● ସଂସ୍କାର ●
ଆଜି କାଲିର ଦୁନିଆରେ ମାନବ,ସଭ୍ୟତାର ଶୀର୍ଷରେ ପହଞ୍ଚିଲାଣି।ବିଜ୍ଞାନର ନୂଆ ନୂଆ ଉଦ୍ଭାବନ ମଧ୍ୟ ମଣିଷକୁ ଭୋଗ ବିଳାଶ ମଧ୍ୟରେ ବୁଡେଇ ରଖିଛି।ତଥାପି ଚେତନଶୀଳ ମଣିଷ ନିଜ ସଂସ୍କୃତିକି ଭୁଲି ପାଶ୍ଚାତ୍ୟ ସଭ୍ୟତାକୁ ଅନୁକରଣ କରୁଛି।ମଣିଷ ଜୀବନର ଲକ୍ଷ୍ୟ ଠାରୁ ଦୂରେଇ ଯାଉଛି।ପୂର୍ବ ଜନ୍ମର ସଂସ୍କାରକୁ ନେଇ ମଣିଷ ଏ' ମୂଲ୍ୟବାନ ଜୀବନ ଲାଭ କରିଥାଏ।ପିତା ମାତାଙ୍କର ସଂସ୍କାରକୁ ନେଇ ମାତୃଗର୍ଭରେ ଥିବା ଅବସ୍ଥାରେ ଜନ୍ମ ସଂସ୍କାର ହୋଇଥାଏ।
ମାତୃଗର୍ଭରେ ଦଶମାସ ଦଶଦିନ ରହିବା ସମୟରେ ମାଆର ମାନସିକତା,ପାରିପାର୍ଶ୍ବିକ ଅବସ୍ଥା ଓ ଖାଦ୍ୟ ବ୍ୟବହାରକୁ ନେଇ ପିଲାଟିର ପିଣ୍ଡ ଗଢାହୁଏ।ମୁଁ ଜାଣିଛି ପୂରାଣରେ ଅଛି ----"ଅର୍ଜୁନ ସୁଭଦ୍ରାଙ୍କୁ ଚକ୍ରବ୍ୟୁହୁ କଥା କହିବା ସମୟରେ ଅଭିମନ୍ୟୁ ଚକ୍ରବ୍ୟୁହୁ ମଧ୍ୟକୁ ପ୍ରବେଶ କରିବା କଥା ମାଆଙ୍କ ଗର୍ଭରେ ଥାଇ ଶିକ୍ଷା କରିଥିଲେ।ସୁଭଦ୍ରାଙ୍କୁ ନିଦ ହେଇଯିବାରୁ ଫେରିବା କଥାଟି ଜାଣି ପାରିନଥିଲେ।ଜନ୍ମ ହେବା ପୂର୍ବରୁ ଅଭିମନ୍ୟୁ ଗର୍ଭରେ ଥାଇ ମଧ୍ୟ କିଛି ଶିଖି ପାରିଥିଲେ।ଆକୁ ହିଁ ଗର୍ଭସଂସ୍କାର କୁହାଯାଏ।
ଶିଶୁଟି ଜନ୍ମ ହେବା ପରେ ପରିବେଶରୁ କିଛି ଶିକ୍ଷା ଲାଭ କରିଥାଏ।ପିତା,ମାତା ଓ ପରିବାରର ସଂସ୍କାର ପ୍ରଭାବ ପିଲାଟି ଉପରେ ପଡିଥାଏ।ପରିବାରରେ ଭଗବତ ଚେତନା,ଦୟା,ଦାନ,ପୂଜ୍ୟ ପୂଜାର ପ୍ରଭାବ ଶିଶୁଟି ପାଖରେ ପୁରା ପ୍ରତିଫଳିତ ହୋଇଥାଏ।ପରିବାରର ସଂସ୍କାର ରକ୍ଷାର ଭୂମିକା ବିଶେଷ କରି ମାଆ ଉପରେ ନିର୍ଭର କରିଥାଏ।
ଶାଶୁ,ଶ୍ୱଶୁର,ସ୍ୱାମୀ ସମସ୍ତଙ୍କୁ ପ୍ରେମର ବନ୍ଧନରେ ବାନ୍ଧି ରଖିଥାଏ,ତା'ର ଚେଷ୍ଠାରେ ପରିବାରଟି ବୈକୁଣ୍ଠ ସମାନ ହୋଇଥାଏ।ସତ୍ୟ,ଶାନ୍ତି,ଦୟା,କ୍ଷମା,ସ୍ନେହ,ପ୍ରେମକୁ ଆଧାର କରି ସେ' ପରିବାର ଶାନ୍ତିରେ ପୁରି ରହିଥାଏ।ପିତା ମାତାଙ୍କ ସଂସ୍କାରକୁ ନେଇ ଦେବ ଶିଶୁଟିର ଜୀବନ,ଫୁଲ ପରି ବାସ୍ନାରେ ଚଉଦିଗ ମହକାଇ ଦିଏ।
ଜଣେ ସଂସ୍କାରୀ ମଣିଷ ଭାବରେ ସେ' ସମାଜରେ ପରିଚିତ ହୁଏ।ନିଜକୁ ବୁଝିବା ଅନ୍ୟମାନଙ୍କ ପ୍ରତି କର୍ତ୍ତବ୍ୟ,ସମାଜ ପ୍ରତି କର୍ତ୍ତବ୍ୟ ପାଇଁ ସେ' ସଚେତନ ହୋଇଥାଏ।ସଂସ୍କାର କେବଳ ପରିବାରକୁ ନୁହେଁ,ବ୍ୟକ୍ତି ଓ ସମାଜ ପାଇଁ ମଧ୍ୟ ମୂଳ ଆଧାର।
©ସୁମିତ୍ରା ସାହୁ , ଯାଜପୁର
http://sammarpana.blogspot.com