Wednesday, September 29, 2021

● “ଶୂନ୍ୟ ‘୦” ସଂଖ୍ୟା” ●

                  
                ✍   ଉପସ୍ଥାପନା; ଶିଶିର ସାହୁ ମନୋଜ 

 ଆଜଟେକ୍ସ, ଇନକା ଓ ଇଜିପ୍ଟର ପ୍ରାଚୀନ ମାନଵ ସଭ୍ୟତାରେ ମଧ୍ୟ ଶୂନ୍ୟ ଆକାରର ଵିଭିନ୍ନ ଚିହ୍ନ ଆଵିଷ୍କାର ହୋଇଥିଲା । ପ୍ରାଚୀନ ଇଜିପ୍ଟରେ nfr (𓄤) ବୋଲି ଏକ ଚିହ୍ନ ଵ୍ୟଵହାର ହେଉଥିଲା । ପ୍ରାଚୀନ ଇଜିପ୍ଟରେ ଏହାକୁ Nefertiti, Nefertari ଓ Neferhotep ଆଦି ଵିଭିନ୍ନ ନାମରେ ଜଣାଯାଉଥିଲା ।  ଏହା ଶୂନ୍ୟ ଅର୍ଥରେ ଵ୍ୟଵହାର ହେଉଥିଲା କି ନାହିଁ ସ୍ପଷ୍ଟ ନୁହେଁ ତେବେ କେତେକ ଗଵେଷକ କୁହନ୍ତି  ପ୍ରାଚୀନ ଇଜିପ୍ଟରେ ଗୃହନିର୍ମାଣ ସମୟରେ 'nfrw' ଶବ୍ଦ 'level zero'  ଓ  'nfr'  zero balance ଅର୍ଥରେ ପ୍ରୟୋଗ ହେଉଥିଲା । nfr (𓄤)ର ଅର୍ଥ ଉଦାରହୃଦୟ , ସୁନ୍ଦର,ଭଲ ଓ ଉତ୍କୃଷ୍ଟ ବୋଲି କେତେକ ଅଭିଧାନରେ ଉଲ୍ଲେଖ ରହିଛି । ଆମେରିକାର ପ୍ରାଚୀନ ମାୟା ସଭ୍ୟତାର ଗଣନ ପଦ୍ଧତିରେ 𝋠 ବୋଲି ଏକ ଚିହ୍ନ ଯାହା ଦେଖିଵାକୁ ଖାଲି ଶଙ୍ଖ 🐚 ଶାମୁକା 🦪 ଵା 🐌 ଘୁଲି ଆକାରର ,ଏହାକୁ ଶୂନ୍ୟ ଅର୍ଥରେ ଵ୍ୟଵହାର କରାଯାଉଥିଵା ଜଣାଯାଏ । ଗଵେଷକମାନେ କୁହନ୍ତି ଆମେରିକାର ପ୍ରାଚୀନ ଅଧିଵାସୀ ଲୋହିତ ଭାରତୀୟମାନେ ମଧ୍ୟଏସିଆ ଓ ସାଇବେରିଆକୁ ପାରକରି ଆଲାସ୍କା ଦେଇ ଆମେରିକାରେ ପଦାର୍ପଣ କରିଥିଲେ । ସେଠାରୁ ସେମାନେ ସାରା ଆମେରିକାରେ ଵ୍ୟାପି ଯାଇଥିଲେ ଏଵଂ ହଜାର ହଜାର ଵର୍ଷ ଵସଵାସ କଲାପରେ ସେମାନଙ୍କର ମାୟା,ଇନକା ଓ ଆଜଟେକ୍ସ ଆଦି ସଭ୍ୟତା ଗଢିଉଠିଥିଲା । ଭାରତୀୟ ପୁରାଣକଥାରେ ସପ୍ତଦ୍ଵୀପ ଵା ସାତଗୋଟି ମହାଦେଶର କଥା ରହିଛି । ପୁରାଣକୁ ଇତିହାସ ମନେକରୁଥିଵା ଲୋକେ ଵିଶ୍ଵାସ କରନ୍ତି ଯେ ଏମାନେ ପୁରାଣୋକ୍ତ ସେହି ସପ୍ତଦ୍ଵୀପ ମଧ୍ୟରେ ଦୁଇ ଦ୍ଵୀପରେ ଵାସକରୁଥିଵା ଅଧିଵାସୀ । ହୁଏତ ପ୍ରାଚୀନ କାଳରେ ଲୋହିତ ଭାରତୀୟମାନଙ୍କ ସହିତ ପୁରୁଣା ଵିଶ୍ଵର ଲୋକଙ୍କର  କୌଣସି ପ୍ରକାରେ ସମ୍ପର୍କ ରହିଥିଲା ଫଳତଃ ସେମାନେ ଶୂନ୍ୟ ତଥା ସଂଖ୍ୟାଗଣନର ଵ୍ୟଵହାର ଜାଣିଥିଲେ । ଅଦ୍ୟପି ପାଶ୍ଚାତ୍ୟ ଗଵେଷକମାନେ କୁହନ୍ତି ଯେ ସେମାନେ ଆପେ ଖାଲି  ଘୁଲି ଵା ଶଙ୍ଖର ଖୋଳପକୁ ଶୂନ୍ୟର ସଂଜ୍ଞା ଦେଇ ଏଭଳି ଏକ ଆଵିଷ୍କାର କରିଥିଲେ । 
 

କିଛି ଵର୍ଷ ତଳେ ଭାରତଵର୍ଷର ଗ୍ଵାଲିୟର ଦୁର୍ଗ ମଧ୍ୟରେ ଅଵସ୍ଥିତ ଏକ ଛୋଟିଆ ମନ୍ଦିର କାନ୍ଥରେ ଶୂନ୍ଯ (୦) ଅଙ୍କିତ ହୋଇଥିଵା ଜଣାପଡି଼ଲା ।  ଏହାକୁ ଶୂନ୍ଯ  ଲିଖନର ଦ୍ଵିତୀୟ ପୁରାତନ ଜ୍ଞାତ ଉଦାହରଣ ବୋଲି ଅଭିହିତ କରାଯାଇଛି । ଗଵେଷକଙ୍କ ମତରେ ଉକ୍ତ ମନ୍ଦିରରେ ସେହି ଶୂନ୍ଯକୁ ଆଜକୁ ପ୍ରାୟ ୧୫୦୦ ଵର୍ଷ ପୂର୍ଵେ ଅଙ୍କିତ କରାଯାଇଥିଲା ।

ସେହିପରି ପ୍ରାଚୀନ ବକ୍ଷାଳୀ ପାଣ୍ଡୁଲିପିରେ ଶୂନ୍ଯର ପ୍ରୟୋଗ କରାଯିଵା ସହ ସେଥିରେ ତହିଁର ସଂକେତ ମଧ୍ୟ  ନିଶ୍ଚିତ ହୋଇଥିଲା । ବକ୍ଷାଳୀ ପାଣ୍ଡୁଲିପି କେବେ ଲେଖାଯାଇଥିଲା ତାହା ଆଜି ବି ଅସ୍ପଷ୍ଟ କିନ୍ତୁ ଆର୍ଯ୍ୟଭଟ୍ଟଙ୍କ ପୂର୍ଵରୁ ଏହା ଲେଖାଯାଇଥିଵା ଜଣାଯାଏ । 

ବକ୍ଷାଳୀ ପାଣ୍ଡୁଲିପି ମଧ୍ୟରେ ଶୂନ୍ଯକୁ  ଏକ ବିନ୍ଦୁ (Dot) ରୂପରେ ନିରୂପିତ କରାଯାଇଛି ଏଵଂ ତାହାକୁ  'ଶୂନ୍ଯସ୍ଥାନ' କୁହାଯାଇଛି। ପରେ  ନାଟ୍ୟକାର ସୁବନ୍ଧୁ ତାଙ୍କର ଵାସଵଦତ୍ତା ନାଟକରେ 'ଶୂନ୍ଯବିନ୍ଦୁ' ଶବ୍ଦ ଵ୍ୟଵହାର କରିଛନ୍ତି । ଗଣିତର ଇତିହାସ ଦୃଷ୍ଟିରୁ ଵାସଵଦତ୍ତା ନାଟକ  ମହତ୍ଵପୂର୍ଣ୍ଣ କାରଣ ଏଥିରେ ସୁବନ୍ଧୁ  "ଶୂନ୍ଯବିନ୍ଦୁ" ଶବ୍ଦର ପ୍ରୟୋଗ କରିଛନ୍ତି ।   ଶୂନ୍ଯର ସ୍ଵରୂପ (ଆକାର) ଵିଷୟରେ ଉଲ୍ଲେଖ ଏହି ଗ୍ରନ୍ଥରେ ମିଳିଥାଏ ।‌

ଵିଶ୍ଵଂ ଗଣୟତୋ ଵିଧାତୁଃ ଶଶିକଠିନୀଖଣ୍ଡେନ ତମୋମଷୀଶ୍ଯାମେଽଜିନ ଇଵ ଵିୟତି ସଂସାରସ୍ଯାତିଶୂନ୍ଯତ୍ଵାତ୍ ଶୂନ୍ଯବିନ୍ଦଵ ଇଵ ଵିତତାସ୍ ତାରା ଵ୍ଯରାଜନ୍ତେତି।”

(ଅର୍ଥ - ଵିଧାତା ଵିଶ୍ଵର ଗଣନା କରନ୍ତି । ତାଙ୍କ ପାଖରେ ଚନ୍ଦ୍ରରୂପୀ ସୁଧାଖଣ୍ଡ  ଅଛି । ଅନ୍ଧକାରରୂପୀ ସ୍ଯାହୀଯୁକ୍ତ କଳା ଆକାଶରୂପୀ ମୃଗଚର୍ମ ଅଛି । ଗଣନା କରି ଵିଧାତାଙ୍କର ମନେ ହେଉଛି ଯେ ଏ ସଂସାର ଶୂନ୍ଯ ଅଟଇ ।  ଏଥିରେ କିଛି ବି ନାହିଁ ‌ । ତହୁଁ ସେହି ସୁଧାଖଣ୍ଡ ସାହାଯ୍ୟରେ ସେ ମୃଗଚର୍ମ ଉପର ତାରା ରୂପକ ଶୂନ୍ଯବିନ୍ଦୁ ସୃଷ୍ଟି କରିଅଛନ୍ତି । ସେହି ତାରା ଉକ୍ତ କାଳଵିଶେଷରେ ପ୍ରକାଶିତ ହେଉ ଥିଲେ ।)

ତେବେ ୨୦୧୭ରେ, ଵକ୍ଷାଳୀ ପାଣ୍ଡୁଲିପିରୁ  ତିନୋଟି ନମୁନା ନେଇ ତହିଁର ରେଡିଓକାର୍ବନ ଵିଶ୍ଲେଷଣ କରାଗଲା । ପରୀକ୍ଷଣରୁ ପ୍ରାପ୍ତ ପରିଣାମ ଆଶ୍ଚର୍ଯ୍ୟଜନକ ଥିଲା । କାରଣ ସେହି ତିନିଗୋଟି  ନମୁନାର ସମୟକାଳ ତିନୋଟି ଭିନ୍ନ ଭିନ୍ନ ଶତାବ୍ଦିର ବୋଲି ଜଣାପଡି଼ଥିଲା । ପ୍ରଥମ ନମୁନାଟି ୨୨୪CEରୁ  ୩୮୩CE,
 ଦ୍ଵିତୀୟଟି  ୬୮୦CEରୁ–୭୭୯CE, ତଥା ତୃତୀୟ ନମୁନାଟି ୮୮୫CEରୁ–୯୯୩CEର ହୋଇଥିଵା ଜଣାପଡି଼ଲା । ଏହି ପ୍ରଶ୍ନର  ଉତ୍ତର ଆଜି ବି ମିଳିପାରିନାହିଁ ଯେ ଭିନ୍ନ ଭିନ୍ନ ଶତାବ୍ଦୀରେ ରଚିତ ଭୋଜପତ୍ର ଲିଖିତ ପୃଷ୍ଠା କେମିତି, କିପରି ,କିଏ ଓ କାହିଁକି ଏକାଠି ଯୋଡି଼ଥିଲା । 

ଵିଭିନ୍ନ ସଭ୍ୟତାରେ ଶୂନ୍ୟ ସମସାଦୃଶ୍ୟ ଚିହ୍ନ ଥିଲେ ହେଁ ଭାରତରେ ଆର୍ଯ୍ୟଭଟ୍ଟଙ୍କ ଦ୍ଵାରା ଏହାର ଵିଶେଷ ଵ୍ୟଵହାର ଵିଧିର ଆଲୋଚନା କରାଯାଇଥିଲା ।

ଗଣିତରେ ଶୂନ୍ଯ, ପ୍ରଥମ ପ୍ରାକୃତିକ ପୂର୍ଣାଙ୍କ ସଂଖ୍ଯା ଅଟେ । ଏହା ଅନ୍ଯ ସମସ୍ତ ସଂଖ୍ଯାଦ୍ଵାରା ଵିଭାଜିତ ହୋଇ ଯାଏ  । କେଵଳ ଶୂନ୍ଯ ହିଁ ଏକମାତ୍ର ସଂଖ୍ଯା ଅଟେ ଯାହା ଵାସ୍ତଵିକ, ଧନାତ୍ମକ, ଋଣାତ୍ମକ, ଏଵଂ ପୂର୍ଣତଃ କାଳ୍ପନିକ ବି ଅଟଇ ‌ ।

 ଆରବୀୟମାନେ ଭାରତୀୟମାନଙ୍କ ସହିତ ଵ୍ୟାପାର ଵାଣିଜ୍ୟ କରୁଥିଵାରୁ ସୁମାରି କରିଵା ହେତୁକ ସେମାନଙ୍କୁ ଉନ୍ନତ ଗଣନ ପଦ୍ଧତିର ଆଵଶ୍ୟକତା ହୋଇଥିଲା । ଫଳତଃ ସେମାନେ ଭାରତୀୟ ଗଣନ ପଦ୍ଧତିକୁ ଅଙ୍ଗୀକାର କଲେ । ସେମାନେ ଶୂନ୍ୟ ଶବ୍ଦକୁ ନେଇ   صِفْر‎ (ṣifr, “nothing, cipher”)କହିଲେ, ପରେ ତାହା ଲାଟିନ୍ ଭାଷାରେ zephirum ହେଲା ଏଵଂ 
ସ୍ପେନ, ଇଟାଲୀ ଓ ଫ୍ରାନ୍ସର ଲୋକେ ଉକ୍ତ ଶବ୍ଦକୁ ନେଇ zero ଭାବେ ଵ୍ୟଵହାର କଲେ । 

ଭାରତୀୟ ଶୂନ୍ୟ ଶବ୍ଦର ଦୁଇଗୋଟି ସମ୍ଭାଵିତ ନିରୁକ୍ତି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଲେଖାଅଛି...
⚫ସୁ(ଅତିଶୟ)+ଊନ(ନ୍ଯୂନ)+ଯ => ଶୂନ୍ୟ
⚫ଶୂନା(ପ୍ରାଣୀଵଧ)+ହିତାର୍ଥେ. ଯ => ଶୂନ୍ୟ

ତେବେ ପାଶ୍ଚାତ୍ୟ ଭାଷାଵିଦମାନେ ଏହି ଶୂନ୍ୟ ଶବ୍ଦର ମୂଳ ପ୍ରାକ୍ ଭାରୋପୀୟ ଧାତୁ *ḱewh₁- (“to swell”) ସହିତ ସମୋଦ୍ଧୃତ ବୋଲି ମତ ଦିଅନ୍ତି ।
 Avestan ଭାଷାର  𐬯𐬏𐬭𐬀‎ (sūra) ଶବ୍ଦର ଅର୍ଥ ଗାତ,ଛିଦ୍ର ଏଵଂ ଗୋଟିଏ ସମତଳ ସ୍ଥାନରୁ କିଛି ଦ୍ରଵ୍ୟ ଖାଲି କରିଦେଲେ ଶୂନ୍ୟ କରିଦିଆଗଲେ ତାହା ଗାତ ଅଭିହିତ ହୋଇଥାଏ । ସେହିପରି Armenian ଭାଷାର սոր (sor) ଶବ୍ଦର ଅର୍ଥ ମଧ୍ୟ ଗାତ ଵା ଛିଦ୍ର । ହିନ୍ଦୀରେ ମଧ୍ୟ सुराख़ ବୋଲି ଏକ ଵୈଦେଶିକ ମୂଳର ଶବ୍ଦ ଛିଦ୍ର ଵା କଣା ଅର୍ଥରେ ଚଳୁଅଛି ।  ପାଶ୍ଚାତ୍ୟ ଭାଷାଵିଦମାନେ କୁହନ୍ତି ଶୂନ ସହିତ ଗ୍ରୀକ୍ ଭାଷାର κύλα (kúla, “holes under the eyelids”) ଓ κοῖλος (koîlos, “hollow”) ମଧ୍ୟ ସଗୋତ୍ରୀୟ ସମ୍ବନ୍ଧ ରହିଛି ‌ । ଏହିପରି ଲାଟିନ୍ cavus (“hollow”) ମୂଳର cave(ଗୁମ୍ଫା) ଶବ୍ଦଟି ମଧ୍ୟ ଶୂନ୍ୟ ଶବ୍ଦ ସହିତ ସମୋଦ୍ଧୃତ ଅର୍ଥାତ୍ ସମ ମୂଳରୁ ଉଦ୍ଧୃତ । *ḱewh₁, ଏହି ଗୋଟିଏ ମୂଳ ଭାରୋପୀୟ ଶବ୍ଦରୁ ଏହିପରି ଆହୁରି ସହସ୍ର ସହସ୍ର ଶବ୍ଦ ଵିଭିନ୍ନ ଭାରୋପୀୟ ସୃଷ୍ଟି ହୋଇଅଛି ଏଵଂ ପାଶ୍ଚାତ୍ୟ ଭାଷାଵିଦମାନେ ସେହି ମୂଳ ଶବ୍ଦଟିକୁ Proto Indo European root ଆଖ୍ୟା ଦେଇଛନ୍ତି । 
 
ଅସ୍ତୁ ଶୂନ୍ୟ ଶବ୍ଦଟି ଭାରତୀୟ ମାନକ ଶାସ୍ତ୍ରୀୟ ଭାଷା ସଂସ୍କୃତ ତଥା ଓଡ଼ିଆରେ ରିକ୍ତତାସୂଚକ ବିନ୍ଦୁ 'ଠ' ସଂଖ୍ଯା ଵା ନଥିଵାର ପରିଚାୟକ ମୁଣ୍ଡଳା ଵ୍ୟତୀତ ଆହୁରି ଅନେକ ଅର୍ଥରେ ଵ୍ୟଵହୃତ ହୋଇଥାଏ । ଆକାଶକୁ ଶୂନ୍ୟ କୁହାଯାଏ ପୁନଶ୍ଚ ଶୂନ୍ୟ ମଣ୍ଡଳ ଶବ୍ଦର ମଧ୍ୟ ଆମ୍ଭ ଭାଷାରେ ଵ୍ୟଵହାର ରହିଛି । ବାୟୁ ଵା ଅନ୍ଯଵସ୍ତୁ ରହିତ ରିକ୍ତ ସ୍ଥାନ ଯଥା ଅନ୍ତରୀକ୍ଷକୁ ଶୂନ୍ୟ କୁହାଯାଏ । ଅଭାଵ, ରିକ୍ତତା,ନିର୍ଜ୍ଜନସ୍ଥାନ,ଅନଵସ୍ଥିତି ଆଦି ଅର୍ଥରେ ଶୂନ୍ୟ ଶବ୍ଦଟି ଏକ ଵିଶେଷ୍ୟ ଶବ୍ଦ ପରି ପ୍ରୟୋଗ ହେଉଥିଵା ବେଳେ ଏ ଶବ୍ଦ ଵିଶେଷଣ ଭାବେ  ରିକ୍ତ,ଖାଲି, ଫମ୍ପା,ନିର୍ଜ୍ଜନ,ନିସ୍ତଵ୍ଧ,ତୁଚ୍ଛ, ଅନଵସ୍ଥିତ ଵା ସ୍ଥିତିରହିତ,ଵିଷର୍ଣ୍ଣ, ଅପକ୍ଷାପାତ,କପଟତା ହୀନ ଓ ନିରର୍ଥକ ଅର୍ଥରେ ଵ୍ୟଵହୃତ ହୋଇଥାଏ । ହୀନ ଅର୍ଥରେ 
 ଅନ୍ୟ ଶବ୍ଦ ସଙ୍ଗେ ଶୂନ୍ୟ ଶବ୍ଦ ଯକ୍ତ ହୋଇଥାଏ ଯଥା—ଧନଶୂନ୍ୟ; ପ୍ରାଣଶୂନ୍ୟ ଇତ୍ୟାଦି । 

ଓଡ଼ିଆ ଭାଷାରେ ଶୂନ୍ୟ ଶବ୍ଦଟି ଚାରିଗୋଟି ସ୍ବତନ୍ତ୍ର ଅର୍ଥରେ ଵ୍ୟଵହୃତ ହୋଇଥାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି ।

ଓଡ଼ିଆ ଭାଷାରେ ଵିଶେଷ୍ୟ ଭାବେ ବିନ୍ଦୁ ଅର୍ଥରେ ଶୂନ୍ୟ ଶବ୍ଦର ଵ୍ୟଵହାର ହୋଇଛି ।

ତୋ ଵର୍ଣ୍ଣ ବେଦରୁ ବାହାର, 
ଠୁଳ ଶୂନ୍ୟରୁ ଅଭ୍ଯନ୍ତର।”
( ଭୂପତି ରାୟ, ପ୍ରେମ ପଞ୍ଚାମୃତ) 

ଵିଶେଷଣ ଶବ୍ଦ ଭାବେ ଶୂନ୍ୟ ଶବ୍ଦଟି ଓଡ଼ିଆ ଭାଷାରେ ତିନୋଟି ଅର୍ଥରେ ଵ୍ୟଵହାର ହୋଇଥାଏ ।
(କ)ଯହିଁରେ କୌଣସି କାରଣ ନିର୍ଣ୍ଣୟ କରାୟାଇ ନ ପାରେ ସେ ସ୍ଥିତିକୁ ଆମ ଭାଷାରେ ଶୂନ୍ୟ କୁହାଯାଏ । ସାଧାରଣତଃ ଏ ଅର୍ଥରେ ଶୂନ୍ୟ ଶବ୍ଦଟି ଅନ୍ୟ ଶବ୍ଦ ସହିତ ଯୁକ୍ତ ହୋଇଥାଏ ଯଥା—ଶୂନ୍ୟଫୋଟକା, ଶୂନ୍ୟଫୁଲା।

 (ଖ)ଆକାଶରୁ ଶୁଣାଯିଵାକୁ ଶୂନ୍ୟ କୁହାଯାଏ ।
  ଯଥା — ଶୂନ୍ୟଵାଣୀ,ଶୂନ୍ୟଶବଦ ଇତ୍ୟାଦି 
  । ଶୂନ୍ୟ ଶବଦ ଏହା ଶୁଣି ।
   ଆନନ୍ଦେ କର୍ଣ୍ଣ ବୀରମଣି । 
   ଦାଢ୍ୟତା ଭକ୍ତି,କର୍ଣ୍ଣରାଜା ସମ୍ବାଦ
 
 (ଗ)ଯନ୍ତ୍ର ପରିଚାଳିତ, ଯାହା ଦୃଶ୍ଯମାନ ଜୀଵଜନ୍ତୁଙ୍କଦ୍ବାରା ଚାଳିତ ନୁହେଁ ତାକୁ ଶୂନ୍ୟ କୁହାଯାଏ 
 ଯଥା—ଶୂନ୍ୟଗାଡ଼ି ଵା ଶୂନଗାଡି଼

ଭାରତ ଓ ଵିଶ୍ଵର ଵିଭିନ୍ନ ଭାଷାରେ ଭାରତୀୟ ଶୂନ୍ୟ ଶବ୍ଦ ସହିତ ସମୋଦ୍ଧୃତ ସମ ଅର୍ଥଜ ପ୍ରତିଶବ୍ଦ ପ୍ରଚଳିତ ହୋଇଅଛି । ନିମ୍ନରେ ସେହିପରି କିଛି ଶବ୍ଦର ସୂଚୀ ପ୍ରଦାନ କରାଗଲା ।

ସଂସ୍କୃତ—ଶୂନ୍ୟ
ଓଡ଼ିଆ— ଶୂନ,ଶୁ‘ଉ’ନୁ(କଥିତ ଓଡ଼ିଆ),ଶୂନ୍ୟ
ଅହମିଆ— সূঞ (xuñ)
ବଙ୍ଗାଳୀ— শূন্য (śunjô)
ଧୀଵେଶୀ—ސުން‎ (sun̊)
ପାଲୀ— suñña
ଵର୍ମୀ—သုည (su.nya)
ମୋନ(Mon)—သုည 
ଥାଇ— สูญ (sǔun, “ଶୂନ,ଖାଲି, ଅଦୃଶ୍ୟ”),ศูนย์ (sǔun)
ଲୂ(Lü)—ᦉᦳᧃ (ṡun, “ଶୂନ୍ୟ , ଅଦୃଶ୍ୟ”)
ପଞ୍ଜାବୀ— ਸੁੰਨ (sunn)
ସିଂହଳୀ— ශුන්යය (śunyaya)
ଆରବିକ୍— صِفْر‎ (ṣifr) 
ଲାଓ—ສູນ (sūn)
କନ୍ନଡ଼ —ಸುನ್ನ (sunna) ଓ ಸೊನ್ನೆ (sonne)
ତେଲୁଗୁ—శూన్యము (śūnyamu),సున్న  (sunna)
ସ୍ଵାହିଲୀ —sifuri(ଆରବୀ ଦେଇ)
ଆର୍ମାଇକ୍— ציפר‎ m (ṣīpar) ଓ ܨܺܝܦܰܪ‎ (ṣīpar)
ଅଜରବୈଜାନୀ— sıfır 
ଆର୍ମେନୀୟ—զրո(zro; ଲାଟିନ୍ ଦେଇ)
ଅଷ୍ଟୀୟ—cero
କବର୍ଡୀୟ— зыри (zəri)
ଲାଟିନ୍—,zerum ,zephirum, cifra 
ମାଳୟୀ(ରୁମୀ ଶୈଳୀ)— kosong, sifar
ପସ୍ତୋ—صفر‎(séfәr)
ପାର୍ସୀ—صِفر‎(sefr)
ସାମୋଆନ୍— selo 

ପୁରାତନ ଵିଶ୍ଵରେ(ଆଫ୍ରିକା,ୟୁରେସିଆ) ଶୂନ୍ୟ ଵା “କିଛି ନଥିଵା”କୁ ପ୍ରକାଶ କରିଵାପାଇଁ କୌଣସି 
ଚିହ୍ନ ନଥିଲା । ଲୋହିତ ଭାରତୀୟମାନେ ଖାଲି ଘୁଲି ଵା ଗେଣ୍ଡା ଅଥଵା ଶଙ୍ଖର ଖୋଳାପାକୁ ଶୂନ୍ୟର ସଂଜ୍ଞା ଦେଇଥିଲେ ବି ତାହା ପୁରାତନ ଵିଶ୍ଵରେ ପହଞ୍ଚିପାରିନଥିଲା । କିନ୍ତୁ ଭାରତୀୟମାନେ  “କିଛି ନାହିଁ” ସଂଜ୍ଞାକୁ ସୂଚାଇଵା ହେତୁକ  ‘୦’ ର ଵ୍ୟଵହାର କଲେ । ଫଳତଃ ଶୂନ୍ୟର ‘୦’ ପ୍ରତୀକ ହେତୁ ଗଣିତର ଚରମ ଵିକାଶ ସମ୍ଭଵପର ହୋଇପାରିଛି  । 

ଓଡ଼ିଆଭାଷାର ଅନେକ ପୁରାତନ ସାହିତ୍ୟରେ ଶୂନ୍ୟ ଶବ୍ଦଟି ଵିଶେଷ ଭାବେ ଵ୍ୟଵହାର ହୋଇଅଛି ।

ଓଡ଼ିଶାର ମହାକଵି ସାରଳା ଦାସ ଅନ୍ତରୀକ୍ଷ ଓ ଶ୍ରୀଭଗଵାନଙ୍କୁ ଶୂନ୍ୟ ଵିଚାର କରି ଲେଖିଛନ୍ତି 

“ଆଦି ହୁଂ ଶୂନ୍ୟ
 ଶୂନ୍ୟହୁଂ ଜାତ ପବନ 
 ପବନ ହୁଂ ଜାତ ହୋଇଲେ 
 ଯୋଗପୁରୁଷ ଶୂନ୍ୟ ।”

ସେହିପରି ଜଗନ୍ନାଥ ଦାସ ଵିରଚିତ ଓଡ଼ିଆ ଭାଗଵତର ଵିଭିନ୍ନ ସ୍ଥାନରେ ନାନା ଅର୍ଥରେ ଶୂନ୍ୟ ଶବ୍ଦ ଵ୍ୟଵହୃତ ହୋଇଅଛି ...
ଯଥା—

“ଯେ ଶୁକ ଏକାନ୍ତ ଗମନ । 
କରିଣ ଦେହ କଲେ ଶୂନ୍ୟ ॥”
(ପ୍ରଥମ ସ୍କନ୍ଧ,ଭାଗଵତ)

“ନାଭିରୁ ପ୍ରକାଶେ ଗଗନ । 
ଗୁଣଙ୍କ ବୃତ୍ତି ଘେନି ଶୂନ୍ୟ ।”
(ତୃତୀୟ ସ୍କନ୍ଧ,ଭାଗଵତ)

“କାର୍ଯ୍ୟ ଅର୍ଥେ ଯେତେ ବେଳ ଯାଇ ଵହି । ସର୍ବ-ଶୂନ୍ୟ-ମାର୍ଗେ ଯାଇ ତେତେମାତ୍ର ରହି ।”
(ଚତୁର୍ଥ ସ୍କନ୍ଧ,ଭାଗଵତ)

“କେମନ୍ତେ ଧରିବୁ ଜୀଵନ । 
ଦିଶଇ ଦଶଦିଗ ଶୂନ୍ୟ । ”
(ସପ୍ତମ ସ୍କନ୍ଧ,ଭାଗଵତ)

“ଶୂଳ ଆସନ୍ତେ ଶୂନ୍ୟ ପଥେ ।
 ଵାସଵ ଧନୁ ଧରି ହସ୍ତେ ।”
(ଅଷ୍ଟମ ସ୍କନ୍ଧ,ଭାଗଵତ)

“ଧୂମ ପୂରିତ ଶୂନ୍ୟ ମଧ୍ୟେ ।
 ବେଗେ ଧାଇଁଲା ଘୋରନାଦେ ॥”
(ନବମ ସ୍କନ୍ଧ,ଭାଗଵତ)

“ରୋହିଣୀ ନାମ ଵିଦ୍ୟମାନ । 
ତାହାର ଗର୍ଭ ଅଛି ଶୂନ୍ୟ ॥”
(ଦଶମ ସ୍କନ୍ଧ,ଭାଗଵତ)

“ଶୂନ୍ୟ ମଣ୍ଡଳେ ରଥେ ଥାଇ ।
 କପୋଳେ ଵେନିକର ଦେଇ ॥”
(ଏକାଦଶ ସ୍କନ୍ଧ,ଭାଗଵତ)

ଜଗନ୍ନାଥ ଦାସଙ୍କ ପରେ ନିଜର ସହ ସହ ଗୀତିକଵିତାରେ ଭୀମଭୋଇ, ଅଚ୍ୟୁତାନନ୍ଦ ଦାସ ଓ ଵନମାଳୀ ଦାସ ଆଦି ଅନେକ କଵି ଶୂନ୍ୟ ଶବ୍ଦର ଵ୍ୟଵହାର କରିଯାଇଛନ୍ତି । ଯଥା—

“ଗୁରୁୟେ ବୋଇଲେ ତୋର ପିତା ମାତା ଶୂନ୍ୟ ।
 ଆଜ‌ହୁଂ ହୋଇଲ ମୋର ଧର୍ମର ନନ୍ଦନ ହେ । ”
(ଵନମାଳୀ ଦାସ)

“ଶୂନ୍ୟ କୁଞ୍ଜରୁ ଏ ବାଜଇ ଵୀଣା । 
କେଉଁଠାରେ ଅଛି ଗୋପ ପାଟଣା ।
(ଗୋପ)ଧ୍ୟାନ ଲାଗିଛିରେ 
ଅନାହତ ଧ୍ୱନି-ଘରେ ।
ନିଶବଦ ଘରୁ ଶବଦ ହୋଇଲା
 ରାତ୍ର ତିନି ଘଡ଼ିଠାରେ ॥”
( କଵି ଗୋଵିନ୍ଦ)

“ଶୂନ୍ୟ ସ୍ୱରୂପ ହେ, 
ଘୋଟିଅଛ ତ୍ରିଭୁଵନ ମହୀ, 
ସୁଜ୍ଞାନୀ ଜନଙ୍କୁ ଚିତ୍ତରେ ଅଦୃଶ
 କୁଜ୍ଞାନୀକି ପଥ ଦିଶୁନାହିଁ ।”
 ( ଭୀମଭୋଇ)
 
“ଶୂନ୍ୟ ବ୍ରହ୍ମକୁ ହେ, 
ଦେଖିଵ ଯେମନ୍ତେ ଜ୍ଞାନ ଡୋଳେ । 
କଳ୍ପନାକୁ କାଟି ଜନ୍ମ ମୃତ୍ୟୁ ମେଣ୍ଟି 
ଏକ୍ୱୈଶ ପୁରକୁ ଜିଣିଗଲେ ।”
(ଭୀମଭୋଇ)

“ଅଶୂନ୍ୟ ହୋଇଣ ଯେ ଥିଲାକ ଏକ ସ୍ଥାନ
 ଅଦଭୁତ ସ୍ୱରୂପେ ହୋଇଲା ଏକ ଶୂନ୍ୟ । 
 ସେହି ଶୂନ୍ୟ ମଧ୍ୟରେ ଯେ ନିରାକାର ସ୍ଥିତି 
 ନିରାକାର ଅଙ୍ଗରୁ ପରମ ବ୍ରହ୍ମମୂର୍ତ୍ତି ।”
(ଅଚ୍ୟୁତାନନ୍ଦ ଦାସ)

ଏ ମାଟି ପଥର ଏ ଜଳ ପଵନ 
ଏମାନେ ନ ଥିଲେ କେହି,
 ଶୂନ୍ୟ ଶୂନ୍ୟ ମହାଶୂନ୍ୟ
  ଅନ୍ଧକାର ଥିଲା ନିଶବଦ ହୋଇ ।”
(ଅଠସ୍ତରୀ ବୋଲି, ଭୀମଭୋଇ)

ତେବେ ପୃଥିଵୀରେ ଏମିତି ଅନେକ ଭାଷା ରହିଛି ଯେଉଁଥି ଶୂନ୍ୟପାଇଁ ମୌଳିକ ଶବ୍ଦ ପ୍ରଚଳିତ ଅଛି ।

ଓଡ଼ିଆ ଭାଷାରେ ଶୂନ୍ୟ , ଶୂନ୍,ଶୂନ ଓ ଶୂନୁ ଛଡ଼ା ଆଳୁ,ଗୋଲ ଆଳୁ ଓ ମୁଣ୍ଡୁଳା ଆଦି ଶବ୍ଦ ମଧ୍ୟ ଶୂନ୍ୟ ଅର୍ଥରେ ଵ୍ୟଵହାର ହୋଇଥାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ ଓଡି଼ଆ ଭାଷାରେ ନାସ୍ତି ଶବ୍ଦର ମଧ୍ୟ ଶୂନ୍ୟ ଅର୍ଥରେ ଵ୍ୟଵହାର ରହିଛି । ଯଥା —
“ଟଙ୍କା ଶୁନ୍ ଅଣା ନାସ୍ତି ତିନି ପାହୁଲା।”  ପୁନଶ୍ଚ ଆକାଶ,ଖ,ଗଗନ,ଗୋଳ,ଅମ୍ବର,ହ ଓ ଵିନ୍ଦୁ ଆଦି ଶବ୍ଦ ଶୂନ୍ୟସଂଖ୍ୟା ଅର୍ଥରେ ମଧ୍ୟ ପୁରାତନ ଭାରତୀୟ ଗଣିତଜ୍ଞମାନେ ଵ୍ୟଵହାର କରିଛନ୍ତି । ସମ୍ଭଵତଃ “ଫଳ” ଶବ୍ଦପରି ଶୂନ୍ୟ ଶବ୍ଦର ଭାରତରେ “୦ ସଂଖ୍ୟା” ଅର୍ଥରେ ବହୁଳ ଵ୍ୟଵହାର ଯୋଗୁଁ ଏହାର ଅନ୍ୟ ପ୍ରତିଶବ୍ଦ ସୃଷ୍ଟି କରିଵାର ଆଵଶକ୍ୟତା ପଡ଼ିନଥିଲା । 

ୟୁରୋପର ଵିଭିନ୍ନ ଭାଷାରେ ଶୂନ୍ୟ ସଂଖ୍ୟା ପାଇଁ ନିମ୍ନଲିଖିତ ଶବ୍ଦମାନ ଵ୍ୟଵହାର ହୋଇଥାଏ ।

ବେଲାରୁଷି— нуль(nulʹ)
ବୁଲଗେରୀ— ну́ла(núla)
ଚେଜ୍— nula 
ଡନିଶ୍— nul
ଡଚ୍— nul 
ଫିନ୍ନିଶ୍—nolla 
ଇଉରୋଜୀୟ— ნული (ଜର୍ଜିଆ)
ଜର୍ମାନ— null (de), Null (de)
ଆଇରିଶ୍— neamhní, nialas, náid 
ରୁଷିଭାଷା—нуль (nul), ноль (nolʹ)

ଏ ସବୁ ଶବ୍ଦ  Proto-Italic *ne oinolos ମୂଳର ବୋଲି ପାଶ୍ଚାତ୍ୟ ଭାଷାଵିଦମାନେ ମତ ଦିଅନ୍ତି ।

 ne (“ନାହିଁ”) ଓ  *oinos (“ଏକ”) କିଂଵା
 ūllus (“କୌଣସି”) ଯୁକ୍ତ କରାଯାଇ ଶବ୍ଦଟି ଅତୀତରେ ସୃଷ୍ଟି ହୋଇଥିଲା । ପ୍ରାକ୍ ଇଟାଲିକ୍ ଶବ୍ଦ oinosର
 ପ୍ରାଚୀନ ଗ୍ରୀକ୍ οἶος (oîos) ଓ ସଂସ୍କୃତ ଏକ (éka) ଶବ୍ଦ ସହିତ ସଗୋତ୍ରୀୟ ସମ୍ପର୍କ ରହିଛି । ସେହିପରି ପ୍ରାକ୍ ଇଟାଲିକ୍ ne ର ମଧ୍ୟ ଇଂରାଜୀ No ,ସଂସ୍କୃତ ନାସ୍ତି ତଥା ଓଡ଼ିଆ ନାହିଁ ସହିତ ସମୋଦ୍ଧୃତଗତ ସମ୍ପର୍କ ଥିଵା ଜଣାଯାଏ । 

ଚୀନ ଦେଶରେ ଶୂନ୍ୟ ସଂଖ୍ୟକୁ ଶବ୍ଦରେ ପ୍ରକାଶ କରିଵା ପାଇଁ କାଣ୍ଟୋନିଜ୍‌ରେ 零 (ling4),ଡୁଂଗାନ୍‌ରେ лин (lin),ଗାନ୍ ଭାଷାରେ 零 (lin4 / liang4),ହାକ୍କାରେ
 零 (làng),ଜିନ୍ ଭାଷାରେ Jin 零 (ling1), ମାଣ୍ଡାରିନରେ 零 (líng),ମିନ୍ ବେଇରେ 零 (lâing),ମିନ୍ ଡଙ୍ଗ୍‌ରେ 零 (lìng),ମିନ୍ ନାନ୍‌ରେ 空 (zh-min-nan) ଓ 零 (lêng / lân),ତିଓଚେଓରୈ空 (kang3) ଓ 零 (lêng5),ୱୁ(Wu) ଭାଷାରେ  零 (lin) ତଥା ଜି଼ଆଙ୍ଗ୍‌ଭାଷାରେ(Xiang) 零 (lin2)
କୁହାଯାଇଥାଏ ଏଵଂ ଚୀନରେ “〇” ଚିହ୍ନଦ୍ଵାରା ଶୂନ୍ୟକୁ ପ୍ରକାଶ କରାଯାଏ । 

କୋରିଆରେ yeong ,ryeong ଓ gong ଆଦି ଶବ୍ଦ ଶୂନ୍ୟ ଅର୍ଥରେ ଵ୍ୟଵହାର ହେଉଥିଲାବେଳେ ଜାପାନରେ
 零(れい, rei) ଓ  ゼロ (zero) ଶବ୍ଦର ଵ୍ୟଵହାର ରହିଛି । 
 
ଏତଦଵ୍ୟତୀତ ପୃଥିଵୀରେ ଅନେକ ଭାଷା ମଧ୍ୟ ଅଛି ଯହିଁରେ ଶୂନ୍ୟକୁ ପ୍ରକାଶ କରିଵାପାଇଁ ମୌଳିକ ଶବ୍ଦ ସୃଷ୍ଟି ହୋଇଅଛି 
ଯଥା—
ଚାମ୍ମୋରେ— tåya’
ଚେରୋକି— ᎧᏂᎩᏛ (kanigidv) ଓ Ꮭ ᎪᎱᏍᏗ (tla gohusdi)
ହିବ୍ରୁ—אֶפֶס‎(éffes)
ହୱାଇ ଭାଷା— ʻole
ଇଗାଲା— òfo
ଇଗବୁ— efu
ଲକୋଟା— tákuni
ମାଲାଗାସୀ— aotra (mg)
ମଳୟାଳ଼ମ—പൂജ്യം (pūjyaṃ)
ମଙ୍ଗୋଲୀୟ—тэг (teg) ଓ бинт(bint)
ଖ୍ଵେ଼ଚୁଆ(Quechua)—ch'usaq
ସିନ୍ଧି—ٻُڙِي‎(buri)
ଅମହାରିକ୍: ባዶ (bado)

ଓଡ଼ିଶାରେ ଷାଠିଏରୁ ଅଧିକ ଜନଜାତୀୟ ଭାଷା ପ୍ରଚଳିତ ଅଛି ତେବେ  ହୋ ଭାଷାରେ ‘ଟଂ’ ,ସଉରା ଭାଷାରେ ‘ତେଡେର୍’ ତଥା ବଣ୍ଡା ଭାଷାରେ ‘ମାସାଆରାଗ୍’ ଆଦି ଶବ୍ଦ ଶୂନ୍ୟ ଅର୍ଥରେ ଵ୍ୟଵହାର ହେଉଥିଵା ପ୍ରୋକ୍ତ ଭାଷାଗୁଡି଼କର ଅଭିଧାନରୁ ଜଣାଯାଏ । ଏତଦଵ୍ୟତୀତ ଓଡ଼ିଶାରେ ପ୍ରାୟତଃ ଏଠାକାର ଅଧିକାଂଶ ଅଧିଵାସୀ ସେମାନଙ୍କ କଥିତ ଭାଷାରେ ଶୂନ୍, ଶୂନ,ଶୁଏନ୍ ,ଶୂଇନ୍ ଓ ଶୂନୁ ଆଦି ଶବ୍ଦ ଵ୍ୟଵହାର କରୁଥିଵା ଦୃଶ୍ୟ ହୋଇଥାଏ ।

ଅସ୍ତୁ,ଵିଶ୍ଵର ଅନେକ ପ୍ରାଚୀନ ସଭ୍ୟତାରେ “ନାସ୍ତି” ଵା “Nothing”କୁ ପ୍ରକାଶ କରିଵା ପାଇଁ ଚିହ୍ନ ଥିଲା କିନ୍ତୁ ଭାରତରେ ପ୍ରଥମେ ଶୂନ୍ୟର ଗଣିତରେ ପ୍ରୟୋଗ ହୋଇଥିଲା । ମାୟା ସଭ୍ୟତାର ଘୁଲି ଖୋଳପାରୁ କଳ୍ପିତ ଶୂନ୍ୟ ଚିହ୍ନ ଆଶ୍ଚର୍ଯ୍ୟଜନକ ଭାବେ ଭାରତର ଶୂନ୍ୟ ସହିତ ମିଶିଯାଏ । ମାତ୍ର ଲୋହିତ ଭାରତୀୟମାନଙ୍କର ୟୁରେସିଆ ତଥା ଆଫ୍ରିକାର ଲୋକଙ୍କ ସହିତ ପ୍ରାଚୀନ କାଳରେ ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ସମ୍ବନ୍ଧ ନଥିଲା ବୋଲି ପାଶ୍ଚାତ୍ୟ ଗଵେଷକ ମତ ଦିଅନ୍ତି  । ଫଳତଃ ଵର୍ତ୍ତମାନକାଳରେ ପ୍ରଚଳିତ ଶୂନ୍ୟ ଚିହ୍ନ ଵିଶ୍ଵକୁ ଭାରତଠାରୁ ମିଳିଥିଲା ବୋଲି କୁହାଯାଇଥାଏ  ।
     

Monday, September 27, 2021

● ବୁଦ୍ଧ ଓ ବୌଦ୍ଧଧର୍ମ ●

ଶୀର୍ଷକ ‐ ବୌଦ୍ଧ ଧର୍ମ       
                 ✍ ପ୍ରେମ କବି ; ଜଗବନ୍ଧୁ ସାହୁ , ଗଞ୍ଜାମ ।
----------------------------------------
ଦିନକର କଥା ରାମୁ କାକା  କୁନାକୁ ନେଇ ବାହାରି ପଡିଲେ ବୁଲିବା ପାଇଁ । ସହର ସାରା ବୁଲି ବୁଲି ଶେଷରେ ପହଞ୍ଚିଗଲେ ଏକ ମନ୍ଦିର ପାଖରେ । କୁନା ମନ୍ଦିର ବାରଣ୍ତାରେ ବସି ଗୋଟେ ଦିର୍ଘ୍ଯଶ୍ବାସ ମାରିଲା ଆଉ କହିଲା ଅଜା ଆଜି ନା ପୁରା ମଜା ଆସିଗଲା । ରାମୁ କାକା କହିଲେ ଆରେ କୁନା ଏବେ ତ ଅସଲି ମଜା ଆସିବ ତୁ ଖାଲି ଦେଖେ କୁନା କହିଲା ହେଉ ଅଜା ଯାହା ତୁମ ଇଛା ରାମୁ କାକା କହିଲେ ଖାଲି ଇଛା ହେଲେ ଚଳିବନି  କି ବୁଲି ବୁଲି ମଜା ନେଲେ ଚଳିବନି କିଛି କଥା ଜାଣିବା ସଙ୍ଗେ ସଙ୍ଗେ ଶିକ୍ଷିବା ବି ଆବଶ୍ଯକ । କୁନା କହିଲା ହେଉ ଅଜା ଠିକ୍ ଅଛି କିଛି ମନରେ ଯଦି କିଛି ପ୍ରଶ୍ନ ଉଙ୍କି ମାରେ ତେବେ ତୁମ ଠାରୁ ନିଶ୍ଚୟ ପଚାରି ବୁଝି ନେବି ।  ରାମୁ କାକା କହିଲେ ହେଉ ଠିକ୍ ଅଛି ବୁଲି ବୁଲି ଭାରି ଭୋକ ଲାଗିଲାଣି ଚାଲେ କିଛି ଖାଇ ନେବା ତା ପରେ ମନ୍ଦିର ଭିତରକୁ ଯାଇ ବୁଲି ଦେଖିବା । ତାପରେ ରାମୁ କାକା ଓ କୁନା ଗୋଟାଏ ହୋଟେଲ୍ କୁ ଗଲେ ସେଠି ଗୁପ୍ ଚୁପ୍ ସାଥିରେ ଦହିବରା ଖାଇବାକୁ ଲାଗିଲେ ସହଜରେ ସେତେବେଳକୁ ଖରା ଦିନ ହୋଇଥାଏ ଖରା-ତରାରେ ବୁଲି ବୁଲି ଆସିଥିବାରୁ ପାଟିକୁ ଭାରି ସ୍ବାଦିଷ୍ଟ ଲାଗୁଥାଏ ଦହିବରା ଓ ଗୁପ୍ ଚୁପ୍ । ଦୁହେଁ ମନଭରି ଖାଇ ସାରିଲା ପରେ କୁନା କହିଲା ଅଜା ଗୋଟେ କଥା କହିଲ ତୁମର ଯେତେବେଳେ ଯୁବା ବୟଷ ଥିଲା ତୁମେ ଆଇଙ୍କୁ ସାଥିରେ ନେଇ କେବେ ବୁଲିବାକୁ ଯାଇନ !  ନାତି ଟୋକାର ଦୁଷ୍ଟାମୀ ଦେଖି ଅଜା ଟିକିଏ ହସି ଦେଲେ ।  ରାମୁ କାକା କହିଲେ ଆରେ କୁନା ଯେତେବେଳେ ମୁଁ ମହାବିଦ୍ଯାଳୟରେ ପାଠ ପଢୁଥିଲି ସେତେବେଳେ ତୋ ଆଇଙ୍କ ସହ ପ୍ରଥମରେ ଦେଖା ହୋଇଥିଲା । 

            ଅନେକ ଦିନ ସେଠି ପାଠ ପଢିଲା ପରେ ତା ସହ ମୋର ବନ୍ଧୁତା ହେଲା କିନ୍ତୁ ମନ ଭିତରେ ଦୁହିଁଙ୍କର ବହୁତ ଡର ଥାଏ ଆମ ବନ୍ଧୁତା ଜୀବନରେ ଅନେକ ଦିନ ବିତିଗଲା ପରେ ଦିନେ ମୋ ସାହିତ୍ଯ ବହି ପଢିବାକୁ ମୋତେ ମାଗିଲା ସେ ମୁଁ ବି ମନା ନ କରି ତାକୁ ଦେଇ ଦେଲି ମୋର ସାହିତ୍ଯ ବହିକୁ । ତାପର ଦିନ ମୋତେ ବହିଟିକୁ ଫେରେଇଦେଲା ମୁଁ ବି ତାକୁ ନେଇ ବ୍ଯାଗରେ ରଖିଦେଇ ଘରକୁ ଚାଲିଗଲି ଘରେ ପୁଣି ସାହିତ୍ଯ ପଢିବାକୁ ଇଛା ହେଲା ତେଣୁ ସାହିତ୍ଯ ବହିଟିକୁ ପୁଣି ଖୋଲି ଦେଖିଲି ସେ ଭିତରେ ଗୋଟାଏ ଗୋଲାପ ଫୁଲ ସହ ଗୋଟାଏ ଲଭ୍ ଲେଟର ଥିଲା । ସେଥିରେ ତୋ ଆଇର ମନ କଥା ଲେଖା ହୋଇଥିଲା । ଲଭ୍ ଲେଟର ଟିକୁ ପଢି ମୁଁ ବହୁତ ଖୁସି ହୋଇଗଲି ତାପର ଦିନ ଠାରୁ ସବୁ ବେଳେ ମହାବିଦ୍ଯାଳୟରେ ଗପ ସପ କରୁଥାଉ ଦୁହେଁ  । କିଛି ଦିନ ପରେ ଆମେ ଦୁହିଁଙ୍କର ପଢା ଶେଷ ହେଲା ଘରେ ବାହା ହେବା ପାଇଁ କହିଲେ ମୋ ବାପା । ତାପରେ ମନରେ ଅନେକ ସାହାସ ବାନ୍ଧି ବାପାଙ୍କୁ ତୋ ଆଇ ବିଷୟରେ କହିଲି ସେ ବି ବହୁତ ଖୁସି ହୋଇଗଲେ ଓ ତୋ ଆଇ ସହ ମୋର ବାହାଘର କରିଦେଲେ । ବାହାଘର ହେଲା ପରେ ଅନେକ ଥର ଏଇ ଆଗରେ ଯେଉଁ ମନ୍ଦିର ଅଛି ସେଠାକୁ ବୁଲିବାକୁ ଆସିଛୁ ।

 ହେଉ କୁନା ...... 
    ଏବେ ବେଶି ଡେରି ହେଲାଣି ଚାଲେ ଯିବା ମନ୍ଦିର ବୁଲି ବେଳ ଥାଉ ଥାଉ ଘରକୁ ଫେରିଯିବା । ତାପରେ କୁନା କହିଲା ହେଉ ଅଜା ଚାଲ ଯିବା । ତାପରେ ରାମୁ କାକା ଓ କୁନା ଦୁହେଁ ମନ୍ଦିର ଭିତରକୁ ଗଲେ । ମନ୍ଦିରର ସୁନ୍ଦରତା ଓ  ପରିବେଶ ଦେଖି କୁନା ମନରେ କିଛି ପ୍ରଶ୍ନ ଉଙ୍କି ମାରିଲା । କୁନା କହିଲା ଅଜା ମୁଁ ଏହା ଆଗରୁ ଅନେକ ମନ୍ଦିର ବୁଲିଛି କିନ୍ତୁ ସେ ମନ୍ଦିର ପରିକା ଚାଲି ଚଲଣି ସେମିତି କିଛି ନାହିଁ ଇଏ କେଉଁ ମନ୍ଦିର କାଇଁ ଅନ୍ଯ ମନ୍ଦିର ପରିକା ଏଠି ପୂଜା ଆର୍ଚ୍ଚନା ତ ହେଉ ନାହିଁ । ରାମୁ କାକା କହିଲେ ଆରେ କୁନା ଅନ୍ଯ ମନ୍ଦିର ଠାରୁ ଏହା ଭିନ୍ନ ଓ ଏହାର ନୀତିକାନ୍ତି ଠୁ ନେଇ ଏହାର ପୂଜା ଆର୍ଚ୍ଚନା ସବୁ କିଛି ଭିନ୍ନ ଏହି ମନ୍ଦିର ନାମ ବୁଦ୍ଧ ମନ୍ଦିର ଓ ଏହା ଆମ ଧର୍ମର ମନ୍ଦିର ନୁହେଁ ଏହା ହେଉଛି ବୌଦ୍ଧ ଧର୍ମର ମନ୍ଦିର ଆଉ ଏଠି ସବୁ କିଛି ଶ୍ରୀଗୌତମ ବୁଦ୍ଧଙ୍କୁ ସମର୍ପିତ। 
              
                ଆଛା ଅଜା ବୁଦ୍ଧଙ୍କ ମୂର୍ତ୍ତିକୁ ଦେଖିଲେ ଲାଗୁଛି କି ସେ ଜଣେ ସାଧୁ ବା ଆମ ପରି ଜଣେ ମଣିଷ ପରିକା । ତେବେ ତାଙ୍କୁ କାହିଁକି ଭଗବାନଙ୍କ ପରି ପୂଜା କରୁଛନ୍ତି ବା ମାନୁଛନ୍ତି । ରାମୁ କାକା କହିଲେ ମଣିଷର ସତ୍ ଗୁଣ ହିଁ ମଣିଷକୁ ଇଶ୍ବର କରି ଦେଇଥାଏ ଠିକ୍ ଯେମିତି ଖ୍ରୀଷ୍ଟିଆନ ଧର୍ମରେ ଗଡ୍ ଯିଶୁକୃର୍ଷ୍ଣ ତାଙ୍କର ବଳୀଦାନ ତାଙ୍କୁ ଇଶ୍ବରତା ପ୍ରଦାନ କଲା । ଖାଲି ଯେ ସତ୍ ଗୁଣ ଓ ବଳୀଦାନ ନୁହେଁ ସେ ମାନେ ସଂସାରକୁ ଶିକ୍ଷା ଦେବା ପାଇଁ ଭିନ୍ନ ଭିନ୍ନ ରୂପରେ ଇଶ୍ବରଙ୍କ ଅଶଂରେ  ମାନବ ରୂପରେ ଜନ୍ମ ଗ୍ରହଣ କରିଥାନ୍ତି । ଓ ସଂସାରକୁ ଅନେକ ଶିକ୍ଷା ଦେଇ ପୁଣି ପଞ୍ଚଭୂତରେ ଲୀନ ହୋଇଯାନ୍ତି । ଓ ସେ ମାନଙ୍କୁ ଜ୍ଞାନ ଶିକ୍ଷା ସଂସ୍କୃତିକୁ ମନେ ରଖିବାକୁ ଲୋକ ମାନେ ଧର୍ମ ଅନୁଯାଇ ମଠ, ମନ୍ଦିର, ମସିଜତ୍, ଚର୍ଚ୍ଚ, ସବୁ ତିଆର କରନ୍ତି ଓ ସେଥିରେ ସେ ମାନଙ୍କ ଜ୍ଞାନ ଶିକ୍ଷା କଳା ସଂସ୍କୃତି ସଂସ୍କାର ଓ ଆର୍ଦଶକୁ  ସାଇତି ରଖନ୍ତି ଆଗାମୀ ପିଢି ପାଇଁ ।  ସେ ଭିତରୁ ଏଇଟା  ହେଉଛି  ଗୋଟାଏ ବୌଦ୍ଧ ଧର୍ମର ବୁଦ୍ଧଙ୍କ ମନ୍ଦିର ।

                ତାପରେ କୁନା କହିଲା ଆଛା ଅଜା ଆଜି ତୁମେ ମୋତେ ଏହି ଗୌତମ ବୁଦ୍ଧଙ୍କ ବିଷୟରେ କହିବ । ରାମୁ କାକା କହିଲେ ହଁ ନିଶ୍ଚୟ କହିବି ଯେ ତୁ ପ୍ରଥମେ ମୋତେ କହ ୟାଙ୍କ ବିଷୟରେ କଣ ଜାଣିବା ପାଇଁ ଚାହୁଁଛୁ   । କୁନା କହିଲା ମୁଁ ଆଙ୍କ ବିଷୟରେ ବହୁତ କିଛି ଜାଣିବା ପାଇଁ ଚାହୁଁଛି ଏବେ ପଚାରୁଛି ।  ରାମୁ କାକା କହିଲେ ହେଉ ଠିକ୍ ଅଛି ପଚାରେ କଣ ପଚାରିବାର ଅଛି । 

        କୁନା.......
 ତାପରେ କୁନା କହିଲା ଆଛା ଅଜା ଶ୍ରୀଗୌତମ ବୁଦ୍ଧଙ୍କର ଜନ୍ମ ସ୍ଥାନ କେଉଠି ଓ ସେ କେଉଁ ବଂଶରେ ଜନ୍ମ ଗ୍ରହଣ କରିଥିଲେ ଓ ତାଙ୍କର ମାତା ପିତା କିଏ ଥିଲେ ?

       ରାମୁକାକା କହିଲେ ......
                 ଶ୍ରୀଗୌତମ ବୁଦ୍ଧ 566 ମସିହାରେ ସାକିଆ ବଂଶରେ ଲୁମ୍ବିନି ଠାରେ  ଜନ୍ମ ଗ୍ରହଣ କରିଥିଲେ ଓ ସେ ସାକିଆ ବଂଶର ବଂଶଧର ଥିଲେ ତେଣୁ ତାଙ୍କୁ ସାକିଆ ମୁନି ବୋଲି ବି  କୁହା ଯାଉଥିଲା । କୁନା କହିଲା ଆଛା ଅଜା ଲୁମ୍ବିନି ବୋଲି ସେଇ ଜାଗାଟି ଏବେ କେଉଠି ଅବସ୍ଥିତ । ରାମୁ କାକା କହିଲେ ଲୁମ୍ବିନି ବୋଲି ସେଇ ଜାଗାଟି ଏବେ ନେପାଳ ଦେଶର ଅଣ୍ତରରେ ଆସେ । ଆଛା କୁନା ସାକିଆ ବଂଶ ମାନେ କଣ ବୁଝିଲୁ । କୁନା କହିଲା ନାହିଁ ଅଜା ବୁଝିଲି ନାହିଁ ସାକିଆ ବଂଶ ମାନେ କଣ ଅଜା ? ରାମୁ କାକା କହିଲେ ..... 
 ସେ ସମୟରେ କ୍ଷେତ୍ରିୟ ବଂଶକୁ ସାକିଆ ବଂଶ ବୋଲି କୁହା ଯାଉଥିଲା । ତାପରେ କୁନା କହିଲା ଆଛା ଅଜା ବୁଦ୍ଧଙ୍କର ନାମ କଣ ଜନ୍ମରୁ ଶ୍ରୀଗୌତମ ବୁଦ୍ଧ ଥିଲା  ? ରାମୁ କାକା କହିଲେ ଆରେ ନାହିଁ ତାଙ୍କର ନାମ ପିଲା ବୋଳେ ସିଦ୍ଧାର୍ଥ ଥିଲା ଓ ତାଙ୍କ ମାଆଙ୍କ ନାମ ମହାମାୟା ଥିଲା । ତାଙ୍କୁ ଜନ୍ମ ଦେଲା ପରେ ତାଙ୍କ ମାଆ ମରି ଯାଇଥିଲେ ତେଣୁ ତାଙ୍କୁ ତାଙ୍କ ମାଉସୀ ନେଇ ପାଳି ପୋଶି ବଡ କରି ଥିଲେ । କୁନା କହିଲା ଆଛା ଅଜା ତାଙ୍କ ମାଉସୀ ନାମ କଣ ଥିଲା । ରାମୁ କାକା କହିଲେ ତାଙ୍କ ମାଉସୀଙ୍କ ନାମ ପ୍ରଜାପତି ଗୌତମି ଥିଲା । ଯେହେତୁ ତାଙ୍କୁ ତାଙ୍କ ମାଉସୀ ମାଆ ପ୍ରଜାପତି ଗୌତମି ପାଳିଥିବାରୁ ତାଙ୍କର ନୂତନ ନାମ ଗୌତମ ବୋଲି ଦିଆଗଲା ।

                 କୁନା ‐ କହିଲା ଅଜା ଶ୍ରୀଗୌତମ ବୁଦ୍ଧ ବିବାହ କରିଛନ୍ତି ନା ନାହିଁ । ରାମୁ କାକା କହିଲେ ଆରେ କୁନା ଗୌତମ ବୁଦ୍ଧ ବିବାହ ବି କରିଛନ୍ତି ଓ ତାଙ୍କର ଗୋଟାଏ ପୁତ୍ର ବି ଅଛି । କୁନା କହିଲା ଅଜା ଶ୍ରୀଗୌତମ ବୁଦ୍ଧଙ୍କ ସ୍ତ୍ରୀଙ୍କ ନାମ କଣ ଥିଲା ଓ ତାଙ୍କ ପୁଅଙ୍କ ନାମ କଣ ଥିଲା ? ରାମୁ କାକା କହିଲେ ଆରେ କୁନା ଗୌତମ ବୁଦ୍ଧଙ୍କ ସ୍ତ୍ରୀଙ୍କ ନାମ ଯଶୋଦା ଥିଲା ଓ ତାଙ୍କ ପୁତ୍ରଙ୍କ ନାମ ରାହୁଲ ଥିଲା ।  କିନ୍ତୁ ଗୌତମ ବୁଦ୍ଧଙ୍କୁ ତାଙ୍କ ସ୍ତ୍ରୀ ବା ତାଙ୍କ ପୁତ୍ର କେହିବି ତାଙ୍କୁ ସଂସାରିକ ମାୟାରେ ବାନ୍ଧି  ପାରିନଥିଲେ । ବିବାହର କିଛି ବର୍ଷ ପରେ ସେ ସଂସାରିକ ମାୟା ଓ ଘର ଛାଡି ସନ୍ଯାସ ଧର୍ମକୁ ଆଦରି ନେଇଥିଲେ । କୁନା କହିଲା ଆଛା ଅଜା ଯେତେବେଳେ ଶ୍ରୀଗୌତମ ବୁଦ୍ଧ ଘର ଛାଡି ଯାଇଥିଲେ ସେଇ ସମୟରେ ତାଙ୍କୁ କେତେ ବର୍ଷ ହୋଇଥିଲା । ରାମୁ କାକା କହିଲେ ଗୌତମ ବୁଦ୍ଧ ଘର ଛାଡିବା ସମୟରେ ତାଙ୍କୁ 29 ବର୍ଷ ହୋଇଥିଲା । କୁନା କହିଲା ଅଜା ଶ୍ରୀଗୌତମ ବୁଦ୍ଧ ଘର କାହିଁକି ଛାଡିଲେ କଣ ସେ ବାହା ହୋଇ ଖୁସି ନଥିଲେ ନା ତାଙ୍କ ପରିବାର ଜୀବନରେ କଳି ଝଗଡା ଲାଗି ରହିଥିଲା ।  ରାମୁ କାକା କହିଲେ ଆରେ ସେମିତି କିଛି ନାହିଁ ସେ ସତ୍ଯର ଅନୁସନ୍ଧାନ ଓ ଦୁଃଖର ବିନାସ ପାଇଁ ଘର ଛାଡିଥିଲେ ଓ  ସନ୍ଯାସ ଧର୍ମକୁ ଆଦରି ନେଇଥିଲେ । କୁନା କହିଲା ଅଜା ସେ ଘର ଛାଡିବା ପରେ କୋଉଠିକି ଯାଇଥିଲେ ଓ କାହା ଠାରୁ ବିଦ୍ଯା ଶିକ୍ଷା କରିଥିଲେ ଓ ତାଙ୍କ ଗୁରୁଙ୍କ ନାମ କଣ ଥିଲା । ରାମୁ କାକା କହିଲେ ଗୌତମ ବୁଦ୍ଧ ଘର ଛାଡିବା ପରେ ସେ ଉରୁଭେଲାରେ ପହଞ୍ଚିଥିଲେ  ଓ ସେଇଠି ନିରଞ୍ଜନ ନଦୀ କୂଳରେ ଏକ ବରଗଛ ମୂଳରେ ବିଦ୍ଯା ଶିକ୍ଷା କରିଥିଲେ ଓ ସେ ଯେଉଁଠି ଜ୍ଞାନ ପ୍ରାପ୍ତ କରିଥିଲେ ସେଇ ଜାଗାଟି ବୋଧଗୟା ନାମରେ ଜଣା ଶୁଣା ଗଲା ଓ ତାଙ୍କ ଗୁରୁଙ୍କ ନାମ ଆଲାରା ଏବଂ ଉଦରକ୍ ଥିଲା । କୁନା କହିଲା ଅଜା ସେ କେତେ ବର୍ଷ ମଧ୍ଯରେ ଜ୍ଞାନ ଶିକ୍ଷା କରିଥିଲେ । ରାମୁ କାକା କହିଲେ ଆରେ କୁନା ଗୌତମ ବୁଦ୍ଧ ମାତ୍ର ସାତ ବର୍ଷ ମଧ୍ଯରେ ସମସ୍ତ ଜ୍ଞାନ ଶିକ୍ଷା କରିଥିଲେ ଓ ସତ୍ଯର ଅନୁସନ୍ଧାନ ସହ ଦୁଃଖର ବିନାଶ କରିଥିଲେ । କୁନା କହିଲା ଅଜା ସେ ଜ୍ଞାନ ଶିକ୍ଷା କରି ସାରିଲା ପରେ  ପ୍ରଥମ ଉପଦେଶ କେଉଁ ଠାରେ ଦେଇ ଥିଲେ ଓ କେଉଁ ଉପଦେଶ ଦେଇଥିଲେ । ରାମୁ କାକା କହିଲେ ସେ ଜ୍ଞାନ ଶିକ୍ଷା କରି ସାରିଲା ପରେ ପ୍ରଥମ ଉପଦେଶ ବାରାଣାସୀରେ ଦେଇଥିଲେ ଓ ସେ ପ୍ରଥମ ଉପଦେଶ ତାଙ୍କ ଜୀବନରେ ଏହି ଐତିହାସିକ ଘଟଣା ଧାମଚକ୍ର ପାରିବାଟନ୍ ପରିବର୍ତ୍ତନର ଉପଦେଶ ଦେଇଥିଲେ । ଓ ତାପରେ ପରେ ବୌଦ୍ଧ ଧର୍ମକୁ ସେ ପ୍ରତିଷ୍ଟା କରି ସାରିଲା ପରେ ସେ ମୃତୁ ବରଣ କରିଥିଲେ । କୁନା କହିଲା ଅଜା ଶ୍ରୀଗୌତମ ବୁଦ୍ଧ କେତେ ବୟଷରେ ମୃତୁ ବରଣ କରିଥିଲେ ଓ କେଉଁ ଠାରେ ମୃତୁ ବରଣ କରିଥିଲେ ? ରାମୁ କାକା କହିଲେ ଗୌତମ ବୁଦ୍ଧ 80 ବର୍ଷ ବୟଷରେ ସେ ମୃତୁ ବରଣ କରିଥିଲେ କୁସି ନଗରର ଏକ ସାଲ ଗଛ ତଳେ । କୁସି ନଗର  ଲିଚାଭି ରାଜ୍ଯ ଅଧିନରେ ଆସୁଥିଲା ଓ ସେଇ ସମୟରେ ମଗଧର ରାଜା ମାନେ ଗୌତମ ବୁଦ୍ଧକୁ ମାନୁଥିଲେ । କୁନା କହିଲା ଅଜା କୁସି ନଗର ବୋଲି ସେଇ ଜାଗାଟି ଏବେ ବର୍ତ୍ତମାନ କୋଉଠି ଅବସ୍ଥିତ । ରାମୁ କାକା କହିଲେ କୁସି ନଗର ବୋଲି ସେଇ ଜାଗାଟି ବର୍ତ୍ତମାନ ଗୋରଖ ପୁର ଓ ଉତ୍ତର ପ୍ରଦେଶରେ ଆସୁଛି । କୁନା କହିଲା ଅଜା ଯେଉଁ ମାନେ ବୌଦ୍ଧ ଧର୍ମକୁ ଆଗେଇ ନେଇଥିଲେ ସେ ମାନଙ୍କ ନାମ କଣ କଣ ଥିଲା । ରାମୁ କାକା କହିଲେ ଯେଉଁ ମାନେ ବୌଦ୍ଧ ଧର୍ମକୁ ଆଗେଇ ନେଇଥିଲେ ସେ ମାନଙ୍କର ନାମ ହେଲା ସରିପୁତ୍ର, ଆନନ୍ଦ, ମହାକାସାପା, ଅନୁରାଦା, ଉପାଲି, ଏବଂ ରାହୁଲ ଥିଲେ । ହେଉ ଚାଲେ ଏବେ ବେଶି ସମୟ ହେଲାଣି ଘରକୁ ଫେରିଯିବା ତାପରେ କୁନା ଓ ରାମୁ କାକା ଘରକୁ ଫେରିଲେ । 

Friday, September 17, 2021

ସମର୍ପଣ (topic - 107 ଭାଲୁକୁଣି ଓଷା ) quote #quot

ଭାଲୁକୁଣି ଓଷା - 107 

ଭାଇର ମଙ୍ଗଳ ମନାସୀ ଭଉଣୀ 
        କରେ ଭାଲୁକୁଣି ଓଷା
ଓଡ଼ିଆ ସଂସ୍କାରେ ଓଷା ବ୍ରତ ଅଟେ
         ସୁରକ୍ଷାର ପରିଭାଷା 
ଭାଦ୍ରବ ମାସର ପୁଣ୍ୟ ରବିବାରେ 
         କୁଆଁରୀ ପାଳେ ପରବ 
ଖୁଦୁରୁକୁଣୀଙ୍କ  ଆଶିଷ ଛାଇରେ 
       ତଅପୋଇ କରେ ଗର୍ବ 
            - ସନ୍ତୋଷ ପଟ୍ଟନାୟକ

ସାଧବ ପୁଅର ବଣିଜ ବ୍ୟାପାର
ସୂକ୍ଷ୍ମ କାରୁକାର୍ଯ୍ୟ ବିଶ୍ଵ ବିଦିତ 
ଧନଧାନ୍ୟ ପୂର୍ଣ୍ଣ କଳିଙ୍ଗ ଜାତିଟା
ତୋଳି ଆଣୁଥିଲା ଗୌରବ ନିତ୍ୟ 
ଭ୍ରାତାର ମଙ୍ଗଳ ମନାସି ତରୁଣୀ
ଭାଦ୍ରବ ମାସରେ ଉପାସେ ରହି 
ଭାଲୁକୁଣି ଓଷା ପାଳି ନିଷ୍ଠା ସହ 
ଚାହିଁ ରହୁଥିଲା ଭ୍ରାତାଙ୍କ ପାଇଁ 
                - ଟୁକୁନା ସାହୁ

ମାସ ଏ ଭାଦ୍ରବ କୁଆଁରୀଙ୍କ ଗର୍ବ
      ପାଳି ଭାଲୁକୁଣୀ ଓଷା
ଗାଆଁ ଦାଣ୍ତମୂଳ  ପକାନ୍ତି ଚହଳ
       ପିନ୍ଧି ନୂଆଁ ବେଶପୋଷା
ମଙ୍ଗଳ ମନାସି ମଙ୍ଗଳାଙ୍କ ପାଖେ
       ଚରଣେ ମାଗନ୍ତି ଭିକ
କୁଶଳେ ରୁହନ୍ତୁ ମୋ ଭାଇ ବୋଲିକା
         ରଖିଥାନ୍ତି ମାନସିକ
                  - ରବିନ୍ଦ୍ର ସାହୁ 

ଭାଦ୍ରବ ମାସର ରବିବାର ଆଜି
     କୁଆଁରୀ ଝିଅଙ୍କ ମେଳି 
 ଖୁଦୁରୁକୁଣୀଙ୍କ ଓଷା ଆରମ୍ଭିବା
      ଚାଲ ଯିବା ଫୁଲ ତୋଳି 
ମା ମଙ୍ଗଳା ଙ୍କୁ ସୁମରଣା କରି 
       ପାଞ୍ଚ ପାଳି ଦେବା ପୂଜା 
 ଆଶୀର୍ବାଦ ନେବା ମଙ୍ଗଳ ମନାସୀ 
      ଉଡାଇ ଶାନ୍ତିର ଧ୍ବଜା  
              -  ପ୍ରବୀର ମଲ୍ଲିକ୍ 

ସାଧବ ଘରର  ଅଲିଅଳି କନ୍ୟା 
   ଅଟେ ସେ ଭାରି ଗେହ୍ଲେଇ
ସାତ ଭାଇରେ ସେ ଗୋଟିଏ ଭଉଣୀ 
    ନାଆଁ ତା'ର ତଅପୋଇ 
ଅଭିଶାପ ବଳେ  ସେ ସାଧବ ଝିଅ 
   ହୋଇଥିଲା ମର୍ତ୍ତ୍ୟପୁରୀ 
ପୂର୍ବ ଜନ୍ମେ ସିଏ  ଥିଲା ଅପସରୀ 
   ପାଇ କେତେ ସୁଖ ଶିରୀ 
ଭାଦ୍ରବ ମାସର  ରବିବାର ଦିନ 
   ପଡ଼େ ଭାଲୁକୁଣୀ ଓଷା 
କୁଆଁରୀ କନିଆଁ  ପାଳନ୍ତି ଏହାକୁ 
   ମନେରଖି କେତେ ଆଶା 
            - ରାମ ଚନ୍ଦ୍ର ପ୍ରଧାନ

ସାତ ସାଧବାଣୀ ଓଷା ଭାଲୁକୁଣୀ
       ତଅପୋଇ ତତ୍ତ୍ୱକଥା
ସ୍ୱର୍ଗ ଅପସରି ହେଲା କେତେ ସରି
     ଭୋଗିଲା  ଭାଗ୍ଯର ବ୍ଯଥା
ଭାଦ୍ରବରେ  ଭିଡ କୁଆଁରୀ ସଙ୍ଗଡ
        ମାଆ ମଙ୍ଗଳାଙ୍କୁ ସ୍ମରି
ହିତାର୍ଥେ ଭାଇର ପୂଜା ପଟୁଆର
        ଆନ୍ତରିକତା ଆବୋରି
                   - ଦାଶରଥି ସାହୁ

ଭାଦ୍ରବ ମାସରେ  ଭାଲୁକୁଣି ଓଷା
          ମହିମା ମଙ୍ଗଳା ମା'ର 
ପାଳନ କରନ୍ତି  କୁଆଁରୀ ଏ ଓଷା
           ଦିବସଟି ରବିବାର
ଗାଁ ଭୁଆସୁଣୀ ହୋଇଣ ଏକାଠି
         ଦୀପ ଧୁପ ଝୁଣା ଦେଇ
ନାଲି ମନ୍ଦାରକୁ  ଦେଇ ଯେ ପୂଜନ୍ତି
          ମଙ୍ଗଳା ସ୍ତୁତିକୁ ଗାଇ
                   - ଜଗବନ୍ଧୁ ସାହୁ

ଖୁଦ ରଙ୍କୁଣୀ ମାଆ ଖୁଦୁରୁକୁଣୀ
     ଆସିଚି ପରବ ତୋର 
ଭାଲୁକୁଣୀ ଓଷା ନାମରେ ନାମିତ
      ଭାଦ୍ରବର ରବିବାର 
ବାଲି,ଯାଭା ଦ୍ବୀପେ ବଣିଜ ପାଇଁକି
     ନୌଯାତ୍ରା ସାଧବ ବୀର 
 ଅନାଦି କାଳରୁ ପ୍ରଚଳିତ ପ୍ରଥା
     ଏଇ ଆମ ଓଡ଼ିଶାର 
              - ରାଧା କୄଷ୍ଣ ବାୟକ

● ଉଦନ୍ତି ନଦୀ ●

⬛⬛ଉଦନ୍ତି ନଦୀ; କିମ୍ବଦନ୍ତୀ ଓ ନାମକରଣ⬛⬛
 

ଓଡ଼ିଶା ମଧ୍ୟରେ ଇବ୍, ଓଙ୍ଗ୍  ତେଲ୍,ସୁରାବାଲୀ ଓ ସାଲୁଙ୍କି, ଆଦି ମହାନଦୀର ଅନେକ ଉପନଦୀ ରହିଛି । ମହାନଦୀର ଏଇଭଳି ଏକ ଉପନଦୀ ତେଲନଦୀର  ଏକ ସହାୟକ ନଦୀର ନାମ ଉଦନ୍ତୀ ଅଟେ ।

 ଉଦନ୍ତୀ ନଦୀ , ଛୋଟନାଗପୁର ମାଳାଞ୍ଚଳରୁ ପ୍ରଵାହିତ ହୋଇ ନୂଆପଡ଼ା ଜିଲ୍ଲାର ସିନାପାଲି ବ୍ଲକର ପଶ୍ଚିମ ଦିଗରେ ସିନ୍ଦୂରସିଲ ନିକଟରେ ଓଡ଼ିଶା ସୀମା ମଧ୍ୟକୁ ପ୍ରଵେଶ ହୋଇଛି । ଉଦନ୍ତୀ ନଦୀ ଛତିଶଗଡ଼ ଓ ଓଡ଼ିଶାର ନୂଆପଡ଼ା ତଥା କଳାହାଣ୍ଡି ଜିଲ୍ଲାରେ ପ୍ରଵାହିତ ହେଉଅଛି । କଳାହାଣ୍ଡି ଜିଲ୍ଲାର ସେଁପୁରଠାରେ ଏ ନଦୀ ତେଲ୍ ନଦୀରେ ଆସି ମିଶିଅଛି । 

ଉଦନ୍ତି ଵା ଉଦନ୍ତୀ ନଦୀକୁ ଓଡ଼ିଶାର "free-flowing river" ଭାବେ ଅଭିହିତ କରାଯାଇଥାଏ ।  ଯେଉଁ ନଦୀଗୁଡ଼ିକ ମନୁଷ୍ୟକୃତ ପରିଵର୍ତ୍ତନ ହେତୁ ସେତେଟା ପ୍ରଭାଵିତ ହୋଇନଥାନ୍ତି ସେଗୁଡ଼ିକୁ "free-flowing river" କୁହାଯାଏ । ଛତିଶଗଡ଼ ଓ ଓଡ଼ିଶା ରାଜ୍ୟ ମଧ୍ୟରେ ଏ ନଦୀ ପ୍ରଵାହିତ ହେଉଅଛି । 

  ଉଦନ୍ତୀ ନଦୀକୁ ନେଇ କଳାହାଣ୍ଡି ଅଞ୍ଚଳରେ ଏକ କିମ୍ବଦନ୍ତୀ ରହିଛି । ଏଠାକାର ଵନର ପୁଷ୍ପାଦି ଯୋଗୁଁ ସବୁଆଡେ ସୁବାସ ମହକି ଉଠୁଥିଲା । ସେହି ମହକରେ ଆକୃଷ୍ଟ ହୋଇ ସ୍ୱର୍ଗର ଇନ୍ଦ୍ର ଇନ୍ଦ୍ରାଣୀ ମର୍ତ୍ତ୍ଯକୁ ଓହ୍ଲାଇ ଏଠାରେ ଅନେକ ଦିନ ଵିହାର କରିଵାକୁ ଲାଗିଲେ । ସ୍ଥାନୀୟ ଜନଜାତୀୟ ଲୋକେ ସେମାନଙ୍କ ପାଇଁ ମାଟି ଝାଟିର ସୁନ୍ଦର ଘରଟିଏ ତିଆରି କରିଦେଲେ ।

ପାଖ ପାହାଡ ତଳେ ରହିଥିଲା ଆଉ ଗୋଟେ ଉପତ୍ୟକା । ଥରେ ଇନ୍ଦ୍ର ବୁଲୁ ବୁଲୁ ସେହି ଉପତ୍ୟକାରେ ପହଞ୍ଚିଲେ । ଉପତ୍ୟକାରେ ବସିଥିଲା ଫୁଲର ହାଟ । ଉଡି ବୁଲୁଥିଲେ ଅସଂଖ୍ୟ ପକ୍ଷୀ ଓ ପ୍ରଜାପତି । ସେମାନଙ୍କ ସହିତ ଘୁରି ବୁଲୁଥିଲା ଜଣେ ଅସାମାନ୍ୟ ସୁନ୍ଦରି ନାରୀଟିଏ । 

ନାମ ତାର ଉଦନ୍ତି । ତାର ସୈାନ୍ଦର୍ଯ୍ୟରେ ଆକର୍ଷିତ ହୋଇ ଇନ୍ଦ୍ର ତାକୁ ପ୍ରେମ ନିଵେଦନ କଲେ । ତହୁଁ ପ୍ରେମିକ ପ୍ରେମିକା ହୋଇ ସେମାନେ ଫୁଲ ବଗିଚାରେ ଘୁରି ବୁଲିଲେ । ଉଦନ୍ତିକୁ ପାଇ ଇନ୍ଦ୍ର ଭୁଲି ଗଲେ ଇନ୍ଦ୍ରାଣୀଙ୍କ କଥା । ଏଇମିତିରେ କଟିଗଲା ଅନେକ ଦିନ ।

ଏଣେ ଇନ୍ଦ୍ର ଦେବତାଙ୍କ ବାଟ ଚାହିଁ ଚାହିଁ ଇନ୍ଦ୍ରାଣୀ ଆଖିରେ ଲୁହ ଝରାଇଲେ । ଜନଜାତୀୟ ଲୋକମାନେ ଧାଇଁ ଯାଇ ଇନ୍ଦ୍ରଙ୍କର ଠାଵ ଠିକଣା ଉଣ୍ଡି ଆସିଲେ ।

ଉଦନ୍ତି—ଇନ୍ଦ୍ର ପ୍ରଣୟ କଥା ଜାଣି ଇନ୍ଦ୍ରାଣୀ ଦୁଃଖରେ ଭାଙ୍ଗି ପଡି଼ଲେ । ନଖାଇ ନପିଇ ବସି କାନ୍ଦିଲେ । ଆଦିବାସୀ ଲୋକମାନେ ତାଙ୍କୁ ଜଗି ବସିଲେ । ବଣରୁ ଫଳ ମୂଳ ଆଣି ଖାଇଵାକୁ ଦେଲେ ।

ଶେଷରେ ଦିନେ ଅସହ୍ଯ ହେଲାରୁ ଇନ୍ଦ୍ରାଣୀ ଅଭିଶାପ ଦେଲେ...

"ଇନ୍ଦ୍ର ଓ ଉଦନ୍ତି ବିହାର କରୁଥିଵା ସୁନ୍ଦର ଉପତ୍ୟକାରେ ମରୁଭୁମିର ଵିଭିଷିକା ସୃଷ୍ଟି ହେଵ, ଆଉ ଵର୍ଷା ହେଵ ନାହିଁ । ଇନ୍ଦ୍ର ଓ ଉଦନ୍ତି ହୋଇଯିବେ ଦୁଇଟି ସୁଖା ନଈ । ପରସ୍ପର ଵିପରୀତ ଦିଗରେ ଗତି କରିଵେ । କେବେ ମିଶି ପାରିଵେ ନାହିଁ ।"

ଅଭିଶାପ ଫଳିଲା । ଇନ୍ଦ୍ର ଓ ଉଦନ୍ତି ନଈ ଦୁଇଟି ଵିପରୀତ ଦିଗରେ ବହି ଚାଲିଲେ ।  ଏଣେ ଇନ୍ଦ୍ରାଣି ମଧ୍ୟ ଇନ୍ଦ୍ରାବତି ନଈ ହୋଇ ବହିଗଲେ, ଅନ୍ୟ ଦିଗକୁ ମୁହଁ କରି ।

ଆଜି ନୂଆପଡ଼ା ଜିଲ୍ଲାର କାର୍ଲାକୋଟ ନିକଟରେ ଯେଉଁ ତିଖାଲି ଡ୍ଯାମ୍ ରହିଛି ତାକୁ lower indra dam ବି କୁହାଯାଏ । ସେଇଠି ଇନ୍ଦ୍ର ନଦୀ ଓ ସୁନ୍ଦର ନଦୀ ମିଶିଛି ଏଵଂ ସେ ନଦୀ ସୁନ୍ଦର ନଦୀ ନାମ ବହି ତେଲ୍ ନଦୀରେ ଯାଇ ମିଶିଅଛି । 

କିମ୍ବଦନ୍ତୀ କୁହେ ଇନ୍ଦ୍ର ଓ ଉଦନ୍ତି ନଦୀ କେବେ ମିଶିପାରିଲେ ନାହିଁ ତେବେ ଉଦନ୍ତି ଓ ଇନ୍ଦ୍ର ଉଭୟ ନଦୀର ଜଳ କିନ୍ତୁ ତେଲ୍ ନଦୀରେ ମିଶିଥାଏ । 

ଏ ନଦୀର ନାମ ଉଦନ୍ତି କାହିଁକି ହେଲା ? ସମ୍ଭଵତଃ ଉଦନ୍ତି ନଦୀର ଗୁଣ ଯୋଗୁଁ ଏ ନଦୀର ଏଭଳି ନାମକରଣ ହୋଇଥାଇପାରେ । 

ଉଦନ୍ତ ଶବ୍ଦର ସ୍ତ୍ରୀଵାଚକ ରୂପ ଉଦନ୍ତି ଅଟେ । 
ଏକ ସଂସ୍କୃତ ଇଂରାଜୀ ଅଭିଧାନରେ ଉଦନ୍ତ ଶବ୍ଦର ଅନେକ ଅର୍ଥ ରହିଛି ଯଥା_
୧)flowing over (ଉଚ୍ଛୁଳିଵା)
୨)good(ଭଲ)
୩)virtuous(ଧାର୍ମିକ)
୪)eaching to the end or border
୫)excellent(ଅତି ଉତ୍ତମ)
୬)running over(କାହାକୁ ଛାଡି଼ ପଳାୟନ କରିଵା)
୭)end of the work(କାର୍ଯ୍ୟର ସମାପ୍ତି)
୮)news(ସମ୍ଵାଦ)
୯)one who gets a livelihood by a trade
ଵ୍ୟାପାର ଦ୍ଵାରା ଜୀଵିକାନିର୍ଵାହ କରୁଥିଵା ଵ୍ଯକ୍ତି
୧୦)rest(ଵିଶ୍ରାମ)
୧୧)intelligence(ବୁଦ୍ଧିମାନ)
୧୨)by sacrificing for others(ବଳିଦାନ)
୧୩)account(ଖାତା)
୧୪)harvest time(ଅମଳ ସମୟ)
୧୫)history(ଇତିହାସ)
୧୬)telling to the end(ଶେଷ ଯାଏଁ କହିଵା)

ଉଦନ୍ତି ନଦୀରେ ପ୍ରତିଵର୍ଷ ଵନ୍ଯା ହୋଇଥାଏ ଅର୍ଥାତ୍ ଏ ନଦୀର ଜଳ କୂଳ ଲଙ୍ଘନ କରେ ବୋଲି ଵନ୍ଯା ହୋଇଥାଏ । 
ଏଠାରେ ଉଦନ୍ତ ଶବ୍ଦର flowing over ଅର୍ଥଟି ପ୍ରକାଶ ପାଇଛି । ତେବେ ସବୁନଦୀରେ ଆଗେ ଵନ୍ଯା ହିଁ ହେଉଥିଲା ଏଥିରେ ନୂଆ କ'ଣ ରହିଗଲା ।

ସମ୍ଭଵତଃ ଉଦନ୍ତ ଶବ୍ଦର running over ଵା ଅନ୍ଯକୁ ଛାଡି଼ ପଳାୟନ କରିଵା ଅର୍ଥରେ ଉଦନ୍ତ ଶବ୍ଦର ସ୍ତ୍ରୀଵାଚକ ରୂପ ଉଦନ୍ତି କରି ଏ ନଦୀର ନାମ ରଖାଯାଇଅଛି । କିମ୍ବଦନ୍ତୀ ଅନୁସାରେ  ଉଦନ୍ତି ନାମକ କନ୍ଯା ଓ ଇନ୍ଦ୍ରଙ୍କୁ ଇନ୍ଦ୍ରାଣୀ ଅଭିଶାପ ଦେଇଥିଲେ ଯେ ସେମାନେ କେବେ ମିଶିପାରିବେ ନାହିଁ । ସମ୍ଭଵତଃ ଇନ୍ଦ୍ରଙ୍କୁ ଛାଡ଼ି ଅନ୍ଯ ଏକ ଦିଗକୁ ପଳାୟନ କରି ନଦୀ ଭାବେ ପ୍ରଵାହିତ ହୋଇଥିଵା ହେତୁ ଏ ନଦୀର ନାମ ଉଦନ୍ତି ରଖାଯାଇଥିଲା ।

ଓଡ଼ିଆ ସାହିତ୍ୟରେ ଉଦନ୍ତ ଶବ୍ଦର ଅନେକ ସ୍ଥାନରେ ଵ୍ଯଵହାର ହୋଇଅଛି । ଏ ଶବ୍ଦର ଵିଶେଷତଃ ସମ୍ବାଦ,ଵାର୍ତ୍ତା ଓ ସମାଚାର ଅର୍ଥରେ ଵ୍ଯଵହାର ହୋଇଥିଵା ଦେଖାଯାଏ । 

✓ଏବେ ହୋ ଶୁଣ ପରୀକ୍ଷିତ । 
ଋଷଭ ଉତ୍ତାରେ ଯେମନ୍ତ ।। ୧।।
କହିବା ତହିଁର ଉଦନ୍ତ ।
ରାଜନ ହୁଅ ଏକଚିତ୍ତ ।। ୨।।
(ପଞ୍ଚମ ସ୍କନ୍ଧ,ଭାଗଵତ, ଜଗନ୍ନାଥ ଦାସ)

✓ବେଗରେ ବେତ୍ର କର ଗତି ମତ୍ସ୍ୟ ଚହଟ।
ବୋଲିବାର ମଣିମାଭେକରଟ,
         ବାଟେ ଦ୍ବିବିତ କହିଲା ଏ ଉଦନ୍ତ ।
ସୁଦନ୍ତଶୋଭୀ ଶୁଣି ଭାଳେ ,
             ବିଭୁ ବିରାଗୀ ମୋହଠାରେ ହେଲେ ।୨।
(ଵୈଦେହୀଶ ଵିଳାସ,କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜ)

✓କୁକ୍କୁଟକୁ ମୁକୁଟ ସେ ଗିରିକୂଟେ ଦେଇ
ଲଭି ବଲ୍ଲଭୀ ଉଦନ୍ତ ଦୂତ ପଠିଆଇ ଯେ । 
ଜଳେ ସେତୁ କଲେ ଶିଳେ ନଳେ ଦେଇ ଯଶ ।
ଲଙ୍କା ବେଢ଼ି ଶଙ୍କା କରାଇଲେ ଦୈତ୍ୟବଂଶ ଯେ ।
(ଲାଵଣ୍ଯଵତୀ,କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ)

 ✓ସେ ଭଵନୁ ଜେମା ହେଲେ ନିରୁଦ୍ଦେଶ 
                                          ବ‌ହୁ ଅନ୍ୱେଷଣ କରି,
 ନ ଭବି ଉଦନ୍ତ ଅଵଶେଷେ କ୍ଷାନ୍ତ  ହେଲେ 
                                             ଉତ୍କଳ କେଶରୀ । (ପାର୍ଵତୀ,କଵିଵର ରାଧାନାଥ ରାୟ)

✓ପଚାରନ୍ତି ପରାଶର ମୁନିଙ୍କୁ ଉଦନ୍ତ ।
କହ କହ ତପୀବର ଏ କିସ ଚରିତ ।୧୫।
(ମାଣବସା ଲକ୍ଷ୍ମୀ ପୁରାଣ, ବଳରାମ ଦାସ)

ସେହିପରି ଵିପ୍ଳଵୀ ଵୀର ସୁରେନ୍ଦ୍ର ସାଏଙ୍କ ଭାଇମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଉଦନ୍ତ ସାଏ ।ସୁରେନ୍ଦ୍ର,ଉଦନ୍ତ, ଧ୍ରୁଵ, ଉଜ୍ଜ୍ୱଳ, ଛଵିଳ, ଜାଜ୍ଜ୍ୱଳ ଓ ମେଦିନୀ ଇତ୍ୟାଦି ସେମାନେ ଛଅଭାଇ ।

ଉଦନ୍ତୀ ନଦୀର ଉଭୟ ପାର୍ଶ୍ଵରେ ପ୍ରସ୍ତରଯୁଗୀୟ ଜନଵସତି ଗଢି଼ଉଠିଥିଵାର ପ୍ରମାଣ ନିକଟରେ ଗଵେଷକମାନଙ୍କୁ ମିଳିଅଛି । ନଙ୍ଗଲବୋଡ଼ ଅଞ୍ଚଳରୁ ଆଵିଷ୍କୃତ ପ୍ରସ୍ତର ଯୁଗର ଵିଶାଳ ଲଙ୍ଗଳ ପଥର  ହେଉ କି ସାନବେହେଲି ଓ ଲୁଠାଗଡ଼ ଅଞ୍ଚଳର ପ୍ରାଚୀନ ରାଜପ୍ରସାଦର ଧଂସାଵଶେଷ ଏ ନଦୀକୂଳରେ ଭରି ରହିଛି ଏମିତି ଅନେକ ପ୍ରାଚୀନ ମାନଵ ସଭ୍ଯତାର ସ୍ମୃତି ଚିହ୍ନ । ସମ୍ଭଵତଃ ପୌରାଣିକ କିମ୍ବଦନ୍ତୀ ଓ ଐତିହାସିକ ଘଟଣାଵଳୀର ଉଦାନ୍ତ ପ୍ରଚାର କରିଆସୁଥିଵାରୁ ଏ ନଦୀର ନାମ ଉଦନ୍ତୀ କରାଯାଇଥାଇପାରେ ।

ସମର୍ପଣ (topic - 106 ରକ୍ଷାବନ୍ଧନ ) quote #quot

ରାକ୍ଷୀ ବନ୍ଧନ - 106 

ଡୋରି ସିନା ଅଟେ ରେଶମୀ ସୂତାର 
       ସ୍ମୃତିଭରା ଏଇ ରାକ୍ଷୀ   
   ଭାଇ ଭଉଣୀଙ୍କ  ପବିତ୍ର ବନ୍ଧନ 
      ଯୁଗ ଯୁଗର ସେ ସାକ୍ଷୀ 
ରାଗ ଅଭିମାନ  ସବୁକିଛି ଭୁଲି 
     ଭଉଣୀ ଅନାଇ ଥାଏ 
ଦୀପଟିଏ ଜାଳି  ମଙ୍ଗଳ ମନାସେ 
        ବାନ୍ଧି ରାକ୍ଷୀ ସୂତାଟିଏ 
               - ରାମ ଚନ୍ଦ୍ର ପ୍ରଧାନ 

ଭୂଖଣ୍ତେ ଭଉଣୀ ବିହିଙ୍କ ଭିଆଣି
       ଶୁଭଚିନ୍ତକର ସ୍ଥଳୀ
ଚରିତ୍ର ଚୁକ୍ତିର ଅମାପ ଆଦର
      ଗୁନ୍ଥଇ ମମତା ମାଳୀ
ସାକ୍ଷି  ଶ୍ରୀମନ୍ଦିର ଭାଇ ଭଉଣୀର
     ଚରାଚରେ ଜ୍ଞାତ ଚିହ୍ନ
ପାଳନ୍ତି ସାଦରେ ସର୍ବେ ନିଜ ପୁରେ
        ପବିତ୍ର ରାକ୍ଷୀବନ୍ଧନ
                 - ଦାଶରଥି ସାହୁ 

 ଭାଇ ଭଉଣୀର ସମ୍ପର୍କ ମଝିରେ
      ଚିଜ ଏ ଗୁରୁତ୍ୱପୂର୍ଣ୍ଣ 
ଗୋଟିଏ ସୂତାରେ ଦୁଇ ଆତ୍ମା ବନ୍ଧା 
     ନାମ ତା ରକ୍ଷାବନ୍ଧନ  
ବଜ୍ର ପରି ଶକ୍ତ କରେ ଭାଇ ହାତ 
    ଥିଲେ ଭଉଣୀର ରାକ୍ଷୀ 
ସେହି ହାତ ପୁଣି ଭଉଣୀ ଉଦେଶ୍ୟେ 
    ହୋଇ ଥାଏ ଶୁଭାକାଂକ୍ଷି 
                -   ପ୍ରବୀର ମଲ୍ଲିକ

ସ୍ନେହ ମମତାର ପବିତ୍ର ରଜ୍ଜୁ ଏ 
      ସମ୍ପର୍କ ସୁରକ୍ଷା ମାନ 
ଭାଇ-ଭଉଣୀଙ୍କ ଯୁଗାନ୍ତ ସମ୍ପର୍କେ 
         ନିଷ୍କଳଙ୍କ ଚିରନ୍ତନ 
ଶ୍ରୀକ୍ଷେତ୍ର ବିଧାନେ ବଳରାମ ଜନ୍ମ 
        ଗହ୍ମା ପୂର୍ଣ୍ଣିମାର ଦିନ 
ସମ୍ପର୍କ ଡୋରିରେ ମମତା ବନ୍ଧନ 
            ବିଧି ଶାଶ୍ବତ ବିଧାନ 
             - ସନ୍ତୋଷ ପଟ୍ଟନାୟକ

ଅତୁଟ ବନ୍ଧନ ଅନେକ ସପନ 
       ସମ୍ପର୍କର ଏଇ ଡୋର 
ରେଶମୀ ସୂତାରେ ନୁହଁଇ ସୀମିତ 
      ସମ୍ପର୍କ ଭଗ୍ନୀ ଭ୍ରାତାର  
ଥଟ୍ଟା ପରିହାସ ଆନନ୍ଦ ଉଲ୍ଲାସ 
       କଳି କଜିଆର ସୁଅ 
ଜଣଙ୍କ ବିହୁନେ ଅନ୍ୟଟି ଅପୂର୍ଣ୍ଣ
      ସତରେ ବିଚିତ୍ର ମୋହ 
                 - ଟୁକୁନା ସାହୁ

ରାକ୍ଷୀ ନୁହେଁ ଇଏ ରକ୍ଷା କବଚଟା
       ବାନ୍ଧିଲୁ ଆଜି ମୋ ହାତେ
ଦେବି ନାହିଁ କେବେ ମନରେ ତୋ କଷ୍ଟ
       ଦେଉଛି ମୁଁ କଥା ତୋତେ
ତୋ ସୁଖରେ ଯେ ହେବି ସଦା ସୁଖି
       ତୋ ଦୁଃଖରେ ହେବି ଦୁଃଖୀ
ଥିବି ଛାଇ ପରି ପାଖରେ ତୋହର
        ହୋଇ ତୋର ଦୁଇ ଆଖି
                    ‐ ଜଗବନ୍ଧୁ ସାହୁ

କାଳିଆ ବଳିଆ ସାଥିରେ ଶୁଭଦ୍ରା
    ଦେଉଳରେ ବିଦ୍ଯମାନ 
ଭାଇ ଭଉଣିଙ୍କ ପବିତ୍ର ମିଳନ
     ଅତୁଟ ରକ୍ଷା ବନ୍ଧନ 
ଯୁଗ ଯୁଗାନ୍ତରୁ ପ୍ରଚଳିତ ପ୍ରଥା
   ଗୋମାତା ଙ୍କର ପୂଜନ 
ସୁନ୍ଦର ଏ' ବିଧି ଗଢ଼ିଛି ବିଧାତା
    ଚିର କାଳ ରହୁ ବିଧାନ 
             ‐ ରାଧା କୃଷ୍ଣ ବୟକ

ଆଜି ଏ ପର୍ବରେ ସ୍ନେହ ସରାଗରେ
      ଭାଇ ବୋଲି ଥରେ ଡାକି
ବାନ୍ଧିଦେ ବାନ୍ଧିଦେ ମୋ ସୁନା ଭଉଣୀ
       ମମତା ବୋଳା ତୋ ରାକ୍ଷୀ 
ରାକ୍ଷୀ ନୁହେଁ ଇଏ ରକ୍ଷା କବଚଲୋ
        ଆଜୀବନ ହାତକଡ଼ି
ଫୁଲ ପରି ନୁହେଁ ଏହାର ଆୟୁଷ
       ଅକାଳେ ଯିବସେ ଝଡି
ଭାଇ ଭଉଣୀର    ସମ୍ପର୍କକୁ ଭିଡେ
       ରାକ୍ଷୀର ଅତୁଟ ଗଣ୍ଠି
ଏହି ରାକ୍ଷୀ ପାଇଁ ଭଉଣୀର ଭାଇ
       ଖୁସିରେ ଭରେ ତା' ଅଣ୍ଟି
                      - ରବିନ୍ଦ୍ର ସାହୁ

Tuesday, September 14, 2021

🔵 ଉପଯୁକ୍ତ ବେଶ ପକାଇ ଆସ 🔵 ଗଳ୍ପସମ୍ରାଟ ଶ୍ରୀମନୋଜ ଦାସ

🔵 ଉପଯୁକ୍ତ ବେଶ ପକାଇ ଆସ 🔵
                ଗଳ୍ପସମ୍ରାଟ ଶ୍ରୀମନୋଜ ଦାସ 

ଗୋଟିଏ ରାଜ୍ୟ ଜୟ କଲେ ରାଜା ତାଙ୍କ ପୋଷାକରେ ଖଣ୍ଡିଏ ନୂଆ ହୀରା ଲଗାନ୍ତି । ରାଜ୍ୟ ପରେ ରାଜ୍ୟ, ଚାରି ଛଅ ରାଜ୍ୟ ଜୟ କରି, ପଗଡ଼ି ଓ ପରିଧେୟରେ ଚାରି ଛଅ ଚେକା ହୀରା ଝଲସାଇ ରାଜା ନିଜ ନଅରକୁ ପ୍ରତ୍ୟାଵର୍ତ୍ତନ କରୁଥିଲେ । ଡେରା ପଡ଼ିଥିଲା ଗୋଟିଏ ପର୍ଵତର ପାଦଦେଶରେ । ଦୁଇ-ରାଜ୍ୟ ମଝିରେ ଏଇଟା ଗୋଟାଏ ଜନହୀନ ପ୍ରାୟ ବଣ ମୁଲକ । ସୈନ୍ୟଵାହିନୀ ଶୋଇ ପଡ଼ିଥିଲେ । ରାଜା ତାଙ୍କ ଶିଵିର ବାହାରେ ନିଶାର୍ଦ୍ଧରେ ପଦଚାରଣା କରୁଥିଲେ । ହଠାତ୍ ସମ୍ମୁଖଵର୍ତ୍ତୀ ପର୍ଵତ ଉପରେ ଏକ ଅଦ୍ଭୁତ ନୀଳାଭ ଆଲୋକ ତାଙ୍କର ଦୃଷ୍ଟିଗୋଚର ହେଲା । ତାଙ୍କ ହୃଦୟ ଵିସ୍ମୟ, ଚମକ ଏବଂ ଆନନ୍ଦରେ ଭରିଗଲା । ସେ ଆଲୋକ ଯେ ଅସାଧାରଣ, ସେଥିରେ ସନ୍ଦେହର ଅଵକାଶ ନ ଥିଲା । ଵିସ୍ମିତ ରାଜା ମନ୍ତ୍ରୀଙ୍କୁ ନିଦରୁ ଉଠାଇଲେ ଓ ସେ ଆଲୋକ ଦେଖାଇଲେ । ମନ୍ତ୍ରୀ ଅତି ସ୍ବାଭାଵିକ ଭାବରେ କହିଲେ, “ମହାରାଜ, ମୁଁ ସନ୍ଧ୍ୟାବେଳେ ଆଖପାଖ ଲୋକଙ୍କଠୁଁ ଶୁଣିଥିଲି କି ସେ ପର୍ଵତ ଉପରେ ଜଣେ ସନ୍ନ୍ୟାସୀ ରହନ୍ତି । ଶୀତ ରାତି । ସେ ନିଆଁ ଜାଳିଛନ୍ତି ।” 

—ମନ୍ତ୍ରୀ । ତୁମକୁ ସେ ଆଲୋକ କିପରି ଲାଗୁଛି ? "ରାଜାଙ୍କ ପ୍ରଶ୍ନରେ ଵିସ୍ମିତ ହୋଇ ମନ୍ତ୍ରୀ କହିଲେ, "ମଣିମା। ଶୁଖିଲା କାଠପତ୍ର ଜାଳିଲେ ନିଆଁ ଯେପରି ହେଵା କଥା, ଏହା ସେହିପରି ।” 
“ଆଚ୍ଛା, ଶୋଇଵ ଯାଅ ।" କହିଲେ ରାଜା । ସେ ବୁଝିଲେ ଯେ ଆଲୋକର ଯେଉଁ ଵିଶେଷତ୍ଵ ସେ ଦେଖୁଛନ୍ତି, ମନ୍ତ୍ରୀ ତାହା ଦେଖିପାରୁ ନାହାନ୍ତି । ପ୍ରଭାତ ହେଲା । ରାଜା ସନ୍ନ୍ୟାସୀଙ୍କୁ ଭେଟିଵାର ଅନୁମତି ପ୍ରାର୍ଥନା କରି ଦୂତ ପଠାଇଲେ । ଦୂତ ଫେରିଆସି କହିଲେ, “ ସନ୍ନ୍ୟାସୀ କହୁଛନ୍ତି କି, ତାଙ୍କୁ ଭେଟିଵାକୁ ହେଲେ ରାଜା ଉପଯୁକ୍ତ ବେଶ ପକାଇ ଯିଵା ଦରକାର ।” “ ଅଵଶ୍ୟ ।” କହି ରାଜା ତାଙ୍କର ରତ୍ନଖଚିତ ପୋଷାକ ଓ ପଗଡ଼ି ଲଗାଇ ବାହାରି ପଡ଼ିଲେ । ସେ ପର୍ଵତ ଅଧା ଚଢ଼ିଵା ବେଳକୁ ସନ୍ନ୍ୟାସୀଙ୍କର ଜଣେ ଚେଲା ଆସି କହିଲେ,
 “ ଗୁରୁଦେଵ ମଣିମାଙ୍କୁ ଦୂରରୁ ଦେଖିଛନ୍ତି । ସେ କହିଲେ କି ଆପଣ ଉପଯୁକ୍ତ ବେଶ ପକାଇ ଆସିଵା ଦରକାର ।” 

ରାଜା ନୀରଵରେ ଶିଵିରକୁ ଆସି ରତ୍ନପୋଷାକ ଉତାରି, ଜଣେ ସାଧାରଣ ନାଗରିକର ପୋଷାକ ପିନ୍ଧିଲେ ଓ ନିଜକୁ ନିଜେ କହିଲେ, “ଵାସ୍ତଵିକ୍ ରାଜ-ପୋଷାକରେ ସନ୍ନ୍ୟାସୀଙ୍କ ପାଖକୁ ଯିଵାକୁ ଵାହାରିଵାଟା ବୋକାମି ଛଡ଼ା ଆଉ କ'ଣ । ” ସେ ପର୍ଵତ ଚଢ଼ିଵାକୁ ଆରମ୍ଭ କରନ୍ତେ ପୁଣି ଜଣେ ଚେଲା ଆସି କହିଲା, 

“ ମହାରାଜ । ଗୁରୁଦେଵ କହୁଛନ୍ତି କି, ଆପଣ ଉପଯୁକ୍ତ ବେଶରେ ଆସନ୍ତୁ । ରାଜା ଅଗତ୍ୟା ତମ୍ବୁକୁ ଫେରିଲେ ଓ ଏଥର ଗେରୁଆ ଲୁଗାପଟା ଯୋଗାଡ଼ କରି ପିନ୍ଧି, ପୁଣି ପର୍ଵତ ଚଢ଼ିଵାକୁ ଆରମ୍ଭ କଲେ । 

“ ମହାରାଜ ! ଗୁରୁଦେବ କହିଲେ କି ଆପଣ ଉପଯୁକ୍ତ ବେଶ ପକାଇ ଆସନ୍ତୁ । ” ତୃତୀୟ ଚେଲାଟାଏ ତାଙ୍କୁ ଆସି କହିଲା ।

 ରାଜା କାନ୍ଦ କାନ୍ଦ ଦେଖାଗଲେ । ମନ୍ତ୍ରୀ ତାଙ୍କ କାନରେ କହିଲେ, “ମହାରାଜ ! ସେ ଉଦ୍ଧତ ସାଧୁକୁ ଏହିକ୍ଷଣି ଧରି ଆଣି ଆପଣଙ୍କ ଆଗରେ ହାଜର କରିଦେବି ।”
 ରାଜା ଧୀର କଣ୍ଠରେ କହିଲେ, “ ମନ୍ତ୍ରୀ। କେତେ ରାଜା ମହାରାଜାଙ୍କୁ ବନ୍ଦୀ କରି ତ ମୋ ଆଗରେ ତମେ ଓ ସେନାପତି ହାଜର କରିଛ । ଜଣେ ନିରସ୍ତ, ନିର୍ଵାକ୍ ସାଧୁଙ୍କୁ ଧରି ଆଣିଵାରେ ବାହାଦୁରି କ'ଣ ?”ଶିଵିର ଭିତରେ ଏକାକୀ ରାଜା ଅଶ୍ରୁରୋଧ କରିପାରିଲେ ନାହିଁ । ଵାସ୍ତଵିକ, ଆଜିଯାଏଁ ସେ ନିଜକୁ କେଡ଼େ ପ୍ରଭାଵଶାଳୀ, କ୍ଷମତାଶାଳୀ ମନେ କରି ଆସିଥିଲେ । ଇଏ ହେଲା କ’ଣ ? ବେଶ ବୋଇଲେ ସାଧୁ କ’ଣ ବୁଝାଉଛନ୍ତି ? ଯୋଗ୍ୟତା ? ଵାସ୍ତଵିକ, ସେ କ'ଣ ଜଣେ ସାଧୁଙ୍କୁ ଭେଟିଵାକୁ ଯୋଗ୍ୟ ? ସେ ଏ ପ୍ରଶ୍ନ ଉପରେ ଯେତିକି ଚିନ୍ତା କଲେ, ସେତିକି ଵିମର୍ଷ ବୋଧ କଲେ । ଅର୍ଥାତ୍ ଜୀଵନରେ ସେ ଯେତେ ଵିଜୟ ପ୍ରାପ୍ତି କରିଛନ୍ତି, ଯେତେ ମୁଣ୍ଡ କାଟ କରି ତଳେ ଲୋଟାଇ ଦେଇଛନ୍ତି, ସେ ସବୁ ତାଙ୍କୁ ଅନ୍ୟମାନଙ୍କ ଆଖରେ ଵିରାଟ କରି ଥାଇପାରେ, କିନ୍ତୁ ସାଧୁଙ୍କ ଆଖିରେ ସେ ଅଯୋଗ୍ୟ ! 
 
“ ପୁଅ ! ଏ ବେଶରେ ତମେ କେତେ ସୁନ୍ଦର ଦିଶୁଛ ।”

ଏ ଅପୂର୍ଵ କଣ୍ଠସ୍ଵର ରାଜାଙ୍କୁ ଚମକାଇ ଦେଲା । ସେ ଅନାଇଵା ବେଳକୁ ତାଙ୍କ ଆଗରେ ଉଭା ସ୍ଵୟଂ ସନ୍ନ୍ୟାସୀ । ରାଜା ତାଙ୍କ ପାଦରେ ଲୋଟିଗଲେ । ସନ୍ନ୍ୟାସୀ ତାଙ୍କୁ ଉଠାଇ କୁଣ୍ଢାଇ ପକାଇ କହିଲେ

 “ହୃଦୟରେ ଏହିଭଳି ନମ୍ରତା ବୋଧଠୁଁ ବଳି
  ସୁନ୍ଦର ସାଜ ଆଉ କିଛି ନାହିଁ” । 

“ମହାଭାଗ ! ମୁଁ କେଡ଼େ ମୂର୍ଖ ଥିଲି । ରାଜ୍ୟ ପରେ ରାଜ୍ୟ ଜୟ କରି ନିଜକୁ ଗୌରଵାନ୍ବିତ ବୋଧ କରୁଥିଲି ।” ରାଜା ମୃଦୁକଣ୍ଠରେ କହିଲେ ।

 “ହଁ ଵତ୍ସ । ସେ ଗୌରଵବୋଧ ଅଜ୍ଞାନପ୍ରସୂତ । ଆଜି ତମେ ଜ୍ଞାନର ଉଷାଲୋକରେ ଉପନୀତ ।" ସନ୍ନ୍ୟାସୀ ରାଜାଙ୍କୁ ଆଶୀର୍ଵାଦକରି ବୁଲିପଡ଼ି ଚାଲିଗଲେ । 
------------------------------------------------------
------------------------------------------------------
-------------------------------------------------------
ପ୍ରଥମଠାରୁ ଦ୍ଵାଦଶ ଶ୍ରେଣୀ ଓଡ଼ିଆ ସାହିତ୍ୟ ବହିଗୁଡି଼କ ମଧ୍ୟରେ କେଵଳ ପଞ୍ଚମ ଓ ଦ୍ଵାଦଶ ଶ୍ରେଣୀର ସାହିତ୍ୟ ବହିରେ ମନୋଜ ଦାସଙ୍କ ଦୁଇଗୋଟି ଗଳ୍ପ ସ୍ଥାନ ପାଇଛି । ମୁଁ ଉଚ୍ଚ ଵିଦ୍ୟାଳୟରେ ପଢୁ଼ଥିଵା ସମୟରେ ତାଙ୍କର ଏକ ପ୍ରବନ୍ଧ ସାହିତ୍ୟ ବହିରେ ଥିଲା ଯାହା ଏବେ ଆଉ ନାହିଁ । ପ୍ରୋକ୍ତ କାହାଣୀଟି ପଞ୍ଚମ ଶ୍ରେଣୀ ଓଡ଼ିଆ ସାହିତ୍ୟ ବହିରୁ ସଂଗୃହୀତ । 
------------------------------------------------------
------------------------------------------------------
-------------------------------------------------------

Monday, September 13, 2021

● ଭଗଵାନ ଶ୍ରୀଗଣେଶ ଓ ତାଙ୍କର ଵିଭିନ୍ନ ନାମ ●

ସାରା ଭାରତରେ ଭଗଵାନ ଗଣେଶଙ୍କର ପୂଜାର୍ଚ୍ଚନା ହେଉଥିଲେ ହେଁ ପଶ୍ଚିମ ଭାରତରେ ତାଙ୍କର ଆଗମନ ଉତ୍ସଵ ଧୁମ୍‌ଧାମରେ ପାଳିତ ହୋଇଥାଏ । 

ପୂର୍ଵେ ଓଡ଼ିଶାର ଵିଦ୍ୟାଳୟଗୁଡି଼କରେ କେବଳ ମାତ୍ର ଗଣେଶ ଚତୁର୍ଥୀ ଦିନ ଗଣେଶଙ୍କର ପୂଜା ହେଉଥିଲା ଏଵଂ ଦୁଇ ତିନି ଦିନ ପରେ ଶୁଭଦିନ ଦେଖି ମୂର୍ତ୍ତି ଵିସର୍ଜନ କରାଯାଉଥିଲା ।  କ୍ରମେ ଶ୍ରୀଗଣେଶଙ୍କର ପୂଜାର୍ଚ୍ଚନା ହେତୁକ ପୂଜା ମଣ୍ଡପମାନ କରାଯିଵା ଆରମ୍ଭ ହୋଇଛି । 

ପଶ୍ଚିମ ଭାରତର ପ୍ରଭାଵ ଯୋଗୁଁ ଆଜି ଓଡ଼ିଶାରେ ଗଣେଶ ପୂଜା ସମୟରେ ଵଣପତି ଗଜଵନ୍ଦନରେ “ମୋରୟା ମୋରୟା” ର  ନାଦ ଶୁଣିଵାକୁ ମିଳିଥାଏ । 

ଲୋକେ ଭକ୍ତିପୂତ ଭାବେ ଗାଆନ୍ତି...
“ମୋରୟା ମୋରୟା,ଗଣପତି ବପ୍ପା ମୋରୟା”

ଅଧୁନା ଦେଶରେ  ଗଣେଶ ଚତୁର୍ଥୀ ଠାରୁ ଗଣେଶ ବିସର୍ଜନ ଯାଏଁ ଏହି “ମୋରୟା” “ମୋରୟା” ଗୁଞ୍ଜରଣରେ ଗଗନ ପବନ ପ୍ରତିଧ୍ୱନିତ ହେଉଅଛି !

ତେବେ ଏହା ମୂଳତଃ ମରାଠୀ ଭାଷାର ଶବ୍ଦ ଏଵଂ ମରାଠୀମାନେ ଗୀତ ମାଧ୍ୟମରେ ଗାଇକରି ଶ୍ରୀଗଣେଶଙ୍କୁ 
ଜଣାନ୍ତି...

“ଗଣପତି ବପ୍ପା ମୋରୟା,ମଙ୍ଗଳମୂର୍ତ୍ତି ମୋରୟା,ପୁଢ଼ଚ୍ୟାଵର୍ଷୀ ଲବକରୟା"

ଅର୍ଥାତ୍ “ହେ ମଙ୍ଗଳକାରୀ ପିତା,ଆର ଥର କୁ ଆହୁରି ଶିଘ୍ର ଆସିଵ !”

କୁହାଯାଏ ଗଣପତି ବପ୍ପା ସହ ଯୋଡ଼ା ଯାଉଥିଵା ଏହି ମୋରୟା ନାମ ପଛରେ ଅଛି ଜନୈକ ଗଣେଶ ଭକ୍ତଙ୍କ କାହାଣୀ । 

କୁହନ୍ତି,୧୪ଶହ ଶତାବ୍ଦୀରେ ପୁଣେ ସହର ସମୀପସ୍ଥ
ଚିଞ୍ଚଵଡ଼୍ ଅଞ୍ଚଳରେ  “ମୋରୟା ଗୋସାଵୀ” ନାମଧେୟ ଜଣେ ଗଣେଶ ଭକ୍ତ ରହୁଥିଲେ । ଚିଞ୍ଚଵଡ଼୍‌ରେ ସେ କଠୋର ଗଣେଶସାଧନା କରି ଶେଷରେ ଜୀଵନ୍ତ ସମାଧୀ ନେଇ ଯାଇଥିଵା ଜଣାଯାଏ । ସେହିଦିନଠାରୁ ଚିଞ୍ଚଵଡ଼୍‌ର ଗଣେଶ ମନ୍ଦିର ପଶ୍ଚିମ ଭାରତରେ ଵିଖ୍ୟାତ ହେଲା ଏବଂ ଗଣପତିଙ୍କର ନାମ ସହ ମୋରୟା ନାମ ଯୋଡା଼ଯାଇ ଭକ୍ତ ଏଵଂ ଭଗଵାନଙ୍କର ଜୟଘୋଷ ପ୍ରଚଳିତ ହେଲା !

ମତାନ୍ତରେ 'ମୋରୟା' ଶବ୍ଦ  ମୋରଗାଁଵ୍‌ର ଗଣେଶଙ୍କର ଯୋଗୁଁ ପ୍ରସିଦ୍ଧ ହୋଇଅଛି ! ମୋରୟା ଗୋସାଵୀଙ୍କର ପିତା ବାମନଭଟ ଏବଂ ମାତା ପାର୍ଵତୀବାଈ ୧୪ଶହ ଶତାବ୍ଦୀରେ (କେହି କେହି ମୋରୟା ଗୋସାଵୀ ୧୬ଶହ ଶତାବ୍ଦୀର ଲୋକ ବୋଲି ମତ ଦିଅନ୍ତି) କର୍ଣ୍ଣାଟକରୁ ଚାଲି ଆସି ପୁଣେ ନିକଟସ୍ଥ ମୋରଗାଁଵ ଅଞ୍ଚଳରେ ରହିଵାକୁ ଲାଗିଲେ ।

ମୋରଗାଁଵ୍ ପ୍ରାଚୀନ କାଳରୁ ଗାଣପତ୍ୟ ସମ୍ପ୍ରଦାୟର ପ୍ରମୁଖ କେନ୍ଦ୍ର ଭାବରେ ଜଣାଶୁଣା ଥିଲା ।  ବାମନଭଟ ମଧ୍ଯ ଗାଣପତ୍ଯ ସମ୍ପ୍ରଦାୟର ଲୋକ ଥିଲେ ତେଣୁ ଏ ଅଞ୍ଚଳରେ ତାଙ୍କ ପରିଵାରକୁ ଅଧିକ ସମସ୍ୟାର ସମ୍ମୁଖୀନ ହେଵାକୁ ପଡ଼ିନଥିଲା  । ଆଗେ ମୋରଗାଁଵ୍‌ରେ ବହୁତ ମୟୁର ଥିଲେ ତେଣୁ ଏ ଅଞ୍ଚଳର ଏଭଳି ନାମକରଣ ହୋଇଅଛି ।  ଏଠାରେ ଗଣେଶଙ୍କର ସିଦ୍ଧ ପ୍ରତିମା ମଧ୍ଯ ଅଛି ଏଵଂ ସେ ପ୍ରଭୁ ମୟୁରେଶ୍ବର ନାମରେ ଖ୍ୟାତ । 

ମୋରଗାଁଵ୍‌ର ମୟୁରେଶ୍ବରଙ୍କ ଭଳି ଥେରୁର, ସିଦ୍ଧଟେକ,ରାଂଜଣଗାଂଵ,ଓଝର,ଲେଣ୍ୟାଦ୍ରି,ମହଡ଼ ଏବଂ ପାଲୀ ଆଦି ଆଠଟି ମୁଖ୍ୟ ଗାଣପତ୍ୟ ପୀଠଗୁଡ଼ିକୁ ଅଷ୍ଟଵିନାୟକ ପୀଠ କୁହାଯାଏ । 

ଗଣେଶ ପୁରାଣ ଅନୁଯାୟୀ ଦାନଵ ସିନ୍ଧୁର ଅତ୍ୟାଚାରରୁ  ରକ୍ଷାହେତୁ ଦେଵତାମାନେ ଶ୍ରୀଗଣେଶଙ୍କର ଆହ୍ୱାନ କଲେ । ଶ୍ରୀଗଣେଶ ମୟୂରକୁ ନିଜ ଵାହନ କରି ଷଡଭୂଜଯୁକ୍ତ ଅଵତାର ନେଇ ଦୁଷ୍ଟ ସିନ୍ଧୁକୁ ନିପାତ କରିଥିଲେ । ମୋରଗାଁଵ୍‌ରେ ସେହି ମୟୁରେଶ୍ବରଙ୍କର ପ୍ରତିକାତ୍ମକ ପ୍ରତିମାକୁ ପୂଜା କରାଯାଇଥାଏ । 
ସେହି ମୟୁରେଶ୍ବରଙ୍କୁ ଆଜି ସ୍ଥାନୀୟ ଲୋକେ ମୋରେଶ୍ବର କହୁଛନ୍ତି । କୁହାଯାଏ ବାମନଭଟ ଏବଂ ପାର୍ଵତୀ ଦେଈଙ୍କୁ ଏହି ମୋରେଶ୍ବରଙ୍କ କୃପାରୁ ପୁତ୍ରଲାଭ ହୋଇଥିଲା । ପରମ୍ପରା ଅନୁସାରେ​ ନିଜ ଆରାଧ୍ୟ ଦେଵତାଙ୍କ ନାମନୁଯାୟୀ ବାମନଭଟ ନିଜ ପୁତ୍ରର​ ନାମ ମୋରୟା ରଖିଲେ । ମୋରୟା ମଧ୍ଯ ଵାଲ୍ୟକାଳରୁ ଗଣପତି ଭକ୍ତ ହେଲେ ! ସେ ଥେରୁର ଅଞ୍ଚଳକୁ ଯାଇ ସେଠାରେ କଠୋର​ ତପ କରି ଶେଷରେ ସିଦ୍ଧାଵସ୍ଥା ଲାଭକଲାରୁ ତାଙ୍କୁ ଶ୍ରୀଗଣେଶଙ୍କର ପ୍ରତ୍ୟକ୍ଷ ଅନୁଭୂତି ହେଲା । ସେଇଦିନଠାରୁ ତାଙ୍କର ମୋରୟା ଵା ମୋରୋବା ଗୋସାଵୀ ନାମରେ ଖ୍ୟାତି ହୋଇଗଲା ।

ମୋରୟା ଗୋସାଵୀ ଵେଦ-ଵେଦାଙ୍ଗ,
ପୁରାଣୋପନିଷଦର ଗହନ ଶିକ୍ଷାପ୍ରାପ୍ତ କରି ଯୁଵାଵସ୍ଥାରେ ହିଁ ଗୃହସ୍ଥ-ସନ୍ଥ ହୋଇଗଲେ ।
ମାତା-ପିତାଙ୍କ ସ୍ଵର୍ଗଵାସ ପରେ ସେ ପୁଣେ ସନ୍ନିକଟ ପଵନା ନଦୀ କୂଳେ ଚିଞ୍ଚଵଡ୍‌ରେ ଆଶ୍ରମ ସ୍ଥାପନ କରି ଶ୍ରୀଗଣେଶଙ୍କର ଆରାଧନା ଆରମ୍ଭ କଲେ ।

ଦେଶରେ ତାଙ୍କର ଖ୍ୟାତି ଆହୁରି ବଢି଼ଲା ।
ସମର୍ଥ ରାମଦାସ ଏଵଂ ସନ୍ଥ ତୁକାରାମ ବହୁତ ଥର ଚିଞ୍ଚଵଡ୍ ଆସି ମୋରୟା ଗୋସାଵୀଙ୍କ ସହ ସମ୍ମିଳିତ ଧର୍ମଚର୍ଚ୍ଚା କରୁଥିଵା ପ୍ରଵାଦ ରହିଛି ।

ପ୍ରଶିଦ୍ଧ ଗଣପତି ଭଜନ
“ସୂଖକର୍ତ୍ତା-ଦୁଃଖହର୍ତ୍ତା ଵାର୍ତ୍ତା ଵିଘ୍ନାଚୀ”ର ରଚନା କଵି ସମର୍ଥ ରାମଦାସ ଚିଞ୍ଚଵଡ୍‌ର ଏହି ସିଦ୍ଧକ୍ଷେତ୍ରରେ ମୋରୟା ଗୋସାଵୀଙ୍କ ସାନ୍ନିଧ୍ୟରେ ହିଁ କରିଥିଲେ !!!

ମୋରୟା ଗୋସାଵୀ ହିଁ ଅଷ୍ଟଵିନାୟକ ଯାତ୍ରାର ପ୍ରଵର୍ତ୍ତକ ବୋଲି ଲୋକବିଶ୍ବାସ ରହିଛି । ସେ ଅଷ୍ଟଵିନାୟକ ଯାତ୍ରା ମୋରଗାଁଵର ମୟୁରେଶ୍ବର ମନ୍ଦିରରୁ ଆରମ୍ଭ କରିଥିଲେ,ଆଜି  ମଧ୍ଯ ସେହି ଧାରା ଅଵଲମ୍ବନ ପୂର୍ଵକ ସେହିଠାରୁ ଅଷ୍ଟଵିନାୟକ ଯାତ୍ରା ହୋଇଥାଏ ।

ଆଉ ଏକ ମତ ଅନୁଯାୟୀ ମୋରୟା ଶବ୍ଦଟି ମୋରୟା ଗୋସାଵୀଙ୍କ ନାମରୁ ନୁହେଁ ଵରଂ ଦୁଇଟି ଶବ୍ଦର ମିଶ୍ରଣରେ ସୃଷ୍ଟ ବୋଲି କୁହାଯାଏ  । ମୋର୍ ଏଵଂ ୟା 
ଶବ୍ଦ ଯୁକ୍ତ ହୋଇ ମୋରୟା ହୋଇଛି ବୋଲି କିଛି ଲୋକ ମତ ଦିଅନ୍ତି ।

ସେମାନଙ୍କ ଅନୁସାରେ ମରାଠୀ ଭାଷାରେ 
 ମୋରୟା ଅର୍ଥ ହେଉଛି come ahead(And bless us) ଆଉ କିଛି ଭାଷାବିଦ ମରାଠୀ ଶବ୍ଦ “ମ୍ହୋର୍ ୟା” ଅପଭ୍ରଂଶ ହୋଇ ମୋରୟା ହୋଇଥିଵା ଅନୁମାନ କରନ୍ତି ! ମ୍ହୋର ୟା ର ଶବ୍ଦିକ ଅର୍ଥ ହେଉଛି Go ahead  ( ଯାଉଛ ଯଦି ଯା ....ଆର ବରଷକୁ ଜଲଦୀ ଆ)

ସେ ଯାହା ହେଉ ଆଜି ଗଣପତିଙ୍କ ସହ ମୋରୟା ଶବ୍ଦ ଟି ଯୋଡ଼ି ହୋଇସାରିଛି ଏଵଂ ବୋଧହୁଏ ଆଗକୁ ମଧ୍ଯ ରହିବ । 

ଏଣେ ଓଡ଼ିଶାରେ ଆମର ଅନେକ ଲୋକେ ଗଣେଶଙ୍କ ନାମକୁ କେମିତି ଲେଖିଵେ ତାହା ଠିକ୍‌ରେ ଜାଣିନାହାନ୍ତି । 
କିଏ ଗଣେସ ଲେଖୁଛି ତ କିଏ ଗଣେଷ କିନ୍ତୁ ପ୍ରକୃତରେ 
ଗଣେଶ,ଗଣେଷ ଓ ଗଣେସ କେଉଁ ଶବ୍ଦଟି ଠିକ୍ ?

ଲୋକଙ୍କ ମନରେ ବଡ଼ ଶଙ୍କା ଯେ ଗଣପତିଙ୍କର ନିମ୍ନଲିଖିତ ନାମ ମଧ୍ୟରେ କେଉଁଟି
ଠିକ୍ ...

🔵ଗଣେଶ
🟡ଗଣେସ
🟤ଗଣେଷ

ପ୍ରାୟ ସମସ୍ତ ଶବ୍ଦକୋଷରେ ଷଷ୍ଠୀ ତତ୍ ପୁରୁଷ ସମାସ ଅନୁସାରେ “ଗଣ+ଈଶ=ଗଣେଶ”
ହୋଇଥିବା ଉଲ୍ଲେଖ ରହିଛି
କିନ୍ତୁ ଏହି ଉତ୍ତର ଶୁଣିଲାପରେ କିଛି ଲୋକ ପ୍ରଶ୍ନ କରିପାରନ୍ତି 

ଗଣ ଶବ୍ଦରେ ଈଶ ହିଁ କାହିଁକି ଲାଗିପାରିବ ?
ଯେହେତୁ ଆମ ଭାଷାରେ ତଥାକଥିତ ତିନୋଟି “ଶଷସ” ଵର୍ଣ୍ଣ ହୋଇଯାଇଛି ତେବେ ‘ଗଣ’ ଶବ୍ଦ ସହ ଇସ,ଈସ୍,ଇଷ,ଈଷ,ଇଶ ଓ ଇଶ୍
ଆଦି ଶବ୍ଦ ଯୋଡାଯାଇ ଗଣେଷ କି ଗଣେସ
ଶବ୍ଦ ନିଷ୍ପନ୍ନ ହୋଇପାରିଵ ନାହିଁ କି ?

ପ୍ରୋକ୍ତ ସମସ୍ତ ଇସ,ଈସ୍,ଇଷ,ଈଷ,ଇଶ,ଇଶ୍
ଓ ଈଶ ଆଦି ଶବ୍ଦ ଗୁଡିକର ଅର୍ଥ ତର୍ଜମା କରି ଦେଖାଯାଉ ଯେ ପ୍ରକୃତରେ ତନ୍ମଧ୍ୟରୁ କେଉଁଟି
ଗଣେଶ ଶବ୍ଦ ମଧ୍ୟରେ ଲୁକ୍କାୟିତ ରହିଛି ...

⚫ଇଶ୍
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ
ଏକ କ୍ରିୟାଶବ୍ଦ “ଇଶ୍ ଇଶ୍ କରିଵା” ର ଅର୍ଥ ଘୃଣାକରିଵା,ଦେହ ଅସୁସ୍ଥ ଜନିତ କଷ୍ଟବୋଧ ପ୍ରକାଶକ ଧ୍ଵନି,ସିଟି ମାରିଵା ଇତ୍ୟାଦି

⚫ଇଶ→
ଇଶ ବୋଲି ଏକ ପ୍ରାଦେଶିକ ଶବ୍ଦର ଭାଷାକୋଷରେ ଉଲ୍ଲେଖ ରହିଛି ଯାହାର ଅର୍ଥ ପରିହାସ, ଇଙ୍ଗିତ ଓ ଥଟ୍ଟା ଅଟେ ।

⚫ଈଶ୍
ତତ୍ସମ ଈଶ୍ ମୂଳଶବ୍ଦର ଅର୍ଥ ଈଶ୍ଵର ଏଵଂ ଏହା 
ଈଶ୍ ଧାତୁରୁ  ଆଧିପତ୍ୟ କରିଵା ଅର୍ଥରେ ନିଷ୍ପନ୍ନ ହୋଇଛି । 

⚫ଈଶ
“ଈଶ”  ଵିଶେଷ୍ୟ ଶବ୍ଦର ଅର୍ଥ
ପତି;ସ୍ଵାମୀ,ପ୍ରଭୁ,ଈଶ୍ଵର,ଶିଵ,ରାଜା,ନିୟନ୍ତା,ରକ୍ଷକ
ସେହିପରି “ଈଶ” ଶବ୍ଦର ଵିଶେଷଣ ଅର୍ଥ ଶ୍ରେଷ୍ଠ ଓ ସମର୍ଥ

⚫ଇଷ୍
 ଓଡ଼ିଆ ଭାଷାରେ ଇଷ୍ ବୋଲି କୌଣସି ଶବ୍ଦ ନଥିଵା ଜଣାଯାଏ ତେବେ ଏକ ସଂସ୍କୃତ ଧାତୁଶବ୍ଦ “ଇଷ୍ ଧାତୁ” ରହିଛି ଯହିଁରୁ ଗମନ କରିଵା, ବାଞ୍ଛା କରିଵା, ଇଛା କରିଵା ଆଦି ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଅଛି । 

⚫ଇଷ
ଆଶ୍ଵିନ ମାସକୁ ଇଷ କୁହାଯାଏ ଏହା ଇଷ୍ ଧାତୁରୁ ନିଷ୍ପନ୍ନ ହୋଇଅଛି ।  ଏ ସମୟରେ ଜିଗୀଷୁମାନେ ଯୁଦ୍ଧ ଵିରୋଧ ରେ ଯୁଦ୍ଧଯାତ୍ରା କରୁଥିଲେ ତେଣୁ ମାସର  ଏଭଳି ନାମକରଣ  । ଲଙ୍ଗଳ କୁ ଜୁଆଳି ସଙ୍ଗେ ଲଗାଇଵାର ଲମ୍ଵ କାଠକୁ ମଧ୍ୟ ଇଷ କୁହାଯାଏ । 

⚫ଈଷ୍ ଧାତୁ
ସଂସ୍କୃତ ଧାତୁ ଶବ୍ଦ ଈଷ୍ ଧାତୁକୁ ଆଘାତ କରିଵା, ଗତି କରିଵା, ଯିଵା ଆଦି ଅର୍ଥ ଘେନି ଶବ୍ଦ ନିଷ୍ପନ୍ନ ହୋଇଥାଏ । 

⚫ଈଷ
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଈଷ ବୋଲି କୌଣସି ସ୍ଵତନ୍ତ୍ର ଶବ୍ଦର ଉଲ୍ଲେଖ ନାହିଁ(ପୃଷ୍ଠା ୮୮୮ ଦେଖ) 
କିନ୍ତୁ କଳ୍ପଦ୍ରୁମ ଓ ହିନ୍ଦୀ ଶବ୍ଦ ସାଗରରେ
ଏହି ଶବ୍ଦର ତିନି ଗୋଟିଏ ଅର୍ଥର ଉଲ୍ଲେଖ ରହିଛି
ଆଶ୍ଵିନ ମାସ,ମନୁଙ୍କର ଦଶପୁତ୍ରଙ୍କ ମଧ୍ୟରେ ଜଣେ,ଶିଵଙ୍କର ଏକ ଗଣର ନାମ । 

⚫ଇସ୍
୧.କଷ୍ଟ,ଘୃଣା ଓ କ୍ଳାନ୍ତି ସୂଚକ ଅଵ୍ୟୟ
୨.ରୋଗ ଵା ପରିଶ୍ରମ ଜନିତ କ୍ଲେଶ ସୂଚକ ଧ୍ଵନି
୩.ଵିଦୃପ ଵା ଵ୍ୟଙ୍ଗ ସୂଚକ ଧ୍ଵନି

⚫ଇସ
ଭାଷାକୋଷରେ ଇସ ବୋଲି କୌଣସି ସ୍ଵତନ୍ତ୍ର ଶବ୍ଦର ଉଲ୍ଲେଖ ନାହିଁ(ପୃଷ୍ଠା ୮୮୨ ଦେଖ)

⚫ଈସ
ଭାଷାକୋଷ କିମ୍ବା କଳ୍ପଦ୍ରୁମ ଆଦି ଶବ୍ଦକୋଷରେ ଈସ ବୋଲି କୌଣସି ସ୍ଵତନ୍ତ୍ର ଶବ୍ଦର ଉଲ୍ଲେଖ ନାହିଁ

ଉପରୋକ୍ତ ସମସ୍ତ  ଇସ,ଈସ୍,ଇଷ,ଈଷ,ଇଶ,ଇଶ୍
ଓ ଈଶ ଆଦିର ଅର୍ଥ ଗୁଡି଼କୁ ଅନୁଧ୍ୟାନ କରି ଦେଖିଲାପରେ
ଆମକୁ ତନ୍ମଧ୍ୟରୁ କେଵଳ ଗୋଟିଏ “ଈଶ”
ହିଁ “ଗଣ” ଶବ୍ଦ ସହିତ ଜଡି଼ତ ରହିଥିଵାର ସ୍ପଷ୍ଟ ଵିଶ୍ଵାସ ହେଉଅଛି ।

ଚାଲନ୍ତୁ ଏବେ ଗଣେଶ ଶବ୍ଦକୁ ଆମେ ସୂକ୍ଷ୍ମଭାବେ ଵ୍ୟାଖ୍ୟା କରି ଦେଖିଵା ଯେ ପ୍ରକୃତରେ ଭଗଵାନଙ୍କର ଏକନାମ ଗଣେଶ କାହିଁକି ରଖାଗଲା ।  ଆମ୍ଭମାନେ ଜାଣନ୍ତି ଯେ ଷଷ୍ଠୀ ତତ୍ ପୁରୁଷ ସମାସ ଅନୁସାରେ ‘ଗଣ’ ଶବ୍ଦ ସହ ‘ଈଶ’ ଯୋଡି଼ହୋଇ ଗଣେଶ ଶବ୍ଦ ହେଲା ।

ଗଣ ଶବ୍ଦର ମୂଳ ଵୈଜ୍ଞାନିକ କ୍ଷୁଦ୍ରରୁପ ଗଣ୍ ଧାତୁ ଯାହାର―ଗଣିବଳଵା,ଵିଵେଚନା କରିଵା,ସୁମାରି କରିଵା,ମିଶାଇଵା ଇତ୍ୟାଦି ଅର୍ଥରେ ଵ୍ୟଵହାର କରଯାଇ ଅନ୍ୟ ଅନେକ ଶବ୍ଦ ନିଷ୍ପନ୍ନ ହୋଇଛି ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଗଣ ଶବ୍ଦର ଅନେକ ଅର୍ଥ ଉଲ୍ଲେଖ କରାଯାଇଛି ଯଥା— 

🔵ସମୂହ,ପଞ୍ଝା;ଦଳ;ପଲ
🔵ପାଟକ;ଜାତି
🔵ଏକଜାତୀୟ ବହୁସଂଖ୍ୟକ ଜୀଵ(Flock)
🔵ଶ୍ରେଣୀ
🔵ଚତୁରଙ୍ଗ ସେନାଵିଶେଷ(୨୭ ହସ୍ତୀ,୨୭–ରଥ, ୮୧-ଅଶ୍ୱ,୧୩୫-ପଦାଦିକ[ସୈନିକ] ସମ୍ୱଳିତ ସେନା)
🔵ସ୍ୱପକ୍ଷ; ସ୍ୱଜାତୀୟ ବହୁଲୋକ
🔵ଅନୁଚରଙ୍କ ଦଳ
🔵ଗଣନା
🔵(ଗଣିତ) ସଂଖ୍ୟା
🔵ଦେଵତା ଓ ରାଜାଦିଙ୍କ ଅନୁଚରବର୍ଗ,
🔵ପ୍ରମଥଗଣ; ଶିଵଙ୍କ ଅନୁଚର ସେନାଦଳ(ଏମାନଙ୍କ ସେନାପତି ଗଣେଶ)
🔵ସଂସ୍କୃତ ଧାତୁମାନଙ୍କର ଭିନ୍ନ ଭିନ୍ନ ଶ୍ରେଣୀ ଵା ପୁଞ୍ଜ(ଯଥା—ଭ୍ୱାଦିଗଣ, ଅଦାଦି ଓ ତାନାଦି/ସଂସ୍କୃତ ଧାତୁମାନଙ୍କର ଆଦର୍ଶ ଧାତୁ ନାମରେ ଗଣମାନଙ୍କର ନାମକରଣ ହୁଏ)
🔵ଏକ ଉଦ୍ଦେଶ୍ୟରେ ଗଠିତ ଦଳ, ସମାଜ ଵା ସଭା,କମ୍ପାନୀ; ସଂଘ,ପ୍ରଥମ ସମ ଵା ତାଳଠାରୁ କୌଣସି ରାଗର ମିଶ୍ରଣକୁ ପୃଥକ୍ କରିଵା ତିନୋଟି ସ୍ୱରର ସମଷ୍ଟି(ସଙ୍ଗୀତ)
🔵ଦେଵ, ମନୁଷ୍ୟ ଓ ଅସୁର ଏହିପରି ତିନି ଶ୍ରେଣୀରେ ଵିଭକ୍ତ ହୋଇଥିଵା ନକ୍ଷତ୍ରମାନଙ୍କର ଏକ ଶ୍ରେଣୀ,
🔵ଗଣେଶଙ୍କର ନାମ ଵିଶେଷ
🔵ଶ୍ଳୋକର ପାଦ ଇତ୍ୟାଦି

ସେହିପରି “ଈଶ”[ଈଶ୍ ଧାତୁ(ଆଧିପତ୍ୟ କରିବା)] ଵିଶେଷ୍ୟ ଶବ୍ଦର ଅର୍ଥ

⚫ପତି;ସ୍ଵାମୀ
⚫ପ୍ରଭୁ
⚫ଈଶ୍ଵର
⚫ଶିବ
⚫ରାଜା
⚫ନିୟନ୍ତା
⚫ରକ୍ଷକ
⚫ଶ୍ରେଷ୍ଠ
⚫ସମର୍ଥ

ତାହେଲେ ଗଣେଶ ଶବ୍ଦଟିକୁ ଉପର ଵର୍ଣ୍ଣିତ ଅର୍ଥ ଆଧାରରେ ଵ୍ୟାଖ୍ୟା କଲେ କେମିତି କେମିତି ଅର୍ଥ ମିଳିଵ...

🟠ମାନବ ଜାତି,ସମୂହ,ଦଳଙ୍କର ଯେ ରକ୍ଷକ, ସେ ପ୍ରଭୂ ଇଶ୍ଵର ଶ୍ରୀଗଣେଶ
🟠ଶିଵଙ୍କର ଅନୁଚର ସେନାଦଳ ପ୍ରମଥଗଣଙ୍କର ଯେ ପ୍ରଭୂ ପ୍ରଭୂ,ସ୍ଵାମୀ,ରାଜା ଓ ନିୟନ୍ତା
🟠ଯେ ଶିଵଙ୍କ ପରି, ଶିଵଙ୍କର ଉତ୍ତରାଧିକାରୀ ଶକ୍ତି ପ୍ରାପ୍ତ ଦେଵ ସେ ହିଁ ଗଣନାଥ ଗଣେଶ ଅଟନ୍ତି

ହେଲେ ଶ୍ରୀଗଣେଶଙ୍କର ଗଣପତି ,ଗଣେଶ ଭଳି ଆହୁରି ସହସ୍ରାଧିକ ନାମ ରହିଛି । ନିମ୍ନରେ ଭଗଵାନ ଶ୍ରୀଗଣେଶଙ୍କର କେତେକ ଜଣାଶୁଣା ନାମ ଉଲ୍ଲେଖ କରାଗଲା । 

🔴ଗଣାଧ୍ଯକ୍ଷ – ସବୁ ଗଣଙ୍କ ଅଧକ୍ଷ
🔴ଗଣପତି – ସବୁ  ଗଣଙ୍କ ପତି
🔴ଗୌରୀସୁତ – ମାତା ଗୌରୀଙ୍କ ପୁତ୍ର
🔴ଲମ୍ବକର୍ଣ୍ଣ – ବଡ଼ କାନ ଥିଵା ଦେଵ
🔴ଲମ୍ବୋଦର – ବଡ଼ ପେଟ ଯାହାଙ୍କର
🔴ମହାବଳ – ଅତ୍ଯଧିକ ବଳଶାଳୀ
🔴ମହାଗଣପତି – ଦେଵାଦିଦେଵ
🔴ମଙ୍ଗଳମୂର୍ତ୍ତି – ସବୁ ଶୁଭ କାର୍ଯ୍ୟର ଦେଵ
🔴ମୂଷକଵାହନ – ଯାହାଙ୍କର ଵାହନ ମୂଷା
🔴ବୁଦ୍ଧିନାଥ – ବୁଦ୍ଧିର  ଭଗଵାନ
🔴ଧୂମ୍ରଵର୍ଣ୍ଣ – ଯାହାଙ୍କର ଵର୍ଣ୍ଣ ଧୂମ୍ରର‌ ରଙ୍ଗ ଭଳି
🔴ଏକାକ୍ଷର – ଏକ ଅକ୍ଷର
🔴ଏକଦନ୍ତ – ଏକ ଦନ୍ତ ଯୁକ୍ତ ଦେଵ
🔴ଗଜକର୍ଣ୍ଣ –ଗଜ ଵା  ହାତୀ ପରି କର୍ଣ୍ଣ ଯାହାଙ୍କର
🔴ଗଜାନନ – ହାତୀ ପରି ମୁଖ ଯାହାଙ୍କର
🔴ଗଜଵକ୍ତ୍ର – ହାତୀଙ୍କ ପରି ମୁଖ ଯୁକ୍ତ ଦେଵ
🔴ଦେଵାଦେଵ – ସବୁ ଭଗଵାନଙ୍କ ମଧ୍ୟରେ ସର୍ଵୋପରି
🔴ଦେଵାନ୍ତକନାଶକାରୀ – ଦେଵତାଙ୍କୁ ରାକ୍ଷସଠାରୁ ରକ୍ଷା କରିଥିଵାରୁ
🔴ଦେଵଵ୍ରତ – ସମସ୍ତଙ୍କର ତପସ୍ଯା ସ୍ଵୀକାର କରୁଥିଵା ଦେଵ
🔴ଦେଵେନ୍ଦ୍ରାଶିକ – ସବୁ ଦେଵତାଙ୍କ ରକ୍ଷାକର୍ତ୍ତା
🔴ଏକଦଂଷ୍ଟ୍ର – ଏକ ଦନ୍ତଧାରୀ ଦେଵ
🔴ଈଶାନପୁତ୍ର – ଭଗଵାନ ଶିଵଙ୍କ ପୁତ୍ର
🔴ଅମିତ – ଅତୁଳନୀୟ ପ୍ରଭୁ
🔴ଅନନ୍ତଚିଦରୁପମ – ଅନ୍ତତ ଚିଦ୍ ଵା ଚେତନା ରୂପ ଯାହାଙ୍କର
🔴ଅଵନୀଶ – ସାରା ଅଵନୀ ଵିଶ୍ଵର ପ୍ରଭୁ
🔴ଅଵିଘ୍ନ – ବାଧା ହରଣକାରୀ ଈଶ୍ଵର
🔴ବୁଦ୍ଧିପ୍ରିୟ – ବୁଦ୍ଧି ଦାତା ଭଗଵାନ
🔴ବୁଦ୍ଧିଵିଧାତା – ବୁଦ୍ଧିର ଵିଧାତା ଦେଵ
🔴ନିଦୀଶ୍ଵରମ – ଧନ ଓ ନିଧିର ଦାତା
🔴ପ୍ରଥମେଶ୍ଵର – ସବୁ ଦେଵଙ୍କ ମଧ୍ୟରେ ପ୍ରଥମ
🔴ଶୂପକର୍ଣ୍ଣ – ବଡ଼ କାନ ଯେଉଁ ଦେଵଙ୍କର
🔴ସିଦ୍ଧିଦାତା – ଇଚ୍ଛା ପୂରଣକାରୀ ଓ ଅଵସର ପ୍ରଦାତା ଦେଵ
🔴ସିଦ୍ଧିଵିନାୟକ – ସଫଳତାଦାତା ଦେଵ 
🔴ସୁରେଶ୍ଵରମ – ଦେଵଙ୍କର ଦେଵ
🔴ଵକ୍ରତୁଣ୍ଡ – ତୁଣ୍ଡ ଯେଉଁ ଦେଵଙ୍କର ଵକ୍ର
🔴ଅଖୂରଥ – ଯାହାଙ୍କର ସାରଥୀ ମୂଷା
🔴ଗଣାଧ୍ଯକ୍ଷିଣ – ସବୁ ଗଣଙ୍କ ନେତା
🔴କଵୀଶ – କବିମାନଙ୍କର  ସ୍ଵାମୀ
🔴ଵରଦଵିନାଯକ – ସଫଳତାର  ସ୍ଵାମୀ
🔴ଵୀରଗଣପତି – ଵୀର ପ୍ରଭୁ
🔴ଵିଦ୍ଯାଵାରିଧି – ବୁଦ୍ଧିର ଦେଵ
🔴ଵିଘ୍ନହର – ବାଧାଗୁଡି଼କୁ ଦୂର କରୁଥିଵା ଦେଵ
🔴ଵିଘ୍ନହର୍ତ୍ତା – ଵିଘ୍ନ ହରଣକାରୀ ଈଶ୍ଵର 
🔴ଵିଘ୍ନଵିନାଶନ – ବାଧାଗୁଡି଼କର ନାଶ କରିପାରୁଥିଵା ଦେଵ
🔴ଵିଘ୍ନରାଜ – ସବୁ ବାଧାଵିଘ୍ନର ସ୍ଵାମୀ
🔴ଵିଘ୍ନରାଜେନ୍ଦ୍ର – ସବୁ ବାଧାଗୁଡି଼କର  ଭଗଵାନ
🔴ଵିଘ୍ନଵିନାଶାୟ – ବାଧା ନାଶକ ଠାକୁର
🔴ଵିଘ୍ନେଶ୍ଵର – ଵିଘ୍ନଗୁଡି଼କର ଭଗଵାନ
🔴ସିଦ୍ଧିପ୍ରିୟ – ଇଚ୍ଛାପୂର୍ତି କରୁଥିଵା ଭଗଵାନ
🔴ଉମାପୁତ୍ର – ପାର୍ବତୀଙ୍କ ପ୍ରିୟ ପୁତ୍ର
🔴ଵରଗଣପତି – ଅଵସରପ୍ରଦାତା ସ୍ଵାମୀ
🔴ରୁଦ୍ରପ୍ରିୟ – ଭଗଵାନ ଶିଵଙ୍କ ପ୍ରିୟପୁତ୍ର
🔴ଵିନାୟକ – ସମସ୍ତଙ୍କ ନାୟକ, ଭଗଵାନ
🔴ଵିଶ୍ଵମୁଖ – ବ୍ରହ୍ମାଣ୍ଡର ଗୁରୁ

ଭଗଵାନ ଶ୍ରୀଗଣେଶଙ୍କର ଏହିପରି ଆହୁରି ସହସ୍ରାଧିକ ନାମ ରହିଛି । ସେହି କଵୀଶ - ଶ୍ରୀଗଣେଶ ଯିଏ କବିମାନଙ୍କର  ସ୍ଵାମୀ ତାଙ୍କର ବନ୍ଦନା ହଜାର ହଜାର କଵି କରିଯାଇଛନ୍ତି । ଓଡ଼ିଆ ଭାଷାର ଆଦିକଵି ସାରଳା ଦାସ ମଧ୍ୟ ସାରଳା ମହାଭାରତର ଉଦଯୋଗ ପର୍ଵରେ ଭଗଵାନଙ୍କର ଏମନ୍ତ ବନ୍ଦନା କରିଅଛନ୍ତି ...

                  ●ଗଣେଶ ବନ୍ଦନା●
ଜୟତୁ ଦଧିବାମନ ପ୍ରସନ୍ନେ ରୁଦ୍ର ଦେଵତା
ମଙ୍ଗଳ ଵିଘ୍ନରାଜ ଭୂତ ଭଵିଷ୍ୟ ଜ୍ଞାତା ।୧।

ମଙ୍ଗଳ ସଦାନନ୍ଦ ଦେଵ ଲମ୍ଵୋଦର
ସପତ ସିନ୍ଧୁ ଗୋପ୍ୟଗଲା ଯାହାର ଉଦର ।୨।

ମଙ୍ଗଳ ପରମବ୍ରହ୍ମ ସରୂପ ଵୀଣାୟେକ
ପାଶ ଅଂକୁଶ ଗଜଵଦନ ଅଟ ତ୍ରିୟମ୍ଵକ ।୩।

ମେରୁ ତତ୍ତୁଲ୍ୟ ଯାହାର କିଞ୍ଚିତ ଵେନି ଆଖି
ଅଵନିକେ ଚାହିଁଲେ ତୁ ଯେ କୋଟି ବ୍ରହ୍ମାଣ୍ଡ ଦେଖି ।୪।

ଡିବି ଡିବି ବଜାଇ ଯାହାର ଡାକି ଡମ୍ବୁରୁ
ହୃଦେ ପଇତା ଯାହାର ଅନନ୍ତ ନାଗ ଫେରୁ ।୫।

ସ୍ଵାମୀ ତ୍ରିପୁର ଵଧଗଲା ଯାହାର ବୁଦ୍ଧିବଳେ
ଵିନୟେ ଅନୁଵ୍ରତେ ନାଥ ମୁଁ ତୁମ୍ଭର ପାଦତଳେ ।୬।

ଲଙ୍ଗଟ ଭ୍ରୁଙ୍ଗଟ ଯେ ଵିକଟ ଵକ୍ରନାଟେ
ମହାଭରହ ତାଣ୍ଡଵ ଆରୋପଣ ସଙ୍କଟେ ।୭।

ଶ୍ରୀ ବିଘ୍ନରାଜ ଶ୍ରୀ ଚରଣ କମଳେ
ମମ ଚିତ୍ତ ଭଜି ହୋ ତହିଁ ରହୁ ଭ୍ରସଳେ ।୮।

ଵ୍ୟାସଙ୍କର ସ୍ରିଜନେ ଦେଵ ପ୍ରସନ୍ନ ଵିଘ୍ନରାଜ
କରଣ ହୋଇ ଲେଖନ କଲୁଟି ଅଇଶୁର୍ଯ୍ୟ ।୯।

ୟେ ସଂସାର ମଧ୍ୟେ ମୁହିଁ ଦେଖିଲି ସେ ସରୂପ
ତୁହି ସେ ହରନ୍ତା ଦେଵ କଳିକାଳ ଦର୍ପ ।୧୦।

କଳିଯୁଗ ବଞ୍ଚନ୍ତା ନାଥ ପ୍ରସନ୍ନେ ପରମଯୋଗୀ
ଦିନକର ଵିଵାଦେଣ ତୁ କାଳସର୍ପ ଭାଞ୍ଜି ।୧୧।

ସଦୟେ ନାରାୟଣ ତୁ ପ୍ରସନ୍ନେ ରୁଦ୍ରକାଶୀ
ଶୁଦ୍ରମୁନି ସାରଳା ଦାସ ତଲୟେ ଅଭ୍ୟାସି ।୧୨।
                        -----×-----

Sunday, September 12, 2021

~ : ସାରା ଓଡ଼ିଶାର ପର୍ବ ନୂଆଖାଇ :~

🌾🌾🌾🌾🌾🌾🌾🌾🌾🌾🌾🌾🌾
  🌾🌾  ସାରା ଓଡ଼ିଶାର ପର୍ଵ ନୂଆଖାଇ 🌾🌾
  🌾🌾🌾🌾🌾🌾🌾🌾🌾🌾🌾🌾

ପୂର୍ଵ କି ପଶ୍ଚିମ ଓଡ଼ିଶାର ନୁହେଁ ନୂଆଖାଇ ସମସ୍ତଙ୍କର ପର୍ଵ ସବୁ ଓଡ଼ିଆମାନଙ୍କର ପର୍ବ । ରଥଯାତ୍ରା ସମ୍ବନ୍ଧରେ ମଧ୍ୟ ଏହିକଥା କୁହାଯାଇପାରେ ।  ରଥଯାତ୍ରା କଳିଙ୍ଗୀମାନେ ପ୍ରଥମେ ପାଳିଵା ଆରମ୍ଭ କଲେ ବି ତାହା ଆଜି ସାରା ଵିଶ୍ଵରେ ପାଳିତ ହୋଇଥାଏ ।  ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସାରା ଵିଶ୍ଵରେ ପାଳିତ ହୁଏ ତାକୁ ଏବେ ଜଣେ ଓଡ଼ିଆ ଓଡ଼ିଶାର ପର୍ଵ କହିଵ ନା ଵୈଶ୍ଵିକ ପର୍ଵ କହିଲେ ଉଚିତ୍ ହେଵ ? 

  ପୂର୍ଵେ ଓଡ଼ିଶାରେ ନୂଆଖାଇ ସବୁଠି ଥିଲା ତାକୁ ବଞ୍ଚେଇ ରଖିଲେ ଗଡ଼ଜାତର ଲୋକ କିନ୍ତୁ ଅନ୍ୟ ଅଞ୍ଚଳର ଲୋକେ ଛାଡ଼ି ଦେଲେ ଏଵଂ କେଉଁଠି କେଉଁଠି ଭିନ୍ନ ଦିନରେ ଯଥା ଦଶହରା ସମୟରେ ଧାନ ଅମଳ ହେଵାରୁ ନୂଆଖିଆ ଓ ନଵାନ୍ନ ଆଦି ନାମରେ ପାଳନ କଲେ । 
  
ଉପକୂଳିଆ ଅନ୍ୟ ଅଞ୍ଚଳର ଲୋକଙ୍କ ସଂସ୍ପର୍ଶରେ ଆସି ନିଜ ସଂସ୍କୃତି ପରମ୍ପରା, ଶବ୍ଦ ଛାଡ଼ିଦେଲାବେଳେ ଗଡ଼ଜାତରେ ସେସବୁରୁ କିଛି କିଛି ବଞ୍ଚିରହିଛି କିନ୍ତୁ ତାହା ପଶ୍ଚିମ ଓଡ଼ିଶାର ଭିନ୍ନତା ନୁହେଁ ମହାନତା । ସେମାନେ ଓଡ଼ିଆ ସଂସ୍କୃତି ସହ ସମ୍ବନ୍ଧିତ ଦରଵ ପରଵ ବଞ୍ଚାଇ ରଖିଛନ୍ତି ଏହା ହିଁ ସେମାନଙ୍କର ମହାନତା । ସେଇମିତି ପ୍ରାଚୀନ ସନାତନ ସଂସ୍କୃତିର ଅନେକ ପର୍ଵ ଯଥା ରଜ,ଦୋଳ ଆଦି ଓଡ଼ିଶାର ସଂସ୍କୃତିରେ ତଥା ଲକ୍ଷ ଲକ୍ଷ ସଂସ୍କୃତ ଶବ୍ଦ ଓ ମୂଳ ଆର୍ଯ୍ୟ ଭାଷାର ଅକାରାନ୍ତ ଉଚ୍ଚାରଣ ଓଡ଼ିଆ ଭାଷାରେ ଆଜି ବି ବଞ୍ଚି ରହିଛି । ଏହି ସବୁ ନିଆରାପଣ ଯୋଗୁଁ  ଭାରତଠାରୁ କଳିଙ୍ଗୋତ୍କଳ  କି ମୋଗଲବନ୍ଦୀ ଓଡ଼ିଶାଠାରୁ ଗଡ଼ଜାତ ଓଡ଼ିଶା ଵିଭିନ୍ନ ନୁହେଁ ଵରଂ ଅଭିନ୍ନ ବୋଲି ହିଁ ହୃଦବୋଧ ହୋଇଥାଏ । 

“ଵସୁଧୈଵ କୁଟୁମ୍ବକମ୍”ର ଭାଵ ସମସ୍ତ ପର୍ଵ ମଧ୍ୟରେ ଥାଏ ଓ ରହିଵା ଉଚିତ୍ । ଇଂରାଜୀ ନଵଵର୍ଷ  ଆଜି ଵୈଶ୍ଵିକ ପର୍ଵ । ଭାରତର ରଥଯାତ୍ରା ଓ ହୋଲୀ ମଧ୍ୟ ସମାନ ଭାଵେ ଵୈଶ୍ଵିକ ପର୍ଵ ହୋଇପାରିଛି । କିନ୍ତୁ ଯେକୌଣସି ପର୍ଵରୁ ଏହି ଵିଶ୍ଵଭାତୃତ୍ଵର ଭାଵ ନଷ୍ଟକରେ ଆଞ୍ଚଳିକତା ।  ଆଞ୍ଚଳିକ ବନ୍ଧନ ଦ୍ଵାରା ଗୋଟାଏ ପର୍ଵ ଅନ୍ଯତ୍ର ଲୋକପ୍ରିୟ ହୋଇନପାରି ସ୍ଥାନୀୟ ଅଞ୍ଚଳରେ ଲୁକ୍କାୟିତ ରହିଯାଏ ।  ଆଜି ରଥଯାତ୍ରା ଲୋକପ୍ରିୟ ହୋଇ ପାରିଛି ତ କେଵଳ ଓଡ଼ିଆ ଲୋକଙ୍କ ଵିଶ୍ଵଭାତୃତ୍ଵ ଯୋଗୁଁ । ଓଡ଼ିଆ ପର୍ଵ କହି ଓଡ଼ିଶା ଭିତରେ ବାନ୍ଧି ରଖିଥିଲେ ତାହା ଅନ୍ଯତ୍ର ଅନୁକରଣୀୟ ହୋଇନଥାନ୍ତା । 

ନୂଆଖାଇ କେଵଳ ପଶ୍ଚିମ ଓଡ଼ିଶାର ପର୍ଵ ନୁହେଁ ସାରା ଓଡ଼ିଶାର ଲୋକ ନୂଆଖାଇ ପାଳୁଥିଲେ ଏବେ ବି ଉତ୍ତର, ଦକ୍ଷିଣ ଓ ପୂର୍ଵ ଓଡ଼ିଶାରେ ଭିନ୍ନ ତିଥିରେ ଊଣା ଅଧିକେ ହେଉ ପଛେ ଏ ପର୍ଵ ପାଳିତ ହୋଇଥାଏ । ଆଗକାଳରେ ଦେଶୀୟ ରାଜାମାନେ ନିଜ ନିଜର ଇଷ୍ଟଦେଵତାଙ୍କ ନାମ ଅନୁସାରେ ନୂଆଖାଇଵାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆଖିଆ ପର୍ଵର ତିଥି ନିର୍ଣ୍ଣୟ କରାଉଥିଲେ । ରାଜଶାସନ ଉଠିଗଲାପରେ ମଧ୍ୟ ରାଜାଙ୍କ ଇଷ୍ଟଦେଵତାଙ୍କ ନାମ ଅନୁସାରେ ପଣ୍ଡିତମାନେ ଅନେକ ଵର୍ଷ ଯାଏଁ ନଵାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ । 

 ୧୯୯୧ ମସିହା ପର୍ଯ୍ୟନ୍ତ ନୂଆଖାଇ ପର୍ଵ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ପଶ୍ଚିମ ଓଡ଼ିଶାରେ ଭାଦ୍ରବ ଶୁକ୍ଳପକ୍ଷର ଯେକୌଣସି ଏକ ତିଥିରେ ପାଳିତ ହେଉଥିଲା । ସେହିପରି  ପୂର୍ଵାଞ୍ଚଳରେ  ନୂଆଖିଆ ପର୍ଵ ଆଶ୍ୱିନ ମାସର ମହାଳୟା ତିଥି ଭିତରେ ସମ୍ପନ୍ନ ହେଉଥିଲା । ପୂର୍ଵାଞ୍ଚଳରେ  ଏହି ନଵାନ୍ନ ପିତୃପୁରୁଷଙ୍କ ପିଣ୍ଡଦାନରେ ଵ୍ୟଵହୃତ ହୋଇଥାଏ । ଦକ୍ଷିଣ ଓଡ଼ିଶାରେ 
 କୃଷକମାନେ ନୂଆଖିଆ ପର୍ଵ ମାସ ମଧ୍ୟରେ ଶ୍ରେଷ୍ଠ  ମାର୍ଗଶିର ମାସର ଶେଷ ଓ ପୌଷର ଆରମ୍ଭ ସମୟରେ ପାଳନ କରିଥାନ୍ତି । କେତେକ ଅଞ୍ଚଳରେ ମକର ସଂକ୍ରାନ୍ତି ଵା ମାଘ ସଂକ୍ରାନ୍ତି ଦିନ ଶାଲ୍ଯୋଦନ ପର୍ଵ ପାଳନ ଅଵସରରେ ନୂଆଖିଆ ଯାଏ ଏହାକୁ ମକର ଚାଉଳ ଖିଆ ମଧ୍ୟ କୁହାଯାଏ । କାର୍ତ୍ତିକ ଶୁକ୍ଳ ଦ୍ଵାଦଶୀ ତିଥିରେ ମଧ୍ୟ ପୂର୍ଵେ ନଵାନ୍ନ ଭକ୍ଷଣ କରାଯାଉଥିଲା । ଵିଭିନ୍ନ ଅଞ୍ଚଳରେ ଶସ୍ୟଅମଳକୁ ନେଇ ଭିନ୍ନ ଭିନ୍ନ ସମୟରେ ନୂଆଖିଆ ଯାଉଥିଲା । 
 
 ଓଡ଼ିଶାର ପୂର୍ଵତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଗୋଟିଏ ଦିନରେ ନୂଆଖାଇ ପର୍ଵ ପାଳନ କରାଯିଵା ପାଇଁ ୧୯୯୧ରେ ଆହ୍ଵାନ ଦେଲେ ତଥା ସାରା ଓଡ଼ିଶାରେ ନୂଆଖାଇ ଦିନକୁ ସରକାରୀ ଛୁଟି କରିଵା ପାଇଁ ମଧ୍ୟ ଘୋଷଣା କରିଥିଲେ । ପଶ୍ଚିମ ଓଡ଼ିଶାର ବୁଦ୍ଧିଜୀଵୀମାନଙ୍କ ମଧ୍ୟରେ ଏ ଵିଷୟରେ ଅନେକ ଆଲୋଚନା ହେଲାପରେ ସର୍ଵସମ୍ମତି କ୍ରମେ ଗଣେଶ ପୂଜାର ପରଦିନ ଅର୍ଥାତ୍ ଋଷି ପଞ୍ଚମୀ ଦିନଟି ନୂଆଖାଇ ପାଇଁ ସ୍ଥିର କରାଗଲା । ସେହି ଵର୍ଷ ଅର୍ଥାତ୍ ୧୯୯୧ ପରଵର୍ଷଠାରୁ ପ୍ରତ୍ୟେକ ଵର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ଵ ତିଥି ଅନୁସାରେ ପାଳିତ ହୋଇ ଆସୁଛି । ତେବେ କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳରେ  ଭାଦ୍ରଵ ଶୁକ୍ଳ ଦଶମୀ ତିଥିରେ ନୂଆଖାଇ ପାଳନ କରାଯାଇଥାଏ । 

ଏହି ଭାଦ୍ରଵ ମାସର ଏକାଦଶୀ ତିଥିରେ ଆଉ ଏକ ପର୍ଵ ପଶ୍ଚିମ ଓଡ଼ିଶା, ଛତିଶଗଡ଼ ଆଦି ଅଞ୍ଚଳରେ ପାଳିତ ହୋଇଥାଏ ତାକୁ କରମା ପର୍ଵ କହିଥାନ୍ତି । କରମା ପର୍ଵ ସହ ନୂଆଖାଇର କେତେକ ସାମଞ୍ଜସ୍ୟ ରହିଛି । ଏ ଉଭୟ ପର୍ଵ ଭାଦ୍ରଵମାସ ଶୁକ୍ଳପକ୍ଷରେ ଆୟୋଜିତ ହୁଏ । ଉଭୟ ପର୍ଵ ପଶ୍ଚିମାଞ୍ଚଳ ତଥା ଵିଚ୍ଛିନ୍ନାଞ୍ଚଳ ଓଡ଼ିଶାରେ ପାଳିତ ହୁଏ । ଏ ଉଭୟ ପର୍ଵରେ ଭଗଵାନଙ୍କୁ ନଵାନ୍ନ ଲାଗି ଦିଆଯାଏ ।  କେଵଳ କରମା ପରଵ ହିଁ ନୁହେଁ ଛାଡ଼ଖାଇ ସହିତ ମଧ୍ୟ ନୂଆଖାଇର ଗୋଟିଏ ସମାନତା ରହିଛି । ପୂର୍ଵକାଳରେ ସକାଳେ ନୂଆଖାଇ ପାଳନପରେ ସନ୍ଧ୍ଯାବେଳେ ସମସ୍ତେ ଆମିଷ ଭୋଜନ କରି ଶୋଇଵାର ଵିଧାନ ଥିଲା । ସେତେବେଳେ ଗଡ଼ଜାତରେ ଲୋକଵିଶ୍ଵାସ ପ୍ରଚଳିତ ଥିଲା ଏହିଦିନ ଆମିଷ ଖାଇ ନ ଥିଵା ବ୍ୟକ୍ତି ପର ଜନ୍ମରେ ବକ ଯୋନିରେ ଜନ୍ମ ହୁଏ । ଶହେ ଵର୍ଷ ତଳେ ସଂକଳିତ ଓଡ଼ିଆ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହିକଥା ଉଲ୍ଲେଖ ରହିଛି କିନ୍ତୁ ଶହେ ଵର୍ଷ ମଧ୍ୟରେ ଅନେକ ରୀତିନୀତି ବଦଳି ସାରିଛି ଆଜି ନୂଆଖାଇ ବାସିରେ ଆମିଷ ଭକ୍ଷଣର ପରମ୍ପରା ପ୍ରଚଳିତ । 

ନୂଆଖାଇ ପରି ଆହୁରି ଅନେକ ପର୍ଵ ଓଡ଼ିଶାରେ ପ୍ରଚଳିତ ଥିଲା କିନ୍ତୁ ଲୋକପ୍ରିୟ ନହେଵା ଯୋଗୁଁ ସେଗୁଡ଼ିକ ଜନାଦୃତ ଓ ପ୍ରସିଦ୍ଧ ହୋଇପାରିନାହିଁ । ସେହିପରି ଗୋଟିଏ ପର୍ଵ ହେଉଛି ଗୁଣ୍ଡିଖିଆ ।  ଦୋଳପୂର୍ଣ୍ଣିମା ଦିନ ଗଡ଼ଜାତର କେତେକ ଜାତିଙ୍କ ମଧ୍ୟରେ ଏହି ନୂଆଖିଆ ନଵାନ୍ନ ପରି ଉତ୍ସବ ଵିଶେଷର ପ୍ରଚଳନ ଥିଲା । ଏ ଦିନ ଲୋକେ ଵର୍ଷର ପ୍ରଥମ ମହୁଲଫୁଲ ନୂଆ କରି ଖାଉଥିଲେ ‌ । ସିମଖାଇ ଵା ଝଣ୍ଟାନୂଆଁ ପର୍ଵ ଏହିଧରଣର ଅନ୍ୟ ଏକ ଉଲ୍ଲେଖଯୋଗ୍ୟ ପର୍ଵ । ଏ ପର୍ଵରେ ଗ୍ରାମର ଉପକଣ୍ଠରେ ଥିଵା ଗ୍ରାମଦେବତାଙ୍କ ଆସ୍ଥାନରେ  ନୂଆ ଧାନର ଅନ୍ନ ଖେଚୁଡ଼ି ଖିରି ଚୂଡ଼ା ସହ ଝୁଣ୍ଟା ଵା ସିମ୍ବ ଆଦି ଭୋଗ ଦିଆଯାଉଥିଲା । ଗ୍ରାମଵାସୀଙ୍କ ଘରେ ନୈବେଦ୍ଯ ଓ ନୂଆଖିଆ ଉତ୍ସଵ କରୁଥିଲେ ଵିଶେଷତଃ ଏହି ଦିନଠାରୁ ନୂଆ ଝଣ୍ଟା ଵା ସିମ୍ବ ଖାଇଵାର ଵିଧି ରହିଥିଲା । ଓଡ଼ିଶାର ପରଜା ଓ ଦୁରଵା ଜନଜାତିଙ୍କ ମଧ୍ୟରେ ଏହିପରି ଆଉ ଗୋଟିଏ ପର୍ଵ ପାଳିତ ହୋଇଥାଏ ଆମାଖାୟୀ । ଏହି ପର୍ଵ ଆମ୍ବ ଫଳିଵା ସମୟରେ ପାଳିତ ହୋଇଥାଏ । ସାଧାରଣତଃ ଓଡ଼ିଶାରେ ମହା ଵିଷୁଵ ପଣା ସଂକ୍ରାନ୍ତିରେ ଦେଵତାଙ୍କୁ ନୂଆ ଆମ୍ଵ ମିଶା ପଣା ଦେଲାପରେ ହିଁ ଆମ୍ବ ଖାଇଵାର ରୀତି ରହିଛି । ଏହା ସେହି ଧରଣର ପର୍ଵ । ମୁଣ୍ଡା ଜନଜାତିର ଜମଲମା ପରଵ ମଧ୍ୟ ନୂଆଖାଇ ପର୍ଵ ପରି ଏକ ପର୍ଵ । ଏହିପର୍ଵ ଅଵସରରେ ମୁଣ୍ଡା ଜନଜାତିର ଲୋକେ ନଵାନ୍ନ ଭକ୍ଷଣ କରିଥାନ୍ତି । 

 ପୂର୍ଵାଞ୍ଚଳରେ ଏକ ସମୟରେ  ନୂଆଖାଇ ହୋଇପାରେନି ।  ପଶ୍ଚିମ ଓଡିଶାର ଭୌଗଳିକ ପରିସ୍ଥିତି ଯୋଗୁଁ ଏଠାରେ ସ୍ୱଳ୍ପ ସମୟରେ ଫଳ ଧରୁଥିବା ଧାନ ଚାଷ ହୁଏ ପୁଣି ଖରିଫ୍ ଓ ରଵି ଭେଦରେ ଵାର୍ଷିକ ଦୁଇଥର ଧାନ ଚାଷ ହୋଇଥାଏ । ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାର ଚାଷକ୍ଷେତ୍ର ପାହାଡି଼ଆ ଏଠିକା ଭୂଇଁ ପାଇଁ ଅଳ୍ପ ଜଳରେ ଶିଘ୍ର ଅମଳ ହୋଇପାରୁଥିଵା ଧନ୍ୟ ଜାତିକୁ ଵିକଶିତ କରାଯାଇଥିଲା ।‌ ଅର୍ଥାତ୍ ପାହାଡ଼ିଆ ଅଞ୍ଚଳରେ ବଞ୍ଚିପାରୁଥିଵା ଭଳି ଧାନଗଛକୁ ହିଁ ଗଡ଼ଜାତରେ ଚାଷ କରିଵାକୁ ପ୍ରାଚୀନ କଳିଙ୍ଗୀମାନେ ଚୟନ କରିଥିଲେ । 
 ଓଡ଼ିଶାର‌ ଅନ୍ୟାନ୍ୟ ଅଞ୍ଚଳରେ  ମାତ୍ର ଥରେ  ସମତଳ ବିଲରେ ଧାନଚାଷ ହୋଇଥାଏ । ଫଳତଃ ଓଡ଼ିଶାର ଅନ୍ୟ ଅଞ୍ଚଳରେ ଭାଦ୍ରଵ ଶୁକ୍ଳପକ୍ଷରେ ମୁଖ୍ୟ ଖାଦ୍ୟଶସ୍ୟ ଧାନ ଅମଳ ହେଉନଥିଵାରୁ ଏହି ସମୟରେ ନୂଆଖାଇ ପାଳିତ ନହୋଇ ଭିନ୍ନ ସମୟରେ ହେଉଥିଲା  ‌ । 

କିଛି ଵର୍ଷ ହେଲା ପଶ୍ଚିମ ଓଡ଼ିଶାର କେତେକ ଅସାମାଜିକ ଲୋକ ନୂଆଖାଇ ପର୍ଵକୁ ଧରି ପଶ୍ଚିମାଞ୍ଚଳ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାର ଲୋକଙ୍କ ମନରେ ପୂର୍ଵାଞ୍ଚଳ,ଦକ୍ଷିଣାଞ୍ଚଳ ଓ ଉତ୍ତରାଞ୍ଚଳର ଲୋକଙ୍କ ପ୍ରତି ଘୃଣା ରୂପ ଵିଷ ଜନ୍ମାଇଵାକୁ ଚେଷ୍ଟା କରୁଅଛନ୍ତି । 

ଏଭଳି ଲୋକେ କୁହନ୍ତି “ଆମ ନୂଆଖାଇ ପର୍ଵ ଉପକୂଳିଏ ପାଳନ୍ତି ନାହିଁ ଆମର ହତାଦର କରନ୍ତି ସେମାନେ ଆମ ଭାଇ ନୁହନ୍ତି” ଇତ୍ୟାଦି ।

ତେବେ ପୂର୍ଵୋକ୍ତ ଆଲୋଚନାରୁ ସ୍ପଷ୍ଟ ହୋଇଛି ଯେ ଓଡ଼ିଶାର ସବୁ ଲୋକେ ଭିନ୍ନ ଭିନ୍ନ ସମୟରେ ନୂଆଖାଇ ପାଳନ୍ତି ଏଵଂ ନଵାନ୍ନ ଭକ୍ଷଣ ପର୍ଵ ସମସ୍ତ କୃଷକ ଘରେ ପାଳନ କରାଯାଏ । ତେବେ ସରକାରୀ ଛୁଟି ଘୋଷଣା ହୋଇଥିବା ଭାଦ୍ରଵ ଶୁକ୍ଳ ପଞ୍ଚମୀ ସୁଦ୍ଧା ଓଡ଼ିଶାର ପୂର୍ଵାଞ୍ଚଳ, ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳର ଅନେକ ଅଞ୍ଚଳରେ ଧାନ କେଣ୍ଡା ଧରିନଥାଏ  । ଯେବେ ନୂଆ ଧାନ ହିଁ ହୋଇନଥାଏ ତେବେ ଏହି ଅଞ୍ଚଳର କୃଷକମାନେ ଏହିଦିନ  ନୂଆଖାଇ କେମିତି ପାଳନ୍ତେ ?

ଉପକୂଳ ଓଡ଼ିଶା ତଥା ପଶ୍ଚିମ ଓଡ଼ିଶାର ର ଭୌଗଳିକ ପରିସ୍ଥିତି ଭିନ୍ନ ଭିନ୍ନ । ଉପକୂଳ ଓଡ଼ିଶାରେ ଅଖି ତୃତୀୟା ଦିନ ଧାନ ମଞ୍ଜି ବୁଣାଯାଏ,ଗେଣ୍ଡା ନୂଆ ଧାନଗଛ  କାଟି ନିଅନ୍ତୁ ସେଥିପାଇଁ ଚିତଉ ଉଆଁସ ଦିନ ନୁଆଁ ପାଣି ରେ ଗେଣ୍ଡା ଦି ପ୍ରାଣୀ ଙ୍କୁ ପିଠା ଦେଇ ସନ୍ତୁଷ୍ଟ କରାଯାଏ । ଗର୍ଭଣା ସଂକ୍ରାନ୍ତି ବେଳକୁ ଧାନଗଛ ଗର୍ଭରେ ଧାନ ରହେ । 
ବିଜୟା ଦଶମୀ ଏଵଂ କୁମାର ଉତ୍ସଵ ସମୟରେ ଉପକୂଳରେ ଉଭା କେଣ୍ଡା ପୂଜା ହୋଇଥାଏ । ମାଣବସା ଶେଷ ପାଳି ଦିନ ନୂଆଧାନରେ ଲକ୍ଷ୍ମୀ ଆଵାହନ ଏଵଂ ନୂଆ ଚାଉଳ ଲକ୍ଷ୍ମୀ ପ୍ରସାଦ ଭକ୍ଷଣ ହୁଏ କିନ୍ତୁ ଏହାରଭାତ ହୁଏନାହିଁ । ପୌଷ ପ୍ରଥମ ଦିନରୁ କେଉଁଠି କେଉଁଠି ମାଘ ମାସରେ ପହିଲି ଭୋଗ ଦେଵସ୍ଥାନରେ ଲାଗି ହେଵାପରେ ସେହି ଦିନୁ ନୂଆ ଚାଉଳ ଭାତ ଖିଆଯାଏ । ଏହାପରେ ଧନୁ ସଂକ୍ରାନ୍ତି ଦିନ ନୂଆଧାନରେ ଲିଆ ହୁଏ ଏଵଂ ଦେଵୀଘରକୁ ଝିଅଘରକୁ ନୂଆମୁଆଁ ଦିଆଯାଏ । ପୂର୍ଵ, ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ଧାନ ଅମଳ ହେଵାପରେ ହିଁ ନୂଆଖାଇ ପର୍ଵ ପାଳିତ ହୋଇଥାଏ । ଏହା ନୂଆଖାଇ ପରି ଏକ କୃଷି ପର୍ଵକୁ ହତାଦର ନୁହେଁ  ଯେତେବେଳେ ଯେଉଁଠି ଶସ୍ୟ ଅମଳ ହୁଏ ଉତ୍ପାଦିତ ହୁଏ ପ୍ରଥମେ ଇଷ୍ଟଙ୍କୁ ଦିଆଗଲାପରେ ଲୋକେ ନଵାନ୍ନ ଭକ୍ଷଣ କରିଥାନ୍ତି । ସେଇ ପରମ୍ପରା ସବୁ ଚଷା ଘରେ ଭିନ୍ନ ଭିନ୍ନ ତିଥିରେ ପାଳିତ ହେଉଥିଲେ ହେଁ ବଞ୍ଚିଛି ଏଵଂ ଚାଷ ଓ ଚାଷୀ ଥିଲା ଯାଏଁ ରହିଥିଵ । ତେବେ ଉପକୂଳ ଓଡ଼ିଶାରେ ପାରମ୍ପରିକ ଭାବରେ କୃଷକପରିଵାରମାନେ ଋଷି ପଞ୍ଚମୀ ତିଥିରେ ନୂଆଖାଇ ପାଳୁନଥିଲେ ବି ଏହି ଗଣପର୍ଵର ଆୟୋଜନ ଏଠାକାର କେତେକ ଓଡ଼ିଆ ସଂଗଠନ ଆୟୋଜିତ କରିଥାନ୍ତି  । ନୂଆଖାଇ ସାରା ଓଡ଼ିଶାର ପର୍ଵ ସବୁ ଓଡ଼ିଆମାନଙ୍କର ପର୍ଵ ଓଡ଼ିଆ ଜାତିର ପର୍ଵ ସେଇଥିପାଇଁ ତ ଏହି ପର୍ଵର ନାଆଁ ଓଡ଼ିଆ,ତାକୁ ପାଳନ୍ତି ମଧ୍ୟ ଓଡ଼ିଆ ଜାତିର ଲୋକ ।। 

    —————ଶିଶିର ସାହୁ ମନୋଜ—————

~: ନୂଆଖାଇ :~

ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ 
 ପଞ୍ଜିକାରେ ତାହା ଋଷି ପଞ୍ଚମୀ 
   ଇଷ୍ଟଦେବୀ ନାମ କରି ସ୍ମରଣ 
     ଉତ୍କଳୀ ସମର୍ପେ ଅମଳ ଧାନ ..... 
              ନୂଆଖାଇ ନାମେ ଏ'ଜଣାଶୁଣା 
                ଗଣପର୍ବ ବୋଲି ରାଇଜେ ଗଣା 
                  ପଶ୍ଚିମ ଓଡିଶା ଖୁସି ଆସର 
                    ଭେଦ ଭାବ ଭୁଲି ସର୍ବେ ନିଜର  ....
ସମଲେଇ ପାଶେ ଭୋଗ ଅର୍ପଣ 
  ଷାଠିଆଧାନରୁ ପ୍ରସ୍ତୁତ ଅର୍ଣ୍ଣ 
    ଚୁଡ଼ା,ଭାତ, କ୍ଷୀରି, ମଣ୍ଡା, ଆରିସା
       ନୂଆଖାଇ ପର୍ବ ପାଳେ ଓଡ଼ିଶା ....
                  ସମ୍ମିଳିତ ଏ' ପର୍ବେ  ପରିଜନ 
                     ଆନନ୍ଦଦାୟ  ଏକାଠି ଭୋଜନ 
                       ସାନ କରେ ଯାଇ ବଡ଼େ ପ୍ରଣାମ 
                        ବଡ଼ ଦିଅନ୍ତି ସାନେ ଶ୍ରଦ୍ଧା ସୁମନ... 
ପଶ୍ଚିମାଞ୍ଚଳେ ଏ' ଶୁକ୍ଳ ପଞ୍ଚମୀ 
  କଳାହାଣ୍ଡି ଠାରେ ଶୁକ୍ଳ ଦଶମୀ
   ଆନଞ୍ଚଳେ ହୁଏ ଦଶରା ଦିନ
    ପୂର୍ବାଞ୍ଚଳେ ଏ' ଆଶ୍ବିନେ ପାଳନ ....
                ମହାଳୟା ତିଥି ନବାନ୍ନ ସମ୍ପନ୍ନ 
                 ଇଷ୍ଟଦେବୀ ପାଶେ ଭୋଗ ବିଧାନ  
                   ସଂସ୍କାର ସଂସ୍କୃତି  ଉତ୍କଳ ମାନ 
                     ଭିନ୍ନ ଭିନ୍ନ ହେଲେ ଏକ ବିଧାନ ....
ସାମାଜ ଏକତା ପରବ ଏଇ 
 ବିଜୁବାବୁ ମନେ ଭରିଲା ଛାଇ 
   ଖୁସି ହୋଇ କଲେ ଛୁଟି ଘୋଷଣା
     ଧନ୍ୟ ନାୟକ କୋଟି ମନ ଜିଣା .....
                  ଆଜି ମଧ୍ୟ ଅଛି ସ୍ୱତନ୍ତ୍ର ସ୍ଥାନ 
                    ଗୁଣି ଗଣପର୍ବ ରହିଛି ମାନ ....

Sunday, September 5, 2021

“ବଣ୍ଡା ଓ ଗାଦବା ଦୁଇ ଭାଇ”

ଅତି ପ୍ରାଚୀନ କାଳରେ ଅଵିଭକ୍ତ କୋରାପୁଟ ଜିଲ୍ଲାର
କୁଟୁଣିମାଳା ପାହାଡ଼ରେ ଦୁଇ ଭାଇ ଓ ତାଙ୍କର ସାନ ଭଉଣୀ ଅତି ଆନନ୍ଦରେ ରହୁଥିଲେ । ବଡ଼ ଭାଇର ନାଆଁ ବଣ୍ଡା ଓ ସାନ ଭାଇର ନାଆଁ ଗାଦବା । ସେମାନଙ୍କର ଗୋଟିଏ ପୋଷାକୁକୁର ଥାଏ । ପ୍ରତିଦିନ ଦୁଇଭାଇ ଜଙ୍ଗଲକୁ ଶିକାର ପାଇଁ ଯାଆନ୍ତି ଓ ସାଙ୍ଗର କୁକୁରଟି ବି ଯାଏ । ଭାଇ ଦୁଇଜଣ ଜଙ୍ଗଲକୁ ଯାଇଥିଵା ସମୟରେ ଭଉଣୀଟି କୁଟୁଣୀ ସାହାଯ୍ୟରେ ଏକ ପଥର ଦେହରେ ଥିଵା ଗର୍ଭରେ ଧାନକୁଟେ । ଭାଇମାନେ ଶିକାରରୁ ଆଣିଥିଵା ମାଂସ ରାନ୍ଧି ଦୁହିଁଙ୍କୁ ପରଷିଦିଏ । ପ୍ରତିଦିନ ଧାନକୁଟିଵା ସମୟରେ ସେ ଅଣ୍ଟାରେ ଗୁଡେଇଥିଵା କନାଟି ରଖିଦେଇ ଉଲଗ୍ନ ହୋଇ ଏକ ଵିଚିତ୍ର ପରମ୍ପରାରେ ତାର ଘରକରଣା ସାରିଥାଏ । ଭାଇମାନେ ଜଙ୍ଗଲରୁ ଫେରିଵା ପୂର୍ଵରୁ ତାଙ୍କ ଆଗମନର ସଙ୍କେତ ସ୍ଵରୂପ କୁକୁରଟିକୁ ପଠାଇଥାନ୍ତି । ଭଉଣୀ କୁକୁରଟିକୁ ଦେଖି ଭାଇମାନଙ୍କ ଆସିଵା କଥା ଜାଣି ଲୁଗା ପିନ୍ଧି ପକାଏ ଓ ତିନିହେଁ ଏକାଠି ବସି ଭୋଜନ କରିଥାନ୍ତି ।

 କିନ୍ତୁ, ଦିନେ କୌଣସି ଶିକାରୀର ଶରାଘାତରେ କୁକୁରଟି ପ୍ରାଣ ହରାଇଲା । ଦୁଇ ଭାଇ ମନ ଦୁଃଖରେ ଘରକୁ ଫେରିଲେ । ଭଉଣୀଟି କୁକୁରଟିର ଅନୁପସ୍ଥିତିରେ ଭାଇମାନଙ୍କ ଆଗମନ ଜାଣିପାରିନଥିଲା ଏଣୁ ପୂର୍ଵପରି ଉଲଗ୍ନ ହୋଇ ଧାନକୁଟୁଥାଏ । 
 
ହଠାତ୍ ଭାଇମାନଙ୍କୁ ଆସୁଥିଵାର ଦେଖି ଭଉଣୀଟି ଲଜ୍ଜାରେ ଡୁଡୁମାଜଳପ୍ରପାତ ଆଡ଼କୁ ଧାଇଁଗଲା ଓ ପ୍ରଖର ଜଳସ୍ରୋତରେ ଲମ୍ଫ ପ୍ରଦାନ କରି ପ୍ରାଣ ଵସର୍ଜନ କଲା । ନିଜ ଗେହ୍ଲା ଭଉଣୀର ସନ୍ଧାନରେ ବଡଭାଇ ବଣ୍ଡା ବଣଜଙ୍ଗଲ ସବୁ ବୁଲିବୁଲି ଶେଷରେ ଜାଙ୍ଗିର ପାହାଡ଼ର ପାଦଦେଶରେ ମୁଦୁଲିପଡା଼ଠାରେ ପହଞ୍ଚିଲା । ଭଉଣୀର କୌଣସି ସନ୍ଧାନ ନପାଇ ସେ ସେଠାରେ ରହିଗଲା ।

 ଏଣେ ସାନଭାଇ ଗାଦବା ଭଉଣୀକୁ ବହୁତ ଖୋଜିଖୋଜି କୌଣସି ସନ୍ଧାନ ନପାଇ ଭଉଣୀ ଧାନକୁଟୁଥିଵା କୁଟୁଣୀମାଳା ପାହାଡକୁ ଫେରି ମନଦୁଃଖରେ ସେଠାରେ ରହିଗଲା । କାଳକ୍ରମେ ଏମାନଙ୍କର ଵଂଶଧର ଜାତ ହେଲେ ଏଵଂ ଏହି ଦୁଇଭାଇଙ୍କ ନାମରେ ସେମାନଙ୍କର ଵଂଶଧରମାନେ ବଣ୍ଡା ଓ ଗାଦବା ନାମରେ ଅଭିହିତ ହେଲେ । 
 
ପ୍ରୋକ୍ତ କାହାଣୀ କହେ ଆଜିର ଏହି ଦୁଇ ଜନଜାତୀୟ ଗୋଷ୍ଠୀ ଅତୀତରେ ଏକ ପରିଵାର ଭୁକ୍ତ ଥିଲେ । ଆଜି ବି ଏହି ଜନଜାତୀୟ ଗୋଷ୍ଠୀର ଆଦି ଭୂମି ଭାବରେ କୁଟୁଣୀମାଳା ପାହାଡ଼ ଓ ଜାଙ୍ଗିର ପର୍ଵତମାଳାକୁ ଗଣନା କରାଯାଏ । ଗାଦବାମାନଙ୍କ ଆଦି ଜନଵସତି ଅଞ୍ଚଳରେ ଦଣ୍ଡାୟମାନ ସୁଵିସ୍ତୃତ କୁଟୁଣୀମାଳା ପାହାଡ ଓ ବଣ୍ଡାମାନଙ୍କର ପ୍ରାଥମକ ଜନଵସତି ଅଞ୍ଚଳକୁ ଘେରି ରହିଛି ସୁଉଚ୍ଚ ଜାଙ୍ଗିର ପାହାଡମାଳା । 

 ଆଜି ସୁଦ୍ଧା ଗାଦବାମାନେ ବଣ୍ଡାମାନଙ୍କୁ ସେମାନଙ୍କର ବଡଭାଇ ବୋଲି ମାନ୍ୟତା ପ୍ରଦାନ କରନ୍ତି । ଦୁଇ ସଂପ୍ରଦାୟଙ୍କ ଚାଲିଚଳଣିରେ ମଧ୍ୟ କେତେକ ସାମଞ୍ଜସ୍ୟ ପରିଲକ୍ଷିତ ହୋଇଥାଏ । 

ଅଵିଭକ୍ତ କୋରାପୁଟର କେତେକ ଅଞ୍ଚଳରେ ପ୍ରୋକ୍ତ ଲୋକକାହାଣୀଠାରୁ ଆଉ ଏକ କାହାଣୀ ପ୍ରଚଳିତ । ଉକ୍ତ କାହାଣୀରେ ଦୁଇ ଭାଇ ଓ ଏକ ଭଉଣୀ ପରିଵର୍ତ୍ତେ ଜଣେ ଭାଇ ଓ ତାହାର ସାନ ଭଉଣୀର କାହାଣୀ ପ୍ରଦର୍ଶିତ ହୋଇଥାଏ । ଦ୍ଵିତୀୟ ଲୋକକଥାରେ ବଣ୍ଡା ଭାଇ ଓ ତାହାର ସାନ ଭଉଣୀକୁ ନେଇ ଲୋକଗଳ୍ପର ସୃଷ୍ଟି । ଏ ଲୋକଗଳ୍ପଟି କୁଟୁଣୀମାଳା ପାହାଡ଼ କିଂଵା ଜାଙ୍ଗିର ପର୍ଵତମାଳାର ନୁହେଁ ଵଂର ତୁଲ୍'ସା ଡଙ୍ଗରକୁ ନେଇ ଗଢି଼ଉଠିଛି । 

ଏହି ପ୍ରଚଳିତ ଲୋକକଥା ଅନୁଯାୟୀ ତୁଲ୍'ସା ଡଙ୍ଗର ଉପରେ ଥିଵା କୌଣସି ଗାଁରେ ରହୁଥିଲେ ଭାଇ ଭଉଣୀ ଦୁଇପ୍ରାଣୀ । ସୂଚନାଯୋଗ୍ୟ ଯେ ମାଥୁଲିର ପଶ୍ଚିମ ପଟେ ଏହି ଵିରାଟ ପର୍ଵତ ଅଵସ୍ଥିତ ଏଵଂ ଏହା ଛତିଶଗଡ଼ ଭିତରକୁ ଲମ୍ବିଯାଇଛି । ଅନେକ ସ୍ଥଳରେ ତାହା ଓଡ଼ିଶା ଓ ଛତିଶଗଡ଼ର ସୀମା ହୋଇଥିଲେ ମଧ୍ୟ ଦୁଇ ପ୍ରଦେଶ ମଧ୍ୟକୁ ତା’ର ଵିସ୍ତାର ରହିଛି । ଏକଦା ଏହା ଘନ ଜଙ୍ଗଲପୂର୍ଣ୍ଣ ଥିଲା ଓ ଅଧୁନା ଲୁପ୍ତ ପ୍ରାୟ ବହୁ ପ୍ରକାରର ଜୀଵଜନ୍ତୁ ଯଥା - ବଣ ମଇଁଷୀ, ଗୟଳ, ବଳିଆକୁକର, ଖଗ ଓ ମହାବଳ ବାଘ ଇତ୍ୟାଦିଙ୍କ ଦ୍ବାରା ଏ ଅଞ୍ଚଳ ପରିପୂର୍ଣ୍ଣ ଥିଲା । ଏହି ତୁଲସା ଡଙ୍ଗରରେ ପୂର୍ଵେ ଦୁଇ ଭାଇ ଭଉଣୀ ରହୁଥାନ୍ତି । 

ଭାଇର ନାଆଁ ବଣ୍ଡା । ସେ ସବୁଦିନେ ଇଡ଼ି ବାନ୍ଧିଵାବେଳେ ପିନ୍ଦାଓଡ଼ା ଵା ପିନ୍ଧା ଲୁଗା ଅର୍ଥାତ୍ ଲେଙ୍ଗୁଟି ମଇଳା ହୋଇଯିଵା ଭୟରେ ବାଣ୍ଡା ଵା ଡୁମ୍ଡ଼ା (ଲଙ୍ଗଳା) ହୋଇ ରହେ। ଭଉଣୀକୁ ସେ କହିଥାଏ ଆଡ଼ବେଳିଆ ପେଜ ଆସିଲାବେଳେ କୁକୁର ବେକରେ ଘଣ୍ଟି ବାନ୍ଧି ନେଇ ଆସିଵ । ଘଣ୍ଟି ଶବ୍ଦ ଶୁଣିଲେ ଭାଇଟି ନିଜର ଲେଙ୍ଗୁଟି ପିନ୍ଧି ନିଏ । 
 
ଦିନେ ଭଉଣୀ ଭାବିଲା ଭାଇ କ’ଣ କରୁଛି । କାହିଁକି ଘଣ୍ଟି ବାନ୍ଧି କୁକୁରଟିକୁ ଆଣିଵାକୁ କହୁଛି । ଆଜି ନିଶ୍ଚୟ ପରୀକ୍ଷା କରି ଦେଖିବି । ତେଣୁ ସେ ଦିନେ କୁକୁର ବେକରେ ଘଣ୍ଟି ନବାନ୍ଧି ଆସିଲା ଏଵଂ ଉଲଗ୍ନ ଭାଇକୁ ଦେଖିଦେଲା । ଭଉଣୀକୁ ଦେଖି ଲାଜରେ ସେ ବାଣ୍ଡାଭାଇ ପାଖରେ ଥିବା କୁଣ୍ଡକୁ ଅର୍ଥାତ୍‌ ନଦୀକୁ ଡେଇଁ ପଡ଼ିଲା । ଭାଇକୁ ଡେଇଁଵା ଦେଖି ତା ପଛେପଛେ କୁକୁର ମିଶା ସେହି କୁଣ୍ଡକୁ ଡେଇଁ ପଡ଼ିଲା । ବଣ୍ଡା ଭାଇଟି ସେହି କୁଣ୍ଡରୁ ଆଉ ଉଠିଲା ନାହିଁ । ସେହିଦିନୁ ସେ କୁଣ୍ଡର ନାମ ହେଲା ‘ ବଣ୍ଡାକୁଣ୍ଡ’ । ତା ପଛେପଛେ ଡେଇଁ ପଡ଼ିଥିବା କୁକୁର ଭାସି ଭାସି ଆସି ପର୍ବତ ତଳେ ଥିବା କୁଣ୍ଡରେ ଆସି ଉଠିଲା । ତେଣୁ ପର୍ବତ ତଳ କୁଣ୍ଡର ନାମ ହେଲା ‘ କୁକୁର କୁଣ୍ଡ’ । ସେହି ଅନୁସାରେ ପାଖ ଗାଁର ନାମ ମଧ୍ୟ ‘ କୁକୁର କୁଣ୍ଡ ।’ ଅଵିଭକ୍ତ କୋରାପୁଟର ଦୁଇଟି ଝରଣା ବଣ୍ଡାକୁଣ୍ଡ ଓ କୁକୁର କୁଣ୍ଡକୁ ଆଧାର କରି ପ୍ରୋକ୍ତ ଲୋକକଥାର ସୃଷ୍ଟି । ତୁଲସା ଡଙ୍ଗର ଉପରେ ବଣ୍ଡାକୁଣ୍ଡ ଓ ତା ତଳକୁ କୁକୁର କୁଣ୍ଡ ଝରଣା ଅଵସ୍ଥିତ । କୁକୁର୍ କୁଣ୍ଢକୁ ଲାଗି ଯେଉଁ ଗଣ୍ଡିଆ ଗାଁଟି ରହିଛି, ଏହି କୁଣ୍ଡ ଅନୁସାରେ ତାର ନାମ ମଧ୍ୟ କୁକୁର କୁଣ୍ଢ ହୋଇଅଛି । ଗୋଟିଏ ସମୟରେ ଏହି ପର୍ବତରେ ବହୁପରିମାଣରେ ବଣ ତୁଳସୀ ବୁଦା ରହିଥିଲା ବୋଲି ଏହାକୁ ତୁଲସା ପର୍ବତ ଵା ତୁଲସା ଡଙ୍ଗର ବୋଲି କୁହାଯାଉଥିଲା ବୋଲି ଲୋକଵିଶ୍ଵାସ ପ୍ରଚଳିତ ଅଛି । 


ଉଭୟ କାହାଣୀରେ ଭାଇ ଭଉଣୀ, କୁକୁର ଓ ଉଲଗ୍ନ ହେଵା କଥା ରହିଛି ଅଵଶ୍ୟ ଉଭୟ କାହାଣୀର କଥାନକ ଅନେକାଂଶରେ ଭିନ୍ନ ପ୍ରତିଭାତ ହୋଇଥାଏ । 

ବଣ୍ଡା ଏକ ଆଦିମ ଜନଜାତୀୟ ସଂପ୍ରଦାୟ ଏମାନେ ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଅଞ୍ଚଳରେ ଵାସ କରୁଥିଵା ଆଦିମ ଜନଜାତି ଗୋଷ୍ଠୀ । ଏମାନେ ବାରଜଙ୍ଗଲ ଦେଶର ଅଧିଵାସୀ ବୋଲି କୁହାଯାଏ । ଏମାନଙ୍କ ସ୍ୱତନ୍ତ୍ର ଜୀଵନଶୈଳୀ ଓ ନିଜସ୍ବ ଭାଷା ରେମୋ ରହିଛି । ବଣ୍ଡାମାନେ ନିଜକୁ ରେମୋ ବୋଲି ପରିଚୟ ଦିଅନ୍ତି ଯାହାର ଆକ୍ଷରିକ ଅର୍ଥ ମନୁଷ୍ୟ । 

ଓଡ଼ିଶାରେ ଅଧୁନା ୧୨୦୦୦ରୁ ଅଧିକ ବଣ୍ଡା ଵସଵାସ କରୁଛନ୍ତି । ବଣ୍ଡା ପାହାଡ଼ର ୧୫୦ ଵର୍ଗ କି.ମି. ଅଞ୍ଚଳରେ ଵାସ କରୁଥିଵା ଏଵଂ କେଵଳ ପୋଡୁଚାଷ ଉପରେ ନିର୍ଭର କରୁଥିଵା ଏହି ବଣ୍ଡାମାନଙ୍କର ଗାଁ ସବୁ ସମୁଦ୍ରପତ୍ତନ ସ୍ତରକୁ ପାଞ୍ଚହଜାର ଫୁଟରେ ଅବସ୍ଥିତ ।
ବଣ୍ଡା ଜନଜାତି ଦୁଇ ଭାଗରେ ଵିଭକ୍ତ, ଯଥା ଉପର ବଣ୍ଡା ଏଵଂ ତଳୁଆ ବଣ୍ଡା । ଉପର ବଣ୍ଡାମାନଙ୍କର ଵାହ୍ୟ ଜଗତ ସହିତ ପ୍ରାୟ କୌଣସି ସମ୍ପର୍କ ନାହିଁ । ସେମାନେ ଖଇରିପୁଟ ବ୍ଲକରେ ଥିଵା ଡାକ୍ତରଖାନାକୁ ଚିକିତ୍ସା ପାଇଁ ମଧ୍ୟ ଆସିଵାକୁ ପସନ୍ଦ କରନ୍ତି ନାହିଁ । ଉପରବଣ୍ଡାମାନେ ଅଧିକ ରକ୍ଷଣଶୀଳ ଏଵଂ ଆପଣାର ପାରମ୍ପପରିକ ପ୍ରଥା ପରମ୍ପରାକୁ ଅତି କଠୋରଭାବେ ପାଳନ କରନ୍ତି । ଯେଉଁମାନେ ଏଥିରେ ସେମାନଙ୍କୁ ବାଧା ଦିଅନ୍ତି, ସେମାନଙ୍କୁ ତଳବଣ୍ଡା ଗାଁ ମାନଙ୍କୁ ନିର୍ଵାସିତ କରାଯାଏ । ଏଭଳିଭାବେ ପୁରୁଣା ବତିଶିଟି ଗାଁରୁ ଚାରୋଟି ଗାଁ ଉଜୁଡ଼ି ଯାଇଛି । ଏମାନେ ଯେତିକି ସରଳ ସେତିକି ଦୁର୍ଦ୍ଧାନ୍ତ । ତଥା କଥିତ ସଭ୍ୟତା ଓ ଆଇନକାନୁନ୍ ପ୍ରତି ଏମାନେ ଏକାନ୍ତ ଵିମୁଖ । ସେଥିପାଇଁ ତେରଟି ଆଦିମ ଜନଜାତି ଭିତରୁ ଏମାନଙ୍କୁ ଅନ୍ୟତମ ବୋଲି ଗଣନା କରାଯାଏ । 
 ବଣ୍ଡା ଜନଜାତିର ଭାଷାକୁ ରେମୋ କୁହାଯାଏ ଏଵଂ ଏମାନେ ଭାଷାକୁ ସାମ କହିଥାନ୍ତି । ଏହା ଅଷ୍ଟ୍ରୋଏସିଆଟିକ ଭାଷା ପରିବାରର ମୁଣ୍ଡା ଭାଷା ଶାଖା ଅନ୍ତର୍ଗତ ଏକ ଭାଷା । ବଣ୍ଡା ଭାଷା ପାଇଁ କୌଣସି ଵିଧିବଦ୍ଧ ଲିପି ନଥିଵା ବେଳେ ଓଡ଼ିଶାରେ ରହୁଥିଵା ବଣ୍ଡାଭାଷୀମାନେ କେତେକ କ୍ଷେତ୍ରରେ ଓଡ଼ିଆ ଲିପି ଵ୍ୟଵହାର କରିଥାନ୍ତି । ଏହାର ନିକଟସ୍ଥ ଭାଷା ଗୁତବ ଵା ଗଦବା । 

ସେହିପରି ଗାଦବା ଜନଜାତି ଵିଷୟରେ ଦେଶିଆ ଜ୍ଞାନକୋଷରେ ଉଲ୍ଲେଖ ଅଛି ଯେ...
ଗଦଵା ଵା ଗାଦଵା ଏକ ଜନଜାତୀୟ ସଂପ୍ରଦାୟ ଵିଶେଷ । କୋରାପୁଟ ଜିଲ୍ଲାର ନନ୍ଦପୁର, ପାଡୁଆ, ଢୋଲାପୁଟ, ବୈପାରୀଗୁଡ଼ା, କୁନ୍ଦ୍ରା ଆଦି ଵିସ୍ତୀର୍ଣ୍ଣ ଅଞ୍ଚଳରେ ଵାସ କରୁଥିଵା ଏହି ପୁରାତନ ଜନଜାତୀୟ ସଂପ୍ରଦାୟକୁ ଗଦବା କୁହାଯାଏ । ଏମାନଙ୍କର ଭାଷାର ନାମ ଗୁତବ୍ । 
ଗାଦବାମାନେ ଆନ୍ଧ୍ରପ୍ରଦେଶର ଗୋଦାଵରୀ ନଦୀ ଅଵଵାହିକାରୁ ଆସିଥିଵାରୁ ଏମାନଙ୍କର ନାମକରଣ ଗାଦବା ହୋଇଥିଵା ଗଵେଷକଙ୍କ ମତ । ନିଜର ସାମାଜିକ କାର୍ଯ୍ୟଧାରାକୁ ନେଇ ଗାଦବାମାନେ ତିନିଶ୍ରେଣୀରେ ଵିଭକ୍ତ ହୋଇ ଯାଇଛନ୍ତି
 ଯଥା —
 (୧) ବଣ୍ଡା ଗାଦବା
 (୨) ଓଲାର ଗାଦବା
 (୩) ପାରେଙ୍ଗା ବା ଉରାଙ୍ଗ ଗାଦବା ।


ଅନ୍ତର୍ଜାଲରୁ ଜଣାଯାଏ ଯେ ଗଦବା,ଗାଦବା ଵା ଗୁତବ୍ ଭାଷାଭାଷୀଙ୍କ ସଂଖ୍ୟା ୨୦୦୮ ସୁଦ୍ଧା ୧୦ରୁ ୧୫୦୦୦ ଥିଲା । ଗୁତବ୍ ଆଷ୍ଟ୍ରୋଏସୀୟ ପରିଵାରରେ ଥିଵା ମୁଣ୍ଡା ଶାଖାର ଦକ୍ଷିଣ ଉପଶାଖାର ଅନ୍ତର୍ଗତ ଏକ ଭାଷା । ଭାଷା ଦୃଷ୍ଟିରୁ ଦେଖିଲେ ଗାଦଵାମାନେ ମୁଣ୍ଡା ଶଵର ଜାତୀୟ ଲୋକ । ୨୦୧୧ରୁ ଏକ ସର୍ଭେରୁ ଜଣାଗଲା ଯେ ଗୁତବ୍ ଭାଷୀଙ୍କ ସଂଖ୍ୟା ପ୍ରକୃତରେ ୫୦୦୦ରୁ କିଛି ଅଧିକ ଏଵଂ ଓଲାରୀ ତଥା ଗୁତବ୍ ଭାଷୀଙ୍କୁ ଏକ ଵିଚାର କରି ପୂର୍ଵେ ଗଣନା ହୋଇଥିଵାରୁ ଏଭଳି ତ୍ରୁଟିପୂର୍ଣ୍ଣ ତଥ୍ୟ ସଂଗ୍ରହ ହୋଇଥିଲା । 

ବଣ୍ଡା ଓ ଗାଦଵା ଉଭୟ ଆଷ୍ଟ୍ରୋଏସୀୟ ଜନଜାତିର ଲୋକ ଏଵଂ ଏମାନଙ୍କର ଭାଷା ମଧ୍ୟ ଆଷ୍ଟ୍ରୋଏସୀୟ ଭାଷା ପରିଵାରର ଅନ୍ତର୍ଗତ ଥିଵା ମୁଣ୍ଡାଶାଖାର ଅଟଇ । ପ୍ରୋକ୍ତ ପ୍ରଥମ କାହାଣୀରେ ବଣ୍ଡା ଓ ଗାଦଵାଙ୍କୁ ସେଥିପାଇଁ ଦୁଇ ଭାଇ ଅଭିହିତ କରାଯାଇଛି ଯାହା ସଂମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ।‌ ବୋଧହୁଏ ଏକ ସମୟରେ ଏ ଦୁଇଜାତି ଏକାଠେଇଁ ଵାସ କରୁଥିଲେ କିନ୍ତୁ କୌଣସି କାରଣରୁ ସେମାନେ ଭିନ୍ନ ଭିନ୍ନ ଅଞ୍ଚଳରେ ଵସଵାସ କଲେ ଫଳତଃ ଏହି ଲୋକକଥାଟି ସୃଷ୍ଟି ହୋଇଅଛି । 



ଲୁହ

ଅଟକୁନି ଲୁହ  ବୋହି ଚାଲୁଛି ଅନବରତ ଆଖିବି ନିଜର କରି ରଖି ପାରୁନି  ଏ ଲୁହକୁ,,,, ବାସ୍ ଝରି ଯାଉଛି ଟୋପା ଟୋପା ହୋଇ! ମନର ବ୍ୟଥା  ହୃଦୟର କୋହ  ସତରେ ଭା...