Friday, August 26, 2022

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ - ୨୧】❀

╔⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
                 ପ୍ରଥମ ଖଣ୍ଡ 
               【ଭାଗ -୨୧】                ╚⏤⏤⏤⏤╗❀╔⏤⏤⏤⏤╝
#ପ୍ରକୃତି_ଦେବୀଙ୍କ_ମାହାତ୍ମ୍ୟ_ବର୍ଣ୍ଣନ
⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅⋆⋄✧⋄⋆⋅⋆⋅⋆⋄✧
ନୈମିଷା ଅରଣ୍ୟରେ ଏକତ୍ରିତ ହୋଇଥିବା ସକଳ ଋଷିମାନେ ସନତ କୁମାର ଙ୍କୁ ପଚାରିଲେ -ହେ  ମୁନିଶ୍ରେଷ୍ଠ !ଆମ ମାନଙ୍କ ମନରେ ଏକ  କଥା ଶୁଣିବାକୁ ଇଛା ହେଉଛି ।ଆମର ଭାଗ୍ୟ ଯେ ତୁମକୁ ଆମ ନିକଟରେ ପାଇଛୁ ।ହେ ଦେବ !ଆମକୁ ନିରାଶ ନକରି କୁହନ୍ତୁ ।ଶିବ ପୁରାଣ ଶୁଣି ଆମ ମାନଙ୍କ ମନ ତୋଷ ହେଉ  ।ଭୋ ଦେବ !ଶିବ ଭଗବାନ ହେଲେ  ଜଗତର ପିତା !ପାର୍ବତୀ ହେଲେ ପ୍ରକୃତି ! ଶିବ ଓ ପାର୍ବତୀ ଏହି ବ୍ରହ୍ମାଣ୍ଡର ପିତାମାତା ଅଟନ୍ତି ! ଏହି କାରଣରୁ  ପ୍ରକୃତି ଦେବୀ ଙ୍କ ମହିମା ଆମକୁ ବିସ୍ତାର କରି କୁହନ୍ତୁ ?। ଆମକୁ ତାଙ୍କ ବିଷୟରେ କହି ତୋଷ କର ବ୍ରହ୍ମା ନନ୍ଦନ ।

ଋଷିମାନଙ୍କ କଥା ଶୁଣି ଧାତା କୁମର  ଅତି ହରଷ ରେ କହିଲେ -ହେ ଯତି ମାନେ !ତୁମେ ବଡ଼ ଗହନ କଥା ପଚାରୁ ଅଛ ?। ଯେଉଁ କଥାକୁ ସ୍ୱୟଂ ବ୍ରହ୍ମା ତାଙ୍କ ଚାରି ମୁଖରେ  ବର୍ଣ୍ଣନା କରି ପାରନ୍ତି ନାହିଁ ମୁଁ ତାଙ୍କରି ସୁତ ହୋଇ ତୁମକୁ ଏସବୁ କିପରି କହିବି ?। ହେ ଋଷିଗଣ କେବଳ ଶିବ ଭଗବାନଙ୍କ ଠାରୁ ଶୁଣିଥିଲି ବୋଲି  ତୁମ ଆଗେ କହିବାକୁ ସକ୍ଷମ ହେଉଛି । ଦୟାବହି ସେ ମହାଦେବ ଏ  ବିଷୟରେ ଯାହା କହିଛନ୍ତି  ସେଥିରୁ କିଞ୍ଚିତ କହିବି ।ତୁମେମାନେ ଧୀର ସ୍ଥିର ହୋଇ  ଶୁଣ ।

ସନତ କହିଲେ -ସତ ,ରଜ ,ତମ ଗୁଣ  ହେଉଛନ୍ତି ପ୍ରକୃତି ମାତା ।ବ୍ରହ୍ମାଣ୍ଡ ଭିତରେ ସେହିଁ ଏକା କାରେଣି ଅଟନ୍ତି । ସେ ହିଁ ନାରୀ ବୋଲାନ୍ତି ଓ ସେହିଁ ପୁରୁଷ ବୋଲାନ୍ତି ।ସେହିଁ ହର ପାର୍ବତୀ ଅଟନ୍ତି ।ସେହିଁ ଅନାଦି ଓ ଆଦି  ନାମରେ ନାମିତ ହୁଅନ୍ତି ।ତାଙ୍କ ଦିବ୍ୟଜ୍ୟୋତି ସବୁଠାରେ  ବିରାଜ କରୁଥାଏ । ସେହିଁ ପ୍ରକୃତି ଠାରୁ ଜାତ ହୋଇବାରୁ  ତାଙ୍କରି ଗୁଣ କୁ ସେ ନିତି ଭୁଞ୍ଜନ୍ତି । ପ୍ରକୃତିର ବାମ ଅଙ୍ଗରୁ ନାରୀ ଜାତ ହୁଏ ।ପ୍ରକୃତିର ଦକ୍ଷିଣ ଅଙ୍ଗରୁ ପୁରୁଷ ଜାତ ହୁଏ । ସେହିଁ ଶିବଙ୍କ ମହିଷୀ ଓ ଗଣେଶ ଙ୍କ ମାତା ଅଟନ୍ତି । ଲକ୍ଷ୍ମୀ ରୁ ଯେ ବିଷ୍ଣୁଙ୍କର ସେ ବନିତା ଅଟନ୍ତି । ସେହିଁ କୃପାମୟୀ ସେହିଁ ମଙ୍ଗଳ ଦାୟିନୀ  ଅଟନ୍ତି ।ସେ ଭବାନୀ ଅଟନ୍ତି ।ସେହିଁ ସମସ୍ତଙ୍କ ମନ କାମନା 
ପୂରଣ କରନ୍ତି ।ସତ୍ୟ ଦୟା ଧର୍ମ ଯଶ ସୁଖ ରେ ସେ ମୋହ ଦାତ୍ରୀ ଅଟନ୍ତି ।ଲୋଭ  ମୋହ ଅହଙ୍କାର କାମ  ରେ  ସେ କ୍ରୋଧି ହୁଅନ୍ତି ।ସେହିଁ ପରମ ବୈଷ୍ଣବୀ ,ଛାୟା ,ମାୟା ସ୍ୱରୂପିଣୀ ଅଟନ୍ତି । ସେହିଁ କ୍ଷାନ୍ତି ,ଶାନ୍ତି ଧୃତି ଓ ପାପ ବିନାଶିନୀ ଅଟନ୍ତି । ବିଷ୍ଣୁଙ୍କ ମନ୍ଦିରରେ ସେହିଁ ନାରାୟଣୀ ଅଟନ୍ତି ।ଇନ୍ଦ୍ରପୁରରେ ସେ  ଶଚି ରୂପ ଧରନ୍ତି ।ରାଜ  ଗୃହ ମାନଙ୍କରେ ସେହିଁ  ରାଜଲକ୍ଷ୍ମୀ ଅଟନ୍ତି । ପାପୀ ଘରେ ସେହିଁ ଅଲକ୍ଷ୍ମୀ ଅଟନ୍ତି । ସୃକୃତି ଙ୍କ ଘରେ ସେ ଗୃହ ଧାରୀ ଅଟନ୍ତି । ସେହିଁ ପଣ୍ଡିତ ମାନଙ୍କ ବୁଦ୍ଧି ଅଟନ୍ତି । ଭକ୍ତ ମାନଙ୍କ ଘରେ ସେ ଶୋଭା ପାଆନ୍ତି । ମୁନି ଜନ ମାନଙ୍କୁ ସେ ମୁକ୍ତି ଲାଭ କରାନ୍ତି । ସେହିଁ ସାଧୁ ମାନଙ୍କର ଶ୍ରଦ୍ଧା ଓ କୁଳିନୀ ର ଲଜ୍ୟା  ଅଟନ୍ତି ।ଜଗତ ସାରା ସେ ମାଆ ରୂପରେ ପୂଜା ପାଆନ୍ତି । ଗାୟତ୍ରୀ ,ସାବିତ୍ରୀ ,ସତୀ ଭାରତୀ ପାର୍ବତୀ  ,ସ୍ୱାହା ,ସ୍ୱଧା , ଜାନକୀ ଅଦିତୀ  ସମସ୍ତେ ପ୍ରକୃତି ଅଂଶ ରୁ ଜାତ ହୋଇଛନ୍ତି ।ଭିନ୍ନ ଭିନ୍ନ ନାମ  ଧରି ସମସ୍ତେ ଥାଆନ୍ତି ।ହେ ଋଷି ଗଣ !ଏ ସମସ୍ତଙ୍କର ଜନ୍ମ କଥା କହୁଛି ଶୁଣ ।ଏହି ପୁଣ୍ୟମୟ ଗାଥା  ସାବଧାନ ହୋଇ ଶୁଣ ।

ପାର୍ବତୀ ଦେବୀଙ୍କ ଜନ୍ମ ହିମାଳୟ ରେ ।ଶିବ ତାଙ୍କୁ  ସ୍ନେହରେ ନିଜ ଅଙ୍ଗରେ ବହି ଥାନ୍ତି । ଜଗତ ଜନନୀ  ମାତା ସେ  ହୈମବତୀ  ଅଟନ୍ତି ।ଋଷିମାନେ ତାଙ୍କର ଅଭୟ ଚରଣ ଙ୍କୁ ବନ୍ଦନା କରନ୍ତି ।  ବେଦ ରୁ ଜନ୍ମ ହୁଅନ୍ତି ଗାୟତ୍ରୀ ,ସାବିତ୍ରୀ।ଗାୟତ୍ରୀ ଓ ସାବିତ୍ରୀ ଏ ଦୁଇଜଣ ଯୁବତୀ  ବ୍ରହ୍ମା ଙ୍କ ମନ କୁ ମୋହିଲେ । ଧବଳାଙ୍ଗୀ ସରସ୍ୱତୀ ବ୍ରହ୍ମାଙ୍କ ଝିଅ ଅଟନ୍ତି ।ଯାହାର ପାଦରେ  ତିନିପୁରର ସିଦ୍ଧ ମୁନି ମାନେ ବନ୍ଦନା କରନ୍ତି ।ଯାହାର ଆଜ୍ଞାରେ ମୂର୍ଖ ମହା ପଣ୍ଡିତ ହୁଏ ।ସେହି ଦେବୀ ନାରାୟଣ ଙ୍କ ମନ କୁ ମୋହିଥିଲେ ।ସରସ୍ୱତୀ ଯାହାକୁ  ସୁଦୟା କରନ୍ତି ତା ହୃଦୟରେ କବିତା ଲେଖିବାର ଶକ୍ତି ଆସେ । ଗୀତ ବାଦ୍ୟ 
ନାଟ୍ୟ ସୁସଙ୍ଗୀତ ଯେତେ  ତାକୁ ସବୁ ଜନହିତ ପାଇଁ ସରସ୍ୱତୀ ସୃଷ୍ଟି କଲେ ।ସରସ୍ୱତୀ ଙ୍କ ଗୁଣ ଆଲୋକିତ ଅଟେ ।

ଋଷି ସନତ କହିଲେ ହେ ତପିଗଣ !ଏବେ ଦକ୍ଷ କନ୍ୟା ମାନଙ୍କର କଥା କହୁଛି ଶୁଣ । ଦକ୍ଷ ଙ୍କ ଦୁହିତା ଥିଲେ ସ୍ୱାହା ,ଅଗ୍ନି ,ପ୍ରିୟବତୀ  ।ଯାହାଙ୍କ ନାମ ବ୍ରାହ୍ମଣ ଉଚ୍ଚାରଣ କରି  ଆହୁତି ଦିଅନ୍ତି ।ସ୍ୱାହା ବିନା ଘୃତଆହୁତି ପ୍ରଦାନ କଲେ  ସେଥିରେ ଦେବତା ମାନେ ସନ୍ତୋଷ ହୁଅନ୍ତି ନାହିଁ । ଏହି କାରଣରୁ ହୋମ ସମୟରେ ସ୍ୱାହା ନାମ ଧରି  ଇଷ୍ଟ  ଦେବତା ଙ୍କୁ ସ୍ମରଣା କରି  ଆହୁତି ଦିଅନ୍ତି । ଏହି ସ୍ୱାହା ଥିଲେ ଧର୍ମଙ୍କ ଭାରିଯା । ତାଙ୍କରି ପାଇଁ  ପ୍ରଜାମାନେ ଧର୍ମ ମାର୍ଗ ରେ ଯାଆନ୍ତି 
ଶ୍ରାଦ୍ଧ ରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କଲାବେଳେ  ସୁଧା ନାମ ଉଚ୍ଚାରଣ କଲେ  ସେ ପିଣ୍ଡ ପ୍ରାପ୍ତ ହୁଏ । ସ୍ୱଧା ବିନା ପିତୃକର୍ମ ନିଶ୍ଚଳ ହୁଏ ।ଏଣୁ ପିତୃକର୍ମ ବେଳେ ସ୍ୱଧା ହିଁ ମୂଳ ଅଟନ୍ତି ।

ହେ ଋଷିଗଣ !ପୁଲେମା ଅସୁର ଅଂଶ ରେ ଶଚୀ ଦେବୀ ଙ୍କ ଜନ୍ମ ହୋଇଥିଲା  ।ଶଚୀ ଦେବୀ ତାଙ୍କ ରୂପ ଓ ଗୁଣରେ ଇନ୍ଦ୍ର ଦେବଙ୍କ ଚିତ୍ତ କୁ ହରି ରାଜଲକ୍ଷ୍ମୀ  ଅମର ଭୁବନରେ ବୋଲାନ୍ତି । ଅନ୍ୟ ନାରୀ ମାନେ ତାଙ୍କ ସହ ସମାନ ହୋଇ ପାରିବେ ନାହଁ । ବୃଷଭାନୁ ଅଂଶ ରେ ପ୍ରେମମୟୀ ରାଧାଙ୍କର ଜନ୍ମ ।ସେହି ମହାମାୟୀ ଶ୍ରୀକୃଷ୍ଣ ଙ୍କୁ ମୋହ କରି ବିବାହ ହୁଅନ୍ତି ।ଜନକ କୁମାରୀ ସୀତା  ଶ୍ରୀରାମଙ୍କ ପାଟ ରାଣୀ ଅଟନ୍ତି ।ରାବଣ କୁ ମାରି ତ୍ରିଜଗତ ସେହିଁ ରକ୍ଷା କରନ୍ତି । ଦକ୍ଷ ପ୍ରଜାପତି ଙ୍କ କନ୍ୟା ଆଦିତୀ  କଶ୍ୟପ ଙ୍କୁ ବିବାହ କରି ଦେବତା ମାନଙ୍କ ମାତା ହେଲେ । କଶ୍ୟପ ଙ୍କ ଜ୍ୟେଷ୍ଠ ରାଣୀ ଙ୍କ ନାମ ଦିତି ।ଏହି ଦିତି ମଧ୍ୟ ଦକ୍ଷଙ୍କ ଝିଅ  ଓ ଅସୁରଙ୍କ ମାତା ଅଟନ୍ତି ।ହିମାଳୟ ଗିରିସୂତା ହେଲେ ପ୍ରକୃତି ।ପାପ ବିନାଶିନୀ ଓ ବିଷ୍ଣୁ ଙ୍କ ମନ ମୋହିନୀ ମଧ୍ୟ ଅଟନ୍ତି । ସେହିଁ ସଂସାର ରେ ଜନ୍ମ ହୋଇ ଗଙ୍ଗା ନାମ ରେ ନାମିତ ହେଲେ ।ଗଙ୍ଗାରେ ସ୍ନାନ କଲେ ମୁକ୍ତି ହିଁ ମିଳିଥାଏ ।ଯାହାର ଜଳ ଜଗତ କୁ ପବିତ୍ର କରେ ସେ ହେଉଛି ଗଙ୍ଗା । ଯାହାକୁ ମସ୍ତକ ରେ ବିଶ୍ଵନାଥ ବହନ କରିଛନ୍ତି । ଭୀଷ୍ମ ଙ୍କ ମାତା ହେଲେ ଶାନ୍ତନୁ ଙ୍କ ପତ୍ନୀ ।ଯାହାର ନାମ ପତିତପାବନୀ ବୋଲି ଜଗତ ରେ ଖ୍ୟାତି ଅଛି । ତୁଳସୀ ନାମରେ ଯେଉଁ ମହିଳା ଖ୍ୟାତ ସେ ହେଉଛନ୍ତି  ବିଷ୍ଣୁଙ୍କର ଗଳାମାଳା ।ଯାହାକୁ ସେବନ କଲେ ଲୋକମାନେ ମୁକ୍ତି ହୁଅନ୍ତି । 
 
ସନତ ଋଷି କହିଲେ ହେ ତପିଗଣ ବର୍ତ୍ତମାନ ମୋର ସନ୍ଧ୍ୟା ସମୟ ଆସିଗଲାଣି  ।ଏହିଠାରେ କଥା କୁ ଆଜି ପାଇଁ ବିଶ୍ରାମ ଦେବା ।

କ୍ରମଶଃ...............

✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ - ୨୦】❀

╔⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
                 ପ୍ରଥମ ଖଣ୍ଡ 
               【ଭାଗ -୨୦】                ╚⏤⏤⏤⏤╗❀╔⏤⏤⏤⏤╝
#ଶିବଙ୍କର_ଶ୍ମଶାନ_ବାସ_ଚରିତ
⋆✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅⋆⋄✧⋄⋆⋅⋆⋅⋆⋄✧
ଋଷି ସନତ କୁମାରଙ୍କ ଠାରୁ ଶିବଙ୍କ ଚରିତ ଶୁଣି ନୈମିଷା ଅରଣ୍ୟ ରେ ଏକତ୍ରିତ ହୋଇଥିବା ଋଷିଗଣ ଆନନ୍ଦିତ ହେଲେ। ଏହାପରେ ସେହି ଋଷିମାନେ କହିଲେ  -ହେ ଧାତାଙ୍କ କୁମର ! ଗୋଟିଏ କଥା ଆମର ମନେ ପଡୁଛି ।ସେହି କଥାକୁ ଆପଣ ବିସ୍ତାର କରି କୁହନ୍ତୁ ତପିବର !। ଭୋ ମୁନି !ଶିବ ଭଗବାନଙ୍କର କାହିଁପାଇଁ ଶ୍ମଶାନ ରେ ଘର  କରି ବାସ କଲେ ?।ଏତେବଡ଼ ପ୍ରଭୁ ସେ !ତାଙ୍କର କେଉଁଥିରେ ଅଭାବ ନାହିଁ ? ଦେବ ଦେବ ମହାଦେବ ହୋଇ  ଖରା କୁହୁଡି କୁ ସହି ଶ୍ମଶାନ ରେ କଅଣ ପାଇଁ ପଡି ରୁହନ୍ତି ?।ଏହାର ମୂଳ କାରଣ ଆମକୁ ବୁଝାଇ କୁହନ୍ତୁ ଗୋସାଇଁ । ହେ ତପିସାଇଁ !ଆପଣ ସନ୍ତୋଷ ମନରେ ଆମ୍ଭ ମାନଙ୍କୁ ଏକଥା କୁହନ୍ତୁ ।

ଋଷିଗଣ ଙ୍କ କଥାଶୁଣି  ବିଧାତା ନନ୍ଦନ ଆନନ୍ଦ ହୋଇ କହିଲେ ନିଶ୍ଚୟ  ମୁଁ ଏକଥା ତୁମ ମାନଙ୍କୁ କହିବି ।ହେ ଋଷିଗଣ ତୁମେ ମାନେ ମନ କର୍ଣ୍ଣ ଦେଇ ଧୀରେ ଶୁଣ । ସନତ କହିଲେ ......

ଦିନକର କଥା  ।ହୈମବତୀ  ନିଜ ସ୍ୱାମୀ ଶିବ ଭଗବାନଙ୍କୁ କହିଲେ  ହେ ପ୍ରାଣପତି !ଏ ଅଭାଗିନୀ ର ସନ୍ତାପ ଫେଡନ୍ତୁ । ମୁଁ ଅନେକ ଦିନରୁ  ଆପଣଂକୁ କଥାଟିଏ ପଚାରିବାକୁ ବିଚାର କରୁଛି । ହେ ସ୍ୱାମୀ !ତୁମେ ପରା ଜଗତର ପତି ପଞ୍ଚାନନ ? ତୁମର ବେଶଭୂଷା ସବୁ ଅପୂର୍ଵ? ଜଗତି ,ଅଟ୍ଟାଳି ,ମେଢ଼ ,ସିଂହାସନ  ଏସବୁ ତୁମରି ଦୟାରେ ସମସ୍ତେ ଭୋଗ କରନ୍ତି । ତୁମେ କାହିଁକି ଶ୍ମଶାନ ରେ ରୁହ ପ୍ରାଣପତି ?। ଯେଉଁ ଠାରୁ ପଚାସଢା  ମଢଙ୍କର ଗନ୍ଧ ଆସୁଥାଏ ପୁଣି ଯେଉଁଠାରେ ମୃତପ୍ରାଣୀ ମାନେ ଦଗ୍ଧ ହୁଅନ୍ତି  ,ଯେଉଁଠାରେ ପିଶାଚୀ ମାନେ ସଢାମାଂସ କୁ ବାଣ୍ଟି କରି ଖାଆନ୍ତି ଓ କିଳିକିଳାନାଦକରି କୁହାଟନ୍ତି ,ଯେଉଁ ଜାଗା ଅତି ଭୟଙ୍କର ଓ ଅପବିତ୍ର  ଅଟେ ସେହି ସ୍ଥାନରେ କାହିଁକି ପ୍ରାଣନାଥ ବାସ କଲେ ?। ଆଜି ବି ସେ ସ୍ଥାନରୁ ଦୁର୍ଗନ୍ଧ ବାହାରୁ ଅଛି । ଅସ୍ଥି ,କଙ୍କାଳ ମାନ ସେ ସ୍ଥାନରେ ପଡିଥାଏ।ମୁଣ୍ଡ ସବୁ ଗୋଟା ଗୋଟା ହୋଇ ଗଡୁଥାଏ। ଭଙ୍ଗା ହାଣ୍ଡି ,ମାଠିଆ ସଂଖ୍ୟା ଗଣି ହେବନାହିଁ ।କୁଢ଼କୁଢ଼ପାଉଁଶ ଅଙ୍ଗାର ଗଦା ହୋଇଥାଏ।କେଉଁଠାରେ ହାଡ଼ ସବୁ ଗଦା ହୋଇଥାଏ । ଜୀଵ ମଲା ପରେ ଶିରା ମାଂସ ପଚି ସଢ଼ି ବାୟୁ ମଣ୍ଡଳ ଅତିଶୟ ଦୁର୍ଗନ୍ଧ ହୁଏ।ରକ୍ତ ମାଂସ ସେଠାରୁ ଦୂର ହୁଏନାହିଁ ।ନିଶାଚର ମାନେ ସବୁବେଳେ ଭ୍ରମଣ କରୁଥାନ୍ତି ।ତାପରେ ନିଶାଚରୀ ମାନେ ସେଠାରେ ଚାଲୁଥାଆନ୍ତି ଓ ହାଡ଼ ରୁ ମାଂସ କୁ ରେକେଟି ଖାଉ ଥାଆନ୍ତି ।ସେମାନେ ଯେପରି ଚିତ୍କାର କରନ୍ତି ତାକୁ ଶୁଣିଲେ ମହା ଭୟ ଲାଗେ । ଛିଣ୍ଡା କନା ,ଛିଣ୍ଡା ବିଛଣା ,ଛିଣ୍ଡା ଶିକା ,ଭଙ୍ଗାଖଟ ,ଛିଣ୍ଡାବାଳ ,ଦରପୋଡା କାଠ ଖୁଣ୍ଟ 
ବାଉଁଶ ଦଉଡି ,କଣ୍ଟା ,ବାଲି ତୃଣ  ଏପରି କେତେ କଅଣ ମଶାଣି ରେ ପଡିଥାଏ । ହେ ପ୍ରଭୁ !ଏହାର କାରଣ କଅଣ ମୋତେ କୁହନ୍ତୁ ?।ମତେ ଏକଥା ବଡ଼ ସଂଶୟ ଲାଗୁଛି ?

ପାର୍ବତୀଙ୍କ କଥା ଶୁଣି  ମହେଶ କହିଲେ  -ହେ ସତୀଇଶ !ତୁମେ ଯାହା ପଚାରିଲା ତାହାର ଉତ୍ତର କହୁଛି ଶୁଣ । ବର୍ତ୍ତମାନ ରୌଦ୍ରକାଳ ଉପସ୍ଥିତ ହୋଇଛି ।ଶଙ୍କର ଭଗବାନ ଙ୍କ ମୁଖ ମଣ୍ଡଳ ବିକଟାଳ ଦେଖାଗଲା ।ଶିବା ଙ୍କୁ ଶିବ କହିଲେ ..ଦିନେ ମୁଁ ବିକୃତ ସ୍ୱରରେ କ୍ରନ୍ଦନ କଲି   ।ଏହି କ୍ରନ୍ଦନ କୁ ଅବ୍ୟୟ ଅନାଦି  ଏହି କ୍ରନ୍ଦନ କୁ ଦେଖି ଦେଲେ । କ୍ରନ୍ଦନ ଦେଖି  କହିଲେ  !ଆରେ ପୁତ୍ର ତୁ କେଉଁଥିପାଇଁ କାନ୍ଦୁଅଛୁ ?। ଏକଥା ଶୁଣି  ଅତି ଆକୁଳରେ ତାଙ୍କୁ କହିଲି  ଆହେ ପ୍ରଭୁ ! ମୋ ନାମ ଦେବ ଦେବ ମହାଦେବ  ଦେଇ ଯାଆନ୍ତୁ । ମୋ କଥା ଶୁଣି ସେ କହିଲେ  ହେ କୁମର ମଣି !ମନ ସ୍ଥିର କରି ଶୁଣ  । ତୁ ଏହି ସମୟରେ କ୍ରନ୍ଦନ କଲୁ  ।ତେଣୁ ତୋହର ନାମ ରୁଦ୍ର ବୋଲି ଆଜିଠାରୁ ହେଲା ।ତାହା ଶୁଣି ପୁଣି ମୁଁ  କ୍ରନ୍ଦନ କଲି । ପୁଣି ଅନାଦି ଦେବ କହିଲେ  -ରେ ବାବୁ କହ କାହିଁକି କ୍ରନ୍ଦନ କଲୁ ?
ତୋ ମନରେ ଆଉ କିଛି ମାଗିବାକୁ ଅଛି କି ?ଅନାଦି ଙ୍କ କଥା ଶୁଣି ମୁଁ ପୁଣି କହିଲି  ମୋତେ ଆଉ ଏକ ନାମ ଦିଅନ୍ତୁ ?".। ଶଙ୍କର ଭଗବାନ କହିଲେ ହେ ଗିରିସୂତା !ମୁଁ ଅନାଦି ଙ୍କୁ ଏପରି କହିବାରୁ  ମୋ ପିତା ମୋତେ ସାତଟି ନାମ ଦେଲେ ।ତଥାପି ମୁଁ ଉଚ୍ଚ ସ୍ୱରରେ ରୋଦନ କଲି । ମୋ ରୋଦନ ଦେଖି ଅନାଦି ମୋତେ କୋଳରେ ଧରିଲେ ଓ କହିଲେ ରେ କୁମର !ଆଉ କଅଣ ପାଇଁ କାନ୍ଦୁଛୁ ?। ତୋ ମାନସ କଥାଟି ମୁଁ ଜାଣି ପାରିଲିଣି । ତୁ ସବୁ ଦେବତାଙ୍କ ମଧ୍ୟରେ ପ୍ରଧାନ ହେବୁ । ଏବେ ତୋ ନାମ ମହାଦେବ ରଖାଗଲା । ଅନାଦି ଙ୍କ ମୁଖରୁ ଏମନ୍ତ ବାଣୀ ଶୁଣି  ମୁଁ କାନ୍ଦିବା ବନ୍ଦ କରିଦେଲି । ହେ ଶାକମ୍ବରୀ ! ସେହି ନାମର ଅର୍ଥ ଏବେ କହୁଛି ଶୁଣ ।

ଶଙ୍କର ଭଗବାନ ପତ୍ନୀ ଗୌରୀ ଙ୍କୁ କହୁଛନ୍ତି -ହେ ପାର୍ବତୀ ! ସୁନ୍ଦରୀ ସ୍ତ୍ରୀ ଙ୍କ ଠାରେ ମୋ ମନ ଗୋଟିଏ କ୍ଷଣ ବି ନଥାଏ । ମୁଁ ସେମାନଙ୍କ ଉପରେ ପ୍ରସନ୍ନ ହୁଏ ନାହିଁ । ମୋ ରୂପ କୁ ଦେଖି ଲୋକମାନେ ଡରନ୍ତି ।ଏଣୁ ମୋ ନାମ ରୁଦ୍ର ଅଟେ । ଅନ୍ୟ ନାମର ଅର୍ଥ କହୁଛି ଶୁଣ ସଖୀ
! ଦେଖିବାକୁ ଗଲେ ମୁଁ ତିନିଲୋକ କୁ ସଂହାର କରେ। ଏହି କାରଣ ରୁ ମୋହର ନାମ ହର ଅଟେ । ମୁଁ କାଳ ସ୍ୱରୂପ ଭ୍ରମଣ  କରୁଅଛି ସେଥିପାଇଁ  ମୋ ନାମ ମହାକାଳ ରଖାଯାଇଛି । ପ୍ରାଣୀ ମାନଙ୍କର ଅନ୍ତ ସମୟରେ ମୁଁ ସମସ୍ତଙ୍କୁ ଉଦର ରେ ଭରେ ।ଏଥିପାଇଁ ସର୍ବନାମ ଟି ସଂସାରରେ ବିଖ୍ୟାତ ହୋଇଛି । ଜ୍ଞାନୀ ମାନଙ୍କର ମନରେ ମୁଁ ଭୟ ଦିଏ  । ଏଣୁ  ହେ ଭବାନୀ !ମୁଁ ଭାବ ନାମକୁ ବହନ କରିଛି । ଏହି ନାମର ମାହାତ୍ମ୍ୟ ଶୁଣ ପ୍ରିୟ ଉମା ।ଯେଉଁ ମାନେ ମୋ ନାମ ର ମହିମା କୁ କୀର୍ତ୍ତନ କରନ୍ତି ସେ ଯମ ପୁରକୁ ଯାଏ ନାହିଁ ।ସେହି ଲୋକ ମର୍ତ୍ତ୍ୟରେ  ମହାଧନୀ ହୁଏ । ହେ ପ୍ରିୟେ ତୁମେ ଯାହା ପ୍ରଶ୍ନ କଲ ତାହା ଏବେ ଶୁଣ । ବିଧାତା ଘଟଣା କୁ କିଏ ଅନ୍ୟଥା କରିବ ?।ମୋ କପାଳରେ ବିଧାତା ଯାହା  ଲେଖିଅଛି  କଳିଯୁଗରେ ତାହା ମୁଁ ଭୋଗ କରୁଛି । ମୁଁ ବାରମ୍ବାର କ୍ରନ୍ଦନ କରିବାରୁ  ମୋହର ପ୍ରିୟ ସ୍ଥାନ ଶ୍ମଶାନ ରଖାଗଲା  ।ମୋହର କ୍ରନ୍ଦନ ଶ୍ମଶାନ ରେ ଶୁଣି ସମୁଦ୍ର  ନିଗମନ ହୋଇଯାଏ ।ଚିତାଭସ୍ମ ମୋହର ଅତି ପ୍ରିୟ ଅଟେ ।ଚିତାଭସ୍ମ ଯେଉଁ ପରି ବଢେ ତାହା ଶୁଣ ମୋର ପ୍ରିୟେ ! ହେ ପାର୍ବତୀ ତୁମ ନିକଟରେ ମୁଁ କିଛି କଥା ଲୁଚାଇ ନାହିଁ ।ବ୍ରହ୍ମଜ୍ଞାନ କାହା ଆଗରେ କହିବାକୁ ନିଷେଧ ଅଛି ।ତୁମ ଆଗରେ କହିଲେ ନିଶ୍ଚିତ ବିବାଦ ହେବ  ।ଆଗୋ ରାମାବର !ମୋ ମନରୁ ଶଂସୟ ଫିଟାଇ କୁହ ।ତୁମ ନିକଟରେ ସବୁ ଗାଥା ଖୋଲି କହିଦେଲି ।ରୌଦ୍ର କାଳରେ କାନ୍ଦିବାରୁ ଏ ଫଳ ମୁଁ ପାଇଲି ।ଏହା ବ୍ରହ୍ମାଙ୍କ  ବଳ ରେ ମୁଁ ଭୋଗ କରୁଛି ।ଏଥିପାଇଁ ଶ୍ମଶାନ ରେ ମୋହର ବାସ ।ଆଉ ଯେତେକ ମୋ ନାମ ଅଛି  ସବୁକଥା ଅନ୍ତରରୁ ଖୋଲି ତୁମ ଆଗରେ କହିଲି ।

ଶିବଙ୍କ ବଚନ ଶୁଣି ଦେବୀ ଶାକମ୍ବରୀ  ପ୍ରେମଭକ୍ତିରେ ଶିବ ଙ୍କ ପାଦତଳେ  ପଡିଗଲେ । ଶଙ୍କର ଭଗବାନ କହିଲେ -ହେ ମୁନିଗଣ ତୁମେ ଯାହା ପଚାରିଥିଲ  ମୁଁ ତାହାକୁ ଠିକେ ଠିକେ କହିଦେଲି । ସବୁ ଋଷି ମାନଙ୍କୁ ସନତ କହିଲେ -ଧନ୍ୟ ଧନ୍ୟ ଅଟଇ ଯେ ଏ ଶିବ ପୁରାଣ ।ଯିଏ ଏହାକୁ  ପଢେ ତାହାର ଜୀବନ ମଧ୍ୟ ଧନ୍ୟ ଅଟେ   ଏହା କହି ଧାତାସୂତ ପ୍ରେମରେ ଭୋଳ ହୋଇ  ଦୁଇ ଆଖିରୁ ଆନନ୍ଦ ର ଅଶ୍ରୁ ଜଳ ଢାଳିଲେ  ।ଯେତେକ ଋଷି ସନତ କୁମାର ଙ୍କ ଠାରୁ ଏ ବିଷୟ ଶୁଣୁଥିଲେ ସମସ୍ତେ ଭାବ ବିହ୍ଵଳ ହୋଇଗଲେ ଓ ସେହିଠାରେ ଶିବ ଙ୍କ ନାମ କୁ ସ୍ମରଣା କଲେ ।

କ୍ରମଶଃ................

•✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

ସମର୍ପଣ (topic - 122 ବତିଘର ) quote #quot

ବତିଘର  - ୧୨୨

ବାକ୍ୟ ବତିଘର ବିଜନ ବେଳାର
     ଉଙ୍କା ଲହଡିର ସାକ୍ଷୀ
ସୂଚାଏ ବିପଦ ପାରେ ପରମାଦ
     ନିଃସଙ୍କୋଚେ ନିରିମାକ୍ଷୀ
ବାଲି କଙ୍କଡାର ଖେଳରେ ବିଭୋର
      ପ୍ରୀତ ପବନର ତାନେ
ଛିଟିକା ଛିଟାରେ ପତଳୀ ଅଣ୍ଟାରେ
      ସମ୍ମୋହିତେ ସାବଧାନେ
               - ଦାଶରଥି ସାହୁ

କୂଳେ ଫେରିବାକୁ  ବାଟ ଯେ ବତାଏ
        କାଟି ବିପଦର ଡର
ସିଏ ପରା ଆମ ବେଳାଭୂମି ପରେ
          ଜଳୁଥିବା ବତୀଘର  
ଅଶାନ୍ତ ସମୁଦ୍ରେ ଯେବେ ବି ଜାହାଜ
     ହୋଇଯାଏ ଦିଗହରା
ବତୀଘର ସେଠି ନାବିକକୁ ଦିଏ
     ଆଶାର ମେଞ୍ଚେ ସାହାରା  
              - ରାମ ଚନ୍ଦ୍ର ପ୍ରଧାନ 

ଭବ ପାରବାରେ ଜୀବନ ନଉକା 
      ପ୍ରଭୁ ତୁମେ ବତୀଘର 
ଦୁଃଖର ଗଣ୍ଡରୁ ଉଦ୍ଧାର କରିବ 
      ଏତିକି ଗୁହାରି ମୋର 
ଲୋଡା ନାହିଁ ମୋତେ ସମୁଦ୍ରର ମୋତି 
      ତୁମରି ଆଶିଷ ଚାହେଁ 
ଉଦ୍ଧାରିବ ପ୍ରଭୁ ସଙ୍କଟ ସମୟେ 
      ମୁଁ ତୁମର ଭୃତ୍ୟ ଟିଏ
                 - ଟୁକୁନା ସାହୁ 

ସମୟର ତାଳେ ବିଦୀର୍ଣ୍ଣ ହୃଦୟ 
  ସ୍ବପ୍ନ ସବୁ ଆଜି ଗଳିତ ଶବ 
ଭାରାକ୍ରାନ୍ତ ମନ ଖୋଜୁଚି ଭରଷା 
   ଭୁଲି ଫଗୁଣର ଚର୍ବିତ ସ୍ବାଦ 
ଜୀବନ ଜାହାଜେ ଭାବନା ଖୋଜୁଚି
    ସୁଦୀର୍ଘ ବିଶାଳ କାମନା ପଥ 
  ବତିଘର ସାଜି  ଦିଗଦ୍ରଷ୍ଟା ହୁଅ
   ଦୁଃଖ ହର ପ୍ରଭୁ ଅନାଥ ନାଥ 
           - ସନ୍ତୋଷ ପଟ୍ଟନାୟକ

ଅଶାନ୍ତ ସମୁଦ୍ର  ବେଳାଭୂମି ପରେ
       ଥାଏ ଯେଉଁ ବତିଘର
ରଙ୍ଗ ରୋଙ୍ଗଲିର ସ୍ତମ୍ଭମାନ ପ୍ରାୟ
        ଦିଶଇ ତାର ଆକାର
ଅଶାନ୍ତ ସମୁଦ୍ର  ଗଭୀର ଜଳରେ
        ଦିଗହରା ନାବିକକୁ
ଦିଅଇ ଇସାରା  ବଞ୍ଚିବାକୁ ରାହା
          କୂଳକୁ ସେ ଆସିବାକୁ
                  - ଜଗବନ୍ଧୁ ସାହୁ

ସେଁ ସେଁ ପବନ ଆସିଚି ତୋଫାନ
    ଢେଉ ଉଠେ ଭୟଙ୍କର ।
ଭାସୁଚି ଜାହାଜ ନୀଳ ଦରିଆରେ
     ଯାତ୍ରି ମନ ହାହାକାର ।
ଅଶାନ୍ତ ସମୁନ୍ଦ୍ର  ନୀଳ ଜଳରାଶି
    ଦିଗହରା ଜାହାଜର ।
ଭରସା ଅଟେ ଦିଗନିର୍ଣ୍ଣୟ ଯନ୍ତ୍ର
      ବେଳାଭୂମି ବତିଘର ।
             ‐ ରାଧା କୃଷ୍ଣ ବାୟକ

ବୁଡି ଆସିଲାଣି ବେଳରେ ନଉକା
      ବୋହିଲାଣି ଝଡ ବାଆ,,,
 ମାଡି ଆସିଲାଣି କଳା ବାଦଲଟା
     ବେଗେ ବେଗେ ଯିବା ଚାଆ
କେତେ ବାଟ ଅଛି କୂଳକୁ ଆହୁରି
       ଦିଶୁନାହିଁ ଜଳପଥ
ବତୀଘର ଦେଖି ଆଗକୁ ମାଡିବା
      ସାହା ହେବେ ଜଗନ୍ନାଥ ।
                  - ରବିନ୍ଦ୍ର ସାହୁ

ନୀଳ ଦିରିଆର,ନିର୍ଜନ ବେଳାରେ
      ନିଃସଙ୍ଗ ସେ ସହଚର,
ଝଡ଼, ଝଞ୍ଜା ବ୍ୟଥା  ଉଚ୍ଚ କରି ମଥା 
       ଛିଡା ସେହି ବତୀଘର 
ଜଳରାଶି ପରେ,ନାବିକ ମନରେ
        କରେ ଭରସା ସଂଚାର,
ଯେତେ ଦୂରେ ଥିଲେ , ଫେରିବାର ପଥ
            ହୁଏ ସୁଗମ ସୁନ୍ଦର ।
              - ପ୍ରବୀର ମଲ୍ଲିକ 

Wednesday, August 3, 2022

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ - ୧୯】❀

╔⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
                 ପ୍ରଥମ ଖଣ୍ଡ 
               【ଭାଗ -୧୯】                ╚⏤⏤⏤⏤╗❀╔⏤⏤⏤⏤╝
ଶଙ୍କର ଭଗବାନ  ତପସ୍ୟା କରିଥିବା ପୂର୍ଣ୍ଣାଦ ବ୍ରାହ୍ମଣ ନିକଟକୁ ଯାଇ  ଦେଖିଲେ ଯେ ପୂର୍ଣ୍ଣାଦ ପାଗଳ ପରି ଚିତ୍କାର କରୁଛି ।ଶିବ ଭଗବାନ ଏହା ଦେଖି କହିଲେ -ହେ ବିପ୍ରବର ! ତୁମର ମନ କାହିଁ ପାଇଁ ଏପରି  ହେଉଛି ।ତୁମେ କାହିଁକି କାକୁସ୍ଥ ପରି ହେଉଛ ?".।ତୁମକୁ ଦେଖି ମୋତେ ଆଶ୍ଚର୍ଯ୍ୟ ଲାଗୁଛି ।ହେ ଦ୍ଵିଜ !ମନରେ କିଛି ମାୟା ନରଖି ସଂଶୟ ଫିଟାଇ ମୋତେ ସବୁ କହ । ତପ ବଳରେ ମନୁଷ୍ୟ ପୁଣ୍ୟ ଯଶ ଲାଭ କରେ । ଏକଥା ଜାଣି କରି ତୁ ଏହାକୁ ବିନାଶ କରୁଛୁ ? ଯିଏ ଗର୍ବ କରେ ତାହାର ସବୁ ଧର୍ମ ନାଶ ହୁଏ । ଯେଉଁ ଜନ ର ଅହଙ୍କାର ନଥାଏ ସେହିଁ ପୌରୁଷ ପାଏ । ହେ ବିପ୍ର !ଦେଖୁଛୁ ଚନ୍ଦ୍ରମା କିପରି ସୁନ୍ଦର ଦେଖା ଯାଉଛନ୍ତି । ସୂର୍ଯ୍ୟ ଙ୍କୁ ଦେଖ !ତାଙ୍କର ଯେଉଁ ତେଜକାନ୍ତି ସେ ଆହୁରି ସୁନ୍ଦର ଦିଶନ୍ତି । ଅଗ୍ନି ଠାରେ ଦଗ୍ଧ କରିବାର ଶକ୍ତି ଅଛି । ଏହି ଦେବତା ମାନେ ଦିନେ ହେଲେ ବି ଅହଂକାର କରନ୍ତି ନାହିଁ । ହେ ଦ୍ଵିଜ ତୁମେ କାହିଁକି ଅହଙ୍କାର କରୁଛ ?,ମୁଁ  ଜାଣିଛି ଯେ ତୁମର ତପସ୍ୟା  ନିର୍ମଳ ହୋଇଛି । ଏଣୁ ତୁମେ ମନରେ ଗର୍ବ ଭାବ ଧରି ତପସ୍ୟା କୁ ବୃଥା କରନାହିଁ ।ଗର୍ବ ତ୍ୟାଗ କରି ମୋ କଥା ମାନ ଗୋସାଇଁ । ଶଙ୍କର ଭଗବାନ କହିଲେ -ହେ ଦ୍ଵିଜ !ଏ ଦେହ  ପୃଥିବୀ ହେଲେ ଆତ୍ମା ଭିନ୍ନ ଭିନ୍ନ ଅଟେ। ଦେହରେ ନାନା ପ୍ରକାର ରସ ଅଛି 
।ତୁମେ ଶାକବର୍ଣ୍ଣ ରସ ଦେଖି  ପାଗଳ ପରି ହେଉଛ କି ?ବିହ୍ଵଳ ହୋଇ ହାସ୍ୟ ନାଟ  କୁହାଟ ସହିତ ଗର୍ଜନ କରୁଛ ?।ଅକାରଣ ରେ ଏସବୁ ଗର୍ବ କରୁଛ ବ୍ରାହ୍ମଣ ।ହେ ବ୍ରାହ୍ମଣ !ତୁମ ଠାରୁ ଆହୁରି ଅନେକ ବଡ଼ ତପି ଙ୍କୁ ମୁଁ ଦେଖିଛି । ଏବେ ତୁମେ ତୁମର ତପ ର ଫଳ ମୋତେ ପ୍ରତ୍ୟକ୍ଷ ଭାବେ ଦେଖାଅ ?।ତୁମେ ଅକାରଣ ରେ ଏତେ ବଡ଼ ଅଭିମାନ କରୁଛ କାହିଁକି ? ଏପରି କଲେ ତୁମେ ପାପୀ ମାନଙ୍କ ମଧ୍ୟରେ ଗଣା ହେବ । ଶାକ ରସ ତୁମ ଠାରୁ ବାହାରି ବାରୁ ତୁମେ ଗର୍ବ କରୁଛ ବ୍ରାହ୍ମଣ । ଏହାପରେ ଶିବ ଭଗବାନ କହିଲେ  -ହେ ବ୍ରଷ୍ମଣ ଦେଖ ମୁଁ ମୋ ଆଙ୍ଗୁଳି କୁ ଏଠାରେ କାଟି ଦେଉଛି । ଏହାକହି ଶଙ୍କର ,ଭଗବାନ ବ୍ରାହ୍ମଣ ନିକଟରେ ନିଜର ମଧ୍ୟମା ଆଙ୍ଗୁଠି କୁ
  ଛେଦନ କଲେ  । ଶିବ ଭଗବାନ ଆଙ୍ଗୁଠି କୁ କାଟି ଦେବାପରେ ସେଥିରୁ ଭସ୍ମ ଧାର ଧାର ହୋଇ ରକ୍ତ ପରି ବାହାରିଲା । ଏହା ଦେଖି ପୂର୍ଣ୍ଣାଦ ବ୍ରାହ୍ମଣ  ଆଚମ୍ବିତ ହୋଇଗଲା । ବ୍ରାହ୍ମଣ ମୋତେ ଧନ୍ୟବାଦ ଦେଇ  ବିନୟ ଭାବରେ କହିଲା  -ହେ ଈଶ୍ୱର !ତୁମକୁ ଦେଖି  ମୋ ମନରେ ଭୟ ଆସିଲା । ମୁଁ ଯାହା କରିଥିଲି ତାହା ପ୍ରମା ହୋଇଗଲା ଓ ମୁଁ ଜାଣିଲି ଯେ ମହୀରେ ରସ ଭିନ୍ନ ଭିନ୍ନ ପ୍ରକାରର ଅଛି । ପିଣ୍ଡ ,ବ୍ରହ୍ମାଣ୍ଡରେ  କିଛି ଭେଦ ନାହିଁ । ହେ ଈଶ୍ୱର !ଆପଣଙ୍କ କଥା କୁ ମୁଁ ପ୍ରତ୍ୟକ୍ଷ ରେ ଦେଖୁଅଛି ।ମୋ ଶରୀର ରୁ ଶାକରସ ବାହାରିବା ବେଳେ ଆପଣଂକ ଶରୀରରୁ ଭସ୍ମ ରସ ବାହାରିଲା ।ହେ ଈଶ୍ୱର ମୋ ମନରେ ଯେଉଁ ଅହଙ୍କାର ଥିଲା  ଆପଣଙ୍କ ଯୋଗୁଁ ତାହା  ମୋହର ଦୂର ହୋଇଗଲା । ଆପଣ କେଉଁ ମହାତ୍ମା ଅଟନ୍ତି ମୋତେ କୁହନ୍ତୁ ?।ଆପଣଙ୍କ ଘର କେଉଁ ଦେଶରେ ଅଟେ ?ଆପଣଙ୍କ ଗୋତ୍ର କଅଣ ? କେଉଁ ବଂଶରେ ଜନ୍ମ ହୋଇ  ସେହି ବଂଶକୁ ପବିତ୍ର କରିଛ ? କେଉଁ ତପ କରି ଆପଣ ଏତେବଡ଼ ତପି ହୋଇଛନ୍ତି ?।ଆପଣ କେଉଁ ନାମ ଗୋଟିଏ ଧରିଛନ୍ତି ? ମୋତେ ସୁଦୟା କରି ଏସବୁ ମୋ ଆଗରେ ବଖାଣନ୍ତୁ ?।

ପୂର୍ଣ୍ଣାଦ ବ୍ରାହ୍ମଣ କହିଲା -ହେ ଶଙ୍କର ଦେବ !ହେ ଉମାସାଇଁ !କପଟ ନକରି ମୋତେ ଦୟାର ସହିତ କୁହନ୍ତୁ । ତୁମକୁ ଆଶାକରି ବହୁତ ବର୍ଷ ତପସ୍ୟା କଲି । ସେହି ତପସ୍ୟା ବଳରେ ମୁଁ ପାଗଳ ହୋଇଗଲି ।ହେ ଦେବ ହର !ମୋର ଏହି ଅବସ୍ଥା ଦେଖ  ମୋ ନିକଟରେ ଆପଣ ପ୍ରବେଶ ହୋଇଛନ୍ତି । ଯଦି ଏ ଦିନ ହୀନ ପ୍ରତି ଆପଣଙ୍କର ଦୟାଥିବ ତେବେ ଏବେ ମୋତେ ଆପଣଙ୍କ ନିଜ ମୂର୍ତ୍ତି ରେ ଦର୍ଶନ ଦିଅନ୍ତୁ ।
ହେ ଦେବ !ଆପଣ କଅଣ ଆଉ ସ୍ୱୟଂ ଦେବରାଜ ଇନ୍ଦ୍ର ଅଟନ୍ତି କି ?
ମୋ ମନ ବିଡିବା ପାଇଁ ଏଠାକୁ ଆଜି ଆସିଛନ୍ତି ?ଯଦି ଏହା ଠିକ୍ ତେବେ ଶଚି ନାଥ ତୁମେ ଏବେ ବିଜେ ହୁଅ । କପଟ ବେଶ ତୁମେ ପରିତ୍ୟାଗ କର । ନହେଲେ ମୋ ମନରୁ ତୁମେ ସଂଶୟ ଫିଟାଅ 
।ଆଉ ନିମିଷେ ବିଳମ୍ବ ନକରି କହିବା ହେଉ ।ଆପଣ ଆଉ କେଉଁ ଦେବତା  ଅଟନ୍ତି ମୋତେ କୁହନ୍ତୁ ?। ସେହି ଦ୍ଵିଜବର ଏମନ୍ତ ପ୍ରକାର  ଆତୁର ରେ ଅସ୍ଥିର ହୋଇଗଲା  । ଶିବ ଭଗବାନ କହିଲେ -ହେ ଗୌରୀ !ଦ୍ଵିଜ ର ଆତୁର ଦେଖି ନିଜ ରୂପ ଧରି ତାକୁ ଦର୍ଶନ ଦେଲି । ମୁଁ ବିପ୍ର ରୂପ ତେଜି ନିଜ ରୂପ ଧାରଣ କଲି ।

ଶଙ୍କର ଭଗବାନ ନିଜ ପତ୍ନୀ ଙ୍କୁ କହିଲେ -ହେ ହିମାଳୟ ଯେମା  ଏକମନ ହୋଇ ଶୁଣ । ସେହି ବିପ୍ର ର ଗର୍ବ ଗାରିମା ସବୁ ଭାଙ୍ଗିଗଲା 
ବ୍ରାହ୍ମଣ ମୋ ରୂପକୁ ଦେଖି ବିହ୍ଵଳିତ ହେବାରେ ଲାଗିଲା ।ପ୍ରେମ ଓ ଆନନ୍ଦ ରେ ଗଦ୍ ଗଦ୍ ହୋଇ  ବ୍ରାହ୍ମଣ ମୋ ପାଦତଳେ ପଡିଗଲା ।ମୋ ଦୁଇ ପାଦକୁ ଧରି ଅବନୀ ରେ  ଲୋଟିଲା । ପୁଣି ଉଠି ଦୁଇ କର ଯୋଡି ମୋ ପାଦଧୂଳି ନେଇ ମୁଣ୍ଡରେ ମାରିଲା ।ତାହାରି ନେତ୍ରରୁ ପ୍ରେମାଶ୍ରୁ ଧାରା ବୋହିଲା ।ବିପ୍ର ଜଣଙ୍କ କହିଲା -ହେ ଦେବ ଦେବ ! ବାଞ୍ଛା କଳ୍ପତରୁ ! ଆପଣ ଙ୍କ ରୂପ କୁ ଏ ବିପ୍ର ଦର୍ଶନ କଲା।ଏହି ରୂପ ମୋ ମନ ସଦା ସର୍ବଦା  ଧ୍ୟାନ କରୁ । ଦେବ ଦାନଵ ,କିନ୍ନର  ତୁମର ଯେଉଁ ରୂପକୁ ଧ୍ୟାନ କରୁଥାନ୍ତି ତୁମର ଯେଉଁ ରୂପକୁ ମୁଁ ଦର୍ଶନ କଲି  ମନେ ମନେ ମୁଁ ଧନ୍ୟ ହୋଇଗଲି । ହେ ଦେବ !ତଵ ପାଦତଳେ ମୋର କୋଟି ନମସ୍କାର କରୁଛି । ଆପଣଂକର ଯେଉଁ ଅଙ୍ଗ  ଭସ୍ମ ସହିତ ସୁନ୍ଦର ଦିଶେ  ହେ ଦୁଃଖ  ଦୂରିତ ହାରଣକାରୀ ଭୋଳାନାଥ ,
କରୁଣା ସାଗର ପ୍ରଭୁ ହେ ପଞ୍ଚମାଥ  ମୋତେ ସେହି ରୂପ ସର୍ବଦା ଦର୍ଶନ ରେ ଆସୁ ।

ଏହାପରେ ବ୍ରାହ୍ମଣ ସଦାଶିବ ଙ୍କୁ ପ୍ରଣାମ ଜଣାଇ ବନ୍ଦନା ଆରମ୍ଭ କଲା । ହେ  ଚନ୍ଦ୍ରଚୂଡ଼ !ହେ ଜଟା କଳାପ ଭୂଷିତ ! ହେ ବୃକ୍ଷଧ୍ଵଜ !ହେ ତ୍ରିଶୂଳଧାରୀ !ହେ ଯୋଗାରୁଢ଼ !ହେ ଶ୍ମଶାନ ବାସୀ ! ହେ ପରମ ଯୋଗୀ !ହେ ମହେଶ୍ୱର ! ହେ ବିରୂପାକ୍ଷ !ହେ ତ୍ରିଲୋଚନ !ହେ ଦେବ ଦେବ ହର ! ମୋତେ ରକ୍ଷା କର ।

ଶିବ ଭଗବାନ କହିଲେ ହେ ପ୍ରିୟେ !ଏହିପରି ଭାବେ ମୋତେ ବ୍ରାହ୍ମଣ ବହୁତ ସ୍ତୁତି କଲା ।ମୋ ପାଦତଳେ ପଡ଼ିଗଲା ବ୍ରାହ୍ମଣ ଜଣ ଙ୍କ ।ପାଦତଳୁ ଉଠି ବେନି କର ଯୋଡି ମୁଣ୍ଡରେ ନେଇ ମାରିଲା । ହେ ପ୍ରିୟେ !ମୁଁ ବ୍ରାହ୍ମଣର ସ୍ତୁତିରେ ସୁପ୍ରସନ୍ନ ହୋଇଯାଇ କହିଲି ହେ ବ୍ରାହ୍ମଣ!ମୋତେ ସ୍ତୁତି କରି ତୁମେ ସନ୍ତୁଷ୍ଟ କରିଦେଲ । ମୁଁ ତୁମ ସ୍ତୁତିରେ  ସନ୍ତୋଷ ଓ ଆନନ୍ଦିତ ହେଲି । ଏବେ ତୁମେ ତାର ଫଳ କଅଣ ପାଇବ ତାହା ଶୁଣ ।ତୁମେ ସାରା ଜୀବନ ଅମର ହୋଇ ରହିବ । ଏହା ତ୍ରିବାର ସତ୍ୟ ଅଟେ । ତୁମେ କେଭେ ଜୀବନରେ ଦୁଃଖ ଅନୁଭବ କରିବ ନାହିଁ । ଏ ସଂସାରରେ ଚିରଦିନ ତୁମେ ସୁନ୍ଦର ସ୍ୱଭାବରେ ରହିବ । ହେ ବିପ୍ର !ତୁମେ ମୋର ଅତି ପ୍ରିୟତମ ଗଣାଧିପ ହୋଇ ରହିବ ।ହେ ଦ୍ଵିଜ !ମୋ ଠାରେ ତୁମେ ଶ୍ରଦ୍ଧା ସବୁଦିନ ରଖିଥିବ । ବୈଷ୍ଣବ ,ଅତିଥି  ଙ୍କ ସେବା ନିରନ୍ତର କରିବ । ହେ ଦ୍ଵିଜ ବର ତୁମେ  ସୁମେରୁ ପର୍ବତ ଶିଖରରେ ଘର କରି ସୁଖରେ ରୁହ ।ମୋ ବଚନ ବଜ୍ର ସହିତ ସମାନ ଅଟେ । 

ଶିବ ଭଗବାନ କହିଲେ ହେ ଗୌରୀ !ଏମନ୍ତ ବଚନ ମୋ ଠାରୁ ଶୁଣି ବ୍ରାହ୍ମଣ ଜଣକ ମୋତେ ଦଣ୍ଡବତ କରି ଗଲା । ସେହିଦିନ ଠାରେ ସେ ବ୍ରାହ୍ମଣ ସୁମେରୁ ପର୍ବତ ରେ ବାସ କଲା । ହେ ସତୀ ଅବଳା!ଆଉ ଏକକଥା କହୁଛି ଶୁଣ ।ଆଗୋ ଗିରିର ନନ୍ଦିନୀ ! ମୋହର ମାନସ ହାରିଣୀ  ସଙ୍କଟ ତାରିଣୀ  !ସେହିଦିନଠାରୁ ମୁଁ ମୋ ଅଙ୍ଗରେ  ବିଭୂତି ଧାରଣ କଲି ।ଏହି ଦ୍ଵିଜ ମୋତେ ଯେଉଁ ନାମ ଦେଲା  ଭସ୍ମ ବିଲୋପନ ବୋଲି ମୁଁ ଖ୍ୟାତ ହେଲି । ସେହି ପୂର୍ଣ୍ଣାଦ ବ୍ରାହ୍ମଣ ଯୋଗୁଁ  ମୋର ଭସ୍ମ ପ୍ରତି ବଡ଼ ପ୍ରୀତି ହେଲା । ଆଗୋ ହୈମବତୀ  !ଆଗୋ ଛଇଳି ! ଭସ୍ମ ର ଯେଉଁ ଗୁଣ ଅଛି ଶୁଣ ।

ଯେଉଁମାନେ ପ୍ରୟାଗ ତୀର୍ଥ ରେ ସ୍ନାନ କରନ୍ତି   ଓ ଏହା ଦ୍ୱାରା ଯେତେ ପୁଣ୍ୟ ଅର୍ଜନ ହୁଏ  ମୋ ବିଭୂତି ସର୍ବାଙ୍ଗରେ ଲେପନ କଲେ  ସେହି ଫଳ ଠାରୁ ଅଧିକ ହୁଏ । ପୁଷ୍କର ତୀର୍ଥ ଓ ପ୍ରଭାସ ଏ ଦୁଇ ତୀର୍ଥରେ  ଯିଏ ସ୍ନାନ କରେ ପୁଣି ମାଘ ମାସରେ ଯିଏ ସପ୍ତମୀ ସ୍ନାନ କରେ  ଓ ସେଥିରୁ ଯେତିକି ଫଳ ମିଳେ  ମୋ ବିଭୂତି ଲଗାଇଲେ ତା ଠାରୁ ଅଧିକ ଫଳ ମିଳେ । ଏହି ବିଭୂତି ସ୍ନାନ ର ଫଳ କଅଣ ଶୁଣ ଉମା !
ଇନ୍ଦ୍ର ,ଚନ୍ଦ୍ର , ବିଷ୍ଣୁ ,ଓ ବୈଶାନର  ନୈରୁତ ପବନ ,କୁବେର ,ବରୁଣ  ଏମିତି ଯେତେ ଦେବତା ଅଛନ୍ତି  ଭସ୍ମ ସ୍ନାନ କଲେ ଯାଇ ସେମାନେ ପୂଜା ପାଆନ୍ତି । ଅଷ୍ଟ ବସୁ ସହିତ ଦିବାକର ,ଏକାଦଶ ରୁଦ୍ର , ଅନଚାଷ  ପବନ  ,ଦୁଇ ଅଶ୍ୱନୀ କୁମାର  ଏହି ଭସ୍ମ ସ୍ନାନ କରି ଅମର ହୋଇଛନ୍ତି । ଋଷି ମୁନି ,ଯୋଗୀ ,ତପୀ ସମସ୍ତେ  ଶୁଦ୍ଧ ଚିତ୍ତରେ ମୋକ୍ଷ ପାଇଛନ୍ତି ।ବିଭୂତି ସ୍ନାନ ଫଳ ଏମାନଙ୍କୁ ମିଳିଛି । ହେ ସଖୀ !ଏ ଭସ୍ମ ଲେପନକୁ କିଏ  କହି ପାରିବ ?। ଯେଉଁଜନ ତାଙ୍କ ଅଙ୍ଗରେ  ଭସ୍ମ ଲେପନ କରନ୍ତି  ତାହାଙ୍କୁ ମୁଁ ମୋହର ସକଳ ବୁଦ୍ଧି ଦିଏ   ଏମାନଙ୍କୁ ଦୁଷ୍ଟ ଦାନଵ ଦେଖିଲେ  ସେମାନଙ୍କ ଅନ୍ତରରେ  ଭୟ ରଖନ୍ତି । ପିଶାଚ ଡାକିନୀ ଏହାଙ୍କ ପାଖରେ ଡରି  ପଶନ୍ତି ନାହିଁ ।

ଭଗବାନ ଶିବ ପୁଣି କହିଲେ ହେ ପ୍ରିୟେ ! ଏ ଭସ୍ମର କରାମତି ବିଷୟରେ ଶୁଣ ?। ଯମଦୂତ ମାନେ ଏ ଭସ୍ମ କୁ ଡରନ୍ତି । ଭସ୍ମ ଲଗାଇ ଥିବା ଲୋକ ମାନଙ୍କ ପାଖକୁ ଆସନ୍ତି ନାହିଁ । ଯିଏ ସବୁଦିନ ସବୁ ଅଙ୍ଗରେ ଭସ୍ମ ବିଲୋପନ କରେ  ତାହାରି ଅଙ୍ଗରୁ  ପାପ ତାପ କ୍ଷୟ ହୋଇଯାଏ   ।ମୋ ସଂଗେ ସମାନ ଥିବା ବ୍ୟକ୍ତି ଯଦି ଯୁଦ୍ଧ କରିବାକୁ ଆସେ ତେବେ ଯେଉଁମାନେ ଭସ୍ମ ଲଗାଇ ଥାଆନ୍ତି ସେମାନଙ୍କୁ ମୋ ସମାନ ଲୋକ ଡରି ଚାଲି ଯାଆନ୍ତି । ସେ ଜନଯେଉଁ ପଥରେ ଗମନ କରେ  ମୁଁ ସଦାବେଳେ ତାହାରି ଆଗରେ ଥାଏ ।ଯେଉଁ ଲୋକ ସବୁବେଳେ ଭସ୍ମ ମାଖି ହୁଏ ତାହାର ବହୁ କରାମତି ଅଛି ।ବିଭୁତି ସ୍ନାନ ଅତି ସୁମଙ୍ଗଳ ଅଟେ । ଏହା କହି ମହାଦେବ ମୌନ ହୋଇଗଲେ ।

କ୍ରମଶଃ.................
 

•✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ - ୧୮】❀

╔⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
                 ପ୍ରଥମ ଖଣ୍ଡ 
               【ଭାଗ -୧୮】                ╚⏤⏤⏤⏤╗❀╔⏤⏤⏤⏤╝

#ମହାଦେବଙ୍କ_ଭସ୍ମ_ବିଲୋପନ_ବିଷୟ!
⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅⋆⋄✧⋄⋆⋅⋆⋅⋆⋄✧
ନୈମିଷା ଅରଣ୍ୟରେ ଏକତ୍ରିତ ହୋଇଥିବା ସକଳ ଋଷିମାନେ ସନତ କୁମାର ଙ୍କୁ ଚାହିଁ  କହିଲେ -ଭୋ ଗୋସାଇଁ !ଆମର ଗୋଟିଏ କଥା ମନେ ପଡୁଛି ।ଦୟାକରି ଆପଣ ଆମ ଆଗରେ ତାହା ପ୍ରକାଶ କରିବା ହେବେ  ।ଏକଥା ଶୁଣିବା ପାଇଁ ଆମର ଆଗ୍ରହ ହେଉଛି । ହେ ତପୋଧନ ! ହେ ଧାତାଙ୍କ କୁମର ଆପଣ କୁହ ନ୍ତୁ ଯେ -ତିନିପୁରରେ ଯିଏ ଦେବ ଦେବ ମହାଦେବ ସେତ  ଚନ୍ଦନ ,କର୍ପୂର  ଲାଗାଇ ପାରିଥାନ୍ତେ ?ତାହାକୁ ନ ଲଗାଇ କାହିଁକି  ନିଜ ଅଙ୍ଗରେ ଭସ୍ମ ବୋଳି ରାଜ୍ୟରେ ବୁଲନ୍ତି ?। ଏହିକଥା ବିସ୍ତାର କରି ଆମ ଆଗରେ କୁହନ୍ତୁ ।ହେ ମୁନି ଏହି ଅନୁରୋଧ କୁ ଆମର ରକ୍ଷା କରନ୍ତୁ ।

ସନତ କୁମାର ଉବାଚ ..........!!!!!
ବ୍ରହ୍ମା ନନ୍ଦନ ସନତ କୁମାର ଋଷି ମାନଙ୍କର ଏପରି ଅନୁରୋଧ ଶୁଣି  ମନ୍ଦ ମନ୍ଦ ହସି ଧୀରେ ଉତ୍ତର ଦେବାକୁ ଲାଗିଲେ ।  ସନତ କୁମାର କହିଲେ ହେ ସକଳ  ଋଷିଗଣ !ମୁ ଯାହା କହୁଛି ମନ କର୍ଣ୍ଣ ଦେଇ ଶୁଣ  ।ଏ ତଥ୍ୟ ଅତି ଗୁପ୍ତ ବଚନ ଅଟେ  ।

                      ଦିନକର କଥା  ।ମାହେଶ୍ୱରୀ ମନରେ  କଅଣ ବିଚାର କରି ଶିବଙ୍କ ନିକଟରେ ପ୍ରବେଶ ହେଲେ ।ଶିବ ଭଗବାନ ତାଙ୍କ ପ୍ରିୟା କୁ ଆଦର କରି  ସ୍ନେହ କରି ନେଇ କୋଳରେ ବସାଇଲେ  ।ଶିବ ଭଗବାନ ପଚାରିଲେ -ଆଗୋ ପ୍ରିୟେ !ଆଜି କାହିଁକି ଅସମୟରେ  ମୋ ନିକଟରେ ପ୍ରବେଶ ହେଲ କୁହ ? ସ୍ୱାମୀଙ୍କ ବଚନ ଶୁଣି ପାର୍ବତୀ  ବେନି ହସ୍ତ  ଯୋଡି  କହିଲେ -ଭୋ ଦେବ ! ଏ ଛାର ଦାସୀ ଏକ କଥା ପଚାରିବା ପାଇଁ ବହୁ ଦିନରୁ ମନସ୍ଥ କରି ଆସିଥିଲା । ସମୟ ଅଭାବରୁ ମୁଁ ଆପଣଙ୍କୁ ସେ କଥା ପଚାରି ପାରୁ ନଥିଲି । ହେ ପ୍ରାଣନାଥ ! ଆଜି ତୁମକୁ ଏକଲା ଦେଖି  ଯୋଗ ନେଇ ତୁମ ନିକଟରେ ଉପଗତ ହୋଇଛି । ହେ ପ୍ରାଣେଶ୍ବର ଦୟାକରି ମୋତେ ବିସ୍ତାର କରି  କୁହ  ଯେ ଦେବ ଦେବ ମହାଦେବ  ସମସ୍ତ ଦେବ ଙ୍କ ଉପରେ ଅଟନ୍ତି ।ସେ ପୁଣି ତିନିପୁରରେ ସର୍ବତ୍ର ପୂଜା ପାଆନ୍ତି । ବ୍ରହ୍ମାଣ୍ଡ ରେ ଏତେ ବଡ଼ ନାମ ତୁମର ଅଛି । ହେ ସ୍ୱାମୀ ଆପଣ କାହିଁକି  ଦିଗାମ୍ବର ବେଶ ରେ ଭ୍ରମଣ କରୁଛନ୍ତି ?, ତାପରେ ଶ୍ମଶାନ ରେ ଭୂତ ମାନଙ୍କ ସହିତ ଆପଣ ରହୁଛନ୍ତି ?' ତାପରେ ଚନ୍ଦନ ,ଅଗୁର ,ଅତର ନ ଲଗାଇ  ମଶାଣି ପାଉଁଶ କାହିଁକି ବୋଲି ହେଉଛ ପ୍ରାଣସାଇଁ ?। ଏହି କଥା ମୋ ମନରେ ସନ୍ଦେହ ହେଉଛି ?। କଅଣ କାରଣ ପାଇଁ ନିଜ ଦେହରେ ଭସ୍ମ  ବିଲୋପନ ଆପଣ କରନ୍ତି ?। ହେ ସ୍ୱାମୀ !ଦୟାକରି ଦାସୀ ଆଗରେ ଏକଥା ପ୍ରକାଶ କରନ୍ତୁ ?।ଏ ବିଷୟ ବୁଝିବା ପାଇଁ ମୋ ମନ ଉଦ୍ ବେଗ ହେଉଅଛି । ତିନି ଭୁବନରେ ଆପଣ ସମସ୍ତଙ୍କୁ ସୁଖ ଦେଇ  ସ୍ୱର୍ଗ ତେଜି ଆପଣ ମଶାଣି ଭୁଇଁରେ ପଡିଛନ୍ତି ? ଏହି କାରଣ  ଏ ଦାସୀ ଜାଣିବା ପାଇଁ  ହେ ପ୍ରାଣନାଥ  ଆପଣ ଙ୍କ ପାଦରେ ନିବେଦନ କରୁଛି ।

ପାର୍ବତୀଙ୍କ କଥା ଶୁଣି ଈଶ୍ୱର କହିଲେ - ହେ ପ୍ରାଣପ୍ରୟା ଚିତ୍ତ କୁ ସ୍ଥିର କରି ମୁଁ ଯାହା କହୁଛି ଶୁଣ ।ତୁମ ଉପରେ ମୋହର ଯେତିକି ଶ୍ରଦ୍ଧା ଅଛି  ସେତିକି ଶ୍ରଦ୍ଧା ଏ ପାଉଁଶ ଉପରେ ମୋହର ଅଛି । କାହିଁକି ପାଉଁଶ ଉପରେ ମୋହର ଶ୍ରଦ୍ଧା ଅଛି ସେକଥା ତୁମକୁ ମୁଁ ବୁଝାଇ କହୁଛି ।  ଶଙ୍କର ଭଗବାନ କହିଲେ - - ଭୃଗୁ ବଂଶରେ  ଗୋଟିଏ ବିପ୍ର ଜନ୍ମ ଗ୍ରହଣ କରିଥିଲା ।ତାହାର ଖ୍ୟାତି ତିନି ଭୁବନରେ ବ୍ୟାପି ଗଲା । ତାହାର ଦର୍ପ  ଯୋଗ ରେ  ଦେବଗଣ ମାନେ ଭୟ ଭିତ ହୋଇ ଗଲେ । ଏହି ବିପ୍ର ଗ୍ରୀଷ୍ମ ଋତୁ ରେ ପ୍ରଖର ସୂର୍ଯ୍ୟ କିରଣ ଥିଲା ବେଳେ  ଚାରି ପାଖରେ  ଅନଳ ଜାଳେ । କଠୋର ତପ୍ତ କିରଣ   ରେ ଏହି ବିପ୍ର  ଘୋର ତପ କଲା ।ତାହାର ମନରୁ ଅହଂକାର ଦୁରୀଭୂତ ହୋଇଗଲା  ।ଶୀତ ଦିନରେ ଏହି ବିପ୍ର  ଜଳ ମଧ୍ୟରେ ଶୟନ କରେ । ଦେହରେ କିଛି ବସ୍ତ୍ର ଆଚ୍ଛାଦନ କରେ ନାହିଁ ଶୀତ ଦିନରେ ଏହି ବିପ୍ର ।ଆଷାଡ଼ ଓ ଶ୍ରାବଣ ଏହି ଦୁଇ ମାସରେ  ମନରେ କଷ୍ଟ ନଭାବି  ବର୍ଷାରେ ବସି  ତପ କରିବ । ଏହିପରି ଭାବେ  ବିପ୍ର ଘୋର  ତପସ୍ୟା ରେ ଥାଏ । ପ୍ରତିଦିନ  ଫଳ ଆହାର କରେ । ବନ ରେ ପଶୁ ,ସିଂହ ,ବ୍ୟାଘ୍ର ,ଭାଲୁ ,ହସ୍ତୀ  ,ମୃଗ ହରିଣ  ,ବରାହ ଯେତେ ଜାତି ଅଛନ୍ତି  ସେମାନଙ୍କ ମନରୁ  ହିଂସା କୁ ବର୍ଜନ କରି ବ୍ରାହ୍ମଣ କୁ ଫଳମୂଳ ଯୋଗାନ୍ତି । ସେହି ଫଳମୂଳ କୁ ନେଇ ବ୍ରାହ୍ମଣ ଭୋଜନ କରେ । ବେଳକୁ ବେଳ ବ୍ରାହ୍ମଣର ତପ ପ୍ରବଳ ହେଲା । ତାହାର ତପସ୍ୟା ଦେଖି ଦେବତା ମାନେ ସ୍ୱର୍ଗପୁର  ଥାଇ  ଅତିଶୟ ସନ୍ତପିତ ହେଲେ  ।ଏହାପରେ ସେହି ବ୍ରାହ୍ମଣ  ଶାକ ଭକ୍ଷ ତେଜିବା ସହିତ ସମସ୍ତ ଆହାର ଛାଡିଦେଲା । ସେହିଦିନଠାରୁ ତାହାର ନାମ ପୂର୍ଣ୍ଣାଦ ନାମରେ ବ୍ରାହ୍ମଣ ନାମିତ ହେଲା ।

ସନତ କୁମାର କହିଲେ -ହେ ମୁନିଗଣ !ଏହା ପରେ କଅଣ ହେଲା ସମସ୍ତେ ଶୁଣ । ବ୍ରାହ୍ମଣ ପୂର୍ଣ୍ଣାଦ  ବହୁ ବର୍ଷ ପର୍ଯ୍ୟନ୍ତ  ଘୋର କଠିନ ସମସ୍ୟା ଦେଇ ତପସ୍ୟା କରିବାରେ ଲାଗିଲା । ଦିନେ ବ୍ରାହ୍ମଣ ପୂର୍ଣ୍ଣାଦ ମନରେ  ବିଚାର କଲା ସତ୍ୟ ଧର୍ମ ରେ ରହି ମୁଁ  ତପସ୍ୟା କଲି ।ମୋ ରକ୍ତର ବର୍ଣ୍ଣ ଶାକରସ ହୋଇଗଲା ।ଏବେ ମୋହର  ତପସ୍ୟା ସିଦ୍ଧ ହେଲା ବୋଲି ପୂର୍ଣ୍ଣାଦ ମନରେ ଜାଣିଲା ।ଦ୍ଵିଜ ଏପରି ମନରେ ଚିନ୍ତା କରି  ତାହାର ତପସ୍ୟା ପୂର୍ଣ ହେଲା ବୋଲି ଭାବିଲା । ଶଙ୍କର ଭଗବାନ କହିଲେ ହେ ଗୌରୀ ! ସେହି ପୂର୍ଣ୍ଣାଦ ବ୍ରାହ୍ମଣ ର ପ୍ରଭା କହୁଛି ଶୁଣ । 

ଦିନକର କଥା ସେହି ପୂର୍ଣ୍ଣାଦ ବ୍ରାହ୍ମଣ  କୁଶ ପୁଳାଏ ଛେଦନ କଲା । କୁଶ ଛେଦନ କରୁ କରୁ ତୀକ୍ଷ୍ଣ କୁଶ ଟିଏ  ସେହି ସମୟରେ ତାହାର ହାତର ମଧ୍ୟମା ଆଙ୍ଗୁଠି ରେ ବାଜି  କାଟି ହୋଇ ରକ୍ତ  ଝର ଝର ହୋଇ  ବହି  ମହୀ ରେ ପଡିଲା । ଦ୍ଵିଜ ବର  ନିଜ ଆଙ୍ଗୁଳି କୁ ନିରେଖି ଦେଖିଲା  ।ସେ ଦେଖିଲା ଯେ ତାହାର ରକ୍ତ ସବୁ ଶାକ ରସ ପରି ଦେଖା ଯାଉଛି । ତାହା ଦେଖି ବ୍ରାହ୍ମଣ ଆନନ୍ଦ ମନରେ  ପ୍ରେମରେ ହସି ହସି  ବାହୁ ଟେକି ନୃତ୍ୟ କଲା । ଥରକୁ ଥର ଉନ୍ମତ୍ତ ଭାବେ ଗର୍ଜନ କଲା । ଯେଉଁ ପଶୁମାନେ ସେହି ବ୍ରାହ୍ମଣ ପାଖରେ ଖଟୁଥିଲେ  ତା ଭୟରେ କେହି ଆଉ ରହିଲେ ନାହିଁ । ସମସ୍ତେ ଯାଇ ବଣ ରେ  ପଶିଲେ । ଶଙ୍କର ଭଗବାନ କହିଲେ  ହେ ପ୍ରାଣସହୀ !ଶୁଣ  ।ଏହି ସମୟରେ ସେହି ବ୍ରାହ୍ମଣର ମନ ଜାଣି  ମୁଁ ବିପ୍ର ରୂପ ଧରି ତା ନିକଟରେ ମିଳିଲି । ବ୍ରାହ୍ମଣ ମୋତେ ଦେଖି ଟହ ଟହ ହସି ଚାଲିଗଲା ।ବ୍ରାହ୍ମଣ ପାଗଳ ପରି ଗର୍ଜନ ଛାଡୁଥାଏ । ହେ ଗୌରୀ !ମୁଁ ଚଞ୍ଚଳ ଯାଇ ତାହାରି ହାତ କୁ ଧଇଲି ଓ କହିଲି ହେ ଦ୍ଵିଜବର  ତୁ କିମ୍ପାଇ ଉତ୍ପାତ  କରୁଛୁ ?। ତୋ ମନ ଏ ପ୍ରକାର କାହିଁକି ହେଉଛି ? ହେ ଦ୍ଵିଜବର କାକୁସ୍ଥ ପରି ତୁ କାହିଁକି ହେଉଛୁ ?। ମୋତେ ଏହା ଦେଖି ଆଶ୍ଚର୍ଯ୍ୟ ଲାଗୁଛି । ହେ ପୂର୍ଣ୍ଣାଦ !ମାୟା ନରଖି ମୋତେ ସବୁ କହ ?ସଂଶୟ ଫିଟାଇ କହ ବିପ୍ର ?। ତପ ବଳରେ ଜନ  ପୁଣ୍ୟ ଯଶ ଲାଭ କରେ  କିନ୍ତୁ ତୁ ଜାଣି ଜାଣି ତାହାକୁ ନାଶ କରୁଛୁ ।ଯିଏ ଗର୍ବ କରେ ତାହାର ସବୁ ଧର୍ମ  ବିନାଶ ହୁଏ  । ଯେଉଁ ଜନ ଅହଙ୍କାରଶୁନ୍ୟସେହିଁ ପୌରୁଷ ଲାଭ କରେ।ହେ ବ୍ରାହ୍ମଣ ତୁ ଦେଖୁଛୁ ଚନ୍ଦ୍ରମା କେତେ ସୁନ୍ଦର ଅଟନ୍ତି ?।ତାପରେ ବି ସୂର୍ଯ୍ୟ ଙ୍କର ତେଜବନ୍ତ କାନ୍ତି  ଅଛି ।ହେ ବ୍ରାହ୍ମଣ!ଅଗ୍ନି ଠାରେ ଦଗ୍ଧ କରିବାର ଶକ୍ତି ଅଛି । ଏମାନେ ଦିନେ ଅହଂକାର  କରନ୍ତି ନାହିଁ  ।ମୁଁ ଜାଣିଛି ଯେ ତୁମ ତପ ନିର୍ମଳ ହୋଇଛି ଗର୍ବ ଭାବ ଧରି ତାହାକୁ ନକର ।

ଈଶ୍ୱର ଭଗବାନ କହିଲେ ହେ ପ୍ରାଣସଖୀ ଏହାପରେ କଅଣ ଘଟିଲା ତାହା ମୁଁ କିଛି ସମୟ ପରେ କହିବି ।

କ୍ରମଶଃ.................
 
••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ - ୧୭】❀

╔⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
                 ପ୍ରଥମ ଖଣ୍ଡ 
               【ଭାଗ -୧୭】                ╚⏤⏤⏤⏤╗❀╔⏤⏤⏤⏤╝
⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅⋆⋄✧⋄⋆⋅⋆⋅⋆⋄✧
#ସଦାଶିବଙ୍କ_ମସ୍ତକରେ_ଚନ୍ଦ୍ର_କାହିଁକି_ଥାଆନ୍ତି 
===============================
ବ୍ରହ୍ମାଙ୍କ ନନ୍ଦନ ସନତ କୁମାର ଙ୍କୁ  ନୈମିଷା ଅରଣ୍ୟରେ ଏକତ୍ରିତ ହୋଇ ଥିବା ସକଳ ଋଷିଗଣ ଚାହିଁ କହିଲେ -ହେ ମହାମୁନି ! ଆପଣ ଙ୍କୁ ଦେଖି ଗୋଟିଏ କଥା ଆମର ମନେ ପଡିଗଲା ।ଆମେ ଯାହା କହିବୁ ତାହାକୁ ଆପଣ ଆମକୁ ସାଦରେ ବୁଝାଇ କହିବେ । ହେ ତପି 
!ଶିବ ଭଗବାନ ଚନ୍ଦ୍ର ଙ୍କୁ କାହିଁକି  ଧାରଣ କରନ୍ତି ?ଶିବ ଭଗବାନ କେଉଁଥିପାଇଁ  ଚନ୍ଦ୍ରଶେଖର ବୋଲାଇଲେ ?।ଶିବଙ୍କୁ ବ୍ରହ୍ମାଣ୍ଡରେ କାହିଁକି ଚନ୍ଦ୍ରଶେଖର ବୋଲି କହନ୍ତି?। ଏସବୁ ଶୁଣିବାକୁ ଆମ୍ଭ ମନରେ ଶ୍ରଦ୍ଧା  ବଳୁଛି । ହେ ବିଧାତା କୁମାର  ଏସବୁ କଥା ଆମକୁ ବୁଝାଇ କୁହନ୍ତୁ ?।

ଋଷି ମାନଙ୍କର କଥା ଶୁଣି ସନତ କୁମାର ଆନନ୍ଦିତ ହେଲେ ଓ କହିଲେ ହେ ତପିଗଣ ! ତୁମେ ମାନେ ଯେଉଁ ବିଷୟରେ ମୋତେ ପ୍ରଶ୍ନ ପଚାରିଛ ତାହା ବଡ଼ ଗହନ କଥା  ।ମହାଦେବ ଙ୍କ ଶିର  ପବିତ୍ର ଅଟେ  । ଦିନକର କଥା ।ମହାମାୟା ଶିବ ଭଗବାନଙ୍କୁ ଚାହିଁ  ଅତି ବିନୟରେ କହିଲେ -ଆହେ ପ୍ରାଣସାଇଁ! ମୋ ମନରୁ ସଂଶୟ ଦୟା କରି ଦୂର କରନ୍ତୁ ?। ମୁଁ ଆପଣଂକର ଛାର କିଙ୍କର ଅଟେ । ମୋ ଠାରେ ଆପଣ ମାୟା ରଖନ୍ତୁ ନାହିଁ ।ଆପଣ ଯେପରି ମୋତେ ବାମ ଅଙ୍ଗରେ ଧରିଛ  ସେହିପରି ଅର୍ଦ୍ଧଚନ୍ଦ୍ର କୁ  ମସ୍ତକ ରେ ଧରିଛ ? ଏହି ଚନ୍ଦ୍ର କୁ ମସ୍ତକରେ  ଧରିବାର କାରଣ କଅଣ ମୋତେ କୁହ ?। ଆପଣ ଏପରି କହିବେ କେ ଯେପରି ମୋହର ମନରୁ ସନ୍ଦେହ ଦୂର ହୋଇଯିବ ।

ପ୍ରିୟା ର ମୁଖରୁ  ଏପରି କଥା ଶୁଣି ସଦାଶିବ  ହସି ହସି କହିଲେ ..
ତୁ ମୋ ପ୍ରାଣରୁ ଅଧିକ ଅଟୁ ।ହେ ଜୀବେଶ୍ୱରୀ !ତୁମେ ଯାହା ପଚାରିଲ ତାହା କହୁଛି  ମନ ଦେଇ ଶୁଣ । ତୁମେ ଥିଲା ଦକ୍ଷ ଙ୍କ ନନ୍ଦିନୀ  ।ତୁମର ନାମ ଥିଲା ସତୀ । ତୁମେ ଯେଉଁ ସମୟରେ ତୁମ  ପିତୃଧାମ ରେ ପ୍ରାଣତ୍ୟାଗ କଲ ମୁଁ ତୁମ  ବିରହ ରେ ବନ ରେ ବୁଲିଲି ।ମୋ ମନ ଅସ୍ଥିର ହେଲା ।କେଉଁଠାରେ ମୋ ମନ ଲାଗିଲା ନାହିଁ  ।ସବୁବେଳେ ତୋ ସୁନ୍ଦର ମୁହଁ ,ଗୋରା ଦେହ  ,ଟଣା ଟଣା ଆଖି  ଓ ସବୁ ଅଙ୍ଗ ମୋର ମନେ ପଡ଼ିଲା । ମୋ ହୃଦୟ ବିଦାରିତ ହୋଇଗଲା । ନିଜକୁ ସମ୍ଭାଳି ନପାରି ତପ କରିବାକୁ ନଦୀ କୂଳକୁ ଗଲି ।ତାପରେ ଉଦ୍ୟାନ ରେ ପ୍ରବେଶ କଲି ।ସେଠାରେ ମଧ୍ୟ ମୋ ମନ କ୍ଷଣ  ସ୍ଥିର ହେଲାନାହିଁ ।ତାପରେ ଗୋଟିଏ ବୃକ୍ଷ ମୂଳକୁ ମୁଁ ଚାଲିଗଲି । ସେହି ନଦୀ କୂଳରେ ଥିବା ବୃକ୍ଷ ମୂଳରେ ବସିଲି ।ତାପରେ ବହୁ ପର୍ବତ କନ୍ଦର ଭ୍ରମଣ କଲି ।ଜଳ ,ସ୍ଥଳ ,ପାତାଳ  ସବୁଆଡେ ବୁଲିଲି ।କିଛି ଦିନ ପରେ ମୋ ମନକୁ ବହୁ କଷ୍ଟରେ ସ୍ଥିର କଲି ।ବିଭିନ୍ନ ସ୍ଥାନରେ ମୁଁ କଠୋର ତପ  ସାଧିଲି । ହେ ପ୍ରିୟା !ମୁଁ ଯେଉଁ  ଯେଉଁ ବୃକ୍ଷ ମୂଳରେ ତପ ସାଧୁଥିଲି ସେ ବୃକ୍ଷ ସବୁ  ତପ ର ପ୍ରଭାବ ରେ  ଜଳିଗଲା ।ବନ  ପର୍ବତ ରମ୍ୟ ସ୍ଥଳୀ  ସବୁ ପୋଡିଗଲା । ମୋ ତପସ୍ୟା ଫଳରେ  ମହୀ  ମଣ୍ଡଳରେ  ଅଗ୍ନି ଘୋଟିଗଲା । ରବି ,ଶଶାଙ୍କ   ଦୁଇଙ୍କର ତେଜ ଉଣା ହୋଇଗଲା । ଏହା ଫଳରେ ଯମ ରାଜାଙ୍କ ର ଜରାଵସ୍ଥା ଆସିଗଲା । ଆଗୋ ଚନ୍ଦ୍ରମୁହିଁ! ତୁମକୁ ଅଧିକ  କଅଣ  ମୁଁ ଆଉ କହିବି ?। ତିନି ଭୁବନରେ  ନର  ,ନାଗ ,ଗନ୍ଧର୍ବ ,କିନ୍ନର   ,ରାକ୍ଷାସ ଯେତେ ବାସ କରିଥିଲେ  ସମସ୍ତେ ବ୍ୟାକୁଳ ହୋଇଗଲେ । ହେ ମହାମାୟୀ ! ମୋ ତପସ୍ୟା ବଳ ଅତି କଠୋର  ଦେଖି ଇନ୍ଦ୍ର ନିଜେ ଦେବଗଣ ମାନଙ୍କୁ ନେଇ  ବେଦପତି ବ୍ରହ୍ମାଙ୍କ ନିକଟକୁ ଗଲେ । ମୁଁ ମନ୍ଦର ପର୍ବତ ଶୃଙ୍ଗ ନିମ୍ନ ଦେଶରେ ତପସ୍ୟା କରି ରାଗରେ ବସିଥିଲି । ଇନ୍ଦ୍ର ,ବ୍ରହ୍ମାଙ୍କୁ ଚାହିଁ ପଚାରିଲେ  -ହେ  କମଣ୍ଡଳୁ ଧାରୀ ଏସବୁ କଅଣ ହେଉଛି ?କାହିଁକି ହେଉଛି ?ମୋତେ ବୁଝାଇ କୁହନ୍ତୁ ? ତୁମେ  ପିତାମହ !ତୁମେ ପ୍ରଜାପତି  ଅଟ !ଅଗ୍ନି କୁ ନିବାରଣ କରି  ଏ ଧରିତ୍ରୀ କୁ ରକ୍ଷା କର ?। ଏ ଅଗ୍ନି ର ତେଜରେ ତିନିପୁର ପୋଡିଯିବ ତା ସହିତ ତୁମେ ମଧ୍ୟ ପୋଡିଯିବ ।

ଇନ୍ଦ୍ରଙ୍କ କଥା ଶୁଣି ପଦ୍ମ ଉଦ୍ଭଵ  କହଲେ -ହେ ଶଚିନାଥ ! ଏହାର ବିଧାନ କହୁଛି ଶୁଣ ।ଯାହା ମୋତେ ପଚାରିଲ  ହେ ଅମରରାଣ ତାହା ମୁଁ ତୁମକୁ କହିବି । ବ୍ରହ୍ମା କହିଲେ -ଯାହାର ତେଜ ବଳ ଏ ତିନି ଭୁବନ ରେଅଛି ତାହା କହିଦେଉଛି ।ତୁମେ ନିଶ୍ଚଳ ଭାବେ ଶୁଣ ।ମହାଦେବ କୋପାନଳ ମୂର୍ତ୍ତି ହୋଇ  ସତୀ ଙ୍କ ବିରହରେ ବସି ତପସ୍ୟା କରୁଛନ୍ତି । ତାହାଙ୍କ ତପ କ୍ରୋଧାଗ୍ନି ବଳରେ ସଂସାର  ତିନିପୁର ଦହନ ହେଉଛି ହେ ପୁରନ୍ଦର  । ହେ ଶଚିସାଇଁ ଏବେ ତାହାର ପ୍ରତିକାର ତୁମେ କର ?।ମନରେ ଆଉ କିଛି ଭାବନା ନକରି ତାହାର ପ୍ରତିକାର କର । ବ୍ରହ୍ମା ଏମିତି କହି ବାସବ କୁ ସାନ୍ତ୍ୱନା ଦେଇ ବୁଝାଇଲେ ।ବ୍ରହ୍ମା ପୁନଶ୍ଚ କହିଲେ - ଶିବ ଶୂଳ ଧାରୀ ଓ ବିରୂପ ନୟନ ଅଟନ୍ତି  ।ସତୀ ଙ୍କୁ ନପାଇ ସେ ତିନି ଭୁବନ ପୋଡ଼ୁଛନ୍ତି । ସେହି ଅଗ୍ନିର ତେଜରେ ସପ୍ତ ଦ୍ବୀପ ମହୀ  ବେଳକୁ ବେଳ ପ୍ରଚଣ୍ଡ ଅଗ୍ନି  ଗ୍ରାସ କରୁଛି । ଏହା ଫଳରେ ତିନି ଭୁବନ ଲୋକ ବିକଳ ହେଉଛନ୍ତି । ହେ ଇନ୍ଦ୍ର !ଏବେ ଗୋଟିଏ କଥା କର ?ଚନ୍ଦ୍ର ଙ୍କୁ ନେଇ ଶିବ ଙ୍କ ପାଖକୁ ଚାଲ । ସେହିଁ ମହାଦେବଙ୍କର ଶିର ରେ ଗାରୁଢ ହେବେ   ।ଦେଵତା ମାନଙ୍କ ସହିତ ଚନ୍ଦ୍ର ଙ୍କୁ ନେଇ ଶୀଘ୍ର ଶିବ ଙ୍କ ନିକଟକୁ ଚାଲ ।ସୁଶୀତଳ ଚନ୍ଦ୍ରମା କୁ ଦେଖି  ମହେଶ୍ବର  ଆଉ କୋପ ନକରି  ଶାନ୍ତ ହୋଇଯିବେ ।ଶିବ ଭଗବାନଙ୍କ ପ୍ରିୟା ବିଚ୍ଛେଦ  କଷ୍ଟ ଦୂର ହୋଇଯିବ   ।ଦେବ ଦିଗମ୍ବର  ଆଉ ସନ୍ତାପିତ ହେବେ ନାହିଁ । ଚନ୍ଦ୍ରଙ୍କ କିରଣ ତାଙ୍କ ମନ ଙ୍କୁ ହରଣ କରିବ । ସତୀ ବିଚ୍ଛେଦ କଷଣ  ଶିବ ପାଶୋରି ଯିବେ ।

ବେଦବରଙ୍କ ମୁଖରୁ ଇନ୍ଦ୍ର ଏକଥା ଶୁଣି ମନେ ମନେ ଆନନ୍ଦିତ ହେଲେ ।ବଜ୍ରପାଣି  ଚନ୍ଦ୍ରକାନ୍ତ ମଣି  ସାହାଯ୍ୟ ରେ  ସୁଧାଘଟ ଓ ବିଷ ଘଟ ଧରି ସଜ ହେଲେ । ଶିବ କହୁଛନ୍ତି -ହେ ସଖୀ !ଦେବତା ମାନେ ସୁଧା ଘେନି ମୋ ନିକଟ କୁ ଆସିଲେ । ବ୍ରହ୍ମା ସହିତ ସମସ୍ତ ଦେବତା ମାନେ ଆସି ମୋ ନିକଟରେ ବିନୟ ରେ କହିଲେ -ହେ ଦେବ ଦେବ ତ୍ରିଲୋଚନ !ଏ ସୁଧା କଳସ କୁ ଗ୍ରହଣ କରନ୍ତୁ ।ଆପଣ ଏହି କଳସ କୁଗ୍ରହଣ କଲେ ଆମେ ସନ୍ତୁଷ୍ଟ ହେବୁ । ଭଗବାନ ଶିବ କହୁଛନ୍ତି -ହେ 
ଭବାନୀ !ଏବେ ମନ କର୍ଣ୍ଣ ଦେଇ ଶୁଣ ।ସୁଧା କୁମ୍ଭ ରୁ ସୁଗନ୍ଧ ବାହାରୁ ଥାଏ । ସେହି ସୁଧା ଘଟରୁ ଏପରି ସୁଗନ୍ଧ ବାହାରୁ ଥିଲା ଯେ ବନ ଉପବନ ଚହଟି ଯାଉଥିଲା  ।ସୁବାସ ରେ ମନ ପ୍ରାଣ ମୋର ପୁଲକିତ ହେଲା । ଚୁଆ ,ଚନ୍ଦନ ,କର୍ପୂର  ,ଅତର ସହିତ ଯେତେ ସୁବାସିତ ଦ୍ରବ୍ୟ ଅଛି  ସେହି ସୁଧା ଘଟରେ  ଆମୋଦ ସଂଗେ ସରି ହେବ ନାହିଁ । ହେ ମାହେଶ୍ୱରୀ ! ସେହି ଅମୃତ ବାସ୍ନା କୁ  ବର୍ଣ୍ଣନା କରି ହେବ ନାହିଁ ।ମୁଁ ସେ ବାସ୍ନାକୁ ଆଘ୍ରାଣ କରିବା ମାତ୍ରେ  ବିହ୍ଵଳ ହୋଇଗଲି । ମୋ ମନ ପ୍ରାଣ ,ନେତ୍ର  ମୁଗ୍ଧ ହୋଇଗଲା । ସେହି ସୁଧା କୁମ୍ଭ କୁ ମୁଁ ନେଇ ଗଲି । ସୁଧା କୁମ୍ଭ କୁ ମୁଁ ହାତରେ ଧରିବା  ବେଳେ  ହେ ଭବାନୀ !ମୋ ମସ୍ତକରେ  ଅକସ୍ମାତେ ଚନ୍ଦ୍ରରେଖା  ହୋଇଗଲା । ସେହି ଉଜ୍ଜ୍ୱଳ ଚନ୍ଦ୍ରରେଖା କୁ ମୁଁ ଦେଖିକରି  କ୍ରମେ କ୍ରମେ ମୋ ମନ ପୂର୍ବ ପରି ସ୍ଥିର ହୋଇଗଲା   ।ହେ ସତୀ !ତୁମ ବିରହ ବିଚ୍ଛେଦ  କଷ୍ଟ ମୋ ଠାରୁ ଦୂର ହେବା ସହିତ  ସମସ୍ତ ସନ୍ତାପ ଯାହା ଥିଲା ସବୁ ଦୂର ହେଲା ।ଠିକ୍ ଏହି ସମୟରେ ସବୁ ଦେବତା ମାନେ ମିଶି ମୋତେ ସ୍ତବ କଲେ ।ବ୍ରହ୍ମା ମୋତେ ସେଠାରେ ଚନ୍ଦ୍ରଚୂଡ଼ା ନାମ ରେ ନାମିତ କଲେ ।ଇନ୍ଦ୍ରଦେଵ ମୋ ନାମ  ଶଶାଙ୍କ ଶେଖର ବୋଲି  ନାମ ଦେଲେ । ଚନ୍ଦ୍ର ମୌଳି  ନାମ ସକଳ ଦେବତା ମାନେ ନାମ ଦେଲେ ।ଦେବତା ମାନେ ଆନନ୍ଦିତ ହୋଇ ସୋମନାଥ ,ସୋମେଶ୍ୱର  ଏମିତି ଆହୁରି କେତେ 
ନାମରେ ମୋତେ ନାମିତ କଲେ ।  ଭଗବାନ ଶିବ କହିଲେ ହେ ପ୍ରିୟା ସେହିଦିନରୁ  ଚନ୍ଦ୍ରମା କୁ ମୁଁ ବହୁତ ଆଦର କଲି । ବେଳକୁ ବେଳ ତା ଉପରେ ମୋହର ବହୁତ ଶ୍ରଦ୍ଧା  ହେଲା । ତେଣୁ ଚନ୍ଦ୍ର କୁ ମୁଁ ମସ୍ତକ ରେ ଧାରଣ କଲି । ହେ ସଖୀ !ତୁମ ଆଗରେ ମୁଁ ସବୁ କଥା 
ଫେଡ଼ି କହିଲି ।ହେ ପ୍ରିୟ ସହୀ !ଏକଥା ଅତି ଗହନ ଅଟେ ।ଏକଥା କୁ ତୁମେ କାହା ଆଗରେ କହିବ ନାହିଁ । ଯେଉଁ ଜନ ଭକ୍ତି ଭାବରେ  ଏହି କଥା କୁ ପଢିବ  ସେ ଅନ୍ତ କାଳରେ ବୈକୁଣ୍ଠ ରେ ବସିବ । ନାରୀ ମାନେ ଏହାକୁ ଶ୍ରଦ୍ଧା ରେ ପଢିଲେ  ପୁତ୍ର ପତି ସହିତ ସୁଖରେ ରହିବେ  ।ଲକ୍ଷ୍ମୀ ସର୍ବଦା ତାଙ୍କ ଉପରେ ସନ୍ତୁଷ୍ଟ ହେବେ ।ଦେବ ଦେବ ମହାଦେବ  ତାଙ୍କର ଅରିଷ୍ଠ ଖଣ୍ଡନ କରିବେ । ଏହି ଗ୍ରନ୍ଥ କୁ ଯିଏ ପ୍ରତିଦିନ ପାଠ କରିବ  ତାହାଠାରୁ ଗୋହତ୍ୟା ,ବ୍ରହ୍ମହତ୍ୟା  ମୋଚନ ହୋଇଯିବ । ଶିବଙ୍କ ସହିତ ସମାନ କେହି ବଳିୟାର ନାହାନ୍ତି।ହର ସକଳ ବିପଦ କୁ ହରି ପାରନ୍ତି । ସେହି ମହାଦେବ ଙ୍କ ପାଦ ପଦ୍ମେ ମନ ଦେଇ  ଏ ଅଧମ  ବୃହତ ଶିବ ପୁରାଣ କୁ ଅନୁବାଦ କରୁଛି ।

କ୍ରମଶଃ.............

••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

Tuesday, August 2, 2022

ସମର୍ପଣ (topic - 121 ପୁସ୍ତକ ) quote #quot

ପୁସ୍ତକ - 121

ଖଣ୍ତେ କାଗଜରୁ ଉତ୍ପତି ତାହାର
      ପୁସ୍ତକ ଅଟେ ତା ନାମ
ଜନହିତ ପାଇଁ ସର୍ବଦା ଯେ ସିଏ
       ଆସୁଥାଏ ପୁଣି କାମ
ଚାଟଶାଳିରେ ସେ ଶିଶୁଙ୍କର ପ୍ରିୟ
        ମନ୍ଦିରେ ପୁରାଣ ଗୀତା
ତା ଠାରୁ ଶିଖନ୍ତି ସବୁ କିଛି ଆମେ
         ଏମିତିକା ତାର ଗାଥା
ଶିଶୁ ଠାରୁ ବୃଦ୍ଦ ସବୁରି ସେ ପ୍ରିୟ
      ଶିଖାଏ ଯେ ମାତୃଭାଷା
ତା ପାଇଁ ମଣିଷ ସବୁ କିଛି ଜାଣେ
       ବାନ୍ଧେ ପୁଣି ନୂଆଁ ଆଶା
                 - ଜଗବନ୍ଧୁ ସାହୁ

ତୁମେ ଜ୍ଞାନ ଗଙ୍ଗା ସର୍ବ ଗୁଣେ ରଙ୍ଗା
        ତନ ମନେ ତିନିପୁରେ
ସ୍ୱର୍ଣ୍ଣାକ୍ଷରେ ସଜ୍ଜା ପ୍ରଗତି ପ୍ରାଯୁର୍ଜ୍ୟା
      ଅକ୍ଷରର ଅଳଙ୍କାରେ
କଥା କିମ୍ବଦନ୍ତୀ ପୁରାଣ ସଂସ୍କୃତି
       ଲେଖା ତୁମ ବୁକୁପରେ
ପବିତ୍ର ପୁସ୍ତକ ଚତୁର ଚମକ
         ଚିରସ୍ଥାୟୀ ଚରାଚରେ
                -ଦାଶରଥି ସାହୁ

ପାଠକ ବୁଝଇ ପୁସ୍ତକ ମହତ
    ଅନ୍ୟମାନେ ବୁଝନ୍ତିନି
ବାଣ୍ଟିଚାଲେ ସିଏ ସମସ୍ତଙ୍କୁ ଜ୍ଞାନ 
      ନ ଦେଖି ଗରିବ ଧନୀ  
କାହିଁ କେତେ ଶିକ୍ଷା ଦିଏ ସେ ଆମକୁ
       ଜୀବନେ ବଞ୍ଚିବା ପାଇଁ
ତା' ପରିକା କେହି ଆପଣାର ବନ୍ଧୁ
         ଜଗତେ ମିଳିବେ ନାଇଁ  
             - ରାମ ଚନ୍ଦ୍ର ପ୍ରଧାନ 

ଅଜ୍ଞାନ ଅନ୍ଧାର ଦୂର ହୋଇଯାଏ 
     ମିଳେ ମୁକ୍ତି ପାଇଁ ପଥ 
ମାନବ ଯଦ୍ୟପି ବନ୍ଧୁତା କରଇ 
      ପୁସ୍ତକ ସହିତ ନିତ୍ୟ 
ପୁରାଣ ବର୍ଣ୍ଣିତ ଅନେକ ଚର୍ଚ୍ଚିତ 
     କଥାର ମିଳେ ଉତ୍ତର 
ସର୍ବ ଶ୍ରେଷ୍ଠ ବନ୍ଧୁ ମାନବର ପୁଣି 
       ଯଥାର୍ଥ ରହିଛି ତାର 
               - ଟୁକୁନା ସାହୁ 

ତାଳପତ୍ର ପରେ କାଗଜରେ ଗଢା 
       ସୁନ୍ଦର ତା' କଳେବର 
ବିଜ୍ଞାନ ଯୁଗରେ ପିଡିଏଫ୍ ବୋଲି 
      ଆଦର ତା' ସଭିଙ୍କର 
ସାହିତ୍ୟ ସଂସ୍କୃତି ସଭ୍ୟତା ବିଜ୍ଞାନ 
      ସବୁରି ଆଧାର ପୁସ୍ତକ 
ଅଜ୍ଞାନ ଅନ୍ଧାରେ ଆଲୋକିତ ଧାରା
       ଏହାହିଁ  ଅଟେ ବାସ୍ତବ 
          - ସନ୍ତୋଷ ପଟ୍ଟନାୟକ

ପୁସ୍ତକ ଶିଖାଏ ଜୀଇଁବାର କଳା
      ଜୀବନର ଗତିବିଧି
ମଣିଷ ମସ୍ତିଷ୍କେ  ଜ୍ଞାନକୁ ପରଶି
      ଜୀବନ କରଇ ସିଦ୍ଧି
ଯେତେ ଶାସ୍ତ୍ର ବିଦ୍ଯା ବେଦ ଚତୁର୍ବେଦ
       ତହିଁରେ  ଲିଖିତ ଗପ
ପାଠକ ମନରେ ଆବଦ୍ଧ ହୁଅଇ
       କରିଲେ ତାହାକୁ ଜପ
                 -  ରବିନ୍ଦ୍ର ସାହୁ

ଅକ୍ଷରରୁ ଶବ୍ଦ, ଶବ୍ଦ ଠାରୁ ବାକ୍ୟ
     ପାରାରୁ ବିଷୟ ସୃଷ୍ଟି ,
ପାଣ୍ଡୁଲିପି ଠାରୁ, ଗ୍ରନ୍ଥମାଳା ଶେଷେ
      ପୁସ୍ତକ ରୂପେ ଉତ୍ପତ୍ତି 
ରହେ ସଂରକ୍ଷଣ ,ଯେତେ ଜ୍ଞାନ ଗୁଣ
     ପୁସ୍ତକ ଅମୂଲ୍ୟ ରତ୍ନ ,
ପୁସ୍ତକର ମୂଲ୍ୟ ,ଯେ ଜନ ବୁଝିଛି
     ସର୍ବଦା ଉଚ୍ଚେ ତା' ସ୍ଥାନ ।
              - ପ୍ରବୀର ମଲ୍ଲିକ୍ 

ବ୍ରହ୍ମା ବରଦାନେ ଭୂଲୋକେ ମନୁଙ୍କୁ
        ଅର୍ପିଥିଲେ ଚାରିବେଦ 
କ୍ରୁର ହୟଗ୍ରୀବ ଅପହରଣରେ
       ବନ୍ଦିଥିଲେ ଜ୍ଞାନଦେବ 
ଜଳ ପ୍ରଳୟରେ ମତ୍ସ୍ୟ ଅବତାରେ
     ରକ୍ଷା କଲେ ଚକ୍ରଧର 
ଋକ୍ ,ଶାମ,ଅଥର୍ବ ଓ ଯଦୁର୍ବେଦ
    ପୁସ୍ତକ ଜ୍ଞାନର ଆଧାର 
          ‐ ରାଧା କୃଷ୍ଣ ବାୟକ

ଲୁହ

ଅଟକୁନି ଲୁହ  ବୋହି ଚାଲୁଛି ଅନବରତ ଆଖିବି ନିଜର କରି ରଖି ପାରୁନି  ଏ ଲୁହକୁ,,,, ବାସ୍ ଝରି ଯାଉଛି ଟୋପା ଟୋପା ହୋଇ! ମନର ବ୍ୟଥା  ହୃଦୟର କୋହ  ସତରେ ଭା...