ହେ ନଟନାଗର ସ୍ରଷ୍ଟା ଏ ସୃଷ୍ଟିର
ସର୍ଜନାକୁ ଧନ୍ଯ ତୁମ
ତୁମେ ଭିଆଇଛ ଶାଶ୍ୱତ ଓ ସ୍ୱଚ୍ଛ
ଅଢେଇ ଅକ୍ଷର ପ୍ରେମ
ଦେବକୀ ନନ୍ଦନ ଯଶୋଦାର ଧନ
ରାଧା ତୁମ ବିନା ଅଧା
ମହାଭାରତର ମହାନାୟକ ହେ
ଧର୍ମ ସ୍ଥାପନ ପୁରୋଧା
- ଦାଶରଥି ସାହୁ
ଧର୍ମ ସଂସ୍ଥାପକ ହେ' ଶ୍ରେଷ୍ଠ ନାୟକ
ସର୍ଜନା ତୁମ ବିରଳ
ଅଷ୍ଟପାଟ ରାଣୀ ପାଦକୁ ସେବନ୍ତି
ତୁମ ପ୍ରେମେ ହୋଇ ଭୋଳ
ଆହେ ନଟବର ରୁକ୍ମଣୀ ନାଗର
ରାଧା ରହି ଗଲା ଅଧା
ମୀରାବାଇ ପୁଣି ତୁମ ପ୍ରୀତି ପାଇଁ
ପାଇଲା ଅଶେଷ ନିନ୍ଦା
- ଟୁକୁନା ସାହୁ
ମୟୁର ଚୂଳିଆ ଭାରି ଅଝଟିଆ
ନନ୍ଦଲାଲା ନଟ ନାଗର
ରାଧିକା ଜୀବନ ମୀରାବାଇ ମନ
ତୁମ ଲୀଳା ସତେ ଅପାର
ନବ ଛଇଳିଆ ସରପୁଳି ଖିଆ
କ୍ଷମାନିଧି ଗୁଣ ସାଗର
ସଂସାର ରକ୍ଷକ ହେ ମହା ନାୟକ
ତୁମ ବିନା ସବୁ ଅସାର
- ରାମ ଚନ୍ଦ୍ର ପ୍ରଧାନ
ଭବ ସାଗରରୁ ପାରି ହବା ପାଇଁ
ଲୋଡ଼ା ଟିକେ ଭକ୍ତି ଭାବ
ମଉନ ହୋଇଣ ବସିଚି କାଳିଆ
ଭାବ ଟିକ ପରଖିବ
ତ୍ରେତୟାରେ ଥିଲା ସେ' ପୁରୁଷୋତ୍ତମ
ସତ୍ୟରେ ଦୟା-ସାଗର
କଳି କାଳେ ସିଏ ମନୁଆ ଠାକୁର
ଦ୍ବାପରେ ନଟନାଗର
- ସନ୍ତୋଷ ପଟ୍ଟନାୟକ
ନଟନାଗର ସେ ନାଟୁଆ କହ୍ନେଇ
ଗୋପୀଙ୍କର ହାଣ୍ଡି ଭାଙ୍ଗେ
ପୀରତି ରଚଇ ଯମୁନା ଘାଟରେ
ନିତି ଗୋପୀଙ୍କର ସଙ୍ଗେ
ଗିରିଧାରି ପୁଣି ଲବଣି ଚୋର ସେ
ନନ୍ଦରାଜା ଗେହ୍ଲାପୁଅ
ବଂଶୀସୁରେ ତାର ଗୋପପୁରେ ନିତି
ଉଛୁଳେ ପ୍ରେମର ସୁଅ
- ଜଗବନ୍ଧୁ ସାହୁ
ନଟନାଗରହେ ନନ୍ଦଙ୍କ ନନ୍ଦନ
ଯଶୋଦାର ଗଳାଧନ
ନଟବର ତୁମେ ନଟକୁଟିଆହେ
ସୁନ୍ଦର ବଂଶୀ ବାଦନ
ଦ୍ବାପରରେ ପାପି କଂସକୁ ନିଧନ
ରଚିଗଲ କିର୍ତ୍ତିନାମ
ଧନ୍ଯ ଧନ୍ଯ ପ୍ରଭୁ ଦେବକୀ ନନ୍ଦନ
ହେ ବାସୁଦେବାୟ ନମଃ
‐ ରାଧାକୃଷ୍ଣ ବାୟକ
ଭାରି ନଟିଆ ସେ ନଟ ନାଗରଲୋ
ଗୋପେ ପଡୁଅଛି ହାଲା
ସହସ୍ର ଗୋପୀଙ୍କୁ ସାଥିରେ ନେଇକି
କୁଞ୍ଜେ ଲଗୋଉଛି ପାଲା
ବଇଁଶୀ ଖଣ୍ତିକ ହାତରେ ଧରିଲୋ
କି' ମନ୍ତର ସେ' ଫୁଙ୍କେ
ସେହି ବଂଶୀ ଶୁଣି ଗୋପୀଙ୍କର ମନେ
ପୀରତି ଜୁଆର ଉଙ୍କେ
- ରବିନ୍ଦ୍ର ସାହୁ
No comments:
Post a Comment