Sunday, November 28, 2021

● ଜୟଯାତ୍ରା ●




ଜୟଯାତ୍ରା 
======
ଦିନେ ଦର୍ପଣ ସମ୍ମୁଖେ ଶ୍ରୀକୃଷ୍ଣ କରୁଥିଲେ ନୀରିକ୍ଷଣ 
ରୁପସଜ୍ଜା ଶୃଙ୍ଗାରରେ ବସ୍ତ୍ର ଓ ଅଳଙ୍କାର ଆଭରଣ 
ବାରମ୍ବାର ଦେଖୁଥିଲେ ନିଜ ପ୍ରତିବିମ୍ବ ହୋଇ ଉଚ୍ଚାଟ 
ଆଗ୍ରହେ ସଜାଉଥିଲେ ଆଭୂଷଣ ଓ ମଥାର ମୁକୁଟ ll

ବାହାରେ ରଥ ଧରି ଅପେକ୍ଷା କରିଥିଲା ତାଙ୍କ ସାରଥୀ 
ପ୍ରଭୁଙ୍କ ଅହେତୁକ ବିଳମ୍ବରେ ହୁଏ ତାର ଧୈର୍ଯ୍ୟଚ୍ୟୁତି 
ଇଚ୍ଛାଧାରୀ ମାୟାଧର ଶ୍ରୀକୃଷ୍ଣ ସେ ଭାରି ରହସ୍ୟମୟ 
କୌତୁହଳ ବଶେ ସାରଥୀ ପ୍ରବେଶିଲା ହୋଇ ଅଥୟ ll

କୃତାଞ୍ଜଳି ପୁଟେ କହେ ସାରଥୀ: ହେ ଗୋବିନ୍ଦ ମାୟାଧର 
ଦେଖିନାହିଁ କେବେ ଆପଣଙ୍କ ଏତେ ଘଡି ରୂପ ଶୃଙ୍ଗାର 
ଦୀର୍ଘ ସମୟ ଧରି ନିରେଖି ନିଜକୁ ଦର୍ପଣ ଆଗରେ 
କାହାକୁ ଭେଟିବା ହେବେ ଆଜି, କେତେ ଜିଜ୍ଞାସା ମୋ ମନରେ ll

ରହସ୍ୟର ସ୍ମିତହାସେ କହନ୍ତି କୃଷ୍ଣ: ଶୁଣ ହେ ସାରଥୀ!
ଭେଟିବାକୁ କୌରବ ବୀର ଦୁର୍ଯ୍ୟୋଧନ, ହୋଇଅଛି ବ୍ରତୀ 
ଚକିତ ଭୃକୁଞ୍ଚିତ ସାରଥୀ କହେ: ସେଥିପାଇଁ ଏ ବେଶ? 
ଦୁଷ୍ଟ କୁଚକ୍ରୀ ଦୁର୍ଯ୍ୟୋଧନ ପାଇଁ ଏତେ କାହିଁକି ଆବେଶ? ll

କୌତୁକ ପ୍ରିୟ କୃଷ୍ଣ କହନ୍ତି: ସାରଥୀ ମନ ଦେଇ ଶୁଣ 
ଦୁର୍ଯ୍ୟୋଧନ ତ ଦେଖିପାରେନାହିଁ ଭିତରର ଦିବ୍ୟଗୁଣ 
ତା'ପାଇଁ ବାହ୍ୟ ରୂପ ଜାଜ୍ଜ୍ୱଲ୍ୟ ସମ୍ପଦ ବେଶୀ ମୂଲ୍ୟବାନ 
ନାହିଁ ତା'ର ବୁଦ୍ଧି ଜ୍ଞାନ ବିବେକ, ନାହିଁ ଶୁଦ୍ଧ ଅନ୍ତର୍ମନ ll

ଅସନ୍ତୁଷ୍ଟ ସାରଥୀ କହେ ପ୍ରତିବାଦ ସ୍ଵରେ: ହେ ମୋ ପ୍ରଭୁ!
ସେ ଗର୍ବୀ ଉଦ୍ଧତ ଦୁର୍ଯ୍ୟୋଧନ ପାଇଁ ଏତେ ଦରଦ ସବୁ 
ଅପାତ୍ରରେ ଦାନ ତାହା, ଆସୁ ସିଏ ଆପଣଙ୍କ ସମ୍ମୁଖ 
ଅତ୍ୟାଚାରୀ ପାଖକୁ କାହିଁକି ଧାଇଁଯିବେ କଳା ଶ୍ରୀମୁଖ? ll

ପ୍ରସନ୍ନ ସସ୍ମିତ ବଦନେ କହନ୍ତି ଶ୍ରୀକୃଷ୍ଣ: ହେ ସାରଥୀ 
ଅନ୍ଧକାର ତ ସଦା ସର୍ବଦା ଆଲୋକର କରୁଣା ପ୍ରାର୍ଥୀ 
ନାହିଁ ତା'ର ସତ ସାହସ, କାଳିମାରେ ନତ ସଦା ମଥା 
ବରଂ 'ଆଲୋକ' ଯିବ 'ଅନ୍ଧକାର' ପାଶେ କରି 'ଜୟଯାତ୍ରା' ll
============================
ପ୍ରମୋଦ କୁମାର ମହାନ୍ତି ll

Thursday, November 25, 2021

● ସ୍ବପ୍ନର ପରୀ ●

ଆସ ମୋ ସ୍ୱପ୍ନରେ ପାହାନ୍ତି ସକାଳେ 
ପରୀ ରାଇଜରୁ ଓହ୍ଲାଇ
ଦେଖି ପାରେ ନାହିଁ ତୁମ ମୁହଁ ପ୍ରିୟା 
କ୍ଷଣକରେ ଯାଅ ଉଭେଇ .....

ଇଛା ହୁଏ ପ୍ରିୟା ତୁମକୁ ଦେଖିବି
ତୁମ ସାଥେ ପ୍ରେମାଳପ  କରି
ତୁମ ସହ କିଛି ସମୟ କାଟିବି
ତୁମ ସାଥେ ସାରା ଜୀବନ ରହିବି ..... 

ହେଲେ ଯେବେ ତୁମେ ସ୍ୱପ୍ନରେ ଆସୁଛ
ମରୀଚିକା ପରି ଉଭେଇ ଯାଉଛ
କ୍ଷଣକେ ଆସୁଛ କ୍ଷଣକେ ଯାଉଛ
ପାଗଳ ଦେଉଛ କରି,
ଯେବେ ନିଦ ଭାଙ୍ଗିଯାଏ 
ମନ ହେଉଥାଏ ଝୁରି ......

କିଏ ତୁମେ ପ୍ରିୟା ! ଚିହ୍ନା ଦିଅ ଥରେ 
ତୁମେ ପରୀ କିବା ସ୍ୱର୍ଗର ଅପସରି .....!!!
ତୁମ ଭାବନାରେ ବୁଡ଼ି ମୁଁ' ରହୁଛି
ଭାବନାରେ ଦିନ-ରାତି କାଟୁଛି, 
ତୁମ ପାଇଁ କେତେ କବିତା ଲେଖୁଛି, 
ପୁଣି ତୁମକୁ କେତେ ଝୁରି ହେଉଛି,
ତୁମକୁ ଦେଖିବା ପାଇଁ,,,
ଶୋଇଯାଏ ନିଦେ ଅତି ଶିଘ୍ର 
ଶେଜରେ ସ୍ୱପ୍ନରେ ଭେଟିବା ପାଇଁ ....!!!

ଆସ ଯେବେ ତୁମେ ସ୍ୱପ୍ନରେ
ଆଖି ପଲକରେ ସାଇତି ରଖିବା ପାଇଁ 
ମନ ହୁଏ ଭାରି ଅସ୍ତିର
ତୁମକୁ ସାଇତିବା ପାଇଁ,,,
ମନେ ଆଙ୍କିଦିଏ ତୁମ ପ୍ରତିଛବି !
ରମ୍ଭା,ମେନେକାଦି ଉର୍ବଶୀ ସବୁ
ତୁମ ଆଗେ ଫିକା ପଡ଼ିଯିବେ
ମୋ ହୃଦୟ ତୁଳୀ ଆଗେ
 ତୁମକୁ ଦିଏ ମୁଁ ଆଙ୍କି .....!!!

ତୁମ ପରିଚୟ ଅଜଣା, 
ଖୋଜି ହୁଏ ତୁମ ଠିକଣା,
ସ୍ୱପ୍ନରେ ସ୍ୱପ୍ନରେ ଘୁରି ବୁଲୁଥାଏ
ପାଇବାକୁ ତୁମ ଠିକଣା
ଝୁରି ହୋଇଥାଏ ତୁମକୁ ନପାଇ
ଅଧିର ମୁଁ ତୁମକୁ ଦେଖିବା ପାଇଁ 
ସ୍ୱପ୍ନ ମୋର ଯାଏ ଲମ୍ବି ,
ହେଲେ ରାତି ଯାଏ ସରି,
 ନିଦ ଯାଏ ଭାଙ୍ଗି 
ଅଧୁରା ରହିଯାଏ ସ୍ବପ୍ନ 
ତୁମକୁ ଦେଖି ନପାରି .....

ସୁଶୀଲ୍ କୁମାର ଭୋଇ,ଭୁବନେଶ୍ୱର-୨

ସମର୍ପଣ (topic - 111 ସାଧନା ) quote #quot


ସାଧନା ବଳେ         ସବୁ ସମ୍ଭବ 
     ପଶୁବି ପୋଷା ମାନେ 
ସାଧନା କରି             ଭବୁ ତରନ୍ତି 
       ଯୋଗୀ ସନ୍ୟାସୀ ଗଣେ 
ସାଧନା ବଳେ          ଶିକ୍ଷା ସମ୍ଭବ 
           ଜ୍ଞାନ ବିଜ୍ଞାନ ତାଳେ 
 ସାଧନା ଥିଲେ         ବିକାଶ ନିଶ୍ଚେ 
          ନାହିଁ ସଂନ୍ଦେହ ତିଳେ .....
                - ସନ୍ତୋଷ ପଟ୍ଟନାୟକ

ସାଧନାର ବଳେ ହିମାଳୟ ପରେ      
      ପହଞ୍ଚି କିଶୋରୀ ଗଣ 
 ସବୁ ଜଟିଳକୁ  କରନ୍ତି  ସରଳ 
        ଶୁଣ ସର୍ବ ଜନେ ଶୁଣ 
ମନେ ଏକାଗ୍ରତା ହୋଇଲେ ଜାଗୃତ
       ଅସାଧ୍ୟ କାର୍ଯ୍ଯ ସରଳ 
ପଙ୍ଗୁ ବି ଲଙ୍ଘିବ ଗିରିଶୃଙ୍ଗ ମାଳ 
         ନୁହଁଇ କିଛି ଜଟିଳ ।
             - ରାଧାକୃଷ୍ଣ ବାୟକ

ହରିନାମ ରସ ମୁଖେ ଦିଏ ହସ 
    କଷଣେ କରିଲେ ପାନ 
ମୁକତି ପଥରେ ଆତ୍ମାର ବିଲୀନ 
       ହଜି ଯାଏ ପାପ ଚିହ୍ନ   
ନୁହଁଇ ସହଜ ପ୍ରତି ପାଦେ ଧୈର୍ଯ୍ୟ
      ଅସହ୍ୟ ଯନ୍ତ୍ରଣା ପଥେ 
ନଷ୍ଟ ପ୍ରାଣୀ ପୁଣି ଶ୍ରେଷ୍ଠ ହୋଇଯାଏ 
        ହରି ସାଧନାର ରଥେ ।
                   - ଟୁକୁନା ସାହୁ

ସାଧନା ବଳରେ   ଶକ୍ତ ଏ ମଣିଷ
     ସାଧନାରେ ଦିବ୍ଯ ଦୃଷ୍ଟି
ସାଧନା ବଳରେ  ଗଢିଲେ ଇଶ୍ବର
       ସୁନ୍ଦର ଏଇ ଯେ ସୃଷ୍ଟି
ସାଧନାରେ ପରା  ମନ ରହେ ଶାନ୍ତ
      ସାଧନାରେ ସିଦ୍ଧି ପ୍ରାପ୍ତି 
ସାଧନାରେ ପରା ଦିବ୍ଯ ଶକ୍ତି ମିଳେ
         ଇଶ୍ବର ହୁଅନ୍ତି ପ୍ରିତି
                  - ଜଗବନ୍ଧୁ ସାହୁ

ସାଧନା ବଳରେ ପଙ୍ଗୁ ଲଂଘେ ଗିରି
         ଅଜ୍ଞାନୀ ହୁଅଇ ଜ୍ଞାନୀ
  କଣ୍ଟକିତ ପଥ     ହୁଅଇ ସହଜ
         ଗରିବ ବି ହୁଏ ଧନୀ 
ସାଧନା ପଥରେ ଧୈର୍ଯ୍ୟ ସହକାରେ
     ରଖିଲେ ନିଷ୍ଠାର ଭାବ
ସାଧନାରୁ ମିଳେ    ଅଦୃଶ୍ୟ ଶକତି
          ଟଳିଯାଏ ପରାଭବ 
                - ରାମ ଚନ୍ଦ୍ର ପ୍ରଧାନ

ସାଧନା ଏ ଶବ୍ଦ ସାଫଲ୍ୟ ନିନାଦ
     ମହାନ ମନାଙ୍କ ମତ
ଅକାଟ୍ୟ ଏ ବାଣୀ ଭିନ୍ନତା ଭିଆଣି
      ଚରାଚରେ ପରିକ୍ଷିତ
ସାଧନାରେ ସିଦ୍ଧି  ପୃଥିବୀ ପରିଧି
        ସଭିଏଁ ରଖହେ ଜାରି
ଆପଣା ଉଦ୍ୟମେ ସାଧନର ଶ୍ରମେ
     ସାତ ସିନ୍ଧୁ ହେବ ପାରି
            -  ଦାଶରଥି ସାହୁ

ସାଧନା ମାଧ୍ୟମେ ଯାହା ସିଦ୍ଧି ମିଳେ
     ଭକ୍ତ ଭଗବାନ ଭାବ
  ତପସ୍ୟାର ଆଳେ ସାଧନାର ବଳେ
       ଦୁଃସାଧ୍ୟା ମଧ୍ୟ ସମ୍ଭବ
ଦେବ ସୁର ନର କେତେ ମୁନୀ ଋଷି 
       ବୁଝି ସାଧନାର ତତ୍ତ୍ଵ
ପୋଥି ପୁରାଣରେ ସ୍ୱର୍ଣ୍ଣାକ୍ଷରେ ଲେଖା
       ସାଧନାର ଆଦି ଅନ୍ତ
             - ପ୍ରବୀର ମଲ୍ଲିକ

ସାଧନାର ବଳେ ଦଶ୍ଯୁ ରତ୍ନାକର
     ମନକୁ କରିଲେ ବଶ
 ବାଲ୍ମିକି ପାଲଟି ରାମାୟଣ ରଚି
      ଅର୍ଜିଗଲେ ବହୁ ଯଶ
କେତେ ମୁନୀ ଋଷି ସାଧନାରେ ବସି
         ତେଜିଣ ପାନୀୟ ଖାଦ୍ଯ
 ବିଭୁଙ୍କୁ ସୁମରି  ବର ପ୍ରାପ୍ତିଛନ୍ତି
        ଅସାଧ୍ୟକୁ କରି ସାଧ୍ୟ 
                   - ରବିନ୍ଦ୍ର ସାହୁ

Friday, November 19, 2021

⛵ଓଡ଼ିଶାର ତଥା ନୌଯାତ୍ରାର ଅଧିଷ୍ଠାତ୍ରୀ ଦେଵୀ ମାଆ ମଙ୍ଗଳା⛵

ଓଡ଼ିଶାର ତଥା ନୌଯାତ୍ରାର ଅଧିଷ୍ଠାତ୍ରୀ ଦେଵୀ 
                      ମାଆ ମଙ୍ଗଳା
     [ ଉପସ୍ଥାପନା ; ✍ ଶିଶିର ସାହୁ ମନୋଜ ]

ଆମ କଳିଙ୍ଗୋଡ୍ରତ୍କଳରେ ନୌଵାଣିଜ୍ୟ ପରମ୍ପରାର ଅଧିଷ୍ଠାତ୍ରୀ  ମା’ ମଙ୍ଗଳା  । କଳିଙ୍ଗ ଦେଶର ସାଧଵମାନେ ବୋଇତ ଦେଇ ଯାତ୍ରା ଆରମ୍ଭ କରିଵା ସମୟରେ ମା’ ମଙ୍ଗଳାକୁ ସ୍ମରଣ କରୁଥିଲେ ତାଙ୍କର ଆରାଧନା କରୁଥିଲେ । 

 ଗୋପୀନାଥ ଦାସ  ତାଙ୍କ “ଖୁଦୁରୁକୁଣୀ” ପଦ୍ୟରେ ସାଧଵମାନେ କିପରି ମାଆ ମଙ୍ଗଳାଙ୍କୁ ସୁମରଣା କରନ୍ତି ତହିଁର ଵର୍ଣ୍ଣନା କରିଛନ୍ତି 
 
“ଜୟଗୋ ଜୟଗୋ ମଙ୍ଗଳା
 ଉଦ୍ଧାର ବୁଡ଼ିବାର ଭେଳା ।
  ସଂକଟ ତାରିଣୀ ମଙ୍ଗଳା 
  ଉଦ୍ଧାର ବୁଡ଼ିବାର ଭେଳା ।”

ମଙ୍ଗ୍ ଧାତୁର ଅର୍ଥ ଗମନ କରିଵା ଵା ଯିଵା ।ନୌକାର ମୁଣ୍ଡ ଵା ନୌକାର କର୍ଣ୍ଣ ତଥା ଜାହାଜର ପାର୍ଶ୍ବ(ଆପ୍ଟେ)କୁ ମଙ୍ଗ କୁହାଯାଏ । ଡଙ୍ଗାର ଆଗ ପାଖର ମଙ୍ଗକୁ ଆଗମଙ୍ଗ ଓ ପଛପାଖର ମଙ୍ଗକୁ ପଛମଙ୍ଗ କହନ୍ତି । 

ଯେମିତି ମଙ୍ଗ ଵିନା ବୋଇତରେ ଆତଯାତ କରିଵା ଅସମ୍ଭଵ ସେହିପରି ମଙ୍ଗ୍ ଧାତୁରୁ ନିଷ୍ପନ୍ନ ମଙ୍ଗଳା ନାମରେ ନାମିତ ମାଆ ମଙ୍ଗଳାଙ୍କ ସ୍ମରଣ ଵିନା ଜଳଯାତ୍ରା ମଧ୍ୟ ନିତାନ୍ତ ଵିପଦପୂର୍ଣ୍ଣ ବୋଲି ପ୍ରାଚୀନ କାଳରୁ ଏ ଦେଶରେ ଲୋକଵିଶ୍ଵାସ ପ୍ରଚଳିତ । କଳିଙ୍ଗୋଡ୍ରତ୍କଳର ନୌଵାଣିଜ୍ୟ ଯୁଗରେ   ବୋଇତର ମଙ୍ଗ ଉପରେ ମା’ ମଙ୍ଗଳାକୁ ସ୍ଥାପନ କରାଯାଉଥିଲା ।  କାର୍ତ୍ତିକ ପୂର୍ଣ୍ଣିମା ପରେ ମାର୍ଗଶିର ମାସରେ ଗମନ କରି ଭାଦ୍ରବ ମାସରେ ସାଧବମାନେ ନୌବାଣିଜ୍ୟ ସାରି ଵିଦେଶରୁ ସ୍ଵଦେଶକୁ ଲେଉଟି ଆସୁଥିଲେ । ସାଧଵମାନଙ୍କର ଶୁଭ ପ୍ରତ୍ୟାଵର୍ତ୍ତନ ଲାଗି କୁମାରୀମାନେ ଭାଦ୍ରବ ମାସରେ ମଙ୍ଗଳମୟୀ ମା’ ମଙ୍ଗଳାଙ୍କୁ ଆରାଧନା କରୁଥିଲେ ଯାହା ଆଜି ମଧ୍ୟ “ଖୁଦୁରୁକୁଣୀ ଓଷା” ନାମରେ ପାଳିତ ହୋଇଥାଏ ।  

 ପାର୍ଵତୀ, ଦୁର୍ଗା ଓ ସରସ୍ବତୀ ଠାକୁରାଣୀଙ୍କ ମୂର୍ତ୍ତିକୁ ମଙ୍ଗଳା କୁହାଯାଏ । ପତିଵ୍ରତା ସ୍ତ୍ରୀ,ଧଳା ଓ ନୀଳ ଦୁବ ତଥା ହଳଦୀକୁ ମଧ୍ୟ ମଙ୍ଗଳା କୁହାଯାଏ ।‌ ଓଡ଼ିଶାର ଅଧିଷ୍ଠାତ୍ରୀ ଦେଵୀ ହେଉଛନ୍ତି ମାଆ ମଙ୍ଗଳା । ତାଙ୍କୁ ଏଠାକାର ଅଧିକାଂଶ ଗ୍ରାମରେ ଗ୍ରାମ୍ୟ ଦେଵୀ ରୂପେ ଆରାଧନା କରାଯାଏ । କାକଟପୁରରେ ସେହି ମାଆଙ୍କର ପ୍ରସିଦ୍ଧ ମନ୍ଦିର ଵିଦ୍ୟମାନ । 

ଓଡ଼ିଶାର ଲୋକେ ନୌଵାଣିଜ୍ୟ କରୁଥିଲେ ଫଳରେ  ନୌଯାତ୍ରାର ଅଧିଷ୍ଠାତ୍ରୀ ଦେଵୀ ମାଆ ମଙ୍ଗଳାଙ୍କର ଦେଵସ୍ଥାନ ଓଡ଼ିଶାର ପ୍ରାୟ ଅଧିକାଂଶ ଅଞ୍ଚଳରେ ଦେଖାଯାଏ । ମାଆ ମଙ୍ଗଳାଙ୍କୁ ସ୍ମରଣ ଵିନା ନୌଯାତ୍ରା କରିଵାକୁ ଅଶୁଭ ମନେ କରାଯାଉଥିଲା ‌ । 
 

 ଶ୍ରୀଧର ଧୀଵରଙ୍କ  ‘ଖୁଲଣା ସୁନ୍ଦରୀ’ ଗୀତିକାଵ୍ୟରେ ଏହି ଲୋକଵିଶ୍ଵାସ ସୁନ୍ଦର ଭାବରେ ପ୍ରତିଫଳିତ ହୋଇଛି ।  ସାଧଵ ଧନେଶ୍ବର ନୌଵାଣିଜ୍ୟ ଯାତ୍ରା ଆରମ୍ଭ ପୂର୍ଵରୁ ମା’ ମଙ୍ଗଳାଙ୍କ ପରିଵର୍ତ୍ତେ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରିଥିଵାରୁ ପରେ କେମିତି ବହୁ ଦୁଃଖ ଓ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ ଏଵଂ ଧନେଶ୍ଵର ସାଧଵ ପ୍ରତି ମା’ ମଙ୍ଗଳାଙ୍କର ତିରସ୍କାରକୁ ଶ୍ରୀଧର ଧୀଵର ‘ଖୁଲଣା ସୁନ୍ଦରୀ’ରେ ଏପରି ଉଲ୍ଲେଖ କରିଛନ୍ତି ...
 

“ଧନେଶ୍ବର ତୁ କି ବାତୁଳ ହେଲୁ କି
 ମତେ ଛାଡ଼ି ତୁ ଅନ୍ୟକୁ ଭଜିଲୁ । 
 ସେ କାଳିଆ ବଡ଼ ଦେଉଳେ ବସି 
 ଭୋଗ ଖାଉଥାଏ ହୋଇଣ ଖୁସି ।
  ଦେଖିବି ସେ ତୋତେ ରଖେ କେମିତି 
  ମୁହିଁ ମା’ ତୋତେ କହେ ଏତିକି । ”
  
 ସ୍ପଷ୍ଟ ହୁଏ  ମା’ ମଙ୍ଗଳା ନୌଵାଣିଜ୍ୟ ପରମ୍ପରାର ଇଷ୍ଟ ଦେଵୀ ଫଳତଃ ଏ ଦେଶରେ ଆଗେ ନୌଯାତ୍ରା ପୂର୍ଵରୁ ଜୟ ଜଗନ୍ନାଥର ଜୟଘୋଷ ନୁହେଁ ଵରଂ ମାତା ମଙ୍ଗଳାଙ୍କୁ ସ୍ମରଣ କରାଯାଉଥିଲା  । ଆଜି ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଆଜକୁ ଶତ ଶତ ଵର୍ଷ ପୂର୍ଵେ ଏହି ମାର୍ଗଶିର ମାସରେ ମାଆ ମଙ୍ଗଳାଙ୍କୁ ସ୍ମରଣ ଓ ପୂଜା କରି ବୋଇତ ନେଇ ନୌଵାଣିଜ୍ୟ ହେତୁକ ସାଗରପାରି ଦେଶମାନଙ୍କୁ ଗମନ କରୁଥିଲେ ।‌ 
 
ଯୁଗ ପରେ ଯୁଗ ବିତି ଯାଇଛି କଳିଙ୍ଗ ଦେଶର ସେ ସୁଵର୍ଣ୍ଣ ଯୁଗ ମଧ୍ୟ ଅପସରି ଯାଇଛି କିନ୍ତୁ ଓଡ଼ିଆ ଜାତି ପ୍ରାୟତଃ ସ୍ଵାଭିମାନହୀନ ହୋଇ ସୁଦ୍ଧା ତା ଜାତୀୟ ଠାକୁରାଣୀ ମାଆ ମଙ୍ଗଳାଙ୍କର ଆଜି ବି ଆରାଧନା କରିଚାଲିଛି । ସେଇ ମାଆମାଟି ଅଛି , ମହୋଦଧି ଓ ମାଆ ମଙ୍ଗଳା ଅଛନ୍ତି କିନ୍ତୁ ୪୦୦ ଵର୍ଷର ପରାଧୀନତା ଯୋଗୁଁ ଓଡ଼ିଆ ଜାତିର ସ୍ଵାଭିମାନ ହ୍ରାସ ହେତୁକ ଏ ଜାତି ସୁନାରୁ କ୍ରମଶଃ ମାଟି ହୋଇ ହୋଇ ଗଲାଣି ।

Wednesday, November 17, 2021

🔵ସବୁରି ଚିତ୍ତଚୋର🔵 (✍ଗୋଦାବରୀଶ ମହାପାତ୍ର)

ଉତ୍କଳମଣି ଗୋପବନ୍ଧୁ ଗଞ୍ଜାମରେ କୌଣସି ଏକ ପଲ୍ଲୀ ସଭାକୁ ଗଲାବେଳେ ଏକ କୌତୁକାଵହ ଘଟଣାଟିଏ ଘଟିଥିଲା । ଭିକ୍ଷାକରି ଚଳୁଥିଵା ଦୁଇଜଣ ବୁଢ଼ୀ ଗୋପବନ୍ଧୁଙ୍କୁ  ସବାରିରେ ଯିଵା ଦେଖି ଜଣେ କିଏ ବର ଵିଭାହୋଇଯାଉଛି ବୋଲି ମନେକରି ସଭାକୁ ଯାଇଥିଲେ । ଉଭୟ ବୁଢୀ଼ ପରସ୍ପରରେ କଥା ହେଉଥାନ୍ତି । ଏ ବୁଢ଼ା ଵରକୁ କିଏ ଅଵା ନିଜ ଝିଅର ଜୀଵନ ନଷ୍ଟ ହେଵାକୁ ଵିଭା କରାଉଛି ।  କିନ୍ତୁ ଉତ୍କଳମଣିଙ୍କ ଭାଷଣ ଶୁଣିଵାପରେ ତାଙ୍କର ହୃଦବୋଧ ହୋଇଛି ଯେ ଇଏ କାହାର ଵର ନୁହେଁ ଵରଂ ଓଡ଼ିଆ ଜାତିର ଵରପୁତ୍ର । “ସବୁରି ଚିତ୍ତଚୋର” କଵିତାରେ ଗୋଦାଵରୀଶ ମହାପାତ୍ର ସେହି ଘଟଣାକୁ ଅତୀଵ ଚମତ୍କାର ଭାବରେ ଵର୍ଣ୍ଣନା କରିଅଛନ୍ତି ...

  🔵🔵🟠🟠🟠

ବାଜେ କରତାଳି, ବାଜେ ମାଦଳ, 
ଥରିଉଠେ ନୀଳ ଗଗନ ତଳ, 
ଗଣି ହୁଏ ନାଇଁ ଲୋକ-ଲହର ପଥପ୍ରାନ୍ତର ଧାରେ,
 ସବୁରି ଵଦନେ ପୂରିଛି ଆଶା,
  ପୁଲକି ଉଠଇ ମରମ ଭାଷା, 
  ପଡ଼ିଚି ଚହଲି ସବୁଜ ରସା ବନ୍ଦନ ଗୀତିକାରେ । 

ଜନଗଣ ମନ କାମନା ଜାଣି 
ଵିଜେକଲେ ଅଵା ଅଭୟପାଣି,
 ଲୋଚ଼ନ କୋଣରେ ଉଠେ ଉଜାଣି 
 ସବୁରି ଅଧରେ କଥା,
  ଶୋହେ କରେ କରେ କୁସୁମ ମାଳା, 
 
ଦିଏ ହୁଳହୁଳି ପଲ୍ଲୀବାଳା, 
ଉଶ୍ଵାସ ହୁଏ ପରାଣ ଭାରା ଦର୍ଶନେ ଚିର ଵ୍ୟଥା । 

ସେ ତ କୋଟି ଜନ ପରାଣସାଇଁ, 
କୁସୁମେ ଶୁଶ୍ରୁ ଦେଇଡ଼ି ଛାଇ 
ମାଳାଭାରେ ଗଳା ପଡ଼ିଚି ଲଇଁ
 ଚିନ୍ତିତ ଭଗବାନ, 
ନାଶିବେ ଦେଶର କଳି-କଳୁଷ, 
ଯେତେ ଏ ଦଳିତ-ଦୀନ-ମଣିଷ 
ଯୋଡ଼ି କର ଯୁଗ ଯାଚେ ଆଶିଷ 
 ସୁନ୍ଦର ମହୀୟାନ !! 

କେଉଁ ଗାଆଁ, କେଉଁ କୁଟୀର ଛାଡ଼ି 
ଆସିଥିଲେ ବୁଲି ଦୁଇଟି ବୁଢ଼ୀ, 
ସେ ଲୋକ ଗହଳେ ରହିଲେ ବୁଡ଼ି 
କି ବା ସେ ଦେଖିଲେ ତହିଁ,
 କିଏ ଗୀତ ଗାଏ, କିଏସେ ହସେ, 
 ବୁଢ଼ୀ ବଖାଣିଲା ବୁଢ଼ୀର ପାଶେ 
 କାହା କାନେ କିଏ କି କଥା ଭାଷେ, 
 କି କଥା ଦେଖିଲି ମୁହିଁ ! 
 
ଏତିକି ବାଜଣା, 
ଏତିକି ଗୋଳ ମଲା ଯା ଏତିକି ନାଟ ! 
ସବାରି ଭିତରେ ଏ ବୁଢ଼ା ବର
 ଏଥିପାଇଁ କିଆଁ ଏତେ ଚହଳ, 
ଏନ୍ତୁଡ଼ିଶାଳେ ନ ଚିପି ତୋଟି 
କିଏ ରଖିଥିଲା କାହା ଝିଅଟି,
 ଆଖି ଯାହା ଦେଖି ନଗଲା ଫୁଟି 
 ଗାଆଁରେ ବସିଛି ହାଟ !! 

କହିଲା ଆରେକ ହୁଅ ଗୋ ତୁନି, 
ବେଦୀରେ ବସିଵ ଏ ବୁଢ଼ା ପୁଣି !
 କୁଶେ ବାନ୍ଧିଵେ କାହାର ପାଣି, 
 କିଏ ସେହି ଅଭାଗିନୀ

ଏତେ ଵରଜାତି, 
ଏଡ଼ିକି ଭିଡ଼,
 ଏ ବୁଢ଼ା ଵରକୁ ଏତିକି ମାଳ ! 
 
ଭିକମଗା ଆଜି ଛାଡ଼ିଲେ ଛାଡ଼,
 ଦେଖିଵା ଚାଲ ଗୋ ନାନି ।
  ବସିଲା ଏ କାଳେ ସେ ଜନସଭା 
  ଜମାଟ ଧରିଲା ଜଳଦ ଅଵା,
  
   ସଜ୍ଜିତ ପୀଠେ ହୋଇଲେ ଉଭା 
   ସେଇ ଚିନ୍ତିତ ଵୀର,
    ଅଭୟ ଵରଦ ଶ୍ରୀକର ଟେକି
     ବେଗ-ଉଦ୍‌ବେଗ 
   ଜନତା ଦେଖି କହିଲେ 
   ରହିଚି ଆହୁରି ବାକି ଆଗେ ପଥ ବହୁ ଦୂର । 
   
ଚାଲ, ଚାଲ, ଆଜି ଚାଲ ରେ ବେଗେ, 
ଭିକ୍ଷା ଯା ମାଗୁଛ ଲଜ୍ଜା ଲାଗେ, 
ମାନଵ ଭିତରେ ଦେଵତା ଜାଗେ, 
ରମଣୀ ଭିତରେ ରମା, 
ଉନ୍ନତ କର ଆନତ ଶିର
 ଏଇ ତୋ ବିଜୟ-ପତାକା ଧର, 
 ଭୁଲ ତୋ ଭିତରେ ଆପଣା ପର, 
ଛାଡ଼ ବନ୍ଧନ ସୀମା । 

ଏଇ ମାଟିତଳ ଦଳିତ ଜାତି, 
ଏଇ ଧରଣୀର ଗଭୀର ରାତି, 
ଏଇ ଏ ଜାତିର ପତଳା ଛାତି, 
ଏଇ ମାଟିଘେରା ଗାଆଁ, 
ଏଇ ଜନତାର ଏକଇ ଡାକେ 
ଭେଦି ଗିରିଵନ ଦିଗ୍‌ଵିଦିକେ
 ନଵ କଳେଵର ନଵୀନ ଲୋକେ 
 ବାରେ ତୁ ଆଗକୁ ଚାହାଁ ।

 ଏଇ ଯେ ଗାଆଁର ଗରିବ ‘ବିନ’, 
 ଏଇ କୁଡ଼ିଆର ‘ସୁଦୁରୀ’, ‘ଘନ’, 
 ଏଇ କୁଲି, ଏଇ ବାଉରି, ପାଣ, 
 ଏଇ ଭିକାରୁଣୀ ବୁଢ଼ୀ,
  ଏଇ ତୋ ଜାତିର ଅସ୍ଥିମଜ୍ଜା
   ନଵୀନ ଜୀଵନେ କର ତୁ ତାଜା,

ପର ବୋଲେ ତୁହି ନିଜେ ନ ହଜା, 
ମରିବୁ ଅକୂଳେ ବୁଡ଼ି । 
କରତାଳି ତାଳ ଉଠିଲା ନାଡ଼ି;
 ସନ୍ଧାନ କଲେ ସଵ୍ୟସାଚୀ
  ପ୍ରତି ମନ ତଳେ ବଚନ ଯୋଡ଼ି, 
 ବିଜୁଳି ଖେଳିଲା ସତେ ! 
 
ଦେଲେ ହୁଳହୁଳି ରମଣୀକୁଳ, 
ଚମକିଲା ନର-ସାଗର କୂଳ, 
ସେଇ ସମାକୁଳ ଭକ୍ତକୁଳ 
ବନ୍ଦିଲେ ଯୋଡ଼ ହାତେ ।

 ସେ ସଭା ପ୍ରାନ୍ତେ ଦୁଇଟି ବୁଢ଼ୀ 
 ପଳିତ ଗଣ୍ଡେ ଲୋତକ ଢାଳି 
 ଯୋଡ଼ି କରଯୁଗ କହିଲେ ଖାଲି 
 ଆହା ଲୋ ଭଉଣୀ ମୋର, 
 ଏଇ ଯେ ବେଦୀରେ ବସିଚି ଵର 
 ଏ ଵର ନୁହେ ତ ଜଣେ କାହାର, 
 କାହା ହୃଦମଣି କାହା ଦୋସର
  ସବୁରି ଚିତ୍ତଚୋର !!

.................................................................

Sunday, November 14, 2021

● ପଞ୍ଚୁକ ●


#ପଞ୍ଚୁକ 

   ଉପସ୍ଥାପନା : ✍ସନ୍ତୋଷ ପଟ୍ଟନାୟକ,ଗଞ୍ଜାମ।                                           

କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପରମ ପବିତ୍ର ଦିବସ I ଏହି ପଞ୍ଚୁକରେ ତେତିଶ କୋଟି ଦେବତା ମନୁଷ୍ୟମାନଙ୍କର ସନ୍ନିକଟ ହୋଇଯାନ୍ତି I ଏହି ସମୟରେ ଏକଲକ୍ଷ ତୁଳସୀପତ୍ର ଚଢାଇ ବିଷ୍ଣୁଙ୍କୁ ପୂଜାକଲେ, ସମସ୍ତ ଦେବତା ପ୍ରସନ୍ନ ହୋଇ ବର ପ୍ରଦାନ କରନ୍ତି I “ସର୍ବଦେବ ନମସ୍କାରଃ କେଶବଂ ପ୍ରତିଗଚ୍ଛତି I” ଗୋଟିଏ ଗୋଟିଏ ତୁଳସୀ ଦଳ ଗୋଟିଏ ଗୋଟିଏ ମୋତି ହୋଇଯାଏ I ପାଞ୍ଚଦିନ ଗୋବିନ୍ଦ ନାମ ସ୍ମରଣକଲେ ଅକ୍ଷୟପୁଣ୍ୟ ପ୍ରାପ୍ତିହୁଏ I ସେଥିପାଇଁ କୁହାଯାଇଛି: “ଗୋବିନ୍ଦ ଗୋବିନ୍ଦ ହରେ ମୁରାରେ ଗୋବିନ୍ଦ ଗୋବିନ୍ଦ ମୁକୁନ୍ଦକୃଷ୍ଣ, ଗୋବିନ୍ଦ ଗୋବିନ୍ଦ ରଥାଙ୍ଗ ପାଣେ ଗୋବିନ୍ଦ ଦାମୋଦର ମାଧବେତି I”
ଏ ବେଳରେ ଭାଗବତ ଏବଂ ଗୀତା ପାଠ କରିବା ବିଧେୟ I ପ୍ରତ୍ୟହ ଗୀତାର ଗୋଟିଏ ଶ୍ଳୋକ ପାଠକରି ମଧ୍ୟ ମନୁଷ୍ୟ ଜୀବନ୍ମୁକ୍ତ ହୋଇଥାଏ । ସ୍କନ୍ଦ ପୁରାଣ ମତେ:
“କାର୍ତ୍ତିକ ମାସି ବିପ୍ରେନ୍ଦ୍ର ଯସ୍ତୁଗୀତାଂ ପଠେନ୍ନରଃ
ତସ୍ୟ ପୁଣ୍ୟଫଳଂ ବକ୍ତୁଂ ମମଶକ୍ତି ର୍ନ ବିଦୀତେ
ଗୀତାୟାସ୍ତୁ ସମଂ ଶାସ୍ତ୍ରଂ ନ ଭୂତଂ ନ ଭବିଷ୍ୟତି
ସର୍ବ ପାପହରା ନିତ୍ୟଂ ଗୀତୈକା ମୋକ୍ଷଦାୟିନୀ
ଶ୍ରୀମଦ୍ ଭଗବତସ୍ୟାପି ଶ୍ରବଣଂ ଯଃ ସମାଚରେତ୍
ସର୍ବପାପ ବିନିର୍ମୁକ୍ତଃ ପରଂ ନିର୍ବାଣ ମୃଚ୍ଛତି I”

ଏହି ପାଞ୍ଚଦିନକୁ ଭୀଷ୍ମପଞ୍ଚକ କୁହାଯିବାର ପୌରାଣିକ ରହସ୍ୟ ହେଉଛି, ବାଣଶଯ୍ୟା ଉପରେ ଶାୟିତ ପିତାମହ ଭୀଷ୍ମ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ I ଏଥିରେ ପ୍ରସନ୍ନ ହୋଇ ଶ୍ରୀବାସୁଦେବ କହିଲେ ଆପଣ ଧନ୍ୟ I ଧର୍ମର ଗୂଢ଼ ରହସ୍ୟ ବର୍ଣ୍ଣନା କରିଛନ୍ତି I କାର୍ତ୍ତିକ ଏକାଦଶୀଦିନ ଆପଣ ଜଳର ଯାଚନା କରିଛନ୍ତି I ଅର୍ଜୁନ ବାଣର ବେଗରେ ଗଙ୍ଗାଜଳ ପ୍ରସ୍ତୁତ କଲେ, ଯଦ୍ୱାରା ଆପଣଙ୍କର ତନ, ମନ, ପ୍ରାଣ ସନ୍ତୁଷ୍ଟ ହେଲା । ଏଣୁ ଆଜିଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଯେଉଁମାନେ ଆପଣଙ୍କୁ ଜଳ ଅର୍ଘଦାନ କରିବେ – ସେମାନେ ମୋତେ ତୃପ୍ତ କରିବେ I ଏହା ହିଁ ଭୀଷ୍ମପଞ୍ଚକ ।
ବ୍ରତଧାରୀ ସବ୍ୟ ହୋଇ ମହାତ୍ମା ଭୀଷ୍ମଙ୍କ ପାଇଁ ତର୍ପଣ କରିବେ I ଏହି ଭୀଷ୍ମତର୍ପଣ ସମସ୍ତ ବର୍ଣ୍ଣର ଲୋକେ କରିପାରିବେ I ଏଥିପାଇଁ ମନ୍ତ୍ର ନିମ୍ନ ମତେ:
“ସତ୍ୟବ୍ରତାୟ ଶୁଚିୟେ ଗାଙ୍ଗେୟାୟ ମହାତ୍ମନେ
ଭୀଷ୍ମାୟୈତଦ୍ ଦଦାମ୍ୟର୍ଘ୍ୟ ମାଜନ୍ମ ବ୍ରହ୍ମଚାରିଣେ I”
ଅର୍ଥାତ ଆଜନ୍ମ ବ୍ରାହ୍ମଚର୍ଯ୍ୟ ପାଳନକର୍ତ୍ତା ପରମ ପବିତ୍ର ସତ୍ୟବ୍ରତ ପରାୟଣ ଗଙ୍ଗାନନ୍ଦନ ଭୀଷ୍ମଙ୍କୁ ମୁଁ ଏହି ଅର୍ଘ୍ୟ ପ୍ରଦାନ କରୁଛି । ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଅନେକ ଏହି ଭୀଷ୍ମପଞ୍ଚକ ବ୍ରତ ପାଳନ କରନ୍ତି । ସନ୍ତାନହୀନ ବ୍ୟକ୍ତିଙ୍କ ପାଇଁ ଭୀଷ୍ମପଞ୍ଚକ ପାଳନୀୟ, ଏକଥା ପଞ୍ଚୁକରେ ଅର୍ଘ୍ୟଦାନ ମନ୍ତ୍ରରୁ ସୁସ୍ପଷ୍ଟ ହୋଇଥାଏ I ଅର୍ଘ୍ୟଦାନର ମନ୍ତ୍ର ହେଉଛି:
“ବୈୟାଘ୍ୟପଦ ରୋତ୍ରାୟ ସାଙ୍କୃତ ପ୍ରବରାୟ ଚ
ଅପୁତ୍ରାୟ ଦଦାମ୍ୟେତ ଦୁଦକଂ ଭୀଷ୍ମ ବର୍ମଣେ
ବତ୍ସନାମବତାରାୟ ଶନ୍ତନୋ ରାତ୍ମଜାୟ ଚ
ଅର୍ଘ୍ୟଂ ଦଦାମି ଭୀଷ୍ମାୟ ଆଜନ୍ମ ବ୍ରହ୍ମଚାରିଣେ I”
ଯାହାଙ୍କର ବ୍ୟାଘ୍ରପଦ ଗୋତ୍ର ଏବଂ ସାଂକୃତ ପ୍ରବର, ସେହିପୁତ୍ର ରହିତ ଭୀଷ୍ମବର୍ମାଙ୍କୁ ମୁଁ ଏହିଜଳ ଦେଉଛି I ବସୁମାନଙ୍କ ଅବତାର, ଶାନ୍ତନୁଙ୍କ ପୁତ୍ର, ଆଜନ୍ମ ବ୍ରହ୍ମଚାରୀ ଭୀଷ୍ମଙ୍କୁ ମୁଁ ଅର୍ଘ୍ୟ ଦେଉଛି I ପଞ୍ଚଗବ୍ୟ, ସୁଗନ୍ଧଚନ୍ଦନ, କୁଙ୍କୁମଦ୍ୱାରା ଭକ୍ତିପୂର୍ବକ ଶ୍ରୀହରିଙ୍କ ପୂଜନ କରିବ I ଅଷ୍ଟାକ୍ଷର ମନ୍ତ୍ର “ଓଁ ନମୋ ବାସୁଦେବାୟ” ବା ଷଡାକ୍ଷର ମନ୍ତ୍ର “ଓଁ ରାମାୟ ନମଃ” ଶହେ ଆଠବାର ଜପ କରିବ I ବ୍ରତକାଳରେ ବ୍ରାହ୍ମଚର୍ଯ୍ୟ ପାଳନ କରିବ I କାର୍ତ୍ତିକ ପୌଷମାସୀରେ ବ୍ରାହ୍ମଣଙ୍କୁ ନ୍ୟୁନ ପକ୍ଷେ ପାଞ୍ଚ ଜଣ ବ୍ରାହ୍ମଣଙ୍କୁ ଭୋଜନ ଦେଇ ବ୍ରତ ଉଦଯାପନ କରିବ ।

ଏହି ପଞ୍ଚକରେ ପାଞ୍ଚଦିନ ଯାକ ତାତ୍ପର୍ଯ୍ୟପୂର୍ଣ୍ଣ । ପଞ୍ଚକର ପ୍ରଥମଦିନ ହେଉଛି ବଡ ଏକାଦଶୀ I ଆଷାଢ ଶୁକ୍ଳପକ୍ଷ, ଏକାଦଶୀ ତିଥିରେ ଭଗବାନ ବିଷ୍ଣୁ ଶଙ୍ଖାସୁରକୁ ବଧ କରିଥିଲେ I ଅତଃ  ସେହିଦିନ ଠାରୁ ଚାରିମାସ କାଳ ଭଗବାନ କ୍ଷୀରସାଗରରେ ବିଶ୍ରାମ କରନ୍ତି I ଚାର୍ତୁମ୍ୟାସ୍ୟା ପରେ କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଜାଗ୍ରତ ହୁଅନ୍ତି I ଏହିକାରଣରୁ ବୈଷ୍ଣବମାନେ “ଉତ୍ତିଷ୍ଠୋତ୍ତିଷ୍ଠ ଗୋବିନ୍ଦ ଉତ୍ତିଷ୍ଠ ଗରୁଡଧ୍ୱଜ ଉତ୍ତିଷ୍ଠ କମଳାକାନ୍ତ ତୈଲୋକ୍ୟ ମଙ୍ଗଳଂ କୁରୁ” ମନ୍ତ୍ରୋଚ୍ଚାରଣ କରି ବିଷ୍ଣୁ ଭଗବାନଙ୍କୁ ଜାଗ୍ରତ କରାନ୍ତି I ହେ ଗୋବିନ୍ଦ ! ଉଠନ୍ତୁ, ଉଠନ୍ତୁ, ହେ ଗରୁଡଧ୍ୱଜ ! ଉଠନ୍ତୁ I ହେ କମଳାକାନ୍ତ ! ନିଦ୍ରା ତ୍ୟାଗକରି ତିନିଲୋକର ମଙ୍ଗଳ କରନ୍ତୁ । ପିତାମହ ବ୍ରହ୍ମା ଦେବର୍ଷି ନାରଦଙ୍କୁ କହିଛନ୍ତି ଏହି ଏକାଦଶୀକୁ ପ୍ରବୋଧିନୀ ଏକାଦଶୀ ବୋଲି ।
ଏହି ଏକାଦଶୀରେ ଉପବାସ ରହିବା ହଜାରେ ଅଶ୍ୱମେଧ ତଥା ଶହେ ରାଜସୂୟ ଯଜ୍ଞର ଫଳ ଦିଏ । ପଞ୍ଚକର ଦ୍ୱିତୀୟଦିନ ହେଉଛି ଦ୍ୱାଦଶୀ । ଏହିଦିନ ଉତ୍ତମ, ବୁଦ୍ଧିମାନ ମନୁଷ୍ୟ ବୃଦ୍ଧ ପିତାମାତାଙ୍କୁ ବିଧିପୂର୍ବକ ଭୋଜନ କରାଇ ନିଜ ସ୍ତ୍ରୀ ସହିତ ଭଗବାନ ବିଷ୍ଣୁଙ୍କ ପ୍ରସାଦକୁ ସେବନ କରନ୍ତି । ଯେଉଁ ମନୁଷ୍ୟ ଏହି ପ୍ରକାର ବିଧିରେ ଦ୍ୱାଦଶୀ ବ୍ରତର ଭୋଜନ କରାଇ ନିଜ ସ୍ତ୍ରୀ ସହିତ ଭଗବାନ ବିଷ୍ଣୁଙ୍କ ପ୍ରସାଦକୁ ସେବନ କରନ୍ତି, ସେ ଉତ୍ତମ ସୁଖ ଉପଭୋଗ କରି ଶେଷରେ ମୋକ୍ଷପ୍ରାପ୍ତ ହୁଅନ୍ତି ।
ପଞ୍ଚକର ଶେଷ ତିନିଦିନ ତ୍ରୟୋଦଶୀ, ଚତୁର୍ଦ୍ଦଶୀ, ପୂର୍ଣ୍ଣିମା ଅତ୍ୟନ୍ତ ପୂଣ୍ୟମୟ ତିଥି । ପୂର୍ଣ୍ଣିମା ଏବଂ ତାର ପୂର୍ବ ଚାରିଦିନକୁ ମିଶାଇ ପାଞ୍ଚ ଦିନକୁ ପଞ୍ଚୁକ କୁହାଯାଏ, ଯଥା ପଞ୍ଚକ, ମହାପଞ୍ଚକ, ବକ ପଞ୍ଚକ, ଭୀଷ୍ମ ପଞ୍ଚକ ଓ ରାସ ପୂର୍ଣ୍ଣିମା । ଏହି ପାଞ୍ଚଦିନ ପ୍ରତ୍ୟେକ ହିନ୍ଦୁ ଆମିଷ ପରିହାର କରି ଶୁଦ୍ଧ, ସାତ୍ତ୍ୱିକ ଭୋଜନ କରନ୍ତି ।

Thursday, November 11, 2021

● ଚରଣାନୁଗତ ●

● ଚରଣାନୁଗତ ● ✍ ନୀହାର ରଞ୍ଜନ ଆଚାର୍ଯ୍ୟ 

ଆସିଥିଲି ଯେବେ ମାଆ କୋଳକୁ ମୁଁ 
ବାପା ହେଲେ କେତେ ଖୁସି, 
କୋଳରେ ଖେଳେଇ ଦୋଳିରେ ଝୁଲେଇ 
ବଢ଼ାଇଲେ ସତେ ଶଶୀ। ୧।

ଷୋଳଟି ଫଗୁଣ ଡେଇଁଯିବା ପରେ 
ଯେବେ ଯୌବନ ପଶିଲା, 
ଦେଖି ଦୁନିଆର ରୀତିନୀତି ସବୁ 
ମନେ ବୈରାଗ୍ୟ ଆସିଲା। ୨।

ସଂସାର ସୁଖକୁ ଭୁଲି ଗଲି ମୁହିଁ 
ଗେରୁଆ ଆଦରି ନେଲି
ଭୌତିକ ବାସନା ପଛେ ଛାଡ଼ି ଦେଇ  
କାଳିଆକୁ ଆଶ୍ରା କଲି । ୩।

ଜନମ ମୋହର ସାର୍ଥକ ଲଭିବ 
ପାଇଲେ ଚରଣ ସ୍ପର୍ଶ, 
ସେହି ପଦେ ରହି ଦେଖୁଥିବି ମୁହିଁ 
କଳାମୁଖ ସ୍ମିତ ହାସ୍ୟ ।୪।

ଲୋଡ଼ା ନାହିଁ ମୋର ସଂସାର ବନ୍ଧନ 
କୋଳରେ କୋଳେଇ ନିଅ 
ସେଇ ପ୍ରେମ ପାଇ ମୁକତି ଲଭିବି 
ଶ୍ରୀଚରଣେ ସ୍ଥାନ ଦିଅ ।୫।

● ଅପେକ୍ଷା ●

- *ଅପେକ୍ଷା*-

ଅପେକ୍ଷାର ଅନ୍ତ କେବେ ହେବ ତା' ମୁଁ ଜାଣିନି
ହେଲେ ଅପେକ୍ଷା କରିଛି ତୁମ ସନ୍ଦେଶକୁ
ତୁମେ ଫେରିବକି ନାହିଁ ତା'ମଧ୍ୟ  ଜାଣିନି
ହେଲେ ଅପେକ୍ଷା କରିଛି ତୁମ ଫେରିବା ବାଟକୁ


ତୁମକୁ ଅପେକ୍ଷା କରିଛି,ହଁ କେବଳ ତୁମକୁ 
ଠିକ୍ ଚାତକ ପରି କେବଳ ତୁମ
ଫେରିବା ବାଟକୁ ଚାହିଁ ରହିଛି,
କାରଣ ମୁଁ ତମକୁ ଭଲ ପାଉଛି,
ତୁମେ ମନେ ରଖିଥିବ କି ଭୁଲି ଯାଇଥିବ 
ତା' ମୁଁ ଜାଣିନି ,,,,
ହେଲେ କଥା ଦେଇଥିଲ ତୁମେ କେବଳ ମୋର ଆଉ ,
ମୁଁ ସବୁ ଦିନ ପାଇଁ ତୁମ ହୃଦୟରେ ଥିବି !!!

ତୁମେ ତୁମ ପ୍ରତିଶ୍ରୁତି,ପ୍ରତିଜ୍ଞା କଥା
ମନେ ରଖିଥିବ କି ନାହିଁ ,
 ତା' ମୁଁ ଜାଣିନି ,,,,
ହେଲେ ତୁମର ପ୍ରତ୍ୟକଟି କଥା
ମୁଁ ମୋ ହୃଦୟରେ ସାଇତିକି ରଖିଛି 
କାରଣ ମୁଁ ତୁମକୁ ମୋ ଜୀବନଠୁ ଅଧିକ ଭଲ ପାଉଛି ,
ତୁମକୁ ଝୁରୁଛି,
ତୁମ ପାଇଁ ମରୁଛି   !!!

ତୁମେ ମୋ ଠାରୁ ଦୁରରେ ରହି କେମିତି ଅନୁଭବ କରୁଥିବ 
ତା'ମଧ୍ୟ  ମୁଁ ଜାଣିନି,
ହେଲେ ତୁମକୁ ଅପେକ୍ଷା କରି କିପରି ବଞ୍ଚିଛି !!
ଥରେ ଆସି ଦେଖି ଯାଅ,ତୁମପାଇଁ ମୁଁ କେମିତି ଶବ ପାଲଟି ଯାଇଛି ,,,
ମୋ ନିଃଶ୍ୱାସ-ପ୍ରଶ୍ୱାସରେ
କେବଳ ତୁମକୁ ଅନୁଭବ କରୁଛି !!!

ମୋର ଶିରା, ପ୍ରଶିରା,ରକ୍ତ,ଧମନୀର
ପ୍ରତ୍ୟେକଟି ଉପାଦାନରେ
କେବଳ ତୁମକୁ ଅନୁଭବ କରୁଛି,
ଖାସ୍ ତୁମ ପାଇଁ ମୁଁ କେବଳ 
ତୁମ ଅପେକ୍ଷାରେ ଅଛି,
ତୁମ ଫେରିବା ବାଟକୁ ଚାହିଁ,
ତୁମ ଭଲ ପାଇବା ପାଇଁ,
ମୋ ଜୀବନର ସାଥି କରିବା ପାଇଁ  ।

ସୁଶୀଲ୍ କୁମାର ଭୋଇ,ଭୁବନେଶ୍ୱର-୨

ଲୁହ

ଅଟକୁନି ଲୁହ  ବୋହି ଚାଲୁଛି ଅନବରତ ଆଖିବି ନିଜର କରି ରଖି ପାରୁନି  ଏ ଲୁହକୁ,,,, ବାସ୍ ଝରି ଯାଉଛି ଟୋପା ଟୋପା ହୋଇ! ମନର ବ୍ୟଥା  ହୃଦୟର କୋହ  ସତରେ ଭା...