Showing posts with label ଓଡ଼ିଆ ଲୋକବାଣୀ. Show all posts
Showing posts with label ଓଡ଼ିଆ ଲୋକବାଣୀ. Show all posts

Tuesday, March 23, 2021

■ ଲୋକବାଣୀ ■

~~~ଓଡ଼ିଆ ଲୋକଵାଣୀ —୩

#ଇ
1.    ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ, ତମର ଆମର ନାଲ ପଇଁଚ, ନାଲ ପେଁ ପେଁ ବାଜଇ ହୀରା, ଗୋଟିକ ଉପରେ ଗୋଟିଏ ଚିରା | (ଯାହା ବାହାରକୁ ସୁନ୍ଦର ଦେଖାଗଲେ ମଧ୍ୟ ନାନା ଦୋଷ ଦୁର୍ବଳତାରେ ପୂର୍ଣ୍ଣ )
2.    ଇଷ୍ ବୋଇଲେ କି ଚୋଟ କାଟେ ? )କୁରାଢ଼ିରେ ଚୋଟ ମାରିବା ବେଳେ ମୁହଁରୁ ଇଷ୍ ଶଦ୍ଦ ବାହାରି ବଡ଼େ | କିନ୍ତୁ କେବଳ ଇଷ୍ ଶଦ୍ଦ ଉଚ୍ଚାରଣ କଲେ ଯେ ଚୋଟ କାଟିବ ତାହା ନୁହେଁ |)
3.    ଇଲିଶି ମାଛର କଣ୍ଟା ସାର |
4.    ଇନ୍ଦ୍ର ଶହ ଶହ ଗଲେଣି, ଶଚୀ ଗୋଟିଏ ବସିଛି | (ପୌରାଣିକ ବଚନ | ଇନ୍ଦ୍ରଙ୍କର ପରିବର୍ତ୍ତନ ହୁଏ, କିନ୍ତୁ ଶଚୀ ସେହିପରି ରହିଥାନ୍ତି )
5.    ଈଶ୍ବର ଯାହା କରନ୍ତି ପ୍ରାଣୀର ମଙ୍ଗଳ ନିମନ୍ତେ |

#ଉ
1.    ଉଆ ଉଷୁନା କେଉଟୁଣୀଙ୍କ ମୁହଁରେ |(ଉଆ ରୁଡ଼ା ଉଷୁନା ଚୁଡ଼ା, ଚିହ୍ନିବା ସହଜ ନୁହେଁ | ତେଣୁ କେଉଟୁଣୀ ଯେଉଁ ଚୁଡ଼ାକୁ ଉଆ ଚୁଡ଼ା ବୋଲି କହିବ, ତାକୁ ଉଆ ବୋଲି ଗ୍ରହଣ କରି କିଣିବକୁ ବାଧ୍ୟ)
2.    ଉଆଁସୀ କନ୍ୟାକୁ ଅଳ୍ପେଇଷିଆ ବର | (ଯେଉଁ କନ୍ୟା ଅମାବାସ୍ୟା ଦିନ ଜାତ ହୁଏ ସେ ବିଧବା ହୁଏ ବୋଲି ଲୋକପ୍ରବାଦ ଅଛି )
3.    ଉଇଁ ନ ଦିଶେ, ହସି ପଶେ, ଉତ୍ତର ମେଘ ଦକ୍ଷିଣ ଆସେ, ସଜ ଗୋବରରେ ଅଶେଁଇ ବସେ, ନାଥ ବୋଲେ ପୁତା ନିଶ୍ଚେ ବରଷେ | (ଡ଼ାକ ଚାଷୀବଚନ | ଶିଘ୍ର ବର୍ଷାହେବାର ଲକ୍ଷଣ)
4.    ଉଇ, ଓଡ଼ଶ, ପିମ୍ପୁଡ଼ି, ମଶା, ଏହି ଚାରି ଜାତି ଭାଙ୍ଗନ୍ତି ବସା |
5.    ଉକୁଣି ମୁଣ୍ଡରେ ଖୋଷା, ପଛବୁଣା ଚଷା, ଛଇତଳିଆ ବେଉଷା, ଇନ୍ତୁଡ଼ି ପୁଅକୁ ଆଶା, ସଖି ଗୋ, ମନ୍ଦ ଏ |
6.    ଉଖୁଡ଼ା ପାଇଲେ ପୁରାଣ ଶୁଣା ଶେଷ | (କେବଳ ପ୍ରସାଦ ପାଇବା ଲାଗି ଯେଉଁମାନେ ପୁରାଣ ଶୁଣିବାକୁ ଆସନ୍ତି ସେମାନଙ୍କ ପ୍ରତି ଉପଲକ୍ଷ୍ୟ ବଚନ)
7.    ଉଞ୍ଚାଇଥିବୁ ମାରିବୁ ନାହିଁ, ଗୋଡ଼ାଇଥିବୁ ଧରିବୁ ନାହିଁ | (ଉପଦେଶ | ଲୋକମାନଙ୍କୁ ଶାସନ କରିବାର ପ୍ରକୃଷ୍ଟ ଉପାୟ)
8.    ଉଚ୍ଚ ଗଛର ତୋଫାନକୁ ଡର |
9.    ଉଜି ଗାଁରେ କୁଜୀ, ଯେଉଁ ଗାଁରେ ଦେବତା ନାହାନ୍ତି ଶିଳପୁଆଟାଏ ପୂଜି | (ଯେଉଁଠାରେ ଯୋଗ୍ୟ ଲୋକ ନାହାନ୍ତି, ସେଠାରେ ଅତି ସାମାନ୍ୟ ଲୋକ ମଧ୍ୟ ପୂଜା ପାଏ )
10.                       ଉଠିଲା ମାଛ ମୁହଁରେ ପାହାର | (ଯେ କୌଣସି ବିଷୟରେ ଆଗୁଆ ଲୋକ ଉପରେ ପ୍ରଥମେ ଆପଦ ପଡ଼େ )
11.                       ଉଠିଲା ଗଛ ପତ୍ରରୁ ଜାଣି |
12.                       ଉଠି ନ ପାରି ମାରେଙ୍ଗା | (ଅପାରଗ ଲୋକ ମୁହଁଭଡ଼କ ଦେଖାଇବା)
13.                       ଉଠ୍ କହିଲେ ଉଠିବା, ବସ୍ କହିଲେ ବସିବା | (ଅତ୍ୟନ୍ତ ଆଜ୍ଞାନୁବର୍ତ୍ତିତାର ଚିହ୍ନ)
14.                       ଉଡ଼ନ୍ତା ଖଇ ଗୋବିନ୍ଦାୟ ସ୍ବାହା | (ପବନରେ ଉଡ଼ି ଯାଉଥିବା ଖଇ ଗୋବିନ୍ଦଙ୍କୁ ନୈବେଦ୍ୟ କଲାପରି ଯେଉଁ ପଦାର୍ଥ ଆପଣାର ହସ୍ତଚ୍ୟୁତ ହୋଇ ଯାଉଥିଏ ତାହାକୁ ଅନ୍ୟ ବ୍ୟକ୍ତି ବା ଅନୁଷ୍ଠାନକୁ ଦାନ କରି ବାହାଦୁରି ନେବାପାଇଁ ଚେଷ୍ଟା କରିବା )
15.                       ଉଡ଼ିଗଲା ଚଢ଼େଇର ପରଗଣି ଦେବା | (ତୀକ୍ଷଣ ବୁଦ୍ଧିମତ୍ତାର ଚିହ୍ନ)
16.                       ଉଡ଼ି ନ ଜାଣି ପୋଷା ମାନିବା | (ଉଡ଼ି ଜାଣି ନ ଥିବା ଚଢ଼େଇ ମନୁଷ୍ୟହସ୍ତରେ ଧରା ପଡ଼ିବା ମାତ୍ର ପୋଷା ମାନିବା ପରି ହାରିବା ଲୋକ ଆଗରୁ ଚଲାଖ ହୋଇ ଶରଣ ପଶିବା)
17.                       ଊଣା ଲୋକ ପଦ ପାଏ, ହଗି ଗଲେ ଗୀତ ଗାଏ | (ଅଳ୍ପକ ଲୋକ ଉତ୍ତମ ପଦ ପାଇଲେ ତାର ଗର୍ବର ସୀମା ରହେ ନାହିଁ )
18.                       ଊଣା ଲୋକର ଦୁଇ ଗୁଣ ସରେ | କୃପଣ ଲୋକର ମାଇପ ମରେ |
19.                       ଊଣା ହିଡ଼ ଯେଉଁଠି, ଜଳ ଗଡ଼େ ସେଇଠି | (ଦୁର୍ବଳ ଲୋକଙ୍କର ଦୁର୍ବଳତାର ସୁଯୋଗ ନେଇ ଲୋକେ ତାପରେ ଅଧିପତ୍ୟ ବିସ୍ତାର କରନ୍ତି)
20.                       ଉଦୟ ବେଳେ ଅସ୍ତ ନାହିଁ କି ଅସ୍ତବେଳେ ଉଦୟ ନାହିଁ | (ସମୃଦ୍ଧି ବେଳେ ପତନ ନାହିଁ କି ପତନ ବେଳେ ଉନ୍ନତି ନାହିଁ )
21.                       ଉଧାର ମାଣକ ତିନିପା | (ଲୋକେ ଧାନ, ବିରି ଆଦି ଶସ୍ୟ ଉଧାର ବା କରଜ ଦେଲାବେଳେ କମ୍ କରି ଦିଅନ୍ତି)
22.                       ଉଧାର ମାଣକ ପାଞ୍ଚପା ଶୁଖ | (ମାଣେ ଜିନିଷ ଉଧାର ବା କରଜ ଆଣିଲେ ପାଞ୍ଚପା ଶୁଝିବାକୁ ହୁଏ )
23.                       ଉଧାର ମିଳିଲେ କିଣନ୍ତି ହାତୀ, ଶୁଝିଲେ ଶୁଝିବେ ପୁଅଙ୍କ ନାତି | (ନିଜକୁ ଶୁଝିବାକୁ ନ ପଡ଼ିଲେ ଲୋକେ ବହୁମୂଲ୍ୟର ବସ୍ତୁ ଧାର କରି ଆଣନ୍ତି)
24.                       ଉପର କେଡ଼େ ସୁନ୍ଦର, ଭିତର ପୋଡ଼ା ଅଙ୍ଗାର, ଜାତି ମହାକାଳ ଫଳ | (ବାହାରେ ମିଷ୍ଟଭାଷୀ ଓ ଭିତରେ କବଟାଚାରୀ ବ୍ୟକ୍ତି ପ୍ରତି ଉପଲକ୍ଷ୍ୟ ବଚନ)
25.                       ଉପରେ ଉପରେ ପାଣି ଛିଞ୍ଚୁଛି, ଭିତରେ ଭିତରେ ଶିଅ କାଟୁଛି | (ଗଛ ଉପରେ ପାଣି ଢାଳି ଭିତରୁ ଶିଅ କାଟିଲେ ଗଛ ମରିଯାଏ | ସେହିପରି ଉପରେ ମଧୁରିଆ କଥା କହି ଗୋପନରେ ଅନିଷ୍ଟ ସାଧନ କରିବା )
26.                       ଉଭା ମୁଠି, ଆଡ଼ ଦି’ମୁଠି, କିଆରି ମଝିରେ ପୋତିବୁ କାଠି, ବିଲରେ ରଖିବୁ ପାଣି ସମାନ, ପର୍ବତ ଶିଖରୁ ବୁଣିବୁ ଧାନ, ଯେବେ ନୋହିବ ତହିଁରେ ଧାନ, ତେବେ କାଟିବୁ ଡାକର କାନ | (ଧାନ ଫସଲ ସମ୍ବନ୍ଧରେ ଡାକ ଚାଷୀ ବଚନ)
27.                       ଉଭା ତାଳ, ପୋତା ଶାଳ, ରୁଅ ହେନ୍ତାଳ, ଗଣ୍ଠି ବେତାଳ, ଘରଣୀ ଚେତୁଆଳ, ତେବେ ସେ ଘର ଯାଏ ଅପାର କାଳ | (ତାଳ ଶେଣୀ, ଶାଳ କାଠର ଖୁଣ୍ଟ, ହେନ୍ତାଳ ରୁଅ ଏବଂ କାମଡ଼ା ବତରା ପାଇଁ ବେତ ଲଇ ବ୍ୟବହାର କଲେ ଏବଂ ଉଇ ଓ ନିଆଁ ପାଣିକୁ ଘରଣୀ ସର୍ବଦା ସାବଧାନ ଥିଲେ ସେ ଘର ବହୁତ କାଳ ଯାଏ )
28.                       ଉଲୁରା ଘର, ମୁକୁଳା ବାଳ, ଏହା ନ ରଖିବ ବହୁତ କାଳ | (ଘର ଉଲୁରା ରଖିଲେ ସର୍ପ, ମୂଷିକ ଆଦି ଜନ୍ତୁ ଘରେ ପଶିବାର ଏବଂ ବାଳ ମୁକୁଳା ରଖିଲେ ଉକୁଣି ପଶିବାର ଭୟ ଅଛି)
29.                       ଉଲାରିଲା ଘର, ମଙ୍ଗୁଳିଲା ବର, ୟାଙ୍କୁ ନ ରଖିବ ବହୁତ କାଳ |
30.                       ଉଲିଆ ଗାଈ ବଉଁଶ ଖାଇ | (ଉଲିଆ ଗାଈ ଗୃହସ୍ବାମୀକୁ ନାନା ବିପଦରେ ପକାଏ )
31.                       ଉଷୁନା ଧାନ ଗଜା ହେବା ନ୍ୟାୟ | (ଅସମ୍ଭବ କଥା)

#ଋ
1.    ଋଣ ଶେଷ, ବ୍ୟାଧି ଶେଷ, ଶତ୍ରୁ ଶେଷ, ଏ ତିନିକି ନ ରଖିବ ଲେଶ | (ସମୂଳେ ଉତ୍ପାଟିତ ନ କଲେ ପଛନ୍ତେ ଘୋର ବିପଦର ସମ୍ଭାବନା)
2.    ଋଷି ବାଳ ଛିଣ୍ଡାଇ ମରିବା ନ୍ୟାୟ | (ଅତି ସହଣିକ ଲୋକ ମଧ୍ୟ ଯେଉଁ କଥାକୁ ବରଦାସ୍ତ କରି ନ ପାରି କ୍ରୋଧରେ ବାଳ ଛିଣ୍ଡାଇ ପକାଇବାକୁ ବାହାରିବା)
3.    ଋଷି ଗୋଡ଼ରେ କୁକୁର ଚାବିବ ବୋଲିକି ଋଷି କୁକୁର ଗୋଡ଼ ଚାବିବ | (ଜଣେ ନୀଚ ବ୍ୟକ୍ତି କୌଣସି ମହତ୍ ବ୍ୟକ୍ତିଙ୍କୁ ଅପମାନ ଦେଲେ ମହତ୍ ବ୍ୟକ୍ତି ଯେଷାକୁ ତେଷା ନୀତିରେ ତାହାଙ୍କୁ ଅପମାନ ଦେବା ତାଙ୍କ ମହତ୍ତ୍ବର ପରିଚାୟକ ନୁହେଁ )

#ଏ
1.    ଏକ ଆଖି ଆଖି ନୁହେଁ, ଏକ ସାକ୍ଷୀ ସାକ୍ଷୀ ନୁହେଁ |
2.    ଏକ ଆକାଶରେ ଦୁଇ ଚନ୍ଦ୍ରମା ରହି ପାରନ୍ତି ନାହିଁ | (ଏକ ସ୍ଥାନରେ ସମାନ ଯୋଗ୍ୟତାସମ୍ପନ୍ନ ବ୍ୟକ୍ତି ଚଳିପାରନ୍ତି ନାହିଁ )
3.    ଏକ ରାଣ୍ଡ, ଦୁଇ ରାଣ୍ଡ, ତିନି ରାଣ୍ଡ ହେଲେ କମ୍ପଇ ବ୍ରହ୍ମାଣ୍ଡ | (ଲୋକପ୍ରବାଦ | ଏକାଧିକ ବିଧବା ଏକତ୍ର ରହିଲେ ଅଶାନ୍ତି ଉପୁଜେ)
4.    ଏକ ଖୁଣ୍ଟରେ ଦୁଇ ଘୋଡ଼ା ବନ୍ଧା ହେବା ନ୍ୟାୟ | (ଦୁଇ ଜଣ ପ୍ରତିଦ୍ବନ୍ଦୀ ସମକକ୍ଷ ବ୍ୟକ୍ତି ଏକ ସ୍ଥାନରେ ରହିବା)
5.    ଏକ କୁତା ଶଶୁର ଘରେ ଜ୍ବାଇଁ, ଏକ କୁତା ଭଉଣୀ ଘରେ ଭାଇ | (ଶଶୁର ଘରେ ଜ୍ବାଇଁ ଓ ଭଉଣୀ ଘରେ ଭାଇ ଅଧିକ କାଳ ରହିଲେ ଅବଜ୍ଞାର ପାତ୍ର ହୁଅନ୍ତି)
6.    ଏକ ଦେଶର ଗାଳି, ଅନ୍ୟ ଏକ ଦେଶର ବୋଲି | (ଏକ ଦେଶର ଭର୍ତ୍ସନାସୂଚକ ଶଦ୍ଦ ଅନ୍ୟ ଦେଶର ଭାଷାରେ ଭଲ ଅର୍ଥ ବୁଝାଏ)
7.    ଏକା ଛେଳିକୁ ତିନି ଜବେ | (ଥରେ ହଣା ଯାଇଥିବା ଛେଳିକୁ ପୁଣି ହାଣିବା ଅସଙ୍ଗତ | ସେହିପରି ଏକ ବ୍ୟକ୍ତିକୁ ଦୁଇଥର ଦଣ୍ଡିବା ଅନ୍ୟାୟ )
8.    ଏକ ପାଆ ନ ଖାଏ ଭୋଗୀ, ଦୁଇ ପାଆ ନ ଖାଏ ରୋଗୀ, ତିନିପା ନଖାଏ ମୂଲିଆ ବାପୁଡ଼ା, ଚାରି ପାଆ ନ ଖାଏ ଯୋଗୀ | (ଏମାନେ ବିଭିନ୍ନ କାରଣରୁ ପେଟପୁରା ଖାଆନ୍ତି ନାହିଁ )
9.    ଏକ ପୁଅ ପୁଅରେ ଲେଖା ନୁହେଁ | (ଯାହାର ଗୋଟିଏ ବୋଲି ପୁଅ ସେ ବଂଶରକ୍ଷା ସମ୍ବନ୍ଧରେ ନିଃସନ୍ଦେହ ହୋଇ ପାରେ ନାହିଁ )
10.                      ଏକ ହାତରେ ତାଳି ବାଜେ ନାହିଁ | (ଯେପରି ତାଳି ମାରିବା ପାଇଁ ଦୁଇ ହାତ ଲୋଡ଼ା ହୁଏ, ସେହିପରି ଦୁଇ ପକ୍ଷରୁ ତତପରତା ନ ଥିଲେ ବିବାଦ, କଳହ ବା ଯୁଦ୍ଧ ଇତ୍ୟାଦି ସମ୍ଭବପର ନୁହେଁ )
11.                      ଏକ ସଲମି ନ କରି ଦୋ ସଲମି କରିବା | (ଯାହାର ଯାହା ପ୍ରାପ୍ୟ ବା ଦେୟ ତାହାକୁ ତାହା ନ ଦେଇ ପରେ ଅବସ୍ଥାଚକ୍ରରେ ବଡ଼ି ବାଧ୍ୟ ହୋଇ ଦୁଇ ଗୁଣରେ ଶୁଝିବା ନ୍ୟାୟ)
12.                      ଏକ ପୁଅର ଆଶ, ନଈ କୂଳରେ ଚାଷ | (ନଈକୂଳିଆ ଚାଷ ପରି ଗୋଟିଏ ପୁଅ ଦ୍ବାରା ବଂଶରକ୍ଷା ଅନିଶ୍ଚିତ)
13.                      ଏକ ମନ ହେଲେ ସମୁଦ୍ର ଶୁଖେ | (ଏକତା ବଳରେ ଅସାଧ୍ୟ ସାଧନ କରି ହୁଏ)
14.                      ଏକ ଠେଙ୍ଗାକୁ ସହସ୍ରେ ହାଣ୍ଡି | (ଗୋଟିଏ ଠେଙ୍ଗାରେ ସହସ୍ରେ ହାଣ୍ଡି ଭାଙ୍ଗି ପାରିବା ସଦୃଶ ଜଣେ ବଳୁଆ ଅଥବା ବୁଦ୍ଧିମାନ ବ୍ୟକ୍ତି ବହୁ ଦୁର୍ବଳ ଅଥବା ନିର୍ବୋଧ ଲୋକଙ୍କୁ ଅନାୟାସରେ ଜବତ କରିବା)
15.                      ଏ କାନରେ ପଶି ସେ କାନରେ ବାହାରିଯିବା | (ମନଯୋଗ ଦେଇ ନ ଶୁଣିବା କିମ୍ବା କଥା ଅନୁସାରେ କାର୍ଯ୍ୟ ନ କରିବା)
16.                      ଏକ କାନରୁ ଦୁଇ କାନ ହେଲେ ମନ୍ତ୍ର ଭେଦ | (କୌଣସି ଗୁପ୍ତ କଥା ଜଣକରୁ ଅଧିକ ଲୋକର କାନରେ ପଡ଼ିଲେ କଥାଟା ଫୁଟି ଚାରିଆଡ଼େ ପ୍ରଘଟ ହୋଇଯାଏ )
17.                      ଏକା ନଈ ସହସ୍ରେ କୋଶ | (ଗୋଟିଏ ନଈ ପାରି ହେବା ହଜାର କୋଶ ବାଟ ଚାଲିବାଠାରୁ ଅଧିକ କଷ୍ଟକର)
18.                      ଏ କାନରୁ ସେ କାନ ନ ହେବା | (ଗୁପ୍ତ ରଖିବା)
19.                      ଏକା ମାଘକେ ଶୀତ ଯାଏ ନାହିଁ | (ଗୋଟିଏ ମାଘରେ ଶୀତ ଶେଷ ହୁଏ ବୋଲି ଭାବିବା ପରି ଏକା ଥରକେ ସବୁ ଅସୁବିଧା ଦୂର ହୋଇଗଲା ବୋଲି ଭାବିବା ଭ୍ରମାତ୍ମକ)
20.                      ଏକା ମାଳୀ ତିନି ଦେଉଳ ପୂଜିବା | (ଜଣେ ଲୋକ ଏକାଧିକ ଲୋକଙ୍କୁ ସେବା କରିବା)
21.                      ଏକା ବକା | (ଲୋକ ଏକୁଟିଆ ଥିଲେ ତାହାର ସବୁ ବୁଦ୍ଧି ହଜିଯାଏ )
22.                      ଏକା ଚାହାଳିର ପାଠ, ଏକା ଅବଧାନ ଚାଟ | (ଦୁଇଜଣ ବ୍ୟକ୍ତି ସମାନ ନୀତି, କୌଶଳ ବା ଚତୁରୀ କରିବା ସ୍ଥଳରେ ଉଲ୍ଲେଖ କରାଯାଏ )
23.                      ଏକା ତୁଣ୍ଡରେ ଉଆ ଉଷୁନା | (ଜଣେ ଲୋକ ଗୋଟିଏ ପ୍ରକାର କଥା କହି ଭିନ୍ନ ସମୟରେ ସମ୍ଫୂର୍ଣ୍ଣ ବିପରୀତ ମତ ପୋଷଣ କରିବା)
24.                      ଏକା ମାଧିଆ ବାଇଶି ପଳ | (ଅର୍ଥ, ବିଦ୍ୟା ଅବା ବୁଦ୍ଧିରେ ଜଣେ ବହୁ ଲୋକଙ୍କୁ ଅତିକ୍ରମ କଲେ ଏହି ଉପଲକ୍ଷ୍ୟ ଦିଆ ଯାଇଥାଏ)
25.                      ଏକା ଲାଉର ମଞ୍ଜି | (ସମାନ ସ୍ବଭାବବିଶିଷ୍ଟ ବ୍ୟକ୍ତି)
26.                      ଏକାଟିଆ ବାହାରା, ମୁଣ୍ଡି ମୁଣ୍ଡି ସାହାରା | (ଗାଳି)
27.                      ଏକେ ଶିରୀ ତ ଏକେ ହତଶିରୀ | (ମନୁଷ୍ୟମାନଙ୍କ ଭିତରୁ ଜଣକର ସୁପୁଣ୍ୟ ହେତୁ ଗୃହର ଶ୍ରୀ ବଢ଼ିଲା ବେଳକୁ ଆଉ ଜଣକର ମନ୍ଦ ଗୁଣ ହେତୁ ଶ୍ରୀ ତୁଟିବାର ଦେଖାଯାଏ )
28.                      ଏକୋଇର ବଳା ବିଶିକେଶନ | (ପୁରାଣବର୍ଣ୍ଣିତ କର୍ଣ୍ଣରାଜାଙ୍କ ଏକମାତ୍ର ପୁତ୍ର)
29.                      ଏ ଘର ମାଉସୀ ସେ ଘର ପିଉସୀ | (ଯେଉଁ ଲୋକ ଉଭୟ ପକ୍ଷରେ ଥାଏ )
30.                      ଏଣ୍ଡୁଅ ଧାଉଡ଼ି କିଆ (ସିଝୁ) ବା (ବୁଦା) କୁ ଯାଏ | (ଯାହାର ଶକ୍ତି ସୀମାବଦ୍ଧ)
31.                      ଏଣୁ ମାଇଲେ ବ୍ରହ୍ମହତ୍ୟା, ତେଣୁ ମାଇଲେ ଗୋହତ୍ୟା | (ଦୋଘାଇ ବା ଦୋସନ୍ଧିରେ ପଡ଼ି କର୍ତ୍ତବ୍ୟ ନିର୍ଣ୍ଣୟରେ ଅକ୍ଷମ ହେବା )
32.                      ଏଣ୍ଡୁଅ ଉପରେ ଓଉ ବୋଝ | (ଅନୁତାପଯୁକ୍ତ ବ୍ୟକ୍ତି ଉପରେ କୌଣସି ଗୁରୁଦାୟିତ୍ବ ନ୍ୟସ୍ତ କରିବା)
33.                      ଏଣ୍ଡାର ଦଉଡ଼ କୁଢ଼ ଯାଏ | (ଯେଉଁଠାରେ କୌଣସି ବ୍ୟକ୍ତିର ବଳ, ବୁଦ୍ଧି ବା ସାମର୍ଥ୍ୟ ଅତ୍ୟନ୍ତ ସୀମାବଦ୍ଧ ସେହିପରି ସ୍ଥଳରେ ଏହି ଉଦାହରଣ ଦିଆଯାଏ) (ଗଞ୍ଜାମ ଅଞ୍ଚଳରେ ପ୍ରଚଳିତ ପ୍ରବଚନ)
34.                      ଏ ବର୍ଷର ମଳୁ ଆର ବର୍ଷକୁ ବୈଦ୍ୟ | (ଅନୁଭୂତିରୁ ଅଭିଜ୍ଞତା ଅର୍ଜ୍ଜନ କରିବା)
35.                      ଏ ବର୍ଷର ମାଗଣ ଆର ବର୍ଷକୁ କର |
36.                      ଏ ପୁନିଅରେ ସେ ପିଠା ନାହିଁ | (କୌଣସି ବିଷୟ ଉପସ୍ଥିତ ଘଟନାରେ ଅନୁପଯୋଗୀ ହେବା ସ୍ଥଳେ କୁହାଯାଏ )
37.                      ଏନ୍ତା ଲୋକ କେନ୍ତା, ଖଲିଖିଆ ଲୋକ ଥିଲିଥିଁ ଖାଏଲେଁ ଲୋକ ଚିନଭା ସେ କେନ୍ତା ? (ଲୋକର ଅବସ୍ଥାରେ ଉନ୍ନତି ହେଲେ ସେ ମଣିଷ ଚିହ୍ନେ ନାହିଁ | ସମ୍ବଲପୁର ଅଞ୍ଚଳରେ ପ୍ରଚଳିତ ପ୍ରବଚନ)
38.                      ଏ ମନ ଭାବୁଥାଇ ଯାହା, କାଳେ ପ୍ରାପତ ହୁଏ ତାହା |
39.                      ଏମିତି ଗଲାଣି କାଳକ, କାଉ ନେଇଗଲା ଫାଳକ | (ଏକ ଅବସ୍ଥାରେ ଜୀବନର ଦୀର୍ଘକାଳ ଅତୀତ ହେବା)
40.                      ଏ ମୁଣ୍ଡ ପୋଡ଼ିଲେ ଯୋଗୀ ସେ ମୁଣ୍ଡକୁ ଯାଏ | ସେ ମୁଣ୍ଡ ପୋଡ଼ିଲେ ଯୋଗୀ ଶିଙ୍ଗାନାଦ ବାଏ | (ଭିକ୍ଷାନ୍ନ ଉପରେ ନିର୍ଭର କରି ଚଳୁଥିବା ଲୋକର କେଉଁଥିକି ପରୁଆ ନ ଥାଏ )
41.                      ଏମନ୍ତ ଭାବରେ କହି ଯାଉଥିବ କେହି ନ ବୋଲିବ ଝୁଟ, ଏମନ୍ତ ସଜରେ ବସି ଯାଇଥିବ କେହି ନ ବୋଲିବ ଉଠ, ଏମନ୍ତ ମଜାରେ ଚାଲି ଯାଉଥିବ କେହି ନ କହିବ ଝୁଣ୍ଚ | (ଉପଦେଶ)
42.                      ଏସା କରେଙ୍ଗା ତେସା କରେଙ୍ଗା, ସିପେଇ ଦେଖିଲେ ଶୋଇ ପଡ଼େଙ୍ଗା | (ହିନ୍ଦୀମିଶା ବ୍ୟଙ୍ଗୋକ୍ତି) (କଥାରେ ଭାରି ନିର୍ଭୀକ ବୋଲି ପରିଚୟ ଦେଇ ଅସଲ କାର୍ଯ୍ୟ ବେଳକୁ ଭୀରୁ ଭଳି ଆଚରଣ କରିବା )
43.                      ଏହି ଦେହ ଫେର ଏମନ୍ତ ହୋଇ ହାତୀକୁ ପାରଇ ବାନ୍ଧି | ଏହି ଦେହ ଫେର ଏମନ୍ତ ହୋଇ ମୁଷାକୁ ନ ପାରେ ଛନ୍ଦି | (ଦେହରେ ବଳ ଥିଲାବେଳେ ମନୁଷ୍ୟ ଅସାଧ୍ୟ ସାଧନ କରିପାରେ | ପୁନର୍ବାର ଦେହ ଦୁର୍ବଳ ହୋଇଗଲେ ସେହି ମନୁଷ୍ୟ ଅତି ସାମାନ୍ୟ କାର୍ଯ୍ୟ ମଧ୍ୟ କରିବା ପାଇଁ ଅକ୍ଷମ ହୁଏ )
44.                      ଏହି ପେଟ, ଏହି ପେଟଲାଗି ବଙ୍ଗଳା ବାଟ, ଏହି ପେଟଲାଗି ଛଟପଟ, ଏହି ପେଟ ଲାଗି ଧାନକୁଟ, ଏହି ପେଟଲାଗି ନଟକୂଟ, ଏହି ପେଟଲାଗି ବସିଛି ହାଟ, ଏହି ପେଟଲାଗି ତେନ୍ତୁଳି ଛାଟ, ଏହି ପେଟ ଲାଗି ତଣ୍ଟି କାଟ, ଏହି ପେଟଲାଗି ବଦନ ହେଟ, ଏହି ପେଟଲାଗି ଦେଖ ସୁକୁଟ, ଏହି ପେଟଲାଗି ଯମର ଭେଟ |
45.                      ଏହି ମନ ଯେବେ ପ୍ରସନ୍ନ ହୁଅଇ ଦିଅଇ ଅଭୟ ବର, ଏହି ମନ ଯେବେ ପ୍ରସନ୍ନ ନୁହଇ କରୁଥାଏ ହରବର |
46.                      ଏହିଁକି ଏତେ, ମୁଦି ନାଇଁ ଗୋଡ଼ କଚାଡୁ କେତେ ?
47.                      ଏଭୁଁ ଏତେ, ପାଏନ୍ ପଡ଼ିଲେ ହେବୁ କେତେ ? (ସମ୍ବଲପୁର)
48.                      ଏହି କଥାକୁ, ନାଆ ପେଲିଦେଲି କଲିକତାକୁ |

#ଓ
1.    ଓଟ ମୁଁହକୁ ଜିରା | (ଯେ ବହୁତ ଖାଦ୍ୟ ଖାଏ ତାକୁ ଅଳ୍ପ ମୁଠାଏ ଖାଦ୍ୟଦେବା)
2.    ଓଡ଼, ଗଉଡ଼, ଭଣ୍ଡାରି ଏ ତିନିହେଁ ଧର୍ମର ବଇରୀ |
3.    ଓଡ଼ଶ ବିଆଣ | (ବହୁ ସନ୍ତାନ ପ୍ରସବ କରିବା ସ୍ତ୍ରୀ ପ୍ରତି ପ୍ରଯୁଜ୍ୟ)
4.    ଓଧ ସଙ୍ଗେ ବଣଭୁଆ ବାଇ | (ଦୁହେଁ ମାଛ ଲୋଭୀ | କିନ୍ତୁ ଓଧ ପାଣିରେ ବୁଡ଼ିପାରେ | ମାତ୍ର ଭୁଆ ପାରେ ନାହିଁ | ଧନୀ ବା ସମର୍ଥ ଲୋକ ସହିତ ଗରିବ କିମ୍ବା ଅସମର୍ଥ ଲୋକ ଏକାଠି ମାତିବା )
5.    ଓପରି ଲାଭରେ ନ ପୁରେ ପେଟ, ଯେଉଁ ନିଅଣ୍ଟକୁ ସେହି ନିଅଣ୍ଟ | (ଉତ୍କୋଚ ନେଇ କେହି ନିଜର ଅଭାବ ମେଣ୍ଟାଇ ପାରେ ନାହିଁ )
6.    ଓର ଉଣ୍ଡି ମାରିବ ହାତ, ରଖିବେ ମାରିବେ ଜଗନ୍ନାଥ | (ଚୋରଙ୍କ ପ୍ରତି ଅନ୍ୟ ଚୋରଙ୍କର ଉପଦେଶ)
7.    ଓର ଉଣ୍ଡି ବସିଥା, ବେଳ ଉଣ୍ଡି ହଗିଯା |
8.    ଓଲଟି ଦାସେ ଘୋଡ଼ା ଚଢିବା | (କୌଣସି ନ୍ୟାୟ ନିଷାପରେ ଯେଉଁ ପକ୍ଷର ଦୋଷ ବା କାଇଲି ସେ ଓଲଟି କରି ଅପର ପକ୍ଷକୁ ଦୋଷୀ ବୋଲି କହିବା)
9.    ଓଲମି ଲୋ ଘରେ ଥା, ଓଲେଇ ଲୋ ଘରୁ ଯା |
10.                       ଓଲେଇ ଦରକଞ୍ଚା ଖାଏ, ଦୁଆରବୁଲୀର ପୋଡ଼ଯାଏ |
11.                       ଓଲେଇର ଦରଦର କଞ୍ଚା, ହାଣ୍ଡିଖାଈର ଦରଦର ସିଝା |
12.                       ଓଲେଇ ହାତରେ ଶୁଖୁଆ ପୋଡ଼ା | (ଓଲେଇ ହାତରେ ଶୁଖୁଆ ପୋଡ଼ା ଦେଲେ ସେ ଖାଇଦେବା ପରି ଠିକ ବା ଅସାଧୁ ବ୍ୟକ୍ତି ହାତରେ ଧନ ସମ୍ପଦ ଭାର ନ୍ୟସ୍ତ କରିବା)
13.                       ଓଲୁ ନା ଓଲୁଙ୍କ ବୁକୁଚାବୁହା | (ନିପଟ ମୁର୍ଖ ଲୋକ)
14.                       ଓଳିତଳେ ଚାଷ କି ଓଳିତଳେ ବାସ | (ଓଳିତଳ ଚାଷ କିମ୍ବା ଅନ୍ୟର ଓଳିତଳେ ଘରକରି ରହିବା ଭଲ ନୁହେଁ )
15.                       ଓଳିଘେନି କୋଳି, ପଲମ ଘେନି ସରୁଚକୁଳି | (ମାଟିଗୁଣେ କୋଳି ମିଠା ବା ଖଟା ଏବଂ ପଲମ ଘେନି ଚକୁଳି ସରୁ ବା ମୋଟ ହେବା ପରି ପିତାମାତା ଗୁଣେ ପୁତ୍ର ଭଲ ବା ମନ୍ଦ ହୋଇଥାଏ )
16.                       ଓଳିଆରୁ ପଡ଼ି ଗଜା | (ଶସ୍ୟ ବୁଣା ହେବା ପୂର୍ବରୁ ସେଥିରୁ ଗଜା ବାହାରିଥିବା ପରି ଉପଯୁକ୍ତ ସମୟ ପୂର୍ବରୁ ଯେ ବାହାଦୂରି ଦେଖାଏ)
17.                       ଓଲୁଅ ତିଆରେ ବଣ ସାରୁକୁ ତୁ ଗଲୁ ମୁଁ ଗଲୁ ସାଙ୍ଗ ହୋଇ ଯିବା ବାହାଘରକୁ | (ଦୁଇ ମନ୍ଦ ବା ଦୁଷ୍ଟ ଲୋକ ଏକତ୍ର ହେଲେ ଭଲ କାର୍ଯ୍ୟରେ ବିଘ୍ନ ଘଟେ )
18.                       ଓଷଦ ଜାଳାରେ (ରାଗରେ)ତାଟିଆ କାମୁ଼ଡ଼ିବା | (ଜଣକ ଉପରେ ରାଗର କାରଣ ଥାଇ ରାଗି ନ ପାରି ଅନ୍ୟ ଜଣକ ଉପରେ ରାଗିବା)

#ଔ
1.    ଔଷଧାର୍ଥେ ସୁରା ପାନ | (ଔଷଧ ପାଇଁ ବ୍ୟବହାର କରାଗଲେ ସୁରାପାନ ଦୂଷଣୀୟ ନୁହେଁ )

(ସୌଜନ୍ୟ— ଓଡ଼ିଆ ଭାଷା ବ୍ଲଗ)

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...