Monday, August 17, 2026

● କଙ୍କିଧରଣ ମାଆ ମରଣ ●

•••କଙ୍କିଧରଣ ମାଆ ମରଣ•••

ପିଲାମାନେ କଙ୍କି ଧରିଵାକୁ ସୁଖପାଆନ୍ତି। ସେମାନଙ୍କୁ ତହିଁରୁ ନିଵର୍ତ୍ତାଇବା ପାଇଁ ଓଡ଼ିଶାରେ ଵୟସ୍କମାନେ ସେମାନଙ୍କୁ 
“କଙ୍କିଧରଣ ମାଆ ମରଣ”
ପ୍ରଵଚନ କହୁଥିଲେ । କଙ୍କି ଧଇଲେ ମା ମରିଯିଵ ଜାଣି କିଛି ପିଲା ଶଙ୍କିଯାଇ ଏଥିରୁ ନିଵୃତ ହେଉଥିଲେ । ନବେ ଦଶକ ଯାଏଁ  ପିଲାମାନଙ୍କର ଖେଳପଡ଼ିଆ ଥିଲା ପ୍ରିୟ ସ୍ଥାନ । ବାହାରେ ବୁଲି ବୁଲି କଙ୍କି ଧରିଵା ଗୋଟିଏ ସୁଖକର ଖେଳ ଥିଲା । କଖାରୁ ଵା ବୋଇତାଳୁ ଗଛର ଦୁଇଗୋଟି ପତ୍ର ଦି ହାତରେ ଧରି କିମ୍ବା ହାତକୁ ବୁଲାଇ ପିଲାଏ ଵିଭିନ୍ନ ଜାତିର କଙ୍କି ଧରୁଥିଲେ । ଗୋଟିଏ ଦିନରେ ଶହ ଶହ କଙ୍କି ଏଥିଯୋଗୁଁ ମୃତ୍ୟୁ ମୁଖରେ ପଡ଼ୁଥିଲେ । ପିଲାମାନେ କଙ୍କି ମୁଣ୍ଡ ପୋତିଲେ ତାହା ସୁନା, ଟଙ୍କା ଵା ବାଟି ହୋଇଯିଵ ବୋଲି ଭାବି ଗୋଟିଏ ଦିନରେ ଅନେକ କଙ୍କି ଧରୁଥିଲେ । କେହି କେହି ବାଳକ ବାଳିକା କଙ୍କି ଧରି ତାହାର ଲାଞ୍ଜରେ ସୁତୁଲି ବାନ୍ଧି ଉଡ଼ାଉଥିଲେ । କେହି କେହି ଦୁଷ୍ଟ ବାଳକ କଙ୍କିର ପକ୍ଷ ଛେଦନ କରି ଯାତନା ଦେଉଥିଲେ । ଏସବୁ କାର୍ଯ୍ୟରୁ ପିଲାମାନଙ୍କୁ ନିଵୃତ କରିଵା ପାଇଁ “କଙ୍କିଧରଣ ମାଆ ମରଣ” ପ୍ରଵଚନର ଆଵିଷ୍କାର ଓଡ଼ିଶାରେ ହୋଇଥିଲା । 

ଆଜି ଏ ପ୍ରଵଚନ ଶୁଣିଲେ ହୁଏତ ଉଚ୍ଚଶିକ୍ଷିତ ଲୋକେ ଭାବିବେ ଆଗକାଳରେ ଲୋକମାନେ କେତେ ଅନ୍ଧଵିଶ୍ଵାସୀ ଥିଲେ ଏଵଂ ନିଜ ପିଲାମାନଙ୍କୁ ମଧ୍ୟ ଅନ୍ଧଵିଶ୍ୱାସ ଦ୍ଵାରା ଆକଟ କରାଉଥିଲେ । କିନ୍ତୁ ଏଭଳି ଵିଚାରୁଥିଵା ଲୋକେ “କଙ୍କିଧରଣ ମାଆ ମରଣ” ଓଡ଼ିଆ ପ୍ରଵଚନ ମଧ୍ୟରେ ଲୁଚି ରହିଥିଵା ଲୌକିକ ଵିଜ୍ଞାନଟିକୁ ହୃଦୟଙ୍ଗମ କରିପାରିନାହାନ୍ତି ବୋଲି ସେମାନଙ୍କୁ ବୁଝିଵାକୁ ହେଵ । 
ବାଳଵୟସରେ ପିଲାଏ ଯାହା କରନ୍ତି ତାହାର ପ୍ରଭାଵ ତାଙ୍କର ପରଵର୍ତ୍ତୀ ଜୀଵନରେ ପଡି଼ଥାଏ । ବାଳୁତ ଵୟସରେ ନିରୀହ ଜୀଵମାନଙ୍କୁ କଷ୍ଟ ଦେଉଥିଵା ବାଳକ ବାଳିକା ସେମାନଙ୍କ ପରଵର୍ତ୍ତୀ ଜୀବନକାଳରେ ନିଷ୍ଠୁର ହୃଦୟ ହୋଇ ବଡ଼ ଜୀଵ ଏମନ୍ତକି ମନୁଷ୍ୟମାନଙ୍କୁ ହତ୍ୟା କରିଵାକୁ ମଧ୍ୟ ପଛାନ୍ତି ନାହିଁ । ତେଣୁ ପିଲାମାନଙ୍କର ଭଵିଷ୍ୟତ ସୁରକ୍ଷିତ କରିଵା ପାଇଁ ତତ୍କାଳୀନ ଯୁଗର ଵୟସ୍କମାନେ ଏଭଳି ଏକ ପ୍ରଵଚନର ସୃଷ୍ଟି କରିଥିଲେ । ପୁଣି  ଏହି ପ୍ରଵଚନର ଅନ୍ୟ ଏକ ଦିଗ ପ୍ରତି ମଧ୍ୟ ଵିଚାର କରାଯାଇପାରେ ‌ । କଙ୍କିମାନେ ସାଧାରଣତଃ ମଶାମାନଙ୍କର ଶିକାରୀ ଭାବେ ଜଣାଶୁଣା ଏଵଂ ସେମାନେ ତାଙ୍କ ଜୀଵନର ପ୍ରତ୍ୟେକ ସ୍ତରରେ ମଶାମାନଙ୍କର ଶିକାର କରିଥାନ୍ତି । କଙ୍କିମାନଙ୍କୁ ପିଲାମାନେ ଶତଶତ ସଂଖ୍ୟାରେ ମାରିଲେ ସେମାନଙ୍କର ବଂଶ ହ୍ରାସ ଘଟିଵ ଫଳତଃ ମଶାବଂଶ ବୃଦ୍ଧି ଘଟିଵ । ଗୋଟିଏ  କଙ୍କି ଦିନକୁ ତିରିଶରୁ ଶହେ ପର୍ଯ୍ୟନ୍ତ ମଶା ଖାଇପାରେ ଏଵଂ ତାହାର ଜୀଵନକାଳ ମଧ୍ୟରେ ସେ ଏହିପରି ହଜାର ହଜାର ମଶା ଖାଇଥାଏ ‌। 
ହୁଏତ ଏକଥା ତତ୍କାଳୀନ ଲୋକମାନେ ପ୍ରତ୍ୟକ୍ଷଭାବେ ଅନୁଭଵ କରିଥିବେ ଯେତେବେଳେ କଙ୍କିମାନଙ୍କର ସଂଖ୍ୟା ହ୍ରାସ ଘଟିଵା ଯୋଗୁଁ ମଶାସଂଖ୍ୟାରେ ଅହେତୁକ ବୃଦ୍ଧି ଘଟିଥିଵ । ସମ୍ଭଵତଃ ଏ ଦିଗରୁ ମଧ୍ୟ ବୁଝି ଵିଚାରି ଲୋକମାନେ “କଙ୍କିଧରଣ ମାଆ ମରଣ” ପ୍ରଵଚନକୁ ପ୍ରଚଳନ କରାଇ ପିଲାଙ୍କୁ କଙ୍କି ମାରିଵାକୁ ଆକଟ କରିଵା ଆରମ୍ଭ କରିଦେଇଥିଲେ । ଆଜି ପରି ସେ ଯୁଗରେ ମେଲେରିଆ ରୋଗର ନିରାକରଣ ପାଇଁ ସେତେ ସୁଵିଧା ସୁଯୋଗ ନଥିଲା ଏଣୁ କଙ୍କି ସଂଖ୍ୟା ହ୍ରାସ ପାଇଵା ଯୋଗୁଁ ମଶାସଂଖ୍ୟାରେ ବୃଦ୍ଧି ଘଟି ମେଲେରିଆ ପରି ରୋଗ ସମାଜରେ ଭୀଷଣ ରୂପେ କାୟାଵିସ୍ତାର କରିଵାର ସମ୍ଭାଵନା ବଢ଼ିଯାଉଥିଲା । ମେଲେରିଆ ଦ୍ଵାରା ପିଲାମାନଙ୍କର ମାଆ ବି ମରିଯାଇପାରେ ଏଵଂ ମଶାଙ୍କୁ ଖାଉଥିଵା କଙ୍କିକୁ ନମାରିଲେ ସେ ବଞ୍ଚି ରହିଵ ଏକଥା ସମ୍ଭଵତଃ ଓଡ଼ିଶାର ତତ୍କାଳୀନ ଲୋକେ ହୃଦୟଙ୍ଗମ କରିପାରିଥିଲେ ସେଥିପାଇଁ ସେମାନେ “କଙ୍କିଧରଣ ମାଆ ମରଣ” ପ୍ରଵଚନ ଗଢ଼ିଥିବେ । 
ଅଵଶ୍ଯ ଆଜିକାଲିର ପିଲାଏ ଆଉ କଙ୍କି ଧରୁନାହାନ୍ତି । ସେମାନଙ୍କର ଖେଳପଡ଼ିଆ ପ୍ରତି ଆଉ ଆଗ୍ରହ ନାହିଁ ଵରଂ ମୋବାଇଲ ଖଣ୍ଡେ ପାଇଗଲେ ସେଥିରେ ଛୋଟାଭୀମ,ନଟିଆ ଦେଖୁଛନ୍ତି କିମ୍ବା ଖେଳୁଛନ୍ତି । ଏହା କଙ୍କିମାନଙ୍କ ପାଇଁ ଶୁଭଙ୍କର ଵିଶେଷକରି ଏହି ଘଡ଼ିସନ୍ଧି କାଳରେ ଯେତେବେଳେ ପୃଥିଵୀର  ଅନେକ ଜୀଵ କ୍ରମଶଃ ମାନଵଙ୍କ ଦ୍ଵାରା ଜଳ,ମୃତ୍ତିକା,ଵାୟୁ ,ଆଲୋ ଓ ଧ୍ଵନି ପ୍ରଦୂଷଣ ଯୋଗୁଁ ଲୁପ୍ତ ହୋଇଯାଉଛନ୍ତି । ହେଲେ  ଵିଗତ ଦଶନ୍ଧିରେ କଙ୍କିମାନଙ୍କର ସଂଖ୍ୟାରେ ହ୍ରାସ ଘଟିଛି ଏଵଂ ଏଥିପାଇଁ ପିଲାମାନେ ନୁହେଁ ଵରଂ ଵୟସ୍କ ଲୋକମାନେ ଦାୟୀ ଅଟନ୍ତି  । ଗୋଟିଏ ଯୁଗ ଥିଲା ଓଡ଼ିଶାର ଵୟସ୍କମାନେ କଙ୍କିମାନଙ୍କର ସଂସାର ପ୍ରତି ଥିଵା ଉପକାରିତାକୁ ବୁଝି “କଙ୍କିଧରଣ ମାଆ ମରଣ” ପ୍ରଵଚନ ସୃଷ୍ଟି କରିଥିଲେ କିନ୍ତୁ ଏ ଯୁଗରେ ଵୟସ୍କମାନେ ଅଜାଣତରେ ସେମାନଙ୍କର ବଂଶନାଶ କରିଚାଲିଛନ୍ତି । ଶସ୍ୟାଦିରେ ଦିଆଯିଵା କିଟନାଶକ ଓ ଆଵଶ୍ୟକତାଠାରୁ ଅଧିକ ରସାୟନିକ ସାର ଵ୍ୟଵହାର ଯୋଗୁଁ ମୃତ୍ତିକା ଓ ଜଳ ଦୂଷିତ ହୋଇଛି । ସେହି ଦୂଷିତ ଵିଷାକ୍ତ ଜଳରେ ମଶାଙ୍କୁ ଖାଇଯାଉଥିଵା କଙ୍କିମାନଙ୍କ ଭଳି ଶିକାରୀ ଜୀଵମାନଙ୍କର ବଂଶ ବଢି଼ପାରୁନାହିଁ । ସେଥିପାଇଁ ତ ନବେ ଦଶକଯାଏଁ ଗ୍ରାମାଞ୍ଚଳରେ ମଶାମାନଙ୍କର ସଂଖ୍ୟା କମ୍ ରହୁଥିବାବେଳେ ଏବେ ପ୍ରାୟତଃ ଅଧିକାଂଶ ଗ୍ରାମ ନଗରାଞ୍ଚଳରେ ବାରମାସ ଯାକ ମଶା ଦେଖିଵାକୁ ମିଳୁଛନ୍ତି । ଆଜି ହୁଏତ ମନୁଷ୍ୟ ଵିଜ୍ଞାନ କ୍ଷେତ୍ରରେ ଅନେକ ଉନ୍ନତି କରିପାରିଛି କିନ୍ତୁ ସେ ଏଥିଯୋଗୁଁ ସ୍ଵେଚ୍ଛାଚାରୀ ବି ହୋଇଯାଇଛି ‌। ଏଣୁ ଯୋଉ “କଙ୍କିଧରଣ ମାଆ ମରଣ”  ପ୍ରଵଚନ ଆଗେ ପିଲାମାନଙ୍କୁ ଶୁଣାଇ କଙ୍କି ଧରିଵାରୁ ନିଵୃତ କରାଯାଉଥିଲା ଆଜି ସେହି ପ୍ରଵଚନଟି ବଡ଼ଲୋକଙ୍କୁ ବୁଝାଇଵାକୁ ମଧ୍ୟ ଆଵଶ୍ୟକ ହୋଇପଡ଼ିଛି ।

ପୂର୍ଵେ ପିଲାମାନଙ୍କୁ କଙ୍କି ଧରଣ ମାଆ ମରଣ କହି ଆକଟ କରାଯାଇପାରିଥିଲା କିନ୍ତୁ ଆଜିକାଲିର ଵୟସ୍କମାନଙ୍କୁ କଙ୍କି ମାରଣରୁ କିଭଳି ନିଵୃତ କରାଇଵା ?

■ ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ ■


ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ
         ✍🏼 ଲେଖକ/କବି: ମହୀ ମୋହନ ତ୍ରିପାଠୀ

ସ୍ମରଣାତୀତ କାଳରୁ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆବିର୍ଭୂତ ହୋଇଛନ୍ତି । ଏହି ପରମପାବନ କ୍ଷେତ୍ର ଯେ ପୃଥିବୀର ଏକ ପ୍ରାଚୀନ ଧର୍ମପୀଠ-ଏହା ବିନା ଦ୍ୱିଧାରେ କୁହାଯାଇପାରେ । କିନ୍ତୁ ଏହି କ୍ଷେତ୍ରର ମୁଖ୍ୟ ଅଧିଷ୍ଠାତା ଦେବତା ଶ୍ରୀଜଗନ୍ନାଥଙ୍କର ଇତିବୃତ୍ତ ଅଦ୍ୟାବଧି ରହସ୍ୟାବୃତ ହୋଇ ରହି ଆସିଛି । ବିଭିନ୍ନ ପୁରାଣ, କିମ୍ବଦନ୍ତୀ ଓ ଇତିହାସ ସେ ରହସ୍ୟ ଭେଦକରି ପାରି ନାହାନ୍ତି ।

କଥାରେ କୁହାଯାଇଛି, ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ରହସ୍ୟ ଦେବଗଣଙ୍କୁ ମଧ୍ୟ ଅଗୋଚର; ସାଧାରଣ ମାନବ ପକ୍ଷେ ସେ ରହସ୍ୟ ଭେଦ କରିବା ଅସମ୍ଭବ । ଶ୍ରୀଜଗନ୍ନାଥ ବେଦବର୍ଣ୍ଣିିତ ବିରାଟ ପୁରୁଷଙ୍କ ପ୍ରତୀକ ବିଗ୍ରହ । ସେ ଦୁର୍ବୋଧ୍ୟ, ଉପନିଷଦ ଦର୍ଶନର ମୂର୍ତ୍ତିମନ୍ତ ବିଗ୍ରହ ।

ପୁରୀର ନାମ ହୁଏତ ଦିନେ ଥିଲା ପୁରୁଷୋତ୍ତମ-ପୁରୀ ଓ ଜଗନ୍ନାଥ-ପୁରୀ । ନାମ ସଂକ୍ଷିପ୍ତୀକରଣ ପ୍ରକ୍ରିୟାରେ ହୋଇଗଲା 'ପୁରୀ' । ଏହାର ଅନ୍ୟାନ୍ୟ କେତୋଟି ନାମ ହେଲା-ଶ୍ରୀକ୍ଷେତ୍ର, ନୀଳାଚଳ କ୍ଷେତ୍ର, ନୀଳାଚଳ ଧାମ, ଶଙ୍ଖକ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ର, ପୁରୁଷୋତ୍ତମ ଧାମ, ନୀଳାଦ୍ରି । ବ୍ରିଟିଶ୍‍ ଶାସନ ସମୟର ସରକାରୀ ନଥିପତ୍ରରେ ଠାଏ ଠାଏ ପୁରୀ ଜାଗାରେ 'ଜଗନ୍ନାଥ' ଶବ୍ଦ ବ୍ୟବହୃତ ହୋଇଛି । ଉଭୟ ଶବ୍ଦ ହୋଇଯାଇଛି ସମାର୍ଥକ ।

ପୁର ଓ ପୁରୀ ଶବ୍ଦର ଅନେକ ଅର୍ଥ ରହିଛି । ପୁର ଅର୍ଥ ଗୃହ, ଦେଶ, ନଗର, ଦେହ ଇତ୍ୟାଦି । ଆତ୍ମା ସମସ୍ତ ପ୍ରାଣୀଙ୍କର ପୁରରେ ଅର୍ଥାତ୍‍ ଦେହରେ ଅବସ୍ଥାନ କରେ ବା ତାହାକୁ ପୂର୍ଣ୍ଣ କରି ରହେ ବା ସେଥିରେ ଶୟନ କରେ । ତେଣୁ ଆତ୍ମାକୁ 'ପୁରୁଷ' କୁହାଯାଏ । ପୁରୁଷ ଉତ୍ତମ, ପୁରୁଷୋତ୍ତମ-ଜଗନ୍ନାଥଙ୍କ ପୁର ହେତୁ ଏହି ଧାମର ନାମ ପୁରୁଷୋତ୍ତମପୁରୀ ବା ସଂକ୍ଷେପରେ ପୁରୀ ହୋଇଥିବ ।

ପୁରୀ ଶବ୍ଦକୁ ନେଇ ଭାଷାତତ୍ତ୍ୱବିତ୍‍ ଓ ଗବେଷକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ରହିଛି । ପ୍ରଫେସର ପଞ୍ଚାନନ ମହାନ୍ତି 'ପୁରୀ' ଶବ୍ଦର ବ୍ୟାଖ୍ୟା କରିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶା ଗୋଟିଏ ଆଦିବାସୀ ମୁଣ୍ଡାଭାଷୀ ଅଧ୍ୟୁଷିତ ରାଜ୍ୟ । ସମୁଦାୟ ପ୍ରାୟ ୧୨ଗୋଟି ମୁଣ୍ଡା ଭାଷା ମଧ୍ୟରୁ ଅନ୍ୟୂନ ଦଶଗୋଟି ଭାଷା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କଥିତ ହୁଏ । ମହାପ୍ରଭୁ ଜଗନ୍ନାଥ ମୁଖ୍ୟତଃ ଶବର ଦେବତା ଥିଲେ । ଶବରମାନେ ମୁଣ୍ଡା ଗୋଷ୍ଠୀର ଅନ୍ତର୍ଭୁକ୍ତ । ସାରଳା ମହାଭାରତ ଅନୁଯାୟୀ, ନୀଳାଚଳ ଥିଲା ଗୋଟିଏ ଶବର ଅଧ୍ୟୁଷିତ କ୍ଷେତ୍ର । ପୁରୀରେ ପ୍ରାଚୀନକାଳରେ ଶବରମାନେ ରାଜତ୍ୱ କରୁଥିଲେ ବୋଲି ଐତିହାସିକମାନେ ମଧ୍ୟ ମତ ପୋଷଣ

କରନ୍ତି । ଏ ମତକୁ ଗ୍ରହଣ କଲେ, ଶବରମାନେ ଏ ସ୍ଥାନଟିର କିଛି ଗୋଟିଏ ନାମ ଦେଇଥିବେ ଓ ସେହି ନାମଟି ଯେ ମୁଣ୍ଡା ଭାଷାର ଶବ୍ଦ ହୋଇଥିବ, ଏ କଥା ସ୍ୱୀକାର କରିବାକୁ ପଡ଼ିବ । ପ୍ରଫେସର ମହାନ୍ତି ବିଶ୍ୱାସ କରନ୍ତି ଯେ, ଏହି ପ୍ରାଚୀନ ନାମଟି 'ପୁରୀ' । କାରଣ ମୁଣ୍ଡା ଗୋଷ୍ଠୀର ବିଭିନ୍ନ ଭାଷାରେ ଏହି ଶବ୍ଦ ଜଳାଶୟ ଓ ସମୁଦ୍ର ସହିତ ସଂପୃକ୍ତ । ପୁରୀ ଗୋଟିଏ ମୁଣ୍ଡା ଭାଷାର ଶବ୍ଦ । ଏହି ଶବ୍ଦ ସମୁଦ୍ରପାଇଁ ବ୍ୟବହୃତ ହୋଇ ସମୟକ୍ରମେ ସମୁଦ୍ରକୂଳସ୍ଥିତ ସ୍ଥାନଟିର ନାମରେ ପରିଣତ ହୋଇଯାଇଛି । କିନ୍ତୁ ଅନ୍ୟ ଜଣେ ବିଦ୍ୱାନ ଗବେଷକ ପ୍ରଫେସର ଗଗନେନ୍ଦ୍ର ନାଥ ଦାଶଙ୍କ ମତରେ, ନାମ ସଂକ୍ଷିପ୍ତୀକରଣ ପ୍ରକ୍ରିୟା ମାଧ୍ୟମରେ 'ପୁରୁଷୋତ୍ତମ-ପୁରୀ' ବା 'ଜଗନ୍ନାଥ-ପୁରୀ'ର ସଂକ୍ଷିପ୍ତ ରୂପ 'ପୁରୀ' ହୋଇଛି ।
ଅନ୍ୟ ଦୃଷ୍ଟିରୁ ବିଚାର କଲେ, ଇଣ୍ଡୋନେସିଆର ବାଲିଦ୍ୱୀପ ସହିତ ପ୍ରାଚୀନ ଉତ୍କଳର ବାଣିଜ୍ୟ ସଂପର୍କ ରହିଥିଲା । ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ ଭାରତୀୟ ସାଧବମାନେ ଏହି ଦ୍ୱୀପରେ ପହଞ୍ଚିଯାଇଥିଲେ । ପ୍ରାଚୀନ ଉତ୍କଳ ତଥା କଳିଙ୍ଗରୁ ବହୁ ସାଧବ ସେଠାକୁ ଯାଇଥିଲେ । ସେମାନଙ୍କ ସଂସ୍କୃତିର ପ୍ରଭାବ ସେଠାରେ ପଡ଼ିଥିଲା । ବାଲିଦ୍ୱୀପରେ ଲୋକମାନେ ମନ୍ଦିରକୁ 'ପୁର' କହନ୍ତି । ଏହାଛଡ଼ା ମନ୍ଦିରକୁ ପ୍ରାସାଦ ମଧ୍ୟ କୁହାଯାଏ । ବାଲିଦ୍ୱୀପର 'ପୁରବୈଶାଖୀ' ମନ୍ଦିରକୁ ଠିକ୍‍ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଭଳି 'ପ୍ରାସାଦ' କୁହାଯାଏ । ଏଥିରୁ ସ୍ପଷ୍ଟ ଜଣାଯାଏ ଯେ, ଏକଦା ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରକୁ 'ପୁର' କୁହାଯାଉଥିଲା । କାଳକ୍ରମେ ଏହାର ନିକଟବର୍ତ୍ତୀ ଅଞ୍ଚଳ 'ପୁରୀ' ନାମରେ ବିଖ୍ୟାତ ହେଲା ।

କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ 'କୋଟିବ୍ରହ୍ମାଣ୍ଡ ସୁନ୍ଦରୀ' କାବ୍ୟରେ ପୁରୀର ଶ୍ରୀମନ୍ଦିରକୁ 'ପ୍ରାସାଦ' କୁହାଯାଇଛି ।

"ସ୍ନାନ ଗୁଣ୍ଡିଚା ଏ ବେନି ସ୍ୱୟଂ ଲୀଳା ଯାର
ପତିତପାବନ ଅର୍ଥେ ପ୍ରାସାଦୁଁ ବାହାର ।"

ଜୀବଦେବାଚାର୍ଯ୍ୟ (ଷୋଡ଼ଶ ଶତାବ୍ଦୀର ଉତ୍କଳୀୟ କବି) ତାଙ୍କର ସଂସ୍କୃତ ରଚନା 'ଉତ୍ସାହବତୀ ରୂପକ'ରେ ଲେଖିଛନ୍ତି-"ଅସ୍ମିନ୍ ବସନ୍ତ ସମୟେ ପୁରୁଷୋତ୍ତମସ୍ୟ ପ୍ରାସାଦ... ।" ଗଙ୍ଗବଂଶର ପ୍ରତିଷ୍ଠାତା ଚୋଡ଼ଗଙ୍ଗଦେବଙ୍କ ପ୍ରଦତ୍ତ ଏକ ଅଭିଲେଖରେ 'ପ୍ରାସାଦ ପୁରୁଷୋତ୍ତମସ୍ୟ' ବୋଲି ଉଲ୍ଲେଖ ଅଛି ।

ବ୍ରହ୍ମ ଦେଶର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ବିବରଣୀ (୧୯୧୬)ରୁ ଜଣାଯାଏ ଯେ, ସେଠାର ପ୍ରାଚୀନ ପ୍ରୋମ୍‍ ଅଞ୍ଚଳର ନାମ ଥିଲା 'ଶ୍ରୀକ୍ଷେତ୍ର' । ଉତ୍କଳର ଉପନିବେଶକାରୀମାନେ ବ୍ରହ୍ମଦେଶର ପ୍ରୋମ୍‍ ଅଞ୍ଚଳରେ ପରିବ୍ୟାପ୍ତ ହୋଇଥିଲେ । ଖ୍ରୀଷ୍ଟପୂର୍ବ ଦୁଇଶହରେ ଉତ୍କଳୀୟମାନେ ସେଠାରେ ଉପନିବେଶ ସ୍ଥାପନ କରିଥିଲେ । 'ପ୍ରୋମ୍‍' ନାମଟି ହୁଏତ 'ପୁରମ୍‍' (ପୁର) ଶବ୍ଦରୁ ସୃଷ୍ଟି ହୋଇଥିବ ।

ଶ୍ରୀକରଣ ଓ କରଣ

ଚତୁର୍ଥ ନରସିଂହ ଦେବଙ୍କ ରାଜସଭାରେ ଯେତେବେଳେ ବାହ୍ୟ ଆକ୍ରମଣର ଆଶଙ୍କା ଦେଖାଦେଇଥିଲା, ସେତେବେଳେ ଶ୍ରୀକରଣ ବିଶ୍ୱନାଥ ମହାସେନାପତି ନିଜ ବିଚକ୍ଷଣ ରଣନୀତି...