Friday, May 28, 2021

● ଜୀବନ ମନ୍ତ୍ର ●

          ✍ ନୀହାର ରଞ୍ଜନ ଆଚାର୍ଯ୍ୟ 

ଷଠି ପଞ୍ଚୁଆତି ଏନ୍ତୁଡ଼ି ଶାଳ 
ବାହା ବେଦି ପୁଣି ମଶାଣି କୋଳ 
ସବୁଠି ଖେଳୁଛି ନିଆଁର ଗୋଳ 
ମଣିଷ ବୁଝୁନି ସମୟ ମୂଲ  

ଜନମ ମରଣ ବିଧି ବିଧାନ 
ବାଳୁତ କିଶୋର ଆଦି ସୋପାନ 
ସପନ ସଉଧ ତୋଳେ ଯୌବନ 
ବାର୍ଦ୍ଧକ୍ୟ ଖୋଜଇ ଧରମ ଧନ 

ବେଳୁ ସାବଧାନ ହୁଅରେ ମନ 
ବାର୍ଦ୍ଧକ୍ୟ ନୋହିବ କେବେ ଦାରୁଣ 
ଚିନ୍ତାମଣି ଚିନ୍ତି କରିଥିଲେ କର୍ମ 
ସମାଜେ ହୋଇବ ତୋ' ଗୁଣଗାନ 
 
ଅଭିଳାଷ, ଆଶା ସଂସାର ସଉଦା 
ଶେଷ ଠିକଣା ତୋ' ମଶାଣି ପଦା 
ବନ୍ଧୁ ପରିବାର ସଖା ସହୋଦର 
ଦି' ଦିନ କୁଣିଆ ଦୂନିଆଁ  ବୁକୁର 

ସଂସାର ମଧ୍ୟେ ମୃତ୍ୟୁ ଏକା ସତ୍ୟ 
ସୁଖ ସ୍ବଚ୍ଛନ୍ଦ ତ' କ୍ଷଣିକ ଉସତ 
ସମୟ ନଈରେ ନିଶ୍ଚିତ ଉଜାଣି 
ବେଳୁ ସମର୍ପିଥା ଜୀବନ ତରଣୀ

● ଓଡ଼ିଆ ଓ ହିନ୍ଦୀ କେତେ ସମାନ କେତେ ଭିନ୍ନ ●

❇️❇️ ଓଡ଼ିଆ ଓ ହିନ୍ଦୀ କେତେ ସମାନ କେତେ ଭିନ୍ନ ❇️❇️
                          ଉପସ୍ଥାପନା: ଶିଶିର ସାହୁ ମନୋଜ 

✔️କେଉଁ କେଉଁ ଗୁଣରେ ଓଡ଼ିଆ ଭାଷା ହିନ୍ଦୀଠାରୁ ଆଗରେ...

୧)ଓଡ଼ିଆ ଏକ ପୁରାତନ ଭାଷା ହିନ୍ଦୀ ଏକ ଅର୍ଵାଚୀନ ଭାଷା ।
୨) ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା ହିନ୍ଦୀ ଏକ କଳୁଷିତ ଭାଷା ।
୩) ଓଡ଼ିଆ ଭାଷାକୁ ଭରତକୃତ ନାଟ୍ୟଶାସ୍ତ୍ରରେ ଉଡ୍ରମାଗଧୀ ଓ ଉଡ୍ରଵିଭାଷା ଭାବେ ଉଲ୍ଲେଖ କରାଯାଇଛି ମାତ୍ର ଏହି ୨୦୦୦ ଵର୍ଷ ପୁରାତନ ଗ୍ରନ୍ଥରେ ହିନ୍ଦୀର ଉଲ୍ଲେଖ ନାହିଁ ।
୪) ଓଡ଼ିଆ ଭାଷା ସଂସ୍କୃତର ଵ୍ୟାକରଣ ଅର୍ଥାତ୍ ଭାରତର ମାନକ ଵ୍ୟାକରଣ ଵ୍ୟାକରଣକୁ ଶତକଡ଼ା ୧୦୦ ଅନୁସରଣ କରିଥାଏ ମାତ୍ର ହିନ୍ଦୀରେ ଷତ୍ଵଵିଧି ଣତ୍ଵଵିଧି ଆଦି ଅନେକ ସଂସ୍କୃତ ଵ୍ୟାକରଣ ନିୟମ ପାଳନ ସବୁସମୟରେ ସବୁ ଶବ୍ଦ କ୍ଷେତ୍ରରେ କରାଯାଏ ନାହିଁ ।
୫) ଓଡ଼ିଆ ଭାଷା ସଂସ୍କୃତ ଶବ୍ଦମୟ ଏଵଂ ସଂସ୍କୃତ ଭାଷାର ଯେକୌଣସି ଶବ୍ଦ ଓଡ଼ିଆରେ ପ୍ରୟୋଗ କରାଯାଇପାରେ ମାତ୍ର ହିନ୍ଦୀରେ ପଣପଣ ଆରବୀ- ପାର୍ସୀ- ତୁର୍କ ଵୈଦେଶିକ ଶବ୍ଦ ଭରି ରହିଥିଵାରୁ ଏଥିରେ ସବୁ  ସଂସ୍କୃତ ଶବ୍ଦ ଵ୍ୟଵହାର ହୋଇପାରେ ନାହିଁ ।
୬) ଓଡ଼ିଆ ଭାଷାର ସ୍ଵତନ୍ତ୍ର ସୁନ୍ଦର ଲିପି ରହିଛି ମାତ୍ର ହିନ୍ଦୀ ଭାଷାକୁ ସଂସ୍କୃତର ଦେଵନାଗରୀ ଲିପିରେ ଲେଖାଯାଇଥାଏ ।
୭) ଓଡ଼ିଆ ଭାଷାରେ ସାରଳା ମହାଭାରତଠାରୁ ଵୈଦେହୀଶ ଵିଳାସ ଯାଏଁ ଶତାଧିକ ପ୍ରାଚୀନ ଗ୍ରନ୍ଥ ରହିଛି ମାତ୍ର ହିନ୍ଦୀରେ ତହିଁର ଦଶଭାଗ ପ୍ରାଚୀନ ସାହିତ୍ୟ ବି ଦୃଶ୍ୟ ହୁଏନାହିଁ । ଅଵଧୀ, ମୈଥିଳୀ  ଆଦି ଭାଷାର ପୁରାତନ ଗ୍ରନ୍ଥଗୁଡି଼କୁ ହିନ୍ଦୀ ସାହିତ୍ୟ ଭାବେ ଵିଵେଚିତ କରାଯାଉଥିଲେ ହେଁ ସେସବୁ ଭାଷା ହିନ୍ଦୀର ବହୁପୂର୍ଵରୁ ଵିଦ୍ୟମାନ ଏଵଂ ହିନ୍ଦୀଠାରୁ ସ୍ଵତନ୍ତ୍ର ଭାଷା ଅଟଇ ।
୮) ସଂସ୍କୃତ ପରେ ଓଡ଼ିଆ ଭାଷାରେ ସର୍ଵାଧିକ ପାଣ୍ଡୁଲିପି ରହିଛି କିନ୍ତୁ ଏ କ୍ଷେତ୍ରରେ ହିନ୍ଦୀ ଓଡ଼ିଆ ପଛରେ ରହିଛି । 
୯) ଓଡ଼ିଆ ଭାଷାର ତତ୍ସମ,ତଦ୍ଭଵ ଓ ଦେଶଜ ଶବ୍ଦଯୁକ୍ତ ଶବ୍ଦଵିଭଵ ହିନ୍ଦୀର ଵୈଦେଶିକ ଧାରଶବ୍ଦ ଯୁକ୍ତ ଶବ୍ଦଭଣ୍ଡାର ତୁଳନାରେ ଅନେକଗୁଣ ଅଧିକ ।
୧୦) ଓଡ଼ିଆ ଭାଷା ଉପରେ ତିନୋଟି ଭାଷାପରିଵାର ଆଷ୍ଟ୍ରୋଏସୀୟ,ଦ୍ରାଵିଡ଼ୀୟ ଓ ଭାରୋପୀୟ ଭାଷାପରିଵାରର ପ୍ରଭାଵ ପଡି଼ଛି କିନ୍ତୁ ହିନ୍ଦୀରେ କେଵଳ ଭାରୋପୀୟ ଭାଷାର ପ୍ରଭାଵ ପରିଲକ୍ଷିତ ହୋଇଥାଏ ।
୧୧) ଓଡ଼ିଆ ଭାଷାର ତିରିଶରୁ ଅଧିକ ନିଜସ୍ବ ଶୈଳୀ ଥିଲାବେଳେ ହିନ୍ଦୀଭାଷା ଆଧୁନିକ ହୋଇ ସୁଦ୍ଧା ଅଵଧୀ,ମୈଥିଳୀ,ମଗହୀ ଆଦି ଅନେକ ପୁରାତନ ଭାରୋପୀୟ ଭାଷାକୁ ଯୋର କରି ଏହାର ଶୈଳୀ ଭାବେ ପ୍ରତିପାଦିତ କରାଯାଇଛି ।
୧୨) ଓଡ଼ିଆ ଭାଷାରେ ଳ ଵର୍ଣ୍ଣର ଵ୍ୟଵହାର ପ୍ରାଚୀନ କାଳରୁ ଏଯାଵତ୍ ଯଥାଵତ୍ ଥିଲାବେଳେ ହିନ୍ଦୀଭାଷାରେ 'ଳ' ର ଚଳନ ପ୍ରାୟତଃ ଉଠିଯାଇଛି
୧୩) ଓଡ଼ିଆ ଭାଷାରେ ଅନ୍ତ୍ୟସ୍ଥ 'ଯ'ର ଅକ୍ଷର ଓ ସୂର୍ଯ୍ୟ,ଆର୍ଯ୍ୟ ତଥା କାର୍ଯ୍ୟ ଆଦି ଶବ୍ଦରେ ଏହାର ମୂଳ ଉଚ୍ଚାରଣ ଏବେ ସୁଦ୍ଧା ବଞ୍ଚିରହିଛି କିନ୍ତୁ ହିନ୍ଦୀରେ ଅନ୍ତ୍ୟସ୍ଥ 'ଯ'ଯୁକ୍ତ ଶବ୍ଦଗୁଡ଼ିକୁ ଦ୍ଵିସ୍ଵର ୟ ଭଳି ଉଚ୍ଚାରଣ କରାଯାଏ ।
୧୪) ଓଡ଼ିଆ ଭାଷାରେ ପ୍ରାଚୀନ ଆର୍ଯ୍ୟଭାଷାର ଅକାରାନ୍ତ ଉଚ୍ଚାରଣ ଆଜି ସୁଦ୍ଧା ବଞ୍ଚିରହିଛି କିନ୍ତୁ ହିନ୍ଦୀ ମାତ୍ରାଧିକ ଵୈଦେଶିକ ଭାଷାଦ୍ଵାରା ପ୍ରଭାଵିତ ହେଵା ଯୋଗୁଁ ସେଥିରୁ ଏହିଗୁଣ ସମ୍ପୂର୍ଣ୍ଣ ଲୋପପାଇ ଉକ୍ତ ଭାଷା ପ୍ରାୟତଃ ହଳନ୍ତଵତ୍ ଉଚ୍ଚାରିତ ହେଉଅଛି ।
୧୫) ଓଡ଼ିଆ ଭାଷାରେ ଵର୍ଗ୍ୟ ବ, ଅଵର୍ଗ୍ୟ ଵ ଓ ଦ୍ଵିସ୍ଵର ୱ ଏହିପରି ତିନୋଟି ଅକ୍ଷର ରହିଛି । ଓଡ଼ିଆ ଭାଷାରେ ଵୈଦେଶିକ ତାୱା ହାୱା ଆଦି ଶବ୍ଦକୁ ଲେଖିଵାପାଇଁ ଦ୍ଵିସ୍ଵର ୱ ଵ୍ୟଵହାର ହୋଇଥାଏ କିନ୍ତୁ ହିନ୍ଦୀରେ ଵୈଦେଶିକ ଦ୍ଵିସ୍ଵର ୱ ଯୁକ୍ତ ଉଚ୍ଚାରଣ ହେଉଥିଵା ଶବ୍ଦଗୁଡି଼କରେ ଧ୍ଵନିତତ୍ତ୍ଵର ନିୟମଭଙ୍ଗ କରି ଅଵର୍ଗ୍ୟ ଵ ଵ୍ୟଵହାର କରାଯାଏ ଓ ସେହିପରି ଉଚ୍ଚାରଣ କରାଯାଏ ।
୧୬) ଓଡ଼ିଆ ଭାଷା ସନାତନୀ ଜଗନ୍ନାଥ ସଂସ୍କୃତି ଆଧାରିତ ସାଂସ୍କୃତିକ ଶବ୍ଦଦ୍ଵାରା ପୃଷ୍ଟ ମାତ୍ର ହିନ୍ଦୀରେ ଵୈଦେଶିକ ମୁସଲମାନ ଧର୍ମ ଓ ଆରବୀୟ ସଂସ୍କୃତିଦ୍ଵାରା ପ୍ରଭାଵିତ ଶବ୍ଦାଧିକ୍ୟ ରହିଛି ।
୧୭) ଓଡ଼ିଆ ଭାଷାରେ ଆଠଦିଗ ପାଇଁ ସ୍ଵତନ୍ତ୍ର ବୋଇତିଆ ଶବ୍ଦ ରହିଛି ମାତ୍ର ହିନ୍ଦୀରେ ସେଭଳି ଶବ୍ଦ ଥିଵା ଜଣାଯାଏ ନାହିଁ ।
୧୮)ଜଣେ ଓଡ଼ିଆ ଭାଷା ବୋଲୁଥିଵା ଲୋକ ହିନ୍ଦୀ ସହଜରେ ବୁଝିପାରେ ମାତ୍ର ହିନ୍ଦୀଭାଷା ଯେଉସମାନଙ୍କର ମାତୃଭାଷା ସେମାନେ ହଠାତ୍ ଓଡ଼ିଆ ବୁଝିପାରନ୍ତି ନାହିଁ ।
୧୯) ଓଡ଼ିଆ ଭାଷାରେ ହିନ୍ଦୀ ଅପେକ୍ଷା ଅନେକ ଯୁକ୍ତାକ୍ଷର ଵ୍ୟଵହୃତ ହୋଇଥାଏ କିନ୍ତୁ ହିନ୍ଦୀରେ क्ष,ज्ञ,ङ्ग ଆଦି ଅଳ୍ପ କେତୋଟି ଯୁକ୍ତାକ୍ଷର ରହିଛି । ହିନ୍ଦୀରେ ଯୁକ୍ତାକ୍ଷର ପରିଵର୍ତ୍ତେ  ଅନସ୍ଵାର ଓ ଅଳ୍ପ କେତୋଟି ଶବ୍ଦରେ ଚନ୍ଦ୍ରଵିନ୍ଦୁ ଵ୍ୟଵହାର ହୋଇଥାଏ ।
୨୦)

✔️କେଉଁ କେଉଁ ଗୁଣରେ ହିନ୍ଦୀ ଓଡ଼ିଆ ଭାଷାଠାରୁ ଆଗରେ

୧)ହିନ୍ଦୀଭାଷା ଵିଶ୍ଵରେ ଓଡ଼ିଆ ଅପେକ୍ଷା ଅଧିକ ବୋଲାଯାଏ ଓ ଲୋକପ୍ରିୟ ।
୨)ହିନ୍ଦୀରେ ଓଡ଼ିଆ ଅପେକ୍ଷା ଅଧିକ ଅଧୁନା ଅଧିକ ସାହିତ୍ୟ ରଚନା ହୋଇଥାଏ ।
୩) ଓଡ଼ିଆ ଅପେକ୍ଷା ହିନ୍ଦୀଭାଷାରେ ଅନେକଗୁଣ ଅଧିକ ଚଳଚ୍ଚିତ୍ର, ପୁସ୍ତକ ଓ ଜାଲସ୍ଥଳ ଉପଲବ୍ଧ । 
୪)କେନ୍ଦ୍ରୀୟ ଶାସନ କ୍ଷେତ୍ରରେ ହିନ୍ଦୀ ଭାଷା ଇଂରାଜୀ ସହ ଏକ ପ୍ରମୁଗ ସରକାରୀ ଭାଷାର ମାନ୍ୟତା ପାଇଥିଲାବେଳେ ଓଡ଼ିଆ ଭାଷାକୁ କେଵଳ ଓଡ଼ିଶାରେ ସରକାରୀ ଭାଷାର ମାନ୍ୟତା ମିଳିଅଛି ।
୫) ଓଡ଼ିଆ ଭାଷାକୁ ଅନେକ ଜାଲସ୍ଥଳ ଓ କେନ୍ଦ୍ରୀୟ କାର୍ଯ୍ୟକ୍ରମରେ ହତାଦର କରାଯାଉଥିଲାବେଳେ ହିନ୍ଦୀକୁ ଇଂରାଜୀ ସହ ସଦାସର୍ଵଦା ଅଗ୍ରାଧିକାର ମିଳିଥାଏ ।
୬)ଭାରତରେ ଅନେକ ଲୋକ ହିନ୍ଦୀ ବୁଝିପାରନ୍ତି ମାତ୍ର ଓଡ଼ିଆ ଭାଷାକୁ ଭାରତରେ ସମସ୍ତେ ବୁଝିପାରନ୍ତି ନାହିଁ ।
୭)ଭାରତରେ ହିନ୍ଦୀ ଏକ ସମ୍ପର୍କ ଭାଷା ଭାବରେ ଆଜି ଅନେକ ଭାଷାକୁ ପ୍ରଭାଵିତ କରି ଵୈଦେଶିକ ଓ ଦେଶଜ ଶବ୍ଦଦ୍ଵାରା କଳୁଷିତ 
କରୁଅଛି ମାତ୍ର ଓଡ଼ିଆ ଭାଷା ଏ ଦିଗରେ ବହୁ ପଛରେ ରହିଛି ।
୮)ଓଡ଼ିଆ ଭାଷାର କୁଡ଼ମଲୀ,ଲରିଆ ଓ ସାଦ୍ରୀଭାଷାକୁ ହିନ୍ଦୀଭାଷା ଚୋରାଇ ନେଇଛି କିନ୍ତୁ ଓଡ଼ିଆ ଭାଷା ହିନ୍ଦୀର କୌଣସି ଶୈଳୀ ଚୋରାଇ ନାହିଁ ।
୯)ହିନ୍ଦୀଭାଷାରେ କେତୋଟି ଵ୍ୟତିକ୍ରମକୁ ଛାଡି଼ଦେଲେ ଅଵର୍ଗ୍ୟ ଵ ଯୁକ୍ତ ଅଧିକାଂଶ ତତ୍ସମ ଶବ୍ଦରେ ଥିଵା ଅନ୍ତ୍ୟସ୍ଥ ଵ କୁ ଠିକ୍ ଉଚ୍ଚାରଣ କରାଯାଏ କିନ୍ତୁ ଓଡ଼ିଆ ଭାଷାରେ ଅଵର୍ଗ୍ୟ ଵ କୁ ଵର୍ଗ୍ଯ ବ ପରି ଉଚ୍ଚାରଣ କରାଯାଇଥାଏ ଏଵଂ ‘ଵା' ,‘ହେଵା’ ଆଦି ଅଳ୍ପ କେତୋଟି ଦେଶଜ ଶବ୍ଦରେ ଅଵର୍ଗ୍ୟ ଵ ର ଉଚ୍ଚାରଣ ଦୃଶ୍ୟ ହୋଇଥାଏ ।

✔️ଉଭୟ ଭାଷାରେ ସମାନତା କ'ଣ କ'ଣ ?

୧) ଓଡ଼ିଆ ଏଵଂ ହିନ୍ଦୀ ଉଭୟ ଭାରତୀୟ ଭାଷା ଓ ଏ ଉଭୟ ଭାଷାର ଅନେକ ଶବ୍ଦ ସଂସ୍କୃତ ତଥା ପ୍ରାକୃତ ଭାଷାରୁ ଗ୍ରହଣ କରାଯାଇଛି । 
୨)ଉଭୟ ଭାଷା ଆର୍ଯ୍ୟଭାଷା ଵା ଇଣ୍ଡିକଭାଷା ଏଵଂ ଭାରୋପୀୟ ଭାଷା ପରିଵାରର ଭାଷା ଅଟଇ ।
୩) ଓଡ଼ିଆ ଏଵଂ ହିନ୍ଦୀରେ ଅନେକ ସମଦ୍ଧୃତଗତ ଦେଶଜ ,ତଦ୍ଭଵ ଓ ତତ୍ସମ ଶବ୍ଦ ସମ ଅର୍ଥରେ ଵା ସାମାନ୍ୟ ଭିନ୍ନ ଅର୍ଥରେ ଵ୍ୟଵହୃତ ହୋଇଥାଏ ।
୪)ଉଭୟ ଭାଷା ଵିଶ୍ଵର ସର୍ଵାଧିକ କଥିତ ଵୈଶ୍ଵିକ ଭାଷା ମଧ୍ୟରେ "ମୋଟ୍ ୨୦" ମଧ୍ୟରେ ରହିଛି ।
୫) ହିନ୍ଦୀ ଓ ଓଡ଼ିଆ ଭାଷା ଏ ଉଭୟ ଭାଷାରେ ଵ୍ୟଵହୃତ ଲିପି ମୂଳତଃ ବ୍ରାହ୍ମୀଲିପିରୁ ସୃଷ୍ଟି ହୋଇଅଛି ।

ଆପଣଙ୍କ ପାଖରେ ଆଉ କୌଣସି ମତ ଥିଲେ ଯୋଡି଼ପାରନ୍ତି...

Wednesday, May 26, 2021

ଢଗଢମାଳି

ଖଣ୍ଡାୟତ ଯେବେ ଚୋରକୁ ଡରେ
ସେନାନୀ ଚକିତ ହେଲେ ରଣରେ

ଗାଲମୁଛା ରଖିଥିଲେ ବାରିକ
ଖରା କି ବରଷା ହେଲେ ଅଧିକ

ପେଟମରା ରୋଗୀ ଗୀତ ଗାଇଲେ
ନାରୀ ଅଶକତ ପ୍ରସବ ବେଳେ

ମନ୍ତ୍ରୀଟି ଉଚିତ କଥା ନ କହେ
ନ ମିଳିଲେ ଭିକ୍ଷା ଯେ ଗାଳି ଦିଏ

ପତିତ ଯେବେ ହୁଅଇ ପଣ୍ଡିତ
ଦରିଦ୍ର ଲୋକ ନ ଶୁଣଇ ହିତ

ଘରର ମୁରବୀ ଚଞ୍ଚଳ ଚିତ୍ତ 
କହେ ଦନାଇ ଏ ନୁହେଁ ଉଚିତ ॥

Tuesday, May 25, 2021

● ଗଞ୍ଜାମର ଉତ୍କଳ ପ୍ରୀତି ●

                     ✍ ଉପସ୍ଥାପନା : ଶିଶିର ସାହୁ ମନୋଜ 

ଯୁଗେ ଯୁଗେ ଗଞ୍ଜାମ ଜିଲ୍ଲା ସାରା ଓଡ଼ିଶାକୁ ଵିଭିନ୍ନ କ୍ଷେତ୍ରରେ ଦିଗଦର୍ଶନ ଦେଵାରେ ସହାୟକ ହୋଇଛି ।

୧୯୦୩ ମସିହା ଏପ୍ରିଲ ୧୧ ଓ ୧୨ ତାରିଖ ବ୍ରହ୍ମପୁରଠାରେ ପାରଳାଖେମୁିର ଶ୍ୟାମସୁନ୍ଦର ରାଜଗୁରୁଙ୍କ ସଭାପତିତ୍ଵରେ ଗଞ୍ଜାମ ଜାତୀୟ ସମିିତିର ସଭାରେ ତତ୍କାଳୀନ  ତରୁଣ କବି ଗୋପବନ୍ଧୁ ଯଥାର୍ଥରେ କହିଥିଲେ―

"ଧନ୍ଯ ହେ ଗଞ୍ଜାମଵାସୀ ଓଡ଼ିଆ ସକଳ,

ଧନ୍ଯ ତୁମ୍ଭ କଉଶଳ ଧନ୍ଯ ତୁମ୍ଭ ବଳ।

ଦେଖାଇଲ ଯେ ଉତ୍ସାହ ଉଦ୍ଯମ ଶକତି,

ମାତୃଭାଷା ମାତୃଭୂମି ଅଟଳ ଭକତି ।"

ଅଵିଭକ୍ତ ଗଞ୍ଜାମ ଜିଲ୍ଲା ସମେତ ସମ୍ପୂର୍ଣ୍ଣ ଦକ୍ଷିଣ ଓଡ଼ିଶାରେ ପ୍ରଥମେ ଓଡ଼ିଆ ଭାଷା ଆନ୍ଦୋଳନର ଦୁନ୍ଦୁଭି ବାଜି ଉଠିଥିଲା ।

 ବର୍ତ୍ତମାନ ର ଦାରଙ୍ଗବାଡି଼ ପଞ୍ଚାୟତ ସମିତି ଅନ୍ତର୍ଗତ କାଟିଙ୍ଗିଆ ଜମିଦାର ଉତ୍କଳ ରକ୍ଷକ ଶ୍ରୀ ଭେଙ୍କଟେଶ୍ବର ରାଓ ପ୍ରଥମେ ଏଇ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । 

ଶ୍ରୀରାଓ ଅନୁଭଵ କରିଥିଲେ, ଓଡ଼ିଶାର ସର୍ଵାଙ୍ଗୀନ ଉନ୍ନତି କେଵଳ ଓଡ଼ିଆଙ୍କର ସ୍ବାଭିମାନୀ ସ୍ବତନ୍ତ୍ର ଶାସନରେ ହିଁ ସମ୍ଭଵପର ହୋଇପାରିଵ ତେଣୁ ସେ ସ୍ବପ୍ନ ଦେଖୁଥିଲେ ମଧ୍ଯପ୍ରଦେଶ,ମାନ୍ଦ୍ରାଜ ଏବଂ ବଙ୍ଗରେ ମିଶିଯାଇଥିଵା ଓଡ଼ିଆ ଅଞ୍ଚଳର ଏକତ୍ରୀକରଣ ।

1866ରେ ଜମିଦାରୀ କ୍ଷମତା ପାଇଵା ପରେ ସେ ନିଜ ଚିନ୍ତାଧାରା କୁ କାର୍ଯ୍ୟରେ ପରିଣତ କରିଵା ପାଇଁ
ହଦଗଡ଼,ମୁଠା(ଟିକାପାଲି),ଚକାପାଦ,ଗଞ୍ଜାମ,ଅଠର ଓ ବାରମୁଠାର ସମସ୍ତ ରୟତ,କରଡା଼,ରଣବା,ଗଦାପୁର,ପାଲୁର,ହୁମା,ଗଞ୍ଜା,ମହୁରୀ,ସୁରଙ୍ଗୀ,ଜରଡା,ଖଲ୍ଲିକୋଟ,ଆଠଗଡ଼, ଘୁମୁସର,ଧରାକୋଟ,ସୋରଡା଼,ଖେମୁଣ୍ଡି,ଚିକିଟି,
ଜଳନ୍ତର,ମଞ୍ଜୁଷା,ପାରଳା ଆଦି ଅଞ୍ଚଳର ଦେଶୀୟ ରାଜା,ଭାଷାପ୍ରେମୀ ଶିକ୍ଷିତ ଓଡ଼ିଆ,ବିଭିନ୍ନ ଛୋଟ ବଡ଼ ସାଂସ୍କୃତିକ ଅନୁଷ୍ଠାନ ଓ ସଂଗଠନ ସଦସ୍ୟଗଣଙ୍କ ସହ ଯୋଗସୂତ୍ର ସ୍ଥାପନକରି ସେପ୍ଟେମ୍ବର ୧୮୭୦ରେ ରସୁଲକୁଣ୍ଡା(ଵର୍ତ୍ତମାନର ଭଞ୍ଜନଗର)ଠାରେ 
ଏକ ସଭାର ଆୟୋଜନ କଲେ ।

ଏହି ସଭାରେ ଦକ୍ଷିଣ ଓଡ଼ିଶା ଅଞ୍ଚଳରେ ତେଲୁଗୁଭାଷୀଙ୍କ ପାର୍ଦୁଭାଵକୁ ତୀବ୍ର  ଭର୍ତ୍ସନା କରାଯିଵା ସହ ଏଠିକାର ନ୍ୟାୟାଳୟ ଓ ଵିଦ୍ୟାଳୟରେ ଓଡ଼ିଆ ଭାଷା ପ୍ରଚଳନ ସଂପର୍କରେ ଵିସ୍ତୃତ ଆଲୋଚନା କରାଯାଇ ପ୍ରସ୍ତୁତ ହୋଇଥିଵା ମାନପତ୍ର ତତ୍କାଳୀନ ମାନ୍ଦ୍ରାଜ ଲାଟଙ୍କୁ ପ୍ରଦାନ କରାଯାଇଥିଲା ।

ତେଵେ ଏହି ସଭାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ସମଗ୍ର ଓଡ଼ିଆ ଅଞ୍ଚଳ ଏକତ୍ର କରାଯିଵାର ଶୁଭଶଙ୍ଖ ସର୍ଵ ପ୍ରଥମେ ଏହିଠାରେ ହିଁ ନିନାଦିତ ହୋଇଥିଲା ଏବଂ ଯାହା ମଧ୍ଯପ୍ରଦେଶ ଓ ବଙ୍ଗ ଅନ୍ତର୍ଭୁକ୍ତ ତତ୍କାଳୀନ ଜାତୀୟତାଵାଦୀ ଓଡ଼ିଆଙ୍କର ହୃଦୟତନ୍ତ୍ରୀରେ କମ୍ପନ ସୃଷ୍ଟି କରିଥିଲା ...

Thursday, May 20, 2021

🔲 ଓଡ଼ିଆ ଭାଷା ଓ ଭ୍ରମ 🔲

🔲🔲🔲🔲🔲
ମାନକ ଓଡ଼ିଆ ଭାଷା ଵା ଯାହାକୁ ବହିଭାଷା କୁହାଯାଏ ତା ଵିଷୟରେ ଆମ ଗଡ଼ଜାତିଆଙ୍କ ମଧ୍ୟରେ ଅନେକ ଭ୍ରମ ଧାରଣା ରହିଛି । 

ଭ୍ରମ ଧାରଣା (୧)
ବହି ଭାଷା ଵା ମାନକ ଶାସ୍ତ୍ରୀୟ ଭାଷା = କଟକୀ ଭାଷା

★ପ୍ରକୃତ ସତ୍ଯ★

ବହି ଭାଷା କଟକୀ ନୁହେଁ, ଯିଏ କଟକର ଗ୍ରାମାଞ୍ଚଳରେ ରହିଛି ସିଏ ସ୍ପଷ୍ଟ ଭାବରେ କହିପାରେ ଯେ
ନା !!!  ବହି ଭାଷା କଟକୀ ଆଦୌ ନୁହେଁ । 

ଯଥା କେତେକ ଉଦାହରଣ ଦେଖନ୍ତୁ 
ମାନକ ଓଡ଼ିଆରେ #ସେବେ #ଏବେ କୁହାଯାଏ କିନ୍ତୁ କଟକୀରେ କୁହନ୍ତି #ସେଭେ , #ଏଭେ । ମାନକ ଓଡ଼ିଆରେ #ତୁମେ  କୁହାଯାଏ କଟକୀ ଶୈଳୀରେ #ତେମେ କୁହନ୍ତି । ଏଇଭଳି ଲକ୍ଷାଧିକ ଉଦାହରଣ ରହିଛି । ଅଵିଭକ୍ତ କଟକ ଜିଲ୍ଲାରେ ଲକ୍ଷାଧିକ ସ୍ଥାନୀୟ ଶବ୍ଦ ରହିଛି କିନ୍ତୁ ସେଗୁଡ଼ିକ ମାନକ ଓଡ଼ିଆରେ ସ୍ଥାନପାଇ ନାହିଁ । 

ଭ୍ରମ ଧାରଣା (୨) 
ପୂର୍ଵାଞ୍ଚଳର କଥିତ ଓଡ଼ିଆ ଶୈଳୀ ହେଉଛି ମାନକ ଓଡ଼ିଆ କଥିତ ଶୈଳୀ 

•ପ୍ରକୃତ ସତ୍ଯ

କଟକୀ ଶୈଳୀ ମାନକ ଓଡ଼ିଆ କଥିତ ଶୈଳୀ ନୁହେଁ ଵରଂ ଯେଉଁ କଥିତ ଓଡ଼ିଆ ଭାଷାରେ ଜଣେ ବ୍ରହ୍ମପୁରର ଲୋକ ସହ ଜଣେ ସମ୍ବଲପୁରଵାସୀ କଥା ହୁଏ, ଯେଉଁ କଥିତ ଶୈଳୀରେ ଜଣେ ବାଲେଶ୍ବରଵାସୀ ସହ ଆନଜଣେ  ଢେଙ୍କାନାଳିଆ କଥା ହୁଏ ସେଇ କଥିତ ଶୈଳୀକୁ ମାନକ ଓଡ଼ିଆ କଥିତ ଶୈଳୀ କୁହାଯାଏ । 

ଭ୍ରମ ଧାରଣା (୩)
କେଵଳ ବହିଭାଷା ଵା ମାନକ ଓଡ଼ିଆ ହିଁ ଶାସ୍ତ୍ରୀୟ ଓଡ଼ିଆ ଏଵଂ ଵାକି ସବୁ ତାହାର ଶୈଳୀ 

★ପ୍ରକୃତ ସତ୍ୟ★
ଶାସ୍ତ୍ରୀୟ ଓଡ଼ିଆ ଵା ଯାହାର ପ୍ରାଚୀନ ନାମ ଉଡ୍ରୀ ଵିଭାଷା ଥିଲା ତାହା ମୂଳତଃ ଵସ୍ତର ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଅଞ୍ଚଳରେ ଆଜକୁ ପ୍ରାୟ ୨୪୦୦ ଵର୍ଷ ତଳେ କଥିତ ଭାଷା ରୂପେ ଚଳୁଥିଵାର ଉଲ୍ଲେଖ ନାଟ୍ୟଶାସ୍ତ୍ରମ୍ ରେ ଅଛି । ଏହି ଭାଷା ଆଜି ଭାଷା କ୍ଷେତ୍ରରେ ସଂସ୍କୃତ ପରଵର୍ତ୍ତୀ ସବୁଠାରୁ ଅଧିକ ଵୈଜ୍ଞାନିକ ଭାଷା କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଵେ ଶାସ୍ତ୍ରୀୟ ଓଡ଼ିଆ ଭାଷାକୁ ସମଗ୍ର ଓଡ଼ିଆ ଭାଷା ମଧ୍ୟ କୁହାଯାଏ । ଏହା କୌଣସି ଗୋଟିଏ ଅଞ୍ଚଳର ନୁହେଁ ସମଗ୍ର କଳିଙ୍ଗ ଦେଶର ଭାଷା,ଏହା ସମସ୍ତଙ୍କର ଭାଷା କାରଣ ସମସ୍ତେ ଏ ଭାଷାକୁ ନିଜ ନିଜର ଶବ୍ଦ ଓ ଶୈଳୀ ଦେଇଛନ୍ତି । 
ସେଇ ଶାସ୍ତ୍ରୀୟ ଓଡ଼ିଆ ଭାଷା ଵା ସମଗ୍ର ଓଡ଼ିଆ ଭାଷା କିନ୍ତୁ
କେଵଳ ମାନକ ଭାଷା ଵା ବହିଭାଷା ନୁହେଁ ଵରଂ ବହିଭାଷା ଵା ମାନକ ଓଡ଼ିଆ ମଧ୍ୟ ଦେଶିଆ,କୁପିଆ,ରେଲୀ,ଭତ୍ରୀ ଆଦି ଭଳି ସମଗ୍ର ଓଡ଼ିଆ ଭାଷାର ଗୋଟିଏ ଶୈଳୀ  ଛଡ଼ା ଆଉ କିଛି ନୁହେଁ ।

ସମଗ୍ର ଓଡ଼ିଆ ଭାଷା ଵା ଶାସ୍ତ୍ରୀୟ ଓଡ଼ିଆ ଭାଷାର ଏକ ଶୈଳୀ ଏହି ବହିଭାଷା ଵା ମାନକ ଭାଷା ମଧ୍ୟ ଦୁଇ ପ୍ରକାରର

୧) କଥିତ ମାନକ ଭାଷା
ଯେଉଁ ମାନକ ଭାଷା ଦ୍ଵାରା ଜଣେ ସମ୍ବଲପୁରଵାସୀ ସହ କୌଣସି ଢେଙ୍କାନାଳାଞ୍ଚଳର ଲୋକ କଥାଭାଷା ହୁଏ, ଯେଉଁ କଥିତ ମାନକ ଭାଷା ଵ୍ଯଵହାର କରି ଜଣେ ଗଞ୍ଜାମଵାସୀ ଆନଜଣେ ବାଲେଶ୍ଵରିଆ ଲୋକ ସହ କଥା ହୁଏ ତାହା କଥିତ ମାନକ ଭାଷା

୨) ଲିଖିତ ମାନକ ଭାଷା
ଯେଉଁ ମାନକ ଭାଷା ଵା ବହିଭାଷାର କଳିଙ୍ଗଦେଶର ଵିଦ୍ଵାନମାନେ, ଛାତ୍ର ଓ ଶିକ୍ଷକ ଆଦି ସମସ୍ତ ବୁଦ୍ଧିଜୀଵିମାନେ ଵ୍ଯଵହାର କରନ୍ତି ତାହା ଲିଖିତ ମାନକ ଭାଷା ଅଟେ ।

Wednesday, May 19, 2021

● ଆମ ସ୍ଵାଭିମାନର ଅନ୍ୟ ନାମ ଉତ୍କଳ ●

💠💠💠ଆମ ସ୍ଵାଭିମାନର ଅନ୍ୟ ନାମ ଉତ୍କଳ 💠💠💠
        ଉପସ୍ଥାପନା ; ✍ ଶିଶିର ସାହୁ ମନୋଜ 

ଓଡ଼ିଶାର ମୁଖ୍ୟତଃ ଉଡ୍ରରାଷ୍ଟ୍ର,ଉତ୍କଳ ଓ କଳିଙ୍ଗ ଏହି ତିନୋଟି ନାମ ରହିଛି ଏଵଂ ତନ୍ମଧ୍ୟରେ ଉତ୍କଳ ଏକ ପୁରାଣ ପ୍ରସିଦ୍ଧ ନାମ ।  ଵିଭିନ୍ନ ପ୍ରାଚୀନ ଭାରତୀୟ ଶାସ୍ତ୍ରରେ ଉତ୍କଳ ଶବ୍ଦଟି ଅନେକ ଅର୍ଥରେ ଵ୍ୟଵହୃତ ହୋଇଅଛି । ଭାରତରେ ସଂକଳିତ ବିଭିନ୍ନ ଶବ୍ଦକୋଷରେ ତତ୍ସମ ଉତ୍କଳ ଶବ୍ଦର ଯେଉଁ ଅର୍ଥ ସବୁ ଉଲ୍ଲେଖ କରାଯାଇଛି ତାହା ଏଠାରେ ପ୍ରଦତ୍ତ ହେଲା...

🔰ଉତ୍କଳ{ନିରୁକ୍ତି:—“ଉତ୍+କଳ+ଅଚ୍(ଅ)”}
     (ଵିଶେଷ୍ୟ)
(୧)ଭାରତର ଏକ ଜନପଦ ଵର୍ତ୍ତମାନର ଓଡ଼ିଶା ପ୍ରଦେଶ
(୨)ପଞ୍ଚଗୌଡ଼ ମଧ୍ୟରୁ ଏକ ଦେଶ 
(୩)ଓଡ଼ିଆ ଭାଷାଭାଷୀ ଲୋକ
(୪)ଉତ୍କଳ ଭାଷା ଵା ଓଡ଼ିଆ ଭାଷା
(୫)ମନୁ ନନ୍ଦନ ସୁଦ୍ଯୁମ୍ନଙ୍କର ତିନି ପୁତ୍ର ମଧ୍ୟରେ ଜଣେ
(୬)ଧ୍ରୁଵଙ୍କର ଜ୍ଯୈଷ୍ଠପୁତ୍ର ଉତ୍କଳ
(୭)ଭାରବାହକ ବା ବେହେରୀ{ନି:—ଉତ୍କ+ଲା ଧାତୁ)
(୮)ଵ୍ୟାଧ ଵା ଶିକାରୀ
(୯)ପକ୍ଷୀମରା ଲୋକ
(୧୦)ପୁରାଣ ଵର୍ଣ୍ଣିତ ରାକ୍ଷସ ଵିଶେଷ
(୧୧) ବ୍ରାହ୍ମଣମାନଙ୍କର ଏକ ଶାଖା; ଉତ୍କଳୀୟ ବ୍ରାହ୍ମଣ

🔰ଉତ୍କଳ(ଵିଶେଷଣ)
୭)ଉତ୍କଣ୍ଠିତ
୮)ବଡ଼ପାଟିଆ

ଭାରତୀୟ ସାହିତ୍ୟରେ ଉତ୍କଳ ଶବ୍ଦ ନାନା ଅର୍ଥରେ ପ୍ରୟୋଗ ହେଉଅଛି ଏଵଂ ସେହି ଆଧାରରେ ଶବ୍ଦକୋଷଗୁଡି଼କରେ ପ୍ରୋକ୍ତ ଅର୍ଥ ସବୁ ଯୋଡା଼ଯାଇଅଛି । ଉତ୍କଳ ଦେଶ ପଞ୍ଚଗୌଡ଼ ମଧ୍ୟରୁ ଅନ୍ୟତମ । ସ୍କନ୍ଦପୁରାଣ ସହ୍ଯାଦ୍ରିଖଣ୍ଡ ମତରେ ପାଞ୍ଚଗୋଟି ଦେଶକୁ ପଞ୍ଚଗୌଡ଼ କୁହାଯାଉଥିଲା ଓ ଏଠାକାର ବ୍ରାହ୍ମଣଙ୍କୁ ପଞ୍ଚଗୌଡୀୟ କୁହାଯାଏ । 

🔅ସାରସ୍ବତ🔅କାନ୍ୟକୁବ୍ଜ🔅ଗୌଡ଼🔅ମୈଥିଳ🔅ଉତ୍କଳ । 
ସେଥିପାଇଁ କପିଳ ସଂହିତାରେ ରହିଛି ...

“ସାରସ୍ଵତାଃ କାନ୍ଯକୁବ୍ଜା ଉତ୍କଳାଃ ମୈଥିଳାଶ୍ଚ ଯେ
ଗୌଡାଶ୍ଚ ପଞ୍ଚମା ଚୈଵ ପଞ୍ଚଗୌଡା ପ୍ରକୀର୍ତ୍ତିତାଃ” ।।”

ଏମିତି କୌଣସି ପ୍ରାଚୀନ ଶାସ୍ତ୍ର ନଥିଵ ଯେଉଁଥିରେ ଓଡ଼ିଶାର କଥା ନଥିଵ ଆଉ ଓଡ଼ିଶା କଥା ଆସିଲେ ଏହାର ତିନିଗୋଟି ନାମ ଉଡ୍ରଦେଶ, କଳିଙ୍ଗ ଓ ଉତ୍କଳର  ସେସବୁ ଗ୍ରନ୍ଥରେ ନାମୋଲ୍ଲେଖ ମିଳିଵା ସ୍ଵାଭାଵିକ କଥା । ତେଣୁ ଶାସ୍ତ୍ରରେ ଓଡ଼ିଶା ଵିଷୟରେ ସୁନ୍ଦର ଭାବରେ କୁହାଯାଇଛି 

“ଵର୍ଷାଣାଂ ଭାରତଃ ଶ୍ରେଷ୍ଠୋ ଦେଶାନାମୁତ୍କଳଃ ଶ୍ରୁତଃ ,
ଉତ୍କଳସ୍ଯ ସମୋଦେଶଃ ଦେଶୋ ନାସ୍ତି ମହୀତଳ ।।” 

ଯଥାର୍ଥରେ ଉତ୍କଳ ଦେଶ ସେତିକି ଶ୍ରେଷ୍ଠ ଥିଲା ଓ ଅଛି ଯୋଉଥିପାଇଁ ପୂର୍ଵେ ଉଡ୍ରମାନଙ୍କୁ ମ୍ଲେଛ ବୋଲି କହିଥିଵା ଶାସ୍ତ୍ରକାର ମାନଙ୍କୁ ସେହି ଉଡ୍ରମାନଙ୍କ ଦେଶକୁ ଶ୍ରେଷ୍ଠ କହିଵାକୁ ହୋଇଥିଲା ।

“କିରାତା ବର୍ବରା ସିଦ୍ଧା ଵିଦେହା ସ୍ତାମ୍ରଲିପ୍ତକାଃ
ଉଡ୍ରାଃ ମ୍ଲେଛ୍ଛାଃ ସସେରିନ୍ଧ୍ରାଃ ପାର୍ଵତୀୟାଶ୍ଚ ମାରିଷ ।।”

କିଛି ଲୋକ ଅଵଶ୍ୟ ଓଡ୍ର, କଳିଙ୍ଗ ଓ ଉତ୍କଳକୁ ଭିନ୍ନ ଭିନ୍ନ ଦେଶ ଵିଚାର କରିଥାଆନ୍ତି କିନ୍ତୁ ସଂସ୍କୃତି,ମାନଵଜାତି ଓ ଭାଷା ଦୃଷ୍ଟିରୁ ଏ ସମସ୍ତ ଦେଶର ଅଧିଵାସୀ କେବେ ବି ଭିନ୍ନ ନଥିଲେ । ସଂସ୍କୃତ ଶାସ୍ତ୍ର ଲେଖାଗଲାବେଳେ ଆମ ଦେଶର ଲୋକେ ପୂର୍ଵୀ ପ୍ରାକୃତ ଓ ପରେ ପାଲୀ ଭାଷୀ ଥିଲେ । ସେହିଭଳି ଓଡ଼ିଶାର ସଂସ୍କୃତିକୁ ଉତ୍କଳୀୟ ସଂସ୍କୃତି କୁହାଯାଏ । ସାହିତ୍ୟରେ ଉତ୍କଳ ଶବ୍ଦ ସୁନ୍ଦର ଲାଗେ ବୋଲି କଵି ଏ ଦେଶକୁ ଉତ୍କଳ ଵିଚାର କରି ଗାଇଛନ୍ତି 

“ବନ୍ଦେ ଉତ୍କଳ ଜନନୀ !
ଚାରୁ ହାସମୟୀ 
ଚାରୁ ଭାଷମୟୀ 
ଜନନୀ ଜନନୀ ଜନନୀ”

ସେହିପରି ଯେତେବେଳେ ଆମ ଇତିହାସ କଥା ପଡ଼େ ଆମ ପ୍ରାଚୀନ ପୂର୍ଵଜଙ୍କ ଵୀରତ୍ଵ ଓ ନୌଵାଣିଜ୍ୟ କଥା ପଡ଼େ ମନ କର୍ଣ୍ଣରେ  ସ୍ଵତଃ ଝଙ୍କୃତ ହୁଏ “କଳିଙ୍ଗା ସାହସିକାଃ” ପଦ ।  ଆମ ଉଡ୍ର ଜାତିର ନାମରୁ ତ ପୁଣି ଆମ ଦେଶର ନାମ ଓଡ଼ିଶା ହୋଇଅଛି । ଏହି ତିନୋଟି ନାମ ତିନୋଟି ଭିନ୍ନ ଦେଶର ନୁହେଁ ଵରଂ ଏକ ଵିଶାଳ ଭୂଖଣ୍ଡର ତିନୋଟି ନାମ ଅଟଇ । 
ନିରୁକ୍ତି ଦୃଷ୍ଟିରୁ ଦେଖିଲେ ଉତ୍କଳ ଓ କଳିଙ୍ଗ ଏ ଉଭୟ ଶବ୍ଦ ମଧ୍ୟରେ “କଳ” ଶବ୍ଦ ରହିଛି । “କଳା ଭାସ୍କର୍ଯ୍ୟ ଓ ପ୍ରତିଭା ଯାହାର ଅଙ୍ଗେ ଅଙ୍ଗେ ରହିଛି ସେ କଳିଙ୍ଗ” ଆଉ “ଉତ୍କୃଷ୍ଟ କଳାର ଦେଶ ଯେଉଁ ଦେଶ ସେ ଦେଶର ନାମ ଉତ୍କଳ” ଏ ଉଭୟ ନାମ ମଧ୍ୟରେ ଭିନ୍ନତା ନୁହେଁ ଵରଂ ସମାନତା ହିଁ ଦୃଶ୍ୟ ହୋଇଥାଏ । ସେହିପରି ସଂସ୍କୃତ ଶବ୍ଦ ନିରୁକ୍ତି ପରିଵର୍ତ୍ତେ ଜନଜାତୀୟ ଶବ୍ଦଗୁଡ଼ିକ ଆଧାରରେ ମଧ୍ୟ ଉଡ୍ର, ଉତ୍କଳ ଓ କଳିଙ୍ଗ ଶବ୍ଦ ସମ୍ବନ୍ଧରେ ଆଲୋଚନା କରି ଦେଖିଲେ ଅନେକ ସମାନତା ମିଳେ ।  ଓଡ଼ିଶାର ଚଷା ଜାତିକୁ ଵିଭିନ୍ନ ନାମରେ ନାମିତ କରାଯାଇଥିଲା । 

ଦ୍ରାଵିଡ଼ଭାଷାରେ ଚଷାକୁ 'ଓକ୍କଳ' କହନ୍ତି ତେଣୁ ଦ୍ରାଵିଡ଼ ଗୋଷ୍ଠୀର କିଛି ଲୋକ ପାହାଡ଼ରୁ ଓହ୍ଲେଇ ପ୍ରଥମେ ସ୍ଥଳଭାଗରେ ଚାଷକରୁଥିଵା ଲୋକଙ୍କୁ ଉକ୍କଳୀ ଅଭିହିତ କରିଥିଵେ । 

କାନେରି ଭାଷାରେ ଚଷାକୁ 'ଓଡିଶୁ' କହନ୍ତି ପୁଣି ମୂଳ ଦ୍ରାଵିଡ଼ ଧାତୁଶବ୍ଦ "ଓଡ଼"ର ଅର୍ଥ ଚାଷ କରିଵା । କେତେକ ଅଞ୍ଚଳରେ ଦ୍ରାଵିଡ଼ ଲୋକେ ପ୍ରଥମ ସମତଳଭୂମି ଚାଷୀଙ୍କୁ ଓଡ଼ କହିଥିଵେ । 

ସେହି ଦ୍ରାଵିଡ଼ ଭାଷାପରିଵାରର କୁଈଭାଷାରେ ଧାନକୁ ଆଜି ବି 'କୁଳିଙ୍ଗ' କୁହାଯାଉଛି । ତେଣୁ ସମ୍ଭଵତଃ ପ୍ରଥମ ସମତଳଭୂମି ଚାଷୀଙ୍କୁ ଧାନ୍ୟର ଆଦ୍ୟ କୃଷକ ହୋଇଥିଵାରୁ 'କଳିଙ୍ଗ ' କୁହାଯାଉଥିଲା । କୁଭି ଭାଷାରେ ଧାନର ଚଷୁକୁ କୁଲିଙ୍ଗା କୁହାଯାଏ ଆଉ ଧାନକୁ କୁଲି । ଆଜି ବି ଗଞ୍ଜାମ ଜିଲ୍ଲାରେ ଏକ ଚଷାଜାତିକୁ କାଳିଞ୍ଜୀ କୁହାଯାଏ ଏଵଂ କ୍ରମେ ତେଲୁଗୁଭାଷୀ ହୋଇଯାଇଥିଵା ଏହି ଜାତିର ଆନ୍ଧ୍ରଭାଷୀ କାଳିଙ୍ଗୀ ଚଷା ମଧ୍ୟ ଅଛନ୍ତି । 

ବୋଧହୁଏ ଓଡ଼ିଶାରେ ଶାନ୍ତି ସମୟରେ ଚଷା ଓ ଯୁଦ୍ଧ ସମୟରେ ଯୋଦ୍ଧା ଭାବେ କାର୍ଯ୍ୟ କରୁଥିଵା ପାଇକ-ଚଷା ଜାତିମାନଙ୍କୁ  ତିନୋଟି ଭିନ୍ନ ଭିନ୍ନ ନାମ ଦିଆଯାଇଥିଲା । ପରେ ଯେତେଵେଳେ ଭାରତରେ ସବୁ ପ୍ରାକୃତ ଭାଷାଗୁଡି଼କର ମାନକୀକରଣରୁ ସଂସ୍କୃତ ଭାଷା ସୃଷ୍ଟି ହେଲା ସେତେଵେଳେ ପୁରାଣଗ୍ରନ୍ଥ ରଚନା ସମୟରେ ଓଡ଼ିଶାର ସଂଖ୍ଯାଗରିଷ୍ଠ ଚଷାଜାତି ସେହି ଉଡ୍ରମାନଙ୍କର ତିନିଗୋଟି ନାମକୁ ଗ୍ରହଣ କରିନେଇ ଉଡ୍ର,ଉଡ୍ରରାଷ୍ଟ୍ର,କଳିଙ୍ଗ ଓ ଉତ୍କଳ ଆଦି ନାମ ରଖାଯାଇଥିଵା ସମ୍ଭଵ । 

ଓଡ଼ିଶାର ଅନେକ ଲୋକ ଅଛନ୍ତି କୁହନ୍ତି ପ୍ରାଚୀନ ଓଡି଼ଆ ଗ୍ରନ୍ଥଗୁଡି଼କରେ ଓଡି଼ଶାକୁ କେଉଁଠି ବି ଉତ୍କଳ କୁହାଯାଇ ନାହିଁ । ପ୍ରକୃତରେ ସେମାନେ ଓଡ଼ିଆ ସାହିତ୍ୟକୁ ଠିକ୍'ରେ ପାଠ ହିଁ କରିନାହାନ୍ତି । କେଵଳ ଓଡ଼ିଆ ଭାଷା କ'ଣ ଆମ ଦେଶର ଅନେକ ଭାଷାର ପ୍ରାଚୀନ ସାହିତ୍ୟରେ ଆମ୍ଭର ଏହି ଓଡ଼ିଶାକୁ କଳିଙ୍ଗ,ଉଡ୍ରରାଷ୍ଟ୍ର ତଥା ଉତ୍କଳ କୁହାଯାଇଛି । 

ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗଵତରେ ଦ୍ଵାଦଶ ସ୍କନ୍ଧର ନଵମ ଅଧ୍ଯାୟରେ ଜଗନ୍ନାଥ ଦାସ ଓଡ଼ିଶାକୁ ଉତ୍କଳ ଅଭିହିତ କରିଵା ସହ ପୁରୁଷୋତ୍ତମ ପୁରୀ କ୍ଷେତ୍ରର ମଧ୍ୟ ଵର୍ଣ୍ଣନା କରିଅଛନ୍ତି । 

"ଵିଷ୍ଣୁର ମାୟାମୋହେ ପୁଣି । ଭାସନ୍ତି ମାରକଣ୍ଡ ମୁନି ।।୬୯।।
ଵିଷ୍ଣୁମାୟାରେ ଏକଦିନେ । ଭାସି ଲାଗିଲେ ଉଚ୍ଚସ୍ଥାନେ ।।୭ ୦।।
ବ୍ରହ୍ମାଣ୍ଡ ମଧ୍ୟେ ଜମ୍ବୁଦ୍ୱୀପ । ନଵଖଣ୍ଡରେ ସେ ସଂକ୍ଷେପ ।।୭୧।।
ଭାରତଵରଷ ମଧ୍ୟରେ । ଆର୍ଯ୍ୟାଵର୍ତ୍ତ ନାମ ବିସ୍ତାରେ ।।୭୨।।
ଉତ୍କଳ ନାମକ ଦେଶରେ । ଆର୍ଯ୍ୟାଵର୍ତ୍ତ ଅଗ୍ନିକୋଣରେ ।।୭୩।।
ଦକ୍ଷିଣ ମହୋଦଧି ତଟ । ସମୁଦ୍ର ଉତ୍ତରେ ପ୍ରକଟ ।।୭୪।।
ନାମ ଯା' ଶ୍ରୀପୁରୁଷୋତ୍ତମ । ସକଳ କ୍ଷେତ୍ର ଯହୁଁ ଜନ୍ମ ।।୭୫।।
ନୀଳାଚଳ ଗିରି ଶିଖରେ । ଅକ୍ଷୟ କଳ୍ପଵଟ ପରେ ।।୭୬।।
କ୍ଷେତ୍ରଵଟ ସମେତ ହୋଇ । ପ୍ରଳୟ ଜଳରେ ଭାସଇ ।।୭୭।।
ପବନ ବଳରେ ନ ଚଳେ । ସଳଖେ ଜନଲୋକେ ମିଳେ ।।୭୮।।
ପଞ୍ଚକୋଶ ଵିସ୍ତାର ହୋଇ । ବେଢିଣ ଜ୍ୟୋତିର୍ମୟ ଦେହୀ ।।୭୯।।
ଜଳ ଉପରେ ତା ପଲ୍ଲଵ । ଫଳ ପଲ୍ଲଵେ ଶୋଭା ଦିଵ୍ୟ ।।୮୦।।
ସେ ଯେଉଁ ଵୃକ୍ଷ ତିନିଡ଼ାଳ । ପୂର୍ଵ ଐଶାନ୍ୟ ଯେ ଉତ୍ତର ।।୮୧।।
ପୂର୍ଵ ଉତ୍ତର ମଧ୍ୟେ ଶାଖା । ଐଶାନ୍ୟ ଡ଼ାଳ ମଧ୍ୟେ ଦେଖା ।।୮୨।।
ନଵ ପଲ୍ଲଵ ଵଟପୁଟେ । ଏକ ପୁରୁଷ ଜଵାଙ୍ଗୁଷ୍ଠେ ।।୮୩।।
ସେ ଵଟପୁଟରେ ଶୟନ । ମାର୍କଣ୍ଡ କଲେ ତା' ଦର୍ଶନ ।।୮୪ ।।”

ସେହିପରି ସାରଳା ମହାଭାରତରେ ମଧ୍ୟ ଓଡ଼ିଶା ଦେଶକୁ ସାରଳା ଦାସ ଉତ୍କଳ ଵିଵେଚିତ କରିଛନ୍ତି ଏଵଂ ଏ ଦେଶରେ ପଵିତ୍ର ଓ ପୁରାଣ ପ୍ରସିଦ୍ଧ ଵୈତରଣୀ ନଦୀ ପ୍ରଵାହିତ ହୋଇଥିଵା ମଧ୍ୟ ଉଲ୍ଲେଖ କରିଅଛନ୍ତି ।

“ବାବନ ସମ୍ବାଦ କରଇ ଅମୃତରସ ଵାଣୀ’
ଉତ୍କଳ ଦେଶେ ବହଇ ନଦୀ ଵୈତରଣୀ ।।
ଵାରାହୀ ବୋଲି କରି ଅଟଇ ୟେକଇ ଶାସନେ
ମନୋହର ନଗ୍ର ଚଇତନ ପାଟଣା ସନ୍ନିଧାନେ ।।
ନିରାକୁଳ ଵଂଶୀ ଆମ୍ଭେ ଜଳଧର ଗୋତ୍ରୀ
ନାମ ଆମ୍ଭର ବାବନ ପଣ୍ଡା ଶୂନ୍ୟସାଧନ ମୂରତି ।।”

ସେହି ଉତ୍କଳ ଦେଶର ଲୋକଙ୍କୁ ମଧ୍ୟ ସଂସ୍କୃତରେ ଉତ୍କଳ,ଔତ୍କଳ ଓ ଆମ ଓଡି଼ଆ ଭାଷାରେ ଉତ୍କଳୀ, ଉତ୍କଳୀୟ ତଥା ଉତ୍କଳଭାଷୀ ଆଦି ବୋଲାଯାଇଥାଏ । ଓଡ଼ିଆ ବ୍ରାହ୍ମଣ ଵା ଓଡ଼ିଶା ଦେଶର ବ୍ରାହ୍ମଣମାନଙ୍କୁ ଏହି ଆଧାରରେ ଉତ୍କଳୀୟ ବ୍ରାହ୍ମଣ ଏଵଂ ସଂସ୍କୃତ ଗ୍ରନ୍ଥରେ କେଵଳ ଉତ୍କଳ କୁହା ହୋଇଅଛି । ତେବେ ଓଡ଼ିଆ ସଂସ୍କୃତ ଛଡ଼ା ବଙ୍ଗଳା ସାହିତ୍ୟରେ ସୁଦ୍ଧା ଓଡ଼ିଆ ଭାଷାକୁ ଉତ୍କଳ ଭାଷା ବୋଲାଯାଇଥିଵା ଦୃଷ୍ଟିଗୋଚର ହୁଏ ।

ଓଡ଼ିଆ ଭାଗଵତ ରଚନାର ୧୫୮ ଵର୍ଷ ପରେ ଅର୍ଥାତ୍ ୧୬୫୮ ମସିହାରେ ସନାତନ ଚକ୍ରଵର୍ତ୍ତୀ ବଙ୍ଗଳାରେ ଭାଗଵତ ରଚନା କରି ମଧ୍ଯ ଏହି ଦୂରୁହ କାର୍ଯ୍ୟରେ ସଫଳ ହୋଇ ନପାରି ଵିଶେଷ କରି ଦଶମ ସ୍କନ୍ଦ ଭାଗଵତ ରଚନା ବେଳକୁ ନିଜର ଅକ୍ଷମତା ପ୍ରକାଶ କରି ଓଡ଼ିଆ ଭାଗଵତର ଆଶ୍ରୟ ଗ୍ରହଣ କରିଥିଲେ । ନିଜେ ସନାତନ ଚକ୍ରବର୍ତ୍ତୀ ଏ କଥା ସ୍ୱୀକାର କରି କହିଛନ୍ତି

"ଶୁନ ଶୁନ ଶ୍ରୋତାଗନ କରି  ନିବେଦନ,
ପ୍ରଥମ ହଇତେ ଗ୍ରନ୍ଥ ଲେଖିଲୁ ଆପନ ।
ଦଶମର ଶେଷ ଖଣ୍ଡ ଭାଷା ନ ପାଇଲ,
ଅନେକ ପାଶି ଗ୍ରାମେ ଗ୍ରାମେ ବେଡାଇଲ।
ଏ ହେତୁ ଉତ୍କଳ ଭାଷା କରିଲ ଲିଖନ,
ଜଗନ୍ନାଥ ଦାସ କୃତ ଅପୂର୍ଵ ଵର୍ଣ୍ଣନ ।
ଗ୍ରନ୍ଥ ସମାପନ ହେତୁ ଉତ୍କଣ୍ଠା ହଇୟା,
ବଙ୍ଗଜ ଭାଷାୟ ଉତ୍କଳ ମିଶଇୟା।
ଇଥେ ସାଧୁ ଜନ ମୋର ଦୋଷ ନ ଲାଇବେ,
ଭାଗବତ ସାଧୁବାକ୍ୟ ଆନନ୍ଦେ ଶୁନିବେ।"

ପ୍ରୋକ୍ତ ପଦଗୁଡି଼କ ମଧ୍ୟରେ ବଙ୍ଗଳାର ପ୍ରାଚୀନ ସାହିତ୍ୟିକ ସନାତନ ଚକ୍ରଵର୍ତ୍ତୀ “ଉତ୍କଳ ଭାଷା କରିଲ ଲିଖନ” ଓ “ବଙ୍ଗଜ ଭାଷାୟ ଉତ୍କଳ ମିଶଇୟା” ଆଦି ପଦ ମଧ୍ୟରେ ଓଡ଼ିଆ ଭାଷାକୁ ଉତ୍କଳ ଭାଵେ ଅଭିହିତ କରିଅଛନ୍ତି ।‌

ପୁଣି ପୁରାଣରେ ଧ୍ରୁଵଙ୍କର ଏକ ପୁତ୍ରର ନାମ  ଉତ୍କଳ  ବୋଲି ଉଲ୍ଲେଖ କରାଯାଇଛି ।  ଉଦାହରଣ ସ୍ଵରୂପ ଓଡ଼ିଆ ଭାଗଵତ ଚତୁର୍ଥ ସ୍କନ୍ଧ ପଞ୍ଚଦଶ ଅଧ୍ଯାୟରେ ଧ୍ରୁଵଙ୍କ ଜ୍ୟୈଷ୍ଠପୁତ୍ର ଉତ୍କଳ ବୋଲି ଲେଖାଥିଵା ଦେଖାଯାଏ ।

“ତୁ ଯେ ପ୍ରାର୍ଥନା କଲୁ ମୋତେ । 
ଶୁଣ ବିଦୁର କହୁ ତୋତେ ।। ୧୨
ଧ୍ରୁଵର ପୁତ୍ର ଗୁଣଧାମ । 
ଜ୍ୟେଷ୍ଠ ଉତ୍କଳ ତାର ନାମ ।। ୧୩
ତାହାକୁ ଅଧିରାଜ୍ୟେ ସ୍ଥାପେ । 
ଧ୍ରୁଵ ଯେ ଗଲା ଵନେ ତପେ ।। ୧୪”

ସଂସ୍କୃତ ଭାଗଵତରେ ଧ୍ରୁଵଙ୍କ ଚରିତ ଥିଵାରୁ ତାହା ଓଡ଼ିଆ ଭାଗଵତରେ ମଧ୍ୟ ସ୍ଥାନ ପାଇଛି । ସଂସ୍କୃତ ଭାଗଵତରେ ମଧ୍ୟ ଧ୍ରୁଵପୁତ୍ର ଉତ୍କଳଙ୍କ ନାମ ରହିଛି । 

“ପ୍ରଜାପତେର୍ଦୁହିତରଂ ଶିଶୁମାରସ୍ଯ ଵୈ ଧ୍ରଵଃ। 
ଉପୟେମେ ଭ୍ରମିଂ ନାମ ତତ୍ସୁତୌ କଳ୍ପଵତ୍ସରୌ।। ଇଡାୟାମପିଭାର୍ଯ୍ଯାୟାଂ ଵାୟୋଃ ପୁତ୍ର୍ଯାଂ ମହାବଳଃ !। ପୁତ୍ରମୁତ୍ଫଳନାମାନଂଯୋଷିଦ୍ରତ୍ନଭଜୀଜନତ୍ ।।”

ପୁନଶ୍ଚ ଓଡ଼ିଆ ଭାଗଵତରେ ନଵମ ସ୍କନ୍ଧର ପ୍ରଥମ ଅଧ୍ଯାୟରେ ମଧ୍ୟ ଉତ୍କଳ ନାମକ ଜଣେ ରାଜପୁତ୍ରର କଥା ରହିଛି । କିନ୍ତୁ ନଵମ ସ୍କନ୍ଧରେ ଥିଵା ଭାଗଵତର କଥନକ ଅନୁସାରେ ଏ ଉତ୍କଳ ଧ୍ରୁଵପୁତ୍ର ଉତ୍କଳ ନୁହନ୍ତି ଵରଂ ସେ ମନୁନନ୍ଦନ ସୁଦ୍ୟୁମ୍ନଙ୍କର ଜନୈକ ପୁତ୍ର ତଥା ଦକ୍ଷିଣପଥର ଶାସକ ଥିଲେ । 

 ଓଡ଼ିଆ ଭାଗଵତ ଅନୁସାରେ ମନୁନ୍ଦନନ ସୁଦ୍ୟୁମ୍ନ ପ୍ରଥମେ ଯଜ୍ଞଦ୍ଵାରା ମନୁଙ୍କର ଇଳା ନାମ୍ନୀ କନ୍ୟା ରୂପେ ଉଦ୍ଭଵ ହୋଇଥିଲେ । ମନୁଙ୍କର ପତ୍ନୀ କନ୍ୟାରତ୍ନଟିଏ ଚାହୁଁଥିଲେ ତେଣୁ ସେ ହୋତାମାନଙ୍କୁ କନ୍ୟାରତ୍ନ ହେତୁକ ଯଜ୍ଞ କରିଵାକୁ ପ୍ରଵର୍ତ୍ତାଇଲେ । ଫଳତଃ ଯଜ୍ଞକୁଣ୍ଡରୁ ଇଳା ନାମ୍ନୀ କନ୍ୟା ଜାତ ହେଲା । 

“ଆହୁତି ଦେଲା ଅପ୍ରମିତ । ଏମନ୍ତେ କନ୍ୟା ହେଲା ଜାତ ॥୫୪।।
ତା' ରୂପ ଜଗତ ମୋହିଲା । ତାହାକୁ ଇଳା ନାମ ଦେଲା ॥୫୫।।”

ମାତ୍ର ମନୁ ପରେ ଵଶିଷ୍ଠ ଋଷିଙ୍କ ଦ୍ଵାରା ଶ୍ରୀଵିଷ୍ଣୁଙ୍କୁ ଯଜ୍ଞରେ ସନ୍ତୁଷ୍ଟ କରାଇ ଉକ୍ତ ଇଳା ନାମ୍ନୀ କନ୍ୟାକୁ ପୁରୁଷ କରାଇଦେଲେ । ଉକ୍ତ ମନୁପୁତ୍ରର ନାମ ସୁଦ୍ୟୁମ୍ନ ରଖାଗଲା । ଥରେ ସଦାଶିଵଙ୍କଦ୍ଵାରା ଶାପିତ ଏକ ଜଙ୍ଗଲ ମଧ୍ୟରେ ପ୍ରଵେଶ ହେଵାରୁ ସୁଦ୍ଯୁମ୍ନ ପୁନଃ ନାରୀ ରୂପ ଲଭିଲେ । 

“ଅଶ୍ଵ ସହିତେ ସର୍ଵ ଜନେ । ତକ୍ଷଣେ ସୁକୁମାର ଵନେ ॥୮୭।।
ସର୍ଵେ ହୋଇଲେ ସ୍ତିରୀଗଣ । ଅଶ୍ୱ ସହିତେ କୁଘଟଣ ॥୮୮।।”

ସୁଦ୍ୟୁମ୍ନ ପୁନଃ ଇଳା ନାମ୍ନୀ ନାରୀ ହେଵାରୁ ଉକ୍ତ ଵନ ଛାଡ଼ି ଅନ୍ୟ ଏକ ଵନକୁ ଚାଲିଗଲେ । ସେ ଵନରେ ଚନ୍ଦ୍ରସୁତ ବୁଧ ତପସ୍ୟା କରୁଥିଲେ । ଇଳାଙ୍କ ସୌନ୍ଦର୍ଯ୍ୟରେ ମୋହିତ ହୋଇ ସେ ତାଙ୍କ ସହ  ବଳାତ୍ ସମ୍ପର୍କ ସାଧିଲେ ଫଳରେ ଏକ ପୁତ୍ର ଜାତ ହେଲା ତାହାର ନାମ ପୁରରଵା ରଖାଗଲା । 

“ତାହାଙ୍କ ମଧ୍ୟେ ଇଳା ଦେଖି । 
ସେ ବୁଧ ତପସ୍ୟା ଉପେକ୍ଷି ॥୧୧୭।।
ମନ କଳ୍ପିଲା କାମଭୋଳେ । 
ତକ୍ଷଣେ ଧରି ତା'କୁ କୋଳେ ॥୧୧୮।।
ବଳେ ରମିଲା ଚନ୍ଦ୍ରସୁତ । 
ତକ୍ଷଣେ ହେଲା ପୁତ୍ର ଜାତ ॥୧୧୯।।
ତାହାକୁ ଦେଖି ଗୁଣଧାମ । 
ଦେଲେ ସେ ପୁରୁରଵା ନାମ ॥୧୨୦।।”

ଵଶିଷ୍ଠ ଋଷିଙ୍କୁ ଭେଟି ଇଳା ତାଙ୍କର ସମସ୍ତ ଦୁଃଖ ଜଣାଇଲେ । ଋଷି ଦୟା ବହି ସଦାଶିଵଙ୍କର ଘୋର ତପସ୍ୟା କଲେ । ପ୍ରଭୁ ସନ୍ତୁଷ୍ଟ ହୋଇ ଋଷିଙ୍କୁ ଆଶିର୍ଵାଦ ଓ ଵର ଦେଲେ ଯେ ଏହି ଵ୍ୟକ୍ତି ମାସେ ଇଳା ନାମକ ନାରୀ ଏଵଂ ଆନ ମାସରେ ସୁଦ୍ୟୁମ୍ନ ନାମକ ପୁରୁଷ ହୋଇ ରହିଵ । 

“ମାସେ ଏ ହୋଇଵ କାମିନୀ । 
ପୂର୍ଵେ ଵିଷ୍ଣୁର ଵାକ୍ୟ ଘେନି ॥୧୨୯।।
ମାସେ ଏ ପୁରୁଷ ହୋଇଵ । 
ଜୀଵନ୍ତେ ଯେତେକାଳ ଥିଵ ॥୧୩୦।।

ସେହି ସୁଦ୍ୟୁମ୍ନ ଵା ଇଳାଙ୍କର ପରେ ତିନିପୁତ୍ର ଜାତ ହେଲେ । ଗୟ , ଉତ୍କଳ ଓ ଵିମଳ । ଏ ତିନି ରାଜା ଦକ୍ଷିଣପଥର ଶାସକ ଥିଲେ ବୋଲି ପୁରାଣରେ ଵର୍ଣ୍ଣିତ ହୋଇଛି । ଭାଗଵତରେ ମଧ୍ୟ ଏକଥା ଏମନ୍ତ କୁହାଯାଇଛି । 

“ତା'ର ହୋଇଲେ ତିନିସୁତ । 
ଶୁଣ ରାଜନ ପରୀକ୍ଷିତ ॥୧୩୫।।
ଗୟ ଉତ୍କଳ ପୁତ୍ରଵେନି । 
ଵିମଳ ନାମେ ହୋଏ ତିନି ॥୧୩୬।।
ଦକ୍ଷିଣ ପଥେ ତିନି ରାଜା । 
ଧର୍ମେ ପାଳନ୍ତି ଜନପ୍ରଜା ॥୧୩୭।।”

 ହରିଵଂଶପୁରାଣ ଅନୁସାରେ ସୁଦ୍ୟୁମ୍ନଙ୍କ ପୁତ୍ର ଉତ୍କଳ ପୂର୍ଵଭାଗର ଉତ୍କଳ ଦେଶର ଶାସକ ହେଲେ ସମ୍ଭଵତଃ ତାଙ୍କ ନାମାନୁସାରେ ଉତ୍କଳ ଦେଶର ନାମ ହେଲା ବୋଲି ପରୋକ୍ଷରେ କୁହାଯାଇଛି । ଗୟ ମଧ୍ୟ ଗୟାପୁରର ଶାସକ ହେଲେ ଏଵଂ ଓଡ଼ିଆ ଭାଗଵତରେ ଯାହାଙ୍କୁ ଵିମଳ କୁହାଯାଇଛି ତାଙ୍କୁ ହରିଵଂଶପୁରାଣରେ ଵିନତାଶ୍ଵ ବୋଲି ଉଲ୍ଲେଖ କରାଯାଇଛି । ଏହି ଗ୍ରନ୍ଥ ଅନୁଯାଇ ସେ ପଶ୍ଚିମ ଅଞ୍ଚଳର ଶାସକ ହେଲେ । 
 
“ସୁଦ୍ଯୁମ୍ନସ୍ଯ ଚ ଦାୟାଦାସ୍ତ୍ରୟଃ ପରମଧାର୍ମିକାଃ। ଉତ୍କଳଶ୍ଚଗୟଶ୍ଚୈଵ ଵିନତାଶ୍ଵଶ୍ଚ ଭାରତ!।।
ଉତ୍କଳସ୍ଯୋତ୍କଳା ରାଜନ୍! ଵିନତାଶ୍ଵସ୍ଯ ପଶ୍ଚିମା। 
ଦିକ୍ ପୂର୍ଵ୍ଵା ଭରତଶ୍ରେଷ୍ଠ ଗୟସ୍ଯ ତୁ ଗୟପୁରୋ ।।”

ସଂସ୍କୃତ ଵାଚସ୍ପତ୍ୟ,ଶବ୍ଦ କଳ୍ପଦ୍ରୁମ,ବଙ୍ଗାଳୀ ଵିଶ୍ବକୋଷ ଓ ସଂସ୍କୃତ ଶବ୍ଦମାଳା ଆଦି କିଛି ଅଭିଧାନରେ ଉତ୍କଳ ଶବ୍ଦର ଏକ ଅର୍ଥ ଭାରବାହକ ବା ବେହେରୀ ଉଲ୍ଲେଖ ଥିଵା ଦେଖାଯାଏ । ଏହି ଅର୍ଥକୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଯୋଡ଼ିଵାରୁ ଶ୍ରୀପ୍ରହରାଜଙ୍କୁ ତତ୍କାଳୀନ ଓଡ଼ିଶାର ଅନେକ ବୁଦ୍ଧିଜୀଵୀଙ୍କଠାରୁ ନାନା ନିନ୍ଦା ଅପମାନସୂଚକ କଥା ଶୁଣିଵାକୁ ପଡି଼ଥିଲା । ସେ ସମୟରେ ଓଡ଼ିଆ ସାହିତ୍ୟ ସମାଜ ନୂତନ ଓ ପୁରାତନ ସାହିତ୍ୟ ଆଧାରରେ ଦୁଇଗୋଟି ଗୋଷ୍ଠୀରେ ଵିଭକ୍ତ ହୋଇଥିଲା । ଏହାକୁ ଵିଜୁଳି ଇନ୍ଦ୍ରଧନୁ ଵିଵାଦ ଵା କଳି କୁହାଯାଏ । ଅଦ୍ୟପି ଜଣେ ଶବ୍ଦ ସଂଗ୍ରାହକ ଭାବେ ଵିଭିନ୍ନ ଶବ୍ଦକୋଷ ତଥା ଅଞ୍ଚଳରୁ ଶବ୍ଦ ସଂଗ୍ରହ କରିଵା ଶ୍ରୀପ୍ରହରାଜଙ୍କର କର୍ତ୍ତଵ୍ଯ କର୍ମ ଥିଲା ଅତଃ ଶବ୍ଦମାଳା ଓ ଵିଶ୍ଵକୋଷ ଆଦିରେ ଥିଵା ଉତ୍କଳ ଶବ୍ଦର ଭାରଵାହକ ଅର୍ଥକୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଯୋଡି଼ ସେ କୌଣସି ଭୁଲ୍ କରିନାହାନ୍ତି ଵରଂ ସେ ଯାହା ଲେଖାଥିଲା ତାକୁ ହିଁ ଯୋଡି଼ଅଛନ୍ତି । 

ମାତ୍ର ଉତ୍କଳ ଶବ୍ଦର ଏଇ ଗୋଟିଏ ନୁହେଁ ଆହୁରି ଦୁଇ ତିନୋଟି ନକାରାତ୍ମକ ଅର୍ଥ ମଧ୍ୟ ରହିଛି ଏଵଂ ସେ ସମସ୍ତ ଅର୍ଥରେ ଉତ୍କଳ ଶବ୍ଦର ପ୍ରୟୋଗ ଗ୍ରନ୍ଥାଦିରେ ମଧ୍ୟ ହୋଇଅଛି । କେତେକ ଅଭିଧାନରେ ଉତ୍କଳ ଶବ୍ଦର ଵ୍ୟାଧ ଵା ଶିକାରୀ ଓ ପକ୍ଷୀମରା ଲୋକ ଅର୍ଥ ଯୋଡା଼ଯାଇଥିଵା ଦେଖାଯାଏ ପୁଣି କେତେକ ପୁରାଣରେ ବଳୀ ଇନ୍ଦ୍ର ଯୁଦ୍ଧ ସମୟରେ ଉତ୍କଳ ନାମକ ଏକ ରାକ୍ଷସର ମଧ୍ୟ ଉଲ୍ଲେଖ କରାଯାଇଛି । ଆମ ଓଡି଼ଆ ଭାଗଵତରେ ମଧ୍ୟ ଏହି ଅର୍ଥରେ ଉତ୍କଳ ଶବ୍ଦର ଦୁଇ ଦୁଇ ଥର ଵ୍ୟଵହାର ହୋଇଥିଵା ଦୃଶ୍ୟହୁଏ ।

ଓଡ଼ିଆ ଭାଗଵତରେ ଷଷ୍ଠ ସ୍କନ୍ଧର  ଦଶମ ଅଧ୍ଯାୟରେ  ଅନେକ ରାକ୍ଷସଙ୍କ ନାମୋଲ୍ଲେଖ ମଧ୍ୟରେ ଉତ୍କଳର ନାମ ମଧ୍ୟ ଉଲ୍ଲେଖ କରାଯାଇଛି । 

“ନମୁଚି ଦ୍ୱିମୂର୍ଦ୍ଧା ଶମ୍ବର । ଅନର୍ଵା ଋଷଭ-ଅସୁର ।। ୪୩।।
ହୟଗ୍ରୀଵ ଯେ ଵିପ୍ରଚିତ୍ତି । ଅୟୋମୁଖ ହେତି ପ୍ରହେତି ।। ୪୪।।
ଶଙ୍କୁଶିରା ଯେ ଵୃଷପର୍ଵ । ଉତ୍କଳ ପୁଲୋମା-ଦାନଵ ।। ୪୫।।
ଦାନଵ ଦୈତ୍ୟଗଣ ଦକ୍ଷ । ଅସଂଖ୍ୟ ଆବର ଯେ ରକ୍ଷ ।। ୪୬।।”

ସେହିମତେ ଓଡ଼ିଆ ଭାଗଵତର ଅଷ୍ଟମ ସ୍କନ୍ଧସ୍ଥ ଦଶମ ଅଧ୍ଯାୟରେ ମଧ୍ୟ କେତେକ ଅସୁରଙ୍କ ନାଆଁ ମଧ୍ୟରେ ଉତ୍କଳର ନାମ ଥିଵା ଦେଖାଯାଏ ।

“ହୟଗ୍ରୀଵ ଯେ ଶଙ୍କୁଶିରା ।
 କପିଳ ନାମେ ମହାଵୀରା । ।୫୨।।
ଜୀମୂତ ଦୁନ୍ଦୁଭି ଅଦ୍ଭୁତ ।
 ତାରକା ପୁଣି ଚକ୍ରଜିତ । ।୫୩।।
ଉତ୍କଳ ଶୁମ୍ଭ ଯେ ନିଶୁମ୍ଭ ।
 ଅରିଷ୍ଟନେମି ପୁଣି ଜମ୍ଭ । ।୫୪।।
ତ୍ରିପୁରାଧିପ ଯେଉଁ ମୟ ।
 ପୌଲମ ଅରିଷ୍ଟ କାଳେୟ । ।୫୫।।”

କେଵଳ ଯେ ଉତ୍କଳ ଶବ୍ଦର ଵିଶେଷ୍ୟ ଵ୍ୟଵହାର ରହିଛି ତାହା ନୁହେଁ ସାହିତ୍ୟକାରମାନେ ଉତ୍କଳ ଶବ୍ଦକୁ ଏକ ଵିଶେଷଣ ଶବ୍ଦ ଭାବେ ଉତ୍କଣ୍ଠିତ ଓ ବଡ଼ପାଟିଆ ଅର୍ଥରେ ମଧ୍ୟ ପ୍ରୟୋଗ କରିଛନ୍ତି । 

ପ୍ରେମ ସୁଧାନିଧିରେ କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଉତ୍କଣ୍ଠିତ ଅର୍ଥରେ ଉତ୍କଳ ଶବ୍ଦର ଵ୍ୟଵହାରରେ ଲେଖିଛନ୍ତି...
“ଉତ୍କଳ ଉତ୍କଳ ରାମା ବିରହେ ହେଲେ।”

କିନ୍ତୁ ଆମ ଓଡ଼ିଶା ଵା କଳିଙ୍ଗଦେଶର ଏହି ଉତ୍କଳ ନାମ କ'ଣ ସତରେ ଏକ ଯଥାର୍ଥ ନାମ ଅଟଇ ? କ'ଣ ଏହା ଆମ ଦେଶର  ଏକ ଵୈଜ୍ଞାନିକ ନାମକରଣ ଅଟେ? ଏହି ନାମ କି ଆମ ମହାନ କଳିଙ୍ଗ ଦେଶକୁ ଯଥାର୍ଥ ପରିଭାଷିତ କରିପାରେ ? 

ତତ୍ସମ ‘ଉତ୍କଳ’ ଶବ୍ଦର ସଂସ୍କୃତ ନିରୁକ୍ତି ଵ୍ୟାଖ୍ୟା ଵିଶ୍ଲେଷଣରୁ ଉତ୍କଳ ଶବ୍ଦ କୌଣସି  ଅଞ୍ଚଳ ଵା  ଦେଶ ପାଇଁ ଗୋଟିଏ ସୁନ୍ଦର ଓ ଶ୍ରେଷ୍ଠତମ ନାମ ବୋଲି ଜଣାପଡି଼ଥାଏ । ଵିଶେଷତଃ କଳା ସଂସ୍କୃତି ସ୍ଥାପତ୍ୟ ଭାଷା ନୃତ୍ୟଠାରୁ ସଂସ୍କୃତି ଯାଏଁ ସବୁ କଥାରେ ଅଗ୍ରଣୀ ଥିଵା କଳିଙ୍ଗ ଵା ଉଡ୍ରଦେଶର ନାମ ଭାଵେ ଏହା ସର୍ଵୋତ୍ତମ ଅଟଇ ।

ଅଧିକାଂଶ ଅଭିଧାନରେ ଉତ୍ ଉପସର୍ଗ ସହ କଳ ଶବ୍ଦ ଓ  ଅଚ୍(ଅ) ପରପ୍ରତ୍ୟୟ ଯୁକ୍ତ ହୋଇ ଉତ୍କଳ ଶବ୍ଦ ନିଷ୍ପନ୍ନ ହୋଇଅଛି ବୋଲି ଉଲ୍ଲେଖ କରାଯାଇଛି । 

ଆମ୍ଭେମାନେ ଜାଣନ୍ତି ଯେ ଉତ୍ ଏକ ଉପସର୍ଗ (ଉ+କ୍ବିପ୍) 
ଏଵଂ ଏହି ଉପସର୍ଗଟି ଊର୍ଦ୍ଧ୍ଵେ,ସମ୍ୟକ ଭାବେ,ଇତସ୍ତତଃ,ଉଚ୍ଚୈଃସ୍ବରେ, ଉତ୍କଟ, ଓଲଟା, ଉତ୍କର୍ଷ, ସମୁଚ୍ଚୟ, ପ୍ରଶ୍ନ, ବିତର୍କ, ଅଧିକ ଇତ୍ୟାଦି ଅର୍ଥରେ ଅନ୍ୟ ଶବ୍ଦ ପୂର୍ଵରୁ ଲାଗିଥାଏ । ସେହିପରି କଳ ଶବ୍ଦର ନିମ୍ନଲିଖିତ ଅର୍ଥରେ ପ୍ରଯୁକ୍ତ ହୋଇଥାଏ । 

୧.ଅତ୍ୟନ୍ତ ମଧୁର ଧ୍ବନୀ,
୨.ଭ୍ରମର ଆଦିର ଗୁଞ୍ଜନ,
୩.ଶାଳବୃକ୍ଷ,
୪.ଶୁକ୍ର,
୫.ଅଙ୍କୁର,
ଗଜା,
୬.ଅଜୀର୍ଣ୍ଣ,
୭.ଯନ୍ତ୍ର,
କୌଶଳ,
୮.ସୁବିଧା,
୯.କନ୍ଦର,
୧୦.ଖୁଞ୍ଜ,
୧୧.ବଶ୍ୟତା,
୧୨.ଅଧିକତା,
୧୩.ସୁଯୋଗ
ଏବଂ 
ମୁହଁ ର କଳ ତଥା କାମୁଡ଼ ଥର ବା ପୁଳା ଆଦି......

ଏହାଛଡା଼ ଏକ ସଂସ୍କୃତ ଧାତୁ ଶବ୍ଦ “କଳ୍ ଧାତୁ” ମଧ୍ୟ ରହିଛି 
 ଯାହା ତିନୋଟି ମୂଳ ଅର୍ଥରେ ଵ୍ୟଵହୃତ ହୋଇଥାଏ

୧.ଗମନ କରିଵା
୨.ଗଣନା କରିଵା
୩.ଶବ୍ଦ କରିଵା

ତେବେ ଯଦି ଏହି ଶବ୍ଦଦ୍ବୟର ଅର୍ଥ ସବୁକୁ ନେଇ
ଉତ୍କଳ ଶବ୍ଦର ଵ୍ୟାଖ୍ୟା କରାଯାଏ ତେବେ ତାହା କିଭଳି ହେବ ?

🔵ଯଦି ଉତ୍ = ଊର୍ଦ୍ଧ୍ଵେ ଏଵଂ କଳ୍ ଧାତୁ = ଗମନ କରିଵା)
ଯେଉଁ ଅଞ୍ଚଳର ଅଧିଵାସୀ ସଦା ଉର୍ଦ୍ଧ୍ଵକୁ ଗତି କରନ୍ତି ଵା ଗମନ କରନ୍ତି,ଯେଉଁ ଜାତିର ଲୋକଙ୍କ ମନରେ ଜାତି,ଧର୍ମ ନାମରେ ମୌଳିବାଦୀ ହୀନମନ୍ୟତା ବିରଳ ଅର୍ଥାତ୍ କାହାକୁ ନୀଚ ନୁହେଁ ସମସ୍ତଙ୍କୁ ଉର୍ଦ୍ଧ୍ବ ଵା ଶ୍ରେଷ୍ଠ ଗଣନା କରିଥାଆନ୍ତି । 

🔵(ଯଦି ଉତ୍ = ଊର୍ଦ୍ଧ୍ଵେ ଏଵଂ କଳ୍ ଧାତୁ = ଗଣନା କରିଵା)
ଯେଉଁ ଜାତିର ଗଣନା ସମସ୍ତ ଭାରତୀୟ ଜାତି ମାନଙ୍କ ମଧ୍ୟରେ ସବା ଉପରେ ସେ ଜାତି ଉତ୍କଳୀୟ​ ଵା ଯେଉଁ ଦେଶ ଭାରତ ମଧ୍ୟରେ ସବୁଥିରେ ଉର୍ଦ୍ଧ୍ଵରେ  ଅର୍ଥାତ୍ ଭୂସ୍ବର୍ଗ ଥିଲା ଅଛି ଓ ରହିଵ ।

🔵(ଯଦି ଉତ୍ = ଊର୍ଦ୍ଧ୍ଵେ ଏଵଂ କଳ୍ ଧାତୁ = ଶବ୍ଦ କରିଵା ଵା ଗର୍ଜନା କରିଵା)
ଯେଉଁ ଅଞ୍ଚଳର ଅଧିଵାସୀଙ୍କର ଉଚ୍ଚ ଗର୍ଜନାରେ ହିଁ ଶତ୍ରୁ ଓଲଟା ପାଦରେ ପଳାୟନ କରିଦେଉଥିଲେ ସେଇଥିପାଇଁ ତ କଳିଙ୍ଗୀମାନଙ୍କ ପାଇଁ କୁହାଯାଇଛି କଳିଙ୍ଗା ସାହାସିକାଃ ! 

🔴(ଯଦି ଉତ୍ = ସମ୍ୟକ ଏଵଂ କଳ ଶବ୍ଦ = ମଧୁର ଧ୍ଵନୀ) 
ଯେଉଁ ଭୂମିର ଲୋକ ସମ୍ଯକ ମଧୁରଭାଷୀ ସାଧୁ ସ୍ୱଭାବର । ଅକାରଣେ କାହାର ବୈରୀ ହୁଅନ୍ତି ନାହିଁ । ଉଡ୍ର ଶବ୍ଦ ମଧ୍ୟ ଏହି ଜାତିର ଗୁଣକୁ ଧ୍ୟାନରେ ରଖି ଉଡ୍ ଧାତୁର ଆଲିଙ୍ଗନ କରିଵା ଅର୍ଥରେ ନିଷ୍ପନ୍ନ ହୋଇଅଛି । 

🔴(ଯଦି ଉତ୍ = ସମ୍ୟକ ଏଵଂ କଳ ଶବ୍ଦ =ଉତ୍କର୍ଷ, ଭ୍ରମରର ଗୁଞ୍ଜନ ଓ ଶାଳ ଆଦି ଵୃକ୍ଷରେ ପୂର୍ଣ୍ଣ)
ଯେଉଁ ଅଞ୍ଚଳ ସ୍ବର୍ଗ ସମ ଉତ୍କର୍ଷ ତେଣୁ ସେଠାର ନନ୍ଦନକାନନ ସମ ଉପବନ ଗୁଡ଼ିକରେ ଭ୍ରମରମାନେ ମଧୁର କଳ କଳ ଗୁଞ୍ଜନ କରନ୍ତି । ଯେଉଁ ଦେଶର ଭୂଭାଗରେ ସର୍ବାଧିକ ଶାଳ ପିଆଶାଳ କରଞ୍ଜ ଆଦି ଗଛ ଜନ୍ମିଥାଏ । ଯେଉଁ ଦେଶ ବୃକ୍ଷାଦିରେ ପରିପୂର୍ଣ୍ଣ ଏବଂ ପ୍ରାକୃତିକ ଶୋଭାରେ ଶୋଭାପାଉଥାଏ । ଭାରତର ଅନ୍ୟ ରାଜ୍ୟ ସହ ଓଡ଼ିଶାର ଵନଭୂମିର ତୁଳନା କରି ଦେଖାଯାଉ । ଏଠାକାର ଵନଭୂମି କେତେ ଵିସ୍ତୃତ ଓ ସୌନ୍ଦର୍ଯ୍ୟଶାଳୀ ତାହା କହିଵା ଵାହୁଲ୍ୟ ମାତ୍ର ହେଵ । 
🔴(ଯଦି ଉତ୍ = ଉର୍ଦ୍ଧ୍ଵରେ ଏଵଂ କଳ ଶବ୍ଦ =ଶୁକ୍ର ଗ୍ରହ)
ଯେଉଁ ଦେଶର ଉର୍ଦ୍ଧ୍ଵରେ ଶୁକ୍ରଗ୍ରହ ସବୁଠୁ ଅଧିକ ଉଜ୍ବଳ ଦିଶନ୍ତି । ଅର୍ଥାତ୍ ଯେଉଁ ଦେଶର କୀର୍ତ୍ତି ଶୁକ୍ର ଗ୍ରହର ଶୁଭ୍ରାଲୋକ ଭଳି ସଦା ପ୍ରକଟିତ ହୋଇ ରହିଛି । ଆମେ ଜାଣିଛୁ ଯେ ଆମ କଳିଙ୍ଗର ଅତୀତ କେତେ ଗାରିମାମୟ । ଏ ଜାତି ଏକଦା ପୂର୍ଵଭାରତୀୟ ଦ୍ଵୀପପୁଞ୍ଜ ଠାରୁ ଆରମ୍ଭ କରି ବ୍ରହ୍ମଦେଶ, ଶ୍ରୀଲଙ୍କା ଓ ମାଳଦ୍ଵୀପ ଯାଏଁ ନିଜର ପ୍ରଭାଵ ଵିସ୍ତାର କରିଥିଲା । ଏ ସମସ୍ତ ଭୂଭାଗରେ ଭାରତୀୟ ସଂସ୍କୃତିର ପ୍ରଚାର ପ୍ରସାର ସହ ସାଂସ୍କୃତିକ ରାଜନୈତିକ ଓ ଆର୍ଥିକ ଉପନିଵେଶ ସ୍ଥାପନରେ କଳିଙ୍ଗ ଦେଶର ଲୋକ ଅଗ୍ରଣୀ ଭୂମିକା ଵହନ କରିଥିଲେ । ଶୁକ୍ର ଗ୍ରହର ଶୁଭ୍ରାଲୋକ ପରି ଆଜି ବି ସେ ସବୁ ଐତିହ୍ୟ ଆମ ମନରେ ସ୍ଵାଭିମାନର ଵୀଜ ଵପନ କରିଥାଏ ।

🔴(ଯଦି ଉତ୍ = ଉର୍ଦ୍ଧ୍ଵରେ ଏଵଂ କଳ ଶବ୍ଦ =ଆଙ୍କୁର ଵା ଗଜା )
ଯେଉଁ ଉତ୍କର୍ଷ କଳାର ଦେଶରେ ସନାତନ,ବୌଦ୍ଧ,ଜୈନ ତଥା ମହିମା ଧର୍ମ ଠାରୁ ଆରମ୍ଭ କରି ଓଡିଶୀ,ଛଉ ନୃତ୍ୟ,ଵିଭିନ୍ନ ଵସ୍ତ୍ରକଳା,ପଟ୍ଟଚିତ୍ର, ରସଗୋଲା,ରସବରା,ରସାବଳି ଓ କ୍ଷୀରମୋହନ ଆଦି ଖାଦ୍ୟଵସ୍ତୁ ଏଵଂ ନାନାଦି କଳାର ଅଙ୍କୁରୋଦ୍ଗମ ହୋଇଛି । ଯେଉଁ କଳିଙ୍ଗ ଦେଶର ଅଵିଭକ୍ତ କୋରାପୁଟରେ ଆଜକୁ ପ୍ରାୟ ଷାଠିଏ ହଜାର ଵର୍ଷ ପୂର୍ଵେ ତିନୋଟି ମାନଵ ଜାତି ଆଷ୍ଟ୍ରିକ,ଭାରୋପୀୟ ଓ ଦ୍ରାଵିଡ଼ ଜାତିଗୁଡି଼କର ମିଳିତ ସହାଵସ୍ଥାନରେ ପ୍ରାଥମିକ ମହାଭାରତୀୟ ସଂସ୍କୃତିର ଜନ୍ମ ହୋଇଥିଲା, ଯେଉଁ କଳିଙ୍ଗ ଦେଶର ପୂର୍ଵୀ ପ୍ରାକୃତ ସମସ୍ତ ପ୍ରାକୃତ ଭାଷା ମଧ୍ୟରେ ସର୍ଵପୁରାତନ । ଯେଉଁଠି ପୃଥିଵୀର ପ୍ରଥମ ପ୍ରସ୍ତର ଵିଦ୍ୟମାନ ସେ ମହାନ ଦେଶ କଳିଙ୍ଗ ହିଁ ତ ଉତ୍କଳ ଦେଶ ନାମରେ ପୁରୁଣ ପ୍ରସିଦ୍ଧ ଅଟଇ । 

🔴(ଯଦି ଉତ୍ = ଉତ୍କଟ ଓ ବହୁତ ଏଵଂ କଳ ଶବ୍ଦ =ଅଜୀର୍ଣ୍ଣ )
ଯେଉଁ ଦେଶ ଏବଂ ତହିଁର ଅଧିବାସୀ ଅନେକ ଓ ଉତ୍କଟ ଭୀଷଣ ଶତ୍ରୁ ପାଇଁ ମଧ୍ଯ ଅଜୀର୍ଣ୍ଣ । ଯେଉଁ ଜାତିକୁ ଶତ୍ରୁ ମଧ୍ଯ ବାଧ୍ୟ ହୋଇ 
କଳିଙ୍ଗା ସାହାସିକାଃ କହିଯାଇଛି । ଶହ ଶହ ଵର୍ଷ ଧରି ପ୍ରଵଳ ପ୍ରତାପୀ ମୁସଲମାନ ଶକ୍ତି ଯେଉଁ ଦେଶକୁ ସମ୍ପୂର୍ଣ୍ଣ ଜିତିପାରିନଥିଲା । ଯେଉଁ ଦେଶର ଅଧିଵାସୀ ସର୍ଵପ୍ରଥମେ ଓ ସର୍ଵାଧିକ ଶତଵର୍ଷଧରି ଇଂରେଜମାନଙ୍କ ଵିପକ୍ଷରେ ସ୍ଵାଧୀନତା ସଂଗ୍ରାମ ଚଳାଇଛନ୍ତି ସେ ଜାତିର ମହାନ ଦେଶ ଏଇ ଆମ କଳିଙ୍ଗୋତ୍କଳ ।

🔴(ଯଦି ଉତ୍ = ସମ୍ୟକ ଭାବେ ଏଵଂ କଳ ଶବ୍ଦ = ଯନ୍ତ୍ର, କୌଶଳ)
ଯେଉଁ ମାଟି ସମ୍ୟକ୍ ଭାବେ ଯନ୍ତ୍ର ତଥା କୌଶଳାଦି ପାଇଁ ପୃଥିବୀ ବିଖ୍ୟାତ ଥିଲା । ଯେଉଁ ଦେଶର ଶହ ଶହ ପ୍ରକାରର ବୋଇତ ନିର୍ମିତ ହେଇଥିଲା ଯେଉଁ ଦେଶରେ ଶତାଧିକ ଅସ୍ତ୍ରଶସ୍ତ୍ରର ଵ୍ୟଵହାର ଓ ନିର୍ମାଣ ହେଉଥିଲା । ଯେଉଁ ଦେଶର ଜନତା ଏହି ଯାନ୍ତ୍ରିକ କ୍ରାନ୍ତି ଯୋଗୁଁ କୋଣାର୍କ,ନଵତାଳପ୍ରାସାଦ ଭଳି ଅନନ୍ୟ ସ୍ଥାପତ୍ୟ ଗଢି଼ଥିଲେ ସେହି ଏକ କଳାରେ ଉତ୍କର୍ଷ ଦେଶ କଳିଙ୍ଗୋତ୍କଳ । 

🔴(ଯଦି ଉତ୍ = ସର୍ଵାଧିକ ଏଵଂ କଳ ଶବ୍ଦ =ସୁଯୋଗ,ସୁଵିଧା)
ଯେଉଁ ଭୂମିରେ ଜୀଵନଯାପନର ସର୍ବାଧିକ ସୁବିଧା ପ୍ରକୃତି ଖଞ୍ଜିଛି । ଯେଉଁ ଦେଶ ଅନେକାନେକ ନଦନଦୀ,ହ୍ରଦ ପର୍ବତ ,ଗିରି କନ୍ଦର ଓ ଉପତ୍ୟକାରେ ପରିପୂର୍ଣ୍ଣ ଯେଉଁ ଦେଶ ସ୍ବର୍ଗ ସମ ଶୋଭାପାଇଥାଏ  ସେ ଦେଶ ଉତ୍କଳ ଅଟଇ ।  ଆଜି ଓଡ଼ିଆମାନେ ଦରିଦ୍ର କଥିତ ହୁଅନ୍ତି ସତ କିନ୍ତୁ ଓଡ଼ିଆଲୋକେ ଗରିଵ ହୋଇ ପାରନ୍ତି ହେଲେ ପ୍ରକୃତି ଏ ଦେଶକୁ ସର୍ଵଦା ଧନଧାନ୍ୟରେ ପରିପୂର୍ଣ୍ଣ କରିଵାର ସୁଯୋଗ ଦେଇଅଛି । ଵନ୍ୟାଵାତ୍ୟା ମରୁଡ଼ି ପ୍ରପୀଡ଼ିତ ଓଡ଼ିଶା କେଵଳ ଵର୍ତ୍ତମାନର ଓଡ଼ିଆଙ୍କ ଅପାରଗତା ଯୋଗୁଁ ଦରିଦ୍ରତାର କଷଣ ସହୁଛି ଅନ୍ୟଥା ଏ ମାଟି ସୁନା ଥିଲା ଓ ଅଛି । 

🔴(ଯଦି ଉତ୍ = ସମୁଚ୍ଚୟ ଏଵଂ କଳ ଶବ୍ଦ = କନ୍ଦର)
ଯେଉଁ ଦେଶର ସମାଜ ନୀଳକନ୍ଦର ପୁରୁଷୋତ୍ତମ କ୍ଷେତ୍ର ପ୍ରତି ନିଷ୍ଠାବାନ ଏବଂ ଜଗନ୍ନାଥ ଯାହାଙ୍କ ରାଜେଶ୍ବର । 
ଯେଉଁ ଦେଶରେ​ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସର୍ବେ ଏକ ସୁତ୍ରରେ ଯୁକ୍ତ ସେହି ଦେଶ ଆମ ଉତ୍କଳ । 

🔴(ଯଦି ଉତ୍ = ପ୍ରଶ୍ନ, ବିତର୍କ, ଅଧିକ,ଉତ୍କଟ ଏଵଂ କଳ ଶବ୍ଦ = ଵଶ୍ୟତା) 
ଭ୍ରାନ୍ତପ୍ରଶ୍ନକାରୀ ବିତର୍କ ପ୍ରେମୀ ଏଵଂ କେଵଳ ନିଜକୁ ହିଁ ଶ୍ରେଷ୍ଠ ଵିଚାର କରି ବସିଥିଵା ଆନ ଭାରତୀୟଜାତି ମାନେ ମଧ୍ଯ ଯେଉଁ ଦେଶ ଆଗରେ ନତମସ୍ତକ ହୋଇଯାଇଥିଲେ ।  ଏକଦା ଏହି ଜାତିକୁ ମ୍ଳେଚ୍ଛ କହି ହୀନ ମନେକରୁଥିବା ଲୋକେ ମଧ୍ଯ ଉତ୍କଳୀୟଙ୍କ ପୁରୁଷାର୍ଥରେ ପ୍ରଭାବିତ ହୋଇ ନିଜ ବାକ୍ଯ ଓଲଟେଇବାକୁ ବାଧ୍ଯ ହୋଇଥିଲେ । ଆଗଙ୍ଗା ଗୋଦାବରୀ ଯେଉଁ ଦେଶର ଜଗନ୍ନାଥ ସଂସ୍କୃତି ଦ୍ବାରା ପ୍ରଭାବିତ ଏହି ସେହି ଆମ କଳିଙ୍ଗୋଡ୍ରତ୍କଳ । 

ସେହିଭଳି ସାହିତ୍ଯରେ ଉତ୍କଳ ଶବ୍ଦ ଅନେକ ଅର୍ଥରେ ଵ୍ୟଵହୃତ ହୋଇଥାଏ । ଯେମିତି କି...

⚫ଉତ୍କଣ୍ଠିତ
ଜ୍ଞାନ ତଥା କଳା ପାଇଁ ଆମ ଦେଶର ଲୋକ ଆଜି ବି  ଉତ୍କଣ୍ଠିତ ଅଛନ୍ତି ଆଗେ ବି ଥିଲେ ।  ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ମଧ୍ୟ ଏଠାରେ ଅନେକ ଜ୍ଞାନୀ ଵିଦ୍ଵାନ କଳାକାର ପୃଥିଵୀ ଵିଖ୍ୟାତ ହୋଇଛନ୍ତି । ଭାରତଵର୍ଷରେ ଉତ୍କଳଭାଷୀମାନଙ୍କୁ ଅଧିକ ସୁଵିଦା ସୁଯୋଗ ମିଳିଲେ ସେମାନେ ନିଜର ଆହୁରି ଅଧିକ ପାରଦର୍ଶିତା ଦେଖାନ୍ତେ । 

⚫ଶିକାରୀ,ବ୍ୟାଧ 
ସାହାସିକ କଳିଙ୍ଗୀ ଜାତି ଶତ୍ରୁଙ୍କ ଶିକାରରେ ସିଦ୍ଧହସ୍ତ ତେଣୁ ଏ ଦେଶକୁ ସହଜରେ ଶତ୍ରୁ ହରାଇ ପାରୁନଥିଲେ ଏଵଂ ଯଦିଚ କିଛି ଶହ ଵର୍ଷ ଏ ଦେଶ ଵିଦେଶୀ ଶକ୍ତି ଦ୍ଵାରା ପରାଜିତ ହୋଇଛି ମଥା ନୁଆଁଇ ନାହିଁ ଵରଂ ସୁଯୋଗ ଉଣ୍ଡି ପ୍ରତି ଆକ୍ରମଣ କରିଵାକୁ ପଛାଇ ନାହିଁ । 

⚫କର୍କଷ ଗର୍ଜନ 
ସିଂହ ହିଁ ଗର୍ଜନ କରନ୍ତି ଭୀରୁ ନୁହେଁ, କଳିଙ୍ଗୀମାନେ ସିଂହପରି ଶତଶତ ଵର୍ଷ ଧରି ଶକ୍ତିଶାଳୀ ମୁସଲମାନ ଶାସକଙ୍କ ସାମ୍ନା କରିଛନ୍ତି  ପୁଣି ଆଧୁନିକ ଯୁଗରେ ମସିଯୁଦ୍ଧ ଚଳାଇ  ହିନ୍ଦିଆ, ତେଲେଙ୍ଗା ଓ ବଙ୍ଗାଳୀମାନଙ୍କଠାରୁ ଆପଣା ଭୂମି ଐ ଭାଷାକୁ ବଞ୍ଚାଇ ପାରିଵାରେ ସଫଳ ହୋଇଛନ୍ତି । ଏଜାତିର ଵୀରୋଚ୍ଚିତ୍ତ ଇତିହାସ ସମସ୍ତ ମାନଵ ଜାତି ପାଇଁ ପ୍ରେରଣାର ଉତ୍ସ ଅଟେ ।  

⚫ଭାରଵାହକ
ଉତ୍ତର ଭାରତୀୟମାନେ ସଂସ୍କୃତ ଶବ୍ଦମାଳା ଅଭିଧାନରେ ଏଵଂ ବଙ୍ଗଳୀମାନେ ବିଶ୍ବକୋଷ ଲେଖିଲାବେଳେ ତହିଁରେ ଉତ୍କଳର ଅର୍ଥ ଭାରବାହକ ଯୋଡିଲେ । ସେତେବେଳକୁ କଳିଙ୍ଗୋଦ୍ର, କଳିଙ୍ଗସାଗର ଆଦି ନାମରେ ପ୍ରସିଦ୍ଧ​ ମହୋଦଧି ବଙ୍ଗୋପସାଗରରେ ପରିଣତ ହୋଇଯାଇଥିଲା । ଓଡ଼ିଆ ମାନେ ପରାଧୀନ ହୋଇ ନିଜର ସ୍ଵତନ୍ତ୍ର୍ଯ  ହରାଇ ବଙ୍ଗଳୀଙ୍କ ଗାଆଁ ସହରରେ ଖଟୁଥିଲେ...

ତଥାପି ଆମେ ସେହି ଭାରବାହକ ଶବ୍ଦ ମଧ୍ଯ ସାଦରେ ଗ୍ରହଣ କରି ସ୍ବାଭିମାନର ସହ କହୁଛୁ କି ହଁ ଠିକ୍ ଅଛି ଆମେ  ଉତ୍କଳୀୟ ମାନେ ଭାରବାହକ ...

କାରଣ ଉତ୍କଳୀୟ ମାନେ ହିଁ ତ ଭାରତୀୟ ସଂସ୍କୃତିକୁ ଆପଣା ବୋଇତଦ୍ଵାରା ବୋହି ନେଇ ବିଶ୍ବର କୋଣ ଅନୁକୋଣରେ ପହଞ୍ଚାଇ ଦେଇଥିଲେ ...
ଜାଭା,ବୋର୍ଣ୍ଣିଓ, ମାଲେସିଆ, ଇଣ୍ଡୋନେସିଆ, ଫିଲିପାଇନ୍ସ, ଶ୍ରୀଲଙ୍କା ବର୍ମା, ଥାଇଲ୍ଯାଣ୍ଡ, କାମ୍ବୋଡିଆ, ଭିଏତନାମ, ଲାଓସ, ଚୀନ, ଆଫ୍ରିକା ଓ  ଜାପାନ ଯାଏଁ ଭାରତୀୟ ଭାଷା ସଂସ୍କୃତି ଏବଂ ଧର୍ମ ପହଞ୍ଚାଇ ସେମାନଙ୍କ ସମାଜକୁ ଉନ୍ନତ କରିଦେଇଥିବା ଓଡ଼ିଆ ମାନଙ୍କୁ ଭାରବାହକ କହି ଵରଂ ଆମ ହିନ୍ଦିଆ, ଵଙ୍ଗାଳୀ ଭାଇ ମାନେ ମହାନ କାର୍ଯ୍ୟ କରିଅଛନ୍ତି । ଏଥିପାଇଁ ଓଡ଼ିଆ ମାନେ ସେମାନଙ୍କ ନିକଟରେ ଚିର କୃତଜ୍ଞ ରହିବେ ।

Friday, May 14, 2021

● ରଥନିର୍ମାଣ ଓ ସେବକ ●


💥ଶ୍ରୀ ଜଗନ୍ନାଥ ସଂସ୍କୃତିରେ ରଥ ନିର୍ମାଣ ପରମ୍ପରା ଓ ଶାସ୍ତ୍ରୀ୍ୟ ପଦ୍ଧତି  

        ବିଶ୍ବଚିନ୍ତାମଣି ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ମନ୍ଦିର ନିର୍ମାଣ ଶୈଳୀ ଯେମିତି ଶାସ୍ତ୍ର ସମ୍ମତ ତାଙ୍କର ରଥ ନିର୍ମାଣ ଶୈଳୀ ମଧ୍ଯ ଠିକ୍ ସେମିତି ଶାସ୍ତ୍ରୀୟ ,ସମଗ୍ର ଭାରତବର୍ଷରେ ଦେବତାମାନଙ୍କ ନିମନ୍ତେ  ଯେତେ ପ୍ରକାରର ରଥ ବ୍ୟବହାରରେ ଆସୁଛି, ତାହା ମଧ୍ୟରେ ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ । ବହୁ ପ୍ରାଚୀନ ସମୟରୁ ରଥତ୍ରୟର ନିର୍ମାଣ ପଦ୍ଧତି ଶିଳ୍ପଶାସ୍ତ୍ରନୁମୋଦିତ।  ରଥ ନିର୍ମାଣ ସମ୍ବନ୍ଧରେ ମାନସାର ସଂଗ୍ରହାଦି ଗ୍ରନ୍ଥମାନଙ୍କରେ ସବିଶେଷ ବିଧି ବିଧାନ ରହିଛି।

         ଶିଳ୍ପସାର ସଂଗ୍ରହ ପୋଥିରେ ୨ୟ ଖଣ୍ଡରେ ରଥର ମୂଳରୁ ଚୂଳ ପର୍ଯ୍ୟନ୍ତ ମୋଟ ୨୭ ଭାଗ କରାଯାଇଛି। ପ୍ରତ୍ୟେକ ଭାଗକୁ ଚଉଠା ଓ ଚଉଠା ଦେଢ଼ ଭାଗକୁ ଅଙ୍ଗୁଳ ବା କଳା କୁହାଯାଏ। ରଥର ତଳ ଚକଡାର ଦୈର୍ଘ୍ୟ ୨୭ ଚଉଠା। ଏହି ଚକଡାକୁ ୯ ଭାଗ କରି ୧୦ ଧାରଣା ପକାଯାଏ। ପ୍ରଥମ ୬ ଧାରଣାର ଲମ୍ବ ୨୭ ଚଉଠା, ୨ୟ ଧାରଣାର ଲମ୍ବ ୨୧ ଚଉଠା ଓ ୩ୟ ଧାରଣାର ଲମ୍ବ ୧୫ ଚଉଠା। ମୁହାଣର ଲମ୍ବ ୧୫ ଚଉଠା,କୁଡୁକାର ଲମ୍ବ ଧାରଣ ମହଲାକୁ ୩ ଚଉଠା, ଏପରି ଚାରି କୋଣରେ ୮ କୁଡୁକା ଦେବ। ବଡ଼ ଦୁଇ ଅଖ ଲମ୍ବ ୩୦ ଚଉଠା, ଛୋଟ ଦୁଇ ଅଖ ଲମ୍ବ ୨୪ ଚଉଠା। ଏହି ଏକ ଚଉଠାକୁ ୧୨ ଭାଗ କରାଯାଏ। ୧୭ ଚଉଠ ୮ ଅଙ୍ଗୁଳରେ ବଡ଼ ଅଖ ଦୁଇ ଗୋଟି ପୁଡା ଡାଇ ହାଣିବ। ଗୁଳିର ଉଚ୍ଚ ୫ ଚଉଠ ୮ ଅଙ୍ଗୁଳ ଗୁଳି ବହଳ ଛାଡି ଛାଡି ଅଖରେ କାନ କିଳା ବିନ୍ଧ କରିବ । ମୁହାଣକୁ ଗୁଳି ନିଶ୍ୱାସ ୮ ଅଙ୍ଗୁଳ ଛାଡି ଧାରଣାରେ ଅଖର କାବିଳା କଣ୍ଟା ବିନ୍ଧ କରିବ । ମୁହାଣ ମଝାଲକୁ ୮ ଚଉଠ ୪ ଅଙ୍ଗୁଳ ଛାଡି ବଡ଼ ଅଖ କାବିଳା ବିନ୍ଧ ଧାରଣାରେ କରିବେ ।

       ୧୦ ବାହି ପ୍ରକାରେ ଗୋଜଫୁଲି କରି ଜଳନ୍ତରିଆ ଖୋଜ ବିନ୍ଧ କରିବ । ଧାରଣା ବାହି ଉପରେ ଜିଆ ୮ ଚଉଠରେ ନାଇକା ବିନ୍ଧ କରିବ। ନାଇକା ପାଖ ଜଳନ୍ତରିଆ ଖିଜ ୪ ଚଉଠ ୧୨ଅଙ୍ଗୁଳ ଉଚ୍ଚ ଖୁସି କରିବ । ଏଥି ଉପରେ ଛନ୍ଦା ପକାଇବ। ଚକଡା ଚାରିପାଖ ଧାରଣାକୁ ଛନ୍ଦାକୁ ଟୀକା କରିବ। ଧାରଣା ଉପରଠାରୁ ଜିଆ ମିଶି ନାଇକା ୧୪ ଚଉଠ ରଖି ଖୁସି କରିବ। ସିଂହାସନର ଉଚ୍ଚ ୧୨ ଅଙ୍ଗୁଳ କରିବ। ଜିଆ ବହଳ ୧୨ ଆଙ୍ଗୁଳ କରିବ। ଓସାର ୧ ଚଉଠା ନାଇକା ଉପରେ ୮ଚଉଠାଇ ଚଉତାଳ କରିବ।

             ପ୍ରଥମେ ଭୂଇଁ ଲଦିବ। ଭୂଇଁ ବହଳ ୫ ଅଙ୍ଗୁଳ ଫୁଲି ଠାରୁ ଭୂଇଁ ଅଁଳା, ୨ ଚଉଠ ୪ ଅଙ୍ଗୁଳ। ଭୂଇଁ ମଝାଲ ସୂତା ଠାରୁ ୨ ଅଙ୍ଗୁଳ ରଖି ଗୈ ହାଣିବ। ପାଖୁଡା ୩ ଚଉଠ ୪ ଅଙ୍ଗୁଳ, କୋଣ ପାଖୁଡା ୧ ଚଉଠ ୪ ଅଙ୍ଗୁଳ, ଫୁଲି ଠାରୁ ୧ ଚଉଠ ଲେଖା ଛାଡି ଦୁଇ ପାଖୁଡା ବସାଇବ। ଏହି ପରି ଚାରିପାଖେ ୧୬ ଗୋଟି ପାଖୁଡା ମାରିବ। ଫୁଲି ଠାରୁ ୧ ଚଉଠ ୨ ଅଙ୍ଗୁଳ ଲେଖାରେ ହଂସପାଦି ପକାଇ ୧ ଚଉଠ ଉଚ୍ଚରେ ଚଢେଇ ଖୋଜ ବସାଇବ। ଏଥି ଉପରେ ପାଖୁଡା ହଂସ ପାଦି ମାରିବ। ଚାରି ପାଖେ ହାରାମାଳି ମାରିବ। ଏଥି ଉପରେ ୬ ଚଉଠରେ ବିନ୍ଧ କରି ୮ ଅଙ୍ଗୁଳ ଛାଡି ଓରା ପକାଇବ। ଏହ ପରେ ୨ୟ ଭୂଇଁ, ୨ୟ ପାଖୁଡା ମାରିବ। ଏପରି ଚାରିଦିଗେ ୧୨ ପାଖୁଡା ମାରିବ। ତୃତୀୟ ପୁର ଭୂଇଁ ଚଉତାଳ ୬ ଚଉଠରେ ବସିବ।

           ପ୍ରଥମେ ପଟଳ ଲମ୍ବ ୮ ଚଉଠ,ରାହା କାଟଣ ଶେଷ ଠାରୁ ୧୪ ଅଙ୍ଗୁଳ ଉଚ୍ଚ, ୨ୟ ରାହା ମଧ୍ୟ ୧୨ ଅଙ୍ଗୁଳ ଉଚ୍ଚରେ କାଟଣ ହେବ। ଏହି ପରି ଚାରିପାଖ ପଟଳ କରିବ। ପ୍ରଥମ ସାତପୁର ପଟଳ ଉଚ୍ଚ ୨ ଚଉଠ, ସାତପୁରରେ କୋଣ ଓରା ପକାଇ ପଟଳ ଲଦିବ। ପଟଳ ଭୂଇଁ ଉପରଠାରୁ ବଡ଼ ଖୋଜ ମଧ୍ୟ ଚୌତାଳରେ ୨ ଚଉଠ ୧୨ ଅଙ୍ଗୁଳ ରଖି ବସାଇବ। ଏଥି ଉପରେ ପାରାଭାଡି ଭୂଇଁ ୩ ଚଉଠ ୮ଅଙ୍ଗୁଳରେ ଚଉତାଳ କରି ବସାଇବ। ପ୍ରଥମ ସାତପୁର ପଟଳ ଉପରେ ପଟଳ ଭୂଇଁ ଲଦା ହେବ। ୨ୟ ରାହା ୨ ଅଙ୍ଗୁଳ ଲେଖାରେ ପୁରକୁ ପୁର ସାତପୁର କାଟିବ। ୨ୟ ସାତପୁର ପଟଳ ୨ ଚଉଠ କରିବ। ଏଥି ଉପରେ ୧ ଚଉଠ ଉପରେ ମାଙ୍କଡ଼/ଛନ୍ଦା ଦୁଇଗୋଟି ଚଉତାଳ କରି ପକାଇବ। ଦଧିନଉତି ୨ ଚଉଠ ଉଚ୍ଚରେ ମାଙ୍କଡ଼ଛନ୍ଦା ଉପରେ କଳସ ଚକ୍ର ପତାକା ହେବ । କଳଶା ଶିଖା ଠାରୁ ପାରାଭାଡି ଭୂଇଁ ତଳ ପର୍ଯ୍ୟନ୍ତ ଦଖିନଉତି ଖୋଜ ହେବ। 

          ରଥପାଦ ଦେଶରୁ ଶୀର୍ଷଦେଶ ପର୍ଯ୍ୟନ୍ତ ଥିବା ଅଂଶ ଗୁଡିକ ମଧ୍ୟରେ ଚକ, ଦଣ୍ଡିଆ,ଅର,ବାଙ୍କି ହଂସପଟା,କଣି,ଶଙ୍ଖଦ୍ୱାର,ଜାଲି,ଗାଈପଟା,ସିଂହାସନ,କନକ ମୁଣ୍ଡେଇ, ଭୂମି,ଷୋଳ ନାହକ,ମଗରଦଣ୍ଡା, ବସନ୍ତ,ଦୁଆରଘୋଡା, ସାରଥୀ ପୀଡ଼,କୁମ୍ଭପଟି,ରାହୁପଟି,ଆଠ ନାହାକା, ପୀଢ଼,ଋଷିପଟା,ଦଣ୍ଡା, ପାରାଭାଡି,ଖପୁରୀ,ପାଦ, ଓଲଟ ଶୁଆ,ଦଧିନଉତି,କଣ୍ଠି,ଦଣ୍ଡ,ଚକ୍ର ଓ କେତନ ।

           ଶିଳ୍ପ ଶାସ୍ତ୍ରାନୁଯାୟୀ ରଥର ଅଙ୍ଗ ଗୁଡିକୁ ସାଧାରଣତଃ ୧୩ଟି ମୂଖ୍ୟ ଅଙ୍ଗରେ ବିଭକ୍ତ କରାୟାଇଛି। ଯଥା- (୧) ଚକ୍ରପୀଠ, (୨) ଅରଦଣ୍ଡା,(୩)ଗଗରା,(୪) ମୂଳନାଭ,(୫) ବରାଣ୍ଡି,(୬) ହଂସପଟା, (୭) ରଥଗର୍ଭ,(୮) ପାରାଭାଡି,(୯) କଳସ ପୀଠ, (୧୦) ଦଧିନଉତି, (୧୧) କର୍ଣ୍ଣଅଳା,(୧୨) ଧାତୁ କଳସ ଓ (୧୩) ଆୟୁଧ ଧ୍ୱଜା।

👉ରଥ ନିର୍ମାଣର ପୃଷ୍ଠଭୂମି 

● ରଥଖଳାରେ ରଥ ନିର୍ମାଣ କାମ

ପରମ୍ପରା ଅନୁସାରେ ପୁରୀରେ ପ୍ରତିବର୍ଷ ସମ୍ପୁର୍ଣ୍ଣ ଭାବେ ନୂଆ କାଠରେ ରଥ ତିଆରି କରାଯାଏ । ରଥଯାତ୍ରା ପରେ ରଥଗୁଡ଼ିକୁ ଭାଙ୍ଗି ଦେଇ, କାଠଗୁଡ଼ିକୁ ମନ୍ଦିର ରୋଷଘରେ ବ୍ୟବହାର କରାଯାଉଥିଲା, ୨୦୧୨ ମସିହାଠାରୁ ରଥର କିଛି ଅଂଶକୁ ବିକ୍ରି କରାଯାଉଛି । 

     ସାମ୍ୟ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ମହାପ୍ରଭୁ ଯେଉଁ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବ ଦିନ ଯାତ୍ରା କରନ୍ତି, ସେ ରଥର ନାମ ନନ୍ଦିଘୋଷ। ସେହିପରି ଶ୍ରୀବଳଭଦ୍ରଙ୍କ ରଥର ନାମ ତାଳଧ୍ୱଜ ଓ ଶ୍ରୀସୁଭଦ୍ରାଙ୍କ ରଥର ନାମ ଦେବଦଳନ, ଦର୍ପଦଳନ ବା ପଦ୍ମଧ୍ୱଜ।

           ପ୍ରତ୍ୟେକ ପର୍ଷ ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ନୂତନ ଭାବେ ତିନୋଟି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏ ବାବଦରେ ବିଭିନ୍ନ କାର୍ଯ୍ୟ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ, ବିଧି ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର ପ୍ରଶାସନ ତରଫରୁ ମିଳିତ ଭାବେ ସମ୍ପାଦିତ ହୋଇଥାଏ।

             ରଥ ନିର୍ମାଣ ତଥା ରଥଯାତ୍ରାର ପ୍ରଥମ ଶୁଭାରମ୍ଭ ହୋଇଥାଏ ସରସ୍ୱତୀ ପୂଜା ଶ୍ରୀପଞ୍ଚମୀ ତିଥି ଠାରୁ।  କେତେକ ନିର୍ଦ୍ଦିଷ୍ଟ ତିଥିରେ ତିନି ରଥମାନଙ୍କର ନିର୍ଦ୍ଦିଷ୍ଟ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ। ଯଥା - ଶ୍ରୀପଞ୍ଚମୀ ଦିନ ରଥକାଠ ପୁରୀରେ ପହଞ୍ଚିବା ସଙ୍ଗେ ସଙ୍ଗେ ଅନୁକୂଳ ନୀତି ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ହୋଇଥାଏ। ଶ୍ରୀରାମ ନବମୀ ଦିନ ରଥକାଠ ଚିରା କାର୍ଯ୍ୟର ଅନୁକୂଳ ମନୋନୀତ କରତ କଳରେ ହୋଇଥାଏ। ଅକ୍ଷୟ ତୃତୀୟା ଦିନ ତିନି ରଥ ଶୁଭାରମ୍ଭ କାର୍ଯ୍ୟର ଅନୁକୂଳ ହୋଇଥାଏ। ଉକ୍ତଦିନ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ଅନ୍ୟାନ୍ୟ ଶୋତ୍ରୀୟ ବ୍ରାହ୍ମଣମାନଙ୍କଦ୍ୱାରା ରଥ ନିର୍ମାଣ ଉପଲକ୍ଷେ ଶୁଭାରମ୍ଭ କାର୍ଯ୍ୟ ଯଜ୍ଞ ଓ ଆନୁସଙ୍ଗିକ ପୂଜା, ନୀତି ଇତ୍ୟାଦି ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ପୂଜାପଣ୍ଡା ତିନି ରଥ ନିର୍ମାଣର ଅନୁକୂଳ ନିମନ୍ତେ ଅଜ୍ଞାମାଳ ପ୍ରଦାନ କରିଥାନ୍ତି। ଏଠାରେ ବିଶ୍ୱକର୍ମା ମହାରଣା, ରୂପକାର , ଭୋଇ ଇତ୍ୟାଦି ସେବକମାନେ ଶାଢୀ ବନ୍ଧାଇ ଥାନ୍ତି। ଏହା ପରେ ନୃସିଂହ ଚତୁର୍ଦ୍ଦଶୀ ଦିନ ଗୁଜ ଅନୁକୂଳ, ଶ୍ରୀକ୍ଷେତ୍ର ଭଉଁରୀ ଦିନ ପ୍ରତ୍ୟେକ ରଥର ଦୁଇଟି ଲେଖାଏଁ ଚକ ଡେରା ହୋଇଥାଏ ଓ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସି ଏହା ଉପରେ ଲାଗି କରାଯାଇଥାଏ। ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରତି ରଥର ଚାରିନାହାକା ଡେରା ଅନୁକୂଳ ଓ ନେତ୍ରୋତ୍ସବ ଦିନ (ରଥଯାତ୍ରା ପୂର୍ବ ଦିନ) ଅପରାହ୍ନ ସୁଦ୍ଧା ତିନିଟି ଯାକ ରଥ ସୁସଜ୍ଜିତ ହୋଇ ଶ୍ରୀନଅର ସ୍ଥିତ ରଥଖଳାରୁ ଟଣା ହୋଇ ସିଂହଦ୍ୱାର ସମ୍ମୁଖରେ ରଖାଯାଏ।

        ବହୁ ପ୍ରାଚୀନ ସମୟରୁ ମହାପ୍ରଭୁମାନଙ୍କର ରଥ ନିର୍ମାଣ ନିମନ୍ତେ ନୟାଗଡ଼, ଖୋର୍ଦ୍ଧା, ଦଶପଲ୍ଲା, ରଣପୁର ଇତ୍ୟାଦି ଜଙ୍ଗଲରୁ ଆବଶ୍ୟକୀୟ କାଠ ନଦୀ ମାଧ୍ୟମରେ ପୁରୀକୁ ଆସୁଥିଲା। ଏହି କାଠସବୁ ନଦୀରେ ଭେଳା କରି ଅଣାଯାଉଥିଲା। ପୁରୀ ଠାରୁ ୧୦କି.ମି ଦୂର ମାଳତିପାଟପୁର ନିକଟସ୍ଥ କାଠ ପୋଲ ଠାରୁ ଏହି କାଠଗୁଡିକ ଶଗଡ଼ରେ ବୁହା ଯାଉଥିଲା। ପୁରୀରେ ପ୍ରତିଷ୍ଠିତ କେତେକ ମଠ ରଥକାଠ ବୁହାଯିବା ପାଇଁ ଶଗଡ଼ମାନ ଯୋଗାଉଥିଲେ।

       ଏହି ପରମ୍ପରା ବହୁ ବର୍ଷ ଧରି ଲୁପ୍ତ ହୋଇଯାଇଅଛି। ସମ୍ପ୍ରତି ପରିବହନ ମାର୍ଗର ସୁବିଧା ଦୃଷ୍ଟିରୁ ଟ୍ରକ ଯୋଗେ ଏହି କାଠ ଆସି ପୁରୀ ବଡ଼ଦାଣ୍ଡ ତଥା ରଥଖଳାଠାରେ ରଖାଯାଉଛି। ରଥ ସଂହିତା ଅନୁଯାୟୀ ତିନୋଟି ରଥ ନିର୍ମାଣ ପାଇଁ ୧୧୩୯ଟି କାଠ ଆସିଥାଏ। ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଉପରିବର୍ଣ୍ଣିତ କାଠ ଯୋଗାଇ ଆସୁଛନ୍ତି। ନୟାଗଡ଼ ଓ ଖୋର୍ଦ୍ଧା ଡିଭିଜନର ଅରଣ୍ୟ ଅଧିକାରୀମାନେ ୮୬୨ଟି ଖଣ୍ଡ ଅସନ, ଧଉରା ଓ ଫାସୀ ଇତ୍ୟାଦି କାଠ ପଠାଇଥାନ୍ତି। ଏଥି ମଧରୁ ୭୨ ଖଣ୍ଡ ଫାସୀ ଅଟେ। ଏତଦବ୍ୟତୀତ ରଣପୁର ଜଙ୍ଗଲରୁ ୨୭୪ ଖଣ୍ଡ କଞ୍ଚାକାଠ ଓ ତିନୋଟି ଶିମୁଳି କାଠ ଆସିଥାଏ।

● ରଥଖଳାରେ ରଥ ପ୍ରସ୍ତୁତି କାର୍ଯ୍ୟ

        ତିନି ରଥ ନିର୍ମାଣ କାର୍ଯ୍ୟର ଅନୁକୁଳ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଅନୁଷ୍ଠିତ ହେବା ସହିତ ତତ୍ ପରଦିନ ଠାରୁ ନିର୍ମାଣ ଆରମ୍ଭ ହୋଇ ନେତ୍ରୋତ୍ସବ ଦିନ ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିଥାଏ। ଶ୍ରୀମନ୍ଦିରର ସ୍ୱତ୍ତ୍ୱଲିପିରେ ଅନ୍ତର୍ଭୁକ୍ତ ବିଶ୍ୱକର୍ମା ମହାରଣା, ଭୋଇ,ରୂପକାର,ଦରଜି,କମାର ପ୍ରମୁଖ ସେବକମାନେ ଏହି କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି। ତନ୍ମଧ୍ୟରୁ ସମୁଦାୟ ୬୦ଜଣ ମହାରଣା, ୭୫ଜଣ ଭୋଇ, ୧୫ କମାର,୧୫ରୁ୨୦ ଚିତ୍ରକର,୭/୮ଜଣ ଦରଜି, ୧୫ଜଣ ରୂପକାର ସେବକ ଅନ୍ତର୍ଭୁକ୍ତ । ମହାପ୍ରଭୁମାନଙ୍କ ବ୍ୟବହୃତ ତିନି ଗୋଟି ରଥର ଗଠନ ପଦ୍ଧତି ଶିଳ୍ପଶାସ୍ତ୍ରାନୁମୋଦିତ। ପରମ୍ପରା ଅନୁଯାୟୀ ଏକ ନିର୍ଦ୍ଧିଷ୍ଟ ଉଚ୍ଚତା ଓ ମାପ ଅନୁସାରେ ଏହି ରଥତ୍ରୟର ନିର୍ମାଣ କରାଯାଇଥାଏ।

         ଏହା ବ୍ୟତୀତ ପ୍ରତି ରଥରେ ୪ଟି ଲେଖାଏଁ ଅଶ୍ୱ, ଗୋଟିଏ ସାରଥୀ, ଦୁଇଟି ଶୁଆ, ରଥବାଡ଼, ୯ଟି ଲେଖାଏଁ ପାର୍ଶ୍ୱ ଦେବତା ଖଞ୍ଜା ଯାଇଥାଏ। ସୂଚନାଯୋଗ୍ଯ ଯେ, କେବଳ ନବକଳେବର ବର୍ଷ ନୂତନ ଭାବେ ସାରଥୀ,ଅଶ୍ୱ, ପାର୍ଶ୍ୱ ଦେବତା, ଠେକରା ବାଡ଼, ରଥବ୍ରେକ,ହଂସପଟା ଓ କନ୍ୟାପଟା ଇତ୍ୟାଦି ନିର୍ମାଣ କରାଯାଇଥାଏ। ଏଥି ନିମନ୍ତେ ଶାଳ, ଗମ୍ଭାରୀ ଇତ୍ୟାଦି କାଠ ସ୍ୱତନ୍ତ୍ର ଭାବେ ଜଙ୍ଗଲ ବିଭାଗ ଯୋଗାଇଥାନ୍ତି।

         ତିନିରଥ ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ପ୍ରାୟ ୧୪ ଜଣ ଦରଜୀ ସେବକଙ୍କଦ୍ୱାରା ନିର୍ଦ୍ଦିଷ୍ଟ ତିଥିରେ ଆରମ୍ଭ ହୋଇ ରଥ ମଣ୍ଡିଣି କନା ପ୍ରସ୍ତୁତ କରାଯାଇ ତିନି ରଥରେ ସୁସଜ୍ଜିତ କରାଯାଏ। ପୂର୍ବେ ଓ.ଟି.ଏମ୍ ମିଲରୁ ଆସୁଥିବା ଏହି କନା ମୂଖ୍ୟତଃ ନଲି,ହଳଦିଆ,ନେଳି ଓ କଳା ରଙ୍ଗର ଅଟେ। ପ୍ରାୟ ଏକ ହଜାର ମିଟରରୁ ଉର୍ଦ୍ଧ କନା ତିନି ରଥର ମଣ୍ଡଣି,ଘେର,ଚାନ୍ଦୁଆ ନିମନ୍ତେ ଆବଶ୍ୟକ ହୋଇଥାଏ। ସମ୍ପ୍ରତି କିଛି ବର୍ଷ ଧରି ରଥ ନିମିତ୍ତ ଆବଶ୍ୟକ କନା ବମ୍ବେର ପ୍ରସିଦ୍ଧ କପଡା କମ୍ପାନୀ ସେଞ୍ଚୁରୀ ମିଲରୁ ଆସୁଅଛି।

       ପରମ୍ପରା ଅନୁଯାୟୀ ନନ୍ଦିଘୋଷ ରଥ ପାଇଁ ନାଲି ଓ ହଳଦିଆ କନା, ତାଳଧ୍ୱଜ ରଥ ପାଇଁ ନାଲି ଓ ନେଳି କନା ଓ ଦର୍ପଦଳନ ରଥ ପାଇଁ ନାଲି ଓ କଳା କନା ବ୍ୟବହାର ହୋଇଥାଏ। ନନ୍ଦିଘୋଷ,ତାଳଧ୍ୱଜ ଓ ଦର୍ପଦଳନ (ଦେବଦଳନ) ରଥରେ ଯଥାକ୍ରମେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଶ୍ରୀସୁଭଦ୍ରା ଏବଂ ଶ୍ରୀସୁଦର୍ଶନ ତିନୋଟି ସୁସଜ୍ଜିତ ରଥରେ ଅଧିଷ୍ଠିତ ହୋଇଥାଆନ୍ତି। ୬ଫୁଟ୍ ଉଚ୍ଚତାର ୧୬ ଚକ ବିଶିଷ୍ଟ ନନ୍ଦିଘୋଷ ରଥର ଦୈର୍ଘ୍ୟ ପ୍ରସ୍ଥ ୩୪ ଫୁଟ ୬ ଇଞ୍ଚ ଲେଖାଏଁ ଓ ଉଚ୍ଚତା ୪୬ ଫୁଟ ଇଞ୍ଚ । ତାଳଧ୍ୱଜ ରଥର ଦୈର୍ଘ୍ୟ ପ୍ରସ୍ଥ ୩୩ ଫୁଟ ଲେଖାଏଁ ଓ ଉଚ୍ଚତା ୪୫ ଫୁଟ । ଏଥିରେ ୬ ଫୁଟ ୬ ଇଞ୍ଚ ଉଚ୍ଚତା ବିଶିଷ୍ଟ ୧୪ ଚକ ଲାଗିଥାଏ। ସେହି ପରି ଦର୍ପଦଳନ ବା ଦେବଦଳନ ରଥ ଚକର ଉଚ୍ଚତା ୬ ଫୁଟ ୮ ଇଞ୍ଚ ଏବଂ ୧୨ ଚକ ଏହି ରଥରେ ଲାଗିଥାଏ। ରଥର ଦୈର୍ଘ୍ୟ ପ୍ରସ୍ଥ ୩୧ ଫୁଟ ୬ ଇଞ୍ଚ ଲେଖାଏଁ । ଉଚ୍ଚତା ଯଥାକ୍ରମେ ୪୫ ଫୁଟ ୬ ଇଞ୍ଚ, ୪୫ ଫୁଟ ଓ ୪୪ ଫୁଟ୍ ୬ ଇଞ୍ଚ ଅଟେ ।

        ରଥଯାତ୍ରା ପର୍ବ ଶେଷ ହେବା ପରେ ପ୍ରତିବର୍ଷ ରଥ ଗୁଡିକୁ ଭାଙ୍ଗି ଦିଆଯାଏ। କେବଳ ସାରଥୀ,ଘୋଡା, ପାର୍ଶ୍ୱଦେବତା, ସଖୀ, ପିତଳର କଦଳୀ ଗଛ, ମଗର ଓ ରଥବାଡ଼ ଇତ୍ୟାଦି ସାଇତି ରଖାଯାଏ। ଉଲ୍ଲେଖଯୋଗ୍ୟ ଯେ, ୧୯୯୯ ମସିହା ଠାରୁ ରଥଟଣା ସମୟରେ ତିନୋଟି ରଥର ବ୍ରେକକୁ ପକାଇବା ଓ ଉଠାଇବା ପାଇଁ ମନ୍ଦିର ପ୍ରଶାସନ ତରଫରୁ ପୁଲି ବ୍ୟବସ୍ଥା ପ୍ରଚଳନ କରାଯାଇଛି।

● ବିଭିନ୍ନ ତିଥିରେ ରଥ ନିର୍ମାଣର ବିଧି 

        ପ୍ରତିବର୍ଷ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ତିନୋଟି ରଥ ପରମ୍ପରା ପ୍ରକାରେ ନିର୍ମିତ ହୋଇ ଆସୁଅଛି। ରଥକାଠ ପହଞ୍ଚିବା ଠାରୁ ଆରମ୍ଭ କରି ରଥଟଣା ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଏକ ନିର୍ଦ୍ଦିଷ୍ଟ ତିଥିରେ ହୋଇଥାଏ।

👉ରଥକାଠ ପୁରୀରେ ପହଞ୍ଚିବା (ରଥଖଳାରେ ଅନୁକୂଳ ପୂଜା) - ଶ୍ରୀପଞ୍ଚମୀ

👉କାଠଚିରା - ଶ୍ରୀରାମ ନବମୀ

👉ରଥନିର୍ମାଣ ଅନୁକୂଳ - ଅକ୍ଷୟ ତୃତୀୟା

👉ଗୁଜ ଅନୁକୂଳ - ନୃସିଂହ ଚତୁର୍ଦ୍ଦଶୀ

👉ଚକ ତିଆରି ହୋଇ ଦିଅଁଙ୍କ ଆଜ୍ଞାମାଳ ଲାଗି (ଅନ୍ତତଃ ୬ଟି ଚକ) - ଭଉଁରୀ ଦିନ

👉ଚାରି ନାହକ ଡେରା ଅନୁକୂଳ - ଦେବସ୍ନାନ ପୂର୍ଣ୍ଣିମା

👉ରଥଖଳାରୁ ସିଂହଦ୍ୱାର ଯାଏଁ ରଥଟଣା - ନେତ୍ରୋତ୍ସବ (ଶ୍ରୀଗୁଣ୍ଡିଚା ପୂର୍ବଦିନ)

         ରଥତ୍ରୟର ଏହି ନିର୍ମାଣ କାର୍ଯ୍ୟକୁ ପୁରୀ ପୂର୍ତ୍ତ ବିଭାଗର ଏକଜିକ୍ୟୁଟିଭ ଇଞ୍ଜିନିୟର ଏବଂ ବିଶେଷଜ୍ଞ କମିଟି ତଦାରଖ କରିଥାନ୍ତି। ରଥଟଣା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପୂର୍ବ ପ୍ରଥା ଅନୁଯାୟୀ ଟ.୫୦/- ଫିସ ଟ୍ରେଜେରୀ ଚାଲାଣ ମାଧ୍ୟମରେ ଦାଖଲ କରି ରଥ ଚାଲିବା ଉପଯୁକ୍ତ ବୋଲି ପୂର୍ତ୍ତ ବିଭାଗରୁ ଏକ ସାର୍ଟିଫିକେଟ ହାସଲ କରିଥାନ୍ତି।

● ରଥ ନିର୍ମାଣରେ ସେବକ ମାନଙ୍କ ଭୂମିକା 

👉ବଢେଇ ମହାରଣା 

       ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିର ୧୦୫ ନମ୍ବର ସେବାରେ ବଢେଇ ମହାରଣାମାନଙ୍କ ସମ୍ପର୍କେ ଉଲ୍ଲେଖ ରହିଅଛି। ଏମାନଙ୍କ ମଧ୍ୟରେ ସୁତାର, ତଳି ମହାରଣା, ମହାରଣା, ରଥ ଅମିନ ଭାବରେ ରଥ ନିର୍ମାଣରେ ସଂମ୍ପୃକ୍ତ ରହି କାର୍ଯ୍ୟ କରିଥାନ୍ତି। ରଥ ନିର୍ମାଣ ଅନୁକୂଳ ଠାରୁ ବାହୁଡା ଯାତ୍ରା ଶେଷ ଯାଏଁ ମହାରଣା ସେବକମାନେ ରଥ ନିର୍ମାଣ, ରଥଟଣା ଇତ୍ୟାଦି କାର୍ଯ୍ୟରେ ନିଯୋଜିତ ରହିଥାନ୍ତି। ୩୪ଗୋଟି ଅଙ୍ଗ ବିଶିଷ୍ଟ ତିନୋଟି ରଥର ନିର୍ମାଣ ନିମନ୍ତେ ପ୍ରତ୍ୟେକ ରଥରେ ଜଣେ ଲେଖାଏଁ ମୂଖ୍ୟ ମହାରଣାଙ୍କ ତତ୍ତ୍ୱାବଧାନରେ ଜଣେ ଲେଖାଏଁ ସୁତାର ମହାରଣା, ତଳି ମହାରଣା ନିୟୋଜିତ ହୋଇ କାର୍ଯ୍ୟ କରିଥାନ୍ତି। ଏତଦବ୍ୟତୀତ ରଥ କାଠର ମାପଚୁପ ଦେଖିବା ପାଇଁ ଜଣେ ରଥ ଅମୀନ ମଧ୍ୟ ରହନ୍ତି।

● ଓଝା ମହାରଣା 

ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିର ସେବା ନଂ ୧୦୧ରେ ଓଝା ମହାରଣା ସେବା ବିଷୟ ଉଲେଖ ରହିଛି। ସମ୍ପ୍ରତି ମାତ୍ର ଚାରି ଘର ଏହି ଓଝା ମହାରଣା ସେବା ନିର୍ବାହ କରୁଛନ୍ତି। ତିନି ରଥ ବାଡ଼ଗ୍ରାହୀ ଭାବେ ଯଥାକ୍ରମେ ଜଗନ୍ନାଥଙ୍କ ରଥ ପାଇଁ ପଥୁରିଆ ସାହିର ଦାଶରଥି ମହାରଣା, ବଳଭଦ୍ରଙ୍କ ରଥ ପାଇଁ ପଥୁରିଆ ସହିର କାଶିନାଥ ମହାରଣା, କୁନିଆ ମହାରଣା ଓ ସୁଭଦ୍ରାଙ୍କ ରଥର ବାଡ଼ଗ୍ରାହୀ ଭାବେ କ୍ଷୀରୋଦ ମହରଣା (ଧାନକୁଟି ସାହି, ପୁରୀ) ଓଝା ମହାରଣା ସେବା କାର୍ଯ୍ୟ କରୁଥିବା ଜଣାଯାଏ। ପ୍ରତି ବର୍ଷ ରଥ ନିର୍ମାଣ ସମୟରେ ତିନି ରଥରେ ବ୍ୟବହୃତ ହେଉଥିବା ସମସ୍ତ ଲୁହାକଣ୍ଟା, ବଳା,ପନ୍ଦାରି ଯୋଗାଇବା ବ୍ୟତୀତ ରଥଯାତ୍ରା ପୂର୍ବ ଦିନ ରଥ ଖଳାରୁ ସିଂହଦ୍ୱାରକୁ ରଥ ବିଜେ କରିବା ସମୟରେ ରଥ ଉପରେ ଏହି ସେବକ ଚାନ୍ଦୁଆ ବାନ୍ଧିଥାନ୍ତି। ଅକ୍ଷୟ ତୃତୀୟା ଠାରୁ ପରମ୍ପରା ଅନୁଯାୟୀ ଓଝା ମହାରଣା ସେବକମାନେ ଶାଢୀ଼ ବନ୍ଧାଇ ଏବଂ ପ୍ରଶାସନ ପକ୍ଷରୁ ପ୍ରଦତ୍ତ ମହାପ୍ରସାଦ ଓ ନଡ଼ିଆ ଗ୍ରହଣ କରି ଦୋଳବେଦୀଠାରେ ଶାଳ ଅନୁକୂଳ କରିଥାନ୍ତି। ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣର ଅନୁକୂଳ ସମୟରେ ଏହି ସେବକ ତିନୋଟି ଟାଙ୍ଗିଆ ମଧ୍ୟ ଯୋଗାଇଥାନ୍ତି। ଏହାର ଦୁଇ ତିନିଦିନ ପରେ ଦୋଳବେଦୀଠାରେ କାର୍ଯ୍ୟ ଆରମ୍ଭ ହୋଇ ଭଉଁରୀ ଦିନ ପନ୍ଦାରି, ଜୋକିଆ, ହୁକର ମଧ୍ୟ ଅନୁକୂଳ କରାଯାଇଥାଏ। ଏହି ସବୁ କାର୍ଯ୍ୟ ଦୋଳବେଦୀ କୁଞ୍ଜ ଭିତରେ ହୋଇଥାଏ। ପ୍ରତି ଦିନ ମୋଟ ୧୮ ଜଣ ଓଝା ମହାରଣା ଓ ତାଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରୁଥିବା ଶ୍ରମିକ ନିୟୋଜିତ ହୋଇଥାଏ। ନିଜ ନିଜ ରଥର ବାଡ଼ଗ୍ରାହୀ ଓଝା ମହାରଣାମାନଙ୍କ ତତ୍ତ୍ୱାବଧାନରେ ପ୍ରତି ଚକ ପାଇଁ ଅରକଣ୍ଟା ୩୨ଟା, ପନ୍ଦାରି ୨ଟା ଓ ୨ଟି ଲେଖାଏଁ ବଳା ନିର୍ମାଣ କରାଯାଇ ରଥଖଳାକୁ ଯୋଗାଯାଇଥାଏ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଲୁହା ରଡ଼୍ ଓ ପ୍ଲେଟରେ ଓଝା ମହାରଣା ସେବକମାନେ ପ୍ରତିରଥର ଅଖ ଓ ଦଣ୍ଡାରେ କଣ୍ଡା ଲଗାଯିବା ଉଦ୍ଦେଶ୍ୟରେ ଯଥାକ୍ରମେ ନନ୍ଦିଘୋଷ ରଥ ପାଇଁ ୧୦ ଗଣ୍ଡା, ତାଳଧ୍ୱଜ ରଥ ପାଇଁ ୯ ଗଣ୍ଡା ୨ଟା ଓ ଦେବଦଳ୍ନ ରଥ ପାଇଁ ୭ ଗଣ୍ଡା ୨ଟା ବିଡିଆ କଣ୍ଟା ଶାଳ ପ୍ରସ୍ତୁତ କରିଥାନ୍ତି। ଏତଦବ୍ୟତୀତ ପାରାଭାଡ଼ି ନିର୍ମାଣ ସମୟରେ ପୋଟଳ ଉପରେ ବାଗିଆ ବାଡେଇଥାନ୍ତି। ଅନ୍ୟାନ୍ୟ ଲୁହାରେ ନିର୍ମିତ କଣ୍ଟା ମଧ୍ୟରେ ତାଗକଣ୍ଟା, ତାର ପରିଚ୍ଛା କଣ୍ଟା, ଦୁଆର ବେଢା଼ କଣ୍ଟା, ବେଢା଼ କଣ୍ଟା, ଜଙ୍ଘା ଓ ନାରାଜ କଣ୍ଟା, ଗୋଡି଼ଛାଲ ଇତ୍ୟାଦି ବିଭିନ୍ନ କିସମର କଣ୍ଟା ଏକ ସ୍ୱତନ୍ତ୍ର ଶୈଳୀରେ ଓଝା ମହାରଣାଙ୍କଦ୍ୱାରା ନିର୍ମିତ ହୋଇଥାଏ। ପ୍ରତି ବର୍ଷ ପ୍ରଶାସନ ପକ୍ଷରୁ ଓଝା ମହାରଣାଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ପାରିଶ୍ରମିକ ରୂପେ ପ୍ରଦାନ କରାଯାଇଥାଏ। ରଥଯାତ୍ରା ସମୟରେ ଯଦି ଚକ କିମ୍ବା ଅନ୍ୟାନ୍ୟ ମରାମତି କାର୍ଯ୍ୟ ଆବଶ୍ୟକ ପଡେ, ଓଝା ମହାରଣା ମନେ ଆବଶ୍ୟକୀୟ ଲୁହା କଣ୍ଟା ଓ କ୍ଲାମ୍ପ ଇତ୍ୟାଦି ଜରୁରୀକାଳୀନ ଭାବେ ନିର୍ମିତ କରି ଯୋଗାଇଥାନ୍ତି। ଏତଦବ୍ୟତୀତ ଅଣସର ସମୟରେ ଅଣସର ଗୃହକୁ ଯିବା ନିମନ୍ତେ ସହସ୍ର (ଲୁହାରେ ନିର୍ମିତ ଏକ ଅସ୍ତ୍ର) ନିର୍ମିତ କରି ପତନି ଶାଢୀ଼ରେ ବାନ୍ଧି ଦଇତାପତିଙ୍କ ଜିମାରେ ଦେଇଥାନ୍ତି। ଏହି କାର୍ଯ୍ୟ ହେଲା ବେଳେ ଓଝା ମହରଣାମାନେ ହବିଷାନ୍ନ କରି ଅତ୍ୟନ୍ତ ନିୟମ ନିଷ୍ଠାର ସହିତ ରହିଥାନ୍ତି। ସମ୍ପ୍ରତି ଓଝା ମହାରଣାଙ୍କଦ୍ୱାରା ପ୍ରସ୍ତୁତ ଶାଳ ଦୋଳବେଦୀ କୁଞ୍ଜଠାରେ ହେଇଥିବା ଜଣାଯାଏ।

● ଅନ୍ୟାନ୍ୟ ସେବକ 

🌷ରଥ ଭୋଇ : ସେବା ନଂ ୯୭ରେ ରଥ ଭୋଇ ସେବା ସମ୍ପର୍କରେ ସବିଶେଷ ବିବରଣୀ ଲିପିବଦ୍ଧ ରହିଛି। ରଥ କାମରେ ଯେତେ ମୁଲିଆ ଦରକାର ହୁଏ ଏ ସର୍ଦ୍ଦାର ଭୋଇମାନେ ନିଜେ କାମ କରନ୍ତି ଓ ଅନ୍ୟ ମୁଲିଆ ଲଗାଇ କାମ କରାନ୍ତି। ରଥଖଳାର ଛାମୁଣ୍ଡିଆ ତିଆରି କରିବା ଓ ଅନ୍ୟାନ୍ୟ ରଥ କାଠ ବୋହିବା ସଙ୍ଗେ ସଙ୍ଗେ ରଥ ନିର୍ମାଣ ଓ ରଥଟଣାରେ ସକ୍ରିୟ ଅଂଶ କରିଥାନ୍ତି।

🌷ଦରଜୀ ସେବା : ସ୍ୱତ୍ତ୍ୱଲିପିର ୯୫ ନଂ ସେବାରେ ଦରଜୀ ସେବକଙ୍କ କାର୍ଯ୍ୟ ସମ୍ପର୍କରେ ବିବରଣ ରହିଛି। ରଥର ମଣ୍ଡଣି, ଚାନ୍ଦୁଆ ଇତ୍ର୍ୟାଦି ସିଲାଇ କାର୍ଯ୍ୟ ଦରଜୀ ସେବକମାନେ କରିଥାନ୍ତି।

🌷ତାମରା ବିଶୋଇ : (ସେବା ନଂ ୯୦) ଉକ୍ତ ସେବକ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବିଧି ଅନୁସାରେ ତାମ୍ରପଟା ଇତ୍ୟାଦି ତିଆରି କରି ବାହୁଟ ଓ ସେନାପଟାରେ ତାମରା ଦିଅନ୍ତି।

🌷କରତିଆ: (ସେବା ନଂ ୯୧) ରଥ ନିର୍ମାଣ ପାଇଁ ତୁମ୍ବ କାଟିବା ଓ ରଥର କାଠ ପଟା କାମ କରିଥାନ୍ତି। ଏ ସେବକ ନିଜେ କରତି କାମ କରନ୍ତି ଓ ଅନ୍ୟ କରତିଆକୁ କାମ କରିବାକୁ ଯୋଗାଇ ଦିଅନ୍ତି।

🌷ରୂପକାର: (ସେବା ନଂ ୮୮) ରଥ ନିର୍ମାଣରେ ଯେତେ ରୂପ କାର୍ଯ୍ୟ ପଡେ, ଏହି ସେବକ ତାହା କରିଥାନ୍ତି। ଏପରିକି ନବକଳେବର ବର୍ଷମାନଙ୍କରେ ସାରଥୀ, ସଖୀ, ଓଲଟ ଶୁଆ, କଳସ ଓ ପାର୍ଶ୍ୱ ଦେବତା ନିର୍ମାଣ ଏହି ସେବକଙ୍କଦ୍ୱାରା ତିଆରି ହୋଇଥାଏ। ରଥଟଣା ପୂର୍ବରୁ ଘୋଡ଼ା ବନ୍ଧା କାର୍ଯ୍ୟ ଏହି ସେବକଙ୍କର ଅଟେ।

🌷ଚିତ୍ରକାର : (ସେବା ନଂ ୮୭) ଏହି ସେବକ ରଥବାଡ଼, ପାର୍ଶ୍ୱ ଦେବଦେବୀ, ଓଲଟ ଶୁଆ, କଳସ ଓ ରଥରେ ପରମ୍ପରା ଅନୁଯାୟୀ ଅନ୍ୟାନ୍ୟ ସମସ୍ତ ଚିତ୍ର କାର୍ଯ୍ୟ କରିଥାନ୍ତି।

● ତିନି ରଥର ବିଶେଷତା 

       ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରତିବର୍ଷ ତିନିଗୋଟି ରଥ ସମ୍ପୂର୍ଣ୍ଣ ଶିଳ୍ପ ଶାସ୍ତ୍ରୀୟ ପଦ୍ଧତିରେ ନିର୍ମାଣ କରାଯାଉଥିଲେ ହେଁ ପ୍ରତି ରଥରେ ଅଧିଷ୍ଠିତ ହେଉଥିବା ପାର୍ଶ୍ୱ ଦେବତାଙ୍କର ନିର୍ମାଣ ହୋଇନଥାଏ। କେବଳ ନବକଳେବର ବର୍ଷମାନଙ୍କରେ ରୂପକାର ସେବକମାନେ ନିମ୍ବ କାଠରେ ମୋଟ ୨୭ ଗୋଟି ପାର୍ଶ୍ୱ ଦେବଦେବୀଙ୍କର ବିଗ୍ରହ ନିର୍ମାଣ କରିଥାନ୍ତି। ପ୍ରତିବର୍ଷ ରଥଯାତ୍ରାର ଅଳ୍ପ ଦିନ ପୂର୍ବରୁ ଚିତ୍ରକାର ସେବକମାନେ ଏହି ମୂର୍ତ୍ତିଗୁଡିକୁ ରଙ୍ଗ କରିଥାନ୍ତି। ଆବଶ୍ୟକ ପଡିଲେ ରୂପକାର ସେବକମାନଙ୍କଦ୍ୱାରା ଏହାର ମରାମତି କାର୍ଯ୍ୟ ହୋଇଥାଏ। ରଥଯାତ୍ରାର ଦୁଇ ଦିନ ପୂର୍ବରୁ ପ୍ରତି ରଥରେ ନଅ ମୂର୍ତ୍ତି ଲେଖାଏଁ ପାର୍ଶ୍ୱଦେବତାଙ୍କୁ ଅଧିଷ୍ଠିତ କରାଯାଇଥାଏ।

 ● ନନ୍ଦିଘୋଷ 

👉'ନନ୍ଦିଘୋଷ' ବା 'ଗରୁଡ଼ଧ୍ୱଜ' ବା 'କପିଳଧ୍ୱଜ' ରଥରେ ଜଗନ୍ନାଥଙ୍କ ସହ ମଦନମୋହନ ବିଜେ କରନ୍ତି ।

👉ମୋଟ ୭୪୨ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୫ଫୁଟ ୬ ଇଞ୍ଚ ଅଟେ ।
👉ଏହି ରଥରେ ୧୬ଟି ଚକ (ବିଷ୍ଣୁସିଦ୍ଧ, ବିଭୂତି, ଅଣିମା, ପ୍ରଜ୍ଞା, ଧୀ, ଜ୍ଞାନ, ପ୍ରେମ, ଆଶକ୍ତ, ରତି, କେଳି, ସତ୍ୟ, ସୁଷ୍ୱସ୍ତି, ଜାଗୃତି, ତୁରୀୟ, ଆମ, ନିର୍ବାଣ) ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ।

👉ସାରଥି: ମାତଳୀ ।

👉ରଥର ଦଉଡ଼ି: ଶଙ୍ଖଚୂଡ଼ ।

👉ପରମ୍ପରା ମୁତାବକ ଧଳାରଙ୍ଗର ଚାରୋଟି ଘୋଡ଼ା (ଶଙ୍ଖ, ବଳାହକ, ଶ୍ୱେତ ଓ ହରିଦ୍ୱାଶ) ସ୍ଥାପନ କରାଯାଏ ।

👉ଏହାର ପତାକା ଗରୁଡ଼ ଚିହ୍ନାଙ୍କିତ ।

👉ଧ୍ୱଜପମୂର୍ତ୍ତି: ପଞ୍ଚମୁଖୀ ହନୁମାନ ।

👉ନାଲି ଓ ହଳଦିଆ ରଙ୍ଗର କପଡ଼ାରେ ରଥାବରଣ କରାଯାଏ ।

👉ନନ୍ଦିଘୋଷରେ ହରିହର, ପଣ୍ଡୁ ନୃସିଂହ, ଗିରିଧର, ଷଡ଼ଭୁଜ ଚିନ୍ତାମଣି କୃଷ୍ଣ, ଚତୁର୍ଭୁଜ ନାରାୟଣ, ସପ୍ତଫେଣ ସର୍ପରେ ଆସୀନ ମଧୁସୂଦନ ବା ବିଷ୍ଣୁ, ଲକ୍ଷ୍ମଣ, ପଞ୍ଚମୁଖୀ ମହାବୀର ପାର୍ଶ୍ୱଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।

 ● ତାଳଧ୍ୱଜ 

👉'ତାଳଧ୍ୱଜ' ବା 'ଲଙ୍ଗଳ ଧ୍ୱଜ' ରଥରେ ବଳଭଦ୍ରଙ୍କ ସହ ରାମକୃଷ୍ଣ ବିଜେ କରନ୍ତି।

👉ମୋଟ ୭୩୧ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୫ଫୁଟ ଅଟେ ।

👉ଏହି ରଥରେ ୧୪ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୬ ଇଞ୍ଚ।

👉ଦଧିନଉତି: ହିରଣ୍ମୟୀ

👉ସାରଥି: ଦାରୁକ ।

👉ରଥର ଦଉଡ଼ି: ବାସୁକୀ ।

👉ପରମ୍ପରା ମୁତାବକ କଳା ରଙ୍ଗର ଚାରୋଟି ଘୋଡ଼ା ଘୋଡ଼ା (ଶଙ୍ଖ, ସୁଚିତ୍ର, ଅଙ୍ଗଦ, ମେଘନାଦ) ସ୍ଥାପନ କରାଯାଏ ।

👉ଧ୍ୱଜପମୂର୍ତ୍ତି: ଲକ୍ଷ୍ମୀନୃସିଂହ ।

👉ନାଲି ଓ ସବୁଜ ରଙ୍ଗର କପଡ଼ାରେ ରଥାବରଣ କରାଯାଏ ।

👉ତାଳଧ୍ୱଜ ରଥରେ ମହାଦେବ, ବାଇଶିଭୁଜ ନୃସିଂହ, ବଳରାମ, ନୃତ୍ୟ ଗଣପତି, ଲକ୍ଷ୍ମଣଙ୍କୁ ବହନ କରିଥିବା ଅଙ୍ଗଦ, ନାଟାମ୍ବର (ବୃଷଭ ଉପରେ ନୃତ୍ୟରତ ଶିବ), କାର୍ତ୍ତିକେଶ୍ୱର, ମଧୁକୈଟବଙ୍କ ସହ ବିଷ୍ଣୁଙ୍କ ଯୁଦ୍ଧ, ଅନନ୍ତବାସୁଦେବ ପାର୍ଶ୍ୱବଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।

● ଦର୍ପଦଳନ 

👉'ଦର୍ପଦଳନ' ବା 'ପଦ୍ମଧ୍ୱଜ' ବା 'ଦେବଦଳନ' ରଥରେ ସୁଭଦ୍ରାଙ୍କ ସହ ଶ୍ରୀସୁଦର୍ଶନ ବିଜେ କରନ୍ତି ।

👉ମୋଟ ୭୧୧ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୪ଫୁଟ ୬ ଇଞ୍ଚ ଅଟେ ।

👉ଏହି ରଥରେ ୧୨ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୮ ଇଞ୍ଚ ।

👉ସାରଥି: ଅର୍ଜୁନ ।

👉ରଥର ଦଉଡ଼ି: ସ୍ୱର୍ଣ୍ଣଚୂଡ଼ ।

👉ଧ୍ୱଜପମୂର୍ତ୍ତି: ଜୟଦୁର୍ଗା ।

 👉    ପରମ୍ପରା ମୁତାବକ ନାଲି ଚାରୋଟି ଘୋଡ଼ା (ରୋଚିକା, ମୋଚିକା, ଜିତା, ଅପରାଜିତା) ସ୍ଥାପନ କରାଯାଏ ।
ନାଲି ଓ କଳା ରଙ୍ଗର କପଡ଼ାରେ ରଥାବରଣ କରାଯାଏ ।

👉ଦର୍ପଦଳନରେ ବିମଳା, ମଙ୍ଗଳା, ବାରାହୀ, ଭଦ୍ରକାଳୀ(ଶବରୂଢ଼ା ଚତୁର୍ଭୁଜା), ବନଦୁର୍ଗା ବା କଣ୍ଟକାଢ଼ି, କାତ୍ୟାୟନୀ (ଅଷ୍ଟଭୁଜା ଦୁର୍ଗା), ହରଚଣ୍ଡୀ, ରାମଚଣ୍ଡୀ (ଅଷ୍ଟଭୁଜା ଓ ବାମହାତ କାଣି ଆଙ୍ଗୁଠିକୁ ପାଟିରେ ଚୁଚୁମିଛନ୍ତି), ଅଘୋରା ପାର୍ଶ୍ୱଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।

       ଶ୍ରୀଜଗନ୍ନାଥଙ୍କ ରଥର ୧୬ ଚକ ଷୋଳକଳାର, ବଳଭଦ୍ରଙ୍କର ୧୪ ଚକ ଚତୁର୍ଦ୍ଦଶ ମନ୍ୱନ୍ତରର ଓ ସୁଭଦ୍ରାଙ୍କ ୧୨ ଚକ ବାରମାସର ଦୃଷ୍ଟି ଆକର୍ଷଣ କରିଥାଏ । ତିନି ରଥର ଦଧିନଉତି : ହିରଣ୍ୟଗର୍ଭ, ହିରଣ୍ମୟୀ, ଭୁବନକୋଷ । ଏହି ତିନି ଦଧିନଉତି ଉପରେ ମୋଟ ୯ଟି ପିତଳ କଳସ (ନଭ, ଆକାଶ, ବ୍ୟୋମ, ପରା, ଅପରା, ବୈଖାରୀ, ଚନ୍ଦ୍ର, ସୂର୍ଯ୍ୟ, ବିଦ୍ୟୁତ) ସ୍ଥାପନ କରାଯାଏ ।

Wednesday, May 12, 2021

🐸🐸🐸🐸🐸 ଗଙ୍ଗଦତ୍ତ ବେଙ୍ଗର କଥା🐸🐸🐸🐸🐸

ବେଙ୍ଗମାନଙ୍କ ରାଜା ‘ଗଙ୍ଗଦତ୍ତ’ ଗୋଟାଏ ସାପ ଦ୍ଵାରା ନିଜର ସମସ୍ତ ପ୍ରତିଦ୍ଵନ୍ଦୀ ଓ ଵିରୋଧୀମାନଙ୍କୁ ମରେଇ ଦେଲା ହେଲେ ସାପ ସେମାନଙ୍କ ପରେ ପରେ  ଗଙ୍ଗଦତ୍ତ କୁଟୁମ୍ବର ଭେକମାନଙ୍କୁ ବି ଖାଇଗଲା ।

ଏଵେ ଗଙ୍ଗଦତ୍ତ ସେଇ କୂଅରେ ଏକେଲା ବଞ୍ଚିଯାଇଥାଏ । ସାପ ତାକୁ ବି ଖାଇଵାକୁ ଉଦ୍ଯତ ହୁଅନ୍ତେ ଗଙ୍ଗଦତ୍ତ ବେଙ୍ଗ କହିଲା

“ହେ ସାପଭାଇ ଦୟାକରି ତୁମ୍ଭେ ମୋତେ ଗିଳନାହିଁ ଏଥିରେ ତୁମ୍ଭର କ୍ଷତି ହିଁ ହେଵ  ଵରଂ ମୁଁ ତୁମ୍ଭ ପାଇଁ ଅନ୍ୟ ଏକ କୂପକୁ ଯାଇ ଆହୁରି ଅନେକ ବେଙ୍ଗଙ୍କୁ ଏଠାକୁ ନେଇ ଆସିଵି”

ଏଭଳି କୌଶଳ କରି ଗଙ୍ଗଦତ୍ତ  ସେଇ କୂଅରୁ ଅଳ୍ପକେ ଵର୍ତ୍ତିଯାଇଥିଲା । କୂଅରୁ ବାହାରି ସେ ଯେମିତି ପଦାକୁ ଆସି ଦେଖିଲା ପୃଥିଵୀଟା କେତେ ଵିଶାଳ ତାହା ଅନୁଭଵ କରିପାରିଲା । କୂଅରେ ତ ସାପ ଅଛି ତେଣୁ କୂଅର ଲୋଭ ଛାଡ଼ି ଏବେ ଅନ୍ୟ ଏକ ଵାସସ୍ଥାନ ଅନ୍ଵେଷଣ କରିଵାକୁ ଗଙ୍ଗଦତ୍ତ ବାହାରି ପଡି଼ଛି । କୂଅଠାରୁ ମାତ୍ର ଦୁଇ କୋଶ ଦୂରରେ ହ୍ରଦଟିଏ ଥାଏ ଯେ ଗଙ୍ଗଦତ୍ତ ଡେଇଁ ଡେଇଁ ଆସି ସେଇ ହ୍ରଦ ପାଖରେ ପହଞ୍ଚିଗଲା ।

ସେଇ ହ୍ରଦଟି ବହୁତ ବଡ଼ ପୁଣି ସେଠାରେ ଅନେକ ଜାତିର ଜୀଵ ଵସଵାସ କରୁଥାନ୍ତି । ହ୍ରଦଟିରେ ଜଳତନ୍ତ୍ର ଶାସନ ଵ୍ୟଵସ୍ଥାରେ ଶାସନ ହେଉଥାଇ । ଏଥିରେ କୁମ୍ଭୀର ଓ ସର୍ପାଦି ଜୀଵଭକ୍ଷକ ଗୋଷ୍ଠୀ ଶାସନ କାର୍ଯ୍ୟ ପରିଚାଳନା କରୁଥିଵାଵେଳେ ଅନ୍ୟ ଜଳଚର ଜୀଵମାନେ ମତଦାତାଠାରୁ ପ୍ରଶାସନିକ ଅଧିକାରୀ ଯାଏଁ ଵିଭିନ୍ନ କାର୍ଯ୍ୟ କରୁଥିଲେ ।

ସେହି ହ୍ରଦର ସମ୍ବିଧାନ ଅନୁସାରେ ଜଳଚର ଜୀଵଟିଏ ଜଳଚର ଜୀଵକୁ ଆଦୌ ଭକ୍ଷଣ କରିଵ ନାହିଁ ଵରଂ ଏକ ଜଳଚର ଜୀଵଭକ୍ଷକ କୌଣସି ସ୍ଥଳଚର ଜୀଵକୁ ଭକ୍ଷଣ କରିଣ ଆପଣା ଜୀଵନଯାପନ କରିଵ । ଏ ନିୟମ ଲକ୍ଷ ଲକ୍ଷ ଵର୍ଷ ଧରି ସେ ହ୍ରଦର ଜୀଵମାନେ ପାଳୁଅଛନ୍ତି । ଫଳତଃ ଉକ୍ତ ହ୍ରଦରେ ବେଙ୍ଗ ଆଦି ନୀରିହ ଜୀଵମାନେ ଅତି ସୁଖରେ କାଳାତିପାତ କରୁଥାଆନ୍ତି ।

ଗଙ୍ଗଦତ୍ତ ଦେଖିଲା ସେଠାରେ ତାହାର ଅନେକ ଭାଇବନ୍ଧୁ ଅଛନ୍ତି ଯେଉଁମାନେ ଠିକ୍ ତା ଭଳି କେଁ କଟର କେଁ କଟର କରିପାରନ୍ତି । ସେମାନଙ୍କର ପରସ୍ପରର ଭାଷା ଏକ ଥିଲା ହାଵଭାଵ,ମଉଡା଼ ସବୁ ମିଶିଯାଉଥିଲା ।  ତେଣୁ ପୁଷ୍କରିଣୀର ବେଙ୍ଗମାନଙ୍କ ସହ ଗଙ୍ଗଦତ୍ତର ସମ୍ପର୍କ ଘନିଷ୍ଠରୁ ଘନିଷ୍ଠତର ହେଵାକୁ ଲାଗିଲା ।

ଦିନେ ପୁଷ୍କରିଣୀରେ ବୁଲୁବୁଲୁ ଗଙ୍ଗଦତ୍ତ ଅନେକ ସର୍ପମାନଙ୍କୁ ମଧ୍ୟ ଦେଖିପାରିଲା । ଏକ ସର୍ପଦ୍ଵାରା କୂପ ମଧ୍ଯରେ ତାହାର ସବୁ ଭ୍ରାତାବନ୍ଧୁଙ୍କୁ ହତ୍ୟା କରାଯାଇଥିଵା ହେତୁରୁ ସେ ସଂପୂର୍ଣ୍ଣ ସର୍ପଜାତିଟାକୁ ଘୃଣା କରୁଥାଏ । କିନ୍ତୁ ଏତେସଂଖ୍ୟକ ସର୍ପଙ୍କଠାରୁ ସିଏ ଏକାକୀ ତ ପ୍ରତିଶୋଧ ନେଇପାରିଵ ନାହିଁ ତେଣୁ ମନେ ମନେ ବହେ ଉପାୟ ପାଞ୍ଚିଲା । କେଁ କଟର କରି କରି ଗୋଟାଏ ପଦ୍ମ ପତ୍ରରୁ ଆନ ଏକ ପତ୍ରକୁ ଯହ ଡିଆଁ ଡେଇଁ କରୁଥାଇ । ଶେଷରେ ତା ମୁଣ୍ଡକୁ ଉପାୟଟିଏ ଯୁଟିଲା ।

ପ୍ରତିଦିନ ସକାଳୁ ସକାଳୁ ପାଣିରେ ରହୁଥିଵା ବୋଡ଼ା ଆଦି ସାପମାନେ ସ୍ଥଳଭାଗକୁ ଖାଦ୍ୟ ଉଣ୍ଡିଵାକୁ ବୁଲି ବାହାରନ୍ତି ।
ଯେମିତି ସେମାନଙ୍କୁ ଗଙ୍ଗଦତ୍ତ ବେଙ୍ଗ ଦେଖିଦିଏ ତାଙ୍କ ଆଗ ସାମ୍ନାକୁ ଚାଲିଆସି ମିଛଟାରେ ତା ବେଙ୍ଗ ଜାତିଭାଇଙ୍କୁ ବଡ଼ ପାଟି କରି ଡାକେ

“ହେ ବଞ୍ଚାଅ ବଞ୍ଚାଅ ମୋତେ ଖାଇଗଲେ ହେ ଭାଇମାନେ”

ଏ ରାମା ଏ ଭୀମା ହଇରେ ଶଙ୍କରା ଆବେ ମକରା
ଆରେ ସବୁ କୋଉଠି ଅଛ ଧାଇଁ ଆସରେ ଧାଇଁ ଆସ
ଏ ରାକ୍ଷସ ସର୍ପମାନେ ଏଇନାକେ ମେତେ ଚଳୁକରିଦେଵେ ରେ”

ପ୍ରଥମେ ପ୍ରଥମେ ଗଙ୍ଗଦତ୍ତର ନାଟକ ଦେଖି ସ୍ଵୟଂ ତାହାର ବେଙ୍ଗ ଜାତିଭାଇମାନେ ହିଁ ଵିଶ୍ଵାସ କରୁନଥିଲେ ।  ‘ଖୋ ରେ  ! ଶଳା ବାହାରିଆଟା ବୋ ! ଏଟା କଥାରେ କିଏ ପଡୁ଼ଛି ମ’ !!

କିନ୍ତୁ ଗଙ୍ଗଦତ୍ତ ସହଜେ ଛାଡି଼ଵା ଜନ୍ତୁ ନୁହେଁ ।  ଵିଭିନ୍ନ ପ୍ରକାରର ଉପାୟ ଅଵଲମ୍ବନ କରି ସେ  ତାହାର ଅନେକ ବେଙ୍ଗ ଭାଇମାନଙ୍କୁ ତା ଆନ୍ଦୋଳନର ସମର୍ଥକ କଲା । କାହାକୁ “ଭେକ ଜାତୀୟତା”ର ମଦରେ ଅନ୍ଧ କରି ତ କା'କୁ କଙ୍କି ଦେଵାର ଲୋଭରେ ପକେଇ ନିଜ ପକ୍ଷକୁ ଆଣିଲା । ଚାହୁଁ ଚାହୁଁ ଦିନ କେଇଟାରେ ଶହ ଶହ ବେଙ୍ଗ ଏକ ସ୍ଵରରେ କହିଲେ ଏ ମାଂସଭକ୍ଷକ ଜୀଵମାନଙ୍କୁ ଏହି ହ୍ରଦରୁ ବାହାର କର ଅନ୍ୟଥା ହ୍ରଦକୁ ଦୁଇଭାଗ କରି ବାଣ୍ଟିଦିଅ । ଏକ ପାଖରେ ହିଂସ୍ର-ଜଳଚର ରହିଵେ ଆନ ପଟରେ ନୀରିହ କ୍ଷୁଦ୍ର ଜୀଵ ରହିବେ । ମାଛ , କଙ୍କଡ଼ା ଆଦି ଜୀଵମାନେ ବେଙ୍ଗମାନଙ୍କର ସମର୍ଥନରେ ବାହାରିପଡି଼ଲେ ।

ଗୋଳଟା ଶେଷକୁ କଇଁଛ ବିଚାରପତିଙ୍କ ସୁପ୍ରିମକୋର୍ଟରେ ଯାଇ ପହଞ୍ଚିଲା । ଵୟୋଜ୍ୟେଷ୍ଠ କଚ୍ଛପ ଵିଚାରପତି ମହୋଦୟ  ବହୁତ ସମୟ ଧରି ଏ ଵିଷୟରେ ଆଲୋଚନା ପର୍ଯ୍ୟାଲୋଚନା କରୁଥାଆନ୍ତି ‌। ଶେଷରେ ହ୍ରଦର ସୁପ୍ରିମକୋର୍ଟ ଆଦେଶ ଦେଲା ।

“ହ୍ରଦଟି ପ୍ରାକୃତିକ ଦୃଷ୍ଟିରୁ ଏକ ଓ ଅଭିନ୍ନ ତେଣୁ କୌଣସି ଜୀଵ ଵିଶେଷଙ୍କ ପାଇଁ ତାହାର ଵିଭାଜନ ପ୍ରକୃତି ଵିରୁଦ୍ଧାଚରଣ ଵିଚାର୍ଯ୍ୟ ହେଵ । ଅତଃ ଏହି ହ୍ରଦ-କୋର୍ଟରେ ସର୍ବସମ୍ମତିକ୍ରମେ ଘୋଷଣା କରାଗଲା ଯେ ଏଠାକାର ବଡ଼ ବଡ଼ ମାଂସ ଭକ୍ଷୀ ଜୀଵମାନେ ଶିଘ୍ରାତିଶିଘ୍ର ଅନ୍ୟତ୍ର ରହିଵାର ଵ୍ୟଵସ୍ଥା କରନ୍ତୁ ନୋହିଲେ ଜଳ ସମାଜର ସମସ୍ତ ଜୀଵ ମିଶି ସେମାନଙ୍କ ଵିରୁଦ୍ଧରେ ଵଳପୂର୍ଵକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଵେ”

କୁମ୍ଭୀର ଓ ବୋଡ଼ା ସର୍ପମାନେ ସ୍ଵଭାଵତଃ ହିଂସ୍ର ହେଲେ ହେଁ ବହୁଦିନ ଧରି ଅନ୍ୟ କ୍ଷୁଦ୍ର ଜଳ ଜୀଵଙ୍କ ସହିତ ଏକତ୍ର ସହାଵସ୍ଥାନ କରୁଥିଵାରୁ ଆପଣାର ମୂଳପ୍ରକୃତି ଭୁଲି ସାରିଥାନ୍ତି । ସେମାନେ ଦୁଃଖ ମନରେ ହ୍ରଦ ଛାଡ଼ି ନିକଟସ୍ଥ ଛୋଟ ଛୋଟ ପୁଷ୍କରିଣୀ ମଧ୍ୟକୁ ଯିଵାକୁ ଲାଗିଲେ ।

ଵିଶାଳ ହିଂସ୍ର ଜଳଜୀଵଙ୍କ ଵିନା ହ୍ରଦଟିରେ କିଛି ଦିନ ପାଇଁ ଶାନ୍ତି ଵିରାଜମାନ କଲା ମାତ୍ର ଧୀରେ ଧୀରେ ମାନଵମାନେ ଓ ତାଙ୍କର ଗୃହପାଳିତ ଜୀଵ ଏ ହ୍ରଦକୁ ଗାଧୋଇଵା ପାଇଁ ତଥା ଜଳ ନେଵା ପାଇଁ ଆସିଵାକୁ ଲାଗିଲେ । ପ୍ରତିଦିନ ଶହ ଶହ ମାଛ କଙ୍କଡ଼ାମାନଙ୍କୁ ମଣିଷମାନେ ମାରି  ଖାଇଲେ । ପୁଣି ଉକ୍ତ ହ୍ରଦରୁ ହଜାର ହଜାର ଲିଟର ଜଳ ପ୍ରତିଦିନ କଟକ ନଗରର ଵିକାଶ କାର୍ଯ୍ୟରେ ଵ୍ୟଵହୃତ ହେଲା । ଆଗ ଭଳି ହିଂସ୍ରଜନ୍ତୁ ନଥିଵାରୁ ଏବେ ମାନଵମାନେ ଉକ୍ତ ହ୍ରଦରେ ଅଵାଧ୍ୟ ପ୍ରଵେଶ କରିଵା ଆରମ୍ଭ କରିଦେଲେ । ହ୍ରଦର ତଥାକଥିତ ନିରୀହ ଜଳଜୀଵମାନେ କିଛି ବୁଝିଵା ପୂର୍ଵରୁ ମନୁଷ୍ୟମାନେ ଉକ୍ତ ହ୍ରଦକୁ ଵାସ୍ତୁଵାଦୀ ଵିକାଶ ପାଇଁ ବଳି ପକେଇ ଦେଵାର ନିର୍ଣ୍ଣୟ ନେଇ ସାରିଥିଲେ ।

(କଟକ ନଗରରେ ଆଗେ ଗୋଟିଏ ହ୍ରଦ ଥିଲା ଯାହାକୁ ୧୮୧୪ ସୁଦ୍ଧା “ସପନା ଝିଲ୍” କୁହାଯାଉଥିଲା । ହିନ୍ଦୀ ଭାଷାରେ ହ୍ରଦକୁ ଝିଲ୍ କୁହାଯାଏ । ସେତେବେଳେ କଟକର ତୃତୀୟ ମହଲା ଥିଲା ତେଲେଙ୍ଗା ବଜାର ଏଵଂ ଚତୁର୍ଥ ମହଲା ଗଙ୍ଗା ମଞ୍ଜିଲ୍ ଯାହାକୁ ଏବେ ଗଙ୍ଗାମନ୍ଦିର ସାହି କୁହାଯାଉଛି । ଏ ଉଭୟ ଅଞ୍ଚଳରେ କାହ୍ନୁ ଆଚାର୍ଯ୍ୟ ନାମରେ ଜଣେ ଜମିଦାରଙ୍କର ଅନେକ ଜମିବାଡ଼ି ଥିଲା । ସପନା ଝିଲ୍ ମଧ୍ୟ ତାଙ୍କରି ନାମରେ ଥିଲା  । କିନ୍ତୁ ଦୁର୍ଭାଗ୍ୟଵଶତଃ ଆଜି ଗଙ୍ଗାମନ୍ଦିର ଅଞ୍ଚଳରେ ଦୁଇ ତିନୋଟି ଛୋଟ ବନ୍ଧ ଥିଲେ ହେଁ ଝିଲ୍ ଵା କୌଣସି ହ୍ରଦ ଥିଵା ଜଣାଯାଏ ନାହିଁ । ସମ୍ଭଵତଃ ଜନଵସତି ବଢି଼ଵାରୁ ହ୍ରଦଟି ପୋତା ପଡ଼ି ସଂକୁଚିତ ହୋଇ ଯାଇଛି କିଂଵା ନିଶ୍ଚିହ୍ନ ହୋଇଯାଇଛି । ଜଣେ ଇଂରେଜ ପ୍ରଶାସନିକ ଅଧିକାରୀଙ୍କ ଚିଠିରୁ ଏହି ସପନା ଝିଲ୍ ଵିଷୟରେ କେତେକ ତଥ୍ୟ ମିଳିଅଛି  । କାହାଣୀର ହ୍ରଦ ପୃଥିଵୀର ଯେକୌଣସି ହ୍ରଦ ହୋଇପାରେ ଏଵଂ କାହାଣୀ ମଧ୍ୟରେ ଉଲ୍ଲେଖିତ ନିରୀହ ଜଳଜୀଵମାନେ ଜଗତର ଯେକୌଣସି ସରଳ ନିରୀହ ଜୀଵ ହୋଇପାରନ୍ତି ଯେଉଁମାନେ ଈର୍ଷା ଦ୍ଵେଷରେ ଅନ୍ଧ କିଛି ତଥାକଥିତ ଘୃଣ୍ବି ଲୋକଙ୍କ କଥାରେ ପଡ଼ି ନିଜ ଦେଶ ମାଟିକୁ ନିଜ ଭାଇ ବନ୍ଧୁଙ୍କୁ ପର କରି ଦିଅନ୍ତି )

© ଶିଶିର ସାହୁ ମନୋଜ

ଲୁହ

ଅଟକୁନି ଲୁହ  ବୋହି ଚାଲୁଛି ଅନବରତ ଆଖିବି ନିଜର କରି ରଖି ପାରୁନି  ଏ ଲୁହକୁ,,,, ବାସ୍ ଝରି ଯାଉଛି ଟୋପା ଟୋପା ହୋଇ! ମନର ବ୍ୟଥା  ହୃଦୟର କୋହ  ସତରେ ଭା...