Monday, May 16, 2022

~: ଆହ୍ବାନ :~

~:  ଆହ୍ବାନ : ~

ଉତ୍କଳ-ଭାରତୀ-ଦେବୀ-ବିଶ୍ବରୂପା 
କଷଣ ବାସରେ ଆଜି ବି ନିମଗ୍ନା 
ସୁପ୍ତ ପୁତ୍ର ଗଣେ  ନୁହଁନ୍ତି  ଚିନ୍ତିତ 
ଦେଖି ଏଇ ଦୃଶ୍ୟ ଘୁରି ଯାଏ ମାଥ ।

କାଳର କରାଳେ ମୋଗଲ ମରାଠା 
ଲୁଟିଲେ ମାତିଲେ ହୋଇ ନିଲଠା 
ଫରାସୀ ଇଂରେଜ ହୋଇ ଏକାଠି 
ଧନ ଦଉଲତ ନେଲେ ଝପଟି  । 

ଆଣିଲା ଇଂରେଜ ସୂର୍ଯ୍ୟାସ୍ତ ଆଇନି
ଜମିଦାରୀ  ଅଣଓଡ଼ିଆ ବାହିନୀ 
ଦେଶରେ କଉଡ଼ି କଲେ ଅଚଳ 
ଦିନକେ ଓଡ଼ିଆ ହେଲା କାଙ୍ଗାଳ  ।

ଉତ୍କଳ ମୁକୁଟ ବାରବାଟୀ ଦୁର୍ଗ 
ତା ମଧ୍ୟେ ଶୋଭା ନବତଳପ୍ରାସାଦ 
ଭାଙ୍ଗି ଇଂରେଜ କଲେ ବାଟ ଘାଟ 
ଓଡ଼ିଆ ହୃଦୟେ  ବସିଲା ଛାଟ  ।

ଶତ ଶତ ବାର ଶ୍ରୀକ୍ଷେତ୍ର ଆକ୍ରମ 
ସହାୟତା କଲେ କିଛି ନରାଧମ 
ବକ୍ସି ବାଜି ବିର୍ସା ହୋଇଲେ ନିଧନ 
ସେଇକାଳୁ ସୁପ୍ତ  ଉଡ଼୍ର ସ୍ବାଭିମାନ । 

ଛାଡ଼ି ରଣନୀତି ଆପଣା ସାଧନ 
ଜାତୀୟ କର୍ମରୁ ହଟିଲା ମନ
ଖଡ୍ଗହସ୍ତେ ଶୋଭା ଝାଞ୍ଜ କୀର୍ତ୍ତନ 
ହଜିଗଲା ହୃଦୁ ମାନ-ସନମାନ  ।

ହଜାଇ ସଂସ୍କୃତି ସଂସ୍କାର ମାନ 
ମଠ-ମନ୍ଦିରେ ରଙ୍ଗଶାଳା ସ୍ଥାପନ 
ଦେଖି କୀର୍ତ୍ତି ପିତା ହୋଇ ବିମନ 
ନାନା ପରକାରେ ଖଞ୍ଜନ୍ତି କଷଣ ।

କାଞ୍ଚି ପରାଜିତେ ଜଗନ୍ନାଥ ହାତ 
ଭୁଲି ଗଲ କିବା ହେଇ ହତ ଚିତ୍ତ 
ଜାତୀୟତା ଘେନି ପୁରୁଷୋତ୍ତମ 
ହସ୍ତେ ଝାଡୁ କରି ଜଗତ ମହାନ ।

ଐର ଖାରବେଳ କୀର୍ତ୍ତି ପାରିଜାତ 
କେ ସରି ହୋଇବ ଅଛି କା ସାମର୍ଥ୍ୟ 
ସେଇ ଜାତି ଆଜି ହୋଇଛି ସୁପ୍ତ 
ଉତ୍କଳ ଭାଗ୍ୟରେ ସତେ ଦୁର୍ଭାଗ୍ୟ । 

ଉଠ ଭାତୃଗଣ ଖୋଲି ଚକ୍ଷୁ ମୁଦ 
ସଙ୍କଟେ ଭାଷା ଜନନୀକୁ ଦେଖ 
ବାତ୍ୟା ମନ୍ତ୍ର ଘେନି ପ୍ରକୃତି ମାତା
ଥରକୁ ଥର କରେ ଅଭିମନ୍ତ୍ରିତା ।

ଉଠି ଦେଖ ତବ ଅପବ୍ଯବସ୍ଥା 
ଆଶାୟୀ ଜନନୀ କରିଛି ଆସ୍ଥା 
ଜାତୀୟତା ଭାବେ ବିଚାର ଘେନ
ପ୍ରକୃତି ମାତାଙ୍କ ଏ ଯୁଦ୍ଧ ଆହ୍ବାନ ।
    ~~~~~୦~~~~
  ✍ ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ

-:ଶବ୍ଦାର୍ଥ:- 
🟤ନିମଗ୍ନା—(ନି+ମସଜ୍ ଧାତୁ = ବୁଡି଼ବା+କର୍ତ୍ତୃ. ତ+ଆ)
(କ) ବୁଡ଼ିଯାଇ ଥିବା
(ଖ)ଅନ୍ତଃପ୍ରବିଷ୍ଟା
(ଗ) ଏକାଗ୍ରଭାବରେ ନିବିଷ୍ଟ; ତନ୍ମୟ

 🟤ମାଥ—(ମଥ୍ ଧାତୁ = ମନ୍ଥନ କରିବା; ବଧ କରିବା+ଭାବ. ଅ)
 
(କ)ମନ୍ଥନ; ବିଲୋଡ଼ନ
(ଖ)ବଧ
(ଗ)ବ୍ଯଥା
(ଘ)ପଥ; ମାର୍ଗ

କିନ୍ତୁ ଏଠାରେ ଓଡ଼ିଆ ମସ୍ତକ; ମୁଣ୍ଡ; ମଥା ଅର୍ଥଜ ମାଥ ଶବ୍ଦ ଦେଶଜ ଓଡ଼ିଆ ଭାବେ ବ୍ୟବହାର ହୋଇଛି ‌ 

🟤ଛାଟ
(କ)ଚାବୁକ
(ଖ)ଛୋଟ ସରୁ ଯଷ୍ଟି
(ଗ)ଚାବୁକ ବା ଛାଟଦ୍ବାରା ପ୍ରହାର
 
🟤ଆକ୍ରମ —(ଆ+କ୍ରମ ଧାତୁ+ଭାବ. ଅ)
(କ)ନିକଟକୁ ଆସିବା
(ଖ)ଚଢ଼ାଉ କରିବା; ଅନ୍ୟ ବ୍ୟକ୍ତି ଉପରେ ବଳପୁର୍ବକ ପଡ଼ିବା ବା ଅଧିକାର କରିବା— 
(ଗ) ଅଧିକାର କରିବା
(ଘ)ନେବା; ବଳପୂର୍ବକ ନେବା
(ଙ)ବଳିବା
(ଚ)ଅତିରିକ୍ତ ବୋଝେଇ କରିବା
(ଛ)ବଳ
(ଜ)ବିକ୍ରମ
(ଝ)ଅତିକ୍ରମଣ
(ଞ)ପରାସ୍ତ କରିବା
(ଟ)ନିନ୍ଦା; ଆକ୍ରୋଶ
(ଠ)ରୋଗ ଘୋଟିବା

🟤ରଙ୍ଗଶାଳା
(କ)ନାଟ୍ୟଶାଳା
(ଖ)ନାଚଖାନା

🟤ମୁଦ
(କ)ଆନନ୍ଦ
(ଖ)ଚିଠି ଚାବି ବା ବାକ୍ସ ବନ୍ଦ କରି ତହିଁ ଉପରେ ଦିଆଯିବା ମୋହର ଛାପ
(ଖ)ମୋହର ମରା ଯାଇ ବନ୍ଦ ହୋଇ ଥିବା ଚିଠି
 (ଉ—ମୁଦ ଲଭି ମୁଦକୁ ରୋନିଲା କାନ୍ତି କରେ—ଭଞ୍ଜ)
 
(ଘ)ମୁଦ୍ରିତ କରିବା
(ଉ— ଦମୟନ୍ତୀ ନୟନ କଲା ମୁଦ—କୃଷ୍ଣସିଂହ ମହାଭାରତ. ବନପର୍ବ)

ଏଠାରେ ମୁଦ ଶବ୍ଦ ମୁଦ୍ରିତ କରିବା ବା ବନ୍ଦ ହେବା ଅର୍ଥରେ ବ୍ୟବହାର କରାଯାଇଛି ।

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...