Wednesday, March 30, 2022

● ଛନ୍ଦ ଓ ଛାନ୍ଦ ●

•ଛନ୍ଦ ଓ ଛାନ୍ଦ•

 ଓଡ଼ିଆରେ ଛାନ୍ଦ ଶବ୍ଦ ସାଧାରଣତଃ ଦୁଇଟି ଅର୍ଥରେ ଵ୍ୟଵହୃତ ହୋଇ ଆସୁଅଛି । ପ୍ରଥମତଃ ଏହା ସାମଗ୍ରିକ ଭାବେ କାଵ୍ୟ ରଚନାକୁ ବୁଝାଇଥାଏ । 
 
ଓଡ଼ିଶାର ପ୍ରାଚୀନ କଵି ସେମାନଙ୍କ କାଵ୍ୟକୃତିକୁ ଛାନ୍ଦ ନାମରେ ହିଁ ନାମିତ କରିଅଛନ୍ତି । ଦୃଷ୍ଟାନ୍ତ ସ୍ପରୂପ ଦୀନକୃଷ୍ଣ ଦାସଙ୍କ ଜଗମୋହନ ଛାନ୍ଦ, ଉପେନ୍ଦ୍ର ଭଞ୍ଜଙ୍କ ‘ଛାନ୍ଦଭୂଷଣ’, କେଶଵ ପଟ୍ଟନାୟକଙ୍କ ‘ଛାନ୍ଦ ଭାରତ’, ଲକ୍ଷ୍ମଣ ମହାନ୍ତି (ଆନୁମାନିକ ୧୬ଶ ଶତାବ୍ଦୀର ମଧ୍ୟ ଭାଗ)ଙ୍କ' ଉର୍ମିଳା ଛାନ୍ଦ’, ଵୈଦ୍ୟ ପର୍ଶୁରାମଙ୍କ ‘ଭରତ ରସାର୍ଣ୍ଣଵ ଛାନ୍ଦ' ପ୍ରଭୃତି କାଵ୍ୟର ନାମ ଉଲ୍ଲେଖଯୋଗ୍ୟ ।

 ଅତୀତରେ କାଵ୍ୟର ଅନ୍ୟ ନାମ ଥିଲା ଛାନ୍ଦଗୀତ । ଉପେନ୍ଦ୍ର ଭଞ୍ଜ ସେଥିପାଇଁ ଲେଖିଛନ୍ତି 
 
‘‘ବିଚାରଇ କରିବି ଉତ୍ତମ ଛାନ୍ଦ ଗୀତ
ରସସାର ଶୃଙ୍ଗାର ଯହିଁରେ ହେବ ଵ୍ୟକ୍ତ ।”

 ପୁନଶ୍ଚ ଛାନ୍ଦ ଶବ୍ଦ କାଵ୍ୟର ସର୍ଗ ଵା ଅଧ୍ୟାୟକୁ ମଧ୍ୟ ବୁଝାଉଥିଲା । ବହୁ କଵିଙ୍କ କାଵ୍ୟର ଭଣିତାରୁ ଏହା ଜଣାଯାଇଥାଏ ।
 
 ଯଥା,—‘ଇଚ୍ଛାଵତୀ’ କାଵ୍ୟର ପଞ୍ଚମ ଛାନ୍ଦର ଭଣିତାରେ କଵି ଵିଷ୍ଣୁ ଦାସ ଲେଖିଛନ୍ତି—
 
"ନୃପତି ଆନନ୍ଦ ଛାନ୍ଦ ପଞ୍ଚମ ଏହୁ, 
ବିଚାରିଣ ବୁଝ ମନେ ରସିକ ଯେହୁ ।”
 (ଇଚ୍ଛାଵତୀ ୫/୧୮)
 
 ଦେଵ ଦୁର୍ଲଭ ଦାସ ତାହାଙ୍କ ରହସ୍ୟ ମଞ୍ଜରୀ କାବ୍ୟର ୬ଷ୍ଠ ଛାନ୍ଦ ଭଣିତାରେ ଲେଖିଛନ୍ତି —
 
 ‘‘ଇତି ଶ୍ରୀ ରହସ୍ୟ ମଞ୍ଜରୀ ଷଷ୍ଠ ଛାନ୍ଦେ ଗୋପିକା ପ୍ରେମ ଲକ୍ଷଣ ଉକ୍ତି ଵନ୍ଦେ
 ସପ୍ତମ ଛାନ୍ଦ ଵର୍ଣ୍ଣନେ କେବଣ କେବଣ ସୁଖ 
 କହିଵାକୁ ଆଜ୍ଞା ହେଉ ବିମ୍ବାଧର ମୁଖ ।”
 
 ସମ୍ପ୍ରତି ଛାଦ ଶବ୍ଦ ଅନ୍ୟ ଏକ ଅର୍ଥଦ୍ୟୋତକ ହୋଇଥିଵା ଲକ୍ଷ୍ୟଣୀୟ ।
 
 ଏହି ଶବ୍ଦକୁ ଏବେ ଓଡ଼ିଶୀ ଗୀତଠାରୁ ପୃଥକ୍ ଏକ ଗାନ ରୀତି ଅର୍ଥରେ ଵ୍ୟଵହାର କରଯାଉଅଛି । 
 
ଓଡ଼ିଆ କାଵ୍ୟରେ ଵ୍ୟଵହୃତ ବୃତ୍ତମାନଙ୍କର ଗାନ ରୀତିର ସ୍ଵାତନ୍ତ୍ର୍ୟ ଦୃଷ୍ଟିରୁ ଏବେ ଏପରି ହୋଇଥିଵା ସ୍ୱାଭାଵିକ । ଓଡ଼ିଆ ଛାନ୍ଦ ଗୀତର ଵୈଶିଷ୍ଟ୍ୟ ହେଉଛି ଏଥିରେ ଧ୍ରୁଵ ଵା ଘୋଷା ପଦ ପରିଲକ୍ଷିତ ହୁଏ ନାହିଁ ।

 ସଙ୍ଗୀତ ପରିଭଷାରେ ଏହା ‘ଅଧି ଵା ପାଞ୍ଚାଳୀ ପର୍ଯ୍ୟାୟଭୁକ୍ତ । ମାତ୍ର ଚୌପଦୀ ଵା ସଙ୍ଗୀତରେ ସାଧାରଣତଃ ସ୍ଥାୟୀ ଵା ଘୋଷାପଦର ଵ୍ୟଵହାର ହୋଇଥାଏ । 
 
ଏଣୁ କାଵ୍ୟରେ ଵ୍ୟଵହୃତ ଛନ୍ଦ ଵା ରାଗକୁ ବୃତ୍ତ ନାମରେ ଅଭିହିତ କରିଵା ହିଁ ଯଥାର୍ଥ ।

 ଦୀର୍ଘାୟତନ ଵିଶିଷ୍ଟ ଓଡ଼ିଆ ପୁରାଣସମୂହ ସାଧାରଣତଃ ଗୋଟିଏ ଗୋଟିଏ ବୃତ୍ତରେ ରଚିତ । ଏକ ବୃତ୍ତାନୁସାରୀ କ୍ଷୁଦ୍ର ପଦ୍ୟ ରଚନା ପ୍ରାଚୀନ ଓଡ଼ିଆ ସାହିତ୍ୟରେ ‘ବୋଲି’ ନାମରେ ହିଁ ଅଭିହିତ ହେଉଥିଲା ।
 
 ଓଡ଼ିଆରେ ପୁଗଣ ରଚନା ହେଵା ପରେ ସଂସ୍କୃତ କାଵ୍ୟ ଅନୁସରଣରେ କାଵ୍ୟ ସମୂହ ରଚିତ ହୋଇଥିଲା । ଏହି ଅଵକାଶରେ କାଵ୍ୟର ଵିଭିନ୍ନ ସର୍ଗରେ ଵିଭିନ୍ନ ଛାନ୍ଦ ବୃତ୍ତ ଵ୍ୟଵହାର କରିଵାର ରୀତି ପ୍ରଵର୍ତ୍ତିତ ହୋଇଥିଲା । 
 
କାଵ୍ୟକୁ ଗାନ ଦୃଷ୍ଟିରୁ ଅଧିକ ଆକର୍ଷଣୀୟ କରିଵା ଲାଗି ଏପରି ହୋଇଥିଵା ସୁନିଶ୍ଚିତ । ଏହାହିଁ ହେଉଛି ଓଡ଼ିଆ କାଵ୍ୟର ଅନ୍ୟତମ ଵୈଶିଷ୍ଟ୍ୟ ।

ଓଡ଼ିଆ ପୁରାଣ କ୍ଷେତ୍ରରେ ସର୍ଵାଦୌ ଯେଉଁ ବୃତ୍ତର ଵ୍ୟଵହାର ହୋଇଥିଲା ତାହା ହେଉଛି ଵିଷମ ଅକ୍ଷର ଵିଶିଷ୍ଟ ଦାଣ୍ଡି ବୃତ୍ତ । ମାତ୍ର ଓଡ଼ିଆ କାଵ୍ୟରେ ଏହି ବୃତ୍ତର ଵ୍ଯଵହାର ପରିଲକ୍ଷିତ ହୁଏ ନାହିଁ । 

ଅନୁମିତ ହୁଏ, ନଵାକ୍ଷରୀ ଭାଗବତ ବୃତ୍ତ ହିଁ ଓଡ଼ିଆ କାବ୍ୟ ସାହିତ୍ୟରେ ଵିନିଯୁକ୍ତ ପ୍ରଥମ ଛାନ୍ଦବୃତ୍ତ । ପରଵର୍ତ୍ତୀ କାଳରେ ଏହା ଭାଗଵତ ବାଣୀ ଭାବରେ କାଵ୍ୟରେ ଉଲ୍ଲିଖିତ ହୋଇଅଛି । 

ଏତଦ୍ ବ୍ୟତୀତ ସମକାଳରେ ଓଡ଼ିଆ କାଵ୍ୟରେ ଯେଉଁ ଛାନ୍ଦ ବୃତ୍ତ ଅଧିକ ସମାଦର ଲାଭ କରିଥିଲା ତାହା ହେଉଛି ଚତୁର୍ଦ୍ଦଶାକ୍ଷରୀ ଛନ୍ଦ ।

ଯତିପାତର ଵିଭିନ୍ନତା ଦୃଷ୍ଟିରୁ ଏହାର ଵିଭିନ୍ନ ନାମ ଦେଖିଵାକୁ ମିଳେ । ସେଗୁଡ଼ିକ ହେଉଛି କଳସାଵାଣୀ, ମଙ୍ଗଳ, ଆଶାଵରୀ, ବସନ୍ତ ଭୈରଵୀ, କରୁଣାଶ୍ରୀ, ମାଳଵ, ଜୟନ୍ତ, କଳାକାଇଁଚ ଵାଣୀ ଇତ୍ୟାଦି । ବହୁ କଵି କାଵ୍ୟ ଆରମ୍ଭରେ ଏହି ଛାନ୍ଦ ଵ୍ୟଵହାର କରିଥିଵା ଜଣାଯାଏ ।

© ଓଡ଼ିଆ ଛନ୍ଦର ବିକାଶଧାରା
(ଜାନକୀ ବଲ୍ଲଭ ମହାନ୍ତି)

ସମର୍ପଣ (topic - 120 ଗୋମାତା) quote #quot



“ଓଁ ନାରାୟଣାୟ ଵିଦମହେ ବାସୁଦେବାୟ ଧୀମହୀ ତନ୍ନୋ ଗୌଃ ପ୍ରଚୋଦୟାତ୍” ॥

ଗୋମାତା‐ 120

ଆରମ୍ଭେ ଅବନୀ ଗୋମାତା ସୃଜନୀ
       ଆଦିମାତା  ପରେ ପରେ
ପୁରାଣୁ ପୁରୁଣା ନିହାତି ନିଖୁଣା
       ପୂଜନୀୟା ପୃଥିପରେ
 ଅଟେ ଅପରୂପା ତାଳୁରୁ ତଳିପା 
      ସର୍ବ ଦେବା ଦେବୀ ବାସ
ଅମୃତି ଦାୟିନୀ ପ୍ଲାବିତେ ପାବନୀ
      ଅବର୍ଣ୍ଣନୀୟ ତା' ଯଶ
                -  ଦାଶରଥି ସାହୁ

ସର୍ବ ଦେବା ଦେବୀ ସର୍ବାଙ୍ଗରେ ଥାଇ 
      ରହିଛି ଯାର ଆଦର 
ହିନ୍ଦୁଙ୍କ ଶାସ୍ତ୍ରରେ ଗୋମାତ ନାମରେ 
       ପୂଜା ପାଏ ଘର ଘର 
ମଳ ,ମୁତ୍ର ,ଦୁଗ୍ଧ ଅମୂଲ୍ୟ ସମ୍ପଦ
      ସର୍ବ କାର୍ଯ୍ୟେ ଉପଯୋଗ 
ତେଣୁ ଗୋସୁରକ୍ଷା ଆବଶ୍ୟକ ଆଜି 
        ସନାତନ ଧର୍ମୀ ଜାଗ 
                  - ପ୍ରବୀର ମଲ୍ଲିକ୍

ଯୁଗେ ଯୁଗେ ଆର୍ଯ୍ୟଭୂମି ଗାଉ ଅଛି ଗାଥା 
ଗୋଧନ ଐଶୁର୍ଯ୍ୟ ଗୋମାତା ହିଁ  ସର୍ବପୂଜ୍ୟା 
ଗୋରସ,ଗୋମୟ ,ଗୋମୁତ୍ର ଔଷଧରେ ପୂର୍ଣ୍ଣ 
ସମୁଦ୍ର ମନ୍ଥନୁ ଥିଲା ଗୋମାତାଙ୍କ ଜନ୍ମ 
ବାବର ହୁମାନ୍ ଆକବର ଆଦି ବିଧର୍ମା 
ନ୍ୟାୟ ମନେ ଚିନ୍ତି ଥିଲେ ଗୋମାତା ସୁରକ୍ଷା 
ସ୍ବାର୍ଥ ଘେନି ସନାତନୀ ହୁଅନି ବିମୁଖ 
ଗୋମାତା ସୁରକ୍ଷା କର ଜୀବନର ବ୍ରତ
         - ସନ୍ତୋଷ ପଟ୍ଟନାୟକ

ଗାଈ ଅଟଇ  ଆମ ଗୋମାତା
    ନାହିଁ କିଏ ତା' ପରି
ସାଙ୍ଗରେ ତା'ର ଟିକି ବାଛୁରୀ
     ସୁନ୍ଦର ଦିଶେ ଭାରି  
ଛୁଆକୁ ଦେଖି  ଜିଭରେ ଚାଟେ
      ହୃଦୟେ ଭରି ଖୁସି
ପଶୁ ହେଲେ ବି ସ୍ନେହ ମମତା
    ତା' ଠାରେ ଥାଏ ବେଶି 
           - ରାମ ଚନ୍ଦ୍ର ପ୍ରଧାନ

ଅଖଣ୍ଡ ଭାରତ ମୁନିଋଷି ତୀର୍ଥ 
    ଗୋମୟରେ ଲିପା ହୋଇ 
କି ସୁନ୍ଦର ଆହା ଦିଶୁଥିଲା ସତେ 
      ଅତୀତ ଦେଉଛି କହି 
ମାନବ ସନ୍ତାନ ବଞ୍ଚିବା ନିମନ୍ତେ 
     ହୃଦୟରେ ପ୍ରେମ ନେଇ 
ଗୋମାତା ଦୁଗ୍ଧ ଦେଉଅଛି ସଦା 
     ମାନବ କଲ୍ୟାଣ ଚାହିଁ 
              - ଟୁକୁନା ସାହୁ

କାମଧେନୁ ପୁତ୍ରୀ ଅଟଇ ଶୁଶୀଳା
   ଦିବ୍ୟ ଦେବାଂଶୀ ଗୋମାତା 
ମର୍ତ୍ଯମଣ୍ତଳେ ଯମଦଗ୍ନି ଗୋକୁଳେ
    ଉପହାର ଦେଲେ ବିଧାତା 
ଶୁଦ୍ଧ କାମନାରେ ଆତ୍ମାରୁ ସ୍ମରିଲେ
       ମନ ଜାଣି ବସ୍ତୁ ମିଳେ 
ମାଆ ପରି ଯାର ହୃଦୟ କୋମଳ
      କଳିରେ ମାରନ୍ତି ଛଳେ 
          - ରାଧା କୃଷ୍ଣ ବାୟକ

ମାଆ ପରେ ତୁହି ମାଆଟେ ପରାଲୋ
       କରାଇ ତୋ କ୍ଷୀର ପାନ
ଯୁଗ ଯୁଗରୁ ତୁ   ଦେଇ ଚାଲିଅଛୁ
      ଅମୂଲ୍ଯ ମୂଲ ତୋ ଦାନ
ତିନି ପୁରେ ହୁଏ ତୋହରି ଆଦର
      ପୂଜା ପାଇ ଧରାଧାମେ
  ନିସ୍ବାର୍ଥୀ ନିର୍ମଳ ହୃଦ୍ ତୋ କୋମଳ
       ବୋଲାଉ ଗୋମାତା ନାମେ...
                 -  ରବିନ୍ଦ୍ର ସାହୁ

ବସୁମାତା ଆଉ  ଗର୍ଭଧାରଣୀ ମା
    ଗୋମାତା ଓ ଠାକୁରାଣୀ 
ଏ ଚାରି ମାତାଙ୍କ ସନ୍ତାନ ଯେ ଆମେ 
       ସଂସାର ବିଧାନ ଭଣି 
ସମାଜ ହିତରେ   ଏଧରା ପୃଷ୍ଟରେ
     ଅଟଇ ଗୋମାତା  ଜନ୍ମ
ପଞ୍ଚାମୃତ ପାଇଁ    ଦିଅଇ ଆମକୁ
        ସ୍ବ ଅରଜନର ଧନ
କ୍ଷୀର ଦହି ମାନ କରଇ ସେ ଦାନ 
    ତାସହ ଗୋମୟ ଗୋମୁତ୍ର
ଗୋମୟରେ ପୁଣି  ଲିପା ହେବା ସ୍ଥାନ 
       ଅଟେ ଗଙ୍ଗାଠୁ ପବିତ୍ର
                 -  ଜଗବନ୍ଧୁ ସାହୁ

Friday, March 11, 2022

■ ପ୍ରମୁଖ ଚରିତ୍ର ■

ସ୍ରଷ୍ଟାଙ୍କ ସୃଷ୍ଟିରେ ବିଶ୍ୱାସ ବୃଷ୍ଟିରେ
         ପ୍ରମୁଖ ଚରିତ୍ର ଯୋଡା
କେଉଁଟି ସୁପଥ ଜୀବନ ଜାଗ୍ରତ
        କେଉଁ ଗୋଟି ଅସଜଡା
ଅସଜଡା ମନ ନିରାଶେ ନିମଗ୍ନ
      ଧାଁ ଦଉଡ଼ ଜୀବନରେ
ପରଖିବା ଆସ କିଏ ଓଠେ ହସ
      ଏକବିଂଶ ଶତାବ୍ବୀରେ
ଶତାବ୍ବୀର ସ୍ଥିତି ନିରବେ ନିଇତି
      ନୟନୁ ନିଗାଡ଼େ ନୀର
କାଚ କାଞ୍ଚନର ଏ ରଣ ହୁଙ୍କାର
     ଧର୍ମେ ମାରେ ଆଖି ଠାର
କିଏ ବେଦରଦି ସୁଖର ସମ୍ବନ୍ଧି
         ସମୟର ସାରଣୀରେ
କିଏ ତ୍ୟାଗି ଭୋଗି କିଏ ଅନୁରାଗି
         ମାଟି ବଇକୁଣ୍ଠ ପୁରେ   
ଭାଇର ଭରଷା ଅମୃତ ପରସା
      କାଳ୍ପନିକ କଳିକାଳେ
ମମତା ମୂହାଣି ସୁଭଦ୍ରା ଭଉଣୀ
      ଭାଳେଣି ଏ ଭୂମଣ୍ତଳେ
ପତ୍ନୀ ପରାକାଷ୍ଟା ସ୍ୱାର୍ଥରେ ସଂଶ୍ଳିଷ୍ଟା
       ଏ ସୀତା ସାବିତ୍ରୀ ଦେଶେ
   ନୁହଁ ଅନୁଗାମୀ ଆଦର୍ଶକୁ ଚୁମି
          ଅନ୍ତର୍ଦାହ ଅବକାଶେ
ପୁଅ ଅବା ଝିଅ ନିଆରା ନିର୍ଣ୍ଣୟ
       ରକତ ରୀତିରେ ରଞ୍ଜା
ନାହିଁ ଦାନା କନା ବିଷାଦ ବଇନା
     ପ୍ରତାରଣେ ପୁଳେ ପଞ୍ଝା
ବନ୍ଧୁ ଶବ୍ଦଟିଏ ସମ୍ପର୍କର ଖିଏ
      ଦ୍ୱାପର ଦାଣ୍ତରେ ଦିଶେ
ଏଠି ବ୍ୟବସାୟ ବନ୍ଧୁତା ବିଷୟ
    କର୍ତ୍ତବ୍ୟ କୋହୋଳ କ୍ଳେଶେ
କ୍ଳେଶକୁ ଆବୋରି ଯୋଗାନ୍ତି ଜରୁରୀ
        ଜଗତରେ ଯିଏ ଜାଣ
ଆହା ବାପା ମାଆ ହିଲ୍ଲୋଳର ହିଆ
       ସ୍ରଷ୍ଟାଙ୍କ ଭିନ୍ନ ଭିଆଣ
ବାପା ବାଞ୍ଛା ବଟ ମାଆ ହସ ହାଟ
         ତେଲ ଲୁଣର ସଂସାରେ
ଏହା ହିଁ ନିଚ୍ଛକ ବିଶ୍ୱେ ବେଦ ବାକ୍ୟ
      ଲେଖ ହୃଦ ହସ୍ତାକ୍ଷରେ
             
✍   ଦାଶରଥି ସାହୁ କଳମ୍ବ/ଗଞ୍ଜାମ

■ ଶିବ ନାମର ମହିମା ■

---ଶିଵ ନାମର ମହିମା---

ସୃଷ୍ଟି ନଥିଲାବେଳେ ଶିଵ ଥିଲେ ସୃଷ୍ଟି ନାଶ ଗଲା ପରେ ମଧ୍ୟ ଶିଵ ରହିଵେ । 

ଶିଵ ସୃଷ୍ଟିର ଵିନାଶ କରି ନୂତନ ସୃଷ୍ଟି ପାଇଁ ପଥ ପରିଷ୍କାର କରନ୍ତି । 

ଵିନାଶକର୍ତ୍ତାଙ୍କୁ ଈଶ୍ଵର ଭାବେ ପୂଜା କରିଵାର ପରମ୍ପରା କେଵଳ ଭାରତଵର୍ଷରେ ହିଁ ଲୋକପ୍ରିୟ ହୋଇପାରିଛି । 

ଶିଵ ନାମର,ଶିଵ ଶବ୍ଦର ମହିମା ଏହି ଶିଵ ଶବ୍ଦ ମଧ୍ୟରେ ହିଁ ଲୁକ୍କାୟିତ ରହିଛି । 

ଶବ୍ଦକୋଣାର୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଶିଵ ଶବ୍ଦର ଦୁଇଗୋଟି ନିରୁକ୍ତି ଉଲ୍ଲେଖ କରାଯାଇଛି

୧)ଶୀ ଧାତୁ=(ଅଣିମାଦି ଗୁଣ) ଶୋଇଵା,ଵିଶ୍ରାମ କରିଵା+ଅଧିକରଣ ଅ; 

୨) ଶୋ ଧାତୁ [ଅଶୁଭ] ନାଶକରିବା+କର୍ତ୍ତୃ କ ଯେ ଅନିଷ୍ଟ ନାଶ କରନ୍ତି] 

ଭଗଵାନ ଶିଵଙ୍କର ସହସ୍ର ନାମ ମହାଭାରତର ଅନୁଶାସନ ପର୍ଵରେ ପ୍ରଦାନ କରାଯାଇଛି । ଶିଵଙ୍କର  ଅନ୍ୟ ନାମମାନ ହେଲା-

ଶମ୍ବୁ, ଈଶ, ପଶୁପତି, ଶୂଳୀ, ବାସୁଦେବ, ମହେଶ୍ବର, ଈଶ୍ବର, ଶର୍ବ୍ବ, ଈଶାନ, ମୃତ୍ଯୁଞ୍ଜୟ, ଶଙ୍କର, ଚନ୍ଦ୍ରଶେଖର, ଭୂତେଶ,ହର,ହରରୂପ, ଖଣ୍ଡପରଶୁ, ଗିରିଶ, ଗିରୀଶ, ଜୟନ୍ତ, ମୃଡ଼, କୃତ୍ତିଵାସ, ପିନାକୀ, ଵିଶ୍ବେଶ, ପ୍ରଥମାଧିପ, ଉଗ୍ର, କପର୍ଦ୍ଦୀ, ଶ୍ରୀକଣ୍ଢ, ଧରଣୀଶ୍ଵର, କପାଳ, ଭୃତ୍, ଵାମଦେଵ, ସିଦ୍ଧଦେବ, ମହାଦେଵ, ଵିରୁପାକ୍ଷ, ତ୍ରିଲୋଚନ, ଵ୍ୟୋମଦେଵ, କୃଶାନୁରେତାଃ, ସର୍ଵଜ୍ଞ, ଧୂର୍ଜଟି, ଜଟାଧର, ନୀଳଲୋହିତ, ସ୍ମରହର ,ଭର୍ଗ, କଙ୍କାଳମାଳୀ, ତ୍ର୍ଯମ୍ବକ. ତ୍ରିପୁରାନ୍ତକ, ଗଙ୍ଗାଧର, ଭୀଷଣ, ଅନ୍ଧକିରପୁ, କ୍ରତୁଧ୍ବଂସୀ, ବୃକ୍ଷଧ୍ବଜ, ଵ୍ୟୋମକେଶ, ଭୀରୁ, ଭଵ, ଭୀମ, ସ୍ଥାଣୁ, ରୁଦ୍ର, ଉମାପତି, ହୀର, ହିଣ୍ଡୀ, ଭରୁ, ବୃକ୍ଷପର୍ବା, ରେରିହାଣ, ଭଗାଳୀ, ଵରାକ, କଣ୍ଠେକାଳ, ପାଂଶୁଚନ୍ଦନ, ଦିଗମ୍ବର, ଅଟ୍ଟହାସ, ଵୀର, ଭଦ୍ର, ପଞ୍ଚାନନ, କାଳଞ୍ଜର, ପୁରଦ୍ବିଟ, ବୃଷାକପି, ମହାକାଳ, ଖଣ୍ଡ, ପର୍ଶୁ, ନନ୍ଦବର୍ଦ୍ଧନ, ଖରୁ, ଭୂରି, କଟୂପ୍ରୂ, ଭୈରଵ, ଭୁତନାଥ, ତୀବ୍ର, ଧ୍ରୂଵ, ଶିଵିଵିଷ୍ଟି, ଗୁଡ଼ାକେଶ, ଦେଵଦେଵ, ଶୂଳଧର, ମହାନଟ, ସନ୍ଧ୍ୟାନାଟୀ, ସୁପ୍ରାସାଦ, ବୃଷଭଧ୍ବଜ. ଚନ୍ଦ୍ରାପୀଡ଼, ଶିପିଵିଷ୍ଟି, ଵରେଶ୍ବର, ଵିଶ୍ବେଶ୍ବର, ଵିଶ୍ବନାଥ, କାଶୀନାଥ, କୁଳେଶ୍ବର, ଅସ୍ଥିମାଳୀ, ଵିଶାଳାକ୍ଷ, ପ୍ରିୟତମ, ଵିଷମାକ୍ଷା, ଊର୍ଦ୍ଧ୍ବରେତାଃ, ଯମାନ୍ତକ, ନନ୍ଦୀଶ୍ବର, ଅଷ୍ଟମୂର୍ତ୍ତି, ଅଧୀଶ, ଖୋଚର, ଭୃଙ୍ଗୀଶ, ଅର୍ଦ୍ଧନାରୀଶ, ରସନାୟକ, ପିନାକପାଣି, ଫଣୀଧର, ମହାକାଳ, କୌଳାଶନିକେତନ ହିମାଦ୍ରିତନୟାପତି।

ତେବେ ଭଗଵାନ ଶିଵଙ୍କୁ ହିଁ କେଵଳ ଶିଵ କୁହାଯାଏ ନାହିଁ ଵରଂ ଏ ଶବ୍ଦର ଆହୁରି ଚାଳିଶ ଗୋଟି ଅର୍ଥ ରହିଛି । ନିମ୍ନରେ ଉକ୍ତ ଅର୍ଥମାନ ଉଲ୍ଲେଖ କରାଗଲା

🔵ପରମେଶ୍ବର; ଭଗବାନ୍
🔵ଦେଵ
🔵ଶିଵଲିଙ୍ଗ(ଶିଵଙ୍କର ସାକ୍ଷାତ ସ୍ଵରୂପ)
🔵ଵେଦ(ଵେଦ ଅଜ୍ଞାନତା ନାଶ କରେ)
🔵ହିନ୍ଦୁ ଜ୍ଯୋତିଷୋକ୍ତ ବିଷ୍ଣୁମ୍ଭାଦି ଅନ୍ତର୍ଗତ ଯୋଗ ଵିଶେଷ
🔵ମୋକ୍ଷ; ମୁକ୍ତି(ମୁକ୍ତି ମିଳିଲେ ମୋହ ମାୟାର ନାଶ ହୁଏ)
🔵ପାରଦ
🔵ସୈନ୍ଧଵ ଲଵଣ(ପାକସ୍ଥଳୀର ପୀଡ଼ା ନାଶ କରେ)
🔵ଜଳ(ଜଳ ଅପଵିତ୍ରତା ନାଶ କରେ)
🔵ଶୁଭ୍ର; ମଙ୍ଗଳ
🔵ସୁଖ
🔵ଶଙ୍କୁ; ଖୁଣ୍ଟା
🔵ଗୁଗ୍ଗୁଳ 
🔵କଳା ଧାତୁରା (ଦୁଦୁରା ଶିଵଙ୍କର ପଞ୍ଚ ପ୍ରିୟ ପୁଷ୍ପ ମଧ୍ୟରେ ଶ୍ରେଷ୍ଠ)
🔵 ଶୁଭଗ୍ରହ
🔵 କାଳ
🔵ଵସୁ ଦେଵତା
🔵ମୃଗ ଵିଶେଷ
🔵ଏକ ପ୍ରକାର ଗୌଡ଼ୀ ମଦିରା
🔵ପ୍ଳକ୍ଷ ଦ୍ବୀପ ଵା ଜମ୍ବୁ ଦ୍ବୀପର ଏକ ଵର୍ଷର ଅର୍ଥାତ୍ ଉପମହାଦେଶର ନାମ
🔵ନୃତ୍ଯ ଵିଶେଷ
🔵ଛନ୍ଦୋ ଵିଶେଷ 
🔵ପଶୁ ବନ୍ଧନ କାଷ୍ଠ ଵା ସ୍ତମ୍ଭ (ପ୍ରକୃତିବାଦ)
🔵ଲିଙ୍ଗ; ମେଢ଼୍ର
🔵ସୋହାଗା (Borax)
🔵ଅଅଁଳା 
🔵କଦମ୍ବ
🔵ଫିଟିକିରି 
🔵ସିନ୍ଦୁର 
🔵ମରିଚ
🔵ତିଳଫୁଲ 
🔵ଚନ୍ଦନ
🔵ଲୁହା
🔵ବାଲି 
🔵ନୀଳକଣ୍ଠ ପକ୍ଷୀ
🔵କାକ
🔵ବଉଳ ଗଛ 
🔵କୁନ୍ଦଫୁଲ 
🔵ଅଦ୍ବୈତ ବ୍ରହ୍ମ
🔵ବିଲୁଆ; ଶୃଗାଳ
⚫ଶୁଭଦ
🔵 ବିରାଡ଼ି
⚫ମଙ୍ଗଳମୟ
⚫ରମ୍ଯ; ରମଣୀୟ; ସୁନ୍ଦର
⚫ସୁଖପ୍ରଦ

ପାଶ୍ଚାତ୍ୟ ଭାଷାଵିତମାନଙ୍କ ଅନୁସାରେ ଶୀ ଧାତୁ ଓ ଶିଵ ଶବ୍ଦ ,ପ୍ରାକ୍ ଭାରୋପୀୟ ଶବ୍ଦରୂପ   *ḱey ଓ *ḱew ସହିତ ସମୋଦ୍ଧୃତ । 

ଵିଭିନ୍ନ ଭାରୋପୀୟ ଭାଷାରେ ଶିଵ ଶବ୍ଦ ସହିତ ସମୋଦ୍ଧୃତ ଶବ୍ଦ ଚଳୁଅଛି । ଯଥା—

🌸କେଲଟିକ୍ ଭାଷାରେ  *kēdoti ଶବ୍ଦର ଅର୍ଥ ପଡି଼ଵା ଯାହା ଶୀ ଧାତୁର ଶୟନକରିଵା ଅର୍ଥର ନିକଟତର । 

ପୁନଶ୍ଚ କେଲଟିକ୍ ଭାଷାର
*koimos ଶବ୍ଦ ମଧ୍ୟ ଶୀ ଧାତୁ ଶବ୍ଦ ସହିତ ସମଦ୍ଧୃତ ଯାହାର ଅର୍ଥ ପ୍ରିୟ ଓ ଭଲ । ଶିଵ ଶବ୍ଦର ଏକ ଅର୍ଥ ପ୍ରିୟତମ ସହିତ ଏହି ଅର୍ଥର ସାମଞ୍ଜସ୍ୟ ପରିଲକ୍ଷିତ ହୋଇଥାଏ ।

🌸 ପ୍ରାକ୍ ଭାରୋ-ଇରାନୀୟ ଭାଷାର ćáyuš ଶବ୍ଦଟି ଶିଵ ଶବ୍ଦ ସହିତ ସମୋଦ୍ଧୃତ ଏହାର ଅର୍ଥ ଅନାଥ । ସଂସ୍କୃତର ଶୟୁ ଶବ୍ଦ ମଧ୍ୟ ଏହା ସହିତ ସମୋଦ୍ଧୃତ ଓ ଏକାର୍ଥବୋଧକ ଏଵଂ ଶୟୁ ଶବ୍ଦକୁ ଶିଵ ଶବ୍ଦ ଭଳି ଶୀ ଧାତୁରୁ ନିଷ୍ପନ୍ନ କରାଯାଇଛି । 

🌸ଲାଟଭୀୟ ଭାଷାରେ siẽva ବୋଲି ଏକ ଶବ୍ଦ ରହିଛି ଯାହାର ଦୁଇଗୋଟି ଅର୍ଥ ପତ୍ନୀ ଓ ନାରୀ । ଏହି siẽva ଶବ୍ଦଟି ଶୀ ଧାତୁ ସହିତ ସମୋଦ୍ଧୃତ । ଶିଵ ଶବ୍ଦର ଏକ ଅର୍ଥ ପ୍ରିୟତମ ପୁଣି ସଂସ୍କୃତରେ ଶେଵ ଶବ୍ଦ ମଧ୍ୟ ଶୀ ଧାତୁରୁ ନିଷ୍ପନ୍ନ ହୋଇଅଛି ଏଵଂ ଏହାର ଅର୍ଥ ପ୍ରିୟ ଵା ପ୍ରିୟା । ପତ୍ନୀଙ୍କୁ ପ୍ରିୟା ଵା dear ଡାକିଵାର ଚଳଣି ଵିଶ୍ଵରେ ଚଳୁଅଛି ।

🌸 ପ୍ରାକ୍ ଜର୍ମାନ୍ ଭାଷାରେ hīwōnō ଶବ୍ଦ ଦମ୍ପତି ଅର୍ଥରେ ଚଳୁଥିଲାବେଳେ *hīwą ଶବ୍ଦ ଵିଵାହ ଅର୍ଥରେ ଵ୍ୟଵହୃତ ହେଉଥିଲା।  ଏ ଉଭୟ ଶବ୍ଦ ଶୀ ଧାତୁ ଓ ଶିଵ ଶବ୍ଦ ସହିତ ସମୋଦ୍ଧୃତ । ଵିଵାହ ଏକ ମଙ୍ଗଳକାର୍ଯ୍ୟ ଏଵଂ ଶିଵ ଶବ୍ଦର ଶୁଭ,ମଙ୍ଗଳମୟ ଓ ସିନ୍ଦୂର ଇତ୍ୟାଦି ଶବ୍ଦାର୍ଥ ସହିତ ଏହାର ସାମଞ୍ଜସ୍ୟ ବାରି ହୋଇ ପଡ଼େ ।

🌸ଲାଟିନ୍ ର cīvis ଶବ୍ଦର ଅର୍ଥ ନାଗରିକ ଏହି ଶବ୍ଦ ସହ civil, civics ଇତ୍ୟାଦି ଶବ୍ଦର ସମ୍ପର୍କ ରହିଛି । ଏ ଶବ୍ଦ ମଧ୍ୟ ଶିଵ ଓ ଶୀ ଧାତୁ ସହିତ ସମୋଦ୍ଧୃତ ବୋଲି ପାଶ୍ଚାତ୍ୟ ଭାଷାଵିତମାନଙ୍କ ମତ। 

🌸Breton ଭାଷାରେ kuñv ବୋଲି ଏକ ଶବ୍ଦ ଅଛି ଯାହାର ଅର୍ଥ sweet ଵା ସୁନ୍ଦର,ଭଲ । ଏହି ଅର୍ଥଟି ମଧ୍ୟ ଶିଵ ଶବ୍ଦର ପ୍ରିୟତମ ଅର୍ଥ ସହିତ ସାମଞ୍ଜସ୍ୟ ରଖେ । 

🌸Cornish ଭାଷାର kuv ଓ cueff ତଥା 
Welsh ଭାଷାର cu ଇତ୍ୟାଦି ଶବ୍ଦର ଅର୍ଥ ମଧ୍ୟ sweet ଅଟେ ଏଵଂ ଏ ସମସ୍ତ ଶବ୍ଦଗୁଡ଼ିକ ଶୀ ଧାତୁ ଓ ଶିଵ ଶବ୍ଦ ସହିତ ସମୋଦ୍ଧୃତ ।

🌸 ପ୍ରାଚୀନ ଗ୍ରୀକ୍ ଭାଷାରେ κοιμάω  (koimáō) ଶବ୍ଦର ଅର୍ଥ ଶୋଇଵା ସମୟ ଓ ଶୋଇଵା ସେହିପରି ଆମ ଭାଷାରେ ଵ୍ୟଵହୃତ ଶୟନ କରିଵା ଶବ୍ଦ ମଧ୍ୟ ଶୀ ଧାତୁରୁ ନିଷ୍ପନ୍ନ ହୋଇଅଛି ।  ସେହି ଶୀ ଧାତୁରୁ ଏକ ଅକ୍ଷର ଵିଶିଷ୍ଟ "ଶ" ଶବ୍ଦ ନିଷ୍ପନ୍ନ ହୋଇଅଛି । ଉଭୟ ଶିଵ ଓ ଵିଷ୍ଣୁଙ୍କର ଏକ ନାମ 'ଶ' ଅଟେ । ଅଜଗର ସାପର ଏକ ନାମ ଶୀଵା ଏଵଂ ଏ ଜୀଵ ଶୋଇରହେ ପଡି଼ରହେ ବୋଲି ଏଭଳି ନାମକରଣ । 

ଏହିପରି ଭାବେ ଶିଵ ଶବ୍ଦ ଓ ଶୀ ଧାତୁ ସହିତ ସମଦ୍ଧୃତ ଶତ ଶତ ଶବ୍ଦ ଵିଭିନ୍ନ ଭାରୋପୀୟ ଭାଷାରେ ଚଳୁଅଛି । ଯାହାଙ୍କ ପାଇଁ ଜୀଵ ସୁଖ ଶାନ୍ତିରେ ଶୟନ କରେ ଓ ତା ଜୀଵନ ମଙ୍ଗଳମୟ ହୋଇଥାଏ ସେ ପରମେଶ୍ବର ହେଉଛନ୍ତି ଭଗଵାନ ଶିଵ। 

ଏଥିଯୋଗୁଁ ଶିଵତାଣ୍ଡଵ ସ୍ତୋତ୍ରମ୍ ରେ କୁହାଯାଇଛି “ତନୋତୁ ନଃ ଶିଵଃ ଶିଵମ୍” ଅର୍ଥାତ୍ ଶିଵ ଆମ ମଙ୍ଗଳକୁ ବଢା଼ନ୍ତୁ । ପୁଣି ଯାହାଙ୍କ ମଧ୍ୟରେ ଅଣିମାଦି ଅଷ୍ଟଗୁଣ ଶୟନ କରନ୍ତି ଵା ଅଵସ୍ଥିତ ସେ ହେଉଛନ୍ତି ଶିଵ । ଆତ୍ମାକୁ  ପୁରୁଷ କୁହାଯାଏ ଯିଏ ଜୀଵ ମଧ୍ୟରେ ଶୟନ କରିଥାଏ । ଏହି ପୁରୁଷ ଶବ୍ଦକୁ ମଧ୍ୟ ଶୀ ଧାତୁରୁ ନିଷ୍ପନ୍ନ କରାଯାଇଛି । 

ଶିଵ ଶବ୍ଦର ଆଉ କେତେକ ନିରୁକ୍ତି ନିର୍ଣ୍ଣୟ ହୋଇଅଛି । ନିମ୍ନରେ ସେ ଵିଷୟରେ ଆଲୋଚନା କରାଗଲା ।

🍁ଶୋ ଧାତୁ — ଶୋ ଧାତୁର ଅର୍ଥ କ୍ଷୀଣ କରିଵା । କେତେକ ପ୍ରାଚୀନ ଭାରତୀୟ  ଏଥିରେ ଵନ୍ ପ୍ରତ୍ୟୟ ଯୁକ୍ତ କରି ଶିଵ ଶବ୍ଦ ନିଷ୍ପନ୍ନ କରିଛନ୍ତି । ଯିଏ ଅଶୁଭକୁ କ୍ଷୀଣ କରନ୍ତି ସେହି ମଙ୍ଗଳମୟ ଈଶ୍ଵର ହେଉଛନ୍ତି ଭଗଵାନ ଶିଵ ।

🍁 ଶ୍ = ନିତ୍ୟ ସୁଖ ଓ ଆନନ୍ଦ ,ଇ = ପୁରୁଷ ଓ ଵ = ଶକ୍ତି ଵା ଅମୃତ । ନିତ୍ୟ ସୁଖ,ଆନନ୍ଦ, ପୁରୁଷ ଓ ଶକ୍ତିର ମୂଳସ୍ରୋତ ଓ ଏକୀଭୂତ ରୂପ ହେଉଛନ୍ତି ଭଗଵାନ ଶିଵ ।

🍁ଶି ଶବ୍ଦର ଅର୍ଥ ପାପନାଶକାରୀ ଓ ଵ ଶବ୍ଦର ଅର୍ଥ ମୁକ୍ତିଦାତା । ଯିଏ ମନୁଷ୍ୟଙ୍କର ପାପନାଶ କରି ମୁକ୍ତି ପ୍ରଦାନ କରନ୍ତି ସେ ଈଶ୍ଵର ହେଉଛନ୍ତି ଭଗଵାନ ଶିଵ ।

🍁ଶି ଶବ୍ଦର ଏକ ଅର୍ଥ ମଙ୍ଗଳ ଓ ଵ ଶବ୍ଦର ଅର୍ଥ ଦାତା ଯିଏ ମଙ୍ଗଳ ପ୍ରଦାୟକ ସିଏ ହେଉଛନ୍ତି ଭଗଵାନ ଶିଵ 

ଶିଵ ଶବ୍ଦର ଏହିଭଳି ଆହୁରି ଅନେକ ନିରୁକ୍ତି ଵ୍ୟାଖ୍ୟା ରହିଛି ଏଵଂ ଏ ଶବ୍ଦ ମଧ୍ୟରେ ଭଗଵାନ ଶିଵଙ୍କର ଯେଉଁ ମହିମା ଵର୍ଣ୍ଣନା କରାଯାଇଛି ତାହା ଆହୁରି ଗହନ ଅଟଇ । ଵସ୍ତୁତଃ ଶିଵ ମାତ୍ର ଏକ ଶବ୍ଦ ନୁହେଁ ଜଗତର ସମ୍ପୂର୍ଣ୍ଣ ଇତିହାସ ,ଵିଜ୍ଞାନ, ସୃଷ୍ଟି ଓ ଅନ୍ତ ଏହି ଶବ୍ଦ ମଧ୍ୟରେ ସମାହିତ । କୁହାଯାଏ ନିରୁକ୍ତି ଵ୍ୟାଖ୍ୟାର ଆଦ୍ୟ ଉଦ୍ଭାଵକ ସଦାଶିଵ ପୁଣି ସମ୍ପୂର୍ଣ୍ଣ ଜ୍ଞାନ ତାଙ୍କଦ୍ଵାରା ସଂସାରକୁ ପ୍ରାପ୍ତ ହୋଇଅଛି । 

“ଜୟ ସଦାଶିଵ ଜୟ ଦେଵ ଦେଵ 
ଜୟ ଵିଶ୍ଵେଶ୍ଵର ପରମେଶ୍ଵର
ଏ ଅକିଞ୍ଚନର ତ୍ରୁଟି ଥିଲେ ପ୍ରଭୁ ତୁମ୍ଭେ କ୍ଷମା କର”

ଶିଶିର ସାହୁ ମନୋଜ

ଲୁହ

ଅଟକୁନି ଲୁହ  ବୋହି ଚାଲୁଛି ଅନବରତ ଆଖିବି ନିଜର କରି ରଖି ପାରୁନି  ଏ ଲୁହକୁ,,,, ବାସ୍ ଝରି ଯାଉଛି ଟୋପା ଟୋପା ହୋଇ! ମନର ବ୍ୟଥା  ହୃଦୟର କୋହ  ସତରେ ଭା...