ରାକ୍ଷୀ ବନ୍ଧନ - 106
ଡୋରି ସିନା ଅଟେ ରେଶମୀ ସୂତାର
ସ୍ମୃତିଭରା ଏଇ ରାକ୍ଷୀ
ଭାଇ ଭଉଣୀଙ୍କ ପବିତ୍ର ବନ୍ଧନ
ଯୁଗ ଯୁଗର ସେ ସାକ୍ଷୀ
ରାଗ ଅଭିମାନ ସବୁକିଛି ଭୁଲି
ଭଉଣୀ ଅନାଇ ଥାଏ
ଦୀପଟିଏ ଜାଳି ମଙ୍ଗଳ ମନାସେ
ବାନ୍ଧି ରାକ୍ଷୀ ସୂତାଟିଏ
- ରାମ ଚନ୍ଦ୍ର ପ୍ରଧାନ
ଭୂଖଣ୍ତେ ଭଉଣୀ ବିହିଙ୍କ ଭିଆଣି
ଶୁଭଚିନ୍ତକର ସ୍ଥଳୀ
ଚରିତ୍ର ଚୁକ୍ତିର ଅମାପ ଆଦର
ଗୁନ୍ଥଇ ମମତା ମାଳୀ
ସାକ୍ଷି ଶ୍ରୀମନ୍ଦିର ଭାଇ ଭଉଣୀର
ଚରାଚରେ ଜ୍ଞାତ ଚିହ୍ନ
ପାଳନ୍ତି ସାଦରେ ସର୍ବେ ନିଜ ପୁରେ
ପବିତ୍ର ରାକ୍ଷୀବନ୍ଧନ
- ଦାଶରଥି ସାହୁ
ଭାଇ ଭଉଣୀର ସମ୍ପର୍କ ମଝିରେ
ଚିଜ ଏ ଗୁରୁତ୍ୱପୂର୍ଣ୍ଣ
ଗୋଟିଏ ସୂତାରେ ଦୁଇ ଆତ୍ମା ବନ୍ଧା
ନାମ ତା ରକ୍ଷାବନ୍ଧନ
ବଜ୍ର ପରି ଶକ୍ତ କରେ ଭାଇ ହାତ
ଥିଲେ ଭଉଣୀର ରାକ୍ଷୀ
ସେହି ହାତ ପୁଣି ଭଉଣୀ ଉଦେଶ୍ୟେ
ହୋଇ ଥାଏ ଶୁଭାକାଂକ୍ଷି
- ପ୍ରବୀର ମଲ୍ଲିକ
ସ୍ନେହ ମମତାର ପବିତ୍ର ରଜ୍ଜୁ ଏ
ସମ୍ପର୍କ ସୁରକ୍ଷା ମାନ
ଭାଇ-ଭଉଣୀଙ୍କ ଯୁଗାନ୍ତ ସମ୍ପର୍କେ
ନିଷ୍କଳଙ୍କ ଚିରନ୍ତନ
ଶ୍ରୀକ୍ଷେତ୍ର ବିଧାନେ ବଳରାମ ଜନ୍ମ
ଗହ୍ମା ପୂର୍ଣ୍ଣିମାର ଦିନ
ସମ୍ପର୍କ ଡୋରିରେ ମମତା ବନ୍ଧନ
ବିଧି ଶାଶ୍ବତ ବିଧାନ
- ସନ୍ତୋଷ ପଟ୍ଟନାୟକ
ଅତୁଟ ବନ୍ଧନ ଅନେକ ସପନ
ସମ୍ପର୍କର ଏଇ ଡୋର
ରେଶମୀ ସୂତାରେ ନୁହଁଇ ସୀମିତ
ସମ୍ପର୍କ ଭଗ୍ନୀ ଭ୍ରାତାର
ଥଟ୍ଟା ପରିହାସ ଆନନ୍ଦ ଉଲ୍ଲାସ
କଳି କଜିଆର ସୁଅ
ଜଣଙ୍କ ବିହୁନେ ଅନ୍ୟଟି ଅପୂର୍ଣ୍ଣ
ସତରେ ବିଚିତ୍ର ମୋହ
- ଟୁକୁନା ସାହୁ
ରାକ୍ଷୀ ନୁହେଁ ଇଏ ରକ୍ଷା କବଚଟା
ବାନ୍ଧିଲୁ ଆଜି ମୋ ହାତେ
ଦେବି ନାହିଁ କେବେ ମନରେ ତୋ କଷ୍ଟ
ଦେଉଛି ମୁଁ କଥା ତୋତେ
ତୋ ସୁଖରେ ଯେ ହେବି ସଦା ସୁଖି
ତୋ ଦୁଃଖରେ ହେବି ଦୁଃଖୀ
ଥିବି ଛାଇ ପରି ପାଖରେ ତୋହର
ହୋଇ ତୋର ଦୁଇ ଆଖି
‐ ଜଗବନ୍ଧୁ ସାହୁ
କାଳିଆ ବଳିଆ ସାଥିରେ ଶୁଭଦ୍ରା
ଦେଉଳରେ ବିଦ୍ଯମାନ
ଭାଇ ଭଉଣିଙ୍କ ପବିତ୍ର ମିଳନ
ଅତୁଟ ରକ୍ଷା ବନ୍ଧନ
ଯୁଗ ଯୁଗାନ୍ତରୁ ପ୍ରଚଳିତ ପ୍ରଥା
ଗୋମାତା ଙ୍କର ପୂଜନ
ସୁନ୍ଦର ଏ' ବିଧି ଗଢ଼ିଛି ବିଧାତା
ଚିର କାଳ ରହୁ ବିଧାନ
‐ ରାଧା କୃଷ୍ଣ ବୟକ
ଆଜି ଏ ପର୍ବରେ ସ୍ନେହ ସରାଗରେ
ଭାଇ ବୋଲି ଥରେ ଡାକି
ବାନ୍ଧିଦେ ବାନ୍ଧିଦେ ମୋ ସୁନା ଭଉଣୀ
ମମତା ବୋଳା ତୋ ରାକ୍ଷୀ
ରାକ୍ଷୀ ନୁହେଁ ଇଏ ରକ୍ଷା କବଚଲୋ
ଆଜୀବନ ହାତକଡ଼ି
ଫୁଲ ପରି ନୁହେଁ ଏହାର ଆୟୁଷ
ଅକାଳେ ଯିବସେ ଝଡି
ଭାଇ ଭଉଣୀର ସମ୍ପର୍କକୁ ଭିଡେ
ରାକ୍ଷୀର ଅତୁଟ ଗଣ୍ଠି
ଏହି ରାକ୍ଷୀ ପାଇଁ ଭଉଣୀର ଭାଇ
ଖୁସିରେ ଭରେ ତା' ଅଣ୍ଟି
- ରବିନ୍ଦ୍ର ସାହୁ
No comments:
Post a Comment