Wednesday, June 15, 2022

କଳିଙ୍ଗ ଦେଶରେ ଦୋଳି,ଦୋଳିଗୀତ ଓ ଲୋକଵିଶ୍ଵାସ

କଳିଙ୍ଗ ଦେଶରେ ଦୋଳି,ଦୋଳିଗୀତ ଓ ଲୋକଵିଶ୍ଵାସ( ଶିଶିର ସାହୁ ମନୋଜ )

ଦୋଳି ଓ ଦୋଳିଖେଳ ଓଡ଼ିଶାରେ ବହୁ ପ୍ରାଚୀନ କାଳରୁ ପ୍ରଚଳିତ । ଆଗେ ଓଡ଼ିଶାରେ ସାଧାରଣତଃ ରଜ ଓ ଦୋଳ ପର୍ଵରେ ଦୋଳି ଖେଳା ଯାଉଥିଲା । ଏ ଦେଶରେ ଦୋଳ ଉତ୍ସଵ ସମୟରେ ଦୋଳମଣ୍ଡପରେ ଲୋକେ ଶ୍ରୀକୃଷ୍ଣଙ୍କୁ ଦୋଳି ଖେଳାନ୍ତି ଏଵଂ ଲୋକମାନେ ନିଜେ ରଜପର୍ଵରେ ଦୋଳି ଖେଳିଥାନ୍ତି । 

ଦୋଳି ଏକ ଓଡ଼ିଆ ଶବ୍ଦ ଏଵଂ ଓଡ଼ିଆ ଭାଷାର କ୍ରିୟା ଶବ୍ଦ ଦୋଳେଇଵା ମଧ୍ୟରେ ଥିଵା ମୂଳ ଓଡ଼ିଆ ଧାତୁ ଶବ୍ଦ ଦୋଳି ଧାତୁରୁ ସୃଷ୍ଟି ହୋଇଅଛି । ସଂସ୍କୃତ କ୍ରିୟା ଦୁଳ୍ ଧାତୁ ସହିତ ଓଡ଼ିଆ ଦୋଳି ଧାତୁ,ଦୋଳ ଓ ଦୋଳେଇଵା ଆଦି ଶବ୍ଦ ସମୋଦ୍ଧୃତ । ଓଡ଼ିଶାରେ ଦୋଳେଇଵା ଵା "to swing" ଅର୍ଥରେ ଆହୁରି ଅନେକ କ୍ରିୟା ଶବ୍ଦ ପ୍ରଚଳିତ । ଯଥା —

•ଉକୁଚି ହେଵା
(କେତେକ ଅଞ୍ଚଳରେ ଉକୁଚି ଦେଵା କ୍ରିୟା ଦୋଳିକୁ ପଟା ଓ ଦଉଡ଼ି ଗୁଡ଼ାଇ ଗଛରେ ଖୋସିଵା ଅର୍ଥରେ ମଧ୍ୟ ଵ୍ୟଵହୃତ ହୋଇଥାଏ) 

•ଓଳମିଵା/ଓଳମି ହେଵା — ତଳକୁ ଲମ୍ବିଵା ଓ ଦୋଳିଵା
(ସଂସ୍କୃତ ଅଵଲମ୍ବନ ସହିତ ସମୋଦ୍ଧୃତ ତଥା ଗଞ୍ଜାମ ଅଞ୍ଚଳରେ ପ୍ରଚଳିତ ବୋଲି ଭାଷାକୋଷରେ କଥିତ ହୋଇଛି)

•ଓହଳିଵା—
(ଝୁଲିବା ଲମ୍ବିବା ଦୋଳିବା ଆଦି ଅର୍ଥରେ ଏ ଶବ୍ଦ ଵ୍ୟଵହାର କରାଯାଇଥାଏ)

•ଝୁଲିଵା 
(ଏ କ୍ରିୟା ଶବ୍ଦଟି ଲଟକିବା,ତଳକୁ ଲମ୍ବି ଦୋହଲିଵା,ଫାସି ଲଟକାଇ ହେଵା ଵା ଫାସି ଘେନିଵା,ଢଳିଵା,ଇତସ୍ତତଃ ଦୋଳାୟମାନ ହେଵା,ଓହୋଳିପଡ଼ିଵା ଓ ଦୋଳିଵା ଆଦି ଅର୍ଥରେ ପ୍ରୟୋଗ ହୋଇଥାଏ)

•ଦୋଳିଵା
(ଏ କ୍ରିୟା ଶବ୍ଦଟି ଉଭୟ ଝୁଲିଵା ଓ ହଲିଵା ଅର୍ଥରେ ପ୍ରୟୋଗ ହୋଇଥାଏ)

•ଲଟକିଵା/ନଟକିଵା/ଲଡ଼କିଵା
(ଝୁଲିଵା,ଦୋଳିଵା ଓ ଝୁଲି ପଡି଼ଵା ଅର୍ଥଜ ଶବ୍ଦ)

•ଲୁଳିଵା
(ଏ ଶବ୍ଦଟି ଝୁଲିଵା, ଲଟକିଵା,ଦୋହଲିଵା,କ୍ଳାନ୍ତ ହେଵା, ଥକିଯିଵା,ମଉଳିଵା, ମ୍ଲାନହେଵା,ଝାଉଁଳିଵା ଆଦି ଅର୍ଥରେ ପ୍ରୟୋଗ ହୋଇଥାଏ)

•ଦୋଳି ପହଞ୍ଚାଇଵା( a swing)
(ଅନ୍ୟ ଵ୍ୟକ୍ତିକୁ ଦୋଳାରେ ଝୁଲାଇଵା)

•ପେଙ୍ଗିଵା/ପେଙ୍ଗା ମାରିଵା
(ସଂ—ପ୍ରେଙ୍ଖା = ଝୁଲିଵା/
ଗୋଡ଼ ଓ ବାହୁଦ୍ବାରା ବଳ ପ୍ରୟୋଗ କରି ନିଜେ ଦୋଳି ପହଞ୍ଚାଇ ହେଵା ଵା ଖେଳିଵା)

ଏତଦଵ୍ୟତୀତ ଏ ଦେଶରେ ଅନେକ ଜାତୀୟ ଦୋଳି ପ୍ରଚଳିତ ଯଥା — ଦଉଡ଼ି ଦୋଳି,ଡଙ୍ଗା ଦୋଳି, ଚକ୍ରି ଦୋଳି,
ପଟାଦୋଳି, ବାଉଁଶ ଦୋଳି,ରାମ ଦୋଳି ଓ ବାକ୍ସ ଦୋଳି ଇତ୍ୟାଦି ଇତ୍ୟାଦି

ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଦୋଳି ଶବ୍ଦର ବହୁଳ ପ୍ରୟୋଗ ହୋଇ ଳଥିଵା ଦେଖାଯାଏ । 

ଓଡ଼ିଆ ଲିଖିତ ସାହିତ୍ୟରେ ଦୋଳି :

ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗଵତର ଦଶମ ସ୍କନ୍ଧରେ ଦୋଳି ଶବ୍ଦର ପ୍ରୟୋଗ ଏମନ୍ତ ହୋଇଅଛି...

“ବସ୍ତ୍ର ବାନ୍ଧନ୍ତି ବୃକ୍ଷ ଡାଳେ । 
ଦୋଳି କରନ୍ତି କୁତୁହଳେ ॥”

କଵି ବଳରାମ ଦାସ ଜଗମୋହନ ରାମାୟଣରେ ଦୋଳି ଶବ୍ଦ ଵ୍ୟଵହାର କରି ଲେଖିଛନ୍ତି...

"ରତ୍ନସିଂହାସନେ ନେତର ଯେ ଦୋଳି ପାରି । ଵିଜୟ ନାରାୟଣ ବଡିମାପଣ ଛାଡି଼ ॥" 

ସେହିପରି କଵି ଦୀନକୃଷ୍ଣ ଦାସ(୧୬୫୦–୧୭୧୦) ତାଙ୍କ ରସକଲ୍ଲୋଳ କାଵ୍ୟରେ ମଧ୍ୟ ଦୋଳି ଶବ୍ଦ ପ୍ରୟୋଗ ପୂର୍ଵକ ଲେଖିଛନ୍ତି

"କନକର ଦୀପାଵଳୀ ଚାରି ପାରୁଶରେ ଜାଳି
ଚାରୁ ଚନ୍ଦ୍ରାତପମାନ ନେଇ ମଣ୍ଡିଲେ ।
କର୍ପୂର ଚନ୍ଦନ ଛରା ପକାଇ ସେ ପୁର ତୋରା
କରାଇ, ଅଳକାପୁରତୋରା ଖଞ୍ଜିଲେ ।
କନ୍ୟା ଖମ୍ବେ ଖଟାଇ ଦୋଳି
କୁମାରଙ୍କୁ ଶୁଆଇ ଦେଲେ ହୁଳହୁଳି ॥”

କଵିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲାଵଣ୍ଯଵତୀ କାଵ୍ୟରେ ଦୋଳି ଶବ୍ଦ ଵ୍ୟଵହାର କରାଯାଇ ଲେଖାଅଛି

"ସୂତିକାଗୃହରେ ଯେତେ ଵିଧି ଶେଷ କଲେ । ଦଶ ବିଂଶ ଦିନେ ଦୋଳି ଶୟନ ବିହିଲେ ଯେ ।”

ସେହିପରି କଵି ଵୈଦେହୀଶ ଵିଳାସ କାଵ୍ୟରେ ମଧ୍ୟ ଦୋଳି ଶବ୍ଦର ପ୍ରୟୋଗ କରି ପଦେ ରଚନା କରିଛନ୍ତି

"ବଡିମା-ତତି ଶୋଭାର ଶ୍ରୁତି ବିଶ୍ରାମ ଖଟ ଦୋଳି। 
ବୋଲି ପାଟଳି ପା ବୋଲୁଁ ଟଳିଲାର ଉପମା ଝଳି॥"

ଗୋପୀନାଥ ଦାସଙ୍କ ଖୁଦୁରୁକୁଣୀ ଓଷାଗୀତରେ ଆମେ ଦୋଳି ଶବ୍ଦ ଥିଵା ଦେଖିଵାକୁ ପାଇଥାନ୍ତି 

"ଭୋଜନ କରାଇଵ ଆଣି । 
କ‌ହି ଅପୂର୍ଵ ରସଵାଣୀ ॥
ଦୋଳିରେ ଦୋଳି ପଞ୍ଚାଇଵ । 
ନିମିଷେ ହେଳା ନ କରିଵ ॥

ସମାନ କଥା କଵି ଦୁଷ୍କର ନାୟକ ଖୁଦୁରୁକୁଣୀ ଗୀତ ଓ ତଅପୋଇ ଉପାଖ୍ୟାନରେ ଏମନ୍ତ ଉଲ୍ଲେଖ କରିଛନ୍ତି

"ବେଳ ଜାଣି ଅନ୍ନ କୁଙ୍କୁମ ଲେପନ ପାନ ଭାଙ୍ଗି ଦେଵ, ଦୋଳି ଖେଳାଇଵ, 
ଖଟେ ଶୁଆଇଵ, କଟୁ ନ କହିଵ”

ଆଗେ ସାଧାରଣତଃ ଶ୍ରୀକୃଷ୍ଣଙ୍କ ସମ୍ବନ୍ଧୀୟ କାଵ୍ୟ କଵିତାରେ ଦୋଳିଖେଳ ଵିଷୟରେ ଉଲ୍ଲେଖ ରହୁଥିଲା । କିନ୍ତୁ ଊନବିଂଶ ଶତାବ୍ଦୀ ପରଠାରୁ ଓଡ଼ିଆ କଵି ଲେଖକମାନେ ସାଧାରଣ ଜନତାଙ୍କ ଜୀଵନଯାପନ ଉପରେ ସାହିତ୍ୟ ଲେଖିଵାରେ ଵ୍ରତୀ ହେଲେ । ତେଣୁ ଓଡ଼ିଆ ଲୋକଙ୍କ ଗାଉଁଲି ଦୋଳିଖେଳ କଥାମାନ ସାହିତ୍ୟରେ ସ୍ଥାନ ପାଇଵାକୁ ଲାଗିଲା...

ରାଧାନାଥ ରାୟ ଉଷା କାଵ୍ୟରେ ଦୋଳି ଶବ୍ଦ ଵ୍ୟଵହାର କରି ଲେଖିଛନ୍ତି

"ଅସଂଖ୍ୟ କଳାପୀ ଵର୍ଣ୍ଣୋଜ୍ଜ୍ୱଳ ଚାରୁ-କଳପ ତୋଳି, ଵ୍ରତ‌ତୀ-ଦୋଳାରେ ଖେଳୁଥିଲେ ତ‌ହିଁ ଅନିଳେ ଦୋଳି”

କ୍ରମେ ଓଡ଼ିଆ ସାହିତ୍ୟରେ ଶିଶୁଗୀତ ରଚନାର ପରମ୍ପରା ଆରମ୍ଭ ହେଲା ଏଵଂ ବାଳକ ଵାଳିକା ତଥା କିଶୋର କିଶୋରୀଙ୍କର ପ୍ରିୟ ଦୋଳି ଖେଳର ଉଲ୍ଲେଖ ସେସବୁ ସାହିତ୍ୟରେ ସ୍ଥାନ ପାଇଲା

କଵା ନନ୍ଦକିଶୋର ବଳ ହୋଓରେ ବାଇଆ ହୋ” ଶିଶୁଗୀତରେ ଲେଖିଛନ୍ତି...

“କୋଳି ଖାଉ ଥାଉ ଶିଆରି ଲଟାରେ କୃଷ୍ଣ ଖେଳୁଥିବେ ଦୋଳି ଶିଆରି ବଣରେ ବାଇଆ ବସା ଗୋ ! ହୋଓରେ ବାଇଆ ହୋଓ !”

ସେହିଭଳି ଉଦୟନାଥ ଷଡ଼ଙ୍ଗୀ ତାଙ୍କ ଶିଶୁ କଵିତା "ଦୋଳି ଖେଳ"ରେ ଆଉ ପାଦେ ଆଗେଇ ଯାଇ ଲେଖିଲେ...

“ଦୋଳିରେ ଦୋଳି ପଵନ ଦୋଳି 
ଦୋଳି ଖେଳିଵା ଆସ
ଗଛର ଡାଳେ ଦୋଳିଟି ଝୁଲେ
ତଳେ କଅଁଳ ଘାସ”

ବହୁତ ପରେ ମାଗୁଣୀ ମହାପାତ୍ର(ଏହାଙ୍କର ୧୯୫୨ ମସିହାରେ ଦୋଳିଗୀତ ପ୍ରକାଶିତ)ଙ୍କ ଭଳି କିଛି ଉଦ୍ୟମୀ ଓଡ଼ିଆ ପ୍ରାଚୀନ କାଳରୁ କଥିତ ଓଡ଼ିଆ ଭାଷାର ଲୋକ ସାହିତ୍ୟରେ ପ୍ରଚଳିତ କେତେକ ମୁଖ୍ୟ ମୁଖ୍ୟ ରଜଦୋଳି ଗୀତକୁ ସଂଗ୍ରହ କରି ପ୍ରକାଶ କରିଥିଲେ। ପ୍ରକୃତରେ ଏମାନେ ରଚୟିତା ନଥିଲେ ଵରଂ ସମାଜର କଥିତ ଭାଷାରେ ପ୍ରଚଳିତ ଲୋକ ସାହିତ୍ୟକୁ ସଂଗ୍ରହ କରି ନିଜ ଅନୁସାରେ ବଦଳାଇ ଲୋକଙ୍କ ପାଖରେ ପହଞ୍ଚାଇଥିଲେ । କେହି କେହି ମାଗୁଣି ମହାପ୍ରାତ୍ରଙ୍କ ୧୯୫୨ ମସିହାରେ ପ୍ରକାଶିତ ପୁସ୍ତକକୁ ଦେଖି ଭାବନ୍ତି ଯେ ସେ ରଜ ଦୋଳି ଗୀତର ସୃଷ୍ଟିକର୍ତ୍ତା ମାତ୍ର ତାଙ୍କର ସେଭଳି ଭାବି ମତଵ୍ୟକ୍ତ କରିଵା ଠିକ୍ ନୁହେଁ ‌ । ମାଗୁଣି ମହାପାତ୍ର ଯେ କି ଆଜକୁ ସତୁରୀ ଵର୍ଷ ତଳେ ଖଣ୍ଡିଏ ପୁସ୍ତକ ପ୍ରକାଶ କରିଦେଇଥିଲେ ତାହା କ'ଣ ଏତେ ମାତ୍ରାରେ ଲୋକପ୍ରିୟ ହୋଇଗଲା ଯେ ୧୯୫୦ରୁ ୧୯୮୦-୯୦ ଯାଏଁ ରେଡ଼ିଓ,ଟିଵି, ସମ୍ବାଦପତ୍ର ପହଞ୍ଚି ନଥିଵା ବଣ ଜଙ୍ଗଲ ଘେରା ଦୁର୍ଗମ ଗ୍ରାମାଞ୍ଚଳରେ ପହଞ୍ଚି ଗଲା ?
ପୁନଶ୍ଚ ସତୁରୀ ଵର୍ଷ ମଧ୍ୟରେ ମାଗୁଣି ମହାପାତ୍ରଙ୍କ ଦ୍ଵାରା ସଂଗୃହୀତ କେତେଗୋଟି ଲୋକଗୀତ ଆଧାରରେ ସହସ୍ର ସହସ୍ର ଲକ୍ଷ ଲକ୍ଷ ରଜଦୋଳି ଗୀତ ବୌଦ୍ଧ, ସୋନପୁର,ଦେଵଗଡ଼ଠାରୁ ପୁରୀ ଯାଏଁ ବାଲେଶ୍ଵରଠାରୁ ଗଞ୍ଜାମ ତଥା ସିଂହଭୂମି ଯାଏଁ ସୃଷ୍ଟି ହୋଇଯାଇଥିଵା ମଧ୍ୟ ଯୁକ୍ତିଯୁକ୍ତ ଲାଗୁନାହିଁ ‌ । ନିଶ୍ଚୟ ତାଙ୍କର ବହୁ ପୂର୍ଵରୁ ଓଡ଼ିଶାରେ ରଜଦୋଳି ଗୀତ କଥିତ ଓଡ଼ିଆ ଭାଷାରେ ସୃଷ୍ଟି ହୋଇ ଚଳୁଥିଲା ଏଵଂ ତନ୍ମଧ୍ୟରେ କେତେକ ଵିଶିଷ୍ଟ ଗୀତକୁ ମାଗୁଣି ମହାପାତ୍ର ସଂଗ୍ରହ କରି ନିଜ ଶୈଳୀରେ ଲେଖି ପ୍ରକାଶ କରିଥିଲେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ୧୯୩୨ ମସିହାରେ ସଂକଳିତ ହୋଇ ପ୍ରକାଶ ପାଇଥିଲା ମାଗୁଣି ମହାପାତ୍ରଙ୍କ ରଜଗୀତ ବହି ପ୍ରକାଶ ହେଵାର ୧୫-୧୮ ଵର୍ଷ ପୂର୍ଵରୁ ସେଥିରେ ଅଵିଭକ୍ତ ସମ୍ବଲପୁର ଜିଲ୍ଲାରେ ପ୍ରଚଳିତ "ପରା(ପଡ଼ା/ସାହି)" ଶବ୍ଦ ତଳେ ସମ୍ବଲପୁରୀ ଓଡ଼ିଆରେ ପୂର୍ଵେ ପ୍ରଚଳିତ ଥିଵା ଏକ ଦୋଳୀଗୀତ ଉଲ୍ଲେଖ କରାଯାଇଛି...

"କାଁଚି କାଁଚି କାଁଚି, 
ଆମରି 'ପରା'କୁ ନ ଯିବୁ ନାଚି। 
ପୁଣ୍ଡା ତଲେ ଦେବି ଖାଁଚି।"

ଏଥିରୁ ଜଣାଯାଏ ଯେ ମାଗୁଣି ମହାପାତ୍ରଙ୍କ ବହୁ ପୂର୍ଵରୁ କେଵଳ ଉପକୂଳ ଓଡ଼ିଶା ହିଁ ନୁହେଁ ଵରଂ ଅଵିଭକ୍ତ ସମ୍ବଲପୁର ଜିଲ୍ଲା ଯାଏଁ ମଧ୍ୟ ଦୋଳୀ ଗୀତ ପ୍ରଚଳିତ ଥିଲା । ଆମ ଓଡ଼ିଶାରେ ଅଞ୍ଚଳ ଭେଦରେ ସହସ୍ରାଧିକ ଦୋଳିଗୀତ ପ୍ରଚଳିତ । 
ନିମ୍ନରେ କେତେକ ଜଣାଶୁଣା ଦୋଳିଗୀତ ପ୍ରଦତ୍ତ ହେଲା...

"ଵନସ୍ତେ ଡାକିଲା ଗଜ, 
ଵରଷକେ ଥରେ ଆସିଛି ରଜ ଲୋ, 
ଘେନି ନୂଆ ସଜବାଜ ।"

"ଦୋଳି ଉଡ଼େ ସାଇଁ ସାଇଁ ସଙ୍ଗାତ ଲୋ
ଦୋଳି ଉଡ଼େ ସାଇଁ ସାଇଁ
ମୋ ଭାଇ ଯୁଦ୍ଧରୁ ଫେରିଵା ପାଇଁ ଲୋ 
ଦୁଆରେ ବସିଛି ଚାହିଁ ।"

"କଳିଙ୍ଗ ଅଙ୍ଗ ଜିଣିଵ ସଙ୍ଗାତ ଲୋ , 
କଳିଙ୍ଗ ଅଙ୍ଗ ଜିଣିଵ
ହାତୀ ଘୋଡ଼ା ଚଢ଼ି ପଟୁଆର କରି ଭାଇ ମୋର ଆସୁଥିଵ ।"

"ରଜ ଦୋଳି କଟମଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ
ତୋ ଭାଇ ମୁଣ୍ଡରେ ଜଟ ।"

"ଦୋଳି ପଟା ଖେଳୁଥିଲି ଲୋ
ଦୋଳି ପଟା ଖେଳୁ ଥିଲି
ବାପା ଡାକି ଦେଲେ ଯଶୋଦା
ବୋଲି 
ହାତ ଧୋଇ ଭାତ ଦେଲି ଲୋ 
ହାତ ଧୋଇ ଭାତ ଦେଲି...।"

"ଗଛ ଦୋଳି ପଟା ଦୋଳି ସଙ୍ଗାତ ଲୋ
ଫୁଲ ଦୋଳି ଲୁଗା ଦୋଳି
କୋଳି ଖାଇ ଖାଇ ଦୋଳି
ଖେଳୁଥିଲେ ଦେଖିବେ ମାଇପେ ଭଳି ।"

"ପିତା ଶାଗ ବୁଦି ବୁଦି, 
ଭାଇ କାହା ସଙ୍ଗେ କଲେ ପୀରତି କଲା ଲୋ, 
ହାତୁ ଦେଇ ସୁନା ମୁଦି । "

"ଅରୁଆ ଚାଉଳ ଖିରି
ଝୁଣ୍ଟିଆ ଶବଦେ କମ୍ପାଇ ଦେଲା
ଏଇବାଟେ ଗଲା ଗୋରୀ"

"ଜାମୁ କୋଳି କଳା କଳା
ଦୋଳି ନ ବସୁଣୁ ବେଗ ତୁ 
ପଳା ଲୋ  
ଚାହିଁ ଥିବେ ଗଳା ମାଳା ।"

"ଆମ୍ୱୁଲ ମାଠିଆ ପେଟ
ଵରଷେ ଜଗିଲି ଗାଧୁଆ ତୁଠ
ଦିନେ ନ ପାଇଲି ଭେଟ"

"ଲାଜକୁରୀ ନୂଆ ଵୋହୂ
ସଙ୍ଗାତ ଲୋ  
ଲାଜକୁରୀ ନୂଆ
ବୋହୁ
ହୁଳହୁଳି ଦେବ କଣରେ ଥାଇ ଲୋ
ଜଳେ ଦୀପ ଦାଉ ଦାଉ ।"

"ଝଟ ଝଟଦୋଳି ଝୁଲା ସଙ୍ଗାତ ଲୋ ଝଟ ଝଟ ଝୁଲା ଦୋଳି
ଭାଇ ବନ୍ଦିଵା ମୋ ହୋଇଛି ପାଳି ଲୋ ନୂଆ‌ଵୋହୂ କଲା କଳି।"

"କୂଅରେ ପଡି଼ଲା ଇଟା
ଜୁଆଳି ବାଡିରେ ଭାଙ୍ଗିବ ଅଣ୍ଟାଲୋ
ଶିଖାଇବି ଧାନକୁଟା ।"

"ଆଖୁବାଡ଼ି ଖସଖସ
ଯାଦୁଆ ଡାକୁଛି ଯାଦୁଆଣୀକୁ
ରମ୍ପାରମ୍ପି ହେଵା ଆସ"

"ଆଠଗଡ଼ ବୋଇରାଣୀ
ଶୁଖିଲା ନଡି଼ଆ ପଇଡ ପାଣି
ବୁଢୀ଼ ଦିନେ ଭୁଆଷୁଣୀ"

"ଆଳି ରାଇଜର କେନ୍ଦୁ
ଆଳିଆ ଲେଖାରେ ବାଳିଆ ବନ୍ଧୁ
କେତେ ଲହରେଇ କାନ୍ଦୁ"

"କାଉ ବେକରେ ମାଳି
ତିନିଘର କଳି ଲଗେଇ ଦେଲା
ଏଇ ସରୁମୁହିଁ କାଳି"

"ଖଡୁ ଭଲକରି ମାଜ
ରାଜା ତ ଜାଣିଲେ,
ରାଇଜ ଜାଣିଲା
ଆଉ କାହିଁପାଇଁ ଲାଜ ।"

"ସାତଥର ଗଲି ଗଙ୍ଗା
ଥରେ ଚାଲିଗଲି ଚନ୍ଦରଭାଗା ଲୋ
ମୁହଁ ପଡି଼ଗଲା ରଙ୍ଗା"

"ପଛକଥା ମନେ ନାହିଁକି
ତାଳଗଛ ମୂଳେ ମାଡ଼ ମାରିଥିଲୁ
ବାଇଗଣ ପୋଡା ପାଇଁକି ।"

"ଚୋର ପଳେଇଲା ଖରେ
ଗହ୍ଲେଇନାନୀର ଧନୁଆ କଣ୍ଠି
ଛିଡି ପଡି଼ଗଲା ତଳେ ।"

"ଦୋଳିଆ ଭାଇରେ ଦୋଳିଆ ଭାଇ ,
ଦୋଳି ପହଞ୍ଚାଇ ଦେ
ଦୋଳିରେ ଯେତେକ କଉଡ଼ି ଅଛି
ସବୁ ପଛେ ଗଣି ନେ ।"

"ବିଲ ବରଗଛ ଛାଇ
ପରିହାସ ଛଳେ ଦେଲି ମୁଁ କହି
ମୋ ଗୁଣ୍ଠୁଣୀ ହାତୀ ଲୋ
ହସ ଖେଳେ ଦିନ ଯାଉ ବହି ।"

"ବଣରେ ଲାଗିଲା ନିଆଁ
ପିଠିରେ ଲଗାଇ ଦେବି ମୁଁ ଚିଆଁ
ମୋ ଭଉଣୀ ମାନେ ହୋ
କାହିଁ ନପାଇଵ ତୁମେ ରାହା ।"

"ନଈ ଅତଡା଼ରେ ଦୁବ
ଏକା ଗଲେ ସିନା ସରମ ହେଵ ଲୋ
ସଙ୍ଗେ ଯିବେ ଗଜାମୂଗ ।"

"ବାହାଲ‌ ଉପରେ ଲେମ୍ବୁ
ମରିଗଲେ‌ ପିଲା ପାଉଁଶ ‌ହେବୁ
ଏ ସୁଖ କାହୁଁ ‌ପାଇବୁ ?"

"ବାଉଁଶ ସରୁ ପଵନ
ଯେପରି ବହୁଛି ଥଣ୍ଡା
ପଵନ ଲୋ
ସେହିପରି ଆମ୍ଭ ମନ ।"

"ରାଶିରୁ ଛାଡ଼ିଲା ଚୋପା, 
ଗୋଡ଼ରେ ନାଇଛୁ ସରୁ ଅଳତା ଲୋ, 
ମଥାରେ ସିନ୍ଦୂର ଟୋପା ।"

"ମାଧୋଇ ଅଣ୍ଟାରେ ଗୋଠ
ଏଇ ଗୋଠ ଲାଗି ଯିବି କଟକ ଲୋ 
ଆଣିବି ସୁନା ମୁକୁଟ ।"

"ଉଡ଼ିଲା ଶୁଆ ନାହାକା, 
ଦୋଳିଟା କାହିଁକି ଲାଗୁଛି ଏକା ଲୋ, 
କାହା ଵିନା ଏକା ଏକା ।"

"ଅଦିନେ ଜହ୍ନି ରାଇତା
ଚନ୍ଦ୍ରମା ମୁଖଟି ଶୁଖି ଯାଇଛି ଲୋ
କହୁ ନାହାନ୍ତି ସେ କଥା ।"

"ପାଚିଲା ଭଇଁଚ କୋଳି, 
ବେକରେ ନାଇଚି ଗଜରା ମାଳି ଲୋ, 
ଝୁଲାଅ ରଜର ଦୋଳି ।" 

"ଇଙ୍କର ବଣର ଘାସ
‌ଦିନେ ଦେଖା ନାହିଁ  
କାଳେ ଦେଖା ନାହିଁ
ଆଜି ବଡ଼ ଵିଶୁଆସ ।"

"ପଣସ ପାଚିଲା ଵନେ, 
ଵନ ପୋଡ଼ିଗଲେ ଦୁନିଆ ଜାଣେ ଲୋ, 
ମନକଥା କିଏ ଜାଣେ ।"

"ଢିଙ୍କିରେ କୁଟିଲି ଗୋଲମରିଚ ଲୋ
ପାଆରେ ମାପିଲି ଘିଅ 
ଉପର ସାହିକି ଝିଅ ନଦେଵ ଲୋ
ମାରିବେ ଜାଉଁଳି ଡିହ ।"

"ଶଙ୍ଖ ମଲମଲ ଗିନା, 
ଦରଦ ଜାଣେଲୋ ଦରଦୀ ସିନା ଲୋ, 
ବଣିଆ ଚିହ୍ନେଟି ସୁନା ।"

"ବାରିକି ସୁନ୍ଦର କଦଳୀ ଗଛ ଲୋ
ପିଢାକୁ ସୁନ୍ଦର ପୋଇ
ଘରକୁ ସୁନ୍ଦର
ଦେଈ ଭାରିଜା‌ ଲୋ
ରଗଡି଼ଵ ମୁଗଜାଇ ।"

"ନିମ୍ବର ବୁକେ ଚନ୍ଦନ, 
ଦେଵତା ଗଢ଼ାଇଲା ନାରୀ ଜୀଵନ ଲୋ, 
ଦେଲା ତହିଁ ଯଉଵନ ।"

"ଢମଣା ଛାଡ଼ିଲା କାତି, 
ପୁରୁଷ ସିନାଲୋ ଭ୍ରମର ଜାତି ଲୋ, 
ନୂଆ ଖୋଜୁଥାନ୍ତି ନିତି ।"

"ପାକେଲା ବାଉଁଶ ବାଡ଼ି
ହସି କଥା କହ କୁସୁମ କଢି଼ ଗୋ
ଚାକିରୀ ଆସିଛି ଛାଡି଼।"

"ଭଲେ ଆସିଛ କି ମନ୍ଦେ ଆସିଛ
କୁମ୍ଭ ଧରି ଗୋଡ଼ ଧୁଅ
ତୁମରି ଭାରିଜା ପଦାରେ ଅଛନ୍ତି
କରମ ଆଦରି ଶୁଅ।"

"ବଣ ଭୁଆଁ ଛାଡେ ରଡି
ଘଡି଼ ଘଡି଼ ମା' ଡାକିବ ନାହିଁ ଲୋ ,
ଦୋଳିରୁ ଯିବି ମୁଁ ପଡ଼ି ।"

"ଚାନ୍ଦରେ କଳଙ୍କ ଚିହ୍ନ, 
ନଵ ଯଉଵନି କିଆଁ ଗୁମାନ ଲୋ, 
ଆସିଲେଣି ଜୀଵ ଧନ ।"

"ପୋଖରୀ ତୁଠ ପଥର, 
ତତେ ଦେଖିଥିଲି ବାଲି ବନ୍ଧରେ ଲୋ, 
ଆଖି ଥିଲା ଏଣେ ତୋର ।"

"ଦୋଳି ଦଉଡ଼ି ସାଜେ
ଯେଉଁ ପରଵତେ ବାଜେଣି ବାଜେଲୋ
ଗଙ୍ଗା ବାଲି ଖଡ଼ୁ ମାଜେ ।"

"ସାହାଡ଼ା ଗଛର ଛାଇ, 
ସେଦିନ କଥାକି ତୋ ମନେ ନାଇଁ ଲୋ, 
ଏତେ ଆନମନା କାହିଁପାଇଁ ।"

"ଦୋଳି ମୁଣ୍ଡେ ଦେଲି ଜଉ
ଏଇ ଜଉ ଟିକ ସଂସାରେ ଥାଉ ଲୋ
ଦୋଳି ଖେଳି ଦିନ ଯାଉ ।"

"ପର୍ଵତ ଶିଖରେ ଧାନ ଉସାଁଇଲି 
ମୟୂର ଖାଇଲା ଖୁଣ୍ଟି
ଆଣେଲୋ ଏବେ 
ଝୁମୁକି ଝାଣ୍ଟି ମୟୂର
ଗଲାଣି ଉଠି ।"

"ଖୋସାରେ ଖୋସିଲି ଫୁଲ, 
କେତେ ଦେଖାଉଛୁ ନୁଖୁରା ଗେଲରେ, 
ଭାଙ୍ଗି ଦେବି ତୋର ଗାଲ ।"

"ନଈର ଶୁଖିଲା ବାଲି, 
କେତେ ଫୁଲି ହେଉ ପୁଚୁକିଗାଲି ଲୋ, 
ଦେଖାଉଛୁ କେତେ ବେଲି ।"

"ବାଜିଲା ତେଲିଙ୍ଗି ବାଜା, 
ରସିକ ଯେ ଜାଣେ ସ୍ନେହର ମଜା ରେ, 
ସେ ସିନା ମୋ ମନ ରଜା ।"

"କେଲୁଣୀ ରାନ୍ଧୁଛି ଖେଚୁଡ଼ି ଭାତ
ଖେଚୁଡ଼ି ଭାତ ଲୋ 
କେଳା ବୋଲୁଅଛି ଗୀତ ।"

"ଲୁଚିଗଲା ମେଘେ ଚାନ୍ଦ, 
ଦୋଳି କଟକଟ କରେ ଶବଦ ଲୋ, 
ଵହନ୍ତେ ପଵନ ମନ୍ଦ ।"

"ଦୋଳି ହୁଏ ରଟରଟ, 
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ, 
ଦିଶୁଥାଏ ଝଟଝଟ ।"

"ପରଵତେ ଜଳେ ନିଆଁ, 
ପହଞ୍ଚାଇ ଦୋଳି ତେଣେ ନ ଚାହାଁ ଲୋ, 
ପୁଣି ହେଵ ବାଆଁ ଡାଁ ।"

"ଦୋଳି ମୁଣ୍ଡି କଟ‌କଟ
ଯେବେ ମୋ ଭାଇନା ବାହା
ହୋଇ ଯିବୁ
ଆଣିବି ଫୁଲ ମୁକୁଟ ।"

"ଉତୁରି ପଡ଼ିଲା ଦୁଧ, 
ଉଙ୍କି ମାରି ମାରି ଅନାଉ ଥାଏ ଲୋ, 
ନନ୍ଦର ଉଦିଆ ଚାନ୍ଦ ।"

"ଛତରା ବଜାର ହାଟ, 
ଛକି ବସିଥିଵ ଚଗଲା କାହ୍ନୁଲୋ, 
ଛନ୍ଦରେ ମାଗିଵ ଘାଟ ।"

"ଥୋଡ଼ମଞ୍ଜା କଲି ରାଇ, 
କଣ ନ କଲେ କଳା କହ୍ନାଇ ଲୋ, 
ମୁହଁକୁ ଯା ନ ଅନାଇ ।"

"କରମଙ୍ଗା କଲି ରାଇ, 
ମଥୁରାକୁ ଗଲେ କଳା କହ୍ନାଇ ଲୋ, 
କଣ୍ଟ ଦେଇ ଗଲେ କାହିଁ ।"

"ସାଉଁଟିଲି ବିଲ ଘଷି, 
କିମ୍ପାଇଁ ରାଧିକା ବସିଲା ରୁଷି ଲୋ, 
ଫୁଲ ଶେଜ ହେଲା ବାସି ।"

"କଟକଟ ହୁଏ ଦୋଳି,
ଭାଉଜଙ୍କ ମନ ଯାଇଛି ଜଳି ଲୋ, 
ଭାଇ ଵିଦେଶୁ ନଇଲେ ବୋଲି ।"

"ଗରଜେ କଳା ବଉଦ, 
ମୋତେ ତ ବରଷ ହେଲା ଚଉଦ ଲୋ, 
ଗଲାଣି ପିଲା ସୁଆଦ ।"

"ବଇଁଶୀ ବାଜିଲା କୁଞ୍ଜେ, 
ବଡ଼କଥା ବଡ଼ ଲୋକଙ୍କୁ ସାଜେ ଲୋ, 
ଛୋଟ କଲେ ଛାଟ ବାଜେ ।"

"ଲାଞ୍ଜ ଟେକିଗଲା ବାଘ, 
ମନେ ରଖିଥିବୁ ସାଙ୍ଗ
ନଇଁ ଚାଲୁଥିବୁ ବଡ଼ଙ୍କ ଆଗେ ଲୋ, 
ଲାଗିଵ ନାହିଁଟି ଦାଗ ।"

"ଛତୁ ଫୁଟେ ଵରଷାରେ
ମାରୁଛୁ ହାତ ନିଶରେ, 
ଛତରାଟା କେତେ ଛଇ ଦେଖାଉ ରେ, 
ଅଛି କି ତୋ ଭରସାରେ ।"

"କରଡ଼ି ଖସିଲା ଆମ୍ବ, 
ପର କାହୁଁ ଘର ପରାଣୀ ହେବେ ରେ, 
ମନ ଜାଣି ଖଞ୍ଜି ଦେଵ ।"

"ବିରାଡ଼ି ଛିଙ୍କିଲା ବଣେ, 
ଆଗରେ ଯାଉଛି ନାଗର ଜଣେ ଲୋ, 
ମୁଣ୍ଡି ଝାଡୁ ଖାଲି ପଣେ ।"

"ଅଦିନେ ପଣସ ସିଠା, 
ଵଚନରେ ଯାର ନ ଥାଏ ମିଠା ଲୋ, 
ସେଟା ବାଡ଼ ପକା କଣ୍ଟା । "

"ପାହାନ୍ତି ରାବିଲେ ପେଚା, 
ଯିଏ ହୋଇଥିଵ ସିଂହର ବଚା ଲୋ, 
ନ ଦେଵ ପଛଘୁଞ୍ଚା ।"

"ମଇଁଷି ଶିଙ୍ଗରେ ଖସା,
ମଉସା ପୁଆଟା ଏଡ଼େ ସହସା ଲୋ, 
ମତେ କଲା ଲୋକହସା ।"

"ଜାରା ମାରିଦେଲା ବାଣ, 
ଯାହାଠାରେ ଯାର ମିଶିଛି ମନ ଲୋ, 
ସେହି ଜାଣେ ତାର ଗୁଣ ।"

"କାଟି ଗଲି କଳାଦୁବ, 
ଝିଅ ଜନମରେ ଏତିକି ଲାଭ ଲୋ, 
ବନ୍ଧୁ ଘର ଅରଜିଵ ।"

"କାଳୀଗାଇ ଦୁଧ କ୍ଷୀରି, 
ନୂଆ ପୀରତିରେ ମଉଜ ଭାରି ଗୋ, 
ପୁରୁଣାଟି ନିମ୍ବ ପରି ।"

"ଆମ୍ବ ପତ୍ର ଗହଳିଆ, 
ପ୍ରୀତି ପଙ୍କେ ତୁହି ହେବୁ ଗୋଳିଆ ଲୋ, 
ତୋଫା ହେଵଟି ଧୁଳିଆ ।"

"ଥିରି ଥିରି ଚାଲେ ହାତୀ, 
ଥୟ ନ ହେଉଛି କିମ୍ପା ଏ ଛାତି ଲୋ, 
ଥକା ଦୋଳି ହେଲା ରାତି ।"

"ପାଚିଲା ଆମ୍ୱ ପଣସ, 
ଆସ ଭାଇମାନେ ଦୋଳିରେ ବସ, 
ନ କରି ମନ ଵିରସ l"

"ପାଚିଲା ଭଇଁଚ କୋଳି, 
ବେକରେ ନାଇଚି ଗଜରା ମାଳି ଲୋ, 
ଝୁଲାଅ ରଜର ଦୋଳି । "

"ଘୋଡା଼ ଗୋଡ଼ ଠାକୁ ଠାକୁ, 
ଆମେ ଯାଇଥିଲୁ ତୁମ ଗାଆଁକୁ, 
ନ କହିଲ ବସିଵାକୁ l"

"ଚାଳରେ ବସିଲା ବଣି, 
ରାଧା ଚାଲିଗଲେ ଯମୁନା ପାଣି, 
କୃଷ୍ଣ କଥା ମନ ଜାଣି l "

"ଚିରିଲି ବାଉଁଶ ବତା, 
ଉପରେ ବନ୍ଦୁଛି ସୂର୍ଯ୍ୟ ଦେଵତା, 
ତଳେ ବନ୍ଦେ ଵସୁମାତା l "

"ଜୟ ମା କିଚେକେଶ୍ୱରୀ, 
ତଵ ପାଦପଦ୍ମେ କରି ଗୁହାରୀ, 
ରଖ ମତେ ଦୟାକରି l"

"ଜାମୁକୋଳି ନଦବଦ, 
ଯିଏ ଖାଉଛନ୍ତି ହାଣ୍ଡିଆ ମଦ, 
ତା ସଙ୍ଗେ ପୀରତି ମନ୍ଦ l"

"ଥୋଡମଞ୍ଜା କଲି ରାଇ, 
ମଥୁରାକୁ ଗଲେ କଳା କହ୍ନାଇ ଲୋ, 
କଣ୍ଟ ଦେଇ ଗଲେ କାହିଁ ।"

"ପୋଖରୀ ତୁଠ ପଥର, 
ତତେ ଦେଖିଥିଲି ବାଲି ବନ୍ଧରେ ଲୋ, 
ଆଖି ଥିଲା ଏଣେ ତୋର ।"

"ଫୁଲ ଖୋସିଲି କାନରେ, 
ବରଷକେ ରଜ ଆସିଛି ଥରେ, 
ଦୋଳି ଖେଳିଵା ସାଙ୍ଗରେ l "

"ବାଜିଲା ତେଲିଙ୍ଗି ବାଜା, 
ରସିକ ଯେ ଜାଣେ ସ୍ନେହର ମଜା ରେ, 
ସେ ସିନା ମୋ ମନ ରାଜା ।"

"ବାଡିର ବାଡିଆ ଗବ, 
ମରି ହଜିଗଲେ ପାଉଁଶ ହେବ, 
ଏ ଭାବ କାହୁଁ ପାଇଵ ? "

"ବିରାଡ଼ି ଛିଙ୍କିଲା ବଣେ, 
ଆଗରେ ଯାଉଛି ନାଗର ଜଣେ ଲୋ, 
ମୁଣ୍ଡି ଝାଡୁ ଖାଲି ପଣେ ।"

"ମଦରଙ୍ଗା ଶାଗ ରାଇ, 
ପଖାଳ ଭାତକୁ ଚିଲିକା ଶୁଖୁଆ, 
ମାଣିକ ପାଟଣା ଦହି ।"

"ଶାଗ ଖରଡିଲି ଡାଙ୍ଗେ, 
ଶାଶୁ ଗାଳିଦେଲେ ନଣନ୍ଦ କହିଲେ, 
କାଲି ଯିବି ଭାଇ ସଙ୍ଗେ । "

"ସଜନା ଗଛର ଅଠା, 
ତତେ କହିଥିଲି ଗୁପତ କଥା ଲୋ, 
ଦାଣ୍ଡେ କଲୁ ହଟହଟା । "

ଦୋଳିକୁ ନେଇ ପ୍ରଚଳିତ ଲୋକଵିଶ୍ଵାସ:

ଦୋଳି ସମ୍ବନ୍ଧୀୟ ଅନେକ ଲୋକଵିଶ୍ଵାସ ଓଡ଼ିଶାରେ ପ୍ରଚଳିତ । ଯଥା—

(କ) ବେଙ୍ଗ ସମ୍ବନ୍ଧୀୟ ଲୋକଵିଶ୍ଵାସ 

କଥିତ ଅଛି ଯେ ରଜପର୍ଵରେ ଦୋଳି ନଖେଳିଲେ କାଠ ବେଙ୍ଗ ହୋଇ ଜନ୍ମ ଲଭିଵାକୁ ହୁଏ । ଦୋଳି ଖେଳିଵାକୁ ମନା କରୁଥିଵା ଅବୁଝା ପିଲାଏ ନିଜ ସଂସ୍କୃତି ପରମ୍ପରାକୁ ପାଳନ କରନ୍ତୁ ସେଥିପାଇଁ ଭୟମିଶ୍ରିତ ଏଭଳି ଏକ ଲୋକଵିଶ୍ଵାସର ପ୍ରଚଳନ ହୋଇଥିଵା ସମ୍ଭଵ । 

(ଖ)ସର୍ପ ସମ୍ବନ୍ଧୀୟ ଲୋକଵିଶ୍ଵାସ 

ଆମ ଓଡ଼ିଶାର ରଜୋତ୍ସଵ ସମୟରେ ତିନିଦିନ କାଳ ଓ ତତ୍ପରେ କେତେକ ଦିନ ଯାଏଁ ପିଲାଏ ସକାଳ ଦ୍ବିପହର ଓ ଅପରାହ୍ନରେ ଦୋଳି ଖେଳିଥାନ୍ତି । କିନ୍ତୁ ଏହି ସମୟରେ ସେମାନଙ୍କୁ ସନ୍ଧ୍ୟା ତଥା ରାତିରେ ଦୋଳି ଖେଳିଵାକୁ ବାରଣ କରାଯାଇଥାଏ । କାରଣ ଓଡ଼ିଶାରେ ଲୋକଵିଶ୍ଵାସ ପ୍ରଚଳିତ ଯେ ସନ୍ଧ୍ୟା ତଥା ରାତିରେ ଦୋଳି ଖେଳିଲେ ଦୋଳିର ଦଉଡ଼ି ସାପରେ ପରିଣତ ହୋଇଯାଏ । 

ଆଧୁନିକ ଯୁଗରେ କେହି କେହି ଏହାକୁ ଅନ୍ଧଵିଶ୍ଵାସ ବୋଲି ଅଭିହିତ କରୁଅଛନ୍ତି କିନ୍ତୁ ଏହି ଲୋକଵିଶ୍ଵାସ ପଛରେ ଥିଵା ଵୈଜ୍ଞାନିକ କାରଣକୁ ସେମାନେ ଉପଲଵ୍ଧି କରିନାହାନ୍ତି । 

ସାଧାରଣତଃ ଵର୍ଷାଋତୁ ସମୟରେ ଗଛମାନଙ୍କରେ ଵିଷାକ୍ତ ସର୍ପମାନେ ଵିଚରଣ କରିଥାନ୍ତି । ଲାଉଡଙ୍କିଆ,ଡାଳୁଆଗୋଖର ଆଦି ଅନେକ ସର୍ପ ଵୃକ୍ଷରେ ରହିଵାକୁ ବୁଲିଵାକୁ ପସନ୍ଦ କରନ୍ତି ‌ । ରାତ୍ରୀସମୟରେ ସେମାନେ ଦୋଳିର ଦଉଡ଼ି ଉପରକୁ ଚାଲି ଆସିଵା ଅସମ୍ଭଵ ନୁହେଁ ‌ । 

ନିଶ୍ଚୟ ପୂର୍ଵେ ଆମ ସମାଜରେ ଅନେକ ପିଲା ବଡ଼ ଲୋକଙ୍କ ଆକଟ ନମାନି ସନ୍ଧ୍ୟା ଵା ରାତିରେ ଗଛ ଡାଳରେ ବନ୍ଧାଥିଵା ଦୋଳି ଖେଳି ସରରପ ଦଂଶନର ଶିକାର ହୋଇଥିବେ ଯାହା ଫଳରେ ଏଭଳି ଏକ ଲୋକଵିଶ୍ଵାସ ସୃଷ୍ଟି ହୋଇଥିଵ । 

(ଗ) ଡାହାଣୀ/ ପିଶାଚୁଣୀ /ବ୍ରହ୍ମରାକ୍ଷସ /ଓଥରା ଆଦି ଅଶରୀରୀ ସମ୍ବନ୍ଧୀୟ ଲୋକଵିଶ୍ଵାସ 

ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ସନ୍ଧ୍ୟାରେ ଦୋଳି ଖେଳ ବନ୍ଦ କରି ଦୋଳିକୁ ସେଇମିତି ନ ଓହଳେଇ ଉକୁଚି ଦେଵା(ଖୋସି ଦେଵା)ର ପରମ୍ପରା ପ୍ରଚଳିତ । କୁହାଯାଏ ରାତିରେ ଦୋଳିକୁ ଓହଳେଇ ଛାଡ଼ି ଆସିଲେ ସେଥିରେ ମୃତ ଆତ୍ମାମାନେ ବସି ଦୋଳି ଖେଳନ୍ତି । ଆଉ କେତେକ ଅଞ୍ଚଳରେ ରାତିରେ ଦୋଳି ଖେଳିଲେ ଓଥରା ଓ ବ୍ରହ୍ମରାକ୍ଷସ ଇତ୍ୟାଦି ଅତୃପ୍ତ ଆତ୍ମାଙ୍କ ଯୋଗୁଁ ଡାଳ ଭାଙ୍ଗିଵା ତଥା ପ୍ରାଣ ନାଶ ହେଵାର ଲୋକଵିଶ୍ଵାସ ପ୍ରଚଳିତ । ସାଧାରଣତଃ ଗଛ ଦୋଳି କୌଣସି ମଟକା ଦୁର୍ଵଳ ଗଛଶାଖାରେ ବନ୍ଧାଯାଇଥିଲେ ଭାର ନ ସହିପାରି ଭାଙ୍ଗିଯାଏ । ଆଗକାଳରେ ରାତିରେ ଦୋଳି ଖେଳୁଥିଵା ସମୟରେ ଗଛର ଡାଳ ଭାଙ୍ଗି ପଡି଼ଗଲେ ଆଜି ଭଳି ହଠାତ୍ ଚିକିତ୍ସା ହୋଇପାରୁନଥିଲା । ତେଣୁ ରାତିରେ ଅଶୀରୀରୀମାନଙ୍କ ନାମରେ ଭୟ ଦେଖାଇ ଦୋଳି ଖେଳିଵାକୁ ବାରଣ କରାଯାଉଥିଲା । ପ୍ରକୃତରେ ରଜ ଏମିତି ଏକ ପର୍ଵ ଯାହା ଵିଷୟରେ ଯେତେ ଲେଖିଲେ ବି ସରିଵ ନାହିଁ । ତେବେ ସେ ଯାହା ହେଉ ରଜ ପର୍ଵ ,ଦୋଳି ଓ ଦୋଳି ଗୀତ ସମ୍ବନ୍ଧୀୟ ଆହୁରି ଗହନ ଗଵେଷଣା ଆଵଶ୍ୟକ ।

Tuesday, June 14, 2022

"ପୃଥିଵୀର ଏକ ଶ୍ରେଷ୍ଠ,ଵୈଜ୍ଞାନିକ ଓ ପ୍ରାକୃତିକ ପର୍ଵ : ରଜପର୍ଵ"

•••••••••••••••••••••...................................  •••••••••••••••••••
"ପୃଥିଵୀର ଏକ ଶ୍ରେଷ୍ଠ,ଵୈଜ୍ଞାନିକ ଓ ପ୍ରାକୃତିକ ପର୍ଵ : ରଜପର୍ଵ"
                           ( ✍ ଶିଶିର ସାହୁ ମନୋଜ )
.................................. ................................ .........................
"#ରଜପର୍ଵ"ର ନାମ ମଧ୍ୟରେ '#ରଜ' ଶବ୍ଦଟି ଥିଵାରୁ ଓଡ଼ିଶାର କିଛି ଲୋକଙ୍କୁ ରଜୋତ୍ସଵର ରଜ ନାମଟି ଅଶ୍ଳୀଳ ବୋଧ ହେଉଅଛି । "ରଜସ୍ଵଳା" କଥାଟି କିଛି ଲୋକଙ୍କ ମନକୁ ପାଉନାହିଁ ।  କେହି କେହି ଵିଚ୍ଛିନ୍ନତାଵାଦୀ ଏହାକୁ ଭିତ୍ତିକରି ପ୍ରତିଵର୍ଷ ଉତ୍ତର, ଦକ୍ଷିଣ,ପୂର୍ଵ ତଥା ମଧ୍ୟ ଓଡ଼ିଶାର ଲୋକଙ୍କୁ ଅପମାନିତ କରୁଛନ୍ତି । 

ପୃଥିଵୀର କୋଉ ନାରୀ ହୋଇଅଛି ଯିଏ ଵିନା ରଜସ୍ଵଳାରେ ସନ୍ତାନ ଉତ୍ପତ୍ତି କରିଛି ?

ସୁଶ୍ରୁତଙ୍କ ସୂତ୍ରସ୍ଥାନର ଚତୁର୍ଦ୍ଦଶ ଅଧ୍ଯାୟରେ କୁହାଯାଇଛି

“ରଞ୍ଜିତାସ୍ତେଜସା ତ୍ଵାପଃ ଶରୀରସ୍ଥେନ ଦେହିନାମ୍ ।
ଅଵ୍ଯାପନ୍ନାଃ ପ୍ରସନ୍ନେନ ରକ୍ତମିତ୍ଯଭିଧୀୟତେ ॥
ରସାଦେଵ ସ୍ତ୍ରିୟା ରକ୍ତଂ ରଜଃସଂଜ୍ଞଂ ପ୍ରଵର୍ତ୍ତତେ ।
ତଦ୍ବର୍ଷାଦ୍ବାଦଶାଦୂର୍ଦ୍ଧ୍ଵଂ ଯାତି ପଞ୍ଚାଶତଃ କ୍ଷୟମ୍ ॥ 
ନାରୀଣାଂ ରଜସି ଚୋପଚୀୟମାନେ ଶନୈଃ ଶନୈଃ ସ୍ତନଗର୍ଭାଶୟଯୋନ୍ଯଭିଵୃଦ୍ଧିର୍ଭଵତି । 

ସେହିପରି ଵାଭଟଙ୍କର ଶାରୀରସ୍ଥାନ ପ୍ରଥମ ଅଧ୍ଯାୟରେ ଉଲ୍ଲେଖ ଅଛି

“ମାସି ମାସି ରଜଃସ୍ତ୍ରୀଣାଂ ରସଜଂ ସ୍ରଵତି ତ୍ର୍ଯହମ୍ । 
ଵତ୍ସରାଦ୍ଦ୍ଵାଦଶାଦୂର୍ଦ୍ଧଂ ଯାତି ପଞ୍ଚାଶତଃ କ୍ଷୟମ୍ ॥ ”

ତେଣୁ ରଜସ୍ଵଳା ଵିନା କୌଣସି ନାରୀ ସନ୍ତାନ ଉତ୍ପତ୍ତି କରିପାରିଵା ଅସମ୍ଭଵ । 
ପୃଥିଵୀମାତା ନାରୀ ଭାଵରେ କଳ୍ପିତା । ସାରା ଵିଶ୍ଵରେ ମାଟିକୁ ମାଆ କଳ୍ପନା କରାଯାଇଛି । ଏ କଳ୍ପନା ପୁଣି କପୋଳକଳ୍ପିତ ନୁହେଁ ଵରଂ ଆଧ୍ୟାତ୍ମିକ ଓ ଵୈଜ୍ଞାନିକ  । 

 କେତେକ ସଭ୍ୟତାକୁ ଛାଡ଼ି ଦେଲେ ପୃଥିଵୀର ପ୍ରାୟ  ୯୦% ଭାଗ ସଭ୍ୟତାରେ ପ୍ରକୃତିକୁ ଵା ପୃଥିଵୀକୁ ମାତା ରୂପରେ କଳ୍ପନା କରି Mother Nature ଵା Mother earth ଭାବେ ଅଭିହିତ କରାଯାଇଛି। 

ପ୍ରାଚୀନ ଇଜିପ୍ଟରେ ପୃଥିଵୀକୁ Geb  ତଥା ଆକାଶକୁ Nut ରୂପେ କଳ୍ପନା କରାଯାଇଥିଲା । ଇଜିପ୍ଟର ଲୋକେ ପୃଥିଵୀକୁ ଦେଵ ଓ ଆକାଶକୁ ଦେଵୀ କଳ୍ପନା କରିଥିଲେ ।  ଏ ଅଞ୍ଚଳରେ ଜଳାଭାଵ ଉତ୍କଟ ଥିଲା ଏଵଂ ଆକାଶରୁ ଵର୍ଷା ହେଵା ଫଳରେ ସେମାନଙ୍କର ଜୀଵନଧାରଣ ସମ୍ଭଵ ହୋଇପାରୁଥିଲା ବୋଲି ସେମାନେ ଭୂମିକୁ ପୁରୁଷ ତଥା ଆକାଶକୁ ସ୍ତ୍ରୀ କଳ୍ପନା କରିଥିଲେ । 

ଇଜିପ୍ଟର ପ୍ରାଚୀନ ସଭ୍ୟତାକୁ ଛାଡ଼ି ଦେଲେ ପ୍ରାଚୀନ ଆମେରିକୀୟ ମାୟା- ଇନକା- ଆଜଟେକ୍ ସଭ୍ୟତା , ଅଧିକାଂଶ ଆଫ୍ରିକୀୟ ଜନଜାତୀୟ ସଭ୍ୟତା,ପ୍ରାଚୀନ ଗ୍ରୀକ୍-ରୋମାନ୍ ସଭ୍ୟତା, ପ୍ରାଚୀନ ଜର୍ମାନ୍-ନୋର୍ସ୍ ସଭ୍ୟତା,ପ୍ରାଚୀନ ଭାରତୀୟ ସଭ୍ୟତା ତଥା ପ୍ରାଚୀନ ଚୀନ ଦେଶୀୟ ସଭ୍ୟତାରେ ପୃଥିଵୀ ଵା ଭୂମିକୁ ଦେଵୀ ତଥା ମାତା ରୂପରେ କଳ୍ପନା କରାଯାଇଥିଲା । 

ପ୍ରାଚୀନ ଆମେରିକୀୟ ଲୋହିତ ଜନଜାତି Aztec ମାନେ ପୃଥିଵୀକୁ Tonantzin କହୁଥିଲେ ଯାହାର ଆକ୍ଷରିକ ଅର୍ଥ "ଆମ ମାଆ” ସେହିପରି  Inca ଜାତୀୟ ଲୋକେ ପୃଥିଵୀକୁ   Pachamama(ମାତା ପୃଥିଵୀ) କହୁଥିଲେ । ଚୀନ ଦେଶରେ ପୃଥିଵୀଙ୍କୁ  Hou Tu ଓ Di Mu ନାମରେ ଦେଵୀ ରୂପରେ କଳ୍ପନା କରି ପୂଜା କରାଯାଉଥିଲା । ଭୀଏତନାମୀ ଲୋକେ ପୃଥିଵୀକୁ  ଦେଵୀ Mẫu Địa ନାମରେ ଆରାଧନା କରୁଥିଲେ । ଆଫ୍ରିକାର ଘାନା ଦେଶର Bono ଜନଜାତିର ଲୋକେ  ପୃଥିଵୀକୁ Asase Ya , Asase Yaa, Asaase Yaa , Asaase Afu ଓ 
Aberewaa ଆଦି ନାମରେ ଦେଵୀ ଭାବେ ପୂଜା କରୁଥିଲେ ।  Basque ଲୋକେ ସ୍ପେନ ଓ ଫ୍ରାନ୍ସ ଦେଶରେ ଵସଵାସ କରନ୍ତି । ସେମାନେ ପୂର୍ଵେ ପୃଥିଵୀକୁ Amalur,Ama Lur or Ama Lurra ଦେଵୀ ଭାବେ ପୂଜା କରୁଥିଲେ । Basque ଲୋକଙ୍କ ମଧ୍ୟରେ ଲୋକଵିଶ୍ଵାସ ପ୍ରଚଳିତ ଯେ ପୃଥିଵୀମାତା Amalur ଉଭୟ  Ekhi(ସୂର୍ଯ୍ୟ) ଓ  Ilazki(ଚନ୍ଦ୍ର) ଙ୍କ ଜନ୍ମଦାତ୍ରୀ । ଆଜି ବି Amalur ଦେଵୀଙ୍କୁ Basqueମାନେ ମାତୃଦିଵସ ଉପଲକ୍ଷେ ମନେ ପକାଇଥାନ୍ତି । ଗ୍ରୀକ୍‌ମାନେ ପୃଥିଵୀକୁ Gaia ଦେଵୀ ଭାବରେ ପୂଜା କରୁଥିଲେ ସେହିପରି ରୋମାନମାନେ ପୃଥିଵୀକୁ ଦେଵୀ Terra ଆଖ୍ୟା ଦେଇଥିଲେ । ସେଇଥିପାଇଁ ଆଜି ବି କେତେକ science fiction ଚଳଚ୍ଚିତ୍ରରେ  ପୃଥିଵୀକୁ Terra ଅଭିହିତ କରାଯାଏ । ନୋର୍ସମାନେ ପୃଥିଵୀକୁ Jörð (Jord) ଦେଵୀ ରୂପରେ କଳ୍ପନା କରି ପୂଜୁଥିଲେ । ସେହିପରି ମଙ୍ଗୋଲୀୟ ଓ ତୁର୍କ ଦେଶର ଲୋକେ ପୃଥିଵୀକୁ ଦେଵୀ  Umay (Eje), ଲିଥୁଆନିଆର ଲୋକେ  ଦେଵୀ Žemyna,Māoriମାନେ ଦେଵୀ - Papatūānuku,Latvian ଲୋକେ ଦେଵୀ  Zemes māte ଓ  Māra 
 ଏଵଂ ଆରବ ଦେଶରେ ପ୍ରାକ୍ ଆରବୀୟ ଦେଵୀ alllat ରୂପେ ପୂଜାର୍ଚ୍ଚନା କରୁଥିଲେ । ଭାରତ ଵର୍ଷରେ ପୃଥିଵୀମାତାଙ୍କୁ  ମହୀମାତା,ଭୂଦେଵୀ,ବସୁମତୀ, ଶକ୍ତି,ପ୍ରକୃତି, ଗାୟତ୍ରୀ ତଥା ଗୋମାତା ରୂପରେ ଜଣେ ଦେଵୀ ଭାବେ ଭିନ୍ନ ଭିନ୍ନ ପନ୍ଥରେ କଳ୍ପନା କରାଯାଇଛି । ଗୋଣ୍ଡୀମାନେ ଭୀମାଲଙ୍କୁ ପୃଥିଵୀ ଧାରଣକାରୀ ଦେଵ ତଥା ପୃଥିଵୀମାତାଙ୍କୁ ଭୂମ ଵା ଭୂମା ଅଭିହିତ କରିଅଛନ୍ତି । ଓଡ଼ିଶାର ଜନଜାତୀୟ ଅଞ୍ଚଳରେ ପୃଥିଵୀମାତା ଧରଣୀପେନୁ ଭାବେ ପୂଜା ପାଆନ୍ତି । 

ଅତଏଵ ଓଡ଼ିଶାର ଲୋକେ ପୃଥିଵୀକୁ ମାତା କଳ୍ପନା କରି ରଜୋତ୍ସଵ ପାଳନ କରିଵା କୌଣସି ଦିଗରୁ ଅଯୁକ୍ତିଯୁକ୍ତ ଅଵୈଜ୍ଞାନିକ ନୁହେଁ । 

ଯେହେତୁ ପୃଥିଵୀର ଅଧିକାଂଶ ଭୂଭାଗରେ ପୃଥିଵୀମାତା ନାରୀ ରୂପରେ କଳ୍ପିତା ଏଵଂ ଏ ଚରାଚର ପୃଥିଵୀରେ ତାଙ୍କର କୀଟଠାରୁ ମାନଵ ଯାଏଁ ଶୈଵାଳଠାରୁ ଦ୍ରୁମଯାଏଁ ଅସଂଖ୍ୟ ସନ୍ତାନ ସନ୍ତତି ତେଣୁ ସେ ପୁତ୍ରଵତୀ ମାତା  ରଜୋଵତୀ ନହେଲେ ଏତେ ସନ୍ତାନ ଜାତ ହେବେ କି ?

ଏହି ଵିଚାରକୁ ଗ୍ରହଣ କରି ଓଡ଼ିଶାର ଲୋକେ ରଜପର୍ଵର କଳ୍ପନା କରିଅଛନ୍ତି । 

ତେବେ କେଵଳ ଓଡ଼ିଶାରେ ନୁହେଁ ଦକ୍ଷିଣ ଭାରତର ତାମିଲନାଡୁ, କର୍ଣାଟକ ତଥା କେରଳର ମଧ୍ୟ ଭାଗରେ ଵସଵାସ କରୁଥିଵା ତୁଲୁ ଭାଷୀ ଲୋକେ ମଧ୍ୟ ପୃଥିଵୀମାତା ତିନି ଦିନ ଧରି ରଜସ୍ଵଳା ହେଵାର ଵିଶ୍ଵାସ କରନ୍ତି ଏଵଂ ଫେବୃଆରୀ ୧୦ରୁ ଫେବୃଆରୀ ୧୪ ମଧ୍ୟରେ ଧରଣୀମାତାଙ୍କୁ ଆରାଧନା କରିଵା ହେତୁକ  ಕೆಡ್ಡಸ(keḍḍasa) ଵା Keddaso ନାମରେ ଏକ ତ୍ରିଦିଵସୀୟ ପର୍ଵ ପାଳିଥାଆନ୍ତି । 

 ନାରୀମାନଙ୍କର ରଜଃସ୍ରାଵ ତିନିଦିନ ପର୍ଯ୍ୟନ୍ତ ହୁଏ ଓ ଚତୁର୍ଥଦିନ ରଜୋନିଵୃତ୍ତି ହୋଇଥାଏ । ଚତୁର୍ଥ ଦିଵସରେ ଋତୁ ସ୍ନାନାନନ୍ତର ପ୍ରଥମେ ପତିଙ୍କ ମୁଖ ଅଵଲୋକନ କରିଵା ଉଚିତ୍ କାରଣ ଋତୁସ୍ନାନର ଅଵ୍ୟଵହିତପରେ ଯେଉଁ ରୂପ ଦର୍ଶନ କରାଯାଏ ତଦନୁରୂପ ସନ୍ତାନ ଗର୍ଭରେ ଜନ୍ମେ ବୋଲି ଭାରତଵର୍ଷରେ ଲୋକଵିଶ୍ଵାସ ପ୍ରଚଳିତ। ଋତୁସ୍ରାଵ ହେଵା ପ୍ରକ୍ରିୟା ପ୍ରାକୃତିକ ଏଵଂ ଏଥିରେ ଲଜ୍ଜାବୋଧର କୌଣସି ସ୍ଥାନ ନାହିଁ ।  ପ୍ରକୃତି ଓ ପ୍ରକୃତିର ସମସ୍ତ ପ୍ରତିରୂପ ମଧ୍ୟରେ ଏହି ପ୍ରକ୍ରିୟା ସମଦୃଶ୍ଯ ହୁଏ ‌। 
 
ଭାରତୀୟ ଆଧ୍ୟାତ୍ମ ଶାସ୍ତ୍ରରେ ନାରୀକୁ ପ୍ରକୃତିଠାରୁ ଜାତ ଉଲ୍ଲେଖ କରାଯାଇଛି । ପୃଥିଵୀର ଜୀଵନୀଶକ୍ତି ହେଉଛି ପ୍ରକୃତି ।ଏହି ପ୍ରକୃତି ପ୍ରତ୍ୟେକ ଜୀଵିତ ଵସ୍ତୁ ମଧ୍ୟରେ ରହିଛି । ପ୍ରକୃତିର ଉପସ୍ଥିତି ଵିନା କୌଣସି ଗ୍ରହରେ ଜୀଵନ ଜାତ ହେଵା ଅସମ୍ଭଵ । ଏହି ପ୍ରକୃତିକୁ ଵୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ଵିଚାର କରାଯାଇପାରେ ।  ମଙ୍ଗଳଗ୍ରହରେ Geographical ସକ୍ରିୟତା ନଥିଵାରୁ ସେଠାରେ Biographical ସକ୍ରିୟତା ସମ୍ଭଵ ହୋଇପାରିନାହିଁ । ଏ ଉଭୟ ପ୍ରକାରର ସକ୍ରିୟତାକୁ ହିଁ ସାମୁହିକ ଭାଵରେ ‘ପ୍ରକୃତି’ କୁହାଯାଇଛି । କୌଣସି ଗ୍ରହରେ ଜୀଵ ସୃଷ୍ଟି ପାଇଁ ଏ ଉଭୟ ତତ୍ତ୍ଵ ନିତାନ୍ତ ଆଵଶ୍ୟକ ‌। 

ତେଣୁ ଯେମିତି ନାରୀ ତିନିଦିନ ଋତୁମତୀ ହୋଇଥାଏ ଠିକ୍ ସେହିପରି ପୃଥିଵୀମାତା ଵା ପ୍ରକୃତି ତିନିଦିନ କାଳ ଋତୁମତୀ ହେଵା କଳ୍ପନା କରାଯାଇଛି । 

ତାହେଲେ ରଜପର୍ଵର ନିର୍ଦ୍ଧିଷ୍ଟ ତିନିଦିନ କେଉଁ ଆଧାରରେ ନିର୍ଣ୍ଣୟ କରାଗଲା ? 
 
ଭାରତଵର୍ଷରେ ଵର୍ଷାକାଳକୁ ଚର୍ତୁମାସ୍ୟା କୁହାଯାଏ ଯାହା ଆଷାଢ଼ ମାସରୁ ଆରମ୍ଭ ହୋଇ ଆଶ୍ଵିନ ମାସ ଯାଏଁ ଚାରିମାସ ରହିଥାଏ । ଆଷାଢ଼ ମାସର ଠିକ୍ ଏକଦିନ ପୂର୍ଵରୁ ରଜପର୍ଵର ପ୍ରଥମ ଦିନ ପହିଲି ରଜ ପାଳନ ହୋଇଥାଏ । ମଧ୍ୟମ ଦିଵସ ହେଉଛି ରଜ ସଂକ୍ରାନ୍ତି ଏହିଦିନକୁ ମିଥୁନ ସଂକ୍ରାନ୍ତି ମଧ୍ୟ କୁହାଯାଏ । 

ଏହି ଦିଵସତ୍ରୟରେ ଭାରତଵର୍ଷର କଳିଙ୍ଗ ଦେଶରେ  ହଳ, ପୃଥିଵୀଖନନ, ଵୀଜବପନାଦି କୃଷିକର୍ମ ନିଷିଦ୍ଧ ହୋଇଥାଏ । ଵୃଷମାସର ଶେଷଦିନକୁ 'ପହିଲିରଜ' ଓ ମିଥୁନ ମାସର ସଂକ୍ରାନ୍ତି ଦିନକୁ ଭୂଇଁନଅଣ ଓ ମିଥୁନ ମାସର ଦ୍ବିତୀୟ ଦିନକୁ 'ଠାକୁରାଣୀ ଗାଧୁଆ' ବୋଲାଯାଏ। ପୃଥିଵୀ ରଜସ୍ବଳା ହେଵା ପରେ ମିଥୁନ ଦ୍ବିତୀୟ ଦିନ ଶୁଦ୍ଧି ସ୍ନାନ କରିଵାର ଶାସ୍ତ୍ରରେ ଲେଖାଅଛି। ଆମ ଦେଶରେ ହିନ୍ଦୁ ସ୍ତ୍ରୀମାନେ ପୃଥିଵୀମାତା ଆରାମ କରନ୍ତି ବୋଲି ସେମାନେ ନିଜେ ମଧ୍ୟ ତାଙ୍କ ପ୍ରକୃତି ଶକ୍ତିର ଅଂଶ ହୋଇଥିଵାରୁ ସମସ୍ତ ନାରୀଜାତିର ସମ୍ମାନାର୍ଥେ ଏ ତିନିଦିନ ରାନ୍ଧନ୍ତି ନାହିଁ ଏଵଂ ଭୂମି ଉପରେ ଖାଲି ଗୋଡ଼ରେ ଚାଲନ୍ତି ନାହିଁ ତଥା ଦୋଳି ଖେଳି ଉତ୍ସଵରୂପେ ଏହି ତିନିଦିନକୁ  ପଳିଥାଆନ୍ତି।

ପୁନଶ୍ଚ ଅଧୁନା ସମାଜ ମଧ୍ୟରେ କେହି କେହି ରଜପର୍ଵରେ ଥିଵା ରଜ ଶବ୍ଦକୁ ଧରି ଯୁକ୍ତି ବାଢ଼ନ୍ତି ଯେ ଏ ପର୍ଵର ଏଭଳି ନାମକରଣ ଅଵୈଜ୍ଞାନିକ ମାତ୍ର ସେମାନେ ରଜ ଶବ୍ଦର ସୂକ୍ଷ୍ମ ଶବ୍ଦାନୁଶୀଳନ କରିନଥିଵାରୁ ଏଭଳି ମନ୍ତଵ୍ୟ ଦେଇ ପରୋକ୍ଷରେ ନିଜର ଅଜ୍ଞତା ତଥା ହୀନମାସିକତାର ହିଁ ପରିଚୟ ଦେଇଥାନ୍ତି ‌ । 

ତେବେ ଅନ୍ୟମାନଙ୍କର ଆକ୍ଷେପର ଶିକାର ହୋଇ ଉପକୂଳ ଓଡ଼ିଶାର କେତେକ ଲୋକ ଆଜିକାଲି ରଜ ଶବ୍ଦର ଭାଵନାତ୍ମକ ଵ୍ଯାଖ୍ଯା କରିଵାକୁ ଯାଇ ମତ ଦେଉଛନ୍ତି...

ର+ଜ=ରଜ
‘ର’ ର ଅର୍ଥ ସଂସାର, 
ଜ’ ର ଅର୍ଥ ଯୋଚିଵା

କିନ୍ତୁ ଏଭଳି ଶହ ଶହ ଵ୍ଯାଖ୍ଯା କରାଯାଇପାରେ
ଯଥା—
‘ର’ ର ଅର୍ଥ ରଚନା
‘ଜ’ ର ଅର୍ଥ ଜଳ

ଶବ୍ଦର ଏଭଳି ଵ୍ଯାଖ୍ଯା ଯେତେ ମନୋଜ୍ଞ, ଚିତ୍ତାକର୍ଷକ ଲାଗୁଥିଲେ ହେଁ ନିରୁକ୍ତି ଵ୍ଯାଖ୍ଯା ପରି ବୈଜ୍ଞାନିକ ଓ ପ୍ରାମାଣିକ ନୁହେଁ । 'ର' ଆଉ 'ଜ'  ମିଶି ରଜ ଶବ୍ଦ ସୃଷ୍ଟି ହୋଇଛି ବୋଲି ମତ ଦେଵା ଶବ୍ଦତତ୍ତ୍ଵ ଦୃଷ୍ଟିରୁ ଅଵୈଜ୍ଞାନିକ ଓ ଭାରତୀୟ ନିରୁକ୍ତି ତତ୍ତ୍ଵର ଵିପରୀତ ଆଚରଣ । 

ଅନେକଙ୍କ ମତରେ ଆମ ସମାଜରେ ଏହି ତିନି ଦିନ ପୃଥିଵୀ ରଜସ୍ଵଳା ହେଵାର କଳ୍ପନା କରାଯାଇଥିଲା ବୋଲି ଏହି ପର୍ଵର ନାମକରଣ ରଜ ହୋଇଅଛି ।

"ପଣ୍ଡିତ ସର୍ଵସ୍ଵ" ଗ୍ରନ୍ଥରେ ପୃଥିଵୀମାତା ରଜସ୍ବଳା ହେଵାର ପ୍ରମାଣ ଵାକ୍ଯ ଅଛି ଏଵଂ ତାହା ହେଲା

“ଵୃଷାନ୍ତେ ମିଥୁନସ୍ଯାଦୈ ତଦ୍ଦ୍ବିତୀୟ ଦିନ ତ୍ରୟଂ ।
ରଜସ୍ବଳା ସ୍ଯାତ୍ ପୃଥିଵୀ କୃଷିକର୍ମଵିଗର୍ହିତଂ ॥

ହଳାନାଂ ଵାହନଂ ଚୈଵ ଵୀଜାନାଂ ଵପନଂ ତଥା । 
ତାଵଦେଵ ନ କୁର୍ଵୀତ ଯାଵତ୍ ପୃଥ୍ବୀ ରଜସ୍ବଳା ॥

ପୃଥ୍ବୀ ରଜସ୍ବଳାଯାଵତ୍ ଖନନଂ ଛେଦନଂ ତ୍ଯଜେତ୍ ।
ଅନ୍ଯ କର୍ମାଣି କୁର୍ଵାତ ପୈତ୍ରଂ ଦୈଵଂ ନମାନୁଷଂ ॥”

କିନ୍ତୁ ରଜ ଶବ୍ଦର ଅର୍ଥ କେଵଳ ରଜସ୍ଵଳା ନୁହେଁ ଵରଂ ଏହାର ବହୁ ଵିଧ ଅର୍ଥ ରହିଛି ।

ତିନିଗୋଟି ପ୍ରକୃତି ଵା ଗୁଣ ରହିଛି ସେହି ତାହା ହେଲା ସତ୍ତ୍ଵ,ରଜ,ତମ ଏଵଂ ତନ୍ମଧ୍ୟରେ  ‘ରଜ’ ଗୁଣ ସୃଷ୍ଟିତତ୍ତ୍ଵର ଧ୍ଯୋତକ । 

‘ରଜ’ ତତ୍ତ୍ଵ ଯୋଗୁଁ ଜୀଵ ସୃଷ୍ଟି ସମ୍ଭଵ ହୁଏ । ଵର୍ଷାଋତୁ ଆଗମନ ସହ ପୃଥିଵୀରେ ଅନେକ କୀଟ ପତଙ୍ଗ ଓ କ୍ଷୁଦ୍ର ଵିଶାଳ ପାଦପ ଜାତ ହୋଇଥାନ୍ତି ।  ରଜ ପର୍ଵ ସମୟରେ ଓଡ଼ିଶାରେ ଵର୍ଷାରମ୍ଭ ଘଟେ ଏଵଂ କଳିଙ୍ଗ ଦେଶରେ ନଵ ପାଦପ ଓ କୀଟପତଙ୍ଗାଦି ଜାତ ହୋଇଥାନ୍ତି । ଏ କଥା ସମସ୍ତେ ମାନିଵେ ଯେ ପୃଥିଵୀର ଅନ୍ଯତମ ଶ୍ରେଷ୍ଠ ରାଷ୍ଟ୍ର ଭାରତଵର୍ଷର ଅଧିକାଂଶଭାଗରେ ହେଉଥିଵା ଵର୍ଷା ହିମାଳୟ ପରି ଵିଶାଳ ପର୍ଵତମାଳା ଯୋଗୁଁ ମୌସୁମୀ ଵାୟୁ ପ୍ରଭାଵରୁ ହୋଇଥାଏ । 
ଭାରତଵର୍ଷରେ ମୌସୁମୀର ଆଗମନ ହୁଏ  ଜୁନ୍ ମାସର ୫ରୁ ୨୦ ଦିନାଙ୍କ ମଧ୍ୟରେ ଆଉ ରଜପର୍ଵ ବି ପାଳିତ ହୋଇଥାଏ ଏହି ଜୁନ୍ ମାସର ୧୩ରୁ ୧୬ ଦିନାଙ୍କ ମଧ୍ୟରେ । ତେଣୁ ଭାରତୀୟ ଜଳଵାୟୁ ଵିଶେଷତଃ କଳିଙ୍ଗ ଦେଶର ଜଳଵାୟୁ ଆଧାରରେ ଭାରତରେ ରଜପର୍ଵର କଳ୍ପନା କରାଯାଇଛି ଫଳତଃ  ଏ ପର୍ଵ ସମୟରେ ପୃଥିଵୀରେ ଵିଶେଷତଃ କଳିଙ୍ଗ ଦେଶରେ ରଜଗୁଣ ଵୃଦ୍ଧି ପାଉଥିଵାରୁ ଏହି ପର୍ଵର ନାମ ରଜପର୍ଵ ହୋଇଅଛି । 

ରଜ ଶବ୍ଦର ଅନ୍ୟ ଏକ ଅର୍ଥ "ପୁଷ୍ପ ପରାଗ" ଅଟେ । ରଜ ଶବ୍ଦକୁ ସଂସ୍କୃତ ଭାଗଵତରେ ପରାଗ ଅର୍ଥରେ ପ୍ରୟୋଗ କରାଯାଇଛି...
  
“ପଦ୍ମକୋଶରଜୋ ଦିକ୍ଷୁ ଵିକ୍ଷିପତ୍ପଵନୋତ୍ସଵମ୍ ॥ ”
(ଭାଗଵତ । ୪ । ୨୪ । ୨୨ ।) 

ରଜ ପର୍ଵ ସମୟରେ ଓ ତତ୍ପରେ ଅନେକ ଵୃକ୍ଷରେ ପୁଷ୍ପ ଫୁଟେ ଏଵଂ ତହିଁରେ  ମହୁମାଛି ତଥା ପ୍ରଜାପତିଙ୍କ ଦ୍ଵାରା ପରାଗ ସଙ୍ଗମ ଯୋଗୁଁ ସେ ଫୁଲ କ୍ରମଶଃ ଫଳ ଓ ଵୀଜରେ ପରିଣତ ହୋଇଥାଏ । ଏ ଦୃଷ୍ଟିରୁ ମଧ୍ୟ ଏହି ପର୍ଵରୁ ରଜପର୍ଵ କୁହାଯିଵା ସମୀଚିନ ହୃଦବୋଧ ହେଉଅଛି । 

ରଜ ଶବ୍ଦର ଅନ୍ୟ ଏକ ଅର୍ଥ ଆକାଶ ତଥା ପାଣି ଵା ଜଳ । ଋକଵେଦରେ ଜଳ ଅର୍ଥରେ ରଜ ଶବ୍ଦର ଵ୍ୟଵହାର ରହିଛି...

 “ଵିୟତ୍ତିରୋଧରୁଣମଚ୍ଯୁତଂ ରଜୋତିଷ୍ଠିପୋ ଦିଵ ଆତାସୁ ବର୍ହଣା । ”
(ଋଗ୍ଵେଦେ । ୧ । ୫୬ । ୫ ।)

ଆମେ ସମସ୍ତେ ଜାଣନ୍ତି ଯେ ରଜପର୍ଵ ସମୟରେ କଳିଙ୍ଗ ଦେଶରେ ମୌସୁମୀ ଆଗମନ ଯୋଗୁଁ ଵର୍ଷା ହୋଇଥାଏ । ଏହି ସମୟରେ ଵର୍ଷାଜଳ ପ୍ରାପ୍ତ ହେଉଥିଵାରୁ ଏ ପର୍ଵକୁ ରଜପର୍ଵ କୁହାଯିଵା ମଧ୍ୟ ଯୁକ୍ତିଯୁକ୍ତ ଅଟେ । 

ରଜ ଶବ୍ଦର ଆଉ ଏକ ଅର୍ଥ ରେଣୁ ଵା ଧୂଳି । ଏହି ଅର୍ଥରେ ଚରଣରଜ ଭଳି ଶବ୍ଦ ସୃଷ୍ଟି ହୋଇଅଛି ପୁନଶ୍ଚ ଶାସ୍ତ୍ରରେ ମଧ୍ୟ ରଜ ଶବ୍ଦ ରେଣୁ ଅର୍ଥରେ ଵ୍ୟଵହୃତ ।‌

“ପାଦାହତଂ ଯଦୁତ୍ଥାଯ ମୂର୍ଦ୍ଧାନମଧିରୋହତି ।
ସ୍ଵସ୍ଥାଦେଵାପମାନେଽପି ଦେହିନସ୍ତଦ୍ବସଂ ରଜଃ ॥ ”
(ମାଘେ । ୨ । ୪୬ ।)

ସାଧାରଣତଃ ରଜପର୍ଵ ସମୟରେ ଵର୍ଷା ହେଵାରୁ ପୂର୍ଵେ ଗ୍ରୀଷ୍ମଋତୁରେ ଆକାଶରେ ଉଡ଼ିବୁଲୁଥିଵା ଧୂଳିକଣା ଵର୍ଷାଜଳ ସହିତ ମିଶି ତଳକୁ ଚାଲି ଆସେ । ଫଳରେ ଆକାଶ ନିର୍ମଳ ତଥା ଵାୟୁ ସ୍ଵଚ୍ଛ ହୋଇଯାଏ । ଏଭଳି ସମୟରେ ରଜ ପର୍ଵ ପାଳିତ ହୋଇଥାଏ । 

ରଜ ଶବ୍ଦର ଅନ୍ୟ ଏକ ଅର୍ଥ ହେଲା ଭୁଵନ ଵା ପୃଥିଵୀମାତା । ଭୁଵନ ଶବ୍ଦର ଏକ ଅର୍ଥ ଚଉଦ ବ୍ରହ୍ମାଣ୍ଡ,ଆନ ଏକ ଅର୍ଥ ଜଳ ମଧ୍ୟ ଅଟଇ । ଗୃହ ତଥା ଜୀଵକୁ ମଧ୍ୟ ଭୁଵନ କୁହାଯାଏ । ସ୍ଵୟଂ ଧରଣୀମାତାଙ୍କୁ ଆରାଧନା କରିଵାର ପର୍ଵ ହେଉଛି ରଜପର୍ଵ ଏଵଂ ଯେହେତୁ ତାଙ୍କର ଏକ ନାମ "ରଜ" ତେଣୁ ସେହି ନାମ ଆଧାରରେ ଏହି ପର୍ଵର ରଜ ନାମକରଣ କରାଯାଇଛି। 

ହଳ କରାହୋଇଥିଵା କ୍ଷେତକୁ ରଜ କୁହାଯାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି । ପ୍ରକୃତରେ ଆଗକାଳରେ ରଜ ପୂର୍ଵରୁ ବିଲରେ ହଳ କରି କୃଷକ ଵର୍ଷାକୁ ଅନାଇ ରହୁଥିଲା ଏଵଂ ଵର୍ଷା ଆଗମନ ପରେ କୃଷିକ୍ଷେତ୍ରରେ ଲାଗିପଡୁ଼ଥିଲା । ରଜ ପର୍ଵ ପୂର୍ଵରୁ କୃଷିକ୍ଷେତ୍ରକୁ ହଳ କରି ସେଥିରେ ଥିଵା ମାଟିକୁ ପିଟି ଗୁଣ୍ଡ କରି ଖେତକୁ ଚାଷୋପଯୋଗୀ କରିଥାଏ କୃଷକ । ଦକ୍ଷିଣ ପଶ୍ଚିମ ଓଡ଼ିଶାର "ଢେଲାପିଟଣା ପର୍ଵ" ଏହି କୃଷି ପ୍ରକ୍ରିୟାର ଏକ ସାଂସ୍କୃତିକ ରୂପ ।
 
ସେହିପରି ରଜ ଶବ୍ଦର ଅନ୍ୟ କେତେକ ଅର୍ଥ ହେଲା "ବାଦଲ ,ପ୍ରକାଶ, ଵାଷ୍ପ,ପାଉଁଶ  ଓ ରାତ୍ରୀ"  । 

ରଜଶବ୍ଦର ପ୍ରୋକ୍ତ ସମସ୍ତ ଅର୍ଥଗୁଡି଼କର ଵ୍ଯଵହାରରେ କଳିଙ୍ଗ ଦେଶର ରଜପର୍ଵ ସମୟର ଚିତ୍ର ଆଙ୍କାଯାଇପାରେ...

ଯଥା—
“ଵର୍ଷାଋତୁର ଆଗମନରେ 
ଆକାଶରେ ବାଦଲମାନେ ଜଳ ଵର୍ଷା କରୁଅଛନ୍ତି । 

ଵର୍ଷାକାଳ ଆସିଵା ଦେଖି ଚାଷୀମାନେ ବିଲରେ ହଳ କରୁଅଛନ୍ତି । 

ଵର୍ଷାଋତୁର ଆଗମନରେ ବୃକ୍ଷରେ ନଵ ପୁଷ୍ପ ପ୍ରଷ୍ଫୁଟିତ ହୋଇ ତାହାର ପରାଗ ଓ ଵାସ ଚାରିଆଡ଼େ ଖେଳିଯାଇଛି ।

ଗ୍ରୀଷ୍ମକାଳୀନ "ଧୂଳି ଉଡ଼ିଵା ପ୍ରକ୍ରିୟା" ଵର୍ଷା ହେଵା ଯୋଗୁଁ ବନ୍ଦ ହୋଇଯାଇଛି ଫଳରେ ଚାରିଆଡ଼େ ସ୍ଵଚ୍ଛ ନିର୍ମଳ ପରିଵେଶ ଦୃଷ୍ଟିଗୋଚର ହେଉଅଛି ।

 ଏଭଳି ସୁନ୍ଦର ପରିଵେଶରେ ରଜପର୍ଵର ଆଗମନ ହୋଇଗଲାରୁ କଳିଙ୍ଗରେ ସର୍ଵତ୍ର ସଜବାଜ ଆରମ୍ଭ ହୋଇଯାଇଛି,ଏଠାକାର ଭୁଵନମାନ ଚଳଚଞ୍ଚଳ ଵ୍ଯସ୍ତଵହୁଳ ହୋଇଉଠିଛି ।”

ପୁଣି ରଜ ଶବ୍ଦର ସୂକ୍ଷ୍ମ ନିରୁକ୍ତିତତ୍ତ୍ଵ ଆଧାରରେ ମଧ୍ୟ ଏହାର ଵ୍ୟାଖ୍ୟା କରାଯାଇପାରେ । 'ରଜ' ଶବ୍ଦକୁ ସଂସ୍କୃତ ଧାତୁଶବ୍ଦ ‘ରନ୍ଜ ଵା ରଞ୍ଜ୍’ ଧାତୁରୁ ନିଷ୍ପନ୍ନ କରଯାଇଛି । 

ଏ ଧାତୁଶବ୍ଦରୁ ନିମ୍ନଲିଖିତ ଅର୍ଥରେ ରକ୍ତ,ରଙ୍ଗ ଆଦି ଶହ ଶହ ଶବ୍ଦ ନିଷ୍ପନ୍ନ ହୋଇଅଛି

•ରଙ୍ଗକରିଵା; ରଙ୍ଗାଇଵା
•ଆସକ୍ତ ହେଵା; ଅନୁରକ୍ତ ହେଵା
•ରଞ୍ଜିତ ହେଵା; ରଙ୍ଗାଯିଵା
•ନାଲି ପଡ଼ିଵା
•ପ୍ରଣୟାସକ୍ତ ହେଵା
•ଆନନ୍ଦିତ ହେଵା
•ସନ୍ତୁଷ୍ଟ ହେଵା

ଆମ ପ୍ରାକୃତିକ ପର୍ଵ ‘#ରଜ’ ସମୟରେ ବି
ପୃଥିବୀ ସବୁଜ ରଙ୍ଗରେ ରଙ୍ଗେଇଯାଏ, ଵର୍ଷା କାଳ ଆଗମନ ଯୋଗୁଁ ରଜଗୁଣରେ ବୃଦ୍ଧି ହେତୁ
ଚାରିଆଡ଼େ ସର୍ଵପ୍ରାଣିଙ୍କ ମନରେ ଅନୁରକ୍ତି,କାମନା ବୃଦ୍ଧି ପାଏ,ଜଗତଯାକରେ ସୁଖ ସନ୍ତୋଷ ଓ ଆନନ୍ଦମୟ ପରିଵେଶର ଆଗମନ ହୁଏ ।

ଏହା ହେଉଛି ରଜ ଶବ୍ଦ ଓ ରଜପର୍ଵ ମଧ୍ଯରେ ଥିଵା ପ୍ରାକୃତିକ ଗୂଢା଼ର୍ଥ ଯାହା ଏ ପର୍ଵର ମହାନତା ପ୍ରକଟ କରିଥାଏ । 

ତେଣୁ ଯଦି କେହି ରଜପର୍ଵକୁ ନେଇ ଓଡ଼ିଶାଵାସୀଙ୍କୁ ଵ୍ୟଙ୍ଗ୍ୟ କରୁଅଛି ତାହା ତାହାର ଅଜ୍ଞାନତା ଛଡ଼ା ଆଉ କ'ଣ ହୋଇପାରେ । 

ଯିଏ ରଜ ଶବ୍ଦର ନିରୁକ୍ତି ଜାଣିନାହିଁ,ରଜ ପର୍ଵର ତାତ୍ତ୍ଵିକ ଵୈଜ୍ଞାନିକ ଦିଗ ହୃଦୟଙ୍ଗମ କରିନାହିଁ କି ନାରୀଜାତି ତଥା ପ୍ରକୃତିମାତା ଵା ମାଟିମାଆର ସମ୍ମାନ କରିଵା ଶିଖିନାହିଁ କେଵଳ ସେହି ଅମାନଵୀୟ ଵ୍ୟକ୍ତି ହିଁ ରଜ ପର୍ଵକୁ ହୀନ ଦୃଷ୍ଟିରେ ଦେଖି ଓଡି଼ଶାଵାସୀଙ୍କୁ ଟାପରା କରିପାରେ । ନାରୀଜାତିକୁ ସମ୍ମାନ ଦେଇ ଜାଣିଥିଵା ପ୍ରତ୍ୟେକ ମାନଵ ରଜପର୍ଵ ଭଳି ଏକ ଶ୍ରେଷ୍ଠ ଵୈଜ୍ଞାନିକ ପର୍ଵର ମହତ୍ତ୍ଵ ନିଶ୍ଚିତ ଉପଲଵ୍ଧି କରିପାରେ । 

                       ••••••••••••••••••••••

Friday, June 3, 2022

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ -୯】❀

╔⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
                 ପ୍ରଥମ ଖଣ୍ଡ 
               【ଭାଗ -୯】 
  ╚⏤⏤⏤⏤╗❀╔⏤⏤⏤⏤╝
ବ୍ରହ୍ମା ସୁତ ମୌନ ହୋଇ ଯାଇଥିଲେ  ।କିଛି ସମୟ ପରେ ପୁଣି ସର୍ଵ ଋଷିଙ୍କ ଆଗରେ ନର୍କର ବିବରଣ ବର୍ଣ୍ଣନା କରି କହିଲେ -ହେ ତପି ଗଣ !ମୁଁ ଯାହା କହୁଛି ମନ କର୍ଣ୍ଣ ଦେଇ ଶୁଣ ।ସନତ କହିଲେ -

ଯେଉଁ ଜନ ଗୋରୁ ,ବ୍ରାହ୍ମଣ ଙ୍କୁ ହତ୍ୟା କରେ ,କାମ ବଶରେ ମାନିତା ନାରୀ ଙ୍କୁ ହରଣ କରେ  ସେପରି ପାପୀ  ଚାରି ଯୁଗ ପର୍ଯ୍ୟନ୍ତ ରୌରବ ନର୍କ ରେ ପଡି ଘାଣ୍ଟି ହୁଏ । ଯମଦୂତ ମାନେ ଏହି ପାପୀ ଦେହରେ ଅଗ୍ନି ପକାଇ ଦିଅନ୍ତି ।ସେହି ପାପୀ ପୁଣି ଆସି ବିପ୍ରକୁଳ ରେ ଜନ୍ମ ହୁଏ ।ଯେଉଁ ଜନ ସନ୍ଧ୍ୟା କରେ ନାହିଁ ଓ ଶୁଦ୍ର ବିଧିମାନ ସବୁ କରେ ,ନୀଚ ଜାତିଠାରୁ ବିଭିନ୍ନ ଦାନ ନିଏ  ଏଥିପାଇଁ ତାକୁ ଦାନୁଆ ବ୍ରାହ୍ମଣ କହନ୍ତି ।ଶୁଦ୍ରକୁ ଯେଉଁ ବ୍ରାହ୍ମଣ ସେବାକରେ ଓ ଶୁଦ୍ର ଘରେ ପାପ କରେ  ସେହିମାନେ ବୃକ୍ଷଳୀ ପ୍ରତି ହୋଇଣ ଦୁଃଖରେ ଦିନ କଟେ ।

ଭିକ୍ଷୁକ ମାରି ତାହାର ଭିକ୍ଷା କୁ ଯେଉଁମାନେ ଛଡାଇ ନିଅନ୍ତି  ତାହାର ପାପ କଥା କେହି ମୁହଁ ରେ କହି ପାରିବେ ନାହିଁ । ସେହି ପାପୀ ମାନେ ସାତ ଥର କର୍କଟ ଦାଢ଼ ରେ ପଡନ୍ତି ।ଯମଦୂତ ମାନେ ଏହି ପାପୀ ଉପରେ ପ୍ରହାର କରନ୍ତି । ଏହି ପାପୀ ମାନେ ପୁଣି ମର୍ତ୍ତ୍ୟରେ ଜନ୍ମ ହୋଇ ଭ୍ରୁଣ ହତ୍ୟା କରନ୍ତି । ଏମାନଙ୍କୁ ସଂସାର ମହା ପାତକୀ ବୋଲି କୁହେ । ଏମାନେ ମଲା ପରେ ପୁଣି ଯମଦୂତ ମାନେ ବୋହି ନିଅନ୍ତି ଓ ତାଙ୍କ ଦେହରେ ତଳଲା ତେଲ ଢାଳି ଦିଅନ୍ତି । ଏହି ମାନଙ୍କୁ କଣ୍ଟା ବଣ ରେ ଫୋପାଡ଼ି ଦିଅନ୍ତି । ତାପରେ ଏମାନଙ୍କୁ ଆଣି ତପ୍ତ ପାଷାଣ ଉପରେ କଚାଡି ଦିଅନ୍ତି । ତତଲା ପାଣି ଏହାଙ୍କ ଉପରେ ଢାଳି ଦିଅନ୍ତି ।ଅନଳ ମଧ୍ୟରେ ଏମାନଙ୍କୁ ପକାଇ ଦିଆଯାଏ ।ସାତ ଜନ୍ମ ପର୍ଯ୍ୟନ୍ତ ଏମାନେ ଘୁଷୁରୀ ଜନ୍ମ ନିଅନ୍ତି ।ଆଉ ସାତ ଜନ୍ମ କୃଷ୍ଣ ସର୍ପ ହୋଇ ରୁହନ୍ତି । ଶେଷରେ ଯମ ପୁରେ ଜଳ କୁଣ୍ଡରେ ଯାଇ ପଡନ୍ତି।ଷାଠିଏ ସହସ୍ର ମଳ କୁ ଏମାନେ ଖାଆନ୍ତି । ବହୁ କଷ୍ଟ କଲା ପରେ ପୁଣି ମଣିଷ ଜନ୍ମ ନିଅନ୍ତି ।ସଂସାର କୁ ଆସି ସେହିମାନେ ଅପୁତ୍ରିକ ହୋଇ ରୁହନ୍ତି ।କେହି ତାଙ୍କ ମୁହଁ ଚାହାଁନ୍ତି ନାହିଁ ।ରକ୍ତ କୁଷ୍ଠ 
ରାଜ ଯକ୍ଷ୍ମା  କାଶ ରୋଗୀ ହୋଇ ରୁହନ୍ତି ।ଏମାନଙ୍କ ପତ୍ନୀ ଅକାଳରେ ମରି ଯାଆନ୍ତି । 

ଏହାପରେ ବ୍ରହ୍ମା ସୁତ କହିଲେ ହେ ଋଷି ଗଣ ! ତୁମେମାନେ ନର୍କର ଚରିତ ସବୁ ଶୁଣିଲ ।ଏହି ନର୍କର ବୃତ୍ତାନ୍ତ ଅତ୍ୟନ୍ତ ଗହନ ଅଟେ । ସବୁ ଋଷି ଏହା ଶୁଣି ଆନନ୍ଦିତ ହେଲେ  ଓ ସନତ କୁମାର ଙ୍କୁ ଧନ୍ୟ ଧନ୍ୟ କହିଲେ । ହେ ବ୍ରହ୍ମା ସୁତ !ଆମେ ଆପଣ ଙ୍କ ଠାରୁ ନର୍କ ବିଷୟରେ ଶୁଣୁ ଶୁଣୁ ରାତି ପାହିଗଲା ।ତୁମ ଦର୍ଶନ ପାଇ ଆମେ ସମସ୍ତେ ମୁକ୍ତି ହୋଇଗଲୁ ।ଅପୂର୍ଵ ନର୍କର ବିଧାନ କୁ ଆମେ ତୁମ ଠାରୁ ଶୁଣିଲୁ । ହେ ବ୍ରହ୍ମା ସୁତ !ଆମ ଇଛା ହେଉଛି ଯେ ତୁମ ଠାରୁ ଆଉ କିଛି ଶୁଣିବାକୁ ? ହେ ମୁନିବର ସେହି କଥା ଆମେ ତୁମକୁ ପଚାରୁ ଅଛୁ  ?ଆମ୍ଭର ସନ୍ଦେହ ଦୂର କରନ୍ତୁ ?। ହେ ମୁନିବର !ବ୍ରହ୍ମ ହତ୍ୟା ପାପ ହୁଏ କେଉଁ ପାପ କଲେ ? ହେ ତପଶୀଳ ସେହି କଥା ବିଚାର କରି କୁହନ୍ତୁ । ଅଗମ୍ୟ  ଗମନ କଲେ କିପରି ପାପ ହୁଏ ? ହେ ମୁନି !ବୃଶଳି ପତି ର କଥା  ମଧ୍ୟ ବିସ୍ତାର କରି କହିବେ । ଏହି ସବୁ ସଂଶୟ ଆମ ମନ ଭିତରେ ଉଠିଛି । ହେ ମୁନି !ଦୟାକରି ଏସବୁ ବିଷୟ ଆମକୁ କୁହନ୍ତୁ ?।

ଋଷି ମାନଙ୍କ କଥା ଶୁଣି ସନତ କୁମାର କହିଲେ -ହେ ଋଷିଗଣ!ପୁର୍ବେ ବ୍ୟାସ ଋଷି ଯାହା କହିଥିଲେ  ତାହା ମୁଁ ତୁମ ଆଗରେ ବର୍ଣ୍ଣନା କରୁଛି ।ଏବେ ମନ କର୍ଣ୍ଣ ଦେଇ ଶୁଣ। ସନତ କହିଲେ -ସଦାଯୋଗୀ ଶିବ ଯାହା କହିଛନ୍ତି ତାହା ହେଲା  ସଂସାରରେ ପାଞ୍ଚ ଗୋଟିତନ୍ତ୍ର ମନ୍ତ୍ର ଶାସ୍ତ୍ର ସାର  ଅଟେ । ମୁଁ ସେହି ପାଞ୍ଚ ଗୋଟି ଶାସ୍ତ୍ର ର ନାମ କହୁଛି ତୁମେ ମାନେ ସାବଧାନ ହୋଇ ଶୁଣ । ଶିବ ତନ୍ତ୍ର ,ଶକ୍ତି ତନ୍ତ୍ର ଗଣପତି
ତନ୍ତ୍ର ,ସୌର ତନ୍ତ୍ର , ବିଷ୍ଣୁ ତନ୍ତ୍ର , ଏହି ପାଞ୍ଚ ତନ୍ତ୍ର ସର୍ବତ୍ର ବିଖ୍ୟାତ ଅଟେ । ଏହି ପାଞ୍ଚ କୁ ଯିଏ ଭିନ୍ନ ଭାବେ ଦେଖେ ସଂସାର ରେ ତାଠାରେ ବ୍ରହ୍ମହତ୍ୟା ପାତକ ଲାଗେ  । ଯେଉଁମାନେ  ବିଧବା ମାତା  ଗୁରୁପତ୍ନୀ ,ବେଦାଚାରୀ  ଏମାନଙ୍କୁ ଭିନ୍ନ ବୋଲି ମଣେ  ସେହିଁ ଦୁରାଚାର ଅଟେ । ଯେଉଁ ଦୁଷ୍ଟ ମାନେ ଶିବ ଭକ୍ତ ସହିତ  ଅନ୍ୟ ଦେବ ଙ୍କ ଭକ୍ତ ଙ୍କୁ ସମାନ  କରେ  ସଂସାର ରେ ସେ ବ୍ରହ୍ମହତ୍ୟା ପାପ ରେ ଭାଗୀ ହୁଏ । ଯିଏ ଦେବ ପୂଜା କରେ ନାହିଁ କି  ପିତୃପୁରୁଷଙ୍କ ଶ୍ରାଦ୍ଧକରେ ନାହିଁ  ଏହା ସହିତ ବିଷ୍ଣୁ ଭକ୍ତ ମାନଙ୍କୁ ପ୍ରତିଦିନ ନିନ୍ଦା କରେ  ,ଜାଗର ଦିନ ଉଜାଗର ରହି  ଯିଏ ଦୀପ ଦିଏନାହିଁ  ,ଗର୍ବ ବହି ଜାଗର ବ୍ରତ କରେ ନାହିଁ  ,ଭୀଷ୍ମ ଜନ୍ମ ,ରାଧା ଜନ୍ମ ,ଓ ଅଷ୍ଟମୀ ତିଥି ସହିତ ଏକାଦଶୀ ,ଶ୍ରୀରାମ ନବମୀ ଯିଏ ନ କରେ ,ଯେଉଁମାନେ  ପ୍ରଥମ ରଜରେ ଭୂମି କୁ ଚାଷ କରନ୍ତି  ,ଶିବ ଲିଙ୍ଗ କୁ ପୂଜା ନକରି  ଆନନ୍ଦରେ ଭୋଜନ କରେ ,ସେହି ଲୋକମାନେ ବ୍ରହ୍ମହତ୍ୟା ପାପୀ ଅଟନ୍ତି ।

ସନତ କୁମାର କହିଲେ -ହେ ଋଷିଗଣ !ଗୋହତ୍ୟା ପାପୀ ମାନଙ୍କ କଥା ଶୁଣ । ଯେଉଁମାନେ ଦାଣ୍ଡ ,ଗୋଚର ପଡିଆ ଚାଷ କରନ୍ତି  ,ଗୁରୁଜନ ଙ୍କୁ  ଉଚ୍ଚିଷ୍ଟ ଦିଅନ୍ତି  ,ଯେଉଁମାନେ ବୃଷଭ କୁ ଜୋଚି ହଳ କରନ୍ତି ଏମାନଙ୍କୁ ଗୋ ହତ୍ୟା ପାତକୀ ବୋଲି ଶିବ କହିଛନ୍ତି । ଯିଏ ପାଦରେ ଅଗ୍ନି ଦେବତାଙ୍କୁ  ଦଳି ଦିଏ  , ଯେଉଁମାନେ ଅତି କ୍ରୋଧ ହୋଇ ଗୋରୁଙ୍କୁ ଗୋଇଠା ମାରନ୍ତି , ଯିଏ ସ୍ନାନ ସାରି ପାଦ ନଧୋଇ ଘରକୁ ପଶେ ,ଯିଏ  ଓଦା ଲୁଗା ପିନ୍ଧି ଭୋଜନ କରେ , ଯେଉଁ  ବ୍ରାହ୍ମଣ ଦିନରେ ଦୁଇଥର  ଭୋଜନ କରେ , ଯିଏ ଅବିବାହିତ କନ୍ୟା ସହ ରତି କରେ ,ଯେଉଁମାନେ ତ୍ରିସନ୍ଧ୍ୟା ରେ ଗାୟତ୍ରୀ ଜପ କରନ୍ତି ନାହିଁ  ,ଯେଉଁମାନେ ପିତୃ ଶ୍ରାଦ୍ଧ ଦିନ ପିଣ୍ଡ ଦିଅନ୍ତି ନାହିଁ  ,ଯେଉଁମାନେ ବିଧି ରେ ଦେବତା ଙ୍କୁ ପୂଜା କରନ୍ତି ନାହିଁ  ସେହିମାନେ ଗୋହତ୍ୟା ପାପୀ ସଂସାରରେ ଅଟନ୍ତି ।

ଯେଉଁମାନେ ଗର୍ବ କରି ନିଆଁ କୁ ଡ଼ିଅନ୍ତି , ଯେଉଁ ଜନ ସୁଖରେ ଜଳ ଦେବତାଙ୍କୁ ଲଙ୍ଘନ କରେ  ,ଯିଏ ପୂଜା ଦ୍ରବ୍ୟ କୁ ଡେଇଁ ଯାଏ  ,ଯିଏ ଲୋକମାନଙ୍କୁ ଠକି ମିଥ୍ୟା କଥା କହେ  ସେହିମାନେ ହେଉଛନ୍ତି ଗୋ ହତ୍ୟା ପାପୀ ।

ଶୁଦ୍ର ମାନେ ଦଣ୍ଡବତ କଲେ ଯେଉଁ ବ୍ରାହ୍ମଣ ଆଶିର୍ବାଦ କରେ ନାହିଁ  
ଯେଉଁମାନେ ବିଦ୍ୟାର୍ଥୀ ମାନଙ୍କୁ ବିଦ୍ୟାଦାନ କରନ୍ତି ନାହିଁ ସେହିମାନେ ହିଁ ଗୋହତ୍ୟା ପାତକୀ ଅଟନ୍ତି ।ଋଷି ସନତ କୁମାର କହିଲେ -ହେ ତପିଗଣ ମୁଁ  ଗୋହତ୍ୟା ଓ  ବ୍ରହ୍ମ ହତ୍ୟା ପାତକୀ ବିଷୟରେ କହିଲି ଏବେ  ଅଗମ୍ୟ ଗମନ ପାପ କଥା କହିବି ।ଏହାକୁ ତୁମେ ମନ ଦେଇ ଶୁଣ !। ଏହା କହି ଋଷି ସନତ କୁମାର ମୌନ ହୋଇଗଲେ ।

କ୍ରମଶଃ...............
 
┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ -୮】❀

╔⏤⏤⏤╝❀╚⏤⏤⏤⏤╗
             ଶିବ ପୁରାଣ
               ପ୍ରଥମ ଖଣ୍ଡ 
               【ଭାଗ -୮】 
 ╚⏤⏤⏤⏤╗❀╔⏤⏤⏤⏤╝
ବ୍ରହ୍ମାଙ୍କ ସୁତ ସନତ କୁମାର ବିଶ୍ରାମ ନେଇ ଉଠିଲା ପରେ ନୈମିଷା ଅରଣ୍ୟରେ ରୁଣ୍ଡ ହୋଇଥିବା ଋଷିଗଣ ଙ୍କ ନିକଟ କୁ ଗଲେ ।ସକଳ ଋଷିମାନେ ସନତ କୁମାରଙ୍କୁ ନମସ୍କାର କରି ଉପଯୁକ୍ତ ଆସନରେ ବସାଇଲେ ।ଋଷିମାନେ କହିଲେ ଭୋ ଦେବ !ଆମ୍ଭ ମାନଙ୍କୁ ନର୍କ କୁଣ୍ଡ ଓ ପାପୀ ମାନେ କେଉଁ ପାପ କଲେ କି ଯନ୍ତ୍ରଣା ଭୋଗ କରନ୍ତି ତାହା ବିସ୍ତାର ଭାବେ କୁହନ୍ତୁ ।ସନତ କୁମାର କହିଲେ ହେ ତପିଗଣ !ମୁଁ ଯାହା କହୁଛି ମନ କର୍ଣ୍ଣ ଦେଇ ଶୁଣ ।ସନତ କହିଲେ ......

ଯେଉଁମାନେ ଝାଳ ନାଳ ହାତରେ ଦେବତା ମାନଙ୍କୁ ପୂଜା କରନ୍ତି  ସେମାନଙ୍କ ଯମଦୂତ ମାନେ ସ୍ବେଦ ନର୍କ କୁଣ୍ଡରେ ନେଇ ପକାନ୍ତି  ଓ ତାଙ୍କ ଉପରେ ଯନ୍ତା ଦେଇ ଦିଅନ୍ତି । ଯେଉଁ ବ୍ରାହ୍ମଣ  ଶୁଦ୍ର ଘରେ ଅନ୍ନ ଭକ୍ଷଣ କରେ  ଶହେ ଜନ୍ମ ପର୍ଯ୍ୟନ୍ତ ସୁରା କୁଣ୍ଡରେ  ସୁରା ସେ ପିଏ । ଯେଉଁମାନେ ନୈବେଦ୍ୟ ନକରି ଭୋଜନ କରନ୍ତି କୃମି କୁଣ୍ଡରେ ସେମାନେ ପଡନ୍ତି ଓ ତାଙ୍କୁ କୃମି ମାନେ ଖାଇ ଯାଆନ୍ତି । ଯେଉଁ ବ୍ରାହ୍ମଣ ଶୁଦ୍ର ଙ୍କୁ ଶବ କୁ କାନ୍ଧରେ ନିଏ  ସେହିମାନେ ପୂଜ ନର୍କ କୁଣ୍ଡ ରେ ପଡି ପୂଜ ଖାଉଥାନ୍ତି  । ଯେଉଁ ନିଷ୍ଠୁର ନିର୍ଦ୍ଦୟ  ମାନେ କ୍ଷୁଦ୍ର ପ୍ରାଣୀ ଙ୍କୁ ମାରନ୍ତି ସେମାନେ ମକ୍ଷିକା ନର୍କ କୁଣ୍ଡରେ  ପଡି ନାନା କଷ୍ଟ ଭୋଗ କରନ୍ତି । ଯେଉଁ ଦୁର୍ଜନ ମାନେ ବ୍ରାହ୍ମଣ ମାନଙ୍କୁ ବାଡ଼ି ଦ୍ୱାରା ମାରନ୍ତି  ସେମାନେ ବଜ୍ର ଦଂଷ୍ଟ୍ର କୁଣ୍ଡରେ  ପଡି କଷ୍ଟ ପାଆନ୍ତି । ଯେଉଁମାନେ ମହୁଫେଣା  ଭାଙ୍ଗି  ମାଛି କୁ ମାରନ୍ତି  ସେମାନେ କୃମି ନର୍କ କୁଣ୍ଡରେ ପଡି ନାନା କଷ୍ଟ ପାଆନ୍ତି । ଯେଉଁ ରାଜା ପ୍ରଜା ମାନଙ୍କୁ  କଷ୍ଟ ଦିଏ  ଓ ଧନ ଦିଏ ନାହିଁ  ସେହି ରାଜା ବୃଶ୍ଚିକ କୁଣ୍ଡରେ ପଡି  କଷଣ ଭୋଗ କରେ । ତାହାର ଯେତେ ଯାତନା କେହି କହି ପାରିବେ ନାହିଁ । ଯେଉଁ ଜନ ହୀନ କୂଳରେ ଜନ୍ମ ହୋଇ ସ୍ବଧର୍ମ ଛାଡି ପରଧର୍ମ କରେ ସେମାନେ ମଶାଲ କୁଣ୍ଡରେ ପଡି ବହୁ କଷ୍ଟ ପାଆନ୍ତି ।

ବିନା ଦୋଷରେ ଯେଉଁମାନେ ପ୍ରାଣୀ ମାନଙ୍କୁ ବନ୍ଦୀ ଘରେ ରଖନ୍ତି  ସେମାନଙ୍କୁ ଯମଦୂତ ମାନେ  ଚରମ କୁଣ୍ଡରେ ପକାନ୍ତି । କାମବଶ ହୋଇ ଯେଉଁମାନେ ପର ରମଣୀ କୁ ହରନ୍ତି ସେମାନଙ୍କୁ ଯମଦୂତ ମାନେ ବାନ୍ଧି ନେଇ କାଳକୁଣ୍ଡ  ନର୍କ ରେ ପକାନ୍ତି ।ତାହାରି ମୁଣ୍ଡରେ ଥିବା କେଶ କୁ  ଅଗ୍ନି ରେ ପୋଡି ଦିଅନ୍ତି ।ଡାମରା କାଉ ମାନେ ତା ମୁଣ୍ଡକୁ ହାଣନ୍ତି  ଓ ଥଣ୍ଟ ରେ ତାହାରି ଆଖିକୁ  ଖୋଳନ୍ତି ।ତାହାରି ଦୁଃଖ କଷ୍ଟ କେହି ମୁଖରେ କହି ପାରିବେ ନାହିଁ ।ମଲି ମଲି ବୋଲି ସେ ପାପୀ ବୋବାଳି ଛାଡେ ।ସହସ୍ର ବର୍ଷ ସେ ସେହି ନର୍କ ଭୋଗ କରେ ।ପୁଣି ଥରେ ମାନବ ଯୋନିରେ ଜନ୍ମ ନିଏ  ।ଅଙ୍ଗ ହୀନ ହୁଏ ଓ ତାହାର ଗୋଡ଼ ହାତ ଛିଡିଯାଏ ।ଏହି ପାପୀ ବହୁତ କଷ୍ଟ ପାଏ ।

ଯେଉଁଜନ ଲୋଭରେ ସୁବର୍ଣ୍ଣ ଚୋରାଏ  ସେହି ପାପୀ ସଞ୍ଚାଣ ନର୍କ କୁଣ୍ଡରେ ପଡି ପତନ ହୁଏ ।ସଞ୍ଚାଣ ପକ୍ଷୀର ବିଷ୍ଠା ନିତି ଖାଏ ।ଯମଦୂତ ମାନେ ଲୌହ ଠେଙ୍ଗା ରେ ପ୍ରହାର କରନ୍ତି ।ଅୟୁତ ବର୍ଷ ପରେ ସେହି ପାପୀ ପୃଥିବୀ କୁ ଆସେ  ।ମନୁଷ୍ୟ ଜନ୍ମ ପାଏ ଓ ବହୁତ କ୍ଳେଶ ଭୋଗକର ।

ସୁବାସ ଦ୍ରବ୍ୟ ଯେଉଁମାନେ ଚୋରି କରନ୍ତି ସେମାନଙ୍କ ଦଣ୍ଡଧାରୀ ବହୁତ କଷ୍ଟ ଦିଅନ୍ତି ।ଯେଉଁ ଜନ ତେଲ ଦ୍ରବ୍ୟ ଚୋରି କରେ  ସେମାନେ ଅନଳ ନର୍କ କୁଣ୍ଡରେ ପଡନ୍ତି ।ତାହାର ଦେହ ପୋଡିଯାଏ ଓ ସେ ବୋବାଳି ଛାଡେ  ।ତାପରେ ଯମଦୂତମାନେ ତେଲ ଢାଳି ଦିଅନ୍ତି ।

ବଳ ପୂର୍ବକ ବା କୌଶଳ କରି ଯିଏ ପର ଭୂମି କୁ ହରେ ସେହି ଜନ ମରଣ ପରେ ତପ୍ତ ତୈଳ କୁଣ୍ଡରେ ପଡେ ।ସାତ ମନୁ ଯାଏ ସିଏ ପାଉଁଶଭକ୍ଷଣକରେ।ତାହାର କଷଣ କିଏ ବା କହି ପାରିବ ।

ଯେଉଁମାନେ ଖଣ୍ଟ  ବୃତ୍ତି କରି ଧନ ଉପାର୍ଜନ କରନ୍ତି  ସେମାନେ ମଲେ  ଯମଦୂତ ମାନେ  ତାଙ୍କୁ ବଳେ ଧରି ନେଇ ତାହାର ଚୁଟି କାଟି ତାକୁ ବହୁତ ବାଡାନ୍ତି ।ଅସୀ ପତ୍ର କୁଣ୍ଡରେ ତାକୁ ନେଇ ପକାନ୍ତି ।ସେହି ଲୋକ ଚଉଦ ମନୁ ପର୍ଯ୍ୟନ୍ତ ସେଠାରେ ସେ ରୁହେ ।ତାହାର ଡାକ କେହି ଶୁଣନ୍ତି ନାହିଁ ।ଅନ୍ନ ପାଣି ନପାଇ ସେ ଉପାସ ଭୋକରେ ପଡିଥାଏ ।ଭୋକରେ ଛଟପଟ ହୋଇ ବହୁ କଷ୍ଟ ପାଏ ।

ଯେଉଁମାନେ ବ୍ରାହ୍ମଣ କୁ ମାରି ତାହାର ଧନ ହରଣ କରନ୍ତି  ସେମାନେ ମଲେ ଯମଦୂତ ମାନେ ତାଙ୍କୁ ନେଇଯାଇ ଖଡ୍ଗ କୁଣ୍ଡରେ ପକାଇ ଦିଅନ୍ତି ।ସେଠାରେ ସେ ଶତ ମନୁ ଯାଏ ପଡିରହେ ।ତାହାର କଷ୍ଟ କୁ ଯିଏ ଆଖିରେ ଦେଖେ ତାହାର ହୃଦୟ ବିଦୀର୍ଣ୍ଣ ହୋଇଯାଏ ।ଏହାପରେ ସେହି ପାପୀ ମର୍ତ୍ତ୍ୟରେ ଜନ୍ମ ନିଏ ।ଘୁଷୁରୀ ଜନ୍ମ ପାଇ ବିଷ୍ଠା ଭକ୍ଷଣ କରେ ।

ଯେଉଁମାନେ ନିଆଁ ଲଗାଇ ଘରକୁ ପୋଡି ଦିଅନ୍ତି ସେହି ପାପୀ ମାନେ କ୍ଷୁର ଧାର କୁଣ୍ଡରେ ପଡନ୍ତି ।ସେହି କୁଣ୍ଡରେ ପଡି ବହୁତ ଯାତନା ପାଆନ୍ତି ।ଏହାପରେ ସେହି ପାପୀ ପ୍ରେତ ହୋଇ ବୁଲେ ।ସାତ ଜନ୍ମ ପରେ ମନୁଷ୍ୟ ଜନ୍ମ ନିଏ ।ବହୁଦିନ କାଟିବା ପରେ ଶୂଳ ରୋଗରେ ପଡେ  ।ଏତକ ହେଲା ପରେ ସାତ ଜନ୍ମ ଯାଏ  କୁଷ୍ଠ ରୋଗରେ  ପଡି ଦିନ କାଟେ ।

ଯେଉଁମାନେ ବ୍ରାହ୍ମଣ ଙ୍କୁ ଘୃଣା କରନ୍ତି ଓ ମୂଢ ପଣରେ ଦେବତା ମାନଙ୍କୁ ମାନନ୍ତି ନାହିଁ ,ନିଜର ପ୍ରଶଂସା ସବୁବେଳେ କରେ ଓ ପରର ନିନ୍ଦା କରେ  ସେମାନେ ମଲା ପରେ ସୂଚୀ କୁଣ୍ଡରେ ପଡନ୍ତି ।ତାହାର ଦେହରେ ସୂଚୀ ଫୋଡାଯାଏ । ଏମାନେ ଧର୍ମ କୁ ସ୍ମରଣା କରି ଦିନ କାଟନ୍ତି  ।ତିନିଯୁଗ କାଟି ସାରିଲା ପରେ ଏମାନେ ମର୍ତ୍ତ୍ୟ କୁ ଆସନ୍ତି ।ସାତ ଜନ୍ମ ଯାଏ ବଜ୍ରକୀଟ ହୋଇ ଜନ୍ମ ନିଅନ୍ତି ।ଭସ୍ମ କୀଟ ଯୋନି ସାତଜନ୍ମ ସେ ହୁଏ ।ପୁଣି ସେ ନର ବିଛା ହୋଇ ଜନ୍ମ ନିଏ ।ଶତ ଜନ୍ମ ବିଛା ହୋଇ ବହୁ କଷ୍ଟ ପାଏ ।

ଲୋଭ ବଳରେ ଯେଉଁମାନେ ପରଘର ଭାଙ୍ଗନ୍ତି ଓ ତାହାରି ଧନ କୁ ହରଣ କରନ୍ତି  ସେମାନେ ବହୁକାଳ ନର୍କ ଯନ୍ତ୍ରଣା ଭୋଗ କରନ୍ତି ।ଯମଦୂତ ମାନେ ତା ମୁହଁରେ ପରିଶ୍ରା କରନ୍ତି । ତାହାର ଦୁଇ ଆଖିକୁ କେତକୀ କଣ୍ଟା ରେ ଫୋଡି ଦିଅନ୍ତି ।ଏହି ପାପୀ ସାତ ଜନ୍ମ ଯାଏ ଛେଳି ମେଣ୍ଢା ହୋଇ ଜନ୍ମ ହୁଏ ।ତାପରେ ଗଉଡୁଣୀ  ଗର୍ଭରୁ ଜନ୍ମ ହୁଅନ୍ତି ।ଜନ୍ମ ହୋଇ ରୋଗରେ ପଡନ୍ତି ଓ ବହୁ କଷ୍ଟ ପାଆନ୍ତି ।ଶେଷରେ ତା ଠାରେ ଶ୍ଵେତ କୁଷ୍ଠ ହୁଏ ।

ଯେଉଁମାନେ ନିଜ ଲୋଭ ସମ୍ଭାଳି ନପାରି ଛୋଟ ଛୋଟ ଦ୍ରବ୍ୟ ମାନ ଚୋରି କରି ଆଣନ୍ତି  ସେମାନେ ଗୋଟିଏ ଯୁଗ ବିଷାକ୍ତ ସାପ ପାଖରେ ରହେ  ।ନରଦେହ ପାଇ ବହୁ କଷ୍ଟ ଭୋଗ କରେ ।ଲୋଭରେ ଯେଉଁମାନେ ହାତୀ ଘୋଡା ଚୋରି କରି ଆଣେ  ଯମ ଗଣ ମାନେ ତାକୁ ହାତୀ ଦାନ୍ତ ରେ ପ୍ରହାର କରନ୍ତି ।ଗଜଦନ୍ତ କୁଣ୍ଡରେ ସେହି ପାପୀ କୁ ନେଇ ପକାନ୍ତି  ।ବହୁତ ମଳ ମୂତ୍ର ନେଇ ତା ଉପରେ ଢାଳନ୍ତି ।ଏହି ପାପୀ ତିନି ଜନ୍ମ ପର୍ଯ୍ୟନ୍ତ ହାତୀ ହୋଇ ଜନ୍ମ ନିଏ ।ଏହାପରେ ସେ ମ୍ଳେଛ ଘରେ ଜନ୍ମ ନିଏ ।

ଯେଉଁ ଜନ ତୃଷାତୁର ହୋଇ ଜଳ ପିଉଥାଏ କିନ୍ତୁ ଯେଉଁମାନେ ତାହାକୁ ଜଳ ପିଆଇ ଦିଅନ୍ତି ନାହିଁ  ସେ ପାପୀ ଗୋମାଂସ ନର୍କ କୁଣ୍ଡରେ ପଡେ । ଏକ  ମନୁ ପର୍ଯ୍ୟନ୍ତ ସେହି ପାପୀ ଗୋମାଂସ ଭକ୍ଷଣ କରୁଥାଏ  ।  ଯୋଗୀ ଜନ୍ମ ପାଇ ଦ୍ୱାର ଦ୍ୱାର  ବୁଲେ ।ଭିକ୍ଷା ମାଗି ଗୀତ ଗାଇ ବହୁ କଷ୍ଟ ରେ ଚଳେ ।  ଏତିକି  କହି ସାରିବା ପରେ ବ୍ରହ୍ମା ସୁତ କିଛି ସମୟ ପାଇଁ ମୌନ ହୋଇଗଲେ ।

କ୍ରମଶଃ..........

┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

■ ଯଦୁମଣି ■

                       
                       ଉତ୍କଳମାଟିରେ ମହମ୍ମଦ ତକି ଖାଁର ଆକ୍ରମଣ ସମୟରେ ତଦାନୀନ୍ତନ ଗଜପତି ରାମଚନ୍ଦ୍ର ଦେବଙ୍କ ପରିବାର ଓ ଓଡିଶାର ସାର୍ବଭୌମାଧିପତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସସମ୍ମାନେ ଆଶ୍ରୟ ଦେଇଥିଲେ ଗଞ୍ଜାମର ଆଠଗଡ଼ ରାଜା । ୧୫୪୦ ମସିହା ରେ ମହାରାଜା ପ୍ରତାପରୁଦ୍ରଙ୍କ ନିଧନାନ୍ତେ ତାଙ୍କ ସେନାପତି ବେନୁ କ୍ଷତ୍ରିବର ସିଂହଙ୍କ ସୁପୁତ୍ର ଯଦୁନାଥ ଘୁମୁସର ରାଜାଙ୍କ ନିକଟରୁ ଆଠଟି ଦୁର୍ଗ ଛଡାଇ ଆଣି ନିଜକୁ ପରମ ବୈଷ୍ଣବ ବୋଲି ପରିଚୟ ଦେଇ ଶାସକ ହୋଇଥିଲେ । ଆଉ ଋଷିକୂଲ୍ୟା ନଦୀ ଦ୍ଵାରା ଧୌତ ଆଠଗଡରେ ଏକଦା ମହାପ୍ରଭୁ ଶ୍ରୀଜଗନ୍ନାଥ ଅବସ୍ଥାନ କରିଥିଲେ 'ମାରଦା' ଠାରେ । 

                            ଉତ୍କଳମାଟିରେ ମହାପୁରୁଷଙ୍କ ଜନ୍ମଗାଥା ସତତ ଅନନ୍ୟ । ତକି ଖାଁ ଫେରିଗଲା ପରେ ମହାପ୍ରଭୁ ଅବସ୍ଥାନ କରିଥିବା ସ୍ଥାନରେ ରାଜା ରଘୁନାଥ ଗଜପତିଙ୍କ ଅନୁଗ୍ରହ ପାଇ ସେ ଠାବରେ ଜଗନ୍ନାଥଙ୍କ ଦାରୁବିଗ୍ରହ ନିର୍ମିତ କରାନ୍ତି । ହେଲେ ଯେଉଁ ବିଶ୍ଵକର୍ମା ଆର୍ତ୍ତବନ୍ଧୁ ମହାପାତ୍ର ଥିଲେ , ସେ ପରବର୍ତ୍ତୀ ସମୟରେ ରଘୁନାଥଙ୍କୁ ପୋଷ୍ଯପୁତ୍ର ଗ୍ରହଣ କରି ପରଲୋକଗତ ହୁଅନ୍ତି । ଆଉ ରଘୁନାଥ ମହାପାତ୍ର ବି ଜଣେ ପ୍ରବୀଣ ଚିତ୍ରବିଦ୍ୟା ନିପୁଣ ଶିଳ୍ପୀ ହୋଇ ମଧ୍ୟ ଭୂସମ୍ପତ୍ତିକୁ ନେଇ କୁଚକ୍ରର ସମ୍ମୁଖୀନ ହୋଇ ରଣପୁରର ସୁନାଖଳା ଠାରେ ଆଶ୍ରୟ ପାଇଲେ ।

                                   ରଘୁନାଥ ମହାପାତ୍ରଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ଏକମାତ୍ର ପୁତ୍ର ମୁକୁନ୍ଦ ମହାପାତ୍ରଙ୍କୁ ରାଜ ଆଶ୍ରୟରେ ନ୍ୟସ୍ତ କରି ଇହଲୀଳା ସମ୍ଵରଣ କରନ୍ତି । ପାରମ୍ପରିକ କୌଳିକ ବୃତ୍ତି ସହ ନିଜ ଜୀବିକା ବ୍ୟତୀତ କରିଲା ବେଳେ ସେ ଆଠଗଡ଼ ରାଜସଭା ମଧ୍ୟରେ ଜଣେ ଉଚ୍ଚପ୍ରଶଂସିତ ଚିତ୍ରକାରର ମର୍ଯ୍ୟାଦା ଲାଭ କରି ଥିଲେ । ସେଠାରେ ତାଙ୍କ ଆର୍ଥିକ ସ୍ଥିତିରେ କ୍ରମ ଉନ୍ନତି ପରିଲକ୍ଷିତ ହେଲା ପରେ ସେ ରଣପୁରଗଡ଼ର ଶୋଭାଙ୍କୁ ବିବାହ କରିଥିଲେ । ହେଲେ ବିବାହର ପାଞ୍ଚ ବର୍ଷ ପରେ ମଧ୍ୟ ତାଙ୍କର ସନ୍ତାନ ଜନ୍ମ ନ ହେବାରୁ ତାଙ୍କ ଉପରେ ବନ୍ଧ୍ଯା ହେବାର ଅପବାଦ ଆସିଲା । 

                                ପାଷାଣର ନିଦା ବକ୍ଷ ବିଦାରଣ ପୂର୍ବକ ଦେବ ମୂର୍ତ୍ତିର ସୁଠାମ ଗଢଣ କରୁଥିବା ମୁକୁନ୍ଦ ମହାପାତ୍ର ୧୭୭୫ ମସିହା ବେଳକୁ ଅତି ପ୍ରତିପତ୍ତିଶାଳୀ ହୋଇ ଉଠିଥିଲେ । କିନ୍ତୁ ଦୁଃଖର ଏକମାତ୍ର ବିଷୟ ଥିଲା ଯେ ସେତେବେଳେ କେତେକ ଲୋକ ଜଗନ୍ନାଥଙ୍କ ମୂର୍ତ୍ତି ଗଢିଲେ ତିନିପୁରୁଷରେ ବଂଶ ଲୋପ ହେବ ବୋଲି କହି ନାନା ଭୟ ସୃଷ୍ଟି କରିଲେ ମୁକୁନ୍ଦଙ୍କ ମା' ଦୁଲଣା ଦେଈଙ୍କ ମନରେ । ଆଉ ସେ ଭୟରେ ଶାଶୁଙ୍କ ସହ ରାତ୍ରି ଥାଉଁ ଥାଉଁ ନିକଟରେ ଥିବା ଏକ ପଦ୍ମଗାଡିଆରେ ଗାଧେଇ ପଡୁଥିଲେ ଶୋଭା । ହେଲେ ସେତେବେଳେ ଘଟିଲା ଏକ ଅଭୂତପୂର୍ବ ଘଟଣା ।
                                

                           ପଦ୍ମଗାଡିଆ ହଡା ଉପରେ ଦୁଇବର୍ଷ ହେଲା ଜଣେ ପଶ୍ଚିମା ବୈଷ୍ଣବୀ ଦାରୁନିର୍ମିତ କୃଷ୍ଣଙ୍କ ମୂର୍ତ୍ତି ସ୍ଥାପିତ କରି ଏ ଠାରେ ମନ୍ଦିର ତୋଳାଇ ଥିଲେ । ଆଉ ଏହି ଦିଅଁ ଥିଲେ ଯଦୁକୃଷ୍ଣ । ପ୍ରତ୍ୟହ ସ୍ନାନ ସାରି ସେଠାରେ ସେ ଦିଅଁ ଦର୍ଶନ ମଧ୍ୟାନ୍ତରରେ ଶୋଭା ଅତି ଆପଣାର ହୋଇ ସାରିଥିଲେ । ଆଳସ୍ୟପରାୟଣା ହୋଇ ସୁଦ୍ଧା ଶୋଭା ଦିଅଁ ଦର୍ଶନ ପ୍ରତି ଏତେ ପ୍ରଗାଢ ଭାବେ ଜଡି ଯାଇଥିଲେ ଯେ ନିଜର ସେହି 'ବନ୍ଧ୍ୟା' ହେବାର ଅପବାଦ ଦୂର କରିବା ପାଇଁ ନିଜର ଦୁଃଖକୁ ଯଦୁକୃଷ୍ଣଙ୍କୁ ଜଣାଇଥିଲେ । ଆଉ ଦେବାନୁଗ୍ରହରେ ସେ ଲାଭ କରିଲେ ମାତୃତ୍ଵ । ଅପବାଦ ଦୂରୀଭୂତ ହୁଏ ମାତୃତ୍ଵର ଅମୃତମୟ ଆନନ୍ଦରେ !

                              ୧୭୮୧ ମସିହା । ପୁତ୍ର ସନ୍ତାନ ଗର୍ଭରେ ପାଞ୍ଚ ମାସ ହେବ ଥିବ କି ନାହିଁ , ଘୋର ଦୁର୍ଭିକ୍ଷରେ ଚତୁର୍ଦ୍ଦିଗ ହାହା କାରରେ ପୂରିଉଠିଲା । ରାଜକୁଟୁମ୍ଵ ଲୁଣ୍ଠିତ ହୁଏ । ପାଇକମାନଙ୍କ ସହାୟତାରେ ରାଜପୁତ୍ର ଧନଞ୍ଜୟ ଏ ଦୁର୍ଦ୍ଦଶା ନିବାରଣ କରିଥିଲେ ମଧ୍ୟ ଡକାୟତମାନଙ୍କ ସନ୍ଧାନ ମିଳିନଥିଲା । ଏପରି ନିଜେ ମୁକୁନ୍ଦ ମହାପାତ୍ର ମଧ୍ୟ ଲୁଣ୍ଠିତ ହୋଇ ନିଜର ସର୍ବସ୍ଵ ହରାଇଥିଲେ ମଧ୍ୟ ଶୋଭା ପ୍ରତ୍ୟହ ଯଦୁକୃଷ୍ଣଙ୍କ ଆରାଧନା କରୁଥିଲେ । ହେଲେ ଏ ଦେବତାଙ୍କ ସମ୍ପର୍କରେ ଯୁବରାଜଙ୍କ କର୍ଣ୍ଣଗୋଚର ହେବାରୁ ଏକଦା ଶୋଭା ପୂଜା ସାରି ଫେରୁଥିଲା ବେଳେ ପାଇକମାନଙ୍କ ଆଗମନ ଜାଣି ଅସ୍ଥିର ହୋଇପଡିଥିଲେ ।
                              

                         ହେଲେ ଯଦୁକୃଷ୍ଣଙ୍କ କୃପାରୁ ସେ ଦୌରାତ୍ମ୍ୟରୁ ରକ୍ଷା ପାଇଥିଲେ ହେଁ ଶିଶୁପୁତ୍ରଟି ସେଇ ମନ୍ଦିରରେ ଜାତ ହୁଏ । କୁଆଁ କୁଆଁ ରାବରେ ସେଠାକାର ପରିବେଶ ହଠାତ୍ ସ୍ତବ୍ଧତା ସହ ନିଶ୍ଚଳ ପଡିଯାଏ । ଆଉ ଏ ଖବର ସାହିରେ ପ୍ରଚାର ହେବା ମାତ୍ରେ ନିଜ ବଂଶର ଶୁଭଫଳ ଦେଖି ଆନନ୍ଦମନା ଦୁଲଣା ଦେଈ ନାଚି ଉଠିଲେ । ଆଉ ଏହି ସମୟ ଥିଲା ପୌଷ ଶୁକ୍ଳ ତ୍ରୟୋଦଶୀ ତିଥି । ଜାନୁଆରୀ ୮ ତାରିଖ , ୧୭୮୧ ମସିହା ।  ଆଉ ଯଦୁକୃଷ୍ଣଙ୍କ ମହିମାରୁ ଜାତ ହୋଇଥିବା ଏହି ଶିଶୁପୁତ୍ର ପରବର୍ତ୍ତୀ ସମୟରେ ସ୍ଵନାମଧନ୍ୟ ହାସ୍ଯରସିକ, ଦୃଢମନା, ବାଣୀପୁତ୍ର ପ୍ରତ୍ଯୁତ୍ପନ୍ନମତି ଯଦୁମଣି ମହାପାତ୍ର ନାମରେ ଉତ୍କଳୀୟ କୀର୍ତ୍ତି ବିମ୍ଵରେ ଅମ୍ଳାନ ହୋଇ ରହିଗଲେ ।

                              ପୁତ୍ର ଯଦୁମଣିକୁ ଦାରିଦ୍ର୍ୟ ସତ୍ତ୍ଵେ ଅତ୍ୟନ୍ତ ଆଦରର ସହ ଲାଳିତପାଳିତ କରିଥିଲେ ପିଅର ଏବଂ ଜନନୀ ।  ମାଆ ଶୋଭା ଦେଈ ଜଣେ ବିଦୁଷୀ ମଧ୍ୟ ଥିଲେ । ବାଲ୍ୟକାଳରେ ପୁତ୍ର ଯଦୁମଣିକୁ ପ୍ରାଚୀନ ଛାନ୍ଦ ଓ ସଙ୍ଗୀତ ମାନଙ୍କରେ ବେଶ୍ ପଟୁ  କରାଇ ଥିଲେ । ସ୍ମରଣଶକ୍ତିରେ ବିଚକ୍ଷଣ ଯଦୁମଣି ଗାଁ ଦାଣ୍ଡ ସାରା ନିତ୍ୟ ଗୀତ ଗାଇବା ସହ ସାଇପଡିଶାର ସ୍ତ୍ରୀଲୋକଙ୍କ ନାମରେ ଢଗ ମେଲିବାରେ ବାଲ୍ୟକାଳରୁ ଅଗ୍ରଣୀ ହୋଇ ପଡିଲେ ଯଦୁମଣି । ଆଉ ରୀତିମତ ଚାରି ବର୍ଷ ଚାରି ମାସ ଚାରି ଦିନ ଯଦୁମଣି ଖଡି ଛୁଇଁ ବିଦ୍ୟାରମ୍ଭ କରିଥିଲେ। ଆଉ ସେ ସମୟରେ ଚାଟଶାଳୀରେ ସେ ଦେଇଥିଲେ ନିଜ ପ୍ରତ୍ୟୁତ୍ପନ୍ନମତି ହେବାର ପ୍ରଥମ ପରିଚିତି ।
                              

                            ପୁନଶ୍ଚ ଯଦୁମଣି ନିଜ ପିତାଙ୍କ ଠାରୁ ବାଲ୍ୟ କାଳରେ ଉପେନ୍ଦ୍ର ଭଞ୍ଜଙ୍କ ଜୀବନୀ, ପାଣ୍ଡିତ୍ୟ, କବିତ୍ଵ ଓ ପ୍ରତିଭା ସମ୍ପର୍କରେ ଅନେକ ଚମତ୍କାର କାହାଣୀ ଶୁଣି ତାଙ୍କ କବିତ୍ଵ ଆଦର୍ଶ କୁ ନିଜର ପାଥେୟ ରୂପେ ବରଣ କରିଥିଲେ ଶିଶୁ ଯଦୁମଣି। ଏହି ଯଦୁମଣି ପୁଣି ଉପେନ୍ଦ୍ର ଭଞ୍ଜଙ୍କ ସଂଗୀତ, ରାଗରାଗିଣୀ ଓ ପଦ ଲାଳିତ୍ୟ ଦ୍ଵାରା ମୁଗ୍ଧଚକିତ ହୋଇଥିଲେ । ଆଉ ଉପେନ୍ଦ୍ର ଭଞ୍ଜଙ୍କ କବିତ୍ଵ ହିଁ ତାଙ୍କ କବିଶିକ୍ଷା ନିମନ୍ତେ ଥିଲା ମୌଳିକ ଆଦର୍ଶ । ଏବଂ ଏହି ମୌଳିକ ଆଦର୍ଶର ବିଭାସ କୌଳିକ ବୃତ୍ତିର ପରିମିତିଠୁ ଖୁବ୍ ସୁଦୂରପ୍ରସାରୀ ଏବଂ ନିତ୍ୟନୂତନ ଥିଲା । ଆଉ ସେହି ଯଦୁମଣିଙ୍କ ସୌଭାଗ୍ୟରୁ ସେ ଏକଦା ପଦାର୍ପଣ କରିଥିଲେ ନୟାଗଡ଼ ମାଟିରେ ଯେଉଁ ମାଟିରେ ପୁଣି କବି ସମ୍ରାଟ୍ ଇଷ୍ଟ ରଘୁନାଥଙ୍କ ସାଧନାରେ ସିଦ୍ଧି ଲାଭ କରିଥିଲେ ।

                               
                                 ଖ୍ରୀ. ୧୭୯୧ ମସିହାରେ ଆଠଗଡରେ ପୁଣି କରାଳ ଦୁର୍ଭିକ୍ଷ ମୁଖ ବ୍ୟାଦାନ କରେ । ଏଣୁ ସେଠାରେ ଆଉ କୁଟୁମ୍ଵର ଭରଣ ପୋଷଣର ଦାୟିତ୍ଵକୁ ମୁକୁନ୍ଦ କାଳର ବାମଗତି ପାଖରେ ତୁଲାଇବା ପାଇଁ ସମର୍ଥ ନଥିଲେ । ହେଲେ , ନିୟତିର ଏହି ବିଡ଼ମ୍ଵିତ ସ୍ରୋତ ଅକସ୍ମାତ୍ ତାଙ୍କୁ ଏହି ନିରୁପାୟ ସ୍ଥିତିରୁ ଉଦ୍ଧାର କରେ ଯେତେବେଳେ ତତ୍କାଳୀନ ନୟାଗଡ଼ର ରାଜା ବିନାୟକ ସିଂହ ମାନଧାତା ଦେବ ବିଗ୍ରହ ଗଢଣ ପାଇଁ ଆଗ୍ରହୀ ଥିଲେ । କାରଣ ଏହି ସୁଯୋଗର ସଦଭିପ୍ରାୟରେ ପ୍ରେରିତ ହୋଇଥିଲେ ନିପୁଣ ଶିଳ୍ପୀ ମୁକୁନ୍ଦ ମହାପାତ୍ର । ଆଉ ଆଠଗଡର ପୁଷ୍ପିତ ସୁମନ ଯଦୁମଣି ନୟାଗଡ଼ ମାଟିର ଇଟାମାଟିରେ କବିତ୍ଵର ମହୀରୁହ ହୋଇ ଆଜି ବି ସ୍ଵୀୟ ପ୍ରତିଭାର ପାଥେୟରେ ବହୁବିଧ ଜ୍ଞାନଧୀଙ୍କୁ ଉଦବୁଦ୍ଧ କରୁଛନ୍ତି ।

                          ୧୭୯୩ ମସିହା ବେଳକୁ ନୂତନ ସୁନିଆଁ ଦିନ ଚାଟଶାଳୀ ପାଠ ସମାପନ ପୂର୍ବରୁ ଯଦୁମଣି ମଧ୍ୟଯୁଗୀୟ ସାହିତ୍ୟ ପ୍ରତି ନିଜର ଅନୁରକ୍ତି ପ୍ରକାଶ କରିଥିଲେ।  ଏହି ଚାଟଶାଳୀ ଶିକ୍ଷା ମାଧ୍ୟମରେ ସେ କୋଇଲି, ଚଉତିଶା, ଭଜନ, ଜଣାଣ, ଷୋଡଶା ଓ ଛାନ୍ଦ ପ୍ରଭୃତି ସହ ଗଣିତ କହିଲେ କାଳର ପାହି ପଣିକିଆ, ଓଡାଙ୍କ ଫେଡାଙ୍କ, ଶୋଧି ଇତ୍ୟାଦିରେ ପଟୁତା ଅର୍ଜନ କରିଥିଲେ ।ଏବଂ ଏହି ସମୟରେ ମଧ୍ୟଯୁଗୀୟ ସାହିତ୍ୟର ସଂସ୍କୃତ ରୀତି ସହ ଜଡିତ ହୋଇ ଯଦୁମଣି ସଂସ୍କୃତ ପଣ୍ଡିତ ବିଦ୍ୟାକର ମହାପାତ୍ରଙ୍କ ଚଉପାଢୀରେ ପଢିବା ପାଇଁ ପିତାଙ୍କୁ ଜଣାଇଲେ । ବାର ବର୍ଷ ବୟସର ଯଦୁମଣି ଇଟାମାଟି ନିକଟସ୍ଥ ମାନ୍ଧାତାପୁରରେ ସଂସ୍କୃତ ଅଧ୍ୟୟନର ଅୟମାରମ୍ଭ କରିଲେ। 

                                ଆଉ ଆବାଲ୍ଯ ବିଚକ୍ଷଣ ଯଦୁମଣି ନିଜ ସଂସ୍କୃତ ଶିକ୍ଷାର ଆରମ୍ଭ ସହ ପ୍ରଥମେ ସଂସ୍କୃତର ପ୍ରସିଦ୍ଧ ଅଭିଧାନ ଗ୍ରନ୍ଥ 'ଅମରକୋଷ'କୁ ସମ୍ପୂର୍ଣ୍ଣ ମୁଖସ୍ଥ କରିଦେଇ ଥିଲେ । କସ୍ତୁରୀ ସୁବାସତୁଲ୍ୟ ତାଙ୍କ କବିତ୍ଵର ଆମୋଦିତ ପ୍ରବାହ ତାଙ୍କ ଆଶୁ କବିତ୍ଵରୁ ମଧ୍ୟ ଜଣାଯାଏ । ନାନା ପ୍ରକାରର ବ୍ୟାକରଣ ପୁସ୍ତକ, ସଂସ୍କୃତ କଥା ସାହିତ୍ୟ ସହ ସଂସ୍କୃତ ସାହିତ୍ୟରେ ସେ ପ୍ରବୀଣ ହୋଇ ସାରିଥିଲେ । ଆଉ ଏଥି ସହ ନୟାଗଡରେ ଉଦ୍ଦିଷ୍ଟ ରାଧା ମୋହନଙ୍କ ମନ୍ଦିରର ନିର୍ମାଣ ମଧ୍ୟ ସୁଚାରୁରୂପେ ସମ୍ପାଦିତ ହୋଇ ଯାଇଥାଏ । ମୁକୁନ୍ଦ ମହାପାତ୍ରଙ୍କ ଶ୍ଳାଘ୍ୟ କଳାକୁଶଳତା ଦ୍ଵାରା ରାଜା ବିମୁଗ୍ଧ ହୋଇ ତାଙ୍କୁ ସ୍ଥାୟୀ ଭାବରେ ରଖିନେଇ ଥିଲେ । ସେ ସମୟକୁ ଯଦୁମଣି ଆଶୁକବିତ୍ଵକୁ ନିଜ ପ୍ରତିଭାର ଏକ ଅଭିନ୍ନତା କରି ସାରିଥିଲେ । 

                             ଏବେ ଷୋଡ଼ଶ ବର୍ଷୀୟ ଯଦୁମଣି । ଚାରି ବର୍ଷ କାଳ ସଂସ୍କୃତ ଶିକ୍ଷା ପରେ ଅଧିକ ଜ୍ଞାନାର୍ଜନର ପିପାସା ରଖି ଗୁରୁ ବିଦ୍ୟାକର ମହାପାତ୍ରଙ୍କ ସଦୁପଦେଶ ଘେନି ସେ ଘୁମୁସର ଯାତ୍ରା କରିଥିଲେ। ସେଠି ଭଗବାନ୍ କବିରାଜ ବାହିନୀପତି ଥିଲେ ସେତେବେଳେ ଓଡିଶାର ଖ୍ୟାତନାମା ଶାସ୍ତ୍ରଜ୍ଞ ପଣ୍ଡିତ । ତରୁଣ ଯଦୁମଣି ନିଜର ସହୃଦୟ ପଣ୍ଡିତଙ୍କ ସକଳ ସାହଚର୍ଯ୍ୟ ବିଜନିତ ସୁବିଧା ଦ୍ଵାରା ଘୁମୁସର ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମ ଅଭିମୁଖେ ନିଜ ଯାତ୍ରା ଆରମ୍ଭ କରିଥିଲେ । ବିସ୍ତୃତ ରମଣୀୟ ତାଙ୍କ ବସତି ସ୍ଥାନ ଇଟାମାଟି ତାଙ୍କ ଅତି ଆପଣାର ଥିଲେ ସୁଦ୍ଧା ଯଦୁମଣି ନିଜର ଜ୍ଞାନ ସିଦ୍ଧିର ପଥରେ ଗତୀୟମାନ ହେଲେ । ଏଣୁ ସମସ୍ତ ଆକର୍ଷଣ ଓ ମୋହ ପ୍ରତି ଅନାସକ୍ତ ରହି ସେ ସିଦ୍ଧି ପଥରେ ଅବିମୁଖ ରହିଲେ ।
                             

                         ଘୋର ଅରଣ୍ୟ ସମାଚ୍ଛାଦିତ ଭୂଖଣ୍ଡ । ହେଲେ ସେତେବେଳେ ଯଦୁମଣିଙ୍କ କର୍ଣ୍ଣପାତ ହେଲା ଯେ ପଣ୍ଡିତ ଜଣଙ୍କ ତନ୍ତ୍ର ସାଧନାରେ ନିପୁଣ ଥିଲେ ଏବଂ କଦାଚିତ୍ ଲୋକଙ୍କୁ ବାତୁଳ ମଧ୍ୟ କରି ଦେଉଥିଲେ। ହେଲେ ସେ ଭୟତ୍ରସ୍ତ ନ ହୋଇ ଯାତ୍ରା ଅବିରାମ ରଖିଥିଲା ବେଳେ ଏକଦା ପଥ ଅତିକ୍ରମ କରୁଥିବା କାଳରେ ସ୍ଵୟଂ ଗୁରୁ ପଞ୍ଚମୁଖ ଭଗବାନ୍ ବାହିନୀପତି ଏବଂ ଜଣେ ଶିଷ୍ୟ କଥୋପକଥନ ହୋଇ ଆସୁଛନ୍ତି । ଆଉ ଏହି ସଂସ୍କୃତ କଥା ସମସ୍ତ ଶୁଣି ଯଦୁମଣି ସ୍ଵୟଂ ଆଶୁ ଶ୍ଳୋକ ରଚନା କରି କରି ଯାଉ ଥିଲେ । ଗୁରୁ ତରୁଣ ଯଦୁମଣିଙ୍କ ଏହିପରି ହାସ୍ଯରସିକ ଶ୍ଳୋକର ବର୍ଣ୍ଣନା ଶୁଣି କହନ୍ତି :-

          "ଅକମ୍ପଂ ହସିତଂ ଶ୍ରେଷ୍ଠଂ ମୀଳିତାକ୍ଷମଘାପହମ୍।
           ଅସକୃତ୍ ହସିତଂ ଦୁଷ୍ୟେତ୍ ତତ୍ତୁନ୍ମାଦସ୍ୟ ଲକ୍ଷଣମ୍।।"

                             ଯଦୁମଣିଙ୍କ ହାସ୍ଯରସିକତାକୁ ପ୍ରଶଂସା କରି ସେ ଏହା କହିଲେ । କିନ୍ତୁ ଏକ ନିରାଟ କଥା କହିଗଲେ । ସ୍ପନ୍ଦନହୀନ ହସ ହିଁ ଶ୍ରେଷ୍ଠ ଏବଂ ଆଖି ବୁଜି ହସିଲେ ପାପ ଦୂର ହୁଏ । ବାରମ୍ବାର ହସିଲେ ବଡ଼ ଦୋଷ । କାରଣ ତାହା ବାତୁଳ ବା ଉନ୍ମାଦର ସ୍ଵଭାବ ଅଟେ।  ହେଲେ ଯଦୁମଣିଙ୍କ ନିକଟରୁ ସମସ୍ତ ଘଟଣା ଜାଣିସାରି ଗୁରୁ କହିଲେ ଯେ ଯେତେବେଳେ ତାଙ୍କୁ ସେ  ଆମ୍ଵ ବୃକ୍ଷ ତଳେ ଭେଟିଛନ୍ତି ଆଉ ତାଙ୍କର ସାହସିକ ଶ୍ଳୋକାନ୍ତରେ ହାସ୍ଯ ରସ ଶୁଣିଛନ୍ତି , ତାଙ୍କୁ ନିଶ୍ଚୟ ତାଙ୍କର ଉଦ୍ଦେଶ୍ୟ ସଫଳ କରିବା ଲାଗି ଯତ୍ନ କରିବେ । ଯଦୁମଣିଙ୍କ ସେବା, ଶିକ୍ଷା ଓ ଧୀ ଦ୍ଵାରା ଶାସ୍ତ୍ରବିତ୍ ମହାମହିମ ମୁଗ୍ଧ ହୋଇ ତାଙ୍କ ଶିଷ୍ୟତ୍ଵ ଗ୍ରହଣ କରନ୍ତି । 

                             

                              ଯଦୁମଣିଙ୍କ ଜୀବନର ସର୍ବ ସାଧନାର ସିଦ୍ଧିସ୍ଵରୂପ ହୟଗ୍ରୀବ ମନ୍ତ୍ର ସାଧନା ପାଇଁ ସେ ନିର୍ଦ୍ଦେଶିତ କରନ୍ତି । ଆଶ୍ଵିନ ମାସର ଶେଷ ପାଦରେ ଯଦୁମଣି ପହଞ୍ଚିଲେ ହୟଗ୍ରୀବ ମନ୍ତ୍ରର ସାଧନା ପାଇଁ । ଯଦୁମଣି ନିଷ୍କମ୍ପ ପ୍ରଦୀପ ସ୍ଵରୂପ ଗୁରୁଙ୍କ ଠାବରୁ କାର୍ତ୍ତିକ ଶୁକ୍ଳ ଅଷ୍ଟମୀରୁ ଦୀକ୍ଷା ଗ୍ରହଣ ନିମିତ୍ତ କଠୋର ସାଧନାର ଅୟମାରମ୍ଭ କରନ୍ତି । ଆଉ ସେହି ଦିନ ଗୁରୁ କହିଲେ ଯେ ଏହି ମନ୍ତ୍ରକୁ ବୟାଳିଶ ଲକ୍ଷ ଥର ଜପ କରିବାକୁ ହବ । ଉକ୍ତ ହୟଗ୍ରୀବ ମନ୍ତ୍ର ମଧ୍ୟ ବୟାଳିଶାକ୍ଷର ଅଟେ। ବିଧି ରକ୍ଷା ପୂର୍ବକ ସେ ଏକଦା ମନ୍ତ୍ର ଜପ କରୁଥିଲା ବେଳେ ଜପ ଆଉ ଦଶ ଲକ୍ଷ ଅବଶିଷ୍ଟ ଥିବା ମଧ୍ୟରେ ତାଙ୍କୁ ଭୀଷଣ ଜ୍ଵର ଗ୍ରାସ କଲା । ସାଧନାର ପ୍ରଥମ ପର୍ଯ୍ୟାୟରେ ଏଇଠି ଅବସାନ ଘଟେ ସତ, ହେଲେ ଅନ୍ତିମ ନୁହେଁ ।

                              ପୁନର୍ବାର ଦୀକ୍ଷା ଗ୍ରହଣ କରି ଏଥର ଆଷାଢ଼ ଶୁକ୍ଳ ଦଶମୀ ଦିନ ସମାପନ ହେବା ସହ ସ୍ଵପ୍ନରେ ସେ ଅଶ୍ଵମୁଖ ବିଶିଷ୍ଟ ବିଷ୍ଣୁ - ଶଙ୍ଖ, ଚକ୍ର, ଗଦା ଓ ପଦ୍ମର ଆବର୍ତ୍ତରେ ତାଙ୍କ ସମ୍ମୁଖରେ ଉଭା ହୋଇଅଛନ୍ତି।  ହେଲେ ଯଦୁମଣି ଅଶ୍ଵମୁଖ ଦେଖି ହସିଉଠିଲେ ! ଦେବତାଙ୍କୁ ଏପରି ମାନବତୁଲ୍ୟ ପରିହାସ କରିଲେ ମଧ୍ୟ ଦେବତା ସ୍ଵୟଂ ତାଙ୍କ ହାସ୍ଯରସିକତାରେ ହସି ଉଠି ବରପ୍ରଦାନ କରିଥିଲେ ଯେ ଧରଣୀ ତଳ୍ପରେ ସେ ଜଣେ ସୁପ୍ରସିଦ୍ଧ ହାସ୍ଯରସିକ ଭାବରେ ନିଜର ପରାକାଷ୍ଠା ପ୍ରତିପାଦନ କରିବେ । ଆଉ ଏଥିବେଳକୁ ସାଧନାର ସିଦ୍ଧିପ୍ରାପ୍ତି ପରେ ତରୁଣ ଯଦୁମଣି ଅଠର ବର୍ଷର । ସଂସ୍କୃତ ଶିକ୍ଷା ଓ ଶାସ୍ତ୍ର ଅଧ୍ୟୟନ ଶେଷ କରି ସେ ଘୁମୁସରକୁ ଫେରିଥିଲେ ।
                              

                              ଏଥି ବେଳକୁ ତାଙ୍କର ଦେହ କ୍ଷୀଣ ହେଇ ଯାଇଥାଏ । ନିଜ ସମ୍ପର୍କୀୟ ରଥୀ ଭାସ୍କରେ ଙ୍କ ସହ ଘୁମୁସରର ବିଷ୍ଣୁଚକ୍ରରୁ ଇଟାମାଟିରେ ପହଞ୍ଚିଲା ପରବର୍ତ୍ତୀ ସମୟରେ ଯଦୁମଣି  ଏତେ ଦୁର୍ବଳ ଦିଶୁଥିଲେ ଯେ ତାଙ୍କର ପ୍ରାଣବାୟୁ ହତ ହୋଇ ସାରି ଥିବ, ଏହା ଅନେକଙ୍କ ଧାରଣାରେ ପରିଣତ ହୋଇ ସାରିଥିଲା । ହେଲେ ବିଧିର ବିଧାନ ସତତ ଅନନ୍ଯ । ଦଶପଲ୍ଲାର କୁଞ୍ଜବନଗଡ ଠାରେ ସମ୍ପର୍କୀୟ ମାମୁଁଙ୍କ ସହ ଅବସ୍ଥାନ କରିଥିଲେ ଯଦୁମଣି ମହାପାତ୍ର । ଆଉ ଏହି ମଧ୍ୟରେ ତାଙ୍କର ସ୍ଵାସ୍ଥ୍ୟ ପୁନଶ୍ଚ ପୂର୍ଣ୍ଣାଙ୍ଗ ଉନ୍ନତି ପରିଲକ୍ଷିତ କରେ । କୋମଳ ଲଳିତ କଣ୍ଠରେ ଯଦୁମଣି ଗ୍ରାମ ଦାଣ୍ଡରେ ଅତି ମଧୁର ସ୍ଵରରେ ଉପେନ୍ଦ୍ର ଭଞ୍ଜଙ୍କ ଛାନ୍ଦ ଆବୃତ୍ତି ଶୁଣି ସର୍ବସାଧାରଣଙ୍କୁ ଆକୃଷ୍ଟ କରିଥିଲେ ଯଦୁମଣି ।
                              

                              ସେହି ଦଶପଲ୍ଲାର କୁଞ୍ଜବନ ଗଡରେ ରହୁଥିଲେ ପିଣ୍ଡିକ ରାୟଗୁରୁ । ସଂସ୍କୃତ ଭାଷା ସମେତ ହିନ୍ଦୀ, ଓଡିଆ, ବ୍ରଜବୋଲୀ, ବଙ୍ଗାଲୀ ଭଳି ଭାଷାରେ ସେ ଥିଲେ ନିତାନ୍ତ ପଟୁ । ଚାରି ଥର ଭାରତ ତୀର୍ଥାଟନ କରିଥିବା ଏହି ସ୍ଥବିରଦେହା ଥିଲେ ଦୀପ୍ତି ଓ ଜ୍ଞାନରେ ତରୁଣସୁଲଭ ଦେଦୀପ୍ୟମାନ । କୁଞ୍ଜବନ ଗଡ଼ର ନୀଳକଣ୍ଠଙ୍କ ବଉଳବନରେ ଯଦୁମଣିଙ୍କ ମଧୁର କଣ୍ଠଧ୍ଵନି ଦ୍ଵାରା ଅଭିଭୂତ ହୋଇପଡିଥିଲେ ପିଣ୍ଡିକ ରାୟଗୁରୁଙ୍କ ଯୁବତୀ ଧର୍ମ ପତ୍ନୀ । ଆଉ ଏହି ମୁଗ୍ଧଚକିତା ଯୁବତୀ ପତ୍ନୀ ସ୍ଵୀୟ ସ୍ଵାମୀଙ୍କୁ ଏହି ଯୁବକଙ୍କ କଣ୍ଠରୁ ସମଗ୍ର "ଜଗମୋହନ ରାମାୟଣ" ଶୁଣିବା ପାଇଁ ଆଗ୍ରହୀ ହେଲେ । ଶୂଦ୍ରଜାତିର ସୁକୁମାର ଚିତ୍ରକାର ପିଲା ବ୍ରାହ୍ମଣ ଘରେ ବସି ପବିତ୍ର ରାମାୟଣ ପାଠ କରିଲା !
                              
                              
                              
                              

                           ଆଉ ସଂଯୋଗ ବଶତଃ ଯଦୁମଣିଙ୍କ ମାମୁଁ ଥିଲେ ରାୟଗୁରୁଙ୍କ ବନ୍ଧୁ । ଏବଂ ଏହି ପିଣ୍ଡିକ ରାୟଗୁରୁ ପୁନଶ୍ଚ ଯଦୁମଣିଙ୍କ ଧୀମାନ୍ ହେବାର ପରିଚିତି ପାଇଁ ପ୍ରତ୍ୟହ ଦିବସରେ ତାଙ୍କ ସହ ବହୁବିଧ ସଂସ୍କୃତ କାବ୍ୟ ସହ 'ବୈଦେହୀଶ ବିଳାସ', 'ଲାବଣ୍ୟବତୀ', 'କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ', 'ସୁଭଦ୍ରା ପରିଣୟ' ଭଳି ଭଞ୍ଜ ସାହିତ୍ୟର ଅର୍ଥାଦି ଆଲୋଚନା କରନ୍ତି । ପ୍ରଖର ସାଧନା ସହ ଏକାଗ୍ର ସ୍ମୃତିଶକ୍ତିର ଅଧିକାରୀ ଯଦୁମଣି ପିଣ୍ଡିକଙ୍କ ଠାରୁ ପୁଣି ମଧ୍ୟଯୁଗୀୟ କାବ୍ୟର ରୀତି, ଧ୍ଵନି, ବକ୍ରୋକ୍ତି ଓ ଅଳଙ୍କାର ପ୍ରଭୃତିର ପରିଚିତି ପାଇଥିଲେ । ଏହି ଯଦୁମଣି ପୁନଶ୍ଚ ଏକଦା ହୟଗ୍ରୀବଙ୍କ କୃପାଭାଜିତ ହୋଇ କବିତ୍ବ ପାଇବାକୁ ଲେଖିଥିଲେ :

                  "ହୟଗ୍ରୀବ ମହାପ୍ରଭୁ ପ୍ରତାପେ 
                   ଥୋଡା ନୁହେଁ ଲୋଡା କରନ୍ତି ନୃପେ ।
                   ଯୋଡା ହୋଇ ମୋ ପ୍ରୋଢା କବିତାକୁ
                   ବଳି ବଳି ରସ-ଦାନୀ କର୍ଣ୍ଣକୁ
                       ଭଲେ ଭଲ, ଖଣ୍ଟେ ଖଣ୍ଟ ଯେ
              ନବ ଦୂର୍ବାଦଳ              ଶ୍ୟାମଳ କୃପାରୁ
                       ମୋ ନାମ ଉତ୍କଳଘଣ୍ଟ ଯେ ।"

                             ତତ୍କାଳୀନ ପିଣ୍ଡିକ ରାୟଗୁରୁଙ୍କ ପ୍ରତିବେଶୀ ଥିଲେ ରଘୁନାଥ ସୂତ୍ରରାୟ । ଏହି ଦୁଇ ପରିବାରଙ୍କ ମଧ୍ୟରେ କିଛି ମନୋମାଳିନ୍ୟ ଥିବାର ସେତେବେଳେ ଶୁଣାଯାଏ । ହେଲେ ସେହି ସମୟରେ ଯଦୁମଣିଙ୍କ ସଂଗୀତଗାନ ଓ ଘନିଷ୍ଠତା ପ୍ରତିଷ୍ଠା ନିମନ୍ତେ ମାଧ୍ୟମ ହେଇଗଲା । ସୂତ୍ରରାୟଙ୍କ କାମିନୀ ମୁକ୍ତାଦେଈ ଯଦୁମଣିଙ୍କ ରୂପଶ୍ରୀ ଓ ମଧୁରତାରେ ଆକର୍ଷିତ ହୋଇପଡିଥିଲେ । ଆଉ ମନେ ମନେ ତାଙ୍କରି କଣ୍ଠନିଃସୃତ ଭାଗବତବାଣୀ ଶୁଣିବେ । ହେଲେ ତା ଝିଅ ଖଞ୍ଜନା ଯିଏକି ଯଦୁମଣିଙ୍କ ମଧୁର ସଂଗୀତରେ ଆମୋଦିତ ଥିଲା , ସିଏ ପରିହାସବଶତଃ ସବୁବେଳେ ତାଙ୍କୁ ଥଟ୍ଟା କରୁଥିଲା ସତ , ପୁଣି ନୀଳକଣ୍ଠ ବଉଳ ଉପବନରେ ଦୁହିଁଙ୍କର ଭେଟ ପରେ ଦୁହିଁଙ୍କର ମଙ୍ଗଳକୃତ୍ଯ ସମ୍ପାଦି ଥିଲେ ପିଣ୍ଡିକ ରାୟଗୁରୁ। 

                               ଯଦୁମଣି କପର୍ଦ୍ଦକଶୂନ୍ୟ ସେତେବେଳେ । ହେଲେ ମଧ୍ୟ ଅଷ୍ଟମଙ୍ଗଳା ସମାପନ ହେଉ ହେଉ ସେ ପଳେଇ ଗଲେ ପୁରୀ । କେତେବେଳେ ନରେନ୍ଦ୍ର ସରଣୀ ତ କେତେବେଳେ ବଡ଼ ଦେଉଳ ଭିତରେ ରହି ଉପେନ୍ଦ୍ର ଭଞ୍ଜଙ୍କର ଛାନ୍ଦ ସବୁ ବୋଲି ସେଠାରେ ଜଣେ ସୁଆରଙ୍କର ସହ ଭେଟ ହେଲେ । ତାଙ୍କରି ଗୃହ ମଧ୍ୟରେ ବାସ କରିବା ସହ ପୁରୀରେ ହିଁ ତାଙ୍କର ହାସ୍ଯରସିକ କବି ଭାବରେ ପରିଚିତି ପାଆନ୍ତି ସକଳେ । ଆଉ ଇତିମଧ୍ୟରେ ସେ ଚକ୍ର ତୀର୍ଥ ଠାରେ ଜନୈକ ପଣ୍ଡିତଙ୍କ ଆଶ୍ରୟରେ ସଂସ୍କୃତ କାବ୍ୟ ମାନ ପାଠ କରିବାର ସୁଯୋଗପ୍ରାପ୍ତ ହୁଅନ୍ତି । ଏବଂ ଏକାଗ୍ର ଯଦୁମଣି ଗୋଟି ଗୋଟି କରି ଅତି ନିଷ୍ଠାପର ଭାବରେ ସମାପନ କରୁଥିଲେ । ଏହି ପଣ୍ଡିତ ଥିଲେ ହରିହର ନନ୍ଦ , ଯିଏକି ସକୁଟୁମ୍ଵ ହରାଇ ଚକ୍ର ତୀର୍ଥରେ ରହୁଥିଲେ ।

                        ଯଦୁମଣି ପଣ୍ଡିତ ହରିହର ନନ୍ଦଙ୍କ ଠାରୁ ପୁନଶ୍ଚ ସଂସ୍କୃତାନୁରାଗୀ ହେତୁ ମାଘଙ୍କ କାବ୍ୟର ଠାଏ ବର୍ଣ୍ଣନା ପଣ୍ଡିତଙ୍କ ନିକଟରୁ ଶୁଣି ଏତେ ପ୍ରଲୁବ୍ଧ ହୋଇ ଯାଇଥିଲେ ଯେ ସେ ମାସକ ମଧ୍ୟରେ ଏହାକୁ ମନନ କରି ସମାପ୍ତ କରିଦେଲେ । ପରବର୍ତ୍ତୀ ସମୟରେ ଏହି ମାଘ କାବ୍ୟ ହିଁ ତାଙ୍କର କୃତି 'ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର' ରେ ପ୍ରତିଫଳିତ ହୋଇଅଛି । କଥିତବ୍ୟ ଯେ "ମାଘେ ସନ୍ତି ତ୍ରୟୋ ଗୁଣାଃ" - ଅର୍ଥାତ୍ , ମାଘଙ୍କ କାବ୍ୟଗୁଣ ଉପମା , ଅର୍ଥ ଗୌରବ ସହ ପଦ ଲାଳିତ୍ୟରେ ପରିପୂର୍ଣ୍ଣ । ଯଦୁମଣି ସଂସ୍କୃତ କାବ୍ୟର ସମସ୍ତ ଏହି ରୀତିକୁ ଅତି ଚମତ୍କାରିତାର ସହ ଶ୍ଳାଘ୍ୟ ବର୍ଣ୍ଣନାରେ ଠାଏ ପ୍ରକାଶ କରୁଥିଲେ । 
                        

                           ହେଲେ ତାଙ୍କ ପ୍ରଚ୍ଛନ୍ନ ସାମର୍ଥ୍ୟ ଏତେ ଥିଲା ଯେ ମାତ୍ର ଦୁଇବର୍ଷର  ସଂସ୍କୃତ ସାଧନା ତାଙ୍କୁ ସମଗ୍ର କବି ସମାଜ ର ଶୀର୍ଷସ୍ଥାନରେ ରଖି ପାରିଥାଆନ୍ତା । ଆଉ ଏଥି ସହ ସେ ବେଶୀ ସମୟ ପୁରୀରେ ନ ରହି ଏକଦା ଜଣେ ଯୁବତୀଙ୍କୁ ଅନୁଧାବନ କରି ତାଙ୍କୁ ଦିଅର କରାଇ ରଖିଦେବାରୁ ଯଦୁମଣିଙ୍କ କୁଟୁମ୍ଵ ତାଙ୍କୁ ଖୋଜି ଖୋଜି ନୟାନ୍ତ ହୋଇପଡିଥିଲେ । ରଘୁନାଥ ସୂତ୍ରରାୟ ବାଘମାରି ବାଟେ ଗସ୍ତ କରି କଣ୍ଟିଲୋ ଦେଇ ନଦୀ ଉତ୍ତୀର୍ଣ୍ଣ ହେବା ବେଳକୁ ସେହି ଗ୍ରାମର ଉପାନ୍ତରେ ଏକ କୋଠା ଘର ଚଉତରାରେ  ଯଦୁମଣିଙ୍କୁ ଭେଟି କାନ୍ଦି ପକେଇଲେ । ଏଥି ସହ ସୁପୁତ୍ର ପରି ଶ୍ଵଶୁରଙ୍କ ସହ ଘରବାହୁଡା ପରେ ଯଦୁମଣି ଏଥର ଖଞ୍ଜନାଙ୍କ ନିକଟରେ ରହିଲେ।  

                            ଖଞ୍ଜନା ଯଦୁମଣିଙ୍କ ଯୌବନର ବର୍ଣ୍ଣିଳ ସ୍ବପ୍ନସଦୃଶ ଥିଲେ , ଯିଏ କି ତାଙ୍କର ଥିଲେ ଚିର ସହଚରୀ ଏବଂ ସ୍ଵପତ୍ନୀଙ୍କ ବର୍ଣ୍ଣନାରେ ସେ ରଚନା କରିଥିଲେ ତାଙ୍କର ପ୍ରଥମ ରଚନା । ପ୍ରବାସ କାଳରେ ସେ ଖଞ୍ଜନାଙ୍କ ଭାବନାରୁ ବିଜନିତ ବିରହାନୁଚିନ୍ତାରେ ଅଧୀର ହୋଇ ଲେଖିଦେଇ ଥିଲେ । ଏପରିକି ନିଜ ଯୁବତୀ ପତ୍ନୀଙ୍କୁ ସେ ଏହି ଆଦ୍ୟ ରଚନା ଭେଟି ଦେଇଥିଲେ । ବାଘ ମାରିରେ ଅବସ୍ଥାନ କାଳରେ ୧୮୦୩ ମସିହାରେ ଏହା ସେ ରଚନା କରିଥିଲେ :
                           
                             
                              
         ( ରାଗ - ମେଘ ମହ୍ଲାର । ତାଳ - ଆଠତାଳୀ )

         "ବରଷା କାଳ ହୋଇଲା ଆସିରେ 
                               ବର ସାରସନେତ୍ରୀ ଯିବ ଭାସିରେ। ୦।
         ବରଷାଇ ନେତ୍ରୁ ଅଶ୍ରୁଧାରକୁ 
                               ବୁହାଉ ଥିବ ତ ବସି ଉରକୁ ହେ । ୧ ।
         ବରଷ ପୂରିଲା ହେଲି ବିଦେଶୀ 
                                ବରଷ ପୂରି ନାହିଁ ତାକୁ ଶଶିରେ" । ୨।
          

                             ଯଦୁଯଣି ଥିଲେ ଭାରି ସ୍ପଷ୍ଟବାଦୀ । ଏକଦା ତାଙ୍କ ଗ୍ରାମର ନିଧି ମହାପାତ୍ର ନାମକ ତେଲୀ ମହାଜନ ରାଜାଙ୍କର ଅନୁଗ୍ରହରୁ ଧନ ଆଣି ପ୍ରଜାଙ୍କୁ ବେଠି କରାଇ ଦେବତାର ମଣ୍ଡପ ଗଢିଲେ , ଅଥଚ ଉକ୍ତ ମଣ୍ଡପର ନାମକରଣ ସେହି ତେଲୀ ନାମେ ହେବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଜାତ ହେଲା । ଏଣୁ ସେ କବିତା ଲେଖି ସାହିର ସମସ୍ତ ପିଲାଙ୍କୁ ବୋଲିବାକୁ ଶିଖେଇବାକୁ ନିଧି ମହାପାତ୍ରେ ରାଜାଙ୍କ ଆଗରେ ଫେରାଦ ହୁଅନ୍ତେ ପୁନଶ୍ଚ ଯଦୁମଣିଙ୍କୁ ଡକାଇ ପଠାନ୍ତି ରାଜା । ରାଜାଙ୍କ ନିକଟରେ ସେ କବିତାର ଅର୍ଥ କରି ଜଣେଇଲେ - "ରଜାଙ୍କ ଧନ ସରିଲା ; ପ୍ରଜା ବେଠି କରିଲେ ; ଅଥଚ ତେଲୀ ନାଁରେ କାହିଁକି ମନ୍ଦିର ପ୍ରତିଷ୍ଠା ହେବ ? ରାଜାଙ୍କ ନାମରେ କରାଯିବା ସମୀଚୀନ ।"

                           ସତ୍ୟ ଘଟଣା ଜାଣି ଯଦୁମଣିଙ୍କୁ ରାଜା ମୁକ୍ତ କରିଦେଇ ଥିଲେ। ସେତେବେଳେ ଅନେକ ଘଟଣା ପାଇଁ ରାଜାଙ୍କ ଦରବାରରେ ଚିହ୍ନା ହେଇସାରିଥିଲେ ଯଦୁମଣି ହେଲେ ସହୃଦୟ ସମ୍ପର୍କର ସୂତ୍ରପାତଟା ଏଡେ ସହଜରେ ହେଇ ପାରି ନଥିଲା । କାରଣ ଏହା ପୂର୍ବରୁ ପୁଣି ପିତା ମୁକୁନ୍ଦ ଓ ପୁତ୍ର ଯଦୁମଣିଙ୍କର ବହୁ ଥର ମନାନ୍ତର ହୁଏ , କାରଣ ମୁକୁନ୍ଦ କାର୍ପଣ୍ଯବଶତଃ ସଦା ଗ୍ରାମ ମଧ୍ଯକୁ ବିକ୍ରି ପାଇଁ ଆସୁଥିବା ଜିନିଷ କିଣି ଯଦୁମଣି ଅର୍ଥ ଖର୍ଚ୍ଚ କରିବେ ବୋଲି କହି ଦେଉଥିଲେ । ଏହା ଫଳରେ ମୁକୁନ୍ଦ ରାଜାଙ୍କ ସମୀପେ ଅଭିଯୋଗ କରିବାରୁ ରାଜା ପିଆଦାକୁ ପଠେଇଲେ । ଯଦୁମଣି ଏକ କବିତାରେ ପିଆଦାକୁ ସ୍ଵକୀୟ ଅବସ୍ଥା ବିଷୟରେ ଜଣାଇ ରାଜାଙ୍କ ନିକଟକୁ ପଠେଇଲେ :

                 "ଅଣକ ଖୋଳୁଛି ପେଟ କଣକ ପାଇଁ
                  ସଭାରେ ବସିଛି ସେ ଜଣକ ପାଇଁ।"

                      ( ଅର୍ଥାତ୍, ମୁଁ ପରିବାରର ପ୍ରତିପୋଷଣ ନିମନ୍ତେ ଷଢେଇ ମାଧ୍ୟମରେ କଣା କରୁଛି ଡଙ୍କା ତିଆରି କରିବାକୁ , ସେହି ଜଣକ , ଅର୍ଥାତ୍, ମୋ (ଯଦୁମଣିଙ୍କର) ପିତା ଉପସ୍ଥିତ ହୋଇ ମୋ ବିରୁଦ୍ଧରେ ସଭାରେ ଅଭିଯୋଗ କରୁଛନ୍ତି । ଏ କାମ ଛାଡି ଯିବା ସମ୍ଭବ ନୁହେଁ କାରଣ ମୁଁ ଚାଲିଗଲେ ତେବେ ମୋ ପରିବାରରେ ଜଣେ ଉପବାସରେ ରହିବ । ) ଉଦାରମନା ରାଜାଙ୍କ ନିକଟବର୍ତ୍ତୀ ବେବର୍ତ୍ତା ପଟ୍ଟନାୟକ ପତ୍ରଟିର ସାର ମର୍ମ ବୁଝିପାରି ପରବର୍ତ୍ତୀ ସମୟରେ ମୁକୁନ୍ଦ ମହାପାତ୍ରଙ୍କୁ ରାଜା କିଛି ଅର୍ଥ ଓ ଦ୍ରବ୍ଯ ପ୍ରଦାନ କରିଥିଲେ । ହେଲେ ମଧ୍ୟ ପରବର୍ତ୍ତୀ କାଳକୁ ସେ ସମସ୍ତ ତ୍ବରିତ୍ ଖର୍ଚ୍ଚ କରିଦେଉଥିଲେ ମୁକୁନ୍ଦ ।

                              ଏହା ହେଉଛି ୧୮୦୩ ମସିହାର କଥା । ଏହି ସମୟକୁ ଓଡିଶା ଦଖଲ କରିବାକୁ ଉଦ୍ୟତମନା ବ୍ରିଟିଶ । ଏ ସମୟରେ ବିନାୟକ ସିଂହ ମାନଧାତା ଇଂରେଜଙ୍କ ସହ ସନ୍ଧି କରି ଥିଲେ।  ଅକସ୍ମାତ୍ ଘଟଣାଚକ୍ରରେ ସେତେବେଳେ କେତେ ଗୁଡିଏ ପଟିଚିତ୍ର ରାଣୀଙ୍କର ଲୋଡା ପଡିଲା । ଏଣୁ ପିତାଙ୍କର ଚିତ୍ରଣ ସହ ଯଦୁମଣିଙ୍କର ଚାରୁଚିତ୍ରିତ ପଟିଗୁଡିକ ଶୋଭା ପାଇଲା ଅନ୍ତଃପୁର ପୂଜା ଦେଉଳରେ ଆଉ ପିତାଙ୍କ ଚିତ୍ର ସକଳ ଜଗନ୍ନାଥ ମନ୍ଦିରରେ।  ଆଉ ସେ ସମୟରେ ଥରେ ଘରେ ଭାତ ରନ୍ଧା ହୋଇ ତରକାରୀ ସରିଯିବାରୁ ପଖାଳ ସାଥିକୁ ଅନ୍ତତଃ ଖଟା ଟିକିଏ ହେଲେ ଚଳିଯିବ ଭାବି ସେ ପଡିଶା ଘରକୁ କବିତା ଛଳରେ ଯାଚିଲେ :

                 "ଅଚ୍ୟୁତ ଖଣ୍ଡା ଚ୍ୟୁତ ହୋଇଥିବ
                  ଆନନ୍ଦ ମୂଳକ ଦ୍ଵିଖଣ୍ଡ ହେବ ।"

                       ବ୍ରାହ୍ମଣ ଜଣକ ଥିଲେ ତାଙ୍କର ପ୍ରତିବେଶୀ । ପଣ୍ଡିତେ ଥିଲେ ଗୁଣୀ ଓ ଗୁଣଗ୍ରାହୀ।  ଏହି ପଦଟିର ଅର୍ଥ ସେ ବୁଝିପାରି କେବଳ ଆମ୍ବୁଲ ନୁହେଁ ବରଂ ଆହୁରି ବିଭିନ୍ନ ପ୍ରକାରର ଆଚାର ଯଦୁମଣିଙ୍କୁ ପ୍ରଦାନ କରିଥିଲେ । ପଦଟିରେ ଯଦୁମଣିଙ୍କ ସାରାର୍ଥ ଏହିପରି : ଅଚ୍ୟୁତ ବା ବିଷ୍ଣୁଙ୍କ ଖଣ୍ଡା ନନ୍ଦକ । "ଆନନ୍ଦ ମୂଳକ" ଶବ୍ଦରୁ "ନନ୍ଦକ" ଶବ୍ଦଟି "ଚ୍ୟୁତ" ହେଲେ ବା ବ୍ୟତୀତ କରି ଦିଆଗଲେ "ଆମୂଳ" ବା ବାଚ୍ୟାର୍ଥରେ "ଆମ୍ବୁଳ" ବୋଧ ହେବ । ଉପସ୍ଥିତ ସମୟରେ ତୀକ୍ଷ୍ଣ ମେଧା, ପ୍ରତ୍ୟୁତ୍ପନ୍ନମତିତା ସହ ପ୍ରଖର ସ୍ମରଣ ଶକ୍ତିର ଅଧିକାରୀ ଯଦୁମଣି ପୁନଶ୍ଚ ଚିତ୍ରକର, କବି, ସ୍ପଷ୍ଟ ସ୍ଵର ଧରି ହାସ୍ୟରସିକ ଭାବରେ ନିଜର ବ୍ୟକ୍ତିତ୍ବକୁ ନୈସର୍ଗିକ କରିଥିଲେ।  

                                  ୧୮୦୮ ମସିହାରେ ଯଦୁମଣିଙ୍କ ପିତୃ ବିୟୋଗ ଘଟେ।  ପିତାଙ୍କ ପ୍ରତି ଦୁଇଜଣ - ପୁତ୍ର ଯଦୁମଣି ଓ ବଧୂ ଖଞ୍ଜନା ଅତି ନିଷ୍ଠାପର ରହିଥିଲେ । ଆଉ ଅର୍ଦ୍ଧରାତ୍ରିରେ ପିତାଙ୍କ ଶେଷ ସଂସ୍କାର ପରେ ଅନ୍ତ୍ୟେଷ୍ଟି କୃତ୍ୟମାନ କିପରି ସମ୍ପାଦିବେ ବୋଲି ମନେ ମନେ ଭାଳି ପିତାଙ୍କ ନିର୍ମିତ ରାଧାମୋହନ ଦେଉଳ ନିକଟରେ ପଡିରହିଲେ । ପ୍ରଭାତରେ ଅବକାଶ ବଢାଇବାକୁ ଆସି ଥିବା ପଣ୍ଡା ଯଦୁମଣିଙ୍କୁ ଡାକ ଛାଡିବାରୁ ଯଦୁମଣି ନ ଉଠି ଆହୁରି ସର୍ବାଙ୍ଗ ଆବୃତ ରଖି ପଡିରହିଲେ ।  ଏ କଥା ରାଜଗୁରୁଙ୍କୁ ଜଣାଇ ବାରୁ ସେମାନେ ଜାଣିପାରିଲେ ଯେ ଯଦୁମଣିଙ୍କର ଏସବୁ କାର୍ଯ୍ୟ । ସ୍ଵୟଂ ରାଜା ଆସି ପଚାରିବାରୁ ଯଦୁମଣି କହିଲେ :

                           "ମୁଁ ଠାକୁର ରାଧାମୋହନଙ୍କ ଭାଇ।  ମୋର ନାମ ଯଦୁମଣି।  ମୋର ପିତା ମୁକୁନ୍ଦ ମହାପାତ୍ର କାଲି ରାତିରେ ମରିଗଲେ । ମୁଁ ପିତାଙ୍କ ମୃତ୍ୟୁ ଯାଏଁ ନିଜ ଆୟରେ ପାଳିଥିଲି।  ରାଧାମୋହନ ଏ ଶୁଦ୍ଧିକାର୍ଯ୍ୟ ନ ଉଠାଇଲେ କିପରି ହେବ ? ବିଶେଷରେ ତାଙ୍କର ନିର୍ମାତା ହେଉଛି ଜନ୍ମଦାତା ପିତୃ ସଦୃଶ। ସେ ତ ପୁଣି ଅହୋରାତ୍ର ଉପବାସ ପାଳନା କରିବେ ? " ଏମନ୍ତ ସବୁ କହି ରାଜା ସବିନୀତ ଭାବେ ତାଙ୍କ ଇଚ୍ଛା ଜାଣିବାରୁ ଯଦୁମଣି ଦୁଇ ଶତ ଟଙ୍କା ଦାବିପୂର୍ବକ ରାଜାଙ୍କ ଅନୁଗ୍ରହ ପାଇଥିଲେ । ହେଲେ , ରାଜା ଯଦୁମଣିଙ୍କ ଆଚାର ଚଳଣିରେ ସନ୍ତୁଷ୍ଟ ହେବାରୁ ଯେଉଁ ଆଚାର ବିହୀନ ବୋଲି ପାରିଷଦ ବର୍ଗ କହି ଆସୁଥିଲେ , ତାହା ଶେଷକୁ କ୍ଷୁଣ୍ଣ ହୁଏ । 

                             
                               ହେଲେ ଅନ୍ତ୍ୟେଷ୍ଟି କ୍ରିୟାର ଶେଷ ବେଳକୁ ବନ୍ଧୁବାନ୍ଧବ ବହୁ ରାଜ୍ୟରୁ ଆସି ଦୁଇ ପ୍ରାଣୀ କୁଟୁମ୍ଵଙ୍କର ସମସ୍ତ ଲୁଣ୍ଠି ନେବାରୁ ଯଦୁମଣି ଓ ଶିଶୁପୁତ୍ରୀ ରମା ରୋଗାକ୍ରାନ୍ତ ହୋଇ ପଡିଲେ।  ଖଞ୍ଜନା ନିଜର ଆୟ ଅଳଙ୍କାର ବିକ୍ରି ଏ ଦୁହିଁଙ୍କ ମଧ୍ୟରୁ ରମାଙ୍କୁ ଆରୋଗ୍ୟ ପ୍ରଦାନ କରେ।  ଆଉ ଏ ଦୁଃସମୟରେ ଯଦୁ ମଣି ଆରୋଗ୍ୟ ନ ପାଇବାରୁ ମନୋରମା ନାମ୍ନୀ ସେହି ଯୁବତୀ ଆସି ତାଙ୍କୁ ଅଯାଚିତ ଅର୍ଥ ସହକାରେ ସାହାଯ୍ୟ ପ୍ରଦାନ କରିଥିଲେ  ଯିଏ ତାଙ୍କୁ ପୁରୀରେ ଭେଟ ହୋଇଥିଲେ । ଏମାନଙ୍କ ଅକୃତ୍ରିମ ସ୍ନେହ , ସୌହାର୍ଦ୍ଦ୍ୟପୂର୍ଣ୍ଣ ସାହାଯ୍ୟ ସହ ଅକପଟ ସହାନୁଭୂତି ଯଦୁମଣିଙ୍କ କବିଜୀବନରେ କାବ୍ୟକବିତା ରଚନାର ପଥିକୃତ । 

                             ଏହି ସମୟରେ ଯଦୁମଣିଙ୍କର ଭେଟ ହୁଏ ଗଞ୍ଜାମର ଖଲ୍ଲିକୋଟର ସୁପ୍ରସିଦ୍ଧ ବିଦ୍ବାନ୍ ଚକ୍ରପାଣି ପଟ୍ଟନାୟକଙ୍କ ସହ। 'ସୁଲୋଚନା ମାଧବ' ନାମକ ସଂସ୍କୃତ ମହାକାବ୍ୟ ଓ ଓଡିଆ ଭାଷାରେ 'ରସ କଳ୍ପଲତା' ନାମକ କାବ୍ୟର ପ୍ରଣେତା ଏହି ପଣ୍ଡିତ ପୁରୀ ଗଜପତିଙ୍କ ରାଜସଭାରୁ ଆଶୁ କବିତ୍ଵ ନିମିତ୍ତ 'ବକ୍ରବାକ୍' ଉପାଧି ପାଇଥିଲେ।  ୧୮୧୦ ମସିହାରେ ଦୁହିଁଙ୍କର ସାକ୍ଷାତ୍କାର । ପିତାଙ୍କ ନିଧନ ପରେ ରାଜସଭା ଅଭିମୁଖେ କାଁ ଭାଁ ଗସ୍ତ କରନ୍ତି ଯଦୁମଣି । ଚକ୍ରପାଣିଙ୍କୁ ଚିହ୍ନି ନ ପାରି ଜଣେ ଦୀର୍ଘକାୟ ଏକାନ୍ତ ଆଡମ୍ଵରବନ୍ତ ପ୍ରୌଢକୁ ଦେଖି ରସିକ ଯଦୁମଣି ପଚାରିଲେ - "ଆପଣ କିଏ ? ନାମ କଣ?" ଚକ୍ରପାଣି ଯୁବକଟିକୁ ଅନାଇଁ ବୋଇଲେ , "କୋଷଗ୍ରନ୍ଥର ବିଷ୍ଣୁ ପର୍ଯ୍ୟାୟରେ ମୋ ନାମ ପାଇବ ।"
                         
                       
                     
                                 
                               ହଠାତ୍ ବିରାଟ ଜୁଡାଧାରୀ କୁଣ୍ଡଳବନ୍ତ କୃଷିକାରୀ ବେଶ ପରିହିତ ଯଦୁମଣି କହି ବସିଲେ - "ଓହୋ ! ଆପଣଙ୍କ ନାମ 'ଗୁହ' !" ଏହା କହି ନାକରେ ହାତ ଦେବାରୁ ଚକ୍ର ପାଣି ହସି ହସି ରହିଗଲେ । ତୁରନ୍ତ ବାହୁ ସେହି ସୁନ୍ଦର ଶବଳିତ ଯୁବକର ମସ୍ତକରେ ଥୋଇ ଆଶୀର୍ବାଦ ବର୍ଷଣ କରି କହିଲେ - " ଯଦୁମଣି। " ଯଦୁମଣି କହିଲେ- "ଆଜ୍ଞା ଏ ଅକିଞ୍ଚନ କଣ ଆପଣଙ୍କ  ଠାରେ ପରିଚିତ ?" ଚକ୍ରପାଣି କହିଲେ - ବାପ ! ଜାଣ ତ କାନନ କନ୍ଦର ମଧ୍ୟସ୍ଥ ପ୍ରସ୍ଫୁଟିତ ପୁଷ୍ପ କିପରି ନିଜ ସୌନ୍ଦର୍ଯ୍ୟ ପ୍ରତି ପଥିକକୁ ଆକୃଷ୍ଟ କରେ ।" ଏହି ଚକ୍ରପାଣି ପୁଣି ଯଦୁମଣିଙ୍କ ସହ ଶାସ୍ତ୍ରଚର୍ଚ୍ଚା ପାଇଁ କହିଥିଲେ।  ଆଉ ଏହି ଆଲୋଚନାର ଅୟମାରମ୍ଭ କିଛି ଏହି ପରି ହୁଏ :

                         ସହର୍ଷ ମୁଖରେ ବକ୍ରବାକ୍ ପାଦପୂରଣ ଲାଗି ପ୍ରଶ୍ନ କଲେ : 'ପ୍ରମତ୍ତ କେଶରୀ ଗଜ କପୋଳକୁ ନିରେଖଇ କଦାଚିତେ' । ଯଦୁମଣି ଈଷତ୍ ହାସ୍ୟରେ ସଙ୍ଗେ ସଙ୍ଗେ ଉତ୍ତର ଦେଲେ : 'ମହିଷାର ରଥ ଗଣନାଥ ମାଥ କଇଳାସ ପରବତେ ।' ପୁଣି ପ୍ରଶ୍ନ ହେଲା - 'କିବା ପ୍ରଶଂସିବା ପ୍ରଶଂସା ପଦବୀ ଅଛି ବୋଲି ବଳା ରାତିରେ। ' ଉତ୍ତରରେ ଆସିଲା , "ମୂକ କରିଅଛି ଯେ ବାଳାମଣିର ଶ୍ରୀଚରଣ ବଳା ରାତିରେ। " ଏହି ରସିକତାପୂର୍ଣ୍ଣ ଉତ୍ତରରେ ସଭାସଦ୍ ଚମକିତ ହୋଇ ଉଠିଲେ । ବିଦ୍ୟୁତ୍ ବେଗେ ସମସ୍ତ ପ୍ରଶ୍ନର ଉତ୍ତର ଦେଇ ଚାଲିଲେ ଯଦୁମଣି । ଆନନ୍ଦ ଓ ଉତ୍କଣ୍ଠାର ସମ୍ମିଶ୍ରଣରେ ସଭାସଦ୍ ପ୍ରପୂର୍ଣ୍ଣ । 

                             ବକ୍ରବାକ୍ ଚକ୍ରପାଣି ପରାଜୟ ସ୍ଵୀକାର କରି ଯଦୁମଣିଙ୍କୁ ଆଶୀର୍ବାଦ ଘେନା କରାଇ ବୋଇଲେ , "ତୁମେ ଦିନେ ଏ ଉତ୍କଳ ଦେଶରେ ଏକାନ୍ତ ଶ୍ରେଷ୍ଠତମ ନିଧି ହେବ, ଯାହାର ପଦ ଗୌରବ କହି ଲୋକେ ନିଜକୁ ଧନ୍ୟ ମଣିବେ।  " ବକ୍ରବାକ୍ ସସମ୍ମାନେ ମହାସମାରୋହରେ ବିଦାକି ଗ୍ରହଣ କରିଥିଲେ ମାତ୍ର ଯଦୁମଣିଙ୍କ ଈର୍ଷଣୀୟ ମହନୀୟତା ପ୍ରତି ପଣ୍ଡିତମାନେ ଅସହିଷ୍ଣୁ ହୋଇ ଉଠିଲେ । ଆଉ ଏହା ହିଁ ହେଉଛି ସେହି ଆଦ୍ୟଲଗ୍ନ ଯେ ସମୟରେ ଯଦୁମଣି ରାଜା ବିନାୟକ ସିଂହ ମାନଧାତାଙ୍କୁ ନିଜର ପ୍ରତ୍ୟୁତ୍ପନ୍ନମତିତାର ଏକ ପ୍ରତ୍ୟକ୍ଷ ଧାରଣା ପ୍ରଦାନ କରନ୍ତି : 

                        
                             ରଜା ଦରବାର ସାରି କବିଙ୍କୁ ଅନ୍ୟମନସ୍କ ଦେଖି ପଚାରିଲେ -- "ରସିକ କବିଙ୍କ ହରସ ନାହିଁ , ନୂଆ କଥା ଏବେ ଦେଖୁଛି ମୁହିଁ  ।" କବି ଟିକେ ମୁଣ୍ଡ ଆଉଁଶି କହିଲେ -

                  ଧର୍ମ ଅବତାର ସତ୍ୟ ନଜର
                  ଅନ୍ନ ଚିନ୍ତା ଲାଗଇ ଚମତ୍କାର
                 କହିଛନ୍ତି ଗୃହେ ଗୃହିଣୀ ମୋର    
                 ବଜାରରୁ କିଣିନେବି ଚାଉଳ
                 ଅନ୍ୟ ଚିନ୍ତା କରି ଗଲେ ମୁଁ ଭୁଲି 
                 ବରଷି ଗଲେ ଘରେ ମୁଁ ଗାଳି।

               ରଜା ହସିଦେଇ କହିଲେ - ଆଚ୍ଛା। କବି ତୁମେ ଏତେ ସାହାଯ୍ୟ ନେଉଛ ଘରେ କଣ ଅସୁବିଧା ଦୂର କରିପାରୁନ? କବିଙ୍କ କଷ୍ଟ ଯଦି ଅନ୍ନ ଚିନ୍ତା ରହେ ତେବେ କଲମର ରସାଳତା ପ୍ରକାଶ ପାଇବ କିପରି? ତୁମକୁ ତ ସବୁମତେ ସାହାଯ୍ୟ କରିବାର ଆମର ଇଚ୍ଛା। ଏବେ କୁହ କଣ ତୁମର ହେଲେ ତୁମେ ନିଶ୍ଚିନ୍ତ ହେଇ ପାରିବ?

              କବି କହିଲେ -
              
                ଗୁହାରି ଛାମୁରେ କରିବା ସାର 
                ସାନ ପ୍ରତି ସଦା ଏ ଅବିଚାର
                କହି କହି ମୁହଁ ହୁଏ ଥୋବରା
                ରଜା ଅବୁଝା ଏ ଜଗତ ସାରା
                କହି ଭୁଲଡ ଯେ.....
                ମୋଟ କଥାରୁ ପେଟ ମଣନ୍ତି।

                                     କବି ଏହା ପୂର୍ବରୁ ଅନେକ ଥର ରାଜାଙ୍କୁ ଜମିବାଡି କଥା ସୂଚାଇଥିଲେ। ରଜା ସେ ପ୍ରତି ଗୁରୁତ୍ୱ ଦେଇନାହାନ୍ତି। ଆଜି ସେଇ କଥା ଉପରେ ଗୁରୁତ୍ୱ ଦେବାକୁ ଯାଇ କବି କବିତା ପ୍ରସଙ୍ଗରେ ଅଭିମାନ ଛଳରେ କହି ପକାଇଲେ। ରଜା ବୁଝିଲେ କଥାର ମର୍ମ। ଛାମୁ କରଣକୁ ଡକାଇ ଯଦୁମଣିଙ୍କୁ ଖଣ୍ଡେ ଚାଷ ଜମି ଦେବାକୁ ଆଦେଶ ପ୍ରଦାନ କଲେ। ରଜା ପାରିଷଦବର୍ଗ ଓ କର୍ମଚାରୀମାନେ ଚାହାନ୍ତି ପାରିତୋଷିକ ଓ ଖୋସାମତ। ଯଦୁମଣି ସିଧାସଳଖ ଶ୍ରୀଛାମୁରୁ ଏମିତି କିଛି ପାଇଯିବାକୁ ସେମାନେ ପସନ୍ଦ କରୁନଥିଲେ। 
                                     

                                          ତେଣୁ ଛାମୁ କରଣ ଆଦେଶ ପାଳନ କରିବାକୁ ଯାଇ ଏକ ପଥୁରିଆ , ଟାଙ୍ଗୁରିଆ ଭୂଇଁକୁ ପଟ୍ଟା କରିଦେଲେ। କିଛିଦିନ ପରେ ନଗର ରକ୍ଷୀକୁ ନେଇ ଉକ୍ତ ଜମି ଚିହ୍ନଟ କରିବାକୁ ବାହାରି ପଡିଲେ ଯଦୁମଣି। ଜମିର ଅବସ୍ଥା ଦେଖି ମନଦୁଃଖରେ ଫେରି ଆସି ରାଜସଭାରେ ରାଜାଙ୍କୁ ଏକ କବିତା ଲେଖି ଉପହାର ଦେଇ କହିଲେ - 

                " ଛାମୁ ଯାହା ଦେଲେ ହରଷେ
                  ପାଉ ପାଉ ଗଲା ବରଷେ
                  ବାଛି ଦେଉଛନ୍ତି ଭଲ ପଡିଆ
                 ଶ୍ରାବଣ ମାସରେ ଭାଙ୍ଗେ ନଡିଆ
                        ଏମନ୍ତ ଭୂଇଁ
                  ଚାକୁଣ୍ଡା ବୁଣିଲେ ଉଠଇ ନାହିଁ।"
                  

                     କବିଙ୍କର ସରଳ ଭାବିତ ମର୍ମରାଜା ବୁଝିଥିଲେ। ଛାମୁ କରଣ ହିଁସାରେ ଯଦୁମଣିଙ୍କୁ ଠକାଇଛନ୍ତି। କବିତାରେ ଦତ୍ତ ଜମିର ଟାଙ୍ଗର ବର୍ଣ୍ଣନା ପାଠ କରି ଭିତିରି ଲୋକ ଦ୍ଵାରା ତଦନ୍ତ କରାଇ ଦିନେ କଚେରୀର କରଣ ବେବର୍ତ୍ତାଙ୍କୁ ଡକାଇ ଆଣି ଶୀଘ୍ର ଆଦେଶ କରିଲେ ଯେ ଏକ ବାଟୀ ଦୋଫସଲ ଜମି ଯଦୁଯଣି ନାମ ରେ ପଟ୍ଟା କରିଦିଆଯାଉ । ଭୟଭୀତ ବେବର୍ତ୍ତା ତହୁଁ ତ୍ଵରିତ୍ ଏକ ବାଟୀ ମୂଲ୍ୟବାନ ଜମିର ପଟ୍ଟା କରିଦେଲା ଯାହା ଯଦୁମଣି ଅତି ଆନନ୍ଦର ସହ ପ୍ରାପ୍ତିପୂର୍ବକ ପ୍ରସ୍ଥାନ କରନ୍ତି । ଆଉ ଯଦୁମଣିଙ୍କର ପ୍ରତ୍ୟୁତ୍ପନ୍ନମତିତା ପାଇଁ ସେ ବିନାୟକ ସିଂହ ମାନଧାତାଙ୍କ ସଭା ମଧ୍ୟରେ ଯଥାଯୋଗ୍ୟ ଆସନ ପାଇଲେ । 

                                ଏକଦା ଯଦୁମଣି ନୀଳମଣି ନାମକ ଏକ ଦୁଶ୍ଚରିତ୍ର ମାଳାକାର ଠାରୁ ଶଶି ନାମ୍ନୀ ବେଶ୍ୟାର ବେଶ ପରିପାଟୀ କଥା ଶୁଣି ପ୍ରଲୁବ୍ଧ ହୋଇ ପଡିଥିଲେ । ଖଞ୍ଜନାକୁ ସେ ନିୟତ ନୃତ୍ଯ ଗୀତ ତାଙ୍କ ସମୀପେ ପ୍ରଦର୍ଶନ କରିବାକୁ କହିଲେ।  ଶଶୀର ଚିନ୍ତାରେ ତଲ୍ଲୀନ ହୋଇ ପଡିଥିବା ଯଦୁମଣି ଚାଲିଗଲେ ସେହି ବେଶ୍ଯା ନିକଟକୁ । ହେଲେ ଶଶୀ ଯଦୁମଣିଙ୍କ ରସିକତା ଓ ସ୍ପଷ୍ଟବାଦିତାର ଭୟରେ ତାଙ୍କୁ ଗୃହାଗତ କରାଇବାକୁ ସୁଯୋଗ ଦେଲା ନାହିଁ।  ଅହୋରାତ୍ର ଜଗୁ ଜଗୁ ପରିଶେଷରେ ଅନୁତପ୍ତ ଯଦୁମଣି ସ୍ଵୀୟ ଖଞ୍ଜନାଙ୍କ ପଦତଳେ କାମୋଦ୍ଦୀପନା ଜନିତ ବୁଦ୍ଧି ରେ ପଡି ସେ ଯେଉଁ ତ୍ରୁଟି କରିଥିଲେ , ସେହି ତ୍ରୁଟିକୁ ଖଞ୍ଜନାଙ୍କ ଶୁଦ୍ଧ ଅନୁକମ୍ପା ଭୁଲାଇଦିଏ । 
                                

                 ସେ ଲେଖିଲେ :

                  "ଜାଣୁ ଜାଣୁ ଖଣାରେ ମୁଁ ପଡିଲିରେ 
                   ଜଣାଶୁଣା ସରଣୀ ଯା ଛାଡିଲିରେ । ୦ ।
                   ଊଣା ଟିଣା ବୁଦ୍ଧିରେ 
                   ତେଲ ଘଣା ମଧ୍ୟରେ
                   ଚଣା ପେଷାଇ ବଣା ଅଡିଲିରେ । ୧ ।
                   
                   ×             ×          ×
                   
                   ରାତ୍ରିଟି ଉଜାଗର
                   ନିଦ୍ରାରେ ଗରଗର
                   ହୋଇ ଉଚ୍ଚେ ମୁଁ ଯେତେ ରଡିଲିରେ । ୭ ।
                   ନ ଶୁଣିଲା ମୋ ଗିର
                   ଯଦୁମଣି ଉତ୍ତର
                   କର୍ମଦୋଷରୁ ଏହା ବିଡିଲିରେ । ୮ ।"

                              ଆଉ ଏହି ସମୟରେ ଉପଗତ ହୋଇଛି ୧୮୧୭ ର ଦୁର୍ଦ୍ଧର୍ଷ ପାଇକ ବିଦ୍ରୋହର ରଣହୁଙ୍କାର ! ବକ୍ସି ଜଗବନ୍ଧୁ ବିଦ୍ୟାଧର ଏବଂ ଦେଵାନ୍ କୃଷ୍ଣଚନ୍ଦ୍ରଙ୍କୁ ବାଉଁଶିଆପଡା ନିକଟସ୍ଥ ଏ ଅରଣ୍ୟରେ ପାଇ ରାଜା ବିନାୟକ ସିଂହ ମାନଧାତାଙ୍କୁ ଅବଗତ କରି ପ୍ରଭୂତ ସାହାଯ୍ୟ ପ୍ରଦାନ କରିଥିଲେ । ଯଦୁମଣିଙ୍କ ସ୍ଥିତଧୀ ଗୁଣ ଓ ସ୍ପଷ୍ଟଭାଷିତା ନିମନ୍ତେ ରାଷ୍ଟ୍ରର କର୍ମଚାରୀମାନଙ୍କ ଭିତରେ ଦୌରାତ୍ମ୍ୟ ଏକାନ୍ତ ହ୍ରାସ ପାଇବା ସହ ରଣପୁର ଓ ନୟାଗଡ଼ ରଜା ଙ୍କ ସହ ମିଶି ନିର୍ଭୀକରେ ପାଇକ ବାହିନୀକୁ ଆସବାବ ଯୋଗାଇ ଆସୁଥିଲେ । ଆଉ ସେତେବେଳେ ନାନାବିଧ ଚକ୍ରାନ୍ତ ସତ୍ତ୍ଵେ ଯଦୁମଣିଙ୍କ ପ୍ରତି ରଜାଙ୍କର ସ୍ନେହ ହ୍ରାସ ପାଇନଥିଲା । ବରଂ ସକଳ ଚକ୍ରାନ୍ତ ସତ୍ତ୍ୱେ ବିନାୟକ ସିଂହ ମାନଧାତାଙ୍କ ସହ ଅତି ନିବିଡ ହେଇ ସାରିଥିଲେ ।

                              ଏକଦା ସଭାସଦ୍ ମାନଙ୍କ ଗହଣରେ ଯଦୁମଣି ବିଚକ୍ଷଣ ପାଣ୍ଡିତ୍ୟ ପ୍ରଦର୍ଶନ ପୂର୍ବକ ସମସ୍ତ ପ୍ରଖ୍ୟାତ ପଣ୍ଡିତଙ୍କୁ ତଟସ୍ଥ କରି ସାରିଥିଲେ । ପ୍ରଶ୍ନରେ ଜର୍ଜରିତ କରିବା ଇଚ୍ଛାରେ ଥିବା ପଣ୍ଡିତ ମାନେ ବରଂ ଯଦୁମଣିଙ୍କର ତୀକ୍ଷ୍ଣ ମେଧା ଆଗରେ କ୍ଲାନ୍ତିପରବଶ ନୀରବ ହୋଇଗଲେ।  ଏଥର ପାଳି ପଡିଲା ଯଦୁମଣିଙ୍କର । ରାଜ ନିର୍ଦ୍ଦେଶ ମତେ ଏଥର ଯଦି ଯଦୁମଣିଙ୍କ ପ୍ରଶ୍ନକୁ ପଣ୍ଡିତମାନେ ସଠିକ୍ ଭାବେ ଉତ୍ତର ପ୍ରଦାନ ନ କରିବେ , ତେବେ ଯଦୁମଣି ନୟାଗଡର ସର୍ବଶ୍ରେଷ୍ଠ ପଣ୍ଡିତ ଓ ସଭା କବିର ସମ୍ମାନ ପାଇବେ । ଯଦୁମଣି ଉପସ୍ଥିତ ସମସ୍ତଙ୍କର ଅନୁମତି ଘେନା କରି ପୃଚ୍ଛିଲେ :

                   "ପାଣି ବୁହା ଡାକ ଶୁଣି ପର୍ବତେ
                    ଘୋଡା-ଗୋଡ଼-ଖିଆ ନାଚିଲେ ମତ୍ତେ ।
                    କଳାପିଠିଆ ଡାକ ଦେଲେ ତହିଁ
                    ପ୍ୟା ପାନ ଖିଆମାନ ଆସିଲେ ନାହିଁ
                    କହିଲେ ତୁ ତ ପୁଅ କାଖିଆ
                    ଆମେ ତା ବୋପା ମୁଣ୍ଡେ ହୋଇଥାଉ ଠିଆ।"
                              

                                      ନିରୁତ୍ତର ପଣ୍ଡିତମନ୍ୟ । ଶେଷରେ ରାଜା ବିନାୟକ ସିଂହ ମାନଧାତାଙ୍କ ଅନୁରୋଧରେ ଏହାର ଉତ୍ତର ପରିପ୍ରକାଶ ଏହିପରି କରିଲେ ଯଦୁମଣି : ମେଘ ପର୍ବତ ଉପରେ ଉଦୟ ହେବାରୁ 'ଘୋଡା-ଗୋଡ-ଖିଆ' ଅର୍ଥାତ୍ ଗୂଢପଦ ବା ସର୍ପ ଭକ୍ଷଣ କରୁଥିବା ମୟୂରମାନେ ଉନ୍ମତ୍ତ ହୋଇ ଉଠିଲେ । ପୃଚ୍ଛ ବିସ୍ତାରପୂର୍ବକ ସେ ଷଡ଼ଜ ତାନରେ ନୃତ୍ୟ କରିଲେ । ପ୍ୟା ଅର୍ଥାତ୍ ପବନ , ଭକ୍ଷଣକାରୀ ସର୍ପଗଣ ବାହାରିଲେ । ମୟୂରମାନଙ୍କୁ ଥଟ୍ଟା କରି ସର୍ପମାନେ କହୁଥିଲ, "ତୁମେ ତ ସବୁ କାଖିଆ-ବାହନ ଅର୍ଥାତ୍ କାର୍ତ୍ତିକଙ୍କର ବାହନ ହେଲେ ଆମେ ତ ତାଙ୍କ ପିତା ମହାଦେବଙ୍କ ଶିରମଣ୍ଡନ କରୁ ।" ପଣ୍ଡିତମାନେ ଯଥାର୍ଥତଃ ପରାଜୟ ବରଣ ପରେ ଶୂଦ୍ର ବୋଲି ପ୍ରତାଡିତ ଯଦୁମଣି ରାଜସମ୍ମାନ ଲାଭ କରିଲେ । 

                                ୧୮୧୦ ମସିହାରେ ରାଜାଙ୍କର ବୟସ୍ୟ ବା ବିଶ୍ଵସ୍ତ ସଖା ରୂପେ ରହିଲେ ଯଦୁମଣି । ଜାତିରେ ବର୍ଦ୍ଧକୀ ବା ବଢେଇ ହୋଇଥିଲେ ସୁଦ୍ଧା ସମସାମୟିକ ଓଡ଼ିଶାର ସାମନ୍ତ ରାଜାମାନେ ଯଦୁମଣିଙ୍କୁ ଯେପରି ବାକ୍ୟର ଅନର୍ଗଳତା ପାଇଁ ସ୍ଵାଧୀନତା ଦେଇ ଥିଲେ ଓ ସେମାନଙ୍କୁ ଭର୍ତ୍ସନା ସୁଦ୍ଧା କଲେ ମଧ୍ୟ ପ୍ରତିଭାବାନ୍ ଲୋକଙ୍କୁ ସମ୍ମାନ ଦେବା ସମୟରେ ଉତ୍କଳୀୟତାର ଏକ ଉନ୍ନତ ଧରଣର ସାଂସ୍କୃତିକ ପରିବେଶର ଶାଶ୍ଵତ ପ୍ରମାଣ ବହନ କରେ।  ଏକଦା ବ୍ରିଟିଶ ରାଜକର୍ମଚାରୀ ନୂଆଗଡରେ ଘଟିତ ପ୍ରଜାମେଳି ବିଷୟରେ ପଚାରନ୍ତେ କବି ନିର୍ଭୀକ ହୋଇ ବୋଇଲେ : 

           "ଗୋଡ଼ ଗାଡ଼ ସଂସର୍ଗରେ ଯେ ପଟୁ। 
            ତାଙ୍କର ସୁନା ଖଡୁ ପଟୁ-ତଟୁ ।।
            ଅଶୁଭରେ ଶୁଭ ହୋଇଲା ଦେଖା । 
            ତାଙ୍କର ଆଢେଣୀ ପାଲିଙ୍କି ଛତା ।
                 ଏହି ସକାଶରୁ କରି ଯେ,
           ଛତ୍ରାକାରଲିଙ୍ଗ-ଉଦ୍ଭବ-ମେଦିନୀ 
                ହୋଇଗଲା ହତଶିରୀ ଯେ ।।"
                

                                  ତନ୍ତୀ ଶ୍ରେଣୀର ଲୋକଙ୍କ ବିପର୍ଯ୍ୟସ୍ତ ଅବସ୍ଥାର ତାତ୍କାଳିକ ବର୍ଣ୍ଣନା ମାଧ୍ୟମରେ କାଳେ କାଳେ ଅଯୋଗ୍ୟ ଅଭାଜନମାନଙ୍କ ଶାସନ ଓ ଅଭ୍ୟୁଦୟରେ ରାଜ୍ୟର ଶାସନ ଓ ସଂସ୍କୃତି କିପରି ଛିନ୍ନ ଭିନ୍ନ ବିଶୃଙ୍ଖଳ ହୋଇ ଉଠେ ସମଗ୍ର ଓଡିଆ ସାହିତ୍ଯରେ କବି ଯଦୁମଣିଙ୍କର ଏହି ଷଟ୍-ପଦ ବିଶିଷ୍ଟ କବିତା ତାହା ଦେଖାଇ ଦେବା ଏକ ବଳିଷ୍ଠ ପଥ । ଉତ୍କଳୀୟ ସଂସ୍କୃତିକୁ କବିତ୍ଵରେ ଫୁଟାଇବା ସହ ଉତ୍ତର ଭାରତରେ "ବୀରବଲ୍" ଙ୍କ ପରି ଓଡିଶାରେ ପ୍ରତ୍ୟୁତ୍ପନ୍ନମତିତ୍ଵ ସହ ନର୍ମବାକ୍ ହେବାର ଏକ ଚିର ଆନନ୍ଦଦାୟକ ଅଥଚ କିମ୍ବଦନ୍ତୀ ଚରିତ୍ରରେ ପରିଣତ ହୋଇଛନ୍ତି ଯଦୁମଣି ମହାପାତ୍ର । ଆଉ "ଯଦୁମଣି ରହସ୍ଯ" ନାମକ ଯେଉଁ ରହସ୍ଯ ସବୁ ଏତେ ପରିଚିତ ତାହାର ବର୍ଣ୍ଣନା ସର୍ବଜନବିଦିତ । 

                              ଶ୍ଳେଷାର୍ଥରେ ଅଭ୍ୟସ୍ତ ଯଦୁମଣି ଏକଦା ରାଜାଙ୍କ ଉତ୍ତରରେ ଯେତେବେଳେ କହିଥିଲେ । ରାଜା ପରାଜୟ ଜନିତ ବିରାଗରେ ଆଉ ଦୁଇ ମାସ ପର୍ଯ୍ୟନ୍ତ ଯଦୁମଣିଙ୍କ ମୁଖ ଚାହିଁ ନଥିଲେ କି ରାଜସଭାକୁ ଡାକି ନଥିଲେ । ଅଣସରରେ ଏଥର ମହାପ୍ରଭୁଙ୍କ ଚିତ୍ର ଯଦୁମଣି କରିଦେଲା ପରେ ଶ୍ରୀଗୁଣ୍ଡିଚା ଆଗତ ହେବାରୁ ରଥ ସହ ରାଜା ବିଜେ ହବାର କଥା ହେଲେ ଏଥର ରଜା ଅଭିମାନବଶ ବିଜେ ହୋଇନଥିଲେ । ବୁଦ୍ଧିମାନ୍ ଯଦୁମଣି କୌଶଳ କରି ପରମପୂଜ୍ୟ ରାଜଗୁରୁଙ୍କ ଗୃହରେ ଲୁଚି ତାଙ୍କର ଗୋଟିଏ ଅଲେଶା ବାଉଁଶ ପାତିର ଡୋଲିକୁ ମୁଣ୍ଡାଇ ରଥ ସହିତ ଚାଲିଲେ ।  ରଜା ଛତିଶା ନିଯୋଗରେ ବିଜେ କରିଥିଲେ । 

                                  ଡୋଲିର ଗତି ଦେଖି ସେଠି ସମସ୍ତେ ବିସ୍ମୟର ତ କେହି କେହି ହାସ୍ୟରୋଳରେ ଗଡି ଯାଉଛନ୍ତି ।ରଜା ଭାବୁଥିଲେ ଯେ ପାରିଷଦବର୍ଗଙ୍କ କଥା ବ୍ୟତୀତ ଆଉ କିଛି କଥା ତ ନିଶ୍ଚେ ରହିଛି । ସାରୁ ଭିତର ମାରୁ କଥା ରଜାଙ୍କ ଜ୍ଞାତସାରକୁ ଆସି ସାରିବାକୁ ବସେ । ରାଜା ହଠାତ୍ ପଟୁଆର ଚଲାଇ ଯାଉ ଯାଉ ପାଖ ଲୋକଠାରୁ ବୁଝିଲେ ଯେ ରାଜା ଯଦୁମଣିଙ୍କ ମୁଖ ଦେଖିବାକୁ ମନା କରିଥିବାରୁ ଏବଂ ଠାକୁରଙ୍କ ପାଖରେ ଚିତ୍ରକର ରହିବାର ବିଧି ଥିବାରୁ ସେ ଏପରିକା ବିଚିତ୍ର ବେଶରେ ରହିଛନ୍ତି । ଯଦୁମଣିଙ୍କୁ ସେ ଡୋଲି ଭିତରୁ ବାହାରି ଆସିବା ପାଇଁ ଆଦେଶ କରିଲେ । କେହି କେହି ଯଦୁମଣିଙ୍କ ମୁଣ୍ଡକାଟ ହେବ ଭାବି ନିସ୍ପନ୍ଦ ରହିଗଲେ । ହେଲେ ଯଦୁମଣି ମୁଖନତ କରି ଡୋଲି ଭିତରୁ ବାହାରି ସ୍ତବ କରିଲେ :

                   "ଅମଳ କମଳ ଦଳ ଲୋଚନ
                    କୁଣ୍ଡଳାଙ୍କୃତ ଶୁଭ୍ର ଦର୍ଶନ
                    କଥ୍ୟ କଥନକୁ ଦୃଢ ସଂଯମ
                    ବିଚ୍ୟୁତ ବିଚିତ୍ର କି ବିଘଟନ
                            ନବଦୁର୍ଗରାଣ
                    ଇଷ୍ଟ ଦେବତା ପରି ଆଚରଣ ।"

                             ଉକ୍ତ କବିତାରେ ରାଜାଙ୍କ ସୁନ୍ଦର ବେଶ ବର୍ଣ୍ଣନା କରି ଯଦୁମଣି ତାଙ୍କୁ ମିଷ୍ଟଭାଷୀ ବୋଲି ମଧ୍ୟ ବର୍ଣ୍ଣିତ କରନ୍ତି । ସେ ଏଥି ସହ ବୋଇଲେ ଯେ ଟିକିଏ ମାତ୍ର କଥାରେ ବିଘଟନ ବା ବିରୋଧାଭାସ ଜନ୍ମିଲେ ଚରିତ୍ରରେ ବିଚିତ୍ର ବିଚ୍ୟୁତି ପରିଲକ୍ଷିତ ହୁଏ । ହେଲେ (ପ୍ରବାଦ ମତେ)ଇଷ୍ଟଦେବୀ ବାଉରୀ ଠାକୁରାଣୀଙ୍କ  ସମାନ ଈଷତ୍ ଉଗ୍ର ଓ କ୍ଷଣକୋପୀ ହେବା କଣ ରାଜାଙ୍କର ଏ ଶୋଭା ପାଖରେ ସମୀଚୀନ ? ଏହି କବିତା ମାଧ୍ୟମରେ ରାଜା ନିଜର ତ୍ରୁଟି ବୁଝିପାରି ଆଡମ୍ଵରବନ୍ତ ପୁଷ୍ପମାଳକୁ ଯଦୁମଣିଙ୍କ ଗ୍ରୀବାରେ ଲମ୍ଵାଇ ଦେଲେ । ହସ୍ତୀରେ ବସାଇ ଏଥର ମହା ସମାରୋହରେ ରଥଯାତ୍ରାରେ ଯାଇଥିଲେ ରାଜା ଓ ଯଦୁମଣି ।

                           ହେଲେ ଏକଦା ଏକ ଦୁଃଖଦ ଘଟଣାକ୍ରମେ  ଜନୈକ ଭଣ୍ଡ ବ୍ରାହ୍ମଣମାନଙ୍କ ଶାପଭର କଣ୍ଠ ବାଣୀକୁ ସତ ହେଇ ଥିବାର ଦେଖି ସେ ଭାଙ୍ଗିପଡିଲେ । ଏକମାତ୍ର ପୁତ୍ର କପିଧ୍ବଜ ଅପରିପକ୍ଵ ବୟସରେ ବଜ୍ରପାତରେ ଚାଲିଗଲା । ସେତେବେଳେ ସେ ଚାଲିଗଲେ ନୀଳଚଳ ଧାମ । ସେଠାରେ ସେ ଗାଇଦେଲେ , "ନୀଳାଚଳ କଳାକାର ତାରଣ ମାରଣ/ ଧୀର କହ ପ୍ରଭୁ ସତ କି ଏ ମିଛ / ଦେଲ ଯାହା ନେଲ ତାହା ଏଥକୁ କିମ୍ପାଇଁ / ମହା ଦାତା ପଣେ ପତାକା ବାନ୍ଧିଛ " । ଏହି ନୀଳାଚଳ ଧାମରେ ପୁଣି ସମସ୍ଵର ଦେଇ ନିବେଦି ଥିଲେ 'ସର୍ପ ଜଣାଣ' ମାଧ୍ୟମରେ କବିସୂର୍ଯ୍ୟ ବଳଦେବ ରଥ । ଆଉ ଦୁହେଁ ଭଣତି କରି ସାରି ପରସ୍ପରକୁ କୋଳେଇ ନେଇଥିଲେ । ଦୁଇ ବାଣୀପ୍ରାଣଙ୍କ ମିଳନ !

                                ଗୃହାଗତ ହେବାରୁ ପାଟ ମହାଦେଈଙ୍କ ଆଜ୍ଞାରୁ ସେ ଆରମ୍ଭ କରିଥିଲେ "ରାଘବ ବିଳାସ" କାବ୍ୟର ରଚନା । ରାଜମାତାଙ୍କ ବିୟୋଗ ସମୟରେ ସେ ଅପମାନିତ ବ୍ରାହ୍ମଣଙ୍କ ଅସନ୍ତୋଷର କ୍ଷତି ହେବାରୁ ସେମାନଙ୍କ ବିରାଗ ଭାଜନ ପାଇଁ ଗ୍ରନ୍ଥ ଆଦ୍ୟରେ ଲେଖିଲେ : 

           "ପ୍ରଥମୁଁ ବନ୍ଦଇ ଭୂଦେବ ଅଂଘ୍ରି ଅଘାରି ବକ୍ଷେ ।
            ସପତ ସାଗର ଶୋଷକ ବଂଶ ଧ୍ଵଂସି ଅଲକ୍ଷେ ।।"
            ବନ୍ଦେ ରସାସୁତା-ପତିର ଧରାଧର ଶୟନ ।
            ନିର୍ଜରା-ପରବିନାଶନ ସନ୍ଥଜନ ପାଳନ ।।
            ଗରିଷ୍ଠ ଦଶା ଏ ରାଷ୍ଟ୍ରର କଷ୍ଟ ଫେଡ଼ ଦୁସ୍ତର ।
            ଚକ୍ର ପେଷି ଶକ୍ରବାହନ-ଭ୍ରାତ-ଅରି ସଂହାର ।।"

                             ପ୍ରଥମେ ସାତ ସମୁଦ୍ର ଶୋଷି ନେଇଥିବା ଅଗସ୍ତି ମୁନିଙ୍କର ବଂଶଧର ସହ ଅକସ୍ମାତ୍ ଯଦୁବଂଶର ଧ୍ଵଂସର କାରଣ ଯେଉଁ ବ୍ରାହ୍ମଣମାନଙ୍କ ପଦ ବିଷ୍ଣୁଙ୍କର ବକ୍ଷ ମଣ୍ଡନ କରୁଛି , ତାହାଙ୍କୁ ବନ୍ଦନା କରୁଥିବାର ଲେଖିଛନ୍ତି। ଏଥି ସହ ସୀତାପତି ରାମଚନ୍ଦ୍ରଙ୍କର ଅସୁର ବିନାଶକାରୀ ଓ ସନ୍ଥଜନ ପାଳକ ଅନନ୍ତ ଶୟନ ମୂର୍ତ୍ତିର ବନ୍ଦନା କରୁଅଛୁ। ପ୍ରଥମ ଥର ପାଇଁ କବି ମଙ୍ଗଳ ବାଚନା ମଧ୍ୟରେ ନିଜ ରାଷ୍ଟ୍ର ଉତ୍କଳରେ ବିଘଟିତ ୧୮୧୭ର ଜଟିଳାବସ୍ଥା ଉତ୍କଳର ଅବସ୍ଥାକୁ ଦୁଃସ୍ଥ କରିଦେଇଥିବାରୁ ମଙ୍ଗଳସ୍ତବରେ ସେହି ହସ୍ତୀକୁ ଗ୍ରାହ କବଳରୁ ରକ୍ଷା କରିଥିବା ବିଷ୍ଣୁଙ୍କୁ ରାଜ୍ୟର ଦୁସ୍ତର କଷ୍ଟ ନିବାରଣ ପାଇଁ ଭକ୍ତିର ସହ ନିବେଦନ ଜଣାଉଛନ୍ତି । 

                              
                         'ରାଘବ ବିଳାସ' କବିଙ୍କର ୫୨ ଛାନ୍ଦ ବିଶିଷ୍ଟ କାବ୍ୟ । ବିନାୟକ ସିଂହ ମାନଧାତାଙ୍କ ନାମରେ ଭଣତି କରି ସେ ରଚନା କରିଛନ୍ତି ଏକ ଅନ୍ୟତମ ପଥିକୃତ ରଚନା । ପାଲାଗାୟକ ମାନଙ୍କ ମଧ୍ୟରେ ଏହାର ପ୍ରସିଦ୍ଧି ରହିଛି । ହେଲେ ଦୁର୍ଯୋଗବଶତଃ ଛାନ୍ଦ ଲେଖା ଚାଲିଥିବା ବେଳେ ବିନାୟକ ସିଂହ ମାନଧାତାଙ୍କର ଦେହାନ୍ତ ଘଟେ ଓ ଲେଖାଟି ଅପୂର୍ଣ୍ଣ ରହିଯାଏ । ସ୍ଵୟଂ ପାଟରାଣୀ ଏହାକୁ ଠାକୁର ଘରେ ରଖି ପୂଜା କରୁଥିଲେ। ପ୍ରତି ବର୍ଷ ଚୈତ୍ର ମାସର ରାମ ନବମୀଠାରୁ ୨୧ ଦିନ ପର୍ଯ୍ୟନ୍ତ ଲୀଳାକାରରେ ଏହା ପଠିତ ହେବା ସହ ସହସ୍ରାଧିକ ଜନତା ଏହାକୁ ଶୁଣି ପୁଣ୍ୟାର୍ଜନ କରୁଥିଲେ।  ହେଲେ ଗୃହଦଗ୍ଧ ହେବାରୁ ପାଣ୍ଡୁଲିପି ମଧ୍ୟ ଧ୍ଵଂସ ହେଇଗଲା । ଅନେକ ଛାନ୍ଦ ସଂଗୃହୀତ ହୋଇ ଥିବାର ଜଣାଯାଏ , ହେଲେ ପୁନଃ ଲେଖନ ହୋଇଛି କି ନାହିଁ, ତାହା ଅଦ୍ୟାବଧି ମଧ୍ୟ ଅଜ୍ଞାତ ।

                               ଧନଞ୍ଜୟ ଭଞ୍ଜଙ୍କ 'ରଘୁନାଥ ବିଳାସ' ଓ ଉପେନ୍ଦ୍ର ଭଞ୍ଜଙ୍କ 'ବୈଦେହୀଶ ବିଳାସ' ଭଳି ଏଥିରେ ରାମ ଚରିତ ବିବୃତ । ମାତ୍ର ଶୈଳୀଗତ ବୈଶିଷ୍ଟ୍ୟ ହେତୁ ଏହା ପୂର୍ବୋକ୍ତ ଗ୍ରନ୍ଥ ଦ୍ଵୟଙ୍କ ଠାରୁ ଉତ୍କୃଷ୍ଟତର ବୋଲି ଅନେକ ଆଲୋଚକ ମତ ଦିଅନ୍ତି।   ଏହାର ରସାଭିବ୍ୟକ୍ତି ସହ ଚାତୁର୍ଯ୍ୟସମ୍ପନ୍ନ ଆଳଙ୍କାରିକ ରଚନାର ଅପୂର୍ବ ସମାବେଶ ଏହାକୁ ବାସ୍ତବରେ ଏକ ଅନବଦ୍ୟ ସ୍ଥାନ ଦିଏ।  ଗ୍ରନ୍ଥ ଆରମ୍ଭରେ ମଙ୍ଗଳବାଚନା କରିସାରି ରାବଣର ଦୌରାତ୍ମ୍ୟ , ଋଷ୍ଯଶୃଙ୍ଗ ବୃତ୍ତାନ୍ତ, ସୀତା ଜନ୍ମ, ରାମଚନ୍ଦ୍ରଙ୍କ ଯଜ୍ଞରକ୍ଷା, ଶିବଧନୁ ଭଙ୍ଗ, ରାମସୀତା ବିବାହ, ସ୍ଵତନ୍ତ୍ର ଶିବିରରେ ସୀତାଙ୍କ ମଧୁଶଯ୍ୟା, ରାମଚନ୍ଦ୍ରଙ୍କ ଅଯୋଧ୍ୟା ପ୍ରତ୍ୟାଗମନ, ସୀତା ହରଣ, ସୁଗ୍ରୀବ ସହ ଶ୍ରୀରାମଙ୍କ ମିତ୍ରତା ଭଳି ବିବରଣୀମାନ ପ୍ରସଙ୍ଗ କ୍ରମେ ସୁଗଠିତ। 

                          ଛାନ୍ଦମାନଙ୍କରେ ଅନୁପ୍ରାସ, ଶ୍ଳେଷ, ରୂପକ, ଚ୍ୟୁତାକ୍ଷର, ଯମକ ଆଦିର ଅପୂର୍ବ ବିନ୍ୟାସ ଏହାକୁ ରସାମୋଦୀ ମଧ୍ୟ କରିଛି । ଆଉ ଏହି କାବ୍ୟର ଛାନ୍ଦମାନଙ୍କ ଶବ୍ଦପାଣ୍ଡିତ୍ୟରେ ମନୋହର ସଂଗୀତଧର୍ମିତା ପରିଲକ୍ଷିତ କରିହୁଏ । ତୃତୀୟ ଛାନ୍ଦରୁ ତାଙ୍କ ଶବ୍ଦସମ୍ଭାର ସହ ସମାନୁରୂପେ ଅର୍ଥଗୌରବ ମଧ୍ୟ ବର୍ଣ୍ଣନା ଚାତୁରୀରେ ସନ୍ନିବେଶିତ ହୋଇପାରିଛି । ଚତୁର୍ଥ ଛାନ୍ଦରେ ସେହିପରି ପ୍ରଥମ ଦୁଇପାଦ ପ୍ରାନ୍ତ ଯମକ ଏବଂ ଅନ୍ୟାନ୍ୟ ୧୭ ପଦତକ ଆଦ୍ୟ ଯମକରେ ସବୁ ବିରଚିତ । ପଞ୍ଚମ ଛାନ୍ଦରେ ଭଞ୍ଜଙ୍କ ଶୈଳୀ କ୍ରମଶଃ ସ୍ପଷ୍ଟତର ହୋଇ ଆସିଛି । 

                          

                       ଦଶରଥ ଋଷ୍ଯଶୃଙ୍ଗଙ୍କ ଦ୍ଵାରା ଯଜ୍ଞାନୁଷ୍ଠାନ ପୂର୍ବକ ରାମାଦି ଚାରିପୁତ୍ରଙ୍କୁ ଲାଭ କରିବାର ବର୍ଣ୍ଣନା ପଞ୍ଚମ ଛାନ୍ଦରେ ସମାବେଶିତ । ଭଞ୍ଜଙ୍କ 'ଲାବଣ୍ୟବତୀ'ର 'ଦେଖରେ ନଳିନି ! ନଳିନୀ ନଳିନୀରେ ପୂରିତ' ଅନୁରୂପ ଏଥିରେ ଅଛି :

         " ବିଂଶୈକ ଦିନ ନାରୀ ଚତ୍ବରେ ରୁଣ୍ଡ
           ଶୁଦ୍ଧ ସଲିଳେ ଶୁଦ୍ଧ କରାଇ ପିଣ୍ଡ ଯେ ,
                        ଅଙ୍ଗରେ ଚତୁଃସମ କଲେ ଲେପନ
                        ବଶିଷ୍ଠ ବଶୀଷ୍ଟାଦି ନାମକରଣ ଯେ ।

            ଯାତକ ଯାତକରେ ଜାତକ ଦେଲେ
            ନୀଳକମଳ କାନ୍ତି ଶ୍ରୀରାମ ଭାଲେ ଯେ ,
                        ଗାତ୍ରେ ଅଷ୍ଟାବ୍ଜ ଶୋଭା ଶୋଭା ଶୋଭା ଯେ
                        ଭ୍ରମେ ଭ୍ରମର ଭ୍ରମୁଛନ୍ତି ଉଲ୍ଲାସେ ଯେ ।"    

                        
                         
                               ରୀତିଯୁଗୀୟ ଶେଷ କବି ହେଉଛନ୍ତି ଯଦୁମଣି ମହାପାତ୍ର । ରୀତିଯୁଗୀୟ ଆଙ୍ଗିକ ଓ ଆତ୍ମିକ ଗଠନ କଳା ଦୃଷ୍ଟିରୁ ଏହାର ସମୟ ସୀମା ୧୫୮୦ ରୁ ୧୮୭୦ ମଧ୍ୟରେ ସୀମିତ ଅଟେ । ଏହି ମଧ୍ୟରେ ଯଦୁମଣିଙ୍କ କାଳଖଣ୍ଡ ଟିରେ ତାଙ୍କ ରୀତିଯୁଗୀୟ କବି । ପୁନଶ୍ଚ ସଂସ୍କୃତର କାବ୍ୟାଦର୍ଶ ପ୍ରେରିତ ଯଦୁମଣି ନିଜର ସାହିତ୍ୟାନୁରାଗ ମଧ୍ୟରେ ସ୍ଵଦେଶବତ୍ସଳତାକୁ ମଧ୍ୟ ତଦନୁରୂପ ପ୍ରତିଫଳିତ କରିଛନ୍ତି । ଯଶସ୍କାମୀ ବାମନତୁଲ୍ୟ କବିମାନଙ୍କ ବ୍ୟତୀତ ଯଦୁମଣିଙ୍କ କାବ୍ୟର ନିଷ୍କଳଙ୍କ ଦିଗକୁ ସେ ଦର୍ଶାଇବାକୁ ଯାଇ 'ରାଘବ ବିଳାସ' ରେ ସୁଚାରୁରୂପେ ଲେଖିଛନ୍ତି । ଆହାରୀ ଛନ୍ଦରେ ଲିଖିତ ଷଷ୍ଠ ଛାନ୍ଦରେ ସୀତାଙ୍କର ଜନ୍ମ ସହ ରାମଙ୍କ ମିଥିଳା ଆଗମନର ବାର୍ତ୍ତା ବହି ଲେଖିଛନ୍ତି :
                               

        "ଶୁଣ ସୁବିଦୁଷ ସକଳ କିଳ୍ଵିଷ ଅଙ୍ଗରୁ ହୋଇ ଦହନ
      ଜନକ ମୁନୀଶ କାଶ୍ୟପୀକି ଚାଷ କରନ୍ତେ କର୍କଶ ବହନ
                  ସକାଳେ, ସଭିଶାପେ ଖରେ ଅପ୍ସରା
ଖରେ ଯାଉଁ ଯତି ଦେଖି ବିଚାରନ୍ତି ଦୁହିତା ହୋନ୍ତାଏ ମୋ ପରା ।

              ×                    ×                  ×

     କାନ୍ତିକି ଲକ୍ଷିତ ଲକ୍ଷଣେ ସଂଯୁକ୍ତ ଲକ୍ଷଣେ ସୁକ୍ଷେଣ ସୁଗତି
       ଦୀନଜନ ନିଧି ପାଇଲା ଅବଧି ସୁଧାପତି ସିଦ୍ଧି ପ୍ରାପତି
                  ତତ୍କାଳେ, ପବିତ୍ରାଙ୍ଗି ଘେନି ସଦନେ
 ସୀମନ୍ତିନୀ-ସୀମନ୍ତିନୀ ଭୂଷା ମର୍ମେ ହୃଦୟାନନ୍ଦ ସେ ତେସନେ ।"

                               ସେହିପରି ତାଙ୍କର ଅନ୍ୟତମ ପ୍ରସିଦ୍ଧ କାବ୍ୟର ନାମ "ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର" । ପ୍ରଥମ କାବ୍ୟଟି ରାମଚରିତ ଉପରେ ଥିବାବେଳେ ଦ୍ଵିତୀୟଟି ଶ୍ରୀକୃଷ୍ଣଙ୍କ ଉପରେ ଆଧାରିତ। ସେ ଗୌଡୀୟ ବୈଷ୍ଣବ ଧର୍ମଦୀକ୍ଷା କରି ନିଷ୍ପାପ ହେବା ଦିଗରେ ଷୋଡଶ କଳା ବିଶିଷ୍ଟ ଋକ୍ମିଣୀଙ୍କ ଶୁଭପରିଣୟ ପର୍ଯ୍ୟନ୍ତ ଲମ୍ବିତ ଏହି ଗ୍ରନ୍ଥ "ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର" । ଏହି କାବ୍ୟର ଅନ୍ୟତମ ବିଶିଷ୍ଟତା ହେଉଛି ଯେ କବି ଶୃଙ୍ଗାର, ଶାନ୍ତ, କରୁଣ, ରୌଦ୍ର, ବୀର, ବୀଭତ୍ସ, ଅଦ୍ଭୁତ, ହାସ୍ୟ , ଭୟାନକ ରସମାନଙ୍କୁ ସ୍ଥଳବିଶେଷରେ ଅତି ନିପୁଣତାର ସହକାରେ ବସାଣ କରିଛନ୍ତି । ସେ ଅଭିମାନବଶତଃ ନିଜ ନାମରେ ବି ଅନେକତ୍ର ଉଲ୍ଲେଖ ଦେଇଛନ୍ତି। ପ୍ରଥମ ଛାନ୍ଦରେ ନିଜର ପ୍ରଖର ଆତ୍ମବିଶ୍ବାସ ବଳେ ସେ କହୁଛନ୍ତି :

                "ଶୂଦ୍ରମୁଖୁଁ ଏ ହୋଇଛି ବାହାର
                ରୌଦ୍ରତା ବହି କେହି ନ ବିଚାର
                ବିଧୁ ବିଧୁନ୍ତୁଦ ଉଚ୍ଛିଷ୍ଟ ଜଣା 
                ଶିବେ ବାଜେ ଚନ୍ଦ୍ରଚୂଡ଼ ବାଜଣା ଯେ
                         ପଦ୍ମାପତିଙ୍କର ପଦ ଯେ
    ସମ୍ଭବ ସମ୍ପଦ ପଦାର୍ଥରେ ବ୍ୟର୍ଥ ଖଣ୍ଡିବାର ଅପବାଦ ଯେ ।" (ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର - ୧ମ କଳା- ୭)  

                     "ଜଣେ ଶୂଦ୍ର (ବଢେଇ ଜାତି ହେତୁ) ମୁଖନିଃସୃତ କାବ୍ୟ ବୋଲି ପଣ୍ଡିତମନ୍ୟ ରୌଦ୍ରତା ବା କୋପ ପ୍ରକାଶ ନ କରନ୍ତୁ । କାରଣ ଯେପରି ରାହୁଙ୍କର ଉଚ୍ଛିଷ୍ଟ ହୋଇ ସୁଦ୍ଧା ଚନ୍ଦ୍ରକୁ ଶିବ ନିଜ ମସ୍ତକରେ ଧାରଣ କରିପାରନ୍ତି , ସେହିପରି ଏହି ବିଷୟମାନ ବିଷ୍ଣୁ ବିଷୟକ ପରମ ପଦାର୍ଥତୁଲ୍ୟ ପଦମାନ ଅଟନ୍ତି। ଏଥିରେ ମିଥ୍ୟା ଅପବାଦ ଆଣିବା ବ୍ୟର୍ଥତା ମାତ୍ର । " ସଂସ୍କୃତ ରୀତିର ପ୍ରବଳତା ସହ ମାଘ କାବ୍ୟର ନିଦର୍ଶନ ସମାନୁରୂପେ ପରିଲକ୍ଷିତ କରାଯାଏ । 'ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର' ରେ ଉତ୍କଳୀୟ ସାହିତ୍ୟକୁ ସଂସ୍କୃତ ସାହିତ୍ୟ ସମତୁଲ୍ୟ ଅଳଙ୍କାରର ପ୍ରାଧାନ୍ୟ ଦେଇ ଏହାକୁ ବେଶ୍ ଉପଭୋଗ୍ୟ କରିପାରିଛନ୍ତି । ଆଉ ଏଥିରେ ମଧ୍ୟ ସେ ନିଜର ରସିକତା ପ୍ରଦାନ ପୂର୍ବକ ଏହାକୁ ଜନପ୍ରିୟ କରାଇ ପାରିଛନ୍ତି । 

                           ଯଦୁମଣି ତାଙ୍କ ଗ୍ରନ୍ଥରେ ଋକ୍ମିଣୀଙ୍କ ମଧ୍ୟରେ ହାସ୍ୟରସର ଅତୀବ ଉଚ୍ଚକୋଟୀର ଅବଧାରଣା କରିଛନ୍ତି । ହାସ କ୍ରୀଡାରତ ଋକ୍ମିଣୀ ରାଜଦରବାରର ସବୁ କାର୍ଯ୍ୟତକ ଲକ୍ଷ୍ୟ କରି ଏକଦା ଏକ ଭାଟର ଚତୁରତାଭରା କୁଶଳ କଥାମାନ ଶୁଣି ଏପରି ଅପାଙ୍ଗ ଢାଳିଲେ ଯେ ସଖୀଗଣ କହିଲେ, "ଜେମା ସେ ତ ଏଠାରେ ନାହିଁ, ଏହା କଥା ମାତ୍ର । ତୁ ଏପରି ଭାବରେ ଅପାଙ୍ଗ ଢାଳିଲୁ ଯେ ସେ ପୁରୁଷଟି ଏଠି ଥିଲେ ତ ତାହା ଦେଖି ମରି ଯାଇ ଥାନ୍ତା । ' କିନ୍ତୁ କବିଙ୍କ ଅନ୍ୟ କଳାରେ ରହିଛି ଋକ୍ମିଣୀଙ୍କ ହାସ୍ୟର ଅତି ଚମତ୍କାର ବର୍ଣ୍ଣନା : 

    "କ୍ଷୀରସାଗର ଉଦର ଆଦରିଛି    ନବମୁଦିର ଜ୍ୟୋତିସଙ୍ଗ
     ଚଣ୍ଡୀ ନିଶିଧବ ଧବଳେ ମିଶିଛି    ଅଧବଳ ବିଷ କୁରଙ୍ଗ ।
                              ହାସେ ରାମାର 
                         ନୀଳିମାର ନାହିଁ ସଞ୍ଚାର,
     ଏପରି ବିଦଗ୍ଧ କୀର୍ତ୍ତି ଯାର ଶୁଦ୍ଧ ସେହି ଏହି କଳା ବିଚାର ।"
     

     ( ତୃତୀୟ କଳା, ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର, ରାଗ - ଆହାରୀ )        
     

                           କ୍ଷୀର ସାଗର ମଧ୍ୟରେ ନବମେଘ ଜ୍ୟୋତି ସମ୍ପନ୍ନ ବିଷ୍ଣୁ ଅଙ୍ଗ ଅନନ୍ତ ଶୟନରେ ଥିବାରୁ ତାହା ସମ୍ପୂର୍ଣ୍ଣ ଧବଳ ହୋଇନପାରି ଧବଳତା ଭ୍ରଷ୍ଟ ହୋଇଛି । ପାର୍ବତୀକାନ୍ତ ଶିବ ମଧ୍ୟ ରଜତଗିରିନିଭ ଧବଳ ରଙ୍ଗ ହୋଇଥିଲେ ମଧ୍ୟ ତାଙ୍କର କଣ୍ଠ ବିଷ ଦ୍ଵାରା ସୁନୀଳିମ ହେତୁ ସେ ମଧ୍ୟ ସମ୍ପୂର୍ଣ୍ଣ ଧବଳ ନୁହଁନ୍ତି।  ନିଶିଧବ ଅର୍ଥାତ୍, ନିଶାକର ଚନ୍ଦ୍ରମା ସମ୍ପୂର୍ଣ୍ଣ ଧବଳ ହେଇ ମଧ୍ୟ କୃଷ୍ଣରଙ୍ଗର ଅଙ୍କ ଧରିଥିବାରୁ ସେ ମଧ୍ୟ ସମ୍ପୂର୍ଣ୍ଣ ଧବଳ ନୁହେଁ।  ହେଲେ ରମଣୀ ଜେମା ଋକ୍ମିଣୀଙ୍କ ହାସ୍ୟରେ ସେହିପରି ନୀଳିମାର ସଂଚାର ମାତ୍ର ନାହିଁ, ଅର୍ଥାତ୍ ଋକ୍ମିଣୀଙ୍କ ହାସ୍ୟ ଏତେ ଶୁଦ୍ଧକୀର୍ତ୍ତି ଧାରଣ କରେ ଯେ ତାହା ଅମଳିନ ଓ ସେହିପରି ଅମଳିନ ହସକୁ ଧାରଣ କରି ଥିବା ବିଶୁଦ୍ଧ ମନସ୍କ ହିଁ ଛାନ୍ଦର କଳା ବିବେଚନା କରିବେ । 

                           ଯଦୁମଣି ମହାପାତ୍ରଙ୍କର ଅନେକ ପଦମାନଙ୍କର ଭାବରେ ଆତ୍ମାଭିମାନର ଦୃଷ୍ଟାନ୍ତ ଥିଲେ ମଧ୍ୟ ଏହା ଅପେକ୍ଷା ଆଭିଜାତ ରାଜଗୁରୁ ଗୃହରେ ଅହଂକାର ଅତି ଅଧିକ ସେତେବେଳେ ଥିଲା। ଏକଦା ରାତ୍ର ଆଉ ଶତ୍ରୁମାନଙ୍କୁ ମୁହଁ ନ ଦେଖାଇ ଯତ୍ ସାମାନ୍ୟ ବିଦାକି ନେଇ ଗୃହାଭିମୁଖେ ରାଜଗୁରୁଙ୍କ ବଳଦ ଗାଡିରେ ଚଢି ମହାନଦୀ ଘାଟଯାଏଁ ଚାଲିଗଲେ।  ଅବା ସେ ଦୁଇଦିନ ରହିଥାନ୍ତେ, କିନ୍ତୁ ସେହି ଗ୍ରାମରେ ତାଙ୍କ ଶତ୍ରୁଙ୍କ ଘର ଥିଲା। ବିଶେଷରେ ସମସ୍ତ ଘଟଣା ଜାଣି ପାରିଥିବାରୁ ଲାଞ୍ଛିତ ସ୍ଥାନରେ ଏ ଦୁର୍ବଳ ଶରୀର ଘେନି ମୁହୂର୍ତ୍ତେ ରହିବାକୁ ଇଚ୍ଛା କରି ନ ଥିଲେ।
                        

                                ସମସ୍ତ ଗୁମାନ ଫିଙ୍ଗି ଦେଇ ସହସ୍ରାଧିକ କୋଶ ଦୂରରେ ସେ ଶତ୍ରୁମାନଙ୍କ ପାଶ ଛାଡି ଚାଲି ଆସିଲେ ପରମ ପବିତ୍ର ପୁରୁଷୋତ୍ତମ କ୍ଷେତ୍ରକୁ। ବହୁ କଷ୍ଟରେ ଗ୍ରାମରେ ପହଞ୍ଚିବା ପରେ ତାଙ୍କୁ ସାମାନ୍ୟ ଜ୍ୱର ହେଲା। ଶ୍ରୀ ଗୁଣ୍ଡିଚା ଦିନ ସେ ଅଗଣାର ଚଉଁରା ମୂଳେ ନିଃସହାୟ ଦୁଃଖାର୍ତ୍ତ ଭାବରେ ଦୁର୍ବଳ ଦେହକୁ ଗୋଟିଏ ବତୀ ଦିଆ ଖୁଣ୍ଟିକୁ ଆଉଜାଇ ଗାଉଥିଲେ -

          " ଓଜଶୀଳ ଭୋଜରାଜ ଜୀବନ ହରଣେ ତେଜ
                  ଅର୍ପଣ କଲ କୃପଣ ନୋହି ।" ଗୀତଟି ।

                               ଆଖରୁ ଲୁହ ବୋହି ଯାଉଥାଏ। ପୁଅ ତାଳଧ୍ୱଜ ପ୍ରସାଦ ଧରି ଘରେ ପହଞ୍ଚନ୍ତେ ସେ ପଚାରିଲେ - "ବାପା, ଠାକୁର କେଉଁଠି ?"  ପୁଅ କହିଲେ- ଠାକୁରେ ରଥକୁ ବିଜେ ହେଉ ଅଛନ୍ତି।  କ୍ଷୀଣ ସ୍ୱରରେ ଶୁଭିଲା- 

       " ପାତକୀ ମୁକୁଟ ଶ୍ରେଣୀ       ଶିରୋମଣି ଯଦୁମଣି 
                    ମନ ତିଳେ ନେଇ ନ ପାରିବ।"
      
                          ପଶ୍ଚିମକୁ ମୁଖ କରି ଦୁଇ ହାତ ବଢାଇଥାନ୍ତି। ହଠାତ୍ ଅସ୍ପଷ୍ଟ ଧ୍ୱନି ଶୁଭିଲା। ସେ ଖୁଣ୍ଟି ଆଶ୍ରାରୁ ତଳେ ପଡିଗଲେ। ପୁଅ ବୋହୂ ଯାଇ ଧରିପକାଇ ଦେଖିଲେ ସେ ଆଉ ନାହାନ୍ତି । ସେଦିନ ୧୮୬୬ ମସିହା। ଆଷାଢ ଶୁକ୍ଳ ଦ୍ୱିତୀୟା , ଶ୍ରୀଗୁଣ୍ଡିଚା। ୨/୭/୧୮୬୬  ମସିହା ୧୨୭୩ ସାଲ୍ ଦିବ୍ୟସିଂହ ଦେବଙ୍କ ୮ ଅଙ୍କ ରବିବାରରେ ଏହି ମହା ମନସ୍ୱୀ ଢଳିପଡିଲେ। ସହସ୍ରାଧିକ ଲୋକ ଜମିଗଲେ । କାତର ଧ୍ୱନି ଚଉଦିଗରେ ମାଡି ଚାଲିଲା। ଅରଣ୍ୟ ତୁଳସୀ ଛଅ ଖଣ୍ଡି କାଠରେ ମୁହୂର୍ତକେ ପାଉଁଶ ମେଞ୍ଚାଟିଏ ରେ ପରିଣତ ହେଲେ।  ଘରେ ଘରେ ଶୁଣାଗଲା - 

    "ପରମ ପାତକୀ ଶ୍ରେଣୀ          ଶିରୋମଣି ଯଦୁମଣି 
                  ମନ ତଳେ ନେଇ ନ ପାରିବ 
     ଏହି ଉଦ୍ଧାରଣେ ଯେବେ       ଚିତ୍ତ ଦେଇପାର ଲବେ
                 ତେବେ ସିନା ଦାତା ବୋଲାଇବ
                     ନୀଳାଚଳ କଳାକାର
                      ସତ କି ଏ ମିଛ ?
     ଦେଲ ଯାହା ନେଲ ତାହା         ଏଥକୁ କିପାଇଁ ମହା
                  ଦାତାପଣେ ପତାକା ବାନ୍ଧିଛ?"
                  

          
                     ଜାତିର ଏକ ମହାପ୍ରଦୀପ ସେ ସେହି ଶ୍ରୀଗୁଣ୍ଡିଚା ଦିବସରେ ଲିଭି ଯାଇଥିଲା- ଏବେ ମଧ୍ୟ ସେଦିନର ସ୍ମୃତି ଜାତୀୟ ଜନତା ଉପଲବ୍ଧି କରିପାରି ନାହାନ୍ତି। ସେପରି ମଧ୍ୟ ଅତୀତର ମହାନ ଜାତି ନିର୍ମାତାଙ୍କୁ ବିଦେଶୀ ବୋଲି ପ୍ରମାଣ କରିବାକୁ କୁଚକ୍ରାନ୍ତକାରୀମାନେ ଜୀବନମୂର୍ଚ୍ଛା ଲଢୁଛନ୍ତି । କିସ ପୁଣି ଦେଖା ନ ଯାଏ ! ହାୟରେ ହତଭାଗ୍ୟ ଅବିଜିତ ସାହସିକ ବୀରେନ୍ଦ୍ର କେଶରୀ ଜାତି ! 
                     

                               ଆଜି ସିନା ଆମେ ପାଳୁଛେ ଯଦୁମଣିଙ୍କ ଜନ୍ମଦିବସ । ହେଲେ ଆଜି ଓଡିଆ ଜାତିର ବିଶ୍ଵଜନୀନ ଭାବଧାରା ସହ ଆଜି ଏହା ଆମ୍ଭର ନିତାନ୍ତ ପାଥେୟ ହେବା ଆବଶ୍ୟକ , ପୂଜ୍ୟପୂଜାର ଧର୍ମ ଓ ମର୍ମ ଏହାର ଅନୁଷ୍ଠାନରେ ନୁହେଁ, ବରଂ ପାଥେୟ କାମ୍ଯ ମହନୀୟତାରେ ଅବହିତ ହୁଏ । ଯଦୁମଣିଙ୍କ ଅକୁତୋଭୟ ସ୍ଵଭାବ ସହ ଉତ୍କଳୀୟ ମାଟିରେ ସ୍ଵକୀୟ ପ୍ରତିଭା, ପ୍ରତ୍ୟୁତ୍ପନ୍ନମତିତା ତଥା ବାଣୀ-ନିରାଜନାରେ ଜୀବନ ଅବଗାହନର ମନ୍ତ୍ର ଫୁତ୍କାର ଆଜି ଶତପ୍ରାଣକୁ ଉଦ୍ଦୀପିତ କରୁ ― ଏହା ଗୋଟିଏ ଅଧମାଧମ ତରୁଣର ପାଥେୟ ହେଲା । 
                            

       ........... Amritesh Khatua  
       (© ଅମୃତେଶ ଖଟୁଆ ; ଦିନାଙ୍କ : ୦୮/୦୧/୨୦୨୧)

ଲୁହ

ଅଟକୁନି ଲୁହ  ବୋହି ଚାଲୁଛି ଅନବରତ ଆଖିବି ନିଜର କରି ରଖି ପାରୁନି  ଏ ଲୁହକୁ,,,, ବାସ୍ ଝରି ଯାଉଛି ଟୋପା ଟୋପା ହୋଇ! ମନର ବ୍ୟଥା  ହୃଦୟର କୋହ  ସତରେ ଭା...