★ 'ସାଧବଝିଅ' ଓ କବି ଡଃ ମାୟାଧର ମାନସିଂହ ★
_____________________________________ କବି ମାୟାଧର ମାନସିଂହ ଜଣେ ନିତ୍ୟ ଏବଂ ନିରଳସ ପ୍ରେମର ପ୍ରତିମୂର୍ତ୍ତ ଉଚ୍ଚାରଣ । କେବଳ ପ୍ରେମ ବୋଲି ଚିରାଚରିତ ଧାରାର ସ୍ରୋତରେ ତାଙ୍କର କବିତାର ଧାରା ପ୍ରବାହିତ ହୋଇନାହିଁ, ବରଂ ଦିନୁଦିନୁ ଅନୁକ୍ଷଣ ହୋଇଅଛି ସେତିକି ପ୍ରଗାଢ ଆଉ ସତେଜ, ତାଙ୍କ ଭାବନାର ଉଦବେଳନ ସହ । ଯଥାର୍ଥ ଭାବ ଦେଇ କବି ରାଧାମୋହନ ଗଡ଼ନାୟକ କହିଛନ୍ତି -
"ଦେଶର ମଣିଷ ମୋର, ସଂସ୍କୃତିର କଳାର ପ୍ରତୀକ
କେଉଁ ପରି ହେଉଅଛି କଳଙ୍କର ତନ୍ମୟ ପଥିକ,
ହେ ମରମି, ହେ ଦରଦି, କେତେ ତୁମ ବ୍ୟଥା
ତାହାର କଲ୍ଯାଣ ପାଇଁ ଢାଳୁଥିଲ ସଜଳ ମମତା ।"
ପୂର୍ବ ଧାରାବାହିକ ଭାଗରେ ଆମ୍ଭେ ପଢିଲେ କିପରି ଭାବରେ ମାଲୁଣୀ ସାଧବଝିଅର ନିବେଦନକୁ ସାଧବଙ୍କ ନିକଟରେ ନିଜ ବାକ୍-ଚାତୁରୀ ଛଳରେ ପ୍ରତୀକିତ କରୁଛି । ସାଧବ ଝିଅ ଯେପରି ସେ ସାଧବଙ୍କ ଗ୍ରଥିତ ମାଲ୍ଯ ସ୍ପର୍ଶ କରିଅଛି, ପ୍ରତ୍ଯହ ଯେପରି ଏକ ରୋମନ୍ଥନ-ଜାତ ବେପଥୁ ପ୍ରଦାନ କରୁଅଛି ତାହାକୁ, ଲାଗେ ଯେପରି କେହି ଯେପରି ତା' ମନ୍ତ୍ରିତ କରି ରଚନା କରିଅଛି ।
ଏକାତ୍ମ ପ୍ରେମରେ ଗ୍ରଥିତ ଏହି ବିମଳ-ମାଲ୍ଯ ତ କେହି ସ୍ବକୀୟ ଜନପଦରେ ଗ୍ରଥି ନଥିବ, ତେବେ ଇଏ କେହି ଜଣେ ବିଦେଶୀ ମାଲ୍ଯକାରଙ୍କ କୃତି ବୋଧହୁଏ ? କାରଣ ଏ ମାଲ୍ଯ ଯେପରି ଫୁଲରେ ନୁହେଁ, ଏହି ମାଲ୍ୟର ପ୍ରତିଟି ଭାଗେ ଥିଲା ପ୍ରୀତିର ଅଫୁରନ୍ତ ସ୍ପର୍ଶ ଓ କମନୀୟ ଆବେଗ ।
ଏହି ଭାଗରେ ଦେଖିବା ସାଧବ ଝିଅ ମନର ଯେଉଁ ନିରଳସ ଭାବନା, ତାହାର ଏକ ସୁନ୍ଦର ପରିପ୍ରକାଶ -
(ଧାରାବାହିକ ଭାଗ - ୯)
ମୋ ସ୍ବପ୍ନ-ରାଜସୁତ ଦୁଆରେ ଠିଆ
ଡାକେ ଘରେ କିପରି,
ଛନକା ପଶି ମୋର ଚମକେ ହିଆ
ମୁଁ କି ତାଙ୍କର ସରି !
ସାଧବପୁଅ ଭୋଗେ ଦୁଃଖ ମୋ ଲାଗି
ପ୍ରତିଦାନ କି ଦେବି
କି ଗୁଣ ଅଛି ମୋର,― ମୁଁ ଯେ ଅଭାଗୀ
କେହ୍ନେ ପଦ ସେବିବି ?
ମିଳିବ କେବେ ଦେଖା, ଅବା କିପରି
ସଁପି ଦେବି ଚରଣେ
ନିଜକୁ, ନିଜର ଯା ଅଛି ମୋହରି
ତାଙ୍କ ସୁଖ ବର୍ଦ୍ଧନେ ।
ସେ ପ୍ରାଣପ୍ରିୟ ପୀଡା ଉପଶମନେ
ଦେବି ଛାତି-ରକତ
ତାଙ୍କର ସୁଖ ଖାଲି ହେବ ଜୀବନେ
ମୋର ବାର-ବରତ ।
କିମ୍ପାଇଁ ସିନ୍ଧୁ, ନଈ ଆସିଲେ କାଟି,
ତାଙ୍କ ଦେଶେ ନଗରେ
ମୋ ପରି ଥିବେନି କି କୋଟିକି କୋଟି,
ମୁଁ କି ଲେଖା ରୂପରେ ?
ତାଙ୍କର ଏ କରୁଣା ଶୁଝେଁ କିପରି,
ମୁଁ ତ ସବୁରେ ହୀନ
ସେବାରେ ତାଙ୍କ, ଯେହ୍ନେ ଯାଏ ମୁଁ ସରି,
ହୁଏ ଚରଣେ ଲୀନ ।
ମୁଁ ରହେ ଘରେ ଭଲ ଦାସଦାସୀରେ
ଅଥାନରେ ସେ ରହି
ବୁଲନ୍ତି ଲୁଚି, ଦାସ ନାହିଁ ସାଥିରେ,
ତାଙ୍କ ଦୁଃଖ କି କହି !
ମାଲୁଣୀ, ନେଇ ଯା' ଲୋ ରତନ ମୁଦି,
କଣ୍ଠୁ ମାଣିକ-ହାର
ରାଜାର ଥାଟେ ତାଙ୍କୁ ରଖିବୁ ବୁଝି,
ସେ ଯେ ରାଜକୁମାର ।
ସଜେଇଦେବୁ ତାଙ୍କୁ ବାସ-ଭୂଷଣେ
ଯେବେ ଆସିବେ ପାଶେ,
କହିବୁ, ପାଏ ସୁଖ ଆରେକ ଜଣେ,
ତାଙ୍କ କେଳେଶ ନାଶେ ।
ଘୋଡ଼ାରେ ଚଢ଼ି ସୁନା-ମୁକୁଟ ନାଇ
ଚାଲିଯାଆନ୍ତେ ପଥେ,
ଦେଖନ୍ତି ଆଖେ ବାତାୟନରୁ ଚାହିଁ
କିବା ସୁଖ ସେ ମୋତେ !
ରାଜାର ପୁଅ ଡରେ, ଲୁଚି ଗୋପନେ
ମତେ ଦେବେ ଥର୍ଶନ;
ବାଧୁଛି ବଡ଼ ଏହା ମୋର ମରମେ
ଏ ତ ନୁହେଁ ଶୋଭନ !
ପୁରୁଷ ପରି ମତେ ଲଢ଼ି ସେ ନେବେ
ଲୋକ-ଲୋଚନ ଆଗେ,
ଦେବତା ପରି ମତେ ଅଭୟ ଦେବେ
ଚୁମ୍ଵି ପ୍ରଣୟ-ରାଗେ ।
ବିଳାସେ ହେବି ତାଙ୍କ ହୃଦୟ-ହାର
ଅସ୍ତ୍ର ହେବି ବିପଦେ,
କି ଲାଭ ହୁଏ ଯଦି ମୁଁ ତାଙ୍କ ଭାର,
ବେଡି଼ ତାଙ୍କ ଶ୍ରୀପଦେ ?
ଆଚ୍ଛା ମାଲୁଣୀ, ଦେଖା ହେଉ ଲୋ ଆଗେ
ଦେଖା ହେଲେ କହିବି,
ସେ ଯଦି ଚାହୁଁଥିବେ ମୋ ଅନୁରାଗେ
ବିଶ୍ଵେ କା'କୁ ଡ଼ରିବି ?
( କ୍ରମଶଃ )
💐💐💐 ଉପସ୍ଥାପନା : ଅମୃତେଶ ଖଟୁଆ 💐💐💐