Showing posts with label କବିତା. Show all posts
Showing posts with label କବିତା. Show all posts

Saturday, August 26, 2023

ଲୁହ

ଅଟକୁନି ଲୁହ 
ବୋହି ଚାଲୁଛି ଅନବରତ
ଆଖିବି ନିଜର କରି ରଖି ପାରୁନି 
ଏ ଲୁହକୁ,,,,
ବାସ୍ ଝରି ଯାଉଛି
ଟୋପା ଟୋପା ହୋଇ!

ମନର ବ୍ୟଥା 
ହୃଦୟର କୋହ 
ସତରେ ଭାଙ୍ଗି ଦେଉଛି ଶକ୍ତିକୁ
ଧର୍ଯ୍ୟହରା ହୋଇଗଲାଣି ଏ ଜୀବନ
ବଞ୍ଚିବାକୁ ଇଚ୍ଛା ହେଉନି,,,
ମରିବାକୁ ବି ସାହସ ହେଉନି!

ସାମର୍ଥ୍ୟ ନାହିଁ ଆଉ ଛିଡ଼ା ହେବାକୁ
ନିଜ ଗୋଡ଼ରେ,,,
ଦୁନିଆ ଆଗରେ,,,,,
ପରିସ୍ଥିତି ଜଟିଳ କରୁଛି ସମସ୍ୟାକୁ
ଏଠି ଖାଲି ଆଖିରୁ ଲୁହ ଝରୁନି
ହୃଦୟ କୋହରେ କାନ୍ଦୁଛି!

ଜରାଜୀର୍ଣ୍ଣ ଅବସ୍ଥାରେ,,,,
ପଡ଼ି ରହୁଛି ଗୋଟେ ଘର କୋଣରେ 
ଏ ଶରୀର, ବର୍ତ୍ତମାନ, ଓ ଭବିଷ୍ୟତ
ଝୁରି ହେଉଛି ଅତୀତକୁ,,,,,

ଭାବୁଛି ତା' ପ୍ରେମକୁ ଏବଂ ହରେଇ ଥିବା 
ଆଶା,ବିଶ୍ୱାସ, ଓ ଭରଷାକୁ
ସତରେ ଏ ଜୀବନ ବହୁତ ଜଟିଳ
ବଞ୍ଚିବା ବହୁତ କଷ୍ଟ,,,,

ସତରେ ଏ ଜୀବନ କ'ଣ ଅଭିଶପ୍ତ
ନାହିଁ ଏଥିରେ,,,
ହସ, ଖୁସି, କି ସୁଖ?
ନାଆଁ ଦୁନିଆଟା ଭିନ୍ନ ମୋ ପାଇଁ
ଲଦି ଦେଉଛି ସମସ୍ତିଙ୍କର ଯନ୍ତ୍ରଣା
ଲୁହକୁ ଝରେଇବା ପାଇଁ!

✍ ସୁଶୀଲ କୁମାର ଭୋଇ

Saturday, May 13, 2023

-:ଦେଖି ପାରିବିନି ତୁମ ବଧୂ ବେଶ:-

-:ଦେଖି ପାରିବିନି ତୁମ ବଧୂ ବେଶ:-

କେମିତି ଦେଖିଥାନ୍ତି
ତୁମ ବଧୁ ବେଶ
ଆଉ କାହା ସାଥିରେ?
କେମିତି ଦେଖି ଥାନ୍ତି ତୁମ
ମଥାରେ ସିନ୍ଦୂର
ହାତରେ ଶଙ୍ଖା
ପାଦରେ ଅଳତା ନାଇଥିବ ଆଉ କାହା ପାଇଁ ପ୍ରିୟାରେ!!

ଇଚ୍ଛା ଥିଲା 
ତୁମ ମୁଣ୍ଡରେ ଓଢଣା ଦେଇ
କରିଥାନ୍ତି ମୋ ଘରଣୀ
ଚଉଠି ରାତିରେ ଗଜରା ଖୋଲି
କରିଥାନ୍ତି ମୋ ରାଜରାଣୀ।

ଏବେ ହୋଇଗଲ 
ତୁମେ ଆଉ କାହାର
ମୋ ପାଇଁ ହୋଇ ସ୍ୱାର୍ଥପର
ଭୁଲି ଗଲ ସବୁ ପଛକଥା ପ୍ରିୟା
ଅତୀତର ସେଇ ଭଲ ପାଇବାର।

ଏବେ ହେଉଛ 
ତୁମେ ଆଉ କାହା ଘରଣୀ
ଚାଲି ଯାଉଛ ତା'ଙ୍କ ସାଙ୍ଗେ ତୁମେ 
ହେବା ପାଇଁ ପାଟ୍ଟରାଣୀ
ମୋ କୁଡ଼ିଆଟା ନଥିଲା ସିନା ରାଜମହଲ
ହେଲେ ହୃଦୟରେ କରି ରଖିଥାନ୍ତି ରାଣୀ।

ସୁଶୀଲ୍ କୁମାର ଭୋଇ, ଭୁବନେଶ୍ୱର-୨

Wednesday, February 1, 2023

ସମର୍ପଣ (topic - 127 ତ୍ୟାଗ) quote #quot

ତ୍ୟାଗ  - 127

ତ୍ଯାଗ ଶବ୍ଦଟିଏ ତିନି ପୁରେ  ହାଏ
       ବଳିଷ୍ଠତାର ମାଧ୍ଯମ
ତ୍ରେତୟାରେ ରାମ ବନେ ଅନୁଗମ
       ବିଳାସେ ଦେଇ ବିରାମ
 ଦ୍ୱାପରେ ଦୋହୋରା ତ୍ଯାଗର ପସରା
         ଦେବକୀ ଯଶୋଦା ରାଇ
  ବାତ୍ସଲ୍ଯ ବନ୍ଧନ ପ୍ରେମେ ବଳିଦାନ
          ଧର୍ମ ସଂସ୍ଥାପନା ପାଇଁ
                 - ଦାଶରଥି ସାହୁ

ପୁରାଣ ବର୍ଣ୍ଣିତ  ଲକ୍ଷ୍ମଣ-ଉର୍ମିଳା 
     ତ୍ୟାଗ ଭରପୁର ଚିତ୍ତ 
ପ୍ରେମ ନୁହେଁ କେବେ ସୁଖର ସଉଦା 
        ପରଖ ଭରତ ଭାବ 
ଧରମା, ଚକରା ବକ୍ସି ଜଗବନ୍ଧୁ 
     ତ୍ୟାଗର ଆଦର୍ଶେ ଗୁନ୍ଥା 
ଇତିହାସ ସାକ୍ଷୀ ତ୍ୟାଗ ବଳିଦାନେ 
        ଓଡ଼ିଆ ମୁଖ୍ୟ ପୁରୋଧା 
         - ସନ୍ତୋଷ ପଟ୍ଟନାୟକ

ପିତୃ ତ୍ୟାଗ କଥା ପୁରାଣେ ବର୍ଣ୍ଣିତା 
      ତ୍ୟାଗରେ ସନ୍ତୁଷ୍ଟ ମତି 
କୃଷ୍ଣ ପ୍ରେମେ ମୋହ ରାଧା ରାଣୀ କୋହ 
     ସଂସାରେ ହୋଇଛି ସ୍ତୁତି 
ରମଣୀ ରତନ ମିରବାଇ ମନ 
    କୃଷ୍ଣ ପ୍ରେମେ ହୋଇ ବାଇ 
ତେଜିଲେ ସଂସାର ମୁକତି ଲଭିଲେ 
     ସେହି ତ୍ୟାଗ ଆଜି ନାହିଁ 
               - ଟୁକୁନା ସାହୁ

ତ୍ୟାଗୀ ଏକା ବୁଝେ ତ୍ୟାଗର ମହତ୍ତ୍ୱ
      ବିବେକର ବଡ଼ପଣେ
ବାକି ସବୁ ଏଠି ସ୍ଵାର୍ଥେ ମସଗୁଲ୍
     ଦୋଷ ଦେଇ ଅକାରଣେ
ବୁଝୁ କେ' ନ ବୁଝୁ ତ୍ୟାଗର ମୂଲ୍ୟକୁ
      ପାପଭରା କଳିକାଳେ
ତ୍ୟାଗ ଯେ' ଅଟଇ ମହନୀୟ ଗୁଣ
      ଏଇ ପୁଣ୍ୟ ମହୀତଳେ l
            - ରାମ ଚନ୍ଦ୍ର ପ୍ରଧାନ

ତ୍ଯାଗ କରି ସୁଖ ଆଦରି କର୍ତ୍ତବ୍ୟ 
      ସୀତା ଗଲେ ରାମ ସଙ୍ଗେ
ବନବାସ କଷ୍ଟ    ସହିଣ ଯେ ସୀତା
       ରହିଲେ ବନେ ଆନନ୍ଦେ
ସବୁଠାରୁ ଶ୍ରେଷ୍ଠ     ଭରତଙ୍କ ତ୍ଯାଗ
      ଛାଡି ସିଂହାସନ ମୋହ
ସିଂହାସନେ ରଖି   ପାଦୁକା ପୂଜିଲେ
        କରି ରାମଙ୍କର ଜୟ
                 - ଜଗବନ୍ଧୁ ସାହୁ

ତ୍ଯାଗ ମହାନତା କେ'ଅବା ବୁଝିବ
     ମୁକସାକ୍ଷି କୋଣାରକ 
ଚୂଳୀ ମାରି ଧର୍ମା ଯଶ ରଚିଗଲା
     ଦେଖି ସର୍ବେ ହତବାକ 
ବାର ବର୍ଷ ବାଳ ରଖିଲା ଜୀବନ
      ବାରଶ ବଢ଼େଇ ମାନ 
ଯୁଗ ଯୁଗ ଧରି ଗୁଞ୍ଜରିତ ଗାଥା
         ଧନ୍ଯ ଧର୍ମପଦ ଧନ୍ଯ 
             - ରାଧା କୃଷ୍ଣ ବାୟକ

ମହର୍ଷି ଦଧିଚି ଶରୀରକୁ ତ୍ଯାଗି
       କରିଥିଲେ ଅସ୍ଥିଦାନ
ସେହି ଅସ୍ଥି ସାଜି ଇନ୍ଦ୍ର ହସ୍ତେ ବଜ୍ର
       ନେଲା ବୁତ୍ରାସୁର ପ୍ରାଣ
ତ୍ଯାଗର ମହତ୍ତ୍ଵ   ବୁଝି ସାଧୁ ସନ୍ଥ
        ଦେଇଛନ୍ତି ଆତ୍ମହୁତି
ଜଗତ କଲ୍ୟାଣେ  ନିଜକୁ ସମର୍ପି
        ଛାଡି ଯାଇଛନ୍ତି ସ୍ମୃତି
               - ରବିନ୍ଦ୍ର ସାହୁ

ତ୍ୟାଗ ଶଦ୍ଦ ସଦା ଭିନ୍ନ ଭିନ୍ନ ରୂପେ
   ହୋଇ ଅଛି ବ୍ୟବହୃତ
ତ୍ୟାଗ ବିସର୍ଜନ ତେଜ୍ୟ ବା ବର୍ଜନ
     ତ୍ୟାଗ ପରିସର ଭୁକ୍ତ
ସ୍ବାର୍ଥ ତ୍ୟାଗ ଅବା ଆତ୍ମ ତ୍ୟାଗ ପୁଣି
     ସଂସାର ତ୍ୟାଗର କଥା କ୍ରୋଧ ତ୍ୟାଗ ସାଥେ ମୋହ ତ୍ୟାଗ ପୁଣି
       ତ୍ୟାଗ ବହୁ ରୂପେ ବ୍ୟାଖ୍ୟା
               - ପ୍ରବୀର ମଲ୍ଲିକ

Friday, December 23, 2022

ସମର୍ପଣ (topic - 126 ବୃଦ୍ଧାଶ୍ରମ) quote #quot

ବୃଦ୍ଧାଶ୍ରମ - 126

ଏକବିଂଶେ ହଡା ବୃଦ୍ଧାଶ୍ରମ ବେଢା
       ଅଣଦେଖାଙ୍କ ଆସର
ପୃଥିପରେ ପାପ ନା ଏ ପୂଣ୍ଯ ଛାପ
        ଉତ୍ତର ଦିଅ ଇଶ୍ୱର
ଜୀବନର ସଞ୍ଜ ଯଦି ଦହଗଞ୍ଜ
      ଅପରାହ୍ନୁ ଆପଣାଅ
ବାତ୍ସଲ୍ୟ ବନ୍ଧନ ବାର୍ଦ୍ଧକ୍ୟେ ବିଜନ
      ପ୍ରାଣ ପ୍ରଦୀପ ଲିଭାଅ
               - ଦାଶରଥି ସାହୁ

ବୃଦ୍ଧ-ବୃଦ୍ଧା ପାଇଁ  ଆଶ୍ରୟ ନିଶ୍ଚିତ 
        ସହାରା ପାଇଁକି ଟିକେ  
 କିନ୍ତୁ ଏହା ଏକ ସୁବିଧାର ମାର୍ଗ 
        ବୋଲି ବିଚାରନ୍ତି  ଥୋକେ
 ଆଉ ଦଳେ ଏଠି ବେପାରି ସାଜନ୍ତି 
        ମୂଳ ଲକ୍ଷ୍ୟ ତାଙ୍କ ଧନ 
ବୃଦ୍ଧାଶ୍ରମ ନୁହେଁ  ଆମରି ସମ୍ମାନ 
         ଆମ ଅପାରଗ ଚିହ୍ନ .....
            - ସନ୍ତୋଷ ପଟ୍ଟନାୟକ

ସହରୀ ଜୀବନ  ସୁଖ ଆପଣାଇ
      ପୁତ୍ର ଆଜି ବାଟବଣା
ସେ ଲାଗି ଖୋଜନ୍ତି ବୃଦ୍ଧ ପିତାମାତା
      ବୃଦ୍ଧାଶ୍ରମର ଠିକଣା 
କାହିଁକି ସମୟ  ଏଡ଼େ ନିରିଦୟ
      ବୃଦ୍ଧ ପିତାମାତା ପାଇଁ
ସଦବୁଦ୍ଧି ଦିଅ  ସେଇ ପୁତ୍ରମନେ
       ଚେତନା ଘରକୁ ଛୁଇଁ  
            - ରାମ ଚନ୍ଦ୍ର ପ୍ରଧାନ 

ପାଶ୍ଚାତ୍ୟ ଆଳରେ ଖୋଜା ସୁଖଶାନ୍ତି 
      ମାତପିତା ହତାଦର 
କିଞ୍ଚିତ ଅର୍ଥକୁ ସାଉଁଟିବା ପାଇଁ 
     ସର୍ବଦା ଚାଲେ ବିଚାର 
ଗୃହରେ କଳହ ପତିପତ୍ନ ମଧ୍ୟେ 
  ବୃଦ୍ଧାଶ୍ରମ ପଡ଼େ  ଖୋଜା 
ଶେଷ ସମୟରେ ମାତା ଓ ପିତାଙ୍କୁ 
      ମିଳେ ବୃଦ୍ଧାଶ୍ରମ ସଜା
                    - ଟୁକୁନା ସାହୁ

ଠକ ଟାଉଟର   ପାଠୁଆ ଶାଠୁଆ
     ସଭାରେ ଭାଷଣ ମାରନ୍ତି
ପିତା-ମାତା ସେବା ନକରି ସେ ନିଜେ
       ବୃଦ୍ଧଶ୍ରମେ ଛାଡି ଆସନ୍ତି
ସେହି ଦିନ ସିଏ ବୁଝି ଯେ ପାରିବେ
       ନିଜ ପୁଅ ତଡ଼ା ଖାଇ 
କେତେ ବଡ଼ ଭୁଲ କରିଥିଲେ ନିଜେ
       ମାତା ପିତା ଘଉଡାଇ
             - ଜଗବନ୍ଧୁ ସାହୁ

ଜରାଜିର୍ଣ୍ଣ ଆଜି ଚତୁର୍ଥ ଅବସ୍ଥା
    ଟାକୁଆ ଗାଲକୁ ଦେଖ 
ସ୍ବରଭଙ୍ଗ ଆଜି କଣ୍ଠ ଦ୍ବାରଦେଶ
      ମଳିନ ପଡ଼ିଛି ମୁଖ 
ପରିଣତର ଏ ପଣନ୍ତକଳାକୁ
    ଦେଖି ହସେ ଏ ଜଗତ 
ବୃଦ୍ଧାଶ୍ରମେ ଶେଷ ବାର୍ଦ୍ଧକ୍ଯର ବେଶ
       ମୁକ୍ତି ଦିଅ ଜଗନ୍ନାଥ 
           - ରାଧା କୃଷ୍ଣ ବାୟକ

ପେଟୁ କାଟି ଅର୍ଣ୍ଣ ପାଳିଲେ ସନ୍ତାନ 
      ନିଜକୁ କରି ବିପନ୍ନ 
ଏଇ ସମାଜରେ ପରିଚୟ ଦେଲେ 
     ଧନ୍ୟ ପିତା ମାତା ଧନ୍ୟ 
ସେହି ପିତା ମାତା  ଆଜି ପରିତ୍ୟକ୍ତ
      ଅବହେଳାର ଶିକାର 
ବୃଦ୍ଧାଶ୍ରମେ ପଡ଼ି ଯନ୍ତ୍ରଣାରେ ସଢ଼ି 
      ଆଖିରେ ଲୁହର ଧାର  
            -  ପ୍ରବୀର ମଲ୍ଲିକ 

କଳଙ୍କିତ ଆଜି କଳୀଯୁଗ ପୁଅ
    କୁଳାଙ୍ଗାରେ ହୋଇ ଗଣା
ଅଯୋଗ୍ଯ ସନ୍ତାନ ପରିଚୟ ଅର୍ଜି
     ହୋଇଛନ୍ତି ବାଟବଣା
ପୋଷା କୁକୁରକୁ ପାଖରେ ରଖନ୍ତି
      ପାଖୁ ତଡି ପିତାମାତା
ବୃଦ୍ଧାଶ୍ରମେ ଛାଡି ଭଲେଇ ହୁଅନ୍ତି
       ଅନ୍ଯକୁ ଦିଅନ୍ତି ବାର୍ତ୍ତା
                  - ରବିନ୍ଦ୍ର ସାହୁ

ସମର୍ପଣ (topic - 125 ସ୍ବାଭିମାନ) quote #quot

ସ୍ଵାଭିମାନ - 125 

ଉତ୍କଳେ ଜନ୍ମିତ କେତେ ବୀର ସୂତ 
ଶ୍ରମେ ହୋଇ ବ୍ରତୀ ନିତି
ତୋଳି ଯାଇଛନ୍ତି ଅନେକ କିରତୀ
ଜୀବନ୍ତ ରହିଛି ସ୍ମୃତି । 
କୋଣାର୍କ ଧଉଳି ପୁରୀ ଲିଙ୍ଗରାଜେ
ପଥରରେ ଦେଇ ପ୍ରାଣ 
ସ୍ଵାଭିମାନ ଥିଲା ଭୂଷଣ ସମାନ 
ଓଡ଼ିଆ ଜାତିର ପଣ ।
               - ଟୁକୁନା ସାହୁ

ଅଭିମାନି ନୁହଁ ସ୍ବାଭିମାନି ହୁଅ
ନଅ ରହୁ ଅହଂକାର ।
ଅତିରୁହେ ଇତି ନାଶ ହୁଏ ମତି
ଏ' ମାନସିକ ବିକାର ।
ଅଭିମାନ କରି ମଲା ଦୁର୍ଯ୍ଯଧନ
ଅଧର୍ମର ପରାଜୟ ।
ସ୍ବାଭିମାନି ହୋଇ ଲଢ଼ିଥିଲେ ଯୁଦ୍ଧ
ଧର୍ମରାଜ ଧର୍ମେ ଜୟ ।
             - ରାଧା କୃଷ୍ଣ ବାୟକ

ଓଡ଼ିଶା ରାଇଜେ ଜନମ ମୋହର
        ଉତ୍କଳ ମୋର ଜନନୀ
ଜଗନ୍ନାଥ ଏକା ପିତା ଯେ ଆମର
     ଆମେ ଭାରି ସ୍ବଭିମାନୀ
ଅରକକ୍ଷେତ୍ରର କୋଣାର୍କ ମନ୍ଦିର
         ଓଡିଆଙ୍କ ସ୍ବାଭିମାନ
ନିହଣ ମୁନରେ   ପଥରକୁ କାଟି
         ଆଙ୍କିଛନ୍ତି କୋଟି କାମ
             - ଜଗବନ୍ଧୁ ସାହୁ

ତେଜି ଅଭିମାନ ହୁଅ ସ୍ବାଭିମାନ 
      ଗୁଣି ପୂର୍ବଜଙ୍କ କୀର୍ତ୍ତି 
ବାଜି ବକ୍ସି ଆଉ ଧରମା ଚକରା 
      ଆମ ସ୍ବାଭିମାନ ନୀତି
ପଙ୍କିଳ ହେଲାଣି  ଶାସନ ବ୍ୟବସ୍ଥା 
      ଅର୍ଥ ସର୍ବସ୍ବରେ ମତି 
ଗଣତନ୍ତ୍ର ଏବେ ପ୍ରହସନ ଖାଲି 
        ବେଳହୁଁ ସୁଧାର ସ୍ଥିତି 
       - ସନ୍ତୋଷ ପଟ୍ଟନାୟକ

ସ୍ୱାଭିମାନ ପାଇଁ କରେ ଯେ' ଲଢ଼େଇ
   ସ୍ୱାର୍ଥକୁ ଦେଇ ଆହୁତି
ସମାଜେ ଚାଲେ ସେ' ଗର୍ବେ ମଥା ଟେକି
   ହୃଦେ ବହି ଜାତିପ୍ରୀତି 
ତା' ପାଇଁ ସଭିଏଁ  ସମ୍ମାନେ ବଞ୍ଚନ୍ତି
      ଭୁଲି ସବୁ ଅବଶୋଷ
ବିଭୁ ପାଦ ତଳେ ପ୍ରଣତି ଜଣାନ୍ତି
     ମାଗି ତା' ଲମ୍ବା ଆୟୁଷ 
           - ରାମ ଚନ୍ଦ୍ର ପ୍ରଧାନ

ସ୍ବା; ସ୍ବାଧିନ ମୋ'ରାଜ୍ଯ ସ୍ବାଦିଷ୍ଟ ମୋ'ଖାଦ୍ଯ
         ସୁନ୍ଦର ବୋଲି ମୋ ଭାଷା
ଭି; ଭିଟାମାଟି ପାଇଁ  ଗର୍ବ କରୁ ଆମେ
           ମନେବାନ୍ଧି ଅଭିଳାଷା 
ମା; ମାନ ସନମାନେ ଜୀଇଁ ଅଛୁ ଆମେ
           ସ୍ବାଭିମାନ ଅଙ୍କ କଷି
ନ;ନଇଁ ନାହିଁ ମୁଣ୍ତ  ରହିଛୁ ଅଖଣ୍ତ
          ଆମେରେ ଓଡିଶାବାସୀ
                   - ରବିନ୍ଦ୍ର ସାହୁ

ଶବ୍ବ ସ୍ୱାଭିମାନ ଭିନ୍ନ ଏ ସୃଜନ
      ସଂସାରେ ସଫଳ ସ୍ଥିତି
ହୃଦ ଥିଲେ ଭରି ଯୁଗ ଯୁଗ ଧରି
      ମରତ ଭୂଇଁରେ ଖ୍ଯାତି
ଖିରି ଖେଚୁଡିର ନହେଉ ଆଧାର
       ପୋଡା ରୁଟି ପଛେ ପ୍ରିୟ
ସ୍ୱାଭିମାନୀ ସଦା ଶାଶ୍ୱତରେ ବନ୍ଧା
         ଜଡଠୁ ଚେତନା ଜୟ
               - ଦାଶରଥି ସାହୁ

ସ୍ୱାଭିମାନ  ଅଟେ ଅବିଚ୍ଛେଦ ଅଙ୍ଗ 
     ଈଶ୍ୱରୀୟ  ଅବଦାନ 
ମାନବକୁ ଦିଏ ବିଜୟ ମୁକୁଟ 
     ସୁସ୍ଥ ମତିସ୍କର ଜ୍ଞାନ  ,
ସର୍ବାଙ୍ଗୀନ ଚିନ୍ତା , ମଙ୍ଗଳ ବାରତା 
     ଉନ୍ନତିର ସୂତ୍ରଧାର 
ଇତିହସ ଏକା, ମୁକ ସାକ୍ଷୀ ହୁଏ 
     ଲେଖି ଦିଏ  ସ୍ଵର୍ଣ୍ଣାକ୍ଷର 
            - ପ୍ରବୀର ମଲ୍ଲିକ

Thursday, November 24, 2022

ସମର୍ପଣ (topic - 124 ଭଗବାନ) quote #quot

ଭଗବାନ  - 124

ମେଦିନୀ ପାତାଳ ଅନ୍ତର୍କ୍ଷ୍ଯେ ସବୁଠି
ବିଦ୍ଯମାନ ଭଗବାନ 
ସେହି ପରଂବ୍ରହ୍ମ ସେହି ନିରାକାର
ସେହି ଅନନ୍ତ ଗଗନ ।
ତାଙ୍କରି ଆଦେଶେ ସୂର୍ଯ୍ଯ,ଚନ୍ଦ୍ର,ତାରା
ଆତଯାତ ବ୍ରହ୍ମାଣ୍ତରେ 
ରୂପ ବିହୀନ ବିଶ୍ବରୁପି ବିହାରୀ
ଅଣୁରେ ପରମାଣୁରେ ।
             ‐ ରାଧା କୃଷ୍ଣ ବାୟକ

ଭୂମି ଗଗନ ବାୟୁ ଆଉ ନୀର 
ଏ ଚାରି ହିଁ ବାସ୍ତବ ଭଗବାନ
ସୁନ୍ଦର ଗିରି ବନ ତପୋବନ 
ସର୍ବ ପରିବାର ଛାତ ଗଗନ 
ଦେହକୁ ଜରୁରୀ ପାଣି ପବନ
ଗଗନ ଅଟଇ ତାର ସର୍ଜନ  
ସବୁରି ଆଧାର ଏ ଚାରିଜଣ 
ଏଣୁ ନ୍ୟାୟମନ୍ତେ ଏ ଭଗବାନ 
         - ସନ୍ତୋଷ ପଟ୍ଟନାୟକ

ଭବ ସାଗରରେ ଭରଷା ଭିତ୍ତିରେ
      ଭିଆଣା ହେ ଭିନ୍ନରୂପି 
ଗନ୍ତର୍ବ୍ୟର ସ୍ଥଳ ବ୍ରହ୍ମାଣ୍ତ ଅଖିଳ
       ଗଗନ ପବନ ବ୍ୟାପୀ
ବାକ୍ୟେ ବଖାଣିବା ବିଚିତ୍ର ବିଭବା
      ବିନ୍ଧାଣି ବିରଳ ବିଶ୍ୱେ
 ନମଁଇ ଚରଣେ ଆହେ ଆର୍ତ୍ତତ୍ରାଣେ
        ନିରୁପାୟୀ ମୁଁ ନିଃଶ୍ୱେ
                 - ଦାଶରଥି ସାହୁ

କେମିତିକା ରୂପ  ରଙ୍ଗ ପ୍ରଭୁ ତୁମ
       ଦେଖି ନାହିଁ ବାସ୍ତବରେ
ଭଗବାନ ବୋଲି  ତୁମକୁ ହୃଦୟେ
        ପୂଜୁଥାଏ ନିରନ୍ତରେ
ନିରାକାର ବୋଲି  ତୁମେ ଭଗବାନ
       ଶୁଣିଛି ମୁଁ ଯାହା କର୍ଣ୍ଣେ
ତେଣୁ ଯେ ତୁମକୁ  ଦୁଃଖି ହୃଦ ବନେ
        ଖୋଜୁଥାଏ ମନେ ମନେ
                    - ଜଗବନ୍ଧୁ ସାହୁ

ନିୟତି ନିୟମ ମୋର ସର୍ବ କର୍ମ 
କେବଳ ତୁମରି ଶ୍ରେୟ 
ରକ୍ତ ମାଂସେ ଗଢା ଏ'ତୁଚ୍ଛ ଶରୀର 
 କରିଛ ତୁମେ ସକ୍ରିୟ 
କରମ କଷଣ ସହି ପ୍ରତିକ୍ଷଣ 
ସଂସ୍କାର ଦେଇଛ ମୋତେ 
ମୋହର ଆରାଧ୍ୟ ଭଗବାନ ତୁମେ 
ପିତା ନାମେ ଏ ଜଗତେ  ।
            - ଟୁକୁନା ସାହୁ

ଏ ବିଶ୍ୱ ବ୍ରହ୍ମାଣ୍ଡ  ଚାଲେ ଯା' ଇଙ୍ଗିତେ
ବୁଣି ଅଦୃଶ୍ୟ ଉପାଦାନ
ଆକାର ବିହୀନ ସେଇ ଶୂନ୍ୟ ବ୍ରହ୍ମ
ଅଟନ୍ତି ସ୍ୱୟଂ ଭଗବାନ 
ହେଉ ସ୍ୱର୍ଗ ମର୍ତ୍ତ୍ୟ  ଅବା ରସାତଳ
ସବୁଠି ବୋଲାନ୍ତି ରାଜନ
ଭୂମି ଠାରୁ ଭୂମା  ସିଏ ସର୍ବେଶ୍ୱର
ତାଙ୍କ ପାଦେ କୋଟି ନମନ ....
          - ରାମ ଚନ୍ଦ୍ର ପ୍ରଧାନ

ଭକତ ଆଖିରେ  ନାଚୁଥାଏ ସଦା
       ଯାହାର ସୁନ୍ଦର ଛବି
ଯାହାର ଗାରିମା ରଚି ଯାଇଛନ୍ତି
      କେତେ ମୁନୀ ମହାକବି
ଯାହାରି ଦର୍ଶନେ ସକାଳ ଆରମ୍ଭ
      ପୂର୍ଣ୍ଣହୁଏ ଅଭିଯାନ
ଭାବକୁ ନିକଟ ଅଭାବକୁ ଦୂର
      ସେହି ଏକା ଭଗବାନ
                  -  ରବିନ୍ଦ୍ର ସାହୁ

ଭାବକୁ ନିକଟ ଅଭାବକୁ ଦୂର
   ଯିଏ ଡାକେ ଯେଉଁ ଭାବେ
ଭଗବାନ ଙ୍କର ଲୀଳା ଖେଳା ସଦା 
     ଉପସ୍ଥିତି ଯୁଗେ ଯୁଗେ 
ଭଗବାନ ଦିନେ ଭକତ ପ୍ରୀତିରେ 
     ଖାଇଥିଲେ ଖୁଦଭଜା 
ଭଗବାନ ପୁଣି କାଞ୍ଚି ଅଭିଯାନେ 
       ଉଡ଼ାଇଲେ ଜୟ ଧ୍ୱଜା
             - ପ୍ରବୀର ମଲ୍ଲିକ

Thursday, November 10, 2022

ସମର୍ପଣ (topic - 123 ) quote #quot


ମାଟିର ମଣିଷ ମୁଁ ପରା କୁମ୍ଭାର
  ମାଟି ଅଟେ ମୋ ଜୀବନ 
ମାଟିକୁ ଚକଟି ଗଢ଼ିଛି ମାଠିଆ
   ମାଟିକୁ କରି ଯତନ 
ମାଟିରୁ ଜୀବିକା ନିର୍ବାହ କରୁଛି
   ମାଟି ଅମୂଲ୍ଯ ରତନ 
ମାଟି ପାତ୍ର ଆଜି ଅଲୋଡ଼ା ପଦାର୍ଥ
   ମାଟିକୁ ନ'କର ହୀନ .....
        ‐  ରାଧା କୃଷ୍ଣ ବାୟକ

ମାଟିରେ ଜୀବନ ମାଟିରେ ମରଣ 
     ମାଟି ପରା ଆମ ମାଆ 
ଜୀବନ୍ତ କରଇ ଯେଉଁ ନର ତାକୁ 
     କୁମ୍ଭାର ତାହାର ନାଆଁ
ଗଢଇ ପଲମ ଖେଳନା କଣ୍ଢେଇ
    ନାନା ଜାତି ମାଟି ପାତ୍ର 
ଖୁସିରେ ତାହାର ପରିବାର ପୋଷେ 
      ସେହୁ ପରା ମାଟି ପୁତ୍ର ......
             - ଟୁକୁନା ସାହୁ

କର୍ମ ଗୁଣେ ଗଢ଼ା ନାନା ଜାତି ମାନ 
 ତନ୍ମଧ୍ୟରେ ଅଛି ଜାତି କୁମ୍ଭାର
ଜୀବନ ଚର୍ଯ୍ୟାର ଆବଶ୍ୟକ ଚିଜ 
 ଗଢ଼ିଥାଏ ସିଏ କେତେ ସୁନ୍ଦର   
ମାଟି ସାଥେ ମାଟି ପରି ଲାଗିଥାଏ 
  ଶ୍ରମକୁ ନଥାଏ ଟିକେ ଖାତର 
ଜଗତନାଥଙ୍କ ପାଇଁକି କୁଡୁଆ 
  ଗଢ଼ିକି ଧନ୍ୟ ଜୀବନ ତାର .....
         - ସନ୍ତୋଷ ପଟ୍ଟନାୟକ

ସକାଳରୁ ସଞ୍ଜ ମାଟି ବାସନାରେ
   ଘର ଯା'ର ବାସୁ ଥାଏ
ମାଟି କାଦୁଅରେ ତା' ଜୀବନ ଗଢ଼ା
    ସେ ପରା କୁମ୍ଭାରଟିଏ 
ମାଟିରେ ଜନମ ମାଟିରେ ମରଣ
    ମାଟିର ସେ କାରିଗର
ମମତା ଛୁଆଁରେ ମାଟିକୁ ଚକଟି
      ଯତନେ ଗଢ଼େ କୁମ୍ଭାର .....
         - ରାମ ଚନ୍ଦ୍ର ପ୍ରଧାନ

ମାଟି ମୂଲକର ଶ୍ରେଷ୍ଠ ସୂତ୍ରଧର
     ମାପଚୁପ ମୁଲଚାଲ
କରଇ ଜୀବନ୍ତ ସାଧନା ସ୍ୱତନ୍ତ୍ର
       ଅବନେ ଅମୁଲ ମୂଲ
କଠିନ ତା ଶ୍ରମ କୁମ୍ଭାରର କର୍ମ
       ପେଶା ନିଶା ପୃଥି ପରେ
 ପାରିଲା ପଣର ହୄଦୟ ତାହାର
         ନମେ ଅନନ୍ତ ଅନ୍ତରେ.....
                 - ଦାଶରଥି ସାହୁ

ଯା ହାତ ପରଶେ ମାଟି ପୁଣି ହସେ 
     ନାଆ ତାର କୁମ୍ଭକାର
ମାଟି ପାତ୍ର ଠାରୁ  ଦିଅଁ ଦେବତାଙ୍କୁ 
     ମାଟିରେ ଦିଏ ଆକାର  
 ଆଧୁନିକ ଯୁଗେ ବିପର୍ଯୟ ପଥେ
       ଏଇ ଶିଳ୍ପୀ କାରିଗର
ବିଲୁପ୍ତ ଦ୍ୱାରରେ କୁମ୍ଭକାର କଳା 
      ବୃତ୍ତିରେ ଆସୁ ସୁଧାର .....
               - ପ୍ରବୀର ମଲ୍ଲିକ

ମାଟି ମହକକୁ ମଣେ ଯେ ଅତର
     ମାଟିକୁ ମଣଇ ଫୁଲ
ମାଟିକୁ ଚକଟି ଲଗାଇ ଶକତି
   ପାଉଥାଏ ସିଏ ମୂଲ
ହାଣ୍ତି,କୁମ୍ଭ,ସରା,ମାଟିଦୀପ, ଗରା
    ଗଢଇ ଭଳିକି ଭଳି
ସେ ଅଟେ କୁମ୍ଭାର  ପୋଷେ ପରିବାର
    ନିଆଁ ଧାସେ ଜଳି ଜଳି .....
               - ରବିନ୍ଦ୍ର ସାହୁ

ମାଟିକୁ ଚକଟି କେତେ ଯତନରେ
         ଦିଅଇ ତାକୁ ଆକାର
ସଂସାର ମଧ୍ଯରେ   ଭିନ୍ନ ଏକ ଜାତି
        ନାମଟି ତାର କୁମ୍ଭାର
ସଂସାର ମଧ୍ଯରେ  ତାର ଅବଦାନ
         ଅଟଇ କେତେ ମହାନ
ଶୁଭ-ଅଶୁଭରେ  ଲୋଡା ପଡିଥାଏ
         ତାର କୁମ୍ଭ ସରା ମାନ ......
                   - ଜଗବନ୍ଧୁ ସାହୁ 

Friday, August 26, 2022

ସମର୍ପଣ (topic - 122 ବତିଘର ) quote #quot

ବତିଘର  - ୧୨୨

ବାକ୍ୟ ବତିଘର ବିଜନ ବେଳାର
     ଉଙ୍କା ଲହଡିର ସାକ୍ଷୀ
ସୂଚାଏ ବିପଦ ପାରେ ପରମାଦ
     ନିଃସଙ୍କୋଚେ ନିରିମାକ୍ଷୀ
ବାଲି କଙ୍କଡାର ଖେଳରେ ବିଭୋର
      ପ୍ରୀତ ପବନର ତାନେ
ଛିଟିକା ଛିଟାରେ ପତଳୀ ଅଣ୍ଟାରେ
      ସମ୍ମୋହିତେ ସାବଧାନେ
               - ଦାଶରଥି ସାହୁ

କୂଳେ ଫେରିବାକୁ  ବାଟ ଯେ ବତାଏ
        କାଟି ବିପଦର ଡର
ସିଏ ପରା ଆମ ବେଳାଭୂମି ପରେ
          ଜଳୁଥିବା ବତୀଘର  
ଅଶାନ୍ତ ସମୁଦ୍ରେ ଯେବେ ବି ଜାହାଜ
     ହୋଇଯାଏ ଦିଗହରା
ବତୀଘର ସେଠି ନାବିକକୁ ଦିଏ
     ଆଶାର ମେଞ୍ଚେ ସାହାରା  
              - ରାମ ଚନ୍ଦ୍ର ପ୍ରଧାନ 

ଭବ ପାରବାରେ ଜୀବନ ନଉକା 
      ପ୍ରଭୁ ତୁମେ ବତୀଘର 
ଦୁଃଖର ଗଣ୍ଡରୁ ଉଦ୍ଧାର କରିବ 
      ଏତିକି ଗୁହାରି ମୋର 
ଲୋଡା ନାହିଁ ମୋତେ ସମୁଦ୍ରର ମୋତି 
      ତୁମରି ଆଶିଷ ଚାହେଁ 
ଉଦ୍ଧାରିବ ପ୍ରଭୁ ସଙ୍କଟ ସମୟେ 
      ମୁଁ ତୁମର ଭୃତ୍ୟ ଟିଏ
                 - ଟୁକୁନା ସାହୁ 

ସମୟର ତାଳେ ବିଦୀର୍ଣ୍ଣ ହୃଦୟ 
  ସ୍ବପ୍ନ ସବୁ ଆଜି ଗଳିତ ଶବ 
ଭାରାକ୍ରାନ୍ତ ମନ ଖୋଜୁଚି ଭରଷା 
   ଭୁଲି ଫଗୁଣର ଚର୍ବିତ ସ୍ବାଦ 
ଜୀବନ ଜାହାଜେ ଭାବନା ଖୋଜୁଚି
    ସୁଦୀର୍ଘ ବିଶାଳ କାମନା ପଥ 
  ବତିଘର ସାଜି  ଦିଗଦ୍ରଷ୍ଟା ହୁଅ
   ଦୁଃଖ ହର ପ୍ରଭୁ ଅନାଥ ନାଥ 
           - ସନ୍ତୋଷ ପଟ୍ଟନାୟକ

ଅଶାନ୍ତ ସମୁଦ୍ର  ବେଳାଭୂମି ପରେ
       ଥାଏ ଯେଉଁ ବତିଘର
ରଙ୍ଗ ରୋଙ୍ଗଲିର ସ୍ତମ୍ଭମାନ ପ୍ରାୟ
        ଦିଶଇ ତାର ଆକାର
ଅଶାନ୍ତ ସମୁଦ୍ର  ଗଭୀର ଜଳରେ
        ଦିଗହରା ନାବିକକୁ
ଦିଅଇ ଇସାରା  ବଞ୍ଚିବାକୁ ରାହା
          କୂଳକୁ ସେ ଆସିବାକୁ
                  - ଜଗବନ୍ଧୁ ସାହୁ

ସେଁ ସେଁ ପବନ ଆସିଚି ତୋଫାନ
    ଢେଉ ଉଠେ ଭୟଙ୍କର ।
ଭାସୁଚି ଜାହାଜ ନୀଳ ଦରିଆରେ
     ଯାତ୍ରି ମନ ହାହାକାର ।
ଅଶାନ୍ତ ସମୁନ୍ଦ୍ର  ନୀଳ ଜଳରାଶି
    ଦିଗହରା ଜାହାଜର ।
ଭରସା ଅଟେ ଦିଗନିର୍ଣ୍ଣୟ ଯନ୍ତ୍ର
      ବେଳାଭୂମି ବତିଘର ।
             ‐ ରାଧା କୃଷ୍ଣ ବାୟକ

ବୁଡି ଆସିଲାଣି ବେଳରେ ନଉକା
      ବୋହିଲାଣି ଝଡ ବାଆ,,,
 ମାଡି ଆସିଲାଣି କଳା ବାଦଲଟା
     ବେଗେ ବେଗେ ଯିବା ଚାଆ
କେତେ ବାଟ ଅଛି କୂଳକୁ ଆହୁରି
       ଦିଶୁନାହିଁ ଜଳପଥ
ବତୀଘର ଦେଖି ଆଗକୁ ମାଡିବା
      ସାହା ହେବେ ଜଗନ୍ନାଥ ।
                  - ରବିନ୍ଦ୍ର ସାହୁ

ନୀଳ ଦିରିଆର,ନିର୍ଜନ ବେଳାରେ
      ନିଃସଙ୍ଗ ସେ ସହଚର,
ଝଡ଼, ଝଞ୍ଜା ବ୍ୟଥା  ଉଚ୍ଚ କରି ମଥା 
       ଛିଡା ସେହି ବତୀଘର 
ଜଳରାଶି ପରେ,ନାବିକ ମନରେ
        କରେ ଭରସା ସଂଚାର,
ଯେତେ ଦୂରେ ଥିଲେ , ଫେରିବାର ପଥ
            ହୁଏ ସୁଗମ ସୁନ୍ଦର ।
              - ପ୍ରବୀର ମଲ୍ଲିକ 

Tuesday, August 2, 2022

ସମର୍ପଣ (topic - 121 ପୁସ୍ତକ ) quote #quot

ପୁସ୍ତକ - 121

ଖଣ୍ତେ କାଗଜରୁ ଉତ୍ପତି ତାହାର
      ପୁସ୍ତକ ଅଟେ ତା ନାମ
ଜନହିତ ପାଇଁ ସର୍ବଦା ଯେ ସିଏ
       ଆସୁଥାଏ ପୁଣି କାମ
ଚାଟଶାଳିରେ ସେ ଶିଶୁଙ୍କର ପ୍ରିୟ
        ମନ୍ଦିରେ ପୁରାଣ ଗୀତା
ତା ଠାରୁ ଶିଖନ୍ତି ସବୁ କିଛି ଆମେ
         ଏମିତିକା ତାର ଗାଥା
ଶିଶୁ ଠାରୁ ବୃଦ୍ଦ ସବୁରି ସେ ପ୍ରିୟ
      ଶିଖାଏ ଯେ ମାତୃଭାଷା
ତା ପାଇଁ ମଣିଷ ସବୁ କିଛି ଜାଣେ
       ବାନ୍ଧେ ପୁଣି ନୂଆଁ ଆଶା
                 - ଜଗବନ୍ଧୁ ସାହୁ

ତୁମେ ଜ୍ଞାନ ଗଙ୍ଗା ସର୍ବ ଗୁଣେ ରଙ୍ଗା
        ତନ ମନେ ତିନିପୁରେ
ସ୍ୱର୍ଣ୍ଣାକ୍ଷରେ ସଜ୍ଜା ପ୍ରଗତି ପ୍ରାଯୁର୍ଜ୍ୟା
      ଅକ୍ଷରର ଅଳଙ୍କାରେ
କଥା କିମ୍ବଦନ୍ତୀ ପୁରାଣ ସଂସ୍କୃତି
       ଲେଖା ତୁମ ବୁକୁପରେ
ପବିତ୍ର ପୁସ୍ତକ ଚତୁର ଚମକ
         ଚିରସ୍ଥାୟୀ ଚରାଚରେ
                -ଦାଶରଥି ସାହୁ

ପାଠକ ବୁଝଇ ପୁସ୍ତକ ମହତ
    ଅନ୍ୟମାନେ ବୁଝନ୍ତିନି
ବାଣ୍ଟିଚାଲେ ସିଏ ସମସ୍ତଙ୍କୁ ଜ୍ଞାନ 
      ନ ଦେଖି ଗରିବ ଧନୀ  
କାହିଁ କେତେ ଶିକ୍ଷା ଦିଏ ସେ ଆମକୁ
       ଜୀବନେ ବଞ୍ଚିବା ପାଇଁ
ତା' ପରିକା କେହି ଆପଣାର ବନ୍ଧୁ
         ଜଗତେ ମିଳିବେ ନାଇଁ  
             - ରାମ ଚନ୍ଦ୍ର ପ୍ରଧାନ 

ଅଜ୍ଞାନ ଅନ୍ଧାର ଦୂର ହୋଇଯାଏ 
     ମିଳେ ମୁକ୍ତି ପାଇଁ ପଥ 
ମାନବ ଯଦ୍ୟପି ବନ୍ଧୁତା କରଇ 
      ପୁସ୍ତକ ସହିତ ନିତ୍ୟ 
ପୁରାଣ ବର୍ଣ୍ଣିତ ଅନେକ ଚର୍ଚ୍ଚିତ 
     କଥାର ମିଳେ ଉତ୍ତର 
ସର୍ବ ଶ୍ରେଷ୍ଠ ବନ୍ଧୁ ମାନବର ପୁଣି 
       ଯଥାର୍ଥ ରହିଛି ତାର 
               - ଟୁକୁନା ସାହୁ 

ତାଳପତ୍ର ପରେ କାଗଜରେ ଗଢା 
       ସୁନ୍ଦର ତା' କଳେବର 
ବିଜ୍ଞାନ ଯୁଗରେ ପିଡିଏଫ୍ ବୋଲି 
      ଆଦର ତା' ସଭିଙ୍କର 
ସାହିତ୍ୟ ସଂସ୍କୃତି ସଭ୍ୟତା ବିଜ୍ଞାନ 
      ସବୁରି ଆଧାର ପୁସ୍ତକ 
ଅଜ୍ଞାନ ଅନ୍ଧାରେ ଆଲୋକିତ ଧାରା
       ଏହାହିଁ  ଅଟେ ବାସ୍ତବ 
          - ସନ୍ତୋଷ ପଟ୍ଟନାୟକ

ପୁସ୍ତକ ଶିଖାଏ ଜୀଇଁବାର କଳା
      ଜୀବନର ଗତିବିଧି
ମଣିଷ ମସ୍ତିଷ୍କେ  ଜ୍ଞାନକୁ ପରଶି
      ଜୀବନ କରଇ ସିଦ୍ଧି
ଯେତେ ଶାସ୍ତ୍ର ବିଦ୍ଯା ବେଦ ଚତୁର୍ବେଦ
       ତହିଁରେ  ଲିଖିତ ଗପ
ପାଠକ ମନରେ ଆବଦ୍ଧ ହୁଅଇ
       କରିଲେ ତାହାକୁ ଜପ
                 -  ରବିନ୍ଦ୍ର ସାହୁ

ଅକ୍ଷରରୁ ଶବ୍ଦ, ଶବ୍ଦ ଠାରୁ ବାକ୍ୟ
     ପାରାରୁ ବିଷୟ ସୃଷ୍ଟି ,
ପାଣ୍ଡୁଲିପି ଠାରୁ, ଗ୍ରନ୍ଥମାଳା ଶେଷେ
      ପୁସ୍ତକ ରୂପେ ଉତ୍ପତ୍ତି 
ରହେ ସଂରକ୍ଷଣ ,ଯେତେ ଜ୍ଞାନ ଗୁଣ
     ପୁସ୍ତକ ଅମୂଲ୍ୟ ରତ୍ନ ,
ପୁସ୍ତକର ମୂଲ୍ୟ ,ଯେ ଜନ ବୁଝିଛି
     ସର୍ବଦା ଉଚ୍ଚେ ତା' ସ୍ଥାନ ।
              - ପ୍ରବୀର ମଲ୍ଲିକ୍ 

ବ୍ରହ୍ମା ବରଦାନେ ଭୂଲୋକେ ମନୁଙ୍କୁ
        ଅର୍ପିଥିଲେ ଚାରିବେଦ 
କ୍ରୁର ହୟଗ୍ରୀବ ଅପହରଣରେ
       ବନ୍ଦିଥିଲେ ଜ୍ଞାନଦେବ 
ଜଳ ପ୍ରଳୟରେ ମତ୍ସ୍ୟ ଅବତାରେ
     ରକ୍ଷା କଲେ ଚକ୍ରଧର 
ଋକ୍ ,ଶାମ,ଅଥର୍ବ ଓ ଯଦୁର୍ବେଦ
    ପୁସ୍ତକ ଜ୍ଞାନର ଆଧାର 
          ‐ ରାଧା କୃଷ୍ଣ ବାୟକ

Saturday, May 21, 2022

● ସାଗର ●

ସାଗର ହେ ସାଗର 
    ତୁମେ ଭାରି ସୁନ୍ଦର 
ପଚାରିବି ପ୍ରଶ୍ନ ଏକ 
    ଦେବକି ତା ଉତ୍ତର ? 
ପରବତ ଠାରୁ ବେଶୀ 
    କାହିଁ ଏତେ ଗଭୀର 
କି କାରଣେ ଲୁଣି ତୋର 
    ଜଳ ନୀଳ ରଙ୍ଗର ?
ସାଗର ହେ ସାଗର ।୧।

ଜନ୍ମ ଜନ୍ମାନ୍ତରୁ କେଉଁ 
     ଭାବ ଅଛି ତୁମର 
 କାହାପାଇଁ କାହିଁକି ବି , 
    ଉଠେ ତୋର ଜୁଆର 
କି କାରଣେ ଚିତ୍ତ ତୋର 
     ଥାଏ ସଦା ଅସ୍ତିର 
ଭିତରେ ଥାଉ ଶାନ୍ତ
     ଅଶାନ୍ତ ତୋ ବାହାର 
ସାଗର ହେ ସାଗର ।୨। 

ନଦୀ ସବୁ ଖରତର 
     ଛାଡି ଘର ତାଙ୍କର 
ତୋ ସହିତ ମିଶିବାକୁ 
     ମନ ହୁଏ ଅସ୍ତିର 
କୂଳକୁ ତୁ ଲଂଘୁ ନାହୁଁ  
     କେବେ କେଉଁ ଦିନର 
କିଏ ତୋତେ ରାଣ ଦେଲା 
      କହିବୁକି ସତର 
ସାଗର ହେ ସାଗର ।୩।

ସବୁ ଦେଶ ଭାବୁ ତୋର 
     ତୁହି ପୁଣି ତାଙ୍କର 
କାହାକୁ କରିନୁ କେବେ 
     ପର ଅବା ନିଜର 
ତୋର ଦରଶନ ପରେ 
     ଜଣାଯାଏ ମାତର 
ସାରା ପୃଥିବୀଟା ଲାଗେ 
     ଏକ ପରିବାରର 
ସାଗର ହେ ସାଗର ।୪।

କେଉଁ ଚିଜ ରଖିଅଛୁ 
     ତୋ ଗରଭ ଭିତର 
ସେ ସବୁକୁ ଦେଖିବାକୁ 
     ଭାରି ଇଚ୍ଛା ମୋହର 
ଗରବ ତୁ ସହୁ ନାହୁଁ 
     କେବେହେଲେ କାହାର 
ଗରବ ତା ଭାଙ୍ଗିଦେଉ 
     ଦେଖୁ ଯେବେ ଯାହାର 
ସାଗର ହେ ସାଗର ।୫।

ବସୁମତୀ ମାଆ ହେଲେ 
     କି ଲାଗିବୁ ଆମର 
ତୋ କୁଳ କାହିଁକି ସଦା 
     ଗଢା ଖାଲି ବାଲିର 
ଦେଖି ଶୁଣି ଲାଗେ ମୋତେ ହିଁ
      ମହାନ୍ ତୁ ସବୁର 
ସେଥିପାଇଁ ତୋ କୂଳରେ 
      ଅଛି କଳା ଠାକୁର 
ସାଗର ହେ ସାଗର ।୬।

   ✍ ଉପେନ୍ଦ୍ର କୁମାର ବସ୍ତିଆ ,ରାଉଲକେଲା 

Monday, May 16, 2022

~: ଆହ୍ବାନ :~

~:  ଆହ୍ବାନ : ~

ଉତ୍କଳ-ଭାରତୀ-ଦେବୀ-ବିଶ୍ବରୂପା 
କଷଣ ବାସରେ ଆଜି ବି ନିମଗ୍ନା 
ସୁପ୍ତ ପୁତ୍ର ଗଣେ  ନୁହଁନ୍ତି  ଚିନ୍ତିତ 
ଦେଖି ଏଇ ଦୃଶ୍ୟ ଘୁରି ଯାଏ ମାଥ ।

କାଳର କରାଳେ ମୋଗଲ ମରାଠା 
ଲୁଟିଲେ ମାତିଲେ ହୋଇ ନିଲଠା 
ଫରାସୀ ଇଂରେଜ ହୋଇ ଏକାଠି 
ଧନ ଦଉଲତ ନେଲେ ଝପଟି  । 

ଆଣିଲା ଇଂରେଜ ସୂର୍ଯ୍ୟାସ୍ତ ଆଇନି
ଜମିଦାରୀ  ଅଣଓଡ଼ିଆ ବାହିନୀ 
ଦେଶରେ କଉଡ଼ି କଲେ ଅଚଳ 
ଦିନକେ ଓଡ଼ିଆ ହେଲା କାଙ୍ଗାଳ  ।

ଉତ୍କଳ ମୁକୁଟ ବାରବାଟୀ ଦୁର୍ଗ 
ତା ମଧ୍ୟେ ଶୋଭା ନବତଳପ୍ରାସାଦ 
ଭାଙ୍ଗି ଇଂରେଜ କଲେ ବାଟ ଘାଟ 
ଓଡ଼ିଆ ହୃଦୟେ  ବସିଲା ଛାଟ  ।

ଶତ ଶତ ବାର ଶ୍ରୀକ୍ଷେତ୍ର ଆକ୍ରମ 
ସହାୟତା କଲେ କିଛି ନରାଧମ 
ବକ୍ସି ବାଜି ବିର୍ସା ହୋଇଲେ ନିଧନ 
ସେଇକାଳୁ ସୁପ୍ତ  ଉଡ଼୍ର ସ୍ବାଭିମାନ । 

ଛାଡ଼ି ରଣନୀତି ଆପଣା ସାଧନ 
ଜାତୀୟ କର୍ମରୁ ହଟିଲା ମନ
ଖଡ୍ଗହସ୍ତେ ଶୋଭା ଝାଞ୍ଜ କୀର୍ତ୍ତନ 
ହଜିଗଲା ହୃଦୁ ମାନ-ସନମାନ  ।

ହଜାଇ ସଂସ୍କୃତି ସଂସ୍କାର ମାନ 
ମଠ-ମନ୍ଦିରେ ରଙ୍ଗଶାଳା ସ୍ଥାପନ 
ଦେଖି କୀର୍ତ୍ତି ପିତା ହୋଇ ବିମନ 
ନାନା ପରକାରେ ଖଞ୍ଜନ୍ତି କଷଣ ।

କାଞ୍ଚି ପରାଜିତେ ଜଗନ୍ନାଥ ହାତ 
ଭୁଲି ଗଲ କିବା ହେଇ ହତ ଚିତ୍ତ 
ଜାତୀୟତା ଘେନି ପୁରୁଷୋତ୍ତମ 
ହସ୍ତେ ଝାଡୁ କରି ଜଗତ ମହାନ ।

ଐର ଖାରବେଳ କୀର୍ତ୍ତି ପାରିଜାତ 
କେ ସରି ହୋଇବ ଅଛି କା ସାମର୍ଥ୍ୟ 
ସେଇ ଜାତି ଆଜି ହୋଇଛି ସୁପ୍ତ 
ଉତ୍କଳ ଭାଗ୍ୟରେ ସତେ ଦୁର୍ଭାଗ୍ୟ । 

ଉଠ ଭାତୃଗଣ ଖୋଲି ଚକ୍ଷୁ ମୁଦ 
ସଙ୍କଟେ ଭାଷା ଜନନୀକୁ ଦେଖ 
ବାତ୍ୟା ମନ୍ତ୍ର ଘେନି ପ୍ରକୃତି ମାତା
ଥରକୁ ଥର କରେ ଅଭିମନ୍ତ୍ରିତା ।

ଉଠି ଦେଖ ତବ ଅପବ୍ଯବସ୍ଥା 
ଆଶାୟୀ ଜନନୀ କରିଛି ଆସ୍ଥା 
ଜାତୀୟତା ଭାବେ ବିଚାର ଘେନ
ପ୍ରକୃତି ମାତାଙ୍କ ଏ ଯୁଦ୍ଧ ଆହ୍ବାନ ।
    ~~~~~୦~~~~
  ✍ ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ

-:ଶବ୍ଦାର୍ଥ:- 
🟤ନିମଗ୍ନା—(ନି+ମସଜ୍ ଧାତୁ = ବୁଡି଼ବା+କର୍ତ୍ତୃ. ତ+ଆ)
(କ) ବୁଡ଼ିଯାଇ ଥିବା
(ଖ)ଅନ୍ତଃପ୍ରବିଷ୍ଟା
(ଗ) ଏକାଗ୍ରଭାବରେ ନିବିଷ୍ଟ; ତନ୍ମୟ

 🟤ମାଥ—(ମଥ୍ ଧାତୁ = ମନ୍ଥନ କରିବା; ବଧ କରିବା+ଭାବ. ଅ)
 
(କ)ମନ୍ଥନ; ବିଲୋଡ଼ନ
(ଖ)ବଧ
(ଗ)ବ୍ଯଥା
(ଘ)ପଥ; ମାର୍ଗ

କିନ୍ତୁ ଏଠାରେ ଓଡ଼ିଆ ମସ୍ତକ; ମୁଣ୍ଡ; ମଥା ଅର୍ଥଜ ମାଥ ଶବ୍ଦ ଦେଶଜ ଓଡ଼ିଆ ଭାବେ ବ୍ୟବହାର ହୋଇଛି ‌ 

🟤ଛାଟ
(କ)ଚାବୁକ
(ଖ)ଛୋଟ ସରୁ ଯଷ୍ଟି
(ଗ)ଚାବୁକ ବା ଛାଟଦ୍ବାରା ପ୍ରହାର
 
🟤ଆକ୍ରମ —(ଆ+କ୍ରମ ଧାତୁ+ଭାବ. ଅ)
(କ)ନିକଟକୁ ଆସିବା
(ଖ)ଚଢ଼ାଉ କରିବା; ଅନ୍ୟ ବ୍ୟକ୍ତି ଉପରେ ବଳପୁର୍ବକ ପଡ଼ିବା ବା ଅଧିକାର କରିବା— 
(ଗ) ଅଧିକାର କରିବା
(ଘ)ନେବା; ବଳପୂର୍ବକ ନେବା
(ଙ)ବଳିବା
(ଚ)ଅତିରିକ୍ତ ବୋଝେଇ କରିବା
(ଛ)ବଳ
(ଜ)ବିକ୍ରମ
(ଝ)ଅତିକ୍ରମଣ
(ଞ)ପରାସ୍ତ କରିବା
(ଟ)ନିନ୍ଦା; ଆକ୍ରୋଶ
(ଠ)ରୋଗ ଘୋଟିବା

🟤ରଙ୍ଗଶାଳା
(କ)ନାଟ୍ୟଶାଳା
(ଖ)ନାଚଖାନା

🟤ମୁଦ
(କ)ଆନନ୍ଦ
(ଖ)ଚିଠି ଚାବି ବା ବାକ୍ସ ବନ୍ଦ କରି ତହିଁ ଉପରେ ଦିଆଯିବା ମୋହର ଛାପ
(ଖ)ମୋହର ମରା ଯାଇ ବନ୍ଦ ହୋଇ ଥିବା ଚିଠି
 (ଉ—ମୁଦ ଲଭି ମୁଦକୁ ରୋନିଲା କାନ୍ତି କରେ—ଭଞ୍ଜ)
 
(ଘ)ମୁଦ୍ରିତ କରିବା
(ଉ— ଦମୟନ୍ତୀ ନୟନ କଲା ମୁଦ—କୃଷ୍ଣସିଂହ ମହାଭାରତ. ବନପର୍ବ)

ଏଠାରେ ମୁଦ ଶବ୍ଦ ମୁଦ୍ରିତ କରିବା ବା ବନ୍ଦ ହେବା ଅର୍ଥରେ ବ୍ୟବହାର କରାଯାଇଛି ।

Wednesday, April 13, 2022

● ଦରଦ ●

ଅପେକ୍ଷାର ଦରଦ
◆●◆●◆●◆

ମୁଁ ଆଉ ସହି ପାରୁନି  ଏ ବିରହ ଯନ୍ତ୍ରଣା
ନାହିଁ ଆଉ ମୋର  ସାମର୍ଥ୍ୟ
ତୁମ ଅନୁପସ୍ଥିତିର ଜ୍ଵଳା ସହି ସହି
ମୁଁ ଏବେ ଅଣ ନିଶ୍ୱାସୀ ହୋଇ ସାରିଲିଣି 
ଜୀବନ ହେଲାଣି କଦର୍ଯ୍ୟ !!

ତୁମେ ମୋତେ ଭୁଲ୍ ବୁଝୁଛ
ମୁଁ ଜାଣେ ତୁମେ ଅଭିମାନିନୀ
ହେଲେ ବିଶ୍ୱାସକର ମୁଁ ଦୁଃଖିତ
ମୋ ଅତୀତର ଭୁଲ୍ ପାଇଁ
ମୁଁ ଏବେ ଅନୁତପ୍ତ !!!

ଅଜାଣନ୍ତେ ତୁମକୁ ଦେଇଛି ଦୁଃଖ, କଷ୍ଟ 
ଜାଣେ  ସେସବୁ ସହିବା ନୁହଁଇ ସହଜ 
ମାନୁଛି ତୁମକୁ କରିଛି ହୀନସ୍ଥା 
ହେଲେ ,,,
ତା' ଅନ୍ତରରୁ ନୁହେଁ, ଉପରେ ମନରେ
ବିଶ୍ୱାସ କର ମୋତେ ଏକଥା ହିଁ  ସତ

ତୁମକୁ କେବେ ଖରାପ ଭାବିହିଁ ପାରେନି
କାହିଁକି ନା ତୁମେ ମୋତେ ବହୁତ ଭଲଲାଗ
ତୁମେ ମୋଠାରୁ ଦୂରରେ ଥିଲେ ବି
ଅତି ଆପଣାର ଆଉ ନିଜର ଲାଗ
ସତରେ ଅଳ୍ପରେ ହେଲେବି ତୁମେ ମୋ ମିତ !!!

ଯଦି ତୁମେ ମୋତେ ଭାବୁଥିଲ ବନ୍ଧୁ
କର୍ତ୍ତବ୍ୟ କି ନୁହଁ ତୁମ ,
ସୁଧାରିବା ବନ୍ଧୁର ଭୁଲକୁ !!
ହୁଏତ ତୁମେ କ'ଣ କରିବ ତା' ତୁମେ ଜାଣିଥିବ
କିନ୍ତୁ ମନେ ରଖ ତୁମ ପରି ମୁଁ ନୁହେଁ,
ମୁଁ ତୁମ ଅପେକ୍ଷାରେ ସବୁ ଦରଦ ସହୁଥିବି !!!


ସୁଶୀଲ୍ କୁମାର ଭୋଇ, ଭୁବନେଶ୍ୱର-୨
୬୩୭୧୭୭୭୮୭୬

Wednesday, March 30, 2022

ସମର୍ପଣ (topic - 120 ଗୋମାତା) quote #quot



“ଓଁ ନାରାୟଣାୟ ଵିଦମହେ ବାସୁଦେବାୟ ଧୀମହୀ ତନ୍ନୋ ଗୌଃ ପ୍ରଚୋଦୟାତ୍” ॥

ଗୋମାତା‐ 120

ଆରମ୍ଭେ ଅବନୀ ଗୋମାତା ସୃଜନୀ
       ଆଦିମାତା  ପରେ ପରେ
ପୁରାଣୁ ପୁରୁଣା ନିହାତି ନିଖୁଣା
       ପୂଜନୀୟା ପୃଥିପରେ
 ଅଟେ ଅପରୂପା ତାଳୁରୁ ତଳିପା 
      ସର୍ବ ଦେବା ଦେବୀ ବାସ
ଅମୃତି ଦାୟିନୀ ପ୍ଲାବିତେ ପାବନୀ
      ଅବର୍ଣ୍ଣନୀୟ ତା' ଯଶ
                -  ଦାଶରଥି ସାହୁ

ସର୍ବ ଦେବା ଦେବୀ ସର୍ବାଙ୍ଗରେ ଥାଇ 
      ରହିଛି ଯାର ଆଦର 
ହିନ୍ଦୁଙ୍କ ଶାସ୍ତ୍ରରେ ଗୋମାତ ନାମରେ 
       ପୂଜା ପାଏ ଘର ଘର 
ମଳ ,ମୁତ୍ର ,ଦୁଗ୍ଧ ଅମୂଲ୍ୟ ସମ୍ପଦ
      ସର୍ବ କାର୍ଯ୍ୟେ ଉପଯୋଗ 
ତେଣୁ ଗୋସୁରକ୍ଷା ଆବଶ୍ୟକ ଆଜି 
        ସନାତନ ଧର୍ମୀ ଜାଗ 
                  - ପ୍ରବୀର ମଲ୍ଲିକ୍

ଯୁଗେ ଯୁଗେ ଆର୍ଯ୍ୟଭୂମି ଗାଉ ଅଛି ଗାଥା 
ଗୋଧନ ଐଶୁର୍ଯ୍ୟ ଗୋମାତା ହିଁ  ସର୍ବପୂଜ୍ୟା 
ଗୋରସ,ଗୋମୟ ,ଗୋମୁତ୍ର ଔଷଧରେ ପୂର୍ଣ୍ଣ 
ସମୁଦ୍ର ମନ୍ଥନୁ ଥିଲା ଗୋମାତାଙ୍କ ଜନ୍ମ 
ବାବର ହୁମାନ୍ ଆକବର ଆଦି ବିଧର୍ମା 
ନ୍ୟାୟ ମନେ ଚିନ୍ତି ଥିଲେ ଗୋମାତା ସୁରକ୍ଷା 
ସ୍ବାର୍ଥ ଘେନି ସନାତନୀ ହୁଅନି ବିମୁଖ 
ଗୋମାତା ସୁରକ୍ଷା କର ଜୀବନର ବ୍ରତ
         - ସନ୍ତୋଷ ପଟ୍ଟନାୟକ

ଗାଈ ଅଟଇ  ଆମ ଗୋମାତା
    ନାହିଁ କିଏ ତା' ପରି
ସାଙ୍ଗରେ ତା'ର ଟିକି ବାଛୁରୀ
     ସୁନ୍ଦର ଦିଶେ ଭାରି  
ଛୁଆକୁ ଦେଖି  ଜିଭରେ ଚାଟେ
      ହୃଦୟେ ଭରି ଖୁସି
ପଶୁ ହେଲେ ବି ସ୍ନେହ ମମତା
    ତା' ଠାରେ ଥାଏ ବେଶି 
           - ରାମ ଚନ୍ଦ୍ର ପ୍ରଧାନ

ଅଖଣ୍ଡ ଭାରତ ମୁନିଋଷି ତୀର୍ଥ 
    ଗୋମୟରେ ଲିପା ହୋଇ 
କି ସୁନ୍ଦର ଆହା ଦିଶୁଥିଲା ସତେ 
      ଅତୀତ ଦେଉଛି କହି 
ମାନବ ସନ୍ତାନ ବଞ୍ଚିବା ନିମନ୍ତେ 
     ହୃଦୟରେ ପ୍ରେମ ନେଇ 
ଗୋମାତା ଦୁଗ୍ଧ ଦେଉଅଛି ସଦା 
     ମାନବ କଲ୍ୟାଣ ଚାହିଁ 
              - ଟୁକୁନା ସାହୁ

କାମଧେନୁ ପୁତ୍ରୀ ଅଟଇ ଶୁଶୀଳା
   ଦିବ୍ୟ ଦେବାଂଶୀ ଗୋମାତା 
ମର୍ତ୍ଯମଣ୍ତଳେ ଯମଦଗ୍ନି ଗୋକୁଳେ
    ଉପହାର ଦେଲେ ବିଧାତା 
ଶୁଦ୍ଧ କାମନାରେ ଆତ୍ମାରୁ ସ୍ମରିଲେ
       ମନ ଜାଣି ବସ୍ତୁ ମିଳେ 
ମାଆ ପରି ଯାର ହୃଦୟ କୋମଳ
      କଳିରେ ମାରନ୍ତି ଛଳେ 
          - ରାଧା କୃଷ୍ଣ ବାୟକ

ମାଆ ପରେ ତୁହି ମାଆଟେ ପରାଲୋ
       କରାଇ ତୋ କ୍ଷୀର ପାନ
ଯୁଗ ଯୁଗରୁ ତୁ   ଦେଇ ଚାଲିଅଛୁ
      ଅମୂଲ୍ଯ ମୂଲ ତୋ ଦାନ
ତିନି ପୁରେ ହୁଏ ତୋହରି ଆଦର
      ପୂଜା ପାଇ ଧରାଧାମେ
  ନିସ୍ବାର୍ଥୀ ନିର୍ମଳ ହୃଦ୍ ତୋ କୋମଳ
       ବୋଲାଉ ଗୋମାତା ନାମେ...
                 -  ରବିନ୍ଦ୍ର ସାହୁ

ବସୁମାତା ଆଉ  ଗର୍ଭଧାରଣୀ ମା
    ଗୋମାତା ଓ ଠାକୁରାଣୀ 
ଏ ଚାରି ମାତାଙ୍କ ସନ୍ତାନ ଯେ ଆମେ 
       ସଂସାର ବିଧାନ ଭଣି 
ସମାଜ ହିତରେ   ଏଧରା ପୃଷ୍ଟରେ
     ଅଟଇ ଗୋମାତା  ଜନ୍ମ
ପଞ୍ଚାମୃତ ପାଇଁ    ଦିଅଇ ଆମକୁ
        ସ୍ବ ଅରଜନର ଧନ
କ୍ଷୀର ଦହି ମାନ କରଇ ସେ ଦାନ 
    ତାସହ ଗୋମୟ ଗୋମୁତ୍ର
ଗୋମୟରେ ପୁଣି  ଲିପା ହେବା ସ୍ଥାନ 
       ଅଟେ ଗଙ୍ଗାଠୁ ପବିତ୍ର
                 -  ଜଗବନ୍ଧୁ ସାହୁ

Friday, March 11, 2022

■ ପ୍ରମୁଖ ଚରିତ୍ର ■

ସ୍ରଷ୍ଟାଙ୍କ ସୃଷ୍ଟିରେ ବିଶ୍ୱାସ ବୃଷ୍ଟିରେ
         ପ୍ରମୁଖ ଚରିତ୍ର ଯୋଡା
କେଉଁଟି ସୁପଥ ଜୀବନ ଜାଗ୍ରତ
        କେଉଁ ଗୋଟି ଅସଜଡା
ଅସଜଡା ମନ ନିରାଶେ ନିମଗ୍ନ
      ଧାଁ ଦଉଡ଼ ଜୀବନରେ
ପରଖିବା ଆସ କିଏ ଓଠେ ହସ
      ଏକବିଂଶ ଶତାବ୍ବୀରେ
ଶତାବ୍ବୀର ସ୍ଥିତି ନିରବେ ନିଇତି
      ନୟନୁ ନିଗାଡ଼େ ନୀର
କାଚ କାଞ୍ଚନର ଏ ରଣ ହୁଙ୍କାର
     ଧର୍ମେ ମାରେ ଆଖି ଠାର
କିଏ ବେଦରଦି ସୁଖର ସମ୍ବନ୍ଧି
         ସମୟର ସାରଣୀରେ
କିଏ ତ୍ୟାଗି ଭୋଗି କିଏ ଅନୁରାଗି
         ମାଟି ବଇକୁଣ୍ଠ ପୁରେ   
ଭାଇର ଭରଷା ଅମୃତ ପରସା
      କାଳ୍ପନିକ କଳିକାଳେ
ମମତା ମୂହାଣି ସୁଭଦ୍ରା ଭଉଣୀ
      ଭାଳେଣି ଏ ଭୂମଣ୍ତଳେ
ପତ୍ନୀ ପରାକାଷ୍ଟା ସ୍ୱାର୍ଥରେ ସଂଶ୍ଳିଷ୍ଟା
       ଏ ସୀତା ସାବିତ୍ରୀ ଦେଶେ
   ନୁହଁ ଅନୁଗାମୀ ଆଦର୍ଶକୁ ଚୁମି
          ଅନ୍ତର୍ଦାହ ଅବକାଶେ
ପୁଅ ଅବା ଝିଅ ନିଆରା ନିର୍ଣ୍ଣୟ
       ରକତ ରୀତିରେ ରଞ୍ଜା
ନାହିଁ ଦାନା କନା ବିଷାଦ ବଇନା
     ପ୍ରତାରଣେ ପୁଳେ ପଞ୍ଝା
ବନ୍ଧୁ ଶବ୍ଦଟିଏ ସମ୍ପର୍କର ଖିଏ
      ଦ୍ୱାପର ଦାଣ୍ତରେ ଦିଶେ
ଏଠି ବ୍ୟବସାୟ ବନ୍ଧୁତା ବିଷୟ
    କର୍ତ୍ତବ୍ୟ କୋହୋଳ କ୍ଳେଶେ
କ୍ଳେଶକୁ ଆବୋରି ଯୋଗାନ୍ତି ଜରୁରୀ
        ଜଗତରେ ଯିଏ ଜାଣ
ଆହା ବାପା ମାଆ ହିଲ୍ଲୋଳର ହିଆ
       ସ୍ରଷ୍ଟାଙ୍କ ଭିନ୍ନ ଭିଆଣ
ବାପା ବାଞ୍ଛା ବଟ ମାଆ ହସ ହାଟ
         ତେଲ ଲୁଣର ସଂସାରେ
ଏହା ହିଁ ନିଚ୍ଛକ ବିଶ୍ୱେ ବେଦ ବାକ୍ୟ
      ଲେଖ ହୃଦ ହସ୍ତାକ୍ଷରେ
             
✍   ଦାଶରଥି ସାହୁ କଳମ୍ବ/ଗଞ୍ଜାମ

Thursday, February 24, 2022

ସମର୍ପଣ (topic - 119 ବିହଙ୍ଗ ବିପ୍ଳବ ) quote #quot

ମଣିଷ ହେଲାଣି ଚିନ୍ତାର କାରଣ 
ଧରାରୁ ଲିଭୁଚି କେତେ ଜାତି ପ୍ରାଣ 
ଦିନୁ-ଦିନ କ୍ଷୟ ଦେଖି ପକ୍ଷୀକୂଳ 
ପକ୍ଷୀରାଜ ନିଶ୍ଚେ ଥିବେ ମ୍ରିୟମାଣ 
କରିବେକି ଆଉ ବିହଙ୍ଗେ ବିପ୍ଳବ 
ଘେନି ଦଳ-ବଳ ଝିଙ୍ଗାସର ରବ 
ଚିନ୍ତାମଣି ଚିନ୍ତ ଯଦି ଏ ସମ୍ଭବ 
ନଥିବ ଧରାରେ ମଣିଷର ଦମ୍ଭ
           - ସନ୍ତୋଷ ପଟ୍ଟନାୟକ

ସଂଘର୍ଷ ରତ   ବିହଙ୍ଗ କୁଳ 
     ଜୀବନ ଦୁର୍ବିସହ 
ମାନବ କର୍ମ    କଷଣ ଦିଏ 
      ତଥାପି ନିରୁପାୟ । 
ଆସିବ ଦିନ     ହଜିବ ଚିହ୍ନ 
     ସନ୍ଦେହ ତିଳେ ନାହିଁ 
ବିହଙ୍ଗ ପାଇଁ     କିଞ୍ଚିତ ଚିନ୍ତା 
      କର ମାନବ ଭାଇ । 
ନହେଲେ ଦିନେ    ଉଠିବ ମଥା 
     ବିପ୍ଳବୀ ହେବେ ପକ୍ଷୀ 
ମାନବ ସତ୍ତା    ହଜାଇ ଦେବେ 
      ପାରିବନି କେ ରଖି  ।
                  - ଟୁକୁନା ସାହୁ

ବିପଥଗାମୀ ଏ  ମଣିଷ ସମାଜ
     ଟେକ୍ନୋଲଜି ଆଢୁଆଳେ
ବିପଦ ଘେରରେ ବିହଙ୍ଗ ପ୍ରଜାତି 
       ମଣିଷର ସ୍ବାର୍ଥ ଜ୍ବାଳେ 
ସବୁରି ଜୀବନ  ଅମୂଲ୍ୟ ସମ୍ପନ୍ଦ 
      ଏଇ ଧରଣୀର କୋଳେ
  ଯଦିଓ ବିହଙ୍ଗ  ଆଣନ୍ତି ବିପ୍ଳବ
       ଭୋଗିବା କଷ୍ଟ ସକଳେ 
                - ଜଗବନ୍ଧୁ ସାହୁ

ଭବ୍ୟେ ଆତଯାତ ସକଳ ଜଗତ
      ପଶୁ ପଷୀ କୀଟ ତରୁ
ତୋ ମନ ମସ୍ତିଷ୍କ  ଜଣାରେ ଉତ୍କୃଷ୍ଟ
    ବଡ ନୁହଁ ସ୍ରଷ୍ଟା ଠାରୁ
ବାହାନ ବୋଲାଇ ବଧନ୍ତିନି ବିହି
        ଧରାରେ ଧିକ ଦରବ
ନୁହଁଇ କଳ୍ପନା ବାସ୍ତବ ବଇନା
       ଦିନେ ବିହଙ୍ଗ ବିପ୍ଲବ
              - ଦାଶରଥି ସାହୁ

ପ୍ରକୃତି କୋଳରେ ବିହଙ୍ଗ ବିପ୍ଳବ
ପରିବର୍ତ୍ତନର ସ୍ବର
କିନ୍ତୁ ମନେରଖ  ହେଲେ ସେ' ବିପ୍ଳବ
ଧରା ହେବ ଛାରଖାର 
ତେଣୁ ସାବଧାନ ହୋଇଯାଅ ସର୍ବେ
ଆପଣା ସ୍ୱାର୍ଥକୁ ତେଜି
ନ ହୋଇ ନିଷ୍ଠୁର ହୁଅ ଯତ୍ନବାନ
ବିହଙ୍ଗ ପ୍ରେମରେ ହଜି 
          - ରାମ ଚନ୍ଦ୍ର ପ୍ରଧାନ

ଶହେରୁ ଶତକଡ଼ା ନବେ ଅଧର୍ମୀ
      ନିଷ୍ଠୁର ମଣିଷ ଜାତି 
ପରିବେଶ ସନ୍ତୁଳନ ବିଗାଡ଼ିଲେ
     ବନାନୀ ଗଲାଣି ତାତି 
ଦୁରସଞ୍ଚାର ସେ ଅଦୃଶ୍ଯ ଦାନବ
      ବୁଲୁଅଛି ଘିରି ଘିରି 
ବିଲୁପ୍ତ ହେଲେଣି ନାନା ଜାତି ପକ୍ଷୀ
     ସଂସାରୁ ଗଲେଣି ତରି 
ମଣିଷ ରଚିଛି ଚକ୍ରବିହ୍ବ ଦେଖ
      ଆପଣା ସୁଖ ଆଦରି 
ବିହଙ୍ଗ ବିପ୍ଳବ ହବକି ସଫଳ !
     ଅକାରଣେ ଯିବେ ମରି ....
                ‐ ରାଧା କୃଷ୍ଣ ବାୟକ

ମାନବ ପାଇଁକା ବିହଙ୍ଗଙ୍କ ଲୋପ
       ଏକଥା ଭଲରେ ଜାଣ
  ସୁଖ ସଉଖିନେ ଜୀଇଁବ ବୋଲିକା
         ନେଉଥାଏ ତାଙ୍କ ପ୍ରାଣ
ଆଧୁନିକ ଚିଜ     ବ୍ୟବହାର କରି
         ବାଢାଏ ସେ ପ୍ରଦୂଷଣ
 ଗଛ କାଟି ପୁଣି ବାସ ହରେ ତାଙ୍କ
         ଦାଉ ସାଜେ ପ୍ରତିକ୍ଷଣ
ଆସିବ ସେ ଦିନ ଦେଖିବ ଏ ଜନ
       ବିହଙ୍ଗେ ହୋଇବେ ମେଳି
 ମାନବ ବିରୁଦ୍ଧେ ସଂଗ୍ରାମ ରଚିବେ
        ସମଗ୍ର ବିଶ୍ବକୁ ଜାଳି ....
                    - ରବିନ୍ଦ୍ର ସାହୁ

ଶୁଷ୍କ ମଟାଳର ଥୁଣ୍ଟା ଗଛ ଡାଳେ 
    ତେଜିବ ବିହଙ୍ଗ ମେଳି 
କିଚିରି ମିଚିରି ଆତ୍ମା ଚିତ୍କାରରେ 
     ବିହଙ୍ଗ ଯେ ବାହୁବଳୀ 
ସ୍ୱାର୍ଥପର ଏଇ ମଣିଷ ଦେଖିବ
     ଦିନେ ବିହଙ୍ଗ ବିପ୍ଳବ 
ବିପର୍ଯ୍ୟସ୍ତ ପଥେ ବିହଙ୍ଗଙ୍କ ବଂଶ
     ଚେତନା ହୁଅ ମାନବ
             - ପ୍ରବୀର ମଲ୍ଲିକ୍

Sunday, February 20, 2022

■ ହନୁମାନଙ୍କ ରାମାୟଣ ■

ହନୁମାନଙ୍କ ରାମାୟଣ 
==============
ମହର୍ଷି ବାଲ୍ମୀକି ଲେଖିସାରି 'ରାମାୟଣ' 
ଦେବର୍ଷି ନାରଦଙ୍କୁ ପଢ଼ାଇଲେ ସେ ପୁଣ 
ପଢିସାରି ନାରଦ ତ ରଖିଲେ ମନ୍ତବ୍ୟ:
"ଭଲ, କିନ୍ତୁ ବେଶୀ ଭଲ 'ମାରୁତି'ଙ୍କ କାବ୍ୟ" ll

ନାରଦଙ୍କ ବାକ୍ୟ ଶୁଣି ବାଲ୍ମୀକି ଚକିତ 
ହନୁମାନ ଲେଖିଛନ୍ତି ରାମାୟଣ, ସତ? 
ସ୍ଥିର କଲେ: ମାରୁତିଙ୍କୁ ଭେଟିବେ ସତ୍ୱର 
ଜାଣିବେ ତାଙ୍କର ଲେଖା କେତେ ମନୋହର ll

କଦଳୀ ବଣରେ ହନୁମାନ ଧ୍ୟାନରତ 
ମହର୍ଷି ବାଲ୍ମୀକି ସେଠି ପହଞ୍ଚିଗଲେ ତ 
ଧ୍ୟାନ ବଳେ ଜାଣିପାରି ଋଷି ଆଗମନ 
ଖୋଲିଲେ ନୟନ ରାମଭକ୍ତ ହନୁମାନ ll

ଅଧୈର୍ଯ୍ୟ ବାଲ୍ମୀକି କଲେ ତାଙ୍କୁ ଅନୁରୋଧ 
ତମ ରାମାୟଣ ପଢି ମନ ହେବ ବୋଧ 
ଦିଆଗଲା ତାଙ୍କୁ ସାତଟି କଦଳୀ ପତ୍ର 
ହନୁମାନ ରଚିତ ରାମାୟଣ ଏକତ୍ର ll

ଆମୂଳଚୂଳ ପଢି ବାଲ୍ମୀକି ହେଲେ ପ୍ରୀତ 
ଭାଷା ଶୈଳୀ ବର୍ଣ୍ଣନାରେ ହେଲେ ଅଭିଭୂତ 
ଆମାନିଆ ଲୋତକ ତାଙ୍କ ପଡିଲା ଝରି 
ଏହା ଦେଖି ହନୁମାନ ଗଲେ କ୍ଷଣେ ଡରି ll

ହେ ମୁନିଶ୍ରେଷ୍ଠ, ଲେଖା କଣ ଏତେ ନିକୃଷ୍ଟ 
ଆପଣଙ୍କ କ୍ରନ୍ଦନରେ ମନ ହୁଏ କଷ୍ଟ 
ଦୟାକରି ଭୁଲ ତ୍ରୁଟି ଦିଅନ୍ତୁ ବୁଝାଇ 
ସଂଶୋଧନ କରିବି ମୁଁ, ମୋ ପ୍ରଭୁଙ୍କ ପାଇଁ ll

ଲୁହ ଭିଜା ନୟନରେ କହନ୍ତି ବାଲ୍ମୀକି 
ସାତଟି କଦଳୀ ପତ୍ରେ ମନ ଯାଏ ଲାଖି 
ଏତେ ବଡ଼ କାବ୍ୟ ଲେଖି, ମୋଟା ମୋର ପୋଥି 
ସାତପତ୍ରୀ ରାମାୟଣ ବହୁମୂଲ୍ୟ ନଥି ll

ଏବେ ଶୁଣ ମୋ ଅଶ୍ରୁର ପ୍ରକୃତ କାରଣ 
ତମ ଲେଖା ପଢି, ବାଲ୍ମୀକି ତ ଅକାରଣ 
କେହି ପଢ଼ିବେନି ଆଉ ମୋର ରାମାୟଣ 
ଅଲୋଡ଼ା ହୋଇ ମୁଁ ନିଶ୍ଚେ ବରିବି ମରଣ ll

ସବୁ ଶୁଣି ହନୁମାନ ହେଲେ ବିଚଳିତ 
ନିମିଷକେ ସବୁ ଲେଖା ଚିରିଦେଲେ ସେ ତ 
କହିଲେ: କରନାହିଁ ଚିନ୍ତା ହେ ମୁନିବର 
ବାଲ୍ମୀକି ରାମାୟଣର ନାହିଁ ପଟାନ୍ତର ll

ମାରୁତିଙ୍କ କର୍ମ ଦେଖି ବାଲ୍ମୀକି ତ ସ୍ତବ୍ଧ 
କାହିଁକି ଏମିତି କଲ, କପି ସ୍ୱୟଂସିଦ୍ଧ 
ମାରୁତି କହନ୍ତି: ବିଶ୍ୱ ପ୍ରସିଦ୍ଧ ବାଲ୍ମୀକି 
ତାଙ୍କ ଗ୍ରନ୍ଥ ପଢିବାକୁ ବସିଛନ୍ତି ଟାକି ll

ମୋ ସାତ ପୃଷ୍ଠା ଥିଲା ଖାଲି ପ୍ରଭୁଙ୍କ ପାଇଁ 
ସେଇ ମୋର ହୃଦୟର ଏକମାତ୍ର ସାଇଁ 
ଶୟନେ ସ୍ବପନେ ଜାଗରଣେ ତାଙ୍କ ଛବି 
ଅଙ୍କା ମୋର ହୃଦେ: ଭକ୍ତ ମୁଁ, ନୁହେଁ ତ କଵି! ll

ଲଜ୍ଜିତ ବାଲ୍ମୀକି କଲେ ଆତ୍ମ ନୀରିକ୍ଷଣ 
'ପ୍ରଶସ୍ତି-ପ୍ରଶଂସା' ତାଙ୍କ ଲେଖାର କାରଣ 
ହୋଇପାରେ 'ରାମଗାଥା' ତାଙ୍କ ରାମାୟଣ 
ତଥାପି ପ୍ରଚ୍ଛନ୍ନ 'ବାଲ୍ମୀକିଙ୍କ ଅଭିମାନ' ll

ମାରୁତିଙ୍କ ହୃଦୟରେ ଶୁଦ୍ଧ ପ୍ରେମ ଭକ୍ତି 
ସେବା ତ୍ୟାଗ ସମର୍ପଣର ଅପୂର୍ବ ଶକ୍ତି 
ରାମାୟଣ ଗ୍ରନ୍ଥ ଠୁଁ ବି ବଡ଼ ରାମ ନାମ 
ଦିନରାତି ଜପୁଥିଲେ ଦିଶେ ସ୍ୱର୍ଗଧାମ ll

ଏହା ଅଲିଖିତ ପ୍ରେମ ଭକ୍ତିର କାହାଣୀ 
'ହନୁମାନ-ରାମାୟଣ' କିଏ ଅଛି ଜାଣି? 
ବହୁଳ ଆଦୃତ ବାଲ୍ମୀକିଙ୍କ ରାମାୟଣ 
ରାମ ଜପି ହନୁମାନ ମୁଗ୍ଧ ପ୍ରତି କ୍ଷଣ ll
=========================
✍ ପ୍ରମୋଦ କୁମାର ମହାନ୍ତି 

Friday, February 11, 2022

■ ଜରା ନିବାସରେ ଜୀବନ ■

        { ଯୁବ କବି ;  ✍ ଦାଶରଥି ସାହୁ ,କଳମ୍ବ/ଗଞ୍ଜାମ }

ଏକବିଂଶେ ହଡା ବୃଦ୍ଧାଶ୍ରମ ବେଢା
       ଅଣଦେଖାଙ୍କ ଆସର
ପୃଥିପରେ ପାପ ନା ଏ ପୂଣ୍ଯ ଛାପ
       ଆଶ୍ଚର୍ଯ୍ୟ କି ଅବାନ୍ତର
ବେଦରେ ବିଧାତ ବର୍ଣ୍ଣିଛକି ବ୍ୟଥା
     ପୌରାଣିକେ ପୃଷ୍ଠଭୂମି
ବୃଦ୍ଧାଶ୍ରମ ଶବ୍ଦ ବାତ୍ସଲ୍ୟ ବିଛେଦ 
     ଆନ୍ତରିକତା ଅକାମି
ଏ କି ଶ୍ରମ ମୂଲ୍ୟ ବିକଳ ବାହୁଲ୍ୟ
         ପରିଣତ ବୟସରେ
ଅମୃତର ଧାରା ଲୁହ ଲହୁ ଭରା
        ମାନବ ମାୟା ନଗରେ
ଆହା ଦଶମାସି ଉଦର ଆଉଁଷି
     କତରା କୋଳେଇ କାନ୍ଦେ
 ବାପା ବାଞ୍ଛା ବଟ ଏଡେଇ ଆକଟ
          ନିୟତିକୁ ନିତି ନିନ୍ଦେ
ନିନ୍ଦେ ସିନା ବାପ  ଆଦର ଅମାପ
       ଅଭିଶାପ କି ଅଜାଡେ
ବାହୁନେ ମମତା ନିସ୍ୱେ ନିରବତା
         ମଙ୍ଗଳ ମନ୍ତ୍ରର ମୋଡେ
ମୋଡେ ମନମୁଖୀ ମତଲବ ମାଖି
         ସମ୍ପର୍କେ ଦିଏନା ଧ୍ୟାନ
ଭୁଲିଯାଏ ଆହା ନିଜ ବାପା ମାଆ
      ଯନ୍ତ୍ରଣା ଯୋଚି  ଜୀବନ
  ଜୀବନର ସଞ୍ଜ ଯଦି ଦହଗଞ୍ଜ
      ଅପରାହ୍ଣ ଆପଣାଅ
ବାତ୍ସଲ୍ୟ ବନ୍ଧନ ବାର୍ଦ୍ଧକ୍ୟେ ବିଜନ
      ପ୍ରାଣ ପ୍ରଦୀପ ଲିଭାଅ
 ଲିଭାଅ ଇଶ୍ୱର  ଶାଶ୍ୱତ ସ୍ୱାକ୍ଷର
      ମାଟିଠୁ ମହାନ ମାଆ
ବାପା କାଳେ ସ୍ୱର୍ଗ ମିଛେ ମହରଗ
       ଏକବିଂଶେ ଯୋଡ଼ ନୂଆ
ନୂଆ କରି ରଚ ହେ ହୃଦୟି ସ୍ୱଚ୍ଛ
      ସଂସାରର ସମ୍ବିଧାନ
ବାକ୍ଯ ବୃଦ୍ଧାଶ୍ରମ ବିଶ୍ୱରୁ ବିରାମ
        ଶେଷ ଅଳି ଭଗବାନ ..... 🙏
             

Sunday, February 6, 2022

■ ମା' ସରସ୍ବତୀ ■

ମାଆ ସରସ୍ଵତୀ
          ✍ଉପେନ୍ଦ୍ର କୁମାର ବସ୍ତିଆ
     """"""""""""""""""""""
ସରସ୍ଵତୀ ସରସ୍ଵତୀ ସତ୍ୟ ସନାତନି 
ସାରଳା ସର୍ବ ମଙ୍ଗଳା ଜ୍ଞାନୀ ପ୍ରଦାୟନି
ମହେଶ୍ଵରୀ ମହାମାୟୀ ମହିଷା ମର୍ଦିନୀ 
ଭବାନୀ ଭବନାମୟୀ ଭାରତ ମୋହିନୀ । 

ଦୁର୍ଗତି ନାଶିନୀ ଦୁର୍ଗା ଗୋରଣ ଚଣ୍ଡିକା 
ରୁଦ୍ରାଣୀ ରୁଦ୍ର ମୂରତି ମୋହିନୀ କାଳୀକା 
ମୁଢ଼ାନୀ ଗୋ କାତ୍ୟାୟନୀ ଭୈରବୀ ତୁ ଭିମା 
ମହାମାୟୀ ମହାଲକ୍ଷ୍ମୀ ଗଙ୍ଗା କାଳୀ ଶ୍ୟାମା ।

ନମସ୍ତେ ଶାରଦା ମାଗୋ ନମୋ ଜଗନ୍ମାତା 
ନମସ୍ତେ ନମସ୍ତେ ମାଗୋ ତତ୍ତ୍ଵ ଜ୍ଞାନ ଦାତା 
ନମସ୍ତେ ମାଆ ବୀଣାପାଣି ଶ୍ୱେତ ପଦ୍ମାସନି 
ଶ୍ଵେତ ବସ୍ତ୍ରା ଶ୍ୱେତ ପୁଷ୍ପେ ଶୋଭୁ ଗୋ ଜନନୀ ।

ଚନ୍ଦ୍ର ଜୋତ୍ସା କିଣା ପୁଷ୍ପେ ଟଗର ତରାଟ 
ପ୍ରଶନ୍ନା ବଦନା ମୁଣ୍ଡେ ସୁବର୍ଣ୍ଣ କୀରଟ 
ଝଙ୍କଡେ ରହିଛୁ ମାଗୋ ତୋ ନାମ ସାରଳା 
ଯାଜପୁରେ ବିରଜାଗୋ ମୃତ୍ୟୁ ଦୂର୍ପ ଦଳା 

କାକଟ ପୁରେ ମଙ୍ଗଳା ବାଙ୍କି ଚର୍ଚିକାଇ 
ସମ୍ବଲପୁରେ ରହିଛୁ ମାଗୋ ସମଲାଇ ।
ଝାରଖଣ୍ଡେ ମାଆ ତାରିଣୀ ପତିତପାବନୀ 
କ୍ଷେତ୍ର ରାଜେ ବିମଳା ଗୋ ମଣ୍ଡୁଛୁ ଅବନୀ ।

ଲକ୍ଷ୍ମୀ ରୂପେ ପଡ଼ି ଦେଉ ଶିଖାଉ ଘରଣୀ 
ଦୁର୍ଗା କାଳୀ ରୂପେ ନାଶ କରୁ ଦୁଷ୍ଟ ପୁଣି 
ପ୍ରୁଥୀ ରୂପେ ଖାଦ୍ୟ କରୁ ନିଜେ ଉତପନ 
ସର୍ବ ସହିଣୀ ରୂପେ ଜ୍ଞାନୀ କରେ ମାନ୍ୟ ।

ତୋର କୃପା ଆହରଣେ କବି କାଳିଦାସ 
କଲେ ବାକ୍ୟ ଭାରତରୁ ଥୋଇ ଷଢ଼ରସ 
ଜନନୀ ତୁ ଜନ୍ମଭୂମି ତୋ ଉପମା ତୁହି 
ମାତା ହୋଇ ତୋର କୋଳେ ଖେଳାଉ ଗେହ୍ଲାଇ ।

ରାଉରକେଲା (୯୬୯୨୩୪୧୩୮୮)

Tuesday, February 1, 2022

ସମର୍ପଣ (topic - 118 ଆକାଶଦୀପ ) quote #quot

ଆକାଶଦୀପ - 118 

ନିତି ସନ୍ଧ୍ଯା ବେଳେ ଠେକି ମଧ୍ଯେ ଦୀପ
         ଦିଅନ୍ତି ଯତନେ ରଖି
ହରିବୋଲ  ହରିବୋଲ ଡାକ ଦେଇ
        ଦିଅନ୍ତି ଉପରେ ଟେକି
ଦପ ଦପ ହୋଇ     ଜଳେ ରାତି ସାରା
      ଠେକି ମଧ୍ଯେ ସେଇ ଦୀପ
ସଂସାର ହାଟରେ     କାର୍ତ୍ତିକ ମାସରେ
         ନଆଁ ତା ଆକାଶ ଦୀପ
                   -  ଜଗବନ୍ଧୁ ସାହୁ

କାର୍ତ୍ତିକର କଥା ଉଚ୍ଚେ ଉଲ୍ଲେଖିତା
      ମାସଙ୍କ ମଧ୍ୟରେ ସାର
ପୂଣ୍ୟମୟ ପିଠି କାର୍ତ୍ତିକର ଭେଟି
      ବିହିଙ୍କ ଭିନ୍ନ ବିଚାର
ନିହାତି ନିଆରା ଦୀପ ଦାନ ଧାରା
       ଆକାଶ ଦୀପର ବିଧି
ପିତୃଲୋକ ତୋଷ ଏହା ହିଁ ବିଶେଷ
      କଇଲ୍ୟାଣେ ସର୍ବସିଦ୍ଧି
            -  ଦାଶରଥି ସାହୁ

ବୃନ୍ଦାବତୀ ମୂଳେ ଲମ୍ବା ବାଉଁଶରେ
        ଜଳୁଛି ଆକାଶ ଦୀପ
ଲକ୍ଷ୍ମୀ ନାରାୟଣ ଆବାହନ ପାଇଁ
      ଦୀପ କରେ ଆଲୋକିତ
କାର୍ତ୍ତିକ ମାହାତ୍ମ୍ୟ ମହା ପୁଣ୍ୟ ବ୍ରତ
      ଜଗତ ମଙ୍ଗଳ ଚିନ୍ତି 
ଓଡ଼ିଆ ଜାତିର ଗାଥା ଗୌରବ ଏ
     ପୌରାଣିକ ରୀତି ନୀତି
              -  ପ୍ରବୀର ମଲ୍ଲିକ

ପୁଣ୍ୟ କାର୍ତ୍ତିକରେ ଚଉତରା ମୂଳେ
    ଜଳଇ ଆକାଶ ଦୀପ
ଠେକି ମଧ୍ୟେ ଥାଇ ବଖାଣୁଥାଏ ସେ
     ଧର୍ମୀୟ ପ୍ରଥାର ଗପ l
ଶରଧା ଭକତି ସମର୍ପଣ ଭାବ
     ରଖି ବିଭୁ ପାଦ ତଳେ
ସ୍ୱାତ୍ତିକ ଛୁଁଙ୍କରେ ଶ୍ରଦ୍ଧାଳୁ ଜାଳନ୍ତି
    ଦୀପ ନେଇ ସ୍ୱୟଂକାଳେ l
           - ରାମ ଚନ୍ଦ୍ର ପ୍ରଧାନ

ହବିଷାଳୀ ମେଳେ କାର୍ତ୍ତିକ ଚହଳ 
          ଧର୍ମ ଅରଜନ ପାଇଁ 
 ଆକାଶ ଦୀପଟି ଜଳେ ଦପ ଦପ 
         ଲକ୍ଷ୍ମୀ-ନାରାୟଣ  ଧ୍ୟାଇ 
  ପୂର୍ବ-ପୁରୁଷଙ୍କ  ମାର୍ଗ ପ୍ରଦର୍ଶନେ
       ଇସ୍ପିତ ଆଶାକୁ ଥୋଇ 
ବିଶ୍ବାସମନା ଏ  ଉତ୍କଳୀ ପ୍ରୟାସ  
          ନିଜସ୍ୱ ସଂସ୍କୃତି ଏଇ 
             - ସନ୍ତୋଷ ପଟ୍ଟନାୟକ

କାର୍ତ୍ତିକ ମାସର ସନ୍ଧ୍ୟା ଆଗମନେ 
     ତୁଳସୀ ଚଉରା ମୂଳେ 
ପିତୃ ପୁରୁଷଙ୍କୁ    ସୁମରି ଓଡ଼ିଆ 
      ଆକାଶ ଦୀପଟି ଜାଳେ 
ପିତଳ ହେଉକି  ମାଟିରେ ନିର୍ମିତ 
      ହାଣ୍ଡି ମଧ୍ୟେ ଦୀପ ରଖି 
ବାଉଁଶ ଦଣ୍ଡରେ ବାନା ଖଣ୍ଡେ ବାନ୍ଧି 
       ଆକାଶେ ଦିଅନ୍ତି ଟେକି
                 - ଟୁକୁନା ସାହୁ

କାହିଁ କେଉଁକାଳୁ ପ୍ରଚଳିତ ପ୍ରଥା
     ସୁନ୍ଦର ଏ'ପରମ୍ପରା 
କାର୍ତ୍ତିକ ସଞ୍ଜରେ ବାନା ବାଉଁଶରେ
     ଦୀପଟି ଲାଗେ ନିଆରା 
ଉର୍ଦ୍ଧ୍ବରେ ଲାଗିଲେ ଜୀବ ଉର୍ଦ୍ଧ୍ବମୁଖୀ
      ଆକାଶ ଦୀପକୁ ଚାହିଁ 
ପିତୃଲୋକ ଶାନ୍ତି ପ୍ରାପ୍ତ ହୋଇଥାନ୍ତି
       ଅମୃତ ଲୋକକୁ ଯାଇ 
              ‐ ରାଧା କୃଷ୍ଣ ବାୟକ

କାର୍ତ୍ତିକ ମାସର କଅଁଳ ଶୀତରେ
     ସଞ୍ଜଟା ଆସିଲେ ମାଡି
ଗାଆଁ ଗହଳିର ଚଉତରା ମୂଳେ
     ଲାଗଇ ପିଲାଙ୍କ ଧାଡି
ହରିବୋଲ ଡାକେ କମ୍ପଇ ଗଗନ
       ଆକାଶ ଦୀପକୁ ଜାଳି
ଶଙ୍ଖ ନାଦେ ପୁଣି ପୁରି ଉଠେ ଗାଆଁ
       ପିତୃ ପୁରୁଷଙ୍କୁ ଭାଳି
                 -  ରବିନ୍ଦ୍ର ସାହୁ

Tuesday, January 25, 2022

■ ଧର୍ମର ହେଉ ଜୟ ■

କିଏ ନିଏ ଲୁଟି ପାପକୁ ପାଛୋଟି
       ପାଶବିକତାର ପଣେ
କେଉଁ କଡେ ମାନୀ ବସିଛି ମଉନୀ
     ରକ୍ତ ହୋରି ଖେଳି ରଣେ !
ରଣେ ରୋରୋକାର ପଙ୍ଗତ ପଣର
          ନିରୁଦ୍ଧିଷ୍ଟ  ନ୍ୟାର୍ଯ୍ଯଦାବି
ନିରିଖେଇ ଦେଖ ଏକବିଂଶ ମୂକ
      ପଶ୍ଚିମ ପ୍ରଭାତେ ରବି ?
ସଜାଗ ସକଳ ମତଲବି ମେଳ
       ବିଞ୍ଚିବେ ଏ ବେଳେ ଦାନା
 ପଦବୀ ଆଳରେ ଛଇଳେ ଛଳରେ
          ଅନ୍ଧ ଆଗରେ ଅଇନା
  ପ୍ରଗତିର ପଥେ ସାରଥିର ରଥେ
        ଯୋଚି ଦିଅ ଆତ୍ମବଳ
 ଅର୍ଥ ପାଇଁ ଛାର ସାଜନା ଇତର
       ତୁମେ ଆଗାମୀ ସକାଳ
ପିଟୁଛ ଢେଣ୍ତୁରା ଉଡାଉଛ ନାରା
       ସ୍ୱାର୍ଥର ଶତାବ୍ବୀ ଧାରେ
ମିଛ ଜନଗଣ  ତ୍ରୀରଙ୍ଗାତ୍ତୋଳନ
        ଅପାରଗ ପଣିଆରେ
ଦୃଶ୍ୟ ଦେଲେ ଦେଖି ମଳି ମଳି ଆଖି
        କାନ୍ଦୁଛି ସ୍ଥାଣୁ ପଥର 
  ଏ ମାଟି ସନ୍ତାନ ଜାଗ ଜନ ମନ
           ତୁମେ ପାରିଲା ପଣର
ହସୁ ଏ ଜନନୀ ସ୍ୱର୍ଣ୍ଣ ପ୍ରସବିନୀ
         ନଭିଜୁ ଆଉ ରକତେ
 ଆମରି ନାଆରେ ଆମେହିଁ ନାଉରୀ
        ସ୍ୱର୍ଣ୍ଣାକ୍ଷର ହେଉ ମରତେ
କୂଟ ରାଜନୀତି ଭୟାତୁରେ ଭିତ୍ତି
      ନଖେଳି କପଟ ପଶା
ହେଜି ଗାନ୍ଧୀ ନୀତି ବାଣ୍ଟିବା ପିରତୀ
         ଧର୍ମ ଆମର ଅହିଁସା
କାହାକୁ ଇଙ୍ଗିତ ନୁହେଁ ଲେଖା ଅର୍ଥ
          ଜାଗ ହେ ମାନବିକତା
ଛୋଟ ଉପହାର ଅଧମ ଦାଶର
     ଶବ୍ବେ ଶବ୍ବେ ଯାହା ଗୁନ୍ଥା
 ଲେଖିଦେଲି ଯାହା ଛୁଇଁଲା ମୋ ହିଆ
           ପାଠକେ ରଖିବେ ଲୟ
  କାଳେ କାଳେ କଥା ଭାଗବତେ ଯୁକ୍ତା
             ଧରମର ହେଉ ଜୟ

                     ✍ ଦାଶରଥି ସାହୁ , କଳମ୍ବ/ଗଞ୍ଜାମ ।

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...