Showing posts with label ବାଖ୍ୟା. Show all posts
Showing posts with label ବାଖ୍ୟା. Show all posts

Friday, June 18, 2021

● ରଜ , ରଜଦୋଳି ଓ ତା'ପ୍ରାସଙ୍ଗିକତା ● ଆଲୋଚନା



                                  ବନସ୍ତେ ଡାକିଲା ଗଜ,
                         ବରଷକେ ଥରେ ଆସିଛି ରଜ , 
                                  ଆସିଛି ରଜ ଲୋ ,
                             ଘେନି ନୂଆ ସଜବାଜ ।।
                                
                                  ରଜଦୋଳି କଟ କଟ
                           ମୋ ଭାଇ ମୁଣ୍ଡରେ ସୁନା ମୁକୁଟ,
                                   ସୁନା ମୁକୁଟ ଲୋ 
                                  ଦିଶୁଥାଇ ଝଟ ଝଟ ।।
                            --------------------------------------

          ଆସିଗଲା ରଜ । ଆମ ଓଡ଼ିଆ ଜୀବନର ଏକ ଚିର ଅଭୂଲା , କିଶୋର - କିଶୋରୀ ପ୍ରାଣର ଏକ ଆବେଗ ବତୁରା‌‌ , ପ୍ରେମ  ଉଚ୍ଛଳ ଉତ୍ସବ । ଆସିଗଲା  ନୂଆ  ଛନ ଛନ ସମ୍ଭାବନାର ପିଠା ପଣାର ଟୋକେଇ‌ ଧରି ।

            ଡାକୁଛି  ନା‌...?
      
            ଡାକୁଛି ସେ , କୁଆଁରୀ କଣ୍ଠରେ -

 " ବନସ୍ତେ ଡାକିଲା ଗଜ‌ , 
   ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ ,
    ବେଗେ ହୁଅ ସଜବାଜ ।"

      ରଜ ହେଉଛି ପୃଥିବୀ ବା  ଧରଣୀ ରାଣୀର ପ୍ରଥମ ରଜସ୍ୱଳା ହେବାର ମହୋତ୍ସବ । 

  ‌‌             ବର୍ଷା ଆସିବ । ନିଦାଘର ପ୍ରଚଣ୍ଡ ରୌଦ୍ରତାପ ସନ୍ତାପିତ ଧରିତ୍ରୀକୁ ଶୀତଳ କରି ତାକୁ ନୂତନ ସୃଷ୍ଟିର ସନ୍ଦେଶ ଦେବ । ଧରଣୀ ହେବ ସବୁଜିମାରେ ବିମଣ୍ଡିତ । ଚାଷୀଭାଇର ସ୍ବପ୍ନ ରେ ଡେଣା ଲାଗିବ । ତରୁଲତା ସବୁଜ କିଶଲୟ ନେଇ ବିଭୁ ବନ୍ଦନା କରିବେ ।
  
           ଆଉ ଜୀବଜନ୍ତୁ !?

       ତୃଷାର୍ତ୍ତ ଜୀବଜନ୍ତୁ ଫେରିପାଇବେ ଜୀବନର ରାହା ।

     ଗଜ ଅର୍ଥାତ୍ ହାତୀ କଣ କରିବେ ଏତିକି ବେଳେ ?

      ଆମ ରଜଦୋଳିର ଏକ ଗୀତ ଦେଖି କେହି ଜଣେ 
ଅନିସନ୍ଧିତ୍ସୁ ପ୍ରଶ୍ନ  କଲେ - 
          
         ଏ ଗୀତରେ ଭାଇ ପାଇଁ ଗେହ୍ଲା ଭଉଣୀର ଚିନ୍ତା ଓ ସ୍ନେହ ଆବେଗ ବେଶ୍ ବୁଝିହେଉଛି । 
    
       ରଜ ଆସିଗଲା ।

    ଭାଇ ମୁକୁଟ ପିନ୍ଧି ବସିଛି । ସୁନ୍ଦରୀ , ଗୁଣବତୀ ଭାଉଜଟିଏ ଲୋଡା ।
          
        ଏ ରଜ ସମୟ ବଡ଼ ଚମତ୍କାର ସୁଯୋଗ ନେଇ ଆସିଛି । ବର୍ଷାର ଶ୍ରାବଣୀ ଭିଜା ସମୟ ଦେଖି ପରା ସ୍ବୟଂ ଶିବ- ପାର୍ବତୀ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ହେଇ ଆସିଗଲା ଶୀତଳ ଷଷ୍ଠୀ । ରଜ ପରେ ପରେ । ଆଉ ବା କେତେ ଦିନ !?

         ତେବେ ଆପଣଙ୍କର ପ୍ରଶ୍ନ - ଏ ରଜ ଦୋଳି ଗୀତରେ ଏ ଯେଉଁ "ଗଜ" କଥା ବୋଲା ଯାଉଛି ତାର କିଛି ସ୍ବତନ୍ତ୍ର ରହସ୍ୟ ଅଛି ନା କେବଳ ଯତିପାତ ପାଇଁ ଲେଖାଯାଇଅଛି ?

      ଆମ ପୂର୍ବ ପୁରୁଷ କେତେ ବିଜ୍ଞାନୀ ଥିଲେ ତା ଦେଖିଲେ । ଏଇ ରଜ ସମୟକୁ ହିଁ ଶିବ- ପାର୍ବତୀ ବିବାହ ଉତ୍ସବର କଳ୍ପନା କରିଥିଲେ ।

           ଆଉ ଏ ଗଜ ଶବ୍ଦକୁ ସେ କେବେବି କେବଳ ଯତିପାତ ବା ଶବ୍ଦ ମେଳକ ପାଇଁ ରଖିନଥିବେ ।

              ସତକଥା - ପ୍ରମାଣ ବି ଅଛି ।

    ଆଫ୍ରିକା ମହାଦେଶରେ ସର୍ବାଧିକ ହାତୀ ଅଛନ୍ତି । 
  
             ଆମେ ଜାଣିଛେ ବାଘ ଶୀକାର ପାଇଁ ଯାଇଥିବା ଶିକାରୀମାନେ ରାତିରେ କୌଣସି ଜଳାଶୟ ପାଖରେ ଗଛ ଉପରେ ମଞ୍ଚାବାନ୍ଧି ଛକି ରହିଥାନ୍ତି । ବାଘ ରାତିରେ ପାଣି ପିଇବାକୁ ସେଠାକୁ ଗଢିଲେ , ସେମାନେ ତାକୁ ଶୀକାର 
କରନ୍ତି ।
          
            କାରଣ ବାଘମାନେ ଦିନବେଳେ ସହଜରେ ପାଣି ପିଇବାକୁ ଆସନ୍ତି ନାହିଁ । ସେମାନେ ଜାଣିଛନ୍ତି ବିପଦ ଅଛି , ମଣିଷ ମାନଙ୍କ ଠାରୁ ।

             ଆଉମଧ୍ୟ ସେମାନେ ଜାଣନ୍ତି ମଣିଷକୁ ରାତିରେ ଭଲ ଦେଖାଯାଏ ନାହିଁ । କିନ୍ତୁ ରାତିରେ ବାଘ , ମଣିଷ ଠାରୁ ଛଅ ଗୁଣ ଅଧିକ ସ୍ପଷ୍ଟ ଦେଖିପାରେ । ତେଣୁ ରାତିରେ ପାଣି ପିଇବାକୁ ଆସିବା ସବୁଠାରୁ ନିରାପଦ । 

        କିନ୍ତୁ ମଣିଷ ମଧ୍ୟ ଖୁବ୍ ଚାଲାକ୍। ତେଣୁ ବାଘ-ଶୀକାର ରାତିରେ, ଜଳାଶୟ ପାଖରେ , ଗଛ ଉପରୁ ଥାଇ କରେ ।

           ତେବେ ଏହି ହାତୀ ତାର ମୂଲ୍ୟବାନ ଦାନ୍ତ ପାଇଁ , ଲୋଭୀ ସ୍ୱାର୍ଥପର ମଣିଷର ଶୀକାର ହୁଏ ।
       
           ଆଫ୍ରିକାରେ  ଏହି ହାତୀ ଶୀକାର ଆଇନ୍ ଦ୍ବାରା ନିଷିଦ୍ଧ ହୋଇଥିଲେ ବି , ଶିକାରୀମାନେ ଯେଭଳି ଲୁଚିଛପି ହାତୀ ଶିକାରରେ ମାତିଛନ୍ତି , ଆଶଂକା କରାଯାଉଛିଯେ ଆସନ୍ତା ଶହେ ବର୍ଷ ଭିତରେ ହାତୀ ଲୋପ ପାଇଯିବେ ।

               ତେବେ ପ୍ରସଙ୍ଗକୁ ଆସିବା ।

    ସେଠି ଏଇ ବର୍ଷା ଦିନ ପ୍ରାରମ୍ଭରେ ବା ରଜ ସମୟରେ ହିଁ ବେଶୀ ହାତୀ ଶୀକାର କରାଯାଇଥାଏ ।

              ଏହାର କାରଣ ଜାଣିବାକୁ ନାମିବିୟା ଦେଶର ଗବେଷକମାନେ ଗବେଷଣା କରି ଯାହା ଦେଖିଲେ ତା ଚମକପ୍ରଦ ନିଶ୍ଚୟ ।

             ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ଯଥେଷ୍ଟ ଜଳ ଅଭାବରୁ ହାତୀମାନେ ତୃଷାର୍ତ୍ତ ଥାନ୍ତି । ଯେତେବେଳେ ଏହି ରଜ ସମୟରେ ବର୍ଷା ଆରମ୍ଭ ହୁଏ , ସେତେବେଳେ ହାତୀମାନେ ବର୍ଷା ହେଉଥିବା ଅଞ୍ଚଳ ଠାରୁ  ୧୫୦ ମାଇଲ୍ ଦୂରରେ ଥାଇ  ମଧ୍ୟ ସେକଥା ଜାଣିପାରନ୍ତି ।

               ଯାହା ମନୁଷ୍ୟ ପାଇଁ ସଂପୂର୍ଣ୍ଣ ଅସମ୍ଭବ ।

      ସେମାନେ କିପରି ଜାଣିପାରନ୍ତି , ସେ ସମ୍ପର୍କରେ ବୈଜ୍ଞାନିକ ମାନେ ଏ ପର୍ଯ୍ୟନ୍ତ ଜାଣିପାରିନାହାନ୍ତି । ହୁଏତ ହାତୀମାନଙ୍କର ଶ୍ରବଣ ଶକ୍ତି ମନୁଷ୍ୟ ଠାରୁ ଯଥେଷ୍ଟ ପ୍ରଖର । ତେଣୂ କୌଣସି ମତେ ଅଲଟ୍ରାସାଉଣ୍ଡ ତରଙ୍ଗ ଦ୍ବାରା ସେମାନେ ଜାଣିପାରି , ପାଣି ପାଇଁ ସେଇ ଦିଗରେ ଯିବାକୁ ସମସ୍ତ ହାତୀଙ୍କୁ ତାଙ୍କ ଦଳପତି ନିର୍ଦେଶ ଦିଏ ।

            ଏହି ସମୟରେ ଗଜ ଖୁସିରେ ଡାକଦିଏ ।

          ଆଉ ଶିକାରୀମାନେ ୟାର ସୁଯୋଗ‌ ନିଅନ୍ତି । ସେମାନେ ସିଧାସଳଖ ହାତୀ ଶିକାର କରିବା ସହଜ ନୁହେଁ ।
ତେଣୁ କୌଣସି ଅଂଚଳରେ ବର୍ଷା ହେଲେ , ହାତୀମାନେ ସେଇ ଦିଗରେ ଆସିବେ ଜାଣିପାରି ସେମାନେ ତାଙ୍କ ଆସିବା ରାସ୍ତାରେ ଖାଇ ଖୋଳି ହାତୀ ଶୀକାର କରନ୍ତି ।

             ଏବେ ସେଠାର ସରକାର ଏ ଗବେଷଣା ତଥ୍ୟକୁ ଆଧାର କରି ,ହାତୀ ସଂରକ୍ଷଣ ଦିଗରେ ଅଧିକ ଫଳପ୍ରଦ ପଦକ୍ଷେପ ନେଇପାରିବେ ବୋଲି ଭାବୁଛନ୍ତି ।

             ତେବେ ମଜାର କଥା ହେଲା -

      ଆମ ପୂର୍ବଜ , ଏପରିକି କବିମାନେ ମଧ୍ୟ ଏ ରଜ ସମୟରେ ହାତୀ ବା ଗଜ ଡାକିଦେବା କଥା ଜାଣିଥିଲେ । ତେଣୁ ‌ଏ ରଜଦୋଳି ଗୀତରେ ତାକୁ ସମାହିତ କରିଥିଲେ ।

          ଆମେ ତାଙ୍କ ପ୍ରଜ୍ଞାକୁ କୋଟି ପ୍ରଣାମ ଦେବା‌ ନା ନାହିଁ ?

                    ଆପଣ କୁହନ୍ତୁ ।

                                 -- ଦାଶରଥି ସାହୁ
                                  ତାରିଖ - ୧୩.୦୬.୨୦୨୧

● ରଜଦୋଳି ଗୀତ - ପ୍ରାସଙ୍ଗିକତା ● ପ୍ରଥମ ଭାଗ



                          ରଜଦୋଳି ଗୀତ - ପ୍ରାସଙ୍ଗିକତା
                           -------------------------------------

          ବେଳେ ବେଳେ ଆମେ ଭାବୁ , ଏସବୁ କାହିଁକି ? କଥାର ଲଥା ପରି ରଜଦୋଳିର ପଦ ବିନ୍ଯାସ , କେବଳ କିଛି ଯତିପାତ, କିଛି ତରଳ ଭାବର ସ୍ରୋତ ପ୍ରବାହ କି ? 

            ଆମେ ବୁଝିପାରିବା କଥାନୂହେଁ । ସେ କଥା ଅନୂଢା କୁମାରୀ କନ୍ୟାକୁ ପଚାରନ୍ତୁ । ନୂଆ ରଜୋବତୀ ଲଳନା କୁ ପଚାରନ୍ତୁ । ରଜଦୋଳି ରେ ସାଥିମେଳରେ ଝୁଲୁଥିବା କିଶୋରୀ ଝୁମୁକାକୁ ପଚାରନ୍ତୁ , ସେ କହିବ ବହୁ ଗୁଢ ତତ୍ତ୍ବ ପରିପୂର୍ଣ୍ଣ ଲାଜୁଆ ଲାଜୁଆ ମନ ତଳର ଛୁପା ଛୁପା କଥା ।

             ଏ ରଜଦୋଳି ଗୀତରେ ବର୍ଷା ଅଛି, ବିଜୁଳି ଅଛି, ବନସ୍ତ ଅଛି , ପଣଷ ଅଛି, ହୃଦୟ ଅଛି, ସମାଜ ଅଛି , ଆଉ ଜୀବନ ଅଛି ,ସପନ ବି ଅଛି ।

          କିନ୍ତୁ ମିଛ ନାହିଁ କି ଅବାନ୍ତର କିଛି ଆଦୌ ନାହିଁ ।

     ସବୁ ସମ୍ବନ୍ଧିତ, ପ୍ରାସଙ୍ଗିକ, ସାମାଜିକ , ଭାବାତ୍ମକ ।
   
               ଲେଖିଲେ ଏକ ବିଶାଳ ପ୍ରବନ୍ଧ ହେବ -

             ମୁଁ ଏଠି ଠିକେ ଠିକେ କହିବି , ଆପଣ ଶୁଣିଲେ ହେଲା ।
       
         ମୋର ପୂର୍ବ ଲେଖାରେ ରଜଦୋଳି ଗୀତର ପ୍ରଥମ ପଦ ଓ ଷୋହଳତମ ପଦର ସାମାନ୍ୟ ବିଶଦ ବ୍ୟାଖ୍ୟା କରିଥିଲି । 

           ଏବେ ଅନ୍ୟ ପଦର ବ୍ୟାଖ୍ୟା ମାତ୍ର ଠାରରେ କହିବି ।
ମୋର ପୂରା ବ୍ୟାଖ୍ୟା ଏକ ପୁସ୍ତକ ଆକାରରେ ପ୍ରକାଶନ ଅପେକ୍ଷାରେ ।

              ରାଶିରୁ ଛାଡ଼ିଲା ଚୋପା,
            ଗୋଡ଼ରେ ନାଇଲୁ ସରୁ ଅଳତା ଲୋ,
              ମଥାରେ ସିନ୍ଦୂର ଟୋପା ।।୨।।
                      - ରାଶିରୁ ଚୋପା ଛାଡ଼ିଲେ ତାହା ଶୁଭ୍ରବର୍ଣ୍ଣ ଧାରଣ କରେ । ରଜୋବତୀ ଲଳନାର ରଙ୍ଗ ଫିଟେ ।

             ଉଡ଼ିଲା ଶୁଆ ନାହାକା ,
          ଦୋଳିଟା କାହିଁକି ଲାଗୁଛି ଏକା ଲୋ,
        କାହା ବିନା ଏକା ଏକା ।।୩।।
                      -- ନାହାକା ଶୁଆକୁ ଘରେ ପଞ୍ଜୁରୀରେ ସାଥିଠାରୁ ଅଲଗା  ରଖାଯାଏ ଭଲ କଥାକୁହେ ବୋଲି । ସେ ମୁକ୍ତ ହୋଇ ଉଡିବାକୁ ଚାହେଁ । କିଶୋରୀ ମନ ଦୋଳିରେ ବି ବୋଧ ନୁହେଁ ,ସେ ସାଥି ଚାହେଁ ।

            ପାଚିଲା ଭଇଁଚ କୋଳି,
           ବେକରେ ନାଇଚି ଗଜରା ମାଳି ଲୋ,
           ଝୁଲାଅ ରଜର ଦୋଳି ।।୪।।
                     -- ଏଇ ସମୟରେ ଭଇଁଚ କୋଳି ପାଚେ । ଖଟାମିଠା ସ୍ୱାଦଯୁକ୍ତ । ବେକରେ ଗଜରା ମାଳ ଝୁଲାଇ ଅନୂଢା ନହୁଲି ବୟସୀ ସାଥି ଅପେକ୍ଷା ରେ ବିମର୍ଷ ଥିଲେ ବି ଦୋଳିରେ ମଉଜ ନେବାକୁ ସହେଲି କୁ ମିନତି କରୁଛି ।

              ପଣସ ପାଚିଲା ବନେ,
             ବନ ପୋଡ଼ିଗଲେ ଦୁନିଆ ଜାଣେ ଲୋ,
              ମନକଥା କିଏ ଜାଣେ ।।୫।।
                        -- ପଣସ ପାଚିଲେ ଖଣ୍ଡମଣ୍ଡଳ ଚହଟି ଉଠେ ତା ବାସ୍ନାରେ, ବନ ପୋଡିଗଲେବି ତା ତାପ ଓ ଆଲୋକର ବନ୍ୟାରେ ସମସ୍ତେ ଜାଣିପାରନ୍ତି ବନପୋଡିକଥା ।
କୁମାରୀ ରଜୋବତୀ ହେଲାପରେ ,ତା ଦେହରୁ ସ୍ବତନ୍ତ୍ର ସୁଗନ୍ଧ ଛୁଟେ , ସମସ୍ତେ ଜାଣିପାରନ୍ତି । କିନ୍ତୁ ସେ ଯେ ସାଥି ବିନା ତା ମନ ବିରହ ଜ୍ୱାଳାରେ ଜଳୁଛି - ଏକଥା କେତେଜଣ ଜାଣନ୍ତି ?

                  ଶଙ୍ଖମଲମଲ ଗିନା ,
         ଦରଦ ଜାଣେଲୋ ଦରଦୀ ସିନା ଲୋ
                 ବଣିଆ ଚିହ୍ନେଟି ସୁନା ।।୬।।
                        -- ଶଙ୍ଖ ମଲମଲ ଗିନା‌ ଶଙ୍ଖ‌ ନୁହେଁ । ଏହା ଧାତୁପାତ୍ର କିନ୍ତୁ ଉପରେ ଧଳା ପ୍ରଲେପ । କୁଆଁରୀ ରଜ ଦୋଳିରେ ଯେମିତି ଉତ୍ ଫୁଲ୍ଲିତ  ଦେଖାଯାଉଛି, ସେ ତାହା ନୁହେଁ । ସେ ଭିତରେ ବିରହରେ ଜଳି ପୋଡ଼ି ଯାଉଛି । ବଣିଆ ସୁନା ଚିହ୍ନିବା ପରି ,ଏକା ତା ପ୍ରେମିକ ହିଁ ତା ଅନ୍ତରର ଦରଦ ଆକଳନ କରିପାରିବ ।

               ନିମ୍ବର ବୁକେ ଚନ୍ଦନ,
          ଦେବତା ଗଢ଼ାଇଲା ନାରୀ ଜୀବନ ଲୋ,
               ଦେଲା ତହିଁ ଯଉବନ ।।୭।।
                          --  ନିମ୍ବ ସ୍ବାଭାବିକ ଭାବେ ପିତା । ନାରୀ ଜୀବନ ସ୍ବାଭାବିକ ଭାବେ ଯନ୍ତ୍ରଣାମୟ । କିନ୍ତୁ ଚନ୍ଦନ ଲେପନ ଦେଇ ନିମ୍ବ ଦାରୁକୁ ଜଗନ୍ନାଥ ଦେବତାରେ ରୂପାନ୍ତରିତ କଲାପରି । ନାରୀ ଦେହରେ ଯୌବନ ଖଞ୍ଜି ବିଧାତା ତାକୁ ଦେବୀ ରେ ପରିଣତ କରିଦିଏ ।

              ଢମଣା ଛାଡ଼ିଲା କାତି,
        ପୁରୁଷ ସିନାଲୋ ଭ୍ରମର ଜାତି ଲୋ,
              ନୂଆ ଖୋଜୁଥାନ୍ତି ନିତି ।।୮।।
                           -- ଢମଣା ସାପ ବିଷାକ୍ତ ନୁହେଁ , କାତି ଛାଡିଥାନ୍ତି ଏହି ସମୟରେ , ନୂଆ ଶରୀର ଧାରଣ କରନ୍ତି କିନ୍ତୁ ଗୁଣ ଛାଡନ୍ତି ନାହିଁ । ତାକୁ ନୂଆ ଭାବିବା କଥା ନୁହେଁ । ପୁରୁଷ ଜାତି ଏକଥା ବୁଝିପାରେ ନାହିଁ । ସେ ଭଅଁର ପରି ପୁରୁଣା ସାଥିକୁ ଛାଡ଼ି ନୂଆ ରଜୋବତୀ ଲଳନା ପଛରେ ପଡିଯାଏ । ସଜନୀ ଲୋ ଏପରି ପୁରୁଷ ପ୍ରତି ସାବଧାନ ଥିବୁ ।

              ଚାନ୍ଦରେ କଳଙ୍କ ଚିହ୍ନ,
          ନବ ଯଉବନୀ କିଆଁ ଗୁମାନ ଲୋ,
              ଆସିଲେଣି ଜୀବ ଧନ ।।୯।।
                            -- ସରଳ କିଶୋରୀ ତୁ , ଯଦି ବି କିଛି ଭୂଲ କରିପକାଇଛୁ , ସେଥିଲାଗି ବିବଶ ହୁଅନା । ଚନ୍ଦ୍ର ରେ ବି କଳଙ୍କ ଅଛି । ତାକୁ ଭୁଲିଯାଇ , ତୋ ଜୀବନ ଧନ ଆସିଲେଣି ପରା ।

                   ପୋଖରୀ ତୁଠ ପଥର,
            ତତେ ଦେଖିଥିଲି ବାଲି ବନ୍ଧରେ ଲୋ,
   ‌‌              ଆଖି ଥିଲା ଏଣେ ତୋର ।।୧୦।।
                                -- ପଥରଟିଏ ବାଲିବନ୍ଧ ଉପରେ ଥିଲା । ଶୁଷ୍କ ନିରସ , ବ୍ୟବହାର ଅଯୋଗ୍ୟ । ପୋଖରୀ ତୁଠକୁ ଆସିଲା , ଛଳଛଳ ଜଳ , ପଦ୍ମ ଗନ୍ଧରେ ମତୁଆଲା ପରିବେଶ , କେତେ ଜନର ଜୀବନଧନ । ଲୋ କିଶୋରୀ ତୁ ଅପୁଷ୍ପବତୀ ଥିଲୁ , ପୁଷ୍ପବତୀ ହୋଇ କେତେ ମନର ମହାରାଣୀ ହେଲୁ । ତୁତ ଏମିତି ରଜସ୍ଵଳା ହେବାକୁ ଚାହୁଁଥିଲୁ ନା । ଲୁଚାନା , ଆମେ ଜାଣିପାରୁ ଛୁ ।

               ସାହାଡ଼ା ଗଛର ଛାଇ ,
     ସେଦିନ କଥାକି ତୋ ମନେ ନାଇଁ ଲୋ,
            ଆନମନା କାହିଁପାଇଁ ।।୧୧।।
                    -- ସାହାଡ଼ା ଗଛର ଛାଇ ଦିଗ ବଦଳଉଥାଏ । ସୂର୍ଯ୍ଯ ଦିଗ ବଦଳାଇବା ଯୋଗୁଁ । ଲୋ ଅଲିଅଳି ଲଳନା , ତୋର ବା କି ଦୋଷ ? ତୋ ଲମ୍ପଟ ପ୍ରେମିକ ଯଦି ପ୍ରତାରଣା ଦେଲା , ସେଥିପାଇଁ ବିବ୍ରତ ନ ହୋଇ ତୋ ଦିଗ ବଦଳେଇ ଦେ ।ତତେ କେହି ଦୋଷ ଦେବେନି ।

                   ଖୋସାରେ ଖୋସିଲି ଫୁଲ,
            କେତେ ଦେଖାଉଛୁ ନୁଖୁରା ଗେଲରେ
                  ଭାଙ୍ଗି ଦେବି ତୋର ଗାଲ ।।୧୨।।
                               --  ଖୋସାରେ ଫୁଲ ଖୋସି , ଅନୂଢା କିଶୋରୀ ନିଜ ରୂପ ଚର୍ଯ୍ଯା କରୁଛି । ତା ମାନେ ‌ନୁହେଁ ଯେ କେହି ତା ସୌନ୍ଦର୍ଯ୍ୟର ଅଯଥା ଫାଇଦା ନେବେ ।

                   ନଈରେ ଶୁଖିଲା ବାଲି,
           କେତେ ଫୁଲି ହେଉ ପୁଚୁକିଗାଲି ଲୋ,
                  ଦେଖାଉଛୁ କେତେ ବେଲି।।୧୩।।
                                 -- ନଦୀର ଶୁଖିଲା ବାଲି , ପାଣି ସଂସ୍ପର୍ଶରେ ଆସି ଫୁଲିଉଠେ । ନାଗର କହୁଛି ଲୋ ପୁଚୁକିଗାଲି ତନୁପାତଳୀ ତୁ ନବଯୌବନା ହେଲାପରେ ସେହିପରି ଫୁଲି ଉଠିଛୁ । ଏଇଟା ଦୈବ ବିଧାନ । ତୁ ଫୁଲେଇ ହୁଅନା ।

                  ବାଜିଲା ତେଲିଙ୍ଗି ବାଜା,
       ରସିକ ଯେ ଜାଣେ ସ୍ନେହର ମଜା ରେ,
                 ସେ ସିନା ମୋମନ ରଜା।।୧୪।।
                            -- ତେଲିଙ୍ଗି ବାଜା ବିବାହ ରୋଷଣୀ ସହ ବାଜେ । ମେଘ ଡମ୍ବରୁ ଓ ବିଜୁଳି କନ୍ୟା ଏ ରଜ ସମୟର ବିବାହୋତ୍ସବ ପ୍ରତୀକ । ଏ ସମୟରେ ରସିକ କୃଷକ ବାପୁଡ଼ା ଧରଣୀ ର ରଜସ୍ୱଳା କଥା ଠିକ୍ ବୁଝିପାରେ । ଆଉ କିଶୋରୀ ମନକଥା ? .. ତା ମନରେ ରାଜା !!

                     ଲୁଚିଗଲା ମେଘେ ଚାନ୍ଦ,
               ଦୋଳି କଟକଟ କରେ ଶବଦ ଲୋ
                      ବହନ୍ତେ ପବନ ମନ୍ଦ ।।୧୫।।
                                    -- ବର୍ଷା ଆଗମନରେ ମେଘ ,କି ସୁନ୍ଦର ଚାନ୍ଦକୁ ଘୋଡାଇ ପକାଏ । ବିପଦ ମାଡ଼ି ଆସିଲାକି ଆଉ !? ଦୋଳି କଟକଟ ବି ମନକୁ ବିପଦ ସମ୍ଭାବନା ରେ ଆତଙ୍କିତ କରୁଛି । ମନ୍ଦ ବା ଦୁଷ୍ଟ ପବନ ତରୁ ଡାଳକୁ ଦୋହଲାଇ ଦେଉଛି କିମ୍ବା ମନ୍ଦ ବା ଧିର ପବନ କୁମାରୀ ମନକୁ ଏତେ ଆନ୍ଦୋଳିତ କରୁଛି ଯେ କିଏ ଜାଣେ କେତେବେଳେ କି ଅଘଟଣ ଘଟିବ । ଚାନ୍ଦମୁହିଁ ମୁହଁ ଲୁଚିଯିବକି ଆଉ !?

                 ‌ପରବତେ ଜଳେ ନିଆଁ,
            ପହଞ୍ଚାଇ ଦୋଳି ତେଣେ ନ ଚାହାଁ ଲୋ ,
                   ପୁଣି ହେବ ବାଆଁ ଡାଁ ।।୧୭।।
                               - ପାହାଡ଼ରେ ନିଆଁ ଲାଗିଛି । କିଶୋରୀ ତନୁରେ ବି । ସେ ନିଆଁ ଲିଭିବା ସମୟ ଆସିଲାଣି । ଲୋ ସୁନ୍ଦରୀ ତୋ କାମରେ ମନ ଦେ । ତୋ ଯୌବନ ନିଆଁ କୁ ବେଶୀ ଦୃଷ୍ଟି ଦେନା । ନଚେତ୍ ବାଟଭୂଲି ଏ ପ୍ରେମିକ ରୁ ସେ ପ୍ରେମିକ ହେଉଥିବୁ । ସାବଧାନ ।

                  ଉତୁରି ପଡ଼ିଲା ଦୁଧ,
       ଉଙ୍କି ମାରି ମାରି ଅନାଉ ଥାଏ ଲୋ ,
                  ନନ୍ଦର ଉଦିଆ ଚାନ୍ଦ ।। ୧୮।।
                            -- କୁମାରୀ ବକ୍ଷୋଜ  ଦର୍ପିତ ହେଲାଣି । ଏକଥା ଛପିଥିବା  ରସିକ କାହ୍ନା ନଜରକୁ ଆସିଲାଣି । ତୁ ଜାଣିପାରୁଛୁନା ଲୋ କିଶୋରୀ !?

               ଛତରା ବଜାର ହାଟ,
       ଛକି ବସିଥିବ ଚଗଲା କାହ୍ନୁଲୋ,
               ଛନ୍ଦରେ ମାଗିବ ଘାଟ ।।୧୯।।
                             -- ଅନେକ ରସିକ ଗହଳରେ କାହ୍ନୁ ଛକି ବସିଥିବ ।ଚଗଲା ଭାରି । କଣା ନା କଣ ଛଳନା କରି  ମାଗି ବସିବ । ସତର୍କ ଥିବୁ ଲୋ ସୁନ୍ଦରୀ । କାହ୍ନା ହେଲେବି ସତର୍କ ଥିବୁ । ଘାଟ ଦେବୁନିଟି ।

                 ଥୋଡ଼ମଞ୍ଜା କଲି ରାଇ,
         କଣ ନକଲେ କଳା କହ୍ନାଇ ଲୋ,
                 ମୁହଁକୁ ଯା ନ ଅନାଇ।।୨୦।।
                               -- କଅଁଳ ମଞ୍ଜା ରାଇ ସ୍ବାଦିଷ୍ଟ ବି , କଠିନ ବି । କାହ୍ନୁ  କଣ ,କି ଭାବ କଲେ , ମୁହଁ ଲାଜରେ ସଢି ଯାଉଛି ।

                     
              କରମଙ୍ଗା କଲି ରାଇ ,
       ମଥୁରାକୁ ଗଲେ କଳା କହ୍ନାଇ ଲୋ,
              କଣ୍ଟ ଦେଇ ଗଲେ କାହିଁ।।୨୧।।
                     -- କଞ୍ଚା କରମଙ୍ଗା ଏ ସମୟରେ ମିଳେ । ତା ରାଇ ଖୁବ୍ ଖଟା ଓ ପିତା , ଏ ସମୟରେ । ଠକ ପ୍ରେମିକ କଥା ଦେଇ ବି  ଠକିଦେଇ ଚାଲିଯିବ । ଲୋ ସହେଲୀ ! ଜୀବନଟା ଖଟା ପିତା ହୋଇଯିବ । ଜଗିଥିବୁଟି ।

                    ସାଉଁଟିଲି ବିଲ ଘଷି ,
             କିମ୍ପାଇଁ ରାଧିକା ବସିଲା ରୁଷି ଲୋ,
                  ଫୁଲ ଶେଯ ହେଲା ବାସି ।।୨୨।।
                            --  ବିଲ ଘଷି ,ପ୍ରଥମ ବର୍ଷରେ ଓଦା ମାଟିରେ ଏମିତି ଲାଗିଯାଏ ଯେ , ଯେତେ ସାଉଁଟିଲେ ବି ସିଏ ଆଉ ସେ ଭଲ ଘଷି ହୋଇ ରହି ନଥାଏ । ରାଧିକା କିଶୋରୀ ଯେତେ ସାଉଟିଲେ ବି ପାଉନାହାଁନ୍ତି । କାହ୍ନୁ ଘଷି ହୋଇ କେଉଁଠି ଲାଖିଯାଇଛନ୍ତି ଯେ ... ଆହା ଫୁଲ ଶେଯ ବାସି ହୋଇଗଲା ଯେ !!

                  କଟକଟ ହୁଏ ଦୋଳି,
          ଭାଉଜଙ୍କ ମନ ଯାଇଛି ଜଳି ଲୋ ,
               ଭାଇ ବିଦେଶୁ ନଇଲେ ବୋଲି ।।୨୩।।
                           -- ସେଇ କଟକଟ ଦୋଳି -- ଛିଡି ଯିବାର ଆଶଂକା । ଭାଉଜ ଓ ବିଦେଶ ଯାତ୍ରା ରେ ଥିବା ଭାଇଙ୍କ ବନ୍ଧନ ଛିଡି ଯିବାର ଆଶଂକା । ଏଇ ରଜ ବେଳେ ବେଶୀ ବଢିଯାଏ । କାରଣ ଇଏ ମିଳନ ଋତୁ କି ନା !? କେଉଁ ମାୟାବିନୀ ବିଦେଶରେ କିମିଆ କଲାନି ତ !?

                       ଗରଜେ କଳା ବଉଦ,
             ମୋତେ ତ ବରଷ ହେଲା ଚଉଦ ଲୋ,
                      ଗଲାଣି ପିଲା ସୁଆଦ ।।୨୪।।
                                   -- ଆକାଶର ବାଦଲ ,ରଜ ଆସନ୍ତେ ଜଳପୂର୍ଣ୍ଣ ହୋଇ ଗଲାଣି , ଗର୍ଜନ ବି କଲାଣି । କିଶୋରୀ ଚଉଦ ବସନ୍ତ ଅତିକ୍ରମ କରି ରସବତୀ ନାରୀର ରୂପାନ୍ତରଣ ଅବସ୍ଥା ପ୍ରାପ୍ତ ହେଲାଣି । ବାଲ୍ୟ ଚପଳତା ଲୁପ୍ତ ହେଲାଣି ।

              ବଇଁଶୀ ବାଜିଲା କୁଞ୍ଜେ,
      ବଡ଼କଥା ବଡ଼ ଲୋକଙ୍କୁ ସାଜେ ଲୋ,
             ଛୋଟ କଲେ ଛାଟ ବାଜେ।।୨୪।।
                            -- ରସିକ ନାଗର ନାନା ଖଞ୍ଜ ଦେଖାଇ  ଡାକୁଛି । କୋମଳ ସବୁଜ ଲତିକା ବେଷ୍ଟିତ ରଜ ପରିବେଶରେ ଭଳିଯାନା ଲୋ କିଶୋରୀ । କାହ୍ନୁ ରଜାଘର ରାଜାପୁଅ । ତୁ ତା ରାଧା ପ୍ରେମ କଥା ପଢି ଭଳିଯାନା । ତୁ ନା ରାଧା ହୋଇପାରିବୁ ? ନା ତୋ ପ୍ରେମିକ କାହ୍ନୁ ହୋଇପାରିବ ? ବରଂ ଅଯଥା ଜଞ୍ଜାଳ ରେ ଫସି ବଦନାମ ହେବୁ, ଦଣ୍ଡିତ ହେବୁ ।

                     ଲାଞ୍ଜ ଟେକିଗଲା ବାଘ,
              ନଇଁ ଚାଲୁଥିବ ବଡ଼ଙ୍କ ଆଗେ ଲୋ ,
                     ଲାଗିବ ନାହିଁଟି ଦାଗ ।।୨୫।।
                             -- ବାଘ ଲାଞ୍ଜ ଟେକିଲେ , ସେ ଉଦ୍ଧତ ହୁଏ, ଆକ୍ରମଣ ପାଇଁ ପ୍ରସ୍ତୁତ ହୁଏ । ତା ଲାଞ୍ଜ ରେ ମଇଳା ଲାଗେ ନାହିଁ । ସେ ଓଡ଼ିଶା ଜଙ୍ଗଲରେ ରାଜା । ବଡ଼ ଲୋକ । କିନ୍ତୁ ସଜନୀ , ତୁ ଏତେ ବଡ଼ ନୁହଁ ତୁ ଉଦ୍ଧତ ହେଲେ ବରଂ ତୋ ଠାରେ ଦାଗ ଲାଗିବ । ତେଣୁ ବଡ଼ଙ୍କ ଆଗରେ ନମ୍ର ହୋଇ ଚାଲୁଥିବୁ । ତୋର ଏ ନୂତନ ଯୌବନ ପ୍ରାପ୍ତି ରେ ମଦମତ୍ତ ହୋଇ ଶାଳୀନତା ଭୂଲିବୁନି ।

                  ଛତୁ ଫୁଟେ ବରଷାରେ ,
                    ମାରୁଛୁ ହାତ ନିଶରେ,
           ଛତରାଟା କେତେ ଛଇ ଦେଖାଉ ରେ,
                ଅଛି କି ତୋ ଭରସାରେ ।।୨୬।।
                          -- କିଶୋରୀ କହୁଛି - ଦେଖୁଚୁ ନା - ବର୍ଷା ହେଲେ ଛତୁ ଫୁଟେ, ବୟସ ହେଲେ ନିଶ ଗଜରେ । ରେ ଛତରା ଏଥିରେ ତୋର କିଛି ବାହାଦୁରୀ ନାହିଁ । ଏ ତୋ ପୁରୁଷକାର ନୁହେଁ  । ତୁ ଭାବନା- ତୋ ଭରଷାରେ ମୁଁ ଅଛି । ମୁଁ ସ୍ବାଧୀନ , ମୁଁ ସ୍ବତନ୍ତ୍ର ।

                  ମଜାର କଥା ହେଲା :-

              ରଜଦୋଳି ଗୀତର  ଏ ସମସ୍ତ ପଦ , ସମସ୍ତ ଶବ୍ଦ ବର୍ଷା ଋତୁ ସମ୍ବନ୍ଧିତ , କିଶୋରୀ ମାନସ ସମ୍ପର୍କିତ, ସମାଜ ବିଜ୍ଞାନ ସମ୍ମତ, ମନୋବିଜ୍ଞାନ ସମର୍ଥିତ ।

            ଏହା କଣ ଆମେ ଗର୍ବିତ ହେବାର ଯଥେଷ୍ଟ କାରଣ ନୁହେଁ ??

                   ନା ଆପଣ କ'ଣ କହୁଛନ୍ତି ?

   ( ରଜଦୋଳି ଗୀତର ଅବଶିଷ୍ଟ ପଦ ବ୍ୟାଖ୍ୟା ସହ କାଲି .. କ୍ରମଶଃ )
         
                            --- ଦାଶରଥି ସାହୁ
                           ତାରିଖ-- ୧୪.୦୬.୨୦୨୧

● ରଜ ଦୋଳି ଗୀତ - ପ୍ରାସଙ୍ଗିକତା ● (୨ୟ ଭାଗ)


                ରଜ ଦୋଳି ଗୀତ - ପ୍ରାସଙ୍ଗିକତା (୨ୟ ଭାଗ)
                ----------------------------------------------------

                 କରଡ଼ି ଖସିଲା ଆମ୍ବ,
       ପର କାହୁଁ ଘର ପରାଣୀ ହେବେ ରେ,
                ମନ ଜାଣି ଖଞ୍ଜି ଦେବ ।।୨୭।।
                     --  ରେ ନାଗର , ଆମ୍ବ କଷି ପବନରେ ଅଦିନରେ, ଅସମୟରେ ଝଡିପଡେ । ତା ମା' ଆମ୍ବଗଛ ତାକୁ ଯେମିତି ପ୍ରାଣ ଦେଇ ଭଲ ପାଉଥିଲା , କେହି ବି ତାକୁ ସେମିତି ସ୍ନେହ ସରାଗ ଦେଇପାରିବେନି । ତୁ'ଟା ତ ପର ; ଘରର ପ୍ରାଣୀ ପରି କଣ ତୁ ସବୁ ଖଞ୍ଜିଦେଇ ପାରିବୁ !? ମୋର ଜମା ଭରସା ନାହିଁରେ ନାଗର । ( ବାଉଁଶ କରଡି - ଶିଶୁ ବାଉଁଶ। ଆମ୍ବ କରଡ଼ି -- ଛୋଟ ଆମ୍ବ )

           ବିରାଡ଼ି ଛିଙ୍କିଲା ବଣେ,
ଆଗରେ ଯାଉଛି ନାଗର ଜଣେ ଲୋ,
           ମୁଣ୍ଡି ଝାଡୁ ଖାଲି ପଣେ ।।୨୮।।
                        -- ବିରାଡ଼ିକୁ ଏଇ ବର୍ଷା ଦିନେ ଥଣ୍ଡା ଧରେ, ଜର ହୁଏ । ସେ ଚୁଲିମୁଣ୍ଡ ଖୋଜେ, ଶେଜ କପଡା ଖୋଜେ, କୋଳ ସନ୍ଧି ଖୋଜେ । କିନ୍ତୁ ବଣରେ ବିରାଡ଼ିକୁ ଏସବୁ ଦୁର୍ଲଭ । ସେ ଖାଲି ଛିଙ୍କିବ ସିନା ; ତାକୁ କୋଳେଇବ କିଏ , ସ୍ନେହ ଆଦର ଦବ କିଏ !? ରେ ନାଗର ତୁ ବଣ ବିରାଡ଼ି , ଆଗରେ ଆଗରେ ଧପାଲୁଛୁ । ସହୀରେ ୟାକୁ ଖାଲି ଝାଡୁପାହାର ଦରକାର । ( ସ୍ନେହ ଆବେଗ ଓ କ୍ଷୁବ୍ଧ ମନରେ କିଶୋରୀ ତା ସଖୀକୁ କହୁଛି , ନାଗର କଣ ଏ ରୂପବତୀ ନବ ନାରୀକୁ ଦେଖି ଥରେ ବି ପଛକୁ ଫେରି ଚାହାନ୍ତା ନାହିଁ !?)।

               ଅଦିନେ ପଣସ ସିଠା,
       ବଚନରେ ଯାର ନଥାଏ ମିଠା ଲୋ,
             ସେଟା ବାଡ଼ ପକା କଣ୍ଟା ।।୨୯।।
                             -- ସଖୀ ଲୋ ! ଋତୁ ଚାହିଁ ଫଳ ଫଳେ, ତାର ସ୍ବାଦ ଅପୂର୍ବ , ସ୍ବତନ୍ତ୍ର। ଅଦିନରେ , ଛିଃ ଲୋ ସଖୀ , ଫଳର କଣ କିଛି ସ୍ବାଦ ଥାଏ ? ପଣସ ବି ମିଠା ନଲାଗି ସିଠା ବା ସ୍ବାଦହୀନ ଲାଗେ । ସେମିତି ଲୋ ସଖୀ ,ନାଗର ଯଦି ମିଠା କଥା ବିପ'ଦ କହିପାରିବନି , ସେଟା ଖାଲି ସିଠା ଲାଗିବନି ଲୋ , କଣ୍ଟା ପରି ଫୋଡ଼ି ହୋଇଯିବ ମନରେ । ନା' ଲୋ ସହୀ ! ମୋର ସେମିତି ନାଗର ଲୋଡ଼ା ନାହିଁ ।

                ପାହାନ୍ତି ରାବିଲେ ପେଚା,
         ଯିଏ ହୋଇଥିବ ସିଂହର ବଚ୍ଚା ଲୋ ,
                 ଦେବନାହିଁ ପଛଘୁଞ୍ଚା ।।୩୦।।
                             -- ନବ ନାଗରୀ , ନବ ପୁଷ୍ପବତୀ ଲହୁଣୀ ପିତୁଳା ଲଳନା ସଲ୍ଲଜ ଚାହାଁଣୀରେ କେତେବା ଛପି ଛପି ତା ମନର କନ୍ଦର୍ପ , କୁମାର କାର୍ତ୍ତିକେୟ ଙ୍କୁ ଖୋଜି ପାରିବ !? ସଖୀରେ ! ସବୁଠାରୁ ଭୟଙ୍କର ସମୟ -- ପାହାନ୍ତି ପେଚାର ରାବ ସମୟ । ସତରେ ମୋ ମନର ରାଜକୁମାର , କଣ କାର୍ତ୍ତିକେୟଙ୍କ ପରି , ସିଂହ ଶାବକ ପରି ସାହସର ସହ ମୋ ପ୍ରୀତି ଭିକ୍ଷା କରିପାରିବେନି !? ହଁ ରେ ସଖୀ , ସେଇ ଦିନକୁ ମୋର ଅପେକ୍ଷା ,ଏ ରଜ ଭିତରେ ବି ।

                 ମଇଁଷି ଶିଙ୍ଗରେ ଖସା,
         ମଉସା ପୁଆଟା ଏଡ଼େ ସହସା ଲୋ ,
                ମତେ କଲା ଲୋକହସା ।। ୩୧।।
                          -- ସଖୀରେ ଖୋଜୁଥିଲି ତ ମୋ ନୟନାଭିରାମ କାହ୍ନୁ କୁ । ତତେ କେତେଥର ମୁଁ କହିଛି- ମୋର ଏ ନହୁଲି ବୟସରେ ମୁଁ ,ରଜଦୋଳି ରେ ଝୁଲି ଝୁଲି କେତେ ଖୋଜିବି ? କେତେ ସଜେଇ ହେବି ?? ସବୁ ଶୃଙ୍ଗାର ମୋର ବ୍ୟର୍ଥ ଯାଉଛି । କଣ କହିବିରେ ସଖୀ , ମଉସା ପୁଆଟା ମୋ ବାଲ୍ୟ ସାଥି , ମୋ ଭାଇ , ହେଲେ କଣ ହେଲା ସେ ମୋ ମନ ଠିକ୍ ପଢି ନେଲା ଲୋ । ମୋତେ ତା ସାଥୀ ମେଳରୁ କେତେ କାହାକୁ ଦେଖାଇଲା - "ଏଇଟା ତୋ କାହ୍ନୁ । ସେଇ  ତୋ କାର୍ତ୍ତିକେୟ । ହେଇ ଯାଉଛି  ତୋ ମନ ପୁରୁଷ  ।  ଦେଖ୍ ଲୋ ଏଇ ତୋ ଜୀବନ ଧନ । ଯିଏ ହସୁଛି ନା , ସିଏ ତୋ ପ୍ରାଣ ବଲ୍ଲଭ  । 
        " ସଖୀରେ !! ମଇଁଷି ଶିଙ୍ଗରେ କଳାଜାଈ ଥିଲେ ତାକୁ ଖୋଜିବା ସିନା ସହଜ , କିନ୍ତୁ ମୋ କାହ୍ନୁ କୁ ଖୋଜିବା କଣ ଏତେ ସହଜ !? 
                   ତୁ କହଲୋ ସଖୀ ।

     ( ଅବଶିଷ୍ଟ ରଜଦୋଳି ଗୀତ ସହ ବ୍ୟାଖ୍ୟା - ପରବର୍ତ୍ତୀ ଅଧ୍ୟାୟରେ । ଧନ୍ୟବାଦ ବିଦଗ୍ଧ ପାଠକ , ପାଠିକା ଙ୍କୁ ଯାହା ମୋତେ ଉତ୍ସାହିତ କରିଛି କିଛି ଲେଖିବାକୁ ।)

                                  -- ଦାଶରଥି ସାହୁ
                            ତାରିଖ- ୧୬.୦୬.୨୦୨୧
                                    ( ଶେଷ ରଜ )

● ରଜଦୋଳି ଗୀତ-- ପ୍ରାସଙ୍ଗିକତା ● ( ୩ୟ ଭାଗ )



            ରଜଦୋଳି ଗୀତ-- ପ୍ରାସଙ୍ଗିକତା ( ୩ୟ ଭାଗ )
                   --------------------------------------------

                 
                  ଜାରା ମାରିଦେଲା ବାଣ,
             ଯାହାଠାରେ ଯାର ମିଶିଛି ମନ ଲୋ, 
                  ସେହି ଜାଣେ ତାର ଗୁଣ ।। ୩୨।।
                              -- ଚପଳଛନ୍ଦା କିଶୋରୀ ପ୍ରାଣର ଛନ୍ଦ କଲ୍ଲୋଳ କେବଳ ତାର ପ୍ରେମ ପଲ୍ଲବ କାହ୍ନୁ ଜାଣେ । କାହ୍ନୁ ବି ଜାଣେ ମଧୁମଲ୍ଲୀ ରାଧା କଥା । ସୁଗ୍ରୀବ ଅପେକ୍ଷା ବାଳୀ ଥିଲା ବେଶୀ ରାମ ପ୍ରାଣ ବଲ୍ଲଭ । ତେଣୁ ତ ରାମବାଣବୀଦ୍ଧ ବାଳୀ ପାଖରେ ଏତେ ମଧୁର ବାର୍ତ୍ତାଳାପ ନୟନାଭିରାମ ରଘୁନନ୍ଦନଙ୍କର । 
      ସେଥିପାଇଁ ତ ବାଳୀର ଜାରାଶବର ରୂପ । ଜାରାର ବିଷାକ୍ତ ତୀର ଜ୍ୱାଳାରେ ବି କାହ୍ନା ଅବିଚଳିତ, ହସହସ ।
            
           ମନ -ପ୍ରାଣ ,ଭକ୍ତ- ଭଗବାନ ଏକାକାର ।
  
     ରଜପର୍ବର ଚପଳଛନ୍ଦା କିଶୋରୀ ବି ବାଦ୍ ପଡନ୍ତା କୁଆଡୁ । ତା ମନଚୋର ସହ ସେ ହସୁଛି, ବାସୁଛି , ଏତେ ସବୁ ତିକ୍ତ ଅନୁଭୂତି ପରେ ବି , ତାର ସବୁ ଦୁଷ୍ଟାମୀ, ନଟଖଟ ସ୍ବଭାବ ସତ୍ତ୍ଵେବି ତା'  ସେମାନଙ୍କ ସମ୍ପର୍କକୁ ଆହତ କରିବାକୁ ସମର୍ଥ ହୋଇପାରିନି ।

              
                    କାଟି ଗଲି କଳାଦୁବ ,
         ଝିଅ ଜନମରେ ଏତିକି ଲାଭ ଲୋ, 
                 ବନ୍ଧୁ ଘର ଅରଜିବ ।। ୩୩।।
                            -- ଦୂବ ବଡପଵିତ୍ର, ଦେବୀ ମସ୍ତକ ବିମଣ୍ଡିତକାରୀ,କୋମଳ ଶିହରଣ ପ୍ରଦାନ କାରୀ ,ଚୂର୍ଣ୍ଣ ପର୍ଣ୍ଣ ଯୁକ୍ତ । ତା ଅମୃତ, ଦୀର୍ଘ ପ୍ରସାରୀ ନୂତନ ପ୍ରଶାଖା ସୃଷ୍ଟିକାରୀ । ତୁମେ ତାକୁ କାଟି ନେଲେବି ସେ ପୁଣି ନବ ପଲ୍ଲବ ସୃଷ୍ଟି କରି ପୂନଜର୍ଜୀବିତ ହୁଏ । ଖଣ୍ଡ ଦୂବ ଯେଉଁଠି ପଡେ ତା କାଣ୍ଡରୁ ପୂନଃ ନୂତନ ଶାଖାର ଉଦ୍ଗମ ହୁଏ । 
            
       ସଖୀରେ ! ଏହା କେବଳ, କେବଳ ଝିଅ ଜନ୍ମରେ ସମ୍ଭବ । ଦୁହିତା , ଦୁଇକୂଳକୁ ହିତା । ବାପଘରୁ କଟିଲେ ବି ସେ ବାପଘର ପରିବାରର ହିତରେ ଥାଏ, ଦୂର ଶାଶୁଘରେ ସେ ଲକ୍ଷ୍ମୀ ମା ଟିଏ । ବନ୍ଧୁ ବାନ୍ଧବ ସଭିଙ୍କ ପାଇଁ ସେ ଶ୍ୟାମଳ ଦୁର୍ବାଦଳର କୋମଳ ସ୍ପର୍ଶ । ପୁରୁଷର ସେ ଯୋଗ୍ୟତା ବା ସୌଭାଗ୍ୟ ନାହିଁ ରେ ସଖୀ ।
         
         ଏଇତ ଝିଅ ଜନ୍ମର ଲାଭ, ସୌଭାଗ୍ୟ ।
        
              
                କାଳୀଗାଇ ଦୁଧକ୍ଷୀରି ,
       ନୂଆ ପିରତି ରେ ମଉଜ ଭାରି ଗୋ,
                ପୁରୁଣାଟି ନିମ୍ବ ପରି ।।୩୪।।
                            -- କାଳୀଗାଇ କଳା ସିନା,  ତା ଦୁଧ ଖୁବ୍ ମିଠା । ଗୋରୀଗାଇ ଦୁଧ ମିଠା ନହେଲେ କଣ ହେଲା ଦେଖିବାକୁ ଗୋରୀଲୋ । ଏ ଦୂନିଆର ସଭିଙ୍କ ଠାରେ ଭଲ କିଛି ଅଛି ସଖୀ । ସମସ୍ତେ ଭଲ । 
            
             କିନ୍ତୁ ମଣିଷ ସବୁବେଳେ ପରିବର୍ତ୍ତନକୁ ଭଳପାଏ । ନୂଆ ଜିନିଷ ଖୋଜିବାରେ ତା ଆଗ୍ରହ । ସେଥିପାଇଁ ଲୋ ସଖୀ--  ତାକୁ , ମୋତେ ବି, ଆମକୁ ବି  ନୂଆ ଜିନିଷ ଭାରି ମିଠା ଲାଗେ , ପୁରୁଣା ଲାଗେ ପିତା ।
          
       ଆଗରୁ କହିଛିନା ସଖୀ - ସବୁ ଭଲ , ସମସ୍ତେ ଭଲ । 

       ଭଲଭାବରେ ମନେରଖିଥିବୁଲୋ ସଖୀ --ଯାହା କେବଳ ଆମପାଇଁ ନୂଆ କିମ୍ବା ପୁରୁଣା । ତୋର ପାଇଁ ଯାହା ପୁରୁଣା - ମୋ ପାଇଁ ତାହା ନୂଆ । ମୋ ପାଇଁ ଯାହା ପୁରୁଣା ତୋ ପାଇଁ ତାହା ନୂଆ ।
           
              ତେଣୁ ନୂଆ ରେ ଭଳିବୁନି ଲୋ ସହୀ, କି ପୁରୁଣା କୁ ହତାଦର କରିବୁନି ଟି । ନଚେତ୍ ତୋ ପୁରୁଣାକୁ କିଏ ନୂଆକରି 
ନେଇଯିବଟି ।

                            
                                ଆମ୍ବ ପତ୍ର ଗହଳିଆ,
                     ପ୍ରୀତି ପଙ୍କେ ତୁହି ହେବୁ ଗୋଳିଆଲୋ ,
                           ତୋଫା ହେବଟି ଧୂଳିଆ ।।୩୫।।
                                   -- ଏଇ ବର୍ଷା ଆଗମନରେ, ପ୍ରଥମ ବର୍ଷାର ସ୍ପର୍ଶରେ ଆମ୍ରତରୁ ନୂତନ କିଶଳୟ ବିମଣ୍ଡିତ ହୋଇ ଗହଳ ହୋଇଯାଏ । ସେଥିରେ ଥିବା ଧୂଳିଆ ଜନ୍ଦାମାନେ ବର୍ଷା ଧୌତ ହୋଇ, ଯଥେଷ୍ଟ ଖାଦ୍ୟ ଆହରଣକରି ତୋଫା ହୋଇଯାନ୍ତି । ( ବର୍ଷା ଯୋଗୁଁ ଗଛରେ ଅନେକ ଶୋଷକ ପୋକ ଦେଖାଯାନ୍ତି, ଜନ୍ଦାମାନେ ସେ ଅସଂଖ୍ୟ ପୋକମାନଙ୍କ ଠାରୁ ନିର୍ଗତ ମଧୁଶିଶିର ପାନକରି ଥାନ୍ତି )।
               
              ସଖୀରେ ! ତୁ ଆମ୍ବପତ୍ର ଗହଳିର ଜନ୍ଦା ପରି ଯଦି ବହୁ ନାଗର ସଙ୍ଗରେ ପ୍ରୀତି କରିବସିବୁ । ତୋ ତୋଫା ମନ,ହୃଦୟ , ପ୍ରେମ ଧୂଳି ଧୂସରିତ ମଳିନ ହୋଇଯିବଲୋ ସହୀ। 
                ସାବଧାନ ଥିବୁ ।

                  
                       ଥିରି ଥିରି ଚାଲେ ହାତୀ,
            ଥୟ ନ ହେଉଛି କିମ୍ପା ଏ ଛାତି ଲୋ,
                   ଥକା ଦୋଳି ,ହେଲା ରାତି ।। ୩୬।।
                                -- ହାତୀ ଚାଲି ଖୁବ୍ ଧୀର । କାରଣ ସେ ବିଶାଳ । ନବ  କିଶୋରୀର ବି ମନ ବିଶାଳ । କାରଣ ସେ ଛନ୍ଦକପଟର ଗୋଲକ ଧନ୍ଦାରେ ଘାଣ୍ଟି ହେବା ଶିଖିନି । ସରଳ ଓ ନିର୍ମଳ ହୃଦୟରେ ସେ ଏ ରଜରେ ଜୀବନର କେତେ ଜଟିଳ ଫନ୍ଦି ଫିକର ନୂଆ ନୂଆ ଶିଖୁଛି । ତା ମନ ବିବ୍ରତ, ଆନ୍ଦୋଳିତ -- ସତରେ ସେ କଣ ପାରିବ ? ଠକି ଯିବନି ତ ??
           
       ତାକୁ ଆଗକୁ ଉଜ୍ଜ୍ୱଳ ସକାଳ ନୁହେଁ, ଗଭୀର ତମିଶ୍ରା ପୂର୍ଣ୍ଣ ରାତିର ପ୍ରଦଧ୍ବନୀ ଶୁଣାଯାଉଛି । ସେ ଡରିଯାଉଛି । ତା ଛାତି ଧଡ଼ ପଡ଼ ହେଉଛି । ଦୋଳି ଖେଳ ଆଉ ସହଜ ଜଣାପଡୁନି । ସୁଖ ହଜିଗଲା ହଜିଗଲା ଲାଗୁଛି ।
            
              ଦୋଳି ଖେଳ ଛାଡ଼ି ସେ ଜୀବନକୁ ଅଧିକ ବୁଝିବାକୁ ଚାହୁଁଛି । ତାକୁ ଅବସର ଦରକାର ମନନ କରିବାକୁ । 
                    
                ରାତି ମାଡି ଆସୁଛି ।

     
 ( ରଜଦୋଳି ଗୀତର ଅବଶିଷ୍ଟ ଅଂଶ ବ୍ୟାଖ୍ୟା ସହ ପରବର୍ତ୍ତୀ ଅଧ୍ୟାୟରେ । ଆପଣଙ୍କର ଆଗ୍ରହ, ମୋର ସମ୍ବଳ ଓ ପ୍ରୋତ୍ସାହନ )

                               -- ଦାଶରଥି ସାହୁ
                            ତାରିଖ-- ୧୭.୦୬.୨୦୨୧
                                    ( ବସୁମତୀ ପୂଜନ ଓ ସ୍ନାନ )

● ରଜଦୋଳି ଗୀତ - ପ୍ରାସଙ୍ଗିକତା ● ଚତୁର୍ଥ ଭାଗ



       
            ରଜଦୋଳି ଗୀତ - ପ୍ରାସଙ୍ଗିକତା ( ଚତୁର୍ଥ ଭାଗ )
            ------------------------------------------------------

                      ପାଚିଲା ଆମ୍ବ ପଣସ ,
               ଆସ  ଭାଇମାନେ ଦୋଳିରେ ବସ , 
                       ନକରି ମନ ବିରସ ।।୩୭।।
                           -- ଏ ରଜପର୍ବ କିଶୋରୀ ମାନଙ୍କ ପର୍ବ । ଆନନ୍ଦ ଉଲ୍ଲାସର ପର୍ବ । କିନ୍ତୁ କିଶୋରମାନେ ?? ସେମାନେ ବି ବୟଃପ୍ରାପ୍ତ ।
         
      ଋତୁ ଆସିଛି । ଆମ୍ବ ପାଚିଛି । ପଣସ ବି ପାଚିଛି । ଆମ୍ବର ସୁବାସ ଛୁଟୁଛି । ପଣସର ସୁବାସ ବି । 
            
         ଆମ୍ବ ଝୁଲିବ । ପଣସ ବି ।
      
          ଯେତେ ସଖୀ ମେଳରେ ଥିଲେବି କିଶୋରୀ ପ୍ରାଣ ତା ଭାଇପାଇଁ ଝୁରିବ ହିଁ ଝୁରିବ । ତେଣୁ ଦୋଳିରେ ମଜା କେବଳ ସେ ନୁହେଁ ,  ଭାଇମାନେବି ନିଅନ୍ତୁ  ।

                ଘୋଡ଼ା ଗୋଡ଼ ଟାପୁ ଟାପୁ ,
               ଆମେ ଯାଇଥିଲୁ ତୁମ ଗାଆଁକୁ ,
                ନ କହିଲ ବସିବାକୁ ।। ୩୮।।
                        -- ଘୋଡ଼ା ଆସୁଛି ବୋଲି ବହୁ ଦୂରରୁ ଜାଣିହୁଏ ତା'ର ଟାପୁ ଶବ୍ଦରୁ । ନହୁଲୀ କିଶୋରୀ ପରୀ ସୁନ୍ଦରୀ ଯେତେବେଳେ ଅନ୍ୟ ସାହିକୁ ବୁଲିଯାଏ , ଚହଳ ପଡିଯାଏ କିଶୋର କିଶୋରୀ ମହଲରେ । ଘୋଡାର ଲଗାମ ନଟାଣିଲା ଯାଏ ସେ ଅଟକେ ନାହିଁ । କାରଣ ତାର ବେଗ ତାର ସମ୍ପଦ ।ନବ ଯୌବନବତୀ ଲଳନାର ସୌନ୍ଦର୍ଯ୍ୟ ତାର ସମ୍ପଦ । ସେ ବି ବୁଲିବୁଲି ତା ରୂପ ରୋଷଣୀର ବିଜ୍ଞାପନ କରିବାକୁ ଚାହେଁ । କିନ୍ତୁ ତାକୁ ଲଗାମ ଦେବ କିଏ ? ଅନ୍ୟ ସାହିର କିଶୋର ସାହସ କରି ,ତା ଦୂଆରେ ବସିବାକୁ ଡାକି ପାରେନି । ଆଉ ଅନ୍ୟ ସାହିର ଲଳନାର ଭୟ - ୟେ ତା ପ୍ରତିଦ୍ବନ୍ଦୀ ହେବନି ତ ?

                   ଚାଳରେ ବସିଲା ବଣି ,
              ରାଧା ଚାଲିଗଲା ଯମୁନା ପାଣି ,
                    କାହ୍ନୁ କଥା ମନ ଜାଣି ।।୩୯।।
                             --  ବଣି ଏମିତି ଏକ ଚଢ଼େଇ ,ଯିଏ ମୂଖ୍ୟତଃ ଜନବସତି ପାଖରେ ରହିବାକୁ ଭଲପାଏ । ସେ ଅନ୍ୟ ପ୍ରଜାତିର ଚଢେଇମାନଙ୍କ ସଙ୍ଗେ ଝଗଡ଼ା ଲଢେଇ କରି ସେମାନଙ୍କ ବସାକୁ ଅକ୍ତିଆର କରି , ସେ ଚଢେଇକୁ ସେଠୁ ତଡ଼ି ଦେଇଥାଏ । ( ଅଷ୍ଟ୍ରେଲିଆ ରେ ଏମାନଙ୍କର ପ୍ରଦୁର୍ଭାବ ଏତେ ବେଶୀ ଯେ ସେଠା ସରକାର ବଣିକୁ ଏକ ପେଷ୍ଟ ବା ଅନିଷ୍ଟକାରୀ ପକ୍ଷୀ ଭାବେ ଘୋଷଣା କରିଛନ୍ତି ।)
            
                ଏ ବଣି , ଘରଚଟିଆ ସଙ୍ଗେ ମଧ୍ୟ କଳିଝଗଡା କରି ଆକ୍ରମଣ କରି  ତାକୁ ତଡେ । ଚାଳ ସାଧାରଣତଃ ଘରଚଟିଆର ବାସସ୍ଥଳୀ । ବଣି ଚାଳରେ ବସିବା ଅର୍ଥ ସେ ଘରଚଟିଆ ସହ ଲଢିବା ମତଲବରେ ଅଛି । ଘରଚଟିଆର ଘର ଭାଙ୍ଗିବା ତା ଉଦ୍ଦେଶ୍ୟ ।
               
                    କାହ୍ନା କଣ କଲାକି ? ଚନ୍ଦ୍ରଶେଣା-ରାଧାର ଘର ଭାଙ୍ଗିବା ପାଇଁ ଯମୁନା କୂଳେ କଦମ୍ବ ମୂଳେ .... 
     
      ଆଉ ପ୍ରଣୟୀ ରାଧିକା - କାଖରେ କଳସୀ - ଚାଲି ଅଳସୀ- ଯମୁନ ଗଲାଣି -- ନୀର ଆଣି । 
           
       ରେ ନବ ଛଇଳି - ବଣିକୁ ଚିହ୍ନି, କାହ୍ନାକୁ ଚିହ୍ନି । ରଜରେ ତୁ ଜୀବନକୁ ଚିହ୍ନି ।

               ଚିରିଲି ବାଉଁଶ ବତା ,
         ଉପରେ ବନ୍ଦିଲି ସୂର୍ଯ୍ୟ ଦେବତା,
             ତଳେ ବନ୍ଦେ ବସୁମାତା ।।୪୦।।
                                     -- ବାଉଁଶ ଚିରିଲେ ବତା ହୁଏ । ଦୁଇଖଣ୍ଡ ବତା ମିଶିଲେ ବାଉଁଶ।ମଣିଷ ହେଉଛି ଏଇ ବାଉଁଶ । ତାର କିଛି ଆଶିଛି ଉପରୁ , ସୂର୍ଯ୍ୟ କିରଣ ରୁ ,ଆକାଶରୁ । ଆଉ ଅଧେ ଆସିଛି ତଳୁ ,ଧରଣୀ ରୁ । ଉଭୟଙ୍କୁ ସେ କୃତଜ୍ଞତା ଜଣାଇବା ଉଚିତ୍ । ନାରୀର ଜୀବନ ବାପଘରର ଅବଦାନ ଓ ଶାଶୁ ଘରର ଅବଦାନ ବି । ତେଣୁ ସେ ଉଭୟଙ୍କୁ କୃତଜ୍ଞତା ଜଣାଇବା ଉଚିତ୍ । ସେହିଭଳି ପାରିବାରିକ ଜୀବନ ନାରୀର ବସୁନ୍ଧରାର ଶହନଶୀଳ ଗୁଣ ଓ ପୁରୁଷର ସୂର୍ଯ୍ୟ ସମ ତେଜ ଓ ଦେବ ସୁଲଭ ଗୁଣର ସମ ମିଶ୍ରଣରେ ଯାଇ ପୂର୍ଣ୍ଣାଙ୍ଗ ହୋଇପାରିବ ।

                     ଶାଗକୁ ଭାଜିଲି ଡାଙ୍ଗେ,
            ଶାଶୁ ଗାଳିଦେଲେ , ନଣନ୍ଦ କହିଲେ ,
                   କାଲିଯିବି ଭାଇ ସାଙ୍ଗେ ।।୪୧।।
                                -- ଶାଗ ହେଉଛି ପତ୍ର ଓ ଡାଙ୍ଗର ମିଶ୍ରଣ । ଡାଙ୍ଗ ନଥିଲେ ଶାଗ ନାହିଁ । ଡାଙ୍ଗ ଦେହରେ ପତ୍ର ଲାଗିଥାଏ । ଡାଙ୍ଗ ଶାଗକୁ ଦୃଢ଼ ଭାବେ ଧରିରଖେ । ପତ୍ର ଡାଙ୍ଗକୁ କୋମଳତା ପ୍ରଦାନ କରେ । ଭାଇ ସଙ୍ଗେ ଭଉଣୀର ସମ୍ପର୍କ ଶାଗ- ଡାଙ୍ଗ ପରି ଅଛେଦ୍ଯ । କିନ୍ତୁ ସମାଜ ପୁଅ ଝିଅ ମଧ୍ୟରେ ମିଳାମିଶାକୁ ଠିକ୍ ରୂପେ ନଦେଖି ତା ମଧ୍ୟରେ ଆବିଳତା ଆଶଂକା କରେ । କିନ୍ତୁ ଭାଇ ଭଉଣୀ ସମ୍ପର୍କ ଅନାବିଳ ଓ ସନ୍ଦେହର ଉର୍ଦ୍ଧ୍ବ ରେ ହେବା ଉଚିତ୍ ।

                            
        ( ରଜଦୋଳି ଗୀତର ଅବଶିଷ୍ଟ ଅଂଶ ଓ ତାର ବ୍ୟାଖ୍ୟା ପରବର୍ତ୍ତୀ ଭାଗରେ ... କ୍ରମଶଃ )

                         ---- ଦାଶରଥି ସାହୁ
                        ତାରିଖ -- ୧୮.୦୬.୨୦୨୧

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...