Friday, July 31, 2020

● ଗଞ୍ଜାମର ରାମଲୀଳା ଓ କୃଷ୍ଣଲୀଳା ●

#ଗୌରବମୟ_ଗଞ୍ଜାମ । ✍ ସନ୍ତୋଷ ପଟ୍ଟନାୟକ ।
#ଲୋକନାଟ୍ୟ , #ଲୋକନୃତ୍ଯ ଓ #ଲୀଳାଭୂମୀ
   ---------------------------
 ଗଞ୍ଜାମରେ ଅଷ୍ଟାଦଶ ଶତାଦ୍ଦୀର ପଞ୍ଚମ ଦଶକରୁ ବିଂଶ ଶତାବ୍ଦୀର ମଧ୍ୟଭାଗରେ ଲୋକନାଟକର ପଦଚିହ୍ନ ଥିଲା । ଏହି ସମୟକୁ ଗଞ୍ଜାମ ଲୋକନାଟକର ସୁବର୍ଣ୍ଣ ଯୁଗ ବୋଲି କୁହାଯାଇପାରେ । ସବୁ ଗାଁରେ ମଠ, ମନ୍ଦିର ଥିଲା । ପୂଜାପାର୍ବଣ ଅନୁଷ୍ଠିତ ହେଉଥିଲା । ଧର୍ମୀୟ ଉତ୍ସବରେ ଲୋକନାଟ୍ୟ ପରିବେଷିତ ହେଉଥିଲା । ନାଟ୍ୟକଳା ଥିଲା ଳୋକଙ୍କ ଜୀବନ । ରାଜନ୍ୟବର୍ଗଙ୍କ ଏଥିପାଇଁ ପ୍ରୋତ୍ସାହନ ଥିଲା । ଧନାଢ଼୍ୟ ବ୍ୟକ୍ତିମାନଙ୍କର ନାଟ୍ୟକଳା ପ୍ରତି ଅତ୍ୟନ୍ତ ଶ୍ରଦ୍ଧା, ସମ୍ମାନ ଓ ସମ୍ମୋହନ ଥିଲା । ତେଣୁ ଶହ ଶହ ବର୍ଷ ଧରି ଲୋକନାଟ୍ୟ ପରମ୍ପରା ତିଷ୍ଠି ରହିଥିଲା । ଲୋକଙ୍କୁ ଏହା ଆନନ୍ଦ ପ୍ରଦାନ କରିବା ସହିତ ଧର୍ମୀୟ ଚେତନାରେ ଉଦ୍‌ବୁଦ୍ଧ କରୁଥିଲା । ଫଳତଃ ଲୋକେ ଶୃଙ୍ଖଳିତ ଜୀବନଯାପନ ପାଇଁ ପ୍ରେରଣା ପାଇବା ସହିତ ସାମାଜିକ ନୀତି, ରୀତି ବିଧି ଓ ପରିଧି ଭିତରେ ସଂସ୍କୃତି ସଂପନ୍ନ ମଣିଷ ଭାବେ ବଞ୍ଚିବା  ପାଇଁ ପ୍ରେରଣା ପାଉଥିଲେ । 
#ରାଧାପ୍ରେମଲୀଳା ଓ #ଭାରତଲୀଳା ଭଳି  ରାମଲୀଳା ଓ  କୃଷ୍ଣଲୀଳା ଗଞ୍ଜାମର ଏକ ଭିନ୍ନ ପରିଚୟ 
#ରାମଲୀଳା :- 
 ରାମାୟଣ ଏକ ଶାଶ୍ୱତ ଅମର କାବ୍ୟ । ରାମକଥାକୁ ଭିତ୍ତିକରି ସର୍ବଭାରତୀୟ ସ୍ତରରେ ପଞ୍ଚମ ଶତାବ୍ଦୀ ପୂର୍ବରୁ ସଂସ୍କୃତ ନାଟକମାନ ଅଭିନୀତ ହୋଇଥିବା ସ୍ଥଳେ ଓଡ଼ିଶାରେ ରାମଙ୍କ ଜୀବନ କାହାଣୀକୁ ନେଇ ସଂସ୍କୃତ ଭାଷାରେ ନୃତ୍ୟ,ଗୀତ ମାଧ୍ୟମରେ ଅଭିନୟ ପରମ୍ପରା ନବମ ଶତାବ୍ଦୀରୁ ପ୍ରଚଳିତ । ଓଡ଼ିଆ ଲୀଳାର ପ୍ରଥମ ଲିଖିତ ରୂପ ବିଶ୍ୱନାଥ ଖୁଣ୍ଟିଆଙ୍କ ‘#ବିଚିତ୍ରରାମାୟଣ’ ବା ବିଶି ରାମଲୀଳା’କୁ ଗ୍ରହଣ କରାଯାଇଛି । ଏହାର ରଚନା କାଳ ୧୭୦୯ । ଏପର୍ଯ୍ୟନ୍ତ ଜ୍ଞାତ ପ୍ରାୟ ଅଧିକାଂଶ ରାମଲୀଳା ଗଞ୍ଜାମ ଜିଲ୍ଲାର କବି ମାନଙ୍କ ଦ୍ୱାରା ହିଁ  ରଚିତ । ଏହି ଅଞ୍ଚଳରେ ରାମଭକ୍ତିର ସ୍ରୋତ ନିରବଛିନ୍ନ ଭାବରେ କାହିଁକି ପ୍ରବାହିତ ହୋଇଥିଲା, ତାହା ନିର୍ଣ୍ଣୟ କରିବା ଅଧିକ ଗବେଷଣା ସାପେକ୍ଷ ବୋଲି ଐତିହାସିକ କେଦାରନାଥ ମହାପାତ୍ର ଲେଖିଛନ୍ତି । ( ଝଙ୍କାର, ନବମବର୍ଷ- ୧୧ଶ ସଂଖ୍ୟା) #ଗଞ୍ଜାମର  ରାମଲୀଳା ରଚୟିତାଭାବେ #ବୈଶ୍ୟ_ସଦାଶିବ, #କୃଷ୍ଣଚନ୍ଦ୍ର_ରାଜେନ୍ଦ୍ର, #ବିମ୍ବାଧର_ସାନସାମନ୍ତ, ,  ରଘୁନାଥ_ପରିଚ୍ଛା, #କେଶବ_ପଟ୍ଟନାୟକ, ଧରାକୋଟ ରାଜା #ରଘୁନାଥ ସିଂହ, #ବିପ୍ରକୁଞ୍ଜ, #ଯୁଧିଷ୍ଠିର ସାହୁ ପ୍ରମୁଖଙ୍କ ନାମ ପ୍ରକାଶ ଯୋଗ୍ୟ । ଗାୟକଭାବେ  ନଟବର ସାହୁ,  ଅଗାଧୁ ପାଣିଗ୍ରାହୀ, #ଅନନ୍ତ ରାମ ପାଢ଼ୀ, #ତ୍ରିନାଥ ପୋଲେଇ, #ଉଦୟନାଥ_ପଟ୍ଟନାୟକ, #ବୈଦ୍ୟନାଥ ମହାରଣା,  ସତ୍ୟନାରାୟଣ ପାଢ଼ୀ, #ଅଗାଧୁ କାହାଳିଆ, ପ୍ରମୁଖଙ୍କ ନାମ ସ୍ମରଣୀୟ । ଏହି ଲୀଳାର ସାମାଜିକ ଆବେଦନ, ଆଧ୍ୟାତ୍ମିକ ଚେତନା , ରସାବେଦନ , ସାଙ୍ଗୀତିକ ଆବେଦନ , ବର୍ଣ୍ଣନା ବୈଭବ ଭାଷା ଓ ସଂଳାପ ଶ୍ରୋତା ଓ ଦର୍ଶକ ମାନକୁ ବିମୋହିତ କରୁଥିଲା ।ଏହି ଲୀଳା ସଂଦର୍ଶନ କରି ଐତିହାସିକ #କେଦାରନାଥ ମହାପାତ୍ର , ପଣ୍ଡିତ #ବିଧାୟକ ମିଶ୍ର, କବି ଡ଼ଃ #ମାୟାଧର ମାନସିଂହ , ପଲ୍ଲୀକବି #ନନ୍ଦକିଶୋର ବଳ ପ୍ରମୁଖ #ଗଞ୍ଜାମ_ରାମଲୀଳାର ଲୀଳାକାରମାନଙ୍କ ଓ ପ୍ରାୟୋଜିତ କାରୀଙ୍କ ଭୂୟସୀ ପ୍ରଶଂସା କରିଥିଲେ  ।
----------------------------------------------------------------

#କୃଷ୍ଣଲୀଳା :- 

ରାମଲୀଳା ପରି ଗଞ୍ଜାମରେ କୃଷ୍ଣଲୀଳାର ମଧ୍ୟ ଆଦର ରହିଛି । ଓଡ଼ିଶାରେ ପ୍ରଯୋଜିତ କୃଷ୍ଣ ଲୀଳାର ନାଟକୀୟ ଦିଗଟି (ଗୀତଗୋବିନ୍ଦ) ଦ୍ୱାରା ନିୟନ୍ତ୍ରିତ ହେବାବେଳେ କଥାବସ୍ତୁ ଜଗନ୍ନାଥ ଦାସଙ୍କ ଭାଗବତରୁ ସଂଗୃହୀତ ହୋଇଛି । କୃଷ୍ଣ ଲୀଳାର ଶ୍ରୀକୃଷ୍ଣ ବାସୁଦେବ ସ୍ୱୟଂ ଭଗବାନ ଅବା ଅବତାରୀ । ସଂଗୃହୀତ ତଥ୍ୟରୁ ଜଣାଯାଏ ବାବାଜୀ #ଦୁଃଖୀଶ୍ୟାମ ଦାସ ହିଁ ସର୍ବପ୍ରଥମେ ଗଞ୍ଜାମରେ କୃଷ୍ଣଲୀଳା (୪୮ଲୀଳା)ରଚନା କରି ଗଞ୍ଜାମ ଆଠଗଡ଼ ନିକଟସ୍ଥ #ବାଉଁଶିଆ ଗ୍ରାମରେ ଅଭିନୟ କରାଇଥିଲେ । ସେ ଏହି ଲୀଳାର ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ । ଏହି ଲୀଳା ଲୋକପ୍ରିୟ ହେଲା ଏବଂ ଲୋକରେ ଏହା ଆଠଗଡ଼ିଆ ଲୀଳାଭାବେ ପରିଚିତ ହେଲା । ଏହି ଲୀଳାର ଗାୟକଭାବେ ବାଉଁଶିଆ ଗ୍ରାମର #ବୁଦ୍ଧିଆ ବାଡ଼ତ୍ୟା , #ଭଗବାନ ବେହେରା, #ବାଜିଆ ଗୌଡ଼, #ପୁରା ସାହୁ,  ମୋହନ ଦାସ ପ୍ରମୁଖ ସୁନାମ ଅର୍ଜନ କରିଥିଲେ । ଗଞ୍ଜାମ  #ଦେବଭୂମିର କୃଷ୍ଣଲୀଳା ଗାୟକ ସୋମନାଥ ବେହେରା ଏହି ଲୀଳାର  ବିକାଶ ଓ ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଲୀଳାକାର #ଦୁଃଖୀଶ୍ୟାମ ଦାସଙ୍କ ଜନ୍ମ ସ୍ଥାନ ଚିଙ୍ଗୁଡ଼ି ଘାଇ । ସେ ଜାତିରେ ମହାନ୍ତି (ଖଣ୍ଡାୟତ) ।
              ଗଞ୍ଜାମରେ କୃଷ୍ଣଲୀଳାର ଅନ୍ୟାନ୍ୟ ରଚୟିତା ହେଲେ ଗୌତମୀର #ହରିହର ଷଡ଼ଙ୍ଗୀ, ପାରଳାଖେମୁଣ୍ଡିର #ମଧୁସୂଦନ ପାଣିଗ୍ରାହୀ, #ରଘୁନାଥ ପରିଚ୍ଛା, ବଡ଼ଖେମୁଣ୍ଡିି ରାଜା  ଲକ୍ଷ୍ମୀନାରାୟଣ ଦେଓ ଥିଲା ଏବଂ ଚିକିଟିର  ବିପ୍ରଶ୍ୟାମ । ସଂପ୍ରତି କୃଷ୍ଣଲୀଳାର ପ୍ରସିଦ୍ଧ ଗାୟକଭାବେ #ସୋମନାଥ ସ୍ୱାଇଁଙ୍କ ନାମ ଉଲ୍ଲେଖଯୋଗ୍ୟ । ଗଞ୍ଜାମରେ ଶତାଧିକ କୃଷ୍ଣଲୀଳା ଦଳ ଥିଲା ଏବଂ ୫୦ରୁ ଊର୍ଦ୍ଧ ଲୀଳା ଶିକ୍ଷକ ଥିଲେ । ଗଞ୍ଜାମ  କୃଷ୍ଣଲୀଳାର ମୁଖ୍ୟ ଆକର୍ଷଣ ହେଲା ଏହାର ସ୍ୱର । ଗାୟକ ତଥା ଅଭିନେତାମାନଙ୍କର ଉଚ୍ଚ କୋମଳ ସ୍ୱର ଦର୍ଶକମାନଙ୍କୁ ମନ୍ତ୍ର ମୁଗ୍ଧ କରିଥାଏ । ଏହି ଲୀଳାର ବେଶ ପରିପାଟୀ ଉନ୍ନତ ଓ ରୁଚିପୂର୍ଣ୍ଣ । 

             ମନୋରଞ୍ଜନ ସହ  ଆଧ୍ୟାତ୍ମିକତାକୁ ଏହି ଅଞ୍ଚଳରେ ଗୁରୁତ୍ୱ ଦିଆଯାଏ । ଲୀଳା ଦର୍ଶନ ବେଳେ ଦର୍ଶକ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରୁଥିବା ଅଭିନେତାକୁ ଭୁଲି ସ୍ୱୟଂ ଭଗବାନ ବୋଲି ବିବେଚନା କରି ପ୍ରଣାମ କରିଥାନ୍ତି । ଲୋକ ପ୍ରିୟତା ଦୃଷ୍ଟିରୁ ସଂପ୍ରତି ଜନ୍ମଲୀଳା, ବାଲ୍ୟଲୀଳା, ଦଧିମନ୍ଥନ ଲୀଳା ଓ କାଳୀୟ ଦଳନ ଲୀଳା ଭଳି ୪୮ ପ୍ରକାର ଲୀଳା ଅନୁଷ୍ଠିତ ହେଉଥିବାବେଳେ ଆଜି ଏହା ଋଗୁଣ୍ ଅବସ୍ଥାରେ ଅଛି ବହୁତ କମ୍  ସଂଖ୍ୟକ ଦଳ ଏବେ ଅଛନ୍ତି ।  ସରକାରୀ ଉଦାସୀନତା ଓ ପ୍ରତ୍ସାହନ  ଏହାର ମୁଖ୍ୟ କାରଣ  ।
    ଉପସ୍ଥାପନା ଓ ସଂଗ୍ରାହକ  : #ସନ୍ତୋଷ ପଟ୍ଟନାୟକ ଗଞ୍ଜାମ  ।

● ଢ଼ୁମ୍ପା ● ଉପସ୍ଥାପନା : ସନ୍ତୋଷ ପଟ୍ଟନାୟକ, ଗଞ୍ଜାମ

#ହିରଣ୍ୟଗର୍ଭା @ #ଗୌରବମୟ ଗଞ୍ଜାମ ।■■■

#ଗଞ୍ଜାମର ଲୋକ ସଙ୍ଗୀତ ଓ ବାଦ୍ୟ #ଢୁମ୍ଫା 
              ●●●●●●●
#ଢୁମ୍ପା ସଙ୍ଗୀତ ଗଞ୍ଜାମର ପ୍ରସିଦ୍ଧ ଲୋକକଳା । #ଢୁମ୍ପା ସଙ୍ଗୀତର ଇତିହାସ ଜାଣିବାକୁ ହେଲେ ଆମକୁ ଅଷ୍ଟାଦଶ ଶତାବ୍ଦୀକୁ ଯିବାପାଇଁ ପଡିବ।#ଗଞ୍ଜାମର ବଡଖେମୁଣ୍ଡିରେ ୧୭୮୯ ମସିହାରେ ଜନ୍ମଗ୍ରହଣ କରିଥିଲେ ବାଣୀ ବରପୁତ୍ର #କବିସୂର୍ଯ୍ଯ ବଳଦେବ ରଥ।୧୮୪୫ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା।ଜୀବନକାଳ ଭିତରେ ସେ ଯେଉଁ ସାହିତ୍ୟକୃତି କରିଯାଇଛନ୍ତି ତାର ପଟାନ୍ତର ନାହିଁ ।କିଶୋର ଚନ୍ଦ୍ରାନନ ଚମ୍ପୂ,ରତ୍ନାକର ଚମ୍ପୂ,ଚନ୍ଦ୍ରକଳା , ସର୍ପଜଣାଣ ସହ #ଢୁମ୍ଫା ସଙ୍ଗୀତ ତାଙ୍କ କୃତିମାନଙ୍କ ମଧ୍ୟରେ ଅନ୍ୟତମ।
ଢୁମ୍ଫା ସଙ୍ଗୀତ ଗୁଡିକୁ ଗାଇବାପାଇଁ ସଙ୍ଗୀତଆସରର ଗଠନ କରାଯାଉଥିଲା। ସେଥିରେ ଯେଉଁ ମୂଖ୍ୟ ବାଦ୍ୟଯନ୍ତ୍ରଟି ବ୍ୟବହୃତ ହେଉଥିଲା ତାକୁ ଢୁମ୍ପା କୁହାଯାଉଥିଲା। ଏହା ‘ରାଜମଇ’ କିମ୍ବା ‘ଭେଣ୍ଡିଆ ମର୍ଦ୍ଦନ’ ଗଛର ପଳଖ ବା ଖୋଳରୁ ପ୍ରସ୍ତୁତ ହେଉଥିଲା।’ଢୁମ୍ପା’ ସଂଗ୍ରହ ମୂଖ୍ୟତଃ ବର୍ଷାଦିନେ ଜଙ୍ଗଲରୁ ହୋଇଥାଏ।ସଳଖରେ ବଢିଥିବା ଏବଂ ମଝିରେ ଗଣ୍ଠି ନଥିବା ‘ଭେଣ୍ଡିଆମର୍ଦ୍ଦନ’ ଗଛ କିମ୍ବା ‘ରାଜମଇ’ ଗଛକୁ କାଟି, ତାର ମୋଟା ଖୋଳପାକୁ ଗଣ୍ଡିରୁ ଅଲଗାକରି, ପ୍ରାୟ ଆଠ/ଦଶ ଫୁଟ ଲମ୍ବର ବାଦ୍ୟଯନ୍ତ୍ରଟି ପ୍ରସ୍ତୁତ କରାଯାଏ ।ଏହା ଗୋଟିଏ ଦୁଇଟି ସଙ୍ଗୀତ ଆସରେ ପରେ ନଷ୍ଟ ହେଇଯାଇଥାଏ ସେହି କାରଣରୁ ପରବର୍ତ୍ତୀ ସମୟରେ ଏକ ପ୍ରକାର ଦଶଗଣ୍ଠିଆ ବାଉଁଶ ଦ୍ବାରା ମଧ୍ୟ ଏହା ପ୍ରସ୍ତୁତ କରିବା ନଜର ଅଛି । (ଏହା ଅଦ୍ୟାବଧି ପ୍ରଚଳିତ) । ଘାଗୁଡିଲଗା କାଠିରେ ,ତାଳ ଅନୁସାରେ ମାଡଦେଲେ ସୁନ୍ଦର ଶବ୍ଦର ସୃଷ୍ଟି ହୁଏ। ଢୁମ୍ପାର ଦୁଇପଟକୁ ରସିରେ ବାନ୍ଧି ଝୁଲେଇ ଦିଆହୁଏ।ଦୁଇଖଣ୍ଡ ବାଉଁଶକାଠିରେ ଅନ୍ୟ ଦୁଇଜଣ ଦୁଇପଟେ “ତାରିଖିଟା ତାକଝିଣା” ତାଳରେ ଢୁମ୍ପା ଉପରେ ବାଜଣା କରନ୍ତି।ତା’ସଙ୍ଗେ ସଙ୍ଗେ ହାରମୋନିୟମ, ଡୁବି ତାବଲା,ପଖଜ ଇତ୍ୟାଦି ଯନ୍ତ୍ର ମଧ୍ୟ ବ୍ୟବହାର କରାଯାଏ।ଢୁମ୍ପା ସଙ୍ଗୀତ  ବୋଲାହୁଏ ଏବଂ ଆସର ଜମି ଉଠେ। ଗୋଟିଏ ମଇ କାଠରେ ପ୍ରସ୍ତୁତ ଢୁମ୍ପାଯନ୍ତ୍ର, ଗୋଟିଏ ବା ଦୁଇଟି ଆସରରେ ନଷ୍ଟ ହୋଇଯାଏ। ବାଉଁଶ ତିଆରି ଯନ୍ତ୍ରଟି ଅପେକ୍ଷାକୃତ ଅଧିକ ଦିନ ବ୍ୟବହାର ଯୋଗ୍ୟ ହୋଇଥାଏ ।
           
               #କବିସୂର୍ଯ୍ୟ ବଳଦେବ ରଥଙ୍କ ରଚିତ ସବୁ ଢୁମ୍ପା ଏବେ ମିଳୁନଥିଲେ ମଧ୍ୟ କୁଳମଣି ଦାଶଙ୍କଦ୍ୱାରା ସମ୍ପାଦିତ 'କବିସୂର୍ଯ୍ୟ ଗ୍ରନ୍ଥାବଳୀ'ରେ ତିନି ଗୋଟି ଢୁମ୍ପା ଶ୍ରେଣୀୟ ରଚନା ମିଳିଥାଏ । ଏଗୁଡ଼ିକ ହେଲା :- ଛୋଟ ଢୁମ୍ପା, ନିଆଳୀଗଭା ଢୁମ୍ପା ଓ ଜାଈଫୁଲ ଢୁମ୍ପା ।
ବିଂଶ ଶତାବ୍ଦୀରେ ବଳଦେବ ରଥଙ୍କ ଦେହାବସାନ ପରେ ପୁରୀ ଜିଲ୍ଲା ଖଣ୍ଡପଡ଼ାର ପଠାଣି ସାମନ୍ତଙ୍କ ମଝିଆ ପୁତ୍ର ଗଦାଧର ସିଂହସାମନ୍ତ ଢୁମ୍ପା ସଙ୍ଗୀତର ପରମ୍ପରାକୁ ରକ୍ଷା କରିବା ପାଇଁ ନିଜେ କେତେଗୋଟି ଗୀତ ରଚନା କରିଥିଲେ । ସାଙ୍ଗୀତିକ ଦୃଷ୍ଟିରୁ ଉଭୟ କବିସୂର୍ଯ୍ୟ ବଳଦେବ ରଥ ଓ ଗଦାଧର ସିଂହସାମନ୍ତ ଓଡ଼ିଶୀ ସଙ୍ଗୀତର ପ୍ରବୀଣ ଆଚାର୍ଯ୍ୟ ହୋଇଥିବାରୁ ଢୁମ୍ପା ସଙ୍ଗୀତ ବିଶୁଦ୍ଧ ଓଡ଼ିଶୀ ରାଗତାଳରେ ରଚିତ ହୋଇଥିବା ଦେଖାଯାଏ । ଆହାରୀ, ଭୈରବୀ ଆଦି କେତୋଟି ପାରମ୍ପରିକ ଓଡ଼ିଶୀ ରାଗ ଢୁମ୍ପାରେ ବିଶେଷ ପ୍ରସିଦ୍ଧି ଲାଭ କରିଥିବା ଲକ୍ଷ୍ୟ କରାଯାଏ । ଗୀତଗୁଡ଼ିକରେ ଏକ ବିଶେଷ ପ୍ରକାର ଝୁଙ୍କ ଲକ୍ଷ୍ୟ କରାଯାଏ, ଏବଂ ତାହା ସହିତ ମଝିରେ ମଝିରେ ତାଳର ପାଟାକ୍ଷରଗୁଡ଼ିକ ବିଚିତ୍ର ଢଙ୍ଗରେ ଉଚ୍ଚାରଣ କରାଯାଏ ।

                 ଯେଉଁଦିନ ଢୁମ୍ପା ସଙ୍ଗୀତର ଆସର ଜମିବା ଠିକ ହୁଏ, ସେଦିନ ସକାଳେ ଆଠ ଦଶ ଜଣ ଯୁବକ ଆଠ ଦଶ ହାତ ଲମ୍ବର ଦଉଡ଼ା ଓ ଠେଙ୍ଗା ଧରି ଜଙ୍ଗଲକୁ ବାହାରି ଯାଆନ୍ତି , ଦିନସାରା ଜଙ୍ଗଲରେ ବୁଲି ଶାଖା ଓ ଗଣ୍ଠିହୀନ ଆଠଶହ ହାତର ମଇ କିମ୍ବା ଭେଣ୍ଡିଆ ମର୍ଦ୍ଦନ ଗଛଟିଏ ଯୋଗାଡ଼ କରାଯାଏ । ଗଛର ଯେଉଁଠାରୁ ଶାଖା ବାହାରିଥାଏ ସେଠାରୁ ଉପରକୁ ହାଣିଦିଆଯାଏ । ତା ପରେ ଗଛର ଛେଲିକୁ ଚାରିପଟୁ ଘେରିଘେରି କଟାଯାଏ । ଗଛର ମଞ୍ଜ ସେହିପରିଥାଏ । ଦଉଡ଼ାରେ ବାନ୍ଧି ଠେଙ୍ଗାଦ୍ୱାରା ଯୁବକମାନେ ଗଛର ଛେଲିକୁ ମୋଡ଼ନ୍ତି । ଏପରି ଭାବରେ ତଳୁ ଉପରକୁ ମୋଡ଼ି ଶେଷରେ ଗଛର ଛାଲିକୁ ହାତଦ୍ୱାରା ଦହିଖୁଆ ମନ୍ଥିଲା ପରି ମନ୍ଥିଲେ ଗଛରୁ ଖୋଳାପାଟି ଗଛର ମଞ୍ଜ ଗଣ୍ଠିରୁ ବାହାରି ଆସେ । ସଙ୍ଗେ ସଙ୍ଗେ ବଣର ବିଭିନ୍ନ ପତ୍ର ତାର ଖୋଳ ଭିତରେ ଭର୍ତ୍ତି କରିଦିଆଯାଏ । ବର୍ଷାଦିନେ ଗଛର ଛାଲି ତଳେ ଲାଳ ଅଂଶ ଥିବାରୁ ଛାଲି ସହଜରେ ବାହାରିଯାଏ । ଏଣୁ ସବୁ ସମୟ ଅପେକ୍ଷା ବର୍ଷାଋତୁ ଢୁମ୍ପା ସଂଗ୍ରହ ପାଇଁ ଉପଯୁକ୍ତ ସମୟ । ଅନ୍ୟ ଋତୁରେ ଢୁମ୍ପା ତିଆରି କରିବା ପାଇଁ ଗଛର ଗଣ୍ଡିକୁ ବଣରୁ କାଟି ଆଣି ପାଣିରେ କଷାଯାଏ । ଗଣ୍ଡି ମଝିର କାଠଟିକୁ ଦଉଡ଼ି ଓ ଠେଙ୍ଗାଦ୍ୱାରା ମନ୍ଥି ମନ୍ଥି ବାହାର କରାଯାଏ ପରବର୍ତ୍ତୀ ସମୟରେ ଏହା ବାଉଁଶରେ ମଧ୍ୟ ତିଆରି ହେଇଛି । ପୂର୍ବ କାଳରେ ରାଜା ମହାରାଜାମାନେ ବଣଭୋଜି କରିବାକୁ ଗଲେ ଢୁମ୍ପା ସଙ୍ଗୀତରେ ଆସର ଜମାଉଥିଲେ ।  ଯେଉଁଠାରେ ସଙ୍ଗୀତ ଆସର ହେବା ସ୍ଥିର ହୁଏ, ବୃକ୍ଷତଳେ ହେଉ ବା ସଙ୍ଗୀତ ମଣ୍ଡପ ଉପରେ ହେଉ, ଢୁମ୍ପାଟିକୁ ଦଉଡ଼ିରେ ଓହଳାଯାଏ । ଆଠ ଦଶଜଣ ଲୋକ କ୍ଷୁଦ୍ର କ୍ଷୁଦ୍ର କାଠଖଣ୍ଡର ଶେଷ ଭାଗରେ ପିତ୍ତଳ ଘାଗୁଡ଼ି ସଂଯୋଗ ଥିବା ବାଡ଼ିଧରି ଢୁମ୍ପା ଯନ୍ତ୍ର ଉପରେ ଆଘାତ କରନ୍ତି । ଜଣେ କିମ୍ବା ଦୁଇଜଣ ସଙ୍ଗୀତ ଗାନ କରନ୍ତି । ଏହି ଆସରରେ ହେବା ସଙ୍ଗୀତର ମାଦକତା ଏତେ ଯେ ଲୋକ ଦିନରାତି ନ ଜାଣି ଶୁଣୁଥାନ୍ତି ।

ଲେଖକ/କବି: ବଳଦେବ ରଥ
         #ଜାଈଫୁଲ_ଢୁମ୍ପା  

କରୀଗତି ଚାନ୍ଦମୁହିଁ,
କରି ଗତି ରସେ ରଜନୀ ପୁହାଏ,
ଜାଈଫୁଲ ରେ, ତୋ ରୂପ ଲାବଣ୍ୟ ଚାହିଁ । ୧ ।
ଖରପରଶୁମୋହନା,
ଖଣ୍ଡପରସା ବଚନକୁ କହ,
ଜାଈଫୁଲ ରେ, ଖଣ୍ଡ ହୃଦୟ ବେଦନା । ୨ ।
ଗିରୀଷମ କାଳେ ଧନ,
ଗିରିସମ କୁଚେ ଲେପି ଚନ୍ଦନ,
ଜାଈଫୁଲ ରେ, କରୁଥାଉ ଆଲିଙ୍ଗନ । ୩ ।
ଘନସାର ମୋ ହୃଦରୁ,
ଘନସାରକେଶୀ ଝାଡି଼ ଦେଇ କରି,
ଜାଈଫୁଲ ରେ, ଗାଢେ଼ ଆଲିଙ୍ଗନ କରୁ । ୪ ।
ନାଗରମଣିକି ତତେ,
ନାଗମଣିକୁମ୍ଭସ୍ତନା ସମାନ ରେ,
ଜାଈଫୁଲ ରେ, ହୋଇବେ ନୋହେ ପରତେ । ୫ ।
ଚନ୍ଦ୍ରମୁହୀଁ ପ୍ରାଣଧନ,
ଚନ୍ଦ୍ର ମୁହିଁ ଚାଳି ରତି କଲା କାଳେ,
ଜାଈଫୁଲ ରେ, ଶୀତ୍କାରେ ଭଜୁ ଅଜ୍ଞାନ । ୬ ।
ଛାଇ ବିପରୀତ ମୋର,
ଛାଇଟି ପରାଏ ଦେହକୁ ନ ଛାଡେ଼,
ଜାଈଫୁଲ ରେ, ସେରୂପେ ଥିବି ପାଶର । ୭ ।
ଜାତୀକରଜା ସୁକେଶୀ,
ଜାତିକର ଦିବ୍ୟହୀରକ ସୁଦନ୍ତୀ,
ଜାଈଫୁଲ ରେ, ଚନ୍ଦ୍ରଚନ୍ଦ୍ରମା ସୁହାସୀ । ୮ ।
                ~~~~~୦~~~~~
ଲେଖକ/କବି: ବଳଦେବ ରଥ
           #ଛୋଟ_ଢୁମ୍ପା 

ତୋ ଚାରୁ ଚାହାଣି ଚାହିଁ, 
ମରି ତୁ ଆବୁର ସାରି ପକା ପଛେ, ମୋ ନିଆଳୀ, 
ମୋ ଦେହ ତ ସହୁ ନାହିଁ। ୧ ।

ଦିଅ ଯେତେ ଇଚ୍ଛା ଦଣ୍ଡ, 
ଝୁମି କାମ ସଙ୍ଗେ ଝୁଣି ଦେବି ସିନା, ମୋ ନିଆଳୀ,
 ଝଲି ଝଲମଲ ଗଣ୍ଡ। ୨ ।

ହେବୁଟି କି ଶିରଗଭା, 
କାଳ ସହୁନାହିଁ ବାଳମୃଗଦୃଶା, ମୋ ନିଆଳୀ, 
ନୂଆ ବିକଶିତ ଶୋଭା। ୩।

ତୋହ ପରି ତୁହି ସିନା, 
ବିଜେ କଲା ପୁରେ ପୁରି ରହିଥାଏ, ମୋ ନିଆଳୀ, 
ବନଜ-ବନ-ବାସନା। ୪ ।

ଅଛି ଯେବେ ଅନୁକମ୍ପା,
 କାତି ଝିଙ୍କି ପଛେ ଛାତିରେ ପ୍ରହାର, ମୋ ନିଆଳୀ,
 ହୀରା ବୁଲାକି ନ କମ୍ପା। ୫ ।

ପାସୋର ବାସର ଲାଜ,
ପଛକୁ ପକାଇ ନ ଦେଲେ ନ ଚଳେ, ମୋ ନିଆଳୀ, 
ବିଧି ନିଷେଧକୁ ଆଜ। ୬ ।

ତୋ କୁଚ ତ କରକଶ,
 ସବୁ ଗୁମାନ ଆଉ କେତେବେଳକୁ, ମୋ ନିଆଳୀ,
 ଥରେ ମୋହ କରେ କଷ। ୭ ।

ଚୁମ୍ବନେ କଲେ ଶରଧା, 
ଚରଣଠାରୁ କବରୀଯାଏ ତୋର, ମୋ ନିଆଳୀ,
 କାହିଁ ପୂରି ନାହିଁ ସୁଧା। ୮ ।

ଚତୁରଦଶ ଭୁବନେ, 
ରସବତୀ ଚକ୍ର ଚୁଡ଼ାମଣି ବୋଲି, ମୋ ନିଆଳୀ, 
ତୋ ବିନା ଆନେ ନ ମାନେ। ୯ ।

କାହିଁକି ଚାଲୁ ତୁ ତଳେ,
 ଘାଣ୍ଟି ହେଉଅଛି କଣ୍ଠୀରବମଧ୍ୟ, ମୋ ନିଆଳୀ, 
ମୋ ମନଯାକ ବିକଳେ। ୧୦ ।

ଆନ ନାହିଁ ତୋର ବିନା, 
ଅଷ୍ଟଦୁର୍ଗଧରାବର ଆରେ ଧୀରା, ମୋ ନିଆଳୀ,
 ତୋହର ଅଧୀନ ସିନା। ୧୧ ।
                 ~~~~~~¤~~~~~~

#ଢୁମ୍ପା ସଙ୍ଗୀତରେ ବାଳୀ
ହର୍ମ୍ୟ ସରୋବରେ ରମ୍ୟ କେଳି କରେ
ସେ କି ସୁବର୍ଣ୍ଣ ମରାଳୀ—
        ( ଗଦାଧର ସିଂହସାମନ୍ତ )
     ~~~~~~~~~~~୦~~~~~~~~~~
ଧୀରେ ଧୀରେ #ଢୁମ୍ପା ସଙ୍ଗୀତ ବିରଳ ହୋଇଗଲାଣି । ଅଧୁନା ଏହି ଢୁମ୍ପା ସଙ୍ଗୀତକାର କବିସୂର୍ଯ୍ୟଙ୍କ ଜନ୍ମସ୍ଥାନ ଦିଗପହଣ୍ଡିଠାରେ ରହିଛନ୍ତି । ଏହାର ପ୍ରମୁଖ ଗୁରୁମାନଙ୍କ ମଧ୍ୟରେ ଗୁରୁ ପ୍ରଦୀପ ରଥ, କାଳିନ୍ଦୀ ଚରଣ ରଥ ଓ ଗଙ୍ଗାଧର ଦାଶ ଅନ୍ୟତମ । ଏହି ଢୁମ୍ପା ସଂଗୀତ ରାଜୁଡା ସମୟରେ ଖଣ୍ଡପଡା,ନୟାଗଡ଼,ଦଶପଲ୍ଲା,ରଣପୁର,ପାରଳାଖେମୁଣ୍ଡି, ବଡମ୍ବା ଇତ୍ୟାଦି ଗଡଜାତ ମାନଙ୍କରେ ରାଜକୀୟ ପୃଷ୍ଠପୋଷକତାରେ ପ୍ରସିଦ୍ଧ ଲୋକଗୀତ ର ସମ୍ମାନ ଲାଭ କରିଥିଲାବେଳେ ବର୍ତ୍ତମାନ ସରକାରଙ୍କ ଦୃଷ୍ଟି ଗୋଚର ହେଉନଥିବା ଏକ ବିଡମ୍ବନାର ବିଷୟ । ଗଡଜାତର ଏହି ଲୁପ୍ତପ୍ରାୟ ଲୋକ-କଳାକୁ ଜୀବିତ ରଖିବାର ଦାୟିତ୍ବ ଓଡିଶା ସରକାରଙ୍କର ସଂସ୍କୃତି ବିଭାଗ ଦୃଷ୍ଟି ଦେବା ବିଧେୟ ।

 ସଂଗ୍ରାହକ :- #ଶିଶିର_ସାହୁ_ମନୋଜ 
ଉପସ୍ଥାପନା :- #ସନ୍ତୋଷ_ପଟ୍ଟନାୟକ , ଗଞ୍ଜାମ ।

Thursday, July 30, 2020

● ବାଘ ●

● *ବାଘ* ●    
===================
✍ ସନ୍ତୋଷ ପଟ୍ଟନାୟକ  ।
-------- ତିନୋଟି ଛୋଟ କବିତା ---------

ବାଘ ନୁହେଁ ଖାଲି ଜଙ୍ଗଲର ପଶୁ
       ଅବା ମାଂସଭୋଜୀ ପ୍ରାଣୀ
  ମଣିଷ ପ୍ରକୃତି  ପ୍ରବୃତ୍ତି  ମଧ୍ୟରେ
          ରହିଛି  ବାଘର ଠାଣୀ
        ହେଉପଛେ ଯେତେ ଜ୍ଞାନୀ 
ପାଶବିକତାର  ମନୋଭାବେ ସିଏ
         ବାଘ୍ର ସମ ହିଂସ୍ର ପୁଣି....
 ~~~~~~~~~~~~~~~~~~
      ● *ବାଘ*  ●
ଜଙ୍ଗଲର ରାଜା ଅଟଇ ବାଘ 
ମାଆର ଗପରେ ମାମୁ 
ବିଲୁଆ ଡ଼ାକଇ ଛାମୁ 
ସିଂହଙ୍କର ବଂଶ ନାଶ ହେଲାପରେ 
ଜାତୀୟ ପଶୁରେ ଗଣୁ .....
   ------------×------------
       ● *ବାଘ* ●
ଛାଗର ଭୟରେ ଡ଼ରିଥିଲା ବାଘ
       ଡ଼ରୁନି କିନ୍ତୁ ମଣିଷ 
 ଜଙ୍ଗଲ କାଟି  ସିଂହ ନାଶ ଗଲା
       ବିପଦେ ବାଘ ବାଉଁଶ  
   -------------------
✍  ସନ୍ତୋଷ ପଟ୍ଟନାୟକ

● ଉପେନ୍ଦ୍ରଭଞ୍ଜଙ୍କ ସମ୍ୟକ୍ ସୂଚନା ●

ସହସ୍ରନିଶାଣ ●●● .... 🙏

କବିସମ୍ରାଟ ଉପେନ୍ଦ୍ରଭଞ୍ଜ ।ଷୋଡ଼ଶ ଶତାବ୍ଦୀରେ ପୁରାତନ ରାଜଶାସିତ ଘୁମୁସୁରର କୁଲାଡ଼ଠାରେ ଜନ୍ମିତ ରୀତିଯୁଗର ଜଣେ ଓଡ଼ିଆ କବି । ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ସାହିତ୍ୟ କୃତି ପାଇଁ ତାଙ୍କୁ କବି ସମ୍ରାଟ ଉପାଧିରେ ଭୂଷିତ କରାଯାଇଅଛି । ଓଡ଼ିଆ ସାହିତ୍ୟରେ ଥିବା ଅସଂଖ୍ୟ କବିଙ୍କ ମଧ୍ୟରେ ସେ ଅସାଧାରଣ ପ୍ରସିଦ୍ଧି ଲାଭ କରିଅଛନ୍ତି । ଏକ ରାଜ ପରିବାରରେ ଜନ୍ମିତ ଉପେନ୍ଦ୍ର ଭଞ୍ଜ ରାଜପଦଠାରୁ ଦୂରରେ ରହି ଓଡ଼ିଆ ସାହିତ୍ୟରେ ମନୋନିବେଶ କରିଥିଲେ ।

         ଆଧୁନିକ ଗଞ୍ଜାମ ଜିଲ୍ଲାର ଗୁମୁସର (ଘୁମୁସର) ବୋଲି ଗୋଟିଏ ରାଜ୍ୟ ଥିଲା ଏବଂ ସେହି ରାଜ୍ୟରେ ଭଞ୍ଜବଂଶୀୟ ରାଜାମାନେ ରାଜ୍ୟଶାସନ କରୁଥିଲେ । ସେମାନଙ୍କ ମଧ୍ୟରେ ଧନଞ୍ଜୟ ଭଞ୍ଜ (ପ୍ରତାପ ଧନଞ୍ଜୟ) ବୋଲି ଜଣେ ରାଜା ଥିଲେ । ସେ ଜଣେ କବି ଓ ଶାସକ ଥିଲେ। ସେ ରଘୁନାଥ ବିଳାସ, ତ୍ରିପୁର ସୁନ୍ଦରୀ, ଇଚ୍ଛାବତୀ, ମଦନମଞ୍ଜରୀ ଆଦି କାବ୍ୟମାନ ରଚନା କରିଥିଲେ। ଧନଞ୍ଜୟ ଓ ତାଙ୍କ ରାଣୀ ମଣ୍ଡାଦେବୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ ନୀଳକଣ୍ଠ ଭଞ୍ଜ । ନୀଳକଣ୍ଠ ଭଞ୍ଜଙ୍କ ପୁଅ ହେଉଛନ୍ତି ଉପେନ୍ଦ୍ର ଭଞ୍ଜ ।
ପ୍ରମାଣ :-⬇️
ବରହିବଂଶେ ଉଦ୍ଭବ ନୃପ-ଧନଞ୍ଜୟ ।
ବିଶିଷ୍ଟେ ଘୁମୁସରଅଧିପ ଗୁଣାଳୟ ଯେ ।୪୭।
ବେନି ଅର୍ଥେ ସେ କବି ଗଣେଶ ବୋଲି ଜାଣ ।
ବନ୍ଦନ ତଦ୍ଧତ ତାଙ୍କ ନନ୍ଦନ ପ୍ରମାଣ ଯେ ।୪୮।
ବସୁଧାପତି ସେ ନୀଳକଣ୍ଠ ନାମେ ଖ୍ୟାତ ।
ବିଧାନରେ ମୁଁ ହିଁ ତାହାଙ୍କର ଜ୍ୟେଷ୍ଠସୁତ ଯେ ।୪୯।
ବୀରବର ପଦ ଉପଇନ୍ଦ୍ର ମୋର ନାମ ।
ବାରେ ବାରେ ସେବାରେ ମନାଇଁ ସୀତାରାମ ଯେ ।୫୦।
( ଦ୍ୱିପଞ୍ଚାଶତ ଛାନ୍ଦ, ବୈଦେହୀଶ ବିଳାସ )

ଘୁମୁସରର ରାଜାମାନେ ଯେଉଁ କେତେଗୁଡିଏ ଦୁର୍ଗ ଗଢ଼ିଥିଲେ, ତା ମଧ୍ୟରେ ଗୁମୁସରଗଡ଼, ଅନ୍ଧାରଗଡ଼, ଦୁର୍ଗାପ୍ରସାଦଗଡ଼, କୁଲାଡଗଡ଼ ପ୍ରଧାନ । କୁଲାଡଗଡ଼ ଦୁର୍ଗମଧ୍ୟରେ ନୀଳକଣ୍ଠ ଭଞ୍ଜ ବାସ କରୁଥିଲେ । ୧୭୩୦ ଖ୍ରୀଷ୍ଟାବ୍ଦର କୁଲାଡଗଡ଼ରେ ରାଜା ନୀଳକଣ୍ଠ ଭଞ୍ଜଙ୍କର ପୁଅଟିଏ ଜନ୍ମ ହେଲା ଯାହାଙ୍କର ନାମକରଣ କରାଗଲା "ଉପେନ୍ଦ୍ର ଭଞ୍ଜ" ।

        ଉପେନ୍ଦ୍ରଙ୍କର ବାଲ୍ୟଶିକ୍ଷା ଚାହାଳୀରେ ଆରମ୍ଭ ହୋଇଥିଲା । ବାପା ନୀଳକଣ୍ଠ ଓ ଜେଜେ ଧନଞ୍ଜୟଙ୍କଠାରୁ ସେ ବିଭିନ୍ନ ଶାସ୍ତ୍ର ପଢ଼ିଥିଲେ । ଧନଞ୍ଜୟ ଭଞ୍ଜ ଜଣେ କବି ହୋଇଥିବାରୁ ତାଙ୍କ ଦରବାରକୁ ଅନେକ କବି, ପଣ୍ଡିତ, ସାଧୁସନ୍ଥ ବିଭିନ୍ନ ସମୟରେ ଆସୁଥିଲେ ଓ ସେଠାରେ ରହି ସାହିତ୍ୟ ସଙ୍ଗୀତ ବିଷୟରେ ଚର୍ଚ୍ଚା କରୁଥିଲେ । ଉପେନ୍ଦ୍ର ମଧ୍ୟ ଜେଜେଙ୍କ ପାଖରେ ବସି ସେଗୁଡିକ ଶୁଣୁଥିଲେ ଓ ଧୀରେ ଧୀରେ ସେମାନଙ୍କଦ୍ୱାରା ପ୍ରଭାବିତ ହୋଇ ସେ ଶାସ୍ତ୍ରମାନ ଆୟତ୍ତ କରିଥିଲେ । ଚାହାଳୀରେ ପଢୁଥିବା ସମୟରେ ଉପେନ୍ଦ୍ର କବିତା ଲେଖିବା ଆରମ୍ଭ କରି ଦେଇଥିଲେ ଯାହା ଜେଜେ ଧନଞ୍ଜୟ ବେଶ୍ ପସନ୍ଦ କରିଥିଲେ ଓ ନାତିକୁ ଆହୁରି ଲେଖିବାକୁ ପ୍ରେରଣା ଦେଲେ । ଉପେନ୍ଦ୍ର ଯାହା ଯେତେବେଳେ ଲେଖୁଥିଲେ ଜେଜେଙ୍କୁ ନେଇ ଦେଖାଉଥିଲେ ଓ ତାଙ୍କର ପରାମର୍ଶ ନେଉଥିଲେ । ସେ ଜେଜେଙ୍କୁ ନିଜର କାବ୍ୟଗୁରୁ ଭାବରେ ବିଚାର କରି ନିଜ ସାଧନାରେ ଆଗେଇ ଯାଉଥିଲେ ।
ରାଜା ଧନଞ୍ଜୟଙ୍କ ଦରବାରକୁ ଥରେ ରଘୁନାଥ ନାମରେ ଜଣେ ସିଦ୍ଧପୁରୁଷ ସନ୍ୟାସୀ ଅସିଥିଲେ । ସେ ଉପେନ୍ଦ୍ରଙ୍କର ପାଠପଢ଼ା ଓ କବିତା ଲେଖିବାର ଆଗ୍ରହ ଦେଖି ତାଙ୍କୁ "ତାରକ ମନ୍ତ୍ର" ବୋଲି ଏକ ସିଦ୍ଧ ମନ୍ତ୍ର ଶିଖାଇ ଏହାକୁ କେମିତି ସାଧନା କରିବାକୁ ହେବ ବତାଇଦେଲେ । ମନ୍ତ୍ରଟି ଶିଖିବା ପାଇଁ ଉପେନ୍ଦ୍ର କୁଲାଡ଼ଗଡ଼ ଛାଡ଼ି ଅଳ୍ପ ଦୂରରେ ଥିବା ଏକ ନିର୍ଜନ ସ୍ଥାନକୁ ଚାଲିଗଲେ । ହିଂସ୍ରଜନ୍ତୁପୂର୍ଣ୍ଣ ଓ ପାହାଡ ପର୍ବତଘେରା ସେହି ସ୍ଥାନରେ ଗୋଟିଏ ଗୁମ୍ଫା ଭିତରେ ବସି କିଛିଦିନ ଗୁରୁମନ୍ତ୍ର ସାଧନା କରିବାପରେ ସିଦ୍ଧିଲାଭ କରି ସେ ରାଜପ୍ରସାଦକୁ ଫେରି ଆସିଲେ । { ସେହି ସ୍ଥାନଟି ଏବେ "ବାଘବଲି" ଓ "ଡାମଣ ଝୋଲି" ନାମରେ ପରିଚିତ }।
ଉପେନ୍ଦ୍ର ପ୍ରଭୁ ରାମଚନ୍ଦ୍ରଙ୍କ ଭକ୍ତ ଥିଲେ । "ତାରକ ମନ୍ତ୍ର " ଦେଇଥିବା ସନ୍ୟାସୀ ଜଣଙ୍କ ନାମ ରଘୁନାଥ ଥିଲା  ତେଣୁ ଉପେନ୍ଦ୍ର ସେହି ମନ୍ତ୍ରକୁ "ରାମତାରକ ମନ୍ତ୍ର " ବୋଲି ଘୋଷଣା କଲେ ।

         ସାଧନା କରି ଫେରିବା ପରେ ଉପେନ୍ଦ୍ରଙ୍କର ଆଗ ଅପେକ୍ଷା ଆହୁରି କାବ୍ୟ ଲେଖିବା ଓ କାବ୍ୟକବିତା ବିଷୟରେ ଜାଣିବାରେ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଲା । କାବ୍ୟ ଆଲୋଚନା ପାଇଁ ସେ ଜେଜେ ଧନଞ୍ଜୟ ଭଞ୍ଜଙ୍କ ସହିତ ସମୟ ବିତାଉଥିଲେ । ଦିନେ ସାହିତ୍ୟ ଆଲୋଚନା ହେଉଥିଲା ବେଳେ ଧନଞ୍ଜୟ ନିଜର ଶ୍ରେଷ୍ଠ କାବ୍ୟ 'ରଘୁନାଥ ବିଳାସ' ଉପେନ୍ଦ୍ରଙ୍କୁ ଦେଲେ ଓ କିଛି ଦୋଷତୃଟି ଥିଲେ ନିର୍ଭୟରେ ତାଙ୍କୁ ଜଣେଇବାକୁ କହିଲେ । ଉପେନ୍ଦ୍ର କାବ୍ୟଟିକୁ ମନଦେଇ ପଢ଼ିସାରିଲାପରେ ଅଳଙ୍କାରର ପ୍ରୟୋଗ କରିଥିଲେ ଆହୁରି ଭଲ ହୋଇଥାନ୍ତା ବୋଲି କହିଲେ, ଧନଞ୍ଜୟ ଭଞ୍ଜ ଏକଥା ଶୁଣି ଖୁସି ହେଲେ ।
ରାଣୀ ମଣ୍ଡାଦେବୀ ତାଙ୍କ ପୁଅ ନୀଳକଣ୍ଠଙ୍କୁ ଭଞ୍ଜବଂଶର ରାଜସିଂହାସନରେ ବସାଇବାକୁ ଚାହୁଁଥିଲେ, ତେଣୁ ସେ ଷଡଯନ୍ତ୍ର କରି ଧନଞ୍ଜୟଙ୍କୁ ବିଷ ଦେଇ ହତ୍ୟା କରାଇଲେ । ନୀଳକଣ୍ଠ ଭଞ୍ଜ ରାଜଗାଦିରେ ବସାଇବାରେ ସଫଳ ହେଲେ ଓ କିଛିଦିନ ପାଇଁ ରାଜ୍ୟଶାସନ କଲେ । ହେଲେ ତାଙ୍କର କାକାପୁଅ ଭାଇ ଘନଭଞ୍ଜ ଧରାକୋଟରେ ଥାଇ ନୀଳକଣ୍ଠଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଦେଲେ ଏବଂ ସୈନ୍ୟସାମନ୍ତ ଧରି ଘୁମୁସରକୁ ଆକ୍ରମଣ କଲେ । ରଣକ୍ଷେତ୍ରରେ ନୀଳକଣ୍ଠ , ଘନଭଞ୍ଜଙ୍କଠାରୁ ପରାସ୍ତ ହୋଇ ରାଜ୍ୟ ଛାଡ଼ି ଚାଲିଗଲେ । ନିଜର ସ୍ତ୍ରୀ ଓ ଯୋଗ୍ୟପୁତ୍ର ଉପେନ୍ଦ୍ରଙ୍କୁ ଧରି ନୀଳକଣ୍ଠ ନୟାଗଡ଼ର ମାଳିସାହି ଢେଙ୍କଣା ଗ୍ରାମରେ ଘରଟିଏ କରି ଅତି ସାଧାରଣ ଭାବରେ ଜୀବନ ଅତିବାହିତ କରିବାକୁ ଲାଗିଲେ ।ଏଠି ସୂଚନା ଯୋଗ୍ୟ ଯେ :- ନୟାଗଡ ରଜା ଗଧାଧର ସିଂହ ମାନଧାତା ନୀଳକଣ୍ଠଙ୍କ ମାତୁଳ ଥିଲେ । କିମ୍ବଦନ୍ତୀ ଅନୁସାରେ ନୟାଗଡର ଐତିହାସିକ ଜୀବନ ସ୍ରୋତ ସହ ଭଞ୍ଜଙ୍କ ସଂପୃକ୍ତି ଅଛି । କିମ୍ବଦନ୍ତୀ ଅନୁସାରେ ଉପେନ୍ଦ୍ରଙ୍କ ପିତା ୧୭୩୩ - ୩୪ ରେ ସପରିବାର ଘୁମୁସୁର ତ୍ୟାଗ କରି କୋଦଳା ଆଠଗଡ ଓ ପରେ ନୟାଗଡ ଯାଇ ବସବାସ କରିଥିଲେ

" ନୂଆଗଡ ମାଳିସାହି ଗ୍ରାମରେ

ରହିଲେ କୁଟୁମ୍ବ ଘେନି ସଜରେ ।।

ନୀଳକଣ୍ଠ ଭଞ୍ଜ ଏହି ସମୟରେ ଉପେନ୍ଦ୍ରଙ୍କୁ ଘୋଡାଚଢା, ଖଣ୍ଡା, ତରବାରୀ ଚାଳନାରେ ଧୁରନ୍ଧର କରାଇଥିଲେ । ଉପେନ୍ଦ୍ର ଭଞ୍ଜ କାବ୍ୟ କବିତା ରଚନାରେ ଧ୍ୟାନ ଦେଲେ ।
ବିଧିର ବିଧାନ ଅନୁଯାୟୀ ମାତ୍ର ୧୫ ବର୍ଷ ବୟସରେ ଉପେନ୍ଦ୍ର ପିତା ନୀଳକଣ୍ଠ ଭଞ୍ଜଙ୍କୁ ହରାଇଲେ ଓ ତାଙ୍କ ମାମୁଙ୍କ ଘରେ ରହିବାକୁ ଲାଗିଲେ ।

ନୟାଗଡ ରାଜା ଗଦାଧର ସିଂହ ମାନଧାତାଙ୍କ ପରେ ପୁଅ ରାମଚନ୍ଦ୍ର ସିଂହ ମାନଧାତା ଓ ତାଙ୍କ ପରେ ନାତି ଚନ୍ଦ୍ରଶେଖର ସିଂହ ମାନଧାତା ଶାସନ ଭାର ଗ୍ରହଣ କରିଥିଲେ । ପରେ ପୁରୁଷୋତ୍ତମ ସିଂହ ମାନଧାତା ରାଜା ହେଲେ । ଏହି ସମୟରେ ଭଞ୍ଜେ ଶୋଭାବତୀ କାବ୍ୟ ରଚନା କରିଥିଲେ । ନୟାଗଡ ରାଜବଂଶ ପ୍ରତି କୃତଜ୍ଞତାର ଚିହ୍ନ ସ୍ବରୂପ ଏହାକୁ ପୁରୁଷୋତ୍ତମଙ୍କ ନାମରେ ଭଣତି କଲେ ।

୧୮ ବର୍ଷ ବୟସରେ ଉପେନ୍ଦ୍ରଙ୍କର ବିବାହ ନୟାଗଡ଼ ରାଜା ପୁରୁଷୋତ୍ତମ ମାନ୍ଧାତାଙ୍କ ଭଉଣୀ ଲାବଣ୍ୟବତୀଙ୍କ ସହ ସମ୍ପନ୍ନ ହେଲା । ଲାବଣ୍ୟବତୀ ସୁନ୍ଦରୀ, ବୁଦ୍ଧିମତୀ ଓ ସସ୍କୃତ ସାହିତ୍ୟରେ ନିପୁଣ ଥିଲେ । କୁଲାଡ଼ଗଡ ପାଖରେ ଅନ୍ଧାରଗଡ ବୋଲି ଦୂର୍ଗଟିଏ, ପାହାଡ଼ ଓ ସବୁଜିମା ଭରା ଜଙ୍ଗଲଦ୍ୱାରା ଘେରି ରହିଥିଲା । ଉପେନ୍ଦ୍ର ସେହି ସ୍ଥାନକୁ ସବୁବେଳେ ଏକୁଟିଆ ଚାଲିଯାଉଥିଲେ ଏବଂ କିଛିଦିନ ସେଠାରେ ରହିବା ପରେ ଫେରି ଆସୁଥିଲେ । ଥରେ ଉପେନ୍ଦ୍ର ସେହି ସ୍ଥାନକୁ ଯାଇ ବହୁଦିନ ପର୍ଯ୍ୟନ୍ତ ରାଜଉଆସକୁ ଫେରିଲେ ନାହିଁ । ଏଣେ ରାଜପ୍ରାସାଦରେ ଲାବଣ୍ୟବତୀ ବ୍ୟସ୍ତ ହୋଇପଡିଲେ ଓ ପତିଙ୍କୁ ଖୋଜି ଆଣିବା ପାଇଁ ଦୂତଟିଏ ପଠାଇଲେ । ଦୂତଟି ଗଡ଼ ଭିତରକୁ ନଯାଇ ଅଳ୍ପବାଟରୁ ଫେରି ଆସିଲା ଓ କହିଲା ଯେ ସେ ଗୋଟିଏ ମହାବଳ ବାଘ ଦେଖିଲା । ତା ପାଖରେ ମଣିଷର ରକ୍ତାକ୍ତ ଶବ ପଡିଥିବାର ଦେଖି ଭୟରେ ଫେରି ଆସିଲା । ଦୂତଠାରୁ ଏପରି ଖବର ଶୁଣି ଲାବଣ୍ୟବତୀ ଧୈର୍ଯ୍ୟ ଧରି ରହି ପାରିଲେ ନାହିଁ, ତାଙ୍କର ସଙ୍ଗେ ସଙ୍ଗେ ଚେତା ବୁଡିଗଲା ଓ ଚାହୁଁ ଚାହୁଁ ତାଙ୍କର ପ୍ରାଣବାୟୁ ଉଡିଗଲା । କିଛିଦିନ ପରେ ଉପେନ୍ଦ୍ର ରାଜପୁରକୁ ଫେରିଲା ପରେ ପତ୍ନୀ ଲାବଣ୍ୟବତୀଙ୍କ ସ୍ୱର୍ଗବାସ କଥା ଜାଣି ବହୁତ ମର୍ମାହତ ହେଲେ । ଉପେନ୍ଦ୍ରଙ୍କ ଶଳାଭାଉଜ ଶୋଭବତୀଙ୍କର "ବ୍ରହ୍ମାଣ୍ଡ ସୁନ୍ଦରୀ" ବୋଲି ଜଣେ ସୁନ୍ଦରୀ ଓ ବୁଦ୍ଧିମତୀ ଭଉଣୀଟିଏ ଥିଲେ, ତାଙ୍କ ସହିତ ଉପେନ୍ଦ୍ରଙ୍କ ଦ୍ୱିତୀୟଥର ବିବାହ ଉତ୍ସବ ଅନୁଷ୍ଠିତ ହେଲା । " ବ୍ରହ୍ମାଣ୍ଡ ସୁନ୍ଦରୀ" ଉପେନ୍ଦ୍ରଙ୍କୁ କାବ୍ୟ ଲେଖିବାରେ ସାହାଯ୍ୟ କଲେ, ତାଙ୍କରି ପରାମର୍ଶ ଓ ପ୍ରେରଣାରେ ଉପେନ୍ଦ୍ରଙ୍କ କାବ୍ୟକବିତାର ନିଶା ବଢିଗଲା ଏବଂ ଅନେକ ସାହିତ୍ୟ କୃତି ରଚନା କଲେ । ସେଥିମଧ୍ୟରୁ ଲାବଣ୍ୟବତୀ ଓ କୋଟିବ୍ରହ୍ମାଣ୍ଡ ସୁନ୍ଦରୀ ଅନ୍ୟତମ ।
ରାଜ୍ୟ ପ୍ରତ୍ୟାବର୍ତ୍ତନ
କବି ଭାବରେ ବେଶ୍ ନାଁ କରିସାରିଥିବା ଉପେନ୍ଦ୍ରଙ୍କର ଖ୍ୟାତି ବିଷୟରେ କାକା ଘନଭଞ୍ଜ ଶୁଣିବାକୁ ପାଇଲେ । ଘନଭଞ୍ଜ ଜଣେ ରାଜା ହେବା ସହ ଜଣେ କବି ମଧ୍ୟ ଥିଲେ, ତେଣୁ ସେ ପୁତୁରା ଉପେନ୍ଦ୍ରଙ୍କୁ ସମ୍ମାନର ସହିତ କୁଲାଡ଼ଗଡକୁ ଫେରାଇ ଆଣିଲେ ତଥା ଅନ୍ୟ କବି ଓ ପଣ୍ଡିତମାନଙ୍କ ସହିତ କାବ୍ୟଶାସ୍ତ୍ର ଆଦି ଆଲୋଚନା କରି ସମୟ କଟାଇଲେ. । ଜେଜେ ଧନଞ୍ଜୟଙ୍କର ଏକ ଶ୍ରେଷ୍ଠ କୃତି "ରଘୁନାଥ ବିଳାସ " କୁ ପୂର୍ବରୁ ପଢିଥିଲେ ଉପେନ୍ଦ୍ର ସେଥିରେ ଅଳଙ୍କାର ପ୍ରୟୋଗ ହୋଇନଥିବାରୁ ସେହିପରି ଅନ୍ୟ ଏକ ଅଳଙ୍କାର ପୂର୍ଣ୍ଣ ସର୍ଜନା କରିବାକୁ ମନସ୍ତ କରି ଏକ କୃତି ସର୍ଜନା କଲେ ଯାହାର ନାମ ରଖିଲେ "ବୈଦେହୀଶ ବିଳାସ"

ଉପେନ୍ଦ୍ର ଭଞ୍ଜ ପାଖାପାଖି ୫୨ ଗୋଟି କାବ୍ୟ ଲେଖିଥିବା ଏକାଧିକ ଗବେଷକଙ୍କ ଦ୍ୱାରା ସଂଗୃହୀତ ହୋଇଅଛି । ଏହା ମଧ୍ୟରୁ ମାତ୍ର ୨୦-୨୫ ଗୋଟି କାବ୍ୟ ଅଧୁନା ମୁଦ୍ରିତ ହେଉଛି । ଅନ୍ୟ କାବ୍ୟଗୁଡ଼ିକ ନଷ୍ଟ କିମ୍ବା ବିଲୁପ୍ତ ହୋଇଯାଇଅଛି । କେତେକ ଗ୍ରନ୍ଥର ପୋଥି ରହିଅଛି କିନ୍ତୁ ମୁଦ୍ରଣ ହେଉନାହିଁ ।
ତଳେ ଦିଆଯାଇଥିବା ସୂଚୀର ଅଧିକାଂଶ ଡଃ ଗୌରୀକୁମାର ବ୍ରହ୍ମାଙ୍କ 'ଭଞ୍ଜ ଭୂମିକା'ରୁ ନିଆଯାଇଛି । ପ୍ରମୁଖ ରଚନାଗୁଡିକ ହେଲା

କାବ୍ୟ :-

ରାମାୟଣ , ବୈଦେହୀଶ ବିଳାସ ,ଅବନା ରସତରଙ୍ଗ , ରାମଲୀଳାମୃତ , କଳା କଉତୁକ , ଛାନ୍ଦଭୂଷଣ ,ରାସଲୀଳା ,ବ୍ରଜଲୀଳା ,ଶ୍ରୀକୃଷ୍ଣ ବିହାର ,କୁଞ୍ଜବିହାର ,ବଜାର ବୋଲି

କାଳ୍ପନିକ :

ଲାବଣ୍ୟବତୀ ,କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ପ୍ରେମ ସୁଧାନିଧି ,ରସିକ ହାରାବଳୀ ,ସୁବର୍ଣ୍ଣରେଖା ,ଭାବବତୀ ,ରସପଞ୍ଚକ ,ଚନ୍ଦ୍ରରେଖା ,ରସିକାନୁଚିନ୍ତା ,ରସଲେଖା,ତ୍ରୈଲୋକ୍ୟମୋହିନୀ ,ଲତା ,ମୁକ୍ତାବଳୀ ,ଚନ୍ଦ୍ରକଳା ,ଶୋଭାବତୀ ,କଳାବତୀ ,ରସମଞ୍ଜରୀ ,ଇଚ୍ଛାବତୀ ,ହେମମଞ୍ଜରୀ ,ଚିତ୍ରଲେଖା ,ପ୍ରେମଲତା ,ମନୋରମା ,ଅନଙ୍ଗ ରଙ୍ଗିଣୀ ,ଶଶିରେଖା ,ମିଳନ ମଞ୍ଜରୀ ,ରସନିଧି
,ବିଚିତ୍ର ତରଙ୍ଗିଣୀ,କଳ୍ପିତ କଳ୍ପରେଖା ,ବାରମାସୀ ,ଛତିଶ ରାଗ ,ପଦ୍ମାବତୀ ପରିଣୟ

ପୌରାଣିକ :-
ସୁଭଦ୍ରା ପରିଣୟ ( ଅଦ୍ୟାବଧି ଏଇ ନାଟକ ଲୋକପ୍ରିୟ ଭାବେ ଚାଲୁଅଛି) ,
ଦମୟନ୍ତୀଶ ବିଳାସ ,ସତୀଶ ବିଳାସ

ସ୍ତୁତିମୂଳକ :-

ପୁରୁଷୋତ୍ତମ ମାହାତ୍ମ୍ୟ ,ଦୁର୍ଗାସ୍ତୁତି ,ଗଜନିସ୍ତାରଣ ,ଗରୁଡ଼ ଗୀତା

କାବ୍ୟଶାସ୍ତ୍ର ଓ ଅଳଙ୍କାର ଶାସ୍ତ୍ର :-

ଚିତ୍ରକାବ୍ୟ , ଗୀତାଭିଧାନ

କାମଶାସ୍ତ୍ର :-
ପଞ୍ଚଶାୟକ,ଷଡ଼ଋତୁ,ଚଉପହରା

ଜ୍ୟୋତିଷ ଶାସ୍ତ୍ର :- କଟପାୟା

ହାସ୍ୟରସାତ୍ମକ :-

ହାସ୍ୟାର୍ଣ୍ଣବ, ବଜାର ବୋଲି

ଚଉପଦୀ :-
ସଙ୍ଗୀତ କୌମୁଦୀ,ଚଉପଦୀ ଭୂଷଣ ,ଚଉପଦୀ ଚନ୍ଦ୍ର ,ଚଉପଦୀ ଚନ୍ଦ୍ରିକା ,ରସପଞ୍ଚକ

ଚଉତିଶା :-
ଯମକରାଜ ଚଉତିଶା ,ଚିଟାଉ ଚଉତିଶା ,ଛଅ ପୋଇ ,ନଅ ପୋଇ ,ଦଶ ପୋଇ ,ବାର ପୋଇ ,ଷୋଳ ପୋଇ
ଏଭଳି ବହୁ ପ୍ରଶଂସିତ କୃତି ।
ଉପେନ୍ଦ୍ରଭଞ୍ଜଙ୍କୁ ପ୍ରଶଂସା କରି କବି ଗୋପବନ୍ଧୁ ଦାସ ଲେଖିଛନ୍ତି :- ➡️

କବିକୁଳ କୁଞ୍ଜ ଉପଇନ୍ଦ୍ରଭଞ୍ଜ ନମେ ତବ ପଦତଳେ,
କାବ୍ୟ-ସୁମାଧୁରୀ ଭାଷା-ସୁଚାତୁରୀ ପରକାଶିଲ ଉତ୍କଳେ ।
ଜନ୍ମି ରାଜକୁଳେ ବଇଭବ କୋଳେ ଅତୁଳ ସୁଖ-ସଦନେ,
ତେଜି ସେ ସମ୍ଭୋଗ ଆଚରିଲ ଯୋଗ ବୀଣାପାଣି ଆରାଧନେ ।
ଅତି ମନୋହର ଚାରୁ ଚମତ୍କାର ଶତ ମାନସୀ ପ୍ରତିମା,
କାବ୍ୟ ଚିତ୍ରପଟେ ଉଜ୍ଜ୍ୱଳେ ପ୍ରକଟେ ତୁମ୍ଭ ପ୍ରତିଭା ଗରିମା ।
କଳ୍ପନାର କାଚେ ତବ ହୃଦ ଛାଞ୍ଚେ ନବ ବର୍ଣ୍ଣେ ପ୍ରତିଫଳି,
ନବ ଅଳଙ୍କାରେ ଶୋଭେ କି ରୁଚିରେ ପୁରାଣ ଘଟଣାବଳି ।
ହେ କବିଶେଖର ଭଞ୍ଜ ବୀରବର ! କୋଟି ଉତ୍କଳ-ସନ୍ତାନେ,
ଆଜି ନବଯୁଗେ ଧନ୍ୟ ଧନ୍ୟବାଦ କରିଛନ୍ତି ତୁମ୍ଭ ନାମେ ।
ଗାଏ ତୁମ୍ଭ ଗୀତ ସଭାରେ ପଣ୍ଡିତ ପଥେ ପାନ୍ଥ ହୃଷ୍ଟମନା,
ବିଲେ ବୋଲେ ଚଷା ଅନ୍ତଃପୁରେ ଯୋଷା ନୃତ୍ୟରଙ୍ଗେ ବାରାଙ୍ଗନା ।
କାଳ ବଳିଆର ଆଣଇ ସଂସ୍କାର ନବ ରୁଚି ନବଜ୍ଞାନ,
କିନ୍ତୁ ବୈଦେହୀଶ ବିଳାସ ପାଇବ କାଳେ କାଳେ ଉଚ୍ଚେ ସ୍ଥାନ ।
ସୃଜିଣ ସ୍ୱହସ୍ତେ ଓଡ଼ିଆଙ୍କ ଭାଷା ଗଢ଼ିଛି ଓଡ଼ିଆ ଜାତି,
ତବ ଜନ୍ମସ୍ଥାନ ଓଡ଼ିଶାରୁ ଆନ ଭାବିଲେ ବିଦରେ ଛାତି ।
ତଥାପି ଅନେକ ସାହିତ୍ୟ-ସେବକ ଭାବି ଉତ୍କଳ ନନ୍ଦନ,
ପୁଣ୍ୟ ତୀର୍ଥମଣୀ ଘୁମୁସର ପଦେ କରିବେ ନିତି ବନ୍ଦନ ।

ଏଠି ଗୋପବନ୍ଧୁ ଦାସ , ଉପେନ୍ଦ୍ରଭଞ୍ଜ ଘୁମୁସୁର ଅଞ୍ଚଳର ବୋଲି ବର୍ଣ୍ଣନା କରିଛନ୍ତି  ।

ସଂଗ୍ରହ ସହ ଉପସ୍ଥାପନା :-
ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ ।

Monday, July 27, 2020

🛳 ବୋଇତ 🛳

  ● ଉପସ୍ଥାପନା :- ଡ଼ାଃ ଦେବାଶିଷ ଜେଠୀ ●
ପ୍ରାଚୀନ କାଳରୁ ଓଡ଼ିଆରେ ପ୍ରଚଳିତ ହିଁ ନୁହେଁ ଵରଂ ଅତି ପ୍ରଚଳିତ ହୋଇ ଆସିଛି ବୋଇତ ଶବ୍ଦ । ଭାରତର ଅନ୍ୟ କୌଣସି ପ୍ରାଦେଶିକ ଭାଷାରେ ଏହି ଶବ୍ଦ ନାହିଁ ।  । 

୧) ହିନ୍ଦୀରେ - ନୈହର, ନୟା , କସ୍ତୀ, କିସ୍ତୀ ଶବ୍ଦ ରହିଛି
୨) ବଙ୍ଗଳାରେ ତୋରୀ, ଡୋଙ୍ଗା, ନୌକା, ନାଓ, ତରୋନି, ଖେଆ (ପଶ୍ଚିମ ବଙ୍ଗ) ଓ ଖ୍ୟେଓଆ (ବାଂଲାଦେଶ୍)  ଶବ୍ଦ ଅଛି
୩) ସଂସ୍କୃତରେ  ନୌକା, ନୌ, ତରୀ, ତରଣି, ଉତ୍ପ୍ଳଵା, ପ୍ଳଵାକା, କଣ୍ଠାଳ, ଅଡୁଵ, ତଳ୍ପ, ତରଣ୍ଡ, ନାଵ,ପରିପ୍ଳଵ, ପର୍ଣ୍ଣାଳ, ଜଳଯାନ, ଵାରିରଥ ... ଇତ୍ୟାଦି ଇତ୍ୟାଦି ଏବଂ କ୍ୱଚିତ କାବ୍ୟରେ ବହିତ୍ର, ବୋହିତ୍ଥ ଵ୍ଯଵହୃତ ଏଵଂ ସଂସ୍କୃତକୁ ଏ ଶବ୍ଦ ଓଡ଼ିଆ କଵି ଜୟଦେଵଙ୍କ ଦ୍ଵାରା ଯାଇ ଚଳୁଅଛି ।  

ଅଵଶ୍ଯ ସିଂହଳୀରେ බෝට්‍ටුව (bōṭṭuva) ଶବ୍ଦ ରହିଛି ଏଵଂ ଏ ଶବ୍ଦଟି ଓଡ଼ିଆ ମୂଳର କି ୟୁରୋପୀୟ ମୂଳରୁ ଆସିଅଛି ତାହା ଗଵେଷଣାର ଵିଷୟ  । ପୁଣି ପ୍ରାକୃତର 𑀩𑁂𑀟𑀕 (beḍaga) ସଂସ୍କୃତର ବେଡ଼କ ଓ ବେଡ଼ ଇତ୍ଯାଦି ଶବ୍ଦ ସହିତ ଓଡ଼ିଆ ବୋଇତ ଶବ୍ଦ ସହ ଵାହ୍ଯ ସାଦୃଶ୍ୟ ଦେଖାଯାଏ କିନ୍ତୁ  ଏହାର ମୂଳ ଭିନ୍ନ ଅଟେ । 

ପ୍ରକାରାନ୍ତରେ, ୟୁରୋପୀୟ ଭାଷା ସମୂହରେ ଏହି ଶବ୍ଦର ପାଖାପାଖି ଶବ୍ଦ ଅନେକ ରହିଛି । 
ଯଥା—
🔷ଇଂରାଜୀ—(ଆଧୁନିକ—boat),(ମଧ୍ୟ ଯୁଗୀୟ—bot, boot, boet, boyt),(ପ୍ରାଚୀନ—bāt)
🔷ପ୍ରାକ୍ ଜର୍ମାନ— *baitaz, *baitą 
🔷ଇସପ୍ରାନ୍ତୋ— boato
🔷ଫିଜିଆନ—boto
🔷 ସ୍କଟିସ୍—boat, bote 
🔷ଡଚ୍—boot 
🔷ଡାନିସ୍— båd 
🔷ଫାରୁଇଜ୍—bátur 
🔷ଫ୍ରେଞ୍ଚ—bateau
🔷ହାଇତିଆନ୍ କ୍ରିଓଲ୍— bato
🔷 ଆଇସଲ୍ୟାଣ୍ଡିକ—bátur 
🔷ଇଡୋ ଭାଷା(Ido)—batelo
🔷ଆଇରିସ୍—bád 
🔷ଇଟାଲିଆନ୍—battello
🔷ଓସିଆନ(Occitan)— batèl 
🔷ପର୍ତ୍ତୁଗୀଜ—bote
🔷ରୁଷୀଭାଷା—бот(bot)

⛵⛵⛵⛵ଓଡ଼ିଆ ସାହିତ୍ୟରେ ବୋଇତ ଶବ୍ଦ⛵⛵⛵⛵

✓କାଳିନ୍ଦିଜଳ କଲ୍ଲୋଳ ଲହରି ଶୋଭିତ । 
ମଧ୍ୟରେ ଅଧର ଶୋଭ ପୋହଳା ବୋଇତ ॥
 ସୁସଞ୍ଛ ତ୍ରିମୁଣ୍ଡି ପାବଛରେ ହୋଏ ରୋଳ ।
 ପ୍ରସାଦ ସୌରଭେ ଭ୍ରମନ୍ତି କି ଭ୍ତଙ୍ଗମେଳ ॥
(ଜଗମୋହନ ରାମାୟଣ, ବଳରାମ ଦାସ)

✓ବାୟୁ ଦେଖି ସାଧୁମାନେ । 
ହରଷ ହେଲେ ନିଜ ମନେ ।।
 ସମୁଦ୍ରେ ବୋଇତ ମେଲିଲେ । 
ସପତ ବୋହୁକୁ ଡ଼ାକିଲେ ।।
(ଖୁଦୁରୁକୁଣୀ ଓଷା ଗୀତ, ଗୋପୀନାଥ ଦାସ)

✓ସୁନ୍ଦରୀର ତରୀ ସମ ବିଭୁଷିତ,
 ଗଜଦନ୍ତେ ଗଢ଼ା ଅପର ବୋଇତ,
 ସମସଂଖ୍ୟା ଯୁବା ବର୍ମୋଜ୍ଜ୍ୱଳ ଅଙ୍ଗ, 
ତରୀଦନ୍ତେ ରଙ୍ଗେ କାଟନ୍ତି ତରଙ୍ଗ ।
(ଚିଲିକା,କଵିଵର ରାଧାନାଥ ରାୟ)

✓ସେ କାହିଁ ତରିବ ସଂସାର ।
 ବୁଡ଼ଇ ତମ-ମହାଘୋର ।।୧୪୦।।
ବୋଇତ ଆଶ୍ରେ ବିନା ପ୍ରାଣୀ ।
 ବାଣିଜ୍ୟେ ସମୁଦ୍ର ନ ଜିଣି ।।୧୪୧।।
(ଦ୍ଵାଦଶ ସ୍କନ୍ଧ,ଭାଗଵତ, ଅତିବଡ଼ ଜଗନ୍ନାଥ ଦାସ)

✓ଚନ୍ଦ୍ରାଲୋକେ ଯହିଁ ନିଶୀଥେ ଜଳଦେବୀ ସଙ୍ଗୀତ,
ଶୁଣନ୍ତି ଚକିତେ ନାବିକେ ଦୂରେ ବାହୁଁ ବୋଇତ । 
(ଚନ୍ଦ୍ରଭାଗା,କଵିଵର ରାଧାନାଥ ରାୟ)

✓ଉତ୍କଳେ ଅସଙ୍ଗେ-ପ୍ରବାହେ ତ୍ୱରିତ, 
ବାହୁଛନ୍ତି ଯେହୁ ସ୍ୱରାଜ୍ୟ-ବୋଇତ; 
ସେ ଦଳରେ ମୁହିଁ ଅକିଞ୍ଚନ ଜଣେ, 
ମୋଡୁଥିଲି ନାବ-ମଙ୍ଗ ପ୍ରାଣପଣେ ।
(ବନ୍ଦୀର ଆତ୍ମକଥା, ଉତ୍କଳମଣି ଗୋପବନ୍ଧୁ ଦାସ)

✓ଗଙ୍ଗ-ଶିଉଳୀ ଟଗରେ,
 ଧବଳିତ ଉପବନ ଜନମନ ହରେ ।
 ଖଣ୍ଡ ଖଣ୍ଡ ଧଳାମେଘ ସୁନୀଳ ଅମ୍ବରେ, 
ଭାସଇ ବୋଇତ ଯଥାନୀଳ ସମୁଦ୍ରରେ । 
(ଶରତ୍, ମଧୁସୂଦନ ରାଓ)

✓"ବୋଇତ ଲାଗିଲା ଆସି ସିଂହଳ ଦ୍ଵୀପରେ
ସାଧଵ ଯୁଵତୀମାନେ ଅତି ପ୍ରମୋଦରେ
ଗଲେ ବୋଇତ ବନ୍ଦାଇ,
ଅର୍ଘ୍ୟଥାଳୀ କରେ ସର୍ଵେ ହୁଳହୁଳି ଦେଇ ।।"
(ଲାଵଣ୍ୟଵତୀ,କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜ)

କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ,ଉତ୍କଳୀୟ କଵି ଜୟଦେଵଙ୍କ ପଦାଙ୍କ ଅନୁସରଣରେ ତାଙ୍କ ଵୈଦେହୀଶ ଵିଳାସର  ଵିଭିନ୍ନ ସ୍ଥାନରେ ବହିତ୍ର ଶବ୍ଦକୁ ଵ୍ଯଵହାର କରିଅଛନ୍ତି ...

✓ଵାର୍ଭଟ କି ଗଜଯୂଥ ଭେଳା ହୟ । 
ବହିତ୍ର କି ରଥ ଭେକ ପତ୍ତିଚୟ । ୧୩ । 

✓ବଳେ ବସାଇ ସ୍ୟନ୍ଦନେ
 କେ ଗଲା କି ଘେନି ଵାରି-ରାଶି ମଧ୍ୟେ ମୋର ।  
ଵାରି-ରାଶି ମଧ୍ୟେ ମୋର
 ବହିତ୍ର କଟାଇ ଧନ ହରିନେଲା ଜୂର । ୩୨ ।

✓ଵିହି ଶାପ ତୋର ମୃତ୍ୟୁ ଏ ଶୈଳେ ଆସିଲେ 
 ବହି ଶଵ ତାହା ଜାଣି ଆଣି ଏ ନିକଟେ । 
ବହିତ୍ର ଯେମନ୍ତ ସ୍ଥିତ ସମୁଦ୍ରେ ପ୍ରକଟେ ।୩୪। 
⛵ବୋଇତ ସମ୍ବନ୍ଧୀୟ କେତେକ ଐତିହାସିକ ତଥ୍ୟ⛵
🔴ସଂସ୍କୃତ "ଯୁକ୍ତିକଳ୍ପତରୁ" ଓ ଓଡ଼ିଆ ମାଦଳା ପାଞ୍ଜିରେ ବୋଇତ ତିଆରିର ପ୍ରଣାଳୀ ଓ ନିୟମ ଉଲ୍ଲେଖ । ଏଥିରେ ରାଜା ଭୋଜ ସ୍ଥାନୀୟ କାଠରୁ ବୋଇତ ତିଆରି କରୁଥିଲେ ବୋଲି ଉଲ୍ଲେଖ ରହିଛି । ରାଜାଭୋଜ ଓ ଇନ୍ଦ୍ରଦ୍ୟୁମ୍ନ  ଇତ୍ୟାଦି ରାଜଶକ୍ତିର ପ୍ରତୀକ ରୂପେ ଉଲ୍ଲେଖ କରାଯାଇଛି ବୋଲି କେତେକ ଗଵେଷକ ମତ ଦିଅନ୍ତି । 

🔵ଚିଲିକାରୁ ମିଳିଥିଵା ଵିଭିନ୍ନ କାଠକାମ ଯନ୍ତ୍ର ଓ ଅନ୍ୟାନ୍ୟ ଵସ୍ତୁରୁ ପ୍ରମାଣ ମିଳେ ଯେ ନିକଟରେ ଥିଵା ଗୋଳାବାଇଠାରେ ଏକ ବୋଇତ ତିଆରି କାରଖାନା ଥିଲା । 

🔴ବଣଗଡ଼ ଓ ଚନ୍ଦ୍ରକେତୁଗଡ଼ରୁ ମିଳିଥିଵା ଖ୍ରୀ.ପୂ. ୪୦୦-୧୦୦ ଭିତରର ପୋଡ଼ାମାଟି ମୋହରରୁ ଜଣାପଡ଼େ ଯେ ବୋଇତରେ ମକା ଆଦି ଶସ୍ୟ ବୋଝେଇ ହୋଇ ସମୁଦ୍ରରେ ଯାଉଥିଲା । 

🔵ବୋଇତାଳୁ ଓ ବୋଇତିକଖାରୁ ଶବ୍ଦରୁ ଅନୁମାନ କରାଯାଏ ଯେ ଏ ଜାତୀୟ କଖାରୁକୁ ଓଡ଼ିଶାର ବୋଇତାଳମାନେ ବୋଇତରେ ନେଇ ଯାଉଥିଲେ । 

🔴ଓଡ଼ିଆ ଭାଷାରେ ମୁର୍ମୂଷୁ ହେଲୈ ହେଁ ହଜାର ହଜାର ବୋଇତିଆ ଶବ୍ଦ ରହିଛି ପୁଣି ସାରା ଭାରତରେ ନିଆରା ଆମ ଜାତିର ସ୍ଵତନ୍ତ୍ର ଦିଗ ନିର୍ଣ୍ଣୟ ପଦ୍ଧତି ମଧ୍ୟ ରହିଥିଲା । 

🔵ଓଡ଼ିଶାରେ ପ୍ରଥମ ବୋଇତର ଚିତ୍ର ଏକ ମୂର୍ତ୍ତିରେ ଖୋଦିତ ଦୁଇଟି ଜାହାଜ । ଏହା ଭୁବନେଶ୍ୱରର ବ୍ରହ୍ମେଶ୍ୱର ମନ୍ଦିରରୁ ମିଳିଵା ପରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ ହୋଇରହିଛି । ପ୍ରଥମ ବୋଇତଟିର ଆଗ ଭାଗରେ ଛିଡ଼ାହୋଇଥିଵା ହାତୀ ଥିଲା ବେଳେ ମଝିରେ ଦୁଇଜଣ ଲୋକ ବସିଛନ୍ତି ଓ ତାଙ୍କ ଭିତରୁ ଜଣେ ନାବିକ ମଙ୍ଗ ଧରି ବୋଇତଟିକୁ ଚଳାଉଛନ୍ତି ।

🔴ଭୁବନେଶ୍ୱରର ଏକ ଦେଉଳର ଉପରିଭାଗ ଓଲଟା ବୋଇତସମ ହୋଇଥିଵାରୁ ଏହାର ନାମ ବୋଇତାଳ ଦେଉଳ । 

🔵ଲିଙ୍ଗରାଜ ମନ୍ଦିରରେ ଥିଵା ୧୧ଶ ଖୀଷ୍ଟାବ୍ଦର ଏକ ମୂର୍ତ୍ତିରେ ନାରୀଜଣେ ବୋଇତଟି ଚଳାଉଥିଵା ଖୋଦିତ । 

🔴କୋଣାର୍କରେ ୧୩ଶ ଶତାବ୍ଦୀର ଏକ ମୂର୍ତ୍ତିରେ ବୋଇତଟିଏ ଚାରିଜଣ ନାବିକଙ୍କ ଦେଇ ଚାଳିତ ହେଵା ଦେଖିଵାକୁ ମିଳେ । ଏହି ବୋଇତରେ ମଝିଭାଗରେ ଏକ ଛୋଟ କୋଠରୀ ଭିତରେ ଧନୁଶର ଧରି ବସିଥିଵାର ଦେଖିବାକୁ ମିଳେ । 

🔵କୋଣାର୍କ ମନ୍ଦିରରେ ଥିବା ଏକ ବୋଇତରେ କଳିଙ୍ଗ ସହ ଆଫ୍ରିକାର ଵାଣିଜ୍ୟିକ କାରବାର ବାବଦରେ ଜଣାଉଥିଵା ଜିରାଫଟିଏ ଖୋଦିତ ହୋଇଅଛି । 

🔴ଦଶମରୁ ତ୍ରୟୋଦଶ ଶତାବ୍ଦୀ ସମୟର କଵି ସାରଳା ଦାସ ତାଙ୍କ ମହାଭାରତ ଗ୍ରନ୍ଥରେ କୁନ୍ତୀ ଓ ପାଣ୍ଡୁଙ୍କ ଵିଵାହ ପ୍ରସଙ୍ଗ ଉଲ୍ଲେଖ ସମୟରେ "ଆ କା ମା ଭୈ" ଶବ୍ଦର ଵ୍ଯଵହାର କରି ଲେଖିଛନ୍ତି ...

"କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ବୁଧଵାର ଯେ ପୂର୍ଣ୍ଣିମା
ଆ କା ମା ଭୈ ସ୍ନାହାନ ଦିନ ଗଙ୍ଗାକୁ ଗଲୈ କୁନ୍ତ ଭୋଜ ସ୍ଵାମୀ ।।
ସେହି ଗଙ୍ଗା ସ୍ନାହନକୁ ଭୀଷ୍ମ ଯେ ଅଇଲେ
କୁନ୍ତ ଭୋଜରଜା ସଙ୍ଗେ ମଇତ୍ର ହୋଇଲେ ।।"

ଆପଣଙ୍କ ପାଖରେ ବୋଇତ ସମ୍ବନ୍ଧରେ ଏଇଭଳି କୌଣସି ତଥ୍ୟ ଥିଲେ ଏଠାରେ ତାହା ପ୍ରଦାନ କରିଵାକୁ ଵିଶେଷ ଅନୁରୋଧ ରହିଲା ।

🙏 ସ୍ବରବର୍ଣ୍ଣରେ ସ୍ମରଣୀକା 🙏

ସ୍ବରବର୍ଣ୍ଣରେ ସ୍ମରଣୀକା🙏 
         ✒ ସନ୍ତୋଷ ପଟ୍ଟନାୟକ  
     ~~~~୦~~~~
ଅଗତିର ଗତି ହେ' ଜଗତପତି
    ଅସହ୍ୟ ହେଲାଣି ଦୁଃଖ 
ଅନ୍ତର୍ଯ୍ୟାମୀ ତୁମେ ନଜାଣୁଛ କେଣେ 
    ଅନ୍ତର ବେଦନା ଟିକ....
ଆସନ୍ତକି ଥରେ ମନ ବୃନ୍ଦାବନେ 
     ଆଶେ ଅଛି ମୋର ଚିତ୍ତ 
ଆଡ଼ ଚାହାଣୀରେ ଦୁଃଖ ମୋ' ପରଖି 
     ଆଶିଷ ବରଷିଥାନ୍ତ....

ଇତି ହେଉ ମୋର ଅବଶୋଷ ଟିକ 
         ଇତର ପ୍ରଣାମ ରଖ
ଈଶ୍ବର ବିଶ୍ବାସୀ ହେଉ ମନ ମୋର 
         ଈଷତ୍ କରୁଣା ସିଞ୍ଚ.....
  ଉଆସ ମୋହର ଲୋଡା ନାହିଁ ପ୍ରଭୁ 
         ଊଣା ନହେଉ କରୁଣା 
  ଉଦାର ପଣରେ ଉଦ୍ଧାରିବ ତାତ 
         ଉପାଡି କାମ ବାସନା.....

ଋଷ୍ଟ ହୋଇ କିବା କଷ୍ଟ ଦିଅ ସାଇଁ 
     ଋଗୁଣ ମନକୁ ଛାର 
ଋଖାଟିଏ ମୁହିଁ  ଦୀପ ଧରିବାକୁ 
   ଋତ୍ବିକ୍ ତୁମେ ତ' ମୋର....

  ଏବେଠାରୁ ଗୁଣେ ଗୁଣକୁ ତୁମରି 
            ଏ'ପାରିରୁ କର ପାରି 
ଐର ବିନାଶକ  ହେ'ବିଶ୍ୱ ନାୟକ 
        ଐକୁଣ୍ଠ ଦେବ ମୁରାରୀ.....
ଓଠ ଜପୁଥାଉ ନନ୍ଦନନ୍ଦନ ଙ୍କୁ 
         ଓଲଟ ପାଲଟ କରି 
 ଔସ୍ଥୁକ ଜାଗ୍ରତେ ମନ ଭରିଉଠୁ 
       ଔଦାସୀନ୍ୟ  ପରିହରି.....
                      ~~~~~0~~~~~
*ଶବ୍ଦାର୍ଥ*:-
ଋତ୍ବିକ୍ - ପୁରୋହିତ 
ଋଖା - ଦୀପ ରଖିବା ପାଇଁ ବ୍ୟବହୃତ କାଠ ପାତ୍ର,  ଦୀପରଖା 
ଐକୁଣ୍ଠ - ସର୍ବଶ୍ରେଷ୍ଠ 
ଐରି - ଶତ୍ରୁ 
ଔସ୍ଥୁକ୍ୟ - ପ୍ରବଳ ଆଗ୍ରହ, ଉତ୍ସାହ
ଔଦାସୀନ୍ୟ  - ଉଦାସୀନତା,  ଅନାସକ୍ତି
         ~~~~~~~0~~~~~~

● ଗାନ୍ଧୀ ତୁମେ ଫେରିଆସ ●

    ଗାନ୍ଧୀ ତୁମେ ଫେରିଆସ   ✍ ସନ୍ତୋଷ ପଟ୍ଟନାୟକ ।
       <<<<<●>>>>>
ଗାନ୍ଧୀ ତୁମେ ଫେରିଆସ 
ଏବେ ବଦଳିଯାଇଛି ଆମଦେଶ
ଦେଖିଥିଲ ଯେଉଁ ସ୍ୱରାଜ ସପନ,
ଗଢା ସେଠି ଆଜି ମଦଦୋକାନ 
ତୁମବିନା ତାକୁ କେ କରିବ ଆନ !
 ତେଣୁ ଅଛି ତୁମ୍ଭ ପ୍ରୟୋଜନ.... l

ବଢିଛି ଏଠି ଥାନା କଚେରୀ 
 କମିନାହିଁ  ଡକାୟତି ଚୋରି
ମାଳ ମାଳ ପୁଣି ଶିକ୍ଷାନୁଷ୍ଠାନ
କମୁନି ବେକାରୀ,ଅନିତୀ ଶାଶନ
ଶୋଷଣ,ଧର୍ଷଣ,ବେକାରୀ କଷଣ
ବଢିଚାଲେ ଏଠି ଦିନକୁ ଦିନ 
ଏ ସବୁ ପାଇଁ ନାହିଁ ସମାଧାନ !! 
ତେଣୁ ତୁମ୍ଭେ ଆସ  ....
ଆସିବାର ଅଛି ପ୍ରୟୋଜନ... ।।

କାନ୍ଦୁଛି ସ୍ନେହ,ଶ୍ରଦ୍ଧା କାନ୍ଦେ ଭାରତମାତା
ପାଶ୍ଚାତ୍ୟ ନିଶାରେ ଏଠି ବୁଡିଛି ଜନତା 
ଆଦର୍ଶବାଣୀ ତୁମ ଆଜି ସମାଧି ତଳେ,
ଅନ୍ୟାୟ, ଅନୀତି ସବୁଠି ଚଳେ
ଦୋଷୀ ପୁଣି ଏଠି ପାଏ ସମ୍ମାନ 
ବଦଳାଇବାର ଅଛି ଆମ ଆଇନ 
ତେଣୁ ଅଛି ତୁମ୍ଭ ପ୍ରୟୋଜନ ,
ଆସି ଥରେ କର ତା'ର ସମାଧାନ....lll
      -----------------×--------------
   ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ  । 7984259080

"ଜାତିବାଦ ଛାଡି ସରବେ ହସନ୍ତୁ ବିଜୟ ଧ୍ବଜାର ତଳେ".....

✍ ସନ୍ତୋଷ ପଟ୍ଟନାୟକ ।
      ---------------------
ମୁକ୍ତାକାଶ କୋଳେ ଲହରେ ତ୍ରିରଙ୍ଗା 
    ବଖାଣି ଗୌରବ ଗାଥା 
 ସ୍ଵାଧିନ ଭାରତ ବିଜୟ ଧ୍ୱଜା'ଏ
       ଚରଣେ ନୂଆଁଅ ମଥା....
ହଜିଛି ଗୌରବ ଲୁଚିଛି ବୈଭବ
    ଶାସକ ଆଜି ଶୋଷକ
ଅମୂଲ୍ୟ ରକତ ଢ଼ାଳୁଛି ସୈନିକ
     ବିଷ ଆଦରେ କୃଷକ....

ସ୍ବାର୍ଥକୁ ଆଦରି ସ୍ବାଭିମାନ ବନ୍ଧା
    ଜନନୀ ସମ୍ମାନ ବିକି
 ଜନନୀ ବି' ଏଠି ନିର୍ଦ୍ଦୟ ସାଜୁଛି
    ସନ୍ତାନକୁ ତାର ଫିଙ୍ଗି....
ଆଦର୍ଶବାଣୀକୁ ଧିକ୍କାରୁଛି ମନ
    ଚାଲୁଛି ଅନୀତି ତାଳେ
ମାନ ସନମାନ  ବିକିରି ଚାଲିଛି
      ଅର୍ଥ ଖର୍ଚ୍ଚ ଆଢୁଆଳେ....

ମାତୃଭାଷା ଭୁଲି ବିଦେଶୀ ଭାଷାରେ
     ଶିକ୍ଷା ପଦ୍ଧତି ତିଆରି
ସଂସ୍କୃତି ବିହୀନ ଶିକ୍ଷାକୁ ଆଦରି
      ଯୁବକ ଏଠି ବେକାରୀ.....
ଭାଷଣ ବାଜିରେ  ସରୁଛି ଦିବସ
       ତୁଛା ମିଛ ଆସ୍ଫାଳନ
ଛାତ୍ରଛାତ୍ରୀ ଗଣ ମଞ୍ଚରେ ଗାଆନ୍ତି
     ଘୋଷା "ଜନ ଗଣ ମନ"....

କନ୍ୟା ରତନକୁ  ଚିହ୍ନନ୍ତିନି ଜନେ
     ବୃଦ୍ଧ-ବୃଦ୍ଧା ହୀନିମାନ
ଅନ୍ୟାୟ ଅନୀତି ସୀମା ଟପିଲାଣି
         ସହା ସେଇ ଜନାର୍ଦ୍ଦନ....
ସ୍ବରାଜ ସପନ  ଉଭେଇ ଯାଇଛି
         ନାହିଁ ଆଉ ଭାତୃଭାବ
ଉତ୍ଥାନ ଆଳରେ   ଶାସକ ଗଢ଼ିଛି
         ଜାତିଆଣ ଭେଦଭାବ....

ସାହାସ ଶକତି  ଦିଅ ମହାବାହୁ
    ଦିଅଏକ ମହାପୁରୁଷ
 ଉଜୁଡା ଦେଶକୁ ସଜାଡି ପାରିବ
      ସମ୍ପର୍କର ହୋଇ ଦାସ....     
ଆସନ୍ତା ଦିବସେ ମୋ'ଦେଶ ଜନତା
        ବିଜୟ ଧ୍ବଜାର ତଳେ
ଜାତିବାଦ ଛାଡ଼ି  ସରବେ ହସନ୍ତୁ
      ଭାରତ ମାତାର କୋଳେ....
            ------×-----
✍  ସନ୍ତୋଷ ପଟ୍ଟନାୟକ ଗଞ୍ଜାମ।  7984259080

Saturday, July 25, 2020

● ସାଧବ ବୋହୂ ●

    ☆ ସାଧବବୋହୂ ☆  ✍ ସନ୍ତୋଷ ପଟ୍ଟନାୟକ ।
      ~~~~~~~~
ସାଧବ ବୋହୂର ପାହାଡ଼ି ଘର
ତରତର ଚାଲି ନାହିଁଟି ତର 
ଛୁଇଁ ଦେଲେ ସିଏ ଲାଜେଇ ଯାଏ
ଦେଖିଛକି ପିଲେ  କୁହ ତ' କିଏ ?

ବରଷା ଋତୁର ସତେକି ସଖା 
ବାକି ଦିନେ ତାର ନଥାଏ ଦେଖା
ନାଲି ଟୁକୁ ଟୁକୁ ପାଟକୁ ନାଇ 
ପ୍ରକୃତି ରାଣୀର ସିଏ କଣ୍ଢେଇ  ।।

ପାଟ ପୋକ ତା'ର ଅଲଗା ନାମ 
ରଜ ତାକୁ କରେ ଅଭିନନ୍ଦନ 
ପିଲାଙ୍କର ସିଏ ମଣି କାଞ୍ଚନ 
ଖେଳୁଥାନ୍ତି ଧରି ଆନନ୍ଦମନ  ।।

ମଖମଲ୍ଲୀ ଭଳି ତାର ଶରୀର 
ସଭିଏଁ କରନ୍ତି  ତାକୁ ଆଦର 
ବର୍ଷସାରା ଥାଏ ମାଟି ଭିତରେ 
ବର୍ଷାହେଲେ ବୁଲେ ମାଟି ଉପରେ  ।।

ସଂଧିପଦ ପ୍ରାଣୀ ଆଠଟି ଗୋଡ଼ 
ଖାତର ନଥାଏ  ବରଷା ଝଡ଼ 
ଘାସ ପତ୍ର ତାର ଖାଦ୍ୟ ଅଟଇ 
ସ୍ବଭାବରେ ଲାଜକୂଳିଟେ ସେହି ।।

ତାକୁ ଦେଖି ଜାଗେ ସାଇତା ସ୍ମୃତି 
ଆନମନା ମନ ଉଛୁଳା ମତ୍ତି 
ଅଲିଭା ଶ୍ରାବଣ  ଭରେ ସପନ 
ମନେପଡ଼ି ଯାଏ ସେ' ପିଲାଦିନ  ।।

ପ୍ରଦୂଷଣ ଏବେ ସାଜେ ତା'କାଳ
ଆସୁଛି ସତେକି ବିଲୁପ୍ତ ବେଳ 
ନିରୀହ ଜୀବର ଯିବ ଜୀବନ 
ଅଧମ ମାନବ  ଦିଏ କଷଣ  ।।
       -----×----
 ✍ ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ । 7984259080

ଜଣା ଅଜଣା


◆ ମହାଭାରତର ଏକ ରୋଚକ ତଥ୍ୟ ◆
   ★★★★★★★★★★★★★★★
【୫ ପତି ଥାଇ ବି ଦ୍ରୌପଦୀଙ୍କ ମନ ଝୁରୁଥିଲା ଆଉ କାହାପାଇଁ !   】
●●●●●●●●●●●●●●●●●●

   ମହାଭାରତର ଅନେକ ରୋଚକ କଥା ରହିଛି। ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଇପାରନ୍ତି। ଆଜି ସେମିତି ଗୋଟିଏ କଥା ଏଠି ଦର୍ଶାଉଛି  ଯାହାକୁ ଜାଣିଲେ ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ରହିବନି। ହସ୍ତିନାପୁର ଯୁବରାଜ ତଥା ପଞ୍ଚୁ ପାଣ୍ଡବ ଓ ତାଙ୍କ ପତ୍ନୀ ଦ୍ରୌପଦୀଙ୍କ କଥାକୁ ନେଇ ମହାଭାରତ ଗତିଶୀଳ ହୋଇଥିବା ବେଳେ ସେମାନଙ୍କ ପ୍ରେମ କାହାଣୀକୁ ଅନେକ ରୋଚକ ଢଙ୍ଗରେ ବିଭିନ୍ନ ପ୍ରାଦେଶିକ ପୁରାଣରେ ଉପସ୍ଥାପନ କରାଯାଇଛି। ସେମିତି ଏକ ପୁରାଣରେ ଦ୍ରୌପଦୀଙ୍କ ପ୍ରେମକଥାକୁ ଭିନ୍ନ ଢଙ୍ଗରେ ଉପସ୍ଥାପନା କରାଯାଇଛି। ଯେଉଁଥିରେ ରହିଛି ତାଙ୍କ ଜୀବନର ୬ଷ୍ଠ ପୁରୁଷଙ୍କ ପ୍ରତି ଥିବା ଦୁର୍ବଳତାର ଉପାଖ୍ୟାନ।

ଏ କଥା ଶୁଣି ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଉଠିବଣି, ସେ ଷଷ୍ଠ ପୁରୁଷ ଜଣଙ୍କ କିଏ, ଯାହାଙ୍କ ପ୍ରତି ଦ୍ରୌପଦୀଙ୍କ ଥିଲା ଅହେତୁକ ଦୁର୍ବଳତା। ପାଣ୍ଡବଙ୍କ ଭଳି ସୌମ୍ୟ, ସୁଦର୍ଶନ ଓ ପରାକ୍ରମୀ ପତି ଥାଉ ଥାଉ କାହିଁକି ଦ୍ରୌପଦୀ ସେହି ପୁରୁଷଙ୍କୁ ଭୁଲି ପାରୁ ନ ଥିଲେ?

ଜଙ୍ଗଲରେ ୧୨ ବର୍ଷର ନିର୍ବାସନ ଦଣ୍ଡ ଭୋଗୁଥିବା ବେଳେ ପାଣ୍ଡବଙ୍କ ପ୍ରିୟ ପତ୍ନୀ ଦ୍ରୌପଦୀ ଦିନେ ଗଛରେ ଫଳିଥିବା ଏକ ପାଚିଲା ଜାମୁକୋଳି ପେନ୍ଥାକୁ ଦେଖି ମୋହିତ ହୋଇପଡିଥିଲେ ( ଅନ୍ୟ ଏକ ମତରେ ଜାମୁକୋଳି ଆମ୍ବ କୁହାଯାଇଛି ) । ନାରୀର ଚଞ୍ଚଳ ସ୍ୱଭାବ ଆଉ ମନର ଆବେଗକୁ ବାନ୍ଧି ନ ପାରି ଯାଜ୍ଞସେନୀ ଦ୍ରୌପଦୀ ଏହାକୁ ଗଛରୁ ଛିଣ୍ଡାଇ ଦେଇଥିଲେ। ଏହି ସମୟରେ ଭଗବାନ ଶ୍ରୀକୃଷ୍ଣ ସେଠାରେ ଉପସ୍ଥିତ ହୋଇ ଏହା ଅନୁଚିତ୍‌ ବୋଲି କହିଥିଲେ।

ଅନୁଚିତର କାରଣ ଦ୍ରୌପଦୀ ଝଡାଇ ଦେଇଥିବା ପାଚିଲା ଜମୁକୋଳି ପେନ୍ଥାଟି ଜଣେ ସାଧୁଙ୍କ ଉଦ୍ଦେଶ୍ୟରେ ରହିଥିଲା। ସାଧୁ ଜଣକ ଏହାକୁ ସେବନ କରିବା ପରେ ନିଜ ବ୍ରତ ଭାଙ୍ଗିଥାନ୍ତେ। ହେଲେ ଦ୍ରୌପଦୀ ନିଜ ଲାଳଶାକୁ ସମ୍ବରଣ ନ କରି ପାରି ଏହାକୁ ଝଡାଇ ଦେବାରୁ ଏହା ପାଣ୍ଡବଙ୍କ ପ୍ରତି ବିପଦ ଆଣିପାରେ ବୋଲି ସେ କହିଥିଲେ।  କଥାଶୁଣି ପାଣ୍ଡବ ପାଞ୍ଚ ଭାଇ ଏହାର କିପରି ସମାଧାନ ହେବ ସେ ନେଇ ଚିନ୍ତାରେ ପଡିଗଲେ।

          ଭଗବାନ ଶ୍ରୀକୃଷ୍ଣ ଏହାର ସମାଧାନ ପନ୍ଥା ବାହାର କରିବାକୁ ଯାଇ କହିଲେ ଯେ, ପଞ୍ଚୁ ପାଣ୍ଡବ ଓ ଦ୍ରୌପଦୀ ନିଜ ଜୀବନର ସବୁ ଗୁପ୍ତ କଥା ଯଦି ଏହି ବୃକ୍ଷ ପାଖରେ କୁହନ୍ତି, ତା ହେଲେ ପେନ୍ଥାକଯାକ ଫଳ ପୁଣି ଗଛରେ ଲାଗିଯିବ। ଏହା ଶୁଣି ସମସ୍ତେ ନିଜ ଜୀବନର ସଂଗୋପିତ ଇଚ୍ଛା ଓ ଗୁପ୍ତ କଥା କହିବାକୁ ଆରମ୍ଭ କଲେ।

ଧର୍ମରାଜ ଯୁଧିଷ୍ଠୀର ଧର୍ମ ଓ ସତ୍ୟ ସମ୍ପର୍କରେ ନିଜ ମତ ରଖିବା ସହ ଧର୍ମସ୍ଥାପନ ହିଁ ତାଙ୍କ ଜୀବନର ଲକ୍ଷ୍ୟ ବୋଲି କହିବାରୁ ଭୂମୀରେ ପତିତ ଫଳଟି କିଛି ମାତ୍ରାରେ ଉପରକୁ ଉଠିଲା।
       ଏହାପରେ ମହାବଳୀ ଭୀମ କହିଥିଲେ ଯେ, ନିଦ୍ରା, ଆହାର, ଯୁଦ୍ଧ ଓ ଯୌନ ପିପାସାରୁ କେବେ ହେଲେ ମୁକ୍ତ ହୋଇପାରନ୍ତି ନାହିଁ। ସେ ଧ୍ରୁତରାଷ୍ଟ୍ରଙ୍କ ସମସ୍ତ ୧୦୦ ପୁତ୍ରଙ୍କୁ ହତ୍ୟା କରିବାକୁ ପ୍ରତିଜ୍ଞାବଦ୍ଧ। ଏହା କହିବା ପରେ ଜାମୁପେନ୍ଥା ପୁଣି ଉପରକୁ ଉଠିଲା। 
         ଏବେ ପାଳିଥିଲା ଅର୍ଜୁନଙ୍କର। ସେ ନିଜ ମନ କଥା ପ୍ରାଞ୍ଜଳ ଭାବେ କହିଥିଲେ। ନିଜର ପ୍ରତିଷ୍ଠା ତାଙ୍କ ଜୀବନଠାରୁ ମଧ୍ୟ ପ୍ରିୟ ବୋଲି ସେ କହିବା ସହ କର୍ଣ୍ଣଙ୍କୁ ହତ୍ୟା କରିବା ତାଙ୍କ ଜୀବନର ସର୍ବଶ୍ରେଷ୍ଠ ଲକ୍ଷ୍ୟ ବୋଲି କହିଥିଲେ। 
         ଏହାପରେ କନିଷ୍ଠ ପାଣ୍ଡବ ଭ୍ରାତା ନକୁଳ ଓ ସହଦେବ ନିଜ ମନର ଗୁପ୍ତ କଥା କହିଦେବା ପରେ ଫଳ ଉପରୁକ ଉଠି ଚାଲିଲା। ମାତ୍ର ଗଛ ଡାଳରେ ପୂର୍ବବତ୍‌ ଲାଗିପାରିଲା ନାହିଁ।

ଏହାଦେଖି ସମସ୍ତେ ଚିନ୍ତିତ ହୋଇପଡିଥିଲେ। ଶେଷରେ କୃଷ୍ଣ ଦ୍ରୌପଦୀଙ୍କୁ ଇସାରା କରି ନିଜ ଜୀବନର ଗୁପ୍ତ କଥା କହିବା ପାଇଁ ପ୍ରବର୍ତ୍ତାଇଲେ। ଦ୍ରୌପଦୀ କହିଥିଲେ ଯେ, ତାଙ୍କ ୫ ପତି ତାଙ୍କ ପଞ୍ଚ ଜ୍ଞାନେନ୍ଦ୍ରୀୟ ସଦୃଶ। ସେ ସେମାନଙ୍କୁ ଖୁବ୍‌ ଭଲ ପାଆନ୍ତି। ମାତ୍ର ଦୁର୍ଭାଗ୍ୟ ସେମାନଙ୍କ ଦୁର୍ଭାଗ୍ୟର କାରଣ ମଧ୍ୟ ସେ ନିଜେ। ନିଜର କେତେକ ଭୁଲ କଥା ଯୋଗୁ ଆଜି ପାଣ୍ଡବ ୫ ଭାଇ ଅସୁବିଧାରେ ପଡିଛନ୍ତି ବୋଲି ସେ ସ୍ୱୀକାର କରନ୍ତି। ଏତେ ସବୁ କହିବା ପରେ ମଧ୍ୟ ଜାମୁକୋଳି ପେନ୍ଥା ଉପରକୁ ଉଠୁ ନ ଥାଏ। ଭଗବାନ କୃଷ୍ଣ ଏହା ଦେଖି ଦ୍ରୌପଦୀଙ୍କୁ ଆଉ କିଛି ଲୁଚାଉଥିବା କଥା କୁହନ୍ତୁ ବୋଲି କହିଥିଲେ। କୃଷ୍ଣଙ୍କ ମନ୍ଦ ମନ୍ଦ ହାସ୍ୟ ଦେଖି ଦ୍ରୌପଦୀ ବିସ୍ମିତ ହୋଇପଡନ୍ତି। ଏହାପରେ ସେ ଯାହା କୁହନ୍ତି ତାହା ଶୁଣି ପଞ୍ଚୁ ପାଣ୍ଡବ ଚକିତ ହୋଇପଡିଥିଲେ।

ନିଜ ପତିମାନଙ୍କ ଆଡକୁ ଦୃଷ୍ଟି ଦେଇ ଦ୍ରୌପଦୀ କୁହନ୍ତି, “ମୁଁ ଆପଣ ୫ ଭାଇଙ୍କୁ ପ୍ରେମ କରେ ଏ କଥା ମିଥ୍ୟା ନୁହେଁ, କିନ୍ତୁ ଆପଣମାନଙ୍କ ବ୍ୟତୀତ ଅନ୍ୟ ଜଣେ ପୁରୁଷ ଅଛନ୍ତି ଯାହାଙ୍କୁ ମୁଁ ମନ ଭିତରୁ ପ୍ରେମ କରେ। ସେ ହେଉଛନ୍ତି ଅଙ୍ଗରାଜ କର୍ଣ୍ଣ। ସେ ହିଁ ମୋ ଜୀବନର ଷଷ୍ଠ ପୁରୁଷ। ଜାତି ଆଧାରରେ ମୁଁ ତାଙ୍କୁ ବିବାହ କରି ନ ଥିବାରୁ ଆଜି ଦୁଃଖିତ। ଯଦି ମୁଁ ତାଙ୍କୁ ବିବାହ କରିଥାନ୍ତି ହୁଏତ ଆଜି ଏଭଳି ସ୍ଥିତିରେ ପଡି ନ ଥାନ୍ତି କି ଏତେ କଷ୍ଟ ଭୋଗି ନ ଥାନ୍ତି।”

ଏହାଶୁଣି ପଞ୍ଚୁ ପାଣ୍ଡବ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଅସୁବିଧା ବେଳେ ନିଜ ପତ୍ନୀଙ୍କୁ ସୁରକ୍ଷା ଦେଇ ନ ପାରିବାର ଗ୍ଲାନି ତାଙ୍କୁ ଲଜ୍ଜିତ କରେ। ଅନ୍ୟପକ୍ଷରେ ଦ୍ରୌପଦୀ ନିଜ ମନକଥା ସମସ୍ତଙ୍କ ସମ୍ମୁଖରେ କହି ନିଜକୁ ଅପମାନିତ ବୋଧ କରନ୍ତି ସତ ହେଲେ ଭୂମିରୁ ଉଠି ଶୂନ୍ୟରେ ରହିଥିବା ଉକ୍ତ ଜାମୁକୋଳି ପେନ୍ଥା ଏହି ସତ୍ୟ ଶୁଣି ପୁଣି ଗଛରେ ଲାଗିଯାଏ।          
ବିଦ୍ରହ  : 
    ଅର୍ଜୁନଙ୍କ ସହ ଦୁଇଜଣ ସମକକ୍ଷ ଥିଲେ  ଜଣେ ଶବର ଏକଲବ୍ୟ ତା ସହ ଦ୍ରୋଣ କପଟ କଲେ ବୋଲି ଅନେକ କୁହନ୍ତି  କିନ୍ତୁ  ପ୍ରକୃତ ଅର୍ଥ ହେଲା ବିଦ୍ୟା ଏକ ପବିତ୍ର ଦାନ ଯାହା ସମାଜ ମଙ୍ଗଳ ପାଇଁ  ଉଦ୍ଦିଷ୍ଟ  । ଏହା ଯଦି ଅପାତ୍ର ରେ ଦାନ ହବ ତାହେଲେ ମଙ୍ଗଳ ପରିବର୍ତ୍ତେ ଅମଙ୍ଗଳ ନିଶ୍ଚିତ । ପୁଣି ଅସ୍ତ୍ର ଶିକ୍ଷା ଯଦି ଉପଯୁକ୍ତ ସ୍ଥାନ ବା ପରିସ୍ଥିତିରେ ପ୍ରୟୋଗ ନହୁଏ ତାହା ସୃଷ୍ଟି ବିନାଶକାରୀ ଏଣେ ଗୁରୁଙ୍କ ଅଜ୍ଞାତରେ ଏକଲବ୍ୟ ଗୁରୁଙ୍କ କୌଶଳ ଆୟତ୍ତ କରିଥିଲା ଏବଂ ଏହାକୁ  ସେତେବେଳେ ଅନ୍ୟାୟ ବା କପଟ କୁହାଯାଉଥିଲା  । ତାର ଦଣ୍ଡ ସ୍ବରୂପ ଗୁରୁ ଦ୍ରୋଣ ଏକଲବ୍ୟର ଆଙ୍ଗୁଠି କାଟି ନେଇଥିଲେ ଗୁରୁ ଦକ୍ଷଣା ହିସାବରେ । 

  ଦ୍ବିତୀୟ ହେଲେ କର୍ଣ୍ଣ । ସ୍ବୟମ୍ବର ବେଳେ କର୍ଣ୍ଣ ଦୈପଦୀଙ୍କ ନଜରକୁ ଆସିଥିଲେ । ସେତେବେଳେ କର୍ଣ୍ଣ ରାଧେୟରୁ ରାଜା ହୋଇଥିଲେ (ଦୁର୍ଯୋଧନଙ୍କ ସାହାଯ୍ୟରେ). ସହଜରେ ସେ ସୂର୍ଯ୍ୟ/କୁନ୍ତି ପୁତ୍ର ହୋଇ ଥିବାରୁ କ୍ଷତ୍ରୀୟ ର ସବୁ ଲକ୍ଷଣ ବାରିହୋଇପଡୁଥିଲା ।  ସବୁ ରାଜାଙ୍କ ବିଫଳତା ପରେ  ସମସ୍ତେ ସ୍ତବ୍ଦ ଥିଲେ , ଏହି ସମୟରେ ଶଙ୍କୁନିଙ୍କ ମନ୍ତ୍ରଣାରେ ଦୁର୍ଯ୍ୟୋଧନ  କର୍ଣ୍ଣଙ୍କୁ ପ୍ରବତ୍ତାୟୀ ଥିଲେ ସ୍ବୟମ୍ବର ଜିଣି ଦ୍ରୌପଦୀ  ଆଣିବାକୁ । ଶଙ୍କୁନିଙ୍କ ହୀନ ଉଦେଶ୍ୟ ଜାଣିପାରିଲେ ଅନ୍ତର୍ଯ୍ୟାମୀ ଶ୍ରୀ କୃଷ୍ଣ । ଭଗବାନ ସବୁବେଳେ ଜଗତ ମଙ୍ଗଳ ପାଇଁ ତଥା ଧର୍ମ ସପକ୍ଷରେ ଅର୍ଥାତ୍ ପାଣ୍ଡବମାନଙ୍କ ସପକ୍ଷରେ  ।  ଏପଟେ କର୍ଣ୍ଣ ନିଜ ପରାକ୍ରମ ଅନୁଯାୟୀ ସ୍ବୟମ୍ବର ପାଇଁ ଉଦ୍ଧିଷ୍ଟ ଧନୁକୁ ଉଠାଇ ସାରିଥିଲେ । ସେହି ସମୟରେ ଦ୍ରୌପଦୀ ଭାବିନେଇଥିଲେ କର୍ଣ୍ଣ ହିଁ ତାଙ୍କୁ ବିବାହ କରିବେ ସେତିକିବେଳେ ଦ୍ରୌପଦୀ ମନ ଦେଇଥିଲେ ଏବଂ  କୃଷ୍ଣ ଏକଥା ଜାଣି ସ୍ବୟମ୍ବର ରେ କେବଳ କ୍ଷତ୍ରିୟଙ୍କ ଅଧିକାର ଦର୍ଶାଇ ବଞ୍ଚିତ  କରାଇଦେଇଥିଲେ । ଉଦ୍ଦେଶ୍ୟ ଥିଲା ଅର୍ଜୁନ/ପାଣ୍ଡବଙ୍କ ସହ ଦ୍ର୍ୟୈପଦୀଙ୍କୁ ଛନ୍ଦିବା  ।

               କୃଷ୍ଣ ସବୁ ଜାଣିପାରି ଦ୍ର୍ୟୈପଦୀଙ୍କ ସେହି ଭ୍ରମ ଦୁରେଇବା ପାଇଁ ଏହା ପ୍ରାୟୋଜିତ କରିଥିଲେ । ଆଉ ଏହି ଘଟଣାପରେ ଦ୍ରୈପଦୀ ଆଉ କେବେ ସେକଥା ମନକୁ ଆଣିନଥିଲେ ।

     【 ଉପସ୍ଥାପନା  : #ସନ୍ତୋଷ ପଟ୍ଟନାୟକ, ଗଞ୍ଜାମ 】

Friday, July 24, 2020

● କାହାଠୁ ଶିଖିବା କିସ ●

🌹କାହାଠୁ ଶିଖିବା କିସ 🌹
    ~~~~~~~~~~
ପିମ୍ପୁଡ଼ି ସମ ନିରନ୍ତର କର୍ମ 
ବକଠୁ ଶିଖିବା ଧ୍ୟାନ 
କପୋତ ପ୍ରାୟ କର ଭୋଜନ 
ରହୁ ବିଭୁ ପଦେ ମନ ।

କୁକୁର ଠାରୁ ଅଧିକ ବିଶ୍ଵସ୍ତ 
ହେବାକୁ କର ଚେଷ୍ଟା 
ବାଇଚଢେଇ ମନକୁ କରିଲେ 
ହେବ ନିଶ୍ଚେ ଶ୍ରେଷ୍ଠ ସ୍ରଷ୍ଟା । 

ଶୃଗାଳ ପରିକା ଚତୁର ହୁଅ 
ଗଧ ପରି ଭାର ବାହୀ 
ହସ୍ତୀ ଯେସନେ ନୀରବେ ରହୁଛି 
ଶିଖ ହେ ମନ ଲଗାଇ । 

ଦଉଡ଼ି ଚାଲନ୍ତୁ ଅଶ୍ଵ ବେଗରେ 
ଜିତିବ ସଂସାର ବାଜି 
କୋକିଳ ପରାୟ ବଚନ କୁହ
ସଭିଏଁ ହୋଇବେ ରାଜି । 

ଟୁକୁନା ସାହୁ 
ସାନ୍ତରା ପଲ୍ଲୀ 
ଗଞ୍ଜାମ 

● ପରୀକ୍ଷା ●

ଲିମ୍ବ ଓ ତେନ୍ତୁଳି ଗଛକୁ ନେଇ ଗୋଟିଏ ଲୋକକଥା ଓଡ଼ିଶା, ମଧ୍ୟ ପ୍ରଦେଶ, ଝାଡ଼ଖଣ୍ଡ ଆଦି ଅଞ୍ଚଳରେ ପ୍ରଚଳିତ । କାହାଣୀଟି ସଂକ୍ଷେପରେ ଏହିପରି..

ପୁରାତନ କାଳରେ ରାଜାମାନେ ପରସ୍ପରକୁ ପରୀକ୍ଷା କରୁଥିଲେ |  ଥରେ ଜଣେ ରାଜା ଏକ ସୁସ୍ଥ ଵ୍ଯକ୍ତିକୁ ଚିକିତ୍ସା ପାଇଁ ପଡୋଶୀ ରାଜ୍ଯକୁ ପଠାଇଲେ କିନ୍ତୁ ତାକୁ ଗଲାଵେଳେ କହିଥିଲେ ତୁ ବାଟ ଯାକ କେଵଳ  କଇଁଆ ଗଛ ତଳେ ରାତ୍ରୀ ଵିଶ୍ରାମ କରିବୁ ...

ଲୋକଟା ରାଜଆଦେଶ ମାନି ଅନ୍ୟ ରାଜ୍ୟକୁ ଗଲା ଓ ବାଟରେ କେଵଳ ତେନ୍ତୁଳି ଗଛ ମୂଳରେ ଶୋଉଥିଲା । ତେବେ ଏହିକାରଣରୁ ସେ ରୋଗରେ ପଡି଼ଗଲା ...

ଯେତେବେଳେ ସେ ପଡୋଶୀ ରାଜ୍ଯର ଦରଵାରରେ ପହଞ୍ଚି ଚିକିତ୍ସା ପାଇଁ ପ୍ରାର୍ଥନା କଲା, ସେହି ସ୍ଥାନର ରାଜଵୈଦ୍ଯ ତାଙ୍କୁ କେବଳ ଲିମ୍ଵ ଗଛ  ତଳେ ଶୋଇଵାକୁ ପରାମର୍ଶ ଦେଇ ବିଦା କରିଦେଲେ ।

ବାଟରେ ସେ ଲୋକଟି ନିମ୍ଵଗଛ ମୂଳେ ଶୋଇ ଶୋଇ ଗଲା । ଫଳତଃ ଲିମ୍ବ ଗଛର ଔଷଧୀୟ ଗୁଣ ଯୋଗୁଁ ତେନ୍ତୁଳିଜନିତ ରୋଗ ଦୂର ହେଲା ଏବଂ ସେ ସୁସ୍ଥସଵଳ ହୋଇ ତାଙ୍କ ରାଜାଙ୍କ ନିକଟରେ ଯାଇ ଉପସ୍ଥିତ ହେଲା ।

ପ୍ରୋକ୍ତ କାହାଣୀ ମାଧ୍ୟମରେ ଶ୍ରୋତାକୁ ନିମ୍ନୋକ୍ତ ସାମାଜିକ ଶିକ୍ଷା ମିଳିଲା ...

୧)ଖଟାମିଠା ଖାଦ୍ୟ ଅଧିକ ଖାଇଲେ ଦେହରେ ରୋଗ ଜନ୍ମେ କିନ୍ତୁ ଅଳ୍ପ ଉପକାରୀ ପିତାସ୍ଵାଦର ଖାଦ୍ୟ ଦେହ ପାଇଁ ଉପକାରୀ ।

୨)ମିଛ ଯେତେ ମିଠା ହେଲେ ମଧ୍ୟ ଦିନେ ନା ଦିନେ  ଵିପଦରେ ପକାଏ । ସତ ଯେତେ ପିତା ହେଲେ ବି ଜୀଵ ପାଇଁ ଉପକାରୀ ।

୩) ଅନ୍ଯର କଥାକୁ ଆଖିବୁଜି ମାନିଯିଵା ଅନୁଚିତ୍ ତେଣିକି ସିଏ ରାଜା ହୁଅନ୍ତୁ କି ଆପଣାର ସଙ୍ଗୀ ସାଥି ।

© ଶିଶିର ସାହୁ ମନୋଜ


ସାଧବ ଝିଅ /: ଭାଗ : 4 ( ମାୟାଧର ମାନସିଂହ )

★ ସାଧବ ଝିଅ ଓ କବି ମାୟାଧର ମାନସିଂହ ★ ------------------------------------------------------
  (ଧାରାବାହିକ ଭାଗ - 4) ଉପସ୍ଥାପନା : ଅମ୍ରିତେଶ ଖଟୁଆ 

                                ଯୁବା ବଣିକ ଦେଖିଛି ନାନା କଳ୍ପନାରେ ନାନାବିଧ ଆଶା - ଦରିଆକୁ ସାଥୀ କରି ଅତିବାହିତ ଜୀବନ ତା ପାଇଁ ଆଉ ଥୟ ନୁହେଁ। ଆଶା ପୂରଣ ହେଉନଥାଏ, ହେଲେ ବି ଅନ୍ୟ ଆଡେ କହି ବୁଲିଥା'ନ୍ତି ସେଇ ଆଶାର ସଞ୍ଚରିତ ଆବେଗରେ ଯେ ତାଙ୍କର ସେହି ଏକାନ୍ତ ହଜିଲା ଧନ ମିଳିଯାଇଛି।

                                   ମାଳୁଣୀ ହାତରେ ନିଜର କଥା କହି ତାକୁ ପଠେଇଛି ଜନପଦକୁ, କହିଛନ୍ତି ଗଭୀର ରାତିରେ ବି ମୋତେ ମୋ ନିଦ୍ରାଭଙ୍ଗ କରିବାକୁ ଯଦି ପଡେ, ଯଦି ଆଲୁଅର ଏହି ଦୀପାଳି ଲିଭିବାକୁ ହୁଏ ଯଦି, ହେ ମୋର ସଖୀ, ମୁଁ ସମସ୍ତ କୁସୁମଭୂଷିତ ଅଙ୍ଗ ପ୍ରସାଧନ ବ୍ୟତୀତ ସେଇ ଏକାନ୍ତ ଲୋଡୁଥିବା ସମ୍ବାଦଟି କର୍ଣ୍ଣଗୋଚର କରିବି ।

               ଏହା ପରେ ଚାଲିଯାଉଛି ମାଳୁଣୀ  -

                 କୁସୁମ ହାରେ ଗୁନ୍ଥି ଯୁବା ତରୁଣୀ
                 ବଳା ବଜାଇ ଚଳେ ଧୀରେ ମାଳୁଣୀ।
                 କରକେ ଧରିଅଛି ଫୁଲ ଚାଙ୍ଗଡା
                 ସେ ଫୁଲେ ଅଛି କେତେ ହୃଦ-ମାଗୁଣି।

                 ମୁଣ୍ଡରେ ଝରାକୋଠି ଖୋଷାରେ ଖୋସା
                 ପାଦରେ ଝୁମ୍ପା ଭରିଦେଇଛି ଯୋଷା।
                 ପୃଥୁଳ ବାହୁ ଭରି କୁଟିଛି ଚିତା
                 ନୟନେ ଖଞ୍ଜରୀଟ ହୋଇଛି ଯୋଷା।

                 ନାକକେ ନୋଥ, ନାକଚଣା ଆରକେ
                 ଦଣ୍ଡି-ଝଲକା ଓଠେ ବାଜି ଝଲକେ,
                 ଅଧର ଘନ ନାଲି ବିଡ଼ିଆ-ରାଗେ
                 ଚଳଇ ନାରୀ, ପାନ ଜାକି ଗାଲକେ।

                 କପାଳେ କଳା-ଚିତା ପରେ ଟିକିଲି
                 ମହଣ ଦେଇ ଟାଣେ ଦେଇଛି କିଳି,
                 ମହଣ ଦେଇ ପୁଣି କାଢିଛି ମାଙ୍ଗ
                 ଖେଳାଇ ଢେଉ, କେଶ ଦେଇଛି ଭିଡି।

                 ବାହୁରେ ତାଡ଼, ଗୋଡେ ପାହୁଡ଼ ବଳା
                 ସରଣୀ କମ୍ପେ ଯେବେ ଚାଲେ ଅବଳା,
                 ଧରଣୀ-ନିଦ ଭାଙ୍ଗେ ଚରଣ ମୁଦି
                 ଶିଖାଇ ତରୁଣୀଙ୍କୁ ଚଳନ-କଳା।

                 ନଗର-କିଶୋରୀଏ ତା ପଥ ଚାହିଁ
                 ଗବାକ୍ଷ ତେଜି କାହିଁ ଯାଆନ୍ତି କାହିଁ,
                 ଉଛୁର ହେଲେ ମାନ ନାହିଁବେ କିବଖ
                 ସେ ମାନ ଭଙ୍ଗେ ଗଭା ଯତ୍ନେ ସଜାଇ।

                 ବରାଙ୍ଗୀ ଏକେ ଏକେ ବରାଦ ଏକ
                 କେ ଚାହେଁ ସୂର୍ଯ୍ୟମୁଖୀ, କେ କୁରୁବକ,
                 କାହାର ଅବା ଲୋଡ଼ା କଦମ୍ବ-କଢି,
                 କରବୀ କାମିନୀ ବା କାହାର ସଖ !

                 ମାଳାରେ ହେଲେ ଜଣକର ଆଦର,
                 କବରୀ-ସାଜ ମାଗିଥାଏ ଅପର ।
                 କେ ମାଗେ ନୀପ ପୁଷ୍ପ ଦେବାକୁ କାନେ,
                 କୁସୁମ-ଗଚ୍ଛେ କା'ର ଶରଧା ବଡ଼।

                 ତରୁଣୀ କେହି ତାରେ କରିଛି ଅଳି
                 ଦେବାକୁ ଏ ଆଷାଢେ କଦମ୍ବକଳି,
                 ନିତିକି ନିତି, ଯେଣୁ ଆସିବେ ପ୍ରିୟ
                 ବରଷା ଯାପି ଯିବେ ପ୍ରବାସେ ଚଳି।
                
                 କିଶୋରୀ କେହି ମାଗିଥିଲା କେତକୀ
                 ଗଲା ବସନ୍ତେ ଭଲେ ହଂସ-ଗତିକି
                 ଯୋଗାଇ ନ ପାରିଲା, ବଢ଼ିଛି ମାନ,
                 ମନା ହୋଇଛି ଯିବା ତାର କତିକି।

                 କେ ବଧୂ ବୋଲେ, 'ଅୟି ମାଳୁଣୀ ସଖି'
                 କହିବି ଗୋଟେ କଥା ପାରିବ ରଖି ?
                 ପୂର୍ଣ୍ଣିମା ଦିନ ସେ ଗୋ ଆସିବେ ଘରେ
                 ବକୁଳ ମାଳା ଏକ ଗୁନ୍ଥି ଦେବ କି ?

                 କାହାକୁ ନାହିଁ ବୋଲି କହଇ ନାହିଁ
                 ହସି ଚତୁରୀ କହେ ଆଣିବା ପାଇଁ,
                 କାମିନୀ ମନ ସେ ତ ବୁଝିଛି ଭଲେ
                 ଭୁଲାଇ ରଖିଥାଏ ଆଶା ଦେଖାଇ।

                 ଯାଉ ଯାଉ ସେ ରାଜପଥେ ଚତୁରୀ
                 କିଶୋରୀଗଣ ହୋଇ ଅତି ଆତୁରୀ
                 ଡାକନ୍ତି ହାତ ଠାରି ଗବାକ୍ଷ ପଛୁ
                 'ମାଳୁଣି, ରାଣ ଆଗ ଆସ ଏ ପୁରୀ '

                 କେ କହେ, 'ବେଳ ଗଲା କବରୀ ସାଜି
                 ପାରିବି ନାହିଁ ତୋର କୁସୁମେ ଆଜି,
                 ଆଉ କେ ବୋଲେ, 'ତୋର କେତେ ଲୋ ଆୟୁ
                 ଏ କ୍ଷଣି ଖୋଜୁଥିଲି ପରାଗ-ରାଜି।'

                 ସକଳ ରୂପସୀର ମନକୁ ଧରି
                 ମାଳୁଣୀ ଜିଣିଅଛି ସାରା ନଗରୀ,
                 ତରୁଣ-ତରୁଣୀଙ୍କି ରଖିଛି ହାତେ
                 ତା ନାମେ ତାଙ୍କ ବୁକୁ ଉଠଇ ଥରି।

                 ତଥାପି ପ୍ରିୟ ନାରୀ ସବୁରି ଘରେ
                 ବିଶ୍ଵାସ ସବୁ କିଶୋରୀର ତା ପରେ,
                 ତା ବକ୍ଷେ କେତେ ବକ୍ଷ-ଗୋପନ କଥା
                 ତା ମୁଖୁ କେତେ କାନେ ପୀୟୂଷ ଝରେ।

                ★                 ★                 ★

                କିଶୋରୀ ମେଳେ ଶ୍ରେଷ୍ଠ ସାଧବବାଳା
                ମାଳୁଣୀ ନିତି ତା'ରେ ଦିଅଇ ମାଳା,
                ଯତନ କରି ଜୁଡା ଦିଅଇ ବାନ୍ଧି
                ହେବାକୁ ଦେଖଣାଙ୍କ ହୃଦୟ-କାରା।

                ତା ପାଇଁ ବଗିଚାରେ ଭିନ୍ନ ବ୍ରତତୀ
                ପୃଥକ ପୁଣି ତାର ସଲିଳ ଘଟୀ,
                ପୃଥକ ହୋଇ ଫୁଟେ ତା ପାଇଁ ଫୁଲ
                ସରସ ସବୁଠାରୁ ତାର ମାଳାଟି।

                ଦିନେ ମାଳୁଣୀ ଭୁଜେ ଫୁଲର ହାର
                ଅନନ୍ତ କରି ବାନ୍ଧିଦେଲା ବାଳାର,
                ଘଡ଼ିକେ ଡାକ ଦେଲା କାଟିଲା ବୋଲି
                ରକତ-ଦାଗ ବହୁ କଷ୍ଟେ ବାହାର।

                ଚିକ୍କଣ କେଶେ ଫୁଲ ରହଇ ନାହିଁ
                କବରୀ ଭାର, ଦେଲେ ମାଳା ଗୁଡାଇ,
                ଗଳାରେ ଦେଲେ, କାଢିଦିଏ ଘଡିକେ
                କୋମଳ କାନ୍ଧ ଦୁଇ ଯାଏ ବଥାଇ।

                ଏଣୁ ମାଳୁଣୀ ବଡ଼ ବିପଦେ ପଡେ
                ସଜାଇବାକୁ ତାକୁ ନିୟତ ଡରେ,
                କୁସୁମ କୋମଳ ଯା' ଶରୀର ଲତା
                ପିନ୍ଧାଇବାକୁ ତାକୁ ତା' କର ଥରେ।

                ସାଧବ ଝିଅ ପାଶେ ଚଳେ ମାଳୁଣୀ
                ଅପେକ୍ଷା କରିଥିବ ବର-ତରୁଣୀ,
                କରରେ ଧରିଅଛି ଫୁଲଚାଙ୍ଗଡା
                ସେ ଫୁଲ ତଳେ କେତେ ହୃଦ-ମାଗୁଣି।

               ★                ★                ★

               ଭେଟିଲା ଦୂରଦେଶୀ ସାଧବସୁତ
               ଏକାଳେ ତାକୁ , ତାର ଅଧର ପୁଟ,
               ସହସା ଶୁଣାଇଲା, "ଶୁଣ ତ ଟିକେ
               ଦେଖୁଛ ବେଶ-ବାସୁଁ ବିଦେଶୀ ମୁଁ ତ।"

               କରୁ ଚାଙ୍ଗୁଡି ଆଣି କଟିରେ ଥୋଇ
               ମାଳୁଣୀ ଅନାଇଲା ଚକିତ ହୋଇ,
               ଦେଖିଲା ରୂପବନ୍ତ ତରୁଣ ଆଗେ
               ଲାଜେ ତା ଆଖି ଟିକେ ଯାଉଛି ନୋଇଁ।

               ସାଧବପୁଅ କହେ 'ମାଳୁଣୀ ପରା
               ଦିଶୁଛ, ଖାଲି ନେଇ ଫୁଲ-ପସରା,
               ବୁଲ, ନା ଆଉ ଅଛି କର ଗୋ ନାରୀ,
               ଗରଜ ଅଛି ମୋର କହ ତ ତ୍ଵରା !
                
               ଚତୁରୀ ମାଳୁଣୀ ସେ କହିଲା ହସି
               "ଖାଲି କି ଫୁଇ ବିକେ ? ଲଗାଏ ରଶି,
               ଏ ଫୁଲ ଦେଇ ଯୁବା-ଯୁବତୀ ହୃଦେ,
               କୁସୁମ ହାରେ କେତେ ହୃଦୟ କଷି।

               ମୋ ଲାଗି ଏ ନଗରେ କିଶୋରୀ ଦଳ
               ଦେଖନ୍ତି ନିରଜନେ ମୁଖ ପ୍ରିୟର,
               ମୋ ଫୁଲ ଦିଏ ଭାଷା ତରୁଣ-ପ୍ରେମେ
               ପ୍ରଥମ ଉପହାର ତରୁଣୀଙ୍କର।

               କି କାମ ଅଛି" - ବୋଲି କହିଲା ନାରୀ
               "ଚାହିଁ ତ ଥିବେ ମୋତେ ସାଧବ-ବାଳୀ-"
              ଚମକି ଅନାଇଲା ବିଦେଶୀ ଯୁବା
              ପଚାରେ, "ସାଧବରେ ତୁ ସେବାକାରୀ ?"

              "କାହିଁକି ?" ପଚାରିଲା ମାଳୁଣୀ ପୁଣ
              ତରୁଣ କହେ "ଦେଖାଇବି ମୋ ଗୁଣ
              ମାଳା ମୁଁ ଗୁନ୍ଥିପାରେ ବିଚିତ୍ର କରି
              କବରୀ ସାଜିପାରେ ଅତି ନିପୁଣ।"

              "ବିଦେଶୀ ମାଳାକାର ? ଆସ ଗୋ ତେବେ"
              ବୋଇଲା ନାରୀ, "ନିଶ୍ଚେ ଗୁଣ ଚିହ୍ନିବେ
              ସାଧବକନ୍ୟା, ଆଉ ନ ଚିହ୍ନୁ କେହି
              ଚିହ୍ନାଇଦେବି, ରହ ମୋ ଘରେ ଯେବେ।

              ଗୁନ୍ଥିବ ମାଳା କାଲି ଯତନ କରି
              ସାଧବକନ୍ୟା ପାଶେ ନେବି ମୁଁ ଧରି,
              ଆସ କୁଟୀରେ" - ଲେଉଟିଲା ଘରକୁ
              ସାଧବପୁଅ ଚଳେ ଶିବ ସୁମରି।

(କ୍ରମଶଃ ... )
[ ଉପସ୍ଥାପନା - ଅମ୍ରିତେଶ ଖଟୁଆ ]

Thursday, July 23, 2020

#ଜନ_ସୃତିରେ_ପଖାଳ /:✍ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ


          -:ଜନସୃତିରେ ପଖାଳ: -
                ~~~0~~~~
ଜନସୃତି ଅଛି ରାଜା ସୁଵର୍ଣ୍ଣକେଶରୀଙ୍କ ପତ୍ନୀ ଥରେ ଏକ ଅଚିହ୍ନା ରୋଗରେ ପଡି଼ ଶଯ୍ୟାଶାୟୀ ହେଲେ । ରାଜା ଗୁଡାଏ ବଇଦ ଦେଖାଇ ନିଷ୍ଫଳ ହେଲାରୁ ଶେଷକୁ ଦେଶରେ ଘୋଷଣା କଲେ ଯିଏ ତାଙ୍କ ସ୍ତ୍ରୀ ଙ୍କ ସ୍ଵାସ୍ଥ୍ୟ ଭଲ କରିଦେବେ ସେ ତାଙ୍କୁ ଅନେକାନେକ ଧନ ସମ୍ପତ୍ତି ପ୍ରଦାନ କରିବେ । ଏହି ସମୟରେ ଜଣେ ମୁନି ଦୈବାତ୍ ରାଜନଵର ଆସିଥାନ୍ତି । ରାଜା ତାଙ୍କୁ ଆପଣା ରାଣୀର ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ଦୂରାଵସ୍ଥା ଜଣେଇବାରୁ ସେ ବୋଇଲେ....

“ରାଜନ୍ ! ରାଣୀଙ୍କୁ ଯେଉଁ ଅସାଧ୍ୟ ରୋଗ ହୋଇଛି ତହିଁର ଏକମାତ୍ର ଔଷଧ ହେଉଛି ଅମୃତ । ତେବେ ଆମ୍ଭେ ଆଶିର୍ବାଦ ଦେଉଅଛୁ ଆପଣ ରାଣୀଙ୍କୁ ନେଇ ଏ ପଵିତ୍ର ଉତ୍କଳଦେଶ ଭ୍ରମଣ କରନ୍ତୁ । ନିଶ୍ଚିତ ସୁଫଳ ମିଳିବ ।”

ସୁବର୍ଣ୍ଣକେଶରୀ ଓ ରାଣୀ ସାଧାରଣ ଲୋକଙ୍କ ବେଶ ଧାରଣ ପୂର୍ଵକ ଦେଶ ଭ୍ରମଣରେ ବାହାରିଗଲେ । ବାଟରେ ଯାଉ ଯାଉ ରାଜା ରାଣୀଙ୍କୁ ପ୍ରଵଳ ଭୋକ ଲାଗିଲା । କିଛି ଦୂର ଆଗେଇଲାରୁ ରାଜା ଦେଖିଲେ କୃଷକ ଜଣେ ବିଲରରେ ହଳ କରୁଛି । ରାଜା ତାକୁ ଯାଇ ପାଣି ମାଗନ୍ତେ ସେ ମନାକଲା କିନ୍ତୁ ରାଜା ବହୁତ କହିଲାରୁ କୃଷକ କଂସାଏ ପାଣିମିଶା ଭାତ ଆଣି ରାଜାଙ୍କ ହାତକୁ ବଢାଇଦେଲା । ରାଜା ସେହି ପାଣିମିଶା ଭାତ ନେଇ ରାଣୀଙ୍କୁ ଖାଇବାକୁ ଦେଲେ ଏବଂ ଆପେ କିଛି ଖାଇଲେ । ସେ ପାଣିମିଶା ଭାତ ଖାଇ ରାଜା ଅନୁଭବ କଲେ  ଏହା ଅମୃତ । ସୁଵର୍ଣ୍ଣକେଶରୀ କୃଷକ କୁ ଯାଇ ପଚାରିଲେ
“ଆଜ୍ଞା ଏ ଅମୃତ ଆପଣ କେଉଁଠୁ ପାଇଲେ ?”
କୃଷକ କହିଲା
“ଏ ତ ଆମେ ନିଇତି ଦିନକୁ ଦିଓଳି ଖାଉଚୁ,ଏହା ପଖାଳ”
କୁହାଯାଏ ସେଦିନ ପଖାଳ ଖାଇ ରାଣୀ ଧିରେ ଧିରେ ସୁସ୍ଥ ହୋଇଯାଇଥିଲେ ।
ଛତିଶଗଡ ଅଞ୍ଚଳରେ ପଖାଳ ଓ ନାରଦଙ୍କୁ ନେଇ ଏହି ଜନସୃତି ସହ ସାମଞ୍ଜସ୍ୟ ଥିବା ଅନ୍ୟ ଏକ ଲୋକକଥା ପ୍ରଚଳିତ ଅଛି ………….

…………..

ମାରାଦା ମନ୍ଦିରର ଅନନ୍ୟ ଗାଥା

ଲେଖା: ସନ୍ତୋଷ ପଟ୍ଟନାୟକ


ଜଗନ୍ନାଥଙ୍କ କରୁଣାରୁ ଏ ସୃଷ୍ଟି ଜୀବନ ପାଇଛି । ଗତିଶୀଳ ଅଛି ପୁଣି ଆଗାମୀ ବଂଶଧରମାନଙ୍କ ପାଇଁ ଆଗକୁ ବି ବଞ୍ଚିରହିବ। ଏ ଅନନ୍ତ ବ୍ରହ୍ମାଣ୍ଡର କେହି ଜଣେ ନିଶ୍ଚିତ ନିୟାମକ ଅଛନ୍ତି ଏଥିରେ ଦ୍ୱିରୁକ୍ତି ନାହିଁ। ଦେଖନ୍ତୁ ଅନୁଭବ କରନ୍ତୁ କେତେ ସୁନ୍ଦର ଏହି ସୃଷ୍ଟି । ସୃଷ୍ଟିର ସର୍ଜନା ଆଉ ସ୍ରଷ୍ଟାଙ୍କର ମନନଶୀଳତା । ପ୍ରତିଦିନ ସକାଳ ହୁଏ। ପ୍ରତ୍ୟୁଷରୁ ଅରୁଣିମା ସାରା ଜଗତକୁ ଲାଲିମା – କୃଷ୍ଣ କାଳୀମାର ମିଶାମିଶି ଫେଣ୍ଟା ଫେଣ୍ଟି ରଙ୍ଗରେ ପ୍ରତ୍ୟୁଷର ସୃଷ୍ଟିକୁ ରଙ୍ଗାୟିତ କରିଦିଏ। ପୂର୍ବ ଦିଗନ୍ତ କଅଁଳ ଗେରୁରେ ବର୍ଣ୍ଣବିବର୍ଣ୍ଣ ହୋଇଉଠେ। ପରେ ପରେ ପ୍ରକାଶ ପାଏ ସୂର୍ଯ୍ୟଙ୍କର ସୁନା ସୁନାଥାଳିଆ ସୁନାରୂପ। କ୍ରମଶଃ ଆକାଶର ଶିଡ଼ି ଚଢ଼େ। ସ୍ୱର୍ଣ୍ଣିମା ରୂପାର ଝଲମଲ – ରଶ୍ମି ଆହୁରି ପ୍ରକାଶ ପାଏ। ଧରା ଆଲୋକିତ ହୋଇଯାଏ – ସୃଷ୍ଟିର ଜୀବନ ପ୍ରକ୍ରିୟାର କ୍ରୀୟାକର୍ମ ଯାଚନାର ଉତ୍ତରଣରେ . . ।

ଗହଳଚହଳ କର୍ମମୁଖର ହୋଇପଡ଼େ ଜୀବନ ଶୈଳୀ । ସୃଷ୍ଟି ପରିବର୍ତ୍ତନଶୀଳ। ସକାଳ, ମଧ୍ୟାହ୍ନ, ଅପରାହ୍ନ, ସାୟାହ୍ନ, ସନ୍ଧ୍ୟାର ସଞ୍ଜବତୀ ପରେ ପୁଣି ରଜନୀରାଣୀର ପଣତତଳେ ଅଭିଭୂତ ହୋଇଯାଆନ୍ତି ଏ ସୃଷ୍ଟିର ସମସ୍ତ ସ୍ଥିତି ସ୍ଥାପକ ଓ ସୃଷ୍ଟି। ବେଳ ଉଣ୍ଡି ସାଂଧ୍ୟ ଆକାଶରେ ପୃଥିବୀର ନିୟମମାନି ଦେଖା ଦିଅନ୍ତି ପୂର୍ଣ୍ଣ ଜହ୍ନ ତ’ କେବେ ଖଣ୍ଡିତ ବିଖଣ୍ଡିତ କିରଣର ଉତ୍ସରେ ଗାଧୋଇ ଦିଏ – ଏ ସ୍ରଷ୍ଟା ମନଚିନ୍ତନର ଶ୍ରେଷ୍ଠ କୃତିକୁ। ବିଛାଇ ଦିଏ ଈଶ୍ୱରପ୍ରାଣର ଶ୍ରେଷ୍ଠ କଲ୍ୟାଣକୁସମସ୍ତଙ୍କଠାରେ । ସେହିଁ ସର୍ବମୟ, ସର୍ବମୟ କର୍ତ୍ତା ଅନ୍ୟନାମ ଏକମାତ୍ର ପୁରୁଷ : ଈଶ୍ୱର ପରମାତ୍ମା : ଜଗତର ନାଥ ଏକମାତ୍ର ସ୍ୱାମୀ – ସର୍ବ ବୈଭବମୟ ଆଦିଦେବ ଶ୍ରୀଜଗନ୍ନାଥ। ଯାହାକି ଅଦୃଶ୍ୟତାରେ ଏହି ସର୍ବ ରଚନାକାର- ସୃଷ୍ଟିମୟ ପରିକଳ୍ପନାର ଆକାର ହୀନ ମହାପ୍ରଭୁଙ୍କର ସର୍ବବ୍ୟାପକତାର ଉପଲବ୍ଧ ଓ ଦିବ୍ୟାନୁଭବ ।

ଓଡ଼ିଶାର ଗର୍ବ ରଖିଛି ସେହି ପ୍ରଭୁଙ୍କର ଶ୍ରୀମନ୍ଦିର, ପୁରୁଷୋତ୍ତମଧାମ, ଶ୍ରୀମୟ ଚତୁର୍ଦ୍ଧାମୂର୍ତ୍ତିଙ୍କର ଭବ୍ୟ ମନ୍ଦିର ଜଗନ୍ନାଥଧାମ। ଇତିହାସର ପ୍ରତିଟି ପାହାଚରେ ପରୀକ୍ଷିତ ଆମ ଦେବତା ଜଗନ୍ନାଥ। ବିଧର୍ମୀମାନଙ୍କ ଆକ୍ରମଣ, ଧର୍ମ ବିଦ୍ଵେଷଭାବ ହିଁ ଆମ ସନାତନ ଜଗନ୍ନାଥ ସର୍ବସ୍ୱ ସଂସ୍କୃତି ବହୁ ସମୟରେ ଆଘାତପ୍ରାପ୍ତ। ସେହି ଆଘାତରୁ ତା’ର ପ୍ରଭୁଙ୍କୁ ବଞ୍ଚାଇ ରଖିବାରେ ଅନେକଥର ଅନେକ ଚେଷ୍ଟା ହୋଇଛି। ସେହି ଧର୍ମ ସଂସ୍କୃତିର ପରାକାଷ୍ଠାକୁ ଅକ୍ଷୁଣ୍ଣ ଓ ବଞ୍ଚାଇ ରଖିବାରେ ଆମ ଗଞ୍ଜାମ ଆଠଗଡ଼ର ରାଜା, ପ୍ରଜା, ଭକ୍ତ, ପାଇକ, ସୈନ୍ୟ, ସାମନ୍ତଙ୍କର ଅନେକ ଜୀବନ ଉତ୍ସର୍ଗ ବଳିଦାନ ତାହା ଆଜି ବି ଜଗନ୍ନାଥ ସଂସ୍କୃତି ଐତିହ୍ୟରେ ସ୍ୱର୍ଣ୍ଣାକ୍ଷରରେ ପ୍ରତିବିମ୍ବିତ ।

ଦକ୍ଷିଣ ଓଡ଼ିଶାର ମୁଖ୍ୟ ସହର ବ୍ରହ୍ମପୁରଠାରୁ ଉତ୍ତରପଶ୍ଚିମକୁ ପ୍ରାୟ ୬୦ କି.ମି. ଦୂରର ଏହି ଆଠଗଡ଼ପାଟଣା ଗଡ଼ଜାତ ଅଞ୍ଚଳର ମାରଦା ମନ୍ଦିର। ଆଠଗଡ଼ରେ ପହଞ୍ଚିବା ପାଇଁ ବ୍ରହ୍ମପୁରଠାରୁ ପୁରୁଷୋତ୍ତମପୁର ବା ଆସିକା, କବିସୂର୍ଯ୍ୟ ନଗର ଦେଇ ବୁଢ଼ାଆମ୍ବ ପୋଲସରା ରାସ୍ତାରେ ଯାଇ ହେବ। ପୁରୁଷୋତ୍ତମପୁରଠାରୁ ୧୮ କି.ମି ଓ ପୋଲସରାଠାରୁ ମାତ୍ର ୭ କି.ମି. ଦୂରରେ ଏକ ଜଙ୍ଗଲ ପରିପୂର୍ଣ୍ଣ ହାତୀବାରି ପାହାଡ଼ର ବିଶାଳ ପାଦଦେଶରେ ଏହି ପୀଠଟି ଅବସ୍ଥିତ। ଓଡ଼ିଶାର ମନ୍ଦିର ନିର୍ମାଣ ଶିଳ୍ପକଳାରେ ଭର୍ତ୍ତି ଶିଳ୍ପୀମାନଙ୍କର ଗ୍ରାମ ମଥୁରା ଏଇ ମନ୍ଦିରର ଅଦୂରରେ ରହିଛି।


ମାରଦା ମନ୍ଦିରର ପ୍ରତିଷ୍ଠା ବିଶେଷରେ ସ୍ଥାନିକ ନିରାପତ୍ତାକୁ ଅଗ୍ରାଧିକାର ଦେଇ ଏଭଳି ଏକ ଘଞ୍ଚ ଜଙ୍ଗଲ ହିଂସ୍ରଜନ୍ତୁ ପରିପୂର୍ଣ୍ଣ ତିନୋଟି ପାର୍ବତ୍ୟ ଭୂମି ଓ ଗଡ଼ଖାଇ ମଧ୍ୟରେ କରାଯାଇଥିବା ମନେହୁଏ ।

ଖୋର୍ଦ୍ଧାଗଡ଼ ଲୁଣ୍ଠନ ପରେ ତକିଖାଁ ଶ୍ରୀମନ୍ଦିର ଆକ୍ରମଣ କରିବାକୁୁ ସ୍ଥିର କଲା ବେଳେ ଖୋର୍ଦ୍ଧାର ଗଜପତି ରାଜା ଦ୍ୱିତୀୟ ରାମଚନ୍ଦ୍ର ଦେବ ପଡ଼ୋଶୀ କରଡ଼ି ରାଜ୍ୟ ଆଠଗଡ଼ର ସାହାଯ୍ୟ ଭିକ୍ଷା କରିଥିଲେ। ସେତେବେଳର ଆଠଗଡ଼ର ରାଜା ଶ୍ରୀଜଗନ୍ନାଥ ହରିଚନ୍ଦନ ଜଗଦ୍ଦେବ ନିଜ ରାଜ୍ୟ ପରିସୀମାରେ ଥିବା ପାଣ୍ଡିରିପଡ଼ା ଠାରେ ଭୂମିତଳେ ଏକ ଗୁପ୍ତ ନଅର ତୋଳାଇ ସେଥିରେ ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କୁ ଓ ରୁମାଗଡ଼ ମୁଠାରୁ ଲୋକ ଡ଼କାଇ ଅବିଳମ୍ବେ ମାତ୍ର ୪୫ଦିନ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ନିର୍ମାଣ କରାଇ ବିଗ୍ରହମାନଙ୍କୁ ମୁସଲମାନ ପ୍ରଶାସକ ତକିଖାଁର ଦୃଷ୍ଟିରୁ ଲୁଚାଇ ରଖିଥିଲେ।

ରାଜାଙ୍କ ଗୁପ୍ତ ନଅର ମାଟିତଳେ ନିର୍ମାଣ ହୋଇଥିଲା ଓ ସେହି ନଅରକୁ ଯିବାପାଇଁ ଏକ ଗୁପ୍ତ ସୁଡ଼ଙ୍ଗ ରହିଥିଲା। ସହଜରେ ଏହି ନଅର ନଜଣା ପଡ଼ିବା ପାଇଁ ସେ’ବେଳରୁ ଆଜଯାଏଁ ପ୍ରଚଳିତ ଥିବା ମାଟି ମେରଦା (ଭାଡ଼ି) ନଅର ଉପରେ ରହିଥିଲା; ଯାହା ପ୍ରବାହିତ ଗରମ ପବନର ତାପମାତ୍ରାକୁ ନିୟନ୍ତ୍ରଣ କରି ଏକ ବାତାନୁକୂଳ ଗୃହରେ ଶୀତଳତା ପ୍ରଦାନ କରୁଥିଲା। ଏହାର ଅନ୍ୟ ଏକ ଆକର୍ଷଣ ଥିଲା ଭୂତଳ ରାଜମହଲ ଉପରେ ଥିବା ମେରଦା/ମାରଦା ଭାଡ଼ି ମାଟିରେ ଘୋଡ଼େଇ ରଖାଯାଇ ସେହି ମାଟିର ମେରଦା ଉପରେ କେତେକ ଜଙ୍ଗଲି ଲତାଗୁଳ୍ମ, ପୁଷ୍ପାଦି ବୃକ୍ଷ ରୋପିତ ହୋଇଥିଲା। ସେସବୁକୁ ଦେଖିଲେ ଏକ ଲତାଗୁଳ୍ମ ଘେରିତ ଜଙ୍ଗଲ ଅଞ୍ଚଳ ବ୍ୟତୀତ ତନ୍ମଧ୍ୟରେ ଗୁପ୍ତରେ ରାଜପ୍ରାସାଦ ଅଛି ବୋଲି ଯେ’କେହି ଭ୍ରମରେ ସୁଦ୍ଧା ଭାବି ପାରୁନଥିଲା।

ଏ ପ୍ରକାରର ଏକ ବୈଜ୍ଞାନିକ ତଥା ସାମରିକ ନିରାପତ୍ତାର ଦୃଷ୍ଟିକୋଣରୁ ନିର୍ମିତ ହୋଇଥିବା ଏଇ ମାରଦା ମନ୍ଦିର ଓ ରାଜପ୍ରାସାଦକୁ ତକିଖାଁ କିମ୍ବା ତା’ର ଅନୁଚରଗଣ ଶତଚେଷ୍ଟା କରି ବି ଜାଣିପାରିନଥିଲେ।

ଏହି ମନ୍ଦିର, ଗ୍ରାମ, ବା ଭୂତଳରେ ଥିବା ମେରଦା (ମାଟିର ଛାତ) ଭାଡ଼ି ଯୋଗୁଁ ଏହାକୁ ମାରଦା ଗ୍ରାମ ବା ମନ୍ଦିର ରୂପରେ ପରବର୍ତ୍ତୀ କାଳରେ ଲୋକ ସମ୍ମୁଖରେ ପରିଚିତ ହେଲା


ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ରାଜତ୍ୱ ସମୟ ଥିଲା ୧୭୨୭ରୁ ୧୭୩୬ ଖ୍ରୀ.ଅ.। ଏହି ସମୟରେ ଓଡ଼ିଶାରେ ଥିଲା ମୁସଲମାନ ଶାସନ। ରାମଚନ୍ଦ୍ର ଦେବଙ୍କ ଅଷ୍ଟମ ଅଙ୍କ ତଥା ୧୭୩୧ ଖ୍ରୀ.ଅ. ତଥା ୧୬୫୩ ଶକାବ୍ଦ ଓ କଳିଯୁଗାବ୍ଦ ୪୮୩୨ରେ ତକିଖାଁ ପ୍ରଥମ କରି ଖୋର୍ଦ୍ଧା ରାଜ୍ୟ ଆକ୍ରମଣ କରିଥିଲେ।

ଏଥିରୁ ରକ୍ଷା ପାଇବା ପାଇଁ ଦ୍ୱିତୀୟ ରାମଚନ୍ଦ୍ର ଦେବ ଯୁଦ୍ଧ ଏଡ଼ାଇ ତାଙ୍କ ସହିତ ସନ୍ଧି ସ୍ଥାପନ ପାଇଁ ସନ୍ଧି ପ୍ରସ୍ତାବ ଦେଲେ। କିନ୍ତୁ ହିନ୍ଦୁ ବିଦ୍ଵେଷୀ ତକିଖାଁ ଏହି ପ୍ରସ୍ତାବକୁ ଗ୍ରହଣ ନକରି ବିଶ୍ୱାସଘାତକତା କରି ଯୁଦ୍ଧରେ ପରାସ୍ତ କରି ରାଜା ରାମଚନ୍ଦ୍ର ଦେବଙ୍କୁ କଟକର ବାରବାଟୀ ଦୁର୍ଗକୁ ଆଣି ବନ୍ଦୀ କରି ରଖିଲେ। ରାମଚନ୍ଦ୍ର ଦେବଙ୍କ ପୁତ୍ରମାନଙ୍କୁ ଖୋର୍ଦ୍ଧାରୁ ବାହାର କରିଦେବାରୁ ସେମାନେ ଆସି ଆଠଗଡ଼ ରାଜା ଜଗନ୍ନାଥ ହରିଚନ୍ଦନଙ୍କ ପାଖେ ଶରଣ ନେଲେ ଓ ଆଠଗଡ଼ ରାଜାଙ୍କ ସୈନ୍ୟଙ୍କ ସାହାଯ୍ୟରେ ରାମଚନ୍ଦ୍ର ଦେବଙ୍କ ପୁତ୍ର ଭାଗୀରଥି ଖୋରଧାରୁ ଓ ପୁରୀରୁ ମୁସଲମାନ ମାନଙ୍କୁ ତଡ଼ି ନିଜେ ଗଜପତି ରାଜା ବୋଲି ଘୋଷଣା କଲେ। ଏ ଖବର ଶୁଣି ତକିଖାଁ ବିଶାଳ ସେନା ବାହିନୀ ନେଇ ଭାଗୀରଥିଙ୍କୁ ପରାସ୍ତ କରି ଦୁର୍ଗକୁ ପୁନଃସ୍ଥାପନ କରିଥିଲେ।

ଭାଗୀରଥି ଦଶପଲ୍ଲା ଅରଣ୍ୟ ମଧ୍ୟକୁ ପଳାୟନ କଲେ। ଖୁରଧା ଦୁର୍ଗରେ ନଜରବନ୍ଦୀ ଥିବାବେଳେ ଦ୍ୱିତୀୟ ରାମଚନ୍ଦ୍ର ଦେବ ତକିଖାଁଙ୍କ ଦ୍ୱାରା ପୁରୀ ଶ୍ରୀମନ୍ଦିରରେ ଆକ୍ରମଣର ଆଶଙ୍କାକରି ଶ୍ରୀବିଗ୍ରହମାନଙ୍କୁ ଏକ ନିରାପଦ ସ୍ଥାନକୁ ଦୋବନ୍ଧା ବାଟରେ ଚାପରେ ଚିଲିକା ପାର କରାଇ ବାଣପୁର ନଇରି ଗ୍ରାମ ହରୀଶ୍ୱର ମଣ୍ଡପ ଓ ପରେ ଖଲିକୋଟ ଚିକିଲି ଗ୍ରାମରେ ନେଇ ରଖାଇଲେ। ଏହି ସମ୍ବାଦ ତକିଖାଁ ପ୍ରାପ୍ତ ହେବାପରେ ପୁନଃ ଖୋରଧା ଆକ୍ରମଣ କଲା। ରାମଚନ୍ଦ୍ର ଦେବ ପରାସ୍ତ ହୋଇ ନୟାଗଡ଼ ଓ ପରେ ଖଣ୍ଡପଡ଼ା ଓ ଶେଷରେ ବୋଲଗଡ଼ ଆଦି ସ୍ଥାନରେ ଆଶ୍ରୟ ନେଇ ରହିଲେ।

ତକିଖାଁ ମୁର୍ଶିଦାବାଦରୁ କଟକ ଆସିବାପରେ ରାମଚନ୍ଦ୍ର ଦେବଙ୍କ ଉପରେ ରାଗି ପୁନଃ ଖୋର୍ଦ୍ଧା ଆକ୍ରମଣ କଲେ। ରାମଚନ୍ଦ୍ର ଦେବ ପଳାୟନ କରି ଜଙ୍ଗଲରେ ଲୁଚି ରହିଲେ ଓ ତକୀଖାଁ ଶ୍ରୀଜୀଉମାନଙ୍କୁ ଅପବିତ୍ର କରିବା ଭୟରେ ବାଣପୁର ମାଳନୀଳାଦ୍ରିଗଡ଼କୁ କିଛିଦିନ ସ୍ଥାନାନ୍ତର କରିବା ପରେ ଆଠଗଡ଼କୁ ନେବା ପାଇଁ ନିର୍ଦ୍ଦେଶ ଦେଲେ। ଆଠଗଡ଼ର ତତ୍କାଳୀନ ରାଜା ଜଗନ୍ନାଥ ହରିଚନ୍ଦନ ଜଗଦେବ ମାରଦାଠାରେ ମନ୍ଦିର ନିର୍ମାଣ କରାଇ ଠାକୁରମାନଙ୍କୁ ମନ୍ଦିର ସିଂହାସନ ଆରୋହଣ କରାଇଲେ। ମାରଦା ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି ରାମଚନ୍ଦ୍ର ଦେବଙ୍କ ୧୩ ଅଙ୍କ ବୃଷ ୫ ଦିନ ପ୍ରାୟ ଦୁଇବର୍ଷ ଚାରିମାସରୁ ଉର୍ଦ୍ଧ୍ବ ସମୟ ଧରି ପୂଜିତ ହେଉଥିଲେ।

ତକିଖାଁଙ୍କ ମୃତ୍ୟୁ ପରେ ଓଡ଼ିଶାର ନୂତନ ସୁବେଦାର ହେଲେ ଦ୍ୱିତୀୟ ମୁର୍ଶିଦ୍‌ କୁଲିଖାଁ। ସେତେବେଳେ ପୁରୀ ଶ୍ରୀମନ୍ଦିର ଦେବତା ଶୂନ୍ୟ ହେବା ଯୋଗୁଁ ଓଡ଼ିଶାର ରାଜସ୍ୱ ତୀର୍ଥଯାତ୍ରୀ ଟିକସ ଅହେତୁକ ଭାବେ ୯ ଲକ୍ଷ ଟଙ୍କା ଯାଏ କମିଯାଇଥିଲା। ଏଣୁ ରାଜକୋଷର ବୃଦ୍ଧି ପାଇଁ ମୁର୍ଶିଦ କୁଲିଖାଁ ତାଙ୍କ ପ୍ରତିନିଧି ମୀର ହବିବ୍‌ଙ୍କୁ ଆଠଗଡ଼ ପଠାଇ ସେଠାରୁ ବଳପୂର୍ବକ ଶ୍ରୀଜୀଉମାନଙ୍କୁ ଶ୍ରୀମନ୍ଦିରରେ ନେଇ ପୁନଃ ପ୍ରତିଷ୍ଠା କରାଇଥିଲେ। ଶ୍ରୀଗୁଣ୍ଡିଚାରେ ରଥଯାତ୍ରାଦି ବିଧିବିଧାନ ଯଥା ରୀତି ପାଳନ କରିଥିଲେ। ସେ ମଧ୍ୟ ରାମଚନ୍ଦ୍ର ଦେବଙ୍କୁ ଗାଦିଚ୍ୟୁତ କରାଇ ପଟିଆର ରାଜା ପଦ୍ମନାଭ ଦେବଙ୍କୁ ନୂତନ ଗଜପତି ରାଜା ଭାବେ ନିଯୁକ୍ତି କରିଥିଲେ। ଆଠଗଡ଼ର ମାରଦା ମନ୍ଦିରକୁ ମଥୁରା ଗ୍ରାମର ମନ୍ଦିର ନିର୍ମାଣ ଶିଳ୍ପକଳାରେ ନିପୁଣ ବିନ୍ଧାଣୀମାନେ ଦୁଇମାସ ଅହୋରାତ୍ର ପରିଶ୍ରମ କରି ଶ୍ରୀଜଗନ୍ନାଥଙ୍କ ପାଇଁ ମନ୍ଦିର ନିର୍ମାଣ କରିଥିଲେ।

ମନ୍ଦିର କଳେବର କୁଣ୍ଡାପଥର ଦ୍ୱାରା ନିର୍ମିତ। ମନ୍ଦିର ବିମାନ ଓ ଜଗମୋହନକୁ ନେଇ ଗଠିତ। ବିମାନଜଗମୋହନର ଦୈର୍ଘ୍ୟ ୩୫ ଫୁଟରୁ ୪୫ ଫୁଟ ଓ ପ୍ରସ୍ଥ ୨୨ ଫୁଟରୁ ୨୪ ଫୁଟ। ମନ୍ଦିରଟି ଏକ ବିସ୍ତୃତ ଚଉତରା ଉପରେ ନିର୍ମିତ। ମନ୍ଦିର କାନ୍ଥର ଚଉଡ଼ା ୪ ଫୁଟର ଅଧିକ। ବିମାନ ଓ ଜଗମୋହନ ମଧ୍ୟରେ ପୁରୀ ଜଗନ୍ନାଥ ମନ୍ଦିରର କବାଟ ଭଳି ଏକ କାଠର କବାଟ ରହିଛି। ବିମାନ ମନ୍ଦିରର ବାହାର ଚତୁଃପାଶ୍ୱର୍ କାନ୍ଥରେ ବାମନ, ନୃସିଂହ, ବରାହଙ୍କ ପ୍ରସ୍ତର ମୂର୍ତ୍ତି ରହିଛି। ଉର୍ଦ୍ଧ୍ବରେ ଗରୁଡ଼, ଆମଳକ, ଖପୁରି, କଳସ ଏବଂ ନୀଳଚକ୍ର ଦ୍ୱାରା ବିମଣ୍ଡିତ

୧୭୩୬ ମସିହା ମେ’ମାସରେ ଏହି ମନ୍ଦିରକୁ ଶୂନ୍ୟ କରି ଠାକୁରମାନଙ୍କୁ ପୁରୀ ଶ୍ରୀମନ୍ଦିରକୁ ନିଆଯିବା ପରେ ଏଠି କେବଳ ତିନୋଟି ଚକାପଥର (ବୈଠି) ମାତ୍ର ପୂଜା ପାଇ ଆସୁଛନ୍ତି। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କୁ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ନିଆଗଲା ବେଳେ ଶ୍ରୀମନ୍ଦିରରେ ସିଂହାସନ ରତ୍ନବେଦୀ ଶୂନ୍ୟ ପଡ଼ିଥିଲାଭଳି ଅନୁଭବ ଦର୍ଶକଙ୍କ ମନକୁ ଆସେ

ଏହି ମନ୍ଦିରରେ ଶ୍ରୀ ଜୀଉମାନେ ଚକାବୈଠିର ପୂଜାଉପାସନାରେ ଅଛନ୍ତି। ଜଗମୋହନର ତିନୋଟି ଦ୍ୱାର। ପୂର୍ବଦ୍ୱାର ଅପେକ୍ଷାକୃତ ବଡ଼। ଉପରେ ନବଗ୍ରହ ଦ୍ୱାର ମୁହଁରେ ଦୁଇଟି ସିଂହ। ଜଗମୋହନ ମନ୍ଦିର ମଧ୍ୟରେ ଗରୁଡ଼ ପୂଜିତ। ମନ୍ଦିର ପୁର୍ବ ଦ୍ୱାର ଦେଇ ସକାଳର ପ୍ରଥମ ସୁର୍ଯ୍ୟ କିରଣ ସର୍ବପ୍ରଥମେ ଠାକୁରଙ୍କ ସିଂହାସନ ଉପରେ ପଡ଼ିଥାଏ। ଶ୍ରୀମନ୍ଦିରର ପୂଜା ବିଧି ଓ ବ୍ୟବହାର ପାଇଁ ସିଂହଦ୍ୱାରର ଉତ୍ତର ପୂର୍ବ କୋଣକୁ ଏକ ଗଭୀର କୂପ ରହିଛି। ପାଶ୍ୱର୍ରେ ଏକ କ୍ଷୁଦ୍ର ମନ୍ଦିରରେ ହନୁମାନ ପୂଜିତ। ଠିକ୍‌ ପୁରୀଭଳି ମାରଦା ମନ୍ଦିରରେ ମଧ୍ୟ ଶ୍ରୀଲୋକନାଥ ଓ ବିମଳା ଭାବେ ମା’ ଭରାଣୀ ପୂଜିତ। ଲୋକନାଥ ମନ୍ଦିର ବାହାରେ ରହିଥିବା ଯୋଗୁଁ ଏହାଙ୍କୁ ଖରାଖିଆ ଲୋକନାଥ ବୋଲି କହନ୍ତି।

ଆଠଗଡ଼ ରାଜା ଶ୍ରୀଜଗନ୍ନାଥଙ୍କ ଏହି ମନ୍ଦିରର ରହଣି କାଳରେ ଦୈନିକ ଶ୍ରୀଜୀଉମାନଙ୍କ ସେବାପାଇଁ ତିନି ନଉତି ଚନ୍ଦନ ଲାଗି କରାଉଥିଲେ ଓ ଠାକୁରଙ୍କ ଭୋଗପାଇଁ ପାଞ୍ଚନଉତି ଅରୁଆଚାଉଳ ସହ ତଦନୁରୁପ ଡ଼ାଲି, ପରିବା ପତ୍ରାଦି ଅନ୍ନଭୋଗ, ବାଳଭୋଗ, ଖୀରି, ପୁଳି, ୮୦ହାଣ୍ଡି ଶୁଖିଲା ଭୋଗ ଆଦି ଯୋଗାଇ ଦେଉଥିଲେ। ଏଠାରେ ଜଗନ୍ନାଥଙ୍କ ଭୋଗ, ପୂଜାନୀତି ପାଳନ ଓ ରଥଯାତ୍ରାରେ କୌଣସି ଦ୍ରବ୍ୟର ଅଭାବ ଅନୁଭବ ହେବାକୁ ଆଠଗଡ଼ ରାଜା ଦେଉନଥିଲେ। ରଥଯାତ୍ରାରେ ଦ୍ୱିତୀୟ ରାମଚନ୍ଦ୍ର ଦେବ ଗଜପତି ରାଜା ପରାସ୍ତ ହୋଇଯିବା ପରେ ଆଠଗଡ଼ରେ ଆଶ୍ରୟ ନେଇଥିଲେ ମଧ୍ୟ ସ୍ୱସମ୍ମାନରେ କୌଣସି ମତେ ଟିକିଏ ବି ଊଣା କରାଇ ଦିଆନଯାଇ ପୁରୀଭଳି ଗଜପତିଙ୍କ ଦ୍ୱାରା ବିଧି ଅନୁଯାୟୀ ଛେରାପହଁରା କରାଯାଇଥିଲା। ଆଠଗଡ଼ ରାଜା ଠାକୁରମାନଙ୍କ ପୂଜାନୀତିର ପରିଚାଳନା ପାଇଁ ୯ଶହ ଭରଣ ଧାନ ଓ ୫୧୦ ଭରଣ ଭୂ-ସଂପତ୍ତି ଖଂଜା କରିଦେଇଥିଲେ। ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ କାହିଁ କେଉଁଦୂର ଅତୀତରୁ ପୁରୀ ଶ୍ରୀମନ୍ଦିରରେ ପ୍ରତିଷ୍ଠିତ ହୋଇ ଗଜପତିମାନଙ୍କ ଦ୍ୱାରା ସେବା ପୂଜା ଗହଳି ଚହଳିରେ ଏହା ସ୍ୱର୍ଗରେ ପରିଣତ ହୋଇଥିଲା। କିନ୍ତୁ ଧର୍ମ ବିଦ୍ବେଷୀ ମୁସଲମାନ ରାଜାମାନଙ୍କ ଆକ୍ରମଣରେ ଆମ ଧର୍ମ ଆମ ସଂସ୍କୃତି ମୁମୁର୍ଷୁ ଅବସ୍ଥାରେ ପହଁଚିଥିଲା।

ଗଞ୍ଜାମର ବୀରମାଟି ସେହି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଯବନମାନଙ୍କ ଅଗୋଚରରେ ନିଜ ମାଟିରେ ମନ୍ଦିର ତୋଳାଇ ପାଖାପାଖି ଅଷ୍ଟାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଅଢ଼େଇବର୍ଷ ଧରି ଠାକୁରମାନଙ୍କ ଓ ଠାକୁରରାଜା ଗଜପତି ରାମଚନ୍ଦ୍ର ଦେବଙ୍କୁ ସସମ୍ମାନ ପ୍ରଦାନ ପୂର୍ବକ ନିଜ ଇଲାକାରେ ରଖି ପୂଜାସେବା କରିବାର ସ୍ୱର୍ଗୀୟ ସୌଭାଗ୍ୟ ପ୍ରାପ୍ତ କରିଥିଲେ। ଏଥିପାଇଁ ଆଠଗଡ଼ ରାଜା ଜଗନ୍ନାଥ ହରିଚନ୍ଦନଙ୍କୁ ‘ଜଗଦ୍ଦେବ’ ଉପାଧି ସହ ‘ଶରଣ ପର’ ଉପାଧି ଅର୍ପଣ କରାଯାଇଥିଲା। ଏହାସହ ଗଜପତିଙ୍କ ଦ୍ୱାରା ବଡ଼ ଏକାଦଶୀ ତିଥିରେ ମଧ୍ୟରାତ୍ରରେ ମହାଦୀପ ଉଠିଲା ବେଳେ ଆଠଗଡ଼ ରାଜାବଶଂର ସୁରକ୍ଷାପାଇଁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରାଯାଉଛି। ଯଥା ‘ଶରଣ ପର’ ମାନ-ଉଦ୍ଧାରଣ ବୀରାଧିବୀର ବର ଭାଇ ଜଗଦେବଙ୍କୁ ଶଙ୍ଖରେ ପୂରାଇ ଚକ୍ରଉହାଡ଼ରେ ରକ୍ଷାକର ଡ଼ାକର ସାର୍ଥକତା ରହିଛି। ସେହି ଦିନରୁ ଗଞାମର ଏହି ଆଠଗଡ଼କୁ ଶରଣ ଶ୍ରୀକ୍ଷେତ୍ର ବା ଶରଣ ଧରଣୀ ଭାବରେ ପରିଚିତ ହେଲା। ଏହାକ’ଣ ଆମ ପାଇଁ କମ୍‌ ସୌଭାଗ୍ୟ ଓ ଗର୍ବର କଥା। ଶ୍ରୀମନ୍ଦିରରେ ବଡ଼ ଏକାଦଶୀ ଓ ଦୀପାବଳି ତିଥିରେ ମହାଦୀପ ଦାନ ବେଳେ ‘ଶରଣ ପର ମାନ ଉଦ୍ଧାରଣ ଭାଇ ଜଗଦ୍ଦେବ ରାଣାଙ୍କୁ ଶଙ୍ଖରେ ପୂରାଇ ଚକ୍ର ଆତୁଆଳରେ ରଖିବା ଆଜ୍ଞା ହେଉହେ ମଣିମା…’ ଇତ୍ୟାଦି ଡ଼ାକପଡ଼ିବା ବ୍ୟବସ୍ଥା ଶ୍ରୀମନ୍ଦିରରେ ଏବେ ବି ପ୍ରଚଳିତ ଥିବା ସହ ଆଠଗଡ଼ ରାଜାଙ୍କୁ କୃତଜ୍ଞତା ସ୍ୱରୂପ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ସେବାଅଧିକାର ମିଳିଛି। ‘ଶରଣ ପର ମାନଉଦ୍ଧାରଣ ବାଘେଇ ବାଦସା’ ପଦରେ ଭୂଷିତ କରି ଆଠଗଡ଼ ରାଜା ଗଜପତିଙ୍କ ତରଫରୁ ଶାଢ଼ୀ ଓ ସନନ୍ଦ ପ୍ରଦାନ କରାଯାଇଛି। ନୀଳଚକ୍ରରେ ଶରଣ ପର ବାନା ଉଡ଼ୁଛି। ଏହା ଛଡ଼ା ଜଗଦ୍ଦେବ ଉପାଧି ବଡ଼ଦାଣ୍ଡରେ ଗଜପତିଙ୍କ ତତୁଲ୍ୟ ରାଜକୀୟ ଆଡ଼ମ୍ବରରେ ଗମନ କରିବା, ଗଜପତିଙ୍କ ସିଂହାସନ ନିକଟରେ ମର୍ଯ୍ୟାଦାପୂର୍ଣ୍ଣ ଆସନ, ମୁକ୍ତି ମଣ୍ଡପରେ ଷୋଢ଼ଶ ସ୍ତମ୍ଭର ଅଧିକାର, ରଥ ଓ ଚାପ ଯାତ୍ରାରେ ଚାମର ଦାନର ସୁଯୋଗ, ପୁରୀରେ ଆଠଗଡ଼ିଆ ସାହି ପ୍ରତିଷ୍ଠା ଆଦି ବହୁ ସମ୍ମାନର ଅଧିକାର ପ୍ରାପ୍ତ କରାଯାଇଛି। ମାଦଳା ପାଞ୍ଜିରେ ମାରଦା ଜଗନ୍ନାଥ ମନ୍ଦିର ବିଷୟରେ ଦୁଇଥର ଉଲ୍ଲେଖ କରାଯାଇଛି।

              
ଏଥିରୁ ଜଣାଯାଇଛି ଯେ ବହୁ ବାର ମୁସଲମାନମାନେ ଆମ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଛନ୍ତି। ଏଥିପାଇଁ ଠାକୁରମାନଙ୍କୁ ବହୁବାର ସ୍ଥାନାନ୍ତର କରାଯାଇଛି ଏବଂ ଶେଷଥର ପାଇଁ ତକିଖାଁ ଆକ୍ରମଣ ଆଶଙ୍କାରେ ପ୍ରଭୁମାନଙ୍କର ଅଳଙ୍କାର ସବୁକୁ ପାତାଳେଶ୍ୱରଙ୍କ ମନ୍ଦିରରେ ଲୁଚାଇ ରଖି ଠାକୁରମାନଙ୍କୁ ମାରଦାକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟତ୍ର ମାଦଳା ପାଞ୍ଜିର ରାଜଭୋଗ ଇତିହାସ ନରସିଂହ ଦେବଙ୍କ ରାଜତ୍ୱରେ ବର୍ଣ୍ଣନା ରହିଛି ଯେ: ‘ମହାରାଜାଙ୍କ ୧୨ଙ୍କ ସାହାଜାହାନ୍‌ ପାତିଶା ପାଟଣାରୁ ଭାଗି ଓହଲାରୁ ପରମେଶ୍ୱରଙ୍କୁ ଖୁରୁଧା କଟକ ନେଇ ମେରେଦାରେ ବିଜେ କରାଇଲେ’। ପୁଣି ଖୁରୁଧା ଗଜପତି ମହାରାଜା ରାମଚନ୍ଦ୍ର ଦେବଙ୍କ ସମୟରେ ମାଦଳା ପାଞ୍ଜିରେ ଉଲେଖ ରହିଛି ଯେ, “ଧନୁ ୨୯ଦିନେ ନବାବ ରସୁଲ ଖାଁ ଆସି ଖୁରୁଧା ଘେନିଲାକୁ ପରମେଶ୍ବରଙ୍କ ନଈରୁ ଆଠଗଡ଼ ସୀମାରେ ମାରେଦା ବିଜେ କରାଇଲେ”

ଅତୀତର କିମ୍ବଦନ୍ତୀ, ଧର୍ମୀୟ ମହତ୍ତ୍ଵଯୁକ୍ତ ଓ ଐତିହ୍ୟପୂର୍ଣ୍ଣ ମାରଦା ମନ୍ଦିର ଆଜି ଜନଶୁନ୍ୟ ଓ ହିଂସ୍ରଜନ୍ତୁଙ୍କ ବାସସ୍ଥଳୀ । ଏହାର ସୁରକ୍ଷା ଓ  ପରିଚାଳନା ପ୍ରତି ଦୃଷ୍ଟିନଦେଲେ, ଏଡ଼େ ସୁନ୍ଦର ଚତୁର୍ଦ୍ଧାମୁର୍ତ୍ତିଙ୍କ ସ୍ମୃତି ବିଜଡ଼ିତ ଓଡ଼ିଶା ଇତିହାସର ଏକ ବିଶେଷ ଅଧ୍ୟାୟ ପରପିଢ଼ିଙ୍କ ଦୃଷ୍ଟିରୁ ସବୁକାଳ ପାଇଁ ଲୋପ ପାଇଯିବ ଏଥିରେ ସନ୍ଦେହ ନାହିଁ।

ପଞ୍ଚୁକ

ଲେଖା: ସନ୍ତୋଷ ପଟ୍ଟନାୟକ


କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପରମ ପବିତ୍ର ଦିବସ I ଏହି ପଞ୍ଚୁକରେ ତେତିଶ କୋଟି ଦେବତା ମନୁଷ୍ୟମାନଙ୍କର ସନ୍ନିକଟ ହୋଇଯାନ୍ତି I ଏହି ସମୟରେ ଏକଲକ୍ଷ ତୁଳସୀପତ୍ର ଚଢାଇ ବିଷ୍ଣୁଙ୍କୁ ପୂଜାକଲେ, ସମସ୍ତ ଦେବତା ପ୍ରସନ୍ନ ହୋଇ ବର ପ୍ରଦାନ କରନ୍ତି I “ସର୍ବଦେବ ନମସ୍କାରଃ କେଶବଂ ପ୍ରତିଗଚ୍ଛତି I” ଗୋଟିଏ ଗୋଟିଏ ତୁଳସୀ ଦଳ ଗୋଟିଏ ଗୋଟିଏ ମୋତି ହୋଇଯାଏ I ପାଞ୍ଚଦିନ ଗୋବିନ୍ଦ ନାମ ସ୍ମରଣକଲେ ଅକ୍ଷୟପୁଣ୍ୟ ପ୍ରାପ୍ତିହୁଏ I ସେଥିପାଇଁ କୁହାଯାଇଛି: “ଗୋବିନ୍ଦ ଗୋବିନ୍ଦ ହରେ ମୁରାରେ ଗୋବିନ୍ଦ ଗୋବିନ୍ଦ ମୁକୁନ୍ଦକୃଷ୍ଣ, ଗୋବିନ୍ଦ ଗୋବିନ୍ଦ ରଥାଙ୍ଗ ପାଣେ ଗୋବିନ୍ଦ ଦାମୋଦର ମାଧବେତି I”

ଏ ବେଳରେ ଭାଗବତ ଏବଂ ଗୀତା ପାଠ କରିବା ବିଧେୟ I ପ୍ରତ୍ୟହ ଗୀତାର ଗୋଟିଏ ଶ୍ଳୋକ ପାଠକରି ମଧ୍ୟ ମନୁଷ୍ୟ ଜୀବନ୍ମୁକ୍ତ ହୋଇଥାଏ । ସ୍କନ୍ଦ ପୁରାଣ ମତେ:
“କାର୍ତ୍ତିକ ମାସି ବିପ୍ରେନ୍ଦ୍ର ଯସ୍ତୁଗୀତାଂ ପଠେନ୍ନରଃ
ତସ୍ୟ ପୁଣ୍ୟଫଳଂ ବକ୍ତୁଂ ମମଶକ୍ତି ର୍ନ ବିଦୀତେ
ଗୀତାୟାସ୍ତୁ ସମଂ ଶାସ୍ତ୍ରଂ ନ ଭୂତଂ ନ ଭବିଷ୍ୟତି
ସର୍ବ ପାପହରା ନିତ୍ୟଂ ଗୀତୈକା ମୋକ୍ଷଦାୟିନୀ
ଶ୍ରୀମଦ୍ ଭଗବତସ୍ୟାପି ଶ୍ରବଣଂ ଯଃ ସମାଚରେତ୍
ସର୍ବପାପ ବିନିର୍ମୁକ୍ତଃ ପରଂ ନିର୍ବାଣ ମୃଚ୍ଛତି I”


ଏହି ପାଞ୍ଚଦିନକୁ ଭୀଷ୍ମପଞ୍ଚକ କୁହାଯିବାର ପୌରାଣିକ ରହସ୍ୟ ହେଉଛି, ବାଣଶଯ୍ୟା ଉପରେ ଶାୟିତ ପିତାମହ ଭୀଷ୍ମ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ I ଏଥିରେ ପ୍ରସନ୍ନ ହୋଇ ଶ୍ରୀବାସୁଦେବ କହିଲେ ଆପଣ ଧନ୍ୟ I ଧର୍ମର ଗୂଢ଼ ରହସ୍ୟ ବର୍ଣ୍ଣନା କରିଛନ୍ତି I କାର୍ତ୍ତିକ ଏକାଦଶୀଦିନ ଆପଣ ଜଳର ଯାଚନା କରିଛନ୍ତି I ଅର୍ଜୁନ ବାଣର ବେଗରେ ଗଙ୍ଗାଜଳ ପ୍ରସ୍ତୁତ କଲେ, ଯଦ୍ୱାରା ଆପଣଙ୍କର ତନ, ମନ, ପ୍ରାଣ ସନ୍ତୁଷ୍ଟ ହେଲା । ଏଣୁ ଆଜିଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଯେଉଁମାନେ ଆପଣଙ୍କୁ ଜଳ ଅର୍ଘଦାନ କରିବେ – ସେମାନେ ମୋତେ ତୃପ୍ତ କରିବେ I ଏହା ହିଁ ଭୀଷ୍ମପଞ୍ଚକ ।

ବ୍ରତଧାରୀ ସବ୍ୟ ହୋଇ ମହାତ୍ମା ଭୀଷ୍ମଙ୍କ ପାଇଁ ତର୍ପଣ କରିବେ I ଏହି ଭୀଷ୍ମତର୍ପଣ ସମସ୍ତ ବର୍ଣ୍ଣର ଲୋକେ କରିପାରିବେ I ଏଥିପାଇଁ ମନ୍ତ୍ର ନିମ୍ନ ମତେ:
“ସତ୍ୟବ୍ରତାୟ ଶୁଚିୟେ ଗାଙ୍ଗେୟାୟ ମହାତ୍ମନେ
ଭୀଷ୍ମାୟୈତଦ୍ ଦଦାମ୍ୟର୍ଘ୍ୟ ମାଜନ୍ମ ବ୍ରହ୍ମଚାରିଣେ I”
ଅର୍ଥାତ ଆଜନ୍ମ ବ୍ରାହ୍ମଚର୍ଯ୍ୟ ପାଳନକର୍ତ୍ତା ପରମ ପବିତ୍ର ସତ୍ୟବ୍ରତ ପରାୟଣ ଗଙ୍ଗାନନ୍ଦନ ଭୀଷ୍ମଙ୍କୁ ମୁଁ ଏହି ଅର୍ଘ୍ୟ ପ୍ରଦାନ କରୁଛି । ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଅନେକ ଏହି ଭୀଷ୍ମପଞ୍ଚକ ବ୍ରତ ପାଳନ କରନ୍ତି । ସନ୍ତାନହୀନ ବ୍ୟକ୍ତିଙ୍କ ପାଇଁ ଭୀଷ୍ମପଞ୍ଚକ ପାଳନୀୟ, ଏକଥା ପଞ୍ଚୁକରେ ଅର୍ଘ୍ୟଦାନ ମନ୍ତ୍ରରୁ ସୁସ୍ପଷ୍ଟ ହୋଇଥାଏ I ଅର୍ଘ୍ୟଦାନର ମନ୍ତ୍ର ହେଉଛି:
“ବୈୟାଘ୍ୟପଦ ରୋତ୍ରାୟ ସାଙ୍କୃତ ପ୍ରବରାୟ ଚ
ଅପୁତ୍ରାୟ ଦଦାମ୍ୟେତ ଦୁଦକଂ ଭୀଷ୍ମ ବର୍ମଣେ
ବତ୍ସନାମବତାରାୟ ଶନ୍ତନୋ ରାତ୍ମଜାୟ ଚ
ଅର୍ଘ୍ୟଂ ଦଦାମି ଭୀଷ୍ମାୟ ଆଜନ୍ମ ବ୍ରହ୍ମଚାରିଣେ I”

ଯାହାଙ୍କର ବ୍ୟାଘ୍ରପଦ ଗୋତ୍ର ଏବଂ ସାଂକୃତ ପ୍ରବର, ସେହିପୁତ୍ର ରହିତ ଭୀଷ୍ମବର୍ମାଙ୍କୁ ମୁଁ ଏହିଜଳ ଦେଉଛି I ବସୁମାନଙ୍କ ଅବତାର, ଶାନ୍ତନୁଙ୍କ ପୁତ୍ର, ଆଜନ୍ମ ବ୍ରହ୍ମଚାରୀ ଭୀଷ୍ମଙ୍କୁ ମୁଁ ଅର୍ଘ୍ୟ ଦେଉଛି I ପଞ୍ଚଗବ୍ୟ, ସୁଗନ୍ଧଚନ୍ଦନ, କୁଙ୍କୁମଦ୍ୱାରା ଭକ୍ତିପୂର୍ବକ ଶ୍ରୀହରିଙ୍କ ପୂଜନ କରିବ I ଅଷ୍ଟାକ୍ଷର ମନ୍ତ୍ର “ଓଁ ନମୋ ବାସୁଦେବାୟ” ବା ଷଡାକ୍ଷର ମନ୍ତ୍ର “ଓଁ ରାମାୟ ନମଃ” ଶହେ ଆଠବାର ଜପ କରିବ I ବ୍ରତକାଳରେ ବ୍ରାହ୍ମଚର୍ଯ୍ୟ ପାଳନ କରିବ I କାର୍ତ୍ତିକ ପୌଷମାସୀରେ ବ୍ରାହ୍ମଣଙ୍କୁ ନ୍ୟୁନ ପକ୍ଷେ ପାଞ୍ଚ ଜଣ ବ୍ରାହ୍ମଣଙ୍କୁ ଭୋଜନ ଦେଇ ବ୍ରତ ଉଦଯାପନ କରିବ ।

ଏହି ପଞ୍ଚକରେ ପାଞ୍ଚଦିନ ଯାକ ତାତ୍ପର୍ଯ୍ୟପୂର୍ଣ୍ଣ । ପଞ୍ଚକର ପ୍ରଥମଦିନ ହେଉଛି ବଡ ଏକାଦଶୀ I ଆଷାଢ ଶୁକ୍ଳପକ୍ଷ, ଏକାଦଶୀ ତିଥିରେ ଭଗବାନ ବିଷ୍ଣୁ ଶଙ୍ଖାସୁରକୁ ବଧ କରିଥିଲେ I ଅତଃ ସେହିଦିନ ଠାରୁ ଚାରିମାସ କାଳ ଭଗବାନ କ୍ଷୀରସାଗରରେ ବିଶ୍ରାମ କରନ୍ତି I ଚାର୍ତୁମ୍ୟାସ୍ୟା ପରେ କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଜାଗ୍ରତ ହୁଅନ୍ତି I ଏହିକାରଣରୁ ବୈଷ୍ଣବମାନେ “ଉତ୍ତିଷ୍ଠୋତ୍ତିଷ୍ଠ ଗୋବିନ୍ଦ ଉତ୍ତିଷ୍ଠ ଗରୁଡଧ୍ୱଜ ଉତ୍ତିଷ୍ଠ କମଳାକାନ୍ତ ତୈଲୋକ୍ୟ ମଙ୍ଗଳଂ କୁରୁ” ମନ୍ତ୍ରୋଚ୍ଚାରଣ କରି ବିଷ୍ଣୁ ଭଗବାନଙ୍କୁ ଜାଗ୍ରତ କରାନ୍ତି I ହେ ଗୋବିନ୍ଦ ! ଉଠନ୍ତୁ, ଉଠନ୍ତୁ, ହେ ଗରୁଡଧ୍ୱଜ ! ଉଠନ୍ତୁ I ହେ କମଳାକାନ୍ତ ! ନିଦ୍ରା ତ୍ୟାଗକରି ତିନିଲୋକର ମଙ୍ଗଳ କରନ୍ତୁ I ପିତାମହ ବ୍ରହ୍ମା ଦେବର୍ଷି ନାରଦଙ୍କୁ କହିଛନ୍ତି ଏହି ଏକାଦଶୀକୁ ପ୍ରବୋଧିନୀ ଏକାଦଶୀ ବୋଲି I

ଏହି ଏକାଦଶୀରେ ଉପବାସ ରହିବା ହଜାରେ ଅଶ୍ୱମେଧ ତଥା ଶହେ ରାଜସୂୟ ଯଜ୍ଞର ଫଳ ଦିଏ I ପଞ୍ଚକର ଦ୍ୱିତୀୟଦିନ ହେଉଛି ଦ୍ୱାଦଶୀ I ଏହିଦିନ ଉତ୍ତମ, ବୁଦ୍ଧିମାନ ମନୁଷ୍ୟ ବୃଦ୍ଧ ପିତାମାତାଙ୍କୁ ବିଧିପୂର୍ବକ ଭୋଜନ କରାଇ ନିଜ ସ୍ତ୍ରୀ ସହିତ ଭଗବାନ ବିଷ୍ଣୁଙ୍କ ପ୍ରସାଦକୁ ସେବନ କରନ୍ତି I ଯେଉଁ ମନୁଷ୍ୟ ଏହି ପ୍ରକାର ବିଧିରେ ଦ୍ୱାଦଶୀ ବ୍ରତର ଭୋଜନ କରାଇ ନିଜ ସ୍ତ୍ରୀ ସହିତ ଭଗବାନ ବିଷ୍ଣୁଙ୍କ ପ୍ରସାଦକୁ ସେବନ କରନ୍ତି, ସେ ଉତ୍ତମ ସୁଖ ଉପଭୋଗ କରି ଶେଷରେ ମୋକ୍ଷପ୍ରାପ୍ତ ହୁଅନ୍ତି I

ପଞ୍ଚକର ଶେଷ ତିନିଦିନ ତ୍ରୟୋଦଶୀ, ଚତୁର୍ଦ୍ଦଶୀ, ପୂର୍ଣ୍ଣିମା ଅତ୍ୟନ୍ତ ପୂଣ୍ୟମୟ ତିଥି । ପୂର୍ଣ୍ଣିମା ଏବଂ ତାର ପୂର୍ବ ଚାରିଦିନକୁ ମିଶାଇ ପାଞ୍ଚ ଦିନକୁ ପଞ୍ଚୁକ କୁହାଯାଏ, ଯଥା ପଞ୍ଚକ, ମହାପଞ୍ଚକ, ବକ ପଞ୍ଚକ, ଭୀଷ୍ମ ପଞ୍ଚକ ଓ ରାସ ପୂର୍ଣ୍ଣିମା I ଏହି ପାଞ୍ଚଦିନ ପ୍ରତ୍ୟେକ ହିନ୍ଦୁ ଆମିଷ ପରିହାର କରି ଶୁଦ୍ଧ, ସାତ୍ତ୍ୱିକ ଭୋଜନ କରନ୍ତି I

Wednesday, July 22, 2020

ସାଧବ ଝିଅ/ : ଭାଗ - 3 ଓ 4 ( ମାୟାଧର ମାନସିଂହ)

★ " ସାଧବ ଝିଅ " ଓ କବି ମାୟାଧର ମାନସିଂହ ★
   ----------------------------------------------------
                     ( #ଧାରାବାହିକ ଭାଗ_3 )

                        ସାଧବପୁଅର ଏହି ଚିନ୍ତା କ୍ରମଶଃ ଦିନାନୁକ୍ରମେ ବଢିବାକୁ ଲାଗିଛି - ଯଦି ତା' ମନର ସେହି ଏକା ତରୁଣୀ ନ ମିଳେ ଛାଡି ଚାଲିଯିବ, ପୁଣି ଥରେ ଦରିଆ ସେ ପାରିକୁ। କାରଣ, ସେ କରିଥିଲା ଆଶା କାଳେ ତାହା ଆଖିରେ ଆଜି ତା'ର ରୂପସୀ ପ୍ରତୀକ୍ଷିତ ନୟନ ମିଶିଯିବ କେଉଁ ଝରକା ଦେଇ ଅଥବା କେଉଁ ବିପଣୀ ମଧ୍ୟରେ ଯାଇ !

                       ସେ ଆଣିଥିଲା କାବେରୀରୁ ତା' ପାଇଁ ଧବଳ ହୀରାର ହାର ଆଉ ଚୋଳରୁ ସୁବର୍ଣ୍ଣର କୁସୁମମାଳା। ସବୁବେଳେ ଦରିଆକୁ ଦରିଆ ବାଣିଜ୍ୟ କରୁଥିବା ସାଧବ ପୁଅ ଏଥର ବିକଳ ତାହାରି ପାଇଁ। ଇଏ ଯେ କେବଳ ପ୍ରେମତୃଷ୍ଣା ନୁହେଁ, ଇଏ ତ ମନର ସେହି ନିର୍ମଳ ଆବେଗ - ଯାହା ଜୀବନକୁ କରେ ଆହୁରି ଜୀବନ୍ତ, ଆଉ ପ୍ରାଣକୁ ଦିଏ ଜଞ୍ଜାଳରୁ ଉପଶମ !

                               ପର୍ବପର୍ବାଣି ସମୟରେ ସେ ତ କେତେ ତରୁଣୀଙ୍କୁ ପ୍ରତ୍ୟକ୍ଷୀଭୂତ କରିଛନ୍ତି, ଯେଉଁମାନେ ତାଙ୍କ ଅଗଣାକୁ ନିଜର କମଳ-ସ୍ଵରୂପ ଦଳରେ ଅଗଣାକୁ ଶୋଭା କରନ୍ତି। ହେଲେ କେବଳ ସେହି ବିଜନ ବେଳାର ସେହି ଏକାକୀ ତରୁଣୀଙ୍କ ପାଇଁ ତାଙ୍କର ମନଟା ଆକୁଳ ହେବାର କାରଣ କଣ?

       ସାଧବଝିଅର ଅପ୍ରାପ୍ତିରେ ଦୁଃଖୀ ଯୁବା ବଣିକ କହୁଛି -

        ଦେଖା ହେବ ନାହିଁ
                      ଯେ ଦୂର ପ୍ରଣୟୀ
                                  ତା'ରେ ମୁଁ ସଁପିଲି ମନ,
                      ଯା' ପାଇଁ ରଖିଲି           
                                  ତା ହାତେ ନ ପଡି 
                                         ଶେଷ ହେବ ଯଉବନ ।
                                         

       ଆଉ ନିତିଦିନ        
                    ତନୁ ପ୍ରସାଧନ
                              ନାହିଁ ଲାଗେ ମନ ସଖି,
                    କାହାର ଭରସା
                              ପାଇଁ ସାଜି ଖୋଷା
                                        ବାତାୟନେ ଆଖି ରଖି?
                  
       କଳିକା ଫୁଟଇ
                    କୁସୁମ ଝଡ଼ଇ
                            ପୁଣି ତ କଳିକା ଉଠେ,
                    ମୋ ମନ-ଲତାର
                             କୁସୁମ ଆଶାର
                                        କଳିକାରୁ ତଳେ ଲୁଟେ।
                                        
       ମାଟିର ଶିବ ଯେ
                    ନିତି ନିତି ପୂଜେ    
                            ମନାସିଲି ଦେବ ଦେବୀ,
                    ମାଣିକ ପ୍ରଦୀପ
                            ଜାଗରେ ଜାଳିଲି
                                        ଠାକୁରାଣୀ ପଦ ସେବି।
                                        
      ମରୁଛି ବିଫଳେ 
                    ଭାସି ଆଖି ଜଳେ,
                             ନୟନେ ଦେଖିଲି ନାଇଁ
                    ଆଉ ଥରେ ହେଲେ
                             ତରୁଣ ଯେ ଗଲେ
                                        ସେ ଦିନ ବୋଇତ ବାହି।
                                        
      ଆଉ କି ଆସିବେ
                   ନୟନେ ଦିଶିବେ
                             ତଥାପି ଏ ପୋଡ଼ା ମନ,
                   କହେ କାନେ କାନେ
                              ଆଶାର ଛଳନେ
                                         'ମିଳିଲା ହଜିଲା ଧନ।'

      ସେହି ସେ ଆଶାରେ
                   ରହିଛି ଧରାରେ
                            କହୁଛି ତୁମରେ କଥା,
                   ମାଣିକ ରତନ
                             ଦାସୀ ପରିଜନ 
                                       ନେବେ କି ପରାଣ-ବଥା ?

     ଜଳଧି ବେଳାରେ 
                   ଅବା କେଉଁଠାରେ
                             ଦେଖୁ ଯଦି ମତେ କହି,
                   ଦୁଃଖ ମୋର ହର,
                             ମାଳୁଣୀ ଲୋ ମୋର,
                                       ତୋଷିବି ବଧାଇ ଦେଇ ।
                   
    ଗଭୀର ନିଶୀଥେ
                  ଉଠି ମୋର ପୀଠେ
                             ତେଜିବୁ ମଳିନ ଦୀପ,
                  ଉଠାଇବୁ ମୋତେ 
                              କହିବୁ ଗୁପତେ
                                      କପାଳେ ଛୁଇଁଣ ଟିପ-

    "କିଶୋରୀ ଦେଖ ଲୋ
                   ତୋ ରାଜକୁମାର
                             ବାତାୟନ ତଳେ ଠିଆ,
                   ବାଟରୁ ଫେରାଇ
                              ଆଣିଅଛି ଧାଇଁ
                                        କହି ତୋ ବ୍ୟଥିତ ହିଆ।"

     ଏହି ସଖୀପଣ
                   କରି ଏ ଜୀବନ
                             ମାଳୁଣୀ ରଖ ତୁ, କହେ
                   ଥାଉ ପ୍ରସାଧନ 
                             କୁସୁମ ଭୂଷଣ,
                                        ଜୀବନ ତ ନାହିଁ ଥୟେ।
      
( କ୍ରମଶଃ ... )
[ ଉପସ୍ଥାପନ - #ଅମ୍ରିତେଶ ଖଟୁଆ ]

★ ସାଧବ ଝିଅ ଓ କବି ମାୟାଧର ମାନସିଂହ ★ ------------------------------------

                     (ଧାରାବାହିକ ଭାଗ - 4)

                                ଯୁବା ବଣିକ ଦେଖିଛି ନାନା କଳ୍ପନାରେ ନାନାବିଧ ଆଶା - ଦରିଆକୁ ସାଥୀ କରି ଅତିବାହିତ ଜୀବନ ତା ପାଇଁ ଆଉ ଥୟ ନୁହେଁ। ଆଶା ପୂରଣ ହେଉନଥାଏ, ହେଲେ ବି ଅନ୍ୟ ଆଡେ କହି ବୁଲିଥାଏ - ସେଇ ଆଶାର ସଞ୍ଚରିତ ଆବେଗରେ ଯେ ତାଙ୍କର ଏକାନ୍ତ ହଜିଲା ଧନ ମିଳିଯାଇଛି।

                                      ମାଳୁଣୀ ହାତରେ ନିଜର କଥା କହି ତାକୁ ପଠେଇଛି ଜନପଦକୁ, କହିଛନ୍ତି ଗଭୀର ରାତିରେ ବି ମୋତେ ମୋ ନିଦ୍ରାଭଙ୍ଗ କରିବାକୁ ଯଦି ପଡେ, ଯଦି ଆଲୁଅର ଏହି ଦୀପାଳି ଲିଭିବାକୁ ହୁଏ, ତେବେ ହେ ମୋର ସଖୀ, ମୁଁ ସମସ୍ତ କୁସୁମଭୂଷିତ ଅଙ୍ଗ ପ୍ରସାଧନ ବ୍ୟତୀତ କରି ସେଇ ଏକାନ୍ତ ଲୋଡୁଥିବା ସମ୍ବାଦଟି କର୍ଣ୍ଣଗୋଚର କରିବି ।

               ଏହା ପରେ ଚାଲିଯାଉଛି ମାଳୁଣୀ  -

                 କୁସୁମ ହାରେ ଗୁନ୍ଥି ଯୁବା ତରୁଣୀ
                 ବଳା ବଜାଇ ଚଳେ ଧୀରେ ମାଳୁଣୀ।
                 କରକେ ଧରିଅଛି ଫୁଲ ଚାଙ୍ଗଡା
                 ସେ ଫୁଲେ ଅଛି କେତେ ହୃଦ-ମାଗୁଣି।

                 ମୁଣ୍ଡରେ ଝରାକୋଠି ଖୋଷାରେ ଖୋସା
                 ପାଦରେ ଝୁମ୍ପା ଭରିଦେଇଛି ଯୋଷା।
                 ପୃଥୁଳ ବାହୁ ଭରି କୁଟିଛି ଚିତା
                 ନୟନେ ଖଞ୍ଜରୀଟ ହୋଇଛି ପୋଷା।

                 ନାକକେ ନୋଥ, ନାକଚଣା ଆରକେ
                 ଦଣ୍ଡି-ଝଲକା ଓଠେ ବାଜି ଝଲକେ,
                 ଅଧର ଘନ ନାଲି ବିଡ଼ିଆ-ରାଗେ
                 ଚଳଇ ନାରୀ, ପାନ ଜାକି ଗାଲକେ।

                 କପାଳେ କଳା-ଚିତା ପରେ ଟିକିଲି
                 ମହଣ ଦେଇ ଟାଣେ ଦେଇଛି କିଳି,
                 ମହଣ ଦେଇ ପୁଣି କାଢିଛି ମାଙ୍ଗ
                 ଖେଳାଇ ଢେଉ, କେଶ ଦେଇଛି ଭିଡି।

                 ବାହୁରେ ତାଡ଼, ଗୋଡେ ପାହୁଡ଼ ବଳା
                 ସରଣୀ କମ୍ପେ ଯେବେ ଚାଲେ ଅବଳା,
                 ଧରଣୀ-ନିଦ ଭାଙ୍ଗେ ଚରଣ ମୁଦି
                 ଶିଖାଇ ତରୁଣୀଙ୍କୁ ଚଳନ-କଳା।

                 ନଗର-କିଶୋରୀଏ ତା ପଥ ଚାହିଁ
                 ଗବାକ୍ଷ ତେଜି କାହିଁ ଯାଆନ୍ତି ନାହିଁ,
                 ଉଛୁର ହେଲେ ମାନ କାହିଁରେ କିବା
                 ସେ ମାନ ଭଙ୍ଗେ ଗଭା ଯତ୍ନେ ସଜାଇ।

                 ବରାଙ୍ଗୀ ଏକେ ଏକେ ବରାଦ ଏକ
                 କେ ଚାହେଁ ସୂର୍ଯ୍ୟମୁଖୀ, କେ କୁରୁବକ,
                 କାହାର ଅବା ଲୋଡ଼ା କଦମ୍ବ-କଢି,
                 କରବୀ କାମିନୀ ବା କାହାର ସଖ !

                 ମାଳାରେ ହେଲେ ଜଣକର ଆଦର,
                 କବରୀ-ସାଜ ମାଗିଥାଏ ଅପର ।
                 କେ ମାଗେ ନୀପ ପୁଷ୍ପ ଦେବାକୁ କାନେ,
                 କୁସୁମ-ଗୁଚ୍ଛେ କା'ର ଶରଧା ବଡ଼।

                 ତରୁଣୀ କେହି ତାରେ କରିଛି ଅଳି
                 ଦେବାକୁ ଏ ଆଷାଢେ କଦମ୍ବକଳି,
                 ନିତିକି ନିତି, ଯେଣୁ ଆସିବେ ପ୍ରିୟ
                 ବରଷା ଯାପି ଯିବେ ପ୍ରବାସେ ଚଳି।
                
                 କିଶୋରୀ କେହି ମାଗିଥିଲା କେତକୀ
                 ଗଲା ବସନ୍ତେ ଭଲେ ହଂସ-ଗତିକି
                 ଯୋଗାଇ ନ ପାରିଲା, ବଢ଼ିଛି ମାନ,
                 ମନା ହୋଇଛି ଯିବା ତାର କତିକି।

                 କେ ବଧୂ ବୋଲେ, 'ଅୟି ମାଳୁଣୀ ସଖି'
                 କହିବି ଗୋଟେ କଥା ପାରିବ ରଖି ?
                 ପୂର୍ଣ୍ଣିମା ଦିନ ସେ ଗୋ ଆସିବେ ଘରେ
                 ବକୁଳ ମାଳା ଏକ ଗୁନ୍ଥି ଦେବ କି ?

                 କାହାକୁ ନାହିଁ ବୋଲି କହଇ ନାହିଁ
                 ହସି ଚତୁରୀ କହେ ଆଣିବା ପାଇଁ,
                 କାମିନୀ ମନ ସେ ତ ବୁଝିଛି ଭଲେ
                 ଭୁଲାଇ ରଖିଥାଏ ଆଶା ଦେଖାଇ।

                 ଯାଉ ଯାଉ ସେ ରାଜପଥେ ଚତୁରୀ
                 କିଶୋରୀଗଣ ହୋଇ ଅତି ଆତୁରୀ
                 ଡାକନ୍ତି ହାତ ଠାରି ଗବାକ୍ଷ ପଛୁ
                 'ମାଳୁଣି, ରାଣ ଆଗ ଆସ ଏ ପୁରୀ ।'

                 କେ କହେ, 'ବେଳ ଗଲା କବରୀ ସାଜି
                 ପାରିବି ନାହିଁ ତୋର କୁସୁମେ ଆଜି,
                 ଆଉ କେ ବୋଲେ, 'ତୋର କେତେ ଲୋ ଆୟୁ
                 ଏ କ୍ଷଣି ଖୋଜୁଥିଲି ପରାଗ-ରାଜି।'

                 ସକଳ ରୂପସୀର ମନକୁ ଧରି
                 ମାଳୁଣୀ ଜିଣିଅଛି ସାରା ନଗରୀ,
                 ତରୁଣ-ତରୁଣୀଙ୍କି ରଖିଛି ହାତେ
                 ତା ନାମେ ତାଙ୍କ ବୁକୁ ଉଠଇ ଥରି।

                 ତଥାପି ପ୍ରିୟ ନାରୀ ସବୁରି ଘରେ
                 ବିଶ୍ଵାସ ସବୁ କିଶୋରୀର ତା ପରେ,
                 ତା ବକ୍ଷେ କେତେ ବକ୍ଷ-ଗୋପନ କଥା
                 ତା ମୁଖୁ କେତେ କାନେ ପୀୟୂଷ ଝରେ।

                ★                 ★                 ★

                କିଶୋରୀ ମେଳେ ଶ୍ରେଷ୍ଠ ସାଧବବାଳା
                ମାଳୁଣୀ ନିତି ତା'ରେ ଦିଅଇ ମାଳା,
                ଯତନ କରି ଜୁଡା ଦିଅଇ ବାନ୍ଧି
                ହେବାକୁ ଦେଖଣାଙ୍କ ହୃଦୟ-କାରା।

                ତା ପାଇଁ ବଗିଚାରେ ଭିନ୍ନ ବ୍ରତତୀ
                ପୃଥକ ପୁଣି ତାର ସଲିଳ ଘଟୀ,
                ପୃଥକ ହୋଇ ଫୁଟେ ତା ପାଇଁ ଫୁଲ
                ସରସ ସବୁଠାରୁ ତାର ମାଳାଟି।

                ଦିନେ ମାଳୁଣୀ ଭୁଜେ ଫୁଲର ହାର
                ଅନନ୍ତ କରି ବାନ୍ଧିଦେଲା ବାଳାର,
                ଘଡ଼ିକେ ଡାକ ଦେଲା କାଟିଲା ବୋଲି
                ରକତ-ଦାଗ ବହୁ କଷ୍ଟେ ବାହାର।

                ଚିକ୍କଣ କେଶେ ଫୁଲ ରହଇ ନାହିଁ
                କବରୀ ଭାର, ଦେଲେ ମାଳା ଗୁଡାଇ,
                ଗଳାରେ ଦେଲେ, କାଢିଦିଏ ଘଡିକେ
                କୋମଳ କାନ୍ଧ ଦୁଇ ଯାଏ ବଥାଇ।

                ଏଣୁ ମାଳୁଣୀ ବଡ଼ ବିପଦେ ପଡେ
                ସଜାଇବାକୁ ତାକୁ ନିୟତ ଡରେ,
                କୁସୁମ କୋମଳ ଯା' ଶରୀର ଲତା
                ପିନ୍ଧାଇବାକୁ ତାକୁ ତା' କର ଥରେ।

                ସାଧବ ଝିଅ ପାଶେ ଚଳେ ମାଳୁଣୀ
                ଅପେକ୍ଷା କରିଥିବ ବର-ତରୁଣୀ,
                କରରେ ଧରିଅଛି ଫୁଲଚାଙ୍ଗଡା
                ସେ ଫୁଲ ତଳେ କେତେ ହୃଦ-ମାଗୁଣି।

               ★                ★                ★

               ଭେଟିଲା ଦୂରଦେଶୀ ସାଧବସୁତ
               ଏକାଳେ ତାକୁ , ତାର ଅଧର ପୁଟ,
               ସହସା ଶୁଣାଇଲା, "ଶୁଣ ତ ଟିକେ
               ଦେଖୁଛ ବେଶ-ବାସୁଁ ବିଦେଶୀ ମୁଁ ତ !"

               କରୁ ଚାଙ୍ଗୁଡି ଆଣି କଟିରେ ଥୋଇ
               ମାଳୁଣୀ ଅନାଇଲା ଚକିତ ହୋଇ,
               ଦେଖିଲା ରୂପବନ୍ତ ତରୁଣ ଆଗେ
               ଲାଜେ ତା ଆଖି ଟିକେ ଯାଉଛି ନୋଇଁ।

               ସାଧବପୁଅ କହେ 'ମାଳୁଣୀ ପରା
               ଦିଶୁଛ, ଖାଲି ନେଇ ଫୁଲ-ପସରା,
               ବୁଲ, ନା ଆଉ ଅଛି କର ଗୋ ନାରୀ,
               ଗରଜ ଅଛି ମୋର କହ ତ ତ୍ଵରା !
                
               ଚତୁରୀ ମାଳୁଣୀ ସେ କହିଲା ହସି
               "ଖାଲି କି ଫୁଲ ବିକେ ? ଲଗାଏ ରଶି,
               ଏ ଫୁଲ ଦେଇ ଯୁବା-ଯୁବତୀ ହୃଦେ,
               କୁସୁମ ହାରେ କେତେ ହୃଦୟ କଷି।

               ମୋ ଲାଗି ଏ ନଗରେ କିଶୋରୀ ଦଳ
               ଦେଖନ୍ତି ନିରଜନେ ମୁଖ ପ୍ରିୟର,
               ମୋ ଫୁଲ ଦିଏ ଭାଷା ତରୁଣ-ପ୍ରେମେ
               ପ୍ରଥମ ଉପହାର ତରୁଣୀଙ୍କର।

               କି କାମ ଅଛି" - ବୋଲି କହିଲା ନାରୀ
               "ଚାହିଁ ତ ଥିବେ ମୋତେ ସାଧବ-ବାଳୀ-"
              ଚମକି ଅନାଇଲା ବିଦେଶୀ ଯୁବା
              ପଚାରେ, "ସାଧବରେ ତୁ ସେବାକାରୀ ?"

              "କାହିଁକି ?" ପଚାରିଲା ମାଳୁଣୀ ପୁଣ
              ତରୁଣ କହେ "ଦେଖାଇବି ମୋ ଗୁଣ
              ମାଳା ମୁଁ ଗୁନ୍ଥିପାରେ ବିଚିତ୍ର କରି
              କବରୀ ସାଜିପାରେ ଅତି ନିପୁଣ।"

              "ବିଦେଶୀ ମାଳାକାର ? ଆସ ଗୋ ତେବେ"
              ବୋଇଲା ନାରୀ, "ନିଶ୍ଚେ ଗୁଣ ଚିହ୍ନିବେ
              ସାଧବକନ୍ୟା, ଆଉ ନ ଚିହ୍ନୁ କେହି
              ଚିହ୍ନାଇଦେବି, ରହ ମୋ ଘରେ ଯେବେ।

              ଗୁନ୍ଥିବ ମାଳା କାଲି ଯତନ କରି
              ସାଧବକନ୍ୟା ପାଶେ ନେବି ମୁଁ ଧରି,
              ଆସ କୁଟୀରେ" - ଲେଉଟିଲା ଘରକୁ
              ସାଧବପୁଅ ଚଳେ ଶିବ ସୁମରି।

(କ୍ରମଶଃ ... )
[ ଉପସ୍ଥାପନା - ଅମ୍ରିତେଶ ଖଟୁଆ ]

ଲୁହ

ଅଟକୁନି ଲୁହ  ବୋହି ଚାଲୁଛି ଅନବରତ ଆଖିବି ନିଜର କରି ରଖି ପାରୁନି  ଏ ଲୁହକୁ,,,, ବାସ୍ ଝରି ଯାଉଛି ଟୋପା ଟୋପା ହୋଇ! ମନର ବ୍ୟଥା  ହୃଦୟର କୋହ  ସତରେ ଭା...