Showing posts with label କିମ୍ବଦନ୍ତୀ. Show all posts
Showing posts with label କିମ୍ବଦନ୍ତୀ. Show all posts

Sunday, September 5, 2021

“ବଣ୍ଡା ଓ ଗାଦବା ଦୁଇ ଭାଇ”

ଅତି ପ୍ରାଚୀନ କାଳରେ ଅଵିଭକ୍ତ କୋରାପୁଟ ଜିଲ୍ଲାର
କୁଟୁଣିମାଳା ପାହାଡ଼ରେ ଦୁଇ ଭାଇ ଓ ତାଙ୍କର ସାନ ଭଉଣୀ ଅତି ଆନନ୍ଦରେ ରହୁଥିଲେ । ବଡ଼ ଭାଇର ନାଆଁ ବଣ୍ଡା ଓ ସାନ ଭାଇର ନାଆଁ ଗାଦବା । ସେମାନଙ୍କର ଗୋଟିଏ ପୋଷାକୁକୁର ଥାଏ । ପ୍ରତିଦିନ ଦୁଇଭାଇ ଜଙ୍ଗଲକୁ ଶିକାର ପାଇଁ ଯାଆନ୍ତି ଓ ସାଙ୍ଗର କୁକୁରଟି ବି ଯାଏ । ଭାଇ ଦୁଇଜଣ ଜଙ୍ଗଲକୁ ଯାଇଥିଵା ସମୟରେ ଭଉଣୀଟି କୁଟୁଣୀ ସାହାଯ୍ୟରେ ଏକ ପଥର ଦେହରେ ଥିଵା ଗର୍ଭରେ ଧାନକୁଟେ । ଭାଇମାନେ ଶିକାରରୁ ଆଣିଥିଵା ମାଂସ ରାନ୍ଧି ଦୁହିଁଙ୍କୁ ପରଷିଦିଏ । ପ୍ରତିଦିନ ଧାନକୁଟିଵା ସମୟରେ ସେ ଅଣ୍ଟାରେ ଗୁଡେଇଥିଵା କନାଟି ରଖିଦେଇ ଉଲଗ୍ନ ହୋଇ ଏକ ଵିଚିତ୍ର ପରମ୍ପରାରେ ତାର ଘରକରଣା ସାରିଥାଏ । ଭାଇମାନେ ଜଙ୍ଗଲରୁ ଫେରିଵା ପୂର୍ଵରୁ ତାଙ୍କ ଆଗମନର ସଙ୍କେତ ସ୍ଵରୂପ କୁକୁରଟିକୁ ପଠାଇଥାନ୍ତି । ଭଉଣୀ କୁକୁରଟିକୁ ଦେଖି ଭାଇମାନଙ୍କ ଆସିଵା କଥା ଜାଣି ଲୁଗା ପିନ୍ଧି ପକାଏ ଓ ତିନିହେଁ ଏକାଠି ବସି ଭୋଜନ କରିଥାନ୍ତି ।

 କିନ୍ତୁ, ଦିନେ କୌଣସି ଶିକାରୀର ଶରାଘାତରେ କୁକୁରଟି ପ୍ରାଣ ହରାଇଲା । ଦୁଇ ଭାଇ ମନ ଦୁଃଖରେ ଘରକୁ ଫେରିଲେ । ଭଉଣୀଟି କୁକୁରଟିର ଅନୁପସ୍ଥିତିରେ ଭାଇମାନଙ୍କ ଆଗମନ ଜାଣିପାରିନଥିଲା ଏଣୁ ପୂର୍ଵପରି ଉଲଗ୍ନ ହୋଇ ଧାନକୁଟୁଥାଏ । 
 
ହଠାତ୍ ଭାଇମାନଙ୍କୁ ଆସୁଥିଵାର ଦେଖି ଭଉଣୀଟି ଲଜ୍ଜାରେ ଡୁଡୁମାଜଳପ୍ରପାତ ଆଡ଼କୁ ଧାଇଁଗଲା ଓ ପ୍ରଖର ଜଳସ୍ରୋତରେ ଲମ୍ଫ ପ୍ରଦାନ କରି ପ୍ରାଣ ଵସର୍ଜନ କଲା । ନିଜ ଗେହ୍ଲା ଭଉଣୀର ସନ୍ଧାନରେ ବଡଭାଇ ବଣ୍ଡା ବଣଜଙ୍ଗଲ ସବୁ ବୁଲିବୁଲି ଶେଷରେ ଜାଙ୍ଗିର ପାହାଡ଼ର ପାଦଦେଶରେ ମୁଦୁଲିପଡା଼ଠାରେ ପହଞ୍ଚିଲା । ଭଉଣୀର କୌଣସି ସନ୍ଧାନ ନପାଇ ସେ ସେଠାରେ ରହିଗଲା ।

 ଏଣେ ସାନଭାଇ ଗାଦବା ଭଉଣୀକୁ ବହୁତ ଖୋଜିଖୋଜି କୌଣସି ସନ୍ଧାନ ନପାଇ ଭଉଣୀ ଧାନକୁଟୁଥିଵା କୁଟୁଣୀମାଳା ପାହାଡକୁ ଫେରି ମନଦୁଃଖରେ ସେଠାରେ ରହିଗଲା । କାଳକ୍ରମେ ଏମାନଙ୍କର ଵଂଶଧର ଜାତ ହେଲେ ଏଵଂ ଏହି ଦୁଇଭାଇଙ୍କ ନାମରେ ସେମାନଙ୍କର ଵଂଶଧରମାନେ ବଣ୍ଡା ଓ ଗାଦବା ନାମରେ ଅଭିହିତ ହେଲେ । 
 
ପ୍ରୋକ୍ତ କାହାଣୀ କହେ ଆଜିର ଏହି ଦୁଇ ଜନଜାତୀୟ ଗୋଷ୍ଠୀ ଅତୀତରେ ଏକ ପରିଵାର ଭୁକ୍ତ ଥିଲେ । ଆଜି ବି ଏହି ଜନଜାତୀୟ ଗୋଷ୍ଠୀର ଆଦି ଭୂମି ଭାବରେ କୁଟୁଣୀମାଳା ପାହାଡ଼ ଓ ଜାଙ୍ଗିର ପର୍ଵତମାଳାକୁ ଗଣନା କରାଯାଏ । ଗାଦବାମାନଙ୍କ ଆଦି ଜନଵସତି ଅଞ୍ଚଳରେ ଦଣ୍ଡାୟମାନ ସୁଵିସ୍ତୃତ କୁଟୁଣୀମାଳା ପାହାଡ ଓ ବଣ୍ଡାମାନଙ୍କର ପ୍ରାଥମକ ଜନଵସତି ଅଞ୍ଚଳକୁ ଘେରି ରହିଛି ସୁଉଚ୍ଚ ଜାଙ୍ଗିର ପାହାଡମାଳା । 

 ଆଜି ସୁଦ୍ଧା ଗାଦବାମାନେ ବଣ୍ଡାମାନଙ୍କୁ ସେମାନଙ୍କର ବଡଭାଇ ବୋଲି ମାନ୍ୟତା ପ୍ରଦାନ କରନ୍ତି । ଦୁଇ ସଂପ୍ରଦାୟଙ୍କ ଚାଲିଚଳଣିରେ ମଧ୍ୟ କେତେକ ସାମଞ୍ଜସ୍ୟ ପରିଲକ୍ଷିତ ହୋଇଥାଏ । 

ଅଵିଭକ୍ତ କୋରାପୁଟର କେତେକ ଅଞ୍ଚଳରେ ପ୍ରୋକ୍ତ ଲୋକକାହାଣୀଠାରୁ ଆଉ ଏକ କାହାଣୀ ପ୍ରଚଳିତ । ଉକ୍ତ କାହାଣୀରେ ଦୁଇ ଭାଇ ଓ ଏକ ଭଉଣୀ ପରିଵର୍ତ୍ତେ ଜଣେ ଭାଇ ଓ ତାହାର ସାନ ଭଉଣୀର କାହାଣୀ ପ୍ରଦର୍ଶିତ ହୋଇଥାଏ । ଦ୍ଵିତୀୟ ଲୋକକଥାରେ ବଣ୍ଡା ଭାଇ ଓ ତାହାର ସାନ ଭଉଣୀକୁ ନେଇ ଲୋକଗଳ୍ପର ସୃଷ୍ଟି । ଏ ଲୋକଗଳ୍ପଟି କୁଟୁଣୀମାଳା ପାହାଡ଼ କିଂଵା ଜାଙ୍ଗିର ପର୍ଵତମାଳାର ନୁହେଁ ଵଂର ତୁଲ୍'ସା ଡଙ୍ଗରକୁ ନେଇ ଗଢି଼ଉଠିଛି । 

ଏହି ପ୍ରଚଳିତ ଲୋକକଥା ଅନୁଯାୟୀ ତୁଲ୍'ସା ଡଙ୍ଗର ଉପରେ ଥିଵା କୌଣସି ଗାଁରେ ରହୁଥିଲେ ଭାଇ ଭଉଣୀ ଦୁଇପ୍ରାଣୀ । ସୂଚନାଯୋଗ୍ୟ ଯେ ମାଥୁଲିର ପଶ୍ଚିମ ପଟେ ଏହି ଵିରାଟ ପର୍ଵତ ଅଵସ୍ଥିତ ଏଵଂ ଏହା ଛତିଶଗଡ଼ ଭିତରକୁ ଲମ୍ବିଯାଇଛି । ଅନେକ ସ୍ଥଳରେ ତାହା ଓଡ଼ିଶା ଓ ଛତିଶଗଡ଼ର ସୀମା ହୋଇଥିଲେ ମଧ୍ୟ ଦୁଇ ପ୍ରଦେଶ ମଧ୍ୟକୁ ତା’ର ଵିସ୍ତାର ରହିଛି । ଏକଦା ଏହା ଘନ ଜଙ୍ଗଲପୂର୍ଣ୍ଣ ଥିଲା ଓ ଅଧୁନା ଲୁପ୍ତ ପ୍ରାୟ ବହୁ ପ୍ରକାରର ଜୀଵଜନ୍ତୁ ଯଥା - ବଣ ମଇଁଷୀ, ଗୟଳ, ବଳିଆକୁକର, ଖଗ ଓ ମହାବଳ ବାଘ ଇତ୍ୟାଦିଙ୍କ ଦ୍ବାରା ଏ ଅଞ୍ଚଳ ପରିପୂର୍ଣ୍ଣ ଥିଲା । ଏହି ତୁଲସା ଡଙ୍ଗରରେ ପୂର୍ଵେ ଦୁଇ ଭାଇ ଭଉଣୀ ରହୁଥାନ୍ତି । 

ଭାଇର ନାଆଁ ବଣ୍ଡା । ସେ ସବୁଦିନେ ଇଡ଼ି ବାନ୍ଧିଵାବେଳେ ପିନ୍ଦାଓଡ଼ା ଵା ପିନ୍ଧା ଲୁଗା ଅର୍ଥାତ୍ ଲେଙ୍ଗୁଟି ମଇଳା ହୋଇଯିଵା ଭୟରେ ବାଣ୍ଡା ଵା ଡୁମ୍ଡ଼ା (ଲଙ୍ଗଳା) ହୋଇ ରହେ। ଭଉଣୀକୁ ସେ କହିଥାଏ ଆଡ଼ବେଳିଆ ପେଜ ଆସିଲାବେଳେ କୁକୁର ବେକରେ ଘଣ୍ଟି ବାନ୍ଧି ନେଇ ଆସିଵ । ଘଣ୍ଟି ଶବ୍ଦ ଶୁଣିଲେ ଭାଇଟି ନିଜର ଲେଙ୍ଗୁଟି ପିନ୍ଧି ନିଏ । 
 
ଦିନେ ଭଉଣୀ ଭାବିଲା ଭାଇ କ’ଣ କରୁଛି । କାହିଁକି ଘଣ୍ଟି ବାନ୍ଧି କୁକୁରଟିକୁ ଆଣିଵାକୁ କହୁଛି । ଆଜି ନିଶ୍ଚୟ ପରୀକ୍ଷା କରି ଦେଖିବି । ତେଣୁ ସେ ଦିନେ କୁକୁର ବେକରେ ଘଣ୍ଟି ନବାନ୍ଧି ଆସିଲା ଏଵଂ ଉଲଗ୍ନ ଭାଇକୁ ଦେଖିଦେଲା । ଭଉଣୀକୁ ଦେଖି ଲାଜରେ ସେ ବାଣ୍ଡାଭାଇ ପାଖରେ ଥିବା କୁଣ୍ଡକୁ ଅର୍ଥାତ୍‌ ନଦୀକୁ ଡେଇଁ ପଡ଼ିଲା । ଭାଇକୁ ଡେଇଁଵା ଦେଖି ତା ପଛେପଛେ କୁକୁର ମିଶା ସେହି କୁଣ୍ଡକୁ ଡେଇଁ ପଡ଼ିଲା । ବଣ୍ଡା ଭାଇଟି ସେହି କୁଣ୍ଡରୁ ଆଉ ଉଠିଲା ନାହିଁ । ସେହିଦିନୁ ସେ କୁଣ୍ଡର ନାମ ହେଲା ‘ ବଣ୍ଡାକୁଣ୍ଡ’ । ତା ପଛେପଛେ ଡେଇଁ ପଡ଼ିଥିବା କୁକୁର ଭାସି ଭାସି ଆସି ପର୍ବତ ତଳେ ଥିବା କୁଣ୍ଡରେ ଆସି ଉଠିଲା । ତେଣୁ ପର୍ବତ ତଳ କୁଣ୍ଡର ନାମ ହେଲା ‘ କୁକୁର କୁଣ୍ଡ’ । ସେହି ଅନୁସାରେ ପାଖ ଗାଁର ନାମ ମଧ୍ୟ ‘ କୁକୁର କୁଣ୍ଡ ।’ ଅଵିଭକ୍ତ କୋରାପୁଟର ଦୁଇଟି ଝରଣା ବଣ୍ଡାକୁଣ୍ଡ ଓ କୁକୁର କୁଣ୍ଡକୁ ଆଧାର କରି ପ୍ରୋକ୍ତ ଲୋକକଥାର ସୃଷ୍ଟି । ତୁଲସା ଡଙ୍ଗର ଉପରେ ବଣ୍ଡାକୁଣ୍ଡ ଓ ତା ତଳକୁ କୁକୁର କୁଣ୍ଡ ଝରଣା ଅଵସ୍ଥିତ । କୁକୁର୍ କୁଣ୍ଢକୁ ଲାଗି ଯେଉଁ ଗଣ୍ଡିଆ ଗାଁଟି ରହିଛି, ଏହି କୁଣ୍ଡ ଅନୁସାରେ ତାର ନାମ ମଧ୍ୟ କୁକୁର କୁଣ୍ଢ ହୋଇଅଛି । ଗୋଟିଏ ସମୟରେ ଏହି ପର୍ବତରେ ବହୁପରିମାଣରେ ବଣ ତୁଳସୀ ବୁଦା ରହିଥିଲା ବୋଲି ଏହାକୁ ତୁଲସା ପର୍ବତ ଵା ତୁଲସା ଡଙ୍ଗର ବୋଲି କୁହାଯାଉଥିଲା ବୋଲି ଲୋକଵିଶ୍ଵାସ ପ୍ରଚଳିତ ଅଛି । 


ଉଭୟ କାହାଣୀରେ ଭାଇ ଭଉଣୀ, କୁକୁର ଓ ଉଲଗ୍ନ ହେଵା କଥା ରହିଛି ଅଵଶ୍ୟ ଉଭୟ କାହାଣୀର କଥାନକ ଅନେକାଂଶରେ ଭିନ୍ନ ପ୍ରତିଭାତ ହୋଇଥାଏ । 

ବଣ୍ଡା ଏକ ଆଦିମ ଜନଜାତୀୟ ସଂପ୍ରଦାୟ ଏମାନେ ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଅଞ୍ଚଳରେ ଵାସ କରୁଥିଵା ଆଦିମ ଜନଜାତି ଗୋଷ୍ଠୀ । ଏମାନେ ବାରଜଙ୍ଗଲ ଦେଶର ଅଧିଵାସୀ ବୋଲି କୁହାଯାଏ । ଏମାନଙ୍କ ସ୍ୱତନ୍ତ୍ର ଜୀଵନଶୈଳୀ ଓ ନିଜସ୍ବ ଭାଷା ରେମୋ ରହିଛି । ବଣ୍ଡାମାନେ ନିଜକୁ ରେମୋ ବୋଲି ପରିଚୟ ଦିଅନ୍ତି ଯାହାର ଆକ୍ଷରିକ ଅର୍ଥ ମନୁଷ୍ୟ । 

ଓଡ଼ିଶାରେ ଅଧୁନା ୧୨୦୦୦ରୁ ଅଧିକ ବଣ୍ଡା ଵସଵାସ କରୁଛନ୍ତି । ବଣ୍ଡା ପାହାଡ଼ର ୧୫୦ ଵର୍ଗ କି.ମି. ଅଞ୍ଚଳରେ ଵାସ କରୁଥିଵା ଏଵଂ କେଵଳ ପୋଡୁଚାଷ ଉପରେ ନିର୍ଭର କରୁଥିଵା ଏହି ବଣ୍ଡାମାନଙ୍କର ଗାଁ ସବୁ ସମୁଦ୍ରପତ୍ତନ ସ୍ତରକୁ ପାଞ୍ଚହଜାର ଫୁଟରେ ଅବସ୍ଥିତ ।
ବଣ୍ଡା ଜନଜାତି ଦୁଇ ଭାଗରେ ଵିଭକ୍ତ, ଯଥା ଉପର ବଣ୍ଡା ଏଵଂ ତଳୁଆ ବଣ୍ଡା । ଉପର ବଣ୍ଡାମାନଙ୍କର ଵାହ୍ୟ ଜଗତ ସହିତ ପ୍ରାୟ କୌଣସି ସମ୍ପର୍କ ନାହିଁ । ସେମାନେ ଖଇରିପୁଟ ବ୍ଲକରେ ଥିଵା ଡାକ୍ତରଖାନାକୁ ଚିକିତ୍ସା ପାଇଁ ମଧ୍ୟ ଆସିଵାକୁ ପସନ୍ଦ କରନ୍ତି ନାହିଁ । ଉପରବଣ୍ଡାମାନେ ଅଧିକ ରକ୍ଷଣଶୀଳ ଏଵଂ ଆପଣାର ପାରମ୍ପପରିକ ପ୍ରଥା ପରମ୍ପରାକୁ ଅତି କଠୋରଭାବେ ପାଳନ କରନ୍ତି । ଯେଉଁମାନେ ଏଥିରେ ସେମାନଙ୍କୁ ବାଧା ଦିଅନ୍ତି, ସେମାନଙ୍କୁ ତଳବଣ୍ଡା ଗାଁ ମାନଙ୍କୁ ନିର୍ଵାସିତ କରାଯାଏ । ଏଭଳିଭାବେ ପୁରୁଣା ବତିଶିଟି ଗାଁରୁ ଚାରୋଟି ଗାଁ ଉଜୁଡ଼ି ଯାଇଛି । ଏମାନେ ଯେତିକି ସରଳ ସେତିକି ଦୁର୍ଦ୍ଧାନ୍ତ । ତଥା କଥିତ ସଭ୍ୟତା ଓ ଆଇନକାନୁନ୍ ପ୍ରତି ଏମାନେ ଏକାନ୍ତ ଵିମୁଖ । ସେଥିପାଇଁ ତେରଟି ଆଦିମ ଜନଜାତି ଭିତରୁ ଏମାନଙ୍କୁ ଅନ୍ୟତମ ବୋଲି ଗଣନା କରାଯାଏ । 
 ବଣ୍ଡା ଜନଜାତିର ଭାଷାକୁ ରେମୋ କୁହାଯାଏ ଏଵଂ ଏମାନେ ଭାଷାକୁ ସାମ କହିଥାନ୍ତି । ଏହା ଅଷ୍ଟ୍ରୋଏସିଆଟିକ ଭାଷା ପରିବାରର ମୁଣ୍ଡା ଭାଷା ଶାଖା ଅନ୍ତର୍ଗତ ଏକ ଭାଷା । ବଣ୍ଡା ଭାଷା ପାଇଁ କୌଣସି ଵିଧିବଦ୍ଧ ଲିପି ନଥିଵା ବେଳେ ଓଡ଼ିଶାରେ ରହୁଥିଵା ବଣ୍ଡାଭାଷୀମାନେ କେତେକ କ୍ଷେତ୍ରରେ ଓଡ଼ିଆ ଲିପି ଵ୍ୟଵହାର କରିଥାନ୍ତି । ଏହାର ନିକଟସ୍ଥ ଭାଷା ଗୁତବ ଵା ଗଦବା । 

ସେହିପରି ଗାଦବା ଜନଜାତି ଵିଷୟରେ ଦେଶିଆ ଜ୍ଞାନକୋଷରେ ଉଲ୍ଲେଖ ଅଛି ଯେ...
ଗଦଵା ଵା ଗାଦଵା ଏକ ଜନଜାତୀୟ ସଂପ୍ରଦାୟ ଵିଶେଷ । କୋରାପୁଟ ଜିଲ୍ଲାର ନନ୍ଦପୁର, ପାଡୁଆ, ଢୋଲାପୁଟ, ବୈପାରୀଗୁଡ଼ା, କୁନ୍ଦ୍ରା ଆଦି ଵିସ୍ତୀର୍ଣ୍ଣ ଅଞ୍ଚଳରେ ଵାସ କରୁଥିଵା ଏହି ପୁରାତନ ଜନଜାତୀୟ ସଂପ୍ରଦାୟକୁ ଗଦବା କୁହାଯାଏ । ଏମାନଙ୍କର ଭାଷାର ନାମ ଗୁତବ୍ । 
ଗାଦବାମାନେ ଆନ୍ଧ୍ରପ୍ରଦେଶର ଗୋଦାଵରୀ ନଦୀ ଅଵଵାହିକାରୁ ଆସିଥିଵାରୁ ଏମାନଙ୍କର ନାମକରଣ ଗାଦବା ହୋଇଥିଵା ଗଵେଷକଙ୍କ ମତ । ନିଜର ସାମାଜିକ କାର୍ଯ୍ୟଧାରାକୁ ନେଇ ଗାଦବାମାନେ ତିନିଶ୍ରେଣୀରେ ଵିଭକ୍ତ ହୋଇ ଯାଇଛନ୍ତି
 ଯଥା —
 (୧) ବଣ୍ଡା ଗାଦବା
 (୨) ଓଲାର ଗାଦବା
 (୩) ପାରେଙ୍ଗା ବା ଉରାଙ୍ଗ ଗାଦବା ।


ଅନ୍ତର୍ଜାଲରୁ ଜଣାଯାଏ ଯେ ଗଦବା,ଗାଦବା ଵା ଗୁତବ୍ ଭାଷାଭାଷୀଙ୍କ ସଂଖ୍ୟା ୨୦୦୮ ସୁଦ୍ଧା ୧୦ରୁ ୧୫୦୦୦ ଥିଲା । ଗୁତବ୍ ଆଷ୍ଟ୍ରୋଏସୀୟ ପରିଵାରରେ ଥିଵା ମୁଣ୍ଡା ଶାଖାର ଦକ୍ଷିଣ ଉପଶାଖାର ଅନ୍ତର୍ଗତ ଏକ ଭାଷା । ଭାଷା ଦୃଷ୍ଟିରୁ ଦେଖିଲେ ଗାଦଵାମାନେ ମୁଣ୍ଡା ଶଵର ଜାତୀୟ ଲୋକ । ୨୦୧୧ରୁ ଏକ ସର୍ଭେରୁ ଜଣାଗଲା ଯେ ଗୁତବ୍ ଭାଷୀଙ୍କ ସଂଖ୍ୟା ପ୍ରକୃତରେ ୫୦୦୦ରୁ କିଛି ଅଧିକ ଏଵଂ ଓଲାରୀ ତଥା ଗୁତବ୍ ଭାଷୀଙ୍କୁ ଏକ ଵିଚାର କରି ପୂର୍ଵେ ଗଣନା ହୋଇଥିଵାରୁ ଏଭଳି ତ୍ରୁଟିପୂର୍ଣ୍ଣ ତଥ୍ୟ ସଂଗ୍ରହ ହୋଇଥିଲା । 

ବଣ୍ଡା ଓ ଗାଦଵା ଉଭୟ ଆଷ୍ଟ୍ରୋଏସୀୟ ଜନଜାତିର ଲୋକ ଏଵଂ ଏମାନଙ୍କର ଭାଷା ମଧ୍ୟ ଆଷ୍ଟ୍ରୋଏସୀୟ ଭାଷା ପରିଵାରର ଅନ୍ତର୍ଗତ ଥିଵା ମୁଣ୍ଡାଶାଖାର ଅଟଇ । ପ୍ରୋକ୍ତ ପ୍ରଥମ କାହାଣୀରେ ବଣ୍ଡା ଓ ଗାଦଵାଙ୍କୁ ସେଥିପାଇଁ ଦୁଇ ଭାଇ ଅଭିହିତ କରାଯାଇଛି ଯାହା ସଂମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ।‌ ବୋଧହୁଏ ଏକ ସମୟରେ ଏ ଦୁଇଜାତି ଏକାଠେଇଁ ଵାସ କରୁଥିଲେ କିନ୍ତୁ କୌଣସି କାରଣରୁ ସେମାନେ ଭିନ୍ନ ଭିନ୍ନ ଅଞ୍ଚଳରେ ଵସଵାସ କଲେ ଫଳତଃ ଏହି ଲୋକକଥାଟି ସୃଷ୍ଟି ହୋଇଅଛି । 



Tuesday, August 4, 2020

⭕ ଅଗସ୍ତି ଏବଂ ବଶିଷ୍ଠଙ୍କର ଜନ୍ମ ରହସ୍ୟ ⭕

💥 ((( ଅଗସ୍ତି ଏବଂ ବଶିଷ୍ଠଙ୍କର ଜନ୍ମ ରହସ୍ୟ  )))💥
         ଉପସ୍ଥାପନା : ସନ୍ତୋଷ ପଟ୍ଟନାୟକ 
    --------------******--------------******------------
        ଅପରୂପା ,ଚିରଯୋବନା,ସର୍ବଦା ଷୋଡଶୀ ଅବସ୍ଥାରେ ଥିବା ସ୍ବର୍ଗ ନାୟିକା ହେଉଛନ୍ତି ଅପ୍ ସରା ।।ଅପ୍ ସରା ମାନେ ସମୁଦ୍ର ମନ୍ଥନରୁ ଜାତ ହୋଇଥିଲେ ।।' ଅପ୍' ବା ଜଳରୁ ସେମାନେ ଉଦ୍ଭବ ହୋଇଥିବା ଯୋଗୁଁ ସେମାନଙ୍କୁ ଅପ୍ ସରା କୁହାଯାଏ ।।
         ଏହି ଅପ୍ ସରା ମାନେ ସୁଧର୍ମା ସଭାରେ ଇନ୍ଦ୍ରଙ୍କ ଦରବାରରେ ନୃତ୍ୟଗୀତ ପରିବେଷଣ କରନ୍ତି ।।ଗନ୍ଧର୍ବ ଗଣଙ୍କ ସହିତ ମିଶି ଅଭିନୟ କରନ୍ତି ।।କୌଣସି ବ୍ୟକ୍ତି ଇନ୍ଦପଦ ନିମନ୍ତେ ତପସ୍ୟା କଲେ ତାହାର ତପସ୍ୟା ଭଙ୍ଗ ନିମନ୍ତେ ଇନ୍ଦ୍ର ସେମାନଙ୍କୁ ପଠାନ୍ତି ଏବଂ ଏ ଅପସରା ମାନେ କିଛି ଭୁଲ୍ କଲେ ଦେବତା ବା ଋଷି ମାନଙ୍କ ଦ୍ବାରା ଅଭିଶାପ ପାଇ ମର୍ତ୍ତ୍ୟଲୋକରେ ଜନ୍ମ ନିଅନ୍ତି ।।
         ପୁରାଣ ମାନଙ୍କରେ ୧୦୮ ପ୍ରକାର ଅପସରା ସ୍ବର୍ଗରେ ବାସ କରନ୍ତି ବୋଲି ବର୍ଣ୍ଣନା ରହିଛି ।।ସେମାନଙ୍କ ମଧ୍ୟରୁ ଅପସରା ଉର୍ବଶୀ ହେଉଛନ୍ତି ଅନ୍ୟତମା ।।ଏହି ଅପରୂପା ଲାସ୍ୟମୟୀ ସୁନ୍ଦରୀ ଉର୍ବଶୀଙ୍କର ଜନ୍ମ ନାରାୟଣଙ୍କ ଉରଃ ବା ଜାନୁରୁ ହୋଇଥିଲା ବୋଲି ମଧ୍ୟ ଅନ୍ୟତ୍ର ପୁରାଣରୁ ଅଉ ଏକ ପ୍ରମାଣ ମିଳିଥାଏ ।।ତେଣୁ ନାମ ତାଙ୍କର ଉର୍ବଶୀ ।।
             ଉର୍ବଶୀ ଦେବୀ ସ୍ବରୂପା ।।ପ୍ରେମରେ ସଫଳତା ନିମନ୍ତେ ତାହାଙ୍କୁ ପୂଜା କରାଯାଏ ।।ଏକଦା ବ୍ରହ୍ମାଙ୍କ ଅଭିଶାପ ଫଳରେ ଉର୍ବଶୀଙ୍କୁ ମର୍ତ୍ତ୍ୟରେ ମନୁଷ୍ୟ ରୂପେ ଜନ୍ମ ନେବାକୁ ପଡିଥିଲା ।।
              ବଦ୍ରିକାଶ୍ରମ ଉପବନରେ ଉର୍ବଶୀ ପୁଷ୍ପ ଚୟନ କରୁଥିବା ବେଳେ ତାଙ୍କର ସୌନ୍ଦର୍ଯ୍ୟକୁ ମିତ୍ର ଓ ବରୁଣ ଦେଖିଲେ ।।ଉର୍ବଶୀଙ୍କ ଏ ପ୍ରକାର ସୌନ୍ଦର୍ଯ୍ୟ ଦେଖି ଉଭୟେ ସଂଯମ ରକ୍ଷା କରି ପାରିଲେ ନାହିଁ ।।ତାଙ୍କର ସ୍ଖଳିତ ବୀର୍ଯ୍ୟରୁ ଅଗସ୍ତି ଓ ବଶିଷ୍ଠ ଜନ୍ମ ଗ୍ରହଣ କଲେ ।।ସେ ଦୁହେଁ ଭାରତ ବର୍ଷର ମହାନ ତପସ୍ବୀ ରୂପେ ପରିଚିତ ।।
                              🌹🙏🌹

Sunday, August 2, 2020

● ଜନସୃତିରେ ପଖାଳ ●

ଜନସୃତି ଅଛି ରାଜା ସୁଵର୍ଣ୍ଣକେଶରୀଙ୍କ ପତ୍ନୀ ଥରେ ଏକ ଅଚିହ୍ନା ରୋଗରେ ପଡି଼ ଶଯ୍ୟାଶାୟୀ ହେଲେ । ରାଜା ଗୁଡାଏ ବଇଦ ଦେଖାଇ ନିଷ୍ଫଳ ହେଲାରୁ ଶେଷକୁ ଦେଶରେ ଘୋଷଣା କଲେ ଯିଏ ତାଙ୍କ ସ୍ତ୍ରୀ ଙ୍କ ସ୍ଵାସ୍ଥ୍ୟ ଭଲ କରିଦେବେ ସେ ତାଙ୍କୁ ଅନେକାନେକ ଧନ ସମ୍ପତ୍ତି ପ୍ରଦାନ କରିବେ । ଏହି ସମୟରେ ଜଣେ ମୁନି ଦୈବାତ୍ ରାଜନଵର ଆସିଥାନ୍ତି । ରାଜା ତାଙ୍କୁ ଆପଣା ରାଣୀର ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ଦୂରାଵସ୍ଥା ଜଣେଇବାରୁ ସେ ବୋଇଲେ....

“ରାଜନ୍ ! ରାଣୀଙ୍କୁ ଯେଉଁ ଅସାଧ୍ୟ ରୋଗ ହୋଇଛି ତହିଁର ଏକମାତ୍ର ଔଷଧ ହେଉଛି ଅମୃତ । ତେବେ ଆମ୍ଭେ ଆଶିର୍ବାଦ ଦେଉଅଛୁ ଆପଣ ରାଣୀଙ୍କୁ ନେଇ ଏ ପଵିତ୍ର ଉତ୍କଳଦେଶ ଭ୍ରମଣ କରନ୍ତୁ । ନିଶ୍ଚିତ ସୁଫଳ ମିଳିବ ।”

ସୁବର୍ଣ୍ଣକେଶରୀ ଓ ରାଣୀ ସାଧାରଣ ଲୋକଙ୍କ ବେଶ ଧାରଣ ପୂର୍ଵକ ଦେଶ ଭ୍ରମଣରେ ବାହାରିଗଲେ । ବାଟରେ ଯାଉ ଯାଉ ରାଜା ରାଣୀଙ୍କୁ ପ୍ରଵଳ ଭୋକ ଲାଗିଲା । କିଛି ଦୂର ଆଗେଇଲାରୁ ରାଜା ଦେଖିଲେ କୃଷକ ଜଣେ ବିଲରରେ ହଳ କରୁଛି । ରାଜା ତାକୁ ଯାଇ ପାଣି ମାଗନ୍ତେ ସେ ମନାକଲା କିନ୍ତୁ ରାଜା ବହୁତ କହିଲାରୁ କୃଷକ କଂସାଏ ପାଣିମିଶା ଭାତ ଆଣି ରାଜାଙ୍କ ହାତକୁ ବଢାଇଦେଲା । ରାଜା ସେହି ପାଣିମିଶା ଭାତ ନେଇ ରାଣୀଙ୍କୁ ଖାଇବାକୁ ଦେଲେ ଏବଂ ଆପେ କିଛି ଖାଇଲେ । ସେ ପାଣିମିଶା ଭାତ ଖାଇ ରାଜା ଅନୁଭବ କଲେ ଏହା ଅମୃତ । ସୁଵର୍ଣ୍ଣକେଶରୀ କୃଷକ କୁ ଯାଇ ପଚାରିଲେ .....

“ଆଜ୍ଞା ଏ ଅମୃତ ଆପଣ କେଉଁଠୁ ପାଇଲେ ?”

କୃଷକ କହିଲା

“ଏ ତ ଆମେ ନିଇତି ଦିନକୁ ଦିଓଳି ଖାଉଚୁ,ଏହା ପଖାଳ” କୁହାଯାଏ ସେଦିନ ପଖାଳ ଖାଇ ରାଣୀ ଧିରେ ଧିରେ ସୁସ୍ଥ ହୋଇଯାଇଥିଲେ ।

ଛତିଶଗଡ ଅଞ୍ଚଳରେ ପଖାଳ ଓ ନାରଦଙ୍କୁ ନେଇ ଏହି ଜନସୃତି ସହ ସାମଞ୍ଜସ୍ୟ ଥିବା ଅନ୍ୟ ଏକ ଲୋକକଥା ପ୍ରଚଳିତ ଅଛି...

…………..ସଂଗ୍ରାହକ : -

ସନ୍ତୋଷ ପଟ୍ଟନାୟକ , ଗଞ୍ଜାମ


Friday, July 24, 2020

● ପରୀକ୍ଷା ●

ଲିମ୍ବ ଓ ତେନ୍ତୁଳି ଗଛକୁ ନେଇ ଗୋଟିଏ ଲୋକକଥା ଓଡ଼ିଶା, ମଧ୍ୟ ପ୍ରଦେଶ, ଝାଡ଼ଖଣ୍ଡ ଆଦି ଅଞ୍ଚଳରେ ପ୍ରଚଳିତ । କାହାଣୀଟି ସଂକ୍ଷେପରେ ଏହିପରି..

ପୁରାତନ କାଳରେ ରାଜାମାନେ ପରସ୍ପରକୁ ପରୀକ୍ଷା କରୁଥିଲେ |  ଥରେ ଜଣେ ରାଜା ଏକ ସୁସ୍ଥ ଵ୍ଯକ୍ତିକୁ ଚିକିତ୍ସା ପାଇଁ ପଡୋଶୀ ରାଜ୍ଯକୁ ପଠାଇଲେ କିନ୍ତୁ ତାକୁ ଗଲାଵେଳେ କହିଥିଲେ ତୁ ବାଟ ଯାକ କେଵଳ  କଇଁଆ ଗଛ ତଳେ ରାତ୍ରୀ ଵିଶ୍ରାମ କରିବୁ ...

ଲୋକଟା ରାଜଆଦେଶ ମାନି ଅନ୍ୟ ରାଜ୍ୟକୁ ଗଲା ଓ ବାଟରେ କେଵଳ ତେନ୍ତୁଳି ଗଛ ମୂଳରେ ଶୋଉଥିଲା । ତେବେ ଏହିକାରଣରୁ ସେ ରୋଗରେ ପଡି଼ଗଲା ...

ଯେତେବେଳେ ସେ ପଡୋଶୀ ରାଜ୍ଯର ଦରଵାରରେ ପହଞ୍ଚି ଚିକିତ୍ସା ପାଇଁ ପ୍ରାର୍ଥନା କଲା, ସେହି ସ୍ଥାନର ରାଜଵୈଦ୍ଯ ତାଙ୍କୁ କେବଳ ଲିମ୍ଵ ଗଛ  ତଳେ ଶୋଇଵାକୁ ପରାମର୍ଶ ଦେଇ ବିଦା କରିଦେଲେ ।

ବାଟରେ ସେ ଲୋକଟି ନିମ୍ଵଗଛ ମୂଳେ ଶୋଇ ଶୋଇ ଗଲା । ଫଳତଃ ଲିମ୍ବ ଗଛର ଔଷଧୀୟ ଗୁଣ ଯୋଗୁଁ ତେନ୍ତୁଳିଜନିତ ରୋଗ ଦୂର ହେଲା ଏବଂ ସେ ସୁସ୍ଥସଵଳ ହୋଇ ତାଙ୍କ ରାଜାଙ୍କ ନିକଟରେ ଯାଇ ଉପସ୍ଥିତ ହେଲା ।

ପ୍ରୋକ୍ତ କାହାଣୀ ମାଧ୍ୟମରେ ଶ୍ରୋତାକୁ ନିମ୍ନୋକ୍ତ ସାମାଜିକ ଶିକ୍ଷା ମିଳିଲା ...

୧)ଖଟାମିଠା ଖାଦ୍ୟ ଅଧିକ ଖାଇଲେ ଦେହରେ ରୋଗ ଜନ୍ମେ କିନ୍ତୁ ଅଳ୍ପ ଉପକାରୀ ପିତାସ୍ଵାଦର ଖାଦ୍ୟ ଦେହ ପାଇଁ ଉପକାରୀ ।

୨)ମିଛ ଯେତେ ମିଠା ହେଲେ ମଧ୍ୟ ଦିନେ ନା ଦିନେ  ଵିପଦରେ ପକାଏ । ସତ ଯେତେ ପିତା ହେଲେ ବି ଜୀଵ ପାଇଁ ଉପକାରୀ ।

୩) ଅନ୍ଯର କଥାକୁ ଆଖିବୁଜି ମାନିଯିଵା ଅନୁଚିତ୍ ତେଣିକି ସିଏ ରାଜା ହୁଅନ୍ତୁ କି ଆପଣାର ସଙ୍ଗୀ ସାଥି ।

© ଶିଶିର ସାହୁ ମନୋଜ


Thursday, July 23, 2020

#ଜନ_ସୃତିରେ_ପଖାଳ /:✍ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ


          -:ଜନସୃତିରେ ପଖାଳ: -
                ~~~0~~~~
ଜନସୃତି ଅଛି ରାଜା ସୁଵର୍ଣ୍ଣକେଶରୀଙ୍କ ପତ୍ନୀ ଥରେ ଏକ ଅଚିହ୍ନା ରୋଗରେ ପଡି଼ ଶଯ୍ୟାଶାୟୀ ହେଲେ । ରାଜା ଗୁଡାଏ ବଇଦ ଦେଖାଇ ନିଷ୍ଫଳ ହେଲାରୁ ଶେଷକୁ ଦେଶରେ ଘୋଷଣା କଲେ ଯିଏ ତାଙ୍କ ସ୍ତ୍ରୀ ଙ୍କ ସ୍ଵାସ୍ଥ୍ୟ ଭଲ କରିଦେବେ ସେ ତାଙ୍କୁ ଅନେକାନେକ ଧନ ସମ୍ପତ୍ତି ପ୍ରଦାନ କରିବେ । ଏହି ସମୟରେ ଜଣେ ମୁନି ଦୈବାତ୍ ରାଜନଵର ଆସିଥାନ୍ତି । ରାଜା ତାଙ୍କୁ ଆପଣା ରାଣୀର ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ଦୂରାଵସ୍ଥା ଜଣେଇବାରୁ ସେ ବୋଇଲେ....

“ରାଜନ୍ ! ରାଣୀଙ୍କୁ ଯେଉଁ ଅସାଧ୍ୟ ରୋଗ ହୋଇଛି ତହିଁର ଏକମାତ୍ର ଔଷଧ ହେଉଛି ଅମୃତ । ତେବେ ଆମ୍ଭେ ଆଶିର୍ବାଦ ଦେଉଅଛୁ ଆପଣ ରାଣୀଙ୍କୁ ନେଇ ଏ ପଵିତ୍ର ଉତ୍କଳଦେଶ ଭ୍ରମଣ କରନ୍ତୁ । ନିଶ୍ଚିତ ସୁଫଳ ମିଳିବ ।”

ସୁବର୍ଣ୍ଣକେଶରୀ ଓ ରାଣୀ ସାଧାରଣ ଲୋକଙ୍କ ବେଶ ଧାରଣ ପୂର୍ଵକ ଦେଶ ଭ୍ରମଣରେ ବାହାରିଗଲେ । ବାଟରେ ଯାଉ ଯାଉ ରାଜା ରାଣୀଙ୍କୁ ପ୍ରଵଳ ଭୋକ ଲାଗିଲା । କିଛି ଦୂର ଆଗେଇଲାରୁ ରାଜା ଦେଖିଲେ କୃଷକ ଜଣେ ବିଲରରେ ହଳ କରୁଛି । ରାଜା ତାକୁ ଯାଇ ପାଣି ମାଗନ୍ତେ ସେ ମନାକଲା କିନ୍ତୁ ରାଜା ବହୁତ କହିଲାରୁ କୃଷକ କଂସାଏ ପାଣିମିଶା ଭାତ ଆଣି ରାଜାଙ୍କ ହାତକୁ ବଢାଇଦେଲା । ରାଜା ସେହି ପାଣିମିଶା ଭାତ ନେଇ ରାଣୀଙ୍କୁ ଖାଇବାକୁ ଦେଲେ ଏବଂ ଆପେ କିଛି ଖାଇଲେ । ସେ ପାଣିମିଶା ଭାତ ଖାଇ ରାଜା ଅନୁଭବ କଲେ  ଏହା ଅମୃତ । ସୁଵର୍ଣ୍ଣକେଶରୀ କୃଷକ କୁ ଯାଇ ପଚାରିଲେ
“ଆଜ୍ଞା ଏ ଅମୃତ ଆପଣ କେଉଁଠୁ ପାଇଲେ ?”
କୃଷକ କହିଲା
“ଏ ତ ଆମେ ନିଇତି ଦିନକୁ ଦିଓଳି ଖାଉଚୁ,ଏହା ପଖାଳ”
କୁହାଯାଏ ସେଦିନ ପଖାଳ ଖାଇ ରାଣୀ ଧିରେ ଧିରେ ସୁସ୍ଥ ହୋଇଯାଇଥିଲେ ।
ଛତିଶଗଡ ଅଞ୍ଚଳରେ ପଖାଳ ଓ ନାରଦଙ୍କୁ ନେଇ ଏହି ଜନସୃତି ସହ ସାମଞ୍ଜସ୍ୟ ଥିବା ଅନ୍ୟ ଏକ ଲୋକକଥା ପ୍ରଚଳିତ ଅଛି ………….

…………..

ମାରାଦା ମନ୍ଦିରର ଅନନ୍ୟ ଗାଥା

ଲେଖା: ସନ୍ତୋଷ ପଟ୍ଟନାୟକ


ଜଗନ୍ନାଥଙ୍କ କରୁଣାରୁ ଏ ସୃଷ୍ଟି ଜୀବନ ପାଇଛି । ଗତିଶୀଳ ଅଛି ପୁଣି ଆଗାମୀ ବଂଶଧରମାନଙ୍କ ପାଇଁ ଆଗକୁ ବି ବଞ୍ଚିରହିବ। ଏ ଅନନ୍ତ ବ୍ରହ୍ମାଣ୍ଡର କେହି ଜଣେ ନିଶ୍ଚିତ ନିୟାମକ ଅଛନ୍ତି ଏଥିରେ ଦ୍ୱିରୁକ୍ତି ନାହିଁ। ଦେଖନ୍ତୁ ଅନୁଭବ କରନ୍ତୁ କେତେ ସୁନ୍ଦର ଏହି ସୃଷ୍ଟି । ସୃଷ୍ଟିର ସର୍ଜନା ଆଉ ସ୍ରଷ୍ଟାଙ୍କର ମନନଶୀଳତା । ପ୍ରତିଦିନ ସକାଳ ହୁଏ। ପ୍ରତ୍ୟୁଷରୁ ଅରୁଣିମା ସାରା ଜଗତକୁ ଲାଲିମା – କୃଷ୍ଣ କାଳୀମାର ମିଶାମିଶି ଫେଣ୍ଟା ଫେଣ୍ଟି ରଙ୍ଗରେ ପ୍ରତ୍ୟୁଷର ସୃଷ୍ଟିକୁ ରଙ୍ଗାୟିତ କରିଦିଏ। ପୂର୍ବ ଦିଗନ୍ତ କଅଁଳ ଗେରୁରେ ବର୍ଣ୍ଣବିବର୍ଣ୍ଣ ହୋଇଉଠେ। ପରେ ପରେ ପ୍ରକାଶ ପାଏ ସୂର୍ଯ୍ୟଙ୍କର ସୁନା ସୁନାଥାଳିଆ ସୁନାରୂପ। କ୍ରମଶଃ ଆକାଶର ଶିଡ଼ି ଚଢ଼େ। ସ୍ୱର୍ଣ୍ଣିମା ରୂପାର ଝଲମଲ – ରଶ୍ମି ଆହୁରି ପ୍ରକାଶ ପାଏ। ଧରା ଆଲୋକିତ ହୋଇଯାଏ – ସୃଷ୍ଟିର ଜୀବନ ପ୍ରକ୍ରିୟାର କ୍ରୀୟାକର୍ମ ଯାଚନାର ଉତ୍ତରଣରେ . . ।

ଗହଳଚହଳ କର୍ମମୁଖର ହୋଇପଡ଼େ ଜୀବନ ଶୈଳୀ । ସୃଷ୍ଟି ପରିବର୍ତ୍ତନଶୀଳ। ସକାଳ, ମଧ୍ୟାହ୍ନ, ଅପରାହ୍ନ, ସାୟାହ୍ନ, ସନ୍ଧ୍ୟାର ସଞ୍ଜବତୀ ପରେ ପୁଣି ରଜନୀରାଣୀର ପଣତତଳେ ଅଭିଭୂତ ହୋଇଯାଆନ୍ତି ଏ ସୃଷ୍ଟିର ସମସ୍ତ ସ୍ଥିତି ସ୍ଥାପକ ଓ ସୃଷ୍ଟି। ବେଳ ଉଣ୍ଡି ସାଂଧ୍ୟ ଆକାଶରେ ପୃଥିବୀର ନିୟମମାନି ଦେଖା ଦିଅନ୍ତି ପୂର୍ଣ୍ଣ ଜହ୍ନ ତ’ କେବେ ଖଣ୍ଡିତ ବିଖଣ୍ଡିତ କିରଣର ଉତ୍ସରେ ଗାଧୋଇ ଦିଏ – ଏ ସ୍ରଷ୍ଟା ମନଚିନ୍ତନର ଶ୍ରେଷ୍ଠ କୃତିକୁ। ବିଛାଇ ଦିଏ ଈଶ୍ୱରପ୍ରାଣର ଶ୍ରେଷ୍ଠ କଲ୍ୟାଣକୁସମସ୍ତଙ୍କଠାରେ । ସେହିଁ ସର୍ବମୟ, ସର୍ବମୟ କର୍ତ୍ତା ଅନ୍ୟନାମ ଏକମାତ୍ର ପୁରୁଷ : ଈଶ୍ୱର ପରମାତ୍ମା : ଜଗତର ନାଥ ଏକମାତ୍ର ସ୍ୱାମୀ – ସର୍ବ ବୈଭବମୟ ଆଦିଦେବ ଶ୍ରୀଜଗନ୍ନାଥ। ଯାହାକି ଅଦୃଶ୍ୟତାରେ ଏହି ସର୍ବ ରଚନାକାର- ସୃଷ୍ଟିମୟ ପରିକଳ୍ପନାର ଆକାର ହୀନ ମହାପ୍ରଭୁଙ୍କର ସର୍ବବ୍ୟାପକତାର ଉପଲବ୍ଧ ଓ ଦିବ୍ୟାନୁଭବ ।

ଓଡ଼ିଶାର ଗର୍ବ ରଖିଛି ସେହି ପ୍ରଭୁଙ୍କର ଶ୍ରୀମନ୍ଦିର, ପୁରୁଷୋତ୍ତମଧାମ, ଶ୍ରୀମୟ ଚତୁର୍ଦ୍ଧାମୂର୍ତ୍ତିଙ୍କର ଭବ୍ୟ ମନ୍ଦିର ଜଗନ୍ନାଥଧାମ। ଇତିହାସର ପ୍ରତିଟି ପାହାଚରେ ପରୀକ୍ଷିତ ଆମ ଦେବତା ଜଗନ୍ନାଥ। ବିଧର୍ମୀମାନଙ୍କ ଆକ୍ରମଣ, ଧର୍ମ ବିଦ୍ଵେଷଭାବ ହିଁ ଆମ ସନାତନ ଜଗନ୍ନାଥ ସର୍ବସ୍ୱ ସଂସ୍କୃତି ବହୁ ସମୟରେ ଆଘାତପ୍ରାପ୍ତ। ସେହି ଆଘାତରୁ ତା’ର ପ୍ରଭୁଙ୍କୁ ବଞ୍ଚାଇ ରଖିବାରେ ଅନେକଥର ଅନେକ ଚେଷ୍ଟା ହୋଇଛି। ସେହି ଧର୍ମ ସଂସ୍କୃତିର ପରାକାଷ୍ଠାକୁ ଅକ୍ଷୁଣ୍ଣ ଓ ବଞ୍ଚାଇ ରଖିବାରେ ଆମ ଗଞ୍ଜାମ ଆଠଗଡ଼ର ରାଜା, ପ୍ରଜା, ଭକ୍ତ, ପାଇକ, ସୈନ୍ୟ, ସାମନ୍ତଙ୍କର ଅନେକ ଜୀବନ ଉତ୍ସର୍ଗ ବଳିଦାନ ତାହା ଆଜି ବି ଜଗନ୍ନାଥ ସଂସ୍କୃତି ଐତିହ୍ୟରେ ସ୍ୱର୍ଣ୍ଣାକ୍ଷରରେ ପ୍ରତିବିମ୍ବିତ ।

ଦକ୍ଷିଣ ଓଡ଼ିଶାର ମୁଖ୍ୟ ସହର ବ୍ରହ୍ମପୁରଠାରୁ ଉତ୍ତରପଶ୍ଚିମକୁ ପ୍ରାୟ ୬୦ କି.ମି. ଦୂରର ଏହି ଆଠଗଡ଼ପାଟଣା ଗଡ଼ଜାତ ଅଞ୍ଚଳର ମାରଦା ମନ୍ଦିର। ଆଠଗଡ଼ରେ ପହଞ୍ଚିବା ପାଇଁ ବ୍ରହ୍ମପୁରଠାରୁ ପୁରୁଷୋତ୍ତମପୁର ବା ଆସିକା, କବିସୂର୍ଯ୍ୟ ନଗର ଦେଇ ବୁଢ଼ାଆମ୍ବ ପୋଲସରା ରାସ୍ତାରେ ଯାଇ ହେବ। ପୁରୁଷୋତ୍ତମପୁରଠାରୁ ୧୮ କି.ମି ଓ ପୋଲସରାଠାରୁ ମାତ୍ର ୭ କି.ମି. ଦୂରରେ ଏକ ଜଙ୍ଗଲ ପରିପୂର୍ଣ୍ଣ ହାତୀବାରି ପାହାଡ଼ର ବିଶାଳ ପାଦଦେଶରେ ଏହି ପୀଠଟି ଅବସ୍ଥିତ। ଓଡ଼ିଶାର ମନ୍ଦିର ନିର୍ମାଣ ଶିଳ୍ପକଳାରେ ଭର୍ତ୍ତି ଶିଳ୍ପୀମାନଙ୍କର ଗ୍ରାମ ମଥୁରା ଏଇ ମନ୍ଦିରର ଅଦୂରରେ ରହିଛି।


ମାରଦା ମନ୍ଦିରର ପ୍ରତିଷ୍ଠା ବିଶେଷରେ ସ୍ଥାନିକ ନିରାପତ୍ତାକୁ ଅଗ୍ରାଧିକାର ଦେଇ ଏଭଳି ଏକ ଘଞ୍ଚ ଜଙ୍ଗଲ ହିଂସ୍ରଜନ୍ତୁ ପରିପୂର୍ଣ୍ଣ ତିନୋଟି ପାର୍ବତ୍ୟ ଭୂମି ଓ ଗଡ଼ଖାଇ ମଧ୍ୟରେ କରାଯାଇଥିବା ମନେହୁଏ ।

ଖୋର୍ଦ୍ଧାଗଡ଼ ଲୁଣ୍ଠନ ପରେ ତକିଖାଁ ଶ୍ରୀମନ୍ଦିର ଆକ୍ରମଣ କରିବାକୁୁ ସ୍ଥିର କଲା ବେଳେ ଖୋର୍ଦ୍ଧାର ଗଜପତି ରାଜା ଦ୍ୱିତୀୟ ରାମଚନ୍ଦ୍ର ଦେବ ପଡ଼ୋଶୀ କରଡ଼ି ରାଜ୍ୟ ଆଠଗଡ଼ର ସାହାଯ୍ୟ ଭିକ୍ଷା କରିଥିଲେ। ସେତେବେଳର ଆଠଗଡ଼ର ରାଜା ଶ୍ରୀଜଗନ୍ନାଥ ହରିଚନ୍ଦନ ଜଗଦ୍ଦେବ ନିଜ ରାଜ୍ୟ ପରିସୀମାରେ ଥିବା ପାଣ୍ଡିରିପଡ଼ା ଠାରେ ଭୂମିତଳେ ଏକ ଗୁପ୍ତ ନଅର ତୋଳାଇ ସେଥିରେ ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କୁ ଓ ରୁମାଗଡ଼ ମୁଠାରୁ ଲୋକ ଡ଼କାଇ ଅବିଳମ୍ବେ ମାତ୍ର ୪୫ଦିନ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ନିର୍ମାଣ କରାଇ ବିଗ୍ରହମାନଙ୍କୁ ମୁସଲମାନ ପ୍ରଶାସକ ତକିଖାଁର ଦୃଷ୍ଟିରୁ ଲୁଚାଇ ରଖିଥିଲେ।

ରାଜାଙ୍କ ଗୁପ୍ତ ନଅର ମାଟିତଳେ ନିର୍ମାଣ ହୋଇଥିଲା ଓ ସେହି ନଅରକୁ ଯିବାପାଇଁ ଏକ ଗୁପ୍ତ ସୁଡ଼ଙ୍ଗ ରହିଥିଲା। ସହଜରେ ଏହି ନଅର ନଜଣା ପଡ଼ିବା ପାଇଁ ସେ’ବେଳରୁ ଆଜଯାଏଁ ପ୍ରଚଳିତ ଥିବା ମାଟି ମେରଦା (ଭାଡ଼ି) ନଅର ଉପରେ ରହିଥିଲା; ଯାହା ପ୍ରବାହିତ ଗରମ ପବନର ତାପମାତ୍ରାକୁ ନିୟନ୍ତ୍ରଣ କରି ଏକ ବାତାନୁକୂଳ ଗୃହରେ ଶୀତଳତା ପ୍ରଦାନ କରୁଥିଲା। ଏହାର ଅନ୍ୟ ଏକ ଆକର୍ଷଣ ଥିଲା ଭୂତଳ ରାଜମହଲ ଉପରେ ଥିବା ମେରଦା/ମାରଦା ଭାଡ଼ି ମାଟିରେ ଘୋଡ଼େଇ ରଖାଯାଇ ସେହି ମାଟିର ମେରଦା ଉପରେ କେତେକ ଜଙ୍ଗଲି ଲତାଗୁଳ୍ମ, ପୁଷ୍ପାଦି ବୃକ୍ଷ ରୋପିତ ହୋଇଥିଲା। ସେସବୁକୁ ଦେଖିଲେ ଏକ ଲତାଗୁଳ୍ମ ଘେରିତ ଜଙ୍ଗଲ ଅଞ୍ଚଳ ବ୍ୟତୀତ ତନ୍ମଧ୍ୟରେ ଗୁପ୍ତରେ ରାଜପ୍ରାସାଦ ଅଛି ବୋଲି ଯେ’କେହି ଭ୍ରମରେ ସୁଦ୍ଧା ଭାବି ପାରୁନଥିଲା।

ଏ ପ୍ରକାରର ଏକ ବୈଜ୍ଞାନିକ ତଥା ସାମରିକ ନିରାପତ୍ତାର ଦୃଷ୍ଟିକୋଣରୁ ନିର୍ମିତ ହୋଇଥିବା ଏଇ ମାରଦା ମନ୍ଦିର ଓ ରାଜପ୍ରାସାଦକୁ ତକିଖାଁ କିମ୍ବା ତା’ର ଅନୁଚରଗଣ ଶତଚେଷ୍ଟା କରି ବି ଜାଣିପାରିନଥିଲେ।

ଏହି ମନ୍ଦିର, ଗ୍ରାମ, ବା ଭୂତଳରେ ଥିବା ମେରଦା (ମାଟିର ଛାତ) ଭାଡ଼ି ଯୋଗୁଁ ଏହାକୁ ମାରଦା ଗ୍ରାମ ବା ମନ୍ଦିର ରୂପରେ ପରବର୍ତ୍ତୀ କାଳରେ ଲୋକ ସମ୍ମୁଖରେ ପରିଚିତ ହେଲା


ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ରାଜତ୍ୱ ସମୟ ଥିଲା ୧୭୨୭ରୁ ୧୭୩୬ ଖ୍ରୀ.ଅ.। ଏହି ସମୟରେ ଓଡ଼ିଶାରେ ଥିଲା ମୁସଲମାନ ଶାସନ। ରାମଚନ୍ଦ୍ର ଦେବଙ୍କ ଅଷ୍ଟମ ଅଙ୍କ ତଥା ୧୭୩୧ ଖ୍ରୀ.ଅ. ତଥା ୧୬୫୩ ଶକାବ୍ଦ ଓ କଳିଯୁଗାବ୍ଦ ୪୮୩୨ରେ ତକିଖାଁ ପ୍ରଥମ କରି ଖୋର୍ଦ୍ଧା ରାଜ୍ୟ ଆକ୍ରମଣ କରିଥିଲେ।

ଏଥିରୁ ରକ୍ଷା ପାଇବା ପାଇଁ ଦ୍ୱିତୀୟ ରାମଚନ୍ଦ୍ର ଦେବ ଯୁଦ୍ଧ ଏଡ଼ାଇ ତାଙ୍କ ସହିତ ସନ୍ଧି ସ୍ଥାପନ ପାଇଁ ସନ୍ଧି ପ୍ରସ୍ତାବ ଦେଲେ। କିନ୍ତୁ ହିନ୍ଦୁ ବିଦ୍ଵେଷୀ ତକିଖାଁ ଏହି ପ୍ରସ୍ତାବକୁ ଗ୍ରହଣ ନକରି ବିଶ୍ୱାସଘାତକତା କରି ଯୁଦ୍ଧରେ ପରାସ୍ତ କରି ରାଜା ରାମଚନ୍ଦ୍ର ଦେବଙ୍କୁ କଟକର ବାରବାଟୀ ଦୁର୍ଗକୁ ଆଣି ବନ୍ଦୀ କରି ରଖିଲେ। ରାମଚନ୍ଦ୍ର ଦେବଙ୍କ ପୁତ୍ରମାନଙ୍କୁ ଖୋର୍ଦ୍ଧାରୁ ବାହାର କରିଦେବାରୁ ସେମାନେ ଆସି ଆଠଗଡ଼ ରାଜା ଜଗନ୍ନାଥ ହରିଚନ୍ଦନଙ୍କ ପାଖେ ଶରଣ ନେଲେ ଓ ଆଠଗଡ଼ ରାଜାଙ୍କ ସୈନ୍ୟଙ୍କ ସାହାଯ୍ୟରେ ରାମଚନ୍ଦ୍ର ଦେବଙ୍କ ପୁତ୍ର ଭାଗୀରଥି ଖୋରଧାରୁ ଓ ପୁରୀରୁ ମୁସଲମାନ ମାନଙ୍କୁ ତଡ଼ି ନିଜେ ଗଜପତି ରାଜା ବୋଲି ଘୋଷଣା କଲେ। ଏ ଖବର ଶୁଣି ତକିଖାଁ ବିଶାଳ ସେନା ବାହିନୀ ନେଇ ଭାଗୀରଥିଙ୍କୁ ପରାସ୍ତ କରି ଦୁର୍ଗକୁ ପୁନଃସ୍ଥାପନ କରିଥିଲେ।

ଭାଗୀରଥି ଦଶପଲ୍ଲା ଅରଣ୍ୟ ମଧ୍ୟକୁ ପଳାୟନ କଲେ। ଖୁରଧା ଦୁର୍ଗରେ ନଜରବନ୍ଦୀ ଥିବାବେଳେ ଦ୍ୱିତୀୟ ରାମଚନ୍ଦ୍ର ଦେବ ତକିଖାଁଙ୍କ ଦ୍ୱାରା ପୁରୀ ଶ୍ରୀମନ୍ଦିରରେ ଆକ୍ରମଣର ଆଶଙ୍କାକରି ଶ୍ରୀବିଗ୍ରହମାନଙ୍କୁ ଏକ ନିରାପଦ ସ୍ଥାନକୁ ଦୋବନ୍ଧା ବାଟରେ ଚାପରେ ଚିଲିକା ପାର କରାଇ ବାଣପୁର ନଇରି ଗ୍ରାମ ହରୀଶ୍ୱର ମଣ୍ଡପ ଓ ପରେ ଖଲିକୋଟ ଚିକିଲି ଗ୍ରାମରେ ନେଇ ରଖାଇଲେ। ଏହି ସମ୍ବାଦ ତକିଖାଁ ପ୍ରାପ୍ତ ହେବାପରେ ପୁନଃ ଖୋରଧା ଆକ୍ରମଣ କଲା। ରାମଚନ୍ଦ୍ର ଦେବ ପରାସ୍ତ ହୋଇ ନୟାଗଡ଼ ଓ ପରେ ଖଣ୍ଡପଡ଼ା ଓ ଶେଷରେ ବୋଲଗଡ଼ ଆଦି ସ୍ଥାନରେ ଆଶ୍ରୟ ନେଇ ରହିଲେ।

ତକିଖାଁ ମୁର୍ଶିଦାବାଦରୁ କଟକ ଆସିବାପରେ ରାମଚନ୍ଦ୍ର ଦେବଙ୍କ ଉପରେ ରାଗି ପୁନଃ ଖୋର୍ଦ୍ଧା ଆକ୍ରମଣ କଲେ। ରାମଚନ୍ଦ୍ର ଦେବ ପଳାୟନ କରି ଜଙ୍ଗଲରେ ଲୁଚି ରହିଲେ ଓ ତକୀଖାଁ ଶ୍ରୀଜୀଉମାନଙ୍କୁ ଅପବିତ୍ର କରିବା ଭୟରେ ବାଣପୁର ମାଳନୀଳାଦ୍ରିଗଡ଼କୁ କିଛିଦିନ ସ୍ଥାନାନ୍ତର କରିବା ପରେ ଆଠଗଡ଼କୁ ନେବା ପାଇଁ ନିର୍ଦ୍ଦେଶ ଦେଲେ। ଆଠଗଡ଼ର ତତ୍କାଳୀନ ରାଜା ଜଗନ୍ନାଥ ହରିଚନ୍ଦନ ଜଗଦେବ ମାରଦାଠାରେ ମନ୍ଦିର ନିର୍ମାଣ କରାଇ ଠାକୁରମାନଙ୍କୁ ମନ୍ଦିର ସିଂହାସନ ଆରୋହଣ କରାଇଲେ। ମାରଦା ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି ରାମଚନ୍ଦ୍ର ଦେବଙ୍କ ୧୩ ଅଙ୍କ ବୃଷ ୫ ଦିନ ପ୍ରାୟ ଦୁଇବର୍ଷ ଚାରିମାସରୁ ଉର୍ଦ୍ଧ୍ବ ସମୟ ଧରି ପୂଜିତ ହେଉଥିଲେ।

ତକିଖାଁଙ୍କ ମୃତ୍ୟୁ ପରେ ଓଡ଼ିଶାର ନୂତନ ସୁବେଦାର ହେଲେ ଦ୍ୱିତୀୟ ମୁର୍ଶିଦ୍‌ କୁଲିଖାଁ। ସେତେବେଳେ ପୁରୀ ଶ୍ରୀମନ୍ଦିର ଦେବତା ଶୂନ୍ୟ ହେବା ଯୋଗୁଁ ଓଡ଼ିଶାର ରାଜସ୍ୱ ତୀର୍ଥଯାତ୍ରୀ ଟିକସ ଅହେତୁକ ଭାବେ ୯ ଲକ୍ଷ ଟଙ୍କା ଯାଏ କମିଯାଇଥିଲା। ଏଣୁ ରାଜକୋଷର ବୃଦ୍ଧି ପାଇଁ ମୁର୍ଶିଦ କୁଲିଖାଁ ତାଙ୍କ ପ୍ରତିନିଧି ମୀର ହବିବ୍‌ଙ୍କୁ ଆଠଗଡ଼ ପଠାଇ ସେଠାରୁ ବଳପୂର୍ବକ ଶ୍ରୀଜୀଉମାନଙ୍କୁ ଶ୍ରୀମନ୍ଦିରରେ ନେଇ ପୁନଃ ପ୍ରତିଷ୍ଠା କରାଇଥିଲେ। ଶ୍ରୀଗୁଣ୍ଡିଚାରେ ରଥଯାତ୍ରାଦି ବିଧିବିଧାନ ଯଥା ରୀତି ପାଳନ କରିଥିଲେ। ସେ ମଧ୍ୟ ରାମଚନ୍ଦ୍ର ଦେବଙ୍କୁ ଗାଦିଚ୍ୟୁତ କରାଇ ପଟିଆର ରାଜା ପଦ୍ମନାଭ ଦେବଙ୍କୁ ନୂତନ ଗଜପତି ରାଜା ଭାବେ ନିଯୁକ୍ତି କରିଥିଲେ। ଆଠଗଡ଼ର ମାରଦା ମନ୍ଦିରକୁ ମଥୁରା ଗ୍ରାମର ମନ୍ଦିର ନିର୍ମାଣ ଶିଳ୍ପକଳାରେ ନିପୁଣ ବିନ୍ଧାଣୀମାନେ ଦୁଇମାସ ଅହୋରାତ୍ର ପରିଶ୍ରମ କରି ଶ୍ରୀଜଗନ୍ନାଥଙ୍କ ପାଇଁ ମନ୍ଦିର ନିର୍ମାଣ କରିଥିଲେ।

ମନ୍ଦିର କଳେବର କୁଣ୍ଡାପଥର ଦ୍ୱାରା ନିର୍ମିତ। ମନ୍ଦିର ବିମାନ ଓ ଜଗମୋହନକୁ ନେଇ ଗଠିତ। ବିମାନଜଗମୋହନର ଦୈର୍ଘ୍ୟ ୩୫ ଫୁଟରୁ ୪୫ ଫୁଟ ଓ ପ୍ରସ୍ଥ ୨୨ ଫୁଟରୁ ୨୪ ଫୁଟ। ମନ୍ଦିରଟି ଏକ ବିସ୍ତୃତ ଚଉତରା ଉପରେ ନିର୍ମିତ। ମନ୍ଦିର କାନ୍ଥର ଚଉଡ଼ା ୪ ଫୁଟର ଅଧିକ। ବିମାନ ଓ ଜଗମୋହନ ମଧ୍ୟରେ ପୁରୀ ଜଗନ୍ନାଥ ମନ୍ଦିରର କବାଟ ଭଳି ଏକ କାଠର କବାଟ ରହିଛି। ବିମାନ ମନ୍ଦିରର ବାହାର ଚତୁଃପାଶ୍ୱର୍ କାନ୍ଥରେ ବାମନ, ନୃସିଂହ, ବରାହଙ୍କ ପ୍ରସ୍ତର ମୂର୍ତ୍ତି ରହିଛି। ଉର୍ଦ୍ଧ୍ବରେ ଗରୁଡ଼, ଆମଳକ, ଖପୁରି, କଳସ ଏବଂ ନୀଳଚକ୍ର ଦ୍ୱାରା ବିମଣ୍ଡିତ

୧୭୩୬ ମସିହା ମେ’ମାସରେ ଏହି ମନ୍ଦିରକୁ ଶୂନ୍ୟ କରି ଠାକୁରମାନଙ୍କୁ ପୁରୀ ଶ୍ରୀମନ୍ଦିରକୁ ନିଆଯିବା ପରେ ଏଠି କେବଳ ତିନୋଟି ଚକାପଥର (ବୈଠି) ମାତ୍ର ପୂଜା ପାଇ ଆସୁଛନ୍ତି। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କୁ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ନିଆଗଲା ବେଳେ ଶ୍ରୀମନ୍ଦିରରେ ସିଂହାସନ ରତ୍ନବେଦୀ ଶୂନ୍ୟ ପଡ଼ିଥିଲାଭଳି ଅନୁଭବ ଦର୍ଶକଙ୍କ ମନକୁ ଆସେ

ଏହି ମନ୍ଦିରରେ ଶ୍ରୀ ଜୀଉମାନେ ଚକାବୈଠିର ପୂଜାଉପାସନାରେ ଅଛନ୍ତି। ଜଗମୋହନର ତିନୋଟି ଦ୍ୱାର। ପୂର୍ବଦ୍ୱାର ଅପେକ୍ଷାକୃତ ବଡ଼। ଉପରେ ନବଗ୍ରହ ଦ୍ୱାର ମୁହଁରେ ଦୁଇଟି ସିଂହ। ଜଗମୋହନ ମନ୍ଦିର ମଧ୍ୟରେ ଗରୁଡ଼ ପୂଜିତ। ମନ୍ଦିର ପୁର୍ବ ଦ୍ୱାର ଦେଇ ସକାଳର ପ୍ରଥମ ସୁର୍ଯ୍ୟ କିରଣ ସର୍ବପ୍ରଥମେ ଠାକୁରଙ୍କ ସିଂହାସନ ଉପରେ ପଡ଼ିଥାଏ। ଶ୍ରୀମନ୍ଦିରର ପୂଜା ବିଧି ଓ ବ୍ୟବହାର ପାଇଁ ସିଂହଦ୍ୱାରର ଉତ୍ତର ପୂର୍ବ କୋଣକୁ ଏକ ଗଭୀର କୂପ ରହିଛି। ପାଶ୍ୱର୍ରେ ଏକ କ୍ଷୁଦ୍ର ମନ୍ଦିରରେ ହନୁମାନ ପୂଜିତ। ଠିକ୍‌ ପୁରୀଭଳି ମାରଦା ମନ୍ଦିରରେ ମଧ୍ୟ ଶ୍ରୀଲୋକନାଥ ଓ ବିମଳା ଭାବେ ମା’ ଭରାଣୀ ପୂଜିତ। ଲୋକନାଥ ମନ୍ଦିର ବାହାରେ ରହିଥିବା ଯୋଗୁଁ ଏହାଙ୍କୁ ଖରାଖିଆ ଲୋକନାଥ ବୋଲି କହନ୍ତି।

ଆଠଗଡ଼ ରାଜା ଶ୍ରୀଜଗନ୍ନାଥଙ୍କ ଏହି ମନ୍ଦିରର ରହଣି କାଳରେ ଦୈନିକ ଶ୍ରୀଜୀଉମାନଙ୍କ ସେବାପାଇଁ ତିନି ନଉତି ଚନ୍ଦନ ଲାଗି କରାଉଥିଲେ ଓ ଠାକୁରଙ୍କ ଭୋଗପାଇଁ ପାଞ୍ଚନଉତି ଅରୁଆଚାଉଳ ସହ ତଦନୁରୁପ ଡ଼ାଲି, ପରିବା ପତ୍ରାଦି ଅନ୍ନଭୋଗ, ବାଳଭୋଗ, ଖୀରି, ପୁଳି, ୮୦ହାଣ୍ଡି ଶୁଖିଲା ଭୋଗ ଆଦି ଯୋଗାଇ ଦେଉଥିଲେ। ଏଠାରେ ଜଗନ୍ନାଥଙ୍କ ଭୋଗ, ପୂଜାନୀତି ପାଳନ ଓ ରଥଯାତ୍ରାରେ କୌଣସି ଦ୍ରବ୍ୟର ଅଭାବ ଅନୁଭବ ହେବାକୁ ଆଠଗଡ଼ ରାଜା ଦେଉନଥିଲେ। ରଥଯାତ୍ରାରେ ଦ୍ୱିତୀୟ ରାମଚନ୍ଦ୍ର ଦେବ ଗଜପତି ରାଜା ପରାସ୍ତ ହୋଇଯିବା ପରେ ଆଠଗଡ଼ରେ ଆଶ୍ରୟ ନେଇଥିଲେ ମଧ୍ୟ ସ୍ୱସମ୍ମାନରେ କୌଣସି ମତେ ଟିକିଏ ବି ଊଣା କରାଇ ଦିଆନଯାଇ ପୁରୀଭଳି ଗଜପତିଙ୍କ ଦ୍ୱାରା ବିଧି ଅନୁଯାୟୀ ଛେରାପହଁରା କରାଯାଇଥିଲା। ଆଠଗଡ଼ ରାଜା ଠାକୁରମାନଙ୍କ ପୂଜାନୀତିର ପରିଚାଳନା ପାଇଁ ୯ଶହ ଭରଣ ଧାନ ଓ ୫୧୦ ଭରଣ ଭୂ-ସଂପତ୍ତି ଖଂଜା କରିଦେଇଥିଲେ। ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ କାହିଁ କେଉଁଦୂର ଅତୀତରୁ ପୁରୀ ଶ୍ରୀମନ୍ଦିରରେ ପ୍ରତିଷ୍ଠିତ ହୋଇ ଗଜପତିମାନଙ୍କ ଦ୍ୱାରା ସେବା ପୂଜା ଗହଳି ଚହଳିରେ ଏହା ସ୍ୱର୍ଗରେ ପରିଣତ ହୋଇଥିଲା। କିନ୍ତୁ ଧର୍ମ ବିଦ୍ବେଷୀ ମୁସଲମାନ ରାଜାମାନଙ୍କ ଆକ୍ରମଣରେ ଆମ ଧର୍ମ ଆମ ସଂସ୍କୃତି ମୁମୁର୍ଷୁ ଅବସ୍ଥାରେ ପହଁଚିଥିଲା।

ଗଞ୍ଜାମର ବୀରମାଟି ସେହି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଯବନମାନଙ୍କ ଅଗୋଚରରେ ନିଜ ମାଟିରେ ମନ୍ଦିର ତୋଳାଇ ପାଖାପାଖି ଅଷ୍ଟାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଅଢ଼େଇବର୍ଷ ଧରି ଠାକୁରମାନଙ୍କ ଓ ଠାକୁରରାଜା ଗଜପତି ରାମଚନ୍ଦ୍ର ଦେବଙ୍କୁ ସସମ୍ମାନ ପ୍ରଦାନ ପୂର୍ବକ ନିଜ ଇଲାକାରେ ରଖି ପୂଜାସେବା କରିବାର ସ୍ୱର୍ଗୀୟ ସୌଭାଗ୍ୟ ପ୍ରାପ୍ତ କରିଥିଲେ। ଏଥିପାଇଁ ଆଠଗଡ଼ ରାଜା ଜଗନ୍ନାଥ ହରିଚନ୍ଦନଙ୍କୁ ‘ଜଗଦ୍ଦେବ’ ଉପାଧି ସହ ‘ଶରଣ ପର’ ଉପାଧି ଅର୍ପଣ କରାଯାଇଥିଲା। ଏହାସହ ଗଜପତିଙ୍କ ଦ୍ୱାରା ବଡ଼ ଏକାଦଶୀ ତିଥିରେ ମଧ୍ୟରାତ୍ରରେ ମହାଦୀପ ଉଠିଲା ବେଳେ ଆଠଗଡ଼ ରାଜାବଶଂର ସୁରକ୍ଷାପାଇଁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରାଯାଉଛି। ଯଥା ‘ଶରଣ ପର’ ମାନ-ଉଦ୍ଧାରଣ ବୀରାଧିବୀର ବର ଭାଇ ଜଗଦେବଙ୍କୁ ଶଙ୍ଖରେ ପୂରାଇ ଚକ୍ରଉହାଡ଼ରେ ରକ୍ଷାକର ଡ଼ାକର ସାର୍ଥକତା ରହିଛି। ସେହି ଦିନରୁ ଗଞାମର ଏହି ଆଠଗଡ଼କୁ ଶରଣ ଶ୍ରୀକ୍ଷେତ୍ର ବା ଶରଣ ଧରଣୀ ଭାବରେ ପରିଚିତ ହେଲା। ଏହାକ’ଣ ଆମ ପାଇଁ କମ୍‌ ସୌଭାଗ୍ୟ ଓ ଗର୍ବର କଥା। ଶ୍ରୀମନ୍ଦିରରେ ବଡ଼ ଏକାଦଶୀ ଓ ଦୀପାବଳି ତିଥିରେ ମହାଦୀପ ଦାନ ବେଳେ ‘ଶରଣ ପର ମାନ ଉଦ୍ଧାରଣ ଭାଇ ଜଗଦ୍ଦେବ ରାଣାଙ୍କୁ ଶଙ୍ଖରେ ପୂରାଇ ଚକ୍ର ଆତୁଆଳରେ ରଖିବା ଆଜ୍ଞା ହେଉହେ ମଣିମା…’ ଇତ୍ୟାଦି ଡ଼ାକପଡ଼ିବା ବ୍ୟବସ୍ଥା ଶ୍ରୀମନ୍ଦିରରେ ଏବେ ବି ପ୍ରଚଳିତ ଥିବା ସହ ଆଠଗଡ଼ ରାଜାଙ୍କୁ କୃତଜ୍ଞତା ସ୍ୱରୂପ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ସେବାଅଧିକାର ମିଳିଛି। ‘ଶରଣ ପର ମାନଉଦ୍ଧାରଣ ବାଘେଇ ବାଦସା’ ପଦରେ ଭୂଷିତ କରି ଆଠଗଡ଼ ରାଜା ଗଜପତିଙ୍କ ତରଫରୁ ଶାଢ଼ୀ ଓ ସନନ୍ଦ ପ୍ରଦାନ କରାଯାଇଛି। ନୀଳଚକ୍ରରେ ଶରଣ ପର ବାନା ଉଡ଼ୁଛି। ଏହା ଛଡ଼ା ଜଗଦ୍ଦେବ ଉପାଧି ବଡ଼ଦାଣ୍ଡରେ ଗଜପତିଙ୍କ ତତୁଲ୍ୟ ରାଜକୀୟ ଆଡ଼ମ୍ବରରେ ଗମନ କରିବା, ଗଜପତିଙ୍କ ସିଂହାସନ ନିକଟରେ ମର୍ଯ୍ୟାଦାପୂର୍ଣ୍ଣ ଆସନ, ମୁକ୍ତି ମଣ୍ଡପରେ ଷୋଢ଼ଶ ସ୍ତମ୍ଭର ଅଧିକାର, ରଥ ଓ ଚାପ ଯାତ୍ରାରେ ଚାମର ଦାନର ସୁଯୋଗ, ପୁରୀରେ ଆଠଗଡ଼ିଆ ସାହି ପ୍ରତିଷ୍ଠା ଆଦି ବହୁ ସମ୍ମାନର ଅଧିକାର ପ୍ରାପ୍ତ କରାଯାଇଛି। ମାଦଳା ପାଞ୍ଜିରେ ମାରଦା ଜଗନ୍ନାଥ ମନ୍ଦିର ବିଷୟରେ ଦୁଇଥର ଉଲ୍ଲେଖ କରାଯାଇଛି।

              
ଏଥିରୁ ଜଣାଯାଇଛି ଯେ ବହୁ ବାର ମୁସଲମାନମାନେ ଆମ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଛନ୍ତି। ଏଥିପାଇଁ ଠାକୁରମାନଙ୍କୁ ବହୁବାର ସ୍ଥାନାନ୍ତର କରାଯାଇଛି ଏବଂ ଶେଷଥର ପାଇଁ ତକିଖାଁ ଆକ୍ରମଣ ଆଶଙ୍କାରେ ପ୍ରଭୁମାନଙ୍କର ଅଳଙ୍କାର ସବୁକୁ ପାତାଳେଶ୍ୱରଙ୍କ ମନ୍ଦିରରେ ଲୁଚାଇ ରଖି ଠାକୁରମାନଙ୍କୁ ମାରଦାକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟତ୍ର ମାଦଳା ପାଞ୍ଜିର ରାଜଭୋଗ ଇତିହାସ ନରସିଂହ ଦେବଙ୍କ ରାଜତ୍ୱରେ ବର୍ଣ୍ଣନା ରହିଛି ଯେ: ‘ମହାରାଜାଙ୍କ ୧୨ଙ୍କ ସାହାଜାହାନ୍‌ ପାତିଶା ପାଟଣାରୁ ଭାଗି ଓହଲାରୁ ପରମେଶ୍ୱରଙ୍କୁ ଖୁରୁଧା କଟକ ନେଇ ମେରେଦାରେ ବିଜେ କରାଇଲେ’। ପୁଣି ଖୁରୁଧା ଗଜପତି ମହାରାଜା ରାମଚନ୍ଦ୍ର ଦେବଙ୍କ ସମୟରେ ମାଦଳା ପାଞ୍ଜିରେ ଉଲେଖ ରହିଛି ଯେ, “ଧନୁ ୨୯ଦିନେ ନବାବ ରସୁଲ ଖାଁ ଆସି ଖୁରୁଧା ଘେନିଲାକୁ ପରମେଶ୍ବରଙ୍କ ନଈରୁ ଆଠଗଡ଼ ସୀମାରେ ମାରେଦା ବିଜେ କରାଇଲେ”

ଅତୀତର କିମ୍ବଦନ୍ତୀ, ଧର୍ମୀୟ ମହତ୍ତ୍ଵଯୁକ୍ତ ଓ ଐତିହ୍ୟପୂର୍ଣ୍ଣ ମାରଦା ମନ୍ଦିର ଆଜି ଜନଶୁନ୍ୟ ଓ ହିଂସ୍ରଜନ୍ତୁଙ୍କ ବାସସ୍ଥଳୀ । ଏହାର ସୁରକ୍ଷା ଓ  ପରିଚାଳନା ପ୍ରତି ଦୃଷ୍ଟିନଦେଲେ, ଏଡ଼େ ସୁନ୍ଦର ଚତୁର୍ଦ୍ଧାମୁର୍ତ୍ତିଙ୍କ ସ୍ମୃତି ବିଜଡ଼ିତ ଓଡ଼ିଶା ଇତିହାସର ଏକ ବିଶେଷ ଅଧ୍ୟାୟ ପରପିଢ଼ିଙ୍କ ଦୃଷ୍ଟିରୁ ସବୁକାଳ ପାଇଁ ଲୋପ ପାଇଯିବ ଏଥିରେ ସନ୍ଦେହ ନାହିଁ।

Tuesday, July 21, 2020

🔵🔵 ଉଦନ୍ତି ନଦୀ; କିମ୍ବଦନ୍ତୀ ଓ ନାମକରଣ 🔵🔵

     

ଓଡ଼ିଶା ମଧ୍ୟରେ ଇବ୍, ଓଙ୍ଗ୍  ତେଲ୍,ସୁରାବାଲୀ ଓ ସାଲୁଙ୍କି, ଆଦି ମହାନଦୀର ଅନେକ ଉପନଦୀ ରହିଛି । ମହାନଦୀର ଏଇଭଳି ଏକ ଉପନଦୀ ତେଲନଦୀ ସହ ଘଣ୍ଟାବାହାଳ ନିକଟରେ ମିଶିଅଛି ଉଦାନ୍ତି ନଦୀ । 

ଉଦନ୍ତି ଵା ଉଦନ୍ତୀ ନଦୀକୁ ଓଡ଼ିଶାର "free-flowing river" ଭାବେ ଅଭିହିତ କରାଯାଇଥାଏ ।  ଯେଉଁ ନଦୀଗୁଡ଼ିକ ମନୁଷ୍ୟକୃତ ପରିଵର୍ତ୍ତନ ହେତୁ ସେତେଟା ପ୍ରଭାଵିତ ହୋଇନଥାନ୍ତି ସେଗୁଡ଼ିକୁ "free-flowing river" କୁହାଯାଏ । ଛତିଶଗଡ଼ ଓ ଓଡ଼ିଶା ରାଜ୍ୟ ମଧ୍ୟରେ ଏ ନଦୀ ପ୍ରଵାହିତ ହେଉଅଛି । 

  ଉଦନ୍ତୀ ନଦୀକୁ ନେଇ କଳାହାଣ୍ଡି ଅଞ୍ଚଳରେ ଏକ କିମ୍ବଦନ୍ତୀ ରହିଛି । ଏଠାକାର ଵନର ପୁଷ୍ପାଦି ଯୋଗୁଁ ସବୁଆଡେ ସୁବାସ ମହକି ଉଠୁଥିଲା । ସେହି ମହକରେ ଆକୃଷ୍ଟ ହୋଇ ସ୍ୱର୍ଗର ଇନ୍ଦ୍ର ଇନ୍ଦ୍ରାଣୀ ମର୍ତ୍ତ୍ଯକୁ ଓହ୍ଲାଇ ଏଠାରେ ଅନେକ ଦିନ ଵିହାର କରିଵାକୁ ଲାଗିଲେ । ସ୍ଥାନୀୟ ଜନଜାତୀୟ ଲୋକେ ସେମାନଙ୍କ ପାଇଁ ମାଟି ଝାଟିର ସୁନ୍ଦର ଘରଟିଏ ତିଆରି କରିଦେଲେ ।

ପାଖ ପାହାଡ ତଳେ ରହିଥିଲା ଆଉ ଗୋଟେ ଉପତ୍ୟକା । ଥରେ ଇନ୍ଦ୍ର ବୁଲୁ ବୁଲୁ ସେହି ଉପତ୍ୟକାରେ ପହଞ୍ଚିଲେ । ଉପତ୍ୟକାରେ ବସିଥିଲା ଫୁଲର ହାଟ । ଉଡି ବୁଲୁଥିଲେ ଅସଂଖ୍ୟ ପକ୍ଷୀ ଓ ପ୍ରଜାପତି । ସେମାନଙ୍କ ସହିତ ଘୁରି ବୁଲୁଥିଲା ଜଣେ ଅସାମାନ୍ୟ ସୁନ୍ଦରି ନାରୀଟିଏ । 

ନାମ ତାର ଉଦନ୍ତି । ତାର ସୈାନ୍ଦର୍ଯ୍ୟରେ ଆକର୍ଷିତ ହୋଇ ଇନ୍ଦ୍ର ତାକୁ ପ୍ରେମ ନିଵେଦନ କଲେ । ତହୁଁ ପ୍ରେମିକ ପ୍ରେମିକା ହୋଇ ସେମାନେ ଫୁଲ ବଗିଚାରେ ଘୁରି ବୁଲିଲେ । ଉଦନ୍ତିକୁ ପାଇ ଇନ୍ଦ୍ର ଭୁଲି ଗଲେ ଇନ୍ଦ୍ରାଣୀଙ୍କ କଥା । ଏଇମିତିରେ କଟିଗଲା ଅନେକ ଦିନ ।

ଏଣେ ଇନ୍ଦ୍ର ଦେବତାଙ୍କ ବାଟ ଚାହିଁ ଚାହିଁ ଇନ୍ଦ୍ରାଣୀ ଆଖିରେ ଲୁହ ଝରାଇଲେ । ଜନଜାତୀୟ ଲୋକମାନେ ଧାଇଁ ଯାଇ ଇନ୍ଦ୍ରଙ୍କର ଠାଵ ଠିକଣା ଉଣ୍ଡି ଆସିଲେ ।

ଉଦନ୍ତି—ଇନ୍ଦ୍ର ପ୍ରଣୟ କଥା ଜାଣି ଇନ୍ଦ୍ରାଣୀ ଦୁଃଖରେ ଭାଙ୍ଗି ପଡି଼ଲେ । ନଖାଇ ନପିଇ ବସି କାନ୍ଦିଲେ । ଆଦିବାସୀ ଲୋକମାନେ ତାଙ୍କୁ ଜଗି ବସିଲେ । ବଣରୁ ଫଳ ମୂଳ ଆଣି ଖାଇଵାକୁ ଦେଲେ ।

ଶେଷରେ ଦିନେ ଅସହ୍ଯ ହେଲାରୁ ଇନ୍ଦ୍ରାଣୀ ଅଭିଶାପ ଦେଲେ...

"ଇନ୍ଦ୍ର ଓ ଉଦନ୍ତି ବିହାର କରୁଥିଵା ସୁନ୍ଦର ଉପତ୍ୟକାରେ ମରୁଭୁମିର ଵିଭିଷିକା ସୃଷ୍ଟି ହେଵ, ଆଉ ଵର୍ଷା ହେଵ ନାହିଁ । ଇନ୍ଦ୍ର ଓ ଉଦନ୍ତି ହୋଇଯିବେ ଦୁଇଟି ସୁଖା ନଈ । ପରସ୍ପର ଵିପରୀତ ଦିଗରେ ଗତି କରିଵେ । କେବେ ମିଶି ପାରିଵେ ନାହିଁ ।"

ଅଭିଶାପ ଫଳିଲା । ଇନ୍ଦ୍ର ଓ ଉଦନ୍ତି ନଈ ଦୁଇଟି ଵିପରୀତ ଦିଗରେ ବହି ଚାଲିଲେ ।  ଏଣେ ଇନ୍ଦ୍ରାଣି ମଧ୍ୟ ଇନ୍ଦ୍ରାବତି ନଈ ହୋଇ ବହିଗଲେ, ଅନ୍ୟ ଦିଗକୁ ମୁହଁ କରି ।

ଆଜି ନୂଆପଡ଼ା ଜିଲ୍ଲାର କାର୍ଲାକୋଟ ନିକଟରେ ଯେଉଁ ତିଖାଲି ଡ୍ଯାମ୍ ରହିଛି ତାକୁ lower indra dam ବି କୁହାଯାଏ । ସେଇଠି ଇନ୍ଦ୍ର ନଦୀ ଓ ସୁନ୍ଦର ନଦୀ ମିଶିଛି ଏଵଂ ସେ ନଦୀ ସୁନ୍ଦର ନଦୀ ନାମ ବହି ତେଲ୍ ନଦୀରେ ଯାଇ ମିଶିଅଛି । 

କିମ୍ବଦନ୍ତୀ କୁହେ ଇନ୍ଦ୍ର ଓ ଉଦନ୍ତି ନଦୀ କେବେ ମିଶିପାରିଲେ ନାହିଁ ତେବେ ଉଦନ୍ତି ଓ ଇନ୍ଦ୍ର ଉଭୟ ନଦୀର ଜଳ କିନ୍ତୁ ତେଲ୍ ନଦୀରେ ମିଶିଥାଏ । 

ଏ ନଦୀର ନାମ ଉଦନ୍ତି କାହିଁକି ହେଲା ? ସମ୍ଭଵତଃ ଉଦନ୍ତି ନଦୀର ଗୁଣ ଯୋଗୁଁ ଏ ନଦୀର ଏଭଳି ନାମକରଣ ହୋଇଥାଇପାରେ । 

ଉଦନ୍ତ ଶବ୍ଦର ସ୍ତ୍ରୀଵାଚକ ରୂପ ଉଦନ୍ତି ଅଟେ । 
ଏକ ସଂସ୍କୃତ ଇଂରାଜୀ ଅଭିଧାନରେ ଉଦନ୍ତ ଶବ୍ଦର ଅନେକ ଅର୍ଥ ରହିଛି ଯଥା_
୧)flowing over (ଉଚ୍ଛୁଳିଵା)
୨)good(ଭଲ)
୩)virtuous(ଧାର୍ମିକ)
୪)eaching to the end or border
୫)excellent(ଅତି ଉତ୍ତମ)
୬)running over(କାହାକୁ ଛାଡି଼ ପଳାୟନ କରିଵା)
୭)end of the work(କାର୍ଯ୍ୟର ସମାପ୍ତି)
୮)news(ସମ୍ଵାଦ)
୯)one who gets a livelihood by a trade
ଵ୍ୟାପାର ଦ୍ଵାରା ଜୀଵିକାନିର୍ଵାହ କରୁଥିଵା ଵ୍ଯକ୍ତି
୧୦)rest(ଵିଶ୍ରାମ)
୧୧)intelligence(ବୁଦ୍ଧିମାନ)
୧୨)by sacrificing for others(ବଳିଦାନ)
୧୩)account(ଖାତା)
୧୪)harvest time(ଅମଳ ସମୟ)
୧୫)history(ଇତିହାସ)
୧୬)telling to the end(ଶେଷ ଯାଏଁ କହିଵା)

ଉଦନ୍ତି ନଦୀରେ ପ୍ରତିଵର୍ଷ ଵନ୍ଯା ହୋଇଥାଏ ଅର୍ଥାତ୍ ଏ ନଦୀର ଜଳ କୂଳ ଲଙ୍ଘନ କରେ ବୋଲି ଵନ୍ଯା ହୋଇଥାଏ । 
ଏଠାରେ ଉଦନ୍ତ ଶବ୍ଦର flowing over ଅର୍ଥଟି ପ୍ରକାଶ ପାଇଛି । ତେବେ ସବୁନଦୀରେ ଆଗେ ଵନ୍ଯା ହିଁ ହେଉଥିଲା ଏଥିରେ ନୂଆ କ'ଣ ରହିଗଲା ।

ସମ୍ଭଵତଃ ଉଦନ୍ତ ଶବ୍ଦର running over ଵା ଅନ୍ଯକୁ ଛାଡି଼ ପଳାୟନ କରିଵା ଅର୍ଥରେ ଉଦନ୍ତ ଶବ୍ଦର ସ୍ତ୍ରୀଵାଚକ ରୂପ ଉଦନ୍ତି କରି ଏ ନଦୀର ନାମ ରଖାଯାଇଅଛି । କିମ୍ବଦନ୍ତୀ ଅନୁସାରେ  ଉଦନ୍ତି ନାମକ କନ୍ଯା ଓ ଇନ୍ଦ୍ରଙ୍କୁ ଇନ୍ଦ୍ରାଣୀ ଅଭିଶାପ ଦେଇଥିଲେ ଯେ ସେମାନେ କେବେ ମିଶିପାରିବେ ନାହିଁ । ସମ୍ଭଵତଃ ଇନ୍ଦ୍ରଙ୍କୁ ଛାଡ଼ି ଅନ୍ଯ ଏକ ଦିଗକୁ ପଳାୟନ କରି ନଦୀ ଭାବେ ପ୍ରଵାହିତ ହୋଇଥିଵା ହେତୁ ଏ ନଦୀର ନାମ ଉଦନ୍ତି ରଖାଯାଇଥିଲା ।

  ଉପସ୍ଥାପନା  :  ✍ ଶିଶିରସାହୁ ମନୋଜ 

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...