★ 'ସାଧବଝିଅ' ଓ କବି ଡଃ ମାୟାଧର ମାନସିଂହ ★
ଉପସ୍ଥାପନା : ଅମୃତେଶ ଖଟୁଆ
______________________________________
ସାଧବ ଝିଅର ଏକେ ଚିନ୍ତା : ମୋ ପଟାନ୍ତର ମୋ ସ୍ଵାପ୍ନିକ ପରଶ ଦେଇ ମୋର ଦରଜାକୁ ଆଉଜି ଠିଆ ହେଇ ଥିବେ ମୋର ଆଶୟ, ମୋର ସେହି ଚିର ଅଭିଳାଷୀ ରାଜପୁତ୍ର । ଛନକା ପଶିଯାଉଥିବ ଦେଖିକି ସେ ରୋମାଞ୍ଚକର ଉପସ୍ଥିତି, ସେ ସଧୀର ପଦ ସଞ୍ଚାଳନା । ଶତଦରିଆ ପାରି ହେଇ ଏକା ତାରି ଅପେକ୍ଷା କରିକି ଆସିଛନ୍ତି ସାଧବପୁଅ, କଣ ଦେଇ ତାଙ୍କର ଏ ଦୂରଯାତ୍ରାର ଦୁଃଖ ଶୋଧ କରିବ ?
ହଁ ― ସେ ସମର୍ପିତ ହେଇ ଲୋଟିପଡିବ ତାଙ୍କ ସେବାରେ । ଯେଉଁ ଦିନେ ତାଙ୍କର ପ୍ରାଣର ବାଞ୍ଛିତ ପୁରୁଷ ଆସି ତାଙ୍କୁ ପ୍ରତ୍ୟକ୍ଷ କରିବେ, ସେହି ଦିନଠୁ ହିଁ ସେ ସ୍ବୀୟ ତନୁମନ ସବୁକୁ ତାଙ୍କରି ଚରଣାବନତ କରିଦେବେ, କେଵଳ ଆଉ କେବଳ ଏ ପ୍ରେମରେ, ଏ ଭୋଳ ସୁଖର ସମ୍ବର୍ଦ୍ଧନାରେ । ପ୍ରାଣପ୍ରିୟଙ୍କ ଦୁଃଖ ଶମିବାକୁ ଦେଇପାରେ ତା ଶୋଣିତ, ଆଉ ତା ଜୀବନର ବାରବ୍ରତ ତା ପ୍ରାଣସୁଖଦ ପ୍ରାଣପ୍ରିୟ ପାଇଁ କେବଳ !
ଆରେ ସିଏ ଆସିଲେ ବି କଣ ପାଇଁ ଏତେ ସିନ୍ଧୁନଦୀ ଲଙ୍ଘନ କରି ? ତାଙ୍କ ନଗରରେ ବି ତ ମୋଠୁ ବଳି କୋଟିଏରେ ଗୋଟିଏ ରୂପବତୀ ରହୁଥିବେ । କଣ ଦେଇ ପୂର୍ଣ୍ଣ କରିବି ତାଙ୍କ କରୁଣାର ପରିଶୋଧ ? ଏସବୁ ମନର କଥା କହୁ କହୁ ମାଲୁଣୀକି ସନ୍ତକର ଦ୍ୟୋତକ ସ୍ଵରୂପ ରତ୍ନମୁଦି ଓ କଣ୍ଠରୁ ମାଣିକ୍ୟ ହାର ଦେଇ ରାଜାଙ୍କ ଥାଟ ଦେଇ ଯାଉଥିବା ସେଇ ରାଜପୁରୁଷଙ୍କୁ ଦେବୁ ।
ଥରେ ତାଙ୍କର ଦର୍ଶନ, ମିଳିଯାଆନ୍ତା ଯଦି ଏ ବିଶ୍ବର କେଉଁ ବିରାଗ ମୋ ଭୟର କାରଣ ହେବ ? ତାଙ୍କର ବୀତରାଗ ଅନୁରାଗର ଆଢୁଆଳ ହିଁ ମୋହର ସୌଭାଗ୍ୟ ବୋଲି କହୁଛି ସେ ସାଧବଝିଅ। ଆଉ ଏପଟେ ବିକଳିତ ସାଧବପୁଅ କିପରି ଚତୁର୍ଦ୍ଦିଗ ଅଥୟ ହୋଇ ତାର ଆନନ୍ଦର ଚିରବାଞ୍ଛିତ ରମଣୀକୁ ଯେପରି ଦୂରଦିଗନ୍ତ ଯାଏଁ କରୁଛି ପ୍ରଣବଧ୍ଵନିର ସଞ୍ଚରଣ, ମୃଦୁଳ ପ୍ରାଣରୁ ବ୍ୟଥିତ ଅପେକ୍ଷାର ଘନଘନ ଆହ୍ଵାନ !
(ଧାରାବାହିକ ଭାଗ - ୧୦)
ଶୁଣ ବାୟୁ, ଶୁଣ ହେ ଆକାଶ
ଶୁଣ ଜନ, ବନ, ତରୁଲତା,
ଜୀବନର ସକଳ ବିଳାସ
ବିଳାସର ସବୁ ମଧୁରତା ।
ମୁଁ ଯେ ପ୍ରାଣେ ଭୋଗୁଛି ନିବିଡେ
ତେଣୁ ପ୍ରାଣ ଭାସେ ଦୁଇତୀରେ ।
ଏ ଧରାର ସାର ଯେ କିଶୋରୀ
ସେ କିଶୋରୀ ସାର ଯେ ହୃଦୟ
ସେ ହୃଦୟ ସାର ପ୍ରୀତି-ଝରୀ
ହାତେ ମୋର ଦେଖ, ସୁଧାମୟ,
ପିଇଛି ମୁଁ ମନତୋଷେ ତହିଁ
ଆନ ମତେ ଦିଶୁଛି ଏ ମହୀ ।
ତୁମେ କେହି ଦେଖିଛ ତ କହ
ତାହା ପରି ଅଛି କେ ଜଗତେ ,
ତାହା ପରି ପେଲବ ହୃଦୟ
ତା ସମାନ ରୂପ ଚିତ୍ରପଟେ ?
ଅନୁପମ ସରସ ସୁନ୍ଦର
ମୋର ହିଁ ସେ, ଏକାନ୍ତ ମୋହର !
ଓଠେ ଜଳେ ନିଆଁ ତା ଚୁମ୍ବନେ
ପୁଲକିତ ତନୁ ତା'ର ବାସେ
ଆଲୋକିତ ହିଆ ତା ମିଳନେ,
ନରବାଣୀ କୋମଳ ତା ଭାଷେ ।
ଚାଲିଲେ ସେ ଫୁଲ ଫୁଟେ ତଳେ
ଘନୀଭୂତ ମଳୟ ତା' କରେ
କାଟି କାଟି ସପତ ଜଳଧି
ଡେଇଁ ଡେଇଁ ଦେଶ, ନଈ, ନାଳ,
ଆସିଛି ମୁଁ ଖୋଜି ଯେଉଁ ନିଧି
ପାଇଛି ମୁଁ ; ତୁଳା କାହିଁ ତାର !
ଇନ୍ଦ୍ରଧନୁ ପରି ସେ ସୁନ୍ଦର
ମେଘ ପରି ସର୍ବଶୁଭଙ୍କର ।
ଏଇ ଦେଖ ଆସେ ଉପବନେ,
ଦେଖ ତାର ମୃଦୁ ମଧୁ ଗତି,
ସୁନାମେଘ ପ୍ରଦୋଷ ଗଗନେ
ଭାସି ଅବା ଯାଏ ପ୍ରାଚୀ ପ୍ରତି ।
ତା ତନୁର ସୁନାକାଠି ଲାଗି
ହୀନ ମାଟି ହୁଅଇ ଶୋଭାଙ୍ଗୀ ।
ଆସ ସଖି, ଜପ ହୃଦୟର
ନୟନର ପରମ ଦର୍ଶନ,
ସ୍ଵାଦୁ, ଶୁଭ, ସୁରଭି, ସୁନ୍ଦର
ଆନନ୍ଦର ଚିର ପ୍ରସ୍ରବଣ ।
ବାବଦୂକ କରୁ ତୁହି ମୋତେ
ତୋରି କଥା କହୁଛି ଜଗତେ ।
କହୁଅଛି ଡାକି ଏହି କଥା
ମୁଁ ଯେ ଅତି ଭାଗ୍ୟବାନ୍ ଭବେ।
କଲେ କିଏ କରୁଥାନ୍ତୁ ଥଟ୍ଟା
ମୁହିଁ ଜାଣେ ମୋର ଗଉରବେ।
ଧରଣୀର ସାର ଯେ ସୁନ୍ଦରୀ
ସେ ଯେ ମୋର ପ୍ରାଣ ସହଚରୀ
ସେ ଯେ ମୋର ସର୍ବ ଶୁଭଙ୍କରୀ
ମୋ ସାଗରେ ନବ ସୁନାତରୀ ।
( କ୍ରମଶଃ ..…... 💐
ଉପସ୍ଥାପନା : ଅମୃତେଶ ଖଟୁଆ )
No comments:
Post a Comment