Friday, December 23, 2022

ସମର୍ପଣ (topic - 126 ବୃଦ୍ଧାଶ୍ରମ) quote #quot

ବୃଦ୍ଧାଶ୍ରମ - 126

ଏକବିଂଶେ ହଡା ବୃଦ୍ଧାଶ୍ରମ ବେଢା
       ଅଣଦେଖାଙ୍କ ଆସର
ପୃଥିପରେ ପାପ ନା ଏ ପୂଣ୍ଯ ଛାପ
        ଉତ୍ତର ଦିଅ ଇଶ୍ୱର
ଜୀବନର ସଞ୍ଜ ଯଦି ଦହଗଞ୍ଜ
      ଅପରାହ୍ନୁ ଆପଣାଅ
ବାତ୍ସଲ୍ୟ ବନ୍ଧନ ବାର୍ଦ୍ଧକ୍ୟେ ବିଜନ
      ପ୍ରାଣ ପ୍ରଦୀପ ଲିଭାଅ
               - ଦାଶରଥି ସାହୁ

ବୃଦ୍ଧ-ବୃଦ୍ଧା ପାଇଁ  ଆଶ୍ରୟ ନିଶ୍ଚିତ 
        ସହାରା ପାଇଁକି ଟିକେ  
 କିନ୍ତୁ ଏହା ଏକ ସୁବିଧାର ମାର୍ଗ 
        ବୋଲି ବିଚାରନ୍ତି  ଥୋକେ
 ଆଉ ଦଳେ ଏଠି ବେପାରି ସାଜନ୍ତି 
        ମୂଳ ଲକ୍ଷ୍ୟ ତାଙ୍କ ଧନ 
ବୃଦ୍ଧାଶ୍ରମ ନୁହେଁ  ଆମରି ସମ୍ମାନ 
         ଆମ ଅପାରଗ ଚିହ୍ନ .....
            - ସନ୍ତୋଷ ପଟ୍ଟନାୟକ

ସହରୀ ଜୀବନ  ସୁଖ ଆପଣାଇ
      ପୁତ୍ର ଆଜି ବାଟବଣା
ସେ ଲାଗି ଖୋଜନ୍ତି ବୃଦ୍ଧ ପିତାମାତା
      ବୃଦ୍ଧାଶ୍ରମର ଠିକଣା 
କାହିଁକି ସମୟ  ଏଡ଼େ ନିରିଦୟ
      ବୃଦ୍ଧ ପିତାମାତା ପାଇଁ
ସଦବୁଦ୍ଧି ଦିଅ  ସେଇ ପୁତ୍ରମନେ
       ଚେତନା ଘରକୁ ଛୁଇଁ  
            - ରାମ ଚନ୍ଦ୍ର ପ୍ରଧାନ 

ପାଶ୍ଚାତ୍ୟ ଆଳରେ ଖୋଜା ସୁଖଶାନ୍ତି 
      ମାତପିତା ହତାଦର 
କିଞ୍ଚିତ ଅର୍ଥକୁ ସାଉଁଟିବା ପାଇଁ 
     ସର୍ବଦା ଚାଲେ ବିଚାର 
ଗୃହରେ କଳହ ପତିପତ୍ନ ମଧ୍ୟେ 
  ବୃଦ୍ଧାଶ୍ରମ ପଡ଼େ  ଖୋଜା 
ଶେଷ ସମୟରେ ମାତା ଓ ପିତାଙ୍କୁ 
      ମିଳେ ବୃଦ୍ଧାଶ୍ରମ ସଜା
                    - ଟୁକୁନା ସାହୁ

ଠକ ଟାଉଟର   ପାଠୁଆ ଶାଠୁଆ
     ସଭାରେ ଭାଷଣ ମାରନ୍ତି
ପିତା-ମାତା ସେବା ନକରି ସେ ନିଜେ
       ବୃଦ୍ଧଶ୍ରମେ ଛାଡି ଆସନ୍ତି
ସେହି ଦିନ ସିଏ ବୁଝି ଯେ ପାରିବେ
       ନିଜ ପୁଅ ତଡ଼ା ଖାଇ 
କେତେ ବଡ଼ ଭୁଲ କରିଥିଲେ ନିଜେ
       ମାତା ପିତା ଘଉଡାଇ
             - ଜଗବନ୍ଧୁ ସାହୁ

ଜରାଜିର୍ଣ୍ଣ ଆଜି ଚତୁର୍ଥ ଅବସ୍ଥା
    ଟାକୁଆ ଗାଲକୁ ଦେଖ 
ସ୍ବରଭଙ୍ଗ ଆଜି କଣ୍ଠ ଦ୍ବାରଦେଶ
      ମଳିନ ପଡ଼ିଛି ମୁଖ 
ପରିଣତର ଏ ପଣନ୍ତକଳାକୁ
    ଦେଖି ହସେ ଏ ଜଗତ 
ବୃଦ୍ଧାଶ୍ରମେ ଶେଷ ବାର୍ଦ୍ଧକ୍ଯର ବେଶ
       ମୁକ୍ତି ଦିଅ ଜଗନ୍ନାଥ 
           - ରାଧା କୃଷ୍ଣ ବାୟକ

ପେଟୁ କାଟି ଅର୍ଣ୍ଣ ପାଳିଲେ ସନ୍ତାନ 
      ନିଜକୁ କରି ବିପନ୍ନ 
ଏଇ ସମାଜରେ ପରିଚୟ ଦେଲେ 
     ଧନ୍ୟ ପିତା ମାତା ଧନ୍ୟ 
ସେହି ପିତା ମାତା  ଆଜି ପରିତ୍ୟକ୍ତ
      ଅବହେଳାର ଶିକାର 
ବୃଦ୍ଧାଶ୍ରମେ ପଡ଼ି ଯନ୍ତ୍ରଣାରେ ସଢ଼ି 
      ଆଖିରେ ଲୁହର ଧାର  
            -  ପ୍ରବୀର ମଲ୍ଲିକ 

କଳଙ୍କିତ ଆଜି କଳୀଯୁଗ ପୁଅ
    କୁଳାଙ୍ଗାରେ ହୋଇ ଗଣା
ଅଯୋଗ୍ଯ ସନ୍ତାନ ପରିଚୟ ଅର୍ଜି
     ହୋଇଛନ୍ତି ବାଟବଣା
ପୋଷା କୁକୁରକୁ ପାଖରେ ରଖନ୍ତି
      ପାଖୁ ତଡି ପିତାମାତା
ବୃଦ୍ଧାଶ୍ରମେ ଛାଡି ଭଲେଇ ହୁଅନ୍ତି
       ଅନ୍ଯକୁ ଦିଅନ୍ତି ବାର୍ତ୍ତା
                  - ରବିନ୍ଦ୍ର ସାହୁ

ସମର୍ପଣ (topic - 125 ସ୍ବାଭିମାନ) quote #quot

ସ୍ଵାଭିମାନ - 125 

ଉତ୍କଳେ ଜନ୍ମିତ କେତେ ବୀର ସୂତ 
ଶ୍ରମେ ହୋଇ ବ୍ରତୀ ନିତି
ତୋଳି ଯାଇଛନ୍ତି ଅନେକ କିରତୀ
ଜୀବନ୍ତ ରହିଛି ସ୍ମୃତି । 
କୋଣାର୍କ ଧଉଳି ପୁରୀ ଲିଙ୍ଗରାଜେ
ପଥରରେ ଦେଇ ପ୍ରାଣ 
ସ୍ଵାଭିମାନ ଥିଲା ଭୂଷଣ ସମାନ 
ଓଡ଼ିଆ ଜାତିର ପଣ ।
               - ଟୁକୁନା ସାହୁ

ଅଭିମାନି ନୁହଁ ସ୍ବାଭିମାନି ହୁଅ
ନଅ ରହୁ ଅହଂକାର ।
ଅତିରୁହେ ଇତି ନାଶ ହୁଏ ମତି
ଏ' ମାନସିକ ବିକାର ।
ଅଭିମାନ କରି ମଲା ଦୁର୍ଯ୍ଯଧନ
ଅଧର୍ମର ପରାଜୟ ।
ସ୍ବାଭିମାନି ହୋଇ ଲଢ଼ିଥିଲେ ଯୁଦ୍ଧ
ଧର୍ମରାଜ ଧର୍ମେ ଜୟ ।
             - ରାଧା କୃଷ୍ଣ ବାୟକ

ଓଡ଼ିଶା ରାଇଜେ ଜନମ ମୋହର
        ଉତ୍କଳ ମୋର ଜନନୀ
ଜଗନ୍ନାଥ ଏକା ପିତା ଯେ ଆମର
     ଆମେ ଭାରି ସ୍ବଭିମାନୀ
ଅରକକ୍ଷେତ୍ରର କୋଣାର୍କ ମନ୍ଦିର
         ଓଡିଆଙ୍କ ସ୍ବାଭିମାନ
ନିହଣ ମୁନରେ   ପଥରକୁ କାଟି
         ଆଙ୍କିଛନ୍ତି କୋଟି କାମ
             - ଜଗବନ୍ଧୁ ସାହୁ

ତେଜି ଅଭିମାନ ହୁଅ ସ୍ବାଭିମାନ 
      ଗୁଣି ପୂର୍ବଜଙ୍କ କୀର୍ତ୍ତି 
ବାଜି ବକ୍ସି ଆଉ ଧରମା ଚକରା 
      ଆମ ସ୍ବାଭିମାନ ନୀତି
ପଙ୍କିଳ ହେଲାଣି  ଶାସନ ବ୍ୟବସ୍ଥା 
      ଅର୍ଥ ସର୍ବସ୍ବରେ ମତି 
ଗଣତନ୍ତ୍ର ଏବେ ପ୍ରହସନ ଖାଲି 
        ବେଳହୁଁ ସୁଧାର ସ୍ଥିତି 
       - ସନ୍ତୋଷ ପଟ୍ଟନାୟକ

ସ୍ୱାଭିମାନ ପାଇଁ କରେ ଯେ' ଲଢ଼େଇ
   ସ୍ୱାର୍ଥକୁ ଦେଇ ଆହୁତି
ସମାଜେ ଚାଲେ ସେ' ଗର୍ବେ ମଥା ଟେକି
   ହୃଦେ ବହି ଜାତିପ୍ରୀତି 
ତା' ପାଇଁ ସଭିଏଁ  ସମ୍ମାନେ ବଞ୍ଚନ୍ତି
      ଭୁଲି ସବୁ ଅବଶୋଷ
ବିଭୁ ପାଦ ତଳେ ପ୍ରଣତି ଜଣାନ୍ତି
     ମାଗି ତା' ଲମ୍ବା ଆୟୁଷ 
           - ରାମ ଚନ୍ଦ୍ର ପ୍ରଧାନ

ସ୍ବା; ସ୍ବାଧିନ ମୋ'ରାଜ୍ଯ ସ୍ବାଦିଷ୍ଟ ମୋ'ଖାଦ୍ଯ
         ସୁନ୍ଦର ବୋଲି ମୋ ଭାଷା
ଭି; ଭିଟାମାଟି ପାଇଁ  ଗର୍ବ କରୁ ଆମେ
           ମନେବାନ୍ଧି ଅଭିଳାଷା 
ମା; ମାନ ସନମାନେ ଜୀଇଁ ଅଛୁ ଆମେ
           ସ୍ବାଭିମାନ ଅଙ୍କ କଷି
ନ;ନଇଁ ନାହିଁ ମୁଣ୍ତ  ରହିଛୁ ଅଖଣ୍ତ
          ଆମେରେ ଓଡିଶାବାସୀ
                   - ରବିନ୍ଦ୍ର ସାହୁ

ଶବ୍ବ ସ୍ୱାଭିମାନ ଭିନ୍ନ ଏ ସୃଜନ
      ସଂସାରେ ସଫଳ ସ୍ଥିତି
ହୃଦ ଥିଲେ ଭରି ଯୁଗ ଯୁଗ ଧରି
      ମରତ ଭୂଇଁରେ ଖ୍ଯାତି
ଖିରି ଖେଚୁଡିର ନହେଉ ଆଧାର
       ପୋଡା ରୁଟି ପଛେ ପ୍ରିୟ
ସ୍ୱାଭିମାନୀ ସଦା ଶାଶ୍ୱତରେ ବନ୍ଧା
         ଜଡଠୁ ଚେତନା ଜୟ
               - ଦାଶରଥି ସାହୁ

ସ୍ୱାଭିମାନ  ଅଟେ ଅବିଚ୍ଛେଦ ଅଙ୍ଗ 
     ଈଶ୍ୱରୀୟ  ଅବଦାନ 
ମାନବକୁ ଦିଏ ବିଜୟ ମୁକୁଟ 
     ସୁସ୍ଥ ମତିସ୍କର ଜ୍ଞାନ  ,
ସର୍ବାଙ୍ଗୀନ ଚିନ୍ତା , ମଙ୍ଗଳ ବାରତା 
     ଉନ୍ନତିର ସୂତ୍ରଧାର 
ଇତିହସ ଏକା, ମୁକ ସାକ୍ଷୀ ହୁଏ 
     ଲେଖି ଦିଏ  ସ୍ଵର୍ଣ୍ଣାକ୍ଷର 
            - ପ୍ରବୀର ମଲ୍ଲିକ

Tuesday, December 20, 2022

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ - ୨୨】❀

╔⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
                 ପ୍ରଥମ ଖଣ୍ଡ 
               【ଭାଗ -୨୨】                ╚⏤⏤⏤⏤╗❀╔⏤⏤⏤⏤╝
ବ୍ରହ୍ମାଙ୍କ ନନ୍ଦନ ସନତ କୁମାର ସନ୍ଧ୍ୟା ସାରି ନୈମିଷା ଅରଣ୍ୟ ରେ ଏକତ୍ରିତ ହୋଇଥିବା ସକଳ ଋଷି ମାନଙ୍କୁ କହିଲେ -ହେ ତପିଗଣ !
ପ୍ରକୃତି ଦେବୀ ସତ୍ତ୍ୱ ଗୁଣରୁ ଜାତ ହୋଇଛନ୍ତି ।ତୁଳସୀ ଓ ବୃନ୍ଦାବତୀ ଯାହାଙ୍କର ନାମ କୁ ଲୋକମାନେ ସେବି ମୋକ୍ଷ ଧାମ ପ୍ରାପ୍ତି ହୁଅନ୍ତି ।କଶ୍ୟପ ନନ୍ଦିନୀ ମନସା ଦେବୀ ସର୍ପରାଜା ବାସୁକୀ ଙ୍କ ଘରଣୀ ଅଟନ୍ତି ।ସେ ନାଗରାଜା ଅନନ୍ତ ଙ୍କ ଭଉଣୀ ଅଟନ୍ତି । ନାଗବଂଶ ର ହିତ ପାଇଁ ଜରତ୍କାର  ବିବାହ କଲେ ।ତାଙ୍କ ଗର୍ଭରୁ ଆସ୍ତିକ ନାମକ ଜାତ ହେଲା ।ସେହି ପୁତ୍ର ପାଇଁ ନାଗ ମାନେ ରକ୍ଷା ପାଇଗଲେ । ଷଡାନନ ଙ୍କର ପତ୍ନୀ  ଦେବସେନା ସୂତିକା ଘରେ ଶିଶୁଙ୍କ  ପାଲନା କରି ଷଷ୍ଠ ଦିବସରେ ତାଙ୍କୁ ଷଷ୍ଠୀ ଦେବୀ ରୂପେ ପୂଜା କଲେ ।ସେ ଦେବୀ ଶିଶୁର ଆୟୁଷ ବୃଦ୍ଧି କରନ୍ତି । ନାରୀ ମାନେ ଏହି ଦେବୀଙ୍କୁ ସେବି ସୌଭାଗ୍ୟ ଲାଭ କରନ୍ତି । ଏକୋଇଶ ଦିନ ପର୍ଯ୍ୟନ୍ତ ତାଙ୍କୁ ପୂଜା କଲେ  ତାଫଳରେ ନାରୀମାନେ ପୁତ୍ରବତୀ ହୁଅନ୍ତି ।ସେହିଁ ପ୍ରକୃତ ମଙ୍ଗଳା ରୂପରେ ଅଵତରି ଥାଆନ୍ତି ।ସେ ମଙ୍ଗଳ ଚଣ୍ଡିକା ନାମ କୁ ବହନ କରଥାନ୍ତି । ମଙ୍ଗଳ ବାରରେ ଯେଉଁ ବାଳିକା  ଧୂପ ଦୀପ ନୈବେଦ୍ୟ ଦେଇ ପୂଜା କରେ ଓ  ଭକ୍ତିରେ ଯିଏ ଦୁର୍ବାକ୍ଷତ ସମର୍ପଣ କରେ  ସେ ପୂଜାର ଫଳ କଥା କହୁଛି ଶୁଣ ।ସନତ କହିଲେ ......

ମଙ୍ଗଳା ଙ୍କୁ ଯିଏ ଭକ୍ତି ଭାବରେ ପୂଜା କରେ ଓ ତାଙ୍କ ନିକଟରେ ନିଜକୁ ସମର୍ପଣ କରେ ସେହି ବାଳିକା  ଜନ୍ମ ଜନ୍ମାନ୍ତର ରେ କେଭେ ବିଧବା ହୁଏ ନାହିଁ । ଇହଲୋକରେ ମନବାଞ୍ଛା ଫଳ ଭୋଗ କରେ । ତାହାରି ପୂଜାରେ ଯଦି ମଙ୍ଗଳା ସନ୍ତୋଷ ହୁଅନ୍ତି ନାହିଁ  ତେବେ ସେ ନାରୀ କେଭେ ସୌଭାଗ୍ୟବତୀ ହୋଇ ପାରେ ନାହିଁ । ତାକୁ ଅନ୍ନବସ୍ତ୍ର ଓ ସୁତ ମିଳେନାହିଁ । ଏଣୁ ନାରୀ ମାନେ ମଙ୍ଗଳା ଙ୍କୁ ନିଷ୍ଠା ର ସହ ପୂଜା କରନ୍ତି । ଆଦିଶକ୍ତି ମହାକାଳୀ ରୁଦ୍ର ଙ୍କ ଘରଣୀ ଅଟନ୍ତି ।ସେହିଁ ଆତଙ୍ଗ ନାଶିନୀ ଓ ସଙ୍କଟ ତାରିଣୀ ଅଟନ୍ତି । ସେହି ଆଦିଶକ୍ତି ଭୟଙ୍କର ରୂପ ଧରି ରକ୍ତବୀର୍ଯ୍ୟ କୁ ସଂହାର କରି ତ୍ରିଜଗତ କୁ ରକ୍ଷା କଲେ ମହିଷାସୁର କୁ ମାରି ।ଶୁମ୍ଭ ,ନିଶୁମ୍ଭ ,ଯେତେ ଦୁଷ୍ଟ ନିଶାଚର ତାଙ୍କୁ ବଧ କରି  ଜଗତରେ କୀର୍ତ୍ତି ରଖିଲେ । ସେହି ମହାବଳୀ ଙ୍କ ପାଦପଦ୍ମରେ ଯେଉଁ ମାନେ ପୂଜା କରନ୍ତି  ତାଙ୍କୁ ଅନାୟସ ରେ ଚୌବର୍ଗ ଫଳ ମିଳେ । ବସୁମତୀ ଦେବୀ ସର୍ବସହା  ଜଗଦ୍ଧାତ୍ରୀ ଅଟନ୍ତି ।ବିଭିନ୍ନ ପ୍ରକାର ଶସ୍ୟ ପ୍ରସବ କରି ପ୍ରାଣୀ ମାନଙ୍କୁ ବଞ୍ଚାନ୍ତି । ସେ ନଥିଲେ ସଂସାର ପାଳନ ହୁଅନ୍ତା ନାହିଁ । ସବୁ ପ୍ରାଣୀ ମାନେ ଅନ୍ନ ବସ୍ତ୍ର ବିନା ମରି ଯାଆନ୍ତେ ।  ହେ ଋଷିଗଣ !ଯଜ୍ଞର ଭାର୍ଯ୍ୟା ର ନାମ ଦକ୍ଷିଣା ଅଟେ । ଦକ୍ଷିଣା ନଦେଲେ  କର୍ମ ର ଫଳ ମିଳେନାହିଁ । ପବନଙ୍କ ପ୍ରିୟବତୀ ଶାନ୍ତି । ଟାଣ ଅଭାବରେ  କର୍ମସବୁ ବିଫଳ ହୁଏ । ନାଗାଧିପ  ଅନନ୍ତ ଙ୍କ ଭାର୍ଯ୍ୟା ଙ୍କ ନାମ ରଷ୍ଟି । ସିଦ୍ଧ ଗଣେଶ ଙ୍କ ଭାର୍ଯ୍ୟା ଙ୍କ ନାମ  ପୁଷ୍ଟି ଅଟେ । ଶିବ ଭଗବାନଙ୍କ ଭାର୍ଯ୍ୟା ଦୁର୍ଗତି ତାରିଣୀ ଦୁର୍ଗା। ତାଙ୍କ ପାଦ ପୂଜା କଲେ ସବୁ ଭୟ ଦୂର ହୁଏ । କପିଳ ଙ୍କ ପତ୍ନୀ ନାମ  ଧୃତି ।ତାଙ୍କୁ ପୂଜାକଲେ ଶକ୍ତି ଆସେ । ଯମ ଙ୍କର ପତ୍ନୀ ନାମ କ୍ଷମା ।କ୍ଷମା ହେଉଛନ୍ତି ଦରିଦ୍ର ଙ୍କ ବନ୍ଧୁ ।ତାଙ୍କୁ ପୂଜାକଲେ  ଲୋକମାନେ ସୁଖରେ ରୁହନ୍ତି । ସ୍ୱରୂପ ,ସୁଶୀଳା ଏ ଦୁଇ ନାରୀ  ସୂର୍ଯ୍ୟ ଦେବଙ୍କର ଦୁହିତା ଅଟନ୍ତି ।ଏ ଦୁଇ ନାରୀ ଯମ ରାଜା ଙ୍କୁ  ବିବାହ କରିଛନ୍ତି ।କନ୍ଦର୍ପ ଙ୍କ ପତ୍ନୀ ହେଲେ ରତି।ରତି ମାୟାବତୀ ଅଟନ୍ତି । ଏହି ନାରୀ ମାୟାରେ ତ୍ରିଲୋକକୁ  ମୋହି ପାରନ୍ତି ।ସତ୍ୟ ଦେବ ଙ୍କ ଭାର୍ଯ୍ୟା ଙ୍କ ନାମ  ମୁକ୍ତି । ସତ୍ୟ ଦେବ ନିଜ ଭାର୍ଯ୍ୟା ର ନାମ ନେଇ  ଭାର୍ଯ୍ୟା ର ପୁଣ୍ୟରେ କୀର୍ତ୍ତି ପ୍ରତିଷ୍ଠା କରନ୍ତି ।ତାଙ୍କର ପାଇଁ ସବୁ ନର ପୂଜା ପାଉଛନ୍ତି । ଉଦ୍ ଯୋଗ ଙ୍କ ପତ୍ନୀ ନାମ 
କ୍ରିଆ ଅଟେ  ।କ୍ରିୟା କୁ ହୁଡ଼ିଲେ ଲୋକମାନେ ଉଚ୍ଛନ୍ନ ହୁଅନ୍ତି ।ଅଧର୍ମ ର ପତ୍ନୀ ନାମ  ମିଥ୍ୟା ଅଟେ ।ସନତ କହିଲେ ହେ ଋଷିଗଣ !ଏହି ମିଥ୍ୟା ନାରୀ କଥା କହୁଛି ଶୁଣ ।

ସତ୍ୟଯୁଗରେ ମିଥ୍ୟା ର  ଶରୀର ସୁନ୍ଦର ନଥିଲା ।ତ୍ରେତୟା ରେ ମିଥ୍ୟା କ୍ଷୁଦ୍ର ଶରୀର ନେଇ ଜନ୍ମ ହେଲା ।ଦ୍ଵାପର ରେ ଅର୍ଦ୍ଧକାୟ ଶରୀର ନେଇ ଆସିଲା ମିଥ୍ୟା ।କଳି ଯୁଗରେ  ପୂର୍ଣ୍ଣାଙ୍ଗ ହୋଇ ପ୍ରବେଶ କଲା ।ତେଣୁ କଳିଯୁଗରେ ମିଥ୍ୟା ପ୍ରବଳ ହୋଇଲା ।ସେହି ମିଥ୍ୟା ଅଧର୍ମ ର ତେଜ ବେଳକୁ ବେଳ ବଢ଼ାଇ ଚାଲିଲା । ତାହାର ଏକ ଭାଇ ଥିଲା କପଟ ।କପଟ ସହିତ ସାଙ୍ଗ ହୋଇ ମିଥ୍ୟା  ନାନା ରଙ୍ଗ ହୋଇ ବୁଲିଲା । ମିଥ୍ୟା ର ଦୁଇ ସଉତୁଣୀ ଥିଲେ ,।ତାଙ୍କ ନାମ ଲଜ୍ଜା ଓ ଶାନ୍ତି । ମିଥ୍ୟା ରାଗରେ ଏ ଦୁଇ ସଉତୁଣୀ ଙ୍କୁ ପାଖରେ ପୁରାଏ ନାହିଁ ।ଲଜ୍ୟା ଓ ଶାନ୍ତି ଏ ଦୁଇଜଣ ଯେଉଁଠାରେ ବାସ କରିଥାନ୍ତି  ସେ ସ୍ଥାନରେ ମିଥ୍ୟା ପଶି ପାରେ ନାହିଁ ।

ଜ୍ଞାନର ସଂସାରରେ ତିନୋଟି ଭାର୍ଯ୍ୟା ଅଛନ୍ତି ।ଏହି ତିନିଜଣଙ୍କ ନାମ ହେଲା  ସ୍ମୁତି ,ମେଧା ,ଓ ବୁଦ୍ଧି । ଏହି ତିନିଜଣ ଙ୍କୁ ଯିଏ  ଭଜେ ସେ ଉତ୍ତମ ଲୋକ ବୋଲାଏ । ରୁଦ୍ରଙ୍କର ଦୁଇ ଭାର୍ଯ୍ୟା ଙ୍କ ନାମ ହେଲା  ମୂର୍ତ୍ତି ,ଓ ନିଦ୍ରା ।କାଳ ପୁରୁଷ ର ପତ୍ନୀ ହେଲେ ଶର୍ବରୀ ।କାଳ ପୁରୁଷ ର ଆଉ ଏକ ଭାର୍ଯ୍ୟା ର ନାମ ହେଲା ସନ୍ଧ୍ୟା । ପତ୍ନୀ ସନ୍ଧ୍ୟା ସହିତ କାଳ ପୁରୁଷ ବାରମ୍ବାର କ୍ରୀଡା କରେ । ଲୋଭର ଦୁଇ  ଗୃହିଣୀ ଅଛନ୍ତି ।ତାଙ୍କ ନାମ କ୍ଷୁଧା ଓ ତୃଷା । ବୈରାଗ୍ୟ ର ମଧ୍ୟ ଦୁଇଟି ଗୃହିଣୀ ଅଛନ୍ତି ।ସେମାନେ ହେଲେ  ଶ୍ରଦ୍ଧା ଓ ଭକ୍ତି । ଗୋରୁ ମାନଙ୍କର ମାତା ସୁରଭି ଅଟେ  । ସୁରଭି ସର୍ବଦା ତିନିଲୋକ ର ହିତ ସମ୍ପାଦନ କରେ ।ଗରୁଡ଼ ଙ୍କର ମାତା ବନିତା ଅଟନ୍ତି ।ବନିତା ହେଉଛନ୍ତି କାଶ୍ୟପ ଙ୍କ ପତ୍ନୀ ଓ ଦକ୍ଷ ଙ୍କ ଦୁହିତା । ରୋହିଣୀ ହେଉଛନ୍ତି ଇନ୍ଦ୍ର ଦେବଙ୍କ ପତ୍ନୀ । ସୂର୍ଯ୍ୟ ଙ୍କର ଦୁଇ ପତ୍ନୀ ନାମ ଛାୟା ଓ ସଂଜ୍ଞା ।ସନତ କହିଲେ ଏହା ବ୍ୟତୀତ ଆଉ ଯେତେ ନାରୀ  ଦେଖା ଯାଆନ୍ତି ସେମାନେ ସମସ୍ତେ  ଶକ୍ତି ଠାରୁ ଜନ୍ମ ହୋଇଛନ୍ତି । ଯେଉଁ ନାରୀଙ୍କର ଜନ୍ମ ପ୍ରକୃତି ଅଂଶରେ  ହୋଇଛି ସେକଥା କହୁଛି ଶୁଣ ମୁନିଗଣ ।

ସନତ ଋଷି  ପ୍ରକୃତି ଅଂଶରେ ଜନ୍ମ ହୋଇଥିବା ନାରୀ ମାନଙ୍କ  ନାମ ନୈମିଷା ଅରଣ୍ୟ ରେ ଥିବା ଋଷିଗଣ ଙ୍କୁ କହିଲେ -କାଳିନ୍ଦୀ ମେନକା
ଲୋମା ,ମୁଦ୍ରା ,ବୃନ୍ଦାବତୀ ,ଜାମ୍ବବତୀ ,କୁନ୍ତୀ ,ବାରୁଣୀ ,ଭଦ୍ରା ,ଦ୍ରୌପଦୀ ,ରେବତୀ ,ରୁକ୍ମଣୀ ,ଭାନୁମତୀ ,ଚନ୍ଦ୍ରାବତୀ ,ସତ୍ୟଭାମା ,ଲକ୍ଷଣା 
ରୋହିଣୀ ,ଗାନ୍ଧାରୀ ,ମାଦ୍ରୀ ,ଚିତ୍ରରେଖା ,ବାଳୀ ,ସୁଭଦ୍ରା ,ଅହଲ୍ୟା 
ତାରା ,ରୁମା ,ହାରାବଳୀ ,ଉତ୍ତରା ,ମଦନାବତୀ ,ସରମା ,ସୁଦେଷ୍ଣା
 ଏସବୁ ନାରୀ ମାନେ ପ୍ରକୃତି ଅଂଶ ରୁ ଜନ୍ମ ହୋଇଛନ୍ତି । ଏତିକି କହି ମହାମୁନି ସନତ କୁମାର ମୌନ ହୋଇଗଲେ ।

କ୍ରମଶଃ.............

✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

ଲୁହ

ଅଟକୁନି ଲୁହ  ବୋହି ଚାଲୁଛି ଅନବରତ ଆଖିବି ନିଜର କରି ରଖି ପାରୁନି  ଏ ଲୁହକୁ,,,, ବାସ୍ ଝରି ଯାଉଛି ଟୋପା ଟୋପା ହୋଇ! ମନର ବ୍ୟଥା  ହୃଦୟର କୋହ  ସତରେ ଭା...