Friday, June 18, 2021

■ କୋଣାର୍କ ■


                           ✍ପ୍ରତାପ କୁମାର ସ୍ବାଇଁ 
                                           ଅଧ୍ୟାପକ
                   ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, 
                                           (ରାଉରକେଲା)

କୋଣାର୍କ ର ସେହି ଭଗ୍ନ କଳେବର
ଅନେକ ଗାଥାର ଅଲିଭା ସ୍ବାକ୍ଷର ।
ମନେପଡେ ସେହି ସତୀଙ୍କର କଥା
ଚନ୍ଦ୍ରଭାଗା ନାମେ ଯେ ବିଶ୍ବ ବନ୍ଦିତା।
ତାଙ୍କ ପଛେ ପଛେ ଧାଇଁ ଥିଲେ ରବି 
କରିବାକୁ ତାଙ୍କ ପ୍ରାଣର ବାନ୍ଧବୀ।
ଜୀବନ ହାରିଲେ ସାଗରକୁ ଡେଇଁ 
ସୂର୍ଯ୍ୟ ଏ ବିରହ ପାରିଲେନି ସହି।
ଭାବିଥିଲେ  ଏହି ସ୍ଥାନେ ରହି ଯିବେ
ପ୍ରାୟଶ୍ଚିତ କରି ଦିନ ବିତାଇବେ।
ତାଙ୍କ ଅଭିଳାଷ ହେଲା ନାହିଁ ପୂର୍ଣ୍ଣ 
ଧରମା ତେଜିଲା ଯେବେ ତା ଜୀବନ।
ସତୀ ଅଭିଶାପେ ପ୍ରଭୁ ଅଂଶୁମାଳୀ
ଦିନ ରାତି  ସଦା ଯାଉଥିଲେ ଜଳି।
ଶେଷେ ଲମ୍ଫ ଦେଲେ ସମୁଦ୍ର ବକ୍ଷରେ 
ସତୀଙ୍କୁ ସାଗରୁ ଉଦ୍ଧାର ଆଶାରେ।
ଆଶା ରହିଗଲା ଆଶା ଟିଏ ହୋଇ।
ଭାଳି ଭାଳି କେତେ କାଳ ଗଲା ବହି।
କୃଷ୍ଣ ଙ୍କ କୁମର କୁଷ୍ଠ ଜର୍ଜରିତ
ସୂର୍ଯ୍ୟ ଙ୍କୁ ତପସ୍ୟା କଲେ ଅବିରତ।
ସୂର୍ଯ୍ୟ କଲେ ଦୟା ସେ ଶାମ୍ବ କୁମାରେ
ଆରୋଗ୍ଯ ଲଭିଲେ ରବି ଦୟା ବଳେ।
ଚନ୍ଦ୍ରଭାଗା ଦେବୀ ସବୁ ଜାଣୁଥଲେ
ସୂର୍ଯ୍ୟ ଦେବେ କେବେ କ୍ଷମା ନ କରିଲେ।
ସମୁଦ୍ର କୁ  ଆଜ୍ଞା  ଦେଲେ ସେ ବହନ।
ମନ୍ଦିରକୁ ଦିଅ ଲୁଣିଆ ପବନ।
ସେ ଲୁଣି ପବନ ଭାଙ୍ଗିଲା ମନ୍ଦିର 
କେଡେ ଅସହାୟ  ଆହା ଦିବାକର।
ନାରୀ ଅଭିଶାପେ ହୋଇ ସେ କାତର
ସାଗରରେ ସ୍ନାନ କଲେ ବାରମ୍ବାର ।
ପ୍ରାତଃ ମୁହୂର୍ତ୍ତରେ ନିତି ସ୍ନାନ ସାରି
ଖଗେ ବିରାଜନ୍ତି ପ୍ରଭୁ ଅଂଶୁମାଳୀ।
କୋଣାର୍କ ର ସେହି କାମପୂର୍ଣ୍ଣ ଛବି
ଶିଳ୍ପୀ ଆଙ୍କିଥିଲେ ବସି ଭାବି ଭାବି।
ଘରୁ ରହିଥିଲେ ବାରବର୍ଷ ଦୂର
କାମନାର ଛବି ଆଙ୍କିଲେ ସତ୍ତ୍ବର।
ବାରଶହ ଶିଳ୍ପୀ ପାଇଲେ ପରାଣ
ବଞ୍ଚି ଥାଉ ଥାଉ ଲଭିଲେ ମରଣ।
ହରାଇଲେ ସେହୁ ସୁଦକ୍ଷ ବିନ୍ଧାଣି 
ଦିନ ଗଲା ଧରମା ର ଗୁଣ ଗୁଣି।
ଅଛନ୍ତି ସେ ଶିଳ୍ପୀ  ଅଛି ସେ ପଥର
କାହୁଁ   ସେ ପାରିବେ ତୋଳି ସେ ମନ୍ଦିର।
ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ 
କରୁଛି କୋଣାର୍କ ରକ୍ଷଣାବେକ୍ଷଣ ।
ପଥର ଉପରେ ପଥରକୁ ଯୋଡି
ପାରିବ କି କେବେ କୋଣାର୍କ ସେ ଗଢି।

■ ଅଷ୍ଟ ପୁଷ୍ପମ ■


       ଅଷ୍ଟ ପୁଷ୍ପମ               ✍ ସୁଶାନ୍ତ ମିଶ୍ର 

ଫୁଲଟି ଭିତରେ ସମାହିତ ଥିବା ସମସ୍ତ ବିଶିଷ୍ଟ ଗୁଣ ଗୁଡିକ ବାସ୍ତବରେ ଯଦି ଆମ ପ୍ରତ୍ୟେକ ଜୀବନରେ ପ୍ରତିଫଳିତ ହୋଇ ପାରୁଥା'ନ୍ତା ତେବେ ସମ୍ପୂର୍ଣ ଜୀବନଟି ହୁଏତ ଫୁଲଟିଏରେ ରୂପାନ୍ତରିତ ହୋଇ ତନ୍ମଧ୍ୟରୁ କେବଳ "ପ୍ରେମ" ରୂପକ ମଧୁ ହିଁ କ୍ଷର ହେଉଥାନ୍ତା। "Life is the "flower" for which "love" is the honey.” – ସମଗ୍ର ସୃଷ୍ଟି ପାଇଁ ଫୁଲର ଜନ୍ମ କେବଳ ଶୋଭା ବର୍ଦ୍ଧନ ପାଇଁ ଆଦୌ ନୁହେଁ। ପ୍ରତ୍ୟେକଟି ଫୁଲର ଏକ ସ୍ୱତନ୍ତ୍ର ପରିଚୟ ଥାଏ ଓ ତେଣୁ ସ୍ୱତନ୍ତ୍ର ଗୁଣ ମଧ୍ୟ। ଏଇ ଗୁଣଗୁଡିକୁ ଚିହ୍ନି, ବୁଝି, ବ୍ୟକ୍ତିଗତ ଭାବେ ତାର ସାନ୍ନିଧ୍ୟ ଟିକକୁ ଗ୍ରହଣ କରିପାରିଲେ ଯେଉଁ ରୂପାନ୍ତର ପ୍ରକ୍ରିୟାଟି ନିଜର ଖୁବ ଭିତରେ କ୍ରିୟାଶୀଳ ହୁଏ, ତାହା ହିଁ ନିଜକୁ ସଦା ସର୍ବଦା ସମ୍ମତ ଓ ସମର୍ପିତ କରି ରଖିଥାଏ। "ମାନସ ପୁଷ୍ପମ"ରେ ଭଗବାନ ବିଷ୍ଣୁଙ୍କ ପ୍ରିତ୍ୟାର୍ଥେ ଯେଉଁ ଆଠ ଗୋଟି ପୁଷ୍ପ ଆନ୍ତରିକତାର ସହ ପ୍ରଦାନ କରାଯାଇଥାଏ ତାହା ମାନବ ପ୍ରକୃତିର ଆଠଟି ବିଶେଷ ଗୁଣ ସହ ସଂଯୁକ୍ତ.........

"ଅହିଂସା ପ୍ରଥମ ପୁଷ୍ପମ
       ପୁଷ୍ପମ ଇନ୍ଦ୍ରିୟ ନିଗ୍ରହ
ସର୍ଵଭୂତ ଦୟା ପୁଷ୍ପମ
       କ୍ଷମା ପୁଷ୍ପମ ବିଶେଷତଃ
ଜ୍ଞାନ ପୁଷ୍ପମ ତପଃ ପୁଷ୍ପମ
       ଶାନ୍ତି ପୁଷ୍ପମ ତଥୈବଚ
ସତ୍ୟମ ଅଷ୍ଟବିଧ ପୁଷ୍ପ
       ବିଷ୍ଣୋଃ ପ୍ରୀତିକରମ ଭବେତ"।

1 - ଅହିଂସା ପ୍ରଥମ ପୁଷ୍ପମ....ଯେପର୍ଯ୍ୟନ୍ତ ଆମ ମନ ଭିତରେ ହିଂସାତ୍ମକ ମନୋଭାବଟି ଥାଏ ସେପର୍ଯ୍ୟନ୍ତ ଚିତ୍ତ ଆଦୌ ଶାନ୍ତ ନଥାଏ। ଅଶାନ୍ତ ଚିତ୍ତ ଯୋଗିକ ରାସ୍ତାରେ ଏକ ବାଧକ ସାଜି ପ୍ରଗତ୍ତିର ସମସ୍ତ ସମ୍ଭାବନାକୁ ଅବରୋଧ କରି ବସିଥାଏ। ହିଂସା ଥାଏ ଓ ତେଣୁ ପୃଥକୀକରଣ ବି ଥାଏ। ପୃଥକୀକରଣ ଥିଲେ ବିଚ୍ଛେଦ ବି ଥାଏ। ସମଭାଵପର୍ଣ୍ଣ ହୃଦୟଟିଏ ନଥିଲେ କେହି କାହାରିକୁ ଦେଖିପାରିବା ସମ୍ଭବ ହୁଏନା ଓ ତେଣୁ ସହି ପାରିବା ମଧ୍ୟ। ଆମ ଆଦ୍ଧ୍ୟାତ୍ମ ଭିତରେ ବି ଭଳିକି ଭଳି ଅସହ୍ୟ। ଭାଗବତ ଗୀତା ବାଇବେଲ କୁ ସହିପାରୁନି, ବାଇବେଲ କୋରାନକୁ ସହିପାରୁନି, ଜଣେ ସମ୍ପ୍ରଦାୟର ଭକ୍ତ ଅନ୍ୟ ଏକ ସମ୍ପ୍ରଦାୟକୁ ସହି ପାରୁନି ଓ ତେଣୁ ନିଜେ ଉଚ୍ଚ ହୋଇ ଅନ୍ୟକୁ ନୀଚ୍ଚ ଦେଖାଇବାର ଅଭିଳାଷ ଟିକକ ସମୟେ ସମୟେ ଉତ୍ତେଜନାର ଶିକାର ହୋଇ ସଂଘର୍ଷରେ ପରିଣତ ହେବା ସ୍ବାଭାବିକ। କେବଳ ଏତିକି ନୁହେଁ, ଉତ୍ତେଜନା ଜନିତ ଏକ ଅସୁୟା ମନୋଭାବ ଆମ ଠାକୁର ଗୁଡିଙ୍କୁ ମଧ୍ୟ ଭଳିକି ଭଳି ସମ୍ପ୍ରଦାୟରେ ବାଣ୍ଟି ରଖି, ଭଳିକି ଭଳି ଉପଚାର ମାନ ଖଞ୍ଜି ରଖିଛି। ସବୁରି ଭିତରେ ଏକ ର ଦର୍ଶନ ଆଦୌ ସମ୍ଭବ ହୋଇପାରୁନି। ସବକା ମାଲିକ ଏକ ବୋଲି ଆଦୌ ଗ୍ରହଣ କରିପାରୁନି।
   ଅହିଂସା ରୂପକ ଏଇ ପ୍ରଥମ ପୁଷ୍ପଟି ଭଗବାନ ବିଷ୍ଣୁଙ୍କ ଶ୍ରୀପୟରେ ଦେଇ ନିଜକୁ ହିଂସାମୁକ୍ତ କରିପାରିଲେ ଯେଉଁ ଶ୍ରଦ୍ଧା ଟିକକ ଉତ୍ପନ୍ନ ହୁଏ ତାହା ହିଁ ଆମ ସମସ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖେ। ଏକ ଭିତରେ ଅନେକଙ୍କ ଦର୍ଶନ ଓ ଅନେକଙ୍କ ଭିତରେ ଏକ ର ଦର୍ଶନ ହୋଇଥାଏ। ଗୋଟିଏ ଧର୍ମ ଅନ୍ୟ ଧର୍ମଟିକୁ ଶ୍ରଦ୍ଧା ରଖିଥାଏ ଓ ସମସ୍ତ ଧର୍ମରେ ସେଇ ଏକ ହିଁ ଦର୍ଶନ ହୋଇଥାଏ।
2 - ପୁଷ୍ପମ ଇନ୍ଦ୍ରିୟ ନିଗ୍ରହ....."True spirituality is not to renounce life"... ଅସଲ ଆଧ୍ୟାତ୍ମ କେବେ ବୈରାଗ୍ୟ ଚାହେଁନା। ଜୀବନଟିକୁ ଉତ୍ତୋଳିତ କରିବାକୁ ହେଲେ କୌଣସି ଭୌତିକ ଅନାଶକ୍ତି ଯେ ଅତ୍ୟନ୍ତ ଆବଶ୍ୟକ, ତା ନୁହେଁ। କାମ, କ୍ରୋଧ, ଲୋଭ, ମୋହ, ମାୟା...ଏ ସବୁ ଯେ ଆଧ୍ୟାତ୍ମ ପାଇଁ ପ୍ରତିରୋଧକ ତା' ମଧ୍ୟ ଆମ ସରଳ ମନର ଏକ ଭ୍ରାନ୍ତ ଧାରଣା। ବାସ୍ତବ ଜୀବନରେ ଏଗୁଡିକ ହୁଏତ ପ୍ରତ୍ୟେକ ଗୋଟିଏ ଗୋଟିଏ ଅଳଙ୍କାର ସଦୃଶ ଯାହାର ଉଚିତ ସ୍ଵିକୃତ୍ତି
 ଜୀବନଟିକୁ ସରସ ସୁନ୍ଦର କରି ଅଧିକରୁ ଅଧିକ ପୂର୍ଣାଙ୍ଗ କରିଥାଏ। ନିର୍ଭର କରେ ଆମର ଗ୍ରହଣଶୀଳତାର ମନୋଭାବ ଉପରେ, ନିର୍ଭର କରେ ଆମର ବୁଝାବଣା ଉପରେ, ନିର୍ଭର କରେ ଏ ସବୁ ଗୁଡିକୁ ଆମର ନିୟନ୍ତ୍ରଣ ଉପରେ। ଏ ସମସ୍ତ ପ୍ରତ୍ୟେକ ଗୋଟିଏ ଗୋଟିଏ ଶକ୍ତି। ଶକ୍ତିର ବ୍ୟବହାର ଚେତନାର ସଂଯୋଗ ଦ୍ୱାରା ହିଁ କରା ଯାଇଥାଏ, ତେବେ ଯାଇ ଶକ୍ତିର ବ୍ୟବହାର ସାତ୍ତ୍ଵିକ ହୋଇଥାଏ। ଆମର ଇନ୍ଦ୍ରିୟ ଗୁଡିକ ଆମ ଉପରେ ପ୍ରଭାବୀ ନ ହୋଇ ଆମ ନିୟନ୍ତ୍ରଣର ପରିସୀମା ଭିତରେ କ୍ରିୟାଶୀଳ ହୋଇପାରିଲେ ଏ ସକଳ ଶକ୍ତି ଆମ ଜୀବନଟିରେ ଏକ ଉତ୍ତମ ବ୍ୟକ୍ତିତ୍ୱ ଆଣିଦେବାରେ ଯଥେଷ୍ଟ ସହାୟ ହେବେ ନିଶ୍ଚୟ। 
   ତେଣୁ "ଇନ୍ଦ୍ରିୟ ନିଗ୍ରହ"ର ଏଇ ଦୂତୀୟ ପୁଷ୍ପଟି ଦେଇ ଭଗବାନ ବିଷ୍ଣୁଙ୍କୁ ଆମ ଇନ୍ଦ୍ରିୟ ଗୁଡିକ ଉପରେ ଆମର ନିୟନ୍ତ୍ରଣ ବା ଇନ୍ଦ୍ରିୟ ଗୁଡିକର ଆସକ୍ତରୁ ନିଜକୁ ମୁକୁଳାଇବାର ଆରାଧନାଟି କରିପାରିଲେ ଭିତରେ ଯେଉଁ ଶକ୍ତି ଟିକକ ଉତ୍ପନ୍ନ ହୁଏ ତାହା ଯାବତୀୟ ଅପଶକ୍ତିର ପ୍ରଭାବରୁ ଆମକୁ ବଂଚିତ କରି ଏକ ସତ୍ ମାର୍ଗ ଦର୍ଶନ କରାଇଥାଏ।
3 - ସର୍ଵଭୂତ ଦୟା ପୁଷ୍ପମ....Love to all...kind to all.....ସମସ୍ତଙ୍କୁ ଭଲ ପାଉଥିବା ହୃଦୟ ଟିଏ ହିଁ ଦୟାବାନ ହୋଇପାରିଥାଏ। ନିଜକୁ ଖୁବ ଅନ୍ତରଟିରୁ ଭଲ ପାଇ ବସିଲେ ନିଜ ଭିତରେ ଯେଉଁ ଦର୍ଶନଟିର ସମ୍ଭବ ହୋଇଥାଏ, ସେହି ଦର୍ଶନଟି ନିଜ ବାହାରେ ପ୍ରତ୍ୟେକଙ୍କ ଭିତରେ ସମ୍ଭବ ହୋଇପାରିଥାଏ। ନିଜକୁ ଅନ୍ୟ ସମସ୍ତଙ୍କ ଭିତରେ ଦେଖେ ଓ ସମସ୍ତଙ୍କୁ ନିଜ ଭିତରେ ମଧ୍ୟ। ଏକ ପରିପୁରକ ମନୋଭାବରୁ ଯେଉଁ ଶ୍ରଦ୍ଧା ଟିକକ ଉତ୍ପନ୍ନ ହୁଏ ତାହା ସମସ୍ତଙ୍କ ସହ ନିଜକୁ ଗଅଂଠାଇ ରଖିଥାଏ ଓ ତେଣୁ ଭଲପାଇବାର ହୃଦୟଟି ଅହଂ ମୁକ୍ତ ହୋଇ 'ସର୍ଵଭୂତ ଦୟା' ତଥା 'ଜିବେ ଦୟା' ରେ ରୂପାନ୍ତରିତ ହୋଇଥାଏ।
"Kindness in words creates confidence. Kindness in thinking creates profoundness. Kindness in giving creates love.” 
    "ସର୍ଵଭୂତ ଦୟା" ରୂପକ ଏଇ ତୃତୀୟ ପୁଷ୍ପଟି ଭଗବାନ ଵିଷ୍ଣୁଙ୍କୁ ସମର୍ପି ଦେଇ ନିଜକୁ ଉଦାର,ଶ୍ରଦ୍ଧାବନ, ଦୟାବାନ ରେ ରୂପାନ୍ତରିତ କରିବାକୁ ଆହ୍ବାନ କରାଯାଇଥାଏ।
୪ - କ୍ଷମା ପୁଷ୍ପମ......."The weak can never forgive. Forgiveness is the attribute of the strong.” ଭିତରେ ଯଥେଷ୍ଟ ସସକ୍ତ ଥିବା ମଣିଷଟି ହିଁ କ୍ଷମା ପ୍ରଦାନ କରିବାରେ ସମର୍ଥ ହୋଇଥାଏ। ସସକ୍ତ ଅର୍ଥାତ ନିଜ ଭିତରେ ଖୁବ ଶାନ୍ତ ରହିପାରୁଥିବାର କଳା ଟିକକ, ନିଜ ଭିତରେ ଖୁବ ନମନୀୟ ହୋଇ ରହିପାରୁଥିବାର ଶକ୍ତି ଟିକକ ତଥା ବିଶେଷକରି ନିଜ ଭିତରେ ଖୁବ ସମ୍ମତ୍ତ ହୋଇ ରହିପାରୁଥିବାର ଆଦର୍ଶ ଟିକକ। ସର୍ବଦା କ୍ରିୟାଶୀଳ ବ୍ୟକ୍ତି ହିଁ ପ୍ରତିକ୍ରିୟାକୁ ସହଜରେ ସ୍ୱାଗତ ତଥା ଗ୍ରହଣ କରିପାରିଥାଏ ଓ ତେଣୁ ସହଜରେ ଏକ ପ୍ରଶାନ୍ତ ହୃଦୟରେ କ୍ଷମା ପ୍ରଦାନ କରିପାରେ ମଧ୍ୟ।
"କ୍ଷମା କଲେ ଝିଅ! କ୍ଷମା ତ ମିଳଇ
                କ୍ଷମାର ନ ମିଳେ ଅନ୍ତ
କ୍ଷମାର ଗ୍ରାହୀତା କ୍ଷମା ଦାତା ଦୁହେଁ
               ଏ ଭୁବନେ ଭାଗ୍ୟବନ୍ତ"
                               (ଶର୍ମିଷ୍ଠା)
୫/୬ - ଜ୍ଞାନ ପୁଷ୍ପମ ତପଃ ପୁଷ୍ପମ..... “Science is organized knowledge. Wisdom is organized life.” 
                       "Immanuel Kant".
ଯେଉଁ ଜ୍ଞାନ ସମଗ୍ର ଜୀବନଟିକୁ ଉତ୍ତମ ରୁପେ ସଂଗଠନ କରି ଆଣେ ତାହା ହିଁ ପ୍ରଜ୍ଞା। ଆଧ୍ୟାତ୍ମରେ ଜ୍ଞାନ କହିଲେ ଏଇ ପ୍ରଜ୍ଞା ଟି କଥା କୁହା ଯାଇଛି ଯାହା ଜ୍ଞାନାତିତ ଜ୍ଞାନ ଅର୍ଥାତ ସ୍ବ ଅଧ୍ୟୟନ ମାଧ୍ୟମରେ ଆତ୍ମ ଅଧ୍ୟୟନ କରିଥାଏ। ନିଜକୁ ଚିହ୍ନେ, ଜାଣେ ଓ ତେଣୁ ଆତ୍ମାର ସର୍ବ ବୃହତ ଲକ୍ଷ ଟିକକୁ ପରମାତ୍ମାଙ୍କ ଆଡକୁ ଉସ୍ଛର୍ଗ କରି ରଖିଥାଏ। ସମଗ୍ର ଜୀବନଟିକୁ ତାଙ୍କରି ସିଦ୍ଧି ସକାଶେ ନିୟୋଜିତ କରି ବାଟ ଚାଲିଥାଏ।  ଜ୍ଞାନରୁପକ ଏଇ ପଞ୍ଚମ ପୁଷ୍ପଟିକୁ ଭଗବାନ ବିଷ୍ଣୁଙ୍କ ଶ୍ରୀପୟରେ ସମର୍ପିତ କରି ଜ୍ଞାନର ପଥରେ ପଥିକଟିଏ ହୋଇ ରହିବାର ମନସ୍କାମନା କରିଥାଏ।
  ସଂସ୍କୃତ ଭାଷାରେ 'ତପଃ' ଅର୍ଥ ଉର୍ଜା ବା ଶକ୍ତି। ତପସ୍ୟା ଏଇ ଶକ୍ତିର ଅଭିବୃଦ୍ଧି ନିମନ୍ତେ ଏକ ମାଧ୍ୟମ। ଆଧ୍ୟାତ୍ମର ଭାଷାରେ ତପସ୍ୟାର ଅର୍ଥ 'discipline'. It is the fine art of self discipline. ତଥାକଥିତ ତପସ୍ୟା ଠାରୁ ଏହା ଭିନ୍ନ। ପ୍ରଜ୍ଞାର ସହାୟତାରେ ଜୀବନଟିକୁ ଆମେ ଭିତରୁ ଯେତିକି ଶୃଙ୍ଖଳିତ କରି ଆଣିବା ବାହାରକୁ ବ୍ୟବାହାରିକ କ୍ଷେତ୍ରରେ ଜୀବନଟି ସେତିକି ଗ୍ରହଣଶୀଳ ହୋଇ ନିଜଭିତରେ ସେତିକି ଉର୍ଜା ବା ଶକ୍ତି ଭରିଦେଵ ନିଶ୍ଚୟ ଯାହା ଏକ ପୂର୍ଣାଙ୍ଗ ଜୀବନ ଅଭିମୁଖେ ନିଜକୁ ସାମର୍ଥବାନ କରି ରଖିଥାଏ। ତପଃ ରୂପକ ଏଇ ଷଷ୍ଠ ପୁଷ୍ପଟିକୁ ଭଗବାନ ଵିଷ୍ଣୁଙ୍କୁ ସମର୍ପି ନିଜ ଭିତରେ ସମ୍ପୂର୍ଣ ସାମର୍ଥ୍ୟକୁ ଆବାହନ କରାଯାଇଥାଏ।
୭ - ଶାନ୍ତି ପୁଷ୍ପମ.....କୌଣସି ବିଶେଷ ପରିସ୍ଥିତି ବା ମନର କୌଣସି ବିଶେଷ ଅବସ୍ଥା ଯେ ଶାନ୍ତି ପ୍ରଦାନ କରିଥାଏ ତା ନୁହେଁ। ଶାନ୍ତି ଏକ ପ୍ରଶାନ୍ତ ହୃଦୟର ପ୍ରତିଫଳନ ସ୍ୱରୂପ ମନଟିରେ ପ୍ରତିଫଳିତ ହୋଇଥାଏ। It's a concept of mind, not a state of mind. ନିଜର ଖୁବ ଭିତରେ ଶାନ୍ତ ହୋଇ ରହିପାରୁଥିବା ମଣିଷଟି ହିଁ ସଦା ଶାନ୍ତି  ପ୍ରାପ୍ତ ହୋଇଥାଏ। ନିଜର ସୁଖ କୁ ବି ତାଙ୍କୁ ସମର୍ପି ଦେଇଥାଏ ଓ ଦୁଃଖ କୁ ବି। ଭଲରେ ଯେତିକି ଆନନ୍ଦ ଉପଲବ୍ଧି କରେ, ମନ୍ଦରେ ସେତିକି ସକାରାତ୍ମକ ମନୋଭାବଟିଏ ବି ରଖିଥାଏ। ଆମ ଭିତରର ବୁଝାବଣା ଟିକକ ପ୍ରତି ଆମେ ଯେତେ ଅଧିକ ସକାରାତ୍ମକ ଦୃଷ୍ଟି ଟିଏ ରଖିପାରିବା, ସେତେ ଅଧିକ ଆମେ ନିଜର ମନ ଓ ହୃଦୟଟିକୁ ଶାନ୍ତି ପ୍ରଦାନ କରିପାରିବା। ଶାନ୍ତି ରୂପକ ଏଇ ସପ୍ତମ ପୁଷ୍ପଟି ଭଗବାନ ବିଷ୍ଣୁଙ୍କୁ ସମର୍ପି ସଦା ଶାନ୍ତ ରହିବାର ମନୋଭାବ ଟିକକୁ ନିଜ ଭିତରେ ଦୃଢ଼ୀଭୂତ କରିବାକୁ ପ୍ରାର୍ଥନା କରାଯାଇଥାଏ।
୮ - ସତ୍ୟ ପୁଷ୍ପମ....."Truth is a deep kindness that teaches us to be content in our everyday life and share with the people the same happiness". 
                           (Kahlil Gibran)
ଭଗବତ ଗୀତା ରେ "ସତ୍ୟମ ପରମ ଧୀମହି" ବୋଲି କୁହା ଯାଇଛି ଅର୍ଥାତ, ସ୍ୱୟଂ ଭଗବାନ ବିଷ୍ଣୁ ଯିଏ କି ସତ୍ୟର ପ୍ରତୀକ। ଯିଏ ସତ୍ୟର ପ୍ରତୀକ ତାଙ୍କ ପ୍ରତି ସତ୍ୟବାଦୀ ହେବା ଅର୍ଥାତ, ତାଙ୍କରି କରୁଣାର ଭାଜନ ହେବା। ଜୀବନର ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ସ୍ଥରରେ ସତ୍ୟାନୁରାଗୀ ହେବା, ସତ୍ୟକୁ ନେଇ ବଂଚିବା ଓ ସତ୍ୟକୁ ସାଥି କରି ବାଟ ଅତିକ୍ରମ କରିବା, ଜୀବନଟିକୁ ସତ୍ୟ-ଶିବ-ସୁନ୍ଦର କରି ଗଢିତୋଳି ଈଶ୍ୱରାଭିମୁଖୀ କରି ରଖିଥାଏ। ସତ୍ୟ ରୂପକ ଅଷ୍ଟମ ପୁଷ୍ପଟି ଭଗବାନ ଵିଷ୍ଣୁଙ୍କୁ ପ୍ରଦାନ କରି ନିଜକୁ ସତ୍ୟବାଦୀରେ ରୂପାନ୍ତରିତ କରିବାକୁ ଆହ୍ବାନ କରାଯାଇଥାଏ।
       ଭଗବାନ ବିଷ୍ଣୁଙ୍କ ଏଇ ଆଠଟି ପୁଷ୍ପ ମାନବ ଜୀବନର ଆଠଟି ପ୍ରକୃତି ସହ ସଂଯୁକ୍ତ ଯାହା ସ୍ୱୀକାର କରି ମାନବ ଅତିମାନବରେ ରୂପାନ୍ତରିତ ହୋଇଥାଏ।

● ରଜ , ରଜଦୋଳି ଓ ତା'ପ୍ରାସଙ୍ଗିକତା ● ଆଲୋଚନା



                                  ବନସ୍ତେ ଡାକିଲା ଗଜ,
                         ବରଷକେ ଥରେ ଆସିଛି ରଜ , 
                                  ଆସିଛି ରଜ ଲୋ ,
                             ଘେନି ନୂଆ ସଜବାଜ ।।
                                
                                  ରଜଦୋଳି କଟ କଟ
                           ମୋ ଭାଇ ମୁଣ୍ଡରେ ସୁନା ମୁକୁଟ,
                                   ସୁନା ମୁକୁଟ ଲୋ 
                                  ଦିଶୁଥାଇ ଝଟ ଝଟ ।।
                            --------------------------------------

          ଆସିଗଲା ରଜ । ଆମ ଓଡ଼ିଆ ଜୀବନର ଏକ ଚିର ଅଭୂଲା , କିଶୋର - କିଶୋରୀ ପ୍ରାଣର ଏକ ଆବେଗ ବତୁରା‌‌ , ପ୍ରେମ  ଉଚ୍ଛଳ ଉତ୍ସବ । ଆସିଗଲା  ନୂଆ  ଛନ ଛନ ସମ୍ଭାବନାର ପିଠା ପଣାର ଟୋକେଇ‌ ଧରି ।

            ଡାକୁଛି  ନା‌...?
      
            ଡାକୁଛି ସେ , କୁଆଁରୀ କଣ୍ଠରେ -

 " ବନସ୍ତେ ଡାକିଲା ଗଜ‌ , 
   ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ ,
    ବେଗେ ହୁଅ ସଜବାଜ ।"

      ରଜ ହେଉଛି ପୃଥିବୀ ବା  ଧରଣୀ ରାଣୀର ପ୍ରଥମ ରଜସ୍ୱଳା ହେବାର ମହୋତ୍ସବ । 

  ‌‌             ବର୍ଷା ଆସିବ । ନିଦାଘର ପ୍ରଚଣ୍ଡ ରୌଦ୍ରତାପ ସନ୍ତାପିତ ଧରିତ୍ରୀକୁ ଶୀତଳ କରି ତାକୁ ନୂତନ ସୃଷ୍ଟିର ସନ୍ଦେଶ ଦେବ । ଧରଣୀ ହେବ ସବୁଜିମାରେ ବିମଣ୍ଡିତ । ଚାଷୀଭାଇର ସ୍ବପ୍ନ ରେ ଡେଣା ଲାଗିବ । ତରୁଲତା ସବୁଜ କିଶଲୟ ନେଇ ବିଭୁ ବନ୍ଦନା କରିବେ ।
  
           ଆଉ ଜୀବଜନ୍ତୁ !?

       ତୃଷାର୍ତ୍ତ ଜୀବଜନ୍ତୁ ଫେରିପାଇବେ ଜୀବନର ରାହା ।

     ଗଜ ଅର୍ଥାତ୍ ହାତୀ କଣ କରିବେ ଏତିକି ବେଳେ ?

      ଆମ ରଜଦୋଳିର ଏକ ଗୀତ ଦେଖି କେହି ଜଣେ 
ଅନିସନ୍ଧିତ୍ସୁ ପ୍ରଶ୍ନ  କଲେ - 
          
         ଏ ଗୀତରେ ଭାଇ ପାଇଁ ଗେହ୍ଲା ଭଉଣୀର ଚିନ୍ତା ଓ ସ୍ନେହ ଆବେଗ ବେଶ୍ ବୁଝିହେଉଛି । 
    
       ରଜ ଆସିଗଲା ।

    ଭାଇ ମୁକୁଟ ପିନ୍ଧି ବସିଛି । ସୁନ୍ଦରୀ , ଗୁଣବତୀ ଭାଉଜଟିଏ ଲୋଡା ।
          
        ଏ ରଜ ସମୟ ବଡ଼ ଚମତ୍କାର ସୁଯୋଗ ନେଇ ଆସିଛି । ବର୍ଷାର ଶ୍ରାବଣୀ ଭିଜା ସମୟ ଦେଖି ପରା ସ୍ବୟଂ ଶିବ- ପାର୍ବତୀ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ହେଇ ଆସିଗଲା ଶୀତଳ ଷଷ୍ଠୀ । ରଜ ପରେ ପରେ । ଆଉ ବା କେତେ ଦିନ !?

         ତେବେ ଆପଣଙ୍କର ପ୍ରଶ୍ନ - ଏ ରଜ ଦୋଳି ଗୀତରେ ଏ ଯେଉଁ "ଗଜ" କଥା ବୋଲା ଯାଉଛି ତାର କିଛି ସ୍ବତନ୍ତ୍ର ରହସ୍ୟ ଅଛି ନା କେବଳ ଯତିପାତ ପାଇଁ ଲେଖାଯାଇଅଛି ?

      ଆମ ପୂର୍ବ ପୁରୁଷ କେତେ ବିଜ୍ଞାନୀ ଥିଲେ ତା ଦେଖିଲେ । ଏଇ ରଜ ସମୟକୁ ହିଁ ଶିବ- ପାର୍ବତୀ ବିବାହ ଉତ୍ସବର କଳ୍ପନା କରିଥିଲେ ।

           ଆଉ ଏ ଗଜ ଶବ୍ଦକୁ ସେ କେବେବି କେବଳ ଯତିପାତ ବା ଶବ୍ଦ ମେଳକ ପାଇଁ ରଖିନଥିବେ ।

              ସତକଥା - ପ୍ରମାଣ ବି ଅଛି ।

    ଆଫ୍ରିକା ମହାଦେଶରେ ସର୍ବାଧିକ ହାତୀ ଅଛନ୍ତି । 
  
             ଆମେ ଜାଣିଛେ ବାଘ ଶୀକାର ପାଇଁ ଯାଇଥିବା ଶିକାରୀମାନେ ରାତିରେ କୌଣସି ଜଳାଶୟ ପାଖରେ ଗଛ ଉପରେ ମଞ୍ଚାବାନ୍ଧି ଛକି ରହିଥାନ୍ତି । ବାଘ ରାତିରେ ପାଣି ପିଇବାକୁ ସେଠାକୁ ଗଢିଲେ , ସେମାନେ ତାକୁ ଶୀକାର 
କରନ୍ତି ।
          
            କାରଣ ବାଘମାନେ ଦିନବେଳେ ସହଜରେ ପାଣି ପିଇବାକୁ ଆସନ୍ତି ନାହିଁ । ସେମାନେ ଜାଣିଛନ୍ତି ବିପଦ ଅଛି , ମଣିଷ ମାନଙ୍କ ଠାରୁ ।

             ଆଉମଧ୍ୟ ସେମାନେ ଜାଣନ୍ତି ମଣିଷକୁ ରାତିରେ ଭଲ ଦେଖାଯାଏ ନାହିଁ । କିନ୍ତୁ ରାତିରେ ବାଘ , ମଣିଷ ଠାରୁ ଛଅ ଗୁଣ ଅଧିକ ସ୍ପଷ୍ଟ ଦେଖିପାରେ । ତେଣୁ ରାତିରେ ପାଣି ପିଇବାକୁ ଆସିବା ସବୁଠାରୁ ନିରାପଦ । 

        କିନ୍ତୁ ମଣିଷ ମଧ୍ୟ ଖୁବ୍ ଚାଲାକ୍। ତେଣୁ ବାଘ-ଶୀକାର ରାତିରେ, ଜଳାଶୟ ପାଖରେ , ଗଛ ଉପରୁ ଥାଇ କରେ ।

           ତେବେ ଏହି ହାତୀ ତାର ମୂଲ୍ୟବାନ ଦାନ୍ତ ପାଇଁ , ଲୋଭୀ ସ୍ୱାର୍ଥପର ମଣିଷର ଶୀକାର ହୁଏ ।
       
           ଆଫ୍ରିକାରେ  ଏହି ହାତୀ ଶୀକାର ଆଇନ୍ ଦ୍ବାରା ନିଷିଦ୍ଧ ହୋଇଥିଲେ ବି , ଶିକାରୀମାନେ ଯେଭଳି ଲୁଚିଛପି ହାତୀ ଶିକାରରେ ମାତିଛନ୍ତି , ଆଶଂକା କରାଯାଉଛିଯେ ଆସନ୍ତା ଶହେ ବର୍ଷ ଭିତରେ ହାତୀ ଲୋପ ପାଇଯିବେ ।

               ତେବେ ପ୍ରସଙ୍ଗକୁ ଆସିବା ।

    ସେଠି ଏଇ ବର୍ଷା ଦିନ ପ୍ରାରମ୍ଭରେ ବା ରଜ ସମୟରେ ହିଁ ବେଶୀ ହାତୀ ଶୀକାର କରାଯାଇଥାଏ ।

              ଏହାର କାରଣ ଜାଣିବାକୁ ନାମିବିୟା ଦେଶର ଗବେଷକମାନେ ଗବେଷଣା କରି ଯାହା ଦେଖିଲେ ତା ଚମକପ୍ରଦ ନିଶ୍ଚୟ ।

             ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ଯଥେଷ୍ଟ ଜଳ ଅଭାବରୁ ହାତୀମାନେ ତୃଷାର୍ତ୍ତ ଥାନ୍ତି । ଯେତେବେଳେ ଏହି ରଜ ସମୟରେ ବର୍ଷା ଆରମ୍ଭ ହୁଏ , ସେତେବେଳେ ହାତୀମାନେ ବର୍ଷା ହେଉଥିବା ଅଞ୍ଚଳ ଠାରୁ  ୧୫୦ ମାଇଲ୍ ଦୂରରେ ଥାଇ  ମଧ୍ୟ ସେକଥା ଜାଣିପାରନ୍ତି ।

               ଯାହା ମନୁଷ୍ୟ ପାଇଁ ସଂପୂର୍ଣ୍ଣ ଅସମ୍ଭବ ।

      ସେମାନେ କିପରି ଜାଣିପାରନ୍ତି , ସେ ସମ୍ପର୍କରେ ବୈଜ୍ଞାନିକ ମାନେ ଏ ପର୍ଯ୍ୟନ୍ତ ଜାଣିପାରିନାହାନ୍ତି । ହୁଏତ ହାତୀମାନଙ୍କର ଶ୍ରବଣ ଶକ୍ତି ମନୁଷ୍ୟ ଠାରୁ ଯଥେଷ୍ଟ ପ୍ରଖର । ତେଣୂ କୌଣସି ମତେ ଅଲଟ୍ରାସାଉଣ୍ଡ ତରଙ୍ଗ ଦ୍ବାରା ସେମାନେ ଜାଣିପାରି , ପାଣି ପାଇଁ ସେଇ ଦିଗରେ ଯିବାକୁ ସମସ୍ତ ହାତୀଙ୍କୁ ତାଙ୍କ ଦଳପତି ନିର୍ଦେଶ ଦିଏ ।

            ଏହି ସମୟରେ ଗଜ ଖୁସିରେ ଡାକଦିଏ ।

          ଆଉ ଶିକାରୀମାନେ ୟାର ସୁଯୋଗ‌ ନିଅନ୍ତି । ସେମାନେ ସିଧାସଳଖ ହାତୀ ଶିକାର କରିବା ସହଜ ନୁହେଁ ।
ତେଣୁ କୌଣସି ଅଂଚଳରେ ବର୍ଷା ହେଲେ , ହାତୀମାନେ ସେଇ ଦିଗରେ ଆସିବେ ଜାଣିପାରି ସେମାନେ ତାଙ୍କ ଆସିବା ରାସ୍ତାରେ ଖାଇ ଖୋଳି ହାତୀ ଶୀକାର କରନ୍ତି ।

             ଏବେ ସେଠାର ସରକାର ଏ ଗବେଷଣା ତଥ୍ୟକୁ ଆଧାର କରି ,ହାତୀ ସଂରକ୍ଷଣ ଦିଗରେ ଅଧିକ ଫଳପ୍ରଦ ପଦକ୍ଷେପ ନେଇପାରିବେ ବୋଲି ଭାବୁଛନ୍ତି ।

             ତେବେ ମଜାର କଥା ହେଲା -

      ଆମ ପୂର୍ବଜ , ଏପରିକି କବିମାନେ ମଧ୍ୟ ଏ ରଜ ସମୟରେ ହାତୀ ବା ଗଜ ଡାକିଦେବା କଥା ଜାଣିଥିଲେ । ତେଣୁ ‌ଏ ରଜଦୋଳି ଗୀତରେ ତାକୁ ସମାହିତ କରିଥିଲେ ।

          ଆମେ ତାଙ୍କ ପ୍ରଜ୍ଞାକୁ କୋଟି ପ୍ରଣାମ ଦେବା‌ ନା ନାହିଁ ?

                    ଆପଣ କୁହନ୍ତୁ ।

                                 -- ଦାଶରଥି ସାହୁ
                                  ତାରିଖ - ୧୩.୦୬.୨୦୨୧

● ରଜଦୋଳି ଗୀତ - ପ୍ରାସଙ୍ଗିକତା ● ପ୍ରଥମ ଭାଗ



                          ରଜଦୋଳି ଗୀତ - ପ୍ରାସଙ୍ଗିକତା
                           -------------------------------------

          ବେଳେ ବେଳେ ଆମେ ଭାବୁ , ଏସବୁ କାହିଁକି ? କଥାର ଲଥା ପରି ରଜଦୋଳିର ପଦ ବିନ୍ଯାସ , କେବଳ କିଛି ଯତିପାତ, କିଛି ତରଳ ଭାବର ସ୍ରୋତ ପ୍ରବାହ କି ? 

            ଆମେ ବୁଝିପାରିବା କଥାନୂହେଁ । ସେ କଥା ଅନୂଢା କୁମାରୀ କନ୍ୟାକୁ ପଚାରନ୍ତୁ । ନୂଆ ରଜୋବତୀ ଲଳନା କୁ ପଚାରନ୍ତୁ । ରଜଦୋଳି ରେ ସାଥିମେଳରେ ଝୁଲୁଥିବା କିଶୋରୀ ଝୁମୁକାକୁ ପଚାରନ୍ତୁ , ସେ କହିବ ବହୁ ଗୁଢ ତତ୍ତ୍ବ ପରିପୂର୍ଣ୍ଣ ଲାଜୁଆ ଲାଜୁଆ ମନ ତଳର ଛୁପା ଛୁପା କଥା ।

             ଏ ରଜଦୋଳି ଗୀତରେ ବର୍ଷା ଅଛି, ବିଜୁଳି ଅଛି, ବନସ୍ତ ଅଛି , ପଣଷ ଅଛି, ହୃଦୟ ଅଛି, ସମାଜ ଅଛି , ଆଉ ଜୀବନ ଅଛି ,ସପନ ବି ଅଛି ।

          କିନ୍ତୁ ମିଛ ନାହିଁ କି ଅବାନ୍ତର କିଛି ଆଦୌ ନାହିଁ ।

     ସବୁ ସମ୍ବନ୍ଧିତ, ପ୍ରାସଙ୍ଗିକ, ସାମାଜିକ , ଭାବାତ୍ମକ ।
   
               ଲେଖିଲେ ଏକ ବିଶାଳ ପ୍ରବନ୍ଧ ହେବ -

             ମୁଁ ଏଠି ଠିକେ ଠିକେ କହିବି , ଆପଣ ଶୁଣିଲେ ହେଲା ।
       
         ମୋର ପୂର୍ବ ଲେଖାରେ ରଜଦୋଳି ଗୀତର ପ୍ରଥମ ପଦ ଓ ଷୋହଳତମ ପଦର ସାମାନ୍ୟ ବିଶଦ ବ୍ୟାଖ୍ୟା କରିଥିଲି । 

           ଏବେ ଅନ୍ୟ ପଦର ବ୍ୟାଖ୍ୟା ମାତ୍ର ଠାରରେ କହିବି ।
ମୋର ପୂରା ବ୍ୟାଖ୍ୟା ଏକ ପୁସ୍ତକ ଆକାରରେ ପ୍ରକାଶନ ଅପେକ୍ଷାରେ ।

              ରାଶିରୁ ଛାଡ଼ିଲା ଚୋପା,
            ଗୋଡ଼ରେ ନାଇଲୁ ସରୁ ଅଳତା ଲୋ,
              ମଥାରେ ସିନ୍ଦୂର ଟୋପା ।।୨।।
                      - ରାଶିରୁ ଚୋପା ଛାଡ଼ିଲେ ତାହା ଶୁଭ୍ରବର୍ଣ୍ଣ ଧାରଣ କରେ । ରଜୋବତୀ ଲଳନାର ରଙ୍ଗ ଫିଟେ ।

             ଉଡ଼ିଲା ଶୁଆ ନାହାକା ,
          ଦୋଳିଟା କାହିଁକି ଲାଗୁଛି ଏକା ଲୋ,
        କାହା ବିନା ଏକା ଏକା ।।୩।।
                      -- ନାହାକା ଶୁଆକୁ ଘରେ ପଞ୍ଜୁରୀରେ ସାଥିଠାରୁ ଅଲଗା  ରଖାଯାଏ ଭଲ କଥାକୁହେ ବୋଲି । ସେ ମୁକ୍ତ ହୋଇ ଉଡିବାକୁ ଚାହେଁ । କିଶୋରୀ ମନ ଦୋଳିରେ ବି ବୋଧ ନୁହେଁ ,ସେ ସାଥି ଚାହେଁ ।

            ପାଚିଲା ଭଇଁଚ କୋଳି,
           ବେକରେ ନାଇଚି ଗଜରା ମାଳି ଲୋ,
           ଝୁଲାଅ ରଜର ଦୋଳି ।।୪।।
                     -- ଏଇ ସମୟରେ ଭଇଁଚ କୋଳି ପାଚେ । ଖଟାମିଠା ସ୍ୱାଦଯୁକ୍ତ । ବେକରେ ଗଜରା ମାଳ ଝୁଲାଇ ଅନୂଢା ନହୁଲି ବୟସୀ ସାଥି ଅପେକ୍ଷା ରେ ବିମର୍ଷ ଥିଲେ ବି ଦୋଳିରେ ମଉଜ ନେବାକୁ ସହେଲି କୁ ମିନତି କରୁଛି ।

              ପଣସ ପାଚିଲା ବନେ,
             ବନ ପୋଡ଼ିଗଲେ ଦୁନିଆ ଜାଣେ ଲୋ,
              ମନକଥା କିଏ ଜାଣେ ।।୫।।
                        -- ପଣସ ପାଚିଲେ ଖଣ୍ଡମଣ୍ଡଳ ଚହଟି ଉଠେ ତା ବାସ୍ନାରେ, ବନ ପୋଡିଗଲେବି ତା ତାପ ଓ ଆଲୋକର ବନ୍ୟାରେ ସମସ୍ତେ ଜାଣିପାରନ୍ତି ବନପୋଡିକଥା ।
କୁମାରୀ ରଜୋବତୀ ହେଲାପରେ ,ତା ଦେହରୁ ସ୍ବତନ୍ତ୍ର ସୁଗନ୍ଧ ଛୁଟେ , ସମସ୍ତେ ଜାଣିପାରନ୍ତି । କିନ୍ତୁ ସେ ଯେ ସାଥି ବିନା ତା ମନ ବିରହ ଜ୍ୱାଳାରେ ଜଳୁଛି - ଏକଥା କେତେଜଣ ଜାଣନ୍ତି ?

                  ଶଙ୍ଖମଲମଲ ଗିନା ,
         ଦରଦ ଜାଣେଲୋ ଦରଦୀ ସିନା ଲୋ
                 ବଣିଆ ଚିହ୍ନେଟି ସୁନା ।।୬।।
                        -- ଶଙ୍ଖ ମଲମଲ ଗିନା‌ ଶଙ୍ଖ‌ ନୁହେଁ । ଏହା ଧାତୁପାତ୍ର କିନ୍ତୁ ଉପରେ ଧଳା ପ୍ରଲେପ । କୁଆଁରୀ ରଜ ଦୋଳିରେ ଯେମିତି ଉତ୍ ଫୁଲ୍ଲିତ  ଦେଖାଯାଉଛି, ସେ ତାହା ନୁହେଁ । ସେ ଭିତରେ ବିରହରେ ଜଳି ପୋଡ଼ି ଯାଉଛି । ବଣିଆ ସୁନା ଚିହ୍ନିବା ପରି ,ଏକା ତା ପ୍ରେମିକ ହିଁ ତା ଅନ୍ତରର ଦରଦ ଆକଳନ କରିପାରିବ ।

               ନିମ୍ବର ବୁକେ ଚନ୍ଦନ,
          ଦେବତା ଗଢ଼ାଇଲା ନାରୀ ଜୀବନ ଲୋ,
               ଦେଲା ତହିଁ ଯଉବନ ।।୭।।
                          --  ନିମ୍ବ ସ୍ବାଭାବିକ ଭାବେ ପିତା । ନାରୀ ଜୀବନ ସ୍ବାଭାବିକ ଭାବେ ଯନ୍ତ୍ରଣାମୟ । କିନ୍ତୁ ଚନ୍ଦନ ଲେପନ ଦେଇ ନିମ୍ବ ଦାରୁକୁ ଜଗନ୍ନାଥ ଦେବତାରେ ରୂପାନ୍ତରିତ କଲାପରି । ନାରୀ ଦେହରେ ଯୌବନ ଖଞ୍ଜି ବିଧାତା ତାକୁ ଦେବୀ ରେ ପରିଣତ କରିଦିଏ ।

              ଢମଣା ଛାଡ଼ିଲା କାତି,
        ପୁରୁଷ ସିନାଲୋ ଭ୍ରମର ଜାତି ଲୋ,
              ନୂଆ ଖୋଜୁଥାନ୍ତି ନିତି ।।୮।।
                           -- ଢମଣା ସାପ ବିଷାକ୍ତ ନୁହେଁ , କାତି ଛାଡିଥାନ୍ତି ଏହି ସମୟରେ , ନୂଆ ଶରୀର ଧାରଣ କରନ୍ତି କିନ୍ତୁ ଗୁଣ ଛାଡନ୍ତି ନାହିଁ । ତାକୁ ନୂଆ ଭାବିବା କଥା ନୁହେଁ । ପୁରୁଷ ଜାତି ଏକଥା ବୁଝିପାରେ ନାହିଁ । ସେ ଭଅଁର ପରି ପୁରୁଣା ସାଥିକୁ ଛାଡ଼ି ନୂଆ ରଜୋବତୀ ଲଳନା ପଛରେ ପଡିଯାଏ । ସଜନୀ ଲୋ ଏପରି ପୁରୁଷ ପ୍ରତି ସାବଧାନ ଥିବୁ ।

              ଚାନ୍ଦରେ କଳଙ୍କ ଚିହ୍ନ,
          ନବ ଯଉବନୀ କିଆଁ ଗୁମାନ ଲୋ,
              ଆସିଲେଣି ଜୀବ ଧନ ।।୯।।
                            -- ସରଳ କିଶୋରୀ ତୁ , ଯଦି ବି କିଛି ଭୂଲ କରିପକାଇଛୁ , ସେଥିଲାଗି ବିବଶ ହୁଅନା । ଚନ୍ଦ୍ର ରେ ବି କଳଙ୍କ ଅଛି । ତାକୁ ଭୁଲିଯାଇ , ତୋ ଜୀବନ ଧନ ଆସିଲେଣି ପରା ।

                   ପୋଖରୀ ତୁଠ ପଥର,
            ତତେ ଦେଖିଥିଲି ବାଲି ବନ୍ଧରେ ଲୋ,
   ‌‌              ଆଖି ଥିଲା ଏଣେ ତୋର ।।୧୦।।
                                -- ପଥରଟିଏ ବାଲିବନ୍ଧ ଉପରେ ଥିଲା । ଶୁଷ୍କ ନିରସ , ବ୍ୟବହାର ଅଯୋଗ୍ୟ । ପୋଖରୀ ତୁଠକୁ ଆସିଲା , ଛଳଛଳ ଜଳ , ପଦ୍ମ ଗନ୍ଧରେ ମତୁଆଲା ପରିବେଶ , କେତେ ଜନର ଜୀବନଧନ । ଲୋ କିଶୋରୀ ତୁ ଅପୁଷ୍ପବତୀ ଥିଲୁ , ପୁଷ୍ପବତୀ ହୋଇ କେତେ ମନର ମହାରାଣୀ ହେଲୁ । ତୁତ ଏମିତି ରଜସ୍ଵଳା ହେବାକୁ ଚାହୁଁଥିଲୁ ନା । ଲୁଚାନା , ଆମେ ଜାଣିପାରୁ ଛୁ ।

               ସାହାଡ଼ା ଗଛର ଛାଇ ,
     ସେଦିନ କଥାକି ତୋ ମନେ ନାଇଁ ଲୋ,
            ଆନମନା କାହିଁପାଇଁ ।।୧୧।।
                    -- ସାହାଡ଼ା ଗଛର ଛାଇ ଦିଗ ବଦଳଉଥାଏ । ସୂର୍ଯ୍ଯ ଦିଗ ବଦଳାଇବା ଯୋଗୁଁ । ଲୋ ଅଲିଅଳି ଲଳନା , ତୋର ବା କି ଦୋଷ ? ତୋ ଲମ୍ପଟ ପ୍ରେମିକ ଯଦି ପ୍ରତାରଣା ଦେଲା , ସେଥିପାଇଁ ବିବ୍ରତ ନ ହୋଇ ତୋ ଦିଗ ବଦଳେଇ ଦେ ।ତତେ କେହି ଦୋଷ ଦେବେନି ।

                   ଖୋସାରେ ଖୋସିଲି ଫୁଲ,
            କେତେ ଦେଖାଉଛୁ ନୁଖୁରା ଗେଲରେ
                  ଭାଙ୍ଗି ଦେବି ତୋର ଗାଲ ।।୧୨।।
                               --  ଖୋସାରେ ଫୁଲ ଖୋସି , ଅନୂଢା କିଶୋରୀ ନିଜ ରୂପ ଚର୍ଯ୍ଯା କରୁଛି । ତା ମାନେ ‌ନୁହେଁ ଯେ କେହି ତା ସୌନ୍ଦର୍ଯ୍ୟର ଅଯଥା ଫାଇଦା ନେବେ ।

                   ନଈରେ ଶୁଖିଲା ବାଲି,
           କେତେ ଫୁଲି ହେଉ ପୁଚୁକିଗାଲି ଲୋ,
                  ଦେଖାଉଛୁ କେତେ ବେଲି।।୧୩।।
                                 -- ନଦୀର ଶୁଖିଲା ବାଲି , ପାଣି ସଂସ୍ପର୍ଶରେ ଆସି ଫୁଲିଉଠେ । ନାଗର କହୁଛି ଲୋ ପୁଚୁକିଗାଲି ତନୁପାତଳୀ ତୁ ନବଯୌବନା ହେଲାପରେ ସେହିପରି ଫୁଲି ଉଠିଛୁ । ଏଇଟା ଦୈବ ବିଧାନ । ତୁ ଫୁଲେଇ ହୁଅନା ।

                  ବାଜିଲା ତେଲିଙ୍ଗି ବାଜା,
       ରସିକ ଯେ ଜାଣେ ସ୍ନେହର ମଜା ରେ,
                 ସେ ସିନା ମୋମନ ରଜା।।୧୪।।
                            -- ତେଲିଙ୍ଗି ବାଜା ବିବାହ ରୋଷଣୀ ସହ ବାଜେ । ମେଘ ଡମ୍ବରୁ ଓ ବିଜୁଳି କନ୍ୟା ଏ ରଜ ସମୟର ବିବାହୋତ୍ସବ ପ୍ରତୀକ । ଏ ସମୟରେ ରସିକ କୃଷକ ବାପୁଡ଼ା ଧରଣୀ ର ରଜସ୍ୱଳା କଥା ଠିକ୍ ବୁଝିପାରେ । ଆଉ କିଶୋରୀ ମନକଥା ? .. ତା ମନରେ ରାଜା !!

                     ଲୁଚିଗଲା ମେଘେ ଚାନ୍ଦ,
               ଦୋଳି କଟକଟ କରେ ଶବଦ ଲୋ
                      ବହନ୍ତେ ପବନ ମନ୍ଦ ।।୧୫।।
                                    -- ବର୍ଷା ଆଗମନରେ ମେଘ ,କି ସୁନ୍ଦର ଚାନ୍ଦକୁ ଘୋଡାଇ ପକାଏ । ବିପଦ ମାଡ଼ି ଆସିଲାକି ଆଉ !? ଦୋଳି କଟକଟ ବି ମନକୁ ବିପଦ ସମ୍ଭାବନା ରେ ଆତଙ୍କିତ କରୁଛି । ମନ୍ଦ ବା ଦୁଷ୍ଟ ପବନ ତରୁ ଡାଳକୁ ଦୋହଲାଇ ଦେଉଛି କିମ୍ବା ମନ୍ଦ ବା ଧିର ପବନ କୁମାରୀ ମନକୁ ଏତେ ଆନ୍ଦୋଳିତ କରୁଛି ଯେ କିଏ ଜାଣେ କେତେବେଳେ କି ଅଘଟଣ ଘଟିବ । ଚାନ୍ଦମୁହିଁ ମୁହଁ ଲୁଚିଯିବକି ଆଉ !?

                 ‌ପରବତେ ଜଳେ ନିଆଁ,
            ପହଞ୍ଚାଇ ଦୋଳି ତେଣେ ନ ଚାହାଁ ଲୋ ,
                   ପୁଣି ହେବ ବାଆଁ ଡାଁ ।।୧୭।।
                               - ପାହାଡ଼ରେ ନିଆଁ ଲାଗିଛି । କିଶୋରୀ ତନୁରେ ବି । ସେ ନିଆଁ ଲିଭିବା ସମୟ ଆସିଲାଣି । ଲୋ ସୁନ୍ଦରୀ ତୋ କାମରେ ମନ ଦେ । ତୋ ଯୌବନ ନିଆଁ କୁ ବେଶୀ ଦୃଷ୍ଟି ଦେନା । ନଚେତ୍ ବାଟଭୂଲି ଏ ପ୍ରେମିକ ରୁ ସେ ପ୍ରେମିକ ହେଉଥିବୁ । ସାବଧାନ ।

                  ଉତୁରି ପଡ଼ିଲା ଦୁଧ,
       ଉଙ୍କି ମାରି ମାରି ଅନାଉ ଥାଏ ଲୋ ,
                  ନନ୍ଦର ଉଦିଆ ଚାନ୍ଦ ।। ୧୮।।
                            -- କୁମାରୀ ବକ୍ଷୋଜ  ଦର୍ପିତ ହେଲାଣି । ଏକଥା ଛପିଥିବା  ରସିକ କାହ୍ନା ନଜରକୁ ଆସିଲାଣି । ତୁ ଜାଣିପାରୁଛୁନା ଲୋ କିଶୋରୀ !?

               ଛତରା ବଜାର ହାଟ,
       ଛକି ବସିଥିବ ଚଗଲା କାହ୍ନୁଲୋ,
               ଛନ୍ଦରେ ମାଗିବ ଘାଟ ।।୧୯।।
                             -- ଅନେକ ରସିକ ଗହଳରେ କାହ୍ନୁ ଛକି ବସିଥିବ ।ଚଗଲା ଭାରି । କଣା ନା କଣ ଛଳନା କରି  ମାଗି ବସିବ । ସତର୍କ ଥିବୁ ଲୋ ସୁନ୍ଦରୀ । କାହ୍ନା ହେଲେବି ସତର୍କ ଥିବୁ । ଘାଟ ଦେବୁନିଟି ।

                 ଥୋଡ଼ମଞ୍ଜା କଲି ରାଇ,
         କଣ ନକଲେ କଳା କହ୍ନାଇ ଲୋ,
                 ମୁହଁକୁ ଯା ନ ଅନାଇ।।୨୦।।
                               -- କଅଁଳ ମଞ୍ଜା ରାଇ ସ୍ବାଦିଷ୍ଟ ବି , କଠିନ ବି । କାହ୍ନୁ  କଣ ,କି ଭାବ କଲେ , ମୁହଁ ଲାଜରେ ସଢି ଯାଉଛି ।

                     
              କରମଙ୍ଗା କଲି ରାଇ ,
       ମଥୁରାକୁ ଗଲେ କଳା କହ୍ନାଇ ଲୋ,
              କଣ୍ଟ ଦେଇ ଗଲେ କାହିଁ।।୨୧।।
                     -- କଞ୍ଚା କରମଙ୍ଗା ଏ ସମୟରେ ମିଳେ । ତା ରାଇ ଖୁବ୍ ଖଟା ଓ ପିତା , ଏ ସମୟରେ । ଠକ ପ୍ରେମିକ କଥା ଦେଇ ବି  ଠକିଦେଇ ଚାଲିଯିବ । ଲୋ ସହେଲୀ ! ଜୀବନଟା ଖଟା ପିତା ହୋଇଯିବ । ଜଗିଥିବୁଟି ।

                    ସାଉଁଟିଲି ବିଲ ଘଷି ,
             କିମ୍ପାଇଁ ରାଧିକା ବସିଲା ରୁଷି ଲୋ,
                  ଫୁଲ ଶେଯ ହେଲା ବାସି ।।୨୨।।
                            --  ବିଲ ଘଷି ,ପ୍ରଥମ ବର୍ଷରେ ଓଦା ମାଟିରେ ଏମିତି ଲାଗିଯାଏ ଯେ , ଯେତେ ସାଉଁଟିଲେ ବି ସିଏ ଆଉ ସେ ଭଲ ଘଷି ହୋଇ ରହି ନଥାଏ । ରାଧିକା କିଶୋରୀ ଯେତେ ସାଉଟିଲେ ବି ପାଉନାହାଁନ୍ତି । କାହ୍ନୁ ଘଷି ହୋଇ କେଉଁଠି ଲାଖିଯାଇଛନ୍ତି ଯେ ... ଆହା ଫୁଲ ଶେଯ ବାସି ହୋଇଗଲା ଯେ !!

                  କଟକଟ ହୁଏ ଦୋଳି,
          ଭାଉଜଙ୍କ ମନ ଯାଇଛି ଜଳି ଲୋ ,
               ଭାଇ ବିଦେଶୁ ନଇଲେ ବୋଲି ।।୨୩।।
                           -- ସେଇ କଟକଟ ଦୋଳି -- ଛିଡି ଯିବାର ଆଶଂକା । ଭାଉଜ ଓ ବିଦେଶ ଯାତ୍ରା ରେ ଥିବା ଭାଇଙ୍କ ବନ୍ଧନ ଛିଡି ଯିବାର ଆଶଂକା । ଏଇ ରଜ ବେଳେ ବେଶୀ ବଢିଯାଏ । କାରଣ ଇଏ ମିଳନ ଋତୁ କି ନା !? କେଉଁ ମାୟାବିନୀ ବିଦେଶରେ କିମିଆ କଲାନି ତ !?

                       ଗରଜେ କଳା ବଉଦ,
             ମୋତେ ତ ବରଷ ହେଲା ଚଉଦ ଲୋ,
                      ଗଲାଣି ପିଲା ସୁଆଦ ।।୨୪।।
                                   -- ଆକାଶର ବାଦଲ ,ରଜ ଆସନ୍ତେ ଜଳପୂର୍ଣ୍ଣ ହୋଇ ଗଲାଣି , ଗର୍ଜନ ବି କଲାଣି । କିଶୋରୀ ଚଉଦ ବସନ୍ତ ଅତିକ୍ରମ କରି ରସବତୀ ନାରୀର ରୂପାନ୍ତରଣ ଅବସ୍ଥା ପ୍ରାପ୍ତ ହେଲାଣି । ବାଲ୍ୟ ଚପଳତା ଲୁପ୍ତ ହେଲାଣି ।

              ବଇଁଶୀ ବାଜିଲା କୁଞ୍ଜେ,
      ବଡ଼କଥା ବଡ଼ ଲୋକଙ୍କୁ ସାଜେ ଲୋ,
             ଛୋଟ କଲେ ଛାଟ ବାଜେ।।୨୪।।
                            -- ରସିକ ନାଗର ନାନା ଖଞ୍ଜ ଦେଖାଇ  ଡାକୁଛି । କୋମଳ ସବୁଜ ଲତିକା ବେଷ୍ଟିତ ରଜ ପରିବେଶରେ ଭଳିଯାନା ଲୋ କିଶୋରୀ । କାହ୍ନୁ ରଜାଘର ରାଜାପୁଅ । ତୁ ତା ରାଧା ପ୍ରେମ କଥା ପଢି ଭଳିଯାନା । ତୁ ନା ରାଧା ହୋଇପାରିବୁ ? ନା ତୋ ପ୍ରେମିକ କାହ୍ନୁ ହୋଇପାରିବ ? ବରଂ ଅଯଥା ଜଞ୍ଜାଳ ରେ ଫସି ବଦନାମ ହେବୁ, ଦଣ୍ଡିତ ହେବୁ ।

                     ଲାଞ୍ଜ ଟେକିଗଲା ବାଘ,
              ନଇଁ ଚାଲୁଥିବ ବଡ଼ଙ୍କ ଆଗେ ଲୋ ,
                     ଲାଗିବ ନାହିଁଟି ଦାଗ ।।୨୫।।
                             -- ବାଘ ଲାଞ୍ଜ ଟେକିଲେ , ସେ ଉଦ୍ଧତ ହୁଏ, ଆକ୍ରମଣ ପାଇଁ ପ୍ରସ୍ତୁତ ହୁଏ । ତା ଲାଞ୍ଜ ରେ ମଇଳା ଲାଗେ ନାହିଁ । ସେ ଓଡ଼ିଶା ଜଙ୍ଗଲରେ ରାଜା । ବଡ଼ ଲୋକ । କିନ୍ତୁ ସଜନୀ , ତୁ ଏତେ ବଡ଼ ନୁହଁ ତୁ ଉଦ୍ଧତ ହେଲେ ବରଂ ତୋ ଠାରେ ଦାଗ ଲାଗିବ । ତେଣୁ ବଡ଼ଙ୍କ ଆଗରେ ନମ୍ର ହୋଇ ଚାଲୁଥିବୁ । ତୋର ଏ ନୂତନ ଯୌବନ ପ୍ରାପ୍ତି ରେ ମଦମତ୍ତ ହୋଇ ଶାଳୀନତା ଭୂଲିବୁନି ।

                  ଛତୁ ଫୁଟେ ବରଷାରେ ,
                    ମାରୁଛୁ ହାତ ନିଶରେ,
           ଛତରାଟା କେତେ ଛଇ ଦେଖାଉ ରେ,
                ଅଛି କି ତୋ ଭରସାରେ ।।୨୬।।
                          -- କିଶୋରୀ କହୁଛି - ଦେଖୁଚୁ ନା - ବର୍ଷା ହେଲେ ଛତୁ ଫୁଟେ, ବୟସ ହେଲେ ନିଶ ଗଜରେ । ରେ ଛତରା ଏଥିରେ ତୋର କିଛି ବାହାଦୁରୀ ନାହିଁ । ଏ ତୋ ପୁରୁଷକାର ନୁହେଁ  । ତୁ ଭାବନା- ତୋ ଭରଷାରେ ମୁଁ ଅଛି । ମୁଁ ସ୍ବାଧୀନ , ମୁଁ ସ୍ବତନ୍ତ୍ର ।

                  ମଜାର କଥା ହେଲା :-

              ରଜଦୋଳି ଗୀତର  ଏ ସମସ୍ତ ପଦ , ସମସ୍ତ ଶବ୍ଦ ବର୍ଷା ଋତୁ ସମ୍ବନ୍ଧିତ , କିଶୋରୀ ମାନସ ସମ୍ପର୍କିତ, ସମାଜ ବିଜ୍ଞାନ ସମ୍ମତ, ମନୋବିଜ୍ଞାନ ସମର୍ଥିତ ।

            ଏହା କଣ ଆମେ ଗର୍ବିତ ହେବାର ଯଥେଷ୍ଟ କାରଣ ନୁହେଁ ??

                   ନା ଆପଣ କ'ଣ କହୁଛନ୍ତି ?

   ( ରଜଦୋଳି ଗୀତର ଅବଶିଷ୍ଟ ପଦ ବ୍ୟାଖ୍ୟା ସହ କାଲି .. କ୍ରମଶଃ )
         
                            --- ଦାଶରଥି ସାହୁ
                           ତାରିଖ-- ୧୪.୦୬.୨୦୨୧

● ରଜ ଦୋଳି ଗୀତ - ପ୍ରାସଙ୍ଗିକତା ● (୨ୟ ଭାଗ)


                ରଜ ଦୋଳି ଗୀତ - ପ୍ରାସଙ୍ଗିକତା (୨ୟ ଭାଗ)
                ----------------------------------------------------

                 କରଡ଼ି ଖସିଲା ଆମ୍ବ,
       ପର କାହୁଁ ଘର ପରାଣୀ ହେବେ ରେ,
                ମନ ଜାଣି ଖଞ୍ଜି ଦେବ ।।୨୭।।
                     --  ରେ ନାଗର , ଆମ୍ବ କଷି ପବନରେ ଅଦିନରେ, ଅସମୟରେ ଝଡିପଡେ । ତା ମା' ଆମ୍ବଗଛ ତାକୁ ଯେମିତି ପ୍ରାଣ ଦେଇ ଭଲ ପାଉଥିଲା , କେହି ବି ତାକୁ ସେମିତି ସ୍ନେହ ସରାଗ ଦେଇପାରିବେନି । ତୁ'ଟା ତ ପର ; ଘରର ପ୍ରାଣୀ ପରି କଣ ତୁ ସବୁ ଖଞ୍ଜିଦେଇ ପାରିବୁ !? ମୋର ଜମା ଭରସା ନାହିଁରେ ନାଗର । ( ବାଉଁଶ କରଡି - ଶିଶୁ ବାଉଁଶ। ଆମ୍ବ କରଡ଼ି -- ଛୋଟ ଆମ୍ବ )

           ବିରାଡ଼ି ଛିଙ୍କିଲା ବଣେ,
ଆଗରେ ଯାଉଛି ନାଗର ଜଣେ ଲୋ,
           ମୁଣ୍ଡି ଝାଡୁ ଖାଲି ପଣେ ।।୨୮।।
                        -- ବିରାଡ଼ିକୁ ଏଇ ବର୍ଷା ଦିନେ ଥଣ୍ଡା ଧରେ, ଜର ହୁଏ । ସେ ଚୁଲିମୁଣ୍ଡ ଖୋଜେ, ଶେଜ କପଡା ଖୋଜେ, କୋଳ ସନ୍ଧି ଖୋଜେ । କିନ୍ତୁ ବଣରେ ବିରାଡ଼ିକୁ ଏସବୁ ଦୁର୍ଲଭ । ସେ ଖାଲି ଛିଙ୍କିବ ସିନା ; ତାକୁ କୋଳେଇବ କିଏ , ସ୍ନେହ ଆଦର ଦବ କିଏ !? ରେ ନାଗର ତୁ ବଣ ବିରାଡ଼ି , ଆଗରେ ଆଗରେ ଧପାଲୁଛୁ । ସହୀରେ ୟାକୁ ଖାଲି ଝାଡୁପାହାର ଦରକାର । ( ସ୍ନେହ ଆବେଗ ଓ କ୍ଷୁବ୍ଧ ମନରେ କିଶୋରୀ ତା ସଖୀକୁ କହୁଛି , ନାଗର କଣ ଏ ରୂପବତୀ ନବ ନାରୀକୁ ଦେଖି ଥରେ ବି ପଛକୁ ଫେରି ଚାହାନ୍ତା ନାହିଁ !?)।

               ଅଦିନେ ପଣସ ସିଠା,
       ବଚନରେ ଯାର ନଥାଏ ମିଠା ଲୋ,
             ସେଟା ବାଡ଼ ପକା କଣ୍ଟା ।।୨୯।।
                             -- ସଖୀ ଲୋ ! ଋତୁ ଚାହିଁ ଫଳ ଫଳେ, ତାର ସ୍ବାଦ ଅପୂର୍ବ , ସ୍ବତନ୍ତ୍ର। ଅଦିନରେ , ଛିଃ ଲୋ ସଖୀ , ଫଳର କଣ କିଛି ସ୍ବାଦ ଥାଏ ? ପଣସ ବି ମିଠା ନଲାଗି ସିଠା ବା ସ୍ବାଦହୀନ ଲାଗେ । ସେମିତି ଲୋ ସଖୀ ,ନାଗର ଯଦି ମିଠା କଥା ବିପ'ଦ କହିପାରିବନି , ସେଟା ଖାଲି ସିଠା ଲାଗିବନି ଲୋ , କଣ୍ଟା ପରି ଫୋଡ଼ି ହୋଇଯିବ ମନରେ । ନା' ଲୋ ସହୀ ! ମୋର ସେମିତି ନାଗର ଲୋଡ଼ା ନାହିଁ ।

                ପାହାନ୍ତି ରାବିଲେ ପେଚା,
         ଯିଏ ହୋଇଥିବ ସିଂହର ବଚ୍ଚା ଲୋ ,
                 ଦେବନାହିଁ ପଛଘୁଞ୍ଚା ।।୩୦।।
                             -- ନବ ନାଗରୀ , ନବ ପୁଷ୍ପବତୀ ଲହୁଣୀ ପିତୁଳା ଲଳନା ସଲ୍ଲଜ ଚାହାଁଣୀରେ କେତେବା ଛପି ଛପି ତା ମନର କନ୍ଦର୍ପ , କୁମାର କାର୍ତ୍ତିକେୟ ଙ୍କୁ ଖୋଜି ପାରିବ !? ସଖୀରେ ! ସବୁଠାରୁ ଭୟଙ୍କର ସମୟ -- ପାହାନ୍ତି ପେଚାର ରାବ ସମୟ । ସତରେ ମୋ ମନର ରାଜକୁମାର , କଣ କାର୍ତ୍ତିକେୟଙ୍କ ପରି , ସିଂହ ଶାବକ ପରି ସାହସର ସହ ମୋ ପ୍ରୀତି ଭିକ୍ଷା କରିପାରିବେନି !? ହଁ ରେ ସଖୀ , ସେଇ ଦିନକୁ ମୋର ଅପେକ୍ଷା ,ଏ ରଜ ଭିତରେ ବି ।

                 ମଇଁଷି ଶିଙ୍ଗରେ ଖସା,
         ମଉସା ପୁଆଟା ଏଡ଼େ ସହସା ଲୋ ,
                ମତେ କଲା ଲୋକହସା ।। ୩୧।।
                          -- ସଖୀରେ ଖୋଜୁଥିଲି ତ ମୋ ନୟନାଭିରାମ କାହ୍ନୁ କୁ । ତତେ କେତେଥର ମୁଁ କହିଛି- ମୋର ଏ ନହୁଲି ବୟସରେ ମୁଁ ,ରଜଦୋଳି ରେ ଝୁଲି ଝୁଲି କେତେ ଖୋଜିବି ? କେତେ ସଜେଇ ହେବି ?? ସବୁ ଶୃଙ୍ଗାର ମୋର ବ୍ୟର୍ଥ ଯାଉଛି । କଣ କହିବିରେ ସଖୀ , ମଉସା ପୁଆଟା ମୋ ବାଲ୍ୟ ସାଥି , ମୋ ଭାଇ , ହେଲେ କଣ ହେଲା ସେ ମୋ ମନ ଠିକ୍ ପଢି ନେଲା ଲୋ । ମୋତେ ତା ସାଥୀ ମେଳରୁ କେତେ କାହାକୁ ଦେଖାଇଲା - "ଏଇଟା ତୋ କାହ୍ନୁ । ସେଇ  ତୋ କାର୍ତ୍ତିକେୟ । ହେଇ ଯାଉଛି  ତୋ ମନ ପୁରୁଷ  ।  ଦେଖ୍ ଲୋ ଏଇ ତୋ ଜୀବନ ଧନ । ଯିଏ ହସୁଛି ନା , ସିଏ ତୋ ପ୍ରାଣ ବଲ୍ଲଭ  । 
        " ସଖୀରେ !! ମଇଁଷି ଶିଙ୍ଗରେ କଳାଜାଈ ଥିଲେ ତାକୁ ଖୋଜିବା ସିନା ସହଜ , କିନ୍ତୁ ମୋ କାହ୍ନୁ କୁ ଖୋଜିବା କଣ ଏତେ ସହଜ !? 
                   ତୁ କହଲୋ ସଖୀ ।

     ( ଅବଶିଷ୍ଟ ରଜଦୋଳି ଗୀତ ସହ ବ୍ୟାଖ୍ୟା - ପରବର୍ତ୍ତୀ ଅଧ୍ୟାୟରେ । ଧନ୍ୟବାଦ ବିଦଗ୍ଧ ପାଠକ , ପାଠିକା ଙ୍କୁ ଯାହା ମୋତେ ଉତ୍ସାହିତ କରିଛି କିଛି ଲେଖିବାକୁ ।)

                                  -- ଦାଶରଥି ସାହୁ
                            ତାରିଖ- ୧୬.୦୬.୨୦୨୧
                                    ( ଶେଷ ରଜ )

● ରଜଦୋଳି ଗୀତ-- ପ୍ରାସଙ୍ଗିକତା ● ( ୩ୟ ଭାଗ )



            ରଜଦୋଳି ଗୀତ-- ପ୍ରାସଙ୍ଗିକତା ( ୩ୟ ଭାଗ )
                   --------------------------------------------

                 
                  ଜାରା ମାରିଦେଲା ବାଣ,
             ଯାହାଠାରେ ଯାର ମିଶିଛି ମନ ଲୋ, 
                  ସେହି ଜାଣେ ତାର ଗୁଣ ।। ୩୨।।
                              -- ଚପଳଛନ୍ଦା କିଶୋରୀ ପ୍ରାଣର ଛନ୍ଦ କଲ୍ଲୋଳ କେବଳ ତାର ପ୍ରେମ ପଲ୍ଲବ କାହ୍ନୁ ଜାଣେ । କାହ୍ନୁ ବି ଜାଣେ ମଧୁମଲ୍ଲୀ ରାଧା କଥା । ସୁଗ୍ରୀବ ଅପେକ୍ଷା ବାଳୀ ଥିଲା ବେଶୀ ରାମ ପ୍ରାଣ ବଲ୍ଲଭ । ତେଣୁ ତ ରାମବାଣବୀଦ୍ଧ ବାଳୀ ପାଖରେ ଏତେ ମଧୁର ବାର୍ତ୍ତାଳାପ ନୟନାଭିରାମ ରଘୁନନ୍ଦନଙ୍କର । 
      ସେଥିପାଇଁ ତ ବାଳୀର ଜାରାଶବର ରୂପ । ଜାରାର ବିଷାକ୍ତ ତୀର ଜ୍ୱାଳାରେ ବି କାହ୍ନା ଅବିଚଳିତ, ହସହସ ।
            
           ମନ -ପ୍ରାଣ ,ଭକ୍ତ- ଭଗବାନ ଏକାକାର ।
  
     ରଜପର୍ବର ଚପଳଛନ୍ଦା କିଶୋରୀ ବି ବାଦ୍ ପଡନ୍ତା କୁଆଡୁ । ତା ମନଚୋର ସହ ସେ ହସୁଛି, ବାସୁଛି , ଏତେ ସବୁ ତିକ୍ତ ଅନୁଭୂତି ପରେ ବି , ତାର ସବୁ ଦୁଷ୍ଟାମୀ, ନଟଖଟ ସ୍ବଭାବ ସତ୍ତ୍ଵେବି ତା'  ସେମାନଙ୍କ ସମ୍ପର୍କକୁ ଆହତ କରିବାକୁ ସମର୍ଥ ହୋଇପାରିନି ।

              
                    କାଟି ଗଲି କଳାଦୁବ ,
         ଝିଅ ଜନମରେ ଏତିକି ଲାଭ ଲୋ, 
                 ବନ୍ଧୁ ଘର ଅରଜିବ ।। ୩୩।।
                            -- ଦୂବ ବଡପଵିତ୍ର, ଦେବୀ ମସ୍ତକ ବିମଣ୍ଡିତକାରୀ,କୋମଳ ଶିହରଣ ପ୍ରଦାନ କାରୀ ,ଚୂର୍ଣ୍ଣ ପର୍ଣ୍ଣ ଯୁକ୍ତ । ତା ଅମୃତ, ଦୀର୍ଘ ପ୍ରସାରୀ ନୂତନ ପ୍ରଶାଖା ସୃଷ୍ଟିକାରୀ । ତୁମେ ତାକୁ କାଟି ନେଲେବି ସେ ପୁଣି ନବ ପଲ୍ଲବ ସୃଷ୍ଟି କରି ପୂନଜର୍ଜୀବିତ ହୁଏ । ଖଣ୍ଡ ଦୂବ ଯେଉଁଠି ପଡେ ତା କାଣ୍ଡରୁ ପୂନଃ ନୂତନ ଶାଖାର ଉଦ୍ଗମ ହୁଏ । 
            
       ସଖୀରେ ! ଏହା କେବଳ, କେବଳ ଝିଅ ଜନ୍ମରେ ସମ୍ଭବ । ଦୁହିତା , ଦୁଇକୂଳକୁ ହିତା । ବାପଘରୁ କଟିଲେ ବି ସେ ବାପଘର ପରିବାରର ହିତରେ ଥାଏ, ଦୂର ଶାଶୁଘରେ ସେ ଲକ୍ଷ୍ମୀ ମା ଟିଏ । ବନ୍ଧୁ ବାନ୍ଧବ ସଭିଙ୍କ ପାଇଁ ସେ ଶ୍ୟାମଳ ଦୁର୍ବାଦଳର କୋମଳ ସ୍ପର୍ଶ । ପୁରୁଷର ସେ ଯୋଗ୍ୟତା ବା ସୌଭାଗ୍ୟ ନାହିଁ ରେ ସଖୀ ।
         
         ଏଇତ ଝିଅ ଜନ୍ମର ଲାଭ, ସୌଭାଗ୍ୟ ।
        
              
                କାଳୀଗାଇ ଦୁଧକ୍ଷୀରି ,
       ନୂଆ ପିରତି ରେ ମଉଜ ଭାରି ଗୋ,
                ପୁରୁଣାଟି ନିମ୍ବ ପରି ।।୩୪।।
                            -- କାଳୀଗାଇ କଳା ସିନା,  ତା ଦୁଧ ଖୁବ୍ ମିଠା । ଗୋରୀଗାଇ ଦୁଧ ମିଠା ନହେଲେ କଣ ହେଲା ଦେଖିବାକୁ ଗୋରୀଲୋ । ଏ ଦୂନିଆର ସଭିଙ୍କ ଠାରେ ଭଲ କିଛି ଅଛି ସଖୀ । ସମସ୍ତେ ଭଲ । 
            
             କିନ୍ତୁ ମଣିଷ ସବୁବେଳେ ପରିବର୍ତ୍ତନକୁ ଭଳପାଏ । ନୂଆ ଜିନିଷ ଖୋଜିବାରେ ତା ଆଗ୍ରହ । ସେଥିପାଇଁ ଲୋ ସଖୀ--  ତାକୁ , ମୋତେ ବି, ଆମକୁ ବି  ନୂଆ ଜିନିଷ ଭାରି ମିଠା ଲାଗେ , ପୁରୁଣା ଲାଗେ ପିତା ।
          
       ଆଗରୁ କହିଛିନା ସଖୀ - ସବୁ ଭଲ , ସମସ୍ତେ ଭଲ । 

       ଭଲଭାବରେ ମନେରଖିଥିବୁଲୋ ସଖୀ --ଯାହା କେବଳ ଆମପାଇଁ ନୂଆ କିମ୍ବା ପୁରୁଣା । ତୋର ପାଇଁ ଯାହା ପୁରୁଣା - ମୋ ପାଇଁ ତାହା ନୂଆ । ମୋ ପାଇଁ ଯାହା ପୁରୁଣା ତୋ ପାଇଁ ତାହା ନୂଆ ।
           
              ତେଣୁ ନୂଆ ରେ ଭଳିବୁନି ଲୋ ସହୀ, କି ପୁରୁଣା କୁ ହତାଦର କରିବୁନି ଟି । ନଚେତ୍ ତୋ ପୁରୁଣାକୁ କିଏ ନୂଆକରି 
ନେଇଯିବଟି ।

                            
                                ଆମ୍ବ ପତ୍ର ଗହଳିଆ,
                     ପ୍ରୀତି ପଙ୍କେ ତୁହି ହେବୁ ଗୋଳିଆଲୋ ,
                           ତୋଫା ହେବଟି ଧୂଳିଆ ।।୩୫।।
                                   -- ଏଇ ବର୍ଷା ଆଗମନରେ, ପ୍ରଥମ ବର୍ଷାର ସ୍ପର୍ଶରେ ଆମ୍ରତରୁ ନୂତନ କିଶଳୟ ବିମଣ୍ଡିତ ହୋଇ ଗହଳ ହୋଇଯାଏ । ସେଥିରେ ଥିବା ଧୂଳିଆ ଜନ୍ଦାମାନେ ବର୍ଷା ଧୌତ ହୋଇ, ଯଥେଷ୍ଟ ଖାଦ୍ୟ ଆହରଣକରି ତୋଫା ହୋଇଯାନ୍ତି । ( ବର୍ଷା ଯୋଗୁଁ ଗଛରେ ଅନେକ ଶୋଷକ ପୋକ ଦେଖାଯାନ୍ତି, ଜନ୍ଦାମାନେ ସେ ଅସଂଖ୍ୟ ପୋକମାନଙ୍କ ଠାରୁ ନିର୍ଗତ ମଧୁଶିଶିର ପାନକରି ଥାନ୍ତି )।
               
              ସଖୀରେ ! ତୁ ଆମ୍ବପତ୍ର ଗହଳିର ଜନ୍ଦା ପରି ଯଦି ବହୁ ନାଗର ସଙ୍ଗରେ ପ୍ରୀତି କରିବସିବୁ । ତୋ ତୋଫା ମନ,ହୃଦୟ , ପ୍ରେମ ଧୂଳି ଧୂସରିତ ମଳିନ ହୋଇଯିବଲୋ ସହୀ। 
                ସାବଧାନ ଥିବୁ ।

                  
                       ଥିରି ଥିରି ଚାଲେ ହାତୀ,
            ଥୟ ନ ହେଉଛି କିମ୍ପା ଏ ଛାତି ଲୋ,
                   ଥକା ଦୋଳି ,ହେଲା ରାତି ।। ୩୬।।
                                -- ହାତୀ ଚାଲି ଖୁବ୍ ଧୀର । କାରଣ ସେ ବିଶାଳ । ନବ  କିଶୋରୀର ବି ମନ ବିଶାଳ । କାରଣ ସେ ଛନ୍ଦକପଟର ଗୋଲକ ଧନ୍ଦାରେ ଘାଣ୍ଟି ହେବା ଶିଖିନି । ସରଳ ଓ ନିର୍ମଳ ହୃଦୟରେ ସେ ଏ ରଜରେ ଜୀବନର କେତେ ଜଟିଳ ଫନ୍ଦି ଫିକର ନୂଆ ନୂଆ ଶିଖୁଛି । ତା ମନ ବିବ୍ରତ, ଆନ୍ଦୋଳିତ -- ସତରେ ସେ କଣ ପାରିବ ? ଠକି ଯିବନି ତ ??
           
       ତାକୁ ଆଗକୁ ଉଜ୍ଜ୍ୱଳ ସକାଳ ନୁହେଁ, ଗଭୀର ତମିଶ୍ରା ପୂର୍ଣ୍ଣ ରାତିର ପ୍ରଦଧ୍ବନୀ ଶୁଣାଯାଉଛି । ସେ ଡରିଯାଉଛି । ତା ଛାତି ଧଡ଼ ପଡ଼ ହେଉଛି । ଦୋଳି ଖେଳ ଆଉ ସହଜ ଜଣାପଡୁନି । ସୁଖ ହଜିଗଲା ହଜିଗଲା ଲାଗୁଛି ।
            
              ଦୋଳି ଖେଳ ଛାଡ଼ି ସେ ଜୀବନକୁ ଅଧିକ ବୁଝିବାକୁ ଚାହୁଁଛି । ତାକୁ ଅବସର ଦରକାର ମନନ କରିବାକୁ । 
                    
                ରାତି ମାଡି ଆସୁଛି ।

     
 ( ରଜଦୋଳି ଗୀତର ଅବଶିଷ୍ଟ ଅଂଶ ବ୍ୟାଖ୍ୟା ସହ ପରବର୍ତ୍ତୀ ଅଧ୍ୟାୟରେ । ଆପଣଙ୍କର ଆଗ୍ରହ, ମୋର ସମ୍ବଳ ଓ ପ୍ରୋତ୍ସାହନ )

                               -- ଦାଶରଥି ସାହୁ
                            ତାରିଖ-- ୧୭.୦୬.୨୦୨୧
                                    ( ବସୁମତୀ ପୂଜନ ଓ ସ୍ନାନ )

● ରଜଦୋଳି ଗୀତ - ପ୍ରାସଙ୍ଗିକତା ● ଚତୁର୍ଥ ଭାଗ



       
            ରଜଦୋଳି ଗୀତ - ପ୍ରାସଙ୍ଗିକତା ( ଚତୁର୍ଥ ଭାଗ )
            ------------------------------------------------------

                      ପାଚିଲା ଆମ୍ବ ପଣସ ,
               ଆସ  ଭାଇମାନେ ଦୋଳିରେ ବସ , 
                       ନକରି ମନ ବିରସ ।।୩୭।।
                           -- ଏ ରଜପର୍ବ କିଶୋରୀ ମାନଙ୍କ ପର୍ବ । ଆନନ୍ଦ ଉଲ୍ଲାସର ପର୍ବ । କିନ୍ତୁ କିଶୋରମାନେ ?? ସେମାନେ ବି ବୟଃପ୍ରାପ୍ତ ।
         
      ଋତୁ ଆସିଛି । ଆମ୍ବ ପାଚିଛି । ପଣସ ବି ପାଚିଛି । ଆମ୍ବର ସୁବାସ ଛୁଟୁଛି । ପଣସର ସୁବାସ ବି । 
            
         ଆମ୍ବ ଝୁଲିବ । ପଣସ ବି ।
      
          ଯେତେ ସଖୀ ମେଳରେ ଥିଲେବି କିଶୋରୀ ପ୍ରାଣ ତା ଭାଇପାଇଁ ଝୁରିବ ହିଁ ଝୁରିବ । ତେଣୁ ଦୋଳିରେ ମଜା କେବଳ ସେ ନୁହେଁ ,  ଭାଇମାନେବି ନିଅନ୍ତୁ  ।

                ଘୋଡ଼ା ଗୋଡ଼ ଟାପୁ ଟାପୁ ,
               ଆମେ ଯାଇଥିଲୁ ତୁମ ଗାଆଁକୁ ,
                ନ କହିଲ ବସିବାକୁ ।। ୩୮।।
                        -- ଘୋଡ଼ା ଆସୁଛି ବୋଲି ବହୁ ଦୂରରୁ ଜାଣିହୁଏ ତା'ର ଟାପୁ ଶବ୍ଦରୁ । ନହୁଲୀ କିଶୋରୀ ପରୀ ସୁନ୍ଦରୀ ଯେତେବେଳେ ଅନ୍ୟ ସାହିକୁ ବୁଲିଯାଏ , ଚହଳ ପଡିଯାଏ କିଶୋର କିଶୋରୀ ମହଲରେ । ଘୋଡାର ଲଗାମ ନଟାଣିଲା ଯାଏ ସେ ଅଟକେ ନାହିଁ । କାରଣ ତାର ବେଗ ତାର ସମ୍ପଦ ।ନବ ଯୌବନବତୀ ଲଳନାର ସୌନ୍ଦର୍ଯ୍ୟ ତାର ସମ୍ପଦ । ସେ ବି ବୁଲିବୁଲି ତା ରୂପ ରୋଷଣୀର ବିଜ୍ଞାପନ କରିବାକୁ ଚାହେଁ । କିନ୍ତୁ ତାକୁ ଲଗାମ ଦେବ କିଏ ? ଅନ୍ୟ ସାହିର କିଶୋର ସାହସ କରି ,ତା ଦୂଆରେ ବସିବାକୁ ଡାକି ପାରେନି । ଆଉ ଅନ୍ୟ ସାହିର ଲଳନାର ଭୟ - ୟେ ତା ପ୍ରତିଦ୍ବନ୍ଦୀ ହେବନି ତ ?

                   ଚାଳରେ ବସିଲା ବଣି ,
              ରାଧା ଚାଲିଗଲା ଯମୁନା ପାଣି ,
                    କାହ୍ନୁ କଥା ମନ ଜାଣି ।।୩୯।।
                             --  ବଣି ଏମିତି ଏକ ଚଢ଼େଇ ,ଯିଏ ମୂଖ୍ୟତଃ ଜନବସତି ପାଖରେ ରହିବାକୁ ଭଲପାଏ । ସେ ଅନ୍ୟ ପ୍ରଜାତିର ଚଢେଇମାନଙ୍କ ସଙ୍ଗେ ଝଗଡ଼ା ଲଢେଇ କରି ସେମାନଙ୍କ ବସାକୁ ଅକ୍ତିଆର କରି , ସେ ଚଢେଇକୁ ସେଠୁ ତଡ଼ି ଦେଇଥାଏ । ( ଅଷ୍ଟ୍ରେଲିଆ ରେ ଏମାନଙ୍କର ପ୍ରଦୁର୍ଭାବ ଏତେ ବେଶୀ ଯେ ସେଠା ସରକାର ବଣିକୁ ଏକ ପେଷ୍ଟ ବା ଅନିଷ୍ଟକାରୀ ପକ୍ଷୀ ଭାବେ ଘୋଷଣା କରିଛନ୍ତି ।)
            
                ଏ ବଣି , ଘରଚଟିଆ ସଙ୍ଗେ ମଧ୍ୟ କଳିଝଗଡା କରି ଆକ୍ରମଣ କରି  ତାକୁ ତଡେ । ଚାଳ ସାଧାରଣତଃ ଘରଚଟିଆର ବାସସ୍ଥଳୀ । ବଣି ଚାଳରେ ବସିବା ଅର୍ଥ ସେ ଘରଚଟିଆ ସହ ଲଢିବା ମତଲବରେ ଅଛି । ଘରଚଟିଆର ଘର ଭାଙ୍ଗିବା ତା ଉଦ୍ଦେଶ୍ୟ ।
               
                    କାହ୍ନା କଣ କଲାକି ? ଚନ୍ଦ୍ରଶେଣା-ରାଧାର ଘର ଭାଙ୍ଗିବା ପାଇଁ ଯମୁନା କୂଳେ କଦମ୍ବ ମୂଳେ .... 
     
      ଆଉ ପ୍ରଣୟୀ ରାଧିକା - କାଖରେ କଳସୀ - ଚାଲି ଅଳସୀ- ଯମୁନ ଗଲାଣି -- ନୀର ଆଣି । 
           
       ରେ ନବ ଛଇଳି - ବଣିକୁ ଚିହ୍ନି, କାହ୍ନାକୁ ଚିହ୍ନି । ରଜରେ ତୁ ଜୀବନକୁ ଚିହ୍ନି ।

               ଚିରିଲି ବାଉଁଶ ବତା ,
         ଉପରେ ବନ୍ଦିଲି ସୂର୍ଯ୍ୟ ଦେବତା,
             ତଳେ ବନ୍ଦେ ବସୁମାତା ।।୪୦।।
                                     -- ବାଉଁଶ ଚିରିଲେ ବତା ହୁଏ । ଦୁଇଖଣ୍ଡ ବତା ମିଶିଲେ ବାଉଁଶ।ମଣିଷ ହେଉଛି ଏଇ ବାଉଁଶ । ତାର କିଛି ଆଶିଛି ଉପରୁ , ସୂର୍ଯ୍ୟ କିରଣ ରୁ ,ଆକାଶରୁ । ଆଉ ଅଧେ ଆସିଛି ତଳୁ ,ଧରଣୀ ରୁ । ଉଭୟଙ୍କୁ ସେ କୃତଜ୍ଞତା ଜଣାଇବା ଉଚିତ୍ । ନାରୀର ଜୀବନ ବାପଘରର ଅବଦାନ ଓ ଶାଶୁ ଘରର ଅବଦାନ ବି । ତେଣୁ ସେ ଉଭୟଙ୍କୁ କୃତଜ୍ଞତା ଜଣାଇବା ଉଚିତ୍ । ସେହିଭଳି ପାରିବାରିକ ଜୀବନ ନାରୀର ବସୁନ୍ଧରାର ଶହନଶୀଳ ଗୁଣ ଓ ପୁରୁଷର ସୂର୍ଯ୍ୟ ସମ ତେଜ ଓ ଦେବ ସୁଲଭ ଗୁଣର ସମ ମିଶ୍ରଣରେ ଯାଇ ପୂର୍ଣ୍ଣାଙ୍ଗ ହୋଇପାରିବ ।

                     ଶାଗକୁ ଭାଜିଲି ଡାଙ୍ଗେ,
            ଶାଶୁ ଗାଳିଦେଲେ , ନଣନ୍ଦ କହିଲେ ,
                   କାଲିଯିବି ଭାଇ ସାଙ୍ଗେ ।।୪୧।।
                                -- ଶାଗ ହେଉଛି ପତ୍ର ଓ ଡାଙ୍ଗର ମିଶ୍ରଣ । ଡାଙ୍ଗ ନଥିଲେ ଶାଗ ନାହିଁ । ଡାଙ୍ଗ ଦେହରେ ପତ୍ର ଲାଗିଥାଏ । ଡାଙ୍ଗ ଶାଗକୁ ଦୃଢ଼ ଭାବେ ଧରିରଖେ । ପତ୍ର ଡାଙ୍ଗକୁ କୋମଳତା ପ୍ରଦାନ କରେ । ଭାଇ ସଙ୍ଗେ ଭଉଣୀର ସମ୍ପର୍କ ଶାଗ- ଡାଙ୍ଗ ପରି ଅଛେଦ୍ଯ । କିନ୍ତୁ ସମାଜ ପୁଅ ଝିଅ ମଧ୍ୟରେ ମିଳାମିଶାକୁ ଠିକ୍ ରୂପେ ନଦେଖି ତା ମଧ୍ୟରେ ଆବିଳତା ଆଶଂକା କରେ । କିନ୍ତୁ ଭାଇ ଭଉଣୀ ସମ୍ପର୍କ ଅନାବିଳ ଓ ସନ୍ଦେହର ଉର୍ଦ୍ଧ୍ବ ରେ ହେବା ଉଚିତ୍ ।

                            
        ( ରଜଦୋଳି ଗୀତର ଅବଶିଷ୍ଟ ଅଂଶ ଓ ତାର ବ୍ୟାଖ୍ୟା ପରବର୍ତ୍ତୀ ଭାଗରେ ... କ୍ରମଶଃ )

                         ---- ଦାଶରଥି ସାହୁ
                        ତାରିଖ -- ୧୮.୦୬.୨୦୨୧

● ଗୋଲକ ଧନ୍ଦା ●

ଜଳରେ ଜଳ ପ୍ରତିଷ୍ଠା, 
     ମଳରେ ମଳ ପ୍ରତିଷ୍ଠା
ବ୍ରାହ୍ମଣେ ଖାଆନ୍ତି ଶୁଦ୍ରି ଅଇଁଠା
       ଶିବ ଖାଆନ୍ତି ବାଛୁରୀ ନାଳ
           ଶ୍ରୀକୃଷ୍ଣ ମୁଣ୍ଡରେ ଶିଖଣ୍ଡୀ ଚୂଳ

ଅର୍ଥ  ; ଗଙ୍ଗା ଜଳରେ କୂଅ, ପୁଷ୍କରିଣୀ ପାଣି ପ୍ରତିଷ୍ଠା ହୁଏ ।ମଳମୂତ୍ର ପଡିଥିବା ସ୍ଥାନକୁ ଗୋବରରେ ଶୁଦ୍ଧ କରାଯାଏ ।ପୁରୋହିତ ପ୍ରେତକୁ ଉତ୍ସର୍ଗୀକୃତ ଶୁଦ୍ରର ଚାଉଳକୁ ଭକ୍ଷଣ କରେ । ବାଛୁରୀ ପିଇବା ପରେ କ୍ଷୀର ଦୁହାଁ ହୋଇ ମହାଦେବଙ୍କୁ ଲାଗି କରାଯାଏ । ଶ୍ରୀକୃଷ୍ଣଙ୍କ ମୁଣ୍ଡରେ ମୟୂର ଚୂଳ ଶୋଭାପାଏ । 
        ଏହାହିଁ ଏଠାରେ ବର୍ଣ୍ଣନା କରାଯାଇଛି ।

Monday, June 14, 2021

● ରଜ ମଉଜ ●

   #ରଜ_ମଉଜ
ଆଗଭଳି ଆଉ ନାହିଁ ମଉଜ
ହାତଗଣା ଏବେ ପାନ-ବରଜ
ପାନ ବିନା ଫିକା ଲାଗେ ଏ'ରଜ 
ଗାଆଁଟା ହେଇଛି ସହରୀ ସଜ  ||

ପୋଡ଼ପିଠା ଏବେ ଖାଇବା ଲାଜ
ଆଧୁନିକତାର ପଡ଼ିଛି ବୀଜ
କୁଆଁରୀଙ୍କ ନାହିଁ ଅଳତା ସଜ
ପାଶ୍ଚାତ୍ୟ ଦୋଳିରେ ହସୁଚି ରଜ ||

ମଣିଷ ହାତରେ ମଲାଣି ଗଜ
ଆତ୍ମିୟତାଟିର ପଡ଼ିଛି ଖୋଜ
ଅନୀତିରେ ଭରା ମଣିଷ ଭୁଜ
ସଂସ୍କୃତି ପୁରେ ଅସଂସ୍କୃତି ଶେଜ ||

ସ୍ବର୍ଣ୍ଣିମ ସଂସ୍କୃତି ଉତ୍କଳ ଶୌର୍ଯ୍ୟ
ଜୀଇଁଛି ଜୀଇଁବା ଅପରିହାର୍ଯ୍ୟ
ଉତ୍କଳ ସଂସ୍କୃତି ନହେଉ ଉଜ
ଏଥକୁ ସହାୟ  ହେ'ଚତୁର୍ଭୁଜ  ||
          ---×--
✍  ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ ।


● ରଜ ●

*ରଜ*"..........
      ଉତ୍କଳ ର ଗଣପର୍ବ । ଅର୍ଣ୍ଣଦାତ୍ରୀ ଙ୍କୁ ସମ୍ମାନ ପ୍ରଦାନ କରିବାର ଉତ୍ସବ ।
“ର’ ଅର୍ଥ ସଂସାର ଓ “ଜ’ ଅର୍ଥ ଯୋଚିବା ।
    ସନାତନ ଧର୍ମ ରେ କୌଣସି ନାରିର ଋତୁସ୍ରାବ ପ୍ରଥମ ତିନିଦିନ  ଯଥାକ୍ରମେ- ଚାଣ୍ଡାଳି, ବ୍ରହ୍ମଘାତିନୀ, ଓ ରଜକୀ ହୋଇଥାଏ  । ଚତୁର୍ଥ ଦିନରେ ଶୁଦ୍ରା ଓ ପଞ୍ଚମ ଦିନରେ ରମଣ ଯୋଗ୍ୟ ହୋଇଥାଏ  । ଭୂମି ଙ୍କୁ ଦେବୀ ରୂପେ ଗ୍ରହଣ କରାଯାଇଛି । ଏହା ହିଁ ରଜ ପର୍ବର ଶାସ୍ତ୍ରୀୟ ଆଧାର । 
 "ବନସ୍ତେ ଡାକିଲା ଗଜ........", ଓଡିଆ ଘର ର ଝିଅ ଭୂଆଷୁଣି ମାନଙ୍କର ରଜ ରେ ବହୁ ଚର୍ଚ୍ଚିତ ଲୋକ ଗୀତ । ଏହା ମୂଳ ରେ ନିହିତ ଅଛି ଜଗନ୍ନାଥୀ ପରମ୍ପରା । ସଂସାର ଏକ ବନସ୍ତ ବା ଜଙ୍ଗଲ, ଏଥିରେ ହସ୍ତି ସ୍ବୟଂ ନୀଳବ୍ରହ୍ମରାଶି ପରଂବ୍ରହ୍ମ ଶ୍ରୀଜଗନ୍ନାଥ । ରତ୍ନ ସଂହାସନ ର ଭୂଦେବୀ ରଜସ୍ଫଳା ହେବେ, ତିନି ଦିନ ପରେ ପ୍ରକୃତି-ପୁରୁଷଙ୍କର ମିଳନ ହେବ । ସତରେ କେଡେ ନିଆରା ଓ ମହାନ ଆମ ପ୍ରଥା , ପରମ୍ପରା । ମହାନ ଆମ ସଂସ୍କୃତି , ସଭ୍ୟତା । ପବିତ୍ର ଆମ ପର୍ବପର୍ବାଣି ।                        
   
               ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ ।
   
            ଆଷାଢ ମାସ ଚତୁର୍ମାସ୍ୟା ବ୍ରତର ପ୍ରଥମ ମାସ । ଏ ଚାରି ମାସ ମୁନି ଋଷି ଓ ସାଧବମାନେ ସେମାନଙ୍କ ପରିଭ୍ରମଣ ତ୍ୟାଗ କରି ଏକସ୍ଥାନରେ ନିବିଷ୍ଟ ହୋଇ ସାଧନା କରିଥା'ନ୍ତି । ଏହି ମାସକୁ ଦାମ୍ପତ୍ୟ ଜୀବନର ସର୍ବଶ୍ରେଷ୍ଠ ସମ୍ଭୋଗର ମାସ ବୋଲି ଗ୍ରହଣ କରାଯାଏ । ବିରହ, ବିଧୂର ଯକ୍ଷର ପ୍ରିୟା ଉଦ୍ଦେଶ୍ୟରେ ମେଘ ମାଧ୍ୟମରେ ପ୍ରେରିତ ବାର୍ତ୍ତାକୁ ନେଇ ମହାକବି କାଳିଦାସଙ୍କ ରଚିତ "ମେଘଦୂତ' ମହାକାବ୍ୟ ଏକ ଅନବଦ୍ୟ ସାଂସ୍କୃତିକ ବୌଦ୍ଧିକ ପ୍ରତିଲିିପି ଓ ଇତିକଥା । ଆଷାଢ଼ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ । ମାଟି ମା' ହୁଏ ରଜସ୍ୱଳା । କୃଷିପ୍ରଧାନ ଦେଶ ଭାବେ ଖ୍ୟାତି ଲାଭ କରିଥିବା ଆମଦେଶରେ ମାଟି ମା' ବହୁ କିସମର ଫସଲ ଫଳାଇ ଆମରି ହାତରେ ଅଜାଡ଼ି ଦିଏ । ମା'ଟିଏ ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ, ସେମିତି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମା'କୁ ରଜ ତିନିଦିନ ବିଶ୍ରାମ ଦିଆଯାଏ ବୋଲି ବିଶ୍ୱାସ ଅଛି । ପହିଲି ରଜରେ ଆରମ୍ଭ ହୁଏ ପ୍ରସ୍ତୁତି ପର୍ବ । ତିନିଦିନ ଧରି ଧରଣୀ ମାତାକୁ ବିଶ୍ରାମ ଦିଆଯାଏ, ଯେଉଁଥିପାଇଁ ଭୂ-ଖନନ ବାରଣ କରାଯାଇଥାଏ । ମାତୃଜାତି ମଧ୍ୟରେ ଉତ୍ସାହ, ଉନ୍ମାଦନା ଓ ନୂତନ ଶକ୍ତି ଜାଗ୍ରତ କରିବା ପାଇଁ ପାଳନ କରାଯାଇଥାଏ ରଜପର୍ବ । କୁମାରୀମାନଙ୍କ ପାଇଁ ରଜପର୍ବ ହେଉଛି ତାଲିମ ପ୍ରଦାନକାରୀ ପର୍ବ । ଆଷାଢ଼ର ପହିଲି ବର୍ଷାରେ ମାଟି ମା'ର ପ୍ରଜନନ ଶକ୍ତି ଜାଗ୍ରତ ହୋଇଥାଏ, ଏହି କାରଣରୁ ଧରଣୀମାତାକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ । ଅବିବାହିତା ଝିଅଙ୍କ ପାଇଁ ଗର୍ଭଧାରଣ କ୍ଷମତା ପ୍ରାପ୍ତିର ଏକ ସାଙ୍କେତିକ ପର୍ବ ହେଉଛି ରଜ । ଜଣେ ନାରୀଭାବେ ଆଗାମୀ ଦିନରେ କିପରି କର୍ତ୍ତବ୍ୟ ସମ୍ପାଦନ କରିବାକୁ ହେବ, ତାହା କୁମାରୀ ମାନଙ୍କୁ ଶିଖିବାକୁ ପଡ଼ିଥାଏ, ଏହି ରଜ ପର୍ବ ପାଳନ ଅବସରରେ । କୁମାରୀମାନେ ରଜପର୍ବର ମଉଜ ଭିତରେ ଜଣେ ନାରୀର ଚଳଣି, ଆଚାରସଂହିତାକୁ ବିଧିଭାବେ ପାଳିଥାଆନ୍ତି ଏବଂ ଭବିଷ୍ୟତରେ ଯେତେବେଳେ ଝିଅଟିଏ ନାରୀଭୂମିକାରେ ଅବତୀର୍ଣ୍ଣ ହୋଇ କର୍ତ୍ତବ୍ୟ ସମ୍ପାଦନ କରେ, ଏହି ଆଚାରସଂହିତା ତାକୁ ସହାୟ ହୋଇଥାଏ । ରଜ ତିନିଦିନ ଧରି ରଜସ୍ୱଳା ନାରୀଭାବେ ଧରଣୀମାତାକୁ କଷ୍ଟ ନ ଦେଇ ଭୂମି କର୍ଷଣ ନ କରି ବିଶ୍ରାମ ଦେଲାଭଳି କଟା, ବଟା ଆଦି ଗୃହକର୍ମ ନ କରି କୁମାରୀମାନେ ବିଶ୍ରାମ କରନ୍ତି । ଧରଣୀ ମାତା ଶସ୍ୟଶ୍ୟାମଳାପୂର୍ଣ୍ଣ ହେବା ପାଇଁ ପ୍ରାଥମିକ ପ୍ରସ୍ତୁତି ଭାବେ ରଜ ତିନିଦିନ ବିଶ୍ରାମ ମିଳିଥାଏ ତାଙ୍କୁ । ଠିକ ସେହିପରି ଝିଅବୋହୂମାନଙ୍କ ଭବିଷ୍ୟତ ସାଂସାରିକ ଜୀବନ ସୁଖମୟ କରିବାକୁ ରଜପର୍ବର କଳ୍ପନା କରାଯାଇଛି । ରଜପର୍ବର ବିଧିବିଧାନକୁ ସେମାନେ ନିଜେ ପାଳନ କରି ଜଣେ ମାତାର କର୍ତ୍ତବ୍ୟକୁ ସୁଚାରୁରୂପେ ତୁଲାଇପାରିବେ ଏବଂ ଭବିଷ୍ୟତରେ ନିଜ ଝିଅମାନଙ୍କୁ ସ୍ୱଅନୁଭୂତିରୁ ଶିଖି ସଂସାର ନିୟମ ଶିଖାଇବେ ।
            ପରମ୍ପରା ଅନୁସାରେ ଏହି ଦିନ ଭୂମି ଉପରେ ଖାଲିପାଦରେ ଚାଲିବାକୁ ମନା କରାଯାଇଥାଏ । କୁମାରୀମାନେ ଖାଲି ପାଦରେ ଚାଲନ୍ତି ନାହିଁ, ଅଧିକାଂଶ ସମୟ ଦୋଳିରେ ଝୁଲନ୍ତି ଏବଂ ଗୁଆ ଖୋଳପା କିମ୍ବା ଚପଲ ପିନ୍ଧି ଚଳପ୍ରଚଳ ହୁଅନ୍ତି ।

          ବସୁମତୀ ସ୍ନାନ ହେଉଛି ରଜ ପର୍ବର ଅନ୍ତିମ ଦିବସ । ଏହା ବସୁଧାମାତାଙ୍କ ଶୁଦ୍ଧ ସ୍ନାନ । ଏହା ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ, ମହାଲକ୍ଷ୍ମୀ ଗାଧୁଆ ଓ ଶୁଦ୍ଧ ସ୍ନାନ ରୂପେ ପ୍ରଖ୍ୟାତ । ବଡ଼ି ସକାଳୁ ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ ଧରଣୀ ମାତାଙ୍କ ସ୍ୱରୂକୁ ସଜାଇ ପିଢ଼ା ଉପରେ ସ୍ଥାପନା କରି କଳସ ଆମ୍ବଡ଼ାଳ ରଖି କ୍ଷୀର ଦେଇ ସ୍ନାନ କରାଯାଏ । ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥା’ନ୍ତି । 
          
              ମାର୍ଗଶୀର ଶେଷ ଗୁରୁବାରଦିନ ବନ୍ଦ ହୋଇଥିବା ମହାଲକ୍ଷ୍ମୀ ପେଡ଼ି ଏହି ଦିନ ଖୋଲାଯାଇଥାଏ । ରଜସ୍ୱଳାନାରୀ ସଦୃଶ ତିନିଦିନ ଅସ୍ପୃଶ୍ୟ ହୋଇ ରହିବାପରେ ଚତୁର୍ଥ ଦିନ ପ୍ରାତଃ କାଳରେ ଏହି ଶୁଦ୍ଧ ସ୍ନାନ ପର୍ବ । ଏହି ଦିନ ରଜପର୍ବର ଆନନ୍ଦ ଉଲ୍ଲାସ ମଉଳି ଯାଇ ଆଧ୍ୟାତ୍ମିକତା ସ୍ଥାନ ନେଇଥାଏ । ଏହି ବସୁମତୀ ସ୍ନାନ ଦିବସରେ ଧରଣୀ ମାତା ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥାଏ । ବସୁମାତା ରଜସ୍ୱଳା ହୋଇ ଶୁଦ୍ଧସ୍ନାନ ପରେ ସୃଜନ କ୍ଷମତାଶୀଳା ଅର୍ଥାତ ଶସ୍ୟ ବୀଜ ଧାରଣକାରିଣୀ ହୋଇପାରିଥାନ୍ତି ।
           
          ଏହି ପର୍ବରେ ବୋଲାଯାଉଥିବା ଜଣାଶୁଣା ଗୀତ ଯାହା ଆଗେ ଗାଆଁ ଗହଳିରେ ଜନ୍ମ ନେଇଥିଲା ଏବଂ ଲୋକ ମୁଖରେ ବୋଲାଯାଉଥିଲା ପୁରୁଷ ପୁରୁଷ ଧରି ଓ ଧିରେ ଧିରେ ତାହା ଓଡ଼ିଆ ସାହିତ୍ୟ ଭିତରକୁ ଆସିଲା ।
          
“ବନସ୍ତେ ଡାକିଲା ଗଜ,
ବରଷକେ ଥରେ ଆସିଛି ରଜ,
ଆସିଛି ରଜ ଲୋ
ଘେନି ନୂଆ ସଜବାଜ ॥

ରଜ ଦୋଳି କଟ କଟ,
ମୋ ଭାଇ ମଥାରେ ସୁନା-ମୁକୁଟ,
ସୁନା ମୁକୁଟ ଲୋ
ଦିଶୁଥାଏ ଝଟମଟ ॥

       ଝିଅ ମାନଙ୍କର ଖୁବ୍ ମନୋଖୋଲା ଗୀତ ଏହି ପର୍ବରେ ବେଶ ରୁଚିପୂର୍ଣ୍ଣ  । ସେହି ଗୀତରୁ କିଛି   
         ରଜଦୋଳି ଗୀତ :

ବନସ୍ତେ ଡାକିଲା ଗଜ, 
ବରଷକେ ଥରେ ଆସିଛି ରଜ ଲୋ,
      ଘେନି ନୂଆ ସଜବାଜ ।
ରାଶିରୁ ଛାଡ଼ିଲା ଚୋପା,
 ଗୋଡ଼ରେ ନାଇଛୁ ସରୁ ଅଳତା ଲୋ, 
    ମଥାରେ ସିନ୍ଦୂର ଟୋପା ।
ଉଡ଼ିଲା ଶୁଆ ନାହାକା, 
ଦୋଳିଟା କାହିଁକି ଲାଗୁଛି ଏକା ଲୋ, 
     କାହା ବିନା ଏକା ଏକା ।
ପାଚିଲା ବଇଁଚ କୋଳି, 
   ବେକରେ ନାଇଚି ଗଜରା ମାଳି ଲୋ, 
        ଝୁଲାଅ ରଜର ଦୋଳି ।
ପଣସ ପାଚିଲା ବନେ, 
ବନ ପୋଡ଼ିଗଲେ ଦୁନିଆ ଜାଣେ ଲୋ, 
     ମନକଥା କିଏ ଜାଣେ ।
ଶଙ୍ଖ ମଲମଲ ଗିନା, 
  ଦରଦ ଜାଣେଲୋ ଦରଦୀ ସିନା ଲୋ, 
     ବଣିଆ ଚିହ୍ନେଟି ସୁନା ।
ନିମ୍ବର ବୁକେ ଚନ୍ଦନ, 
ଦେବତା ଗଢ଼ାଇଲା ନାରୀ ଜୀବନ ଲୋ, 
    ଦେଲା ତହିଁ ଯଉବନ ।
ଢମଣା ଛାଡ଼ିଲା କାତି, 
ପୁରୁଷ ସିନାଲୋ ଭ୍ରମର ଜାତି ଲୋ,
     ନୂଆ ଖୋଜୁଥାନ୍ତି ନିତି ।
ଚାନ୍ଦରେ କଳଙ୍କ ଚିହ୍ନ, 
   ନବ ଯଉବନି କିଆଁ ଗୁମାନ ଲୋ, 
      ଆସିଲେଣି ଜୀବ ଧନ ।
ପୋଖରୀ ତୁଠ ପଥର, 
ତତେ ଦେଖିଥିଲି ବାଲି ବନ୍ଧରେ ଲୋ,
     ଆଖି ଥିଲା ଏଣେ ତୋର ।
ସାହାଡ଼ା ଗଛର ଛାଇ, 
ସେଦିନ କଥାକି ତୋ ମନେ ନାଇଁ ଲୋ, 
     ଏତେ ଆନମନା କାହିଁପାଇଁ ।
ଖୋସାରେ ଖୋସିଲି ଫୁଲ, 
କେତେ ଦେଖାଉଛୁ ନୁଖୁରା ଗେଲରେ, 
      ଭାଙ୍ଗି ଦେବି ତୋର ଗାଲ ।
ନଈର ଶୁଖିଲା ବାଲି,
 କେତେ ଫୁଲି ହେଉ ପୁଚୁକିଗାଲି ଲୋ, 
      ଦେଖାଉଛୁ କେତେ ବେଲି ।
ବାଜିଲା ତେଲିଙ୍ଗି ବାଜା, 
ରସିକ ଯେ ଜାଣେ ସ୍ନେହର ମଜା ରେ, 
      ସେ ସିନା ମୋ'ମନ ରଜା ।
ଲୁଚିଗଲା ମେଘେ ଚାନ୍ଦ, 
ଦୋଳି କଟକଟ କରେ ଶବଦ ଲୋ, 
     ବହନ୍ତେ ପବନ ମନ୍ଦ ।
ଦୋଳି ହୁଏ ରଟରଟ, 
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ, 
      ଦିଶୁଥାଏ ଝଟଝଟ ।
ପରବତେ ଜଳେ ନିଆଁ, 
ପହଞ୍ଚାଇ ଦୋଳି ତେଣେ ନ ଚାହାଁ ଲୋ,
     ପୁଣି ହେବ ବାଆଁ ଡାଁ ।
ଉତୁରି ପଡ଼ିଲା ଦୁଧ, 
ଉଙ୍କି ମାରି ମାରି ଅନାଉ ଥାଏ ଲୋ,
      ନନ୍ଦର ଉଦିଆ ଚାନ୍ଦ ।
ଛତରା ବଜାର ହାଟ, 
ଛକି ବସିଥିବ ଚଗଲା କାହ୍ନୁଲୋ,
     ଛନ୍ଦରେ ମାଗିବ ଘାଟ ।
ଥୋଡ଼ମଞ୍ଜା କଲି ରାଇ, 
କଣ ନ କଲେ କଳା କହ୍ନାଇ ଲୋ, 
      ମୁହଁକୁ ଯା ନ ଅନାଇ ।
କରମଙ୍ଗା କଲି ରାଇ, 
ମଥୁରାକୁ ଗଲେ କଳା କହ୍ନାଇ ଲୋ, 
    କଣ୍ଟ ଦେଇ ଗଲେ କାହିଁ ।
ସାଉଁଟିଲି ବିଲ ଘଷି, 
କିମ୍ପାଇଁ ରାଧିକା ବସିଲା ରୁଷି ଲୋ, 
   ଫୁଲ ଶେଜ ହେଲା ବାସି ।
କଟକଟ ହୁଏ ଦୋଳି, 
ଭାଉଜଙ୍କ ମନ ଯାଇଛି ଜଳି ଲୋ, 
    ଭାଇ ବିଦେଶୁ ନଇଁଲେ ବୋଲି ।
ଗରଜେ କଳା ବଉଦ, 
ମୋତେ ତ ବରଷ ହେଲା ଚଉଦ ଲୋ, 
     ଗଲାଣି ପିଲା ସୁଆଦ ।
ବଇଁଶୀ ବାଜିଲା କୁଞ୍ଜେ, 
ବଡ଼କଥା ବଡ଼ ଲୋକଙ୍କୁ ସାଜେ ଲୋ,
    ଛୋଟ କଲେ ଛାଟ ବାଜେ ।
ଲାଞ୍ଜ ଟେକିଗଲା ବାଘ, 
ନଇଁ ଚାଲୁଥିବ ବଡ଼ଙ୍କ ଆଗେ ଲୋ,
     ଲାଗିବ ନାହିଁଟି ଦାଗ ।
ଛତୁ ଫୁଟେ ବରଷାରେ, 
ଛତରାଟା କେତେ ଛଇ ଦେଖାଉ ରେ,
     ଅଛି କି ତୋ ଭରଷାରେ ।
କରଡ଼ି ଖସିଲା ଆମ୍ବ, 
ପର କାହୁଁ ଘର ପରାଣୀ ହେବେ ରେ, 
    ମନ ଜାଣି ଖଞ୍ଜି ଦେବ ।
ବିରାଡ଼ି ଛିଙ୍କିଲା ବଣେ, 
 ଆଗରେ ଯାଉଛି ନାଗର ଜଣେ ଲୋ, 
      ମୁଣ୍ଡି ଝାଡୁ ଖାଲି ପଣେ ।
ଅଦିନେ ପଣସ ସିଠା, 
ବଚନରେ ଯାର ନଥଏ ମିଠା ଲୋ, 
    ସେଟା ବାଡ଼ ପକା କଣ୍ଟା ।
ପାହାନ୍ତି ରାବିଲେ ପେଚା, 
ଯିଏ ହୋଇଥିବ ସିଂହର ବଚା ଲୋ, 
       ନ ଦେବ ପଛଘୁଞ୍ଚା ।
ମଇଁଷି ଶିଙ୍ଗରେ ଖସା, 
ମଉସା ପୁଆଟା ଏଡ଼େ ସହସା ଲୋ,
      ମତେ କଲା ଲୋକହସା ।
ଜାରା ମାରିଦେଲା ବାଣ , 
ଯାହାଠାରେ ଯାର ମିଶିଛି ମନ ଲୋ, 
    ସେହି ଜାଣେ ତାର ଗୁଣ ।
କାଟି ଗଲି କଳା ଦୁବ, 
ଝିଅ ଜନମରେ ଏତିକି ଲାଭ ଲୋ, 
     ବନ୍ଧୁ ଘର ଅରଜିବ ।
କାଳୀଗାଇ ଦୁଧ କ୍ଷୀରି, 
ନୂଆ ପୀରତିରେ ମଉଜ ଭାରି ଗୋ, 
    ପୁରୁଣାଟି ନିମ୍ବ ପରି ।
ଆମ୍ବ ପତ୍ର ଗହଳିଆ,
 ପ୍ରୀତି ପଙ୍କେ ତୁହି ହେବୁ ଗୋଳିଆ ଲୋ, 
    ତୋଫା ହେବଟି ଧୁଳିଆ ।
ଥିରି ଥିରି ଚାଲେ ହାତୀ,
 ଥୟ ନ ହେଉଛି କିମ୍ପା ଏ ଛାତି ଲୋ,
     ଥକା ଦୋଳି ହେଲା ରାତି ।

            ରଜରେ ପିଠାପଣା ବ୍ୟତୀତ  ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା । ପ୍ରୀତିର ବନ୍ଧନ ହେଉଛି ପାନ । ପ୍ରୀତି, ପ୍ରେମ, ବନ୍ଧୁତାର ଛ'ଲକ୍ଷଣ ଏ ଦେଶରେ ନିର୍ଦ୍ଧାରିତ କରାଯାଇଛି । ଦିଏ, ନିଏ, ଖାଏ, ଖୁଆଏ, ଗୋପନ କଥା କହେ ଓ ପଚାରେ, ଏ ଛ'ଟି ଆନ୍ତରିକତା ଓ ନିବିଡ଼ତାର କଥା । ଭୋଜନ ଶେଷରେ ତାମ୍ବୁଳ ସେବା ଏକ ପ୍ରାଣମୟ ବ୍ୟବସ୍ଥା । ଓଡ଼ିଆଙ୍କ ଠାକୁର ବଡ଼ଠାକୁର ଜଗନ୍ନାଥ ପ୍ରତିଦିନ ଭୋଜନାନ୍ତେ ତାମ୍ବୁଳ ସେବା କରି ନିଦ୍ରା ଯାଆନ୍ତି । ପାନ ହେଉଛି ମୁଖବାସ, ପରିତୋଷ । ରଜ ସହିତ ପାନ ଯୋଡ଼ିହେବା ପଛରେ କଥା ଅଛି, ଏଡା ବନ୍ଧୁତାର ଡେ଼ାରିକୁ ସୁଦୃଢ କରିବ । ରଜରେ ଝିଅମାନେ ସମସ୍ତଙ୍କୁ ପାନ ଦବାନବା କରିଥାନ୍ତି । ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପାନ ଜୀର୍ଣ୍ଣକାରକ ଏବଂ କୃମିନାଶକ । ପାନରେ ଦିଆଯାଉଥିବା ଚୂନ ଲୌହଶକ୍ତି ପୂର୍ଣ୍ଣ (କ୍ୟାଲସିଅମ) ଓ ଖଇର ଦାନ୍ତକୁ ମଜଭୁତ କରିଥାଏ । ପାନ ଖାଇଲା ବେଳେ ପତ୍ରରୁ ଶିରା ଛେଦନ କରାଯାଇଥାଏ କାରଣ ପାନଶିରା ହେଉଛି ବୁଦ୍ଧି ବିନାଶିନୀ । ରଜପାନର ଚମକ ଓ ମହକ ସାରାବର୍ଷର ପାନକୁ ବଳିଯାଏ, ରଜ ଆଭୂଷଣକୁ ଆହୁରି ମୁଗ୍ଧକର କରିଦିଏ । ରଜପାନରେ ଗୁଆ, ଅଳେଇଚ, ଗୁଜୁରାତି, ଭଜା ଧଣିଆ, ଚାଉଳ ଓ ନଡିଆ ଖଣ୍ଡ, ଚେରି, ଲବଙ୍ଗ, କବାବଚିନି, ଚୁଆ, ପାନ ମହୁରି, ସୁବାସିତ ଜାଫ୍ରାନ କେଶର, ଖଇର ପରି ୧୦ରୁ ୧୨ ପ୍ରକାର ମସଲା ବ୍ୟବହୃତ ହୁଏ । ଏହାକୁ ବିଭିନ୍ନ ଢଙ୍ଗରେ ତ୍ରିଭଙ୍ଗି, ଚଉଭଙ୍ଗି ଆକୃତି ଦେଇ ଉପରେ ଲବଙ୍ଗ ଖୋସି ଅତି ସୁନ୍ଦର ଭାବେ ଥାଳିରେ ସଜାଇ ଦିଆଯାଏ । ସାଧାରଣ ଦିନର ପାନଠାରୁ ରଜପାନର ସ୍ୱାଦ ସ୍ୱତନ୍ତ୍ର ।

         ଓଡ଼ିଆଙ୍କ  ପର୍ବପର୍ବାଣୀ ଖୁବ୍ ନିଆରା ଏଥିରେ ସ୍ନେହ ବନ୍ଧନ ସହ ପ୍ରକୃତି ତଥା ଓଡ଼ିଆଙ୍କ ଭକ୍ତି, କଳାନିପୁଣତା ସ୍ପଷ୍ଟ ବାରିହୋଇପଡେ । 
      
   ✍ ସନ୍ତୋଷ ପଟ୍ଟନାୟକ , ଗଞ୍ଜାମ ।

Friday, June 11, 2021

● ଜହ୍ନ ଓ କଇଁ ●

               ଜହ୍ନ ଓ କଇଁ
              ***********
ଶୀତ ପରେ ଆଜି ବସନ୍ତର ଆଗମନ
ନଭସୂତ ବୋହି ଆଣୁଛି ଫୁଲର ମଧୁର ବାସ୍ନା। ଓଃ..... କି ଶାନ୍ତି..... ଏଇତ ଫୁଲଋତୁର ଅପେକ୍ଷା ଥିଲା । ପୃଥିବୀ ତାର କୋଳରେ ତୋଳି ଧରିଲା ଅନେକ ପ୍ରକାର ଫୁଲ। ବସନ୍ତର ଆଗମନରେ ସମସ୍ତେ ଖୁସି ହେଲେ ଏ କଣ କଇଁ ମନ ଉଦାସ !!

              ଯେତେ ଫୁଲର ବାସ୍ନା ପବନ ବହିଲେ ମଧ୍ୟ ତାର ମନ ଖୋଜେ ଆଉ କାହାକୁ। ଅମା ଅନ୍ଧକାରରେ ତାର ଖୁସି ଯେପରି ଲୁଚି ଯାଇଛି। ହଜିଯାଇଛି ତା ଦେହର ସୁଗନ୍ଧ। ଅନ୍ଧକାରର ଭୟରେ ସେ ପାଦ ଥାପିବାକୁ ମଧ୍ୟ ସାହସ କରୁନାହିଁ। ସେହି ଅନ୍ଧକାରର ଭାବନା ତାକୁ କେଉଁ ଅବନା ଆରଣ୍ୟକୁ ଟାଣି ନେଉଛି। ସେ ଖୋଜେ ଜ୍ୟୋତ୍ସ୍ନା। ସତରେ କଣ ଏତେ ଶକ୍ତି ସେହି ଜ୍ୟୋତ୍ସ୍ନାର ! ଯାହାପାଇଁ କଇଁ ଚାହିଁ ରହିଛି ପୂର୍ଣ୍ଣମାକୁ  ??  

             କି ଆଶ୍ଚର୍ଯ୍ୟ ଜହ୍ନ କେବେ କଇଁକୁ କି କଇଁ କେବେ ଜହ୍ନକୁ  ସ୍ପର୍ଶ କରିନାହାନ୍ତି ସତ। ହେଲେ କେବଳ ଦୁହେଁ ଦୁହିଁଙ୍କୁ ଅନୁଭବ କରିପାରନ୍ତି ସେହି ଜ୍ୟୋତ୍ସ୍ନାରେ ଯାହା ଜହ୍ନରୁ ବାହାରି କଇଁ ଉପରେ ପଡ଼େ।ହେଲେ ତାଙ୍କ ପ୍ରେମ ଶାଶ୍ଵତ ସେଇ ଟିକକ ସ୍ପର୍ଶ ପାଇବାକୁ କଇଁ କାହିଁ କେବେଠୁ ଅପେକ୍ଷାରତ ରହିଛି। ତାର ଆଲୋକ ଦେଖି ସେ ବାହାରି ଆସେ। ସେହି ଆଲୋକର ସ୍ପର୍ଶରେ ସେ ଉତ୍ଫୁଲ୍ଲିତ ହୋଇଉଠେ। ସେଥିରେ ସେ ନିଜକୁ ସଜାଏ ଓ ଲାଜେଇ ଲାଜେଇ ଜହ୍ନକୁ ଚାହେଁ। ସତରେ ଏ ଆକାଶ ଓ ମାଟି, କଇଁ ଆଉ ଜହ୍ନର ପ୍ରେମ କେତେ ଅଜବ, କେତେ ଶାଶ୍ଵତ ଟିକିଏ ସ୍ପର୍ଶ ପାଇଁ ସେମାନେ ଅପେକ୍ଷାରତ। ମାଟି ଓ ଆକାଶ ଯେପରି ଚାହିଥାନ୍ତି ବର୍ଷାକୁ , କଇଁ ଓ ଜହ୍ନ ଚାହିଁଥାନ୍ତି ପୂର୍ଣ୍ଣମାକୁ। ଏଇତ ଏକମାତ୍ର ମାଧ୍ୟମ । ସେହି ପୂର୍ଣ୍ଣମାରେ ଜହ୍ନ ପହଞ୍ଚେ କଇଁ ପାଖରେ। ତାର ଆଗମନରେ କଇଁ  ମନରେ ତ ଅସରନ୍ତି ଆଶା ନେଇ ସେ ନିଜକୁ ସଜେଇ ହୁଏ। ତାର ବାସ୍ନାରେ ଭ୍ରମର ମଧ୍ୟ ପାଗଳ ପାଲଟି ଯାଏ। ପୁଣି ଯେତେବେଳେ ଅନ୍ଧକାର ହୋଇଉଠେ ତାର ହୃଦ ତରଳି ଉଠେ। ମନେ ମନେ ସେ ସେହି ବାଦଲକୁ ଗାଳିକରେ ଓ ଧରଣୀର କୃଷ୍ଣସାର ପରି ଦୂର ଆକାଶକୁ ଚାହିଁ ରୁହେ ।
                         ~୦~
                 ✍   ଲିଜା ରାଣୀ ପାଇଟାଳ 
              (ରାହାଣ, ଜଗତସିଂହପୁର)

● #ବୋଉ #ଶବ୍ଦ_ଗୋଟିଏ_କଥା_ଅନେକ ●

           ✍ ଶିିିଶିର ସାାହୁ ମନୋଜ {ଭାଷା ସୁୁୁରକ୍ଷାର ଜାଗ୍ରତ ପ୍ର୍ରହରୀ}


ଚୀନଦେଶୀୟ ଭାଷାଗୁଡି଼କରେ ମାଆ ବାପାଙ୍କୁ ସମ୍ବୋଧନ ହେତୁ ଅନେକ ଶବ୍ଦ ରହିଛି । ଆଜିକାଲି ଵିଶ୍ଵର ଅନୁକରଣ କରିଵାକୁ ଯାଇ ଶିକ୍ଷିତ ଚୀନାଲୋକେ ମାଆଙ୍କୁ  妈妈(māmā) ତଥା ବାପାଙ୍କୁ 爸爸(bàbà) ଡାକନ୍ତି । 

ତେଵେ କିଛି ଶହ  ଵର୍ଷ ପୂର୍ଵେ ସେମାନେ ମାଆଙ୍କୁ 母亲(mǔqīn) ଓ ବାପାଙ୍କୁ 父亲(fùqīn) ଡାକୁଥିଲେ । ଆଜି ବି ଏ ଶବ୍ଦ ଦ୍ଵୟ ପ୍ରଚଳିତ ତେଵେ  ଚୀନଦେଶୀୟ ଲିଖିତ ସାହିତ୍ୟରେ ହିଁ ଏହାର ଵ୍ଯଵହାର ସୀମିତ ହୋଇଯାଇଛି ।  ‌ସେଇଭଳି ଏଠାକାର ଗ୍ରାମୀଣ ଅଞ୍ଚଳରେ ମାଆଙ୍କୁ 娘(niáng)ଓ ବାପାଙ୍କୁ 爹(diē)ସମ୍ବୋଧନ କରାଯାଏ କିନ୍ତୁ ଧିରେ ଧିରେ ଏହି ପରମ୍ପରା ଦୃତ ସହରୀକରଣ ଯୋଗୁଁ ଲୁପ୍ତ ହେଵାକୁ ବସିଲାଣି । 

ଆମ ପୂର୍ଵାଞ୍ଚଳରେ ଯେମିତି ଅନ୍ଯର ମାତା ଓ ପିତାଙ୍କୁ ସମ୍ମାନର ସହିତ ମଉସା ଓ ମାଉସୀ ସମ୍ବୋଧନ କରାଯାଏ ସମାନ ପରମ୍ପରା ଚୀନଦେଶରେ ମଧ୍ୟରେ ରହିଛି । ତେଵେ ସେଠାକାର ଲୋକେ ଅଧିକ ଆଵଶ୍ଯକ ହେଲେ ହିଁ ଅନ୍ଯର ମାତାଙ୍କୁ  令堂(lìngtáng)ଓ ଆନର ପିତାଙ୍କୁ  令尊(lìngzūn) ସମ୍ବୋଧନ କରିଥାନ୍ତି ‌। ଆମ ଗଞ୍ଜାମ ଅଞ୍ଚଳର ଲୋକେ ଆଉ ପାଦେ ଆଗେଇ ପରର ପିତାମାତାଙ୍କୁ ମଧ୍ୟ ଶ୍ରଦ୍ଧାରେ ମାଆ ଓ ବାପା ସମ୍ବୋଧନ କରୁଥିଵା ଦୃଷ୍ଟିଗୋଚର ହୁଏ । ତେଵେ ପୂର୍ଵାଞ୍ଚଳର ଲୋକେ ଵିଶେଷତଃ ପୁରୁଷମାନେ ନିଜ ଝିଅ,ଝିଆରୀ ଓ ଭାଣିଜୀମାନଙ୍କୁ ‘ମାଆ’ ତଥା ସ୍ତ୍ରୀଲୋକେ ଛୋଟ ବାଳକଙ୍କୁ ବାପ,ବାପା,ବାବା,ବାବୁ,
ପୁଅ,ପୋଅ ଆଦି ସମ୍ବୋଧନ କରୁଥିଵା ଦେଖାଯାଏ । 

ଚୀନଦେଶୀୟ ଲୋକେ ତାଙ୍କ ମାତାପିତାଙ୍କୁ ପତ୍ର ଲେଖିଲାଵେଳେ ତଥା ସାହିତ୍ୟରେ ମାଆଙ୍କ ପାଇଁ  家母(jiāmǔ)ଓ  家慈(jiācí)ଏଵଂ ପିତାଙ୍କ ପାଇଁ 家父(jiāfù)ଓ 家严(jiāyán)ଶବ୍ଦର ଵ୍ଯଵହାର କରିଥାନ୍ତି ଯାହା ଚୀନରେ ଅତ୍ୟନ୍ତ ଆଦରସୂଚକ ମାନାଯାଏ । 

ତେଵେ ଅତିପ୍ରାଚୀନ କାଳରେ ଚୀନଦେଶର ଲୋକେ 
ଆଜିଭଳି ମାମା ବାବା ଶବ୍ଦ ଵ୍ଯଵହାର କରୁନଥିଲେ । ଏହି ଉଭୟ ଶବ୍ଦ ପଶ୍ଚିମ ଵିଶ୍ଵ ତଥା ଭାରତ ସହିତ ସାଂସ୍କୃତିକ ସଂପର୍କ ବୃଦ୍ଧି ପରେ ପରେ ପ୍ରଚଳିତ ହୋଇଥିଵା ଅନେକ ଚୀନୀ ଭାଷାଵିତ୍ ମତ ଦିଅନ୍ତି । 

ପ୍ରାୟ ୨୦୦୦ ଵର୍ଷ ପୂର୍ଵର ଅନେକ ପ୍ରାଚୀନ ଚୀନୀ ଗ୍ରନ୍ଥରେ  ମାତାଙ୍କୁ  妣(bǐ)ଓ ପିତାଙ୍କୁ 考(kǎo) ସମ୍ବୋଧନ କରାଯାଉଥିଵାର ପୁରାତନ ଲିଖିତ ପ୍ରମାଣ ରହିଛି । ତେଵେ ଆଜିକାଲି 妣(bǐ)ଶବ୍ଦର ଵ୍ଯଵହାର ମରଣୋତ୍ତର ମାତାଙ୍କୁ ସମ୍ବୋଧନ ହେତୁ ସଭା ସମିତି ଦୂରଦର୍ଶନ ସମ୍ବାଦପତ୍ର ଆଦିରେ ଵ୍ଯଵହୃତ ହୋଇଥାଏ । 

ଆମ ଭାରତରେ ଯେମିତି ଭାଷା ଭେଦରେ ମାତାଙ୍କୁ ଭିନ୍ନ ଭିନ୍ନ ଶବ୍ଦ ଦ୍ଵାରା ସମ୍ବୋଧନ କରାଯାଏ ଠିକ୍ ସେଇଭଳି ଚୀନଦେଶରେ ମଧ୍ୟ ଵିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଶବ୍ଦ ଚଳୁଅଛି । ନିମ୍ନରେ ସେଇଭଳି କିଛି ଉଦାହରଣ ଦିଅଗଲା ଯେଉଁ ଶବ୍ଦଗୁଡି଼କୁ ଚୀନଦେଶରେ ମାତାଙ୍କୁ ସମ୍ବୋଧନାର୍ଥେ ପ୍ରୟୋଗ କରାଯାଏ । 

✓母親 (móuhchàn)
✓媽媽 (màhmà) 
✓阿母 (a mā) 
✓母親 (mu1-cin1)
✓媽媽 (ma5-ma3)
✓阿母 (a1-me1)
✓母親 (mǔqīn) 
✓妈妈 [媽媽] (māma) 
✓母親 (bó-chhin)
✓阿母 (a-bó)
✓俺娘 (án-niâ)

ଏଠାରେ ପ୍ରଦତ୍ତ 阿母 (a-bó) ଶବ୍ଦଟି ଜାପାନୀ ଭାଷାରେ ମଧ୍ୟ ଚଳୁଅଛି ତେଵେ ଏହାର ଵ୍ଯଵହାର ଜାପାନର କେତେକ ଜନଜାତି ମଧ୍ୟରେ ସୀମିତ ରହିଯାଇଛି । 

ଚୀନଦେଶୀୟ ଭାଷାଗୁଡି଼କରେ ଏହି 阿母 (a-bó)
ଶବ୍ଦର ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ଅର୍ଥରେ ଵ୍ୟଵହାର ରହିଛି । 
ଯଥା—

✓ଚୀନର Min Nanଭାଷାରେ 阿母 (a-bó) ଶବ୍ଦର ଅର୍ଥ ‘ମାଆ’ 

✓Cantonese ଭାଷାରେ ଭାଉଜଙ୍କୁ 
阿母 (a-bó) କୁହାଯାଏ । 

✓Dongguan Cantonese ଉପଭାଷାରେ
ମାଇଁଙ୍କୁ 阿母 (a-bó) କୁହନ୍ତି । 

✓ଚୀନଦେଶର କେତେକ ଶୈଳୀରେ 
ନର୍ସମାନଙ୍କୁ 阿母 (a-bó) କୁହାଯାଇଥାଏ ।

ଚୀନଦେଶରେ a-bó  ଶବ୍ଦର ଅଞ୍ଚଳ ଭେଦରେ ଵିଭିନ୍ନ ଅର୍ଥ ରହିଛି ପୁଣି ମାଆଙ୍କୁ ସମ୍ବୋଧନାର୍ଥେ ଵିଭିନ୍ନ ଚୀନଦେଶୀୟ ଭାଷାରେ  ଭିନ୍ନ ଭିନ୍ନ ଶବ୍ଦ ଚଳୁଅଛି । କିନ୍ତୁ ସେମାନେ ଆମ ଭାରତୀୟଙ୍କ ପରି ସମ୍ବୋଧନ ଵାଚକ ଶବ୍ଦକୁ ନେଇ ପରସ୍ପରରେ କାଦୁଅ ଫିଙ୍ଗାଫିଙ୍ଗି ହେଉଥିଵାର ଦେଖାଯାଏ ନାହିଁ । 

 ଚୀନ ଦେଶ କଥା ଛାଡ଼ନ୍ତୁ ଆମ ଭାରତରେ ପ୍ରଚଳିତ ପଞ୍ଜାବୀ ଭାଷାରେ ପ୍ରଚଳିତ ଏମିତି କେତେଗୋଟି ଶବ୍ଦର ମଧ୍ୟ ଏଠାରେ ଉଦାହରଣ ଦିଆଯାଇପାରେ ।  ପଞ୍ଜାବୀମାନେ ତାଙ୍କ ମାତାଙ୍କୁ ਭਾੱਥੋ(BHÁBBO) ସମ୍ବୋଧନ କରନ୍ତି । ତେଵେ ପଞ୍ଜାବୀର କେତେକ ଶୈଳୀରେ ଭାଉଜଙ୍କୁ ସମ୍ବୋଧନ ପାଇଁ ବି ଏ ଶବ୍ଦ ଵ୍ଯଵହାର ହୋଇଥାଏ । ପଞ୍ଜାବୀର କେତେକ ଶୈଳୀରେ ਬੋਬੀ(BOBÍ) ଓ ਬੋਬੋ(BOBO) ଶବ୍ଦଦ୍ଵୟର ଅର୍ଥ ମାଆ ହୋଇଥିଵା ଵେଳେ ଅନ୍ୟତ୍ର ଏ ଶବ୍ଦ ଭଉଣୀମାନଙ୍କୁ ସମ୍ବୋଧନାର୍ଥେ ପ୍ରୟୋଗ ହୁଏ । “ଭାଇ ମାୟା ସିଂ” ଙ୍କ ଦ୍ଵାରା ସଂକଳିତ “the punjabi dictionary”ରେ ଏହି ତଥ୍ଯ ରହିଛି । 

ଓଡ଼ିଆ ଭାଷାରେ ଓ ଓଡ଼ିଶା ଭୂଇଁରେ ସେହିପରି ଵର୍ଗ୍ୟ ବ ଵର୍ଣ୍ଣ ଆଦ୍ୟରେ କେତେକ ସମ୍ପର୍କଵାଚକ ଶବ୍ଦ ପ୍ରଚଳିତ । ତନ୍ମଧ୍ୟରୁ ବୋଉ,ବଉ ଓ ଵୋହୂ ଵା ଵଉ ଶବ୍ଦକୁ ନେଇ ନିକଟ ଅତୀତରେ ଓଡ଼ିଶାର ବୁଦ୍ଧିଜୀଵିଙ୍କ ମଧ୍ୟରେ ମହାଭାରତ ଯୁଦ୍ଧ ସଂଗଠିତ ହୋଇଯାଇଥିଲା ।  ହେଲେ କିଛି ଵର୍ଷ ତଳେ ଆମ ଓଡ଼ିଶାର ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଜଣେ ତଥାକଥିତ କଵି ଯେଉଁଭଳି ଭାବେ ଦାଣ୍ଡରେ ଡ଼ାକବାଜି ଲଗାଇ ଓଡ଼ିଆ ଭାଷାର ମୌଳିକ ବୋଉ ଶବ୍ଦର ଚୀରହରଣ କରିଥିଲେ ସେଭଳି ପାଗଳାମୀ ଚୀନା କି ପଞ୍ଜାବୀମାନେ କେବେ ବି କରିଥିଵା ଜଣାଯାଏ ନାହିଁ । ସେଠାରେ ମଧ୍ୟ ଓଡ଼ିଶାର ବେଈ,ଵଧୂ,ଵୋହୂ,ବୋଉ,ବଉ,ଆବୋଉ,ଆଉବୋଉ ଇତ୍ୟାଦି ଵିଭିନ୍ନ ଅର୍ଥରେ ଭିନ୍ନ ଭିନ୍ନ ଅଞ୍ଚଳରେ 阿母 (a-bó) ଓ ବେବ୍ଵୋ,ବେବ୍ଵେ,ବାବ୍ଵେ ଭଳି ଶବ୍ଦ ଵ୍ୟଵହୃତ ହୋଇଥାଏ କିନ୍ତୁ ସେଠାକାର ଲୋକ ଆମର ତଥାକଥିତ ମହାପେଣ୍ଡୁଳି କଵିରାଜଙ୍କ ପରି ଆଞ୍ଚଳିକଵାଦୀ ନୁହନ୍ତି କି ହୋଇନାହାନ୍ତି ।

କିନ୍ତୁ ତଥାକଥିତ ମହାକଵି ସମ୍ଭଵତଃ ଜାଣିନଥିଲେ ଯେ କେଵଳ ଓଡ଼ିଆ ଭାଷା ହିଁ ନୁହେଁ ଆସାମର ଆହମିୟା ଭାଷାରେ ମଧ୍ୟ ମାଆ ଶବ୍ଦର ଏକ ପ୍ରତିଶବ୍ଦ ‘ବୌ’ ଅଟଇ । ଅହମିୟା ଭାଷାର ଚନ୍ଦ୍ରାକାନ୍ତା ଅଭିଧାନରେ ଏହି କଥା ଉଲ୍ଲେଖ କରାଯାଇଛି । ଉକ୍ତ ଅଭିଧାନର ୭୦୪ ପୃଷ୍ଠାରେ ବୌ ଶବ୍ଦର ଯେଉଁ ଦୁଇଗୋଟି ଅର୍ଥ ମୁଦ୍ରିତ ହୋଇଅଛି ତାହା ଅକ୍ଷରସଃ ଏଠାରେ ଉଦ୍ଧାର କରାଗଲା...

ବୌ/ଵୌ
୧)ଵ।ଧୂ ଶବ୍ଦଜ ଵୌ — କକାଇର ଭାର୍ଯ୍ଯା

2)ବୌ/ବୌବି—ଆଇ; ପୁତ୍ରଇ ମାକକ କରା ସମ୍ବୋଧନ

ପ୍ରକାଶ ଥାଉକି ପ୍ରାଚୀନ ଓଡ଼ିଆରେ ପୂର୍ଵେ ଆଈ ଶବ୍ଦ ମାତାଙ୍କୁ ସମ୍ବୋଧନାର୍ଥେ ପ୍ରୟୋଗ ହେଉଥିଲା ଅଧୁନା ମାତାମହୀଙ୍କୁ ଆଈ ସମ୍ବୋଧନ କରାଯାଇଥାଏ । ତେବେ ଆସାମ ଓ ମହାରାଷ୍ଟ୍ରରେ ଆଈ ଶବ୍ଦ ଆଜି ବି ମାତା ଅର୍ଥରେ ପ୍ରୟୋଗ ହେଉଅଛି । ଏଠାରେ ଆଈ ଶବ୍ଦ ଵିଷୟରେ ସାମାନ୍ୟ ଆଲୋଚନା କରିଵା ଉଚିତ୍ ହେଵ । ଏକ ଲୋକପ୍ରିୟ ମତାନୁସାରେ ଆର୍ଯ୍ୟ ଓ ଆର୍ଯ୍ୟା ଶବ୍ଦରୁ ଅଜା ଓ ଆଈ ଶବ୍ଦ ଆସିଥିଵା ଅନେକ ବୁଦ୍ଧିଜୀଵୀ ମତ ଦିଅନ୍ତି ମାତ୍ର ଓଡ଼ିଶାର ଅନେକ ଆଷ୍ଟ୍ରିକ ଓ ଦ୍ରାଵିଡ଼ ଭାଷାରେ ମଧ୍ୟ ଆଈ ଶବ୍ଦ ସହ ସମସାଦୃଶ୍ୟ ଅନେକ ଶବ୍ଦ ଚଳୁଅଛି ଉଦାହରଣ ସ୍ୱରୂପ 
🔰ଗଦଵା ଵା ଗୁତଵ ଭାଷାରେ ମାଆଙ୍କୁ ଇୟଂ କୁହାଯାଏ 
🔰ଓରାଓଁରେ ଆୟାଙ୍ ,
🔰କିସାନ୍ ଵା କୁଣାହାଁରେ ଆୟା/ଆୟାଂ ଓ ଆୟାଙ୍ଗ
🔰କୁଈ ତଥା କୁଭି ଭାଷାରେ ଆଜି
🔰କୋୟା ଭାଷାରେ ୟାୟା ଓ ୟାୱା
🔰ଗୋଣ୍ଡୀ ଭାଷାରେ ୟାୟା
🔰ଦେଶିଆ ଓଡ଼ିଆରେ ଆୟା
🔰ବଣ୍ଡା ଭାଷାରେ ୟଂ ଓ ଇୟଂ
🔰ଭୁଂଜିଆରେ ଓୟା 
🔰ସଉରାରେ ୟାଙ୍
🔰ସାଦ୍ରୀରେ ଆୟୋ
🔰ସାନ୍ତାଳୀରେ ଏଙ୍ଗା ଓ ଅୟୋ
🔰ଡିଡାୟୀରେ ଇଆଁଙ୍ଗ୍
🔰ପରଜୀ ଭାଷାରେ ଇୟ୍'ୟା 
🔰 ଭତ୍ରୀ ଓ ହଲଵୀ ଓଡ଼ିଆରେ ଆୟା
ଇତ୍ୟାଦି ଇତ୍ୟାଦି ...

ଅର୍ଥାତ୍ ଓଡ଼ିଆ ଭାଷାରେ ପୂର୍ଵେ ମାତା ଅର୍ଥରେ ପ୍ରଚଳିତ ଥିଵା ଆଈ ଶବ୍ଦଟି ସମ୍ଭଵତଃ ଜନଜାତୀୟ ମୂଳର କିଂଵା ଓଡ଼ିଆ ପ୍ରାଚୀନ ଓଡ଼ିଆ ଭାଷାରେ ଆର୍ଯ୍ୟା ଶବ୍ଦଜ ଆଈ ଶବ୍ଦର ବହୁଳ ଵ୍ୟଵହାରରୁ ପ୍ରଭାଵିତ ହୋଇ ଵିଭିନ୍ନ କଳିଙ୍ଗୀ ଜନଜାତୀୟ ଭାଷା ମଧ୍ୟରେ ଆଈ ଶବ୍ଦ ଭିନ୍ନ ଭିନ୍ନ ରୂପରେ ପ୍ରଚଳିତ ହୋଇଅଛି । ପୂର୍ଵେ ଓଡ଼ିଆ ଭାଷାରେ ଆଈ ଶବ୍ଦଟି ମାତା ଅର୍ଥରେ ପ୍ରୟୋଗ ହେଉଥିଵାରୁ ଅନେକ ପ୍ରାଚୀନ ସାହିତ୍ୟିକ କୃତିରେ ଏ ଶବ୍ଦଟି ମାତା ଶବ୍ଦର ଏକ ପ୍ରତିଶବ୍ଦ ଭାବେ ଵ୍ୟଵହୃତ ହେଇଥିଲା । ଉଦାହରଣ ସ୍ୱରୂପ...

କଵି ଵିଶ୍ଵନାଥ କୃତ ଵିଚିତ୍ରରାମାୟଣରେ ଆଈ ଶବ୍ଦକୁ ମାତା ଅର୍ଥରେ ପ୍ରୟୋଗ କରିଛନ୍ତି

“ଦଶରଥ ସୂତ, ଜଗତେ ଵିଦିତ,
 କୈକେୟୀ ମୋହର ଆଈ।”
 
 
ଓଡ଼ିଆ ରାମାୟଣର “ଲକ୍ଷ୍ମଣ ଶକ୍ତିଭେଦରେ ଶ୍ରୀରାମଙ୍କ ଶୋକ” 
ଅଧ୍ୟାୟରେ ରାମଚନ୍ଦ୍ର ନିଜ ମାତାଙ୍କୁ ଆଈ କହୁଛନ୍ତି । 

“ଅର୍ଥଭାଗ ବାଣ୍ଟି ଯେ ନିଅନ୍ତି ଭାଇମାନେ ।
କଷ୍ଟ ପାଇବ ବୋଲି ଅଇଲା ଘୋରବନେ । 
ଆରେ ଆରେ ଲକ୍ଷ୍ମଣ ତୁ ମୋ ପ୍ରାଣ ସ୍ବରୂପ । 
କାହିଁ ବସି ବାକୁ ତୁ ଅର୍ଜିଲୁ ଏଡ଼େ ପାପ ।
ସର୍ବ ସୁଲକ୍ଷଣ ତୁହିଁ ଅଟୁ ମୋର ଭାଇ ।
ଘରକୁ ଗଲେ ଯେ ମୋତେ କି ବୋଲିବେ ଆଈ ।”

ସେଇମିତି ଜଗନ୍ନାଥ ଦାସ ତାଙ୍କ ଓଡ଼ିଆ ଭାଗଵତରେ ମଧ୍ୟ ଆଈ ଶବ୍ଦକୁ ମାତା ଅର୍ଥରେ ଵ୍ୟଵହାର କରିଯାଇଛନ୍ତି ...

“ଏମନ୍ତେ ପାହିଲା ରଜନୀ 
ଦେଵକୀ ମୁଖ ଚାହିଁ ଭଣି ।।୧୯୧।।
ତୋର ଉଦରେ ଜଗନ୍ନାଥ ।
ଜଗତ ରଖିଵେ ତୋ ସୁତ ।।୧୯୨।।
ଶୁଦ୍ଧ ଚୈତନ୍ୟ ରୂପ ଘେନି ।
ପ୍ରକାଶ ହୋଇଵେ ମେଦିନୀ ।।୧୯୩।।
କଂସର ଭୟ ଛାଡ଼ ଆଈ । 
ଯାହାର ନାମେ ଦୁଃଖ ନାହିଁ ।।୧୯୪।।”

ଅର୍ଥାତ୍ ଏକ ସମୟରେ ଓଡ଼ିଶାରେ ମାତା ଅର୍ଥରେ ମାଆ ଓ ଆଈ  ଏହି  ଦୁଇଟି ଶବ୍ଦ ଚଳୁଥିଲା କିନ୍ତୁ ଆଜିକାଲି ଯେପରି ପିତାମହୀ ଓ ମାତାମହୀଙ୍କୁ ଆଧୁନିକ ଵାଳକ ଵାଳିକାମାନେ ମାଆ ଡାକୁଛନ୍ତି ପୂର୍ଵେ ସେହିପରି ମାଆଙ୍କ ମାଆଙ୍କୁ ଆଈ ଡାକିଵା ଆରମ୍ଭ କରିଦେଇଥିଵେ ଫଳତଃ ଆଈ ଶବ୍ଦଟି ପରେ ମାତାମହୀଙ୍କ ପ୍ରତି ଵ୍ୟଵହୃତ ହେଵାକୁ ଲାଗିଲା । 

 ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଆଈ ଓ ମାତା ଇତ୍ୟାଦି ଶବ୍ଦ ମାଆ ଅର୍ଥରେ ପ୍ରୟୋଗ ହୋଇଥିଵା ଜଣାଯାଏ । କିନ୍ତୁ ବୋଉ ଶବ୍ଦଟି ତିନିଶହ ଵର୍ଷ ପୂର୍ଵଵର୍ତ୍ତୀ କୌଣସି ଓଡ଼ିଆ ସାହିତ୍ୟରେ ମାଆ ଅର୍ଥରେ ପ୍ରୟୋଗ ହୋଇଥିଵା ଦେଖାଯାଏ ନାହିଁ । ସମ୍ଭଵତଃ ଉକ୍ତ ସମୟରେ ଆଈ ଓ ମାଆ ଶବ୍ଦଦ୍ଵୟ ଓଡ଼ିଶାର ଅଧିକାଂଶ ଲୋକେ ତାଙ୍କର ମାତାଙ୍କୁ ସମ୍ବୋଧନାର୍ଥ ଵ୍ୟଵହାର କରୁଥିଲେ ଏଵଂ ବୋଉ ଶବ୍ଦଟି ଏକ ସୀମିତ ମାନଵଗୋଷ୍ଠୀ କିଂଵା ଅଞ୍ଚଳରେ ପ୍ରଚଳିତ ଥିଲା । ଯେତେବେଳେ ଆଈ ଶବ୍ଦଟି ମାଆଙ୍କର ମାଆଙ୍କୁ ସମ୍ବୋଧନାର୍ଥ ଚଳିଵାକୁ ଲାଗିଲା ସେତେବେଳେ ଏହି ବୋଉ ଶବ୍ଦଟି ଧୀରେ ଧୀରେ ଓଡ଼ିଶାରେ ତାହାର ସ୍ଥାନ ଅଧିକାର କରିନେଇଥାଇପାରେ । ସେତେବେଳେ କେତେକ ଅଞ୍ଚଳରେ ବେଈ ଶବ୍ଦର ଵ୍ୟଵହାରରେ ଜେଜେମା ଓ ଆଈଙ୍କୁ ସମ୍ବୋଧନ କରାଗଲା ଅନ୍ୟତ୍ର ଆପଣା କନ୍ୟାକୁ ବୁଈ ଡକାଗଲା ଏଵଂ ଆଉ କେତେକ ଅଞ୍ଚଳରେ ବୋଉ ଶବ୍ଦଟି ମାତାଙ୍କ ପ୍ରତି ପ୍ରୟୋଗ ହେଵାକୁ ଲାଗିଲା । 

ପଵର୍ଗର 'ମ' ଓ 'ବ' ଏହି ଦୁଇଟି ଵର୍ଣ୍ଣରେ ଓଡ଼ିଆ ଭାଷାରେ ଅନେକ ସମ୍ବୋଧନଵାଚକ ଶବ୍ଦ ରହିଛି  କିନ୍ତୁ ଅନ୍ୟ ଵର୍ଣ୍ଣରେ ସେତେ ସମ୍ବୋଧନଵାଚକ ଶବ୍ଦ ଦୃଶ୍ୟ ହୁଏନାହିଁ । 

ଓଡ଼ିଆ ଭାଷାରେ ଵ୍ୟଵହୃତ ବୋଉ ଶବ୍ଦଟି ଅଯଥା ଵିଵାଦିତ ହୋଇଗଲା । କିଛିଲୋକ ଆପଣା ଆଞ୍ଚଳିକଵାଦୀ ଚିନ୍ତାଧାରାକୁ ଲୋକଲୋଚନକୁ ଆଣିଵାର ହୀନ ପ୍ରଚେଷ୍ଟାରେ ବୋଉ ଶବ୍ଦଟିକୁ 
ଅଯଥା ଵିଵାଦୀୟ କରିଦେଲେ । ସେମାନଙ୍କ ପ୍ରଶ୍ନ ଥିଲା ଏହି ବୋଉ 
ଶବ୍ଦଟି ଉପକୂଳିଆ କେଉଁଠୁ ଆଣିଲେ !!!

ଓଡ଼ିଶାର ବୁଦ୍ଧିଜୀଵୀମାନେ ଏହାର ଉତ୍ତର ଉଣ୍ଡିଵାରେ ଲାଗିପଡି଼ଲେ ।  ତହିଁପରେ ବୋଉ ଶବ୍ଦର  ନାନାଦି ନିରୁକ୍ତିମତ ଵିଭିନ୍ନ ଲୋକେ ଉପସ୍ଥାପନ କରିଅଛନ୍ତି । 

କିଛି ଲୋକଙ୍କ ଅନୁସାରେ ଵଧୂ ଵା ଵୋହୂ ଶବ୍ଦରୁ ବୋଉ ଶବ୍ଦ ସୃଷ୍ଟି ହୋଇଅଛି । ସେମାନଙ୍କ ଅନୁସାରେ ପୂର୍ଵେ କୌଣସି ଵାଳକର ମାଆକୁ ଯେତେବେଳେ ତାହାର ଜେଜେମା ଵୋହୂ ବୋଲି ଡାକିଥିଵ ଉକ୍ତ ଵାଳୁତ ପିଲାଟି  ସେହି ସମ୍ବୋଧନଵାଚକ ଶବ୍ଦର ଅନୁକରଣରେ ବୋଉ ଉଚ୍ଚାରଣ କରି ତା ମାଆକୁ ଡାକିଥିଵ । ଏଇଠାରୁ ବୋଉ ଶବ୍ଦଟି ପ୍ରଚଳିତ ହୋଇଅଛି ।

ତେବେ ଓଡ଼ିଆ ଭାଷାରେ ସିନା ଵୋହୂ ଓ ଵଧୂ ଶବ୍ଦ ବହୁପ୍ରଚଳିତ କିନ୍ତୁ ଅହମିଆ ଭାଷାରେ ତ ଏ ଉଭୟ ଶବ୍ଦ ଏତେ ଲୋକପ୍ରିୟ ନୁହେଁ ସେ ଭାଷାରେ ମାତା ପାଇଁ ପ୍ରଚଳିତ ବୌ ଶବ୍ଦ କୁଆଡୁ଼ ଆସି ପ୍ରଚଳିତ ହେଲା ? 

ସପ୍ତମ ଅଷ୍ଟମ ଶତାବ୍ଦୀ ସମୟରେ  ଓଡ଼ିଶା ସହିତ ଆସାମର ରାଜନୈତିକ ସମ୍ପର୍କ ବଢି଼ଥିଲା ସମ୍ଭଵତଃ ସେ ସମୟରେ ଆସାମରୁ ବୌ ଶବ୍ଦଟି ଆସି ଓଡ଼ିଶାର କିଛି ଅଞ୍ଚଳର କେତେକ ପରିଵାରରେ ପ୍ରଚଳିତ ହୋଇଥିଲା ।

କିଛି ଲୋକଙ୍କ ଅନୁସାରେ ଆଗେ ମାଳୟ ଜାଭା ବୋର୍ଣ୍ଣିଓ ଇଣ୍ଡୋନେସିଆ ଫିଲିପାଇନସ ଆଦି ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜରେ ଓଡ଼ିଶାର ଉପନିଵେଶ ଗଢିଉଠିଥିଲା । ସେଠାକାର ଅନେକ ଭାଷାରେ ବୋଉ ଶବ୍ଦ ସମସାଦୃଶ୍ୟ ଅନେକ ସମ୍ବୋଧନଵାଚକ ଶବ୍ଦ ପ୍ରଚଳିତ । ଯଥା— ଇଣ୍ଡୋନେସିଆରେ ମାଆଙ୍କୁ ଆଜି ବି Ibu ଡକାଯାଇଥାଏ । ଜାଭାଭାଷାରେ ମଧ୍ୟ ଏହି ଇବୁ ଶବ୍ଦ ଚଳୁଅଛି । ମାଳୟ ଭାଷାରେ ସେହିପରି bu ଓ ibu ଏ ଉଭୟ ଶବ୍ଦ ମାତାଙ୍କୁ ସମ୍ବୋଧନ ପାଇଁ ଵ୍ୟଵହାର ହୋଇଥାଏ । ବୋଧହୁଏ ସେ ଅଞ୍ଚଳର ସଂସ୍କୃତିଦ୍ଵାରା ପ୍ରଭାଵିତ ହୋଇ ଓଡ଼ିଆ ଭାଷାରେ ବୋଉ ଶବ୍ଦଟି ଉପକୂଳର କେତେକ ଅଞ୍ଚଳରେ ଚଳିଅଛି । 

ଆଉ କେତେକ ଲୋକ କୁହନ୍ତି ସଂସ୍କୃତ ବନ୍ଧୁ ଶବ୍ଦର ଏକ ଅର୍ଥ ମାତା ଏଵଂ ଏହି ଶବ୍ଦରୁ ବୋଉ ଶବ୍ଦଟି ସୃଷ୍ଟି ହୋଇଅଛି । କିନ୍ତୁ ଏହି ମତ ପ୍ରଦାତାମାନେ ବନ୍ଧୁ ଶବ୍ଦ କେମିତି କିପରି ବୋଉ ଶବ୍ଦରେ ପରିଣତ ହେଲା ତାହାର ନିରୁକ୍ତି ଇତିହାସ ପ୍ରଦାନ କରିଵାରେ ଅସମର୍ଥ ହୁଅନ୍ତି । 

ଏତଦଵ୍ୟତୀତ ଓଡ଼ିଶାର  ବୁଦ୍ଧିଜୀଵୀଙ୍କ ମଧ୍ୟରେ ଏକ  ଵର୍ଗ ବୋଉ ଶବ୍ଦର ଅନ୍ୟ ଏକ ନିରୁକ୍ତି ମତ ପ୍ରଦାନ କରନ୍ତି । ସେମାନଙ୍କ ଅନୁସାରେ ବୋଉ ଶବ୍ଦଟି ଏକ ଆଷ୍ଟ୍ରୋଏସୀୟ ଶବ୍ଦ ‘ବୁ’ ର ଆଧୁନିକ ରୂପ ଏଵଂ  ଆଷ୍ଟ୍ରୋଏସୀୟ ଭାଷାପରିଵାରର ଵିଭିନ୍ନ ଭାଷାରେ ମାତୃଜାତି ସମ୍ବନ୍ଧୀୟ ସମ୍ପର୍କଵାଚକ ଶବ୍ଦଗୁଡ଼ିକ ମଧ୍ୟରେ ଅନେକ ଵର୍ଗ ବ ଵର୍ଣ୍ଣ ଯୁକ୍ତ ହୋଇଥାଏ । ଇଣ୍ଡୋନେସିଆରେ ଭାରତରୁ ଯାଇ ଆଷ୍ଟ୍ରିକ ଜାତୀୟ ଲୋକେ ଵସଵାସ କଲାରୁ ସେଠାରେ ସେମାନଙ୍କ ଭାଷାରେ ଚଳୁଥିଵା ବୁ ଵା ବୋ ଶବ୍ଦଟି ଇବୁ ଓ ବୁ ରେ ପରିଣତ ହୋଇଛି ଏଵଂ ଏଯାଵତ୍ ପ୍ରଚଳିତ ଅଛି । 

କିନ୍ତୁ ଆଧୁନିକକାଳର ଭାଷାଵିଦ୍ ମତ ଦିଅନ୍ତି ଯେ ନନା,ଦଦା,ଦାଦୀ,ମାଆ,ବୋଉ,ବୁଆ ଆଦି ଯେତେ ଯେତେ 
ସମ୍ବୋଧନାର୍ଥକ ପାରିଵାରିକ ସମ୍ପର୍କ ସମ୍ବନ୍ଧୀୟ ଶବ୍ଦ ରହିଛି ସେ ସବୁର ସୃଷ୍ଟି child babblingରୁ ହୋଇଅଛି । 

 ଶିଶୁମାନଙ୍କ ଦ୍ଵାରା ସୃଷ୍ଟି ହେଉଥିଵା ଧ୍ଵନିକୁ child babbling କୁହାଯାଏ । ଶିଶୁମାନେ ସୃଷ୍ଟି କରୁଥିଵା ଵ୍ଯଞ୍ଜନ ଧ୍ଵନିଗୁଡି଼କ ନିମ୍ନଲିଖିତ ମଧ୍ୟରୁ ଯେକୌଣସିଟି ହୋଇପାରେ
ଯଥା ―
■p(ପପ୍/ପାପା,ପିତା,ପା),
■b(ବୋଉ/ବାବା/ବା/ବାପା/ବୁଇ/ବୁଆ/ବାଈ/ବେଈ/ବେବେ/ବାବ୍ୱେ/ବବା/ବନ୍ଧୁ-ସଂସ୍କୃତ/ବିଜୀ; ହିନ୍ଦୀ/ବା; ଗୁଜରାଟୀ/)
■t(ତାତ/ତାଉ)
■d(ଦଦା/ଦାଦା/ଦାଦୀ/ଦିଦି/ଦେଈ/ଦେଠେଇ/ଦଦେଇ)
■k(କାକା/କକା/କାକୀ/କକେଇ)
■g( ଜେଜେ,ଜେଜି/ଜେଈ/ଜେପା/ଜେଜ)
■m(ମାଆ/ମାତା/ମାଇଁ/ମମା/ମାମା/ମାମୁଁ)
■n(ନନା/ନାନା/ନାନୀ)
■s( ?)
■h (ହା ହା ―ଜାପାନୀ; ମାଆ)
■w ( ?)
■j (ଯା= ମାତା(ସଂ))

 ପୁଣି ଫୋନୋଲୋଜିକାଲ୍ ବିକାଶ ସମୟରେ ନିମ୍ନଲିଖିତ ଧ୍ୱନିଗୁଡ଼ିକ ମଧ୍ୟ ପିଲାଏ ଵେଳେ ଵେଳେ ଉତ୍ପନ୍ନ କରିଥାଆନ୍ତି 
ଯଥା―

■/ f(ଫୁପା/ଫୁଫୀ-ହିନ୍ଦୀ) v, θ, ð, ʃ, tʃ, dʒ, l, r, ŋ / ■

ଅଦ୍ୟପି ଭାରତୀୟ ଭାଷାଗୁଡି଼କରେ ଦ୍ଵିତୀୟ ଶ୍ରେଣୀର ଵ୍ଯଞ୍ଜନ ଧ୍ଵନି ଆଧାରିତ ସମ୍ଵୋଧନଵାଚକ ଶବ୍ଦ କ୍ଵଚିତ ଦେଖିଵାକୁ ମିଳିଥାଏ ।
ତେଣୁ ସଂକ୍ଷେପରେ କହିଲେ ମାଆ,ବୋଉ,ନନା ଓ ଦଦା ଇତ୍ୟାଦି ଶବ୍ଦଗୁଡି଼କର ଆଦ୍ଯ ମୂଳ ଦ୍ରାଵିଡ଼,ଆଷ୍ଟ୍ରୋଏସୀୟ କି ସଂସ୍କୃତ ନୁହେଁ ଵରଂ child babbling ଅଟେ । ଅଵଶ୍ୟ ଏହା ସତ୍ୟ ଯେ ଵିଶ୍ଵରେ ପିଲାଏ ପ୍ରଥମେ ସ୍ଵରଵର୍ଣ୍ଣ ଓ ତତ୍ପରେ ପ ଵର୍ଗର ପ,ଭ,ମ ଓ ବ ଇତ୍ୟାଦି ଧ୍ଵନି ସହଜରେ ଉଚ୍ଚାରଣ କରିପାରନ୍ତି । ପିଲାଟିଏ ଜନ୍ମ ପରର ପ୍ରାରମ୍ଭିକ ମାସଗୁଡି଼କରେ ଯେଉଁ ଶିଶୁସୁଲଭ ଶବ୍ଦ ସୃଷ୍ଟି କରିଥାଏ ତନ୍ମଧ୍ୟରେ ସ୍ଵରଵର୍ଣ୍ଣ ପ୍ରଥମେ ଓ ପରେ ପଵର୍ଗର ମ ଓ ବ ଵର୍ଣ୍ଣ ହୋଇଥାଏ । 

ଭାରୋପୀୟ ଭାଷାପରିଵାରଟି ବଡ଼ ହୋଇଥିଵାରୁ ତଥା ଇଂରାଜୀ, ସଂସ୍କୃତ,ଲାଟିନ୍ ଇତ୍ୟାଦି କିଛି ଭାଷା ପୃଥିଵୀରେ ଵିଭିନ୍ନ ସମୟରେ ଅନ୍ୟାନ୍ୟ ଭାଷାପରିଵାର ଉପରେ ଆପଣା ପ୍ରଭାଵ ପକାଇଥିଵାରୁ ଏଵଂ ମ ଵର୍ଣ୍ଣ ପିଲାଏ ସହଜରେ ଉଚ୍ଚାରଣ କରିପାରୁଥିଵାରୁ ମ ଆଦ୍ଯର ମାତା ସମ୍ବୋଧନ ଵାଚକ ପ୍ରତିଶବ୍ଦ ଵିଶ୍ଵର ଅନେକ ଭାଷାରେ ଦୃଶ୍ୟ ହୋଇଥାଏ । ମାତ୍ର ଏହା ଏକ ଭ୍ରମ ଧାରଣା ଯେ ପୃଥିଵୀରେ ପ୍ରଚଳିତ ଅନ୍ୟାନ୍ୟ ଭାଷାଗୁଡି଼କରେ ମାଆଙ୍କୁ କେଵଳ ମ ଆଦ୍ୟ ଵର୍ଣ୍ଣର ସମ୍ବନ୍ଧଵାଚକ ଶବ୍ଦ ଦ୍ଵାରା ସମ୍ବୋଧନ କରାଯାଏ । ନିମ୍ନରେ ଵିଶ୍ଵରେ କେତେକ ଭାଷାରେ ମାଆଙ୍କୁ କ'ଣ ଡକାଯାଏ ତାହା ଉଲ୍ଲେଖ କରାଯାଉଛି ।

ଆରବୀରେ ମାଆଙ୍କୁ “Ahm” କୁହାଯାଏ Finnish ଭାଷାରେ  “Aiti”,äiskä ଓ äippä ଶବ୍ଦଗୁଡ଼ିକର ଅର୍ଥ ମାତା ଅଟଇ । 
Hungarian ଭାଷାରେ ମାଆଙ୍କୁ “Anya” କୁହାଯାଏ ପୁଣି ଏଠାକାର ଲୋକ ମାଆଙ୍କୁ  “Fu” ବି ସମ୍ବୋଧନ୍ତି । Turkish ଲୋକେ ତାଙ୍କର ମାତାଙ୍କୁ ସମ୍ବୋଧନ ହେତୁ  “Anne,” “Ana”  “Valide” ଆଦି ଶବ୍ଦ ଵ୍ଯଵହାର କରନ୍ତି । ସେହିପରି Azeriରେ Ana,Lao ଭାଷାରେ ແມ່(aem),Frisian ଭାଷାରେ Ã ଓ iti ଇତ୍ୟାଦି ଶବ୍ଦ ଵ୍ୟଵହାର ପୂର୍ବକ ମାତାଙ୍କୁ ସମ୍ବୋଧନ କରାଯାଏ । 

koreanରେ ମାଆଙ୍କୁ 어머니(eomeoni),Mangolianରେ ээж(eej),Yorubaରେ iya,Cebuanoରେ inahan,
Ilongo ଭାଷାରେ Iloy; Nanay ଓ Nay,Japanese: “Okaasan”, “Haha” ଓ abo ଶବ୍ଦ ଵ୍ଯଵହାର ହୁଏ । 
Hausa ଭାଷାରେ ମାଆଙ୍କୁ uwar ଡକାଯାଇଥାଏ । 
ଆଫ୍ରିକାର Zulu ଭାଷୀ ତାଙ୍କ ମାଆଙ୍କୁ unina ଡାକିଥାଆନ୍ତି । 
Tao ଭାଷାରେ କ ଵର୍ଣ୍ଣ ଆଦ୍ୟର ká,ká’ȕ,łá’ȕ ଆଦି ଶବ୍ଦ ମାଆଙ୍କୁ ସମ୍ବୋଧନାର୍ଥ ପ୍ରୟୋଗ କରାଯାଏ । Ossetianରେ ମାଆଙ୍କୁ гыцци(gycci) ଡାକନ୍ତି । ଏ ଭାଷାରେ ମାଆଙ୍କୁ 
 нана(nana) ଓ мамӕ(mamæ) ଶବ୍ଦର ମଧ୍ୟ ଡକାଯାଏ । Samoan ଭାଷାରେ ମାଆଙ୍କୁ “Tina” ଓ Aymara ଭାଷାରେ Taica ସମ୍ବୋଧନ କରାଯାଏ । Caló ଭାଷାରେ ମାଆଙ୍କୁ Bata ଓ Dai ଡାକନ୍ତି ।  ଭାରତରେ ମଧ୍ୟ ଆୟାଙ୍କୁ ଦାଈମା ଡକାଯାଇଥାଏ । ସେହିପରି Georgian ଭାଷାରେ დედა(Deda),დედიკო(dediḳo) ଶବ୍ଦ ମାଆର ମୁଖ୍ୟ ପ୍ରତିଶବ୍ଦ ଅଟଇ । ପୃଥିଵୀର ଅନେକ ଭାଷାରେ ନ ଆଦ୍ୟର ଅନେକ ମାତା ସମ୍ବନ୍ଧିତ ସମ୍ବୋଧନଵାଚକ ଶବ୍ଦ ଚଳୁଅଛି ।  ଯଥା Albanianରେ “Nene” ,Galician ରେ nai,Hmongରେ niam,Chechenରେ Nana ଓ ପାର୍ସୀରେ Nane (   ننه   ) ଇତ୍ୟାଦି ଇତ୍ୟାଦି । ପୁଣି Hungerian ଭାଷାରେ ମାଆଙ୍କୁ fu
ଡକାଯାଇଥାଏ । ପୃଥିଵୀର ଅନେକ ଭାଷାରେ ପୁଂଵାଚକ ସମ୍ବୋଧନାର୍ଥକ ଶବ୍ଦ ରୂପେ ବାବା ଶବ୍ଦ ପ୍ରଚଳିତ କିନ୍ତୁ avar: ଭାଷାରେ ମାଆଙ୍କୁ баба (baba) ଡକାଯାଇଥାଏ । ଏ ଭାଷାରେ ମାଆଙ୍କୁ эбел(èbel) ମଧ୍ୟ ଡାକିଥାଆନ୍ତି । Malagasyରେ ମାଆଙ୍କୁ reny ସମ୍ବୋଧନ କରାଯାଏ ସେହିପରି Lunfardo ଭାଷାରେ Vieja ଡକାଯାଏ ସଂସ୍କୃତ ଭାଷାରେ ମଧ୍ୟ ମାତା ଶବ୍ଦର ଅଵର୍ଗ୍ୟ ଵ ଵର୍ଣ୍ଣ ଆଦ୍ୟର ଅନେକ ପ୍ରତିଶବ୍ଦ ପ୍ରଚଳିତ । ଏହିପରି ପୃଥିଵୀରେ ଅନେକ ଭାଷା ରହିଛି ଯହିଁରେ ମାଆଙ୍କୁ ସମ୍ବୋଧନ କରିଵା ପାଇଁ ମ ଵର୍ଣ୍ଣ ଛଡ଼ା ଅନ୍ୟ ଵର୍ଣ୍ଣ ଆଦ୍ୟର ପ୍ରତିଶବ୍ଦ ପ୍ରଚଳିତ। 
ସେମାନେ ତାଙ୍କ ମାଆଙ୍କୁ ଏ ସବୁ ଶବ୍ଦ ପ୍ରୟୋଗ କରି ଡାକିଦେଇ ଛୋଟ ଵିଵେଚିତ ହେବେ କି ?

ସଂସ୍କୃତ ଭାଷା ଵିଶ୍ଵର ଶ୍ରେଷ୍ଠତମ ଵୈଜ୍ଞାନିକ ଭାଷା । ଏ ଭାଷା ମଧ୍ୟ ମାତୃ କିଂଵା ମାତା ଶବ୍ଦ ମଧ୍ୟରେ ସୀମିତ ରହିଯାଇନାହିଁ ଵରଂ ସଂସ୍କୃତଭାଷାରେ ଵିଭିନ୍ନ ଵର୍ଣ୍ଣ ଆଦ୍ୟର ମାତା ଶବ୍ଦର ଅନେକ ପ୍ରତିଶବ୍ଦ ରହିଛି ।  ଅମ୍ବାଳୀ,ଅଜ୍ଜୂ,ଅରଣୀ,ଅମ୍ବା
,ଅମ୍ବାଳିକା,ଅମ୍ବାଦା,ଅମ୍ବିକା,ଅବ୍ବା,ଅମ୍ବି,ଅମ୍ବାଳା,ଅକ୍କା,ଅତ୍ତା
,ଅମ୍ବୟା,ଅଲ୍ଲା,ଅନସ୍ ,ଅର୍ଣ୍ଣୋଦ,କରଵୀରୀ,ଗୁର୍ଵୀ,ଗୋ,ଜନ୍ମପ୍ରତିଷ୍ଠା
,ଜନୀ,ଜନନୀ,ଜାତୃ,ଜାନୀ,ଜନିକା,ଜ୍ଯା,ଜନିତ୍ରୀ,ଜନ୍ମଦାତ୍ରୀ,
,ଜନିତ୍ଵା,ଜା,ଜନ୍ଯା,ଧାତ୍ରୀ,ନନା,ପ୍ରଂସଵିନୀ,ପ୍ରସଵିତ୍ରୀ,ପ୍ରସୂ
,ପ୍ରକୃତି,ପିଣ୍ଡଦା,ପ୍ରଜନିକା,ପ୍ରସଵସ୍ଥଳି,ବନ୍ଧୁ,ମାତୃ,ମାତୃକା,ଵିଜାତା
,ଵରାରଣି,ଵାଶ୍ର,ଶୁଶ୍ରୂ,ଶିଫ,ଶିଫା ,ସଵିତ୍ରୀ,ସୃତ୍ଵରୀ,ସୂ
ଓ ସଷଣା ଇତ୍ୟାଦି ଶତାଧିକ ଭାରତୀୟ ଶବ୍ଦ ସହସ୍ରାଧିକ ଵର୍ଷ ଧରି ଭାରତଵର୍ଷର ମାନକ ଶାସ୍ତ୍ରୀୟ ଭାଷା ସଂସ୍କୃତର ସାହିତ୍ୟରେ ପ୍ରୟୋଗ ହୋଇ ଆସିଛି । 

ସ୍ପଷ୍ଟ ହୁଏ ଯେ ଆମ ଭାରତୀୟ ପୂର୍ଵଜମାନେ କେବେ ବି କେଵଳ ମାତା ଶବ୍ଦ ଶ୍ରେଷ୍ଠ ବୋଲି ଵିଚାର କରି ବସିଯାଇନଥିଲେ କିଂଵା କେହି ସଂସ୍କୃତ ଭାଷାରେ ମାତା ଅର୍ଥରେ ଜନନୀ,ଧାତ୍ରୀ,ନନା,ଅମ୍ବା,ପ୍ରକୃତି କିଂଵା ଶିଫା ଇତ୍ୟାଦି ଶବ୍ଦ ଵ୍ୟଵହାର କଲେ ତାକୁ ହୀନ ନୀଚ କହି ତାତ୍ସଲ୍ୟ କରିନାହାନ୍ତି । 

ତାହେଲେ ଆମ୍ଭେମାନେ ତାଙ୍କରି ଵର୍ତ୍ତମାନ ଵଂଶଜ ହୋଇ ବି ବେବ୍ୱେ ,ବୋଉ,ବୌ,ବାଈ,ବେଈ ଭଳି ମାତୃଵାଚକ ଶବ୍ଦକୁ ଆଧାରକରି ପରସ୍ପରକୁ ଅପମାନିତ କରିଵା କେତେଦୂର ସମୀଚିନ ଓ ଯୁକ୍ତିସଙ୍ଗତ ଅଟଇ ?

Wednesday, June 9, 2021

● ସାବିତ୍ରୀ ●

☆☆☆ ସାଵିତ୍ରୀ☆☆☆

ଓଡି଼ଶାର ଘରେ ଘରେ ଜ୍ଯେଷ୍ଠ କୃଷ୍ଣ ଚତୁର୍ଦ୍ଦଶୀର ପରଦିନକୁ ସାଵିତ୍ରୀ ଅମାଵାସ୍ୟା ଵା ସାଵିତ୍ରୀ ଵ୍ରତ ନାମରେ ସ୍ତ୍ରୀଲୋକମାନେ ପାଳିଥାନ୍ତି । ସ୍ତ୍ରୀମାନେ 'ସାବିତ୍ରୀ' ଙ୍କ ପରି ଆଜୀବନ ସଧଵା ହେଵା ପାଇଁ ଏ ବ୍ରତ କରନ୍ତି। ଏ ଦିନ ସତ୍ଯଵାନ ଓ ସାଵିତ୍ରୀଙ୍କୁ ପୂଜା କରାଯାଏ । ଆମ ଦେଶରେ ସ୍ତ୍ରୀମାନେ ଏ ଦିନ ଉପବାସ କରନ୍ତି, ଅନ୍ନ ଗ୍ରହଣ କରନ୍ତି ନାହିଁ ଓ ଅପରାହ୍ନରେ ପୂଜା ଶେଷ ହେଲେ ଧୂଆମୁଗ, ନାରିକେଳ, ପକ୍ବଆମ୍ର, ପଣସ, ରମ୍ଭା, ସପୁରୀ, ତାଳସଜ ଆଦି ଫଳାହାର କରନ୍ତି । ଏହି ଵ୍ରତ ଚତୁର୍ଦ୍ଦଶ ଵର୍ଷ ସାଧ୍ଯ । ଏହି ଵ୍ରତ ଗ୍ରହଣ ୧୪ ବର୍ଷ ପରେ ଏହାର ଉଦ୍ୟାପନ କରାଯାଏ। ଏ ଵ୍ରତ ରାତ୍ରରେ କର୍ତ୍ତବ୍ଯ, ଦିନଯାକ ଉପବାସ ରହି ରାତ୍ରରେ ପୂଜା କରି ସାବିତ୍ରୀ ଉପାଖ୍ଯାନ ଶୁଣି ତତ୍ପରେ ନୈବେଦ୍ଯ ଭୋଜନ କରାଯାଏ । "ଶ୍ରୀଁ, ହ୍ରୀଁ, କ୍ଲୀଁ, ସାବିତ୍ର୍ଯୈ ସ୍ବାହା" ଏହା ସାବିତ୍ରୀ ପୂଜାର ମନ୍ତ୍ର ଅଟେ ।

★★★ସାଵିତ୍ରୀ ଉପାଖ୍ୟାନ ....

ସାଵିତ୍ରୀ ମଦ୍ର ଦେଶର ରାଜା ଅଶ୍ବପତିଙ୍କର ଏକମାତ୍ର ଦୁହିତା ଓ ପିତାମାତାଙ୍କର ଅତ୍ଯନ୍ତ ସ୍ନେହାସ୍ପଦ ଥିଲେ । ଯୁଵତୀ ହେଵା ପରେ ଏହାଙ୍କ ପାଇଁ ଉପଯୁକ୍ତ ଵର ନ ମିଳିବାରୁ ଏ ପିତା— ମାତାଙ୍କ ଅନୁମତିକ୍ରମେ ଅମାତ୍ଯଗଣ ସମଭିଵ୍ୟାହାରରେ ଗୋଟିଏ ଅନୁରୂପ ବର ଖୋଜିବାକୁ ବାହାରି ବହୁ ଦେଶ ବୁଲି ବୁଲି ଶେଷରେ ଗୋଟିଏ ତପୋଵନରେ ପହଞ୍ଚିଲେ । ସେଠାରେ ସ୍ବରାଜ୍ଯରୁ ନିର୍ଵାସିତ ଶାଲ୍ବ ଦେଶର ରାଜା ଦ୍ଯୁମତ୍ ସେନ୍ ଓ ତାଙ୍କ ରାଣୀଙ୍କ ସହ ଵାସ କରୁଥିଵା ରାଜପୁତ୍ର ସତ୍ଯଵାନଙ୍କ ଉପରେ ରାଜକନ୍ୟା ସାଵିତ୍ରୀଙ୍କ ଦୃଷ୍ଟି ପଡ଼ିଲା । ଶାଲ୍ବଦେଶର ରାଜା ଦ୍ଯୁମତ୍ସେନଙ୍କ ଔରସରେ ତତ୍ପତ୍ନୀ ଶୈବ୍ଯାଙ୍କ ଗର୍ଭରୁ ସତ୍ୟଵାନ ଜନ୍ମଗ୍ରହଣ କରିଥିଲେ । ଦୈଵଦୁର୍ଵିପାକରୁ ସତ୍ଯଵାନଙ୍କ ଶୈଶଵାଵସ୍ଥାରେ ଦ୍ଯୁମତ୍ସେନ ଅନ୍ଧ ହୋଇଗଲେ ଓ ଭ୍ରଷ୍ଟରାଜ୍ଯ ହୋଇ ପତ୍ନୀ ଓ ପୁତ୍ରଙ୍କ ସହିତ ଵନଵାସୀ ହୋଇଥାନ୍ତି । ସତ୍ଯଵାନ୍ ଵନରେ ଫଳମୂଳ ଖାଇ ମୁନିବୃତ୍ତି ଅଵଲମ୍ବନ କରି ଭକ୍ତିସହକାରେ ପିତାମାତାଙ୍କର ସେଵା କରୁଥାଆନ୍ତି । ସତ୍ଯଵାନଙ୍କର ଅସୀମ ପିତୃଭକ୍ତି ଓ ଧର୍ମପରାୟଣତା ଓ ରୂପରେ ମୁଗ୍ଧା ହୋଇ ଐଶ୍ବର୍ଯ୍ୟ ଭୋଗଲାଳସା ତ୍ଯାଗକରି ଏହାଙ୍କ ସଙ୍ଗରେ ଵନରେ ମୁନିବୃତ୍ତି ଓ ଦାରିଦ୍ର୍ଯକୁ ଚିରସହଚର କରି ଜୀବନଯାପନ କରିବା ପାଇଁ ସଂକଳ୍ପ କରି ଏହାଙ୍କୁ ପତିରୂପେ ମନରେ ଵରଣ କରି ରାଜଧାନୀକୁ ଫେରି ଆସି ପିତାଙ୍କୁ ସମସ୍ତ କଥା ଜଣାଇଲେ । ଏହି ସମୟରେ ଦେଵର୍ଷି ନାରଦ ଅଶ୍ବପତିଙ୍କ ନିକଟରେ ଉପସ୍ଥିତ ହୋଇ ଏ ଵିଵାହରେ ମତ ନ ଦେବା ପାଇଁ ଅଶ୍ବପତିଙ୍କୁ ଅନୁରୋଧ କଲେ । କାରଣ, ନାରଦ ତପୋଵଳରେ ଜାଣିପାରିଲେ ଯେ, ସତ୍ଯଵାନଙ୍କ ପରମାୟୁ ଆଉ ଏକ ବର୍ଷ ମାତ୍ର ଅଛି । ମାତ୍ର ସାଵିତ୍ରୀ ଏ ପ୍ରସ୍ତାଵରେ କର୍ଣ୍ଣପାତ ନ କରି କହିଲେ—“ମୁଁ ଯାହାଙ୍କୁ ପତିରୂପେ ବରଣ କରିସାରିଛି, ସେହି ମୋର ପତି, ଓ ତାଙ୍କ ଛଡ଼ା ଅନ୍ଯ କେହି ମୋର ସ୍ବାମୀ ହୋଇ ନ ପାରନ୍ତି । ଶେଷରେ ଉଭୟ ପକ୍ଷଙ୍କ ପିତାମାତାଙ୍କ ଅନୁମତିକ୍ରମେ ଏ ଦୁହିଁଙ୍କର ଵିଵାହ କାର୍ଯ୍ୟ ସମ୍ପନ୍ନ ହେଲା ।

ଵିଵାହ ପରେ ସାଵିତ୍ରୀ ପିତୃଗୃହର ରାଜ ସମ୍ଫଦ, ଵିଳାସ ଓ ଦାସଦାସୀଵର୍ଗଙ୍କୁ ତ୍ଯାଗ କରି ସ୍ବାମୀଙ୍କ ସହିତ ତପୋଵନରେ କୁଟୀରରେ ଏକା ରହି ଶାଶୁ ଓ ଶ୍ବଶୁରଙ୍କ ସେଵାରେ ଲାଗିଲେ । ବିବାହର ଏକ ବର୍ଷ ପୂରିବାକୁ 3 ଦିନ ବାକି ଅଛି ସାବିତ୍ରୀ ତ୍ରିରାତ୍ର—ଵ୍ରତ ଅଵଲମ୍ବନ କଲେ ।

ତଦନନ୍ତର ଯେଉଁ ଦିନ ଏକ ଵର୍ଷ ପୂର୍ଣ୍ଣ ହେଵ ଓ ସତ୍ଯଵାନଙ୍କର ପରମାୟୁ ଶେଷ ହେବ, ସେ ଦିନ ସତ୍ଯଵାନ ଫଳ ମୂଳ ଓ ସମିଧ ଆହରଣ କରିବାକୁ ଵନକୁ ଯିଵାବେଳେ ସାଵିତ୍ରୀ ତାଙ୍କ ସଙ୍ଗରେ ଗଲେ । ସତ୍ଯଵାନ ଫଳ ଆହରଣ କରିବା ସମୟରେ ଗୋଟାଏ ଗଛର ଡ଼ାଳ ତାଙ୍କ ମୁଣ୍ଡରେ ବାଜିଲା ଓ ସେ ଅଶାନ୍ତି ବୋଧ କରିବାରୁ ଵନ ମଧ୍ଯରେ ଗୋଟିଏ ଵୃକ୍ଷ ମୂଳେ ସାଵିତ୍ରୀଙ୍କ କୋଳରେ ମୁଣ୍ଡ ରଖି ନିଦ୍ରାଗଲେ ଓ ତାହାହିଁ ତାଙ୍କର ମହାନିଦ୍ରା (ମୃତ୍ଯୁ) ହେଲା । କିନ୍ତୁ ସାବିତ୍ରୀ ମୃତ ସ୍ବାମୀଙ୍କ ମସ୍ତକକୁ ନିଜ କ୍ରୋଡ଼ରେ ରଖି ସେହି ଗଛ ମୂଳରେ ବସି ରହିଲେ । ଏହି ସମୟରେ ଯମଦୂତମାନେ ସତ୍ଯଵାନଙ୍କ ଆତ୍ମାକୁ ନେବାକୁ ସେଠାକୁ ଆସିଲେ; ମାତ୍ର ସାଵିତ୍ରୀଙ୍କ ପରି ସାଧ୍ବୀଙ୍କ ଅଙ୍ଗକୁ ସ୍ପର୍ଶ କରି ତାଙ୍କ କୋଳରୁ ମୃତ ପତିଙ୍କୁ ଛଡ଼ାଇ ନେବାକୁ ସାହସ କଲେ ନାହିଁ। ଯମଦୂତମାନେ ମୃତ ଆତ୍ମାକୁ ନ ନେଇ ଫେରି ଗଲେ ଏଵଂ ଯମରାଜଙ୍କୁ ସଂଵାଦ ଦେଲେ। ଶେଷକୁ ଯମରାଜ ନିଜେ ଉପସ୍ଥିତ ହେଲେ। ସାଵିତ୍ରୀ ସେହିପରି ମୃତ ସ୍ବାମୀଙ୍କ ମସ୍ତକକୁ କୋଳରେ ଧରି ଅଚଳା ଅଟଳା ହୋଇ ବସି ଥାଆନ୍ତି। ଯମଙ୍କୁ ଦେଖି ସାଵିତ୍ରୀ ତାଙ୍କୁ ସ୍ତଵ କରିବାରେ ଲାଗିଲେ । ଯମ ସ୍ତଵରେ ସନ୍ତୁଷ୍ଟ ହୋଇ ସତ୍ଯଵାନଙ୍କ ଜୀବନ ଛଡ଼ା ଅନ୍ଯ ଯେ କୌଣସି ଵର ମାଗିବା ପାଇଁ ସାଵିତ୍ରୀଙ୍କୁ କହିଲେ । ବୁଦ୍ଧିମତୀ ସାଵିତ୍ରୀ ଶତ ପୁତ୍ର ପାଇଵା ପାଇଁ ପ୍ରାର୍ଥନା କଲେ। ଯମରାଜ ଏ ଵରର ଭେଦ ହଟାତ୍ ବୁଝିନପାରି ସେଥିରେ 'ହଁ' ଭରିସାରି ସତ୍ଯଵାନଙ୍କୁ ଛାଡ଼ିଦେଵା ହେତୁରୁ ସାବିତ୍ରୀଙ୍କୁ ନିର୍ଦ୍ଦେଶ ଦିଅନ୍ତେ
ସାବିତ୍ରୀ କହିଲେ ―
“ହେ ଯମରାଜ ! ମୁଁ ସତୀ; ଆପଣ ମୋ ସ୍ବାମୀଙ୍କୁ ନେଇଗଲେ ମୁଁ କିପରି ଶତପୁତ୍ର ପାଇବି?” 
ଏହା ଶୁଣି ଅଗତ୍ଯା ଯମରାଜା ,ସତ୍ଯଵାନଙ୍କୁ ପୁନଃ ଜୀବିତ କରିଵା ସହ ତାଙ୍କ ପିତାଙ୍କ ନଷ୍ଟ ଚକ୍ଷୁ ଓ ହୃତ ରାଜ୍ଯ ପୁନଃପ୍ରାପ୍ତ ହେଵାର ଆଶିର୍ଵାଦ ପ୍ରଦାନ କରି ସ୍ଵଧାମ ବାହୁଡି଼ ଗଲେ । ସାବିତ୍ରୀ ସତ୍ଯବାନଙ୍କ ସହିତ ସୁଖରେ ବାସ କରି ଅପତ୍ଯାଦି ଲାଭ କରି ବହୁ ବର୍ଷ ସୁଖରେ କଟାଇ ପ୍ରାଣତ୍ଯାଗ କଲେ।

ସାବିତ୍ରୀଙ୍କ ସତୀତ୍ବ ପୃଥିବୀର ଆଦର୍ଶ ହୋଇ ରହି ଅଛି । ସାବିତ୍ରୀ ସାଧ୍ବୀ ନାରୀଙ୍କର ଆଦର୍ଶ; ତେଣୁ ଅଦ୍ଯାବଧି ମଧ୍ୟ ଏ ଦେଶର ଵିଶେଷତଃ ଓଡ଼ିଶାର ଅନେକ ସଧଵା ସ୍ତ୍ରୀମାନେ ସାଵିତ୍ରୀଙ୍କ ପରି ସାଧ୍ବୀ ହେଵେ ବୋଲି ସାଵିତ୍ରୀ ଅମାବାସ୍ଯା ଦିନ ନିରାହାର ରହି ସାଵିତ୍ରୀ ଵ୍ରତ ପାଳନ କରିଥାନ୍ତି। ଏ ଦିନ କାଚ ଓ ସିନ୍ଦୂର ଆଦି ଦ୍ରଵ୍ୟର ମହତ୍ତ୍ଵ ଅଧିକ ରହିଥିଵା ହେତୁରୁ ଗଞ୍ଜାମରେ ସାଵିତ୍ରୀ ଅମାଵାସ୍ୟାକୁ ‛କାଚ ଅମାଵାସ୍ୟା’ ମଧ୍ୟ କୁହାଯାଏ । ଓଡ଼ିଶାରେ ସାଵିତ୍ରୀ ଵ୍ରତ ପାଳନ ପରି ଗୁଜରାଟର ମହିଳାମାନେ ଵଟସାଵିତ୍ରୀ ଵ୍ରତ ରଖିଥାନ୍ତି । 

ତେବେ ସାଵିତ୍ରୀ ଶବ୍ଦର ଅର୍ଥ କଣ କେଵଳ ସାଵିତ୍ରୀ ଉପାଖ୍ୟାନର ସତୀ ସାଧ୍ଵୀ ସାଵିତ୍ରୀ ଙ୍କ ନାମ ଵିଶେଷ ଅଟେ କି ? 

ଏକ ଵ୍ୟକ୍ତିଵାଚକ ଶବ୍ଦ ଭାଵରେ ସାଵିତ୍ରୀ ଶବ୍ଦ ବହୁଲୋକପ୍ରିୟ ଓ ପୁରାଣ ପ୍ରସିଦ୍ଧ ଅଟେ । 
ପୁରାଣରେ ଅନେକ ସାଵିତ୍ରୀଙ୍କ ନାମୋଲ୍ଲେଖ ମିଳେ ଯଥା-
★ ସାଵିତ୍ରୀ―ସୂର୍ଯ୍ୟମଣ୍ଡଳର ଅଧିଷ୍ଠାତ୍ରୀ ଦେଵୀ—

★ସାଵିତ୍ରୀ―ବେଦମାତା; ଗାୟତ୍ରୀମନ୍ତ୍ରାଧିଷ୍ଠାତ୍ରୀ ଦେବୀଙ୍କର ଦ୍ବି ପ୍ରହରକାଳୀନ ଧ୍ଯେୟରୂପ । ଏ ଯୁବତୀ, ଶୁକ୍ଲଵର୍ଣ୍ଣା. ଚାରୁରୂପା, ଚତୁର୍ଭୁଜା, ଶୁକ୍ଲାମ୍ବରଦ୍ବୟୋପେତା, ଗରୁଡ଼ସ୍କନ୍ଧସଂସ୍ଥିତା, ଶଙ୍ଖଚକ୍ରଗଦାପଦ୍ମଧାରିଣୀ ଓ ବିଷ୍ଣୁ ବା ଦେବୀ ବୈଷ୍ଣବୀ  ଅଟନ୍ତି। ବ୍ରାହ୍ମଣମାନେ ମଧ୍ଯାହ୍ନ ସନ୍ଧ୍ଯା ସମୟରେ ଗାୟତ୍ରୀ ଜପିବା ପୂର୍ବରୁ ଏହାଙ୍କୁ ଧ୍ଯାନ କରନ୍ତି। ଏ ବ୍ରହ୍ମାଙ୍କ ପତ୍ନୀ। ପୁରାଣ କହେ ସବିତା (ସୂର୍ୟ୍ଯ)ଙ୍କ ଔରସରେ ତତ୍ପତ୍ନୀ ପୃଶ୍ନୀଙ୍କ ଗର୍ଭରୁ ଏ ଜନ୍ମିଥିଲେ । ଏହାଙ୍କୁ ଵେଦମାନଙ୍କର ଜନନୀ ଵିଶ୍ଵାସ କରାଯାଇଛି । ଏହାଙ୍କର ଅନ୍ଯ ନାମ ଶତରୂପା, ଗାୟତ୍ରୀ, ସରସ୍ବତୀ, ବ୍ରହ୍ମାଣୀ । ଭାରତର ଭିନ୍ନ ଭିନ୍ନ ତୀର୍ଥରେ ଏ ଵୈଦିକ ଦେଵୀ ଭିନ୍ନ ଭିନ୍ନ ନାମରେ ପୂଜିତ ହେଉଅଛନ୍ତି। 
ଯଥା—ପୁଷ୍କରରେ ସାଵିତ୍ରୀ, ଵାରାଣସୀରେ ଵିଶାଳାକ୍ଷୀ, ପ୍ରୟାଗରେ ଲଳିତା, ଏକାମ୍ର କାନନରେ କୀର୍ତ୍ତିମତୀ, ବିନ୍ଧ୍ଯାଚଳରେ ସୀତା, ପୁରୀକ୍ଷେତ୍ରରେ ଵିମଳା ଇତ୍ଯାଦି। 

★ସାଵିତ୍ରୀ―ଦେଵୀ ଦୁର୍ଗା ଵା ପାର୍ଵତୀଙ୍କର ଏକ ନାମ ମଧ୍ୟ ସାଵିତ୍ରୀ ଅଟେ ।

★ସାଵିତ୍ରୀ ― ଧର୍ମଙ୍କ ପତ୍ନୀ ଓ ଦକ୍ଷଙ୍କ କନ୍ଯା 
★ସାଵିତ୍ରୀ―କଶ୍ଯପଙ୍କ ସ୍ତ୍ରୀ
★ସାଵିତ୍ରୀ―ଅଷ୍ଟାବକ୍ର ଋଷିଙ୍କ କନ୍ଯା 
★ସାଵିତ୍ରୀ―ସୂର୍ଯ୍ୟଦେଵଙ୍କ କନ୍ୟା ଯମୁନା(ନଦୀ)ଙ୍କର ଅନ୍ୟ ନାମ । 
★ସାଵିତ୍ରୀ―ସରସ୍ବତୀ ନଦୀର ଏକ ନାମ

★ସାଵିତ୍ରୀ―ପୁରାଣୋକ୍ତ ପ୍ଲକ୍ଷ ଦ୍ବୀପର ଏକ ନଦୀର ନାମ 
★ସାଵିତ୍ରୀ―ଧାରା ନଗରୀର ରାଜା ଭୋଜଙ୍କ ସ୍ତ୍ରୀ 
★ସାଵିତ୍ରୀ―ତୀର୍ଥବିଶେଷ;ଏକ ତୀର୍ଥର ନାମ

××××××××××××××××××××××××
××××××××××××××
××××××××

■ସାଵିତ୍ରୀ ଗଛ■
●ଅଅଁଳା ଗଛର ଏକ ନାମ ସାଵିତ୍ରୀ ଅଟେ 
●ଶଉପ ଜାତୀୟ ଏକପ୍ରକାର ଗୁଳ୍ମକୁ ବି ସାଵିତ୍ରୀ କୁହାଯାଏ । ଏ ଗଛର ପତ୍ର ସୁଵାସିତ ଏଥିର ଫଳପୁଷ୍ପାଦି ଶଉପ ପରି । ଏହି ଫଳ ଵା ମଞ୍ଜି ତୁଣ ତରକାରୀ ଆଦିରେ ମସଲାରୂପେ ଵ୍ୟଵହୃତ ହୁଏ। ଏଥିର ପତ୍ର ଦ୍ବାରା କାଞ୍ଜି ଆଦି ବଘରା ଯାଏ । ଆରବୀ ଭାଷାରେ ଶଉପକୁ 'ଶୀବ୍ବତ' କୁହନ୍ତି । 

×××××××××××××××××××××
×××××××××××
×××××

ଦ୍ବିଜବାଳକର ଉପନୟନକୁ ବି ସାଵିତ୍ରୀ କୁହାଯାଏ । ଆଗେ ଲୋକଵିଶ୍ଵାସ ଥିଲା ଯେ ଏହି ସଂସ୍କାର କରା ନ ଗଲେ ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ଯ ବ୍ରାତ୍ଯ ବା ପତିତ ହୁଅନ୍ତି । ଉପନୟନକାଳରେ ଦ୍ବିଜବାଳକ ସାଵିତ୍ରୀ ମନ୍ତ୍ରର ଦୀକ୍ଷା ଗ୍ରହଣ କରେ, ଏଥିପାଇଁ ଏ ସଂସ୍କାରର ନାମ ସାଵିତ୍ରୀ। ବ୍ରାହ୍ମଣର ଷୋଡ଼ଶ ଵର୍ଷ, କ୍ଷତ୍ରିୟର ଦ୍ବାବିଂଶତି ଵର୍ଷ ଓ ବୈଶ୍ଯର ଚତୁବିଂଶତି ଵର୍ଷ ପର୍ଯ୍ୟନ୍ତ ଉପନୟନ ସଂସ୍କାରକାଳ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହି ବୟସ ମଧ୍ଯରେ ସାଵିତ୍ରୀ ସଂସ୍କାର ନ ହେଲେ ଉକ୍ତ ଜନ୍ମତଃ ଦ୍ବିଜବାଳକକୁ ଵ୍ରାତ୍ଯ ବୋଲାଯାଏ। ତତ୍ପରେ ଉପନୟନ ସଂସ୍କାର କରାଗଲେ ଯାଥାଵିଧାନ ଵ୍ରାତ୍ଯ—ପ୍ରାଯଶ୍ଚିତ୍ତ କରିବାକୁ ହୁଏ। ଦ୍ବିଜଵର୍ଣ୍ଣକ୍ରୟ ଉପନୟନ ପରେ ପ୍ରତିଦିନ ତ୍ରିସନ୍ଧ୍ଯାରେ ସାବିତ୍ରୀ (ଗାୟତ୍ରୀ) ଜପ କରିବେ। ମନୁସଂହିତା ୨ୟ ଅଧ୍ଯାୟ ୭୬ ଶ୍ଲୋକଠାରୁ ୮୩ ଶ୍ଲୋକ ପର୍ଯ୍ୟନ୍ତ ସାଵିତ୍ରୀ ଜପର ଵର୍ଣ୍ଣନା ଅଛି। ପ୍ରଣବ (ଓଁ), ଵ୍ୟାହୃତି (ଭୁଃ, ଭୁଵଃ, ସ୍ବଃ) ସହିତ ସାଵିତ୍ରୀ (ତତ୍ ସଵିତୁର୍ଵରେଣ୍ଯଂ ଭର୍ଗୋ ଦେଵସ୍ଯ ଧୀମହିଃ ଧୀୟୋୟୋନଃ ପ୍ରଚୋଦୟାତ୍) ତ୍ରିସନ୍ଧ୍ଯାରେ ଦ୍ବିଜମାତ୍ରେ ଜପ କରିବେ । ଦେବୀ ଭାଗଵତ (୯/୨୬/୩— ୪)ରେ ଲେଖାଅଛି ଯେ, ଥରେ ମାତ୍ର ସାବିତ୍ରୀ ଜପ କଲେ ଦିନକୃତ ପାପ, ଦଶଵାର ଜପରେ ଅହୋରାତ୍ରକୃତ ପାପ, ଶତଵାର ଜପରେ ମାସାର୍ଜିତ ପାପ, ସହସ୍ରଵାର ଜପରେ ସମ୍ବତ୍ସରାର୍ଜିତ ପାପ, ଲକ୍ଷ ଜପରେ ଇହଜନ୍ମାର୍ଜିତ ପାପ, ଦଶ ଲକ୍ଷ ଜପରେ ଅନ୍ଯ ଜନ୍ମର ପାପ, ଶତ ଲକ୍ଷ ଜପରେ ସର୍ଵଜନ୍ମର ପାପ ଵିନଷ୍ଟ ହୁଏ ଓ ଦଶଶତ ଲକ୍ଷ ଜପ କଲେ ମୋକ୍ଷଲାଭ ହୁଏ ।

(ମୂଳ ତଥ୍ୟ― ପୂର୍ଣ୍ଣଚନ୍ଦ୍ର ଭାଷାକୋଷ/ ସମ୍ପାଦନା―ଶିଶିର ସାହୁ ମନୋଜ ଓ କଵି ସନ୍ତୋଷ ପଟ୍ଟନାୟକ)

ଲୁହ

ଅଟକୁନି ଲୁହ  ବୋହି ଚାଲୁଛି ଅନବରତ ଆଖିବି ନିଜର କରି ରଖି ପାରୁନି  ଏ ଲୁହକୁ,,,, ବାସ୍ ଝରି ଯାଉଛି ଟୋପା ଟୋପା ହୋଇ! ମନର ବ୍ୟଥା  ହୃଦୟର କୋହ  ସତରେ ଭା...