Showing posts with label ଓଡ଼ିଆ ଲୋକଵାଣୀ. Show all posts
Showing posts with label ଓଡ଼ିଆ ଲୋକଵାଣୀ. Show all posts

Tuesday, March 23, 2021

∆∆∆ ● ଓଡ଼ିଆ ଲୋକଵାଣୀ —୧ ●∆∆∆

∆∆∆ ● ଓଡ଼ିଆ ଲୋକଵାଣୀ —୧ ●∆∆∆

1. ଅଇଲାରେ ଢେଙ୍କା ଶ୍ରାବଣ, 
         ଭାଦ୍ରବ ତିରିଶ ଦିନ, 
ଆଶ୍ବିନ ମାସର ଗହଳା ଗହଳି, 
       କାର୍ତ୍ତିକେ ପାଇବ ଦିନ ....
 (ଧାନ ରୋଇବା ସମ୍ବନ୍ଧରେ କୃଷି ବଚନ)

2. ଅଇଲା ପଣ୍ଡୁ ମଲେ ମଶା,
     ଫାଟୁଆ ଦେଲେ ମୁଡୁକିହସା  ॥
(ଶୀତ ପଡ଼ିଲେ ମଶାମାନେ ମରିଯାନ୍ତି ଓ ମୁହଁରେ ଫାଟ ହେବାରୁ ଫାଟୁଆମାନେ ଭଲ ହସି ପାରନ୍ତି ନାହିଁ)

3. ଅଇଘେରାକୁ ବାଇଗଣ ଫୋପାଡ଼ିବା
 (ଫଳପ୍ରାପ୍ତିର ନିଶ୍ଚୟତା ନ ଥାଇ କୌଣସି କାର୍ଯ୍ୟରେ ହାତ ଦେବା)

4. ଅଇଲା କଳା ପାହାଡ଼, 
       ଭାଙ୍ଗିଲା ଲୁହାର ବାଡ଼, 
      ପିଇଲା ମହାନଦୀ ପାଣି,
 ସୁବର୍ଣ୍ଣ ଥାଳିରେ ହୀରା ପରଶିଲେ
           ମୁକୁନ୍ଦଦେବଙ୍କ ରାଣୀ
 ( କଳା ପାହାଡ଼ ଓଡ଼ିଶା ଆକ୍ରମଣ ସମ୍ବନ୍ଧରେ ଐତିହାସିକ କିଂବଦନ୍ତୀ)

5. ଅକର୍ମ୍ୟ ଯେଣେ ଯାଏ, 
ଗମ୍ଭୀରାରୁ ଲିଙ୍ଗ ଛିଡ଼ି ପଳାଏ
 ( କର୍ମହୀନ ବ୍ୟକ୍ତି ପ୍ରତି କୌଣସି ଦେବତା ପ୍ରସନ୍ନ ହୁଅନ୍ତି ନାହିଁ . ତାର ସମସ୍ତ ଶ୍ରମ ପଣ୍ଡ ହୁଏ)

6. ଅକାଳ କାଣ୍ଡ କପାଳ ବାଜେ
 ( ପାଣ୍ଡୁରାଜା ମାଦ୍ରିଙ୍କ ସହିତ ସହବାସ କରିବା ସମୟରେ ଋଷି ଶାପରୁ ପାଷାଣ ଘର ଫୁଟି ଶୂନ୍ୟରୁ ଗୋଟିଏ କାଣ୍ଡ ଆସି ତାହାଙ୍କ ହୃଦୟରେ ବାଜନ୍ତେ ସେ ପ୍ରାଣତ୍ୟାଗ କରିଥିଲେ . ଅଚାନକ ଦୈବୀ ବିପତ୍ତି ପଡ଼ିବା)

7. ଅକାଳେ ସକାଳେ କଲି ବେଉସା,
      ମୁଣ୍ଡରେ ପଡ଼ିଲା କୁରାଢ଼ି ପସା 
(ବ୍ୟବସାୟରେ ଅନଭିଜ୍ଞ ବ୍ୟକ୍ତି ବାଣିଜ୍ୟ କଲେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା)

8. ଆକାମାବୈ, ପାନଗୁଆ ଖାଇ, 
  ପାନଗୁଆ ତୋର, ମାସକ ଧର୍ମ ମୋର 
( କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରତ୍ୟୁଷରେ ସ୍ନାନ ଶେଷରେ ସ୍ତ୍ରୀ ଓ ବାଳକ ବାଳିକାଗଣ ଭଙ୍ଗାଗୁଆ ସହିତ ମୋଡ଼ା ଯାଇଥିବା ପାନଖିଲ ଗଙ୍ଗା ଦେବୀଙ୍କୁ ଉପହାର ଦେଇ ଉପରୋକ୍ତ ବାକ୍ୟ ଉଚ୍ଚାରଣ କରନ୍ତି . ଆଷାଢ, କାର୍ତ୍ତିକ, ମାଘ ଓ ବୈଶାଖ ମାସରେ ପ୍ରତ୍ୟୁଷରେ ସ୍ନାନ କଲେ ଧର୍ମ ହୁଏ)

9. ଅଖ ବୁଲୁଥିଲେ ଚକ ବୁଲୁଥାଏ,
          ବୁଲି ପଡୁଥାଏ ପହି, 
ସଂସାର ଭିତରେ ଘର କରିଥିଲେ
          ପଥର ପଡ଼ିଲେ ସହି |
 (ଭାଗ୍ୟର ପରିବର୍ତ୍ତନ ଅନୁଯାୟୀ ମନୁଷ୍ୟକୁ ସୁଖ ଓ ଦୁଃଖ ଭୋଗ କରିବାକୁ ପଡ଼େ |)

10. ଅଖାଇ ନାନୀ କରିଛି ଓଷା,
      ନଡ଼ିଆ ଗୋଟାକ ଛଅ ପଇସା 

11. ଅଖାଇ ଖାଇ ମନ କଲା, 
 ବାରବାଟୀ ଶାଗ ଧୋଇରେ ଗଲା 
 (କୃପଣ ବ୍ୟକ୍ତି ଭୋଗ କରିବାକୁ ଇଚ୍ଛାକଲେ ପ୍ରକୃତି କିପରି ତାର ପ୍ରତିକୂଳତା ଆଚରଣ କରେ ତହିଁର ଏକ ଉଦାହରଣ)

12. ଅଗସ୍ତି ଦାନ, କଷା ଗୁଆ ପଚା ପାନ 
 (କୃପଣ ବ୍ୟକ୍ତିର ବଦାନ୍ୟତା ସମ୍ବନ୍ଧରେ ବ୍ୟଙ୍ଗୋକ୍ତି)

13. ଅଙ୍ଗାଏ ମହାର୍ଦ୍ଦ ଛୁଇଁଲେ ଯେ 
କଣିକାଏ ନିର୍ମାଲ୍ୟ ଛୁଇଁଲେ ସେ 
(ମହାପ୍ରସାଦରେ ଅଳ୍ପ ବହୁତ ଭେଦ ବିଚାର୍ଯ୍ୟ ନୁହେଁ )

14. ଅଗ୍ନିକି ପବନ ସାହା 
 (କୌଣସି କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଜଗତରେ ଲୋକର ଅଭାବ ରହେ ନାହିଁ)

15. ଅଗି ଜଳିଲା ଶୀତ ଟଳିଲା, ବୋଲ ହରି ବୋଲ 
 (ମାଘ ମାସ ପୂର୍ଣ୍ଣିମାଠାରୁ ଶୀତର ପ୍ରକୋପ ହ୍ରାସ ପାଏ)

16. ଅଚିନ୍ତା ନାରୀ ବାପଘର ଯାଏ, 
     ମନ ଫୁଲାଣିଆ ଗୀତ ଗାଏ 
 ( ପୁଲାଛୁଆ ଜଞ୍ଜାଳ ନ ଥିବା ସ୍ତ୍ରୀ ପ୍ରତି ପ୍ରଯୁଜ୍ୟ ବଚନ )

17. ଅଛିଆ ମାକୁ ଗଛି ଦେବା ନ୍ୟାୟ 
 (ଉପମାର ଅଯୋଗ୍ୟ ବିଷୟକୁ ଟାଣି ଓଟାରି ଉପମା ଦେବା)

18. ଅଜଣା ଚାଉଳର ଭାତ ଖାଇବା 
 ( ଅତି ସାଧାରଣ ବିଷୟରେ ନିଜର ଅଜ୍ଞତା ପ୍ରଦର୍ଶନ କରିବା)

19. ଅଜଗରକୁ ଦାତା ରାମ,
 ମୁଖେ ବୋଲେ ରାମ ରାମ 
(ଆଳସ୍ୟପରାୟଣ ବ୍ୟକ୍ତି ପରିଶ୍ରମ ନ କରି ଜୀବନ ଧାରଣ ପାଇଁ ଦୈବ ଉପରେ ନିର୍ଭର କରିବା)

20. ଅଜା ଗଜା, ବୁଢ଼ା ମେଷ, ଦୁଧର ଉପର, ଦହିର ଶେଷ, ମାଛମା, ଶାଗର ଝି, ୟାକୁ ନ ଖାଇବ ଖାଇବ କି ? (ଖାଦ୍ୟସମ୍ବନ୍ଧୀୟ ପ୍ରବଚନ, ଛୋଟ ଛେଳି, ବଡ଼ ମେଣ୍ଢା, ଦୁଧର ସର, ତଳତଳିଆ ଦହି, ବଡ଼ ମାଛ ଓ କଅଁଳିଆ ଶାଗ ଏମାନେ ସୁଖାଦ୍ୟ)

21. ଅଜାଗଳ ସ୍ତନ ନ୍ୟାୟ 
(ଛେଳିଙ୍କ ବେକତଳେ ଓହଳିଥିବା ସ୍ତନ ସଦୃଶ ଦୁଇଟି ମାଂସ ପିଣ୍ଡ ଭଳି ଯାହା ଅନାବଶ୍ୟକ)

22. ଅଜାଗା ଘା ଦେଖି ହୁଏ ନାହିଁ କି ଦେଖେଇ ହୁଏ ନାହିଁ 
( କୌଣସି କଳଙ୍କମୟ ଓ ଲଜ୍ଜାଜନକ ଅଥଚ ଅପ୍ରକାଶ୍ୟ ଘଟନା ପ୍ରତି ପ୍ରଯୋଜ୍ୟ ଉପଲକ୍ଷ ବଚନ )

23. ଅଟା ଢିଲାକୁ ଚକି ଢିଲା 
( ଖାମିନ୍ଦ ଓ ଚାକର, ନିଯୋକ୍ତା ଓ ନିଯୁକ୍ତ ଉଭୟ ପକ୍ଷରୁ କାର୍ଯ୍ୟରେ ଶୈଥିଲ୍ୟ ପ୍ରଦର୍ଶନ )

24. ଅଟକିଲା ବଣିଆ ସଉଦା ଦିଏ 
(ଦୋକାନିର ପଇସା ଗହକିଠାରେ ବାକୀ ଥିଲେ ସେ ବାକୀ ପଇସା ଆଦାୟ କରିବା ଆଶାରେ ବାକୀଦାରକୁ ପୁଣି ସଉଦା କାଳିରେ ଦିଏ )

25. ଅଠାକାଣ୍ଡିଆରେ ପକାଇବା 
26. ଅଠାକାଠିରେ ପଡ଼ବା 
 ( କେଳା ପକ୍ଷୀ ଧରିବା ପାଇଁ ଯେଉଁ ନଳ ବ୍ୟବହାର କରେ, ତାର ଅଗ୍ରଭାଗରେ ଏକ ଅଠାଯୁକ୍ତ କାଠି ଥାଏ | ପକ୍ଷୀର ପର ସେହି କାଠିରେ ଲାଗି ଯିବାରୁ ସେ ଆଉ ଉଡ଼ି ନ ପାରି ଅଟକି ଯାଏ । ତଦ୍ରୁପ କୌଣସି ବିଷମ ପରିସ୍ଥିତିରେ ପଡ଼ିବା )

27. ଅଣ୍ଡିର ବିଲୁଆର ଡ଼ାକ, ମଡା ସାଙ୍ଗିଆକୁ ଡାକ 
(ଅଣ୍ଡିରା ବିଲୁଆ ଡାକିଲେ ଶୁଣାଯିବା ଅଞ୍ଚରେ କାହାର ମୃତ୍ୟୁ ଘଟିବାର ଆଶଙ୍କା ଲୋକେ କରନ୍ତି )

28. ଅଣ୍ଟା ଭଙ୍ଗା ହୋଇ ଯେବଣ ଦାରୁ,
       ପୁଇଁ ହୋଇକରି ଯେଉଁ କଖାରୁ, 
      ଯେଉଁ ସ୍ତ୍ରୀଙ୍କର ଅଣ୍ଟାରେ ବାରୁ,
       କହେ ଦନାଇ ଏ ତିନିହେଁ ମାରୁ 
              (ଦନାଇ ଦାସଙ୍କ ପହଳି )
29. ଅଣ୍ଟାରେ ନାହିଁ ଧନ, ପୁଅ ବାହାକରି ମନ 
 ( ଦରିଦ୍ର ବ୍ୟକ୍ତିର ଉଚ୍ଚାଭିଳାଷ ପୋଷଣ )

30. ଅଣ୍ଟାରୁ ପଇସା ସାରିବି ନାହିଁ,
     ପୁଅକୁ ନୁଖୁରା ରଖିବି ନାହିଁ 
 ( ଏଣେ ଅର୍ଥଲୋଭ, ତେଣେ କାର୍ଯ୍ୟ ସାଧନ ପାଇଁ ବଳବତୀ ଇଚ୍ଛା, ଏହିପରି ଦୋଘାଇରେ ପଡ଼ି କୃପଣ ବ୍ୟକ୍ତି ହନ୍ତସନ୍ତ ହୁଏ)

31. ଅଣ୍ଟିରେ ଭୁଜା ଥିଲେ କେତେ କାଉ ଆସିବେ 
 ( ଧନ ଥିଲେ ଲୋକର ଅଭାବ ରହେ ନାହିଁ )

32. ଅଣ୍ଟି ଛୁରୀ ତଣ୍ଟି କାଟେ 
33. ଅଣ୍ଟି ଛୁରୀ କମର କାଟେ 
 ( ଆତ୍ମୀୟ ଅଥବା ସ୍ବପକ୍ଷୀୟ ବ୍ୟକ୍ତିର ବିଶ୍ବାସଘାତକତା ଆଚରଣ)

34. ଅଣ୍ଡିରିପୁଅର ଲଣ୍ଡି, ମାଇକିନିଆ ଝିଅର ଗଣ୍ଡି 
 ( ଯେଡ଼େ ହୃଷ୍ଟପୁଷ୍ଟ ହେଲେ ମଧ୍ୟ କର୍ମଦକ୍ଷତାରେ ପୁରୁଷ ସଙ୍ଗେ ସ୍ତ୍ରୀ ସମକକ୍ଷ ହୋଇ ପାରେ ନାହିଁ )

35. ଅତି ଲୋଭ ତନ୍ତୀ ମରେ 
( ତନ୍ତୀ ଜାତିର ଅତ୍ୟଧିକ ଲୋଭ ସମ୍ବନ୍ଧରେ ଉକ୍ତି )

36. ଅତି ପରିଚୟେ ଗୌରବ ନଷ୍ଟ 
 ( ଅତ୍ୟଧିକ ବନ୍ଧୁତା ବା ଆତ୍ମୀୟତା ସମ୍ମାନହାନିକାରକ )

37. ଅତି ଭକ୍ତି ଚୋରର ଲକ୍ଷଣ 
( ଅତ୍ୟଧିକ ବିନୟ ଭଣ୍ଡତାର ପରିଚାୟକ )

38. ଅତି ଲେମ୍ବୁ ଚିପୁଡ଼ିଲେ ପିତା 
 (ଲେମ୍ବୁରସ ରୁଚିକର ହେଲେହେଁ ବେଶୀ ଚିପୁଡ଼ିଲେ ଶେଷକୁ ପିତା ଲାଗେ । ସେହିପରି ପ୍ରତ୍ୟେକ ବିଷୟରେ ମାତ୍ରାଧିକ୍ୟ ଗର୍ହିତ ଅଟେ )

39. ଅତି ସିଅଣା କାଉ ଗୁହ ଖାଏ 
 ( ଅତି ବୁଦ୍ଧିମାନ୍ ବ୍ୟକ୍ତି ଶେଷକୁ ଠକାମିରେ ପଡ଼ିବା ନ୍ୟାୟ)

40. ଅତି ବେହିଆ ନାଚି ଯାଏ, ଅତିବେହିଆ ପାଚିଯାଏ 

41. ଅତି ନିର୍ଲଜ ଗୀତ ଗାଏ, ଅତି ପୋଡ଼ା ମୁହାଁ ନାଚି ଯାଏ 
 (ସଂକୋଚ ତ୍ୟାଗ ନ କଲେ ନୃତ୍ୟ ଗୀତାଦିରେ ସଫଳତା ଲାଭ ଅସମ୍ଭବ )

42. ଅତି ଭଲ ନୁହେଁ ଚବର ଚବର, 
ଅତି ଭଲ ନୁହେଁ ଚୁପ, 
ଅତି ଭଲ ନୁହେଁ ବର୍ଷା ବାଦଲ, 
ଅତି ଭଲ ନୁହେଁ ଧୂପ 
 (ସମ୍ବଲପୁର ଅଞ୍ଚଳରେ ପ୍ରଚଳିତ ପ୍ରବଚନ )

43. ଅତି ମଧୁର କୀରା ଖାଏ 
 (ସମ୍ବଲପୁର ଅଞ୍ଚଳରେ ପ୍ରଚଳିତ)
 (ଅତି ମିଠା ପଦାର୍ଥରେ ପୋକ ଲାଗନ୍ତି)

44. ଅତି ସୁକୁମାର ରାଜଦୁହିତା,
         କରମରେ ଯୋଗୀ ଘଇତା 
( ଅତି ସୁକୁମାରୀ କନ୍ୟା ଭର୍ତ୍ସନାସୂଚକ ବାକ୍ୟ )

45. ଅତି ନିଉଛୁଣା ଅନ୍ଧାର ରାତି,
      ଅତି ନିଉଛୁଣା ଭଣ୍ଡାରି ଜାତି 
(ଅନ୍ଧାର ରାତିପରି ଭଣ୍ଡାରି ଜାତି ଅବିଶ୍ବାସୀ)

46. ଅତ୍ୟନ୍ତ ପ୍ରୀତି କରେ ଲଣ୍ଡଭଣ୍ଡ,
     ଅତ୍ୟନ୍ତ ପ୍ରୀତି ହଗେ ବାବୁମୁଣ୍ଡ 
( ଅତ୍ୟଧିକ ପ୍ରୀତି ପରିଣାମରେ କ୍ଷତିକାରକ)

47. ଅଦା ପରଜା ଛେଚିଲେ ରସ ବାହାରେ 
 ( ପ୍ରଜାଙ୍କ ପ୍ରତି ଅତ୍ୟାଚାର କଲେ ସେମାନଙ୍କଠାରୁ କର ଆଦାୟ ହୁଏ )

48. ଅଦା ବେପାରିର ଜାହାଜ ମୂଲ 
( ଅନଧିକାର ଚର୍ଚ୍ଚା, ଛୋଟ ମୁହଁରେ ବଡ଼ କଥା)

49. ଅଦେଇ ଘରେ ଖୁଦୁରୁକୁଣି ଓଷା 
     (ବ୍ୟଙ୍ଗୋକ୍ତି, ଅସମ୍ଭବ କଥା)

50. ଅଧ ନଈରୁ ପେଲି ଦେବା 
(କୌଣସି ବ୍ୟକ୍ତିକୁ ଅତର୍କିତଭାବରେ ବିପଦରେ ପକାଇବା)

51. ଅଧର୍ମ ବିତ୍ତ, ବଢ଼େ ବହୁତ,
 ଗଲାବେଳେ ଯାଏ ମୂଳ ସହିତ 
 ( ଅନ୍ୟାୟ ଉପାୟରେ ଅର୍ଜିତ ସମ୍ପତ୍ତିର କ୍ଷଣସ୍ଥାୟିତ୍ବ ସମ୍ବନ୍ଧରେ ସାମାଜିକ ନୀତିବାକ୍ୟ)

52. ଅଧୁଆ ମୂଳା ଯେ, ଧୁଆମୂଳା ସେ 
 (ଯେଉଁଠାରେ ଭଲ, ମନ୍ଦ, ଉତ୍କୃଷ୍ଟ, ନିକୃଷ୍ଟର ବିଚାର ନାହିଁ )

53. ଅଧୁଆମୁହାଁ ହାତରେ ଚୂଲୀ ଲାଗେ ନାହିଁ 
        ( ସାମାଜିକ କୁସଂସ୍କାର)
54. ଅନଳନଳ, ଓଦାକଞ୍ଚା ସବୁ ଜଳ
 ( ଅଗ୍ନିର ସର୍ବଭକ୍ଷତ୍ବ ପ୍ରତି ଉପଲକ୍ଷ୍ୟ ବଚନ)

55. ଆନୁକୂଳ ପେଚା  ( ଅମଙ୍ଗଳକାରକ)

56. ଅନ୍ତ ମୋଟ ପୁଅ ହଗଣା ସହେ 
 (ସୁସ୍ଥ ସବଳ ଶିଶୁକୁ ଝାଡ଼ା ରୋଗ ଧରିଲେ, ସହଜରେ ବାଧେ ନାହିଁ )

57. ଅନ୍ତରରୁ ରୋଗ, ଆକାଶରୁ ମହରଗ 
 ( ପେଟ ଗୋଳମାଳରୁ ରୋଗ ଏବଂ ଅନାବୃଷ୍ଟି ହେତୁ ଦୁର୍ଭିକ୍ଷ ହୁଏ)

58. ଅନୁଭବୀ ଥିଲେ କହ, ପାଠ ପଢ଼ିଥିଲେ ଗୀତ ଗାଉଥାନ୍ତି ବାଉରୀ କଣ୍ଡରା ପୁଅ 
 (ନୀଚଜାତୀୟ ବ୍ୟକ୍ତି ନିଜର ବିଦ୍ୟା ଦେଖାଇ ହେବା )

59. ଅନ୍ତେ ତିକ୍ତ ଦନ୍ତେ ଲୁଣ,
      ପେଟ ପୂରିବ ତିନିକୁଣ
 ମଥାରେ କାପଡ ପାଦରେ ତେଲ,
 ବଇଦ ସଙ୍ଗତେ କରିବ ଗେଲ 
   ( ସ୍ବାସ୍ଥ୍ୟସମ୍ବନ୍ଧୀୟ ପ୍ରବଚନ )

60. ଅନ୍ଧ ପାଣି ବୋହିଲେ ତିନିଜଣ କମେଇ (ନିକମା) 
(ଅଯୋଗ୍ୟ ବ୍ୟକ୍ତି ହାତରେ କାର୍ଯ୍ୟର ଦାୟିତ୍ବ ଦେଲେ ଜଣକ ସ୍ଥାନରେ ତିନି ଜଣ ଲୋଡ଼ା ହୁଅନ୍ତି )

61. ଅନ୍ଧ ଆଗେ ଦୀପ, ବଧିର ଆଗେ ଗୀତ 
 (ଅନ୍ଧ ଆଲୋକର ଏବଂ ବଧିର ଗୀତର ମହତ୍ତ୍ବ ବୁଝିବା ପାଇଁ ଅକ୍ଷମ )

62. ଅନ୍ଧକୁ ଅନ୍ଧ ବାଟ କଢ଼ାଇବା 
 ( ଦୁଇ ଜଣ ଅନଭିଜ୍ଞ ବ୍ୟକ୍ତି ପରସ୍ପରକୁ ନିର୍ଦ୍ଦଶ ଦେବା )

63. ଅନ୍ଧର କି ଦିନ ରାତି 
 ( ଚକ୍ଷୁହୀନ ବ୍ୟକ୍ତି ପକ୍ଷରେ ଦିନ ରାତି ସମାନ )

64. ଅନ୍ଧ ଲେଖାରେ ଚନ୍ଦ୍ର ସୂର୍ଯ୍ୟ ନାହାନ୍ତି 
(ନିଜର ଅଜ୍ଞତା ହେତୁ ପ୍ରକୃତ ସତ୍ୟକୁ ଅସ୍ବୀକାର କରିବା)

65. ଅନ୍ଧ ଗାଁକୁ ଏକଆଖିଆ ରଜା 
 ( ମୂର୍ଖ ଅଥବା ଅଯୋଗ୍ୟ ଲୋକଙ୍କ ପାଖରେ ଅଳ୍ପଜ୍ଞ ବ୍ୟକ୍ତି ନିଜର ବାହାଦୁରୀ ଦେଖାଏ)

66. ଅନ୍ଧର ଗାଈକି ଖୋଦା ଜଗୁଆଳ 
( ନିଃସହାୟ ବ୍ୟକ୍ତିର ଭଗବାନ ଭରସା)

67. ଅନ୍ଧର ସାକ୍ଷୀ ସୁର ଦାସ 
 ( ଅନ୍ଧ କଣାକୁ ସାକ୍ଷୀଦେବା ନ୍ୟାୟ)

68. ଅନ୍ଧ ହାତରେ ରତ୍ନମୁଦି 
 ( ଅଯୋଗ୍ୟ ବ୍ୟକ୍ତି ହାତରେ ମହାମୂଲ୍ୟବାନ୍ ବସ୍ତୁ ଅର୍ପଣ)

69. ଅନ୍ଧ ହାତରେ ବଇଠା ଥିଲେ କି ପଦାର୍ଥ ତାକୁ ଦିଶେ (ଅନଧିକାରୀ ବ୍ୟକ୍ତି ହାତରେ ଅଧିକାର ଦେଲେ ସେ ତହିଁର ସଦବ୍ୟବହାର କରି ଜାଣେ ନାହିଁ )

70. ଅନ୍ଧ ହାତୀ ଦେଖିବା ନ୍ୟାୟ 
 ( ଅନ୍ଧ ହାତୀର କୌଣସି ଗୋଟିଏ ମାତ୍ର ଅଙ୍ଗକୁ ସ୍ପର୍ଶଦ୍ବାରା ଅନୁଭବ କରି ତାହାକୁ ହାତୀ ବୋଲି କହିବା ପରି କୌଣସି ବିଷୟରେ ଅଂଶ ମାତ୍ର ଜାଣି ତାହାକୁ ପୂର୍ଣ୍ଣ ବୋଲି ବିଚାରିବା )

71. ଅନ୍ଧାରୁଆ ଗୋହିରିକି କିଆ ଫୋପଡା ମାଡ଼ 
 ( ଲୋକ ଅସୁବିଧାରେ ପଡ଼ିଥିବା ବେଳେ ତହିଁ ଉପରେ ପୁଣି ଦଣ୍ଡ ଦେବା )

72. ଅନ୍ଧାର ଘରେ କାଳୀ ଗୋରୀ ସମାନ 
 ( ଯେଉଁଠାରେ ଗୁଣ ବା ମହତ୍ତ୍ବ ନିର୍ଣ୍ଣୟର ସୂଯୋଗ ନାହିଁ, ସେଠାରେ ଭଲ ମନ୍ଦ ସବୁ ସମାନ )

73. ଅନ୍ଧାର ରାତି, ଗୋଲାମ ଜାତି 
 (ବର୍ଣ୍ଣସଙ୍କର ଜାତି ଅନ୍ଧାର ରାତି ପରି ଅବିଶ୍ବାସୀ)

74. ଅନ୍ଧାର ଘରେ ଜହ୍ନର ଆଲୁଅ, ଯେତିକି ଦିନ ଗଲା ସେତିକି ଦିନ ଭଲ 
 (ଅପ୍ରତ୍ୟାଶିତ ଭାବରେ ପ୍ରାପ୍ତ ଅର୍ଥ ବା ସୁଯୋଗ ଯେତିକି ଦିନ ପାଖରେ ଥିଲେ ମଧ୍ୟ ମଙ୍ଗଳକର )

75. ଅନ୍ଧାର ଘରକୁ ଟେକା ଫିଙ୍ଗିବା 
76. ଅନ୍ଧାର ଘରେ ବାଡ଼ି ବୁଲାଇବା 
 ( ଅନିଶ୍ଚିତ ପ୍ରାପ୍ତି ଆଶାରେ ଠାସକ ବା ଅନୁମାନ ଉପରେ ନିର୍ଭର କରି କାର୍ଯ୍ୟ କରିବା )

77. ଅନ୍ଧାର ଘରେ ମାଣିକ (ଅତ୍ୟନ୍ତ ଦରିଦ୍ର ଓ ଅଖ୍ୟାତ ପରିବାରରେ ପ୍ରତିଭାଶାଳୀ ଓ ଗୁଣବାନ୍ ପୁତ୍ର ଜନ୍ମଗ୍ରହଣ କରିବା )

78. ଅନ୍ଧାରରେ ଖାଇଲେ ଯେଉଁ ଗୁଡ଼,
       ଆଲୁଅରେ ଖାଇଲେ ସେଇ ଗୁଡ଼ 
 ( ପରିସ୍ଥିତିରେ ପରିବର୍ତ୍ତନ ଯୋଗୁ ବସ୍ତୁର ପ୍ରକୃତ ସ୍ବରୂପରେ କୌଣସି ପରିବର୍ତ୍ତନ ହୁଏ ନାହିଁ )

79. ଅପର ଘରେ ରାଗ, ରଜାଘରେ ସଦା ଭୋଗ 
 (ଧନୀ ଦରିଦ୍ର ମଧ୍ୟରେ ପ୍ରଭେଦ )

80. ଅପର୍ତ୍ତିଆଣି, ନାଁରୁ ଜାଣି 
( ବଡ଼ ପୁଅ କିମ୍ବା ବଡ଼ ଝିଅ ମରି ଯାଇଥିଲେ ଲୋକେ ପରବର୍ତ୍ତୀ ସନ୍ତାନମାନଙ୍କୁ ଅସୁନ୍ଦର, ଅପରଛନିଆ ନାଁ ଦେଇଥାନ୍ତି )

81. ଅପାଳେ ରାଇଜରେ ବିଜୁଳି ଲକ୍ଷେ ଟଙ୍କା 
(ଯେଉଁଠାରେ ଯେଉଁ ବସ୍ତୁ ଦୁର୍ଲ୍ଲଭ ସେଠାରେ ତହିଁର ଆଭାସ ମାତ୍ର ମୂଲ୍ୟବାନ୍ ବିବେଚିତ ହୁଏ)

82. ଅପାଳ ପାଉଁଶିଆର କପାଳ ବଡ଼ 
 ( ଅଯୋଗ୍ୟ ବ୍ୟକ୍ତି କର୍ମବଳରୁ ସମ୍ପଦ ଲାଭ କରିବା)

83. ଅପା ଘରକୁ ଗଲି କପା କିଣି,
 ମୂଳରୁ କରି ହାନି ମେଞ୍ଚେ ପକାଇ ଦେଲା 
(ଆତ୍ମୀୟ ବ୍ୟକ୍ତିଠାରୁ ଅଧିକ ସଉଦା କିଣିଲେ ସେମାନେ ମୂଳରୁ ହାନି କରି ଅଧିକ ଦେଇଛନ୍ତି ବୋଲି କହନ୍ତି)

84. ଅପୂଜା ଦେବତାକୁ ଦେହୁରି ବୁଝାଏ 
( ଅପୂଜା ଦେବତାକୁ ଦେହୁରି ସନ୍ତୁଷ୍ଟ କରିବା ପରି କୌଣସି ଏକବାଗିଆ ଲୋକର ମନକଥା ବୁଝି ତାର ସନ୍ତୋଷ ବିଧାନ କରି ପାରିବା ବ୍ୟକ୍ତି ପ୍ରତି)

85. ଅବଧାନକୁ କୁଣ୍ଡାଦେଇ ପାଠ ପଢ଼ିବା 
 ( ଅବଧାନେ ଦକ୍ଷିଣା ସ୍ବରୂପ କୁଣ୍ଡା ପାଇଥିବାରୁ ପିଲାକୁ ମନଦେଇ ପଢ଼ାନ୍ତି ନାହିଁ  ଫଳରେ ପିଲା ମୂର୍ଖ ହୁଏ)

86. ଅବିବେକୀ ରାଜାଠାରେ ବୁଦ୍ଧିର ଇଚ୍ଛା, 
  ମାଟି ଘୋଡ଼ା ଚଢ଼ି ଯୋଜନ ଯିବାର ବାଞ୍ଛା 

 ( ମୁର୍ଖ ରାଜାଠାରୁ ସୁବିଚାର ଏବଂ ମାଟି ଘୋଡ଼ାଚଢ଼ି ଦୂରପଥ ଯାତ୍ରା ଉଭୟ ଦୁରାଶା)

87. ଅବୁଝାମଣା ରାଜାକୁ ପାଳବିଣ୍ଡା ମନ୍ତ୍ରୀ 
(ଯେଉଁ ରାଜ୍ୟର ରାଜା ଅବିବେକୀ ଓ ମନ୍ତ୍ରୀ ଅଯୋଗ୍ୟ ସେଠାରେ ସୁବିଚାରର ଆଶା ବିଡ଼ମ୍ବନା ମାତ୍ର)

88. ଅବୋଲକରା ଭଣ୍ଡାରିକି ପଙ୍ଖାଭଙ୍ଗା ସାଆନ୍ତ (ତୁଳନା)

89. ଅଭାଗ୍ୟକୁ ଏପରି ଘଟେ, ଅଣ୍ଟିସୁନା ପିତଳ ପାଲଟେ (ଭାଗ୍ୟ ଖରାପ ହେଲେ ହସ୍ତଗତ ଧନ ଉଭେଇ ଯାଏ)

90. ଅଭାଗା କପାଳକୁ ସମୁଦ୍ର ଶୁଖେ 
(ଭାଗ୍ୟହୀନ ବ୍ୟକ୍ତିର ଅସରନ୍ତି ଧନ ସମ୍ଫଦ କେଉଁଆଡ଼େ ଉଭାଇଯାଏ)

91. ଅଭାବରେ ସ୍ବଭାବ ନଷ୍ଟ (ଅନୁଭବ)

92. ଅଭିଆଣରେ ଭିଆଣ ଦେଖ, ପେଜପିଆଠେଇଁ ବାଜୁଛି ଶଙ୍ଖ) (ହାସ୍ୟାସ୍ପଦ କଥା)

93. ଅଭ୍ୟାସ ଦ୍ବିତୀୟ ପ୍ରକୃତି 

94. ଅମୃତ ହାଣ୍ଡିକେ ବିଷ କଣିକାଏ (ଦୃଷ୍ଟାନ୍ତ) 
(କଣିକାଏ ବିଷ ହାଣ୍ଡିଏ ଅମୃତକୁ ବିଷମୟ କରି ପକାଏ)

95. ଅମର ଜୁମର ନିଠେଇ ଘୋଷ, 
     ଆଉ ସବୁ ପାଠ ଚାଳରେ ଖୋସ
(ପ୍ରାଚୀନ କାଳରେ ଅମର କୋଥ ଏବଂ ଜୁମର ବ୍ୟାକରଣର ଅଧ୍ୟୟନ ଉପାଦେୟ ବିବେଚିତ ହେଉଥିଲା)

96. ଅମାନିଆ ପୁଅ କଣରେ ପଶେ, 
    ମାନିଆ ପୁଅ କୋଳରେ ବସେ  (ଅନୁଭବ)

97. ଅରଣ୍ୟ କଣ୍ଟା ଦଇବେ ଗୋଜା 
(ପ୍ରତିଭା ଭଗବଦ୍ଦତ୍ତ)

98. ଅରକ୍ଷିତକୁ ଦଇବ ସାହା 
(ଭଗବାନ ଅସହାୟର ସହାୟ)

99. ଅରସ୍ଲାକେ ଅର୍ସଲି, ଦଇବ ଦେଇଛେ ଭେଟକରି (ସମ୍ବଲପୁରୀ) (ପୁରୁଷ ଓ ସ୍ତ୍ରୀ ଉଭୟ ଅଯୋଗ୍ୟ)

100. ଅରଜି ଛଞ୍ଚି କୃପଣ ମରେ,
      ଗୁଡ଼ମାଠିଆ ମାଲୁଆ ମାରେ 
 (କୃପଣ ବ୍ୟକ୍ତି ବହୁ କଷ୍ଟରେ ସଞ୍ଚିଥିବା ପଦାର୍ଥକୁ ବଳବାନୁ ବ୍ୟକ୍ତି ଜୋର ଜବରଦସ୍ତି କରି ଘେନିଯାଏ)

101. ଅରନ୍କରେ ବରନ୍(ବର୍ଣ୍ଣ) ବସ୍ତର୍ (ବସ୍ତ୍ର) କରେ ହୀନ (ସମ୍ବଲପୁରୀ) (ଅନ୍ନ ଦେହକୁ ପୁଷ୍ଟ କରେ ଏବଂ ବସ୍ତ୍ର ଅଭାବରେ ମର୍ଯ୍ୟଦା ହାନି ଘଟେ)

102. ଅରକ୍ଷିତ ମଡ଼ା ନାଁ ଦୁଆରେ ପଡ଼ୁଛି ଛେରା 
(ଦରିଦ୍ର ବ୍ୟକ୍ତିର ଶବ ଉଠିବାବେଳେ କର୍ପୂର ଚନ୍ଦନ ଛିଞ୍ଚା ହେବା ଭଳି ଅବାସ୍ତବ ଓ ହାସ୍ୟାସ୍ପଦ କଥା)

103. ଅରୁପ ଯାକରେ ସ୍ବରୂପ ମିଠା,
            ମନୁଷ୍ୟ ମିଠା ଗୋରା,
 ଦେବତା ଯାକରେ କାଳିଆ ମିଠା,
          ସବୁରି ମିଠା କୋରା 
(ଗୋରା ମଣିଷ, କାଳିଆ ଜଗନ୍ନାଥ, ସାକାରବାଦ ଓ କୋରାର ଶ୍ରେଷ୍ଠତା ଏଥିରେ ବର୍ଣ୍ଣିତ ହୋଇଅଛି )

104. ଅର୍ଘାସୁର ପରି ବଢ଼ୁଛି 
(ଭାଗବତ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କ ଦ୍ବାରା ନିହତ ଅଜଗର ବେଶଧାରୀ ମହାକାୟ ବ୍ୟକ୍ତି ପରି ପଢିବା)

105. ଅର୍ଥ ସବୁ ଅନର୍ଥର ମୂଳ  (ଅନୁଭବ)

106. ଅର୍ଥଗ୍ରାହୀ ସନ୍ନ୍ୟାସୀ କି ଦଣ୍ଡ ପ୍ରଣାମରେ ସନ୍ତୋଷ (ଅନୁଭବ)

107. ଅଳପ ଧନ ବିକଳ ମନ 
 (ଅଭାବଗ୍ରସ୍ତ ଲୋକ ଭଲ ଜିନିସ ଦେଖିଲେ କିଣି ନ ପାରି ମନ ଦୁଃଖ କରେ)

108. ଅଳଙ୍କାର ପିନ୍ଧିଲେ ଓଡ଼େଇ ଚାଲ, 
          ପୁଅ ବେଇଲେ ଘୋଡ଼େଇ ଚାଲ 
 (ଲୋକଙ୍କ ଦୃଷ୍ଟି ପଡ଼ିବା ଭୟରେ )

109. ଅଲଣାରେ ସୁଆଦ କି ? ପରଠାରେ ମାନ କି ? (ନିରର୍ଥକ)

110. ଅଳପ ଲୋକର ବିସ୍ତର ବୋଝ ତାକୁ ଜାଣିବ କପା,           ମହର୍ଗ କାଳରେ ଯାଚି ପରଶେ ତାକୁ ଜାଣିବ ଅପା 
          (ସାନ କପା ଗଛରେ ବହୁତ ଫଳ ଫଳେ )

111. ଅଳପ ତେଣ୍ଟା, ମାଇପ ଖେଣ୍ଟା, ମଠୁଆ ବଳଦ ଯାର,         ଯମ ଘର ଯାଇ କି ଫଳ ମିଳିବ ନି,ତି ମରଣ ତାର 
 (ଏପରି ଲୋକର ଜଞ୍ଜାଳମୟ ଜୀବନ ଜୀବନ୍ତ ମରଣ ସଙ୍ଗେ ସମାନ)

112. ଅଳସୁଆ କପାଳକୁ ଗଙ୍ଗା ବିଜେ କରିବା 
 (ଅଳସୁଆ ଲୋକ ଗଙ୍ଗାସ୍ନାନକୁ ଯାଇପାରେ ନାହିଁ । ତା କପାଳକୁ ବାରୁଣୀ ଯୋଗ ପଡ଼ିଲେ ତା ଘର ପାଖ ନଦୀ, ପୋଖରୀ ବା ଗାଡ଼ିଆ ଗଙ୍ଗାସ୍ନାନ ଫଲ ଦିଏ)

113. ଅଳସୁଆ ଘୋଡ଼ାକୁ ମେଘ ଆଶ୍ରା 
(ଆଳସ୍ୟପରାୟଣ ବ୍ୟକ୍ତିର ବାଜେ ଛଳନା)

114. ଅଳସୁଆର ବାରବାଟି ଚାଷ 
 (ଅଳସୁଆ ଓ ନିକମା ଲୋକର ଗାଲୁଗିରି ଓ ବୃଥା ପ୍ରୌଢ଼ି )

115. ଅଳପ ଚାଷ କୁଟୁମ୍ବ ପୋଷ,
          ବହୁତ ଚାଷ ରଜାକୁ ପୋଷ 
 (ବହୁତ ଗୁଡ଼ାଏ ଜମି ଚାଷ କଲେ କେବଳ ଖଜଣା ଗଣିବା ସାର ହୁଏ)

116. ଅଳଙ୍କାର ଭିତରେ ନିମ କାଠି 
(ଯେଉଁଠାରେ ନିମକାଠି ଏକମାତ୍ର ଅଳଙ୍କାର)

117. ଅଲେଇ ବଲେଇ ରଜାର ମୁଣ୍ଡେ 
 (ରାଜ୍ୟର ପାପ, ଅପବାଦ ପାଇଁ ରାଜା ଦୋଷୀ ବିବେଚିତ ହୁଅନ୍ତି)

118. ଅଳ୍ପ ବିଦ୍ୟା ଭୟଙ୍କରୀ (ଅନୁଭବ)

119. ଅଳ୍ପ ଦୁହିଁଲେ ଗୋସେଇଁ ଋଷେ, ବହୁତ ଦୁହିଁଲେ ବାଛୁରୀ ଋଷେ, ପର ଗାଈ ଦୁହାଁ ମୋତେ ନ ଆସେ 
(ଉଭୟ ପକ୍ଷର ସନ୍ତୋଷ ବିଧାନ କରି କାର୍ଯ୍ୟ କରିବା ଅତ୍ୟନ୍ତ କଠିନ )

120. ଅଳପ ଆୟୀ, ବହୁତ ବ୍ୟୟୀ, 
        ଛୋଟ ପଣତ ପରାୟେ ସେହି 
 (ସ୍ବଳ୍ପ ଆୟ ଛୋଟ ପଣତ ପରି ସର୍ବଦା ନିଅଣ୍ଟ ହୁଏ )

121. ଅଶି ଗରଗଡ଼ ନଉ ବାଳୁଙ୍ଗା  (କୃଷି ବଚନ) 
(ଗରଗଡ଼ 80 ଦିନେ ଏବଂ ବାଳୁଙ୍ଗା 90 ଦିନେ ପାଚେ)

122. ଅସଙ୍ଗରେ ସଙ୍ଗିତା, 
ଅସଙ୍ଗରେ ସଙ୍ଗ ହେଲେ କାଠ ଘଣ୍ଟ ଲମ୍ବିତା 
(ଦୋଷୀ ଲୋକର ସଙ୍ଗ ହେତୁ ନିର୍ଦ୍ଦୋଷର ଦଣ୍ଡ )

123. ଅସତୀ ଭୁଞ୍ଜଇ ପଲଙ୍କ ସୁପାତି,
         କୁଳବତୀ ହୁଏ ଦାସୀ,
 ସାଇ ସାଇ ହୋଇ ବୁଲଇ ଗୋରସ 
           ମଦ ବିକାଯାଏ ବସି  (ଅନୁଭବ)

କ୍ରମଶଃ...
(ସୌଜନ୍ୟ—Odiavasa blog)

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...