Thursday, July 30, 2020

● ଉପେନ୍ଦ୍ରଭଞ୍ଜଙ୍କ ସମ୍ୟକ୍ ସୂଚନା ●

ସହସ୍ରନିଶାଣ ●●● .... 🙏

କବିସମ୍ରାଟ ଉପେନ୍ଦ୍ରଭଞ୍ଜ ।ଷୋଡ଼ଶ ଶତାବ୍ଦୀରେ ପୁରାତନ ରାଜଶାସିତ ଘୁମୁସୁରର କୁଲାଡ଼ଠାରେ ଜନ୍ମିତ ରୀତିଯୁଗର ଜଣେ ଓଡ଼ିଆ କବି । ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ସାହିତ୍ୟ କୃତି ପାଇଁ ତାଙ୍କୁ କବି ସମ୍ରାଟ ଉପାଧିରେ ଭୂଷିତ କରାଯାଇଅଛି । ଓଡ଼ିଆ ସାହିତ୍ୟରେ ଥିବା ଅସଂଖ୍ୟ କବିଙ୍କ ମଧ୍ୟରେ ସେ ଅସାଧାରଣ ପ୍ରସିଦ୍ଧି ଲାଭ କରିଅଛନ୍ତି । ଏକ ରାଜ ପରିବାରରେ ଜନ୍ମିତ ଉପେନ୍ଦ୍ର ଭଞ୍ଜ ରାଜପଦଠାରୁ ଦୂରରେ ରହି ଓଡ଼ିଆ ସାହିତ୍ୟରେ ମନୋନିବେଶ କରିଥିଲେ ।

         ଆଧୁନିକ ଗଞ୍ଜାମ ଜିଲ୍ଲାର ଗୁମୁସର (ଘୁମୁସର) ବୋଲି ଗୋଟିଏ ରାଜ୍ୟ ଥିଲା ଏବଂ ସେହି ରାଜ୍ୟରେ ଭଞ୍ଜବଂଶୀୟ ରାଜାମାନେ ରାଜ୍ୟଶାସନ କରୁଥିଲେ । ସେମାନଙ୍କ ମଧ୍ୟରେ ଧନଞ୍ଜୟ ଭଞ୍ଜ (ପ୍ରତାପ ଧନଞ୍ଜୟ) ବୋଲି ଜଣେ ରାଜା ଥିଲେ । ସେ ଜଣେ କବି ଓ ଶାସକ ଥିଲେ। ସେ ରଘୁନାଥ ବିଳାସ, ତ୍ରିପୁର ସୁନ୍ଦରୀ, ଇଚ୍ଛାବତୀ, ମଦନମଞ୍ଜରୀ ଆଦି କାବ୍ୟମାନ ରଚନା କରିଥିଲେ। ଧନଞ୍ଜୟ ଓ ତାଙ୍କ ରାଣୀ ମଣ୍ଡାଦେବୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ ନୀଳକଣ୍ଠ ଭଞ୍ଜ । ନୀଳକଣ୍ଠ ଭଞ୍ଜଙ୍କ ପୁଅ ହେଉଛନ୍ତି ଉପେନ୍ଦ୍ର ଭଞ୍ଜ ।
ପ୍ରମାଣ :-⬇️
ବରହିବଂଶେ ଉଦ୍ଭବ ନୃପ-ଧନଞ୍ଜୟ ।
ବିଶିଷ୍ଟେ ଘୁମୁସରଅଧିପ ଗୁଣାଳୟ ଯେ ।୪୭।
ବେନି ଅର୍ଥେ ସେ କବି ଗଣେଶ ବୋଲି ଜାଣ ।
ବନ୍ଦନ ତଦ୍ଧତ ତାଙ୍କ ନନ୍ଦନ ପ୍ରମାଣ ଯେ ।୪୮।
ବସୁଧାପତି ସେ ନୀଳକଣ୍ଠ ନାମେ ଖ୍ୟାତ ।
ବିଧାନରେ ମୁଁ ହିଁ ତାହାଙ୍କର ଜ୍ୟେଷ୍ଠସୁତ ଯେ ।୪୯।
ବୀରବର ପଦ ଉପଇନ୍ଦ୍ର ମୋର ନାମ ।
ବାରେ ବାରେ ସେବାରେ ମନାଇଁ ସୀତାରାମ ଯେ ।୫୦।
( ଦ୍ୱିପଞ୍ଚାଶତ ଛାନ୍ଦ, ବୈଦେହୀଶ ବିଳାସ )

ଘୁମୁସରର ରାଜାମାନେ ଯେଉଁ କେତେଗୁଡିଏ ଦୁର୍ଗ ଗଢ଼ିଥିଲେ, ତା ମଧ୍ୟରେ ଗୁମୁସରଗଡ଼, ଅନ୍ଧାରଗଡ଼, ଦୁର୍ଗାପ୍ରସାଦଗଡ଼, କୁଲାଡଗଡ଼ ପ୍ରଧାନ । କୁଲାଡଗଡ଼ ଦୁର୍ଗମଧ୍ୟରେ ନୀଳକଣ୍ଠ ଭଞ୍ଜ ବାସ କରୁଥିଲେ । ୧୭୩୦ ଖ୍ରୀଷ୍ଟାବ୍ଦର କୁଲାଡଗଡ଼ରେ ରାଜା ନୀଳକଣ୍ଠ ଭଞ୍ଜଙ୍କର ପୁଅଟିଏ ଜନ୍ମ ହେଲା ଯାହାଙ୍କର ନାମକରଣ କରାଗଲା "ଉପେନ୍ଦ୍ର ଭଞ୍ଜ" ।

        ଉପେନ୍ଦ୍ରଙ୍କର ବାଲ୍ୟଶିକ୍ଷା ଚାହାଳୀରେ ଆରମ୍ଭ ହୋଇଥିଲା । ବାପା ନୀଳକଣ୍ଠ ଓ ଜେଜେ ଧନଞ୍ଜୟଙ୍କଠାରୁ ସେ ବିଭିନ୍ନ ଶାସ୍ତ୍ର ପଢ଼ିଥିଲେ । ଧନଞ୍ଜୟ ଭଞ୍ଜ ଜଣେ କବି ହୋଇଥିବାରୁ ତାଙ୍କ ଦରବାରକୁ ଅନେକ କବି, ପଣ୍ଡିତ, ସାଧୁସନ୍ଥ ବିଭିନ୍ନ ସମୟରେ ଆସୁଥିଲେ ଓ ସେଠାରେ ରହି ସାହିତ୍ୟ ସଙ୍ଗୀତ ବିଷୟରେ ଚର୍ଚ୍ଚା କରୁଥିଲେ । ଉପେନ୍ଦ୍ର ମଧ୍ୟ ଜେଜେଙ୍କ ପାଖରେ ବସି ସେଗୁଡିକ ଶୁଣୁଥିଲେ ଓ ଧୀରେ ଧୀରେ ସେମାନଙ୍କଦ୍ୱାରା ପ୍ରଭାବିତ ହୋଇ ସେ ଶାସ୍ତ୍ରମାନ ଆୟତ୍ତ କରିଥିଲେ । ଚାହାଳୀରେ ପଢୁଥିବା ସମୟରେ ଉପେନ୍ଦ୍ର କବିତା ଲେଖିବା ଆରମ୍ଭ କରି ଦେଇଥିଲେ ଯାହା ଜେଜେ ଧନଞ୍ଜୟ ବେଶ୍ ପସନ୍ଦ କରିଥିଲେ ଓ ନାତିକୁ ଆହୁରି ଲେଖିବାକୁ ପ୍ରେରଣା ଦେଲେ । ଉପେନ୍ଦ୍ର ଯାହା ଯେତେବେଳେ ଲେଖୁଥିଲେ ଜେଜେଙ୍କୁ ନେଇ ଦେଖାଉଥିଲେ ଓ ତାଙ୍କର ପରାମର୍ଶ ନେଉଥିଲେ । ସେ ଜେଜେଙ୍କୁ ନିଜର କାବ୍ୟଗୁରୁ ଭାବରେ ବିଚାର କରି ନିଜ ସାଧନାରେ ଆଗେଇ ଯାଉଥିଲେ ।
ରାଜା ଧନଞ୍ଜୟଙ୍କ ଦରବାରକୁ ଥରେ ରଘୁନାଥ ନାମରେ ଜଣେ ସିଦ୍ଧପୁରୁଷ ସନ୍ୟାସୀ ଅସିଥିଲେ । ସେ ଉପେନ୍ଦ୍ରଙ୍କର ପାଠପଢ଼ା ଓ କବିତା ଲେଖିବାର ଆଗ୍ରହ ଦେଖି ତାଙ୍କୁ "ତାରକ ମନ୍ତ୍ର" ବୋଲି ଏକ ସିଦ୍ଧ ମନ୍ତ୍ର ଶିଖାଇ ଏହାକୁ କେମିତି ସାଧନା କରିବାକୁ ହେବ ବତାଇଦେଲେ । ମନ୍ତ୍ରଟି ଶିଖିବା ପାଇଁ ଉପେନ୍ଦ୍ର କୁଲାଡ଼ଗଡ଼ ଛାଡ଼ି ଅଳ୍ପ ଦୂରରେ ଥିବା ଏକ ନିର୍ଜନ ସ୍ଥାନକୁ ଚାଲିଗଲେ । ହିଂସ୍ରଜନ୍ତୁପୂର୍ଣ୍ଣ ଓ ପାହାଡ ପର୍ବତଘେରା ସେହି ସ୍ଥାନରେ ଗୋଟିଏ ଗୁମ୍ଫା ଭିତରେ ବସି କିଛିଦିନ ଗୁରୁମନ୍ତ୍ର ସାଧନା କରିବାପରେ ସିଦ୍ଧିଲାଭ କରି ସେ ରାଜପ୍ରସାଦକୁ ଫେରି ଆସିଲେ । { ସେହି ସ୍ଥାନଟି ଏବେ "ବାଘବଲି" ଓ "ଡାମଣ ଝୋଲି" ନାମରେ ପରିଚିତ }।
ଉପେନ୍ଦ୍ର ପ୍ରଭୁ ରାମଚନ୍ଦ୍ରଙ୍କ ଭକ୍ତ ଥିଲେ । "ତାରକ ମନ୍ତ୍ର " ଦେଇଥିବା ସନ୍ୟାସୀ ଜଣଙ୍କ ନାମ ରଘୁନାଥ ଥିଲା  ତେଣୁ ଉପେନ୍ଦ୍ର ସେହି ମନ୍ତ୍ରକୁ "ରାମତାରକ ମନ୍ତ୍ର " ବୋଲି ଘୋଷଣା କଲେ ।

         ସାଧନା କରି ଫେରିବା ପରେ ଉପେନ୍ଦ୍ରଙ୍କର ଆଗ ଅପେକ୍ଷା ଆହୁରି କାବ୍ୟ ଲେଖିବା ଓ କାବ୍ୟକବିତା ବିଷୟରେ ଜାଣିବାରେ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଲା । କାବ୍ୟ ଆଲୋଚନା ପାଇଁ ସେ ଜେଜେ ଧନଞ୍ଜୟ ଭଞ୍ଜଙ୍କ ସହିତ ସମୟ ବିତାଉଥିଲେ । ଦିନେ ସାହିତ୍ୟ ଆଲୋଚନା ହେଉଥିଲା ବେଳେ ଧନଞ୍ଜୟ ନିଜର ଶ୍ରେଷ୍ଠ କାବ୍ୟ 'ରଘୁନାଥ ବିଳାସ' ଉପେନ୍ଦ୍ରଙ୍କୁ ଦେଲେ ଓ କିଛି ଦୋଷତୃଟି ଥିଲେ ନିର୍ଭୟରେ ତାଙ୍କୁ ଜଣେଇବାକୁ କହିଲେ । ଉପେନ୍ଦ୍ର କାବ୍ୟଟିକୁ ମନଦେଇ ପଢ଼ିସାରିଲାପରେ ଅଳଙ୍କାରର ପ୍ରୟୋଗ କରିଥିଲେ ଆହୁରି ଭଲ ହୋଇଥାନ୍ତା ବୋଲି କହିଲେ, ଧନଞ୍ଜୟ ଭଞ୍ଜ ଏକଥା ଶୁଣି ଖୁସି ହେଲେ ।
ରାଣୀ ମଣ୍ଡାଦେବୀ ତାଙ୍କ ପୁଅ ନୀଳକଣ୍ଠଙ୍କୁ ଭଞ୍ଜବଂଶର ରାଜସିଂହାସନରେ ବସାଇବାକୁ ଚାହୁଁଥିଲେ, ତେଣୁ ସେ ଷଡଯନ୍ତ୍ର କରି ଧନଞ୍ଜୟଙ୍କୁ ବିଷ ଦେଇ ହତ୍ୟା କରାଇଲେ । ନୀଳକଣ୍ଠ ଭଞ୍ଜ ରାଜଗାଦିରେ ବସାଇବାରେ ସଫଳ ହେଲେ ଓ କିଛିଦିନ ପାଇଁ ରାଜ୍ୟଶାସନ କଲେ । ହେଲେ ତାଙ୍କର କାକାପୁଅ ଭାଇ ଘନଭଞ୍ଜ ଧରାକୋଟରେ ଥାଇ ନୀଳକଣ୍ଠଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଦେଲେ ଏବଂ ସୈନ୍ୟସାମନ୍ତ ଧରି ଘୁମୁସରକୁ ଆକ୍ରମଣ କଲେ । ରଣକ୍ଷେତ୍ରରେ ନୀଳକଣ୍ଠ , ଘନଭଞ୍ଜଙ୍କଠାରୁ ପରାସ୍ତ ହୋଇ ରାଜ୍ୟ ଛାଡ଼ି ଚାଲିଗଲେ । ନିଜର ସ୍ତ୍ରୀ ଓ ଯୋଗ୍ୟପୁତ୍ର ଉପେନ୍ଦ୍ରଙ୍କୁ ଧରି ନୀଳକଣ୍ଠ ନୟାଗଡ଼ର ମାଳିସାହି ଢେଙ୍କଣା ଗ୍ରାମରେ ଘରଟିଏ କରି ଅତି ସାଧାରଣ ଭାବରେ ଜୀବନ ଅତିବାହିତ କରିବାକୁ ଲାଗିଲେ ।ଏଠି ସୂଚନା ଯୋଗ୍ୟ ଯେ :- ନୟାଗଡ ରଜା ଗଧାଧର ସିଂହ ମାନଧାତା ନୀଳକଣ୍ଠଙ୍କ ମାତୁଳ ଥିଲେ । କିମ୍ବଦନ୍ତୀ ଅନୁସାରେ ନୟାଗଡର ଐତିହାସିକ ଜୀବନ ସ୍ରୋତ ସହ ଭଞ୍ଜଙ୍କ ସଂପୃକ୍ତି ଅଛି । କିମ୍ବଦନ୍ତୀ ଅନୁସାରେ ଉପେନ୍ଦ୍ରଙ୍କ ପିତା ୧୭୩୩ - ୩୪ ରେ ସପରିବାର ଘୁମୁସୁର ତ୍ୟାଗ କରି କୋଦଳା ଆଠଗଡ ଓ ପରେ ନୟାଗଡ ଯାଇ ବସବାସ କରିଥିଲେ

" ନୂଆଗଡ ମାଳିସାହି ଗ୍ରାମରେ

ରହିଲେ କୁଟୁମ୍ବ ଘେନି ସଜରେ ।।

ନୀଳକଣ୍ଠ ଭଞ୍ଜ ଏହି ସମୟରେ ଉପେନ୍ଦ୍ରଙ୍କୁ ଘୋଡାଚଢା, ଖଣ୍ଡା, ତରବାରୀ ଚାଳନାରେ ଧୁରନ୍ଧର କରାଇଥିଲେ । ଉପେନ୍ଦ୍ର ଭଞ୍ଜ କାବ୍ୟ କବିତା ରଚନାରେ ଧ୍ୟାନ ଦେଲେ ।
ବିଧିର ବିଧାନ ଅନୁଯାୟୀ ମାତ୍ର ୧୫ ବର୍ଷ ବୟସରେ ଉପେନ୍ଦ୍ର ପିତା ନୀଳକଣ୍ଠ ଭଞ୍ଜଙ୍କୁ ହରାଇଲେ ଓ ତାଙ୍କ ମାମୁଙ୍କ ଘରେ ରହିବାକୁ ଲାଗିଲେ ।

ନୟାଗଡ ରାଜା ଗଦାଧର ସିଂହ ମାନଧାତାଙ୍କ ପରେ ପୁଅ ରାମଚନ୍ଦ୍ର ସିଂହ ମାନଧାତା ଓ ତାଙ୍କ ପରେ ନାତି ଚନ୍ଦ୍ରଶେଖର ସିଂହ ମାନଧାତା ଶାସନ ଭାର ଗ୍ରହଣ କରିଥିଲେ । ପରେ ପୁରୁଷୋତ୍ତମ ସିଂହ ମାନଧାତା ରାଜା ହେଲେ । ଏହି ସମୟରେ ଭଞ୍ଜେ ଶୋଭାବତୀ କାବ୍ୟ ରଚନା କରିଥିଲେ । ନୟାଗଡ ରାଜବଂଶ ପ୍ରତି କୃତଜ୍ଞତାର ଚିହ୍ନ ସ୍ବରୂପ ଏହାକୁ ପୁରୁଷୋତ୍ତମଙ୍କ ନାମରେ ଭଣତି କଲେ ।

୧୮ ବର୍ଷ ବୟସରେ ଉପେନ୍ଦ୍ରଙ୍କର ବିବାହ ନୟାଗଡ଼ ରାଜା ପୁରୁଷୋତ୍ତମ ମାନ୍ଧାତାଙ୍କ ଭଉଣୀ ଲାବଣ୍ୟବତୀଙ୍କ ସହ ସମ୍ପନ୍ନ ହେଲା । ଲାବଣ୍ୟବତୀ ସୁନ୍ଦରୀ, ବୁଦ୍ଧିମତୀ ଓ ସସ୍କୃତ ସାହିତ୍ୟରେ ନିପୁଣ ଥିଲେ । କୁଲାଡ଼ଗଡ ପାଖରେ ଅନ୍ଧାରଗଡ ବୋଲି ଦୂର୍ଗଟିଏ, ପାହାଡ଼ ଓ ସବୁଜିମା ଭରା ଜଙ୍ଗଲଦ୍ୱାରା ଘେରି ରହିଥିଲା । ଉପେନ୍ଦ୍ର ସେହି ସ୍ଥାନକୁ ସବୁବେଳେ ଏକୁଟିଆ ଚାଲିଯାଉଥିଲେ ଏବଂ କିଛିଦିନ ସେଠାରେ ରହିବା ପରେ ଫେରି ଆସୁଥିଲେ । ଥରେ ଉପେନ୍ଦ୍ର ସେହି ସ୍ଥାନକୁ ଯାଇ ବହୁଦିନ ପର୍ଯ୍ୟନ୍ତ ରାଜଉଆସକୁ ଫେରିଲେ ନାହିଁ । ଏଣେ ରାଜପ୍ରାସାଦରେ ଲାବଣ୍ୟବତୀ ବ୍ୟସ୍ତ ହୋଇପଡିଲେ ଓ ପତିଙ୍କୁ ଖୋଜି ଆଣିବା ପାଇଁ ଦୂତଟିଏ ପଠାଇଲେ । ଦୂତଟି ଗଡ଼ ଭିତରକୁ ନଯାଇ ଅଳ୍ପବାଟରୁ ଫେରି ଆସିଲା ଓ କହିଲା ଯେ ସେ ଗୋଟିଏ ମହାବଳ ବାଘ ଦେଖିଲା । ତା ପାଖରେ ମଣିଷର ରକ୍ତାକ୍ତ ଶବ ପଡିଥିବାର ଦେଖି ଭୟରେ ଫେରି ଆସିଲା । ଦୂତଠାରୁ ଏପରି ଖବର ଶୁଣି ଲାବଣ୍ୟବତୀ ଧୈର୍ଯ୍ୟ ଧରି ରହି ପାରିଲେ ନାହିଁ, ତାଙ୍କର ସଙ୍ଗେ ସଙ୍ଗେ ଚେତା ବୁଡିଗଲା ଓ ଚାହୁଁ ଚାହୁଁ ତାଙ୍କର ପ୍ରାଣବାୟୁ ଉଡିଗଲା । କିଛିଦିନ ପରେ ଉପେନ୍ଦ୍ର ରାଜପୁରକୁ ଫେରିଲା ପରେ ପତ୍ନୀ ଲାବଣ୍ୟବତୀଙ୍କ ସ୍ୱର୍ଗବାସ କଥା ଜାଣି ବହୁତ ମର୍ମାହତ ହେଲେ । ଉପେନ୍ଦ୍ରଙ୍କ ଶଳାଭାଉଜ ଶୋଭବତୀଙ୍କର "ବ୍ରହ୍ମାଣ୍ଡ ସୁନ୍ଦରୀ" ବୋଲି ଜଣେ ସୁନ୍ଦରୀ ଓ ବୁଦ୍ଧିମତୀ ଭଉଣୀଟିଏ ଥିଲେ, ତାଙ୍କ ସହିତ ଉପେନ୍ଦ୍ରଙ୍କ ଦ୍ୱିତୀୟଥର ବିବାହ ଉତ୍ସବ ଅନୁଷ୍ଠିତ ହେଲା । " ବ୍ରହ୍ମାଣ୍ଡ ସୁନ୍ଦରୀ" ଉପେନ୍ଦ୍ରଙ୍କୁ କାବ୍ୟ ଲେଖିବାରେ ସାହାଯ୍ୟ କଲେ, ତାଙ୍କରି ପରାମର୍ଶ ଓ ପ୍ରେରଣାରେ ଉପେନ୍ଦ୍ରଙ୍କ କାବ୍ୟକବିତାର ନିଶା ବଢିଗଲା ଏବଂ ଅନେକ ସାହିତ୍ୟ କୃତି ରଚନା କଲେ । ସେଥିମଧ୍ୟରୁ ଲାବଣ୍ୟବତୀ ଓ କୋଟିବ୍ରହ୍ମାଣ୍ଡ ସୁନ୍ଦରୀ ଅନ୍ୟତମ ।
ରାଜ୍ୟ ପ୍ରତ୍ୟାବର୍ତ୍ତନ
କବି ଭାବରେ ବେଶ୍ ନାଁ କରିସାରିଥିବା ଉପେନ୍ଦ୍ରଙ୍କର ଖ୍ୟାତି ବିଷୟରେ କାକା ଘନଭଞ୍ଜ ଶୁଣିବାକୁ ପାଇଲେ । ଘନଭଞ୍ଜ ଜଣେ ରାଜା ହେବା ସହ ଜଣେ କବି ମଧ୍ୟ ଥିଲେ, ତେଣୁ ସେ ପୁତୁରା ଉପେନ୍ଦ୍ରଙ୍କୁ ସମ୍ମାନର ସହିତ କୁଲାଡ଼ଗଡକୁ ଫେରାଇ ଆଣିଲେ ତଥା ଅନ୍ୟ କବି ଓ ପଣ୍ଡିତମାନଙ୍କ ସହିତ କାବ୍ୟଶାସ୍ତ୍ର ଆଦି ଆଲୋଚନା କରି ସମୟ କଟାଇଲେ. । ଜେଜେ ଧନଞ୍ଜୟଙ୍କର ଏକ ଶ୍ରେଷ୍ଠ କୃତି "ରଘୁନାଥ ବିଳାସ " କୁ ପୂର୍ବରୁ ପଢିଥିଲେ ଉପେନ୍ଦ୍ର ସେଥିରେ ଅଳଙ୍କାର ପ୍ରୟୋଗ ହୋଇନଥିବାରୁ ସେହିପରି ଅନ୍ୟ ଏକ ଅଳଙ୍କାର ପୂର୍ଣ୍ଣ ସର୍ଜନା କରିବାକୁ ମନସ୍ତ କରି ଏକ କୃତି ସର୍ଜନା କଲେ ଯାହାର ନାମ ରଖିଲେ "ବୈଦେହୀଶ ବିଳାସ"

ଉପେନ୍ଦ୍ର ଭଞ୍ଜ ପାଖାପାଖି ୫୨ ଗୋଟି କାବ୍ୟ ଲେଖିଥିବା ଏକାଧିକ ଗବେଷକଙ୍କ ଦ୍ୱାରା ସଂଗୃହୀତ ହୋଇଅଛି । ଏହା ମଧ୍ୟରୁ ମାତ୍ର ୨୦-୨୫ ଗୋଟି କାବ୍ୟ ଅଧୁନା ମୁଦ୍ରିତ ହେଉଛି । ଅନ୍ୟ କାବ୍ୟଗୁଡ଼ିକ ନଷ୍ଟ କିମ୍ବା ବିଲୁପ୍ତ ହୋଇଯାଇଅଛି । କେତେକ ଗ୍ରନ୍ଥର ପୋଥି ରହିଅଛି କିନ୍ତୁ ମୁଦ୍ରଣ ହେଉନାହିଁ ।
ତଳେ ଦିଆଯାଇଥିବା ସୂଚୀର ଅଧିକାଂଶ ଡଃ ଗୌରୀକୁମାର ବ୍ରହ୍ମାଙ୍କ 'ଭଞ୍ଜ ଭୂମିକା'ରୁ ନିଆଯାଇଛି । ପ୍ରମୁଖ ରଚନାଗୁଡିକ ହେଲା

କାବ୍ୟ :-

ରାମାୟଣ , ବୈଦେହୀଶ ବିଳାସ ,ଅବନା ରସତରଙ୍ଗ , ରାମଲୀଳାମୃତ , କଳା କଉତୁକ , ଛାନ୍ଦଭୂଷଣ ,ରାସଲୀଳା ,ବ୍ରଜଲୀଳା ,ଶ୍ରୀକୃଷ୍ଣ ବିହାର ,କୁଞ୍ଜବିହାର ,ବଜାର ବୋଲି

କାଳ୍ପନିକ :

ଲାବଣ୍ୟବତୀ ,କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ପ୍ରେମ ସୁଧାନିଧି ,ରସିକ ହାରାବଳୀ ,ସୁବର୍ଣ୍ଣରେଖା ,ଭାବବତୀ ,ରସପଞ୍ଚକ ,ଚନ୍ଦ୍ରରେଖା ,ରସିକାନୁଚିନ୍ତା ,ରସଲେଖା,ତ୍ରୈଲୋକ୍ୟମୋହିନୀ ,ଲତା ,ମୁକ୍ତାବଳୀ ,ଚନ୍ଦ୍ରକଳା ,ଶୋଭାବତୀ ,କଳାବତୀ ,ରସମଞ୍ଜରୀ ,ଇଚ୍ଛାବତୀ ,ହେମମଞ୍ଜରୀ ,ଚିତ୍ରଲେଖା ,ପ୍ରେମଲତା ,ମନୋରମା ,ଅନଙ୍ଗ ରଙ୍ଗିଣୀ ,ଶଶିରେଖା ,ମିଳନ ମଞ୍ଜରୀ ,ରସନିଧି
,ବିଚିତ୍ର ତରଙ୍ଗିଣୀ,କଳ୍ପିତ କଳ୍ପରେଖା ,ବାରମାସୀ ,ଛତିଶ ରାଗ ,ପଦ୍ମାବତୀ ପରିଣୟ

ପୌରାଣିକ :-
ସୁଭଦ୍ରା ପରିଣୟ ( ଅଦ୍ୟାବଧି ଏଇ ନାଟକ ଲୋକପ୍ରିୟ ଭାବେ ଚାଲୁଅଛି) ,
ଦମୟନ୍ତୀଶ ବିଳାସ ,ସତୀଶ ବିଳାସ

ସ୍ତୁତିମୂଳକ :-

ପୁରୁଷୋତ୍ତମ ମାହାତ୍ମ୍ୟ ,ଦୁର୍ଗାସ୍ତୁତି ,ଗଜନିସ୍ତାରଣ ,ଗରୁଡ଼ ଗୀତା

କାବ୍ୟଶାସ୍ତ୍ର ଓ ଅଳଙ୍କାର ଶାସ୍ତ୍ର :-

ଚିତ୍ରକାବ୍ୟ , ଗୀତାଭିଧାନ

କାମଶାସ୍ତ୍ର :-
ପଞ୍ଚଶାୟକ,ଷଡ଼ଋତୁ,ଚଉପହରା

ଜ୍ୟୋତିଷ ଶାସ୍ତ୍ର :- କଟପାୟା

ହାସ୍ୟରସାତ୍ମକ :-

ହାସ୍ୟାର୍ଣ୍ଣବ, ବଜାର ବୋଲି

ଚଉପଦୀ :-
ସଙ୍ଗୀତ କୌମୁଦୀ,ଚଉପଦୀ ଭୂଷଣ ,ଚଉପଦୀ ଚନ୍ଦ୍ର ,ଚଉପଦୀ ଚନ୍ଦ୍ରିକା ,ରସପଞ୍ଚକ

ଚଉତିଶା :-
ଯମକରାଜ ଚଉତିଶା ,ଚିଟାଉ ଚଉତିଶା ,ଛଅ ପୋଇ ,ନଅ ପୋଇ ,ଦଶ ପୋଇ ,ବାର ପୋଇ ,ଷୋଳ ପୋଇ
ଏଭଳି ବହୁ ପ୍ରଶଂସିତ କୃତି ।
ଉପେନ୍ଦ୍ରଭଞ୍ଜଙ୍କୁ ପ୍ରଶଂସା କରି କବି ଗୋପବନ୍ଧୁ ଦାସ ଲେଖିଛନ୍ତି :- ➡️

କବିକୁଳ କୁଞ୍ଜ ଉପଇନ୍ଦ୍ରଭଞ୍ଜ ନମେ ତବ ପଦତଳେ,
କାବ୍ୟ-ସୁମାଧୁରୀ ଭାଷା-ସୁଚାତୁରୀ ପରକାଶିଲ ଉତ୍କଳେ ।
ଜନ୍ମି ରାଜକୁଳେ ବଇଭବ କୋଳେ ଅତୁଳ ସୁଖ-ସଦନେ,
ତେଜି ସେ ସମ୍ଭୋଗ ଆଚରିଲ ଯୋଗ ବୀଣାପାଣି ଆରାଧନେ ।
ଅତି ମନୋହର ଚାରୁ ଚମତ୍କାର ଶତ ମାନସୀ ପ୍ରତିମା,
କାବ୍ୟ ଚିତ୍ରପଟେ ଉଜ୍ଜ୍ୱଳେ ପ୍ରକଟେ ତୁମ୍ଭ ପ୍ରତିଭା ଗରିମା ।
କଳ୍ପନାର କାଚେ ତବ ହୃଦ ଛାଞ୍ଚେ ନବ ବର୍ଣ୍ଣେ ପ୍ରତିଫଳି,
ନବ ଅଳଙ୍କାରେ ଶୋଭେ କି ରୁଚିରେ ପୁରାଣ ଘଟଣାବଳି ।
ହେ କବିଶେଖର ଭଞ୍ଜ ବୀରବର ! କୋଟି ଉତ୍କଳ-ସନ୍ତାନେ,
ଆଜି ନବଯୁଗେ ଧନ୍ୟ ଧନ୍ୟବାଦ କରିଛନ୍ତି ତୁମ୍ଭ ନାମେ ।
ଗାଏ ତୁମ୍ଭ ଗୀତ ସଭାରେ ପଣ୍ଡିତ ପଥେ ପାନ୍ଥ ହୃଷ୍ଟମନା,
ବିଲେ ବୋଲେ ଚଷା ଅନ୍ତଃପୁରେ ଯୋଷା ନୃତ୍ୟରଙ୍ଗେ ବାରାଙ୍ଗନା ।
କାଳ ବଳିଆର ଆଣଇ ସଂସ୍କାର ନବ ରୁଚି ନବଜ୍ଞାନ,
କିନ୍ତୁ ବୈଦେହୀଶ ବିଳାସ ପାଇବ କାଳେ କାଳେ ଉଚ୍ଚେ ସ୍ଥାନ ।
ସୃଜିଣ ସ୍ୱହସ୍ତେ ଓଡ଼ିଆଙ୍କ ଭାଷା ଗଢ଼ିଛି ଓଡ଼ିଆ ଜାତି,
ତବ ଜନ୍ମସ୍ଥାନ ଓଡ଼ିଶାରୁ ଆନ ଭାବିଲେ ବିଦରେ ଛାତି ।
ତଥାପି ଅନେକ ସାହିତ୍ୟ-ସେବକ ଭାବି ଉତ୍କଳ ନନ୍ଦନ,
ପୁଣ୍ୟ ତୀର୍ଥମଣୀ ଘୁମୁସର ପଦେ କରିବେ ନିତି ବନ୍ଦନ ।

ଏଠି ଗୋପବନ୍ଧୁ ଦାସ , ଉପେନ୍ଦ୍ରଭଞ୍ଜ ଘୁମୁସୁର ଅଞ୍ଚଳର ବୋଲି ବର୍ଣ୍ଣନା କରିଛନ୍ତି  ।

ସଂଗ୍ରହ ସହ ଉପସ୍ଥାପନା :-
ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ ।

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...