Showing posts with label ମାତୃଭୂମି. Show all posts
Showing posts with label ମାତୃଭୂମି. Show all posts

Tuesday, February 2, 2021

☘ ମୁଁ ' ଓଡ଼ିଆ ☘

#ମୁଁ_ଜଣେ_ଓଡ଼ିଆ 
(କ) ''ମୁଁ ଜଣେ ଓଡ଼ିଆ" ; ପୃଥିବୀର ଯେ କୌଣସି ସ୍ଥାନରେ ଠିଆହୋଇ ଏହା କହିବାରେ ଖୁବ୍ ଆନନ୍ଦ ଅଛି। ପୃଥିବୀର କୋଡ଼ିଏଟି ସମୃଦ୍ଧ ସଭ୍ୟ ସୃଜନ ଭାଷା ଭିତରୁ ମୋ ଭାଷା ଗୋଟିଏ। ପୃଥିବୀର ଯେ କୌଣସି ଗୌରବମୟ ସଂସ୍କୃତି ମଧ୍ୟରୁ ମୋ ସ°ସ୍କୃତି କେବଳ ଗୋଟିଏ ନୁହେଁ ! ମୋର ସ୍ଥାନ ସ୍ଵତନ୍ତ୍ର। ସ୍ଵତନ୍ତ୍ର କଳାର ସୃଜନ (ଉତ୍କଳ) ହେତୁ ପଥର ନିହାଣରେ କିମ୍ବଦନ୍ତି ଗଢ଼ିଛି। ବିଶ୍ଵ ନୃତ୍ୟମାନସରେ ମୋ ନୃତ୍ୟ ଏକ ଉତ୍ତରଣ ଭୂମିରୁ ଭୂମାଆଡ଼େ ; ଆଉ ସବୁ ନୃତ୍ୟକୁ ଏହା କହେ : ନୃତ୍ୟର ଛନ୍ଦରେ କରିହେବ ପ୍ରାଣର ଈଶ୍ୱରୀକରଣ। ସମୁଦ୍ରର ଅସୀମତାକୁ ଦେଖି ବିଶ୍ଵ ଯେବେ ଭୟରେ ଚାହିଁ ରହୁଥିଲା,ମୁଁ ଅଗସ୍ତି ମୁନି ଭଳି ପିଇ ନେଇଥିଲି ସାତ ସମୁଦ୍ର। ଦ୍ବୀପ ପରେ ଦ୍ଵୀପ ଡେଇଁ ଦେଶ ବିଦେଶରେ ମୋ ଦୁଃସାହସର ଧ୍ବଜା ଉଡାଇଥିଲି। ଆଉ ବିଶ୍ଵ ଆଧ୍ୟାତ୍ମ ବଡ଼ଦାଣ୍ଡରେ ମୁଁ ଗଢ଼ିଛି ଅଧାଗଢ଼ା ତିନିଠାକୁର। ମୁଁ ମଣିଷ ; କିଭଳି ଗଢ଼ିପାରିବି ପୂର୍ଣ୍ଣ ଈଶ୍ଵର ? ମୋର ଏଇ ସରଳତାରେ ଗଢ଼ା ମୋ ସରଳ ଠାକୁର ମଧ୍ୟରେ  ସବୁଧର୍ମ, ସବୁମତ,ସବୁପଥ ନିଜ ଅସ୍ତିତ୍ଵ ହରାଇଛି। ଆଉ ସେଇ ସରଳ ଠାକୁର କେବଳ ମୋ ମନ୍ଦିରର ଦିଅଁ ନୁହେଁ ; ମୋ ଜାତିର ଆତ୍ମା,ମୋ ଘରର ମୁରବୀ। ତେଣୁ ମୁଁ ଏ ଭୂମିର ଦାୟାଦ ବୋଲି ଆନନ୍ଦ ଲାଗୁଛି ।

(ଖ) "ମୁଁ ଜଣେ ଓଡ଼ିଆ" ; ପୃଥିବୀର ଯେକୌଣସି ସ୍ଥାନରେ ଠିଆହୋଇ ଏହା କହିବାରେ ଖୁବ୍ ଆନନ୍ଦ ଅଛି। ମୋ ପବିତ୍ର ମାଟିକୁ ଛୁଇଁ କେବଳ ଚଣ୍ଡାଶୋକ 'ଧର୍ମାଶୋକ' ହୋଇ ନ ଥିଲା ; ନିତିନିତି ନୀରିହ ରକ୍ତରେ ସ୍ନାନ କରୁଥିବା ପିଶାଚ କରୁଣାର ମହାଦୂତ ହୋଇ ନ ଥିଲା ; ଏ ପବିତ୍ର ମାଟି ଇତିହାସର ସରହଦ ଡେଇଁ ପୁରାଣପୃଷ୍ଠାରେ ଆଙ୍କିଛି କେତେ ପବିତ୍ର ପାଦ ଚିହ୍ନ। ଏଇ ମାଟିକୁ ଦ୍ଵାରକାରୁ ଶାପଗ୍ରସ୍ତ 'ଶାମ୍ବ' ଋଷି ଆଦେଶ ଘେନି ଆସିଥିଲେ ଶାପ ମୁକ୍ତି ପାଇଁ। ଅର୍କଭୂମି କୋଣାର୍କର କର୍ଦ୍ଦମକୁ ଦେହରେ ବୋଳି କାଶ୍ୟପଙ୍କ ଆରାଧନାକରି ହୋଇଥିଲେ ଶାପମୁକ୍ତ। ଆଉ ପଣ୍ଡୁପାଞ୍ଚ ଭାଇ ମହାଭାରତ ଯୁଦ୍ଧ ଅନ୍ତେ ଭାତୃହତ୍ୟା, ପିତୃହତ୍ୟା,ଗୁରୁହତ୍ୟା,ବ୍ରହ୍ମହତ୍ୟା ମହାପାପର ମହାଶୋକରୁ ମୁକ୍ତି ପାଇବା ପାଇଁ ଲୋମଶ ମୁନିଙ୍କ ପରାମର୍ଶରେ ଆସିଥିଲେ ଏ ମାଟିକୁ ; ମହାମାୟାଙ୍କ ନାଭି ପିଠ ମା ବିରଜାଙ୍କ ପାଖକୁ। ଏଠି ମାଙ୍କ ଆରାଧନା କରି ମହାଶୋକରୁ,ପାପ ବୋଝରୁ ମୁକ୍ତି ହୋଇଥିଲେ। ମହାଭାରତ ଯୁଗ ଡେଇଁ ଏ ମାଟିର ମହାନତା ରାମାୟଣର ରାମଙ୍କୁ ମଧ୍ୟ କରିଛି ରମଣୀୟ।ଋଷି ପୁତ୍ର, ଉଚ୍ଚ ବ୍ରାହ୍ମଣ ବଂଶଜ,ପରମ ଶିବଭକ୍ତ ରାବଣଙ୍କୁ ହତ୍ୟା କରିଥିବା ଧନୁକୁ ରଘୁବୀର ଲିଙ୍ଗରାଜରେ ମହାଦେବଙ୍କୁ ଅର୍ପଣ କରି ଶରଣ ପଶିଥିଲେ। ସେଇଥି ପାଇଁ ଏକମାତ୍ର ଶୈବ ପୀଠ ଲିଙ୍ଗରାଜ ଚୂଡ଼ାରେ ଧନୁ ବିରାଜିତ।ତେଣୁ ମୁଁ ଏ ଭୂମିର ଦାୟାଦ ବୋଲି ଆନନ୍ଦ ଲାଗୁଛି ।

(ଗ) ''ମୁଁ ଜଣେ ଓଡ଼ିଆ" ; ପୃଥିବୀର ଯେକୌଣସି ସ୍ଥାନରେ ଠିଆହୋଇ ଏହା କହିବାରେ ଖୁବ୍ ଆନନ୍ଦ ଅଛି। ଏଇ ମାଟିର ସ୍ଵବର୍ଣ୍ଣପୁର କବି ଭୀମଭୋଇଙ୍କର କବିତା ସ୍ଵର୍ଣ୍ଣିଭ ଅକ୍ଷରରେ ବିଶ୍ଵ ଜାତିସଂଘର ଲଲାଟରେ ଖୋଦିତ ହୋଇଛି :" ମୋ ଜୀବନ ପଛେ ନର୍କେ ... ;  "ଆଉ ଏ ମାଟିର କବି ତା ନିଜ ମାଟିର ମହକରେ ଈଶ୍ଵରୀ ମା(ଶାରଦା) ଆଗେ ବସି ଲେଖିଛି ମହାଭାରତ। ଏ ମାଟିର କବି(ଜଗନ୍ନାଥ ଦାସ) ମାନବୀ ମା ପାଇଁ ଲେଖିଛି ସ୍ୱର୍ଗରୁ ଶବ୍ଦ ଆଣି 'ଭାଗବତ' ; ଆଉ ଏଠି କବି (ଜୟଦେବ) ଯେବେ କବିତାର ପଂକ୍ତିପୁରଣ ପାଇଁ ଶବ୍ଦ ପାଆନ୍ତି ନାହିଁ,ଈଶ୍ଵର ନିଜେ କବି ହୋଇ ପଂକ୍ତି(ଦେହି କର ପଲ୍ଲବ.....) ଲେଖିଦେଇଯାଆନ୍ତି। ଆଉ ଆମ ସମୟର ସମ୍ବଲପୁରର ଗଙ୍ଗାଧରଙ୍କ 'ତପସ୍ଵିନୀ' ତପନ ଭଳି ବିଶ୍ଵ ଆଧୁନିକ ସାହିତ୍ୟ ଆକାଶରେ ଉଦିତ ହୋଇଛି। ବିଶ୍ଵ ଆଧୁନିକ ସାହିତ୍ୟ ଆକାଶରେ ମୁଁ ଆଙ୍କିଛି ଆହୁରି ଅନେକ ଉଜ୍ଜ୍ଵଳ ନକ୍ଷତ୍ର :  ଫକୀର,ରାଧାନାଥ,ଗୋପବନ୍ଧୁ, ବିଦ୍ୟୁତ୍,କୁନ୍ତଳା,ମନୋଜ,ମାୟାଧର, ଗୋପିନାଥ,ସୁରେନ୍ଦ୍ର ... ଆହୁରି ଅନେକ ଅନେକ ନକ୍ଷତ୍ର।
(ଘ) ଆଉ ହେ ବିଶ୍ଵ ! ଶୁଣ,ମୁଁ ସେଇ ମାଟିର ; ଯେଉଁ ମାଟିର ପୁଅ ବାଉଁଶ ନଳୀରେ (ସାମନ୍ତ ଚନ୍ଦ୍ରଶେଖର) ମାପିପାରେ ହିମାଳୟର ଉଚ୍ଚତା ଆଉ ଚନ୍ଦ୍ରର ଦୂରତା। ତେଣୁ ମୁଁ ଏ ଭୂମିର ଦାୟାଦ ବୋଲି ଆନନ୍ଦ ଲାଗୁଛି।

(ଙ) "ମୁଁ ଜଣେ ଓଡ଼ିଆ" ; ପୃଥିବୀର ଯେକୌଣସି ସ୍ଥାନରେ ଠିଆହୋଇ ଏହା କହିବାରେ ଖୁବ୍ ଆନନ୍ଦ ଅଛି। ମୋ ମାଟିର ବୀରଗାଥା କେବଳ ବିସ୍ମୟ ନୁହେଁ ; ଏହା ସ୍ଵର୍ଗୀୟ ଆଉ ସ୍ଵଭିମାନର ଜୟଯାତ୍ରା। ମୁଁ ଯୁଦ୍ଧ ବାହାରିଲେ,ମୋ ସହ ମୋ ଠାକୁର ବାହାରେ କଳା ଆଉ ଧଳା ଘୋଡ଼ାଚଢ଼ି। ସ୍ଵାଭିମାନ ପାଇଁ ମୁଁ ଦେଇପାରେ ପାଞ୍ଚଲକ୍ଷ ମୁଣ୍ଡ (କାଞ୍ଚି ଅଭିଯାନ)। ବାରବାଟୀ ମୋ ବୀରତ୍ଵର ବିନ୍ଦୁଏ ମାତ୍ର ; ଏଇମିତି ଅନେକ ବିନ୍ଦୁରେ ମୁଁ ବୀରତ୍ଵର ସିନ୍ଧୁ। ଖାରବେଳ,କପିଳେନ୍ଦ୍ର ; ଏମିତି କେତେ ବିନ୍ଦୁରେ ମୁଁ ସିନ୍ଧୁ।ସମଗ୍ର ଭାରତବର୍ଷ ଯେବେ ଇଂରେଜ ଦ୍ବାରା ଶାସିତ ହେଲା, ଇଂରେଜ ବିରୁଦ୍ଧରେ "ସିପାହୀ ବିଦ୍ରୋହ" ପୂର୍ବରୁ ମୁଁ  ତେଜିଥିଲି "ପାଇକ ବିଦ୍ରୋହ"। ସମଗ୍ର ଭାରତ ଇଂରେଜର ଜୟଗାନ କଲାବେଳେ ; ମୁଁ (ସୁରେନ୍ଦ୍ର) ସମଲେଇ ମା'ର ମଥାରେ ସିନ୍ଦୁର ମାଖି ସ୍ଵୀକାର କରି ନ ଥିଲି ଇଂରେଜର ଦାସତ୍ଵ। ମୋ (ଶିଶୁ ବାଜି ରାଉତ) ବୀରତ୍ଵ ଆଉ ସରଳତା ବିଶ୍ଵରେ ବିଦିତ। ମୁଁ ଓଡ଼ିଆ ; ବିଜୁ ହୋଇ ଇଣ୍ଡୋନେସିଆ ସ୍ଵାଧିନ ସଂଗ୍ରାମୀ ନାୟକକୁ ମୃତ୍ୟୁଦଣ୍ଡରୁ ରକ୍ଷା କରିବାକୁ ଆକାଶର ଚିଲ ହୋଇ ଝାମ୍ପିଆଣିଥିଲି ଭାରତ। ମୁଁ ହିଁ ଦୁଃସାହସର ସୀମାଭାଙ୍ଗି ଜାହାଜ ଭର୍ତ୍ତି ସୈନ୍ଯ ନେଇ "କାଶ୍ମୀର ଭାରତର ଅଙ୍ଗ" କରିଥିଲି। ତେଣୁ ତ ମୁଁ ଏ ଭୂମିର ଦାୟାଦ ବୋଲି ଆନନ୍ଦ ଲାଗୁଛି।

(ଚ) "ମୁଁ ଜଣେ ଓଡ଼ିଆ" ;ପୃଥିବୀର ଯେକୌଣସି ସ୍ଥାନରେ ଠିଆହୋଇ ଏହା କହିବାରେ ଖୁବ୍ ଆନନ୍ଦ ଅଛି। ମୁଁ ହିଁ ପୃଥିବୀର ପ୍ରଥମ ନାରୀ ସ୍ଵାଧିନତାର ଉଦ୍-ଘୋଷକ।* ନାରୀ ସ୍ଵାଧିନତାର ଶକ୍ତ ସମର୍ଥନକରି ବଳରାମ ହୋଇ ଲେଖିଛି 'ଲକ୍ଷ୍ମୀ ପୁରାଣ'। କନ୍ୟାଟିଏର ସ୍ଵାଭିମାନ ପାଇଁ ଲକ୍ଷ ଲକ୍ଷ ମୁଣ୍ଡ ଦେଇଛି। ବିଜିତ ରାଜକନ୍ୟା ପଦ୍ମାବତୀ ବିଷୟରେ ରାଜା ଯେବେ କହନ୍ତି ମନ୍ତ୍ରୀଙ୍କୁ : 'ଏ କନ୍ୟାକୁ ଏକ ଚଣ୍ଡାଳ ସହ ବିବାହ ଦେବାକୁ', ମନ୍ତ୍ରୀ ମନ୍ଦମନ୍ଦ ହସେ କନ୍ୟାକୁ ନିଜ ଝିଅ ଭଳି ଘରେ ରଖି ଅପେକ୍ଷା କରନ୍ତି ; ଆଉ ରାଜା ଯେବେ ଠାକୁର ରଥରେ ଝାଡୁଧରି ଚଣ୍ଡାଳହୁଏ,ମନ୍ତ୍ରୀ କହନ୍ତି,"ହେ ଚଣ୍ଡାଳ !  ରାଜା ଆଦେଶ ଏ କନ୍ୟାର ପାଣି ଗ୍ରହଣକର"।ନାରୀପ୍ରତି ଏ ସ୍ଵର୍ଗୀୟ ସମ୍ମାନ କେବଳ ଏ ମାଟି, ଏ ଜାତି  ଦେଇପାରେ। ନାରୀର ଅନ୍ତଃ-ସାମର୍ଥ୍ଯର ପରିଚୟ ଦେବାକୁ ଯାଇ ବିଶ୍ଵ ମାନବକୁ ଏ ଜାତି କହିଛି : "ମୋ ବଡ଼ଠାକୁର ଭୋଗ କେବଳ ପ୍ରସାଦ ; ଆଉ ସେଇ ପ୍ରସାଦରେ ନାରୀ ରୂପିଣୀ,ମାତୃରୂପିଣୀ "ମା ବିମଳା"ର କୃପା ପ୍ରାପ୍ତ ହେଲେ ; ହୁଏ ମହାପ୍ରସାଦ। ଏତିକି ନୁହେଁ ! ମୁଁ ସଦା ମାତୃମୟୀ ପ୍ରକୃତିର ଚିର ପୂଜାରୀ। ତେଣୁ ତ ମୌସୁମୀ ଆଗମନେ ପ୍ରକୃତି ଯେବେ ରଜବତୀ ହୁଏ ; ମୁଁ ଉଲ୍ଲାସରେ ପାଳେ 'ରଜ' ପର୍ବ। ଫସଲ ପାଚିଗଲେ କୃତଜ୍ଞତାରେ "ମା ସମଲେଇ"କୁ ଅର୍ପଣକରି ପାଳେ 'ନୂଆଖାଇ'। ଆଉ ଆମେ ଓଡ଼ିଆ ପ୍ରକୃତି ମା ପାଖେ ଏତେ କୃତଜ୍ଞ ଯେ, ଆଧୁନିକ ଗବେଷଣା କହୁଛି ମଣିଷ ପ୍ରଥମେ କୋରାପୁଟରେ ହିଁ ଚାଷ ଶିଖିଥିଲା ; ଧାନକୁ ଖାଦ୍ୟରୂପେ ଆବିଷ୍କାର କରିଥିଲା। ପରବର୍ତ୍ତୀ ସମୟରେ ଏଇ ଚାଷ ହିଁ ସଭ୍ୟତାର ଜନନୀ ହୋଇଥିଲା। ହଁ  କେବଳ ନାରୀ ସ୍ଵାଧିନତାର ମୁଁ ବାର୍ତ୍ତାବହ ନୁହେଁ ; ଘୃଣ୍ୟ ଜାତିପ୍ରଥା,କୁସଂସ୍କାର ବିରୁଦ୍ଧରେ ପଞ୍ଚସଖା ହୋଇ ନିଜକୁ ଶୁଦ୍ର,କ୍ଷୁଦ୍ର ଘୋଷଣା କରି ବିଶ୍ଵ ସମାଜ ସଂସ୍କାରରେ ସବୁଜିମା ଆଙ୍କେ।  ତେଣୁତ ମୁଁ ଏ ଭୂମିର ଦାୟାଦ ବୋଲି ଆନନ୍ଦ ଲାଗୁଛି।

(ଛ) "ମୁଁ ଜଣେ ଓଡ଼ିଆ" ; ପୃଥିବୀର ଯେ କୌଣସି ସ୍ଥାନରେ ଠିଆହୋଇ ଏହା କହିବାରେ ଖୁବ୍ ଆନନ୍ଦ ଅଛି। ମୁଁ ଓଡ଼ିଆ ;  ଏଇ ମର୍ତ୍ତ୍ୟରେ ମୁକ୍ତ କଣ୍ଠରେ କହିଛି : ନରର ନେତା ନର ନ ହେଉ ; ନରର ନେତା ନାରାୟଣ ହେଉ। ଏହା କେବଳ କହିନି ; ମୁଁ ସଦା ମାନିଛି ; ମୋ ଜାତିର ନେତା ନିଜେ ନାରାୟଣ।
"ଉତ୍କଳରେ ନାହିଁ ନେତା ପ୍ରୟୋଜନ,
 ଉତ୍କଳର ନେତା ସ୍ବୟଂ ନାରାୟଣ।"
 ଆଉ ଯେବେ ସମୟର କୃର-ଚକ୍ରରେ ମୁଁ ହୋଇଛି ପରାଧିନ,ଶୋଷିତ,ନିର୍ଯ୍ୟାତିତ ; ମୁଁ କିନ୍ତୁ ମୋ ନେତାକୁ ନଇଁବାକୁ ଦେଇନି। ମୋ ନେତା ନାରାୟଣକୁ ନେଇ ଶତୃ ବନ୍ଧନରୁ ମୁକ୍ତ ରଖିବାକୁ ତାକୁ ନେଇଯାଇଛି : ଚିଲିକା, ସୁବର୍ଣ୍ଣପୁର, ସମ୍ବଲପୁର, ମୟୂରଭଞ୍ଜ ...;  ଆଉ ଯେବେ ସମୟ ମୋ ଆଗେ ଅନ୍ଧାର ହୋଇ ଠିଆ ହୋଇ ମୋ ନେତାକୁ ମୋଠାରୁ ଛଡ଼ାଇ ନେଇଛି,ମୁଁ 'ସରଦେଈ' ହୋଇ ଶଂଖନାଦ କରିଛି ,'ବିସର ମହାନ୍ତି' ହୋଇ ଅନ୍ଧାର ପଞ୍ଝାରୁ ଅଗ୍ନିର ଜିଭରୁ ଝାମ୍ପି ଆଣିଛି 'ବ୍ରହ୍ମ' ; ପୁଣି ନାରାୟଣକୁ ନେତାକରି ଗଢ଼ିଛି ମୋ ଜୀବନଯାତ୍ରା। ସେଇଥି ପାଇଁ ତ ଏ ମାଟିର ମଧୁବାବୁଙ୍କୁ ଯେବେ ମୋତିଲାଲ ନେହେରୁ,ଦେଶବନ୍ଧୁ ଚିତରଞ୍ଜନ କଂଗ୍ରେସର ଅଧ୍ଯକ୍ଷ ହେବାକୁ ପ୍ରାର୍ଥନା କଲେ ; ମଧୁବାବୁ ମଧୁର ଶଦ୍ଦରେ ନ ହେବାକୁ ମନା କରିଦେଲେ ; କହିଲେ : ମୁଁ ପଦପଦବୀରେ ବନ୍ଧାନୁହେଁ, ସେଇଭଳି ପ୍ରାଚୁର୍ଯ୍ୟ ପାଖରେ ଦାସ ନୁହେଁ। ଅନେକ କହନ୍ତି ମୁଁ କାଳେ ଦରିଦ୍ର ; ଏହା ଶୁଣି ହସଲାଗେ। ସୂର୍ଯ୍ୟ ଚନ୍ଦ୍ର ନିତି ଦେଖନ୍ତି, ମୁଁ "ଶାଗ ପଖାଳ" ଖାଏ ; କିନ୍ତୁ ମୋ ଠାକୁରକୁ "ଷାଠିଏ ପଉଟି" ଖୁଆଏ।
କେବେ ବି,କେହି ବି ଥରେ ପ୍ରଭୁ ଜଗନ୍ନାଥଙ୍କ  ଓଡ଼ିଆ ଘରେ ଅତିଥି ହୋଇ ଦେଖନ୍ତୁ ... ତା ପାଣସାହିରେ ଯାଇ,ତା ବଣ୍ଡା ପାହାଡ଼ରେ ଯାଇ,ଆଦିବାସୀ ଘରେ ଯାଇ ; ଚଷା,ମୂଲିଆ,ବ୍ରାହ୍ମଣ,କରଣ ଘରେ ଯାଇ ; ଥରେ ଅତିଥି ହୋଇ ଦେଖନ୍ତୁ : ଜୀବନ ତମାମ୍ ଆଉ କହି ପାରିବେ ନାହିଁ, "ଓଡ଼ିଆ ଦରିଦ୍ର" ବୋଲି।* 
(ଜ) ସାଇବେରିଆରୁ ଚିଲିକାକୁ ଅତିଥି ହୋଇ ଆସୁଥିବା 'ସାରସ'କୁ ପଚାରନ୍ତୁ,ମେରୁରୁ ମାଇଲ୍ ମାଇଲ୍ ଲଙ୍ଘି ଏ ମାଟିକୁ ଆସୁଥିବା "ରେଡ଼ ଅଲିଫ୍" କୁ ପଚାରନ୍ତୁ ; "ଓଡ଼ିଆ/ ଓଡ଼ିଶା ଦରିଦ୍ର କି" ? ପ୍ରକୃତିର ରୁଦ୍ରନୃତ୍ୟରେ ( ବନ୍ଯା/ବାତ୍ଯା) ଭୌତିକ ସ୍ଵଚ୍ଛଳ ହୋଇ ନ ପାରେ ; କିନ୍ତୁ ଦାରିଦ୍ର୍ଯ ମୋ ଶବ୍ଦକୋଷରେ ନାହିଁ। ସେଇଥି ପାଇଁ ତ ଆଠ କୋଟିରେ ଯେବେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ହୋଇଥିଲା ; ଆଠଶହ କୋଟିରୁ ଉର୍ଦ୍ଧ୍ଵ ଇଣ୍ଡୋନେସିଆ ଦେଇଥିବା 'ଚେକ୍'କୁ ଚିରିଦେଇ ବିଶ୍ଵ ମଣିଷକୁ "ବିଜୁ ପଟ୍ଟନାୟକ" କହିଥିଲେ,"ଓଡ଼ିଆ ପୁଅ ଦେଇ ଶିଖେ, ନେଇ ଶିଖେନି"।ତେଣୁତ ମୁଁ ଏ ଭୂମିର ଦାୟାଦ ବୋଲି ଆନନ୍ଦ ଲାଗୁଛି।

(ଝ) "ମୁଁ ଜଣେ ଓଡ଼ିଆ" ;ପୃଥିବୀର ଯେକୌଣସି ସ୍ଥାନରେ ଠିଆହୋଇ ଏହା କହିବାରେ ଖୁବ୍ ଆନନ୍ଦ ଅଛି। ବିଶ୍ଵ ଜାଣନ୍ତୁ ! ଆପଣମାନେ ଯେବେ ଓଡ଼ିଶାକୁ ଛୁଅଁନ୍ତି,ଅବିଶ୍ଵସନୀୟ ଭାରତର ଆତ୍ମାକୁ ଛୁଅଁନ୍ତି (It's my Odisha ; The soul of incredible India) ହଁ ! ଏହା କେବଳ ଶବ୍ଦମାତ୍ର ନୁହଁ ; ଏହା ଶବ୍ଦ ଦ୍ଵାରା ସୃଷ୍ଟ ସବୁଠୁ ସରଳ ସତ୍ୟ ଅଟେ। ଏ ଭୂମି "ଭବ୍ୟ ଭାରତର ଆତ୍ମା" ବୋଲି ତ "ଦିବ୍ୟ ଗୁରୁ ଅବତାରୀ ଶ୍ରୀ-ରାମକୃଷ୍ଣ" ତାଙ୍କ ପ୍ରିୟ ଶିଷ୍ୟ 'ବିବେକାନନ୍ଦ'ଙ୍କୁ ଓଡିଶାକୁ(ଜଗନ୍ନାଥ ଧାମକୁ) ନ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ତ ବିବେକାନନ୍ଦ ପଦବ୍ରଜରେ ସମଗ୍ର ଭାରତବର୍ଷ ବୁଲିଥିଲେ,ପରିବ୍ରାଜକ ଓ ପ୍ରତିନିଧି ହୋଇ ସମଗ୍ର ବିଶ୍ଵ ବୁଲି ଥିଲେ ; କିନ୍ତୁ ଓଡ଼ିଶା ଆସି ନ ଥିଲେ ; ବଙ୍ଗାଳୀ ହୋଇ ଶ୍ରୀକ୍ଷେତ୍ର ଆସି ନ ଥିଲେ । ଗୁରୁ କହିଥିଲେ,"ମୁଁ ଯାଇନି ; ତୁ ବି ଯିବୁନାହିଁ ; ଗଲେ ସେଇଠି ଅଟକି ଯିବୁ। ଯେଉଁ କାମ ପାଇଁ ଆସିଛୁ ତାହା ଆଉ କରିପାରିବୁନି।" ଏ "ଆତ୍ମାର ଭୂମି" ବୋଲି ତ ଏଠି ଏତେ ଆକର୍ଷଣ ; ଏଠି ଅବତାରୀ ବି ଅଟକି ଯାଏ। ଏହି ଆତ୍ମାର  ଆଲୋକକୁ ଦେଖିଥିଲେ ବୋଲି ତ ମୁନି କପିଳ ଲେଖିଥିଲେ : 
   #ଉତ୍କଳସ୍ୟ ସମଦେଶ , ଦେଶନାସ୍ତି ମହୀତଳେ।"ଉପନିଷଦ,ଗୀତା ଆତ୍ମାର ପଥକୁ ସଦା ମଧ୍ୟମ ପଥ, ସମନ୍ବୟ,ସଂଗତିର ପଥ କହିଛି। ଦେଖନ୍ତୁ, "ଓଡ଼ିଆ ଭାଷା" ଦକ୍ଷିଣ ଭାରତ ଭାଷା ଭଳି କ୍ଷୀପ୍ର ନୁହେଁ,ଉତ୍ତର ଭାରତ ଭାଷା ଭଳି  ଧୀର ମଧ୍ୟ ନୁହେଁ ; ଏହା ମଧ୍ୟମ।ଏହାର ବର୍ଣ୍ଣ ଅକ୍ଷର ସବୁ ; ଗବେଷଣା କହେ ; ଦକ୍ଷିଣ ଭାରତ ଓ ଉତ୍ତର ଭାରତ ଭାଷାର ଅଦ୍ଭୁତ ସମନ୍ବୟ। ଏହାର ଖାଦ୍ୟ,ପୋଷାକ,ପରିପାଟୀ ନିଜର ସ୍ୱତନ୍ତ୍ରତା ସତ୍ତ୍ଵେ ଉତ୍ତର ଦକ୍ଷିଣର ଏକ ଅଦ୍ଭୁତ ସମନ୍ୱୟ। ଏହାର ଆରାଧ୍ଯ "ମା ବିମଳା" ଦକ୍ଷିଣର କେଉଁ ଦେବୀ ମନେ ହେବାବେଳେ,ଏହାର "ମା କମଳା"  ଉତ୍ତର ଭାରତର ଈଶ୍ଵରୀ ଲାଗନ୍ତି। ପୁଣି ସର୍ବବିଦିତ ଏ ଜାତି 'ହର'ର ଉପାସକ, 'ହରି'ର ବି ଉପାସକ ; 'ତନ୍ତ୍ର'ର ଉପାସକ, 'ମନ୍ତ୍ର'ର ବି ଉପାସକ ; 'ଶକ୍ତି'ର ଉପାସକ, ସୂର୍ଯ୍ୟ'ର ବି ଉପାସକ, ...ଏ ସବୁ ସମ୍ଭବ କେବଳ କେବଳ ଆତ୍ମାର ଭୂମିରେ। ଆତ୍ମାର ଭୂମିରେ ହିଁ ଠିଆହୋଇ କେବଳ ଲେଖି ହୁଏ :
''ବିଶ୍ଵ ଦେଖ,ମଧୁମୟରେ ଭୂବନ,ବିଶ୍ଵ ଦେଖ ମଧୁମୟ"।
(ଞ) ମଧୁମୟୀ ମା 'ଶ୍ରୀମା'ଙ୍କୁ କେହି ପ୍ରଶ୍ନ କରିଥିଲେ, ''ଅତିମାନସ ମହାଶକ୍ତିକୁ ଧାରଣ କରିବାକୁ କେଉଁ ଜାତିର ନାମ ପ୍ରଥମ ?" ମା କେଇ ମୁହୁର୍ତ୍ତ ନୀରବ ରହି ଅସୀମ ଆକାଶକୁ ଚାହିଁ କହିଲେ, "ଓଡ଼ିଶା"। ତେଣୁ ତ, ହେ ବିଶ୍ଵ ! ମୁଁ ଏ "ସର୍ବଧର୍ମ ସମନ୍ବୟ ଭାରତ" ମାଟିର ଧାର୍ମିକ "ଆତ୍ମା ଓଡିଶା ବା ଜଗନ୍ନାଥ ଧାମ"ର  ଦାୟାଦ୍ ବୋଲି ଆନନ୍ଦ ଅନୁଭବ କରୁଛି।

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...