॰॥ ସର୍ଵଂ ଵିଷ୍ଣୁମୟଂ ଜଗତ୍ ॥॰
ସଂସାରୀ ଲୋକଙ୍କୁ ସାଧୁସନ୍ଥମାନେ ପାଗଳ ବୋଧ ହୁଅନ୍ତି । ବହୁଵର୍ଷ ତଳେ ଉତ୍କଳ ଦେଶରେ ଜଣେ ସାଧୁ ରହୁଥିଲେ ! ସଂସାରକୁ ମାୟା ବୁଝି ତହିଁରେ ପରିଵ୍ୟାପ୍ତ ମୋହ ମାୟା ରାଗ ଦ୍ୱେଷକୁ ଜାଣି ସେ ପ୍ରାୟତଃ ମୌନ ରୁହନ୍ତି । ଏପରିକି ଯେତେବେଳେ କେହି ତାଙ୍କ ପୋଷାକ ଦେଖନ୍ତି ଏଵଂ ଵ୍ୟଙ୍ଗ୍ୟ କରନ୍ତି କିମ୍ବା ତାଙ୍କୁ ପାଗଳ ବୋଲି ଭାବି ପଥର ମାରନ୍ତି ସେ ତିଳେ ମାତ୍ର ଵିଚଳିତ ନହୋଇ ତାହା ଦୈଵ ପରୀକ୍ଷା ମନେ କରି ନୀରଵ ରୁହନ୍ତି ।
ଦିନକର କଥା । ସେହି ସାଧୁଜଣକ ଏକ ଗାଁଆ ଦେଇ ଯାଉଥାନ୍ତି ଦେଖିଲେ ଏକ ଶ୍ଵାନ ତାଙ୍କର ପଶ୍ଚାତଗମନ କରୁଅଛି ।
ଆଗରେ ଗୋଟିଏ ବରଗଛ ଥିଲା ଯେ ସେଠାରେ କିଛି କ୍ଷଣ ଛିଡ଼ା ହେଲେ ଠିକ୍ ସେହି ସମୟରେ ପଛେ ପଛେ ଆସୁଥିଵା କୁକୁରଟି ତାଙ୍କ ପାଖରେ ପହଞ୍ଚି ଲାଙ୍ଗୁଡ଼ ହଲାଇଵାକୁ ଲାଗିଲା ।
ନିଜ ସମ୍ମୁଖରେ ଶ୍ଵାନଟିକୁ ଦେଖି ସେ ମହାତ୍ମାଙ୍କ ମନରେ କି ଭାଵ ଉତ୍ପନ୍ନ ହେଲା କେଜାଣି ସେ ପଛେ ପଛେ ଚାଲି ଆସିଥିଵା ସେହି ଶ୍ଵାନ ଉପରେ ସଵାର ହୋଇ ଭିକ୍ଷାନ୍ନରୁ ପ୍ରାପ୍ତ ଅନ୍ନ ଭକ୍ଷଣ କରିଵାକୁ ଲାଗିଲେ ।
ନିଘିନିଘିଆ ଉପରବେଳାଟାରେ
କିଛି ଲୋକ ସୂର୍ଯ୍ୟତାପରୁ ରକ୍ଷା ପାଇବା ପାଇଁ ସେଠାରେ ଵିଶ୍ରାମ ନେଉଥାନ୍ତି |
ଏହି ଦୃଶ୍ୟ ଦେଖି ସେହି ଲୋକମାନେ ପେଟ ଫଟେଇ ହସିଲେ,ହସି ହସି ଗଡି଼ଗଲେ ।
ସଂସାର ଵୈରାଗୀ ସାଧୁ ତ କାଳେ କାଳେ ରାଗ ଦ୍ଵେଷ ଚିନ୍ତାଶୂନ୍ୟ ହୋଇଥାନ୍ତି, ଏକଚାଲା ମନଭାବୁକା ସଦା ପ୍ରଫୁଲ୍ଲ ହୋଇଥାନ୍ତି ତେଣୁ ବରଗଛ ମୂଳେ ବସି ତାଙ୍କୁ ଦେଖି ହସୁଥିଵା ଲୋକଙ୍କୁ ଦେଖି ସେ ବି ହସିଦେଲେ...
ସେଠି ବସିଥିଵା ସବୁ ଲୋକ ଆଶ୍ଚର୍ଯ୍ୟ !!!
ଶେଷରେ ସାଧୁ କହିଲେ...
“ଵିଷ୍ଣ୍ଯୁପରି ସ୍ଥିତୋ ଵିଷ୍ଣୁଃ
ଵିଷ୍ଣୁ ଖାଦତି ଵିଷ୍ଣଵେ ।
କଥଂ ହସସିରେ ଵିଷ୍ଣୋ
ସର୍ଵଂ ଵିଷ୍ଣୁମୟଂ ଜଗତ୍ ॥”
ସାଧାରଣ ଅର୍ଥ- ଵିଷ୍ଣୁଙ୍କ ଉପରେ ଵିଷ୍ଣୁ ଵସିଛନ୍ତି ( କୁକୁରରୂପୀ ଵିଷ୍ଣୁଉପରେ ଏ ମଣିଷରୂପୀ ଵିଷ୍ଣୁ ମୁଁ ଵସିଛି )। ଵିଷ୍ଣୁ ଵିଷ୍ଣୁକୁ ଖାଉଛି । ( ମଣିଷରୂପୀ ଵିଷ୍ଣୁ ମୁଁ ଖାଦ୍ୟରୂପୀ ଵିଷ୍ଣୁଙ୍କୁ ଖାଉଛି ) । ହେ ଵିଷ୍ଣୁ କାହିଁକି ହସୁଛ ? (ହେ ଵୃକ୍ଷମୂଳରେ ଵସିଥିଵା ମଣିଷରୂପୀ ଵିଷ୍ଣୁ ! କାହିଁକି ହସୁଛ ? ) ତୁମେମାନେ କଅଣ୍ ଜାଣିନ ଯେ ଏ ସଂସାର (ଜଗତ୍) କେଵଳ ଵିଷ୍ଣୁମୟ ଅର୍ଥାତ୍ ସଵୁଥିରେ ଵିଷ୍ଣୁଙ୍କ ସତ୍ତା (ଆତ୍ମା) ଵିଦ୍ୟମାନ ।
ଏହାର ସମର୍ଥିତ #ଗୀତାଶ୍ଳୋକ - ଵିଦ୍ୟା-ଵିନୟସମ୍ପନ୍ନେ ଵ୍ରାହ୍ମଣେ ଗଵି ହସ୍ତିନି , ଶୁନି ଚୈଵ ଶ୍ୱପାକେ ଚ ପଣ୍ଡିତାଃ ସମଦର୍ଶିନଃ । ଅର୍ଥାତ୍ ଜଣେ ପ୍ରକୃତଜ୍ଞାନୀ ଵା ଵ୍ରହ୍ମଜ୍ଞାନୀ ଆଵ୍ରାହ୍ମଣ ଚଣ୍ଡାଳ , ସର୍ଵପୂଜ୍ୟ ଗୋମାତାଠାରୁ କୁକୁର ପର୍ଯ୍ୟନ୍ତ, ଵିଶାଳକାୟ ହାତୀଠାରୁ କ୍ଷୁଦ୍ରାତିକ୍ଷୁଦ୍ର ପୋତକ ପର୍ଯ୍ୟନ୍ତ ସମସ୍ତଙ୍କୁ ସମଦୃଷ୍ଟିରେ ଦେଖେ ଅର୍ଥାତ୍ ସମସ୍ତଙ୍କଠାରେ ଵ୍ରହ୍ମସତ୍ତା ଥିଵାରୁ ସମସ୍ତଙ୍କୁ ଵ୍ରହ୍ମମୟ/ଵିଷ୍ଣୁମୟ ଦେଖେ । ଯାହା କି ସେ ସାଧୁ କହିଛନ୍ତି ।
No comments:
Post a Comment