ରଜ ଦୋଳି ଗୀତ - ପ୍ରାସଙ୍ଗିକତା (୨ୟ ଭାଗ)
----------------------------------------------------
କରଡ଼ି ଖସିଲା ଆମ୍ବ,
ପର କାହୁଁ ଘର ପରାଣୀ ହେବେ ରେ,
ମନ ଜାଣି ଖଞ୍ଜି ଦେବ ।।୨୭।।
-- ରେ ନାଗର , ଆମ୍ବ କଷି ପବନରେ ଅଦିନରେ, ଅସମୟରେ ଝଡିପଡେ । ତା ମା' ଆମ୍ବଗଛ ତାକୁ ଯେମିତି ପ୍ରାଣ ଦେଇ ଭଲ ପାଉଥିଲା , କେହି ବି ତାକୁ ସେମିତି ସ୍ନେହ ସରାଗ ଦେଇପାରିବେନି । ତୁ'ଟା ତ ପର ; ଘରର ପ୍ରାଣୀ ପରି କଣ ତୁ ସବୁ ଖଞ୍ଜିଦେଇ ପାରିବୁ !? ମୋର ଜମା ଭରସା ନାହିଁରେ ନାଗର । ( ବାଉଁଶ କରଡି - ଶିଶୁ ବାଉଁଶ। ଆମ୍ବ କରଡ଼ି -- ଛୋଟ ଆମ୍ବ )
ବିରାଡ଼ି ଛିଙ୍କିଲା ବଣେ,
ଆଗରେ ଯାଉଛି ନାଗର ଜଣେ ଲୋ,
ମୁଣ୍ଡି ଝାଡୁ ଖାଲି ପଣେ ।।୨୮।।
-- ବିରାଡ଼ିକୁ ଏଇ ବର୍ଷା ଦିନେ ଥଣ୍ଡା ଧରେ, ଜର ହୁଏ । ସେ ଚୁଲିମୁଣ୍ଡ ଖୋଜେ, ଶେଜ କପଡା ଖୋଜେ, କୋଳ ସନ୍ଧି ଖୋଜେ । କିନ୍ତୁ ବଣରେ ବିରାଡ଼ିକୁ ଏସବୁ ଦୁର୍ଲଭ । ସେ ଖାଲି ଛିଙ୍କିବ ସିନା ; ତାକୁ କୋଳେଇବ କିଏ , ସ୍ନେହ ଆଦର ଦବ କିଏ !? ରେ ନାଗର ତୁ ବଣ ବିରାଡ଼ି , ଆଗରେ ଆଗରେ ଧପାଲୁଛୁ । ସହୀରେ ୟାକୁ ଖାଲି ଝାଡୁପାହାର ଦରକାର । ( ସ୍ନେହ ଆବେଗ ଓ କ୍ଷୁବ୍ଧ ମନରେ କିଶୋରୀ ତା ସଖୀକୁ କହୁଛି , ନାଗର କଣ ଏ ରୂପବତୀ ନବ ନାରୀକୁ ଦେଖି ଥରେ ବି ପଛକୁ ଫେରି ଚାହାନ୍ତା ନାହିଁ !?)।
ଅଦିନେ ପଣସ ସିଠା,
ବଚନରେ ଯାର ନଥାଏ ମିଠା ଲୋ,
ସେଟା ବାଡ଼ ପକା କଣ୍ଟା ।।୨୯।।
-- ସଖୀ ଲୋ ! ଋତୁ ଚାହିଁ ଫଳ ଫଳେ, ତାର ସ୍ବାଦ ଅପୂର୍ବ , ସ୍ବତନ୍ତ୍ର। ଅଦିନରେ , ଛିଃ ଲୋ ସଖୀ , ଫଳର କଣ କିଛି ସ୍ବାଦ ଥାଏ ? ପଣସ ବି ମିଠା ନଲାଗି ସିଠା ବା ସ୍ବାଦହୀନ ଲାଗେ । ସେମିତି ଲୋ ସଖୀ ,ନାଗର ଯଦି ମିଠା କଥା ବିପ'ଦ କହିପାରିବନି , ସେଟା ଖାଲି ସିଠା ଲାଗିବନି ଲୋ , କଣ୍ଟା ପରି ଫୋଡ଼ି ହୋଇଯିବ ମନରେ । ନା' ଲୋ ସହୀ ! ମୋର ସେମିତି ନାଗର ଲୋଡ଼ା ନାହିଁ ।
ପାହାନ୍ତି ରାବିଲେ ପେଚା,
ଯିଏ ହୋଇଥିବ ସିଂହର ବଚ୍ଚା ଲୋ ,
ଦେବନାହିଁ ପଛଘୁଞ୍ଚା ।।୩୦।।
-- ନବ ନାଗରୀ , ନବ ପୁଷ୍ପବତୀ ଲହୁଣୀ ପିତୁଳା ଲଳନା ସଲ୍ଲଜ ଚାହାଁଣୀରେ କେତେବା ଛପି ଛପି ତା ମନର କନ୍ଦର୍ପ , କୁମାର କାର୍ତ୍ତିକେୟ ଙ୍କୁ ଖୋଜି ପାରିବ !? ସଖୀରେ ! ସବୁଠାରୁ ଭୟଙ୍କର ସମୟ -- ପାହାନ୍ତି ପେଚାର ରାବ ସମୟ । ସତରେ ମୋ ମନର ରାଜକୁମାର , କଣ କାର୍ତ୍ତିକେୟଙ୍କ ପରି , ସିଂହ ଶାବକ ପରି ସାହସର ସହ ମୋ ପ୍ରୀତି ଭିକ୍ଷା କରିପାରିବେନି !? ହଁ ରେ ସଖୀ , ସେଇ ଦିନକୁ ମୋର ଅପେକ୍ଷା ,ଏ ରଜ ଭିତରେ ବି ।
ମଇଁଷି ଶିଙ୍ଗରେ ଖସା,
ମଉସା ପୁଆଟା ଏଡ଼େ ସହସା ଲୋ ,
ମତେ କଲା ଲୋକହସା ।। ୩୧।।
-- ସଖୀରେ ଖୋଜୁଥିଲି ତ ମୋ ନୟନାଭିରାମ କାହ୍ନୁ କୁ । ତତେ କେତେଥର ମୁଁ କହିଛି- ମୋର ଏ ନହୁଲି ବୟସରେ ମୁଁ ,ରଜଦୋଳି ରେ ଝୁଲି ଝୁଲି କେତେ ଖୋଜିବି ? କେତେ ସଜେଇ ହେବି ?? ସବୁ ଶୃଙ୍ଗାର ମୋର ବ୍ୟର୍ଥ ଯାଉଛି । କଣ କହିବିରେ ସଖୀ , ମଉସା ପୁଆଟା ମୋ ବାଲ୍ୟ ସାଥି , ମୋ ଭାଇ , ହେଲେ କଣ ହେଲା ସେ ମୋ ମନ ଠିକ୍ ପଢି ନେଲା ଲୋ । ମୋତେ ତା ସାଥୀ ମେଳରୁ କେତେ କାହାକୁ ଦେଖାଇଲା - "ଏଇଟା ତୋ କାହ୍ନୁ । ସେଇ ତୋ କାର୍ତ୍ତିକେୟ । ହେଇ ଯାଉଛି ତୋ ମନ ପୁରୁଷ । ଦେଖ୍ ଲୋ ଏଇ ତୋ ଜୀବନ ଧନ । ଯିଏ ହସୁଛି ନା , ସିଏ ତୋ ପ୍ରାଣ ବଲ୍ଲଭ ।
" ସଖୀରେ !! ମଇଁଷି ଶିଙ୍ଗରେ କଳାଜାଈ ଥିଲେ ତାକୁ ଖୋଜିବା ସିନା ସହଜ , କିନ୍ତୁ ମୋ କାହ୍ନୁ କୁ ଖୋଜିବା କଣ ଏତେ ସହଜ !?
ତୁ କହଲୋ ସଖୀ ।
( ଅବଶିଷ୍ଟ ରଜଦୋଳି ଗୀତ ସହ ବ୍ୟାଖ୍ୟା - ପରବର୍ତ୍ତୀ ଅଧ୍ୟାୟରେ । ଧନ୍ୟବାଦ ବିଦଗ୍ଧ ପାଠକ , ପାଠିକା ଙ୍କୁ ଯାହା ମୋତେ ଉତ୍ସାହିତ କରିଛି କିଛି ଲେଖିବାକୁ ।)
-- ଦାଶରଥି ସାହୁ
ତାରିଖ- ୧୬.୦୬.୨୦୨୧
( ଶେଷ ରଜ )
No comments:
Post a Comment