Friday, November 27, 2020

ଆଠଟି ପାପ – ସନ୍ତୋଷ ପଟ୍ଟନାୟକ

ଏକଦା କାଳିଦାସ ସହର ପରିକ୍ରମା କରୁଥିବା ସମୟରେ ତାଙ୍କର ନଜର ପଡ଼ିଲା ଏକ ମହିଳାଂକ ଉପରେ । ମହିଳା ଜଣକ ରାସ୍ତା କଡରେ ଏକ ମାଟି କଳସିରେ କିଛି ପାନୀୟ ଦ୍ରବ୍ୟ ଓ ପାଖରେ ପିଇବା ପାଇଁ କିଛି ପାତ୍ର ଧରି ବସିଥିଲେ । କାଳିଦାସ ତୃଷାର୍ତ୍ତ ଥିଲେ । ତେଣୁ ସେ ତୃଷା ମେଣ୍ଟାଇବା ଉଦ୍ଦେଶ୍ୟରେ ଉକ୍ତ ମହିଳାଙ୍କ ପାଖରେ ପହଞ୍ଚିଲେ ।

କାଳିଦାସ ମହିଳାଙ୍କ ପାଖରେ ପହଞ୍ଚି ପଚାରିଲେ-
“ଆପଣ କଣ ବିକ୍ରି କରୁଛନ୍ତି ? ଏଥିରେ ମୋ ତୃଷା ମେଣ୍ଟିବ କି ?”

ମହିଳା କହିଲେ-“ମୁଁ ପାପ ବିକ୍ରି କରୁଛି । ଏ ପାନୀୟରେ ତୃଷା ମେଣ୍ଟେ ନାହିଁ ବରଂ ଏହା ଅଧିକ ତୃଷା ବଢାଇଥାଏ ।”

କାଳିଦାଶ ଆଶ୍ଚର୍ଯ୍ୟ ହୋଇ ପଚାରିଲେ-
“ପାପ ବିକ୍ରି କରୁଛ ? କଣ ସତରେ ଏହି ମାଟି କଳସୀରେ ଥିବା ପାନୀୟ ପାପ ଅଟେ ?”

ମହିଳା କହିଲେ-
“ହଁ,ମହାଶୟ ! ଏ କଳସିରେ ପାପ ଅଛି । ଗୋଟିଏ କି ଦୁଇଟା ନୁହଁ, ପୂରା ଆଠଟି ପାପ ଅଛି । ପ୍ରତିଦିନ ମୁଁ ଚିତ୍କାର କରି କହୁଛି, ପାପ ନେବ ପାପ ? ଲୋକମାନେ ମଧ୍ୟ ପାପକୁ ଭୟ ନ କରି ମୋତେ ପଇସା ଦେଇ କିଣନ୍ତି ।”

ମହାକବି କାଳିଦାସ ଆଶ୍ଚର୍ଯ୍ୟ ହେଲେ । ଲୋକମାନେ ଜାଣିବା ପରେ ବି ପାପ କିଣନ୍ତି !
ସେ ପଚାରିଲେ-“ଏହି କଳସିରେ ଥିବା ଆଠଟି ପାପ କଣ କହିବେ କି ?”
ମହିଳା ଉତ୍ତର ଦେଲେ-
1.କ୍ରୋଦ୍ଧ, 2. ବୁଦ୍ଧିନାଶ, 3.ଯଶ ଗୌରବ ନାଶ, 4.ଅସତ୍ୟ, 5.ସ୍ତ୍ରୀ ଓ ସନ୍ତାନଙ୍କ ପ୍ରତି ଅତ୍ୟାଚାର, 6.ଚୋରି, 7.କଳହ ଓ 8.ସ୍ବାସ୍ଥ୍ୟହାନୀ । ଏପରି ଆଠଟି ପାପ ଅଛି ।

କାଳିଦାସ କହିଲେ-
“ଏହା ବଡ ବିଚିତ୍ର କଥା । ମୁଁ ଆଜି ପର୍ଯ୍ୟନ୍ତ କୌଣସି ପୁରାଣ ଶାସ୍ତ୍ରରେ ଏପରି ଆଠଟି ପାପ ବିକ୍ରି ହେବା କଥା ପଢି ନାହିଁ । ହଉ, ତୁମ କଥା ହେଲା, କିନ୍ତୁ ଏ ମାଟି କଳସିରେ କଣ ଅଛି ?”

ମହିଳା କହିଲେ-
“ଏ କଳସୀରେ ସୁରା (ମଦ) ଅଛି ।”

ମହାକବି କାଳିଦାସ ଏବେ ସବୁକଥା ବୁଝି ପାରିଲେ । ସେ ମହିଳାଂକୁ ଧନ୍ୟବାଦ୍ ଦେଇ କହିଲେ-
“ତୁମେ ସମସ୍ତଙ୍କୁ ଆଠଟି ପାପ ବିଷୟରେ ବୁଝାଇ ସଚ୍ଚୋଟ ଭାବରେ ନିଜ ପରିବାରର ପ୍ରତିପୋଷଣ କରୁଛ । କିନ୍ତୁ ଯେଉଁମାନେ ଏ ଆଠଟି ପାପ ବିଷୟରେ ଜ୍ଞାନ ହେବା ପରେ ବି ଆପଣଙ୍କ ଠାରୁ ଏ ପାପ କ୍ରୟ କରୁଛନ୍ତି, ସେମାନଙ୍କୁ ଶତ ଧିକ୍ ।”

ବର୍ତ୍ତମାନ ଭାବନ୍ତୁ, ଏ ଆଠଟି ପାପର ଭାଗିଦାର ହେବାକୁ ଚାହିଁବା ଉଚିତ୍ କି ?” 

☘ ବାଙ୍କଚୂଡ଼ ବେଶ ☘

#ବାଙ୍କଚୂଡ଼_ବେଶ /#Bankachuda_besha

ପଞ୍ଚୁକ ର ଦିତୀୟା ଦିନ ଟି କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ୧୨ ଦିନ ପଡେ , ଯାହାକୁ କୁ କି କୁହାଯାଏ ଦ୍ବାଦଶୀ ତିଥି , ଆଉ ଏହି ଦିନ ମହାପ୍ରଭୁ ଜଗନ୍ନାଥଙ୍କୁ ବେଶ କରା ଯାଏ ଯାହାକୁ”ବାଙ୍କଚୂଡ଼ା ବେଶ ବା ବାମନ ବେଶ ” କୁହାଯାଏ. କାର୍ତ୍ତିକ ମାସର ପଞ୍ଚୁକ ମଧ୍ୟରେ ପଡୁଥିବା ଶୁକ୍ଳ ଦ୍ଵାଦଶୀ ତିଥିରେ ରତ୍ନ ସିଂହାସନରେ ଅଧିଷ୍ଠିତ ଠାକୁରଙ୍କ ବାଙ୍କଚୂଡ଼ା ବେଶ ବେଶ ଅନୁଷ୍ଠିତ ହୋଇଥାଏ। ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ଭକ୍ତ ଅକ୍ରୁର ମଥୁରା ନେବା ପାଇଁ ଗୋପ ଆସିଥିଲେ, ଏହି ବେଶରେ ପ୍ରଭୁଙ୍କୁ ଦର୍ଶନ କରିଥିଲେ । ସେହି ସୃତିକୁ ଉଜ୍ଜୀବିତ କରିବା ପାଇଁ ପୁରୀ ଶ୍ରୀମନ୍ଦିରରେ ବହୁ ପୁରାତନ କାଳରୁ ବାଙ୍କଚୂଡ଼ା ବେଶ ପାଳିତ ହୋଇଆସୁଛି । ଏହି ବେଶର ବିଶେଷତ୍ଵ ଯେ ଜଗନ୍ନାଥ ଓ ବଳଭଦ୍ରଙ୍କ ଶ୍ରୀମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଆଡ ଖୋସା ପଡେ ଏବଂ ଏହି ଖୋସା ର ଅଗ୍ର ଗଣ୍ଠିରେ ଏକ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ। ସୂଚନାଯୋଗ୍ୟ ଏକ ଛୋଟ ସ୍ଵର୍ଣ୍ଣ କୀରିଟ ଠାକୁର ମାନଙ୍କ କପାଳର ଶୀର୍ଷ ଭାଗରେ ଶୋଭାପାଇଥାଏ। ଲକ୍ଷ୍ମୀନାରାୟଣ ବେଶରେ ଲାଗୁଥିବା ଅଧିକାଂଶ ଅଳଙ୍କାର ଏଥିରେ ବ୍ୟବହୃତ ହୋଇଥାଏ । ଜଗନ୍ନାଥ ଚକ୍ର ଓ ଶଙ୍ଖ ଏବଂ ବଳଭଦ୍ର ହଳମୂଷଳ ଧାରଣ କରନ୍ତି । ଏହି ବେଶରେ ସୁଭଦ୍ରାଙ୍କ ଆଭୂଷଣ ପରିବର୍ତ୍ତନ ହୁଏନାହିଁ । ମାତ୍ର ତାଙ୍କର ମସ୍ତକ ସୂବର୍ଣ୍ଣ କିଆରେ ଶୋଭିତ ହୁଏ ।

Thursday, November 12, 2020

☘ରାଜଭୋଗୀରୁ ମହାଯୋଗୀ☘

🌹🙏🌹((  ରାଜଭୋଗୀରୁ  ମହାଯୋଗୀ  ))🌹🙏🌹
*****************************************
     ଓଡିଶାର ଗଞ୍ଜାମ ଜିଲ୍ଲା ବଡଖେମଣ୍ଡିର ବିଜୟ ନଗର ଗଡର ରାଜା ଥିଲେ ପଦ୍ମନାଭ ଦେବ । ତାଙ୍କର ପୁତ୍ର ରୂପେ ଜନ୍ମ ଲାଭ କଲେ ବଳଭଦ୍ର ସମ ଉଜ୍ଜ୍ବଳକାନ୍ତି ବିଶିଷ୍ଟ ଶିଶୁ ପୁତ୍ର । ନାମ ରଖାଗଲା ବଳଭଦ୍ର ଦେବ । ବଳଭଦ୍ରଙ୍କର ଚାଟଶାଳୀ ଶିକ୍ଷା ଭିତରେ ବୃଦ୍ଧି ପାଇଲା ବ୍ରହ୍ମ ଜିଜ୍ଞାସାର ଭାବ । ତୁଳିତଳ୍ପ ଶଯ୍ୟା,ସୁମିଷ୍ଟ ବ୍ୟଞ୍ଜନ,ଚୂଆ ଚନ୍ଦନ ଅଳଙ୍କାର ପରିଧାନ ଏବଂ ପୁଷ୍ପ ଭୂଷଣ ପ୍ରତି ବଳଭଦ୍ରଙ୍କର ବୈରାଗ୍ୟ ଜଗତ ହେଲା ।

             ଏ ପ୍ରାଚୁର୍ଯ୍ୟ ଓ ଭୋଗ ପ୍ରତି ଅନାସକ୍ତ ଥିବା ଜାଣି ତାଙ୍କୁ ଖୁସି କରିବାକୁ ପିତାମାତା ବିବିଧ ମନୋରଞ୍ଜନର ବ୍ୟବସ୍ଥା କଲେ ।ବିବାହ ପାଇଁ ରୂପସୀ ରାଜ କନ୍ୟାଙ୍କର ପ୍ରସ୍ତାବ ମଧ୍ୟ ପ୍ରକାଶ କରିଲେ ।....

     ଏହି ସମୟରେ ଘଟିଲା ଏକ ଚମତ୍କାର ଘଟଣା ।।ଜଣେ ସନ୍ନ୍ୟାସୀ ହେଲେ ରାଣୀ ଅନ୍ତପୁରର ଅତିଥି ।।ସୁମିଷ୍ଟ ବ୍ୟଞ୍ଜନ ସବୁ ମୂଲ୍ୟବାନ ପାତ୍ରରେ ପରିବେଷଣ କରାଗଲା ।।ମାତ୍ର ସେ ସନ୍ନ୍ୟାସୀ କଦଳୀ ପତ୍ରରେ ଖାଦ୍ୟ ଗ୍ରହଣ କରିବା ଜାଣି ଯୁବରାଜ ବଳଭଦ୍ର ପ୍ରାସାଦ ନିକଟସ୍ଥ ବୃଦ୍ଧା ବ୍ରାହ୍ମଣୀର ବାଡିରୁ କାଟିଲେ ପତ୍ର ।
              ବୃଦ୍ଧାଟି ଭଲ ଦେଖି ନ ପାରି ପାଟି କରି କହିଲା,-- 
 " କିଏ ରେ ଅରକ୍ଷିତ ?? ମୋ ବାଡିରେ ପଶିଛୁ  "?? ଯୁବରାଜ  ବଳଭଦ୍ରଙ୍କ ପୂର୍ବ ଜନ୍ମ କଥା ମନେ ପଡିଗଲା ।ସେ ସତରେ ଅରକ୍ଷିତ । ଜାତିସ୍ମର ଅରକ୍ଷିତ ବୁଝି ପାରିଲେ,ସନ୍ନ୍ୟାସୀଙ୍କର ଆବିର୍ଭାବ ଘଟିଛି କେବଳ ପୂର୍ବ ଜନ୍ମ କଥା ସ୍ମରଣ କରିଦେବା ପାଇଁ ।

            ଚାଲିଗଲେ ସନ୍ନ୍ୟାସୀ ଜଣକ । କିନ୍ତୁ,ବଳଭଦ୍ରଙ୍କ ମନରେ ଭରି ଦେଇ ଗଲେ ବୈରାଗ୍ୟର କଥା । ଭୋଗ ନୁହେଁ,ତ୍ୟାଗରେ ଜୀବନର ମୁକ୍ତି ଅଛି ।ଏହା ଚିନ୍ତା କରି ରାଜ ପୁତ୍ରର ମୋହ ବନ୍ଧନ ତୁଟାଇ ଉଣେଇସି ବର୍ଷ ବୟସରେ ବୈଶାଖ ଶୁକ୍ଳ ଅଷ୍ଟମୀ ତିଥିରେ ଚନ୍ଦ୍ର ଅସ୍ତ ଯାଆନ୍ତେ ମଧ୍ୟରାତ୍ରୀ ପରେ ସେ କଲେ ଗୃହତ୍ୟାଗ ।

              ସେକଥା  " ମହୀମଣ୍ଡଳ ଗୀତା " ରେ ପ୍ରମାଣ ରହିଛି  ....👇

  ସତର ବରଷ ଯେଠାରୁ - ସୁବୁଦ୍ଧି ହେଲା ମୋ ହୃଦରୁ ।।
  ଦୁଇ ବରଷ ଘର ଠାରେ - ରହିଲି ତୁମ୍ଭ ଭାବନାରେ    ।।
  ତୁମ୍ଭର ଭାବେ ଚିତ୍ତ ଦେଲି - ରାତ୍ର ଦିବସ ନ ଜାଣିଲି   ।।
                         🙏🌹🙏

Sunday, November 8, 2020

☘ ପଞ୍ଚୁକ ☘


ପଞ୍ଚୁକ :   ✍ ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ 

କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପରମ ପବିତ୍ର ଦିବସ I ଏହି ପଞ୍ଚକରେ ତେତିଶ କୋଟି ଦେବତା ମନୁଷ୍ୟମାନଙ୍କର ସନ୍ନିକଟ ହୋଇଯାନ୍ତି I ଏହି ସମୟରେ ଏକଲକ୍ଷ ତୁଳସୀପତ୍ର ଚଢାଇ ବିଷ୍ଣୁଙ୍କୁ ପୂଜାକଲେ, ସମସ୍ତ ଦେବତା ପ୍ରସନ୍ନହୋଇ ବର ପ୍ରଦାନକରନ୍ତି I “ ସର୍ବଦେବ ନମସ୍କାରଃ କେଶବଂ ପ୍ରତିଗଚ୍ଛତି I” ଭଗବାନ୍ ବିଷ୍ଣୁ ଇପ୍ସିତ ବର ପ୍ରଦାନକରନ୍ତି I ଗୋଟିଏ ଗୋଟିଏ ତୁଳସୀ ଦଳ ଗୋଟିଏ ଗୋଟିଏ ମୋତି ହୋଇଯାଏ I ପାଞ୍ଚଦିନ ଗୋବିନ୍ଦ ନାମ ସ୍ମରଣକଲେ ଅକ୍ଷୟପୁଣ୍ୟ ପ୍ରାପ୍ତିହୁଏ I “ଗୋବିନ୍ଦ ଗୋବିନ୍ଦ ହରେ ମୁରାରେ ଗୋବିନ୍ଦ ଗୋବିନ୍ଦ ମୁକୁନ୍ଦକୃଷ୍ଣ / ଗୋବିନ୍ଦ ଗୋବିନ୍ଦ ରଥାଙ୍ଗ ପାଣେ ଗୋବିନ୍ଦ ଦାମୋଦର ମାଧବେତି I” ଭାଗବତ ଏବଂ ଗୀତା ପାଠ କରିବା ବିଧେୟ I ଏହିସମୟରେ ପ୍ରତ୍ୟେହ ଗୀତାର ଗୋଟିଏ ଶ୍ଳୋକ ପାଠକରି ମଧ୍ୟ ମନୁଷ୍ୟ ଜୀବନ୍ମୁକ୍ତ ହୋଇଯିବ । ସ୍କନ୍ଦ ପୁରାଣ ମତେ:
“ କାର୍ତ୍ତିକ ମାସି ବିପ୍ରେନ୍ଦ୍ର ଯସ୍ତୁଗୀତାଂ ପଠେନ୍ନରଃ
ତସ୍ୟ ପୁଣ୍ୟଫଳଂ ବକ୍ତୁଂ ମମଶକ୍ତି ର୍ନ ବିଦୀତେ
ଗୀତାୟାସ୍ତୁ ସମଂ ଶାସ୍ତ୍ରଂ ନ ଭୂତଂ ନ ଭବିଷ୍ୟତି
ସର୍ବ ପାପହରା ନିତ୍ୟଂ ଗୀତୈକା ମୋକ୍ଷଦାୟିନୀ
ଶ୍ରୀମଦ୍ ଭଗବତସ୍ୟାପି ଶ୍ରବଣଂ ଯଃ ସମାଚରେତ୍
ସର୍ବପାପ ବିନିର୍ମୁକ୍ତଃ ପରଂ ନିର୍ବାଣ ମୃଚ୍ଛତି I”

ଏହିପାଞ୍ଚଦିନକୁ ଭୀଷ୍ମ ପଞ୍ଚକ କୁହାଯିବାର ପୌରାଣିକ ରହସ୍ୟ ହେଉଛି – ବାଣ ଶଯ୍ୟା ଉପରେ ଶାୟିତ ପିତାମହ ଭୀଷ୍ମ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ I ଏଥିରେ ପ୍ରସନ୍ନ ହୋଇ ଶ୍ରୀବାସୁଦେବ କହିଲେ ଆପଣ ଧନ୍ୟ I ଧର୍ମର ଗୂଢ଼ ରହସ୍ୟ ବର୍ଣ୍ଣନା କରିଛନ୍ତି I କାର୍ତ୍ତିକ ଏକାଦଶୀଦିନ ତମେ ଜଳର ଯାଚନା କରିଛ I ଅର୍ଜୁନ ବାଣର ବେଗରେ ଗଙ୍ଗାଜଳ ପ୍ରସ୍ତୁତ କଲେ, ଯଦ୍ୱାରା ତମର ତନ, ମନ, ପ୍ରାଣ ସନ୍ତୁଷ୍ଟ କଲା । ଏଣୁ ଆଜିଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଯେଉଁମାନେ ତୁମକୁ ଜଳ ଅର୍ଘଦାନ କରିବେ – ସେମାନେ ମୋତେ ତୃପ୍ତ କରିବେ I ଏହା ହେଉଛି ଭୀଷ୍ମପଞ୍ଚକ – ପ୍ରତିବର୍ଷ ପାଳିତ ହେବ I ବ୍ରତଧାରୀ ସବ୍ୟ ହୋଇ ମହାତ୍ମା ଭୀଷ୍ମଙ୍କ ପାଇଁ ତର୍ପଣ କରିବେ I ଏହିଭୀଷ୍ମ ତର୍ପଣ ସମସ୍ତ ବର୍ଣ୍ଣର ଲୋକେ କରିପାରିବେ I ମନ୍ତ୍ର ହେଉଛି-
“ ସତ୍ୟବ୍ରତାୟ ଶୁଚିୟେ ଗାଙ୍ଗେୟାୟ ମହାତ୍ମନେ
ଭୀଷ୍ମାୟୈତଦ୍ ଦଦାମ୍ୟର୍ଘ୍ୟ ମାଜନ୍ମ ବ୍ରହ୍ମଚାରିଣେ I”
ଆଜନ୍ମ ବ୍ରାହ୍ମଚର୍ଯ୍ୟ ପାଳନକର୍ତ୍ତା ପରମ ପବିତ୍ର ସତ୍ୟବ୍ରତ ପରାୟଣ ଗଙ୍ଗାନନ୍ଦନ ଭୀଷ୍ମଙ୍କୁ ମୁଁ ଏହି ଅର୍ଘ୍ୟ ପ୍ରଦାନ କରୁଛି । ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଅନେକ ଏହି ଭୀଷ୍ମପଞ୍ଚକ ବ୍ରତ ପାଳନ କରନ୍ତି । ସନ୍ତାନହୀନ ବ୍ୟକ୍ତିଙ୍କ ପାଇଁ ଭୀଷ୍ମପଞ୍ଚକ ପାଳନୀୟ- ଏକଥା ପଞ୍ଚକରେ ଅର୍ଘ୍ୟଦାନ ମନ୍ତ୍ରରୁ ସୁସ୍ପଷ୍ଟ ହୋଇଥାଏ I ଅର୍ଘ୍ୟଦାନ ମନ୍ତ୍ର ହେଉଛି-
“ବୈୟାଘ୍ୟପଦ ରୋତ୍ରାୟ ସାଙ୍କୃତ ପ୍ରବରାୟ ଚ
ଅପୁତ୍ରାୟ ଦଦାମ୍ୟେତ ଦୁଦକଂ ଭୀଷ୍ମ ବର୍ମଣେ
ବତ୍ସନାମବତାରାୟ ଶନ୍ତନୋ ରାତ୍ମଜାୟ ଚ
ଅର୍ଘ୍ୟଂ ଦଦାମି ଭୀଷ୍ମାୟ ଆଜନ୍ମ ବ୍ରହ୍ମଚାରିଣେ I”
ଯାହାଙ୍କର ବ୍ୟାଘ୍ରପଦ ଗୋତ୍ର ଏବଂ ସାଂକୃତ ପ୍ରବର, ସେହିପୁତ୍ର ରହିତ ଭୀଷ୍ମବର୍ମାଙ୍କୁ ମୁଁ ଏହିଜଳ ଦେଉଛି I ବସୁମାନଙ୍କ ଅବତାର, ଶାନ୍ତନୁଙ୍କ ପୁତ୍ର, ଆଜନ୍ମ ବ୍ରହ୍ମଚାରୀ ଭୀଷ୍ମଙ୍କୁ ମୁଁ ଅର୍ଘ୍ୟ ଦେଉଛି I ପଞ୍ଚଗବ୍ୟ, ସୁଗନ୍ଧଚନ୍ଦନ, କୁଙ୍କୁମଦ୍ୱାରା ଭକ୍ତିପୂର୍ବକ ଶ୍ରୀହରିଙ୍କ ପୂଜନ କରିବ I ଅଷ୍ଟାକ୍ଷର ମନ୍ତ୍ର “ଓଁ ନମୋ ବାସୁଦେବାୟ ” ବା ଷଡାକ୍ଷର ମନ୍ତ୍ର “ ଓଁ ରାମାୟନମଃ, ” ଶହେ ଆଠବାର ଜପ କରିବ I ବ୍ରତକାଳରେ ବ୍ରାହ୍ମଚର୍ଯ୍ୟ ପାଳନ କରିବ I କାର୍ତ୍ତିକ ପୌଷମାସୀରେ ବ୍ରାହ୍ମଣଙ୍କୁ ନ୍ୟୁନ ପକ୍ଷେ ପାଞ୍ଚ ଜଣ ବ୍ରାହ୍ମଣଙ୍କୁ ଭୋଜନ ଦେଇ ବ୍ରତ ଉଦ୍ ଯାପନ କରିବ । ଏହି ପଞ୍ଚକରେ ପାଞ୍ଚଦିନ ଯାକ ତାତ୍ପର୍ଯ୍ୟପୂର୍ଣ୍ଣ । ପଞ୍ଚକର ପ୍ରଥମଦିନ ହେଉଛି ବଡ ଏକାଦଶୀ I ଆଷାଢ ଶୁକ୍ଳପକ୍ଷ, ଏକାଦଶୀ ତିଥିରେ ଭଗବାନବିଷ୍ଣୁ ଶଙ୍ଖାସୁରକୁ ବଧ କରିଥିଲେ I ଅତଃ ସେହିଦିନ ଠାରୁ ଚାରିମାସ କାଳ ଭଗବାନ କ୍ଷୀରସାଗରରେ ବିଶ୍ରାମ କରନ୍ତି I ଚାର୍ତୁମ୍ୟାସ୍ୟା ପରେ କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଜାଗ୍ରତ ହୁଅନ୍ତି I ଏହିକାରଣରୁ ବୈଷ୍ଣବମାନେ “ଉତ୍ତିଷ୍ଠୋତ୍ତିଷ୍ଠ ଗୋବିନ୍ଦ ଉତ୍ତିଷ୍ଠ ଗରୁଡଧ୍ୱଜ
ଉତ୍ତିଷ୍ଠ କମଳାକାନ୍ତ ତୈଲୋକ୍ୟ ମଙ୍ଗଳଂ କୁରୁ”
ମନ୍ତ୍ରୋଚାରଣ କରି ବିଷ୍ଣୁ ଭଗବାନଙ୍କୁ ଜାଗ୍ରତ କରାନ୍ତି I ହେ ଗୋବିନ୍ଦ ! ଉଠନ୍ତୁ, ଉଠନ୍ତୁ, ହେ ଗରୁଡଧ୍ୱଜ ! ଉଠନ୍ତୁ I ହେ କମଳାକାନ୍ତ ! ନିଦ୍ରା ତ୍ୟାଗକରି ତିନିଲୋକର ମଙ୍ଗଳ କରନ୍ତୁ I ପିତାମହ ବ୍ରହ୍ମା ଦେବର୍ଷି ନାରଦଙ୍କୁ କହୁଛନ୍ତି- “ ଏହି ଏକାଦଶୀକୁ ପ୍ରବୋଧିନୀ ଏକାଦଶୀ କୁହାଯାଏ I 
ଏହି ଏକାଦଶୀରେ ଉପବାସ ରହିବା ହଜାରେ ଅଶ୍ୱମେଧ ତଥା ଶହେ ରାଜସୂୟ ଯଜ୍ଞର ଫଳ ଦିଏ I ପଞ୍ଚକର ଦ୍ୱିତୀୟଦିନ ହେଉଛି ଦ୍ୱାଦଶୀ I ଏହିଦିନ ଉତ୍ତମ, ବୁଦ୍ଧିମାନ ମନୁଷ୍ୟ ବୃଦ୍ଧ ପିତାମାତାଙ୍କୁ ବିଧିପୂର୍ବକ ଭୋଜନ କରାଇ ନିଜ ସ୍ତ୍ରୀ ସହିତ ଭଗବାନ ବିଷ୍ଣୁଙ୍କ ପ୍ରସାଦକୁ ସେବନ କରନ୍ତି I ଯେଉଁ ମନୁଷ୍ୟ ଏହି ପ୍ରକାର ବିଧିରେ ଦ୍ୱାଦଶୀ ବ୍ରତର ଭୋଜନ କରାଇ ନିଜ ସ୍ତ୍ରୀ ସହିତ ଭଗବାନ ବିଷ୍ଣୁଙ୍କ ପ୍ରସାଦକୁ ସେବନ କରନ୍ତି, ସେ ଉତ୍ତମ ସୁଖ ଉପଭୋଗ କରି ଶେଷରେ ମୋକ୍ଷପ୍ରାପ୍ତ ହୁଅନ୍ତି I

ପଞ୍ଚକର ଶେଷ ତିନିଦିନ ତ୍ରୟୋଦଶୀ, ଚତୁର୍ଦ୍ଦଶୀ, ପୂର୍ଣ୍ଣିମା- ଅତ୍ୟନ୍ତ ପୂଣ୍ୟମୟ ତିଥି । ପୂର୍ଣ୍ଣିମା ଏବଂ ତାର ପୂର୍ବ ଚାରିଦିନକୁ ମିଶାଇ ପାଞ୍ଚ ଦିନକୁ ପଞ୍ଚୁକ କୁହାଯାଏ ।ଯଥା ପଞ୍ଚକ, ମହାପଞ୍ଚକ, ବକ ପଞ୍ଚକ, ଭୀଷ୍ମ ପଞ୍ଚକ ଓ ରାସ ପୂର୍ଣ୍ଣିମାI ଏହି ପାଞ୍ଚଦିନ ପ୍ରତ୍ୟେକ ହିନ୍ଦୁ ଆମିଷ ପରିହାର କରି ଶୁଦ୍ଧ, ସାତ୍ତ୍ୱିକ ଭୋଜନ କରନ୍ତି I

ଲୁହ

ଅଟକୁନି ଲୁହ  ବୋହି ଚାଲୁଛି ଅନବରତ ଆଖିବି ନିଜର କରି ରଖି ପାରୁନି  ଏ ଲୁହକୁ,,,, ବାସ୍ ଝରି ଯାଉଛି ଟୋପା ଟୋପା ହୋଇ! ମନର ବ୍ୟଥା  ହୃଦୟର କୋହ  ସତରେ ଭା...