Friday, July 30, 2021

ଓଡ଼ିଆ_ସାହିତ୍ୟରେ_ପାଠକ_ସମସ୍ୟା

#ଓଡ଼ିଆ_ସାହିତ୍ୟରେ_ପାଠକ_ସମସ୍ୟା
                     ଡ. ଅନ୍ତର୍ଯ୍ୟାମୀ ମିଶ୍ର

ସଶ୍ରଦ୍ଧ ପାଠକ ହିଁ ସାହିତ୍ୟ ସମୃଦ୍ଧିର ଉତ୍ତମ ସହାୟକ। ପାଠକୀୟ ଶ୍ରଦ୍ଧା ସାହିତ୍ୟକୁ ଲୋକପ୍ରିୟ କରିଥାଏ। ଯେଉଁ ସାହିତ୍ୟର ପାଠକ ସଂଖ୍ୟା ଯେତେ ଅଧିକ ସେହି ସାହିତ୍ୟ ସେତିକି ଉନ୍ନତ। ଦୁଃଖର ବିଷୟ ସମ୍ପ୍ରତି ସାହିତ୍ୟ ଆଉ ପାଠକର ଆଦରର ବସ୍ତୁ ହୋଇନାହିଁ। କ୍ରମେ ସ୍ରଷ୍ଟା ଓ ପାଠକଙ୍କ ମଧ୍ୟରେ ଦୂରତ୍ୱ ବୃଦ୍ଧି ପାଇବାକୁ ଲାଗୁଛି। ଏହି ଗୁରୁତର ସମସ୍ୟା ପ୍ରତି କାହାର ନିଘା ନାହିଁ। ଆମେ ସାହିତ୍ୟ ସୃଷ୍ଟି କରିବା ନିମିତ୍ତ ଯେତିକି ବ୍ୟଗ୍ର ପାଠକ ସଚେତନତା ସୃଷ୍ଟି ନିମିତ୍ତ ସେତିକି ତତ୍ପର ନୋହୁ।
ପାଠକ ହିଁ ସାହିତ୍ୟର ମୁଖ୍ୟ ପୃଷ୍ଠପୋଷକ। ସାହିତ୍ୟ ସର୍ବଦା ପାଠକଙ୍କ ନିକଟରେ ନିତ୍ୟନୂତନ। ସାହିତ୍ୟ ପାଠକଙ୍କୁ ଜ୍ଞାନ ଓ ଆନନ୍ଦ ପ୍ରଦାନ କରିଥାଏ। ସାହିତ୍ୟର ଭାଷା, ଭାବ, ସତେଜ ଅନୁଭୂତି, ବ୍ୟଞ୍ଜନା ଓ ରସ ପାଠକର ବୌଦ୍ଧିକ ବିକାଶ ଘଟାଇଥାଏ। ବର୍ଣ୍ଣାଡ’ଶଙ୍କ ଭାଷାରେ, ”books are in fact cheapest of all the pleasures.“ ଅର୍ଥାତ୍‌ ପୁସ୍ତକ ପ୍ରକୃତରେ ସହଜଲଭ୍ୟ ଆନନ୍ଦର ଉତ୍ସ। ପୁସ୍ତକରୁ କେବଳ ଆନନ୍ଦ ମିଳେନାହିଁ, ଜୀବନମୁକ୍ତିର ପଥ ମଧ୍ୟ ଉପଲବ୍ଧ ହୋଇଥାଏ। ପୁସ୍ତକଟି ସଦ୍ୟ ପ୍ରକାଶିତ ହେଉ ବା ଦୁଇଶହ ବର୍ଷ ତଳର ପୁସ୍ତକ ହେଉ, ତାହା ସବୁ ଯୁଗର ପାଠକଙ୍କ ନିମିତ୍ତ ନିତ୍ୟନୂତନ। ଅମୃତତ୍ୱ ହେଉଛି ପୁସ୍ତକର ସହଜାତ ଧର୍ମ, ଯାହା ମନୁଷ୍ୟକୁ ଚିରକାଳ ଶାଶ୍ୱତ ଆନନ୍ଦ ଓ ବିମଳ ଜ୍ଞାନ ପ୍ରଦାନ କରିଥାଏ। ଏହି ଦୃଷ୍ଟିରୁ ଆମର ଅନ୍ୟାନ୍ୟ ଆବଶ୍ୟକତା ସହିତ ପୁସ୍ତକ ପଠନର ଏକାନ୍ତ ଆବଶ୍ୟକତା ରହିଛି। ଅଥଚ ଆମେ ଅନ୍ନ, ବସ୍ତ୍ର, ବାସଗୃହ ପ୍ରଭୃତି ମୌଳିକ ଆବଶ୍ୟକତା ସହିତ ପୁସ୍ତକ ପଠନକୁ ବିଚାରକୁ ନେଇନାହେଁ।
ପୁସ୍ତକ ପଠନ ନିମିତ୍ତ ସମୟ ଏକ ଗୁରୁତର ସମସ୍ୟା। ପ୍ରତ୍ୟହ କିଛି ସମୟ ପୁସ୍ତକ ପଠନରେ ବିନିଯୋଗ କରିବା ନିମିତ୍ତ ଅନେକେ ପ୍ରସ୍ତୁତ ନୁହନ୍ତି। ଆମ ଦୈନନ୍ଦିନ ଜୀବନଚର୍ଯ୍ୟାରେ ପୁସ୍ତକ ପଠନ କୌଣସି ସ୍ଥାନ ଅଧିକାର କରିପାରି ନାହିଁ। ଅନ୍ୟ ଭାଷାରେ କହିଲେ, ଜୀବନ ଗଠନରେ ସାହିତ୍ୟର ଭୂମିକାଟି ଆମର ବିସ୍ମୃତ ହୋଇଯାଇଛି। ନିରିଖେଇ ଅନୁଧ୍ୟାନ କଲେ ଜଣାଯାଏ, ଆମେ ବାଜେ ଗପ ଓ ଆମୋଦପ୍ରମୋଦରେ ଯେତିକି ସମୟ ବିତାଉଛେ, ସେହି ସମୟରେ ଅନ୍ତତଃ ଖଣ୍ଡିଏ ଭଲ ବହି ପଢିପାରନ୍ତେ। ଏହା ସତ୍ୟ ଯେ, ସାମାଜିକ ଚେତନା ସୃଷ୍ଟି ନିମିତ୍ତ ସାହିତ୍ୟର ଆଭିମୁଖ୍ୟକୁ ଆମେ ଭୁଲିଯାଉଛେ। ସମ୍ପ୍ରତି ଆମ ଭିତରୁ ଅନେକେ ସାହିତ୍ୟ ସାଧନା, ସାହିତ୍ୟାନୁରାଗ ଓ ସାହିତ୍ୟ ପଠନକୁ ଅଳସୁଆଙ୍କ କାର୍ଯ୍ୟ ଭାବେ ବିବେଚନା କଲେଣି। କିନ୍ତୁ ଏହା ସୁସ୍ଥ ମତ ନୁହେଁ। ସେମାନେ ଜୀବନର ପ୍ରତି ମୁହୂର୍ତ୍ତକୁ ଚତୁର ବେପାରୀ ସଦୃଶ ବିନିଯୋଗ କରିବାକୁ ଶ୍ରେୟସ୍କର ମଣନ୍ତି, ଜ୍ଞାନାର୍ଜନକୁ ହେୟ ମଣନ୍ତି।
ଓଡ଼ିଆ ଭାଷାରେ ଅସଂଖ୍ୟ ଗୁଣାତ୍ମକ ମାନସମ୍ବଳିତ ପୁସ୍ତକ ପ୍ରକାଶିତ ହେଉଥିଲେ ହେଁ ଖୁବ୍‌ ସ୍ବଳ୍ପ ସଂଖ୍ୟକ ପୁସ୍ତକ ବିକ୍ରି ହୋଇଥାଏ। ପୁସ୍ତକର ମୂଲ୍ୟବୃଦ୍ଧି ଏହାର କାରଣ ନୁହେଁ। ସାମ୍ପ୍ରତିକ ସ୍ଥିତିରେ ପ୍ରତ୍ୟେକ ପଦାର୍ଥର ମୂଲ୍ୟବୃଦ୍ଧି ଘଟିଛି। ଅଥଚ ବଜାରରେ ପଦାର୍ଥର ଅଭାବ। ଅସଲ କଥାଟି ହେଉଛି ଆମେ ଅନ୍ୟାନ୍ୟ ପଦାର୍ଥକୁ ଯେତିକି ଦରକାରୀ ବିବେଚନା କରୁଛେ, ପୁସ୍ତକକୁ ସେତିକି ଚିନ୍ତା କରୁନାହେଁ। ଅବଶ୍ୟ ମୁଦ୍ରଣ ପରିପାଟୀ ଓ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧି ଯୋଗୁ ପୁସ୍ତକର ମୂଲ୍ୟ ପୂର୍ବାପେକ୍ଷା ବୃଦ୍ଧିପାଇଛି, କିନ୍ତୁ ଅନ୍ୟାନ୍ୟ ପଦାର୍ଥର ମୂଲ୍ୟବୃଦ୍ଧି ତୁଳନାରେ ତାହା କମ୍‌। ଆମେ ବିଳାସବ୍ୟସନରେ ଯେତିକି ଅର୍ଥ ବିନିଯୋଗ କରୁ, ପୁସ୍ତକ କ୍ରୟରେ ତା’ଠାରୁ କମ୍‌ ମଧ୍ୟ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ନୋହୁ। ସାଧାରଣ ପାଠକଙ୍କ କଥା ଛାଡନ୍ତୁ। ବିଜ୍ଞ ତଥା ବୁଦ୍ଧିଜୀବୀମାନେ ବହି କିଣି ପଢିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ଅନେକେ ଓଡ଼ିଆ ବହି ଅପେକ୍ଷା ଇଂଲିଶ ଓ ହିନ୍ଦୀ ବହି କିଣିବାକୁ ପସନ୍ଦ କରିଥାନ୍ତି। ଅନେକ ପାଠକ କେବଳ ପୁରସ୍କାରପ୍ରାପ୍ତ ଲେଖକଙ୍କ ବହି ପଢିବାକୁ ଭଲ ପାଆନ୍ତି। ପରିତାପର ବିଷୟ, ବହୁ ପୁରସ୍କାର ଲେଖକଙ୍କୁ ଦିଆଯାଏ, ଲେଖାକୁ ନୁହେଁ। ଏହି କାରଣରୁ ଅନେକ ପୁରସ୍କୃତ ପୁସ୍ତକ ନିମ୍ନମାନର। ପୁରସ୍କୃତ ଲେଖକଙ୍କ ଅପେକ୍ଷା ଅନ୍ୟ ଲେଖକଙ୍କର ଚେତନଶୀଳ ପୁସ୍ତକ ପାଠକୀୟ ଶ୍ରଦ୍ଧାରୁ ବଞ୍ଚିତ ହୋଇଥାଏ। ସାମ୍ପ୍ରତିକ ପୁରସ୍କାର ଚୟନ ପଦ୍ଧତିରେ ଅନେକ ଉଚ୍ଚକୋଟୀର ପୁସ୍ତକ ପୁରସ୍କାର ପାଏ ନାହିଁ। ଏହି ଦୃଷ୍ଟିକୋଣରୁ କେବଳ ପୁରସ୍କାରପ୍ରାପ୍ତ ପୁସ୍ତକ ନ ପଢି ଅନ୍ୟାନ୍ୟ ଉନ୍ନତମାନର ପୁସ୍ତକ ପଢିଲେ ପାଠକ ସ୍ରଷ୍ଟାଙ୍କର ଭାଷା, ଭାବ, ଲୁକ୍କାୟିତ ବର୍ଣ୍ଣବୈଭବ, ଅନ୍ତର୍ନିହିତ ସତ୍ୟ ଓ ବୌଦ୍ଧିକ କଳାକୌଶଳ ପ୍ରଭୃତି ଆହରଣ କରିପାରିବ। ଅନେକେ ଖ୍ୟାତନାମା ଲେଖକଙ୍କ ମୂଲ୍ୟବାନ ପୁସ୍ତକ ଆଲମାରୀରେ ସଜାଇ ରଖନ୍ତି, ଅଥଚ ପଢନ୍ତି ନାହିଁ ବା ସେମାନଙ୍କର ପଠନାଭ୍ୟାସ ନ ଥାଏ। ପୁସ୍ତକସ୍ଥିତ ଜ୍ଞାନକୁ ନିଜର କରିବାକୁ ସେମାନେ ସେହିସବୁ ପୁସ୍ତକ ସହିତ ଏକାତ୍ମତା ସ୍ଥାପନ କରିପାରନ୍ତି ନାହିଁ। କେବଳ ପୁସ୍ତକ ସଜାଇ ରଖିବାକୁ ସେମାନେ ଆଭିଜାତ୍ୟ ମନେକରନ୍ତି। ପଠନାଭ୍ୟାସ ଅବସରକାଳୀନ ଜୀବନରେ ଏକାନ୍ତ ଲୋଡା। ବୃଦ୍ଧ ଓ ନିଃସଙ୍ଗ ଅବସ୍ଥାରେ ଜଣେ ବ୍ୟକ୍ତି ଯେତେବେଳେ ପରିବାର ଓ ସ୍ବଜନଙ୍କ ଦ୍ୱାରା ଅଲୋଡା ହୋଇଯିବ ପୁସ୍ତକ ହିଁ ତାକୁ ନିଃସଙ୍ଗତାରୁ ମୁକ୍ତି ଦେଇପାରିବ। ଏହି ଦୃଷ୍ଟିକୋଣରୁ ପୁସ୍ତକ ହେଉଛି ମନୁଷ୍ୟର ପରମ ବନ୍ଧୁ।
ଆମର ଅଶୀ ଶତାଂଶ ବ୍ୟକ୍ତି ଗ୍ରାମାଞ୍ଚଳରେ ବାସ କରନ୍ତି। ସେମାନଙ୍କ ମଧ୍ୟରୁ ଅନେକେ ପୁସ୍ତକ ପଠନରେ ଆଗ୍ରହୀ। ପୁସ୍ତକ ପାଠ କରିବା ନିମିତ୍ତ ସେମାନଙ୍କ ନିକଟରେ ସମୟ ଥାଏ ଓ ଇଚ୍ଛା ଥାଏ। ଅଥଚ ଅର୍ଥାଭାବରୁ ସେମାନେ ପୁସ୍ତକ କ୍ରୟ କରିପାରନ୍ତି ନାହିଁ। ଗ୍ରାମାଞ୍ଚଳରେ ମଧ୍ୟ ପାଠାଗାରର ସେପରି ସୁବିଧା ନାହିଁ। ପାଠକୀୟ ସଚେତନତା ସୃଷ୍ଟି ନିମିତ୍ତ ପୁସ୍ତକମେଳା ଏକ ଅଭିନନ୍ଦନୀୟ ପଦକ୍ଷେପ ହେଲେ ହେଁ ଗ୍ରାମାଞ୍ଚଳକୁ ଏହା ଆଶାନୁରୂପ ଭାବେ ବ୍ୟାପ୍ତ ହୋଇନାହିଁ। ବ୍ୟାପକ ସଂଖ୍ୟାରେ ପତ୍ରପତ୍ରିକା ମଧ୍ୟ ଗ୍ରାମାଞ୍ଚଳରେ ଉପଲବ୍ଧ ନୁହେଁ। ଫଳରେ ଏକ ବୃହତ୍‌ ପାଠକଗୋଷ୍ଠୀ ପାଠକୀୟ ଶ୍ରଦ୍ଧାରୁ ବଞ୍ଚିତ ହୋଇଥାନ୍ତି।
ସମ୍ପ୍ରତି ବୈଦ୍ୟୁତିକ ଗଣମାଧ୍ୟମର ପ୍ରସାର ପାଠକୀୟ ରୁଚିକୁ ବ୍ୟାହତ କରୁଛି। ଆଜିର ଜଞ୍ଜାଳଗ୍ରସ୍ତ ମନୁଷ୍ୟ ଟିକିଏ ଅବସର ପାଇଲେ ବୈଦ୍ୟୁତିକ ଗଣମାଧ୍ୟମରୁ କ୍ଷଣିକ ସୁଖଲାଭ କରିବାକୁ ଲାଳାୟିତ। ଫଳରେ ପୁସ୍ତକ ଓ ପାଠକ ମଧ୍ୟରେ ଦୂରତ୍ୱ ବୃଦ୍ଧିପାଉଛି। ସାଧାରଣତଃ ଶିଶୁ, କିଶୋର ଓ ଛାତ୍ରୀଛାତ୍ର ବୈଦ୍ୟୁତିକ ଗଣମାଧ୍ୟମ ଯୋଗୁ ପୁସ୍ତକଠାରୁ ଦୂରେଇ ଯାଉଛନ୍ତି। ଆମ ଦେଶ ଅପେକ୍ଷା ବାହାର ଦେଶଗୁଡ଼ିକରେ ବୈଦ୍ୟୁତିକ ଗଣମାଧ୍ୟମର ବହୁଳ ବ୍ୟବହାର ସତ୍ତ୍ୱେ ସେହିସବୁ ଦେଶରେ ଛାତ୍ରୀଛାତ୍ରଙ୍କର ପଠନାଭ୍ୟାସ ଦେଖିଲେ ଆମକୁ ବିସ୍ମିତ ହେବାକୁ ପଡ଼େ। ଆମ ପିଲାମାନେ ଅନ୍ୟ ବହି କଥା ଛାଡନ୍ତୁ, ପାଠ୍ୟପୁସ୍ତକ ମଧ୍ୟ ପଢନ୍ତି ନାହିଁ। ଏପରି କି ଆମର ଅଗଣିତ ଛାତ୍ରୀଛାତ୍ର ମୂଳ ପାଠ୍ୟପୁସ୍ତକ ନ ପଢି କେବଳ ଅଭିଜ୍ଞଙ୍କ ଦ୍ୱାରା ପ୍ରଣୀତ ସାରାଂଶ ପୁସ୍ତିକା ପାଠକରି ପରୀକ୍ଷା ଦେଇଥାନ୍ତି। ଏତାଦୃଶ ଭାବରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରଙ୍କର ବୌଦ୍ଧିକ ବିକାଶ ଘଟିପାରେ ନାହିଁ, କେବଳ ପରୀକ୍ଷାରେ ପାସ କରିବା ହିଁ ସାର ହୁଏ। ଏହି ଶତାବ୍ଦୀରେ ଲିଖିତ ସାହିତ୍ୟ ଲୋପ ପାଇବାର ଆଶଙ୍କା ଅଧିକ। ତେଣୁ ବେଳହୁଁ ସାବଧାନ ହେବାକୁ ପଡିବ। ଆଜିର ବିଷୟାସକ୍ତ ସମାଜ ନିମିତ୍ତ ପୁସ୍ତକପ୍ରେମର ଏକାନ୍ତ ଉପାଦେୟତା ରହିଛି। ଶିଶୁଠାରୁ ବୃଦ୍ଧ ସକଳ ଅନ୍ତରରେ ପୁସ୍ତକପ୍ରେମ, ପୁସ୍ତକାନୁରାଗ, ପଠନ ରୁଚି ସୃଷ୍ଟି ନିମିତ୍ତ ସୁଚିନ୍ତିତ ଯୋଜନାବଦ୍ଧ ପ୍ରୟାସ ଏକାନ୍ତ ଆବଶ୍ୟକ।

ଆନନ୍ଦ ନଗର, କାଠଗଡା, ଢେଙ୍କାନାଳ,

● ଝଡ଼ିପୋକ ●

                        ✍ ଶିଶିର ସାହୁ ମନୋଜ 
ମୋଗଲବନ୍ଦୀରେ ଯାହା ଝଡ଼ିପୋକ, ସମ୍ବଲପୁରରେ ତାହା ବତରକିରି ଓ ଅନୁଗୋଳ ପ୍ରଭୃତି ଅଞ୍ଚଳରେ ତାହା କଲେଇ । ସେହିପରି କୁଆପଥରକୁ କେଉଁଠାରେ କରା ଓ କେଉଁଠାରେ କଇରା କହୁଛନ୍ତି ।

 କେହି କେହି ମାଂସକୁ ଲାଲଭାଜି, ଶାଗୁଆତି କହିଲା ବେଳକୁ ଗଡ଼ଜାତ ଅଞ୍ଚଳରେ ତାହାକୁ ଶିକାର କହନ୍ତି । ପ୍ରକୃତରେ ତାହା ଶିକାର ଵା ପାରିଧିରୁ ମିଳେ ବୋଲି ତାହାର ନାଁ ହେଉଛି ଶିକାର । 

କଟକ ଅଞ୍ଚଳରେ ଯାହାକୁ ଖଇ କହନ୍ତି, ଅନ୍ୟ ବହୁତ ଅଞ୍ଚଳରେ ତାହା ଲିଆ । ମାତ୍ର ଲିଆ ସଙ୍ଗରେ ଲଗିଥିବା ଧାନକୁ ଖଇ କୁହାଯାଏ । ସମ୍ବଲପୁର ଅଞ୍ଚଳରେ ଖିଅର ହେଵାକୁ ଭଦର ହେଵା କହନ୍ତି । ପ୍ରକୃତରେ ଭଦର ହେଵା କହିଲେ କଥାର ଭାଵ ଉଚ୍ଚ ଧରଣର ନୁହେଁ କି ?

 ପୂର୍ଵାଞ୍ଚଳରେ ଧାନ କାଟିଵା କଥା କୁହାଯାଏ, ମାତ୍ର ଅନୁଗୋଳ ପ୍ରଭୃତି ଅଞ୍ଚଳରେ ତାକୁ ଧାନ ଦାଇଵା କହନ୍ତି । ଦାଆ ଓ ଦାଇଵାର ମୂଳ କଥା ଏକ । ତେଣୁ ଦାଇଵା ଗୋଟିଏ ଭଲ କଥା ।

 ଗଞ୍ଜାମ ଓ କୋରାପୁଟ ଅଞ୍ଚଳରେ କିରାସିନକୁ ମାଟିତେଲ, ଦିଆସିଲିକୁ ନିଆଁପେଡ଼ି, ଦସ୍ତଖତକୁ ସନ୍ତକ, କାମକୁ ପାଇଟି କହନ୍ତି । ରଜା ରାଜୁଡ଼ାଙ୍କ ଯୋଗୁଁ ଗଡ଼ଜାତ ଅଞ୍ଚଳର ଗମ୍ଭୀରି ସାଆନ୍ତ, କାଠିଲାଗି, ପହୁଡ଼, ମଣୋହି, ବିଜେ, ଜେମା, ଛାମୁ, ସାଆନ୍ତାଣି ପ୍ରଭୃତି ବହୁତ ନୂଆ ଶବ୍ଦର ଚଳଣି ଅଛି ।

 ଜଗନ୍ନାଥଙ୍କ ହେତୁରୁ ଛେରାପହଁରା, ଛଡ଼ାମୁଦିରଥ, ଅଠରନଳା, ବାଇଶିପାଉଛ, ମହାର୍ଦ, କୈଵଲ୍ୟ, ଚକାଡୋଳା, କାଳିଆବଳିଆ, କୁଡ଼ୁଆ ପ୍ରଭୃତି ଶବ୍ଦଗୁଡ଼କ ପୁରୀର ନିଜସ୍ୱ ।

(ଶ୍ରୀ ଶତ୍ରୁଘ୍ନ ନାଥ (ଅନୁଗୋଳ) ଙ୍କ ଦ୍ଵାରା ଲିଖିତ ପୁସ୍ତକ "ଆମ ଭାଷାର ଵିଭଵ"ର ଏକ ପ୍ରବନ୍ଧ "ଆଞ୍ଚଳିକ ଭାଷା"ରୁ କିଛି ଅଂଶ)
🟠🟠🟠🟠🟠🟠🟠🟠🟠🟠🟠🟠🟠
 ଉଲ୍ଲେଖିତ ଶବ୍ଦଗୁଡି଼କ ଵିଷୟରେ ଚାଲନ୍ତୁ ଜାଣିଵା
🟠🟠🟠🟠🟠🟠🟠🟠🟠🟠🟠🟠🟠
🔵ଝଡି଼ପୋକ— ଲଗାଣ ଝଡ଼ି ଵର୍ଷା ସମୟରେ ଏହି ଊଈପୋକ ଦେଖାଯାଉଥିଵାରୁ ଏଵଂ କେତେକ ସମୟ ଉଡ଼ି ତଳେ ଝଡି଼ପଡୁ଼ଥିଵାରୁ ଏମାନଙ୍କର ଏଭଳି ନାମକରଣ ହୋଇଛି । ପୋକ ଶବ୍ଦଟି ତତ୍ସମ ପୁତ୍ତକ ଓ ପୁର୍ତ୍ତିକା ସହିତ ସମଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି ।
🔵ବତରକିରି( ବତର୍+କିରି )
ବତର୍= ଓଦା ତୁଳନା କରନ୍ତୁ ଓଡ଼ିଆ ଭାଷାରେ ବତୁରିଵା । ଶବ୍ଦଟି ସମ୍ଭଵତଃ ତତ୍ସମ ଦ୍ରଵ(ଆର୍ଦ୍ର) ଶବ୍ଦ ସହ ସମଦ୍ଧୃତ । କିରି ଶବ୍ଦଟି କୀଟ ସହିତ ସମଦ୍ଧୃତ ।

🔵କଲେଇ— ଝଡି଼ପୋକ ଵା ବତରକିରିକୁ ଢେଙ୍କାନାଳ ଓ ଅନୁଗୁଳରେ କଲେଇ ପୋକ କୁହାଯାଏ । ଏ ପୋକର ପକ୍ଷ କସରା ଵା କହରା ରଙ୍ଗର ତଥା ଶରୀର ହଳଦିଆ ମିଶା ହୋଇଥିଵା ଯୋଗୁଁ ଏଭଳି ନାମକରଣ ହୋଇଛି । ଢେଙ୍କାନାଳରେ କସରା ରଙ୍ଗର ଗାଈ ତଥା କହରା ରଙ୍ଗର କେଶଯୁକ୍ତ କନ୍ୟାଙ୍କୁ କଇରୀ ଓ କଲେଇ ଆଦି ନାମ ଦିଆଯାଏ ।

🔵କୁଆପଥର,କରା ଓ କଇରା— ଶବ୍ଦତ୍ରୟ ତତ୍ସମ କରକା ସହିତ ସମଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି ।

🔵ଲାଲଭାଜି— ମାଂସକୁ ମସଲା ଆଦିରେ ଭାଜିଲେ ତାହାର ରଙ୍ଗ ଲାଲ ହୁଏ ବୋଲି ସମ୍ଭଵତଃ ଏଭଳି ନାମକରଣ ହୋଇଥିଲା । 

🔵ଶାଗୁଆତି—ହିନ୍ଦୀରେ ମାଂସକୁ ସଗୌତି କୁହାଯାଏ ବୋଲି କେତେକ ପୁରୁଣା ହିନ୍ଦୀ ଅଭିଧାନରେ ଉଲ୍ଲେଖ ରହିଛି କିନ୍ତୁ ଏ ଶବ୍ଦର ଉତ୍ପତ୍ତି ସମ୍ବନ୍ଧରେ ଏଯାଏଁ କୌଣସି ଯୁକ୍ତିଯୁକ୍ତ ତଥ୍ୟ ମିଳିନାହିଁ । 

🔵ଖଇ— ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଖଇ ଶବ୍ଦ ତତ୍ସମ ଖଇକା ସହିତ ସମଦ୍ଧୃତ ।
🔵ଲିଆ ଵା ନିଆ— ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଲିଆ ଶବ୍ଦଟି ତତ୍ସମ ଲାଜା ସହିତ ସମଦ୍ଧୃତ
🔵ଭଦର ହେଵା — ଭଦ୍ରାକରଣ ଶବ୍ଦର ଅର୍ଥ କ୍ଷୌର ହେଵା ଏଥିରୁ ଭଦର ହେଵା ଶବ୍ଦର ସୃଷ୍ଟି 
🔵ଦାଇଵା — ତତ୍ସମ ଦାତ୍ର ଶବ୍ଦ ସହ ଦାଆ ଶବ୍ଦ ସମଦ୍ଧୃତ । ଦାଆରେ କଟାଯିଵାରୁ ଏକ କ୍ରିୟା ଶବ୍ଦ ଭାବେ ଦାଇଵା ଶବ୍ଦ ସୃଷ୍ଟି ହୋଇଅଛି । 
🔵ମାଟିତେଲ— କିରୋସିନ ମାଟିତଳୁ ବାହାରେ ବୋଲି ଏହି ନାମକରଣ ହୋଇଥିଲା
🔵ନିଆଁପେଡି଼—ପେଡି଼ ଭିତରେ ସୁପ୍ତ ଅଵସ୍ଥାରେ ନିଆଁ ରହିଛି ଏହି ଭାବରୁ ଏ ଶବ୍ଦର ସୃଷ୍ଟି ହୋଇଥିଵା ସମ୍ଭଵ ।
🔵ସନ୍ତକ— ସମ୍ଭଵତଃ ଶବ୍ଦଟି ତତ୍ସମ ସ୍ମରଣାର୍ଥକ ସହିତ ସମଦ୍ଧୃତ । ସ୍ମରଣାର୍ଥକର ଅର୍ଥ ଯାହା ମନେ ପକାଇ ଦିଏ ।
🔵ପାଇଟି— ତତ୍ସମ ପରିପାଟୀ ଵା ପାଟୀ ଶବ୍ଦ ସହ ଓଡ଼ିଆ ପାଇଟି ଶବ୍ଦ ସମଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି
🔵ଗମ୍ଭିରୀ— ଏ ଶବ୍ଦଟି ତତ୍ସମ ଗମ୍ଭୀର (ଗଭୀର) କିଵା ଗର୍ଭାଗାର ସହିତ ସମଦ୍ଧୃତ ହୋଇଥାଇପାରେ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅନୁମାନ କରାଯାଇଛି

🔵ସାଆନ୍ତ— ଏ ଶବ୍ଦ ତତ୍ସମ ସାମନ୍ତ ସହିତ ସମଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି
🔵କାଠିଲାଗି—ଦେଵତା ଓ ରାଜାମାନଙ୍କର ଦନ୍ତଧାଵନ ନୀତିକୁ କାଠିଲାଗି କୁହାଯାଏ । ଦାନ୍ତକାଠି ମଧ୍ୟ କୌଣସି ଏକ ଗଛର ଡାହିରୁ ତିଆରି କାଠି ଵିଶେଷ ହିଁ ହୋଇଥାଏ ।

🔵ପହଡ଼ /ପହୁଡ଼— ଏ ଶବ୍ଦଟି ଦ୍ରାଵିଡୀୟ ଭାଷା ମୂଳର ହୋଇଥିଵା ସମ୍ଭଵ କାରଣ ତାମିଲରେ ପଡ଼ ଓ ତେଲୁଗୁରେ ପହୂଡ଼ ଶବ୍ଦ ଶୋଇଵା ଅର୍ଥରେ ଵ୍ୟଵହାର ହୋଇଥାଏ 

🔵ମଣୋହି—ରାଜାମାନଙ୍କର ଭୋଜନ କ୍ରିୟାକୁ  ମଣୋହି ଵା ମୁଣୋହିଁ କୁହାଯାଏ ‌। ଏହି ଶବ୍ଦର ନିରୁକ୍ତି ସମ୍ବନ୍ଧରେ କୌଣସି ତଥ୍ୟ ମିଳେନାହିଁ

🔵ବିଜେ— ବିଜେ ଶବ୍ଦଟି ଵିଜୟ ଶବ୍ଦ ସହ ସମଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି

🔵ଜେମା— ସଂସ୍କୃତରେ କନ୍ୟାକୁ ଜାମା କୁହାଯାଏ । ରାଜଜାମା ଶବ୍ଦ ଓଡ଼ିଆରେ ରାଜଜେମା ଓ ଜେମା ହୋଇଅଛି ।
🔵ଛାମୁ— ଛାମୁ ଶବ୍ଦଟି ତତ୍ସମ ସମ୍ମୁଖ ସହିତ ସମଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କଥିତ ଅଛି 
🔵ମହାର୍ଦ—ମହାପ୍ରସାଦର କଥିତ ଓଡ଼ିଆ ରୂପ ମହାର୍ଦ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି

🔵କୁଡୁ଼ଆ—ମହାପ୍ରସାଦ ଅନ୍ନଵ୍ୟଞ୍ଜନାଦି ପାକ କରିଵାର ମାଟିପାତ୍ର ଵା ହାଣ୍ଡିକୁ କୁଡୁ଼ଆ କୁହାଯାଏ ଏଵଂ ଏ ଶବ୍ଦଟି ତତ୍ସମ କୁଡି଼କା ସହିତ ସମଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି । କୁଡି଼କା ଶବ୍ଦର ଅର୍ଥ କାଠ ଵା ମାଟିର ପାତ୍ର ଓ ଗିନା

● ଶିକାର ●

ହେ ଶିକାରୀ .....
ତୁମ ମୁନିଆ ଦାନ୍ତର ଆଘାତେ
ରକ୍ତାକ୍ତ ମୁଁ ପ୍ରାଣୀ ଯେ ଚତୁର
ଅସହାୟ ଅବଶ ଆଜି
ଶକ୍ତିହୀନ ଜୀବନ୍ତ ଶରୀର ......

ତୁମ ନଖପଞ୍ଝାରେ ଆବଦ୍ଧ ମୁଁ
ନିର୍ବାକ ନିରୁପାୟ
ତୁମ ଇଛା ଇଲାକାରେ ବନ୍ଦୀ ମୁଁ
ଖସିବାକୁ ଯୁ ନାହିଁ  ମୋର .......

ମୁଁ ଆଜି ମୋ ଭିତରେ ନାହିଁ 
ଶିରୋଧାର୍ଯ୍ୟ ତୁମ ଆଦେଶର 
 ସେଥିପାଇଁ ତ
ତୁମ ଖେଳ ଯେ ନିଆରା 
ଖାଦ୍ୟ ସହ ଖାଦକର .....

ତୁମ ପାଖରେ ହାରିଛି ମୁଁ 
ଜିତିବା ମୋ ଜାତକରେ ନାହିଁ 
ସେଥି ଲାଗି ତ ସମର୍ପିଲି
ଏଇ ମୋର ବିଶାଳ  ଶରୀର
କାରଣ ତୁମ ମୋ ଭିତରେ ସମ୍ପର୍କ
ତୁମେ ଶିକାରୀ ମୁଁ ଶିକାର .....
        * * * * *      ପ୍ରବୀର ମଲ୍ଲିକ୍ 
                      ଶାରଳା ପୀଠ , ଝଙ୍କଡ଼
                           ଜଗତସିଂହପୁର

●~: ଫେରିବକି ସତ୍ୟାଗ୍ରହୀ :~●


ସତ୍ୟାଗ୍ରହ ର ସତ୍ୟ ଧାରରେ
ଥିଲେ ଯେଉଁ ଗଣ-ବିପ୍ଳବର
               ଚେତନାର ମଙ୍ଗୁଆଳ ,
ସତ୍ୟ ଅହିଂସା ଦୁଇ ଆୟୁଧକୁ 
ଜୀବନ୍ତ କଲ ସାଧନା ତପସ୍ୱୀ
               ଜନତାର ଜଗୁଆଳ ।
               

ଫୁଙ୍ଗୁଳା ଦେହେ , ଲଙ୍ଘିଲ ତୁମେ
ବିଶ୍ୱେ ଲିଭାଇଲ ବର୍ଣ୍ଣବୈଷମ୍ୟ
              ଉଡାଇ ମାନବ ଧ୍ବଜା ,
ହେ ମହାସାଧକ ସାଧନା ତୁମର
ଭୁଲିଯାଇ ନାହିଁ ଏ ବିଶ୍ୱ ମାନବ
              ଆଜି କରେ ତୁମ ପୂଜା। 


ଆସିବ କି ଥରେ ଦେଖିବାକୁ ତୁମ
ଦୁର୍ଦ୍ଧଷ  ମାନବ ଧରିଛି କିପରି
              ଅସତ୍ୟ ହିଂସାର ଅସ୍ତ୍ର ,
ନିରୀହ ମଣିଷ ତ୍ରସ୍ତା ମୃଗସମ
ବ୍ୟକ୍ତି ଯେ ଏଠାରେ ନିଜର ସ୍ୱାର୍ଥରେ 
              ବ୍ୟସ୍ତ ଖାଲି ବ୍ୟସ୍ତ ।


ଧ୍ବଂସ ପଥର କ୍ଳାନ୍ତ ପଥିକ
ଚାହିଁଅଛି ତୁମ ଆଗମୀ ମହକ
               ଆଶା ଆଶ୍ୱାସନା ବାରୀ ,
ତୁମ ଆଗମନେ ଫୁଟିବକି ଏଠି
ନବ ଜୀବନର ଦୁଃଖ ଦଡମଡି 
               ଯିବ କେବେ ଅପସରି। 


ହେ ମହାମାନବ ସାମର୍ଥ ଦିଅ
ଯୁଝିବାକୁ ଏ ଧରା ପୃଷ୍ଠରେ
               ଅନ୍ୟାୟ ଅତ୍ୟାଚାରେ ,
ସ୍ବେଛାଚାର ର ବିନାଶ ଯଜ୍ଞରେ
ଚେତନାର ଧ୍ବଜା ମହାଗମ୍ଭୀରେ
               ଉଡୁଥାଉ ନିରନ୍ତରେ
               ଉଡୁଥାଉ ନିରନ୍ତରେ


                          -: ଅଙ୍କିତ କୁମାର ସ୍ୱାଇଁ  :-
                          - ଶାସନ୍ଦା, ବିଂଝାରପୁର, ଯାଜପୁର -

Thursday, July 29, 2021

● ଏଇ ଖରା ଏଇ ଛାଇ, ଏଇ ଅଛି ଏଇ ନାହିଁ ! ●

ଜୀବନରେ କେତେ ମଧୁର ଓ ତିକ୍ତ ଅନୁଭୂତି 
କେବେ ଆଣନ୍ତି ପୁଲକ ତ ପୁଣି କେବେ ବିରକ୍ତି 
ସବୁ କଥା କହିହୁଏ ନାହିଁ, କାହାକୁ କହିବ 
ସବୁ ବ୍ୟଥା ସହିହୁଏ ନାହିଁ, କେମିତି ସହିବ ll

ସୁଖ ଓ ଦୁଃଖ ବାଣ୍ଟିଲେ ଯଥାକ୍ରମେ ବଢେ କମେ 
ଏ କେବଳ ପୁସ୍ତକର କଥା, ଲେଖାଅଛି ଭ୍ରମେ 
ସୁଖ ବାଣ୍ଟିଲେ ସମ୍ପର୍କୀୟ ହୁଅନ୍ତି ଈର୍ଷାନ୍ୱିତ 
ଦୁଃଖ ଶୁଣିବାକୁ କାହାର ବି ସମୟ ନାହିଁତ!

ସବୁତ ଛଳନା ପ୍ରତାରଣା ମିଛ ଅଭିନୟ 
ବୁଝିହୁଏ ସିନା, ମୁହଁ ଖୋଲିବାକୁ ଲାଗେ ଭୟ 
କେବେ ଆପଣାର ଭାବି ମାଗିଲେ ନିଜସ୍ୱ ମତ 
ଖାଲି ପୁଟଦିଆ କଥା, କେହି କହନ୍ତିନି ସତ ll

ଏମିତି ଏକ ମୁହୂର୍ତ୍ତ ଆସେ ଜୀବନ ମଧ୍ୟରେ 
ଅସହାୟ ନିଃସଙ୍ଗ ଲାଗେ ହୃଦୟ ଖାଲି ଝୁରେ 
ସବୁଆଡେ ଅଙ୍କକଷା ମସ୍ତିଷ୍କ ବୁଦ୍ଧିର ଖେଳ 
ଭଵ-ନଭ ର ମିଳନ ମିଥ୍ୟା, ସ୍ତବ୍ଧ ଚକ୍ରବାଳ ll

ଏମିତି ସମୟେ ପହଞ୍ଚିଲେ ଦର୍ପଣ ସମ୍ମୁଖ 
ଆଉ ଜଣେ ସମଭାଗୀ ଦେଖି ଘୁଞ୍ଚିଯାଏ ଦୁଃଖ 
ଅବିକଳ ସମାନ ଚେହେରା ରଖେ ତାର ମତ 
କେବେ ମିଛ କହେନାହିଁ, ପ୍ରତିବିମ୍ବ ଲାଗେ ସତ ll

ତା' ଆଗେ ଘଡ଼ିଏ ଛିଡ଼ାହେଲେ ଲାଗେ ଆପଣାର 
ସୁଖ ଦୁଃଖର ପ୍ରକୃତ ସାଥୀ କେତେ ମନୋହର 
ସମ୍ପର୍କରେ କରିଦେଇଛି ସବୁକିଛି ଅର୍ପଣ 
ଏକାନ୍ତ ଅନ୍ତରଙ୍ଗ ସାଥୀ ସିଏ ମୋର ଦର୍ପଣ ll

ଜଟିଳ ସମସ୍ୟା ଓ ନିଷ୍ପତ୍ତିର ଦ୍ୱନ୍ଦ୍ୱ ଅନେକ 
ଅଭିମନ୍ୟୁର ଚକ୍ରବ୍ୟୁହ ପରି ପଶି ଅଟକ 
ଲାଗୁଥାଏ ମୃତ୍ୟୁ ସୁନିଶ୍ଚିତ, ତଥାପି ସାହସ 
ଆତ୍ମ ବିଶ୍ୱାସ ଓ ବିଭୁ କୃପା ଆଣଇ ଉଶ୍ବାସ ll

କେତେ ସମ୍ପର୍କୀୟ ବନ୍ଧୁ ବାନ୍ଧବ ଜ୍ଞାତି କୁଟୁମ୍ବ 
ସବୁବେଳେ ପାଖେପାଖେ ଥିବେ, ଏହାକି ସମ୍ଭବ? 
ସଂସାର ରଙ୍ଗମଞ୍ଚରେ ନିଜ ନିଜ ଅଭିନୟ 
କରିବାକୁ ସଭିଏଁ ହେଉଥାନ୍ତି ବ୍ୟଗ୍ର ଅଥୟ ll

ମଧ୍ୟାହ୍ନେ ଉତ୍ତପ୍ତ ସୂର୍ଯ୍ୟ ପରି ଅନେକ ଦାୟିତ୍ୱ 
ନିର୍ବାହ ତ ଅନିବାର୍ଯ୍ୟ ଧରି 'ତମ' 'ରଜ' 'ସତ୍ତ୍ୱ' 
ସାମୟିକ ବିରତି ନେଇ ସୂର୍ଯ୍ୟଙ୍କୁ ପଛ କଲେ 
ଲମ୍ବି ଆସୁଥାଏ ସେ ଆଗକୁ, ଛାଡ଼େନାହିଁ ଭଲେ ll

ଦିନ ତିଥି ମାସ ଋତୁ ପରେ ଋତୁ ମାସ ବର୍ଷ 
ପାଖ ଛାଡ଼େନାହିଁ କେବେ, ହେଉ ହର୍ଷ ବା ବିମର୍ଷ 
ଏମିତି ସହଚର ବିଶ୍ୱ ବ୍ରହ୍ମାଣ୍ଡରେ ନଥାଇ 
ଅଙ୍ଗାଙ୍ଗୀଭାବେ ଜଡିତ ସଦା ମୁଁ ଓ ମୋର ଛାଇ ll

ସବୁକିଛି ଅଦୃଷ୍ଟ ଅନିର୍ଦ୍ଦିଷ୍ଟ ଭରସା ନାହିଁ 
'ଏଇ ଖରା ଏଇ ଛାଇ, ଏଇ ଅଛି ଏଇ ନାହିଁ' 
ଯେବେଯାଏଁ ମୁଁ ଅଛି, ଅଛନ୍ତି ଦର୍ପଣ ଓ ଛାଇ 
ସଙ୍ଗତରେ ପରିତୃପ୍ତ, ଯାଇଛି ମୁଁ ଧନ୍ୟ ହୋଇ ll
================================
ପ୍ରମୋଦ କୁମାର ମହାନ୍ତି ll

~● ନଷ୍ଟସ୍ୟ କାନ୍ୟାଗତିଃ ●~

~ × ~ ନଷ୍ଟସ୍ୟ କାନ୍ୟାଗତିଃ ~ × ~                                        
ଏକଦା କାଳିଦାସଙ୍କୁ ପ୍ରଶ୍ନ ପଚରାଗଲା- 'ନଷ୍ଟସ୍ୟ କାନ୍ୟାଗତିଃ' - ଏହା କିଭଳି ଭାବରେ ହୋଇଥାଏ ।'  ଭରପୁର ଦରବାରରେ ରାଜା କାଳିଦାସଙ୍କୁ ଏହି ପ୍ରଶ୍ନ ପଚାରିଲେ ।
             ପ୍ରତ୍ୟେକ ଏ ସମ୍ପର୍କରେ ଅବଗତ ଯେ ସତ୍ କର୍ମର ଫଳ ଶୁଭଦାୟକ ହୋଇଥାଏ, ଅସତ୍ କର୍ମର ଫଳ ହାନିକାରକ ହୋଇଥାଏ । ଦୁଷ୍କର୍ମ ଓ ପାପକର୍ମ ମଣିଷର ପତନର ହେତୁ । ଏହା ନିମ୍ନଗାମୀ କରି ବ୍ୟକ୍ତିଙ୍କୁ ନଷ୍ଟ କରି ଦେଇଥାଏ । ଇନ୍ଦ୍ରିୟ ସଂଯମ ଯେଉଁ ମାନଙ୍କର ନାହିଁ ସେମାନେ ଖୁବ୍ କମ୍ ସମୟରେ ପତିତ ହୋଇଥାନ୍ତି । ପ୍ରସଙ୍ଗଟିର ବ୍ୟାଖ୍ୟା କରିବାକୁ ଯାଇ କାଳିଦାସ ରାଜାଙ୍କୁ ନିମ୍ନୋକ୍ତ ପ୍ରସଙ୍ଗ କହିଥିଲେ ।
                   ସେ ସମୟରେ ମୁଁ ଗୁରୁକୂଳରେ ବିଦ୍ୟାଧ୍ୟୟନ କରୁଥାଏ । ଅତି ବିସ୍ମୟଜନକ ଭାବେ ପ୍ରାତଃ କାଳରେ ମୁଁ ଶୁଣିବାକୁ ପାଇଲି 'ଭିକ୍ଷାଂ ଦେହି' ଶବ୍ଦ । ଦେଖିଲି ଜଣେ ବ୍ରାହ୍ମଣ ଭିକ୍ଷା ନିମନ୍ତେ ସମ୍ମୁଖରେ ଦଣ୍ଡାୟମାନ ହୋଇଛନ୍ତି । ଏତେ ସକାଳୁ ଭିକ୍ଷା ମାଗିବା ମୋତେ ଆଶ୍ଚର୍ଯ୍ୟ ବୋଧ ହେଲା । ବ୍ରାହ୍ମଣ ବେଶ୍ ବଳିଷ୍ଠ ବପୁଯୁକ୍ତ ଥିଲେ । ମୋର ସହପାଠୀ ମାନେ ଏହା ଦେଖି ତିରସ୍କାର କରି କହିଲେ- ଏତେ ହୃଷ୍ଟପୃଷ୍ଟ ଦେଖାଯାଉଛ, ଏଭଳି ଡଉଲ ଡାଉଲ ଚେହେରା ନେଇ, ପୁଣି ଜାତିରେ ବ୍ରାହ୍ମଣ ହୋଇ ସକାଳଟାରେ ପୂଜା ସମୟରେ ଭିକ୍ଷା ମାଗୁଛ ଯେ ? ତୁମକୁ ଲଜ୍ଜା ଲାଗୁନି ? 
                     ବ୍ରାହ୍ମଣ କିନ୍ତୁ ଏହି କଟୁବାଣୀ ନିମନ୍ତେ ତିଳେହେଲେ ସଙ୍କୋଚବୋଧ କରିନଥିଲେ । ସତକଥା କହିବାକୁ ଯାଇ କହିଲେ ବନ୍ଧୁ, କୁଅଭ୍ୟାସ ବଶତଃ ମୁଁ ପ୍ରତ୍ୟହ ରାତିରେ ଜୁଆ ଖେଳୁଥିଲି । ସବୁକିଛି ହାରିଗଲି । ଏଣୁ ବାଧ୍ୟ ହୋଇ ଭିକ ମାଗିବାକୁ ପଡୁଛି । ଆଉ କିଛି ଉପାୟ ନପାଇ ଭିକ୍ଷା ମାଗିବା ବୃତ୍ତି ଆଦରି ନେଲି ।
     ' ଛିଃ ଛିଃ ବ୍ରାହ୍ମଣ ହୋଇ ଜୁଆଖେଳ ! ଏହାତ ଅତି ଲଜ୍ଜାର କଥା ।' କାଳିଦାସ କହିଲେ ।    
      ଭିକ୍ଷୁକ ବ୍ରାହ୍ମଣ ପୁଣି କହିବାକୁ ଆରମ୍ଭ କଲେ- 'ଖାଲି ଜୁଆଖେଳ ନୁହେଁ, ଜୁଆ ଖେଳ ସହ ମୁଁ ମଦିରା ପାନ କଲି । ନିୟମିତ ମଦିରାପାନ କାରଣରୁ ମୋର ମନରେ କାମ ବାସନା ଜାଗ୍ରତ ହେଲା । ବାସନା ବୃତ୍ତି ଚରିତାର୍ଥ ପାଇଁ ମୁଁ ବେଶ୍ୟାଳୟ ଗଲି । ଏହା ମୋର ଅଭ୍ୟାସରେ ପରିଣତ ହୋଇଗଲା ।' 
    'ତାହାହେଲେ ତ ତୁମର ବ୍ରାହ୍ମଣତ୍ୱ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି, ତୁମେ ତ ଭ୍ରଷ୍ଟାଚାରୀ ହୋଇଯାଇଛ' - କାଳିଦାସ କହିଲେ ।
        'ବ୍ରାହ୍ମଣ କହିଲେ- ହଁ, ଠିକ୍ କହିଛନ୍ତି । ଜୁଆ, ମଦିରାପାନ, ବେଶ୍ୟାଗୃହ ଗମନ ନିମନ୍ତେ ଅର୍ଥର ଆବଶ୍ୟକତା ଥିଲା । କର୍ମ କରିବା ପ୍ରବୃତ୍ତି ଲୋପ ପାଇଯାଇଥିଲା । ଧନଲାଭ ଆଶାରେ ମୋତେ ଚୋରି କରିବାକୁ ପଡିଲା' ।                
             ବ୍ରାହ୍ମଣ ଠାରୁ ଏହା ଶୁଣି ମୁଁ ଧିକ୍କାର କରି ତାକୁ ଅନେକ କଥା କହିଥିଲି ଏବଂ ଭିକ୍ଷା ଗ୍ରହଣର ଯୋଗ୍ୟ ନୁହେଁ ବୋଲି ତାକୁ ସ୍ପଷ୍ଟ କହିଦେଇଥିଲି । ଧିକ୍କାର ଶୁଣି ବ୍ରାହ୍ମଣ ଚୁପଚାପ୍ ସେଠାରୁ ଚାଲିଯାଇଥିଲା । କିଛି କ୍ଷଣ ପରେ ଗୁରୁକୂଳର ଅଧିପତି (ଗୁରୁଦେବ) ଆସିଲେ । ଗୁରୁଦେବଙ୍କ ସହ ବିଦ୍ୟାର୍ଥୀମାନେ ସେହି ବିଚିତ୍ର ବ୍ରାହ୍ମଣ ସମ୍ପର୍କରେ ଚର୍ଚ୍ଚା କଲେ । ଗୁରୁଦେବ ଏହା ଶୁଣି କହିଥିଲେ- 'ଯିଏ ଥରେ ପ୍ରବୃତ୍ତିର ଦାସ ହୋଇ ହୀନ ମାର୍ଗରେ ଗତି କରେ ସେ ନିରନ୍ତର ସେହି କୁମାର୍ଗରେ ଗତି କରିଥାଏ । ନିମ୍ନରୁ ଅତି ନିମ୍ନକୁ ଚାଲିଯାଏ । ଏଥିରୁ ମୁକୁଳିବା ଅତି ଦୁରୂହ ହୋଇପଡେ । 
       ଏହି ପ୍ରସଙ୍ଗରେ ଅବତାରଣା କରି କାଳିଦାସ କହିଲେ, ରାଜନ୍ ! ଏହା ହିଁ ତ 'ନଷ୍ଟ ପୁରୁଷର ଗତି' ।
              ( ସଂଗୃହୀତ ) 
ସଂଗ୍ରାହକ; ପୂର୍ଣ୍ଣଚନ୍ଦ୍ର ମହାରଣା 

● କ୍ଷେତ ଭ୍ରମଣ ●


ଗୃହରୁ ବାହାରି ଉପବନ ମଧ୍ୟେ 
    ପଥପରେ ଗଲି ଚାଲି ଚାଲି ।
କୁବେର ସମ ଶସ୍ୟ ର ଭଣ୍ଡାର 
    ନୟନ ଦେଖିବ ମୋ ବୁଲି ବୁଲି ।।୧

 କୁଳୁକୁଳୁ ନାଦ ହିଡ ଭାଙ୍ଗି 
    ବୋହିଯାଏ ଧୀର ଧାର ।
ହସେ ଝୁଲି ଝୁଲି ମନଖୋଲି 
    ନାଚୁଛି ରସିକ ସମୀର  । ।୨

ପବନ ହିଲ୍ଲୋଳେ ଧାନଗଛ
   ନାଚୁଅଛି ଡେଇଁ ଡେଇଁ ।
ହରିତ ପରସ୍ତ ଉର୍ମି ମାତୁଛି 
    ଗାଏ ଆଜି  ମନ ଭୁଇଁ  ।।୩

ଗଗନେ ଧଳା କଳା ଜଳଦ 
     ବିଲକୁ ଜୋଡିଏ ବଳଦ ଲୋଡ଼ା ।
ବାରିଦ ବର୍ଷିଣ ବଳଦ ଚଷିଣ 
   ରଚିବେ ସୁନାର ଫସଲ ତୋଡା ।।୪

ଗୀତିକାର ଏଠି ପବନ ସାଜିଛି 
    ବାଜଣା ବଜାଏ ମେଘନାଦ ।
ନର୍ତ୍ତକୀ ରୂପେ ଅବନୀ ରାଣୀ 
    ଶିହରଣ ଶୁଣି ଏ ଶବଦ  ।।୫ 

ତୁଷାର ଛାଉଣୀ ଶିଶିର ପ୍ରକାର 
    ସ୍ୱେତ ସ୍ୱେତ ଲାଗେ ଭୂଧର ।
ହିମାଚଳ ଭ୍ରମ ଉପୁଜାଇ ଦିଏ 
   ମେଘର ଏମନ୍ତ  ଆସର   ।।୬  

କଣ୍ଟି କୁ ଜାବୁଡ଼ି ଅଣ୍ଟା ତାର ଭିଡ଼ି 
   ଛାଟ ପରେ ଛାଟ ମାରି  ।
ଗୀତ ଗାଇ ଗାଇ ମନ ନଚେଇ 
     ଚାଷୀଭାଇ ମୋର ଏହିପରି ।।୭ 

ଦିବା ସମୟେ ନାହିଁ ଦିବାକର 
   ସୁକ୍ଷ୍ମ ଆଲୋକ ର ଧାରା  ।
ଅସରାଏ ଝଡ଼ି ଯାଏ ବରଷି 
   ଜଳମୟୀ ଆଜି  ଧରା  ।।୮  

ଗଗନ ପବନ ହସି ଉଠନ୍ତି 
   ଚାରିଦିଗେ ସବୁଜିମା ।
ଶସ୍ୟ ର ଲହରୀ  ସୃଜି ଦେବେ 
    ଆମର ଧରିତ୍ରୀ ମା  ।।୯  

ସୁନ୍ଦର ଏ ଚିତ୍ର ଶତ ପବିତ୍ର  
    ଚିତ୍ତ ପଟେ ସଦା ସ୍ଥାନ ।
ଭାଳୁଅଛି ମୁହିଁ ଭାଳୁଥିବି  
   ଦୃଶ୍ୟ ନାମେ ତୁହି ମହାନ ।।୧୦ 

            ✍ରାକେଶ ରତନ ପ୍ରଧାନ

● ଓଠେ ଫେବିକୁଇକ୍ ●

ସକାଳୁ ସକାଳୁ ମନ ମୋ ବଳିଛି
          କବିତା ଲେଖିବି ବୋଲି ,
ସମ୍ପର୍କ ରହିଲେ କ୍ଷମା କରିଦେବ
          ସଂଯୋଗ ଭାବିବ ଖାଲି  | (1)

ଯଦି କେହି ମତେ ଭୁଲ ବୁଝିବେ
          ମୋର ହେବନି କିଛି ,
ଭାବିଚିନ୍ତି ମତେ କମେଣ୍ଟ କରିବ
          ନହେଲେ ମୁଣ୍ଡକୁ ଦେବି ମୁ ଛେଚି  |(2)

ଦଶମ ଶ୍ରେଣୀରେ ସ୍କୁଲ ସମୟେ
          କରୁଥିଲି ଯାହାକୁ ଲାଇକି ,
କରୋନା କାଳରେ ବାହା ହେଲି ତାକୁ
          ହାତରୁ ଫାଇନି ଦେଇକି   |(3)

ଏଭଳି ଝିଅକୁ ପ୍ରେମ କଲି ବୋଲି
          ନିତି କରୁଅଛି ଜେରା ,
ପ୍ରେମ ନୁହଁ ସେତ ଗରମ ପବନ
          ସତେ ବୈଶାଖୀ ଖରା  |(4)
          
ଚୁପଚୁପକିନି କଥା କହୁଥିଲେ
          ଶୁଭୁଥାଏ ଆରସାହିକି ,
ଏହାଶୁଣି ବାପା ବୋଉମୋ କୁହନ୍ତି
          ବହୁ ଆମ ଛୋଟ ମାଇକି  |(5)

ଥରେ ମୁହିଁ ତାକୁ ସନ୍ଧ୍ୟାରେ କହିଲି ଚାଲଗୋ
          ଯିବା ଆମେ ଶପିଂ କରିକି ,
ଖୁସିହୋଇ ସିଏ  ଶୀଘ୍ର  ଘରକାମ ସାରି  
          ସୋଫାରେ ବସିଲା ସଜ ହୋଇକି  |(6)

ସନ୍ଧ୍ୟାରେ ଫେରିଲା ବେଳକୁ ଘରକୁ
          ଚୁପ ଅଛି ଇଏ କାହିଁକି ?
ଭାବିବାପରେ ଜାଣିଗଲି ମୁହିଁ ଲିପିସ୍ଟିକ ଭାବିକି
          ମାଇକି ମାରିଚି ଓଠରେ ଫେବିକୁଇକି  |(7)

                                 ଅଙ୍କିତ କୁମାର ସ୍ୱାଇଁ  
                                 ଆପେକ୍ସ ମହାବିଦ୍ୟାଳୟ ,
                                    କମାଗଡ, ଯାଜପୁର 

● କିଏ ତୁ' ଲେଖକ ●

                               ✍ ରବିନ୍ଦ୍ର ସାହୁ ,ଗଞ୍ଜାମ 
କିଏ ତୁ ଲେଖକ  କି' ପାଉରେ ଯଶ
      କରୋନା ତାଣ୍ତବ ରଚି
 କି ଗୁଢ ରହସ୍ଯ  କଣ ତୋ ଉଦ୍ଦେଶ୍ୟ 
       କିସ ତୋ ମନରେ ଅଛି...
ଦେବ ନା ତୁ ନର କେଉଁଠି ତୋ ଘର
        ଦେବୁକି ଉତ୍ତର ତୁହି
  କହିବୁକି ଥରେ ତୋର ଏ ଗୁମର
         ସଜେଇଛୁ କେତେ ଜୁଇ
ଏତେ ଅବିବେକି ଏତେ ତୁ ନିଷ୍ଠୁର
       ଏମିତି କିପରି ହେଉ
 ସଜେଇ କରୋନା ମୃତ୍ୟୁ କାରଖାନା
       ଅନେକ ଜୀବନ ନେଉ
ବାପ ଥାଉ ଥାଉ ପୁଅ ଚାଲିଯାଏ
      ମାଆ ଥାଉ ଥାଉ ଝିଅ
ଚାରିଆଡେ ଲାଗେ ଶ୍ମଶାନ ଶ୍ମଶାନ
       ଥରିଯାଏ ସବୁ ଦିହ
 କେମିତି ଏ ବେଳ କାଳର କରାଳ
        କିପରି ଆସିଛି ଋତୁ
ଚିକିତ୍ସା ପାଇଁ ଯେ ସକାଳକୁ ଯାଏ
       ସଞ୍ଜକୁ ଆସେ ତା' ମୃତ୍ୟୁ
ଶ୍ବାନ ଶୃଗାଳଏ   ମୁରୁକି ହସନ୍ତି
        ମଣିଷ ଦୁର୍ଦ୍ଦଶା ଦେଖି
ବାପର ଶବକୁ ପୁଅ କାନ୍ଧ ଦେବ
       ସମାଜ ଦେଉନି ଟେକି
ମୃତ୍ଯୁ ସୌଦାଗର ଚଲାଏ ବେପାର
         ମଣିଷର ଅଙ୍ଗ ବିକି
ରକ୍ଷକ ଆଜିବି  ଭକ୍ଷକ  ସାଜିଛି
         କୁମ୍ଭୀରବି ଘରଢିଙ୍କି
ମଣିଷରୂପୀ ବି କରୋନା କେତେକ
        ହେଉଛନ୍ତି ଡାଲୁ ଡାଲୁ
 ମଣିଷ ମାଉଁସ  ନଖେ ଚିରୁଛନ୍ତି
        ପାଲଟି ନୃଶଂସ ଭାଲୁ
କେମନ୍ତ ରହସ୍ଯ କଣ ଏ ଉଦ୍ଦେଶ୍ୟ
        ଇଏ କି ଗୁମର କଥା
ମହଙ୍ଗା ହେଲାଣି ବଜାର ସଉଦା
       ଜୀବନ ହେଲାଣି ଶସ୍ତା
ଏକଣ ସେକଣ ବିଲେଇ ପରିକା
       ହୁଏ ଖଟିଖିଆ ଲୋକ
ଗରିବଟା ଏବେ ଗୁମୁରି କାନ୍ଦୁଛି
    ନ ସହି ପେଟର ଭୋକ
ହାତ ଥରୁଥାଏ ଏ କଥା ଲେଖିଲେ
       ଓଠ ବି ପାରେନା କହି
ଛପନଭୋଗୀ ନା ଛଦ୍ମବେଶୀ ତୁହି
       ଏସବୁ ପାରୁଛୁ ସହି
କରୋନା କବଳେ କରୁଣ ଚିତ୍କାର
    ପଡୁନିକି ତୋର କର୍ଣ୍ଣେ
ଧୂନି ଭଳି ଜଳେ  ଶ୍ମଶାନ ସବୁଠି
      କରୋନାର ମାୟାବନେ
ଉଇହୁଙ୍କା ପରି ଉଜୁଡି ଗଲାଣି
     ଗରିବର ଚାରିକାନ୍ଥ
ଆଖି ମିଟି ମିଟି ସବୁତୁ ଦେଖୁଛୁ
     ତଥାପି ରହିଛୁ ଶାନ୍ତ
କହରେ କାଳିଆ  ହେଲେ କୋ' ଭଳିଆ
        ମଣିଷର ପରିସ୍ଥିତି
ନର ପାଇଁ ସାଜି ନାରାୟଣ ତୁହି
       ରଖିବୁ ତୋହର କୀର୍ତ୍ତି,,,

● କଳାକାର ●

ଜଣେ କଳାକାର ଏଇ ଜୀବନ 
ଠାକୁର ଘରେ ଧୂପକାଠି ସମ 
ଜଳି ଜଳି ଝରାଏ ସୁବାସ 
ପ୍ରଭୁ ପଦ ଜିଣି  ....ପ୍ରତି ପ୍ରାଣ କିଣି 
ଅବଶେଷେ ହୁଏ ସେ ପାଉଁଶ ....... ( 0)

ଧୂପକାଠି ଜଳି ଜଳି 
                     ଝରାଏ ସୁଗନ୍ଧ 
କଳାକାର ହସେ କାନ୍ଧେ 
                     ମୁହେଁ ମାଖୀ ରଙ୍ଗ ........
ଅସରନ୍ତି ତା ମନର ଶୋଷ 
କେବେ ପିଏ ଲୁହ ...... କେବେ ଚାପେ କୋହ
ଦୁଃଖ ନିଆଁରେ କେବେ ଦିଏ ଝାସ ....
ଅବଶେଷେ ହୁଏ ସେ ପାଉଁଶ ....... ( ୧ ) 

            * * * * * * * *        ପ୍ରବୀର ମଲ୍ଲିକ 
                                    ଶାରଳା ପୀଠ , ଝଙ୍କଡ଼
                                           ଜଗତସିଂହପୁର

● କିଏ ତୁମେ .... ! ●


କିଏ ତୁମେ ଚନ୍ଦ୍ର ବଦନୀ
କିଏ ତୁମେ ମୃଗ ନୟନୀ 
ତନ୍ଦ୍ରା ଆଲୋକେ ......ଝଲସି ଗଲ 
ପୁଷ୍ପରାଗ .......ମନେ ଭରିଲ 
କିଏ ତୁମେ ଚମ୍ପା ବରଣୀ ........ ( 0 )

ନବ ଯୌବନା ନବୀନ ବାଳା 
                     ଶୃଙ୍ଗାରହାର ବେଶ 
ହୃଦେ ବିନ୍ଧିଲ କାମନା ବାଣ 
                     ପ୍ରୀତିରେ କଲ ବଶ ........
କୂଳ ହାରିଲା...... ମନ ତରଣୀ 
ମୋହ ପ୍ରସାରି ...... ମଧୁ ଯାମିନୀ 
କିଏ ତୁମେ ମନ ମୋହିନୀ 
କିଏ ତୁମେ ଚମ୍ପା ବରଣୀ ......... ( ୨ )

             * * * * * *      ପ୍ରବୀର ମଲ୍ଲିକ 
                              ଶାରଳା ପୀଠ , ଝଙ୍କଡ଼
                                 ଜଗତସିଂହପୁର

● ଚୋରା ପ୍ରୀତି ●

🌹  ଚୋରା ପ୍ରୀତି  🌹
    - - - - - - - - - - - - 
ଯାଇଥିଲି ବୁଲି ଭଉଣୀ ଘରକୁ 
     କଟକରୁ ବାଲେଶ୍ବର
ଲକଡାଉନ୍ ମୋ ଲକ୍ ଖୋଲିଦେଲା
     ମନ ମୋ ଧରୁନି ଘର 
ଭାରି ନଖରୀ ମୋ ଭଉଣୀ ନଣନ୍ଦ 
     ନାଆଁ ଟି ତାହାର 'ବେଲ'
ଷୋହଳ ବୟସୀ ମୋ କାକୁଡି କଷି
     ପ୍ରେମ ତା ଅମୂଲ ମୂଲ 
ମୁହଁ ସଞ୍ଜ ବେଳେ ଚଉଁରାର ମୂଳେ 
    ସଞ୍ଜ ଦେଉଥିଲା 'ବେଲ '
ହେଲି ପାଖା ପାଖି ମିଶେଇଲି ଆଖି
     କରିଦେଲି ଟିକେ ଗେଲ 
ମୋ ପାଇଁ ସେ ଆଜି ସାଜି ଲାଣି ପାର 
       ମୁଁ ତାର ଦେବଦାସ 
ମୋ ପ୍ରେମରେ ପଡି ହେଲାଣି ପାଗେଳି
     ହେଲା ବଡ଼ ସର୍ବନାଶ 
କହିଲାଣି ଏବେ ମୋତେ ବାହା ନ'ହେଲେ
       ନିଶ୍ଚୟ ଖାଇବ ବିଷ 
ବାଳୁଙ୍ଗା ଟୋକା ମୁଁ ରୋଜଗାର ନାହିଁ 
      କୁହ ହେ କରିବି କିସ 
ଦୁଇ ଧାଡ଼ି କରି ମେସେଜ ଲେଖେ ସେ
     ଦି ଧାଡି  ଲେଖେ କବିତା 
ଗଭୀର ଜଳକୁ କଥା ତ ଗଲାଣି 
      ଘୁରେଇ ଦେଉଛି ମଥା 
ଚୋରା ପ୍ରୀତି ବଡ଼ ମିଠାରେ ସଙ୍ଗାତ 
     ପ୍ରୀତି କଲେ ନୂଆ ନୂଆ 
ନେଡି ଗୁଡ଼ ଥରେ କହୁଣୀ କୁ ଗଲେ 
      ଅନ୍ଧାର ଲାଗେ ଦୁନିଆ 
           * * * * * * *  ପ୍ରବୀର ମଲ୍ଲିକ୍ 
                           ଶାରଳା ପିଠା , ଝଙ୍କଡ଼ 
                                ଜଗତସିଂହପୁର

Tuesday, July 27, 2021

~: କ ମାନେ ନା ? :~

             ✍ କୁୁୁୁଳମଣି ସାହୁ 

କବାଟ ନ ଦିଏ ବାଟ
କଜ୍ଜ୍ବଳେ ନାହିଁ ଜ୍ବଳନ
କପଟୀ ନ ଥାଏ ପଟେ
କରଣ କି କରେ ରଣ?

କନିଆ ନ ଜାଳେ ନିଆଁ
କମାର କି କା'କୁ ମାରେ?
କରକା କି ଦିଏ ରକା?
କଦଳୀ କି କା'କୁ ଦଳେ?

କବରକୁ ବରେ କିଏ?
କବନ୍ଧକୁ କିଏ ବାନ୍ଧେ?
କବଳରେ ବଳଶୂନ୍ଯ
କନ୍ଦର୍ପ କି ଦର୍ପେ ବିନ୍ଧେ?

କଥକେ ଥକା ନ ଥାଏ
କନିଷ୍ଠେ ନିଷ୍ଠା ନ ରହେ
କପାଳୀ କାହାକୁ ପାଳେ?
କବୀର କି ବୀର ହୁଏ?

କମଳେ ମଳ ନ ଥାଏ
କଲମ୍ବ ନ ଲମ୍ବିଯାଏ
କଉଡ଼ି ନ ଯାଏ ଉଡ଼ି
କରଜେ କି ରଜ ହୁଏ?

କବାଡ଼ି ନ ଲୋଡ଼େ ବାଡ଼ି
କମାନ କା'କୁ ନ ମାନେ
କବିରାଜ ଆପେ ଆସି
ନ ବିରାଜେ ସନ୍ନିଧାନେ।

ସରଳାର୍ଥ:-

କବାଟ ନ ଦିଏ ବାଟ- 
କବାଟ କାହାକୁ ବାଟ ଦିଏନାହିଁ। କବାଟ ଖୋଲିଲେ ହିଁ ବାଟ ମିଳେ।

କଜ୍ଜ୍ବଳେ ନାହିଁ ଜ୍ବଳନ- 
କଜ୍ଜ୍ବଳ ଲଗାଇଲେ ଜଳାପୋଡ଼ା ହୁଏନାହିଁ। ବରଂ ଜ୍ବଳନ ଉପଶମ ହୁଏ।

କପଟୀ ନ ଥାଏ ପଟେ- 
କପଟୀ ଲୋକ ଆପଣଙ୍କ ପଟେ ଥିଲା ଭଳି ଅଭିନୟ କରୁଥିଲେ ସୁଦ୍ଧା ପ୍ରକୃତରେ ନଥାଏ।

କରଣ କି କରେ ରଣ?- 
କରଣ ପଦବୀର ଲୋକ ରଣ କରେନାହିଁ। ସେ କେବଳ ଲେଖାଲେଖି ଓ ହିସାବପତ୍ର କାମ କରେ।

କନିଆ ନ ଜାଳେ ନିଆଁ-
କନିଆ ନିଆଁ ଜଳାଏ ନାହିଁ।
ବରଂ ଯୌତୁକ ଆଦି କାରଣରୁ ଅନ୍ୟମାନେ ତା ଦେହକୁ ନିଆଁରେ ଜଳାଇଦିଅନ୍ତି।

କମାର କି କା'କୁ ମାରେ?-
କମାର କାହାକୁ ମାରେ କି? ସେ କେବଳ ହାତହତିଆର ଓ ଅସ୍ତ୍ରଶସ୍ତ୍ର ତିଆରି କରେ। 

କରକା କି ଦିଏ ରକା?-
କରକା ଆଘାତରେ କାହାର ରକା ହୋଇଯାଏ କି?

କଦଳୀ କି କା'କୁ ଦଳେ?- 
କଦଳୀ କାହାକୁ ଦଳେ କି? ବରଂ କଦଳୀକୁ ସମସ୍ତେ ଦଳିଦିଅନ୍ତି।

କବରକୁ ବରେ କିଏ?- 
କବରକୁ କେହି ବରଣ କରେ କି? କବରକୁ ବରିବା ଅର୍ଥ ମୃତ୍ୟୁ ଚାହିଁବା। କେହି କେବେ ମରିବାକୁ ଚାହେଁନାହିଁ।

କବନ୍ଧକୁ କିଏ ବାନ୍ଧେ?-
କବନ୍ଧ ଅର୍ଥାତ୍ ମୁଣ୍ଡବିହୀନ ଶବ। ଶବକୁ କେହି ବାନ୍ଧିନିଏ ନାହିଁ। କେବଳ ଜୀବିତ ଲୋକକୁ ଗିରଫ କରାଯାଏ।

କବଳରେ ବଳଶୂନ୍ଯ- 
ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କର କବଳରେ ପଡ଼ିଲେ ବଳଶୂନ୍ଯ ହୋଇଯାଏ ଅଥବା ବଳଶୂନ୍ଯ ହୋଇଗଲେ ଅନ୍ଯର କବଳରେ ପଡ଼େ।

କନ୍ଦର୍ପ କି ଦର୍ପେ ବିନ୍ଧେ?-
କନ୍ଦର୍ପ କାହାରିକୁ ଦର୍ପ ସହିତ କାମବାଣ ବିନ୍ଧେ କି? ସେ ଅଶରୀରୀ। ଅଦୃଶ୍ଯରେ ରହି ଫୁଲଶର ମାରେ।

କଥକେ ଥକା ନ ଥାଏ-
କଥକ ନୃତ୍ୟ ଏତେ ସୁନ୍ଦର ଓ ମନୋମୁଗ୍ଧକର ଯେ ନାଚିବା କିଂବା ନାଚ ଦେଖିବା ଲୋକକୁ ଥକା ଲାଗେ ନାହିଁ।

କନିଷ୍ଠେ ନିଷ୍ଠା ନ ରହେ- 
କନିଷ୍ଠ ଅର୍ଥାତ୍ କମ୍ ବୟସର ବ୍ୟକ୍ତିଙ୍କ ପାଖରେ ନିଷ୍ଠାର ଅଭାବ ଥାଏ। ସେମାନେ ସ୍ବଭାବତଃ ଚଞ୍ଚଳମନା।

କପାଳୀ କାହାକୁ ପାଳେ?-
କପାଳୀ ଅର୍ଥାତ୍ ଶିବ। ଶିବ କାହାର ପାଳନ କରନ୍ତି କି? ॐ ବା ଅଉମ୍ ଅନ୍ତର୍ଗତ ଅ ଅର୍ଥ ସୃଷ୍ଟିକର୍ତ୍ତା ବ୍ରହ୍ମା। ଉ ବା ବିଷ୍ଣୁ ହେଲେ ପାଳନକର୍ତ୍ତା ବିଷ୍ଣୁ। ମ ବା ମହେଶ୍ବର ହେଉଛନ୍ତି ସଂହାରକର୍ତ୍ତା।

କବୀର କି ବୀର ହୁଏ?-
କବୀର ଜଣେ ମହାନ୍ ସନ୍ଥକବି। ସେ ବୀର ଭାବରେ ଯୁଦ୍ଧରେ ଅବତୀର୍ଣ୍ଣ ହେବେ ନାହିଁ।

କମଳେ ମଳ ନ ଥାଏ-
କମଳ ବା ପଦ୍ମପୁଷ୍ପ ଅତୀବ ନିର୍ମଳ। ପଙ୍କ ଭଳି ମଇଳାରୁ ଜନ୍ମ ହେଲେ ହେଁ ତାହା ଅମଳିନ।

କଲମ୍ବ ନ ଲମ୍ବିଯାଏ-
କଲମ୍ବ ବା ଶର ଆପେ ଲମ୍ବିଯାଏ ନାହିଁ। ଦୂରରେ ଥିବା ଲକ୍ଷ୍ୟକୁ ଭେଦ କରିବାପାଇଁ ତାକୁ ଧନୁରେ ଯୋଖି ନିକ୍ଷେପ କରିବାକୁ ହୁଏ।

କଉଡ଼ି ନ ଯାଏ ଉଡ଼ି-
କଉଡ଼ି ଏକ ଶକ୍ତ ଖୋଳପାଯୁକ୍ତ ସାମୁଦ୍ରିକ ଜୀବ।  ଆକାର ତୁଳନାରେ ଭାରୀ ହୋଇଥିବାରୁ ସେ ଉଡ଼ିଯାଏ ନାହିଁ।

କରଜେ କି ରଜ ହୁଏ?-
ରଜ ଏକ ଆନନ୍ଦଦାୟକ ପର୍ବ। ପିଠାପଣା, ଦୋଳି ଓ ରଜପାନ ଏହାର ବିଶେଷତ୍ଵ। କରଜ ବା ଋଣ କରି ରଜ ପାଳିବାରେ ମଜା ଥାଏ କି?

କବାଡ଼ି ନ ଲୋଡ଼େ ବାଡ଼ି-
କବାଡ଼ି ଖେଳରେ ବାଡ଼ିର କିଛି ଭୂମିକା ନଥାଏ। କ୍ରିକେଟ୍, ହକି ପ୍ରଭୃତି ଖେଳରେ ବାଡ଼ି ଲୋଡ଼ା ପଡ଼େ।

କମାନ କା'କୁ ନ ମାନେ-
କମାନ ବା କମାଣର ଏତେ ଶକ୍ତି ଯେ ସେ କାହାକୁ ଖାତିର କରେ ନାହିଁ।

କବିରାଜ ଆପେ ଆସି
ନ ବିରାଜେ ସନ୍ନିଧାନେ।-
କବିରାଜ ବା ବୈଦ୍ଯ ଆପେ ଆସି କାହା ନିକଟରେ ପହଞ୍ଚନ୍ତି ନାହିଁ। ଦରକାର ପଡ଼ିଲେ ତାଙ୍କ ପାଖକୁ ଯିବାକୁ ହୁଏ ଅଥବା ଡାକିଆଣିବାକୁ ପଡ଼େ।

ଅତଏବ ଏତାଦୃଶ ଶବ୍ଦମାନଙ୍କରେ କ ଅକ୍ଷରଟି ନକାରାତ୍ମକ ବା ନାହିଁ ଅର୍ଥରେ ବ୍ୟବହୃତ ହୋଇଥିବା ପରି ମନେ ହୁଏ। 

Saturday, July 24, 2021

● କର୍ଣ୍ଣଙ୍କର ଜନ୍ମ କାନ ବାଟରେ ହୋଇଥିଲା କି ? ●

●କର୍ଣ୍ଣଙ୍କର ଜନ୍ମ କାନ ବାଟରେ ହୋଇଥିଲା କି ? ●

ଅଧିକାଂଶ ଲୋକଙ୍କ ମନରେ ଗୋଟିଏ ବଡ଼ ଭ୍ରମ ଧାରଣା ଯେ କର୍ଣ୍ଣଙ୍କର ଜନ୍ମ କୁନ୍ତୀଙ୍କର କାନ ବାଟେ ହୋଇଥିଲା ।
ସେମାନେ 
ଏକଥାକୁ ଠିକ୍ ପ୍ରମାଣ କରିବାକୁ ଯାଇ କୁହନ୍ତି 
ଅମୁକ ପୁରାଣ ରେ କର୍ଣ୍ଣଙ୍କୁ କାନୀନ୍ କୁହାଯାଇଛି
ଓ ଏହାର କାନ ଶବ୍ଦ ସହ ସାମଜସ୍ୟତା ଅଛି ।

ଏଠାରେ କହିରଖେ 
କାନୀନ୍ ଶବ୍ଦ ସହ କର୍ଣ୍ଣ କିମ୍ବା କାନର କୌଣସି 
ସଂପର୍କ ନାହିଁ ।
ଯେହେତୁ କାନୀନ୍ ଶବ୍ଦର ନିରୁକ୍ତୀ= 
କନ୍ୟା+ଅପତ୍ୟାର୍ଥେ .ଇନ୍ 
ଅର୍ଥାତ୍ ଯେଉଁମାନେ ଅବିବାହିତା ମାତାଙ୍କ ଠାରୁ ଜନ୍ମ ହୁଅନ୍ତି ସେମାନେ କାନୀନ୍ .....

ଦେଶଜ କାନ ଶବ୍ଦର ସଂସ୍କୃତ ରୂପ 
କର୍ଣ୍ଣର ନିରୁକ୍ତୀ=କର୍ଣ୍ଣି ଧାତୁ(ଶୁଣିବା)+କରଣ.ଅ 

କିନ୍ତୁ ମହାଭାରତ ର ପାତ୍ର 
କର୍ଣ୍ଣଙ୍କର ନାମର ନିରୁକ୍ତୀ ତହିଁରୁ 
ଭିନ୍ନ ଏବଂ ତାହା 
କୃ ଧାତୁ+କର୍ତ୍ତୁ .ନ = କର୍ଣ୍ଣ

କୃ ଧାତୁ ର ଭାଷାକୋଷରେ 25 ଟି ଅର୍ଥ ଅଛି 
ତନ୍ମଧ୍ୟରୁ ଏ ଧାତୁ ଶବ୍ଦର ସର୍ବାଧିକ ବ୍ୟବହାର 
କରିବା ଅର୍ଥରେ ହୋଇଥାଏ ।

ସେଇଭଳି ସଂସ୍କୃତ ବିଶେଷ୍ୟ ହିସାବରେ 
‛ନ’ ଶବ୍ଦର ପାଞ୍ଚଟି 
ଅର୍ଥ ମଧ୍ୟରେ 
‛ରଣ’ ଓ ‛ଦାନ’ ଦାନବୀର ମହାରଥୀ କର୍ଣ୍ଣଙ୍କ ପାଇଁ ଯୁକ୍ତିଯୁକ୍ତ .....
ଅର୍ଥାତ୍ ଯେ ଦାନକରେ ଓ ରଣପ୍ରିୟ ସେ କର୍ଣ୍ଣ 
କର୍ଣ୍ଣ ଶବ୍ଦର ନିରୁକ୍ତୀ ବ୍ୟାଖ୍ୟା ଏଇଭଳି 

ମହାଭାରତ ର ‛ବନପର୍ବ’ ଅନ୍ତର୍ଗତ ‛କୁଣ୍ଡଳାହରଣ ପର୍ବ’
ରେ କର୍ଣ୍ଣ ଜନ୍ମ ବୃତ୍ତାନ୍ତ ବର୍ଣ୍ଣିତ ହୋଇଅଛି (ଗୀତାପ୍ରେସ୍ ଗୋରଖପୁର ଦ୍ଵାରା ମୁଦ୍ରିତ ସଂ ମହାଭାରତ) ।

ସେଠାରେ ଯାଇ ଦେଖିଲି 
କୁଣ୍ଡଳାହରଣ ପର୍ବରେ 
କାନବାଟେ କର୍ଣ୍ଣଙ୍କର 
ଜନ୍ମ ହେବା କଥା ଉଲ୍ଲେଖିତ 
ହୋଇନାହିଁ 

ସେଠି କର୍ଣ୍ଣ ଜନ୍ମ ବାବଦରେ କେବଳ ଏତିକି ଲେଖା ହୋଇଛି 

ତତଃ କାଳେନ ସା ଗର୍ଭେ ସୁପୁବେ ବରବର୍ଣ୍ଣିନୀ ।
କନ୍ୟୈବ ତସ୍ୟ ଦେବସ୍ୟ ପ୍ରସାଦାଦମରପ୍ରଭମ୍ ।।

(ଭାବାର୍ଥ:-
ତଦନନ୍ତର ସୁନ୍ଦରୀ ପୃଥା ଯଥାସମୟ ଭଗବାନ ସୂର୍ଯ୍ୟ ଙ୍କ କୃପାରୁ କନ୍ୟାସୁଲଭ ଗୁଣ ପରିତ୍ୟାଗ ନକରି ମଧ୍ୟ ତେବତାଙ୍କ ସମାନ ଏକ ତେଜସ୍ଵୀ ପୁତ୍ରକୁ ଜନ୍ମ ଦେଲେ ।)

ଏଥିରୁ ଏକଥା ସ୍ପଷ୍ଟ ହୁଏ ଯେ 
ରାଧୈୟ-ରାଧାପୁତ୍ର 
ପରବର୍ତ୍ତୀ କାଳରେ ନିଜର ଦାନୀପଣ ତଥା ରଣକୌଶଳ ଯୋଗୁଁ କର୍ଣ୍ଣ ବୋଲାଇଥିଲେ

ହେ' ଗୁରୁ......

ହେ'ଗୁରୁ .... 
ତୁମେ ପରଂବ୍ରହ୍ମ ଅବ୍ୟକ୍ତ ଅସୀମ 
        ତୁମେ ଅଗତିର ଗତି
ତୁମରି କରୁଣା ମଥାପରେ ମୋର 
          ବଢାଉ ମୋ'ଯଶକୀର୍ତ୍ତି
          ସ୍ଥିର ରହୁ ମୋର ମତ୍ତି 
ସଂସାର ହାଟର ଅନ୍ଧାର ହଟାଅ
         ଢାଳିକି ଜ୍ଞାନର ଜ୍ୟୋତି ...

ହେ' ଗୁରୁ ..... 
ତୁମ୍ଭେ ଦ୍ରୋଣାଚାର୍ଯ୍ୟ ତୁମ୍ଭେ ବିଶ୍ବାମିତ୍ର 
     ତୁମ୍ଭେ ମୋର ବ୍ୟାସଦେବ 
ଅଧମର ଅଳି ଘେନ ମୋ'ପ୍ରଣତୀ
      ହେ'ମୋ ପଜ୍ୟ ଗୁରୁଦେବ
       ଘେନ ଅର୍ଘ୍ଯ ଭକତିର
ଢାଳିଦିଅ ବାରେ ଅଧମର ଶୀରେ 
         ଆଶିଷ ବରଷା ନୀର.... 
        
ହେ' ଗୁରୁ ..... 
ତୁମ୍ଭେ ଶିଖାଇଛ କରମ ଧରମ 
         ସ୍ବାବଲମ୍ବି ସ୍ବାଭିମାନ 
ତୁମରି ଆଦର୍ଶେ ଗଢ଼ା ଏ'ଜୀବନ
        ତୁମେ ମହା ଜ୍ଞାନ ଦ୍ରୁମ
         ସମର୍ପିଲି ତନୁ ମନ
ଆଶିଷର ହାତ ଥାଉ ସବୁଦିନ
       ଫୁଲ ଫଳ ଛାୟା ସମ ....

           - ସନ୍ତୋଷ ପଟ୍ଟନାୟକ, ଗଞ୍ଜାମ 

Friday, July 23, 2021

■ତୁ', ତୁମେ , ଆପଣ ■

■■■■■■■■■■■■■■■■■■
ଆମ ଭାଷାରେ ତୁ ତୁମେ ଆପଣ ଭଳି ତିନୋଟି ସମ୍ବୋଧନଵାଚକ ଶବ୍ଦ ଵ୍ଯଵହାର କେତେ ଯଥାର୍ଥ ?
■■■■■■■■■■■■■■■■■■

କିଛି ଲୋକ ଆପଣା ମନରେ ଏମନ୍ତ ଵିଚାର କରନ୍ତି ଯେ ଓଡ଼ିଆ ଭାଷାରେ ଅଯଥା ଅନେକ ଜିନିଷ ରହିଛି । ସେସବୁ କାଢି଼ଦେଲେ ଵରଂ ଏ ଭାଷା ଅନ୍ୟ ପାଇଁ ଶିଖିଵା ଅଧିକ ସହଜ ହୋଇପାରନ୍ତା । ଏଠାରେ ଵିଚାରଯୋଗ୍ଯ ଵିଷୟ ଏହା ଯେ ପ୍ରକୃତରେ ପ୍ରତ୍ଯେକ ଭାଷାରେ କିଛି ନା କିଛି ସହଜିଆ କଥା ଥିଵାଵେଳେ କେତେକ କ୍ଷେତ୍ରରେ ସଂଶୟଯୁକ୍ତ ପକ୍ଷ ମଧ୍ୟ ରହିଥାଏ । 

ଲୋକେ କୁହନ୍ତି ଇଂରାଜୀରେ ମାତ୍ର ୨୬ଟା ଅକ୍ଷର ପୁଣି ଆମଭଳି ଗାଡି଼ଏ ଶବ୍ଦ ନାହିଁ ଅଳ୍ପ ଅଛି ତେଣୁ ସାରା ଵିଶ୍ଵର ଭାଷା ହୋଇପାରିଛି । ତେଵେ ଯଦି ସେମାନେ ସୁଖୁମେଇକି ଦେଖନ୍ତେ ତେଵେ ଜାଣନ୍ତେ ଯେ ଇଂରାଜୀରେ ମଧ୍ୟ ସଂଶୟପକ୍ଷର ଆଦୌ ଅଭାଵ ନାହିଁ । 

ଯଥା―
୨)ଅକ୍ଷର ୨୬ କିନ୍ତୁ ବଡ଼ ଓ ସାନ ଭେଦ ରହିଛି ପୁଣି ପ୍ରତ୍ଯେକ ଵାକ୍ଯର ପ୍ରଥମ ଅକ୍ଷରକୁ ବଡ଼ଅକ୍ଷର ଭାଵେ ଲେଖିଵାକୁ ହୁଏ ! 

ଯଥା―He is not working properly. ଏଠାରେ he ନଲେଖି He ଲେଖିଵାକୁ ହୁଏ ! ଭାରତୀୟ ଭାଷାଗୁଡି଼କରେ ଏଭଳି ଅନାଵଶ୍ଯକ ଗୁଣ ନାହିଁ । 

୨)ଇଂରାଜୀ ଭାଷାର know, knowledge ଭଳି ଶବ୍ଦର k ଥାଇ ବି ଉଚ୍ଚାରଣ କରାଯାଏ ନାହିଁ ।  କେତେକ ଶବ୍ଦରେ C,P,F ଇତ୍ୟାଦି ଥାଇ ମଧ୍ୟ ଉଚ୍ଚାରଣ କରାଯାଉନଥିଵା ଦେଖାଯାଏ । ଆମ ଭାଷାରେ ଏଭଳି ହୁଏନାହିଁ , ଯାହାଲେଖାଯାଏ ତାହା ପଢା଼ଯାଏ । 

କିଛି ଲୋକ କୁହନ୍ତି ଓଡ଼ିଆ ଭାଷାରେ ଅଯଥା ତୁ,ତୁମେ, ଆପଣ ଭଳି ତିନୋଟି ଶବ୍ଦ ରହିଛି କିନ୍ତୁ
ଇଂରାଜି ଭାଷାରେ ଗୋଟିଏ ଶବ୍ଦ  'You' ଦ୍ଵାରା ସମସ୍ତଙ୍କୁ ସେମାନେ ସମ୍ବୋଧନ କରିଥାନ୍ତି । ଆମେ ବର୍ଗୀକରଣ କରି ନିଜକୁ ବୁଦ୍ଧିମାନର ପରିଚୟ ଦେଲୁ ବୋଲି ଭାବିନେଲେ, ଏହା ଦ୍ବାରା ସାମାଜିକ ଉଚ୍ଚ ନିଚ୍ଚର ଭେଦଭାବ ତିଆରି କରିନେଲେ , ଭୁଲରେ  ଆମେ ଯଦି କାହାକୁ 'ଆପଣ' ଯାଗାରେ ତମେ, 'ତମେ' ଯାଗାରେ 'ତୁ' କହିଦେଲେ ତାଙ୍କୁ ଅସମ୍ମାନ ସୁଚକ ହୋଇଗଲା, ତେଣୁ ଭାଷାକୁ ଯେତେ ସରଳ କରାଯିଵ ଭଲ ...

ତେଵେ କେଵଳ ଓଡ଼ିଆ ଭାଷା ନୁହେଁ ଭାରତର ଅଧିକାଂଶ ଭାଷାରେ ଵ୍ଯକ୍ତି ଭେଦରେ
ତୁ, ତମେ, ଆପଣ ସମ୍ବୋଧନାର୍ଥ ଵ୍ଯଵହାର ହୋଇଥାଏ । ହିନ୍ଦୀ ବଙ୍ଗାଳୀ ମରାଠୀ ଗୁଜରାଟୀ ସବୁଭାଷାରେ ତୁ ,ତୁମେ,ଆପଣର ଵ୍ଯଵହାର ରହିଛି ।

ଓଡ଼ିଶାର ଅନେକ ଜନଜାତୀୟ ଭାଷାରେ ମଧ୍ୟ ତୁ ତୁମେ ଆପଣ ଭେଦରେ ସମ୍ବୋଧନ ରହିଛି । ଉଦାହରଣ ସ୍ଵରୂପ ହୋଭାଷାରେ ‛ତୁ’ = ଆମ , ତୁମେ = ଆପେ ଓ ଆପଣ = ଆବେନ୍ । 

ପୁଣି ଇଂରାଜୀରେ ସମ୍ମାନସୂଚକ ପ୍ରୟୋଗ ନାହିଁ ବୋଲି କିଏ କହିଲା ? କେତେକ ପ୍ରୟୋଗକୁ ଵିଚାର କରାଯାଉ : 

୧) ଓଡ଼ିଆରେ ଯେପରି "ତୁ ଆସେ", "ତୁମେ ଆସ", "ଆପଣ ଆସନ୍ତୁ ରହିଛି" ସେହିପରି ଇଂରାଜୀରେ ମଧ୍ୟ "You come", "Will you please come", "If you feel like coming please" ଇତ୍ୟାଦି ରହିଛି ।

୨) ଓଡ଼ିଆରେ ଯେପରି "ଵସ" ଓ "ଵସନ୍ତୁ" ରହିଛି ସେହିପରି ଇଂରାଜୀରେ "sit" ଓ "please be seated" ପରି ପ୍ରୟୋଗ ହୁଏ । 

୩) ଓଡ଼ିଆରେ ଯେପରି "ମୁଁ ତୋତେ ପ୍ରଶ୍ନ ପଚାରିଵି କି", "ମୁଁ ଆପଣଙ୍କୁ ପ୍ରଶ୍ନ ପଚାରିଵି କି" ରହିଛି ଇଂରାଜୀରେ ସେହିପରି "Can I ask you" ଓ "May I have the honour to ask you"   

୪) "ଆପଣଙ୍କୁ ଜଣାଉଛି ଯେ" କୁ ଇଂରାଜୀରେ "with due respect I beg to state that"
ପାର୍ଥକ୍ୟ କେଵଳ ଏତିକି , ଓଡ଼ିଆରେ କେଵଳ ଆପଣ କହିଦେଲେ ସମ୍ମାନସୂଚକ ହୋଇଗଲା ତେଣୁ ପୂରା ଵାକ୍ୟକୁ ବୁଲେଇ ବଙ୍କେଇ ଵିଶେଷ ଉପମା ଦେଵାକୁ ପଡ଼େନାହିଁ, ଅଥଚ ଇଂରାଜୀରେ ଆପଣ ପାଇଁ ଵିଶେଷ ଶବ୍ଦ ନ ଥିଵାରୁ ଆମକୁ କେତେ ଵିଶେଷ ଵୈୟାକରଣିକ ଆଶ୍ରୟରେ କଥା କହିଵାକୁ ହୁଏ ଯେମିତିକି "ଆପଣ ଚାହିଁଲେ ମୁଁ କରିପାରିଵି" କୁ ଇଂରାଜୀରେ "Can do it should you so desire". ...

ଇଂରାଜୀ ଭାଷାରେ କାହାକୁ ସମ୍ବୋଧନ ପାଇଁ କେଵଳ ଗୋଟିଏ ଛୋଟିଆ ଶବ୍ଦ ରହିଛି you କିନ୍ତୁ ଆମର ତିନୋଟି ଶବ୍ଦ ରହିଛି ତୁ/ତୁହି,ତୁମେ ଓ ଆପଣ । ଇଂରାଜୀ ଭାଷାରେ ସମ୍ବୋଧନାର୍ଥ ଆମଭଳି ତିନୋଟି ଶବ୍ଦ ନଥିଵା ହେତୁ ସେମାନଙ୍କୁ ବଡ଼ ଲୋକଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ହେତୁ ବହୁତ ଲମ୍ବା ଲମ୍ବା ଖଣ୍ଡଵାକ୍ଯ ପ୍ରୟୋଗ କରିଵାକୁ ପଡି଼ଥାଏ  ।  ଅଵଶ୍ୟ ତାଙ୍କ ଲୋକାଚାର ଆମ ଭଳି ସମୃଦ୍ଧ ନଥିଵା ଯୋଗୁଁ ସେମାନେ ପ୍ରାୟତଃ youରେ କାମ ଚଳେଇ ନିଅନ୍ତି । 

ଆମ୍ଭଦେଶର ସଂସ୍କୃତି ଅଧିକ ଉନ୍ନତ ହୋଇଥିଵା ହେତୁ ଏଠାରେ ତିନୋଟି ସମ୍ବୋଧନଵାଚକ ଶବ୍ଦ ଵ୍ଯକ୍ତି ଭେଦରେ ପ୍ରଚଳିତ ହୋଇପାରିଛି । ଦେଶଭେଦରେ ସଂସ୍କୃତି ଭିନ୍ନ ଭିନ୍ନ । ଆମ ସଂସ୍କୃତିର ଏଇ ଉପାଦାନ ତେଣୁ ସର୍ଵଥା ଯଥାର୍ଥ ଅଟେ ଅନାଵଶ୍ଯକ କି ଆଲୋଡା଼ ନୁହେଁ । 

©ଡାକ୍ତର ଦେଵାଶିଷ ଜ୍ଯୈଷ୍ଠୀ
ସମ୍ପାଦନା―ଶିଶିର ସାହୁ ମନୋଜ

● ଛୋଟ ଯାତ୍ରାଟିଏ ●

ଛୋଟ ଯାତ୍ରାଟିଏ 
===========
ବସ ଯାତ୍ରା କରୁଥିଲେ ବୟସ୍କା ମହିଳା 
ଏକୁଟିଆ ଥିଲେ ହେଲେ ନଥିଲେ ଅବଳା 
ଏହି ସମୟରେ ଯୋଗଦେଲେ ସହଯାତ୍ରୀ 
ଯୁବତୀ ସେ, ଗୋଲଗାଲ ସ୍ଥୂଳକାୟା ଅତି ll

ଆଣିଥିଲେ ବହୁ ଦ୍ରବ୍ୟ ଲଦିଦେଲେ କୋଳେ 
ବୟସ୍କା ମହିଳାଙ୍କୁ ଠେଲିଦେଲେ ତ ଭୋଳେ 
ଧୀର ଶାନ୍ତ ନିର୍ବିକାର ଥିଲେ ସେ ମହିଳା 
ଯୁବତୀଙ୍କ ଜୁଲମ ସତ୍ତ୍ୱେ ଥିଲେ ନିଶ୍ଚଳା ll

ବସ ଯାଉଥିଲା ଗଡି ଆଗକୁ ଆଗକୁ 
ଅପରାଧ ବୋଧ ଗ୍ରାସ କରେ ଯୁବତୀ କୁ 
ଅଗତ୍ୟା ପଚାରିଲା ସେ: ଆହେ ମହାଶୟା!
ଆପଣଙ୍କୁ କଷ୍ଟ ଦେଇ ହେଲି ମୁଁ ନିର୍ଦ୍ଦୟା? 

ଏତେ ବଡ଼ ବଡ଼ ବସ୍ତୁ ଲଦିଦେଲି କୋଳେ 
ଅଧାରୁ ବେଶୀ ଯାଗା ମୋର, ଆଉ ନ ବଳେ 
ଆପଣଙ୍କର ବସିବାପାଇଁ ସ୍ଵଚ୍ଛନ୍ଦରେ 
କେମିତି ଅଛନ୍ତି ଆପଣ ସ୍ଥିର ଭାବରେ? ll

ସ୍ମିତହସରେ କହନ୍ତି ବୟସ୍କା ମହିଳା 
କେତେ ସୁନ୍ଦର ଏ ସଂସାରର ଲୀଳାଖେଳା 
ଏହା ମାତ୍ର ଅଟେ ଏକ ଛୋଟ ବସଯାତ୍ରା 
ଘଟଣା ସମସ୍ୟା ସବୁ ଗୌଣ, ମୂଖ୍ୟ ତ କର୍ତ୍ତା!

ସବୁ ଯାତ୍ରୀମାନେ ଏଠି ଜଣେଜଣେ କର୍ତ୍ତା 
ଇଚ୍ଛାର ସମ୍ରାଟ ସର୍ବେ, ନୁହଁନ୍ତି ବିଧାତା 
ଚାହିଁଲେ ଗଢି ଉଠିବ ମଧୁର ସମ୍ପର୍କ 
ନାଚାହିଁଲେ ହଜିଯିବ ମନର ପୁଲକ ll

ବିବିଧତାରେ ଭରା ଏ ବିଶାଳ ସଂସାର 
ସର୍ବେ ସହଯାତ୍ରୀ ଆମେ, କିଏ ନିଜ ପର 
ହସିଦେଲେ ଖୁସିହେଲେ କଟିଯିବ ପଥ 
ନଗଣ୍ୟକୁ ଧ୍ୟାନ ଦେଲେ ଯାତ୍ରା ହେବ ବ୍ୟର୍ଥ ll

ଛୋଟ ଯାତ୍ରାଟିଏ ଆହା ଆମ ଏ ଜୀବନ 
ହସଖୁସିରେ କାଟ ନହୋଇ ସନ୍ଦିହାନ ll
=================================
ପ୍ରମୋଦ କୁମାର ମହାନ୍ତି ll

● ଲସି,ରସାଳା ଓ ଶିଖରିଣୀ ●

🔴🔴लस्सी ,ଲସି,ରସାଳା ଓ ଶିଖରିଣୀ🔴🔴

ଆଜି ଦହି, ଚିନି , ବରଫ କିଂଵା ପାଣିରେ ପ୍ରସ୍ତୁତ ପଶ୍ଚିମ ଭାରତୀୟ ପେୟ "ଲସ୍ସୀ" ସାରା ଵିଶ୍ଵରେ ଲୋକପ୍ରିୟ ହୋଇଅଛି । ପୂର୍ଵେ ଓଡ଼ିଶାରେ ଏ ଲସ୍ସୀ ଶବ୍ଦ ଚଳୁନଥିଲା   କିନ୍ତୁ ଓଡ଼ିଶାର ଲୋକେ ବହୁପ୍ରାଚୀନ କାଳରୁ ଦହିରେ ଚିନି ଓ ପାଣି ମିଶାଇ ପିଉଥିଲେ ଏଵଂ ତାକୁ ଦହିପାଣି କୁହାଯାଉଥିଲା । ଗ୍ରାମାଞ୍ଚଳରେ କୃତ୍ରିମ ଶୀତଳ ପାନୀୟ ମିଳିଵା ପୂର୍ଵରୁ ଘରକୁ କୁଣିଆ ଆସିଲେ ଲୋକେ ଦହିପାଣି ପିଇଵାକୁ ଦେଉଥିଲେ । 

ଲସ୍ସୀ ଶବ୍ଦଟି ପଶ୍ଚିମ ଭାରତୀୟ ଶବ୍ଦ ଏଵଂ ଏହା ଶୌରସେନୀ ପ୍ରାକୃତର *𑀮𑀲𑁆𑀲𑀻 (*lassī) ଓ ସଂସ୍କୃତ ଲସ(“stickiness”) ସହିତ ସମଦ୍ଧୃତ ବୋଲି ଉତ୍ତର ଭାରତୀୟ ଭାଷାଵିଦମାନେ ନିର୍ଣ୍ଣୟ କରିଛନ୍ତି ।

ସଂସ୍କୃତ ଲସ ଶବ୍ଦକୁ ଲସ୍ ଧାତୁର ଆକର୍ଷଣ, ଆଲିଙ୍ଗନ କରିଵା ଅର୍ଥରେ ନିଷ୍ପନ୍ନ କରାଯାଇଛି । ସଂସ୍କୃତ  ଲସର ନିମ୍ନୋକ୍ତ ତିନୋଟି ଅର୍ଥ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି ...
କ)ଅନ୍ୟ ଵସ୍ତୁରେ ଲାଗିଯିଵା ଗୁଣ ଵା ଅଠାଳିଆପଣ
ଖ)ଅଠା
ଗ)ଚିତ୍ତ ଆକର୍ଷଣ 

ହୁଏତ ଲସ୍ସୀ ଚିତ୍ତ ଆକର୍ଷଣ କରେ ବୋଲି ଏହାର ଏଭଳି ନାମକରଣ ହୋଇଥିଲା ।

ତେବେ ଏହି ଦେଶଜ ଲସ୍ସୀକୁ ଓଡ଼ିଆ ଭାଷାରେ ଲସ୍ସୀ କିଂଵା ଲସୀ ଲେଖାଯିଵା ଉଚିତ୍ କାରଣ ଆମ ଭାଷାରେ ମଧ୍ୟ ଲସି ବୋଲି ଆଉ ଏକ ଶବ୍ଦ ରହିଛି ।

ଓଡ଼ିଆ ଭାଷାରେ ଆମ୍ବ ଆଦି ଫଳର ଭୁଣ୍ଡିରୁ ବହିଵା ରସକୁ ଲସି ଓ ଅଞ୍ଚଳ ଭେଦରେ ନସି କୁହାଯାଏ । ଏହି ଲସି ଶବ୍ଦଟି ତତ୍ସମ ରସ, ଲସିକା ଓ ରସ୍ ଧାତୁ ଆଦି ସହିତ ସମଦ୍ଧୃତ ।

ଆମ୍ବ ଆଦି ଫଳରେ ଲାଗିଥିଵା ଡ଼େମ୍ଫକୁ ମଧ୍ୟ ଲସି କୁହାଯାଏ ଏଵଂ କେଉଁଠି କେଉଁଠି ଏହାକୁ ନାଶି କହିଥାନ୍ତି । ଏହି ଓଡ଼ିଆ ଲସି ଶବ୍ଦଟି ତତ୍ସମ ନାଶା ଶବ୍ଦ ସହିତ ସମଦ୍ଧୃତ ।

ସ୍ତନାଗ୍ର ଵା ଚୁଚୂକକୁ ମଧ୍ୟ ଓଡ଼ିଶାର କେତେକ ଅଞ୍ଚଳରେ ଲସି କହିଥାନ୍ତି ଏଵଂ ଏଥିରୁ ମଧ୍ୟ ଅମୃତ ରସ ଵା ଦୁଗ୍ଧ ନିର୍ଗତ ହୋଇଥାଏ  । ଘାଆ ,ବଥ ଇତ୍ୟାଦିରୁ ଯେଉଁ ଵର୍ଣ୍ଣହୀନ ଜଳୀଯ ପଦାର୍ଥ ବାହାରେ ତାକୁ ମଧ୍ୟ ଲସି ଓ ନଶି କହିଥାନ୍ତି ଏଵଂ ଏହି ଲସି ଶବ୍ଦଟି ସଂସ୍କୃତର ଲସା ଶବ୍ଦ ସହିତ ସମଦ୍ଧୃତ ।  ପୁଣି ପୁରୀ ଜିଲ୍ଲାରେ ନଡ଼ିଆକୁ ସିନ୍ଦୋଳିଵା ପାଇଁ ପ୍ରତ୍ଯେକ ନଡ଼ିଆର କତାରୁ ସରୁ କରି ବାହାର କରିଵା ଅଂଶକୁ ଲସି କୁହାଯାଏ ।

ତେବେ ପ୍ରାଚୀନ ଭାରତରେ ଦହିରେ ପ୍ରସ୍ତୁତ ଏକଜାତୀୟ ପେୟକୁ ଶିଖରିଣୀ ଓ  ରସାଳା କୁହାଯାଉଥିଲା । ଵିଭିନ୍ନ ଵୈଦ୍ୟ ଶାସ୍ତ୍ରରେ ଏହା ପ୍ରସ୍ତୁତ କରିଵାର ଵିଧି ଉଲ୍ଲେଖ ଥିଵା ଜଣାଯାଏ । କେତେକ ଵୈଦ୍ଯଶାସ୍ତ୍ର ଅନୁସାରେ ଜଳଶୂନ୍ୟ ଦଧି ୮ ସେର, ଚିନି ୪  ସେର ଓ ଦୁଧ ୬ ସେର ଏକତ୍ର ମିଶାଇ ତହିଁସଙ୍ଗେ ମରିଚ, ଲଵଙ୍ଗ, ଅଳେଇଚ ଓ କର୍ପୂରଗୁଣ୍ଡ ମିଶାଇଲେ ରସାଳା ହୁଏ। ଏହି ରସାଳା  ଅମ୍ଳମଧୁରରସ, ଶୀତଳ, ସାରକ, ଅଗ୍ନିଵର୍ଦ୍ଧକ, ପୁଷ୍ଟିକର,ଶୁକ୍ରଵର୍ଦ୍ଧକ, ସ୍ନିଗ୍ଧ ଓ ବାତପିତ୍ତ, ଦାହ, ତୃଷ୍ଣା, ରକ୍ତ ପିତ୍ତ, ପ୍ରତିଶ୍ୟାୟାଦିନାଶକ। ରତିଶ୍ରାନ୍ତ ଓ ପର୍ଯ୍ୟଟନକ୍ଳାନ୍ତ ଵ୍ୟକ୍ତି ପକ୍ଷରେ ଏହା ଵିଶେଷ ହିତକର ଅଟଇ । 

କେତେକ ଵୈଦ୍ୟଶାସ୍ତ୍ରରେ ରସାଳାର ଆଉ ଏକ ପ୍ରକାରର ପ୍ରସ୍ତୁତି ଵିଧି ଉଲ୍ଲେଖ ଥିଵା ଜଣାଯାଏ । ଏହି ଵିଧି ଅନୁସାରେ ଦଧି ୪ ସେର, ଚିନି ୨ ସେର, ମଧୁ ଦୁଇ ଛଟାଙ୍କି, ଘିଅ ଦୁଇ ଛଟାଙ୍କି, ଶୁଣ୍ଠିଗୁଣ୍ଡ ଅଧତୋଳା, ଅଳେଇଚ ଗୁଣ୍ଡ ଅଧ ତୋଳା, ମରିଚଚୂର୍ଣ୍ଣ ଦୁଇ ତୋଳା ଓ ଲଵଙ୍ଗଚୂର୍ଣ୍ଣ ଦୁଇ ତୋଳା ଏକତ୍ର ମିଶାଇ ତାକୁ ଛାଣି ମୃଗନାଭି ଓ କର୍ପୂର ଦ୍ବାରା ସୁଵାସିତ କରି ରସାଳା କରାଯାଉଥିଲା। 

ସେହିପରି ଦହିରୁ ପ୍ରସ୍ତୁତ ଶିଖରିଣୀ ନାମକ ପେୟ ପ୍ରସ୍ତୁତି ଵିଧି ଭାବପ୍ରକାଶ ଗ୍ରନ୍ଥରେ ମଧ୍ୟ ରହିଛି । ଏହି ଗ୍ରନ୍ଥ ଅନୁସାରେ — ଜଳ ଵିହୀନ ମହିଷ ଦଧି ୧୬ ସେର, ପରିଷ୍କୃତ ଚିନି ୮ ସେର ଏକତ୍ର ମିଶାଇ ପରିଷ୍କୃତ ଵସ୍ତ୍ରରେ ପୂରାଇ ତହିଁରେ ୩୨ ସେର ଦୁଧ ମିଶାଇ ତହିଁତଳେ ଗୋଟିଏ ମୃତ୍ପାତ୍ର ରଖି ଵଳପୂର୍ବକ ଉକ୍ତ ଵସ୍ତ୍ରଦ୍ବାରା ଏହାକୁ ସ୍ରାଵଣ କରାଯାଏ । ତତ୍ପରେ ଏଥିସଙ୍ଗେ ଅଳେଇଚ ଲବଙ୍ଗ, କର୍ପୂର, ମରିଚ ଚୂନା ମିଶାଯାଏ । ଏହା କ୍ଳାନ୍ତି ନିଵାରକ, ଵଳକର, ଶୂତ୍ର ଢର୍ଦ୍ଧକ, ଵାୟୁ ଓ ପିତ୍ତ ନାଶକ, ଅଗ୍ନି ପ୍ରଦୀପକ, ଶରୀରର ଉପଚୟ କାରକ, ସ୍ନିଗ୍ଧ, ଶୀତଳ, ସାରକ ଓ ରକ୍ତପିତ୍ତ, ପିପାସା, ଦାହ, ପ୍ରତିଶ୍ୟାୟ ନାଶକ।  କେବଳ ବସନ୍ତଋତୁ ଭିନ୍ନ ଅନ୍ୟ ଋତୁରେ ଏହା ସେଵ୍ୟ । ଏହାର ଅନ୍ୟ ନାମ ରସାଳା। ପୁନଶ୍ଚ ରାଜ ନିଘଣ୍ଟ ଗ୍ରନ୍ଥରେ କୁହାଯାଇଛି ଯେ, ଦହି ୩୨ ପଳ, ଖଣ୍ଡ ୮ ପଳ, ମରିଚଚୂର୍ଣ୍ଣ, ଗୁଡ଼ତ୍ବକ ଓ ଏଳାଚର୍ଣ୍ଣ ୮ ପଳ, ମଧୁ ୪ ପଳ, ଘୃତ ୪ ପଳ, ଗୋଟିଏ ଭାଣ୍ଡରେ ରଖି ହିମଵାସିତ କଲେ ତାହା ଶିଖରିଣୀ ହୁଏ । 

ଵିଭିନ୍ନ ଵୈଦ୍ୟଶାସ୍ତ୍ରରେ ରସାଳା ଓ ଶିଖରିଣୀ ଭଳି ଦଧି ସମ୍ବନ୍ଧୀୟ ଉତ୍କୃଷ୍ଟ ପାନୀୟ ଓ ତହିଁର ନାନାଦି ପ୍ରସ୍ତୁତି ପ୍ରଣାଳୀ ର ଉଲ୍ଲେଖରୁ  ସ୍ପଷ୍ଟ ଯେ ପ୍ରାଚୀନ ଭାରତୀୟମାନେ ଵର୍ତ୍ତମାନର ପଶ୍ଚିମ ଭାରତୀୟ ସାଧାରଣ ଦହିପାଣି ଲସ୍ସୀ ଅପେକ୍ଷା ଅଧିକ ସ୍ଵାସ୍ଥ୍ୟଵର୍ଦ୍ଧକ ଦଧିପେୟ ପାନ କରିଵା ଜାଣିଥିଲେ ।

ସମ୍ଭଵତଃ ଏହି ରସାଳା ଵା ଶିଖରଣୀର ଆଧୁନିକ ଓ ଅତି ସାଧାରଣ ତଥା ଵୈଦ୍ୟଶାସ୍ତ୍ରରେ ଉଲ୍ଲେଖିତ ଉତ୍କୃଷ୍ଟ ଦଧିପାନୀୟ ଅପେକ୍ଷା ଅଳ୍ପ ଲାଭପ୍ରଦ ରୂପ ହେଉଛି ଲସ୍ସୀ ।

ଏଣୁ ଲସ୍ସୀ ଅପେକ୍ଷା ରସାଳା ଓ ଶିଖରିଣୀ ଅଧିକ ହିତକର ହୋଇଥିଵାରୁ ଲସ୍ସୀ ପରିଵର୍ତ୍ତେ ଏହି ଵୈଦ୍ୟଶାସ୍ତ୍ରୋକ୍ତ ପାନୀୟ ପ୍ରସ୍ତୁତ କରି ପିଇଵା ସହ ଵିକ୍ରିର ଵ୍ୟଵସ୍ଥା କରାଗଲେ ଅନେକ ଲୋକଙ୍କର ଶାରିରୀକ ଉନ୍ନତି ହୋଇପାରନ୍ତା ।

Thursday, July 22, 2021

■ ଉଦନ୍ତି ନଦୀ ; କିମ୍ବଦନ୍ତୀ ଓ ନାମକରଣ ■

⬛⬛ଉଦନ୍ତି ନଦୀ; କିମ୍ବଦନ୍ତୀ ଓ ନାମକରଣ⬛⬛
 

ଓଡ଼ିଶା ମଧ୍ୟରେ ଇବ୍, ଓଙ୍ଗ୍  ତେଲ୍,ସୁରାବାଲୀ ଓ ସାଲୁଙ୍କି, ଆଦି ମହାନଦୀର ଅନେକ ଉପନଦୀ ରହିଛି । ମହାନଦୀର ଏଇଭଳି ଏକ ଉପନଦୀ ତେଲନଦୀର  ଏକ ସହାୟକ ନଦୀର ନାମ ଉଦନ୍ତୀ ଅଟେ ।

 ଉଦନ୍ତୀ ନଦୀ , ଛୋଟନାଗପୁର ମାଳାଞ୍ଚଳରୁ ପ୍ରଵାହିତ ହୋଇ ନୂଆପଡ଼ା ଜିଲ୍ଲାର ସିନାପାଲି ବ୍ଲକର ପଶ୍ଚିମ ଦିଗରେ ସିନ୍ଦୂରସିଲ ନିକଟରେ ଓଡ଼ିଶା ସୀମା ମଧ୍ୟକୁ ପ୍ରଵେଶ ହୋଇଛି । ଉଦନ୍ତୀ ନଦୀ ଛତିଶଗଡ଼ ଓ ଓଡ଼ିଶାର ନୂଆପଡ଼ା ତଥା କଳାହାଣ୍ଡି ଜିଲ୍ଲାରେ ପ୍ରଵାହିତ ହେଉଅଛି । କଳାହାଣ୍ଡି ଜିଲ୍ଲାର ସେଁପୁରଠାରେ ଏ ନଦୀ ତେଲ୍ ନଦୀରେ ଆସି ମିଶିଅଛି । 

ଉଦନ୍ତି ଵା ଉଦନ୍ତୀ ନଦୀକୁ ଓଡ଼ିଶାର "free-flowing river" ଭାବେ ଅଭିହିତ କରାଯାଇଥାଏ ।  ଯେଉଁ ନଦୀଗୁଡ଼ିକ ମନୁଷ୍ୟକୃତ ପରିଵର୍ତ୍ତନ ହେତୁ ସେତେଟା ପ୍ରଭାଵିତ ହୋଇନଥାନ୍ତି ସେଗୁଡ଼ିକୁ "free-flowing river" କୁହାଯାଏ । ଛତିଶଗଡ଼ ଓ ଓଡ଼ିଶା ରାଜ୍ୟ ମଧ୍ୟରେ ଏ ନଦୀ ପ୍ରଵାହିତ ହେଉଅଛି । 

  ଉଦନ୍ତୀ ନଦୀକୁ ନେଇ କଳାହାଣ୍ଡି ଅଞ୍ଚଳରେ ଏକ କିମ୍ବଦନ୍ତୀ ରହିଛି । ଏଠାକାର ଵନର ପୁଷ୍ପାଦି ଯୋଗୁଁ ସବୁଆଡେ ସୁବାସ ମହକି ଉଠୁଥିଲା । ସେହି ମହକରେ ଆକୃଷ୍ଟ ହୋଇ ସ୍ୱର୍ଗର ଇନ୍ଦ୍ର ଇନ୍ଦ୍ରାଣୀ ମର୍ତ୍ତ୍ଯକୁ ଓହ୍ଲାଇ ଏଠାରେ ଅନେକ ଦିନ ଵିହାର କରିଵାକୁ ଲାଗିଲେ । ସ୍ଥାନୀୟ ଜନଜାତୀୟ ଲୋକେ ସେମାନଙ୍କ ପାଇଁ ମାଟି ଝାଟିର ସୁନ୍ଦର ଘରଟିଏ ତିଆରି କରିଦେଲେ ।

ପାଖ ପାହାଡ ତଳେ ରହିଥିଲା ଆଉ ଗୋଟେ ଉପତ୍ୟକା । ଥରେ ଇନ୍ଦ୍ର ବୁଲୁ ବୁଲୁ ସେହି ଉପତ୍ୟକାରେ ପହଞ୍ଚିଲେ । ଉପତ୍ୟକାରେ ବସିଥିଲା ଫୁଲର ହାଟ । ଉଡି ବୁଲୁଥିଲେ ଅସଂଖ୍ୟ ପକ୍ଷୀ ଓ ପ୍ରଜାପତି । ସେମାନଙ୍କ ସହିତ ଘୁରି ବୁଲୁଥିଲା ଜଣେ ଅସାମାନ୍ୟ ସୁନ୍ଦରି ନାରୀଟିଏ । 

ନାମ ତାର ଉଦନ୍ତି । ତାର ସୈାନ୍ଦର୍ଯ୍ୟରେ ଆକର୍ଷିତ ହୋଇ ଇନ୍ଦ୍ର ତାକୁ ପ୍ରେମ ନିଵେଦନ କଲେ । ତହୁଁ ପ୍ରେମିକ ପ୍ରେମିକା ହୋଇ ସେମାନେ ଫୁଲ ବଗିଚାରେ ଘୁରି ବୁଲିଲେ । ଉଦନ୍ତିକୁ ପାଇ ଇନ୍ଦ୍ର ଭୁଲି ଗଲେ ଇନ୍ଦ୍ରାଣୀଙ୍କ କଥା । ଏଇମିତିରେ କଟିଗଲା ଅନେକ ଦିନ ।

ଏଣେ ଇନ୍ଦ୍ର ଦେବତାଙ୍କ ବାଟ ଚାହିଁ ଚାହିଁ ଇନ୍ଦ୍ରାଣୀ ଆଖିରେ ଲୁହ ଝରାଇଲେ । ଜନଜାତୀୟ ଲୋକମାନେ ଧାଇଁ ଯାଇ ଇନ୍ଦ୍ରଙ୍କର ଠାଵ ଠିକଣା ଉଣ୍ଡି ଆସିଲେ ।

ଉଦନ୍ତି—ଇନ୍ଦ୍ର ପ୍ରଣୟ କଥା ଜାଣି ଇନ୍ଦ୍ରାଣୀ ଦୁଃଖରେ ଭାଙ୍ଗି ପଡି଼ଲେ । ନଖାଇ ନପିଇ ବସି କାନ୍ଦିଲେ । ଆଦିବାସୀ ଲୋକମାନେ ତାଙ୍କୁ ଜଗି ବସିଲେ । ବଣରୁ ଫଳ ମୂଳ ଆଣି ଖାଇଵାକୁ ଦେଲେ ।

ଶେଷରେ ଦିନେ ଅସହ୍ଯ ହେଲାରୁ ଇନ୍ଦ୍ରାଣୀ ଅଭିଶାପ ଦେଲେ...

"ଇନ୍ଦ୍ର ଓ ଉଦନ୍ତି ବିହାର କରୁଥିଵା ସୁନ୍ଦର ଉପତ୍ୟକାରେ ମରୁଭୁମିର ଵିଭିଷିକା ସୃଷ୍ଟି ହେଵ, ଆଉ ଵର୍ଷା ହେଵ ନାହିଁ । ଇନ୍ଦ୍ର ଓ ଉଦନ୍ତି ହୋଇଯିବେ ଦୁଇଟି ସୁଖା ନଈ । ପରସ୍ପର ଵିପରୀତ ଦିଗରେ ଗତି କରିଵେ । କେବେ ମିଶି ପାରିଵେ ନାହିଁ ।"

ଅଭିଶାପ ଫଳିଲା । ଇନ୍ଦ୍ର ଓ ଉଦନ୍ତି ନଈ ଦୁଇଟି ଵିପରୀତ ଦିଗରେ ବହି ଚାଲିଲେ ।  ଏଣେ ଇନ୍ଦ୍ରାଣି ମଧ୍ୟ ଇନ୍ଦ୍ରାବତି ନଈ ହୋଇ ବହିଗଲେ, ଅନ୍ୟ ଦିଗକୁ ମୁହଁ କରି ।

ଆଜି ନୂଆପଡ଼ା ଜିଲ୍ଲାର କାର୍ଲାକୋଟ ନିକଟରେ ଯେଉଁ ତିଖାଲି ଡ୍ଯାମ୍ ରହିଛି ତାକୁ lower indra dam ବି କୁହାଯାଏ । ସେଇଠି ଇନ୍ଦ୍ର ନଦୀ ଓ ସୁନ୍ଦର ନଦୀ ମିଶିଛି ଏଵଂ ସେ ନଦୀ ସୁନ୍ଦର ନଦୀ ନାମ ବହି ତେଲ୍ ନଦୀରେ ଯାଇ ମିଶିଅଛି । 

କିମ୍ବଦନ୍ତୀ କୁହେ ଇନ୍ଦ୍ର ଓ ଉଦନ୍ତି ନଦୀ କେବେ ମିଶିପାରିଲେ ନାହିଁ ତେବେ ଉଦନ୍ତି ଓ ଇନ୍ଦ୍ର ଉଭୟ ନଦୀର ଜଳ କିନ୍ତୁ ତେଲ୍ ନଦୀରେ ମିଶିଥାଏ । 

ଏ ନଦୀର ନାମ ଉଦନ୍ତି କାହିଁକି ହେଲା ? ସମ୍ଭଵତଃ ଉଦନ୍ତି ନଦୀର ଗୁଣ ଯୋଗୁଁ ଏ ନଦୀର ଏଭଳି ନାମକରଣ ହୋଇଥାଇପାରେ । 

ଉଦନ୍ତ ଶବ୍ଦର ସ୍ତ୍ରୀଵାଚକ ରୂପ ଉଦନ୍ତି ଅଟେ । 
ଏକ ସଂସ୍କୃତ ଇଂରାଜୀ ଅଭିଧାନରେ ଉଦନ୍ତ ଶବ୍ଦର ଅନେକ ଅର୍ଥ ରହିଛି ଯଥା_
୧)flowing over (ଉଚ୍ଛୁଳିଵା)
୨)good(ଭଲ)
୩)virtuous(ଧାର୍ମିକ)
୪)eaching to the end or border
୫)excellent(ଅତି ଉତ୍ତମ)
୬)running over(କାହାକୁ ଛାଡି଼ ପଳାୟନ କରିଵା)
୭)end of the work(କାର୍ଯ୍ୟର ସମାପ୍ତି)
୮)news(ସମ୍ଵାଦ)
୯)one who gets a livelihood by a trade
ଵ୍ୟାପାର ଦ୍ଵାରା ଜୀଵିକାନିର୍ଵାହ କରୁଥିଵା ଵ୍ଯକ୍ତି
୧୦)rest(ଵିଶ୍ରାମ)
୧୧)intelligence(ବୁଦ୍ଧିମାନ)
୧୨)by sacrificing for others(ବଳିଦାନ)
୧୩)account(ଖାତା)
୧୪)harvest time(ଅମଳ ସମୟ)
୧୫)history(ଇତିହାସ)
୧୬)telling to the end(ଶେଷ ଯାଏଁ କହିଵା)

ଉଦନ୍ତି ନଦୀରେ ପ୍ରତିଵର୍ଷ ଵନ୍ଯା ହୋଇଥାଏ ଅର୍ଥାତ୍ ଏ ନଦୀର ଜଳ କୂଳ ଲଙ୍ଘନ କରେ ବୋଲି ଵନ୍ଯା ହୋଇଥାଏ । 
ଏଠାରେ ଉଦନ୍ତ ଶବ୍ଦର flowing over ଅର୍ଥଟି ପ୍ରକାଶ ପାଇଛି । ତେବେ ସବୁନଦୀରେ ଆଗେ ଵନ୍ଯା ହିଁ ହେଉଥିଲା ଏଥିରେ ନୂଆ କ'ଣ ରହିଗଲା ।

ସମ୍ଭଵତଃ ଉଦନ୍ତ ଶବ୍ଦର running over ଵା ଅନ୍ଯକୁ ଛାଡି଼ ପଳାୟନ କରିଵା ଅର୍ଥରେ ଉଦନ୍ତ ଶବ୍ଦର ସ୍ତ୍ରୀଵାଚକ ରୂପ ଉଦନ୍ତି କରି ଏ ନଦୀର ନାମ ରଖାଯାଇଅଛି । କିମ୍ବଦନ୍ତୀ ଅନୁସାରେ  ଉଦନ୍ତି ନାମକ କନ୍ଯା ଓ ଇନ୍ଦ୍ରଙ୍କୁ ଇନ୍ଦ୍ରାଣୀ ଅଭିଶାପ ଦେଇଥିଲେ ଯେ ସେମାନେ କେବେ ମିଶିପାରିବେ ନାହିଁ । ସମ୍ଭଵତଃ ଇନ୍ଦ୍ରଙ୍କୁ ଛାଡ଼ି ଅନ୍ଯ ଏକ ଦିଗକୁ ପଳାୟନ କରି ନଦୀ ଭାବେ ପ୍ରଵାହିତ ହୋଇଥିଵା ହେତୁ ଏ ନଦୀର ନାମ ଉଦନ୍ତି ରଖାଯାଇଥିଲା ।

ଓଡ଼ିଆ ସାହିତ୍ୟରେ ଉଦନ୍ତ ଶବ୍ଦର ଅନେକ ସ୍ଥାନରେ ଵ୍ଯଵହାର ହୋଇଅଛି । ଏ ଶବ୍ଦର ଵିଶେଷତଃ ସମ୍ବାଦ,ଵାର୍ତ୍ତା ଓ ସମାଚାର ଅର୍ଥରେ ଵ୍ଯଵହାର ହୋଇଥିଵା ଦେଖାଯାଏ । 

✓ଏବେ ହୋ ଶୁଣ ପରୀକ୍ଷିତ । 
ଋଷଭ ଉତ୍ତାରେ ଯେମନ୍ତ ।। ୧।।
କହିବା ତହିଁର ଉଦନ୍ତ ।
ରାଜନ ହୁଅ ଏକଚିତ୍ତ ।। ୨।।
(ପଞ୍ଚମ ସ୍କନ୍ଧ,ଭାଗଵତ, ଜଗନ୍ନାଥ ଦାସ)

✓ବେଗରେ ବେତ୍ର କର ଗତି ମତ୍ସ୍ୟ ଚହଟ।
ବୋଲିବାର ମଣିମାଭେକରଟ,
         ବାଟେ ଦ୍ବିବିତ କହିଲା ଏ ଉଦନ୍ତ ।
ସୁଦନ୍ତଶୋଭୀ ଶୁଣି ଭାଳେ ,
             ବିଭୁ ବିରାଗୀ ମୋହଠାରେ ହେଲେ ।୨।
(ଵୈଦେହୀଶ ଵିଳାସ,କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜ)

✓କୁକ୍କୁଟକୁ ମୁକୁଟ ସେ ଗିରିକୂଟେ ଦେଇ
ଲଭି ବଲ୍ଲଭୀ ଉଦନ୍ତ ଦୂତ ପଠିଆଇ ଯେ । 
ଜଳେ ସେତୁ କଲେ ଶିଳେ ନଳେ ଦେଇ ଯଶ ।
ଲଙ୍କା ବେଢ଼ି ଶଙ୍କା କରାଇଲେ ଦୈତ୍ୟବଂଶ ଯେ ।
(ଲାଵଣ୍ଯଵତୀ,କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ)

 ✓ସେ ଭଵନୁ ଜେମା ହେଲେ ନିରୁଦ୍ଦେଶ 
                                          ବ‌ହୁ ଅନ୍ୱେଷଣ କରି,
 ନ ଭବି ଉଦନ୍ତ ଅଵଶେଷେ କ୍ଷାନ୍ତ  ହେଲେ 
                                             ଉତ୍କଳ କେଶରୀ । (ପାର୍ଵତୀ,କଵିଵର ରାଧାନାଥ ରାୟ)

✓ପଚାରନ୍ତି ପରାଶର ମୁନିଙ୍କୁ ଉଦନ୍ତ ।
କହ କହ ତପୀବର ଏ କିସ ଚରିତ ।୧୫।
(ମାଣବସା ଲକ୍ଷ୍ମୀ ପୁରାଣ, ବଳରାମ ଦାସ)

ସେହିପରି ଵିପ୍ଳଵୀ ଵୀର ସୁରେନ୍ଦ୍ର ସାଏଙ୍କ ଭାଇମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଉଦନ୍ତ ସାଏ ।ସୁରେନ୍ଦ୍ର,ଉଦନ୍ତ, ଧ୍ରୁଵ, ଉଜ୍ଜ୍ୱଳ, ଛଵିଳ, ଜାଜ୍ଜ୍ୱଳ ଓ ମେଦିନୀ ଇତ୍ୟାଦି ସେମାନେ ଛଅଭାଇ ।

ଉଦନ୍ତୀ ନଦୀର ଉଭୟ ପାର୍ଶ୍ଵରେ ପ୍ରସ୍ତରଯୁଗୀୟ ଜନଵସତି ଗଢି଼ଉଠିଥିଵାର ପ୍ରମାଣ ନିକଟରେ ଗଵେଷକମାନଙ୍କୁ ମିଳିଅଛି । ନଙ୍ଗଲବୋଡ଼ ଅଞ୍ଚଳରୁ ଆଵିଷ୍କୃତ ପ୍ରସ୍ତର ଯୁଗର ଵିଶାଳ ଲଙ୍ଗଳ ପଥର  ହେଉ କି ସାନବେହେଲି ଓ ଲୁଠାଗଡ଼ ଅଞ୍ଚଳର ପ୍ରାଚୀନ ରାଜପ୍ରସାଦର ଧଂସାଵଶେଷ ଏ ନଦୀକୂଳରେ ଭରି ରହିଛି ଏମିତି ଅନେକ ପ୍ରାଚୀନ ମାନଵ ସଭ୍ଯତାର ସ୍ମୃତି ଚିହ୍ନ । ସମ୍ଭଵତଃ ପୌରାଣିକ କିମ୍ବଦନ୍ତୀ ଓ ଐତିହାସିକ ଘଟଣାଵଳୀର ଉଦାନ୍ତ ପ୍ରଚାର କରିଆସୁଥିଵାରୁ ଏ ନଦୀର ନାମ ଉଦନ୍ତୀ କରାଯାଇଥାଇପାରେ ।

● ମାୟାବିନୀ ●

ମୁଁ ଥିଲି ଗୋଟେ ଉଢ଼ନ୍ତା ବିହଙ୍ଗ 
ଉଡ଼ି ବୁଲୁଥିଲି ନୀଳ ଆକାଶର 
ଧୂଆଁ ମୟ ଭଷା ବଉଦ ତଳେ ,
ପୁଣି କେବେ ଆସି ଲୋଟି ଯାଉଥିଲି 
ଗହନ ବନର ତରୁ, ଲତା, ବୃକ୍ଷ 
      ଘାସ ଗାଲିଚା ମୂଳେ .....।

କେବେ ପୁଣି ଉଡ଼ି ବୁଲୁ ଥିଲି ମୁହିଁ 
ସାଗର କୂଳ,ମରୁ ଉଦ୍ୟାନର 
ପାହାଡ଼,ପର୍ବତ, ଝରଣା ପାରେ,
କାଟୁ ଥିଲି ଦିନ ପରେ ଦିନ 
ସାଙ୍ଗ ସାଥି ସବୁ ଆତ୍ମୀୟ ମେଳେ.....।

ଖେଳୁ ଥିଲି ଖେଳ ଭଳିକି ଭଳି 
ଖରା -ବର୍ଷା, ଶୀତ-କାକର ଧରି
ଖାଉଥିଲି ବନ ଫଳ-ଫୁଲ ଭରି 
କେତେ ଆନନ୍ଦରେ ଉଡ଼ି-ବୁଲି
ସରଗର ସୁଖ ପାଉଥିଲି ସତେ 
ମୋ ରାଇଜରେ ବସା ବାନ୍ଧି କରି......।

କାହୁଁ  ଆସିଲୁ ତୁ' ହୋଇ ଶିକାରୀ,
ମିଛ-ମାୟା ଜାଲେ ଫାସାଇଲୁ ମତେ 
ଜାଣି ପାରିଲିନି ଛଳନା ତୋହରି ,,,,
ବନ୍ଧି କରି ମତେ ନେଲୁ, 
ସୁନା ପଞ୍ଜୁରିର ଲକ୍ଷ୍ମଣ ରେଖାରେ
 ଦୋଷୀ ପରି ଦଣ୍ଡ ଦେଲୁ .....।

ରୁପା ଥାଳିଆରେ ଭାତ ଦେଲୁ ସିନା 
ହେଲେ କି ବୁଝିଲୁ  ମନ !!
ତୁ ତ' ଗୋଟେ ଶିକାରୀ ସାଜିଲୁ
ଶିକାର କଲୁ' ତୁ ଛଳନା କରି
ସ୍ବାର୍ଥ ଦୁନିଆଁର ସ୍ବାର୍ଥି ତୁ' ହୋଇଲୁ
ନୁହେଁ ତୁ ପରା ମିତ ମୋହରି .....।

ତୁ' କିବା ବୁଝିବୁ ମୋ' ମନ ବେଦନା
ହୃଦୟ ଚକ୍ଷୁରେ ଅନିଶା କରି 
ତୋ ସୁନା ମୁକୁଟ ତୋ' ପାଖେ ରଖିଥା
ଦରକାର ନାହିଁ ସେ ସୁଖ ମୋରି ,,,
ତୋର ସେଇ ମିଛ ପ୍ରେମ, ଅପମାନ
ସବୁ ମୋ ପାଇଁ ଅଲୋଡ଼ା ତୁଚ୍ଛ 
ତୁ ଗୋଟେ ଶିକାରୀ ସ୍ନେହ କାହୁଁ ତୋରି !
ହିଂସା ଛଳନାରେ ସଦା ତୋ' ହୃଦୟ ଭାରି ..... ।

ତୁ' ତ' ଗୋଟେ ଶିକାରୀ 
କେମିତି ବୁଝିବୁ ଶିକାରର ପ୍ରାଣ 
ଜୀବନଟା କେତେ ଅମୂଲ୍ୟ-ବାରି ,,,
ତୋର ମାୟାଜାଲ ପ୍ରତାରଣା ଖିଅ 
ଜୀବନକୁ ଦେଲା ବେହାଲ କରି .....।

ମାୟାବିନୀ ତୁ ବେଇମାନି ତୁ 
ମିଛ ମାୟା ତୋର ପ୍ରୀତି
ସେଇ ମାୟାଜାଲେ ଦିନେ ତୁ ପଡ଼ିବୁ 
ସରିଯିବ ତୋର  ଗତି ..... ।

ସୁଶୀଲ୍ କୁମାର ଭୋଇ, ଭୁବନେଶ୍ୱର-୨
(ଯୁବ ଲେଖକ/ସାମାଜିକ କର୍ମୀ)
୬୩୭୧୭୭୭୮୭୬

● ଓଡ଼ିଆ , ଓଡ଼ିଶା ଓ ବାଘ ●

🔴🔴🔴 ଓଡ଼ିଶା, ଓଡ଼ିଆ ଓ ବାଘ🔴🔴🔴

ପରଜା ଉପନ୍ୟାସରେ ଗୋପୀନାଥ ମହାନ୍ତି ❛ବାଘଡୁମ୍ମା❜ ବୋଲି ଏକ ଶବ୍ଦ ଵ୍ୟଵହାର କରି ଲେଖିଛନ୍ତି
  
 ❛❛ଦି ପହରେ ବାଘଡୁମ୍ମା ବୁଲେ । ଯେତେ ଲୋକଙ୍କୁ ବାଘ ଖାଇଥାଏ, ତାଙ୍କରି ପ୍ରେତ ସେ । ପିଲାପରି ଚେହେରା, ମାଈ ଅଣ୍ଡିରା ଜଣାପଡ଼େ ନାହିଁ । ମୁଣ୍ଡନାଲି, ଆଖିନାଲି, ଦେହଯାକ ବଡ଼ବଡ଼ ରୁମ । ଲୋକେ କହନ୍ତି କେତେପ୍ରକାର ଶବ୍ଦକରେ ସେ। କୁନ୍ଥେଇଲା ପରି, ଗର୍ଜିଲା ପରି, କାଠ ଭାଙ୍ଗିଲା ପରି, ବାଘଡୁମ୍ମା ଡରାଇ ଡରାଇ ଖେଦେ ।❜❜

ତେବେ ଏହି  ❛ବାଘଡ଼ୁମ୍ମା❜ କ'ଣ ? 

ଓଡ଼ିଆ ଭାଷାରେ ଡୁମା ଶବ୍ଦର ଅନେକ ଅର୍ଥରେ ଵ୍ୟଵହାର ରହିଛି । ବଡ଼ଜାତିଆ ❛ଅଣ୍ଡିରା ଗୋଵରା ଚଢ଼େଇ❜କୁ ଆମ ଭାଷାରେ ❛ଡୁମା❜ କୁହାଯାଏ । ଗଡ଼ଜାତ ଅଞ୍ଚଳରେ ପ୍ରେତ,ମୃତ ଵ୍ୟକ୍ତିର ଆତ୍ମା,ଆତ୍ମା, ଅସୁର ଓ ଡାହାଣୀକୁ ଡୁମା କହିଥାନ୍ତି । ସେହିପରି ଅଵିଭକ୍ତ କୋରାପୁଟର କଥିତ ଦେଶିଆ କୋଟିଆ ଭାଷାରେ ଡୁମ୍ମାର ଅର୍ଥ ଭୂତ ଵା ପ୍ରେତ ଏଵଂ ଏହା ଦେଶିଆ ଓଡ଼ିଆରେ ପ୍ରଚଳିତ ଜନଜାତୀୟ ମୂଳର ଏକ ଓଡ଼ିଆ ଶବ୍ଦ ହୋଇଥିଵା ସମ୍ଭଵ କିଂଵା ତତ୍ସମ ❛ଦାନଵ❜ ଶବ୍ଦର ସ୍ଥାନୀୟ ରୂପ ହୋଇଥାଇପାରେ । ଏଣୁ ବାଘଡୁମ୍ମା ଶବ୍ଦର ଆକ୍ଷରିକ ଅର୍ଥ ବାଘର ଭୂତ ଅଟଇ ।  

ଅଵିଭକ୍ତ କୋରାପୁଟ ଅଞ୍ଚଳରେ ଲୋକଵିଶ୍ଵାସ ରହିଛି ଯେ ଯେଉଁମାନେ ବଣଜଙ୍ଗଲରେ ବାଘର ଆକ୍ରମଣରେ ମରିଯାଆନ୍ତି, ସେମାନଙ୍କର ଆତ୍ମା ❛ବାଘଡୁମ୍ମା❜ ହୋଇଯାଏ ।

ସେହିପରି ବାଘ ଦ୍ଵାରା ନିହତ ହୋଇଥିଵା ମଣିଷର ଶଵକୁ କୋରାପୁଟରେ ❛ବାଗ୍‌ମଡ଼ା❜ କୁହାଯାଏ । କୌଣସି ଲୋକ ବାଘ ହାବୁଡ଼ରେ ପଡ଼ି ମୃତ୍ୟୁଵରଣ କଲେ ତାର ଶଵକୁ ଜଙ୍ଗଲରେ ହିଁ ପୋତି ଦିଆଯାଏ। କାଳେ ଡୁମ୍ମା ହୋଇ ସେ ମୃତାତ୍ମା ଜୀଵିତଲୋକଙ୍କୁ ହଇରାଣ କରିଵ ବୋଲି ଶଵ ପୋତିଵା ଜାଗାରେ ଲୁହାକଣ୍ଟା ପିଟାଯିଵାର ଚଳଣି ରହିଛି । ତେବେ ବାଗ୍‌ମଡ଼ା ଶବ୍ଦଟି ଏକ ଗାଳି ଭାବେ   ❛❛ବାଘ ତୋତେ ମାରୁ❜❜ କିଂଵା  ❛❛ତୁ ବାଘ ହାତରେ ମରି ମଡ଼ା ହୋଇଯା ଅର୍ଥାତ୍ ବାଗ୍'ମଡ଼ା ହୋଇଯାଆ❜❜ ଏହି ଅର୍ଥରେ ଵ୍ୟଵହାର କୁହାଯାଏ । ଏହା କୋରାପୁଟ ଜିଲ୍ଲାର ଏକ ଜଣାଶୁଣା ଗାଳି । ପଶ୍ଚିମ ଓଡ଼ିଶାରେ ସମାନ ଭାବେ ବାଘଧରା,ବାଘର୍ଚରା ଆଦି ଶବ୍ଦ ଗାଳି ଭାବେ ଵ୍ୟଵହୃତ ହୋଇଥାଏ ।‌

 କୁହାଯାଏ ବାଘଡୁମ୍ମା କାହାଠେଇଁ ଲାଗିଲେ ସେ ଲୋକ ସହଜରେ ଭଲ ହୁଏ ନାହିଁ । କେତେକ ବାଘଡୁମ୍ମା ଲାଗିଥିଵା ଲୋକ ଝାଡ଼ାଵାନ୍ତିରେ ମୃତ୍ୟୁଵରଣ କରିଥାନ୍ତି । ଏହାର ପ୍ରତିକାରସ୍ଵରୂପ ସ୍ଥାନୀୟ ଲୋକେ ଗୁଣିଆ, ଦିଶାରୀ ଵା ଗୁରୁମାଈ ପ୍ରଭୃତିଙ୍କୁ ଡାକି ଝଡ଼ାଫୁଙ୍କା, ମନ୍ତ୍ରପାଠ ଇତ୍ୟାଦି କରିଵା ସହ ଡୁମାପୂଜା ମଧ୍ୟ କରିଥାନ୍ତି ।  ଏମାନେ ରୋଗୀକୁ କେତେକ ଗଛର ଚେରମୂଳ ଦେହରେ ବାନ୍ଧିଵା ପାଇଁ ଦେଇଥାନ୍ତି ଓ କେତେକ ଗଛର ବକଳକୁ ଛେଚି ତା'ର ରସ ପିଇଵାକୁ ଦେଇଥାନ୍ତି । ଏକ ପ୍ରକାର ଗଛର ଡାଳ ଵା  ଝାଟିରେ ରୋଗୀର ଦେହକୁ ଝାଡ଼ାଯାଏ । ଏହିପରି ଝଡା଼ଫୁଙ୍କା ପଦ୍ଧତି ଓଡ଼ିଶାର ସମତଳ ଅଞ୍ଚଳରେ କାଳସୀ ଲାଗିଵା,ଚିରଗୁଣୀ,
 ହାଡ଼ବାଇ, ଡାହାଣୀ ଆଦି ଲାଗିଲେ ପ୍ରୟୋଗ କରାଯାଏ । 

ବାଘ ସହିତ ଆଉ ଏକ ଲୋକଵିଶ୍ଵାସ ଓଡ଼ିଶାର କନ୍ଧ ସମାଜ ମଧ୍ୟରେ ରହିଛି । କନ୍ଧମାନେ ଯେଉଁ ସ୍ଥାନରେ ମୁର୍ଦ୍ଦାର ପୋତନ୍ତି ସେହି ଚିତାଭସ୍ମ ଉପରେ ଉଠିଥିଵା ଗଛକୁ  ❛ଖୁଣ୍ଟବାଘ❜ କୁହାଯାଏ ।  କଥିତ ଅଛି, ଚରୁଥିଵା ଗୋରୁର ଦେହରେ ଏ ଗଛ ବାଜିଲେ ବାଘ ଧଇଲା ପରି ସେ ଗୋରୁ ବୋବାଳି ଛାଡ଼େ ଓ ସେ ସ୍ଥାନରୁ ଯାଇ ପାରେ ନାହିଁ। ରଖୁଆଳ ଗୋରୁର ସେହି ଅଂଶରେ ଦି ବାଡ଼ି ପାକାଇଲେ ଗୋରୁ ଚାଲିଯାଏ ଓ ସେହି ସ୍ଥଳରେ ଗୋଟିଏ କ୍ଷତ ହୁଏ। ସେହି କ୍ଷତରେ ଟୁଙ୍ଗାଚେର ଓ ମାଣସାରୁ ବୋଳିଲେ ଭଲ ହୋଇଯାଏ । 

ବାଘକୁ ନେଇ ଆମ ଓଡ଼ିଶାରେ ଏହିପରି ଅନେକ ଲୋକ ଵିଶ୍ଵାସ ରହିଛି । ଯେହେତୁ ଆମ ଓଡ଼ିଶା ଜଙ୍ଗଲ ପାହାଡ଼ରେ ପୂର୍ଣ୍ଣ ଏକ ସୁନ୍ଦର ଅଞ୍ଚଳ ତେଣୁ ମାନଵ ଜନଵସତି ବଢି଼ଵା ପୂର୍ଵରୁ ବାଘଙ୍କ ପାଇଁ ଏହା ଥିଲା ଭୂସ୍ଵର୍ଗ । ଆଜି ସିନା ବାଘ ବଂଶ ଲୋପ ହେଵାକୁ ବସିଛି କିନ୍ତୁ ଏଇମାତ୍ର କିଛି ଦଶନ୍ଧୀ ତଳେ ଓଡ଼ିଶାରେ ହଜାର ହଜାର ବାଘ ଥିଲେ । ତେବେ ବାଘଙ୍କ ସଂଖ୍ୟା ସମତଳ ଅଞ୍ଚଳ ଅପେକ୍ଷା ଓଡ଼ିଶାର ପାର୍ଵତ୍ଯ ଅଞ୍ଚଳ ଅପେକ୍ଷାକୃତ କମ୍ ଜନଵସତି କାରଣରୁ ନିଶ୍ଚିତ ଅଧିକ ଥିଲା । ବାଘ ଵିଷୟରେ ଅନେକ କଥା ଆମ ଭାଷାର ଶବ୍ଦ,ଲୋକଗଳ୍ପ,ଲୋକଗୀତ ମଧ୍ୟରେ ଭରି ରହିଛି ।  

ବାଘ ଯେତେବେଳେ ପାହାଡ଼ରୁ ଵା ଜଙ୍ଗଲରୁ ଆସି ସମତଳ ଅଞ୍ଚଳରେ ପଶିଯାଉଥିଲା କିଂଵା ଗ୍ରାମାଞ୍ଚଳରେ ବୁଲୁଥିଲା ତାକୁ ❛❛ବାଘ ଗଡି଼ଵା❜❜ କୁହାଯାଉଥିଲା । 

ମନୁଷ୍ଯକୁ ଦେଖିଲେ ଭୟ ଉତ୍ପାଦନ କରିଵା ନିମନ୍ତେ ବାଘ ଗାଲ ଫୁଡ଼କି କରେ, ସ୍ବର ଓ ଅଙ୍ଗଭଙ୍ଗି ଆଦି କରିଥାଏ ତାକୁ ଆମ ଭାଷାରେ ❛❛ବାଘ ଭେଳିକି❜❜ କୁହାଯାଏ । ଉକ୍ତ ❛❛ବାଘଭେଳିକି❜❜ ଶବ୍ଦ କିଂକର୍ତ୍ତଵ୍ୟଵିମୂଢ଼ତା ଅର୍ଥରେ ମଧ୍ୟ ଵ୍ୟଵହାର ହେଉଥିଲା । ପୂର୍ଵକାଳରେ ଜଙ୍ଗଲ ଅଧିକ ଥିଵାରୁ ବାଘମାନଙ୍କ ସଂଖ୍ୟା ଅଧିକ ଥିଲା । ଆଗେ କୌଣସି ବାଘ ମଣିଷ ମାଂସ ଖାଇଲେ ନରଖାଦକ ପାଲଟୁଥିଲା । ତାକୁ ବାଘ ମାତିଵା କୁହାଯାଉଥିଲା ।  କୁହାଯାଏ ଅନ୍ଯମାନଙ୍କ ରକ୍ତ ଅପେକ୍ଷା ମନୁଷ୍ଯରକ୍ତ ସୁସ୍ବାଦୁ। ଯେଉଁ ବାଘ ଥରେ ମନୁଷ୍ଯ ମାରି ମନୁଷ୍ଯର ରକ୍ତର ସ୍ବାଦ ପାଇଥାଏ ସେ ନରରକ୍ତଲୋଲୁପ ହୁଏ ଓ ମଣିଷଖିଆ ବାଘ ବୋଲି ଵିଖ୍ଯାତ ହୋଇଥାଏ । ସେହି ବାଘ କୁ ଲୋକେ କହନ୍ତି ଏ ବାଘ ରକ୍ତମୁଖା ହୋଇଛି । 

 ବାଘ ଭେଳିକି ଦେଖାଇ ଲୋକମାନଙ୍କୁ ଭୟଭୀତ ଓ ଦ୍ଵନ୍ଦ୍ଵରେ ପକାଇ ମାରିଦିଏ । ସେଥିପାଇଁ ବାଘ ନିଜ ମୁହଁର ଭାଵଭଙ୍ଗୀଦ୍ଵାରା ମାନଵ ମନରେ  ଦ୍ଵନ୍ଦ୍ଵ ଉତ୍ପନ୍ନ କରେ ବୋଲି ଏହି ଵିଚାରରୁ ଆଉ ଏକ ଓଡ଼ିଆ ଶବ୍ଦ ସୃଷ୍ଟି ହେଲା ❛❛ବାଘମୁହାଁ ଵା ବାଘମୁହିଁ❜❜ । 

ପୂର୍ଵକାଳରେ ଆଜିଭଳି ନିରପତ୍ତା ଆଇନ ଵ୍ୟଵସ୍ଥା ସୁଦୃଢ଼ ନଥିଵାରୁ ଚୋରଭୟ ଅଧିକ ଥିଲା । ତେଣୁ ଘର ଭିତରକୁ ପଶିଵା ଦୁଆରଆଗରେ ଘର ମଧ୍ୟରେ ଗୋଟିଏ ଆଡ଼ିକାନ୍ଥ ଦିଆଯାଉଥିଲା । ତାକୁ ଆମ ଭାଷାରେ ❛❛ବାଘମୁହାଁ ଵା ବାଘମୁହିଁ❜❜ କୁହାଯାଉଥିଲା । ଏହି କାନ୍ଥ ଯୋଗୁଁ ଆଗନ୍ତୁକ ଵ୍ୟକ୍ତି ହଠାତ୍ ଗୃହମଧ୍ଯକୁ ପଶି ନ ପାରି ବାଉଳା ହେଉଥିଲା ଓ ଏ କାନ୍ଥ ପ୍ରତିବନ୍ଧକ ଥିଵାରୁ ବାହାରେ ଠିଆ ହେଵା ଲୋକକୁ ଘରର ଭିତର ଦେଖାଯାଉ ନଥିଲା ।ଘରର ଦୁଇ ଵିପରୀତ ଦିଗରେ ଦୁଆର ପରସ୍ପର ସମ୍ମୁଖରେ ବସି ନ ଥିଵା ଏଭଳି ଘରକୁ ଆଡ଼ମୁହଁ ଘର କୁହାଯାଉଥିଲା । ତେବେ ଏହି ସମାନ ସ୍ଥିତି ପୋଖରୀର ପଥର ପାହାଚମାନଙ୍କରେ ଦେଖାଯାଉଥିଲା । ତେଣୁ ପାହାଚର ମଝିରେ ମଝିରେ ପାଣି ଉପରକୁ ବାହାରିଥିଵା ପଥରଖଣ୍ଡକୁ ମଧ୍ୟ ଲୋକେ ❛ବାଘମୁହିଁ❜ କହୁଥିଲେ । 

ବାଘ ଭଳି ଦେଖାଯାଏ ବୋଲି ଓଡ଼ିଶାରେ ବିଲେଇକୁ ❛❛ବାଘର ମାଉସୀ❜❜ କୁହାଯାଏ । ନିର୍ଭୀକ ଵ୍ୟକ୍ତି ଵିଶେଷତଃ ନାରୀମାନଙ୍କ ପ୍ରତି ମଧ୍ୟ ଏ ଶବ୍ଦର ପ୍ରୟୋଗ ହେଉଥିଲା ।

ବାଘ ମାଂସ ଖାଉଥିଵାରୁ ତା ପାଟି ଦୁର୍ଗନ୍ଧ କରିଵା ସ୍ଵାଭାଵିକ କଥା ତେଣୁ କଥା କହିଵା ସମୟରେ ଯେଉଁ ଲୋକଙ୍କର ପାଟିରୁ ଦୁର୍ଗନ୍ଧ ବାହାରୁଥିଲା ତାକୁ ଲୋକେ ❛ବାଘରାମୁହାଁ❜ କହୁଥିଲେ । ବାଘପରି ଵିକଟ ଓ ବଡ଼ ମୁଖଯୁକ୍ତ ଲୋକକୁ ❛ବାଘା❜ କୁହାଯାଉଥିଲା । ଯେକୌଣସି ବଡ଼ ଓ ଆକ୍ରାମକ ପ୍ରଜାତିର ଜୀଵଜାତିକୁ ମଧ୍ୟ ବାଘୁଆ ଶବ୍ଦ ଯୁକ୍ତ କରି ଓଡ଼ିଆ ଭାଷାରେ ନାମିତ କରାଯାଉଥିଵା ଦୃଶ୍ୟ ହୋଇଥାଏ ଯଥା— ❛❛ବାଘୁଆ ମାଛି,ବାଘୁଆ ପୋକ,ବାଘୁଆ ବିରୁଡି଼,ବାଘୁଆ ମହୁମାଛି,ବାଘୁଆ କଙ୍କି❜❜ ଇତ୍ୟାଦି ଇତ୍ୟାଦି । ସେହିପରି ଭୀଷଣ ଶୀତ ଵିଶେଷତଃ ମାଘମାସର ଶୀତକୁ ଓଡ଼ିଆ ଭାଷାରେ ❛ବାଘୁଆଶୀତ❜ କୁହାଯାଏ । ସମ୍ଭଵତଃ ବାଘ ଦେଖିଲେ ମନୁଷ୍ୟ ଯେମିତି ଅତି ଭୟଭୀତ ହୋଇ ଥରେ ଠିକ୍ ସେହିପରି ଏହି ଶୀତ ହେଲେ ମନୁଷ୍ୟମାନେ ଥରୁଥିଵାରୁ ମାଘ ମାସର ଶୀତକୁ ❛ବାଘୁଆ ଶୀତ❜ କୁହାଯାଉଥିଲା । 

 ପୂର୍ଵକାଳରେ ବାଘଠାରୁ ଦୁଧ ଦୁହିଁକରି ଆଣିଵା କୌଣସି ସାଧାରଣ ମନୁଷ୍ଯ ପକ୍ଷରେ ଅସମ୍ଭଵ ଥିଲା ତେଣୁ ଓଡ଼ିଆ ଭାଷାରେ ଅସମ୍ଭଵ କଥା ଓ ଅପ୍ରାପ୍ୟ ଵସ୍ତୁକୁ ❛ବାଘଦୁଧ❜ ସହିତ ତୁଳନା କରାଯାଉଥିଲା । 

ଲୋକେ ❛ବାଘନଖ❜ର କେତେକ ଅଂଶକୁ ସୁନା ଵା ରୂପା ଛାଆଣି କରି ବେକର ହାରରେ, ହାତରେ, ବାଜୁବନ୍ଧରେ ବାନ୍ଧୁଥିଲେ ଵା ପିନ୍ଧୁଥିଲେ  । ଶ୍ରୀଜିଉଙ୍କର ଏକ ଜାତୀୟ ସୁଵର୍ଣ୍ଣ ନିର୍ମିତ ଅଳଙ୍କାରକୁ ମଧ୍ୟ ବାଘନଖ କୁହାଯାଏ ।‌

ବାଘ ସମ୍ବନ୍ଧୀୟ କେତେକ ଶବ୍ଦ ମଧ୍ୟ ଓଡ଼ିଆ ଭାଷାରେ ପ୍ରଚଳିତ ଥିଲା।  ଯଥା—

🔵ଗୋରୁକୁ ବାଘ ଧଇଲେ ଗୋରୁ ପ୍ରାଣବିକଳରେ ଗଁ ଗଁ ହୋଇ ରଡ଼ି ଛାଡ଼ିଵାକୁ ❛❛ଗର ତୋଳିଵା❜❜ କୁହାଯାଉଥିଲା । 

🔵ବାଘକୁ ପ୍ରଲୋଭିତ କରି ମଞ୍ଚା ନିକଟକୁ ଆଣିଵା ଲାଗି ବନ୍ଧା ଯାଇଥିଵା ଛେଳି ଆଦି ପଶୁଙ୍କୁ ❛ଗାରା❜ କୁହାଯାଉଥିଲା । 

🔵ବାଘ ଗର୍ଜନ କରିଵାକୁ ଆମ ଭାଷାରେ ❛ନାହାଳିଵା❜ କୁହାଯାଉଥିଲା । 

🔵ଏକପ୍ରକାରର ଅଭିମନ୍ତ୍ରିତ ଜଡ଼ିକୁ ❛ପତି❜ କୁହାଯାଉଥିଲା । ଶିକାରୀମାନଙ୍କ ମଧ୍ୟରେ ପୂର୍ଵେ ଏକ ଲୋକଵିଶ୍ଵାସ ପ୍ରଚଳିତ ଥିଲା ଯେ ଶ୍ବେତ ଅପରାଜିତା ପତ୍ରକୁ ଅଭିମନ୍ତ୍ରିତ କରି ବାଘର ଖୋଜକୁ ଉଣ୍ଡି ଅକ୍ଷତ ଖୋଜ ଚିହ୍ନ ଉପରେ ଉକ୍ତ ପତ୍ରକୁ ପକାଇଲେ ବାଘ ସେହି ବାଟେ ଫେରି ଆସୁଥାଇ ଓ ଶିକାରୀ ସେହି ବାଟକୁ ଜଗି ରହି ବାଘକୁ ମାରୁଥିଲେ । 

🔵ବାଘ ଆଦି ହିଂସ୍ର ଜନ୍ତୁଙ୍କୁ ଶିକାର କରିଵାକୁ ଶିକାରୀ ଜଗି ରହିଵା ପାଇଁ ଭୂମିରେ ଖୋଳାଯାଇ ଡାଳ ପତ୍ର ଆଦିରେ ଘୋଡା଼ଯାଇ ଭୂମିରେ ଖୋଲାଯାଇଥିଵା  ଗାତକୁ ❛ପଲା❜ କୁହାଯାଉଥିଲା । 

🔵ବାଘ ଆଦି ହିଂସ୍ର ଜୀଵକୁ ଦେଖକି ଗାଈ ମଈଷୀ ଆଦି ହୁରୁଡ଼ିଵା ଓ ରାଵ କରିଵାକୁ ଆମ ଭାଷାରେ ❛ବିରିଜାଇଵା❜ କହୁଥିଲେ ।

🔵ବାଘ, ଆଗରେ ଶିକାରକୁ ଦେଖି ଗାଲ ସାହାଯ୍ୟରେ ଵିକଟ ମୁଖଶବ୍ଦ କରିଵାକୁ ❛❛ଗାଲ ଫିଡ଼କା ମାରିଵା❜❜ କୁହାଯାଉଥିଲା । 

🔵ହୁଣ୍ଟାରିଵା,ହେଣ୍ଟାଳ ମାରିଵା ଆଦି କ୍ରିୟାଶବ୍ଦ ବାଘ ଗର୍ଜନ କରିଵା ଅର୍ଥରେ ଵ୍ୟଵହୃତ ହେଉଥିଲା । 

🔵 ଯେଉଁମାନେ ରାତିରେ ଜଙ୍ଗଲ ସୀମାକୁ ଜଗି ସକାଳେ ଶିକାରୀମାନଙ୍କୁ ବାଘ ଆଦି ଜନ୍ତୁଙ୍କର ଖବର ଦେଉଥିଲେ ସେମାନଙ୍କୁ ରଖିଆ କୁହାଯାଉଥିଲା ।

🔵ଗଡଜାତ ଅଞ୍ଚଳରେ ଶିକାରୀ ବନ୍ଧୁକ ଧରି ଦୁଇ ଜଣ ଲୋକଙ୍କ ସଙ୍ଗେ ଚନ୍ଦ୍ରପକ୍ଷ ରାତିରେ ଲୁଚି ଲୁଚି ବାଘ ପ୍ରଭୃତି ଶିକାର ଖୋଜିଵାକୁ ଲମରା ବୁଲା କୁହାଯାଉଥିଲା ।

🔵ଓଡ଼ିଆ ଭାଷାରେ ଵିଭିନ୍ନ ଜାତୀୟ ବାଘମାନଙ୍କର ନାନା ନାମକରଣ ମଧ୍ୟ କରାଯାଇଥିଲା ଯଥା— କେନ୍ଦୁଆ,ଘୋଡିଙ୍ଗ(ଏକ ଜାତୀୟ ଫିକା ହଳଦିଆ ରଙ୍ଗର ବାଘ),ଚିତାବାଘ,ହେଟାବାଘ,ଡୁର୍କା,ନେପାଳି ବାଘ,ନିମିଟି ବାଘ,ପଟାହାରିଆ ବାଘ(ମହାଵଳ ବାଘ),ପେଣ୍ଡରା(ହେଟା) ଓ କଲରାପତ୍ରିଆ ବାଘ ଆଦି..

 
ବାଘର ପ୍ରଭାଵ ଓଡ଼ିଆ ସମାଜ ଉପରେ ଏତେ ଅଧିକ ଥିଲା ଯେ ଆମ ଓଡ଼ିଶାରେ କେଵଳ ବାଘ ସମ୍ବନ୍ଧୀୟ ଶବ୍ଦ ହିଁ ନୁହେଁ ବାଘକୁ ନେଇ ନାନାପ୍ରକାରର ଖେଳ, ଢଗଢମାଳି, ଲୋକଗୀତ,ଲୋକଗଳ୍ପ ଓ ଲୋକଵିଶ୍ଵାସ ପ୍ରଚଳିତ ହୋଇଥିଲା । ❛ବାଘଛେଳି❜,❛ବାଘବଜାରି❜ ଓ ❛ପାନିଆଖେଳ(ତ୍ରିଭୂଜାକାର ବଘଛେଳି ଖେଳ)❜ ଭଳି ଖେଳ ମାଧ୍ଯମରେ ଆମ ପୂର୍ଵଜ ଆମକୁ ଛୋଟବେଳୁ ବାଘ କେମିତି ସୁଯୋଗ ପାଇଲେ ଛେଳି ଭଳି ଜୀଵଙ୍କୁ ମାରି ଖାଇପାରେ ତାହା ଜଣାଇ ବେଳହୁଁ ସାଵଧାନ କରେଇଵାରେ ସଫଳ ହୋଇଥିଲେ । କୌତୁକ ମଧ୍ୟରେ ବି ପିଲାଙ୍କୁ ବାଘଠାରୁ ସାଵଧାନ ରହିଵାର ଶିକ୍ଷା ଆମ ସମାଜରେ ନିଆରା ଢଙ୍ଗରେ ପ୍ରଚଳିତ ଥିଲା । 

ପୂର୍ଵେ କୌତୁକ ଦେଖିଵାକୁ ବୟସ୍କମାନେ ଶିଶୁମାନଙ୍କୁ ନିକଟକୁ ଡାକି ସେମାନଙ୍କ ମୁହିଁ ସାମନାରେ ଆପଣାର ମୁହଁକୁ ରଖି ପଚାରୁଥିଲେ...

ପ୍ରଶ୍ନ—ତୋଟାକୁ ଯିବୁ ?
 ଉତ୍ତର—ହଁ 
 ପ୍ରଶ୍ନ—ଆମ୍ବ ଖାଇବୁ ?
  ଉତ୍ତର—ହଁ 
  ପ୍ରଶ୍ନ—ବାଘ ଦେଖିଲେ ତ ଡରିବୁ ନାହିଁ ? 
  ଉତ୍ତର—ନାଁ 
  ଶିଶୁ ଏହା କହିଵା ମାତ୍ରେ ଵୟସ୍କ ଵ୍ୟକ୍ତି ଶିଶୁର ଆଖିକୁ ହାପୁ ଵା ହାଫୁ କରି ଫୁଙ୍କି ଦେଉଥିଲେ ଏଵଂ ଶିଶୁ ଯଥାଶକ୍ତି ଚେଷ୍ଟା କଲେ ସୁଦ୍ଧା ତା ଆଖି ବୁଜି ହୋଇଯାଉଥିଲା । ତହୁଁ ଵୟସ୍କ ଵ୍ୟକ୍ତିଜଣକ କହୁଥିଲା “ତୁ ତ ଡରିଗଲୁ ! ତୋତେ ଆଉ ତୋଟାକୁ ନେବି ନାହିଁ" 

 ପିଲାମାନଙ୍କୁ ଲୋକଗୀତ ଓ ଗଳ୍ପ ମାଧ୍ୟମରେ ମଧ୍ୟ ବାଘପ୍ରତି ଛୋଟବେଳୁ ସାଵଧାନ ରହିଵାକୁ ଶିକ୍ଷା ଦିଆଯାଉଥିଲା । ଏ କ୍ଷେତ୍ରରେ ❛ବଉଳା ଗାଈ❜ ଓ ❛ଟୁଆଁଟୁଇଁ❜ ଗପର ନାମ  ଉଲ୍ଲେଖ ଯୋଗ୍ୟ ଅଟଇ । ଓଡ଼ିଆ ଭାଷାରେ ବାଘ ସମ୍ବନ୍ଧୀୟ ଅନେକାନେକ ଢଗଢମାଳି, ଵଚନ  ,ନ୍ୟାୟ ଓ ନାଁଦିଆ ମଧ୍ୟ ପ୍ରଚଳିତ ରହିଛି । ଯଥା—

🔴❛❛ବାଘଛେଳି ଏକା ଘାଟରେ ପାଣି ପିଇଵା❜❜
🔴❛❛ବାଘ ଗଲେ(ଘରେ) ମିରଗ ନାଟ❜❜
🔴 ❛❛ବାଘ ନଦେଖିଲେ ବିଲେଇ ଦେଖ
     ମା ନ ଦେଖିଲେ ମାଉସୀ ଦେଖ❜❜
🔴 ❛❛ପଇସା ଥିଲେ ବାଘ ଦୁଧ ମିଳେ❜❜

🔴 ❛❛କୁଅ ମୂଳେ ତେଲ ଘଡି
       ବାଘ ନେଲା ଗେଲ କରି
     ଚୁନ୍ ମୁନ୍ ଖଇର କାତି
           ରଜା ବିଜେ କଲେ ଡଗର ହାତୀ❜❜

🔴 ❛❛ଡେଇଁ ଡେଇଁ ଗଲା ବଣି 
ସଞ୍ଜ ଦେଉଥିଲା ନଣଦ କାଣିଲୋ 
     ବାଘ ନେଇଗଲା ଟାଣି ।❜❜
     
🔴 ❛❛ଅଣଖୁଆ କାହିଁ ଆଖୁ ହୋଇବ କି
     ବଣଭୁଆଁ ହେବ ବାଘ ?
     କଣ ଭୁଆସୁଣୀ ସଭାରେ ବସିବ
     ଛଣ ଗୁଣ୍ଡି ହେବ ଶାଗ ।❜❜
     (ଦନାଇ ଵଚନ)

🔴 ❛❛ଅଠାକାଠି ଷୋଳ ପଞ୍ଜରା
     ପେଟ ଭିତରେ ଅନ୍ତ ବୁଜୁଳା
     ବ୍ରାହ୍ମଣ ନୁହଁଇ ପଇତା ଥାଏ
     ବାଘ ନୁହଇଁ ଘୁମୁରୁ ଥାଏ
     ତା ଅଇଁଠା ଯିଏ ନ ଖାଏ
     ଲଙ୍ଗଳା ହେଇ ବୁଲୁଥାଏ ।❜❜
    (ନାଁଦିଆ/ଉତ୍ତର—ଅରଟ)

🔴 ❛❛ନାଗର ପୁଅ ନାଗ 
      ବାଘର ପୁଅ ବାଘ❜❜

🔴 ❛❛ପାଣିରେ କୁମ୍ଭୀର କୁଳରେ ବାଘ❜❜

🔴 ❛❛ଥିଲେ ବାଘ ବଦାରି , 
     ନ ଥିଲେ କରମ ଆଦରି।❜❜

🔴 ❛❛ଭୋଡୁଆ ମାସର ଖରା
      ବାଘ୍ ନଯାଏ ଚରା।❜❜
🔴❛❛ଆଗପୁଅ ବାଘ❜❜

🔴❛❛ବାଘ ମଲା ଜନ୍ତାରେ 
ଘିଡ଼ ଘିଡ଼ ଶବଦ କଲା
 ସମୁଦ୍ର ପନ୍ତାରେ।❜❜
 ( ତୁତୁଖେଳ ଶିଶୁଗୀତ। )

🔴❛❛କାଠ ହାଣୁ ଠୋ ଠୋ
 ବାଘ ମାମୁଁ ତୁ ଅଳ୍ପେଇସିୟା❜❜
 (ଟିପାଟିପି କାହାଣୀ)

🔴❛❛ବାଘ ବଳଦ ବାନ୍ଧିଲି ହଳେ।
 ଚାଷ କଲି ମଇନ୍ଦର ମାଳେ❜❜—
 (ଗଞ୍ଜାମ ରାଇଲ ଗୀତ/ମଇନ୍ଦର= ମହୀନ୍ଦ୍ରଗିରି)

🔴❛❛ହଗା ଆଗରେ ବାଘର କି ଡ଼ର ଭୟ❜❜

ଓଡ଼ିଶାରେ ❛ବାଘ❜ ଓ ❛ବାଘସିଂହ❜ ଉପନାମ ରହିଥିଵା ମଧ୍ୟ ଜଣାଯାଏ । ଉତ୍ତର ଓଡ଼ିଶାରେ ❛ବାଘ❜ ଓ ଦକ୍ଷିଣ ଓଡ଼ିଶାରେ ❛ବାଘସିଂହ❜ ଆଦି ଉପନାମ ଦୈହିକ ଵଳଶାଳୀ ଵ୍ଯକ୍ତି ପ୍ରତି ରାଜଦତ୍ତ ଉପାଧି ଭାବରେ ପ୍ରଦତ୍ତ ହୋଇଥିଲା ଯାହା ପରେ ସାଙ୍ଗିଆରେ ପରିଣତ ହୋଇଅଛି । 

ଦକ୍ଷିଣ ଓଡ଼ିଶାରେ  ❛❛କୁଲାଡ଼ଗଡର ବାଘଦେଵୀ❜❜ ଓ  ❛❛ଗଞ୍ଜାମର ବାଘନାଚ❜❜, ଓଡ଼ିଆ ସମାଜରେ ବାଘର ପ୍ରଭାଵ କେତେ ଗୁରୁତ୍ୱପୂର୍ଣ୍ଣ ତାହା ସ୍ପଷ୍ଟ କରିଥାଏ ।  ସେହିପରି ପୂର୍ଵାଞ୍ଚଳର ଲୋକେ ❛❛ବାଘକୁ ମାମୁଁ❜❜ ସଂଜ୍ଞା ଦେଇଥିଵାବେଳେ ଅଵିଭକ୍ତ କୋରାପୁଟର ଲୋକେ  ❛❛ବାଘକୁ ଏକ ଦେଵତା❜❜ ଭାଵରେ ପୂଜା କରୁଥିଲେ ।
ସେହି ବାଘ ଦେଵତାର ପୂଜାକୁ ସ୍ଥାନୀୟ ଲୋକମାନେ  ❛ବାଗ୍'ଯାତ୍ରା❜ କହିଥାନ୍ତି   ।  ଗୋରୁଗାଈ ଓ ମଣିଷଙ୍କୁ ବାଘ ଭାଲୁଙ୍କ କଵଳରୁ ରକ୍ଷା କରିଵାପାଇଁ ବାଘକୁ ଦେଵତା ରୂପେ ପୂଜା କରାଯାଏ । ଚିତାଲାଗି ଅମାଵାସ୍ୟା ପୂର୍ଵରୁ ଏହି ପୂଜା କରାଯାଇଥାଏ । ମାଈ କଳା କୁକୁଡ଼ା, ଛେଳି, ଅଣ୍ଡା, ନଡ଼ିଆ, ଗୁଡ଼ ଓ କ୍ଷୀର ଭୋଗ ଲଗାଇ ବଣରେ ❛ବାଘଦେଵତା❜ର ପୂଜା କରାଯାଏ । 

ଜୀଵଵିଜ୍ଞାନୀମାନେ ମହାବଳ ବାଘର ଵୈଜ୍ଞାନିକ ନାମ 
Panthera tigris ରଖିଅଛନ୍ତି । ମିଳିଥିଵା ତଥ୍ୟ ଅନୁସାରେ ବାଘର ମୋଟ ପାଞ୍ଚଟି ଉପଜାତି ଵା Subspecies ମଧ୍ୟରେ ଅଧୁନା କେଵଳ Panthera tigris(ଭାରତୀୟ ବାଘ) ଓ Panthera sondaica(ସୁନ୍ଦା ବାଘ) ହିଁ ପୃଥିଵୀରେ ଦେଖାଯାଆନ୍ତି ଏଵଂ ବାଘ ଜାତୀୟ ତିନୋଟି ଉପଜାତି  Panthera acutidens(ୱାହ୍ନେସୀୟ ବାଘ),Panthera soloensis(Ngandong ବାଘ) ଓ Panthera trinilensis(ତ୍ରିନୀଲ ବାଘ) ଵର୍ତ୍ତମାନ ଲୁପ୍ତ ହୋଇ ସାରିଛନ୍ତି । ବାଘ ଏସିଆ ମହାଦେଶ ଵିଶେଷତଃ ଦକ୍ଷିଣ ପୂର୍ଵ ଏସିଆ ତଥା ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜର ଜୀଵ ।
ପ୍ରାଚୀନ କାଳରେ ବାଘମାନେ ତୁର୍କୀଠାରୁ ଜାପାନ ଯାଏଁ ଦେଖାଯାଉଥିଲେ । ଆଜିକାଲି ତନ୍ମଧ୍ୟରେ ମାତ୍ର ଛଅଭାଗ ଅଞ୍ଚଳରେ ହିଁ ବାଘ ଦେଖାଯାଆନ୍ତି । 

ଵିଭିନ୍ନ କାରଣରୁ ବାଘବଂଶ ଆଜି ପୃଥିଵୀରୁ ଲୁପ୍ତ ହେଵାକୁ ବସିଛି ।  ପୃଥିଵୀର ମୋଟ ବାଘ ମଧ୍ୟରେ ସତୁରୀଭାଗ ଭାରତରେ ଅଛନ୍ତି ଏଵଂ ଗତ କିଛି ଵର୍ଷ ହେଵ ଭାରତରେ ବାଘ ସଂଖ୍ୟା ସାମାନ୍ୟ ଵୃଦ୍ଧିପାଇଛି କିନ୍ତୁ ଓଡ଼ିଶାରେ ଗତ ଛଅ ଵର୍ଷ ମଧ୍ୟରେ ବାଘସଂଖ୍ୟାରେ ଅନ୍ୟ ରାଜ୍ୟ ତୁଳନାରେ କୌଣସି ଵୃଦ୍ଧି ହୋଇନାହିଁ । ଦୃତଗତିରେ ଜଙ୍ଗଲକଟା ଯିଵା ତଥା ଜନଵସତି ଵୃଦ୍ଧି ଯୋଗୁଁ ବାଘବଂଶ ଲୁପ୍ତ ହେଵାର ସମ୍ଭାଵନା ଵୃଦ୍ଧି ପାଇଛି । ଗତ ଦଶ ଵର୍ଷ ମଧ୍ୟରେ ଉତ୍ତର ଭାରତରେ ବାଘ ଆକ୍ରମଣର ମଧ୍ୟ ଘଟଣା ବଢି଼ଥିଵା ଜଣାଯାଏ ଏଵଂ ଏଥିଯୋଗୁଁ ବାଘମାନଙ୍କ ପ୍ରତି ଉତ୍ତର ଭାରତରେ ଜନ ଅସନ୍ତୋଷ ବୃଦ୍ଧି ହୋଇଛି । 

 ଜନଵସତି ବୃଦ୍ଧି,ଜଙ୍ଗଲକଟା ଯୋଗୁଁ ବଣରେ ଖାଦ୍ୟାଭାଵ ତଥା ଲୁଚାଛପା ଶିକାର ଯୋଗୁଁ ବାଘଙ୍କ ସଂଖ୍ୟା ଗତ ପାଞ୍ଚ ଦଶ ଦଶନ୍ଧି ଧରି କ୍ରମାଗତ ହ୍ରାସ ହୋଇ ହୋଇ ଯାଇଛି । ମାନଵର ଏହି ଏକଛତ୍ରଵାଦୀ ଶାସନ ଯୋଗୁଁ ପୃଥିଵୀରେ  ❛❛ପ୍ରାଣୀ ଜୀଵନଚକ୍ର❜❜ର
ଏକ ଅପରିହାର୍ଯ୍ୟ ଅଙ୍ଗ ❛ବାଘ❜ ଦିନେ ଲୁପ୍ତ ହୋଇଯାଇପାରେ ବୋଲି ପ୍ରକୃତିପ୍ରେମୀମାନେ ସନ୍ଦେହ କରନ୍ତି ।

Tuesday, July 20, 2021

● ଅଟଳଙ୍କ ନିଟୋଳ କବିତା ●

ଅଟଳଙ୍କ ନିଟୋଳ କବିତା 
===============
ଘର ଯେମିତି ମନ ସେମିତି ଗଢ଼ 
ହେଲେ କଣରେ ଖାଲି ଯାଗାଟେ ଛାଡ଼ 
ଯେଉଁଠି ହୃଦୟ ଖୋଲି ହସିହେବ 
ସାଙ୍ଗ ସଙ୍ଗତରେ ହୃଦୟ ନାଚିବ ll

ଅରୁଣ ଥାଆନ୍ତୁ ପଛେ ଯେତେ ଦୂର 
ତାଙ୍କୁ ନିମନ୍ତ୍ରଣ କର ଖୋଲି ଦ୍ୱାର 
ଝରକା ଖୋଲି ଭେଟ ବାୟୁ ଓ ସୂର୍ଯ୍ୟ 
ଏହାଠୁଁ ଆଉକି ଅଛି ଭଲ କାର୍ଯ୍ୟ? 

କେବେକେବେ ଛାତ ଉପରକୁ ଯାଅ 
ଦେଖ ଆକାଶେ ତାରାମାନଙ୍କ ସୁଅ 
ପାରିବ ତ ସେମାନଙ୍କ ସଂଖ୍ୟା ଗଣ 
ଜହ୍ନ ଛୁଇଁବା ଇଚ୍ଛା କର କାରଣ ll

ଅନ୍ତରକୁ ଖୋଲି ବଢାଅ ସୌହାର୍ଦ୍ଦ୍ୟ 
ଦେହ ମନ ଆତ୍ମା ପାଇଁ ତାହା ଖାଦ୍ୟ 
ନିରୋଳା ଥଟ୍ଟାମଜାରେ ଝୁମି ଉଠ 
ଖିଲିଖିଲି ହସେ ହଜିବ କପଟ ll

ଯେତେ ମନ ସେତେ କର ସାଙ୍ଗ-ସାଥୀ 
ହେଲେ ପଡୋଶୀ ସହ ରଖିଥା ପ୍ରୀତି 
ସେଇ ହିଁ ନିକଟତମ ବନ୍ଧୁ-ନିଧି 
କୃପାମୟ ଈଶ୍ୱରଙ୍କ ପ୍ରତିନିଧି ll

ରିମଝିମ ବର୍ଷାରେ ଭିଜାଇ ଦିଅ 
ଶରୀର ମନକୁ, ଗୀତ ଟିଏ ଗାଅ 
ପାର ତ ନାଚି କୁଦି ହୁଅ ଅଥୟ 
ଉଛ୍ୱସିତ ପ୍ରାଣର କାହାକୁ ବା ଭୟ? ll

କାଗଜ ଡ଼ଙ୍ଗା ଭସେଇବାକୁ ଦିଅ 
ପିଲାଙ୍କୁ, ତାଙ୍କଠିଁ ଶୈଶବର ସୁଅ 
ସ୍ବର୍ଣ୍ଣାଭ ଭବ୍ୟ ଶୈଶବର ବୈଭବ 
ଲାଗଇ ମର୍ତ୍ତ୍ୟ ଟା ଯେମିତି ସରଗ! ll

ଫୁରସତରେ ଆକାଶ ଥିଲେ ସଫା 
ଉଡାଅ ଗୁଡ଼ି ସହ ଚିନ୍ତା ଓ ଦକା 
ପାରିବ ତ ଲଗାଅ ଗୁଡିରେ ପେଞ୍ଚ 
ନିଷ୍ଠା ଥିଲେ କିଛି ନୁହେଁ ଅପହଞ୍ଚ ll

ଘର ଆଗରେ ନିଶ୍ଚିତ ରଖ ଗଛ 
ଗହଳ-ଫଳନ୍ତି ହୋଇ ଆଗ ପଛ 
ରଚିବେ ସେଇଠି ପକ୍ଷୀମାନେ ନୀଡ଼ 
କାକଳୀ ଶ୍ରବଣେ ଆନନ୍ଦ ପ୍ରଗାଢ଼ ll

ଯେତେବେଳେ ଯେଉଁଠିକି ଇଚ୍ଛା ଯାଅ 
ପର୍ଯ୍ୟଟକ ଯାତ୍ରୀ ବା ଅତିଥି ହୁଅ 
ଛାଡିଯାଅ ନିଜ ଆଭା ର ଆଭାସ 
ମଧୁର ବଚନ ସର୍ବତ୍ର ସରସ ll

ବୟସରେ ପ୍ରତି ମୋଡ଼ ଉପଭୋଗ୍ୟ 
ନିଜକୁ କେବେ ବି ଭାବନି ଅଯୋଗ୍ୟ 
ହସି ଖେଳି କୁଦି, ରୁହ 'ଜିନ୍ଦାଦିଲ' 
'ଅଙ୍କ'ରେ କରନି ଜୀବନ ମୁସ୍କିଲ ll

ବର୍ଷକୁ ଅତିକ୍ରାନ୍ତ ହେବାକୁ ଦିଅ 
ବୟସ ନୁହେଁ ଅଙ୍କ-ହିସାବ ଖିଅ 
ଯେବେ ଯାଏଁ ଅଛି ପ୍ରଶ୍ୱାସ ନିଶ୍ୱାସ 
ନିଜ ଉପରେ ରଖ ଦୃଢ଼ ବିଶ୍ୱାସ ll

ଘର ଯେମିତି ମନ ସେମିତି ଗଢ଼ 
ହେଲେ କଣରେ ଖାଲି ଯାଗାଟେ ଛାଡ଼ 
ଯେଉଁଠି ହୃଦୟ ଖୋଲି ହସିହେବ 
ସାଙ୍ଗ ସଙ୍ଗତରେ ହୃଦୟ ନାଚିବ ll
================================
ପ୍ରମୋଦ କୁମାର ମହାନ୍ତି ll

(ମହାନ ବକ୍ତା ବାଗ୍ମୀ ରାଜନେତା କବି ଗୀତିକାର ସାହିତ୍ୟ-ସଂସ୍କୃତି ପ୍ରେମୀ ସକାରାତ୍ମକ ଦର୍ଶନବାଦୀ ସମ୍ମାନୀୟ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସୌଜନ୍ୟରୁ)

● ପ୍ରତାରଣା ●


ନିସ୍ତବ୍ଦ ମୁଁ ଆଜି ତୋ ପ୍ରତାରଣାରେ
ତୋ ପାଇଁ ମୁଁ ' ଜଳେ ପ୍ରତି ମୁହୂର୍ତ୍ତରେ 
ହୃଦୟର ବ୍ୟଥା ତୁ କାଇଁ ବା ବୁଝିବୁ
ତୁ ତ' ଅଛୁ ବହୁ ଖୁସିରେ।

                        ତୋ ଭଲ ପାଇବା ଥିଲା ନାଟକୀୟ 
                          ମୋ ସାଥେ ତୁ' କଲୁ ଅଭିନୟ
                       କେତେ ମନଦେଇ ପାଇଥିଲି ଭଲ 
                        ହେଲେ ଛଳନାରେ ଦେଲୁ ତୁ' ଲୟ 

ତୋ ହୃଦୟ ସତେ ଟାଣ ପଥରଟେ
ହୃଦୟକୁ କଲୁ ମୋର କାଚଖଣ୍ଡ ସତେ
ଭଙ୍ଗା ହୃଦୟ କି' ଆଉ ଯୋଡ଼ି ହୋଇବ 
କୋଉ କାରିଗର କିବା ପ୍ରୟାସ କରିବ 
       
                      ତୋ' ପାଇଁ ମୁଁ' କେତେ କାଇଁ ଝୁରୁଚି
                    ପ୍ରତାରଣା ବିଷେ ପ୍ରତି ମୁହୂର୍ତ୍ତେ ମରୁଛି
                      ଆଜି ମୁଁ ଗୋଟେ ଶବ ପାଲଟିଛି
                      ତଥାପି ତତେ ମୁଁ ଅପେକ୍ଷା କରିଛି

କେବେ ତୁ' ଫେରିବୁ ମୋ ଜୀବନକୁ
ମିଛ ଭଲ ପାଇବାର ଅଭିନୟ ନେଇ
ପ୍ରତାରଣା ସଙ୍ଗେ ମିଛ ପ୍ରତିଶ୍ରୃତି
ଯାହା ଦେଇଥିଲୁ ଅତୀତରେ ଥାଇ
      
                     ତୁ' ମତେ ଧୋକା ଦେ କିମ୍ବା ଯନ୍ତ୍ରଣା ଦେ
                     ତୋ ସୁଖ ପାଇଁ ଯାହା ତୁ' କରିବୁ
                             ସହିଯିବି ମୁଁ ଖୁସିରେ,,,
                             ହଁ ସହିଯିବି ମୁଁ ଖୁସିରେ ,,,,
                      ହଁ ମୁଁ ନିସ୍ତବ୍ଦ ତୋ' ପ୍ରତାରଣାରେ......

ସୁଶୀଲ୍ କୁମାର ଭୋଇ, ଭୁବନେଶ୍ୱର-୨।
(ସାମାଜିକ କର୍ମୀ/ଯୁବ ଲେଖକ)
୬୩୭୧୭୭୭୮୭୬

ଓଡ଼ିଶା / ଓଡ଼ିଆ

ଊନବିଂଶ ଶତାବ୍ଦୀରେ ଭାରତରେ ଇଂରେଜ ଶାସନ କାଳରେ ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଏକାଠି କରି ଏକ ବଡ ଧରଣର ବିପ୍ଲବ ଆରମ୍ଭ କରିଥିଲେ ବିର୍ସା। ୨୫ ବର୍ଷ ବୟସର ହେବା ବେଳକୁ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ସେ ଏକ ନୂତନ ଫର୍ଦ୍ଦ ଯୋଡ଼ିସାରିଥିଲେ । ସେ ନିଜ ଗାଁ ଏବଂ ଆଖପାଖ ଅଞ୍ଚଳର ଯୁବକ ମାନଙ୍କୁ ଇଂରେଜ ସରକାରଙ୍କ ବିରୋଧରେ ଲଢ଼ିବାକୁ ସଂଗଠିତ କରିପାରିଥିଲେ। 

ମୁଣ୍ଡା ଏକ ଆଦିବାସୀ ସମ୍ପ୍ରଦାୟ। "ଟୁଟୁ" ଓ "ନାଗୁ" ନାମକ ଦୁଇଭାଇ ବିର୍ସା ମୁଣ୍ଡାଙ୍କ ପୂର୍ବପୁରୁଷ ଥିଲେ। ସେମାନେ ବିହାରର ରାଞ୍ଚି ନିକଟବର୍ତ୍ତୀ "ତୋମଦଗା" ନଦୀ କୂଳରେ ଘର କରି ରହିଥିଲେ। ପରେ ସେମାନଙ୍କ ନାମ ଅନୁସାରେ ସେହି ଜାଗାର ନାଁ "ଛୋଟନାଗପୁର" ହୋଇଥିଲା। ସେମାନଙ୍କ ବଂଶଧର ଥିଲେ ବିର୍ସା ଓ ତାଙ୍କ ପରିବାର।

୧୮୭୪ ମସିହା (କେତେକଙ୍କ ମତରେ ୧୮୭୫ ରେ) ନଭେମ୍ବର ମାସ ୧୫ ତାରିଖରେ ବିର୍ସା ଅଧୁନା ଝାଡ଼ଖଣ୍ଡ ରାଜ୍ୟର ରାଞ୍ଚି ଜିଲ୍ଲା ଖୁଣ୍ଟି ସବ୍-ଡିଭିଜନ୍ ଅନ୍ତର୍ଗତ "ବାମ୍ବା" ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା ସୁଗନା ମୁଣ୍ଡା ଓ ମାତାଙ୍କ ନାମ ଥିଲା କରମୀ ମୁଣ୍ଡା।

ବିର୍ସା ମୁଣ୍ଡାଙ୍କର ବାଲ୍ୟ ଶିକ୍ଷା ସାଲଗାଠାରେ ଆରମ୍ଭ ହୋଇଥିଲା। ସେଠାରେ ତାଙ୍କର ଜଇପାଲ ନାଗଙ୍କ ସହ ସାକ୍ଷ୍ୟାତ ହୋଇଥିଲା। ସେ ତାଙ୍କଠାରୁ ମହାନ ଗ୍ରନ୍ଥ ରାମାୟଣ ଓ ମହାଭାରତର ବିଷୟବସ୍ତୁ ସଂପର୍କରେ ଅବଗତ ହୋଇଥିଲେ। ଏହାପରେ ସେ ବୁରୁଜ ପ୍ରାଇମେରୀ ସ୍କୁଲରେ ଅଧୟନ କରିବା ସହିତ ଚାଇଁବସାର ମିଶନ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଶିକ୍ଷା ଲାଭ କରିଥିଲେ। ଏହି ସମୟରେ ସେ ଜର୍ମାନୀ ଶିକ୍ଷକ ଫାଦର୍ ଡେଡଲକ୍ ଓ ଫାଦର୍ ନୋଟ୍ରୋଟଙ୍କ ସଂସ୍ପର୍ଶରେ ଆସିଥିଲେ। ସରଳ ବିଶ୍ୱାସୀ ଆଦିବାସୀ ଭାଇଭଉଣୀମାନଙ୍କ ଉପରେ ଗୋରା ଶାସକମାନଙ୍କ ଅତ୍ୟାଚାର ଓ ଅମାନୁଷିକ ବ୍ୟବହାର ତାଙ୍କୁ ବିଶେଷ ଭାବେ ମର୍ମାହତ କରିଥିଲେ। ସେ ସ୍କୁଲ ପରିତ୍ୟାଗ କରି ଆନନ୍ଦ ପାଣ୍ଡେ ନାମକ ଜଣେ ବ୍ୟକ୍ତିଙ୍କ ଘରେ ୧୮୯୦ରୁ ୧୮୯୪ ପର୍ଯ୍ୟନ୍ତ ଗୃହ ଚାକର ଭାବରେ କାମ କରିଥିଲେ ।

ଭାରତର ସ୍ୱାଧୀନତା ସଂଗ୍ରାମରେ ଆତ୍ମବଳି ଦେଇଥିବା କେତେଜଣ ପୁଣ୍ୟାତ୍ମାଙ୍କ ଭିତରେ ଓଡ଼ିଶାର ବିର୍ସା ମୁଣ୍ଡା ଅନ୍ୟତମ। ଗୋରା ଶାସକମାନେ ସେବକ ପଟ୍ଟା ଲେଖାଇ ସରଳ ଗ୍ରାମବାସୀମାନଙ୍କୁ ଗୋତି ଓ ବେଠି ଖଟାଇବା ଓ ଧର୍ମାନ୍ତରଣ କରିବାପଇଁ ବାଧ୍ୟ କରୁଥିବାର ଦେଖି ସେ ସହି ପାରୁ ନ ଥିଲେ। ଚାଇଁବସା ମିଶନ୍ ସ୍କୁଲରେ ପାଠ ପଢୁଥିଲାବେଳେ ଗୋରା ପ୍ରଧାନ ଶିକ୍ଷକ ଆକ୍ରୋଶ ମୂଳକ ଭାବେ ବିର୍ସାଙ୍କୁ ଅମାନୁଷିକ ଭାବେ ଚାବୁକରେ ମାଡ଼ ମାରିଥିଲେ ଓ ସ୍କୁଲରୁ ବହିସ୍କାର କରି ଦେଇଥିଲେ। ସେହି ଦିନ ଠାରୁ ପାଠପଢାରେ ପୂର୍ଣ୍ଣଚ୍ଛେଦ ପକାଇ ସେ ଫିରିଙ୍ଗି ଶାସନ କବଳରୁ ଓଡ଼ିଶାରୁ ମୁକ୍ତ କରିବାପାଇଁ ଅଣ୍ଟାଭିଡ଼ି ବାହାରି ପଡ଼ିଥିଲେ। ବଣେଇ, ଗୁରୁଣ୍ଡିଆ, କଳିପଶ ଆଦି ଗ୍ରାମର କୋହ୍ଲ, ଖତିଆର, ମୁଣ୍ଡା ଓ କିଷାନ୍ ଆଦିବାସୀମାନଙ୍କୁ ସେ ବ୍ରିଟିଶ୍ ଅତ୍ୟାଚାର ବିଷୟରେ ସଚେତନ କରିଥିଲେ। ସେବକପଟ୍ଟା ନ ଲେଖିବା, ଖଜଣା ନ ଦେବା ଓ ବନ୍ଧୁକ ମୁନକୁ ଡରି ଧର୍ମତ୍ୟାଗ ନ କରିବାକୁ ସେ ପ୍ରଚାର କରୁଥିଲେ। ତାଙ୍କ ନେତୃତ୍ୱରେ ଆଦିବାସୀମାନେ ଏକତ୍ରିତ ହୋଇ ଇଂରେଜମାନଙ୍କ ବିରୁଦ୍ଧରେ ସଶସ୍ତ୍ର ବିପ୍ଳବ କରିବାପାଇଁ ଆଗଭର ହେବାର ଦେଖି ଇଂରେଜ ଶାସକ ପ୍ରମାଦ ଗଣିଲେ। ୧୮୯୫ ମସିହା ଅଗଷ୍ଟ ୧୬ ଦିନ ପୋଲିସ୍ ଏସ୍.ପି. ମେୟରସ୍ ବିର୍ସା ଓ ତାଙ୍କର ୧୫ ଜଣ ସାଥିଙ୍କୁ ଗିରଫ କରିଥିଲେ। ଦେଶଦ୍ରୋହ ଅପରାଧରେ ତାଙ୍କୁ ଦୁଇବର୍ଷ କାରାଦଣ୍ଡ ଦିଆଗଲା। ଏଥିପାଇଁ ତାଙ୍କୁ ରାଞ୍ଚି ଜେଲ୍‌କୁ ପଠାଇ ଦିଆଗଲା।
ମହାରାଣୀ ଭିକ୍ଟୋରିଆଙ୍କ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଅନେକ କଏଦୀମାନଙ୍କୁ ମୁକ୍ତ କରି ଦିଆ ଯାଇଥିଲା। ଏମିତିରେ ବିର୍ସା ଓ ତାଙ୍କର ସହକର୍ମୀମାନେ ମଧ୍ୟ ମୁକ୍ତି ପାଇ ଯାଇଥିଲେ। ତାଙ୍କ ଆହ୍ୱାନରେ ଶହଶହ ଯୁବକ ନିଜ ମାତୃଭୂମିକୁ ବିଦେଶୀ ଶାସନ କବଳରୁ ମୁକ୍ତ କରିବାପାଇଁ ଶପଥ ନେଲେ। ସେମାନେ ୧୮୯୯ ମସିହା ଡିସେମ୍ବର ୯ ତାରିଖ ଦିନ ନିଆଁହୁଳା, ଧନୁ ତୀର ଓ ବର୍ଚ୍ଛା ଧରି ଗୋରାମାନଙ୍କର ବାସଭବନ ଓ ଅଫିସ୍‌ରେ ନିଆଁ ଲଗାଇଦେଲେ। ସେମାନେ ସିଂହଭୂମି ଜିଲ୍ଲାର ପୋରହାଟରେ ଅଗ୍ନୀକାଣ୍ଡ ଘଟାଇଥିଲେ। ରାଞ୍ଚି ବିଚାରାଳୟ ଆକ୍ରମଣ କରୁଥିବା ସମୟରେ ସେମାନଙ୍କ ଭିତରୁ ୧୨ଜଣ ଶହୀଦ ହୋଇଥିଲେ। ବ୍ରିଟିଶ୍ ସରକାର ବିର୍ସାଙ୍କୁ ଧରାଇଦେଲେ ପାଞ୍ଚଶହ ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରିଥିଲେ। ତାଙ୍କର ସନ୍ଧାନ ନେବାପାଇଁ କନେଷ୍ଟବଳ ବୁଡୁରାମ ଓ ଜୟରାମଙ୍କୁ ଏଟିକେଡ଼ି ଗ୍ରାମକୁ ପଠାଗଲା। ବିର୍ସାଙ୍କର ମୁଖ୍ୟ ସହକର୍ମୀ ଗୟା ମୁଣ୍ଡା ଅନ୍ୟ ଗ୍ରାମବାସୀଙ୍କ ସହାୟତାରେ ୧୯୦୦ ମସିହା ଜାନୁଆରୀ ୧୫ ତାରିଖରେ ଏଇ କନେଷ୍ଟବଳଦ୍ୱୟଙ୍କୁ ହତ୍ୟା କରିଥିଲେ। ଏହାର ପ୍ରତିଶୋଧ ନେଇ ମିଃ ଷ୍ଟ୍ରିଟ୍ ଫିଲ୍ଡ ସଶସ୍ତ୍ର ପୋଲିସ୍ ବାହିନୀ ସହାୟତାରେ ଗୟା ମୁଣ୍ଡାଙ୍କୁ ଗିରଫ କରିବା ସମୟରେ ସେମାନଙ୍କ ଭୀଷଣ ଅସ୍ତ୍ରାଘାତରେ ସେ ମୃତ୍ୟୁ ବରଣ କରିଥିଲେ।
ଏହା ପରେ ବିର୍ସାଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଦମନଲୀଳାର ମୁଖ୍ୟକେନ୍ଦ୍ର ଖୁଣ୍ଟିଥାନାକୁ ନିଆଁ ଲଗାଇଦେଲେ, କନେଷ୍ଟବଳ ରଘୁରାମକୁ ହତ୍ୟାକଲେ ଓ ଅନ୍ୟ ପୁଲିସ୍‌ମାନଙ୍କୁ ଥାନା ଛାଡ଼ି ଚାଲିଯିବାକୁ ଧମକ ଦେଲେ। ଏହାର ପ୍ରତ୍ୟୁତ୍ତରରେ ୩୦୦ ଫୁଟ ଉଚ୍ଚା ଡୋମ୍ବରି ପାହାଡ଼, ଯେଉଁଠି ବିର୍ସା ଓ ତାଙ୍କ ସହକର୍ମୀ ନରସିଂହ ଅନ୍ୟ ସଂଗ୍ରାମୀମାନଙ୍କୁ ଉଦ୍‌ବୋଧନ ଦେଉଥିଲେ, ତାକୁ ଘେରିଗଲେ ଓ ଆତ୍ମସମର୍ପଣ କରିବାପାଇଁ ଘୋଷଣା କଲେ। ବିଦ୍ରୋହୀମାନେ ଏଥିରେ ରାଜି ନ ହୋଇ ପାହାଡ଼ ଉପରୁ ଧନୁତୀର, ବର୍ଚ୍ଛା ଓ ପଥରଦ୍ୱାରା ଇଂରେଜମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଲେ। ଫଳତଃ ଇଂରେଜମାନଙ୍କ ତରଫରୁ ଗୁଳିଗୋଳା ମାଡ଼ରେ ନରସିଂହ ମୁଣ୍ଡାଙ୍କ ସମେତ ଦୁଇଶହ ବିଦ୍ରୋହୀ ଶହୀଦ୍ ହୋଇ ଯାଇଥିଲେ। ବିର୍ସା ଅଳ୍ପକେ ବଞ୍ଚିଯାଇ ଆତ୍ମ ଗୋପନପାଇଁ ଚକ୍ରଧରପୁର ଜଙ୍ଗଲକୁ ଚାଲିଗଲେ।
ସରକାର ବିର୍ସାଙ୍କ ସନ୍ଧାନ ନ ପାଇବାରୁ ମୁଣ୍ଡାମାନଙ୍କ ଉପରେ ଅମାନୁଷିକ ଅତ୍ୟାଚାର କଲେ ଓ ସେମାନଙ୍କ ଘରେ ନିଆଁ ଲଗାଇଦେଲେ। ଏଥିରୁ ସେମାନଙ୍କୁ ରକ୍ଷା କରିବାପାଇଁ ତାଙ୍କ ସହକର୍ମୀ ଡେନକା ମୁଣ୍ଡା ଓ ମାଝିଆ ମୁଣ୍ଡା ସରକାରଙ୍କ ପାଖରେ ଆତ୍ମସମର୍ପଣ କଲେ, ଯେଉଁମାନଙ୍କୁ ପରବର୍ତ୍ତୀ ସମୟରେ ଦେଶରୁ ନିର୍ବାସିତ କରି ଦିଆଯାଇଥିଲା।
ତଥାପି ବିର୍ସାଙ୍କ ମନରେ ସ୍ୱାଧୀନତାର ଆଶା ମଉଳି ନ ଥିଲା। ସଂଗ୍ରାମକୁ ନୂଆରୂପ ଦେବାପାଇଁ ସେ ଓଡ଼ିଶା ଛାଡ଼ି ସିଂହଭୂମି ଜିଲ୍ଲାକୁ ଚାଲି ଯାଇଥିଲେ। ବିଶ୍ୱାସଘାତକ ଶଶୀଭୂଷଣ ରାୟ ଓ ମାଝିତା ମାରିଆ ୫୦୦ ଟଙ୍କା ଲୋଭରେ ବିର୍ସା ସେନ୍ତେରା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଲୁଚିରହିଥିବାର ଖବର ଇଂରେଜ ସରକାରକୁ ଜଣାଇ ଦେଲେ। ୧୯୦୦ ମସିହା ମାର୍ଚ୍ଚ ୩ ତାରିଖରେ ତାଙ୍କୁ ଗିରଫକରି ରାଞ୍ଚି ଜେଲ୍‌କୁ ନିଆଗଲା। ଏହାଦେଖି ଶହ ଶହ ଅନୁଗାମୀ ତାଙ୍କ ସହ ଜେଲ୍ ଯିବାକୁ ବାହାରି ପଡ଼ିଲେ। ତେଣୁ ସୁରକ୍ଷା କାରଣରୁ ତାଙ୍କୁ ହଜାରିବାଗ ଜେଲ୍‌କୁ ସ୍ଥାନାନ୍ତରିତ କରାଗଲା। କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଠିକ୍ ରହୁ ନ ଥିବା କାରଣରୁ ତାଙ୍କୁ ପୁଣି ରାଞ୍ଚି ଜେଲ୍‌କୁ ଅଣାଗଲା। ତାଙ୍କ ପାଦରେ କଡ଼ା ପିନ୍ଧାଇ ଦିଆଯାଇଥିଲା, ଅନେକ ପ୍ରକାରର ନିର୍ଯ୍ୟାତନା ଦିଆଯାଉଥିଲା ଓ ତାଙ୍କ ଖାଦ୍ୟରେ ବିଷ ମିଶାଇ ଦିଆ ଯାଇଥିଲା। ଏସବୁର ମୂକସାକ୍ଷୀ ଥିଲେ ଜେଲ୍‌ର ଡାକ୍ତର ଅମୂଲ୍ୟ ଓ ମେହେନ୍ତର ଶିବନା। ତାଙ୍କ ଅପରାଧର ବିଚାରପାଇଁ ତାଙ୍କୁ ବିଚାରାଳୟକୁ ନିଆଯାଇଥିଲା। ଇଂରେଜମାନଙ୍କ ଭୟରେ ସେଠାରେ କେହି ତାଙ୍କ ସପକ୍ଷରେ ସାକ୍ଷ୍ୟ ଦେଇ ନ ଥିଲେ। ବିଚାରାଳୟ କୋଠରୀରେ ବିର୍ସା ପ୍ରଳାପ କରୁଥିବାର ଦେଖି ବିଚାରପତି ବିଚାରକୁ ସ୍ଥଗିତ ରଖି ତାଙ୍କୁ ପୁନଃ ଜେଲ୍‌କୁ ପଠାଇଦେଲେ। ମାତ୍ର ପଚିଶ ବର୍ଷ ବୟସ୍କ ବିଦ୍ରୋହୀ ବିର୍ସା ରାଞ୍ଚି ଜେଲ୍‌ରେ କଲବଲ ହୋଇ ୧୯୦୦ ମସିହା ଜୁନ୍ ୯ ତାରିଖ ଦିନ ଶେଷ ନିଃଶ୍ୱାସ ତ୍ୟାଗକଲେ।
ବିର୍ସାଙ୍କ ମୃତ୍ୟୁପରେ ତାଙ୍କର କିଛି ସହକର୍ମୀମାନଙ୍କୁ ନିର୍ବାସିତ କରି ଦିଆଗଲା ଓ କେତେକଙ୍କୁ ଫାସୀ ଦିଆଗଲା। ହଇଜାରେ ପଡ଼ି ବିର୍ସାଙ୍କ ମୃତ୍ୟୁ ହୋଇଛି ବୋଲି ଇଂରେଜଙ୍କ ଡରରେ ମିଥ୍ୟା ରିପୋର୍ଟ ଦେଇଥିବାରୁ ଡାକ୍ତର ଅମୂଲ୍ୟ ଚାକିରି ଛାଡ଼ିଦେଲେ ଓ ମେହେନ୍ତର ଶିବନା ବିର୍ସାଙ୍କ ମୃତ୍ୟୁକୁ ସ୍ୱୀକାର କରି ନ ପାରି ମାନସିକ ଭାରସାମ୍ୟ ହରାଇ ବସିଲେ। ବିର୍ସା ମୁଣ୍ଡା ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ଅଗ୍ରଗଣ୍ୟ ସଂଗ୍ରାମୀ ଯାହାଙ୍କର ସାହସ ଓ ବଳିଦାନ ହଜାର ହଜାର ଭାରତୀୟଙ୍କୁ ଅନୁପ୍ରାଣିତ କରିଥିଲା।
ଊନବିଂଶ ଶତାବ୍ଦୀର ଶେଷଭାଗରେ ଭାରତର ପୁର୍ବାଞ୍ଛଳର ଘଞ୍ଛ ଜଙ୍ଗଲ ମଧ୍ୟରେ ଯେଉଁ ବିପ୍ଲବର ସ୍ୱର ଝଂକୃତ ହୋଇଥିଲା, 'ଆବୁଆ ରାଜା ଇତେ ଜାନା, ମହାରାନୀ ରାଜ ଟୁଡୁ ଜାନା' (ମହାରାଣୀଙ୍କ ସାମ୍ରାଜ୍ୟ ପତନ ହେଉ ଏବଂ ଆମ ସାମ୍ରାଜ୍ୟର ପ୍ରତିଷ୍ଠା ହେଉ), ତାହାହିଁ ଥିଲା ବ୍ରିଟିଶ୍ ରାଜ୍ ପ୍ରତିଷ୍ଠା ବିରୁଦ୍ଧରେ ପ୍ରତିବାଦର ସ୍ୱର। ଏହି ଅନ୍ଦୋଳନର ମୁଖ୍ୟ ସୂତ୍ରଧର ଥିଲେ ବିର୍ସା ମୁଣ୍ଡା।
ବ୍ରିଟିଶ ଶାସନର ଦାସତ୍ୱରୁ ମୁକ୍ତି ପାଇବା ନିମନ୍ତେ ବିପ୍ଲବୀ ବିର୍ସା ମୁଣ୍ଡାମାନଙ୍କୁ ସଂଘଟିତ କରିବା ନିମନ୍ତେ କାର୍ଯ୍ୟପନ୍ଥା ଆରମ୍ଭ କଲେ। ସେତେବେଳେ ଜାଗିରିଦାର ,ଜମିଦାର ଓ ଠିକାଦାରମାନେ ମୁଣ୍ଡା ତଥା ଆଦିବାସୀମାନଙ୍କ ଉପରେ ଅତ୍ୟାଚାର କରିବା ସହିତ ବିଭିନ୍ନ ଭାବରେ ଶୋଷଣ କରୁଥିଲେ ଏବଂ ଭୟଭୀତ କରି ରଖିଥିଲେ। ଏହିଭଳି ଏକ ସନ୍ଧିକ୍ଷଣରେ ମହାନ୍ ବିପ୍ଲବୀ ତଥା ସ୍ୱାଧୀନଚେତା ବିର୍ସା ମୁଣ୍ଡାଙ୍କର ଆବିର୍ଭାବ ଘଟିଥିଲା। ସେ ମୁଣ୍ଡା ସମ୍ପ୍ରଦାୟର ନେତୃତ୍ୱ ନେବା ସଙ୍ଗେ ସଙ୍ଗେ ବ୍ରିଟିଶ୍ ଶାସନର ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ କରିବାକୁ ପ୍ରବର୍ତ୍ତାଇ ଥିଲେ।

Sunday, July 18, 2021

● ମନ୍ତ୍ର / ତନ୍ତ୍ର ●

                ସଂଗ୍ରାହକ ; ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ ।

ମନ୍ତ୍ର—  ବୈଦି ଉପାସନାରେ ବ୍ୟବହୃତ ଦେବତାବିଶେଷଙ୍କର ଉପୟୁକ୍ତ ବାକ୍ଯ ବା ପଦ ।

ଯାହାଦ୍ବାରା ବିଶ୍ବଜ୍ଞାନ ଲାଭ ହୁଏ ଓ ସଂସାର ସାଗରରୁ ମନୁଷ୍ଯ ଉଦ୍ଧାର ପାଏ ତାହାକୁ ମନ୍ତ୍ର ବୋଲାୟାଏ। ମନ୍ତ୍ର ଦ୍ବାରାମନନ ଓ ତ୍ରାଣ ଲାଭ ହୁଏ। ହିନ୍ଦୁ ଶାସ୍ତ୍ରରେ ପ୍ରତ୍ଯେକ ଦେବତାଙ୍କ ଉପାସନାପାଇଁ ଓ ସ୍ନାନ ଦାନାଦିପାଇଁ ଭିନ୍ନ ଭିନ୍ନ ମନ୍ତ୍ର ନିର୍ଦ୍ଦିଷ୍ଟ ଅଛି; ନିରୁକ୍ତ ଅନୁସାରେ ବୈଦିକ ମନ୍ତ୍ରକୁ 3 ଶ୍ରେଣୀରେ ବିଭକ୍ତ କରାୟାଇ ଅଛି। ୟେଉଁ ମନ୍ତ୍ରରେ ଦେବତାଙ୍କୁ ପରୋକ୍ଷଜ୍ଞାନ କରି ତାଙ୍କ ପ୍ରତି 'ସେ' ଶଦ୍ଦ ପ୍ରଯୋଗ କରାୟାଏ ତାହାକୁ ପରୋକ୍ଷକୃତ, ୟହିଁରେ ଦେବତାଙ୍କୁ ପ୍ରତ୍ଯକ୍ଷ ଜ୍ଞାନ କରି ତାଙ୍କ ପ୍ରତି 'ତୁମ୍ଭେ' ଶଦ୍ଦ ପ୍ରଯୋଗ କରାୟାଏ ତାହାକୁ ପ୍ରତ୍ଯକ୍ଷକୃତ; ୟହିଁରେ ନିଜଠାରେ ଦେବତାଙ୍କର ଆରୋପ କରାୟାଇ ଅଙ୍ଗନ୍ଯାସ ଓ ମୁଦ୍ରାଦିଦ୍ବାରା ସ୍ତୁତି କରାୟାଏ ତାହାକୁ ଆଧ୍ଯାତ୍ମିକ ମନ୍ତ୍ର ବୋଲାୟାଏ। ମନ୍ତ୍ରର ବିଷଯ ପ୍ରାଯଶଃ ସ୍ତୁତି, ଆଶୀର୍ବାଦ, ଶପଥ, ଅଭିଶାପ, ପରିବେଦନା, ନିନ୍ଦା, ନିଜର ମଙ୍ଗଳକାମନା, ଶତ୍ରୁର ଅନିଷ୍ଟ କାମନା ଅଟେ। ମୀମାଂସା ଅନୁସାରେ ବେଦରେ ୟେଉଁ ବାକ୍ଯଦ୍ବାରା କୌଣସି କ୍ରମ କରିବାକୁ ପ୍ରେରଣା ବା ଉତ୍ସାହ ମିଳେ ତାହାକୁ ମନ୍ତ୍ର କୁହାଯାଏ।
----------------------------------------------------------
ତନ୍ତ୍ର— ବିସ୍ତାର କରିବା -
 ଯେଉଁ ଶକ୍ତିଦ୍ବାରା ଶିବ ଓ ଶକ୍ତିଙ୍କ ଉପାସନା ବିସ୍ତାର କରାଯାଇଅଛି । ଶିବୋକ୍ତ ଶାସ୍ତ୍ରବିଶେଷ; ଶିବ ଓ ଶକ୍ତିଙ୍କର ପୂଜା ବା ଉପାସନା ବିଷୟକ ଶାସ୍ତ୍ର ।

ତନ୍ତ୍ର ନାମରେ ହିନ୍ଦୁ ଧର୍ମରେ ଅନେକଗୁଡ଼ିଏ ଅଲୈକିକ କ୍ରିଯା ପ୍ରଚଳିତ ହୋଇଅଛି। ଏଥିରେ ଚିକିତ୍ସା, ୟୋଗସାଧନା, ବାଯୁସାଧନା, ଶରୀର ମଧ୍ଯସ୍ଥ ଚକ୍ର ନିରୂପଣ, ମାରଣ, ବଂଶୀକରଣ, ସ୍ତମ୍ଭନ, ମୋହନ, ଉଚ୍ଚାଟନ ଆଦି ପ୍ରଯୋଗ, ଶିବ ଓ ଦୁର୍ଗାଙ୍କୁ ପୂଜା କରିବାର ନାନାବିଧକ୍ରିଯା ଓ ପଞ୍ଚ ମକାର, ବାମାଚାର, କାମଶାସ୍ତ୍ର, ଭୌତିକ ବିଦ୍ଯା, ଅଲୌକିକ କ୍ଷମତା ସାଧନ ଆଦି ବର୍ଣ୍ଣିତ ହୋଇଅଛି। ଏମନ୍ତ କି, ତନ୍ତ୍ର ନାମରେ ବିବିଧ ଇନ୍ଦ୍ରିଯପରାଯଣ କର୍ମ ଓ ଅମେଧ୍ଯ ଭୋଜନ ମଧ୍ୟ କରାୟାଏ। ତାନ୍ତ୍ରିକମାନେ ଅଲୌକିକ କ୍ଷମତା ଓ ସିଦ୍ଧି ମଧ୍ୟ ଦେଖାଇ ଥାଆନ୍ତି। ତନ୍ତ୍ର 3 ଭାଗରେ ବିଭକ୍ତ—1. ଆଗମ, 2 ୟାମଳ ଓ 3 ମୁଖ୍ଯତନ୍ତ୍ର। ଆଗମରେ ସୃଷ୍ଟି, ପ୍ରଳଯ, ଦେବପୂଜା ଓ ସବୁ କାର୍ଯ୍ୟରେ ସାଧନ, ପୁରଶ୍ଚରଣ, ଷଟକର୍ମ ସାଧନ ଓ 4 ପ୍ରକାର ଧ୍ୟାନୟୋଗ ବର୍ଣ୍ଣିତ ହୋଇଅଛି। ୟାମଳରେ ସୃଷ୍ଟିତତ୍ତ୍ବ, ଜ୍ଯୋତିଷ, ନିତ୍ଯକୃତ୍ଯ, କ୍ରମ, ସୂତ୍ର, ବର୍ଣ୍ଣଭେଦ ଓ ୟୁଗଧର୍ମ ବର୍ଣ୍ଣିତ ହୋଇଅଛି। ମୁଖ୍ଯ— ତନ୍ତ୍ରରେ ସୃଷ୍ଟି, ଲଯ, ମନ୍ତ୍ରନିର୍ଣ୍ଣଯ, ଦେବତାମାନଙ୍କ ସଂସ୍ଥାନ, ୟନ୍ତ୍ର ନିର୍ଣ୍ଣଯ, ତୀର୍ଥ, ଆଶ୍ରମ ଧର୍ମ, କଳ୍ପ, ଜ୍ଯୋତିଷସଂସ୍ଥାନ, ବ୍ରତକଥା, ଶୌଚ, ଅଶୌଚ, ସ୍ତ୍ରୀ ପୁରୁଷ ଲକ୍ଷଣ, ରାଜଧର୍ମ, ଦାନଧର୍ମ, ୟୁଗଧର୍ମ, ବ୍ୟବହାର ଓ ଆଧ୍ଯାତ୍ମିକ ବିଷଯମାନ ବର୍ଣ୍ଣିତ ହୋଇଅଛି। ତନ୍ତ୍ରର ସିଦ୍ଧାନ୍ତ ଏହି କି କଳିୟୁଗରେ ବୈଦିକମନ୍ତ୍ରଜପ, ତପସ୍ଯା ଓ ଯଜ୍ଞ ଆଦିର କିଛି ଫଳ ନାହିଁ, କିନ୍ତୁ କାର୍ଯ୍ୟର ସିଦ୍ଧିଲାଭ ପାଇଁ ତନ୍ତ୍ର— ଶାସ୍ତ୍ରବର୍ଣ୍ଣିତ ମନ୍ତ୍ର ଓ ଉପାଯ ଅବଲମ୍ବନ କରିବା କର୍ତ୍ତବ୍ଯ। ତନ୍ତ୍ରର ସିଦ୍ଧାନ୍ତ ଗୁପ୍ତ ରଖାୟାଏ ଓ ଏହା ଶିକ୍ଷା କରିବା ପାଇଁ ମନୁଷ୍ଯକୁ ଦୀକ୍ଷା ନେବାକୁ ପଡ଼େ। ଆଜିକାଲି ମାରଣା, ଉଚ୍ଚାଟନ, ବଂଶୀକରଣ ଆଦି ନାନାପ୍ରକାରର ସିଦ୍ଧିର ସାଧନ ପାଇଁ ତାନ୍ତ୍ରିକ ମନ୍ତ୍ର ଅର୍ଥହୀନ ଓ କ୍ରଯା କରାୟିବାର ଦେଖାୟାଏ। ତନ୍ତ୍ର ବିଧିରେ ପ୍ରଧାନତଃ ଶାକ୍ତମାନେ ଉପାସନା କରନ୍ତି। ତନ୍ତ୍ରୋକ୍ତ ଅଧିକାଂଶ ମନ୍ତ୍ର ଅର୍ଥହୀନ ଓ ଏକାକ୍ଷରୀ ଯଥା—କ୍ଳୀଂ, ହ୍ଳୀଂ, ଶ୍ରୀଂ, ଐଂ, ହ୍ରୀଂ, ଘ୍ରୀ, ଇଂ, ଦୁଂ। ତାନ୍ତ୍ରିକମାନେ ସବୁ ଦେବତାଙ୍କୁ ପୂଜା କରନ୍ତି, କିନ୍ତୁ ସେମାନଙ୍କ ପୂଜାବିଧି ବୈଦିକ ବିଧିଠାରୁ ଭିନ୍ନ। ତାନ୍ତ୍ରିକମାନଙ୍କର ପୂଜା ଓ ବିଶେଷତଃ ଚକ୍ରପୂଜାରେ ମତ୍ସ୍ୟ, ମାଂସ, ମୈଥୁନ, ମଦ୍ଯ ଓ ମୁଦ୍ରା ନାମକ ପଞ୍ଚ ମକାରର ବ୍ୟବହାର କରାୟାଏ। କଥିତ ଅଛି ଯେ ତାନ୍ତ୍ରିକମାନେ ଡମୁଣା ଧୋବଣୀ ଆଦି ସ୍ତ୍ରୀମାନଙ୍କୁ ଉଲ୍ଲଗ୍ନ କରି ପୂଜା କରନ୍ତି। ହିନ୍ଦୁମାନଙ୍କ ଦେଖାଦେଖି ବୌଦ୍ଧମାନଙ୍କ ମଧ୍ୟରେ ମଧ୍ୟ ତନ୍ତ୍ରର ପ୍ରଚାର ହେଲା ଓ ବୌଦ୍ଧମାନଙ୍କର ଅନେକ ତନ୍ତ୍ର ଗ୍ରନ୍ଥ ଅଛି। ଏ ଗ୍ରନ୍ଥମାନଙ୍କର ପ୍ରଚାର ଚୀନ, ତିବ୍ବତ ଓ ନେପାଳରେ ଅଛି। ବାରହୀ ତନ୍ତ୍ରରେ ଲେଖା ଅଛି ଯେ ଜୈମିନି, କପିଳ, ନାରଦ, ଗର୍ଗ, ଭୃଗୁ, ଶୁତ୍ର, ବୃହସ୍ପତି ଆଦି ଋଷିମାନେ କେତେକ ଉପତନ୍ତ୍ର ରଚନା କରିଥିଲେ ।

● ତିନି ବନ୍ଧୁ ଘନିଷ୍ଠ : ବିବିଧତା ଓ ପ୍ରତିଭା ରେ ବିଶିଷ୍ଟ ●


                             ✍ ପ୍ରମୋଦ କୁମାର ମହାନ୍ତି 

ଗୋଟିଏ ବିଦ୍ୟାଳୟ ସମାସ୍କନ୍ଦ ତିନି ବନ୍ଧୁ କଥା 
ନକହିଲେ ସବୁକଥା ଖୋଲି, ମୋ କବିପଣ ବୃଥା 
ଏକାନ୍ତ ଘନିଷ୍ଠ ତିନିହେଁ ଶ୍ରେଣୀ ଓ ଶ୍ରେଣୀ ବାହାରେ 
ସେମାନଙ୍କ ନିଷ୍ଠା ଏକାଗ୍ରତା କହିଲେ ବି ନସରେ ll

ପ୍ରଥମ ବନ୍ଧୁ ଟି ବିଦ୍ୟା ବୁଦ୍ଧି ରେ ଅତି ବିଚକ୍ଷଣ 
ଶିକ୍ଷକ ମାନଙ୍କ ପ୍ରିୟ, ସାଙ୍ଗଙ୍କ ଈର୍ଷା ର କାରଣ 
ନିରବଛିନ୍ନ ଭାବେ ତା'ର ବିଦ୍ୟା-ମେଧା ର ପ୍ରଗତି 
ସ୍କୁଲ କଲେଜ ୟୁନିଭର୍ସିଟି ଟପ୍ପର ସଦା ବ୍ରତୀ ll

ଦ୍ଵିତୀୟ ଟି ଯାହିତାହି ସାଧାରଣ ପାଠ ଓ ଜ୍ଞାନ 
ଫେଲ ହୋଇନାହିଁ ସିନା, ମନ ଟା ତାହାର ବିଷର୍ଣ୍ଣ 
ଶିକ୍ଷକ ମାନଙ୍କ ନଥାଏ ଧ୍ୟାନ, ହୁଏସେ ଉତ୍ତୀର୍ଣ୍ଣ 
ପ୍ରଚେଷ୍ଟା ରଖେ ତ ଜାରି, ଜୀବିତ ମନ ଓ ସପନ ll

ତୃତୀୟ ସାଙ୍ଗ ଭାରି ଚତୁର ଧୂର୍ତ୍ତ କଳା ନିପୁଣ 
ସମସ୍ତଙ୍କୁ ମନେଇ ମଜେଇ ସାରୁ ପରିବା ଜାଣ 
ପାଣିରେ ସର ପକେଇ କହିପାରେ ସେ କେତେ କଥା 
ତଥାପି ତା' ଗାଥା ଶୁଣିବାକୁ ରୁଣ୍ଡ ହୁଅନ୍ତି ଶ୍ରୋତା ll

ଏହି ତିନିଜଣ ବନ୍ଧୁ କିନ୍ତୁ ସବୁବେଳେ ଘନିଷ୍ଠ
ସ୍କୁଲ ଶିକ୍ଷା ସମାପ୍ତ ପର୍ଯ୍ୟନ୍ତ ଏକତ୍ରିତ ନିବିଷ୍ଟ 
ରୂପ ଗୁଣ ବିଦ୍ୟା ମେଧା ବୁଦ୍ଧି ରେ ଥାଇ ବି ପ୍ରଭେଦ 
ସେମାନଙ୍କ ବନ୍ଧୁତା ର କଳସ ରେ ନଥାଏ ଛିଦ୍ର ll

ପ୍ରାୟ ପାଞ୍ଚ ଛଅ ବର୍ଷ ପରେ ପ୍ରଥମ ହେଲା ଯନ୍ତ୍ରୀ 
ବିଚକ୍ଷଣ ଧୀ-ଶକ୍ତି ସହ ନୂତନ ସନ୍ଧାନ ରେ ବ୍ରତୀ 
ଭାରତୀୟ ଇଞ୍ଜିନିଅରିଂ ସେବାରେ ସଫଳ ଓ ଶ୍ରେଷ୍ଠ 
ଭାରତୀୟ ରେଳ ରେ ମୂଖ୍ୟ ଯନ୍ତ୍ରୀ କର୍ମେ ଏକନିଷ୍ଠ ll

ଦ୍ଵିତୀୟ ପଦାର୍ଥ ବିଜ୍ଞାନ ରେ ସ୍ନାତକ ସାଧାରଣ 
ଭାରତୀୟ ପ୍ରଶାସନିକ ସେବା ରେ ଅତି ନିପୁଣ 
ସଞ୍ଜୋଗ: ପ୍ରଥମ ବନ୍ଧୁ ର ହେଲେ ଉପର ହାକିମ 
ବିଭିନ୍ନ ପଦ ପଦବୀ ରେ ପ୍ରଶଂସା ପ୍ରାପ୍ତି ଅସୀମ ll

ତୃତୀୟ ସେ ଚତୁର ଧୂର୍ତ୍ତ ସ୍କୁଲ ପରେ ପାଠ ଶେଷ 
'ଠିକ ବେଳ ରେ ଠିକ ଦଳ': ରାଜନୀତି ରେ ପ୍ରବେଶ 
କାଳକ୍ରମେ ସେ ସାଂସଦ ଓ କ୍ୟାବିନେଟ ପାହ୍ୟା ମନ୍ତ୍ରୀ 
ପ୍ରଥମ ଦୁଇ ବନ୍ଧୁ ଙ୍କ ଭାଗ୍ୟ ନିର୍ଦ୍ଧାରଣ କରନ୍ତି ll

ଗପ ଭଳି ଲାଗିଲେ ବି କାହାଣୀ ଟି ସମ୍ପୂର୍ଣ୍ଣ ସତ୍ୟ 
ପ୍ରଥମ ଟି 'ମେଟ୍ରୋ ମ୍ୟାନ': 'ଇ ଶ୍ରୀଧରନ' ନାମେ ଖ୍ୟାତ 
ଦ୍ଵିତୀୟ 'ଶେଷାନ' ମୂଖ୍ୟ ନିର୍ବାଚନ କମିଶନର 
ତୃତୀୟ 'କେ ପି ଉନ୍ନିକୃଷ୍ଣନ': ରାଜନେତା ଚତୁର ll
================================                      

ଲୁହ

ଅଟକୁନି ଲୁହ  ବୋହି ଚାଲୁଛି ଅନବରତ ଆଖିବି ନିଜର କରି ରଖି ପାରୁନି  ଏ ଲୁହକୁ,,,, ବାସ୍ ଝରି ଯାଉଛି ଟୋପା ଟୋପା ହୋଇ! ମନର ବ୍ୟଥା  ହୃଦୟର କୋହ  ସତରେ ଭା...