●●●ସରସ୍ବତୀ ପୂଜା●●●
~~~~~♤~~~~~~
ହିନ୍ଦୁଧର୍ମରେ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି ପରିଗଣିତ କରାଯାଏ । ସେ ଜ୍ଞାନ, ବୁଦ୍ଧି, ବିବେକ, ବିଦ୍ୟାର ଉତ୍ସ ବା ପ୍ରକାଶରୂପ । ସେ ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ। ଅନ୍ୟ ଏକ ମତରେ ସରସ୍ବତୀ ଓ ଲକ୍ଷ୍ମୀ ଦୁଇ ସଉତୁଣୀ ଅର୍ଥାତ୍ ବିଷ୍ଣୁଙ୍କ ସହଧର୍ମିଣୀ । ଲକ୍ଷ୍ମୀ ଠାକୁରାଣୀ ଓ ମା' ସରସ୍ବତୀଙ୍କ ମନୋମାଳିନ୍ୟ ତଥା ବଚଷା ହେତୁ ବିଷ୍ଣୁଙ୍କ ଅନୁରୋଧ ଅନୁଯାୟୀ ମର୍ତ୍ତ୍ୟର ମଙ୍ଗଳକାମନା ସକାଶେ ଚିରସ୍ରୋତା ନଦୀ ହୋଇ ବହି ଯାଇଛନ୍ତି ।
( କିଛି ଗବେଷକ ଶ୍ରୀପଞ୍ଚମୀକୁ କବିସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ଜୟନ୍ତୀ ବୋଲି ମତ ପୋଷଣ କରିଛନ୍ତି ) ।
ପଶ୍ଚିମ ଓ ମଧ୍ୟ ଭାରତର ଜୈନ ଧର୍ମାବଲମ୍ବୀ, ଓ ବୌଦ୍ଧ ଧର୍ମାବଲମ୍ବୀମାନେ ମାନେ ମଧ୍ୟ ସରସ୍ୱତୀଙ୍କୁ ପୂଜା କରିଥାନ୍ତି ।
ପାରମ୍ପରିକ ରୂପରେ ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ ଧାରଣ କରି ଗଳାରେ ଗଜମୋତି ଏବଂ ମୁକ୍ତାହାର ପିନ୍ଧିଛନ୍ତି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନରେ ଶ୍ୱେତପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି । ଓଡ଼ିଆ ଭାଷାରେ ତାଙ୍କୁ ବାଣୀ ବୋଲି ମଧ୍ୟ କୁହାଯାଏ । ତାଙ୍କର ଅନ୍ୟ ନାମ ସବୁ ହେଲା ବୀଣା ପୁସ୍ତକ ଧାରିଣୀ, ବାଗ୍ଦେବୀ ବରଦା ଇତ୍ୟାଦି ।
*ସରସ୍ୱତୀ ଶବ୍ଦର ମୂଳ ଅର୍ଥ ହେଲା - ସ୍ୱତଃ + ବତୀ*, ଅର୍ଥାତ୍ ପ୍ରସରଣ ଯାହାଙ୍କର ଅଛି । ଅଜ୍ଞାନ ଅନ୍ଧକାର ମଧ୍ୟରୁ ତେଜୋମୟ ଦିବ୍ୟଧାମକୁ ବାଟ କଢାଇ ନେବାର ସେ ହେଉଛନ୍ତି ଅଧିଷ୍ଠାତ୍ରୀ ଦେବୀ । ସରସ୍ୱତୀ ଶବ୍ଦ ସରସ (ଗତି, ପ୍ରବାହ) ଓ ବତୀ (ଅଛି, ମାନା) ଶବ୍ଦରୁ ଆସିଅଛି, ଏହାର ଅର୍ଥ ଗତିଶୀଳା ଯାହା ପ୍ରଗତିର ସୂଚକ । ସେ ସ୍ରୋତସ୍ୱତୀ ପରି ପ୍ରବହମାନା, ଜ୍ଞାନର ଅଧିଷ୍ଠାତ୍ରୀ ଦେବୀ । ସେ ହେଉଛନ୍ତି ବାକ୍ୟର ଦେବୀ ବାଗ୍ଦେବୀ, ବାଣୀ, ଶାରଦା । ମା ଯୋଗମାୟା ଆଦ୍ୟାଶକ୍ତିଙ୍କ କଣ୍ଠରୁ ସରସ୍ୱତୀ ସମ୍ଭୁତା । ମା ସରସ୍ୱତୀ, ମା ଲକ୍ଷ୍ମୀ ଓ ମା କାଳୀ ତିନୋଟି ସ୍ୱରୂପ ଆଦ୍ୟାଶକ୍ତିଙ୍କର ।
ହିନ୍ଦୁଧର୍ମ ବ୍ୟତୀତ ବୌଦ୍ଧ, ଜୈନ ଧର୍ମରେ ମଧ୍ୟ ଦେବୀ ସରସ୍ୱତୀଙ୍କର ଆରାଧନା ରହିଛି । ଭାରତ ବାହାରେ ତିବ୍ବତ, ଚୀନ ଏବଂ ଜାପାନରେ ଦେବୀ ସରସ୍ୱତୀ ବୌଦ୍ଧଦେବୀ ଭାବେ ଜନାଦୃତ । ବୌଦ୍ଧ ଧର୍ମରେ ସେ ଭିକ୍ଷୁମାନଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି ଓ ବୁଦ୍ଧଙ୍କର ଶିକ୍ଷାକୁ ରକ୍ଷା କରିଥାନ୍ତି ବୋଲି ମାନ୍ୟତା ରହିଛି । ବୌଦ୍ଧ ଧର୍ମଶାସ୍ତ୍ର 'ସାଧନମାଳା'ରେ ଉଲ୍ଲେଖ ଅଛି ଯେ ଦେବୀ ସରସ୍ୱତୀ ଭକ୍ତମାନଙ୍କୁ ଜ୍ଞାନ ଓ ବୁଦ୍ଧି ଦାନ କରନ୍ତି । ଏହି ଗ୍ରନ୍ଥରେ ସରସ୍ୱତୀ ଚତୁଃରୂପରେ ପୂଜିତା - ମହା ସରସ୍ୱତୀ, ବଜ୍ରବୀଣା ସରସ୍ୱତୀ, ବଜ୍ରଶାରଦା ଏବଂ ବଜ୍ର ସରସ୍ୱତୀ । ବୌଦ୍ଧ ଧର୍ମ ଉପରେ ପଡ଼ିଥିବା ତାନ୍ତ୍ରିକ ପ୍ରଭାବ ଯୋଗୁଁ ହିଁ ଜ୍ଞାନ ଏବଂ ବୁଦ୍ଧିମତାର ବୌଦ୍ଧଦେବୀ 'ପ୍ରଜ୍ଞା ପାରମିତା' ପରବର୍ତ୍ତୀ ସମୟରେ ସରସ୍ୱତୀ ରୂପେ ପରିଚିତ ହେଲେ ।
ମାତା ପୁତ୍ରୌ ତୁ ବାକ୍ ପ୍ରାଣୌ / ମାତା ବା ପିତରଃ ସୁତଃ ।
ସରସ୍ୱନ୍ତମିତ ପ୍ରାଣୋ ବାଚଂ / ପ୍ରାଦୁଃ ସରସ୍ୱତୀମ୍ ।
-ବୃହଦ୍ ଦେବତା ଗ୍ରନ୍ଥ ।।
ଅର୍ଥାତ୍ ବାକ୍ ଏବଂ ପ୍ରାଣର ମାତା ଏବଂ ପୁତ୍ର ସମ୍ବନ୍ଧ । ପ୍ରସାରଣଶୀଳ ପ୍ରାଣ(ନିଶ୍ୱାସ)ର ନାମ ସରସୂତ୍ ଏବଂ ଭାଷାର ନାମ ସରସ୍ୱତୀ ।
ମଥୁରା ନିକଟସ୍ଥ କାଳୀତିକା ଜୈନ ସ୍ତୁପରୁ ଏକ ମନୋଜ୍ଞ ସରସ୍ୱତୀ ମୂର୍ତ୍ତି ମିଳିବା ଘଟଣାରୁ ଜୈନଧର୍ମରେ ସରସ୍ୱତୀଙ୍କର ପୂଜା ରହିଥିବା ସୂଚନା ଦିଏ । ଜୋରୋଆଷ୍ଟର ଧର୍ମରେ ସରସ୍ୱତୀଙ୍କୁ ସରୋଶା ନାମରେ ଜଣାଯାଏ, ଯିଏ ଏଇ ପୃଥିବୀର ରକ୍ଷା କାରିଣୀ। ସରୋଶା (ଆଜ୍ଞାବହତା) ହେଉଛନ୍ତି ଆହୁରା ମଜଦାଙ୍କର ପତ୍ନୀ ଓ ଦୂତୀ, ଯାହାଙ୍କର କାମ ହେଲା ଡାଇନାଙ୍କୁ ଶିକ୍ଷାଦେବା । ଡାଇନା ହେଉଛନ୍ତି ବିବେକ ଓ ଧର୍ମର ସଙ୍ଗମ । ମୃତ୍ୟୁ ଉପରାନ୍ତ ଜୀବନରେ ସେ ଆତ୍ମାମାନଙ୍କୁ ଆଗର ଦିଗ୍ଦର୍ଶନ ଦେଇଥାନ୍ତି। ତାଙ୍କର ଏକ ଚିହ୍ନ ମୟୁରର ଡାକ ପୂତାତ୍ମାମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ବିଷୟରେ ସଚେତନ କରାଇଦିଏ । ବର୍ମିଜ ଭାଷାରେ ତାଙ୍କୁ ଥୁରାଥଡି (Thurathadi), ଥାଇ ଭାଷାରେ ସୁରାସୱଦୀ (Surasawadee), ଜାପାନୀ ଭାଷାରେ ବେଞ୍ଜାଇତେନ ବୋଲି ପରିଚିତା ।
ମାଘମାସ ଶୁକ୍ଳ ପଞ୍ଚମୀକୁ ଶ୍ରୀପଞ୍ଚମୀ ବା ବସନ୍ତପଞ୍ଚମୀ ଭାବେ ପାଳନ କରାଯାଏ । ଋତୁରାଜ ବସନ୍ତ ମନ୍ଦ ମଳୟରେ ଫୁଲର ସୁରଭି ଭରି ସ୍ୱାଗତ କରେ ବିଦ୍ୟାଦାୟିନୀ ମା' ସରସ୍ୱତୀଙ୍କୁ ମାଘ ଶୁକ୍ଳ ପଞ୍ଚମୀରେ । ଶୁକ୍ଳ ପ୍ରତିପଦା ଠାରୁ ଆରମ୍ଭ ହେଇଥାଏ ଗୁପ୍ତ ନବରାତ୍ର । ଏହି ଗୁପ୍ତ ନବରାତ୍ରରେ ଦୈବୀଶକ୍ତିଙ୍କର ପୂର୍ଣ୍ଣ ପ୍ରଭାବଥାଏ । ମା' ଯୋଗମାୟା ଆଦ୍ୟାଶକ୍ତିଙ୍କ କଣ୍ଠରୁ ସରସ୍ୱତୀ ସମ୍ଭୁତା । ମା' ସରସ୍ୱତୀ, ମା' ଲକ୍ଷ୍ମୀ , ମା' କାଳୀ ତିନୋଟି ସ୍ୱରୂପ ଆଦ୍ୟାଶକ୍ତିଙ୍କର । ମାଘ ଶୁକ୍ଳ ପଞ୍ଚମୀରେ ଆଦ୍ୟାଶକ୍ତି ମହାସରସ୍ୱତୀ ସ୍ୱତନ୍ତ୍ର ରୂପରେ ପୂଜା ପାଇଥାନ୍ତି ।
ପ୍ରାଚୀନ କାଳରେ ରାଜା ମହାରାଜାମାନେ ଏହି ଦିନକୁ କୌମୁଦୀ ମହୋତ୍ସବ ରୂପେ ପାଳନ କରୁଥିଲେ । ଫୁଲରେ ରାଜଉଆସ ସଜା ହେଉଥିଲା, ଫୁଲର ଦୋଳିରେ ରାଜାରାଣୀ ଦୋଳି ଖେଳୁଥିଲେ, ପ୍ରଜାମାନେ ଆସି ରାଜ ଉଆସରେ ଭୋଜନ କରୁଥିଲେ । ମାଘ ପଞ୍ଚମୀରେ ଗୋପୀମାନେ ମଧ୍ୟ କୃଷ୍ଣଙ୍କ ସହ ରାସ ଉତ୍ସବ ମନାଉଥିଲେ ।
କେତେକ ଅଞ୍ଚଳରେ ପବିତ୍ରତାର ସହ ଉଭୟ ସ୍ୱାମୀ-ସ୍ତ୍ରୀ ମାଘ ଶୁକ୍ଳ ପଞ୍ଚମୀକୁ ପ୍ରେମ ଦିବସ ରୂପେ ପାଳନ କରିଥାନ୍ତି ।କାମଦେବ ଓ ରତିଙ୍କୁ ହଳଦିଆ ଫୁଲରେ ପ୍ରତିମା କରି ଦାମ୍ପତ୍ୟ ସୁଖପାଇଁ ପୂଜା କରିଥାନ୍ତି । ଶାସ୍ତ୍ର ଅନୁସାରେ ଶ୍ରୀପଞ୍ଚମୀ ଦିନ ବିବାହ , ନିର୍ବନ୍ଧ କାର୍ଯ୍ୟ କଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ଯେଉଁମାନଙ୍କର ବିବାହ ହେଇପାରୁନି , ସେମାନେ ଏହି ସମୟରେ ଶ୍ରଦ୍ଧା ଭକ୍ତିର ସହ ହଳଦୀ ଲଗାଇ ସ୍ନାନକରି ହଳଦିଆ ବସ୍ତ୍ର ପରିଧାନ କରି କୃଷ୍ଣ ଭଗବାନଙ୍କୁ ହଳଦିଆ ବସ୍ତ୍ରରେ ସଜାଇ ହଳଦିଆ ଫୁଲରେ ସଜାହେଇଥିବା ଝୁଲାରେ ଝୁଲାଇ ବସନ୍ତ ଉତ୍ସବ ପାଳନ କଲେ ବିବାହ ସହଜରେ ହୋଇଯାଏ ବୋଲି ବିଶ୍ୱାସ ରହିଛି ।
# *ପରମ୍ପରା*
ଆମ ପାଠପଢା ବେଳେ ସରସ୍ୱତୀ ପୂଜା ଦିନ ନଡ଼ିଆ ଖୋଜା ଓ ଦାଣ୍ଡ ମାଗୁଣି ପରମ୍ପରା ଥିଲା । ନଡ଼ିଆ ଖୋଜାରେ, ପୋଖରୀରେ ପୋତାଯାଇଥିବା ଗୋଟିଏ ନଡ଼ିଆକୁ ପିଲାମାନେ ଖୋଜୁଥିଲେ । ଦାଣ୍ଡ ମାଗୁଣିରେ, ନଡ଼ିଆ ପାଇଥିବା ପିଲାଟି ବେକରେ ଗେଣ୍ଡୁହାର ପକାଇ ଅନ୍ୟ ପିଲାଙ୍କ ମେଳରେ ଆଗେ ଆଗେ ଯାଉଥିଲା ଓ ଗୀତ ବୋଲି ଅବଧାଙ୍କ ନିମନ୍ତେ ଦକ୍ଷିଣା ଓ ବସ୍ତ୍ର ସଂଗ୍ରହ କରୁଥିଲେ । ମେଲାଣି ଶେଷରେ ଅବଧାନଙ୍କ ଘରକୁ ଯାଇ ସମସ୍ତ ସଂଗୃହିତ ପଇସା ଓ ଜିନିଷ ପହଞ୍ଚାଉଥିଲେ । ଏହି ପରମ୍ପରା ଏବେ ଆଉ ନାହିଁ ।
ପ୍ରାଚୀନ କାଳରେ ରାଜା ମହାରାଜାମାନେ ଶ୍ରୀ ପଞ୍ଚମୀକୁ 'ରତିକାମ ମହୋତ୍ସବ' ରୂପେ ପାଳନ କରୁଥିଲେ ।
ଏହି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପଞ୍ଚପଲ୍ଲବ ଲାଗି ହୁଏ ଓ ରଥଯାତ୍ରା ନିମନ୍ତେ ରଥକାଠ ଅନୁକୂଳ କରାଯାଏ ।
ପୌରାଣିକ ମତରେ ଶ୍ରୀକୃଷ୍ଣ ଶ୍ରୀରାଧା ଏକତ୍ର ପୁଷ୍ପ ଆଭରଣ ମଣ୍ଡିତ ପୂର୍ବକ ଫଗୁ ବା ଚାଚେରୀ ଖେଳୁଥିବାର ସ୍ମୃତି ସ୍ୱରୂପ ବସନ୍ତ ପଞ୍ଚମୀ ପାଳିତ ହୋଇଥାଏ । ମାଘ ଶୁକ୍ଳ ପଞ୍ଚମୀରେ ଶ୍ରୀଜୀଉମାନଙ୍କର ଘୋଡ଼ବସ୍ତ୍ର କଢ଼ାଯାଇ ‘ଜାମାଲାଗି’ ବସ୍ତ୍ର ପିନ୍ଧାଯାଏ । ଉକ୍ତ ତିଥିରେ ଶ୍ରୀଜଗନ୍ନାଥଙ୍କର ପାରମ୍ପରିକ ରଥଯାତ୍ରାର ରଥ ନିର୍ମାଣ ନିମନ୍ତେ ପ୍ରଥମ କରି ରଥକାଠ ବନବିଭାଗରୁ ଶ୍ରୀକ୍ଷେତ୍ରକୁ ଆସି ରାଜନଅର ସମ୍ମୁଖରେ ତିନିବାଡ଼ର ତିନିରଥ ନିର୍ମାଣ ନିମନ୍ତେ ତିନିଗୋଟି କାଠକୁ ପାରମ୍ପରିକ ଭାବେ ପୂଜାର୍ଚ୍ଚନା କରାଯାଇ ଶୁଭ ଦିଆଯାଇଥାଏ । ସେହି ତିନିଗୋଟି କାଠଗଣ୍ଡିରେ ତିନିରଥର କୋଣଗୁଜ ନିର୍ମାଣ କରାଯାଇ ନୃସିଂହଙ୍କ ମୂର୍ତ୍ତି ଖୋଦେଇ କରାଯାଏ ।
ଶ୍ରୀ ଜୀଉ ମାଘ ଶୁକ୍ଳପଞ୍ଚମୀ ତିଥିରୁ ନିଜର ଶୀତବସ୍ତ୍ରକୁ ପରିହାର କରି ଗୈରିକ ବର୍ଣ୍ଣର ବସ୍ତ୍ର ପରିଧାନ କରନ୍ତି । *ଭୋଗବିଳାସର ଋତୁ ବସନ୍ତର ଆଗମନରେ ପ୍ରଭୁ ନିଜେ ସମସ୍ତ ବିଳାସ ତ୍ୟାଗକରି ବ୍ରହ୍ମଚାରୀ ବେଶରେ ସମୟ ଅତିବାହିତ କରିବାକୁ ଏବଂ ସଂଯମୀ ହେବାକୁ ଭକ୍ତଙ୍କୁ ଆହ୍ୱାନ ଦେଇଥାନ୍ତି* । ତେଣୁ ସେ ନିଜେ ହେଙ୍ଗୁ ଓ ହରଡ଼ ଗୁଣ୍ଡରେ ପ୍ରସ୍ତୁତ ବସନ୍ତ ପିଷ୍ଟକ ଗ୍ରହଣ କରିଥାନ୍ତି । ଶ୍ରୀମନ୍ଦିରରେ ବସନ୍ତ ଉତ୍ସବ ପାଳନ ସହ ଏହି ତିଥିରୁ ବେଣ୍ଟଯାତ୍ରା ଆରମ୍ଭ ହୋଇ ଦୋଳ ଯାଏଁ ଚାଲିଥାଏ । ବେଣ୍ଟଯାତ୍ରା ଠାକୁରଙ୍କର ଶିକାର ଯାତ୍ରା । ବୈଷ୍ଣବ ମତରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଏହା ବନଗମନ ସମୟ । ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରତିନିଥି ଭାବେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ବିଗ୍ରହ ବେଣ୍ଟପୋଖରୀ ପାଖକୁ ଶିକାରରେ ଯାଆନ୍ତି । ବେଣ୍ଟ ପୋଖରୀରେ ମୃଗ ଭାବେ ନଡ଼ିଆ ଏବଂ କସ୍ତୁରୀପୁଡ଼ିଆ ରଖାଯାଏ । ଠାକୁର ତାକୁ ବାଣ ସଂଯୋଗ କରନ୍ତି ।
ଏହି ଦିନ ଶ୍ରୀଜୀଉମାନଙ୍କର ସନ୍ଧ୍ୟାଧୂପ ପରେ ସରସ୍ୱତୀ ଦେବୀଙ୍କ ମନ୍ଦିରରେ ମାଦଳା ପାଞ୍ଜି ପୂଜା କରାଯାଏ ।
ସଂଗ୍ରୁହିତ : ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ ।