Friday, December 23, 2022

ସମର୍ପଣ (topic - 126 ବୃଦ୍ଧାଶ୍ରମ) quote #quot

ବୃଦ୍ଧାଶ୍ରମ - 126

ଏକବିଂଶେ ହଡା ବୃଦ୍ଧାଶ୍ରମ ବେଢା
       ଅଣଦେଖାଙ୍କ ଆସର
ପୃଥିପରେ ପାପ ନା ଏ ପୂଣ୍ଯ ଛାପ
        ଉତ୍ତର ଦିଅ ଇଶ୍ୱର
ଜୀବନର ସଞ୍ଜ ଯଦି ଦହଗଞ୍ଜ
      ଅପରାହ୍ନୁ ଆପଣାଅ
ବାତ୍ସଲ୍ୟ ବନ୍ଧନ ବାର୍ଦ୍ଧକ୍ୟେ ବିଜନ
      ପ୍ରାଣ ପ୍ରଦୀପ ଲିଭାଅ
               - ଦାଶରଥି ସାହୁ

ବୃଦ୍ଧ-ବୃଦ୍ଧା ପାଇଁ  ଆଶ୍ରୟ ନିଶ୍ଚିତ 
        ସହାରା ପାଇଁକି ଟିକେ  
 କିନ୍ତୁ ଏହା ଏକ ସୁବିଧାର ମାର୍ଗ 
        ବୋଲି ବିଚାରନ୍ତି  ଥୋକେ
 ଆଉ ଦଳେ ଏଠି ବେପାରି ସାଜନ୍ତି 
        ମୂଳ ଲକ୍ଷ୍ୟ ତାଙ୍କ ଧନ 
ବୃଦ୍ଧାଶ୍ରମ ନୁହେଁ  ଆମରି ସମ୍ମାନ 
         ଆମ ଅପାରଗ ଚିହ୍ନ .....
            - ସନ୍ତୋଷ ପଟ୍ଟନାୟକ

ସହରୀ ଜୀବନ  ସୁଖ ଆପଣାଇ
      ପୁତ୍ର ଆଜି ବାଟବଣା
ସେ ଲାଗି ଖୋଜନ୍ତି ବୃଦ୍ଧ ପିତାମାତା
      ବୃଦ୍ଧାଶ୍ରମର ଠିକଣା 
କାହିଁକି ସମୟ  ଏଡ଼େ ନିରିଦୟ
      ବୃଦ୍ଧ ପିତାମାତା ପାଇଁ
ସଦବୁଦ୍ଧି ଦିଅ  ସେଇ ପୁତ୍ରମନେ
       ଚେତନା ଘରକୁ ଛୁଇଁ  
            - ରାମ ଚନ୍ଦ୍ର ପ୍ରଧାନ 

ପାଶ୍ଚାତ୍ୟ ଆଳରେ ଖୋଜା ସୁଖଶାନ୍ତି 
      ମାତପିତା ହତାଦର 
କିଞ୍ଚିତ ଅର୍ଥକୁ ସାଉଁଟିବା ପାଇଁ 
     ସର୍ବଦା ଚାଲେ ବିଚାର 
ଗୃହରେ କଳହ ପତିପତ୍ନ ମଧ୍ୟେ 
  ବୃଦ୍ଧାଶ୍ରମ ପଡ଼େ  ଖୋଜା 
ଶେଷ ସମୟରେ ମାତା ଓ ପିତାଙ୍କୁ 
      ମିଳେ ବୃଦ୍ଧାଶ୍ରମ ସଜା
                    - ଟୁକୁନା ସାହୁ

ଠକ ଟାଉଟର   ପାଠୁଆ ଶାଠୁଆ
     ସଭାରେ ଭାଷଣ ମାରନ୍ତି
ପିତା-ମାତା ସେବା ନକରି ସେ ନିଜେ
       ବୃଦ୍ଧଶ୍ରମେ ଛାଡି ଆସନ୍ତି
ସେହି ଦିନ ସିଏ ବୁଝି ଯେ ପାରିବେ
       ନିଜ ପୁଅ ତଡ଼ା ଖାଇ 
କେତେ ବଡ଼ ଭୁଲ କରିଥିଲେ ନିଜେ
       ମାତା ପିତା ଘଉଡାଇ
             - ଜଗବନ୍ଧୁ ସାହୁ

ଜରାଜିର୍ଣ୍ଣ ଆଜି ଚତୁର୍ଥ ଅବସ୍ଥା
    ଟାକୁଆ ଗାଲକୁ ଦେଖ 
ସ୍ବରଭଙ୍ଗ ଆଜି କଣ୍ଠ ଦ୍ବାରଦେଶ
      ମଳିନ ପଡ଼ିଛି ମୁଖ 
ପରିଣତର ଏ ପଣନ୍ତକଳାକୁ
    ଦେଖି ହସେ ଏ ଜଗତ 
ବୃଦ୍ଧାଶ୍ରମେ ଶେଷ ବାର୍ଦ୍ଧକ୍ଯର ବେଶ
       ମୁକ୍ତି ଦିଅ ଜଗନ୍ନାଥ 
           - ରାଧା କୃଷ୍ଣ ବାୟକ

ପେଟୁ କାଟି ଅର୍ଣ୍ଣ ପାଳିଲେ ସନ୍ତାନ 
      ନିଜକୁ କରି ବିପନ୍ନ 
ଏଇ ସମାଜରେ ପରିଚୟ ଦେଲେ 
     ଧନ୍ୟ ପିତା ମାତା ଧନ୍ୟ 
ସେହି ପିତା ମାତା  ଆଜି ପରିତ୍ୟକ୍ତ
      ଅବହେଳାର ଶିକାର 
ବୃଦ୍ଧାଶ୍ରମେ ପଡ଼ି ଯନ୍ତ୍ରଣାରେ ସଢ଼ି 
      ଆଖିରେ ଲୁହର ଧାର  
            -  ପ୍ରବୀର ମଲ୍ଲିକ 

କଳଙ୍କିତ ଆଜି କଳୀଯୁଗ ପୁଅ
    କୁଳାଙ୍ଗାରେ ହୋଇ ଗଣା
ଅଯୋଗ୍ଯ ସନ୍ତାନ ପରିଚୟ ଅର୍ଜି
     ହୋଇଛନ୍ତି ବାଟବଣା
ପୋଷା କୁକୁରକୁ ପାଖରେ ରଖନ୍ତି
      ପାଖୁ ତଡି ପିତାମାତା
ବୃଦ୍ଧାଶ୍ରମେ ଛାଡି ଭଲେଇ ହୁଅନ୍ତି
       ଅନ୍ଯକୁ ଦିଅନ୍ତି ବାର୍ତ୍ତା
                  - ରବିନ୍ଦ୍ର ସାହୁ

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...