Tuesday, January 25, 2022

■ ଧର୍ମର ହେଉ ଜୟ ■

କିଏ ନିଏ ଲୁଟି ପାପକୁ ପାଛୋଟି
       ପାଶବିକତାର ପଣେ
କେଉଁ କଡେ ମାନୀ ବସିଛି ମଉନୀ
     ରକ୍ତ ହୋରି ଖେଳି ରଣେ !
ରଣେ ରୋରୋକାର ପଙ୍ଗତ ପଣର
          ନିରୁଦ୍ଧିଷ୍ଟ  ନ୍ୟାର୍ଯ୍ଯଦାବି
ନିରିଖେଇ ଦେଖ ଏକବିଂଶ ମୂକ
      ପଶ୍ଚିମ ପ୍ରଭାତେ ରବି ?
ସଜାଗ ସକଳ ମତଲବି ମେଳ
       ବିଞ୍ଚିବେ ଏ ବେଳେ ଦାନା
 ପଦବୀ ଆଳରେ ଛଇଳେ ଛଳରେ
          ଅନ୍ଧ ଆଗରେ ଅଇନା
  ପ୍ରଗତିର ପଥେ ସାରଥିର ରଥେ
        ଯୋଚି ଦିଅ ଆତ୍ମବଳ
 ଅର୍ଥ ପାଇଁ ଛାର ସାଜନା ଇତର
       ତୁମେ ଆଗାମୀ ସକାଳ
ପିଟୁଛ ଢେଣ୍ତୁରା ଉଡାଉଛ ନାରା
       ସ୍ୱାର୍ଥର ଶତାବ୍ବୀ ଧାରେ
ମିଛ ଜନଗଣ  ତ୍ରୀରଙ୍ଗାତ୍ତୋଳନ
        ଅପାରଗ ପଣିଆରେ
ଦୃଶ୍ୟ ଦେଲେ ଦେଖି ମଳି ମଳି ଆଖି
        କାନ୍ଦୁଛି ସ୍ଥାଣୁ ପଥର 
  ଏ ମାଟି ସନ୍ତାନ ଜାଗ ଜନ ମନ
           ତୁମେ ପାରିଲା ପଣର
ହସୁ ଏ ଜନନୀ ସ୍ୱର୍ଣ୍ଣ ପ୍ରସବିନୀ
         ନଭିଜୁ ଆଉ ରକତେ
 ଆମରି ନାଆରେ ଆମେହିଁ ନାଉରୀ
        ସ୍ୱର୍ଣ୍ଣାକ୍ଷର ହେଉ ମରତେ
କୂଟ ରାଜନୀତି ଭୟାତୁରେ ଭିତ୍ତି
      ନଖେଳି କପଟ ପଶା
ହେଜି ଗାନ୍ଧୀ ନୀତି ବାଣ୍ଟିବା ପିରତୀ
         ଧର୍ମ ଆମର ଅହିଁସା
କାହାକୁ ଇଙ୍ଗିତ ନୁହେଁ ଲେଖା ଅର୍ଥ
          ଜାଗ ହେ ମାନବିକତା
ଛୋଟ ଉପହାର ଅଧମ ଦାଶର
     ଶବ୍ବେ ଶବ୍ବେ ଯାହା ଗୁନ୍ଥା
 ଲେଖିଦେଲି ଯାହା ଛୁଇଁଲା ମୋ ହିଆ
           ପାଠକେ ରଖିବେ ଲୟ
  କାଳେ କାଳେ କଥା ଭାଗବତେ ଯୁକ୍ତା
             ଧରମର ହେଉ ଜୟ

                     ✍ ଦାଶରଥି ସାହୁ , କଳମ୍ବ/ଗଞ୍ଜାମ ।

Saturday, January 22, 2022

■ ସଂସାରଗୁରୁ ■

କାମଦେଵଙ୍କୁ ସଂସାରଗୁରୁ କାହିଁକି କୁହାଯାଏ ?

ଆମଦେଶରେ ସଂସାରଗୁରୁ ବୋଲି ଶବ୍ଦଟିଏ ପ୍ରଚଳିତ । ଷଷ୍ଠୀ ତତ୍ ପୁରୁଷ ସମାସ ଆଧାରରେ ସଂସାର ଗୁରୁ ଶବ୍ଦର ସୃଷ୍ଟି । ଭଗଵାନ,ଜଗଦ୍ଗୁରୁ,ସମଗ୍ର ଜଗତର ପୂଜ୍ୟ ଯେ ତାଙ୍କୁ ସଂସାରଗୁରୁ କୁହାଯାଏ । ତେବେ  କାମଦେଵଙ୍କୁ ମଧ୍ୟ ସଂସାରଗୁରୁ କୁହାଯାଇଥାଏ । 

ମନରେ ପ୍ରଶ୍ନ ଆସେ କାମଦେଵଙ୍କୁ କାହିଁକି ସଂସାରଗୁରୁ କୁହାଯାଏ ? 

କଵିସୂର୍ଯ୍ୟ ବଳଦେଵ ରଥ ଲେଖିଛନ୍ତି 
“ପୁରୁଷ ତୁଲେ କି ଖେଳିବୁ ସଂସାରଗୁରୁ—ସମର— ପ୍ରାଙ୍ଗଣେ”

ଏଠାରେ କାମଦେବଙ୍କୁ ସଂସାରଗୁରୁ କୁହାଯାଇଛି ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କଥିତ ଅଛି ‌ ।

ସଂସାର କହିଲେ ଆମେ ବୁଝୁ ଜଗତ ଵା ମର୍ତ୍ତ୍ଯଲୋକ,ମାୟାବନ୍ଧନ, ମାୟାଜନ୍ଯ ବ୍ଯସନ, ସାଂସାରିକ ଵିଷୟ, ସ୍ତ୍ରୀ ପୁତ୍ର କନ୍ୟା ସମ୍ବଳିତ ପରିଵାର,ଗାର୍ହସ୍ଥ୍ଯ ଵା ଘରକରଣା ଓ ଜନସମାଜ ଇତ୍ୟାଦି ସେହିପରି ଆଚାର୍ଯ୍ୟ ଵା ଅଧ୍ଯାପକଙ୍କୁ ଗୁରୁ କୁହାଯାଏ । ପିତା,ମନ୍ତ୍ରଦାତା, ପୂର୍ଵପୁରୁଷ, ପୁରୋହିତ,ସମ୍ମାନାର୍ହ ଵ୍ୟକ୍ତି,ନିୟମକାରକ  ଵ୍ୟକ୍ତି,ଦେଵଗୁରୁ ଵୃହସ୍ପତି ଓ ଵୃହସ୍ପତିଗ୍ରହ ତଥା ଦ୍ରୋଣାଚାର୍ଯ୍ୟଙ୍କୁ ଗୁରୁ କୁହାଯାଏ । ବୃହସ୍ପତି ପୁଷ୍ୟା ନକ୍ଷତ୍ରର ଅଧିଷ୍ଠାତା ଦେଵ ହୋଇଥିଵାରୁ ପୁଷ୍ଯାନକ୍ଷତ୍ରକୁ ବି ପୂର୍ଵେ ଗୁରୁ କୁହାଯାଇଛି ‌ । ପୁଣି ଓସ୍ତାତ୍ ଵା  ନାଟ ଓ ସଙ୍ଗୀତ ଶିକ୍ଷକଙ୍କୁ ବି ଗୁରୁ କହିଥାନ୍ତି । ବ୍ରହ୍ମାଙ୍କୁ ,ଦୀର୍ଘସ୍ବରକୁ, ପରମାତ୍ମାଙ୍କୁ ମଧ୍ୟ ଗୁରୁ କୁହାଯାଏ ।  ଶ୍ରୀଵିଷ୍ଣୁ ଓ ଶିଵ ଗୁରୁ କଥିତ ହୋଇଛନ୍ତି  । ଭାରି,ଵିଷମ,ଉତ୍କଟ,ଦୁର୍ଗମ, ଦୁସ୍ତର,ଶ୍ଳାଘ୍ଯ ଵା ପୂଜନୀୟ,ଅପରାଜେୟ,ଦୁର୍ଵାହ,ମହତ୍,ପରାକ୍ରାନ୍ତ,ବଡ଼,କଠିନ,ଅଧିକ,ଅତିଶୟ, ଉତ୍କୃଷ୍ଟ ,ପ୍ରୟୋଜନୀୟ,ବହୁକାଳସ୍ଥାୟୀ ଓ ପ୍ରିୟ ଆଦି ଅର୍ଥରେ ସୁଦ୍ଧା ଗୁରୁ ଶବ୍ଦର ଵ୍ୟଵହାର ହୋଇଥାଏ ।  ଯାହା ସହଜରେ ଜୀର୍ଣ୍ଣ ହୁଏ ନାହିଁ ତାକୁ ମଧ୍ୟ ଗୁରୁ କହିଥାନ୍ତି । 

ତାହେଲେ କାମଦେବ ସଂସାରଗୁରୁ କେମିତି ଅଟନ୍ତି ଵା କାହିଁକି କାମଦେବଙ୍କୁ ସଂସାରଗୁରୁ କୁହାଯାଏ ?

ସମ୍ଭଵତଃ ସଂସାରରେ କାମଦେଵ ପୂଜନୀୟ ବୋଲି ତାଙ୍କୁ ସଂସାରଗୁରୁ କୁହାଯାଏ । କିନ୍ତୁ କାମଦେଵ କାହିଁକି ପୂଜନୀୟ ଅଟନ୍ତି ? କାରଣ  ଜୀବମାନଙ୍କ ମନରେ କାମଦେଵ କାମନା ଜାଗ୍ରତ କରନ୍ତି ‌ । ଫଳତଃ ଜୀଵମାନେ ପ୍ରଜନନ କରିଵାକୁ ଇଚ୍ଛା କରନ୍ତି ଏଵଂ କେଵଳ ପ୍ରଜଜନ କ'ଣ ଅନ୍ୟ ସମସ୍ତ ଵିଷୟରେ ସେମାନଙ୍କ ମନରେ କାମନା ଜାତ ହୋଇଥାଏ ।‌  

ସେହିପରି ସଂସାରରେ ସର୍ଵଜନପ୍ରିୟ ବୋଲି ମଧ୍ୟ କାମଦେଵଙ୍କୁ ସଂସାରଗୁରୁ କୁହାଯାଇପାରେ । ସଂସାରରେ କାମ ଓ କାମନା କରିଵା ଗୁଣ ପ୍ରାୟ ସବୁ ଜୀଵଙ୍କ ପାଖରେ ସୁଲଭ ଭାବେ ଉପଲବ୍ଧ। ଏମନ୍ତକି ସାଧକ ମଧ୍ୟ ଈଶ୍ଵରଦର୍ଶନ କାମନା କରିଥାଏ । ଏ ଦୃଷ୍ଟିରୁ କାମଦେଵ କାମନାଦାତା ହୋଇଥିଵାରୁ ସର୍ଵଜନ ପ୍ରିୟ ଦେଵ ଅଟନ୍ତି ‌। 

ସେହିପରି ଗୁରୁ ଶବ୍ଦର ଏକ ଅର୍ଥ ଅପରାଜେୟ ଏଵଂ ଏହି ଅର୍ଥ ଆଧାରରେ ସଂସାରଗୁରୁ ଶବ୍ଦର ଵିଶ୍ଲେଷଣ କରି ମଧ୍ୟ କୁହାଯାଇପାରେ ଯେ ହଁ ପ୍ରକୃତରେ କାମଦେଵ ସଂସାରଗୁରୁ ଅଟନ୍ତି । 

ସଂସାରରେ ବଡ଼ ବଡ଼ ଯୋଗୀ ଋଷି ବି କାମଦେଵଙ୍କୁ ପରାଜିତ କରିପାରିନାହାନ୍ତି କି ଯେତେବଡ଼ ସାଧକ ହୋଇଥାଉ କାମ ଓ କାମନାକୁ ଦବାଇଵା ତା ପାଇଁ ସହଜ ହୋଇନଥାଏ ‌ । ଫଳତଃ ଏ ଦିଗରୁ ମଧ୍ୟ କାମଦେଵଙ୍କୁ ସଂସାରଗୁରୁ ବୋଲି କୁହାଯାଇପାରେ । 

(ଶିଶିର ସାହୁ ମନୋଜ)

Monday, January 17, 2022

■ “ଅନିର୍ବାଣ ଅଗ୍ନିଶୀଖା ବୀର ବୈଷ୍ଣବ” ■

🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳
“ଅନିର୍ବାଣ ଅଗ୍ନିଶୀଖା ବୀର ବୈଷ୍ଣବ”
ଲେଖକ— ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳
        ସଂଗୃହୀତ ଉପସ୍ଥାପନା; ଶିଶିର ସାହୁ ମନୋଜ 

ସ୍ଵାଧୀନତା ସଂଗ୍ରାମର ଅନିର୍ବାଣ ଅଗ୍ନିଶିଖା ସ୍ଵର୍ଗୀୟ ବୈଷ୍ଣବ ଚରଣ ପଟ୍ଟନାୟକ ଏକାଧାରରେ ଜଣେ ମୁକ୍ତିଯୋଦ୍ଧା, ଆଜୀବନ ବିପ୍ଳବୀ, ସାମ୍ୟବାଦୀ, ଆଦର୍ଶ ଲୋକପ୍ରତିନିଧ୍ଵ ଓ ଅତନ୍ଦ୍ର ସମାଜ ସଂସ୍କାରକ ଥିଲେ । କିଶୋର ବୟସରୁ ସେ ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ସ୍ଵକୀୟ ଦେଶପ୍ରେମ, ଜାତୀୟ ଚେତନା, ସାମ୍ୟଚିନ୍ତାଧାରା ଓ ଦୁର୍ଦ୍ଦମନୀୟ ସଂଗ୍ରାମୀ ମନୋବୃତ୍ତି ଯୋଗୁଁ ସେ ପରିଣତ ଜୀବନରେ ‘ବୀର ବୈଷ୍ଣବ’ ନାମରେ ପ୍ରତିଭାତ ହୋଇଥିଲେ । ସେ ଯଥାର୍ଥରେ ଥିଲେ ସ୍ଵାଧୀନତା ସଂଗ୍ରାମ ଓ ପ୍ରଜା ଆନ୍ଦୋଳନର ଅଗ୍ନିସ୍ଫୁଲିଙ୍ଗ । ବେଠି, ବେଗାରୀ, ଶୋଷଣ, ଅତ୍ୟାଚାର ଓ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ ପୂର୍ବକ ସେ ପ୍ରଜା ଆନ୍ଦୋଳନ ତ୍ବରାନ୍ବିତ କରିବା ସହିତ ଅନ୍ଧାରୀ ମୁଲକରେ ବିପ୍ଳବର ବହ୍ନିଶିଖା ପ୍ରଜ୍ଜଳନ କରିଥିଲେ । ତାଙ୍କ ଦେଶସେବା, ବୈପ୍ଳବିକ ଚେତନା ଓ ସଂଗ୍ରାମୀ ଜୀବନର ପଟ୍ଟାନ୍ତର ନାହିଁ । ସ୍ଵାଧୀନତା ସଂଗ୍ରାମର ଏହି ଅଗ୍ରଦୂତ ତଥା ପ୍ରଜା ଆନ୍ଦୋଳନର ପୁରୋଧାଙ୍କର ଜନ୍ମ ୧୯୧୪ ମସିହା ଅପ୍ରେଲ ୨୯ ତାରିଖରେ ବୀରଭୂମି ଢେଙ୍କାନାଳର ତଳଗଡ (ସଂପ୍ରତି ଚନ୍ଦନ ବଜାର )ରେ ହୋଇଥିଲା । ତାଙ୍କ ଜନନୀ ଥିଲେ ରମ୍ଭାଦେବୀ ଓ ଜନକ ଥିଲେ ସାଧୁଚରଣ ପଟ୍ଟନାୟକ । ତାଙ୍କ ଜନ୍ମର ସ୍ୱଳ୍ପ ସମୟ ପରେ ଜନୈକ ବୈଷ୍ଣବ ପଦାର୍ପଣ କରି ନବଜାତ ଶିଶୁର ଭବିଷ୍ୟତ ଯଶୋଗାନ କରିଥିବାରୁ ତାଙ୍କ ନାମ ବୈଷ୍ଣବଚରଣ ରଖାଯାଇଥିଲା । ତାଙ୍କ ଶ୍ରଦ୍ଧା ନାମ ଥିଲା ‘ଗୁଣ୍ଡୁରି’ । ଚାଟଶାଳୀ ଶିକ୍ଷା ପରେ ସେ ଢେଙ୍କାନାଳ ଉଚ୍ଚ ଇଂରାଜୀ ବିଦ୍ୟାଳୟ (ବର୍ତ୍ତମାନ ଜର୍ଜ ଉ:ପ୍ରା: ବିଦ୍ୟାଳୟ)ରେ ଅଧ୍ୟୟନ କଲେ । ୧୯୨୮ରେ ସେ ଢେଙ୍କାନାଳ ଉଚ୍ଚ ଇଂରାଜୀ ବିଦ୍ୟାଳୟ (ବର୍ତ୍ତମାନ ବ୍ରଜନାଥ ବଡଜେନା ଉଚ୍ଚବିଦ୍ୟାଳୟ)ରେ ନାମ ଲେଖାଇଥିଲେ । ସେଠାରେ ଲକ୍ଷ୍ମୀଧର ସାହୁ, ହରମୋହନ ପଟ୍ଟନାୟକ ଓ ଗତିକୃଷ୍ଣ ଭଞ୍ଜ ତାଙ୍କର ସହପାଠୀ ଥିଲେ । ସେହି ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥାଆନ୍ତି ରାଜେନ୍ଦ୍ର ଲାଲ ଦତ୍ତ ଏବଂ ସହକାରୀ ଶିକ୍ଷକଗଣ ଥିଲେ ବାସୁଦେବ ମହାପାତ୍ର, ହରିହର ମହାପାତ୍ର ପ୍ରଭୃତି । ଏହି ଆଦର୍ଶ ଶିକ୍ଷକମାନଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ବୈଷ୍ଣବ ଓ ତାଙ୍କ ସହପାଠୀଙ୍କ ମନରେ ଦେଶସେବା, ତ୍ୟାଗ, ସ୍ଵାଧୀନତା ଓ ସଂଗ୍ରାମର ବୀଜ ଅଙ୍କୁରିତ ହୋଇଥିଲା । ସେତେ ବେଳକୁ ମହାତ୍ମା ଗାନ୍ଧୀ ଆଫ୍ରିକାରୁ ପ୍ରତ୍ୟାବର୍ତ୍ତନ କରି ଅହିଂସା ଆନ୍ଦୋଳନ ଆରମ୍ଭ କରିଦେଲେଣି । ୧୯୩୦ରେ ଲବଣ ସତ୍ୟାଗ୍ରହ ଓ ଆଇନ ଅମାନ୍ୟ ଆନ୍ଦୋଳନ ସଂଘଟିତ ହୋଇଥିଲା । ଗାନ୍ଧିଜୀଙ୍କ ବାର୍ତ୍ତା ସମଗ୍ର ଭାରତରେ ସ୍ୱରାଜ୍ୟ ଚେତନା ସୃଷ୍ଟି କରିସାରିଲାଣି । ବୈଷ୍ଣବଙ୍କ ସହପାଠୀ ଗାନ୍ଧୀଟୋପି ପିନ୍ଧି ବିଦ୍ୟାଳୟକୁ ଆସିବା ଏବଂ ଗତିକୃଷ୍ଣ ରାଜାଙ୍କ ଅତ୍ୟାଚାର ସମ୍ପର୍କରେ ରାଜାଙ୍କୁ ଚିଠି ଲେଖିବା ଘଟଣାରେ ବୈଷ୍ଣବ ବିଶେଷ ପ୍ରଭାବିତ ହୋଇଥିଲେ । ଗଡ଼ଜାତ ରାଜାମାନେ ପ୍ରଜାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ । ଢେଙ୍କାନାଳ ରାଜ୍ୟରେ ଏହି ମାତ୍ରା ଟିକିଏ ଅଧ୍ୟକ ଥିଲା । ଏହା ସ୍ଵଚକ୍ଷୁରେ ଦେଖୁ ବୈଷ୍ଣବଙ୍କ ବିପ୍ଳବୀପ୍ରାଣ ଆନ୍ଦୋଳିତ ହୋଇଥିଲା । ଢେଙ୍କାନାଳର ପ୍ରଜାଗଣ ବେଠି, ବେଗାରି, ରସଦ, ମାଗଣ, ଅତ୍ୟାଚାରରେ ଅତିଷ୍ଠ ହୋଇପଡିଥିଲେ । ଏଥିରେ ବ୍ୟଥିତ ହୋଇ ଛାତ୍ର ବୈଷ୍ଣବ ରାଜାଙ୍କୁ ମାରିଦେବାକୁ ମନସ୍ଥ କରିଥିଲେହେଁ ଉପରଶ୍ରେଣୀ ଛାତ୍ର ଅଭିନ୍ନଙ୍କ ପରାମର୍ଶରେ ସେଥୁରୁ ନିବୃତ୍ତ ରହିଲେ ତଥା କଟକ ଯାଇ ଶୋଭାଯାତ୍ରା ଓ ପିକେଟିଂରେ ଭାଗନେଲେ । ୧୯୩୧ରେ ଶହୀଦ ଭଗତସିଂଙ୍କ ଫାଶୀ ଘଟଣା ଭାରତରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏଥିରେ ଉତ୍ତେଜିତ ହୋଇ ଛାତ୍ର ବୈଷ୍ଣବ ପ୍ରଚାର କଲେ ଯେ, ଢେଙ୍କାନାଳ ରାଜାଙ୍କୁ ଇଂରେଜ ସରକାର ଧରି ନେଇଛି । ଏହି ଘଟଣାରେ ସେ ଥାନାରେ ମାଡ ଖାଇଲେ ତଥା ତାଙ୍କ ପାଠ ପଢା ବନ୍ଦ ହୋଇଗଲା । ତାଙ୍କ ସହପାଠୀ ହରମୋହନ, ଗତିକୃଷ୍ଣ ଓ ଦୟାନିଧ୍ ବାହାରେ ଯାଇ ପାଠ ପଢିଲେ । କିନ୍ତୁ ବୈଷ୍ଣବଙ୍କ ପରିବାରର ଆର୍ଥିକ ସ୍ୱଚ୍ଛଳତା ନଥିବାରୁ ସେ ପଢି ପାରିଲେ ନାହିଁ । ୧୯୩୪ରେ ସେ ରେଳବାଇରେ ରଙ୍ଗମିସ୍ତ୍ରୀ ଚାକିରି କଲେ । ଏହାରି ସୁଯୋଗରେ ସେ ବିନାଟିକେଟ୍‌ରେ କଟକ ଯାଇ ରାଜ୍ୟସ୍ତରୀୟ ନେତୃବୃନ୍ଦଙ୍କ ସହ ସମ୍ପର୍କ ସ୍ଥାପନ କଲେ । ୧୯୩୨ରୁ ୧୯୩୫ ମସିହା ମଧ୍ୟରେ ଢେଙ୍କାନାଳ ରାଜାଙ୍କ ଭାଇ ପଟ୍ଟାୟତ ନୃସିଂହ ପ୍ରତାପ ସିଂହଦେଓ ଯତନନଗର ନିର୍ମାଣ କଲେ । ଏଥିରେ ବେଠିଆମାନେ ଗାଁରୁ ଚାଉଳ, ଚୁଡା ଧରି ଆସି ବିନା ମଜୁରିରେ କାର୍ଯ୍ୟ କରୁଥିଲେ । କାମ ନକଲେ ମାଡ ଦିଆଯାଉଥିଲା । ନାରୀ ଧର୍ଷଣ, ନିଶ ଓପଡା ପ୍ରଭୃତି ଘଟିଥିଲା । ପଟ୍ଟାୟତ ଓ ରାଜକର୍ମଚାରୀଙ୍କ ଅତ୍ୟାଚାରରେ ପ୍ରଜାମାନେ ଅତିଷ୍ଠ ହୋଇପଡିଲେ । ସେତେବେଳକୁ ଗାନ୍ଧିଜୀ ଦୁଇଥର ଓଡ଼ିଶା ଆସିଲେଣି ତଥା ଓଡ଼ିଶାରେ ବହୁ ଗାନ୍ଧିବାଦୀ ନେତା ସୃଷ୍ଟି ହେଲେଣି । ୧୯୩୧ରେ ଗଠିତ ହୋଇଥିବା ଓଡ଼ିଶା ରାଜ୍ୟ ପ୍ରଜାସଂଘର ଦ୍ଵିତୀୟ ଅଧ୍ଶନ ୧୯୩୭ରେ କଟକଠାରେ ପଟ୍ଟାଭି ସୀତାରାମାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଲା । ବୈଷ୍ଣବ ଏଥିରେ ଯୋଗ ଦେଇଥିଲେ । ସାରଙ୍ଗଧର ଦାସ ଏହାର ସମ୍ପାଦକ ଥିଲେ ଏବଂ ବୈଷ୍ଣବଙ୍କ ସହପାଠୀ ହରମୋହନ ପଟ୍ଟନାୟକ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ । ୧୯୩୮ରେ ପ୍ରଜାଙ୍କ ଦାବି ଆପତ୍ତି ଶୁଣିବା ନିମିତ୍ତ ଅନୁସନ୍ଧାନ କମିଟି ଗଠନ ହୋଇଥିଲା । ସେହି ବର୍ଷ ପରଜଙ୍ଗ ଠାରେ ପ୍ରଜାମଣ୍ଡଳ ଗଠନ ହେଲା ଏବଂ ଆର୍ତ୍ତତ୍ରାଣ ପାତ୍ର ଏହାର ସଭାପତି ରହିଲେ। ପରେ ପରେ ପ୍ରଜାମଣ୍ଡଳ ପୁନର୍ଗଠନ କରାଯାଇ ହରମୋହନ ପଟ୍ଟନାୟକ ସଭାପତି, ଲକ୍ଷ୍ମୀଧର ସାହୁ ସମ୍ପାଦକ, ବୈଷ୍ଣବ ପଟ୍ଟନାୟକ ଓ ଗତିକୃଷ୍ଣ ଭଞ୍ଜ କାର୍ଯ୍ୟକାରୀସମ୍ପାଦକ ରହିଲେ । ଢେଙ୍କାନାଳ ରାଜା ପ୍ରଜାମଣ୍ଡଳକୁ ବେଆଇନ ଘୋଷଣା କରିବାରୁ ଜେନାପୁରଠାରେ ୧୯୩୮ ସେପ୍ଟେମ୍ବର ୨ ତାରିଖରେ ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ସଭାପତିତ୍ଵରେ ପ୍ରଜାମଣ୍ଡଳ ଅଧୁବେଶନ ଅନୁଷ୍ଠିତ ହେଲା । ଏହି ଅଧୁବେଶନରେ ରାଜଶାସନର ଅତ୍ୟାଚାର, ବେଠି, ବେଗାରି, ରସଦ, ମାଗଣ ଓ ଭେଟି ବନ୍ଦ କରିବାକୁ ନିଷ୍ପତ୍ତି ନିଆଗଲା । ବୈଷ୍ଣବ ପଟ୍ଟନାୟକ ନିଜ ସାଥୀ ଶ୍ରୀକାନ୍ତ ରାଉତ, ନେତ୍ରାନନ୍ଦ ନାଏକ, ସତ୍ୟବାଦୀ ମିଶ୍ର, ନାଲୁମହମ୍ମଦ, ଭଜମନ ସାହୁ ପ୍ରଭୃତିଙ୍କୁ ଧରି ଗ୍ରାମେ ଗ୍ରାମେ ବୁଲି ପ୍ରଜାମଣ୍ଡଳର ବାର୍ତ୍ତା ପ୍ରଚାର କଲେ । ଅଧିବେଶନର ଚାରିଦିନ ପରେ ସେପ୍ଟେମ୍ବର ୬ରେ ସୁନିଆ ପଡିଲା ତଥା ରାଜାଙ୍କ ଭେଟି ବନ୍ଦ କରି ଦିଆଗଲା । ଗ୍ରାମାଞ୍ଚଳ ସଭାରେ ବୈଷ୍ଣବ ପଟ୍ଟନାୟକ ଅଗ୍ନିବର୍ଷୀ ଭାଷଣ ଦେଇ ଲୋକଙ୍କ ମନରେ ରାଜାଙ୍କ ଅତ୍ୟାଚାର ବିରୁଦ୍ଧରେ ଚେତନା ସୃଷ୍ଟି କରୁଥିଲେ । ବୈଷ୍ଣବ ସାଥୀମାନଙ୍କୁ ଧରି ଗ୍ରାମେ ଗ୍ରାମେ କୃଷକ ଓ ରଣଭେରୀ ପତ୍ରିକା ବାଣ୍ଟୁଥିଲେ । ଏଥିରେ ସାରଙ୍ଗଧର ଦାସ ଛଦ୍ମନାମ ନଣ୍ଡାଦେହୁରୀରେ ପ୍ରଜାଙ୍କ ଦୁଃଖ ମର୍ମସ୍ପର୍ଶୀ ଧାରାରେ ଲେଖୁଥିଲେ । ଏହି ସମୟରେ ବୈଷ୍ଣବ ଗ୍ରାମେ ଗ୍ରାମେ ତ୍ରିନାଥ ମେଳା କରି ସ୍ୱାଧୀନତାର ବାର୍ତ୍ତା ପ୍ରଚାର କରୁଥିଲେ । ତ୍ରିନାଥ ମେଳାରେ ସତ୍ୟବାଦୀ ମିଶ୍ର ପୁରୋହିତ ଭୂମିକା ଦେଇ ମେଳାଗୀତ ପରିବର୍ତ୍ତେ ପ୍ରଜାମଣ୍ଡଳ ଗୀତ ବୋଲୁଥିଲେ । ଏହି ଗୀତରେ ଯତନନଗର ଅତ୍ୟାଚାର, ନାରୀଧର୍ଷଣ ଓ ହାତୀଧରା ପ୍ରସଙ୍ଗ ବୋଲ।ଯାଉଥିଲା। । ଷ୍ଟେଟ୍ସମ୍ୟାନ ପତ୍ରି କାରେ ବୈଷ୍ଣବଙ୍କ ସମ୍ପର୍କରେ ସମ୍ବାଦ ବାହାରିବାରୁ ରାଜା ତାଙ୍କୁ ଖୋଜିଲେ । ତେଣୁ ବୈଷ୍ଣବ କିଛିଦିନ କଟକରେ ଆତ୍ମଗୋପନ କରି ପୁନର୍ବାର ଢେଙ୍କାନାଳ ଫେରି ଆସିଲେ । ସହକର୍ମୀଙ୍କ ସହ କଟକରୁ ମାଳତୀ ଚୌଧୁରୀ, ରବିଘୋଷ, ଅନନ୍ତ ପଟ୍ଟନାୟକ, ବୈଦ୍ୟନାଥ ରଥ, ଗୌରାଙ୍ଗ ଦାସ ପ୍ରଭୃତିଙ୍କୁ ଧରି ଗ୍ରାମେ ଗ୍ରାମେ ବୁଲିଲେ । ଢେଙ୍କାନାଳର ସର୍ବତ୍ର ପ୍ରଜା ଆନ୍ଦୋଳନ ବ୍ୟାପକ ରୂପ ଧାରଣ କଲା । ରାଜା ଆନ୍ଦୋଳନକୁ ଦୃଢ ହସ୍ତରେ ଦମନ କରିବା ନିମିତ୍ତ ଗୋରାଫୌଜ ମଗାଇଲେ । ୧୯୩୮ ସେପ୍ଟେମ୍ବର ୧୧ ତାରିଖରେ ୧୫ ଜଣ ପ୍ରଜାମଣ୍ଡଳ ନେତାଙ୍କୁ ଗିରଫ କଲେ । ଏଥିରେ ହରମୋହନ ପଟ୍ଟନାୟକ, ମହେଶଚନ୍ଦ୍ର ସୁବାହୁ ସିଂହ, ଲକ୍ଷ୍ମୀଧରସାହୁ, ଶ୍ରୀକାନ୍ତ ରାଉତ, ସତ୍ୟବାଦୀ ମିଶ୍ର, ଭଜମନ ସାହୁ, ନାଲୁ ମହମଦ, କାଶୀନାଥ ମିଶ୍ର, ରବି ପଟ୍ଟନାୟକ, ନି ରାକାର ପଟ୍ଟନାୟକ, ପ୍ରାଣବନ୍ଧୁ ଦାସ ପ୍ରଭୃତି ଗିରଫ ହୋଇଥିଲେ ହେଁ ବୈଷ୍ଣବ ପଟ୍ଟନାୟକ କୌଶଳକ୍ରମେ ଖସି ଯାଇଥିଲେ । ସେ ହଜାରେ ପର୍ଯ୍ୟନ୍ତ ଲୋକଙ୍କୁ ଏକତ୍ରିତ କରି ଜେଲ ଘେରାଉ କଲେ ଓ ନେତାଙ୍କ ଗିରଫର ପ୍ରତିବାଦ କଲେ । ରାଜା ଗୋରାଫୌଜଙ୍କ ଦ୍ଵାରା ଲୋକଙ୍କୁ ଘଉଡାଇ ଦେବାରୁ ବୈଷ୍ଣବ ପଟ୍ଟନାୟକ ତତ୍‌ପରଦିନ ଅଳସୁଆ ହାଟଠାରେ ପ୍ରତିବାଦ ସଭା କଲେ । ଏଥିରେ ପ୍ରାୟ ତିରିଶି ହଜାର ପ୍ରଜା ଏକତ୍ରିତ ହୋଇଥିଲେ । ବୈଷ୍ଣବ ପଟ୍ଟନାୟକ ସେହି ସଭାରେ ଆକ୍ରମଣାତ୍ମକ ସିଂହ ସଦୃଶ ଭାଷଣ ଦେଇଥିଲେ । ଫୋର୍ସମାନେ ଗୁଳି ଚାଳନା କରିବାରୁ ଅନେକ ପ୍ରଜା ଖଣ୍ଡିଆ ଖାବରା ହେଲେ । ପରିସ୍ଥିତି ଅଣାୟତ୍ତ ହେବାରୁ ରାଜା ଗିରଫ ନେତାମାନଙ୍କୁ ଜେଲ୍‌ରୁ ଖଲାସ କରିଦେଲେ । ତତ୍‌ପରଦିନ ଅର୍ଥାତ୍‌ ସେପ୍ଟେମ୍ବର ୧୩ ତାରିଖରେ ବୈଷ୍ଣବ ପଟ୍ଟନାୟକଙ୍କ ନେତୃତ୍ବରେ ଢେଙ୍କାନାଳରେ ସ୍ବାଧୀନ ଦିବସ ପାଳନ କଲେ । ସେପ୍ଟେମ୍ବର ୨୨ରେ ରାଜା ପ୍ରଜାମଣ୍ଡଳକୁ ବେଆଇନ ଘୋଷଣା କଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ବୈଷ୍ଣବବାବୁ ଶପଥ ସଭା ଆହ୍ଵାନ କଲେ ଏବଂ ବ୍ରାହ୍ମଣୀତଟସ୍ଥ କମଗରା ଘାଟରେ ହଜାର ହଜାର କର୍ମୀ ଶପଥ ଗ୍ରହଣ କଲେ । ଏହି ସଭାରେ ବୈଷ୍ଣବବାବୁଙ୍କୁ ‘ବୀର ବୈଷ୍ଣବ’ ବୋଲି ସାଧାରଣ ଜନତା ସମ୍ବୋଧନ କରିଥିଲେ । ପରେ ପରେ ଢେଙ୍କାନାଳ ଗଡରେ ସଭା ଅନୁଷ୍ଠିତ ହେଲା । ସେହି ସଭାରେ ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ, ରବି ଘୋଷ, ସାରଙ୍ଗଧର ଦାସ, ଭଗବତୀ ପାଣିଗ୍ରାହୀଙ୍କ ସହିତ ବୈଷ୍ଣବ ବାବୁ ଉଦ୍ ବୋଧନ ଦେଇଥିଲେ । ସେଠାରେ ଏନ୍.ଆର୍.ସ୍ଵାମୀ ଓ ରାଧାନାଥ ରଥ ପ୍ରଭୃତି ସାମ୍ବାଦିକ ମଧ୍ୟ ଯୋଗଦେଇ ସମ୍ବାଦ ପ୍ରକାଶ କରିଥିଲେ । ପ୍ରଜା ଆନ୍ଦୋଳନ ବ୍ୟାପକ ରୂପ ଧାରଣ କରିବାରୁ ଢେଙ୍କାନାଳ ରାଜା ଚତୁର୍ଦ୍ଦିଗକୁ ଫୋର୍ସ ପଠାଇ ବିପ୍ଳବ ଦମନ କରିବାକୁ ଦୃଢ ପଦକ୍ଷେପ ନେଇଥିଲେ । ଭୟରେ ପ୍ରଜାମାନେ ଘରଦ୍ବାର ଛାଡି ଅନୁଗୁଳ, ସୁକିନ୍ଦା, କେନ୍ଦୁଝର ଓ ମୋଗଲବନ୍ଦୀ ଅଞ୍ଚଳକୁ ପଳାଇଲେ । ଏହାକୁ ‘ହିଜରାତ୍’ କୁହାଯାଇଥିଲା । ଫୋର୍ସମାନେ ଚାରିଗୋଟି ଦଳରେ ବିଭକ୍ତ ହୋଇ ବିଦ୍ରୋହ ଦମନନିମିତ୍ତ ପ୍ରଜାମାନଙ୍କ ଉପରେ ଅତ୍ୟାଚାର କରୁଥିଲେ । ଭୁବନ ଅଞ୍ଚଳକୁ ଯାଇଥିବା ଫୋର୍ସ ୧୯୩୮ ଅକ୍ଟୋବର ୧୦ ତାରିଖରେ ଭୁବନବାସୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କଲେ । ଫୋର୍ସଙ୍କ ଗୁଳିରେ ଭୁବନର ଗୁରିନାଏକ ଶହୀଦ ହେଲେ ଓ ରଘୁନାଏକ ଗୁରୁତର ଆହତ ହେଲେ । ଫଳରେ ହଜାର ପର୍ଯ୍ୟନ୍ତ ପ୍ରଜା ଭୁବନ ଥାନା ଘେରାଉ କଲେ । ଫୋର୍ସମାନେ ଆତଙ୍କିତ ହୋଇ ନୀଳକଣ୍ଠପୁର ଘାଟ ଆଡେ ପଳାୟନ କଲେ । ପ୍ରଜାମାନେ ସେମାନଙ୍କ ପଶ୍ଚାତ୍‌ଧାବନ କରି ଟେକାପଥର ଫୋପାଡିଲେ । ନୀଳକଣ୍ଠପୁର ଘାଟରେ ପ୍ରଜାମାନେ ଫୋର୍ସଙ୍କୁ ନଦୀପାର କରାଇ ନଦେବାରୁ ମାଜିଷ୍ଟ୍ରେଟ୍ ବିନୟଘୋଷଙ୍କ ଆଦେଶରେ ଗୁଳି ଚାଳନା ହେଲା । ଏଥିରେ ବାରବର୍ଷର ବାଜିରାଉତ ସମେତ ହୃଷି ପ୍ରଧାନ, ନଟମଳିକ ଓ ଲକ୍ଷ୍ମଣ ମଳିକ ଶହୀଦ ହେଲେ ତଥା ଆଠଜଣ ଗୁଳିମାଡ ଖାଇ ରକ୍ତାକ୍ତ ହେଲେ । ତତ୍‌ପରେ ଶହୀଦମାନଙ୍କର ଶବ ଓ ଆହତମାନଙ୍କୁ ଶଗଡରେ କଟକ ଅଣାହେଲା । ଅକ୍ଟୋବର ୧୨ ତାରିଖରେ କଟକରେ ଶଗଡରେ ଶବଗୁଡିକ ବିରାଟ ଶୋଭାଯାତ୍ରାରେ ନିଆଯାଇ ଖାନ ନ ଗର ଶ୍ମଶାନରେ ଦାହ କରାଗଲା । ସେଠାରେ ବୈଷ୍ଣବବାବୁ ଯେଉଁ ଭାଷଣ ଦେଲେ ଓ ସଚ୍ଚିରାଉତରାୟ ଯେଉଁ କବିତା ବୋଲିଲେ ତାହା ଆଜି ବି ଲୋକ ଭୁଲିନାହାନ୍ତି । ଦେଶର ସର୍ବକନିଷ୍ଠ ବାରବର୍ଷର ଶହୀଦ ବାଜିରାଉତଙ୍କ ଗୁଳିରେ ମୃତ୍ୟୁ ସାରା ବିଶ୍ଵରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ୧୯୩୯ରେ ରଣପୁରରେ ବେଜଲ୍‌ଗେଟ୍ ସାହେବଙ୍କୁ ପ୍ରଜାମାନେ ହତ୍ୟା କରିବା ପରେ ନେତାମାନଙ୍କ ଗିରଫଦାରୀଙ୍କୁ ବ୍ୟାପକ କରାଗଲା । ସେହିବର୍ଷ ମାର୍ଚ୍ଚ ମାସରେ ବୈଷ୍ଣବ ପଟ୍ଟନାୟକଙ୍କୁ କଟକଠାରେ ଗିରଫ କରାଗଲା । ତାଙ୍କ ସହିତ ଢେଙ୍କାନାଳର ଅନ୍ୟ ନେତାମାନେ ମଧ୍ୟ ଗିରଫ ହୋଇଥିଲେ । ପରଜଙ୍ଗ ତହସିଲଦାରଙ୍କଠାରୁ ଖଜଣା ଟଙ୍କା ଡକାୟତି କରିବାର ମିଥ୍ୟା ଅଭିଯୋଗ ଏମାନ ଙ୍କ ବି ରୁ ଦ୍ଧରେ ଆରୋପ କରାଯାଇଥିଲା । ପ୍ରାଦେଶିକ ନେତା ଓ ସରକାରଙ୍କ ଆଲୋଚନା ପରେ ବୈଷ୍ଣବବାବୁ କଟକ ଜେଲ୍‌କୁ ଅଗଷ୍ଟ ମାସରେ ମୁକ୍ତ ହୋଇ ଢେଙ୍କାନାଳରେ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ଆତ୍ମସମର୍ପଣ କଲେ । ଢେଙ୍କାନାଳ ଅଦାଲତରେ କେଶ୍ ବିଚାର ହୋଇ ୧୯୪୦ ମେ ମାସରେ ବୈଷ୍ଣବ ବାବୁ ନିର୍ଦ୍ଦୋଷରେ ଖଲାସ ହେଲେ । ଢେଙ୍କାନାଳ ରାଜା ଏହି ରାୟରେ ସନ୍ତୁଷ୍ଟ ନହୋଇ ବୈଷ୍ଣବବାବୁଙ୍କୁ ତାଙ୍କ ନିଜ ଘରେ ଗୃହବନ୍ଦୀ ଭାବରେ ରଖୁଥିଲେ ଏବଂ ପ୍ରତିଦିନ ଥାନାରେ ହାଜିରା ଦେବାକୁ ଆଦେଶ କରିଥିଲେ । କିନ୍ତୁ ବୈଷ୍ଣବବାବୁ ଲୁଚି ଖସି ପଳାଇଲେ । ସେତେବେଳେ ଗାନ୍ଧିଜୀ ‘କର ବା ମର’ ଡାକରା ଦେଲେଣି । ବୈଷ୍ଣବ ବାବୁଙ୍କ ବିପ୍ଳବୀ ରକ୍ତ ତାତି ଉଠିଲା । ସେ ଗୁପ୍ତରେ ପରଜଙ୍ଗ ଯାଇ ଗୋଟିଏ ଗରିଲାବାହିନୀ ଗଢିଲେ । ପରଜଙ୍ଗ ଥାନା ଆକ୍ରମଣ କରିବାକୁ ମସୁଧା କରୁଥିବା ବେଳେ ଫୋର୍ସ ପହଞ୍ଚି ଯିବାରୁ ସେ ମଢିଥାନା ଆଡେ ଅଗ୍ରସର ହେଲେ । ଗରିଲା ବାହିନୀରୁ ଅନେକ ଫୋର୍ସ ଭୟରେ ଛତ୍ରଭଙ୍ଗ ଦେଇଥିଲେ ମଧ୍ୟ ବୈଷ୍ଣବଙ୍କ ସାଥୀରେ ୧୮ ଜଣ ରହିଥିଲେ । ବୀର ବୈଷ୍ଣବ ଓ ମୂଷା ମଳିକଙ୍କ ନେତୃତ୍ଵରେ ୧୯ ଜଣ ସଂଗ୍ରାମୀ ଅଗଷ୍ଟ ୨୬ ତାରିଖ ସୂର୍ଯ୍ୟୋଦୟ ପୂର୍ବରୁ ମଢିଥାନା ଉପରେ ଚଢାଉ କରି ଅସ୍ତ୍ରଶସ୍ତ୍ର ଲୁଟି ନେଲେ । ପରେ ପରେ ମଢିକଚେରୀ ଓ ତହସିଲ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଲେ । ଏହାପରେ ବିପ୍ଳବୀମାନେ ମଢିଠାରେ ସାଧାରଣ ସଭା ଡକାଇ ଜନସାଧାରଣଙ୍କୁ ସ୍ଵାଧୀନ ସରକାର ଗଠନ ସମ୍ପର୍କରେ ସୂଚନା ଦେଲେ । ଏହି ସଭାରେ ବୀର ବୈଷ୍ଣବ ସଭାପତିତ୍ବ କରିଥିଲେ । ଏହାପରେ ବିପ୍ଳବୀମାନେ ଗ୍ରାମେ ଗ୍ରାମେ ଫ୍ଲାଗ୍‌ମାର୍ଚ୍ଚ କରି ସମସ୍ତ କାର୍ଯ୍ୟାଳୟରେ ତ୍ରିରଙ୍ଗା ପତାକା ଉଡାଇଲେ । ସେପ୍ଟେମ୍ବର ୪ତାରିଖରେ ଜନ୍ମାପଡାଠାରେ ବିପ୍ଲବୀ ଓ ଫୋର୍ସଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ଏଥିରେ ଫୋର୍ସଙ୍କ ଗୁଳି ମାଡ ରେ ବୀରସାହୁ ଓ ବେନୁସାହୁ ଶହୀଦ ହେଲେ ତଥା ବୀରବୈଷ୍ଣବ ଗୁଳିମାଡ ଖାଇ ପଳାୟନ କଲେ । କଟକରେ ପ୍ରାଥମିକ ଚିକିତ୍ସା ପରେ ସେ କଲିକତାରେ ଯାଇ ଆତ୍ମଗୋପନ କଲେ । କଲିକତାରେ ରହିଥିବା ସମୟରେ ମଧ୍ୟ ମାଳତୀ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ସୁରେନ୍ଦ୍ର ନାଥ ଦ୍ବିବେଦୀ ପ୍ରଭୃତିଙ୍କ ସହିତ ସେ ଗୁପ୍ତରେ ସମ୍ପର୍କ ରଖୁଥିଲେ । ଢେଙ୍କାନାଳ ରାଜା ବୈଷ୍ଣବଙ୍କୁ ଧରାଇଦେଲେ ପୁରସ୍କାର ଦେବେ ବୋଲି ଘୋଷଣା କରିଥାନ୍ତି । ଢେଙ୍କାନାଳ ରାଜାଙ୍କର ମଧ୍ୟ କଲିକତାରେ ଘର ଅଛି । ତେଣୁ ବୀର ବୈଷ୍ଣବ କଲିକତାରୁ ଗୁପ୍ତରେ ବମ୍ବେ ପଳାଇଗଲେ । ବମ୍ବେ ରହଣିବେଳେ ସେ କମ୍ୟୁନିଷ୍ଟପାର୍ଟିର କର୍ମକର୍ତ୍ତା ଓ କାର୍ଯ୍ୟକ୍ରମ ସହ ସାମିଲ ହୋଇଥିଲେ । ୧୯୪୪ ଜାନୁଆରୀମାସରେ ସେ ପୁନର୍ବାର କଲିକତା ଚାଲିଆସିଲେ । ୧୯୪୪ ଜାନୁଆରୀ ୧୭ ତାରିଖଠାରୁ ଢେଙ୍କାନାଳ ରାଜାଙ୍କ କ୍ଷମତା ସଙ୍କୁଚିତ କରାଯାଇ ଚାରିଜଣ ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କୁ ଢେଙ୍କାନାଳ ଶାସନ ଦାୟିତ୍ବ ଅର୍ପଣ କରାଯାଇଥିଲା । ଇତିମଧ୍ୟରେ ବୀରବୈଷ୍ଣବଙ୍କ ନାମରୁ ୱାରଣ୍ଟ ଉଠିଯାଇଥିଲା । ୧୯୪୬ରେ ହରେକୃଷ୍ଣ ମହତାବ ମୁଖ୍ୟମନ୍ତ୍ରୀ ଓ ନବକୃଷ୍ଣ ଚୌଧୁରୀ ରାଜସ୍ବ ମନ୍ତ୍ରୀ ହୋଇ ଓଡ଼ିଶାରେ କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଢିଲେ । ଏହି ସମୟରେ ବୈଷ୍ଣବବାବୁ ଢେଙ୍କାନାଳ ଫେରି ଆସିଲେ । ଦୀର୍ଘଦିନ ନିରୁଦ୍ଦିଷ୍ଟ ରହିଥିବାରୁ ପରିବାରରେ ଆନନ୍ଦର ଲହରୀ ଖେଳିଗଲା । ଦୁଃଖର ବିଷୟ, ଇତିମଧ୍ୟରେ ତାଙ୍କ ବାପାଙ୍କର ଦେହାନ୍ତ ହୋଇସାରିଥିଲା । ୧୯୪୬ ମାର୍ଚ୍ଚ ୨୫ ତାରିଖରେ ଢେଙ୍କାନାଳର ଶହଶହ ବ୍ୟକ୍ତି ‘ବୀର ବୈଷ୍ଣବ ଜିନ୍ଦାବାନ୍ଦ’ ଧ୍ବନି ଦେଇ ବୈଷ୍ଣବ ବାବୁ ଙ୍କୁ ଢେଙ୍କାନାଳ ରେଳଷ୍ଟେସନରୁ ଘରକୁ ପାଛୋଟି ଆଣିଲେ । ତାଙ୍କ ସମ୍ମାନାର୍ଥେ ତୋରଣ ନିର୍ମାଣ ହୋଇଥିଲା । ମହେଶଚନ୍ଦ୍ର ସୁବାହୁସିଂହଙ୍କ ନେତୃତ୍ଵରେ ଡାକ୍ତରଖାନା ଛକରେ ହଜାର ହଜାର ବ୍ୟକ୍ତି ବୈଷ୍ଣବବାବୁଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ବୈଷ୍ଣବବାବୁ ଦେଇଥିବା ସମ୍ବନ୍ଧନାର ଉତ୍ତର ଅତ୍ୟନ୍ତ ମର୍ମସ୍ପର୍ଶୀ ଥିଲା । ସେତେବେଳକୁ ଭାରତ ସ୍ଵାଧୀନ ହେବା ବିଷୟ ଜଣାପଡିଥାଏ । ପ୍ରଜାମଣ୍ଡଳର କେତୋଟି ଅଧ୍ଶନ ଇତିମଧ୍ୟରେ ଅନୁଷ୍ଠିତ ହୋଇସାରିଥିଲା । କୁଆଁଳୋ ଅଧ୍ଵବେଶନରେ ବୈଷ୍ଣବ ବାବୁ ଉପସ୍ଥିତ ଥିଲେ । ସେ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦେଇ ଥିବାରୁ ସେହି ସଭାରେ କିଛି ଗୁଞ୍ଜରଣ ସୃଷ୍ଟି ହୋଇଥିଲା । କିନ୍ତୁ ଅଗଣିତ ପ୍ରଜାମଣ୍ଡଳ ସଭ୍ୟ ବୈଷ୍ଣବ ବାବୁଙ୍କ ସପକ୍ଷରେ ଥିଲେ । ସେମାନଙ୍କ ମତ ଥିଲା, ‘ବୈଷ୍ଣବ ବାବୁ ହେଉଛନ୍ତି ପ୍ରଜାମଣ୍ଡଳର ଆତ୍ମା’ । ଏତାଦୃଶ ପରିସ୍ଥିତିରେ ଆଜୀବନ ବିପ୍ଲବୀ ଉଦାରଚେତା ବୈଷ୍ଣବବାବୁ କହିଥିଲେ, ‘ ମୁଁ ପ୍ରଜାମଣ୍ଡଳରେ ଥାଏ ବା ନଥାଏ, ଢେଙ୍କାନାଳ ରାଜାଙ୍କ ବିରୁଦ୍ଧରେ ମୋର ଲଢେଇ ଅବ୍ୟାହତ ରହିବ ।’ ଶେଷରେ ୧୯୪୭ ଅଗଷ୍ଟ ୧୫ରେ ଭାରତ ସ୍ବାଧୀନ ହେଲା । ନାନାଦି ଘାତ ପ୍ରତିଘାତ ସତ୍ତ୍ବେ ୧୯୪୮ ଜାନୁ ଆରୀ ୧ ତାରିଖରେ ଢେଙ୍କାନାଳର ମିଶ୍ରଣ ଘଟିଲା । ଦୁଃଖର ବିଷୟ, ସେହିବର୍ଷ ମାର୍ଚ୍ଚ ମାସରେ ବୈଷ୍ଣବ ବାବୁଙ୍କୁ ଗିରଫ କରାଗଲା । ସେ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଭିଆଇ ଭଙ୍ଗାରୁଜା କରୁଥିବାଅଭିଯୋଗରେ ତାଙ୍କୁ ନିରାପତ୍ତା ଆଇନ ବଳରେ ଗିରଫ କରାଯାଇଛି ବୋଲି ଓଡ଼ିଶା ସରକାରଙ୍କ ଅତିରିକ୍ତ ସଚିବ ଜଣାଇଦେଲେ । ନବକୃଷ୍ଣ ଚୌଧୁରୀ ସେହି ସମୟରେ ମୁଖ୍ୟମନ୍ତ୍ରୀ ଥିଲେ । ବୈଷ୍ଣବ ବାବୁ କଟକ ଜେଲ୍ ରେ ୨୯.୩.୪୮ରୁ ୨୯.୧୨.୫୧ ପର୍ଯ୍ୟନ୍ତ ଅଟକ ରହିଲେ । ବୈଷ୍ଣବ ବାବୁଙ୍କ ସହିତ ମନମୋହନ ମିଶ୍ର ଓ ରାମଚନ୍ଦ୍ର ମିଶ୍ର ପ୍ରଭୃତି ପ୍ରାୟ ୨୫ଜଣ ଅଟକ ରହିଥିଲେ । ୧୯୫୧ରେ ଓଡ଼ିଶା ବିଧାନସଭାର ପ୍ରଥମ ନିର୍ବାଚନ ହେଲା । ବୈଷ୍ଣବବାବୁ ଏହି ନିର୍ବାଚନରେ କମ୍ୟୁନିଷ୍ଟ ପାର୍ଟିରୁ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦିତା କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ସେହି ସମୟରେ ସେ ଜେଲରେ ଥିଲେ । ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ତାଙ୍କର ମୁଖ୍ୟ ପ୍ରତିଦ୍ଵନ୍ଦୀ ଥିଲେ କଂଗ୍ରେସ ଦଳର ବ୍ରଜକିଶୋର ଧଳ । ବୈଷ୍ଣବବାବୁ ଜେଲ୍‌ରେ ଥାଇ ମଧ୍ୟ ବିପୁଳ ଜନସମର୍ଥନ ଲାଭ ପୂର୍ବକ ନିର୍ବାଚନରେ ବିଜୟୀ ହେଲେ ତଥା ୧୯୫୨ରୁ ୧୯୫୭ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାର ସଦସ୍ୟ ରହିଲେ । ଏହାପରେ କଂଗ୍ରେସ ପାର୍ଟି ତରଫରୁ ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ରାଜା ଶଙ୍କର ପ୍ରତାପ ମହୀନ୍ଦ୍ର ବାହାଦୂରଙ୍କୁ ୯୩ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରି ୧୯୬୨ରୁ ୧୯୬୭ ଯାଏ ଲୋକସଭାର ସାଂସଦ ହୋଇପାରିଥିଲେ । ଏହି ଦୁଇଟି ନିର୍ବାଚନରୁ ତାଙ୍କ ଲୋକପ୍ରିୟତାର ପରିଚୟ ମିଳିଥାଏ । ଲୋକସଭାରେ ସାଂସଦ ଥିବା ସମୟରେ ସେ ପ୍ରାକ୍ତନ ରାଜା ମହାରାଜାଙ୍କ ହାତପାଣ୍ଠି, ଭତ୍ତା ଓ ସ୍ଵତନ୍ତ୍ର ସୁବିଧା ପ୍ରତ୍ୟାହାର ନିମିତ୍ତ ପଦକ୍ଷେପ ନେଇଥିଲେ । ଦେଶ ସ୍ଵାଧୀନ ନହେବା ପର୍ଯ୍ୟନ୍ତସେ ବିବାହ କରିବେ ନାହିଁ ବୋଲି ସଙ୍କଳ୍ପ ନେଇଥିଲେ । ସ୍ଵାଧୀନତା ପରେ ମାଆ ଓ ପରିବାର ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ୧୯୫୩ ମସିହାରେ ସେ ଅନ୍ନପୂର୍ଣ୍ଣା ଦେବୀଙ୍କୁ ବିବାହ କଲେ । ପରିଶେଷରେ ୨୦୧୩ ଜାନୁଆରୀ ୧ ତାରିଖରେ ଅପ୍ରତିଦ୍ଵନ୍ଦୀ ଲୋକପ୍ରିୟ ନେତା ଓ ଆଜୀବନ ବିପ୍ଳବୀ ବୀର ବୈଷ୍ଣବଚରଣ ପଟ୍ଟନାୟକଙ୍କର ଦେହାବସାନ ଘଟିଲା । ତାଙ୍କ ସମଗ୍ର ଜୀବନ ହେଉଛି ଭାରତର ସ୍ଵାଧୀନତା ସଂଗ୍ରାମ ଓ ପ୍ରଜାମଣ୍ଡଳ ଆନ୍ଦୋଳନର ଇତିହାସ । ସେ ଭାରତ ସରକାର ଓ ଓଡ଼ିଶା ସରକାରଙ୍କଠାରୁ ସ୍ଵାଧୀନତା ସଂଗ୍ରାମୀ ଭତ୍ତା ପାଇଥିଲେ ତଥା ବହୁ ସମ୍ମାନରେ ଭୂଷିତ ହୋଇଥିଲେ । ଅନେକ ଅନୁଷ୍ଠାନ ମଧ୍ୟ ତାଙ୍କୁ ସମ୍ମାନ ଓ ସମ୍ବର୍ଧନା ଜ୍ଞାପନ କରିଛନ୍ତି । ରେଭେନ୍ସା ବିଶ୍ବବିଦ୍ୟାଳୟ ତାଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍‌ ପ୍ରଦାନ କରିଛନ୍ତି । ତାଙ୍କ ମୃତ୍ୟୁରେ ଏ ଦେଶ ଜଣେ ପ୍ରଖ୍ୟାତ ସ୍ଵାଧୀନତା ସଂଗ୍ରାମୀ, ଆଜୀବନ ବିପ୍ଳବୀ, ଲୋକପ୍ରିୟ ନେତ ତଥା ଦେଶସେବକଙ୍କୁ ହରାଇଲା । ଭୁବନେଶ୍ବର, କଟକ ଓ ଢେଙ୍କାନାଳରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ତଥା ଢେଙ୍କାନାଳ ମହାବିଦ୍ୟାଳୟଟିକୁ ତାଙ୍କ ନାମରେ ନାମିତ କରାଯିବା ନିମିତ୍ତ ଦାବି ହେଉଛି ଓ ତାହା ହୋଇପାରିଲେ ଅଗଣିତ ବୈଷ୍ଣବ ପ୍ରେମୀ ଖୁସି ହେବେ । 

🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳
ଲେଖକ — ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ଦକ୍ଷିଣକାଳୀ ମାର୍ଗ, ଢେଙ୍କାନାଳ
🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳

Friday, January 14, 2022

ଧ୍ଵନ୍ୟନୁକରଣ ଓ ଧ୍ବନ୍ୟନୁକାରୀ ଶବ୍ଦ:

ଧ୍ଵନ୍ୟନୁକରଣ ଓ ଧ୍ବନ୍ୟନୁକାରୀ ଶବ୍ଦ:

ଧ୍ବନ୍ୟନୁକରଣ କ'ଣ ? 
             ଉପସ୍ଥାପନାରେ ; ✍ ଶିଶିର ସାହୁ ମନୋଜ 

କୌଣସି ପ୍ରାକୃତିକ ଧ୍ବନିର ଅନୁକରଣରେ ସୃଷ୍ଟି ହୋଇଥିଵା ଶବ୍ଦକୁ ଧ୍ବନ୍ୟନୁକାରୀ ଶବ୍ଦ କୁହାଯାଏ । ଆଧୁନିକ ଯୁଗରେ ଯନ୍ତ୍ରାଦିର ଧ୍ଵନିରୁ ମଧ୍ୟ କେତେକ ଧ୍ଵନ୍ୟନୁକରଣ ଶବ୍ଦ ସୃଷ୍ଟି ହୋଇଛି (ଯଥା tik tik,beep,boom ଇତ୍ୟାଦି)।

 ଭାଷାଵିଜ୍ଞାନରେ ଏହି ପ୍ରକ୍ରିୟାକୁ  Onomatopoeia  ଏଵଂ ଧ୍ଵନ୍ୟନୁକରଣ ଶବ୍ଦଗୁଡି଼କୁ onomatopoeic ଵା onomatopoetic ଶବ୍ଦ କୁହାଯାଏ । 
ଭାଷାଵିଦମାନେ କୁହନ୍ତି ପ୍ରଥମେ ମନୁଷ୍ୟମାନେ ହସ୍ତମୁଖାଦି ଭାଵଭଙ୍ଗୀର ଠାରଦ୍ଵାରା ଭାଵଵିନିମୟ କରୁଥିଲେ । କ୍ରମେ ଏହାର ସ୍ଥାନ କେତେକ ନିର୍ଦ୍ଦିଷ୍ଟ ଶବ୍ଦ ନେଇଥିଲା ‌ । ସେହିସବୁ ପ୍ରାରମ୍ଭିକ ଶବ୍ଦ ମଧ୍ୟରେ ଅନେକ ଶବ୍ଦ ଧ୍ଵନ୍ୟନୁକାରୀ ଶବ୍ଦ ଥିଲା । ମାନଵସଭ୍ୟତାର ଦୃତ 
ସମ୍ପ୍ରସାରଣ ତଥା ଅଭିଵୃଦ୍ଧି ସହିତ ଵିଭିନ୍ନ ଅଞ୍ଚଳର ଭାଷା ଵିକଶିତ ହେଵାରୁ  ତହିଁର ଶବ୍ଦଗଠନ ମଧ୍ୟ ଜଟିଳରୁ ଜଟିଳତର ହେଵାକୁ ଲାଗିଲା । ମାତ୍ର ପୃଥିଵୀର ଅନେକ ଭାଷାରେ ଧ୍ଵନ୍ୟନୁକରଣରୁ ସବୁ ସମୟରେ ନୂଆ ନୂଆ ଶବ୍ଦ ସୃଷ୍ଟି ହେଵା ବନ୍ଦ ହୋଇନଥିଲା । ଫଳରେ ଆଜି ମଧ୍ୟ ପ୍ରାୟ ପ୍ରତ୍ୟେକ ଭାଷାରେ ଧ୍ଵନ୍ୟନୁକାରୀ ଶବ୍ଦ ଦୃଶ୍ୟ ହୋଇଥାଏ । 

 ଵିଭିନ୍ନ ଭାଷାରେ ଧ୍ଵନ୍ୟନୁକରଣ...
 
ଧ୍ବନି ଅନୁସାରେ ଶବ୍ଦର ଗଠନ ଅତି ପ୍ରାଚୀନ । ସଂସ୍କୃତ ଭାଷା ଗୋଟିଏ ପ୍ରାଚୀନ ଶାସ୍ତ୍ରୀୟ ଭାଷା ତେବେ ଏହି ଭାଷାର ମୂଳ ଧାତୁଗୁଡି଼କର ସୃଷ୍ଟି ଧ୍ଵନ୍ୟନୁକରଣରୁ ହୋଇଥିଵା ଅନେକ ଗଵେଷକ ମତ ଦେଇଛନ୍ତି । ଉଦାହରଣ ସ୍ୱରୂପ ପତ୍ରର ପତ୍ ପତ୍ ଶବ୍ଦରୁ ପତ୍ ଧାତୁ(ପଡି଼ଵା) ଓ ଜଳର କଳ କଳ ଧ୍ଵନିରୁ କଳ୍ ଧାତୁ(ଧ୍ଵନିକରିଵା,ଗମନ କରିଵା) ସୃଷ୍ଟି ହୋଇଛି । ସଂସ୍କୃତର ଅନେକ ମୂଳ ଧାତୁ ଧ୍ବନ୍ୟନୁକରଣ ଆଧାରରେ ସୃଷ୍ଟି କରାଯାଇ ସେହି ସବୁ ଧାତୁ ଶବ୍ଦରୁ ପୁଣି ସହସ୍ର ସହସ୍ର ଶବ୍ଦ ସୃଷ୍ଟି ହୋଇଛି । 

ଧ୍ବନ୍ୟନୁକରଣ ଏକ ସ୍ଵାଭାଵିକ ପ୍ରାକୃତିକ ପ୍ରକ୍ରିୟା ଏଵଂ  ଧ୍ଵନ୍ୟନୁକରଣରୁ ପୃଥିଵୀର ପ୍ରାୟ ସମସ୍ତ ଭାଷାରେ ଧ୍ଵନ୍ୟନୁକାରୀ ଶବ୍ଦ ମିଳିଥାଏ । ତେବେ ସଂସ୍କୃତ ଭାଷାରେ ମୂଳ ଧ୍ଵନ୍ୟନୁକରଣ ଶବ୍ଦକୁ √root ଵା ଧାତୁ ରୂପେ ଗ୍ରହଣ କରାଯାଇଛି । 

ଇଂରାଜୀରେ କୁକୁଡ଼ାକୁ cock କୁହାଯାଏ । ଏହି cock ଶବ୍ଦଟି ପ୍ରାକ୍ ଜର୍ମାନିକ୍ kukkaz ଶବ୍ଦ ସହିତ ସମୋଦ୍ଧୃତ କିନ୍ତୁ kukkaz ଶବ୍ଦଟି କୁଆଡୁ଼ ଆସିଲା ?

କୁକୁଡ଼ାର କକ୍ କକ୍ ଶବ୍ଦ  ପ୍ରାକ୍ ଜର୍ମାନିକ୍ ଭାଷାରେ ଏହି ପକ୍ଷୀର ଏକ ନାମ keukô ରୂପେ ଗ୍ରହଣୀୟ ହୋଇଥିଲା ଏଵଂ ଆଜି ଏହା ଅନେକାଂଶରେ ପରିଵର୍ତ୍ତିତ ହୋଇ ଇଂରାଜୀରେ cock ହୋଇଅଛି ।

ଓଡ଼ିଆ ଭାଷାର କୁକୁଡ଼ା ଶବ୍ଦଟି ସଂସ୍କୃତର କୁକ୍କୁଟ ସହିତ ସମୋଦ୍ଧୃତ ବୋଲି ଅନେକେ ମାନନ୍ତି । କଳ୍ପଦ୍ରୁମ ଅଭିଧାନ ଅନୁସାରେ “କୁକ୍ + ସମ୍ପଦାଦିତ୍ଵାତ୍ କ୍ଵିପ୍ । କୁକା ଆଦାନେନ କୁଟତୀତି । କୁଟ + କଃ ।” ଆଧାରରେ କୁକ୍କୁଟ ଶବ୍ଦର ସୃଷ୍ଟି । ଅର୍ଥାତ୍ କୁକ୍କୁଟ ଶବ୍ଦର ମୂଳ ମଧ୍ୟ କୁକୁଡ଼ା ଶବ୍ଦର ଧ୍ଵନ୍ୟନୁକରଣ କୁକ୍ ଶବ୍ଦ ଅଟେ ‌ । କାକ ଓ କାଉ ମଧ୍ୟ କୁଆର କା କା ଧ୍ଵନ୍ୟନୁକରଣର ସୃଷ୍ଟି ହୋଇଛି । 

ଏହିପରି ବିଲେଇର ମିଆଁଉ ମିଆଁଉ ଶବ୍ଦକୁ ନେଇ ଵିଭିନ୍ନ ଭାଷାରେ ସୃଷ୍ଟି ହୋଇଥିଵା କେତେକ ଧ୍ବନ୍ୟନୁକରଣ ଶବ୍ଦ ସମ୍ବନ୍ଧରେ ଆଲୋଚନା କରାଯାଉ ।  ଅହମିଆରେ ବିଲେଇକୁ  বিৰালী (birali) ଓ মেকুৰী (mekuri) କୁହାଯାଏ । মেকুৰী (mekuri) ଶବ୍ଦଟି ବିଲେଇର ମିଆଁଉ ମିଆଁଉ ଶବ୍ଦର ଧ୍ଵନ୍ୟନୁକରଣରୁ ସୃଷ୍ଟି ହୋଇଛି ବୋଲି ଅନୁମାନ କରାଯାଏ । ସେହିପରି ବଙ୍ଗଳା
ରେ মেকুর (mekura) ତଥା ଉତ୍ତର ଓଡ଼ିଆ ଶୈଳୀରେ ଏହି ଧ୍ଵନ୍ୟନୁକରଣ ଆଧାରରେ ବିଲେଇର ନାମ ମେଇଁ ରଖାଯାଇଥିଲା ‌ । ଚୀନ ଦେଶୀୟ ଭାଷାଗୁଡି଼କରେ ସାଧାରଣତଃ ଧ୍ଵନ୍ୟନୁକରଣ ଶବ୍ଦ ଅଧିକ ଦୃଶ୍ୟ ହୋଇଥାଏ । ଫଳତଃ ସେଠାକାର  Dungan ଭାଷାରେ ବିଲେଇକୁ мо (mo), мор (mor), мимо (mimo) ଓ мимор (mimor) କୁହାଯାଏ ।  ଚୀନ ଦେଶୀୟ Hakka ଭାଷାରେ ବିରାଡ଼ିକୁ  貓仔, 猫仔 (meu-é) ଓ
Mandarin ଭାଷାରେ 貓 /猫  (māo), 貓兒/ 猫儿  (māor) କୁହାଯାଏ ।‌ ଇଜିପ୍ଟର ପ୍ରାଚୀନ ଚିତ୍ରଲିପିରେ ମଧ୍ୟ ଧ୍ବନ୍ୟନୁକରଣର ପ୍ରଭାବ ସ୍ପଷ୍ଟ ଭାବରେ ପଡି଼ଥିଲା ଫଳତଃ ସେଠାରେ ବିଲେଇକୁ mi w E13(mjw) କୁହାଯାଉଥିଲା। ଓଡ଼ିଶାର ଜନଜାତୀୟ ଭାଷା ସଉରାର “ରେମେଙ୍” ଓ କୁଈଭାଷାର ”ମେଅ” ମଧ୍ୟ ଧ୍ବନ୍ୟନୁକରଣ ଶବ୍ଦ। ଏଵଂ ବିରାଡି଼ର ଏହି ମିଆଁଉ ମିଆଁଉ ଶବ୍ଦର ଅନୁକରଣରେ ବିଲେଇ ଅର୍ଥରେ ପ୍ରୟୋଗ ହୋଇଥାଏ । ସେହିପରି କନ୍ଧମାଳର କଥିତ ଓଡ଼ିଆ ଭାଷାରେ ମିଅଁ ଶବ୍ଦ ବିରାଡ଼ି ଅର୍ଥରେ ଚଳୁଥିଵା କଥିତ ଓଡ଼ିଆ ଶବ୍ଦକୋଷରେ କୁହାଯାଇଛି ।  ପୁନଶ୍ଚ ଛେଳି  ମେଁ ମେଁ ଶବ୍ଦ କରିଥାଏ । ଏହାର ଧ୍ବନ୍ୟନୁକରଣରୁ ସାନ୍ତାଳରେ  ᱢᱮᱨᱳᱢ (merom), ସଉରାରେ କିମମେଡ଼୍ ଓ କୁମେ,ଖରିଆ ତଥା ମୁଣ୍ଡାଭାଷାରେ ମେରମ୍ ଶବ୍ଦ ଛେଳିର ପ୍ରତିଶବ୍ଦ ଭାବେ ଚଳୁଅଛି ।‌ ମୁଣ୍ଡା ଭାଷାରୁ ମେରିମ୍  ରୂପେ ଏହି ଶବ୍ଦଟି ଓଡ଼ିଆ ଭାଷାର ଗଦ୍ୟ ସାହିତ୍ୟରେ ପ୍ରଚଳିତ ଥିଵା କଥିତ ଓଡ଼ିଆ ଶବ୍ଦକୋଷରେ ଉଲ୍ଲେଖ କରାଯାଇଛି । 
ଓଡ଼ିଶାରେ ଛେଳି ଛୁଆକୁ ମିଇଁଛୁଆ ମଧ୍ୟ କୁହାଯାଏ ।‌

 ଇଂରାଜୀରେ କେତେକ  ଶବ୍ଦ ଧ୍ବନ୍ୟନୁକରଣରୁ ସୃଷ୍ଟି ହୋଇଛି ବୋଲି ଭାଷାଵିଦ ମତ ଦିଅନ୍ତି । ଇଂରାଜୀର ଧ୍ବନ୍ୟନୁକାରୀ ଶବ୍ଦଗୁଡି଼କ ମଧ୍ୟରେ Achoo, Atishoo,Chomp,Cough
,Hiccup,Hum,beep,boom,Clatter,clink,Knock, murmuring, Tweeter,Curlew,Dickcissel,
Dik-dik,Hoopoe,Kea,Killdeer,Pobblebonk,Poorwill,Weero,Willet,Bark,Meow,roar,Woof ଓ moo ଆଦି ଉଲ୍ଲେଖଯୋଗ୍ୟ । 

ସେହିପରି ସଂସ୍କୃତରେ ଉଲୁଧ୍ବନି(ହୁଳହୁଳି),ଗରଲ୍ଲି(ଗଳା ଭିତରର ଘଡ଼ ଘଡ଼ ଶବ୍ଦ),ଘର୍ଘର(ଚକର ଘର୍ଷଣ ଶବ୍ଦରୁ),ଘୁଙ୍ଗୁର,ଘୁକ(ପେଚା),ଝଙ୍କାର,ଝଞ୍ଜନା(ବିଜୁଳି),ମେକ(ଛେଳି;ମେଁ ଧ୍ଵନ୍ୟନୁକରଣରୁ),ଲଲଲ୍ଲ(ଅସ୍ପଷ୍ଟ ଵା ଦରୋଟି ଉଚ୍ଚାରଣ) ଓ ମର୍ମର(ଧୀର ପବନ ଯୋଗୁଁ ଗଛ ପତ୍ର ଆଦିର ଧ୍ଵନି; ଇଂରାଜୀରେ Murmuring) ଆଦି ସହସ୍ରାଧିକ ଶବ୍ଦ ମୂଳତଃ ଧ୍ଵନ୍ୟନୁକରଣ ଶବ୍ଦରୁ ସୃଷ୍ଟି ହୋଇଛି ଏଵଂ ପରେ ଏ ସବୁ ଶବ୍ଦକୁ ଧାତୁ ପ୍ରତ୍ୟୟ ଦ୍ଵାରା ନିଷ୍ପନ୍ନ କରାଯାଇଛି । 

ଓଡ଼ିଆ ଭାଷାରେ ଧ୍ବନ୍ୟନୁକାରୀ ଶବ୍ଦ:

ତେବେ ପ୍ରାକୃତିକ ଵା କୃତ୍ରିମ ଧ୍ବନିର ଅନୁକରଣରୁ ଅନୁସାରେ ସୃଷ୍ଟି ହୋଇଥିଵା ଏହିପରି ଧ୍ବନ୍ଯନୁକରଣ ଵା ଧ୍ବନ୍ଯନୁକାରୀ ଶବ୍ଦ ଆମ ଓଡ଼ିଆ ଭାଷାରେ ଅଛି କି ? 

ହଁ ଅଛି !  ନିଶ୍ଚୟ ଅଛି ଏଵଂ ଇଂରାଜୀ ଭାଷାଠାରୁ ଶତଗୁଣ ଅଧିକ ଧ୍ବନ୍ୟନୁକାରୀ ଶବ୍ଦ ଓଡ଼ିଆ ଭାଷାରେ ଚଳୁଅଛି । 

ନିମ୍ନରେ ସେହିପରି କେତୋଟି ଜଣାଅଜଣା ଓଡ଼ିଆ ଧ୍ଵନ୍ୟନୁକାରୀ ଶବ୍ଦର ସୂଚୀ ପ୍ରଦାନ କରାଗଲା । 

🟠ଅଇ;ଐ = ବାନ୍ତି
ଵାନ୍ତି କରିଵା ସମୟରେ ସ୍ଵତଃ ସୃଷ୍ଟି ହୋଇଥାଏ ଅଇ ଵା ଐ ଶବ୍ଦ ତେଣୁ ତାହା ଵାନ୍ତିର ପ୍ରତିଶବ୍ଦ ହୋଇ ଚଳୁଛି

🟠ଉଦୁଉଦୁମା = ବିଧା ମାରିଵାରୁ ସୃଷ୍ଟ ଶବ୍ଦ
ବିଧା ମାରିଵା ବେଳେ ଜାତ ଦୁମ୍ ଦୁମ୍ ଶବ୍ଦର ଧ୍ବନ୍ଯନୁକରଣରୁ ସୃଷ୍ଟି ହୋଇଛି ଉଦୁଉଦୁମା ଶବ୍ଦ ।
ଆମ ଭାଷାର ଲୋକଗୀତରେ ଏ ଶବ୍ଦ ସୀମିତ ଭାବେ ପ୍ରଚଳିତ ।

“ଉଦୁମୁ ଦୁମା, ତାଳ ଗୋଟମା, 
ନୂଆ ପାହୁରାଣୀ ପିତଳସମା, 
ହରଚଣ୍ଡିଙ୍କର ଭାଇ ମଲା, 
ରକତ ପିଣ୍ଡୋଳେ ଭାସିଗଲା॥
ଆମ୍ବଟିଏ ଖାଉଁ ଖାଉଁ
କୋଇଲିଟିଏ କଷା,
 କି ମାଡ଼ ମାଇଲୁ ଭାଇ
  ଚାରିକୁଣିଆ ବସା ॥”
  
🟠କଇଁକଇଁ
କାନ୍ଦିଵା ବେଳର ଧ୍ଵନ୍ୟନୁକରଣରୁ ଏ ଶବ୍ଦର ସୃଷ୍ଟି

🟠କଚ୍ କଚ୍,କଚ୍ କାଚ୍,କଚର୍ କଚର୍ 
କାଟିଵା ସମୟର ଧ୍ଵନ୍ୟନୁକରଣରୁ ଏସବୁ ଶବ୍ଦ ସୃଷ୍ଟି ହୋଇଅଛି

🟠କଟାତ୍ = ହଟାତ୍
କେହି କେହି କଟାତ୍ ଶବ୍ଦକୁ ହଟାତ୍ ଶବ୍ଦର ଏକ ରୂପ ମନେ କରନ୍ତି । ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହାକୁ ଏକ ଧ୍ଵନ୍ୟନୁକାରୀ ଶବ୍ଦ ଅଭିହିତ କରାଯାଇଛି । ଭାଷାକୋଷ ଅନୁସାରେ କୌଣସି ଗୋଟିଏ ପଦାର୍ଥ ହଠାତ୍ ପଡ଼ି ଯିଵାର ଅନୁକରଣ ଶବ୍ଦରୁ କଟାତ୍ ଶବ୍ଦ ସୃଷ୍ଟି ହୋଇଅଛି

🟠କାଚକାଚୁଆ
କର୍ଦ୍ଦମାକ୍ତ,ଚୋବାଇବାକୁ କଠିନ ଵା ଖାସ୍ଖାସୁଆ, ପିଚ୍ଛିଳ ଵା ଖସଡ଼ା ସନ୍ତସନ୍ତିଆ ସ୍ଥାନକୁ କାଚକାଚୁଆ କୁହାଯାଏ । ଏହା କଚ୍ କଚ୍ ଶବ୍ଦର ଧ୍ଵନ୍ୟନୁକରଣରୁ ସୃଷ୍ଟି ହୋଇଛି । 

🟠କେଇଁଵା
ସକେଇ ହୋଇ କାନ୍ଦିଵାକୁ କେଇଁଵା କୁହାଯାଏ । ଏହା କଇଁ କଇଁ କାନ୍ଦିଵା ଧ୍ଵନ୍ୟନୁକରଣରୁ ସୃଷ୍ଟ ।  

🟠ଖେଙ୍କା
ଓଡ଼ିଶାର କେତେକ ଅଞ୍ଚଳରେ  ହନୁମାଙ୍କଡ଼ଙ୍କୁ ଖେଙ୍କା କୁହାଯାଏ । ହନୁମାଙ୍କଡ଼ମାନଙ୍କର ଖେଁ ଖେଁ ଧ୍ଵନ୍ୟନୁକରଣରେ ଖେଙ୍କା ଶବ୍ଦ ସୃଷ୍ଟି ହୋଇଥିଵା  ସ୍ପଷ୍ଟ ।

🟠ଖାଙ୍କିଵା
ମାଙ୍କଡ଼ ପରି ଖେଙ୍କିବା ଵା ଖିଙ୍କିଵା ଆଦିର ଧ୍ଵନ୍ୟନୁକରଣରୁ ଏ ଶବ୍ଦ ସୃଷ୍ଟ । ଦାନ୍ତ ଦେଖାଇ ଖତାଇହେଵାକୁ ଖାଙ୍କିଵା କୁହାଯାଏ । 

🟠ଖିଖି 
କୋକିଶିଆଳିକୁ ଓଡ଼ିଶାର କିଛି ଅଞ୍ଚଳରେ ଖିଖି କୁହାଯାଏ । କୋକିଶିଆଳିଙ୍କ ଖିଖି ଧ୍ଵନ୍ୟନୁକରଣରୁ ଖିଖି ଶବ୍ଦ ଆସିଅଛି ।

🟠ଘୁମୁରା 
ଘୁମୁରା ଆନଦ୍ଧ ଵାଦ୍ଯ ଵିଶେଷ । ଘୁମୁଘୁମୁ ଶବ୍ଦରଧ୍ଵନ୍ୟନୁକରଣରୁ ଏ ଶବ୍ଦର ସୃଷ୍ଟି । 

🟠ଚଡ଼କ/ଚଡ଼ଚଡ଼ି
 ଚଡ଼ ଚଡ଼ ଶବ୍ଦର ଧ୍ଵନ୍ୟନୁକରଣରୁ ଚଡ଼କ ଓ ଚଡ଼ଚଡି଼ ଶବ୍ଦ ସୃଷ୍ଟି ହୋଇଛି । 

🟠ଠାକରା— ଏକ ଜାତୀୟ ଆମ୍ବ ଖଟାକୁ ଠାକରା ଵା ଠାକେରା କୁହାଯାଏ । ଏହା ଚାଟି ଖାଇଲାବେଳେ ଠକ୍ ଠକ୍ ଶବ୍ଦ ସୃଷ୍ଟି ହୁଏ । ଏହି ଧ୍ଵନିର ଅନୁକରଣରେ ଠାକରା ଶବ୍ଦ ସୃଷ୍ଟି ହୋଇଅଛି । 

🟠ଧକଧକୀ/ଦୁକ୍ଦୁକୀ
ହୃଦୟ ଵା ହୃତପିଣ୍ଡ ଧକଧକ ହୋଇଥାଏ ବୋଲି ଏହାର ଅନୁକରଣରେ ଓଡ଼ିଆ ଭାଷାରେ ତାହାର ଦୁଇଗୋଟି ଧ୍ଵନ୍ୟନୁକରୀ ଶବ୍ଦ ସୃଷ୍ଟି ହୋଇ ପ୍ରଚଳିତ । 

🟠ପେଏଁକାଳ/ପେହେଁକାଳ /ପେଙ୍କାଳୀ
ହାତୀର ରଡ଼ି ଵା ଶବ୍ଦକୁ ପେଙ୍କାଳ କୁହାଯାଏ ଏଵଂ ସେହି ସଦୃଶ ଶବ୍ଦଯୁକ୍ତ ଵାଦ୍ୟକୁ ପେଙ୍କାଳୀ କହିଥାନ୍ତି ।

🟠ବୁକ୍କ/ବୁକ/ବୋକ
ଚୁମ୍ବନ ବେଳେ ଉତ୍ପନ୍ନ ଧ୍ବନିର କାଳ୍ପନିକ ଅନୁକରଣ ଜନିତ ଶଦ୍ଦ ହେଉଛି ବୁକ୍କ ଵା ବୋକ । ଏହା ଏକ ଧ୍ବନ୍ଯନୁକରୀ ଶବ୍ଦ ଏଵଂ ଓଡ଼ିଆ ଭାଷାରେ ଚୁମ୍ବନ ଅର୍ଥରେ ପ୍ରୟୋଗ ହୋଇଥାଏ “ଆଉଁସିଲା କୁକୁର ମୁହଁରେ ବୁକ।” ତେବେ  ବକ୍ଷଃ ଵା ବୁକ୍କମ ସହିତ ବୁକ୍କ ଵା ବୁକ ଶବ୍ଦଟିଏ ବି ଆମ ଭାଷାରେ ଅଛି ଏଵଂ ଏହା ଛାତି,ହୃଦୟ,ଵକ୍ଷସ୍ଥଳ ଓ  ସାହସ ଅର୍ଥରେ ଵ୍ୟଵହାର ହୋଇଥାଏ । ଳ

🟠ଭଡ଼କା 
  ଭଡ଼କା ଅନ୍ୟତମ ଓଡ଼ିଆ  ଧ୍ବନ୍ଯନୁକାରୀ ଶବ୍ଦ ।ବୁଦ୍ବୁଦ୍(Bubble) ଓ  ଶିଙ୍ଘାଣିର ମେଞ୍ଚାକୁ ଭଡ଼କା କୁହାଯାଏ ‌ ।

🟠ମୁଡୁ଼କି 
ମୁଡ଼କି ଏକ ଜାତୀୟ ଖାଦ୍ୟ ଦ୍ରଵ୍ୟ ‌।ମଡ଼ ମଡ଼ କରି ଖିଆଯାଇଥାଏ ବୋଲି ତହିଁର ଧ୍ଵନ୍ୟନୁକରଣରୁ ମୁଡ଼କି ଶବ୍ଦ ସୃଷ୍ଟି ହୋଇଛି । 

🟠ମେଇଁ
ଉତ୍ତର ଓଡ଼ିଶାରେ ବିଲେଇକୁ ମେଇଁ ତଥା ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ମିଅଁ କୁହାଯାଏ । 
ବିଲେଇର ମିଆଁଉ ମିଆଁଉ ଶବ୍ଦର ଧ୍ଵନ୍ୟନୁକରଣରୁ ମେଇଁ ଶବ୍ଦଟି ସୃଷ୍ଟି ହୋଇଛି ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି । 

🟠ରଚ୍କା
ଝିଙ୍କିଵା ଵା ଟାଣିଵାକୁ ଉତ୍ତର ଓଡ଼ିଶାରେ ରଚ୍କା କୁହାଯାଏ । ଏହା ମଧ୍ୟ ଧ୍ବନ୍ୟନୁକରଣ ଶବ୍ଦ । ଟାଣିଵାବେଳେ ରଚ୍ ରଚ୍ ଶବ୍ଦ ହୋଇଥାଏ । ସେହିପରି ପଡି଼ଲାବେଳେ ରଝୌ ଶବ୍ଦ ହୁଏ ଫଳତଃ ଭୀଷଣ ଵର୍ଷାକୁ ରଝୌ ରଝୌ ଵର୍ଷା କୁହାଯାଏ । 

🟠ଶକେଇବା 
 ନିଶ୍ବାସରୋଧ ପୂର୍ବକ କ୍ରନ୍ଦନର ଧାରାକୁ ମଝିରେ ମଝିରେ ବନ୍ଦ କରି କାନ୍ଦିଵାକୁ ଶକେଇଵା କୁହାଯାଏ । ଏଭଳି କାନ୍ଦିଵା ସମୟରେ ସୃଷ୍ଟି ହେଉଥିଵା ଶବ୍ଦର ଧ୍ଵନ୍ୟନୁକରଣରୁ ଏହି ଓଡ଼ିଆ କ୍ରିୟାଟି ସୃଷ୍ଟି ହୋଇଛି । 

🟠ସୁଉସିଵା
କୌଣସି ଵ୍ୟକ୍ତିକୁ ମାରିଵା ପାଇଁ ଅତି ଜୋର୍ରେ ଦଉଡ଼ି ଆସିଵାକୁ ଆମ ଭାଷାରେ ସୁଆସିଵା କୁହାଯାଏ । ସାଧାରଣତଃ ବେଗରେ ଗତି କଲାବେଳେ ସୁ ସୁ ଶବ୍ଦ ହୋଇଥାଏ । ଏହି ସୁ ସୁ ଶବ୍ଦର ଅନୁକରଣରେ ସୁଉସିଵା ଶବ୍ଦ ସୃଷ୍ଟି କରାଯାଇଛି । 

🟠ସୁଡ଼କିବା/ସୋଡ଼କିବା
ସୁଡ଼ ସୁଡ଼ ଶବ୍ଦ କରି ଜଳୀୟ ଵା ଜଳମିଶ୍ରିତ ଵସ୍ତୁ ଖାଇଵାରୁ ଏହାର ଧ୍ଵନ୍ୟନୁକରଣରୁ ସୁଡ଼କିଵା ଵା ସୋଡ଼କିଵା କ୍ରିୟା ସୃଷ୍ଟ 

🟠ଏଉଡି଼/ହାଉଡ଼ି/ଵାଉଡି଼
ହାକୁଟି ସମୟରେ ହେଉଥିଵା ଶବ୍ଦର ଅନୁକରଣରେ ଏଉ,ହାଉ,ଵାଉ ଆଦି ଶବ୍ଦ ସୃଷ୍ଟି ହୁଏ ତହିଁର ଧ୍ଵନ୍ୟନୁକରଣରୁ ଏଉଡି଼,ହାଉଡ଼ି,ଵାଉଡି଼ ଓ ହାକୁଟି ଆଦି ଶବ୍ଦ ସୃଷ୍ଟି କରାଯାଇଛି । 

🟠ହାଁପଣ
ଓଡ଼ିଶାର କେତେକ ଅଞ୍ଚଳରେ କୁଲାକୁ ହାଁପଣ କୁହାଯାଏ । ଏହା ମଧ୍ୟ ଏକ ଧ୍ବନ୍ଯନୁକରଣ ଶବ୍ଦ ।  କୁଲାକୁ ଚଳାଇଲେ ଵା ଭୂମିରେ ଆଘାତ କଲେ ହପ ହପ ଶବ୍ଦ ହୁଏ ବୋଲି ଏହି ନାମକରଣ । 

🟠ହାପୁଡ଼ିଵା/ହାମ୍ପୁଡି଼ଵା/ସମ୍ପୁଡି଼ଵା
ପାଣିଆ ଖାଦ୍ଯକୁ ସଶବ୍ଦ ଶୋଷଣ କରି ଖାଇଵା ସମୟରେ ହମ୍ପ ହମ୍ପ ଓ ବେଳେ ବେଳେ ସମ୍ପ୍ ସମ୍ପ୍ ଶବ୍ଦ  ହୋଇଥାଏ ‌ତାହାର ଅନୁକରଣରେ ହାପୁଡ଼ିଵା,ହାମ୍ପୁଡି଼ଵା ଓ ସମ୍ପୁଡି଼ଵା ଆଦି ଶବ୍ଦ ସୃଷ୍ଟି ହୋଇଛି । 

🟠ହୁଳହୁଳି
ଆମ ଦେଶରେ ଆନନ୍ଦ ଉତ୍ସଵରେ ପୁରୁଷମାନେ 'ହରିବୋଲ' ଓ ସ୍ତ୍ରୀମାନେ ହୁଳହୁଳୀ ଦିଅନ୍ତି । ହୁଳହୁଳି ସ୍ତ୍ରୀମାନଙ୍କର ମୁଖଵାଦ୍ୟ ଵା ଉଲୁଧ୍ଵନି ଅଟେ ‌ । ହୁଳ ହୁଳୁ ଵା ଉଳୁ ଉଳୁ ଶବ୍ଦର ଅନୁକରଣରେ ହୁଳହୁଳି ଶବ୍ଦଟି ସୃଷ୍ଟି କରାଯାଇଛି ‌ ।

ଓଡ଼ିଆ ଭାଷାରେ ଏହିପରି ସହସ୍ରାଧିକ ଧ୍ଵନ୍ୟନୁକରଣ ଜନିତ ଶବ୍ଦ ପ୍ରଚଳିତ ଏଵଂ ମାତ୍ରାଧିକ ତତ୍ସମ ତଥା ଵୈଦେଶିକ ପ୍ରୟୋଗ ଯୋଗୁଁ କେତେକ ଧ୍ଵନ୍ୟନୁକାରୀ ଶବ୍ଦ କ୍ରମଶଃ ଲୁପ୍ତପ୍ରାୟ ହୋଇଯାଉଥିଵାବେଳେ ଆଉ କେତେକ ଧ୍ବନ୍ୟନୁକରଣ ଶବ୍ଦ ନିତ୍ୟ ଵ୍ୟଵହାର୍ଯ୍ୟ ଶବ୍ଦ ଭାବେ କଥିତ ଓ ଲିଖିତ ଓଡ଼ିଆ ଭାଷାରେ ପ୍ରଚଳିତ । ଧ୍ଵନ୍ୟନୁକରଣ ଶବ୍ଦ ପ୍ରତ୍ୟେକ ଭାଷାର ମୌଳିକ ଶବ୍ଦ । ଯେଉଁ ଭାଷାରେ ଯେତେ ଧ୍ବନ୍ୟନୁକାରୀ ଶବ୍ଦ ଥାଏ ସେ ଭାଷାର ଶବ୍ଦ ଭଣ୍ଡାର ସେତିକି ମୌଳିକ ଓ ସମୃଦ୍ଧ ବୋଲି ଜଣାଯାଏ ‌ । ଓଡ଼ିଆ ଭାଷାରେ ଝାଇଁ ଝାଇଁ,ଧଡ଼ପଡ଼,ଚୁଟ୍‌ଚୁଟି(ଭରତା), ଚଡ଼ଚଡି଼ ଓ ଘଡ଼ଘଡ଼ି ଆଦି ସହସ୍ରାଧିକ ଧ୍ଵନ୍ୟନୁକାରୀ ଶବ୍ଦ ଏବେ ମଧ୍ୟ ପ୍ରଚଳିତ । ଏହି ସବୁ ଶବ୍ଦ କୌଣସି ନା କୌଣସି ପ୍ରାକୃତିକ ଵା କୃତ୍ରିମ ଧ୍ବନିର ଅନୁକରଣରୁ ସୃଷ୍ଟି ହୋଇଛି ।  ଆମ ଭାଷାର ଏହିପରି ମୌଳିକ ଧ୍ଵନ୍ୟନୁକାରୀ ଶବ୍ଦକୁ ଛାଡ଼ି ଆମେ ଵୈଦେଶିକ ଶବ୍ଦ ପ୍ରୟୋଗ ଦ୍ଵାରା ଆମ ଭାଷାର କ୍ଷତି ହିଁ ହୋଇଥାଏ । 

ଓଡ଼ିଶାର ସବୁ ଅଞ୍ଚଳରେ ଏହିପରି ଆହୁରି ଅନେକ ଧ୍ଵନ୍ୟନୁକାରୀ ଶବ୍ଦ ନିଶ୍ଚୟ ଚଳୁଥିଵ ‌।  ଆପଣଙ୍କ ଅଞ୍ଚଳରେ ଏମିତି କୌଣସି ଧ୍ବନ୍ୟନୁକାରୀ ଶବ୍ଦ ଚଳୁଥିଲେ ଜଣାଇଵାକୁ ଅନୁରୋଧ ।

Tuesday, January 11, 2022

● କଳାକାର କଳାହାଣ୍ଡି ●

କଳାକାର କଳାହାଣ୍ଡି
{ମିହିର ଦାସଙ୍କ ବିୟୋଗରେ ଶୋକାପ୍ଲୁତ ଶ୍ରଦ୍ଧାଞ୍ଜଳୀ କବିତାରେ}
             ✍କବି ଶ୍ରୀ ଦେବଦତ୍ତ ପ୍ରଧାନ।
                     ରଘୁରାଜପୁର ,ପୁରୀ ,ଓଡିଶା।

ମିହିର ମହୀର ମାହାର ଆଉ ନାହାଁନ୍ତି ଦେଖ
ମୁକୁଟ ମଣ୍ଡିତ ମୋହର ଲିଭେ ଶେଷ ମୟୂଖ  ॥
ମୋହନ ମହଣ ମହାର୍ଘ୍ୟ ମହାନ କଳାକାର
ମୋହିଲେ ମହତ କହ,ତ ସିନେ କଳା ଶିଖର ॥
ମଣ୍ଡିଲେ ପଣ୍ଡିତ ପିଣ୍ଡକୁ ତୁଣ୍ଡ ବାଇଦ ଢାଙ୍କି
ମନ୍ମଥ ନେପଥ୍ୟ ପଥକୁ ରଥ ପଡିଛି ଝାଙ୍କି ॥
ମୁଠାଏ ପାଉଁଶ ଉଠଇ ସତ୍ୟ ଏହି ବଚନ
ମୁଠିକ ତଣ୍ଡୁଳ ମଣ୍ଡଳ ବିଛି କଳା ରଚନ ॥
ମହିର ନିହାରେ ବିହରେ ବିହାୟସ ମାର୍ଗରେ
ମଣ୍ଡିଣ ଦାଣ୍ଡକୁ ଭଣ୍ଡିଲେ ପଉଋଷ ଆଗରେ  ॥
ମଣିଷ ହାରଇ ମରଣେ ଏତ ବିଚିତ୍ର କଥା
ମୁଥା ମୂଳେମଥା ଥୋଇଣ,ରଚେ ନାନାଦି ପନ୍ଥ ॥
ମହକ ନିର୍ମଳ-ମୁକୁର ମହତ ପଣ ଯାର
ମାଖିଅଭିନୟ ବିନୟେ ଢାଳି ନୟନସାର ॥
ମନ୍ଥିଲେ ଗୁନ୍ଥିଣ କିରତୀ କାନ୍ଥ ଲେପନ କରି
ମଖିଚୋଷ ଗୁଣ ତେଜିଣ ରଞ୍ଜି ଖଞ୍ଜି୍ଲେ ଘୋରି ॥
ମଞ୍ଚଖଳା କଳା କୋଳେଇ,ଗୋଳି ବୋଳି ବିଷୟ
ମୁଞ୍ଚି ନ,ପାରଇ ଜନତା,ଦେଖି ସେ,ଅଭିନୟ ॥
ମଞ୍ଜାରୀ ଝାମ୍ପିବ ଦିନେଟି ତୁମେ  ଯାଇଛ କହି
ମିଛମାୟା ମିଛ ସଂସାର ତୁଛା ଖେଳୁଛି ମୁହିଁ ॥
ମରଣ ଚରଣ ଛୁଇଁଛି ଚାରଣ ସ୍ମୃତି ବାଣ
ମୃତ୍ୟୁଞ୍ଜୟୀ ମହାମହିମ କଳା କଳ୍ପ ରୂପେଣ ॥
ମହୀରେ କେ ନାହାଁନ୍ତି ବୀର ତାକୁ ପାରିବ ଭଣ୍ଡି
ମଧୁପଥଯାତ୍ରୀ ଶତେକ କଳିଙ୍ଗ କଳାହାଣ୍ଡି  ॥

🟠 କାକଵନ ଗୃହଯୁଦ୍ଧ କଥା 🟠

🟠କାକଵନ ଗୃହଯୁଦ୍ଧ କଥା🟠

ଗୋଟିଏ ଜଙ୍ଗଲରେ ସବୁପ୍ରକାରର ପକ୍ଷୀ ଥିଲେ ବି କାଉମାନଙ୍କର ସଂଖ୍ୟା ସବୁ ପକ୍ଷୀମାନଙ୍କ ସଂଖ୍ୟାର ଅର୍ଦ୍ଧାଧିକ ଥିଲା ଫଳତଃ ମନୁଷ୍ୟମାନେ ଉକ୍ତ ଵନକୁ କାକଵନ ନାଆଁ ଦେଇଥିଲେ । 

ସେ ଵନରେ ଵିଭିନ୍ନ ଜାତିର ପଶୁ ପକ୍ଷୀ କୀଟ ପତଙ୍ଗ ଥିଲେ ହେଁ ସର୍ଵାଧିକ କା କା ରାଵର ଗୁଞ୍ଜରଣ  ତଥା ସର୍ଵତ୍ର କାଉଙ୍କ ଉପସ୍ଥିତି ଯୋଗୁଁ ଜଙ୍ଗଲ ବାହାରେ ରହୁଥିଵା ମଣିଷମାନେ ସେ ଜଙ୍ଗଲକୁ କାଉମାନଙ୍କର ଜଙ୍ଗଲ ଭାବରେ ଜାଣିଥିଲେ । 

କାଉମାନେ ମନେ ମନେ ଚାହୁଁଥିଲେ ଯେ ସାରା ଜଙ୍ଗଲଟା ଯାକର ଜୀଵ କେଵଳ କା କା କରନ୍ତୁ । ସେମାନେ ଯେମିତି ଡାଳରେ ଥଣ୍ଟ ଘସନ୍ତି ସେମିତି ଥଣ୍ଟ ଘସନ୍ତୁ ଇତ୍ୟାଦି । 

କାଉମାନଙ୍କୁ ନିଜ କଳାରଙ୍ଗ ସବୁଠାରୁ ସୁନ୍ଦର ଲାଗୁଥିଲା । କା କା ରାଵଙ୍କୁ ସେ ଵେଦଧ୍ଵନି ମନେ କରୁଥିଲେ ଏଵଂ ତାଙ୍କର ଗଛ ଡାଳରେ ଥଣ୍ଟ ଘସା ହିଁ ସର୍ଵାଧିକ ଵୈଜ୍ଞାନିକ ବୋଲି ସେମାନେ ଵିଚାର କରୁଥିଲେ । 

ମୟୁରପୁଚ୍ଛକୁ ଦେଖି କାକମାନେ କାକା ରାବି ଟାପରା କରୁଥିଲେ , କୋଇଲି ନିଜ ଭଉଣୀ ହେଇ ସୁଦ୍ଧା କା କା ନରାବି କୁ କୁ ରାବୁଥିଵାରୁ ତାଙ୍କର ଵେଦ ଅଶୁଦ୍ଧ ହୋଇଯାଏ । କୋଇଲିକୁ ଯୋଉଠେ ଦେଖନ୍ତି ତାକୁ ମାରି ଗୋଡା଼ନ୍ତି । ପେଚାଟା କାଉମାନଙ୍କର ଦୌରାତ୍ମ୍ୟ ସହିନପାରି ରାତିରେ ବାହାରିଵା ଆରମ୍ଭ କରିଦେଲାଣି ।‌ ଅନ୍ୟାନ୍ୟ ସମସ୍ତ ପଶୁ ପକ୍ଷୀ କାଉମାନଙ୍କର ଅତ୍ୟାଚାର ସହି ସହି ବଡ଼ କଷ୍ଟରେ କାଳାତିପାତ କରୁଥାନ୍ତି । 

କାଉମାନଙ୍କର ସଂଖ୍ୟା ଅଧିକ ଥିଵାରୁ ସେମାନଙ୍କ ଜାତିର ନେତାମାନେ ହିଁ ପକ୍ଷୀ ସମାଜର ଉଚ୍ଚ ଆସନରେ ବସୁଥିଲେ । ଅଧିକାଂଶ କାକନେତା ଚାହୁଁଥିଲେ ଯେ ଅନ୍ତତଃ ବଣର ସବୁ ପକ୍ଷୀ କା କା ରାଵ କରନ୍ତୁ । କି କୁ ଚିଁ ଚିଁ ଚେଁ ଚେଁ କିଚିର ମିଚିରି 
ଆଦି ଶହେ ପ୍ରକାରର ରାଵ ଥିଲେ ବି ସେସବୁ କାକମାନେ ବୁଝିପାରୁନଥିଲେ ଏଵଂ ଅନ୍ୟାନ୍ୟ ପକ୍ଷୀମାନଙ୍କର ଡାଳପତ୍ରରେ ଥଣ୍ଟଘସା ସଂକେତ ବୁଝିପାରୁନଥିଵାରୁ କାଉମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେଵାକୁ ପଡୁ଼ଥିଲା ।

ଥରେ ଡାମରାକାଉଟିଏ ପକ୍ଷୀସମାଜର ସର୍ଵୋଚ୍ଚନେତା ଭାବେ ନିର୍ଵାଚିତ ହେଲା ‌ । କିଛି ଦିନ ମଧ୍ୟରେ ସେ ଆଦେଶ ଦେଇ ଦେଲା ଯେ ଏଣିକି କା କା ରାଵ ସବୁ ପକ୍ଷୀମାନଙ୍କର ଜାତୀୟ ବୋବାଳି ହୋଇଗଲା ‌ । ଏବଠାରୁ ସବୁ ପକ୍ଷୀ ତାଙ୍କ ବସା ପାଖରେ ନିଜ ମାଆଠାରୁ ଶିଖିଥିଵା ବୋବାଳି ଚିଁ ଚିଁ ଚୁଁଚୁଁ ଆଦି କରିପାରିବେ କିନ୍ତୁ ନିଜ ବସାରୁ ବାହାରକୁ ବାହାରି ଅନ୍ୟ ଥାନକୁ ଗଲାବେଳେ ଅନ୍ୟ ପକ୍ଷୀ ସହିତ କଥା ହେଲାବେଳେ କେଵଳ କା କା କରି ହିଁ ବୋବେଇବେ । 

ସବୁ କାଉମାନେ ଯେମିତି ଘୋଷଣା ଶୁଣିଲେ ଉକ୍ତ ନେତା ଡାମରାକାଉ ପ୍ରଶଂସାରେ ପୋତି ପକେଇଲେ । ଏଣେ ଅନ୍ୟ ପକ୍ଷୀମାନେ ବଡ଼ ଅଡ଼ୁଆରେ ପଡି଼ଲେ ‌ । ଏବେ କ'ଣ କରାଯିଵ ? ସବୁ ପକ୍ଷୀ ତ ଆଉ କା କା ରାବି ପାରିବେନି କି ବୁଝିପାରେନି । ପକ୍ଷୀସମାଜର ଅନ୍ୟ ଜାତୀୟ ପକ୍ଷୀମାନେ ଏହି ଆଇନର ଭୀଷଣ ଵିରୋଧ କଲେ କିନ୍ତୁ କାଉମାନେ ତାଙ୍କର ଗୃଧ ,ଛଞ୍ଚାଣ, ଚିଲ ଆଦି ଜାତିଭାଇଙ୍କୁ ହାତକରି ସେହି ପକ୍ଷୀ ଆନ୍ଦୋଳନକୁ ନିର୍ମମ ଭାବରେ ଦମନ କଲେ । 

ପକ୍ଷୀମାନଙ୍କର ଜଙ୍ଗଲରେ ଏଣିକି କାଉମାନଙ୍କର 
ଶାସନ ଥିଲା । କାଉମାନଙ୍କର କା କା ବୋବାଳି ସବୁ ପକ୍ଷୀ ବୋବାଉଥିଲେ । ଯେଉଁ ପକ୍ଷୀମାନେ ଏହି ନିୟମ ଅମାନ୍ୟ କରି ଚିଁ ଚିଁ କିଚିରି ମିଚିରି ବୋବେଇଲା ତାକୁ ଦେଶଦ୍ରୋହୀ ଆଖ୍ୟା ଦେଇ ଜଙ୍ଗଲରୁ ତଡ଼ି ଦିଆଯାଉଥିଲା । 

ଜଙ୍ଗଲର ଦକ୍ଷିଣ ଭାଗରେ ଗୋଟିଏ ବଡ଼ ଦିଘିଟିଏ ଥିଲା କିନ୍ତୁ ସେପଟେ କାଉମାନଙ୍କର ବସା ଅଳ୍ପ । ଜଙ୍ଗଲର ଦକ୍ଷିଣାଞ୍ଚଳରେ ବଗ ଓ ହଂସମାନଙ୍କର ବସା ଅଧିକ ଥିଲା । ସେମାନେ କାଉମାନଙ୍କର ଆଇନକୁ ମାନୁନଥିଲେ । ଯୋଉ କାଉ ସେମାନଙ୍କୁ କା କା ରାଵର ଜ୍ଞାନ ଦେଇ ଦେଶଦ୍ରୋହୀ ଅଭିହିତ କରୁଥିଲା ବଗ ଓ ହଂସମାନେ ମିଶି ତାକୁ ଖୁମ୍ଫି ଖୁମ୍ପି ତଡ଼ି ଦେଉଥିଲେ । ଏହା ଧିରେ ଧିରେ ଆଞ୍ଚଳିକ ଵୈଷାମ୍ୟରେ ପରିଣତ ହେଲା । କାଉମାନେ ମଣିଷମାନଙ୍କ ଗାଆଁରୁ ନିଆଁ ଆଣି ହଂସ ଓ ବଗଙ୍କ ଘର ଉପରେ ପକେଇ ତାଙ୍କୁ ମାରିଦେଵାକୁ ଚେଷ୍ଟା କଲେ । ଏପଟେ ବଗମାନଙ୍କର ଏକତ୍ର ଆକ୍ରମଣରେ ଅନେକ କାଉ ଜୀଵନ ହାରିଲେ । 

ଜଙ୍ଗଲ ରାଇଜଟା ଭିତରେ ଅଳ୍ପଦିନ ଭିତରେ ଗୃହ ଯୁଦ୍ଧ ଲାଗିଗଲା । ଗୋଟିଏ ପଟରେ ବଗ ଓ ଅନ୍ୟାନ୍ୟ ପକ୍ଷୀ ଥିଲାବେଳେ ଅନ୍ୟ ପକ୍ଷରେ କାଉ,ଚିଲ ,ଶାଗୁଣାମାନେ ତାଙ୍କୁ ପ୍ରତିହତ କରିଵାକୁ ଚେଷ୍ଟା କରୁଥିଲେ । 

ଏହି ଗୃହଯୁଦ୍ଧ ଅନେକ ଦିନ ଯାଏଁ ଚାଲିଲା । ପକ୍ଷୀସମାଜର ଅନେକ ମରିଲେ କିନ୍ତୁ ବଣଭୁଆଦିଙ୍କୁ ଢେର୍ ଖାଦ୍ୟ ମିଳିଲା । ଶେଷରେ କାଉମାନେ ହାରିଗଲେ ଏଵଂ ଏହା ସହ ପକ୍ଷୀସମାଜ ମଧ୍ୟରେ ଥିଵା ସୌହାର୍ଦ୍ଦ୍ୟ ମଧ୍ୟ ଲୋପପାଇଗଲା । କୁହାଯାଏ ସେହିଦିନଠାରୁ ପକ୍ଷୀମାନେ ଅଲଗା ଅଲଗା ସମାଜରେ ରହିଵା ପସନ୍ଦ କରନ୍ତି । କାଉମାନେ ସବୁପକ୍ଷୀଙ୍କଠାରୁ ଶୋଚନୀୟ ପରାଜୟ ଵରଣ କରିଥିଵାରୁ ଯେକୌଣସି ପକ୍ଷୀକୁ ଦେଖିଲେ ମାରିଗୋଡା଼ନ୍ତି । 

(କାହାଣୀ ଭାବୁଛନ୍ତି କି 🙃 ଭାରତରେ ମଧ୍ୟ ସବୁ ଅହିନ୍ଦୀଭାଷୀଙ୍କ ଉପରେ ହିନ୍ଦୀକୁ ରାଷ୍ଟ୍ରଭାଷା କହି ଲଦିଵାକୁ ଚେଷ୍ଟା କଲେ ସେହି ପକ୍ଷୀରାଜ୍ୟ ଭଳି ସମସ୍ୟା ସୃଷ୍ଟି ହୋଇପାରେ ଯେ ! ମନେ ରଖନ୍ତୁ ପ୍ରଥମେ ମାତୃଭାଷା ପରେ ଆଉ ଯେତେ ଭାଷା । )

🪔 ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ 🪔

ଜୀବନେ ଜୀବନ୍ତ ତବ ଅଭିନୟ 
         ରଙ୍ଗମଞ୍ଚ ଭବ ସ୍ଥଳେ
ହେଜୁଥିବେ ନିତି ଏ ସଂସାର ଜନ
           ସ୍ମୃତି ହୃଦ ଅନ୍ତରାଳେ .....

Sunday, January 2, 2022

ସମର୍ପଣ (topic - 117 ଶକୁନି ) quote #quot

117 - ଶକୁନି 

ଇଏ କି ଇତର ମହା ଭାରତର ?
     ଯୋଗାଡ଼ି ଯୋଜନା ମାନ
 କପଟର ପଶା  ଦୁର୍ନିତିର ଦିଶା
        ଦୃଶ୍ଯ ବସ୍ତ୍ର ବିବଶନ
ରକ୍ତେ ବନ୍ଧା ବେଣୀ ଭିନ୍ନ ଏ ଭିଆଣି
       ଶକୁନି ଏ ସୂତ୍ରଧର
ଶେଷେ ଫଳାଫଳ ସୁନ୍ଦର ସକାଳ
      ଧର୍ମ ସଂସ୍ଥପନା ଧାର
              -  ଦାଶରଥି ସାହୁ

ପାଷାଣ ଗୃହରେ ଅଳପ ଆହାର 
     କେଇ ମୁନ୍ଦା ଜଳ ପିଇ 
ନୟନେ ଦେଖଇ ଭ୍ରାତା ଆଉ ପିତା 
    ମୃତ୍ୟୁ କୋଳେ ଗଲେ ଶୋଇ 
ପ୍ରତିଶୋଧାନଳ  ହୃଦୟ ଗହ୍ୱରେ 
       ଆପେ ଠୁଳ ହୋଇ ଯାଇ 
ନାଶିବା ନିମନ୍ତେ କୌରବ କୂଳକୁ 
         ଶପଥ ନିଅଇ ସେହି
                - ଟୁକୁନା ସାହୁ

 ଶକୁନି ସଙ୍କଳ୍ପେ କୌରବ ବିନାଶ 
       କପଟ ବନ୍ଧୁତା ଖେଳ 
 ଦୁର୍ଗୁଣ ଚରିତ୍ରେ  ଅନିଷ୍ଟ ସାଧନ   
         ବାହ୍ୟ ବନ୍ଧୁତାର ଆଳ  
ପ୍ରତିଶୋଧ ପଣେ ହୃଦୟ ଅନଳ 
        ନାହିଁ ଭବ ଥଳକୂଳ 
 କୁମନ୍ତ୍ରଣା ଦେଇ  ନହୁଅ ଶକୁନି
        ସମର୍ପଣେ ବାନ୍ଧ ବଳ 
          - ସନ୍ତୋଷ ପଟ୍ଟନାୟକ

  ଦ୍ୱାପର ଯୁଗର ଶକୁନି ମାମୁ ମୁଁ 
        ମରିନାହିଁ ବଞ୍ଚିଛି ରେ 
ଏ କଳି ଯୁଗରେ ମଣିଷ ମନରେ  
      ରହିଛି ମୁଁ ଘରେ ଘରେ 
ପ୍ରତିଟି ମଣିଷ ମୋ ଇର୍ଷାରେ ଵଶ 
       ଲକ୍ଷ ମୋର ସର୍ବନାଶ 
ଭାଇ ଭାଇ  ମଧ୍ଯେ ବିଭେଦ ଭିଆଇ 
    ଶାନ୍ତିରେ ମାରେ  ନିଶ୍ୱାସ 
              -  ପ୍ରବୀର ମଲ୍ଲିକ୍ 

ଶଙ୍କୁନ ପରିକା  ଚତୁର ସିଆଣା
    ଥିଲା ଯେ' ଦ୍ୱାପର ଯୁଗେ
ମହାଭାରତର ଶଙ୍କୁନି ମାମୁଁ ସେ'
      କପଟେ ସବୁଠୁ ଆଗେ
ଗଙ୍ଗାଧରରାଜ ସେ' ସୁବୋଳତ୍ତମ
     ପଶାଖେଳେ କରେ ବଶ
ନିଜ ସ୍ୱାର୍ଥ ପାଇଁ ଭାଇ ଭାଇ ମଧ୍ୟେ
        ଚକ୍ରାନ୍ତେ ଭରଇ ବିଷ 
             - ରାମ ଚନ୍ଦ୍ର ପ୍ରଧାନ

ଶାମ,ଦାମ,ଦଣ୍ତ,ଭେଦ,କୁଚକ୍ର ଯେ
       ଷଡ଼ଯନ୍ତ୍ର ପାଶାଖେଳ 
ମହାଭାରତରେ ଶକୁନି କଥାରେ
       ପୁରିଥିଲା ଶହେ କାଳ 
ଧୋକାବାଜ୍ ହୋଇ ବଞ୍ଚିବା ଅପେକ୍ଷା
        ହେଇଯାଅ ଧର୍ମ ବଶ 
ଯୁଗେ ଯୁଗେ ଧର୍ମ ବିଜୟୀ ହୋଇଛି
       ଅଧର୍ମ ହୋଇଛି ନାଶ ....
              - ରାଧା କୃଷ୍ଣ ବାୟକ

ନାହାନ୍ତି ଆଜି ସେ କୌରବ ପାଣ୍ତବ
       ନାହିଁ ସେ ରଥ ସାରଥି
ନାହିଁ ଆଜି ସେଇ    କପଟର ପଶା
        ନାହିଁ ସେ ସତୀ ଦ୍ରୌପଦୀ
କଳିଯୁଗେ  କୁରୁକ୍ଷେତ୍ର ଏ ସଂସାର
      ଭାଇ ଭାଇରେ ପଡ଼େନି 
ଗାଆଁ ଦାଣ୍ତ ଆଜି  ପଶା ପାଲି ସମ
       କ୍ରୋଧରେ ବସେ ଶକୁନି 
                   - ଜଗବନ୍ଧୁ ସାହୁ

ଶ‐ଶତଭ୍ରାତା ମଧ୍ୟୁ ମରିଛନ୍ତି ସର୍ବେ
      ବଞ୍ଚିଛି ଏକା ସେ' ଜଣେ
  କ୍ରୋଧର ଅନଳେ ଜଳେ ସେ ସେବେଠୁ
       ପ୍ରତିଶୋଧ ପରାୟଣେ       
କୁ‐ କୁରୁବଂଶକୁ ସେ  ଧ୍ବଂସିବ ବୋଲିକା
       ପିତାଙ୍କୁ ଦେଇଛି କଥା
 ଦେଖିଣ ନୟନେ ବନ୍ଦି କାରାଗାରେ
       ସମୁଳ ବଂଶର ହତ୍ଯା
ନି‐ନିଶ୍ଚଳେ ନବସି କ୍ଷଣ ପ୍ରତିକ୍ଷଣେ
      ରହିସେ କୌରବ ପକ୍ଷ
ଚକ୍ରବ୍ଯୁହ ରଚେ  ମନରେ ଶକୁନି
      ନଭୁଲି କେବେହେଁ ଲକ୍ଷ୍ୟ
                 -  ରବିନ୍ଦ୍ର ସାହୁ

ଲୁହ

ଅଟକୁନି ଲୁହ  ବୋହି ଚାଲୁଛି ଅନବରତ ଆଖିବି ନିଜର କରି ରଖି ପାରୁନି  ଏ ଲୁହକୁ,,,, ବାସ୍ ଝରି ଯାଉଛି ଟୋପା ଟୋପା ହୋଇ! ମନର ବ୍ୟଥା  ହୃଦୟର କୋହ  ସତରେ ଭା...