Tuesday, April 27, 2021

⚫ ସମୟର କଥା ⚫

ସମୟ ସମୟ ର କଥା 
==============
ଦଶ ମିନିଟ ମାତ୍ର ଏକ 'ଗୃହିଣୀ' ପାଖେ ବସ 
ଉଭେଇଯିବ ଯେତେ ଅଛି ଗଚ୍ଛିତ ଖୁସି ହସ 
କେତେ ଜଣା ଅଜଣା ସମସ୍ୟାରେ ହେବ ତ ଛନ୍ଦି 
ସଂସାର ର ଗହନ ପାଠରେ ହୋଇଯିବ ଧନ୍ଦି ll

ଦଶ ମିନିଟ ସମୟ କଟେଇ 'ମଦ୍ୟପ' ସହ 
ଲାଗିବ ସତେ ଯେମିତି ସବୁ କିଛି ମଧୁମୟ 
ବଞ୍ଚିବା ଝୁମିବା ଏଠାରେ ଭାରି ସହଜ କଥା 
ମୌଜ ମସ୍ତି ହିଁ ସତ୍ୟ: ଆଉ ସବୁ ଯେମିତି ମିଥ୍ୟା ll

'ସାଧୁ-ସନ୍ୟାସୀ' ଙ୍କ ସଙ୍ଗତେ ଦଶ ମିନିଟ ବସ 
ଲାଗିବ, ସତେ ଯେମିତି 'ଉଦାସ' ରେ ହିଁ 'ଉଲ୍ଲାସ' 
କଲେ ସେମାନଙ୍କ ସହ ଲମ୍ବା କଥୋପକଥନ 
ଲାଗିବ: "ଜୀବନ ର ମହତ୍ତ୍ୱ ହିଁ ସର୍ବସ୍ବ ଦାନ' ll 

ପାଇ 'ରାଜନେତା' ସହ ଦଶ ମିନିଟ ସମୟ 
ଆଚମ୍ବିତ ହେବ ଦେଖି ତାଙ୍କର 'ଆତ୍ମ ପ୍ରତ୍ୟୟ' 
ଯେମିତି 'ସବ ଜାନତା', ହେଲେ ବି ସେ ନୀରକ୍ଷର 
ନିଜ ବିଦ୍ୟା ବୁଦ୍ଧି ଡିଗ୍ରୀ ସବୁ ଲାଗିବ ବେକାର ll

'ବୀମା କମ୍ପାନୀ ଏଜେଣ୍ଟ' ସହିତ ଦଶ ମିନିଟ 
ପାଣିରେ କେମିତି ସର ପଡେ, ମନ ଟା ଉଚ୍ଚାଟ 
ଚାତୁର୍ଯ୍ୟପୂର୍ଣ୍ଣ ବାକ୍ୟରେ ଭରା କେତେ ଉପଦେଶ 
ଲାଗିବ: ବଞ୍ଚିବା ଠୁଁ ମରିବା ଟା ବେଶୀ ସରସ ll

କଟାଅ ଦଶ ମିନିଟ କୌଣସି 'ବଣିକ' ସହ 
ତାଙ୍କ ଗତି ପ୍ରଗତି ଦେଖି ବଢିବ ମାୟା ମୋହ 
ଲାଗିବ ସେମାନଙ୍କ ଆଗରେ ସ୍ୱୟଂ କେତେ ତୁଚ୍ଛ 
ଉଚ୍ଚ ପଦବୀ-ଉପାର୍ଜ୍ଜନ ରେ କଣ ଅଛି ଦଛ? ll

କେବଳ ଦଶ ମିନିଟ 'ବୈଜ୍ଞାନିକ' ପାଖେ ବସ 
ସେମାନଙ୍କ ଜ୍ଞାନ ର ଗଭୀରତା ରେ ହେବ ବଶ 
ଅତି ସରଳ ମଣିଷ, ଵାକ ଚାତୁରୀ ନାହିଁ ତ 
ତାଙ୍କ ପାଖେ ଆମେ ସବୁ 'ଶ୍ରୀ ଅକ୍ଷର ବିବର୍ଜ୍ଜିତ' ll

ବିତାଅ ଦଶ ମିନିଟ ଭଲ 'ଶିକ୍ଷକ' ର ସଙ୍ଗ 
ତାଙ୍କ ଉଚ୍ଚ ଚିନ୍ତାଧାରା ରେ ନାଚିବେ ସବୁ ଅଙ୍ଗ 
ଇଚ୍ଛା ହେବ ଆଉଥରେ 'ଛାତ୍ର' ହେବାପାଇଁ 
କାନ୍ଧେ ବହି ବସ୍ତାନି ଧରି ଯିବାକୁ ସ୍କୁଲ ଧାଇଁ ll

ଏକ 'କୃଷକ' ପାଖରେ ଦଶ ମିନିଟ ବିତାଅ 
ଜାଣିବ ଜୀବିକା ପାଇଁ ଅଛି କେତେ ଶ୍ରଦ୍ଧା ଲୟ
ରକ୍ତକୁ ପାଣି କରି ସେ କରେ ଶଷ୍ୟ ଉତ୍ପାଦନ 
ଚାକଚକ୍ୟ ଭରା ବୁଦ୍ଧିଜୀବୀ ଟେ ତା' ଆଗେ ହୀନ ll

ଦଶ ମିନିଟ ସମୟ ନେଇ ଭେଟ ସେ 'ସୈନିକ' 
ନିଜ ପ୍ରାଣ ଦେଇ ଯେ ରଖେ ଦେଶ ମାତୃକା ଟେକ 
ଚକିତ ହୋଇଯିବ ଦେଖି ତା' ସେବା ଆଉ ତ୍ୟାଗ
ନିମ୍ନ ଓ ନ୍ୟୁନ ତା' ଆଗେ 'ବିଳାସ-ବ୍ୟସନ-ଭୋଗ' ll

ମାତ୍ର ଦଶ ମିନିଟ ବସ 'ଭଲ ମିତ୍ର' ସଙ୍ଗତେ 
ଖୋଲିଦେଇ ହୃଦୟ ଝରକା ପରମ ନିଶ୍ଚିନ୍ତେ 
ଲାଗିବ: ଲୋଡ଼ାନାହିଁ ସ୍ୱର୍ଗ ର ନନ୍ଦନକାନନ 
ଘନିଷ୍ଠ ମିତ୍ର ର ସଙ୍ଗତ ହିଁ ସ୍ୱର୍ଗ ର ଭୁବନ ll

ବଖାଣିଲି ଏ ସବୁ "ସମୟ ସମୟ ର କଥା' 
ସଙ୍ଗତ ରେ ଲୁଚି ରହିଛି ଅନେକ ଭବ୍ୟ ଗାଥା ll
==============================
                    ✍ ପ୍ରମୋଦ କୁମାର ମହାନ୍ତି 

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...