ଶୀତୁଆ ସଞ୍ଜରେ ଏ ମନ କୁଞ୍ଜରେ
ସଜନୀଗୋ ସୁପ୍ତ ଝଡ
ନିଅଣ୍ଟିଆ ରାତି ରୋମାଞ୍ଚିତେ ରତି
ସପନେ ଲେଉଟେ କଡ
ବିରହ ବେଦନା କରେ ଆନମନା
ସଅଳ ସମ୍ମୁଖେ ପ୍ରିୟା
ଉଦାସେ ରଜନୀ ମୋ ପ୍ରାଣ ସଙ୍ଗିନୀ
ପ୍ରେମେ ଶାନ୍ତ କର ହିଆ
- ଦାଶରଥି ସାହୁ
ମୁକ୍ତ ଆକାଶେ ମୁକ୍ତା ପରି ଦିଶେ
ଧରଣୀ ଧାମେ ଶିଶିର
ହସି ଯେ ଉଠନ୍ତି ସବୁଜ ବନାନୀ
ପାଇ ଶୀତଳ ସମୀର
ମଣ୍ଡୁକ ସୁପ୍ତରେ ଲଭଇ ଆନନ୍ଦ
ଶ୍ୱାନର ପ୍ରଣୟ ବେଳ
ଖେତରେ କୃଷକ ଆତ୍ମା ତୃପ୍ତି ପାଏ
ହୋଇଲେ ଶସ୍ୟ ଅମଳ
- ଟୁକୁନା ସାହୁ
ଦିନମଣୀ ତେଜ ହ୍ରାସରେ ମରତେ
ଧିରେ ଶୀତ ପ୍ରବେଶିଲା
ମନ ଉନ୍ମାଦିତ ଦେହ ହନ୍ତସନ୍ତ
ଜୀବେ ହୋଇଲେ ଘାଇଲା
ସୀମାରେ ସୈନିକ ହିମପାତ ସାଥେ
ସଂଘର୍ଷଟା ସାର ହେଲା
ଶୀତର ପ୍ରକୋପେ ବୃକ୍ଷରାଜି ଦେଖ
ପତରକୁ ପରକଲା....
- ସନ୍ତୋଷ ପଟ୍ଟନାୟକ
ହେମନ୍ତ ଯାଇଛି ଫେରି ଏ ଧରାରୁ
ଆସିଲାଣି ଏବେ ଶୀତ
ଫୁଲର ସମ୍ଭାରେ ପଲ୍ଲୀ ଗାଆଁ ହସେ
ଚାଷୀ ପୁଅ ଗାଏ ଗୀତ
ବିଚରା ଚାଷୀଟି ଭାରି ଖୁସି ହୁଏ
ଦେଖି ତା' ସୁନାର କ୍ଷେତ
ଭୁଲିଯାଏ ସିଏ ଅଭାବ କଷଣ
ଶୀତ ସଙ୍ଗେ ବସି ମିତ
- ରାମ ଚନ୍ଦ୍ର ପ୍ରଧାନ
ମନେ ପଡିଯାଏ ପିଲା ବେଳ କଥା
ଆସିଲେ ମାଘୁଆ ଶୀତ
ଗାଆଁ ଦାଣ୍ଡ ଧାରେ ଧୂନି ଜାଳି ସବୁ
ଗାଉଥିଲୁ କେତେ ଗୀତ
ଚିରା କମଳରେ ଦେହ ଢାଙ୍କି ମଧ୍ଯ
ଲାଗୁଥିଲା ସେବେ ମଜ୍ଜା
ସଞ୍ଜ ହେଲେ ପୁଣି ସଭିଙ୍କୁ ବସେଇ
ଗପ କହୁଥିଲେ ଅଜା...
- ରବିନ୍ଦ୍ର ସାହୁ
ଶୀତୁଆ ସକାଳ ଅବା ସଞ୍ଜବେଳ
ଓଷ୍ଠ ହୁଏ ଥରଥର
ବାଳୁତ କାଳର ସ୍ମୃତି ମନେ ପଡ଼େ
ଆଖି ଲୁହ ଧାରଧାର
ଗାଆଁ ପାହାଡ଼ର ପାଦଦେଶେ ବୋହେ
ଅଙ୍କାବଙ୍କା ନଈ ଧାର
ମାଘ ମାସେ ପରା ବାଘ ପରି ଶୀତ
ଦେହ ହୁଏ ଥରହର
ଶୀତୁଆ ସକାଳ ଶିଶିର ବିନ୍ଦୁରେ
ଦୁର୍ବାଦଳ ଝକଝକ
ବିଲ ହିଡ଼ପରେ ଲାଜକୁଳୀ ଲତା
ସଙ୍କୁଚିତ ରୁପ ଦେଖ
‐ ରାଧା କୃଷ୍ଣ ବାୟକ
ଶୀତ ସକାଳର କୋହଲା ପାଗରେ
କାକର ଦେଖାଏ ଛଇ
ଶୀତ ଆସି ଏଠି ଆଲିଙ୍ଗନ କରେ
ପ୍ରିୟା ଗଲା ଛାଡି ଦେଇ
ଏ ଶୀତ ସକାଳେ ପାଗଳ ମୋ ମନ
ଖୋଜେ ପ୍ରିୟା ପ୍ରେମ ପ୍ରିତୀ
ଖାଲି ଖାଲି ଲାଗେ ପ୍ରିତୀର ପଲଙ୍କ
ଲାଗେ ଯେହ୍ନେ ସବୁ ସ୍ମୃତି
- ଜଗବନ୍ଧୁ ସାହୁ
ତୁଷାର ବିନ୍ଦୁର ମୁକ୍ତା ଆବରଣେ
ଧରଣୀ ରାଣୀ ହସିଲା
ଉତ୍ତରା ପବନ କିଣେ ଜନ ମନ
ଶୀତ ଋତୁ ପ୍ରବେଶିଲା
ନୈସର୍ଗିକ ଶାନ୍ତି ସ୍ମିଗ୍ଧ ଅନୁଭୂତି
ମନୋହର ବିମୋହିତ
ଶିଶିରର ସ୍ଥିତି ହରଷେ ପ୍ରକୃତି
ଅନନ୍ୟ ଋତୁ ଏ ଶୀତ
No comments:
Post a Comment