Saturday, October 29, 2022

● ଅକାରଣେ ନିନ୍ଦିତ ଗଜପତି ପ୍ରତାପରୁଦ୍ର ●

1479ର କଥା l  ପରମହଂସନାଥ ମହାଦେବଙ୍କ ଦର୍ଶନ ନିମିତ୍ତ ଓଡିଶା ଗଜପତି ପୁରୁଷୋତ୍ତମ ଦେବ ଆସନ୍ନ ପ୍ରସବା ପଦ୍ମାବତୀ ପାଟ ମହାଦେଈଙ୍କ ସହ ଯାଉଛନ୍ତି l ମନ୍ଦିର ନିକଟରେ ପାଟମହାଦେଈଙ୍କ ପ୍ରସବ ବେଦନା l ପୁତ୍ରବଧୂତୁଲ୍ୟା ପାଟମହାଦେଈଙ୍କ ଉଲଗ୍ନ ଶରୀର ଦେଖିବେ ନାହିଁ ବୋଲି ପ୍ରଭୁ ପାତାଳି ହୋଇଗଲେ l ସେଇଠି ଜନ୍ମ ହେଲେ ଓଡ଼ିଶାର ଭାବୀ ଗଜପତି... ପୁରୁଷୋତ୍ତମ ଦେବ ଶ୍ରଦ୍ଧାରେ ନାମ ଦେଲେ ପ୍ରତାପ ଜେନାମଣି l

    ପଞ୍ଚଦଶ ଶତାବ୍ଦୀର କଥା lଗଙ୍ଗମାନଙ୍କ ଶିଥିଳ ହସ୍ତରୁ ନିଜ ବଜ୍ରମୁଷ୍ଟି ଦ୍ଵାରା ଓଡ଼ିଶା ଅଧିକାର କରିଥିଲେ 'ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ନବ କୋଟି କର୍ଣ୍ଣାଟ କଳବର୍ଗେଶ୍ୱର ବିରାଧୀବୀରବର ଶ୍ରୀ ଶ୍ରୀ ଶ୍ରୀ କପିଳେନ୍ଦ୍ର ଦେବ ' l ପୂର୍ବରେ ଗଙ୍ଗା ଠାରୁ ଦକ୍ଷିଣରେ ରାମେଶ୍ୱର ପଶ୍ଚିମରେ ୱାରଙ୍ଗଲ କଳବର୍ଗ ପର୍ଯ୍ୟନ୍ତ ବିଜୟର ଜୈତ୍ର ଯାତ୍ରା ଉଡ଼ାଇ ଥିବା ଦିଗବିଜୟୀ ସମ୍ରାଟ l ପୁତ୍ର ପୁରୁଷୋତ୍ତମ ଦେବ ସେ ସାମ୍ରାଜ୍ୟର ବହୁଳାଂଶ ରକ୍ଷା କରିପାରିଥିଲେ l କେବଳ ବିଜୟନଗର ରାଜା ଶାଲ୍ୱ ନରସିଂହ ଦେବ ଓ ଗୋଲକୁଣ୍ଡା ସୁଲତାନଙ୍କ ସହ ସଂଘର୍ଷ ଛଡ଼ା ବାକି ସମୟ ସେ ନିରୂପଦ୍ରଵ ଭାବେ କାଟିଥିଲେ l
  1497ରେ ପିତାଙ୍କ ଅଚାନକ ମୃତ୍ୟୁ ପରେ ବିଶାଳ ସେ ଗଜପତି ସାମ୍ରାଜ୍ୟର ଦାୟିତ୍ୱ ନେଇଥିଲେ ମାତ୍ର ଅଠର ବର୍ଷର ସୁନ୍ଦର ସୁଯୋଦ୍ଧା ସାହିତ୍ୟିକ ଗଜପତି ପ୍ରତାପ ରୁଦ୍ର ଦେବ l ପାଞ୍ଚଶହ ପଚିଶ ବର୍ଷ ପରେ ମଧ୍ୟ ଐତିହାସିକ ସମାଲୋଚକଙ୍କ ଦୃଷ୍ଟିରେ ନିନ୍ଦିତ, ଅପାଙକ୍ତେୟ,ଶ୍ରୀଚୈତନ୍ୟପ୍ରୀତିରେ ଓଡ଼ିଶାର ସର୍ବନାଶକାରୀ ଭାବେ ଚିନ୍ହିତ  l ଶ୍ରୀଚୈତନ୍ୟ  ଓଡ଼ିଶାର ନାମ ସଂକୀର୍ତ୍ତନ ପ୍ରଚାର କଲେ ଓ ଶିଷ୍ୟ ପ୍ରତାପ ରୁଦ୍ର ସମ୍ପୂର୍ଣ୍ଣ ସହଯୋଗ କରି ଓଡିଶାର ସାମରିକ ସଂସ୍କୃତି ଧ୍ବଂସ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବୋଲି ମତ ଦେଉଥିବା ସମାଲୋଚକ ମାନଙ୍କ ତଥ୍ୟର ମୁଖ୍ୟ ଆଧାର "ଶ୍ରୀ ଚୈତନ୍ୟ ଚରିତାମୃତ " ଓ ଅନ୍ୟାନ୍ୟ ଭାକ୍ତିକ କାବ୍ୟ ଗ୍ରନ୍ଥ ଏବଂ ଶ୍ରୀ ଚୈତନ୍ୟଙ୍କ ଏକ ନାମ 'ଗଜପତି ପ୍ରତାପରଦ୍ର ସନ୍ତ୍ରାତା "l କିନ୍ତୁ ଭାକ୍ତିକ କାବ୍ୟ ସମୂହ ପ୍ରକୃତ
ଇତିହାସ ବର୍ଣ୍ଣନା ନୁହେଁ l
  ସବୁ ସମୟ ସମାନ ନୁହେଁ l ଗଜପତି କପିଳେନ୍ଦ୍ରଙ୍କ ସୁଦକ୍ଷ ସହଯୋଗୀ ଥିଲେ ପୁତ୍ର କଳା ହମ୍ବୀର ଦେବ, ଓଡ଼ିଶାର ସର୍ବକାଳୀନ ଶ୍ରେଷ୍ଠ ସେନାପତି l ପୁରୁଷୋତ୍ତମଙ୍କ ସମୟ  ନିରୁପଦ୍ରଵ ସୀମାନ୍ତ lପୁରୁଷୋତ୍ତମ ଦେବଙ୍କ ନିଷ୍କ୍ରିୟତା ସମ୍ଭବତଃ ଓଡ଼ିଆ ସୈନ୍ୟଙ୍କୁ ଧୀରେ ଧୀରେ ନିଷ୍କ୍ରିୟ କରି ଦେଇ ଥିଲା l ଗଜପତି ପ୍ରତାପରୁଦ୍ର 1509ରେ ଦକ୍ଷିଣକୁ ଯୁଦ୍ଧ ଯାତ୍ରାରେ ଯାଇଥିବା ବେଳେ ବଙ୍ଗର ଇସମାଇଲ ଗାଜୀ ପୁରୀ ପର୍ଯ୍ୟନ୍ତ ମାଡ଼ି ଆସିଥିଲା ଯେ ଶ୍ରୀ ଜଗନ୍ନାଥଙ୍କୁ କୋକଲ ଗଡ଼ ନିଆ ଯାଇଥିଲା l ଏ ଘଟଣା ଶୁଣି ଗଜପତି ଦ୍ରୁତ ଗତିରେ ଫେରି ଆସି ଇସମାଇଲ ଗାଜୀକୁ ମନ୍ଦାରଣ ପର୍ଯ୍ୟନ୍ତ ଘଉଡ଼ି ନେଇ ଥିଲେ l ମନେ ରଖିବା ଉଚିତ କୃଷ୍ଣା ନଦୀ ତୀରରୁ ଗଙ୍ଗା ତୀର ପ୍ରାୟ 1600 କିଲୋ ମିଟର lଏ ଘଟଣା ପ୍ରମାଣ କରୁଛି ଯେ ସେନାପତି ଓ ସୈନ୍ୟଙ୍କୁ ଧୀରେ ଧୀରେ ଅବଶତା ଗ୍ରାସ କରୁଥିଲା l କାରଣ ଗଜପତି ପ୍ରତାପରୁଦ୍ର ତ ଆଉ ଜୌନପୁର  ଓ ବଙ୍ଗଳା ଶତ୍ରୁତା ଭୁଲି ନଥିବେ l ତା ସହ ସେନାପତି ଗୋବିନ୍ଦ ବିଦ୍ୟାଧରଙ୍କ ବିଶ୍ୱାସ ଘାତକତା l ଏହା ମଧ୍ୟ ମନେ ରଖିବା ଉଚିତ ଯେ କଟକରୁ ଗଙ୍ଗାକୂଳ ତ୍ରିବେଣୀ ଚାରିଶହ କିଲୋମିଟର ହେଲାବେଳେ ତିରୁପତି ପାଖରେ ଥିବା ଉଦୟଗିରି ବାର ଶହ କିଲୋମିଟର ଦୂର l ରାଜଧାନୀରୁ ବାରଶହ କିଲୋମିଟର ଦୂର ପର୍ଯ୍ୟନ୍ତ ପ୍ରଶାସନିକ ଗତିବିଧି ବା ସାମରିକ ଗତି ଵିଧି ସଂଚାଳନ ଅତୀବ କଠିନ l
  ଗଜପତି ପ୍ରତାପରୁଦ୍ରଙ୍କ ଚରିତ୍ର ବୁଝିବାକୁ ହେଲେ କେତୋଟି ଚରିତ୍ର ବୁଝିବାକୁ ହେଵ l
1. ଶ୍ରୀ ଚୈତନ୍ୟ,2. କୃଷ୍ଣଦେବ ରାୟ 3. କୁମାର ବୀରଭଦ୍ର, 4. ଅଦୃଶ୍ୟ ସୂତ୍ରଧର ତିମ୍ମରସୁ,5. ରାୟ ରାମାନନ୍ଦ l
  ବିଶିଷ୍ଟ ଭକ୍ତ ରାମାନନ୍ଦ ପଟନାୟକ ଏକ ନାଟକ "ବିଦଗ୍ଧ ମାଧବ " ରଚନା କରି ଶ୍ରୀ ଜଗନ୍ନାଥ ମନ୍ଦିରରେ ଅଭିନୟ କରେଇ ଥିଲେ l ମୁଗ୍ଧ ଗଜପତି ତାଙ୍କୁ 'ରାୟ ' ଉପାଧି ଦେଇ ତାଙ୍କୁ ରାଜମହେନ୍ଦ୍ରୀର ଶାସନକର୍ତ୍ତା ଭାବେ ନିଯୁକ୍ତ କରିଥିଲେ l ରାଜମହେନ୍ଦ୍ରୀରେ ପରେ ରାୟ ରାମାନନ୍ଦ ଶ୍ରୀ ଚୈତନ୍ୟଙ୍କୁ ଐକାନ୍ତିକ ଭକ୍ତି ତତ୍ତ୍ୱର ଶିକ୍ଷା ଦେଇଥିଲେ l ସାମରିକ ଆବଶ୍ୟକତା ଦୃଷ୍ଟିରୂ ଗଜପତି ପରେ କବି ଡିଣ୍ଡିମ ଜୀବଦେବଙ୍କୁ ବାହିନୀପତି ଉପାଧି ଦେଇ ରାଜମହେନ୍ଦ୍ରୀ ଭାର ଦେଲେ ରାମାନନ୍ଦ
ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଭାର ନେଲେ l
     ଶ୍ରୀ ଚୈତନ୍ୟଙ୍କ ଓଡିଶା ଆଗମନ 1510, ବିଭିନ୍ନ ତୀର୍ଥ କ୍ଷେତ୍ର ବୁଲି ବୁଲି  1512/13 ବେଳକୁ ପୁରୀରେ ସ୍ଥାୟୀ ଅବସ୍ଥାନ l 1534  ରେ ଦେହ ତ୍ୟାଗ ପର୍ଯ୍ୟନ୍ତ ପୁରୀରେ ଅବସ୍ଥାନ, କିନ୍ତୁ ଶ୍ରୀଜଗନ୍ନାଥ ମନ୍ଦିର ଗରୁଡ଼ ସ୍ତମ୍ଭ ଦେଇ କେବେ ଆଗକୁ ଯାଇ ନାହାନ୍ତି lସେଇ ସମୟରେ ଓଡିଶା ଉପରେ ଦୁର୍ଯୋଗର କଳା ବାଦଲ ନଇଁ ଆସୁଥିଲା l
1509 ରେ କୃଷ୍ଣଦେବ ରାୟ ବିଜୟନଗର ସାମ୍ରାଜ୍ୟ ଅଧିପତି ହେଲେ lସେ ଜଣେ ବିଚକ୍ଷଣ ଯୋଦ୍ଧା, କୁଶଳ ରଣନୀତିକାର ଓ ବାସ୍ତବବାଦୀ ରାଜନୀତିଜ୍ଞ ଥିଲେ l ତାଙ୍କ ପ୍ରଧାନମନ୍ତ୍ରୀ ତଥା ସାମରିକ ପରାମର୍ଶଦାତା ଭାବରେ ସେ ଥିଲେ ଅନ୍ୟ ଏକ ବିଚକ୍ଷଣ ବ୍ୟକ୍ତି ଦୂରଦର୍ଶୀ ତିମ୍ମରସୁ l ପର୍ତ୍ତୁଗୀଜ ମାନେ 1510 ରେ ଗୋଆ ଅଧିକାର କଲାବେଳେ ସେ ବିରୋଧ କରି ନଥିଲେ ବରଂ ବନ୍ଧୁତା କରି ସେମାନଙ୍କ ଠାରୁ ଉନ୍ନତ ଘୋଡ଼ା ଏବଂ ବନ୍ଧୁକ ପାଇଥିଲେ l
   ପୂର୍ବ ପରାଜୟ ମାନଙ୍କ ପ୍ରତିଶୋଧ ପାଇଁ ଯୋଜନାବଦ୍ଧ ଭାବେ କୃଷ୍ଣଦେବରାୟ ଓ ତିମ୍ମ ରସୁ ଓଡ଼ିଶା ବିରୋଧରେ ଯୁଦ୍ଧ ଆରମ୍ଭ କଲେ l
1512-1519 କ୍ରମାଗତ ସାତ ବର୍ଷ ବିଜୟନଗର ଓଡ଼ିଶା ଯୁଦ୍ଧ l ଉଦୟଗିରି ଠାରୁ ଆରଂଭ ସିମାଞ୍ଚଳ ପୋଟନୁରୁରେ ଶେଷ l ଉଦୟଗିରି ବର୍ଷେ, କୋଣ୍ଡାଭିଡୁ ଦେଢ଼ ବର୍ଷ ଏମିତି ପ୍ରତିରୋଧ ଥିଲା l ଉପଯୁକ୍ତ ସୈନ୍ୟବଳ ଅଭାବରୁ ଗଜପତି ଗୋଲକୁଣ୍ଡାର ସେନାପତି ସିପାତ ଖାଁର ସାହାଯ୍ୟ ମଧ୍ୟ ନେଇଥିଲେ l 1520 ରେ ଅପମାନଜନକ ସନ୍ଧି ହେଲା, ପ୍ରତାପରୁଦ୍ର କନ୍ୟା ଜଗନ ମୋହିନୀଙ୍କୁ କୃଷ୍ଣଦେବ ବିବାହ କରି ତୁକ୍କା ନାମ ଦେଲେ କିନ୍ତୁ ମଧୁଶଯ୍ୟା ରାତ୍ରିରେ ଜଗନମୋହିନୀଙ୍କ ଛୁରୀ ଦେଖି ସମ୍ପର୍କ ରଖିଲେ ନାହିଁ l ପୋଟନୁରୁ ରେ ବିଜୟସ୍ତମ୍ଭ ପ୍ରତିଷ୍ଠା କରି, ସମସ୍ତ ବିଜିତ ଅଞ୍ଚଳ ଫେରେଇ କୃଷ୍ଣଦେବ ରାୟ ଫେରିଗଲେ l
   କଥା ହଉଛି ବଙ୍ଗଳା ଵା ବିଜୟନଗର ଯେପରି ସମୃଦ୍ଧ ଥିଲା ଓଡିଶା ସେପରି ନ ଥିଲା l ପ୍ରତାପ ରୁଦ୍ର ସମୟରେ କ୍ରମାଗତ ବଢ଼ି ମରୁଡ଼ି ଓଡିଶାର ମେରୁଦଣ୍ଡ ଭାଙ୍ଗି ଦେଇଥିଲା l ଯୁଦ୍ଧ ଅଭିଯାନ ଖର୍ଚ୍ଚ ସାପେକ୍ଷ କିନ୍ତୁ ପ୍ରତାପ ରୁଦ୍ରଙ୍କ ଅବସ୍ଥା "କୋଡ଼ିଏ ବର୍ଷ ପରେ " ର ପ୍ରଥମ ଚାର୍ଲସଙ୍କ ଉକ୍ତି  ଉକ୍ତି ପରି " ତିନି ବର୍ଷ ଧରି ସାହସୀ ସ୍କଚ ମାନେ ରକ୍ତ ବିନିମୟରେ ଗୌରବ ଛଡ଼ା ଆଉକିଛି ପାଇ ନାହାନ୍ତି l"
      କେତେ ଅବା ବୟସ ହୋଇ ଥିଲା? ଅଠର ଉଣେଇଶ ବର୍ଷ ବେଳେ ବିଶାଳ ଗଜପତି ସାମ୍ରାଜ୍ୟର ସମ୍ରାଟ l ଚାଳିଶ ଏକ ଚାଳିଶ ବର୍ଷ ବେଳକୁ ପ୍ରିୟ ତମ ଯୋଗ୍ୟ ପୁତ୍ରର ଆତ୍ମ ହତ୍ୟା, ରାଣୀ ବନ୍ଦିନୀ, ଅଧା ସାମ୍ରାଜ୍ୟ ଚ୍ୟୁତ, ଅପମାନଜନକ ଭାବେ ନିଜ ଠାରୁ ବୟସ୍କ କୃଷ୍ଣଦେବ ରାୟଙ୍କୁ ନିଜ ପ୍ରିୟ କନ୍ୟା  ଜଗନମୋହିନୀ ପ୍ରଦାନ l କନ୍ୟାର ବିଡ଼ମ୍ବିତ ଦାମ୍ପତ୍ୟ ଜୀବନ l ବିବାହ ପରେ ମଧୁଶଯ୍ୟା ରାତିରେ କୃଷ୍ଣଦେବ ଜଗନମୋହିନୀଙ୍କ ଅଣ୍ଟାର ଛୁରୀ ଦେଖି ଫେରିଯାଇଥିଲେ lଏସବୁ  ଦୁର୍ଦଶା ଜଣଙ୍କ ମନୋଭାବ ଉପରେ କି ପ୍ରଭାବ ପକେଇ ଥାଇ ପାରେ ପ୍ରାୟ କୌଣସି ଐତିହାସିକ ଖୋଜିବାକୁ ଚେଷ୍ଟା କରି ନାହାନ୍ତି l ବୁଝି ଥିଲେ କୂଳବୃଦ୍ଧ ମଧୂସୁଦନ ଏଣୁ କହିଥିଲେ "ଶ୍ରେଷ୍ଠ ସୂର୍ଯ୍ୟ ବଂଶୀ ଗଜପତି " l ବୁଝିଥିଲେ ସୁରେନ୍ଦ୍ର ମହାନ୍ତି ଏଣୁ "କୃଷ୍ଣା ବେଣୀରେ ସନ୍ଧ୍ୟା " l
  କୁମାର ବୀରଭଦ୍ର ଶୌର୍ଯ୍ୟ ଅସାଧାରଣ ଥିଲା ଓ ସେ ଜଣେ ସୁଦକ୍ଷ ଖଡ୍ଗ ଚାଳକ ଥିଲେ l
  କୁମାର ଵୀରଭଦ୍ର କୋଣ୍ଡାଭିଡୁ ଯୁଦ୍ଧରେ ବନ୍ଦୀ ହେବା ପରେ ତାଙ୍କ ବୀରତ୍ୱରେ ମୁଗ୍ଧ ହୋଇ କୃଷ୍ଣଦେବ ତାଙ୍କୁ ଜଣେ ପ୍ରାଦେଶିକ ଶାସକ ନିଯୁକ୍ତ କରିଥିଲେ l ସେ ସମୟରେ ସେ କିଛି ଦାନପତ୍ର "ବୀରଶ୍ରୀ ଗଜପତି
ଗୌଡ଼େଶ୍ୱର... ଶ୍ରୀ ରୁଦ୍ର ପ୍ରତାପ ଦେବସ୍ୟ ତନୁଜ..."ଲେଖିଥିଲେ ଏହା ଦେଖି କ୍ଷୁବ୍ଧ ତିମ୍ମରସୁ ଚକ୍ରାନ୍ତ କରି ଖଣ୍ଡା ଯୁଦ୍ଧର ଆୟୋଜନ କରିଥିଲେ l ତାଙ୍କର କୃଷ୍ଣ ଦେବ ରାୟ ଉପରେ ଅଖଣ୍ଡ ପ୍ରଭାବ ଥିଲା l କୁମାର ବୀରଭଦ୍ର ସାଧାରଣ ସୈନିକ ସହ ଯୁଦ୍ଧ ନ କରି କୃଷ୍ଣଦେବରାୟଙ୍କୁ ଆହ୍ୱାନ କରିଥିଲେ l କିନ୍ତୁ କୃଷ୍ଣଦେବରାୟ ସୈନ୍ୟ ସହ ଯୁଦ୍ଧ କରିବାକୁ ଆଦେଶ ଦେବାରୁ ନିଜ ଛାତିରେ ଖଣ୍ଡା ଭୁଷି ବୀରଭଦ୍ର ଆତ୍ମହତ୍ୟା କରିଥିଲେ l
ଅବଶ୍ୟ ଗଜପତି ପ୍ରତାପ ରୁଦ୍ର ତିମ୍ମରସୁ ଉପରେ ପ୍ରତିଶୋଧ ନେଇଥିଲେ l
  1524 ରେ କୃଷ୍ଣଦେବ ନିଜ ଅବୋଧ ଶିଶୁ ତିରୁମାଲା ରାୟଙ୍କୁ ନିଜ ଉତ୍ତରାଧିକାରୀ ଘୋଷଣା କଲେ l କିନ୍ତୁ ଅଳ୍ପଦିନ ପରେ ସେ ବିଷ ପ୍ରୟୋଗ ଦ୍ଵାରା ସେ ଶିଶୁର ମୃତ୍ୟୁ ହେଲା l ସନ୍ଦେହର ସୂଚୀ କଣ୍ଟା ଘୁରିଗଲା ତିମ୍ମରସୁଙ୍କ ଆଡ଼େ l କ୍ରୁଦ୍ଧ କୃଷ୍ଣଦେବ ତାଙ୍କୁ ଅନ୍ଧ କରିଦେଇ ପେନୁକୋଣ୍ଡା ଦୁର୍ଗରେ ବନ୍ଦୀ କରିଥିଲେ l ପରେ ଏହି ଚକ୍ରାନ୍ତରେ ଗଜପତିଙ୍କ ପ୍ରୋତ୍ସାହନ ଥିଲା ବୋଲି ଜାଣି ତାଙ୍କୁ ମୁକ୍ତ କରିଥିଲେ l ଘୋର ଦାରିଦ୍ର୍ୟ ଓ ନୈରାଶ୍ୟରେ ଏଇ କୁଟିଳ ବିଚକ୍ଷଣ ପ୍ରଧାନମନ୍ତ୍ରୀଙ୍କ ଶେଷକାଳ କଟିଥିଲା l ଏପରିକି ତିରୁପତି ମନ୍ଦିରକୁ ସେ ନିଜେ ଖଞ୍ଜି ଥିବା ଭୋଗ ସେବା ମଧ୍ୟ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ l କୌଣସି ମନ୍ଦିର ଇତିହାସରେ ଏପରି ଘଟଣା ଘଟିନାହିଁ l
  1529 ରେ କୃଷ୍ଣଦେବ ରାୟଙ୍କ ମୃତ୍ୟୁ ପରେ ଗଜପତି ପ୍ରତାପରୁଦ୍ର ପୁନର୍ବାର ବିଜୟନଗର ଆକ୍ରମଣ କରିଥିଲେ କିନ୍ତୁ ଅଚ୍ୟୁତ ରାୟ ଏହା ପ୍ରତିହତ କରିଥିଲେ l ଏହା ପରେ ଗଜପତି ଶେଷ କିଛି ବର୍ଷ ଶାନ୍ତି ଓ ନିରୁପଦ୍ରଵ ଭାବେ ଅତିବାହିତ କରି ଆନୁମାନିକ 1536 ରେ ଧବଳେଶ୍ୱର ପୀଠରେ ଦେହତ୍ୟାଗ କରିଥିଲେ l ତାଙ୍କୁ ମହାନଦୀ କୂଳରେ ରାୟ ରାମାନନ୍ଦଙ୍କ ସମାଧି ନିକଟରେ ଦାହ କରି ସମାଧି ନିର୍ମାଣ କରାଯାଇଥିଲା l କୁଳବୃଦ୍ଧ ମଧୁସୂଦନ ସେ ଦୁଇ ସମାଧି ସଂସ୍କାର କରାଇ ଥିଲେ l ହାୟ ରାସ୍ତାର ପ୍ରଶସ୍ତିକରଣ ଆଳରେ ସେ ଚିହ୍ନ ଆଜି ବିଲୁପ୍ତ l
କିଛି ଗବେଷକ ଐତିହାସିକ 1526 ଖ୍ରୀ. ର ମଙ୍ଗଳଗିରି ଉଣ୍ଡାବଲ୍ଲୀସ୍ଥିତ ଶିଳାଲିପି ଭିତ୍ତରେ
ପ୍ରମାଣ କରିବାକୁ ଚେଷ୍ଟା କରନ୍ତି ଯେ ଯଦିଓ 1520 ସନ୍ଧି ଅନୁସାରେ କୃଷ୍ଣା ନଦୀ ଓଡିଶା ବିଜୟନଗର ସୀମା ଥିଲା ତଥାପି ଗଜପତି ପରବର୍ତୀ ସମୟରେ କୃଷ୍ଣା ଅତିକ୍ରମ କରି ଅଞ୍ଚଳ ଅଧିକାର କରି ଥିଲେ l କିନ୍ତୁ ଏଥିରେ ବଳିଷ୍ଠତା ନାହିଁ କାରଣ ଉଣ୍ଡାବଲ୍ଲୀ ଗଜପତି ସାମ୍ରାଜ୍ୟ ଅଧୀନ ବିଜୟ ୱାଡା ଠାରୁ ମାତ୍ର ସାତ କିଲୋମିଟର ଦୂରରେ ଅବସ୍ଥିତ l ଆଉ ସେ ସମୟ କୃଷ୍ଣଦେବଙ୍କ ମାନସିକ ଦୁଶ୍ଚିନ୍ତା ଓ ବାହମାନୀ ଗୋଲକୁଣ୍ଡା ସହ ଦ୍ୱନ୍ଦ୍ୱର ସମୟ l
କିଛି କହନ୍ତି ଗଜପତି ବଙ୍ଗଳା ବିରୁଦ୍ଧରେ ଯୁଦ୍ଧ  ପ୍ରସ୍ତୁତି କଲାବେଳେ ଶ୍ରୀ ଚୈତନ୍ୟ ବାରଣ କରି ଯୁଦ୍ଧ ଅସାରତା ବିଷୟରେ ବୁଝେଇ ମନା କରୁଥିଲେ l କିନ୍ତୁ ଗଜପତି ପ୍ରତାପରୁଦ୍ର କଣ ମୂର୍ଖ ଥିଲେ ? ତାଙ୍କ ପରି ଦୂରଦର୍ଶୀ ରାଜା କଣ  ଏତିକି ବୁଝିପାରିବେ ନାହିଁ ଯେ ହୀନବଳ ହୋଇ ହୋଇ ସବଳ ଶତୃକୁ ଆକ୍ରମଣ କରିବା ଠିକ ନୁହେଁ l ପରାଜିତ ହୋଇଥିଲେ ଓଡିଶା ସେତେବେଳେ ହିଁ ଆଫଗାନ ଶାସନାଧୀନ ହୋଇ ଥାଆନ୍ତା l ଯଦି ପ୍ରତାପରୁଦ୍ର ଓ ଶ୍ରୀ ଚୈତନ୍ୟ ଓଡିଶାର ସାମରିକ ଶକ୍ତି ଧ୍ବଂସ କରି ଦେଲେ ତେବେ ତାପରେ ଗୋବିନ୍ଦ ବିଦ୍ୟାଧର ଓ ମୁକୁନ୍ଦ ଦେବ ପର୍ଯ୍ୟନ୍ତ କିପରି ସମ୍ଭାଳିଲେ?
1576 ରୁ 1739 ପର୍ଯ୍ୟନ୍ତ କ୍ଷୁଦ୍ର ଖୋର୍ଦ୍ଧା ରାଜ୍ୟ କିପରି ବାରମ୍ବାର ମୋଗଲ ଆକ୍ରମଣ ସମ୍ଭାଳି ରଖିଥିଲା ?
   କିଛି କହନ୍ତି ଯେ ଭବାନନ୍ଦ ଲକ୍ଷ ଲକ୍ଷ କାହାଣ କଉଡ଼ି ଆତ୍ମସାତ କରିଥିବାରୁ ଗଜପତି ପ୍ରତାପରୁଦ୍ର ତାଙ୍କୁ ପ୍ରାଣ ଦଣ୍ଡ ଦେଇଥିଲେ କିନ୍ତୁ ଶ୍ରୀ ଚୈତନ୍ୟଙ୍କ ହସ୍ତ କ୍ଷେପ ପରେ ତାଙ୍କୁ ପୁରସ୍କୃତ କରିଥିଲେ l ତେବେ ଗଜପତି ପ୍ରତାପ ରୁଦ୍ର ତ ପୁଣି ବିଶ୍ୱାସଘାତକ ରାଜଦ୍ରୋହୀ ଗୋବିନ୍ଦ ବିଦ୍ୟାଧରଙ୍କୁ କ୍ଷମା କରିଥିଲେ l
    ଗଜପତି ପ୍ରତାପରୁଦ୍ରଙ୍କ ସମୟ ଓଡ଼ିଆ ସାହିତ୍ୟ ଅତ୍ୟନ୍ତ ଶୁଭପ୍ରଦ ସୁସମୟ ଥିଲା l ଭାଗବତକାର ଜଗନ୍ନାଥ ଦାସ ପ୍ରୋତ୍ସାହନ ପାଇ ଓଡ଼ିଆ ନବାକ୍ଷରୀ ଭାଗବତ ରଚନା କରିଥିଲେ l ଅଚ୍ୟୁତାନନ୍ଦ, ଶିଶୁ ଅନନ୍ତ, ଦାଣ୍ଡି ରାମାୟଣକାର ବଳରାମ ଦାସ, ଯଶୋବନ୍ତ ଦାସ ପ୍ରମୁଖ ଓଡ଼ିଆ ସାହିତ୍ୟକୁ ପୁଷ୍କଳ କରି ଯାଇଛନ୍ତି l ଗଜପତି ନିଜେ ମଧ୍ୟ କୌତୁକ ଚିନ୍ତାମଣି, ସରସ୍ବତୀ ବିଳାସ ପରି ଗ୍ରନ୍ଥ ରଚନା କରିଛନ୍ତି l
    କାର୍ତ୍ତିକ ଶୁକ୍ଳ ଚତୁର୍ଥୀ ତିରୋଧାନ ଦିବସ, ମାଦଳା ପାଞ୍ଜି , 29 ଅକ୍ଟୋବର l ସେ ଉପଲକ୍ଷେ ଏ ମହାନ ଗଜପତିଙ୍କୁ ଶ୍ରଦ୍ଧାଞ୍ଜଳି l
(ଏହା ମୋର ବ୍ୟକ୍ତିଗତ ମତଯେ ତତ୍କାଳୀନ ଭାରତର ଦ୍ରୁତ ପରିବର୍ତ୍ତନଶୀଳ ରାଜନୀତି ଏବଂ ନିଜ ଉପରକୁ ମାଡ଼ି ଆସୁଥିବା ଅନାଗତ ବିପତ୍ତିକୁ ନା ଓଡ଼ିଶା ନା ବିଜୟନଗର କେହି ବି ସଠିକ ଆକଳନ କରିପାରି ନଥିଲେ l ନିଜ ନିଜ ଭିତରେ ଅଶି ବର୍ଷର ରକ୍ତକ୍ଷୟୀ ଯୁଦ୍ଧର ପରିଣାମ ଏହା ଯେ 1565 ରେ ବିଜୟନଗର ଓ 1568ରେ ଓଡ଼ିଶା ସାମ୍ରାଜ୍ୟ ତୁର୍କ-ଆଫଗାନ ଆକ୍ରମଣ ହେତୁ ଧ୍ବଂସ ପାଇଗଲେ 😥😥)

     ଉପସ୍ଥାପନା  : ଅମ୍ବିକା ପଟ୍ଟନାୟକ
ଚିତ୍ର କୃତଜ୍ଞତା - ଉଇକିପେଡ଼ିଆ ଓ ଶ୍ରୀମାନ ଦୀପକ କୁ. ନାୟକ  (ଗଜପତି ପ୍ରତାପରୁଦ୍ର )

Saturday, October 15, 2022

~: ସସେମିରା କଥା :~

●•ସସେମିରା କଥା•●  (ପୂର୍ଣ୍ଣଚନ୍ଦ୍ର ଭାଷାକୋଷ)

ଦିନେ ଭୋଜରାଜଙ୍କ ପୁତ୍ର ପାରିଧୀ କରିଵାକୁ ଯାଇଥିଲେ କିନ୍ତୁ ନଅରକୁ ଫେରି ନ ଆସି ରାତ୍ରହେଵାରୁ ନିଵିଡ଼ ଅରଣ୍ୟ ମଧ୍ୟରେ ଅଗତ୍ୟା ରହିଗଲେ ।

ରାତି ହୋଇଯିଵାରୁ ଜଙ୍ଗଲର ବିଭିନ୍ନ ହିଂସ୍ରଜନ୍ତୁଙ୍କ ଠାରୁ ରକ୍ଷା ପାଇଵା ହେତୁ ସେ ଏକ ଭାଲୁ ସହ ମିତ୍ରତା କଲେ । ରାଜପୁତ୍ର ଓ ଭାଲୁ ଦୁହେଁ ଗୋଟିଏ ଗଛ ଉପରେ ଚଢ଼ି ରାତ୍ରୀଯାପନ କଲେ । 

ରାତ୍ରୀର ପ୍ରଥମ ଅଂଶରେ ଭାଲୁ ତା ଗୋଡ଼କୁ ଲମ୍ଵେଇ ଗଛଡାଳରେ ବସିଲା ଓ ରାଜପୁତ୍ର ଭାଲୁର କୋଳରେ ସୁଖନିଦ୍ରା ଗଲେ । ଏହି ସମୟରେ ଗଛ ତଳକୁ ବାଘ ଆସି ଭାଲୁକୁ ଵିନତି କରି କହିଲା…

“ତୁ ଗୋଡ଼କୁ ଖସାଇ ଦେ;ରାଜପୁତ୍ର ତଳକୁ ପଡି଼ଗଲେ ମୁଁ ତାକୁ ଖାଇବି”

କିନ୍ତୁ ଭାଲୁ କହିଲା;

“ରାଜପୁତ୍ର ମୋର ମିତ୍ର,ମୁଁ ମିତ୍ରଦ୍ରୋହ କରିବି ନାହିଁ”

ଏହା ଶୁଣି ବାଘ ଫେରିଗଲା ହେଲେ ଗଲାବେଳେ କହିଗଲା

“ଆରେ ଦୁଇଗୋଡି଼ଆ(ମଣିଷ)ଙ୍କୁ ଭରସା ନାହିଁ”

ରାତ୍ରୀର ଶେଷାଂଶକୁ ରାଜପୁତ୍ର ଚେଇଁଵ ଓ ଭାଲୁ ଶୋଇଵ,ଏହିପରି କଥା ଆଗରୁ ଠିକ୍ ହୋଇଥିଵାରୁ ରାଜପୁତ୍ର ନିଦରୁ ଉଠି ଗଛ ଉପରେ ଗୋଡ଼ ଲମ୍ବାଇ ବସିଲା ଏଵଂ ଭାଲୁ ତା’ କୋଳରେ ଶୋଇଲା ।

କିନ୍ତୁ ବାଘର ପୂର୍ଵ କଥିତ ଉପଦେଶ ମନେରଖି ରାଜପୁତ୍ରର ଅଜ୍ଞାତସାରରେ ଆପଣା ନଖକୁ ଗଛ କୋରଡ଼ରେ ବିଦ୍ଧ କରିଦେଇଥାଏ ।

 ପାହାନ୍ତା ହେଲାବେଳକୁ ବାଘ ଆସି ରାଜାପୁଅକୁ କହିଲା

“ଆରେ ଭାଲୁ ଟା ହିଂସ୍ରଜନ୍ତୁ,ସେ ତୋତେ ଖାଇଯିଵ;ତୁ ଗୋଡ଼ ଛାଡି଼ ଦେ,ଭାଲୁ ଟା ଖସିପଡୁ଼,ମୁଁ ତାକୁ ଖାଇଯିବି !”

ରାଜାପୁଅ ଏକଥା ଶୁଣି ଗୋଡ଼ ଟା ଖସେଇ ଦେଲା ହେଲେ ଭାଲୁ ଆଗରୁ ଗଛ କୋରଡ଼ରେ ନଖ ବିଦ୍ଧ କରିଥିଵାରୁ ତଳେ ନପଡି଼ ଯାଇ ଅଳ୍ପକେ ଵର୍ତ୍ତିଗଲା ।

ସକାଳ ହେଲାରୁ ଭାଲୁ ରାଜପୁତ୍ର କୁ କହିଲା

“ତୁ ମିତ୍ରଦ୍ରୋହୀ ହେଲୁ କିନ୍ତୁ ମୁଁ ହେବି ନାହିଁ ସେଥିପାଇଁ ତୋତେ ପ୍ରାଣଦଣ୍ଡ ନଦେଇ ଛାଡ଼ି ଦେଉଛି”

ତହିଁପରେ ଭାଲୁ ରାଜପୁତ୍ର ଜିଭରେ ଚାରୋଟି ଅକ୍ଷର ଲେଖିଦେଲା

“ସ-ସେ-ମି-ରା”…

ତହୁଁ ରାଜପୁତ୍ର ପାଗଳ ହୋଇ ବୁଲିଲା…
ସେ ଖାଲି ସସେମିରା ସସେମିରା କହୁଥାଏ । 

କେତେଦିନ ପରେ ରାଜପୁତ୍ରର ସନ୍ଧାନ ପାଇ ଭୋଜରାଜ ତାକୁ ରାଜନଵରକୁ ଅଣାଇଲେ …

ହେଲେ ରାଜପୁତ୍ର ପ୍ରଗଳ୍ଭ ହୋଇଯାଇଥାଏ । ତାକୁ ଭଲ କରିଵା ପାଇଁ ବହୁଚେଷ୍ଟା କରି ଵିଫଳ ହେଲାରୁ ଶେଷରେ ରାଜା ଦେଶଯାକରେ ଘୋଷଣା କଲେ ଯେ କେହି ଯଦି ତାଙ୍କ ପୁତ୍ରକୁ ଭଲ କରିଦେଵ ତାକୁ ସେ ତାଙ୍କ ରାଜ୍ୟରୁ ଅର୍ଦ୍ଧେକ ଦେବେ…

ଏହାର ବହୁ ପୂର୍ଵରୁ ଭୋଜରାଜ ତାଙ୍କ ସ୍ତ୍ରୀଙ୍କର ଆବୃତ୍ତ ଅଙ୍ଗରେ ତିଳଚିହ୍ନ ଥିଵା ଵିଷୟକ କଥା କହିଥିଵାରୁ କାଳିଦାସଙ୍କୁ ସନ୍ଦେହ କରି ଭୋଜରାଜ ଦେଶାନ୍ତର ଦଣ୍ଡ ଦେଇଥିଲେ । କିନ୍ତୁ  ଭୋଜରାଜଙ୍କ ମନ୍ତ୍ରୀ ଗୁପ୍ତରେ ତାଙ୍କ ଗୃହରେ କାଳିଦାସଙ୍କୁ ଆଶ୍ରୟ ଦେଇଥାନ୍ତି…

ରାଜାଙ୍କ ପୁତ୍ର ଅସୁସ୍ଥ ହେଵା ତଥା ରାଜାଙ୍କ ଘୋଷଣା କଥା ଶୁଣି ମନ୍ତ୍ରୀଙ୍କୁ କାଳିଦାସ କହିଲେ ମୁଁ ନାରୀବେଶ ଧାରଣକରି ଆପଣଙ୍କ ସହିତ ନଅରକୁ ଯିବି ଆପଣ ରାଜାଙ୍କୁ କହିବେ ଏ ମୋର କନ୍ୟା ଏଵଂ ଇଏ ଆପଣଙ୍କ ପୁତ୍ର କୁ ଠିକ୍ କରିଦେଵ…

ତାହା ହିଁ ହେଲା …

ମନ୍ତ୍ରୀ ଜଣକ ସ୍ତ୍ରୀ ବେଶଧାରୀ ଅଵଗୁଣ୍ଠିତ କାଳିଦାସଙ୍କୁ ନେଇ ନଅର ପହଞ୍ଚିଲେ …

ରାଜା ସବୁ ଶୁଣି ଆଦେଶ ଦେଲାରୁ ଅଵଗୁଣ୍ଠିତ କାଳିଦାସ ରାଜପୁତ୍ର କାନରେ ‛ସସେମିରା’ର ଆଦ୍ୟ ଅକ୍ଷର ଵିଶିଷ୍ଟ ଚାରୋଟି ପୂର୍ଣ୍ଣାଵୟଵ ଶ୍ଳୋକ ବୋଲିଲେ ...

1.ସ→

●ସଦ୍ଭାବ ପ୍ରତିପନ୍ନାନାଂ ବଞ୍ଚନେ କା ଵିଦଗ୍ଧତା ।
ଅଙ୍କ ମାରୁହ୍ୟ ସୁପ୍ତାନାଂ ହନ୍ତୁଃ କିମ୍ ନାମ ପୌରୁଷମ୍ ।। ●

(ଯେଉଁ ମାନେ ଏକାନ୍ତ ଵିଶ୍ଵସ୍ତ,ସେମାନଙ୍କୁ ପ୍ରତାରଣା କରିଵା କି ପ୍ରକାରର ପାଣ୍ଡିତ୍ୟ ? ଯେଉଁ ମାନେ ଅଙ୍କକୁ ଆଶ୍ରୟ କରି ଶୋଇଥାଅନ୍ତି ତାଙ୍କୁ ମାରିଦେଲେ ହତ୍ୟାକାରୀର ପୌରୁଷ ପ୍ରକାଶ ପାଏ କି ?)

2.ସେ→
●ସେତୁଂଗତ୍ଵା ସମୁଦ୍ରସ୍ୟ ଗଙ୍ଗାସାଗରସଙ୍ଗମମ୍ ।
ବ୍ରହ୍ମହା ମୁଚ୍ୟତେ ପାପାତ୍ ମିତ୍ରଦ୍ରୋହୀ ନ ମୁଚ୍ୟତେ ।।●

(ସେତୁବନ୍ଧ ରାମେଶ୍ଵରକୁ ଗଲେ କି ଗଙ୍ଗା ସାଗରରେ ସ୍ନାନ କଲେ ବ୍ରହ୍ମହତ୍ୟା ପାପୀ ମୁକ୍ତ ହୋଇପାରେ କିନ୍ତୁ ମିତ୍ରଦ୍ରୋହୀ ମୁକ୍ତ ହୁଏ ନାହିଁ)

3.ମି→

●ମିତ୍ରଦ୍ରୋହୀ କୃତଘ୍ନଶ୍ଚ ଯେ ଚ ଵିଶ୍ଵାସଘାତକାଃ ।
ତେ ସର୍ଵେ ନରକଂ ଯାନ୍ତି ଯାଵଚ୍ଛନ୍ଦ୍ରଦିବାକରୌ ।।●

(ଯେଉଁମାନେ ମିତ୍ରଦ୍ରୋହୀ,କୃତଘ୍ନ ଓ ବିଶ୍ଵାସଘାତକ ସେମାନେ ସୂର୍ଯ୍ୟ ଚନ୍ଦ୍ର ଥିଲାଯାଏଁ ନରକଗାମୀ ହେଉଥିବେ)

4.ରା→
●ରାଜଂସ୍ତ୍ଵଂ ନିଜ ପୁତ୍ରସ୍ୟ ଯଦି କଲ୍ୟାଣମିଚ୍ଛସି ।
ଦେହି ଦାନଂ ଦ୍ବିଜାତିଭ୍ୟୋ ଦେଵତାରାଧନଂ କୁରୁ ।।●

(ହେ ରାଜନ୍ ଯେବେ ତୁମ୍ଭ ନିଜ ପୁତ୍ରର ମଙ୍ଗଳ ଇଛା କର ତେବେ (ମିତ୍ରଦ୍ରୋହୀ ପାପର ପ୍ରାୟଶ୍ଚିତ ସ୍ଵରୂପ)ବ୍ରାହ୍ମଣଙ୍କୁ ଦାନ ଦିଅ ଓ ଦେଵ ଆରାଧନା କର)

ରାଜପୁତ୍ର ,ସ୍ତ୍ରୀ ବେଶଧାରୀ କାଳିଦାସଙ୍କ ଠାରୁ ଚାରୋଟି ଅକ୍ଷରର ଚାବି ସ୍ଵରୂପ ଚାରୋଟି ଶ୍ଲୋକ ଶୁଣିଲା ମାତ୍ରକେ ତାହାର ବାତୁଳପଣ ଛାଡି଼ଗଲା । ତତ୍ ପରେ ସେ ଉକ୍ତ ଦିନ ଘଟିଥିଵା ଘଟଣାମାନ ଭୋଜରାଜଙ୍କୁ କହିବସିଲା…

ଭୋଜରାଜ ଏସବୁ ଶୁଣି ଆଶ୍ଚର୍ଯ୍ୟ ଚକିତ ହୋଇ ସ୍ତ୍ରୀ ବେଶଧାରୀ କାଳିଦାସଙ୍କୁ ଉପଲକ୍ଷ୍ୟ କରି ବୋଇଲେ

“ଗୃହେ ବସତି କୌମାରି ! ଅଟଵ୍ୟାଂ ନୈଵ ଗଚ୍ଛସିଋକ୍ଷଵ୍ୟାଘ୍ର ମନୁଷ୍ୟାଣାଂ କଥଂ ଜାନାସି ଭାଷିତଂ ।।

(ହେ କୁମାରୀ ! ତୁ ତ ଘରେ ରହୁ ଅଟଵ୍ୟା ଵା ଜଙ୍ଗଲ କୁ ଯାଉନାହିଁ ତେବେ ବାଘ ଭାଲୁ ମଣିଷ ମଧ୍ୟରେ ହୋଇଥିଵା କଥା ତୁ କେମନ୍ତେ ଜାଣିଲୁ?)

ଏ ଶ୍ଲୋକର ପ୍ରତ୍ୟୁତ୍ତରରେ ଅଵଗୁଣ୍ଠବାନ ସ୍ତ୍ରୀ ବେଶଧାରୀ କାଳିଦାସ କହିଲେ…

“ଦେଵଦ୍ବିଜ ପ୍ରସାଦେନ ଜିହ୍ଵାଗ୍ରେ ମେ ସରସ୍ଵତୀତେନାହଂ ନୃପ ! ଜାନାମି,ଭାନୁମତ୍ୟାସ୍ତିଳଂ ଯଥା ।।”

ଭୋଜରାଜା ଯେତେବେଳେ ଜାଣିଲେ ଯେ ସ୍ତ୍ରୀ ବେଶଧାରୀ ଵ୍ୟକ୍ତି ସ୍ବୟଂ କାଳିଦାସ ସେ ତାଙ୍କ ପ୍ରତି କରିଥିଵା ନିଜ ପୂର୍ଵ ଅନ୍ୟାୟ ପାଇଁ ପଶ୍ଚାତାପ କରିଵା ସହ କାଳିଦାସଙ୍କୁ କୃତଜ୍ଞତା ଜଣାଇ ବହୁ ରତ୍ନ ପ୍ରଦାନପୂର୍ଵକ ତାଙ୍କର ଭୁରି ଭୁରି ପ୍ରଶଂସା କରିଲେ |

   ତଥ୍ୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ 
ଉପସ୍ଥାପନାରେ ; ✍ ଶିଶିର ସାହୁ ମନୋଜ 


ଲୁହ

ଅଟକୁନି ଲୁହ  ବୋହି ଚାଲୁଛି ଅନବରତ ଆଖିବି ନିଜର କରି ରଖି ପାରୁନି  ଏ ଲୁହକୁ,,,, ବାସ୍ ଝରି ଯାଉଛି ଟୋପା ଟୋପା ହୋଇ! ମନର ବ୍ୟଥା  ହୃଦୟର କୋହ  ସତରେ ଭା...