Wednesday, December 30, 2020

ସମର୍ପଣ ( topic - 88 ଅହଙ୍କାର ) quote #quot


ଅହଂଙ୍କାର  - 88
********
ଧର୍ମପଥ ଛାଡ଼ି ଅଧର୍ମେ ଚାଲିଲ
      ସ୍ବାର୍ଥକୁ ସାରଥି କଲ 
ମନେ ଅହଂଙ୍କାର ଖୁନ୍ଦି ଖୁନ୍ଦି ରଖି
       ହୁଅନାହିଁ କଲବଲ 
ଧର୍ମପଥେ ପାଦ ଥାପ ବାଇମନ
    ଭେଲରୁ ହେଇଯା ଭଲ 
ଦସ୍ୟୁରୁ ବାଲ୍ମୀକି ହେଇଗଲେ ସିନା
      ଜଗତ କହିବ ଭଲ 
                - ରାଧା କୃଷ୍ଣ ବାୟକ

ଜାଳିଦିଅ ଗର୍ବ ଆତ୍ମ ଅହଙ୍କାର
       ଜାଳିଦିଅ ଭେଦଭାବ 
ଜାଳିଦିଅ ସ୍ବାର୍ଥ  ପ୍ରତି ହୃଦୟରୁ
       ଜଗାଇ ଜ୍ଞାନ ପ୍ରଦୀପ 
ଗୁଞ୍ଜରିତ କର ଓଁ କାର ଶବଦ୍ଦ
     ସନ୍ତାପିତ ହେଉ ପ୍ରାଣ  
ଗରିମା ବିନାଶି ମନ ସ୍ମରୁ ଶିବ 
        ଭକ୍ତିରସେ ହୁଅ ଲୀନ
          - ସନ୍ତୋଷ ପଟ୍ଟନାୟକ

ଅହଙ୍କାର ଭରା ମଣିଷ ଜୀବନ
     ତିଷ୍ଟେ ନାହିଁ ବେଶି ଦିନ 
ଅଳପ ଦିନରେ ପତନ ହୋଇ ସେ 
      ଭାଙ୍ଗିଦିଏ ତା' ସପନ 
ସୁଖଦ ଜୀବନେ ଯବନିକା ପଡ଼ି 
      ହାନି ହୁଏ ସନମାନ 
କାଳର କରାଳ ଚକ୍ରବ୍ୟୁହେ ଫସି
     ନଷ୍ଟ ହୁଏ ତା' ଜୀବନ l 
             - ରାମ ଚନ୍ଦ୍ର ପ୍ରଧାନ

ଅହଙ୍କାର ମନେ କୁହ ନାହିଁ କେବେ 
         କାହାକୁ କଟୁ ବଚନ
କାହା ମନେ କେବେ ଦିଅ ନାହିଁ କଷ୍ଟ
          ଦେଖାଇ ମିଛ ସପନ
ସମର୍ପଣ ଭାବ  ରଖ ସଦା ହୃଦେ 
          ଅହଙ୍କାର କରି ତ୍ଯାଗ 
ତେବେ ଯାଇ ପ୍ରଭୁ କୃପା ଯେ ଲଭିବ
        ପାଇବ ସଠିକ୍ ମାର୍ଗ
                 - ଜଗବନ୍ଧୁ ସାହୁ

ନୁହେଁ  ଅହଙ୍କାର ଅଙ୍ଗେ ଅଳଙ୍କାର
      ଫିଙ୍ଗି ଦିଅ ବହୁଦୂରେ
 ତ୍ରେତୟାର କଥା ନୁହଁଇ ଅନ୍ୟଥା
       ଭଷ୍ମିଭୂତ ଲଙ୍କାପୁରେ
ଦ୍ବାପରରେ କ୍ଷତ ବଉଁଶ ନିପାତ
       ମାନି ଦୁର୍ଯ୍ଯଧନ ଜଣେ
ଅହଙ୍କାରେ କେହି ନୁହଁ କାଳଜୟୀ
       ପୁରୁଣା ଠାରୁ ପୁରାଣେ
               - ଦାଶରଥି ସାହୁ

ରହିନାହିଁ କେହି ହୋଇ ଚିରସ୍ଥାୟୀ 
     ନେଇନି ସମ୍ପତ୍ତି କେହି 
ମଶାଣି ଭୂମିରେ ଜଳିଗଲା ପରେ 
      ମିଳେ କି ମଣିଷ ଛାଇ 
ତେଜ ଅହଙ୍କାର ମିଳିବ ସନ୍ତୋଷ 
     କୁହ ହେ ମିଷ୍ଟ ବଚନ
ଦୁନିଆଁରେ ସଦା ରହିବ ଜୀବିତ 
      ଛୁଟି ଗଲା ପରେ ପ୍ରାଣ 
                  - ଟୁକୁନା ସାହୁ

ମିଥ୍ୟା ଅହଙ୍କାର ଅହମିକା ବଳେ
      ସୁନାମ ରଚିନି କେହି 
ବିଶ୍ୱ ବ୍ରହ୍ମାଣ୍ଡରେ ଜ୍ଞାନୀ ଗୁଣି ମଧ୍ୟେ 
       ଅହଙ୍କାରୀ ସ୍ଥାନ ନାହିଁ 
ମାନବ ଜୀବନ ସାକାର ହୋଇବ
       ମନୁ ତେଜ ଅହଂଭାଵ 
ଜନ ମାନସରେ ସ୍ନେହ ପ୍ରେମ ବାଣ୍ଟି 
         ଇତିହାସ ରଚି ଯିବ 
               - ପ୍ରବୀର ମଲ୍ଲିକ 

ଅହଂଭାବେ କିଏ ଅନ୍ଧହୁଅ ନାହିଁ
     ଅମଣିଷ ଯିବ ହୋଇ
ଅଯଥାରେ ତୁମ ଅନର୍ଥ ଘଟିବ
     ଅପଯଶ ମୁଣ୍ତେ ବୋହି
ଅଙ୍ଗଥାଇ ମଧ୍ୟ ଅପାଳଙ୍ଗ ହେବ
     ଅଧିକାର ହାତୁ ଯାଇ
ଅଶାନ୍ତ ମୁଲାଇ  ଅର୍ଜିବ କଳଙ୍କ
      ଅପମାନ ନିନ୍ଦା ପାଇ
                - ରବିନ୍ଦ୍ର ସାହୁ

Monday, December 28, 2020

⚘ ବିଷମୟ ପ୍ରିତୀ ⚘



             #ବିଷମୟ_ପ୍ରୀତି 
              ~~~¤~~~  ✍ ସନ୍ତୋଷ ପଟ୍ଟନାୟକ ।

ଫଗୁଣର ଫୁଲ           ଗାଇଲାନି ଗୀତ 
         ଛବିପରେ ନାଚେ ସ୍ମୃତି 
 ପାଖୁଡାଏ ପଦ୍ୟ         ପାଇବା ପାଇଁକି
          ନିଦହୀନେ ପାହେ ରାତି....

ପାଶ୍ଚାତ୍ୟ ପାହୁଣ୍ଡେ        ହଜିଲାକି ଚୈତ !
            ନାଇଁ ସଂସ୍କୃତି ପସରା 
 ଗୋଖର ଗରଳ          ପରାୟେ ଗରମ
            ଢାଳେ କିଏ ଗରା ଗରା....

ଖରାକୁ ଖତେଇ            ହୁଏ କୃଷ୍ଣଚୂଡା 
           ବେଖାତିରୀ କରି ତାତି 
 ରସିକ ପଣଟା           ହୃଦୟେ ରହିଛି 
           ବିଷମୟ କିନ୍ତୁ  ପ୍ରୀତି.....

ପରସ୍ତ ପରସ୍ତ              ପ୍ରସ୍ତୁତିର ପର୍ବ 
         ସତେକି ଗଲାଣି ସରି
ପଣା ସଙ୍କରାନ୍ତି          ଅକ୍ଷୀତୃତୀୟାକୁ 
        ଓଡିଆ ପାରୁନି ବାରି....

କାଳ ବଇଶାଖି           ପରାୟେ ଦୁର୍ଦ୍ଦିନ  
           ସତେକି ଆସିଛି ମାଡି 
 ସରସୀର ଜଳୁ          ହଜିଲାଣି ଧିରେ 
            କଇଁ  ପଦୁଅଁର କଢି.....

               ସମୟ ଚକ୍ରକୁ ଧରି 
ଗ୍ରୀଷମ ତା'ବାଟେ          ବାଟ ଭାଙ୍ଗିଯିବ
               ବରଷା ଆସିବ ଝରି.....
  ~~~~~~~~~~♧~~~~~~~~~
✍  ସନ୍ତୋଷ ପଟ୍ଟନାୟକ , ଗଞ୍ଜାମ  ।

● ପୂଜନୀୟେଷୁ ●

#ପୂଜନୀୟେଷୁ               ✍© ଅମୃତେଶ ଖଟୁଆ

             "ଅଖିଳ ବ୍ରହ୍ମାଣ୍ଡପତି   ମୋ ଜୀବନ ସ୍ଵାମୀ
              ହେ ପରମ ପିତାମାତା ପ୍ରଭୁ ଅନ୍ତର୍ଯ୍ୟାମୀ
                         ଧନ୍ୟ କରୁଣା ତୋହର
              ହେ କରୁଣାସିନ୍ଧୁ , କାହିଁ ତାର ପଟାନ୍ତର ।
              

              ବ୍ରହ୍ମାଣ୍ଡର ଆଦିମୂଳ     ନିଖିଳ ବିଧାତା,
              ସକଳ କଳୁଷ ହାରୀ ହେ ମଙ୍ଗଳଦାତା
                       ତୋର ମଙ୍ଗଳ ସଙ୍ଗୀତ
              ନିଖିଳ ଭୁବନ ଗାଏ ହୋଇ ବିମୋହିତ। "      
              
             (ଛାନ୍ଦମାଳା, ଦ୍ଵିତୀୟ ଖଣ୍ଡ, ରଚନା -ସ୍ତବ)

                               ପରମ୍ପରାର ବିଶ୍ଵସ୍ତ ଅନୁସରଣ ସଙ୍ଗେ ଆଧୁନିକ ଯୁଗରେ ସେ ଥିଲେ ଏକ ଋଷିପ୍ରତିମ ଆଦର୍ଶ । କହିବାକୁ ଗଲେ ଓଡିଆ ଜାତିର ଆତ୍ମାରେ ନିରଳସ ଆତ୍ମୀୟତାର ସ୍ଵର ସହ ଆଧ୍ୟାତ୍ମିକ ଜୀବନର ତୃଣମୂଳ ସ୍ତରରୁ ନିର୍ମଳ ଚେତନାକୁ ସେ ନିଜ ସର୍ଜନାକାଳରେ ଦେଇଛନ୍ତି ଅଭାବିତପୂର୍ବ ଅଭିବ୍ୟକ୍ତି । ଓଡିଆ ଆଧୁନିକ ସାହିତ୍ୟରେ ଛୋଟ ଛୋଟ ବାଳୁତମାନଙ୍କଠୁ ନେଇ ଆଜି ଆବାଳବୃଦ୍ଧବନିତାଙ୍କ କଣ୍ଠରେ ତାଙ୍କର ପରମ ପବିତ୍ର ଗୀତିକା ବି ମୁଗ୍ଧ ଶାଶ୍ଵତ ଜୀବନର ପ୍ରକୃଷ୍ଟ ବ୍ୟଞ୍ଜନା କରେ । 

                              ଓଡିଆ ମାଟିର ଯେଉଁ କୌଣସି ପ୍ରାନ୍ତରେ ଅଥବା ଆଗତ ସାୟାହ୍ନର ବିଜନତାକୁ ସମ୍ଭ୍ରମ କରୁଥିବା ତାଙ୍କ ସେ ଗୀତି ଯେତେବେଳେ କର୍ଣ୍ଣପୁଟରେ ପଦପାତ କରେ, ମନେହୁଏ ସେ ସଞ୍ଜ ଆଲୋକର ନିଷ୍ପ୍ରଭ ଆଢୁଆଳରେ ବସି ଏକାନ୍ତ ତମସା ଆଜି ନୀରବତାକୁ ନିଜର ତପସ୍ଯା ମନେ କରି ନିଶ୍ଚଳ ପଡିଯାଏ ଏବଂ ସମସ୍ତ ବିଷାଦର ଆଳ୍ପନାରୁ ବିମୁକ୍ତିର ଆସ୍ଵାଦନ ଚାହୁଁଥିବା ମଣିଷ ଏହି ଉଦାରବାଣୀ କୁ ନିଜର ମାତୃପ୍ରତିମ ଅଙ୍କଶାୟିନୀ କରେ । ଏ ମହାନୁଭବତାର ଅବଧାନ #ଭକ୍ତକବି #ମଧୁସୂଦନ #ରାଓ !

                            
                            ଆଧୁନିକ ଓଡିଆ ସାହିତ୍ୟର ଏହି ଅସପତ୍ନ ସ୍ରଷ୍ଟାଙ୍କ ଜନ୍ମ ବ୍ରାତ୍ୟ ମରହଟ୍ଟା ପରିବାରରେ । ଅଷ୍ଟାଦଶ ଶତାବ୍ଦୀ ଓ ଏହା ପୂର୍ବରୁ (ବ୍ରିଟିଶଙ୍କ ଆଗମନ ପୂର୍ବରୁ ମଧ୍ୟ) ବ୍ରାତ୍ୟ ମରହଟ୍ଟା କ୍ଷତ୍ରିୟକୁଳ ମାନେ ଉତ୍କଳମାଟିରେ ବସତି ସ୍ଥାପନା କରିଥିଲେ। ଏ ମଧ୍ୟରେ ଥିଲେ ମଧୁସୂଦନଙ୍କ ପିତାମହ ସଦାଶିବ ରାଓ । ଆଉ ସଦାଶିବ ରାଓଙ୍କ ଏକମାତ୍ର ପୁତ୍ର ଥିଲେ ଭାଗୀରଥି ରାଓ । ଭାଗୀରଥି ରାଓ ସ୍ବଳ୍ପ ଶିକ୍ଷା ପରେ ପୋଲିସ୍ କାର୍ଯ୍ଯରେ ନିଯୁକ୍ତି ପାଇଥିବା ସହ ତାଙ୍କ ସହଧର୍ମିଣୀ ଅମ୍ବିକା ଦେବୀ ଥିଲେ ସର୍ବଗୁଣସମ୍ପନ୍ନା ତଥା ଶ୍ରଦ୍ଧାଶୀଳା। ସବୁ ଥାଇ ହେଲେ ତାଙ୍କ କୋଳରେ ନଥିଲା ମାତୃତ୍ଵର ସେ ସୌଭାଗ୍ୟ ।
                            

                       ଆଉ ସେ ସମୟ ହେଉଛି ୧୮୫୩। ଶ୍ରୀପଞ୍ଚମୀ ତିଥି । ଜାନୁଆରୀ ୨୯ ତାରିଖ । ପୁଣ୍ୟ ପୁରୁଷୋତ୍ତମ କ୍ଷେତ୍ର ପୁରୀ ଠାରେ ପିତା ଭାଗୀରଥି ରାଓ ଓ ମାତା ଅମ୍ବିକା ଦେବୀଙ୍କ ଅଙ୍କ ମଣ୍ଡନ କରିଥିଲେ ମଧୁସୂଦନ ରାଓ । କିନ୍ତୁ ଅନୁଜ ଜଗନ୍ନାଥ ରାଓଙ୍କ ଜନ୍ମ ପରବର୍ତ୍ତୀ ସମୟରେ ମାତା ଇହଲୀଳା ସମ୍ବରଣ କରିଛନ୍ତି । ଫଳତଃ , ଯେଉଁ ସୌଭାଗ୍ୟ ପାଇଁ ମାତୃକୋଳ ସତତ ବ୍ୟାକୁଳ ହୁଏ ଓ ପୁତ୍ର ଯେଉଁଠି ନିର୍ବିକଳ୍ପ ସୁଖର ଆଶ୍ରା ହୁଏ ,ସେହି ଅମୂଲ୍ୟ ସୁଖରୁ ବଞ୍ଚିତ ହୋଇଥିଲେ ମଧୁସୂଦନ ରାଓ । ଆଉ ତାଙ୍କ ଭରଣ ପୋଷଣ କରିଥିଲେ ପିତା ଭାଗୀରଥି ।

                                
                           ମଧୁସୂଦନଙ୍କ ଜନ୍ମ ଯେଉଁ ତିଥିରେ ହେଇଛି, ତାହାର ସାର୍ଥକତା ଯେ ତାଙ୍କରି ଜୀବନ ନାଟିକାରୁ ହିଁ ଉପହୃତ ଓ   ଏହିପରି ସାର୍ଥକତା କେବଳ ତିଥିଦର୍ଶନର ନୁହେଁ- ଗୋଟିଏ  ଋଷିପ୍ରତିମ ପାଥେୟ ରୂପେ ସମଗ୍ର ଜୀବନ ବାଣୀ-ନିରାଜନାରେ ଯେ କିପରି ନିୟୋଜିତ କରାଯାଇପାରେ ତାହା ତାଙ୍କଠାରେ ଓ ତାଙ୍କ ସାରସ୍ଵତ ପରିପାଟୀ ମଧ୍ୟରେ ବେଶ୍ ପରିପୂର୍ଣ୍ଣ ହୋଇ ଫୁଟି ଉଠିଥାଏ । ନୀତି, ପ୍ରୀତି , ଉଦାର ତଥା ଜଣେ ଆବେଗବାହୀ ଓଡିଆର ପୁଲକୋଚ୍ଛଳ ପ୍ରବାହରେ ଓଡିଆ ମାଟି ଆଜି ବି ତଦନୁରୂପ ଗୌରବମୟ , ତାହା ସତତ ଅନସ୍ଵୀକାର୍ଯ୍ୟ ।

                              
                            ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପରେ ଭାଗୀରଥି ରାଓ ତତ୍କାଳୀନ ଦାରୋଗାଙ୍କ ଅଧୀନରେ କାର୍ଯ୍ୟ ବହନ କରୁଥିଲେ । ସେ ଏକଦା ରାତିରେ ନିଜ ପତ୍ନୀଙ୍କର ଏକ ଅଦ୍ଭୁତ ସ୍ବପ୍ନ ଦେଖି ଜାଣି ପାରିଲେ ଇହଲୀଳା ସମ୍ଵରଣ ପୂର୍ବରୁ ତାଙ୍କ ପତ୍ନୀ ଅମ୍ବିକା ଦେବୀଙ୍କୁ ସେ ଯାହା ପଣ କରିଥିଲେ, ପୁତ୍ରବତ୍ସଳ ଭାଗୀରଥି ତାହା ଅବଶ୍ୟ ସମ୍ପାଦନ କରିବେ ― ଏଥର ନିଜ ପ୍ରାଣପିତୁଳା ଦୁଇଙ୍କୁ ବାଞ୍ଛିତ ମାତୃହୃଦୟ ଯତ୍ନରେ ପରିପାଳନ କରିବେ । ଏଣୁ ଦୁଇପୁତ୍ରଙ୍କୁ ଗୋପରେ ଅବସ୍ଥାନ କରିବାକୁ ହୁଏ ଓ ଏକ ସ୍ଥାନୀୟ ଚାଟଶାଳୀରେ ମଧୁସୂଦନ ସପ୍ତମ ବର୍ଷରେ ବିଦ୍ଯାରମ୍ଭ କରିଲେ । 
                            

                         କାବ୍ୟତୀର୍ଥ ବାଣୀଭୂଷଣ ତଥା ମଧୁସୂଦନଙ୍କ ଶିକ୍ଷା ଜୀବନର ଅନ୍ୟତମ ସଫଳପ୍ରସୂ ଶିଷ୍ୟ, ପଣ୍ଡିତ ମୃତ୍ୟୁଞ୍ଜୟ ରଥ ଭକ୍ତକବିଙ୍କୁ ଉତ୍ସର୍ଗୀକୃତ "ବ୍ରହ୍ମଜ୍ଞ ମଧୁସୂଦନ" ରେ ବର୍ଣ୍ଣନା କରନ୍ତି - "ମଧୁସୂଦନ ଗୋଟିଏ ବଡ଼ କୁଟୁମ୍ବର ନେତା ଥିଲେ । ଏକେ ତ ସେ ବିଭୁପ୍ରସାଦରୁ ଚତୁଃବର୍ଗ ଫଳପ୍ରାପ୍ତି ସ୍ଵରୂପ ଚାରିପୁତ୍ର ଓ ଚାରି କନ୍ୟା ଲାଭ କରିଥିଲେ, ସେମାନଙ୍କ ଛଡ଼ା ଅନ୍ୟ କୁଟୁମ୍ବଙ୍କ ମଧ୍ୟରୁ ଅର୍ଥାତ୍ ଆତ୍ମୀୟ ଜ୍ଞାତିବର୍ଗ ମଧ୍ୟରୁ କେହି କେହି ମଧ୍ୟ ତାଙ୍କରି ଆଶ୍ରୟ ପାଇ ମନୁଷ୍ୟତା ଅର୍ଜନ କରୁଥିଲେ । " ଏକକ ଭାବେ ସେ ପାରିବାରିକ ସମନ୍ଵୟ, ଦିବ୍ୟ ରସାନୁଭୂତି ସହ ନୀତିବାଦିତାରେ ଜଣେ ସ୍ଵତନ୍ତ୍ର ବ୍ୟକ୍ତିତ୍ଵ ।

                           ସ୍ଥାନୀୟ ଚାଟଶାଳୀରେ ଶିକ୍ଷାଲାଭର ବର୍ଷକ ପରେ ପିତାଙ୍କ ଭୁବନେଶ୍ୱର ସ୍ଥାନାନ୍ତର ହୁଏ । ଆଉ ଭୁବନେଶ୍ୱର ଆସିବା ଅନ୍ତେ ତାଙ୍କର ଶିକ୍ଷାଗତ ଜୀବନରେ ପ୍ରତିଭା ପରିସ୍ଫୁଟ ହୁଏ । କାରଣ ଭୁବନେଶ୍ୱରରେ ମଧ୍ୟ ଭର୍ଣ୍ଣାକୁଲାର ସ୍କୁଲରେ ଇଂରେଜ ମାନଙ୍କ ପ୍ରବର୍ତ୍ତିତ ନୂତନ ଶିକ୍ଷା ବ୍ୟବସ୍ଥାରୁ ନିଜ ମେଧା, ସୁଶୀଳତା ଓ ଦାୟିତ୍ଵବୋଧ ଦ୍ଵାରା ସେଠାକାର ଛାତ୍ର ଓ ଶିକ୍ଷକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀହରି ଭଟ୍ଟାଚାର୍ଯ୍ୟ ବହୁତ ପ୍ରଶଂସା କରି ମଧୁସୂଦନଙ୍କ ଜ୍ଞାନ ଓ ପ୍ରତିଭାରେ ଅଭିଭୂତ ହୋଇ ପଡିଥିଲେ । ଆଉ ନିଜ ଜ୍ଞାନର ସଦୁପଯୋଗ ଫଳତଃ ଅଧ୍ୟକ୍ଷଙ୍କ ସଦଭିପ୍ରାୟ ଦ୍ବାରା ମଧୁସୂଦନ ପୁରୀ ଜିଲ୍ଲା ସ୍କୁଲରେ ପାଞ୍ଚ ବର୍ଷ ପାଇଁ ବିନା ଦେୟରେ ପଢିଥିଲେ।  
                           

                               ସେତେବେଳକୁ ନଅବର୍ଷର ମଧୁସୂଦନ।  କସ୍ତୁରୀର ସୁବାସ ପରି ତାଙ୍କର ପ୍ରତିଭାରୂପକ ଗନ୍ଧାବହର ସ୍ଫୁରଣ ଏହିଠାରୁ ଘଟିଛି । ସହାଧ୍ୟାୟୀମାନଙ୍କ ସମ୍ମୁଖରେ ମଧ୍ୟ ସେ ଅବାଧରେ କୋଳାହଳ ସତ୍ତ୍ୱେ ଅଧ୍ୟୟନ କରୁଥିଲେ। ଏପରିକି ପାଠ ପଢାର ପିପାସାରେ ପ୍ରଗାଢ଼ ଅଭିନିବେଶ ଦ୍ଵାରା ଶ୍ରେଣୀରେ ସଦା ପ୍ରଥମ ହେଉଥିଲେ । ଏପରିକି ସମସ୍ତ ମେଧାର ପରିଚିତି ଦ୍ଵାରା ସ୍କୁଲରେ ସେ ପୁରସ୍କାରଦାତା ତଦାନୀନ୍ତନ ଗୁଣଗ୍ରାହୀ ମାଜିଷ୍ଟ୍ରେଟଙ୍କୁ ମଧ୍ୟ ଚକିତ କରିଦେଇଥିଲେ । ଆଉ ମେଧାବୀ ହେବାର ଫଳଶ୍ରୁତି ସ୍ଵରୂପ ସେ "ଡବଲ୍ ପ୍ରମୋଶନ" ପାଇଥିଲେ । ହେଲେ ଏହି ସମୟରେ ମଧୁସୂଦନଙ୍କ ସହ ଘଟିଲା ଏକ ଦୁର୍ଭାଗ୍ୟଜନକ ଘଟଣା । 

                              ୧୮୭୦ ମସିହା । ମଧୁସୂଦନଙ୍କୁ ତାଙ୍କ ମେଧାର ସନନ୍ଦ ସ୍ଵରୂପ ପଦକ ପ୍ରଦାନ କାଳରେ ଜଣେ ହୀନମତି ଛାତ୍ର ଅସୂୟା ପରବଶ ହୋଇ ସ୍କୁଲରେ ନିଆଁ ଲଗାଇ ଦିଏ , ଯାହା ଫଳରେ ସେତେବେଳେ ପ୍ରବେଶିକା ପରୀକ୍ଷା ଦେବାରୁ ବଞ୍ଚିତ ହୁଅନ୍ତି ମଧୁସୂଦନ । ଆଉ ସେତେବେଳେ ରୋମହର୍ଷଣ ଦୁର୍ଭିକ୍ଷ ନିପୀଡିତ ଦରିଦ୍ର ଓ ନିଷ୍ପେସିତଙ୍କ କରୁଣ ଅବସ୍ଥା ଦ୍ଵାରା ପ୍ରଭାବିତ ହୋଇ ସେ ଅନୁଭବ କରିପାରିଲେ ଯେ ଏହା ହିଁ ତାଙ୍କ ଜୀବନର ପ୍ରକୃଷ୍ଟ ଅନୁକୂଳ ଧର୍ମ । ଜଣେ ମେଧାବୀ ଛାତ୍ର ଭାବରେ ସେତେ ବେଳେ ସେ ଦରିଦ୍ରମାନଙ୍କୁ ସହୃଦୟତାର ସହ ଯେଉଁ ସେବା କରିଥିଲେ , ତା ପରଠୁ ତାଙ୍କ ଭିତରେ ଏକ ଅଭୂତପୂର୍ବ ପରିବର୍ତ୍ତନ ଘଟେ । 

                          ଆଉ ଏହି ସମସ୍ତ ଘଟଣା ପରଠୁ ତାଙ୍କ ଭିତରେ 'ଜୀବେ ଦୟା' ର ଭାବନା ଉଦ୍ରେକ ହୁଏ ଆଉ ମାଂସ ଭକ୍ଷଣ ତ୍ୟାଗ କରନ୍ତି ଚତୁର୍ଦ୍ଦଶ ବର୍ଷୀୟ ମଧୁସୂଦନ । ଗୁଣାଗାର ସତତ ଉଦାର କବିବର ରାଧାନାଥ ଜିଲ୍ଲା ସ୍କୁଲ ପରିଦର୍ଶନ ସମୟରେ ତରୁଣ ମଧୁସୂଦନଙ୍କ ଏକାଗ୍ର ନିଷ୍ଠା ଓ ଅଧ୍ୟବସାୟର ପ୍ରଥମ ଅବଗାହନ ଫଳରେ ହିଁ ତାଙ୍କର ସମସ୍ତ ବିଷୟ ପ୍ରତି ତୀକ୍ଷ୍ଣ ଦୃଷ୍ଟିପାତ କରୁଥିଲେ । ଏପରିକି ଜ୍ଵର ପୀଡାଗ୍ରସ୍ତ ମଧୁସୂଦନଙ୍କୁ ରାଧାନାଥଙ୍କ ଶିକ୍ଷାରେ ସହୃଦୟ ସହଯୋଗ ସହ ଦୈନନ୍ଦିନ ପୁରୀର ସୁଷମାରେ ଭ୍ରମଣ ଓ ପଣ୍ଡିତ ମାନଙ୍କ ଗହଣରେ ଜ୍ଞାନ ଚର୍ଚ୍ଚା ତାଙ୍କ ଭିତରେ ଏକ ଅଦ୍ଭୁତ ସାହିତ୍ଯ ଅନୁରାଗ ଜାତ କରାଏ । 

                            
                                 

                         ବାଳକସୁଲଭ ଅନ୍ୟ ସମସ୍ତ ଆସକ୍ତି ଓ ଚିତ୍ତ ବିନୋଦନ ଜନିତ ଆକର୍ଷଣକୁ ତ୍ୟାଗ କରି ସଦା କର୍ତ୍ତବ୍ୟରେ ହିଁ ମୁଖର ରହିବା ତାଙ୍କର ବ୍ୟକ୍ତିତ୍ଵ ଓ ପ୍ରତିଭାର ପରିଚାୟକ ଥିଲା । ଆଉ ତାରୁଣ୍ୟରେ ଘଟୁଥିବା ବିଷାଦପ୍ରବଣତା ଓ ଗାମ୍ଭୀର୍ଯ୍ୟ ତାଙ୍କ ଓଜସ୍ଵୀ ଓ ତେଜସ୍ଵୀ ଦୃଷ୍ଟିଭଙ୍ଗୀ ସମ୍ମୁଖରେ ବୁଦବୁଦ ଜଳୀୟ ବାଷ୍ପ ସମାନ କ୍ଷଣପ୍ରଭ ଥିଲା । ଆଉ ନିଜ ଜୀବନରେ ଯେତେ ଦୁଃଖ ଓ ଦୀନତାର ସେ ସମ୍ମୁଖୀନ ହୋଇଛନ୍ତି ତାହା ନିକଟରେ ନିଜର ସେ ସହଜାତ କୋମଳତା ,ଉଦାରତା ଓ ଆଶାବାଦିତାକୁ କସ୍ମିନ୍ କାଳେ ତ୍ୟାଗ କରିନଥିଲେ । 
                         

                          ମଧୁସୂଦନଙ୍କ ଏହି ଜୀବନବୋଧ ହିଁ ତାଙ୍କୁ ଓଡିଆ ଜାତି ଓ ଅସ୍ମିତାର ନିର୍ମଳ ସତ୍ତାର ଉଦ୍ଭାବନରେ ବିଶେଷ ଭୂମିକା ନିର୍ବାହ କରିଥିଲା । ଏହି ସମୟରେ ତାଙ୍କର ସହପାଠୀ ଦ୍ଵୟ ଥିଲେ ଯୁଗଜନ୍ମା ପ୍ୟାରୀମୋହନ ଆଚାର୍ଯ୍ୟ ଏବଂ ପଣ୍ଡିତ ହରିହର ଦାସ । ଓଡିଆ ଜାତିର ଶିକ୍ଷା, ସାହିତ୍ୟ ଏବଂ ତା ସହ ସମାଜ ସଂସ୍କାର - ଏହି ତିନୋଟି ମୁଖ୍ୟ ଦିଗରେ ତାଙ୍କ ଆଦର୍ଶବାଦ ହିଁ ମଧୁସୂଦନ ଓ ପ୍ୟାରୀମୋହନଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନା କରିଥାଏ । ପ୍ୟାରୀମୋହନଙ୍କ ସମଧିକ କର୍ମତତ୍ପରତା ସହ ବରେଣ୍ୟ ସହଯୋଗୀ ଓ ପରମ ଆତ୍ମୀୟ ରୂପେ ମଧୁସୂଦନ ମଧ୍ୟ ଏହି ବିପ୍ଳବୀସୁଲଭ ଆଦର୍ଶରେ ଉଦବୁଦ୍ଧ ହୋଇଥିଲେ । 

                           ୧୮୬୯ ମସିହାରେ ଜିଲ୍ଲା ସ୍କୁଲରୁ ଉତ୍ତୀର୍ଣ୍ଣ ହେବା ପରେ ସେ ପ୍ରବେଶିକା ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ କଟକ ହାଇସ୍କୁଲ ସଂଲଗ୍ନ ଏଫ୍.ଏ. ଶ୍ରେଣୀରେ ନାମ ଲେଖାଇଥିଲେ । ଆଉ ସେତେବେଳେ ଉଦାର, ଗୁଣୀ ଶିକ୍ଷକଙ୍କ ସହ ଉନ୍ନତ ରୁଚିର ସହପାଠୀ ମାନଙ୍କ ଗହଣରେ ନିଜର ମହାବିଦ୍ୟାଳୟ ଜୀବନ ଅଗ୍ରଗତି କରେଇଥିଲେ । ଆଉ ତଦାନୀନ୍ତନ ଉଚ୍ଚରୁଚିସମ୍ପନ୍ନ ଅଧ୍ୟାପନା ସହ ଛାତ୍ରମାନଙ୍କ ମଧ୍ୟରେ ଜିଜ୍ଞାସା ଉଦ୍ରେକକାରୀ ଶିକ୍ଷା ର ସ୍ଵରୂପ ମଧୁସୂଦନଙ୍କୁ ମଧ୍ୟ ଅନେକତ୍ର ପ୍ରଭାବିତ କରିଥିଲା।  
                           

                           

                   ଏଥି ସହ ତଦାନୀନ୍ତନ ଦର୍ଶନ ଅଧ୍ୟାପକ ହରନାଥ ଭଟ୍ଟାଚାର୍ଯ୍ୟଙ୍କ ପ୍ରଭାବଶାଳୀ ବ୍ୟକ୍ତିତ୍ଵ , ସୁଶିକ୍ଷା ସହ ବ୍ରାହ୍ମ ଧର୍ମ ପ୍ରତି ନିବିଡ଼ତା ମଧୁସୂଦନଙ୍କ ମଧ୍ୟରେ ନୂତନ ଦିଗନ୍ତର ଉନ୍ମୋଚନ କରେ । ହରନାଥଙ୍କ ଦାର୍ଶନିକ ଉପଦେଶ ପ୍ରତ୍ୟେକ ସନ୍ନିବିଷ୍ଟ ଛାତ୍ରଙ୍କ ଊର୍ବରଭୂମି ସ୍ଵରୂପ ହୃଦୟରେ ରୋପିତ ବୀଜ ପରି ଅଙ୍କୁରିତ ହୋଇଥାଏ।  ଆଉ ଏହି ସମୟରେ ମଧୁସୂଦନଙ୍କ ବ୍ରାହ୍ମ ଧର୍ମ ପ୍ରତି ଅନୁରକ୍ତି ସହ ସମାଜ ଓ ଆଧ୍ୟାତ୍ମିକତାର ବିକାଶ - ଏଇ ଦୁଇଟିର ଆବେଦନ ତାଙ୍କ ମଧ୍ୟରେ ସମଭାବରେ ଶକ୍ତିଶାଳୀ ଥିଲା ।

                          କଟକରେ ପ୍ରତିଷ୍ଠିତ ବ୍ରହ୍ମୋପାସନା ସମାଜକୁ ନିତ୍ୟ ଯାଆନ୍ତି ତରୁଣ ମଧୁସୂଦନ। ସେଠାରେ ସେ ସଭ୍ୟ ସ୍ଵରୂପ ଯୋଗ ଦେଉଥିଲେ ହେଁ ଦେବେନ୍ଦ୍ରନାଥ ଠାକୁରଙ୍କ ଉଷନିଷଦୀୟ ବ୍ୟାଖ୍ୟା ଓ ଆଲୋଚନା ତାଙ୍କୁ ଆକୃଷ୍ଟ କରେ । ଅଧ୍ଯାପକ ହରନାଥ ଭଟ୍ଟାଚାର୍ଯ୍ୟଙ୍କର ବକ୍ତୃତା ଓ ବ୍ରାହ୍ମଧର୍ମର ମହିମା ବିଷୟରେ ଶୁଣି ମଧୁସୂଦନ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ । ଆଉ କଟକରେ ଏକ ନବ୍ୟ ବ୍ରାହ୍ମ ସମାଜର ଗଠନ ସହ ବ୍ରହ୍ମୋପାସନା ନିମିତ୍ତ ଏକ ସାଧାରଣ ମନ୍ଦିର ମଧ୍ୟ ଦଣ୍ଡାୟମାନ କରାଇଥିଲେ । ୩୫ ବର୍ଷ କାଳ ଏହି ସମାଜର ସଭ୍ୟ ଓ କ୍ରମେ ସମ୍ପାଦକ ଏବଂ ସଭାପତି ଭାବେ ନିଜ ଧର୍ମପ୍ରାଣତାର ପରିଚିତି ଦେଇଛନ୍ତି ।

                              ୧୮୭୧ ମସିହାରେ କୃତୀତ୍ଵର ସହ ଏଫ୍. ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଲେ ମଧୁସୂଦନ।  ଏବଂ ଏଥିପାଇଁ ସେ କଲିକତାରେ ବୃତ୍ତି ଲାଭ ସହ ବି.ଏ. ପଢିବାର ସୁଯୋଗ ପାଇଥିଲେ । ହେଲେ ଦୂରବର୍ତ୍ତୀ ସ୍ଥାନକୁ ଯିବା ନିମନ୍ତେ ପିତାଙ୍କ ଅସ୍ଵୀକାର ପରେ ତାଙ୍କର ଶିକ୍ଷାଗତ ଜୀବନର ଏହିଠାରେ ଅନ୍ତ ଘଟିଛି । ସେତେବେଳକୁ ମଧୁସୂଦନ ଅଠର ବର୍ଷର ଜଣେ ସୁଠାମ ଗମ୍ଭୀର ଏବଂ ମୂର୍ତ୍ତିମାନ ଉତ୍ସାହୀ ତରୁଣ । ହେଲେ ନୀତି ସୌଷ୍ଠବ ଦ୍ଵାରା ଗୌରବମୟ । ଏହା ପୂର୍ବରୁ ତାଙ୍କ ଛାତ୍ରଜୀବନରେ ନିଜ ସାହିତ୍ୟକୃତିର ନିଦର୍ଶନ ସ୍ଵରୂପ ସେ ଅନେକ ଇଂରାଜୀ କାବ୍ୟ ଓ ସଂସ୍କୃତ ନାଟିକାର ଅମୃତୋପମ ଓଡିଆ ଅନୁବାଦ କରିଛନ୍ତି ।

                              
                             ତଦାନୀନ୍ତନ ଶିକ୍ଷା ବ୍ୟବସ୍ଥା, ବିଶେଷ କରି ଓଡିଶାରେ ଶିକ୍ଷାର ସାଧାରଣ ଚିତ୍ର ପ୍ରତିବେଶୀ ଉପଦ୍ରୁତ ଥିଲା । ଆଉ ସେଥିପାଇଁ ସେ ସମୟରେ ପ୍ରବର୍ତ୍ତିତ ଅନେକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣା ହିଁ ଥିଲା ତାଙ୍କର ନୂତନ ଶିକ୍ଷା ନୀତିର ମୂଳ ଭିତ୍ତି । ନୂତନ ବ୍ରାହ୍ମ ଧର୍ମର ପ୍ରଚାର ବ୍ୟତୀତ ମୁଦ୍ରଣ ସଂସ୍କୃତିର ପରିପ୍ରଚାର , ସମାଜ ସଂସ୍କାର ସହ ମାତୃଭାଷାରେ ପାଠ୍ୟପୁସ୍ତକ ପ୍ରଣୟନର ଆବଶ୍ୟକତା - ଏ ସମସ୍ତ ମଧ୍ୟ ମଧୁସୂଦନଙ୍କୁ ଆଧୁନିକ ଶିକ୍ଷାର ପ୍ରବର୍ତ୍ତନ ଓ ମାତୃଭୂମିରେ ଲୋକାଭିମୁଖୀ ଶିକ୍ଷାର ନିଦର୍ଶନ ଦେବା ପାଇଁ ଖୋରାକ ଯୋଗାଏ।  
                             
                             
                           

                             ୧୮୭୧ ମସିହାରେ ମଧୁସୂଦନ ଯାଜପୁର ମଧ୍ଯ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୂପେ ନିଜ ଜୀବନର ସ୍ଵାଭାବିକ ଅଥଚ ଅନିବାର୍ଯ୍ୟ ଗତିରେ ପରିଚାଳିତ ହୋଇ ଚାଲିଲେ । ଏହି ଶିକ୍ଷାର ପରିବେଶ ହିଁ ତାଙ୍କ ପ୍ରତିଭାର ମମତ୍ଵ। ଅନୁଭୂତି ସମ୍ପନ୍ନ ଚିନ୍ତନ, ବିଚାରର ଆଦର୍ଶ ସହ ଅନ୍ତରର ଅଭିଲିପ୍ସା ସହ ନିଜ ପାରିବାରିକ ଜୀବନ ମଧ୍ୟ ଏହିଠାରୁ ଅତିବାହିତ କରିବା ଆରମ୍ଭ କରିଥିଲେ । ପୁଣ୍ୟା ପୟସ୍ଵିନୀ ବୈତରଣୀ ସ୍ରୋତଧୌତ ବିରଜାକ୍ଷେତ୍ରରେ ସେ ଯେ ସଂସାରର ରଜୋଭାବ ଦୂରୀଭୂତ କରି କର୍ମମୟ ଜୀବନକୁ ମୁଖର କରିବେ , ତାହା ସ୍ଵତଃ ଜଣାପଡି ସାରିଥାଏ । 

                           ଆଉ ଏଥି ସହ ତାଙ୍କର ଏଠାରେ ପ୍ରଥମ ଅନ୍ତରଙ୍ଗ ବନ୍ଧୁ ରୂପେ ଜୁଟିଥିଲେ ବ୍ୟାସକବି ଫକୀରମୋହନ ସେନାପତି । ଏହି କାଳରେ ଯାଜପୁରରେ ତାଙ୍କ ଦେଢ ବର୍ଷର କାର୍ଯ୍ୟ କାଳ ପରେ ବାଲେଶ୍ଵର ଜିଲ୍ଲା ହେଡ଼ମାଷ୍ଟର୍ ପଦଶୂନ୍ୟ ଉତ୍ତାରୁ ସେ ପଦବୀର ନିଯୁକ୍ତି ସମୟରେ ମଧୁସୂଦନଙ୍କୁ ଦ୍ଵିତୀୟ ଶିକ୍ଷକ ରୂପେ ନିଯୁକ୍ତ କରିଥିଲେ । ଆଉ ଏହି ବାଲେଶ୍ଵରରେ ପୁଣି ମଧୁସୂଦନଙ୍କ ମିଳନ ହୁଏ ବ୍ୟାସକବି ଫକୀରମୋହନ ତଥା କବିବର ରାଧାନାଥଙ୍କ ସହ । ଏବଂ ଏହିଠାରୁ ହିଁ ଓଡିଆ ମାଟିରେ ଓଡିଆ ଭାଷାର ପ୍ରକୃଷ୍ଟ ନବଜାଗରଣର ଉନ୍ମେଷ ଘଟେ ।
                           

                                   ରାଜା ବୈକୁଣ୍ଠନାଥ ଦେଙ୍କ ପ୍ରତିଷ୍ଠିତ ଯନ୍ତ୍ରାଳୟରୁ ମୁଦ୍ରିତ ହୋଇ ପ୍ରକାଶିତ ହୁଏ 'ଉତ୍କଳ ଦର୍ପଣ' । ଏହି ମାସିକ ପତ୍ରିକାରୁ ୧୮୭୩ ମସିହା ଜାନୁଆରୀ ମାସରୁ ମଧୁସୂଦନ - ସାହିତ୍ୟର ଆଦ୍ୟଲଗ୍ନ ଘଟେ । ମଧୁସୂଦନଙ୍କର ଆଦ୍ୟ ରଚନାବଳୀ 'ପ୍ରଣୟର ଅଦ୍ଭୁତ ପରିଣାମ' (ଉପନ୍ୟାସ), 'ଚନ୍ଦ୍ରତାରା', 'ଉଲକା ପିଣ୍ଡ', 'ସୂର୍ଯ୍ୟ',  'ଆଗ୍ନେୟଗିରି' (ପ୍ରବନ୍ଧାବଳୀ) ତଥା କବିତାରେ 'ନିଶୀଥ ଚିନ୍ତା', 'ଶ୍ମଶାନ', 'ଅଯୋଧ୍ୟା ପ୍ରତ୍ୟାଗମନ' ପ୍ରକାଶିତ ହୁଏ । ଆଉ ଉପରୋକ୍ତ ପ୍ରବନ୍ଧ ସବୁ ସଂକଳିତ ହୋଇ 'ପ୍ରବନ୍ଧାବଳୀ' ନାମରେ ପ୍ରକାଶିତ ହୁଏ । 

                                   

                                  'ଶ୍ମଶାନ' କବିତାଟି ହିଁ ତାଙ୍କ ପ୍ରଥମ ରଚନା ରୂପେ ଅନୁମିତ । ଏଥିରେ ସେ ଶୈଶବରେ ଦେଖିଥିବା ଜନନୀଙ୍କର ଦେହାବସାନ ବିଷୟରେ ଏବଂ ଶ୍ମଶାନରେ ଆତ୍ମୀୟଙ୍କ ଶେଷ ସଂସ୍କାରର କରୁଣ ଦୃଶ୍ୟ ତଳେ ଜୀବନର ନିଚ୍ଛକ ସତ୍ୟକୁ ସେ ମର୍ମେ ମର୍ମେ ବର୍ଣ୍ଣନା କରନ୍ତି । ଆଉ ପ୍ରଥମ ଥର ଓଡିଆ ସାହିତ୍ୟରେ ୧୮୭୬ ମସିହାରେ ଯୌଥ ରଚନାବଳୀ ପ୍ରକାଶ କ୍ଷେତ୍ରରେ ରାଧାନାଥ ଓ ମଧୁସୂଦନଙ୍କ ମିଳିତ ରଚନାର ସଂକଳନ "କବିତାବଳୀ" ଓଡିଆ ଭାଷା ପାଇଁ ଏକ ଅନନ୍ୟ ଅବଦାନ। 'କବିତାବଳୀ' ସାରସ୍ଵତ କୃତିତ୍ୱ ପାଇଁ ମାତ୍ର ନୁହେଁ , ବରଂ ପାଠ୍ୟପୁସ୍ତକ ରୂପେ ମଧ୍ୟ ବିଶେଷ ଖ୍ୟାତି ଅର୍ଜନ କରିଛି  ।
                                  

                          'କବିତାବଳୀ' ର ଗୌରବ ବହୁମୁଖୀ । ଏହା ବର୍ଣ୍ଣନା କରିବାକୁ ଯାଇ ସଂକ୍ଷେପରେ ଯଦି କହୁ , 'କବିତାବଳୀ' ପାଠ୍ୟପୁସ୍ତକ ଭାବରେ ଯେପରି ଓଡିଆ କ୍ଷୁଦ୍ର କବିତାର ବିକାଶରେ ଏକ ନୂତନ ଦିଗନ୍ତର ଉନ୍ମୋଚନ କରିଛି , ତାହା ସେ ସମୟର ଅନ୍ୟାନ୍ୟ ପାଠ୍ୟଗ୍ରନ୍ଥମାନଙ୍କ ଅପେକ୍ଷା ବିଶେଷ ପ୍ରଭାବଶାଳୀ ଥିଲା । ଏଥିରେ ପାଶ୍ଚାତ୍ୟ ଗୀତିକବିତା ବା Lyrics ର ସୂତ୍ରପାତ ସହ ପବନ , ଆକାଶ ଓ ପ୍ରକୃତିକୁ ଘେନି ସାବଲୀଳ ରଚନା ସମୂହ ଦ୍ଵାରା ଶିକ୍ଷିତ ଓଡିଆଙ୍କୁ ଉତ୍କୃଷ୍ଟ କବିତାର ନିଦର୍ଶନ ରୂପେ ଏହାର ଛନ୍ଦ, ବିଷୟବସ୍ତୁ, ସର୍ବଜନ ପଠିତବ୍ଯ ଶୈଳୀ ଓ ଅଳଙ୍କାରର ପ୍ରୟୋଗ ଏହାକୁ 'ସାହିତ୍ୟ ବିଷୟକ ଆଦର୍ଶ ପ୍ରଶ୍ନାବଳୀ' ରେ ସ୍ଥାନ  ମଧ୍ୟ ଦେଇଛି ।

                         

                                ବାଲେଶ୍ଵର ମାଟିରୁ ସୁଲେଖକ ଭାବରେ ନିଜର ପ୍ରତିଷ୍ଠା ପ୍ରତିପାଦିତ କରି ଦୁଇବର୍ଷ ପରେ କଟକ ହାଇସ୍କୁଲ ରେ ଅତିରିକ୍ତ ପଦ ପୁନଃସ୍ଥାପିତ ହେବାରୁ ମଧୁସୂଦନ ୧୮୭୫ କୁ ସେଠାରେ ଜଣେ ପ୍ରବୀଣ ଶିକ୍ଷକ ରୂପେ ଯୋଗଦାନ କରନ୍ତି। ଆଉ ଶିକ୍ଷକ ଭାବରେ ଛାତ୍ରମାନଙ୍କ ମଧ୍ୟରେ ସମଧିକ ଜ୍ଞାନର ପ୍ରସାର, ଚରିତ୍ରର ସୁସ୍ଥ ବିକାଶ ସହ ସାଂସ୍କୃତିକ ତଥା ଓଡିଆ ମାଟିରେ ଭାଷା ବିକାଶ କ୍ଷେତ୍ରରେ ନିଜକୁ ନିୟମିତ ନିୟୋଜିତ କରୁଥିଲେ । ଏଥି ସହ ନିଜ କର୍ମକୁଶଳତା ଓ ଦକ୍ଷତା ସ୍ଵରୂପ ସେ ଦ୍ଵିତୀୟ ଶିକ୍ଷକ ପଦ ନିମିତ୍ତ ତୀବ୍ର ପ୍ରତିଦ୍ବନ୍ଦ୍ଵିତା ସତ୍ତ୍ଵେ ସେ ପଦପ୍ରାପ୍ତ ହେଲେ । 
                                

                               ଏହା ପରେ ୧୮୭୬ ମସିହାରେ କଟକ ଠାରେ ରେଭେନ୍ସା କଲିଜିଏଟ୍ ସ୍କୁଲରେ ସହକାରୀ ଶିକ୍ଷକ ଭାବେ ତିନି ବର୍ଷ କାଳାତିପାତ କରିଛନ୍ତି । ଏହି ପଦବୀରେ ସ୍ଵକୀୟ ଉଚ୍ଚ ସ୍ତରର ଦକ୍ଷତା ଓ ଶିକ୍ଷକତା ସହ ୧୮୮୦ ମସିହାରେ ଡେପୁଟି ଇନ୍ସପେକ୍ଟର ରୂପେ ଅବସ୍ଥାପିତ ହୁଅନ୍ତି । ସେ ସମୟରେ ନିଜର ଶିକ୍ଷାୟତନ ବହିର୍ଭୂତ ଶିକ୍ଷକ ଭାବେ ନିଜର ବ୍ୟକ୍ତିତ୍ଵ ଏବଂ ଜଣେ ନୂତନ ରୁଚିସମ୍ପନ୍ନ ସାମାଜିକ ଚେତନାର ବାର୍ତ୍ତାବହ ରୂପେ ସେ ସମଗ୍ର ଅଭିଭାବକ ତଥା ଛାତ୍ରମାନଙ୍କ ଗହଣରେ ଏକ ଅଭୂତପୂର୍ବ ପ୍ରଭାବ ପ୍ରତିପାଦନ କରିଥିଲେ । ଆଉ ସେଥିପାଇଁ ନିଜ ଉଦ୍ୟମ ଫଳରେ ସେ ୧୮୮୧ ମସିହାରେ ଏକ ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ଥାପନା କରିଥିଲେ ।

                          ନିଜର ସ୍ଵାଧୀନଚେତା ମନୋବୃତ୍ତି ପାଇଁ ସେ ଏହି ବିଦ୍ୟାଳୟର ନାନାବିଧ ବାଧା ଓ ଅସୁବିଧା ସତ୍ତ୍ଵେ ସରକାରୀ ସହାୟତା ପ୍ରତ୍ୟାଖ୍ୟାନ କରି ଏହାକୁ ଭିକ୍ଟୋରିଆ ହାଇସ୍କୁଲ ନାମେ ଗଢି ତୋଳିଲେ । ପରବର୍ତ୍ତୀ ସମୟରେ ଭକ୍ତକବିଙ୍କ ସ୍ମୃତିରେ ଏହା 'ଭକ୍ତମଧୁ ବିଦ୍ୟାପୀଠ' ନାମରେ ପରିଚିତ ହୁଏ।  ହେଲେ ୧୮୯୩ ମସିହାରେ ସେ କଟକ ଟ୍ରେନିଂ ସ୍କୁଲର ହେଡ଼ମାଷ୍ଟର୍ ହେଇସାରିଲା ପରେ ସେ ତତ୍କାଳୀନ କବିବର ରାଧାନାଥ ରାୟଙ୍କ 'ମହାଯାତ୍ରା' କାବ୍ୟକୁ ବ୍ରିଟିଶ୍ ବିଦ୍ଵେଷୀ ବୋଲି ଯେଉଁ ମିଥ୍ୟାରୋପ ଥିଲା , ତାହାର କଡା ସମାଲୋଚନା କରି ନିଜ ନିର୍ଭୀକତାର ପରିଚୟ ଦେଇଥିଲେ ।

                              ଦକ୍ଷତାର ସହ ଶିକ୍ଷାକ୍ଷେତ୍ରରେ ଅପୂର୍ବ ଯୋଗଦାନ , ବିଶ୍ଵସ୍ତ ଭାବରେ ସରକାରଙ୍କ କର୍ମ ପରିଚାଳନା ଏବଂ ସାଧାରଣ ସାହିତ୍ୟ ପ୍ରଚାର ଲାଗି ସେ ୧୯୦୭ ମସିହାରେ 'ରାୟ ବାହାଦୂର' ଉପାଧିରେ ବିମଣ୍ଡିତ ହୁଅନ୍ତି।  ଆଉ ଏହା ପୂର୍ବରୁ ସେ ପିଲାମାନଙ୍କୁ ଲୋକାଭିମୁଖୀ ଶିକ୍ଷା ପ୍ରଦାନ ନିମନ୍ତେ 'ଶିକ୍ଷାବନ୍ଧୁ', 'ନବସମ୍ବାଦ', 'ଆଶା' ଓ 'ବ୍ରାହ୍ମ' ଭଳି ପତ୍ରିକାର ପ୍ରକାଶନ କରେଇ ଚାଲିଥିଲେ । ଏଥି ସହ ତଦାନୀନ୍ତନ ବୁଦ୍ଧିଜୀବୀ ସମାଜକୁ ପାଇଁ ଅନ୍ୟତମ ପ୍ରବର୍ତ୍ତନାରେ ତାଙ୍କର ଆହୁରି ଦୁଇଟି ମହନୀୟ ଦାନ ହେଉଛି 'ଉତ୍କଳ ସାହିତ୍ୟ' ଏବଂ କଟକ ଟ୍ରେନିଂ ସ୍କୁଲ 'ଆଲୋଚନା ସଭା' । 
                              
                              

                          ଏହି 'ଉତ୍କଳ ସାହିତ୍ୟ' ୧୯୦୩ ମସିହା ମେ ମାସ ୭ ତାରିଖ ଦିନ ତାଙ୍କରି ସମୁଦ୍ୟମ ଓ ଦକ୍ଷତା ଅଧୀନରେ  'ଉତ୍କଳ ସାହିତ୍ୟ ସମାଜ' ରୂପେ ପ୍ରତିଷ୍ଠା ଲାଭ କରେ । ଏତଦ୍ ପୂର୍ବରୁ ଉଲ୍ଲେଖଯୋଗ୍ୟ ଯେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ଅଧ୍ୟକ୍ଷତାରେ ସେହି ବର୍ଷ ଅନୁଷ୍ଠିତ 'ଉତ୍କଳ ସମ୍ମିଳନୀ' ର ପ୍ରଥମ ଅଧିବେଶନ "ଓଡିଆ ଭାଷାର ଏବଂ ସାହିତ୍ୟର ଉନ୍ନତି ସାଧନାର୍ଥ ସମ୍ମିଳିତ ଓ ସୁଚାଳିତ ଚେଷ୍ଟାର ଆବଶ୍ୟକତା" ପରିପ୍ରେକ୍ଷୀରେ ଏହି ସାହିତ୍ୟ ସମାଜ ସମ୍ମିଳନୀ ଗଠିତ ଏକ ସ୍ଥାୟୀ ସମିତିର ବିହିତ ପ୍ରସ୍ତାବରେ ସଂଗଠିତ ହୁଏ । ଆଉ ଏହି 'ଉତ୍କଳ ସାହିତ୍ୟ ସମାଜ' ର ଉନ୍ନୟନର ଆଦ୍ୟ କୀର୍ତ୍ତି ଥିଲେ ମଧୁସୂଦନ ରାଓ ଏବଂ ବାଗ୍ମୀ ବିଶ୍ଵନାଥ କର ।

                               ପରିଶେଷରେ ୧୯୦୯ ମସିହା ଜୁଲାଇ ମାସରେ ଡିଭିଜନାଲ୍ ଇନ୍ସପେକ୍ଟର ରୂପେ ଅବସ୍ଥାପିତ ଥାଇ ନିଜ କର୍ମଗତ ଜୀବନରୁ ଅବସର ଗ୍ରହଣ କରନ୍ତି।  ହେଲେ ତାଙ୍କ ଲକ୍ଷ୍ୟ ଓ ଧାରାବାହିକତାର ଅନ୍ତ ଏଇଠି ହୋଇନଥିଲା । କବି ମାୟାଧର ମାନସିଂହ ଲେଖନ୍ତି ,  "କିନ୍ତୁ ବେଳେ ବେଳେ ଭକ୍ତ ଓ ଶିକ୍ଷକର ଆତ୍ମାରେ କବିର ପ୍ରେରଣା ଓ ଦିବ୍ୟ ଦୃଷ୍ଟି ଭାସି ଉଠୁଥିଲା ଯେତେ ବେଳେ କି ସେହି ଆତ୍ମା , ଅହରହ ଅନ୍ଵେଷଣ କରୁଥିବା ତାର ଦୈବତ ପ୍ରଭୁଙ୍କ ସହିତ ଏକୀଭୂତ ହେବାର ପରମାନୁଭବ ପାଉଥିଲା . . . ମଧୁସୂଦନଙ୍କ 'ହିମାଚଳେ ଉଦୟୋତ୍ସବ' ଓ 'ଋଷିପ୍ରାଣେ ଦେବାବତରଣ' ଏହିପରି ଅନ୍ତର୍ଦର୍ଶନମୟ କାବ୍ୟ ସୃଷ୍ଟିର ପରମ ଦୃଷ୍ଟାନ୍ତ ।"

                             ଜୀବନରେ ୩୫ ବର୍ଷ ଧରି ଶିକ୍ଷା ବିଭାଗ ସହିତ ଘନିଷ୍ଠ ରହିଲା ପରେ ମଧୁସୂଦନ ଆଧୁନିକ ଓଡିଆ ପାଠ୍ୟ ପୁସ୍ତକର ଅଭାବ ପରିଲକ୍ଷିତ କରିଥିଲେ । ଆଉ ସେହି ଅଭାବର ପରିପୂରଣ ପାଇଁ ସେ ଅକ୍ଳାନ୍ତ ଅଧ୍ୟବସାୟ ମଧ୍ୟ କରିଥିଲେ। ତାଙ୍କ ରଚିତ କେତୋଟି ଆଦ୍ୟ ପାଠ୍ୟପୁସ୍ତକ ହେଉଛି 'ପ୍ରବନ୍ଧମାଳା', 'ସାହିତ୍ୟ କୁସୁମ', 'ସାହିତ୍ୟ ପ୍ରସଙ୍ଗ', 'ଶିଶୁବୋଧ', 'ବାଳବୋଧ', 'ଛାନ୍ଦମାଳା' ଏବଂ 'ଅବଧାନ ବନ୍ଧୁ' ପ୍ରଥିତଯଶା । ପାଠ୍ୟ ପୁସ୍ତକ ମାଧ୍ୟମରେ ଜ୍ଞାନବିଜ୍ଞାନର ନୂତନ ଦିଗନ୍ତ ପ୍ରଦର୍ଶିତ ହେବା ସହିତ ରୁଚିନିଷ୍ଠ ସମାଜ ଗଠନ ସହ ଆବାଳବୃଦ୍ଧବନିତାଙ୍କୁ ଉଦ୍ଦିଷ୍ଟ ଅତି ଉତ୍କୃଷ୍ଟ ମାନର ସାହିତ୍ୟ ସଂରଚନା ତଥା ସର୍ବଜନବୋଧ୍ୟ ଶିକ୍ଷାର ପରିପ୍ରସାର ଏହାର ପ୍ରଧାନ ବୈଶିଷ୍ଟ୍ୟ ଥିଲା ।

                   ଏ ସକଳ ପାଠ୍ୟପୁସ୍ତକ ଭକ୍ତକବି ମଧୁସୂଦନଙ୍କୁ ବସ୍ତୁତଃ ଆଧୁନିକ ମନ ଓ ମନନର ଭିତ୍ତି ରୂପେ ତାଙ୍କୁ ଅମଳିନ ପରାକାଷ୍ଠା ଦେଇଥିଲା ସର୍ବଜନ ସୁପ୍ରସିଦ୍ଧ 'ବର୍ଣ୍ଣବୋଧ' । ଏକମାତ୍ର ଧର୍ମଦର୍ଶନ ବ୍ୟତୀତ ସାମାଜିକ ଜୀବନର କେତୋଟି ବିଶିଷ୍ଟ ଉପାଦାନ ସମ୍ପର୍କରେ ମଧ୍ୟ ମଧୁବାବୁ ଅତି ସଜ୍ଞାନ ଚିତ୍ତରେ ପରମ୍ପରା ସହିତ ଯୋଗସୂତ୍ରରେ ସ୍ଥାପିତ କରିଛନ୍ତି । ୧୮୯୫ ମସିହାରେ ପ୍ରକାଶିତ ଏହି 'ବର୍ଣ୍ଣବୋଧ' ର ଦୀର୍ଘ ଏକଶତ ବର୍ଷରୁ ଊର୍ଦ୍ଧ୍ଵ ଇତିହାସ ସତ୍ତ୍ୱେ ଏହାର ସର୍ବଜନଗ୍ରାହ୍ୟ ବାକ୍-ଭଙ୍ଗୀ ଓ ଶୈଳୀର ଚିରନ୍ତନ ରୀତି ଏହାକୁ ଆଜି ବି ଚିରସବୁଜ କରି ରଖିଛି । ଲୋକଗୀତ ଓ ଶିଶୁ ମନ ସୁଲଭ ମଞ୍ଜୁଳ ବାକ୍ ବିନ୍ୟାସ ନିହାତି ଲକ୍ଷ୍ୟଣୀୟ । 

                              ପୂର୍ବୋକ୍ତ ବର୍ଣ୍ଣନାରେ ଆମେ ଆଲୋଚନା କରିଥିବା 'କବିତାବଳୀ' ର ସଫଳତା ବିଷୟରେ ଜାଣିବା ତିନୋଟି କବିତା ସମ୍ପର୍କରେ - "ନିଶୀଥ ଚିନ୍ତା", "ନିର୍ବାସିତର ବିଳାପ" ଏବଂ "ଜୀବନ ଚିନ୍ତା" । ଏହି ତିନୋଟି କବିତାରେ ଜୀବନର ନିରାଟ ଭାବବୋଧର ସମାବେଶ ଏହା ମାଧ୍ୟମରେ ପ୍ରକାଶ ପାଇଛି । କେବଳ ଏତିକି ନୁହେଁ , ମଧୁସୂଦନଙ୍କ ପ୍ରାଚ୍ୟ ମତଧାରା ସହ ପାଶ୍ଚାତ୍ୟ ସାହିତ୍ୟର ଉତ୍କଳୀୟ ଅନୁସୃଜନ କେଡେ ଚମତ୍କାର ରୂପ ଓ ରସରେ ଅବତାରିତ , ସେଥିରୁ ମଧୁସୂଦନଙ୍କ ନୂତନ କାବ୍ୟରୀତି ସମ୍ପର୍କରେ ସନ୍ଧାନ ମିଳେ। 
                              
                              

                          (୧) ଶୋକଗୀତି (ଏଲିଜି) , ସମ୍ବୋଧଗୀତି (ଓଡ଼୍), ନାରେଟିଭ୍ (ବର୍ଣ୍ଣନାତ୍ମକ କବିତା) ଓ ହାଇମନ୍ (ସ୍ତୋତ୍ର) ର ଉଦାହରଣ ତାଙ୍କ ସଫଳ କୃତୀତ୍ଵର ରୂପାୟନ । ଭକ୍ତକବି ମଧୁସୂଦନଙ୍କ 'ନିଶୀଥ ଚିନ୍ତା' ହେଉଛି  Spensarian stanza ର ଦୃଷ୍ଟାନ୍ତ । ନଅଟି ପଂକ୍ତିର ଏକ ସ୍ବତନ୍ତ୍ର ସ୍ତବକ ରୀତି ଏହା । ଷୋଡ଼ଶ ଶତାବ୍ଦୀର ଇଂରାଜୀ କବି ଏଡ଼ମଣ୍ଡ୍ ସ୍ପେନସର୍ ଙ୍କ ଏକ ଜନପ୍ରିୟ କାବ୍ୟର ଶୈଳୀରେ ରଚିତ ହେତୁ ଏହାର ଏହିପରି ନାମ । ପ୍ରଥମ ଆଠଟି ଚରଣ ୧୪ ଟି ଅକ୍ଷର ଯୁକ୍ତ ହେଲେ ଶେଷ ଚରଣଟି ୧୮ ଟି ଅକ୍ଷର ଯୁକ୍ତ । ଏହି ମେଳ ସ୍ଥାପନ ରୀତି ହେଉଛି କଖ, କଖ, ଖଘ, ଗଘ, ଗଘ, ଘ । କିଛି ଦୃଷ୍ଟାନ୍ତ ଏହିପରି : 

             "କାହିଁ ଏବେ ସେ ଚହଳ, ଯାର ଘୋର ରୋଳ (କ)
              କରିଥିଲା ଏତେ କାଳ ଶ୍ରବଣ ବଧିର ! (ଖ)
              କାହିଁ ସେହି ଚଞ୍ଚଳତା ଲହରି-ହିଲ୍ଲୋଳ (କ)
              ଯାହା ଘେନି ଜୀବକୁଳ ସତତ ଅଧୀର ! (ଖ)
              ନାହିଁ ସେହି ଚଞ୍ଚଳତା, ନାହିଁ ସେ ଚହଳ । (କ)
              କଣ୍ଠେ ତାରାମୟ ହାର ରଜନୀ ସୁନ୍ଦରୀ (ଗ)
              ଅଟେ ଯହିଁ ମଧ୍ୟମଣି ଇନ୍ଦୁ ସୁନିର୍ମଳ (କ)
              କୌମୁଦୀ ବସନେ ସ୍ଵର୍ଗଧାମୁଁ ଅବତରି (ଗ) 
              ବରଷନ୍ତି ଶିଶିରାଶ୍ରୁ ପ୍ରେମେ ବିଭୁ ମହିମା ସୁମରି ।(ଗ)

                    (୨) ଭକ୍ତକବି ମଧୁସୂଦନଙ୍କ 'ନିର୍ବାସିତର ବିଳାପ' ତାଙ୍କର ଅନୁବାଦ ସାହିତ୍ୟର ଅନ୍ୟତମ ପ୍ରସିଦ୍ଧ କୀର୍ତ୍ତି । ଇଂରାଜୀ କବି William Cowper ଙ୍କ ବିରଚିତ ପ୍ରସିଦ୍ଧ କବିତା "The Solitude of Alexander Selkirk" ର ଏହା ସର୍ବୋତ୍କୃଷ୍ଟ ଓଡିଆ ଅନୁସୃଜନ । ଏକ ସ୍କଟୀୟ ନୌବାହକର ସତ୍ୟ ଘଟଣା ଉପରେ ଆଧାରିତ ଏହି କାବ୍ୟର ଚରିତ୍ର ପୁଣି ସୁପ୍ରସିଦ୍ଧ ଉପନ୍ୟାସ "The Robinson Crusoe" ରେ ଅବତାରିତ ହୋଇଅଛି।  ଏହି କବିତାଟି ଅନେକତ୍ର ଆକ୍ଷରିକ ଅନୁବାଦ ଅପେକ୍ଷା ମୌଳିକ ସୃଷ୍ଟି ସମ୍ଭାରରେ ମଧ୍ୟ ଜଡ଼ିତ । ଭକ୍ତକବି ମଧୁସୂଦନଙ୍କ ମୌଳିକ ଧର୍ମପ୍ରାଣତା ଓ ମାନବ ସଂପ୍ରୀତି ଏଥିରେ ମଧ୍ଯ ଫୁଟି ଉଠିଛି :- 

                 "ଧରମ ସତ୍ୟ ପଥେ ନିତ୍ୟ ସଞ୍ଚରି
                  ନାଚନ୍ତା ଆନନ୍ଦରେ ହୃଦ ମୋହରି ।
                  ପ୍ରବୀଣ ଜନଠାରୁ ସଦୁପଦେଶ
                  ଲଭି ହୁଅନ୍ତି ମୁହିଁ ବିଜ୍ଞ ବିଶେଷ ।
                  
                  ×                ×                 ×
                  
                  ଧର୍ମ ଆହା ସେ କିବା ଅମୂଲ୍ଯ ଧନ
                  ସରି ନୁହଁଇ ତାର ମଣି କାଞ୍ଚନ ।
                  ସ୍ଵର୍ଗୀୟ ମାଧୁରୀରେ ସଦଖ ସୁନ୍ଦର,
                  ମହୀମଣ୍ଡଳେ କାହିଁ ତା' ପଟାନ୍ତର। "

                        (୩) 'ଜୀବନ ଚିନ୍ତା' ଭକ୍ତକବି ମଧୁସୂଦନଙ୍କ ପ୍ରକୃଷ୍ଟ ଜୀବନବୋଧ ଓ ଶାଶ୍ଵତ ଚେତନାର ବ୍ୟଞ୍ଜନା । ଅନେକ ବିଭୁ ରସାନୁଭୂତି କାବ୍ୟ ଅପେକ୍ଷା ଏହି କାବ୍ୟରେ ସାଂସାରିକ ଜୀବନରେ ଭାସି ଉଠୁଥିବା ବିଷାଦପ୍ରବଣ ମାନସିକତା ଓ ସଂକଟ ବିଜଡିତ ବିଶ୍ଵର ନିର୍ମମ ସତ୍ୟକୁ ପରିଲକ୍ଷିତ କରୁଛନ୍ତି । ହେଲେ ମଧ୍ୟ ତାଙ୍କର ଏହି ସାରସ୍ଵତ ଧର୍ମ ସଂକଟପୂର୍ଣ୍ଣ ସଂସାର ରୂପକ କ୍ଷେତ୍ରରେ ଜୀବନର ଅନସ୍ବୀକୃତ ସତ୍ୟ ପ୍ରତି ଅବିମୁଖ ରହି ଏହି ମଣିଷ ମନର ଯେଉଁ ଚିନ୍ତା ରୂପକ ଆଖି ଦୁଇଟିକୁ ଉନ୍ମୁକ୍ତ କରି ସତ୍ୟକୁ ନିରୀକ୍ଷଣ କରିବା ପାଇଁ ଆହ୍ଵାନ କରୁଛନ୍ତି :

                     "ରେ ଆତ୍ମନ୍ ! ନିଦ୍ରା ପରିହରି
       ଫେଡି ଚିନ୍ତାର ଲୋଚନ          କର କର ନିରୀକ୍ଷଣ
              ନିଃଶବ୍ଦେ ଜୀବନ ସ୍ରୋତ ଧାଉଁଛି କିପରି
              ଭେଟିବାକୁ ମୃତ୍ୟୁ-ସିନ୍ଧୁ-କରାଳ-ଲହରୀ । 

                                                          

                       ହେଲେ ମଧ୍ୟ ଆଶାମୟ ଭାବ ସମନ୍ବିତ ଦୃଷ୍ଟିରେ ଏ ଭୀଷଣ ଓ ଭୟଙ୍କର ପ୍ରତୀୟମାନ ସାଂସାରିକ ଜୀବନ ରେ ମଣିଷ ନିଜ ଅନ୍ତର୍ଗତ ଶାଶ୍ଵତ ଆତ୍ମାର ବାର୍ତ୍ତା ଓ ସେହି ଅମୃତ ଉପଲବ୍ଧି ମାଧ୍ୟମରେ ସେହି ପରମ ମହାଶାନ୍ତିର ନିତ୍ୟ ସୌନ୍ଦର୍ଯ୍ୟକୁ ଉଦ୍ଭାବନ କରୁ ବୋଲି କବି ପରିଶେଷରେ କହୁଛନ୍ତି : 

                      "ଧର ଧୈର୍ଯ୍ୟ ଘେନରେ ସାନ୍ତ୍ଵନା
      ଅଛି ସେହି ମହାଧନ                 ସେ ମହାସ୍ପର୍ଶ ରତନ
                 ସେ ଅମୃତ ମହୌଷଧି ଯାହାର କାମନା
                 ଆଶା ଜାଗ୍ରତ ସତତ କରେ ଉଦ୍ଦୀପନା ।

                        ସ୍ଥିର ହୁଅରେ ଚଞ୍ଚଳ ମନ
     ଘେନ ମହାତତ୍ତ୍ଵ ଦୀକ୍ଷା             ଜୀବର ପରମ ଶିକ୍ଷା
              ତେବେ ରେ ଲଭିବୁ ସେହି ପ୍ରାଣାରାମ ଧନ
              ଆକୁଳ ହୃଦୟ କରେ ଯାର ଅନ୍ଵେଷଣ ।
                 

                      ଧୂଳିର ଏ ମର କଳେବରେ
     ଅହୋ ମାନବ ଜୀବନ                 କି ଅଦ୍ଭୁତ ଉଦ୍ଭାବନ !
              ବିରାଜେ ଅମର ଆତ୍ମା ନିତ୍ୟ ସୌନ୍ଦର୍ଯ୍ୟରେ     
              କମଳ ଶୋଭଇ ଯଥା ପଙ୍କମୟ-ସରେ ।"

                                    ତାଙ୍କର ଅନ୍ୟାନ୍ୟ କାବ୍ୟ ସଂକଳନ ମଧ୍ୟରେ 'ଛାନ୍ଦମାଳା', 'କୁସୁମାଞ୍ଜଳି', 'ଉତ୍କଳଗାଥା', 'ସଙ୍ଗୀତମାଳା' ସୁବିଦିତ । ଭକ୍ତକବିଙ୍କ କାବ୍ଯରେ ସାର୍ବଜନୀନ ତଥା ଶାଶ୍ଵତ ସତ୍ଯ ସର୍ବଜନ ଭାବବୋଧର ସମାବେଶରେ ଗଠିତ । ମାନବ ସଂପ୍ରୀତି ଓ ଉଦାର ମାନବିକତାର ଧର୍ମରେ ଉଦବୁଦ୍ଧ ତାଙ୍କ ଅଧ୍ୟାତ୍ମ ଚେତନା ସବୁବେଳେ ବିଭୁ ରସାନୁଭୂତି ସହ ମାନବ ପ୍ରେମର ଅନନ୍ୟ ଯୋଗ ଘଟାଇଥାଏ । 'ଛାନ୍ଦମାଳା' ର 'ପୃଥିବୀ ପ୍ରତି' , 'ଜନ୍ମଭୂମି', 'ବସନ୍ତ' ଭଳି ପ୍ରସିଦ୍ଧ କବିତା ସହ ଭଗବତ୍ ଭକ୍ତି ଏବଂ ପ୍ରକୃତି ପ୍ରାଣତା ମଧ୍ୟ ତଦନୁରୂପ ସୁନ୍ଦର ଭାବରେ ଦର୍ଶନୀୟ । ଏହାର ସବୁଠାରୁ ଅନୁପମ ଦୃଷ୍ଟାନ୍ତ ହେଉଛି 'ପଦ୍ମ' କବିତା :
                                    

                 "କୋଟି ଲାବଣ୍ୟନିଧିରେ ପଦ୍ମ ତୁହି
                  କି ଅମୃତେ ତୋ ତନୁ ଗଢିଲା ବିହି ।
                  ତୋ ରୂପ ଦରଶନେ ମୋର ହୃଦୟ
                  ପୁଣ୍ୟ ଆନନ୍ଦେ ହୁଏ ଅମୃତମୟ ।

                  ସ୍ନେହ କରୁଣା ଭକ୍ତି ପବିତ୍ର ରସ
                  ପୂରିଛି ତୋ ଅନ୍ତର ରେ ତାମରସ !
                  ନୋହିଲେ କାହୁଁ ତୋର ଦର୍ଶନେ ମନ
                  ବିମଳ ପ୍ରେମ ରସେ ହୁଏ ମଗନ ?"

                  ସର୍ବ ଶୋଭାର ସଦ୍ମରେ ପଦ୍ମ ତୁହି
                  ସଙ୍ଗେ ନିଗୂଢ ଯୋଗ ଅଛଇ ମୋର ।
                  ଜୀବନ ମରଣରେ ତୋ ସଙ୍ଗେ ମିଶି
                  ଥାଉ ମୋ ମନ-ପଦ୍ମ ଦିବସ-ନିଶି।

                  କଳୁଷ-ପଙ୍କେ ମୁହିଁ କେଡ଼େ ମଳିନ
                  କେମନ୍ତେ ସରି ତୋର ହେବି ନଳିନ !
                  ପଙ୍କଜ ଅଟୁ ତୁହି ତେଣୁ ଭରସା
                  ତୋ ପରି ଶୁଭ୍ର ହେବି ଲଭି ସୁଦଶା ।

                  ଅନନ୍ତ ମହେଶ୍ବର ମୋ ପ୍ରାଣସାଇଁ
                  ବୋଲି ରାଜୀବ, ସଦା ଥିବି ଅନାଇଁ ।
                  ଶିଖାଅ ମୋତେ ସଦା ଏ ପୁଣ୍ୟବ୍ରତ
                  ତୋର ଆଶିଷେ ପୂରୁ ମୋ ମନୋରଥ ।"

                      ଏହିପରି ଭାବରେ ତାଙ୍କର ଏକାଧିକ କାବ୍ୟରେ ତାଙ୍କର ପ୍ରଧାନ ଉପାଦାନ ସ୍ଵରୂପ ପ୍ରକୃତିପ୍ରାଣତା , ବିଭୁଚେତନା , ସ୍ଵଦେଶବତ୍ସଳତା ଏବଂ ଉଦାର ମାନବିକତା ଧର୍ମ ପ୍ରତି ତାଙ୍କର ସାର୍ବଜନୀନ ଉକ୍ତି । ସେହିପରି ରୂପେ "ଋଷିପ୍ରାଣେ ଦେବାବତରଣ" କବିତାରେ ଜନୈକ ବୈଦିକ ଋଷିଙ୍କ ଅବତାରଣା କରି ଏକ ରମ୍ୟ ଅଥଚ ରହସ୍ୟମୟ ଅନୁଭବ ଓ ପରିବେଶ ମଧ୍ୟରେ ସେହି ଋଷିଙ୍କ ଅନ୍ତରରେ ଇନ୍ଦ୍ରିୟାତୀତ ଭାବାବେଶ ଘଟେ ।

                      

                                 ନିଖିଳ ଧରାର ରନ୍ଧ୍ରେ ରନ୍ଧ୍ରେ ବିଶ୍ଵାତ୍ମା ପରିବ୍ୟାପ୍ତ ରହିଥିବାର ଅନୁଭବ ହୁଏ । ଏକଦା ରବୀନ୍ଦ୍ରନାଥ ଠାକୁର ଏହି ମାଧ୍ୟମରେ ବେଦ ମନ୍ତ୍ରର ଅନୁରଞ୍ଚନକୁ ପ୍ରାଣେ ପ୍ରାଣେ ଶୁଣିପାରିଥିବାର କହିଥିଲେ ! ସେହିପରି ତାଙ୍କର 'ବସନ୍ତଗାଥା' ଓଡିଆ ସାହିତ୍ଯରେ ସର୍ବପ୍ରଥମ ସନେଟ୍ (ଚତୁର୍ଦ୍ଦଶପଦୀ କବିତା) ସଂକଳନର ମର୍ଯ୍ୟାଦା ପାଏ । ଏଥିରେ ଷଡ଼ଋତୁଙ୍କର ବର୍ଣ୍ଣନା ମାଧ୍ୟମରେ narrative ଶୈଳୀ ବା ବର୍ଣ୍ଣନାତ୍ମକ କବିତା ଦ୍ଵାରା ଓଡିଆ ସାହିତ୍ୟରେ କ୍ଷୁଦ୍ର କବିତାବଳୀରେ ଗୀତିମୟତାର ଛୁଙ୍କ ଦେବାରେ ଭକ୍ତକବି ମଧୁସୂଦନ ଅଗ୍ରଗଣ୍ୟ ।
                                 

                               ତାଙ୍କ ସ୍ଵଦେଶପ୍ରାଣତାର ଦୃଷ୍ଟାନ୍ତ ସ୍ଵରୂପ ତାଙ୍କର ଉଭୟ ଗଦ୍ୟ ଓ ପଦ୍ୟ ରଚନାବଳୀ ଏଥିରେ ସନ୍ନିବେଶିତ । 'ଜନ୍ମଭୂମି', 'ଭାରତୀ ବନ୍ଦନା', 'ଭାରତ ଭାବନା', 'ଉତ୍କଳ ଗାଥା' , 'ରାଣୀ ଦୁର୍ଗାବତୀ', 'ଜଳରାଶି', 'ଜଳପ୍ରପାତ' , ବାୟୁରାଶି' ମାଧ୍ୟମ ରେ ସେ ଉଭୟ ପ୍ରକୃତି ପ୍ରେମୀ ଭାବରେ ଏବଂ ନିଜ ମାଟି ମାଆର ଅନୁପ୍ରେରଣାରେ ସତତ ଆଗଭର ହେଇ ଅଧଃପତିତ ଜାତି ଯେ ଆଜି ଆବିଳ ମନରେ ରହିଛି , ସେଥି ପ୍ରତି ସେ ଯଥାର୍ଥତଃ ସଚେତ ରହି ସ୍ଥଳ ବିଶେଷରେ ନିଜର ଋଷିସୁଲଭ ଚେତନାର ମଧ୍ୟ ଆତ୍ମ ପ୍ରକାଶ କରିଛନ୍ତି।  ଏଥି ସହ ଆଧୁନିକ ଓଡିଆ ଗଦ୍ୟ ଶୈଳୀକୁ ଏକ ଅଭିନବ ରୂପରେ ଅଳଙ୍କୃତ କରିଥିଲେ ଭକ୍ତକବି ମଧୁସୂଦନ ।

                                    ପରିଣତ ବୟସରେ ସେ ଶିକ୍ଷକ ଓ ଛାତ୍ରମାନଙ୍କ ପାଇଁ 'ସୁଖବୋଧ ଅଭିଧାନ' ସଂକଳିତ କରିବା ସହ ବାଲ୍ମୀକି ରାମାୟଣର କଥାବସ୍ତୁ ଆଧାରରେ ରଚନା କରି ଯାଇଛନ୍ତି 'ବାଳ ରାମାୟଣ', 'ସୀତା ବନବାସ', 'ଶ୍ରୀରାମ ବନବାସ' । ହେଲେ ଏହି ଅମୃତ ପ୍ରତ୍ୟାଶୀ ଋଷିପ୍ରାଣ ମହାମହିମ ୧୯୧୨ ମସିହା ୨୮ ଡିସେମ୍ବର ଦିନ ଇହଲୀଳା ସମ୍ବରଣ କରନ୍ତି।  ହେଲେ ମଧ୍ୟ ସୃଷ୍ଟିର ଅମୃତମୟ ପରିକଳ୍ପନାରେ ଶତଜିହ୍ଵ ତାଙ୍କ ଅତୀନ୍ଦ୍ରିୟ ଅମୃତମୟ ପ୍ରାଣ ଆଜି ବି ଶତକୋଟି ଓଡିଆମାନଙ୍କ ପ୍ରାଣରନ୍ଧ୍ରରେ ଉଜ୍ଜୀବିତ।  ସ୍ନେହ ସୋହାଗର ବଳୟ ଭିତରେ ତାଙ୍କ ଅମରାତ୍ମାକୁ ଜଣେଇବା ଆମେ ଅମର୍ତ୍ତ୍ୟ ବାର୍ତ୍ତାର ପାଥେୟ ।

. . . © ଅମୃତେଶ ଖଟୁଆ ( ୨୭. ୧୨. ୨୦୨୦ )

💐💐💐

Thursday, December 24, 2020

■ ଆତ୍ମ ଗୋପନ ■

ଆତ୍ମ ଗୋପନ 
                   ✍ ଉପେନ୍ଦ୍ର କୁମାର ବସ୍ତିଆ 
********************
ଯିବି ଯିବି ବୋଲି ଆଜିଯାଏ
ଯାଇ ପାରିଲି ନାହିଁ କହିବି 
କହିବି ବୋଲି କିଛି ମନଖୋଲି 
ହେଲେ କହିବି ପାରିଲି ନାହିଁ ।
କଣ କରିବି ମୁଁ ସକାଳରୁ ରାତି 
ଦଶଟା ପାର୍ଯ୍ୟନ୍ତ କାମ ଆଉ କାମ। 
କାମର ବୋଝ ମୁଣ୍ଡାଇ ମୁଣ୍ଡାଇ ,
ସମୟର ସହ ତାଳ ଦେଇ ଦେଇ
ମୋର ଶରୀର କ୍ଳାନ୍ତ ଆଉ ମନ ଭାରକ୍ରାନ୍ତ।

ଆଉ କଣ ସେ ଦିନ ,ଅଛି ଯେ 
ଦିନ ଆମେ ମନ ଖୋଲି କଥା
ହେଉ ଥିଲେ ।ତୁମେ ନ ଡାକିଲେ 
ବି ମୁଁ ଚାଲି ଯାଇଥିଲି ତୁମ 
ପାଖକୁ ଆଉ ତୁମେ ଯାଅ ଯାଅ
ବୋଲି ଯେତେ କହିଲେ 
ମୁଁ ଘରକୁ ମନ ବଲାଉ ନ ଥିଲି ।
ଆଜି ତୁମେ ଅନୁରୋଧ କଲେବି 
ମୁଁ ଆନମନା ନୁହେଁ, ମୋ ସୁଖ ଦୁଃଖ 
ପ୍ରକାଶ କରିବାକୁ ମୋର ସରାଳତା ପଣ ନାହିଁ ।

ଏବେ ଜୀବନ ଖୁବ୍ ମାପ ଚୁପ୍
ନିଜର ସୀମା ସରହାଦଭିତରେ।
ଢେଉ ଢେଉକା ଖେଳ ଆଜି ,
ସାମାଜିକ ଶୃଙ୍ଖଳାର ଗଣ୍ଡି ଭିତରେ ।
ଆଉ ଲକ୍ଷଣ ରେଖା ଡେଇଁ
ଯିବାର ଅପଚେଷ୍ଟା ନାହିଁ ବରଂ ମୁଁ
ନିଜ ଭିତରେ ଆତ୍ମ ଗୋପନ କରି ଗଲେ
ପୃଥିବୀ ଲାଗିବ ବେଶ ନିରାପଦ ।
9692341388

ସମର୍ପଣ ( topic - 87 ଚାଟଶାଳା ) quote #quot


ପୂର୍ବକାଳେ ଜେଜେ ବାପାଙ୍କ ଅମଳେ
      ବରଗଛ ଛାଇ ତଳେ 
ମାଟି ସିଲଟକୁ ଚୁନଲଗା ଖଡ଼ି
      ପିଲା ପଢ଼ୁଥିଲେ ଦଳେ 
ଚାଟଶାଳା ଥିଲା ଅତି ମନୋରମ
     ଗୁରୁଜୀଙ୍କ ବିଦ୍ଯାବଳେ 
ଜେଜେ କହୁଥିଲେ ଚାଟଶାଳା ପରେ
     ଖେଳୁ ସାଙ୍ଗ,ସାଥି ମେଳେ 
               ‐ ରାଧା କୃଷ୍ଣ ବାୟକ

ଚାଟଶାଳା ଚିର  ଅଭୁଲା ଅକ୍ଷର
      ମନ ଅଭିଧାନେ ପୂଜ୍ୟ
ଶିକ୍ଷା ଓ ସଂସ୍କାର ସ୍ବଚ୍ଛତା ଅନ୍ତର
      ପ୍ରୋତ୍ସାହନର ପ୍ରାଜୁର୍ଯ୍ୟ
ଆଜି ଏ ବୟସ ଭରା ଅବଶୋଷ
       ନାହଁ ଫୁଲ ଝରା ଦିନ
ଅଫେରା ଅତୀତ ହୃଦେ ଯାହା କ୍ଷତ
        କଷେ ଅଙ୍କ ଅଭିମାନ
             -  ଦାଶରଥି ସାହୁ

ଅବଧାନ ପାଶେ ଖଡ଼ିଛୁଆଁ
ଇତିହାସ ଆଜି ଚାଟଶାଳା
ନିରାଡ଼ମ୍ବର ଶିକ୍ଷାର ଶୈଳୀ 
ଆଧୁନିକ ଆଳେ ଗଲା ଜଳି 
ସଂସ୍କାର,ସମ୍ମାନ,ଶିକ୍ଷା ସଞ୍ଜମ 
ଚାଟଶାଳୀ ଥିଲା ଉଚ୍ଚ ମାଧ୍ୟମ 
ପାଶ୍ଚାତ୍ୟ ସ୍ବର୍ଶରେ ଅତୀତ ସେଇ 
ଶିକ୍ଷା ବ୍ୟବସ୍ଥାରେ ପଡ଼ିଛି ଛାଇ 
            - ସନ୍ତୋଷ ପଟ୍ଟନାୟକ

ଚାଟଶାଳା ଯାଇ ଗୁରୁଜୀ ମାଧ୍ୟମେ
      ପଢିଲେ ଯେ କେତେ ପାଠ
ଶିଖିଲେ ଯେ କେତେ ଭଲ ମନ୍ଦ କଥା
       ଗୁରୁଜୀଠୁ ଖାଇ ଛାଟ
ଚାଟଶାଳାର ସେ ଗୁରୁଜୀଙ୍କ କଥା
       ମନେ ପଡେ ଆଜି ନିତି 
ପୁରୁଣା ଦିନର କଥାକୁ ଭାବିଲେ 
        ଲାଗେ ଆଜି ସବୁ ସ୍ମୃତି
                 -  ଜଗବନ୍ଧୁ ସାହୁ

ଚାହାଳୀର ଚାଟ ଗୁରୁଙ୍କର ଛାଟ 
    ସମୟ ନେଲା ଚୋରେଇ 
ଗୁରୁଭକ୍ତି ସବୁ ଚୂଲିକି ଗଲାଣି 
     ପୁରାଣ ପୋଥି ବି ନାହିଁ 
ନାହିଁ ଅଙ୍କ କଷା ପଣିକିଆ ଘୋଷା 
      ବେଦ ଧ୍ୱନି ଉଚ୍ଚାରଣ 
ଛାଟ ଧରିବାକୁ ନିଷିଦ୍ଧ ହୋଇଲା 
      ଗୁରୁ ଭୋଗନ୍ତି କଷଣ 
                - ଟୁକୁନା ସାହୁ

ପୁରୁଣା ଦିନର ପ୍ରତିଛବି ଏଯେ 
     ନାମ ଯାର ଚାଟଶାଳା 
ଯେଉଁଠି ଆରମ୍ଭ ବିଦ୍ୟାର୍ଥୀ ଜୀବନ
     ଶିକ୍ଷା ସହିତେ ଶୃଙ୍ଖଳା 
ସମୟ କ୍ରମରେ ପରିବର୍ତ୍ତନରେ
      ବଦଳିଛି ତାର ସ୍ଥିତି 
ଶିଶୁ ଜୀବନର ଅଭୁଲା ସେ ସ୍ମୃତି
     ଚାଟଶାଳା ଅନୁଭୂତି
           - ପ୍ରବୀର ମଲ୍ଲିକ୍

ସମୟ ସୁଅରେ  ବଦଳି ଯାଇଛି
     ଗାଆଁ ଚାଟଶାଳୀ ପାଠ
ବର୍ଣ୍ଣବୋଧ ଡାକ ନିରବି ଯାଇଛି
      ନାହାଁନ୍ତି ଆଉ ସେ ଚାଟ
ପଣକିଆ ଘୋଷା ଶୁଭୁନି ତ ଆଉ
     ଆଧୁନିକତାର ତାଳେ
ସଂସ୍କାର ବିହୀନ  ଚାଟ ଏଠି ଆଜି
    ଅସତ୍ ସଙ୍ଗଙ୍କ ମେଳେ 
        - ରାମ ଚନ୍ଦ୍ର ପ୍ରଧାନ

ଭିନ୍ନ ଥିଲା ଆଗ ସେହି ଚାଟଶାଳା
     ଝାଟି ମାଟି ଚାଳ ଘରେ
ଅକ୍ଷରେ ଅକ୍ଷରେ ପାଳୁଥିଲେ ଶିଷ୍ଯ 
      ଆଜ୍ଞାଦେଲେ ଗୁରୁ ଥରେ
 ମାଟି ସିଲଟକୁ  ଝଜି ପିନ୍ଧା ବସ୍ତ୍ର
        ଦେହେ କରି ପରିଧାନ
  ତ୍ରୁଟି ହେବା ମାତ୍ରେ ଦଣ୍ଡ ପାଇ ମଧ୍ୟ
          ରଖୁଥିଲେ ଗୁରୁମାନ   
ନାହିଁ ଆଉ ଏବେ ସେହି ଚାଟଶାଳା
       ସେହି  ଆଜ୍ଞାଧିନ  ଛାତ୍ର
ଗୁରୁ ଶିଷ୍ଯଙ୍କର  ସମ୍ପର୍କଟା ଯାହା
       ରହିଛି ନାଆଁକୁ ମାତ୍ର
                -  ରବିନ୍ଦ୍ର ସାହୁ

Wednesday, December 23, 2020

ସମର୍ପଣ ( topic - 86 ଶୀତ ) quote #quot


ଶୀତୁଆ ସଞ୍ଜରେ ଏ ମନ କୁଞ୍ଜରେ
        ସଜନୀଗୋ ସୁପ୍ତ ଝଡ
ନିଅଣ୍ଟିଆ ରାତି ରୋମାଞ୍ଚିତେ ରତି
        ସପନେ ଲେଉଟେ କଡ
ବିରହ ବେଦନା କରେ ଆନମନା
      ସଅଳ ସମ୍ମୁଖେ ପ୍ରିୟା
ଉଦାସେ ରଜନୀ ମୋ ପ୍ରାଣ ସଙ୍ଗିନୀ
        ପ୍ରେମେ ଶାନ୍ତ କର ହିଆ
               - ଦାଶରଥି ସାହୁ

ମୁକ୍ତ ଆକାଶେ ମୁକ୍ତା ପରି ଦିଶେ 
      ଧରଣୀ ଧାମେ ଶିଶିର 
ହସି ଯେ ଉଠନ୍ତି ସବୁଜ ବନାନୀ
      ପାଇ ଶୀତଳ ସମୀର 
ମଣ୍ଡୁକ ସୁପ୍ତରେ ଲଭଇ ଆନନ୍ଦ 
    ଶ୍ୱାନର ପ୍ରଣୟ ବେଳ 
ଖେତରେ କୃଷକ ଆତ୍ମା ତୃପ୍ତି ପାଏ 
     ହୋଇଲେ ଶସ୍ୟ ଅମଳ 
                 - ଟୁକୁନା ସାହୁ 

  ଦିନମଣୀ ତେଜ ହ୍ରାସରେ ମରତେ 
         ଧିରେ ଶୀତ ପ୍ରବେଶିଲା
   ମନ ଉନ୍ମାଦିତ ଦେହ ହନ୍ତସନ୍ତ 
      ଜୀବେ ହୋଇଲେ ଘାଇଲା
ସୀମାରେ ସୈନିକ ହିମପାତ ସାଥେ
        ସଂଘର୍ଷଟା ସାର ହେଲା
 ଶୀତର ପ୍ରକୋପେ ବୃକ୍ଷରାଜି ଦେଖ
          ପତରକୁ ପରକଲା....
               - ସନ୍ତୋଷ ପଟ୍ଟନାୟକ

ହେମନ୍ତ ଯାଇଛି  ଫେରି ଏ ଧରାରୁ 
     ଆସିଲାଣି ଏବେ ଶୀତ 
ଫୁଲର ସମ୍ଭାରେ  ପଲ୍ଲୀ ଗାଆଁ ହସେ 
      ଚାଷୀ ପୁଅ ଗାଏ ଗୀତ 
ବିଚରା ଚାଷୀଟି  ଭାରି ଖୁସି ହୁଏ 
     ଦେଖି ତା' ସୁନାର କ୍ଷେତ 
ଭୁଲିଯାଏ ସିଏ  ଅଭାବ କଷଣ 
     ଶୀତ ସଙ୍ଗେ ବସି ମିତ 
             - ରାମ ଚନ୍ଦ୍ର ପ୍ରଧାନ

ମନେ ପଡିଯାଏ ପିଲା ବେଳ କଥା
      ଆସିଲେ ମାଘୁଆ ଶୀତ
ଗାଆଁ ଦାଣ୍ଡ ଧାରେ ଧୂନି ଜାଳି ସବୁ
       ଗାଉଥିଲୁ କେତେ ଗୀତ
ଚିରା କମଳରେ ଦେହ ଢାଙ୍କି ମଧ୍ଯ
      ଲାଗୁଥିଲା ସେବେ ମଜ୍ଜା
ସଞ୍ଜ ହେଲେ ପୁଣି  ସଭିଙ୍କୁ ବସେଇ
          ଗପ କହୁଥିଲେ ଅଜା...
                    - ରବିନ୍ଦ୍ର ସାହୁ

ଶୀତୁଆ ସକାଳ ଅବା ସଞ୍ଜବେଳ
        ଓଷ୍ଠ ହୁଏ ଥରଥର 
ବାଳୁତ କାଳର ସ୍ମୃତି ମନେ ପଡ଼େ
       ଆଖି ଲୁହ ଧାରଧାର 
ଗାଆଁ ପାହାଡ଼ର ପାଦଦେଶେ ବୋହେ
          ଅଙ୍କାବଙ୍କା ନଈ ଧାର 
ମାଘ ମାସେ ପରା ବାଘ ପରି ଶୀତ
       ଦେହ ହୁଏ ଥରହର 
ଶୀତୁଆ ସକାଳ ଶିଶିର ବିନ୍ଦୁରେ
        ଦୁର୍ବାଦଳ ଝକଝକ 
ବିଲ ହିଡ଼ପରେ ଲାଜକୁଳୀ ଲତା
      ସଙ୍କୁଚିତ ରୁପ ଦେଖ 
               ‐ ରାଧା କୃଷ୍ଣ ବାୟକ

ଶୀତ ସକାଳର  କୋହଲା ପାଗରେ
        କାକର ଦେଖାଏ ଛଇ
ଶୀତ ଆସି ଏଠି ଆଲିଙ୍ଗନ କରେ
         ପ୍ରିୟା ଗଲା ଛାଡି ଦେଇ 
ଏ ଶୀତ ସକାଳେ ପାଗଳ ମୋ ମନ 
       ଖୋଜେ ପ୍ରିୟା ପ୍ରେମ ପ୍ରିତୀ
ଖାଲି ଖାଲି ଲାଗେ ପ୍ରିତୀର ପଲଙ୍କ 
    ଲାଗେ ଯେହ୍ନେ ସବୁ ସ୍ମୃତି
                  - ଜଗବନ୍ଧୁ ସାହୁ

ତୁଷାର ବିନ୍ଦୁର ମୁକ୍ତା ଆବରଣେ 
   ଧରଣୀ ରାଣୀ ହସିଲା 
ଉତ୍ତରା ପବନ କିଣେ ଜନ ମନ
   ଶୀତ ଋତୁ ପ୍ରବେଶିଲା 
ନୈସର୍ଗିକ ଶାନ୍ତି ସ୍ମିଗ୍ଧ ଅନୁଭୂତି 
   ମନୋହର ବିମୋହିତ
ଶିଶିରର ସ୍ଥିତି ହରଷେ ପ୍ରକୃତି
    ଅନନ୍ୟ ଋତୁ ଏ ଶୀତ
                   - ପ୍ରବୀର ମଲ୍ଲିକ୍

Monday, December 21, 2020

ସମର୍ପଣ ( topic - 85 ନଟନାଗର ) quote #quot



ହେ ନଟନାଗର ସ୍ରଷ୍ଟା ଏ ସୃଷ୍ଟିର
      ସର୍ଜନାକୁ ଧନ୍ଯ ତୁମ
ତୁମେ ଭିଆଇଛ  ଶାଶ୍ୱତ ଓ ସ୍ୱଚ୍ଛ
     ଅଢେଇ ଅକ୍ଷର ପ୍ରେମ
ଦେବକୀ ନନ୍ଦନ ଯଶୋଦାର ଧନ
      ରାଧା ତୁମ ବିନା ଅଧା
ମହାଭାରତର ମହାନାୟକ ହେ
      ଧର୍ମ ସ୍ଥାପନ ପୁରୋଧା
              -  ଦାଶରଥି ସାହୁ

ଧର୍ମ ସଂସ୍ଥାପକ ହେ' ଶ୍ରେଷ୍ଠ ନାୟକ 
       ସର୍ଜନା ତୁମ ବିରଳ 
ଅଷ୍ଟପାଟ ରାଣୀ ପାଦକୁ ସେବନ୍ତି 
    ତୁମ ପ୍ରେମେ ହୋଇ ଭୋଳ 
ଆହେ ନଟବର ରୁକ୍ମଣୀ ନାଗର 
       ରାଧା ରହି ଗଲା ଅଧା 
ମୀରାବାଇ ପୁଣି ତୁମ ପ୍ରୀତି ପାଇଁ 
        ପାଇଲା ଅଶେଷ ନିନ୍ଦା
                   - ଟୁକୁନା ସାହୁ

ମୟୁର ଚୂଳିଆ ଭାରି ଅଝଟିଆ 
    ନନ୍ଦଲାଲା ନଟ ନାଗର 
ରାଧିକା ଜୀବନ ମୀରାବାଇ ମନ 
    ତୁମ ଲୀଳା ସତେ ଅପାର 
ନବ ଛଇଳିଆ ସରପୁଳି ଖିଆ 
    କ୍ଷମାନିଧି ଗୁଣ ସାଗର 
ସଂସାର ରକ୍ଷକ ହେ ମହା ନାୟକ 
     ତୁମ ବିନା ସବୁ ଅସାର 
             - ରାମ ଚନ୍ଦ୍ର ପ୍ରଧାନ

ଭବ ସାଗରରୁ ପାରି ହବା ପାଇଁ 
      ଲୋଡ଼ା ଟିକେ ଭକ୍ତି ଭାବ 
ମଉନ ହୋଇଣ ବସିଚି କାଳିଆ
         ଭାବ ଟିକ ପରଖିବ 
ତ୍ରେତୟାରେ ଥିଲା ସେ' ପୁରୁଷୋତ୍ତମ 
       ସତ୍ୟରେ ଦୟା-ସାଗର 
କଳି କାଳେ ସିଏ ମନୁଆ ଠାକୁର 
         ଦ୍ବାପରେ ନଟନାଗର 
            - ସନ୍ତୋଷ ପଟ୍ଟନାୟକ

ନଟନାଗର ସେ  ନାଟୁଆ କହ୍ନେଇ 
     ଗୋପୀଙ୍କର ହାଣ୍ଡି ଭାଙ୍ଗେ
ପୀରତି ରଚଇ ଯମୁନା ଘାଟରେ
      ନିତି ଗୋପୀଙ୍କର ସଙ୍ଗେ
ଗିରିଧାରି ପୁଣି  ଲବଣି ଚୋର ସେ 
         ନନ୍ଦରାଜା ଗେହ୍ଲାପୁଅ 
ବଂଶୀସୁରେ ତାର ଗୋପପୁରେ ନିତି
         ଉଛୁଳେ ପ୍ରେମର ସୁଅ
                  - ଜଗବନ୍ଧୁ ସାହୁ 

ନଟନାଗରହେ ନନ୍ଦଙ୍କ ନନ୍ଦନ
    ଯଶୋଦାର ଗଳାଧନ 
ନଟବର ତୁମେ ନଟକୁଟିଆହେ
      ସୁନ୍ଦର ବଂଶୀ ବାଦନ 
ଦ୍ବାପରରେ ପାପି କଂସକୁ ନିଧନ
      ରଚିଗଲ କିର୍ତ୍ତିନାମ 
ଧନ୍ଯ ଧନ୍ଯ ପ୍ରଭୁ ଦେବକୀ ନନ୍ଦନ
    ହେ ବାସୁଦେବାୟ ନମଃ 
                  ‐ ରାଧାକୃଷ୍ଣ ବାୟକ

ଭାରି ନଟିଆ ସେ ନଟ ନାଗରଲୋ
      ଗୋପେ ପଡୁଅଛି ହାଲା
ସହସ୍ର ଗୋପୀଙ୍କୁ ସାଥିରେ ନେଇକି
     କୁଞ୍ଜେ ଲଗୋଉଛି ପାଲା
ବଇଁଶୀ ଖଣ୍ତିକ ହାତରେ ଧରିଲୋ
       କି' ମନ୍ତର ସେ' ଫୁଙ୍କେ
ସେହି ବଂଶୀ ଶୁଣି ଗୋପୀଙ୍କର ମନେ
      ପୀରତି ଜୁଆର ଉଙ୍କେ
                  -  ରବିନ୍ଦ୍ର ସାହୁ

Sunday, December 20, 2020

■ କମଳ ଓ କଇଁ ■✍ ଉପେନ୍ଦ୍ର କୁମାର ବସ୍ତିଆ

■ କମଳ ଓ କଇଁ ■ ✍ ଉପେନ୍ଦ୍ର କୁମାର ବସ୍ତିଆ 

ସରସୀରେ ଦିନେ କମଳ କଇଁକୁ 
ପଚାରିଲା ହସି ହସି 
କହିବୁକି କଇଁ ତୋର ମୁଖ ଚାହିଁ 
ଶଶୀ କିମ୍ପା ଉଠେ ହସି  ? 

କହେ ନୀଳକଇଁ  ମଥାକୁ ନୂଆଇଁ 
ଏତେ ବଡ଼ ଲାଜକଥା 
କିପରି କହିବି ଆଲୋ ଏ କମଳ 
ନଇଁ ଯାଏ ମୋର ମଥା 

ଯେଉଁ କାରଣରୁ ସୂରୁଯ ଚାହାଁଣୀ 
ତୋ ଦେହେ ହୋଇଛି ନେସି 
ସେଇ କାରଣରୁ ମୋ'ପ୍ରିୟ ସରଗୁ 
ମୋତେ ଦେଖି ଉଠେ ହସି 

କମଳ ବୁଝିଲା ନିଜ ମନକଥା 
କହିଲା ଆଲୋ ହେ' କଇଁ 
ତୋ'ପ୍ରିୟ ଦୂରରେ ମୋ'ପ୍ରିୟ ଦୂରରେ 
ଅପଲକେ ସିନା ଅଛନ୍ତି ଚାହିଁ 
ନପାରନ୍ତି କେବେ ଛୁଇଁ 

କମଳ ବୁଝିଲା କଇଁବି ବୁଝିଲା 
ନିଜ ନିଜ ମନକଥା 
ନୈସର୍ଗିୟ ପ୍ରେମ ରହିଛି ଅମର 
ଇତିହାସ ଗାଏ ଗାଥା

Saturday, December 19, 2020

● ଶ୍ରୀଫଳ ●

ଶ୍ରୀଫଳ— (ଶ୍ରୀୟୁକ୍ତ ଫଳ ୟାହା ; )
1) ବିଲ୍ବ; ବେଲ (ଗଛ ଓ ଫଳ)— The Bael (fruit and tree); Aegle Marmelos. 
[ଦ୍ର— ପୁରାଣରେ ଅଛି ଯେ ଲକ୍ଷ୍ମୀ ବିଷ୍ଣୁଙ୍କ ପରାମର୍ଶରେ ଜାଗର ଯାତ୍ର ବା ଶିବଚର୍ତୁଦ୍ଦଶୀ ଦିନ ଏକପଦ୍ମ (ସଂଖ୍ୟା) ଫୁଲ ଦ୍ବାରା ଶିବଙ୍କ ପୂଜା କରିବାକୁ ବସିଲେ। ମହାଦେବ ଲକ୍ଷ୍ମୀଙ୍କ ଭକ୍ତି ପରୀକ୍ଷା କରିବାକୁ ସେଥିରୁ ଦୁଇଟି ଫୁଲ ହରଣକରି ନେଲେ। ଲକ୍ଷ୍ମୀ ପୂଜାରେ ବସି ଦେଖିଲାବେଳକୁ ଦୁଇଟି ଫୁଲ ନିଅଣ୍ଟ ଅଛି। ଏକପଦ୍ମ ଫୁଲରେ ପୂଜା ନକଲେ ସଂକଳ୍ପରେ ବାଧା ପଡ଼ିବ ଓ ପୂଜା ଖଣ୍ଡିତ ହେବ ବୋଲି ଲକ୍ଷ୍ମୀ ଆପଣାର ସ୍ତନ ଯୋଡ଼ିକ କାଟି ଏକପଦ୍ମ ଭରଣା କଲେ। ଏହା ଦେଖି ମହାଦେବ ଆବିର୍ଭୁତ ହୋଇ ସନ୍ତୋଷରେ ନିଜେ ଫୁଲ ଦୁଇଟି ନେଇ ଯାଇଥିବା କଥା ମାନିଲେ ଏହଂ ଲକ୍ଷ୍ମୀଙ୍କୁ ବର ଦେଲେ; ମୋ ବର ପ୍ରଭାବରୁ ତୁମ୍ଭେ ସ୍ତନ ଦୁଇଟି ତୁମ୍ଭେ ପ୍ରାପ୍ତ ହୁଅ ଏବଂ ଛେଦିତ ସ୍ତନ ମୂର୍ତ୍ତିମତୀ ଭକ୍ତିରୂପରେ ଶ୍ରୀଫଳ ନାମରେ ଅଭିହିତ ହେଉ ଏବଂ ବେଲର ପତ୍ର ମୋର ପ୍ରିୟତମ ପୂଜାସାମଗ୍ରୀ ହେଉ।]
  ଏହି ରୂପେ ଅନ୍ୟ ଚାରି ପ୍ରକାର ଫଳକୁ ମଧ୍ୟ ଶ୍ରୀଫଳ କୁହାଯାଏ 👇
 2) ରାଜାଦନୀ; କ୍ଷୀରକୋଳି —
( Mimusops Hexandra (tree)
 3) ଅଅଁଳା —( Embelic Myrobalan (a berry)
4) କଞ୍ଚା ଗୁଆ— (Row betel nut fruit )
 5) ନଡ଼ିଆ— 5. Cocoanut 
(ସଂଗୃହୀତ ତଥ୍ୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ  ଏବଂ ଗରୁଡ଼ପୁରାଣ)  
  ସଂଗ୍ରାହକ: ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ ।

■ କାଷ୍ଠ କୋଣାର୍କ ■ ( ବିରଞ୍ଚି ନାରାୟଣ ମନ୍ଦିର )

#ସଂସ୍କୃତି ଓ କଳାର ଭୂମି:ଗଞ୍ଜାମ
#ଓଡ଼ିଶାର #ଦ୍ଵିତୀୟ କୋଣାର୍କ (ସୂର୍ଯ୍ୟ ମନ୍ଦିର)
 #ବୁଗୁଡ଼ା #ଗଞ୍ଜାମ
         -------------------------- 
ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ସହରରେ ପ୍ରସିଦ୍ଧ ବିରଞ୍ଚି ନାରାୟଣ ମନ୍ଦିର ରହିଛି । ବୁଗୁଡ଼ା ସହର ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରୁ ୯୨ କିଲୋମିଟର୍ ଦୂରରେ ଅବସ୍ଥିତ । ଓଡ଼ିଶାରେ ରହିଥିବା ତିନୋଟି ପ୍ରମୁଖ ସୂର୍ଯ୍ୟ ମନ୍ଦିର ମଧ୍ୟରେ ଏହା ଅନ୍ୟତମ । ଅନ୍ୟ ଦୁଇଟି ମନ୍ଦିର ହେଲା - କୋଣାର୍କ ମନ୍ଦିର ଓ ପାଳିଆର ବିରଞ୍ଚି ନାରାୟଣ ମନ୍ଦିର ।

ଓଡ଼ିଶାରେ କୋଣାର୍କ ମନ୍ଦିର ପରେ ସୂର୍ଯ୍ୟଙ୍କ ଉପାସନା ପାଇଁ ନିର୍ମିତ ଦ୍ୱିତୀୟ ମନ୍ଦିର ହେଲା ବୁଗୁଡ଼ାର ବିରଞ୍ଚି ନାରାୟଣ ମନ୍ଦିର । ତେଣୁ ଏହାକୁ ଲୋକେ ଦ୍ୱିତୀୟ କୋଣାର୍କ ବୋଲି ମଧ୍ୟ କୁହନ୍ତି । ମୁଖ୍ୟ ମନ୍ଦିରର ଅଧିକାଂଶ ଭାଗ କାଠରେ ତିଆରି ହୋଇଥିବାରୁ ଏହି ମନ୍ଦିରଟି କାଷ୍ଠ କୋଣାର୍କ ନାମରେ ମଧ୍ୟ ବେଶ୍ ପରିଚିତ । ପ୍ରଭୁ ବିରଞ୍ଚି ନାରାୟଣଙ୍କୁ କେତେକ ଭକ୍ତ ସୂର୍ଯ୍ୟ ନାରାୟଣ ମଧ୍ୟ କୁହନ୍ତି ।

ଏହି ମନ୍ଦିର ନିକଟରେ ଏକ ଜଗନ୍ନାଥ ମନ୍ଦିର ମଧ୍ୟ ରହିଛି । ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ପ୍ରାଙ୍ଗଣ ମଧ୍ୟରେ ଏକ କୂପ ଅବସ୍ଥିତ । ଏହି କୂପରେ ରହିଥିବା କୁର୍ମ ,ଶ୍ରୀକ୍ଷେତ୍ରରୁ ଆସିଛନ୍ତି ବୋଲି ଲୋକଙ୍କ ବିଶ୍ୱାସ ।

୧୭୯୦ ମସିହାରେ ରାଜା ଶ୍ରୀକର ଭଞ୍ଜଦେବଙ୍କଦ୍ୱାରା ଏହି ମନ୍ଦିରର ନବୀକରଣ କରାଯାଇଥିଲା । ମନ୍ଦିରର ମୁଖ୍ୟ ଦେବତା ହେଲେ ବିରଞ୍ଚି ନାରାୟଣ ବା ସୂର୍ଯ୍ୟ ଦେବ । ଏହି ମନ୍ଦିରରେ ସ୍ଥିତ ସୂର୍ଯ୍ୟଙ୍କ ପ୍ରତିମା କଳା ମୁଗୁନି ପଥର (ଗ୍ରାନାଇଟ୍)ରେ ତିଆରି । ଘୁମୁସର ଗଡଜାତ ରାଜ୍ୟର କେନ୍ଦୁପଦର ନିକଟସ୍ଥ ମାଳତି ପାହାଡରେ ଖ୍ରୀଷ୍ଟାବ୍ଦ ୮୫୦ରୁ ୮୮୫ ମଧ୍ୟରେ ମାଳତିଗଡ ଦୁର୍ଗ ନିର୍ମିତ ହୋଇଥିଲା । କିନ୍ତୁ ସମୟକ୍ରମେ ଦୁର୍ଗଟି ନଷ୍ଟ ହୋଇଯାଇଥିଲା । ସେହି ଭଗ୍ନାବଶେଷ ମଧ୍ୟରେ ପୋତି ହୋଇ ରହିଥିବା ବିରଞ୍ଚି ନାରାୟଣଙ୍କ ପ୍ରତିମା ପରବର୍ତ୍ତୀ ସମୟରେ ଉଦ୍ଧାର କରାଯାଇ ଏହି ମନ୍ଦିରରେ ସ୍ଥାପିତ ହେଲା । ସାତଗୋଟି ଅଶ୍ୱଙ୍କଦ୍ୱାରା ଟଣାଯାଉଥିବା ରଥ ସଦୃଶ ନିର୍ମିତ ଏହି ମନ୍ଦିରରେ ସୂର୍ଯ୍ୟଙ୍କ ସାରଥି ଅରୁଣ ମଧ୍ୟ ବିଦ୍ୟମାନ । ରଥର ବାମ ପାର୍ଶ୍ୱର ଚକ ଦୃଶ୍ୟମାନ ।

          ୪୬ଟି ସ୍ତମ୍ଭର ସହାୟତାରେ ମନ୍ଦିରର ଛାତ ନିର୍ମିତ ହୋଇଛି । ଆକାର ଦୃଷ୍ଟିରୁ ୧୪ଟି ସ୍ତମ୍ଭ ବଡ ହୋଇଥିବା ବେଳେ ଓ ୩୨ଟି ସ୍ତମ୍ଭ ଛୋଟ । ମନ୍ଦିରର ଛାତରେ କାଠରେ ତିଆରି ଖୁବ୍ ସୁନ୍ଦର କାରୁକାର୍ଯ୍ୟ ରହିଛି । କୋଣାର୍କର ସୂର୍ଯ୍ୟ ମନ୍ଦିର ପୂର୍ବମୁଖୀ ହୋଇଥିବା ବେଳେ ବୁଗୁଡ଼ାର ବିରଞ୍ଚି ନାରାୟଣ ମନ୍ଦିର ପଶ୍ଚିମ ଦିଗକୁ ମୁହାଁଇଛି । ତେଣୁ ଉଦିତ ସୂର୍ଯ୍ୟଙ୍କ ପ୍ରଥମ କିରଣ କୋଣାର୍କ ମନ୍ଦିରର ପ୍ରତିମା ଉପରେ ପଡୁଥିବା ବେଳେ ଅସ୍ତମିତ ସୂର୍ଯ୍ୟଙ୍କ କିରଣ #ବିରଞ୍ଚି ନାରାୟଣଙ୍କ ପ୍ରତିମାର ଚରଣ ସ୍ପର୍ଶ କରିଥାଏ ।

ରାଜାଙ୍କ ମନୋବାଞ୍ଛା ଅନୁସାରେ ମନ୍ଦିରର ମୁଖ୍ୟ ପ୍ରତିମା କାଠରେ ତିଆରି ହୋଇଥିଲା । କିମ୍ବଦନ୍ତୀ ଅନୁସାରେ ସେହି କାଠର ମୂର୍ତ୍ତିରୁ ହିଁ ବର୍ତ୍ତମାନ ସ୍ଥାପିତ ପ୍ରସ୍ତର ମୂର୍ତ୍ତିର ଉଦ୍ଭବ ହୋଇଛି । କେତୋଟି ସ୍ତମ୍ଭ ଓ ଚଟ୍ଟାଣକୁ ଛାଡିଦେଲେ ମନ୍ଦିରର ଅନ୍ୟ ଅଂଶ କାଠରେ ନିର୍ମିତ । ମନ୍ଦିରଟି କାଠରେ ଅତି ସୁନ୍ଦର କାରୁକାର୍ଯ୍ୟ ଏବଂ କାନ୍ଥରେ ଅଙ୍କିତ ସୁନ୍ଦର ଭିତ୍ତିଚିତ୍ର ପାଇଁ ପ୍ରସିଦ୍ଧ । ମନ୍ଦିରର କାନ୍ଥରେ ରାମାୟଣରେ ବର୍ଣ୍ଣିତ ସୀତାଙ୍କ ସ୍ୱୟମ୍ବର, ରାମଙ୍କ ହାତରେ ମାୟାମୃଗ ବଧ ହେବା, ସୀତା ହରଣ, ସମୁଦ୍ର ଉପରେ ବାନର ସେନାର ସେତୁ ନିର୍ମାଣ, ରାମ-ରାବଣ ଯୁଦ୍ଧ ଆଦିର ଚିତ୍ର ରହିଛି । ଆଉ ଏକ ଚିତ୍ରରେ ରାମ ଓ ଲକ୍ଷ୍ମଣ ଯୋଦ୍ଧାମାନଙ୍କୁ ପାଛୋଟିବାର ଦୃଶ୍ୟ ବର୍ଣ୍ଣିତ ହୋଇଛି । ମନ୍ଦିରର ପଶ୍ଚିମ ପାର୍ଶ୍ୱର କାନ୍ଥରେ କୃଷ୍ଣଲୀଳାର ସୁନ୍ଦର ଚିତ୍ର ଅଙ୍କିତ ହୋଇଛି । ଉତ୍ତର ପଟର କାନ୍ଥରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାର ଚିତ୍ର ଅଙ୍କିତ । 

ଓଡ଼ିଶାରେ କାଷ୍ଠ କାରୁକାର୍ଯ୍ୟର ଏହି ମନ୍ଦିର ପ୍ରଥମ ଉଦାହରଣ ବୋଲି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଓ ଜଣାଶୁଣା ଐତିହାସିକ ଅମୀୟ କୁମାର ପଟ୍ଟନାୟକଙ୍କ ମତପୋଷଣ କରିଛନ୍ତି ।

            ଏଠାରେ ମାଘ ମାସରେ ମାଘ ସପ୍ତମୀ ବା ରଥ ସପ୍ତମୀ ପାଳନ କରାଯାଏ । ପୌଷ ମାସରେ ଶାମ୍ବ ଦଶମୀ ପାଳିତ ହୋଇଥାଏ । ଶ୍ରୀକୃଷ୍ଣଙ୍କ ପୁଅ ଶାମ୍ବ କୁଷ୍ଠ ରୋଗରେ ଆକ୍ରାନ୍ତ ହେବାପରେ ଏହି ଦିନ ସୂର୍ଯ୍ୟଙ୍କ ପୂଜା କରି ଆରୋଗ୍ୟ ଲାଭ କରିଥିଲେ ବୋଲି କିମ୍ବଦନ୍ତୀ ରହିଛି । ଏହି ମନ୍ଦିରରେ ପ୍ରତି ରବିବାର ଓ ସଂକ୍ରାନ୍ତିରେ ପୂଜା ଅନୁଷ୍ଠିତ ହୁଏ । ଏହା ବ୍ୟତୀତ ଏହି ମନ୍ଦିରରେ ଦଣ୍ଡଯାତ୍ରା, ଦୁର୍ଗା ପୂଜା, କାଳୀ ପୂଜା ମଧ୍ୟ ପାଳନ କରାଯାଏ ।

ସମର୍ପଣ ( topic - 84 ହବିଷ ) quote #quot



ବ୍ରତ ଏ ହବିଷ ଆତ୍ମା ଯେ ସନ୍ତୋଷ
     ମାହାତ୍ମ୍ଯ କାର୍ତ୍ତିକେ କିର୍ତ୍ତି
ନିର୍ବିଘ୍ନେ ଆଶ୍ରିତ ଅପସରେ କ୍ଷତ
     ସୁଖ ପଥେ ହୁଏ ଯାତ୍ରି
କିଞ୍ଚିତାଏ  ଜନେ କାୟ ବାକ୍ଯ ମନେ
      ହୃଦୟରୁ ହବିଷ୍ଯାଳି
ବାକି ଦେଖାଣିଆ ଅଦିନ କୁଣିଆ
       କପଟେ କୋକିଶିଆଳି
             - ଦାଶରଥି ସାହୁ

ଶୁଣ ସୁଜନେ ହବିଷ ବିଧି 
ବୈଶାଖ ,ମାଘ, କାର୍ତ୍ତିକ ନିଧି 
ଉତ୍କଳୀୟଙ୍କ ସଂସ୍କୃତି ଚାବି
ବ୍ରହ୍ମଚର୍ଯ୍ୟ ରକ୍ଷା ଭକ୍ତିର ଛବି 
ସାର୍ତ୍ତ୍ବିକବସ୍ତୁର ଭୋଜନ ବିଧି 
କୁଶାସନେ ବସା ଭୋଜନ ଶୁଦ୍ଧି 
ମୁଗଡାଲି ସାଥେ କଦଳୀ ଓଉ 
ଅଫୁଟା ତିଅଣେ ବଢଇ ଭାଉ 
         -  ସନ୍ତୋଷ ପଟ୍ଟନାୟକ

ପୁଣ୍ୟ କାର୍ତ୍ତିକର  ଏ ହବିଷ ବ୍ରତ 
     ଜୀବନରେ ଶାନ୍ତି ଆଣେ 
ସାତ୍ବିକ ଆହାରେ ହବିଷ୍ୟାଳି ମନ
      କାର୍ତ୍ତିକ ପୁରାଣ ଶୁଣେ 
ପରମ୍ପରା ଭରା  ଉତ୍କଳ ସଂସ୍କୃତି 
      ବିଶ୍ୱେ ସଦଭାବ ବୁଣେ 
ହବିଷର ବିଧି  ପାଳି ହବିଷ୍ୟାଳି 
    ଆନନ୍ଦରେ ଦିନ ଗଣେ 
            - ରାମ ଚନ୍ଦ୍ର ପ୍ରଧାନ

ବୟସର ଅପରାହ୍ନ
ଦୁଃଖ ଯାଏ ବଳି
ରୋଗ ଗ୍ରସ୍ତ ଶରୀରରୁ 
ଲୁହ ଯାଏ ଢଳି 
ମୁକ୍ତି ପାଇଁ ପ୍ରାଣ ପକ୍ଷୀ 
ହୁଅଇ ଆତୁର 
ହବିଷ କରଇ ଦେଖ
ଚିତ୍ତ କରି ସ୍ଥିର 
       - ଟୁକୁନା ସାହୁ

କାର୍ତ୍ତିକେ ହବିଷ ନ'ଖାଅ ଆମିଷ
     ବ୍ରାହ୍ମ ମୂହୁର୍ତ୍ତରୁ ସ୍ନାନ
ପିଆଜ,ରସୁଣ ଅଫୁଟା ତିଅଣ
     କର ସାର୍ତ୍ତ୍ବିକ ଭୋଜନ 
ମାସଙ୍କ ମଧ୍ଯରେ ଅଟେ ପୁଣ୍ଯ ମାସ
      ଭଜୁଥାଅ ହରିନାମ 
ସେ'ନାମ ଜପିଲେ ଏ'ଭବ ସାଗରୁ
       ଉଦ୍ଧାରିବୁ ବାଇମନ 
                 ‐ ରାଧା କୃଷ୍ଣ ବାୟକ

ଆଶିଣ କାର୍ତ୍ତିକ ମାଘ ଓ  ବୈଶାଖ 
        ଅଟଇ ହବିଷ ମାସ
ଚାରି ମାସେ ଧର୍ମ କର ହେ ଅର୍ଜନ 
        ମିଳିବ ପ୍ରଭୁ ଆଶିଷ
ତାଙ୍କରି ଆଶିଷେ ତୁମ ଜୀବନରୁ 
          ହଟିବ ଦୁଃଖ କସଣ
ଶେଷ ସମୟରେ ସ୍ବଂୟମ୍  ଲକ୍ଷ୍ମୀକାନ୍ତ 
         କରିବେ ମାର୍ଗ ଦର୍ଶନ
            -  ଜଗବନ୍ଧୁ ସାହୁ

 ହବିଷ ନାମରେ ଏକଅନ୍ନୀ ବ୍ରତ 
    ନିରାମିଷ ଭୋଜ ଖାଇ
କାର୍ତ୍ତିକ ମାହାତ୍ମ୍ୟ ବ୍ରହ୍ମଚର୍ଯ୍ୟ ବ୍ରତ 
    ବିଧବା ବୃଦ୍ଧା ପାଳଇ 
ସଂଯମ ଆଚରି ମନେ ଭକ୍ତି ଭରି  
     ହବିଷ ବ୍ରତେ ଯେ ବ୍ରତୀ 
ପୁରାଣେ ବର୍ଣ୍ଣିତ ସମ୍ପୂର୍ଣ୍ଣିଲେ ବ୍ରତ 
       ହୁଏ ବଇକୁଣ୍ଠ ପ୍ରାପ୍ତି        
               - ପ୍ରବୀର ମଲ୍ଲିକ୍

ମାସରେ କାର୍ତ୍ତିକ ପୂଣ୍ଯର ପ୍ରତୀକ
       ତହିଁରେ ହବିଷ ବ୍ରତ
ନର ହେଉ ନାରୀ ବିଭୁଙ୍କୁ ସୁମରି
        ରୁହନ୍ତି ଏଥିରେ ରତ
ଶାଗ,ଓଉ,ସାରୁ ମୂଳା,ଦେଶିଆଳୁ 
       ଅରୁଆ ହବିଷ ଅର୍ଣ୍ଣ
ରାଈ ଦାମୋଦରେ ମଙ୍ଗଳ ମନାସି
       ଅରଜନ୍ତି କେତେ ପୁଣ୍ୟ
                 - ରବିନ୍ଦ୍ର ସାହୁ

Friday, December 18, 2020

■ ମନର ମୂଳେ ଏ'ଜଗତ ■

"ମନର ମୂଳେ ଏ ଜଗତ"

ଆମେ ଅର୍ଥାତ୍ ମଣିଷ ମାନେ ସାମାଜିକ ପ୍ରାଣୀ।  ସମାଜ ଭିତରର ନୀତି ନିୟମ ସବୁ ଆମେ ତିଆରି କରୁ ଯାହାକି ସମାଜରେ ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ହିଁ ଲକ୍ଷ୍ୟ ହୋଇଥାଏ । ଏଥିପାଇଁ ଆମ ମନର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରତ୍ୟେକ କଥାର ବା କାମର ନକରାତ୍ମକ ବା ସକରାତ୍ମକ ଚିନ୍ତାଧାରା ଥାଏ । ଯଦି ମନ ସବୁବେଳେ ସକରାତ୍ମକ ଚିନ୍ତାଧାରାରେ ରହେ ତାହେଲେ ଜଗତର ମଙ୍ଗଳ ସୁନିଶ୍ଚିତ। 

          ଏହି ଧାରାରେ "ମନ" ମୁଖ୍ୟ ଭୁମିକା ନିର୍ବାହ କରେ । ପୌରାଣିକ କାହାଣୀ ହେଉ କି ଐତିହାସିକ କାହାଣୀ ଅବା ସାମାଜିକ କାହାଣୀ ସବୁଠି ମନର ଉପସ୍ଥିତି ରହିଛି।  ସମ୍ରାଟ ଅଶୋକ ମନ ପରିବର୍ତ୍ତନ ତଥା ସକାରାତ୍ମକ ଧାରାରେ ଧର୍ମାଶୋକ ରୂପେ ପ୍ରତିଷ୍ଠା ପାଇଛନ୍ତି । ଦୁର୍ଯ୍ଯୋଧନ ଓ ଶକୁନିର ନକରାତ୍ମକ ଧାରା ପାଇଁ ଆଜି  ସମାଜ ସେମାନଙ୍କୁ ଖଳନାୟକ ବୋଲି କହୁଛି । ଏଭଳି ଅନେକ କାହାଣୀ ଆମକୁ ଅନେକ ଶିକ୍ଷାଦିଏ କିନ୍ତୁ ମନ ଯେଉଁଭଳି ଗ୍ରହଣ କରିବ ବା ପାଳନ କରିବ ସେହି ହିସାବରେ ସମାଜ ଉପକୃତ ହେବ । 

           ମନ ହିଁ ଜୀବନର ଲକ୍ଷ୍ୟ ସ୍ଥଳ ନିର୍ଣ୍ଣୟ କରିବାରେ ସର୍ବୋତ୍ତମ ଭୂମିକା ଗ୍ରହଣ କରିଥାଏ । ମନ ସ୍ଥିର କରି ବୈଜ୍ଞାନିକ ତାର ସଫଳତା ହାସଲ କରେ ଏବଂ ସନ୍ୟାସୀ ମୋକ୍ଷ ଲାଭ କରେ । ଏଣୁ ମନର ମୂଳେ ହିଁ  ଏଜଗତ ତିଷ୍ଠିଛି।  

   ✍ ଜିନି ପଟ୍ଟନାୟକ, ଗଞ୍ଜାମ

■ ⚘ଅମୂଲ ମୂଲ ⚘■ ✍ ଉପେନ୍ଦ୍ର କୁମାର ବସ୍ତିଆ

☘ ଅମୁଲମୁଲ ☘  ✍ଉପେନ୍ଦ୍ର କୁମାର ବସ୍ତିଆ 
☆☆☆☆☆☆☆☆☆☆☆☆☆☆☆☆☆

ସଂସାରରେ ଯାହା କିଛି ଗଢ଼ିଛନ୍ତି ବିହି 
ଗଣି ଗଢି ଗଢାଇବା ପାରେନାହିଁ କେହି 
ପୁଷ୍ପ ମଧ୍ୟେ ସୁଗନ୍ଧଟି ରହି ଅଛି ଭରି 
ବିହି ହାତେ ଗଢ଼ା ସେ ଯେ କିଏ ପାରେ କରି ! ॥

ଧନ-ରତ୍ନ ତା ପାଖରେ ନୁହଁଇଟି ସରି 
ଅମୂଲମୂଲ ତାହାର କିଏ ଦେଇ ପାରି, !
ରଙ୍ଗ ବେରଙ୍ଗର ପକ୍ଷୀ ଅଛି କେତେ କେତେ 
ସେପରି କିଏସେ ଗଢି ପାରିବକି ସତେ ! ॥

ଉର୍ଦ୍ଧରେ ନୀଳ ଆକାଶ ପାରାବାର ତଳେ 
ସେପରି ଆଉକେ ଗଢି ପାରେକି କୌଶଳେ !
ପ୍ରଭାତେ ଉଦୟ ଭାନୁ ,ଚନ୍ଦ୍ର ସନ୍ଧ୍ୟା କାଳେ 
ଖଞ୍ଜି ପାରିବକି ତାରା ,ବିଦ୍ୟା ବୁଦ୍ଧି ବଳେ ! ॥

ଜୀବ ପାଇଁ ଗଢ଼ା ସେ ଯେ ତାମୂଲ ଅମୂଲ 
ଜଗତେ ତାହାର ସଙ୍ଗେ କେହି ନୁହେଁ ତୁଲ 
 ପତ୍ର, ଫୁଲ, ଫଳ ଯେଣୁ ବୃକ୍ଷ ଅଛି ଭରି 
ଅପରୂପ ବସ୍ତୁ ଆଉ କେପାରେ ତିଆରି ! ॥ 

ଜୀବଜଗତ ପାଇଁକି ସେ ମୂଲ ଅମୂଲ 
ଅନ୍ୟ ଆଉ କିଏ ଅବା ହେବନାହିଁ ତୁଲ 
ଜନ୍ମଦାତା ପିତା ମାତା ଗଢ଼ିଛନ୍ତି ବିହି 
ଦୁନିଆଁରେ ତାଙ୍କ ପରି ସରି ହେବ କେହି ! ॥

ସ୍ନେହ ଅଟଇ ତାଙ୍କର ଯେ ଅମୂଲ ମୂଲ
ସଂସାରରେ ଆଉ କିଛି ନୁହେଁ ତାହା ତୁଲ 
ସଂସାରରେ ଛୋଟ ବଡ଼ ଅଟେ ବହୁ ମୂଲ୍ୟ 
ଶ୍ରମ ବଳେ ପ୍ରାଣୀକୁ ହିଁ ମିଳେ ତାହା ମୂଲ୍ୟ  ॥

Thursday, December 17, 2020

■ମହାଲକ୍ଷ୍ମୀ ପୂଜାର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ■

#ଲକ୍ଷ୍ମୀପୂଜା । ତଥ୍ୟ ସୌଜନ୍ୟ:
           ଐତିହାସିକ ପ୍ରଫେସର ଡ. କୃଷ୍ଣ ଚରଣ ସାହୁ

~ ମହାଲକ୍ଷ୍ମୀ ପୂଜାର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ~

ମାର୍ଗଶୀରମାସ ଶସ୍ୟ ଅମଳର ଚୂଡ଼ାନ୍ତ ପର୍ଯ୍ୟାୟ । କେଦାରେ କେଦାରେ ପକ୍ୱଧାନର ସୁନାରଙ୍ଗୀ ଢେଉ । ଆକାଶ ଥାଏ ମେଘମୁକ୍ତ, ଦକ୍ଷିଣାୟନ ସୂର୍ଯ୍ୟର କଅଁଳ ଉତ୍ତାପ, ପବନରେ ଶୀତାର୍ତ୍ତ ଶୁଷ୍କତା । ପୁଷମାସ ସୁଦ୍ଧା ଫସଲ ଅମଳ ସମୁଦାୟ ଶେଷ । ସେଥିପାଇଁ ଆମର ପ୍ରବାଦଟିଏ ଅଛି 'କାହାର ପୁଷମାସ, କାହାର ସର୍ବନାଶ' ।ପୁଷମାସରେ ମହାଲକ୍ଷ୍ମୀ ପ୍ରାୟ କାହାରିକୁ ଅନାହାରରେ ରଖନ୍ତି ନାହିଁ । ସୁତରାଂ ଏହାର ଅବ୍ୟବହିତ ପୂର୍ବରୁ ଲକ୍ଷ୍ମୀ ଉପାସନାର ବେଳା । ଲକ୍ଷ୍ମୀଙ୍କର ବାହନ ହେଲା ପେଚା । ଗୋଟିଏ ପେଚା ଦିନକୁ ଅନ୍ୟୂନ ସତରଟି ମୂଷାକୁ ଅକ୍ଳେଶରେ ଉଦରସ୍ଥ କରିପାରେ ବୋଲି ପ୍ରାଣୀବିଜ୍ଞାନୀମାନଙ୍କ ମତ । ଶସ୍ୟ ନଷ୍ଟକାରୀ ମୂଷାର ଦମନକାରୀ ପେଚା ସେଥିପାଇଁ ଶସ୍ୟର ଦେବୀ ମହାଲକ୍ଷ୍ମୀଙ୍କର ବାହନ ।

ଦ୍ଵିତୀୟରେ, ଏ ସମୟରେ ପ୍ରଚଣ୍ଡ ଶୀତ ଯୋଗୁଁ ଲୋକେ ସ୍ନାନକରିବା ଦିଗରେ କୁଣ୍ଠିତ ହୋଇଥା'ନ୍ତି । ସୁତରାଂ ଧର୍ମନାମରେ ଏହି ସ୍ନାନ ଓ ଉପାସନାର ବ୍ୟବସ୍ଥା । କାର୍ତ୍ତିକମାସରେ ଶୀତ ଆରମ୍ଭ ହେବା ଦିନଠାରୁ ମାସକ ଯାକ 'କାର୍ତ୍ତିକ ବୁଡ' ଏବଂ ଏହି କ୍ରମାଗତ ସ୍ନାନଯୋଗର ପରିସମାପ୍ତି ହୁଏ 'ମାଘସପ୍ତମୀ ବୁଡ'ରେ । ମାଘ ମାସ ପରେ ଧୀରେ ଧୀରେ ବସନ୍ତ ଓ ପରେ ଗ୍ରୀଷ୍ମର ଆରମ୍ଭ । ସ୍ବାଭାବିକ ଭାବେ ପ୍ରତ୍ୟେକ ମଣିଷ ଏକାଧିକ ବାର ସ୍ନାନ ସମାହିତ କରିଥାଏ । ମଣିଷକୁ ନିରୋଗ, ନିରାମୟ ରଖିବାର ପରିକଳ୍ପନାରେ ଉତ୍କଳୀୟ ଧର୍ମର ପରିପ୍ରୟୋଗ । ସଚେତନ ବ୍ୟକ୍ତିମାନେ ସ୍ବାସ୍ଥ୍ୟରକ୍ଷା ବୁଝିପାରନ୍ତି, କିନ୍ତୁ ବହୁ ସାଧାରଣ ବ୍ୟକ୍ତିଙ୍କ ପାଇଁ ଏହି ଧର୍ମଭିତ୍ତିକ ସ୍ବାସ୍ଥ୍ୟ ରକ୍ଷା ଫଳପ୍ରଦ ହୋଇଥାଏ ।

ତୃତୀୟରେ, ଧର୍ମନାମରେ ବିଶେଷ ପୂଜାର୍ଚ୍ଚନା ଦିବସମାନଙ୍କରେ ଯେଉଁ ଭୋଗରାଗ ଓ ପିଠାପଣାର ବ୍ୟବସ୍ଥା ରହିଛି, ତାହା ମଧ୍ୟ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି । ଶୀତଦିନେ ପିଠାପଣାରେ ନଡିଆର ସ୍ନେହସାର; କାଞ୍ଜି ଓ କାଞ୍ଜିଅଁଳାର ଜୀବସାର 'ଗ' ଶରୀର ପାଇଁ ଏକାନ୍ତ ଆବଶ୍ୟକ । 

ଶେଷରେ, ଶୀତଦିନେ ସ୍ବାଭାବିକ ଭାବେ ଶାରୀରିକ ଉତ୍ତେଜନା ଅଧିକ ଅନୁଭୂତ ହୁଏ । ଏଥିପାଇଁ ପୂଜାର୍ଚ୍ଚନା ମନକୁ ନିବୃତ୍ତ ରଖିବାର ଅନ୍ୟତମ ପ୍ରୟାସ । ଆମିଷଭକ୍ଷଣ ଉତ୍ତେଜନାମୂଳକ ହୋଇଥିବାରୁ କାର୍ତ୍ତିକମାସ ସାରା ଏବଂ ଅନ୍ୟାନ୍ୟ ବିଶେଷ ପୂଜାଦିବସରେ ଏହା ନିଷିଦ୍ଧ । ଗାଁ ଗହଳିରେ ଚାଷକାମ ପ୍ରାୟତଃ ଏ ସମୟରେ ସରି ସରି ଆସୁଥିବା କାରଣରୁ ଏହା ଅବସର ବିନୋଦନର ମଧ୍ୟ ଏକ ଉପଯୋଗୀ ମୁହୂର୍ତ୍ତ । 

ଜୟ ମା ମହାଲକ୍ଷ୍ମୀ, ଜୟ ଜଗନ୍ନାଥ II

■ ବଡ଼କୋଠା ■ ✍ ନିରଞ୍ଜନ ସାହୁ

#ପୂଜ୍ୟପୂଜା
#କେନ୍ଦ୍ରାପଡ଼ାର #ସେଇ #ବଡ଼କୋଠା
#ସ୍ଵର୍ଗେ #ଇନ୍ଦ୍ର #ମର୍ତ୍ତ୍ୟେ #ନରେନ୍ଦ୍ର 
#ଦାନବୀର #ରାଧାଶ୍ୟାମ 

            ଆଜିକୁ ୧୯୫ ବର୍ଷ ତଳର ଏକ କୋଠାର କାହାଣୀ। ଏହି କୋଠା ଆଜି ପର୍ଯ୍ୟନ୍ତ ବଡ଼ କୋଠା ଭାବେ ପରିଚିତ ସମଗ୍ର ଓଡ଼ିଶାରେ । ସ୍ମୃତିରେ ଏବେ ରହିଥାଇପାରେ , ହେଲେ ସମଗ୍ର ଦେଶର ଏହା ଥିଲା ସେ ସମୟର ଏକ ପବିତ୍ର ତୀର୍ଥ । ଏହାର ଇତିହାସ ହୁଏତ ଏବେ ଆମ ଭଳି ଇତିହାସ ବିମୁଖ ଜାତି ପାଖରେ ମୂଲ୍ୟହୀନ , କିନ୍ତୁ ସେତେବେଳେ ଓଡ଼ିଶାକୁ ଗର୍ବ ଓ ଗୌରବ ଆଣିଦେଇଥିଲା ଏହି ପ୍ରସ୍ତର ନିର୍ମିତ ଘରଟି । 🌷🏚️

   ଓଡ଼ିଆ ଜାତିର ଗର୍ବ ହୋଇପାରେ ଏ ଭୂଖଣ୍ଡରେ ଥିବା କିଛି ମନ୍ଦିର , କଳାକୃତି , ଅତୀତର ଗୌରବମୟ ଗାଥା । କିନ୍ତୁ କେନ୍ଦ୍ରାପଡ଼ା ସହରର ଏହି କୋଠା ଯେ ଏକ ତୀର୍ଥସ୍ଥଳୀ , ଏହାକୁ ଅସ୍ବୀକାର କରିହେବ ନାହିଁ । ( ସରସ୍ଵତୀ ଫକୀରମୋହନ ସେନାପତିଙ୍କ ଆତ୍ମଚରିତରୁ ଆସନ୍ତୁ ଆରମ୍ଭ କରିବା ଏ ସମ୍ପର୍କରେ କିଛି ଅଜଣା ତଥ୍ୟ )

ସରସ୍ଵତୀ ଫକୀରମୋହନ ସେନାପତିଙ୍କ ଆତ୍ମ ଚରିତରୁ ---- 📖

" ସନ ୧୮୯୯ ମସିହାରେ କେନ୍ଦ୍ରାପଡ଼ା ଜମିଦାର ଲକ୍ଷ୍ମୀନାରାୟଣ ଜଗଦ୍ଦେବଙ୍କ ଠାରୁ ଖଣ୍ଡିଏ ଟେଲିଗ୍ରାଫ୍ ପାଇ ଷ୍ଟିମାର ଯୋଗେ କେନ୍ଦ୍ରାପଡ଼ା ଚାଲିଗଲି । ମୁଁ ଅକ୍ଟୋବର ୨୭ ତାରିଖ ଶୁକ୍ରବାର ରାତି ୮ ଘଣ୍ଟା ବେଳେ ସେଠାରେ ପହଞ୍ଚିଲି । ରାଧାଶ୍ୟାମ ନରେନ୍ଦ୍ର ଓ ଗୌରୀଶ୍ୟାମ ନରେନ୍ଦ୍ର ଦୁଇ ସହୋଦର ଭାଇ ଥିଲେ । 

ମୁଁ ଯାଇ ଦେଖିଲି , କେନ୍ଦ୍ରାପଡ଼ାର ଜମିଦାର ମାନେ ନାସିକାଗ୍ର ପର୍ଯ୍ୟନ୍ତ ଋଣ ସାଗରରେ ନିମଗ୍ନ । ଅତ୍ୟଧିକ ଦେବ ଓ ଅତିଥି ସେବା ଯୋଗୁଁ ସେମାନଙ୍କର ଏ ଭାଗ୍ୟ-ବିପର୍ଯ୍ୟୟ ଘଟିଅଛି । 😭
               ×        ×      × 

କେନ୍ଦ୍ରାପଡ଼ାର ସୁପ୍ରସିଦ୍ଧ ବଂଶ ଯୁଗଳର ବିପଦର ପ୍ରଧାନ କାରଣ -- ଚତୁର୍ମାସ୍ୟାରେ ସାଧୁପଲ ପାଳନ।ଏ ବିଷୟଟି ସମସ୍ତ ଭାରତରେ ବିଖ୍ୟାତ ଥିବାରୁ ଭାରତର ଯାବନ୍ତ ଭଣ୍ଡ , ଶଠ , ଅଳସୁଆ ଅସାଧୁ-ସାଧୁ ପାଲଟିଯାଇ କେନ୍ଦ୍ରାପଡ଼ା ମଠରେ ପହଞ୍ଚିଯା'ନ୍ତି।ସାଧୁ ପାଲଟିବା ସେପରି କିଛି କଠିନ ବିଷୟ ନୁହେଁ ।ବରଅଠା ବୋଳି ମୁଣ୍ଡ ବାଳଗୁଡ଼ାକ ଜଟା ତୟାର କରି , ଦେହରେ କାଦୁଅ ପାଉଁଶ ଗୁଡ଼ାଏ ବୋଳି ଦେଲେ ହେଲା । ସେଭଳି ଲୋକଙ୍କ ପକ୍ଷରେ କନା ଖଣ୍ଡେ କୌପୀନ ମାରିଦେବା କିଛି କଠିନ କଥା ନୁହେଁ ।' ଆଷାଢ଼ସ୍ୟ ପ୍ରଥମ ଦିବସ ' ଠାରୁ ପୁଣ୍ୟ କାର୍ତ୍ତିକ ମାସ ପର୍ଯ୍ୟନ୍ତ ସାଧୁଗଣଙ୍କର ବିଶ୍ରାମ ସମୟ। ସେମାନଙ୍କର ସେବାର ବନ୍ଦୋବସ୍ତ ପୁଣି କିପରି ? ଭାତ , ଡାଲି , ତରକାରି ଓ ରୁଟି ଆଦେଶ ମାତ୍ରକେ ଉପସ୍ଥିତ । ତାହା ଛଡ଼ା ଦେବତା ମାନଙ୍କ ପାଇଁ ପୁରି , ମାଲପା ଓ ଲଡ଼ୁର ସ୍ଵତନ୍ତ୍ର ବନ୍ଦୋବସ୍ତ । ଆଉ ଗଞ୍ଜେଇ , ଭାଙ୍ଗ, ଗୁଡ଼ାଖୁ , ଧୂଆଁପତ୍ର ସମସ୍ତ ସାଧୁ ମାନଙ୍କର ନିତ୍ୟ ସେବ୍ୟ । ପୁଣି କେନ୍ଦ୍ରାପଡ଼ା ଉଠାଣି ସାଧୁ ମହାତ୍ମାମାନେ ତୀର୍ଥ ଦର୍ଶନକୁ ବାହାରିଯିବେ । ସେଥିପାଇଁ ବାଟଖର୍ଚ୍ଚ , ଟଙ୍କା, ଲୁଗା ଓ କମ୍ବଳ ନିତାନ୍ତ ଆବଶ୍ୟକ । 😁

                ଜମିଦାରଙ୍କ ସାଧୁସେବା ଦ୍ଵାରା କେହି କେହି ସାଧୁ ମହାଜନ ପାଲଟି ଯାଉଥିଲେ । ସାମନ୍ତଙ୍କ ମନ୍ଦିରରୁ ଚାଉଳ , ଡାଲି ,ମଇଦା, ଚିନି ,ଘିଅ ଖାଇବାକୁ ମିଳେ । ଚାଉଳ ,ଡାଲିରେ ପେଟ ପୂରିଯାଏ । ଘିଅ , ମଇଦା , ଚିନି ଗୁଡ଼ିକ ବଜାରରେ ବିକି ଟଙ୍କା ମୁଠିସ୍ଥ କରନ୍ତି । ଏହି ଉପାୟ ଦ୍ଵାରା କେହି କେହି ସାଧୁ ଅନେକ ଟଙ୍କା ଜମାଉଥିଲେ । ସେହି ଟଙ୍କାରୁ ପୁଣି ଜମିଦାରଙ୍କୁ କିଛି କରଜ ଦେଉଥିଲେ । ମୁଁ କେନ୍ଦ୍ରାପଡ଼ାରେ ଥିବା ସମୟରେ ଏହିରୂପ ଦୁଇଜଣ ସାଧୁ ମହାଜନ ଉପସ୍ଥିତ ହେଲେ। ସେମାନେ ପ୍ରତ୍ୟେକ ସାମନ୍ତଙ୍କୁ ପାଞ୍ଚଶତ ଟଙ୍କା କରଜ ଦେଇଥିଲେ । ସେମାନେ କହିଲେ ଯେ , ଗୋଟିଏ ସାଧୁଦଳ ସହିତ ସେମାନେ ଆସିଛନ୍ତି । ସେହି ଦଳ ବର୍ତ୍ତମାନ କଟକରେ ଅଛନ୍ତି । ସେମାନଙ୍କ ମୂଳ ଓ କଳନ୍ତର ଦେଇଦେଲେ ସେମାନେ ଚାଲିଯିବେ । ଯଦି ଦେବାକୁ ଦିନେ ଓଳିଏ ଡେରି ହୁଏ , ସେମାନଙ୍କ କଟକସ୍ଥ ଜମାୟତ୍ କେନ୍ଦ୍ରାପଡ଼ା ଚାଲି ଆସିବେ । ଜମାୟତ୍ ଦଳରେ ଷାଠିଏ ମୂର୍ତ୍ତି ସାଧୁ , ତପସ୍ୱୀ ଓ କେତେକ ହାତୀ ,ଓଟ , ଘୋଡ଼ା ପ୍ରଭୃତି ଅଛନ୍ତି । ବର୍ତମାନ ମହାବିପଦ ଉପସ୍ଥିତ । ସେହି ସାଧୁଦଳ ଯଦି କେନ୍ଦ୍ରାପଡ଼ା ଆସିଯାନ୍ତି , ସେମାନଙ୍କ ପିଛା ଦୈନିକ ଅନ୍ତତଃ ଏକଶତ ଟଙ୍କା ଖରଚ ହେବ । ତହବିଲ୍ ତ ଶୂନ୍ୟ । ଅନେକ କଷ୍ଟରେ ଧାର କରଜ କରି କଳନ୍ତର ବାଡ଼ଟା ଛିଣ୍ଡାଇ ଦେଇ , ମୂଳ ଟଙ୍କା ସକାଶେ ଖଣ୍ଡିଏ ନୂତନ ତମସୁକ କରାଇ ଦିଆଗଲା । ଶୁଣିଲି ଏ ମହାଜନ ଯୋଡ଼ାକ ଏଥିପୂର୍ବେ ଲାଗ୍ ଲାଗ୍  ଦଶ ବାର ବର୍ଷ ପର୍ଯ୍ୟନ୍ତ ସାମନ୍ତଙ୍କ ମଠରେ ' ଚତୁର୍ମାସ୍ୟ ସାଧୁ ' ଥିଲେ । ଏହି ମଠରୁ ଉପାର୍ଜିତ ଟଙ୍କାରେ ଏବେ ମହାଜନ ପାଲଟି ଯାଇଛନ୍ତି । ତିନିବର୍ଷ ପୂର୍ବେ ମୁଁ ଗୋଟିଏ ସରକାରୀ ରିପୋର୍ଟରେ ପଢ଼ିଥିଲି ; ଭାରତରେ ସାଧୁ ସଂଖ୍ୟା ଅଣଚାଳିଶ ଲକ୍ଷ । 🤣

                  ମୁଁ କେନ୍ଦ୍ରାପଡ଼ାରେ ଉପସ୍ଥିତ ହୋଇ ଜମିଦାରୀର ଆୟ ବ୍ୟୟ ଏବଂ ଦେଣା ପାଉଣା ବିଷୟରେ ତଦନ୍ତ କରି ଦେଖିଲି , ଜମିଦାରୀର ସମସ୍ତ ପ୍ରକାର ଆୟରୁ ମହାଜନମାନଙ୍କ ପ୍ରାପ୍ୟ ମୂଳ ଟଙ୍କାର କଳନ୍ତର ଆଦାୟ କରି , ଅଳ୍ପମାତ୍ର ଟଙ୍କା ଅବଶିଷ୍ଟ ରହେ । ଜମିଦାରୀ ବିକ୍ରୟ ନ କଲେ ମୂଳଟା ପରିଶୋଧର କୌଣସି ଉପାୟ ନାହିଁ । ଏଣେ ପୁଣି ଲକ୍ଷାବଧି ଟଙ୍କାର ଡିକ୍ରୀକାରି ମାମଲା ଅଦାଲତରେ ଝୁଲୁଥାଏ । ମୁଁ ବିବେଚନା କଲି , ମହାଜନମାନଙ୍କ କଳନ୍ତର ବାଦ୍ ଅବଶିଷ୍ଟ ଟଙ୍କାରେ ଜମିଦାର ଯଦି ସଂସାର ଚଳାଇବାକୁ ସ୍ଵୀକୃତ ହୁଅନ୍ତି, ଜମିଦାରୀର କେତେକ ଅଂଶ ବିକ୍ରୟ କରିଦେଇ , ଡିକ୍ରୀ ଟଙ୍କା ପରିଶୋଧ କରିଦେବୁଁ ; ଆଉ ଅବଶିଷ୍ଟ ଜମିଦାରୀ କଲିକତାର କୌଣସି ମହାଜନ ନିକଟରେ ବନ୍ଧକ ରଖି , ଅଳ୍ପ କଳନ୍ତରରେ ଟଙ୍କା କରଜ ଆଣିବୁଁ । ଅତଃପର ଧୀରେ ଧୀରେ ମହାଜନ ଦେଣା ପରିଶୋଧ କରାଯିବ । ମୁଁ ଭଲରୂପେ ହିସାବ କରି ଦେଖିଲି ଯେ ଏହି ଉପାୟରେ ଅର୍ଦ୍ଧାଂଶ ଜମିଦାରୀ ରକ୍ଷା ପାଇପାରେ ; ମାତ୍ର ମୋ' କଳ୍ପିତ ବନ୍ଦୋବସ୍ତ ଅନୁସାରେ କାର୍ଯ୍ୟ ନ କରି ଜମିଦାର ପୂର୍ବବତ୍ ସମସ୍ତ କାର୍ଯ୍ୟ କରିବାକୁ ଲାଗିଲେ । ମୋତେ ପରିଷ୍କାର ଜବାବ୍ ଦେଲେ ଯେ , ଦେବସେବାର ଖର୍ଚ୍ଚ କୌଣସି ପ୍ରକାରେ କମାଇ ପାରିବେ ନାହିଁ । ମୁଁ କେନ୍ଦ୍ରାପଡ଼ାରେ ନ' ମାସ ମାତ୍ର ଥିଲି । ଜମିଦାରୀ ରକ୍ଷାର କୌଣସି ଉପାୟ ନ ଦେଖି , କାର୍ଯ୍ୟତ୍ୟାଗ କରି କଟକ ଚାଲିଆସିଲି । " 

       ବ୍ୟାସକବି ଫକୀରମୋହନ ଓଡ଼ିଶାର ଏକ ସମ୍ଭ୍ରାନ୍ତ ଖ୍ୟାତିସମ୍ପନ୍ନ ପରିବାରର ଅଧଃପତନକୁ ସୁଧାରିବାକୁ ଯାଇ , ଯେଉଁ ସୁଚିନ୍ତିତ ପରାମର୍ଶ ଦେଇଥିଲେ ତାହା ସେହି ବଂଶର ଆଭିଜାତ୍ୟ ଓ ଦାନଶୀଳ ପରମ୍ପରାର ଘୋର ବିରୋଧି ହୋଇଥିବାରୁ ପ୍ରତ୍ୟାଖ୍ୟାତ ହେବାରେ କୌଣସି ବିଚିତ୍ରତା ନାହିଁ । 😱

     ଏହି ପରିବାର ମର୍ତ୍ତ୍ୟରେ ଥିଲେ ଦାନବୀର ହରିଶ୍ଚନ୍ଦ୍ର ସଦୃଶ ! କେନ୍ଦ୍ରାପଡ଼ା ସହରର ଗୋବରୀ ନଦୀ କୂଳରେ ଏକ କୋଠା ( ଯାହା ଏବେ ମଧ୍ୟ 
#ବଡ଼କୋଠା ନାମରେ ଖ୍ୟାତ ) ରେ ରହୁଥିଲେ #ନରେନ୍ଦ୍ର #ପରିବାର । ଏହି ମହାର୍ଘ ପରିବାରର ସମସ୍ତ ପାର୍ଥିବ ବିଭବ ଦାନ ମାଧ୍ୟମରେ ନିଃଶେଷ ହୋଇ ଯାଇଥିଲା । ସେହି ବଂଶର #ରାଧାଶ୍ୟାମ 
#ନରେନ୍ଦ୍ର , ସ୍ଵର୍ଗର ଇନ୍ଦ୍ର ପଦ ଠାରୁ ଆହୁରି ଦୀପ୍ତିମନ୍ତ କାରଣ ସେତେବେଳେ ଲୋକୋକ୍ତି ଥିଲା - 
" #ସ୍ଵର୍ଗେ #ଇନ୍ଦ୍ର , #ମର୍ତ୍ତ୍ୟେ #ନରେନ୍ଦ୍ର " ! 🌻

#ରାଧାଶ୍ୟାମ #ନରେନ୍ଦ୍ର 
( ୧୮୦୭ -- ୧୮୭୭ ) 

       ରାଧାଶ୍ୟାମ ନରେନ୍ଦ୍ର ଧରାବତରଣ କରିଥିଲେ ୧୮୦୭ ମସିହା ଜୁନ୍ ମାସ ସାତ ତାରିଖ ଦିନ କେନ୍ଦ୍ରାପଡା ସହରର ଗୋବରୀ ନଦୀ କୂଳରେ ଅବସ୍ଥିତ ଏକ କୋଠାରେ , ଯାହା ପରବର୍ତ୍ତୀ ସମୟରେ #ବଡ଼ #କୋଠା ଭାବେ ପରିଚିତ । ସେହି ମହାନ୍ ମଣିଷ ଥିଲେ କେବଳ ଓଡ଼ିଶା ନୁହେଁ ବରଂ ଭାରତବର୍ଷର ଶ୍ରେଷ୍ଠ ଦାନୀ ।😁

#ନଅଂକ #ଦୁର୍ଭିକ୍ଷର #ମା #ଅନ୍ନପୂର୍ଣ୍ଣା 

      ୧୮୬୬ ମସିହାରେ କେବଳ ଗୋଟିଏ ଆର୍ତ୍ତ ଚିତ୍କାର ସର୍ବତ୍ର ଶୁଣିବାକୁ ମିଳୁଥିଲା -- ହାଅନ୍ନ , ହାଅନ୍ନ । କ୍ଷୁଧା ମେଣ୍ଟାଇବାକୁ ପୁଅ ପତରରୁ ବାପ ଛଡ଼େଇ ନେଉଥିଲା , ଛତ୍ରରେ ବସୁଥିଲା , ଜାତି ହରାଉଥିଲା , ପଶୁ ମୁହଁରୁ ଯାହା ପାଇଲା ଛଡ଼ାଇ ଆଣୁଥିଲା । ଚାରିଆଡ଼େ କେବଳ କଙ୍କାଳ ହିଁ କଙ୍କାଳ। ମଣିଷଗୁଡ଼ା କଙ୍କାଳସାର ମଣିଷ । ଠିକ୍ ସେତିକିବେଳେ ବୈକୁଣ୍ଠରୁ ଯେମିତି ଓହ୍ଲାଇ ଆସିଥିଲେ ମା ଅନ୍ନପୂର୍ଣ୍ଣା ବେଶରେ ଜଣେ ମଣିଷ ତାଙ୍କ ପୁଅ ସହିତ , ରାଧାଶ୍ୟାମ ନରେନ୍ଦ୍ର ଓ ତାଙ୍କର  ଏକମାତ୍ର ପୁତ୍ର ଜଗନ୍ନାଥ ଭ୍ରମରବର । ଅବିଭକ୍ତ କଟକ ଜିଲ୍ଲାର ବୁଭୁକ୍ଷୁ ଲୋକ ମାନଙ୍କ ପାଇଁ ଖୋଲା କରିଦେଇଥିଲେ ଜମିଦାରୀର ସମସ୍ତ ଖମାର । ଛତ୍ର ଖୋଲି ହଜାର ହଜାର କ୍ଷୁଧାର୍ତ୍ତଙ୍କୁ ମୁଠାଏ ମୁଠାଏ ଅନ୍ନ ପରଶି ଦେଉଥିଲେ ରାଧାଶ୍ୟାମ ମାସ ମାସ ଧରି । ପରିବାରର ସମସ୍ତେ ଯେମିତି ଜନ୍ମ ନେଇଥିଲେ ଈଶ୍ବରଙ୍କ ନିର୍ଦ୍ଦେଶ ମତେ ଏହି କ୍ଷୁଧାତୁର ମାନଙ୍କୁ ଖୁଆଇବା ପାଇଁ ! 🍝ଯିଏ ପହଞ୍ଚୁ ଥିଲା ସେ ବସି ଖାଉଥିଲା ଛତ୍ରରେ । ବାଛ ବିଚାର ନଥିଲା କିଛି ।

             ସେ ସମୟରେ ଟଙ୍କାରେ ଚାଉଳ ଆଠ ସେର । ହେଲେ ଚାଉଳ ମିଳିବା ସମ୍ଭବ କେଉଁଠି ? ଛତ୍ର ତ ଖୋଲା ଯାଇଥିଲା , ଖାଦ୍ୟ ବଣ୍ଟା ଯାଉଥିଲା। ତଥାପି ରାଧାଶ୍ୟାମଙ୍କ ପାଖରେ ଆଉ କିଛି ଚାଉଳ ମହଜୁଦ ଥିଲା । ଆଦିନେତା ବିଚିତ୍ରାନନ୍ଦ ଦାସ ଙ୍କ ଠାରୁ ଶୁଣିଲେ ଯାଜପୁର ଅଞ୍ଚଳରେ ଅବସ୍ଥା ଆହୁରି ଦୟନୀୟ । ନିଜେ ବ୍ୟବସ୍ଥା କରି ସାତ‌ହଜାର ମହଣ ଚାଉଳ,ଡାଲି ପଠାଇଦେଲେ । କେନ୍ଦ୍ରାପଡ଼ା SDO ଏ କଥା ଶୁଣି ସରକାରଙ୍କ ତରଫରୁ ଚାଉଳ କିଣିବା ପାଇଁ ରାଧାଶ୍ୟାମଙ୍କ ଦ୍ଵାରସ୍ଥ ହେଲେ । ଆଠ ସେର ଚାଉଳ ବଦଳରେ ଟଙ୍କାକୁ ବାର ସେର ହିସାବରେ ଯୋଗାଇ ଦେବା ସହ କିଛି ଟଙ୍କା ଦେଇଦେଲେ ଜମିଦାର ନରେନ୍ଦ୍ର । କ୍ଷୁଧାର୍ତ୍ତ ମାନଙ୍କ ସେବା କରିବାର ଏଭଳି ସୁଯୋଗ କ'ଣ ହାତଛଡ଼ା କରାଯାଇପାରେ ? 👌

               ଏ ସଂକ୍ରାନ୍ତରେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରକାଶିତ ଜ୍ଞାନକୋଷର ଚତୁର୍ଥ ଭାଗରେ ଲିଖିତ ଅଛି, " ସେ ସମୟରେ ରାଧାଶ୍ୟାମ ନରେନ୍ଦ୍ରଙ୍କ ପରି ଦାତା ବାସ୍ତବିକ୍ କେହି ନଥିଲେ । ଦରିଦ୍ର , ରାଣ୍ଡ , ଅନାଥ , କୁଷ୍ଠୀ , ଦୁର୍ଦ୍ଦଶାଗ୍ରସ୍ତ , କର୍ମହୀନ ଯେ ତାଙ୍କର ପାଖରେ ପହଞ୍ଚିଛି , ସେ ନିଶ୍ଚୟ ତା'ର ଦୁଃଖ ନିବାରଣ କରିଛନ୍ତି । ତାଙ୍କୁ #ଦୟାସାଗର କହିଲେ ଅତ୍ୟୁକ୍ତି ହେବନାହିଁ । କେବଳ ଧନ ଦାନ କରିବା ଯୋଗୁଁ ନୁହେଁ , ପ୍ରତିପତ୍ତି ଓ ବିଚକ୍ଷଣ ବୁଦ୍ଧି ଯୋଗୁଁ ସେ ତତ୍କାଳୀନ ଜନସମାଜରେ ଯେପରି ଶ୍ରେଷ୍ଠତ୍ଵ ଲଭିଥିଲେ , ସେହିପରି ଇଂରେଜ ସରକାରଙ୍କ ଦ୍ଵାରା ସମ୍ମାନିତ ହୋଇଥିଲେ ।" 💐

* କମିଶନଙ୍କ ସାମ୍ନାରେ ଖେଦୋକ୍ତି : 

           ନଅଙ୍କ ଦୁର୍ଭିକ୍ଷର ଭୟାବହତା ଏବଂ କାରଣ ଅନୁଶୀଳନ କରିବା ପାଇଁ କମିଶନ ଗଠିତ ହେଲା  ୧୮୬୭ ମସିହାରେ । ସାକ୍ଷୀ ଦେବାକୁ ଗଲେ ପଟାମୁଣ୍ଡାଇ ଉତ୍ତିକଣ ପ୍ରଗଣାର ଜମିଦାର ଦିଗମ୍ବର ମିତ୍ର , କେନ୍ଦ୍ରାପଡ଼ା ଜମିଦାର ରାଧାଶ୍ୟାମ ନରେନ୍ଦ୍ର ଏବଂ ଉତ୍କଳ ପ୍ରାଣ କର୍ମବୀର ଗୌରୀଶଙ୍କର ରାୟ । 

ରାଧାଶ୍ୟାମ ନରେନ୍ଦ୍ରଙ୍କ ଉକ୍ତି ଥିଲା --    " ମୋ ବିଚାରରେ ଓଡ଼ିଶା ଡିଭିଜନର କମିଶନର ଜଣେ କଠୋର ହୃଦୟର ବ୍ୟକ୍ତି । ସେ ଚାଉଳର ଦର କମାଇବେ ନାହିଁ କି ପ୍ରଜାଙ୍କ ଉପରୁ ଖଜଣା ଛାଡ଼ କରିବେ ନାହିଁ । ବରଂ ଆପ୍ରାଣ ଚେଷ୍ଟା କରି ଜଳକର ଏକର ପିଛା ପାଞ୍ଚ ଟଙ୍କାକୁ ବୃଦ୍ଧି କରିଛନ୍ତି ।" 👿

   କର୍ମବୀରଙ୍କ ଉକ୍ତି ଥିଲା -- " ଜମିଦାରମାନଙ୍କ ଠାରୁ ଦାନ ସୂତ୍ରରେ ଚାଉଳ ସଂଗ୍ରହ କରି ଦୁର୍ଭିକ୍ଷ ପ୍ରପୀଡିତ ଲୋକମାନଙ୍କୁ ବାଣ୍ଟିବା ପାଇଁ ୧୮୬୬ ଅପ୍ରେଲ ମାସରେ ଗୋଟିଏ ବୈଠକରେ ସ୍ଥିର ହେଲା। ଏହି ମର୍ମରେ ଚିଠି ମଧ୍ୟ ପଠାଗଲା । ରାଧାଶ୍ୟାମ ନରେନ୍ଦ୍ର ଓ ଅନ୍ୟ ଚାରିଜଣ ଜମିଦାରଙ୍କ ବ୍ୟତୀତ ଓଡ଼ିଶାର ଅନ୍ୟ ସମସ୍ତ ଜମିଦାର ରୋକ୍ ଠୋକ୍ ଜଣାଇଦେଲେ ଯେ , ସେମାନଙ୍କ ପାଖରେ ଚାଉଳ ନାହିଁ ।" 😨

* ପୁରୀ ରାଜସିଂହାସନରୁ ବଞ୍ଚିତ -- 

୧୮୫୯ ମସିହାରେ ଗଜପତି ବୀରକିଶୋର ଦେବ ଇହଧାମ ତ୍ୟାଗ କଲେ । ସେ ଅପୁତ୍ରିକ ଥିଲେ । ମହାରାଣୀ ସୂର୍ଯ୍ୟମଣି ପାଟମହାଦେଇ ପୋଷ୍ୟପୁତ୍ର ଗ୍ରହଣ କରିବାକୁ ପୁରୀ କଲେକ୍ଟରଙ୍କ ମାଧ୍ୟମରେ କଟକ କମିଶନରଙ୍କୁ ପତ୍ର ଲେଖିଲେ । ଏହା ଉପରେ ମନ୍ତବ୍ୟ ଦେଇ କମିଶନର ଦୁଇଜଣଙ୍କ ନାମ ସୁପାରିଶ କଲେ । ଜଣେ ବକ୍ସି ଜଗବନ୍ଧୁଙ୍କ ପୁତ୍ର ଓ ଅନ୍ୟଜଣକ #ରାଧାଶ୍ୟାମ #ନରେନ୍ଦ୍ର । ଆଉ ମଧ୍ୟ ଲେଖିଲେ ଯେ , ସର୍ବତୋଭାବେ ସେ ରାଧାଶ୍ୟାମ ନରେନ୍ଦ୍ରଙ୍କୁ ଅଗ୍ରାଧିକାର ଦେଉଛନ୍ତି । ଏକଥା ଜାଣି ପାରି ମହାରାଣୀ ଆଗତୁରା କୋର୍ଟରେ ଦରଖାସ୍ତ କଲେ ଓ ନିଜେ ଏହି ସମୟ ମଧ୍ୟରେ ସ୍ଥିର କରିଥିବା ଅନ୍ୟଜଣକୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିବା ପାଇଁ ଅନୁମତି ପାଇଗଲେ । 
' ଗଜପତି ' ହେବା ରାଧାଶ୍ୟାମ ନରେନ୍ଦ୍ରଙ୍କ ଭାଗ୍ୟରେ ନୋହିଲା । 😌

* ବୈଚିତ୍ର୍ୟମୟ ବଡ଼କୋଠା 

ବଡ଼ ବିଚିତ୍ର ଏ କୋଠାର ଗାଥା ! ଏ କୋଠା ଇଟା , ସିମେଣ୍ଟ ବା ଚାରିକାନ୍ଥର କୋଠା ନୁହେଁ ! ଏହା ଓଡ଼ିଶାର ଏକ ତୀର୍ଥସ୍ଥଳୀ କହିଲେ ଭୁଲ୍ ହେବନାହିଁ। ଏଇଠି ଦାନବୀର ରାଧାଶ୍ୟାମ ନରେନ୍ଦ୍ର ଜନ୍ମ ନେଇ କେତେ ଲୋକଙ୍କୁ ଯେ , ଅନ୍ନ ଦାନ କରି ସେମାନଙ୍କ ଜୀବନ ରକ୍ଷା କରିଛନ୍ତି ତାହା ଅସାଧାରଣ ସମଗ୍ର ଭାରତବର୍ଷରେ । ତାଙ୍କର ନିର୍ଦ୍ଦେଶ ଥିଲା , ଖାଇବାକୁ ବସିବାର ଏକ ଘଣ୍ଟା ପୂର୍ବରୁ ଚାରି ଜଣ ଲୋକ ଚାରି ଦିଗକୁ ଏକ ମାଇଲ୍ ଯାଏ ଘଣ୍ଟା ବାଡ଼େଇ ବାଡ଼େଇ ଯିବେ ଏବଂ ଯଦି କେହି ଭୋକିଲା ଥାଆନ୍ତି ସେମାନଙ୍କୁ ବଡ଼କୋଠାକୁ ଧରି ସାଥିରେ ଆସିବେ । ସେମାନେ ପହଞ୍ଚି ଖାଇବା ପରେ ରାଧାଶ୍ୟାମ ନରେନ୍ଦ୍ର ହିଁ ଖାଦ୍ୟ ଗ୍ରହଣ କରୁଥିଲେ , ଯାହା ଥିଲା ପ୍ରତିଦିନର ରୁଟିନ୍ ! ସମଗ୍ର ଦେଶରେ ଆଉକିଏ ଜଣେ ଏଭଳି ମଣିଷ ଅଛନ୍ତି କି? 

               ୧୮୨୫ ମସିହାରେ ଆରମ୍ଭ ହେଲା ଏହି ବଡ଼କୋଠାର ନିର୍ମାଣ କାର୍ଯ୍ୟ । ସେତେବେଳେ ରାଧାଶ୍ୟାମ ନରେନ୍ଦ୍ର ମାତ୍ର ଅଠର ବର୍ଷର ବାଳକ । ପ୍ରଚଣ୍ଡ କଳାକୃତି ଓ ବୈଷୟିକ ଜ୍ଞାନର ଅଧିକାରୀ । ଅନ୍ୟପକ୍ଷରେ ଖୋଲା ହୃଦୟର ବ୍ୟକ୍ତି । କୋଠାର ଉଚ୍ଚତା ରହିଲା ୪୦ ଫୁଟ ( ଦ୍ଵିତଳ ), ସାମ୍ନାରେ ଗମ୍ବୁଜ , ମୋଟ ଉଚ୍ଚତା ଗମ୍ବୁଜ ସହ ରହିଲା ୭୦ ଫୁଟ । କୋଠାର ଅଗଣା ମଝିରେ ୫୦ × ୨୦ ଫୁଟ ରାସ୍ତା । ପଥର ଖୋଦେଇ ବଡ଼ ବଡ଼ ଗୋଲେଇ ଖୁଣ୍ଟ । କୋଠା ମଧ୍ୟରେ ରଙ୍ଗମହଲ , ଅତିଥି ଗୃହ , ଠାକୁର ଘର , ବୈଠକ ଖାନା , ସାଧୁସନ୍ଥ ମାନଙ୍କ ଆଶ୍ରୟସ୍ଥଳୀ , ଶୟନ କକ୍ଷ , ନୃତ୍ୟସଙ୍ଗୀତ ସାଧନା କୋଠରୀ , ପାଠାଗାର , ଜମିଦାରୀର କାର୍ଯ୍ୟାଳୟ ଇତ୍ୟାଦି । ପଶ୍ଚାତରେ ନିଜ ବାସଭବନ , ବଗିଚା , କର୍ମଚାରୀଙ୍କ କୋଠରୀ , ରୋଷେଇ ଘର ଇତ୍ୟାଦି ।ଏହି କୋଠା ସେ ସମୟରେ ଓଡ଼ିଶାରେ ଥିଲା ସବୁଠୁ ବଡ଼ , ତେଣୁ ଲୋକ ମୁଖରେ ପ୍ରଚଳିତ ହେଲା #ବଡ଼ #କୋଠା ଭାବରେ । 🏚️

         ବହୁତ ବଡ଼ ଜମିଦାରୀ ଥିଲା ନରେନ୍ଦ୍ରଙ୍କର । ସେହି ଜମିଦାରୀର ଅଂଶ ଥିଲା ଏବେର ଯାଜପୁର ଜିଲ୍ଲାର ରତ୍ନଗିରି , ଲଳିତଗିରି , ଉଦୟଗିରି , ଛୁମୁକା , ଅଳତି , ବରୀ , ବାଲିଆ ଏବଂ କେନ୍ଦ୍ରାପଡା ଜିଲ୍ଲାର ବହୁ ଅଞ୍ଚଳ । ସେହି ଜମିଦାରୀର ଲାଭାଂଶ ଖର୍ଚ୍ଚ ହେଉଥିଲା ସେହି ଅଞ୍ଚଳର ପ୍ରଜାମାନଂକ ହିତରେ କେବଳ । 👍

ଏତିକିରେ ସରିନାହିଁ : 
ଏହି କୋଠା ଥିଲା  #ସଙ୍ଗୀତନିଧି #ଗୋକୁଳ #ଶ୍ରୀଚନ୍ଦନ , #ତବଲା #ବାଦ୍ୟ #ବିଶାରଦ #ବିନୋଦ #ବିହାରୀ #ଶ୍ରୀଚନ୍ଦନ , #ବାଣୀକଣ୍ଠ #ନିମାଇଁ #ଚରଣ #ହରିଚନ୍ଦନଙ୍କ ଏନ୍ତୁଡ଼ିଶାଳ । 🙏

ଏଇଠୁ ସାଧନା ପରେ ବଡ଼ବାବାଜୀ  #ରାଧାରମଣ ଦେବ ବୈଷ୍ଣବ ଧର୍ମ ପ୍ରଚାରରେ ବହିର୍ଗତ ହୋଇଥିଲେ । ବଡ଼ଖେମୁଣ୍ଡି ରାଜପୁତ୍ର ମହାପୁରୁଷ 
#ଅରକ୍ଷିତ #ଦାସ ଏହି ପରିବାର ଠାରୁ ଦାନ ସୂତ୍ରରେ ପାଇଥିଲେ ନରେନ୍ଦ୍ର ପରିବାର ମାଲିକାନାରେ ଥିବା #ଓଳାଶୁଣୀ #ଗୁମ୍ପା , ଯାହା ଆଜିର ଏକ ପ୍ରମୁଖ ଧର୍ମପୀଠ । 🌻

          ଏହି କୋଠା ଥିଲା ବିଦ୍ଗଧ କବି #ଅଭିମନ୍ୟୁ #ସାମନ୍ତସିଂହାର ଓ ଉତ୍କଳର ସୁପ୍ରସିଦ୍ଧ ସଙ୍ଗୀତଜ୍ଞ , ରଙ୍ଗମଞ୍ଚ ସଂସ୍କାରକ #ଗୋବିନ୍ଦ #ଚନ୍ଦ୍ର #ଶୂରଦେଓ ଙ୍କ ଶ୍ଵଶୁର ଘର । 🙏

      କଳା , ସଙ୍ଗୀତ କ୍ଷେତ୍ରରେ ବେଶ୍ କିଛି ନାଁ ଥିଲା ଏହି ବଡ଼ କୋଠାର । ଏଇଠି ସମ୍ମିଳିତ ହେଉଥିଲେ ଭାରତର ବିଶିଷ୍ଟ ସଙ୍ଗୀତଜ୍ଞ ମାନେ । ବଡ଼ ଗୋଲାମ ଅଲ୍ଲୀ , ରୋସନାରା ବେଗମ୍ , ହାଫିଜ୍ ଅଲ୍ଲୀ ଖାଁ ଏହି ରଙ୍ଗମହଲ ରେ ରହି ସଙ୍ଗୀତ ପରିବେଷଣ କରି ଅନେକ ଥର ଯାଇଛନ୍ତି । ଏଇ ବଂଶର ଆଭିଜାତ୍ୟର ପ୍ରତୀକ ବିଶିଷ୍ଟ ସଙ୍ଗୀତଜ୍ଞ ଗୋକୁଳ ଶ୍ରୀଚନ୍ଦନଙ୍କ ଠାରୁ ଶିଷ୍ୟତ୍ୱ ଗ୍ରହଣ କରିଥିଲେ ମହାନ୍ ସଙ୍ଗୀତଜ୍ଞ ବାଳକୃଷ୍ଣ ଦାସ । 🏃

      ଆଜି ବଡ଼ କୋଠା କେବଳ ସ୍ମୃତିରେ । କୋଠା ଅଛି , ମା ଅନ୍ନପୂର୍ଣ୍ଣା ରୂପୀ ରାଧାଶ୍ୟାମ ନରେନ୍ଦ୍ର ନାହାଁନ୍ତି । ଦୀର୍ଘ ସତୁରୀ ବର୍ଷର ଲୀଳା ଖେଳା କରିବା ପରେ ରାଧାଶ୍ୟାମ ଈଶ୍ବରଙ୍କ ଠାରେ ଲୀନ ହୋଇଗଲେ ୧୮୭୭ ମସିହା ଡିସେମ୍ବର ମାସ ସତର ତାରିଖ ଦିନ । ଭୁଭୁକ୍ଷୁର ଆର୍ତ୍ତ ଚିତ୍କାର ଶୁଣି ଯେମିତି ଆସିଥିଲେ ଏହି ଧରାଧାମକୁ ସେହି ଦାନବୀର ହରିଶ୍ଚନ୍ଦ୍ର , ତାହା ସମଗ୍ର ଓଡ଼ିଶାବାସୀ ଭୁଲି ପାରି ନାହାଁନ୍ତି । ସେଇଥିପାଇଁ ସେ ମର୍ତ୍ତ୍ୟେ ନରେନ୍ଦ୍ର । ଆଜି ଏହି ମହାପୁରୁଷ ତଥା ମହାତ୍ମାଙ୍କୁ 'ଅନ୍ତରଙ୍ଗ କଳିଙ୍ଗ'ସମଗ୍ର ଦେଶବାସୀଙ୍କ ସହ ଦଣ୍ଡବତ ପ୍ରଣାମ ଜଣାଉଛି ।🙏👣

ଋଣୀ ରହିଲି ✍️ -- ଫକୀରମୋହନ ସେନାପତିଙ୍କ ଆତ୍ମଚରିତ /ଜ୍ଞାନକୋଷ / ଆମେ ଓଡ଼ିଆ ପୁସ୍ତକ / ରାଧାଶ୍ୟାମ ନରେନ୍ଦ୍ରଙ୍କ ଅଣନାତି ଶ୍ରୀ ରବିନ୍ଦ୍ର କିଶୋର ଶ୍ରୀଚନ୍ଦନ ( ବାବି ) , ବନ୍ଧୁ  ପରମାନନ୍ଦ ସେଠୀ । ଫଟୋ ସୌଜନ୍ୟ -- ବଡ଼ କୋଠାର ବାବି ଭାଇ । 🙏

■ ଜନନୀ ମୋ ଜନ୍ମଭୂମି ■ ✍ ଉପେନ୍ଦ୍ର କୁମାର ବସ୍ତିଆ


        ✍ ଉପେନ୍ଦ୍ର ବସ୍ତିଆ 
         ~~~~~୦~~~~~
କର୍ମବଳ ନେଇ ମଣିଷ ଜନମ 
ବିଧି ବିଧାନେ ଆତଯାତ ଭୂବନ
ଧନ୍ୟ ବିଧାତା ତୁମ୍ଭେ ହୋଇଲ ପ୍ରୀତ
ଜନନୀ ଜଠରୁ ମୁଁ'ହୋଇଲି ଜାତ  ।।

ପଡ଼ିଲି ଯେବେ ବସୁଧାର କୋଳେ 
ଆଦରି ନେଲା ସେ'ଉଷତ ଚଞ୍ଚଳେ
ପଦାଘାତ କଲି ମୁଁ' ଅଧମ ଚିତ୍ତେ 
ସହିଲା ସେହୁ ବକ୍ଷ ପ୍ରସାରି କେତେ ।।

ଚାଲିଲି ତା'ବକ୍ଷର ସାହାରା ନେଇ 
ବଢିଲି ତା'ବୃକ୍ଷ ଫଳ ଆଦି ଖାଇ
ଏହି ମତେ ସେହୁ ଜନନୀ ମୋହର 
ତାହାରି ସେବାରେ ଜୀବନ ସମ୍ଭାର ।।

ଜନନୀ ଜନ୍ମଭୂମୀ ସ୍ବର୍ଗଠାରୁ ବଡ଼ 
କି'ବର୍ଣ୍ଣିବି ଅବା ଅଟେ ମୁହିଁ ମୂଢ 
ଧର୍ମକ୍ଷେତ୍ର ଏଇ ଉତ୍କଳ ଭୂବନ 
ଜନନୀ ସେହୁ ମୋର ଧନ୍ୟ ପରାଣ ।।

ଏହି ସେଇ ମୋର ଜନମଭୂମି
ଚୈତନ୍ୟ ଯହିଁ ଭକତି-ସରଣୀ
ପଦଧୈତ ପାଇଁ ପ୍ରବାହ ପ୍ଳାବିତ
ଋଷିକୁଲ୍ଯା ,ବ୍ରାହ୍ମଣୀ ,ବୈତରଣୀ ।।

ବାର ବାର ମଥାନତ ପ୍ରେମ ଭକ୍ତିଭରେ
ଜନନୀ ରବ ବିଭବ ଗୌରବରେ 
କୋଣାର୍କର ଶିଳା ଶିଳ୍ପ ରତ୍ନ ମୁଣି
ଉତ୍କଳ ଜନନୀ ମାଥେ ମଥାମଣି ।।

ଜନନୀ ସୁରକ୍ଷା ହୃଦେ ବାରେ ଘେନି
କର୍ତ୍ତବ୍ୟର ଧାରେ ଚଳୁ ମୋ' ଧମନି 
ଜନନୀ ଆଉ ଜନ୍ମଭୂମି ବେନି
ଘୋଡ଼ାଇ ରଖନ୍ତୁ ଆଶିଷ କାନି ।।

ସମର୍ପଣ ( topic - 83 ସଂକିର୍ତ୍ତନ ) quote #quot



ନିରାଶେ ନିମଗ୍ନ ହୁଅ ନାହିଁ ଜନ
    ସମସ୍ଯାରେ ସମାଧାନ
ଭାଗ୍ୟ ଯଦି ବାମ ଭଜ କୃଷ୍ଣ ରାମ
      ମାଧ୍ୟମରେ ସଂକିର୍ତ୍ତନ
ଏହି ଭକ୍ତି ରସ ପ୍ରଭୁ ମନ ତୋଷ
      ଜନ୍ମ ମୃତ୍ୟୁ ହେବ ପାର
ବାକି ଯାହା ଧନ ଦଲକେ ପବନ
      ଅପଚେଷ୍ଟା ପାଣି ଗାର
             - ଦାଶରଥି ସାହୁ

କଳିର କରାଳେ କର ସଂକିର୍ତ୍ତନ
       ତୁଣ୍ଡେ ରହୁ ପ୍ରଭୁ ନାମ 
ସକାଳରୁ ସଂଞ୍ଜ ଭଜ ହରିନାମ
     ହରେ କୃଷ୍ଣ ହରେ ରାମ 
ସକଳ ଜଞ୍ଜାଳୁ ମିଳିଯିବ ମୁକ୍ତି
       ମିଳିବରେ ସନମାନ 
ଶତୃ,ମିତ୍ର ଯଦି ହୋଇବେ ଏକାଠି
       ରହିବନି ଅଭିମାନ 
                ‐ ରାଧା କୃଷ୍ଣ ବାୟକ

ସଂକିର୍ତ୍ତନୁ ଝରେ ଭକ୍ତି ରସାମୃତ 
    ସଭିଏଁ କର ହେ ପାନ 
ନିରାଶା ଜୀବନେ ଆଶା ସଂଚରଇ 
     ସେବାବ୍ରତୀ ହୁଏ ମନ 
ଜଞ୍ଜାଳମୟ ଏ  ପାର୍ଥିବ ଜୀବନେ 
     କରନାହିଁ ଅଭିମାନ 
ବିଭୁ କୃପା ଲଭି ଆପେ ହୋଇଯିବ 
    ସମସ୍ୟାର ସମାଧାନ 
             - ରାମ ଚନ୍ଦ୍ର ପ୍ରଧାନ

ଭଗବତ୍ ନାମ ସମୂହ କିର୍ତ୍ତନ 
      ଜଞ୍ଜାଳର ମୁକ୍ତି ମାର୍ଗ 
ଭବ ସାଗରରୁ ପାରି ପାଇଁ ଲୋଡ଼ା
       ଭକତି ରୂପକ ନାବ 
ବୋଲ ମନ ହରେ କୃଷ୍ଣ ହରେ ରାମ 
       ନଥିଲେ ନଥାଉ ଝାଞ୍ଜ 
ସେଇ ଏକା ଆମ ଜୀବନ ସମ୍ପତ୍ତି 
           ମୁକତିର ମହାଯଜ୍ଞ 
            - ସନ୍ତୋଷ ପଟ୍ଟନାୟକ

ଏ'କଳି ଯୁଗରେ ସଂକିର୍ତ୍ତନ ସାର
      ଭଜ ହରେ କୃଷ୍ଣ ରାମ
ଇଶ୍ବର ଚରଣେ   ନିଜ ଜୀବନକୁ
       କର ସଦା ସମର୍ପଣ 
ସମର୍ପଣ ଭାବ ଦେଖି ନାରାୟଣ 
       ଫେଡିବେ ଦୁଃଖ କଷଣ 
ସୁଖ ସୌଭାଗ୍ଯରେ ଜୀବନ ବିତିବ
          ସବୁ ରାତି ସବୁ ଦିନ
           - ଜଗବନ୍ଧୁ ସାହୁ

କାର୍ତ୍ତିକ ମାହାତ୍ମ୍ୟ ଶ୍ରବଣେ ମାନବ 
     ଶୁଦ୍ଧ ହୁଏ କର୍ଣ୍ଣ ତାର 
ମୁକତି ଲଭଇ ଭବ ସାଗରରୁ 
    ପିଣ୍ଡୁ ପ୍ରାଣ ହେଲେ ଦୂର 
ତେଜି ତାମସିକ ଆହାର ଆବର 
    ସଂକୀର୍ତ୍ତନେ ଦେଲେ ମତି 
ସଫଳ ହୁଅଇ ମାନବ ଜୀବନ 
     ମିଳେ ମାନସିକ ତୃପ୍ତି 
                - ଟୁକୁନା ସାହୁ 

ଆରେ ବାଇମନ କର ସଂକିର୍ତ୍ତନ 
 ସଂସାର ଜଞ୍ଜାଳୁ ହୋଇତୁ ମୁକ୍ତି
ସଂକିର୍ତ୍ତନେ ଅଛି ଆତ୍ମତୃପ୍ତି ଭରି
ସଂକିର୍ତ୍ତନେ ମିଳେ ଅପୂର୍ବ ଶାନ୍ତି 
ଏ କଳି ଯୁଗରେ ମହି ମଣ୍ଡଳରେ
ସଂକିର୍ତ୍ତନ ଶ୍ରେଷ୍ଠ ମହୋଔଷଧି
ନାମ ସଂକିର୍ତ୍ତନ ସୁସ୍ଥ ମନ ପ୍ରାଣ
ଅପସରି ଯିବ ସକଳ ବ୍ୟାଧି 
              - ପ୍ରବୀର ମଲ୍ଲିକ୍

ସଞ୍ଜ ଓ ସକାଳେ ମନକୁ ହକାଳେ
      ଭକତି ସାଗରେ ବୁଡି
ନାମ ସଂକୀର୍ତ୍ତନେ ମନକୁ ହଜାରେ
       ଯିବୁ ନାହିଁ ପଥ ହୁଡି
ହାତରେ ଖଞ୍ଜଣୀ ନ ଥାଉରେ ମଣି
        ହୃଦ ଜପୁ ହରି ନାମ
ଏହି ନାମ ରସ ଶକ୍ତି ଯୋଗାଇବ 
       ଯିବାକୁ ବୈକୁଣ୍ଠଧାମ
               - ରବିନ୍ଦ୍ର ସାହୁ

Tuesday, December 15, 2020

■ ଧନୁରେ ଧନ୍ୟ ଉତ୍କଳ ଧାମ ■


       ଧନୁରେ ଧନ୍ୟ ଉତ୍କଳ ଧାମ
       ~~~~~୦~~~~ ✍ସନ୍ତୋଷ ପଟ୍ଟନାୟକ ଗଞ୍ଜାମ 
ଶୀତ ସକାଳର କାକର ଟୋପାରେ 
    ଭିଜି ଯାଇଥିଲା ଧରଣୀ କାନୀ
ସୁରୁଜ ଦେବତା ଦୟା ପରଶିଲେ 
     ହୃଦ କନ୍ଦରରୁ କିରଣ ବୁଣି....
                        ଧର୍ମ ଦେବତାଙ୍କ ଧରମ କାମରେ 
                         ଝଲିସି ଉଠିଲେ ଧରଣୀ ରାଣୀ
                       ନାରୀଙ୍କ ସୁନ୍ଦର ନାରୀଙ୍କ ସମ୍ମାନ 
                          ବଢଇ ପାଇଲେ ପୁରୁଷ ମଣି....
ଉତ୍କଳୀ ପରଖି ସ୍ବର୍ଣ୍ଣିମ ଶୋଭାକୁ
  ବିମୋହିତ ମନେ ଭକ୍ତିକୁ ଧରି 
  ବିଧି ବିଧାନକୁ ସମ୍ମାନଟେ ଦେଇ 
  ମିଷ୍ଟାନ୍ନ ତିଆରେ ସରାଗ ଭରି...
                          ଧବଳ ବର୍ଣ୍ଣଟା ସୁରୁଯଙ୍କ ରୂପ 
                         ଧଳା ଭୋଗ ତାଙ୍କ ଶାସ୍ତ୍ର ସମ୍ମତ
                       ଲିଆ,ଗୁଡ ନେଇ ଗଢିଲା ଯତନେ
                            ଅପୂର୍ବ ମହକେ ହଜିଲା ଚିତ୍ତ...
ଆନମନା ଆଜି ଧରମ ଦେବତା
  ଉତ୍କଳୀ ହାତରୁ ଭୋଗକୁ ପାଇ
କେତେ ପବିତ୍ର ସେ ସତରେ ଉତ୍କଳୀ 
  ସ୍ବୟଂ ଭଗବାନ ନିବାସ ତହିଁ....
                       ଧନ୍ୟ ସେ ଉତ୍କଳ ଧନ୍ୟ ବି ଉତ୍କଳୀ
                           ଧାର୍ମିକ ଭାବକୁ ହୃଦରେ ନେଇ 
                         ଧରାପରେ କେହି ଧର୍ମୀଟେ ନାଇଁ 
                         ଧୌର୍ଯ୍ୟଶୀଳ ତା' ଭାଙ୍ଗିବା ପାଇଁ...
ଧନୁ ସଂକ୍ରାନ୍ତିରେ ଧରମ ଦେବତା 
  ପୂଜ୍ୟ ପୂଜା ଟିକ ତାଙ୍କରି ପାଇଁ 
ମିଷ୍ଟାନ୍ନ ଭୋଗଟି ଧନୁମୁଆଁ ନାମ 
  ଜନମସ୍ଥାନ ତା ଗଞ୍ଜାମ ଭୂଇଁ....

                ✍ ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ  ।

■ ମୁଖା ■ ✍ସ୍ବାଗତିକା ନନ୍ଦ




ମଣିଷ ଭୁଲିଛି ମଣିଷ ପଣିଆ
        ପଶୁ ପରି ଆଚରଣ
ମୁଖା ପିନ୍ଧା ଏବେ ଜୀବନ ଜୀବିକା 
       ସଂଯମତା ହୁଏ କ୍ଷୁର୍ଣ୍ଣ 

 ଦୁନିଆ କହୁଛି କଳଙ୍କ ମୁଣ୍ଡାଇ
       ମୁହଁ ଲୁଚାଇ ମୁଁ ବୁଲେ
ବଡ଼ ବଡିଆଙ୍କ ଶିକାର ହୋଇ ମୁଁ
         ନୁଆଇଁ ମଥାକୁ ଚାଲେ

ଝରା ଶେଫାଳୀର ପରିଚୟ ନେଇ
   ବଞ୍ଚେ ଏଇ ଦୁନିଆଁରେ
କାହାକୁ କହିବି ମୋ ଦୁଃଖ କାହାଣୀ
    ନ୍ୟାୟ ଭିକ୍ଷା ମୁହିଁ କରେ

ଆଖିରେ ଥିଲା ମୋ ଅସୁମାରୀ ଆଶା
        ମନେ ବାନ୍ଧିଥିଲା ବସା
ନିଜ ଗୋଡ଼ରେ ମୁଁ ଛିଡ଼ା ହୋଇ ଦିନେ
        ସୁଧାରି ପାରିବି ଦଶା

ପରିବାର ଦୁଃଖ ଦୂର ହୋଇଥାନ୍ତା
    ଭାବିଥିଲି ମନେ କେତେ
ପାରିଲିନି କିଛି  ନିରୁପାୟ ମୁହିଁ
       ପଥ ନ ଦିଶଇ ମତେ

ମାନବ-ରୂପୀ ସେ ଜିଅନ୍ତା ରାକ୍ଷସ
      ଲୁଟି ନେଲା ସତୀତ୍ୱକୁ
ପାଲଟି ଯାଇଛି ଜୀବନ୍ତ ଶବ ମୁଁ
    ଖୋଜି ବୁଲେ ଅସ୍ତିତ୍ବକୁ

ଜୀବନ ଯୁଦ୍ଧରେ ଏକାକୀ ଲଢ଼ିବି
       ଶତ୍ରୁର ସଂହାର ପାଇଁ
ଅସ୍ତ୍ର ଧରି ହସ୍ତେ ବିନାଶ କରିବି
       ମୁଖା ପିନ୍ଧି ଏବେ ମୁହିଁ

ଲୁହ

ଅଟକୁନି ଲୁହ  ବୋହି ଚାଲୁଛି ଅନବରତ ଆଖିବି ନିଜର କରି ରଖି ପାରୁନି  ଏ ଲୁହକୁ,,,, ବାସ୍ ଝରି ଯାଉଛି ଟୋପା ଟୋପା ହୋଇ! ମନର ବ୍ୟଥା  ହୃଦୟର କୋହ  ସତରେ ଭା...