Wednesday, September 16, 2020

🌺 ଦେବଶିଳ୍ପି ବିଶ୍ବକର୍ମା 🌺

ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା । ପୁରାଣମତେ ସେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ମତାନ୍ତରେ ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ । ଚତୁର୍ଭୁଜ ବିଶ୍ଵକର୍ମା, ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତ୍ତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦୃଷ୍ଟିଗୋଚର ହେଇଥାନ୍ତି । ଦିବ୍ୟ ବସ୍ତ୍ର ପରିହିତ ଗଳାରେ ରତ୍ନହାର, ଅନୁପମ ରତ୍ନଅଳଙ୍କାରରେ ବିଭୂଷିତ, କର୍ଣ୍ଣରେ ମକର କୁଣ୍ଡଳ । ସେ ଜ୍ଞାନ ଓ ଅବସ୍ଥାରେ ସମୃଦ୍ଧ ହୋଇଥିଲେ ମଧ୍ୟ କିଶୋର ପରି ପ୍ରତିଭାତ । ଅତ୍ୟନ୍ତ ସୁନ୍ଦର ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ ଅଟନ୍ତି । ବିଶ୍ୱକର୍ମା ସକଳ ଶିଳ୍ପକଳାର ଜନକ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ । ଦେବତାମାନଙ୍କର ସମସ୍ତ ଶସ୍ତ୍ର ବିମାନ ଆଦି ଏହାଙ୍କଦ୍ୱାରା ବିନିର୍ମିତ । ସ୍ୱର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ ।
 ମଣିଷର କାର୍ଯ୍ୟର ପାର୍ଥକ୍ୟରେ ଯେପରି ଜାତିର ସୃଷ୍ଟି ସେହିପରି ଭଗବାନଙ୍କୁ ନାନା ରୂପରେ କଳ୍ପନା କରାଯାଇଛି । ଯେତେବେଳେ ସୃଷ୍ଟି କରନ୍ତି ସେତେବେଳେ ସେ ବ୍ରହ୍ମା, ଯେତେବେଳେ ପାଳନ କରନ୍ତି ସେତେବେଳେ ବିଷ୍ଣୁ, ଯେତେବେଳେ ସଂହାର କରନ୍ତି ସେତେବେଳେ ସେ ରୁଦ୍ର ସେହିପରି ସେ ଯେତେବେଳେ ଶିଳ୍ପୀ ସେତେବେଳେ ସେ ବିଶ୍ୱକର୍ମା ବୋଲି ପରିଚିତ ହୁଅନ୍ତି ।

ବିଶ୍ବକର୍ମା ଅନ୍ୟ ଅର୍ଥରେ ବିଶ୍ବର ସୃଷ୍ଟିକର୍ତ୍ତା । ଅନନ୍ତଶାୟୀ ନାରାୟଣଙ୍କ ନାଭିକମଳରୁ ଉତ୍ପନ୍ନ ହୋଇଥିବା ତ୍ରିକାଳଦର୍ଶୀ ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା । ଏଣୁ ବିଶ୍ବକର୍ମାଙ୍କୁ ବ୍ରହ୍ମାରୂପେ କଳ୍ପନା କରି ପୂଜା କରାଯାଏ ।

ଅବତାର ଓ ପଞ୍ଚମୁଖ ସମ୍ପାଦନ କରନ୍ତୁ
ଶାସ୍ତ୍ରରେ ବିଶ୍ବକର୍ମାଙ୍କ ପାଞ୍ଚ ଅବତାର କଥା ବର୍ଣ୍ଣନା କରାଯାଇଛି । ସେ ପାଞ୍ଚ ଅବତାର ହେଲେ ବିରାଟ ବିଶ୍ବକର୍ମା , ଧର୍ମବଂଶୀ ବିଶ୍ବକର୍ମା , ଅଗ୍ନିବଂଶୀ ବିଶ୍ବକର୍ମା , ସୁଧନ୍ବା ବିଶ୍ବକର୍ମା ଓ ଭୃଗୁବଂଶୀ ବିଶ୍ବକର୍ମା । ସ୍କନ୍ଦ ପୁରାଣ ଅନୁସାରେ ବ୍ରହ୍ମା ସ୍ବରୂପ ଭଗବାନ ବିଶ୍ବକର୍ମାଙ୍କର ପଞ୍ଚ ମୁଖ । ବିଶ୍ବକର୍ମାଙ୍କର ପଞ୍ଚମୁଖ ତଥା ତାଙ୍କର ପଞ୍ଚପୁତ୍ରଙ୍କ ନାମ ହେଲା – ମନୁ, ମୟ, ତ୍ବଷ୍ଟା, ଶିଳ୍ପୀ ଓ ଦେବଜ୍ଞ ଏମାନେ ଜଣେ ଜଣେ ସମାଜର ହିତକାରୀ ପ୍ରଚଣ୍ଡ ଦିବ୍ୟ ମହର୍ଷି ଅଟନ୍ତି । ଏହି ପଞ୍ଚମୁଖର ନାମକରଣ ଅନୁସାରେ ଭଗବାନ ବିଶ୍ବକର୍ମାଙ୍କର ପଞ୍ଚ ପୁତ୍ର ସଂସାରର ହିତ ପାଇଁ ତଥା ଯାନ୍ତ୍ରିକ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରିଥିଲେ । ମନୁ ଋଷି ବିଶ୍ବକର୍ମାଙ୍କ ଜ୍ୟଷ୍ଠ ପୁତ୍ର, ତାଙ୍କର ବିବାହ ଅଙ୍ଗିରା ଋଷିଙ୍କ କନ୍ୟା ସମ୍ପାଙ୍କ ସହିତ ହୋଇଥିଲା । ଦ୍ବିତୀୟ ପୁତ୍ର ମୟ ଋଷି, ତାଙ୍କର ବିବାହ ପରାଶର ଋଷିଙ୍କ କନ୍ୟା ସୌମ୍ୟା ସହିତ ହୋଇଥିଲା । ତୃତୀୟ ପୁତ୍ର ତ୍ବଷ୍ଟା ଋଷି, ତାଙ୍କର ବିବାହ କୌଷିକ ଋଷିଙ୍କ କନ୍ୟା ଜୟନ୍ତୀଙ୍କ ସହ ହୋଇଥିଲା । ଚତୁର୍ଥ ପୁତ୍ର ଶିଳ୍ପୀ ଋଷି , ତାଙ୍କର ବିବାହ ଭୃଗୁ ଋଷିଙ୍କ କନ୍ୟା କରୁଣାଙ୍କ ସହିତ ହୋଇଥିଲା । ପଞ୍ଚମ ପୁତ୍ର ଦେବଜ୍ଞ ଋଷି , ତାଙ୍କର ବିବାହ ଜୈମିନୀ ଋଷିଙ୍କ କନ୍ୟା ଚନ୍ଦ୍ରିକାଙ୍କ ସହିତ ହୋଇଥିଲା । ତାଙ୍କ କୃପା ବଳରେ ବିଭିନ୍ନ ଜ୍ଞାନ କୌଶଳରେ ନୂଆ ନୂଆ ଜିନିଷ ଉଦ୍ଭାବନ ହୁଏ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି ।

ବଂଶାବଳୀ ସମ୍ପାଦନ କରନ୍ତୁ

ଦେବଶିଳ୍ପୀ ବିଶ୍ୱକର୍ମା କନ୍ୟା ସଂକ୍ରାନ୍ତିରେ ମର୍ତ୍ତ୍ୟରେ ଆବିର୍ଭୂତ ହୋଇଥିଲେ । ‘ବିଶ୍ୱ ସ୍ୱସ୍ୟ କର୍ମନ୍’ ଇତି ବିଶ୍ୱକର୍ମା । ବିଶ୍ୱକର୍ମା ମଧ୍ୟ ତ୍ୱଷ୍ଟା ନାମରେ ବିଦିତ । ସେ ଚିତ୍ରଙ୍ଗଦାଙ୍କ ପିତା ଥିଲେ । ‘ଚିତ୍ରଙ୍ଗଦାୟଃ ପିତରଂ ମାଂ ତ୍ୱଷ୍ଟାରଂ ତପୋଧନେ’ (ବାମନ ପୁରାଣ – ୬୫ /୧୦୨) । ତ୍ୱଷ୍ଟା – ତ୍ୱକ୍ଷତଚ୍ ଅର୍ଥାତ୍ ତ୍ୱଷ୍ଟା ବଢ଼ାଇ, ନିର୍ମାତା, କାରିଗର ଆଦି ଅର୍ଥରେ ବ୍ୟବହୃତ ହେବା ସହିତ ବିଶେଷକରି ବିଶ୍ୱକର୍ମା ଅର୍ଥରେ ପ୍ରଜୁଯ୍ୟ । ବ୍ରହ୍ମ ବୈବର୍ତ୍ତ ପୁରାଣରେ ବିଶ୍ୱକର୍ମାଙ୍କ ବଂଶାନୁଚରିତ ବିବର୍ଣ୍ଣିତ । ପୁନଶ୍ଚ ଉକ୍ତ ପୁରାଣରୁ ଜଣାଯାଏ ଯେ, ଘୃତାଚୀ ସ୍ୱର୍ଗବେଶ୍ୟା ହିଁ ବିଶ୍ୱକର୍ମାଙ୍କ ପତ୍ନୀ ଥିଲେ । ‘ଅମର କୋଷ’ ବର୍ଣ୍ଣନା ଅନୁସାରେ ସ୍ୱର୍ଗ ବେଶ୍ୟାମାନଙ୍କ ମଧ୍ୟରେ ଘୃତାଚୀ ଅନ୍ୟତମ ଥିଲେ ।

ଘୃତାଚୀ ମେନକା ରମ୍ଭା ଉର୍ବଶୀ ଚ ତିଳୋତମା
ସୁକେଶୀ ମଞ୍ଜୁଘୋଷାଦ୍ୟା କଥ୍ୟନ୍ତେଦ୍ଧସ୍ପରସୋ ବୁଧୈଃ ।

ବ୍ରହ୍ମବୈବର୍ତ୍ତ ପୁରାଣମତେ ଏକଦା ଘୃତାଚୀ ବେଶଭୂଷା ହୋଇ କାମଦେବଙ୍କ ନିକଟକୁ ରମଣାର୍ଥେ ପୁଷ୍କର ତୀର୍ଥକୁ ଗମନ କରୁଥିଲେ । ସେହି ସମୟରେ ଦେବଶିଳ୍ପୀ ବିଶ୍ୱକର୍ମା ସ୍ୱର୍ଗଲୋକରୁ ପ୍ରତ୍ୟାବର୍ତ୍ତନ କରୁଥିବା ଅବସ୍ଥାରେ ଘୃତାଚୀଙ୍କୁ ଭେଟିଥିଲେ । ଘୃତାଚୀ ସୌନ୍ଦର୍ଯ୍ୟରେ ବିମୁଗ୍ଧ ହୋଇ ବିଶ୍ୱକର୍ମା ଆସକ୍ତ ମାନସିକତାରେ ଉପନୀତ ହୋଇଥିଲେ । ଘୃତାଚୀ କିନ୍ତୁ କାମଦେବଙ୍କ ସହ ରମଣ ଉଦ୍ଦେଶ୍ୟରେ ଗମନ କରୁଥିଲେ । ଏଣୁ ସେ ବିଶ୍ୱକର୍ମାଙ୍କୁ ପ୍ରବୃତ୍ତିରୁ ନିବୃତ୍ତି ହେବାକୁ ପରାମର୍ଶ ଦେଲେ । କହିଲେ “ହେ ଦେବଶିଳ୍ପୀ, ସ୍ୱର୍ଗର ନିୟମ ଅନୁସାରେ ଯେଉଁ ଦିନ ଦେବତାଙ୍କ ପ୍ରତି ସ୍ୱର୍ଗବେଶ୍ୟାମାନଙ୍କ ଅଭିଳାଷ ଥାଏ ସେଦିନ ସେହି ନିର୍ଦ୍ଦିଷ୍ଟ ଦେବତା ହିଁ ପତି ସ୍ୱରୂପ । ଏଣୁ କାମଦେବ ମୋ ପକ୍ଷେ ଆଜି ଦିନର ପତି ସ୍ୱରୂପ । ତୁମେ ବିଶ୍ୱକର୍ମା ମଧ୍ୟ କାମଦେବଙ୍କ ଶିଷ୍ୟ ଅଟ । ଏଣୁ ଗୁରୁପତ୍ନୀ ହରଣ କରିବା ଅବିଧେୟ । ଆସନ୍ତାକାଲି ତୁମେ ମୋର ପତି ହେବ ନିଶ୍ଚୟ ।” ଘୃତାଚୀଙ୍କ ଘୋର ବାରଣ ହେତୁ ବିଶ୍ୱକର୍ମା ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଘୃତାଚୀଙ୍କୁ ମର୍ତ୍ତ୍ୟରେ ଶୂଦ୍ରନାରୀ ଭାବେ ଜନ୍ମହେବାକୁ ଅଭିଶାପ ଦେଲେ । ଘୃତାଚୀ ମଧ୍ୟ ବିଶ୍ୱକର୍ମାଙ୍କୁ ମର୍ତ୍ତ୍ୟରେ ମାନବ ହୋଇ ଜନ୍ମହେବାକୁ ପ୍ରତି ଅଭିଶାପ ଦେଲେ । ବିଶ୍ୱକର୍ମା ଘୃତାଚୀର ଅଭିଶାପ ପ୍ରସଙ୍ଗ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ଜଣାଇଲେ ଓ ତାହାର ନିରାକରଣ ବିଷୟରେ ପ୍ରଶ୍ନକଲେ । କିନ୍ତୁ ବ୍ରହ୍ମା ଘୃତାଚୀର ଭିନ୍ନ ବୃତ୍ତି ସତ୍ତ୍ୱେ ସ୍ୱର୍ଗରେ ପତିବ୍ରତା ସତୀର ମାନ୍ୟତା ଦେବାରୁ ତାହାର ଅଭିଶାପ ନିଷ୍ଫଳ ନୁହେଁ ବୋଲି ବିଶ୍ୱକର୍ମାଙ୍କୁ ଅବଗତ କରିଥିଲେ । ପରବର୍ତ୍ତୀ କାଳରେ ବିଶ୍ୱକର୍ମା ବ୍ରାହ୍ମଣ କୂଳରେ ଜନ୍ମ ନେଇଥିଲେ ଓ ତାଙ୍କର ଜାତିସ୍ମର ଥିବାରୁ ସେ ସବୁକଥା ଜାଣିପାରୁଥିଲେ । ରାଜାଙ୍କ ଆଦେଶରେ ସେ ପ୍ରୟାଗ ତୀର୍ଥରେ ଅନେକ ଦେବାଦେବୀଙ୍କ ମନ୍ଦିର ନିର୍ମାଣ କରୁଥିବା ବେଳେ ଏକଦା ସେହି ସମୟରେ ଗଙ୍ଗାରେ ସ୍ନାନ କରୁକରୁ ଏକ ଅନିନ୍ଦ୍ୟ ରୂପବତୀ କନ୍ୟାକୁ ଦେଖିଲେ ଓ ଅନୁଭବ କରି ଜାଣିପାରିଲେ ଯେ, ସେ ଘୃତାଚୀ ବୋଲି । ଘୃତାଚୀ ମଧ୍ୟ ବିଶ୍ୱକର୍ମାଙ୍କୁ ଜାଣିପାରିଲେ । ବ୍ରହ୍ମାଙ୍କ କଥା ଅନୁସାରେ ଉଭୟ ଗଙ୍ଗାତୀରସ୍ଥ ମଳୟ ବନରେ ବିବାହ କରି ଏକାଠି ବାରବର୍ଷ ବିତାଇଲେ । ତାଙ୍କଠାରୁ ନଅଟି ସନ୍ତାନ ଉତ୍ପତ୍ତି ହୋଇଥିଲେ । ପୁତ୍ରମାନଙ୍କ ମଧ୍ୟରେ ମାଳାକାର, କର୍ମକାର, କଂସାରି, ଶଙ୍ଖାରି, କୁମ୍ଭକାର, କୁନ୍ଦବିକ, ସୂତ୍ରଧର, ସ୍ୱର୍ଣ୍ଣକାର ଓ ଚିତ୍ରକର । ସେହି ପୁତ୍ରଙ୍କ ମଧ୍ୟରୁ ମାଳାକାରଙ୍କୁ ପୁଷ୍ପଶିଳ୍ପ, କର୍ମକାରଙ୍କୁ ଲୌହ ଶିଳ୍ପ, କାଂସ୍ୟକାରଙ୍କୁ କଂସା ଶିଳ୍ପ, ସୂତ୍ରଧରଙ୍କୁ କାଠ ଶିଳ୍ପ, ତନ୍ତୀଙ୍କୁ ବୟନଶିଳ୍ପ, କୁମ୍ଭକାରଙ୍କୁ ମୃତ୍ତିକା ଶିଳ୍ପ, ସ୍ଵର୍ଣ୍ଣକାରଙ୍କୁ ଅଳଙ୍କାର ଓ ଚିତ୍ରକାରଙ୍କୁ ଅଙ୍କନ ଶିଳ୍ପ ବିଦ୍ୟା ଶିକ୍ଷା ଦେଇ ବିଶ୍ଵକର୍ମା ସେମାନଙ୍କୁ ସୁଶିକ୍ଷିତ କରାଇଥିଲେ । କନ୍ୟା ଚିତ୍ରାଙ୍ଗଦା ମଧ୍ୟ ପିତାଙ୍କ ଠାରୁ ଶିଲେଇ ଶିଳ୍ପ ଶିକ୍ଷାଦାନ ପାଇଥିଲେ ।

ପୁନଶ୍ଚ ଉକ୍ତ ପୁରାଣରେ ଉଲ୍ଲେଖ ଅନୁସାରେ ପୁତ୍ରମାନଙ୍କ ମଧ୍ୟରୁ ଜଣେ ବ୍ରାହ୍ମଣର ସୁନା ଚୋରୀ କରିବାରୁ ସ୍ୱର୍ଣ୍ଣକାର ପତିତ ରୂପେ ବିବେଚିତ ହେଲେ । ସେହିପରି ଯଜ୍ଞ ସମୟରେ ସୂତ୍ରଧର କାଠ ଯୋଗାଣରେ ବିଳମ୍ବ କରି ମଧ୍ୟ ପତିତ ହୋଇଥିଲେ । (ବୈଦିକ ଜାଗଯଜ୍ଞରେ ବଢ଼େଇଙ୍କ ବାରିସୀ ହଣା କାଠର ବ୍ୟବହାର ଏବେବି ପ୍ରଚଳନ ରହିଛି ) । ଚିତ୍ରକାର ଏକ ଶୂଦ୍ର ବେଶ୍ୟା ସହ ଆଶକ୍ତ ହୋଇ ଅଟ୍ଟାଳିକାର (ରାଜମିସ୍ତ୍ରୀ) ରୂପେ ଆର୍ବିଭୂତ ହୋଇଥିଲେ । ଏଣୁ ସମସ୍ତ ଶ୍ରେଣୀର ଶିଳ୍ପୀ ଓ କାରିଗର ଜାତି ବିଶ୍ୱକର୍ମାଙ୍କ ବଂଶଧର ଅଟନ୍ତି । ‘ବାମନ ପୁରାଣ’ ଉଲ୍ଲେଖ ଅନୁସାରେ ଦେବଶିଳ୍ପୀ ବିଶ୍ୱକର୍ମା ଅଭିଶପ୍ତ ହୋଇ ଦାନବ ରୂପ ଧାରଣ କରିଥିଲେ । ଋଷି ଋତୁଧ୍ୱଜଙ୍କ ଠାରୁ ବର ଲାଭକରି ଘୃତାଚୀଙ୍କ ସହ ସଂପର୍କ ରଖି ‘ନଳ’ଙ୍କୁ ଜନ୍ମକରି ଶାପମୁକ୍ତ ହୋଇଥିଲେ-

ତସ୍ମିନ୍ ଗୋଦାବରୀ ତୀର୍ଥେ ପ୍ରସୂତା ତନୟଂ ନଳମ୍
ଜାତୋଦ୍ଧପତ୍ୟ କପିତ୍ୱାତ୍ ଚ ବିଶ୍ୱକର୍ମଣ୍ୟପ୍ୟପ୍ୟୁତ୍ୱାତ୍ । (ବାମନ ପୁରାଣ – ୬୫ / ୧୫୪)

ବାନର ସେନାପତି ନଳ, ଯେଉଁ ପଥର ଖଣ୍ଡକୁ ସ୍ପର୍ଶ କରୁଥିଲେ, ତାହା ହାଲୁକା ହୋଇ ପାଣିରେ ଭାସୁଥିଲା । ନଳ ପଥରମାନଙ୍କୁ ସ୍ପର୍ଶ କରିବାପରେ ସେହି ଭାସମାନ ପଥରଦ୍ୱାରା ରାମଚନ୍ଦ୍ର ସମୁଦ୍ରରେ ସେତୁବନ୍ଧ ବନ୍ଧାଇ ସମୁଦ୍ରକୁ ପାର ହୋଇ ଲଙ୍କା ଗଡ଼ରେ ପହଞ୍ଚିଥିଲେ । ବିଶ୍ୱକର୍ମାଙ୍କର ଏକପୁତ୍ରୀ ଚିତ୍ରଙ୍ଗଦା ରାଜା ସୁରଥଙ୍କୁ ବିବାହ କରିଥିଲେ । ପୌରାଣିକ କଥା ଅନୁସାରେ ଦେବଶିଳ୍ପୀ ବିଶ୍ୱକର୍ମା ବା ତ୍ୱଷ୍ଟାଙ୍କୁ ଅଗ୍ନିଦେବତା ଭାବେ ସ୍ୱୀକାର କରାଯାଇଥାଏ । ଯାହାଙ୍କର ତ୍ରିଶିରା ନାମକ ପୁତ୍ର ତଥା ସଂଜ୍ଞା ନାମକ କନ୍ୟା ଥିଲେ । ସଂଜ୍ଞାଙ୍କୁ ସୂର୍ଯ୍ୟଙ୍କ ସହ ସେ ବିବାହ ସଂପନ୍ନ କରାଇଥିଲେ । ସୂର୍ଯ୍ୟଙ୍କ ପ୍ରଚଣ୍ଡ ତେଜରାଶିକୁ ସଂଜ୍ଞା ସହି ନପାରିବାରୁ ତ୍ୱଷ୍ଟା ବିଶ୍ୱକର୍ମା ୧୦୮ ସୂର୍ଯ୍ୟସ୍ତୋତ୍ର ପାଠକରି ସୂର୍ଯ୍ୟଙ୍କୁ ପ୍ରସନ୍ନ କରିଥିବା କଥା ନରସିଂହ ପୁରାଣରେ ବର୍ଣ୍ଣିତ ହୋଇଛି ।

ତେନୈବମୁକ୍ତୋ ଦିନ କୃତ୍ ତଥେତି
ତ୍ୱଷ୍ଟାରମୁକ୍ତା ବିବରାମ ଭାସ୍କରଃ
ସଂଜ୍ଞାଂ ବିଶଙ୍କାଂ ରବିମଣ୍ଡଳ ସ୍ଥିତାଂ
କୃତ୍ୱା ଜଗମଥ ରବିଂ ପ୍ରସାଦ୍ୟ । (ନରସିଂହ ପୁରାଣ -୧୯ / ୨୨)

ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରାଇବା ଫଳରେ ତାଙ୍କ ଉଗ୍ର ତେଜରାଶିକୁ ବିଶ୍ୱକର୍ମା ତାଞ୍ଛି ପକାଇଥିଲେ । ଫଳରେ ସେହି ତେଜ ପୁଞ୍ଜରୁ କ୍ରମେ ବିଷ୍ଣୁଙ୍କ ଚକ୍ର ଓ ଶିବଙ୍କ ତ୍ରିଶୂଳ ତଥା ଅନ୍ୟ ଦେବତାମାନଙ୍କ ଅସ୍ତ୍ରଶସ୍ତ୍ର ପ୍ରଭୃତି ନିର୍ମିତ ହୋଇଥିଲା । ଏହା ମହାକବି କାଳିଦାସଙ୍କ ‘ରଘୁବଂଶମ୍’ ମହାକାବ୍ୟରେ ମଧ୍ୟ ପ୍ରତିଫଳିତ-

ଆରୋପ୍ୟ ଚକ୍ର ଭ୍ରମିମୁଷ୍ଟ ତେଜୋସ୍ତଷ୍ଟେବ
ଯତ୍ନୋଲିଖିତୋ ବିଭାତି । (ରଘୁ – ୬ / ୩୨)

ରାମାୟଣ ବର୍ଣ୍ଣନା ଅନୁସାରେ ରାବଣର ସ୍ୱର୍ଣ୍ଣ ଲଙ୍କାପୁର, ହରିବଂଶ ବର୍ଣ୍ଣନା ଅନୁସାରେ ଦ୍ୱାରିକାଧାମ, ସ୍କନ୍ଦପୁରାଣ ବର୍ଣ୍ଣନା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀ ବିଗ୍ରହ ଆଦି ବିଶ୍ୱକର୍ମାଙ୍କଦ୍ୱାରା ବି ନିର୍ମିତ ।

ବିଶ୍ୱକର୍ମାଙ୍କର କନ୍ୟା ସଂଜ୍ଞା ଓ ପୁତ୍ର ନଳ ନାମକ ବାନର।
ସଂଜ୍ଞା ବିଶ୍ୱକର୍ମାଙ୍କ କନ୍ୟା । ସୂର୍ଯ୍ୟଦେବ ଏହାଙ୍କ ପାଣି ଗ୍ରହଣ କରିଥିଲେ । ସଂଜ୍ଞାଙ୍କ ଗର୍ଭରେ ସୂର୍ଯ୍ୟଙ୍କ ଔରସରେ ବୈବସ୍ୱତ ମନୁ, ଯମ, ଯମୁନା ଓ ଅଶ୍ୱିନୀ-କୁମାର ଦ୍ୱୟ ଜନ୍ମ ଗ୍ରହଣ କରିଥିଲେ ।
ବାନର ସେନାପତି ନଳ, ଘୃତାଚୀ ଅପ୍ସରୀର ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ଏ ଯେଉଁ ପଥର ଖଣ୍ଡକୁ ସ୍ପର୍ଶ କରୁଥିଲେ, ତାହା ହାଲୁକା ହୋଇ ପାଣିରେ ଭାସୁଥିଲା । ଏ ପଥରମାନଙ୍କୁ ସ୍ପର୍ଶ କରିବାରୁ ସେହି ଭାସମାନ ପଥରଦ୍ୱାରା ରାମଚନ୍ଦ୍ର ସମୁଦ୍ରରେ ସେତୁବନ୍ଧ ବନ୍ଧାଇ ସମୁଦ୍ରକୁ ପାର ହୋଇ ଲଙ୍କା ଗଡ଼ରେ ପହଞ୍ଚିଥିଲେ ।


 ଉପସ୍ଥାପନା : ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ  । 

Sunday, September 13, 2020

●ସାଧବ ଝିଅ ● ସପ୍ତମ ଭାଗ

★ 'ସାଧବ ଝିଅ' ଏବଂ 
                         କବି ମାୟାଧର ମାନସିଂହ ★
             -----------------------------------------
                  (ଧାରାବାହିକ ଭାଗ - ୭)

                        ସାଧବପୁଅ ଏହି କାବ୍ଯର ନାୟକ, ତା' ମନରେ ଅସରନ୍ତି ଆଶା ଓ ଅଭିଳାଷ। ନିର୍ମଳ ପ୍ରେମର ଏହି ଉଦାର ହୃଦୟକୁ କେବେ ସେ ଚରଣ ବନ୍ଦନରେ ଉତ୍ସର୍ଗ କରି ନିଜ ଯୌବନର କ୍ଲାନ୍ତ-ଅବସନ୍ନ ଦେହକୁ ନିବିଡତାର ପରଶ ଦେବ ? ଗୋଟିଏ ନିଷ୍ଠାବାନ ସ୍ନେହର ପ୍ରତିନିଧି। 
                   

        ମାନସିଂହ ଏଠାରେ ଦେହାତୀତ ପ୍ରେମକୁ ଦେଇଛନ୍ତି ସ୍ଥାନ - 'ପ୍ରେମ ନୁହେଁ ଦେହ ଦେହୁ ଭୋଗ ଅନ୍ଵେଷଣ / ପ୍ରେମ ଏକ ଆତ୍ମା ପ୍ରତି ଅନ୍ୟର ବନ୍ଧନ। ' (କମଳାୟନ)। ସାଧବ ଝିଅ ସମ୍ପର୍କରେ ଜାଣିବା ପରେ ତା'ର ବିରହ ବଢିଛି ଅବଶ୍ୟ, ହେଲେ ବିଳମ୍ଵ ଆଉ ସହ୍ୟ ହେଇନି। ଆଉ କହିଛି ଯଦି ସାଧବଝିଅକୁ ତା ରଚିତ ମାଳା ପସନ୍ଦ ଆସେ, ତେବେ କହିଦେବ ଏ ମାଳୀ ହେଉଛି କଳିଙ୍ଗର!

            ସାଧବ ପୁଅର ଏହି ବ୍ୟସ୍ତଚଞ୍ଚଳ ଜୀବନରେ ଏକମାତ୍ର ସସ୍ନେହ ଦୃଷ୍ଟି ପାଇଥିଲା ସାଧବଝିଅକୁ। ତାକୁ ଖୋଜି ଖୋଜି ସେ ଆସିଛି କେତେ ଜନପଦ, କେତେ ହାଟ ଓ କେତେ ନଗର ଅତିକ୍ରମ କରି। ସାଧବ ପୁଅର ଗୋଟିଏ ନିରଳସ ପ୍ରେମିକ ରୂପେ ଯେଉଁ ପରାକାଷ୍ଠା ଓ ନିଷ୍କାମ ଭାବନାର କୀର୍ତ୍ତି ତାଙ୍କୁ ଏହି କାବ୍ୟରେ ଏକ ଉତ୍କୃଷ୍ଟ ସ୍ଥାନ ଦିଆମାଇଅଛି।

      ଏଥର ସାଧବଝିଅ କହୁଛି ମାଳୁଣୀକି -

         ★★★★★★★★★★★

        "ନୂଆ ହାତ କା'ର ଲାଗିଥିଲା ପରି
                                             ଲାଗଇ
         ମାଳୁଣୀ ତୁ କହ, ଗଲାଣି ମୋ ସବୁ
                                             ରାଗ ହିଁ।

            ଏତେ ଡେରି କଲୁ, ମତେ ମନେ ଥିଲି
                                               ରାଗି ଯା,
              ଦେଇଥାନ୍ତି ତତେ ଦୁଆର ବାସନ୍ଦ
                                                ତାଗିଦା।

         ଫୁଲହାର ଦେଖି, ଗଲି ସବୁ ରାଗ 
                                            ଭୁଲି ମୁଁ,
         ମୋ ରାଣ ଲୋ ତତେ, ଠିକେ ସବୁ କଥା
                                            ବୋଲିବୁ।
                                            

          ମୋ ମରମ କଥା, ତୋତେ ସିନା ଜଣା
                                              ମାଳୁଣୀ
         ନିଜ ରକତର, ମା' ବି ସେ କଥା                                                                     ଜାଣିନି।
                                                               
           ସମୁଦ୍ରର ଘାଟୁ ଫେରି ମୁଁ ସେଦିନ
                                             ସଞ୍ଜରେ
           କାନ୍ଦିବାର ଦେଖି, ସେଇ ସେ ଦୁଆର
                                              ବନ୍ଧରେ,
 
                   ଠିଆ ହୋଇ ମତେ କୋଳ କରି ଆଖି
                                                     ପୋଛିଲୁ,
                 ଏତେ ଦିନେ ଆଜି, ଆଖେ ଲୁହ କିମ୍ପା
                                                    ପୁଛିଲୁ ।

           ବହୁ ପ୍ରବୋଧନା, ସାଧନାରେ ତତେ
                                            ପ୍ରାଣର
           ନୂତନ ପ୍ରମାଦ ବଖାଣିଲି, ମଣି
                                          ଦୋସର।

          ସେ ଦିନୁ ତ ଜାଣୁ ତିନୋଟି ବରଷ
                                           ଗଲାଣି
           ନୟନର କେତେ ନୀର ବାନ୍ଧିହୋଇ
                                           ମଲାଣି।

            ସାଜିବାକୁ ଫୁଲେ, ଏ ଛାର ଶରୀର
                                           ଡାକେ କି
            ତୁ ଜାଣୁ ଲୋ ଖାଲି, ତାଙ୍କ କଥା, ପାଇ
                                             ଏକାକୀ 
        କହି ତତେ ହୁଏ ସୁଖୀ ଦଣ୍ଡେ, କ୍ଷଣେ
                                         ଦିନରେ,
         ସେହି ତ ଏକଇ ସୁଖ ମୋର ଏ
                                     ଜୀବନରେ।
     
         କେତେ ଥର ତତେ ପଚାରିଛି ଅତି
                                         ଆଗ୍ରହେ
       ବାଟଘାଟେ କେବେ ହେଲେ ଦେଖା ତାଙ୍କ
                                          ବିଗ୍ରହେ,

                    ତୁରିତେ କହିବୁ, ଦୂରୁ ହେଲେ ଦେଖା-
                                                 ଇବୁ ଲୋ,
                   ସାହୁକାର ହୋଇ ଜୀବନେ ଜୀବନେ
                                                   ଥିବୁ ଲୋ।

               ମୁରୁକି ହସୁଛି, ଚଞ୍ଚଳେ ଚାହିଁଛୁ
                                              ଆଜି ଯେ,
               ନୂଆ ମାଳା ପୁଣି ଆଣିଛୁ ଯତନେ
                                              ସାଜି ଯେ।

                ଆଶାର କଥା କି ଶୁଣାଇବୁ କି ଲୋ
                                                ଶ୍ରବଣେ,
              କହ, ନିଜେ କେତେ ବାନ୍ଧିବି ଧଇର୍ଯ୍ୟ-
                                             ବନ୍ଧନେ ?"

           "ଆସିଛନ୍ତି ସତେ ?" ମାଲୁଣି ଚତୁରୀ 
                                              ଭାଷଇ,
           "ତୁମେ ଜାଣ, ତମ ଲୋକ ନ ଆସେ କି,
                                                ଆସଇ,

            ମୁଁ କିସ ଜାଣେ ମା' ? ପେଟ ଦାଉ ଆମ
                                                  ମାଲିକ,
             ଖଟି ଖଟି ସଞ୍ଜେ, ପାଇବି ଚାଉଳ
                                                ଗଣ୍ଡିକ।

            
           ବଣିକ ସାଧବ, ଶେଠ ସୌଦାଗର
                                           ବିଷୟେ,
           ପଶିବୁ ଗରବେ ଆମେ କହ କେଉଁ
                                         ଆଶୟେ ?

            ସେଦିନ ଉଛୁର ହେଲା ବୋଲି ମାଆ
                                               ସେଥର,
          ମନେ ଅଛି କେହ୍ନେ ଝିଙ୍ଗାସିଲେ? ତୁମେ
                                                ସେକର-
           
        ମେଲାରେ କଉଡି ଖେଳୁଥିଲ ସାଙ୍ଗ-
                                        ସଙ୍ଗତେ
        ସେତେବେଳେ ମୁହିଁ ନ ଥିଲି ତୁମର                                                               ଜଗତେ
       ଏବେ କାମ ଲାଗି " - ଥନଥନ ଲୁହ
                                         ବୁହାଇ;
           ସାଧବର ସୁଧା-ହୃଦୟା ବାଳିକା
                                        କହଇ,
                     
       "ମାଳୁଣୀ, ତୁ ସବୁ ଦୋଷ ମୋର ଦିଏ 
                                        ପାଶୋରି
        ହାତ ତୋ' ଧରୁଛି, କରିନାହିଁ କିଛି
                                        ବିଚାରି। 

        ନିଏ ଏ ସୁନାର ହାର" - "ଛିଇ-ଛି,
                                         ନି କଥା ?
        ଥଟ୍ଟା କରୁଥିଲି ସିନା ମୁଁ ' ଦେବାକୁ    
                                       ବାରତା ?
                                                                             
      କିସ ନ ନେଇଛି, ତୁମଠୁଁ ପୁଣି ଯେ
                                          ମାଗିବି ?
      ପେଟ ପୂରେ ଯାକୁ ଦେଖିଲେ, ତାକୁ ବି
                                          ରାଗିବି ?

            ଶୁଣ ଧନମଣି, ଯାଏ ମୁଁ ହେଲାଣି
                                           ଅନ୍ଧାର,
           ସଞ୍ଜେ ବଗିଚାରେ କାଲି ଦେଖିବୁ ସେ
                                             କୁମାର।"

                            
                ( କ୍ରମଶଃ ..... )💐
              ଉପସ୍ଥାପନା : ଅମ୍ରିତେଶ ଖଟୁଆ

Saturday, September 5, 2020

🌺 ଗୁରୁ ହିଁ ଭଗବାନ 🌺

 ଗୁରୁ ଶବ୍ଦ କହିଲେ ସମସ୍ତେ ଜାଣନ୍ତି ଗରିଷ୍ଟ l ଏହାର ଅର୍ଥ ବଡ଼ ଗୁରୁତ୍ୱପୂର୍ଣ୍ଣ , ଯେ'ହେତୁ ଭଗବାନ ମଧ୍ୟ ପ୍ରଥେମେ ଗୁରୁବର୍ଣ୍ଣନା କରନ୍ତି l ତାଙ୍କ ମୁଖ ନିଃସୃତ ବାଣୀ ପ୍ରଥମ ନମନ ଗୁରୁବର ପୁଣି ଗିରିଧର ।
ଯୋଇ ଶ୍ରୀ ଗୁରୁବର 
    ଶୋଇଶ୍ରୀ ଗିରିଧର 
ହରି ଗୁରୁ କୃପା 
     ସଦା ସର୍ବହିଁ ପର 
   ତନ, ମନ, ଧନ ଅରପଣ
          ଚରଣନ କର l

ଭଗବାନ ଆଉ ଗୁରୁ ପରସ୍ପର ପରି ପୂରକ ,ମୁଦ୍ରାର ଦୁଇଟି ପାର୍ଶ୍ୱ l
ଭଗବାନ = ଗୁରୁ ଗୁରୁ = ଭଗବାନ l
ତେଣୁ ଗୁରୁହିଁ ପରମେଶ୍ୱର ଆମେ ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ ସିନା କହୁ କିନ୍ତୁ  ତାହା କେତେ ଜଣ ପାଳନ କରୁ -? 

ଶାସ୍ତ୍ର କୁହେ --
ଓଁ ମଙ୍ଗଳମ୍ ଓଁ କାର ମଙ୍ଗଳ
ଓଁ, ଗୁରୁ ମଙ୍ଗଳମ୍ ଗୁରୁ ପାଦ ମଙ୍ଗଳମ୍ l

ଗୁରୁ, --
ଗ'ର ଅର୍ଥ ଗତି ଦାତା ,ର "ର ଅର୍ଥ ସିଦ୍ଧି ଦାତା ।ଯେଉଁ ବ୍ୟକ୍ତି ମନୁଷ୍ୟକୁ ଗତି ମୁକ୍ତି କର୍ତ୍ତା ତୁଲ୍ୟ ସିଦ୍ଧି ପ୍ରଦାନ କରେ ସେ ହିଁ ଗୁରୁ ପଦବାଚ୍ୟ l ଆଉ ଯେଉଁ ବ୍ୟକ୍ତି କାମ-କ୍ରୋଧ, ମୋହ-ମାୟାକୁ ତ୍ୟାଗ କରି ସର୍ବଦା ନିରାକାର ବ୍ରହ୍ମଙ୍କ ଲୟ କରେ ସେ ହିଁ ଗୁରୁ ପଦବାଚ୍ୟ l
ଗୁରୁ ସନ୍ତୁଷ୍ଟ ହେଲେ ସର୍ବ ଦେବାଦେବୀ ସନ୍ତୁଷ୍ଟ ହୁଅନ୍ତି l

ଗୁରୁ --
ଗ "ବର୍ଣ୍ଣ ଉଚ୍ଚାରଣ କଲେ ମହାପାତକ ନଷ୍ଟ ହୁଏ 
ର "ବର୍ଣ୍ଣ ଉଚ୍ଚାରଣ କଲେ ଇହ ଜନ୍ମର ପାପ ନଷ୍ଟ ହୁଏ
ରୁ "ବର୍ଣ୍ଣ ଉଚାରଣ କଲେ ପୂର୍ବ ଜନ୍ମର ପାପ ନଷ୍ଟ ହୁଏ l

ଶ୍ରୀକୃଷ୍ଣ ଉଦ୍ଧବଙ୍କୁ କହିଥିଲେ :-
           ମୁହିଁ ବସଇ ଗୁରୁ ଦେହେ 
             ଗୁରୁଟି ମୋଠୁ ଭିନ୍ନ ନୁହେଁ  ।।

ମନୁଷ୍ୟ ମାନଙ୍କ ଠାରୁ ଦେବତା ପର୍ଯ୍ୟନ୍ତ ସମସ୍ତଙ୍କର ଗୁରୁ ଆବଶ୍ୟକ l ପ୍ରଭୁ ରାମ ବିଶ୍ୱାମିତ୍ରଙ୍କୁ ଗୁରୁ ରୂପେ ଗ୍ରହଣକରି ଥିଲେ, ଭଗବାନ ଶ୍ରୀକୃଷ୍ଣ ସଂଦୀପନୀ ଋଷିଙ୍କୁ ଗୁରୁ ରୂପେ ଗ୍ରହଣ କରି ଥିଲେ l ଗୁରୁ ମହାତ୍ମର ଆହୁରି ଅନେକ ଗୁଢ ରହସ୍ୟ ରହିଛି , ସଦଗୁର, ମଦଗୁରୁ, ଜଗତ ଗୁରୁ ଇତ୍ୟାଦି ବି ଶାସ୍ତ୍ରରେ ଉଲ୍ଲେଖ  ରହିଛି ।

  ସନ୍ତୋଷ ପଟ୍ଟନାୟକ , ଗଞ୍ଜାମ ।

Wednesday, September 2, 2020

ସମର୍ପଣ ( topic - 22 ସାଥୀ ) quote #quot

ସମର୍ପଣ ( topic - 21 ସୈନିକ ) quote #quot

ସମର୍ପଣ ( topic - 20 ଇନ୍ଦ୍ରଧନୁ ) quote #quot

ସମର୍ପଣ ( topic - 19 ପ୍ରିୟତମା ) quote #quot

ସମର୍ପଣ ( topic - 18 ଧନ ଓ ଧର୍ମ ) quote #quot

ସମର୍ପଣ ( topic - 17 ତୁମେ ଆଉ ମୁଁ' ) quote #quot

ସମର୍ପଣ ( topic - 16 ଜୀବନ ସଂଗ୍ରାମ ) quote #quot

ସମର୍ପଣ ( topic - 15 ପ୍ରଭାତ ବର୍ଣ୍ଣନା ) quote #quot

"ଉ" ଅନୁପ୍ରାସ ରେ ସଂଯୋଜିତ 

ସମର୍ପଣ ( topic - 14 କବିତା ) quote #quot

ସମର୍ପଣ ( topic - 13 ଓଡ଼ିଆଣୀ ) quote #quot

ସମର୍ପଣ ( topic - 12 ଭୃଣହତ୍ୟା ) quote #quot

ସମର୍ପଣ ( topic - 11 ମୋ ଗାଆଁ ) quote #quot

ସମର୍ପଣ ( topic - 10 ନାରୀ ) quote #quot

ସମର୍ପଣ ( topic - 9 କୃଷକ ) quote #quot

ସମର୍ପଣ ( topic - 8 ଶାଶୁଘର ) quote #quot

ସମର୍ପଣ ( topic - 7 ଶିଶୁ ଶ୍ରମିକ ) quote #quot

ସମର୍ପଣ ( topic - 6 ଅସ୍ଥିର ଭାବନା ) quote #quot

ସମର୍ପଣ ( topic - 5 ପ୍ରେମ ) quote #quot

ସମର୍ପଣ ( topic - 4 ବୃକ୍ଷରୋପଣ ) quote #quot

ସମର୍ପଣ ( topic - 3 ସମ୍ପର୍କ ) quote #quot

🌺 ଓଡ଼ିଆ ଭାଗବତ 🌺

କାର୍ତ୍ତିକ ମାସରେ ଶ୍ରୀମନ୍ଦିର ବେଢାରେ କଳ୍ପବଟ ମୂଳରେ ଜଣେ ଶାସ୍ତ୍ରଜ୍ଞ ପଣ୍ଡିତ ସଂସ୍କୃତ ଭାଷାରେ ରଚିତ ଭାଗବତର ପାରାୟଣ କରୁଥିଲେ ଓ ତା'ର ଅର୍ଥ ସରଳ ସଂସ୍କୃତ ଭାଷାରେ ବ୍ୟାଖ୍ୟା କରୁଥିଲେ । ଫଳରେ ଅପେକ୍ଷାକୃତ ଶାସ୍ତ୍ରଜ୍ଞାନ ଅଧିକାରୀ ମୁଷ୍ଟିମେୟ ସମବେତ ଜନତା ଭାଗବତର ଭାବ, ତତ୍ତ୍ଵ ଓ ରସ ଉପଭୋଗ କରୁଥିଲେ । କିନ୍ତୁ ସାଧାରଣ ଜନତାଙ୍କ ପାଇଁ ତାହାଥିଲା ଅଗମ୍ୟ ଓ ଅବୋଧ୍ୟ । ତଥାପି କେତେଜଣ ଭଗବତ୍ ରସ ପିପାସୁ ନରନାରୀ ସେଠାରେ ନିତି ବସୁଥିଲେ ।

କାର୍ତ୍ତିକର ଶେଷ ପାଞ୍ଚଦିନ, ପବିତ୍ର ପଞ୍ଚୁକବ୍ରତ ପାଳନ କରିବା ପାଇଁ ହଜାର ହଜାର ପୁଣ୍ୟକାମୀ ବିଧବା ସ୍ତ୍ରୀଲୋକ ମଧ୍ୟ ସେଠାରେ ବସି ଭାଗବତ ଶୁଣୁଥିଲେ - ବୁଝନ୍ତୁ ବା ନବୁଝନ୍ତୁ । ଭଲଭାବରେ ବୁଝି ପାରୁଥିବା ଭକ୍ତଗଣ ପରମ ଆନନ୍ଦ ଲଭୁଥିଲେ, ଦଶମସ୍କନ୍ଧରୁ ଶ୍ରୀକୃଷ୍ଣଙ୍କ ପବିତ୍ର ବାଲ୍ୟଲୀଳା ଓ ମଧୁର ରାସଲୀଳା ପ୍ରସଙ୍ଗରେ ଭାଗବତ ପ୍ରେମ ଭକ୍ତିରେ ଉଲ୍ଲସିତ ତଥା କାରୁଣ୍ୟ ବିଗଳିତ ସ୍ବରରେ କେହି କେହି ହୁଅନ୍ତି କ୍ରନ୍ଦନରତ ।

ତେବେ ବୁଝିବାକୁ ଅସମର୍ଥ ସେହି ଜନତାଙ୍କ ମଧ୍ୟରେ ଥିଲେ ଜଣେ ଦିବ୍ୟଭାବରସ ପିପାସିନୀ ଆସ୍ପୃହାବତୀ ମାତ୍ର ହତାଶୀ ମହିଳା । ଆତ୍ମଗ୍ଲାନିରେ ଆଖିରୁ ତାଙ୍କର ବହୁଥିଲା ଧାର ଧାର ଅଶ୍ରୁ ।

ସ୍ନେହମୟୀ ମା'ର ବିଷାଦରେ ଭାରାକ୍ରାନ୍ତ ମୁହଁ, ଆଖିର ଲୋତକ, କାତର କଣ୍ଠ ଛପି ରହିପାରି ନ ଥିଲା ଏକମାତ୍ର ଗେହ୍ଲା ପୁଅଠାରୁ । "ମଣିଷ ଜୀବନ ପାଇ ଯଦି ରାମ କି କୃଷ୍ଣଙ୍କ ଭାବ ଜାଣି ନ ପାରିଲି ତେବେ ଏ ଜୀବନ ବୃଥା । ମରିବା ଆଗରୁ ଭଗବାନ ଶ୍ରୀକୃଷ୍ଣଙ୍କର ମଧୁର ଲୀଳା ଟିକେ ଶୁଣନ୍ତି, ଏ ଆତ୍ମା ପବିତ୍ର ହୋଇଯା'ନ୍ତା । ବାପରେ, ଭାଗବତ ପୁରାଣ ପରା ସବୁଠାରୁ ଉତ୍ତମଶାସ୍ତ୍ର, ସେତକ ଟିକେ ମୁଁ ବୁଝିପାରିଲା ପରି ମୋ ଭାଷାରେ ଶୁଣାନ୍ତୁ ନାହିଁ ?"

ଗମ୍ଭୀର ହୋଇ ମା'ର ଅନ୍ତର ବେଦନା ଶୁଣୁଥିଲା ପୁଅ । ମା'ର ଏହି ଦିବ୍ୟ ଆକାଙ୍କ୍ଷା ଭିତରେ ସେଇ ବେଦଜ୍ଞ ପଣ୍ଡିତ ଯୁବବ୍ରାହ୍ମଣଟି ଦେଖିପାରୁଥିଲା ସାରା ଓଡିଶାର ମୂକଜନତାର ଅନ୍ତରର ସଂଗୁପ୍ତ ଅଭୀପ୍ସାର ରୂପାୟନ । ଗୋଟିଏ ଆସ୍ପୃହାବତୀ ମା' ହିଁ ସେଦିନ ଓଡ଼ିଆ ଭାଷା ସାହିତ୍ୟର ସ୍ବର୍ଣ୍ଣମୟ ସୌଭାଗ୍ୟକୁ ଡାକିଆଣିଲା; ଆଉ ସମଗ୍ର ଓଡ଼ିଆଜାତିର ପ୍ରତିନିଧିରୂପେ ଜଣେ ଜ୍ଞାନୀ, ସନ୍ଥ, ତତ୍ତ୍ଵଦର୍ଶୀ ବୈଷ୍ଣବ ଯୁବକର ସୃଜନୀ ପ୍ରତିଭାକୁ ଅନୁପ୍ରାଣିତ କରିଦେଲା ।

ସେଦିନ ସାରାଦିବସ ସାରାରାତି ଗୋଟିଏ ଘରେ କବାଟ କିଳି ଲେଖନୀ ଓ ତାଳପତ୍ର ଧରି ବସିରହିଲା ଯୁବକଟି । ଉତ୍କଳଭାରତୀଙ୍କର ଅଦୃଶ୍ୟ ଆଶିଷ ତା'ର ଲେଖନୀ ମଧ୍ୟରେ ସଞ୍ଚରିତ ହୋଇରହିଲା । ପରଦିନ ଶୁଭ ଉଷାକାଳରେ ଯୁବକଜଣକ ମା'ଙ୍କୁ ଡାକି ଶୁଣାଇଲା ଲଳିତ, ମଧୁରାତିମଧୁରଂ ଗଭୀର ଅନ୍ତର୍ବୋଧ ତଥା ମହାନ ତତ୍ତ୍ଵମୟ ସର୍ଜନା ନିଜ ମା'ଙ୍କ ଭାଷାରେ, ମାତୃଭାଷାରେ, ଅଗଣିତ ଓଡ଼ିଆଙ୍କ ଭାଷାରେ . . "ଭାଗବତ" ।

ନମଇଁ ନୃସିଂହ ଚରଣ।
ଅନାଦି ପରମ କାରଣ ।।
ସକଳ ବେଦ ହୋଇ ବୃକ୍ଷେ ।
ଫଳ ଫଳିଲେ ଅନ୍ତରୀକ୍ଷେ ।।
X X X
ତହୁଁ ଝରିଲା ସୁଧାଝର ।
ସୁଜନେ ମିଶି ପାନ କର ।।

ଏହି ସୁଧାମୟ ସୁଲଳିତ ପଦଗୁଡିକ ଶୁଣୁ ଶୁଣୁ ସେଇ ବିଧବା ମା'ଟିର ଅନ୍ତର ଥରି ଉଠିଲା ଏକ ଅଜଣା ମହାଭାବର ସ୍ପନ୍ଦନରେ । ଦୁଇ ଆଖିରୁ ଝରି ପଡ଼ିଲା ଦିବ୍ୟ ପ୍ରେମାନୁଭୂତିର ମଧୁର ବିଧୁର ଅଶ୍ରୁଧାରା ।

ଧନ୍ୟ ସେ ମା', ଆହୁରି ଧନ୍ୟ ସେ ପୁଅ ।

ସେଦିନର ସେ ଶୁଭ ସକାଳଟି ଥିଲା ସମଗ୍ର ଓଡ଼ିଆ ଜାତି ଓ ତା'ର ସାହିତ୍ୟ ସଂସ୍କୃତି ପାଇଁ ଏକ ମହାନ ସ୍ମରଣୀୟ ପ୍ରସ୍ଫୁଟନର ସକାଳ । ସେଇ ସର୍ଜନା ଓଡ଼ିଆ ଭାଗବତ ପରିଣତ ହୋଇଗଲା ଓଡ଼ିଆମାନଙ୍କୁ ସର୍ବଭାବ ଓ ଚିନ୍ତା ଉଦ୍ରେକକାରୀ ଅନବଦ୍ୟ ଭାଷାସମ୍ପଦ, ସମଗ୍ର ଓଡ଼ିଆଜାତି ପାଇଁ ଏକ ସର୍ବଜନଗ୍ରାହ୍ୟ ଭାଷା; ଆଉ ସେ ମହାନ ଯୁବକ ଜଣକ ବନିଗଲେ ସର୍ବଜନାଦୃତ ଓ ସର୍ବଜନମାନ୍ୟ ଅତିବଡ଼ି ଜଗନ୍ନାଥ ଦାସ, ଓଡିଶା ମାଟିରେ ଗୁଞ୍ଜରିତ ହେଲା ଅପୂର୍ବ ସୁଧାଭକ୍ତିର ଧାରା ।
🙏ଓଁ ନମଃ ଭଗବତେ ବାସୁଦେବାୟ🙏
      ନମଇଁ ନୃସିଂହ ଚରଣ।
      ଅନାଦି ପରମ କାରଣ।।
      ଯା ବିନୁ ଆଦି ମଧ୍ୟ ଅନ୍ତ।
      ବିଚାରେ ନ ଘଟେ ଜଗତ।।
      ଇନ୍ଦ୍ରିୟ ଅର୍ଥ ଯେ ଜାଣଇ।
      ସ୍ଵତେଜେ ନିତ୍ୟ ପ୍ରକାଶଇ।।
      ଆନନ୍ଦ ମନେ ବେଦସାର।
      ବ୍ରହ୍ମାରେ ଯେ କଲା ବିସ୍ତାର।।
      ଯାହାର ରୂପ ହୃଦେ ଚିନ୍ତି।
      ବେଦପୁରୁଷ ନ ଜାଣନ୍ତି।।
      ମୃତ୍ତିକା ବିକାର ଯେମନ୍ତ।
       ଜଳରେ ହୁଅଇ କଳ୍ପିତ।।
      ଜଳେ ଉପଳ ବୁଦ୍ଧି କରି।
      ମୃଗତୃଷ୍ଣାରେ ଯେହ୍ନେ ବାରି।।
      ରୂପ ଅରୂପ ସ୍ଥିତି ତିନି।
      ଯାର ଗୋଚରେ ଅନୁମାନି।।
       ସ୍ଵଭାବେ ନୋହେ ସେ ତେମନ୍ତ।
      ଏ ସାଂଖ୍ୟଯୋଗୀଙ୍କର ମତ।।
       ଆତ୍ମପ୍ରକାଶେ ସଦା ଥାଇ।
      ନିରସ୍ତ କୁହକ ବୋଲାଇ।।
      ସତ୍ୟ ପରମାନନ୍ଦ ହରି।
      ଯା ଭାବେ ଭବ ସତ୍ୟ କରି।।
      ଏମନ୍ତ ସତ୍ୟ ରୂପ ଯାର।
      ତା ପାଦେ ମୋର ନମସ୍କାର।।

ସେହି ପବିତ୍ର ଭାଗବତ ବନିଗଲା ଓଡ଼ିଆର ପ୍ରାଣ ଆଉ ସ୍ପନ୍ଦନ, ଜୀବନ ପାଇଁ ପ୍ରତିକ୍ଷୀତ ଆଲୋକ, ଓଡ଼ିଆଙ୍କ ସର୍ବାଧିକ ବାଂଛିତ ପ୍ରିୟତମ କାବ୍ୟ, ଆଉ ପଣ୍ଡିତ ଜଗନ୍ନାଥ ଦାସ ହୋଇଗଲେ "ପ୍ରିୟକବି", ଓଡ଼ିଆର ସବୁଠାରୁ ପ୍ରିୟତମ ଇଷ୍ଟଦେବତା ଜଗନ୍ନାଥଙ୍କ ପରି ସବୁଠାରୁ ପ୍ରିୟତମ ଇଷ୍ଟକବି, ରହିଗଲେ ଓଡିଆର ହୃଦୟରେ ଚିରସ୍ମରଣୀୟ, ସଦାପୂଜନୀୟ ହୋଇ, ଦେବତାର ଆସନ ନେଇ ।

✍ ମାନସ ରଞ୍ଜନ ସାହୁ

ଲୁହ

ଅଟକୁନି ଲୁହ  ବୋହି ଚାଲୁଛି ଅନବରତ ଆଖିବି ନିଜର କରି ରଖି ପାରୁନି  ଏ ଲୁହକୁ,,,, ବାସ୍ ଝରି ଯାଉଛି ଟୋପା ଟୋପା ହୋଇ! ମନର ବ୍ୟଥା  ହୃଦୟର କୋହ  ସତରେ ଭା...