍ରପୀଠ ସର୍ଵପ୍ରଥମ ଥିଲା ବୋଲି ‘କାଳିକା ପୁରାଣ’ରେ ଏହି ପ୍ରକାରେ ଉଲ୍ଲେଖ ଅଛି 

ଓଡ୍ରଖ୍ୟ ପ୍ରଥମଂ ପୀଠ ଦ୍ବିତୀୟଂ ଜାଳଶୈଳକମ୍ । 
ତୃତୀୟଂ ପୂର୍ଵପୀଠ ତୁ କାମରୂପଂ ଚତୁର୍ଥକମ୍ ।
 ଓଡ୍ରପୀଠ ପଶ୍ଚିମେତୁ ତସ୍ମୈ ବୋଡ୍ରେଶ୍ଵରୀ ଶିବାମ୍ । 
  କାତ୍ୟାୟିନୀ ଜଗନ୍ନାଥମ୍  ଓଡ୍ରେଶଂ ଚ ପ୍ରପୂଜୟେତ୍ ॥
 ଏହା ନିଶ୍ଚିତ ଯେ ପ୍ରାଚୀନ ଓଡ୍ରପୀଠ ମହାନଦୀ କୂଳରେ ପଶ୍ଚିମରେ ସମ୍ବଲପୁରଠାରୁ ପୂର୍ଵରେ ସୋନପୁର ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା । 
ସମ୍ବଲ୍ ଵା ସମଲ୍‌ ଗ୍ରାମର ଅଧ୍ୟାଷ୍ଠାତ୍ରୀ ଦେବୀ ଥିଲେ ସମଲା । ଆଧୁନିକ ସମ୍ବଲପୁର ସହର ପ୍ରଥମତଃ ସମ୍ବଲ ଵା ସମଲ ନାମରେ ଏକ ଛୋଟ ଗ୍ରାମ ଥିଲା ।

 ଷୋଡଶ ଶତକର ଶେଷ ଭାଗରେ ପାଟଣାଗଡର ଚୌହାନ ରାଜା ନରସିଂହ ଦେଵଙ୍କ ଵୈମାତୃକ ଭ୍ରାତା ବଳରାମ ଦେଵ ଏଠାରେ ରାଜଧାନୀ ପ୍ରତିଷ୍ଠା କରି ରାଜଧାନୀର ନାମ ରଖିଲେ ସମ୍ବଲପୁର ବା ସମଲପୁର) ଗ୍ରାମର ଜନଜାତୀୟ ଲୋକମାନେ ଏକ ପ୍ରସ୍ତର ଖଣ୍ଡକୁ ଦେଵୀଙ୍କର ପ୍ରତୀକ ରୂପେ ପୂଜା କରୁଥିଲେ ।
ସମଲା ଵା ସମଲାଇ ଦେଵୀ  ସାଧାରଣ ଗ୍ରାମ ଦେଵୀ ନ ଥିଲେ । ମଙ୍ଗଳା, ଶାରଳା, ବିମଳା, ବିରଜା ପ୍ରଭୃତି ଦେଵୀଙ୍କ ଭଳି ସମଲାଇଙ୍କର ମଧ୍ୟ ପ୍ରସିଦ୍ଧି ଥିଲା । ଏଥିରୁ ଦୁଇଟି ତଥ୍ୟ ଦୃଷ୍ଟିଗୋଚର ହୁଏ । ପ୍ରଥମଟି ହେଲା, ମହାନଦୀ କୂଳରେ ସମ୍ବଲ ପରଵର୍ତ୍ତୀ କାଳର ସମଲ୍ ଵା ଆଧୁନିକ ସମ୍ବଲପୁର ‘ଜ୍ଞାନସିଦ୍ଧି’ ଗ୍ରନ୍ଥାକାର ଇନ୍ଦ୍ରଭୂତିଙ୍କର ସମ୍ବଲ ରାଜ୍ୟ ଥିଲା ଏବଂ ତାହା ହିଁ ଥିଲା ଜଗନ୍ନାଥଙ୍କ ଉପାସନାର ଆଦିପୀଠ । 

ଦ୍ଵିତୀୟ ତଥ୍ୟ ହେଲା, ସମ୍ବଲ ଵା ସମଲରେ ଦେଵୀ ସମଲା ‘କାଳିକା ପୁରାଣର’ ଓଡ୍ରେଶ୍ଵରୀ ଶିଵା କାତ୍ୟାୟନୀ ଥିଲେ ଏଵଂ ସେ ହିଁ ଓଡ୍ରେଶ ଜଗନ୍ନାଥଙ୍କର ଭୈରଵୀ ଥିଲେ । 

ଆଉ ଏକ କଥା ଵିଚାରକୁ ଆସେ ଯେ ଯଯାତି ଜଗନ୍ନାଥଙ୍କର ନଵକଳେଵର ନିର୍ମାଣ କରି ତାଙ୍କର ପ୍ରତିଷ୍ଠା ପାଇଁ ସୋନପୁର ନିକଟରେ ଯେଉଁଠାରେ ମଣ୍ଡପ ନିର୍ମାଣ କଲେ ତାହା କୋଟ ସମଲାଇ ନାମରେ ପ୍ରସିଦ୍ଧ । 

ଅର୍ଥାତ୍ ଭୈରଵୀ ସମଲାଇଙ୍କ ଦୁର୍ଗରେ ଜଗନ୍ନାଥ ଅଵସ୍ଥାପିତ ହୋଇ ରହିଲେ । ସମଲାଇ ହେଲେ ସେହି ଜଗନ୍ନାଥ କ୍ଷେତ୍ରର କ୍ଷେତ୍ରାଧୀଶ୍ଵରୀ ଵା ପୀଠେଶ୍ୱରୀ । ପରଵର୍ତ୍ତୀ କାଳରେ ପୁରୁଷୋତ୍ତମ କ୍ଷେତ୍ରରେ ଯେତେବେଳେ ଜଗନ୍ନାଥଙ୍କ ମଣ୍ଡପ ନିର୍ମିତ ହେଲା, ସେହି କ୍ଷେତ୍ରର ପୀଠେଶ୍ଵରୀ ଵା କ୍ଷେତ୍ରାଧୀଶ୍ବରୀ ହେଲେ ଜଗନ୍ନାଥଙ୍କ ଭୈରଵୀ ବିମଳା । ଅଦ୍ୟାପି ବିମଳା ପୁରୀ ଜଗନ୍ନାଥଙ୍କ କ୍ଷେତ୍ରର ପୀଠେଶ୍ଵରୀ ହୋଇ ରହିଛନ୍ତି । ଏବେ ସୋନପୁର ନିକଟସ୍ଥ ପ୍ରାଚୀନ ଜଗନ୍ନାଥ କ୍ଷେତ୍ର କୋଟ ସମଲାଇ ନାମରେ ଅଭିହିତ ହୋଇ ରହିଛି । 

କିମ୍ବଦନ୍ତୀ ଅଛି ଯେ ଅନେକ ତାନ୍ତ୍ରିକା ଦେଵୀ ଦୂର ଦୂରାନ୍ତରୁ ପ୍ରତି ରାତ୍ରରେ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥାନ୍ତି । ଏହି ଦେଵୀମାନେ ହେଲେ କାକଟପୁର ମଙ୍ଗଳା, ଚିଲିକାର କାଳୀଜାଈ, ଝଙ୍କଡ଼ ଶାରଳା, କଟକଚଣ୍ଡୀ, ବରୁଣେଇ, ଚର୍ଚ୍ଚିକା, ହିଙ୍ଗୁଳା, ଭଗଵତୀ, ରଣପୁରର ମଣିନାଗ ପ୍ରଭୃତି । 

ଏହି ଦେଵୀମାନଙ୍କ ମଧ୍ୟରେ ସମ୍ବଲପୁରର ସମଲାଇଙ୍କୁ ଅନ୍ତର୍ଭୁକ୍ତ କରାଯାଏ ନାହିଁ । କାରଣ ସେ ଥିଲେ ଶ୍ରୀଜଗନ୍ନାଥଙ୍କ ଆଦ୍ୟା ଭୈରଵୀ। ଅଦ୍ୟାପି ମଧ୍ୟ ସେ ଶ୍ରୀକ୍ଷେତ୍ରରେ ବିମଳା ନାମରେ ଜଗନ୍ନାଥଙ୍କ ଭୈରଵୀ ରୂପେ ଅଧିଷ୍ଠିତ ହୋଇ ରହିଛନ୍ତି । ସମଲା ଓ ବିମଳା ଏକ ଓ ଅଭିନ୍ନ, ବିମଳା ସମଲାଇଙ୍କର ନାମାନ୍ତର ଓ ରୂପାନ୍ତର ଅଟନ୍ତି ।

ଆମମାନଙ୍କ ମଧ୍ୟରେ ସଂହତି ଯାହା କାଳ କାଳ ଧରି ରହିଆସିଛି ତାହାକୁ ଅନ୍ଧ ଭଳି କଣ ଵିରୋଧ କରିଵାକୁ ଯାଇ ଅନ୍ୟର ପରିଚୟ ଚୋରୀ କରି ନିଜକୁ ପରିଚିତ କରାଇଵା ତଥା ନିଜର ପ୍ରକୃତ ଜାତି,ଭାଷା ଓ ଲିପିକୁ ଘୃଣା କରିଵା ଉଚିତ କି ? 

ଇତିହାସକୁ ନ ପଢ଼ି ନ ଜାଣି ଵା ଜାଣି ମଧ୍ୟ ଘୃଣା ଦ୍ଵେଷ ଯୋଗୁଁ ଆଖି ବୁଜି ନିଜ ମୂଳ ପରିଚୟକୁ  ଜାଳିଦେଲେ, ଜଳିଯିଵ ପୂର୍ଵଜଙ୍କ କୀର୍ତ୍ତି  , କଳା ହେଵ ପୂର୍ଵପୁରୁଷଙ୍କ ମୁହଁ ।

🔴🔴🔴🔴🔴🔴🔴🔴
ତଥ୍ୟ— 
ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ 
ଡାକ୍ତର ନିଷ୍ଠା ରଞ୍ଜନ ଦାଶ 
ଡକ୍ଟର ଜନ୍ମେଜୟ ଚୌଧୁରୀ

ସମ୍ପାଦନା ଓ ଚିତ୍ର—
ଶିଶିର ସାହୁ ମନୋଜ 
🔴🔴🔴🔴🔴🔴🔴🔴

Sunday, May 8, 2022

~: ଦେଲୁ ମୋତେ ମହାଶିକ୍ଷା :~

~: ଦେଲୁ ମୋତେ ମହାଶିକ୍ଷା :~

ପଞ୍ଜାବ କେଶରୀ ରଣଜିତ ସିଂହ
             ଅଶ୍ବ ଝପଟାଇ ଥରେ ,
ଦଳବଳ ଘେନି ଯାଉଥିଲେ କାହିଁ
             ଜନହୀନ ପଥପରେ । 
ସହସା ଫିଙ୍ଗିଲା ଢେଲାଟିଏ କିଏ
              ସତେ ଅବା ଲକ୍ଷ କରି ,
ବୀର ରଣଜିତ କପାଳେ ବାଜିଲା
               ରୁଧିର ପଡ଼ିଲା ଝରି ।
ନ ଦିଶିଲା ତାଙ୍କୁ କେଉଁ ଦିଗେ କିଛି
                 ତ୍ବରିତେ ଲଗାମ କଷି ,
ଓହ୍ଲାଇ ପଡି ସେ ଅଶ୍ବରୁ ଅଧିରେ
                   ପଥ ପରେ ଗଲେ ବସି।
ଓହ୍ଲାଇ ପଡିଲେ ସଇନ ସାମନ୍ତ
                    ମନ୍ତ୍ରୀ ପରିଷଦ ଜନ,
ନ ସ୍ଫୁରିଲା କଥା କାହାରି ବଦନୁ
                    ସବୁରି କାତର ମନ ।
ଏକି ହେଲା ଆହା କହନ୍ତି ସକଳେ
                   କ୍ରୋଧେ ଚଉପାଶେ ଚାହିଁ,
ଗରଜିଲେ ମନ୍ତ୍ରୀ କିଏ ସେ ଦୁର୍ମତି
                     ଧରିଆଣ ତାକୁ ଯାଇ ।
ଖେଦିଗଲେ ସୈନ୍ୟ ବିଲ ବନସ୍ତରେ
               ଖୋଜିଲେ କୋପରେ ଅତି,
ତୋଟା ଗହଳରୁ ନାରୀ ଟିଏ ଧରି
               ଆଣିଲେ ରାଜନ କତି ।
ପଶି ଯାଇଛି ତା କରୋଡରେ ଆଖି
               ବୋହି ପଡେ ଅଶ୍ରୁଜଳ ,
ଫୁଙ୍କି ଦେଲେ କାହିଁ ଉଡିଯିବ ତା'ର
                 କୁଟା ଖିଅକର ବଳ ।
କେଡେ ତୋ ସାହସ କହିଲେ ସଚିବ
                ନିଆଁ ରେ କରିଲୁ ଖେଳା,
ଚିହ୍ନି ନାହୁଁ କି ତୁ ରାଜା ରଣଜିତେ
                 ମାରିଲୁ ତାହାଙ୍କୁ ଢେଲା ।
କାକୁସ୍ଥରେ ଅତି କହିଲା ନାରୀ ଟି
                  ଶୁଣ ମୋ ଗୁହାରି ଥରେ ,
ତିନିଦିନ ହେଲା ଉପାସେ ପିଲା ମୋ
                  ଗଡ଼ଇ କତରା ପରେ ।
ମାଗି ଯାଚି ବୁଲି ପାଇଲିନି କାହିଁ 
                  ଖୁଦ ମଳୁଖରୁ ପୋଷେ ,
ଆସି ଥିଲି ଧାଇଁ ଏ ଘୋର ବନସ୍ତେ
                   ଫଳମୂଳ ନେବା ଆଶେ ।
ଫିଙ୍ଗିଲି ଟେକା ମୁଁ ଫଳକୁ ଗଛରେ
                    ସିଏତ ହେଲା ମୋ କାଳ ,
ଫଳରେ ନ ବାଜି ରାଜ କପାଳରେ
                    ଲେଖିଲା ରକତ ଗାର ।
ରକତ ଗାର ଏ ନୁହଇ ମାଆଲୋ
                    ଏ'ତ ମୋ ମଥାର ଟୀକା ,
ରଣଜିତ ସିଂହ କହିଲେ ଆବେଗେ 
                    ଦେଲୁ ମୋତେ ମହାଶିକ୍ଷା ।
ଫିଟାଇଲୁ ଆଖି ବୁଝିଲି ଆଜି ମୁଁ 
                       ବୃଥା ରାଜପଣ ସିନା ,
ପ୍ରଜା ଯେବେ ମରେ ପଲ୍ଲି ପୁରେ କାହିଁ
                        ଅନ୍ନ ମୁଠିକର ବିନା ।
ଏ ଦେଶର ଶିଶୁ ଏ ଦେଶର ମାଆ
                         ଅସହାୟେ ଯେବେ ଟଳେ ,
ମୋହଠାରୁ ବଳି ଅପରାଧୀ ଆଉ
                        କେହି ଅଛି ମହିତଳେ । 
ବିସ୍ମୟେ ଅନାଇ ଭାବିଲେ ସଚୀବ
                      ଏ କିବା ବିଚାର ରୀତି ,
ଦୋଷ କରି ପ୍ରଜା ପାଏ ନାହିଁ ଦଣ୍ଡ
                        ଦୋଷୀ ହୁଏ ନରପତି ।
କ୍ଷଣ ପରେ ପୁଣି ରାଜା ରଣଜିତ
                        କହିଲେ ମନ୍ତ୍ରୀରେ ଚାହିଁ 
ଜଣାଅ ତୁରିତେ ମୋ ରାଜ୍ୟରେ ଅଛି
                       ଅନାହାରେ କିଏ କାହିଁ ।
ଅଭାବ କଷଣ ନ ଘୁଞ୍ଚିଲେ ଦେଶୁ
                        ଜନମିବେ କାହୁଁ ବୀର ,
କିଏ ତେବେ ଆଉ ଜନମ ଭୂମିର
                       ଉନ୍ନତ ରଖିବ ଶିର। 
ଦେହେ ଦେହେ ଶକ୍ତି ସଞ୍ଚାର ପାଇଁକି
                       ଧରିଛି ହାତେ ମୁଁ ଅସ୍ତ୍ର ,
ଦିଅ ଏ ନାରୀକୁ ଯେତେ ପାର ଧନ 
                       ଯେତେ ପାର ଅନ୍ନ ବସ୍ତ୍ର ।

Monday, May 2, 2022

#ସ୍ୱାଭିମାନୀ_ପାଇଁ_ଅଭିମାନୀ_କିଏ ?

#ସ୍ୱାଭିମାନୀ_ପାଇଁ_ଅଭିମାନୀ_କିଏ ?
ଲେଖକ— ©ବିଷ୍ଣୁମୋହନ ଅଧିକାରୀ (ଗଜପତି)

କଥା ରେ ଅଛି ,
“ଜୀବନେ ନ ଦେଲୁ ତୁଣ୍ଡେ
ମଲେ ଦେବୁ ଗାଁ ମୁଣ୍ଡେ।”

ଓଡ଼ିଶା ରେ ଆଜି ଉତ୍କଳ ଗୌରବ, କୂଳବୃଦ୍ଧ, ଶତାବ୍ଦୀ ସୂର୍ଯ୍ୟ ବୋଲି ମଧୁବାବୁ ଙ୍କୁ ସମସ୍ତେ ଜାଣନ୍ତି।

ସେଥିଲେ ସବୁଥିରେ ପ୍ରଥମ ଓଡ଼ିଆ- ଓଡ଼ିଶାର ପ୍ରଥମ ଗ୍ରଜୁଏଟ୍, ପୋଷ୍ଟଗ୍ରାଜୁଏଟ, Advocate, ମନ୍ତ୍ରୀ, ଶିଳ୍ପପତି, ଏବଂ ଓଡ଼ିଶା ର ପ୍ରଥମ ବିଦେଶ ଯାତ୍ରୀ। ଇତ୍ୟାଦି ଇତ୍ୟାଦି।
ହେଲେ ଏତେ ସବୁ ହେଇ ବି କେଉଁ ତତ୍କାଳୀନ ଓଡ଼ିଶା ବୋଲାଉଥିବା ଅଞ୍ଚଳର ଲୋକେ ମଧୁବାବୁଙ୍କ ଦୁର୍ଦ୍ଦିନରେ ତାଙ୍କ ପିଠିରେ ପଡିନଥିଲେ।
ଆଜ୍ଞା ହଁ ସତ୍ୟ କଟୁ ହେଇପାରେ , କିନ୍ତୁ ଏ ସବୁ ଲୋକ ଲୋଚନ କୁ ଆଣିବାକୁ ପଡିବ ଚିନ୍ତାକଲି।
ଆଜି ଯେଉଁ ବଡ଼ବଡ଼ିଆ ଓଡ଼ିଆ ଅମୁକ ଦିନ ସମୁକ ଦିବସ ରେ ଫୁଲମାଳ ପାଉଛନ୍ତି। ସେଇମାନେ ଦିନେ
ଏ ଜାତି ର ସର୍ବଶ୍ରେଷ୍ଠ ପୁରୁଷଙ୍କ ଚରିତ୍ର ସଂହାର କରିଥିଲେ।
ନିମ୍ନ ଚିତ୍ର ରେ ଦେଖନ୍ତୁ ମଧୁବାବୁ ଙ୍କୁ ତତ୍କାଳୀନ ବଡ଼ବଡ଼ିଆ ବସିବାକୁ ସିଟ ଖଣ୍ଡେ ଦେଉନଥିଲେ।
ଏପରିକି ମଧୁବାବୁ ଯେବେ କଲିକତା ରେ ପାଠ ପଢି,ଖିରସ୍ତାନୀ ଯୁବତୀଙ୍କୁ ବିବାହ କରିଥିଲେ, ସେତେବେଳେ ଓଡ଼ିଶାର ଉତ୍କଳ ଦୀପିକା ପତ୍ରିକା ମଧୁବାବୁ ଙ୍କ ଚରିତ୍ର କୁ ଆକ୍ଷେପ କରି ଲେଖିଲା । କିନ୍ତୁ ସେମାନେ ଭାବି ନଥିଲେ ଯେ ଜଣେ ସାଧାରଣ ଓଡ଼ିଆ କୁ ଉଚ୍ଚ ସ୍ତର କୁ ଯିବାକୁ କି କି କଷଣ କୁ ସହିବାକୁ ହେଉଥିଲା।
ଛାଡ଼ନ୍ତୁ,
ଏମିତି କି ଥରେ କିଛି ନିନ୍ଦୁକ ମଧୁବାବୁ ବଞ୍ଚିଥିବା ବେଳେ ତାଙ୍କ ମୃତ୍ୟୁ ହୋଇଗଲା ବୋଲି ମିଛ ଖବର ପ୍ରଚାରିତ କରିଥିଲେ।ଆଉଥରେ ଓଡିଶା ଉପକୂଳ ଅଞ୍ଚଳର କିଛି ଯୁବନେତା ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ନିତ୍ୟାନନ୍ଦ କାନୁନଗୋ ପ୍ରମୁଖ ମଧୁବାବୁଙ୍କ ଫଟୋକୁ କୋକେଇରେ ଶୁଆଇ ପୋଡିବାକୁ ମଶାଣିକୁ‌ ନେଇଥିଲେ।

୧୯୨୭ ମାର୍ଚ୍ଚ ୨୧ ତାରିଖରେ ମଧୁବାବୁ ନିଜର ଦେବାଳିଆ ଆବେଦନ ଦାଖଲ କରିଥିଲେ।
ଆଉ ସେତେବେଳେ ର ତୁଙ୍ଗ ନେତାମାନେ କଣ ବଞ୍ଚି ନଥିଲେ ? ଥରେ ଭାବନ୍ତୁ, ଅଶୀବର୍ଷର କୁଳବୃଦ୍ଧ ମଧୁସୂଦନ ଙ୍କୁ ଆସନ ଟିଏ ଯାଚି ନଥିବା ଲୋକ ସତରେ କଣ ସ୍ୱାଭିମାନୀ? ନା ଏକା ମଧୁବାବୁ
ମଧୁବାବୁଙ୍କ ମୃତ୍ୟୁ ପରେ ଓଡ଼ିଆମାନେ ତାଙ୍କୁ ‌ସତେ ଯେମିତି ମହାନ୍ କରିଦେଲେ ?
ନୁହେଁ କି ?
ଯାହା ଗଲା ଗଲା । କିନ୍ତୁ ମଧୁବାବୁ ଏ ବିପଦ ରୁ କିପରି ବର୍ତିଲେ ଜାଣିବା ଚାଲନ୍ତୁ –
ସେତେବେଳେ ପାରଳାଖେମୁଣ୍ଡି ଥିଲା ଥିଲା ଉତ୍କଳ ର ପୁଣ୍ୟ ପୀଠ। ଯାହାକୁ ବ୍ୟାସକବି ଦଣ୍ଡବତ କରି କହିଲେ-
” ଓଡିଶା ଦକ୍ଷିଣ ସୀମା ପାରଳାଖେମଡ଼ି
ଧନ-ମାନେ କିଏ ଅଛି ତାଙ୍କୁ ବେଢ଼ି ?”
ଏହି ପୀଠ ରେ ଚର୍ଚ୍ଚା ପଡ଼ିଲା ,ମଧୁ ବାବୁ ଙ୍କର ଏ କି ଅବସ୍ଥା ?
ସେ ଦିନ ପାରଳା ମହାରାଜା ଙ୍କ ଦେବାନ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ( ବିଜୁ ବାବୁଙ୍କ ବାପା,ନବୀନବାବୁ ଙ୍କ ଜେଜେବାପା) ଡେଲାଙ୍ଗ ରୁ ଆସି ଗଜପତି ନଅର ରେ ଏ କଥା ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁ ଙ୍କୁ କହିଲେ –
ମିଷ୍ଟର ଦାସଙ୍କ ଟେନେରୀ କଲିକତା ରେ ନିଲାମ ହେବ। ଟଙ୍କା ଆଣି ବେଙ୍କ ରୁ ସେ ଆଉ ସୁଝି ପାରି ନାହାନ୍ତି। ସେତେବେଳେ ପାରଳା ରାଜବାଟୀ ଥିଲା ଉତ୍କଳ ପ୍ରଦେଶ ଗଠନ ର ଏକ ପ୍ରମୁଖ ପେଣ୍ଠ। ସବୁଦିନ ଦରବାର କୁ ତୁଙ୍ଗ ନେତାମାନେ ଆସି ପ୍ରଦେଶ ଗଠନ ଚର୍ଚ୍ଚା କରୁଥାଆନ୍ତି, ଏବଂ ଦରବାର ବସିଲା ବେଳେ ମହାରାଜା ଙ୍କୁ ଭଲ ମନ୍ଦ ସମାଚାର ଜଣାନ୍ତି।
ସେହି ବୈଠକ ରେ ଯୋଗ ଦେବାକୁ ଯୁଗୋଳ କିଶୋର ପାଣିଗ୍ରାହୀ, ଶ୍ୟାମସୁନ୍ଦର ଗନ୍ତାୟତ ଏବଂ ସତ୍ୟନାରାୟଣ ରାଜଗୁରୁ ଆସନ୍ତି। ପ୍ରଥମେ ପତ୍ରପତ୍ରିକା ର କଥା ଆଲୋଚନା ହୁଏ। ପରେ ମହାରାଜା ବିଜେ ହେଲେ ଭଲ ମନ୍ଦ କୁହାହୁଏ।

ମହାରାଜା ବସିଥାନ୍ତି
ଏହି ସମୟ ରେ ରାଜଗୁରୁ ପାଣିଗ୍ରାହୀ ଙ୍କୁ କହିଲେ ମାଷ୍ଟ୍ରେ ପଟନାୟକେ କହୁଥିଲେ ମିଷ୍ଟର ଦାସ ଙ୍କ ଟେନେରୀ ନିଲାମ ହେବ। ଋଣ ମୁକ୍ତ ହେବା ପାଇଁ କେହି ଆଗ୍ରହ ଦେଖାଉ ନାହାନ୍ତି। ଏହା ମହାରାଜା କାନ ରେ ପଡିବା କ୍ଷଣି ସେ ପଢ଼ୁଥିବା ଖବର କାଗଜ ଟେବୁଲ ଉପରେ ରଖି ପଚାରିଲେ ମିଷ୍ଟର ଦାସ ଙ୍କ ଟେନେରୀ କାହିଁକି କିପରି ନିଲାମ ହେଉଛି? ଏବଂ ସବିଶେଷ ଜାଣିବାକୁ ପାଇଲେ।
ମହାରାଜା କହିଲେ-
” ତାଙ୍କ ଋଣ ପରିଶୋଧ ପାଇଁ ଆମେ ଟଙ୍କା ଦେଇଦେଲେ ହେବ।” ରାଜଗୁରୁ କହିଲେ – ମହାରାଜା ମୁଁ ଶୁଣିଛି ସେ ଭାରି ସ୍ୱାଭିମାନୀ, ମହାରାଜାଙ୍କ ଦାନ ସେ ଗ୍ରହଣ କରିବେ କି ନାହିଁ ? କହି ହେବନି।
ମହାରାଜା ଦୀର୍ଘ ନିଶ୍ଵାସ ତ୍ୟାଗକଲେ , କିଛି ଗୋଟାଏ ଚିନ୍ତା କରି ବୈଠକ ରୁ ମେଲାଣି ନେଲେ। ପର ଦିନ ମହାରାଜା ଦେବାନ ଙ୍କୁ ଡାକି କହିଲେ
ମିଷ୍ଟର ଦାସଙ୍କୁ ଟେଲିଗ୍ରାମ କରିଦେବ। କହିବ -ପାରଳା ମହାରାଜା ଙ୍କ ଗୋଟିଏ କେସ ପାଟନା ହାଇକୋର୍ଟରେ କରିବାକୁ ହେବ, ଟେଲିଗ୍ରାମ ପାଇ ମହାରାଜାଙ୍କ ସଙ୍ଗେ କଥାବାର୍ତ୍ତା କରିବେ।
ମହାରାଜା ଙ୍କ ଗୁଣ ଗାରିମା ଆଗରୁ ମଧୁବାବୁ ଙ୍କୁ ଦଶମ ଅଧିବେଶନ ଠାରୁ ଅବଗତ ଥାଏ। ଏଣୁ ଟେଲିଗ୍ରାମ ପାଉ ପାଉ ମଧୁବାବୁ ଆସି ପହଁଚିଲେ ପାରଳା ରେ।
ଏତିକି ଭିତରେ ପେଲେସ ର କର୍ମଚାରୀ ଜଣେ ରାଜଗୁରୁ ଙ୍କ ନିକଟରେ ପହଁଚିଲା – କହିଲା ମହାରାଜା ଶୀଘ୍ର ପହଁଚିବାକୁ କହିଛନ୍ତି ନଅର କୁ। ରାଜଗୁରୁ ଯାଆଁନ୍ତେ, ମହାରାଜା କହିଲେ , ” ବାବୁ , ମିଷ୍ଟର ଦାସ ଆସିଛନ୍ତି, କଥାବାର୍ତ୍ତା କଲି। ସେ ଚାହୁଁଛନ୍ତି ଆମ ଗଙ୍ଗ ବଂଶ ର ଇତିହାସ । ଏହା ସଂପୂର୍ଣ୍ଣ କେଉଁଠି ମିଳିବ? ରାଜଗୁରୁ କହିଲେ ମହାରାଜା ବିଶେଷ ଭାବେ ଗଙ୍ଗ ଇତିହାସ ଲେଖା ହୋଇନାହିଁ ।(ସେତେବେଳେ history of gang ଲେଖା ହେଇନଥାଏ) କିନ୍ତୁ ଅନେକ ତଥ୍ୟ ଏନସାଇକ୍ଲୋପିଡ଼ିଆ ମାଡ୍ରାସ ଆଉ ଗଞ୍ଜାମ ମାନୁଆଲ ରେ ଲେଖା ଅଛି।
ଏବଂ ଏହା ପେଲେସ ଲାଇବ୍ରେରୀ ରେ ଉପଲବ୍ଧ। ମହାରାଜା କହିଲେ ସେ ଦୁଇ ଖଣ୍ଡ ବହି ଆଣି ଟେଲର ବଙ୍ଗଳା ଯାଇ ମିଷ୍ଟର ଦାସଙ୍କୁ ଦେଖାଅ।
ରାଜଗୁରୁ ଏହି ବହି ଦୁଇଖଣ୍ଡ ନେଇ ମଧୁବାବୁ ଙ୍କୁ ଦେଖାଇଲେ। ମଧୁବାବୁ କହିଲେ ଏହି ବହି ଦୁଇଟି ରଖିଲି। କିନ୍ତୁ ରାଜଗୁରୁ କହିଥିଲେ ମୋତେ ମହାର୍ଜା ଦେଖାଇବାକୁ କହିଛନ୍ତି ,ଦେବାର ଅନୁମତି ନାହିଁ। ପଚାରିକି ଦେବି। ଏହା ମହାରାଜା ଙ୍କୁ ରାଜଗୁରୁ ଜଣାଇଲେ,ସେ କହିଲେ ତାଙ୍କୁ ଯେଉଁ ଅଂଶ ଦରକାର ଆମ ଟାଇପିଷ୍ଟ କୁ କୁହାଇ ଟାଇପ କରି ଛତ୍ରପୁର ମାଜିଷ୍ଟ୍ରେଟଙ୍କ ସିଲ ଦେଇ ଦେବା। ସେତେବେଳେ ମହାରାଜା ଙ୍କ ଅନେକ ତାମିଲ ତଳିଆ କର୍ମଚାରୀ ଥାଆନ୍ତି। ସେଥିରୁ ଜଣେ ମିଣ୍ଟ କୁ ୭୦ ୱାର୍ଡ ଟାଇପ କରେ,ସେ ଦୁଇଟି ପୁସ୍ତକ ଦୁଇ ଦିନ ରେ ଟାଇପ କରିଦେଲା।

ହେଲେ ଏ ବିଷୟ କଣ ? କାହିଁକି ଏ ଇତିହାସ ର ଆବଶ୍ୟକତା? ମହାରାଜା କି କେସ କରିବାକୁ ଚାହୁଁଥିଲେ ?

ମହାରାଜା ପାଟନା ହାଇକୋର୍ଟରେ ପାରଳା ଜମିଦାରୀ କୁ ଗୋଟିଏ ଶାସନାଧୀନ ଅଞ୍ଚଳରେ ରଖିବା ପାଇଁ ଅପିଲ କଲେ। ଯାହା କି ଏକ ଅସମ୍ଭବ ବ୍ୟାପାର ଥିଲା।
କାରଣ ମହାରାଜା ଙ୍କ ଅଧା ଇଷ୍ଟେଟ ଗଞ୍ଜାମ(ମାଡ୍ରାସ ରେ ଥିଲା ବେଳେ) ଅଧା ଡେଲାଙ୍ଗ, ପୁରୀ(ବିହାର ପ୍ରେସିଡେନ୍ସି ରେ ଥିଲା)
ଏହି କେସ କଥା କହି ମଧୁବାବୁଙ୍କୁ କେସ ଖର୍ଚ୍ଚ ବାବଦରେ ଆଡ଼ଭାନ୍ସ ୧୦୦୦୦ ଟଙ୍କାର ଚେକ୍ ଟିଏ ବଢ଼ାଇଦେଲେ।ଆଉ କହିଲେ “ଆଉ ଯାହା ଖର୍ଚ୍ଚ ହେବ ପରେଦେବି।”
ହେଲେ ଏହି କେସ କେବଳ ନାମକୁ ମାତ୍ର ମହାରାଜା ଭିଆଣ କଲେ।ଏ କଥା ମହାରାଜା ସ୍ୱୟଂ ଜାଣିଥିଲେ।
ଏଥିରେ ମହାରାଜାଙ୍କ ମୁଖ୍ୟ ଉଦେଶ୍ୟ ଥିଲା ମଧୁବାବୁଙ୍କ ଟେନେରୀ ନିଲାମରୁ ମୁକ୍ତକରିବା।

ମଧୁବାବୁ ମହାରାଜାଙ୍କ ଠାରୁ ପାରିଶ୍ରମିକ ପାଇ ଟେନେରୀ ନିଲାମ ଟଙ୍କା ୪ ହଜାରରେ ସୁଝି ଋଣମୁକ୍ତ ହେଲେ। ବଳକା ଅର୍ଥରେ ତାଙ୍କ କଟକଚଣ୍ଡିରୁ ବକ୍ସି ବଜାର ଯିବା ରାସ୍ତା ରେ ଥିବା ଗୃହ ର ମରାମତି କରାଇଲେ। ଯାହା ବର୍ତ୍ତମାନ ଶୈଳବାଳା ମହିଳା କଲେଜ ନାମରେ ପରିଚିତ।

ଏ ଅବକାଶରେ ମଧୁବାବୁ ଙ୍କ ଏକ କବିତା ମନେ ପଡ଼େ-
ମା’ ,ମା’, ବୋଲି କେତେ ମୁଁ ଖୋଜିଲି
ମା’ କୁ ପାଇଲି ନାହିଁ।
ଭାଇ, ଭାଇ ବୋଲି କେତେ ମୁଁ ଡାକିଲି,
ନଦେଲେ ଉତ୍ତର କେହି।

••••••••••••••••••••••••••
ଆଲେଖ୍ୟ : ବିଷ୍ଣୁମୋହନ ଅଧିକାରୀ
ତଥ୍ୟ : ଡ଼ଃ ଅନନ୍ତ ରାମ କର, ଶ୍ରୀଯୁକ୍ତ ସୀତାକାନ୍ତ ରାଜଗୁରୁ
•••••••••••••••••••••••••

ଲୁହ

ଅଟକୁନି ଲୁହ  ବୋହି ଚାଲୁଛି ଅନବରତ ଆଖିବି ନିଜର କରି ରଖି ପାରୁନି  ଏ ଲୁହକୁ,,,, ବାସ୍ ଝରି ଯାଉଛି ଟୋପା ଟୋପା ହୋଇ! ମନର ବ୍ୟଥା  ହୃଦୟର କୋହ  ସତରେ ଭା...