Tuesday, April 27, 2021

⚫ ସମୟର କଥା ⚫

ସମୟ ସମୟ ର କଥା 
==============
ଦଶ ମିନିଟ ମାତ୍ର ଏକ 'ଗୃହିଣୀ' ପାଖେ ବସ 
ଉଭେଇଯିବ ଯେତେ ଅଛି ଗଚ୍ଛିତ ଖୁସି ହସ 
କେତେ ଜଣା ଅଜଣା ସମସ୍ୟାରେ ହେବ ତ ଛନ୍ଦି 
ସଂସାର ର ଗହନ ପାଠରେ ହୋଇଯିବ ଧନ୍ଦି ll

ଦଶ ମିନିଟ ସମୟ କଟେଇ 'ମଦ୍ୟପ' ସହ 
ଲାଗିବ ସତେ ଯେମିତି ସବୁ କିଛି ମଧୁମୟ 
ବଞ୍ଚିବା ଝୁମିବା ଏଠାରେ ଭାରି ସହଜ କଥା 
ମୌଜ ମସ୍ତି ହିଁ ସତ୍ୟ: ଆଉ ସବୁ ଯେମିତି ମିଥ୍ୟା ll

'ସାଧୁ-ସନ୍ୟାସୀ' ଙ୍କ ସଙ୍ଗତେ ଦଶ ମିନିଟ ବସ 
ଲାଗିବ, ସତେ ଯେମିତି 'ଉଦାସ' ରେ ହିଁ 'ଉଲ୍ଲାସ' 
କଲେ ସେମାନଙ୍କ ସହ ଲମ୍ବା କଥୋପକଥନ 
ଲାଗିବ: "ଜୀବନ ର ମହତ୍ତ୍ୱ ହିଁ ସର୍ବସ୍ବ ଦାନ' ll 

ପାଇ 'ରାଜନେତା' ସହ ଦଶ ମିନିଟ ସମୟ 
ଆଚମ୍ବିତ ହେବ ଦେଖି ତାଙ୍କର 'ଆତ୍ମ ପ୍ରତ୍ୟୟ' 
ଯେମିତି 'ସବ ଜାନତା', ହେଲେ ବି ସେ ନୀରକ୍ଷର 
ନିଜ ବିଦ୍ୟା ବୁଦ୍ଧି ଡିଗ୍ରୀ ସବୁ ଲାଗିବ ବେକାର ll

'ବୀମା କମ୍ପାନୀ ଏଜେଣ୍ଟ' ସହିତ ଦଶ ମିନିଟ 
ପାଣିରେ କେମିତି ସର ପଡେ, ମନ ଟା ଉଚ୍ଚାଟ 
ଚାତୁର୍ଯ୍ୟପୂର୍ଣ୍ଣ ବାକ୍ୟରେ ଭରା କେତେ ଉପଦେଶ 
ଲାଗିବ: ବଞ୍ଚିବା ଠୁଁ ମରିବା ଟା ବେଶୀ ସରସ ll

କଟାଅ ଦଶ ମିନିଟ କୌଣସି 'ବଣିକ' ସହ 
ତାଙ୍କ ଗତି ପ୍ରଗତି ଦେଖି ବଢିବ ମାୟା ମୋହ 
ଲାଗିବ ସେମାନଙ୍କ ଆଗରେ ସ୍ୱୟଂ କେତେ ତୁଚ୍ଛ 
ଉଚ୍ଚ ପଦବୀ-ଉପାର୍ଜ୍ଜନ ରେ କଣ ଅଛି ଦଛ? ll

କେବଳ ଦଶ ମିନିଟ 'ବୈଜ୍ଞାନିକ' ପାଖେ ବସ 
ସେମାନଙ୍କ ଜ୍ଞାନ ର ଗଭୀରତା ରେ ହେବ ବଶ 
ଅତି ସରଳ ମଣିଷ, ଵାକ ଚାତୁରୀ ନାହିଁ ତ 
ତାଙ୍କ ପାଖେ ଆମେ ସବୁ 'ଶ୍ରୀ ଅକ୍ଷର ବିବର୍ଜ୍ଜିତ' ll

ବିତାଅ ଦଶ ମିନିଟ ଭଲ 'ଶିକ୍ଷକ' ର ସଙ୍ଗ 
ତାଙ୍କ ଉଚ୍ଚ ଚିନ୍ତାଧାରା ରେ ନାଚିବେ ସବୁ ଅଙ୍ଗ 
ଇଚ୍ଛା ହେବ ଆଉଥରେ 'ଛାତ୍ର' ହେବାପାଇଁ 
କାନ୍ଧେ ବହି ବସ୍ତାନି ଧରି ଯିବାକୁ ସ୍କୁଲ ଧାଇଁ ll

ଏକ 'କୃଷକ' ପାଖରେ ଦଶ ମିନିଟ ବିତାଅ 
ଜାଣିବ ଜୀବିକା ପାଇଁ ଅଛି କେତେ ଶ୍ରଦ୍ଧା ଲୟ
ରକ୍ତକୁ ପାଣି କରି ସେ କରେ ଶଷ୍ୟ ଉତ୍ପାଦନ 
ଚାକଚକ୍ୟ ଭରା ବୁଦ୍ଧିଜୀବୀ ଟେ ତା' ଆଗେ ହୀନ ll

ଦଶ ମିନିଟ ସମୟ ନେଇ ଭେଟ ସେ 'ସୈନିକ' 
ନିଜ ପ୍ରାଣ ଦେଇ ଯେ ରଖେ ଦେଶ ମାତୃକା ଟେକ 
ଚକିତ ହୋଇଯିବ ଦେଖି ତା' ସେବା ଆଉ ତ୍ୟାଗ
ନିମ୍ନ ଓ ନ୍ୟୁନ ତା' ଆଗେ 'ବିଳାସ-ବ୍ୟସନ-ଭୋଗ' ll

ମାତ୍ର ଦଶ ମିନିଟ ବସ 'ଭଲ ମିତ୍ର' ସଙ୍ଗତେ 
ଖୋଲିଦେଇ ହୃଦୟ ଝରକା ପରମ ନିଶ୍ଚିନ୍ତେ 
ଲାଗିବ: ଲୋଡ଼ାନାହିଁ ସ୍ୱର୍ଗ ର ନନ୍ଦନକାନନ 
ଘନିଷ୍ଠ ମିତ୍ର ର ସଙ୍ଗତ ହିଁ ସ୍ୱର୍ଗ ର ଭୁବନ ll

ବଖାଣିଲି ଏ ସବୁ "ସମୟ ସମୟ ର କଥା' 
ସଙ୍ଗତ ରେ ଲୁଚି ରହିଛି ଅନେକ ଭବ୍ୟ ଗାଥା ll
==============================
                    ✍ ପ୍ରମୋଦ କୁମାର ମହାନ୍ତି 

Saturday, April 24, 2021

■ ମାଡ଼ର ଅସରନ୍ତି କଥା ■

ମାଡ଼ ର ଅସରନ୍ତି କଥା 
==============
ଆଜିକାଲି ର ପିଲାଙ୍କୁ ଲାଗିବ ଗପ 
ଯିଏ ଦେଖିନାହାଁନ୍ତି ବେତ ମାଡ଼ କୋପ 
ଶିକ୍ଷକ-ବଡ଼ ଙ୍କ ସେ ନୋଳା ଫଟା ମାଡ଼ 
ଯାହା ପଡିଲେ ଭାଙ୍ଗିଯିବ ପିଠି ହାଡ଼ ll

ଦେବି ଏହାର କେତେକ ଉଦାହରଣ 
ଅଙ୍ଗେଲିଭା କଥା ତ ସତ ବୋଲି ଜାଣ 
ମୂଳ ରୁ ଚୂଳ ଯାଏଁ ରହିଛି ସ୍ମୃତିରେ 
ଏତେ ଘଟଣା କଣ କିଏ ଭୁଲିପାରେ? ll

ସେତେବେଳେ ମାଡ଼ ଖାଇ କାନ୍ଦିଲେ ମାଡ଼ 
ଆଉ ବିନା ମାଡ଼ରେ କାନ୍ଦିଲେ ବି ମାଡ଼ 
ସାଙ୍ଗ ମାନଙ୍କ ସହ ଖେଳିଲେ ବି ମାଡ଼ 
ନ ଖେଳି ଘରେ ବସିଲେ ଆହୁରି ମାଡ଼ ll

ବଡ଼ ମାନଙ୍କ ପାଖେ ଏପଟ ସେପଟ 
ହେଲେ, ପଡିବ ପିଠିରେ ବେତ ର ଛାଟ 
ବଡ଼ ମାନଙ୍କୁ ଉତ୍ତର ଦେଲେ ହିଁ ମାଡ଼ 
ବଡ଼ ଙ୍କ କଥା ରେ 'ହଁ' ନକଲେ ବି ମାଡ଼ ll

ଯଦି ବହୁଦିନ ନ ଖାଇଛ ତ ମାଡ଼ 
ତାହେଲେ ଏବେ ଦେଖା ତମ ହାତ ଗୋଡ଼ 
ବସିବ ଚୌକସ ପଜା ବେତ ର ପାହାର 
ଆଖିରୁ ଜୁଳୁଜୁଳିଆ ପୋକ ବାହାର! ll

ଶିକ୍ଷକ ଙ୍କ ଉପଦେଶ ଅମାନ୍ୟେ ମାଡ଼ 
ଅତିଥି ଙ୍କୁ ପ୍ରଣାମ ନକଲେ ତ ମାଡ଼ 
ଅତିଥି ଙ୍କ ଖାଦ୍ୟ ଛୁଇଁଲେ ପୁଣି ମାଡ଼ 
ତାଙ୍କ ସହ ଯିବାକୁ ଜିଦ୍ଦି କଲେ ମାଡ଼ ll

ବେଳ ରେ ଖାଇବାକୁ ମନାକଲେ ମାଡ଼ 
ଅବେଳ ରେ କିଛି ଖାଇଲେ, ବେଶୀ ମାଡ଼ 
ଘରକୁ ଡେରିରେ ଫେରିଲେ ମାଡ଼ ଆଗ 
ଭୋଜି କଲେ ତ ପିଠିରେ ସୁଝିବ ରାଗ ll

କୌଣସି କଥା କୁ ଜିଦ୍ଦି ଧରିଲେ ମାଡ଼ 
ବେଶୀ ଉତ୍ସାହିତ ହୋଇ କହିଲେ ମାଡ଼ 
ସାଙ୍ଗ ଙ୍କ ସହ ଝଗଡା କଲେ ହିଁ ମାଡ଼ 
ଝଗଡା କରି କାନ୍ଦି ଫେରିଲେ ବି ମାଡ଼ ll

ଘରରନ୍ଧା ଖାଦ୍ୟ ଧୀରେ ଖାଇଲେ ମାଡ଼ 
ରାସ୍ତା ର ବରା ଶୀଘ୍ର ଖାଇଲେ ବି ମାଡ଼ 
ବେଶୀ ରାତି ଯାଏଁ ଚେଇଁଲେ ବେଶୀ ମାଡ଼ 
ସକାଳୁ ସହଳ ନ ଉଠିଲେ ବି ମାଡ଼ ll

ଅତିଥି ଙ୍କ ଖାଦ୍ୟ କୁ ଚାହିଁଲେ ହିଁ ମାଡ଼ 
ତାଙ୍କ ଖାଦ୍ୟ କୁ ଖୁମ୍ପି ଖାଇଲେ ବି ମାଡ଼ 
ଘର ମଧ୍ୟେ ଡେଇଁ ଡେଇଁ ଚାଲିଲେ ମାଡ଼ 
ମଠେଇ ମଠେଇ ଚାଲିଲେ ବେଶୀ ମାଡ଼ ll

ବଡ଼ ମାନଙ୍କୁ କଣେଇ ଚାହିଁଲେ ମାଡ଼ 
ବଡ଼ ମାନଙ୍କୁ ନ ଚାହିଁଲେ ବି ତ ମାଡ଼ 
ବଡ଼ ମାନଙ୍କ ସହ କଥା ହେଲାବେଳେ 
ଚାହିଁଲେ ଏପଟ ସେପଟ, ମାଡ଼ ମିଳେ ll

(ଗଲାବେଳେ) ଅତିଥି ଙ୍କ ହାତରୁ ପଇସା ନେଲେ ମାଡ଼ 
(ନେଲାବେଳେ) ବାପା ଙ୍କ ଆଖି ବଡ଼, ଦାନ୍ତ କଡମଡ 
କାନ୍ଦୁରା ପିଲାଙ୍କୁ ଦେଖି ହସିଲେ ମାଡ଼ 
ଶବ ଉଠିଲା ବେଳେ ନ କାନ୍ଦିଲେ ମାଡ଼ ll

ଠାକୁରଙ୍କ ଛଡାଫୁଲ ମାଡିଲେ ମାଡ଼ 
ପଢା ବେଳେ 'ଏକ' କି 'ଦୁଇ' ଗଲେ ମାଡ଼ 
ମାଡ଼ ଖାଇ ପ୍ୟାଣ୍ଟ ରେ 'ଦୁଇ' ହେଲେ ମାଡ଼ 
ଜଂଘ ର କାଛୁ ଉପରେ ବି ବେତ ମାଡ ll

ଲୁଚି କି ସିନେମା ଗଲେ ଗୋଗଚ୍ଛ ମାଡ଼ 
ଗଣିତ ରେ କମ ମାର୍କ ପାଇଁ ହିଁ ମାଡ଼ 
ପାହାନ୍ତିଆ ସଂସ୍କୃତ ନ ପଢିବା ମାଡ଼ 
ଦି ଚାରିଥର ଭାଙ୍ଗିଛି ମୋ ହାତ ଗୋଡ଼ ll

ଏମିତି ତ ଅସରନ୍ତି ଏ ମାଡ଼ କଥା 
ପାଠକ ପାଠିକା ଙ୍କ ହେବ ମୁଣ୍ଡବ୍ୟଥା 
ମାଡ଼ ର ଉପାଖ୍ୟାନ ସବୁ ଅଙ୍ଗେଲିଭା 
ସ୍ମୃତି ର ଦର୍ପଣ ରେ ନିମିଷକେ ଉଭା ll

(ହେଲେ) "ଏଇ ମାଡ଼ କରିଛି ଦେହ ମନ ଦୃଢ଼ 
କରିଛି ପୌରୁଷ ଭବ୍ୟ, ହୃଦୟ ବଡ଼ 
ଦଣ୍ଡ ମଧ୍ୟେ ଆଶୀର୍ବାଦ ରହିଛି ଭରି 
ତାହା ସ୍ମରି, ଦୁଃଖ ତ ଯାଏ ଅପସରି!" ll
===========================
                   ✍ ପ୍ରମୋଦ କୁମାର ମହାନ୍ତି 

==== ଆମ ନୀତିକଥା ====

ଆମ ନୀତିକଥା 
==========
ମିଠା ବାଣୀ ବିନା ବାଣିଜ୍ୟ 
ବେଶୀ ଦିନ ରହେନି ତେଜ 
ଚାଲିଛି ତ ପ୍ରତିଯୋଗିତା 
ମଧୁର ବଚନ ହିଁ କର୍ତ୍ତା ll

ଶୃଙ୍ଗାର ବିହୀନ ସେ କନ୍ୟା 
ବାହା ବେଦୀ ରେ ନୁହେଁ ଘେନା 
ଲୋଡ଼ା ନାହିଁ ଜାତି-ଯୌତୁକ 
ସୌନ୍ଦର୍ଯ୍ୟ ପୌରୁଷ ର ଲକ୍ଷ୍ୟ ll

କୁହୁ ବିହୀନ ଚୈତ୍ର ମାସ 
ମଳୟ କରୁଛି ନିରାଶ 
ଏବେ ବି ବସନ୍ତ ରାଜୁତି 
ଗ୍ରୀଷ୍ମ କାହିଁକି ଆଣେ ଭୀତି? ll

ବିନା ମାଳୀ ରେ ସେ ଉଦ୍ୟାନ 
ଲାଗଇ ଅରମା ଅସ୍ଥାନ 
ଯେଉଁଠି ନାହିଁ ସ୍ନେହ ଶ୍ରଦ୍ଧା 
ଘର ଲାଗିବ ଅଧା ଅଧା ll

ବିନା ପରଶା ରେ ସେ ଥାଳି 
ଥିଲେ ବି ଖାଦ୍ୟ ଭଳି ଭଳି 
ଅଭାବ ସେଠି ଅନୁରାଗ 
କିଏ ସେ ବାଢି କି ଖାଇବ? ll

ଛନ୍ଦ ନଥିଲେ କି କବିତା 
ଛନ୍ଦି ନହେଲେ କାହିଁ ଲତା 
ଲତା କବିତା ଓ ବନିତା 
ଛନ୍ଦ ରେ ଗଢିଛି ବିଧାତା ll

ସୁଗନ୍ଧ ନାହିଁ ତ କି ଫୁଲ 
ରୂପ-ଗୁଣ କି ସମତୁଲ? 
ସୁନ୍ଦର ଦିଶଇ ପଲାଶ 
ମଧୁ ମକ୍ଷିକା ର ଅସ୍ପର୍ଶ ll

ଶଙ୍ଖ ଘଣ୍ଟା ବିନା ମନ୍ଦିର 
ଲାଗେ ମନ ଖାଲି ଅସ୍ଥିର 
ଶାଶ୍ୱତ ସେ ଭବ୍ୟ କମ୍ପନ 
ଧ୍ଵନି ର ଉଚ୍ଚ ଆଲୋଡନ ll

ସ୍ୱର ତାଳ ବିନା କି ଗୀତ 
ସବୁ ତ ଲାଗେ ବିପରୀତ 
ବେସୁରା ଗାୟକ ଗାୟିକା 
ଶ୍ରୋତା ମାନଙ୍କୁ ଦ୍ୟନ୍ତି ଧୋକା ll

ନିଶ ନଥିବା ଯେତେ ମର୍ଦ୍ଦ 
ଅଲେଖା କାଗଜ ର ଫର୍ଦ୍ଦ 
ନିଶ ଭିତରେ ତ କାହାଣୀ 
ପୌରୁଷ ର ତାହା ରୋଷଣୀ ll

ଜାତି ବ୍ରାହ୍ମଣ ହେଲେ ଚୁଟି 
ପହିଲମାନ ର ଲେଙ୍ଗୁଟି 
ଯଦି ନଥାଏ ଶରୀର ରେ 
ତାଙ୍କ ଦକ୍ଷତା ପ୍ରଶ୍ନ କରେ ll

ଧାର ନଥିବା ତରବାରୀ 
ମସଲା ହୀନ ତରକାରୀ 
ଲାଗେ ଆଖିକୁ ମୂଲ୍ୟହୀନ 
ଥିବା ଓ ନଥିବା ସମାନ ll

ବର୍ଷା ବିହୀନ ଚତୁର୍ମାସ୍ୟା 
ଆଶା ବିହୀନ ଅମାବାସ୍ୟା 
ବିନା 'ପୂବେଇ' ରେ ଶ୍ରାବଣ 
ରାମ ବିହୀନ ରାମାୟଣ ll

ମିଠା ପାଣି ନଥିବା କୂଅ 
ବୁଢ଼ା କାଳରେ ପୋଷ୍ୟ ପୁଅ 
ସରମ ବିହୀନ ଲଳନା 
ହିସାବେ ହୁଅନ୍ତିନି ଗଣା ll

ନାରୀ ବିହୀନ ସେ ନିବାସ 
ହେଇଥାଉ ପଛେ ଉଆସ 
ଲାଗିବ ପରିତ୍ୟକ୍ତ ଭୂଇଁ 
ପ୍ରାଣୀ ର ପରିତ୍ରାଣ ନାହିଁ ll

ବିନା ମହକ ର ଅତର 
ଚୂନ ବିନା ପାନ ପତର 
କାକଳୀ ବିହୀନ ବିହଙ୍ଗ 
ଜୀବନ ଲାଗିବ ନିଃସଙ୍ଗ ll

ଏସବୁ ଆମ ନୀତିକଥା 
ସଂସ୍କାର ସଂସ୍କୃତି ର ଗାଥା 
ଲୁଚି ରହିଛି ଦିବ୍ୟଜ୍ଞାନ 
ମିଳିବ କଲେ ତ ସନ୍ଧାନ ll

✍ ପ୍ରମୋଦ କୁମାର ମହାନ୍ତି 

ରାମ ନାମ

ରାମ ନାମ 
=======
ଦେବୀ ପାର୍ବତୀ ଦିନେ କଲେ ଜିଜ୍ଞାସା: 
ହେ ଦେବ ମହାଦେବ କର ମୀମାଂସା 
କାହିଁକି ତ୍ରିବାର କର ନମସ୍କାର 
କଣ ପୁଣି ଅଛି ରହସ୍ୟ ଏହାର? ll 

ମହାଦେବ କହନ୍ତି: ହେ ମହାଦେବୀ 
ହୃଦେ ମୋ ସର୍ବଦା ଶ୍ରୀରାମ ଙ୍କ ଛବି 
ତେଣୁ ଯେଉଁ ବ୍ୟକ୍ତି ଥରେ କହେ 'ରାମ' 
ତାଙ୍କୁ କରେ ମୁଁ ତ ତ୍ରିବାର ପ୍ରଣାମ ll

ଉତ୍ତର ରେ ଦେବୀ ହେଲେ ଉଲ୍ଲସିତ 
ସ୍ମିତହାସ ଦେଇ ହେଲେ ବି ବିସ୍ମିତ 
ତାଙ୍କ ପତି ଦେବ ଦେବ ମହାଦେବ 
(ତଥାପି) ଶ୍ରୀରାମ ଙ୍କ ପ୍ରତି ଏତେ ଅନୁରାଗ! ll

ଦିନେ ପଚାରିଲେ ଦେବୀ ହୋଇ ତ୍ରସ୍ତ 
ଶ୍ମଶାନେ ଏତେ ପ୍ରୀତି କିମ୍ପା ହେ ନାଥ 
ହେଉଛ ଧ୍ୟାନସ୍ଥ ଚିତାଭସ୍ମ ବୋଳି 
ଶମ୍ଭୁ ଓ ଭସ୍ମ ଯେମିତି କୋଳାକୋଳି! ll 

ସ୍ମିତହାସେ ଶିବ କହନ୍ତି: ଶୁଣିବ? 
ତା'ହେଲେ ମୋ ସହ ଶ୍ମଶାନ କୁ ଯିବ 
ସେଇଠି କହିବି ଏହାର କାରଣ 
ସନ୍ଦେହ ତମର ହେବ ନିବାରଣ ll

ଶ୍ମଶାନେ ଜ୍ୱଳନ୍ତ ଏକାଧିକ ଯୂଈ 
ବିଞ୍ଚା ହୋଇଛି ସେଠି କଉଡ଼ି ଖଇ 
ରାମ ନାମରେ ସ୍ଥାନ ଟା ପ୍ରକମ୍ପିତ 
'ରାମ ନାମ ହିଁ ସତ': ସଭିଙ୍କ ମତ ll 

ସେ ନାମରେ ସଦାଶିବ ହ୍ୱନ୍ତି ମୁଗ୍ଧ 
ମୁଗ୍ଧ ଶିବ ଙ୍କ ଦର୍ଶନେ ଦେବୀ ସ୍ତବ୍ଧ!
ପ୍ରସନ୍ନ ମୁଦ୍ରାରେ ଧୀରେ ଆଖି ମେଲି 
ଶିବ କହନ୍ତି ଶିବାଙ୍କୁ ଓ଼ଷ୍ଠ ଖୋଲି ll

ହେ ଶିବାନୀ! ପାଇଥିବ ତ ଉତ୍ତର 
ଚିତାଭସ୍ମ କାହିଁକି ପ୍ରିୟ ସେ ମୋର 
ତଥାପି କହୁଛି ଶୁଣ ମୁଁ ବୁଝାଇ 
ରାମ ନାମ ସତରେ ଆନନ୍ଦଦାୟୀ ll

ଯେତେ ବ୍ୟକ୍ତି ଆସିଛନ୍ତି ଏହି ସ୍ଥାନ 
ସମସ୍ତଙ୍କ ହୃଦୟେ ଶ୍ରୀରାମ ଚିହ୍ନ 
ମୁଖରେ ଆନନ୍ଦିତ ରାମ ଙ୍କ ନାମ 
ସମୂହ ସ୍ୱରରେ ଲାଗେ ସତ୍ୟକାମ ll

ବାସସ୍ଥାନ ରୁ ଶ୍ମଶାନ ଯାଏଁ ପଥ 
ରାମ ନାମ ର ଧ୍ଵନି ରେ ସେ ପବିତ୍ର 
ପଞ୍ଚ ମହାଭୂତ ବି ହୁଅନ୍ତି ତୃପ୍ତ 
ସେ ନାମରେ ଶବ ହୋଇଯାଏ ପୂତ ll

ଏତେ ରାମ ନାମ ଶୁଣି ମୁଁ ତ ମୁଗ୍ଧ 
ପ୍ରିୟ ଙ୍କ ସ୍ମରଣ ରେ ମୋ ଦୃଷ୍ଟି ଉର୍ଦ୍ଧ୍ୱ 
ଲୋଡ଼ୁନାହିଁ ମୁଁ ତ କୈଳାଶ ପର୍ବତ 
ଶ୍ମଶାନ ପ୍ରିୟ, ମୋ ରାମନାମ ସତ ll

ଅଗ୍ନି ଯେବେ ସୃଷ୍ଟି କରେ ଚିତାଭସ୍ମ 
ରାମନାମେ ଜଡିତ ଆହା କି ଉଷ୍ମ!
ମୋ ଶରୀର ରେ ଦେଲେ ଏହାର ଲେପ 
ମୁଁ ଉଲ୍ଲସିତ, ମୋ କ୍ରୋଧ ହୁଏ ଲୋପ ll

ରାମନାମ କରେ ତାଣ୍ଡବ ଠୁଁ ଦୂର 
ଆଶୁତୋଷ ରୂପ ମୋର ମନୋହର 
ମୁଁ ତମର ତମେ ମୋର ହେ ପାର୍ବତୀ 
ମୋ କ୍ରିୟା କର୍ମ ରେ (ଆଉ) ଅଛି କି ଆପତ୍ତି? ll

ମୁଗ୍ଧ ନିର୍ବାକ ଦେବୀ ଙ୍କୁ ଦେଖି ଦେବ 
କହନ୍ତି: ହୋଇପାରେ ମୁଁ ମହାଦେବ 
(କିନ୍ତୁ) ଶ୍ରୀରାମ ଓ ରାମନାମ (ଅତି) ମୋର ପ୍ରିୟ 
ଅଜପା ରେ ରଖେ, କରେ ତାଙ୍କ ଜୟ ll

ରହସ୍ୟ ର ଅନ୍ତ ହେଲା, ହସନ୍ତି ପାର୍ବତୀ 
ରାମନାମ ର ବୃତ୍ତାନ୍ତ ଏହିଠାରେ ଇତି ll

              ✍ ପ୍ରମୋଦ କୁମାର ମହାନ୍ତି 

Thursday, April 22, 2021

¤ କେବେ ଅବକାଶ ହେ' ଯୁଗପୁରୁଷ !! ¤

ନିଦାଘର ନିଆଁ କରୁନି ଛାନିଆ
      ବାଧୁନି ବୈଶାଖି ତାତି
ସବୁ କଡେ କଡେ ନିରାଶା ନିଗିଡେ
      କରୋନାର ଭୟଭୀତି
ହନ୍ତସନ୍ତ ପ୍ରାଣ ଏ ନୁହଁ କାରଣ
      ମଳୟ ବହୁନି ବୋଲି
ସଂକ୍ରମିତ ଭୟ ବାୟୁର ନିର୍ଣ୍ଣୟ
      ମହୀ ଲାଗେ ମରୂବାଲି
ଏ ବିଶ୍ୱ ବିପତ୍ତି ସୁଧୁରୁନି ସ୍ଥିତି
    ମୃତ୍ୟୁ ରଚା ମହାମାରୀ
ଭୋକ ଆଉ ଭେକ ଏ ପରିପୂରକ
       ଅସହାୟତା ଆବୋରି
ଜୋଛନା ଜହ୍ନର ଆଲୋକିତ ଧାର
      ପୃଥିପରେ  ପଡେ ନ୍ୟୁନ
ହୁତୁହୁତୁ ହୋଇ ଜଳୁଥିବ ଜୁଇ
     ଆଲୋକରେ ପରିପୂର୍ଣ୍ଣ
ମନ୍ଦିର ପ୍ରାଙ୍ଗଣେ ମନ୍ତ୍ର ଉଚ୍ଚାରଣେ
       ଶୁଭୁନାହିଁ ଆଉ ଶ୍ଲୋକ
ଆତ୍ମିୟ ବିୟୋଗେ ପରାଣ ପରାଗେ
     ଗଗନେ ପବନେ ଶୋକ
ଆହା କି ବିକଳ ସଂସାରେ ସକଳ
      ମୁଖାମୟ ଭୂମଣ୍ତଳ
କେବେ ଅବକାଶ ହେ ଯୁଗ ପୁରୁଷ
       ସଂକ୍ରମଣର ଶୃଙ୍ଖଳ
              ଦାଶରଥି ସାହୁ
                   କଳମ୍ବ/ଗଞ୍ଜାମ

Tuesday, April 20, 2021

¤ ପ୍ରକୃତ ମରଣ ¤

ॐ  ପ୍ରକୃତ ମରଣ ॐ
                      ✍ଉପେନ୍ଦ୍ର କୁମାର ବସ୍ତିଆ ।
       ----------------------------------
ଗୀତା ,ଭାଗବତ ନୀତି 
    ନକଲେ ପଠନ 
ସାଧୁ ସନ୍ଥ ସେବା କାର୍ଯ୍ୟରେ 
    ନ ଦେଲେଟି ମନ 
ନ କରିଲେ ଦିବାନିଶି 
   ଈଶ୍ୱର ସ୍ମରଣ 
ତାକୁହିଁ କୁହାଯିବ
     ପ୍ରକୃତ ମରଣ ।୧ । 

ସତକାର୍ଯ୍ୟେ ଯଦି  ନରହିଲା 
   ମନ ସଦା ବେଳେ 
ଉଦାର ହୃଦୟ ହେବାରେ 
    ମନଟି ନ ଦେଲେ 
ନ କରିଲେ ଦାନ ଧର୍ମ 
   ନୀତି କରି ପଣ 
ତାକୁହିଁ    କୁହାଯିବ 
      ପ୍ରକୃତ ମରଣ ।୨। 

ଖାଇପିଇ ମଉଜରେ 
   ସମୟ କାଟିଲେ 
ମୂଲ୍ୟବାନ ସମୟକୁ 
   ବୃଥାରେ ସାରିଲେ
ନାମ ଯଶ ଛାଡ଼ିଦେଇ
  ଧରି ମୂଢ ପଣ 
ତାକୁହିଁ   କୁହାଯିବ
     ପ୍ରକୃତ ମରଣ ।୩।

ତାସ ଶକଟା  ଖେଳି 
  ମାରିଲେ ଜୁଆରେ 
ପାନବିଡି ସିଗାରେଟ 
  ମଦ ପିଇବାରେ 
ପରାନିନ୍ଦା ଜପ କରି 
  ସାରିଲେଲେ ଜୀବନ 
ତାହାକୁ ହିଁ କୁହାଯିବ 
      ପ୍ରକୃତ ମରଣ ।୪।

ଆଗରେ ନକହି ପଛେ 
  ଗାଳିମନ୍ଦ କଲେ 
ଇର୍ଷା ଦ୍ଵେଷ ମିଥ୍ୟାବାଦ 
  ପେଷା ହୋଇଗଲେ 
ଅହଙ୍କାରୀ  ପ୍ରବଞ୍ଚକ 
  ହେଲେ ଭଣ୍ଡ ପଣ 
ତାହାକୁ ହିଁ କୁହାଯିବ 
      ପ୍ରକୃତ ମରଣ ।୫।

ଅନ୍ୟାୟ ମାର୍ଗରେ ଧନ 
   କରିଲେ ଅର୍ଜନ 
ପରର କ୍ଷତି ସାଧି 
  ହେଲେ ଦୁଷ୍ଟ ମନ 
ପର ନାରୀର ସତୀତ୍ୱ 
  କରିଲେ ହରଣ 
ତାହାକୁ ହିଁ କୁହାଯିବ 
     ପ୍ରକୃତ ମରଣ ।୬।

ଇନ୍ଦ୍ରିୟ ଅସଂଯମେ 
  ଜୀବନ ଧରିଲେ 
କାମବାଣେ ବଳବୀର୍ଯ୍ୟ 
  ବିନିଷ୍ଟ କରିଲେ 
କାମ ଦୃଷ୍ଟିରେ ପର 
  ନାରୀ ଦରଶନ 
ତାହାକୁ ହିଁ କୁହାଯିବ 
      ପ୍ରକୃତ ମରଣ ।୭।

ସବୁବେଳେ ସମଦୃଷ୍ଟି 
  ନ ରଖିଲେ ଜାଣ 
ଆତ୍ମଦୃଷ୍ଟି ଆତ୍ମଜ୍ଞାନ 
  ନ ହୋଇଲେ ଟାଣ 
ବାରମ୍ବାର ଭୁଲିଗଲେ 
  କର୍ତ୍ତ୍ୟବ୍ୟ ପରାୟଣ 
ତାହାକୁ ହିଁ କୁହାଯିବ 
     ପ୍ରକୃତ ମରଣ ।୮।

କୋରନା .....

କଳନା ବାହାରେ ଏ ଭବ୍ଯ ସଂସାରେ
        ଲୋମ ଟାଙ୍କୁରିବା ଦୃଶ୍ଯ
ଦୋହଲିବ ଦମ୍ଭ ଆଶା ନଭଶ୍ଚୁମ୍ଭ
        ଦେଖି ନିଅ ଏକବିଂଶ
ରୋଗ  ସଂକ୍ରମଣ ମୃତ୍ଯୁର ଭିଆଣ
         ଖଳ ପାଇଁ ଇଏ ଖେଦ
ଏ ବାସ୍ତବ ଗୀର ମହାଭାରତର
        ବାକି ଥିବା ଓଳି ଯୁଦ୍ଧ
ନାହିଁରେ ନିସ୍ତାର ତୁଚ୍ଛା ପାରବାର
      ସ୍ଥିତି ନାହିଁ ଥମିବାର
କଳିରେ କରୋନା ଧ୍ୱଂସର ଯୋଜନା
       ପଞ୍ଚସଖାଙ୍କ ବିଚାର
                ଦାଶରଥି ସାହୁ
                      କଳମ୍ବ/ଗଞ୍ଜାମ

Monday, April 19, 2021

☆ଜନ୍ମ ମୃତ୍ୟୁର ରହସ୍ୟ ☆

ଜନ୍ମ ମୃତ୍ୟୁର ରହସ୍ୟ
                     ✍ଉପେନ୍ଦ୍ର କୁମାର ବସ୍ତିଆ ।
******************
ଈଶ୍ବରଙ୍କ ରଙ୍ଗମଞ୍ଚ  
ମାୟାରେ ରଚିତ
ଜନ୍ମ ମୃତ୍ୟୁ ଦୁଇ ଦୃଶ୍ୟ  
ହୁଏ ଅଭିନୀତ
ହେଲେ କେହି ଜନ୍ମେ ନାହିଁ 
କେହିବି ମରେନା 
କେହି ଏଠାକୁ ଯିବା 
ଆସିବା କରେନା ।୧।

ସବୁ କିଛି ଯାଦୁ ଖେଳ
ମାୟାରେ ହିଁ ଅଟେ 
ମନ ଗଢା ହୋଇ ସତ୍ୟ 
ପରିକା ପ୍ରକଟେ 
ଏକମାତ୍ର ବ୍ରହ୍ମ ଅଛି 
ଅନ୍ୟ କେହି ନାହିଁ 
ଶରୀର ଖାଲି ମିଳଇ 
ଏ ନାଟକ ପାଇଁ ।୨। 

ପଞ୍ଚ ଭୂତରେ ଶରୀର 
ହୋଇଥାଏ ଗଢା 
ଅନ୍ୟ କା'ର ଜନ୍ମ ନାହିଁ 
 ଏ ଶରୀର ଛଡ଼ା  
ଆତ୍ମା ଜାଣେ ନାହିଁ ଜନ୍ମ
ଅବା ମୂତ୍ୟୁ କଣ 
ଆତ୍ମାର ଦେହତ୍ୟାଗକୁ 
କୁହନ୍ତି ମରଣ ।୩।

ମୃତ୍ୟୁ ହୋଇଥାଏ ଏକ  
ଗାଢ଼ ନିଦ୍ରା ପରି 
ଜନ୍ମ ଉଠେ ନିଦ୍ରା ତେଜି 
ଉଠିଯିବା ସରି 
ମୃତ୍ୟୁକୁ ଭୟ କରନା 
ଆହେ ମୂଢ ମନ 
ଜୀବନ ନୀରବଛିନ୍ନ
ନାହିଁ ତା ବିରାମ ।୪।

ଫୁଲ ଫୁଟି ଝଡିଯାଏ 
ମହକ ସୁଗନ୍ଧ  
ସୁଗନ୍ଧରେ ଚତୁର୍ଦ୍ଦିଗ 
ବିତରେ ଆନନ୍ଦ 
ସେହିପରି ଦେହ ତ୍ୟାଗେ 
ପଚିଯିବ ଦିନେ 
ଅମର ଆତ୍ମା ସୁବାସ 
ଥିବ ସବୁଦିନେ ।୫।

ମୂଢ ମନ ଲଗାଇବା 
ବିବେକ ବିଚାର 
ସତ୍ୟ ଚିହ୍ନି ମିଛ ମାୟା 
କର ପରିହାର 
ଜନ୍ମ ମୃତ୍ୟୁ ରହିତ 
ଅଟନ୍ତି ଅନନ୍ତ 
ନିତ୍ୟ ନିରନ୍ତରେ ତୁମେ 
ତାହାକୁ ହିଁ ଚିହ୍ନ ।୬।

ମୋହ ମାୟା ଛାଡି ଦେଇଁ
ତ୍ରିଗୁଣ ଅତୀତ 
ଦେହ ପ୍ରୀତି ହୋଇଗଲେ
ପୂର୍ଣ୍ଣ ଅନାଶକ୍ତ 
ଜନ୍ମ ମୃତ୍ୟୁର ଶକତି 
ତୁମେ ବି ,ଲଭିବ 
ଅମର ତତ୍ୱରେ ଯାଇ 
ଲୀନ ହୋଇ ଯିବ ।୭।

● କେଶବ କୋଇଲି ●

କବି ମାର୍କଣ୍ଡ ଦାସ ଓ ତଦୀୟ ରଚନାସମଷ୍ଟି
---------------------------------------------------
             ….. © ଅମୃତେଶ ଖଟୁଆ (୧୮.୦୪.୨୦୨୧)

                       ଓଡିଆ ଭାଷାର ଉଦ୍ଭବକାଳୀନ ରଚନା ମାନ ଅଧିକାଂଶ ଲୋକ ସାହିତ୍ଯ ପରିସରଭୁକ୍ତ ବୋଲି ହିଁ ପରିଲକ୍ଷିତ ହୋଇଅଛି। ଓଡିଆ ଭାଷାର ମୌଳିକ ରୂପ ଓ ସାରୂପ୍ୟ ଗ୍ରହଣ ବେଳକୁ ଯେତେବେଳେ ସାରଳା ଦାସଙ୍କ ଆବିର୍ଭାବ ଘଟିନଥିବାର ଜଣାଯାଏ , ସେତେବେଳେ ଚଉତିଶା, ଚଉପଦୀ, କୋଇଲି, ଚତୁର୍ଦ୍ଦଶାକ୍ଷରୀ ପଦ୍ୟ ଓ ଦାଣ୍ଡୀବୃତ୍ତ ପରି ଓଡିଆ ଭାଷାରେ କବିତା ଲିଖନର ମୂଳପତ୍ତନ ହୁଅନ୍ତି । ସେହିପରି ସଂସ୍କୃତ ଭାଷାରେ ଦୂତ କାବ୍ୟ ପରି ଓଡିଆ ଭାଷାରେ କୋଇଲି- ଚଉତିଶା ନିତାନ୍ତ ପ୍ରାଚୀନ ସୃଷ୍ଟି ହୋଇଥିଲେ ମଧ୍ୟ ଜନପ୍ରିୟ ଅଟନ୍ତି । କୋଇଲିକୁ ଦୂତ ପରି ଏଠାରେ ଅନୁପ୍ରେରିତ କରି ଜନମାନସର ଭାବାଦିର ଅଭିନବ ବର୍ଣ୍ଣନା ଏହା ଦ୍ଵାରା ସମ୍ଭୂତ ।

                             ଅନୁକ୍ରମମୂଳକ ବର୍ଣ୍ଣାଦ୍ୟ ସୃଷ୍ଟି, ବର୍ଣ୍ଣନାର ତଦନୁରୂପ କ୍ରମିକ-ବିନ୍ୟାସ ମାଧ୍ୟମରେ ସମ୍ଵୋଧନ-ସୂଚୀ ସଂଗୀତ ଯେଉଁ ଲୟ ଓ ଭାବୋଦ୍ଦୀପନା ସୃଷ୍ଟି କରୁଛି, ସେଥିରେ ଥିବା ପୁଣି ସହଜ-ସ୍ମରଣୀୟତା ଏବଂ ଅନାବିଳ ପ୍ରେମଧର୍ମିତା ଖୁବ୍ ପ୍ରାଣବନ୍ତ । ଆଧୁନିକ ଓଡିଆ ଭାଷାରେ ଏଯାବତ ଯାହାକୁ ସର୍ବାଦ୍ୟ କବିତା ସ୍ଵରୂପ ବା ସେହି ଗୀତିଧର୍ମୀ କୋଇଲି ବୋଲି ମାନ୍ୟତା ଦିଆଯାଏ, ସେଥିରେ ଆମେ କୋଇଲି ତଥା ଚଉତିଶାର ଯୁଗ୍ମ-ପ୍ରକରଣ ଦେଖି ପାରିବା । ଏହା ହେଉଛି ଓଡିଆ ମାଟିର ପ୍ରାଚୀନତମ କୋଇଲି କବି ମାର୍କଣ୍ଡ ଦାସଙ୍କ ରଚିତ ''କେଶବ କୋଇଲି'' । ଏହା ସମଗ୍ର ଉତ୍କଳୀୟ ଅବଧାନରେ ଏତେ ଜନପ୍ରିୟ ରଚନା ଯେ ପୂର୍ବେ ବିଦ୍ୟାଳୟରେ ଅକ୍ଷର ଶିକ୍ଷା ଅନ୍ତେ ଏ କବିତା ମୁଖସ୍ଥ କରାଯାଉ ଥିଲା । 

                            କେଶବ କୋଇଲିର ସ୍ରଷ୍ଟା ମାର୍କଣ୍ଡ ଦାସଙ୍କ କାଳକ୍ରମ ବିବଦମାନ । ପଣ୍ଡିତ ବିନାୟକ ମିଶ୍ର ନିଜ ଗ୍ରନ୍ଥ 'ଓଡିଆ ସାହିତ୍ୟର ଇତିହାସ' ରେ ଯେଉଁ ଉଲ୍ଲେଖ ଦେଇଛନ୍ତି ତାହାକୁ ସମାଲୋଚନା କରିଛନ୍ତି ବିଶିଷ୍ଟ ସାହିତ୍ୟିକ ଡ. କରୁଣାକର କର । ଉକ୍ତ ପୁସ୍ତକର ୧୧୯ ପୃଷ୍ଠାର ଚତୁର୍ଥ ଧାଡିରେ ପଣ୍ଡିତ ଲେଖିଲେ ଯେ ଚତୁର୍ଦ୍ଦଶ ଶତାବ୍ଦୀର ପୁରୀ ବୀରପ୍ରତାପପୁର ନିବାସୀ ମାର୍କଣ୍ଡ ଦାସ ଯିଏ 'ପ୍ରାକୃତ ପ୍ରକାଶ' ନାମକ ପୁସ୍ତକର ରଚୟିତା । ପୁନଶ୍ଚ 'ଓଡିଆ ଭାଷାର ଇତିହାସ' ପୁସ୍ତକରେ ସେହି ମାର୍କଣ୍ଡ ଦାସ ୧୬ଶ ଶତାବ୍ଦୀର ଥିବାରୁ ଡ. କରୁଣାକର କର ପଣ୍ଡିତ ବିନାୟକ ମିଶ୍ରଙ୍କ କାଳାନୁକ୍ରମକୁ ଗବେଷଣାଗତ ପ୍ରମାଦ ଓ ତ୍ରୁଟି ବୋଲି ଉଲ୍ଲେଖ କରିଛନ୍ତି । ସେହିପରି ଭାବେ ଭାଷାଗତ ଶୈଳୀରୁ ମଧ୍ୟ ଯେଉଁ ଜାତିଗତ ନିରୂପଣ ହୁଏ, ତାହାକୁ ମଧ୍ୟ ବିରୋଧ କରାଯାଇଛି ।

                              ମାତ୍ର ବିଶିଷ୍ଟ ସାହିତ୍ୟିକ ସୁରେନ୍ଦ୍ର କୁମାର ମହାରଣା, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ଏବଂ ବଂଶୀଧର ମହାନ୍ତି କବିଙ୍କ ସମୟକୁ ୧୫ ଶ ଶତାବ୍ଦୀ ବୋଲି ବିବେଚିତ କରିଛନ୍ତି । ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ଏହାକୁ ପଞ୍ଚସଖାଙ୍କ ପୂର୍ବବର୍ତ୍ତୀ ବୋଲି ବର୍ଣ୍ଣନା କରି ଜଣାଇଛନ୍ତି ଯେ ପଞ୍ଚସଖାଙ୍କ ପୂର୍ବରୁ କବି ମାନେ ନିଗୂଢତତ୍ତ୍ଵ ସବୁକୁ ଲୋକଙ୍କ ରୂପକ ଛଳରେ ପ୍ରକାଶ କରିବାର ସୁଖଲବ୍ଧ ହୋଇ ସାଧାରଣ ଜନମାନସରେ ଜ୍ଞାନଚର୍ଚ୍ଚାକୁ ପୂର୍ଣ୍ଣମାତ୍ରାରେ ମାନ୍ୟତା ଦେବା ପାଇଁ ଚେଷ୍ଟିତ ହେଇ ସାରିଥିଲେ । ସୁରେନ୍ଦ୍ର କୁମାର ମହାରଣା କୁହନ୍ତି ଯେ କବି ଷୋଡ଼ଶ ଶତାବ୍ଦୀର କବି ହେଲେ ହେଁ ତାଙ୍କ କୌଳିକ ସଂଜ୍ଞା, ପରିବାର ପ୍ରଭୃତିର ସମ୍ୟକ୍ ସୂଚନା ଏଯାବତ ଅସ୍ପଷ୍ଟ । 

                    ମାତ୍ର ଭାଷା, ଭାବ ଓ ପ୍ରକାଶଭଙ୍ଗୀ ଦୃଷ୍ଟିରୁ ଏହା ଅତୀବ ଜନପ୍ରିୟ, ଯାହାର ଶ୍ଳାଘ୍ଯ ବର୍ଣ୍ଣନା ଦେଇଛନ୍ତି ଡ. ମାୟାଧର ମାନସିଂହ । ତାଙ୍କ ଅଭିମତରେ ଏତେ କ୍ଷୁଦ୍ର ଦାନ ଥିବା ସତ୍ତ୍ଵେ ଓଡିଆ ସାହିତ୍ୟରେ ଏତାଦୃଶ ପ୍ରଶଂସ୍ୟ ଜନପ୍ରିୟତା ପାଇବାରେ କବି ମାର୍କଣ୍ଡ ଦାସଙ୍କ ବିସ୍ମୟକର କୃତିତ୍ୱ ଅନସ୍ଵୀକାର୍ଯ୍ୟ । ମାୟାଧର ମାନସିଂହ ଶେଷକୁ ଲେଖିଲେ , "କିନ୍ତୁ ଦାସଙ୍କ ଜନପ୍ରିୟତା ଆଦୌ ତାତ୍ପର୍ଯ୍ୟଶୂନ୍ୟ ବା ଅଭାଜନ ନୁହେଁ । ସେ ଯାହା ଛାଡି ଯାଇଛନ୍ତି , କ୍ଷୁଦ୍ର ହେଲେ ହେଁ ତାହା ବ୍ରହ୍ମ-ଜାତି ହୀରକ ଛଡା ଆଉ କିଛି ନୁହେଁ । " ଆଉ କୋଇଲି ରଚନାମାନଙ୍କର ଅନ୍ୟତମ ବୈଶିଷ୍ଟ୍ୟ ହେଉଛି ଯେ ଏହା ବୁଦ୍ଧିବାଦୀ ସାମନ୍ତପଣର ଶାସ୍ତ୍ରୀୟତାକୁ ପରିହାର କରି ଲୋକ-ପ୍ରାଣାଭିମୁଖୀ ହୋଇଛନ୍ତି । 

                           ମଥୁରା ନରପତି କଂସ ଶ୍ରୀକୃଷ୍ଣଙ୍କୁ ନିଜର ବଧର କାରଣ ବୋଲି ଜାଣିସାରିଛି। ବହୁସଂଖ୍ୟକ ଅସୁରମାନଙ୍କୁ ପ୍ରେରଣ କରି ସୁଦ୍ଧା ବିଫଳ-ମନୋରଥ କଂସ ଏଥର ଅକ୍ରୁରଙ୍କୁ କହି କୃଷ୍ଣ ଓ ବଳରାମଙ୍କୁ କଂସ-କଟକରେ ଧନୁ ଯାତ୍ରା ଛଳରେ ନିଃଶେଷ କରିବାର ଉଦ୍ୟମ ରଚନା କରେ । କାରଣ, ଶୂନ୍ୟବାଣୀ ଥିଲା ଯେ ଗୋପପୁରକୁ କଂସ ପ୍ରବେଶ କରିପାରିବ ନାହିଁ । ହେଲେ ଶ୍ରୀକୃଷ୍ଣଙ୍କ ଗୋପ ଛାଡି ଯିବାର ଦୁଃଖ ବାତ୍ସଲ୍ୟମୟୀ ଯଶୋଦା ଓ ଆପ୍ରାଣପ୍ରିୟ ଗୋପ ବାସୀଙ୍କୁ ଅଦୃଷ୍ଟ ନଥିଲା । କୃଷ୍ଣ କଣ୍ଟ ଦେଇ ଚାଲିଗଲେ ଆଉ କଂସପୁରରେ କଂସବଧ ପରେ କୃଷ୍ଣ କିନ୍ତୁ ଫେରି ନାହାନ୍ତି । ତାଙ୍କ ଅବର୍ତ୍ତମାନରେ ଭଗ୍ନହୃଦୟା ଯଶୋଦା ସ୍ମର-ହୃଦୟରେ ମର୍ମଭେଦୀ ଆକୁଳତାରେ କୃଷ୍ଣଙ୍କ ପ୍ରତି ନିଜର ବିଳାପ ପ୍ରକାଶ କରିଛନ୍ତି :

  "କୋଇଲି (ଲୋ) କେଶବ ଯେ ମଥୁରାକୁ ଗଲା ।
   କାହା ବୋଲେ ଗଲା ପୁତ୍ର ବାହୁଡ଼ି ନଇଲା ଲୋ, କୋଇଲି ।
   କୋଇଲି (ଲୋ), ଖଣ୍ଡ କ୍ଷୀର ଦେବି ମୁଁ କାହାକୁ,
   ଖାଇବାର ପୁତ୍ର ଗଲା ମଥୁରାପୁରକୁ ଲୋ, କୋଇଲି ।
   କୋଇଲି (ଲୋ), ଗଲା ପୁତ୍ର ବାହୁଡି ନଇଲା,
   ଗହନ ତ ବୃନ୍ଦାବନ ଶୋଭା ନ ପାଇଲା ଲୋ, କୋଇଲି ।"

                     'କ' ଠାରୁ 'କ୍ଷ' ଚଉତିରିଶ ଗୋଟି ବ୍ୟଞ୍ଜନ ବର୍ଣ୍ଣର କ୍ରମରେ ଲିଖିତ ଏ କୋଇଲି-ଚଉତିଶାରେ କେବଳ 'ଙ', 'ଞ', 'ଣ' ବର୍ଣ୍ଣରେ ଶବ୍ଦ ଅନୁପସ୍ଥିତ ହେତୁ ଏହା ବ୍ୟତୀତ 'ନ' ର ଉଲ୍ଲେଖ ଘଟିଛି । ଏଥିରେ ସବୁଠାରୁ ଆକର୍ଷଣୀୟ ଓ ହୃଦୟଭେଦୀ ହେଉଛି 'ଲୋ କୋଇଲି' ର ଆଦ୍ୟ ଓ ଅନ୍ତରେ ସମ୍ଵୋଧନ । ଏହା ସମ୍ପର୍କରେ ବିଶଦ ଆଲୋଚନା ହୋଇଥିବା ପରିଲକ୍ଷିତ ହୋଇଛି । ବିଶିଷ୍ଟ ସଂଗ୍ରାହକ ବିଜୟ ଚନ୍ଦ୍ର ମଜୁମଦାର ଏହାକୁ ସଂକଳିତ କରିବା ସମୟରେ ଏହାର 'ଲୋ' ସମ୍ଵୋଧନକୁ ଏହି କୋଇଲିର ଅନ୍ୟତମ ଆତ୍ମିକ ବୋଲି କହିଛନ୍ତି । କଥିତବ୍ୟ ଯେ ଏହି ଆଙ୍ଗିକ ଓ ଆତ୍ମିକ ଧାରା ଏତେ ପ୍ରଭାବଶାଳୀ ଥିଲା ଯେ ଆଶ୍ରୋତାବକ୍ତାଙ୍କର ପ୍ରାଣରେ ନୂଆ ଉଦବେଳନ ସୃଷ୍ଟି କରିଥିଲା । ଅଷ୍ଟାଦଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ଏହି ପ୍ରକରଣ ଅବ୍ୟାହତ ରହିଥିବାର ସାହିତ୍ୟ ଗବେଷକ କୁହନ୍ତି ।

                   ପଣ୍ଡିତ ନୀଳକଣ୍ଠ ଦାସ କିନ୍ତୁ କୁହନ୍ତି ଯେ ସାଙ୍ଗଦେବଙ୍କ 'ସଙ୍ଗୀତ ରତ୍ନାକର' ର ଚତୁର୍ଥ ଅଧ୍ୟାୟରେ 'ଓବୀ' ଓ 'ଲୋଲି' ନାମକ ଦୁଇଟି ଭାଷା ସନ୍ନିବେଶିତ । ଏବଂ ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି ଏହା ମଧ୍ୟ ଚଉତିଶା ଶୈଳୀରେ ଲୋକେ ବୋଲୁଥିଲେ । ଏହା କୌଣସି ଅର୍ଥଗତ ପଦ ହୋଇନଥିଲେ ମଧ୍ୟ ଏହା ତିନି ଭାଗରେ ବିଭକ୍ତ । ଅନ୍ତ୍ୟାନୁପ୍ରାସଯୁକ୍ତ ହୋଇ ପ୍ରାକୃତ-ପଦାବଳୀ-ମଣ୍ଡଣିରେ 'ଲୋଳୀ' ଶବ୍ଦ ଛତ୍ରସ୍ଵରୂପ ସ୍ଵର-ସମ୍ବୋଧନ-ସୂଚୀ । ହେଲେ ଏହାକୁ ଖଣ୍ଡନ କରନ୍ତି ଜାନକୀବଲ୍ଲଭ ମହାନ୍ତି (ଭରଦ୍ଵାଜ) । ତାଙ୍କ ମତରେ ଏହି 'ଓବୀ' ଓ 'ଲୋଲି' ର କୌଣସି ଅର୍ଥ ହିଁ ନାହିଁ । ସମ୍ଭବତଃ ଏହା ନିରର୍ଥକ ଏବଂ ଓଡିଆରେ ହେ', ଯେ' ଭଳି ଏହା ପ୍ରାକୃତ ଗୀତର ପଦମାନଙ୍କରେ ବ୍ୟବହୃତ ହେଉଥିଲା । ଏବଂ 'ଲୋଲୀ' ଓ 'ଓବୀ' ପରି ସବୁ କୋଇଲି ତିନିଖଣ୍ଡ ବିଭକ୍ତ ନୁହଁନ୍ତି । ଏଣୁ ନିର୍ଦ୍ଦିଷ୍ଟ ରୂପେ ଏହା କୌଣସି ସାଙ୍ଗୀତିକ ଗାନରୀତିରୁ ଉଦ୍ଭୂତ ନୁହେଁ।

                          'ଲୋ କୋଇଲି' ସମ୍ଵୋଧନରେ ଓଡିଆ ଭାଷାର ମୌଳିକତା ବେଶ୍ ସ୍ପଷ୍ଟ ବୋଲି ଜାନକୀବଲ୍ଲଭ ମହାନ୍ତି କହିଛନ୍ତି । କୋଇଲି ଏକ ସନ୍ଦେଶାତ୍ମକ ଗୀତି ହୋଇଥିଲେ ମଧ୍ୟ କୋଇଲିକୁ ଦୂତ ପର୍ଯ୍ୟାୟଭୁକ୍ତ କରାଯାଇ ନାହିଁ । ଯାହା ପରବର୍ତ୍ତୀ ପରୀକ୍ଷଣ-ନିରୀକ୍ଷଣରୁ ଫଳଶ୍ରୁତି-ଅବହିତ । କାରଣ ଏଠାରେ କୋଇଲି ଏକ ସନ୍ଦେଶବାହୀ ହେବା ଅପେକ୍ଷା ଏକ ନିଃସଙ୍ଗ ଭାବାବେଶର ଜଣେ ଭାବ-ସମ୍ଵେଦୀ ସମବ୍ୟଥୀ ହୃଦୟବତ୍ତା ଥିବା ଶ୍ରୋତା । କୋଇଲିର ଭାଷା ଏପରି ଭାବରେ ସହଜ-ସ୍ମରଣୀୟ ଯେ ଏହାର ଭାଷା, ରୂପ, ଭାବ ଓ ଶବ୍ଦର ଭବ୍ୟ ସଂଯୋଗୀକରଣ ଦ୍ଵାରା ଏହା ନିରକ୍ଷର ଲୋକର ମାନସପଟରେ କିୟତ୍ ସମୟରେ ହିଁ ଗ୍ରନ୍ଥିତ ହୋଇଯାଏ । ସେଥିପାଇଁ କାବ୍ୟ କବିତା ଅପେକ୍ଷା ଗ୍ରାମ୍ୟ ରୀତିର ସମରସତା ପାଇଁ ସର୍ବଜନାଦୃତ । ଆଉ ମାର୍କଣ୍ଡ ଦାସଙ୍କ ପରବର୍ତ୍ତୀ ସମୟ ଏହି ପରିସରଭୁକ୍ତ ହେବାକୁ ଲାଗିଲେ ।

                      ରସ ଓ ଚେତନା ଦୃଷ୍ଟିରୁ ଏହା ଭାବଗର୍ଭକ ଓ ଗଭୀର ମାତ୍ସଲ୍ୟ ଓ ବିଦାୟଜନିତ କାରୁଣ୍ୟର ମେଳାପରେ ସୃଷ୍ଟ । 'କେଶବ କୋଇଲି' ରେ ବିଳାପ ଭିତରେ କୃଷ୍ଣଙ୍କ ଜନ୍ମ ବିବରଣୀ , ଯଶୋଦାଙ୍କର ଲାଳନ ପାଳନ, ଗୋପୀମାନଙ୍କର ଅନୁରାଗ , କଂସର ବିଫଳ ପ୍ରୟାସ, ଇନ୍ଦ୍ରର ସପ୍ତଦିନ ବ୍ୟାପୀ ଘୋର ବର୍ଷା କରାଇବାରୁ କାଣି ଅଙ୍ଗୁଳିରେ ଗୋବର୍ଦ୍ଧନକୁ ଠିଆ କରେଇବା ଭିତରେ ପ୍ରାଣବନ୍ତ ଲାଗେ ଯଶୋଦାଙ୍କର ମମତ୍ଵ । କୋଇଲିଟି ଯେପରି ବୋଲିବା କ୍ଷଣି ଆଖିରୁ ସ୍ଵତଃ ଲୋତକ ଧାର ବହି ଆସିବାର ସମ୍ଭାବନା ଏଡାଇ ହବନି । ନିଜ ପ୍ରାଣର ଶିଶୁକୁ ବଡ଼ ହେବା ପର୍ଯ୍ୟନ୍ତ ଖୁଏଇବା, ପିଏଇବା, ଉଠିବା, ଅଝଟ ହେବା, ସରଲହୁଣୀ ଲୁଚେଇ ଖାଇବା ଭଳି ସେଇ ଶିଶୁ ଭଳି ଗୋଟିଏ ନିଷ୍କପଟ ପ୍ରାଣ ପ୍ରତି ମମତ୍ଵର ଗଭୀର ଆବେଗ ପୁଣି ଫୁଟି ଉଠେ :

    "କୋଇଲି (ଲୋ), ଟହଟହ ହସୁଥାନ୍ତି କୋଳେ,
     ଟଳଟଳ ହେଉଥାନ୍ତି ଝୁଲିବାର ବେଳେ ଲୋ, କୋଇଲି ।
     କୋଇଲି (ଲୋ), ଠଣ ଯେ ସୁନ୍ଦର ବେନି ପୋଏ,
     ଠକି ଭଣ୍ଡି ଗଲେ କୃଷ୍ଣ ନଇଲେ ବେଡାଏ ଲୋ, କୋଇଲି ।
     କୋଇଲି (ଲୋ), ତନୁରେ ତା' ଲେପଇ କୁଙ୍କୁମ,
     ତନୟ ଖେଳାଉଥାନ୍ତି ଭାଇ ବଳରାମ ଲୋ, କୋଇଲି ॥
     କୋଇଲି (ଲୋ), ଥନ ଭାଙ୍ଗି କ୍ଷୀରପାନ ଦେଲି,
     ଥଅର କାଳକୁ ପୁତ୍ର ଦେଖି ନ ପାରିଲି ଲୋ, କୋଇଲି ॥
     କୋଇଲି (ଲୋ), ଦଉଡିରେ ବାନ୍ଧିଲି ପୁତ୍ରକୁ,
     ଦାମୋଦର ରାଗେ ଗଲେ ମଥୁରାପୁରକୁ ଲୋ, କୋଇଲି ॥
                    

                      ବୃଦ୍ଧାବସ୍ଥା ଯେ ଉପନୀତ ହେଲାଣି ଆଉ ଆଶା ଅଫଳପେପ୍ସୁ ହେବାର ଜାଣି ଏକାନ୍ତ ନୟନ-ପିତୁଳି ତା କେଶବଙ୍କୁ ନେଇ ବଡ଼ ଅଥୟ ହେଉଛନ୍ତି । ବାତ୍ସଲ୍ୟ ବିଳାପ ମଧ୍ୟରେ ମନେ ମନେ ଭାଳି ହେଉଛନ୍ତି ଯଶୋଦା ଯେଉଁ କେଶବଙ୍କୁ ମୁଁ ନିଜେ ଚତୁଃସମ ବୋଳି ସଜେଇ ଦେଉଥିଲି ଆଉ ସରଲହୁଣୀ ଦେଇ ଦେଉଥିଲି, ସେଇ ଦାମୋଦର କଣ ଦୌଡିରେ ଆବଦ୍ଧ କରିବାରୁ ମୋ ଉପରେ ବିରାଗ ରଖି ଆଉ ଫେରିଲେ ନାହିଁ ? ଆଉ ସବୁଠାରୁ ବିଶେଷ ଭାବରେ ଅତି ଅଳ୍ପ ସଂଖ୍ୟକ ପଦାବଳୀ ବିଶିଷ୍ଟ ଏ କୋଇଲିରେ ଓଡିଶାର ସାମାଜିକ ଚିତ୍ର ଯେଉଁ ପରି ପରିସ୍ଫୁଟ ଓ ପରିଚିତି ପାଇଅଛି, ସେଥିରୁ ଏହି ଜନପ୍ରିୟତାର ଅନ୍ୟତମ ଦିଗଟି କ୍ରମେ ଉଜ୍ଜ୍ଵଳ ହୋଇ ଉଠି ସ୍ଵତଃ ପ୍ରତିଭାତ ହେଉଛି ।

                      ଏହା ଗାୟନ ବେଳେ ୧୪ ଅକ୍ଷରରେ ବୋଲା ଯାଇ ଅଷ୍ଟମ ଓ ଶେଷାକ୍ଷରରେ ଯତି ପଡୁଥିବାରୁ 'ମଙ୍ଗଳ' ବୋଲି ବିବେଚିତ କରାଯାଉଛି। ଶୋକାତୁରା ଜନନୀ ମୁଖରେ ଶ୍ରୀକୃଷ୍ଣଙ୍କ ଜୀବନୀକୁ ସଂକ୍ଷିପ୍ତ ଭାବେ ଏଡେ ମନୋହର ପ୍ରସଙ୍ଗରେ ଅବତାରିତ କରିବା ନିହାତି ରୂପେ ଲକ୍ଷ୍ୟଣୀୟ କୃତି। ଏପରିକି କୃଷ୍ଣଙ୍କୁ ଅବତାରୀ ବୋଲି ମଧ୍ୟ ଜାଣି ଯଶୋଦା ୪ର୍ଥ, ୧୦ମ, ୧୮ଶ, ୨୦ଶ, ୨୧ଶ, ୨୩ଶ ପ୍ରଭୃତି ପଦମାନଙ୍କରେ କୃଷ୍ଣଙ୍କୁ ଭଗବାନଙ୍କ ସ୍ଵରୂପରେ ଦେଖି ଥିବାର ନିଜେ ମଧ୍ୟ ବୋଲିଛନ୍ତି, ମାତ୍ର ମାତୃତ୍ଵର ଏ ନିର୍ବିକଳ୍ପ ସ୍ନେହଢଳା ପ୍ରାଣ ତାଙ୍କୁ ପୁତ୍ର ରୂପେ ଏ ଲୌକିକ ସଂସାରରେ ବେଶ୍ ଆପଣାର ହିଁ ମଣିଛି :

 "କୋଇଲି (ଲୋ), ଘର ମୋର ନ ମଣନ୍ତି ନନ୍ଦ,
  ଘଟଣ ନ ଦିଶେ ପୁର ନ ଥିଲେ ଗୋବିନ୍ଦ ଲୋ, କୋଇଲି ।"

 "କୋଇଲି (ଲୋ), ପବିତ୍ର ପୁରୁଷ ମୋ ମାଧୋଇ,
  ପବିତ୍ର ମୁଁ ହେଉଥିଲି କୃଷ୍ଣମୁଖ ଚାହିଁ ଲୋ, କୋଇଲି ।"
  
 "କୋଇଲି (ଲୋ), ଫଳିବାକୁ ନାହିଁ ମୋର ଆଶ,
  ଫଳିବାର ଫଳ ଗଲା ବାସୁଦେବ ପାଶ ଲୋ, କୋଇଲି ।"

 "କୋଇଲି (ଲୋ), ବହୁତ ସହିଲି ତାଙ୍କ ଅଳି,
  ବଡାଇ ଶରଧା ଭାଙ୍ଗିଗଲେ ବନମାଳୀ ଲୋ, କୋଇଲି ।"

        
                       ଖଣ୍ଡକ୍ଷୀର ଖୁଏଇବା, ଆଚାର ବ୍ୟବହାର, ସୁଖଦୁଃଖ ମେଳାପ, ନୟନରେ କଜ୍ଜ୍ଵଳ ଦେବା, କଟୀରେ ମେଖଳା ପିନ୍ଧାଇବା, ଦେହରେ କୁଙ୍କୁମାଦି ଚତୁଃସମ ଲେପିବା ଭଳି ଓଡିଆ ଘରର ଚିତ୍ର ଓ ଚରିତ୍ର ସମବେତ ରାତିରେ ପୁଅ ଚାନ୍ଦ ମାଗିବା ଆଉ ମା' ବାପ "ଆ ଜହ୍ନମାମୁଁ ସରଗ ଶଶୀ" ବୋଲି ଯେଉଁ ଡାକ ଦିଅନ୍ତି ତାହାକୁ ମଧ୍ୟ "ଆ ଆ ଚାନ୍ଦମାମୁଁ" ର ଚିତ୍ରରେ କେଡେ ମନୋଜ୍ଞ ଭାବରେ କବି ଦର୍ଶାଇଛନ୍ତି, ତାହା ନିହାତି ହୃଦ୍ୟ ଓ ପ୍ରାଣର ନିକଟତମ । ମାତା ଆଖିରେ କଜ୍ଜ୍ଵଳ ଗାର ଦେଇ ନାସାମଣି ପିନ୍ଧାଇଦେବା ସହ ସାନ ଭାଇ ସହ ବଡ଼ ଭାଇ ବଳରାମର କ୍ରୀଡା କୌତୁକର ବର୍ଣ୍ଣନା ତଦନୁରୂପ ଫୁଟି ଉଠେ । ଶିଶୁଟିରୁ ନେଇ ବଡ଼ ହେବା ପର୍ଯ୍ୟନ୍ତ ଲାଳନ ପାଳନର ଏ ଚିତ୍ରକଳ୍ପ ମଧ୍ୟ ଆଜି ବି ଲୋକମୁଖରେ ସ୍ମରଚିତ୍ତ ଚୋରା କୃଷ୍ଣଙ୍କ ଲୀଳାବତାରକୁ ଲୋକଙ୍କ ହୃଦୟଗ୍ରାହୀ କରିଛି। 

                      ସେହିପରି ଭାବେ ଶବ୍ଦାବଳୀର ରୂପ ଓ ରସରେ ଓଡିଆ ଭାଷାର ନିଚ୍ଛକ ପ୍ରାଚୀନତା ଓ ଗ୍ରାମ୍ୟ ରୀତି ପ୍ରଭୃତି ଦର୍ଶାଇ ଯାଇ ହୁଏ । 'ନଇଲା', 'ବୋଲେ', 'ଖାଇବାର ପୁଅ', 'ଘଟଣ', 'ଛାଟେକ', 'ବେଢାଏ', 'ଛନ୍ଦଣି', 'ବାନ୍ଧଣି', 'ହାଇ', 'ବାଇ' ପ୍ରଭୃତି ମୁଖାନୁସୃତ ଭାଷାବଳୀ ପାଇଁ ଏହା ଆଦୃତି ପାଇଛି । 'ଝ' ପଦରେ ଥିବା 'ଝଗଡା' ଶବ୍ଦର ଉଲ୍ଲେଖ ମଧ୍ୟ ଦର୍ଶାଏ ଯେ ବୈଦେଶିକ ଶବ୍ଦର ପ୍ରଚଳନ କିୟଦଂଶ ଆରମ୍ଭ ହୋଇ ସାରିଥିଲା । ସେହିପରି ଅବର୍ଗ୍ୟ 'ବ' ଓ ବର୍ଗ୍ୟ 'ବ' ର ସମୁଚିତ ପ୍ରୟୋଗ ମାଧ୍ୟମରେ କବିଙ୍କର ବ୍ୟାକରଣ ଜ୍ଞାନ ଓ ଅବବୋଧର ସୂଚନା ମିଳେ । କାରଣ ସେ 'ବହୁତ ସହିଲି ତାଙ୍କ ଅଳି… " ତଥା "ବୃନ୍ଦାବନ ନ ଶୋଭଇ ମୋର … " ମାଧ୍ୟମରେ ଉଭୟ ବର୍ଣ୍ଣମାନଙ୍କ ଉଚ୍ଚାରଣରେ ସ୍ଵାତନ୍ତ୍ର୍ୟ ରକ୍ଷା କରିଛନ୍ତି ।

                      'କେଶବ କୋଇଲି' ରେ ଥିବା ଜୀବ-ତତ୍ତ୍ଵ ଏବଂ ଆଧ୍ୟାତ୍ମିକ ତତ୍ତ୍ଵମାନଙ୍କୁ ନେଇ ଯେଉଁ ଆବୃତ ଚେତନାଟି ଥିଲା, ତାହା ପରବର୍ତ୍ତୀ ସମୟରେ ଭାଗବତକାର ଅତିବଡୀ ଜଗନ୍ନାଥ ଦାସଙ୍କ 'ଅର୍ଥ କୋଇଲି' ରେ ଜୀବନ୍ୟାସ ପାଇଲା । ଦୁଇ ଶତାଧିକ ପଂକ୍ତିରେ ଅତିବଡୀ ଏହାକୁ ଶ୍ରୀକୃଷ୍ଣ ଓ ଅର୍ଜୁନ ସମ୍ଵାଦ ମାଧ୍ୟମରେ ପରିବେଷଣ କରିଛନ୍ତି । ଅର୍ଜୁନ ଯେତେ ବେଳେ ପଚାରିଲେ - "କେଶବ କୋଇଲି, କାହାକୁ ଯେ କହି" , ଏହାର ଉତ୍ତରରେ ଶ୍ରୀକୃଷ୍ଣ ବର୍ଣ୍ଣନା କରିଲେ , "କୋଇଲି ହେଲା ଜୀବ । ଏହି ପୁଣି ପରମାତ୍ମା ସ୍ଵରୂପ , ଯାହା ଆପେ ଆସିଥିଲା ଆଉ ଆପେ ଚଳିଗଲା । ଆଉ ବାହୁଡି ନ ଆସିବାରୁ ମଥୁରା ସ୍ଵରୂପ ପିଣ୍ଡ ପଡିରହିଲା। " ଜୀବ, ପରମ, ପରମାତ୍ମା, ପିଣ୍ଡରେ ଜୀବନ ଲୀଳା,ପରମାତ୍ମା ଆଉ ଜୀବାତ୍ମା ଭେଦ ଓ ବିଚ୍ଛେଦରେ ବିରହ ପ୍ରଭୃତି ଦର୍ଶନଶାସ୍ତ୍ର-ସମ୍ମତ ବ୍ୟାଖ୍ୟା ଏହି କ୍ଷୁଦ୍ର କଳେବର ବିଶିଷ୍ଟ କବିତାର ଟୀକାରେ ପ୍ରଦତ୍ତ । 

                       ହେଲେ ଅଧ୍ୟାତ୍ମ ଚେତନାର କ୍ଳିଷ୍ଟତା ଓ କୋଇଲି ରଚନା ପରି ସାବଲୀଳତା ଅନ୍ତର୍ହିତ ହେବାରୁ ଏଥି ମଧ୍ୟରେ ଏହା ଲୋକପ୍ରିୟତା ଅର୍ଜନ କରିବାରେ ସଫଳ ହୋଇ ପାରିନଥିଲା । ଏତଦ୍ ବ୍ୟତୀତ ମାର୍କଣ୍ଡ ଦାସଙ୍କ ରଚନାକୁ ଅନୁସରଣ କରି ବଳରାମ ଦାସଙ୍କ 'କାନ୍ତ କୋଇଲି', 'ଶ୍ରୀରାମ କୋଇଲି', ଶଙ୍କର ଦାସଙ୍କ 'ବାରମାସୀ କୋଇଲି', ଲୋକାନାଥଙ୍କ 'ଜ୍ଞାନୋଦୟ କୋଇଲି', ତ୍ରିଲୋଚନ ଦାସଙ୍କ 'ଦୟାସାଗର କୋଇଲି', ରାମକୃଷ୍ଣ ଦାସଙ୍କର 'ଯଶୋଦା କୋଇଲି', ବିପ୍ର ଭାଗୀରଥିଙ୍କ 'ବାତ୍ସଲ୍ୟ କୋଇଲି', ସଦାନନ୍ଦ ବ୍ରହ୍ମାଙ୍କ 'କମଳମୁଖ କୋଇଲି', ମଧୁସୂଦନ ସ୍ଵାଇଁଙ୍କ 'ମନବୋଧ କୋଇଲି' ପ୍ରମୁଖ ଲିଖିତ । ଶୈଳୀଗତ ଦୃଷ୍ଟିରୁ ଏହା ସରଳ, ଆଳଙ୍କାରିକ, ଆବେଗିକ, ତାତ୍ତ୍ଵିକ ଇତ୍ୟାଦି ବିଭାଗରେ ବିଭାଗୀକୃତ । 

                      ବର୍ଣ୍ଣମାଳା ଆୟତ୍ତ କରିବା ପରେ ଶତାବ୍ଦୀ ଶତାବ୍ଦୀ ଧରି ଚାଟଶାଳୀ ମାନଙ୍କରେ 'କେଶବ କୋଇଲି' କିଶୋରମାନଙ୍କ ଲଳିତ କଣ୍ଠରେ ଫୁଟି ଉଠୁଥିଲା। ସେ କାଳେ ଖରାବେଳିଆ ପହର ବେଢି ବାପ-ଦାଦି ଗୋସେଇଁ ସବୁ ସାଙ୍ଗୀ ହୋଇ କୋଇଲି ଶୁଣିବା ପାଇଁ ଧାଇଁ ଯାଇ ଚାଟଶାଳୀ ଆଗେ ଠିଆ ହେଇଯାଆନ୍ତି । କେହି କେହି ତ ଦରଜା , ଏରୁଣ୍ଡି ବନ୍ଧ ଲଂଘି ଝରକା ଆଡୁ ଓହଳି ଝୁଙ୍କି ପଡୁଥିବେ ! ସମଗ୍ର କବିତାର ମଧୁର ସଂଗୀତମୟ ଧାରା ଏତେ ମଧୁକ୍ଷରା ଯେ ବାଳକ ବାଳିକାମାନଙ୍କ ନିଷ୍ପାପ ଲଳିତ କଣ୍ଠରେ ତହିଁର ଆବୃତ୍ତି ଶୁଣିବା ଲାଗି ଓଡିଆର ସମାଜ-ନାୟକମାନେ ଏକଦା ଜାତିର ନୂତନ ବଂଶଧରଙ୍କ ଲାଗି ଖଞ୍ଜି ଦେଇଥିଲେ ନୂତନ ପାଠ୍ୟକ୍ରମ ମାଧ୍ୟମରେ। ଓଡିଆ ଚେତନାର ଅକୃତ୍ରିମ ମମତ୍ଵ-ବିଧୁରା ଚେତନାର ପରିପ୍ରକାଶରେ 'କେଶବ କୋଇଲି' ର ସାଫଲ୍ୟ ସର୍ବଦା ସର୍ବଜନ-ହୃଦାବିଷ୍ଟ । 

                   'କେଶବ କୋଇଲି' ବ୍ୟତୀତ ମାର୍କଣ୍ଡ ଦାସଙ୍କ 'ମହାଭାଷ୍ୟ' ନାମକ ଏକ ତତ୍ତ୍ଵପୂର୍ଣ୍ଣ ଗ୍ରନ୍ଥ ଥିବାର ଜଣାଯାଏ । ଏହା ପ୍ରଥମେ 'ପ୍ରାଚୀ ସମିତି' ଦ୍ଵାରା ସଂଗ୍ରହ କରାଯାଇ ପ୍ରକାଶ କରିବା ପାଇଁ ସମୁଦ୍ୟମ ହୋଇଥିଲେ ସୁଦ୍ଧା ଏହା ଅପ୍ରକାଶିତ ଏବଂ ଦୁଷ୍ପ୍ରାପ୍ୟ । ଗ୍ରନ୍ଥଟି 'ରାମ' ଙ୍କୁ ପରମାତ୍ମା ବୋଲି ବିବେଚିତ କରିଛି । ଏକଦା ପାର୍ବତୀଙ୍କୁ ଗୁପ୍ତ ବ୍ରହ୍ମଜ୍ଞାନ କହୁଥିବା ଶିବ ଯେତେବେଳେ ପାର୍ବତୀ ଶୋଇ ପଡିଛନ୍ତି , ସେ ଜାଣିଲେ ଯେ ନିକଟସ୍ଥ ବୃକ୍ଷର କୋଟର ମଧ୍ୟରେ ଏକ ଶୁକ ପକ୍ଷୀ ଏସବୁ ଶୁଣିଦେଇଛି । ମାରିବାକୁ ଉଦ୍ୟତ ଶିବ ଶୁକ ପକ୍ଷୀକୁ ମାରିପାରିଲେ ନାହିଁ । ଆଉ ଏହି ଶୁକପକ୍ଷୀ ଶୁକମୁନି ଭାବେ ଧରାପୃଷ୍ଠରେ ବ୍ରହ୍ମତତ୍ତ୍ଵର ବଖାଣ କରି ପ୍ରସାରିତ ହୋଇଛି । 

 
                      "ଏ ରସ ଭକ୍ତି ରସ ଖଣ୍ଡ । ଭଣଇଂ ବିପ୍ର ମାରକଣ୍ଡ । " ଆପ୍ତ ଭଣତିରୁ ଏହାକୁ ଭକ୍ତିରସାତ୍ମକ ବୋଲି ସେ ଉଲ୍ଲେଖ କରିଛନ୍ତି । ରଚନା ପ୍ରଣାଳୀ ଓ ଭାବ ବିନ୍ୟାସରୁ ଏହାର ପ୍ରାଚୀନତା ସ୍ପଷ୍ଟ ଏବଂ ଏହା ଭାଗବତ ପୂର୍ବରୁ ରଚିତ ନବାକ୍ଷରୀର ଏକ ପ୍ରାଚୀନ ପ୍ରରୂପ । ଗ୍ରନ୍ଥରେ 'ସୁନ୍ଦର' କୁ ରାମାନୁଜ ରାମତାରକା ମନ୍ତ୍ରର ଉପଦେଶ ଦେଇଛନ୍ତି । ଏହି ଗ୍ରନ୍ଥ ସମ୍ପର୍କରେ ଡ. କରୁଣାକର କର ପ୍ରଥମେ ଆଲୋଚନା କରି ଏହାର କେତେକ ଖଣ୍ଡକୁ ବିସ୍ତୃତ ବ୍ୟାଖ୍ୟା ମଧ୍ୟ ପ୍ରଦାନ କରିଅଛନ୍ତି । କବି ଉଭୟ ରାମ ଓ କୃଷ୍ଣଙ୍କର ଭକ୍ତ ଥିଲେ ସୁଦ୍ଧା ରାମପ୍ରାଣତା ଏବଂ ଓଡିଶୀ ବୈଷ୍ଣବ ଧର୍ମର ନିଗୂଢ ବ୍ରହ୍ମତତ୍ତ୍ଵ ବିସ୍ତୃତ ଭାବେ ପ୍ରଦାନ କରିଅଛନ୍ତି । ଗ୍ରନ୍ଥର ୨୩ ନଂ ପୃଷ୍ଠା -

   "ଆସନ କରିବୁ ନିଶ୍ଚଳେ    । ରୁନ୍ଧିବୁ ପ୍ରଥମ କମଳେ ।।
    ତହୁଂ ଦ୍ଵିତୀୟ ପଦ୍ମ ଠାରେ । ପବନ ଅଭ୍ୟାସିବୁ ଧୀରେ ।।
    ତୃତୀୟ ପଦ୍ମେ ପ୍ରକାଶିବୁ   । ଚତୁର୍ଥ କମଳେ ରସିବୁ ।।
    ପଞ୍ଚମେ ବିଶୁଦ୍ଧ ନବରେ । ଅଭ୍ୟାସେ ପ୍ରକାଶିବୁ ଧୀରେ ।।
    ଦୁଇ ପାଖୁଡା ଯେ କମଳ । ଷଷ୍ଠରେ ତହୁଂ କର ମେଳ।।
    ସପ୍ତମେ ସହସ୍ର ଦଳରେ । ପ୍ରକାଶ ତା ମଧ୍ୟ କେଶରେ ।।
    ଅଷ୍ଟମେ ନିରଞ୍ଜନ ସ୍ଥାନେ । ତାରକ ବ୍ରହ୍ମ ବିଦ୍ୟମାନେ ।।
    ଅଭ୍ୟାସି ତହିଂ ପ୍ରକାଶିବ । ନିଶ୍ଚଳେ ଦୃଷ୍ଟି ହୋଇଥିବ ।।
    କେବଳ ଚିନ୍ତି ଭକ୍ତି ଭାବ । ଭ୍ରମର ଗୁମ୍ଫା କର ଠାବ ।।"

                         ଏହା ଥିଲା 'ବ୍ରହ୍ମ' ଦର୍ଶନ ଓ ଲାଭ କରିବା ପାଇଁ ଯୋଗ ସାଧନାର ତାତ୍ତ୍ଵିକ ନିରୂପଣ । ଏହା ପଞ୍ଚସଖା ଯୁଗର ଧର୍ମ ଅନୁରୂପ । ଏହି ସବୁ ତତ୍ତ୍ଵ ବହୁ କାଳ ପୂର୍ବରୁ ଓଡିଶାର ବୈଷ୍ଣବ ଧର୍ମରେ ପ୍ରଚଳିତ । ଶରୀର ମଧ୍ୟସ୍ଥ ଷଟ୍ ଚକ୍ରର ବିବରଣୀ ପ୍ରାଚୀନ ଓଡିଆ ସାହିତ୍ୟର ବିଭିନ୍ନ ରଚନାରେ ପୂରି ରହିଛି । କବି ରାମଭକ୍ତ ହେତୁ ଷଟ୍ ଚକ୍ର ସାଧନା ପରେ ସେ ନିରଞ୍ଜନ ବା ଶୂନ୍ୟ ସ୍ଵରୂପ 'ତାରକ ବ୍ରହ୍ମ' ଙ୍କର ସାକ୍ଷାତକାରର ପରିକଳ୍ପନା କରିଅଛନ୍ତି । ଏହା ପରେ କବି ବର୍ଣ୍ଣନା କରିଛନ୍ତି ଆତ୍ମାର ସ୍ଵରୂପ - ଆତ୍ମା ଅବ୍ୟୟ, ଅଖଣ୍ଡ , ଅବିନାଶ ଓ ତାହା ଆଦିଶକ୍ତିର ଏକ ଅଂଶମାତ୍ର ଏବଂ ତାହା ସର୍ବବ୍ୟାପୀ  :-

   "ଏ ଆତ୍ମା ପରମ ନିଶ୍ଚଳ । ନିର୍ଗୁଣ ପ୍ରଭୁ ଆଦିମୂଳ।।
    ଏହି ସ୍ଵରୂପ ଜୀବ ମଧ୍ୟେ । ପ୍ରକାଶ ହୋଇ ବ୍ରହ୍ମବାଦେ ।।
    ଜଳେ ଯେସନ ଜ୍ୟୋତିର୍ମୟେ । ସକଳ ଘଟେ ଚନ୍ଦ୍ର ରହେ ।। 
    ଲକ୍ଷେକ ଜଳ ଘଟେ ସ୍ଥାପି । ଯଦ୍ୟପି ବୃଷ୍ଟିରେ ନିରୋପି ।।
    ଚନ୍ଦ୍ରର ଜ୍ୟୋତି ଦିବ୍ୟମୟୀ । ସକଳ ଘଟରେ ଦିଶଇ ।।
    ପୁଣି ବିନାଶି ସେ ଅନେକ । ଯଦ୍ୟପି ରଖିବାର ଏକ ।।
    ଚନ୍ଦ୍ରର ରୂପ ଏହି ମତେ । ସେ ଘଟେ ଦିଶଇ ଜଗତେ।।
    ସେ ଘଟ ବିନାଶିଲେ ପୁଣ । ଚନ୍ଦ୍ର ଆକାଶରେ ନିର୍ବାଣ ।।
    ଏ ଆତ୍ମା ରୂପ ଏହି ମତେ । ପ୍ରକାଶେ ସକଳ ଜଗତେ ।।
    ଏ ଆତ୍ମା ଅଖଣ୍ଡ ପୁରୁଷ । ସ୍ଵଭାବେ ଆଦି ଶକ୍ତି ଅଂଶ ।।
    ତାହାର ଜନ୍ମ ମୃତ୍ୟୁ ନାହିଁ । ଅଖଣ୍ଡ ରୂପ ଜ୍ୟୋତି ସେହି ।।"

                କିନ୍ତୁ ଆତ୍ମାକୁ ସାଧନା କରି କିପରି ଷଟ୍ ଚକ୍ର ଭେଦପୂର୍ବକ ସହସ୍ର ଦଳ କମଳ ମଧ୍ୟସ୍ଥ କେଶରରେ ଆତ୍ମାର ସ୍ଵରୂପ ବ୍ରହ୍ମ ଦର୍ଶିତ ହୁଏ ଏବଂ ଏହାର ପରବର୍ତ୍ତୀ ସକଳ ରୂପ ଓ ସ୍ଵରୂପ ବ୍ରହ୍ମଜ୍ଞାନୀ ମାର୍କଣ୍ଡ ବର୍ଣ୍ଣନା କରିଛନ୍ତି :

  "ତାରକ ତତ୍ତ୍ଵ ବ୍ରହ୍ମ ଅଙ୍ଗ । ଆତ୍ମା ଅଖଣ୍ଡ ଅବିଭଙ୍ଗ ।।
   ତାହାର ଜନ୍ମ ମୃତ୍ୟୁ ନାହିଁ । ନିର୍ଲେପ ଭାବେ ନିତ୍ୟେ ଥାଇଂ ।।
   ସୁନ୍ଦର ଧୂମ ଅଗ୍ନି ପ୍ରାୟେ । ସେ ରୂପ ନିରତେ ଉଦୟେ ।।
   ମୃଣାଳ ସୂତ୍ର ପ୍ରାୟେ ଜ୍ୟୋତି । ଜ୍ଞାନ ଲୋଚନ ତା ନିରୋପି ।।
   ନୀଳ କମଳ ପ୍ରାୟେ ଦିଶେ । ସମେ ସକଳ ଜୀବେ ବସେ ।।
   ଜନ୍ମ ମରଣ ନାହିଁ ତାର । ନିର୍ଲେପ ପ୍ରଭୁ ନିରାକାର ।।
   ପ୍ରଥମେ ଜ୍ୟୋତି ରୂପ ତାର । ଦ୍ଵିତୀୟେ ସୂକ୍ଷମ ଶରୀର ।।
   ତୃତୀୟେ ଲିଙ୍ଗ ରୂପ ହୋଇ । ଚତୁର୍ଥେ ଶକ୍ତି ପ୍ରକାଶଇ ।।
   ଶକ୍ତିର ତହୁଂ ରୂପ ସ୍ଫୁରେ । ମହତ ବୋଲ ଏ ସଂସାରେ ।। "

               ସେହିପରି ଭାବେ ଜ୍ଞାନମିଶା ଭକ୍ତି , ଓଁକାରରୁ ପଞ୍ଚଶାଖା ରୂପୀ ପଞ୍ଚବେଦର ଉତ୍ପତ୍ତି ବିଷୟ, ତାରକ ବ୍ରହ୍ମର ବିଚାର, ଆତ୍ମା ଓ ପରମ ଆତ୍ମାର ତତ୍ତ୍ଵ ବିଚାର କରିଅଛନ୍ତି :

   "ସୁଜ୍ଞାନ ଚକ୍ଷୁ ପ୍ରକାଶିବ । ତ୍ରିକୂଟ ଊର୍ଦ୍ଧ୍ଵେ ଦୃଷ୍ଟି ଦେବ ।।
    ହଂସକୁ ଦୃଷ୍ଟି କରଧୀରେ । ପରମ ଚିନ୍ତି ତଥାନ୍ତରେ ।।
    ଏ ଦୁଇ ରୂପ କରି ମେଳ । ଚିନ୍ତିବ ସହସ୍ର କମଳେ ।।
    ତାରକ ପୁରେ ଦିବ୍ୟ ଜ୍ୟୋତି । ଭୃଙ୍ଗ ସ୍ଵରୂପେ ନିତ୍ୟ ସ୍ଥିତି ।।
    ×                            ×                         ×            

    କେଶର ମଧ୍ୟେ ଦିବ୍ୟସ୍ଥାନ । ଭ୍ରମର ଗୁମ୍ଫା ବିଦ୍ୟମାନ ।।
    ତା' ମଧ୍ୟେ ଅଛି ଗୋଷାମଣି । ବିଜୟେ ସୁନିତ୍ୟକାରିଣୀ ।।
    ଧ୍ୟାନେ ସେ ରୂପ ହୃଦେ ଧରି । ତଥି ଅନ୍ତରେ ଧ୍ୟାନ କରି ।।
    ସେ ଯୋଷାମଣି ହୃଦଗତେ । ବ୍ରହ୍ମ ବିଜୟେ ପ୍ରେମ ତତ୍ତ୍ଵେ ।।
    ଜ୍ୟୋତି ନୀଳେନ୍ଦ୍ରୀ ମଣିପ୍ରାୟେ । ମୁଖ କି ବାଳ ଅର୍କ ହୁଏ ।।
    ଅଗ୍ନି କାଷ୍ଠର ମଧ୍ୟେ ଥାଇ । ଅଭେଦ ରୂପରେ ବସଇ ।।
    ମନ୍ଥିଲେ ହୁଏ ପରକାଶ । ତେବେ ସେ ଦିଶେ ଚଉଦିଶ ।।
    ବୃକ୍ଷର ଦେହେ ପୁଷ୍ପ ଥାଇ । ଫୁଟିଲେ ବାସନା ବାସଇ।।
    ଏ ରୂପେ ବ୍ରହ୍ମ ସର୍ବଭୂତେ । ବସଇ ନିଜ ଲୀଳା ପଥେ ।।"

                          ମାର୍କଣ୍ଡ ଦାସଙ୍କର 'ମହାଭାଷ୍ୟ' ତାଙ୍କ ଅଭୂତପୂର୍ବ ପାଣ୍ଡିତ୍ୟର ନିଦର୍ଶନ । 'କେଶବ କୋଇଲି' ପରେ 'ମହାଭାଷ୍ୟ' ର ଆବିଷ୍କାର ଫଳରେ ଆମେ ଜାଣୁଛୁଁ ଯେ କବିଙ୍କର ସଂସ୍କୃତ ଭାଗବତ, ରାମାୟଣ, ବ୍ରହ୍ମ ବିଦ୍ୟା ବା ଶରୀର ଭେଦ ସମ୍ବନ୍ଧୀୟ ବିଭିନ୍ନ ଯୋଗତତ୍ତ୍ଵରେ ପାରଦର୍ଶୀ ଥିଲେ । ବିଶାଳ ସାରଳା ସାହିତ୍ୟ ପୂର୍ବରୁ ଏହି ରଚନାର ଆଲୋଚନା କରାଯିବାର କୃତୀତ୍ଵ ଡ. କରୁଣାକର କରଙ୍କ ଆଲୋଚନା ପାଇଁ ସ୍ଵାଗତୋର୍ଦ୍ଧ୍ଵ ଅଭିବାଦନୀୟ । ଆମ ସାହିତ୍ୟର ପରିପ୍ରସାରଣ କ୍ଷେତ୍ରରେ ଏହି କୋଇଲି ଓ ଚଉତିଶା ରଚନାରେ ମାର୍କଣ୍ଡ ଦାସଙ୍କ ମୂଳପତ୍ତନ ସତତ ଅଭିନନ୍ଦିତ-ମାଟିର ଅଭିମନ୍ତ୍ରିତ ଅଭିଯାତ୍ରାରେ ଭାଷା ଓ ସାହିତ୍ୟର ଅଭୀଷ୍ଟ ସାଧନାରେ ଅଭିଭୂତ ହେଉ ।

  
                     କଙ୍କରିଳ ଭୂମିରେ କଳନାଦିନୀ ନିର୍ଝରଣୀ ତୁଲ୍ୟ ପ୍ରତୀୟମାନ ହୁଏ ଆମ ଭାଷା ଓ ସାହିତ୍ୟର ଅଭିନବ ପ୍ରବାହ । ସମୟ କ୍ରମେ ଏହି କ୍ଷୁଦ୍ର ନିର୍ଝରଣୀର ବାରିଧାରା ଓଡିଆ ଭାଷା ଓ ସାହିତ୍ୟ ସ୍ଵରୂପ ସ୍ରୋତସ୍ବିନୀକୁ ପରିପ୍ଳୁତ କରିଦେଲା । ଯାହା ଫଳରେ ଖୁବ୍ ଅଳ୍ପ ସମୟ ମଧ୍ୟରେ ସାରଳା ସାହିତ୍ୟ ରୂପକ ବିଶାଳ ମହାନଦୀର ସମ୍ଭବ ହେଲା । ପ୍ରାକ୍-ସାରଳା ସାହିତ୍ଯର ଇତିହାସରେ ସାହିତ୍ଯର ସେପରି ବିଶାଳ ସୃଷ୍ଟି ଓ ପରିସର ଦେଖା ନ ଗଲେ ମଧ୍ୟ ଯାହା ଅଳ୍ପ କିଛି ଦେଖାଯାଏ, ଭାଷାର ଅଭଙ୍ଗ-ଭଙ୍ଗିମ-ପରିପାଟୀର ପରିସର ବୃଦ୍ଧି ପାଇଁ କେବଳ ନୁହେଁ, ବରଂ ବିଭିନ୍ନ ଭାଷା ଓ ସଂସ୍କୃତିରେ ଏହାର ବୈଶିଷ୍ଟ୍ୟ ପ୍ରତିଫଳିତ ।

….. © ଅମୃତେଶ ଖଟୁଆ (୧୮.୦୪.୨୦୨୧)

Thursday, April 15, 2021

🍅🍅ଟମାଟୋ, ବିଲାତି ବାଇଗଣ,ଭେଦରୀ ଓ ପାତଲଘଣ୍ଟା🍅🍅


🍅🍅ଟମାଟୋ, ବିଲାତି ବାଇଗଣ,ଭେଦରୀ ଓ ପାତଲଘଣ୍ଟା🍅🍅


ଟମାଟ,ଟମାଟୋ ଵା ଟମାଟର ଆମ ଦେଶର ଫଳ/ପରିଵା ନୁହେଁ ଏହା ସ୍ପେନ ଦେଶର ଲୋକମାନଙ୍କ ଦ୍ଵାରା ଷୋହଳଶହ ଶତାବ୍ଦୀରେ  ଆମେରିକାରୁ ଆନିତ ହୋଇ ସାରା ଵିଶ୍ଵରେ ଲୋକପ୍ରିୟ କରାଯାଇଥିଲା । କୁହାଯାଏ ସ୍ପେନୀୟ ଵିଜେତା Hernán Cortés ପ୍ରଥମେ ଏକ ଜାତୀୟ ହଳଦିଆଵର୍ଣ୍ଣର ଟମାଟୋକୁ ଆଜଟେକ୍ ନଗର Tenochtitlan ଵା ଆଜିର ମେକ୍ସିକୋରୁ ୧୫୨୧ ଖ୍ରୀଷ୍ଟାବ୍ଦରେ ଆଣିଥିଲେ ।  ହଳଦିଆ ରଙ୍ଗର ବିଲାତି ବାଇଗଣକୁ ସେତେବେଳେ "pomi d'oro" ନାମ ଦିଆଯାଇଥିଲା ଯାହା ଆଜି ବି ଅନେକ ଭାଷାରେ ପ୍ରଚଳିତ ଏଵଂ ଏହାର ଆକ୍ଷରିକ ଅର୍ଥ "ସ୍ଵର୍ଣ୍ଣ ସେଓ" ଅଟେ । ତେବେ ଇଂଲଣ୍ଡରେ ୧୫୯୦ ମସିହା ଯାଏଁ ଟମାଟୋ ଗଛ ଲଗାଯାଇନଥିଲା ।  ଇଂଲଣ୍ଡକୁ ଟମାଟୋ ଆଣିଵାର ଶ୍ରେୟ ଓ୍ଵଲଟର ରାଲେଙ୍କୁ ଦିଆଯାଏ ତେବେ ପ୍ରଥମେ ପ୍ରଥମେ ଏହାକୁ ଇଂଲଣ୍ଡରେ ଵିଷାକ୍ତ ଵିଚାର କରି ଖାଉନଥିଲେ ଏଵଂ କେଵଳ ମାତ୍ର ଉଦ୍ୟାନର ସୌନ୍ଦର୍ଯ୍ୟ ବୃଦ୍ଧି ହେତୁ ଲଗାଉଥିଲେ  । ସେତେବେଳେ ଏହାର ରଙ୍ଗ ଯୋଗୁଁ ଏହାକୁ love apple କୁହାଯାଉଥିଲା । ଇଂଲଣ୍ଡର ଧନୀକମାନେ ଯେଉଁ ଧାତଵ ଵାସନରେ ଖାଉଥିଲେ ସେଥିରେ lead ଵା ସୀସାଧାତୁର ପରିମାଣ ଅଧିକ ରହୁଥିଲା ଫଳରେ ତହିଁରେ ଟମାଟୋ ଖାଇଲେ ତାହା ପେଟ ପାଇଁ ଵିଷାକ୍ତ ହୋଇଯାଉଥିଲା ତେଣୁ ଟମାଟୋ ଵିଷାକ୍ତ ବୋଲି ମାନ୍ୟତା ଚଳୁଥିଲା । ତେବେ ଇଂଲଣ୍ଡର ଦରିଦ୍ରଲୋକେ ଧନୀକଙ୍କ ପରି ପ୍ରୋକ୍ତ ଵାସନରେ ଏ ଫଳକୁ ଖାଉନଥିଵାରୁ ଗରିଵ ଲୋକଙ୍କ ମଧ୍ୟରେ ଧୀରେ ଧୀରେ ଏହା ଲୋକପ୍ରିୟ ହେଵାକୁ ଲାଗିଲା ଏଵଂ ଏହାର ନାମ ରଖାଗଲା "poor mens apple" । 

ଦକ୍ଷିଣ ପୂର୍ଵ ଏସିଆରେ ସ୍ପେନ ଦେଶୀୟ ଲୋକଙ୍କ ଦ୍ଵାରା ଟମାଟର ପ୍ରଥମେ ଆନିତ ହୋଇଥିଲା ଏଵଂ ପରେ ଏହା ସେଠାରୁ ସାରା ଏସିଆ ମହାଦେଶରେ ଵ୍ୟାପିଗଲା ।  ଚୀନ ଦେଶକୁ ଟମାଟୋ ଫିଲିପାଇନସ କିଂଵା ମକାଓଠାରୁ ଆସି ପହଞ୍ଚିଲା ତେବେ ଚୀନାମାନେ ତାକୁ fānqié ନାମ ଦେଲେ ଯାହାର ଆକ୍ଷରିକ ଅର୍ଥ barbarian eggplant ଅଟଇ । ଆଜି ଚୀନ ଵିଶ୍ଵରେ ଟମାଟୋ ଉତ୍ପାଦନରେ ପ୍ରଥମ ହୋଇଥିଵାବେଳେ ଭାରତ ଦ୍ଵିତୀୟ ଓ ତୁର୍କୀ, ଯୁକ୍ତରାଷ୍ଟ୍ର ଆମେରିକା ଓ ଇଜିପ୍ଟ ଯଥାକ୍ରମେ ତୃତୀୟ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି। ଭାରତରେ ବିଲାତି ବାଇଗଣର ଟମାଟୋ ଓ ଟମାଟର ନାମ ଵିଶେଷ ଲୋକପ୍ରିୟ ତେବେ ବହୁତ ଲୋକ ଜାଣିନଥିବେ ଯେ ପ୍ରକୃତରେ ଟମାଟୋ ଶବ୍ଦଟି ମୂଳତଃ ଏକ ଇଂରାଜୀ ଵା ୟୁରୋପୀୟ ଶବ୍ଦ ନୁହେଁ ଵରଂ ଏହା ପ୍ରାଚୀନ ଆମେରକୀୟ ଆଜଟେକ୍ସ ଜାତୀୟ ଲୋକଙ୍କ Nahuatl ଭାଷାର ଏକ ଶବ୍ଦ  tomatlର ଆଧୁନିକ ରୂପ ଅଟେ । ପ୍ରଥମେ Nahuatl ଭାଷାର tomatl ଶବ୍ଦଟି ସ୍ପେନୀୟ ଭାଷାରେ tomate ହୋଇଥିଲା ଯାହା ଇଂରାଜୀରେ ଅନ୍ୟ ଏକ ଆମେରକୀୟ ପାଦପ potato(ଗୋଲ ଆଳୁ) ଆଧାରରେ ଟମାଟୋରେ ପରିଵର୍ତ୍ତିତ ହୋଇଅଛି । 

ଭାରତରେ ବହୁଳ ଭାବରେ ଚାଷ ହେଲାପରେ ସଂସ୍କୃତରେ ବିଲାତି ବାଇଗଣର ରକ୍ତଫଳ,ତାମ୍ରତର,ବାର୍ତ୍ତକୀ ଓ ରାଗାଳୁ ଆଦି ନାମ ରଖାଯାଇଛି ।  ସେହିପରି ଓଡ଼ିଶାରେ ଟମାଟୋ ଏକ ବାଇଗଣ ଜାତୀୟ ପାଦପ ହୋଇଥିଵାରୁ ଏଵଂ ବିଲାତରୁ ଏହାକୁ ଅଣାଯାଇଥିଵାରୁ ଏହାକୁ ବିଲାତି ବାଇଗଣ ନାମ ଦିଆଯାଇଛି । ସେହିପରି ଉତ୍ତର ଭାରତରେ ମଧ୍ୟ ଆଗେ ଏହାକୁ ବିଲାୟତି ଭଣ୍ଟା(ବାଇଗଣ) କୁହାଯାଉଥିଲା କିନ୍ତୁ ଅଧୁନା ଏ ଶବ୍ଦ ହିନ୍ଦୀଭାଷୀଙ୍କ କଥିତ ଭାଷାରୁ ପ୍ରାୟତଃ ଲୁପ୍ତ ହୋଇସାରିଛି । ଟମାଟରକୁ ଓଡ଼ିଶାର କେତେକ ଅଞ୍ଚଳରେ ବିଲାତି ବାଇଗଣ ନକହି କେଵଳ ବିଲାତି,ବିଲାଇତି,ବିଲେଇତି ଇତ୍ୟାଦି ମଧ୍ୟ କୁହାଯାଏ ।  ଓଡ଼ିଶାର ଦକ୍ଷିଣ ପଶ୍ଚିମ ଭାଗରେ ବିଲାତି ବାଇଗଣକୁ ଭେଦରା,ଭେଦରୀ ଓ ଭେଜରୀ ଇତ୍ୟାଦି କୁହାଯାଏ । ଏ ସମସ୍ତ ଶବ୍ଦ ତତ୍ସମ ବର୍ତ୍ତକୀ ତଥା ଓଡି଼ଆ ଭେଜୀ ଶବ୍ଦ ସହିତ ସମଦ୍ଧୃତ । ଓଡ଼ିଆ ଭାଷାରେ ଏକ ପ୍ରକାରର ବାଇଗଣ ଜାତୀୟ ପାଦପକୁ ଭେଜି ବାଇଗଣ କୁହାଯାଏ ସେହିପରି ବିଲାତି ବାଇଗଣ ସାଦୃଶ୍ୟ କଣ୍ଟାଯୁକ୍ତ ଏକ ଜାତୀୟ ଭାରତୀୟ ପାଦପକୁ ଭେଜରୀ କୁହାଯାଇଥାଏ । 

ପୂର୍ଵ ଓଡ଼ିଶାରେ ଵିଶେଷତଃ କଟକ ଓ ଏହାର ଆଖପାଖ ଅଞ୍ଚଳରେ ୧୯୮୦ ମସିହା ସୁଦ୍ଧା ବିଲାତି ବାଇଗଣକୁ ପାଚଲ ଓ ପାଚଲଘଣ୍ଟା କୁହାଯାଉଥିଲା ‌। ତେବେ ସ୍ଥାନୀୟ କଟକୀ କଥିତ ଭାଷାରେ ଟମାଟର ଓ ବିଲାତି ବାଇଗଣ ଆଦି ଶବ୍ଦର ବହୁଳ ପ୍ରୟୋଗ ଯୋଗୁଁ ଏ ଶବ୍ଦଦ୍ଵୟ ଏଠାକାର ଗ୍ରାମାଞ୍ଚଳରେ ରହୁଥିଵା ବୁଢ଼ାବୁଢ଼ଙ୍କ ମୁଖରୁ କ୍ଵଚିତ୍ ଶୁଣାଯାଏ । 

ପଶ୍ଚିମ ଓଡ଼ିଶାରେ ବିଲାତି ବାଇଗଣକୁ ପାତଲ୍ ଘଣ୍ଟା କୁହାଯାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୪୭୫୪ତମ ପୃଷ୍ଠାରେ ଏ ଶବ୍ଦ ସ୍ଥାନିତ ହୋଇଛି ଏଵଂ ଏ ଶବ୍ଦର ଅନ୍ୟ ପ୍ରତିରୂପ ମଧ୍ୟ ସେଠାରେ ଉଲ୍ଲେଖ କରାଯାଇଛି  ଯଥା—

🔹ପାତଲ୍ ଘଣ୍ଟା
🔸ପାତଲ୍ ଭଁଟା
🔹ପାତଲ୍ ଭଣ୍ଟା
🔸ପାତଲ୍ ଭାଁଟା
🔹ପାତଲ୍ ଭାଣ୍ଟା
🔸ପାତଲ୍'ଘଟା

ପାତଲ୍ ଘଣ୍ଟା ଶବ୍ଦର  ଅନେକ ରୂପ ଭଳି ଏ ଶବ୍ଦର ସୃଷ୍ଟିକୁ ନେଇ ମଧ୍ୟ  ନାନା ମତ ରହିଛି । ନିମ୍ନରେ ତନ୍ମଧ୍ୟରୁ କେତେକ ମତ ଵିଷୟରେ ସଂକ୍ଷିପ୍ତ ଆଲୋଚନା କରାଗଲା ।

⬛ମତ [ଏକ]=> ପାତଲ୍ ଅଟେ ଆଵରଣ+ ଘଣ୍ଟା<ଭଣ୍ଟା(ବାଇଗଣ)⬛

ସମ୍ବଲପୁରୀ ଓଡ଼ିଆରେ ପାତଲ୍ ଶବ୍ଦର ଅର୍ଥ ପତଳା ,କ୍ଷୀଣ ଓ ସରୁଆ । ବିଲାତି ବାଇଗଣର ଉପର ଆଵରଣ ଦେଶୀୟ ବାଇଗଣ ଅପେକ୍ଷା ଅତିସରୁ,କ୍ଷୀଣକାୟ ଓ ପତଳା ହୋଇଥାଏ । ତେଣୁ କିଛି ଲୋକଙ୍କ ମତ ଯେ "ପତଳା" ଅର୍ଥଜ "ପାତଲ୍" ସହ "ଭଣ୍ଟା" ଶବ୍ଦର ଏକ ଦେଶଜ ରୂପ "ଘଣ୍ଟା" ଯୁକ୍ତ ହୋଇ ପାତଲ୍ ଘଣ୍ଟା ଶବ୍ଦ ସୃଷ୍ଟି ହୋଇଅଛି । ପ୍ରକାଶ ଥାଉକି ‘ଭଣ୍ଟା’ ଶବ୍ଦଟି ଉତ୍ତର ଭାରତର ଵିଭିନ୍ନ କଥିତ ଭାଷାରେ ବାଇଗଣ ଅର୍ଥରେ ଵ୍ୟଵହୃତ ହୋଇଥାଏ । 

⬛ମତ[ଦୁଇ]ପାତାଳର ଭଣ୍ଟା ଜାତୀୟ ପରିଵା ⬛

ବିଲାତି ବାଇଗଣ ଆମ ଦେଶର ଫଳ ନୁହେଁ । ଏହା ମୂଳତଃ ଆମେରିକାରୁ ଅଣାଯାଇ ଆମ ଦେଶରେ ଚାଷ କରାଯାଇଛି । ପୁରାଣରେ ସପ୍ତ-ପାତାଳର କାହାଣୀ ରହିଛି । କିଛି ଲୋକଙ୍କ ଅନୁସାରେ ମାଟି ତଳେ ସପ୍ତ ପାତାଳ ଅଵସ୍ଥିତ ତେଵେ ଆଉ କିଛି ଲୋକ କୁହନ୍ତି ପ୍ରାଚୀନ ତଥା ହିଂସ୍ର ମାନଵଜାତିଙ୍କ ଦ୍ଵାରା ଵସଵାସ କରାଯାଉଥିଵା ବଡ଼ ଦ୍ଵୀପ ଓ ମହାଦେଶଗୁଡି଼କୁ ସନାତନୀ ପୁରାଣକାରମାନେ ପାତାଳ ଅଭିହିତ କରିଅଛନ୍ତି । ସେମାନଙ୍କ ମତରେ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା,ଆଣ୍ଟାର୍କଟିକା, , ଅଷ୍ଟ୍ରେଲିଆ,ଆରବ,ଇରାକ ଓ ଆଫ୍ରିକାର କିଛି ଅଂଶକୁ ସେତେବେଳର ପୁରାଣରେ ପାତାଳ ଅଭିହିତ କରାଯାଇଥିଵା ସମ୍ଭଵ । ଏସବୁ ଅଞ୍ଚଳରେ ଏମିତି ମାନଵ ସଭ୍ୟତା ଗଢିଉଠିଥିଲା ଯେଉଁମାନେ ବହିରାଗତଙ୍କ ପ୍ରତି ହିଂସ୍ର ଵ୍ୟଵହାର କରୁଥିଲେ । ଆରବରେ ଓ ଇରାକ୍'ରେ ବାର୍ବାରିକ ଓ ଆସିରୀୟ ଲୋକେ ହିଂସ୍ର ଓ ଦୁର୍ଦ୍ଧାନ୍ତ ଥିଵା ଜଣାଯାଏ । ଏଣୁ ଯେହେତୁ ବିଲାତି ବାଇଗଣ ଆମେରିକା ମହାଦେଶର ପାଦପ ଏଵଂ ଆଧୁନିକ ଯୁଗରେ ଏହାର ଆଵିଷ୍କାର ପରେ ଏହାକୁ ଏକ ପାତାଳ ଭାଵରେ ଭାରତୀୟ ଲୋକେ ଅନୁମାନ କରିଥିଲେ ତେଣୁ ସେମାନେ ବିଲାତି ବାଇଗଣର ,ପାତାଳର ଭଣ୍ଟା = ପାତାଳଘଣ୍ଟା ନାମକରଣ କରିଥାଇପାରନ୍ତି । ପାତାଳ ଶବ୍ଦ ସହ ଯୁକ୍ତ ଘଣ୍ଟା ଶବ୍ଦଟି ଭଣ୍ଟାକୀ ଶବ୍ଦର ଏକ ରୂପ ହୋଇଥିଵ କିଂଵା ଘଣ୍ଟାର ପେଣ୍ଡୁଲିୟମ୍ ପରି ଏ ଫଳଟି ତଳକୁ ଓହଳି ଥିଵାରୁ ପାତାଳ ଶବ୍ଦ ସହ ଘଣ୍ଟା ଶବ୍ଦ ଯୋଡ଼ା ହୋଇଥାଇପାରେ । 

⬛ମତ[ତିନି]ତରଳିଆ ଶସ ଯୁକ୍ତ ଭଣ୍ଟା/ପାତଳ+ଭଣ୍ଟା=>ପାତଲଘଣ୍ଟା⬛

ଓଡ଼ିଆ ଭାଷାରେ ପାତଳ ବୋଲି ଶବ୍ଦଟିଏ ଅଛି । ଆମ ଭାଷାରେ ଏହି ଶବ୍ଦର ଅନେକ ଅର୍ଥରେ ଵ୍ୟଵହାର ରହିଛି ! ଯଥା—
କ)ପାଦ ତଳ
ଖ)ପାଆତଳିଆ/ପାଦତଳସ୍ଥିତ(ଵିଶେଷଣ)
ଗ)ଅନୁଗତ
ଘ)ଅତି ହୀନ
ଙ)ପତଳା ଵା ସରୁ(ସମ୍ବଲପୁରୀ ଓଡ଼ିଆରେ ଏହି ଓଡ଼ିଆ ଶବ୍ଦ ପାତଲ୍ ହୋଇଅଛି )
ଚ)କୃଶ ଵା ଶୀର୍ଣ୍ଣକାୟ
ଛ) ଜଳରେ ଗୋଳିଆ ହୋଇଥିଵା
ଜ)ଜଳୀୟ ଵା ତରଳ*
ଝ)ଅଘନ

ଏହି ପାତଳ ଶବ୍ଦଟି ପତଳା ଵା ସରୁ ଅର୍ଥ ଛଡ଼ା ଜଳୀୟ ଵା ତରଳ ଅର୍ଥରେ ମଧ୍ୟ ଵ୍ୟଵହାର ହୋଇଥାଏ । ସେଇଥିପାଇଁ "ଯାଉ(ଯଵାଗୂ)"କୁ ଆମ ଭାଷାରେ "ପାତଳ ଭାତ" କୁହାଯାଏ କାରଣ ସାଧାରଣ ଭାତ ଶୁଷ୍କ ହୋଇଥିଵାବେଳେ ଯାଉଭାତରେ ଜଳୀୟ ଅଂଶ ରହିଥାଏ । ଦେଶୀୟ ବାଇଗଣ ପାଚି ଧୀରେ ଧୀରେ ଶୁଖିଯାଏ କିନ୍ତୁ ବିଲାତି ବାଇଗଣ ପାଚିଲେ ଈଷତ ଲାଲ ଵର୍ଣ୍ଣ ଧାରଣ କରେ ଏଵଂ ତା ମଧ୍ୟରେ ମଞ୍ଜି ସହ ତରଳ ପଦାର୍ଥ ସୃଷ୍ଟି ହୋଇଥାଏ । ସମ୍ଭଵତଃ ବିଲାତି ବାଇଗଣରେ ତରଳ ଶସ ମିଳୁଥିଵାରୁ ଜଳୀୟ ଅର୍ଥରେ ପାତଳ ଶବ୍ଦର ଵ୍ୟଵହାର କରାଯାଇଥିଲା ଏଵଂ ତାହା ସହ ବାଇଗଣ ଅର୍ଥଜ ତତ୍ସମ ଭଣ୍ଟାକୀ ଶବ୍ଦ ଯୋଡ଼ା ଯାଇଥିଲା ଯାହା ସମୟାନୁକ୍ରମେ କେତେକ ଅଞ୍ଚଳରେ ଘଣ୍ଟା ହୋଇଅଛି । 

 ⬛ମତ[ଚାରି]ପାଚଳ=ଖଟା+ଘଣ୍ଟା=>ପା(ଚ/ତ)ଲଘଣ୍ଟା ⬛
 
କିଛି ଲୋକଙ୍କ ଅନୁସାରେ ପାତଲ୍ ଘଣ୍ଟା ଶବ୍ଦ ମଧ୍ୟରେ ଥିଵା ପାତଲ୍ ଶବ୍ଦଟି ଏକ ପ୍ରାଚୀନ ଓଡ଼ିଆ ଶବ୍ଦ "ପାଚଳ" ର ଆଧୁନିକ ରୂପ ଅଟେ । ପ୍ରକୃତରେ ଏହି ଓଡ଼ିଆ ଖଟା ଅର୍ଥଜ ପାଚଳ ଶବ୍ଦଟି ସଂସ୍କୃତର ସମାର୍ଥକ "ପାଚନ" ସହିତ ସମଦ୍ଧୃତ ଅଟେ ।   ଓଡିଆ ମହାଭାରତରେ ତଥା ଅନ୍ଯାନ୍ଯ ପୁରାତନ ଓଡ଼ିଆ ଗ୍ରନ୍ଥରେ ପାଚଲ ଶବ୍ଦଟି ଖଟା ବା ଆମ୍ବିଳ ଅର୍ଥରେ ଵ୍ୟଵହୃତ ହୋଇଅଛି । ବିଲାତି ବାଇଗଣ ଖଟାଳିଆ ହୋଇଥିଵାରୁ ଏଵଂ ଖଟାରେ ଘଣ୍ଟା ହେଉଥିଵାରୁ ଏହାକୁ ଆଗେ ପୂର୍ଵାଞ୍ଚଳରେ  ପାଚଲଘଣ୍ଟା ଵା କେଵଳ ପାଚଲ୍ କହୁଥିଲେ  । 'ଚ' ଓ 'ତ' ଵର୍ଣ୍ଣ ପରସ୍ପର  ପରିଵୃତ୍ତ ହେଇପାରନ୍ତି ତେଣୁ ପୂର୍ଵାଞ୍ଚଳର ପାଚଲଘଣ୍ଟା ଶବ୍ଦଟି ପଶ୍ଚିମାଞ୍ଚଳରେ ପାତଲଘଣ୍ଟା ହୋଇଅଛି ।

⬛ମତ[ପାଞ୍ଚ]ପାଚଲ=ପାଚିଲା ଖଟା ପରିଵା+ଘଣ୍ଟା⬛

ଓଡ଼ିଆ ଭାଷାରେ ‘ପାଚଳ’ ଶବ୍ଦର ଅର୍ଥ “ଵିନା ଅଗ୍ନି ସହାୟତାରେ ପକ୍ଵ ଖାଦ୍ୟଦ୍ରଵ୍ୟ” ଏଵଂ ‘ପାଚଲ’ ଶବ୍ଦର ଅର୍ଥ “ଘାଣ୍ଟିଆ ତିଅଣ ଵା ଆମ୍ବିଳ ତିଅଣ” ଓ ‘ଵିହନ’ । ତତ୍ସମ ‘ପାଚଳ’ ଶବ୍ଦ ସହ ଓଡ଼ିଆ ‘ପାଚଲ’,‘ପାଚିଲା’ ଓ ‚'ପାକଲା' ଇତ୍ୟାଦି ଶବ୍ଦ ସମଦ୍ଧୃତ ଅଟେ ।
କିଡନୀ ଫ଼େଲ୍ ଵା ବୃକ୍କ ଅପକାର୍ଯ୍ୟ ରୋଗୀଙ୍କୁ ଖାଦ୍ୟ ମଧ୍ୟରେ ଆମିଷ, ପାଚିଲା ଫଳ ମନା ଓ ତା ସହ ପରିବା ମଧ୍ୟରେ ଟମାଟୋ ମଧ୍ଯ ମନା l ତେବେ "ଫଳ ତ ମନା ପରିବା ଭିତରେ ଟମାଟୋ କାହିଁକ ମନା ?" କାରଣ "ଫଳ ପାଚିବା ପରି ଟମାଟୋ ବି ପାଚିଥାଏ  l" ନୟାଗଡ଼, କଟକ, ଢେଙ୍କାନାଳରେ ପାଚେ ବୋଲି ସେଠାକାର ଲୋକେ ତେଣୁ ଟମାଟୋକୁ 'ପାଚଲ' କହନ୍ତି l  କଟକର ପୁରପଲ୍ଲୀରେ ଅଦ୍ୟାାବଧି କିଛି ଅଞ୍ଚଳରେ ପାଚଲଘଣ୍ଟା ଶବ୍ଦର ପ୍ରଚଳନ ରହିଛି ଏଵଂ ଏଇ ମାତ୍ର କୋଡି଼ଏ ତିରିଶ ଵର୍ଷ ପୂର୍ଵେ ନୟାଗଡ଼ ଜିଲ୍ଲାରେ ମଧ୍ୟ ଟମାଟୋକୁ ପାଚଲଘଣ୍ଟା କହୁଥିଲେ ବୋଲି ଅନୁସନ୍ଧାନରୁ ଜଣାଯାଏ। ସମ୍ଭଵତଃ "ପାଚିଲା" ଅର୍ଥରେ "ପାଚଲ" ଶବ୍ଦଟି ପାଚଲଘଣ୍ଟା ଶବ୍ଦରେ ଵ୍ୟଵହାର ହୋଇଅଛି । ସମ୍ଭଵତଃ  ଘାଣ୍ଟତିଅଣରେ ଆମ୍ବିଳ ଖଟା ଭାଵରେ ଵ୍ୟଵହାର ହେଉଥିଵାରୁ ଘଣ୍ଟା ଶବ୍ଦଟି ସେହି ଅର୍ଥ ଆଧାରରେ ପାଚଲ ଶବ୍ଦ ସହ ଯୋଡ଼ା ହୋଇଅଛି । 

⬛ମତ[ଛଅ]ପଚ୍ ପଚ୍ ଶବ୍ଦଜ ତେଣୁ ପାଚଲ ଵା ପାତଲ+ଘଣ୍ଟା ଵା ଭଣ୍ଟା⬛

କିଛି ଲୋକଙ୍କ ଅନୁସାରେ ବିଲାତି ବାଇଗଣ  ପାଚିଲେ ପଚ୍ ପଚ୍ ପୁଚପୁଚିଆ ଗୁଣକୁ ପ୍ରାପ୍ତ କରିଥାଏ । ବିଲାତି ବାଇଗଣ ଅତି ପାଚିଗଲେ ତାକୁ ଯଦି ଆଙ୍ଗୁଠି  ଦ୍ଵାରା ଅତିଶୟ ଚାପ ପ୍ରୟୋଗକରି ଚିପାଯାଏ ତେଵେ ତାହା ପଚ୍ ଶବ୍ଦ ସୃଷ୍ଟି ସହ ଫାଟିଯାଏ । ବିଲାତି ବାଇଗଣକୁ ନିଆଁ ମଧ୍ୟରେ ପୋଡ଼ାଗଲେ ମଧ୍ୟ ଏହା ମଧ୍ୟରେ ଥିଵା ଜଳୀୟ ଅଂଶ ଯୋଗୁଁ ପଚ୍ ପଚ୍ ଶବ୍ଦ ଉତ୍ପନ୍ନ ହୋଇଥାଏ । ସମ୍ଭଵତଃ ଏଥିପାଇଁ ଏହି ପଚ୍ ପଚ୍ ଶବ୍ଦ ସୃଷ୍ଟିକାରୀ ପରିଵାକୁ ପୂର୍ଵାଞ୍ଚଳରେ ପାଚଲ ଵା ପଚଲ୍ କୁହାଯାଏ ଏଵଂ ଏହି ଶବ୍ଦର ଅନ୍ୟ ଏକ ରୂପ ପଶ୍ଚିମାଞ୍ଚଳରେ ପାତଲ୍ ହୋଇ ପ୍ରଚଳିତ ଥିଲା । 

⬛ମତ[ସାତ]ପାଟଳ(ଈଷତ ଲାଲ ରଙ୍ଗ)>ପାତଳ>ପାତଲ୍+ଭଣ୍ଡାକି>ଭଣ୍ଟା>ଘଣ୍ଟା⬛

ସଂସ୍କୃତରେ ପାଟଳ ବୋଲି ଶବ୍ଦଟିଏ ଅଛି ଯାହା "ଫକା ନାଲି","ଶ୍ବେତ ରକ୍ତବର୍ଣ୍ଣ" ଵା "ଈଷତ ଗୋଲାପି ରଙ୍ଗ" ଅର୍ଥରେ ଵ୍ୟଵହୃତ ହୋଇଥାଏ । ଇଂରାଜୀରେ ଏହି ରଙ୍ଗକୁ Pale red colour ଵା  whitish red colour କୁହାଯାଏ । ଏହି ରଙ୍ଗଟି ଠିକ୍ ଟମାଟୋ 🍅 ରଙ୍ଗ ପରି ହୋଇଥାଏ । ନାଗେଶ୍ଵର ଗଛ(Mesua ferrea)ର କଅଁଳ ପତ୍ର ଅତି ଈଷତ ଶ୍ଵେତ ରକ୍ତଵର୍ଣ୍ଣର ହୋଇଥାଏ ବୋଲି ତାକୁ ମଧ୍ୟ ପାଟଳଗଛ କୁହନ୍ତି । ଏକ ଜାତୀୟ ସେଵତୀ ପୁଷ୍ପ ଈଷତ ଗୋଲାପି ରଙ୍ଗର ହେଉଥିଵା ହେତୁ ତାକୁ ପାଟଳ କୁହାଯାଏ । ସେହିପରି Stereospermum chelonoides ଗଛକୁ ମଧ୍ୟ ଏହାର ଫିକା ଗୋଲାପି ରଙ୍ଗର ପୁଷ୍ପ ଯୋଗୁଁ ପାଟଳିପୁଷ୍ପ କୁହାଯାଏ । ତେଣୁ ସମ୍ଭଵତଃ ଟମୋଟୋର ଉପର ଆଵରଣ ଫିକା ନାଲି ରଙ୍ଗର ହେଉଥିଵାରୁ ଏହାକୁ ଏହାର ରଙ୍ଗ ଆଧାରରେ ସମାଜର ପଣ୍ଡିତଵର୍ଗଙ୍କ ଦ୍ଵାରା "ପାଟଳ ଭଣ୍ଡାକି" ନାମକରଣ କରାଯାଇଥିଲା । ତେବେ ସମୟକ୍ରମେ ଓଡ଼ିଆ ଭାଷାର ଶବ୍ଦ ପରିଵୃତ୍ତି ପ୍ରକ୍ରିୟା ଯୋଗୁଁ ପାଟଳ ଶବ୍ଦ ପାତଳ ଓ ପରେ ପାତଲ୍ ରେ ପରିଵୃତ୍ତ ହୋଇଥିଵାବେଳେ ବାଇଗଣ ଅର୍ଥଜ ତତ୍ସମ ଭଣ୍ଟାକୀ ଶବ୍ଦ ଭଣ୍ଟା,ଭାଁଟା ,ଘଣ୍ଟା ଓ ଘଟା ଇତ୍ୟାଦିରେ ପରିଵର୍ତ୍ତିତ ହୋଇଅଛି । 

ଏହିପରି ଭାବେ ଟମାଟୋ ଅର୍ଥରେ ଵ୍ୟଵହୃତ ପାଚଲଘଣ୍ଟା ଵା ପାତଲଘଣ୍ଟା ଶବ୍ଦର ନିରୁକ୍ତି ସମ୍ବନ୍ଧରେ ନାନା ମତ ପ୍ରକାଶ ପାଇଥାଏ ଏଵଂ ଵ୍ୟାଖ୍ୟା ଦୃଷ୍ଟିରୁ ଅଧିକାଂଶ ମତ ଯୁକ୍ତିଯୁକ୍ତ ମଧ୍ୟ ଲାଗେ ତେଣୁ ପାଚଲଘଣ୍ଟା ଵା ପାତଲଘଣ୍ଟା ଶବ୍ଦର ମୂଳକୁ ନେଇ ଵିଵାଦ ଛିଣ୍ଡିଵା ପରିଵର୍ତ୍ତେ ଦ୍ଵନ୍ଦ୍ଵ ବଢ଼ିଥାଏ । 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପାତଲ୍ ଶବ୍ଦ ସହିତ ଯୁକ୍ତ ହୋଇଥିଵା  ଘଣ୍ଟା ଶବ୍ଦକୁ ନେଇ ପ୍ରାୟ ଲୋକଙ୍କ ମନରେ ସନ୍ଦେହ ଜାତ ହୋଇଥାଏ । କେ‌ହି କେହି ଭାବି ପାରନ୍ତି ଯେ ଏହି ଘଣ୍ଟା ଶବ୍ଦଟି ଘାଣ୍ଟିଵା କ୍ରିୟା ଶବ୍ଦ ସହିତ ସମଦ୍ଧୃତ ହୋଇଥିଵା ସମ୍ଭଵ । ପୂର୍ଵେ "ଆମ୍ଵିଳ ଘାଣ୍ଟିଆ ତିଅଣ" କଲାଵେଳେ ବିଲାତି ବାଇଗଣ ପକାଇ ଘଣ୍ଟା ଯାଉଥିଵା ହେତୁ କିମ୍ବା ବିଲାତି ବାଇଗଣରେ ଥିଵା ଈଷତ ଲାଲ ଵର୍ଣ୍ଣର ଶସ ଓ ତାହାର ଵୀଜ ଗୋଳେଇ ଘାଣ୍ଟି ହୋଇ ରହିଥାଏ ବୋଲି  ପାତଲ୍ ଶବ୍ଦ ସହିତ ଘଣ୍ଟା ଶବ୍ଦ ଯୁକ୍ତ ହୋଇଅଛି । 
ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ପାତଲ୍ ଘଣ୍ଟା ଶବ୍ଦର ଉଲ୍ଲେଖିତ ଅନ୍ଯ ପ୍ରତିରୂପ ଏହି ମତର ଖଣ୍ଡନ କରିଥାଆନ୍ତି । ପାତଲଘଣ୍ଟାର  ପାତଲ୍ ଭଁଟା,ପାତଲ୍ ଭଣ୍ଟା,ପାତଲ୍ ଭାଁଟା ଓ ପାତଲ୍ ଭାଣ୍ଟା ଆଦି ପ୍ରତିରୂପରେ ଭଣ୍ଟା ଶବ୍ଦଟି ସ୍ପଷ୍ଟ ଭାବରେ ଦୃଷ୍ଟିଗୋଚର ହୋଇଥାଏ । 
ଭଣ୍ଟାକୀ ମୂଳର ଭଣ୍ଟା ଶବ୍ଦରୁ ପାତଲଘଣ୍ଟା ଶବ୍ଦରେ ଥିଵା ଘଣ୍ଟା ଶବ୍ଦ ସୃଷ୍ଟି ହୋଇଥିଵା ସମ୍ଭଵ । "ଭ" ଓ "ଘ" ଉଭୟ ମହାପ୍ରାଣ ଵର୍ଣ୍ଣ ହୋଇଥିଵାରୁ ଏମନ୍ତ ହେଵା ଅସମ୍ଭଵ ନୁହେଁ।

 ଏମିତି ବି ହୋଇପାରେ ଯେ ବୋଧହୁଏ ଓଡ଼ିଶାର ପୂର୍ଵ ଓ ପଶ୍ଚିମରେ ବିଲାତି ବାଇଗଣ ପାଇଁ ଦୁଇଗୋଟି ଭିନ୍ନ ଭିନ୍ନ ଶବ୍ଦ ସୃଷ୍ଟି ହୋଇଥିଲା । 

▶️ପଶ୍ଚିମ ଓଡ଼ିଶାରେ ପାତଲଭଣ୍ଟା(ସରୁ ଆଵରଣ ଵା ପାଟଳ ରଙ୍ଗଯୁକ୍ତ ଭଣ୍ଟା ଅର୍ଥାତ୍ ବାଇଗଣ)

▶️ପୂର୍ଵ ଓଡ଼ିଶାରେ ପାଚଲଘଣ୍ଟା(ପାଚଲ ଵା ଆମ୍ଵିଳ ତୁଣରେ ଯେଉଁ ପରିଵା ଵା ଫଳକୁ ଘଣ୍ଟାଯାଏ)

ତେଵେ ପୂର୍ଵାଞ୍ଚଳର କଥିତ ଭାଷାଦ୍ଵାରା ପ୍ରଭାଵିତ ହୋଇ ସମୟକ୍ରମେ ପଶ୍ଚିମ ଓଡ଼ିଶାରେ ପାତଲଭଣ୍ଟା ଶବ୍ଦରେ ଥିଵା ଭଣ୍ଟା ଶବ୍ଦଟି ଘଣ୍ଟାରେ ପରିଵର୍ତ୍ତିତ ହୋଇଯାଇଥିଵ । ଫଳତଃ ପଶ୍ଚିମ ଓଡ଼ିଶାର ପାତଲଭଣ୍ଟାରୁ ପାତଲ୍ ଓ  ପାଚଲଘଣ୍ଟାରୁ ଘଣ୍ଟା ଶବ୍ଦଦ୍ଵୟ ଓଡ଼ିଆ ଭାଷାର ସ୍ଵାଭାଵିକ ଶବ୍ଦ ମାନକୀକରଣ ପ୍ରକ୍ରିୟା ଯୋଗୁଁ ପାତଲଘଣ୍ଟାରେ ପରିଣତ ହୋଇଥିଵା ମଧ୍ୟ ଅସମ୍ଭଵ ନୁହେଁ । 

ଆଜି ପୂର୍ଵାଞ୍ଚଳରୁ ପାଚଲଘଣ୍ଟା ଓ ପାଚଲ ଶବ୍ଦ ପ୍ରାୟତଃ ଲୁପ୍ତ ହୋଇ ସରିଛି ତେବେ ପଶ୍ଚିମ ଓଡ଼ିଶାରେ ପାତଲଘଣ୍ଟା ଵା ପାତଲଭଣ୍ଟା ଶବ୍ଦଟି ଵୈଦେଶିକ ଟମାଟର,ଟମାଟୋ ଶବ୍ଦ ସହିତ ଏଯାବତ୍ ସଂଘର୍ଷ କରି ବଞ୍ଚି ରହିଛି । ତେଣୁ ଆମ ସମସ୍ତ ଓଡ଼ିଆଙ୍କ ଦାୟିତ୍ଵ ଆମ୍ଭମାନଙ୍କୁ  ଲୁପ୍ତ ପାଚଲଘଣ୍ଟା ଓ ଵୈଦେଶିକ ଶବ୍ଦ ସହ ଶେଷ ସଂଗ୍ରାମ ଚଳାଇଥିଵା ପାତଲଘଣ୍ଟା(ଭଣ୍ଟା) ଶବ୍ଦଦ୍ଵୟର କଥିତ ଓ ଲିଖିତ ଭାଷାରେ ବହୁଳ ଭାବରେ ଵ୍ୟଵହାର କରି ଏ ଉଭୟ ଶବ୍ଦକୁ ବଞ୍ଚାଇ ରଖିଵାକୁ ହେଵ । 

(ଵି:ଦ୍ର— ପାତଲଣ୍ଟା ସମ୍ବନ୍ଧୀୟ ମତ ଏକ ଓ ଦୁଇ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଚଳିତ ,ମତ ଚାରି,ପାଞ୍ଚ ଓ ଛଅ ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ  ମହାଶୟ ତାଙ୍କର ଏକ ପାତଳଘଣ୍ଟା ସମ୍ବନ୍ଧୀୟ ପୋଷ୍ଟରେ ଥରେ ରଖିଥିଲେ । ମତ ତିନି ଓ ସାତ ଏ ଅକିଞ୍ଚନ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଏଷଣା କରି ଉପସ୍ଥାପନ କରିଅଛି)

Wednesday, April 14, 2021

● ଏମିତି କେମିତି ହବ ●

                     ✍ ସରୋଜିନୀ ବେହେରା 

ଆକାଶ କହିବ ମାଟି ଶୁଣିବନି
ଏମିତି କେବେ କି ହୋଇବ !
ଜହ୍ନ ହସୁଥିବ କଇଁ ଫୁଟିବନି
କେମିତି ପୋଖରୀ ରହିବ... !

ଆସିବ ଅରୁଣ ପଦ୍ମ ହସିବନି
କିରଣ କି ଜ୍ୟୋତି ବାହିବ
ପବନ ବହିବ ବାସ ଖେଳିବନି
କୁସୁମ ଛାତି କି ସହିବ...... !

ଝରଣା ଝରିବ ଶବଦ ନ ହେବ
ପାହାଡ଼ ନିରବୀ ଶୋଇବ
ମୟୂର ନାଚିବ ମେଘ ବର୍ଷିବନି
ଅଦିନିଆ ହୋଇ ଚାହିଁବ.... !!

ହୃଦୟ ଛୁଇଁବ ପ୍ରେମ ହେବନାହିଁ
ପୀରତି ଅନଳ ଦହିବ
ସ୍ବପ୍ନ ଲେଉଟିବ ରାତି ଶୋଇଯିବ
ଶେଯଟା ଅଛୁଆଁ ରହିବ...... !!

ବାଜିବ ମୃଦଙ୍ଗ ପାଦ ନାଚିବନି
ଘୁଙ୍ଗୁର ଗୁମୁରି କାନ୍ଦିବ
ସାତସୁର ଥିବ ଲୟ ହଜିଯିବ
ସଙ୍ଗୀତ ବେସୁରା ହଜିବ..... !!

Tuesday, April 13, 2021

----ଜାତୀୟତାବାଦୀ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ସୂକ୍ତି---

-----ଜାତୀୟତାବାଦୀ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ସୂକ୍ତି-----
--ଆନ ଭାରତୀୟଜାତିର ବୁଦ୍ଧିଜୀବି ଉତ୍କଳ ଗୌରବଙ୍କୁ ଜଣେ ଆଞ୍ଚଳିକ ନେତା ମନେକରନ୍ତି ମାତ୍ର ତାଙ୍କର ଭାଷଣ ଗୁଡ଼ିକରୁ ସ୍ପଷ୍ଟ ପ୍ରମାଣିତ ହୋଇଯାଏ ସେ ଜଣେ ଜାତୀୟତାବାଦୀ ନେତା ଥିଲେ ! ତତ୍କାଳୀନ ଭାରତରେ ଓଡ଼ିଆଙ୍କ ପ୍ରତି ଉଦାସୀନତା ଓ ବୈରୀଭାବ ଦେଖି ସେ କଳିଙ୍ଗୋତ୍କଳ ଓ କଳିଙ୍ଗୀୟ ଜନତାର ହିତ ହେତୁ ଲଢ଼ିଥିଲେ ! ନିମ୍ନରେ ମଧୁବାବୁଙ୍କର କେତୋଟି ମୁଖନିସୃତ ସୂକ୍ତି ଉଦ୍ଧାର କରାଗଲା ...
1.ଭାରତବାସୀ ସମସ୍ତ ଏକ ଦେଶୀୟ ହେବାରୁ ଭାଇ ଅଟନ୍ତି, ସମସ୍ତଙ୍କ ମଧ୍ୟରେ ଭ୍ରାତୃଭାବ ରହିବା ଉଚିତ । ଧନୀ ଓ ଗରିବ ମଧ୍ୟରେ କିଛି ପ୍ରଭେଦ ନାହିଁ ।

2. ଏକ ସମୟରେ ଜନନୀଙ୍କର ଏକ ପଦ ଗଙ୍ଗା ଓ ଅନ୍ୟ ପଦ ଗୋଦାବରୀରେ ରହିଥିଲା ଏବଂ ତାହାଙ୍କର କୀର୍ତ୍ତି ପଥରରେ ଖୋଦିତ ହୋଇ ବିଶ୍ୱଲୋକଙ୍କର ଆଶ୍ଚର୍ଯ୍ୟ ବଢ଼ାଉଇଥିଲା । ବର୍ତ୍ତମାନ ତାହାଙ୍କର ଦୁର୍ଦ୍ଦଶା ଦେଖି ମୁଁ କେତେ କାନ୍ଦିଛି ଓ କାନ୍ଦିବି ।

3. ସ୍ୱଦେଶ ପ୍ରେମକୁ ଧର୍ମ ବୋଲି ମଣିବା ହିଁ ପ୍ରକୃତ ମନୁଷ୍ୟତା ଅଟେ ।

4. ପ୍ରତ୍ୟେକ ବିଦେଶୀୟ ଦ୍ରବ୍ୟ ବ୍ୟବହାର କରିବା ଦ୍ୱାରା ଆମ୍ଭେମାନେ ଦେଶୀୟ କାରିଗରଙ୍କ ଅଳ୍ପ [ ଅନ୍ନ ] ଗ୍ରାସ କାଢ଼ି ନେଉଅଛୁଁ ଏବଂ ସେମାନେ ଅନାହାରରେ ମଲେ ଆମ୍ଭେମାନେ ସେଥି ନିମିତ୍ତ ଦାୟୀ ଅଛୁଁ ।

5. ଭାଷା ନେଇ ଜାତି । ଆମ୍ଭମାନେ ଭାରତ ଜନନୀ ଓ ଉତ୍କଳ ଜନନୀର ପୂଜା କରୁଅଛୁ । ଆମ୍ଭର ଉତ୍କଳ ସମ୍ମିଳନୀରେ ଗୋଟାଏ ସୂକ୍ତି ଥିଲା – 
                                  “ମାତୃଭାଷା ମାତୃଭୂମି ଉଭୟେ ଜନନୀ
                                   କର ତାଙ୍କ ପାଦ ପୂଜା ଦିବସ ରଜନୀ । ”

6. ସାହିତ୍ୟରେ ପ୍ରାଦେଶିକତାର ସଂକୀର୍ଣ୍ଣ ଭେଦଭାବ ରହିବା ଉଚିତ ନୁହେଁ । ଯେଉଁ ଭାଷା ହେଉ ପଛକେ ଯେଉଁଠି ଭଲ ଭାବ, ଉଚ୍ଚ ଚିନ୍ତା ଓ ଉନ୍ନତ ରୁଚିର ଉପାଦାନମାନ ଅଛି ତାହା ଗ୍ରହଣ କରି ଆମ୍ଭମାନଙ୍କ ସାହିତ୍ୟ ଭିତରେ ପୂରାଇ ତାକୁ ଆମ୍ଭ ନିଜର କରିନେବାକୁ ହେବ ଓ ଲେଖକର ମାର୍ଗ ଓ ଧାରାକୁ ଆଧୁନିକ ରୁଚି ଅନୁଯାୟୀ ବଦଳାଇବାକୁ ହେବ ।

7. ଯେ ମା’କୁ ଭଲ ପାଇବାକୁ ଶିଖି ନାହିଁ, ସେ କଦାପି ମାତୃଭୂମିକୁ ଭଲ ପାଇବ ନାହିଁ । କାରଣ ପ୍ରଥମେ ମାତୃ, ପରେ  ଭୂମି, ମା’ ଉପରେ ପିଲାର ଯେତେ ବିଶ୍ୱାସ, ଅନ୍ୟ କାହା ଉପରେ ନାହିଁ ।

8. । ଏକ ଜାତିର କେତେକ ବ୍ୟକ୍ତି ସହିତ ଅନ୍ୟ ଏକ ଜାତିର କେତେକ ବ୍ୟକ୍ତିଙ୍କର ପରସ୍ପର ବିରୋଧ ଥିବାର ଦେଖାଗଲେ , ଲୋକେ ଭ୍ରମରେ ପଡ଼ି ବ୍ୟକ୍ତିଗତ ବିରୋଧକୁ ଜାତୀୟ ବିଦ୍ଵେଷରେ ପରିଣତ କରିବାକୁ ଚେଷ୍ଟା କରନ୍ତି । ଏହା ଦୁଇ ଜାତି ବା ସମାଜ ମଧ୍ୟରେ ମିତ୍ରଭାବ –ରକ୍ଷା –ପକ୍ଷରେ ଗୋଟିଏ ମହା ପ୍ରତିବନ୍ଧକ ଅଟେ ।

9. ଯେଉଁମାନେ ଉତ୍କଳର ସ୍ଥାୟୀ ଅଧିବାସୀ ହୋଇଅଛନ୍ତି ଅର୍ଥାତ୍ ଯେଉଁମାନେ ଉତ୍କଳକୁ ସେମାନଙ୍କ ଗୃହସ୍ୱରୂପ ମଣିଅଛନ୍ତି, ସେମାନେ ଭିନ୍ନ ଜାତୀୟ ହେଲେ ସୁଦ୍ଧା ସେମାନଙ୍କୁ ଉତ୍କଳୀୟ ବେଲି ଗଣନା କରାଯିବ । ଯେଉଁମାନେ ଅନେକଦିନ ହେଲା ଏଠାକୁ ଆସି ଓଡ଼ିଶାକୁ ଆପଣାର ମାତୃଭୂମି ସ୍ୱରୂପ ଗ୍ରହଣ ଏବଂ ସ୍ୱୀକାର କରୁଅଛନ୍ତି ଓ ଓଡ଼ିଆମାନଙ୍କ ହିତସାଧନକୁ ସ୍ୱଜାତିପ୍ରତି କର୍ତ୍ତବ୍ୟକର୍ମ ବୋଲି ମନେ କରୁଅଛନ୍ତି ସେହିମାନଙ୍କୁ ଆମ୍ଭେମାନେ ଉତ୍କଳୀୟ ବୋଲି ଡ଼ାକୁଅଛୁଁ ।

10.  ଭିନ୍ନ ଭିନ୍ନ ଜାତୀୟ ଦୁଇଜଣଙ୍କ ମଧ୍ୟରେ କୌଣସି  ବିବାଦ ହେଲେ ଲୋକେ ଏହି ବିବାଦକୁ ଦୁଇ ଜାତିଙ୍କ ମଧ୍ୟରେ ବିବାଦ ହେଲା ବୋଲି ସ୍ଥିର କରନ୍ତି, କିମ୍ୱା ଏହି ବ୍ୟକ୍ତିଗତ ବିବାଦକୁ ଜାତୀୟ ବିବାଦର ଫଳ ବୋଲି କହି ବୁଲନ୍ତି ।

11. ଉନ୍ନତ ଜାତିମାନଙ୍କ ସଙ୍ଗେ ଭାଇ ଭାବ ରଖିବା ଆବଶ୍ୟକ, ଭ୍ରତୃ ଚକ୍ଷୁରେ ନ ଦେଖିଲେ ଉନ୍ନତ ଜାତିଙ୍କ ସଙ୍ଗେ ସମକକ୍ଷ ହେବା କାଠିକର ପାଠ ।

12. ଉତ୍କଳ ଜନନୀ ଭାରତ ଜନନୀଙ୍କଠାରୁ ବିଚ୍ଛିନ୍ନ ନୁହନ୍ତି ଭାରତ ଜନନୀଙ୍କର ସପତ୍ନୀ କିମ୍ବା ଶତ୍ରୁ ନୁହନ୍ତି । ଏହି ଉତ୍କଳ ଜନନୀ ରୂପ ମୂର୍ତ୍ତି ଭାରତମାତାଙ୍କର ଗୋଟିଏ ମୂର୍ତ୍ତିବିଶେଷ । ଏହି ରୂପଟି ଭାରତମାତାଙ୍କର ଗୋଟିଏ ଅବତାର । ଏପରି ସ୍ଥଳରେ ଉତ୍କଳମାତା ଭାରତମାତାଙ୍କର ସପତ୍ନୀ ନୁହନ୍ତି ।

13. ଉତ୍କଳ ଜନନୀ ଓ ଭାରତ ଜନନୀଙ୍କର କିଛି ପ୍ରଭେଦ ନାହିଁ । ଶରୀରର କୌଣସୀ ଅଂଶରେ ପୀଡ଼ା ହେଲେ ସେହି ଅଂଶର ଚିକିତ୍ସାଦ୍ଵାରା ସମସ୍ତ ଶରୀରର ଉନ୍ନତି ହେବ । ଉତ୍କଳର ଚିକିତ୍ସାର ଉଦ୍ଦେଶ୍ୟ ଭାରତର ଉନ୍ନତି ।

14. ବଡ଼ଦେଉଳ ବାଲିରେ ପୋତି ହୋଇ ଯାଇଥିଲା । ରାଜାଙ୍କ ଘୋଡ଼ାଟାପୁ ବାଜିବାରୁ ରାଜା ତାକୁ ପୁନରୁଦ୍ଧାର କରିଥିଲେ । “ଏହି ସ୍ଥାନରେ ବଡ଼ ଦେଉଳକୁ ଚାହଁ ଓ ଜାତିର ପୁନରୁଦ୍ଧାର କର”- ଏହା ଆମ୍ଭମାନଙ୍କର ବୀଜମନ୍ତ୍ର ହେବା ଆବଶ୍ୟକ ।

15. ବ୍ୟକ୍ତିଗତ ଜୀବନ ସ୍ଵାର୍ଥପରତା ଯେତେ ବୃଦ୍ଧି ହେବ ଜାତୀୟ ଜୀବନ ତେତିକି କମିବ । ସ୍ଵାର୍ଥପରତା ଯେବେ କମିଯିବ ଜାତୀୟ ଜୀବନ ତେତିକି ବୃଦ୍ଧି ହେବ ।

16. ଆମ୍ଭେମାନେ ସମସ୍ତଙ୍କୁ ଭାଇ ବୋଲି ସମ୍ଵୋଧନ କରୁଅଛୁ । ତାହାର ମାନେ ଏହି ଯେ ମୋ ଭାଇ ଯେଉଁ ମାତାଙ୍କ ରକ୍ତ ମାଂସରେ ଗଠିତ, ମୁଁ ସେହି ରକ୍ତ ମାଂସରେ ଗଠିତ । ସମସ୍ତେ ଭାରତ ସନ୍ତାନ ।

17. ମୁଁ ଓଡ଼ିଆ, ଓଡ଼ିଶାରେ ଜନ୍ମଗ୍ରହଣ କରିଅଛି ଏବଂ ବାସ କରୁଅଛି । ଉତ୍କଳ ମାତାଙ୍କ କୋଳରେ ମୋର ଅସ୍ଥି ମାଂସ ରହିବ ।

18 ସମସ୍ତେ କହନ୍ତି, ଆମ୍ଭର ଉପେନ୍ଦ୍ର ଭଞ୍ଜ । ମୁଁ ପ୍ରଶ୍ନ କରେଁ, “ତୁମ୍ଭର କିପରି ହେଲେ ?” ଜାତି କହିଲା-ଜାତିର ଯୋଗ୍ୟ ସୁସନ୍ତାନ ଜାତିର ଏବଂ କୁସନ୍ତାନ ବାପମାଆଙ୍କର ।

19. ନଦୀର ଯେପରି ଜୁଆର ହୋଇଥାଏ, ପୁଣି ଭଟ୍ଟା ହୋଇଗଲେ ପାଣିସବୁ ସ୍ଥାନେ ସ୍ଥାନେ ରହିଯାଏ, ସେହିପରି ଓଡ଼ିଶାର ଦିନେ ଜୁଆର ଅବସ୍ଥା ଥିଲା । କିନ୍ତୁ ବର୍ତ୍ତମାନ ଭଟ୍ଟା ଅବସ୍ଥାରେ ସ୍ଥାନେ ସ୍ଥାନେ ମନ୍ଦାଏ ମନ୍ଦାଏ ପାଣି ରହିଲାପରି ଦେଶଟା ଏଠାରେ ଖଣ୍ଡେ ସେଠାରେ ଖଣ୍ଡେ ହୋଇ ପଡ଼ିରହିଅଛି । ଯେପରି ସେହି ସମସ୍ତ ଜଳାଶୟକୁ ପୁଣି ଏକତ୍ର କରିବାକୁ ହେଲେ ଜୁଆର ଆବଶ୍ୟକ, ସେହିପରି  ଏହି ଦେଶକୁ ଏକତ୍ର କରିବାକୁ ହେଲେ ସର୍ବତ୍ର ଜାତୀୟ ଭାବର ଜୁଆର ଉଠାଇବାକୁ ହେବ ।

20. ଜନନୀ ଜନ୍ମଭୂମିଶ୍ଚ ସ୍ଵର୍ଗାଦପୀ ଗରୀୟସୀ’- - ଏ ବାକ୍ୟଟି ବହୁକାଳରୁ ଶୁଣା ଅଛି, କିନ୍ତୁ ତାହାର ଅର୍ଥ ବୁଝିବାକୁ ବୋଧହୁଏ କେହି ଚେଷ୍ଟା କରନ୍ତି ନାହିଁ । ଦେଖନ୍ତୁ, ପ୍ରଥମେ ‘ଜନନୀ’ ଦ୍ଵିତୀୟରେ ‘ଜନ୍ମଭୂମି, ତୃତୀୟରେ ‘ସ୍ଵର୍ଗ’ । ମନୁଷ୍ୟଜନ୍ମରେ ପ୍ରତ୍ୟେକ ମନୁଷ୍ୟର ଜୀବନକୁ ଗୋଟିଏ ସ୍ରୋତ ମନେ କଲେ ଦେଖିବେ, ଏହି ସ୍ରୋତର ଆଦ୍ୟରେ ଜନନୀ, ମଧ୍ୟରେ ଜନ୍ମଭୂମି, ଶେଷରେ ସ୍ଵର୍ଗ, ପ୍ରତ୍ୟେକ ଆତ୍ମାର ଏହି ଗତି । ମନୁଷ୍ୟ ଜୀବନରେ ଆଦ୍ୟ ଜନନୀ, କାର୍ଯ୍ୟ ଜନ୍ମଭୁମି, ପୁରସ୍କାର ମୁକ୍ତି ବା ସ୍ଵର୍ଗ । ଏଥିପାଇଁ ଜନନୀ, ଜନ୍ମଭୁମି ସ୍ଵର୍ଗଠାରୁ ଗରୀୟସୀ ।

22 ପ୍ରଥମେ ମାତା ରକ୍ତ ଦେଇଥିଲେ । ସେହି ରକ୍ତ ବୃଦ୍ଧି କରିବା ପାଇଁ ମୋ ଜନ୍ମଭୁମି ମୋତେ ଶସ୍ୟାଦି ଦେଉଅଛି । ଅତଏବ ଶରୀରର ଆଦ୍ୟ ପଦାର୍ଥ ଦିଏ ମାତା, ତାହାର ରକ୍ଷକ ଓ ବର୍ଦ୍ଧକ ଜନ୍ମଭୂମି । ଆମ୍ଭେମାନେ ପ୍ରଥମେ ପ୍ରସବ ହେଲା ବେଳେ ଭୂମିଷ୍ଠ ହେଲୁ ବୋଲି କହନ୍ତି ଅର୍ଥାତ୍ ଆମ୍ଭେମାନଙ୍କୁ ମାତା ଜନ୍ମଭୁମି କ୍ରୋଡ଼ରେ ଅର୍ପଣ କରି ସେହି ଜନ୍ମଭୂମିର ପୂଜା କରିବାକୁ ଆଦେଶ ଦିଅନ୍ତି.

23. ଓଡ଼ିଶାରେ ସେତେବେଳେ ଏପରି କୌଣସି ଲୋକ ନ ଥିଲେ ଯେ କି ଆପଣାକୁ ଓଡ଼ିଆ ବୋଲି ପରିଚୟ ଦେଇଥିଲେ । ଓଡ଼ିଶାର ଜଣେ ରାଜା ଆପଣାକୁ କଲିକତାରେ ବଙ୍ଗାଳୀ ବୋଲି ପରିଚୟ ଦେଇଥିଲେ । ଏ ସମସ୍ତ ବିଚାର କଲେ ମୋର ସେତେବେଳେ କଣ କରିବାରେ ଉଚିତ ଥିଲା ? ମୁଁ ସେହି ରାଜାଙ୍କୁ ଚାରିଘଣ୍ଟା ମଧ୍ୟରେ ଓଡ଼ିଆ କରିଥିଲି ।

24.ଆମେ ଓଡ଼ିଆ ! ଆମ୍ଭେମାନେ ଗୋଟିଏ ସ୍ଵତନ୍ତ୍ର ଜାତି  ! ଏହି ଜ୍ଞାନ,  ବର୍ତ୍ତମାନ ଅବସ୍ଥାରେ ଜାତିର ଏକମାତ୍ର ପାଣ୍ଠି, ଏକମାତ୍ର ସମ୍ଵଳ । ଅନ୍ୟ କଥାରେ ମୁଁ ଏହାକୁ ସମ୍ଵଳ ନ କହି ଜାତିର ବଳ କହେଁ ! 

25. ମାତୃଭୂମିପୂଜାରେ ବାଉରି କଣ୍ଡରା ର ଯେ ଅଧିକାର, ବ୍ରାହ୍ମଣ, କରଣର ସେହି ଅଧିକାର, ରାଜା ର ଯେ ଅଧିକାର, ପ୍ରଜାର ସେହି ଅଧିକାର ।

26. ଆମ ଦେଶରେ ଧନ କମ ଅଛି । ଲୋକେ କହନ୍ତି ଓଡ଼ିଶା ଗରିବ । ମୁଁ କହେ, କଦାଚ ନୁହେଁ । ବର୍ତ୍ତମାନ କଲିକତା, ନାଗପୁର ଇତ୍ୟାଦି ସ୍ଥାନର କଳ କାରଖାନାମାନଙ୍କରେ ଲକ୍ଷ ଲକ୍ଷ ଓଡ଼ିଆ କାମ କରୁଅଛନ୍ତି । ଏହାର ଅର୍ଥ- ଓଡ଼ିଆ ହାତର      ମୂଲ୍ୟ ଅଛି । ସେଠାରେ ଯେ ଦୈନିକ ଟଙ୍କାଏ ଆଦାୟ କରିବ, ଏଠାକୁ ଆସିଲେ ଦଶ ପଇସା ମାତ୍ର ପାଇବ । ଆମେ କ’ଣ ତାଙ୍କୁ କାର୍ଯ୍ୟ ଦେଇପାରିବା ? ସୂତା କାରଖାନା କଲେ ସେମାନେ ଆସିବେ । ଯେଉଁ ହାତରେ କୋଣାର୍କ, ଭୁବନେଶ୍ଵର ମନ୍ଦିରମାନ ତୟାର ହୋଇଅଛି , ସେହି ହାତର ଲାଭ ବିଦେଶୀମାନେ ଖାଇ ଯାଉଅଛନ୍ତି । ଧିକ୍ ଆମ୍ଭମାନଙ୍କୁ ।

27. ମୁଁ ଖ୍ରାଷ୍ଟଧର୍ମ ଗ୍ରହଣ କରିଅଛି ସତ୍ୟ, କିନ୍ତୁ ଓଡ଼ିଶାର ଜାତୀୟ କବି ଜଗନ୍ନାଥ ଦାସଙ୍କ ଭାଗବତ ପାଠ କରିଛି ଓ ତାହାକୁ ଧର୍ମଗ୍ରନ୍ଥ ହିସାବରେ ଯଥେଷ୍ଟ ମାନ୍ୟ କରେ । ଭାଗବତ ଯେଉଁ ପ୍ରଭାବ ପକାଇଛି ତାହା ଭାରତର ଅନ୍ୟ କୌଣସି ପ୍ରଦେଶରେ ଦେଖାଯାଏ ନାହିଁ । #ବନ୍ଦେଉତ୍କଳଜନନୀ

●ଜଳ ଵିଷୁଵ ସଂକ୍ରାନ୍ତି ●ମହା ଵିଷୁଵ ସଂକ୍ରାନ୍ତି

ଆମ ସଂସ୍କୃତିରେ ଦୁଇଗୋଟି ଵିଷୁଵ ସଂକ୍ରାନ୍ତି ରହିଛି । 
●ଜଳ ଵିଷୁଵ ସଂକ୍ରାନ୍ତି
●ମହା ଵିଷୁଵ ସଂକ୍ରାନ୍ତି 
   
ତୁଳା ସଂକ୍ରାନ୍ତି, କାର୍ତ୍ତିକ ସଂକ୍ରାନ୍ତି ଵା ଗର୍ଭଣା ସଂକ୍ରାନ୍ତିକୁ ଜଳ ଵିଷୁଵ ସଂକ୍ରାନ୍ତି କୁହାଯାଏ ଏଵଂ  ଚଡ଼କ ସଂକ୍ରାନ୍ତି, ସଂକ୍ରାନ୍ତି ,ଛତୁଆ ସଂକ୍ରାନ୍ତି ଓ ପଣାସଂକ୍ରାନ୍ତି ଇତ୍ୟାଦି ନାମରେ ଜଣାଶୁଣା  ସଂକ୍ରାନ୍ତି ଵିଶେଷକୁ ମହା ଵିଷୁଵ ସଂକ୍ରାନ୍ତି କୁହାଯାଏ । 

ମହା ଵିଷୁଵ ସଂକ୍ରାନ୍ତି କେଵଳ ଓଡ଼ିଶାର ନୁହେଁ ସାରା ଦକ୍ଷିଣ ଏସିଆର ପାରମ୍ପରିକ ନଵଵର୍ଷ । ଆମ ଦକ୍ଷିଣ ଏସିଆର ସଂସ୍କୃତି ଏହି ଦକ୍ଷିଣ ଏସୀୟ ଜଳଵାୟୁ ଆଧାରରେ ନିର୍ଣ୍ଣୟ ହୋଇଅଛି । ଆମ ସଂସ୍କୃତିରେ ଗ୍ରୀଷ୍ମଋତୁଠାରୁ ଵର୍ଷ ଆରମ୍ଭର ନିୟମ ରହିଛି ।

 ଗ୍ରୀଷ୍ମଋତୁ ଦୁଇ ମାସ - ଵୈଶାଖ ଓ ଜ୍ଯୈଷ୍ଠ ।  ଦକ୍ଷିଣ ଏସିଆରେ ଵୈଶାଖ ମାସଠାରୁ ଗ୍ରୀଷ୍ମପ୍ରବାହ ଆରମ୍ଭ ହୁଏ ସେଥିପାଇଁ ଭାରତ ସମେତ ଶ୍ରୀଲଙ୍କା, ମାଲେସିଆ, ଇଣ୍ଡୋନେସିଆ,ବ୍ରହ୍ମଦେଶ,ଥାଇଲାଣ୍ଡ ଆଦି ଅନେକ ଦେଶରେ ଏହି ଦିନ ପାରମ୍ପରିକ ନଵଵର୍ଷ ପାଳିତ ହୋଇଥାଏ । 

ଯଥାର୍ଥରେ ଏହା ପ୍ରକୃତ ସନାତନୀ ନଵଵର୍ଷ କାରଣ ଓଡ଼ିଆ, ବଙ୍ଗାଳୀ, ମୈଥିଳୀ,ମଲୟାଲମୀ,
ତାମିଲ,ତୁଲୁ,ପଞ୍ଜାଵୀ,ଆସାମୀ ଇତ୍ୟାଦି ଅଧିକାଂଶ ମହାଭାରତୀୟ ଜାତିଙ୍କର ଏହି ଦିନ ହୁଏ ପାରମ୍ପରିକ ନଵଵର୍ଷ ।

 ସେଇଭଳି ହିନ୍ଦୁ(ଭାରତ), ବୌଦ୍ଧ(ଶ୍ରୀଲଙ୍କା, ବ୍ରହ୍ମଦେଶ ଇତ୍ୟାଦି) ଓ ସିଖ୍(ପଞ୍ଜାବ) ଆଦି ସନାତନୀ ଧର୍ମର ଲୋକେ ଆଜିର ଦିନରେ ହିଁ ପାରମ୍ପରିକ ନଵଵର୍ଷ ପାଳିଥାଆନ୍ତି । 

ଯେଉଁ ଯେଉଁ ଅଞ୍ଚଳରେ ଏକଦା କଳିଙ୍ଗୀମାନେ ନିଜ ସଂସ୍କୃତିର ପ୍ରଚାର ପ୍ରସାର କରିଥିଲେ ଆଜି ସେଇସବୁ ଅଞ୍ଚଳରେ ମହାଵିଷୁଵ ସଂକ୍ରାନ୍ତି ପାରମ୍ପରିକ ନଵଵର୍ଷ ଭାଵେ ପାଳିତ ହେଉଛି ।

 କିଛି ମୌଳିଵାଦୀ ପଶ୍ଚିମଭାରତୀୟ ଲୋକ କଳିଙ୍ଗୀମାନଙ୍କର ଏହି ହୃତ ଗୌରଵକୁ ଲୋକଙ୍କଠାରୁ ଲୁଚେଇଵାକୁ ଚୈତ୍ର ପ୍ରତିପଦା ଭଳି  ସ୍ଵଳ୍ପ କ୍ଷେତ୍ରରେ ପାରମ୍ପରିକ ନୂଆଵର୍ଷ ଭାଵେ ପାଳିତ ଏକ ଅପ୍ରସିଦ୍ଧ ନଵଵର୍ଷକୁ ସନାତନୀ ନଵଵର୍ଷ କହି ମିଥ୍ୟା ପ୍ରଚାର ପ୍ରସାର କରୁଛନ୍ତି ।

ଭାରତର କୌଣସି ଆଧିକାରିକ ନଵଵର୍ଷ ନାହିଁ ଵା ସେମିତି କୌଣସି ନଵଵର୍ଷର ଉଲ୍ଲେଖ ସମ୍ବିଧାନରେ କରାଯାଇନାହିଁ । ଯାହା ସମ୍ବିଧାନରେ ନାହିଁ ତାହା ଗ୍ରହଣ କରିଵାକୁ ତାମିଳ,ଓଡ଼ିଆ, ପଞ୍ଜାବୀ, ବଙ୍ଗାଳୀ ଓ ଆସାମୀ ଇତ୍ୟାଦି ମହାଭାରତୀୟ ଜାତିମାନେ ବାଧ୍ଯ ନୁହନ୍ତି । 

ଅସ୍ତୁ, ସାରା ଦକ୍ଷିଣ ଏସିଆର ପାରମ୍ପରିକ ନଵଵର୍ଷ ମହାଵିଷୁଵ ପଣାସଂକ୍ରାନ୍ତି ହିଁ ଯଥାର୍ଥରେ ସନାତନୀ ନଵଵର୍ଷ । ଜାରଜମାନେ  ଆପଣା ପିତୃଦୋଷରୁ ଏକଥା ମାନିନପାରନ୍ତି ଏହା ତାଙ୍କ ସମସ୍ୟା ,ଆମର ନୁହେଁ । 

(ଜଣେ ଓଡ଼ିଆ ହୋଇ ବି ଵର୍ଗୀ ନଵଵର୍ଷକୁ ହିନ୍ଦୁ ନଵଵର୍ଷ କହି ଶୁଭକାମନା ହେଇଥିଲେ ତାଙ୍କୁ ମୋର ଉତ୍ତର ! ଆମକୁ ଶହେ ଵର୍ଷ ଧରି ଲୁଟିଥିଵା ଓ ଦକ୍ଷିଣ ଓଡି଼ଶାକୁ ଫରାସୀ ତଥା ଇଂରେଜଙ୍କୁ ଦେଇ ଦେଇଥିଵା ଵର୍ଗୀ ମରାଠୀମାନଙ୍କ ନଵଵର୍ଷ ଆମେ କାହିଁକି ପାଳିଵା ?  )
       ଉପସ୍ଥାପନା ; ଶିଶିର ସାହୁ ମନୋଜ 

🚩ବାରିପଦାର ଶ୍ରୀଜଗନ୍ନାଥ ମନ୍ଦିର ଓ ପ୍ରଥମ ରଥଯାତ୍ରା🚩

🚩🚩🚩🔶ବାରିପଦାର ଶ୍ରୀଜଗନ୍ନାଥ ମନ୍ଦିର ଓ ପ୍ରଥମ ରଥଯାତ୍ରା🔶
🚩🚩🚩  
                   ଉପସ୍ଥାପନା : ଶିଶିର ସାହୁ ମନୋଜ 

୧୫୬୫ ମସିହାରେ ମୟୂରଭଞ୍ଜ ରାଜ୍ୟର ରାଜା ନୀଳକଣ୍ଠ ଭଞ୍ଜଙ୍କ ଦେହାନ୍ତ ହୁଅନ୍ତେ ଉକ୍ତ ରାଜ୍ୟର ଶାସନଭାର ତାଙ୍କ ସୁପୁତ୍ର ଵୈଦ୍ୟନାଥ ଭଞ୍ଜଙ୍କ ଉପରେ ନ୍ୟସ୍ତ ହେଲା । ସେ ସମୟରେ ଓଡ଼ିଶା ଉପରେ ଘନଘନ ମୁସଲମାନ ଆକ୍ରମଣ ହେଉଥାଏ । ଵୈଦ୍ୟନାଥ ଭଞ୍ଜଙ୍କ ଶାସନାରମ୍ଭ ସମୟରେ କଳାପାହାଡ଼ ଆକ୍ରମଣ କରିଥିଲା ।

କଳାପାହାଡ଼ର ଲୋକକଥାକୁ ଆଧାର କରି ଐତିହାସିକମାନେ ଅନେକ ଥିସିସ୍ ଦେଇଛନ୍ତି । କେହି ତାକୁ ଗୋଟେ କ୍ରୁର ହିନ୍ଦୁଦ୍ଵେଷୀ ଆଫଗାନ୍ ବୋଲି ପ୍ରମାଣ କରିଵାକୁ ଚେଷ୍ଟା କରିଛି ତ ଆଉ କେହି ତତ୍କାଳୀନ ଓଡ଼ିଆ ରାଜାଙ୍କର ରାୟ ଉପନାମଧାରୀ ସେନାପତି ଭାବେ ପ୍ରତିପାଦିତ କରିଛି । ତେବେ କଳାପାହାଡ଼ ଵିଷୟକ ଉତ୍ତର ଓଡ଼ିଶାରେ ପ୍ରଚଳିତ  କିମ୍ବଦନ୍ତୀ ଅନୁସାରେ କାଳାଚାନ୍ଦ ରାୟ ନାମକ ଜଣେ ମେଦିନୀପୁରିଆ ବଙ୍ଗୀୟ ବ୍ରାହ୍ମଣ (ମତାନ୍ତରରେ କରଣ) ଜନୈକା ଦୁଲିଆ ନାମ୍ନୀ ମୁସଲମାନ କନ୍ୟାର ପ୍ରେମରେ ପଡି଼ ତା ହସ୍ତରୁ ଅନ୍ନ ଭୁଞ୍ଜିଥିଵାରୁ ତତ୍କାଳୀନ ମୌଳିଵାଦୀ ହିନ୍ଦୁ ସମାଜ ତାକୁ ଵାସନ୍ଦ କରି ପୁରୀ ବ୍ରାହ୍ମଣସଭା ପାଖକୁ ହିନ୍ଦୁତ୍ଵ ଫେରି ପାଇଵା ପାଇଁ ପଠାଇଥିଲା । 

 ସେତେବେଳର ବ୍ରାହ୍ମଣ ସମାଜ ଅତ୍ୟନ୍ତ ଜାତିଆଣଭାଵ ଓ କୁସଂସ୍କାରରେ ବୁଡ଼ି ରହିଥିଲା ତେଣୁ ପୁରୀ ମୁକ୍ତି ମଣ୍ଡପର ବ୍ରାହ୍ମଣମାନେ କାଲାଚାନ୍ଦ ଲକ୍ଷେ ନେହୁରା ହେଲେ ସୁଦ୍ଧା ତା କଥାକୁ ଶୁଣିଲେ ନାହିଁ ଵରଂ ଅପମାନିତ କରି ତା ଉପରେ ତତଲା ପେଜ ଛାଟି ତାକୁ ବଡ଼ ଦେଉଳରୁ ତଡି଼ଦେଲେ । 

କାଲାଚାନ୍ଦ ରାୟ ଏ ଅପମାନ ସହିପାରିଲା ନାହିଁ । ସେ ଦୁଲିଆର ପିତା ଓ ବଙ୍ଗର ତୁର୍କ ମୁସଲମାନ ନଵାବ ସୁଲେମାନ କରାନୀଙ୍କ ସହାୟତା ପାଇ ମୁସଲମାନ ଧର୍ମରେ ଦୀକ୍ଷିତ ହୋଵା ଉତ୍ତାରୁ ଓଡ଼ିଆ ଲୋକ ଓ ଓଡ଼ିଶାର ମାଟି ପ୍ରତି ପ୍ରତିଶୋଧ ପରାୟଣ ହୋଇ ସୈନ୍ୟ ଆକ୍ରମଣ କରିଵାକୁ ଉଦ୍ୟୋଗ କରିଵାକୁ ଲାଗିଲା । ସେ ଵିଚ୍ଛିନ୍ନ ଉତ୍ତର ଓଡ଼ିଶାର ମାଟିରେ ଅର୍ଥାତ୍ ମେଦିନୀପୁର ଅଞ୍ଚଳରେ ଜନ୍ମ ଲଭିଥିଲେ ହେଁ ହୃଦୟରୁ କେବେ ବି ଓଡ଼ିଆ ନଥିଲା । ତା ରକ୍ତରେ କଳିଙ୍ଗ ଦେଶର ଜାତୀୟତା ଓ ସ୍ବାଭିମାନ ନଥିଲା । ସ୍ଵାଭାଵିକତଃ କୌଣସି ଦେଶ ଵା ରାଜ୍ୟର ସୀମାରେ ଵସଵାସ କରୁଥିଵା ଵ୍ୟକ୍ତି ବିଶେଷଙ୍କର ଆପଣା ମାତୃଦେଶ ପ୍ରତି ସେତେଟା ଆନ୍ତରିକତା ନଥାଏ । ପଶ୍ଚିମ ଓଡିଶାରେ ଵିଚ୍ଛନ୍ନତାଵାଦୀଙ୍କ ଉତ୍ତରୋତ୍ତର ଅଭିବୃଦ୍ଧି ଏହାର ଏକ ଉଦାହରଣ ଅଟେ । 

ତେଣୁ ବହୁତ ସମ୍ଭଵ କାଲାଚାନ୍ଦ ରାୟ ବଙ୍ଗାଳୀ ବଂଶୋଦ୍ଭଵ ଥିଲା କାରଣ କୌଣସି ଓଡ଼ିଆ ସନାତନୀ ନିଜ ଉପରେ ଯେତେ ବି ଅତ୍ୟାଚାର ହେଉ ଆପଣାର ଦେଶର ଅମୂଲ୍ୟ ଗୌରଵଚିହ୍ନଗୁଡି଼କୁ କ୍ଷତି ପହଞ୍ଚାଇଵା ପୂର୍ଵରୁ ଶହେ ଥର ଭାଵିଵ । 

କାଲାଚାନ୍ଦ ରାୟ ମୁସଲମାନ ସେନାର ସେନାପତିତ୍ଵ କରି ଆପଣାର ନାମ କଳାପାହାଡ଼ ରଖି ଓଡ଼ିଶା ଆକ୍ରମଣ କରିଦେଲା । କଟକ ଇତ୍ୟାଦି ଅନେକ ବଡ଼ ନଗରର ଶହ ଶହ ପ୍ରାଚୀନ ମନ୍ଦିର ଧ୍ଵଂସ କରିଦେଲା । କୋଣାର୍କ ସୂର୍ଯ୍ୟ ମନ୍ଦିର ଭାଙ୍ଗି ଯିଵା ପଛରେ ବି ଏହି ଦ୍ଵେଷାନ୍ଧ ଵ୍ୟକ୍ତିର ହାତ ଥିଵା କିଛି ଲୋକଙ୍କର ମତ । ପୁରୁଷୋତ୍ତମ ପୁରୀକୁ ଆସି କଳାପାହାଡ଼ ଶ୍ରୀମନ୍ଦିର ଓ ବେଢା଼ର ଅନେକ ମୂର୍ତ୍ତି ଭାଙ୍ଗି ପକାଇଲା । ଶ୍ରୀମନ୍ଦିର ଭିତରେ ଵିଗ୍ରହ ନପାଇଵାରୁ ରାଗ ତମତମ ହୋଇ ଘୋଡ଼ା ନେଣ୍ଡି,ଘସି ଓ ଚଷୁ ପକେଇ ନିଆଁ ଲଗାଇ ଦେଇଥିଲା । 

ପୁରୀର ଶହ ଶହ ବ୍ରାହ୍ମଣଙ୍କୁ ହତ୍ୟାକଲା ସେମାନଙ୍କ କନ୍ୟା ପତ୍ନୀ ଆଦିଙ୍କ ସହିତ ମୁସଲମାନୀ ସେନା ଦ୍ଵାରା ଅତ୍ୟାଚାର କଲା । ଅନେକ ବ୍ରାହ୍ମଣ ସେ ସମୟରେ କଳାପାହାଡ଼ ଓ ମୁସଲମାନ ସୈନ୍ୟଙ୍କର ଅମାନୁଷିକ ଅତ୍ୟାଚାର ଅପେକ୍ଷା ଆତ୍ମହତ୍ୟା ଶତଗୁଣ ଶ୍ରେଷ୍ଠ ବୋଲି ଵିଚାର କରି ପ୍ରାଣବଳି ଦେଇଥିଲେ । 

ଲୋକକଥା ଅନୁଯାୟୀ ସେହି କଳାପାହାଡ଼କୁ ସମ୍ବଲପୁର ରାଜ୍ୟରେ ତାହାର ଜଘନ୍ୟ କୁକୃତ୍ୟର ଉଚିତ୍ ଦଣ୍ଡ ଶେଷରେ ମୃତ୍ୟୁ ରୂପେ ମିଳିଯାଇଥିଲା । ଲୋକକଥାରେ ମାଆ ସମଲେଈଙ୍କ ଦ୍ଵାରା କଳାପାହାଡ଼ ଓ ତାହାର ସୈନ୍ୟବଳ ଧ୍ଵଂସ ହୋଇଯାଇଥିଵା କୁହାଯାଇଛି ।  ଏମନ୍ତ ମଧ୍ୟ ସମ୍ଭଵ ଯେ ଦୈଵୀ ଶକ୍ତି ଆଳରେ ତତ୍କାଳୀନ ସମ୍ବଲପୁରର ସାହସୀ ଯୋଦ୍ଧାମାନେ ଗରିଲା ଯୁଦ୍ଧକରି ଅତର୍କିତ ଆକ୍ରମଣ ପୂର୍ଵକ କଳାପାହାଡ଼ ଓ ତାହାର ସୈନ୍ୟସାମନ୍ତଙ୍କୁ ଚିରନିଦ୍ରାରେ ଶୁଆଇ ଦେଇଥିଵେ ଏଵଂ ପରେ ବଙ୍ଗ ନଵାବ ସମ୍ବଲପୁର ଆକ୍ରମଣ ନକରନ୍ତୁ ସେଥିପାଇଁ ସମଲେଶ୍ଵରୀ ହିଁ ସେମାନଙ୍କ ଅନ୍ତ'ର କାରଣ ବୋଲି ପ୍ରଚାର କରାଯାଇଥିଵ । 

ସେ ଯାହା ହେଉ ମୁସଲମାନମାନଙ୍କର ଘୃଣ୍ୟ ଅତ୍ୟାଚାର ଯୋଗୁଁ ୧୫୬୮ରୁ ୧୫୮୦ ମସିହା ଯାଏଁ ଓଡ଼ିଶାରେ ଓଡ଼ିଆଙ୍କର ଜାତି ଏକତାର ଚିହ୍ନ ଶ୍ରୀମନ୍ଦିର ଭଙ୍ଗାରୁଜା ହୋଇ ପଡି଼ରହିଥିଲା । ତତ୍କାଳୀନ “ସନାତନୀ ଓଡ଼ିଆ” ଅତ୍ୟାଚାର ଭୟରେ ପ୍ରାୟ ବାର ପନ୍ଦର ଵର୍ଷକାଳ ପ୍ରକାଶ୍ୟ ଭାବେ ଧର୍ମ ସମ୍ବନ୍ଧୀୟ ପର୍ଵ ପାଳନ କରିଵାକୁ ଡରୁଥିଲା । ଶ୍ରୀମନ୍ଦିର କ'ଣ ସେତେବେଳେ ଓଡ଼ିଶାର କେଉଁଠି ବି ରଥଯାତ୍ରା ହେଉନଥିଲା କିନ୍ତୁ ୧୫୭୫ରେ ପ୍ରଥମେ ମୟୂରଭଞ୍ଜ ରାଜ୍ୟରେ ରଥଯାତ୍ରା ପାଳନ କରଗଲା । ତତ୍କାଳୀନ ମୟୂରଭଞ୍ଜ ରାଜା ଵୈଦ୍ୟନାଥ ଭଞ୍ଜଙ୍କ ଜେଜେମା ତଥା ପ୍ରତାପରୁଦ୍ର ଦେବଙ୍କ ରାଜଜେମା 'ନମାତ'ଙ୍କ ପ୍ରେରଣାରେ ୧୫୬୮ ମସିହାରେ ବାରିପଦାଠାରେ ଏକ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା ଏଵଂ ଏହା ପୂର୍ଣ୍ଣାଙ୍ଗ ହେଵାକୁ ଦୀର୍ଘ ସାତଵର୍ଷ ସମୟ ଲାଗିଥିଲା । ୧୫୭୫ ମସିହାର ଆଷାଢ଼ ଦ୍ଵିତୀୟା ତିଥିରେ ବାରିପଦାର ଶ୍ରୀମନ୍ଦିର ମନ୍ଦିର ପ୍ରତିଷ୍ଠା ହେଵା ସହ ସେହିଦିନ ହିଁ ରଥଯାତ୍ରାର ଆୟୋଜନ ମଧ୍ୟ କରାଯାଇଥିଲା । ଵୈଦ୍ୟନାଥ ଭଞ୍ଜଙ୍କ ଜେଜେମା ସେହି ରଥଯାତ୍ରା ଦେଖିଵାକୁ ହିଁ ସତେ ଯେମିତି ବଞ୍ଚି ରହିଥିଲେ ଏଵଂ ତାଙ୍କ ଜୀଵନର ଏହି ଇଚ୍ଛା ପୂର୍ତ୍ତି ସହ ସେ ଶାନ୍ତିରେ ଚିରନିଦ୍ରା ଲଭିଥିଲେ । 

ତତ୍କାଳୀନ ଓଡ଼ିଶା, ପଠାଣଙ୍କ ଅଧିନରେ ଥିଵାରୁ ଭୟରେ ଲୋକେ ଅନେକ ଵର୍ଷ ପର୍ଵପର୍ଵାଣୀ ପାଳୁନଥିଲେ କିନ୍ତୁ ଓଡ଼ିଶାରେ ସେସମୟରେ କେଵଳ ବାରିପଦାରେ ରଥଯାତ୍ରା ହେଉଥିଵାରୁ ବାରିପଦାର ଶ୍ରୀଜଗନ୍ନାଥ ମନ୍ଦିରକୁ ଦ୍ଵିତୀୟ ଶ୍ରୀକ୍ଷେତ୍ର ଆଖ୍ୟା ପ୍ରାପ୍ତ ହୋଇଅଛି । 

ବାରିପଦାର ପ୍ରଥମ ରଥଯାତ୍ରା କେଵଳ ଧାର୍ମିକ ଅନୁଷ୍ଠାନ ନଥିଲା ଵରଂ ଏହା ଥିଲା ତତ୍କାଳୀନ ମୁସଲମାନ ଶାସନ ଵିପକ୍ଷରେ ଏକ ଶାନ୍ତିପୂର୍ଣ୍ଣ ସଶକ୍ତ ଜାତୀୟତାଵାଦୀ ଅଭିଯାନ । ଅତ୍ୟାଚାରୀ ମୁସଲମାନମାନଙ୍କ ଦାଉ ସହି ସହି ଶେଷରେ ମୟୂରଭଞ୍ଜର ଶାସକ ଵୈଦ୍ୟନାଥ ଭଞ୍ଜଙ୍କ ନେତୃତ୍ୱରେ ସେସମୟର ସ୍ଵାଭିମାନୀ ଓଡ଼ିଆମାନେ ଏକପ୍ରକାରର ଵିପ୍ଳଵର ସୂତ୍ରପାତ କରିଥିଲେ । ଏହା ହିନ୍ଦୁ-ମୁସ୍ଲିମ୍ ଧର୍ମ ଯୁଦ୍ଧ ନଥିଲା କି ଏ ଯୁଦ୍ଧରେ ଅସ୍ତ୍ରଚାଳନା ମଧ୍ୟ ହୋଇନଥିଲା ମାତ୍ର ଏହି ଯୁଦ୍ଧ ମୁସଲମାନ ଶାସକଙ୍କ ଶାସନ ଵିପକ୍ଷରେ ସମ୍ଭଵତଃ ଭାରତର ପ୍ରଥମ ଅହିଂସା ଆନ୍ଦୋଳନ ଥିଲା କହିଲେ ଅତ୍ୟୁକ୍ତି ହେଵ ନାହିଁ । 

ଓଡ଼ିଶା ପରାଧୀନ ହେଲାପରେ ମୁସଲମାନମାନେ ଵିଭିନ୍ନ ଉପାୟରେ ଓଡ଼ିଶାରୁ ସନାତନୀ ସଂସ୍କୃତିର ଲୋପ କରିଦେଵାକୁ ପ୍ରଯତ୍ନ କରିଥିଲେ । ସେମାନେ ପ୍ରଥମେ ଓଡ଼ିଶାର ଶହ ଶହ ପ୍ରାଚୀନ ମନ୍ଦିର ଧ୍ଵଂସ କଲେ ଏଵଂ ଶ୍ରୀଜଗନ୍ନାଥ ମନ୍ଦିର ଆକ୍ରମଣ କରି ତା ଭିତରେ ନିଆଁ ଲଗାଇ ଦେଲେ । ଅନେକ ଲୋକଙ୍କୁ କଳେ ବଳେ କୌଶଳେ ମୁସଲମାନ ଧର୍ମରେ ଦୀକ୍ଷିତ କଲେ । ଜଳେଶ୍ଵର ମନ୍ଦିର ଆଦି ଅନେକ ଦେଵାଳୟ ଭାଙ୍ଗି ଉକ୍ତ ସ୍ଥାନରେ ମସଜିଦ୍ ନିର୍ମାଣ କଲେ । ପୁଣି ନୂଆ ମନ୍ଦିର ନଗଢି଼ ଉଠୁ ସେଥିପାଇଁ ଓଡ଼ିଶାର ଧନୀକମାନଙ୍କୁ ଲୁଟିଲେ ଓ ଗରିବ ଜନଙ୍କ ଉପରେ କର ଲଦି ଦେଇ ସେମାନଙ୍କୁ କାଙ୍ଗାଳ କରିପକାଇଲେ । ଓଡ଼ିଶାରେ ଏଥିଯୋଗୁଁ ବହୁ ପ୍ରାଚୀନ କାଳରୁ ପ୍ରଚଳିତ ନୌଵାଣିଜ୍ୟ ବନ୍ଦ ହୋଇଯାଇଥିଲା । ମନ୍ଦିର ଭାଙ୍ଗିଦେଲାପରେ କାଳେ ଓଡ଼ିଆମାନେ ଘରେ ଦିଅଁ ପୂଜାର୍ଚ୍ଚନା କରି ଧର୍ମ ରକ୍ଷା କରିଵେ ସେଥିପାଇଁ ଓଡ଼ିଶାରେ କେହି ଯେମିତି ହିନ୍ଦୁ ପର୍ଵପର୍ଵାଣୀ ନପାଳନ୍ତି ତେଣୁ ସୁଲତାନଙ୍କ ପକ୍ଷରୁ ହିନ୍ଦୁ ପର୍ଵ ପାଳନର ନିଷେଧାଦେଶ ଜାରି ହୋଇଥିଲା  । ଯିଏ ସୁଲତାନଙ୍କ ଆଦେଶ ନପାଳି ଦଣ୍ଡ ଦୀପାବଳୀ ଉତ୍ସଵ ପାଳିଲା ତାକୁ ଵିଭିନ୍ନ ପ୍ରକାରରେ ଦଣ୍ଡିତ କରାଯାଉଥିଲା । 

ମାତ୍ର ମୟୂରଭଞ୍ଜ ରାଜ୍ୟର ରାଜା ବାରିପଦାଠାରେ ଦ୍ଵିତୀୟ ଶ୍ରୀମନ୍ଦିର ନିର୍ମାଣ କରି ଏହି ନିଷେଧାଦେଶର ତୀଵ୍ର ଵିରୋଧ କରିଥିଲେ । ମୟୂରଭଞ୍ଜ ରାଜାଙ୍କୁ ତାଙ୍କର ଅନେକ ପାଖ ଲୋକ କହିଲେ ଲୋକେ ଭୟରେ ଏ ରଥଯାତ୍ରାରେ ଯୋଗ ଦେଵେ ନାହିଁ । ତେଣୁ ରାଜା ଏହି ସମସ୍ୟାର ସମାଧାନ ପାଇଁ ଗୁଡି଼ଏ ପଦକ୍ଷେପ ଗ୍ରହଣ କରିଥିଲେ ।

୧) ମୟୂରଭଞ୍ଜ ରାଜ୍ୟର ଯେଉଁ ପ୍ରଜା ରଥଯାତ୍ରାକୁ ଆସିଵାକୁ ଅମଙ୍ଗ ହେଲା ତା ଉପରେ ଆର୍ଥିକ ଓ ସାମାଜିକ ତଣ୍ତ ଲଗାଗଲା

୨)ସେ ସମୟରେ ଧଳଭୂମି,ଷଡୈକଳା,ଚାଇଁବସା,ଝାଡ଼ଗ୍ରାମ ଓ ମେଦିନୀପୁର ଆଦି ରାଜ୍ୟଗୁଡ଼ିକ ମୟୂରଭଞ୍ଜ ରାଜ୍ୟର କରଦ ରାଜ୍ୟ ଥିଲେ ତେଣୁ ଉକ୍ତ ରାଜ୍ୟର ରାଜାମାନଙ୍କୁ ବାରିପଦାର ରଥଯାତ୍ରାରେ ଯୋଗ ଦେଵାକୁ ଵୈଦ୍ୟନାଥ ଭଞ୍ଜ ଚିଟାଉ ପଠାଇଥିଲେ । କୁହାଯାଏ ଏସବୁ ରାଜ୍ୟରୁ ସ୍ଥାନୀୟ ରାଜାମାନଙ୍କ ସହିତ ଶହ ଶହ ଲୋକ ଆସି ରଥଯାତ୍ରାରେ ଯୋଗ ଦେଉଥିଲେ ।

୩) ଲୋକଙ୍କୁ ଆକୃଷ୍ଟ କରିଵାପାଇଁ ରଥ ଉପରୁ ଗୁଡ଼ମୁଢି଼ଲଡୁ଼ ଫିଙ୍ଗାଯିଵାର ଵ୍ୟଵସ୍ଥା କରାଯାଇଥିଲା ଏଵଂ ଏ ପରମ୍ପରା ଆଜି ମଧ୍ୟ ରହିଛି ।

୪)ମନ୍ଦିର ସୁରକ୍ଷା ପାଇଁ ମାଙ୍କଡ଼ା ପଥରରେ ଅତି ଶକ୍ତ ଚାରି ହାତ ଓସାରର ମେଘନାଦ ପାଚେରୀ ନିର୍ମାଣ କରାଯିଵା ସହ ଶ୍ରୀମନ୍ଦିରର  ସିଂହଦ୍ଵାର ସମ୍ମୁଖରେ ଏକ ଓ୍ଵାଚଟାଓ୍ଵାରର ମଧ୍ୟ ନିର୍ମାଣ କରାଯାଇଥିଲା । ଏହି ଓ୍ଵାଚ୍ ଟାୱାରକୁ ଆଜିକାଲି ନାଗରାଭାଡି଼ କୁହାଯାଉଛି କିନ୍ତୁ ପୂର୍ଵେ ଏଠାରେ ଧନୁର୍ଦ୍ଧର ଓ ବର୍ଚ୍ଛାଧାରୀ ପାଇକମାନେ ଶତ୍ରୁ ଆକ୍ରମଣକୁ ପ୍ରତିହତ କରିଵାକୁ ସଜାଗ ହୋଇ ରହୁଥିଲେ । ବାରିପଦାର ଶ୍ରୀଜଗନ୍ନାଥ ମନ୍ଦିର ଭକ୍ତଙ୍କ ନିମନ୍ତେ ଅତ୍ୟନ୍ତ ସୁରକ୍ଷିତ ଥିଵାରୁ ଲୋକଙ୍କ ମନରେ ଵିଶ୍ଵାସ ବଢି଼ଥିଲା । 

୫)ରଥଯାତ୍ରାରେ ଲୋକଙ୍କ ଉପରେ ଯେମିତି ଵିଧର୍ମୀ ଆକ୍ରମଣ ନହୁଏ ସେଥି ସକାଶେ ହଜାର ହଜାର ପାଇକ ଵୀରଙ୍କ ଦ୍ଵାରା ସୁରକ୍ଷା ବଳୟ ମଧ୍ୟରେ ରଥଯାତ୍ରାର ଆୟୋଜ କରାଯାଉଥିଲା । ଏହି ରଥଯାତ୍ରାରେ ମୟୂରଭଞ୍ଜ ରାଜା ସ୍ଵୟଂ  ହାତୀପିଠିରେ ବସି ରଥ ଆଗେ ଆଗେ ଯାଉଥିଲେ ଓ ତାଙ୍କ ପଛକୁ ଧଳଭୂମି,ଷଡୈକଳା ଓ ନୀଳଗିରି ଆଦି ରାଜ୍ୟର ରାଜାମାନେ ଘୋଡ଼ା ଉପରେ ଚଢ଼ି ଯାଉଥିଲେ । ରାଜାମାନଙ୍କ ପଛରେ ଭୂୟାଁମାନଙ୍କ ଦଳ ଖୋଳକୀର୍ତ୍ତନ ବଜାଇ ନାଚି ନାଚି ଯାଉଥିଲେ ।
ଭୂୟାଁଙ୍କ ପଛରେ ବାଥୁଡି଼ ସମ୍ପ୍ରଦାୟର ଲୋକେ ଚାଙ୍ଗୁ ବଜାଇ ନୃତ୍ୟଗୀତ ପରିଵେଷଣ କରି କରି ଯାଉଥିଲେ । ତାଙ୍କ ପଛକୁ ସାନ୍ତାଳମାନେ ଧୁମସା ନାଗରା ଓ ମୁଣ୍ଡା ଓ ଭୂମିଜମାନେ ମାଦର ବଜାଇ ବଜାଇ ରଥ ଆଗରେ ଯାଉଥିଲେ । ରଥର ଆଗରେ ଓ ପଛରେ , ବଡ଼ଦାଣ୍ଡର ଦୁଇପାର୍ଶ୍ଵରେ ତଥା ରଥ ସହିତ ହଜାର ହଜାର ପାଇକ ଖଣ୍ଡା ଢାଲ ବର୍ଚ୍ଛା ଧରି ଜଗି ରହୁଥିଲେ । କୌଣସି ଵିଧର୍ମୀ ଦ୍ଵାରା ହଠାତ୍ ଶ୍ରୀମନ୍ଦିର କିଂଵା ରଥ ଉପରେ ଆକ୍ରମଣ ନହେଵ ସେଥିପାଇଁ ଵିଭିନ୍ନ ଉଚ୍ଚ ସ୍ଥାନରେ ଗୁପ୍ତ ଭାଵରେ ଧନୁର୍ଦ୍ଧରମାନଙ୍କୁ ମୁତୟନ କରାଯାଇଥିଲା ।  ଫଳତଃ ଓଡ଼ିଶାର ଵିଭିନ୍ନ ଅଞ୍ଚଳରୁ କ୍ରମେ ଅନେକ ଲୋକ ନିର୍ଭୟରେ ରଥଯାତ୍ରାରେ ଯୋଗଦେଵାକୁ ଆସିଵାକୁ ଲାଗିଲେ।

ବାରିପଦାର ଏହି ରଥଯାତ୍ରା କେତେକ ଵର୍ଷଯାଏଁ ସୁରୁଖୁରୁରେ ଅନୁଷ୍ଠିତ ହୋଵାକୁ ଲାଗିଵାରୁ ଓଡ଼ିଶାରେ ସାଧାରଣ ଲୋକଙ୍କ ସାହସ କିଛି ପରିମାଣରେ ବୃଦ୍ଧି ପାଇଥିଲା ଏଵଂ କିଛି ଵର୍ଷପରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ପୁନଃ ପ୍ରତିଷ୍ଠା ପାଇଥିଲେ  । ବାରିପଦାରେ ଶ୍ରୀମନ୍ଦିର ନିର୍ମାଣ ଓ ରଥଯାତ୍ରାର ଆୟୋଜନ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପୁନଃ ପ୍ରତିଷ୍ଠା ନିମନ୍ତେ ପ୍ରେରଣା ଯୋଗାଇଥିଲା । ତେଣୁ ଯଥାର୍ଥରେ ବାରିପଦାର ଶ୍ରୀଜଗନ୍ନାଥ ମନ୍ଦିର ସମସ୍ତ ଓଡ଼ିଆ ଜାତି ପାଇଁ ପ୍ରେରଣାର ଉତ୍ସ କହିଲେ ଭୁଲ୍ ହେଵ ନାହିଁ । 

( ଚିତ୍ର ୨୦୧୯ରେ ଗଣେଶ ଚନ୍ଦ୍ର ସିଂହ ଭାଇ  ଓ Harishchandra Khamari ଭାଇଙ୍କ ସହ ମୟୂରଭଞ୍ଜ ଜିଲ୍ଲାକୁ ଯାଇଥିଵା ସମୟରେ ଉତ୍ତୋଳୋନ କରିଥିଲି )

Saturday, April 10, 2021

⚫ ହେ ବୀର ଯବାନ୍ ⚫

ହେ ବୀର ଯବାନ୍ , 
          ତୁମକୁ କୋଟି ସଲାମ୍
                         ✍ ଉପେନ୍ଦ୍ର କୁମାର ବସ୍ତିଆ
                                    ( ରାଉଲକେଲା ) 

ମାତୃଭୂମି ମୋହ ତୁମରି ପରାଣେ 
       ସପର୍ପିତ ସଦା ଜୀବନ 
ଗର୍ବ ଗଉରବେ ବିଶ୍ବେ ପରିଚିତ 
      ଭାରତମାତାର ସମ୍ମାନ॥୧॥

କରମ ଆଦରି ସଜାଗ ପ୍ରହରୀ
       ଅସାଧ୍ୟ ତୁମ ସାଧନ 
ମାତୃଭୂମି ସେବା ତୁମ ମୂଳ ଲକ୍ଷ୍ୟ 
       ସବୁରି ଶ୍ରଦ୍ଧା ଭାଜନ 
    ପ୍ରଜା ହେଉ ଅବା ରାଜନ 
ସବୁରି ସହାୟ ତୁମ ଦାମ୍ଭିକତା 
      ଧନ୍ୟ ତୁମ ବଳିଦାନ ॥୨॥

ଦୂରାଚାରୀ ଶତ୍ରୁ ବକ୍ଷକୁ ବିଦାରି 
      ରଖୁଥାଅ ଆମ ସମ୍ମାନ
 ହେ'ବୀର ଯବାନ୍ ଘେନ ମୋ' ସଲାମ୍ 
      ନିଅ ଶ୍ରଦ୍ଧାର ସୁମନ 
    ତୁମେ ହିଁ ଦିବ୍ୟ ସନ୍ତାନ 
ଦେଶ ପ୍ରେମ ବହ୍ନି ପ୍ରଜ୍ବଳିତ ଆଜି
      ବ୍ୟର୍ଥ ନୁହେଁ ବଳିଦାନ ॥୩॥

ପଲ୍ଲୀ ଠାରୁ ଦିଲ୍ଲୀ ତୁମ ଗାଥା ଖାଲି 
      ବରଷେ ଶ୍ରଦ୍ଧା ସୁମନ 
ତୁମରି ତ୍ୟାଗର ପ୍ରତିଦାନ ନାହିଁ 
         ଝୁରଇ ସହସ୍ର ମନ 
       ଧନ୍ୟ ତୁମ ବଳିଦାନ
ହେ' କର୍ମବୀର ଯୋଗ୍ୟ ବରପୁତ୍ର
    ଘେନ ମୋ'ଶତ ପ୍ରଣାମ ॥୪॥

ତ୍ରିରଙ୍ଗା ଘୋଡ଼େଇ ହେବାର ସୌଭାଗ୍ଯେ 
     ସାର୍ଥକ ହୁଏ ଜୀବନ   
ଗର୍ବିତ ମାଟି ମା' ପଣତ କାନି ସେ
        ଶାନ୍ତିର ସୁଖ ମଲମ 
        ହେ'ବୀର ଯବାନ୍ ,,,
ଆଶା ସଞ୍ଜିବନୀ ଜଗାଉଛ ପ୍ରାଣେ 
      ତୁମକୁ  କୋଟି ସଲାମ୍॥୫॥
          ------×-----

Friday, April 9, 2021

¤ ସାଗର ¤

^^^ ସାଗର ^^^
                          ✍ଉପେନ୍ଦ୍ର କୁମାର ବସ୍ତିଆ 

ସାଗର ହେ ସାଗର 
    ତୁମେ ଭାରି ସୁନ୍ଦର 
ପଚାରିବି ପ୍ରଶ୍ନ ଏକ 
    ଦେବକି ତା ଉତ୍ତର ? 
ପରବତ ଠାରୁ ବେଶୀ 
    କାହିଁ ଏତେ ଗଭୀର 
କି କାରଣେ ଲୁଣି ତୋର 
    ଜଳ ନୀଳ ରଙ୍ଗର ?
ସାଗର ହେ ସାଗର ।୧।

ଜନ୍ମ ଜନ୍ମାନ୍ତରୁ କେଉଁ 
     ଭାବ ଅଛି ତୁମର 
 କାହାପାଇଁ କାହିଁକି ବି , 
    ଉଠେ ତୋର ଜୁଆର 
କି କାରଣେ ଚିତ୍ତ ତୋର 
     ଥାଏ ସଦା ଅସ୍ତିର 
ଭିତରେ ଥାଉ ଶାନ୍ତ
     ଅଶାନ୍ତ ତୋ ବାହାର 
ସାଗର ହେ ସାଗର ।୨। 

ନଦୀ ସବୁ ଖରତର 
     ଛାଡି ଘର ତାଙ୍କର 
ତୋ ସହିତ ମିଶିବାକୁ 
     ମନ ହୁଏ ଅସ୍ତିର 
କୂଳକୁ ତୁ ଲଂଘୁ ନାହୁଁ  
     କେବେ କେଉଁ ଦିନର 
କିଏ ତୋତେ ରାଣ ଦେଲା 
      କହିବୁକି ସତର 
ସାଗର ହେ ସାଗର ।୩।

ସବୁ ଦେଶ ଭାବୁ ତୋର 
     ତୁହି ପୁଣି ତାଙ୍କର 
କାହାକୁ କରିନୁ କେବେ 
     ପର ଅବା ନିଜର 
ତୋର ଦରଶନ ପରେ 
     ଜଣାଯାଏ ମାତର 
ସାରା ପୃଥିବୀଟା ଲାଗେ 
     ଏକ ପରିବାରର 
ସାଗର ହେ ସାଗର ।୪।

କେଉଁ ଚିଜ ରଖିଅଛୁ 
     ତୋ ଗରଭ ଭିତର 
ସେ ସବୁକୁ ଦେଖିବାକୁ 
     ଭାରି ଇଚ୍ଛା ମୋହର 
ଗରବ ତୁ ସହୁ ନାହୁଁ 
     କେବେହେଲେ କାହାର 
ଗରବ ତା ଭାଙ୍ଗିଦେଉ 
     ଦେଖୁ ଯେବେ ଯାହାର 
ସାଗର ହେ ସାଗର ।୫।

ବସୁମତୀ ମାଆ ହେଲେ 
     କି ଲାଗିବୁ ଆମର 
ତୋ କୁଳ କାହିଁକି ସଦା 
     ଗଢା ଖାଲି ବାଲିର 
ଦେଖି ଶୁଣି ଲାଗେ ମୋତେ ହିଁ
      ମହାନ୍ ତୁ ସବୁର 
ସେଥିପାଇଁ ତୋ କୂଳରେ 
      ଅଛି କଳା ଠାକୁର 
ସାଗର ହେ ସାଗର ।୬।

Thursday, April 1, 2021

☆ ଜାଗିଉଠ ସର୍ବ ଦାୟଦ ☆

#ଜାଗିଉଠ_ସର୍ବ_ଦାୟଦ
                     ✍ସନ୍ତୋଷ ପଟ୍ଟନାୟକ 
            ---0‐‐--
ଭାରତ ବରଷେ ଓଡିଶା ରାଇଜ 
      ଯାହା ଦେଖୁଅଛ ଆଜ
ଯୋଗଜନ୍ମାଙ୍କର ଉପହାର ଇଏ 
      ହେଜରେ ଉତ୍କଳୀ ହେଜ.... 

ଏ'ମାଟି ପୁଅଟା ଖଟୁଚି ଦାଦନ 
      ଅତୀତେ ଥିଲା ବଣିଜ
କାହାରି ମଙ୍ଗଳେ ଆଜିର ଶାସନ  
        ହଜି ହଜି ଯାଏ ଶୌର୍ଯ୍ୟ  
       ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ
 ଅତୀତ ସ୍ମୃତିରେ ଲାଗିଛି ପରାଗ 
       ସୁପ୍ତ ହୁଏ ବଳ-ବୀର୍ଯ୍ୟ !

ବିଛିନ୍ନାଞ୍ଚଳକୁ  ମିଶେଇବା ଲକ୍ଷ୍ୟ 
        ଶାସକଠୁ ନାହିଁ ଆଶା 
ନିଜ ସ୍ବାର୍ଥ ପାଇଁ  ଦେଶ ବିକିବାରେ 
       ଚାଲେ ତାଙ୍କ ଅଙ୍କକଷା
ଦିସାହୀନ ନୀତି ହେବକି ପ୍ରଗତି 
        ଫାଟିବ କଳିଙ୍ଗ ମାଟି
ଜାଗ ଭ୍ରାତାଗଣ ହୁଅ ସାବଧାନ 
         ପଛରେ ପକାଅ ଖଟି .....

ସଂଗ୍ରାମୀ ନାୟକ ବୀରଙ୍କ ଦାୟଦ
       ଜାଗ କବିଗଣ ଜାଗ 
ଲେଖନୀରୁ ତୁମ ଅଗ୍ନି ବର୍ଷାକର 
      ସ୍ବାର୍ଥ ଛାଡି କର ତ୍ୟାଗ 
ନତମସ୍ତ ହେଉ ତୁମରି ସାହସେ 
         ଆଜିର ଏଇ ଶାସକ
 ମାଆକୁ ନଭୁଲୁ ବିପଦ କାଳରେ 
      ମାଆ ତା' ପରିଚାୟକ 
       ଆସ କରିବା ଶପଥ
ବିଛିନ୍ନାଞ୍ଚଳକୁ  ମିଶାଇବା ଲକ୍ଷ୍ୟେ 
       ଜାଗି ଉଠ ସର୍ବ ଦାୟଦ .....        
          ~~~~0~~~~
ବେଗୁନିଆପଡା ବ୍ଳକ୍ , ତିରିଡ଼ା ,ଗଞ୍ଜାମ। 
--------------------
ପରିଚାୟକ : କୌଣସି ବ୍ୟକ୍ତିକୁ ଅନ୍ୟ କୌଣସି ବ୍ୟକ୍ତି ବା ଦୁନିଆଁ ସଙ୍ଗେ ଯେ ପରିଚୟ କରାଇଦିଏ ।

ଲୁହ

ଅଟକୁନି ଲୁହ  ବୋହି ଚାଲୁଛି ଅନବରତ ଆଖିବି ନିଜର କରି ରଖି ପାରୁନି  ଏ ଲୁହକୁ,,,, ବାସ୍ ଝରି ଯାଉଛି ଟୋପା ଟୋପା ହୋଇ! ମନର ବ୍ୟଥା  ହୃଦୟର କୋହ  ସତରେ ଭା...