ବନସ୍ତେ ଡାକିଲା ଗଜ,
ବରଷକେ ଥରେ ଆସିଛି ରଜ ,
ଆସିଛି ରଜ ଲୋ ,
ଘେନି ନୂଆ ସଜବାଜ ।।
ରଜଦୋଳି କଟ କଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ,
ସୁନା ମୁକୁଟ ଲୋ
ଦିଶୁଥାଇ ଝଟ ଝଟ ।।
--------------------------------------
ଆସିଗଲା ରଜ । ଆମ ଓଡ଼ିଆ ଜୀବନର ଏକ ଚିର ଅଭୂଲା , କିଶୋର - କିଶୋରୀ ପ୍ରାଣର ଏକ ଆବେଗ ବତୁରା , ପ୍ରେମ ଉଚ୍ଛଳ ଉତ୍ସବ । ଆସିଗଲା ନୂଆ ଛନ ଛନ ସମ୍ଭାବନାର ପିଠା ପଣାର ଟୋକେଇ ଧରି ।
ଡାକୁଛି ନା...?
ଡାକୁଛି ସେ , କୁଆଁରୀ କଣ୍ଠରେ -
" ବନସ୍ତେ ଡାକିଲା ଗଜ ,
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ ,
ବେଗେ ହୁଅ ସଜବାଜ ।"
ରଜ ହେଉଛି ପୃଥିବୀ ବା ଧରଣୀ ରାଣୀର ପ୍ରଥମ ରଜସ୍ୱଳା ହେବାର ମହୋତ୍ସବ ।
ବର୍ଷା ଆସିବ । ନିଦାଘର ପ୍ରଚଣ୍ଡ ରୌଦ୍ରତାପ ସନ୍ତାପିତ ଧରିତ୍ରୀକୁ ଶୀତଳ କରି ତାକୁ ନୂତନ ସୃଷ୍ଟିର ସନ୍ଦେଶ ଦେବ । ଧରଣୀ ହେବ ସବୁଜିମାରେ ବିମଣ୍ଡିତ । ଚାଷୀଭାଇର ସ୍ବପ୍ନ ରେ ଡେଣା ଲାଗିବ । ତରୁଲତା ସବୁଜ କିଶଲୟ ନେଇ ବିଭୁ ବନ୍ଦନା କରିବେ ।
ଆଉ ଜୀବଜନ୍ତୁ !?
ତୃଷାର୍ତ୍ତ ଜୀବଜନ୍ତୁ ଫେରିପାଇବେ ଜୀବନର ରାହା ।
ଗଜ ଅର୍ଥାତ୍ ହାତୀ କଣ କରିବେ ଏତିକି ବେଳେ ?
ଆମ ରଜଦୋଳିର ଏକ ଗୀତ ଦେଖି କେହି ଜଣେ
ଅନିସନ୍ଧିତ୍ସୁ ପ୍ରଶ୍ନ କଲେ -
ଏ ଗୀତରେ ଭାଇ ପାଇଁ ଗେହ୍ଲା ଭଉଣୀର ଚିନ୍ତା ଓ ସ୍ନେହ ଆବେଗ ବେଶ୍ ବୁଝିହେଉଛି ।
ରଜ ଆସିଗଲା ।
ଭାଇ ମୁକୁଟ ପିନ୍ଧି ବସିଛି । ସୁନ୍ଦରୀ , ଗୁଣବତୀ ଭାଉଜଟିଏ ଲୋଡା ।
ଏ ରଜ ସମୟ ବଡ଼ ଚମତ୍କାର ସୁଯୋଗ ନେଇ ଆସିଛି । ବର୍ଷାର ଶ୍ରାବଣୀ ଭିଜା ସମୟ ଦେଖି ପରା ସ୍ବୟଂ ଶିବ- ପାର୍ବତୀ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ହେଇ ଆସିଗଲା ଶୀତଳ ଷଷ୍ଠୀ । ରଜ ପରେ ପରେ । ଆଉ ବା କେତେ ଦିନ !?
ତେବେ ଆପଣଙ୍କର ପ୍ରଶ୍ନ - ଏ ରଜ ଦୋଳି ଗୀତରେ ଏ ଯେଉଁ "ଗଜ" କଥା ବୋଲା ଯାଉଛି ତାର କିଛି ସ୍ବତନ୍ତ୍ର ରହସ୍ୟ ଅଛି ନା କେବଳ ଯତିପାତ ପାଇଁ ଲେଖାଯାଇଅଛି ?
ଆମ ପୂର୍ବ ପୁରୁଷ କେତେ ବିଜ୍ଞାନୀ ଥିଲେ ତା ଦେଖିଲେ । ଏଇ ରଜ ସମୟକୁ ହିଁ ଶିବ- ପାର୍ବତୀ ବିବାହ ଉତ୍ସବର କଳ୍ପନା କରିଥିଲେ ।
ଆଉ ଏ ଗଜ ଶବ୍ଦକୁ ସେ କେବେବି କେବଳ ଯତିପାତ ବା ଶବ୍ଦ ମେଳକ ପାଇଁ ରଖିନଥିବେ ।
ସତକଥା - ପ୍ରମାଣ ବି ଅଛି ।
ଆଫ୍ରିକା ମହାଦେଶରେ ସର୍ବାଧିକ ହାତୀ ଅଛନ୍ତି ।
ଆମେ ଜାଣିଛେ ବାଘ ଶୀକାର ପାଇଁ ଯାଇଥିବା ଶିକାରୀମାନେ ରାତିରେ କୌଣସି ଜଳାଶୟ ପାଖରେ ଗଛ ଉପରେ ମଞ୍ଚାବାନ୍ଧି ଛକି ରହିଥାନ୍ତି । ବାଘ ରାତିରେ ପାଣି ପିଇବାକୁ ସେଠାକୁ ଗଢିଲେ , ସେମାନେ ତାକୁ ଶୀକାର
କରନ୍ତି ।
କାରଣ ବାଘମାନେ ଦିନବେଳେ ସହଜରେ ପାଣି ପିଇବାକୁ ଆସନ୍ତି ନାହିଁ । ସେମାନେ ଜାଣିଛନ୍ତି ବିପଦ ଅଛି , ମଣିଷ ମାନଙ୍କ ଠାରୁ ।
ଆଉମଧ୍ୟ ସେମାନେ ଜାଣନ୍ତି ମଣିଷକୁ ରାତିରେ ଭଲ ଦେଖାଯାଏ ନାହିଁ । କିନ୍ତୁ ରାତିରେ ବାଘ , ମଣିଷ ଠାରୁ ଛଅ ଗୁଣ ଅଧିକ ସ୍ପଷ୍ଟ ଦେଖିପାରେ । ତେଣୁ ରାତିରେ ପାଣି ପିଇବାକୁ ଆସିବା ସବୁଠାରୁ ନିରାପଦ ।
କିନ୍ତୁ ମଣିଷ ମଧ୍ୟ ଖୁବ୍ ଚାଲାକ୍। ତେଣୁ ବାଘ-ଶୀକାର ରାତିରେ, ଜଳାଶୟ ପାଖରେ , ଗଛ ଉପରୁ ଥାଇ କରେ ।
ତେବେ ଏହି ହାତୀ ତାର ମୂଲ୍ୟବାନ ଦାନ୍ତ ପାଇଁ , ଲୋଭୀ ସ୍ୱାର୍ଥପର ମଣିଷର ଶୀକାର ହୁଏ ।
ଆଫ୍ରିକାରେ ଏହି ହାତୀ ଶୀକାର ଆଇନ୍ ଦ୍ବାରା ନିଷିଦ୍ଧ ହୋଇଥିଲେ ବି , ଶିକାରୀମାନେ ଯେଭଳି ଲୁଚିଛପି ହାତୀ ଶିକାରରେ ମାତିଛନ୍ତି , ଆଶଂକା କରାଯାଉଛିଯେ ଆସନ୍ତା ଶହେ ବର୍ଷ ଭିତରେ ହାତୀ ଲୋପ ପାଇଯିବେ ।
ତେବେ ପ୍ରସଙ୍ଗକୁ ଆସିବା ।
ସେଠି ଏଇ ବର୍ଷା ଦିନ ପ୍ରାରମ୍ଭରେ ବା ରଜ ସମୟରେ ହିଁ ବେଶୀ ହାତୀ ଶୀକାର କରାଯାଇଥାଏ ।
ଏହାର କାରଣ ଜାଣିବାକୁ ନାମିବିୟା ଦେଶର ଗବେଷକମାନେ ଗବେଷଣା କରି ଯାହା ଦେଖିଲେ ତା ଚମକପ୍ରଦ ନିଶ୍ଚୟ ।
ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ଯଥେଷ୍ଟ ଜଳ ଅଭାବରୁ ହାତୀମାନେ ତୃଷାର୍ତ୍ତ ଥାନ୍ତି । ଯେତେବେଳେ ଏହି ରଜ ସମୟରେ ବର୍ଷା ଆରମ୍ଭ ହୁଏ , ସେତେବେଳେ ହାତୀମାନେ ବର୍ଷା ହେଉଥିବା ଅଞ୍ଚଳ ଠାରୁ ୧୫୦ ମାଇଲ୍ ଦୂରରେ ଥାଇ ମଧ୍ୟ ସେକଥା ଜାଣିପାରନ୍ତି ।
ଯାହା ମନୁଷ୍ୟ ପାଇଁ ସଂପୂର୍ଣ୍ଣ ଅସମ୍ଭବ ।
ସେମାନେ କିପରି ଜାଣିପାରନ୍ତି , ସେ ସମ୍ପର୍କରେ ବୈଜ୍ଞାନିକ ମାନେ ଏ ପର୍ଯ୍ୟନ୍ତ ଜାଣିପାରିନାହାନ୍ତି । ହୁଏତ ହାତୀମାନଙ୍କର ଶ୍ରବଣ ଶକ୍ତି ମନୁଷ୍ୟ ଠାରୁ ଯଥେଷ୍ଟ ପ୍ରଖର । ତେଣୂ କୌଣସି ମତେ ଅଲଟ୍ରାସାଉଣ୍ଡ ତରଙ୍ଗ ଦ୍ବାରା ସେମାନେ ଜାଣିପାରି , ପାଣି ପାଇଁ ସେଇ ଦିଗରେ ଯିବାକୁ ସମସ୍ତ ହାତୀଙ୍କୁ ତାଙ୍କ ଦଳପତି ନିର୍ଦେଶ ଦିଏ ।
ଏହି ସମୟରେ ଗଜ ଖୁସିରେ ଡାକଦିଏ ।
ଆଉ ଶିକାରୀମାନେ ୟାର ସୁଯୋଗ ନିଅନ୍ତି । ସେମାନେ ସିଧାସଳଖ ହାତୀ ଶିକାର କରିବା ସହଜ ନୁହେଁ ।
ତେଣୁ କୌଣସି ଅଂଚଳରେ ବର୍ଷା ହେଲେ , ହାତୀମାନେ ସେଇ ଦିଗରେ ଆସିବେ ଜାଣିପାରି ସେମାନେ ତାଙ୍କ ଆସିବା ରାସ୍ତାରେ ଖାଇ ଖୋଳି ହାତୀ ଶୀକାର କରନ୍ତି ।
ଏବେ ସେଠାର ସରକାର ଏ ଗବେଷଣା ତଥ୍ୟକୁ ଆଧାର କରି ,ହାତୀ ସଂରକ୍ଷଣ ଦିଗରେ ଅଧିକ ଫଳପ୍ରଦ ପଦକ୍ଷେପ ନେଇପାରିବେ ବୋଲି ଭାବୁଛନ୍ତି ।
ତେବେ ମଜାର କଥା ହେଲା -
ଆମ ପୂର୍ବଜ , ଏପରିକି କବିମାନେ ମଧ୍ୟ ଏ ରଜ ସମୟରେ ହାତୀ ବା ଗଜ ଡାକିଦେବା କଥା ଜାଣିଥିଲେ । ତେଣୁ ଏ ରଜଦୋଳି ଗୀତରେ ତାକୁ ସମାହିତ କରିଥିଲେ ।
ଆମେ ତାଙ୍କ ପ୍ରଜ୍ଞାକୁ କୋଟି ପ୍ରଣାମ ଦେବା ନା ନାହିଁ ?
ଆପଣ କୁହନ୍ତୁ ।
-- ଦାଶରଥି ସାହୁ
ତାରିଖ - ୧୩.୦୬.୨୦୨୧