Tuesday, April 26, 2022

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ -୫】❀


╔⏤⏤⏤⏤╝❀╚⏤⏤⏤⏤╗
                  ଶିବ ପୁରାଣ
                 ପ୍ରଥମ ଖଣ୍ଡ 
              【ଭାଗ -୫】   
 ╚⏤⏤⏤⏤╗❀╔⏤⏤⏤⏤╝
#ସୃଷ୍ଟି_ସର୍ଜନା_ବିବରଣୀ
✍ ଉପସ୍ଥାପନା; ଦୁଷ୍ମନ୍ତ କୁମାର ମିଶ୍ର 
⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅⋆⋄✧⋄⋆⋅⋆⋅⋆⋄✧
ନୈମିଷା ଅରଣ୍ୟ ରେ ସର୍ଵ ଋଷିଗଣ ଆନନ୍ଦରେ ଗଦ ଗଦ ହୋଇ ଧାତା ଙ୍କ ସୁତ ସନତ କୁମାର ଙ୍କୁ ଚାହିଁ କହିଲେ -ହେ ତପିବର !ତୁମେ ତିନିକୁଳ ଜ୍ଞତା ଅଟ ।ଭୂତ ,ଭବିଷ୍ୟ ନିକଟ  ସବୁ କଥା ତୁମେ ଜାଣ ।ଆପଣଙ୍କ ଠାରୁ ଗୋଟିଏ କଥା ଶୁଣିବା ନିମନ୍ତେ ସମସ୍ତେ ବହୁତ ଦିନରୁ ହୃଦୟରୁ ବିଚାର କରିଛୁ ।ହେ ବ୍ରହ୍ମା ସୁତ !ଏ ସୃଷ୍ଟି କିପରି ଆରମ୍ଭ ହେଲା ?ପୂର୍ବରୁ ଏହାର ଗତିବିଧି କେଉଁପରି ଥିଲା ? ଏସବୁ କଥା ବିସ୍ତାର କରି କୁହନ୍ତୁ? ଆପଣଂକ ମୁଖରୁ ଆମେ ଏସବୁ କଥା ଶୁଣିଲେ ନିସ୍ତାର ହେବୁ ।

     ସନତ କୁମାର ଉବାଚ 
      ============
ବ୍ରହ୍ମା ସୁତ କହିଲେ ଆହେ ଋଷିଗଣ !ମନ କର୍ଣ୍ଣ ଦେଇ ମୁଁ କହୁଥିବା କଥା କୁ ଶୁଣ ।ସୃଷ୍ଟି ପ୍ରସଙ୍ଗ କଥା ମୁଁ ବିସ୍ତାର କରି ତୁମ ଆଗରେ କହିବି । ସନତ କହିଲେ - ପୂର୍ବେ ଏ ସଂସାର  ଅନ୍ଧକାର ହୋଇ ରହିଥିଲା । ଆକାଶରେ ସୂର୍ଯ୍ୟ ଚନ୍ଦ୍ର କେହି ନଥିଲେ । ସବୁବେଳେ ରାହୁ ଚନ୍ଦ୍ର କୁ ଗ୍ରାସ କରିବା ଭଳି ସାରା ସୃଷ୍ଟି ଅନ୍ଧକାରମୟ  ହୋଇ ରହିଥିଲା । ଏହି ସମୟରେ କେବଳ ତ୍ରିଲୋଚନ  ଏକା ରହିଥାନ୍ତି ।ଆଉ ସମସ୍ତେ ପ୍ରଳୟେ ଲୋକ ହୋଇଯାଆନ୍ତି ।ଏହି ତ୍ରିଲୋଚନଙ୍କ ତେଜରେ ସୃଷ୍ଟି ଆଲୋକିତ ହୋଇ  ସୂର୍ଯ୍ୟକାନ୍ତ ମଣି ପରି ଶୋଭା ପାଏ । ହେ ଋଷିଗଣ !ଯେତେବେଳେ ପ୍ରଳୟ ହୁଏ  ଆକାଶ ଠାରୁ ପାତାଳ ପର୍ଯ୍ୟନ୍ତ ଜଳ ଲାଗିଥାଏ ।ପ୍ରଥମେ ସଂସାର ର ପାପ ଭାର ବଢ଼ିଗଲେ  ଧର୍ମ ଲୋପ ପାଏ ।ଧର୍ମ ବୋଲି ସଂସାର ରେ କିଛି ରହେନାହିଁ । ସଂସାରରୁ ଧର୍ମ ଚାଲିଗଲେ  ଧରଣୀ ଥରହର ହୁଏ ।ପାପ ଭାର ହେତୁ ଧରଣୀ ମୁଖରୁ ରୁଧିର  ଗଳେ । ବାସୁକୀ ରୁଧିର ଗରଳ ଅଟେ । ଏହି ଗରଳ  ମର୍ତ୍ତ୍ୟ ,ପାତାଳ ଦଶ ଦିଗପାଳ  ଦହନ କରେ । ତାହାରି ବିଷ ଜ୍ଜାଳାରେ  ଚାରି ଦିଗରେ ନିଧୂମ ଅଗ୍ନି ବାହାରେ। ସେହି ଅଗ୍ନି ପ୍ରଜ୍ଜ୍ଵଳିତ  ଶିଖା ଟେକି ପ୍ରଖର ଭାବେ ଜଳେ ।ଜୀବଗଣ ଏହାର ତେଜ ସହି ପାରନ୍ତି ନାହିଁ ।ଫଳରେ ଆକୁଳ ରେ ଛଟପଟ ହୋଇ ପ୍ରାଣ ହରାନ୍ତି । ସମସ୍ତେ ପ୍ରଜ୍ଜ୍ୱଳ ତେଜରେ  ନାଶ ହୁଅନ୍ତି । ଏହାପରେ ଜଳ ବର୍ଷା    ମୂଷଳ ଧାରାରେ କରାଏ । ଅଗ୍ନି ଓ ଜଳ ଭିତରେ ବିବାଦ ଲାଗେ। ଚାହୁଁ ଚାହୁଁ  ଚାରିଦିଗ  ଜଳ ଘୋଟି ଯାଏ ।ଘଡଘଡି ଚଡ଼ଚଡ଼ି ରେ  ମେଦିନୀ କମ୍ପିଉଠେ । ଘୋର ରଡି ଘାତ ରେ  ବଜ୍ର ପ୍ରହାର କରେ । ସେ ଆଘାତ ବସୁମତୀ ସହି ନ ପାରି ନିଜ ମସ୍ତକ ରୁ ଧରିତ୍ରୀ କୁ ଛାଡି ଦିଏ ।ଏହା ଫଳରେ ଭୂମିକମ୍ପ ହୁଏ।ଭୂମିକମ୍ପ ହେବାରୁ ବଡ଼ ବଡ଼ ପର୍ବତ  ପାତାଳ କୁ ଟଳି ପଡନ୍ତି । ଚାରି ଦିଗରୁ ଜଳ ରାଶି ଘୋଟି ଆସେ । ସିନ୍ଧୁ ପ୍ରବଳ ଗର୍ଜନ କରି କୁଳ ଲଙ୍ଘନ କରେ । ଏସବୁ  ରୀତି ଦେଖି ବିରାଟ ପୁରୁଷ  ଅନନ୍ତ ନାଗ ଉପରେ ଅଙ୍ଗୁଳି ସଦୃଶ  ହୋଇ କଳ୍ପବଟରେ  ସକଳ ଜୀବଜନ୍ତୁଙ୍କୁଗର୍ଭରେ ଧରି ଶୟନ କରନ୍ତି ।  ବ୍ରହ୍ମା ଆଦି ତେତିଶ କୋଟି ଦେବତା  ସେହି ବ୍ରହ୍ମ ପ୍ରଳୟ  ମଧ୍ୟରେ ଲୋପ ହୋଇ ଯାଆନ୍ତି ।ମାତ୍ର ଏକମାସ ସଦାଶିବ  ବ୍ରହ୍ମ କୁ ଲୟ କରି ରହିଥାନ୍ତି ।ତାଙ୍କ ଅଙ୍ଗରେ ପ୍ରଳୟ ଜଳ ଲାଗେ ନାହିଁ । ଚାରିଦିଗ ଘନ ଅନ୍ଧାର  ଘୋଟି ଥାଏ ।ଚନ୍ଦ୍ର ସୂର୍ଯ୍ୟ ନକ୍ଷେତ୍ର  ଉଦୟ ହୁଅନ୍ତି ନାହିଁ । ସମସ୍ତେ ପ୍ରଳୟ କାଳ କରାଳ ଗର୍ଭରେ  ଲୀନ ହୋଇ ବିରାଟ ପୁରୁଷ ଅଙ୍ଗରେ ବିଶ୍ରାମ କରନ୍ତି । ସଦାଶିବ ସେହି ବିରାଟ ପୁରୁଷ କୁ ମନରେ ସ୍ମରଣା କରି  ପ୍ରଳୟ ଜଳ ରୁ ଉବୁରି ଥାଆନ୍ତି ।

ସନତ କହିଲେ ହେ ଋଷିଗଣ !ଏହିପରି ଭାବେ ବହୁ କାଳ ବହି ଗଲା ।ଚାରିଦିଗ ରୁ ବ୍ରହ୍ମ ପ୍ରଳୟ କମିଲା ନାହିଁ ।ଏପରି ଦୁର୍ଦ୍ଦଶା ଦେଖି ଭୋଳା ମହେଶ୍ବର  ଏକାନ୍ତ ଚିତ୍ତରେ ନିରାକାର ଙ୍କୁ ଲୟ କଲେ । ଭୋଳାନାଥ ଙ୍କ ଯୋଗ ଫଳରେ  ବିରାଟ ପୁରୁଷ ଙ୍କ ହୃଦୟ ରୁ ଜ୍ଞାନ ଜାତ ହେଲା ।ବିରାଟ ପୁରୁଷଙ୍କ ନିଦ୍ରା ଭାଙ୍ଗିଗଲା ।ବିରାଟ ପୁରୁଷ ତାଙ୍କ ନିକଟ କୁ ଶିବ ଙ୍କୁ ଡକାଇଲେ ।ବିରାଟ ପୁରୁଷ ଶିଵ ଙ୍କୁ ମହାଶୂନ୍ୟବାସୀ ଶକ୍ତି ପ୍ରଦାନ କଲେ । ଶିବ ଙ୍କ ସହିତ ଶକ୍ତି ମିଳିତ ହେବାରୁ ସୃଷ୍ଟି ରଚନା କରିବାକୁ ଉଦ୍ୟତ ହେଲେ ।ଏହାପରେ ଶିବ ଜ୍ଞାନ ,ପଞ୍ଚ ମହାଭୂତ  ଉତ୍ପନ କଲେ ।ତାହାରି ଠାରୁ ପ୍ରକୃତି ଗଣ ଜାତ ହେଲେ ।ଶବ୍ଦ ,ସ୍ପର୍ଶ ,ରୂପ ,ରସ ,ଗନ୍ଧ , ପ୍ରକୃତି ଠାରୁ ଜାତ ହେବାପରେ ପ୍ରାଣ ଜାତ ହେଲା । ଆପାନ -ସମାନ-ବ୍ୟାନ -ଉଦ୍ଦାନ -ପରାଣ ଜାତ ହେଲେ ।ଏମାନଙ୍କ ମଧ୍ୟରୁ ତ୍ରିଗୁଣ ଜନ୍ମ ହେଲା ।ଏହାପରେ ସୁର ,ମୁନି ,ବନ୍ଦ୍ୟ , ବ୍ରହ୍ମା ,ବିଷ୍ଣୁ ,ମହେଶ୍ବର ଜାତ ହେଲେ ।ସତ୍ତ୍ୱଗୁଣ ଧରି ନାରାୟଣ ଉତ୍ପନ ହେଲେ । ରଜ ଗୁଣ ନେଇ  ବିଧାତା ଜନ୍ମ ନେଲେ । ଶିବ ତ ଅଦେହୀ ତେଣୁ  ସେ ଜ୍ଞାନ ଦେବା ଅର୍ଥରେ ତମ ଗୁଣ ବହିଲେ । ଜଗତର ମୂଳାଧାର ଶିବ  ଅଟନ୍ତି ।ଯୁଗ ଯୁଗ ଧରି ଅମର  ଶିବ ଅଟନ୍ତି ।ବ୍ରହ୍ମା ,ବିଷ୍ଣୁ ,ବାର ,ବାର ଜନ୍ମ ନିଅନ୍ତି ଓ ପ୍ରଳୟ ରେ ଲୀନ ହୋଇଯାଆନ୍ତି ।କିନ୍ତୁ ସଦାଶିବ  ସଦା ଯୋଗ କରି  ବ୍ରହ୍ମଜ୍ଞାନ କୁ ଲାଭକରି ମୃତ୍ୟୁ କୁ ଜୟ କରିଥାନ୍ତି । ଏକମାତ୍ର ଶିବ ହିଁ ଅମର ହୋଇ ନୂତନ ସୃଷ୍ଟି ଥର କୁ ଥର କରିଥାନ୍ତି ।ଶଙ୍କର ସବୁଠାରୁ ଶ୍ରେଷ୍ଠ ଦେବ ଅଟନ୍ତି ।ସେଥିପାଇଁ ତ ତାଙ୍କ ନାମ ମହାଦେବ ଅଟେ ।ତାଙ୍କଠାରେ ତିଳେହେଲେ ବିକାର ନଥାଏ ।ତାଙ୍କୁ ସଂସାର ର ଭକ୍ତମାନେ ନିର୍ବିକାର ବୋଲି ଭାବନ୍ତି । ଶିବ ଭଗବାନ  ଭୂତଗଣ ଙ୍କୁ ଆୟତ୍ତ କରିଥିବାରୁ ତାଙ୍କର ଅନ୍ୟ ନାମ ଭୂତନାଥ ।ଧାତୁରା ଭାଙ୍ଗି ପାନରେ  ଭୋଳ ହୋଇ ଥିବାରୁ  ସମସ୍ତେ ତାଙ୍କୁ ଭୋଳାନାଥ ଭୋଳାନାଥ  ବୋଲି ଡାକନ୍ତି । ଏହିପରି ଭାବେ ତାଙ୍କର ମହିମା ଅପାର ଅଟେ । ସଂସାର ମଧ୍ୟରେ ସେହିଁ ଏକା ମହା ବଳଶାଳୀ ଅଟନ୍ତି । ଶକ୍ତି କୁ ସେ ସର୍ବଦା ବାନ୍ଧି ରଖିଥାନ୍ତି ।ଶକ୍ତି ତାଙ୍କର ରମଣୀ ଅଟନ୍ତି ।ଅର୍ଥାତ ପାର୍ବତୀ ତାଙ୍କର ରମଣୀ ଅଟନ୍ତି ।ତିନିପୁରରେ ପାର୍ବତୀ ପରି ଦେବୀ କେହି ନାହାନ୍ତି ।ପାର୍ବତୀ ଇଛା କଲେ ନିମିଷେକ ଭିତରେ ସବୁ ଭାର ବହି ପାରନ୍ତି ।ହେଲେ ପାର୍ବତୀ ଭଗବାନ ଶିବ ଙ୍କ ନିକଟରେ ସନ୍ତୁଷ୍ଟ ହୋଇ ତାଙ୍କ ଘରଣୀ ଭାବେ କାଳେ କାଳେ ରହି ଆସିଛନ୍ତି ।ଯେତେବେଳେ ଦୁଷ୍ଟ ମାନେ ଉତ୍ପାତ ହୁଅନ୍ତି  ସେହି ସମୟରେ ଶିବ ଶକ୍ତି ପ୍ରଦାନ କରନ୍ତି । ତାଙ୍କରି ଶକ୍ତି ବଳରେ ସବୁ ଯୁଗରେ ମହୀ ରେ ଦାନବ ମାନେ ଦଳନ ହୋଇଛନ୍ତି । କେବଳ ସତ୍ୟ କୁ ଆଗୁସାର କରି  ତିନିପୁରରେ ଶିବ ଶକ୍ତି ଅଜ୍ରାମର ହୋଇ ରହିଛନ୍ତି । ବ୍ରହ୍ମାଣ୍ଡ ମଧ୍ୟରେ ଯେଉଁ ପ୍ରାଣୀ ସତ୍ୟବନ୍ତ  ତାକୁ ହିଁ ଦେବତା ମାନେ  ଅନ୍ତରରେ ଭାଜନ୍ତି । ଏହାର ଦୁଷ୍ଟାନ୍ତ  ବହୁତ ଶାସ୍ତ୍ର ରେ ଅଛି । ସନତ କୁମାର କହୁଛନ୍ତି -ହେ ଋଷିଗଣ !ଏପରି ଘଟଣା କୁ ଗୋଟି ଗୋଟି କରି କିପରି ମୁହଁରେ କହିବି ?। ସିଏ ହିଁ ସତ୍ୟ ସିଏ ହିଁ ଧର୍ମ  ଏଣୁ ମନରେ ଏସବୁ କୁ ହେତୁ କର । ଏହାର ମୂଳ ଭିତ୍ତି ହେଉଛି ଅହିଂସା । ଯେବେ ମନରୁ ହିଂସା ଭାବ ଦୂର କରିଦେବ ସବୁ ଜନ୍ମରେ ତୁମେ ନିଶ୍ଚିତ ପ୍ରିୟ ହୋଇ ରହିବ ।ଏ ସଂସାରରେ ତାହାର କେହି ଶତ୍ରୁ ବୋଲି ରହିବେ ନାହିଁ ।ଅହିଂସା ବଳରେ  ସମସ୍ତ ଙ୍କୁ ସେ ଜୟ କରିବ । ଜୀବର ପରମ ଧର୍ମ ହେଲା ଅହିଂସା ।ଏହି ପ୍ରାଣୀ ଶେଷ ଯାଏ  ଧର୍ମବନ୍ତ ବୋଲାଇ ଥାଏ ।

ଋଷି ସନତ କୁମାର କହିଲେ- ହେ ଋଷିଗଣ !ଦ୍ଵାପର ଯୁଗରେ ରାଜା ଯୁଧିଷ୍ଠିର  ଧର୍ମ ବଳରେ ଭାରତ ସମର କୁ ଜିତିଥିଲେ ।ସେଥିପାଇଁ ସେ ସ୍ୱଦେହରେ ସ୍ୱର୍ଗ ରେ ବାସ କଲେ ।ଯୁଧିଷ୍ଠିରଙ୍କ ଅଙ୍ଗକୁ ପାପ ଲାଗି ପାରିଲା ନାହିଁ । ତେଣୁ ହେ ଋଷିଗଣ !ହେ ସକଳ ଜନ ମୁଁ ସମସ୍ତଙ୍କୁ ନିବେଦନ କରୁଛି ଯେ  ସତ୍ୟ -ନ୍ୟାୟ ପଥରେ ସର୍ବଦା ଗମନ କର ।ସେହିଁ ସତ୍ୟ ସେହିଁ ଧର୍ମ ଓ ସେହିଁ ନିରଞ୍ଜନ ଅଟନ୍ତି ।ଏଥିରେ ତିଲେମାତ୍ର ଭିନାଭିନ୍ନ  ନାହିଁ । ସେହି ସତ୍ୟ ପଥକୁ ତ୍ରିଲୋଚନ ଆଶ୍ରା କରି  ଯୁଗେ ଯୁଗେ ଅମର ହୋଇ ବସିଛନ୍ତି ।ସତ୍ୟ ବାନ ପ୍ରାଣୀ ପାଖକୁ ମୃତ୍ୟୁ ଆସେନାହିଁ ।ତାକୁ ଜଳ ,ଅନଳ ଓ ପବନ କାଟେ ନାହିଁ । 

କଳି ଯୁଗରେ ଘରେ ଘରେ ,ପୁରେ ପୁରେ  ପାପ ଘୋଟି ଯାଇ  ଲୋକମାନଙ୍କୁ ନର୍କରେ ପକାଏ । ଏଣୁ ମୋର ଛୋଟ ଉପଦେଶ ମାନିବା ହୁଅନ୍ତୁ ଜ୍ଞାନୀଜନ ।ସବୁ ନର  ସତ୍ୟ ଶିବ ଙ୍କ ଆଶ୍ରିତ ହୁଅ ।ସେହି ଶଙ୍କର ଭଗବାନ ସବୁ ସଦ୍ ବୁଦ୍ଧି ସଦ୍ ଜ୍ଞାନ ବତାଇ ଦେଇ ଲୋଭ ,ମୋହ କାମ କ୍ରୋଧ  ହଟାଇ ଆଣିବେ ।ଶଙ୍କର ଭଗବାନ ତୁମର ସବୁବେଳେ ମଙ୍ଗଳ କରିବେ ।ତାଙ୍କୁ ହିଁ ସଂସାରର ସବୁ ଜନ ମଙ୍ଗଳମୟ ବୋଲି କହିଥାନ୍ତି । ଯେଉଁ ନର ସଦାଶିବ ଙ୍କୁ  କାର୍ଯ୍ୟ ରେ ବରଣ ନ କରେ ତେବେ ତାହା ଶୁଭକାର୍ଯ୍ୟ ବୋଲି ଗଣନା ହୁଏ ନାହିଁ ।ଶିବ ପାଦ ଉଦକ ଯେଉଁ ପ୍ରାଣୀ ନପାଏ ତାହାର କାୟା ଅପବିତ୍ର ଅଟେ  ।ତାହାରି କାୟା କେବେ ବି ପବିତ୍ର ନୁହେଁ ।ସଂସାରର ମୂଳ କର୍ତ୍ତା ସେ ଶିବ ଅଟନ୍ତି ।ତାଙ୍କ ଅନୁଗ୍ରହ ରେ ଆମ୍ଭେମାନେ ଆଜି ମଣିଷ ଜନ୍ମ ପାଇଛେ । ସେହି ଦେବ ଦେବ ମହାଦେବ ଙ୍କ ପାଦତଳେ ମୋର ମନ ରହୁ  ।

କ୍ରମଶଃ.............

  •┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

Wednesday, April 20, 2022

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ -୪】❀

╔⏤⏤⏤⏤╝❀╚⏤⏤⏤⏤╗
                 ଶିବ ପୁରାଣ
                    ପ୍ରଥମ ଖଣ୍ଡ 
                  【ଭାଗ -୪】
╚⏤⏤⏤⏤╗❀╔⏤⏤⏤⏤╝

କୈଳାଶ ରେ ଥିବା ଅନୁଚର କୁ ମହାମାୟା ରାଗିଯାଇ ଅଭିଶାପ ଦେଇ ଦେଲେ ।ଅଭିଶାପ ଏହା ଥିଲାଯେ ରେ ଭୃତ୍ୟ ତୁ ଦେବ ଦେବଙ୍କୁ କାମୁକ କହିଲୁ ଏଣୁ ତୁ ସାରା ଜୀବନ ଶୃଗାଳ ହୋଇଯାଅ ।ଅନୁଚର ଟି ମାତା ଙ୍କ ଅଭିଶାପ ଶୁଣି ଭୟରେ ଥରହର ହୋଇ ତାଙ୍କ ପାଦତଳେ ପଡି କ୍ଷମା ମାଗିବାକୁ ଲାଗିଲା ।ଅନୁଚର ଟି କହିଲା ହେ ମାତେ ! ମୁ ଅଜ୍ଞାନ ,ମୁଁ ପାମର ,ମୁଁ ଆପଣଂକର ଭୃତ୍ୟ ଅଟେ ।ମୋ ଅଜ୍ଞାନତା ବଶତଃ ମୁଁ ଶଙ୍କର ଭଗବାନ ଙ୍କୁ ଏକଥା କହିଦେଇଛି ମାତେ ।ଅନୁଚର ଟି ଏପରି ବହୁତ ବିକଳ ହେବାରୁ ମାତା ଯୋଗମାୟା ଅନୁଚର ଉପରେ ଦୟା ବହିଲେ ।ଏ ଅଭିଶାପ ରୁ ମୁକ୍ତି ପାଇବା ପାଇଁ ପ୍ରତିଫଳ ବତାଇ ଦେଲେ ।ମାତା ମହାମାୟା କହିଲେ -ରେ ଅନୁଚର ! ବିତସ୍ତା ଓ ବେତ୍ରବତୀ  ଦୁଇଗୋଟି ନଦୀ ଯେଉଁ ସ୍ଥାନରେ ଏକାଠି ହୋଇଛନ୍ତି  ତୁ ଯଦି ସେହି ସ୍ଥାନଙ୍କୁ ଯାଇପାରୁ  ତେବେ ତୁ ଏ ପାପରୁ ନିଶ୍ଚିତ ମୁକ୍ତି ପାଇବୁ । 

ମାତା ଯୋଗମାୟା ଙ୍କ ଆଜ୍ଞା ପାଇ ଅନୁଚର  ଶୃଗାଳ ରୂପ ହୋଇ  ଦୁଇଗୋଟି ନଦୀ ଏକାଠି ହୋଇଥିବା ସ୍ଥାନରେ ଯାଇଁ ବସିଲା ।ସେହି ପୁଣ୍ୟ ତୀର୍ଥରେ ଅନେକ ବର୍ଷ ଅନାହାରରେ ଶୃଗାଳ ସମୟ କାଟିଲା। ଅନାହାର ରହିବା ଫଳରେ ଅନ୍ୟର ଶରଣ ପଶିଲା ଓ କିଛିଦିନ ପରେ ତାହାର ମରଣ ହେଲା । ମୃତ୍ୟୁ ପରେ ଶୃଗାଳ ଦିବ୍ୟ ବେଶ ଧରି ଦେବ ଦେବ ମହାଦେବ ଙ୍କ ନିକଟରେ ପ୍ରବେଶ ହେଲା । ରାଜା ଧରାପାଳ ଏପରି ରୀତି ଦେଖି ତାଙ୍କ ରାଜ୍ୟରେ  ଏକ ଦେଉଳ ତୋଳାଇଲେ ।ଦେଉଳ ମଧ୍ୟରେ ଏକ ଶିବ ଲିଙ୍ଗ ସ୍ଥାପନ କଲେ ।ବହୁ ଧନ ଖର୍ଚ୍ଚ କରି ଦେଉଳ କୁ ପ୍ରତିଷ୍ଠା କଲେ । ଦେଉଳ ନାମରେ ବହୁ ଜମି ବାଡ଼ି ବୃତ୍ତି ଖଞ୍ଜା କରିଦେଲେ । ବାଛି ବାଛି ଦେଉଳ ପୂଜା କରିବା ପାଇଁ ପୂଜକ ରଖାଇଲେ ।  ଦିବ୍ୟ ବେଶ ଧରି ଥିବା ଅନୁଚର ବହୁ ବିଧାନରେ ସଦାଶିବ ଙ୍କ ପୂଜା କଲା ।ପ୍ରତିଦିନ ଦେଉଳ ରେ ଅଭିଷେକ କରାଇଲା । ଶିବାଳୟ ରେ ସବୁଦିନ ଶିବ ପୁରାଣ ପଢିଲା 
ଶିବ ପୁରାଣ କୁ ମାନଯୋଗ ଦେଇ ସବୁ ନର ନାରୀ ଶୁଣିଲେ ।ଦିବ୍ୟ ବେଶ ଧାରୀ ଅନୁଚର  ପ୍ରତ୍ୟେହ ଦୁଃଖୀ ରଙ୍କି ଙ୍କୁ ମିଷ୍ଠାନଭୋଜନ ଦେଲା ।ଏମିତି କରି ବହୁତ ପୁଣ୍ୟ ଅର୍ଜନ କଲା ।କିଛିଦିନ ପରେ ଏହି ଦିବ୍ୟ ବେଶ ଧାରୀ ଅନୁଚର ର ମୃତ୍ୟୁ ହୋଇଗଲା ।ଶିବ ଙ୍କୁ ସେବିଥିବାରୁ ସେ ସ୍ୱର୍ଗପ୍ରାପ୍ତି ହେଲା ।ଯମରାଜ କହୁଛନ୍ତି -ହେ ତପିବର !ଏହି ନରପତି ହେଉଛନ୍ତି  ସିଏ ଯିଏ ଏଠାକୁ ଆସିଛନ୍ତି।ଏହାଙ୍କର ନାମ ଧରାପାଳ। ଋଷି ସନତ ଏହା ଶୁଣି ଆନନ୍ଦିତ ହେଲେ ଓ ଧନ୍ୟ ନରପତି  କହି ତାଙ୍କୁ ବହୁ ପ୍ରଶଂସା କଲେ ।

ଏହାର କିଛି ସମୟ ପରେ ଋଷି ସନତ ଦେଖିଲେ ଯମପୁରକୁ  ଆଉ ଏକ ଦିବ୍ୟ ଯାନ  ଚଢ଼ି ଅନ୍ୟ ଏକ ପୁରୁଷ ଆସି ପହଁଞ୍ଚିଲେ ।ଧର୍ମ ତାଙ୍କୁ ମଧ୍ୟ ସମ ଆଦର କଲେ । ଋଷି ସନତ ପଚାରିଲେ ହେ ଧର୍ମ !ଏ ପୁରୁଷ ପୁଣି କିଏ ? ଯମ କହିଲେ ଏ ଯେଉଁ ପୁରୁଷ ପ୍ରବର ଆସିଛନ୍ତି ତାଙ୍କର ବାସସ୍ଥାନ ଏହିଠାରେ  ଅଟେ ।ତାଙ୍କ ଚରିତ ସଂକ୍ଷେପ ରେ କହୁଛି ଶୁଣ ତପିବର । ହେ ବିଧାତାଙ୍କ ସୁତ !ପୁର୍ବେ ଏହି  ମାନବ ମର୍ତ୍ତ୍ୟରେ ବାସ କରୁଥିଲା ।ଏ ଲୋକ ଯୋଗୀ ମାନଙ୍କ ଥାଳ ରେ ଭିକ୍ଷା ଗଣ୍ଡେ ଦେଉ ନଥିଲା । ଅତି ନିଷ୍ଠୁର ,କୃପଣ ,ଏହାର ପ୍ରକୃତି ଅଟେ  ।କଡ଼ାଏ କଉଡ଼ି କାହାକୁ ଦାନ କରେ ନାହିଁ । କେବଳ ପ୍ରତିଦିନ ଶିବ ପୁରାଣ କୁ ମନ ଧ୍ୟାନ ଦେଇ ପଢେ ।ମନରେ ଆନନ୍ଦ ହୋଇ ଶିବ ଙ୍କ ଗୁଣ ଗାନ କରୁଥାଏ ।ଶିବ ,ଶିବ ବୋଲି ସବୁବେଳେ ଭଜନ କରେ ।ଶିବ ଙ୍କ ଛଡା ସେ ଅନ୍ୟ କେଉଁଠାରେ ମନ ଦିଏ ନାହିଁ।ଏ  ମହୀ ରେ ଯେତେ ଶିବ ଗ୍ରନ୍ଥ ଅଛି  ସବୁ ଗ୍ରନ୍ଥକୁ ଯତ୍ନ ସହକାରେ ପୂଜା କରେ ।ଯେଉଁ ଦିନ ପୁରାଣ ପଢିବା ଶେଷ ହୁଏ ଅର୍ଥାତ ଗ୍ରନ୍ଥ ଶେଷ ହୁଏ  ସେଦିନ ଭୋକୀ ,ଭିକାରୀ ଙ୍କୁ ଡାକି ଦିବ୍ୟ ଗ୍ରାସ ଦିଏ । ବ୍ରାହ୍ମଣ ମାନଙ୍କୁ ପୂଜାକରି ସ୍ବର୍ଣ୍ଣଦାନ ଦିଏ । ସେଥିପାଇଁ ଏ ଲୋକ ବହୁତ ପୁଣ୍ୟ ଅର୍ଜନ କରିଅଛି ।ଏହାର ମୃତ୍ୟ ପରେ ମୋ ପୁରରେ ତାହାର ବାସସ୍ଥାନ  ହେବ ବୋଲି ବିଧାତା କହିଛନ୍ତି । ଶିବ ପୁରାଣ ପଢ଼ିବାର ଏ ହେଉଛି ପୁଣ୍ୟ ଫଳ ।ଶିବ ଠାରୁ ଶ୍ରେଷ୍ଠ ଏତିନିପୁରରେ କେହି ନାହାଁନ୍ତି। ଶିବ ଭଗବାନଙ୍କୁ ଯିଏ ଅନ୍ତର ରେ ପ୍ରତ୍ୟେହ ସ୍ମରଣ କରେ ସେହିଁ ଶ୍ରେଷ୍ଠ ଫଳ ଭୋଗକର ।ମୁଁ ମଧ୍ୟ ତାହାଙ୍କୁ ନିତି ଦର୍ଶନ କରେ ।ଶିବ ଭକ୍ତ ଦର୍ଶନ ରେ ପୁଣ୍ୟ ଅର୍ଜନ କରେ । ସେହିଁ ଶିବ ସେହି  ସତ୍ୟ ସେହି ଧର୍ମ  ଅଟନ୍ତି । ଯୋଗ ବଳରେ ସେ ଯୋଗୀ ନାମ ଧାରଣ କରନ୍ତି । ଅସତ୍ୟ ହିଂସା  ଲୋଭକୁ ସେ ଛିନ୍ନ କରି ଅହିଂସା ମାର୍ଗେ ସର୍ବଦା ଗମନ କରନ୍ତି ।ନିରାକାର ,ନିର୍ବିକାର ସେହିଁ ଏକମାତ୍ର  ,ମାୟାକୁ ଆୟତ୍ତ କରି ମାୟା କୁ କାଟିଛନ୍ତି ସେହି । ହେ ମାନବ ଗଣ ତାହାଙ୍କ ଚରଣ ତଳେ ସମସ୍ତେ ଧ୍ୟାନ କର ।ସେହିଁ  ଧର୍ମ ପଛରେ ଗମନ କରନ୍ତି ।ହିଂସା ରାଗ କ୍ରୋଧ  ମୋହ ଅଙ୍ଗରୁ ଦୂର କରି  ଧନମଦେ କାମମଦେ   ଜନ ଅସ୍ଥିର ହୁଏ । ଏହିପରି ଜନ ଙ୍କୁ ଶିବ ଭଗବାନ ମହାକ୍ରୋଧ କରନ୍ତି ।କାଳେ କାଳେ ଏପରି ଜନ ନର୍କ ଗତି ଭୋଗ କରନ୍ତି । ଏ ଭଵ ସାଗର ତରି ପାର   ହେବାପାଇଁ  ସର୍ବଦା ଧର୍ମକୁ ଆଶ୍ରା କର ଓ ତୁଣ୍ଡରେ  ସତ୍ୟ କୁହ । ବ୍ରହ୍ମା ,ଇନ୍ଦ୍ର ,ଚନ୍ଦ୍ର ,ବରୁଣ ,କୁବେର , ସ୍ୱର୍ଗ ,ମର୍ତ୍ତ୍ୟ ପାତାଳ ଆଦି ତିନିପୁର  ପ୍ରଳୟ କାଳରେ ସମସ୍ତେ ଧ୍ୱଂସ ହୋଇ ଯାଆନ୍ତି ।ଏକମାତ୍ର ମୃତ୍ୟୁଞ୍ଜୟ  ପ୍ରଳୟ କୁ ଜିଣି ପାରନ୍ତି । ଏହାଙ୍କୁ ପ୍ରଳୟ ତିଳେ ହେଲେ ଛୁଇଁ ପାରେ ନାହିଁ ।କାଳେ କାଳେ ଯୁଗେ ଯୁଗେ ଶିବ ଭଗବାନ ଅମର ହୋଇ ରହିଛନ୍ତି । ତେଣୁ ହେ ସର୍ଵଜନ ସେହି ଶିବ ଭଗବାନଙ୍କୁ ଭଜନ କର ।

ଯେଉଁମାନେ ଶିବ ପୁରାଣ କୁ ସବୁଦିନ ପଠନ  କର ।  ଭାଇ ବନ୍ଧୁ ପତି ପତ୍ନୀ ଅନ୍ତିମ କାଳରେ  କେହି ଜଣେ ହେଲେ ତୁମ ସଙ୍ଗରେ ଯିବେ ନାହିଁ ।ଏକା ଧର୍ମ ସେ ସମୟରେ ତୁମର ସହାୟ ହେବ ।ଏହି ଧର୍ମ ଦିବ୍ୟ ଆଲୋକ ଜାଳି  ଆଗରେ ବାଟ ଦେଖାଇବ । ଋଷି ସନତ କହିଲେ ହେ ଋଷିଗଣ ଠିକେ ଠିକେ ଧାର୍ମାଧର୍ମ କଥା ମୁଁ ଯାହା ଜାଣି ଥିଲି କହିଦେଲି । ସନତ କୁମାର ଙ୍କ ଠାରୁ ଏକଥା ଶୁଣି ନୈମିଷା ଅରଣ୍ୟ ରେ ତାଙ୍କୁ ଘେରି ରହିଥିବା ସମସ୍ତ ଋଷି ଆନନ୍ଦିତ ହେଲେ ଓ କହିଲେ ଧନ୍ୟ ଧନ୍ୟ ତୁମେ ଧାତା ସୁତ । ଏ ଶିବ ପୁରାଣ ଗାଥା ଓ କଥା ମହାନ ଅଟେ । ହେ ସାଧୁଜନ !ଶିବ ପୁରାଣ କୁ ଶୁଣିବା ହୁଅନ୍ତୁ।

 କ୍ରମଶଃ...................

•┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

Wednesday, April 13, 2022

● ଦରଦ ●

ଅପେକ୍ଷାର ଦରଦ
◆●◆●◆●◆

ମୁଁ ଆଉ ସହି ପାରୁନି  ଏ ବିରହ ଯନ୍ତ୍ରଣା
ନାହିଁ ଆଉ ମୋର  ସାମର୍ଥ୍ୟ
ତୁମ ଅନୁପସ୍ଥିତିର ଜ୍ଵଳା ସହି ସହି
ମୁଁ ଏବେ ଅଣ ନିଶ୍ୱାସୀ ହୋଇ ସାରିଲିଣି 
ଜୀବନ ହେଲାଣି କଦର୍ଯ୍ୟ !!

ତୁମେ ମୋତେ ଭୁଲ୍ ବୁଝୁଛ
ମୁଁ ଜାଣେ ତୁମେ ଅଭିମାନିନୀ
ହେଲେ ବିଶ୍ୱାସକର ମୁଁ ଦୁଃଖିତ
ମୋ ଅତୀତର ଭୁଲ୍ ପାଇଁ
ମୁଁ ଏବେ ଅନୁତପ୍ତ !!!

ଅଜାଣନ୍ତେ ତୁମକୁ ଦେଇଛି ଦୁଃଖ, କଷ୍ଟ 
ଜାଣେ  ସେସବୁ ସହିବା ନୁହଁଇ ସହଜ 
ମାନୁଛି ତୁମକୁ କରିଛି ହୀନସ୍ଥା 
ହେଲେ ,,,
ତା' ଅନ୍ତରରୁ ନୁହେଁ, ଉପରେ ମନରେ
ବିଶ୍ୱାସ କର ମୋତେ ଏକଥା ହିଁ  ସତ

ତୁମକୁ କେବେ ଖରାପ ଭାବିହିଁ ପାରେନି
କାହିଁକି ନା ତୁମେ ମୋତେ ବହୁତ ଭଲଲାଗ
ତୁମେ ମୋଠାରୁ ଦୂରରେ ଥିଲେ ବି
ଅତି ଆପଣାର ଆଉ ନିଜର ଲାଗ
ସତରେ ଅଳ୍ପରେ ହେଲେବି ତୁମେ ମୋ ମିତ !!!

ଯଦି ତୁମେ ମୋତେ ଭାବୁଥିଲ ବନ୍ଧୁ
କର୍ତ୍ତବ୍ୟ କି ନୁହଁ ତୁମ ,
ସୁଧାରିବା ବନ୍ଧୁର ଭୁଲକୁ !!
ହୁଏତ ତୁମେ କ'ଣ କରିବ ତା' ତୁମେ ଜାଣିଥିବ
କିନ୍ତୁ ମନେ ରଖ ତୁମ ପରି ମୁଁ ନୁହେଁ,
ମୁଁ ତୁମ ଅପେକ୍ଷାରେ ସବୁ ଦରଦ ସହୁଥିବି !!!


ସୁଶୀଲ୍ କୁମାର ଭୋଇ, ଭୁବନେଶ୍ୱର-୨
୬୩୭୧୭୭୭୮୭୬

Monday, April 11, 2022

● ଆମ ଓଡ଼ିଆ ମିଠା ଛେନାପୋଡ଼ ●

#ଆମ_ଓଡ଼ିଆ_ମିଠା_ଛେନାପୋଡ଼
(ଲେଖକ — ଶ୍ରୀଦେଵ ତ୍ରିପାଠୀ )

ଆମ ଓଡ଼ିଆଙ୍କ ଖାଇବା ଇ ନିଆରା ! 
ସେ ଟଙ୍କିକିଆ ଚାଉଳର ଭାତ ହେଉ କି ୩୦୦ଟଙ୍କିଆ ବାସୁମତୀ ଚାଉଳର ଭାତ ଖାଉ, ମହାପ୍ରସାଦ ହେଉ ଅବା ରେଷ୍ଟୁରାଣ୍ଟର ଭୋଜନ ହେଉ ଓଡ଼ିଆ ଖାଇବା ଶେଷକୁ ଲୋଡ଼େ ମିଠା ଟିକିଏ ! ମିଠା ନ ଥିଲେ ଓଡ଼ିଆର ରଜାଘର ଖାନା ବେକାର ବୋଲି ଜାଣ ! ସେଥିପାଇଁ ପରା ମଧୁରେଣ ସମାପୟେତ ! 
ସେତିକି ନୁହେଁ, ନିମିତପରବ ଭୋଜି ହେଉ କି ପାର୍ଟି ହେଉ, ଅଫିସରଙ୍କୁ ଲାଞ୍ଚ ଦେବା ହେଉ, ହେଉ ଅବା ଝୁଅ ବାହାଘର ଭାର, ମିଠା ନ ହେଲେ କି ଚଳେ ! ଆମ ଠାକୁର ବି ଏଇ ମିଠାନିଶାଠୁ ଦୂରେଇପାରେନି ନିଜକୁ ! 
ଭାରତଭୂଖଣ୍ଡରେ ଭଳିକି ଭଳିକି ଭଳି ମିଠା ତିଆରି କରି ନିଜର ଖାଦ୍ୟପ୍ରିୟ ଗୁଣ ସହିତ ସୃଜନଶୀଳତାର ପରିଚୟ ଦେଇଥିବା ଏଇ ଓଡ଼ିଆ ଜାତି ଆଜି ପଡ଼ିଶା ଜାତିର ଚକ୍ଷୁଶୂଳ ! 
ନ ହେବ ବା କିପରି ?
ହୀନମନା ପଡ଼ୋଶୀ କି ବୁଝିପାରେ ଏସବୁ ମିଠା ତିଆରି ପଛରେ ଥିବା ଓଡ଼ିଆ ଜାତିର ମୌଳିକ ପ୍ରେରଣା, ନିଷ୍ଠା ଓ ସଚ୍ଚୋଟପଣିଆ ! କେତେ କେତେ ପରିପ୍ରୟୋଗରେ ଯେ ଓଡ଼ିଆ ଜାତି ପାଇପାରିଛି ଏଇ ମହାର୍ଘ ସଫଳତା ! 
ଏଇ ମିଠା କଥା ଭାବିଲେ ଆଖି ଆଗରେ ନାଚି ଉଠେ ସେଇ ଓଡ଼ିଆ ମିଠା ଜଗତର ମଉଡମଣି ଛେନାପୋଡ଼ର ଚିତ୍ର ! ଭାରତ ତଥା ବିଦେଶର ମହାନଗରୀମାନଙ୍କର ବିପଣିସ୍ଥଳରେ ସଗୌରବେ ଦୃଶ୍ୟମାନ, ମାତ୍ର ଆଜକୁ ୭୫ ବର୍ଷ ପୂର୍ବେ ଏଇ ଆମ ଓଡ଼ିଆ ମିଠା ଛେନାପୋଡ଼ ଜନ୍ମ ନେଇଥିଲା ଏକ ଗଡ଼ଜାତୀୟ ତନ୍ଦ୍ରିଳ ଗ୍ରାମ୍ୟବଜାର ସାତପାଟଣାରେ !

ସେ ଗାଁ ରେ ଥିଲା ଜଣେ ଅଧ୍ୟବସାୟୀ କିଶୋର । ପଇସା ଅଭାବରୁ ସିନା ପାଠ ପଢ଼ି ପାରିଲାନି, ହେଲେ ମନରେ ଥାଏ ଆଗକୁ ବଢ଼ିବାର ସ୍ପୃହା ! ନୂଆ କିଛି କରିବାର ମାନସିକତା ! 
ବାପାଙ୍କ ମିଠା ଦୋକାନରେ ସେ ଅନୁଧ୍ୟାନ କରେ ନିତିଦିନିଆ ଆବଶ୍ୟକତା ଅନୁଯାୟୀ ମିଠା ତିଆରି କରିବା ପରେ ମଧ୍ୟ କିଛି ଛେନା ବଳିପଡୁଛି ! ଆବଶ୍ୟକତା ଠାରୁ ଅଧିକ ଜିନିଷ ପ୍ରସ୍ତୁତ କରିଦେଇ ବାସି ଚିଜ ବିକ୍ରି କରିବାର ପ୍ରବୃତ୍ତି ବାପପୁଅ ଙ୍କର ନ ଥାଏ । ସୁଆଦିଆ ତଟକା ଜିନିଷ ପରଷିଦେଇ ଗରାଖଙ୍କ ଠାରୁ ବାହାବା ପାଇବାରେ ତୃପ୍ତି ଅନୁଭବ କରନ୍ତି ଉଭୟ । 
ମାତ୍ର ଏତେ ଗୁଡ଼ିଏ ଛେନା ହେବ କ’ଣ ! ବିରି ପିଠୋଉ ପରି ଧୋବ ଫରଫର ଛେନାଥାଳିକୁ ଚାହିଁ ଚାହିଁ କ’ଣ କରାଯାଇପାରେ ଭାବନ୍ତି ଦିହେଁ । 
ହଠାତ ଦିନେ ଅଜବ ବୁଦ୍ଧିଟିଏ ମୁଣ୍ଡରେ ଢୁକିଲା ! ବିରି ପୋଡ଼ପିଠା ପରି ଛେନାରେ ଚିନି ପକାଇ ପୋଡ଼ପିଠା କଲେ କେମିତି ହୁଅନ୍ତା ! 
ସାଙ୍ଗେ ସାଙ୍ଗେ ଛେନାରେ ଚିନି କିଛି ଚାଉଳ ଚୂନା କିଛି ମିଶାଇ ଚକଟି କଦଳୀ ପତ୍ରରେ ଗୁଡ଼ାଇ ପୋଡ଼ ପିଠା ପରି ତଳେ ଉପରେ ନିଆଁ ଦେଇ ପୋଡ଼ି ଦିଆଗଲା । ପିଠା ସିଝିଗଲା ପରେ ଥଣ୍ଡା କରି ରଖାଗଲା । 
ବାସ୍ ! ବିରି ପୋଡ଼ପିଠା ଠାରୁ ଶହେ ଗୁଣରେ ସୁଆଦିଆ ଥିଲା ଏଇ ଅଜବ ନୂଆ ପିଠାଟି ! 
ନୂଆ ଏକ ମିଠା ତିଆରିର ସଫଳତାର ପୁଲକରେ ଅଭିଭୂତ ହୋଇଗଲେ ବାପପୁଅ ! ହେଲେ ସେଦିନ କ’ଣ ସେମାନେ ଭାବିଥିଲେ ଯେ ଏଇ ପିଠାଟି ଦିନେ ମିଠା ଜଗତର ମଉଡମଣି ହୋଇଯିବ ବୋଲି ! 

ନୂଆ କିଛି କରିବାର ଲକ୍ଷ୍ୟରେ ପାରମ୍ପରିକ ଓଡ଼ିଆ ମିଠା ପ୍ରସ୍ତୁତିରେ ଅଭ୍ୟସ୍ତ ବିଦ୍ୟାଧର ସାହୁ ଓ ତାଙ୍କ ୧୭ ବର୍ଷିଆ ପୁଅ ସୁଦର୍ଶନଙ୍କ ହାତରେ ଲେଖା ହୋଇଗଲା ଓଡ଼ିଆ ମିଠା ଜଗତରେ ନୂଆ ଏକ ଫର୍ଦ ! ଆରମ୍ଭ ହେଲା ସଫଳତାର ଯାତ୍ରା ! 
ଛେନା ପୋଡ଼ପିଠା ଖାଇବା ପାଇଁ ଗ୍ରାହକମାନଙ୍କର ମଧୁମକ୍ଷିକା ପ୍ରାୟ ଭିଡ଼ ଲାଗିଲା ବିଦ୍ୟାଧରଙ୍କ ଦୋକାନରେ । ରାତି ପାହିଲେ ସେର ସେର ଛେନା ପୋଡ଼ ପିଠା ବିକ୍ରି ହେଲା, ଏବଂ ତା’ ସାଙ୍ଗକୁ ବ୍ୟାପି ଚାଲିଲା ଛେନାପୋଡ଼ର ବୈଶିଷ୍ଟ୍ୟ ଦୂରକୁ ଦୂରକୁ; ପାଟିକୁ ପାଟି, କାନକୁ କାନ ହୋଇ ତା’ର ପ୍ରଶଂସା ଓ ସୁଆଦ ସାତପାଟଣା ଗାଁରୁ ଯାଇ ନୟାଗଡ଼ ସୀମା ସରହଦ ଟପି କଟକରୁ କଲିକତା, ବ୍ରହ୍ମପୁରରୁ ବମ୍ବେ !
ସେ ମିଠା ଆଉ ସାଧାରଣ ମିଠାଟିଏ ହୋଇ ରହିଲାନି, ବରଂ ବନିଗଲା ଓଡ଼ିଆର ଭାବପ୍ରବଣତା ! 
ସଫଳତା ସହିତ ଯୋଡି ହୋଇଥାଏ ବିପଦର ଆଶଙ୍କା ! ଆମ ଓଡ଼ିଆ ମିଠା ଛେନାପୋଡ଼ ର ବଜାର ବଢିବା ଦେଖି ବ୍ୟବସାୟରେ ଯୋଡ଼ି ହୋଇଯାଇଥିଲେ ଅନେକ ଧୂର୍ତ୍ତ ଠକ ବ୍ୟବସାୟୀ ! ଏଥିପାଇଁ ସାହୁ ବାପପୁଅ ବହୁ କ୍ଷତି ସହିଛନ୍ତି ମାତ୍ର ନିଜର ନିଷ୍ଠା, ସଚ୍ଚୋଟପଣ ଓ ଗ୍ରାହକ ସନ୍ତୁଷ୍ଟିକୁ ପାଥେୟ କରି ଆଗେଇଚାଲିଲେ ! 

ସଚରାଚର ଦୁନିଆଁରେ ଏମିତି ହୁଏ ! ସାହୁ ବାପପୁଅଙ୍କର ଜୀବନଯାକର ତ୍ୟାଗ, ନିଷ୍ଠା, ଭାବପ୍ରବଣତାରେ ପରିପୁଷ୍ଟ ସେଇ ମିଠା ଆଜି ବିଶ୍ୱରେ ପରିବ୍ୟାପ୍ତ ହୋଇଥିଲେ ମଧ୍ୟ ଆଜି ଜନ୍ମମାଟିରେ ଏଇ ମିଠାସମ୍ରାଟ ଅନେକାଂଶରେ ପରାଭୂତ ! 
ଆଜି ନୟାଗଡ଼ ସମେତ ଭୁବନେଶ୍ୱରର ଅନେକ ଅଞ୍ଚଳରେ ମାନହୀନ ଛେନାପୋଡ଼ର ବହୁଳ ବିକ୍ରି ଦେଖି ବିଦ୍ୟାଧର ଓ ସୁଦର୍ଶନଙ୍କ ଆତ୍ମା କାନ୍ଦୁଥିବ ଯାହା ! 

#ଛେନାପୋଡ଼ଦିବସ 
           —ଲେଖକ—
©ଶ୍ରୀ ଦେଵ ତ୍ରିପାଠୀ
© ଅନ୍ତରଙ୍ଗ କଳିଙ୍ଗ

Sunday, April 10, 2022

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ -୩】❀

╔⏤⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
                ପ୍ରଥମ ଖଣ୍ଡ 
            【ଭାଗ -୩】 
 ╚⏤⏤⏤⏤╗❀╔⏤⏤⏤⏤╝
     ✍  ଉପସ୍ଥାପନା; ଦୁଷ୍ମନ୍ତ କୁମାର ମିଶ୍ର 
#ଧର୍ମର_ମହତ୍ୱ 
⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅⋆⋄✧⋄⋆⋅⋆
                  ସନତ କୁମାର ଉବାଚ 
                   ==============
ବ୍ରହ୍ମାଙ୍କ ସୁତ ସନତ  ଆନନ୍ଦିତ ହୋଇ ଶିବ ପୁରାଣ  ଚରିତ ଋଷିଗଣ ଙ୍କ ଆଗରେ ବଖାଣିଲେ ।ସନତ ମହର୍ଷି କହିଲେ -ହେ ସର୍ଵ ଋଷିଗଣ 
!ପ୍ରଥମେ ଧର୍ମପଥ ବିବରଣ ବିଷୟରେ କହୁଛି ଶୁଣ । ଯେଉଁ ଜନ ସତ୍ୟ ଧର୍ମ ରେ  ଚାଳିତ ହୁଏ  ତାକୁ ଯମ ଦେଖିଲେ  ଡରେ ।ସତ୍ୟ ଧର୍ମ ପାଳୁଥିବା ଲୋକ ଅନ୍ତଃ କାଳରେ ଦିବ୍ୟ ଲୋକରେ ଯାଇ ବସେ ।ହେ ଋଷିଗଣ !ସତ୍ୟ ଧର୍ମ ସବୁଠାରୁ ଶ୍ରେଷ୍ଠ ଅଟେ । ଅଧର୍ମ ଲୋକଙ୍କ ମୁଖ ଦର୍ଶନ କରି ଯଦି ଶିବାଳୟ  ଯିବେ ତେବେ ନିଶ୍ଚିତ ଭାବରେ ପାପ ଖଣ୍ଡନ ହୋଇଯିବ  ।ପାପୀ ମାନଙ୍କ ମଧ୍ୟରେ ଯିଏ ଶ୍ରେଷ୍ଠ  ସେହିଁ ମୃତ୍ୟୁ ପରେ ରୌରବ ନର୍କ ରେ ଘାଣ୍ଟି ହୁଏ । ତେଣୁ ହେ ସକଳ ଋଷିଗଣ ! ପ୍ରଥମେ ଧର୍ମାଧର୍ମ କଥା ବିଚାର କରିବା ।ତାପରେ ଶିବ ପୁରାଣ ର ଅନ୍ୟ ଚରିତ କଥା ତୁମକୁ କହିବି ।

                ଋଷିଗଣ ଙ୍କ ଉବାଚ 
                =============
ଋଷି ସନତ କୁମାରଙ୍କ ବାଣୀ ଶୁଣି  ନୈମିଷା ଅରଣ୍ୟ ରେ ରୁଣ୍ଡ ହୋଇଥିବା ସମସ୍ତ ଋଷି ଗଦ ଗଦ ହୋଇ ସନତ ଋଷି ଙ୍କୁ ପଚାରିଲେ ହେ ମହାମୁନି ! ଧର୍ମାଧର୍ମ ବିବରଣ  ଶୁଣିବାକୁ ଆମ୍ଭ ମାନରେଆଗ୍ରହ
ଆସୁଛି !କେବେ ଠାରୁ ଧର୍ମ ଉତ୍ପତ୍ତି ହେଲା ? ତାହା ବିସ୍ତାର କରି  ଆମକୁ ଆମକୁ ପ୍ରକାଶ କରନ୍ତୁ  ବ୍ରହ୍ମଯତି?।ଆପଣଙ୍କନିକଟରେ ଆମର ଏତିକି ଗୁହାରି ଅଟେ ।ହେ ଧାତାଙ୍କ କୁମାର ଦୟା କରିଣ ଏକଥା ଆମ ମାନଙ୍କୁ କୁହନ୍ତୁ ?।
                     ସନତ କୁମାର ଉବାଚ 
                     ===============
ଋଷିମାନଙ୍କର ବଚନ ଶୁଣି ସନତ କୁମାର କହିଲେ ହେ ସର୍ଵ ଋଷିଗଣ  ଧର୍ମାଧର୍ମ ର ବିଚାର ଶୁଣିବା ହୁଅନ୍ତୁ ।  ଏହା ଅତି ନିଗମ ବଚନ ଅଟେ  ।ଯାହାକୁ  ଏକମାତ୍ର ଭଗବାନ ସଦାଶିବ ହିଁ  ଭେଦ କରି ପାରିଥିଲେ ।ହେ ଋଷିଗଣ ଏକଥା ମୁଁ ମୋ ପିତାଙ୍କ ମୁଖରୁ ଶ୍ରବଣ କରିଥିଲି । ମୋ ପିତା ବ୍ରହ୍ମାଙ୍କ କଥା କୁ ମୁଁ ପରୀକ୍ଷା କରିବା ପାଇଁ ଭାବିଲି ।ଦିନେ ମୁଁ ଯାଇ ଜନ୍ତୁପତି ପୁରରେ ପ୍ରବେଶ କରିଲି ।ସେଠାରେ ଦେଖିଲି ଯେ କାଳ ଦଣ୍ଡଧର  ସିଂହାସନ ଉପରେ ବସିଛନ୍ତି ।ମୋତେ ଦେଖିବା ମାତ୍ରେ ଜନ୍ତୁପତି ବହୁ ମାନ୍ୟ କଲେ । ମୋ ପାଦ ଧୌତ କରି ଦିବ୍ୟ ଆସନରେ ନେଇ ବସାଇଲେ ।ମୋ ଭଲ ମନ୍ଦ ସମାଚାର ପଚାରି ବୁଝିଲେ । ଏହାପରେ ଯମରାଜ ମୋତେ ନେଇ ସଞ୍ଜିବନୀ ପୁର ଦେଖାଇଲେ ଓ ମୋ ସାଥିରେ ବୁଲିଲେ । ହେ ଋଷିଗଣ !ସେ ବେଳର ଦୃଶ୍ୟ ସବୁ କଅଣ କହିବି !ମୁଁ ନିଜେ ଆଖିରେ ଗୋଟି ଗୋଟି କରି ସବୁ ଦେଖିଛି । ସେହି ସଞ୍ଜିବନୀ ପୁରରେ ଦେଖିଥିବା ଦୃଶ୍ୟ ସବୁ କହୁଛି ଶୁଣ । ସଞ୍ଜିବନୀ ପୁରରେ ଚୌରାଶୀ ନର୍କ ତିୟାର ହୋଇ ଅଛନ୍ତି ।ଯେଉଁମାନେ ପାପୀ ସେମାନଙ୍କୁ  ନର୍କରେ ପକାଇ  ଦଣ୍ଡ ଦିଅନ୍ତି । ନିଜେ ଯମରାଜା ସିଂହାସନ ଉପରେ ବସି  ଯେଉଁ ଜନ ସେଠାକୁ ଯାଏ ତାହାର ବିଚାର ସେ କରନ୍ତି ।ଚିତ୍ରଗୁପ୍ତ ପ୍ରାଣୀ ମାନଙ୍କର ଭଲ ମନ୍ଦ ବାର୍ତ୍ତା ଯମରାଜା ଙ୍କୁ କହିଥାଏ ।ଜନ୍ତୁପତି ତାହାକୁ ବିଚାର କରି ଦଣ୍ଡ ଦିଅନ୍ତି ।ଯେଉଁ ମାନେ ଧର୍ମାର୍ଥୀ ସେମାନଙ୍କୁ  ଜନ୍ତୁପତି ଡରି ସମ୍ମାନ ଦିଏ ।ଅଧର୍ମୀ କୁ ବହୁତ ଶାସ୍ତି ଦିଏ ଯମରାଜ ।ଯମ ର ତିଲେମାତ୍ର ଦୟାମାୟା  ନାହିଁ ।ଅଧର୍ମୀ କୁ ଦେଖିବା ମାତ୍ରେ ଯମ କାଳାନଳ ହୋଇ ଆଖି ତରାଟି ଯେତେବେଳେ ଚାହିଁ ଦିଏ  ଭୟରେ ଅଧର୍ମୀ ଗୋଟାପଣେ ଥରେ ।ହେ ଋଷିଗଣ ଏସବୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି !।ସେଠାରେ ବସି ଧର୍ମର ବିଚାର ଦେଖିଲି । 

ହଜାର ହଜାର ପାପୀ ଯମପୁରକୁ ଆସନ୍ତି ।ଜନ୍ତୁପତି ଙ୍କ ବିଚାର ସରିଲେ ନର୍କଦଣ୍ଡ ପାପୀମାନେ ପାଇଥାନ୍ତି ।ମୁଁ ଏପରି ବହୁତ କେତେ ଦେଖିଲି ।ମନେ ମନେ ଯମରାଜ ଉପରେ ମୁଁ ରାଗିଗଲି ।ମୁଁ ଭାବିଲି ଏ ଯମ ବହୁତ ନିଷ୍ଠୁର ଅଟେ  ।ବିନା ଦୋଷରେ ନର ନାରୀ ମାନଙ୍କୁ ଦଣ୍ଡ ଦେଉଅଛି ।ଏପରି ମନେ ମନେ ଭାବନା କରି ଗୋଟିଏ ଆଶ୍ଚର୍ଯ୍ୟ କଥା ଦେଖିଲି ।ଜଣେ ସୁପୁରୁଷ ଦିବ୍ୟ ବିମାନ ରେ ଆସୁଅଛି । ଦୂରରୁ ଥାଇ ମୁଁ ଏହା ଦେଖି ପାରିଲି ।ସୁପୁରୁଷ ଜଣଙ୍କ ଯେଉଁ ବିମାନରେ ଆସୁଥିଲା ସେପରି ବିମାନ ମୁଁ ମୋ ଜୀବନରେ କେବେ ଦେଖିନଥିଲି ।ବାରସ୍ବତୀ ପୁରରେ ସେପରି ବିମାନ ନାହିଁ ।ବିମାନ ର ସବୁଆଡେ ହୀରା ନୀଳା ଜଡିତ ହୋଇଅଛି ।ବିମାନ ଉର୍ଦ୍ଧ୍ବରେ ଦିବ୍ୟ ନେତ ଫର ଫର ହୋଇ ଉଡୁଥିଲା ।ଧାଡି ଧାଡି ହୋଇ ମଣି ମାଣିକ୍ୟ ର ଝାଲେରୀ  ବିମାନର ଚାରି ଦିଗକୁ ଓହଳି ଥାଏ ।ତାକୁ ଦେଖି ମୋ ଆଖି ଝଲସି ଉଠିଲା ।ଏହାକୁ କେଉଁ ପବିତ୍ର ବିନ୍ଧାଣି କେତେ କାଳ ଲାଗି ତିଆରି କରିଥିବ ତାହା ମୋ କଳ୍ପନା ବାହାରେ ଋଷିଗଣ ।ସେହି ବିମାନର ମଧ୍ୟରେ ଏକ ରତ୍ନ ସିଂହାସନ ଉପରେ ସୁପୁରୁଷ ଜଣଙ୍କ ବସିଥାନ୍ତି ।ସେହି ସୁପୁରୁଷ କୁ ଖଣ୍ଡେ ଦୂରରୁ ଥାଇ ଯମରାଜ ଦର୍ଶନ କରି  ନିଜ ଆସନ ଛାଡି ଉଠିଗଲା ।ସୁପୁରୁଷ କୁ ବହୁ ଅଭ୍ୟର୍ଥନା କରି  ନିଜ ପାଖକୁ ନେଇ ବସାଇଲା ।ଯମ ରାଜ ସୁପୁରୁଷ କୁ ଦେଖି କହିଲା  ଆଜି ମୋହର ସୁପ୍ରଭାତ ଅଟେ ।ମୋ ନେତ୍ର ଆଜି ଜଣେ ସୁପୁରୁଷ କୁ ଦର୍ଶନ କଲା ।

ସନତ ଋଷି ଏ ଘଟଣା ଦେଖି ଧର୍ମରାଜା ଙ୍କୁ ପଚାରିଲେ !ହେ ଧର୍ମରାଜ !ଏ ଲୋକ ଦେବତା ଭଳି ଦେଖା ଯାଉନାହାନ୍ତି  !ଭୋ ଧର୍ମ !ତୁମେ ଏ ଲୋକକୁ କାହିଁକି ଏତେ ଭକ୍ତି କରୁଛ? ମୋ କଥାଶୁଣି କାଳଦଣ୍ଡ  ଆନନ୍ଦିତ ହୋଇ କହିଲେ  ହେ ଋଷି! ଏ ମହାପୁରୁଷ ମହା ଧର୍ମବନ୍ତ ଅଟନ୍ତି । ଏହି ଧର୍ମ ପୁରୁଷଙ୍କ ବାସସ୍ଥାନ ମର୍ତ୍ତ୍ୟରେ ଅଟେ । ଏହାଙ୍କ ଚରିତ ମନ ଦେଇ ଶୁଣ ଋଷି ସନତ କୁମାର !ବିଦେଶ  ନଗର ବୋଲି ଗୋଟିଏ ନଗର  ଅଛି । ସେହି ରାଜ୍ୟର ରାଜା  ଏ ସୁପୁରୁଷ ଅଟନ୍ତି । କିଭଳି ଏ ରାଜା ସୁପୁରୁଷ ହେଲେ ସେ କଥା ତୁମକୁ କହୁଛି ଋଷି ହେ ଶୁଣ । କୈଳାଶ ପୁରରେ ଜଣେ ଅନୁଚର ଥିଲା ।ଦିନେ ସେହି ଅନୁଚର ମନେ ମନେ ବସି ବିଚାର କଲା ଯେ ଶିବ ଭଗବାନ ବଡ଼ କାମୁକ ଅଟନ୍ତି ।ସେଥିପାଇଁ ସବୁବେଳେ ନାରୀ କୁ କୋଳରେ ଧରିଛନ୍ତି । ଆଉ ଏକ ନାରୀ କୁ ମୁଣ୍ଡରେ ବସାଇ  ହାସ୍ୟ ରସ କୌତୁକ ରେ ମାତିଛନ୍ତି ।ଶିବଙ୍କର ରମଣୀ ଉପରେ ବଡ଼ ଶ୍ରଦ୍ଧା ଅଛି । ସେଥିପାଇଁ ନିମିଷେ ସେ ନାରୀ ଙ୍କୁ ଅନ୍ତର କରୁ ନାହାନ୍ତି ।ସେହି ଅନୁଚର ଚିନ୍ତାକଲା ଯେ ମୁଁ ଯେବେ ଦିବ୍ୟ ସୁନ୍ଦର ନାରୀଟିଏ ହେବି  ତାହାଲେ ଶିବଙ୍କ ଠାରୁ ବହୁତ ବର ପାଇବି । ଅନୁଚର ବିଚାର  କୁ  ଯୋଗମାୟା ଭବାନୀ ସଂଗେ ସଂଗେ ଜାଣି ପାରିଲେ ।ମାତା ଯୋଗମାୟା କ୍ରୋଧରେ ଜର ଜର ହୋଇ ଅନୁଚର କୁ ଅଭିଶାପ ଦେଇ କହିଲେ ଯେ  ରେ ଅନୁଚର ତୁ ଶୃଗାଳ ହୋଇଯାଅ ।ଦେବ ଦେବ ମହାଦେବ ଙ୍କୁ ତୁ ନୀଚ୍ଚ ମଣୀ କାମୁକ ବୋଲି କହିଲୁ ?ଯାହାଙ୍କର କ୍ରୋଧାନଳ ରେ କାମଦେବ ଭସ୍ମ ହୋଇଗଲା ତାଙ୍କୁ ତୁ ଏପରି କହୁଛୁ ?କେତେ ସାହାସ ତୋହର ?।ଶଙ୍କର ଭଗବାନ ବ୍ରହ୍ମଚର୍ଯ୍ୟ ପାଳି  ଯୋଗୀ ହୋଇଛନ୍ତି ତାଙ୍କୁ ତୋ ମନ ଇତର ବୋଲି ଭାବିଲା ।ଏପରି ଭାବିବାର ପ୍ରତିଫଳ ତୁ ସବୁଦିନ ଭୋଗକର ଅନୁଚର । ଅନୁଚର ଏକଥା ଶୁଣିବା ପରେ ଦେବୀଙ୍କ ପାଖରେ ଥରହର ହୋଇ  ତାଙ୍କ ପାଦତଳେ ପଡି କ୍ଷମା ମାଗି କହିଲା ହେ ମାତେ ମୋତେ କ୍ଷମାକର ! ଅଜ୍ଞାନ ପାମର ମୁଁ !ମୁଁ ସାମାନ୍ୟ ଭୃତ୍ୟ ଟିଏ ଆପଣଂକର ଅଟେ । ଅଜ୍ଞାନତା ବଶତଃ ମୁଁ ଏହା କହି ଦେଇଛି ମାତେ ।ଅନୁଚର ଏପରି ବହୁତ ବିକଳ ହୁଅନ୍ତେ  ଦେବୀ ମହାମାୟା  ଦୟା ବହି ଏହାର ପ୍ରତିଫଳ ଅନୁଚର କୁ ବତାଇ ଥିଲେ ।

କ୍ରମଶଃ................

┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

Wednesday, April 6, 2022

● ରସକୂଲ୍ୟା ବୃତ୍ତ ବା ଛନ୍ଦ ● ---- ✍ ଅମୃତେଶ ଖଟୁଆ

ରସକୂଲ୍ୟା ବୃତ୍ତ ବା ଛନ୍ଦ
             ---------------- ✍ ଅମୃତେଶ ଖଟୁଆ 

                        ବିନ୍ୟାସ ଦ୍ଵାରା ଶ୍ରବଣସୁଖରେ ଯାହାର ଗତି ନିତ୍ୟ ତରଙ୍ଗାୟମାନ, ତାହା ଛନ୍ଦ । ଏହି ମାଧ୍ୟମରେ ଆମ୍ଭର ଶବ୍ଦ ଓ ବ୍ୟାକରଣ ଉଭୟଙ୍କ ମଧ୍ୟରେ ଯେଉଁ ଅର୍ଥବାଚୀ ସମ୍ବନ୍ଧର ବାଡ ଟିକକ ଥାଏ, ତାହା ଗତିଶୀଳ ଛନ୍ଦର ସ୍ରୋତର ବର୍ଣ୍ଣନା ମାଧ୍ୟମରେ ଅନ୍ତର୍ହିତ ହୁଏ । କାରଣ ଶବ୍ଦ ଓ ବ୍ୟାକରଣ ଉଭୟ ସମାନ ଶୃଙ୍ଖଳାରେ ଥିଲେ ହେଁ ସେମାନଙ୍କ ମଧ୍ୟରେ ଆପାତତଃ ଦର୍ଶନୀୟ ଅନ୍ତଃସୌନ୍ଦର୍ଯ୍ୟ ତଦ୍ରୂପ ଐକ୍ୟବଦ୍ଧ ଅଟେ ।

                      ଓଡିଆ ଛନ୍ଦମାନଙ୍କରେ ମୌଳିକ ସମ୍ପଦ ସ୍ଵରୂପ ଢଗଢମାଳି, କାନ୍ଦଣା, ଶିଶୁ ଖେଳା ଗୀତ, ପର୍ବପର୍ବାଣି ଗୀତ ସହିତ ଯେ ଧରଣର ଡାକବଚନରେ ଓଡ଼ିଆ ଛନ୍ଦମାନଙ୍କର ଆଦିମ ସୃଷ୍ଟି ଲକ୍ଷ୍ୟ କରାଯାଏ । ମାତ୍ର, ବହୁସଂଖ୍ୟକ ଛାନ୍ଦବୃତ୍ତ ବିଭିନ୍ନ ପରିସର ଦେଇ ପରିବର୍ତ୍ତିତ ଅଥବା କୌଣସି କ୍ରମିକ ରୂପାୟନ ଦେଖିପାରୁ । ପ୍ରାଚୀନ ଓଡ଼ିଆ କାବ୍ୟର ଉଦୟଲଗ୍ନ ଚର୍ଯ୍ୟା, ନାଥ ଓ ସାନ୍ଧ୍ୟଭାଷା ପ୍ରଭୃତି ଦ୍ଵାରା ବିଶେଷାଧିକ ଅଧ୍ୟୁଷିତ ରହିବା ଯୋଗୁଁ ପ୍ରାଚୀନ ଛାନ୍ଦମାନଙ୍କ ଅବସ୍ଥିତି ଥାଏ । ଏହାଙ୍କର ସମସ୍ତ ସୃଷ୍ଟି ଓ ବ୍ୟାପ୍ତିର ଇତିହାସ ଅଧିକନ୍ତୁ ଅଜ୍ଞାତସାରରେ ବିଦ୍ୟମାନ ।

                      ଷୋଡଶ ଓ ସପ୍ତଦଶ ଶତାବ୍ଦୀର କବି ଅର୍ଜୁନ ଦାସ, କାର୍ତ୍ତିକ ଦାସ, ପ୍ରତାପ ରାୟ, ବନମାଳୀ ଦାସ, ବୃନ୍ଦାବନ ଦାସ, ନରସିଂହ ସେଣ, ଶିଶୁ ଶଙ୍କର ଦାସ, ଲୋକନାଥ ବିଦ୍ୟାଧର ପ୍ରଭୃତିଙ୍କ 'ରାମବିଭା', 'ଋକ୍ମିଣୀ ବିଭା', 'ଶଶିସେଣା', 'ଚାଟ ଇଚ୍ଛାବତୀ', 'ରସବାରିଧି', 'ପରିମଲା', ଉଷାଭିଳାଷ' ଓ 'ସର୍ବାଙ୍ଗ ସୁନ୍ଦରୀ' ଭଳି କାବ୍ୟଶ୍ରେଣୀରେ ବ୍ୟବହୃତ ଛାନ୍ଦମାନଙ୍କ ବୃତ୍ତର ଶୈଳୀଗତ ପରିଚର୍ଯ୍ୟା କରନ୍ତେ ଇତିହାସରେ ଏମାନଙ୍କ ସମ୍ପର୍କରେ ସୂଚନା କେତେକାଂଶରେ ଉପଲବ୍ଧ ହୋଇଥାଏ । 
  

                       ଛନ୍ଦର ସୃଷ୍ଟି ଓ ପ୍ରଚଳନ କ୍ଷେତ୍ର ଯଦ୍ୟପି ଦୁରଭିସନ୍ଧିରେ ବସ୍ତୁତଃ ପ୍ରାପ୍ତ ନୁହେଁ, ମାତ୍ର ମୌଳିକତା ଓ ଆହୃତ ଛନ୍ଦମାନଙ୍କର ସଂଜ୍ଞା ନିରୂପଣ ଏହି କ୍ଷେତ୍ରରେ ଐତିହାସିକ ଦୃଷ୍ଟିରୁ ଯାହା ସମୀକ୍ଷଣଯୋଗ୍ୟ, ତାହା କହିବାରେ ଆମ୍ଭମାନଙ୍କ ଆପତ୍ତି ବିବେଚିତ ହେବନାହିଁ ବୋଲି ଆଶାୟୀ । ପୂର୍ବରୁ ତେଣୁ ପ୍ରସଙ୍ଗକ୍ରମେ ଉତ୍ଥାପିତ ସମ ଛନ୍ଦ, ଅସମ ଓ ବିଷମ ଛନ୍ଦମାନଙ୍କ ବିଷୟକୁ ହେତୁ କରି ଉପସ୍ଥାପନାରୁ ଆମେ ବିଷମ ଛନ୍ଦ ସମ୍ପର୍କରେ ଜାଣିବାକୁ ପାଇଥିଲେ ।

                       'ବିଷମ' ଶବ୍ଦର ଅର୍ଥ ଅସମାନତା ଯେହେତୁ 'ବିଷମ ଛନ୍ଦ' ବୋଲିବାର ସଂଜ୍ଞା ଏହା ଯେ ପଦ୍ୟାବଳୀରେ ସମ୍ପୃକ୍ତ ସମସ୍ତ ପାଦରେ ସମସଂଖ୍ୟକ ଶବ୍ଦବିନ୍ୟାସ ନଥିଲେ ତାହା କଥିତବ୍ୟ ଅଟେ । 'ରସକୂଲ୍ୟା' ମଧ୍ୟ ଏହି ଶ୍ରେଣୀର ଅନ୍ତର୍ଗତ । ତେବେ ରସକୂଲ୍ୟା ଛନ୍ଦ ସମ୍ପର୍କିତ ଯେଉଁ ସନ୍ଦେହଚେତ ପାଠକଙ୍କ ଲାଗି ଆମ୍ଭର ଏହି ଆଲୋଚନା ଉଦ୍ଦିଷ୍ଟ, ସେ ପରିସରକୁ ବର୍ତ୍ତମାନ ଅଗ୍ରଗତି ପ୍ରଦାନପୂର୍ବକ ଆଲୋଚନାକୁ ପ୍ରଯୁଜ୍ୟ ମଣିବାର ହେବା ।

                       ଏହି ପୂର୍ବରୁ କଥନମତେ ଛନ୍ଦର ପ୍ରଣାଳୀ ଅକ୍ଷରସଂଖ୍ୟା, ଯତିପାତ ସହିତ ସଙ୍ଗୀତର ନିବେଶକୁ ଅକ୍ଷତ ସାଧନ କରିଥାଏ । ବ୍ୟାକରଣ ପରିପ୍ରେକ୍ଷୀରେ ସୁଦ୍ଧା ଏଠାରେ ଆମ୍ଭର କଥିତବ୍ୟ ଯେ ଛନ୍ଦରେ ସଙ୍ଗୀତ ଲାଳିତ୍ୟ ରକ୍ଷା ଲାଗି ଉପଯୁକ୍ତ ଶବ୍ଦବିନ୍ୟାସ ଅନିବାର୍ଯ୍ୟ ନିଶ୍ଚିତ । ତେଣୁ ରସକୂଲ୍ୟା ଛନ୍ଦ ସମ୍ପର୍କରେ ଆଲୋଚନାର କ୍ଷିପ୍ତ ବିବରଣୀ ସମ୍ପ୍ରତି ଦେବା ଲାଗି ଆମ୍ଭମାନଙ୍କ 'ପଦ', 'ପାଦ', 'ଯତି', 'ପଦ୍ୟ' ପ୍ରଭୃତି କେତେକ ମୁଖ୍ୟ ଉପପାଦ୍ୟଙ୍କ ଠାରେ ସୂକ୍ଷ୍ମତର ଦୃଷ୍ଟିକୋଣ ଅବଲମ୍ବନ କରିବାର ହେଉଛେ ।

                        କୌଣସି ବି ଅର୍ଥବୋଧକ ବା ପ୍ରକାଶ୍ୟ ଭାବର ପ୍ରକଟନ ଲାଗି ମୁଖନିଃସୃତ ବାକ୍ୟ କରାଯାଏ ଏବଂ ତନ୍ମଧ୍ୟସ୍ଥ ଶବ୍ଦମାନଙ୍କୁ 'ପଦ' ବୋଲି କୁହାଯାଇଥାଏ । ଉଦା : "ସୁଖ ଲାଗି ଶ୍ରମ କର ଯତନ । ଯାହା ଅଟେ ମଙ୍ଗଳ ଉପାଦାନ ।।" ପ୍ରଥମ ଧାଡିରେ 'ସୁଖ', 'ଲାଗି', 'ଶ୍ରମ', 'କର', 'ଯତନ' ଓ ଦ୍ଵିତୀୟ ଧାଡିରେ 'ଯାହା', 'ଅଟେ, 'ମଙ୍ଗଳ' ଏବଂ 'ଉପାଦାନ' ପଦ ବୋଲି ବିଦିତ ଅଟେ । ଏହି ପଦ ପାଞ୍ଚ ପ୍ରକାରର ସାଧାରଣତଃ ହୋଇପାରେ ; ଯଥା -ବିଶେଷଣ, ବିଶେଷ୍ୟ, ସର୍ବନାମ, ଅବ୍ୟୟ ଓ କ୍ରିୟା । 

                        ଛନ୍ଦୋବଦ୍ଧ ଶବ୍ଦମାନଙ୍କ ଶୃଙ୍ଖଳିତ ବିନ୍ୟାସକୁ 'ପଦ୍ୟ' କୁହାଯାଏ । ପ୍ରତିଟି 'ପଦ୍ୟ' ନିର୍ଦ୍ଦିଷ୍ଟ ସଂଖ୍ୟକ 'ପାଦ' ଦ୍ଵାରା ସଙ୍ଗଠିତ ହୁଏ ଯେଉଁଠି ପୁନରାୟ ପ୍ରତି ପାଦରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଅର୍ଥବାଚୀ ଶବ୍ଦ ବା 'ପଦ' ନେଇ ଗଠିତ ହୋଇଥାଏ । ଶ୍ରବଣସୁଖ ଓ ବାଣୀରସାୟନ ଲାଗି ଅନୁକୂଳ ବିଶ୍ରାମସ୍ଥାନ ହେଉଛି 'ଯତିପାତ' । ଯତିରକ୍ଷା ଲାଗି ବହୁ ଧରଣର ବ୍ୟାକରଣସୂତ୍ର ଚିହ୍ନଟ କରାଯାଇଥିଲେ ମଧ୍ୟ ଆଲୋଚନାର ସ୍ଵଳ୍ପାବୟବ କୁ ଧ୍ୟାନ ରଖି ପରବର୍ତ୍ତୀ ପ୍ରସଙ୍ଗାନୁଯାୟୀ ସେ ସମସ୍ତର ସମୟୋପଯୋଗୀ ଅବତାରଣା କରାଯିବା ବିଧେୟ ବୋଲି ଆମ୍ଭର ମାନ୍ୟତା ।

                         ସଦ୍ୟତମ ଆଲୋଚ୍ୟ ଛନ୍ଦ ଛଅଗୋଟି ପାଦ ବିଶିଷ୍ଟ ଅଟେ । ଏଥିରେ ପ୍ରଥମ ତିନିଗୋଟି ପାଦ ଏଗାରଗୋଟି ଲେଖାଏଁ ହୋଇଥିଲା ବେଳେ ଚତୁର୍ଥ ପାଦ ୧୨ ଗୋଟି, ପଞ୍ଚମ ପାଦ ନଅଗୋଟି ଏବଂ ଷଷ୍ଠ ପାଦରେ ଏକୋଇଶ ଅକ୍ଷରବିଶିଷ୍ଟ ଅଟେ । ଚତୁର୍ଥ, ପଞ୍ଚମ ଓ ଷଷ୍ଠ ପାଦମାନଙ୍କ ଶେଷରେ 'ସେ', 'ଯେ', 'ହେ', 'ରେ', ଗୋ' ପ୍ରଭୃତି ଆବୃତ୍ତ୍ୟର୍ଥକ ପଦକୁ ସ୍ଥାନୀତ କରି ସେମାନଙ୍କୁ ଗାନପ୍ରୟୋଗ ଓ ବ୍ୟାକରଣ କ୍ଷେତ୍ରରେ ବିଶେଷ ପ୍ରାଧାନ୍ୟ ଦେଇ ଉଲ୍ଲେଖ କରିବା ବିଧେୟ ହୋଇଥାଏ । ଏହାଙ୍କ ଯତିପାତ ନିୟମ କହିଲେ :

      ◆ ପ୍ରଥମ ତିନିପାଦରେ ୬ଷ୍ଠ ଓ ଶେଷାକ୍ଷର ଉପରେ
      ◆ ଚତୁର୍ଥ ପାଦରେ ୬ଷ୍ଠ, ୧୧ଶ ଓ ଶେଷାକ୍ଷର ଉପରେ
      ◆ ପଞ୍ଚମ ପାଦରେ ୬ଷ୍ଠ, ୮ମ ଓ ଶେଷାକ୍ଷର ଉପରେ
      ◆ ଷଷ୍ଠ ପାଦରେ ୬ଷ୍ଠ, ୧୨ଶ, ୧୮ଶ, ୨୦ଶ ଓ ଶେଷାକ୍ଷର ଉପରେ

                        
                        
                 ପଞ୍ଚମ ପାଦ ଶେଷରେ ଏହି ପାଦର ପ୍ରଥମ ଆଠ ଅକ୍ଷର ଓ ଷଷ୍ଠ ପାଦର ପଠନାନ୍ତେ ପୁନରାୟ ପଞ୍ଚମ ପାଦର ପ୍ରଥମ ଆଠ ଅକ୍ଷରର ପୁନରାବୃତ୍ତି କରାଯାଏ । ଅର୍ଥାତ୍, 'ଯେ', 'ସେ', 'ରେ', 'ହେ', 'ଗୋ' ପ୍ରଭୃତି ପଦମାନଙ୍କ ବ୍ୟତୀତ ସାଙ୍ଗୀତିକ ଲୟ ରକ୍ଷା କୌଶଳର ଅବଲମ୍ବନରେ ଅବଶିଷ୍ଟ ପାଦମାନଙ୍କ ପଦ ସମଗ୍ରରେ ପୁନରାବୃତ୍ତି ଘଟିବ । ନିମ୍ନ ଦୃଷ୍ଟାନ୍ତମାନଙ୍କରେ ରସକୂଲ୍ୟା ଛନ୍ଦରେ ଲିଖିତ 'ଛାନ୍ଦ' ଗୁଡିକ ପାଠକମାନଙ୍କୁ ଦର୍ଶନୀୟ ହୋଇପାରିବ :                    
             
              

            ସ୍ଵଭାବେ ନଗରୀ' ଆନନ୍ଦମୟୀ' । (୬+୫)
            ଯେଣୁ ତାର ସୁତେ' ବିଶ୍ଵବିଜୟୀ' ।। (୬+୫)
            ଆଜି ପୁଣି ତାର' ପ୍ରାଣର ରାମ' । (୬+୫)
            ସର୍ବ ଗୁଣାକର' କରୁଣାଧାମ' ସେ' ।। (୬+୫+୧)
              ହେବେ ବୋଲି ଯୁବ'ରାଜ' ଯେ' । (୬+୨+୧)
  ଭବନେ ଭବନେ' ମହା ମହୋତ୍ସବ' ଲାଗିଅଛି ଆହା' ଆଜ' ଯେ' ।। (୬+୬+୬+୨+୧)

   - 'ଶ୍ରୀରାମ ବନବାସ', ଛାନ୍ଦମାଳା, ଭକ୍ତକବି ମଧୁସୂଦନ ରାଓ                
            
 
              
              
             "ହେମ-ଭୂ-ସମ୍ଭୂତ' ଶମ୍ଭୁ-ଯୁଗଳେ' । (୬+୫)
               ନୀଳମଣିରେ ନି'ର୍ମିତ ପ୍ରଣାଳେ' ।। (୬+୫)
               ପାଞ୍ଚ ପାଞ୍ଚ ଯୁକ୍ତ' ସପ୍ତଳାକଳୀ' । (୬+୫)
               ପଙ୍କଜ-ଝୁମ୍ପା ଚ'ମ୍ପାମାଳ ଝଳି' ଯେ' ।। (୬+୫+୧)
                     ନିଶ୍ଚୟ କର ଏ'ମନ୍ତ' ଯେ' । (୬+୨+୧)
 ବେନି ପ୍ରଜାପତି' ଅର୍ଚ୍ଚନ ଅଶୋକେ' ପ୍ରପଦେ ସେ ଆଲି'ଙ୍ଗିତ' ଯେ' ।। (୬+୬+୬+୨+୧)
 
     - ୭ମ ଛାନ୍ଦ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, କବିସମ୍ରାଟ୍ ଉପେନ୍ଦ୍ର ଭଞ୍ଜ

                     ଉଲ୍ଲେଖଯୋଗ୍ୟ, ଉକ୍ତ ପଦମାନଙ୍କ ମଧ୍ୟରେ ସ୍ଥିତ ପଞ୍ଚମ ପାଦ ଶେଷରେ ଏହାର ପ୍ରଥମ ଆଠ ଅକ୍ଷର ଏବଂ ଷଷ୍ଠ ପାଦ ପଢିଲା ପରେ ପଞ୍ଚମ ପାଦର ପୁଣି ଥରେ ପ୍ରଥମ ଆଠ ଅକ୍ଷର ଗୁଡିକ ଉଚ୍ଚାରଣ ହେବ । ଯେପରି ପୂର୍ବକଥିତ 'କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ' ର ଉକ୍ତ ଛାନ୍ଦରେ 'ନିଶ୍ଚୟ କର ଏମନ୍ତ ଯେ' ପଢିଲା ପରେ 'ନିଶ୍ଚୟ କର ଏମନ୍ତ' କେବଳ ପଢାଯିବ ଏବଂ ତତ୍ପରେ ଶେଷ ପାଦ ପଢିଲା ପରେ 'ନିଶ୍ଚୟ କର ଏମନ୍ତ' ର ବିଧିମତ ପୁନରାବୃତ୍ତି ଘଟିବ । ଅନ୍ୟାନ୍ୟ ଉଦାହରଣମାନଙ୍କ କ୍ଷେତ୍ରରେ ନିମ୍ନୋକ୍ତ ପଦଚୟ ମଧ୍ୟ ପ୍ରଣିଧାନଯୋଗ୍ୟ :

            
              ଦେଖି ହୃଦୟ ହେଲା କି ଶୀତଳ ।
              ସେ କି ଆନନ୍ଦ ଆହାଲାଦ ସ୍ଥଳ ।।
              ବଳେ କୋଳେ ଧରି ସାର୍ଥ ନ ହେଲି ।
              ଚଳି ଯେବେ ବନ୍ଧୁ ଦିଅନ୍ତା ଗାଳି ସେ ।।
                     ମୋ ଭାଗ୍ୟ ନୁହନ୍ତା କଳି ଯେ ।
  ଜୀବ ଗଲା କାମ କାନ୍ତାର ତରଣେ ହୁଅନ୍ତା ପଥସଙ୍ଖାଳି ଯେ ।।

   - ୪୬ଶ ଛାନ୍ଦ, ବିଦଗ୍ଧ ଚିନ୍ତାମଣି, ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର

              ଦିନୁ ଦିନ ବଢାଇଲେ ପୀରତି ।
              ହଟ ନାଟ କାହିଁ କେତେ କରନ୍ତି ।।
              ସେ ନଗ୍ରରେ ଯେତେ ପତିବରତୀ ।
              ତାହାଙ୍କର ମନ ହେଲା ଆରତି ସେ ।।
                    ଧରି ନୋହିଲା ଧିରତି ଯେ
 ଲାଜ ଦୂର କରେ ରତିପତି ନିତି ଛାତି ଦେବାରୁ କରତି ଯେ ।
 

       - ୩ୟ ଛାନ୍ଦ, ବିଦଗ୍ଧ ଚିନ୍ତାମଣି, ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର

                        'ରସକୂଲ୍ୟା' ଛନ୍ଦ ସମ୍ପର୍କରେ ଆମ୍ଭେ ପୂର୍ବରୁ ଯେଉଁ ସମସ୍ତ ଆଲୋଚନାସାପେକ୍ଷ ବିଷୟ ଉତ୍ଥାପନ ପୂର୍ବକ ସମସ୍ତଙ୍କର ସନ୍ଦିଗ୍ଧ ଭାବନାର ମୋଚନାର୍ଥ ଆଗୁଁସାର ହୋଇଛେ, ତାହା ହେଉଛି 'ସେ', 'ଯେ', 'ଗୋ', 'ହେ', 'ରେ' ପ୍ରଭୃତି ପଦମାନଙ୍କ ପ୍ରୟୋଗ । ଆଧୁନିକ କାବ୍ୟକବିତାରେ ରସକୂଲ୍ୟାର ପ୍ରସିଦ୍ଧି ହ୍ରାସ ପାଇନଥିଲେ ମଧ୍ୟ ଉପର୍ଯୁକ୍ତ ପଦମାନଙ୍କର ଉଲ୍ଲେଖ ସମ୍ଭବତଃ ପରିଲକ୍ଷିତ ହୋଇ ନାହିଁ । ବୈଷ୍ଣବକବି ଭ୍ରମରବର ରାୟଙ୍କ 'ବାମନ ଭିକ୍ଷା' ର ୧୧ଶ ଛାନ୍ଦର ପଦବିନ୍ୟାସକୁ ଦୃଷ୍ଟିରେ ରଖି ଏହି ଉପସ୍ଥାପନା ସୁଦ୍ଧା କେତେକ ତଥ୍ୟ ବିଶ୍ଳେଷଣ ଲାଗି ବାଞ୍ଛିତ ମନେ କରେ ।

                      ଛନ୍ଦର ପ୍ରତ୍ୟେକ ଶବ୍ଦ ଯାହାକୁ 'ପଦ' ବୋଲି ଅଭିହିତ କରିବା ପରିପ୍ରେକ୍ଷୀରେ ଏହାର ଉପଯୁକ୍ତ ପ୍ରୟୋଗ ଧାରା ସମ୍ପର୍କରେ ବ୍ୟାକରଣଗତ ପ୍ରଚ୍ଛଦର ବିଶ୍ଳେଷଣ ମଧ୍ୟ ଯୋଗ୍ୟ ମନେ ହୁଏ । ମୂଳତଃ 'ସେ' ଓ 'ଯେ' ହେଉଛନ୍ତି ସର୍ବନାମ ପଦ । 'ରେ' ବିଶେଷ୍ୟ ଓ ସର୍ବନାମ ପଦର ତୃତୀୟ ଓ ସପ୍ତମୀ ବିଭକ୍ତିରେ ଯଥାକ୍ରମେ 'କରଣ' ଓ 'ଅଧିକରଣ' କାରକ ଲାଗି ବ୍ୟବହାର କରାଯାଉଥିଲେ ମଧ୍ୟ ଏହା ଏକ ସମ୍ବୋଧନ ଚିହ୍ନ । 
                      

                     ପ୍ରାଚୀନ କାବ୍ୟ ଧାରାରେ ଏହା ଦ୍ଵିତୀୟା ବିଭକ୍ତିର 'କୁ' ଚିହ୍ନ ସ୍ଥାନରେ ପ୍ରାୟତଃ ପରିଲକ୍ଷିତ କରିହୁଏ ( "ବିପୁଳ ତୋଷ ଚିତ୍ତରେ । ବରଦ *ତାରେ* ସେ ।।" - ବୈଦେହୀଶ ବିଳାସ, ୨୬ଶ ଛାନ୍ଦ ) ସମ୍ବୋଧନ ସ୍ଵରୂପ ପ୍ରଗଲ୍ଭ ସ୍ନେହ ଅର୍ଥରେ ଏବଂ ଅତି ଆଦରାର୍ଥ ଦେବତାଙ୍କୁ କିମ୍ବା ପ୍ରିୟତର ଜନଙ୍କୁ ସମ୍ଵୋଧନ କରାଯାଏ, ଯାହା 'ଗୋ' ଏବଂ 'ହେ' ଠାରେ ମଧ୍ୟ ସମାନ୍ତରାଳରେ ଦେଖିହବ । ଗାନଯୋଗ୍ୟ ପଦୋଚ୍ଚାରଣ ସମୟରେ ସମ୍ଵୋଧନ ସୂଚାଇବା ଆଦୌ ବ୍ୟତୀତ ନୁହେଁ ବରଞ୍ଚ ଛାନ୍ଦର ସଂଳାପଧର୍ମୀ ଅଂଶର ବିଶେଷ ସ୍ଵରୂପ ସୁଦ୍ଧା କହିହବ । 

ଯେପରି :

            "ରେ ଆତ୍ମନ୍ ! ନିଦ୍ରା ପରିହରି 
             ଫେଡି ଚିନ୍ତାର ଲୋଚନ କର କର ନିରୀକ୍ଷଣ..."
             ( ଭକ୍ତକବି ମଧୁସୂଦନ ରାଓ )

             "କି ହେଲାରେ କହି ତ ନୁହଇ ଭାରତୀରେ..."
             ( 'କ' ଚମ୍ପୂ, କବିସୂର୍ଯ୍ୟ )

             "ଅନୁସରିଛିରେ, ମନୁ ପାସୋରିବୁ ନାହିଁ..."
             ( କବିସୂର୍ଯ୍ୟ )

             
                     
                         ହେଲେ ଏଠାରେ ସୂକ୍ଷ୍ମ ଭାବରେ ଅନୁଶୀଳନ କରି ଦେଖିଲେ ଜଣାଯାଏ ଯେ 'ରେ' ବିଭକ୍ତି ଚିହ୍ନ ଭାବରେ ଗେୟ ପଦମାନଙ୍କ ଶେଷରେ ସମ୍ଵୋଧନସୂଚକ ହୁଏନାହିଁ । 'କରଣ' କାରକ ଛଳରେ କ୍ରିୟାସାଧନର ସୂଚନା ଦେବା ସହ ଅନ୍ୟାନ୍ୟ ପ୍ରୟୋଗ ମଧ୍ୟରେ ଏହି 'ରେ' ପ୍ରକୃତି ବା ସ୍ଵଭାବ କହିବା ବେଳେ କ୍ରିୟା ବିଶେଷଣ କ୍ଷେତ୍ରରେ ମଧ୍ୟ ଆରୋପିତ ହୁଏ । ପଦ୍ୟମାନଙ୍କରେ ଏହାର ପ୍ରୟୋଗ ଏହିପରି ଘଟିଥିବାର ଆମ୍ଭେମାନେ ଦେଖିପାରିବୁ :

(୧) କରଣ କାରକ (ଯଦ୍ଦ୍ବାରା କର୍ତ୍ତା କ୍ରିୟା କରେ)

  ଉଦା :       "ପାର୍ବତୀ କାନ୍ତକର ଧରି ସ୍ଵକରେ ।
                  ପଦବ୍ରଜରେ ବଢୁଥିଲେ ଭୂଧରେ ।।" (ମେଘଦୂତ)

   ( ପଦବ୍ରଜରେ = ପଦବ୍ରଜ ଦ୍ଵାରା )

(୨) କ୍ରିୟା ବିଶେଷଣ (ବିଶେଷଣ ପଦ କ୍ରିୟା ଅର୍ଥରେ ଥିଲେ) କ୍ଷେତ୍ରରେ ଏହା ସ୍ବଳ୍ପତଃ ଦ୍ଵିତୀୟା ଓ ସପ୍ତମୀ ବିଭକ୍ତିକୁ ହିଁ ପ୍ରୟୋଗ କରିଲେ ହୁଏ :

                "ପ୍ରଫୁଲ୍ଲିତ ସରୋଜ ହୋଇଲା ଜାଣି ।
                 ପ୍ରମତ୍ତରେ ବେଢି ଉଡେ ଭୃଙ୍ଗଶ୍ରେଣୀ ।।" 
                 (ରସପଞ୍ଚକ)

                    'ପ୍ରମତ୍ତରେ' - ମତ୍ତଗୁଣରେ ବଶବର୍ତ୍ତୀ ବା ପ୍ରମତ୍ତ ହୋଇ । ଏଠାରେ ସପ୍ତମୀ ବିଭକ୍ତି ଅଛି ଯେହେତୁ ପ୍ରମତ୍ତ ଭାବରେ ଅଧିକୃତ ହେତୁ, 'ଭାବେ' ସପ୍ତମୀ ହୁଏ ବୋଲି ଆମ୍ଭେ ଜାଣିଥାଉ । ଆମର ଏହା ମଧ୍ୟ ଜ୍ଞାତସାରରେ ଅବସ୍ଥିତ ହେବା ଉପଯୁକ୍ତ କି 'ଯେ', 'ସେ' ପ୍ରଭୃତି ପଦ ସମ୍ଵୋଧନରେ ସର୍ବଦା ନଥିଲେ ମଧ୍ୟ ପଦ୍ୟମାନଙ୍କରେ ସର୍ବନାମ ପଦ ସ୍ଵରୂପ ବ୍ୟବହୃତ ମାତ୍ର 'କୁ', 'କି',  'ଙ୍କି', 'ଙ୍କୁ' ପ୍ରଭୃତି ବିଭକ୍ତି ଚିହ୍ନ ଅଟନ୍ତି, ଯାହା ପଦ୍ୟର ଶେଷରେ 'ଯେ' ଓ 'ସେ' ସମାନ ଗେୟ ନୁହନ୍ତି । ସେହି ନିରର୍ଥକ ଚିହ୍ନ ପଦମାନଙ୍କ ସହ ସଂଲଗ୍ନ ରହି କାରକର ବିବେଚନା କରନ୍ତି ।

                       ତେବେ ଆମ୍ଭେ ଆଧୁନିକ କବିତାମାନଙ୍କରେ କେତେକ କ୍ଷେତ୍ରରେ 'ଯେ', 'ସେ' ପ୍ରଭୃତି ଉପାନ୍ତ୍ୟ ପଦରେ ବ୍ୟବହାର ନଥିବାର ଏହି ବ୍ୟତିକ୍ରମ ଲକ୍ଷ୍ୟଣୀୟ  । କେତେକ କ୍ଷେତ୍ରରେ ଏପରି ମଧ୍ୟ ଦେଖାଗଲା ଯେ ଚତୁର୍ଥ ପାଦର ଶେଷକୁ ଛାଡିଦେଲେ ପଞ୍ଚମ ଓ ଷଷ୍ଠ ପାଦର ଶେଷକୁ 'ଯେ', 'ସେ', 'ହେ', 'ଗୋ' ପ୍ରଭୃତିର ପ୍ରୟୋଗ ରହିଅଛି । ଏହିପରି କ୍ଷେତ୍ରରେ ସାଧାରଣତଃ ରୀତିଯୁଗୀୟ ପଦ୍ୟାବଳୀରୁ ଆଧୁନିକ ପଦ୍ୟମାନଙ୍କ ବିଶ୍ଳେଷଣ ଆବଶ୍ୟକ, ଯାହା ଆମେ ରସକୂଲ୍ୟାର ଲକ୍ଷଣମାନ କହିଲା ସମୟରେ କିୟଦଂଶ ଆଲୋଚନା କରିଅଛେ ।

                        
                        ଅନେକ ବିଶାରଦଙ୍କ ଭୂତସ୍ମୃତିରୁ ଯାହା ଆମ୍ଭେ ଏଠାରେ ଉଦ୍ଧାର କରୁଅଛୁ, ତାହା ହେଉଛି ଯେ ଉପର୍ଯୁକ୍ତ ପଦ ମଧ୍ୟ ରାଗ ପରିପୂର୍ଣ୍ଣ କରି ସର୍ବାଙ୍ଗୀଣ ଗାନଯୋଗ୍ୟ କରାଯିବାରେ ପ୍ରଯୁଜ୍ଯ ହୋଇଛି । ଉପର୍ଯୁକ୍ତ ଛନ୍ଦର ଯତି ଓ ଅକ୍ଷର ବିନ୍ୟାସ ସମ୍ବନ୍ଧୀୟ ବିଧି ବଳଭଦ୍ର ବହିଦାରଙ୍କ ରଚିତ ବଦାନ୍ୟ ଗ୍ରନ୍ଥ 'ଯତିପାତ' ଅନୁଯାୟୀ ପ୍ରଦତ୍ତ । ଏଠାରେ 'ଯତିଦୋଷ' ବା ଯତିପାତ ଜନିତ ତ୍ରୁଟିର ଅପନୋଦନ ଲାଗି ମଧ୍ୟ କେତେକ କ୍ଷେତ୍ରରେ 'ଯେ' ଓ 'ସେ' ର ପ୍ରୟୋଗ ପରିଲକ୍ଷିତ କରିହୁଏ । ଦୃଷ୍ଟାନ୍ତସ୍ଵରୂପ, 'ବିଶି ରାମାୟଣ' ର ଏକ ପଦ ଲକ୍ଷ୍ୟ କରାଯାଉ :

             ରବି ହସ୍ତେ ସନ୍ଧ୍ୟା' ହେଲା ପ୍ରକଟ' । (୬+୫)
             ହନୁ ମାର୍ଜାର ସ'ମାନେ ମର୍କଟ' ।। (୬+୫)
             ଧେନୁ ମାନଙ୍କ ସ'ଙ୍ଗରେ ମିଶିଲା' । (୬+୫)
             ଲଙ୍କା ଗଡର ଭି'ତରେ ପଶିଲା' ସେ' । (୬+୫+୧)
               ଦେଖି ତାଙ୍କୁ ଲଙ୍କ' ଦେବୀ' ଯେ' । (୬+୨+୧)
    ପଥ ଓଗାଳିଣ' ବୋଲନ୍ତି ବାନର' ଆଜ ମୁଁ ତୋତେ ଗି'ଳିବି'ରେ ।। (୬+୬+୬+୨+୧)

          (ବିଶି ରାମାୟଣ, କିସ୍କିନ୍ଧ୍ୟା କାଣ୍ଡ, ଦ୍ଵିତୀୟ ଛାନ୍ଦ)

                          ଏଠାରେ ପ୍ରଥମତଃ ତୃତୀୟ ଓ ଚତୁର୍ଥ ପାଦରେ କ୍ରିୟା ଓ କ୍ରିୟାପଦର ମିତ୍ରାକ୍ଷର ମିଳନ ଘଟିବାରୁ ତାହା ଯତିରେ ଦୁଷ୍ୟ ହୋଇଛି । କାରଣ 'ଦେଖିଲା', 'ଶିଖିଲା', 'ରଖିଲା', 'ଯୋଖିଲା', 'ଲେଖିଲା' , 'ହୋଇଲା', 'ବୋଇଲା' ଇତ୍ୟାଦି ସାଧାରଣତଃ ବ୍ଯବହୃତ କ୍ରିୟାପଦକୁ ନେଇ ନୀରସ ଉପାନ୍ତ୍ୟ ଅକ୍ଷର ମିଳନ ରୁଚିସଙ୍ଗତ ନୁହେଁ । ତେଣୁ, ତୃତୀୟ ପଦ ଓ ଚତୁର୍ଥ ପଦରେ ଉକ୍ତ ପ୍ରମାଦକୁ ଦୂରୀଭୂତ କରି ତାହାକୁ ଏକ ସାଙ୍ଗୀତିକ ଲୟ ପ୍ରଦାନପୂର୍ବକ 'ସେ' ଚତୁର୍ଥ ପଦରେ ଅବସ୍ଥାନ କରିବା ସହ ପୂର୍ବବତ୍ ନିୟମବଦ୍ଧ ରହି ପଞ୍ଚମ ଓ ଷଷ୍ଠ ପଦରେ ମଧ୍ୟ ସମ୍ୟକ୍ ବିଧି ଅବଲମ୍ବନ କରାଯାଇଛି ।

                         କେବଳ ଏ କ୍ଷେତ୍ରରେ ନୁହେଁ , କୌଣସି ବି ପଦ୍ୟରେ ଉପାନ୍ତ୍ୟ ଅକ୍ଷର ମିଳନ କ୍ଷେତ୍ରରେ ଅବ୍ୟୟ ପଦ ସଙ୍ଗେ ଅବ୍ୟୟ ପଦ (ଯେସନ, ତେସନ, ଯଥା, ତଥା ପ୍ରଭୃତି) ରେ ମଧ୍ୟ ଯତି ଦୋଷ ହେବା ସମାନ ଭାବରେ ଅରୁଚିକର । ପୂର୍ବରୁ ଅନେକ କବିବୃନ୍ଦ ମିତ୍ରାକ୍ଷର ମିଳନପୂର୍ବକ କାରକ ବିଭକ୍ତି ଓ କାରକ ବିଭକ୍ତି ମଧ୍ୟରେ ବି ଏହା କରାଉଥିଲେ । କିନ୍ତୁ ଏ ଦୋଷ ସେତିକିବେଳେ ହିଁ ନିବାର୍ଯ୍ୟ, ଯେତେବେଳେ ମିତ୍ରାକ୍ଷର ମିଳନ ସତ୍ତ୍ଵେ ଉଭୟ ପାଦଙ୍କର ଯଥାକ୍ରମେ ଅନ୍ତ୍ୟ ଅକ୍ଷରର ପୂର୍ବବର୍ତ୍ତୀ ବର୍ଣ୍ଣ ସମତା ରଖି ତାହାର ପୁନରାୟ ପୂର୍ବବର୍ତ୍ତୀ ବର୍ଣ୍ଣରେ ଉପଧା ମିଳନ କରିଥାଏ । ଯଥାର୍ଥତଃ :

             "ପରିହାସ କରେ ବିଅର୍ଥେ' ପରକୁ'
              ଛିଡିକି ଆସେ ତା ନିଜ ଉ'ପରକୁ' ।

              ବିରଚି କେ ବନ୍ଧ ଅକ୍ଷର' କଣ୍ଟରେ'
              ମଣ୍ଡିବ ସାହିତ୍ୟ-ଜନନୀ' କଣ୍ଠରେ' ।"
              
              ( ଘୁମୁସର କାବ୍ୟ, ଚିନ୍ତାମଣି ମହାନ୍ତି )

             "ଦେଖିବୁ ଘନ ! ନଦୀ ଦର୍ପଣ-ତଳେ'
              ନିଜ ମୂରତି ବହୁ ଯୋଜନ ତଳେ' ।"
    
               ( ମେଘଦୂତ, ରାଧାନାଥ )

             
                      ତଦନୁରୂପେ ବ୍ୟାଖ୍ୟା ହେଲେ ଆମ୍ଭେମାନେ ଏପରି ଅକିଞ୍ଚିତ ପଦ୍ୟମାନଙ୍କୁ ଦୃଷ୍ଟାନ୍ତ ସ୍ଵରୂପ ଥୋଇପାରିବା, ଏଥିରେ ଆମର ଅବଗାହନ କରିହୁଏ । ମାତ୍ର, ଯତିପାତର ଦୋଷ କଥା ଉଠାଇବା ସମୟରେ ଆମ୍ଭମାନଙ୍କ ଉଦାହରଣ ସ୍ଵରୂପ ଭାଗବତରେ ମଧ୍ୟ ଏପରି ପଦ ରହିଛି ଯେଉଁ ମଝିରେ ଆମେ 'ଯେ', 'ସେ', 'ହେ', 'ରେ' ପ୍ରଭୃତିର ପ୍ରୟୋଗ ପଦପୂରଣ ଲାଗି ରହିଛି । ସାଧାରଣତଃ କ୍ଳିଷ୍ଟ ଷୋଡଶା ଓ ଚଉତିଶାମାନଙ୍କରେ ଏହା ଗେୟ ପଦସ୍ଵରୂପ ବ୍ଯବହୃତ ହୋଇ ପଦପୂରଣ ଲାଗି ଆମ୍ଭେ ପୂର୍ବରୁ ଦେଖିଛେ ଯେଉଁଠି ଉପାନ୍ତ୍ୟ ପଦ 'ସେ', 'ଯେ' ଓ 'ହେ' ମାଧ୍ୟମରେ ପୂର୍ଣ୍ଣ ହୁଏ ।
                      

                    ଉପସ୍ଥାପକଙ୍କ ଦ୍ଵାରା ପୂର୍ବରୁ ବିଶ୍ଳେଷିତ 'କହଇ ଜଗନ୍ନାଥ ଦାସ' ଆଲେଖ୍ୟର ଦ୍ଵିତୀୟ ପର୍ଯ୍ୟାୟରେ ଦ୍ଵାରିକା ଦାସ ଏବଂ ମହାଦେବ ଦାସଙ୍କ ଓଡ଼ିଆ 'ଭାଗବତ'ର ପରବର୍ତ୍ତୀ ସମୟରେ ରଚିତ ଦ୍ଵାଦଶ ଏବଂ ତ୍ରୟୋଦଶ ସ୍କନ୍ଧ ଏହି ପ୍ରମାଦର ଉପଲକ୍ଷ୍ୟରେ ପଠନୀୟ । ଏତଦ୍ ବ୍ୟତୀତ, ମାର୍କଣ୍ଡ ଦାସଙ୍କ ସମେତ ତାଙ୍କ ପରବର୍ତ୍ତୀ ଚଉତିଶା, ଷୋଡଶା ଏବଂ କ୍ଷୁଦ୍ର ଗେୟ ପଦାବଳୀରେ 'ଯେ', 'ସେ' ଓ 'ହେ' ଅନେକତଃ ଗାୟନନିବଦ୍ଧ ନିୟମରେ ରାଗ ପରିପୂର୍ଣ୍ଣାର୍ଥ ବିଦ୍ୟମାନ ରହି ବ୍ୟାକରଣଗତ ଦୁଷ୍ୟତା ନିବାରଣ ଲାଗି ସୁଦ୍ଧା ସହାୟ ହୋଇଛନ୍ତି ।

                   ନଚେତ୍, ଛନ୍ଦମାନଙ୍କରେ ବ୍ଯବହୃତ ସାଧାରଣତଃ ରାଗପୂର୍ଣ୍ଣାର୍ଥକ 'ଯେ' ଓ 'ସେ' ସର୍ବନାମ ପଦସ୍ଵରୂପ ତଥା ଦୀର୍ଘ ଛନ୍ଦୋବଦ୍ଧ ପଦମାନଙ୍କ ଅନ୍ଵୟପୂର୍ବକ ଦେଖିଲେ ଅପ୍ରଧାନ ଓ ପ୍ରଧାନ ବାକ୍ୟମାନଙ୍କ ସହ ସଂଲଗ୍ନ ଉକ୍ତ ପଦନିଚୟଙ୍କୁ ଉପାନ୍ତ୍ଯ ଅକ୍ଷର ଭାବେ ଦେଖିହୁଏ । ତହିଁରେ ବିନ୍ଦୁନିର୍ଦ୍ଦିଷ୍ଟ ହେଲେ ଅପର ପାର୍ଶ୍ଵରେ ସମ୍ଵୋଧନ, ଆହ୍ଵାନ, ଆଦରାର୍ଥବୋଧକ ଗେୟ ପଦମାନଙ୍କ ମଧ୍ୟରେ 'ହେ' ଓ 'ଗୋ' ର ଉପଯୋଗିତା ଆମ୍ଭେମାନେ ନିମ୍ନସ୍ଵରୂପରେ ଦେଖିପାରିବା :

(୧) ସର୍ବନାମ ସ୍ଵରୂପ 'ଯେ' ଓ 'ସେ' ରାଗ ପୂରଣ କରୁଛନ୍ତି । ଏଥି ସହ 'ହେ' ମଧ୍ୟ ଆଦରାର୍ଥବୋଧକ କିମ୍ବା ଭାବର ପ୍ରଗଲ୍ଭତା ଅଧିକନ୍ତୁ ସୂଚାଇବାରେ ନ୍ୟସ୍ତ ଥିବାର ଦେଖିହୁଏ ।

            ବାଙ୍କ ଡଉଁରିଆ' ବାନ୍ଧରେ ତହିଁ' ।
            ଗୋଛି କିଆପତ୍ରୀ' ଭିଡ଼ିଲେ ନେଇ' ।।
            ମଥାଜାଲି ଝିଲି'ମିଲି ମାଳିକି' ।
            ଇନ୍ଦ୍ରଝୁମ୍ପି କମ୍ପି'ବାରୁ ଚାତକୀ' ସେ' ।।
                କେଶ-ଘନୁ ଶୋଭା'-ନୀର' ଯେ' ।
ପାନ କରି ହେଉ' ଅଛନ୍ତି ଚଞ୍ଚଳ' ନାହିଁ ନାହିଁ ତିନି' ପୁର' ହେ' । ୬ ।
                   
         - ୮ମ ଛାନ୍ଦ, ଶଶିରେଖା, ପଦ୍ମନାଭ ଶ୍ରୀଚନ୍ଦନ

(୨) 'ଯେ', 'ସେ' ଆବଶ୍ୟକତା ଅନୁଯାୟୀ ସର୍ବନାମର ଭୂମିକା ଅନେକାଂଶରେ ଗ୍ରହଣ କରିଛନ୍ତି ।
               
                
           ଏ ଉତ୍ତାରୁ ସର୍ବ ସଜନୀମାନେ ।
           ପ୍ରବେଶ ହୋଇଲେ ବାଳା-ସଦନେ ।।
           ବୋଲନ୍ତି ଶୁଣରେ ଚତୁରୀମଣି ।
           ସୁବେଶ ତୁମ୍ଭଙ୍କୁ କରିବା ପୁଣି ଯେ ।।
                 ବହନ ବିଜୟ କର ଗୋ ।
ବେଶ ହୋଇବ କେବଳ ନୃପଜେମା ବିଳମ୍ବ ଆଉ ନ କର ଗୋ । ୧ ।             

    - ୮ମ ଛାନ୍ଦ, ଶଶିରେଖା, ପଦ୍ମନାଭ ଶ୍ରୀଚନ୍ଦନ

(୩) କେତେକ ଛାନ୍ଦମାନଙ୍କ ମଧ୍ୟରେ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ପାଦରେ 'ଯେ' ଓ 'ସେ' ମଧ୍ୟରୁ ଯେ କୌଣସି ଗୋଟିଏ ସମସ୍ତ ଉପାନ୍ତ୍ଯ ସ୍ଥାନରେ ବ୍ୟବହୃତ ହୋଇଥିବା ବେଳେ ଅନ୍ୟତ୍ର ଗୋଟିଏ ପଦ ଅନ୍ୟଠାରୁ ଅଧିକ ପ୍ରୟୋଗ ହୋଇଥାଇ ପାରେ । 

(ଅର୍ଥ ହେଉଛି ଯେ ଯଦି ଚତୁର୍ଥ ପାଦରେ 'ଯେ' ଥିବ, ପଞ୍ଚମ ଓ ଷଷ୍ଠରେ 'ସେ' ଥାଇପାରେ ଯାହା 'ଯେ' ଅପେକ୍ଷା 'ସେ' ର ଅର୍ଥଗତ ପ୍ରାଧାନ୍ୟକୁ ବିଶେଷିତ କରିଛି । ଏବଂ ରାଗପୂର୍ଣ୍ଣାର୍ଥକ ଶବ୍ଦ ଭାବେ ଏମାନଙ୍କ ମଧ୍ୟରୁ 'ସେ' ର ପ୍ରାଧାନ୍ୟ ମଧ୍ୟ 'ଯେ' ଅପେକ୍ଷା ଅଧିକ ସମ୍ଵୋଧନସୂଚକ ଅଥବା ଗେୟ ପଦମାନଙ୍କରେ ବିନ୍ୟସ୍ତ ଥାଏ ।)
            

           ଚନ୍ଦ୍ରମଲ୍ଲୀ କଢି ଖଞ୍ଜିଲେ ଯହୁଁ ।
           ଆଭାସୁଅଛି ମୋ ମନକୁ ତହୁଁ ।।
           ଇନ୍ଦ୍ରଶରାସନ ଯଉଁ ପ୍ରକାର ।
           ଚିକୁରକୁ ଲାଗି ଦିଶେ ସୁନ୍ଦର ଯେ ।।
                  ହୀରକ ମାଣିକ୍ୟ ସଙ୍ଗେ ଯେ ।
କନକକୁ ଲାଗି ସେହି ପରକାରେ ଦିଶୁଅଛି ନାନା ରଙ୍ଗେ ଯେ । ୧୨ ।        

( ଏଠାରେ କେବଳ 'ଯେ' ରହିଛି । ସର୍ବନାମ ଭାବେ 'ଯେ' ପଦ ନାୟିକାର କଥା କହି ଏକାଧିକ ବସ୍ତୁମାନଙ୍କ ସହିତ ତୁଳନୀୟ ହୋଇଛି । )
          

      - ୮ମ ଛାନ୍ଦ, ଶଶିରେଖା, ପଦ୍ମନାଭ ଶ୍ରୀଚନ୍ଦନ

                                          

           ମଧୁପର-ପଦ ଅନନ୍ତ ଶେଯେ
           ପଦ୍ମାକରର ମଣ୍ଡନତା ସଜ୍ଜେ
           ହଂସ ମତରେ ଜାଣି ଏହା ମୂଳ
           ତାରକ ବଳେ ବର୍ଜ୍ଜିଥାନ୍ତି କୁଳ ଯେ,
            ମୀନ, ଧ୍ଵଜ, ଚାପେ ଶୋଭା ଯେ
ବିଯୋଗୀ ଯେ ଶୁକ ରାଜାର ତାରଣେ ପ୍ରକାଶିତ କରେ ପ୍ରଭା ଯେ ।

        - 'ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର' (୧ମ ଛାନ୍ଦ), ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର

                      'ରସକୋଇଲା' ବା 'ରସକୂଲ୍ୟା' ବୃତ୍ତର ମୂଳ ଗୀତ ସ୍ଵରୂପ ଯାହା ଆମ୍ଭର ସର୍ବଜନବିଦିତ, ତାହା ହେଉଛି ପଞ୍ଚସଖାଙ୍କ ପୂର୍ବବର୍ତ୍ତୀ କବି ଦାମୋଦର ଦାସଙ୍କ 'ରସକୂଲ୍ୟା ଚଉତିଶା' । ନିଖିଳ କୃଷ୍ଣତତ୍ତ୍ଵକୁ ଅଧୁନାତନ ଭାଷା ସମକକ୍ଷ ଓ ପ୍ରାଚୀନ ଶବ୍ଦପୁଞ୍ଜିର ଗରିଷ୍ଠ ଅଭିବ୍ୟଞ୍ଜନା ସତ୍ତ୍ଵେ ନବୀନ କବିତା ତୁଳନୀୟ ଉତ୍କୃଷ୍ଟ ପ୍ରତିପନ୍ନ କରିବାରେ ତାଙ୍କ ସିଦ୍ଧହସ୍ତତାର ରୂପ ଏହି ଚଉତିଶା । ଏଥିରେ ଶବ୍ଦମାନଙ୍କ ପ୍ରୟୋଗ ସହିତ 'ରସକୂଲ୍ୟା' ବୃତ୍ତର ପ୍ରାଚୀନତର ଦୃଷ୍ଟାନ୍ତ ଅନ୍ୟତମ ଉପପାଦ୍ୟ ଭାବେ ବିଦ୍ୟମାନ :

                କହଇ ରା(ହୀ)ଇ ସଖୀ ଦୂତିକାକୁ
                କଦମ୍ବମୂଳେ ଦେଖିଲି କୃଷ୍ଣଙ୍କୁ
                କଳାକଳେବର ରଙ୍ଗା ଅଧର
                କପାଳେ କସ୍ତୁରୀ ଚିତା ସୁନ୍ଦର ସେ,
                     କୁବଳୟା ଫଳ ନାସେ ଯେ,
କାମ ବିକାର କଲାକ ପ୍ରାଣବନ୍ଧୁ ଦେଖି ସୁଧାନନ୍ଦ ହାସେ ଯେ । ୧ ।

                ଖୋସିଛି ଶିରେ ମୟୂର ଶିଖଣ୍ଡ
                ଖଣ୍ତ ସଘନରେ ଶକ୍ର କୋଦଣ୍ଡ
                ଖଞ୍ଜି ଅଳଙ୍କାର ଗୁଞ୍ଜରା ମାଳି
                ଖଞ୍ଜି ପୁଞ୍ଜି ପୁଞ୍ଜି କାଇଁଚ ମାଳି ସେ,
                   ଖିଳ ବ୍ରହ୍ମାଣ୍ଡ ଠାକୁର ଗୋ,
ଖୀନ ନୟନ ଅପାଙ୍ଗ ଶରେ ତନୁ ଖଣ୍ଡ ଖଣ୍ଡ କଲା ମୋର ଗୋ ।୨ ।

                         ସାବଲୀଳ ପଦମାନଙ୍କ ପାଖୁଡାଏ ପାଖୁଡାଏ ବାସ୍ନାବିଷୟ ଘେନି ରସକୂଲ୍ୟା ବାଣୀରେ ମାଧୁର୍ଯ୍ୟସମ୍ପନ୍ନ ଗୀତରେ ଆମ୍ଭେମାନେ ଛନ୍ଦର ପ୍ରୟୋଗ ମଧ୍ୟ ୩୪ ଟି ପଦ୍ୟମାନଙ୍କରେ ଦେଖି ପାରିବା । ଏଥିରେ ଦେଖିହବ ଯେ 'ସେ' ଓ 'ଗୋ' ର ପ୍ରୟୋଗ ଯଥାମତେ ସମ୍ଵୋଧନସୂଚକ ଓ ସର୍ବନାମ ପଦ ଛଳରେ ବିନୟ କଥାର ପ୍ରକାଶ କରୁଛି । ଓଡ଼ିଆ ଛାନ୍ଦ ସାହିତ୍ୟର ଉଦ୍ଭବକାଳୀନ ହୋଇଥିବାରୁ ଉକ୍ତ ଚଉତିଶାର ଅନ୍ୟ ଏକ ଭାଗରେ ରସକୂଲ୍ୟାର ଲକ୍ଷଣ ଦେଖିପାରିବା ଏହି ଧରଣରେ :
                         
              

              "କ୍ଷୀନ ଉଦର ରୋମାବଳୀ ।
                ଛନ୍ନ ହୋଇବେ ଦେଖି ସୁରବାଳୀ ।।
                ଛାଡିବେ ପତି ସୁତ ଗୃହ ବାସ ।
                କ୍ଷଣେ ନ ଛାଡିବେ ଶ୍ରୀକୃଷ୍ଣ ପାଶ ସେ ।।
                      ଛଟକେ ତା ରୂପ ଦେଖି ଯେ ।
ଛାର ନିଲକ୍ଷଣୀ ଛାଡି ମୁଁ ଅଇଲି ଦୋଷ କ୍ଷମା କର ସଖି ଗୋ । ୭ ।             
                    

                 ଏଠାରେ 'କ୍ଷୀନ' (>କ୍ଷୀଣ) ଓ 'ନିଲକ୍ଷଣୀ' ('ନିକୃଷ୍ଟ' ଅର୍ଥରେ) ଭଳି ଶବ୍ଦବର୍ଣ୍ଣନା ସହିତ 'ସେ', 'ଯେ' ତଥା 'ଗୋ' ର ଏକାଠି ବିନ୍ୟାସ ଦ୍ଵାରା ଏମାନଙ୍କୁ ବର୍ତ୍ତମାନ ବୁଝିବା ଲାଗି ଅଧିକ ଦୃଷ୍ଟାନ୍ତ ଆବଶ୍ୟକ ନୁହେଁ । ଚତୁର୍ଥ ପାଦରେ ରାଗପୂର୍ଣ୍ଣାର୍ଥକ 'ସେ' ପଦ ତୃତୀୟ ପାଦୋଲ୍ଲିଖିତ 'ସୁତ', 'ପତି', 'ଗୃହ' ତଥା 'ବାସ' ର ଏକ ହିଁ ଗୋପିକାଙ୍କୁ ଦର୍ଶାଇ ସର୍ବନାମ ହେବା ଅସମ୍ଭବ ନୁହେଁ । ଏଥି ସହ ଅନ୍ୟ ଏକ ପ୍ରୟୋଗ ସ୍ଵରୂପ ପଞ୍ଚମ ପାଦ ଓ ଚତୁର୍ଥ ପାଦର ଗଦ୍ୟଶୈଳୀ ଏପରି ସମ୍ଭବତଃ ହେଲେ 'ସେ' ଓ 'ଯେ' ଏକତ୍ର ଅପ୍ରଧାନ ଓ ପ୍ରଧାନ ବାକ୍ୟରେ ଥିବାର ପ୍ରମାଣିତ ହୁଏ :

"ତା ରୂପ ଯେ ଛଟକେ ଦେଖି(ଛି), ସେ ଶ୍ରୀକୃଷ୍ଣ ପାଶ କ୍ଷଣେ ନ ଛାଡିବେ ।" 
             

                      ଯେହେତୁ 'ଯେ' ଓ 'ସେ' ରାଗପୂର୍ଣ୍ଣାର୍ଥକ ଏବଂ ଗୀତଧର୍ମୀ ରୀତିଶୈଳୀରେ ପ୍ରବର୍ତ୍ତିତ ହୋଇ ଆମ ସାହିତ୍ୟରେ ତାହାର ଛନ୍ଦୋବଦ୍ଧ ସ୍ଵାତନ୍ତ୍ର୍ୟ ଉପୁଜିଛି, ଏଥିରେ ମତାନୈକ୍ୟ ନଥାଇ ପାରେ । କିନ୍ତୁ, ଆଧୁନିକ କବିତାମାନଙ୍କ ସମାନ ବୃତ୍ତର ଶୀର୍ଷକ ଛାୟାରେ ରଚିତ ପଦ୍ୟବିଶେଷ କିନ୍ତୁ 'ଯେ', 'ସେ', 'ହେ' ପ୍ରଭୃତି ପଦକୁ ଆପାତତଃ ସ୍ଵେଚ୍ଛାକ୍ରମେ ବ୍ଯବହାର କରିଛନ୍ତି । ଯଦ୍ୟପି କେତେକ କବିମାନେ ପଞ୍ଚମ ପାଦ ଓ ଷଷ୍ଠ ପାଦରେ ଏହି ପଦମାନଙ୍କରେ ବିଧି ଅନୁଯାୟୀ ପ୍ରୟୋଗ କରିଛନ୍ତି, ମାତ୍ର ତାହା ଚତୁର୍ଥ ପାଦରେ ସମ୍ପୂର୍ଣ୍ଣ ଅପ୍ରଚଳିତ ।

                            ଦୃଷ୍ଟାନ୍ତ ସ୍ଵରୂପ ନିମ୍ନରେ ଥିବା କେତେକ ଆଧୁନିକ ଯୁଗର କ୍ରମିକ ଅଭିସନ୍ଧିରେ ରଚନା କରାଯାଇଥିବା ପଦ୍ୟାବଳୀ ବଖାଣ କରନ୍ତି । ନିମ୍ନଲିଖିତ ପ୍ରଥମ ପଦ୍ୟର ପଞ୍ଚମ ଓ ଷଷ୍ଠ ପାଦର ଉପାନ୍ତ୍ୟ ସ୍ଥାନ 'ରେ' ଦ୍ଵାରା ସମାପନ ହୋଇଥିଲେ ସୁଦ୍ଧା ଆମ୍ଭେ ଉପସ୍ଥାପନାର ଆରମ୍ଭରେ 'ରେ' ବିଷୟରେ କହିଥିବା ପ୍ରୟୋଗମାନ ଅନ୍ତର୍ଗତ 'ସମ୍ଵୋଧନ' ସୂଚନା ଏଠାରେ ରହିଛି, ଯାହା ଗାନଯୋଗ୍ୟ ହୋଇବାରେ ଦୋଷାବହ ନୁହେଁ । ପୁନରାବୃତ୍ତି ସମୟରେ ମଧ୍ୟ ଏଥିରେ କୌଣସି ବ୍ୟତିକ୍ରମ ପରିଲକ୍ଷିତ କରିହୁଏ ନାହିଁ :
                            
   

              ଜଗଜ୍ଜୟକୁ ପା'ଞ୍ଚି ପଞ୍ଚବାଣ'
              ଓଟାରି ଧରିଛି' ପୁଷ୍ପ-କମାଣ'
              ବାଳ-ଚନ୍ଦ୍ରିକା ବା'ଣମୁନ ଦିଶେ'
              ଭୃଙ୍ଗଗଣ ବ୍ୟୋମ' ସଙ୍ଗରେ ମିଶେ'
                  ଚାହାଁ ଚଳ-ନେ'ତ୍ରାଞ୍ଚଳ'ରେ'
  ଏ ନୋହେ ବଳକ୍ଷ'ପକ୍ଷ ଜାତ ଋକ୍ଷ'ପତିର ଦ୍ଵିତୀୟା' କଳାରେ' ।

            - ଦ୍ଵିତୀୟା ଚନ୍ଦ୍ର ବର୍ଣ୍ଣନା, ଗଦାଧର ସିଂହ ସାମନ୍ତ (ସୌଜନ୍ୟ : କୁଳମଣି ଷଡ଼ଙ୍ଗୀ)

              
                      ଅନ୍ୟାନ୍ୟ କବିତାମାନଙ୍କରେ ଯେଉଁଠି ଏହାର ପ୍ରୟୋଗ ଦୃଶ୍ୟମାନ ହୋଇନାହିଁ, ତାହା ଆନୁମାନିକ ଆମ୍ଭର ଯାହା କହି ହୋଇପାରେ, ତାହା ଏପରି ଯେ ସାଧାରଣତଃ ରାଗ ପରିପୂର୍ଣ୍ଣାର୍ଥ ଶବ୍ଦମାନଙ୍କୁ ଗାନ ସମୟରେ ଉଚ୍ଚାରଣ କରା ଯାଇଥାଏ ଏବଂ ଉପାନ୍ତ୍ଯ ଅକ୍ଷର ମେଳ ନ୍ୟାୟରେ ସେମାନଙ୍କ ଭୂମିକା ବିଶେଷତଃ ନାହିଁ । ତେଣୁ କରି ପଦମାନଙ୍କୁ ଯଥାରୀତି ଛନ୍ଦରେ ଆବଦ୍ଧ ରଖି ରାଗ ପୂର୍ଣ୍ଣାର୍ଥକ ଶବ୍ଦ 'ଊହ୍ୟ' ରହିଥିବାର କହିବାରେ ଆମେ 'ଯେ' ଓ 'ସେ' ର ଅବସ୍ଥିତି ଅବବୋଧ କରି ପାରିବା । ତାହା ଆବୃତ୍ତି ସମୟରେ ଉଚ୍ଚାରିତ ହୋଇପାରେ । 
                      

              ନିମ୍ନରେ ପାଠକୀୟ ଅବଗତି ଲାଗି ସେହି ଧରଣର କେତେକ ପଦ୍ୟାବଳୀ : 
              

              
              ମହାମୃତ୍ୟୁ-ଶୋକ-ତାମସୀ-ଛାୟା ।
              ସହସା ବିସ୍ତାରି ବିରାଟ କାୟା ।।
              ଘୋଟି ଯାଇଅଛି ନିଖିଳ ମହୀ ।
              ଦାରୁଣ ନିର୍ବେଦ ମାରୁତ ବହି ।।
                    ଲିଭାଇଛି ମହାଶ୍ଵାସେ ।
  ହର୍ଷ-ଦୀପ-ଶିଖା ସହସ୍ର-ପ୍ରଦେଶେ କୋଟି-କୁଟୀ-ସୌଧବାସେ ।
  

          (ମହାଦେବୀ ଭିକ୍ଟୋରିୟା, 'କୁସୁମାଞ୍ଜଳି', ଭକ୍ତକବି ମଧୁସୂଦନ ରାଓ)

             କାହିଁକି ବା କାଳ ନିନ୍ଦଇ ତୋତେ
             ଭାସି ଯାଇ ଶୋକ-ନୈରାଶ୍ୟ-ସ୍ରୋତେ,
             ନ ଶୁଣି ତୋହର ସୂନୃତ-ଗିର
             ମୋହ-ଭ୍ରାନ୍ତି-ନାଶୀ ମହାଗମ୍ଭୀର-
                   "ଅଲଙ୍ଘ୍ୟ ବିଧିର ବିଧି,
 "ସେ ମହାଶାସନ ବ୍ରହ୍ମାଣ୍ଡ-ବିଦିତ ମୁଁ ତାର ଛାର ପ୍ରଣିଧି ।"
 

         (ଶୋକ-ଶ୍ଳୋକ, 'ବସନ୍ତଗାଥା', ଭକ୍ତକବି ମଧୁସୂଦନ ରାଓ)

              ଏ ଉତ୍କଳ ମହୀ ଦେବ-ଭୁବନ
              ସାହିତ୍ୟ ସାଧନ ତପ କାନନ,
              ଆସୁ ତା ଅତୀତ ଗୌରବ ଫେରି
              ବାଜୁ ତାହା ନାମେ ସୁଖ୍ୟାତି ଭେରୀ 
                    ଉନ୍ନତିର ପାଞ୍ଚଜନ୍ୟ ଯେ
 ବାଜୁ ତା ବକ୍ଷରେ ମଧୁରେ ପୃଥୁଳେ ହେଉ ସେ ଜଗତେ ଧନ୍ୟ ଯେ ।  ୫ ।
 

       - କବିତା : 'ମାତୃ-ଆହ୍ଵାନ' ('ସାନ୍ଧ୍ୟତାରା' ସଙ୍କଳନ)
          କବିଶେଖର ଚିନ୍ତାମଣି ମହାନ୍ତି

             "ଶିବ ଚତୁର୍ଦ୍ଦଶୀ ନିଶିରେ ବସି ।
              ଦୀପାବଳୀ ଜାଳି ଗ୍ରାମ-ରୂପସୀ ।।
              ହୁଳହୁଳି ଦେଇ ଶଙ୍ଖ ବଜାଇ ।
              ବସିଥାନ୍ତି ଉଜାଗରରେ ଥାଇ ।।
                  କରୁଥିଲେ କିଣାବିକା ହେ ।
 ଚଣା ଭଜା ଚୁଡା ମିଠାଇ ଉଖୁଡା ଦୋକାନୀ କରି ଜୀବିକା ହେ ।"
 

        - ଭଗ୍ନ ଶିବମନ୍ଦିର, 'ଅବସର ବାସରେ', ବ୍ୟାସକବି ଫକୀରମୋହନ ସେନାପତି

                       ଶ୍ରୀଯୁକ୍ତ ବିଷ୍ଣୁଚରଣ ଜେନା ସାର୍ ଙ୍କ ମାଧ୍ୟମରେ ଅନୁପ୍ରେରିତ ଉକ୍ତ ଉପସ୍ଥାପନା ଲାଗି ସମସ୍ତ ଶ୍ରେୟ ଆମ ରୁଚିକର କାବ୍ୟ ଐତିହ୍ୟର । ରସକୂଲ୍ୟା ସହିତ ଅନ୍ୟାନ୍ୟ ସମ ଓ ବିଷମ ଛନ୍ଦମାନଙ୍କରେ ଏହିପରି 'ଯେ' ଓ 'ସେ' ର ପ୍ରୟୋଗ ବିଷୟରେ ସଦୃଷ୍ଟାନ୍ତ ପର୍ଯ୍ୟାଲୋଚନା କରାଯାଇଥିଲେ ମଧ୍ୟ ଜିଜ୍ଞାସାକର୍ତ୍ତୃକ ଆମ ସାରସ୍ଵତ ଅଭିଯାନ ନିୟମିତ ରହିଥିବ ବୋଲି ବଦ୍ଧପରିକର । ପାଠକୀୟ ମତ ସମଧିକ ସେମାନଙ୍କ ବୋଧଗମ୍ୟ ଜ୍ଞାନର ପାତ୍ରତା ଓ ଆଲୋଚ୍ୟ ଛନ୍ଦର ଉପଯୁକ୍ତ ବିବେଚନା ହିଁ ଆମ୍ଭର ସାର୍ଥକତା ହେବ ବୋଲି ପୂର୍ଣ୍ଣଭାବରେ ନିଶ୍ଚିନ୍ତ ଅଟୁଁ ।

   ... @ମୋ ପ୍ରିୟତମ ପାଥେୟର ସରଣୀ ଅମୃତେଶ ଖଟୁଆ (୦୫.୦୪.୨୦୨୨)
                     
            
  #prachinasahitya #ଛାନ୍ଦ #muodia #ଓଡ଼ିଆ

Tuesday, April 5, 2022

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ -୨】❀

╔⏤⏤⏤⏤╝❀╚⏤⏤⏤⏤╗
                  ଶିବ ପୁରାଣ
                  ପ୍ରଥମ ଖଣ୍ଡ 
               【ଭାଗ -୨】  
╚⏤⏤⏤⏤╗❀╔⏤⏤⏤⏤╝
    ✍ ଦୁଷ୍କନ୍ତ କୁମାର ମିଶ୍ର 

#ନୈମିଷା_ଅରଣ୍ୟେ_ଋଷିମାନେ_ଯଜ୍ଞକରିବା_ସମୟରେ_ବ୍ରହ୍ମାଙ୍କ_ପୁତ୍ରସନତ_କୁମାରଙ୍କ_ପ୍ରବେଶ।
⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅⋆⋄✧⋄⋆⋅⋆⋄✧⋄
ବ୍ୟାସ ଦେବ କହିଲେ -ହେ ସୁଜ୍ଞ ଜନ ମାନେ !ଶିବ ପୁରାଣ କୁ ମନ କର୍ଣ୍ଣ ଦେଇ ଶୁଣ ।ଏହି ପୁରାଣରେ  ଭଗବାନ ଶିବ ଙ୍କ ଗାଥା କୁ ମୁଁ ବର୍ଣ୍ଣନା କରୁଛି ।ଏହି ପୁରାଣ ଅତି ରହସ୍ୟମୟ ଅଟେ ।ଏହାକୁ ଶୁଣିଲେ କର୍ଣ୍ଣରୁ ପାପ ତାପ ଧୋଇ ହୋଇ ଯିବ ।
           
       ଏକଦା     ନୈମିଷା  ଅରଣ୍ୟରେ ସବୁ ଋଷିଗଣ ମିଳିତ ହୋଇ ସେଠାରେ ଏକ ଯଜ୍ଞ ଆରମ୍ଭ କଲେ । ସେହି ଯଜ୍ଞ ସ୍ଥାନରେ ବେଦ ବ୍ୟାସ ,ସନକ ,ସୌନକ ,ଅତ୍ରି  ଋଷି ମାନେ ଆସି ଯୋଗ ଦେଲେ ।ସମସ୍ତ ଋଷିଗଣ ପବିତ୍ର ମନରେ ଯଜ୍ଞରେ  ଗବ୍ୟ ଘୃତ ଦେବାରୁ  ନିର୍ଧୂମ  ଅନଳ ଶିଖା ଯଜ୍ଞରୁ ଉଠିଲା । ଋଷିମାନେ ମନ୍ତ୍ର ପଢି  ଘୃତ ଢାଳୁଥାନ୍ତି ।  ଋଷି ମାନଙ୍କର ଓଁକାର ବେଦ ନାଦରେ  ତ୍ରିପୁର କମ୍ପି ଉଠୁଥାଏ ।ତିନିପୁରରେ ଯେତେ ଦେବାଦେବୀ ଥିଲେ ସମସ୍ତଙ୍କ ନାମରେ ଋଷିମାନେ ଯଜ୍ଞରେ ହବି ଦେଲେ । ହବି ପାଇବାରୁ ସବୁ ଦେବାଦେବୀ ସନ୍ତୁଷ୍ଟ ହେଲେ । ଯଜ୍ଞ ସାରି ଋଷିମାନେ ଯେଝା ପୁରକୁ 
ବାହୁଡ଼ି ଗଲେ ।  ଯଜ୍ଞ ଶେଷରେ  ସକଳ ଋଷିମାନେ ଏକତ୍ରିତ ହୋଇ  ବ୍ୟାସ ଙ୍କୁ ଅନୁରୋଧ କରି କହିଲେ ହେ ବ୍ୟାସ  ଜୀ !ଆପଣ ଆମ୍ଭ ମାନଙ୍କୁ ଶାସ୍ତ୍ର ବିଷୟରେ କୁହନ୍ତୁ ?ଆମେ ଆପଣଂକ ମୁହଁରୁ ଶାସ୍ତ୍ର ଶୁଣିବୁ ।ବ୍ୟାସ କହିଲେ ଓ ସମସ୍ତ ଋଷିଗଣ ବ୍ୟାସ ଙ୍କ ଠାରୁ ଶାସ୍ତ୍ର ଶୁଣୁଥିଲେ । ଏହି ସମୟରେ  ବ୍ରହ୍ମା  ,ଙ୍କ ପୁତ୍ର ସନତ କୁମାର  ନୈମିଷା ଅରଣ୍ୟ ରେ ପହଁଞ୍ଚଲେ । ସନତ ଙ୍କର କାନ୍ତି ରସାଣିଲା  ସ୍ୱର୍ଣ୍ଣ ପରି ଦେଖା ଯାଉଥିଲା । ତାଙ୍କର ଦିବ୍ୟ ତେଜ ସତେ ଯେପରି ଅନ୍ଧାର କୁ କାଟି ଆଲୋକ ପ୍ରଦାନ କରୁଥିଲା । ସନତ କୁମାର ଙ୍କୁ ଦେଖି ସବୁ ଋଷିମାନେ  ସସମ୍ମାନେ ଆସନ ଦେଇ ଅତି ଯତ୍ନ ର ସହକାରେ ବସାଇଲେ ଓ କହିଲେ ହେ !ସନତ ମୁମାର  ଆପଣଙ୍କ ଦର୍ଶନ ପାଇଲୁ ଏହା ଆମର ବଡ଼ ସୌଭାଗ୍ୟ ଅଟେ । ସ୍ୱୟଂ ଧାତା ଓ ଧାତା ଙ୍କ କୁମର ଙ୍କୁ ଦର୍ଶନ କଲୁ ।ସବୁ ଋଷି ମାନେ ଏପରି କହି  ପିତା ପୁତ୍ର କୁ କୁଶଳ ବାର୍ତ୍ତା ପଚାରିଲେ । ଏହାପରେ ସବୁ ଋଷିମାନେ ସନତ କୁମାର  ଙ୍କୁ ଚଉଦ ବର୍ଷ ବେଢ଼ି ରହି ବସିଲେ ଓ କହିଲେ ଅନେକ ଦିନ ହେଲା ଆମ୍ଭେମାନେ ଆପଣଙ୍କ କଥା ମନେ ମନେ ବସି ଭାବୁଥିଲୁ ।ହେ ସନତ! ଆମ ମନ କଥା ଜାଣି ଆପଣ ଠିକଣା ବେଳରେ  ଆମ ଆଗରେ ଆପଣ ମିଳି ଯାଇଛନ୍ତି । ଆପଣ ସର୍ଵଜ୍ଞ ଓ ଦୈବ୍ୟ ପୁରୁଷ ଅଟନ୍ତି ।ଆପଣ ଭୂତ ଭବିଷ୍ୟ ଓ ତ୍ରିକାଳକଥା ଜାଣନ୍ତି ।ଦେବ ଦେବ ମହାଦେବ ଙ୍କୁ ଭଜି ସବୁ ବିଦ୍ୟା ରେ ନିପୁଣ ହୋଇଛନ୍ତି । ଚାରି ବେଦ ସହିତ ଷଡ ବିଦ୍ୟା 
ବ୍ୟାକରଣ  ଓ ବ୍ରହ୍ମଜ୍ଞାନ  ରେ ଆପଣ ଦକ୍ଷ ଅଟନ୍ତି ।ଏହା ସହିତ ସମସ୍ତ ଶାସ୍ତ୍ର ରେ ଆପଣ ଧୁରନ୍ଧର ଅଟନ୍ତି । ହେ ସନତ କୁମାର !ଆମେ ସର୍ଵ ଋଷି ମନେ ମନେ ଭାବିଛୁ ଯେ ଆପଣଂକୁ ଗୋଟିଏ କଥା ପଚାରିବୁ। ଶିବ ପୁରାଣ ବ୍ରହ୍ମାଣ୍ଡ ରେ ଶ୍ରେଷ୍ଠ ଅଟେ! ଏହି ପୁରାଣରେ ଜ୍ଞାନ ପୁରି ରହିଅଛି । ସେଥିପାଇଁ ଆମେ ସର୍ଵ ଋଷି  ଇଛା କରିଛୁ ଏହି ଶିବ ପୁରାଣ ଶୁଣିବା ପାଇଁ । ହେ କୁମାର !ଦୟାକରି  ସୁଚିତ୍ତ ରେ ଆମ ଆଗରେ ଶିବ ପୁରାଣ ବର୍ଣ୍ଣନା କରନ୍ତୁ ?।ଋଷି ମାନଙ୍କ କଥା ଶୁଣି ଧାତା ଙ୍କ କୁମର ସନତ ଋଷି ହସି ହସି କହିଲେ ...........

#ସନତ_କୁମାର_ଉବାଚ 

            ସର୍ଵ ଋଷିଙ୍କ ମୁଖରୁ ଏପରି କଥା ଶୁଣି ସନତ କୁମାର ହସି ହସି କହିଲେ -ହେ ଋଷିଗଣ !ମୁଁ ଶିବ ପୁରାଣ ତୁମ ଆଗରେ ପ୍ରକାଶ କରିଛି ତୁମେ ମାନେ ସୁଚିତ୍ତ ରେ ଶୁଣ ।ଏହି ସମାଚାର ଅତି ଗହନ ଅଟେ । 'ଶିବ' ବୋଲି  ଏହି ଦୁଇ ଅକ୍ଷର  ତିନି ଭୁବନରେ ସାର ଅଟେ ।ତାଙ୍କ ଚରିତ ଶାସ୍ତ୍ର ରେ ଲେଖା ହୋଇଅଛି ।ଯେଉଁ ଶାସ୍ତ୍ର ରେ ଏହା ଲେଖା ହୋଇଛି ତାକୁ ଶିବ ପୁରାଣ କୁହନ୍ତି ।ଶିବ ପୁରାଣ କୁ ଯେଉଁମାନେ ଭକ୍ତିରେ ଶ୍ରବଣ ତାହାରି ଅଙ୍ଗରୁ ପାପ ତାପ ନିବାରଣ  ହୋଇଯାଏ ।ସେହି ଲୋକ ଅନ୍ତ କାଳେ ଯମଦଣ୍ଡରୁ ନିସ୍ତାର ପାଏ।  ତାହାରି ପାଶରେ କାଳ ଦୂତ ମାନେ ଡରି କି ଚାଲି ଯାଆନ୍ତି । ସେହି ଲୋକ ଦିବ୍ୟ ରଥରେ ବସି ତ୍ରିଦଣ୍ଡ କୁ ଗମନ କରେ ଓ ଦେବତାଙ୍କ ସହିତ  ଗଣା ମଧ୍ୟ ହୁଏ । ସ୍ତ୍ରୀ ଲୋକମାନେ ଯଦି ଏହି ଗ୍ରନ୍ଥ କୁ ଶୁଣିବେ  ତେବେ ପୁତ୍ର ପତି ନେଇ ସୁଖରେ କାଳ କାଟିବେ ।ସେମାନେ ବୈଧବ ଯନ୍ତ୍ରଣା ରୁ ମୁକ୍ତି ପାଇବେ ।ଜଗତରେ ତାଙ୍କୁ ସତୀ ସରୋମଣି କହିବେ ।ପତି ସହଗାମିନୀ ହୋଇ ଶେଷ କାଳରେ ବୈକୁଣ୍ଠ ପ୍ରାପ୍ତି ହେବେ  । ହେ ଋଷିଗଣ !ଏ ଶାସ୍ତ୍ର ର ମହତ୍ୱ ଏମନ୍ତ ଅଟେ  ।ଏହି ଶିବ ପୁରାଣ କୁ ଶୁବିବାକୁ ତୁମ ମାନଙ୍କର ଚିତ୍ତ ବଳିଛି ଏଥିପାଇଁ ତୁମେ ମାନେ ସୌଭାଗ୍ୟବନ୍ତ  ଅଟ ।ତୁମେମାନେ  ସମସ୍ତେ ତ୍ରିଭୁବନରେ ସମାନ ହେବ ।ମୁଁ ମୋ ପିତାଙ୍କ ମୁଖରୁ ଶିବ ପୁରାଣ ବିଷୟରେ ଯାହା ଶୁଣିଛି  ତାହା ତୁମ ନିକଟରେ ବ୍ୟାଖ୍ୟା କରିବି । ତୁମେମାନେ ନିଶ୍ଚଳ ଚିତ୍ତରେ ଗୋଟିଏ  ସ୍ଥାନରେ ବସ ।ଏହି ଶୁଭ ମୁହୂର୍ତ୍ତରେ ମୁଁ  ଶିବ ପୁରାଣ ଗ୍ରନ୍ଥ କୁ ଗାୟନ କରିବି । ଏହାକହି  ଧାତା ସୁତ  ସନତ କୁମାର  ଶିବ ଗାଥା କୁ  ଆରମ୍ଭ କଲେ ।

କ୍ରମଶଃ..................

   •┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

Friday, April 1, 2022

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ -୧】❀

╔⏤⏤⏤⏤╝❀╚⏤⏤⏤⏤╗
                  ଶିବ ପୁରାଣ
                     ପ୍ରଥମ ଖଣ୍ଡ 
                   【ଭାଗ -୧】                     ╚⏤⏤⏤⏤╗❀╔⏤⏤⏤⏤╝
                     ଯେଉଁ ମାନଙ୍କର  ଶଙ୍କର ଭଗବାନ ପ୍ରତି ଶ୍ରଦ୍ଧା ,ଭକ୍ତି 
ବିଶ୍ୱାସ ରହିଅଛି ସେମାନେ ଏହି ପୁରାଣ ଅଧ୍ୟୟନ କଲେ  ଭଗବାନ ଶିବ ଙ୍କ ଉପରେ ନିଜର କର୍ତ୍ତବ୍ୟ ବିଷୟରେ କୌଣସି ତ୍ରୁଟି ରହିବ ନାହିଁ ।ସଂସ୍କୃତ ଭାଷା ସାଧାରଣଙ୍କ ପକ୍ଷରେ ଦୁର୍ବୋଧ ହେତୁ ମଦୀୟା ବାନ୍ଧବୀ ଶ୍ରୀମତୀ ସସ୍ମିତା ମହାପାତ୍ର ଙ୍କର ପ୍ରେରଣା ରେ ଉତ୍ସାହିତ ହୋଇ ଉତ୍କଳ ଭାଷାରେ ଏହି ପୁରାଣ କୁ ଅନୁବାଦ କରିବାକୁ ପ୍ରବୃତ୍ତ ହେଲି ।ଭ୍ରମ  ପ୍ରମାଦ ବଶତଃ ଅନୁବାଦ ମଧ୍ୟରେ କୌଣସି ତ୍ରୁଟି ପରିଲିକ୍ଷିତ ହେଲେ ସେଥି ନିମିତ୍ତ ମରାଳଧର୍ମୀ ସହୃଦୟ ପାଠକ ମାନଙ୍କ ନିକଟରେ ,ବ୍ୟାସ ଙ୍କ ନିକଟରେ ତଥା ଭଗବାନ ଶଙ୍କରଙ୍କ ନିକଟରେ କ୍ଷମାଭିକ୍ଷା କରୁଅଛି ।ଇତି।
                                       --- ଟୁକୁ---
             ✍  ; ଉପସ୍ଥାପନା ; ଦୁଷ୍ମନ୍ତ କୁମାର ମିଶ୍ର 
 ⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧
                            
ଧ୍ୟାୟେନ୍ନିତ୍ୟଂ ମହେଶଂ ରଜତଗିରିନିଭଂ ଚାରୁ ଚନ୍ଦ୍ର ବତଂସଂ।
ରତ୍ନକଳ୍ପୋଜ୍ଜ୍ବଜାଙ୍ଗ ପରୁଶୁମୃଗଵଗଭୀତିହସ୍ତଂ ପ୍ରସନ୍ନଂ।।

ଚର୍ମାସନଂ ସମନ୍ତାସ୍ତୁତମମଗଣୈ କୃତ୍ତିବାସଂ ପିନାକଂ।
ବିଶାଦଂ ବିଶ୍ଵବନ୍ଦ୍ୟଂ ନିଖିଳ ଭୟହରଂପଞ୍ଚବକ୍ତଂ ତ୍ରିନେତ୍ରଂ।।

ପ୍ରଭୁମୀଶ  ମନୀଷ ମହେଶ ଗୁଣଂ ଗୁଣହୀନ ଗଳାଭଣଂ ।
ରଣନିର୍ଜ୍ଜିତ ଦୁର୍ଜ୍ଜୟ ଦୈତ୍ୟପୁର ପ୍ରଣମାମି ଶିବଂ ଶିବ।କଳ୍ପତରୁଂ।।

ଗିରିରାଜ ସମନ୍ୱିତ ବାମତନୁ  ତନୁନିନ୍ଦିତ ରାଜିତ କୋଟିବିଧୁଂ।
ବିଧିଵିଷ୍ଣୁଃ ଶିବାନତା ପାଦଯୁଗ୍ମ ପ୍ରାଣମାମି ଶିବଂ ଶିବ କଳ୍ପତରୁଂ।।

ଶଶି ଲାଞ୍ଚିତ ରଞ୍ଜିତ ସନ୍ନକୁଟଂ କଟିଲମ୍ବିତ ସୁନ୍ଦର କୃତ୍ତିପଟଂ।
ସୁରଶୈବବଳିନୀକୃତ କୂତପଟଂ  ପ୍ରାଣମାମି ଶିବଂ ଶିବ କଳ୍ପତରୁଂ ।।

ତ୍ରିନୟନ ସୁଭୂଷିତ ଚାରୁମୁଖଂ ମୁଖପଦ୍ମ ବିରାଜିତ କୋଟିବିଧୁଂ।
ବିଧୁଖଣ୍ଡ ବିମଣ୍ଡିତ ଭାଲତଟଂ ପ୍ରାଣମାମି ଶିବଂ ଶିବ କଳ୍ପତରୁଂ।।

ବୃଷରାଜ ନିକେତନ ମାଦିଗୁରୁଂ ଗରଳାଶନମାଦି ବିଷଭିଧରଂ।
ପ୍ରଥମଧିପ ସେବକ ରଞ୍ଜନକଂ ପ୍ରାଣମାମି ଶିବଂ ଶିବ କଳ୍ପତରୁଂ।।

ମକରଧ୍ଵଜ ମତ୍ତମାତ୍ତଙ୍ଗ  କରୀଚର୍ମାସନା ନାଗ ବିବୋଧକରଂ।
ବରଦାଭୟ ଶୂଳ ବିଷାଭି ଧାରଂପ୍ରାଣମାମି ଶିବଂ ଶିବ କଳ୍ପତରୁଂ।।

ନଦେୟଚପୁଷ୍ପଂସଦାପାପଚିତ୍ତୈଃ ପୁନର୍ଜନ୍ମଦୁଃଖାତ୍ ପରିତ୍ରାହି ଶମ୍ଭୋ 
ଭଜତୋଖିଳ ଦୁଃଖ ସମୂହ ହରଂ ପ୍ରାଣମାମି ଶିବଂ ଶିବ କଳ୍ପତରୁଂ।।

#ମହାଦେବଙ୍କ_ସ୍ତବ
---------------------
                                    
ଜୟ ହେ ମହାଦେବ ! ଆପଣ ଶଶାଙ୍କ କୁ ଧାରଣ କରିଛନ୍ତି  ।ହେ ମହାଦେବ ଆପଣ ବିଘ୍ନ ବିନାଶନ  !ହେ ମହାଦେବ ଆପଣ ମହା ଯୋଗେଶ୍ୱର ! ହେ ମହାଦେବ ଆପଣ ପାର୍ବତୀ ରମଣ ,ଆପଣ ଦିଗମ୍ବର !ହେ କପିଳାସ ବାସୀ  ,ହେ ଗଙ୍ଗାଧର !ଆପଣ ବ୍ରହ୍ମ କୁ ଲୟ କରି ଅମର ହୋଇଛନ୍ତି । ଆପଣ ମହାମାୟା କୁ  ଆୟତ୍ତ କରି ଜନ ହିତ ପାଇଁ ଘରଣୀ କରି ରଖିଛନ୍ତି ।ହେ ମହାଦେବ ତୁମର ମହିମା ସର୍ଵ ଦେବଙ୍କୁ ଅଗୋଚର ।ସବୁ ତପସ୍ୟାରେ ଆପଣ ଯୋଗ  ଲୟ କରନ୍ତି ।ହେ ମହାଦେବ ଆପଣ ପାଦତଳେ ଯିଏ ଶରଣ ପଶେ ତାହାକୁ ଆପଣ ଯାଚିକରି ବର ଦିଅନ୍ତି ।ହେ ମହାଦେବ !ଆପଣଙ୍କୁ ଜଗତରେ ଅକର୍ମଦାନୀ ବୋଲି କୁହନ୍ତି ।କର୍ମରେ ନଥିଲେ ତାହାରି କର ରେ ଭକ୍ତି ଆପଣ ଦିଅନ୍ତି ।ହେ ମହାଦେବ ଆପଣଙ୍କ ଠାରୁ ବର ପାଇ  ରାକ୍ଷାସ ରାବଣ ଚଉଦ ଗଣ୍ଡା ଯୁଗ ବଞ୍ଚିଗଲା ।ରାବଣ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଏପରିକି ତ୍ରିପୁର ଜିତିଗଲା ।ବୀର ଙ୍କ ଭିତରେ ମହା ବୀର ରାବଣ ଆପଣଙ୍କ ପାଇଁ ହେଲା ।  ହେ ମହାଦେବ ଯେତେବେଳେ ଅସୁର ଓ ଦେବତା ମାନେ ମିଶି ସମୁଦ୍ର ମନ୍ଥନ କଲେ ସେତେବେଳେ ବାସୁକି ନାଗ ଗରଳ ଉଦ୍ଗାର କଲା ।ବାସୁକି ର ବିଷ ଜ୍ଜାଳାରେ ସମସ୍ତେ ବ୍ୟାକୁଳିତ ହେଲେ ।ସବୁ ଦେବତା ମାନେ ଭୟରେ ତୁମକୁ ସ୍ମରଣା କଲେ ।ହେ ମହାଦେବ !ଦେବତା ମାନଙ୍କର 
ମାନ ରଖିବାକୁ ଯାଇ  ଆହେ ବିଶ୍ୱନାଥ ଆପଣ ଗରଳ ପାନ କଲେ।ସେହି ଗରଳ ପାନ କରି ଆପଣ ନୀଳକଣ୍ଠ  ହୋଇଗଲେ । ହେ ମହାଦେବ !ଆପଣଙ୍କୁ ଯିଏ ବିପଦ କାଳରେ ସ୍ମରଣ କରେ ତାକୁ ଆପଣ ସୁପ୍ରସନ୍ନ ହୋଇ ତାହାର ଆପଦ ଘୁଞ୍ଚାଇ ଦିଅ । ଭକ୍ତି ରେ ଯେଉଁ ଜନ ଯିଏ ଯାହା ଆପଣଂକୁ ମାଗିଛି  ସେ କେଭେ ରିକ୍ତ ହସ୍ତରେ ଆପଣଂକ ପାଖରୁ ଫେରି ନ ଯାଇଛି । ହେ ମହାଦେବ!ଆପଣ ଇନ୍ଦ୍ର କୁ ଇନ୍ଦ୍ରପଦ ଦାନ କରିଥିଲେ ।ବରୁଣ ଦେବତା କୁ ଜଳ ର ଅଧିପତି କରାଇଲେ ।କୁବେର କୁ ଅଳକା ଭୁବନ  ଦେଲେ ।ବ୍ରହ୍ମା ପଦରେ ମାର୍କଣ୍ଡ କୁ ତୁମ ସ୍ଥାନ ଦେଲ ।ହେ ଯୋଗେଶ୍ୱର ମାର୍କଣ୍ଡ କୁ ସାତଟି ବୟସ ପରମାୟୁ  ଦେଇ ସାତ କଳ୍ପ ରଖିଲ । ହେ ଦେବ ଦେବ ମହାଦେବ !ଆପଣଙ୍କୁ ଯିଏ ଯାହା ମାଗିଲା ତାକୁ ଆପଣ ଦାନ କରି ଦେଇ ଶେଷରେ ଶ୍ମଶାନ ମଧ୍ୟରେ ଯାଇ ବାସ କଲ ।ଭୂତ,ପ୍ରେତ ଙ୍କ ସହିତ ବିଚରଣ କଲ ।ହେ ମହାଦେବ !ଆପଣ ହାଡ଼ ମାଳ କୁ ଭୂଷଣ କଲେ ।ଜନ ଜଗତ ଯାହାକୁ  ଆଦର କରେ ନାହିଁ ସେହି ଭୂଷଣ କୁ ଆପଣାଇ ନେଲ ।ସମସ୍ତଙ୍କ ଚକ୍ଷୁ କୁ ଯାହା ଅସୁନ୍ଦର ଦେଖାଯାଏ  ତାହା ହେଲେ ତୁମ ଅଙ୍ଗର ପ୍ରିୟ ଭୂଷଣ । ବସନ ନପିନ୍ଧି ଆପଣ ଲେଙ୍ଗୁଟି ମାରିଲେ ।ତେଲ ନଲଗାଇବାରୁ ଆପଣଙ୍କ କେଶ ତାମ୍ର ବର୍ଣ୍ଣ ଦିଶେ ।ଆପଣଂକ ମସ୍ତକରେ ଗଙ୍ଗା କୁ ବହନ କରିଛନ୍ତି ।ଆପଣଂକ ସର୍ବାଙ୍ଗରେ ବିଭୂତି ଲେପନ କଲେ । ଚିଲିକା ମାଟି ତିଳକ କରି ଲଗାଇଲେ ।ଯେଉଁ ବିଷ ଧର ସର୍ପ କୁ ଦେଖିଲେ ଲୋକମାନେ ଡରନ୍ତି ସେହି ବିଷଧର ସର୍ପ କୁ ଆପଣ ପାଦ ଠାରୁ ଶିର ଯାଏ ଭୂଷଣ କଲେ । ବାସନ କୁ ଛାଡି ଆପଣ ଏକ ଲାଉ ଥାଳ ଧରି ତା ସହିତ ତ୍ରିଶୁଳ କୁ ହାତରେ ଧରି  ଭିକ୍ଷା କରିବାକୁ ଯାଅ । ହେ ମହାଦେବ !ବାଦ୍ୟ ଭିତରେ ଡମ୍ବରୁ ଆପଣଙ୍କର ପ୍ରିୟ ବାଦ୍ୟ ଅଟେ । ଷଣ୍ଢ ଆପଣଂକର ବାହାନ ଅଟେ ।ହେ ମହାଦେବ ! ଆପଣ ସର୍ବଦା ଧାତୁରା ପାନ ରେ ଭୋଳ ହୋଇ  ତାଣ୍ଡବ ନୃତ୍ୟ କରି ଦୁନିଆ ଥରାଇ ଦିଅ ।ହେ ମହାଦେବ !ଯେତେବେଳେ ଆପଣ ଡିବି ଡିବି ଡମ୍ବରୁ ବାଜାଇ ଚଉଦ ବ୍ରହ୍ମାଣ୍ଡ ଦଲ ଦଲ କରିଦିଅ  ସେତେବେଳେ ଲୋକ ମାନେ ଡରି ଯାଆନ୍ତି । ହେ ମହାଦେବ !ମୁଁ ଛାର ନର ହୋଇ ଆପଣଙ୍କ ଗୁଣ କଅଣ କହିପାରିବି ? ଆପଣଙ୍କ ଗୁଣ ବର୍ଣ୍ଣନା କରିବାକୁ  ମୋର ଶକ୍ତି ନାହିଁ । ହେ ଶଙ୍କର !ମୁଁ କେବଳ ଶୁଣିଛି ଯେ ଆପଣ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ । ନୈମିଷା ଅରଣ୍ୟ ରେ  ତୁମର ବ୍ରହ୍ମ ଜ୍ଞାନ ଶୁଣି  ଗୋଟିଏ ପକ୍ଷୀ ମୃତ ହୋଇ ବ୍ରହ୍ମଜ୍ଞାନୀ ହେଲା । ହେ ମହାଦେବ !ଅଠର ସହସ୍ର ଶ୍ଳୋକ ରେ ଭାଗବତ ରଚନା କରି  ଶୁକଦେଵ ଅମରତ୍ୱ ଲାଭ କଲେ ।

ହେ ମହାଦେବ !!!ମୁଁ ଦିନ ପାମର ଆପଣଙ୍କ ନାମ ଧରି ଭାବୁଛି ଏ ଭଵ ସାଗରରୁ ପାରି ହୋଇଯିବି ।ଆପଣଙ୍କ ମହିମା ,ଗୁଣ ଓ କୀର୍ତ୍ତି ପ୍ରସାର ଓ ପ୍ରଚାର କରିବାକୁ ଯାଇ ବ୍ୟାସ ଙ୍କ ମୂଳ ସଂସ୍କୃତ ଗ୍ରନ୍ଥ ରୁ  ଗଦ୍ୟରେ ଆପଣ ଙ୍କ ପୁରାଣ ଅନୁବାଦ କରିବାକୁ ସାହସ କରିଛି । ହେ ଦେବ ଦେବ ମହାଦେବ !ଏ  ଅନୁବାଦ ଯେପରି  ସୁନ୍ଦର ହେବ ଓ ସବୁ ବନ୍ଧୁ ବାନ୍ଧବୀ ଙ୍କ ନିକଟରେ ଆଦୃତ ହେବ  ସେଥିପାଇଁ ହେ ପାର୍ବତୀ ବର ମୋତେ ସୁଦୟା କରନ୍ତୁ । ଆପଣଙ୍କ ଶ୍ରୀ ଚରଣ ତଳେ 
ଏ ଅଧମର ମନ ସଦା ସର୍ବଦା ରହୁ ।ଏହି ବର ବିପ୍ର ଦୁଷ୍ମନ୍ତ  ଆପଣଙ୍କ ଠାରୁ ଆଶା କରେ ।

---ବ୍ୟାସ ଦେବ ଏହି ଗ୍ରନ୍ଥ  ରେ ଦୁର୍ଗା ଙ୍କ ବନ୍ଦନା କରିଛନ୍ତି ।

                      #ଦୁର୍ଗାଙ୍କ-_ବନ୍ଦନା
  ହେ ମାଆ ଦୁର୍ଗେ  ଦୁର୍ଗତି ନାଶିନୀ  ଆପଣଙ୍କ ର ଜୟ ହେଉ ।ହେ ମାତେ ବିପଦ ଭଞ୍ଜନୀ ଆପଣଂକର ଜୟ ହେଉ । ହେ ଅଭୟ ବର ଦାୟିନୀ ଚଣ୍ଡିକେ  ,ହେ ତ୍ରିପାପ ହାରିଣୀ ତ୍ରିଅମ୍ବିକେ  ତଵ ବିନା କୌଣସି କାର୍ଯ୍ୟ ସାଧିତ ହୁଏ ନାହିଁ । ହେ ମାତେ ! ତୁମେ ଶକ୍ତିମାୟୀ ତୁମେ ମହାମାୟୀ  ।ଲୋକ ର ଶକ୍ତି ନଥିଲେ ଯେପରି ସେ  କୌଣସି କାର୍ଯ୍ୟ ପାଇଁ ସମର୍ଥ ହୁଏନାହିଁ  ଓ ଆପଣ ଶକ୍ତି ଦେଲେ ସେ ବଳ ପାଏ ସେହିପରି ଭୋଳାନାଥ ଆପଣଂକ ଶକ୍ତିରେ  ବ୍ରହ୍ମଜ୍ଞାନ ଯୋଗସାଧି  ଅମର ହେଲେ । ହେ ମାତେ ମୁଁ ଆପଣଙ୍କର ଅଜ୍ଞାନ ସନ୍ତାନ ,ମୁଁ କିଛି ଜାଣେ ନାହିଁ  ,ତଵ ଭରସାରେ ମୁଁ କଲମ ଧରିଛି  ହେ ଜନନୀ !ତଵ ପୟରେ ଦାୟିନୀ କରୁଛି ମୋତେ ନ ଆସିବା ଅନୁବାଦ କୁ ବତାଇ ଦିଅ ।ଏହି ପୁରାଣ ଅନୁବାଦ ଯେପରି ସୁନ୍ଦର ହେବ ଓ ସର୍ଵଜନ ତଥା ବ୍ରହ୍ମାଣ୍ଡ ରେ  ମୋହର ଆଦର  ଯେପରି ଜନ କରିବେ  ସେହି ବର ମୋତେ ପ୍ରଦାନ କର । ତୁମ ପାଦେ ମୁଁ ସଦା ଆଶ୍ରିତ ମାତେ ।

କ୍ରମଶଃ.............

       •┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

ଲୁହ

ଅଟକୁନି ଲୁହ  ବୋହି ଚାଲୁଛି ଅନବରତ ଆଖିବି ନିଜର କରି ରଖି ପାରୁନି  ଏ ଲୁହକୁ,,,, ବାସ୍ ଝରି ଯାଉଛି ଟୋପା ଟୋପା ହୋଇ! ମନର ବ୍ୟଥା  ହୃଦୟର କୋହ  ସତରେ ଭା...