Sunday, November 28, 2021

● ଜୟଯାତ୍ରା ●




ଜୟଯାତ୍ରା 
======
ଦିନେ ଦର୍ପଣ ସମ୍ମୁଖେ ଶ୍ରୀକୃଷ୍ଣ କରୁଥିଲେ ନୀରିକ୍ଷଣ 
ରୁପସଜ୍ଜା ଶୃଙ୍ଗାରରେ ବସ୍ତ୍ର ଓ ଅଳଙ୍କାର ଆଭରଣ 
ବାରମ୍ବାର ଦେଖୁଥିଲେ ନିଜ ପ୍ରତିବିମ୍ବ ହୋଇ ଉଚ୍ଚାଟ 
ଆଗ୍ରହେ ସଜାଉଥିଲେ ଆଭୂଷଣ ଓ ମଥାର ମୁକୁଟ ll

ବାହାରେ ରଥ ଧରି ଅପେକ୍ଷା କରିଥିଲା ତାଙ୍କ ସାରଥୀ 
ପ୍ରଭୁଙ୍କ ଅହେତୁକ ବିଳମ୍ବରେ ହୁଏ ତାର ଧୈର୍ଯ୍ୟଚ୍ୟୁତି 
ଇଚ୍ଛାଧାରୀ ମାୟାଧର ଶ୍ରୀକୃଷ୍ଣ ସେ ଭାରି ରହସ୍ୟମୟ 
କୌତୁହଳ ବଶେ ସାରଥୀ ପ୍ରବେଶିଲା ହୋଇ ଅଥୟ ll

କୃତାଞ୍ଜଳି ପୁଟେ କହେ ସାରଥୀ: ହେ ଗୋବିନ୍ଦ ମାୟାଧର 
ଦେଖିନାହିଁ କେବେ ଆପଣଙ୍କ ଏତେ ଘଡି ରୂପ ଶୃଙ୍ଗାର 
ଦୀର୍ଘ ସମୟ ଧରି ନିରେଖି ନିଜକୁ ଦର୍ପଣ ଆଗରେ 
କାହାକୁ ଭେଟିବା ହେବେ ଆଜି, କେତେ ଜିଜ୍ଞାସା ମୋ ମନରେ ll

ରହସ୍ୟର ସ୍ମିତହାସେ କହନ୍ତି କୃଷ୍ଣ: ଶୁଣ ହେ ସାରଥୀ!
ଭେଟିବାକୁ କୌରବ ବୀର ଦୁର୍ଯ୍ୟୋଧନ, ହୋଇଅଛି ବ୍ରତୀ 
ଚକିତ ଭୃକୁଞ୍ଚିତ ସାରଥୀ କହେ: ସେଥିପାଇଁ ଏ ବେଶ? 
ଦୁଷ୍ଟ କୁଚକ୍ରୀ ଦୁର୍ଯ୍ୟୋଧନ ପାଇଁ ଏତେ କାହିଁକି ଆବେଶ? ll

କୌତୁକ ପ୍ରିୟ କୃଷ୍ଣ କହନ୍ତି: ସାରଥୀ ମନ ଦେଇ ଶୁଣ 
ଦୁର୍ଯ୍ୟୋଧନ ତ ଦେଖିପାରେନାହିଁ ଭିତରର ଦିବ୍ୟଗୁଣ 
ତା'ପାଇଁ ବାହ୍ୟ ରୂପ ଜାଜ୍ଜ୍ୱଲ୍ୟ ସମ୍ପଦ ବେଶୀ ମୂଲ୍ୟବାନ 
ନାହିଁ ତା'ର ବୁଦ୍ଧି ଜ୍ଞାନ ବିବେକ, ନାହିଁ ଶୁଦ୍ଧ ଅନ୍ତର୍ମନ ll

ଅସନ୍ତୁଷ୍ଟ ସାରଥୀ କହେ ପ୍ରତିବାଦ ସ୍ଵରେ: ହେ ମୋ ପ୍ରଭୁ!
ସେ ଗର୍ବୀ ଉଦ୍ଧତ ଦୁର୍ଯ୍ୟୋଧନ ପାଇଁ ଏତେ ଦରଦ ସବୁ 
ଅପାତ୍ରରେ ଦାନ ତାହା, ଆସୁ ସିଏ ଆପଣଙ୍କ ସମ୍ମୁଖ 
ଅତ୍ୟାଚାରୀ ପାଖକୁ କାହିଁକି ଧାଇଁଯିବେ କଳା ଶ୍ରୀମୁଖ? ll

ପ୍ରସନ୍ନ ସସ୍ମିତ ବଦନେ କହନ୍ତି ଶ୍ରୀକୃଷ୍ଣ: ହେ ସାରଥୀ 
ଅନ୍ଧକାର ତ ସଦା ସର୍ବଦା ଆଲୋକର କରୁଣା ପ୍ରାର୍ଥୀ 
ନାହିଁ ତା'ର ସତ ସାହସ, କାଳିମାରେ ନତ ସଦା ମଥା 
ବରଂ 'ଆଲୋକ' ଯିବ 'ଅନ୍ଧକାର' ପାଶେ କରି 'ଜୟଯାତ୍ରା' ll
============================
ପ୍ରମୋଦ କୁମାର ମହାନ୍ତି ll

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...