■ କମଳ ଓ କଇଁ ■ ✍ ଉପେନ୍ଦ୍ର କୁମାର ବସ୍ତିଆ
ସରସୀରେ ଦିନେ କମଳ କଇଁକୁ
ପଚାରିଲା ହସି ହସି
କହିବୁକି କଇଁ ତୋର ମୁଖ ଚାହିଁ
ଶଶୀ କିମ୍ପା ଉଠେ ହସି ?
କହେ ନୀଳକଇଁ ମଥାକୁ ନୂଆଇଁ
ଏତେ ବଡ଼ ଲାଜକଥା
କିପରି କହିବି ଆଲୋ ଏ କମଳ
ନଇଁ ଯାଏ ମୋର ମଥା
ଯେଉଁ କାରଣରୁ ସୂରୁଯ ଚାହାଁଣୀ
ତୋ ଦେହେ ହୋଇଛି ନେସି
ସେଇ କାରଣରୁ ମୋ'ପ୍ରିୟ ସରଗୁ
ମୋତେ ଦେଖି ଉଠେ ହସି
କମଳ ବୁଝିଲା ନିଜ ମନକଥା
କହିଲା ଆଲୋ ହେ' କଇଁ
ତୋ'ପ୍ରିୟ ଦୂରରେ ମୋ'ପ୍ରିୟ ଦୂରରେ
ଅପଲକେ ସିନା ଅଛନ୍ତି ଚାହିଁ
ନପାରନ୍ତି କେବେ ଛୁଇଁ
କମଳ ବୁଝିଲା କଇଁବି ବୁଝିଲା
ନିଜ ନିଜ ମନକଥା
ନୈସର୍ଗିୟ ପ୍ରେମ ରହିଛି ଅମର
ଇତିହାସ ଗାଏ ଗାଥା
No comments:
Post a Comment